Unknown

 

 

 

 

 

ଶାରଦା ପ୍ରସାଦ ମିଶ୍ରଙ୍କ ଗଳ୍ପ

 

ସଂକଳନ ଓ ସମ୍ପାଦନା

ଡକ୍ଟର ବିଜୟାନନ୍ଦ ସିଂହ, ଡକ୍ଟର ଅରବିନ୍ଦ ରାୟ

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରାଗ୍‍ଭାଷ

 

କଥାଶିଳ୍ପର ଅଭ୍ୟୁଦୟ ପ୍ରାୟ ଦି’ ଶତ ବର୍ଷର । କିନ୍ତୁ ଏହି ଲିଖିତ ସାହିତ୍ୟ ମୌଖିକ ସାହିତ୍ୟ ପାଖରେ ବରାବର ଋଣୀ ହୋଇଆସିଛି ଓ ଏଥିରେ ଅସ୍ୱାଭାବିକତା କିଛି ନାହିଁ । ବିଶ୍ୱ ସାହିତ୍ୟଠାରୁ ଭାରତୀୟ ସାହିତ୍ୟ ପର୍ଯ୍ୟନ୍ତ ପ୍ରତିଟି ଭାଷାରେ ପତ୍ରପତ୍ରିକାଙ୍କ ପୃଷ୍ଠାଙ୍କନ ସକାଶେ କ୍ଷୁଦ୍ର ଗଳ୍ପର ଆବଶ୍ୟକତା ବାଧ୍ୟ କରିଛି କଥାଶିଳ୍ପୀମାନଙ୍କୁ ସେମାନଙ୍କର କଲମ ଚାଳନାପାଇଁ । ଓଡ଼ିଆ ସାହିତ୍ୟରେ ସୁଦ୍ଧା ଫକୀରମୋହନଙ୍କ ସମୟରୁ ଏହି ପ୍ରବହମାନତା ସୁସ୍ପଷ୍ଟ । ଏହି ଧାରା ଯାହା ବିଶ୍ୱ ସାହିତ୍ୟରେ ମୋଁପାସା, ଚେକଭ୍, ହେନେରୀ ଜେମ୍‍ସ ଓ ହେନେରୀ, ହେମିଂୱେ, କାଫ୍‍କା ପ୍ରଭୃତିଙ୍କଠାରୁ ଭାରତୀୟ ସାହିତ୍ୟରେ ପ୍ରେମଚାନ୍ଦ, ରବୀନ୍ଦ୍ରନାଥ, ଫକୀରମୋହନ, ମନୋଜ ଦାସ, ବସିର୍, ନିର୍ମଳ ବର୍ମା ଭଳି ସଂଖ୍ୟାଧିକ ଗାଳ୍ପିକଙ୍କୁ ପ୍ରଲୁବ୍‍ଧ କରି ଆସିଛି ସେମାନଙ୍କ ସୃଷ୍ଟିଶୀଳ ଚେତନାକୁ ଉଜ୍ଜୀବିତ କରି ରଖିବାପାଇଁ । କହିବା ବାହୁଲ୍ୟ ଏହି ସର୍ଜନା କର୍ମର ଅନ୍ୟତମ ତରୁଣ ସୂତ୍ରଧର ଶାରଦା ପ୍ରସାଦ ମିଶ୍ର, ଓଡ଼ିଆ ଭାଷା ସାହିତ୍ୟରେ ନିଜର ପ୍ରତିଭାକୁ ଠିକ୍ ସାବ୍ୟସ୍ତ କରିବାକୁ ଯିବାବେଳେ ଆମ ଗହଣରୁ ନିୟତିର କ୍ରୂର ନିର୍ଦ୍ଦେଶରେ ଚିର ବିଦାୟ ନେଇଛନ୍ତି-। ବିଶ୍ୱବିଶ୍ରୁତ ଗାଳ୍ପିକ ଓ ହେନେରୀଙ୍କୁ ମାତ୍ର ୪୬ ବର୍ଷ ବୟସରେ ପରଲୋକ ପ୍ରାପ୍ତି ହୋଇଥିଲା-। ଶାରଦାଙ୍କ ବିୟୋଗାବସନବେଳକୁ ତାଙ୍କ ବୟସ ମାତ୍ର ୫୩ ବର୍ଷ । ୨୦୧୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଗଳ୍ପ ପୁସ୍ତକ ‘ରାତ୍ରିର ଅଜବ ଦୃଶ୍ୟ’ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା-। ଶତାଧିକ ଗଳ୍ପର ସ୍ରଷ୍ଟା ଏ ଯୁବ ପ୍ରତିଭା ଏକ ନିଆରା ଶୈଳୀକୁ ଖୁବ୍ କମ୍ ସମୟର ସାଧନାରେ ଆପଣେଇପାରିଥିଲେ । ରୋକ୍‍ଠୋକ୍ ବକ୍ତବ୍ୟ, ବେପରୁଆ ସତ୍ୟର ଉଦ୍‌ଘାଟନ ସାଙ୍ଗକୁ ତାଙ୍କ ଗଳ୍ପମାନଙ୍କ ଚରିତ୍ର ଓ ଘଟନାବଳିରେ ଆମେ ଅବଚେତନ ମନର ଏକ ଭିନ୍ନ ଦିଗନ୍ତକୁ ଉନ୍ମୋଚନ କରିଥାଉଁ । ତାହା ଯେପରି ଶ୍ଳେଷାତ୍ମକ, ସେଭଳି କରୁଣାର୍ଦ୍ର । ମଧ୍ୟବିତ୍ତ ଜୀବନର ଭୀତିପ୍ରଦ ନୈତିକତା ତାଙ୍କୁ କବଳିତ କରି ପାରି ନଥିଲା ଯେଉଁଥିପାଇଁ ଆମେ ତାଙ୍କ ଗଳ୍ପ ପଢ଼ିଲାବେଳେ ଉର୍ଦ୍ଦୁ ସାହିତ୍ୟର ସୁପରିଚିତ ଗାଳ୍ପିକ ସାଦତ୍‌ ହାସନ୍‌ ମଣ୍ଟୋଙ୍କୁ ସ୍ମରଣ କରିଥାଉଁ । ସୁଗନ୍ଧଠୁ ଦୂରେଇ ମଇଳାକୁ ଅନୁଧାବନ କରିବାରେ ସିଦ୍ଧହସ୍ତ ଶିଳ୍ପୀମାନଙ୍କଦ୍ଵାରା ଶାରଦା କେଉଁ ଭଳି ଅନୁପ୍ରାଣିତ ତା’ରି ପ୍ରାମାଣିକତା ଜାହିର କରିବା ପୂର୍ବରୁ ସେ ଆଜି ଆମ ଗହଣଠୁ ବହୁଦୂରରେ-। ଆମେ ଆପାତତଃ ନିରୁତ୍ତର ହେବାବେଳେ ତାଙ୍କ ଗଳ୍ପ ସମୂହ, ଯାହା ଏଥିରେ ସଂକଳିତ ସେମାନେ ହୁଏତ ପାଠକୀୟ ଉଦ୍‍ବେଳନକୁ ପ୍ରକାଶିତ କରିବା ଦିଗରେ ନିଜ ସାମର୍ଥ୍ୟ ଜାହିର ରଖିବେ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ତା’ରି କର୍ତ୍ତବ୍ୟର ଅନୁପାଳନରେ ଆଉ ଏକ ପାଦ ଆଗେଇବାର ପ୍ରମାଣ ଏଇ ସଂକଳନଟି । ଆଶା, ଏହା ପାଠକୀୟ ଆଦୃତି ଲାଭ ଦିଗରେ ସମର୍ଥ ହେବ ।

 

ଅଶ୍ୱିନୀ କୁମାର ମିଶ୍ର

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

✽✽✽

 

ମୁଖବନ୍ଧ

 

କଥାଶିଳ୍ପୀ ଶାରଦା ପ୍ରସାଦ ମିଶ୍ର ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସ୍ମରଣୀୟ ସାରସ୍ୱତ ପ୍ରତିଭା । ସାରସ୍ୱତ ପରିବେଶ ଭିତରେ ସେ ଆବିର୍ଭୂତ ହୋଇଥିଲେ । ବାଲ୍ୟକାଳରୁ ଜୀବନର ଶେଷ ପର୍ଯ୍ୟନ୍ତ ସାହିତ୍ୟ ଜଗତରେହିଁ ବିଚରଣ କରୁଥିଲେ । ସାହିତ୍ୟ ଥିଲା ତାଙ୍କର ପ୍ରବୃତ୍ତି । ଜୀବନକୁ ନିବିଡ଼ ଭାବରେ ସେ ଉପଲବ୍ଧି କରିଥିଲେ ଓ ଜୀବନର ମାର୍ମିକ ଅନୁଭବକୁ ସାହିତ୍ୟ ମଧ୍ୟରେ ଉପସ୍ଥାପିତ କରିଯାଇଛନ୍ତି । ଶାରଦା ପ୍ରସାଦ ଜଣେ ବାସ୍ତବବାଦୀ କଥାକାର-। ବାସ୍ତବ ଜଗତର କଥା ତାଙ୍କ ଶବ୍ଦ ଶୈଳୀରେ ମନ୍ମୟ ରୂପ ଲାଭ କରି ପାଠକ ଚିତ୍ତକୁ ଆନ୍ଦୋଳିତ କରିବାରେ ସମର୍ଥ ହୋଇଛି । ସେ ଥିଲେ ଓଡ଼ିଆ ସାହିତ୍ୟର ଉଜ୍ଜ୍ଵଳ ଭବିଷ୍ୟତ । ଜୀବନର ସ୍ୱଳ୍ପ ସମୟ ଭିତରେ ଯେଉଁ ଅଲିଭା ସ୍ୱାକ୍ଷର ଅଙ୍କନ କରିଛନ୍ତି ତାହା ଆମ ସାହିତ୍ୟକୁ ସୁଶୋଭିତ କରିଛି-। ଶାରଦା ପ୍ରସାଦଙ୍କ ସାହିତ୍ୟ ସମକାଳୀନ ଜୀବନ ଜଗତର ସାର୍ଥକ ଇସ୍ତାହାର । ଉପନ୍ୟାସ ଓ ଗଳ୍ପ ସମ୍ପର୍କରେ ତାଙ୍କ ଅବଧାରଣା ଥିଲା ସ୍ଵତନ୍ତ୍ର ଓ ମୌଳିକ ।

 

ଶାରଦା ପ୍ରସାଦ ଥିଲେ ଜଣେ ଶକ୍ତିଶାଳୀ ଗାଳ୍ପିକ, ଔପନ୍ୟାସିକ । ତାଙ୍କ ସାରସ୍ୱତ ପ୍ରତିଭା ଆମ ସାହିତ୍ୟରେ ସ୍ଵୀକୃତ ଓ ସମ୍ମାନିତ । ଗଳ୍ପ ଅନୁସାରେ ଭାଷା, ଶୈଳୀ ପ୍ରୟୋଗରେ ସେ ଥିଲେ ନିପୁଣ । ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ଅବକ୍ଷୟ ବିରୋଧରେ ସେ ସ୍ଵକୀୟ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ଗଳ୍ପ, ଉପନ୍ୟାସରେ । ସାଧାରଣ ମଣିଷର ଦୁଃଖ, ଜୀବନ ଯନ୍ତ୍ରଣା, ଆଶା, ନିରାଶା, ପ୍ରାପ୍ତି ଅପ୍ରାପ୍ତି ସର୍ବୋପରି ପ୍ରେମ ଓ ଆନନ୍ଦର ଭାବାବେଗ ପ୍ରଦାନ କରିଛନ୍ତି ସ୍ଵକୀୟ ସୃଷ୍ଟି ବିଭବରେ ।

 

୧୯୬୩ ମସିହା ଫେବୃୟାରୀ ୧ ତାରିଖ ଫାଲ୍‍ଗୁନ ମାସ ଚତୁର୍ଦ୍ଦଶୀ ତିଥି (ଜାଗର)ରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନସ୍ଥ ସରପଡ଼ା ଗ୍ରାମରେ ଶାରଦା ପ୍ରସାଦ ମିଶ୍ର ଜନ୍ମଗ୍ରହଣ କରିଥିଲେ । ପିତା ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଓ ମାତା ଶ୍ରୀମତୀ ଶକୁନ୍ତଳା ଦେବୀଙ୍କର ପ୍ରଥମ ସନ୍ତାନ ସେ ଥିଲେ । ଶାରଦାଙ୍କ ପିତା ଜଣେ ସଂସ୍କୃତ ବିଦ୍ୱାନ ଓ ପ୍ରତିଷ୍ଠିତ କବି-। ଶାରଦାଙ୍କର ବାଲ୍ୟଜୀବନ ଆରମ୍ଭ ହୁଏ ଗ୍ରାମ୍ୟ ପରିବେଶରେ । ତାଙ୍କର ଦୁଇଭଉଣୀ ଓ ଚାରିଜଣ ଭାଇ ଥିଲେ । ଜେଜେମାଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିଲା ପ୍ରାଥମିକ ଶିକ୍ଷା-। ଜେଜେମାଙ୍କ ନୈତିକ ଶିକ୍ଷା ଓ ପିତାଙ୍କର ଉତ୍ସର୍ଗୀକୃତ ସାହିତ୍ୟ ସାଧନାର ପ୍ରଭାବ ଶାରଦାଙ୍କର ସାମଗ୍ରିକ ଜୀବନଶୈଳୀ ଉପରେ ଖୁବ୍ ପ୍ରଭାବ ପକାଇଥିଲା । ଶାରଦା ନିଶ୍ଚିନ୍ତକୋଇଲି ବ୍ଲକ୍ ଖଣ୍ଡସାହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ । ପଞ୍ଚମ ଶ୍ରେଣୀବେଳକୁ ଗୀତା ଭାଗବତକୁ ପ୍ରାଞ୍ଜଳ ଭାବରେ ପଢ଼ି ଅନ୍ୟମାନଙ୍କୁ ବୁଝାଇପାରୁଥିଲେ-। ପଞ୍ଚମକ୍ଲାସ୍‍ବେଳକୁ ସେ ଜଗନ୍ନାଥ ବିଦ୍ୟାପୀଠରେ ନାମ ଲେଖାଇଥିଲେ । ଅଷ୍ଟମଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଶିକ୍ଷକ ଦୁର୍ଯୋଧନ ଜେନାଙ୍କ ସହାୟତାରେ ସ୍କୁଲ୍‍ର ଏକ ଆଲମାରିରୁ ୫୦୦ରୁ ଊର୍ଦ୍ଧ୍ୱ ଶ୍ରେଷ୍ଠ ଓଡ଼ିଆ ଅନୁବାଦ ପୁସ୍ତକ ସେ ପାଇଥିଲେ । ସେହି ବହିଗୁଡ଼ିକୁ ସେ ନବମ, ଦଶମରେ ପାଠପଢ଼ିବା ସମୟରେ ପଢ଼ିସାରିଥିଲେ । ଏହାକୁ ପଢ଼ିବାପରେ ଅନେକଗୁଡ଼ିଏ ଲେଖକଙ୍କ ବିଷୟରେ ବହୁତ କିଛି ସେ ଜାଣିପାରିଥିଲେ । ସେକ୍ସପିଅର, ଆଲେକଜାଣ୍ଡାର, ଡୁମା ବାଲ୍‍ଜାକ୍, ଚେକଭ, ହୋମର, ଗୋଗାଲ, ଗର୍କୀ, ୱାଲଟର ସ୍କଟ, ଆର.ଏଲ୍.ଷ୍ଟିପେନ୍‍ସନ, ଡାନିଏଲ୍ ଡିଫୋ, ମାର୍ବଟ୍ୱାଏନ, ଏଡ଼ଗାର ଆଲାନ୍ ଗୋ, ଏଚ୍.ଜି. ୱେଲସ୍, ଏଡ଼ଗାର ରାଇସ୍, ବରୋ, ପର୍ଲ ଏସ୍ ବକ୍, ଚାର୍ଲସ ଡିକେନ୍‍ସ, ଜେନ୍ ଅଷ୍ଟିନ୍, ଥୋମାସ ହାର୍ଡ଼ି, ଆର୍ଥାର କୋନାନ୍ ଓୟଲ୍, ଓସ୍କାର ୱାଇଲଡ଼ ପ୍ରମୁଖଙ୍କ ଲେଖା ସବୁ ଓଡ଼ିଆ ଭାଷାରେ ପଢ଼ିଥିଲେ । ଏମିତି ଅନେକ ବହି ପଢ଼ିବା ପରେ ଜଣାଯାଏ ଲେଖାଲେଖିରେ ଆଗ୍ରହ ସୃଷ୍ଟି ହୋଇଥିଲା ତାଙ୍କର । ୧୯୭୯ରେ ମାଟ୍ରିକ୍‌ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ହାଇସ୍କୁଲ ଶିକ୍ଷା ସମାପ୍ତିବେଳକୁ ଶାରଦାଙ୍କର ଅନେକଗୁଡ଼ିଏ କବିତା, କ୍ଷୁଦ୍ରଗଳ୍ପ, ପ୍ରଜାତନ୍ତ୍ର, ମାତୃଭୂମି, ମିନାବଜାରରେ ପ୍ରକାଶିତ ହୋଇଥିଲା । ସ୍କୁଲ୍‍ରେ ପଢ଼ିଥିବା ସମୟରେ ଶାରଦା ଘରେ ଏକ ଛୋଟ ପାଠାଗାର ଖୋଲିସାରିଥିଲେ । ବିଶ୍ୱ ସାହିତ୍ୟରେ ଚମକ ସୃଷ୍ଟି କରିଥିବା କବି, ଲେଖକମାନଙ୍କର ବହିସବୁ ସଂଗ୍ରହ କରି ରଖିଥିଲେ । ନିଜେ ପଢ଼ିବା ସଙ୍ଗେ ସଙ୍ଗେ ଗ୍ରାମର ଅନ୍ୟ ପିଲାମାନଙ୍କୁ ପଢ଼ିବାପାଇଁ ପ୍ରୋତ୍ସାହିତ କରୁଥିଲେ ।

 

ମାଟ୍ରିକ୍ ପାସ୍ ପରେ ସେ କଟକ ରେଭେନ୍‍ସା କଲେଜରେ କଳା ବିଭାଗରେ ନାମ ଲେଖାଇଥିଲେ । ଶାରଦାଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା । ତା’ ସତ୍ତ୍ଵେ ସେ ପଛକୁ ଫେରିଚାହିଁ ନଥିଲେ । ପାଠ ପଢ଼ିବା ତାଙ୍କର ଏକରକମର ଝୁଙ୍କ୍ ଥିଲା । ପାଠ ବହି କମ୍ ପଢ଼ୁଥିଲେ-। କିନ୍ତୁ ବିଶ୍ୱ–ସାହିତ୍ୟର ଯେତେ ସବୁ ଉପନ୍ୟାସ, ଗଳ୍ପ ଅଛି କାହାକୁ ବାଦ୍ ଦେଇ ନଥିଲେ-। ବହିପଢ଼ିବା ସବୁଠାରୁ ଭଲ ଅଭ୍ୟାସ ତାଙ୍କର ଥିଲା । ସେ ଜଣେ ମେଧାବୀ ଛାତ୍ର ଥିଲେ-। ସ୍କଲାର୍‍ସିପ୍ ପାଇ ପଢ଼ୁଥିଲେ । ୧୯୮୧ରେ ଆଇ.ଏ.ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ-। ୧୯୮୩ ମସିହାରେ ସ୍ନାତକ କଳା ଉପାଧିରେ ମନସ୍ତତ୍ୱ ବିଜ୍ଞାନରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସ୍ନାତକୋତ୍ତର ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇଥିଲେ-। ହେଲେ ସେହି ସମୟରେ ତାଙ୍କର ମା’ଙ୍କର ଦେହାନ୍ତ ହୋଇଗଲା । ସେ ଆଉ ଅଧିକ ପାଠ ପଢ଼ିପାରିଲେ ନାହିଁ । ପାଠ ପଢ଼ିବାରୁ ବଞ୍ଚିତ ହୋଇ ଫେରିଗଲେ ନିଜ ଜନ୍ମମାଟିକୁ । ଏମିତି ସେଠାରେ ଦଶବର୍ଷ ବିତିଗଲା । ସେହି ସମୟରେ ସେ ଅନେକ ଗଳ୍ପ, କବିତା, ଉପନ୍ୟାସ, ଅନୁବାଦ ଗଳ୍ପ ଲେଖିବାର ସୁଯୋଗ ପାଇଥିଲେ । ଶାରଦାଙ୍କ ପ୍ରତ୍ୟେକଟି ଗଳ୍ପ ଥିଲା ସ୍ଵତନ୍ତ୍ର । ଗଳ୍ପଗୁଡ଼ିକ କଥା କହିବା ଢଙ୍ଗରେ ଲେଖି ପାଠକମାନଙ୍କ ମନରେ ଚହଳ ସୃଷ୍ଟି କରିପାରୁଥିଲେ । ୧୯୮୯ ସେପ୍ଟେମ୍ବରରେ ରାଷ୍ଟ୍ରଭାଷାରେ ପ୍ରବୀଣ ପାସ୍ କରିଥିଲେ । ୧୯୯୪ରେ ଲୋକସମ୍ପର୍କ ବିଭାଗରେ Divisional information and public relation officer ଭାବରେ ପଦ୍ମପୁରରେ ପ୍ରଥମେ ନିଯୁକ୍ତି ପାଇଥିଲେ । ୧୯୯୯ରେ ଭୁବନେଶ୍ୱର ଜୟଦେବ ଭବନକୁ ମାନେଜର ଭାବରେ ବଦଳି ହୋଇ ଆସିଲେ । ସେଠାରେ କିଛିଦିନ କାର୍ଯ୍ୟ କରିବା ପରେ ଓଡ଼ିଶାର ରାଜଭବନକୁ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ ଡେପୁଟେସନରେ ଗଲେ । ସେତେବେଳେ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ୍ ଥିଲେ । ଶାରଦାଙ୍କ କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟପାଳ ଏତେ ଖୁସି ହୋଇଯାଇଥିଲେ ଯେ ତାଙ୍କୁ ଛାଡ଼ିବାକୁ ଇଚ୍ଛା କରି ନଥିଲେ । ପରବର୍ତ୍ତୀ ସମୟରେ ୪ ଜଣ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ର, ରାମେଶ୍ୱର ଠାକୁର, ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଏବଂ ସର୍ବଶେଷରେ ଗଭର୍ଣ୍ଣର ଏସ୍.ସି. ଜମିରଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ତୁଲାଉଥିଲେ-। ଦୀର୍ଘ ୧୫ ବର୍ଷ କାଳ ରାଜଭବନରେ ଜଣେ ଦକ୍ଷ ଅଫିସରଭାବେ ବିଭିନ୍ନ ରାଜ୍ୟପାଳଙ୍କର ପ୍ରଶଂସାଭାଜନ ହୋଇପାରିଥିଲେ । ଶାରଦାଙ୍କ ବିବାହ ହୋଇଥିଲା କଟକ ଜିଲ୍ଲା ବଡ଼ମ୍ବା ଗ୍ରାମର ଶ୍ରୀ ଗୋକୁଳାନନ୍ଦ ମିଶ୍ର ଓ ଶ୍ରୀମତୀ ଶୈଳବାଳା ଦେବୀଙ୍କ କନ୍ୟା ସରସ୍ୱତୀଙ୍କ ସହିତ-। ଜୀବନ ସହଜରେ ଚାଲିଥିଲା । ହଠାତ୍ ଜୀବନରେ ଏକ ଝଡ଼ ସୃଷ୍ଟି ହେଲା । ଜୀବନ ଅସହଜ ହୋଇପଡ଼ିଲା । ୨୦୧୨ ଡିସେମ୍ବର ୨୬ରେ ଜଣାପଡ଼ିଲା ଯେ ସେ ଗୁରୁତର ଅସୁସ୍ଥ । ୨୦୧୨ ଡିସେମ୍ବର ୨୮ରେ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ହେଲା । ସାରସ୍ୱତ ସୃଷ୍ଟିରେ ଶାରୀରିକ କଷ୍ଟ ବାଧକ ସାଜିଲା । ତା’ ସତ୍ତ୍ୱେ ସାଧନା ଜାରି ରହିଲା । ୨୦୧୪ ଡିସେମ୍ବର ୨୪ରେ ପୁନର୍ବାର ଅପରେସନ୍‍ ହେଲା । ଏତିକିରେବି ସେ ଭାଙ୍ଗି ପଡ଼ି ନଥିଲେ । ସକଳ ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ସେ ସାହିତ୍ୟ ସାଧନା ଅବ୍ୟାହତ ରଖିଥିଲେ । ୨୦୧୫ ମସିହା ଅକ୍ଟୋବର ୧ ତାରିଖରେ ‘କଥା’ ପତ୍ରିକାରେ ଏକ ଉପନ୍ୟାସ ପ୍ରକାଶ ପାଇଥିଲା । ଯାହାର ନାମ ଥିଲା ‘ଜୀବାଶ୍ମ’ । ସେତେବେଳେ ମଧ୍ୟ ତୃତୀୟଥର ଅପରେସନ୍‍ ହୋଇଥିଲା । ‘ଜୀବାଶ୍ମ’ ଉପନ୍ୟାସଟି ଏତେ ହୃଦୟସ୍ପର୍ଶୀ ହୋଇଥିଲା, ତାହା ପାଠକମାନଙ୍କର ମତାମତରୁ ଜଣାପଡ଼ିଯାଇଥିଲା । ଏପରି ଅସୁସ୍ଥତା ଭିତରେ ଥାଇ ମଧ୍ୟ କିମ୍‍ସ ଡାକ୍ତରଖାନାରେ ୨୦୧୬ ମାର୍ଚ୍ଚ ମାସ ୩୦ ତାରିଖରେ ଦୁଇଟି ବହି ‘ଜୁଲି’ ଏବଂ ‘ଜୀବାଶ୍ମ’ ଉନ୍ମୋଚିତ ହୋଇଥିଲା । ଶାରଦା ଚାହୁଁଥିଲେ ପୃଥିବୀରୁ ବିଦାୟ ନେବା ପୂର୍ବରୁ କିଛି ଅଭୁଲା ସ୍ମୃତି ଛାଡ଼ିଦେଇ ଚାଲିଯିବେ କିନ୍ତୁ ତାହା ଆଉ ବେଶୀଦିନ ସମ୍ଭବ ହେଲା ନାହିଁ-। ୨୦୧୬ ମସିହା ଏପ୍ରିଲ୍ ୧୭ ତାରିଖ ରବିବାର ଏକାଦଶୀ ତିଥିରେ କଥାକାର ଶାରଦା ପ୍ରସାଦ ମିଶ୍ର ସାହିତ୍ୟ ଜଗତକୁ ତଥା ତାଙ୍କର ଏଇ ପ୍ରିୟ ପୃଥିବୀକୁ ଛାଡ଼ି ଚାଲିଯାଇଥିଲେ କେଉଁ ଏକ ଅପହଞ୍ଚ ଇଲାକାକୁ । ଅଭୁଲା ହୋଇ ରହିଗଲେ ଶାରଦା ସମସ୍ତ ପାଠକମାନଙ୍କ ମନରେ । ଆଧୁନିକ ଓଡ଼ିଆ ସାହିତ୍ୟ ହରାଇଥିଲା ଜଣେ ସୁନାମଧନ୍ୟ କଥାଶିଳ୍ପୀଙ୍କୁ । ମୃତ୍ୟୁପର୍ଯ୍ୟନ୍ତବି ଶାରଦାଙ୍କ ‘ଧୀ’ ଶକ୍ତି ଓ ଲେଖନୀ ଚାଳନା ଖୁବ୍ ପ୍ରଖର ଥିଲା । ଶେଷପର୍ଯ୍ୟନ୍ତ ଅତି ସୁନ୍ଦର ଭାବରେ ଲେଖିପାରୁଥିଲେ-

 

ଶାରଦା ପ୍ରସାଦଙ୍କ ଗଳ୍ପ, ଉପନ୍ୟାସ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସୃଷ୍ଟି । ତାଙ୍କ ଗଳ୍ପ ପୁସ୍ତକ ଅପହଞ୍ଚ ଇଲାକାର ଅଧୀଶ୍ଵର, ରାତ୍ରିର ଅଜବ ଦୃଶ୍ୟ, ଆହୁରି ଉପରକୁ ହାତ, ହୃଦୟାବର୍ତ୍ତ, ଉପନ୍ୟାସ ପୁସ୍ତକ, ୧. ଉତ୍ତାନପାଦ, ୨. ମଧୁରମିଛର ପୃଥିବୀ, ୩. ରୋଗର ନାଁ ଗଙ୍ଗଶିଉଳି, ୪. ଯଦି ମୁଁ ଡାକ ଶୁଣୁନାହିଁ ତାହାହେଲେ ମୋର ଯୌବନ ନାହିଁ, ୫, ଜରାୟୁଜ, ଜମଦଗ୍ନି, ୬ ଜୁଲି, ୭. ‘ଜୀବାଶ୍ମ’ ପ୍ରଭୃତି ପାଠକୀୟ ଆଦୃତି ଲାଭ କରିଛି । ଏତଦ୍‌ବ୍ୟତୀତ ଉଚ୍ଚକୋଟିର ପ୍ରବନ୍ଧ, ଫିଚର ଓ କବିତା ସେ ରଚନା କରି ଯାଇଛନ୍ତି । ଶହେରୁ ଊର୍ଦ୍ଧ୍ୱ କବିତାର ସ୍ରଷ୍ଟା ସେ ।

 

ସୃଷ୍ଟି ଓ ସମୀକ୍ଷା

 

ଶାରଦାଙ୍କର ଜୀବନଶୈଳୀ ଥିଲା ନିଆରା । ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ଖାପ୍ ଖୁଆଇ ଚାଲିପାରୁଥିଲେ । ‘ମରିବାପାଇଁ ଛ’ ହାତ ଜାଗା ଦରକାର’, ଏଇଟା ଥିଲା ତାଙ୍କର ଦର୍ଶନ । ଶାରଦା ବସ୍ତୁବାଦୀ ଅପେକ୍ଷା ବାସ୍ତବବାଦୀ ହେବାକୁ ଅଧିକ ପସନ୍ଦ କରୁଥିଲେ । ଭଲ ଖାଦ୍ୟ ଅପେକ୍ଷା ଭଲ ବହିଖଣ୍ଡେ ମିଳିଗଲେ ବେଶୀ ଖୁସି ହେଉଥିଲେ । ଶାରଦାଙ୍କ ଦେହ ଖରାପ ଥିବା ସମୟରେ ସେ ଏକ ଅଭିନବ ଉପାୟ ଖୋଜିଥିଲେ । ନିଜେ ନିଜର ସାକ୍ଷାତ୍‍କାର କରିଥିଲେ-। ଏବଂ ତାହା ୨୦୧୬ ଏପ୍ରିଲ ୩ ତାରିଖରେ ସମ୍ବାଦରେ ପ୍ରକାଶ ପାଇଥିଲା । ସେଥିରେ ପ୍ରଶ୍ନଥିଲା ‘ଉପଲବ୍ଧି କ’ଣ ? ବୋଲି । ମନକୁ ପ୍ରଶ୍ନ କରି ଉତ୍ତରରେ ଲେଖିଥିଲେ, ‘କିଛି ଅନାବିଳ ପାଠକୀୟ ଶ୍ରଦ୍ଧା ଓ ସମ୍ପର୍କହିଁ ମୋର ଉପଲବ୍ଧି । ତେବେ ଜଣେ ମଣିଷକୁ ଦେଖି ମୁଁ ଭାବେ ଜଣେ ମଣିଷ ନୁହେଁ, ୟାରି ଭିତରେ ୫/୧୦ କିସମର ମଣିଷ ଅଛନ୍ତି । ତାହା ମୋତେ ଗପରେ ନିର୍ଦ୍ଦିଷ୍ଟ ଚରିତ୍ର ଚିତ୍ରଣ କରିବାପାଇଁ ରାସ୍ତା ସୁଗମ କରାଏ । ଏହା ଅନ୍ୟଏକ ଉପଲବ୍ଧି ।’ ସେ ଚେକଭ–ଗର୍କୀ–ସମରସେଟ–ମୋଁମ୍‍ପାସା ଓ ହେନେରୀଙ୍କଦ୍ୱାରା ବ୍ୟାପକଭାବେ ପ୍ରଭାବିତ ବୋଲି କହୁଥିଲେ । ଆହୁରି ମଧ୍ୟ କହୁଥିଲେ, ଜଗଦୀଶ ମହାନ୍ତି ଓ ହୃଷୀକେଶ ପଣ୍ଡା (ପ୍ରଶାସକ)ଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ଏମିତି ଆହୁରି ବଡ଼ବଡ଼ ଲେଖକଙ୍କ କଥା ସେ ଲେଖିଥିଲେ । ଶାରଦା ଯାହାବି ତତ୍ତ୍ଵଦର୍ଶନ ପଢ଼ିଥିଲେ ତାହା ଇଂରାଜୀ ଏବଂ ବ୍ରିଟିଶ କୈନ୍ଦ୍ରିକ । ଅନ୍ୟ ଆଫ୍ରିକୀୟ ବାସ୍କାଣ୍ଡିନେଭିୟ ବାଲାଟିକ୍ ଆମେରିକା ସାହିତ୍ୟଗୁଡ଼ିକ ମଧ୍ୟ ପଢ଼ିଥିଲେ ।

 

ସମସାମୟିକ କଥାକାରମାନଙ୍କ ମଧ୍ୟରେ ଶାରଦା ଥିଲେ ଅନନ୍ୟ । ସେ ଗଳ୍ପ, ଉପନ୍ୟାସଗୁଡ଼ିକରେ ଜୀବନର ବାସ୍ତବତାକୁ ଅତି ସୁନ୍ଦର ଭାବରେ ରୂପ ଦେବାରେ ଜଣେ କୁଶଳୀ କାରିଗର ଥିଲେ । ଗଳ୍ପ ସଙ୍କଳନ ‘ଅପହଞ୍ଚ ଇଲାକାର ଅଧୀଶ୍ୱର’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଭ୍ରାତୃସ୍ମୃତି ସମ୍ମାନ ସେ ପାଇଥିଲେ । ‘ରାତ୍ରିର ଅଜବ ଦୃଶ୍ୟ’ ପାଇଁ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ କ୍ଷୁଦ୍ରଗଳ୍ପ ପୁରସ୍କାର ୨୦୧୧ ପାଇଁ ପାଇଥିଲେ । ଶାରଦାଙ୍କର ସାହିତ୍ୟ ସଂରଚନା ଶୈଳୀ ଥିଲା ସ୍ଵତନ୍ତ୍ର ଓ ମାର୍ମିକ । ତାଙ୍କର ପ୍ରତ୍ୟେକଟି ଗଳ୍ପ, ଉପନ୍ୟାସ ଓଡ଼ିଆ କଥା ସାହିତ୍ୟ ଜଗତପାଇଁ ଥିଲା ଏକ ଅମ୍ଳାନ କୃତି । ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘ଜୀବାଶ୍ମ’ ପାଠକଙ୍କ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ‘ଜୁଲି’ ତାଙ୍କର ଶ୍ରେଷ୍ଠ ଉପନ୍ୟାସ ଥିଲା । ୩୫ ବର୍ଷ ଭିତରେ ସାରସ୍ୱତ କ୍ଷେତ୍ରରେ ଛାଡ଼ି ଯାଇଥିବା କୃତିଗୁଡ଼ିକ ପାଇଁ ପାଠକମାନଙ୍କ ମହଲରେ ଅଭୁଲା ସ୍ମୃତି ହୋଇ ରହିଯାଇଛନ୍ତି ଶାରଦା ।

 

୨୦୧୫ ଅକ୍ଟୋବର ୧ରେ ‘ଜୀବାଶ୍ମ’ର ସୃଷ୍ଟି । ଏହି ଉପନ୍ୟାସରେ ବିନିଭାଉଜର ଚରିତ୍ର ଏବଂ ବର୍ଣ୍ଣନା ଶୈଳୀ ଏତେ ଜୀବନ୍ତ ଏବଂ ଶକ୍ତିଶାଳୀ ତାହା ପଢ଼ିଲେ ଅନୁଭବ କରିହୁଏ । ଶବ୍ଦଛଳରେ ଗଡ଼େଇ ନିଅନ୍ତି କଥାକୁ । ଯେମିତି କି ଉପନ୍ୟାସର ପ୍ରଥମ ଅଂଶ :– “କାହିଁକି ସର୍ବଦା ଏମିତି ହୋଇଆସିଛି ଯେ ଅନେକଙ୍କର ଅନେକ ଯନ୍ତ୍ରଣା କଥା କି ଦୁଃଖର କଥା ମୋରି ଛାତିତଳେ, କୋଉ ଅଳନ୍ଧୁଭରା କାନ୍ଥରେ ଝୁଲଣ ରକ୍ତକ୍ଷରା ଛବିଟିଏ ହୋଇ ? ଯେତେବେଳେ ବନ୍ଧୁମେଳରେ ଆସର ଜମିଥାଏ ସାଙ୍ଗମାନେ କେତେକେତେ ଚମତ୍କାର କଥାମାନ କହିଥାନ୍ତି, ହୋ–ହୋ–ହସରେ କମ୍ପୁଥାଏ ଆସର, ସିଗାରେଟ ଧୂଆଁ–ଦାମୀ ପାନୀୟ ସୁସ୍ୱାଦୁ ଖାଦ୍ୟର ମହକରେ ଜମିଆସୁଥାଏ; ଧୂଆଁ ଉଡ଼ାଉଥାଏ । ହେଲେ ଯାହାଟା ନଥାଏ, ସେଇଟା ହେଲା ଶବ୍ଦ ।''

 

‘ଜୀବାଶ୍ମ’ର ଆଉ କିଛି ଅଂଶ–

 

“ହାଃ !! ଛାତି ନା ସିଏ କୋଉ ଉପତ୍ୟକା ?

 

କିଏ ଜାଣେ ?

 

ତମପାଇଁ ଯିଏ ଝର୍କା, ମୋପାଇଁ ସିଏ ସ୍ମୃତିର ଧାଡ଼ି ଧାଡ଼ି

 

ପାହାଚ !

 

ତମପାଇଁ ଯିଏ ଦିଗ୍‍ବଳୟ ବ୍ୟାପୀ ସବୁଜ ଘାସର ଗାଲିଚା,

 

ମୋପାଇଁ ସିଏ ତପତୀ ।''

 

ଶାରଦାଙ୍କର ଗଳ୍ପମାନଙ୍କରେ ଥିବା ମାନିନୀ, ତପତୀ, ତମାଳ, ବିନିଭାଉଜ ଏମିତି ଅନେକ ନିରୀହ, ସରଳ ଚରିତ୍ରମାନଙ୍କୁ କିପରି ଶକ୍ତିଶାଳୀ କରିପାରନ୍ତି ତାହା ତାଙ୍କ ଲେଖାରୁ ସ୍ପଷ୍ଟ ପ୍ରମାଣିତ ।

 

‘ଜୁଲି’ : ୨୦୦୦ ସେପ୍ଟେମ୍ବରରେ ପ୍ରକାଶିତ ହେଲା ।

 

ଏହି ଉପନ୍ୟାସ ତିନୋଟି ମୁଖ୍ୟ ଚରିତ୍ରକୁ ନେଇ ଆଧାରିତ । ସେମାନେ ହେଲେ, ଅଚଳ, ସଚଳା ଓ ଜୁଲି । ଏହି ଉପନ୍ୟାସର କିଛି ଅଂଶ ମାଳିକା ଛନ୍ଦରେ ଲେଖାଯାଉଛି । ଖୁବ୍ ଉଚ୍ଚକୋଟିର ସୃଷ୍ଟି । ଚିନ୍ତନଶୈଳୀ ସବୁଠାରୁ ସ୍ୱତନ୍ତ୍ର ।

 

ଜୁଲି ଉପନ୍ୟାସର କିଛି ଅଂଶ–ପଦ୍ୟରେ

ଅଚଳର ଘରେ ଏବେ ଅଜଣା ଅତିଥି,

ବଦଳିଲା ସଚଳାର ଦିନ ଆଉ ରାତି ।

ଦିନରାତି ଏବେଠାରୁ ଏକାକାର ହେଲା,

ଏକାକାର ହେଲା, ଖରା–ବର୍ଷା–ଶୀତ

ପୁଣି ଶିଶିର ବସନ୍ତ ।

ଅପବିତ୍ର ତିଥି ଯେ ଘରକୁ ଅଇଲା ।

ଆଉ କିଛି ଅଂଶ–ମାଳିକା ପଦ ପରି ରଚନା

କିଳିକିଳା ନାଦ ହେବ ଘରୁ ଯେ ବାହାର,

ଅଙ୍ଗ ଉନ୍ମାଦିତ ହେବ ବାହାରୁ ଯେ ଘର

ଶବ୍ଦମାନେ ବାଣ ହୋଇ ଫୁଟିବେ ଆକାଶେ

ଦୁମୁଦୁମୁ ପାଦଶବ୍ଦ ଝରିବ ନିମିଷେ ।

ପାକଶାଳା ହୋଇଯିବ ଶୂନ୍ୟ ଯେ ମଣ୍ଡଳ,

ଶୂନ୍ୟ ଉଦରେ ଗଡ଼ୁଥିବେ କମଣ୍ଡଳୁ, ଢାଳ ।

 

ଏହିପରି ମଧ୍ୟ ଅନେକଗୁଡ଼ିଏ ଗଳ୍ପ ଲେଖିଥିଲେ । କେତେଗୁଡ଼ିଏ ଅପ୍ରକାଶିତ ମଧ୍ୟ ଅଛି-। ଆହୁରି ଉପରକୁ ହାତ, ଜଣେ ଝିଅର ଦୁଇଟି ଚିଠି, ନିଆଁଗିଳା ଝିଅ, ସାହାଡ଼ା ସୁନ୍ଦରୀ ଏମିତି ଅନେକ ଗଳ୍ପକୁ ପାଠକୀୟ ଆଦୃତି ମିଳିସାରିଥିଲା । ସେ ଜଣେ ବିଂଶ ଶତାବ୍ଦୀର, ଓଡ଼ିଆ ସାହିତ୍ୟର ସ୍ତମ୍ଭକାର ଭାବରେ ପରିଚୟ ଲାଭ କରିଥିଲେ ।

 

ଶାରଦା ପ୍ରସାଦ ଥିଲେ ଜଣେ ବନ୍ଧୁବତ୍ସଳ, ସ୍ନେହୀ ଓ ଶ୍ରଦ୍ଧାର ମଣିଷ । ସେ ଥିଲେ ନିର୍ଭୀକ ତାଙ୍କ ମନର ସ୍ପଷ୍ଟ ଉଚ୍ଚାରଣ ଓ ଅଭିବ୍ୟକ୍ତି ଶାରଦାଙ୍କ ସୃଷ୍ଟି ସମଗ୍ରରେ ପ୍ରତିଫଳିତ । ଜୀବନ ଓ ପୃଥିବୀକୁ ସେ ନିବିଡ଼ ଭାବରେ ଭଲ ପାଉଥିଲେ । ମଣିଷ ପ୍ରତି ଥିଲା ତାଙ୍କର ଅଶେଷ ଦରଦ । ଶାରଦା ପ୍ରସାଦଙ୍କ ସାହିତ୍ୟ ପ୍ରତି ଉପଲବ୍ଧି ଥିଲା ଅନନ୍ୟ ।–‘ମୁଁ ଖାଲି ଭଲ ପାଏ ବୋଲି ଲେଖୁଛି । ଏହାର ଅବଦାନ / ସକ୍ରିୟ/ ସାଧନା ଇତ୍ୟାଦି ଶବ୍ଦ ପୂରା ବର୍ଣ୍ଣନା କରିବା ଅନୁଚିତ । କିଛି ଅନାବିଳ ପାଠକୀୟ ଶ୍ରଦ୍ଧା ଓ ସମ୍ପର୍କହିଁ ମୋର ଉପଲବ୍ଧି ’। (ସମ୍ବାଦ ୩ ଅପ୍ରେଲ ୨୦୧୬)

 

କଥାକାର ଶାରଦା ପ୍ରସାଦ ମିଶ୍ର ତାଙ୍କର ଜୀବନକାଳ ମଧ୍ୟରେ ବହୁ ଅନୁଷ୍ଠାନଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଥିଲେ ।

 

୧. ଗୋକର୍ଣ୍ଣିକା ସମ୍ମାନ ୧୯୮୬ (ପ୍ରବନ୍ଧ) ‘ଫମ୍ପାମାଠିଆ’

 

୨. ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ୧୯୯୫ ମସିହାରେ ଭାତୃସ୍ମୃତି ସମ୍ମାନ ‘ଅପହଞ୍ଚ ଇଲାକାର ଅଧୀଶ୍ୱର’

 

୩. ଚଲାପଥ ସମ୍ମାନ–୨୦୦୧

 

୪. ଟାଇମ୍‍ ପାସ୍‌ବୁକ୍‍ର ସମ୍ମାନ ୨୦୦୮ ‘ରାତ୍ରିର ଅଜବ ଦୃଶ୍ୟ’

 

୫. ଶିବରାମ ପାତ୍ର ସ୍ମୃତି ସମ୍ମାନ ୨୦୧୧ ‘ ଆହୁରି ଉପରକୁ ହାତ’

 

୬. ମନୋମାନିନୀ ସମ୍ବର୍ଦ୍ଧନା–୨୦୧୧–୨୦୧୨

 

୭. ଈଶ୍ୱରଚନ୍ଦ୍ର ସାମଲ ସମ୍ମାନ–୨୦୧୩

 

୮. କାଦମ୍ବିନୀ ଗଳ୍ପ ସମ୍ମାନ–୨୦୧୫

 

୯. ଓଡ଼ିଶା ସାହିତ୍ୟ ଏକାଡ଼େମୀ କ୍ଷୁଦ୍ରଗଳ୍ପ ପୁରସ୍କାର–୨୦୧୧ ‘ରାତ୍ରିର ଅଜବ ଦୃଶ୍ୟ’

 

୧୦. ଶ୍ୱେତସଂକେତ ସମ୍ମାନ

 

୧୧. ନୀଳକଇଁ ଗଳ୍ପ ସମ୍ମାନ–୨୦୧୫

 

ଏହି ପ୍ରତିଭା ସମ୍ପନ୍ନ ସାରସ୍ଵତ ଶିଳ୍ପୀ ଶାରଦା ପ୍ରସାଦଙ୍କ କୃତି ଓ କୃତିତ୍ୱକୁ ସୁରକ୍ଷିତ ଓ ବିକଶିତ କରିବାପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ କର୍ତ୍ତୃପକ୍ଷଙ୍କ ଆଗ୍ରହ ପ୍ରଶଂସନୀୟ । ଆମେ ଏହି ସଂକଳନର ଶାରଦା ପ୍ରସାଦଙ୍କ କେତେକ ସ୍ମରଣୀୟ ପ୍ରକାଶିତ ଓ ଅପ୍ରକାଶିତ ଗଳ୍ପଗୁଡ଼ିକୁ ସ୍ଥାନିତ କରିଛୁ । ତାଙ୍କ ଜୀବନକାଳ ମଧ୍ୟରେ ସେ ଅନେକ ଗଳ୍ପ ଲେଖିଥିଲେ ଯାହା ଆଲୋଚନାକୁ ଆସି ନଥିଲା ଯଥା ଶ୍ରୀଧର ଖଟୁଆର ବଣିଜ, ଅତୀତର କୌଣସି ଏକ କାନ୍ଦକାନ୍ଦ ମୁହଁ ସମ୍ପର୍କରେ, ଭୈରବ, ଛାତିତଳେ ଦୁଃଖର ମଶାଲ ଜାଳି କୁଆଡ଼େ ବାହାରିଛ ଗୌତମ, ଚଉମୁହାଣି, ପରଶ ପଥର ପ୍ରଭୃତି । ଏହିସବୁ ଗଳ୍ପକୁ ଏହି ସଂକଳନରେ ଆମେ ଅନ୍ତର୍ଭୁକ୍ତ କରି ଗୌରବାନ୍ୱିତ । ଶାରଦାଙ୍କ ଗଳ୍ପ ଜଗତର ଭୂମି ବିସ୍ତାରିତ । ସଂକଳନରେ ତାଙ୍କର ସମଗ୍ର ଗଳ୍ପକୁ ସଂଯୋଜିତ କରିବା ସମ୍ଭବ ହେଲା ନାହିଁ । ଆମ ବିଚାରରେ କେତୋଟି ପ୍ରତିନିଧିସ୍ତରୀୟ ଗଳ୍ପ ମନୋନୟନ କରି ‘ଶାରଦା ପ୍ରସାଦ ମିଶ୍ରଙ୍କ ଗଳ୍ପ’ରେ ସଂକଳିତ କରିଛୁ । ଏହି ସଂକଳନ ପ୍ରକାଶରେ ଶାରଦାଙ୍କ ପତ୍ନୀ ସରସ୍ୱତୀ ଦେବୀଙ୍କ ସହଯୋଗକୁ ଆନ୍ତରିକତାର ସହ ସ୍ମରଣ କରୁଛୁ । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଶୁଭେଚ୍ଛା, ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ରଙ୍କ ଉତ୍ସାହ ଓ ସେକ୍ସନ ଅଫିସର ଶ୍ରୀ ପ୍ରଦୀପ କୁମାର ପୂଜାପଣ୍ଡାଙ୍କ ସହଯୋଗ ଏହି ସଂକଳନର ପ୍ରକାଶନକୁ ତ୍ୱରାନ୍ୱିତ କରିଛି । ଏହି ଅବସରରେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ସାହିତ୍ୟ ଶିଳ୍ପୀ ଶାରଦା ପ୍ରସାଦ ମିଶ୍ରଙ୍କ ସ୍ମୃତି ପ୍ରତି ଏହି ପୁସ୍ତକଟି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆମେ ବିଶ୍ଵାସ ରଖୁଛୁ ।

 

ବିଜୟାନନ୍ଦ ସିଂହ

ଅରବିନ୍ଦ ରାୟ

✽✽✽

 

ସୂଚିପତ୍ର

 

୧.

ଅତିନ୍ଦ୍ରିୟ ।

୨.

ଜହ୍ନ ଓ ଶଙ୍କରାଚାର୍ଯ୍ୟ

୩.

ପରଶ ପଥର

୪.

ବାସ୍ନା

୫.

ଡକ୍ଟର ଚକ୍ରଧର ଦାଶ ହତ୍ୟାକାଣ୍ଡ

୬.

ତ୍ରିସତୀ ସମ୍ପାଦକ ଏବଂ ସ୍ଖଳିତ ଅଭିନେତ୍ରୀ କଥା

୭.

କଙ୍କାଳ

୮.

ପ୍ରସ୍ତାବ

୯.

ଆତ୍ମା–ପଲଟ

୧୦.

ନିଆଁଗିଳା ଝିଅ

୧୧.

ଆପଣା ରାତିର ପରିବର୍ତ୍ତିତ ଦୃଶ୍ୟପଟ

୧୨.

ଭୈରବ

୧୩.

ଶ୍ରୀଧର ଖଟୁଆର ବଣିଜ

୧୪.

କୌଣସି ଏକ ଗୃହସ୍ଥର ଶୋକ

୧୫.

ପଥର

୧୬.

ଅତୀତର କୌଣସି ଏକ କାନ୍ଦକାନ୍ଦ ମୁହଁ ସମ୍ପର୍କରେ

୧୭.

ଛାତିତଳେ ଦୁଃଖର ମଶାଲ ଜାଳି କୁଆଡ଼େ ବାହାରିଛ ଗୌତମ ?

୧୮.

ଚଉମୁହାଣି

୧୯.

କସ୍ତୁରୀ ମୃଗ

୨୦.

ତୀର୍ଥଯାତ୍ରା

୨୧.

ନୀଳକଣ୍ଠ

୨୨.

ସ୍ଥିରତାର ଚିତ୍ରପଟ

୨୩.

ଦାର୍ଶନିକଙ୍କ ସହରରେ ନରହରି

୨୪.

ସାହାଡ଼ା ସୁନ୍ଦରୀ

୨୫.

ଚିଠି ସ୍ଵପ୍ନ ଚିଠି ଆୟୁ

୨୬.

ଝଡ଼ିଲା ପତ୍ର ବୃକ୍ଷେ

୨୭.

ପେଚା

୨୮.

ଜଣେ ଝିଅର ଦୁଇଟି ଚିଠି

୨୯.

ଝଡ଼ିଲା ପତ୍ର ଓ ଗଙ୍ଗଶିଉଳି କଥା

୩୦.

ସମୟଠୁ ଲମ୍ବାରାସ୍ତାରେ ଘୁମେଇ ପଡ଼ିଛି ଜୀବନ ତଥା ଲକ୍ଷ୍ୟହୀନ କ୍ଳାନ୍ତ ପଥିକର କାହାଣୀ

୩୧.

ବୁନ୍ଦାଏ ଅଶ୍ରୁରେ ଉବୁଟୁବୁ ପୃଥ୍ୱୀ

୩୨.

ଦିବଂଗତ କବିଙ୍କ ଅସରନ୍ତି ଗାଥା ଏବଂ କଳଙ୍କିତ କବିପୁତ୍ର କଥା

୩୩.

କାହାଣୀ–ଚିତ୍ରନାଟ୍ୟ–ସଂଳାପ

୩୪.

ମାରିବ ଶୂନ୍ୟଲହଡ଼ି ଥୟ ନୋହିବ

✽✽✽

 

ଅତିନ୍ଦ୍ରିୟ

 

ଆଜିକାଲି ପ୍ରାତଃଭ୍ରମଣ ଏବଂ ସନ୍ଧ୍ୟା /ରାତ୍ରିଭ୍ରମଣ ଅନେକଙ୍କ ପାଇଁ ସଉକରେ ପରିଣତ ହୋଇଛି । ବିଭିନ୍ନ କିସମର ମୋଟା ଓ ମୋଟୀମାନେ କିମିତି ଏକ ନୂତନ ଉତ୍ସାହ ଓ ପ୍ରେରଣାରେ ସକାଳେ ଓ ସନ୍ଧ୍ୟାରେ ଚାଲୁଛନ୍ତି । ଆଉ କେତେକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବାରୁ ତଥା ଚିକିତ୍ସକମାନେ ଚାଲିବାକୁ ପରାମର୍ଶ ଦେଇଥିବାରୁ ଅଥବା ବାଧ୍ୟ କରିଥିବାରୁ ଚାଲିବା ଜାରି ରଖିଛନ୍ତି ।

 

କେତେକ ତରୁଣ–ତରୁଣୀ ଏ ସବୁର ଊର୍ଦ୍ଧ୍ଵରେ ଭିନ୍ନ ଲକ୍ଷ୍ୟ ନେଇ ଚାଲୁଛନ୍ତି । ପଦସ୍ଥ ଅଧିକାରୀ ଥିବା ମୋର ବନ୍ଧୁ ବିକାଶ ଏଇ ଚାଲିବା ଆରମ୍ଭ କରିବା ପରେ ପରେ କେମିତି ଏକ ନିତାନ୍ତ ମୋଟୀ ମହିଳାଙ୍କ ସହ ପରିଚିତ ହୋଇଥିଲା ତଥା ଅଚିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲା, ସେ କଥା ତା’ ମୁହଁରୁ ଶୁଣିଲେ ଆପଣ ହସିହସି ଗଡ଼ିଯିବେ, ଏଥିରେ ସନ୍ଦେହ ନାହିଁ । ଅବଶ୍ୟ କଲେଜବେଳୁ ବିକାଶର ସେଇ ଗୁଣ ଥିଲା, ପରବର୍ତ୍ତୀ ସମୟରେ ଗୁଣଟି ଦକ୍ଷତାରେ ପରିଣତ ହୋଇଛି । ଯେତେବେଳେ ଆପଣଙ୍କର ପୂରା ସମୟ ଥିବ ଏବଂ ଆପଣ ନିଜ ମନ ଭିତରରୁ ସମସ୍ତ ପୁରୁଣାକାଳିଆ ଚିନ୍ତାଧାରାକୁ ଫୋପାଡ଼ି ଦେଇଥିବେ, ସେତେବେଳେ କୌଣସି ଏକ ସନ୍ଧ୍ୟାରେ ଆମ ଘରକୁ ଆସିବେ । ଆମେ ଛାତ ଉପରକୁ ଚାଲିଯିବା, ମୁଁ ଆପଣଙ୍କୁ ସେକଥା କହିବି । ଏବେ ନୁହେଁ ।

 

ଏବେ କ'ଣ ପାଇଁ ତେବେ ଏଡ଼େ ବଡ଼ ଉପକ୍ରମ ?

 

କାରଣ ସେଇ ଭୟଙ୍କର ଘଟଣାଟି ଘଟିଥିଲା ମୋର ଚାଲିବା ସମୟରେ । ଥରେ ରାତିରେ । ଥରେ ଭୋର ଚାରିଟା/ ସାଢ଼େ ଚାରିଟା ସମୟରେ, ସେତେବେଳେବି ରାତି ଥିଲା ବୋଲି କହିଲେ ଚଳିବ ।

 

ଘଟଣାଟା ଭୟଙ୍କର ବୋଲି ମୂଳରୁ କହିଦେଲି, ଭୁଲ କଲି । ତେବେ ଆପଣ ଯେତେବେଳେ କଥାଟା ଶୁଣିବେ ବୋଲି ଧୈର୍ଯ୍ୟ ଧରି ଅପେକ୍ଷା କରିଛନ୍ତି, ଆପଣ କଥାର ଶେଷ ଆଡ଼କୁ ବିଚାର କରି ମୋତେ କହିବେ, ଘଟଣାଟା ଭୟଙ୍କର ଥିଲା କି ନାହିଁ ।

 

କଥାହେଲା, ମୁଁ ତୁଳନାତ୍ମକଭାବେ ଗାଉଁଲି ଲୋକ । ସହରରେ ଚାକିରି କରିଛି । ଏବେ ଆଉ ଆଗପରି ଗାଁକୁ ଯିବାକୁ ସମୟ ସୁବିଧା ସୁଯୋଗ ହେଉନାହିଁ । ନହେଲେ ଇଏ ସକାଳେ ସଞ୍ଜରେ ରାତିରେ ଚଲାଚଲି କିଏ, ମୁଁ କିଏ ! କିନ୍ତୁ କ’ଣ କରାଯାଏ ? ଇଏ ସହରରେ ପ୍ରଚଣ୍ଡ କର୍ମକୋଢ଼ି ହେଇଯିବାର ଏତେ ସବୁ ସୁନ୍ଦର ଉପାଦାନମାନ ରହିଛି, ଆହା ।

 

ଛାଡ଼, ଗୋଟେ କଥା କହିବାକୁ ଯାଇ ଏତେ ଅନାବନା ବର୍ଣ୍ଣନା କରିବାର ମାନେ କିଛି ନାହିଁ । ମୂଳକଥା ହେଲା, ଏବେ ମୁଁ ଚାଲୁଛି ବା ମୋତେ ଚାଲିବାକୁ ପଡ଼ୁଛି । ଭୋର ସାଢ଼େ ଚାରିଟାରେ ଉଠୁଚି, ଟ୍ରାକ୍‍ସୁଟ୍ ପିନ୍ଧି ବାହାରି ପଡ଼ୁଛି । ଅତି କମ୍‌ରେ ପାଞ୍ଚ କିଲୋମିଟର ଏବଂ ଅତିବେଶୀରେ ଆଠ କିଲୋମିଟର ଚାଲୁଛି । ସେମିତି ରାତିରେ ରାତି ଭୋଜନ ସାରି ଦୁଇ/ ତିନି କିଲୋମିଟର ଚାଲୁଛି । ଉଭୟ ସମୟର ଅନୁଭବ ଭିନ୍ନ ଭିନ୍ନ । ସକାଳର ମଜା ରାତିରେ ନାହିଁ । ରାତିର ମଜାବି ସକାଳେ ନାହିଁ ।

 

କେଉଁଦିନ ଅଫିସର ସହକର୍ମୀ ଭେଟ ହୁଅନ୍ତି ତ କେଉଁଦିନ ଉପର ଅଫିସର । କେଉଁଦିନ ସହକର୍ମୀଙ୍କ ପତ୍ନୀ ତ କେଉଁ ଦିନ ଆଉ କେଉଁ ଚିହ୍ନା ଲୋକ । ରାତିରେ କିନ୍ତୁ ଚାଲିବା ଲୋକଙ୍କ ସଂଖ୍ୟା କମ୍ । ତଥାପି କେତେବେଳେ କେମିତି ଚିହ୍ନା ଲୋକ ଭେଟ ହୋଇପଡ଼ନ୍ତି, ଏକାଦିଗରେ ଯାଉଥିଲେ ଚାଲୁଚାଲୁ ନାନା କଥା ପଡ଼େ । ବିପରୀତଗାମୀ ହୋଇଥିଲେ ପାଞ୍ଚ ମିନିଟ୍ ଅଟକିବାକୁ ପଡ଼େ, ସେଇ କମ୍ ସମୟ ଭିତରେ ଯାବତୀୟ କଥା ପଡ଼େ । ଝିଅର ନୂଆ ପ୍ରସ୍ତାବ, ପ୍ରମୋସନ୍‍, କ୍ୱାଟର୍ ପଛପଟେ ଲାଗିଥିବା ଜହ୍ନିଗଛର ଅକାଳ ମୃତ୍ୟୁ, ବୁଲା କୁକୁର ସମସ୍ୟା ଇତ୍ୟାଦି ଇତ୍ୟାଦି ।

 

ହଁ–ଏଇଠି ‘ଯାବତୀୟ’ ଶବ୍ଦର କଥାଟା କହେ । ଆମ ସହକର୍ମୀ ପଟ୍ଟନାୟକବାବୁଙ୍କ ପୁଅ ଆକାଶ ଗୋଟେ ନିତାନ୍ତ ବୁଦ୍ଧିମାନ ଉଜ୍ଜ୍ୱଳ ଛାତ୍ର ବୋଲି ଗଣାଯାଏ । ପ୍ଲସ୍ ଟୁ ପରେ କୋଉ ଗୋଟେ ଘରୋଇ ଇଞ୍ଜିନିୟରିଙ୍ଗ୍ କଲେଜରେ ପଢ଼ୁଛି । ସାଧାରଣଜ୍ଞାନ, କୁଇଜ୍, ରିଜନିଂ ଇତ୍ୟାଦିରେ ତା’ର ଏତେ ଭଲ ଯେ ତା’ର ଭବିଷ୍ୟତ ନେଇ କାହାରି ସନ୍ଦେହ ନାହିଁ । ଥରେ ଏମିତି ଆମ ଘରକୁ ଆସିଥିଲା, ବିଭିନ୍ନ କଥାବାର୍ତ୍ତା ଭିତରେ ମତେ କହିଲା, ‘ଅଙ୍କଲ୍, ମୋର ସବୁଥିରେ ଭଲ, ଖାଲି ଓଡ଼ିଆଟା ତ ମାରୁଚି ! ମତେ କେତେଟା ଓଡ଼ିଆ ବନାନ୍ ଡାକିଲେ, ଆଉ କେତେଟା ଶବ୍ଦାର୍ଥ ପଚାରିଲେ !’

 

ମୁଁ କହିଲି, ‘ଲେଖ ଯାବତୀୟ ।’

 

ସେ ତ ଯାହା ଲେଖିଲା, ସେ କଥା ଛାଡ଼ । ପଚାରିଲି, ‘ଅର୍ଥ କ’ଣ କହ ।’

 

ସେ କେତେକ୍ଷଣ ଭାବିଲା କହିଲା, “ଯାବତୀୟ ମାନେ ମୁଁ ଭାବୁଛି, ଯେମିତି ତିବ୍ଦତୀୟ ବା ମଙ୍ଗୋଲୀୟ, ସେମିତି ଗୋଟେ ଶବ୍ଦ । କିନ୍ତୁ ଅଙ୍କଲ୍, ଏଇ ‘ଯାବତ୍’ ନାମକ ଦେଶ ବା ରାଜ୍ୟଟା କୋଉଠି ? ଆଫ୍ରିକାରେ ନା ଅଷ୍ଟ୍ରେଲିଆରେ ? ନା ଦକ୍ଷିଣ ଆମେରିକାରେ ?”

 

ପିଲାଟା ଅତ୍ୟନ୍ତ ବୁଦ୍ଧିମାନ ବୋଲି ମୁଁ ଶୁଣିଥିଲି । ତା’ର କିଞ୍ଚିତ୍‍ ପ୍ରମାଣ ସେଦିନ ପାଇଗଲି । ସେ କହିଯାଇଛି ଯେ, ସପ୍ତାହରେ ଦୁଇତିନି ଦିନ ଆସିବ, ମୋ ପାଖରେ ଓଡ଼ିଆ ପଢ଼ିବ-

 

ମୋ ପ୍ରକୃତି ସେମିତି । ଗୋଟେ କଥା କହୁ କହୁ କୁଆଡ଼େ କ’ଣ ଗପିଯିବି । ସେଥିପାଇଁ କେତେ ଜାଗାରେ ଲୋକେ ମୋ ଉପରେ ଭିତରେ ଭିତରେ ବିରକ୍ତ ହୁଅନ୍ତି, ହେଲେ ଯିଏ ଗପୁଡ଼ି ଲୋକ, ସିଏ ମୋତେ ଭଲପାନ୍ତି । ଗପୁଡ଼ି ଲୋକଙ୍କ ମହଲରେ ମୋର ଅଲଗା ପ୍ରକାରର ସୁନାମ ଅଛି । ଛାଡ଼ ସେକଥା । ମୁଁ କେମିତିକା ଗପୁଡ଼ି, ଆଉ କୋଉ ସ୍ତରର ଗପୁଡ଼ି; ସେ କଥା ଅନ୍ୟତ୍ର କହିବି ।

 

ଯେଉଁଲୋକ ଗୋଟେ ଭୟଙ୍କର ଘଟଣା କହିବାକୁ ବାହାରିଥିବ, ଏମିତି ୟାଡ଼ୁସାଡ଼ୁ କଥା ଗପିଲେ ସେ ଘଟଣାର ଗୁରୁତ୍ୱ କମିଯିବ । କିନ୍ତୁ ମୁଁ ଜଣେ ଗପୁଡ଼ି ଲୋକ । ବନେଇଚୁନେଇ କହିବି, ଏକଥା ଏକବାରେ ନିଧାର୍ଯ୍ୟ । ଯାହାବି ହେଉ, ମୁଁ କଥା ଦେଉଛି, ଏଣିକି ଘଟଣାଟା କହିଯିବି ।

 

ଏଇ ରାତି ଚାଲିବା, ସକାଳ ଚାଲିବାରୁ ସବୁକିଛି ହୋଇଥିଲା ।

 

ରାତି ଦଶଟା ଚାଳିଶ ହେବ । ମୁଁ ସବୁଦିନ ପରି ଖାଇସାରି ବାହାରିପଡ଼ିଲି । ଭୁବନେଶ୍ୱରରେ ଏଇ ସମୟକୁ ରାସ୍ତାଘାଟ ଅପେକ୍ଷାକୃତଭାବେ ନିରୋଳା ହୋଇଯାଇଥାଏ । ଭିତର ଗଳିରାସ୍ତାଗୁଡ଼ାକ ତ ପୂରାପୂରି ନିରୋଳା/ ନିର୍ଜନ । ଛାଡ଼–ସବୁ ପରମ୍ପରାହୀନ ସହରର ଅବସ୍ଥା ସେଇଆ । ରାତି ନ’ରୁ ଦଶ ଭିତରେ ଗଣ୍ଡେ ଖାଇଦେଇ, ପନ୍ଦର କୋଡ଼ିଏ ମିନିଟ୍ ଟିଭି ଦେଖି, ପାଞ୍ଚ ମିନିଟ୍ ପରଚର୍ଚ୍ଚା କରି ଖଟକୁ ଚାଲିଗଲେ କାମ ଶେଷ । ଶାନ୍ତିରେ ନିଦ ।

 

ମୁଁ ଚାଲିଥାଏ । ଷ୍ଟ୍ରିଟ୍ ଲାଇଟ୍ ଜଳୁଥାଏ । କାଁଭାଁ ସାଇକେଲ/ମଟରସାଇକେଲ ଚାଲୁଥାଏ । ମୁଁ ରାସ୍ତାର ବାଁ ପଟେ ଚାଲିଥାଏ, ଧୀରେ ନୁହେଁ କି ଅତି ଜୋରରେ ନୁହେଁ । ପବନ ଖୁବ୍ ଧୀରେ ଧୀରେ ବହୁଥାଏ । ହଁ–ଏଇଟା କେବେକାର କଥା ତ ?

 

ଏବେକାର କଥା ।

 

ମୁଁ ଚାଲିଥାଏ । କେଜାଣି କାହିଁକି ମତେ ଲାଗିଲା, ମୋ ପାଖ ଦେଇ–ମାନେ ଖୁବ୍ ପାଖ ଦେଇ ସତେ ଅବା କେହି ଜଣେ ଦ୍ରୁତଗତିରେ ମତେ ଅତିକ୍ରମ କରି ଚାଲିଗଲା । ସେମିତି ଲାଗିଲା-। ଖୁବ୍ ଶୀଘ୍ର ଚାଲିଗଲା । ପୁଣି ସେଇ ମୁହୂର୍ତ୍ତରେ ମତେ ଜଣାଗଲା ସତେ ଅବା କାହାରି ପୋଷାକର, ଯେମିତି କେହି ଚିହ୍ନା ଲୋକର ସାର୍ଟ୍ ବା ପଞ୍ଜାବିର ଝଲକଟାଏ, ଧଳା ଫିକା ଧୂଆଁଳିଆ ପରି ମୁଁ କିଛି ଦେଖିଲି । ମତେ ଯେ ସାମାନ୍ୟ ଅସ୍ୱସ୍ତି ଲାଗିଥିଲା, ଏଥିରେ ସନ୍ଦେହ ନାହିଁ-। କିନ୍ତୁ ମୁଁ ଚାଲିବା ବନ୍ଦ କରି ନଥିଲି । ପବନରେ ମୋ ଜାମା ହୁଏତ ଆଗକୁ ହଲିଯାଇଥିବ-। ବେଳେବେଳେ ସେମିତି ଲାଗିଥାଏ । ମଣିଷର ମନ ବଡ଼ ବିଚିତ୍ର । ନିଜ ଅଜାଣତରେ କାହିଁ କୋଉ କଥା ମନର ଗହନ ଅରଣ୍ୟରେ ଖେଳୁଥିବ । ଚଟ୍‍କରି ପଦାକୁ ବାହାରିପଡ଼ି ଚମକାଇ ଦେବ; ଅଥଚ ନିଜ ମନ ଗହନର କଥା ବୋଲି ବ୍ୟକ୍ତି ଜମା ଜାଣିପାରେ ନାହିଁ ।

 

ମୁଁ ମୁରୁକି ହସିଲି । ଏତେ ଦିନ ଚାଲିବା ଭିତରେ ଏମିତି କେବେ ଲାଗି ନଥିଲା । ଛକ ମୁଣ୍ଡ ପାନ ଦୋକାନର ଆଲୁଅ ଦିଶୁଥାଏ, ଅର୍ଥାତ୍ ଖୋଲାଥାଏ । ମୁଁ ସାମାନ୍ୟ ଅନ୍ୟମନସ୍କ ହୋଇପଡ଼ିଥିବି କି କ’ଣ, ମତେ ଲାଗିଲା ମୋ ପଛରେ, ଫୁଟେ ଦୁଇଫୁଟ୍ ଦୂରରେ କେହି ଚାଲୁଥିଲା ଯେମିତି । ସ୍ୱାଭାବିକଭାବେ ପ୍ରଥମ ପ୍ରତିକ୍ରିୟାସ୍ୱରୂପ ଜଣେ ପଛକୁ ଚାହିଁ ଦେବାକଥା । ନା–ମୁଁ ପଛକୁ ଚାହିଁଲି ନାହିଁ । ସେମିତି ଚାଲିବାରେ ଲାଗିଲି । ଆଖିର କୋଣ ବାଟେ ପଛକୁ ଦେଖିବାର ଚେଷ୍ଟାକଲି । ନା, କିଛି ନ ଥିଲା, କେହି ନଥିଲା, ମନର ଭ୍ରମ ମାତ୍ର ।

 

ହେଲେ ପଛରେ କେହି ଜଣେ ଯେ ଆସୁଥିଲା, ସେପରି ଅନୁଭବ ମୋର ହୋଇ ସାରିଥିଲା । ସ୍ଥିରକଲି, ଠିଆ ହେବି ଓ ପଛକୁ ଦେଖିବି । ସବୁଆଡ଼େ ଆଲୋକ ଥିଲା, ଅବଶ୍ୟ ସେଇ ଜାଗାଟା ଥିଲା ସାମାନ୍ୟ ଅନ୍ଧାରିଆ । ଆଗରେ ପ୍ରାୟ ଶହେ ହାତ ପରେ ପାନ ଦୋକାନ ଖୋଲାଥିଲା । ମୁଁ ଯେଉଁ ସ୍ଥାନରେ ଥିଲି, ସେଠି ଦୁଇପାଖରେ ସରକାରୀ କ୍ୱାଟର୍, ମଝିରେ ରାସ୍ତା, ମୁଁ ରାସ୍ତାର ବାମପଟେ । ଘରଗୁଡ଼ାକର କବାଟ ଝର୍କା ପ୍ରାୟତଃ ବନ୍ଦ ଥିଲା, କ୍ୱଚିତ୍ ଘରର ମୁଖ୍ୟ ଦରଜାମାନେ ସାମ୍ନା ଦରଜା ଖୋଲାଥିଲା । ମୁଁ ପ୍ରାୟ ଦଶଟା ଚାଳିଶରେ ଘରୁ ବାହାରିଥିଲି । ଏ ଭିତରେ ଅଧଘଣ୍ଟା ବିତିଥିଲେ ଏଗାରଟା ଦଶ ହୋଇଥିବ ସେତେବେଳେ ।

 

ମୋ ପାଦ ଦି’ଟା ସାମାନ୍ୟ ଝିମ୍‍ଝିମ୍ ଲାଗିଲା, ଆଣ୍ଠୁଠାରୁ ତଳକୁ ଥରିଲା ଥରିଲା ଅନୁଭବ ହେଲା ଏବଂ ମୋ ଅନିଚ୍ଛା ସତ୍ତ୍ୱେ ମୁଁ ଅଟକିଗଲି । ଅଟକିଗଲି ଏବଂ ତଡ଼ିତ୍ ବେଗରେ ଚକ୍ରାକାରରେ ପଛକୁ ବୁଲିପଡ଼ିଲି । ନା–ପଛରେ କେହି ନଥିଲେ । କିଏ ବା କାହିଁକି ଥାଆନ୍ତେ ? ହେଲେ ଏପଟେ ମନ ବୁଝୁ ନଥାଏ, ସତେ ଅବା କେହି ଥିଲା, ମୁଁ ବୁଲିପଡ଼ିବା ସହ ସେ ଅନ୍ତର୍ଦ୍ଧାନ ହୋଇଗଲା ।

 

ମୋର ବୁଢ଼ୀମା କଥା ମନେ ପଡ଼ିଲା । ବୁଢ଼ୀ କାହିଁ କେବେଠୁ ସ୍ୱର୍ଗରେ ରହିଲାଣି । ତା’ ମତରେ ନିଜକୁ ଅଦୃଶ୍ୟ କରିପାରୁଥିବା ସତ୍ତା ଅନେକ । ମତେ ନାନାପ୍ରକାର ଗପ ଶୁଣାଇବା ଛଳରେ ସେ ତା’ ମତ କହିଥାଏ । ଦେବତା, ଯକ୍ଷ, କିନ୍ନର, ପରୀ, ବେତାଳ, ଭୂତ, ପ୍ରେତ, ସଇତାନ, ପିଶାଚ ଇତ୍ୟାଦି । ସେଇ କୋମଳ ବୟସରେ ବଲବଲ କରି ଚାହିଁଥାଏ ମୁଁ ତାକୁ ।

 

ଥରେ ବୁଢ଼ୀ କହିଲା, ‘ଶୁଣ ବାପ, ଜଗତରେ ମଣିଷକୁ ମିଶାଇ ଯେତେ ଜୀବଜନ୍ତୁ ଅଛନ୍ତି, ତା’ ଭିତରେ କୁକୁର ହେଉଛି ଏକମାତ୍ର ଜୀବ ଯିଏ କି ଅଦୃଶ୍ୟ ସତ୍ତାର ସ୍ଥିତି ସମ୍ପର୍କରେ ଅନୁଭବ କରିପାରେ ଏବଂ ବେଳେବେଳେ ସୂଚନା ପ୍ରଦାନ କରିଥାଏ । କୁକୁରର ଗତିବିଧିକୁ ଲକ୍ଷ୍ୟ କଲେ ଜାଣିପାରିବ ।’

 

କହିବା ବାହୁଲ୍ୟ, ସେଇ ବୟସରେ ମୋର ଆମ ଘରେ ଥିବା ଏକ ବିଶାଳ ଦେଶୀ କୁକୁର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଥିଲା ।

 

ମୁଁ ପଚାରିଥିଲି, ‘କେମିତି ଜାଣିପାରିବ ?'

 

ବୁଢ଼ୀ କହିଥିଲା, ‘ଦେଖିବୁ ବାପ, ଯେତେବେଳେ କୁକୁର ଏକ ବିକୃତ ପ୍ରକାରେ ଶବ୍ଦ କରି ଶୂନ୍ୟକୁ ଚାହିଁ, କିଛି ଗୋଟେର ସ୍ଥିତିକୁ ଶୁଙ୍ଘିବା ଢଙ୍ଗରେ ଆଗକୁ ଆଗକୁ ଦୌଡ଼ିଯିବ, ଜାଣିବୁ ଆଗରେ କେହି ଥିଲା, କୁକୁର ଯାହାକୁ ଦେଖୁପାରୁନି କିନ୍ତୁ ଅଛି ବୋଲି ଜାଣିପାରୁଚି । ପ୍ରାୟ ଖରାବେଳେ ନହେଲେ ରାତିରେ ସେମିତି ହୁଏ ।

 

ମୁଁ ଏକଥା ଶୁଣି କୁକୁର ଉପରେ ନିଘା ରଖିବାରେ ଲାଗିଲି । ବହୁଦିନ ପରେ ଥରେ କୁକୁରକୁ ସେମିତି କରିବାର ଦେଖିଲି । ଶୋଇବା ଜାଗାରୁ ଅଚାନକ ଉଠି ଶୂନ୍ୟକୁ ଚାହିଁ ଦୌଡ଼ି ଦୌଡ଼ି ଆମ ଘରଠୁ ପଚାଶ ହାତ ଦୂର ରାସ୍ତାକଡ଼ରେ ଥିବା ସାହାଡ଼ାଗଛ ନିକଟରେ ଅଟକିଗଲା । ମୁଁ ବୁଢ଼ୀମାକୁ ସେକଥା କହିଲି । ବୁଢ଼ୀମା ସବୁ ଶୁଣି ଗୁମ୍‍ସୁମ୍ ହୋଇଗଲା । ତା’ ମୁହଁ ଗମ୍ଭୀର ଦିଶୁଥିଲା ଏବଂ ସେ କିଛି ଗୁରୁତର କଥା ଭାବୁଥିବା ପରି ଜଣାଗଲା । ମୁଁ ବାରମ୍ବାର ପଚାରିବାରେ ସଂକ୍ଷେପରେ କହିଥିଲା, ‘କକେଇ ସେଇ ସାହାଡ଼ା ଗଛରେ ରହିଛନ୍ତି । ସିଏ ଗଲାବେଳକୁ ତୁ ପେଟରେ ଥିଲୁ । ତତେ ଦେଖିବାକୁ ଆସିଥିଲେ କି କ’ଣ ! ଭାରି ସ୍ନେହୀ ଲୋକ ।’

 

ବୁଢ଼ୀ ମୁଣ୍ଡରେ ଓଢ଼ଣା ଦେଇ ସାହାଡ଼ାଗଛ ଦିଗକୁ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲା ।

 

ଅଶରୀରୀ ସତ୍ତା ନାହାନ୍ତି କାହିଁକି ? ଅଛନ୍ତି । ମୁଁ ଚାଲିବାରେ ଲାଗିଥାଏ ଅର୍ଥାତ୍ ଘର ଆଡ଼କୁ ଫେରିବାରେ ଲାଗିଥାଏ । ମତେ ସାମାନ୍ୟ ଅସ୍ୱସ୍ତି ଲାଗୁଥାଏ । ଏଣେ ବୁଢ଼ୀମା କଥାଟା ମନେପଡ଼ି କେମିତି ଅଖାଡ଼ୁଆ ଲାଗୁଥାଏ । ମୋର ଦୃଢ଼ବିଶ୍ୱାସ ଯେ, ଆମ ଘରେ ଥିବା ଧାନ ଅମାରରେ କିଛି ଗୋଟେ ଅଦୃଶ୍ୟ ସତ୍ତା ରହୁଥିଲା ଏବଂ ବୁଢ଼ୀମା ନିହାତି ଦରକାରବେଳେ ତା’ଦ୍ୱାରା ଅନେକ କାମ କରେଇ ନେଉଥିଲା । ସେ କଥା ମୁଁ କେବେ ଥରେ ଆପଣମାନଙ୍କୁ କହିଛି, ହେଲେ ବିଶଦଭାବେ କହି ନଥିଲି । ସମୟ ସୁବିଧା ହେଲେ ତଥା ଆପଣମାନଙ୍କର ଶୁଣିବାର ଧୈର୍ଯ୍ୟ ଥିଲେ ସବୁକିଛି ଟିକିନିଖି ବର୍ଣ୍ଣନା କରି କହିବି ।

 

ମୁଁ ପ୍ରଚଣ୍ଡ ଗପୁଡ଼ି ଲୋକ, ନିଶ୍ଚେ କହିବି !

 

ହଁ–ଏଣେ କ’ଣ ହେଲା ତ ? ଏଣେ ସବୁ ଭୟ ଭ୍ରାନ୍ତିକୁ ଛାଡ଼ି ମୁଁ ପୁଣି ଚାଲିବାରେ ଲାଗିଲି । ମନକୁ ବୁଝାଇଲି, ଛି–ମୋ ପରି ଜଣେ ଶିକ୍ଷିତ ଲୋକ, ପୁଣି ଏଇ ରାସ୍ତାରେ ଆଜକୁ ପାଖାପାଖି ପଚିଶବର୍ଷ ଧରି କାରବାର ହୋଇଆସୁଥିବା ଲୋକ ଏମିତି ଉଦ୍ଭଟ ଚିନ୍ତାଧାରାରେ ଆକ୍ରାନ୍ତ ହେଉଛି କାହିଁକି ? ଭାବିଲି, ପାନ ଦୋକାନ ନିକଟରେ ପହଞ୍ଚିଯିବି, ସେଇ ଗାଲୁଆ ଦୋକାନୀଟି ସହ କେଇ ମୁହୂର୍ତ୍ତ ଗପିବି ଏବଂ ତା'ପରେ ଘରକୁ ଫେରିଯିବି ଓ ମୋର ପ୍ରାଣପ୍ରିୟ ପତ୍ନୀଙ୍କ ନିକଟରେ ମୋର ଆଜିର ଅନୁଭବ ବଖାଣିଯିବି ।

 

ମୋତେ ସେଇ ମୁହୂର୍ତ୍ତରେ ହସ ଲାଗିଥିଲା । କାରଣ ଅନ୍ୟ ସମସ୍ତଙ୍କ ପତ୍ନୀମାନଙ୍କ ପରି ମୋ ପତ୍ନୀ ମଧ୍ୟ ଶୋଇ ସାରିଥିବେ । ବିବାହିତ ତଥା ରମଣକ୍ଷମତା ହରାଇ ନଥିବା ଶତକଡ଼ା ନବେଭାଗ ପୁରୁଷଙ୍କ ଅବସ୍ଥା ଭୁବନେଶ୍ୱରରେ ଏକାପରି । ଏ ସହରରେ ମହିଳାମାନେ ପୁରୁଷମାନଙ୍କର ଯଥେଷ୍ଟ ଆଗରୁ ଶୋଇପଡ଼ନ୍ତି ଏବଂ ଶୋଇବା ଆଗରୁ ଏମିତି ପରିବେଶ ସୃଷ୍ଟି କରିସାରିଥାନ୍ତି ଯେ, ପୁରୁଷମାନେ କଦାଚନ ସେମାନଙ୍କ ସହ ଯୌନସମ୍ପର୍କ ରଖିପାରିବେ ନାହିଁ । ଏ ସହରରେ ମହିଳାମାନେ ରାତିରେ ଏମିତି କୈଫିୟତ ତିଆରି କରି ରଖିଥାନ୍ତି ଯେ ତାଙ୍କ ଶରୀରରେ ହାତ ମାରିବା ଏକବାରେ ଅସମ୍ଭବ ହୋଇପଡ଼େ । ଏହାର ପରିଣତି ବିଚିତ୍ର ଏବଂ ଆମୋଦକର । ଅର୍ଥାତ୍ ପୁରୁଷମାନେ ଉପରକୁ ସମ୍ପୂର୍ଣ୍ଣ ଭଦ୍ର ଦିଶୁଥିଲେହେଁ ଭିତରେ ଭିତରେ ଜଳିବାରେ ଲାଗିଥାନ୍ତି ଏବଂ ଅନ୍ୟମାନଙ୍କ ପତ୍ନୀମାନଙ୍କୁ ନିରିଖେଇ ଦେଖନ୍ତି ଓ ମନେମନେ ରମଣ କରନ୍ତି । ଅନ୍ୟ ଏକ ତଥ୍ୟ ଆମ ନିକଟରେ ଅଛି ଏବଂ ତାହା ଆମକୁ ବିଚଳିତ କରିଛି । ସେଇଟି ହେଉଛି, ସରକାରୀ ଦପ୍ତରମାନଙ୍କରେ ଥିବା କମ୍ପ୍ୟୁଟରଗୁଡ଼ିକ ଖରାବେଳେ ବଢ଼ିଆ କାମରେ ଆସୁଛି । ଇଣ୍ଟରନେଟ୍‌ରେ ଯାବତୀୟ ପ୍ରକାର ଲଙ୍ଗଳାଚିତ୍ର ଅଧଘଣ୍ଟା ପାଇଁ ଦେଖାଯାଉଛି । ସବୁ ଅଫିସରେ ଏପରି ଘଟୁଛି । ଅଫିସରମାନେ ଇଣ୍ଟରନେଟ୍‌ରେ ବ୍ଲୁ ଫିଲ୍ମ ଦେଖୁଛନ୍ତି ଏବଂ ଅଧସ୍ତନମାନେ ଦେଖୁଛନ୍ତି ।

 

ସାହୁବାବୁ ବୋଲି ଜଣେ ମୋଟା ପେଟୁଆ ଷ୍ଟେନୋ ଇଣ୍ଟରନେଟ୍‌ରୁ ଦୁଇ ହଜାରରୁ ବେଶୀ ବ୍ଲୁ ଫିଲ୍ମ ଡାଉନ୍‌ଲୋଡ଼୍ କରି ରଖିଛି । ଗୁଡ଼୍, ମୋର କହିବାର କଥା ଏହି ଯେ, ଏ ସହରରେ ଅଧିକାଂଶ ବାସ୍ତବ ରମଣ କ୍ଷମତା ହରାଇଲେଣି ତଥା ମାନସିକ ରମଣରେ ସେମାନଙ୍କ ଦକ୍ଷତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

 

ଗୁଡ଼୍, କୋଉ କଥା କହୁ କହୁ କେତେ ବିରକ୍ତିକର କଥା ଗପିଗଲିଣି । କଥା କ’ଣ କି, ମୁଁ ଜଣେ ପ୍ରଚଣ୍ଡ ଗପୁଡ଼ି ଲୋକ ।

 

ହଁ, କ’ଣ କହୁଥିଲି ତ ? ମୁଁ ଚାଲିବାରେ ଲାଗିଲି ଏବଂ ପାନ ଦୋକାନ ନିକଟରେ ପହଞ୍ଚିଗଲି । ସେତେବେଳକୁ ସେ ଦୋକାନ ବନ୍ଦ କରିବାର ପ୍ରସ୍ତୁତି କରିସାରିଥିଲା । ସିଏ ଜଣେ ପ୍ରକାଣ୍ଡ ଗାଲୁଆ ଲୋକ । ନିଜ ଭୟଙ୍କର ଗାଲୁଆମିର ପ୍ରମାଣ ଅତୀତରେ କେତେଥର ସେ ଦେଇ ସାରିଥିଲା । ସେ ସମ୍ପର୍କରେ ମୁଁ ଆପଣମାନଙ୍କୁ କେବେ କହିବି, ସମୟ ସୁବିଧା ହେଲେ ଦିନେ ସନ୍ଧ୍ୟାବେଳୁ ମୁଁ ତା' କଥା କହିବି, ଆପଣ ହସି ହସି ଗଡ଼ିଯିବେ । ଆଜି ମୋର ଯୋଉ ଅବସ୍ଥା, ସେସବୁ ଭେସରା କଥାପାଇଁ ମୋର ମାନସିକତା ନାହିଁ ।

 

କୌଣସି କାରଣରୁ ପାନ ଦୋକାନୀ ଗମ୍ଭୀର ଥିଲା । ମୁଁ ଖଣ୍ଡେ ସାଦାପାନ ବରାଦ ଦେଲି । ଖଣ୍ଡେ ସିଗାରେଟରେ ଅଗ୍ନିସଂଯୋଗ କଲି । ଭାବିଲି, ତା’ ସହ ଭୂତପ୍ରେତ ପିଶାଚ କଥା ଗପିବି । କିନ୍ତୁ ସେ ଲୋଭସମ୍ବରଣ କଲି । ରାତି ଆହୁରି ଗଭୀର ହେବା ଆଗରୁ ଘରକୁ ଫେରିଆସିବା ଉଚିତ ବୋଲି ଭାବି ଚାଲିବାରେ ଲାଗିଲି । ଯେଉଁ ରାସ୍ତାରେ ଯାଇଥିଲି, ସେ ରାସ୍ତାରେ ନଫେରି ଆରପଟ ରାସ୍ତାରେ ଫେରିବାରେ ଲାଗିଲି ।

 

କିଛି ବାଟ ଯାଇଛି, ସାମ୍ନାରୁ କେହି ଜଣେ ଆସୁଥିବାର ଦେଖାଗଲା । ଏ ଭିତରେ ଗୋଟେ / ଦି’ଟା ମଟର ସାଇକେଲବି ମତେ ଅତିକ୍ରମ କରିଯାଇଛି । ସାମ୍ନାଲୋକ ଓ ମୁଁ ପରସ୍ପରର ନିକଟବର୍ତ୍ତୀ ହେବାରୁ ମୋତେ ଖୁସୀ ଲାଗିଲା । ପ୍ରାୟ ମାସେ ପରେ ଯୋଗୀ ସହ ମୋର ଭେଟ । ଏତେ ରାତିରେ ଯୋଗୀ ମୋରି ପରି ଚାଲିବା ଅଭ୍ୟାସ ରଖିଥିବା ମୋତେ ଖୁସୀ ଲାଗିଲା । ତା’ର ମୋର କଲେଜବେଳର ସହପାଠୀ । ମୋ ଘରଠୁ ପ୍ରାୟ ଏକ କିଲୋମିଟର ଦୂରରେ ତା’ କ୍ୱାଟର୍ । ପ୍ରତି ସପ୍ତାହରେ ଆମର ଭେଟ ହୋଇଥାଏ । ତାକୁ ଦେଖିବା ପରେ ମୋର ଅନୁଭବ ହେଲା ଯେ, ଆମେ ପ୍ରାୟ ମାସେ ହେବ ପରସ୍ପରକୁ ଭେଟି ନଥିଲୁ ।

 

ଯୋଗୀ ପୂରା ଶେତା ଦିଶୁଥିଲା । କାରଣ ପଚାରିବାରୁ କହିଲା, ତା’ ଦେହ ଭଲ ନଥିଲା-। ଏଣେ ପୁଅର ଇଞ୍ଜିନିୟରିଙ୍ଗ କଲେଜରେ ନାମଲେଖା ନେଇ ସେ ବ୍ୟସ୍ତ ଥିଲା । କ’ଣ ଗୋଟେ ନୂଆ ଇଂରାଜୀ ଉପନ୍ୟାସ ଆରମ୍ଭ କରିଥିଲା, ଶେଷ କରିପାରିନାହିଁ । କାର୍ ଲୋନ୍ ଆହୁରି ବାକିଥିଲା । ଅଶୀବର୍ଷର ବୁଢ଼ୀ, ତା’ ବୋଉର ଦେହ ଖରାପ ଥିଲା, ତାକୁ କଟକ ମେଡ଼ିକାଲରେ ଆଠଦିନ ରଖାଇଥିଲା, ଦେହ ପୂରା ଭଲ ହୋଇ ନଥିଲା, ସେମାନେ ଡିସ୍‌ଚାର୍ଜ କରିଦେଲେ-। ବୁଢ଼ୀ ଏବେ ଗାଁରେ । ଦାଦା ଘର ବୁଢ଼ୀର ଦେଖାଚାହାଁ କରୁଥିଲେ । ଯୋଗୀର ମନ ଶାନ୍ତି ନଥିଲା-। ଯେତେହେଲେ ସେମାନେ ଠିକ୍‍ଠାକ୍ ବୁଢ଼ୀର ମନ ଜାଣି ଯତ୍ନ ନେଇପାରୁଥିବେ କି-? କିନ୍ତୁ ନାନା କାରଣରୁ ଯୋଗୀ ତା’ ବୋଉକୁ ଭୁବନେଶ୍ଵର ଆଣିପାରୁ ନଥିଲା । ଜାଣିଲି, ବୁଢ଼ୀପାଇଁ ଯୋଗୀ ଖୁବ୍ ବିବ୍ରତ ଓ ଚିନ୍ତିତ ଥିଲା ।

 

ମୋର ଏଇ ଟିକକ ପୂର୍ବରୁ ଅନୁଭବ ମୁଁ ଯୋଗୀକୁ କହିଲି । କେମିତି ମୋର ଖୁବ୍ ପାଖରେ କେହି ଚାଲୁଥିଲା । କେମିତି ଏକ ଅଦୃଶ୍ୟ ସତ୍ତା ସତେ ଯେମିତି ମୋର ଖୁବ୍ ନିକଟରେ ଥିଲା । କେମିତି ମୋତେ ସାମାନ୍ୟ ଭୟବି ଲାଗିଥିଲା । ଯୋଗୀ କହିଲା ଯେ ଅନେକ ସମୟରେ ମଣିଷ ନିଜ ମନର ଭ୍ରାନ୍ତିରେ ପଡ଼େ, ଭୟରବି ଅବଦାନ ଥାଏ । ସେ ଏ ସମ୍ପର୍କରେ ଅନେକ ବହି ପଢ଼ିଛି, ଦେଶୀ ଓ ବିଦେଶୀ ବହି । ଗାଁରେ ଥିବା ସମୟରେବି ନିଜେ କେତେଟା କଥା ପ୍ରତ୍ୟକ୍ଷ କରିଥିଲା । ବଡ଼ମାନଙ୍କଠାରୁ ଅନେକ ଶୁଣିଥିଲା । ସେ ବି ଗୋଟେ ନିହାତି ଅଜବ କଥା ସଂକ୍ଷେପରେ କହିଲା । ମୁଁ ସେ କଥା ଅନ୍ୟବେଳେ ଆପଣଙ୍କୁ କହିବି, କାରଣ ମୁଁ ଗପୁଡ଼ି ଲୋକ, ଗପିବାମାନେ ମୂଳକଥାଟି କୁଆଡ଼େ ଯିବ !

 

ତା’ ସ୍ତ୍ରୀ କ’ଣ ମଝିରେ କେଇଦିନ ଯାଇ ଗାଁରେ ରହିଥିଲା । ହେଲେ ସବୁଦିନ ରହିବା ସମ୍ଭବ ହେଲା ନାହିଁ । ଏଣେ ମୁଣ୍ଡରେ କି ଦୁର୍ବୁଦ୍ଧି ଢୁକିଲା କେଜାଣି ଘରକୁ ଗୋଟେ କୁକୁର ଛୁଆ ଆଣି ରଖିଥିଲା ଯେ ସେଇଟା ଏବେ ବଡ଼ ହୋଇଗଲାଣି, ତାକୁ ଏକା ଛାଡ଼ି କୁଆଡ଼େ ଯିବା ସମ୍ଭବ ନୁହେଁ । ଯୋଗୀ ନହେଲେ ତା’ ସ୍ତ୍ରୀ କେହି ଜଣେ ଘରେ ରହିବା ଦରକାର ।

 

ମୁଁ କହିଲି, ରାସ୍ତାରେ ଏତେ ରାତିରେ, ଆମେ ଦି’ଜଣ ଏମିତି ଗପିବା ଅପେକ୍ଷା ବରଂ ଘରେ ଯାଇ ଆରାମରେ ବସି ଗପାଗପି କରିବା ଭଲ ହେବ । ଯୋଗୀ କହିଲା, ଘରେ ଗୁଳୁଗୁଳି, ଝାଳ ବୋହିବ; ତା’ଛଡ଼ା କ’ଣ ବା ଆଉ ଗପିବାର ଅଛି !!

 

ପିଲାପିଲିଙ୍କ କଥା ପଡ଼ିଲା । ମୋ ପିଲା ତ ସ୍କୁଲ୍‍ରେ । ଯୋଗୀର ଗୋଟେ ମାତ୍ର ପୁଅ । ଏବର୍ଷ ଇଞ୍ଜିନିୟରିଙ୍ଗ ପଢ଼ିବ । ରାଜ୍ୟ ବାହାରେ ପଢ଼ିବ । ଯୋଗୀ ତାକୁ ନେଇ ଏଇ ସପ୍ତାହକ ଭିତରେ ଯିବ । ସେଥିପାଇଁ ପଇସାପତ୍ର ଯୋଗାଡ଼ ଚାଲିଛି । ଟ୍ରେନ୍ ଟିକେଟ୍ ହୋଇସାରିଛି । ଆଡ଼୍‍ମିସନ୍ ପରେ ତେଣିକି ମାସକୁ ତିନି ହଜାର ଦେବାକୁ ପଡ଼ିବ ।

 

ଯୋଗୀ ମୋ’ରି ପରି ଗପୁଡ଼ି ଲୋକ । କେତେକଥା ଗପିସାରି କହିଲା, “ଭାଇ, ମୋର ଏବେ ଗୋଟେ ଜରୁରୀ କାମରେ ପନ୍ଦର ଦିନପାଇଁ ବମ୍ବେ ଯିବାର ଅଛି । ଭାବୁଚି, ତୋତେ ଗୋଟେ କାମ ଦେଇଯିବି । ପୁଣି ଭାବୁଚି, ତୁ ବି ତ ବ୍ୟସ୍ତ ଲୋକ, ତତେ ବେଳ ହେବ କି ନାହିଁ !

 

କଥାଟା କ’ଣ ବୋଲି ମୁଁ ପଚାରିଲି ।

 

ଯୋଗୀ କହିଲା ଯେ, ତା’ ଅଶୀବର୍ଷର ବୋଉ ଓ ଚାଷବାସ କରୁଥିବା ବଡ଼ଭାଇ ଗାଁରେ ରହନ୍ତି । ସେମାନେ ସମସ୍ତେ ଏକରକମ ଭଲ ଅଛନ୍ତି । ଯୋଗୀ ମଝିରେ ମଝିରେ କିଛି ଟଙ୍କା ପଠାଏ । ବୁଢ଼ୀର ଇଚ୍ଛା କିଛିଦିନ ଯୋଗୀ ପାଖରେ ରହିବାପାଇଁ, ତେବେ ନାନା କାରଣରୁ ତାହା ସମ୍ଭବ ହୋଇନାହିଁ । ଛାଡ଼, ଯୋଗୀର କହିବା କଥା ଥିଲା କି ମତେ ତା’ ଗାଁକୁ ଯିବାକୁ ପଡ଼ିବ, ବେଶୀ ବାଟ ନୁହେଁ, ତା’ ବୁଢ଼ୀ ବୋଉକୁ ଗାଁରୁ ଆଣି ସହର ଘରେ ଛାଡ଼ିଦେବାକୁ ହେବ । ତା’ ଗାଁ ବେଶୀ ବାଟ ନୁହେଁ ସତ, ହେଲେ ବୁଢ଼ୀ ଆଉ ବସ୍‍ରେ ଆସିବା ସମ୍ଭବ ନୁହେଁ, କାର୍‍ରେ ଆଣିବାକୁ ପଡ଼ିବ । କାର୍ ଭଡ଼ା ଯାହା ଲାଗିବ, ଯୋଗୀ ଦେଇଦେବ ବୋଲି କହିଲା । ଦିନକ ପରେ ତା’ର ବମ୍ବେ ଯିବାର ଥିଲା । ସେ ମୋତେ ସାତଶହ ଟଙ୍କା ଦେଲା । ମୁଁ କହିଲି ଯେ, ସେ ବମ୍ବେ ଯିବାର ପରଦିନ ମୁଁ ଯାଇ ତା’ ବୋଉକୁ ନେଇଆସିବି । ସେ ଦେଇଥିବା ସାତଶହ ଟଙ୍କା ମୁଁ ପକେଟରେ ରଖିଲି । ଏଣିକି ବିଦାୟ ନେବାର ବେଳ ।

 

ମୁଁ ରାତ୍ରିଭୋଜନ ସାରି ଘରୁ ଚାଲିବାକୁ ବାହାରିଥିଲି । ଏ ଭିତରେ କେତେ ସମୟ ଅତିବାହିତ ହୋଇଗଲାଣି । ଦୂରରେ ପାନଦୋକାନ କାହିଁ କେତେବେଳୁ ବନ୍ଦ ହୋଇଗଲାଣି । ରାସ୍ତାରେ ସାଇକେଲ–ମଟର ସାଇକେଲ ଯାତାୟାତ କେତେ କମିଗଲାଣି । ଘରୁ ବାହାରିବା ପରେ ଏକାଏକା ଚାଲିବା ସମୟରେ ମୋ ପଛରେ ବା ଅତି ନିକଟରେ କିଛି ଗୋଟେ ଅଶରୀରୀ ସତ୍ତା ବୁଲୁଥିବାର ଅନୁଭବରୁ ମୋର ଭୟ ଜାତ ହୋଇଥିଲା ଏବଂ ସେଇ ଭୟରୁ ମୁକୁଳି ମୁଁ ଘରମୁହାଁ ହେବାବେଳକୁ ଦୀର୍ଘଦିନର ବନ୍ଧୁ ଯୋଗୀ ସହ ମୋର ଭେଟ, କେତେ କଥାବାର୍ତ୍ତା ।

 

ଏବେ ଆଉ ମୋତେ ଭୟ ଲାଗୁନାହିଁ । ପରିବେଶ ସତେଜ ଓ ହାଲ୍‌କା ଲାଗୁଥାଏ । ଯୋଗୀ ମୋ’ଠୁ ବିଦାୟ ନେବାପରେ ମୁଁ ଘରମୁହାଁ ହେଲି । ଯୋଗୀ ପ୍ରଦତ୍ତ ଟଙ୍କା ମୋ ପକେଟରେ ଥାଏ । ମୁଁ ବି ନିଜ ଗାଁକୁ ଅନେକ ଦିନ ହେବ ଯାଇନାହିଁ । ଯୋଗୀର ବୋଉକୁ ଆଣିବା ବାହାନାରେ ଆମ ଗାଁ ବୁଲି ଆସିବି ।

 

ଘରେ ପହଞ୍ଚିବାବେଳକୁ ରାତି ବାଆର । ମୋ ସ୍ତ୍ରୀ କୁଆଡ଼େ ଅପେକ୍ଷା କରିକରି ଶୋଇ ପଡ଼ିଥିଲେ । ସାନଝିଅ କବାଟ ଖୋଲିଲା । ଆଉ ପାଠ ନପଢ଼ି ଶୋଇବାକୁ ସାନଝିଅକୁ କହି ମୁଁ ଜାମା ଓହ୍ଲାଇ, ଗୋଡ଼ହାତ ଧୋଇ ଶୋଇବାକୁ ଗଲି ।

 

ସ୍ତ୍ରୀଲୋକମାନଙ୍କ ପ୍ରକୃତି ଅଜବ । ଆପଣ ଭାବିଥିବେ ସେ ନିଘୋଡ଼ ନିଦରେ ଶୋଇପଡ଼ିଥିବେ ବୋଲି, ଭାବିଥିବେ କ’ଣ ମ, ସତକୁସତ ସେମାନଙ୍କୁ ନିଦ ହୋଇଯାଇଥିବ, କାରଣ ଘୁଙ୍ଗୁଡ଼ି ଶୁଭୁଥିବ, ହେଲେ ଯେମିତି ଆପଣ ଖଟ ଉପରକୁ ଉଠିବେ, ଦେଖିବେ ସାଙ୍ଗେ ସାଙ୍ଗେ ଅଜଗର କଡ଼ ଲେଉଟାଇବା ପରି କଡ଼ ଲେଉଟିଲା, ହୁଏତ ଅନେକ ସମୟରେ ଆଖି ମଧ୍ୟ ଖୋଲିପାରେ ଏବଂ ପ୍ରଶ୍ନଟେ ଆସିପାରେ ।

 

ମୋ ସ୍ତ୍ରୀ ସେଇ ନିଦ ଭିତରୁ ପଚାରିଲେ, ‘ଏତେବେଳ ଯାଏଁ କୁଆଡ଼େ ବୁଲୁଥିଲ ?'

 

ମୁଁ ଏ ପ୍ରଶ୍ନର କିଛି ଉତ୍ତର ଦେଲି ନାହିଁ, ଧୀରେ ଶୋଇଗଲି । ଉତ୍ତର ଦେଲି ନାହିଁ, କାରଣ ମୋ ଭିତରେ ସେଇ ଅଶରୀରୀ ସତ୍ତାର କଥା ଖେଳି ବୁଲୁଥିଲା ।

 

ଏଇଟା ଶୁକ୍ରବାର ରାତିର ଘଟଣା । ଶନିବାର ଥିଲା ପୂରା ସ୍ୱାଭାବିକ । ରବିବାର ଦିନ ଯୋଗୀ ବମ୍ବେ ଯାଇଥିବ । ସେ ଟ୍ରେନ୍‍ରେ ଯାଇଥିବ କିମ୍ବା ପ୍ଲେନ୍‍ରେ ଯାଇଥିବ । ମୁଁ ସ୍ଥିର କରିଥିଲି, କାର୍ ନେଇ ଚାଲିଯିବି, ପ୍ରଥମେ ଆମ ଗାଁକୁ ଯିବି, ସେଠି ସାରା ଦିନ କଟାଇ ଚାରିଟାବେଳକୁ ଯୋଗୀର ଗାଁକୁ ଯିବି । ମନେକର, ପାଞ୍ଚଟାରେ ସେଠି ପହଞ୍ଚିବି, ଗୋଟେ ଘଣ୍ଟା ସେଠି ବିତିବ, ଯୋଗୀ ବୋଉକୁ ନେଇ ବାହାରି ଆସିଲେ ମୁଁ ଆମ ସହରରେ ସାଢ଼େ ସାତ କି ଆଠରେ ପହଞ୍ଚିଯିବି !

 

ବାସ୍–ରବିବାର ମୁଁ ବାହାରିପଡ଼ିଲି । ଆମ ଗାଁରେ ଅଳ୍ପ ସମୟ ବିତାଇ ବାହାରିଗଲି ଯୋଗୀଘର ଗାଁକୁ । ବହୁବର୍ଷ ପରେ ମୋର ଏଠିକୁ ଆଗମନ । କଲେଜରେ ପଢ଼ିବା ସମୟରେ ଯୋଗୀ ସହ ଦୁଇ /ତିନିଥର ଆସିଥିଲି । ଯିବାବେଳେ ମୋ ସ୍ତ୍ରୀଙ୍କୁ କହିଲି, ‘ଆରେ ହେ, ଦେଖ ତ, ପଅରଦିନ ରାତିରେ ମୁଁ ଯେଉଁ ପ୍ୟାଣ୍ଟ ପିନ୍ଧିଥିଲି, ତା’ର ସାଇଡ଼୍ ପକେଟ୍‍ରେ ସାତଶହ ଟଙ୍କା ଥିଲା, ମୁଁ ତ ପୂରା ଭୁଲିଯାଇଛି ।’

 

ମୋ ସ୍ତ୍ରୀ, ଅନ୍ୟମାନଙ୍କ ସ୍ତ୍ରୀମାନଙ୍କ ପରି, ଜଣେ ସାଧାରଣ ଲୋକ ଏବଂ ସେଇହେତୁ ସେଦିନ ମୁଁ କେଉଁ ପ୍ୟାଣ୍ଟ ପିନ୍ଧିଥିଲି, ସେକଥା ତୁରନ୍ତ ଠାବ କରିପାରିଲେ ନାହିଁ । ମୁଁ ମନେ ପକାଇ କହିଲି, ହେଲେ ସେ ପ୍ୟାଣ୍ଟ ପକେଟରେ ଟଙ୍କା ନଥିଲା । ଆମେ ଅନ୍ୟ କେତେଟା ପ୍ୟାଣ୍ଟ ଖୋଜିଲୁ, କେଉଁଥିରେ ସାତଶହ ଟଙ୍କା ନଥିଲା । ମୁଁ ଭାବିଲି, ମୁଁ ବୋଧେ ବିସ୍ମରଣ ହୋଇଯାଇଥିବି, ସଚରାଚର ସେମିତି ହୋଇଥାଏ, ଗୋଟେ ଜିନିଷ ନମିଳିଲେ ମଣିଷ ନାନା ସ୍ଥାନରେ ଖୋଜେ, କେବଳ ନିଜ ମନକୁ ବୁଝାଇବା ପାଇଁ ! ବହୁତ ଖୋଜାଖୋଜି ପରେ ସେ ଟଙ୍କା ମିଳିଲା ନାହିଁ । ମୁଁ ଭିତରେ ଭିତରେ ବିସ୍ମିତ ହେଲି । ପୁଅ କି ଝିଅ କେହି ନେଇ ଯାଇଥିବ ବୋଲି ଭାବିଲି, ହେଲେ ସେମାନେ ମନାକଲେ । ଛାଡ଼–ମୁଁ ମୋ ନିଜ ଟଙ୍କା ଧରି ବାହାରି ପଡ଼ିଲି ।

ଯୋଜନା ମୁତାବକ ଆମ ଗାଁରେ କିଛି ସମୟ ବିତାଇ ଯୋଗୀ ଘର ଗାଁ ଅଭିମୁଖେ ବାହାରିପଡ଼ିଲି । ସେଠି ପହଞ୍ଚିବାବେଳକୁ ପାଞ୍ଚଟା /ସାଢ଼େ ପାଞ୍ଚଟା ହେବ । ସେଇ ଗାଁରେବି, ଓଡ଼ିଶାର ଅନ୍ୟ ସମସ୍ତ ଗାଁମାନଙ୍କ ପରି, ବ୍ୟାପକ ପରିବର୍ତ୍ତନ ହୋଇଛି । ଯେଉଁ ପରିବର୍ତ୍ତନଟି ସମସ୍ତଙ୍କୁ ଚକିତ ଓ ଆମୋଦିତ କରିଛି, ସେଇଟି ହେଲା ଏବେ ପ୍ରତି ଗାଁରେ ପାନଦୋକାନରେ ଛୋଟ ଛୋଟ ବୋତଲରେ ମଦ ମିଳୁଛି । ଯୋଗୀଘର ଗାଁରେ ଯେ ମଦ ନିଶ୍ଚୟ ମିଳୁଥିବ, ଏକଥା ଭାବିବାକ୍ଷଣି ମତେ ଖୁସି ଲାଗିଲା ।

ଯୋଗୀ ଘରକୁ ସଠିକ୍ ରାସ୍ତାଟି ମୋର ସ୍ମରଣ ହେଲାନାହିଁ । କାହିଁ କେତେ ବର୍ଷ ତଳେ ଆସିଥିଲି । ଗୋଟେ ଦୋକାନରେ ପଚାରିଲି, ଡ୍ରାଇଭରକୁ ବାଟ ବତାଇ ବତାଇ ଯୋଗୀଘର ସାମ୍ନାରେ ଗାଡ଼ି ଅଟକାଇଲି ।

 

ବହୁଦୂରର ସ୍ମୃତି ତଳୁ ମୋର ମନ ଭିତରେ ଯେଉଁ ଘରର ଚିତ୍ର ନାଚିଗଲା, ୟେ ସେ ଘର ନଥିଲା । ଯୋଗୀ ରୋଜଗାର କରିବା ପରେ ଘର କରିଛି । ବେଶୀ ବଡ଼ଘର ନହେଲେବି ଭଲ ଘର । ବହୁ ବର୍ଷ ତଳେ ଯୋଗୀ ଘରେ ଯୋଗୀ ସହ ଏକାଠି ଖାଉଥିବାବେଳେ ତା’ ବୋଉ କହିଥିବା ଗୋଟେ କଥା ମୋର ସ୍ପଷ୍ଟ ମନେଅଛି ।

 

ମୁଁ ଜଣେ ଅଜବ ଗପୁଡ଼ି ଲୋକ । କୋଉ କଥାରୁ କୋଉ କଥା ଭାବୁଚି ଓ ଗପୁଚି । ଏଇ ଗପୁଡ଼ି ଗୁଣ ଯୋଗୁଁ ମୋ ସ୍ତ୍ରୀ ବିରକ୍ତ ହୁଅନ୍ତି, ଅଫିସ୍‍ରେବି ବିରକ୍ତ ହୁଅନ୍ତି, ହଉ, ଛାଡ଼ !

 

ହଁ, ଯୋଗୀ ବୋଉ କାହିଁ କେତେ ବର୍ଷ ତଳେ, ଖାଇବସିଥିବାବେଳେ କହିଥିଲେ, ‘ବୁଝିଲ ପୁଅ, ଚୁନାମାଛ ତରକାରୀ କରିବାବେଳେ ମାଛକୁ ଜମା କଡ଼ାକରି ଭାଜିବ ନାହିଁ । ଚୁନାମାଛ କଡ଼ା ଭଜା ହେଲେ ପେଟ ଖରାପ ହୁଏ ।’

 

ଆଜିକାଲି ସହରୀ ଘରଣୀମାନେ ଚୁନାମାଛକୁ ଠିକ୍‍ଭାବେ ଭାଜିପାରନ୍ତି ନାହିଁ, କରେଇରେ ମେଞ୍ଚେ ତେଲ ପକାଇ ଛାଣିଦେଲେ କାମ ସଇଲା । କଡ଼୍‍କଡ୍ ଭଜା ।

 

ମୁଁ ଯୋଗୀ ଘର ବାରଣ୍ଡାକୁ ଉଠିଲି, କବାଟ ଖଡ଼୍‍ଖଡ଼୍ କଲି । ପାଞ୍ଚ ସାତବର୍ଷର ପିଲାଟେ କବାଟ ଖୋଲିଲା । କେହି ଗାଁ ପିଲା କି ବନ୍ଧୁବାନ୍ଧବଙ୍କ ପିଲା କି ଯୋଗୀର ଭାଇର ପିଲା ହୋଇଥିବ । ଘର ଭିତରୁ ସୋରଶବଦ ଶୁଭୁ ନଥାଏ । ଏ ଭିତରେ ନଇଁ ନଇଁ ଯେଉଁ ବୁଢ଼ୀ ଦରଜାଯାଏ ଆସିଥିଲେ, ସେ ଯେ ଯୋଗୀର ବୋଉ, ଏଥିରେ ସନ୍ଦେହ ନଥିଲା । ମୁଁ ତାଙ୍କୁ ‘ମାଉସୀ, ନମସ୍କାର’ ବୋଲି କହି, ନିଜ ପରିଚୟ ଦେଇ, ମୋ ଆସିବାର କାରଣ ଜଣେଇଲି ।

 

ବୁଢ଼ୀ ଧୀରେ, ସେଇଠି ଧୀରେ ବସିପଡ଼ିଲା, ଖୁବ୍ ଧୀରେ ସୁଁ ସୁଁ ହେଇ କାନ୍ଦିବାରେ ଲାଗିଲା, ପାଖରେ ଥିବା ଷ୍ଟୁଲ୍‍ଟା ଟାଣିଆଣି ମୁଁ ବସିପଡ଼ିଲି । ବିଷୟଟି କ’ଣ ହୋଇଥିବ, ସେକଥା ଭାବିବାକ୍ଷଣି ମୋର ସମଗ୍ର ସତ୍ତା ଥରିବାରେ ଲାଗିଲା । କୌଣସି କଥାର ଅଗମୂଳ ଯୋଡ଼ିବା ସମ୍ଭବପର ନଥିଲା ।

 

ବୁଢ଼ୀ କନ୍ଦାକଟା କରିବା ଭିତରେ ଭିତରୁ ପିଲା, ମହିଳା, ଜଣେ ପୁରୁଷଙ୍କ ମୁହଁ ଦିଶୁଥାଏ । ଯୋଗୀ, ଯୋଗୀ ସ୍ତ୍ରୀ, ଯୋଗୀ ପୁଅ ବ୍ୟତୀତ ମୋର କାହାରି ସହ ଚିହ୍ନା ନଥିଲା କହିଲେ ଚଳେ । ସହରରେ ଏକାଠି କମ୍ ଦୂରତାରେ ରହୁଥିବାରୁ ଯୋଗୀ ସହ ଅତୀତର ଅନ୍ତରଙ୍ଗତା ବଜାୟ ରହିଥିଲା ଓ ନିବିଡ଼ ହୋଇଥିଲା । ହେଲେ ତା’ ପରିବାରର ଅନ୍ୟମାନଙ୍କ ସହ ମୋର ସମ୍ପର୍କ ବା କାହିଁକି ରହିଥାନ୍ତା ?

 

ଏହି ଭୟଙ୍କର କଥାଟି ଶୁଣି ମୁଁ ହତଭମ୍ବ ହୋଇଗଲି ଯେ, ଯୋଗୀ ମରିବାର ପଚିଶଦିନ ହୋଇଯାଇଥିଲା । ଯେତେ ଦୂର ସମ୍ଭବ, ସେ ଆତ୍ମହତ୍ୟା କରିଥିଲା । କାହିଁକି କରିଥିଲା, ସେ କଥାର ଉତ୍ତର ଯୋଗୀର ପରିବାର ଲୋକଙ୍କ ନିକଟରେ ନଥିଲା ।

 

କି ଆଶ୍ଚର୍ଯ୍ୟ, ସହରରେ ଥାଇ ମଧ୍ୟ ଯୋଗୀର ମୃତ୍ୟୁ ଖବର ମୁଁ କେମିତି ପାଇଲି ନାହିଁ । ସବୁଠାରୁ ଅଦ୍ଭୁତ କଥା ଏହି ଯେ, ଯୋଉ ଦିନ ରାତିରେ ଯୋଗୀ ସହ ମୋର ଭେଟ ହୋଇଥିଲା ଏବଂ ଯେଉଁଦିନ ତା' ସହ ଭେଟ ହେବାର ଅବ୍ୟବହିତ ପୂର୍ବରୁ ଗୋଟେ ଅଶରୀରୀ ସତ୍ତା ମୋ ନିକଟରେ ଘୂରି ବୁଲିବା ପରି ଅନୁଭବ ହୋଇଥିଲା, ସେତେବେଳକୁ ଯୋଗୀ ପରିବାର ଦଶଦିନ ହୋଇସାରିଥିଲା । ଯୋଗୀ ମତେ ଟଙ୍କା ଦେଇ ପଠାଇଥିଲା ବୋଲି ମୁଁ କହିବାକୁ ଭାବିଲି, ହେଲେ କହିପାରିଲି ନାହିଁ କାରଣ ସମସ୍ତେ ମୋତେ ପାଗଳ କହିଥାନ୍ତେ ।

 

ମୁଁ କପେ ଚା’ ଖାଇ ଫେରିଆସିଲି । ସେଇ ଟଙ୍କା ଆଉ ମିଳିଲା ନାହିଁ । ଏଣିକି ଆପଣ ଭାବନ୍ତୁ ଏକଥା କିପରି ସମ୍ଭବ ? ମୃତ୍ୟୁ ପରେ ଯୋଗୀ ମୋ ସହ ଏତେ ସମୟ ଗପିଲା କେମିତି ଓ କ’ଣ ପାଇଁ ? କାହିଁକି ? ସତରେ ଯୋଗୀ ନା ଆଉ କେହି ଗପିଥିଲା ମୋ ସହ ? ନା ସବୁକିଛି ନିରୁତା ମନର ଭ୍ରମ ? ଅଶରୀରୀ କି କେବେ ସଶରୀରୀ ହୋଇପାରେ ? ଏମିତି ଅନୁଭବ ଆଉ କାହାର ଅଛି କି ? ସେସବୁ ତତ୍ତ୍ଵ ପରେ ।

☆☆☆

 

ଜହ୍ନ ଓ ଶଙ୍କରାଚାର୍ଯ୍ୟ

 

ସେହି ବିଚିତ୍ର ଘଟଣାଟି ଘଟିଥିଲା ରାତିରେ, ପ୍ରାୟ ନ’ଟାବେଳେ, ଅଳ୍ପ ଟିକେ ସ୍ନାକ୍‌ସ ଖାଇସାରି ହାତ ଧୋଇବା ସମୟରେ, ମୁମ୍ବାଇର ଏକ ନାମୀ ହୋଟେଲରେ । ଠାଏ କରି ଚମକି ପଡ଼ିଥିଲେ ବେଣୀ ପ୍ରସାଦ ଏବଂ ତୁରନ୍ତ ବୟ୍‍କୁ ଡକାଇ ପ୍ରଶ୍ନଟି ପଚାରିଥିଲେ । ସେ ଯେଉଁ ସୁଟ୍‍ରେ ରହିଥିଲେ, ତା’ର ନିର୍ମାଣ ହୋଇଥିଲା ଚମତ୍କାର ଢଙ୍ଗରେ । ସାମ୍ନାପଟର କ୍ଷୁଦ୍ର ବାଲ୍‍କୋନିରୁ ସାରା ସହର ଦିଶୁଥିଲା ଏବଂ ସେଇପରି ଅନ୍ୟ ଏକ ଭିତରପଟ ବାଲ୍‍କୋନିରୁ ଦିଶୁଥିଲା ଦୂରର ସମୁଦ୍ର । ରୁମ୍ ଭିତରର ଅନ୍ୟ ଏକ କ୍ଷୁଦ୍ର କୋଠରୀ ଭିତରେ ଥିଲା ଦୁଇଜଣ ବସି ଖାଇପାରିବା ଭଳି କ୍ଷୁଦ୍ର ଟେବୁଲ । ସେହିଠାରେ ଥିଲା ବେସିନ୍, ହାତମୁହଁ ଧୋଇବାପାଇଁ । ତଦ୍‌ଭିନ୍ନ ସେପରି ଅବିକଳ ବେସିନ୍‍ଟାଏ ଥିଲା ସେହି ସମୁଦ୍ରମୁଖା ବାଲ୍‍କୋନିର ଗୋଟିଏ କଡ଼କୁ, ସେହି ସ୍ଥାନରେ ମୁଣ୍ଡ ଉପରେ ସିମେଣ୍ଟ ଛାତ ନଥିଲା, ଥିଲା ଶାଗୁଆ ରଙ୍ଗର କାଚ, ବର୍ଷା ହେଲେ ମଧ୍ୟ ବସିହେବ ତଥା ଯାବତୀୟ ଇଚ୍ଛାକୁ ସେଠାରେ ଚରିତାର୍ଥ ମଧ୍ୟ କରାଯାଇପାରିବ । ଖାଇସାରି ବେଣୀପ୍ରସାଦ ସେହି ବାହାର ବେସିନ୍‍କୁ ଯାଇଥିଲେ, ତଳକୁ ମୁହଁ କରି ହାତ ମୁହଁ ଧୋଇବାବେଳେହିଁ ବିଚିତ୍ର ଘଟଣାଟି ଘଟିଥିଲା ଏବଂ ସେ ତୁରନ୍ତ ବୟ୍‍କୁ ଡକାଇ, କଥାଟି କହି ପ୍ରଶ୍ନଟି ପଚାରିଥିଲେ ।

 

‘ମୁଁ ଏହିଠାରେ କୁଳି କରୁଥିଲି’, ସେ ହିନ୍ଦୀ–ଇଂରାଜୀ ମିଶାଇ କହୁଥିଲେ, ‘ତ ଏହି ବେସିନ୍‍କୁ ଚାହିଁବା ଥିଲା ସ୍ଵାଭାବିକ, ଥରେ ଥରେ ଆଖି ସ୍ଵାଭାବିକଭାବେ ବନ୍ଦ ମଧ୍ୟ ହେଉଥିଲା । ୟେ ବେସିନ୍‍ର ରଙ୍ଗଟାବି ଖଇରିଆ, ଧଳାରଙ୍ଗର ବେସିନ୍ ହୋଇଥିଲେ ହୁଏତ ସେହି ବିଚିତ୍ର ଦୃଶ୍ୟ ମୁଁ ଦେଖି ନଥା'ନ୍ତି !’

 

‘କ’ଣ ଦେଖିଲେ ?' ବୟ୍ ପଚାରିଲା ।

 

‘ଆରେ ଖୁବ୍ ଧଳାରଙ୍ଗର, ଧଳାମାନେ ରୁପା ପରି, ଥାଳିଟେ ସତେ କି କ’ଣ, ଏହି ବେସିନ୍ ଭିତରେ ଦିଶିଲା, ମୁହୂର୍ତ୍ତକ ପାଇଁ, ପୁନଃ ଅନ୍ତର୍ଦ୍ଧାନ ହୋଇଗଲା । ଦୁଇ ତିନିଥର ଏପରି ହୁଅନ୍ତେ ମୋତେ ସାମାନ୍ୟ ଭୟ ଲାଗିଲା ଏବଂ ତୁମକୁ ଡକାଇଲି ।’

 

‘ସେପଟେ ବେସିନ୍ ଥାଉଁଥାଉଁ ଆପଣ ଏପଟକୁ ଆସିବା ଉଚିତ ହୋଇନାହିଁ’ ସେ କହିଲା ଏବଂ ତତ୍‍ସହ ନଇଁପଡ଼ି ବେସିନ୍ ତଳପଟ ନିରୀକ୍ଷଣ କରିବାକୁ ଲାଗିଲା ତଥା ପୁନଃ ସିଧାହୋଇ କହିଲା, ‘ତଳପଟେ କିଛି ନାହିଁ, ୟେ’ ପାଖରେ ଧଳାରଙ୍ଗର ଥାଳି ପରି ଜିନିଷଟା କ’ଣ ବା ହୋଇଥାଇପାରେ ? ଜିନିଷମାନେ କ’ଣ ? ମାନେ, ଯଦି ସତରେ ଥାଳି କିମ୍ବା ଅନ୍ୟ କିଛି ଜିନିଷ ହୋଇଥା'ନ୍ତା, ତେବେ ଥାଆନ୍ତା । ହୁଏତ ଏମିତି କିଛି ଜୀବ ହୋଇଥାଇପାରେ, ଯାହା ନିମିଷକ ମଧ୍ୟରେ ଅଦୃଶ୍ୟ ହୋଇଯାଇପାରେ ! କିନ୍ତୁ କଥା ହେଲା ଏହି ଯେ, ଆମେ ବର୍ତ୍ତମାନ ଏହି ହୋଟେଲର ସତାଇଶ ମହଲାରେ ଅଛେ, ଏତେ ଉପରକୁ କୌଣସି ଜୀବ ଉଠି ଆସିବା ସମ୍ଭବ ନୁହେଁ । ତେଣୁ ଜିନିଷ ନୁହେଁ କିମ୍ବା ଜୀବବି ନୁହେଁ । କ’ଣ ହୋଇଥିବ ତେବେ ? ଗୋଟାଏ ଅଶରୀରୀ ନା’ କ’ଣ ? ଅବଶ୍ୟ ଏହି ବିଶାଳ ହୋଟେଲରେ ଏପରି କଥା କେବେବି ଶୁଣା ନଥିଲା ବା ଘଟିଥିବାର ଜଣା ଯାଇନାହିଁ । ମୁଁ ତ ଏଠାରେ ପ୍ରାୟ ତେର ଚଉଦବର୍ଷ ରହିଛି, ତେବେ ଏସବୁ ଜାଣିନାହିଁ ।’

 

ବେଣୀପ୍ରସାଦଙ୍କ ଚିନ୍ତା ଓ ଆଶଙ୍କା କେତେ ମୁହୂର୍ତ୍ତ ତଳୁ ହ୍ରାସ ପାଇପାଇ ତାଙ୍କ ମନ ଓ ପ୍ରାଣକୁ ହାଲ୍‍କା କରି ସାରିଥିଲା । କେତେ ମିନିଟ୍ ତଳେ ସେ ଦେଖୁଥିବା ସେହି ବିଚିତ୍ର ଜିନିଷଟିର କ୍ଷଣିକ ଝଲକ ଯେ ଆଦୌ ଭୀତିପ୍ରଦ ନଥିଲା, ବରଂ ଥିଲା ଆମୋଦଦାୟକ ତଥା ପ୍ରଚଣ୍ଡ ପ୍ରଶାନ୍ତିପ୍ରଦାୟକ, ସେକଥା ସେ ବୁଝାଇ କହିବା ପୂର୍ବରୁ ଅବା ସେପରି କିଛି ସୂଚନା ପ୍ରଦାନକାରୀ/ ଭାବୋଦ୍ରେକକାରୀ ଅଙ୍ଗଭଙ୍ଗୀ ଦେଖାଇବା ଆଗରୁ ହୋଟେଲର ବୟ୍ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲା ।

 

ବେଣୀପ୍ରସାଦ ହୋଟେଲ ବୟ୍‍କୁ କହିଲେ, ‘ତୁମେ ଯାଅ, ମୁଁ ଡାକିଲେ ଆସିବ । ତେବେ ଜଣେ ଦକ୍ଷ ଗୋଇନ୍ଦା ପରି ତୁମେ ବିଭିନ୍ନ ଦିଗରୁ ରହସ୍ୟ ଉନ୍ମୋଚନର ପ୍ରୟାସ କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି । ଡ୍ରିଙ୍କ୍‍ସ୍ ପଠେଇଦେବ । ପୁରୁଣା ‘କମ୍ପାନୀଅନ୍’ କହିଥିଲେବି, ମାନେ ଫ୍ରି ଥିଲେବି, ଡକାଇଦିଅ । କହିଦେବ ଯେ ରାତିସାରା ରହିବାକୁ ପଡ଼ିବ । ସକାଳ ଛ’ରେ ମୋ ସହ ଚା’ ପିଇସାରି ଯିବ ! ହେଲା ?’

 

ବୟ୍ ସାମାନ୍ୟ ଇତସ୍ତତଃ ହେଲା, ଏଇଥିପାଇଁ ନୁହେଁ ଯେ ରାତି ବେଶି ହେଲାଣି, ପ୍ରାୟ ଦଶଟା । ଏବେ କମ୍ପାନୀଅନ୍ ବା ମହିଳା ବନ୍ଧୁ ରାତିକପାଇଁ ଯୋଗାଡ଼ କରିବାକୁ ପଡ଼ିବ ! ସେ ଚକିତ ହୋଇଥିଲା ଯେ ଏତେ ଶୀଘ୍ର ବିଷୟ ରହସ୍ୟମୟ ରୁପାଥାଳି ପରି ପଦାର୍ଥରୁ ସିଧା ଡ୍ରିଙ୍କ୍‍ସ୍ ଓ କମ୍ପାନୀଅନ୍‍କୁ ଗତି କରିଥିଲା !

 

ସେ ସମ୍ମତିସୂଚକ ମୁଣ୍ଡ ଟୁଙ୍ଗାରି ବାହାରିଗଲା ।

 

ବେଣୀପ୍ରସାଦ ବାଲ୍‍କୋନିକୁ ଉନ୍ମୁକ୍ତ ଥିବା ଦରଜାକୁ ବନ୍ଦ କଲେ ଏବଂ ସମସ୍ତ ବସ୍ତ୍ର ପରିତ୍ୟାଗ କରି କ୍ଷୁଦ୍ରାଦପି କ୍ଷୁଦ୍ର ଇଲାଷ୍ଟିକ୍ ଲଗା ଅଣ୍ଡରୱିଅର୍ ପିନ୍ଧି, ହାତ–ଗୋଡ଼–ମୁହଁ ଧୋଇ, ପୋଛି, ଶରୀରସାରା ବିଦେଶୀ ପରଫ୍ୟୁମ୍ ସ୍ପ୍ରେ କରି ପ୍ରଥମେ ଡ୍ରିଙ୍କ୍‍ସ୍ ଏବଂ ପରେପରେ କମ୍ପାନୀଅନ୍‍କୁ ପ୍ରତୀକ୍ଷା କଲେ ।

 

ବେଣୀପ୍ରସାଦ ଶିଳ୍ପପତି ପରିବାରର ଲୋକ । ଅବିବାହିତ । ତାଙ୍କ ପିତା ଜୀବନପ୍ରସାଦ ବହୁ ପରିଶ୍ରମ କରି ନିଜର ଶିଳ୍ପ ପ୍ରତିଷ୍ଠା କରିଥିଲେ । ଛୋଟକାଟର ବୈଦ୍ୟୁତିକ ଯନ୍ତ୍ରପାତିର ଦୋକାନରୁ ଯାତ୍ରା ଆରମ୍ଭ କରି ସେ ବମ୍ବେରେ ଅର୍ଥାତ୍ ଏବେକାର ମୁମ୍ବାଇରେ ବିଶାଳ ବ୍ୟବସାୟର ଏକ ସାମ୍ରାଜ୍ୟ କରିଥିଲେ । ସୁଖର କଥା, ସେ ଜୀବିତ ଥିଲେ । ତାଙ୍କର ପତ୍ନୀ ବିୟୋଗ ଘଟିବା ପରେ ସେ ପରିଣତ ବୟସରେ ସବୁକିଛି ପୁତ୍ର ବେଣୀପ୍ରସାଦଙ୍କ ହାତରେ ସମର୍ପଣ କରି ଘରେ ଶାସ୍ତ୍ରପାଠ, ସମବୟସ୍କଙ୍କ ସହ ସନ୍ଧ୍ୟାଲୋଚନାରେ ସମୟ ବିତାଉଥିଲେ । ପତ୍ନୀଙ୍କ ଦ୍ଵାଦଶାହ ପାଳନାନ୍ତେ ସେ ପୁଅକୁ ଡାକି ବୁଝାଇଥିଲେ ଯେ ତାଙ୍କ ଜୀବନ ଓ ଯୌବନର ସମସ୍ତ ସମୟ ସେ ଧନ ଅର୍ଜନରେ ବିତାଇଥିଲେ, ଏଣିକି ସେ ସବୁଥିରୁ ଦୂରେଇ ରହିବେ, କ୍ଷଣକପାଇଁ ମଧ୍ୟ ବ୍ୟବସାୟ, ବ୍ୟାଙ୍କ୍ ବାଲାନ୍‍ସ, ଆକାଉଣ୍ଟ୍‍ସ୍, ବୋନସ୍, ଇମ୍ପାର୍ଟ, ଏକ୍ସ୍‍ପର୍ଟ ଇତ୍ୟାଦି ବିଷୟରେ ମୁଣ୍ଡ ଖେଳାଇବେ ନାହିଁ । ବେଣୀପ୍ରସାଦ ବିରୋଧ କରି ନଥିଲେ । ସବୁ ନିର୍ଦ୍ଦେଶ ମାନି ଯାଇଥିଲେ । ସେ ଖୁବ୍ କମ୍ ବୟସରୁ ବିଜିନେସ୍‌ରେ ପଶିଥିଲେ ଓ ବୁଝାସୁଝା କରୁଥିଲେ । ପିତାଙ୍କ ସହକର୍ମୀମାନଙ୍କର ତାଙ୍କ ଉପରେ ପ୍ରଭୂତ ଆସ୍ଥା ଥିଲା । ବିଦେଶରେ ଅର୍ଥନୀତି ଓ ପରେ ମାନେଜ୍‍ମେଣ୍ଟରେ ଶିକ୍ଷା ସମାପ୍ତ କରି ସେ ନିଜ ପୈତୃକ ବ୍ୟବସାୟର ପରିଚାଳନାରେ ଯୋଗଦେଇ, ପିତାଙ୍କ ଅବସର ପରେ ସବୁକିଛି ପୂର୍ଣ୍ଣମନପ୍ରାଣରେ ବୁଝୁଥିଲେ । ବିଦେଶରେ ଅପୂର୍ବ ସଫଳତା ପରେ ସେ ଭାରତର କେତେକ ରାଜ୍ୟରେ ନିଜ କମ୍ପାନୀ ଉତ୍ପାଦିତ ପଦାର୍ଥର ବିପଣନଶାଖା ଖୋଲିବା ସହ ଗୋଟେ ଦୁଇଟା ଉତ୍ପାଦନକାରୀ ଛୋଟ କାରଖାନା ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଥିଲେ । କହିବା ବାହୁଲ୍ୟ, ଗୋଟେ ମାସର ପ୍ରାୟ ପଚିଶି ଦିନ ତାଙ୍କର ତାରକା ହୋଟେଲରେ ବିତୁଥିଲା । ସେହିଠାରେ ସେ ନିଜ ବ୍ୟବସାୟର ସବୁକିଛି ହାସଲ କରୁଥିଲେ । ଡ୍ରିଙ୍କ୍ କରିବା ଓ କମ୍ପାନୀଅନ୍ ଖୋଜିବାର ଇଚ୍ଛା ତାଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ନଥିଲା । ରାତି ଆଠଟା ଭିତରେ ସବୁ ବାହାର କାମ ସାରି ନିଜ ରୁମ୍‍ରେ ସେ ରହୁଥିଲେ ଏବଂ ପଢ଼ାପଢ଼ି କରୁଥିଲେ । ଭଲ ଗୀତ ଶୁଣିବା ତାଙ୍କ ଜାତକରେ ନଥିଲା, କିନ୍ତୁ କେବେ କେମିତି ସେ କେବଳ ଯନ୍ତ୍ର ସଙ୍ଗୀତ ଶୁଣୁଥିଲେ, ଯେପରି ବଂଶୀ ବା ତବଲା ବା ବେହେଲା ବାଦନ । ଭଲ ବହି ପଢ଼ୁଥିଲେ ଅର୍ଥାତ୍ ସେ ଯେ କବିତା କି ଗପ କି ଉପନ୍ୟାସ ପଢ଼ୁଥିଲେ, ସେ କଥା ଜମା ନୁହେଁ-! ସେ ବଡ଼ବଡ଼ ଶିଳ୍ପପତିଙ୍କ ଜୀବନୀ, ଅର୍ଥନୀତି ସମ୍ପର୍କିତ ତାତ୍ତ୍ଵିକ ଆଲୋଚନା ଜାତୀୟ ବହି ପଢ଼ୁଥିଲେ ।

 

କବାଟ ଠକ୍ ଠକ୍ ହେଲା ।

 

ସେ ଭିତରକୁ ଆସିବାର ଅନୁମତି ଦେଲେ ।

 

ବୟ୍ ଡ୍ରିଙ୍କ୍‍ସ୍ ନେଇ ଆସିଥିଲା ।

 

‘ଏତେ ଡେରି ହେଲା ?' ସେ ଖୁବ୍ ଶାନ୍ତ ସ୍ୱରରେ ପଚାରିଲେ ।

 

‘ଆପଣଙ୍କ ପସନ୍ଦର ଡ୍ରିଙ୍କ୍ ଖୋଜିବା ଏବଂ ପ୍ରାଥମିକ ଖାଇବା ଅଳ୍ପ କିଛି ତିଆରି କରିବାରେ ସାମାନ୍ୟ ଡେରି ହେଲା’, ବୟ୍ ଉତ୍ତର ଦେଲା ।

 

ସେ ହସିଲେ । ତାଙ୍କ ବ୍ରାଣ୍ଡ୍‍ର ଡ୍ରିଙ୍କ୍ ବୋତଲ ସର୍ବଦା ସର୍ବନିମ୍ନ ତିନି ଲିଟରବାଲା ବୋତଲରେ ଆସେ, ସ୍କଟ୍‍ଲାଣ୍ଡ୍‍ର ଏକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକଭାବେ ଏହା ତିଆରି କରିଥାଏ, ନିର୍ଦ୍ଦିଷ୍ଟ କେତେକ ହୋଟେଲ, ରାଜପରିବାର, କେତେକ ଦେଶର ପ୍ରଧାନମନ୍ତ୍ରୀ /ରାଷ୍ଟ୍ରପତିଙ୍କ ଭବନକୁ ଏହା ଯୋଗାଇ ଦିଆଯାଇଥାଏ । ଭାରତୀୟ ମୁଦ୍ରାରେ ଏହି ତିନି ଲିଟରବାଲା ବିଚିତ୍ର ବୋତଲ–ମାନେ ବିଚିତ୍ର ପ୍ରକାରର ବୋତଲର ଦାମ ଭାରତୀୟ ମୁଦ୍ରାରେ ସାଢ଼େ ତିନିଲକ୍ଷ ଟଙ୍କା ପଡ଼ିଥାଏ । ସୁତରାଂ ପ୍ରତ୍ୟେକ ହୋଟେଲର ମାଲିକ ପରିଚାଳକ ଏହାର ଗତିବିଧି ଉପରେ ନଜର ରଖିବା ତଥା ଗ୍ରାହକଙ୍କର ବିଶ୍ଵସ୍ତତା ଉପରେ ଗୁରୁତ୍ୱ ଦେବା ସ୍ୱାଭାବିକ ।

 

ବୟ୍‍କୁ ବିଦାୟ ଦେଇ ବେଣୀପ୍ରସାଦ ନିଜେ ପେଗ୍ ବନାଇବାରେ ଲାଗିଲେ । ସେ ଥିଲେ ମୂଳତଃ ଝାଡ଼ଖଣ୍ଡ–ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳର, ଶଢ଼େଇକଳାର, ପିଲାଦିନୁ ବାହାରେ ରହି ଆସିଥିଲେ । ତାଙ୍କ ବାପା ଦୀର୍ଘ ବର୍ଷ ପୂର୍ବେ ଭିଟାମାଟି ଛାଡ଼ିଥିଲେ । ତାଙ୍କର ଛୋଟ ବଡ଼ ଘର ପୃଥିବୀର କେତେକ ସହରରେ ଥିଲା । ପ୍ରାୟତଃ ତିନି/ ଚାରି ବେଡ଼୍‍ରୁମ୍‍ର ଘର-। ଦୁଇଜଣ ଜଗୁଆଳି, ଜଣେ ରୋଷେଇଆ, ଜଣେ କେଆର୍‍ଟେକର ଥିଲେ ପ୍ରତ୍ୟେକ ଜାଗାରେ-। ପ୍ରତ୍ୟେକଟି ଜାଗାରେ ଥିଲା ସାତ/ ଆଠ ଜଣ ବନ୍ଧୁଙ୍କୁ ଚର୍ଚ୍ଚା କରିବା ପରି ସମସ୍ତ ସୁବିଧା । ମନ ହେଲେ ସମ୍ପୂର୍ଣ୍ଣ ଏକାକୀ ନିରୋଳାରେ ରହିବା ଥିଲା ବେଶ୍ ଆମୋଦପ୍ରଦ । ପ୍ରାୟତଃ ବେଣୀପ୍ରସାଦ ସେଇଆହିଁ କରୁଥିଲେ ।

 

ବେଣୀପ୍ରସାଦ ପ୍ରଥମ ପେଗ୍‍ଟି ଏକାକୀ ପିଇଲେ । ଛୋଟ ଚିଙ୍ଗୁଡ଼ି ପୋଡ଼ା ଲେମ୍ବୁଲଙ୍କା ଛେଚା ପାଣିରେ ଭାସୁଥିଲା, ସେଥିରୁ ଉଠେଇଲେ । ତାଙ୍କୁ ବେଶ୍ ଭଲ ଲାଗିଲା । ସେ ଗ୍ଲାସ୍‍ରେ ଦ୍ୱିତୀୟ ପେଗ୍ ଢାଳିଲେ ଏବଂ କମ୍ପାନୀଅନ୍ ଆସିବା ସମୟକୁ ଅପେକ୍ଷା କଲେ । ମହିଳାମାନଙ୍କ ସହ ସମୟ ବିତାଇବାର ଥିଲେ ଏକ / ଦୁଇ ପେଗ୍‍ରୁ ଅଧିକ ପିଇବା ଅନୁଚିତ ବୋଲି ସେ କାହିଁ କେବେଠାରୁ ଜାଣିସାରିଥିଲେ । ଦ୍ୱିତୀୟ ପେଗ୍‍ଟି ସଜାଇ ରଖି ସେ ପ୍ରାୟ ସାତ / ଆଠ ପ୍ରକାରର ଚାଖଣା ଉପରେ ଗୁରୁତ୍ୱ ଦେଲେ ଏବଂ ସେଇ ମୁହୂର୍ତ୍ତରେ ପୁନଃ ଆଖି ଆଗରେ ସତେ ଅବା ନାଚିଗଲା ସେଇ ରୁପାଥାଳି ପରି ଦିଶିଯାଇଥିବା ଜିନିଷଟିର କଥା । ଘଣ୍ଟାକୁ ଦେଖିଲେ, ରାତି ଦଶଟା ତିରିଶ ପରେ । ନା, ତାଙ୍କ ବାପା ଜୀବନପ୍ରସାଦ ଶୋଇଯାଇଥିବେ । ନଚେତ୍ ସେ ଫୋନ୍‍ରେ ତାଙ୍କୁ ପଚାରିଥା’ନ୍ତେ । ଛାଡ଼, ପରଦିନ ପଚାରିବେ କିମ୍ବା ଦେଖାହେଲେ ପଚାରିବେ ।

 

କବାଟ ପୁନଃ ଠକ୍ ଠକ୍ ହେଲା । ରାତିକର ସାଥୀ ବା ଇଂରାଜୀରେ କମ୍ପାନୀଅନ୍ ଆସିଗଲା ବୋଧେ । ସେ ତଉଲିଆ ଢାଙ୍କି ଦେଇ, ସାରା ଦେହରେ ନୁହେଁ ନିମ୍ନାଂଶରେ, ଯୋଉଠି ଥିଲା କ୍ଷୁଦ୍ରାଦପିକ୍ଷୁଦ୍ର ଚିପା ଅଣ୍ଡରୱିଅର୍, କବାଟ ପାଖକୁ ଗଲେ ଓ ଅଧା ଖୋଲିଲେ ।

 

ସାୱିତ୍ରୀ, ସାମ୍ନାରେ ଥିଲା ସାୱିତ୍ରୀ ।

 

ସେ ପିନ୍ଧିଥିଲା ସର୍ଟ ସ୍କାର୍ଟ, ଚିପା ଟପ୍ ।

 

କୋଉ ରାଜ୍ୟର ଝିଅ କେଜାଣି ! ଇଂରାଜୀ, ହିନ୍ଦୀ, ମରାଠୀ ବେଶ୍ ଭଲ କହେ ।

 

ବେଣୀପ୍ରସାଦ ଭିତରୁ କବାଟ ବନ୍ଦ କରିବା ପରେ ସିଏ ପ୍ରଥମେ ତାଙ୍କ ଗଳାରେ ଓହଳିପଡ଼ି ଦୁଇଚାରି ଜାଗାରେ ଚୁମ୍ବନ ଦେଲା ।

 

ସାବିତ୍ରୀ ନାମ୍ନୀ ସେହି ମହିଳା, ଯିଏ ନିଜକୁ ସାୱିତ୍ରୀ ବୋଲି କହୁଥିଲା ଓ ଯାହାକୁ ବେଣୀପ୍ରସାଦ ମଧ୍ୟ ସାୱିତ୍ରୀ ବୋଲି ଡାକୁଥିଲେ, ଥିଲା ଉଚ୍ଚଶିକ୍ଷିତା ଓ ବିବାହିତା । ଆଜିକୁ ଚାରିବର୍ଷ ତଳୁ ଉଭୟଙ୍କର ପରିଚୟ । ସେ ବି ବେଣୀପ୍ରସାଦଙ୍କୁ କେବେ ବେଣୀ ତ କେବେ ଭେଣି, କେବେ ଭେନି, କେବେ ହ୍ଵେନି, କେବେ ୱେନି ବୋଲି ଡାକୁଥିଲା । ବାସ୍ତବରେ, ତା’ର ଡାକରେ ଏତେ ଆତ୍ମୀୟତା ଓ ଅନ୍ତରଙ୍ଗତା ଥିଲା ଯେ ବେଣୀପ୍ରସାଦ ଅନେକ ଥର ଭାବିଥିଲେ ନାଁକୁ ପରିବର୍ତ୍ତନ କରାଇନେବେ ! ଅଥଚ କରି ନଥିଲେ ।

 

ସେହି ସାବିତ୍ରୀ ପ୍ରଥମେ ଘରର ମୁଖ୍ୟ ଆଲୋକ ସବୁକୁ ଲିଭାଇ ଦେଲା, ବାଲ୍‍କୋନି ଓ ଟୟଲେଟ୍‍ର ଆଲୋକବି । ଘରେ ଜଳି ରହିଲା ନିତାନ୍ତ ମ୍ଳାନ ଆଲୋକ । ମୁହୂର୍ତ୍ତକ ଭିତରେ ନିଜର ସମସ୍ତ ପୋଷାକ ଖୋଲି ପକାଇଲା, ଶରୀରରେ ରହିଲା କେବଳ ନିତାନ୍ତ କ୍ଷୁଦ୍ର ପାଣ୍ଟିଜାତୀୟ ବବିପ୍ରିଣ୍ଟ ଥିବା ପୋଷାକ ଟିକକ ! ସେ ଦୁମ୍ କରି ଖଟରେ ଶୋଇଗଲା, ଲମ୍ବା ହୋଇ, ଦୀର୍ଘଶ୍ୱାସଟେ ଟାଣି କହିଲା, 'ଏଠି ଖାଇବି ଓ ଗୋଟେ ପେଗ୍ ନେବି ବୋଲି ଘରେ କିଛି ନ ଖାଇ ଚାଲି ଆସିଲି ।’

 

‘ଡେରି କାହିଁକି ହେଲା ?’ ବେଣୀପ୍ରସାଦ ପଚାରିଲେ ।

 

‘ପୁଅ ଆଉ ସୋମେଶ ଖାଇ ନଥିଲେ, ତାଙ୍କୁ ଖାଇବାକୁ ଦେଇଆସିଲି । ତୁମେ ଆସିଛ ବୋଲି ଜାଣି ସୋମେଲ ଢେର୍ ଖୁସି ହେଲା ।’ କହିଲା ସାବିତ୍ରୀ ।

 

‘ପୁଅର କୋଉ କ୍ଲାସ୍ ହେଲା ?’ ବେଣୀପ୍ରସାଦ ପୂର୍ବରୁ ବନେଇ ସାରିଥିବା ପେଗ୍‍ଟା ଧରି ସାବିତ୍ରୀର ଦେହକୁ ଆଉଜି ବସିଲେ, ସିଏବି ଏମିତି କାଇଦାରେ ସାମାନ୍ୟ କଡ଼େଇ ହୋଇ ବସିଲା ଯେମିତି ତା’ ଛାତିର, ମାନେ ଫୁଙ୍ଗୁଳା ଛାତିର ଅର୍ଦ୍ଧାଂଶ ବେଣୀପ୍ରସାଦଙ୍କ ଅଣ୍ଟା ସ୍ପର୍ଶ କଲା ।

 

‘ପ୍ଲସ୍ ଟୁ ସରିବ, ସାଇନ୍‍ସ ପଢ଼େଇବି ବୋଲି ଭାବିଛି’, ସାବିତ୍ରୀ ଛୋଟ ପ୍ରବନ୍ଧ ଆରମ୍ଭ କରିବା ଢଙ୍ଗରେ କହିଲା, ‘ଖୁବ୍ ଭଲ ପଢ଼େ, ତା’ର ଇଚ୍ଛା ମେଡ଼ିକାଲ ପଢ଼ିବ, ତା’ର ବାପର ଇଚ୍ଛା ସେ ଇଞ୍ଜିନିୟରିଙ୍ଗ ପଢ଼ୁ, ମୋର ମତ ଏଇ ଯେ ସେ ଗ୍ରାଜୁଏସନ୍ କରୁ ଓ ଚାକିରିଟେ ଖୋଜୁ । ଘରୋଇ ମେଡ଼ିକାଲ କଲେଜରେ ସତୁରି ଲକ୍ଷ, ଇଞ୍ଜିନିୟରିଙ୍ଗ ଦଶ, ଏମ୍.ବି.ଏ ପନ୍ଦର ! ଏତେ ଟଙ୍କା କିଏ, ଆମେ କିଏ ?’

 

ଏତେ ଗମ୍ଭୀର ବାର୍ତ୍ତାଳାପ ପାଇଁ ବାସ୍ତବରେ କାହାର ଆଗ୍ରହ ନଥିଲା । କଥା ଟଳିଯିବା ଓ ସମସ୍ୟା ଘୁଞ୍ଚିଯିବା ପାଇଁ ବେଣୀପ୍ରସାଦ କହିଲେ, ‘ସେତେବେଳକୁ ମତେ ଜଣାଇବ, ନହେଲେ ମେସେଜ୍ ପଠାଇବ, ଦେଖିବା କେମିତି ସାହାଯ୍ୟ କରିହବ ।’

 

ଅଧା ଖାଲି ହୋଇଥିବା ଗ୍ଲାସ୍‍କୁ ସେ ସାବିତ୍ରୀକୁ ଦେଲେ । ସାବିତ୍ରୀ ଉଠିବସିଲା, ସେତକ ପିଇ ସାରି କେତେକଅଣ ଖାଇଲା ଟିକେ ଟିକେ, କହିଲା ଯେ ଆଉ ଏକ ଏକ ଫୁଲ୍ ପେଗ୍ ବନାଯାଉ ଏବଂ ତା'ପରେ ଡ୍ରିଙ୍କ୍‍ସ୍ ବନ୍ଦ, ତେବେ ଫୁଲ୍ ଡିନର ଅଡ଼ର୍ ଦିଆଯାଉ । ସେମାନେ ରୁମ୍‍ରେ ଖାଇବା ସର୍ଭ କରିବାପାଇଁ ପ୍ରାୟ ଚାଳିଶ ମିନିଟ୍ ନେଇଥା’ନ୍ତି । ଇଣ୍ଟରକମ୍‍ରେ ବେଣୀପ୍ରସାଦ ଅଡ଼ର୍ ଦେଇଦେଲେ ।

 

ନଡ଼ିଆ ରସରେ ଗହମ ଚାଉଳର ଭାତ, କଙ୍କଡ଼ା ରସ ସୁପ୍‍ରେ ବଏଲଡ଼୍ ବିନ୍ ଓ ଗ୍ରିନ୍‍ମଟର, ବନ୍ଧାକୋବି ପତ୍ରରେ ଗାଜର–ପନିର–ଅଲିଭ୍ ଅଏଲ୍‍ର–ସାଲାଡ଼, ଧନିଆ ପେଷ୍ଟରେ ରୋଷ୍ଟ ହୋଇଥିବା ବଡ଼ ଚିଙ୍ଗୁଡ଼ି ଇତ୍ୟାଦି ଆଠ/ଦଶ ପ୍ରକାରର ଡିସ୍ !

 

‘ଏତକ ଖାଦ୍ୟ ବନେଇବାକୁ ଏମାନେ ଘଣ୍ଟାଟେ ନେବେ’ କହିଲା ସାବିତ୍ରୀ ଏବଂ ପଚାରିଲା, ‘ଏଇ ବାହାର ବାଲ୍‍କୋନି ବନ୍ଦ ଅଛି କାହିଁକି ?’

 

କହୁକହୁ ସେ ଦରଜା ଖୋଲିଦେଲା ଏବଂ ଆକାଶ ଆଡ଼େ ଚାହିଁ ଅଳସ ଭାଙ୍ଗି ସେଇ ମ୍ଳାନ ଅନ୍ଧାରଠାରୁ ଅଧିକ ଅନ୍ଧାରରେ ମୁର୍କି ହସି କହିଲା, “ଏଇଠିକି ଆସ ! ମାଟିଠାରୁ ଏ ଜାଗା ଏତେ ଉପରେ ଯେ କେବଳ ଆକାଶ ଓ ତାରା ଛଡ଼ା କିଛି ନାହିଁ । ଆରପଟେ ସମୁଦ୍ରର କଳାଘୁମର ଉପସ୍ଥିତି ଓ ଘୁମୁରା ଶବ୍ଦ ! ରାତି କେତେ କି ? ଜହ୍ନବି ପୂରା ସମୁଦ୍ରପାଣି ଛୁଇଁବା ଅବସ୍ଥାରେ, ଗାଢ଼ ହଳଦିଆ ପଡ଼ିଗଲାଣି, ଜଣ୍ଡିସ୍ ହେଇଚି ନା’ କ’ଣ ?'

 

ସାବିତ୍ରୀ ବେଶ୍ ଶବ୍ଦ କରି ହସିଲା । ବେଣୀପ୍ରସାଦ ତ କେତେବେଳୁ ଆସି ତାକୁ ଲାଗିବାପରି ଢଙ୍ଗରେ ନିକଟରେ ଠିଆ ହୋଇଥିଲେ, କହିଲେ, ‘ତୁମେ ଚମତ୍କାର ଢଙ୍ଗରେ ସାଧାରଣ କଥାକୁ କହିପାର, ମୋର ଭଲକଥାରେ, ମାନେ ସାଧାରଣ କଥାରେ ଅର୍ଥନୀତି ଓ ବିଜିନେସ୍ ଜଗତ ସହ ସମ୍ପୃକ୍ତ ଶବ୍ଦ ସବୁ ପଶିଯାଏ ! ଯେତେଥର ମୁଁ ୟେ’ ହୋଟେଲକୁ ଆସେ, ସେଥିପାଇଁ ତୁମକୁ ଡକାଏ ! ହେଲେ ଆଜି ତୁମ ନାଁ କହି ନଥିଲି, ତଥାପି ମନକଥା ଜାଣି ସେ ଟୋକା ତୁମକୁ ଖବର ଦେଇଛି ।’

 

ସାବିତ୍ରୀ କହିଲା, ‘ମୋର ବେଶୀ ଲୋଭ ନାହିଁ କି ଆବଶ୍ୟକତାକୁ ମୁଁ ମଧ୍ୟ ଲଗାମଛଡ଼ା କରିନାହିଁ । ମୁଁ କଡ଼ା ନିର୍ଦ୍ଦେଶ ଦେଇଚି ଯେ ଦୁଇଜଣଙ୍କ ପାଇଁ ମତେ ଡକାଯିବ, ଜଣେ ତୁମେ ଏବଂ ଆଉ ଜଣେ ଅଛି, କର୍ଣ୍ଣାଟକ ଲୋକ, ଆମେରିକାରେ ରହେ । ମୁଁ ତମ ଦି’ଜଣଙ୍କୁ ପସନ୍ଦ କରିଛି । ମୋ ସ୍ୱାମୀବି ସବୁ ଜାଣେ । ମାସେ / ଦି’ ମାସରେ ଥରେ ନିଶ୍ଚେ ତମେ କି ସେ ଆସୁଛ ! ମୋର ଚଳିଯାଉଛି । ତା’ ଛଡ଼ା ଘରେ ବସିବି କିଛି କମିଶନ୍ ଆସୁଛି ।’

 

‘ମାନେ ?’ ପଚାରିଲେ ବେଣୀପ୍ରସାଦ ।

 

‘ସେ ସବୁ ବହୁତ କଥା, ଏବେ ମୁଡ଼୍ ଓ ପରିବେଶ ଖରାପ ହେଇଯିବ’ କହିଲା । ସାବିତ୍ରୀ ଏବଂ ତଥାପି କଥା ଯୋଡ଼ିଲା, ‘ସଂକ୍ଷେପରେ କହିଲେ କେତେଟା ଛୋଟ ଛୋଟ ସହରରେ ମୁଁ ମୋ ପରି ଏକପ୍ରକାର ଓ ମନୋଭାବର ମହିଳାଙ୍କ ସହ ସମ୍ପର୍କ ରଖିଛି । କେତେକଙ୍କ ସ୍ୱାମୀ ଜାଣିଛନ୍ତି । ଯେମିତିକି କୋଚି, ମହୀଶୂର, ଭୁବନେଶ୍ୱର, ରାୟପୁରରେ ମୋର ବନ୍ଧୁ ଅଛନ୍ତି । ଏସବୁ ଜାଗାକୁ ମୋର ଚିହ୍ନା ବଡ଼ ବା ମଧ୍ୟମସ୍ତରୀୟ ବିଜିନେସ୍‌ମାନ୍ ଗଲେ ମୁଁ ଆଗରୁ ଯୋଗାଯୋଗ କରିଦିଏ ! ମୋ କମିଶନ୍ ମୁଁ ପାଇଯାଏ ।'

 

‘ସେଠାକାର ହୋଟେଲରେ କାରବାରରେ ସେଠାକାର ମହିଳା ତୁମକୁ କାହିଁକି କମିଶନ୍ ଦେବେ ?” ଏତେ ବଡ଼ ବିଜିନେସ୍ ସାମ୍ରାଜ୍ୟ ଚଳଉଥିବା ବେଣୀପ୍ରସାଦ ଅବୋଧ ବାଳକ ପରି ପ୍ରଶ୍ନ କଲେ । ‘ବାଜେ ପ୍ରଶ୍ନ କରି ତୁମେ ରାତିଟା ନଷ୍ଟ କରିଦେବ ଦେଖୁଛି’, ସାବିତ୍ରୀ କହିଲା, ‘ସେଠି ସେମାନେ ନିଜ ଉଦ୍ୟମରେ କି ଲୋକାଲ୍ ଦଲାଲ ଜରିଆରେ ଗଲେ ମିଳିବ ପାଞ୍ଚ / ସାତ କି ଦଶ ହଜାର । ତିନି ଜାଗାରେ ପର୍ସେଣ୍ଟେଜ୍ ଦବାକୁ ହବ । ମୋ ଜରିଆରେ ଗଲେ ମିଳିବ ମିନିମମ୍ ପଚାଶ, କାହାର କିଛି ଭାଗିଦାରି ନାହିଁ । ମୋର ଦଶ, ଚାଳିଶି ତାଙ୍କର, ହେଲା ? ଯୁଗ କୁଆଡ଼େ ପହଞ୍ଚିଲାଣି, ତୁମେ ଏତେ ଜାଗା ବୁଲୁଛ, ଅନେକ ସାଧାରଣ କଥା ଜାଣନାହିଁ ! ଅବଶ୍ୟ ଜାଣନାହିଁ ବୋଲି ତ ତୁମେ ଭଲଲାଗ ।’

 

ସାବିତ୍ରୀ ଏ ଭିତରେ ବେଣୀପ୍ରସାଦର କ୍ଷୁଦ୍ର ଇଲାଷ୍ଟିକ ପେଣ୍ଟ୍ ଭିତରେ ହାତ ପୂରେଇ ସାରିଥିଲା । କହିଲା, 'ଏ ବିଶାଳ ଦେଶର ପ୍ରାୟ ପ୍ରତ୍ୟେକ ଭାଷାର ପ୍ରତ୍ୟେକ ସମ୍ବାଦପତ୍ରରେ ନିଶ୍ଚେ ଗୋଟେ କଥା ବାହାରୁଥିବ, ଗୋଟେ ବିଜ୍ଞାପନ, ବୁନ୍ଦାଏ ତେଲ ପଡ଼ିଲେ ନାଗ ସାପଟେ ଫଁ କରି ଉଠିପଡ଼ୁଛି । ତୁମ ପାଖରେ ସେହି ତେଲର ଟ୍ରକ୍‍ଟେ କି ଟ୍ୟାଙ୍କର୍‍ଟେ ଥୁଆ ହୋଇଛି, ଅଥଚ ଏ ସାପ ଶୋଇରହିଛି !'

 

ବେଣୀପ୍ରସାଦ ବୋଧେ ହସିଥିଲେ, ସେହି ଅସ୍ପଷ୍ଟ ଅନ୍ଧାରରେ, କିଛି କହିଥା'ନ୍ତେ, କବାଟରେ ଠକ୍ ଠକ୍ ଶବ୍ଦ ହେଲା । ସାବିତ୍ରୀ ‘ଖାଦ୍ୟ ଆସିଗଲା’ ବୋଲି କହି ଶରୀରର ଉର୍ଦ୍ଧ୍ୱାଂଶରେ ଧଳା ବଡ଼ ଟର୍କିସ୍‍ଟେ ପକାଇ କବାଟ ଖୋଲିଲା, ଟୋକାଟା ଖାଦ୍ୟ ସଜେଇ ଥୋଇ ଦେଇଗଲା । ଆଖିପତା ଥରେ ଟେକିଲା ନାହିଁ, କିଛି ଦେଖିଲା ନାହିଁ ।

 

ସାବିତ୍ରୀ ବାଲ୍‍କୋନିରୁ ଫେରି ବେଣୀପ୍ରସାଦଙ୍କୁ ସମ୍ପୂର୍ଣ୍ଣ ବିବସ୍ତ୍ର କରିଦେଲା ଓ ନିଜେ ପୂର୍ଣ୍ଣ ବିବସ୍ତ୍ର ହୋଇଗଲା । ସେମାନେ ଠିଆ ହୋଇଥିଲେ ଦୂର ଦିଗ୍‍ବଳୟକୁ ଚାହିଁ । ସମୁଦ୍ରର କଳାଘୁମର ଛାତି ଉପର ଦେଇ ଦୃଷ୍ଟି ନିର୍ବନ୍ଧ ଥିଲା ସେଇ ପଦାର୍ଥ ଉପରେ, ମାଟିଆ କି କ’ଣ ? କେଜାଣି !!

 

ସିଆଡ଼େ ଚାହିଁ ବେଣୀପ୍ରସାଦ କହିଲେ, ‘ସେଇ ଜିନିଷଟି କ’ଣ ?’

 

‘ସତରେ ଜାଣିନାହଁ ବା ପାଗଳାମି ? ସେଇଟି ହେଲା ଜହ୍ନ । ଚନ୍ଦ୍ର । ମୁନ୍, ଭାଇ ମୁନ୍ ।’

 

‘ଜହ୍ନ ଶବ୍ଦ କେତେଥର ଶୁଣିଛି, ହେଲେ ଦେଖୁଥିବି ଦୁଇ ଚାରିଥର । ୟା'ଠୁ ଛୋଟ, କେମିତି ଏକ ଖଣ୍ଡିଆକାର ଜହ୍ନ ମୁଁ ଦେଖୁଛି । ଏପରି ଗୋଲାକାର ଜହ୍ନ ଥାଏ କି ?'

 

ସାବିତ୍ରୀ କାବା ହୋଇ ତାକୁ ଅନେଇଲା ଅନ୍ଧାରରେ । ତାଙ୍କ କଥାରେ ଥିଲା ଅଦ୍ଭୁତ ଏକ ବିଶ୍ଵସ୍ତତା ଓ ବିଶ୍ୱସନୀୟତା । ସେ ଯେ ଖୁବ୍ ଉଚ୍ଚଶିକ୍ଷିତ ଓ ଜଣେ ପ୍ରସିଦ୍ଧ ଶିଳ୍ପପତି, ଏଥିସହ ସେ ଯେ ଜହ୍ନର ସ୍ଥିତି, ଆକାର, ଅବସ୍ଥିତି ସମ୍ପର୍କରେ ଅଜ୍ଞ, ଏକଥା ମୋଟେ ଖାପ ଖାଉ ନଥିଲା । ଏତେ ଦିନର ସମ୍ପର୍କ ଭିତରେ ଏକଥା ସାବିତ୍ରୀ ଜାଣି ନଥିଲା ।

 

ହେ ଭଗବାନ ! ଏ ଲୋକଟା ମଣିଷ ନା ଆଉ କିଛି ?

 

ସାବିତ୍ରୀ ହୁଏତ ଆହୁରି କେତେକଅଣ ଭାବିଥା'ନ୍ତା କି କହିଥା'ନ୍ତା, ସେତିକିବେଳେ ବେଣୀପ୍ରସାଦ ପ୍ରଶ୍ନ କଲେ, ‘ତୁମେ ଯେ କହିଲ ଭୁବନେଶ୍ୱର, ସେଇଟା କୋଉଠି ?’

 

‘ମୁଁ ସହରଟାର ନାଁ ଜାଣିଛି, କୋଉ ରାଜ୍ୟରେ ସେକଥା ଜାଣିନାହିଁ’ । ସାବିତ୍ରୀ କହିଲା, ‘ତେବେ ନେଟ୍‍ରେ ଦେଖିଲେ ସାଙ୍ଗେ ସାଙ୍ଗେ ଜଣାପଡ଼ିବ ।’

 

ବେଣୀପ୍ରସାଦ କହିଲେ, ‘ଦରକାର ନାହିଁ’ ।

 

ସେ ପୁନର୍ବାର ଅପେକ୍ଷାକୃତ କମ୍ ପରିମାଣର ଡ୍ରିଙ୍କ୍ ନେଇ ଆସିଲେ, ‘ନିଅ’ ବୋଲି କହି ନିଜ ଭାଗଟା ଏକ ଢୋକରେ ପିଇଦେଲେ । ସାବିତ୍ରୀ ନିଜ ଗ୍ଲାସ୍‍ଟା ଧରିବା ଅବସ୍ଥାରେହିଁ ତାଙ୍କୁ ଛାତିସାରା ଚୁମ୍ବନ ଦେବାରେ ଲାଗିଲା, ତା’ରି ଭିତରେ ପିଇଦେଲା ସବୁତକ, କହିଲା, ‘ଖାଇବା ନାହିଁ କି ?’

 

‘ଖାଇବା ଯେ, ହେଲେ କଥାଟା ଶୁଣ’, ବେଣୀପ୍ରସାଦ ଉତ୍ତର ଦେଲେ, ‘ଏଇଠି, ଠିକ୍ ଏଇ ବେସିନ୍‍ରେ ମୁଁ ମୁହଁହାତ ଧୋଉଥିବାବେଳେ...'

 

ସେ ଆମୂଳଚୂଳ ପରିଷ୍କାରଭାବେ ସବୁ କହିଲେ । ସେକଥା ବର୍ଣ୍ଣନା କରିବାବେଳେ ତାଙ୍କର ମାନ୍ଦାବସ୍ଥା କଟିଯାଇଥିଲା, ସେ ଛୋଟପିଲାଙ୍କ ପରି ଉତ୍ସାହିତ ହୋଇପଡ଼ିଥିଲେ । ସବୁ ଶୁଣି ସାରି ସାବିତ୍ରୀ ପଚାରିଲା, ‘ଆପଣ କ’ଣ ତୁରନ୍ତ ଉପରକୁ ଅନେଇଥିଲେ ?’

 

‘ନାହିଁ, କାହିଁକି ?'

 

‘ଆପଣଙ୍କ ବର୍ଣ୍ଣନାରୁ ମୋର ହୃଦ୍‌ବୋଧ ହେଉଛି ଯେ ତାହା ଥିଲା ଜହ୍ନର ପ୍ରତିବିମ୍ବ’ । ସାବିତ୍ରୀ ବୁଝାଇବାରେ ଲାଗିଲା, ‘ସେଇ ସମୟରେ ବୋଧେ ବିଚିତ୍ରଭାବେ ଜହ୍ନଟି ଆକାଶରେ ଥାଇ ପ୍ରତିଫଳିତ ହୋଇଥିଲା ବେସିନ୍‍ରେ, ପ୍ରତିଫଳନ ବେଶୀ ସମୟ ରହିନାହିଁ, କାରଣ କୁଳି କରି ପାଣି ଢାଳିବା ପରେ ସେଇ ଜହ୍ନ ଭାଙ୍ଗିଯାଇଛି, ତା’ପରେ ଜହ୍ନ ଉପରେ ମାଡ଼ି ଯାଇଛି ହୁଏତ ବାଦଲ ଓ ତା’ପରେ ଜହ୍ନ ଉଭାନ ! ପରେ ଜହ୍ନ ଦିଶିଛି ଦୂରରେ, ଏବେ ତ ଜମା ଦିଶୁନାହିଁ ଆକାଶରେ ! କିନ୍ତୁ ମାଟିଆ ଜହ୍ନ ବାସ୍ତବ ଜହ୍ନ ନୁହେଁ ।’

 

‘ଲାଗୁଚି ତୁମେ ସତହିଁ କହୁଛ, ହେଲେ କଦାପି ମୁଁ ଅତି ଚିକ୍‍ମିକ୍ ବା ଉଜ୍ଜ୍ଵଳ ବା ରୁପାଥାଳି ପରି ଜହ୍ନ ଦେଖିନାହିଁ । କାରଣ ଅନେକ ଅଛି । ଜନ୍ମରୁ ମୁଁ ସର୍ବଦା କିଛି ଛାତ ତଳେ ରହିଆସିଛି । ରାତିରେ ଦୀର୍ଘ ସମୟ ଖୋଲା ଆକାଶ ଦେଖିନାହିଁ, ଯଦିବା ଦେଖିଥିବି ସେଦିନ ହୁଏତ ଜହ୍ନ ନଥିବ ! ତୁମେ ଯଦି ମତେ ସେଇ ରୁପାଥାଳି ଜହ୍ନ ଦେଖାଇଦିଅନ୍ତ, ମୁଁ ତୁମ ପ୍ରତି ସର୍ବଦା ଋଣୀ ରହନ୍ତି ।’ ବେଣୀପ୍ରସାଦ କହିଲେ ।

 

'ଠିକ୍ ଅଛି, କାଲି ସନ୍ଧ୍ୟା ସାତଟାରେ ଆମେ ଏଠୁ ବାହାରିବା’ ସାବିତ୍ରୀ ପ୍ରସ୍ତାବ ଦେଲା, 'ଏଠାରୁ ପ୍ରାୟ ଅଶୀ/ନବେ କିଲୋମିଟର ବାଟ ଯିବାକୁ ହେବ, ସେଇଠି ଅଛି ଘର–ଗାଁ–ମଣିଷ ନଥିବା ବିସ୍ତୀର୍ଣ୍ଣ ପ୍ରାନ୍ତର । ସେଇଠି ରୁପାଥାଳି ଜହ୍ନ ଦେଖାଯିବ । ବର୍ଷା ନହେଲେ ହେଲା ।’

 

‘ବର୍ଷା ହେଲେ ?’

 

‘ବର୍ଷା ଉଠେଇଲେ କିମ୍ବା କଳାକଳା ବାଦଲ ରହିଲେ କିମ୍ବା ବର୍ଷାହେଲେ ଜହ୍ନ ଦିଶେ ନାହିଁ । ଆକାଶ ପୁଣି ପରିଷ୍କାର ଦିଶେ, ସେତିକିବେଳେ ଜହ୍ନ ବାହାରେ, ହୁଏତ ରୁପାଥାଳିଟେ, କିନ୍ତୁ ସିଏ ମୂଳ ଜାଗାରେ ନଥାଏ । ଲୁଚକାଳି ଖେଳ ଚାଲୁ ହୋଇଥାଏ ।’

 

‘ଏଠି ଜହ୍ନ ବିଷୟରେ ବହୁତ ଲୋକ ଜାଣନ୍ତି ନାହିଁ, ନୁହେଁ ?’ ବେଣୀପ୍ରସାଦ ପଚାରିଲେ-

 

ସାବିତ୍ରୀ କହିଲା, ‘ଡିଅର ଭେନି, ଏଟା ବିଚିତ୍ର ଦେଶ । ଜହ୍ନକୁ ନେଇ ଯାବତୀୟ ସାହିତ୍ୟ ଏଇଠି । ଦେଖ, ମୋ ଉପରେ ଶୋଇବାର ଥିଲେ ମୋ ସ୍ୱାମୀ ସେଇଦିନ ସଞ୍ଜଠାରୁ ମୋ ମୁହଁକୁ ଜହ୍ନ ସହ ତୁଳନା କରିବ, ଶୋଇବାର ନଥିଲେ କହିବ, ତୋ ମୁହଁ କୁତିର ମୁହଁ । ପୁରୁଷଗୁଡ଼ାକ ସେଇଆ । ତୁମେ ମତେ ଭଲ ଲାଗ, କାରଣ ତୁମେ ସେମିତି ନୁହ । ବିବାହିତା ନାରୀ ଭାରତରେ କେବେ ଜହ୍ନ ତ କେବେ କୁତି, କିନ୍ତୁ ସର୍ବଦା ସ୍କୁଟର୍‍ଟାଏ–କିକ୍ ମାର, ମନଇଚ୍ଛା ଚଢ଼, ଗାରେଜ୍‌ରେ ଦେଖାଅ, ସଜାଡ଼ି ନହେଲେ ଫିଙ୍ଗିଦିଅ, ନୂଆ ସ୍କୁଟର୍ କିଣ କି ମାଗିକି ଚଢ଼ !'

 

‘ମୁଁ ଏସବୁ କଥା ବୁଝେ ନାହିଁ ।’ ବେଣୀପ୍ରସାଦ କହିଲେ, ‘ତୁମେ ମତେ ଜହ୍ନ ଦେଖାଇଦେବ । ବାସ୍ ଏବେ ଖାଇବା/ଶୋଇବା ଚାଲ ।’

 

ସେମାନେ ଖଟ ପାଖକୁ ଆସିଲେ, ଟିକେ ପରସ୍ପରକୁ ଚାହିଁ ହସାହସି ହେଲେ, ସାବିତ୍ରୀ କହିଲା, ‘ଏବେ ମୁଁ ପ୍ରଥମେ ତୁମକୁ ଚରମ ସୁଖ ଦେବାର ଚେଷ୍ଟା କରିବି । ଆଉ ଖାଇସାରିବା ପରେ ତୁମେ ମୋର ଚାରିମାସର ଜ୍ୱଳନକୁ ଶାନ୍ତ କରିବ ।’

 

କେତେବେଳେ ଖିଆ ସରିଲା, କେତେବେଳେ ରାତି ପାହିଲା, କେତେବେଳେ ସାବିତ୍ରୀ ଉଠି ଚାଲିଗଲା, କିଛି ମନେ ନଥିଲା ବେଣୀପ୍ରସାଦଙ୍କର । ନିଦ ଭାଙ୍ଗିବା ପରେ ସକାଳର ପ୍ରଥମ ଚା’ ପିଇବାବେଳେ ଗୋଟାଏ କଥା ତା’ର ହୃଦ୍‍ବୋଧ ହେଲା ଯେ ଭଲ ଦାମୀ ମଦର ପ୍ରକୃତି ଭିନ୍ନ-। ଈଶ୍ୱରଙ୍କୁ ବର୍ଣ୍ଣନା କରାଯିବା ପରି ବର୍ଣ୍ଣନା କରାଯାଇପାରିବ ।

 

ଯେ ନିଶା ଧରିବ ଓ ନିଶା ଧରିବ ନାହିଁ ।

 

ନିଶା ଜୋରରେ ଧରୁଥିବ, କିନ୍ତୁ ଧରୁ ନଥିବ ।

 

ଈଶ୍ଵର ଏହିଠାରେ ଥିବେ, କିନ୍ତୁ କେଉଁଠାରେ ନଥିବେ ।

 

ଠିକ୍ ସନ୍ଧ୍ୟା ସାତରେ ଜବାବ ମୁତାବକ ସାବିତ୍ରୀ ଆସି ପହଞ୍ଚିଗଲା ଏବଂ ସେମାନେ ଆକାଶରେ ରୁପାଥାଳି ସନ୍ଧାନରେ ବାହାରିଗଲେ । ସେତକ ରାସ୍ତା ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାବେଳକୁ ରାତି ପ୍ରାୟ ସାଢ଼େ ଆଠ । ସତକୁସତ ଆକାଶରେ ଥିଲା ସମ୍ପୂର୍ଣ୍ଣ ବୃତ୍ତାକାରର ରୁପାଥାଳି–ଜହ୍ନ !

 

‘ଜହ୍ନ ?’ କହିଲା ସାବିତ୍ରୀ ।

 

‘ଆଃ–ଏଇଆକୁହିଁ ମୁଁ କାଲି ବେସିନ୍‍ରେ ଦେଖିଥିଲି’ ପିଲାଙ୍କ ପରି ଅଧୀର ଆବେଗରେ ସେ କହିଲେ, ‘ଏଇ ସେଇ ! ଏଇ ତେବେ କେବେକେବେ ତଳକୁ ଆସେ ।’

 

‘ଏହା ସର୍ବଦା ତଳେ ଥାଏ, ଦୁଇଟା ଜାଗାରେ, ଯେକୌଣସି ସ୍ଥିର ପାଣିରେ ଅଥବା ସେଇପରି କେଉଁ ହୃଦୟରେ ।’ ସାବିତ୍ରୀ କହିଲା ଏବଂ ବେଣୀପ୍ରସାଦଙ୍କ ହାତଧରି ନେଇଗଲା ନିକଟବର୍ତ୍ତୀ ଏକ ଜଳାଧାରକୁ, ସେଇଠି ମାଟିଠାରୁ କାହିଁ କେତେ ହାତ ତଳେ ଚିକ୍‍ମିକ୍ କରୁଥିଲା ସେଇ ଜହ୍ନ !

 

‘ଏଇ–ଏଇ–ଏଇ’ ବେଣୀପ୍ରସାଦ ଚିତ୍କାର କଲେ । ପଚାରିଲେ, ‘ହେଲେ ମୁହୂର୍ତ୍ତକ ଭିତରେ ଉଭାନ ହୋଇଯାଇଥିଲା । କ'ଣ ପାଇଁ ? କେମିତି ?’

 

‘ଏଇ ନିଅନ୍ତୁ, ଜୀବନରୁ ଏହାକୁ ଦୂରେଇ ଦିଅନ୍ତୁ’ କହିବା ସହ ସାବିତ୍ରୀ ଟେକାଟେ ବଢ଼େଇଦେଲା ବେଣୀପ୍ରସାଦଙ୍କ ହାତକୁ, କହିଲା, ‘ସେଇ ପାଣିକୁ, ଜହ୍ନର ଯେତେ ସମ୍ଭବ ନିକଟକୁ ଏହାକୁ ଫିଙ୍ଗ, ଦେଖିବା କ’ଣ ହେଉଛି !’

 

ବେଣୀପ୍ରସାଦ ଟେକାଟିକୁ ଫିଙ୍ଗିଲେ ଏବଂ ଖଣ୍ଡଖଣ୍ଡ, ଶତଧା ବିଦୀର୍ଣ୍ଣ ହୋଇଯାଇ ବିଲୀନ ହୋଇଯିବା ଜହ୍ନକୁ ଦେଖିଲେ । ଚାରିଆଡ଼େ, ସେଇ ଜଳାଧାରର ଉପର ଭାଗରେ ଛାଇ ହୋଇ ରହିଥିଲା ଜହ୍ନକିରଣ, ପୋଖରୀ ପେଟ ତଳେ ଜହ୍ନ ନଥିଲା । ଥିଲା ଯାବତୀୟ ଅନ୍ଧାର । ଅଥଚ କ୍ରମେ ଖଣ୍ଡଖଣ୍ଡ କାଚ ସତେ ଅବା କୋଉ ଅଦୃଶ୍ୟ ଶକ୍ତିର ଅଦୃଶ୍ୟ ଅଠାରେ ଅବଲୀଳାକ୍ରମେ ଯୋଡ଼ି ହୋଇଯିବା ପରି ପୋଖରୀ ପେଟ ଭିତରେ ଯୋଡ଼ି ହୋଇଯାଇ ରୁପାଥାଳି ପରି ଝଟକିଲା ଜହ୍ନ । ଅବୋଧ ଶିଶୁପରି ବେଣୀପ୍ରସାଦ ଉପରକୁ ଚାହିଁଲେ ଏବଂ ସ୍ଵଗତୋକ୍ତି କଲେ, ‘ବିଚିତ୍ର । ଅତି ବିଚିତ୍ର । ଉପରର ଜହ୍ନ ସ୍ଥିର, ଅଚଞ୍ଚଳ, ଅକ୍ଷତ, ଅକ୍ଷୁଣ୍ଣ ଥିବାବେଳେ ସାମାନ୍ୟ ଟେକାଟେ ସୃଷ୍ଟିର ଏହି ବିରାଟ ରହସ୍ୟକୁ ମୁହୂର୍ତ୍ତକ ଭିତରେ ଭାଙ୍ଗି ଯୋଡ଼ି ଦେଲା ବା କିପରି ? ମୁଁ ନିଶ୍ଚିତ ବାଦଲ ଭିତରର ଏହି ରୁପାଥାଳିକୁ ବେସିନ୍‍ରେ ଦେଖିଥିଲି ! ତୁମେ କହିଲ ଯେ ହୃଦୟରେ ଏହା ଝଲମଲ କରୁଥାଏ । ଲାଗୁଛି, ମୋର ହୃଦୟରେହିଁ ଏହାର ଛବି ପ୍ରବେଶ କରିଛି । ମାଇଁ ଡିଅର ସାୱିତ୍ରୀ–ଦୟାକରି ଶେଷ ଥରପାଇଁ ଛାତି ଉପରର ସମସ୍ତ ପୋଷାକ ଖୋଲିଦିଅ । ସେଇଠାରେ ଏହି ଜହ୍ନ ପ୍ରତିଫଳିତ ହେଉଥାଉ ।”

 

ସାବିତ୍ରୀ ସତକୁସତ ବ୍ଲାଉଜ୍ ଓ ବ୍ରା ଖୋଲିଦେଲା । ବେଣୀପ୍ରସାଦ ସେଇଠି କେଇ ମୁହୂର୍ତ୍ତ ମୁହଁ ଗେଞ୍ଜି ରଖିଲେ, କହିଲେ, ‘ଚାଲ, ଏବେ ଫେରିଯିବା ।’ ସେମାନେ ରାତି ଏଗାରରେ ନିଜ ହୋଟେଲ ରୁମ୍‌ରେ ପହଞ୍ଚିଥିଲେ । କିଛି ଡ୍ରିଙ୍କ୍ କରିଥିଲେ ଏବଂ ବେଶ୍ ଖାଦ୍ୟ ଖାଇ ଶୋଇଥିଲେ ।

 

ସକାଳୁ ସାବିତ୍ରୀ ଆଗରୁ ବେଣୀପ୍ରସାଦ ଉଠିଥିଲେ । ପରେ ଏକାଠି ଚା’ ପିଇଥିଲେ । ସାବିତ୍ରୀ ଶାଢ଼ି ପିନ୍ଧୁଥିବାବେଳେହିଁ ବେଣୀପ୍ରସାଦ କହିଲେ, ‘ତୁମର ପ୍ରାପ୍ୟ ଏଇଠି, ନିଅ । ତେବେ ମୁଁ ଆଜି ବାପାଙ୍କ ପାଖକୁ ନିଶ୍ଚୟ ଯିବି । ମୁଁ ତ ନିଜ ପ୍ଲେନ୍ ଆଣିଛି । କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମକୁ ଯୋଗାଯୋଗ କରିବି ।’

 

ସେଇଦିନ ସନ୍ଧ୍ୟାରେ ପୁତ୍ର ବେଣୀପ୍ରସାଦ ଓ ପିତା ଜୀବନପ୍ରସାଦ ବସିଥିଲେ । ନିଜ ପିତାଙ୍କ ଆଗରେ ଜହ୍ନ ସମ୍ପର୍କିତ ସବୁକିଛି ସେ ବର୍ଣ୍ଣନା କରିଥିଲେ । ଶୁଣୁଥିବାବେଳେ ପିତାଙ୍କ ମୁଖମଣ୍ଡଳରେ ଔଜଲ୍ୟ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା । ବେଣୀପ୍ରସାଦ ଉଭୟଙ୍କ ବିବସ୍ତ୍ର ହେବା କଥା ଉଲ୍ଲେଖ ନ କରି ବାକି ସବୁ କହିଥିଲେ । ସାବିତ୍ରୀ କିପରି କହିଥିଲା ଯେ ଜହ୍ନ ପାଣିରେ ଓ ହୃଦୟରେ ଥାଏ, ସେକଥା କହିଲେ ।

 

ପିତା ପୁତ୍ରଙ୍କ ଭିତରେ ନୀରବତା ବିରାଜମାନ କଲା । ନୀରବତା ଭାଙ୍ଗି ବେଣୀପ୍ରସାଦ ପ୍ରଶ୍ନ କଲେ, ‘ଆପଣ କାହିଁକି ସବୁକିଛି ଛାଡ଼ି ଦେଇ ଏଇ ଛୋଟ ଘରେ ସୀମିତ ଜୀବନ ବିତାଉଛନ୍ତି-? ଯଦି ଆପଣଙ୍କର ବଳବୟସ ଥାଉଁଥାଉଁ ଆପଣ ସବୁ ତ୍ୟାଗ କରି ଆରାମରେ ବସି ପାରୁଛନ୍ତି ଏବଂ ମୁଁ କେଉଁ ଅଜବ ଅଜବ ଚିନ୍ତା ଓ ଦୁଶ୍ଚିନ୍ତାରେ ଘାରି ହେଉଛି, ତାହା ଆପଣଙ୍କୁ ତିଳାର୍ଦ୍ଧେ ବିଚଳିତ କରୁନାହିଁ, ଏହା କିପରି ସମ୍ଭବ ?'

 

ବୃଦ୍ଧ ବସିବା ସ୍ଥାନରୁ ଉଠିଗଲେ । ଯିବାବେଳେ ପୁଅର ମୁଣ୍ଡକୁ ସ୍ନେହରେ ଦୁଇହାତରେ ଆଉଁଶି ଦେଇଗଲେ, ଯେପରି କେଇ ମୁହୂର୍ତ୍ତ ଦୁଇସ୍ତନ ଭିତରେ ତାଙ୍କର ମୁଣ୍ଡ ରହିଥିଲା, ଆଉଁଶିଥିଲା ସାବିତ୍ରୀ–ଆହା !

 

ବୃଦ୍ଧ ପୁରୁଣା ରେକର୍ଡ଼୍ ପ୍ଲେୟାର୍‍ରେ ପ୍ରଥମେ ଲଗାଇଲେ ନାରୀ କଣ୍ଠସ୍ୱରର କିଛି ସଂସ୍କୃତ ଗୀତ ପରି, ପୁଣି ଠିକ୍ ପରେ ପରେ ସେଇ ଏକା ଶ୍ଳୋକ କି ଗୀତ ପୁରୁଷର ଗୁରୁଗମ୍ଭୀର କଣ୍ଠସ୍ୱରରେ ।

 

‘ଏସବୁକୁ ଶୁଣି ବୁଝିବା ପରି କ୍ଷମତା ଆପଣ ମତେ ଦେଇନାହାନ୍ତି’ ବେଣୀପ୍ରସାଦ କହିବାରେ ଲାଗିଲେ, ‘କ୍ଷମତା ନୁହେଁ ତ ଶିକ୍ଷା ! ମୁଁ କିଛିବି ବୁଝିବା ସମ୍ଭବ ନୁହେଁ ।’

 

ଜୀବନପ୍ରସାଦ ହସିଲେ, ଧାରେ ଶୁଭ୍ର ହସ, ଶୁଭ୍ର ଜ୍ୟୋତ୍ସ୍ନା ପରି !

 

କହିଲେ, ‘ମୁଁ କାହିଁକି, କେଉଁ ସମୟରେ, କି କାମ, କାହାପାଇଁ, କାହା ପ୍ରେରଣାରେ କରି ଚାଲିଥିଲି, ତାହା ବାସ୍ତବରେ ମତେ

 

ମାଲୁମ ନାହିଁ । ପୁଣି କାହିଁକି ବା ମୁଁ ସ୍ଥିର ହୋଇ ବସି ରହିଛି, ମତେ ଜଣାନାହିଁ । ତୁମେ ପ୍ରଥମେ ଯାହା ଶୁଣିଲ, ତାହା ଶଙ୍କରାଚାର୍ଯ୍ୟ ବୋଲି ଜଣେ ସାଧୁ, ମହାତ୍ମା, ସନ୍ନ୍ୟାସୀ କେତେ ଶହ ବର୍ଷ ତଳେ ଲେଖିଥିଲେ । ଏହା ମାତ୍ର ଷୋହଳଟି ଶ୍ଳୋକ, ତୁମେ ଯାହା ଶୁଣିଲ । ତୁମେ ଅବଶ୍ୟ ଯେଉଁ ଭାଷା, ଦର୍ଶନ ପଢ଼ିଲ, ଏହା ପ୍ରଚଣ୍ଡଭାବେ ଭିନ୍ନ । ନାରୀ କଣ୍ଠସ୍ୱରଟି ଥିଲା ଏମ୍.ଏସ୍. ଶୁଭଲକ୍ଷ୍ମୀ ବୋଲି ଜଣେ ମହାନ୍ ଗାୟିକାଙ୍କର, ଆଉ ପୁରୁଷ କଣ୍ଠସ୍ୱରଟି ଥିଲା ପୁରୁଷୋତ୍ତମ ଦାସ ଜଲୋଟା ବୋଲି ଜଣେ ମହାନ୍ ଗାୟକଙ୍କର ।’

 

କହିସାରି ଜୀବନପ୍ରସାଦ ପ୍ରତିଟି ଶ୍ଳୋକକୁ ଖୁବ୍ ସାଧାରଣ ଭାବରେ, ସରଳ ଭାବରେ ବୁଝାଇବାରେ ଲାଗିଲେ । ପ୍ରାୟ ଘଣ୍ଟାଏ ଭିତରେ ସେ ବୁଝାଇଦେଲେ ।

 

ବେଣୀପ୍ରସାଦ କିଛି ବୁଝିଲେ ।

 

ପୁଣି କିଛି ବୁଝିଲେ ନାହିଁ ।

 

କହିଲେ, ‘ଏ ସମସ୍ତ ଶିଳ୍ପ ମୁଁ ହସ୍ତାନ୍ତର କରିଦେବି । ବିକିଦେବି । ମିଳିବା ଅର୍ଥକୁ ସତ୍ ପାତ୍ରରେ ଦାନ କରିଦେବି । ତୁମ ମୋପାଇଁ ଅଳ୍ପ କିଛି ରଖିବା । ଯେତେ ଘର ଯୋଉଠି ଅଛି, ଚାରିଟିକୁ ଦେଇଦେବା । ମୋର ଏସବୁର କିଛି ଆବଶ୍ୟକତା ନାହିଁ । ମୋର ଏହି ଅକ୍ଳାନ୍ତ ପରିଶ୍ରମ ଓ ପ୍ରଭୂତ ଅର୍ଥର କିଛିବି ଦରକାର ନାହିଁ । ଭାବୁଛି, କିଛି ଅର୍ଥ ବ୍ୟୟ କରି କେଉଁ ନିପଟ ଗାଁରେ ଛୋଟ ଅଥଚ ସର୍ବନିମ୍ନ ସୁବିଧା ଥିବା ଘରଟେ କରିବା, ତୁମେ ଓ ମୁଁ ସେଇଠି ରହିବା ! ତୁମେ ନ ଗଲେବି ଏଇଠି ରହିପାର । କିନ୍ତୁ ମୁଁ ଯିବା ନିଶ୍ଚିତ । ଭାବୁଚି, ସାବିତ୍ରୀକୁ ମୋ ସହ ଯିବାର ପ୍ରସ୍ତାବ ଦେବି । ତା’ ପରିବାର ପାଇଁ ଅବଶ୍ୟ ଏକକୋଟି ଟଙ୍କା ଦେଇଯିବି ।’

 

‘ତୁମ କଥାରୁ ମୁଁ ଯାହା ଜାଣିଛି, ସେହି ମହୀୟସୀ ମହିଳା କଦାପି ରାଜି ହେବେ ନାହିଁ,’ ପିତା ଜୀବନପ୍ରସାଦ ଦୃଢ଼ ସ୍ୱରରେ କହିଲେ, ‘ନା–ସିଏ ରାଜି ହେବେ ନାହିଁ ।’

 

‘ରାଜି ହେବ, ଏବେ ବୁଝିବା ?’

 

‘ବୁଝିପାର !’

 

ବେଣୀପ୍ରସାଦ ଫୋନ୍ ଲଗେଇ ପ୍ରାରମ୍ଭିକ ସମ୍ଭାଷଣ ପରେ ପ୍ରଶ୍ନଟି ପଚାରିଲେ ।

 

ଅପରପଟୁ ଦୁଷ୍ଟ ଚୁଲ୍‍ବୁଲି ସ୍ଵର ଶୁଣାଗଲା, ‘ହାଃ ! ହ୍ଵେନିପ୍ରସାଦ ! ମୁଁ ଯିବା ସତରେ ସମ୍ଭବ ନୁହେଁ । ଶହେ କୋଟିରେବି ସମ୍ଭବ ନୁହେଁ । ତୁମେ ଯେ ଆମ ପରିବାରକୁ ଏକକୋଟି ଦେବ ବୋଲି ଭାବିଛ, ତାହା ତୁମର ବଡ଼ପଣ ଓ ମୁଁ କୃତଜ୍ଞ । ତୁମେ ସେଠି ଯାଇ ରୁହ, ଯେବେ ମୋର ଦାନ୍ତ ପଡ଼ିଯିବ, ଚମ ପାଲଟିଯିବ ପୁରୁଣା ମନିପର୍ସ୍ ପରି, ଛାତି ତଳେ ନା ଥିବ ତୁମେ ନା ଥିବ ମୋ ସ୍ୱାମୀ, ସେବେ ମୁଁ ନିଶ୍ଚେ ଯିବି । ତୁମେ ତ ମୋ କଥା ଜାଣ ଭେନି !’

 

ବେଣୀପ୍ରସାଦ ଟି’ପୟ ଉପରେ ମୋବାଇଲ୍ ରଖିଲେ ।

 

ଜୀବନପ୍ରସାଦ କହିଲେ, ‘ଦେଖିଲ ତ ! ସାବିତ୍ରୀ ନାମକ ସେଇ ଝିଅଟି ଏକାଧାରରେ ଜଣେ ଜହ୍ନ ଓ ଜଣେ ଶଙ୍କରାଚାର୍ଯ୍ୟ ! ହାଃ !’

 

ବାପ ଓ ପୁଅଙ୍କର ନୟନ ମୁଦ୍ରିତ ଥିଲା । ରେକର୍ଡ଼ରେ ‘ମୋହ ମୁଦ୍ଗର’ ବାଜୁଥିଲା ।

✽✽✽

 

Unknown

ପରଶ ପଥର

ଗହୀର ନିଦରେ କୁଳାଙ୍ଗାର

 

ସ୍ଵାମୀ ବଞ୍ଚିଥିବାବେଳେ ଏଇ ଦେଶୀ ରିଭଲ୍‍ଭର୍‍ଟା ଗୋଟେ ବିହାରୀ ଲୋକଠାରୁ ଜମା ହଜାରେ ଟଙ୍କାରେ କିଣିଥିଲା, କ’ଣ ପାଇଁ କିଏ ଜାଣେ । ଘରେ ତ ଏମିତି କିଛି ସୁନାରୁପା ଟଙ୍କା ନଥିଲା ଯେ ନିରାପତ୍ତା କି ସୁରକ୍ଷାପାଇଁ ରିଭଲ୍‍ଭର୍‍ଟାର ଆବଶ୍ୟକତା ଥିଲା ! ହେଇପାରେ କିଣିଥିଲା ସଉକରେ, ହେଇପାରେ ବାହାଦୁରିରେ କିମ୍ବା ହେଇପାରେ ଶସ୍ତାରେ ମିଳିଥିଲା ବୋଲି କିଣି ପକେଇଥିଲା !

 

କିଣିବାର ଦି’ ମାସ ଭିତରେ ସ୍ଵାମୀର ମୃତ୍ୟୁ ଘଟିଥିଲା । ହାଟ୍ ଆଟାକ୍‍ରେ । ଅଚାନକ ! ସ୍ୱାମୀର ନାଁ ମିହିର ଦଣ୍ଡପାଟ, ମରିବା ଚାହୁଁଚାହୁଁ ଚାରିବର୍ଷ ହେଇଗଲା । ସେ ବିଧବା ହେଇଗଲା । ଗହଣାଗାଣ୍ଠି ଓହ୍ଲେଇ ରଖିଦେଲା, ପୂରା ଧଳାଶାଢ଼ି, ଧଳା ବ୍ଲାଉଜ୍ ନ ପିନ୍ଧିଲେବି ସବୁ ଫିକା ରଙ୍ଗର ପିନ୍ଧିଲା । ଅଳତା ଲଗେଇବା, ମେହେନ୍ଦି କରିବା ଗଲା !

 

ହଁ, ତା’ ନାଁ ମଣିରୁପା ! ବାହାଘର ଆଗରୁ ଥିଲା ପାଇକରାୟ, ଏବେ ମଣିରୁପା ଦଣ୍ଡପାଟ ! ଶାଶୁ ଶଶୁର ଡାକୁଥିଲେ ମନି । ସ୍ଵାମୀବି ଡାକୁଥିଲେ ସେଇ ନାଁରେ–ମନି !

 

ମିହିର ଜାଣିଥିଲା କି କ’ଣ କେଜାଣି ଯେ ତା’ର ମୃତ୍ୟୁ ଆସନ୍ନ ! ମନିର ନିରାପତ୍ତା ଓ ସୁରକ୍ଷାପାଇଁ ବୋଧେ ଅସ୍ତ୍ରଟା କିଣିଥିଲା । ସେ କୋଉ ବ୍ୟବହାର କଲା କି ! ହେଲେ କିଣିବା ପରେ ସେ ବିନା ଗୁଳିରେ ମନିକୁ ରିଭଲ୍‍ଭର୍‍ଟା ଧରାଇ ସବୁ ବୁଝାଇଥିଲା । ଥରେ ନୁହେଁ, ଅନେକ ଥର । ଦେଖ ଏମିତି ଖୋଲାଯାଏ, ଏମିତି ଗୁଳି ଭରି କରାଯାଏ, ଏମିତି ବନ୍ଦ କରାଯାଏ, ଏମିତି ଘୋଡ଼ିଆ ଦବାଯାଏ । ଏମିତି ଟିକେ ତେଲରେ ସଫା କରାଯାଏ । ବିହାରୀ–ମାନେ ଯାହା ରିଭଲ୍‍ଭର୍‍ଟା କିଣାଯାଇଥିଲା, ସେ ଦେଇଥିଲା ଦଶଟା ଗୁଳି । ଦଶଟାଯାକ ସେମିତି ଅଛି । ଆଠ/ଦଶହାତ ଦୂରତା ଭିତରେ ମାରିଲେ ନିଶ୍ଚେ ଲକ୍ଷ୍ୟସ୍ଥଳରେ ବାଜିବ । ଆହୁରି କମ୍ ଦୂରତାରୁ ମାରିଲେ ମଣିଷ ତ ଛାର, ଷଣ୍ଢ–ମଇଁଷି ପରିକା ବଡ଼ ଜାନୁଆରବି ମରିଯିବେ । ଏସବୁ କେଡ଼େ ଆଗ୍ରହରେ ସ୍ଵାମୀ ବୁଝେଇଥିଲା !

 

ମିହିରର ହାଟ୍‍ ଆଟାକ୍‍ରେ ମୃତ୍ୟୁବେଳକୁ ପୁଅର କ୍ଲାସ୍ ନାଇନ୍ । ଏବେ ପୁଅ ମାଟ୍ରିକ୍ ପାସ୍ କରି ସାରି ଏଇ ପାଖ କଲେଜରୁ ପ୍ଲସ୍ ଟୁ ସାଇନ୍‍ସ ବେଶ୍ ଭଲ ନମ୍ବର ରଖି ପାସ୍ କରିଛି । ଏକା ଜିଦ୍ ସେ କୌଣସି ନାମୀ ଘରୋଇ ଟ୍ୟୁଟୋରିଆଲରେ ଆଡ଼୍‍ମିସନ୍ ନବ । ଆଡ଼୍‍ମିସନ୍ ଫିସ୍ ହେଲା ଲକ୍ଷେ କୋଡ଼ିଏ ହଜାର ଟଙ୍କା, ତା’ ବ୍ୟତୀତ ମାସିକ ଚାରିହଜାର ! ଅର୍ଥ ଅଭାବରୁ ଆଡ଼୍‍ମିସନ୍ ହୋଇ ନାହିଁ । କିଛି ଟଙ୍କା ଯୋଗାଡ଼ ହେଇଚି । ଆହୁରି ସତୁରୀ ହଜାର ଦରକାର । ପୁଣି ମାସକୁ ମାସ ଚାରିହଜାର ଲେଖାଏଁ, କୋଉଠୁ ଆସିବ ? ପୁଣି ଶଯ୍ୟାଶାୟୀ ଶାଶୁଙ୍କ ମେଡ଼ିସିନ୍ ଇତ୍ୟାଦି ଖର୍ଚ୍ଚ ମାସକୁ ଅନ୍ୟୂନ ଦୁଇ ଅଢ଼େଇ ହଜାର । ପୁଅ–ତା’ ପୂରା ନାଁ ପ୍ରଶାନ୍ତ ପର୍ଶୁରାମ, ଡାକ ନାଁ ପର୍ଶୁ–ତା’ର ଏକା ଜିଦି ସେ ନିର୍ଦ୍ଦିଷ୍ଟ ଏକ ଟ୍ୟୁଟୋରିଆଲରେ ଆଡ଼୍‍ମିସନ୍ ନବ ଏବଂ ସର୍ବନିମ୍ନ ତା’ପାଇଁ ମଟରସାଇକେଲ କିଣାଯିବ, ହେଉ ପଛକେ ସେକେଣ୍ଡ୍ ହାଣ୍ଡ୍ !

 

ସେଇ ପୁଅ ପର୍ଶୁ, ମିହିର ଦଣ୍ଡପାଟ ଓ ମଣିରୁପା ପାଇକରାୟଙ୍କର ଏକମାତ୍ର ପୁଅ ପର୍ଶୁ, ଶୋଇଛି ସାମ୍ନାରେ । ସ୍ଵାମୀଦ୍ଵାରା କିଣା ଦେଶୀ ରିଭଲ୍‍ଭର୍‍ରେ ମାତ୍ର ଦୁଇରାଉଣ୍ଡ୍ ଗୁଳି ପୂରେଇ ସେଇଟିକୁ ଅଣ୍ଟାରେ ଶାଢ଼ିର ଖୋସଣି ପାଖରେ ବାଁ ପଟେ ପିଠି ଆଡ଼କୁ ଖୋସିଦେଇ ମନି ଏପଟ ବଖରାକୁ ଆସିଥିଲା, ଯେଉଁଠି ବେଶ୍ ଗଭୀର ନିଦରେ ଶୋଇଥିଲା ପୁଅ ପର୍ଶୁ । ବଖରାଟି ଆକାରରେ ଛୋଟ ହୋଇଥିବାରୁ ଜିରୋ ବଲ୍‍ବରର ଆଲୋକରେବି ବେଶ୍ ସଫା ଦିଶୁଥିଲା । ବେଶ୍ ଭଲରେବି ଘରଟାକୁ ସଜେଇଥିଲା ପର୍ଶୁ ।

 

ପାଦ ଚିପି ଚିପି ଅତି ସନ୍ତର୍ପଣରେ ଜଣିକିଆ ଖଟ ପାଖରେ ଆସି ଠିଆ ହେଲା ମନି; ପର୍ଶୁର ମା’ । ଏହି ପୁଅ ବଞ୍ଚିରହି କିଛି ଲାଭ ନାହିଁ ବୋଲି ପ୍ରଥମେ ଭାବିଲା । ପୁଣି ମନେମନେ କହିହେଲା : ଆଜି ତ ଏ କାମପାଇଁ ଜିଦି କରୁଚି, କାଲି ଆଉ କ’ଣ ପାଇଁ ଜିଦି ନ କରିବ ବୋଲି କିଏ କହିପାରିବ !

 

ଏହି ପୁଅ ମରିଯିବାହିଁ ପୃଥିବୀପାଇଁ ମଙ୍ଗଳକର । ସେ ଅଣ୍ଟାରେ ଖୋସିଥିବା ରିଭଲ୍‌ଭର୍ ଉପରେ ହାତ ଦୃଢ଼କଲା । ଏକା ଝଟକାରେ, ଯେମିତି ସିନେମାରେ ହୋଇଥାଏ, ଟାଣି ଆଣିବ ଅଣ୍ଟାରୁ ଓ ଦାଗିଦବ ପୁଅର ଛାତିରେ ! ଯାଉ କୁଳାଙ୍ଗାର ଯାଉ ଏ ସଂସାରରୁ ! ରାତି ସେତେବେଳକୁ ସାଢ଼େ ଗୋଟାଏ । ଆର ଘରୁ ଶୁଭୁଚି ଶାଶୁବୁଢ଼ୀଙ୍କ ଘୁଙ୍ଗୁଡ଼ି ! କହନ୍ତି ଗୁଳି ଫୁଟିବା ଶବ୍ଦ ଜୋରରେ ହୋଇଥାଏ । ହଉ ! ଏତେ ରାତିରେ ପାଖ ପଡ଼ିଶା ଉଠିବାର ସମ୍ଭାବନା ନାହିଁ । ହଁ–ବୁଢ଼ୀ ଥରେ ଚମକି ପଡ଼ିବ, ପଡ଼ୁ । ପୁଲିସ ଆସିବ, ଆସୁ । ଯାହାହେଉ, କିନ୍ତୁ ଏ କୁଳାଙ୍ଗାର ଏ ଜଗତରୁ ଯାଉ ! ଏତିକିବେଳେ ପର୍ଶୁ କ’ଣ ଗୋଟେ ବିଡ଼ିବିଡ଼ି ହୋଇ କହିଲା ନିଦରେ ଓ କଡ଼ ଲେଉଟାଇଲା । ସ୍ୱତଃ ମା’ର ସ୍ୱର ବାହାରିଲା, ‘‘କ’ଣ ହେଲା କିରେ ?''।

 

ସେ ପର୍ଶୁର କପାଳ ଆଉଁଶିଦେଲା ।

 

ନିଦର ଗଭୀର ଉପତ୍ୟକା ଭିତରୁ ସେ କହିଲା, ‘ତୁ ଏଯାଏଁ ଶୋଇନୁ ମା’, କ’ଣ କରୁଚୁ-?’

 

ଶେଷ ଆଡ଼କୁ ତା’ର ସ୍ଵର ଅଠାଳିଆ ଓ ଅସ୍ପଷ୍ଟ ଶୁଣାଗଲା ।

 

ଗୁଳି କରିଦେବାର ଏହା ପ୍ରକୃଷ୍ଟ ସମୟ । ଛାତି ସିଧାରେ ରିଭଲ୍‍ଭର୍‍ର ନଳୀକୁ ସ୍ଥିର ରଖିବ, ହାତ ଟାଣ କରି ଧରିବ, ନହେଲେ ହାତ ଛିଞ୍ଚାଡ଼ି ହୋଇଯିବ ଜୋର୍ ଝଟକାରେ !

 

କୁଳାଙ୍ଗାର ଚିରଦିନ ପାଇଁ ଶୋଇଯିବ ।

 

ସେ କିନ୍ତୁ କପାଳ ଆଉଁଶି ଦେଇ ଫେରିଆସିଲା । ମଲା, ଗୁଳି କରିବା ସମୟ କ’ଣ କୁଆଡ଼େ ଚାଲିଯାଉଚି ନା କ’ଣ ! ଏବେ ନ ହେଲା ନାହିଁ, ରାତି ଚାରିଟାରେ ଆସିବ ।

 

ଆଜି ନ ହେଲା ନାହିଁ, କାଲି ରାତିରେ ଠିକ୍ ଏତିକିବେଳେ ଗୁଳି କରିବ ।

 

ଆଉ ଗୋଟାଏ ଦିନ ବଞ୍ଚିପାରିବ ତ କୁଳାଙ୍ଗାର । ଛି ! କୁଳାଙ୍ଗାର !

 

ସେ ଫ୍ୟାନ୍‍ର ସ୍ପିଡ଼୍‍ ବଢ଼େଇଲା, ପର୍ଶୁର ଛାତିଯାଏଁ ପତଳା ଚାଦର ଢାଙ୍କିଦେଲା, ସେ ବଖରାର କବାଟ ଆଉଜାଇ ବାହାରକୁ ଆସିଲା । ଅଣ୍ଟାରୁ ରିଭଲ୍‍ଭର୍ ବାହାରକଲା, ତା’ ଭିତରୁ ଖୁବ୍ ସନ୍ତର୍ପଣରେ ଗୁଳି ବାହାରକଲା । ଉଭୟକୁ ଅଲଗାଅଲଗା ଗୋପନ ଜାଗାରେ ରଖି ସେ ଖଟକୁ ଆସିଲା ଏବଂ ମୁହୂର୍ତ୍ତକ ଭିତରେ ତାକୁ ଘାରିଗଲା ନିଦ ।

 

ନିଦର ରାସ୍ତା : ରାଗ ବସନ୍ତ ବାହାର

 

ତା’ର ସ୍ୱାମୀ, ମାନେ ଯିଏ ମରିଯାଇଛି, ଥିଲା ଅତି ସ୍ନେହୀ ମଣିଷ । ଅତି ଛୋଟଠାରୁ ଟିକେ ବଡ଼ ଚାକିରି କରିଥିଲା ମିହିର । ଚାକିରି ପରେ ସେ ଆଉ ଗାଁକୁ ଯାଇପାରିଲା ନାହିଁ । ମାନେ ପ୍ରଥମେ ପ୍ରଥମେ ଯାଉଥିଲା, ମାସରେ ଦୁଇ ତିନି ଥର । ତା'ପରେ ମାସକୁ ଥରେ । ପୁଣି ଦି’ମାସକୁ ଥରେ । ସେଇଠୁ ବାହାହେଲା ମଣିରୁପାକୁ, ଡାକିଲା ମନି । ଅତି ବେଶିରେ ଚାରିମାସ ରହିଥିବ କି ନାହିଁ ଗାଁରେ, ମନିକୁ ନେଇ ଆସିଲା ସହରକୁ, ଚାକିରି ଜାଗାକୁ, ଘର ଆଗରୁ ଭଡ଼ା ନେଇ ସାରିଥିଲା । ଯାହା ଦରମା ମିଳୁଥିଲା, ଦି’ଜଣ ଭଲରେ ଚଳିବାପାଇଁ ଯଥେଷ୍ଟ ଥିଲା । ଯେହେତୁ ବାପା–ମା’ମାନେ ମନିର ଶାଶୁଶଶୁର ଗାଁରେ ଥିଲେ, ସେମାନଙ୍କ ପାଇଁ ଟଙ୍କା ପଠାଉଥିଲା । ଯୋଉ ଚାରି/ଛ’ ମାସରେ ଥରେ ଯାଉଥିଲା, ସହରରୁ ନାନା ଜିନିଷ ନଉଥିଲା । ଏ ଭିତରେ ସାନଭାଇ ବାହା ହେଇସାରିଥିଲା । ତା’ ସ୍ତ୍ରୀ ପାଖ ଗାଁର ଝିଅ, ଶାନ୍ତିରେ ଘର ଚାଲିଥିଲା । ବୁଢ଼ାର, ମାନେ ବାପାର ଦେହାନ୍ତ ହେଲା । ମିହିର ଓ ମନି ଗାଁରେ କୋଡ଼ିଏ ଦିନ ରହିଲେ, ଭାଇ ସହ ମିଶି ସବୁ କର୍ମ କଲେ, ଗାଁବାଲା ଭାଇସାହି ଶାନ୍ତିରେ ଖାଇଲେ । ଏଗାର ହଜାର ଖର୍ଚ୍ଚ କରି ବାଡ଼ି ଭିତରେ ବୁଢ଼ାର ସମାଧି ତିଆରି କରାଗଲା ।

 

ସାନଭାଇ ଚାଷବାସ କରେ, ବାଡ଼ିଘରେ ଯାବତୀୟ ପନିପରିବା । ଘର ଖର୍ଚ୍ଚପରେ ପାଖ ହାଟରେ ବିକ୍ରିବି ହଉଥିଲା । କିଏ କେମିତି ଗାଁରୁ ଆସୁଥିଲେ ସାନଭାଇ ନାନାପ୍ରକାର ପରିବା, କିଛି ଚାଉଳ, ନଡ଼ିଆ ପଠଉଥିଲା । କେବେ କେମିତି ନିଜେବି ଜିନିଷପତ୍ର ଧରି ପହଞ୍ଚି ଯାଉଥିଲା ।

 

ଯଦି ମିହିର ଗାଁରେ ଦିନେ ଦିନେ ରହୁଥିଲା, ଦି’ଭାଇଙ୍କର ରାତିରେ ବିଚିତ୍ର ପ୍ରକାରର ଗପ ଚାଲୁଥିଲା । ପ୍ରଥମେ ପ୍ରଥମେ ମନି ଭଲଭାବେ ବୁଝିପାରୁ ନଥିଲା । ପରେ ଯେବେ ଜାଣିଲା, ବୁଝିଲା ଭାଇ ସମ୍ପର୍କ କ’ଣ ତା’ର ଆଖି ଖୋଲିଗଲା ।

 

ସମୟ ସତେ ବା ଦକ୍ଷିଣା ପବନ । ମିଠା ମିଠା । ଏଇତ ଦକ୍ଷିଣରୁ ଆସିଲା, କୁଆଡ଼େ ଗଲା କେଜାଣି । ଏଇପଟୁ ଆସିଲା ଦମକାଏ ତ, ଦେଖ କେତେ ଶୁଖିଲାପତ୍ର ଝଡ଼ିଗଲା, ହଜାର ହଜାର ରକ୍ତ ବରଁର କୃଷ୍ଣଚୂଡ଼ା ଝଡ଼ିପଡ଼ି ଭୂଇଁ ପୂରା ଲାଲ । ପୁଣି ଦମକାଏ ଆସିଲା ତ ଏପଟ ତାରରେ ଶୁଖୁଥିବା ଗାମୁଛା ଯାଇ ସେପଟ ଅଗଣାରେ, ସେପଟ ତାରର ବ୍ଲାଉଜ୍ ଆସି ଏପଟେ ! ପବନବି ବେଳେବେଳେ ମୋଡ଼ିମାଡ଼ି ହୋଇଯାଏ, ପ୍ରଚଣ୍ଡ ନିଦରେ ଅକୁଲାଣ ବିଳିବିଳଉଥିବା ମଣିଷ ପରି; ଆଖି–ନାକ–କାନରେ ଧୂଳି ପଶିଯାଏ । ଏସବୁ ଭିତରେ ସମୟ ମାୟାବିନୀ କୋଉ କିନ୍ନରୀ ପରି ପାର୍ ହୋଇଯାଏ ।

 

ସହରର ଘରେ ଆଉ କିଏ କି ? ସେମାନେ ଦୁଇଜଣ । ମିହିର ଓ ମନି । ଖାଅ, ଅଫିସ୍ ଯାଅ, ସଞ୍ଜକୁ ଘରକୁ ଆସ, ଟିଭି ଦେଖ, କମ୍ପ୍ୟୁଟରରେ ଗେମ୍ ଖେଳ, ମୋବାଇଲ୍‌ରେ ୟା ସହ ତା’ ସହ ଗପ, ଦି’ ତିନି ଦିନରେ ଥରେ ବୁଲିଯାଅ ବାହାରକୁ, ନହେଲେ ପାଖ ପଡ଼ିଶାଙ୍କୁ ଡାକି ତାସ୍ କି ଲୁଡ଼ୁ ଖେଳ ! ଏଇ ମୋବାଇଲ୍ ଆସିବା ପରଠୁ ସାନଭାଇର ଏଠାକୁ ଆସିବା ଏବଂ ମିହିରର ସେଠାକୁ ଯିବା ପୂରା କମିଗଲା । ଦିଦିନରେ ଥରେ ତ ଘଣ୍ଟାଏ ଗପ, ଯିବା ଆସିବାର କି ଦରକାର ଥିଲା ଆଉ ?

 

ସହରରେ ସ୍ଵାମୀ ସ୍ତ୍ରୀ; ମିହିର ଓ ମନି, ସେମାନଙ୍କର ସର୍ବନିମ୍ନ ସୁବିଧାସୁଯୋଗ, ଯେମିତି ଭଲ ଟିଭି, ଗ୍ୟାସ, ଗ୍ରାଇଣ୍ଡର, ଓଭନ୍, ସ୍କୁଟର୍, ଫ୍ରିଜ୍ ଇତ୍ୟାଦି । ଦିନେ ଦିନେ ରାତିରେ ସିନେମା, କେବେ କୋଉ ସହକର୍ମୀର ଘରକୁ ଯିବା, କେବେ ପାର୍କ୍ । ଜୀବନ ସରଳ ଓ ଶାନ୍ତ । ପୁଣି ମାସକରେ କେବେ ଥରେ ନିହାତି ଉତ୍ତେଜନାମୟ ରାତି । ମିହିରଟା ବାହାରକୁ ଜଣାପଡ଼େନା, ହେଲେ ଥରେ ଥରେ ରାତିରେ କୁଆଡ଼େ କେମିତି ଯାଇଥାଏ, ଫେରିବାବେଳକୁ ଗୋଟେ ସିଡ଼ି ଆଣିଥାଏ । ପ୍ରଥମ ଥର ଯେବେ ଆଣିଥିଲା, ମନି ପଚାରିଥିଲା, 'ଆମେ ତ ହଲ୍‍ରେ ସିନେମା ଦେଖୁଚେ, ପୁଣି ଟିଭିରେ ଅଧା ଚ୍ୟାନେଲରେ ତ ସିନେମା, ପୁଣି ରାତି ଅନିଦ୍ରା ହେବା କି ଦରକାର-!’ ମିହିର କିଛି କହି ନଥିଲା । ରାତି ଏଗାରବେଳକୁ ସିଡ଼ି ପ୍ଲେୟର୍‍ରେ ସିଡ଼ିଟା ପକେଇ ସୋଫାରେ ବସିଥିଲା, ମନି ତା’ ପାଖରେ ଆସି ବସିଲା । ସିନେମା ନା ଫିନେମା ! ଛି ଛି ! ପ୍ରଥମେ ଧଳା ଧଳା ଝିଲଝିଲ ହେଲା, ତା'ପରେ...ହେଃ ! ଏଗୁଡ଼ା ସିନେମା, କି ପ୍ରକାର ସିନେମା ? ପୂରା ଲଙ୍ଗଳା ଲୋକଗୁଡ଼ା । ଜାମା, ପେଣ୍ଟ୍, ଶାଢ଼ି, ବ୍ଲାଉଜ୍ କିଛି ନାହିଁ !

 

ମନି ପ୍ରଚଣ୍ଡ ବିରକ୍ତ ହୋଇଥିଲେବି ଦେଖିଥିଲା, ତ ଏମିତି କେତେଥର ଦେଖିବା ପରେ ମନି ଗାଳିକଲା ମିହିରକୁ, ସିଡ଼ି ଆଣିବା କମିଗଲା । ପୂରା ଦୃଶ୍ୟ ସବୁ ସିନା ମନେ ରହେନା, ହେଲେ କେତେକ ନିର୍ଦ୍ଦିଷ୍ଟ ଚିତ୍ର ମନେ ରହିଯାଏ । ବାଜେ କଥା ଏସବୁ । ମନି ଯେତେବେଳେ ଭାବେ, ତା’ ଦେହ ଶୀତେଇ ଉଠେ । ମଣିଷର ମନ ଅତି ବିଚିତ୍ର, ବେଳେବେଳେ କେତେଟା ଚିତ୍ର ସଞ୍ଜବେଳେ ମନେ ପଡ଼ିଯାଏ, ଦେହ ବିଚିତ୍ର ଲାଗେ । ମିହିର ଆସିଯିବାକ୍ଷଣି କେମିତି ଜଲଦି ଜଲଦି ଖିଆପିଆ ସରିବ, ସେଥିରେ ନିଜକୁ ଉତ୍ସର୍ଗ କରେ ମନି । ଦଶଟା ବାଜିବାକ୍ଷଣି କବାଟ ଝର୍କା ବନ୍ଦ କରିଦିଏ । ମିହିର ସେଦିନ ଖୁସ୍ ।

 

ଏମିତି ଭିତରେ କେତେବେଳେ ସେ ଗର୍ଭବତୀ ହୋଇଗଲା । ଆଉ ସିଡ଼ି ନା ଫିଡ଼ି ! ଟିଭି ନା ଫିଭି ! ଘର ନା ଫର ! ଆକାଶ ନା ଫାକାଶ ! ପବନ ନା ଫବନ ! ସିନେମା ନା ଫିନେମା-। ସବୁବେଳେ ଖାଲି ପେଟ ପେଟ ପେଟ ।

 

ମିହିରବି ଅନେକଟା ବଦଳି ଯାଇଥିଲା । ଖବରଟା କ୍ରମେ ଭାଇବିରାଦର, ଶଶୁରଘର ପଟ ଜାଣିଲେ । ଡାକ୍ତର ଦେଖା, ଔଷଧ ଖିଆରେ ବେଳଗଲା । ଠିକ୍ ସମୟରେ ସ୍ଵାଭାବିକଭାବେ ଜନ୍ମ ନେଇଥିଲା ଛୁଆଟା–ପୁଅ ପର୍ଶୁରାମ । ଡାକୁଥିଲେ ପର୍ଶୁ । ତା’ର ଏକୋଇଶା, ସାତମାସିଆ, ପୁଣି ପ୍ରଥମ ଜନ୍ମଦିନ ! ତା’ ଭିତରେ ଆଉ ସିଡ଼ି ନା ଫିଡ଼ି !

 

ସେଇ ଟୋକା ଆଜି ବଡ଼ ହେଇଚି, ମାଟ୍ରିକ୍ ପରେ ଯୁକ୍ତ ଦୁଇ ବିଜ୍ଞାନ ଭଲ ନମ୍ବର ରଖି ପାସ୍ କରିଛି । ଜିଦି ମେଡ଼ିକାଲ ପଢ଼ିବ, ମଟର ସାଇକେଲ ଚଢ଼ିବ, କୋଚିଙ୍ଗ୍‍ରେ ନାଁ ଲେଖାଇବ । ଯେମିତି ହେଲେ ଏସବୁ ହବ । କିଛି କମ୍ ପାଟିତୁଣ୍ଡ ହେଇନି ଏଥିପାଇଁ ।

 

ସେଇ ଟୋକା, ପୂରା ନାଁ ପ୍ରଶାନ୍ତ ପର୍ଶୁରାମ, ଡାକ ନାଁ ପର୍ଶୁ । ଅବଶ୍ୟ ତା’ର ସବୁ ଆଶା–ଆକାଂକ୍ଷା ନିଶ୍ଚୟ ପୂରଣ ହୋଇଥାନ୍ତା ଯଦି ମିହିର ଜୀବିତ ଥା'ନ୍ତା । ମିହିରର ଅଚାନକ ମରିଯିବା ଥିଲା ଏକ ଶକ୍ତ ଧକ୍କା । ପୁଣି ସେତେବେଳକୁ ସହରର ଘରକୁ ଆସି ସାରିଥିଲେ, ଶାଶୁ, ମିହିରର ମା' । ପୁଅର ମୃତ୍ୟୁପରେ ସେ ପ୍ରାୟ ଶଯ୍ୟାଶାୟୀ, ତାଙ୍କର ଯାବତୀୟ ଖର୍ଚ୍ଚ ଓ ଯତ୍ନ । ଦିଅର, ମାନେ ଗାଁରେ ଥିବା ମିହିରର ସାନଭାଇ ଅବଶ୍ୟ ଅତି ଆନ୍ତରିକତାର ସହ ପ୍ରସ୍ତାବ ଦେଇଥିଲା ଯେ ସବୁ ଜିନିଷପତ୍ର ଧରି ସେମାନେ ଗାଁକୁ ଚାଲିଆସନ୍ତୁ । ତା' ସ୍ତ୍ରୀ ବୁଝାଇଥିଲା ଯେ ଗାଁରେ ବିଶେଷ କିଛି ଅସୁବିଧା ହେବ ନାହିଁ । ଯାହା ଅଛି ଯଥେଷ୍ଟ ଅଛି, ସେ ଅନେକ ଥର ବୁଝାଇଥିଲା । ମନି ଗୋଟେ ମୁହୂର୍ତ୍ତରେ (ଅନେକ ଥର) ଭାବିଥିଲା ଦିଅର ଓ ସାନ ଯା’ର କଥା ମାନିଯିବ, ଗାଁକୁ ଚାଲିଯିବ । ମିଳିଥିବା ମୃତ୍ୟୁକାଳୀନ ଅର୍ଥ, ଜୀବନବୀମା ରାଶି, ଆଉ କିଛି ଅର୍ଥ ଧରି ସେ ଚାଲିଯିବ ।

 

ହେଲେ ସବୁ ବାଟ ରୋକିଥିଲା ପୁଅ, ପର୍ଶୁ । ତାକୁ ମଣିଷ କରିବ, ବେଶି ପାଠ ପଢ଼େଇବ, ତା’ପରେ ଯୋଉ କଥା । ତାକୁବି ପେନ୍‍ସନ୍ ମିଳିବ ତା’ ଛଡ଼ା ଘରେ ସିଲେଇ ମେସିନ୍ ଥିଲା ଓ ମନିକୁବି ଖୁବ୍ ଭଲ ସିଲେଇ ଜଣାଥିଲା । ସେଥିରୁ କିଛି ରୋଜଗାର କରିପାରିବ ବୋଲି ତା’ର ଭରସା ଥିଲା । ବାହାରକୁ ଯେତେଟା ନରମ ଜଣାପଡ଼େ, ମନିଟା ବାସ୍ତବରେ ସେଇଆ ନୁହ-। ମନି ଥିଲା ବେଶ୍ ଦୃଢ଼ମନା । ତା’ର ଦୃଢ଼ତା ଜାହିର କରିବାର ତରିକାଟାବି ପୂରା ଅଲଗା ପ୍ରକାର-। ନିଜର ନମ୍ରତା, କୋମଳତା ଓ ଦୃଢ଼ତାର ବିଚିତ୍ର ସମାହାରରେ ମନି ଏକାଏକା ଯାଇ ମିହିର ଅଫିସ୍‍ରେ ପହଞ୍ଚି, ଅଫିସରମାନଙ୍କୁ ଦେଖାସାକ୍ଷାତ୍ କରି କାଗଜପତ୍ର କାମ ସବୁ କରେଇ ନେଇଥିଲା । ସରକାରୀ କ୍ୱାଟର୍ ଯଥାସମୟରେ ହସ୍ତାନ୍ତର କରିଥିଲା ସରକାରଙ୍କୁ, କାରଣ ତାକୁ ବେଶ୍ ଭଲଭାବେ ଜଣାଥିଲା ଯେ ହସ୍ତାନ୍ତର ନ କଲେ ସେଇଆକୁ ଆଳକରି କିରାଣି ଦଳ ଓ ବାବୁମାନେ ମନଇଚ୍ଛା ବିଳମ୍ବ କରିବେ । ସେ କ୍ୱାଟର୍ ଛାଡ଼ି ଦେଇଥିଲା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ, ଛୋଟକାଟର ଭଡ଼ାଘରକୁ ଚାଲିଯାଇଥିଲା ପ୍ରାୟ ପାଞ୍ଚ ଛି’ ମାସ ଭିତରେ, ଆଉ ସେଇ ଭିତରେ ଷାଠିଏ ଭାଗ ପ୍ରାପ୍ୟ ଓ ଦୁଇଟା ଜୀବନବୀମା ମିଳି ଯାଇଥିଲା । ସର୍ବମୋଟ ଏଗାର ଲକ୍ଷ ଟଙ୍କା ମିଳିଥିଲା । ଯାହାକୁ ଏତେ ଟଙ୍କା ମିଳିଥିଲା, ସେ ପୁଅର ମେଡ଼ିକାଲ ପଢ଼ା ଖର୍ଚ୍ଚ ହୁଏତ ତୁଲେଇ ପାରିଥାନ୍ତା । କିନ୍ତୁ ପୁଅ ତ ସେତେବେଳେ ଏତେବଡ଼ ହୋଇ ନଥିଲା । ମେଡ଼ିକାଲ ପଢ଼ିବାକୁ କି ଆଉ କ’ଣ ପଢ଼ିବାକୁ ମନ କରିବ କିଏ ଜାଣିଥିଲା ସେକଥା ?

 

ମିହିର ମରିବାର ଦେଢ଼ବର୍ଷ ଆଗରୁ କିଣି ଦେଇଥିଲା ଗୋଟେ ସତରଶହ ବର୍ଗଫୁଟ୍‍ର ଜାଗା, ପ୍ରଥମେ ତା’ର ବାଡ଼ ଓ ପରେ ପଥର ପାଚେରୀ ଉଠେଇ ଦେଇଥିଲା । ଭଡ଼ାଘରେ ରହୁରହୁ ମନି ଯୋଜନା କରିଥିଲା କେମିତି ସେ ଜାଗା ଉପରେ ଦୁଇବଖରା ଘର ହେବ, ରୋଷେଇଘର ଓ ଟଏଲେଟ୍, ବାସ୍ । ମାସକୁ ଚାରିହଜାର ହିସାବରେ ବର୍ଷକୁ ହାରାହାରି ପଚାଶ ହଜାର ଟଙ୍କା ଭଡ଼ାରୁ ତ ମୁକ୍ତି ମିଳିବ ! ନିଜେ ଅକ୍ଳାନ୍ତ ପରିଶ୍ରମ କରି, ମିହିରର ଜଣେ ଗାଁ ସାଙ୍ଗର ସାହାଯ୍ୟରେ ଘରଟା ଉଠି ଯାଇଥିଲା । ବାହାର ପଟ କାନ୍ଥ ତଥାପି ପ୍ଲାଷ୍ଟର୍ ହୋଇ ନଥିଲା । ସେଇଥିରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଣିକି ପେନ୍‍ସନ୍ ଟଙ୍କା ଓ ମିହିରର ଆଉ କିଛି ବାକିଆ ଟଙ୍କା ମିଳିବାରେ ସଂସାର ଚାଲିଥିଲା । ଏତେ ସବୁ ଭିତରେ ସେ ଶାଶୁଙ୍କୁ ସାମାନ୍ୟ ଅନାଦର କରି ନଥିଲା । ଦିଅର ଅନେକ ଥର ତାଙ୍କୁ ଗାଁକୁ ନେଇଯିବାର ପ୍ରସ୍ତାବ ଦେଇଥିଲେବି ମନି ରାଜି ହୋଇ ନଥିଲା । କହିଲା, ‘‘ତାଙ୍କୁ ଛାଡ଼ିଦେଲେ ଘରେ ଆଉ କିଏ କହୁନ ? ଆମେ ତ ମା’ ପୁଅ ଦି’ଜଣ ! ପର୍ଶୁ ସ୍କୁଲ୍ ଚାଲିଗଲେ ଘର ଆଉ ଘର ପରି ବାସିବ ତ ? ସିଏ ଅଛନ୍ତି ବୋଲି ତ ମୋର ଦିନମାନ ଛୋଟମୋଟ କାମ ଲାଗି ରହୁଛି ।”

 

ସମୟ ସତେ ବା ପ୍ରଜାପତି । ଏଇନା ଥିଲା ଏଇଠି, ଏଇନା ଦେଖ ସେଇଠି । ସବୁ ଧୀରେ ଧୀରେ ସ୍ୱାଭାବିକ ହୋଇ ଆସିଥିଲା । ଶାଶୁଙ୍କ ଅବସ୍ଥା ଥିଲା ଯଥା ପୂର୍ବଂ ତଥା ପରଂ । ପର୍ଶୁର ଏ ଭିତରେ କେତେବେଳେ ମାଟ୍ରିକ୍ ଶେଷ ହୋଇ ପ୍ଲସ୍‍ଟୁବି ସରିଯାଇଥିଲା ତା’ର ଜିଦି ଥିଲା ସେ ଯେମିତି ହେଲେ ମେଡ଼ିକାଲ ପଢ଼ିବ, କୋଚିଙ୍ଗ୍‍ ନବ ଓ ସେକେଣ୍ଡ୍ ହାଣ୍ଡ୍ ହେଉ ପଛକେ ବାଇକ୍‍ଟେ କିଣିବ । ସେଥିପାଇଁ ଚାରିଦିନ ହେଲାଣି ଯୁକ୍ତିତର୍କ, ପାଟିତୁଣ୍ଡ । ସେଇ ପାଟିତୁଣ୍ଡ ଆଜି ଖରାବେଳେ ସୀମା ଲଙ୍ଘନ କରିଥିଲା । ସହିବାର ସବାଶେଷ ବାଲିବନ୍ଧ ଭୁଶୁଡ଼ି ପଡ଼ିଥିଲା । ସେ ଭେଁ ଭେଁ ହୋଇ କାନ୍ଦିଥିଲା । ସେ ଟୋକା ପୁଅ ପର୍ଶୁ ନ ଖାଇ ବାହାରି ଯାଇଥିଲା । ଆସିଥିଲା ରାତି ନ’ଟାରେ । ଗୁମ୍ ଖାଇ ବସିଥିଲା କିଛି ସମୟ ଜେଜେମା ପାଖରେ ।

 

ମନି ଦଶଟାବେଳେ ଖାଇବାକୁ ଡାକିଥିଲା ତାକୁ । ସେ ତଳକୁ ମୁହଁ ପୋତି ଆସିଥିଲା ଓ ମା’ ପୁଅ ସାଙ୍ଗ ହୋଇ ଖାଇଥିଲେ । ଖାଇ ସାରିବା ପରେ ସେ ଟୋକା ତା’ ରୁମ୍‍କୁ ଯାଇଥିଲା । ସେ ଯିବା ପରେ ମନି ଅଳ୍ପ ଟିକେ କ’ଣ ଖୁଆଇଥିଲା ଶାଶୁଙ୍କୁ । କବାଟ–ଝର୍କା ବନ୍ଦ କରିଥିଲା, ବାସନ ଧୁଆଧୋଇ ସାରିବା ପରେ ଡାଇରି ଧରି ବସି ଦିନଯାକର ହିସାବ ଲେଖିଥିଲା । ପ୍ରାୟ ଚବିଶ ପଚିଶ ମିନିଟ୍ ବସି ଟିଭିରେ ପୁରୁଣା ହିନ୍ଦୀ ଗୀତ ଚ୍ୟାନେଲ ଦେଖିଥିଲା । ତା’ପରେ ସୋଫାରୁ ଉଠି ପାଦ ଚିପିଚିପି ଆସିଥିଲା ପୁଅ ଶୋଇଥିବା ରୁମ୍‍ର ଦରଜା ପାଖକୁ । କବାଟ ଆଉଜା ହୋଇଥିଲା । ସେ ଖୁବ୍ ଧୀରେ ଓ ସନ୍ତର୍ପଣରେ କବାଟ ଟିକେ ଫାଙ୍କା କଲା । ଜିରୋ ପାୱାର ବଲ୍‍ବର ଝାପ୍‍ସା ଆଲୋକରେ ଦେଖିଲା ଯେ ପର୍ଶୁ ଶୋଇଥିଲା ଖଟ ଉପରେ, ଧଳା ଗଞ୍ଜି ଓ ହାଫ୍ ପ୍ୟାଣ୍ଟ ପିନ୍ଧି । ବାଁ ହାତ ପଡ଼ିଥିଲା ପେଟ ଉପରେ, ଡାହାଣ ହାତ ଗାଲ ପାଖରେ ତକିଆକୁ ଲାଗି । କେବେ ଜନ୍ମ ହେଇଥିଲା, କେତେବର୍ଷ ଚାଲିଲା ଏବେ ପର୍ଶୁକୁ ?

 

ମନି ପାଦ ଚିପିଚିପି ଖଟ ପାଖକୁ ଆସିଥିଲା । ନା, ପର୍ଶୁକୁ ନିଦ ହୋଇ ଯାଇଥିଲା, ଗାଢ଼ ନିଦ । ସେ ହାଲିଆ ହେବା ପରି ଶୋଇ ପଡ଼ିଥିଲା । ମନି ଯେମିତି ପାଦ ଚିପିଚିପି ଅତି ସତର୍କତାର ସହ ଭିତରକୁ ଯାଇଥିଲା, ସେମିତି ଖୁବ୍ ସାବଧାନରେ ନିଜ ଶୋଇବା ଘରକୁ ଫେରିଥିଲା ଓ ଭିତରୁ କବାଟ ହୁକ ଲଗାଇଥିଲା ।

 

ଲୁହା ଆଲମାରି ଖୋଲିଥିଲା । ତା’ ଭିତରେ ପୁରୁଣା ଶାଢ଼ିମାନଙ୍କ ଭିତରେ ସବା ତଳ ଥାକରେ ଥିଲା ଛୋଟିଆ ଲୁହାର ବାକ୍‍ସଟିଏ । ତାକୁ ଖୋଲିଥିଲା ଏବଂ ତା’ରି ଭିତରେ କନା ଗୁଡ଼ା ହୋଇ ରହିଥିଲା ମିହିର କିଣିଥିବା ସେଇ ରିଭଲ୍‌ଭର୍ ଓ ଗୁଳି । ତାକୁଇ ସନ୍ତର୍ପଣରେ ଅଣ୍ଟାର ବାମପାଖ ପଛଆଡ଼କୁ ଖୋସି ଦେଇ ଯାଇଥିଲା ପର୍ଶୁର ରୁମ୍‍କୁ, ତାକୁ ମାନେ ନିଜ ପୁଅକୁ ଗୁଳି କରିଦବାକୁ, ଜୀବନରେ ମାରିଦେବାକୁ । ମନି ଯାଇଥିଲା, ମନକୁ ଦୃଢ଼ କରି, ହୃଦୟକୁ ପଥର କରି-

 

ଗୁଳି କରି ଦେଇଥା'ନ୍ତା, ହେଲେ ସେ ଟୋକା ନିଦରେ କ’ଣ କହିଲା ! ମନି ସେ ଘରୁ ବାହାରି ଆସିଥିଲା ।

 

ସକାଳ ସବୁ ଏକାପରି

 

ପରଦିନ ସକାଳେ ସାମାନ୍ୟ ଡେରିରେ ନିଦ ଭାଙ୍ଗିଥିଲା ମନିର । ଉଠିସାରି ଦେଖିଲା ପର୍ଶୁ ଫୁଲ ତୋଳି ସାରିଥିଲା, ଦାନ୍ତ–ଫାନ୍ତ ଘସି ସାରିଥିଲା, ନିଜେ ଚା’ କରି ପିଇ ସାରିଥିଲା, କାରଣ ଟେବୁଲ ଉପରେ ଚା’ର ଅବଶିଷ୍ଟାଂଶ ଥାଇ କପ୍‍ଟେ ଥୁଆ ହୋଇଥିଲା । ଅନେକ ଥର ସକାଳେ ସେମିତି ଘଟୁଥିଲା, ଅନ୍ତତଃ ମିହିରର ମୃତ୍ୟୁପରେ । ମାନେ ନିଜର ଦାୟିତ୍ୱ ବଢ଼ି ଯାଇଥିବା ପରି ପର୍ଶୁ ସକାଳୁ ଉଠି, ମାନେ ବଡ଼ିଭୋରରୁ ଉଠି, ଛୋଟମୋଟ ଘର କାମ କରି ଦେଉଥିଲା । କେବେ ଫୁଲ ତୋଳିବା ତ କେବେ ଘର ଝାଡ଼ୁ କରିବା । ଯୋଉଦିନ ପର୍ଶୁ ଝାଡ଼ୁ କରିବାର ଦୃଶ୍ୟ ମନି ଝର୍କାବାଟେ ଦେଖିଥିଲା, ତା’ ଆଖି ଛଳଛଳ ହେଇଯାଇଥିଲା ।

 

କ’ଣ ଭାବି ସେ ଝାଡ଼ୁଧରି ଘରର ଚାରିକଡ଼ ସଫା କରୁଥିଲା ? ପୁଣି ଏମିତି ସଫା କରିଥିଲା ଯେ ପୂରା ଚିକ୍କଣ । ସବୁଆଡ଼େ ଝଟକୁଥିଲା ଯେମିତି । ପର୍ଶୁ ଯେମିତି ଭିତରକୁ ଆସିଲା, ମନି ପଚାରିଥିଲା, ‘କିରେ ଦିନେ ନା ସବୁଦିନେ ମ ?' ସେ ଟୋକା ଏମିତି ହସିଥିଲା, ସତେ ଯେମିତି ପରିଣତ ହୋଇଯାଇଥିଲା ଜଣେ ପ୍ରାପ୍ତ ବୟସ୍କରେ । ବ୍ୟସ୍ତତା ଭିତରେ ରହି ମନି ଯେତେବେଳେ ହାଟ ବଜାର କରିପାରୁ ନଥିଲା, ସେ ଟୋକା ବଡ଼ ଆଗ୍ରହରେ ସଉଦା କରି ଦେଉଥିଲା । ସକାଳର ସ୍ୱାଭାବିକ ନିତ୍ୟକର୍ମ ସାରି ସେ ଟୋକା ବସିଥିଲା ପଢ଼ା ଟେବୁଲ ପାଖରେ-। ପାଟିରେ କଲମଟା ପୂରେଇ କ’ଣ ଭାବୁଥିଲା କେଜାଣି ! ଯାହାବି ହଉ, ଅତି ଚମତ୍କାର ନହେଲେବି ବେଶ୍ ଭଲ ପଢ଼ୁଥିଲା ସେ । ଆଜିକାଲି ଯେମିତି ପ୍ରତି ପିଲା ପ୍ରତିଟି ବିଷୟରେ ଟିଉସନ୍ ହେଉଛନ୍ତି, ପର୍ଶୁ ସେ ଦୃଷ୍ଟିରୁ ବେଶ୍ ସୁଧାର, ଟିଉସନ୍ ପାଇଁ କେବେବି ଜିଦି କରି ନଥିଲା-। ବିନା ଟିଉସନ୍‍ରେ ସେ ବେଶ୍ ଭଲ ନମ୍ବର ରଖୁଥିଲା । ବେଶ୍ ଭଲ ମାନେ ଶତକଡ଼ା ପଞ୍ଚାନବେ କି ଅଠାନବେ ନୁହେଁ, ତେବେ ସତାଅଶୀ–ନବେ ତ ରଖୁଥିଲା । ସେମିତିରେ ସେ ମାଟ୍ରିକ୍ ପାସ୍ କରିଗଲା । ତା’ପରେ ପ୍ଲସ୍ ଟୁ । ଯାହା ଯାହା ବହିଖାତା ଦରକାର, ସବୁ ତାକୁ ଯୋଗାଇ ଦେଇଥିଲା ମନି । ଦିନେ ସେ ଟୋକା କଲେଜରୁ ଫେରି ଫରମାସ କରିଥିଲା ଯେ ଏଣିକି ଘରକୁ ଗୋଟେ ଇଂରାଜୀ ଖବରକାଗଜ ମଗାଯିବ । ବାସ୍ ପରଦିନଠାରୁ ଘରକୁ ଇଂରାଜୀ କାଗଜଟେ ଆସିଥିଲା । ପର୍ଶୁ ସକାଳେ ଆଖି ପକାଏ, ପୁଣି ସଞ୍ଜରେ । ଛୁଟି ଦିନମାନଙ୍କରେ ଆଠଦଶ ଦିନ ତଳର କାଗଜ ବାହାର କରି କ’ଣ ସବୁ ପଢ଼ିବାରେ ଲାଗିଯାଏ । ମନି ଭିତରେ ଭିତରେ ଖୁସି ହୁଏ-। ପିଲାଟା ଏଇ ବୟସରୁ ଏତେ ପରିଶ୍ରମ କରୁଥିଲା, ତା’ର ସୁଫଳ ନିଶ୍ଚୟ ତାକୁ ମିଳିବ ବୋଲି ମନ ସର୍ବଦା ଭାବୁଥିଲା । ଛାଡ଼ !

 

ଶାଶୁବୁଢ଼ୀଙ୍କ ନିତିଦିନିଆ କାମ ସାରି ଚା’ ବସେଇବାବେଳେ ସେ ବଡ଼ପାଟିରେ ପଚାରିଲା, “ତୁ ଆଉଥରେ ଚା’ ପିଇବୁ ନାହିଁ ?'' ସେପଟ ରୁମ୍‍ରୁ ଜୋରରେହିଁ ଶୁଭିଲା ଏବଂ ମୁହୂର୍ତ୍ତ କେତୋଟି ପରେ ସେ ନେଇ ଚା’ ଦେଇ ଆସିଲା । ପର୍ଶୁ ଚା’ ପିଉଥିବାବେଳେ ମନି ପଚାରିଲା, ‘କେତେବେଳେ ଆଜି ଯିବୁ ? ଗରମ ଖାଇବୁ ନା ପଖାଳ ??’ ପର୍ଶୁ କହିଥିଲା, ‘ପଖାଳ-!’ ପୁଣି ଟିକେ ପରେ କହିଲା, ‘ଶୁଣ ବୋଉ, ଆଜି କଲେଜ ନ ଗଲେବି ଚଳିବ । ଏବେ ତ କ୍ଲାସ୍ ଫ୍ଲାସ୍ ନାହିଁ ।’ ପର୍ଶୁ ପୂରା ସ୍ଵାଭାବିକଭାବେ କଥାବାର୍ତ୍ତା କରୁଥିଲା । ବାସ୍ତବରେ ମନି ମାନେ ତା’ ବୋଉ ମଣିରୁପା ତା’ ମୁହଁକୁ ସିଧା ଚାହିଁପାରୁ ନଥିଲା । ଯୋଉ କଥାପାଇଁ ଏତେ ଦହଗଞ୍ଜ, ଯୋଉ କଥାପାଇଁ ଜୀବନ ମନେ ହୋଇଥିଲା କଠୋରତମ କୋଠରୀ, ପୁଣି ଯୋଉ କଥାପାଇଁ ମନିର ଶରୀରର ସମସ୍ତ ରକ୍ତ ଉଠି ଯାଇଥିଲା ତାଳୁକ; ସବୁର ମୂଳକାରଣ ଥିଲା ଏଇ ଟୋକା ସହ ଯୁକ୍ତିତର୍କ, ତହିଁରୁ କଥା କଟାକଟି ଏବଂ ଶେଷରେ...

 

ଶେଷରେ ମନି ନିଷ୍ପତ୍ତି ନେଇଥିଲା ଯେ ପୁଅ ହେଉ ପଛକେ, ତା’ର ଏ ଜଗତରେ ବଞ୍ଚି ରହିବାର କିଛିବି ଯଥାର୍ଥତା ନଥିଲା । ବରଂ ଏପରି ବିଚିତ୍ର ଓ ବିକୃତ ମାନସିକତାର ଟୋକା ହାତରେ ଅର୍ଥ ଓ କ୍ଷମତା ପଡ଼ିଲେ ୟେ ଧରାକୁ ସରା ମଣିବା ନେଇ ନିଶ୍ଚିତ ହୋଇଯାଇଥିଲା ମନି-

 

ହେଲେ ଆରମ୍ଭରୁ ମାନେ ବର୍ଷେ ଦୁଇବର୍ଷ ହେବା ପରଠାରୁ ପର୍ଶୁର ହସ, ତା’ ମୁହଁ, ତା’ ଚାଲିଚଳନ ଏମିତି ଥିଲା ଯେ ଘରେ ବାହାରେ ବନ୍ଧୁବାନ୍ଧବ ସମସ୍ତେ ତାକୁ ଆଦର କରୁଥିଲେ । ଯେବେ ସେ ସ୍କୁଲ୍‍କୁ ଗଲା, ଶିକ୍ଷକ–ଶିକ୍ଷୟିତ୍ରୀମାନେବି ତାକୁ ଆଦର କରିବାରେ ଲାଗିଲେ । ପ୍ରଥମତଃ ତା’ର ବ୍ୟବହାର ଭଲଥିଲା ଏବଂ ଦ୍ୱିତୀୟରେ ସେ ଭଲ ପଢ଼ୁଥିଲା ।

 

ଏ ଭିତରେ ମୁହୂର୍ତ୍ତକ ପାଇଁ ଅନ୍ୟମନସ୍କ ହୋଇପଡ଼ିଥିବା ମନି ଚେତା ଫେରିପାଇବା ପରି କହିଲା, 'ଯଦି ତୋର କୁଆଡ଼େ ଯିବାର ନାହିଁ, ପୁଣି ଯଦି ତୋର ଘରେ ରହି ପଖାଳ ଖାଇବାକୁ ମନ, ତେବେ ଗୋଟେ କାମ କର । ଡ୍ରେସିଙ୍ଗ୍ ଟେବୁଲ୍‍ର ଡ୍ରୟାରରୁ ଟଙ୍କା ନେଇଯା । ଗୋଟେ ପକେଟ୍ ଦହି, ଅଧ କିଲୋ ଚୁନା ମାଛ ନେଇଆ । ବାକି ଆଉ କ’ଣ ଟିକେ ମୁଁ ଘରେ କରୁଚି । ଏଣେ ବୋଉଙ୍କପାଇଁ କ’ଣ ହବ, ଯା’ ।’

 

ସେ ଟୋକା ପର୍ଶୁ, ମାନେ ତା’ର ପୁଅ, ଅତି ସୁଧାର କଅଁଳା ବାଛୁରି ପରି ଟଙ୍କା ଓ ବ୍ୟାଗ୍ ଧରି ବାହାରିଗଲା । ତା’ ଯିବା ପରେ ପରେ ମନି ପୁଣି ଲାଗିପଡ଼ିଲା ଘର କାମରେ । ପ୍ରଥମେ ଶାଶୁଙ୍କ କାମ, ତା’ପରେ ଆଉ ଯୋଉ କଥା ! ତା’ରି ଭିତରେ, କ୍ଷଣକପାଇଁ ଯେମିତି ବର୍ଷାଘେରା ଆକାଶରେ ଖେଳିଯାଏ ବିଜୁଳି, ମନିର ମନ ଆକାଶରେ ଖେଳିଗଲା ଚିନ୍ତାର ଝଲକଟିଏ ଯେ ପର୍ଶୁ ମାନେ ତା’ର ପୁଅ, ମାନେ ମିହିରର ପୁଅ–ପର୍ଶୁ ସତରେ ସୁନା ପିଲାଟିଏ, ଅତି ଭଲ ପାଠ ପଢ଼ୁଥିବା ଶାନ୍ତ ପିଲାଟିଏ ଯିଏ କି ଢେର୍ ଅଧିକ ପଢ଼ିବାକୁ ଚାହୁଁଥିଲା । କ’ଣ ପାଇଁ ତେବେ ମନି ଉତ୍ୟକ୍ତ ହୋଇ ପଡ଼ିଥିଲା ? କ’ଣ ପାଇଁ ଢେର୍ ଦିନ ତଳେ ମିହିର କିଣିଥିବା ରିଭଲ୍‌ଭର୍ ବାହାର କରି ସୁନାମୁଣ୍ଡା ପରି ପୁଅକୁ ଗୁଳିମାରି ଶେଷ କରିଦେବାକୁ ବାହାରିଥିଲା ? ହେ ଭଗବାନ ! କି ପୈଶାଚିକ ଚେତନାର ବଶବର୍ତ୍ତୀ ହୋଇପଡ଼ିଥିଲା ସେ ? ଯଦି ସତରେ ଗୁଳିଟା ବାହାରି ଯାଇଥାନ୍ତା, ଆଜି ଏବେ ଏଇ ମୁହୂର୍ତ୍ତରେ କ’ଣ ହୋଇଥାନ୍ତା ସତରେ ଜୀବନର ରୂପରେଖ-? କ’ଣ ହୋଇଥାନ୍ତା ଆଜି ଖରାବେଳର ଦୃଶ୍ୟ ? ଶଯ୍ୟାଶାୟିନୀ ବୃଦ୍ଧା, ମାନେ ତା’ ଶାଶୁ ଏବଂ ପର୍ଶୁର ଜେଜେମାଙ୍କ ଅବସ୍ଥା କ’ଣ ହୋଇଥାନ୍ତା ? କେଉଁ କଳଙ୍କର ବୋଝ ଝୁଲିଥାନ୍ତା ସମଗ୍ର ସତ୍ତାରେ ? କେଉଁ ଯଶବାନା ଉଡ଼ିଥାନ୍ତି ମାତୃଜାତିର ନାଁରେ ? ଏଇ ଚାରିକାନ୍ଥ ଭିତରର ସ୍ଥାନ, ଯାହାକୁ କୁହାଯାଉଛି ଘର, କ’ଣ ହୋଇଥାନ୍ତା ଘର ଭିତରର ଚିତ୍ର ଓ ମୁହୂର୍ତ୍ତମାନଙ୍କର ଅବସ୍ଥା-? କେଉଁ ପାଗଳର ମାନସିକ ସ୍ଥିତି ନେଇ ସେ ରିଭଲ୍‌ଭର୍‍ଟା ଧରି ଯାଇଥିଲା ନିଜର ଏକମାତ୍ର ପୁଅକୁ ଗୁଳି କରିବାକୁ ?

 

ବାହାରେ ସାଇକେଲ ରହିବାର ଶବ୍ଦ ହେଲା ! ଦହି ଓ ଚୁନାମାଛ ନେଇ ବୋଧହୁଏ ଆସିଗଲା ପର୍ଶୁ ।

 

ବାହାର ବାରଣ୍ଡାରୁ ତା’ ସ୍ୱର ଶୁଣାଗଲା, ଧନିଆପତ୍ର ଓ ଲେମ୍ବୁ ଆଣିବାକୁ ତୁ କହି ନଥିଲୁ ମା’, ମୁଁ କିନ୍ତୁ ନେଇ ଆସିଛି ।

 

ଆଃ ! ଏଇ କ’ଣ ତା’ର ସେଇ ଅଲିଅଳ ପୁଅ ପର୍ଶୁ ନୁହେଁ କି ? ପର୍ଶୁ ତ !

 

ଏଡ଼େ ସୁନାଟା, ହେଲେ ତା’ ଭିତରର ପଶୁଟା କୋଉ କଣରେ ଶୋଇଥାଏ ?

 

ପଶୁଟା ଯୋଉଠି ଥାଉ ନା କାହିଁକି, ବାହାର ବାରଣ୍ଡାରୁ ଧନିଆପତ୍ର ଓ ଲେମ୍ବୁ କଥା ଶୁଣି ବିଚିତ୍ର ଏକ ଅପତ୍ୟ ସ୍ନେହରେ ଆର୍ଦ୍ର ହୋଇଗଲା ମନି । ମୁହୂର୍ତ୍ତକ ଭିତରେ ସୋରିଷ, ରସୁଣ, ଲଙ୍କା ଚିକ୍କଣ କରି ବାଟିଲା, ତହିଁରେ ଗୋଳେଇଲା ଅଳ୍ପ ହଳଦୀ ଓ ଚିପୁଡ଼ିଲା ସମୁଦାୟ ଗୋଟେ ଲେମ୍ବୁ । ଏପଟେ କଡ଼େଇ ବସେଇ ଚୁନାମାଛ ଭାଜିବାରେ ଲାଗିଲା । ରୋଷେଇ ଶେଷ ।

 

କହିଲା, ‘ମୁଁ ମା’ଙ୍କୁ ଖୁଏଇ ସାରେ, ତୋର ମୋର ସାଙ୍ଗ ହେଇ ବସିବା, ନା କ’ଣ ?'

 

'ଠିକ୍ ଅଛି ମା', ମୁଁ ଦି’ଜଣ ସାଙ୍ଗଙ୍କ ନିକଟକୁ ମେସେଜ୍ ପଠେଇଦିଏ ।’ ପର୍ଶୁ ଉତ୍ତର ଦେଲା । ଠିକ୍ ସମୟରେ ଶାଶୁ ଖାଇଲେ, ତାଙ୍କ ବାସନ ମଜା ସରିଲା, ଖଟରେ ତାଙ୍କୁ ବେଶ୍ ଆରାମରେ ଶୁଏଇଦେଇ ସାରି ମନି ଏପଟେ ବଢ଼ାବଢ଼ି ସାରି ଡାକଟେ ମାରିଲା ପର୍ଶୁକୁ । ସେ ଆସିଲା, ଖାଇବା ପାଖରେ ବସିଲା, ଉଭୟଙ୍କ ଭାତ କଂସାରେ ଲୁଣ ଓ ଦହି ପକାଇଲା । ପୁଣି ଗୋଟେ ଛୋଟ ଷ୍ଟିଲ୍ ଗିନାରେ ଅଳ୍ପ ଦହି ନେଇ ସେଥିରେ ରସୁଣ, ଲୁଣ ଓ କଞ୍ଚାଲଙ୍କା ପକେଇ ଟିକେ ସମୟ ଦଳାଦଳି କଲା । ମା’ ପୁଅ ମାନେ ପର୍ଶୁ ଓ ମନି ସାଙ୍ଗ ହେଇ ବସି ଖାଇଲେ । ଚୁନାମାଛ ବେସର–ଦହି ପଖାଳ ଓ ରାଗରାଗ ଦହିପାଣି ! ଆଃ !

 

ଚାହୁଁଚାହୁଁ ଖାଇବା ସରିଗଲା । ମନିର ମନେ ହେଲା ଏଇ ଘର ସ୍ଵର୍ଗ ଏବଂ ତା’ର ଏଇ ପୁଅ ପର୍ଶୁ ହେଲା କୋଉ ଗୋଟେ ଅଭିଶପ୍ତ ପୁରୁଷ ଯିଏ ଅଭିଶାପ ପାଇବା ପରେ ଏଇଠି ଜନ୍ମ ହୋଇଥିଲା ।

 

ଖାଇବା ପରେ ସେ ଟୋକା ତା’ ଶୋଇବା ଘରକୁ ଗଲା, ବୋଧେ ଟିକେ ଗଡ଼ପଡ଼ ହେବ କି କ’ଣ ! ମନି ବାସନ ଗୋଟେଇଲା, ଜାଗାଟା ପୋଛାପୋଛି କଲା, ଶାଶୁଙ୍କ ଖଟଆଡ଼ୁ ନଜର ଘୂରେଇ ଆଣିଲା, କବାଟ ଆଉଜେଇ ଦେଲା, ଖଟ ଉପରେ ଗଡ଼ିପଡ଼ି ଅଣ୍ଟା ସିଧାକଲା । ଫ୍ୟାନ୍ ବୁଲୁଥାଏ ଜୋରରେ । ଯେମିତି ଭାଦ୍ରବମାସ ଆକାଶରେ ଅଚାନକ ଭାସିଆସେ କଳାବାଦଲ, ମୁହୂର୍ତ୍ତକ ଭିତରେ କୋଉ ଦୂର ଦିଗ୍‍ବଳୟ ତଳେ ଛପିଯାଏ ସୂର୍ଯ୍ୟ, ସେମିତି ମନିର ଆଖିପତା ସାରା ଓହଳିଗଲା ନିଦ, ପତା ଭାରୀ ହୋଇଗଲା, ପ୍ରଥମେ ଭାଦ୍ରବରେ ଝିପିଝିପି ବର୍ଷା ପରି ମଧୁର ପ୍ରଜାପତିଆ ନିଦ, ତା’ପରେ ଦୁଲ୍ ଦୁଲ୍ ବର୍ଷା ! ଏଣେ ମନିକୁ ଗାଢ଼ ନିଦ, ଅଧଘଣ୍ଟା ଘଣ୍ଟାଏ ବର୍ଷା ପରେ ଯେମିତି ଆକାଶ ପୁଣି ପରିଷ୍କାର ହୋଇଯାଏ, ଖରା ଝପଟି ଆସେ ଛପିଥିବା ଜାଗାରୁ; ସେମିତି ମନିର ନିଦ ପ୍ରାୟ ଘଣ୍ଟାଏପାଇଁ ଅତି ଗାଢ଼ ହୋଇଗଲା, ପୁଣି ଚଟ୍‍କରି ଭାଙ୍ଗିଗଲା । ନିଦ ଭାଙ୍ଗିଯିବା ପରେ ମନିର ଅନୁଭବ ହେଲା ତା’ର ନିଃଶ୍ୱାସର ବେଗ ଦ୍ରୁତ ହୋଇଛି ଏବଂ ଛାତି ସତେ ଅବା ଦୁମ୍‍ଦୁମ୍ କରୁଛି !

 

କାରଣ ସେଇ ଟୋକା, ତା’ ପୁଅ ପର୍ଶୁ ।

 

ଯେଉଁ ଘଟଣା ବା କଥାପାଇଁ ସେ ଗୁପ୍ତ ସ୍ଥାନରୁ ରିଭଲ୍‌ଭର୍ ବାହାର କରି ଯାଇଥିଲା ପର୍ଶୁର ବେଡ଼୍ ନିକଟକୁ, ତାକୁ ମାନେ ନିଜ ଜନ୍ମକଲା ପୁଅକୁ ଗୁଳି ମାରିଦେବାକୁ; ସେଇ ଘଟଣା–ମାନେ ପର୍ଶୁର ଓ ତା’ର କଥାବାର୍ତ୍ତା ସେ ସ୍ୱପ୍ନ ଦେଖୁଥିଲା । ସ୍ୱପ୍ନର ଭାବାବେଶ କଟି ନଥିଲା, ତେଣୁ ଚାହିଁକରି ମନ ସେଇଠି ଖଟ ଉପରେ ପଡ଼ି ରହିଲା । ତା’ର ଦୃଷ୍ଟି ନିର୍ବନ୍ଧ ଥିଲା ଘରର ଛାତରେ !

 

ସେ ଟୋକାକୁ ବୋଧେ ନିଦ ହୋଇଯାଇଥିଲା । ଆର ଘରେ ଶାଶୁ ଗାଢ଼ ନିଦରେ ଶୋଇଥିଲେ । ଉଠିଥିଲେ ତ’ ତାଙ୍କ ଉଚ୍ଚସ୍ୱର ବାରମ୍ବାର ଶୁଣାଯାଇଥାନ୍ତା !!

 

ମନିର ସ୍ଵପ୍ନ

 

ସେଇ ଘଟଣାକୁ ମନି ସ୍ଵପ୍ନରେ ଦେଖିଥିଲା । ସେ ଟୋକା ମାନେ ପର୍ଶୁ ତା’ ରୁମ୍‍ରେ ଟେବୁଲ ପାଖରେ ବସିଥିଲା । ମନିର ତା’ର ପାଠପଢ଼ା ବିଷୟରେ କଥା ହେଉଥିଲା । ସ୍ୱପ୍ନରେ ଅବଶ୍ୟ କଥା ବା ଘଟଣାଗୁଡ଼ାକର କ୍ରମ ଠିକ୍ ନଥାଏ ।

 

‘କ’ଣ ନାହିଁ’, ପର୍ଶୁ କହିଥିଲା, ‘ଭାବୁଚି, ପାଠ ସରିଗଲା ମୋପାଇଁ ।’

 

ସେ ଟୋକା ବେଳେବେଳେ ଏମିତି ବୟସ୍କମାନଙ୍କ ପରି କଥା କହେ । କାହିଁକି ? ମନି ଓଲଟା ପଚାରିଥିଲା, ‘ତୁ ସବୁ ଏଣ୍ଟ୍ରାନ୍‍ସ୍ ପରୀକ୍ଷା ଦେ ! ଯେଉଁଟା ହବ, ତେଣିକି ଦେଖିବା । ସରକାରୀ କଲେଜରେ ହେଲେ ଭାବୁଚି ଆମେ ସମ୍ଭାଳି ନେଇ ପାରିବା, କିନ୍ତୁ ଘରୋଇ କଲେଜ କି ଆଜିକାଲିକାର ମିମ୍‍ଡ଼୍ କି ଡିମ୍‍ଡ଼୍ ୟୁନିଭର୍‍ସିଟି ହେଲେ ମୁଁ କି ଆମ ପରିବାର ପାରିବୁ ନାହିଁ ।

 

‘ତୋର ଯୋଉ କଥା, ମା', ପର୍ଶୁ କହିଥିଲା, ‘ଆଜିକାଲି ଲକ୍ଷ ଲକ୍ଷ ପିଲାଙ୍କ ଭିତରେ କାହାର କୋଉ ର୍ୟାଙ୍କ ରହିବ, କିଏ ଜାଣିଛି ନା କିଏ କହିପାରିବ । ଆଗରୁ ସେଥିପାଇଁ କିଏ କେତେ ପ୍ରକାର କୋଚିଙ୍ଗ୍ ନଉଛନ୍ତି । ଏକ୍‍ଜାମ୍ ମାଟେରିଆଲ୍ ଆଣି ଦିନ ଦିନ ପ୍ରାକ୍‍ଟିସ୍ କରୁଛନ୍ତି । ହଜାରେ ପନ୍ଦର ଶହ ଭିତରେ ର୍ୟାଙ୍କ ରହିଲେ ହୁଏତ ଏଇଠି ପାଖରେ ହୋଇପାରେ, ଆଉ ଦି’ ପାଞ୍ଚ ହଜାର ଭିତରେ ରହିବ, ତେବେ ସରକାରୀ କଲେଜରେ ହବ ଯେ, ହେଲେ କୋଉ ରାଜ୍ୟରେ ହେବ କହି ହେବ ନାହିଁ, ସେଠି ତ’ ପୁଣି ଡବଲ୍ ଖର୍ଚ୍ଚ ପଡ଼ିଯିବ । ଯାହାବି ହଉ, ମତେ ପଢ଼ିବାର ଅଛି ।’

 

ମନି ତା’ର ଆହୁରି ପାଖକୁ ଯାଇ ତା’ ମୁଣ୍ଡ ଆଉଁଶିବାରେ ଲାଗିଲା । ତା'ପରେ କହିଲା, ‘ହେଲା ଏବେ, ତୁ ପଢ଼ାପଢ଼ି କର, ତୋ ର୍ୟାଙ୍କ କେତେ ରହୁଚି, ଆଗ ଦେଖିବା, ତା’ପରେ କିଛିବି ତ ଗୋଟେ ବ୍ୟବସ୍ଥା କରିବା ।’

 

ସାଧାରଣ ବର୍ଷା ଚାଲିଥିବା ମଝିରେ ହଠାତ୍ ବଡ଼ ଘଡ଼ଘଡ଼ିଟେ ମାରିବା ପରି ପର୍ଶୁ କ’ଣ ପାଇଁ କେଜାଣି, ଚିତ୍କାର କରିବା ଢଙ୍ଗରେ କହିଲା, ‘ତୋର ସବୁ ଆଗକଥାଯାକ ପଛରେ, ଆଉ ପଛ କଥାଯାକ ଆଗରେ ମା’ ! ଆଗ କୋଚିଙ୍ଗ୍ ନା ଆଗ ଏଣ୍ଟ୍ରାନ୍‍ସ୍ ? ତୁ ଏଣ୍ଟ୍ରାନ୍‍ସ୍ କଥା ତ’ ଜମା ଉଠାଉନୁ, ଏଣେ ପରୀକ୍ଷା ଆଉ ର୍ୟାଙ୍କ ! ଏବେ କୋଚିଙ୍ଗ୍ ସେଣ୍ଟରପାଇଁ ଲକ୍ଷେ ଦରକାର, ତା'ଛଡ଼ା ସେକେଣ୍ଡ୍ ହାଣ୍ଡ୍ ମଟର ସାଇକେଲ ପାଇଁ ନିହାତି ତିରିଶ । ମୁଁ କୋଉ ନୂଆ ମଟର ସାଇକେଲ ମାଗୁଚି କି ? ଆଉ ମଟର ସାଇକେଲ ନହେଲେ ସକାଳେ କୋଚିଙ୍ଗ୍ ସେଣ୍ଟର, ସେଠୁ ନ’ଟାରେ ଫେରିବା, ଦଶଟାରେ କଲେଜ, ସେଠୁ ଦୁଇରେ ଫେରିବା, ପୁଣି ହୋମ୍‍ୱାର୍କ କରି ତାକୁ ସନ୍ଧ୍ୟା ସାତଟାରେ କୋଚିଙ୍ଗ୍ ସେଣ୍ଟରରେ ଦାଖଲ କର, ବିନା ମଟର ସାଇକେଲରେ ମୁଁ ଏତେ କଥା ମାନେଜ୍ କରିପାରିବିନି ।’

 

ମନି ତା’ ଚେଆର୍‍ ଏପଟକୁ ବୁଲି ଆସି ଖଟରେ ବସିଲା, ବୁଝାଇବା ଢଙ୍ଗରେ ତାକୁ କହିଲା, ‘ଶୁଣ୍ ବାପା ! ଆମ ଘର, ପରିବାର, ଜେଜେମାଙ୍କ କଥା ଭାବ, ମୁଁ ଯାହା କହିଲି ଭଲରେ ଭାବ । ସରକାରୀ କଲେଜ ହେଲେ ହୁଏତ ଆମେ ସମ୍ଭାଳି ପାରିବା, ମୋ ପାଖରେ ସବୁ ସବୁ ମିଶି ଯାହା ଅଛି, ସେତକ ଯଦି ମୁଁ ଏବେଠାରୁ କୋଚିଙ୍ଗ୍ ସେଣ୍ଟର ଆଉ ବାଇକ୍ କିଣାରେ ଲଗେଇ ଦେବି, ତେବେ ଆଗକୁ ରହିବ କ’ଣ ? ହାତ ତ’ ଶୂନ୍ୟ ହେଇଯିବ, ତେଣିକି... ??’ ସ୍ଵପ୍ନଟା ଏଇ ଜାଗାରେ କ’ଣ ଗଡ଼ବଡ଼ ହେଇଗଲା । ଘରଟା ବଦଳିଗଲା ଲମ୍ବା ଚଉଡ଼ା ଏକ ବଗିଚାରେ, ଲୋକବାକ କେହି ନଥିଲେ, ଆଶ୍ଚର୍ଯ୍ୟ କଥା ମନିର ଦିଅର ଓ ସାନ ଯା’ ଦୂରରେ ଠିଆ ହୋଇଥିଲେ, ଖୁବ୍ ଦୂରରେ ଗୋଟେ ଛାଇପରି କିଏ ଚାଲିଗଲା, ପୂରା ତା’ ସ୍ୱାମୀ ମିହିର ଭଳିଆ, କିନ୍ତୁ ମିହିର ନୁହେଁ, କାରଣ ସେଠି କେହି ନଥିଲେ ! ସବୁଠୁ ବିଚିତ୍ର କଥା–ଶାଶୁ, ଯିଏକି ଢେର୍ ଦିନ ହେବ ଶଯ୍ୟାଶାୟିନୀ ସିଏ ଚାଲି ଚାଲି ଆସୁଥିଲେ ଏ ଆଡ଼କୁ, କିନ୍ତୁ ସାନ ଯା’ର ଡାକରେ ସିଆଡ଼କୁ ଚାଲିଗଲେ ।

 

ଯେମିତି ଦୃଶ୍ୟପଟ ବଦଳି ଯାଇଥିଲା, କେଜାଣି କେମିତି ପୁଣି ଆଉଥରେ ସବୁ ଏପଟ ସେପଟ ହେଇଗଲା । ଯିଏ ଯୁଆଡ଼େ ଉଭାନ । ଖାଲି ପର୍ଶୁ ଓ ମନି ! ଅବଶ୍ୟ ସେମାନେ ନିଜ ଘରେ ନଥିଲେ । ଆଉ ଗୋଟେ ଅଜଣା ଜାଗାରେ ଥିଲେ, ମା’ ଓ ପୁଅ । ‘ତେଣିକି ଘୋଡ଼ାଡିମ୍ବଟା ହେବ ମା’, ସେଇ ଟୋକା, ମାନେ ପର୍ଶୁ କହିଲା, ‘ତେଣିକି ଏକାଠି କରି ସେତକ ଟଙ୍କା ମତେ ଦେଇଦେଲେ ଏଇ ଆଗ ଛକ ମୁଣ୍ଡରେ ମୁଁ ଗୋଟେ ଭଲ ଡିଜାଇନବାଲା ପାନ ଦୋକାନ କରି ବସିବି, ମସ୍ତ ରୋଜଗାର ହବ ମା’ । ସକାଳ ସାତରୁ ରାତି ଦଶ, ମଝିରେ ଦି’ ଘଣ୍ଟା ରେଷ୍ଟ୍, ନିହାତି ଦିନକୁ ତ’ ଚାରି/ପାଞ୍ଚ ଶହ ବାହାରିବ, ଦୋକାନରେ ଏ ଟୁ ଜେଡ଼୍‍ ସବୁ ମିଳିବ ମା’ । ମନିର ଆଖି ଛଳଛଳ ହୋଇଯାଇଥିଲା । ଲୁଗାକାନିରେ ଲୁହପୋଛି ପୁଅକୁ ସେ କହିଥିଲା, ‘ତୁ ଏତେ ଉତ୍ୟକ୍ତ ହବାର କିଛି କାରଣ ନାହିଁ । ତୁ ଏମିତିରେ ବିଏସ୍‍ସି ଏମ୍ଏସି ପଢ଼ିଲେବି ଭଲ କରିବୁ । କେତେ ପ୍ରକାର ଚାକିରିପାଇଁ ଆପ୍ଲାଏ କରିବୁ । ତୋର ତ’ ଏତେ ଭଲ ଷ୍ଟାଣ୍ଡାର୍ଡ଼୍, ପୁଣି ଏତେ ଭଲ ବାହାର ନଲେଜ୍ ଯେ ତୁ ନିଶ୍ଚେ କିଛି ନା କିଛି ଭଲ ଚାକିରିଟେ... ।’

 

ଏଇଠି ମନିର କଥାରେ ବାଧାଦେଇ ଚିତ୍କାରଟେ କରି ସେ ଟୋକା ଠିଆ ହୋଇଯାଇଥିଲା । ମନି ଆଡ଼କୁ ପିଠିକରି ଉଚ୍ଚାରଣ କରିଥିଲା ସେଇ ଭୟଙ୍କର କଥା ପଦକ !

 

କହିଥିଲା, ‘ତୁ ଏତେକଥା ମତେ ବୁଝାନା ମା’ ! ମୂଳକଥା ହେଲା, ଆମ ପରିବାର ଦମ୍ ନାହିଁ ମତେ ପାଠ ପଢ଼େଇବାକୁ, ପାଠ ମାନେ ମେଡ଼ିକାଲ କି ଇଞ୍ଜିନିୟରିଙ୍ଗ କି ଏମ୍‌ବିଏ । ଆଉ ଏଇଟା ପଢ଼ିଲେ ସେଇଟା ହବ, ସେଇଟା ପଢ଼ିଥିଲେ ଏଇଟା ହେଇଥାନ୍ତା, ଏସବୁ କଥାରେ କିଛି ମୂଲ୍ୟ ନାହିଁ । ତୁ ଯଦି ଇଚ୍ଛା କରନ୍ତୁ, ମୋତେ କ’ଣ ପଢ଼ାଇ ପାରନ୍ତୁ ନାହିଁ ? ମନିର ଏଇ ମୁହୂର୍ତ୍ତରେ ଅନୁଭବ ହୋଇଥିଲା ଯେ ପର୍ଶୁ କୌଣସି ବାସ୍ତବତା ବୁଝିବା ପରି ଅବସ୍ଥାରେ ନାହିଁ । କେମିତି ଏକ ଆକ୍ରମଣାତ୍ମକ ମନୋଭାବ ନେଇ କଥାବାର୍ତ୍ତା କରୁଥିଲା ସେ । କହିଲା, ‘ତୁ କ’ଣ ଭାବୁଚୁ କୋଉ ମା’ ଚାହେଁନା ଯେ ତା' ପୁଅ କି ଝିଅ ପାଠପଢ଼ୁ ବୋଲି ? ସେ କଥା ନୁହେଁ । ମୂଳ କଥା ହେଲା ସମ୍ବଳ । ଯଦି ତୋ ବାପା ଆଜି ଥାନ୍ତେ, ଆମେ କ’ଣ ଏତେ କଥା ଆଲୋଚନା କରୁଥାନ୍ତେ ? ମୋର କହିବା କଥା ଏତିକି ଯେ ତୁ ସବୁ ପରୀକ୍ଷା ଦେ’, କେତେ ର୍ୟାଙ୍କ୍ ରହୁଚି ଦେଖିବା, କିଛି ନହେଲେ ଯେକୌଣସି ବ୍ୟାଙ୍କ୍‍ରୁ ଲୋନ୍ ତ କରିପାରିବା ?'

 

‘ଏଠି ଏଣ୍ଟ୍ରାନ୍‍ସ୍ କି ର୍ୟାଙ୍କ୍ କଥା ପଡ଼ିନି', ପର୍ଶୁ ଚିଲେଇଥିଲା, ଏଠି ଆଗ କୋଚିଙ୍ଗ୍ ସେଣ୍ଟର ଓ ବାଇକ୍ କିଣା କଥା ପଡ଼ିଥିଲା । ତୁ ଖାଲି କଥା ବୁଲଉଚୁ ମା’ । ସେଇ ଗୋଟାଏ କଥା ଆମେ ଘଣ୍ଟେ ହେଲାଣି ଚିଲେଇଚେ ! ଟଙ୍କା କ’ଣ ଏମିତି ଅଭାବ ହଉଚି ? ଅଙ୍କଲ୍ ମରିଯିବା ପରେ ଶୀଲା ଆଣ୍ଟି ତ’ ପୁଣି ଦୁଇ ପୁଅଙ୍କୁ ଇଞ୍ଜିନିୟରିଙ୍ଗ ପଢ଼ାଉଛନ୍ତି । ସେ ତ ବେଶ୍ କଷ୍ଟରେ ଥିଲେ, ତା’ପରେ ତ’ ଚାକିରି କଲେ । ତୁ ଘରେ ବସିଲୁ । ଚବିଶିଘଣ୍ଟା ଏଇଟା କରନା, ସେଇଟା ଖାଅନା, ସେଠିକି ଯାଅନା, ୟାକୁ ଛୁଅଁନା–ଖାଲି ଏମିତିରେ ତ ସ୍କୁଲ୍‍ବେଳଟା କଟିଗଲା । ଠିକ୍ ବଡ଼ କାମଟେବେଳକୁ ଟଙ୍କା ନାହିଁ ।’ ଏଥର ସାମାନ୍ୟ ଚଢ଼ା ଗଳାରେ ମନି କହିଥିଲା, “ଆରେ ଶୀଲା ଆଣ୍ଟିଙ୍କର କ୍ୱାଲିଫିକେସନ୍ ଥିଲା, ସେ ଆଗରୁ ଗ୍ରାଜୁଏଟ୍ ଥିଲେ, ପରେ ଘରୋଇଭାବେ ନାଇଟ୍ କଲେଜ ମାଧ୍ୟମରେ ଏମ୍ଏ ପାସ୍ କଲେ । ଏତିକି ମତେ ଜଣା । ତା'ପରେ ସେ କି ଚାକିରି କଲେ କି କ’ଣ କରୁଛନ୍ତି, ସେସବୁ ମତେ ଜଣା ନାହିଁ । ମତେ ତ ମୋ ସଂସାର ବୁକା । ପର୍ଶୁ ଗରଗର ହେଇ ଛିଗୁଲେଇବା ପରି କହିଲା, ‘ତତେ କାହିଁକି ଜଣା ହବ ମ’ । ତୁ ତ’ ତାଙ୍କୁ ଦେଖିବାମାତ୍ରେ ବିରକ୍ତ ହେଉ । ସତେ ଯେମିତି ସେ ସାପ କି ବେଙ୍ଗ । ଛି ! ଏମିତି ରୋଲ୍ କରୁ ଯେମିତି ଯେତେ ଶୀଘ୍ର ସେ ଆମ ଘରୁ ଯାଆନ୍ତୁ ।’

 

‘ସେକଥା ନୁହେଁ, ମନି କହିଲା, “କ’ଣ କାମ ଥିବା କୋଉ ଦିନ ।’

 

‘ଜମା ନୁହେଁ, ବଡ଼ପାଟିରେ ଚିତ୍କାର କଲା ପର୍ଶୁ, ତତେ ଠିକ୍ ଜଣାଥିଲା ଶୀଲା ଆଣ୍ଟିଙ୍କ କଥା, ହେଲେ ତୋର ଜିଦି ଲାଗି ସବୁ...।’

 

ତା’କଥା ମଝିରେ ମନି ପଚାରିଲା, ‘କି ଜିଦି ? କି କଥା ? ତୋ’ ମୁଣ୍ଡ କାମ କରୁଚି ତ-?? ଏଇଠି ପରମାଣୁ ବମ୍‍ଟେ ପକାଇବା ଭଙ୍ଗୀରେ କଥାଟା କହିଥିଲା ପୁଅ ପର୍ଶୁ । ‘ଶୁଣ୍ ମା’ ତୋ’ ସହ ବକ୍‍ବକ୍ କରି ସମୟ ନଷ୍ଟ କରି ଲାଭ ନାହିଁ । ତୁ କ’ଣ ଜମା ଜାଣିଥିବୁ କି ଶୀଲା ଆଣ୍ଟି ଜଣେ କଲ୍‍ଗାର୍ଲ ବୋଲି ? ଜମା ଜାଣିଥିବୁ କି ସେ ଏସ୍‍କର୍ଟ କାମ କରନ୍ତି ବୋଲି ? କଲ୍‍ଗାର୍ଲ ଆସାଇନ୍‍ମେଣ୍ଟରେ ଗଲେ ସେ ତ’ ଘଣ୍ଟେ ଦୁଇଘଣ୍ଟା ହିସାବରେ ରୋଜଗାର କରୁଛନ୍ତି; ଆଉ ଏସ୍‍କର୍ଟ ଭାବରେ କୋଉ ବଡ଼ ବିଜିନେସ୍‌ମ୍ୟାନ୍ କି କମ୍ପାନୀ ଅଫିସର ସାଙ୍ଗରେ ସହର ଛାଡ଼ି ଦୁଇ/ତିନି/ ଚାରିଦିନ ପାଇଁ ଗଲେ ତା’ର ଏକକାଳୀନ ମିନିମମ୍ ଲକ୍ଷେ କି ବେଶୀ...’

 

ପର୍ଶୁର କଥାର ଏଇ ଜାଗାରେ ମନି ପରିଣତ ହୋଇଥିଲା ଡାଳପତ୍ର ଫୁଲଫଳ ନଥିବା କୋଉ ଅଜଣା ଗଛର ଗଣ୍ଡିରେ କିମ୍ବା ବର୍ଷ ବର୍ଷ ଧରି ଠିଆ ହୋଇଥିବା ଏକ ଢଳେଇ ଖୁଣ୍ଟରେ ଯେଉଁଠି କିଛି କାମହିଁ ହେବାର ନଥିଲା । ଘରେ କି ବାହାରେ ପବନ ନଥିଲା । ମନିର ଆଖି ଖୋଲା ଥିଲା, ଅଥଚ ସେ କିଛି ଦେଖୁ ନଥିଲା, କାନ ଭଲ ଥିଲେବି ତାକୁ କିଛି ଶୁଣାଯାଉ ନଥିଲା ।

 

ପର୍ଶୁର ଧାରଣା ହେଲା କି ମା’ର ଶରୀରରୁ ଜୀବନ ଚାଲିଗଲା କି କ’ଣ !

 

ସେ ଧୀରେ ଡାକିଲା, ‘ମା’ ! ମା’’ !

 

ମନିର ଡାହାଣ ହାତ ତୀବ୍ର ଗତିରେ ଘୂରି ଆସିଲା, ପ୍ରଚଣ୍ଡ ଏକ ଶକ୍ତିରେ ଠାଏ କରି ଚାପୁଡ଼ାଟେ ବସିଲା ପୁଅର ଗାଲରେ ! ପ୍ରାୟ ଏତିକି ଜୋରରେ ସେ ମାରିଥିଲା ଆଉ ଜଣକୁ, ଗାଁରେ, ଆଜିକୁ ଅନେକ ବର୍ଷ ତଳେ, ସଞ୍ଜବେଳେ ପାୱାରକଟ୍ ସମୟର ଅନ୍ଧାରରେ । ତାକୁ ମାଟ୍ରିକ୍ ସମୟରେ ପଢ଼ାଇବାକୁ ଆସୁଥିବା ଟୋକାଟାକୁ । ଅନ୍ଧାରରେ ସେ ଖୁବ୍ ଧୀରେ ତାକୁ ଆଉଜାଇ ନେଇଥିଲା ନିଜ ଆଡ଼କୁ ଏବଂ ମନି କିଛି ଭାବିବା ଆଗରୁ ତା' ଦେହରେ ହାତ ବୁଲେଇ ନେଇଥିଲା । ସେହିଦିନଠାରୁ ସେ ଆଉ ଆସି ନଥିଲା । ଛି ! ଛି !

 

ୟା’ ପରର କଥାସବୁ ଆପଣମାନେ ଜାଣନ୍ତି । ପର୍ଶୁର ରୁମ୍‍ରୁ ବାହାରି ଆସିଥିଲା ଏବଂ ସେଇ ଦିନ ରାତିରେ ତା’ ସ୍ୱାମୀ ମିହିର ଢେର୍ ଦିନ ତଳେ କିଣି ଲୁଚେଇ ରଖିଥିବା ରିଭଲ୍‍ଭର୍ ବାହାର କରି ସେଇଦିନ ରାତିରେ, ପର୍ଶୁ ଶୋଇଯିବା ପରେ ତାକୁ ଗୁଳି କରି ମାରିଦେବ ବୋଲି ମନ ସ୍ଥିର କରିସାରିଥିଲା । ପର୍ଶୁର ବେଡ଼୍ ପାଖରେ କେତେ ସମୟ ଠିଆ ହୋଇ ଫେରି ଆସିଥିଲା-

 

ଆଜି ସ୍ୱପ୍ନରେ ପୁଣିଥରେ ଘଟଣାଟି ଚଳଚ୍ଚିତ୍ର ପରି ଦେଖିବା ପରେ ତା' ଦେହ–ହାତ–ଆତ୍ମା ଜଳିବାରେ ଲାଗିଛି । ସେ ଟୋକା ତା’ ରୁମ୍‍ରେ ଥାଇପାରେ, କିମ୍ବା କ୍ରିକେଟ୍ ପ୍ରାକ୍‍ଟିସ୍ ପାଇଁ ଯାଇଥାଇପାରେ । ମନକୁ ଦୁର୍ବଳ କଲେ ଚଳିବ କି ?

 

ଏମିତି ଅଭିନୟ କରିବାକୁ ହବ, ଯେମିତି ସେ ଟୋକା ସୁରାକବି ପାଇବ ନାହିଁ ଯେ ମନି ରିଭଲ୍‍ଭର୍ ବାହାର କରି ରଖିଛି ଖାସ୍ ତାକୁ ମାରିବାପାଇଁ !

 

ଆଜି ରାତିରେ କାମ ଶେଷ କରିବାକୁ ପଡ଼ିବ !

 

ଆଚ୍ଛା–ଏଥର ଆମ ଆଗରେ ଏକ ବିରାଟ ପ୍ରଶ୍ନ ! ମନି ତା’ ପୁଅ ପର୍ଶୁକୁ ମାରିଥିଲା କି ନାହିଁ ?

 

ହଁ, ମାରିଦେବା ଉଚିତ ଥିଲା କି ନାହିଁ ?

☆☆☆

 

ବାସ୍ନା

 

ଯେଉଁ ସମୟରେ ଆଦିତ୍ୟ ନାରାୟଣ ରାଜ୍ୟର ଅନ୍ୟତମ ପ୍ରମୁଖ ଉଚ୍ଚ ପଦବୀଧାରୀ ଅଧିକାରୀ ଥିଲେ, ସେତେବେଳେ ବିଭିନ୍ନ ସମ୍ବାଦପତ୍ରରେ ତାଙ୍କ ମନ୍ତବ୍ୟ ପ୍ରକାଶ ପାଉଥିଲା ତଥା ସ୍ଥାନୀୟ ଟିଭି ଚ୍ୟାନେଲମାନଙ୍କରେ ତାଙ୍କ ପ୍ରଦତ୍ତ ବାଇଟ୍ ପ୍ରସାରିତ ହେଉଥିଲା । ତାଙ୍କ ନାମରେ ଯଦିଓ କିଛି ଦୁର୍ନୀତି ଅଭିଯୋଗ ଆସିଥିଲା, ତାହା ପ୍ରମାଣିତ ହୋଇପାରି ନଥିଲା । ତେବେ ସେ ଯେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଏକଥା ଖୁବ୍ କମ୍ ଲୋକ ବିଶ୍ୱାସ କରୁଥିଲେ । ସବୁ ସତ୍ତ୍ଵେ ତାଙ୍କର ସୁନାମ ଅତୁଟ ଥିଲା । ସେ ସଚ୍ଚୋଟ, ନିର୍ମଳ, ସଚ୍ଚରିତ୍ର, କର୍ମଠ, ତୁରନ୍ତ ଫାଇଲ୍ କ୍ଲିଅର୍ କରିବା ଦକ୍ଷତା ରଖିଥିବା ଅଧିକାରୀଭାବେ ଜଣାଶୁଣା ଥିଲେ । ଖୁବ୍ କମ୍ ଲୋକେ ତାଙ୍କୁ ଉପରିସ୍ଥମାନଙ୍କର ବିଶେଷତଃ ରାଜନୈତିକ ନେତାମାନଙ୍କର ବଚସ୍କର ବୋଲି କହିବାର ସାହସ କରୁଥିଲେ; ଅଥଚ ଏକଥା ମଧ୍ୟ କେବେ ଶୁଣା ନଥିଲା ଯେ ସେ ଉପରିସ୍ଥମାନଙ୍କୁ କେବେ ଅବମାନନା କରିଥିଲେ ଅବା ଅପମାନିତ କରିଥିଲେ ବୋଲି । ବରଂ ଏକଥା କହିବା ଯଥାର୍ଥ ଯେ ତାଙ୍କର ଜନପ୍ରିୟତା ଓ ଆଦର ବୁଦ୍ଧିଜୀବୀ ମହଲରେ ଅତୁଟ ଥିଲା, କାରଣ ସେ ମଝିରେ ମଝିରେ ପତ୍ରପତ୍ରିକାରେ କବିତାଟେ କି ଗପଟେ କି ପ୍ରବନ୍ଧଟେ ଲେଖୁଥିଲେ । କେବେକେବେ ସାହିତ୍ୟ ସଭା ଓ କବିତା ଆସରରେ ଯୋଗ ଦେବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ରରେବି ଯୋଗ ଦେଉଥିଲେ । ଏସବୁ ସହ ଆଉ ଯାହା ତାଙ୍କୁ ଜନପ୍ରିୟ କରାଇଥିଲା, ତାହା ହେଉଛି ତାଙ୍କର ସଦା ହସହସ ମୁଖମଣ୍ଡଳ ଏବଂ ପ୍ରାୟ ଲୋକଙ୍କ ସହ କରମର୍ଦ୍ଦନ । ଯେବେ ଯେବେ କେହି ତାଙ୍କୁ ତାଙ୍କ ବିଷୟରେ ପଚାରୁଥିଲା, ‘ଏବେ କ'ଣ କହିବାର ଅଛି’, ବୋଲି କହି ସେ ଏଡ଼ାଇ ଯାଉଥିଲେ, କହୁଥିଲେ ଯେ ସୁବିଧା ହେଲେ ସେ ନିଜ ଜୀବନୀ ଲେଖିବେ ଓ ସେଇଥିରେ ସବୁକଥା ଲେଖିବେ । ପଦବୀରେ ଥିବାବେଳେ କେତେଜଣ ଯୁବ ଲେଖକ ଓ ସାମ୍ବାଦିକ ଦେଖାହେଲେ ତାଙ୍କୁ ଶୁଣାଉଥିଲେ, ‘ଆପଣ ଆରମ୍ଭ କରନ୍ତୁ, ଲେଖାଲେଖିରେ ଆମେ ସାହାଯ୍ୟ କରିବୁ । ଆପଣତ ଖୁବ୍ ବ୍ୟସ୍ତ ଲୋକ, ଇଚ୍ଛାଥିଲେବି ଲେଖିବା କଷ୍ଟ । କହିଲେ ବରଂ ଆମେ ଘରକୁ ଯାଇ ଡିକ୍‍ଟେସନ୍ ନେଇ ଆସିବୁ, ଡିଟିପି ହେବାପରେ ଆପଣ ଟିକେ ଆଖି ପକେଇ ଦେଲେ ଭଲ ପ୍ରେସ୍‌କୁ ଦେଇଦେବା ।'

 

ଅତ୍ୟୁତ୍ସାହୀ ଜଣେ କହିଥିଲା, ‘ଦେଖିବେ ସାର୍ ! ଆପଣଙ୍କ ଆତ୍ମଜୀବନୀ ପ୍ରକାଶ ପାଇଲେ ସାହିତ୍ୟ ଜଗତରେ ଚହଳ ପଡ଼ିଯିବ । ଆପଣ ଦେଖିବେ, ଆମ ଭାଷାର ସବୁଠାରୁ ଭଲ ଆତ୍ମଜୀବନୀ ହେବ ଏଇ ଗୋଟିକ ।”

 

ଏମିତିକା ମନ୍ତବ୍ୟ ଶୁଣିବା ସମୟରେ ସେ ସ୍ଵଭାବସୁଲଭ ଢଙ୍ଗରେ ମଧୁର ହସଟେ ହସୁଥିଲେ, କହୁଥିଲେ, ‘ସମୟ ଆସୁ, ନିଶ୍ଚେ ଲେଖିବା । ଆପଣମାନଙ୍କ ବିନା ସହଯୋଗରେ ସେ କାମ କ’ଣ କେବେ ସମ୍ଭବ ହେବ କି ?' ଅବଶ୍ୟ ସେତେବେଳେ ସେ ସଂସ୍କୃତି ବିଭାଗରେ ଥିଲେ ।

 

ଏବେ ଆଦିତ୍ୟ ନାରାୟଣଙ୍କର ଅବସର ନେବାର କାହିଁ କେତେ ବର୍ଷ ହୋଇଗଲାଣି । ନା ତାଙ୍କ କବିତା ବା ଗପ ବା ପ୍ରବନ୍ଧ କେଉଁଠି ପ୍ରକାଶ ପାଉଚି, ନା କେହି ତାଙ୍କୁ ଆଗପରି ଲେଖା ମାଗୁଛି ! ସରକାରୀ ବଙ୍ଗଳା ଛାଡ଼ିବା ପରେ ସେ ନିଜ ଘରେ କେବେଠାରୁ ରହିଲେଣି । କିଏ କାହିଁ ଆସିବ ? ମାନେ ଏ ଯେଉଁ ଉତ୍ସାହୀ ଲେଖକ ଓ ସାମ୍ବାଦିକ ଅନେକ ସମୟରେ ଆସୁଥିଲେ, ସେମାନଙ୍କ ପତ୍ତା ନଥିଲା । ଅବଶ୍ୟ ଆଦିତ୍ୟ ନାରାୟଣ ନିଜ ଆଡ଼ୁ କେବେ କାହାକୁ ଫୋନ୍ କରି ନଥିଲେ । ଗପ ଲେଖା ତାଙ୍କଦ୍ୱାରା ହେବ ନାହିଁ, ଏକଥା ସେ ଭଲଭାବେ ଜାଣିଥିଲେ । ପ୍ରବନ୍ଧ କି ସହଜରେ ହୋଇଥାଏ ? ପୁଣି ଅବସର ପରେ ? ଯାହା କେବେ କେମିତି କବିତାଟେ ଲେଖୁଥିଲେ-। ଦଶଟା ପଠେଇଲେ ଚାରି/ପାଞ୍ଚଟା ବାହାରୁଥିଲା । ଜଣେ ଖୁବ୍ ସଚେତନ ବୁଦ୍ଧିଜୀବୀ ଭାବରେ ତାଙ୍କୁ ବେଶ୍ ଭଲଭାବେ ଜଣାଥିଲା ଯେ ଯଦି ସେ କେଉଁ ଯୁବ ସାହିତ୍ୟିକ କି ସମ୍ପାଦକଙ୍କୁ ଫୋନ୍ କରି ଡକାଇବେ, ତେବେ କେହି ହୁଏତ ଆସିବେ ନାହିଁ । ପ୍ରାୟ ଅର୍ଦ୍ଧ ଶତାଧିକ ଅବସରପ୍ରାପ୍ତ ଉଚ୍ଚପଦାଧିକାରୀ ସାହିତ୍ୟିକ, ସମ୍ପାଦକ ଓ ସାହିତ୍ୟ ଆସର ଆୟୋଜକମାନଙ୍କୁ ଏମିତି ବ୍ୟସ୍ତ ବିବ୍ରତ କରାଇ ରଖୁଥିଲେ ଯେ ଯୁବଗୋଷ୍ଠୀ ସେମାନଙ୍କୁ ଡାକରା କି ଫୋନ୍ କଲ୍ ପାଇଲେ ପ୍ରମାଦ ଗଣୁଥିଲେ । କାରଣ ସବୁ ଥିଲା ସର୍ବଜନ ବିଦିତ ଓ ସ୍ଵାଭାବିକ ।

 

କେହି ଅବସରପ୍ରାପ୍ତ ଅଧିକାରୀ କହୁଥିଲେ : କିହୋ ! ମୋ ଲେଖାଟି ସବା ଆଗ ଛାପିବଟି ? ପୁଣି ଆଉ କେହି କହୁଥିଲେ : ଅମୁକଙ୍କ ଲେଖାଟି ପଛକୁ ରଖିବ, ମୋରଟି ଯେପରି ଆଗ ! ପୁନଶ୍ଚ କେହି ମୁର୍କି ହସି କହୁଥିଲେ : ତମ ବାର୍ଷିକ ଉତ୍ସବକୁ ଆମକୁ ଡାକୁଚ ତ ? ଡାକିବ ତ ନିଶ୍ଚୟ, ହେଲେ ତଳେ ବସିବା ନା ଏଥର ଉପରେ ବସେଇବ ?

 

ଏହିପରି କଥା ସବୁ ଯୁବଗୋଷ୍ଠୀଙ୍କୁ ଅର୍ଦ୍ଧଶତାଧିକ ଅଧିକାରୀ ସାହିତ୍ୟିକମାନଙ୍କଠାରୁ ଦୂରେଇ ରଖିଥିଲା । ଏମାନଙ୍କ ମଧ୍ୟରୁ ଯଦ୍ୟପି କାହାକୁ ମୁଖ୍ୟ ଅତିଥି ବା ବିଶିଷ୍ଟ ଅତିଥି ବା ମୁଖ୍ୟବକ୍ତା କରି ଡକାଯାଉଥିଲା ମାନେ ନିମନ୍ତ୍ରଣ ପତ୍ରରେ ଯଦି ଏମାନଙ୍କ ନାଁ ଛପା ହେଉଥିଲା, ତେବେ ସଭାଦିନ ନିର୍ଦ୍ଦିଷ୍ଟ ସମୟର ଘଣ୍ଟାଏ ପୂର୍ବରୁ ଯୁବ ଆୟୋଜକଙ୍କୁ ଗାମ୍ଭୀର୍ଯ୍ୟଭରା ସ୍ଵରରେ ଗାଡ଼ି ପଠାଇବାକୁ କହୁଥିଲେ । ଇଏ ଏପଟୁ କହୁଥିଲେ, ‘ମୁଁ ଭାବିଥିଲି ଆମେ ଯିବା ଦରକାର ହେବ ନାହିଁ, ଆପଣ ନିଜ ଗାଡ଼ିରେ ଆସିବେ ।’ ସିଏ ଶୁଣାଉଥିଲେ, “ଆରେ ଆମ ଗାଡ଼ି ୱାଇଫ୍ ନେଇ ପାର୍ଲର ଯାଇଛନ୍ତି ।’

 

ଏହିପରି ଅନେକ କିଛି କାରଣ ଥିଲା ଅବସରପ୍ରାପ୍ତ ଉଚ୍ଚ ପଦାଧିକାରୀମାନଙ୍କଠାରୁ ଦୂରରେ ରହିବାପାଇଁ । ଏମାନଙ୍କୁ ଦେଖି ଅନେକ, ବିଶେଷକରି ଯେଉଁମାନେ ଏମାନଙ୍କ ଅଧସ୍ତନ ଥିଲେ, ସେମାନେ ମୁହଁ ବୁଲାଇ ଚାଲି ଯାଉଥିଲେ । କାରଣ ଥିଲା ଅତ୍ୟନ୍ତ ସରଳ । ଦେଖାହେଲେ ଏମାନେ କାହାକୁ କଥା କହିବାର ସୁଯୋଗ ନଦେଇ ନିଜ ନିଜର ବାହାଦୁରି ବଡ଼ ସରଳ ଭାଷାରେ ଗପୁଥିଲେ ।

 

ଏମାନଙ୍କର ସମସ୍ତ ଆଡ଼ମ୍ବର, କୌଶଳ, ଆଧିପତ୍ୟ ତଥାପି ଜାହିର କରିବାର ମାନସିକତା ଜାରି ରହିଥିବା ସତ୍ତ୍ଵେ ଅନ୍ତରର ଦୈନ୍ୟ ସେମାନଙ୍କୁ ଭିତରେ କାଙ୍ଗାଳ କରିସାରିଥିଲା । ଅନ୍ତରର ଦୈନ୍ୟ, ଅସରନ୍ତି ସାରସ୍ଵତ ବୈକଲ୍ୟ ଏବଂ ମାନସିକ କାଙ୍ଗାଳପଣିଆକୁ ଅବଶ୍ୟ ଆଦିତ୍ୟ ନାରାୟଣ ଢେର୍ ଆଗରୁ ଚିହ୍ନି ପାରିଥିଲେ ! କେହି ତାଙ୍କୁ ଘୃଣା ନ କରୁ, କେହି ତାଙ୍କୁ ବୋଝ ବୋଲି ନ ଭାବୁ, ତାଙ୍କର ଉପସ୍ଥିତି କାହାକୁ ଅପ୍ରସ୍ତୁତ ନ କରାଉ; ଏଥିପ୍ରତି ସେ ଥିଲେ ଯଥେଷ୍ଟ ସଚେତନ । ମନ ହେଲେ କେବେକେବେ ସେ କୋଉ କବିତା ପାଠୋତ୍ସବକୁ ଯାଉଥିଲେ ତ କୋଉ ସାହିତ୍ୟ ସଭାକୁ ଯାଉଥିଲେ । ଯେଉଁଠାକୁ ଗଲେବି ସେ ଯଥାସମ୍ଭବ ନିଜକୁ ଭିଡ଼ଠାରୁ ଦୂରେଇ ରଖୁଥିଲେ । ଯଦିବା ଚାରି ପାଞ୍ଚ ଜଣିଆ ଦଳ ଭିତରେ ପଡ଼ିଯାଉଥିଲେ, ଖୁବ୍ ଅନ୍ତରଙ୍ଗତାର ସହ ମିଶୁଥିଲେ, ଯଦିଓ ସଚେତନଭାବେ କମ୍ କଥା କହୁଥିଲେ । ଆଦିତ୍ୟ ନାରାୟଣଙ୍କର ପେନ୍‍ସନ୍ ଟଙ୍କା ଯଥେଷ୍ଟ ଥିଲା । ତେବେ ତାଙ୍କର ଡ୍ରାଇଭର କି ରୋଷେଇଆ କି ମାଳୀ ନଥିଲେ । କେବଳ ସକାଳ ଓ ସଞ୍ଜରେ ବାସନ ମାଜିବା, ଘର ଓଳେଇବା ଓ ଲୁଗା କାଚିବାପାଇଁ ଜଣେ ଆସୁଥିଲା । ବାସ୍, ସେତିକି ।

 

ତାଙ୍କର ତିନିଟି ଶୟନକକ୍ଷ ବିଶିଷ୍ଟ ଘରଟି ବେଶ୍ ସୁଦୃଶ୍ୟ ଥିଲା । ତିନି ହଜାର ବର୍ଗଫୁଟ୍ ଜାଗାରେ ଥିଲା ମାତ୍ର ଚଉଦଶହ ବର୍ଗଫୁଟ୍‍ର ଘର ! ତାଙ୍କ ଅଧୀନରେ ବା ତାଙ୍କ ସହକର୍ମୀ କେବେକେବେ ଏଡ଼େ ଛୋଟ ଘର କରିବାର କାରଣ ସମ୍ପର୍କରେ ଅବଶ୍ୟ ପଚାରିଥିଲେ । ତାଙ୍କର ଅନେକ ଜାଗା ଓ ଘର ଥିବା ସମ୍ପର୍କିତ ଅନେକ ଗୁଜବ ଓ ଉଡ଼ା କଥା ଧୀରେ ଧୀରେ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇ ସାରିଥିଲା ଅନ୍ୟ ଏକ ଧାରଣା ଯେ ସେ ହାରାହାରି ଦଶକୋଟି ଟଙ୍କା ଲୁଚେଇ ରଖିଥିଲେ !

 

ଚାକିରିକାଳ ଭିତରେ ସେ ଯେମିତି ଚଳିଆସିଥିଲେ, ଚାକିରିରୁ ଅବସର ନେବାପରେବି ସେମିତି ବାଟରେ ଘାଟରେ ଚିହ୍ନା ଲୋକଟିଏ ଭେଟ ହେଲେ ସେ ହସୁଥିଲେ, କରମର୍ଦ୍ଦନ କରୁଥିଲେ ଓ ଲୋକଟି ଭିତରେ ଅସନ୍ତୁଷ୍ଟ ହେବା ଆଗରୁ କଥାସାରି ଚାଲିଯାଉଥିଲେ । ସେ ରଖିଥିଲେ ଗୋଟିଏ କାର୍, ଯାହା କିଣା ଯାଇଥିଲା କାହିଁ କେତେବର୍ଷ ତଳେ, ଯେବେ ତାଙ୍କ ପୁଅକୁ ପାଞ୍ଚବର୍ଷ ହୋଇଥିଲା । କେତେଥର ସଜଡ଼ାସଜଡ଼ି, ରଙ୍ଗହେବା ପରେବି ସେ କାର୍ ଠିକ୍ ଅଛି ! ଆଜିକାଲି ରାସ୍ତାଘାଟରେ ଯେପରି ଭିଡ଼ ଏବଂ ଗାଡ଼ି ପାର୍କିଙ୍ଗ୍ କରାଇବାର ଯୋଉ ଅସୁବିଧା, ସେଥିପାଇଁ ସେ କିଣିଛନ୍ତି ଗୋଟେ ଗିଅର୍‍ଲେସ୍ ସ୍କୁଟର୍‍ । ସେଥିରେ ପ୍ରାୟ ଅନେକ କାମ ସେ ନିଜେ ନିଜେ କରିପକାନ୍ତି, ସକାଳୁ କ୍ଷୀର ଆଣିବା, କେବେକେବେ ଶାଗ କି କଖାରୁ ଫୁଲ ଆଣିବା, କି ମାଛ କି ଅଣ୍ଡା ଆଣିବା, ଟେଲିଫୋନ୍ କି ବିଜୁଳି ବିଲ୍ ଦେବା ଇତ୍ୟାଦି କାମ ସେ ସ୍କୁଟର୍‍ରେହିଁ କରନ୍ତି । ତାଙ୍କୁ ଖୁସି ଲାଗେ ଯେ ସେ ନିଜ ମନଇଚ୍ଛା ଘୂରି ପାରୁଛନ୍ତି । ତାଙ୍କର କେଶ ସମ୍ପୂର୍ଣ୍ଣ ସଫେଦ ହୋଇସାରିଥିଲେବି ତାଙ୍କର ଉତ୍ସାହ ବା କର୍ମ ପ୍ରବଣତା ଊଣା ହୋଇନାହିଁ । ତାଙ୍କୁ ସ୍କୁଟର୍‍ ଚଳାଇ ବୁଲୁଥିବାର କେହି ପୁରୁଣା କର୍ମଚାରୀ ଦେଖିଲେ ହୁଏତ କହୁଥିବ : ବୁଢ଼ା, ପେଟ୍ରୋଲ୍‍ ଖର୍ଚ୍ଚ ଭୟରେ କାର୍ ବାହାର କରୁନାହିଁ ! ପୁନଶ୍ଚ କେହି ହୁଏତ ତାଙ୍କର ଅତି ପୁରୁଣା ଗାଡ଼ି ଚଳାଇବା ଦେଖି କହୁଥାଇପାରେ : ପଇସା କାହିଁକି ରଖିଚି ବୁଢ଼ା କେଜାଣି ! ଆଜିକାଲି କାର୍ କେତେ ଶସ୍ତା ହେଲାଣି, ବୁଢ଼ା ସେଇ ବୁଢ଼ୀ ଗାଈ ରଖିଛି !

 

ଏସବୁ ଭିତରେ ଆଦିତ୍ୟ ନାରାୟଣଙ୍କର ଗୋଟାଏ ଅତି ମହାର୍ଘ ଅନୁଭବ ହୋଇଛି ଯେ ଚାକିରି କାଳ ଭିତରେ ଯେତେ କମ୍ ଲୋକଙ୍କ ସହ ମୁହଁ ଚିହ୍ନାହେବ, ଅବସରକାଳୀନ ସମୟ ଓ ଜୀବନପାଇଁ ସେତେ ଭଲ । ସେହିପରି ବେଶୀ ଲୋକଙ୍କ ସହ ନିବିଡ଼ ଓ ଅନ୍ତରଙ୍ଗ ହେବ ନାହିଁ ! ଲୋକଙ୍କ ସହ ମୁହଁ ଚିହ୍ନା ନଥିଲେ ଜଣେ ଅବସରପ୍ରାପ୍ତ ଉଚ୍ଚପଦାଧିକାରୀ ସର୍ବନିମ୍ନ ଯେଉଁ କେତୋଟି କାର୍ଯ୍ୟ ନିର୍ବିଘ୍ନରେ କରିପାରିବ, ସେସବୁର ଏକ କ୍ଷୁଦ୍ର ତାଲିକା ଆଦିତ୍ୟ ନାରାୟଣ ମନେମନେ ତିଆରି କରିଥିଲେ ।

 

ରାସ୍ତାକଡ଼ରେ ଠିଆ ହୋଇ ଗୁପ୍‍ଚୁପ୍ ଖାଇପାରିବ । କୌଣସି ପ୍ରଦର୍ଶନୀରେ ଆରାମରେ ଘୂରି ପାରିବ, କୌଣସି କାର୍‍ରେ ଘଣ୍ଟା ଦି'ଘଣ୍ଟା ବସିପାରିବ, କୌଣସି ମନ୍ଦିରରୁ ବାହାରି ମଦ ଦୋକାନରୁ ମଦ କିଣିପାରିବ, କଲିଜା କିମା ଖାଇବାପାଇଁ ରାସ୍ତାକଡ଼ ଢାବାର ଦଉଡ଼ିଆ ଖଟ ଉପରେ ନିଶ୍ଚିନ୍ତରେ ବସିପାରିବ, ବାଟରେ ଯିବାବେଳେ କାର୍ ଥୋଇ କୋଉ ଗୋଟେ ଚା’ ଦୋକାନରୁ ଚା’ ପିଇବାବେଳେ ସେଠି ଜମିଥିବା ଅଳ୍ପ ଶିକ୍ଷିତ ଅଥଚ ଅତି ତୀବ୍ର କଥାକୁହା ଗାଁ ଲୋକଙ୍କ କଥାରେ ଭାଗନେଇ ହେବ, ହାଟ କରିହେବ, ଅବାଧରେ ଅନେକ କିଛି କରିହେବ । ତାଙ୍କ ପଦବୀ ପରି ପଦବୀରେ ଥିବା ଲୋକ ଅଧିକ ମୁହଁ ସମ୍ପର୍କ ବଢ଼ାଇବା ଅର୍ଥ ବନ୍ଦୀ ଜୀବନ ବିତାଇବା ପାଇଁ ଏକ ନିର୍ଭୁଲ ଦସ୍ତାବିଜ ତିଆରି କରିବା । ତାଙ୍କର ପୂର୍ବର, ତାଙ୍କ ସମସାମୟିକ ଏବଂ ତାଙ୍କ ପରର ଅନେକଙ୍କର ସେପରି ହୋଇଛି । ନାନା କାରଣରୁ ସେମାନେ ମୁକ୍ତଭାବେ ବାହାରେ ବିଚରଣ କରିପାରନ୍ତି ନାହିଁ । ଅଥଚ ଏଇ ଭୟଙ୍କର ସମସ୍ୟାଟି ତାଙ୍କର ନାହିଁ-! ଆଦିତ୍ୟ ନାରାୟଣ ଆରାମରେ ସହରରେ ଆତଯାତ ହୁଅନ୍ତି । ଏଇ ସହର, ମାନେ ଭୁବନେଶ୍ଵର ଛାଡ଼ିଦେଲେ ରାଜ୍ୟର ଅନ୍ୟତ୍ର ତାଙ୍କୁ ଯେ କେହି ଜାଣିଥିବେ, ଏକଥା ନେଇ ତାଙ୍କର ଥିଲା ଘୋର ସନ୍ଦେହ ।

 

ଆଦିତ୍ୟ ନାରାୟଣ ଗର୍ବୀ ନଥିଲେ କି ଉଦ୍ଧତ ନଥିଲେ, କିନ୍ତୁ ନିଜ ବ୍ୟକ୍ତିଗତ ଜୀବନ ଓ ସ୍ଵାଧୀନତାକୁ ନେଇ ସେ ଏତେ ସଚେତନ ଥିଲେ ଯେ ତାଙ୍କୁ ଏମିତି କିଛି କରିବାକୁ ପଡ଼ିଥିଲା ଯେଉଁଥିରୁ ଜଣେ ହୁଏତ ଭାବିବା ସ୍ଵାଭାବିକ ଯେ ସେ ମେଳାପି ନୁହନ୍ତି ଅଥବା ଗର୍ବୀ । କିଏ କ'ଣ ଭାବିବା ନେଇ ଜଣେ କ’ଣ ନିଜ କାର୍ଯ୍ୟଧାରା ତଥା ଜୀବନଚର୍ଯ୍ୟା ବଦଳାଇବ କି ? ଆଦିତ୍ୟ ନାରାୟଣ ନିଜ ସହ କେବେକେବେ ଯୁକ୍ତି କରନ୍ତି ଏବଂ ନିଜକୁ ବୁଝାନ୍ତି ।

 

ଅବସର ପରେ ସେ ହୁଏତ ଅନେକ କିଛି କରିପାରିଥାନ୍ତେ । ତାଙ୍କର ଯେଉଁ ଯେଉଁ ସ୍ତରରେ ଏବଂ ଯେଉଁମାନଙ୍କ ସହ ପରିଚିତ ଥିଲା, ସେ ଆରାମରେ ଅବସର ପରେ ଭଲ ଜାଗାରେ ମାନେ ପଦବୀରେ ନିଜକୁ ଥଇଥାନ କରାଇପାରିଥାନ୍ତେ, ନହେଲେ କୋଉ ଘରୋଇ କମ୍ପାନୀରେ ଯୋଗ ଦେଇପାରିଥାନ୍ତେ, ନିଜର ଗୋଟେ ସେବାସଂସ୍ଥା କି ଫାଉଣ୍ଡେସନ୍ କରିଥାନ୍ତେ । ଏସବୁ କିଛି ସେ କରି ନଥିଲେ । ତାଙ୍କ ଦୀର୍ଘ ଅଭିଜ୍ଞତାରୁ ସେ ଜାଣିଥିଲେ, ଏସବୁଥିରୁ ଯେଉଁ ଗୋଟିକ ସେ କରିଥାନ୍ତେ, ଅନେକ ବିତଣ୍ଡା–ଟାଉଟର ଜାତୀୟ ଲୋକ, କୁଜୀନେତାଙ୍କ ସହ ତାଙ୍କୁ କାରବାର ହେବାକୁ ପଡ଼ିଥାନ୍ତା । ଲୋକେ ଅଯଥାରେ, କେବେକେବେ ବିନା କାରଣରେ, ଘରକୁ ଆସି ଗହଳି କରିଥାନ୍ତେ । ସେଇ ସମସ୍ୟା । ବ୍ୟକ୍ତିଗତ ଜୀବନ ବୋଲି କିଛି ନଥାନ୍ତା ! ସିଏ ମନକୁ ବୁଝାନ୍ତି ଯେ ଭଲରେ ଅଛନ୍ତି । ପୁଅବୋହୂ ପ୍ରଥମେ ବାଙ୍ଗାଲୋର୍‍ରେ ଥିଲେ, ଏବେ ୟୁରୋପର ଗୋଟେ ଖୁବ୍ ଛୋଟ ଓ ସ୍ଵଚ୍ଛଳ ଦେଶ ଲକ୍‍ସେନ୍‍ବର୍ଗରେ ନିଜର ପାଞ୍ଚବର୍ଷର ଝିଅକୁ ଧରି ଢେର୍ ଆରାମରେ ଅଛନ୍ତି । ଝିଅ ସାନ, ସେ ତା’ ସ୍ଵାମୀ ସହ କେରଳରେ, ତାଙ୍କର ଚାରିବର୍ଷର ପୁଅ । ନାତିନାତୁଣୀଙ୍କୁ ଏକାଠି ଦେଖିବାର ସୌଭାଗ୍ୟ ତାଙ୍କର ଅବା ତାଙ୍କ ପତ୍ନୀଙ୍କର ଏଯାଏଁ ହୋଇନାହିଁ । କାରଣଟି ସରଳ ଓ ସ୍ଵାଭାବିକ । ପୁଅବୋହୂ ଲକ୍‍ସେନ୍‍ବର୍ଗରୁ ଏବଂ ଝିଅଜ୍ୱାଇଁ କେରଳରୁ କେବେ ଏକା ସମୟରେ ଏଠାକୁ ଆସିବା ସମ୍ଭବ ହୋଇନାହିଁ ।

 

ଅତଏବ, ତାଙ୍କୁ ତିନି ବେଡ଼୍‍ରୁମ୍‍ବାଲା ସୁନ୍ଦର ଘରଟିକୁ ନା ସେ ବଢ଼େଇଛନ୍ତି, ନା ଉପରମହଲାରେ ଦୁଇ ବଖରା କରିଛନ୍ତି । ସେମାନେ ଦୁଇଜଣ ସ୍ୱାମୀ–ସ୍ତ୍ରୀ ଅର୍ଥାତ୍ ଆଦିତ୍ୟ ନାରାୟଣ ଏବଂ ପତ୍ନୀ ଅରୁଣା–ଖୁବ୍ ଭଲରେ ଅଛନ୍ତି । ପ୍ରଚଣ୍ଡ ଏକାକୀତ୍ୱ ଅନେକ ସମୟରେ ଉଭୟଙ୍କୁ ଘାରିଛି ସତ, କିନ୍ତୁ କେବେ ଅସହାୟ କରିନାହିଁ । ସବୁକିଛି ସୁରୁଖୁରୁ ଓ ସ୍ଵାଭାବିକଭାବେ ଚାଲିଛି । ଅନେକ ସମୟରେ ଉଭୟେ କିଛି ଆଲୋଚନା କରନ୍ତି, ନହେଲେ ଖବରକାଗଜ ଅଥବା କୌଣସି ପତ୍ରପତ୍ରିକା ପଢ଼ାପଢ଼ି କରିବା, ଟିଭିରେ କିଛି ଭଲ ଚ୍ୟାନେଲ ଦେଖିବା ଇତ୍ୟାଦିରେ ସମୟ ବିତୁଥିଲା । ବାସ୍ତବରେ, ଦୈନନ୍ଦିନ ଜୀବନଚର୍ଯ୍ୟା ଥିଲା ସରଳ, ସ୍ୱାଭାବିକ ଓ ଶାନ୍ତ ।

 

ଉଭୟେ ସକାଳ ସାଢ଼େ ପାଞ୍ଚ ସୁଦ୍ଧା ଉଠି ଯାଉଥିଲେ । ଦାନ୍ତଘଷି ଖାଲିପେଟରେ ପାଣି ପିଉଥିଲେ । ଅରୁଣା ଚା’ କରୁଥିଲେ । ଚା’ ପିଇସାରି ଘରର ବାହାର ଦରଜା ଓ ଗେଟ୍‍ରେ ଚାବି ପକାଇ ଉଭୟେ ଟିକେ ବାହାରେ ଘୂରି ଆସୁଥିଲେ । ସେଠୁ ଫେରିବାବେଳକୁ ଘର କାମ କରିବା ଲୋକ ଆସିଯାଇଥାଏ । ସିଏ ଝାଡ଼ୁ କରିଦିଏ, ବାସନ ମାଜିଦିଏ, କିଛି ଲୁଗାପଟା କାଚିବା କାମ କରିଦିଏ । ତା’ରି ଭିତରେ ଅରୁଣା ସାଧାରଣ କିଛି ଜଳଖିଆ କରିଥାନ୍ତି । ବାସ୍ ତା'ପରେ ଟିକେ ଖବରକାଗଜ, ଟିକେ ପତ୍ରିକା, ଟିକେ ଟିଭି, ଦଶ ବାଜିଯାଏ । ଅରୁଣା ତା’ପରେ ଗାଧେଇ ପଡ଼ନ୍ତି । ଠାକୁରଘରେ ପନ୍ଦର କୋଡ଼ିଏ ମିନିଟ୍ ବିତାନ୍ତି । ସେଠୁ ବାହାରି ଶାଢ଼ି ବଦଳାନ୍ତି । କ’ଣ ଟିକେ ଫ୍ରିଜ୍‍ରୁ ବାହାର କରି ପାଟିରେ ପକାନ୍ତି, ଆଦିତ୍ୟଙ୍କ ପାଖକୁ ଆସନ୍ତି, କ’ଣ ରୋଷେଇ କରାଯିବ ବା କରାଗଲେ ଭଲ ହେବ ବୋଲି ପଚାରନ୍ତି, ଆଦିତ୍ୟ ମଧ୍ୟ ମୁର୍କି ହସି ଓଲଟା ପଚାରନ୍ତି ‘ଘରେ କ’ଣ କ’ଣ ପରିବାପତ୍ର ଅଛି କୁହ, ତା’ପରେ ଆଇଟମ୍ କଥା ଭାବିବା ଏବଂ ତାଙ୍କ ପାଖରେ ଅରୁଣା ବସୁଥିଲେ । କ’ଣ ରୋଷେଇ ହବ ଏବଂ କି ପ୍ରକାର ଆଇଟମ୍ ହେଲେ କମ୍ ତେଲ ମସଲା ବ୍ୟବହାର ହେବା ସହ ପାଟିକୁ ଭଲ ଲାଗିବ, ସେକଥା କଥାବାର୍ତ୍ତା ହେଉଥିଲେ ! ଦୁଇଜଣ ତ ମଣିଷ, କ’ଣ ବା ଖାଆନ୍ତେ–କେତେ ବା ଖାଆନ୍ତେ !

 

ସବୁକିଛି ଥିଲା ସ୍ଵାଭାବିକ ଏବଂ ସମୟାନୁସାରୀ । ଖରାବେଳେ ମଧ୍ୟାହ୍ନ ଭୋଜନ ଏବଂ ଘଣ୍ଟାଏ ଦେଢ଼ ଘଣ୍ଟା ବିଶ୍ରାମ, ଉଠିବା ପରେ କାହାକୁ ଗୋଟେ ଦୁଇଟା ଫୋନ୍ ପୁଣି ଟିକେ ଚା’ କ’ଣ ଟିକେ ଜଳଖିଆ ହେଲେ ହେଲା, ନହେଲେ ନାହିଁ; ଘରର ଗୋଟେ ପଟ ଓ ଟିକେ ପଛକୁ କ’ଣ ଟିକେ ବଗିଚା କାମ, ଏ ଫୁଲ ଗଛରେ ପାଣି, ସେ ଗଛର ଡାଳ କାଟିବା, ଏ କୁଣ୍ଡ ସେଠିକି, ସେ କୁଣ୍ଡ ଏ ପଟକୁ, ଝଡ଼ାପତ୍ର ଏକାଠି କରିବା, ଏପଟ ମାଟି ଖୁସେଇବା, ଘରର ପରିବା ଚୋପାକୁ ଖାଲି ଜାଗାରେ ମାଟିରେ ମିଶେଇବା, ଯାଃ–ସନ୍ଧ୍ୟା ହୋଇଯାଏ, ଠାକୁରଘରେ ଧୂପ, ଚଉରା ପାଖରେ ଦିପଟିଏ, ପୁଅ–ଝିଅ–ନାତି–ନାତୁଣୀଙ୍କ ମଙ୍ଗଳ ମନା, ପୁଣି ରୁଟି ଛ’ସାତ ପଟ, କ’ଣ ଗୋଟେ ଭଜା କି ସନ୍ତୁଳା କି ଟିକେ କିଛି ଆମିଷ, କ’ଣ ଟିକେ ମିଠା ଆଇଟମ୍–ବାସ୍, ଖାଇବା ଶେଷ, ରାତି ଦଶ କି ସାଢ଼େଦଶ । ଖଟ ଉପରେ ହୁଏତ ଆଉ ଦଶ କି ପନ୍ଦର ମିନିଟ୍ ଆଡ଼ୁସାଡ଼ୁ କଥା ବାସ୍ ନିଦ । ପୁଣି ସକାଳ । କେବେ ଅବା ସଞ୍ଜବେଳେ କୋଉ ସାହିତ୍ୟ ସଭାରେ ଅଧଘଣ୍ଟା କି ଘଣ୍ଟାଏ; ନତୁବା କୋଉ ନିହାତି ନିଜ ଲୋକର ନିମନ୍ତ୍ରଣ ପର୍ବରେ ଘଣ୍ଟାଏ । ପ୍ରଥମଟିକୁ ଏକା ଥାଆନ୍ତି ଆଦିତ୍ୟ ନାରାୟଣ, ହେଲେ ଦ୍ୱିତୀୟ ଥରକୁ ଯିବାବେଳେ ସାଙ୍ଗରେ ଅରୁଣା ନିଶ୍ଚିତ ଥାଆନ୍ତି ।

 

ଘରକୁ ଅକାଳେ ସକାଳେ କୋଉ ପୁରୁଣା ସହକର୍ମୀ କି ବନ୍ଧୁ ଆସୁଥିଲେ କିଛି କଥାବାର୍ତ୍ତା ପରେ ପଚାରୁଥିଲେ, ‘ସାର୍‍ଙ୍କର କ’ଣ ପୂଝାରି କି ଡ୍ରାଇଭର ନାହାନ୍ତି ? ରୋଷେଇ କିଏ କରୁଛି ?’

 

ଆଦିତ୍ୟ ଉତ୍ତରରେ ସ୍ମିତ ହସି ଉତ୍ତର ଦେଉଥିଲେ, ‘ରୋଷେଇଆ ହେଲେ ଅରୁଣା ଏବଂ ଡ୍ରାଇଭର ହେଲି ମୁଁ । ସେଥିରେ ଆମ ଦୁନିଆ ଚାଲିଛି ।’

 

ପ୍ରଶ୍ନକର୍ତ୍ତା ଏ ସମ୍ପର୍କରେ ବିଶେଷ କିଛି ନ ପଚାରି ଅନ୍ୟ ପ୍ରସଙ୍ଗ ଉଠାଉଥିଲେ । କେବେ କେହି ସମସାମୟିକ ଆସିଲେ ହୁଏତ ଗୋଟେ ରାଉଣ୍ଡ ଚେସ୍ ହେଉଥିଲା ନହେଲେ ଦୁଇ ରାଉଣ୍ଡ ବ୍ରେ ! ସମସାମୟିକ କେହି ଆସିବାମାତ୍ରକେ ଆଦିତ୍ୟ ତାଙ୍କୁ ମୁର୍କି ହସଟେ ସହ ସୂଚାଇ ଦେଉଥିଲେ ଯେ ଚାକିରି ସମୟର ମାନେ ପୁରୁଣା କଥା ସବୁର ପୁଣି ଆଲୋଚନା କରାଯିବ ନାହିଁ । ସେଇଆହିଁ ହେଉଥିଲା । ଆଦିତ୍ୟ ନାରାୟଣଙ୍କୁ ଭଲଭାବେ ଜଣାଥିଲା । ଯେ ପୁରୁଣା କଥା ଆରମ୍ଭ ହେଲେ ଅବସରପ୍ରାପ୍ତ ଲୋକମାନେ ବିଶେଷତଃ ଉଚ୍ଚ ପଦସ୍ଥ ଅଧିକାରୀମାନେ ଅତିମାତ୍ରାରେ ଅତିରଞ୍ଜନ କରିଥାନ୍ତି, ଯାହା ସେମାନେ କରି ନଥାନ୍ତି ସେସବୁ କରି ପକାଇଥିଲେ ବୋଲି କହନ୍ତି ।

 

ଏମିତି ଚାଲିଥିଲା ଜୀବନ ।

 

ଆଦିତ୍ୟ ନାରାୟଣ ଏବଂ ଅରୁଣାଙ୍କର ଜୀବନ ବିଷୟରେ କିଛି ଅଭିଯୋଗ ନଥିଲା । ଉଭୟଙ୍କର ଗୋଟିଏ ମାତ୍ର କୋମଳ ଦୁଃଖ ଥିଲା, ଯେ ପୁଅ–ଝିଅ–ନାତି–ନାତୁଣୀ ଯେତିକି ଦିନ ଘରେ ରହିଲେ ସେମାନେ ସୁଖୀ ହୋଇଥାନ୍ତେ, ତା’ର ଏକ ଦଶମାଂଶ ମଧ୍ୟ ସେମାନେ ରହୁ ନଥିଲେ ! ସେତିକି ମାତ୍ର ମଧୁର ଅବସୋସ ଥିଲା ।

 

ଅବସରପ୍ରାପ୍ତ ଅନେକ ଲୋକ ସହରରେ ଥିଲେବି ସେମାନଙ୍କର ଗାଁରେ ଥିବା ଘର ଜମିବାଡ଼ି ପ୍ରତି ମୋହ ଥାଏ । କେହି କେହି ଗାଁକୁ ଯାଇ ଗାଁରେ ରହୁଥିବା ଭାଇଫାଇ କି ଦାଦାଫାଦାଙ୍କଠାରୁ ଚୁଡ଼ା, ଚାଉଳ, ନଡ଼ିଆ ଇତ୍ୟାଦି ନେଇ ଆସନ୍ତି । ଆଉ କେହି କେହି ନିଜ ଭାଗ ଜମିବାଡ଼ି ବିକିଦେଇ ଟଙ୍କାପଇସା ଧରି ଚାଲିଆସୁଥିଲେ, ଆଉ କେବେ ଗାଁକୁ ନ ଫେରିବାର ମାନସିକତା ନେଇ ! ଆଦିତ୍ୟ ନାରାୟଣ କିନ୍ତୁ ସେମିତି କିଛି ନ କରି ଯାହାବି କିଛି ଜମିବାଡ଼ି ଘର ଥିଲା, ସବୁ ଜଣେ ଭାଇକୁ ଦେଇ ଆସିଥିଲେ ! ତାଙ୍କୁ ପଞ୍ଚାବନ–ସତାବନ ହେବା ଯାଏଁ ସେ କେବେ କେମିତି ଗାଁକୁ ଯାଉଥିଲେ, ଏବେ ପ୍ରାୟ ଆଉ ସହରର ଘର ଛାଡ଼ି ସେଠାକୁ ଯାଇହୁଏ ନାହିଁ ।

 

କିନ୍ତୁ....

 

କିନ୍ତୁ କେବେ କେମିତି ଗାଁ କଥା ମନ ଭିତରକୁ ଆସିଲେ ଆଦିତ୍ୟ ନାରାୟଣଙ୍କର ମନ ଭିତରେ ଯେଉଁ ଚିତ୍ର ଆଙ୍କି ହୋଇଯାଏ, ସେ ଚିତ୍ରକୁ ଯଦି ଆଜି ସମୟର କେଉଁ ତରୁଣତରୁଣୀଙ୍କୁ ଦେଖାଯାଇପାରନ୍ତା, ତେବେ ସେମାନେ ହୁଏତ ଚମକି ପଡ଼ନ୍ତେ, ଏଇଥିପାଇଁ ଯେ ସବୁକିଛି ସେମାନଙ୍କୁ ଲାଗନ୍ତା କୌଣସି ବିଚିତ୍ର ଚଳଚ୍ଚିତ୍ରର ଦୃଶ୍ୟ ସମୂହପରି !

 

ଗାଁ କଥା ସ୍ମରଣକୁ ଆସିଲେ ତାଙ୍କର ମନେପଡ଼ିଯାଏ ଯେ ।

 

...ସେ ଚମତ୍କାର ପହଁରିବା ଜାଣିଛନ୍ତି ।

 

...ସେ ଗଛଚଢ଼ାବି ଜାଣିଛନ୍ତି । ପିଜୁଳି, ଆମ୍ବ, ପଣସ, ନଡ଼ିଆଗଛ ।

 

...ସେ ମଧ୍ୟ ଗାଈ ଦୁହିଁବା ଜାଣିଛନ୍ତି ।

 

ଆହୁରି କେତେକେତେ ବିଚିତ୍ର କଥା ତାଙ୍କୁ ଜଣା, ଯେମିତିକି ଗୁଆକାତିରେ ଗୁଆ କାଟିବା, ନଡ଼ିଆ ପାତି କରି ତେଲ ମାରିବା, ବନଶୀ ପକାଇବା ଇତ୍ୟାଦି ।

 

ସମୟ ବଦଳିବାରେ ଲାଗିଥାଏ କିମ୍ବା ସମୟ ସ୍ଥିର ଥାଏ ଓ ଆମେ ବଦଳିଯାଉ, କିଏ ବା କହିପାରିବ ସେ କଥା ?

 

ଆଦିତ୍ୟ ନାରାୟଣ ଏସବୁ କଥା ଅରୁଣାଙ୍କୁ କହନ୍ତି । ଗାଁ କଥା ବର୍ଣ୍ଣନା କରିବାବେଳେ ଆଦିତ୍ୟଙ୍କ ଦୁଇ ଆଖିରେ ଝଲସି ଉଠେ ଅପରିସୀମ ଆନନ୍ଦର ଜ୍ୟୋତି ।

 

ଆଦିତ୍ୟ ଓ ଅରୁଣା ଭଲରେ ଥା’ନ୍ତି ।

 

ସୁଖରେ ଥାନ୍ତି !

 

ତା’ରି ଭିତରେ ଥରେ ମର୍ଣ୍ଣିଂ ୱାର୍କରେ ଯିବାବେଳେ ଆଦିତ୍ୟ ନାରାୟଣ ପୁଲକିତ ହେଲେ । କାହିଁକି ଅପୂର୍ବ ଏକ ପୁଲକରେ ଭରିଗଲା ତାଙ୍କର ସମସ୍ତ ସତ୍ତା, କେଜାଣି !!

 

ଚିହ୍ନା ଚିହ୍ନା ପୁଲକ

 

ସକାଳର ଚାଲିବା ସମୟରେ କେବେ ସେମାନେ ଏକାଠି ଚାଲୁଥିଲେ ତ କେବେ ଆଦିତ୍ୟ ଏକା ଚାଲୁଥିଲେ । ଅଥଚ ଅରୁଣା କେବେ ଏକା ଯାଉ ନଥିଲେ । ଯାହା ବା ଅକାଳେ ଯାଉଥାନ୍ତେ, କିନ୍ତୁ ମର୍ଣ୍ଣିଂୱାର୍କ କରୁଥିବା ତିନି/ଚାରି ଜଣ ମହିଳାଙ୍କ ବେକରୁ ସୁନା ଚେନ୍ ଛିଡ଼ାଯିବା ପରେ ଅରୁଣା ଏକା କୁଆଡ଼େ ଯିବାକଥା ଭାବୁହିଁ ନଥିଲେ । ଅବଶ୍ୟ ସେ ପିନ୍ଧୁଥିଲେ ଖୁବ୍ ସରୁ ଚେନ୍ ଏବଂ ସରୁ ସରୁ ଦୁଇପଟ ଚୁଡ଼ି । ଯେବେ ଅରୁଣା ତାଙ୍କ ସହ ଯାଉଥିଲେ, ସେମାନେ ପ୍ରାୟ ଏକ କିଲୋମିଟର ଯାଇ ସେମାନେ ଫେରି ଆସୁଥିଲେ । ରାସ୍ତାକଡ଼ରେ ଠେଲାଗାଡ଼ିରେ ବିକ୍ରି ହେଉଥିବା ପୁରି, ତରକାରୀ, ବରା, ଚପ୍ ଆଦି ଖାଇବାପାଇଁ ଭିଡ଼ ଦେଖି ସେମାନେ ଖୁସି ହେଉଥିଲେ । ଗୋଟେ ଠେଲାଗାଡ଼ି ସାମ୍ନାରେ ତ ଲେଖାଥିଲା ଯେ, 'ଏଠାରେ ଖରାପ ଜଳଖିଆ ମିଳେ ନାହିଁ, କେବଳ ଚକୁଳି ଓ ଡାଲମା ମିଳେ’, ସେଠିବି ଜମୁଥିଲା ଭିଡ଼ । ସକାଳେ ସହରର ରାସ୍ତା ଥିଲା ପରିଷ୍କାର ଅପେକ୍ଷାକୃତ ଗହଳି କମ୍ । ସକାଳ ଚାଲିବାବାଲାଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା । ମୁଖ୍ୟ ରାସ୍ତାର ସ୍ଥାନେ ସ୍ଥାନେବି ବିକ୍ରି ହେଉଥିଲା ସଜ ଶାଗ, କଖାରୁ ଫୁଲ ଓ ନିକଟସ୍ଥ ଗାଁରୁ ଆସୁଥିବା କିଛି ଜିନିଷ, ଯାହା ସାଧାରଣତଃ ସହରରେ ମିଳୁଥିବ ବୋଲି ଆଶା କରାଯାଏନା, ଯେମିତିକି କଦଳୀ ଭଣ୍ଡା, ମଞ୍ଜା, କଖାରୁ ଡଙ୍କ ! ଲୋକମାନେବି ସେ ସବୁ ଆଗ୍ରହରେ କିଣୁଥିଲେ । ଆଦିତ୍ୟ ଓ ଅରୁଣା କେବେ କିନ୍ତୁ ସେସବୁ ଆଣି ନାହାନ୍ତି, ଅବଶ୍ୟ କଖାରୁ ଫୁଲ ମାତ୍ର ଦି'ତିନିଥର ଆଣିଥିଲେ ।

 

ଏଇ କେତେଦିନ ତଳେ ଅରୁଣାଙ୍କର ପାଦ ତଳିପା ଦରଜ ହେବାରୁ ସେ ଆଉ ସକାଳେ ଆଦିତ୍ୟଙ୍କ ସହ ଚାଲିବାକୁ ଆସୁ ନଥିଲେ । ସେ ନ ଆସିବାରୁ ଆଦିତ୍ୟ ମୁଖ୍ୟ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତାରେ ଗଲେ । ଭାବିଲେ, ଯେଉଁ ଅଞ୍ଚଳରେ ସେ ରହୁଥିଲେ, ତା’ର ଆଖପାଖ ରାସ୍ତା, ଘର, ଦୋକାନ ବଜାର ଇତ୍ୟାଦି ସମ୍ପର୍କରେ ଜାଣିବା ଉଚିତ । ଘରୁ ବାହାରି ମୁଖ୍ୟ ରାସ୍ତାକୁ ଉଠି ପୁଣି ବାମକୁ ଭାଙ୍ଗି ଯାଇ ଅନ୍ୟ ଏକ ରାସ୍ତାରେ ପଶିଲେ । ପ୍ରଥମ ପାଞ୍ଚ ସାତଟା ଏକମହଲିଆ ଘର ପରେ ଥିଲା ଏକ ସତୁରି–ଅଶୀ ଫୁଟ୍ ଲମ୍ବାର ଫାଙ୍କା ଜାଗା । ଏହାର ପ୍ରସ୍ଥ ଥିଲା ପ୍ରାୟ ଚାଳିଶ ଫୁଟ୍ । ସହରର ଆକାର ଓ ପ୍ରସାର ପରିପ୍ରେକ୍ଷୀରେ ଏହି ଜାଗାକୁ ଏକ କ୍ଷୁଦ୍ର ଜାଗା ବୋଲି କୁହାଯିବ । ଆଦିତ୍ୟ ନାରାୟଣ ଏଠି ଘର କରିବା ସମୟରେ ଫାଙ୍କା ଜାଗାରେ ଗୋଟେ ଛୋଟକାଟର ପାର୍କ୍ ହେବ ବୋଲି ଯୋଜନା ଥିଲା । ସେ ଯୋଜନା କୁଆଡ଼େ ଗଲା କେଜାଣି, ଏଠି କ୍ରମେ ଗଢ଼ି ଉଠିଥିଲା ଛୋଟକାଟର ବସ୍ତି । ଛଣ, ପଲିଥିନ୍, ବାଉଁଶ ଇତ୍ୟାଦିରେ ଛୋଟ ଛୋଟ ଘର, ସେ ଘରେ ବିଦ୍ୟୁତ ଜଳୁଥିଲା ଏବଂ ଟାପ୍ ପାଣି ଉପଲବ୍ଧ ଥିଲା । କେତେଜଣ ଗାଈ ରଖି କ୍ଷୀର ବ୍ୟବସାୟ କରୁଥିଲେ । ଏକଥା ଆଦିତ୍ୟଙ୍କୁ ଜଣାଥିଲା । ହେଲେ ଢେର୍‍ଦିନ ପରେ ଏ ରାସ୍ତାରେ ଆସି ଆଦିତ୍ୟ ନାରାୟଣ ବିସ୍ମିତ ହେଲେ ଯେ ବସ୍ତିର ପ୍ରାୟ ସବୁ ଘରର କାନ୍ଥ ଇଟା କାନ୍ଥ ହୋଇଯାଇଛି, ଛପର ବଦଳରେ ସବୁଘର ଆଜବେଷ୍ଟସ୍ । ଘର କଡ଼ରେ ଓ ସାମ୍ନାରେ କେତେଟା ସ୍କୁଟର୍‍, ମୋଟର ସାଇକେଲ୍ ଥାଏ । ଛୋଟପିଲା ଟହଲ ମାରୁଥାନ୍ତି । ପୂରା ପିଚୁ ରାସ୍ତାକୁ ଲଗେଇ କାନ୍ଥ ଉଠିଛି । କବାଟ ସାମ୍ନାରେ ଗ୍ରିଲ୍ । ସେଇବାଟେ ଘରର କିୟଦଂଶ ଦିଶିଥାଏ-

 

ଆଦିତ୍ୟ ନାରାୟଣ ରାସ୍ତାକଡ଼ରେ ଦଣ୍ଡେ ଠିଆହୋଇ ଏକଡ଼ ସେକଡ଼ ନଜର ବୁଲେଇଲେ । ଗୋଟେ କନ୍ଦି ଜାଗାରେ କେବିନ୍‍ଟାଏ, ବୋଧେ ପାନ ଦୋକାନ ! ସେଇ ମୁହୂର୍ତ୍ତରେ...

 

ଯୋଉ ଘରର ଗ୍ରିଲ୍‍ବାଟେ କିଛି ଦିଶୁଥିଲା ଆଂଶିକ ଅନ୍ଧାର ଭିତରେ, ସେଇ ଘରେ କରେଇରେ କିଛି ପଡ଼ିବାର ସେଁ ଶବ୍ଦ ସହ ପବନରେ ଭାସି ଆସିଲା କରେଇରେ ପୋଟଳ ପଡ଼ିବାର ବାସ୍ନା । କି ମଧୁର ଲାଗିଲା ! ସେ ବାସ୍ନା ତାଙ୍କ ନାସାଗ୍ରଠାରୁ ତଳିପା ଯାଏଁ ସଂଚରିଗଲା, ପୁଣି ଛାତି ତଳେ କୋଉଠି କେତେକ୍ଷଣ ଅଟକିଗଲା । ସେ ଆଉ ସେଠି ରହିଲେ ନାହିଁ, ଆଗେଇ ଗଲେ । ସବୁ କିଛି ଘଟିଗଲା ମୁହୂର୍ତ୍ତକ ଭିତରେ ।

 

ଯେଉଁ ବେଗରେ ସେ ସକାଳ ସମୟରେ ସାଧାରଣତଃ ଚାଲନ୍ତି, ତାଙ୍କ ଅଜାଣତରେ ସେ ବେଗ ଧିମେଇ ଯାଇଥିଲା । ବଡ଼ ଆଶ୍ଚର୍ଯ୍ୟର କଥା ପ୍ରଚଣ୍ଡ ଅନ୍ୟମନସ୍କତାର ଭଉଁରୀ ଭିତରେ ସେ ପଡ଼ି ଯାଇଥିଲେ ।

 

କାହିଁ କୋଉ ଅତୀତର ଚାରି ବଖୁରିଆ ଛଣ ଛପର ଖଞ୍ଜାଘରର ମାଟି ପିଣ୍ଡା ବାରଣ୍ଡାରେ ଧିମା ଲଣ୍ଠନ ଆଲୁଅରେ ବସି ସିଲଟରେ କିଛି ଲେଖୁଥିଲା ପିଲାଟାଏ । ମଝିରେ ମଝିରେ ବଡ଼ପାଟିରେ ପଣକିଆ ଡାକୁଥିଲା । ମଧ୍ୟବୟସ୍କା କିମ୍ବା ଅତି ବୟସ୍କା କେହି ଜଣେ ବସିଥିଲା ଅଗଣାର ଗୋଟେ କଣରେ ଥିବା ଚୁଲି ପାଖରେ । ଗାଁର ଜାଳ କେବେ ଜଳୁଥିଲା ଦାଉଦାଉ ତ କେବେ ଜଳୁଥିଲା ରହି ରହି, ଘର ସାରା ଧୂଆଁ ଖେଳେଇ । ତା’ରି ଭିତରେ ଲୁହା କଡ଼େଇରେ ସୋରିଷ ତେଲରେ ଶୁଖିଲା ଲଙ୍କା ଫୁଟଣର ଛୁଙ୍କ, ମାନେ ନାକ ବନ୍ଦ ହୋଇଯାଏ, ଛିଙ୍କବି ହୁଏ ! ନା ଆଜିକା ପରି ସେତେବେଳେ ବର୍ଷକ ବାର ମାସ ପୋଟଳ ମିଳୁ ନଥିଲା, ଯାହାବି ମିଳୁଥିଲା ତାହା ଥିଲା ଧନୀକମାନଙ୍କର–ମାନେ ଟିକେ ଥିଲାବାଲା ଲୋକମାନଙ୍କର ପ୍ରିୟ ପରିବା । ଯେବେ ବା କେବେ କେମିତି ପୋଟଳ ଆସୁଥିଲା, ଯେମିତି ବାସ୍ନା ଆସୁଥିଲା ଲୁହା କଡ଼େଇରୁ, ଆଜି ଠିକ୍ ସେଇ ପ୍ରକାରର ବାସ୍ନା ବାଜିଥିଲା ଆଦିତ୍ୟଙ୍କ ନାକରେ; ଲାଗିଲା ଚିହ୍ନା ବୁଢ଼ୀ–ଦୀର୍ଘ ବର୍ଷ ତଳର କେହି ଜଣେ ଥିଲା ଆଖପାଖରେ କୋଉଠି ।

 

ସେ ଧୀରେ ଧୀରେ ଚାଲୁଥିଲେ, ରାସ୍ତାର ବାଁ ପଟେ, ହେଲେ ସେ ଆଉ ସହରରେ ନଥିଲେ, ଡିଆଁଡେଇଁ କରୁଥିଲେ କୋଉ ଗୋଟେ ତୋଟା ଭିତରେ, ବିଚିତ୍ର ତୋଟା–ଢେର୍ ଆମ୍ବ ଗଛ, ଗୋଟେ ପଟକୁ ନିହାତି କମ୍‌ରେ ଦୁଇଶ’ ତାଳଗଛ, ମଝିରେ କେତେ ଖଜୁରି ଗଛ–ଖଜୁରି ଗଛ ଅଗରେ କି ହାଣ୍ଡିବେ ସେଇଟା–ଢେଲାଟେ ଆଣ, ଲକ୍ଷ୍ୟକରି ମାର–ଯାଃ, ଖସିଗଲା ଟୋକାଟା-! ଆରେ ସେଇ ଢେଲାଟା ଆଣିବାକୁ ସେ ଜଙ୍ଗଲ ଭିତରକୁ ଯାଅନା, ପଅରଦିନ ସେଇଆଡ଼େ ଯାଇଥିଲା ଲାଙ୍ଗୁଡ଼ ମୁଣ୍ଡିଆ ହୋଇଥିବା ବୋଡ଼ା ! ବୋଡ଼ା ସାପର ଚିତ୍ରଟା ମନ ଭିତରକୁ ଆସିବାମାତ୍ରେ ଆଦିତ୍ୟ ନାରାୟଣ ଫେରି ଆସିଲେ ନିଜ ପାଖକୁ । ସିଏ ଯେ ପୂରା ଅନ୍ୟମନସ୍କ ଥିଲେ ଏବଂ ଗୋଟେ ପ୍ରକାର ନିଶାଗ୍ରସ୍ତ ପରି ରାସ୍ତାର ବାଁ କଡ଼େ କଡ଼େ ଚାଲୁଥିଲେ-। ଏକଥା ସେ ସଚେତନ ହେଲେ ଏବଂ ଆଶ୍ଚର୍ଯ୍ୟର କଥା, ଯେଉଁ ବାଟ ଦେଇ ସେ ଯାଇଥିଲେ, ସେଇ ବାଟ ଦେଇ ଫେରିଆସିଲେ । ସେ ଅନ୍ୟ ଏକ ରାସ୍ତା ଦେଇ ଫେରିବାର ଥିଲା, କିନ୍ତୁ ସେ ସେଇ ଘରବାଟ ଦେଇ ଆସିଲେ । ଯୋଉଠୁ ବାସ୍ନା ଆସୁଥିଲା, ସେଇ ଘରର ଗ୍ରିଲ୍ ଅଧାମେଲା ଥିଲା ଏବଂ ସେଇଠି ବେଶ୍ ସୁସ୍ଥ ଚେହେରାର ମହିଳା ଠିଆହୋଇ ମୁଣ୍ଡ କୁଣ୍ଡାଉଥିଲେ, ପାଖରେ ଠିଆ ହୋଇଥିଲା ଛଅସାତବର୍ଷର ପୁଅ ।

 

ଆଦିତ୍ୟ ନାରାୟଣ ଚାଲିଆସିଲେ, ଘରେ ପହଞ୍ଚି ଗୋଡ଼ହାତ ଧୋଇ, ପୁଣି କପେ ଚା’ ପିଇ, ଖବରକାଗଜ ଖୋଲି ବସିଲେ । ଏଇ ସମୟରେ ଅରୁଣା ଆସି ପାଖରେ ବସୁ ବସୁ କହିଲେ, ‘ଆଜି ଟିକେ ଡେରି ହେଲା କି ?’

 

‘ନାହିଁ, ଗୋଟେ ନୂଆ ରାସ୍ତାରେ ଗଲି, ଟିକେ ଦୂରକୁ ଚାଲିଗଲି ତ !'

 

‘କୁହ, ଆଜି କି ରୋଷେଇ କରିବା ?’ ଅରୁଣା ପଚାରିଲେ ।

 

‘ଯାହା କରୁଚ କର, ଅଳ୍ପ କରି ପୋଟଳଭଜା କର ।’

 

ସେଦିନ ମଧ୍ୟାହ୍ନ ଭୋଜନରେ ପୋଟଳ ଭଜା ହୋଇଥିଲା । ଅରୁଣାଙ୍କ ହାତର ରୋଷେଇ ଖୁବ୍ ଭଲ । ରୋଷେଇ ସାଙ୍ଗକୁ ତାଙ୍କର ଜଳଖିଆ କରିବାଟା କି ଚମତ୍କାର । ଯେତେବେଳେ ତାଙ୍କ ଘରକୁ ରୋଷେଇଆ ମିଳିବାର ସୁବିଧା ଥିଲା, ସେତେବେଳେବି ଅରୁଣା ରୋଷେଇ କରୁଥିଲେ; ସେ ରୋଷେଇଆ ଖାଲି ପରିବା କାଟିବା, ମସଲା ଯୋଗାଇବା କାମ କରୁଥିଲା । ସେଦିନବି ପୋଟଳ ଭଜା ସେ ଚମତ୍କାର କରିଥିଲେ, ହେଲେ ରାସ୍ତାକଡ଼ ବସ୍ତିର ସେ ଘରୁ ଯୋଉ ବିଚିତ୍ର ବାସ୍ନା ଆସିଥିଲା, ସେଇଟି ନଥିଲା ।

 

ପରଦିନ ସେଇବାଟେ ଆଦିତ୍ୟ ଯାଇଥିଲେ । କିଛି ରୋଷେଇର ବାସ୍ନା ନଥିଲା । ପୂର୍ବଦିନ ମୁଣ୍ଡ କୁଣ୍ଡାଉଥିବା ମହିଳା ଜଣକ ବାହାରେ ଠିଆ ହୋଇଥିଲା । ଆଦିତ୍ୟଙ୍କ ସହ ତା’ର ଆଖି ମିଶିଲା । ଆଦିତ୍ୟ ଆଗକୁ ଚାଲିଗଲେ । ଫେରିବାବେଳକୁ ମହିଳା ଜଣକ ନଥିଲା । ଗ୍ରିଲ୍ ଦରଆଉଜା ହୋଇଥିଲା । ଭିତରୁ କିନ୍ତୁ ଯୋଉ ବାସ୍ନା ଆସୁଥିଲା, ଆଦିତ୍ୟ ତାକୁ ଅକ୍ଳେଶରେ ଚିହ୍ନି ପାରିଲେ । ବୋଧେ ଲମ୍ବା ଲମ୍ବା କଟା ସରୁ ସରୁ ପିଆଜରେ ଭୁସୁଙ୍ଗାପତ୍ର କଞ୍ଚା ଲଙ୍କା ସୋରିଷ ତେଲରେ ବଘରା ଯାଇ ତିଆରି ଚାଲିଥିଲା ଚୁଡ଼ା ସନ୍ତୁଳା । ପୂର୍ବଦିନ ପରି ସେ ବିଶେଷ ଉତ୍ତେଜିତ କି ଅନ୍ୟମନସ୍କ ହେଲେ ନାହିଁ ସତ କିନ୍ତୁ ସେଇ ଜାଗାରୁ ନିଜ ଘରକୁ ଆସିବା ଭିତରେ ସେ ଦେଖିଲେ ସତେ ଅବା ଖୁବ୍ ସାନ ଚଳଚ୍ଚିତ୍ରଟିଏ !

 

ଖୁବ୍ ସାନ ଚଳଚ୍ଚିତ୍ର

 

ସକାଳ ସକାଳ ବେଳ । ତିନି/ଚାରି/ପାଞ୍ଚ ପିଲା ଘେରି ବସିଛନ୍ତି ଚୁଲି କଡ଼ରେ । ପ୍ରତ୍ୟେକଙ୍କ ହାତରେ ଗୋଟେ ଗୋଟେ ଥାଳିଆ । ଯୋଉ ଲୁହା କଢ଼େଇରେ ନାନାପ୍ରକାର ଭଜା କି ଅନ୍ୟ ତରକାରୀ ହୁଏ ସେଇଟା ନୁହ, ଗୋଟାଏ ନିହାତି ବଡ଼ ରସ କଡ଼େଇ ବସିଥିବ ଚୁଲି ଉପରେ-। କରେଇରେ ପଡ଼ିବ ସୋରିଷ ତେଲ, ଫୁଟଣ, କଞ୍ଚାଲଙ୍କା, ସରୁ ସରୁ କଟା ମୁଠାଏ ଆଳୁ, ପାଖରେ ବଡ଼ କଂସାରେ ଥିବ ସଦ୍ୟ ଧୁଆ ହୋଇଥିବା କଂସାଏ ଚୁଡ଼ା । ମୁହୂର୍ତ୍ତକ ଭିତରେ ସବୁ ପ୍ରସ୍ତୁତ । ସେଇ କରେଇରୁ କରଚୁଲିରେ ସିଧାସିଧା ଥାଳିଆ ଉପରକୁ ଚୁଡ଼ା ସନ୍ତୁଳା । ଚାହୁଁଚାହୁଁ ସବୁ ଶେଷ । କରେଇ ଆସିଯିବ ତଳକୁ, ତା’ ଜାଗାକୁ ଉଠିଯିବ ଗୋଟାଏ ବଡ଼ ରସ ଡେକ୍‍ଚି-। ବଡ଼ମାନଙ୍କ ପାଇଁ ଦ୍ୱିତୀୟ ଭାଡ଼ି ଚା’ କେବେ ନାଲି କେବେ ଧଳା । ଯୋଉ ହାତ ଆଖି ପିଛୁଳାକେ ଏଠୁ ସେଠିକି ଓ ସେଠୁ ଏଠିକି ଅନବରତ ଦୌଡ଼ୁଥିବ, କାହାର ହାତ ? କେବେ ତହିଁରେ ଥାଏ ବାହିଏ ଚୁଡ଼ି, ପୁଣି କେବେ ପୂରା ସାଦା ହାତ । ଚୁଡ଼ି ଥାଉ କି ଚୁଡ଼ି ନଥାଉ, ହାତର ବେଗ ସମାନ, ହାତ ସୁଆଦ ସମାନ । ଘରର କୋଳାହଳ ସମାନ ।

 

ଜେଜେମାର ହାତ ? କାହିଁ କେବେଠାରୁ ମିଳେଇ ଗଲାଣି ପବନ ଭିତରେ ।

 

ବୋଉର ହାତ ? କୋଉ ଯୁଗ ତଳୁ ଘାସଙ୍କ ଭିତରେ ଘାସ ।

 

ଖୁଡ଼ୀର ହାତ ? ଅଛି, ଏବେବି ଅଛି, ହେଲେ ଅଚଳ କି କ’ଣ, କିଏ ଜାଣେ ?

 

ପଖାଳ; ପୁଣି ଯାହା ତାହା କ’ଣ ଟିକେ ଲଗେଇ ଖାଇ କି ଖରା କି ବର୍ଷା କି ଶୀତରେ ଦଉଡ଼ ସ୍କୁଲ୍‍କୁ । ସ୍କୁଲ୍ ଏମିତି କେତେ ବାଟ କି ? ଏମିତି ଦି’ମାଇଲ ତ ଜମା !

 

ସ୍କୁଲ୍‍ରୁ ଫେରିବାବେଳକୁ, ଆଶ୍ଚର୍ଯ୍ୟ କଥା, ହାଲିଆ ଲାଗୁଥାଏ ସତ, ହେଲେ ଏତେଟା ଭୋକ ନଥାଏ । ଦଳଦଳ ପିଲାଙ୍କ ଭିତରେ, କାଦୁଅ ପଚପଚ ରାସ୍ତାରେ, ହୋହୋ ଘୋଘୋ ହୋଇ ଫେରିବାବେଳେ ଭୋକ ନା ଫୋକ, ଭୋକ ଉଡ଼ୁଥାଏ ଆକାଶରେ କଙ୍କି ହୋଇ କି ପ୍ରଜାପତି ହୋଇ ! ଯେମିତି ନିଜ ଘର ପାଖ ହୋଇଯିବି, ଭାଇରେ କି ଭୋକ ! କେବେ ଥାଏ ପଖାଳ ତ କେବେ ଥାଏ ଉଷୁମ ଭାତ । ଡାଲି ଫାଲି କିଛି ନଥାଏ ମ ! କିଛି ଗୋଟେ ଝୋଳ ତରକାରୀ, କିଛି ଗୋଟେ ଭଜା । ସବୁଥିରେ ବଟା ସୋରିଷ ଦିଆଯାଇଥିବ ରସୁଣ ଦି’ ତିନି ପାଖୁଡ଼ା । କି ମହକ । ଏମିତିବି ହୋଇଥିବ ଯେ ଭୋକ ଜୋରରେ ଥାଏ ବୋଲି ବୋଧେ ମହକରେ କମ୍ପୁଥାଏ ସବୁଆଡ଼େ !

 

ମଞ୍ଜା ରାଇ କି ଭଣ୍ଡା ବରା କି ସାରୁ ଭେଣ୍ଡି ଆଳୁ ଆମ୍ବୁଲ ପକା ଖଟା ଖଟା ଝୋଳ ! ଦିନେ ଦିନେ ସେଇ ଖଟା ଝୋଳରେ ପଡ଼ିଥିବ ଚୁନା ମାଛ । ହେଃ–ନାଆଁକୁ ଖାଲି ମାଛ ମ ! ମାନେ ମନେକର ଶହେ ଗ୍ରାମ୍ ମାଛ ଥିବ, ତହିଁକି ଛୋଟ ବଡ଼ କରି ଏଗାର କି ବାର ଜଣ ! ହଇରେ ବିଧାତା ! ଲୁହା କଡ଼େଇରେ ପୂରା କଡ଼େଇଏ ତରକାରୀ, କେବେ ସେଇ ଭେଣ୍ଡି ଝୋଳ, କେବେ ଅବା ଭେଣ୍ଡି ଜାଗାରେ ଥାଏ ଜହ୍ନି, ସାରୁ କିନ୍ତୁ କେବେ ବଦଳେନା; ଯଦିବା ବଦଳେ ତେବେ ତା’ ଜାଗା ନେଇଥାଏ ଢେବା ଢେବା କଟା ହୋଇଥିବା ମାଟିଆଳୁ । ସେ ସବୁଥିରେ ଯାଏଁ ଆସେ କେତେ ମ ! ଭାତ ଉଠେ ଝୋଳରେ । ଖାଇବାବେଳେ କିଏ ପିଲାଟେ କହେ ଯେ : ବେ ମୋ ଥାଳିଆରେ ମାଛ ନାହିଁ, ହେଁହେଁ !

 

ବୋଉ କି ଆଉ କେହି ଦଉଡ଼ି ଆସି କହେ : ତୋ’ ମାଛ ବିରାଡ଼ି ଖାଇଗଲା, ସୁନାଟା ପରା, ଯାହା ଥିଲା, ତୋ ଛୁଆ ଭଉଣୀକି ଦେଇଛି ପରା, ତୁ ଜିଦି କଲେ ହେବ କି !)

 

କହିସାରି ସବୁତକ କାଚ ରୁଣୁଝୁଣୁ ସହ ସିଏ ପୂରା ଉଭାନ । ବିରି–ଚାଉଳ ଧରି ପୁଣି ଶିଳ ପାଖରେ ହାଜର, ରାତିପାଇଁ ଚିତଉ କି ଚକୁଳି ହେବ ନାଇଁ କି ?

 

ତାଙ୍କ ଘରର ଗେଟ୍ ଖୋଲିଲେ ଆଦିତ୍ୟ । ମୁହଁରେ ଖୁସି ଖୁସି ହସ ମିଶା ଭାବ ଦେଖି ବାରଣ୍ଡାରେ ଠିଆ ହୋଇଥିବା ଅରୁଣା ପଚାରିଲେ, ‘ବାବୁଙ୍କର ଗମ୍ଭୀର ମୁହଁରେ ଆଜି ଏତେ ହସ ? କୋଉ କଥା ମନେପଡ଼ିଲା ମ !’

 

ଖୁବ୍ ସାନ ଚଳଚ୍ଚିତ୍ରଟା, କ’ଣ ଅରୁଣା ଦେଖିଦେଲେ ନା କ’ଣ ?

 

ଭିତରକୁ ଯାଇ ମୁହଁ ହାତ ଧୋଇ ସୋଫାରେ ବସିବାବେଳକୁ ପାଣି ଗୋଟେ ଗ୍ଲାସ୍ ଓ ଚା’ ଧରି ଅରୁଣା ଆସି ପାଖ ସୋଫାରେ ବସିଲେ । ଚା' କପ୍‌ଟା ଉଠାଇ ନେଇ ଆଦିତ୍ୟ ପଚାରିଲେ, ‘ଘରେ କ’ଣ ସାରୁ ଅଛି ?’

 

‘କାହିଁକି ?' ଟିକେ ଆଶ୍ଚର୍ଯ୍ୟ ହେଲେ ଅରୁଣା ! ନାହିଁ, ଏମିତି ପଚାରିଲି; ସେ ଉତ୍ତର ଦେଲେ ‘ବହୁତ ଦିନ ହେଲା ସାରୁର ପକା ତରକାରୀ ହୋଇନାହିଁ ।’

 

‘ତୁମେ ତ କେତେବର୍ଷ ଧରି ସାରୁ ଆଣିନାହଁ; ମୁର୍କି ହସି ଅରୁଣା କହିଲେ, ‘ମନେ ଅଛି ତୁମର ଜଣେ କଲିଗ୍ ଆଚାର୍ଯ୍ୟବାବୁଙ୍କ ମିସେସ୍‍ଙ୍କ କଥା ? ସେ ଥରେ କହିଥିଲେ ଯେ ଏସବୁ ବଡ଼ବଡ଼ ଚାକିରିରେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ ସାରୁ, ମାଟିଆଳୁ, ଛଚିନ୍ଦ୍ରା, କୁନ୍ଦୁରି, କନ୍ଦମୂଳ ଜାତୀୟ ପରିବା ଖିଆ ଯାଏନା !’

 

ତେଣିକି କେବଳ ଗ୍ରିନ୍ ମଟର, କାପ୍‍ସିକମ୍, ଗାଜର, କାଙ୍କଡ଼, ବିନ୍, ବ୍ରକୋଲି ଇତ୍ୟାଦି-। ସୋରିଷ ବଟା କି କୌଣସି ବଟା ମସଲାର ସ୍ଥାନହିଁ ନାହିଁ !

 

ଆଦିତ୍ୟ ହସିଲେ, ‘ଆଚାର୍ଯ୍ୟର ବିଶେଷ କିଛି ନ ଖାଇଲେ ଚଳିବ, କାରଣ ସେତ ସାରା ଜୀବନ ଖାଲି ଟଙ୍କା ଖାଇବାରେ ବିତେଇଦେଲା । ସେ ସବୁ କଥା ଛାଡ଼ । ଏଥରକ ହାଟରୁ ସାରୁ ଆଣିବା ।'

 

‘ଆଚ୍ଛା, ଆଜି ପୁଣି କି ତରକାରୀ କରିବା ?'

 

ଅରୁଣା କହିଲେ । ସୋଫାରୁ ଉଠୁ ଉଠୁ ଆଦିତ୍ୟ କହିଲେ, ‘ଯାହା ଇଚ୍ଛା କରୁଚ କର, ହେଲେ ରସୁଣ ସୋରିଷ ବଟା ଦବ ।'

 

‘ତେବେ ତ ସୋରିଷ ତେଲରେ ହବ, ରିଫାଇନ୍‍କୁ ସୋରିଷ ବଟା ନୁହେଁ ।' ଅରୁଣା କହିଲେ ।

 

‘ହଁ, ହଉ,’ ଆଦିତ୍ୟ କହିଲେ, ‘କ’ଣ ହେଇଯିବ ସେଇଠୁ ? କ’ଣ ପାଇଁ କେବେଠାରୁ କାହା ଉପଦେଶରେ ଆମେ ସୋରିଷତେଲ ଖାଇବା ଛାଡ଼ିଥିଲେ ଅରୁ ? ଏଣିକି ତୁମେ, ପରିମାଣ ଅଳ୍ପ ହେଉପଛେ, ସୋରିଷ ତେଲ ବ୍ୟବହାର କର ।’

 

ଅରୁଣା ଭିତରେ ଭିତରେ ଆଶ୍ଚର୍ଯ୍ୟ ହେଲେ ସତ, କିଛି ନ କହି ଉଠି ଚାଲିଗଲେ ।

 

ଗାଁ ଘର ଅଗଣା, ପୁନର୍ବାର

 

ଦୁଇ ତିନି ଦିନ ପରେ ଆଦିତ୍ୟ କିଛି କିଣାକିଣି କରିବାପାଇଁ ନିକଟରେ ଥିବା ଏକ ଛୋଟ ବଜାରକୁ ଯାଇଥିଲେ । ରବିବାର ଥିବାରୁ ସେ ଟିକେ ଡେରିରେ ଯାଇଥିଲେ ଏବଂ ଚାଲି ଚାଲି ଯାଇଥିଲେ । ଫେରିବାବେଳକୁ କେଜାଣି କାହିଁକି ତାଙ୍କର ଇଚ୍ଛା ହେଲା, ଟିକେ ବୁଲାଣି ରାସ୍ତା ପଡ଼ୁ ପଛକେ, ସେ ସେଇ ଗଳି ମାନେ ବସ୍ତି ବାଟଦେଇ ଫେରିବେ ! ସତରେ ସେ ସେଇ ବାଟ ଦେଇ ଫେରିଲେ ।

 

ଯେଉଁ ସ୍ତ୍ରୀଲୋକକୁ ସେ କେତେଥର ଦେଖିଥିଲେ ଏବଂ ଯାହା ହାତରେ ଚମତ୍କାର ରାନ୍ଧଣାର ଯାଦୁକରୀ ମନ୍ତ୍ର ଅଛି ବୋଲି ସେ ଭାବିଲେ, ସେଇ ସ୍ତ୍ରୀଲୋକ ତାଙ୍କ ଆଡ଼କୁ ପଛକରି ତାରରେ ଶାଢ଼ି ଶୁଖଉଥିଲା, ସେଇମାତ୍ର ଗାଧୋଇଥିଲା କି କ’ଣ, ବ୍ଲାଉଜ୍ ପିନ୍ଧି ନଥିଲା । ଶାଢ଼ିଟା ଏକ ବିଚିତ୍ର ଭଙ୍ଗୀରେ ପିନ୍ଧିଥିଲା, ଯାହା ବେଶ୍ ଭଲ ଲାଗିଲା ଆଦିତ୍ୟଙ୍କ ଆଖିକୁ । ତରବରରେ ନଇଁପଡ଼ି ବାଲଟି ଭିତରୁ ଗାମୁଛା କି କ’ଣଟେ ଉଠେଇ ନେବାବେଳକୁ ସ୍ତ୍ରୀଲୋକଟି ଟିକେ ଅସାବଧାନ ହୋଇଗଲା କି କ’ଣ କେଜାଣି, ଶାଢ଼ିଟା...

 

ଆଦିତ୍ୟ ନାରାୟଣ ସେପଟୁ ମୁହଁ ବୁଲେଇ ଆଣିଲେ ଏବଂ ପ୍ରାୟ ସେତିକିବେଳେ ତାଙ୍କ ଦେହରେ ଧକ୍କା ଖାଇଲା ଦମକାଏ ପବନ; ଏବଂ ତା’ ପଛେ ପଛେ ସତେ ଅବା ଚକା ଚକା ଭଉଁରି ଖେଳି ଖେଳି ଭାସି ଆସିଲା ଏବଂ ନିଜ ଅଜାଣତରେ ତାଙ୍କ ମୁହଁ ବୁଲିଗଲା ସେଇଠିକୁ, ଯେଉଁଠି ସ୍ତ୍ରୀଲୋକ ଜଣକ ଓଦାଲୁଗା ଶୁଖଉଥିଲା ତାରରେ !

 

ନା, ସେଠି କେହି ନଥିଲେ, ଥିଲା କେବଳ ତାର ଓ ତାରରେ ଝୁଲୁଥିବା ଲୁଗା, ଲୁଙ୍ଗି, ଗାମୁଛା !

 

ବାସ୍ନା, ଆଃ ! ବିଚିତ୍ର ବାସ୍ନା !

 

ଆଦିତ୍ୟ ଖୁବ୍ ଧୀରେ ଆଗେଇ ଯାଉଥିଲେ । ଏତିକିବେଳେ ତାଙ୍କ କାନରେ ପଡ଼ିଲା । କେହି ଜଣେ ବୟସ୍କା ମହିଳାଙ୍କ ସ୍ୱର, ‘ଶୁଣ ମା’ ଚୁଲିରୁ କଡ଼େଇ ଓହ୍ଲେଇବା ପରେ ଆଉ ଦି’ଟୋପା ସୋରିଷତେଲ ଉପରେ ବୁଲେଇଦେବୁ ।’

 

ଏ ଭିତରେ ଆଦିତ୍ୟ କେତେ ଆଗକୁ ଆସି ଯାଇଥିଲେ । ତାଙ୍କ ଆଖିରେ ଦିଶିଲା କୋଉ ପୁରୁଣା ଯୁଗର ଅଗଣା । ଅଗଣାରେ ତିନି ଝିଙ୍କାବାଲା ଚୁଲି । ଚୁଲି ଉପରେ କଳା ମଚମଚ ଲୁହାର କଡ଼େଇ, ତା’ର ଭିତରେ ଚକ୍କର କାଟୁଛି ଲୁହାର ଖଡ଼ିକା । ଯେଉଁ ହାତ ଚଳଉଥାଏ ଖଡ଼ିକାକୁ, କେବେ ସେଥିରେ ଶୋଭା ପାଉଥାଏ ରଙ୍ଗବେରଙ୍ଗର ବାହିଏ ଚୁଡ଼ି, କେବେ ଆହୁରି ତରତରରେ ଖଡ଼ିକାକୁ ଚଲଉଥାଏ ଏକ ଅନ୍ୟ ହାତ–ଶିରାଳ ଚୁଡ଼ି ବିହୀନ ହାତ ! ହେଲେ କଡ଼େଇରୁ ଉଠୁଥିବା ବାସ୍ନା କିନ୍ତୁ ସମାନ ଥାଏ ।

 

ଆଦିତ୍ୟ ମୁଖ୍ୟ ରାସ୍ତାକୁ ଉଠି ଆସିଥିଲେ । ତାଙ୍କ ଆଖି ଯଦିଓ ଲମ୍ବିଥିଲା ଢେର୍ ଆଗକୁ, ସେ କିନ୍ତୁ ବାସ୍ତବରେ କିଛି ଦେଖୁ ନଥିଲେ । ତାଙ୍କ ପାଦ ଅଭ୍ୟାସ ମୁତାବକ ରାସ୍ତାରେ ଚାଲିଥାଏ ଘରମୁହାଁ ହୋଇ, ହେଲେ ସେ ଦେଖୁଥିଲେ ଭିନ୍ନ ଏକ ଦୃଶ୍ୟ !

 

ଚୁଲି ଉପରେ ଲୁହା କଡ଼େଇ, କଡ଼େଇତଳେ ଆମ୍ବକାଠ ଦିଖଣ୍ଡର ରଡ଼ନିଆଁ, କଡ଼େଇ ଭିତରେ କ’ଣ ଥାଏ ?

 

କ’ଣ ଥାଏ କୁହତ ଦେଖି ?

 

ଆଦିତ୍ୟ ହସିଲେ ମନକୁ ମନ ।

 

କାଚବାଲା ହାତ ତରବରରେ ଲୁହା କଡ଼େଇରେ ଚୁନାମାଛ, ତା’ ଚାରିକଡ଼େ ବୁଲେଇକି ପକଉଚି ସୋରିଷ ତେଲ, ଜାଳ ଟିକେ କମ୍ କରି ସେଠୁ ଉଠି ଆସୁଛି ଶିଳ ପାଖକୁ, ମୁହୂର୍ତ୍ତକ ଭିତରେ ବାଟି ପକଉଚି ସୋରିଷ, ରସୁଣ ଚାରିପାଖୁଡ଼ା, ଦି’ଟା କଞ୍ଚା ଲଙ୍କା ମିଶାମିଶି ଗିନାଏ ବାଟଣ, ଦୌଡ଼ିବା ପରି ଫେରି ଆସୁଛି କଡ଼େଇ ପାଖକୁ, କଡ଼େଇରେ ଅଜାଡ଼ି ପକାଉଛି ବାଟଣଯାକ, ଦରଭଜା ମାଛ କଡ଼େଇରୁ ଉଠୁଚି ସେଁ, ଘରସାରା ଖେଳି ଯାଉଛି ମହକ, ଲୁଣ, ହଳଦୀ ଫାଳେ ଆମ୍ବୁଲ ପକାଇ ବଡ଼ ସିଲଭର ଥାଳିଆଟେ ଘୋଡ଼େଇ ଦେଇ ଲାଗିଯାଉଛି ଆଉ କୋଉ କାମରେ, ଶାଗ ଦି’ବିଡ଼ା କାଟିବାରେ ଲାଗୁଛି କି ଗାଈ ଆଗରେ ଛଣ ପକାଉଛି ! କଡ଼େଇକୁ ଚୁଲିରୁ ଓହ୍ଲାଇବା ଆଗରୁ ଚାରିବୁନ୍ଦା କଞ୍ଚା ସୋରିଷ ତେଲ ପକାଉଛି !

 

ଆଦିତ୍ୟ ବାସ୍ନାଟିକୁ ଚିହ୍ନିପାରିଲେ । କାହିଁ କାହିଁ ଯୁଗ ତଳର ବାସ୍ନା । ସେମାନେ ଦଳକଯାକ ଦୌଡ଼ାଦୌଡ଼ି ହୋଇ ଆସିଲେ, କ୍ଷଣକ ଭିତରେ ଅଧହାଣ୍ଡିଏ ଭାତ ଓ ସେତକ ତରକାରୀ ସଫା । ଶାଢ଼ିବାଲାଙ୍କ ପାଇଁ ଖରାବେଳ ଶେଷ ଆଡ଼ିକି ପୁଳାଏ ଭାତ, ସାରୁ ଚକଟା, ଆମ୍ବୁଲ ପାଣି । ତାଙ୍କ ପାଟି ଜକେଇ ଆସିଲା । ସେ ମନକୁ ମନ ହସିଲେ । କେଜାଣି ତାଙ୍କର ମନେହେଲା ଏବେବି ସେଇ ବାସ୍ନା ଅଛି, ସୁତରାଂ ସେଇ ସ୍ଵାଦ ଥିବ । ସ୍ମୃତିର ପରସ୍ତ ପରସ୍ତ ଭେଦକରି ଦେଖାଗଲେ ଢେର୍ ଦିନ ତଳୁ ହଜିଯାଇଥିବା ଲୋକମାନଙ୍କ ମୁହଁ ।

 

ଗାଁରେ ଏବେ ଯେଉଁମାନେ ଅଛନ୍ତି, କେବଳ ସମବୟସ୍କମାନେ ତାଙ୍କୁ ହୁଏତ ଚିହ୍ନିବେ । ପିଲାମାନଙ୍କ ପିଢ଼ିର କିଏ ଚିହ୍ନିବ ? କାହିଁକି ବା ଚିହ୍ନନ୍ତା ? ସିଏ ବା କାହାକୁ ଚିହ୍ନିପାରିବେ କି ? ହଁ, ହୁଏତ ଖୁଡ଼ୀହିଁ ଚିହ୍ନିବେ ତାଙ୍କୁ । ତା’ରବି କୋଉ ନିଶ୍ଚିତତା ଅଛି କି ? ଖୁଡ଼ୀଙ୍କି ବୋଧେ ଅଠାଅଶି କି ନବେବର୍ଷ ହବଣି, ତାଙ୍କ ପୁଅ ହାଡ଼ିବନ୍ଧୁ ବୁଢ଼ା ହୋଇଗଲାଣି, ଯଦିଓ ବୟସରେ ଢେର୍ ସାନ । ତାଙ୍କ ବୋଉ ଯେମିତି ଗାଉଁଲି ଜିନିଷ ସବୁରେ ଢେର୍ ପ୍ରକାରର ସୁଆଦିଆ ତରକାରୀ କି ପୋଡ଼ା କି ଭଜା କରୁଥିଲା; ଖୁଡ଼ୀବି ଠିକ୍ ସେମିତି କରୁଥିଲେ । ହାଡ଼ିବନ୍ଧୁର ପିଲାମାନେବି ବାହାହେଲେଣି କାହିଁ କେବେଠାରୁ । ଖୁଡ଼ୀ ତ ଶଯ୍ୟାଶାୟୀ ହେବେଣି, ଆଖିକୁବି ଦିଶୁ ନଥିବ ।

 

ଅଚାନକ ଅରୁଣାଙ୍କ ଟିକେ ଉଚ୍ଚାସ୍ୱର ଡାକରେ ସେ ପ୍ରକୃତିସ୍ଥ ହେଲେ । ବାସ୍ତବରେ ସେ ଆଉ ଚାଲୁ ନଥିଲେ, ନିଜ ଗେଟ୍ ବାହାର ପଟେ ସ୍ଥିର ହୋଇ ଠିଆ ହୋଇଥିଲେ । ଏଥର ସେ ଗେଟ୍ ଖୋଲି ଘରକୁ ଗଲେ । ଅରୁଣା କହିଲେ, ‘ଏଇ କେଇଦିନ ହେବ ତୁମର କ'ଣ ହୋଇଛି କିଏ ଜାଣେ ! କାହିଁକି କ’ଣ ହେଲା ମୁଁ ଟିକେ ଶୁଣେ ! ଯାଇଛ ତ ଯାଇଛ କୁଆଡ଼େ କୁଆଡ଼େ ବୁଲିବୁଲି ଆସୁଚ । ଏ କେତେଦିନ ହେବ ମତେବି ସାଙ୍ଗରେ ନଉନା, ବେଳେବେଳେ ମନକୁ ମନ କ’ଣ ସବୁ ଫୁଟୁଫୁଟୁ ହଉଛ ! ହଉ, ଚା’ କରିବି କି ?’

 

ଆଦିତ୍ୟ ନାରାୟଣ ମନା କଲେ । ଯାଇ ସୋଫାରେ ବସିଗଲେ, ପୂରା କ୍ଳାନ୍ତ ।

 

ତାଙ୍କୁ ପାଣି ଗ୍ଲାସ୍‍ଟେ ଦେଇ ଅରୁଣା ରୋଷେଇଘରକୁ ଯାଉଥିଲେ, ଆଦିତ୍ୟ ପଚାରିଲେ, ‘ଆଚ୍ଛା ଏ ଭିତରେ ହାଡ଼ିବନ୍ଧୁ ଆଉ ଫୋନ୍ କରିଥିଲା କି ?'

 

‘ସିଏ କାଇଁ ଫୋନ୍ କରନ୍ତେ ମ ।’ ଅରୁଣା କହିଲେ, ‘ଆମେ କୋଉ ଫୋନ୍ କରିଛେ କି-?'

 

'ଠିକ୍ କଥା ଯେ; ହେଲେ ସମ୍ପର୍କ କ’ଣ କଟିଗଲା ନା କ’ଣ ।’ ଆଦିତ୍ୟ ଯେତେଦୂର ସମ୍ଭବ, କଥାଟା ନିଜକୁ କହିଲେ; ରକ୍ତ ସମ୍ପର୍କଟା କ’ଣ କିମିତି ଚିଠି ନ ଦେଲେ, ଫୋନ୍ ନ କଲେ କଟିଯାଏ କି ?'

 

‘କଟିଯାଏନା ସତ, ହେଲେ ଅନ୍ତରଙ୍ଗପଣିଆ କମିଯାଏ ।’

 

‘କମିଯାଏ ?’ ଆଦିତ୍ୟ ସତେ ଅବା ମାଡ଼ିବସିଲେ, ତା’ ନମ୍ବର ଅଛିଟି ? ଆଣ ତା’ ନମ୍ବର ଏବେ ।’

 

ଅରୁଣା ଉଠିଯାଇ ଗୋଟେ ପୁରୁଣା ଡାଏରି ଆଣି ଥୋଇ ଦେଇ ଚାଲି ଯାଉଥିଲେ, ଆଦିତ୍ୟ କହିଲେ, ‘ଶୁଣ, ଏଇଠି ବସି, ହାଡ଼ିବନ୍ଧୁକୁ ଫୋନ୍ ଲଗେଇ ମୁଁ ଲାଉଡ଼୍‍ସ୍ପିକର୍ ଲଗେଇ ଦଉଚି, ତୁମେ ଶୁଣ, ତା’ପରେ କୁହ ସମ୍ପର୍କ ଫିକା ପଡ଼ିଛି କି ଅନ୍ତରଙ୍ଗତା ଢିଲା ହୋଇଯାଇଛି ।'

 

ଥରେ ଦି'ଥର ରିଙ୍ଗ୍ ହେବାପରେ ସେକଡ଼ୁ ହାଡ଼ିବନ୍ଧୁର ଉତ୍ତେଜିତ ସ୍ଵର ଶୁଣାଗଲା, ‘କ’ଣ ହେଲା ଭାଇନା ? ଦେହ ଭଲ ଅଛିଟି ? ଭାଉଜଙ୍କ ଖବର କ’ଣ ? କେଜାଣି କାହିଁକି, ଆଜି ସକାଳୁ ବୋଉ ତମ କଥା ବିଳିବିଳେଇବା ପରି ମନେପକଉଥିଲା, ଦେଖ ଏଇନା ତମ ଫୋନ୍ ! କୁହ କଥା କ’ଣ ?’

 

‘ଆରେ ତୁ ତ ଏକାଥରକେ ଏତେ ପ୍ରଶ୍ନ ପଚାରୁଛୁ ଯେ ଉତ୍ତର ଦବା ବଡ଼ କଷ୍ଟ !’ ଆଦିତ୍ୟ କହିଲେ, ‘ତୁମେ ଦି’ଜଣ ବହୁତ ଦିନ ହବ ଆସିନ ।’ ସେପଟୁ ଶୁଣାଗଲା, ‘ଏ ଭିତରେ ଥରେ ଆସ । ଏବେ ତ ଆସିବାରେ ଝାମେଲା ନାହିଁ । ବୋଉବି ଟିକେ ଦେଖନ୍ତା, ତମ ଦି'ଜଣଙ୍କୁ !’

 

‘ସେଇଆ ଭାବିଥିଲି ବୋଲିତ ଫୋନ୍ କଲି । ମତେ କହ, ଖୁଡ଼ୀ ଚାଲବୁଲ ଠିକ୍‍ରେ କରୁଛନ୍ତିଟି ?’

 

ହାଡ଼ିବନ୍ଧୁ କହିଲା, ‘ବୋଉର ସବୁ ଠିକ୍ ଅଛି । ଆଠ/ପନ୍ଦର ଦିନରେ ପରା ତରକାରୀ ରାନ୍ଧି ଦଉଛି ।’

 

‘ତେବେ ମୁଁ ନିଶ୍ଚେ ଯିବି; ଆଦିତ୍ୟ କହିଲେ, ନିଶ୍ଚୟ ଏ ଭିତରେ ଯିବି ।’

 

ଆଉ କେତେକଅଣ କଥାପରେ ସେ ଫୋନ୍ ରଖିଥିଲେ । ପୂରା ଗଡ଼ଜିଣା ଓ ପରିତୃପ୍ତ ନଜରରେ ଅନେଇଲେ ଅରୁଣାଙ୍କ ଆଡ଼କୁ ।

 

‘ନିଶ୍ଚେ ଯିବା !' ସେ ମନକୁ ମନ କହିଲେ । ଅରୁଣା ଉଠିଗଲେ ରୋଷେଇଘର ଆଡ଼କୁ-

 

ଏହାପରେ ପରଦିନ, ତା'ପର ଦିନ, ତା'ପର ଦିନ ଆଦିତ୍ୟ ତାଙ୍କ ପୁରୁଣା ରାସ୍ତାରେ ଯାଇଛନ୍ତି ଓ ଫେରିଛନ୍ତି, ହେଲେ ନା ପବନରେ ଥାଏ କୌଣସି ଭଜାର କି ସନ୍ତୁଳାର ବାସ୍ନା, ନା ଥାଏ ରସୁଣ, ସୋରିଷ, ଲଙ୍କା ବଟା ହୋଇ ରନ୍ଧା ଯାଇଥିବା କୌଣସି ତରକାରୀର ମହକ । ପଞ୍ଚମ ଦିନ ରନ୍ଧାର ବାସ୍ନା ଆସୁଥାଏ, କଡ଼େଇରେ ଫୁଟଣ ପଡ଼ିବାର । ହେଲେ ବାସ୍ନା କାହିଁ ?

 

ଆଠ/ଦଶ ଦିନବେଳକୁ ତାଙ୍କୁ କେମିତି ଅସ୍ଥିର ଲାଗିଲା । ଫେରିବାବେଳକୁ ଅଧା ଖୋଲା ଗ୍ରିଲ୍ ପାଖରେ ଠିଆ ହୋଇଥିବା ସ୍ତ୍ରୀଲୋକକୁ ଦେଖୁଦେଖୁ ତାଙ୍କ ମୁହଁକୁ ସଂଚରି ଆସିଲା ଧାରେ ହସ । ସତେଅବା ମହିଳା ଜଣକ ତାଙ୍କର ବହୁ ଦିନର ଚିହ୍ନା । ଆଦିତ୍ୟଙ୍କ ଭାବ ଦେଖି ସେ ବି ପ୍ରଶ୍ନିଳ ଦୃଷ୍ଟିରେ ଅନେଇଲା । ଯେତେଦୂର ସମ୍ଭବ, ଆଦିତ୍ୟ ଏଇ ନିକଟର ବାସିନ୍ଦା ବୋଲି ସେ ଜାଣିଥିବ । ଆଦିତ୍ୟ ଠିଆହେଲେ ଓ ବଡ଼ ସମ୍ଭ୍ରମରେ ପଚାରିଲେ, ‘କଥାଟେ ପଚାରିବି କିଛି ଭାବିବେ ନାହିଁ ତ ।’

 

ବିସ୍ମୟମିଶା ହସଟେ ଖେଳାଇ ମହିଳା ଜଣକ ପଚାରିଲା, ‘କ’ଣ ?'

 

ଥଥମମ ହୋଇ ଆଦିତ୍ୟ କହିଲେ, ‘ନାଇଁ ଯେ ! ଏଇ ବାଟେ ଯିବାଆସିବାବେଳେ ମୁଁ ପ୍ରତିଦିନ କେତେ ନା କେତେ ପ୍ରକାରର ରୋଷେଇ ହେବାର ବାସ୍ନା ପାଇଥାଏ । ଏବେ ସାତ ଆଠ ଦିନ ହେବ ଯିବା ଆସିବା ଭିତରେ ମୁଁ ବିଲ୍‍କୁଲ୍ ରୋଷେଇ ହବା ନ ହବାର ଗନ୍ଧବି ପାଉନାହିଁ ।’

 

ମହିଳା ଜଣକ ହସିଲା ଓ ନିସଙ୍କୋଚରେ କହିଲା, ‘ନାଇଁ ଆଜ୍ଞା, ରୋଷେଇ ଠିକ୍ ଚାଲିଛି । ହେଲେ ଆପଣ ଯୋଉ ସମୟ କଥା କହୁଛନ୍ତି, ସେତେବେଳେ ମୋ ଶାଶୁ ଏଠି ଥିଲେ, ଖାଲି ରସୁଣ ସୋରିଷ ଲଙ୍କା ସୋରିଷ ତେଲଦିଆ ତରକାରୀ ।’

 

‘ଓହୋ’ କହି ଆଦିତ୍ୟ ତରତରରେ ଚାଲି ଆସିଥିଲେ । ଘରେ ପହଞ୍ଚି ଅରୁଣାଙ୍କୁ କହିଲେ, ତୁମେ ଜିନିଷପତ୍ର ସଜଡ଼ାସଜଡ଼ି କର, ଆମେ ଆଜି ସନ୍ଧ୍ୟାରେ ତିନି ଦିନପାଇଁ ଗାଁକୁ ଯିବା-। ହେଲା ?’

✽✽✽

 

Unknown

ଡକ୍ଟର ଚକ୍ରଧର ଦାଶ ହତ୍ୟାକାଣ୍ଡ

 

ସହରର ନାମଜାଦା ଘରୋଇ ଗୋଇନ୍ଦା ରଣେନ୍ ଅଧିକାରୀଙ୍କ ନାମ ଆପଣମାନେ ନିଶ୍ଚିତ ଶୁଣିଥିବେ । ତେବେ ଅନେକ ବର୍ଷ ତଳେ ମାତ୍ର ଦୁଇଜଣ ଜାଣିଥିଲେ ଯେ, ରଣେନ୍ ଏକ ପ୍ରସିଦ୍ଧ ଗୋଇନ୍ଦା ହେବ ବୋଲି–ଜଣେ ହେଲି ମୁଁ ନିଜେ ଏବଂ ଅନ୍ୟଜଣକ ହେଲେ ତତ୍କାଳୀନ କ୍ରାଇମ୍‍ବ୍ରାଞ୍ଚ୍ ଇନିସ୍‌ପେକ୍ଟର ରଣଜିତ୍ ପାତ୍ର । ଅବଶ୍ୟ ଏବେ ରଣଜିତ୍ ପାତ୍ର ଚାକିରି ଛାଡ଼ି ରଣେନ୍‍ର ଘରୋଇ ସଂସ୍ଥାରେ ଯୋଗ ଦେବାପରେ ସଂସ୍ଥାର ସୁନାମ ଓ ଦକ୍ଷତା ବେଶ୍ ବୃଦ୍ଧି ପାଇଛି ।

 

ମୋର ସୌଭାଗ୍ୟ ଯେ ରଣେନ୍ ଓ ମୁଁ କଲେଜ ଜୀବନରେ ସହପାଠୀ ଥିଲୁ । କେବଳ ସହପାଠୀ ନଥିଲୁ, ଛାତ୍ରାବାସରେ ରୁମ୍‍ମେଟ୍ ମଧ୍ୟ ଥିଲୁ । ଯେଉଁଦିନ ରଣେନ୍ ପ୍ରଥମେ ମୋ ରୁମ୍‍କୁ ଆସିଥିଲା, ସେଦିନ ତାକୁ ଦେଖିବାର ପରମୁହୂର୍ତ୍ତରୁହିଁ ମୁଁ ତାକୁ ଶ୍ରଦ୍ଧା କରିଯାଇଥିଲି । କାରଣଟା ବୋଧେ ଥିଲା ତା’ର ଆକର୍ଷଣୀୟ ଓ ପ୍ରଭାବଶାଳୀ ଚେହେରା : ଉଚ୍ଚ କପାଳ, ଉଚ୍ଚ ଲହକା ଶରୀର, ଗୌରବର୍ଣ୍ଣ ଏବଂ ଛଞ୍ଚାଣ ପରି ତୀକ୍ଷ୍ଣ ଆଖି, ସର୍ବୋପରି ସାମାନ୍ୟ ଗମ୍ଭୀର ପ୍ରକୃତି–ସବୁ ମିଶି ରଣେନ୍‍ଙ୍କୁ ଏକ ସୁନ୍ଦର ବ୍ୟକ୍ତିତ୍ଵରେ ପରିଣତ କରି ଠିଆ କରେଇଥିଲା ମୋ ସାମ୍ନାରେ ।

 

ଛାଡ଼ନ୍ତୁ–ମୂଳକଥାଟି କହେ । ଯେଉଁ ଘଟଣାରୁ ଜଣାପଡ଼ିଥିଲା ଯେ, ରଣେନ୍ ଦିନେ ନାମଜାଦା ଗୋଇନ୍ଦାଟିଏ ହେବ, ସେଇ ଘଟଣାଟି ଆଜି ଅନେକ ଦିନ ପରେ ମୁଁ କହିବାକୁ ବାହାରିଛି । ସେତେବେଳେ ସେଇ ଘଟଣାରେ ରଣେନ୍‍ର ଭୂମିକା ଦେଖି ମୋର ଦୃଢ଼ବିଶ୍ୱାସ ହୋଇଯାଇଥିଲା ଯେ, ପଦାର୍ଥବିଜ୍ଞାନର ସେଇ ଡେଙ୍ଗା ଛାତ୍ରଟି କଦାପି ବୈଜ୍ଞାନିକଟିଏ ଅଥବା ଅଧ୍ୟାପକଟିଏ ହେବ ନାହିଁ । ମୋର ବିଶ୍ୱାସ ସହିତ ଟିକେ ପରେ ଏକମତ ହୋଇଥିଲେ କ୍ରାଇମ୍‍ବ୍ରାଞ୍ଚ୍ ଇନିସ୍‌ପେକ୍ଟର ରଣଜିତ୍ ପାତ୍ର ।

 

କଲେଜ ଜୀବନର ସେଇ ଘଟଣାଟା ଆଜି ମୁଁ କହିବାକୁ ବାହାରିଛି । ତେଣୁ ବରଂ ଯଥାଶୀଘ୍ର କଥାଟା ଆରମ୍ଭ କରିବା ଉଚିତ । ଏମିତି ରଣେନ୍ କଥା ଗପି ଲାଭ ନାହିଁ, ଆପଣମାନେ ତା’ ସମ୍ପର୍କରେ ଅନେକ କଥା ଜାଣନ୍ତି ।

 

ସେତେବେଳେ ଆମର ଫୋର୍ଥ ଇୟର । ଆମ ଡିପାଟ୍‍ମେଣ୍ଟର ପିକ୍‍ନିକ୍ ପଡ଼ିଥାଏ । କଲେଜଠାରୁ ତିନିଶହ ମାଇଲ ଦୂର ଏକ ବଣ ଅଞ୍ଚଳରେ । ସେଇଟା ବୋଧେ ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହ । ରାତି ଏଗାରଟାରୁ ବାରଟା ଭିତରେ ଆମର କଲେଜରୁ ବାହାରି ଯିବାର ଥାଏ । ଆମ ଯୋଜନାଟା ଥିଲା ଯେ ସେତେ ରାତିରେ ବାହାରିଲେ ଆମେ ସକାଳୁ ସକାଳୁ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବୁ ଏବଂ ନିତ୍ୟକର୍ମସାରି ଜଳଖିଆ ଖାଇ ନିକଟସ୍ଥ କେତେଟା ସ୍ଥାନ ଦେଖିବାକୁ ଯିବୁ । ସେଠାରୁ ଫେରିବାବେଳକୁ ରୋଷେଇ ସରିଯାଇଥିବ । ଆମେ ଦିନ ଦୁଇଟା/ତିନିଟା ସୁଦ୍ଧା ଖିଆପିଆସାରି ଫେରିଲେ ସାଢ଼େ ନ’ଟା/ ଦଶଟାରେ କଲେଜରେ ପହଞ୍ଚିଯିବୁ କିଛି ଅସୁବିଧା ହେବ ନାହିଁ ।

 

ମୋର ଠିକ୍ ମନେପଡ଼ୁନି, ତେବେ ଆଠ ଦଶ ଜଣ ଝିଅ ଥିଲେ ଆମ ଦଳରେ ଏବଂ ଥିଲେ ତିରିଶରୁ ଊର୍ଦ୍ଧ୍ୱ ପୁଅ । ପୁଣି ଆମମାନଙ୍କର ନିରାପତ୍ତା ପାଇଁ ଯାଇଥିଲେ ତିନିଜଣ ଅଧ୍ୟାପକ ଓ ଜଣେ ଅଧ୍ୟାପିକା । ଗାଡ଼ି ଛାଡ଼ିବାବେଳକୁ ଆମେ ସମୁଦାୟ କେତେ ଥିଲୁ, ମୋର ସଂଖ୍ୟାଟା ଠିକ୍ ମନେ ନାହିଁ; ତଥାପି ଏମିତି କୁହାଯାଇପାରେ : ଆଠ/ଦଶ ଜଣ ଛାତ୍ରୀ, ତିରିଶ ଜଣ ଛାତ୍ର, ତିନିଜଣ ଅଧ୍ୟାପକ, ଜଣେ ଅଧ୍ୟାପିକା, ଦୁଇଜଣ ରୋଷେଇଆ ତଥା ଦୁଇଜଣ ଡ୍ରାଇଭର ଓ ଜଣେ ହେଲ୍‌ପର । ରାତି ସାଢ଼େ ଏଗାରଟା ପାଖାପାଖି ‘ହିପ୍ ହିପ୍ ହୁର୍‍ରେ’ ଶବ୍ଦରେ ବାୟୁମଣ୍ଡଳକୁ କମ୍ପାଇ ଆମ ଦଳ ବାହାରିଗଲା ।

 

ଆଗ ଦୁଇଟା ସିଟ୍‍ରେ ଝିଅମାନେ ଥିଲେ, ତାଙ୍କ ପଛ ସିଟ୍‌ରେ ଥିଲେ ଅଧ୍ୟାପିକା ମମତା ବହିଦାର ଏବଂ ଦି’ଜଣ ଛାତ୍ରୀ । ତାଙ୍କ ପଛରେ ବସିଥିଲେ ତିନିଜଣଯାକ ଅଧ୍ୟାପକ ଝରକା ପାଖ ସାଇଡ଼୍ ସିଟ୍‍ରେ ଥିଲେ ଡକ୍ଟର ନୀଳାମ୍ବର ଓଝା ଏବଂ ଶେଷରେ ଥିଲେ ଡକ୍ଟର ସୁଧୀର ନାୟକ । ତା’ପର ସିଟ୍‍ଗୁଡ଼ାକରେ ଆମେ ପୁଅମାନେ ଥିଲୁ । କେତେଜଣ ବାଁ ପଟର ଦୁଇଜଣିଆ ସିଟ୍‍ରେ ବସିଥିଲେ । ହେଲ୍‍ପର୍ ଥିଲା ଦରଜା ପାଖରେ ଏବଂ ରୋଷେଇଆ ଦି’ଜଣ ବାଁ ପଟର ସବାପଛ ସିଟ୍‍ରେ ବସିଥିଲେ ଏବଂ ଜଣେ ଡ୍ରାଇଭର ସବାଶେଷ ଲମ୍ବା ସିଟ୍‍ରେ ଶୋଇପଡ଼ିଥିଲା ଆରମ୍ଭରୁ ।

 

ରାତି ପ୍ରାୟ ଦୁଇଟା ପର୍ଯ୍ୟନ୍ତ ବସ୍ ଭିତରେ ପରସ୍ପର ମଧ୍ୟରେ ମଜାକଥା କୁହାକୁହି, ହୋ–ହଲ୍ଲା, ହସ, ଗୀତ ବୋଲିବା ଇତ୍ୟାଦିରେ କଟିଗଲା । କ୍ରମେ ରାତି ବଢ଼ିବା ସହ ବସ୍ ଭିତରେ ଛାଇ ଆସିଲା ନୀରବତା, କୋଳାହଳ ପରିଣତ ହେଲା ଗୁଞ୍ଜରଣରେ ଏବଂ ଶେଷରେ କେବଳ ଘୁଘୁ ଶବ୍ଦ । ରଣେନ୍ ନିଜର ଅଭ୍ୟାସ ଅନୁଯାୟୀ ଗମ୍ଭୀରଭାବେ ବସିଥିଲା । ତା’ପାଖରେ ଥିଲି ମୁଁ ଏବଂ ମୋ ପାଖକୁ ଲାଗି ବସିଥିଲା ବିକ୍ରମ ଭଟ୍ଟ ।

 

ମୋଟାମୋଟି ଏଇଥିଲା ସେଇ ଡିସେମ୍ବର ରାତିର ପରିବେଶ ।

 

କେତେବେଳେ ଏକ ଅପେକ୍ଷାକୃତ ବଡ଼ ବସ୍‌ଷ୍ଟାଣ୍ଡରେ ବସ୍ ଅଟକାଇଲା ଡ୍ରାଇଭର ଇଞ୍ଜିନ୍‍ରେ ପାଣି ଦେବାପାଇଁ । ମୁଁ ଢୁଳାଇ ପଡ଼ିଥିଲେବି ରଣେନ୍‍ର ଡାକରେ ଆଖି ମଳିମଳି ଚାହିଁଲି । କେତେ ଜଣ ଟୋକା ଓହ୍ଲାଇଲେ ଲୁଚିକରି ସିଗାରେଟ ଟାଣିବାପାଇଁ । ଡକ୍ଟର ଓଝା ଓ ଡକ୍ଟର ନାୟକ ଓହ୍ଲାଇ ପାନ କିଣିଲେ । ଗୋଟେ ଚା’ଦୋକାନୀ ଢୁଳାଉଥିଲା । ଡକ୍ଟର ଓଝା ତାକୁ ଉଠାଇ ଚା’ କରିବାକୁ କହିଲେ । ପ୍ରଥମେ ରାଜି ହେଉ ନଥିଲେବି ପରେ ଅନେକ ସଂଖ୍ୟକ ଗରାଖ ଦେଖି ଦୋକାନୀଟି ଚା’ ବସାଇଲା । ଛାତ୍ରୀମାନେ ବା ଅଧ୍ୟାପିକା ମମତା ବହିଦାର ବା ଡକ୍ଟର ଦାଶ କେହି ଓହ୍ଲାଇ ନଥିଲେ । ରଣେନ୍, ମୁଁ ଓ ବିକ୍ରମ ଭଟ୍ଟବି ଓହ୍ଲାଇ ନଥିଲୁ । ଆହୁରି କେତେକ ଛାତ୍ରବି ଓହ୍ଲାଇ ନଥିଲେ । ଯାହାହେଉ, ସେଠି ପ୍ରାୟ ଅଧଘଣ୍ଟା ଅଟକିବା ପରେ ଗାଡ଼ି ପୁଣି ଚାଲିଲା ଲକ୍ଷ୍ୟସ୍ଥଳ ଅଭିମୁଖେ ।

 

ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାବେଳକୁ ସାଢ଼େ ଛ’ । ସକାଳର ଫରଚାଳିଆ କୁହୁଡ଼ି ମିଶା ପରିବେଶ ଭିତରକୁ ଆଖି ମଳିମଳି ଡେଇଁ ପଡ଼ିଲୁ ଆମେ ସମସ୍ତେ । ପୁଣି ହୋ–ହଲ୍ଲା ଆରମ୍ଭ ହୋଇଗଲା । ପୁଅମାନଙ୍କର ହୋହୋ ହସ, ଝିଅମାନଙ୍କର ମଧୁର କଣ୍ଠ, ସକାଳର ଉଇଁ ଆସୁଥିବା ସୂର୍ଯ୍ୟର ଠେକୁଆ ପିଠିପରି ନରମ ଖରା, ବଣର ସୁନୀଳ ସବୁଜିମା, ପକ୍ଷୀମାନଙ୍କର କଳରବ ସବୁମିଶି ପରିବେଶଟା ବେଶ୍ ମନୋରମ ହୋଇ ଉଠିଥିଲା । ଦଳଦଳ ହୋଇ ଆମେ ବ୍ରସ୍–ପେଷ୍ଟ, ଦାନ୍ତକାଠି ଧରି ନିକଟସ୍ଥ ଏକ ପାହାଡ଼ ଝରଣା ଆଡ଼କୁ ଚାଲିବାକୁ ଆରମ୍ଭ କଲୁ । ରଣେନ୍ ଓ ମୁଁ ଚାଲିଥିଲୁ ସବା ପଛରେ । ଆମେ ଦେଖିଲୁ ଯେ ବସ୍‌ର ହେଲ୍‌ପର୍ ଆମ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଥିଲା ।

 

: ‘ସାର୍, ଟିକେ ଗାଡ଼ି ଭିତରକୁ ଚାଲନ୍ତୁ ।’ ହେଲ୍‌ପର୍‍ଟା ଧଇଁସଇଁ ହୋଇ କହିଲା ।

 

: ‘କ’ଣ ହେଲା ?’ ରଣେନ୍ ପଚାରିଲା ଗମ୍ଭୀରଭାବେ, ତା’ ହାତ ଦି’ଟା ଥାଏ ପ୍ୟାଣ୍ଟ ପକେଟ ଭିତରେ ।

 

: ‘ଜଣେ ସାର୍ ଗାଡ଼ି ଭିତରେ ଶୋଇଛନ୍ତି, ଯେତେ ଡାକିଲେ ଉଠୁ ନାହାନ୍ତି; ମତେ କାହିଁକି ସନ୍ଦେହ ଲାଗୁଛି ।’ ହେଲ୍‍ପର୍‍ର କଥାରେ ମୁଁ କିଛି ଅସ୍ୱାଭାବିକତା ଲକ୍ଷ୍ୟ କରି ନଥିଲି; କିନ୍ତୁ ତା' କଥା ଶୁଣି ରଣେନ୍‍ର ଛଞ୍ଚାଣପରି ଆଖି ଦି'ଟା ସ୍ଵତଃ ଦଳଦଳ କରି ଚାଲିଥିବା ସମସ୍ତଙ୍କ ଉପରୁ ଘୂରି ଆସିଲା ଏବଂ ମୁହୂର୍ତ୍ତକ ଭିତରେ ସେ କହିଲା, 'କିଏ ? ଦାଶ ସାର୍ ?’

 

ରଣେନ୍‍ର ଏତକ କହିବା ପରେ ମୁଁ ବୁଝିପାରିଲି ଯେ, ଡକ୍ଟର ଚକ୍ରଧର ଦାଶ ଆମ ଭିତରେ ନଥିଲେ ଏବଂ ତାଙ୍କ ଅନୁପସ୍ଥିତିକୁ କେହି ଜାଣିପାରି ନଥିବାରେ କିଛି ଅସ୍ୱାଭାବିକତା ନଥିଲା ।

 

ରଣେନ୍ ତୁରନ୍ତ ମୋ ହାତଧରି ଟାଣିଆଣିଲା ବସ୍ ଆଡ଼କୁ । ସେ କଥାର ମଣିଷ ନଥିଲା, ଥିଲା କାମର ମଣିଷ । ଆମ ସହ ହେଲ୍‍ପର୍‍ବି ଦୌଡ଼ିଦୌଡ଼ି ଆସିଲା ବସ୍ ଯାଏଁ ।

 

ବସ୍ ବାହାରେ ଡ୍ରାଇଭର ଦି’ଜଣ ଠିଆ ହୋଇଥାନ୍ତି । ସେମାନଙ୍କ ମୁହଁରେ ଆଶଙ୍କା ଫୁଟି ଉଠିଥାଏ । ରଣେନ୍ କାହାକୁ କିଛି ନ କହି ସିଧା ଉଠିଗଲା ବସ୍ ଭିତରକୁ, ତା’ ପଛେ ପଛେ ମୁଁ । ଡକ୍ଟର ଦାଶ ସାଇଡ଼୍ ସିଟ୍‍ରେ ବସିବା ଭଙ୍ଗୀରେ ଥିଲେ, ତାଙ୍କ ମୁଣ୍ଡ ଟିକେ ଢଳି ପଡ଼ିଥିଲା ଝରକା ଆଡ଼କୁ । ଶରୀରରେ ଚଦରଟା ଥିଲା ପୂର୍ବପରି, ମୁହଁଟା ଟିକେ ବିବର୍ଣ୍ଣ ଦିଶୁଥାଏ, କିନ୍ତୁ କୌଣସି ପ୍ରତିକ୍ରିୟା ନଥାଏ ସେଠି–ଜଣେ ଶୋଇଥିବା ମଣିଷର ମୁହଁପରି ଶାନ୍ତ ମୁଖଭଙ୍ଗୀ । ଓଠର ଗୋଟେ କଣରୁ କିଛି ଲାଳ ବୋହି ଆସିଥାଏ । ରଣେନ୍ ଚୁପ୍‍କରି ମୁହୂର୍ତ୍ତେ ଠିଆ ହେବାପରେ ଧୀରେ ଡକ୍ଟର ଦାଶଙ୍କ ଚଦରଟା ଟେକି ତାଙ୍କ ହାତଟା ଚିପିଧରିଲା କେତେକ୍ଷଣ ।

 

ତା’ପରେ ଚଟ୍ କରି ବୁଲିପଡ଼ିଲା ଏବଂ କହିଲା, ‘ସାର୍ ଆଉ ନାହାନ୍ତି !'

 

(ଦୁଇ)

 

ସାର୍ ଆଉ ନାହାନ୍ତି !

 

କଥାଟା ଛାତ୍ର–ଛାତ୍ରୀ–ଅଧ୍ୟାପକ–ରୋଷେଇଆ ମହଲରେ ବିଦ୍ୟୁତ ଗତିରେ ଖେଳିଗଲା ଏବଂ ସେତେବେଳେ ସମସ୍ତେ ଅନୁଭବ କଲେ ଡକ୍ଟର ଦାଶଙ୍କ ଅନୁପସ୍ଥିତି ।

 

ସମୁଦାୟ ଉତ୍ସାହଟା ଅଚାନକ ପାଣିଫୋଟକା ପରି ମିଳାଇଗଲା ।

 

ରଣେନ୍ ମତେ ପଠାଇଥିଲା ଖବରଟା ସମସ୍ତଙ୍କୁ ଦେବାପାଇଁ ଏବଂ ନିଜେ ଗାଡ଼ି ନିକଟରେ ଅପେକ୍ଷା କରିଥିଲା । ମୁଁ ଦୌଡ଼ି ଯାଇ ଖବରଟା ଅନ୍ୟମାନଙ୍କୁ ଦେବାପରେ କିଛିକ୍ଷଣ ସ୍ତବ୍ଧତା ଛାଇ ଯାଇଥିଲା ଏବଂ ପ୍ରତ୍ୟେକ ପ୍ରଥମେ ନିଜ ନିଜ ସ୍ଥାନରେ ମୂର୍ତ୍ତିଟିଏ ପରି ସ୍ଥାଣୁ ପାଲଟିଗଲେ କେତେକ୍ଷଣ । ତା'ପରେ ସମସ୍ତେ ଦୌଡ଼ାଦୌଡ଼ି ହୋଇ ଆସିଲେ ବସ୍ ପାଖକୁ । ପ୍ରଥମେ ଅଧ୍ୟାପକଦ୍ୱୟ ଏବଂ ଅଧ୍ୟାପିକା ଜଣକ ବସ୍ ଭିତରକୁ ଉଠି ଦେଖିଲେ । ତା’ପରେ ଛାତ୍ରଛାତ୍ରୀମାନେ ଠେଲାପେଲା ହୋଇ ଡକ୍ଟର ଦାଶଙ୍କୁ ଦେଖିବାକୁ ବସ୍ ଭିତରକୁ ଉଠିଗଲେ ଏବଂ ପ୍ରାୟ ଅଧଘଣ୍ଟା ଭିତରେ ଦେଖାଗଲା ଯେ, ସମସ୍ତେ ନୀରବରେ ତଳେ ଠିଆ ହୋଇଥିଲେ, ବସ୍ ଭିତରେ ଜଣେବି କେହି ନଥିଲେ ।

 

ରଣେନ୍ ସେମିତି ବାହାରେ ଠିଆ ହୋଇଥାଏ । ତା’ ମୁଖମଣ୍ଡଳରେ ଗଭୀର ଚିନ୍ତାର ଦାଗ ସ୍ପଷ୍ଟ ଦିଶୁଥାଏ, ପ୍ୟାଣ୍ଟ ପକେଟ୍‌ରେ ପଶିଥାଏ ହାତ ଦି’ଟା କିନ୍ତୁ ସେ ଥିଲା ଏକ ଏମିତି ପିଲା, ଯାହାଠୁ କଥା ଆଦାୟ କରିବା ଥିଲା ଖୁବ୍ କଷ୍ଟ ।

 

: ‘କିଛି ଜଳଖିଆ ଖାଇଦେଇ ବାହାରି ପଡ଼, ପ୍ରଥମେ ଫେରିଯିବା ଉଚିତ ।’ ଡକ୍ଟର ସୁଧୀର ନାୟକ ନୀରବତା ଭଙ୍ଗ କଲେ ।

 

: ‘ମୁଁ ବି ସେୟା ଭାବୁଚି ।’ ଡକ୍ଟର ଓଝା ତାଙ୍କ କଥାରେ ସମର୍ଥନ ଜଣାଇଲେ ।

 

ଏତେ ଶୀଘ୍ର ଗାଡ଼ି ଫେରାଇବାର ଇଚ୍ଛା ଆଉ କାହାର ଥାଉ ନଥାଉ, ହେଲେ ହେଲ୍‍ପର୍‍ର ଜମା ନଥିଲା; କାରଣ ସେ ରାତିସାରା ଶୋଇ ନଥିଲା । ଯାହା ହେଉ, ସମସ୍ତେ ପୁଣି ପ୍ରସ୍ତୁତିରେ ଲାଗିପଡ଼ିଲେ ଏବଂ ସବୁ ଜିନିଷପତ୍ର ତୁରନ୍ତ ଗାଡ଼ି ଭିତରକୁ ନେବାପାଇଁ ଡକ୍ଟର ନାୟକ କହିଲେ ।

 

ବୋଧେ ସମସ୍ତେ ଜିନିଷପତ୍ର ଗାଡ଼ି ଭିତରେ ରଖିଥାନ୍ତେ, ଗାଡ଼ିରେ ବସିଥାନ୍ତେ ଏବଂ ଡକ୍ଟର ଦାଶଙ୍କ ଶବକୁ ଧରି ଆମେ ଫେରି ଆସିଥାନ୍ତୁ । କିନ୍ତୁ ସେତେବେଳେ ଡକ୍ଟର ସୁଧୀର ନାୟକଙ୍କ ପାଖରେ ଠିଆ ହୋଇଥିବା ରଣେନ୍ ଧୀର ଅଥଚ ନିଷ୍ପତ୍ତି ଶୁଣାଇବା ପରି ସ୍ୱରରେ କହିଲା, ‘ଆମେ ନଯିବାଟା ଉଚିତ ହେବ ।’

 

ରଣେନ୍ କଥାରେ କିଏ କ’ଣ ଭାବିଥିବ କେଜାଣି, ମୁଁ କିନ୍ତୁ ଭାବିଥିଲି ବୋଧେ ସେ ପିକ୍‌ନିକ୍ ପୂର୍ବ ଯୋଜନାମୁତାବକ ସବୁକାମ ସାରିବାପରେହିଁ ଫେରିବା କଥା କହୁଥିଲା । ସମ୍ଭବତଃ ଡକ୍ଟର ସୁଧୀର ନାୟକ ମଧ୍ୟ ସେଇଆ ଭାବିଥିଲେ ।

 

: ‘ନାହିଁ ରଣେନ୍, ସାର୍‍ଙ୍କ ଶବ ପଡ଼ିଥିବ, ଆଉ ଆମେ ପିକ୍‌ନିକ୍ କରିବା, ଏଇଟା ଭଲ ହେବନି ।’ ରଣେନ୍ ପୂର୍ବପରି ସ୍ଥିର କଣ୍ଠରେ କହିଲା ।

 

: ‘ନା ସାର୍–ମୁଁ ସେକଥା କହୁନି । ମୁଁ କହୁଚି ପୋଲିସ୍‍କୁ ନ ଜଣାଇ ଆମେ ଫେରିଯିବା ଅନୁଚିତ ।’ ରଣେନ୍ ପୂର୍ବପରି ସ୍ଥିର କଣ୍ଠରେ କହିଲା ।

 

ସମସ୍ତେ ପ୍ରାୟ ତା’ କଥାର ବିରୋଧ କଲେ, ଏମିତିକି ଅନ୍ୟମାନଙ୍କଠାରୁ ତାକୁ ଭଲଭାବେ ଜାଣିଥିବା ମୁଁ ମଧ୍ୟ । ଆମ ଭିତରୁ କେହି ପୋଲିସ୍ ଝାମେଲାରେ ପଶିବାକୁ ଚାହୁଁ ନଥିଲେ । ପୋଲିସ୍‍ ଡାକିବାର ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ସମସ୍ତେ ଅବଗତ ଥିଲେ ।

 

: ‘ଏଠି ପୋଲିସ୍ ଆସିବ କୁଆଡ଼ୁ ?' ଡକ୍ଟର ଓଝା ଥଟ୍ଟାଳିଆଭାବେ ପଚାରିଲେ ।

 

: ‘ଆମେ ଏଇଠି ଅପେକ୍ଷା କରିବା,’ ରଣେନ୍‍ର ସ୍ଵର ତଥାପି ଶୁଭୁଥିଲା ନିଜ ନିଷ୍ପତ୍ତିରେ ଅଟଳ ଥିବା ପରି, ଶାନ୍ତ ଏବଂ ଧୀର, ଅଥଚ କଠୋର, ‘ଆମେ ବାଟରେ ଆସିବାବେଳେ ଗୋଟେ ଫରେଷ୍ଟ ଗାର୍ଡ଼୍ ଅଫିସ୍ ଦେଖିଛେ, ଜଣେ ଯାଇ ସେଠି ପ୍ରଥମେ ଖବର ଦେବ, ସେଠି ବୁଝିଲେ ରେଞ୍ଜରଙ୍କ ଠିକଣା ମିଳିବ, ତାଙ୍କ ପାଖରେ ନିଶ୍ଚେ ଜିପ୍‍ଟେ କି ମଟର ସାଇକେଲ ଥିବ । ତାଙ୍କୁ ସବୁ କହି ତାଙ୍କ ଗାଡ଼ି ସାହାଯ୍ୟରେ ଥାନାରେ ପହଞ୍ଚିହେବ । କିନ୍ତୁ ପୋଲିସ୍ ନଆସିବା ଯାଏଁ ଯିବାଟା ଅନୁଚିତ ହେବ ସାର୍ ।’

 

ତା’ କଣ୍ଠର କଠୋରତା ଡକ୍ଟର ଓଝା, ଡକ୍ଟର ନାୟକଙ୍କ ସମେତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେ କିନ୍ତୁ ସେମିତି ଠିଆ ହୋଇଥାଏ–ଧୀର, ଶାନ୍ତ ଓ ଗମ୍ଭୀର ।

 

: ‘କିନ୍ତୁ କାହିଁକି ଏତେ ସମୟ ଏଠି ବରବାଦ ହେବ ?’ ଡକ୍ଟର ନାୟକ ପଚାରିଲେ ।

 

ଏ ପ୍ରଶ୍ନର ଉତ୍ତରରେ ରଣେନ୍ ଯେଉଁ ବାକ୍ୟଟି କହିଲା, ତାହାଥିଲା ଆମ ସମସ୍ତଙ୍କ ପାଇଁ ମୃତ୍ୟୁଠାରୁ ଭୟଙ୍କର ତଥା ସେଇ ଡିସେମ୍ବର ସକାଳଠାରୁ ଅଧିକ ଶୀତଳ । ସେଇ ବାକ୍ୟଟି ଶୁଣି ମୁଁ ଏକ ଅନୁଚ୍ଚାରିତ ବିସ୍ମୟରେ ମୋର ସେଇ ଦୀର୍ଘଦେହୀ, ଗୌରବର୍ଣ୍ଣ, ଦୀପ୍ତିମାନ୍‍ ଚକ୍ଷୁଧାରୀ ଉଚ୍ଚ କପାଳିଆ ବନ୍ଧୁ ତଥା ରୁମ୍‍ମେଟ୍‍କୁ ଚାହିଁ ରହିଲି କେତେକ୍ଷଣ ଯାଏଁ ।

 

: ‘ଯେତେ ଦୂର ସମ୍ଭବ, ଡକ୍ଟର ଦାଶଙ୍କର ସ୍ୱାଭାବିକ ମୃତ୍ୟୁ ହୋଇନି । ତାଙ୍କୁ ହତ୍ୟା କରାଯାଇଥିବା ବେଶୀ ସମ୍ଭବ ।’ ମୃତ୍ୟୁଠାରୁ ଭୟଙ୍କର ତଥା ସକାଳଠାରୁ ଶୀତଳ ରଣେନ୍‍ର ଏଇ ବାକ୍ୟଟି ଆମକୁ ଶିହରେଇ ଦେଇଥିଲା ।

 

ତା’ କଥା ଶୁଣି କେହି କିଛି କହିପାରିଲେ ନାହିଁ । କାହାରି ତୁଣ୍ଡରେ ଭାଷା ନଥିଲା । ଏକେତ ମୃତ୍ୟୁ, ପୁଣି ସ୍ୱାଭାବିକ ନୁହେଁ । ସର୍ବୋପରି ରଣେନ୍ ସ୍ୱାଭାବିକ ମୃତ୍ୟୁ, ଆତ୍ମହତ୍ୟା ଅପେକ୍ଷା ହତ୍ୟାକୁହିଁ ଅଧିକ ପ୍ରାଧାନ୍ୟ ଦେଇଥିଲା । କେଉଁ ସୂତ୍ର ବଳରେ ରଣେନ୍ ସେକଥା କହିଥିଲା, ସେକଥା ତାକୁ କେହି ପଚାରିବାରେ ଯେ କିଛି ବାଧା ଥିଲା, ତା’ ନୁହେଁ; କାହାର ପଚାରିବାକୁ ସାହସ ନଥିଲା ।

 

କେତେକ୍ଷଣପରେ କେହି ଜଣେ ଛାତ୍ର ପଚାରିଲା, ‘କିନ୍ତୁ କେମିତି ହତ୍ୟା କରାଯାଇଚି ?’ ପ୍ରଶ୍ନଟା କିଏ ପଚାରିଲା ବୋଲି ରଣେନ୍ ମୁହଁ ବୁଲାଇଲା, ବୋଧେ ଭିତରେ ଭାବିଲା ଯେ ସେ ପ୍ରଶ୍ନଟା ନ ପଚାରି ବରଂ ‘କାହିଁକି ଆତ୍ମହତ୍ୟା ହୋଇ ନଥିବ’ ବୋଲି ପଚାରିଥିଲେ ଭଲ ହୋଇଥାନ୍ତା । ତା’ପରେ କହିଲା, ‘ପୋଲିସ୍ ଆସିଲେ ଜଣାପଡ଼ିବ ।’ ଏ ଭିତରେ ବସ୍‌ର ଜଣେ ଡ୍ରାଇଭର, ହେଲ୍‍ପର୍‍ ଓ ଜଣେ ଛାତ୍ରକୁ ପଠାଇ ଦିଆଯାଇଥିଲା ଯେକୌଣସିମତେ ଥାନାରେ ଖବର ଦେବାପାଇଁ ।

 

ପୋଲିସ୍ ଡକାଇବାରେ ବିଳମ୍ବ ହେବ, ପୁଣି ପୋଲିସ୍ ଆସିବା ପରେ ନାନା ସମସ୍ୟା–ଏ ସବୁ ଭାବି ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ରଣେନ୍ ଉପରେ ବିରକ୍ତ ହେଲେ; କିନ୍ତୁ ରଣେନ୍ ସଂକ୍ଷିପ୍ତ ଭାଷଣଟିଏ ଦେଇ ସମସ୍ତଙ୍କ ପାଟି ଚୁପ୍ କରାଇଦେଲା ।

 

: ‘ମୋ ଉପରେ ବିରକ୍ତ ହୋଇ ଲାଭ କ’ଣ ?’

 

ରଣେନ୍ କହିଥିଲା : ‘ମୋର କହିବା କଥା ଯେ ଡକ୍ଟର ଦାଶଙ୍କୁ ହତ୍ୟା କରାଯାଇଛି । ଏଇଟା ଅନୁମାନ, ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି; କିନ୍ତୁ ତାଙ୍କର କଦାପି ସ୍ୱାଭାବିକ ମୃତ୍ୟୁ ହୋଇ ନାହିଁ । ଯଦି ହତ୍ୟା କରାଯାଇଥାଏ, ତେବେ ଡକ୍ଟର ଦାଶଙ୍କ ହତ୍ୟାକାରୀ ନିଶ୍ଚେ ଏଇଠି ଆମ ଭିତରେ ଅଛି । ଯଦି ସମସ୍ତଙ୍କର ଇଚ୍ଛା ଯେ ଡକ୍ଟର ଦାଶଙ୍କ ହତ୍ୟାକାରୀ ଧରାନପଡ଼ୁ, ତେବେ ମୋର କିଛି କହିବାର ନାହିଁ ।’

 

ତା’ପରେ ସେ ସମ୍ପର୍କରେ କେହି ଆଉ କଥା ଉଠାଇ ନଥିଲେ ।

 

: ‘କିନ୍ତୁ ହତ୍ୟା ବୋଲି ତୁମେ କାହିଁକି ଭାବୁଛ ରଣେନ୍ ?’ ଡକ୍ଟର ଓଝା ବିସ୍ମୟ ବିମୂଢ଼ଭାବେ ପଚାରିଲେ, ସେ କିଛି କୂଳକିନାରା ପାଉ ନଥିଲେ ଯେମିତି ।

 

: ‘ଡକ୍ଟର ଦାଶଙ୍କ ପରି ସୁସ୍ଥ ଲୋକଟିଏ ଅଚାନକ ଏମିତି ମରିଗଲେ କାହାର ସନ୍ଦେହ ହେବନି ସାର୍ ?’ ରଣେନ୍ କାହାକୁ ଅଧିକ କିଛି ଜଣାଇବାକୁ ରାଜି ନଥିଲା ବୋଲି ମୁଁ ଜାଣିପାରିଲି, ନହେଲେ ଡକ୍ଟର ଓଝାଙ୍କର ପ୍ରଶ୍ନକୁ ସେ ଏମିତି ଏଡ଼ାଇଦେଇ ନଥାନ୍ତା ।

 

: ‘ହାଟ୍‍ ଆଟାକ୍ ହୋଇଥିଲେବି ଏମିତି ମରିଯାଇଥିବା ସମ୍ଭବ ।’ ଡକ୍ଟର ନାୟକ ନିଜ ବୁଦ୍ଧିର ପ୍ରୟୋଗ କଲେ । ତାଙ୍କ କଥା ଏବଂ କହିବାର ଭଙ୍ଗୀରେ ଥିବା ପ୍ରଚ୍ଛନ୍ନ ଶ୍ଳେଷରେ ରଣେନ୍ ସାମାନ୍ୟ ଉତ୍ତେଜିତ ହୋଇଗଲା, କିନ୍ତୁ ପର ମୁହୂର୍ତ୍ତରେ ନିଜ ଉପରେ ନିୟନ୍ତ୍ରଣ ରଖି ଧୀରେ ଧୀରେ କହିଲା, ‘କିନ୍ତୁ ହାଟ୍‍ ଆଟାକ୍ ହେଲେ ତାଙ୍କ ସିଟ୍ କଡ଼ରେ ଏବଂ ଚଦର ଉପରେ କେତେଟା ମାଛି ମରି ପଡ଼ିଥାନ୍ତେ ସାର୍ । କେହି ତ ଆଉ ମାଛି ମାରି ତାଙ୍କ ଉପରେ ପକାଇ ନଥିବ ।'

 

: ‘କିନ୍ତୁ ମାଛି ମରିବା ସହ ଡକ୍ଟର ଦାଶଙ୍କ ମୃତ୍ୟୁର ସମ୍ପର୍କ କ’ଣ ?'

 

: ‘ଯେତେଦୂର ସମ୍ଭବ ସେ ମାଛିଗୁଡ଼ା ଡକ୍ଟର ଦାଶଙ୍କ ପାଟିରୁ ନିଗିଡ଼ି ଆସିଥିବା ଲାଳରେ ଥରେ ବସିଯିବା ପରେ ବେଶୀ ଦୂର ଯିବାକୁ ସମର୍ଥ ହୋଇନାହାନ୍ତି । ଏଥିରୁ କ'ଣ ଜାଣି ହେଉନାହିଁ ଯେ ଡକ୍ଟର ଦାଶଙ୍କ ଲାଳରେ ଉତ୍କଟ ବିଷ ବହି ଆସିଛି ବୋଲି ?'

 

ତା'ପରେ କାହାର କିଛି କହିବା ନଥିଲା । ସମସ୍ତେ ନିକଟସ୍ଥ ଗଛମୂଳେ ବସିପଡ଼ିଲେ । ଆମେ ସମସ୍ତେ ରଣେନ୍‍ର ତୀକ୍ଷ୍ଣଦୃଷ୍ଟି ସମ୍ପର୍କରେ ଭାବି ବିସ୍ମିତ ହେଉଥିଲୁ । ସେତେବେଳକୁ ସମସ୍ତଙ୍କର ବିଶ୍ୱାସ ହୋଇଯାଇଥିଲା ଯେ ଡକ୍ଟର ଦାଶଙ୍କୁ କେହି ହତ୍ୟା କରିଥିଲା; ସେଥିପାଇଁ ପ୍ରତ୍ୟେକ ନିଜ ନିଜର ମତ ଜଣାଉଥିଲେ । ଅଥଚ ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ରଣେନ୍‍କୁ କେହି ଡକ୍ଟର ଦାଶ ଆତ୍ମହତ୍ୟା କରିଥିବା ନେଇ କିଛି ପଚାରି ନଥିଲେ, ସମସ୍ତେ କେବଳ ତା’ କଥାରେ ବିଶ୍ୱାସ କରିଯାଇଥିଲେ । ଏଥିରୁ ଆମମାନଙ୍କ ଦୃଷ୍ଟିର ପ୍ରଖରତା ସମ୍ପର୍କରେ ସୂଚନା ଅବଶ୍ୟ ମିଳିଥିଲା !

 

ବସ୍‌ର ଦରଜା ବନ୍ଦ କରିଦିଆଯାଇଥିଲା । ପୋଲିସ୍ ଆସିବାରେ ବିଳମ୍ବ ହେବା କଥାଟା ନିହାତି ସ୍ୱାଭାବିକ କଥା ହୋଇଥିବାରୁ ରୋଷେଇଆ ଦି’ଜଣ ରନ୍ଧନ କାର୍ଯ୍ୟରେ ଲାଗିଗଲେ । ଅନ୍ତତଃ ଗଣ୍ଡାଏ ଖାଇ ଦେଇଥିବା ଉଚିତ ବୋଲି ସମସ୍ତେ ଅନୁଭବ କରିଥିଲେ ।

 

ସବୁରି ଭିତରେ ଛାଇ ରହିଥିଲା ଅସହ୍ୟ ନୀରବତା । ସମଗ୍ର ବାୟୁମଣ୍ଡଳ ସତେଅବା ବିଷାକ୍ତ ହୋଇଯାଇଥିଲା ରଣେନ୍‍ର ଶେଷକଥା ଶୁଣି । ସମସ୍ତଙ୍କ ହୃଦୟରେ ପଥର ଲଗା ହୋଇଥିଲା ଯେମିତି । ଘଟଣାଟା ସତେ ଅବା ପ୍ରତ୍ୟେକକୁ ପରିଣତ କରିଦେଇଥିଲା ଏକ ଏକ ଯନ୍ତ୍ରରେ–କାମ କରିବାରେ ଉତ୍ସାହ ନଥିଲା, ଆଗ୍ରହ ନଥିଲା; ଅସହ୍ୟ ସ୍ତବ୍ଧତା ବିରାଜୁଥିଲା ସେଇ ଟିକି ଜାଗାଟିରେ ।

 

(ତିନି)

 

ରନ୍ଧନକାର୍ଯ୍ୟ ସରି ଖିଆପିଆ ଶେଷହେବାବେଳକୁ ଗୋଟେ ଜିପ୍‍ରେ ନିକଟସ୍ଥ ଥାନାର ଅଧିକାରୀ ଦୁଇଜଣ କନେଷ୍ଟବଳଙ୍କ ସହ ଆସି ପହଞ୍ଚିଗଲେ ।

 

ପୋଲିସ୍ ଆସିବାପରେ ଏକ ଭିନ୍ନ ପ୍ରକାରର ସ୍ତବ୍ଧତା ଘେରିଗଲା ସମସ୍ତଙ୍କୁ । ପ୍ରତ୍ୟେକ ଆଶା କରୁଥିଲେ ପୋଲିସ୍‍ ମୁହୂର୍ତ୍ତକରେ ହତ୍ୟାକାରୀକୁ ବାହାର କରିଦେବ ବୋଲି, ଯଦିଓ ପୋଲିସ୍‍ ସେ ପର୍ଯ୍ୟନ୍ତ ଜାଣି ନଥିଲା ଘଟଣାଟା ହତ୍ୟାକାଣ୍ଡ ବୋଲି । ପୋଲିସ୍‌କୁ କେବଳ ଖବରଟା ଦେଇ ଡକାଇ ଆଣିବାକୁ ରଣେନ୍ ନିର୍ଦ୍ଦେଶ ଦେଇଥିଲା ।

 

ଆମ ଆଡ଼କୁ ଆସୁ ଆସୁ ପୋଲିସ୍‍ ଅଫିସର ଜଣକ କହିଲେ, ‘ମତେ ଟିକେ ଘଟନାସ୍ଥଳକୁ ବାଟ ଦେଖାନ୍ତୁ ଆଜ୍ଞା ।”

 

ତାଙ୍କ କଥାରେ ଡକ୍ଟର ନାୟକ, ଡକ୍ଟର ଓଝା ଆଗ ବାହାରି ପଡ଼ିଲେ, ପଛେ ପଛେ ରଣେନ୍ ଓ ମୁଁ । ଅନ୍ୟମାନେ ନିରାପଦ ଦୂରତାରେ ରହି ଅପେକ୍ଷା କରୁଥିଲେ ଓ ସବୁକିଛି ଲକ୍ଷ୍ୟ କରୁଥିଲେ । ଡକ୍ଟର ଓଝା ବସ୍‌ର ଦରଜା ମେଲା କରିବାମାତ୍ରେ ଥାନା ଅଫିସର ଉଠିଗଲେ ବସ୍ ଭିତରକୁ । ଡକ୍ଟର ଓଝା ଓ ଡକ୍ଟର ନାୟକ ଦରଜା ପାଖରେ ରହିଗଲେ, କିନ୍ତୁ ରଣେନ୍ ପଶିଗଲା ବସ୍ ଭିତରକୁ ।

 

ପୋଲିସ୍ ଅଫିସରଙ୍କର ଯେ ଜ୍ଞାନ ନଥିଲା, ସେକଥା ଭାବିବା ଅନୁଚିତ । କଥାହେଲା, ସେଇ ଜଙ୍ଗଲ ଅଞ୍ଚଳରେ ସେ ନିଜ ଜ୍ଞାନରୁ କାଣିଚାଏ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନଥିଲେ ।

 

: ‘ଅନ୍‍ନାଚୁରାଲ୍ ଡେଥ୍ ।’ ସେ ସ୍ଵଗତୋକ୍ତି କଲେ ।

: ‘କେମିତି ଜାଣିଲେ ?' ରଣେନ୍ ତତ୍‌କ୍ଷଣାତ୍ ପଚାରିଲା ।

ତାଙ୍କ କଥାରେ ଯେ କେହି ପ୍ରଶ୍ନ କରିପାରେ, ଏକଥା ଥିଲା ତାଙ୍କ ସ୍ୱପ୍ନର ବାହାରେ; କାରଣ ସେଇ ଜଙ୍ଗଲ ଅଞ୍ଚଳରେ ନା କେହି କେବେ ତାଙ୍କୁ ପ୍ରଶ୍ନ କରିଥିଲା ନା ତାଙ୍କ କଥାରେ ଅମତ ହୋଇଥିଲା ।

: ‘କ’ଣ ମୋ କଥାରେ ଅବିଶ୍ୱାସ ହେଉଚି ?’ ଥାନା ଅଫିସର ଜଣକ ଟିକେ ବ୍ୟଙ୍ଗରେ ପଚାରିଲେ ।

: ‘ନା, ନା–ସେମିତି ଭାବନ୍ତୁ ନାଇଁ ସାର୍ ।’ ରଣେନ୍ କହିଲା, ମୁଁ ସବୁ ଜାଣିବାକୁ ଚାହୁଁଛି-। ତାହାହେଲେ ଏମିତି କିଛି ମୁଁ ବା ମୋ ବନ୍ଧୁମାନେ ଜଣାଇପାରିବୁ, ଯାହା ଆପଣଙ୍କ ତଦନ୍ତରେ ସାହାଯ୍ୟ କରିପାରେ । ନଚେତ ଆମେ ହୁଏତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଛାଡ଼ିଯାଇପାରୁ ।

ରଣେନ୍ କଥାରେ ପୋଲିସ୍ ଅଫିସର ଜଣକ ଟିକେ ନରମିଗଲେ, କାରଣ ରଣେନ୍ ଖୁବ୍ ନମ୍ର ଭାବରେ ସବୁ କହିଥିଲା ।

: ‘ତଦନ୍ତ ଆଉ କ’ଣ ?’ ପୋଲିସ୍‍ ଅଫିସର ଆରମ୍ଭ କଲେ, ‘ପୂରା ଅନ୍‍ନାଚୁରାଲ୍ ଡେଥ୍ ! ପାଟିରୁ ଲାଳ ଗଡ଼ି ଆସିଚି, ଦେଖୁ ନାହାନ୍ତି ? ପିଓର୍ କେସ୍ ଅଫ୍ ସୁଇସାଇଡ଼୍ ! ବିଷ ଖାଇ ଦେଇଛନ୍ତି ।’

 

ତାଙ୍କ ଜ୍ଞାନର ପରିସର ଆଦୌ ରଣେନ୍‍ଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କଲା ନାହିଁ । ବରଂ ରଣେନ୍ ଟିକେ ହସି ହସି କହିଲା, 'ହତ୍ୟାକାଣ୍ଡରେ କ’ଣ ପାଟିରୁ ଲାଳ ବହେ ନାହିଁ ସାର୍ ? ହତ୍ୟାକାଣ୍ଡ ନ ହୋଇଥିବ କାହିଁକି ? ତା'ଛଡ଼ା ସୁଇସାଇଡ଼୍ କରିବାକୁ କ’ଣ ଡକ୍ଟର ଦାଶଙ୍କୁ ଆଉ ଜାଗା ମିଳିଲା ନାହିଁ ?’ ରଣେନ୍ ଜଣେ ପୋଲିସ୍ ଅଧିକାରୀଙ୍କ ସହ ଏମିତି କଥା ହେଉଥିବା ଦେଖି ଆମେ କାବା ହେଉଥିଲୁ ।

 

ରଣେନ୍‍ର ପ୍ରଶ୍ନ ଯେ ନିହାତି ଜଟିଳ ଥିଲା, ତା’ ନୁହେଁ; କାରଣ ଡକ୍ଟର ଦାଶ ବସ୍ ଭିତରେ ଆତ୍ମହତ୍ୟା କରିବା ଅବାସ୍ତବ ମନେହେଲେ ମଧ୍ୟ ଅସମ୍ଭବ ନଥିଲା । କରିଥାଇପାରନ୍ତି–ନ କରିଥାଇପାରନ୍ତି । ରଣେନ୍‍ର ସୌଭାଗ୍ୟ ଯେ ଅଫିସର ଜଣକ ଏତେଟା ବୋକା ନଥିଲେ, ଆତ୍ମହତ୍ୟା କରିବାର ଅବାସ୍ତବତାଟାହିଁ ସେ ଠିକ୍ ହୃଦୟଙ୍ଗମ କରିଥିଲେ; ତା'ଛଡ଼ା ରଣେନ୍ କଥାନୁଯାୟୀ ହତ୍ୟା କରାଯାଇଥିବା ମଧ୍ୟ ସମ୍ଭବ ଏକଥା ସେ ବୁଝିପାରିଥିଲେ । ତେଣୁ ସେ ବିସ୍ମୟରେ ପଚାରିଲେ, ‘ତେବେ ଆପଣ କ’ଣ କହୁଛନ୍ତି ?’

 

: ‘ମୋର ଧାରଣା ତାଙ୍କୁ ଥଣ୍ଡା ମନରେ ହତ୍ୟା କରାଯାଇଛି’, ରଣେନ୍ ଖୁବ୍ ଧୀରେ କହିଲା । ତା’କଥାରେ ଅଫିସର ଜଣକ କେବଳ ବିସ୍ମୟରେ ତାକୁ ଚାହିଁ ରହିଥିଲେ କେତେକ୍ଷଣ । ତା'ପରେ ପୁନର୍ବାର ଡକ୍ଟର ଦାଶଙ୍କ ଶରୀର ଆଡ଼କୁ ଦୃଷ୍ଟି ଫେରାଇଲେ । ବୋଧେ ସେ ଏପରି କିଛି ସୂତ୍ର ଖୋଜୁଥିଲେ, ଯେଉଁଥିରୁ ଜାଣି ହୋଇଥାନ୍ତା ଯେ ଡକ୍ଟର ଦାଶ ଆତ୍ମହତ୍ୟା କରି ନଥିଲେ; ତାଙ୍କୁ ହତ୍ୟା କରାଯାଇଥିଲା ।

 

(ଚାରି)

 

ମୃତ୍ୟୁଟା ସ୍ଵାଭାବିକ ନୁହେଁ ବା ଆତ୍ମହତ୍ୟା ନୁହେଁ ବୋଲି ସନ୍ଦେହଟିଏ ମନ ଭିତରେ ଉଙ୍କିମାରିବାକ୍ଷଣି ସେଇ ଖୁବ୍ ଅଳସୁଆ ପରି ମନେହେଉଥିବା ଇନିସ୍‌ପେକ୍ଟର ରାମକିଙ୍କର ମହାନ୍ତି ଖୁବ୍ ତତ୍ପର ଏବଂ କର୍ମତତ୍ପର ହୋଇ ପଡ଼ିଲେ । କିଛିକ୍ଷଣ ପୂର୍ବର ମାନ୍ଦାଭାବ ତାଙ୍କର ନଥିଲା ।

 

ସେ ମୃତ ଦେହର ଆଖପାଖଟା ଟିକେ ଦୂରରୁ ନିରୀକ୍ଷଣ କଲେ, ତା'ପରେ ମୃତଦେହର ପୋଜିସନ୍‍ଟା ନୋଟ୍ କଲେ । ଶବର ଅବସ୍ଥା ସମ୍ପର୍କରେ ମଧ୍ୟ କିଛି ନୋଟ୍ କଲେ ।

 

: ‘ଡକ୍ଟର ଦାଶଙ୍କୁ ସର୍ଚ୍ଚ କଲେ ଭଲ ହୁଅନ୍ତା ।’ ରଣେନ୍ କହିଲା ।

 

: ‘ଜମା ନୁହେଁ,’ ଚଟ୍ କରି ଇନିସ୍‌ପେକ୍ଟର ମହାନ୍ତି ଉତ୍ତର ଦେଲେ, ‘ସେ କାମ ପରେ କଲେ ଚଳିବ । ଶବକୁ ସ୍ଥାନାନ୍ତରିତ କରିବାଦ୍ଵାରା ଫୋରେନ୍‍ସିକ୍ ବିଭାଗ ଅନେକ ତଥ୍ୟ ହରାଇପାରେ ।’

 

ତା’ପରେ ବସ୍ ଭିତରଟା ଶୂନ୍ୟ କରି ସେ ଓହ୍ଲାଇ ଆସିଲେ ଏବଂ ଦରଜାଟା ଲକ୍ କରିଦେଲେ ।

 

: ‘ଖାଲି କେତେଟା କଥା ପଚାରିବି ଆପଣମାନଙ୍କୁ ଏବେ ।’ ଇନିସ୍‌ପେକ୍ଟର ମହାନ୍ତି ଚିନ୍ତିତ ଜଣାପଡ଼ୁଥିଲେ । ତାଙ୍କ କଥା ଶୁଣି ସମସ୍ତେ ପ୍ରସ୍ତୁତ ହୋଇ ରହିଲେ ।

 

: ‘ଆପଣମାନଙ୍କ ଭିତରୁ ପ୍ରଥମେ କିଏ ଦେଖିଲା ଯେ ସେ ମୃତ ବୋଲି ??

 

: ‘ବସ୍‍ର ହେଲ୍‍ପର୍ ।’ ରଣେନ୍ ଉତ୍ତର ଦେଲା, ‘ସେ ପ୍ରଥମେ ଖବର ଦେଇଥିଲା । ଆମେ ସମସ୍ତେ ଏଇ ଆଗ ଝରଣା ପାଖକୁ ଯାଉଥିଲୁ ନିତ୍ୟକର୍ମ ସାରିବାପାଇଁ । ମୁଁ ଏବଂ ମୋର ଏଇ ବନ୍ଧୁ ଟିକେ ପଛରେ ଥିଲୁ । ହେଲ୍‍ପର୍ ଦୌଡ଼ି ଦୌଡ଼ି ଆସି ଆମକୁ ଖବର ଦେଇଥିଲା ।’

 

: ‘ହେଲ୍‍ପର୍ କିଏ ସେ ?'

 

:‘ଆଜ୍ଞା ମୁଁ ।’ ହେଲ୍‍ପର୍ ଟିକେ ଆଗକୁ ଆସି କହିଲା ।

 

: ‘ତମ ନାଁଟା କ’ଣ ?’

 

: ‘ନବ ବେହେରା ।’

 

: ‘ତମେ ଏବେ ଥାନାକୁ ଯାଇଥିଲ ?'

 

: ‘ଆଜ୍ଞା !’

 

: ଆଚ୍ଛା–ତମେ ପ୍ରଥମେ ଦେଖିଲ ଯେ ଡକ୍ଟର ଦାଶ ମୃତ ?

 

: ‘ଆଜ୍ଞା, ମୁଁ ତ ଦରଜା ପାଖରେ ଥିଲି, ସମସ୍ତେ ଓହ୍ଲାଇ ଯିବା ପରେ ସେ ବାବୁ ଓହ୍ଲାଇ ନଥିଲେ । ମୁଁ ଭାବିଲି ସେ ଶୋଇପଡ଼ିଥିବେ ବୋଲି । ମୁଁ ତଳକୁ ଯାଇ ଛାତ ଉପରୁ ଜିନିଷ ଓହ୍ଲାଇବାରେ ଲାଗିଲି । ଜିନିଷ ଓହ୍ଲାଇ ତଳକୁ ଆସି ଦେଖେ ତ ବାବୁ ସେ ପର୍ଯ୍ୟନ୍ତବି ଶୋଇଥିଲେ-। ସେତେବେଳକୁ ସମସ୍ତେ ଟିକେ ଦୂରକୁ ଚାଲିଯାଇଥିବା ଦେଖି ମୁଁ ବାବୁଙ୍କୁ ଡାକିଲି-। ବାବୁ ନ ଉଠିବାରୁ ମୁଁ ତାଙ୍କ ପାଖକୁ ଯାଇ ଡାକିଲି, ତଥାପି ନ ଉଠିବାରୁ ମୁଁ ତାଙ୍କୁ ହଲାଇ ଦେବାରୁ ତାଙ୍କ ମୁଣ୍ଡଟା ଝରକା ଆଡ଼କୁ ଢଳି ପଡ଼ିଲା–ତା’ପରେ ତାଙ୍କ ପାଟିରୁ ଲାଳ ବାହାରୁଥିବା ଦେଖି ମୁଁ ଓହ୍ଲାଇଯାଇ ଏ ବାବୁ ଦି'ଜଣଙ୍କୁ ଡାକି ଆଣିଲି ।

 

ହେଲ୍‌ପର୍ ମତେ ଓ ରଣେନ୍‍କୁ ଦେଖାଇଦେଲା ।

 

: ‘ତୁମେ ହଲାଇବା ପୂର୍ବରୁ ଶବର ମୁଣ୍ଡ କିମିତି ଥିଲା ?’ ଇନିସ୍‌ପେକ୍ଟର ପଚାରିଲେ ।

 

: ‘ଛାତି ଉପରେ ତଳମୁହାଁ ଥିଲା ଆଜ୍ଞା ।’

 

: ‘ଆଚ୍ଛା–ଏପଟେ ଠିଆ ହୁଅ ।’

 

ନିଜ ନୋଟ୍‍ବୁକ୍‍ରେ କିଛି ନୋଟ୍ କରିବା ପରେ ଇନିସ୍‌ପେକ୍ଟର ପୁଣି ପଚାରିଲେ, ‘କେଉଁ ଦି’ଜଣ ହେଲ୍‍ପର୍‍ଠୁ ଖବର ପାଇ ପ୍ରଥମେ ଆସିଥିଲେ ?’

 

: ‘ମୁଁ ଓ ଇଏ ।’ ରଣେନ୍ ଇଏ ଶବ୍ଦଦ୍ୱାରା ମତେ ଦେଖାଇଦେଲା ।

 

: ‘ଖବର ପାଇ ଆପଣ ପ୍ରଥମେ କ’ଣ କଲେ ?’ ପ୍ରଶ୍ନଟି ରଣେନ୍‍କୁ ପଚରାଗଲା ।

 

: ‘ଘଟଣାଟା କ’ଣ ଜାଣିବାପାଇଁ ମୁଁ ସଙ୍ଗେ ସଙ୍ଗେ ବସ୍ ଆଡ଼କୁ ଫେରିଲି, ମୋ ସହ ଇଏବି ଥିଲା ।’ ରଣେନ୍ ପୁନର୍ବାର ଇଏ ଶବ୍ଦଦ୍ଵାରା ମତେ ଦେଖାଇଦେଲା ।

 

: ‘ତା’ପରେ ?’

 

: ‘ବସ୍ ଭିତରକୁ ଆମେ ଉଭୟେ ଗଲୁ । ମୁଁ ଡକ୍ଟର ଦାଶଙ୍କୁ ପ୍ରଥମେ ନିରୀକ୍ଷଣ କଲି, ଦେଖିଲି ତାଙ୍କ ପାଟିରୁ ଲାଳ ବହିଥିଲା ଏବଂ ପାଖରେ କେତେଟା ମାଛି ମରି ପଡ଼ିଥିଲେ । ତା'ପରେ ତାଙ୍କ ଶରୀର ଢଳି ପଡ଼ିଥିବାରୁ ମୁଁ ସନ୍ଦେହ କରି ତାଙ୍କ ଚଦରତଳେ ହାତ ପୂରାଇ ନାଡ଼ି ଦେଖି ଜାଣିଲି ଯେ ସେ ଜୀବନରେ ନଥିଲେ ।’

 

: ‘ଆପଣ ତାଙ୍କୁ ନଡ଼ାକି ପ୍ରଥମରୁ ମୃତ ବୋଲି ଭାବିଲେ କାହିଁକି ?'

 

ରଣେନ୍ ହସିଲା, କହିଲା, ‘ହେଲ୍‌ପର୍ ଡାକିଡାକି ଥକି ଯାଇଥିଲା ବୋଲି ଟିକେ ଆଗରୁ ଶୁଣିଥିଲି ।’

 

ରଣେନ୍ କଥାରେ ଇନିସ୍‌ପେକ୍ଟର ମହାନ୍ତିଙ୍କର କିଛି କହିବାର ନଥିଲା ।

 

: ‘ଆଚ୍ଛା–ଆପଣ ଏ ସମୟ ଭିତରେ କ’ଣ କରୁଥିଲେ ?’ ପ୍ରଶ୍ନଟି ମୋ ଆଡ଼େ ଆସିଲା-

 

: ‘ମୁଁ ଆଜ୍ଞା ନା ପଦେ କଥା କହିଛି ନା କିଛି କରିଛି–ମୁଁ କେବଳ ଦର୍ଶକ ।’ ମୋ କଥାରେ ଇନିସ୍‌ପେକ୍ଟର ହସିଲେ, କହିଲେ, ‘କିଛି ?’

 

: ‘ନା ଆଜ୍ଞା, କିଛି କରିନି ।’

 

: ‘ଆପଣଙ୍କ ନାଁଟା କ’ଣ ?'

 

ମୁଁ ମୋ ନାଁ ଜଣାଇଲି ଏବଂ ସେ ନୋଟ୍ କରିନେଲେ ।

 

: ‘ହଁ–ଏଥର ଆପଣ କୁହନ୍ତୁ ଯେ ଡକ୍ଟର ଦାଶ ମୃତ ବୋଲି ଜାଣିବା ପରେ ଆପଣ କ’ଣ କଲେ ?’ ପୁନର୍ବାର ରଣେନ୍‍କୁ ପ୍ରଶ୍ନ ପଚରାଗଲା ।

 

: ‘ଆମେ ବସ୍ ଭିତରୁ ଓହ୍ଲାଇ ପଡ଼ିଲୁ । ମୁଁ ବାହାରେ ଠିଆ ହୋଇଥିବା ଡ୍ରାଇଭର ଓ ହେଲ୍‍ପର୍‍ଙ୍କ ପାଖରେ ଠିଆ ହେଲି ଏବଂ ୟାକୁ ପଠାଇଲି ଖବରଟା ଅନ୍ୟମାନଙ୍କୁ ଦେବାକୁ । ଖବର ପାଇ ସମସ୍ତେ ଦୌଡ଼ାଦୌଡ଼ି ହୋଇ ଆସିଲେ ।’ ରଣେନ୍ ଉତ୍ତର ଦେଲା ।

 

ଟିକେ ନୀରବ ରହି ଇନିସ୍‌ପେକ୍ଟର ପଚାରିଲେ, ‘ତେବେ ପୋଲିସ୍ ଡାକିବା ପରାମର୍ଶଟା କିଏ ଦେଲା ?’

 

ଏଇ ପ୍ରଶ୍ନଟା ସମସ୍ତଙ୍କ ଆଡ଼କୁ ଲକ୍ଷ୍ୟକରି ପଚରା ଯାଇଥିବାରୁ ଡକ୍ଟର ନାୟକ କହିଲେ, ‘ରଣେନ୍ ! ମୁଁ କହୁଥିଲି ଫେରିଯିବା ପାଇଁ । ଅନ୍ୟମାନେବି ସେଇଆ କହୁଥିଲେ । କିନ୍ତୁ ରଣେନ୍ କହିଲା କି ଡକ୍ଟର ଦାଶଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ । ଏମିତିକି ହତ୍ୟାକାଣ୍ଡବି ହୋଇଥିବା ସମ୍ଭବ, ଶେଷରେ ତା’ କଥାରେ ଖବର ଦିଆଯାଇଥିଲା ।’

 

: ‘ରଣେନ୍ କିଏ ?' ଇନିସ୍‌ପେକ୍ଟର ପଚାରିଲେ ଏବଂ ଡକ୍ଟର ନାୟକ ଚିହ୍ନାଇଦେଲେ ।

 

: ‘ଆପଣଙ୍କ ପୂରା ନାଁଟା କ’ଣ ?’

 

: ‘ରଣେନ୍ ଅଧିକାରୀ ।’ କହିବା ସଙ୍ଗେ ସଙ୍ଗେ ରଣେନ୍ ଅନ୍ୟମାନଙ୍କୁ ଇନିସ୍‌ପେକ୍ଟରଙ୍କ ସହ ପରିଚିତ କରାଇଦେଲା ।

 

: ‘ଆପଣ କ’ଣ ପାଇଁ ଭାବିଲେ ଯେ ମୃତ୍ୟୁ ସ୍ଵାଭାବିକ ନୁହେଁ ?’

 

: ‘ପ୍ରଥମତଃ ଡକ୍ଟର ଦାଶଙ୍କ ମୁହଁରୁ ଲାଳ ବହିଥିଲା, ଦ୍ୱିତୀୟତଃ ତାଙ୍କ ପାଖରେ ମରିପଡ଼ିଥିବା କେତେଟା ମାଛି । ମୋର ଧାରଣା ହେଲା ବିଷ ପ୍ରକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ।’

 

: ‘କିନ୍ତୁ ହତ୍ୟାକାଣ୍ଡ ବୋଲି ଭାବିଲେ କାହିଁକି ?’

 

: ‘ସେଇଟା କେବଳ ସନ୍ଦେହ ସାର୍ ! ସେଇ ସନ୍ଦେହ ମୋଚନପାଇଁ ତ ପୋଲିସ୍‍କୁ ଡକାଇବା ଉଚିତ ହେବ ବୋଲି ମୁଁ ଭାବିଥିଲି । ଅବଶ୍ୟ ଏଇଟା ଆତ୍ମହତ୍ୟା ଅପେକ୍ଷା ହତ୍ୟାକାଣ୍ଡ ହୋଇଥିବାର ସମ୍ଭାବନା ବେଶୀ, କାରଣ ଡକ୍ଟର ଦାଶ ଆତ୍ମହତ୍ୟା ପାଇଁ ଆହୁରି ଭଲ ଜାଗା ପାଇଥାନ୍ତେ । ତା'ଛଡ଼ା ଯଦି ଆତ୍ମହତ୍ୟା ବୋଲି ସନ୍ଦେହ କରାଯିବ, ତେବେ ହତ୍ୟା ବୋଲି ସନ୍ଦେହ କରାଯିବାରେ ଅସ୍ୱାଭାବିକତା କିଛି ନାହିଁ । ତେଣୁ ଆପଣଙ୍କୁ ଖବର ଦିଆଯାଇଥିଲା । ଏବେ ତଦନ୍ତରୁ ଯାହା ଜଣାପଡ଼ିବ । ମୃତ୍ୟୁ ଯେ ଅସ୍ୱାଭାବିକ, ସେଇଟାହିଁ ଗୁରୁତ୍ୱପୂର୍ଣ୍ଣ କଥା ।’

 

ରଣେନ୍‍ର ଦୀର୍ଘ କଥା ପରେ ଇନିସ୍‌ପେକ୍ଟର କିଛି ନୋଟ୍ କଲେ ଏବଂ ଜଣେ କନେଷ୍ଟବଳକୁ ଡାକି ଗୋପନରେ କିଛି କହିଲେ ଏବଂ କନେଷ୍ଟବଳଟି ଜିପ୍ ନେଇ ବାହାରିଗଲା । ତା'ପରେ ଇନିସ୍‍ପେକ୍ଟର ପୁଣି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ ।

 

: ‘ଡକ୍ଟର ଦାଶଙ୍କ ପାଖକୁ ଲାଗି କିଏ କିଏ ବସିଥିଲେ ?’

 

: ‘ମୁଁ ଥିଲି ।’ ଡକ୍ଟର ଓଝା କହିଲେ ।

 

: ‘ବସ୍‍ଯାତ୍ରା ସମୟରେ ଡକ୍ଟର ଦାଶଙ୍କଠାରେ ଆପଣ କିଛି ଅସ୍ୱାଭାବିକତା ଲକ୍ଷ୍ୟ କରିଥିଲେ କି ?'

 

: ‘ପ୍ରଶ୍ନଟି ଠିକ୍ ବୁଝିପାରିଲି ନାହିଁ ।’ ଡକ୍ଟର ଓଝା କହିଲେ ।

 

: ‘ମାନେ ତାଙ୍କ କଥାରେ କିଛି ବ୍ୟତିକ୍ରମ ?’

 

: ‘ନା–ସେ ବହୁ ଆଗରୁ ଶୋଇପଡ଼ିଥିଲେ ?’

 

: ‘ଶୋଇବା ପୂର୍ବରୁ ଦେହର ଅସୁସ୍ଥତା କିଛି କହୁଥିଲେ କି ? ମାନେ ଏଇ ମୁଣ୍ଡ ବୁଲାଇବା କି ଅଣନିଃଶ୍ୱାସୀ ପରି ଲାଗିବା କି ଆଉ କିଛି ?’

 

: ‘ନା–କେବଳ ପାଗଟା ଥଣ୍ଡାଳିଆ ଥିବାରୁ ତାଙ୍କର ବହୁଦିନର ଶ୍ୱାସଟା ଟିକେ ବାହାରିଲା–ମଝିରେ ସାମାନ୍ୟ ସଁ ସଁ ହେଉଥିଲେ, ବାସ୍ ?’

 

: ‘ଆଚ୍ଛା–ସକାଳୁ ଯେତେବେଳେ ବସ୍ ଅଟକିଲା, ସେତେବେଳେ ଓହ୍ଲାଇବା ପୂର୍ବରୁ ଆପଣ ଡକ୍ଟର ଦାଶଙ୍କଠାରେ କିଛି ପ୍ରତିକ୍ରିୟା ଲକ୍ଷ୍ୟ କରିଥିଲେ କି ?'

 

: ‘ନା–ସେ ଚଦର ଘୋଡ଼େଇ ହୋଇ ଶୋଇଥିଲେ । ତାଙ୍କ ମୁଣ୍ଡଟା ଛାତି ଉପରକୁ ଢଳି ପଡ଼ିଥିଲା । ମୁଁ ଭାବିଲି ତାଙ୍କୁ ଜୋର୍ ନିଦ, ତେଣୁ ଡାକିବା ଅନୁଚିତ । ତା'ଛଡ଼ା ତାଙ୍କର ଶ୍ୱାସ ଥିବାରୁ ଏତେ ସକାଳୁ ସେ ଥଣ୍ଡାରେ କଦାପି ବାହାରକୁ ଯାଇ ନଥାନ୍ତେ । ତେଣୁ ମୁଁ ତାଙ୍କୁ ଡାକି ନଥିଲି । ମୋର ଧାରଣା ଥିଲା, ଖରା ଟାଣହେଲେ ସେ ପଦାକୁ ବାହାରିବେ ।’

 

: ‘ହୁଁ–ସେ ସିଟ୍‍ରେ ଆଉ କିଏ ଥିଲେ ?’

 

: ‘ନାୟକବାବୁ ଥିଲେ ।’ ଡକ୍ଟର ଓଝା ସଂକେତ କଲେ ଡଃ ସୁଧୀର ନାୟକଙ୍କ ଆଡ଼କୁ ।

 

: ‘ଆପଣ କିଛି ଅସ୍ୱାଭାବିକତା ଲକ୍ଷ୍ୟ କରିଥିଲେ ?’

 

: ‘ନା ।’ ଡକ୍ଟର ନାୟକ ଉତ୍ତର ଦେଲେ ।

 

: ‘ଓହ୍ଲାଇବାବେଳେ ?’

 

: ନା–ପ୍ରଥମଥର ଓହ୍ଲାଇବାବେଳେ ମୁଁ ତାଙ୍କୁ ଡାକିଥିଲି, କିନ୍ତୁ ତାଙ୍କର ଶ୍ଵାସ କଥା ମନେ ପଡ଼ିବାରୁ ଜୋର୍ ଦେଇ ନଥିଲି । ପୁଣି ସକାଳେ ଓହ୍ଲାଇବାବେଳେ ସେଇ ଶ୍ୱାସକଥା ଭାବି ଡାକି ନଥିଲି ।’

 

: ‘ପ୍ରଥମ ଥର ପୁଣି କୋଉଠି ଓହ୍ଲାଇଥିଲେ ?'

 

: ‘ବାଟରେ ଗୋଟେ ଛୋଟ ବସ୍‌ଷ୍ଟାଣ୍ଡରେ ଦଶ/ ପନ୍ଦର ମିନିଟ୍‍ପାଇଁ ଗାଡ଼ି ଅଟକିଥିଲା, ସେଠି ଆମେ ପାନ, ସିଗାରେଟ ପାଇଁ ଓହ୍ଲାଇଥିଲୁ ।’ ଡକ୍ଟର ନାୟକ କହିଲେ ।

 

: ‘କିଏ କିଏ ଓହ୍ଲାଇଥିଲେ ?’

 

: ‘ମୁଁ, ଡକ୍ଟର ଓଝା ଓ ଆଉ କେତେଜଣ ଛାତ୍ର ।’

 

ଯେଉଁମାନେ ଓହ୍ଲାଇଥିଲେ, ଇନିସ୍‌ପେକ୍ଟର ସେମାନଙ୍କ ନାଁ ନୋଟ୍ କରିନେଲେ ।

 

: ‘ଆଚ୍ଛା–ଗାଡ଼ି ଅଟକିଥିଲା କାହିଁକି ?’

 

: ‘ମୁଁ ସେକଥା ଜାଣିନି । ଗାଡ଼ି ଅଟକିବାରୁ ଆମେ ଓହ୍ଲାଇଥିଲୁ ।’

 

ଡ୍ରାଇଭରଠୁ ଜଣାଗଲା ଯେ, ସେ ଇଞ୍ଜିନ୍‍ରେ ପାଣିଦେବା ପାଇଁ ଗାଡ଼ି ଅଟକାଇଥିଲା ।

 

: ‘ଆଚ୍ଛା–ଡକ୍ଟର ଦାଶଙ୍କ ସାମ୍ନା ଓ ପଛ ସିଟ୍‍ରେ କେଉଁମାନେ ଥିଲେ ?’

 

: ‘ପଛ ସିଟ୍‍ରେ ମୁଁ, ଇଏ ଓ ବିକ୍ରମ ଭଟ୍ଟ ଥିଲୁ ?' ରଣେନ୍ ନିଜକୁ, ମତେ ଓ ବିକ୍ରମକୁ ଦେଖାଇଦେଲା ।

 

: ‘ସାମ୍ନା ସିଟ୍‍ରେ ?'

 

: ‘ମୁଁ, ମିନତି ଓ ସଙ୍ଗୀତା ଥିଲୁ’ ଅଧ୍ୟାପିକା ମମତା ବହିଦାର ଦୁଇଜଣ ଛାତ୍ରୀ ମିନତି ମହାପାତ୍ର ଓ ସଙ୍ଗୀତା ରଥକୁ ସଂକେତ କରି କହିଲେ ।

 

: ‘ଆପଣମାନେ କିଛି ଅସ୍ୱାଭାବିକତା ଲକ୍ଷ୍ୟ କରିନାହାନ୍ତି ? ଏଇମାନେ କିଛି ଯୁକ୍ତିତର୍କ ବା ଯନ୍ତ୍ରଣାକାତର ଶବ୍ଦ ବା ଚିତ୍କାର ଇତ୍ୟାଦି ।’

 

ଆମେ ସମସ୍ତେ ନାହିଁ କଲୁ । ଇନିସ୍‌ପେକ୍ଟରଙ୍କ ମୁହଁ ଚିନ୍ତାକୁଳ ଦେଖାଗଲା । କେବଳ ନୀରବତା ବିରଜମାନ କଲା କେତେକ୍ଷଣ ।

 

: ‘ଯା’ ହେଉ, ଧନ୍ୟବାଦ ।’ ଇନିସ୍‌ପେକ୍ଟର କହିଲେ, ‘ତେବେ କେବଳ ପୋଷ୍ଟ୍‍ମର୍ଟମ୍ ରିପୋର୍ଟରୁ ଜଣାଯିବ ମୃତ୍ୟୁର କାରଣ । ଯଦି କୌଣସି ରୋଗରେ ମୃତ୍ୟୁ ହୋଇଥାଏ ତ ଭଲକଥା-। ଆଉ ଯଦି ଅନ୍ୟ କାରଣରୁ ହୋଇଥାଏ, ତେବେ ପରେ ଆପଣମାନଙ୍କ ସାହାଯ୍ୟ କାମରେ ଆସିବ ।’

 

ଇନିସ୍‌ପେକ୍ଟର ନୀରବ ରହିଲେ । ସମସ୍ତେ ନୀରବ ଥିଲେ । ସାରା ଅଞ୍ଚଳରେ ବିରାଜୁଥିଲା ଅଖଣ୍ଡ ନୀରବତା ।

 

: ‘ମୂଳ ଅସୁବିଧାଟା ହେଲା, ଆମେ ଏଯାବତ୍ ଜାଣିପାରିଲେ ନାହିଁ, କେଉଁଥିପାଇଁ ମୃତ୍ୟୁ ହୋଇଛି । ରୋଗ କି ବିଷ ପ୍ରକ୍ରିୟା, କିଛି ଜାଣିହେଲା ନାହିଁ ।’ ଇନିସ୍‌ପେକ୍ଟର ନୀରବତା ଭାଙ୍ଗି କହିଲେ । ‘ଯା’ହେଉ, ଏ ପରିସ୍ଥିତିରେ ତ ଆଗୁଆ ପ୍ରାଥମିକ ତଦନ୍ତଟା କରିବାକୁ ହେବ–ପୋଷ୍ଟ୍‍ମର୍ଟମ୍ ରିପୋର୍ଟ କଥା ପରେ’, ଇନିସ୍‌ପେକ୍ଟର ବୁଝାଇବାରେ ଲାଗିଥିଲେ, ‘କଥା କ’ଣ କି, ଆବଶ୍ୟକୀୟ ତଦନ୍ତ ଏବେ ସାରି ନ ଦେଲେ ପରେ ତଦନ୍ତ କରିବାରେ ଅସୁବିଧା ହେବ ।’

 

ଏତିକିବେଳେ ଇନିସ୍‌ପେକ୍ଟର ଯେଉଁ କନେଷ୍ଟବଳକୁ ଜିପ୍‌ରେ ପଠାଇଥିଲେ, ସେ ଫେରି ଆସିଲା । ତା’ ସହ ଗୋଟେ ଭ୍ୟାନ୍‍ରେ ଆଉ କେତେଜଣ କନେଷ୍ଟବଳ ଆସିଥାନ୍ତି, ଜଣେ କେହି ଉପର ଅଫିସର ଆସିଥାନ୍ତି ଏବଂ ବୋଧେ ଡାକ୍ତରବି ଆସିଥିଲେ ।

 

: ‘ଏଇତ ଫୋରେନ୍‍ସିକ୍‍ବାଲା ଆସିଗଲେଣି, ଭାଗ୍ୟ ଭଲ ସେମାନେ ଗୋଟେ ଅନ୍ୟ କାମରେ ଆସି ଦୁଇଦିନ ହେଲା ଏଇଠି ଥିଲେ ।’ ଇନିସ୍‌ପେକ୍ଟର ଏତକ କହି ସେଆଡ଼େ ଚାଲିଗଲେ । ରଣେନ୍ ଓ ମୁଁ ଅନ୍ୟମାନଙ୍କଠୁ ଟିକେ ଦୂରରେ ଥାଉ, ଇନିସ୍‌ପେକ୍ଟର ଯିବାପରେ ରଣେନ୍ ମତେ ଧୀରେ କହିଲା, ‘ଲୋକଟା ନିହାତି ବୁଦ୍ଧିମାନ ନହେଲେବି ଦକ୍ଷ, ଆମକୁ ଏଠି କଥାବାର୍ତ୍ତାରେ ବ୍ୟସ୍ତ ରଖାଇ ସେଆଡ଼େ କେତେ ଲୋକ ମଗାଇ ଦେଇଛି !’

 

ଇନିସ୍‌ପେକ୍ଟର, ଫୋରେନ୍‍ସିକ୍ ଅଫିସର, ଡାକ୍ତର ସମସ୍ତେ ଗାଡ଼ି ଭିତରକୁ ଗଲେ ଏବଂ ପ୍ରାୟ ଅଧଘଣ୍ଟା ପରେ ବାହାରି ଆସିଲେ ।

 

: ‘ଏବେ ଆଉ ଅସୁବିଧା ନାହିଁ, ଆପଣମାନେ ଚାଲିଯିବେ । ବସ୍‍ଟାକୁ ନିୟମାନୁଯାୟୀ ଜବତ କରିବା କଥା, କିନ୍ତୁ ସେଇଟା ଅନାବଶ୍ୟକ ବୋଲି ଭାବୁଛୁ । ଡକ୍ଟର ଦାଶଙ୍କ ଶବକୁ ଆମେ ନେଇଯିବୁ ଏବଂ ପରେ ପୋଷ୍ଟ୍‍ମର୍ଟମ୍ ସରିବା ପରେ ଶବ ଫେରାଇ ଦିଆଯିବ । ଆମକୁ ଡକ୍ଟର ଦାଶଙ୍କ ଠିକଣା ଦେଇଯାନ୍ତୁ । ଡ୍ରାଇଭରର ଡ୍ରାଇଭିଂ ଲାଇସେନ୍‍ସ୍, ବସ୍ ପରମିଟ୍‍ବି ଦେଖିବା ଦରକାର ।'

 

ଇନିସ୍‌ପେକ୍ଟର ଏତକ କହି ଡ୍ରାଇଭର ଡ୍ରାଇରିଂ ଲାଇସେନ୍‍ସ୍ ଓ ବସ୍ ପରମିଟ୍ ଇତ୍ୟାଦି ଦେଖିବାରେ ଲାଗିଗଲେ ।

 

: ‘ଭାବୁଚି ଆପଣମାନଙ୍କୁ ଜଣ ଜଣ କରି ସର୍ଚ୍ଚ କରିବା ଉଚିତ ।’ ଇନିସ୍‌ପେକ୍ଟର ଆଉ କିଛି କହିଥାନ୍ତେ, କିନ୍ତୁ ତାଙ୍କ କଥାରେ ବାଧା ଦେଇ ରଣେନ୍ କହିଲା, 'କାହିଁକି ସମୟ ନଷ୍ଟ କରିବେ ସାର୍ ? ଯଦିବି ଏଇଟା ଗୋଟେ ହତ୍ୟାକାଣ୍ଡ ହୋଇଥାଏ, ତେବେ କେହି କ’ଣ ଏତେବେଳଯାଏ ପ୍ରମାଣ ଯୋଗାଇବା ପରି କିଛି ପଦାର୍ଥ ନିଜ ପାଖରେ ରଖିଥିବ ? ବସ୍ ଝରକା ଖୋଲି ବାହାରେ ଫିଙ୍ଗି ଦେଇଥିବ, ନଚେତ୍ ଏଠି ବସ୍ ଅଟକିବା ପରେ କୋଉଠି ଫୋପାଡ଼ି ସାରିଥିବ ।'

 

ରଣେନ୍ କଥାରେ ଇନିସ୍‌ପେକ୍ଟର କିଛି ଚିନ୍ତା କଲେ, ତା'ପରେ ଡକ୍ଟର ଦାଶଙ୍କ ଶବକୁ ବସ୍‌ରୁ ବାହାର କରି ଜିପ୍‍ରେ ପକାଇଲେ ଏବଂ ଆମକୁ ଯିବାକୁ ଅନୁମତି ଦେଲେ, ସର୍ଚ୍ଚ କରିବା ପ୍ରଶ୍ନ ଉଠାଇଲେ ନାହିଁ ।

 

ଆମେ ଫେରିଆସିଲୁ, କିନ୍ତୁ ଆମ ସହ ଯାଇଥିବା ସିନିଅର ଅଧ୍ୟାପକ ଡକ୍ଟର ଦାଶ ଆମଠାରୁ ବହୁତ ପଛରେ ରହିଗଲେ ।

 

(ପାଞ୍ଚ)

 

ଡକ୍ଟର ଦାଶଙ୍କ ଅଚାନକ ମୃତ୍ୟୁ ହେବା ଖବରଟା ତତ୍‍କ୍ଷଣାତ୍ କଲେଜରେ ତଥା ସହରରେ ଚହଳ ପକାଇଦେଲା । ଚହଳ ପଡ଼ିଯିବାର କାରଣଟା ଥିଲା ସ୍ଵାଭାବିକ, ଅର୍ଥାତ୍ ମୃତ୍ୟୁ ଖବର ସହ ଗୁଜବଟିଏ ମଧ୍ୟ ପ୍ରଚାରିତ ହୋଇ ଯାଇଥିଲା ଯେ ଡକ୍ଟର ଦାଶଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ବୋଲି ପୋଲିସ୍‍ ଘୋଷଣା କରିବା ପୂର୍ବରୁ ସମସ୍ତେ ଜାଣିଥିଲେ ଯେ ସେଇଟା ହତ୍ୟାକାଣ୍ଡ ବୋଲି । ସେହି ମର୍ମରେ ସମ୍ବାଦପତ୍ରମାନେ ମଧ୍ୟ ସମ୍ବାଦ ପରିବେଷଣ କରିଥିଲେ । ଏପରିକି ଡକ୍ଟର ଦାଶଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବା ହତ୍ୟାକାଣ୍ଡ ବୋଲି ପୋଲିସ୍‍ ଘୋଷଣା କରିବା ପୂର୍ବରୁ ହତ୍ୟାକାରୀକୁ ଧରିବାପାଇଁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ତଥା ଶିକ୍ଷକ ମହଲରୁ ଦାବି କରାଯାଇଥିଲା ।

 

ଯା’ହେଉ, ଶେଷରେ ପୋଲିସ୍ ପକ୍ଷରୁ ଡକ୍ଟର ଦାଶଙ୍କ ମୃତ୍ୟୁ ସମ୍ପର୍କରେ କେତେଟା କଥା ଜନସାଧାରଣଙ୍କୁ ଜଣାଇ ଦିଆଗଲା । ତାହା ଏଇମିତି ଥିଲା : ଡକ୍ଟର ଦାଶଙ୍କ ରକ୍ତରେ ଏକପ୍ରକାରର ଉତ୍କଟ ବିଷର ସୂଚନା ମିଳିଥିଲା, ଯେଉଁ ବିଷ ଶରୀରକୁ ପ୍ରବେଶ କରିବାର ମାତ୍ର କେତୋଟି ମୁହୂର୍ତ୍ତପରେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଆତ୍ମହତ୍ୟା ବା ହତ୍ୟାକାଣ୍ଡ ବୋଲି ଘୋଷଣା କରିବାପାଇଁ ପୋଲିସ୍‌ ନିକଟରେ କିଛି ପ୍ରମାଣ ନଥିଲା ବୋଲି ଦର୍ଶାଯାଇଥିଲା । ତେବେ ସତ୍ୟ ଉନ୍ମୋଚନ ପାଇଁ ପୋଲିସ୍ ଆପ୍ରାଣ ଉଦ୍ୟମ କରିବ ବୋଲି ଜଣାଇଥିଲା । ପୋଲିସ୍‌ ପକ୍ଷରୁ ବିବରଣୀ ପ୍ରକାଶ ପାଇବା ପରେ ମୁଁ ରଣେନ୍‍କୁ ଦିନେ ପଚାରିଲି, 'ଦେଖ, ଏବେ ତ ପୋଲିସ୍ ସବୁ ଜଣାଇଲା, ହତ୍ୟାକାଣ୍ଡ ବୋଲି ତ କିଛି ପ୍ରମାଣ ନାହିଁ, ଆଉ କ’ଣ-?’

 

: ‘କିନ୍ତୁ ଆତ୍ମହତ୍ୟାରବି କିଛି ପ୍ରମାଣ ନାହିଁ ।’ ସେ କହିଲା ।

 

: ‘ତା’ ସତ, କିନ୍ତୁ ଯଦି ହତ୍ୟା ହୋଇଥାଏ, ତେବେ ହତ୍ୟାକାରୀ ଖସିଯିବ ।’ ମୁଁ କହିଲି-

 

ମୋ କଥାରେ ରଣେନ୍‍ ଟିକେ ଚିନ୍ତାକରି କହିଲା, ‘ଯେତେ ଦୂର ସମ୍ଭବ, ପୋଲିସ୍ କମ୍ କଥା ଜଣାଇ ବେଶୀ କଥା ଗୋପନ ରଖିଛି । ତେଣୁ ସେମାନେ ତଦନ୍ତ କରୁଥାଇପାରନ୍ତି ।’

 

: ‘ମାନେ ?’

 

: ‘ପୋଲିସ୍‌ କିଛି ଜଣାଇ ନାହିଁ । ବିଷର ନାମ ଜଣାଇ ନାହିଁ । ଡକ୍ଟର ଦାଶଙ୍କ ବ୍ୟାଗ୍‌ ବା ପକେଟରୁ କିଛି ପଦାର୍ଥ ବାହାରିଛି କି ନାହିଁ, ସେକଥା ଜଣାଇ ନାହିଁ । ଆହୁରି ଅନେକକଥା ପୋଲିସ୍ ଜଣାଇ ନାହିଁ ।’

 

: ‘ତୁ କ’ଣ ଏବେବି ସନ୍ଦେହ କରୁଚୁ ଯେ ଡକ୍ଟର ଦାଶଙ୍କୁ କେହି ହତ୍ୟା କରିଛି ?’ ମୁଁ ପଚାରିଲି ।

 

: ‘ଆଗରୁ ମୁଁ ଗୋଟିଏ କାରଣପାଇଁ ଭାବୁଥିଲି ଯେ ତାଙ୍କୁ ହତ୍ୟା କରାଯାଇଛି । ସେଇଟି ହେଲା, ଆତ୍ମହତ୍ୟା ପାଇଁ ଡକ୍ଟର ଦାଶ ବସ୍ ଭିତର ଅପେକ୍ଷା ଅନ୍ୟ ସ୍ଥାନକୁ ବାଛିପାରିଥାନ୍ତେ; କିନ୍ତୁ ଏବେ ଅନ୍ୟାନ୍ୟ କାରଣପାଇଁ ମୁଁ ଭାବୁଚି ତାଙ୍କୁ ହତ୍ୟା କରାଯାଇଛି । ବିଶେଷତଃ, ପୋଲିସ୍ ରିପୋର୍ଟପାଇଁ ବେଶୀ ସନ୍ଦେହ ହେଉଛି ।’ ରଣେନ୍ କହିଲା ।

 

ପୋଲିସ୍ ରିପୋର୍ଟରେ ଯେ ଏମିତି କିଛି ଉଲ୍ଲେଖ ଥିଲା ଯେଉଁଥିରୁ କି ସନ୍ଦେହ କରିହେବ ଯେ ଡକ୍ଟର ଦାଶଙ୍କୁ ହତ୍ୟା କରାଯାଇଚି, ସେକଥା ଭାବି ଭାବି ମଧ୍ୟ ମୋ ମୁଣ୍ଡକୁ ଢୁକୁ ନଥିଲା ।

 

: ‘ଯଦି ଏଇଟା ହତ୍ୟାକାଣ୍ଡ, ତୁ ତେବେ କାହାକୁ ସନ୍ଦେହ କରୁଛୁ ?' ମୁଁ ପଚାରିଲି ।

 

: ‘ସନ୍ଦେହ ? ମୋ ସନ୍ଦେହର କିଛି ମୂଲ୍ୟ ଅଛି ?’

 

ରଣେନ୍ ଅଳ୍ପ ହସି କହିଲା, ‘ମୁଁ ଡକ୍ଟର ନାୟକ, ଡକ୍ଟର ଓଝାଙ୍କୁ ସନ୍ଦେହ କରେ । ସାମ୍ନା ସିଟ୍‍ରେ ଥିବା ଅଧ୍ୟାପିକା ମମତା ବହିଦାର, ଛାତ୍ରୀ ସଙ୍ଗୀତା ରଥ ଓ ମିନତି ମହାପାତ୍ରକୁବି ସନ୍ଦେହ କରେ ଏବଂ ପଛ ସିଟ୍‍ରେ ଥିବା ତତେ ଓ ବିକ୍ରମ ଭଟ୍ଟକୁବି ସନ୍ଦେହ କରେ ଏବଂ ତୁମେମାନେ ମତେ ସନ୍ଦେହ କରିବାରେବି କିଛି ବାଧା ନାହିଁ । ଶେଷରେ ଆମକୁ ପ୍ରଥମେ ଖବର ଦେଇଥିବା ହେଲ୍‍ପର୍‍କୁ ସନ୍ଦେହ କରାଯାଇପାରେ ।’

 

ରଣେନ୍ କଥା କ୍ରମଶଃ ମୋପାଇଁ ଜଟିଳ ହୋଇ ପଡ଼ୁଥିବାରୁ ସେ ସମ୍ପର୍କୀୟ ଆଲୋଚନାରୁ ବିରତ ରହିବାକୁ ମୁଁ ଉଚିତ ମଣିଥିଲି ।

 

(ଛଅ)

 

ଡକ୍ଟର ଦାଶଙ୍କ ମୃତ୍ୟୁର ପ୍ରଥମ ଚାରି/ପାଞ୍ଚ ଦିନ ପରେ ପୋଲିସ୍ ତରଫରୁ ଅନ୍ଧାରରେ ବାଡ଼ି ବୁଲାଇବା ଆରମ୍ଭ ହୋଇଗଲା । ପିକ୍‍ନିକ୍‍ରେ ଯାଇଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ରୋଷେଇଆ, ଡ୍ରାଇଭର, ହେଲ୍‍ପର୍ ପ୍ରତ୍ୟେକଙ୍କୁ ବିଭିନ୍ନ ସମୟରେ ଡାକରା ଆସିଲା । ବିଭିନ୍ନ ପ୍ରଶ୍ନମାନ ପଚରାଗଲା । କିନ୍ତୁ କେସ୍ ସମ୍ପର୍କରେ ପୋଲିସ୍ ଆଗଉଥିବା ପରି ଜଣାପଡ଼ୁ ନଥିଲା ।

 

ରଣେନ୍‍କୁ ଥରେ ଦୁଇଥର ପୋଲିସ୍ ଡକାଇ ପଚରାଉଚରା କରିବା ପରେ, ରଣେନ୍ ଭାବୁଥିଲା ଯେ, ପୋଲିସ୍ ତାକୁ ବେଶୀ ସନ୍ଦେହ କରୁଥିଲା ବୋଲି । ପୋଲିସ୍‌ର ଧାରଣା ହୋଇଥିଲା, ରଣେନ୍ ଡକ୍ଟର ଦାଶଙ୍କୁ ବିଷ ପ୍ରୟୋଗ କରି ହତ୍ୟା କରିଥିଲା ଏବଂ ପରେ ପୋଲିସ୍‌କୁ ଡକାଇବାର ପ୍ରସ୍ତାବ ଦେଇ ନିଜ ଉପରୁ ପୋଲିସ୍‌ର ସନ୍ଦେହକୁ ଦୂରେଇବାର ଚେଷ୍ଟା କରିଥିଲା । ପୋଲିସ୍ ଯେ ପ୍ରତ୍ୟକ୍ଷଭାବେ ରଣେନ୍‍କୁ କିଛି କହିଥିଲା, ତା’ ନୁହେଁ; ରଣେନ୍‍କୁ ଅନ୍ତତଃ ସେମିତି ବିଶ୍ୱାସ ହୋଇଥିଲା । ପୋଲିସ୍ ପ୍ରତ୍ୟକ୍ଷଭାବେ ରଣେନ୍‍କୁ କିଛି କହିବାର ବା ଗିରଫ୍‍ କରିବାର ସାହସ କରି ନଥିଲା; କାରଣ ପ୍ରଥମରେ ପୋଲିସ୍ ହାତରେ କିଛି ପ୍ରମାଣ ନଥିଲା, ଦ୍ୱିତୀୟରେ ଯଦି ବା କିଛି ପ୍ରମାଣ ଥାନ୍ତା, ତେବେ ରଣେନ୍‍କୁ ଗିରଫ୍‍ କରିବାପରେ ସେତକ ହାତଛଡ଼ା ହେବାର ସମ୍ଭାବନା ଥିଲା । ସର୍ବୋପରି, ପରେ ଯଦି ପ୍ରମାଣ ହୁଅନ୍ତା ରଣେନ୍ ନିର୍ଦ୍ଦୋଷ, ତେବେ ପ୍ରକୃତ ଅପରାଧୀ ଖସିଯିବା ପାଇଁ ବେଶ୍ ସମୟ ଓ ସୁଯୋଗ ପାଆନ୍ତା । ପୋଲିସ୍‍ର ଏମିତି କାର୍ଯ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ରଣେନ୍ କଥାଟି ସତ–ଅର୍ଥାତ୍ ପୋଲିସ୍ ତା’ ରିପୋର୍ଟରେ ଅନେକ କିଛି ଗୋପନ ରଖିଥିଲା ଏବଂ ଡକ୍ଟର ଦାଶ ଯେ ଆତ୍ମହତ୍ୟା କରି ନଥିଲେ, ତା’ର ସୁରାକ ପାଇଥିଲା । କେଉଁଭାବେ ତଦନ୍ତ କରିବା ଆବଶ୍ୟକ, କେବଳ ସେ ସମ୍ପର୍କରେ ପୋଲିସ୍ କିଛି କୂଳକିନାରା ପାଉ ନଥିଲା !

 

ସୁତରାଂ, ଡକ୍ଟର ଦାଶଙ୍କ ପରି ଜଣେ ଖ୍ୟାତନାମା ଶିକ୍ଷାବିତ୍‌ଙ୍କ କେସ୍‍ର ତଦନ୍ତଭାର ମୃତ୍ୟୁର ସତର ଦିନ ପରେ କ୍ରାଇମ୍‍ବ୍ରାଞ୍ଚ୍ ହାତରେ ଅର୍ପଣ କରାଗଲା ବୋଲି ଘୋଷଣା କରାଗଲା ।

 

ଏବଂ ଏହାପରେ ଆମର ପରିଚୟ ହୋଇଥିଲା କ୍ରାଇମ୍‍ବ୍ରାଞ୍ଚ୍ ଇନିସ୍‌ପେକ୍ଟର ରଣଜତ୍ ପାତ୍ରଙ୍କ ସହ । ଏକଥା ଆରମ୍ଭରେ ମୁଁ କହିଛି ଯେ, ରଣଜିତ୍ ପାତ୍ର ସେତେବେଳେ ଜଣେ ଇନିସ୍‌ପେକ୍ଟର ଥିଲେ, ତା'ପରେ ଚାକିରି ଛାଡ଼ିଥିଲେ । ଯା’ହେଉ, କ୍ରାଇମ୍‍ବ୍ରାଞ୍ଚ୍ ହାତକୁ କେସ୍‍ଟି ଯିବାପରେ ତଦନ୍ତ କାମ ଜୋର୍‍ସୋର୍‍ରେ ଆରମ୍ଭ ହୋଇଥିବାର ସୂଚନା ମିଳିଥିଲା ।

 

ଘୋଷଣାର ଦୁଇଦିନ ପରେ ରଣେନ୍ ଓ ମୁଁ ରୁମ୍‍ରେ ବସିବୁ, ଜଣେ କଳାପ୍ୟାଣ୍ଟ ଓ ଚେକ୍‍ସାର୍ଟ୍ ପିନ୍ଧିଥିବା ଗେଡ଼ା ଭଦ୍ରବ୍ୟକ୍ତି ଆମ ରୁମ୍‍କୁ ଆସିଲେ । ସେ ପ୍ରଥମେ ଆମ ଦି’ଜଣଙ୍କ ନାଁ ନୋଟ୍ କରିନେଲେ । ତା’ପରେ ଭିତରକୁ ଆସି ଗୋଟେ ଖଟ ଉପରେ ବସିଗଲେ । ଶ୍ୟାମଳବର୍ଣ୍ଣର ଲୋକ, ଚନ୍ଦାମୁଣ୍ଡ, ବେଶ୍ ସ୍ଵାସ୍ଥ୍ୟବାନ ଲୋକ–କିନ୍ତୁ ସବୁଠୁ ସ୍ୱତନ୍ତ୍ର ଥିଲା ତାଙ୍କ ଆଖି, ଛଞ୍ଚାଣ ପରି ଆଖି ଦି'ଟା–ଦେହରେ ଗଳିଯିବା ପରି ଦୃଷ୍ଟି !

 

: ‘ଦେଖନ୍ତୁ ରଣେନ୍‍ବାବୁ !’ ସେ ଆରମ୍ଭ କଲେ, ଖୁବ୍ କମ୍ ଲୋକଙ୍କୁ ଏ କେସ୍‍ରେ ମୁଁ ନିଜ ପରିଚୟ ଦେବି ବୋଲି ସ୍ଥିର କରିଛି ଏବଂ ଆପଣ ସେମାନଙ୍କ ଭିତରୁ ଜଣେ । ମୋ ନାଁ ହେଲା ରଣଜିତ୍ ପାତ୍ର–ମୁଁ କ୍ରାଇମ୍‍ବ୍ରାଞ୍ଚ୍‍ର ଇନିସ୍‌ପେକ୍ଟର; କେବଳ । ଆପଣଙ୍କ ସହ କେତେଟା କଥାହେବା ଦରକାର ବୋଲି ଆସିବାଟା ଉଚିତ ମନେ କଲି ।’

 

ଲୋକଟି ବେଶ୍ ମାର୍ଜିତ ଏବଂ ଭଦ୍ରଭାବେ କଥା କହୁଥିଲା । ସେ ଯେ ଶାନ୍ତ ପ୍ରକୃତିର, ତା’ବି ମାଲୁମ ହେଉଥିଲା । ଲୋକଟି ସମ୍ପର୍କରେ ମୁଁ ଆଉ କେତେକଅଣ ଭାବିଥାନ୍ତି, କିନ୍ତୁ ରଣେନ୍ କହିଲା, ‘ଦେଖନ୍ତୁ, କିଛି ଖରାପ ଭାବିବେ ନାହିଁ । ପ୍ରଥମରେ ମୁଁ ନିଶ୍ଚିତ ନୁହେଁ ଯେ ଆପଣ କ୍ରାଇମ୍‍ବ୍ରାଞ୍ଚ୍‍ର ଲୋକ ବୋଲି; ଦ୍ୱିତୀୟତଃ କଲେଜ ପରିସରରେ ପୁଣି ହଷ୍ଟେଲ୍‍ରେ କଥାବାର୍ତ୍ତା ହେବାକୁ ହେଲେ ଆପଣ ପ୍ରିନ୍‍ସିପାଲଙ୍କ ଅନୁମତି ନେବା ଆବଶ୍ୟକ । ଅନ୍ତତଃ ଆମେ ନେବୁ, ଆମର ନିରାପତ୍ତା ଅଛି ତ ! ଆପଣ ଯଦି ଆମ ଅଗୋଚରରେ ତଦନ୍ତ କରିଥାନ୍ତେ, ତେବେ କଥା ଅଲଗା ହୋଇଥାନ୍ତା । କିନ୍ତୁ ଗୋଚରରେ କିଛି ହେବା ଅର୍ଥ ନିୟମ ମାନିବା ଜରୁରୀ ।’

 

ରଣେନ୍ ଧୀରସ୍ଥିରଭାବେ ଏତକ କହିଲା । ସେ ଯେ ଲୋକଟାର ପରିଚୟକୁ ସନ୍ଦେହ କରୁଥିଲା, ଏକଥା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।

 

ରଣଜିତ୍ ପାତ୍ର ନିଜର ପରିଚୟପତ୍ର ଦେଖାଇଲେ ଏବଂ କହିଲେ, ‘ଏବେ ମୁଁ ବୁଝୁଚି, କାହିଁକି ଆପଣ ଡକ୍ଟର ଦାଶଙ୍କ ମୃତ୍ୟୁକୁ ସନ୍ଦେହ କରୁଥିଲେ ।’

 

ତା’ପରେ ସେ ଠିଆ ହେଲେ, କହିଲେ, ‘ଆଚ୍ଛା ମୁଁ ଆସୁଚି, ପରେ କଥା ହେବା ।’

 

ସେ ଚାଲିଯିବା ପରେ ଆମେ କିଛିକ୍ଷଣ ନୀରବରେ ବସିଲୁ ।

 

: ‘ଯା’ ହେଉ, ସେ ଆମକୁ ସନ୍ଦେହ କରିନି ।’ ମୁଁ ନୀରବତା ଭଙ୍ଗ କଲି ।

 

: ‘କେମିତି ଜାଣିଲୁ ?' ରଣେନ୍ ପଚାରିଲା ।

 

: ‘ଦେଖୁନୁ–ସେ ଆମକୁ ପରିଚୟ ଦେଲା । ସନ୍ଦେହ କରୁଥିଲେ କ’ଣ ପରିଚୟ ଦେଇଥାନ୍ତା ? ବରଂ ପରିଚୟ ଗୋପନ ରଖି ଯାହା କରିଥାନ୍ତା ।’ ମୁଁ କହିଲି ।

 

ରଣେନ୍ ହସିଲା, କହିଲା, ‘ଲୋକଟା ଧୂର୍ତ୍ତ, ଏଥିରେ ସନ୍ଦେହ ନାହିଁ । ମୁଁ ତା’ ସହ ଟିକେ ଖେଳିବାର ସୁଯୋଗଟା ଛାଡ଼ି ନାହିଁ । କିନ୍ତୁ ଲୋକଟିର ଗୋଟେ ଭୁଲ୍ ହୋଇଗଲା । ସେ କହିଲା ଯେ, ଖୁବ୍ କମ୍ ଲୋକଙ୍କୁ ସେ ପରିଚୟ ଦେବ ଏବଂ ମୁଁ ସେ ଭିତରୁ ଜଣେ ।

 

କିନ୍ତୁ ତୋ କଥା ସେ କହି ନାହିଁ । ଯଦି ତତେ ପରିଚୟ ଦେବାଟା ତା’ ଯୋଜନାରେ ଥାନ୍ତା, ତେବେ ତତେ ଏଇଠି ସେକଥା କହିଥାନ୍ତା, ଯେମିତି ମତେ କହିଲା । ତେବେ ତା’ ସାମ୍ନାରେ ମତେ ଏକାକୀ ପରିଚୟ ଦେବାକୁ ଭାବିଥିଲା ବୋଲି କହିବାର ଅର୍ଥ କ'ଣ ?’

 

: ‘କ’ଣ ? ମୁଁ ଜାଣିପାରୁନି ।’ ମୁଁ କହିଲି ।

 

: ‘କଥା ହେଲା, ଲୋକଟି ପୋଲିସ୍ ରିପୋର୍ଟ, ପୋଷ୍ଟ୍‍ମର୍ଟମ୍ ରିପୋର୍ଟ ଇତ୍ୟାଦି ପଢ଼ିଛି-। ତା'ପରେ କେତେକଙ୍କୁ ସନ୍ଦେହ କରିଛି । ଯଦି ପୋଷ୍ଟ୍‍ମର୍ଟମ୍ ରିପୋର୍ଟଟା ମୁଁ ଜାଣନ୍ତି, ତେବେ ଠିକ୍ ଠିକ୍ କିଛି ଅନୁମାନ କରିପାରନ୍ତି । ତଥାପି ଭାବୁଚି, ଯେଉଁମାନଙ୍କୁ ସନ୍ଦେହ କରୁଛି, ଲୋକଟି କେବଳ ସେଇମାନଙ୍କୁ ପରିଚୟ ଦେବ ବୋଲି ଭାବିଛି । ଯେହେତୁ ଅନ୍ୟ ଉପାୟରେ ପ୍ରମାଣ ଯୋଗାଡ଼ କରିବାର ବାଟ ନାହିଁ । କିନ୍ତୁ ସେ ଗୋପନରେ ପ୍ରତ୍ୟେକକୁ କହିବ ଯେ, ତା’ ସହ ସାକ୍ଷାତ କଥା ଅନ୍ୟ କାନରେ ନ ପଡ଼ିବା ଉଚିତ ବୋଲି । ଫଳରେ ପ୍ରତ୍ୟେକ ଭାବୁଥିବେ, କ୍ରାଇମ୍‍ବ୍ରାଞ୍ଚ୍ ତାଙ୍କୁ ସନ୍ଦେହ କରୁନାହିଁ ବୋଲି । ଯଦି ହତ୍ୟାକାରୀ ସହ ତା’ର ପରିଚୟ ଘଟେ, ତେବେ ହତ୍ୟାକାରୀରବି ସେଇ ଧାରଣା ହେବ ଏବଂ ଲୋକଟିର ଲକ୍ଷ୍ୟହିଁ ସେଇଆ–ହତ୍ୟାକାରୀକୁ ଖୋଲା ଛାଡ଼ିବା ଅଥଚ ଆଖି ଆଗରୁ ଦୂରକୁ ନୁହେଁ । ଏ ଭିତରେ ସେ ଦୁଇ ପ୍ରକାର ଉପାୟରେ କାମ କରିବ । ପ୍ରଥମରେ, ଗୋପନରେ କିଛି ଲୋକ ଲଗାଇ ସନ୍ଦେହ ପରିସରରେ ଥିବା ସମସ୍ତଙ୍କର କାର୍ଯ୍ୟକୁ ଗୋପନରେ ଲକ୍ଷ୍ୟ କରିବ, ଏଣେ ଦ୍ୱିତୀୟରେ କେତେକଙ୍କୁ ନିଜର ପରିଚୟ ଦେଇ ସେମାନଙ୍କ ସହ ବାର୍ତ୍ତାଳାପ କରି ସୂତ୍ର ଖୋଜିବାର ପ୍ରୟାସ କରିବ । ଲୋକଟିର ଯୋଜନାଟା ଠିକ୍ । ବିନା ବାର୍ତ୍ତାଳାପରେ କୌଣସି ପ୍ରମାଣ ପାଇବା ଅସମ୍ଭବ, କାରଣ ଏ କେସ୍‍ର ପରିସ୍ଥିତି/ପରିବେଶହିଁ ସେଇଆ । ନହେଲେ କି ଏତେ ସହଜରେ ପରିଚୟ ଦେଇଥାନ୍ତା-? କିନ୍ତୁ ସାମାନ୍ୟ ଅସାବଧାନତାରୁ ଲୋକଟିର ଧୂର୍ତ୍ତାମିର କିୟଦଂଶ ଜଣାପଡ଼ିଲା ।’

 

ରଣେନ୍ କଥା ମୁଁ ବୋକାପରି ଶୁଣୁଥାଏ । ତା’ କଥା ଶୁଣି ମୋର ବହୁଦିନରୁ ଥିବା ବିଶ୍ୱାସଟି ଦୃଢ଼ ହୋଇଗଲା ଯେ, ମୁଁ ଜଣେ ପହିଲା ନମ୍ବର ବୋକା ।

 

: ‘ଭଲ ହେଲା’, ରଣେନ୍ କହିଲା କିଛିକ୍ଷଣ ପରେ, ‘ଲୋକଟି ସହ ଆଉ କାହାର ପରିଚୟ ଘଟୁ କି ନ ଘଟୁ, ମୋର ପରିଚୟ ହୋଇ ଭଲ ହେଲା ।’

 

: ‘କାହିକି ?'

 

: ‘ଡକ୍ଟର ଦାଶଙ୍କ ହତ୍ୟାଟା ଏମିତି ଭାବରେ ହୋଇଛି ଯେ, ଗାଡ଼ି ଭିତରେ ତାଙ୍କ ପାଖରେ ଥିବା ଲୋକଙ୍କୁ କିଛି ଜଣାନାଇଁ–ବା ଯାହାକିଛି ଜଣା, ସେ ସବୁ ସମ୍ପର୍କରେ ପୋଲିସ୍‌ କିଛି ଧାରଣା କରିପାରିବ ନାଇଁ । ଏଣେ ପୋଲିସ୍‍ ରିପୋର୍ଟ, ଫୋରେନ୍‍ସିକ୍ ରିପୋର୍ଟ ଓ ପୋଷ୍ଟ୍‍ମର୍ଟମ୍ ରିପୋର୍ଟ ଇତ୍ୟାଦି ପୋଲିସ୍‍ର ଫାଇଲ୍‍ରେ ଥିବାରୁ କିଛି ଫାଇଦା ହେଉନି । ଅଥଚ କେସ୍ ରିପୋର୍ଟ ଓ ବାସ୍ତବ ପରିବେଶ, ମାନେ ହତ୍ୟା ଦିନର ବାସ୍ତବ ପରିବେଶ ମଧ୍ୟରେ ସାମଞ୍ଜସ୍ୟ ରହୁନି, ଫଳରେ କୁଆଡ଼ୁ କିଛି ହେଉନି । ଭାବୁଚି, ଏଇ ଲୋକଟିଠାରୁ କିଛି ଜଣାପଡ଼ିବ, ତେବେ ଅନ୍ତତଃ ମୁଁ କେତେଟା କଥା କହିବି ଯାହା ହୁଏତ କେସ୍‍ରେ ଅଗ୍ରଗତିରେ ସାହାଯ୍ୟ କରିବ । ଦେଖାଯାଉ–ରଣେନ୍ ନୀରବ ରହିଲା ।

 

: ‘ତୁ କ’ଣ ଭାବୁଚୁ ସେ ଆଉଥରେ ଏଠାକୁ ଆସିବେ ? ମୁଁ ପଚାରିଲି ।

 

: ‘ନିଶ୍ଚୟ ଆସିବେ, କାରଣ ମୁଁ ବି ତାଙ୍କ ତାଲିକାରେ ଅଛି ଯେ ।’ ରଣେନ୍ କହିଲା, 'ଲୋକଟି ଏତେ ବୋକା ନୁହେଁ । ସେ ବିଭିନ୍ନ ରିପୋର୍ଟରୁ ଗୋଟେ ସାଧାରଣ ଧାରଣା କରି ଏଠାକୁ ଆସିଥିଲା, ତେଣୁ ପୁଣି ଆସିବ । ନଚେତ ହୁଏତ ଆମକୁ ବା ମତେ ତାଙ୍କ କାର୍ଯ୍ୟାଳୟରୁ ଡାକରା ଆସିପାରେ ।’

 

(ସାତ)

 

ତା'ପର ଦିନ ଆମେ ପୁନର୍ବାର ରଣଜିତ୍ ପାତ୍ରଙ୍କୁ ଭେଟିଲୁ । ପୂର୍ବପରି ଆମ ରୁମ୍‍ରେ । ସେ ଆମକୁ କଲେଜ ଅଧ୍ୟକ୍ଷଙ୍କ ଅନୁମତି ପତ୍ର ଦେଖାଇଲେ । ସେଦିନ କଲେଜରେ ମଧ୍ୟ ନୋଟିସ୍ ବାହାରିଥିଲା ଯେ, ପୋଲିସ୍ ଓ କ୍ରାଇମ୍‍ବ୍ରାଞ୍ଚ୍ ତଦନ୍ତରେ ଛାତ୍ର/ଛାତ୍ରୀ, ଷ୍ଟାଫ୍‍ମାନେ ସବୁ ସାହାଯ୍ୟ କରିବାପାଇଁ । ରଣଜିତ୍ ପାତ୍ର ସେଦିନବି ସିଭିଲ ଡ୍ରେସ୍‍ରେ ଥିଲେ ।

 

କଥାବାର୍ତ୍ତା ଆରମ୍ଭର ଅବ୍ୟବହିତ ପୂର୍ବରୁ ରୁମ୍‍ର ଦରଜା ବନ୍ଦ କରିଦିଆଗଲା ।

 

: ‘ଆପଣ କାହିଁକି ପ୍ରଥମେ ଡକ୍ଟର ଦାଶଙ୍କ ମୃତ୍ୟୁକୁ ସନ୍ଦେହ କଲେ, ସେ କଥା ମୁଁ ଜାଣେ । ଅନ୍ତତଃ ପୋଲିସ୍‍ ରିପୋର୍ଟରୁ ମୁଁ ସବୁ ଜାଣେ । ଆପଣ ତ ଘଟଣା ଦିନ ରାତ୍ରିରେ ଥିଲେ, ପୁଣି ସକାଳେବି ଥିଲେ; ତେଣୁ ଏବେ ଖାଲି କେତୋଟି ପ୍ରଶ୍ନ ପଚାରିବି ।’

 

ରଣଜିତ୍ ପାତ୍ର କିଛିକ୍ଷଣ ନୀରବ ରହିଲେ । ରଣେନ୍ ଓ ମୁଁ ନୀରବରେ ବସିଥାଉ ।

 

: ‘ସେଦିନ ବସ୍‍ରେ ଯେଉଁମାନେ ଥିଲେ, ସେମାନଙ୍କ ଭିତରେ ଡକ୍ଟର ଦାଶଙ୍କର କେହି ଶତ୍ରୁଥିଲେ କି ?'

 

: ‘ନା, ମୋ ମତରେ କେହି ସେମିତି ନଥିଲେ ।’ ରଣେନ୍ କହିଲା ।

 

: ‘ବସ୍ ଯାତ୍ରାବେଳେ କାହାଠାରେ କିଛି ଅସ୍ୱାଭାବିକ ଲକ୍ଷ୍ୟ କରିଥିଲେ କି ?'

 

: ‘ନା ।’

 

: ‘ଆପଣ ପ୍ରଥମରୁ ହତ୍ୟାକାଣ୍ଡ ବୋଲି ଭାବିଥିଲେ, କାହିଁକି ?’

 

: ‘ମୃତ ଦେହକୁ ଦେଖିବାପରେ ମୁଁ ଜାଣିଲି ମୃତ୍ୟୁଟା ଅସ୍ୱାଭାବିକ । ପ୍ରଥମେ, ଡକ୍ଟର ଦାଶଙ୍କ ପାଟିର ଲାଳ ଏବଂ ଦ୍ୱିତୀୟତଃ ତାଙ୍କ ନିକଟରେ ମରିପଡ଼ିଥିବା ମାଛି । ମୃତ୍ୟୁଟା ଅସ୍ୱାଭାବିକ କ୍ଷେତ୍ରରେ ଦୁଇଟି କଥା ସମ୍ଭବ : ଆତ୍ମହତ୍ୟା ବା ହତ୍ୟାକାଣ୍ଡ । ମୁଁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲି, କାରଣ ଆତ୍ମହତ୍ୟା ପାଇଁ ଡକ୍ଟର ଦାଶ ଯେ ଏକ ପିକ୍‍ନିକ୍ ପାର୍ଟିର ବସ୍ ଭିତରକୁ ବାଛିବେ, ଏକଥା ମତେ ଅବାସ୍ତବ ମନେ ହୋଇଥିଲା ।’

 

: ‘ଆଚ୍ଛା–ଆପଣ କାହାକୁ ସନ୍ଦେହ କରୁଛନ୍ତି ?’

 

: ‘ସେ କଥାଟି ଏତେ ସହଜ ନୁହେଁ । ତଥାପି ମୋ ତାଲିକାରେ ଡକ୍ଟର ଓଝା, ଡକ୍ଟର ନାୟକ, ମମତା ବହିଦାର, ସଙ୍ଗୀତା ରଥ, ମିନତି ମହାପାତ୍ର, ବିକ୍ରମ ଭଟ୍ଟ ଓ ଇଏ ।’ ରଣେନ୍ ମତେ ନିର୍ଦ୍ଦେଶ କରି କହିଲା, ‘ଏବଂ ଶେଷରେ ହେଲ୍‍ପର୍ । ଆପଣଙ୍କ ତାଲିକାରେ ମୋ ନାଁଟାବି ଆପଣ ରଖିପାରନ୍ତି । କାରଣ ମୁଁ ତ ଥିଲି ଡକ୍ଟର ଦାଶଙ୍କର ଠିକ୍ ପଛକୁ ।’

 

: ‘ବସ୍‍ରେ ଏତେ ଲୋକଥିଲେ, ଅଥଚ ଆପଣ ଏତିକିଙ୍କୁ ସନ୍ଦେହ କରିବାର ଅର୍ଥ କ'ଣ-?’

 

ରଣଜିତ୍ ପାତ୍ରଙ୍କ ପ୍ରଶ୍ନରେ ରଣେନ୍ ହଠାତ୍ କିଛି କହିଲା ନାହିଁ । ତା'ପରେ କହିଲା, ‘ମୁଁ ପ୍ରଥମେ ଏମିତି ନିର୍ଦ୍ଦିଷ୍ଟଭାବେ ସନ୍ଦେହ କରି ନଥିଲି । କିନ୍ତୁ ପୋଲିସ୍ ରିପୋର୍ଟ ପ୍ରକାଶ ପାଇବାପରେ ମୁଁ ଗୋଟେ ଧାରଣା କରିଛି । ପୋଲିସ୍ ରିପୋର୍ଟ ଅନୁଯାୟୀ ଡକ୍ଟର ଦାଶଙ୍କର ମୃତ୍ୟୁ ରକ୍ତରେ ଉତ୍କଟ ବିଷ ମିଶିବା ଯୋଗୁଁ ହୋଇଛି, କାରଣ ବସ୍ ଚାଲିବାର ଅଧଘଣ୍ଟା/ଘଣ୍ଟାଏ ଯାଏଁ ସେ ଚାହିଁଥିଲେ ବୋଲି ସମସ୍ତେ ଜାଣନ୍ତି । ତେଣୁ ଉତ୍କଟ ବିଷ ଯଦି ବସ୍ ଚାଲିବା ପୂର୍ବରୁ ତାଙ୍କ ରକ୍ତରେ ମିଶିଥାନ୍ତା, ସେ କଦାପି ଅଧଘଣ୍ଟା/ଘଣ୍ଟାଏ ସମ୍ଭାଳି ପାରି ନଥାନ୍ତେ । ତାହାହେଲେ ଯଦି ବସ୍ ଭିତରେ ତାଙ୍କୁ ବିଷ ପ୍ରୟୋଗ କରାଯାଇଥାଏ, ତେବେ କେଉଁମାନେ କରିଥିବା ସମ୍ଭବ ? ଯେଉଁମାନେ ଡକ୍ଟର ଦାଶଙ୍କ ସାମ୍ନା ଏବଂ ପଛ ସିଟ୍‍ରେ ଥିଲେ କିମ୍ବା ଯେଉଁମାନେ ତାଙ୍କ ସିଟ୍‍ରେ ଥିଲେ ।’

 

: ‘ତେବେ ହେଲ୍‍ପର୍‍କୁ ସନ୍ଦେହ କରୁଛନ୍ତି କାହିଁକି ?’

 

: ‘ସେଇଟା ମୋପାଇଁ ସ୍ଵାଭାବିକ । କାରଣ ମୁଁ ଡକ୍ଟର ଦାଶଙ୍କ ମୃତ୍ୟୁର ସମୟ ଓ କିମିତି ଉପାୟରେ ବିଷ ପ୍ରୟୋଗ କରାଯାଇଥିଲା, ସେକଥା ଜାଣିନି । ଯଦି ପୋଷ୍ଟ୍‍ମର୍ଟମ୍ ରିପୋର୍ଟଟା ଦେଖିଥାନ୍ତି, ତେବେ ଅବା ହେଲ୍‍ପର୍‍ ସମ୍ପର୍କରେ କିଛି କୁହାଯାଇପାରନ୍ତା । ତାକୁ ସନ୍ଦେହ କରିବା ମୂଳରେ ମୋର ବିଶ୍ୱାସ ଯେ, ସକାଳୁ ସମସ୍ତେ ବସ୍‍ରୁ ଓହ୍ଲାଇ ଯିବାପରେ ସେ ଡକ୍ଟର ଦାଶଙ୍କୁ ସୁପ୍ତ ଅବସ୍ଥାରେହିଁ ହତ୍ୟା କରିଥାଇପାରେ ।’

 

: ‘କିନ୍ତୁ ହେଲ୍‌ପର୍‍ର ଫାଇଦା କ’ଣ ?’

 

: ‘ନିଜର ଫାଇଦା ନ ଥାଇପାରେ, ଅନ୍ୟ କାହାଠୁ ଟଙ୍କା ବଦଳରେ ସେ କାମ କରାଯାଇପାରେ ।’

 

ରଣେନ୍‍ର କଥାରେ ରଣଜିତ୍ ପାତ୍ର ଖୁବ୍ ଗଭୀରଭାବେ କିଛି ଚିନ୍ତା କରୁଥିଲେ ଯେମିତି-। ସତେଅବା ପୋଷ୍ଟ୍‍ମର୍ଟମ୍ ରିପୋର୍ଟ, ଅନ୍ୟମାନଙ୍କ କଥା ଓ ରଣେନ୍‍ର କଥା ଭିତରେ ଏକ ସାଧାରଣ ଯୋଗସୂତ୍ର ଆବିଷ୍କାର କରିବାର ଚେଷ୍ଟା କରୁଥିଲେ ସେ ।

 

: ‘ଆଚ୍ଛା’ ରଣଜିତ୍ ପାତ୍ର ନୀରବତା ଭାଙ୍ଗିଲେ, ‘ପୋଷ୍ଟ୍‍ମର୍ଟମ୍ ରିପୋର୍ଟରୁ ମୃତ୍ୟୁ ସମୟ ଓ ବିଷ ପ୍ରୟୋଗର ପ୍ରଣାଳୀ କଥାଟା ଜାଣିଲେ ଆପଣ ହେଲ୍‌ପର୍ ସମ୍ପର୍କରେ ନିଃସନ୍ଦେହ ହେବେ ବୋଲି କେମିତି ଭାବୁଛନ୍ତି ?’

 

: ‘କିଛି ଖରାପ ଭାବିବେ ନାହିଁ ସାର୍', ରଣେନ୍ ପ୍ରକୃତ ପ୍ରଶ୍ନର ଉତ୍ତର ନ ଦେବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ‘ଆପଣ ଏବେବି ମତେ ସନ୍ଦେହ କରୁଛନ୍ତି । ସେଇଟା ସ୍ୱାଭାବିକ ମଧ୍ୟ । କିନ୍ତୁ ସମସ୍ୟାଟି ଏମିତି ଯେ, ଆପଣ ଯଦି ବସ୍ ଭିତରେ ଥିବା ଜଣେ କାହାର ସାହାଯ୍ୟ ନ ନେବେ, ତେବେ ଭାବୁଚି ଆପଣ କଦାପି ଠିକ୍‍ଭାବେ ଘଟଣାଟିକୁ ସଜାଡ଼ି ପାରିବେ ନାହିଁ । ମାନେ ଡାକ୍ତରୀ ରିପୋର୍ଟ ଓ ବାସ୍ତବ ପରିବେଶ ଭିତରେ ଯୋଗସୂତ୍ର ସ୍ଥାପନ କରିପାରିବେ ନାହିଁ । ସେଇଥିପାଇଁ ମୋର କହିବା କଥା ଯେ–ରଣେନ୍ ଏକାଥରେ ଏତେକଥା କହିଲା ବୋଲି ଯେ ଅପ୍ରତିଭ ହୋଇଗଲା, ତା’ ନୁହେଁ; ରଣଜିତ୍ ପାତ୍ରଙ୍କ ଦୃଷ୍ଟି ଏମିତି ସ୍ଥିରଭାବେ ତା’ ଉପରେ ନିବଦ୍ଧ ଥିଲା ଯେ ସେ ହଠାତ୍ ଜଣେ କ୍ରାଇମ୍‍ବ୍ରାଞ୍ଚ୍ ଇନ୍‍ସପେକ୍ଟରଙ୍କ ଉପସ୍ଥିତି ନେଇ ଅପ୍ରତିଭ ହୋଇଗଲା ।

 

: ‘କ’ଣ ?' ରଣଜିତ୍ ପାତ୍ର ପଚାରିଲେ ।

 

: ‘ଆପଣ ନିଶ୍ଚିତ ସବୁକଥା ମିଶାଇ ଗୋଟେ ଧାରଣା କରିଥିବେ । ସେ ସମ୍ପର୍କରେ ଅଧିକ ତଥ୍ୟ ପାଇବାପାଇଁ ଓ ନିଶ୍ଚିତ ହେବାପାଇଁ ଆପଣ ନିହାତି କମ୍‍ରେ ସେଦିନ ବସ୍‍ରେ ଥିବା ଲୋକଙ୍କ ଭିତରୁ ଜଣକୁ ପୋଷ୍ଟ୍‍ମର୍ଟମ୍ ରିପୋର୍ଟ, ସମୟ, ବିଷପ୍ରୟୋଗ ପ୍ରଣାଳୀ ଇତ୍ୟାଦି ସବୁ କହିବା ଉଚିତ । ସେ ସମ୍ପର୍କୀୟ ତଥ୍ୟକୁ ଅନ୍ୟମାନଙ୍କ କଥା ସହ ତୁଳନା କଲେ ଆପଣ ଆରାମରେ ନିଶ୍ଚିତ ହୋଇପାରିବେ ଯେ ଲୋକଟି ସତ କି ମିଛ କହୁଛି–ଏପଟେ ଆପଣ ଅଧିକ ତଥ୍ୟବି ପାଇବେ ।’

 

: ‘ମୁଁ ବୁଝିପାରିଲି ନାଇଁ ।’ ରଣଜିତ୍ ପାତ୍ର କହିଲେ ।

 

: ‘ମନେ କରନ୍ତୁ ଆପଣ ମତେ ସବୁ କହିଲେ । ତେବେ ମୁଁ ସେ ସବୁ କଥାକୁ ସ୍ମରଣ ରଖି ହତ୍ୟାକାଣ୍ଡ ରାତ୍ରିର ଘଟଣା ସମ୍ପର୍କରେ ଏପରି କିଛି କହିପାରେ, ଯାହା ଆପଣଙ୍କୁ ହୁଏତ ସାହାଯ୍ୟ କରିପାରେ । ମୋ କଥାର ସତ୍ୟାସତ୍ୟ ଆପଣ ଅନ୍ୟ ସହଯୋଗୀଙ୍କ କଥାରୁ ଜାଣିପାରିବେ । ଏମିତିକି ଆପଣ ଯଦି ମତେ ଆପଣଙ୍କ ସନ୍ଦେହ ତାଲିକାରେ ରଖିଥାନ୍ତି, ତେବେବି ଆପଣଙ୍କର କିଛି କ୍ଷତି ହେବ ନାହିଁ । କାରଣ ଡାକ୍ତରୀ ରିପୋର୍ଟ ତଥା ମୁଁ କହିଥିବା ତଥ୍ୟ ସହ ଆପଣ ଅନ୍ୟମାନଙ୍କ ବକ୍ତବ୍ୟକୁ ମଧ୍ୟ ଗୋପନରେ ତୁଳନା କରିପାରିବେ, ନୁହେଁ କି ?’

 

ରଣେନ୍ ଟିକେ ଉତ୍ୟକ୍ତ ହୋଇପଡ଼ିଥିଲା । କିନ୍ତୁ ରଣଜିତ୍ ପାତ୍ରଙ୍କଠାରେ ଉତ୍ତେଜନାରେ ଟିକେବି ସୂଚନା ନଥିଲା । ସେ ତଥାପି କିଛି ଚିନ୍ତା କରୁଥିଲେ । କେତେକ୍ଷଣପରେ କହିଲେ, ‘ନା–ମୁଁ ସେପରି ଭାବିନାଇଁ କଥାଟାକୁ ।’

 

: ‘କେମିତି ଭାବିଛନ୍ତି ତେବେ ?' ରଣେନ୍ ବିରକ୍ତିରେ ପଚାରିଲା । କିନ୍ତୁ ସେଇ ପ୍ରଶ୍ନଟିକୁ ସମ୍ପୂର୍ଣ୍ଣ ଉପେକ୍ଷାକରି ରଣଜିତ୍ ପାତ୍ର କହିଲେ, ‘ପୋଷ୍ଟ୍‍ମର୍ଟମ୍ ରିପୋର୍ଟ ଅନୁଯାୟୀ ଡକ୍ଟର ଦାଶଙ୍କ ମୃତ୍ୟୁ ଘଟିଛି ସାଢ଼େ ତିନିଟାରୁ ଚାରିଟା ପନ୍ଦର ଭିତରେ ଏବଂ ଖୁବ୍ ଉତ୍କଟ ବିଷଦ୍ୱାରା । ଇଞ୍ଜେକ୍‍ସନ୍‍ଦ୍ୱାରା ବିଷ ତାଙ୍କ ରକ୍ତରେ ମିଶିଥିଲା ।’

 

ରଣଜିତ୍ ପାତ୍ର ସବୁକଥା ନ ଜଣାଇଲେବି ଅନେକ କଥା ଜଣାଇଲେ ।

 

: ‘ଏବେ ଆମେ ଅନେକ କଥା ଜାଣିପାରିବା’, ଖୁବ୍ ଖୁସିରେ ରଣେନ୍ କହିଲା, ‘ମୁଁ ଆଶା କରୁଥିଲି ଯେ ଡକ୍ଟର ଦାଶଙ୍କୁ ଇଞ୍ଜେକ୍‍ସନ୍‍ଦ୍ୱାରା ବିଷ ପ୍ରୟୋଗ କରାଯାଇଥିଲା ବୋଲି ।’

 

: କେମିତି ?' ରଣଜିତ୍ ପାତ୍ର ପଚାରିଲେ ।

 

: ‘ପୋଲିସ୍ ରିପୋର୍ଟରେ ଥିଲା ଯେ, ଉତ୍କଟ ବିଷ ରକ୍ତରେ ମିଶିଥିଲା, ବିନା ଇଞ୍ଜେକ୍‍ସନ୍‍ର ବିଷ ରକ୍ତରେ ମିଶିବ କେମିତି ? ସେତିକିବେଳେ ମୁଁ ସ୍ପଷ୍ଟ ଜାଣିପାରିଲି ଯେ, ଘଟଣାଟି ହତ୍ୟାକାଣ୍ଡ–ପୂର୍ବରୁ ସମ୍ଭାବନା, ପ୍ରଥମେ ସନ୍ଦେହ ଓ ଅନୁମାନ ଥିଲା, କିନ୍ତୁ ପୋଲିସ୍ ରିପୋର୍ଟ ସୂଚନାଦେଲା ଯେ ଘଟଣାଟା ହତ୍ୟାକାଣ୍ଡ । ଯଦି ଉତ୍କଟ ବିଷ ରକ୍ତରେ ମିଶିଥାଏ ଏବଂ ମିଶିବାର କେତେ ମୁହୂର୍ତ୍ତପରେ ମୃତ୍ୟୁ ନିଶ୍ଚିତ, ତେବେ କ’ଣ ଡକ୍ଟର ଦାଶ ନିଜେ ନିଜକୁ ଇଞ୍ଜେକ୍‍ସନ୍ ଦେଇଥିଲେ ? ତାହାହେଲେ ତ ପରମୁହୂର୍ତ୍ତରେ ତାଙ୍କ ହାତରୁ ସିରିଞ୍ଜ୍ ଓ ବିଷ ଶିଶିଟା ତଳେ ପଡ଼ିଥାନ୍ତା । ସର୍ବୋପରି, ଡକ୍ଟର ଦାଶ ସେ ଉତ୍କଟ ବିଷକୁ ପାନ ନ କରି ନିଜେ ନିଜକୁ ଇଞ୍ଚେକ୍‍ସନ୍ ଦେବାକଥା ଭାବିବାଟା ଅସଙ୍ଗତ ମନେ ହେଉନି କି ?'

 

ରଣେନ୍ ଯେ ଖୁବ୍ ଧୂର୍ତ୍ତ ତଥା ତା’ର ଦୃଷ୍ଟି ଏବଂ ବିଶ୍ଳେଷଣ ଯେ ଖୁବ୍ ଶକ୍ତିଶାଳୀ, ଏକଥା ଇନିସ୍‌ପେକ୍ଟର ରଣଜିତ୍ ପାତ୍ର କ୍ରମଶଃ ବୁଝି ପାରୁଥିଲେ।

 

: ‘ତେବେ ହେଲ୍‍ପର୍ ସନ୍ଦେହମୁକ୍ତ ହେଲା କେମିତି ?' ରଣଜିତ୍ ପାତ୍ର ପଚାରିଲେ ।

 

: ‘ଆପଣ ପୋଷ୍ଟ୍‍ମର୍ଟମ୍ ରିପୋର୍ଟ ଓ ମୃତ୍ୟୁ ସମୟ କହିଲେ ହେଲ୍‌ପର୍ ସନ୍ଦେହମୁକ୍ତ ହେବ ବୋଲି ତ ମୁଁ କହିନି । ମୁଁ କହିଥିଲି ତା’ ସମ୍ପର୍କରେ ସବୁ ପରିଷ୍କାର ହୋଇଯିବ ।’

 

: ‘ହେଲା ଏବେ–କ’ଣ ଜାଣିଲେ ?’

 

: ‘ଯେ ହେଲ୍‍ପର୍ ନିର୍ଦ୍ଦୋଷ ।’

 

: ‘କେମିତି ?'

 

: ‘ମୃତ୍ୟୁ ସମୟ ଯଦି ସାଢ଼େ ତିନି–ଚାରିଟା ପନ୍ଦର ଭିତରେ ହୋଇଥାଏ ଏବଂ ବିଷ ପ୍ରୟୋଗର ମାଧ୍ୟମ ଯଦି ଇଞ୍ଜେକ୍‍ସନ୍; ତେବେ ସେ ନିର୍ଦ୍ଦୋଷ । ପ୍ରଥମରେ ସେ ନିଜ ସ୍ଥାନ ଛାଡ଼ି ବସ୍ ଭିତରକୁ ଆସିନାହିଁ, ଦ୍ୱିତୀୟରେ ଯେଉଁ ସମୟ ମୃତ୍ୟୁ ସମୟଭାବେ ଦର୍ଶାଯାଇଛି, ସେତେବେଳେ ହେଲ୍‍ପର୍ ନିଜ ସିଟ୍‌ରେ ଶୋଇଥିଲା, କାରଣ ଡ୍ରାଇଭର ବାଟରେ ଯେଉଁ ବସ୍‌ଷ୍ଟାଣ୍ଡରେ ବସ୍ ଅଟକାଇଥିଲା, ସେଠି ହେଲ୍‌ପର୍ ଶୋଇ ପଡ଼ିଥିବାରୁ ଦରଜା ଖୋଲିବାରେ ଡେରି କରିଥିଲା ଏବଂ ଅନ୍ୟମାନଙ୍କ ଡାକରେ ଖୋଲିଥିଲା । ଅତଏବ, ହତ୍ୟାକାଣ୍ଡ ସମୟରେ ସେ ଶୋଇପଡ଼ିଛି ।’

 

: ‘ମୃତ୍ୟୁ ସମୟ ଓ ବାଟରେ ବସ୍ ଅଟକିବା ସମୟ କ’ଣ ଏକା ?'

 

: ‘ନା । ବାଟରେ ବସ୍ ଅଟକିବାବେଳେ ସାଢ଼େ ଚାରିଟା ହୋଇଥିଲା । କାରଣ ସେତେବେଳେ ଗାଡ଼ି ଅଟକିବାରୁ ଅନେକ ଢୋଳଭାଙ୍ଗି ଘଣ୍ଟା ଦେଖିଥିଲେ । ଆପଣ ବୁଝିନେଇ ପାରନ୍ତି । ଅତଏବ, ହେଲ୍‍ପର୍ ଶୋଇପଡ଼ି ସାଢ଼େ ଚାରିଟାବେଳେ ଉଠିବାବେଳକୁ ଡକ୍ଟର ଦାଶଙ୍କ କାମ ସରି ଯାଇଥିଲା ।’

 

ରଣଜିତ୍ ପାତ୍ର ସବୁ ଶୁଣିଲେ, କିଛି କହିଲେ ନାହିଁ । ତାଙ୍କ ନୀରବତାର ସୁଯୋଗ ନେଇ ରଣେନ୍ ପଚାରିଲା, ‘ଆଚ୍ଛା–ଇଞ୍ଜେକ୍‍ସନ୍ ଶରୀରର କେଉଁ ଅଂଶରେ ଦିଆଯାଇଥିଲା ? ସେକଥା କିଛି ଉଲ୍ଲେଖ ଅଛି କି ?'

 

ରଣଜିତ୍ ପାତ୍ର ଟିକେ ଭାବି କହିଲେ, ‘ବାମ ଜଙ୍ଘର ଟିକେ ପଛକୁ ।’

 

: ‘ତେବେ ତ ହେଲ୍‍ପର୍ ପୂରା ନିର୍ଦ୍ଦୋଷ : ସେ କ’ଣ ଡକ୍ଟର ନାୟକ–ଡକ୍ଟର ଓଝାଙ୍କ କାନ୍ଧ ଉପର ବାଟେ ହାତ ଆଣି ଇଞ୍ଜେକ୍‍ସନ୍ ଦେଲା, କେହି ଜାଣିପାରିଲେ ନାହିଁ ? ତା'ଛଡ଼ା ଇଞ୍ଜେକ୍‍ସନ୍ ଦେବାକୁ କିଛି ସମୟ ଲାଗିବ । ସେତକ ସମୟ ସେ ଡକ୍ଟର ଦାଶଙ୍କ ସିଟ୍‍ରେ ନଇଁ ପଡ଼ିଥିବ–ଏକଥା କ’ଣ ସଙ୍ଗୀତା, ମିନତି ବା ମମତା ବହିଦାର ଅଥବା ମୋର, ୟା’ର ବା ବିକ୍ରମ ଭଟ୍ଟର ବା ଆଉ କାହାର ଦୃଷ୍ଟି ଆକର୍ଷଣ କଲା ନାହିଁ ? ନା–ହେଲ୍‍ପର୍ ନିର୍ଦ୍ଦୋଷ ।’

 

: ‘ତେବେ ଆପଣଙ୍କ ସନ୍ଦେହ ତାଲିକାରୁ ଜଣେ କମିଲା ? ରଣଜିତ୍ ପାତ୍ର ଏମିତି କହିଲେ, ସତେ ଅବା ରଣେନ୍‍ର ବିଶ୍ଳେଷଣରେ ସେ ଆଦୌ ମୁଗ୍ଧ ବା ଚକିତ ହୋଇନାହାନ୍ତି !!

 

: ‘କିନ୍ତୁ ସାର୍, ସେଇଟା ମୋ ଲକ୍ଷ୍ୟ ନୁହେଁ; ରଣେନ୍ ହସି ହସି କହିଲା, ‘ଏବେ ମୋ କାମ ହେଲା ମୋ ନିଜ ଉପରୁ ଆପଣଙ୍କ ସନ୍ଦେହ ଦୂରେଇବା । ତା'ପରେ ଅବା ଆପଣ ମୋ କଥାରେ ଶତକଡ଼ା ଶହେ ଭାଗ ବିଶ୍ୱାସ କରିବେ ।’

 

ରଣେନ୍ ଯେ ଜାଣିପାରିଥିଲା ଯେ ରଣଜିତ୍ ପାତ୍ର ତାକୁ ତଥାପି ସନ୍ଦେହ କରୁଥିଲେ ବୋଲି, ଏକଥା ଜାଣି ରଣଜିତ୍ ପାତ୍ରଙ୍କ ପରି ପ୍ରତିକ୍ରିୟା ଦେଖାଉ ନଥିବା ଲୋକଟିର ମୁହଁରେ ଅପ୍ରତିଭତାର ଭାବ ସ୍ପଷ୍ଟ ଦେଖିହେଲା । ସେ କିନ୍ତୁ କିଛି କହିଲେ ନାହିଁ ।

 

: ‘ଦେଖନ୍ତୁ ସାର୍,’ ଯେଉଁ ଦୀର୍ଘ କଥାଟା ସକାଶେ ରଣଜିତ୍ ପାତ୍ରଙ୍କ ମନରୁ ରଣେନ୍ ପ୍ରତି ସନ୍ଦେହ ଦୂର ହୋଇ ବିଶ୍ୱାସ ଆସିଥିଲା, ସେଇ କଥା ଆରମ୍ଭ କରି ରଣେନ୍ କହିଲା, ‘ମୁଁ ଆପଣଙ୍କୁ ଏବେ ସବୁକଥା ମୂଳରୁ କହିବି । ଅବଶ୍ୟ ଆପଣଙ୍କୁ ସାହାଯ୍ୟ ନ କଲେବି ଅନ୍ତତଃ ଆପଣଙ୍କ ସନ୍ଦେହ ଦୂର କରିବା ଲକ୍ଷ୍ୟ ନେଇ ମୁଁ ଏକଥା କହୁଛି । ଆମେ ଜାଣୁ ଯେ, ଏଇଟା ହତ୍ୟାକାଣ୍ଡ ଏବଂ ମୃତ୍ୟୁ ସମୟ ସାଢ଼େ ତିନିରୁ ଚାରିଟା ପନ୍ଦର ତଥା ଇଞ୍ଜେକ୍‍ସନ୍‍ଦ୍ୱାରା ବିଷ ପ୍ରୟୋଗ କରାଯାଇଛି । ପୁଣି ଇଞ୍ଜେକ୍‍ସନ୍ ବାମ ଜଙ୍ଘର ଟିକେ ଉପରକୁ ଦିଆଯାଇଛି । ତେବେ ବର୍ତ୍ତମାନ ସଙ୍ଗୀତା ରଥ, ମିନତି ମହାପାତ୍ର ଓ ମମତା ବହିଦାରଙ୍କୁ ବାଦ ଦିଆଯାଇପାରେ । କାରଣ ସେମାନେ ଆଗ ସିଟ୍‍ରୁ ଆସି ବା ଆଗ ସିଟ୍‌ରେ ଥାଇ ଡକ୍ଟର ଦାଶଙ୍କ ବାମ ଜଙ୍ଘରେ ଇଞ୍ଜେକ୍‍ସନ୍ ଦେବା ଅସମ୍ଭବ । ତେବେ ରହିଲେ ଡକ୍ଟର ଓଝା, ଡକ୍ଟର ନାୟକ, ମୁଁ ବିକ୍ରମ ଭଟ୍ଟ ଏବଂ ମୋର ଏଇ ରୁମ୍‍ମେଟ୍ । ଆମ ଭିତରୁ ଯେ କେହି ଇଞ୍ଜେକ୍‍ସନ୍ ଦେଇଥାଇପାରେ ଏବଂ ସିରିଞ୍ଜ୍ ତଥା ବିଷ ଶିଶିକୁ ବସ୍‌ର ଝର୍କା ବାଟେ ବାହାରକୁ ଫୋପାଡ଼ି ଥାଇପାରେ; ସେପରି ସ୍ଥଳେ ସେସବୁ ଜିନିଷ ମିଳିବା ଅସମ୍ଭବ, କାରଣ କେଉଁଠି କିଏ ସେଗୁଡ଼ିକ ଫୋପାଡ଼ିଛି, ସେକଥା ଜାଣିବା ଦୁଃସାଧ୍ୟ । ଏହାବି ସମ୍ଭବ, ପ୍ରଥମଥର ବସ୍ ଅଟକିବାବେଳେ ଯେଉଁମାନେ ଓହ୍ଲାଇଥିଲେ, ସେମାନେ ସେଠି ସିରିଞ୍ଜ୍ ଓ ଶିଶି ଫିଙ୍ଗି ଥାଇପାରନ୍ତି । ତାହାହେଲେ କେବଳ ଦୁଇଜଣଙ୍କୁ ସନ୍ଦେହ କରାଯିବ–ଡକ୍ଟର ନାୟକ ଏବଂ ଡକ୍ଟର ଓଝା, କାରଣ ବିକ୍ରମ ଭଟ୍ଟ ବା ମୁଁ ବା ଇଏ କେହି ଓହ୍ଲାଇ ନଥିଲୁ ଏବଂ ଅନ୍ୟ ଯେଉଁମାନେ ଓହ୍ଲାଇଥିଲେ ସେମାନେ ଡକ୍ଟର ଦାଶଙ୍କୁ ଇଞ୍ଜେକ୍‍ସନ୍ ଦେବାପରି ସ୍ଥାନରେ ନଥିଲେ, ସେ ସୁଯୋଗ ସେମାନଙ୍କର ନଥିଲା । ଶେଷୋକ୍ତ ସମ୍ଭାବନାଟି ହେଲା, ଆମ ପାଞ୍ଚଜଣଙ୍କ ଭିତରୁ କେହି ସିରିଞ୍ଜ୍ ଓ ଶିଶିକୁ ପିକ୍‌ନିକ୍ ସ୍ପଟ୍‍ରେ ଓହ୍ଲାଇଲା ପରେ ଫିଙ୍ଗି ଥାଇପାରେ । ସୁତରାଂ, ଆମ ପାଞ୍ଚଜଣଙ୍କ ଭିତରେ ହତ୍ୟାକାରୀ ଅଛି–ଆପଣଙ୍କ କର୍ତ୍ତବ୍ୟ ହେଲା ଖୋଜି ବାହାର କରିବା ।’

 

: ‘କିନ୍ତୁ ଆପଣଙ୍କ ଉପରୁ ସନ୍ଦେହ ଦୂର ହେଲା କେମିତି ?' ରଣଜିତ୍ ପାତ୍ର ହସି ହସି ପଚାରିଲେ ।

 

ଏଇଟାହିଁ ଥିଲା ତାଙ୍କର ଅନ୍ୟାନ୍ୟ ତଥାକଥିତ ପୋଲିସ୍‍ବାଲାଙ୍କ ଭିତରେ ପାର୍ଥକ୍ୟ । ସୁଯୋଗ ପାଇଲେ ସେ ମଜା କରିବାକୁ ପଛାଉ ନଥିଲେ ଏବଂ ତାଙ୍କ ବ୍ୟକ୍ତିତ୍ଵର ଏଇ ଦିଗଟିହିଁ ତାଙ୍କୁ ତଦନ୍ତରେ ବେଶ୍ ସାହାଯ୍ୟ କରୁଥିଲା । ସେ ଅସୀମ ଧୈର୍ଯ୍ୟ ସହ ଅନ୍ୟର ସବୁକଥା ଶୁଣୁଥିଲେ ଏବଂ ଅନ୍ୟକୁ କହିବାକୁ ସୁଯୋଗ ଦେଉଥିଲେ । କାଳେ କିଏ କହିବାରେ ସଂକୋଚ କରିବ, ସେଥିପାଇଁ ସେ ଏମିତି ବ୍ୟବହାର ଦେଖାଉଥିଲେ ଯେ ଜଣେ ଅଳ୍ପ ସମୟରେ ଭୁଲିଯାଏ ଯେ ସେ ଜଣେ ପୋଖତ କ୍ରାଇମ୍‌ବ୍ରାଞ୍ଚ୍ ଇନିସ୍‌ପେକ୍ଟର ବୋଲି ।

: ‘ନା, ମୋ ଉପରୁ ସନ୍ଦେହ ଯାଇ ନଥିବ, ମୁଁ ଜାଣେ । କିନ୍ତୁ ମୁଁ କହୁଛି–ରଣେନ୍ ହସିହସି ତାଙ୍କୁ ଉତ୍ତରଦେଲା । ତା’ପରେ ରଣେନ୍ କିଛି ଚିନ୍ତା କରୁଥିବା ଦେଖି ରଣଜିତ୍ ପାତ୍ର କହିଲେ, ମୁଁ ଜାଣେ ଏଇ ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ବା ଏକାଧିକ ବ୍ୟକ୍ତି ହତ୍ୟାକାଣ୍ଡ ସହ ସଂଶ୍ଳିଷ୍ଟ । ସେଥିପାଇଁ ଏଇ ପାଞ୍ଚ ଜଣଙ୍କ ନାମ ପୋଲିସ୍‌କୁ ପୂର୍ବରୁ ଜଣାଇ ଦିଆଯାଇଛି । କେବଳ ପ୍ରମାଣପାଇଁ ଅପେକ୍ଷା । ତେଣୁ ଆପଣଙ୍କ ଉପରୁ ସନ୍ଦେହ ଦୂର ହେବାଟା ସହଜ କଥା ନୁହେଁ । ଡକ୍ଟର ନାୟକ ଏକାକୀ ବା ଡକ୍ଟର ଓଝା ଏକାକୀ ଅଥବା ଉଭୟେ ମିଶି ହତ୍ୟାକାଣ୍ଡ କରି ସିରିଞ୍ଜ୍ ଓ ଶିଶିକୁ ଝରକା ବାଟେ ଫୋପାଡ଼ିଥିବା ଯେମିତି ସମ୍ଭବ, ଆପଣ ତିନି ବନ୍ଧୁଙ୍କ ଭିତରୁ କେହି ଜଣେ ବା ଦି’ଜଣ ବା ତିନିଜଣଯାକ ମିଶି ହତ୍ୟା କରିବା ପରେ ସିରିଞ୍ଜ୍ ଓ ଶିଶିକୁ ଝରକାବାଟେ ଫୋପାଡ଼ିବା ମଧ୍ୟ ସିମିତି ସମ୍ଭବ !

ତେବେ...

ଇନିସ୍‌ପେକ୍ଟର ଖୁବ୍ କଠୋର, ଧୂର୍ତ୍ତ ଏବଂ ରଣେନ୍‍କୁ ଖସି ଯିବାକୁ ଛାଡ଼ି ଦେଉ ନାହାନ୍ତିର ଭାବ ଦେଖାଇ କହୁଥିଲେ; ସେ ଅଚାନକ ରହିବାମାତ୍ରେ ରଣେନ୍ କହିଲା, ‘କିନ୍ତୁ ଆମେ ପାଞ୍ଚଜଣଯାକ ମିଶି ହତ୍ୟାକାଣ୍ଡ କରିଛୁ ବୋଲି ଭାବୁ ନାହାନ୍ତି ତ ? ତେବେ ଏମିତି ମଧ୍ୟ ଭାବିବା ଉଚିତ ଯେ, ସାରା ବସ୍‍ରେ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସମ୍ପୃକ୍ତ, ନା କ’ଣ ?’

: ‘ଓହୋ–ରାଗନ୍ତୁ ନାହିଁ ରଣେନ୍‍ବାବୁ’ ରଣଜିତ୍ ପାତ୍ର ପୁନର୍ବାର ନିଜର ହସ ମାଧ୍ୟମରେ ପରିସ୍ଥିତିକୁ ସହଜ କରିବାକୁ ଚେଷ୍ଟା କଲେ, ‘ମୋ କଥା ନସରୁଣୁ ଆପଣ ଏମିତି ରାଗିବା ଅନୁଚିତ-। ମୁଁ କହୁଥିଲି ଯେ, ତେବେ ଆପଣଙ୍କ ଉପରେ ଅନ୍ୟମାନଙ୍କ ଅପେକ୍ଷା ମୋର ସନ୍ଦେହଟା ଟିକେ କମ୍ । କେମିତିଭାବେ ଆପଣ ପ୍ରଥମେ ପୋଲିସ୍‌କୁ ଡାକିବାପାଇଁ ଜୋର୍ ଦେଇଥିଲେ ସେକଥା ମୁଁ ଜାଣେ । କେମିତିଭାବେ ଆପଣ ପ୍ରଥମେ ମୃତ୍ୟୁକୁ ସନ୍ଦେହ କରିଥିଲେ, ସେକଥା ମୁଁ ଜାଣେ-। ଇନିସ୍‌ପେକ୍ଟର ରାମକିଙ୍କର ମହାନ୍ତି ମତେ ସବୁ କହିଛନ୍ତି । ହତ୍ୟାକାରୀ ନିଜେ ଏତେଟା କାମ କରିବ ନାହିଁ । ତଥାପି ଯେତେବେଳେ ଇନିସ୍‌ପେକ୍ଟର ମହାନ୍ତି ପ୍ରତ୍ୟେକଙ୍କୁ ସର୍ଚ୍ଚ କରିବା କଥା କହିଥିଲେ, ଆପଣ ନାହିଁ କରିଥିଲେ କାହିଁକି ?'

: ‘ସେଥିପାଇଁ ମତେ ସନ୍ଦେହ କରାଗଲେ କିଛି ଅସୁବିଧା ନାହିଁ, ରଣେନ୍ ଟିକେ ଶ୍ଳେଷମିଶା ସ୍ଵରରେ କହିଲା, ‘କିନ୍ତୁ ସେଥିପାଇଁ ଯଦି ଇନିସ୍‌ପେକ୍ଟର ମହାନ୍ତିଙ୍କର ଚାକିରିରେ କିଛି ଆଞ୍ଚ ଆସିଥାଏ, ତେବେ ତାଙ୍କୁ ସର୍ଚ୍ଚ ନ କରିବାପାଇଁ କହିଥିବାରୁ ମୁଁ ଅନୁତପ୍ତ । କଥାହେଲା, ପ୍ରଥମରେ ସର୍ଚ୍ଚ କରିଥିଲେ ବିଳମ୍ବ ହୋଇଥାନ୍ତା । ଦ୍ୱିତୀୟରେ, ସେତେବେଳେ ମତେ ଆଉ ଏତେ କଥା ତ ଜଣା ନଥିଲା । ମୁଁ ଖାଲି ମୃତ୍ୟୁଟା ଅସ୍ୱାଭାବିକ ବୋଲି ଜାଣିଥିଲି । ହତ୍ୟା ହୋଇଥିବ ବୋଲି ସନ୍ଦେହ କରି ପୋଲିସ୍ ଡକାଇଥିଲି । ମୁଁ ଖୁସି ଯେ ସତରେ ସେଇଟା ହତ୍ୟାକାଣ୍ଡ । ଆଉ ମହାନ୍ତିବାବୁଙ୍କୁ ସର୍ଚ୍ଚ କରିବାକୁ ମନା କରିବାର କାରଣ ଥିଲା ଯେ, ଯଦି କେହି ହତ୍ୟା କରିଥାଏ, ତେବେ ପ୍ରମାଣ ଯୋଗାଇବା ପରି ପଦାର୍ଥକୁ ସେଇ ବନ–ଝରଣାରେ ବା ଜଙ୍ଗଲରେ କୋଉଠି ଫୋପାଡ଼ି ବା ନଷ୍ଟ କରିସାରିବଣି । ମୋର ଦୁର୍ଭାଗ୍ୟ ଯେ ସେକଥାଟା ମହାନ୍ତିବାବୁଙ୍କ ମନକୁ ପାଇଲା ଏବଂ ତାଙ୍କର ଦୁର୍ଭାଗ୍ୟ ଯେ ସେ ସର୍ଚ୍ଚ କରିବାକୁ ଉଚିତ ମନେ କଲେ ନାହିଁ ।’ ରଣେନ୍ ନୀରବ ହେଲା ।

: ଯଦିବା କେହି ଝରକାବାଟେ...' ରଣଜିତ୍ ପାତ୍ରଙ୍କ କଥାରେ ବାଧାଦେଇ ରଣେନ୍ ପଚାରିଲା, ‘ଆଚ୍ଛା ସାର୍–ଯଦି କୌଣସି ନିଦରେ ଶୋଇଥିବା ଲୋକକୁ ଇଞ୍ଜେକ୍‍ସନ୍ ଦିଆଯାଏ, ସେ କ’ଣ ଜାଣିପାରିବ ନାହିଁ ?’

 

ରଣଜିତ୍ ପାତ୍ର ଯେ ପ୍ରଶ୍ନଟି ଶୁଣି ସ୍ତବ୍ଧ ହୋଇଯାଇଥିଲେ, ସେକଥା ମୋର ଏବେବି ମନେ ଅଛି, ସେ କିଛିକ୍ଷଣ ରଣେନ୍‍କୁ ସ୍ଥିରଦୃଷ୍ଟିରେ ଚାହିଁଲେ ଏବଂ କହିଲେ, ଏତେବେଳ ଯାଏଁ ଭିତରେ ଭିତରେ ମୁଁ ଭାବୁଛି ଆପଣ ସେଇ ପ୍ରଶ୍ନଟି କଥା ବା ଘଟଣାର ସେଇଦିଗଟି କଥା ଉଠାଇ ନାହାନ୍ତି କାହିଁକି ? ଏବେ ମୁଁ ବୁଝୁଛି, ଇନିସ୍‌ପେକ୍ଟର ମହାନ୍ତି କାହିଁକି ଆପଣଙ୍କର ପ୍ରଶଂସା କରୁଥିଲେ । ୟୁ ଆର୍ ଡେଷ୍ଟିନ୍‍ଡ଼୍ ଟୁ ବି ଗ୍ରେଟ୍ ୟଙ୍ଗମ୍ୟାନ୍–ତୁମେ ବଡ଼ ହେବ ଜୀବନରେ ।’

ପ୍ରଥମଥର ରଣଜିତ୍ ପାତ୍ର ରଣେନ୍‍କୁ ତୁମେ ବୋଲି ସମ୍ବୋଧନ କଲେ ! ଟିକେପରେ ପୁଣି କହିଲେ, ‘ଭିତରେ ଭିତରେ ଆଉ ଏକ କଥାବି ଭାବୁଚି–ତୁମେ ତୁମ ତରଫରୁ ସେଇଟି କହି ନାହଁ କାହିଁକି ? ଡାଇରେକ୍ଟ ପ୍ରଶ୍ନ ପଚାରି କଥା ଆଦାୟ କରିବା ମୋ ଲକ୍ଷ୍ୟ ନୁହେଁ, କଥାବାର୍ତ୍ତା ଛଳରେ ତୁମ ମୁହଁରୁ ଆଦାୟ କରିବା ମୋ ଲକ୍ଷ୍ୟ । କିନ୍ତୁ କଥାଟି ତୁମେ ଏଯାଏଁ କହିନାହଁ ।'

ରଣେନ୍ ପ୍ରାୟ ପାଞ୍ଚ ମିନିଟ୍ ନୀରବରେ ବସିଲା, ରଣଜିତ୍ ପାତ୍ରବି ନୀରବରେ ବସିଥାନ୍ତି-। ତା'ପରେ ରଣେନ୍ କହିଲା, ‘କିନ୍ତୁ ଆପଣ ମତେ ବିଶ୍ୱାସ ନକରି ପାରନ୍ତି ବୋଲି କହିନାହିଁ-। ମୋ ସନ୍ଦେହ ତାଲିକାରେ ମୁଁ ନାଇଁ, ତେଣୁ ଅନ୍ୟ ଚାରିଜଣଙ୍କ କଥା ଭାବିଛି । ଆପଣ ତାଙ୍କୁ ପଚାରିଥିବେ, ସେମାନେ ନିଶ୍ଚେ ଭିନ୍ନ ଉତ୍ତର ଦେଇଥିବେ, ତେବେ ମୁଁ ସତ କହିଥିଲେବି ଆପଣଙ୍କ ସନ୍ଦେହ ତାଲିକାରେ ଥିବାରୁ ସେଇଟା ଆପଣଙ୍କୁ ମିଛ ବୋଲି ଲାଗିଥାନ୍ତା ।'

: ‘କିନ୍ତୁ କୋଉକଥା ମୁଁ କହୁଛି, ଜାଣିପାରୁଚ ?’

: ‘ଯେତେଦୂର ସମ୍ଭବ', ରଣେନ୍ କହିଲା, ‘ଆପଣ ଜାଣିବାକୁ ଚାହାନ୍ତି ଯେ, ସେଦିନ ରାତିରେ ଆମ ସିଟ୍ ଓ ଡକ୍ଟର ଦାଶଙ୍କ ସିଟ୍‌ର ଝରକା ସାଢ଼େ ତିନିଟାରୁ ସାଢ଼େ ଚାରିଟା ଭିତରେ ଖୋଲା ଯାଇଥିଲା କି ନାହିଁ । ନୁହେଁ ?' ଉତ୍ତର ଦେବା ପରିବର୍ତ୍ତେ ରଣଜିତ୍ ପାତ୍ର ଉଠିଯାଇ ରଣେନ୍‍କୁ କୁଣ୍ଢାଇ ପକାଇଲେ । ମୁଁ ପୂରା କାବାକାଠ ହୋଇ ଯାଇଥାଏ । ସେଇ ଆଲିଙ୍ଗନଦ୍ଵାରା ଆରମ୍ଭ ହୋଇଥିବା ସମ୍ପର୍କ ଯେ ଭବିଷ୍ୟତରେ ଏତେ ଗଭୀର ହୋଇଯିବ; ଏକଥା ସେଦିନ ମୁଁ କ’ଣ, ସେମାନେବି କେବେ ଭାବି ନଥିବେ ।

: ‘ଝରକା ଖୋଲାଯାଇଥିଲା ?' ରଣଜିତ୍ ପାତ୍ର ପଚାରିଲେ ।

: ‘ନା ।’ ରଣେନ୍ ସଂକ୍ଷିପ୍ତ ଉତ୍ତର ଦେଲା ।

: ‘କିନ୍ତୁ କେମିତି ଜାଣିଲ ଯେ ଅନ୍ୟମାନେ ଭିନ୍ନ ଭିନ୍ନ ଉତ୍ତର ଦେଇଥିବେ ବୋଲି ?’

: ଯିଏ ହତ୍ୟା କରି ନଥିବ, ସିଏ ଅଯଥାରେ ପୋଲିସ୍ ଝାମେଲାରେ ପଶିବାକୁ ଚାହିଁ ନଥିବ, ତେଣୁ କହିଥିବ, ‘ମୋର ଖିଆଲ ନାହିଁ ।’ ଯିଏ ହତ୍ୟା କରିଥିବ, ସିଏ ନା ବୋଲି କହିଥିବ ବା କହିଥିବ, ‘ବୋଧେ ଡକ୍ଟର ଦାଶ ଖୋଲିଥିଲେ ଏବଂ ବିକ୍ରମ ଭଟ୍ଟ ଶୋଇପଡ଼ିଥିଲା, ସେ କହିଥିବ, ‘ମୁଁ ଶୋଇଥିଲି ଆଜ୍ଞା ।’ ଏମିତିଭାବେ ବା ଏଇଆକୁ ଏପଟ ସେପଟ କରି କିଏ କେମିତି କହିଥିବେ ।’

: ‘ତେବେ ଝରକା ଖୋଲାଯାଇ ନଥିଲା ?’

: ‘ସେ ନେଇ ଆପଣ ନିଶ୍ଚିତ ରହନ୍ତୁ ।’ ରଣେନ୍ କହିଲା, ‘ଆପଣ ଅନ୍ୟମାନଙ୍କୁ ଗୋଟେ କଥା ମନେ ପକାଇ ଦିଅନ୍ତୁ, ସେମାନଙ୍କର ଓ ସଙ୍ଗୀତା, ମିନତି ଓ ମମତା ବହିଦାରଙ୍କରବି ସ୍ମରଣ ହୋଇଯିବ ଯେ ଝରକା ଖୋଲାଯାଇ ନଥିଲା ସେଦିନ ରାତିରେ ।’

 

: ‘କ’ଣ ?’

 

: ‘ଏଇଆ ଯେ, ଡକ୍ଟର ଦାଶ ବସ୍‍କୁ ଉଠିବା ପରେ ମମତା ବହିଦାରଙ୍କୁ କହିଥିଲେ ରାତିରେ ଝରକା ଖୋଲା ନ ରଖିବାପାଇଁ । ଡକ୍ଟର ଦାଶ ଆମ ସିଟ୍ ଆଡ଼େ ମୁହଁ ବୁଲାଇ ମଧ୍ୟ ସେକଥା କହିଥିଲେ ଏବଂ ଏଇଟା ନିଶ୍ଚିତ ଯେ ଡକ୍ଟର ଓଝା ଓ ଡକ୍ଟର ନାୟକ ସେ ସମ୍ପର୍କରେ ନିଶ୍ଚିତ ସଚେତନ ଥିବେ, ତେଣୁ ଆପଣ ପ୍ରତ୍ୟେକଙ୍କୁ ଭେଟି କୁହନ୍ତୁ ଯେ ଡକ୍ଟର ଦାଶ ଝରକା ନ ଖୋଲିବାକୁ କହିଥିବା କଥାର ଅନେକ ସାକ୍ଷୀ ଅଛନ୍ତି ।’

 

: ‘ହୁଁ–ତେବେ ମୁଁ ଆସୁଚି । ତମକୁ ବହୁତ ଧନ୍ୟବାଦ । ଦୁଇ ତିନି ଦିନ ଭିତରେ ପୁଣି ଦେଖାହେବ ।’

 

ରଣଜିତ୍ ପାତ୍ର ଉଠିଲେ । ରଣେନ୍‍ବି ଉଠି ଠିଆହେଲା, କହିଲା, ‘ସାର୍, ଆରଥରକୁ କେତେଟା କଥା ନିଶ୍ଚେ ବୁଝି ଆସିବେ । ଏଇ ଝରକା ଖୋଲା ନେଇ ପ୍ରତ୍ୟେକର ମତଟା ଟିପି ନେବେ, ଡକ୍ଟର ଦାଶଙ୍କ ଚଦର ଉପରୁ ଯେଉଁ ମଲାମାଛି ମିଳିଥିଲେ, ସେମାନଙ୍କଠାରେ କେଉଁ ବିଷର ପ୍ରଭାବ ରହିଛି ।’

 

: ‘ଫୋରେନ୍‍ସିକ୍ ତରଫରୁ ମାଛିଗୁଡ଼ାକୁ ଜଣେ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି, ସେ ରିପୋର୍ଟ ଆସିଛି କି ନା, ମୁଁ ଜାଣିନି, ବୁଝି ଆସିବି ତେବେ; କିନ୍ତୁ ସେଇଟା କିଛି ଆମର କାମରେ ଆସିବ କି ? ମୁଁ ତ ଭାବୁନି କିଛି ଦରକାରରେ ଆସିବ ।'

 

: ‘ଆସିପାରେ, ଦେଖାଯାଉ’, ରଣେନ୍ ଚିନ୍ତା କରି କହିଲା, ‘ଆଚ୍ଛା–ଡକ୍ଟର । ଦାଶଙ୍କଠାରୁ କିଛି ସନ୍ଦେହ କରିବା ପରି ଜିନିଷ ମିଳିଥିଲା କି ?'

 

: ‘ନା–ସେମିତି କିଛି ମିଳିନାହିଁ ।’ ରଣଜିତ୍ ପାତ୍ର କହିଲେ ।

 

: ‘ମାନେ ତାଙ୍କ ପାଖରୁ କିଛି ଖାଦ୍ୟଦ୍ରବ୍ୟ ବା କିଛି ପଦାର୍ଥର ସୂଚନା ମିଳିନାହିଁ ?’

 

: 'ସେକଥା ମୁଁ ବୁଝିନି’, ରଣଜିତ୍ ପାତ୍ର ଦରଜା ଖୋଲୁ ଖୋଲୁ କହିଲେ, ‘ତେବେ ବୁଝି ଆସିବି ।'

 

: ‘ଯେଉଁ ଡାକ୍ତର ପୋଷ୍ଟ୍‍ମର୍ଟମ୍ କରିଥିଲେ, ତାଙ୍କୁବି ଟିକେ ସାକ୍ଷାତ କରିବେ ।’

 

ବାସ୍–ରଣଜିତ୍ ପାତ୍ର ସେଦିନ ଆମଠାରୁ ବିଦାୟ ନେଲେ ।

 

(ଆଠ)

 

ତିନି ଦିନ ପରେ କହିଥିଲେ ମଧ୍ୟ ରଣଜିତ୍ ପାତ୍ରଙ୍କ ସହ ପୁନର୍ବାର ସାକ୍ଷାତ୍ ହେଲା ପାଞ୍ଚ ଦିନ ପରେ, କିନ୍ତୁ ହଷ୍ଟେଲ୍‍ରେ ନୁହେଁ, ଥାନାରେ । ଆମକୁ ଥାନାରୁ ଡକରା ଆସିଥିଲା । ସେ ଥାନାରେ ଥିଲେ । ଏକା ରଣେନ୍‍କୁ ଡକରା ଆସିଥିଲା, ମୋତେ ନୁହେଁ । କିନ୍ତୁ ରଣେନ୍ କଥାରେ ମୁଁ ଯାଇଥିଲି ଏବଂ ରଣେନ୍ ସହ ମତେ ଦେଖି ରଣଜିତ୍ ପାତ୍ର ଅସନ୍ତୁଷ୍ଟ ହୋଇଥିଲେ, କିନ୍ତୁ କିଛି କହି ନଥିଲେ । ଅବଶ୍ୟ ନ କହିବାର କାରଣଟା ମୁଁ ଶେଷରେ ଜାଣିଥିଲି ।

 

: ‘ଝରକା ଖୋଲାଯିବା–ନ ଯିବା ନେଇ ମୁଁ ସମସ୍ତଙ୍କୁ ପଚାରିଲି’, ରଣଜିତ୍ ପାତ୍ର ଆରମ୍ଭ କଲେ ।

 

: ‘ଅନ୍ୟମାନଙ୍କୁ ବାଦ୍ ଦିଅନ୍ତୁ; ସଙ୍ଗୀତା, ମିନତି, ମମତା ବହିଦାର, ଡକ୍ଟର ଓଝା ଓ ଡକ୍ଟର ନାୟକଙ୍କ କଥା କୁହନ୍ତୁ,’ ରଣେନ୍ କହିଲା ।

 

: ‘ସଙ୍ଗୀତା ରଥ କହିଲା ଯେ ଝରକା ଖୋଲା ଯାଇନି । ମିନତି ମହାପାତ୍ର ମଝିରେ ଶୋଇପଡ଼ିଥିବାରୁ ନିଶ୍ଚିତଭାବେ କିଛି କହିପାରିଲା ନାହିଁ । ମମତା ବହିଦାରଙ୍କ ଅନୁଯାୟୀ ଝରକା ଖୋଲାଯାଇନାହିଁ, ଡକ୍ଟର ଓଝା ସେଥିପ୍ରତି ବସ୍‍ରେ ଦୃଷ୍ଟି ଦେଇନାହାନ୍ତି ଏବଂ ଡକ୍ଟର ନାୟକଙ୍କ ମତରେ ଝରକା ଖୋଲା ଯାଇନି ।’ ରଣଜିତ୍ ପାତ୍ର ଜଣାଇଲେ ।

 

: ‘ଡକ୍ଟର ଦାଶଙ୍କ ପାଟିରୁ କିଛି...’ ରଣେନ୍ କହୁ କହୁ ତା’ କଥାରେ ବାଧାଦେଇ ରଣଜିତ୍ ପାତ୍ର କହିଲେ, ‘ହଁ ମିଳିଚି, କିନ୍ତୁ ସେଟା କାମରେ ଆସିବାର ସମ୍ଭାବନାହିଁ ନାହିଁ ।’

 

: ‘କ’ଣ ?' ରଣେନ୍ ଆଗ୍ରହରେ ପଚାରିଲା ।

 

: ‘ସେଇଟି ଗୋଟେ ଚକୋଲେଟ୍‍ର ଶେଷାଂଶ’, ରଣଜିତ୍ ପାତ୍ର କହିଲେ, ‘ବୋଧେ ଡକ୍ଟର ଦାଶ ଚକୋଲେଟ୍ ଖାଇବା ପରେ ପରେ ତାଙ୍କୁ ଇଞ୍ଜେକ୍‍ସନ୍ ଦିଆଯାଇଛି ।’

 

: ‘ତେବେ ଯେଉଁ ବିଷରେ ଡକ୍ଟର ଦାଶଙ୍କ ମୃତ୍ୟୁ ଘଟିଛି, ସେଇ ବିଷରେ କେବେ ତାଙ୍କ ନିକଟରେ ପଡ଼ିଥିବା ମାଛିଗୁଡ଼ାକର ମୃତ୍ୟୁ ହୋଇ ନଥିବ, ଆଚ୍ଛା ମାଛି ସମ୍ପର୍କରେ କିଛି ରିପୋର୍ଟ ପାଇଲେ ?’

 

ରଣେନ୍‍ର କଥାରେ ରଣଜିତ୍ ପାତ୍ରଙ୍କ ଆଖି ଉପରକୁ ଉଠିଗଲା, ସେ ବିସ୍ମୟରେ ଅଚାନକ କିଛି କହିପାରିଲେ ନାହିଁ । ରଣେନ୍‍ର ଉଚ୍ଚ କପାଳ ଏବଂ ତୀକ୍ଷ୍ମଦୃଷ୍ଟି ଉପରେ ତାଙ୍କ ଆଖି ନିବଦ୍ଧ ଥିଲା ।

 

: ‘ତୁମେ ଜାଣିଲ କେମିତି ?' ରଣଜିତ୍ ପାତ୍ର ଅପାର ବିସ୍ମୟରେ କାଠ ହୋଇଯାଇଥିଲେ ।

 

: ‘ମାଛିଗୁଡ଼ାକ ତେବେ ଖୁବ୍ କମ୍ ପାୱାରର ପଏଜନ୍‍ରେ ମରିଛନ୍ତି ?’

 

: ‘କିନ୍ତୁ ତୁମେ ଜାଣିଲ କେମିତି ?’

 

: ‘କଥାଟା ମତେ ନୁହେଁ, ଆପଣଙ୍କୁବି ଜଟିଳ ଚିନ୍ତାରେ ପକାଇ ଦେଇଥିଲା,’

 

ରଣେନ୍ କହିଲା, ‘ଯଦି ଜଣେ ଲୋକକୁ ଚେଇଁବା ଅବସ୍ଥାରେ ଇଞ୍ଜେକ୍‍ସନ୍ ଦିଆଯିବ, ସେ ଜାଣିପାରିବ କି ନାହିଁ ? ପୁଣି ଜଣେ ଲୋକକୁ ଯଦି ପତଳା ନିଦ ହୋଇଥିବ, ତେବେ ତାଙ୍କୁ ଇଞ୍ଜେକ୍‍ସନ୍ ଦେଲେ ସେ ଜାଣିପାରିବ କି ନାଇଁ ? ଏବଂ ଚଳନ୍ତା ବସ୍‍ରେ ଡକ୍ଟର ଦାଶଙ୍କୁ କଦାପି ଗାଢ଼ ନିଦ ହୋଇ ନଥିବ, ପୁଣି ସେ ଶ୍ୱାସରୋଗୀ । ଅତଏବ ତାଙ୍କୁ ଇଞ୍ଜେକ୍‍ସନ୍ ଦିଆଗଲେ ସେ ନିଶ୍ଚେ ଜାଣିପାରିଥାନ୍ତେ ଏବଂ ନିଶ୍ଚେ ଚିତ୍କାର କରିଥାନ୍ତେ । ସୁତରାଂ, ପରିଷ୍କାର ହୋଇଯାଉଛି ଯେ ଡକ୍ଟର ଦାଶଙ୍କୁ ଇଞ୍ଜେକ୍‍ସନ୍ ଦେବା ପୂର୍ବରୁ ଅନ୍ୟ କୌଣସି ଉପାୟରେ ବେହୋସ କରାଯାଇଥିଲା-। ତେବେ କେମିତି ? କେମିତି ସେ ନିଶାଗ୍ରସ୍ତ ବା ଅଚେତ ହେଲେ ? ଏପଟେ ଅନ୍ୟକଥା ଦେଖନ୍ତୁ-। ଯଦି ବିଷ ଶରୀରକୁ ପ୍ରବେଶ କରିବାର କେତୋଟି ମୁହୂର୍ତ୍ତ ଭିତରେ ମୃତ୍ୟୁ ନିଶ୍ଚିତ, ପୁଣି ବିଷକୁ ଡାଇରେକ୍ଟ ରକ୍ତରେ ଛଡ଼ା ଯାଇଛି, ତେବେ ପାଟିରୁ ଲାଳ ବାହାରିବା ସମ୍ଭବ କି ? ଏବଂ ପୋଲିସ୍ ରିପୋର୍ଟରେ ବିଷଟା ଅତି ଉତ୍କଟ ଓ ରକ୍ତରେ ମିଶାଯାଇଥିଲା ବୋଲି ଜଣାପଡ଼ିବା ପରେ ଏଇକଥା ମୋ ମନକୁ ଆସିଥିଲା । ଲାଳ କେମିତି ବାହାରିଲା ? ଏବଂ ଡକ୍ଟର ଦାଶ ନିଶାଗ୍ରସ୍ତ କେମିତି ହେଲେ ? ବହୁତ ଭାବିବା ପରେ ମୁଁ ସ୍ଥିର କଲି ଯେ, ତାଙ୍କ ନିକଟରେ ମରିପଡ଼ିଥିବା ମାଛିଙ୍କୁ ପରୀକ୍ଷା କଲେ ଜଣାପଡ଼ିପାରେ । ଯଦି ମାଛିଙ୍କ ବିଷରୁ ଡକ୍ଟର ଦାଶଙ୍କ ପ୍ରତି ପ୍ରୟୋଗ ହୋଇଥିବା ବିଷ ଭିନ୍ନ, ତେବେ ପ୍ରମାଣିତ ହେବ ଯେ, ପ୍ରକୃତ ଇଞ୍ଜେକ୍‍ସନ୍ ପୂର୍ବରୁ ଡକ୍ଟର ଦାଶକୁ ଅନ୍ୟ ଉପାୟରେ ଅଚେତ କରାଯାଇଥିଲା ବୋଲି । ପୁନଶ୍ଚ ଯଦି ଲାଳ ବାହାରିବା ଅସ୍ଵାଭାବିକ, ତେବେ ନିଶ୍ଚୟ ଡକ୍ଟର ଦାଶ ମୃତ୍ୟୁ ପୂର୍ବରୁ ଏପରି କିଛି ଖାଇଥିଲେ ବା ତାଙ୍କୁ ଖୁଆଇ ଦିଆଯାଇଥିଲା, ଯାହା ପାଟିରେ ପ୍ରଚୁର ଲାଳ ଜମାଏ ଯେମିତି ପାନ ବା ଚକୋଲେଟ୍ ଇତ୍ୟାଦି । ଏବଂ ଡକ୍ଟର ଦାଶଙ୍କ ମୃତ୍ୟୁପରେ ପାଟିର ଲାଳ ଗାଡ଼ିର ଧକଡ଼ଚକଡ଼ରେ ପାଟିରୁ ବାହାରି ଆସିଛି । ଏଇ ଚିନ୍ତାକୁ ଏକାଠି କରି ମୁଁ ଆପଣଙ୍କୁ ଡକ୍ଟର ଦାଶଙ୍କ ଶରୀରରୁ ବା ପାଟିରୁ କିଛି ବାହାରିଥିଲା କି ନାଇଁ ବୁଝିବାପାଇଁ ଏବଂ ମାଛିଙ୍କୁ ପରୀକ୍ଷା କରିବାପାଇଁ କହିଥିଲି । ଏବେ ସ୍ପଷ୍ଟ ହେଲା ଯେ, ଇଞ୍ଜେକ୍‍ସନ୍ ପୂର୍ବରୁ ତାଙ୍କୁ ଅନ୍ୟଭାବେ ଅଚେତ କରାଯାଇଥିଲା । ଆଚ୍ଛା–ଚକୋଲେଟ୍‍ର ସେଇ ଖଣ୍ଡଟା ଅଛି କି-?’

 

: ‘ନା ନାଇଁ–ଡାକ୍ତର ସେଇଟିକୁ ପାଟିରୁ କାଢ଼ି ଫିଙ୍ଗି ଦେଇଥିଲେ’, ରଣଜିତ୍ ପାତ୍ର କହିଲେ, ‘ତାଙ୍କର ଧାରଣା ନଥିଲା ଯେ, ସେଇଟାରେ କିଛି ଭୂମିକା ଅଛି । ଯା’ହେଉ, ବ୍ୟକ୍ତିଗତଭାବେ ପୋଷ୍ଟ୍‍ମର୍ଟମ୍ କରିଥିବା ଡାକ୍ତରଙ୍କୁ ସାକ୍ଷାତ କରି ସେକଥା ମୁଁ ଜାଣିଲି ।’

 

: ‘କି ମାଷ୍ଟର ପ୍ଲାନ୍ ।’ ରଣେନ୍ ସତେ ଅବା ନିଜକୁ ନିଜେ କହିଲା, ‘ପ୍ରଥମେ ଚକୋଲେଟ୍ ଉପରେ କୌଣସି ବିଷ ବା ନିଶାଜାଗ୍ରତକାରୀ ପଦାର୍ଥ ଦେଇ ଅଚେତ କରାଇଦିଆଗଲା, ତା’ପରେ ଇଞ୍ଜେକ୍‍ସନ୍ ଏବଂ ଶେଷରେ ଶିଶି ଓ ସିରିଞ୍ଜ୍‍କୁ କେଉଁଠି ଫିଙ୍ଗି ଦିଆଗଲା–ଆଃ । କି ସୁନ୍ଦର ଯୋଜନା ।’

 

ମୁଁ ନୀରବରେ ବସି ସବୁ ଶୁଣୁଥିଲି । ରଣେନ୍‍ର କଥାରେ ଉତ୍ସାହିତ ହୋଇ ମୁଁ ନିଜର ପ୍ରଖର ବୁଦ୍ଧି ଖଟାଇ କହିଲି, ‘କିନ୍ତୁ ହତ୍ୟାକାରୀ ତ ଡାଇରେକ୍ଟ ସେଇ ଚକୋଲେଟ୍‍ରେ ଉତ୍କଟ ବିଷ ମିଶାଇ ହତ୍ୟା କରିପାରିଥାନ୍ତା ।'

 

ରଣଜିତ୍ ପାତ୍ର ମୋ ଆଡ଼େ ମୁହଁ ବୁଲାଇଲେ, କିଛି କହିଲେ ନାହିଁ । କିନ୍ତୁ ରଣେନ୍ ହସିହସି କହିଲା, ‘ଡାଇରେକ୍ଟ କୌଣସି କ୍ୟାପ୍‍ସୁଲ ବା ଟାବ୍‍ଲେଟ୍ ଡକ୍ଟର ଦାଶଙ୍କୁ ଖୁଆଇ ଦିଆଯିବା ସମ୍ଭବ ନୁହେଁ । କୌଣସି ଖାଦ୍ୟଦ୍ଵାରା ଦେବାବି ସମ୍ଭବ ନୁହେଁ, କାରଣ ଡକ୍ଟର ଦାଶ ନିଜ ରୋଗପାଇଁ ବାହାରେ କିଛିହିଁ ସ୍ପର୍ଶ କରୁ ନଥିଲେ । ଏମିତିକି ନିଶା ଟାବ୍‍ଲେଟ୍ ମଧ୍ୟ ଖୁଆଇବା ସହଜ ନଥିବାରୁ ହତ୍ୟାକାରୀ ଡକ୍ଟର ଦାଶଙ୍କପାଇଁ ସୁନ୍ଦର ଉପାୟଟେ ବାଛିଥିଲା । ଚକୋଲେଟ୍‍ହିଁ ଠିକ୍ କାମ ଦେଇଛି ।’

: ‘କେମିତି ?'

: ‘ଯେତେଦୂର ସମ୍ଭବ’, ରଣେନ୍ ଟିକେ ଚିନ୍ତାକରି କହିଲା, ‘ହତ୍ୟାକାରୀ ଚକୋଲେଟ୍‍ର ଉପରିଭାଗରେ ନିଶାଦ୍ରବ୍ୟ ବୋଳି ରଖିଥିଲା ଏବଂ ସୁଯୋଗ ଦେଖି ତାକୁ ଡକ୍ଟର ଦାଶଙ୍କୁ ଖାଇବାକୁ ଦେଇଥିଲା, ପ୍ରଥମେ ପାଟିକୁ ଟିକେ ଖରାପ ଲାଗିଥିଲେବି ପରେ ଚକୋଲେଟ୍ ପାଟିକୁ ମିଠା ଲାଗିବାରୁ ଡକ୍ଟର ଦାଶଙ୍କର ସନ୍ଦେହ ହୋଇ ନଥିଲା, ତା’ପରେ ସେ ବେହୋସ ହୋଇ ପଡ଼ିଛନ୍ତି ଏବଂ ହତ୍ୟାକାରୀ ଇଞ୍ଜେକ୍‍ସନ୍ ଦେଇଛି ଏବଂ ତତ୍‌କ୍ଷଣାତ୍ ତାଙ୍କର ମୃତ୍ୟୁ ହେବାପରେ ଡକ୍ଟର ଦାଶଙ୍କ ପାଟିରେ ଚକୋଲେଟ୍‌ର କିଛି ଅଂଶ ରହିଯାଇଛି ।'

: ‘ଯେତେଦୂର ସମ୍ଭବ, ସେଇଆ ।’ ରଣଜିତ୍ ପାତ୍ର କହିଲେ, ‘କିନ୍ତୁ ତାଙ୍କୁ ଚକୋଲେଟ୍ କିଏ ଦେଲା ?’

: ‘ମୁଁ କେମିତି ଜାଣିବି, ଯେ କେହି ହୋଇପାରେ ।’ ରଣେନ୍ କହିଲା ।

ଘର ଭିତରେ ନୀରବତା ବିରାଜମାନ କଲା । ରଣଜିତ୍ ପାତ୍ର ଓ ରଣେନ୍ ଉଭୟେ । କିଛି ଗଭୀରଭାବରେ ଚିନ୍ତା କରୁଥିଲେ ।

ରଣଜିତ୍ ପାତ୍ର ନୀରବତା ଭଙ୍ଗ କଲେ।

: ‘ତେବେ କିଏ ଚକୋଲେଟ୍ ଦେଇଥିଲା ? ମୁଁ ତମକୁ ମୋ ସନ୍ଦେହ ପରିସରରୁ ବାଦ୍ ଦେଉଛି । ବାକି ରହିଲେ ଡକ୍ଟର ଓଝା, ଡକ୍ଟର ନାୟକ, ବିକ୍ରମ ଭଟ୍ଟ ଓ ଆପଣଙ୍କ ରୁମ୍‍ମେଟ୍–ଏମାନଙ୍କ ଭିତରୁହିଁ କେହି ଦେଇଛି ।’ ଶେଷ ଆଡ଼କୁ ତାଙ୍କ ସ୍ଵର ସ୍ଵଗତୋକ୍ତି କରିବା ପରି ଜଣାଗଲା-

: ‘ଦେଖନ୍ତୁ ସାର୍’, ରଣେନ୍ କହିଲା, ‘ଆପଣଙ୍କୁ ପୁଣି କେତୋଟି କାମ ଯଥାଶୀଘ୍ର କରିବାକୁ ପଡ଼ିବ । ସେ ଦିନ ପିକ୍‍ନିକ୍‍ରେ ଯାଇଥିବା ପ୍ରତିଟି ପିଲାକୁ, ହେଲ୍‌ପର୍‍କୁ, ଡ୍ରାଇଭରକୁ ଏକାକୀ ଭେଟି ବା ଡକାଇ କିଛି ଗପ୍‍ସପ୍ ଭିତରେ ବା ସିଧାସଳଖ କେତୋଟି ପ୍ରଶ୍ନ ପଚାରିବେ ତଥା ସେମାନଙ୍କର ଉତ୍ତର ନୋଟ୍ କରିବେ ଏବଂ ପ୍ରତିକ୍ରିୟା ଲକ୍ଷ୍ୟ କରିବେ । ଆମର । ଜାଣିବାର କଥାହେଲା; କେହି ନିଜେ ଚକୋଲେଟ୍ କିଣିଥିଲା କି ? ପ୍ରଶ୍ନଟି ବୁଲେଇ ଆପଣ ପଚାରିପାରନ୍ତି ଯେ କେତେଟା ଚକୋଲେଟ୍ କିଣିଥିଲ ? କି ଚକୋଲେଟ୍ ଓ କେଉଁଠୁଁ କିଣା ଯାଇଥିଲା ? ଏ ପ୍ରଶ୍ନ ସବୁ ଛଡ଼ା ଆଉ ଏକ ପ୍ରଶ୍ନ ହେଲା, ଜଣେ ଅନ୍ୟ କାହାକୁ ଚକୋଲେଟ୍ କିଣିଥିବାର ଦେଖିଥିଲା କି-? ଖାଇଥିବାର ଦେଖିଲା କି ? ବା କାହା ପାଖରେ ଚକୋଲେଟ୍ ଥିବାରୁ କେହି ଜାଣେ କି-? ଏମିତିଭାବେ ଆପଣ କଥାଟା ବୁଝିନେବେ । ମନେରଖନ୍ତୁ, ପ୍ରତ୍ୟେକଙ୍କୁ ଏକାକୀ ଅବସ୍ଥାରେ ପଚାରିବେ । ଏମିତି କଥାଛଳରେ ପଚାରିବେ, ଯେମିତି ଖାଲି ପିକ୍‍ନିକ୍ ମଜାକଥା ପଚାରୁ ପଚାରୁ ପଚାରିଛନ୍ତି, କେସ୍ ସହ ତା’ର କିଛି ସମ୍ପର୍କ ନାହିଁ । ତେବେ ବିକ୍ରମ ଭଟ୍ଟ, ଡକ୍ଟର ଓଝା ଓ ଡକ୍ଟର ନାୟକଙ୍କୁ ପଚାରିବାବେଳେ ସେମାନଙ୍କ ପ୍ରତିକ୍ରିୟା ଓ ଉତ୍ତରକୁ ବିଶେଷ ନଜର ଦେବେ-। ଆଉ ମୋ ରୁମ୍‍ମେଟ୍ ତ ଏଇଠି ଅଛି । ତାକୁ ଯଦି ଏକାକୀ କିଛି ପଚାରିବାର ଥାଏ, ଅନ୍ୟ ରୁମ୍‍କୁ ନେଇ ପଚାରି ପାରନ୍ତି ।’

: ‘ନା, ପରେ ବୁଝି ନେଇ ପାରିବି ।’ ରଣଜିତ୍ ପାତ୍ର ହସିଲେ ।

: ‘କିନ୍ତୁ ଦେଖନ୍ତୁ ସାର୍, ତା’ ପୂର୍ବରୁ ଆପଣଙ୍କୁ ଅନ୍ୟ ଏକ କାମ କରିବାକୁ ପଡ଼ିବ । ଆପଣ କୌଣସି ବିଭାଗୀୟ ଲୋକକୁ ଯେଉଁ ବସ୍‌ଷ୍ଟାଣ୍ଡରେ ସେଦିନ ରାତିରେ ଆମ ଗାଡ଼ି ଅଟକିଥିଲା, ସେଇ ବସ୍‌ଷ୍ଟାଣ୍ଡରେ ଚବିଶ ଘଣ୍ଟିଆ ପ୍ରହରାରେ ଜଗାଇ ଦିଅନ୍ତୁ । ସେ ଯେପରି ନିକଟସ୍ଥ ଚା’ ଦୋକାନ କେତେଟା ଉପରେ ନଜର ରଖେ । ଜଣେ ଲୋକ ତ ପାରିବ ନାଇଁ–ଅଧିକ କିଛି ଲୋକ ରଖାଇବେ । ତା’ ପୂର୍ବରୁ ସେମାନଙ୍କୁ ବିକ୍ରମ ଭଟ୍ଟକୁ, ଡକ୍ଟର ଓଝାଙ୍କୁ ଓ ଡକ୍ଟର ନାୟକଙ୍କୁ ଦେଖାଇ ଦେବେ ତଥା ସେମାନଙ୍କୁ ଏଇ ତିନିଜଣଙ୍କର ଗୋଟେ ଗୋଟେ ଫଟୋ ଦେବେ ଏବଂ ଶେଷରେ ସବୁଠୁ କଷ୍ଟ କାମଟି ଶୁଣନ୍ତୁ ।’

ରଣେନ୍ ନୀରବରେ କିଛି ଚିନ୍ତାକଲା ଓ ତା’ପରେ କହିଲା, ‘ଟିକେ ଭିତରକୁ ଚାଲନ୍ତୁ ।’

ଇନିସ୍‌ପେକ୍ଟର ରଣଜିତ୍ ପାତ୍ର ଓ ରଣେନ୍ ଭିତରର ଅନ୍ୟ ଏକ କୋଠରୀକୁ ଚାଲିଗଲେ ଏବଂ ମୁଁ ଏକାକୀ ବାହାରେ ବସି ରହିଲି । ସେଦିନ ମୋର ପ୍ରଥମ କରି ଭୟ ହୋଇଥିଲା, ରଣେନ୍ କ’ଣ ତେବେବି ମତେ ସନ୍ଦେହ କରୁଥିଲା ? ନହେଲେ ସବୁକଥା ମୋ ସାମ୍ନାରେ ହେଉଥିଲା, କ’ଣ ପାଇଁ ରଣଜିତ୍ ପାତ୍ରଙ୍କୁ ଭିତରକୁ ଡାକିନେଲା ? ତଥା ନିଜର ଚିନ୍ତା ଶକ୍ତି ଖୁବ୍ ଦୁର୍ବଳ ହୋଇଥିବାରୁ ମୁଁ ସେ ସମ୍ପର୍କରେ ଅଧିକ ଅନୁମାନ ନ କରି କେବଳ ଏକ ବୃଥା ଭୟରେ ଜଡ଼ସଡ଼ ହୋଇଗଲି ।

କିଛିକ୍ଷଣ ପରେ ରଣେନ୍ ଭିତରୁ ଆସିଲା, କହିଲା, ‘ଚାଲ୍ ।’

ଏବଂ ଆମେ ଫେରି ଆସିଲୁ ।

 

(ନଅ)

 

ତା’ପରେ ପାଞ୍ଚ/ଛ’ଦିନ କିଛି ଜାଣିହେଲା ନାହିଁ । ରଣଜିତ୍ ପାତ୍ରଙ୍କ ଦେଖା ମିଳୁ ନଥିଲା-। ରଣେନ୍ ଥିଲା ସହଜେ ଗମ୍ଭୀର ପ୍ରକୃତିର, ତେଣୁ ତା’ଠୁ କିଛି ଜାଣିବା ସେତେ ସହଜ ନଥିଲା-। କିନ୍ତୁ ରଣେନ୍ ସର୍ବଦା ଏକ ଚିନ୍ତାରେ ରହୁଥିବା ପରି ସ୍ପଷ୍ଟ ଜଣାପଡ଼ୁଥିଲା ।

 

ସପ୍ତମ ଦିନ ଆଠଟାବେଳକୁ ହଷ୍ଟେଲ୍‍ର ପିଅନ ଆମ ରୁମ୍‍ରେ ଖବର ଦେଲା ଯେ, ରଣେନ୍‍କୁ କେହି ବାହାରେ ଡାକୁଥିଲା । ରଣେନ୍ ଚାଲିଗଲା ଏବଂ କିଛି ସମୟ ପରେ ଫେରିଆସି କହିଲା, ‘ଜଲଦି ଜାମାପେଣ୍ଟ୍ ପିନ୍ଧିପକା, ଗୋଟେ ବ୍ୟାଗ୍‍ରେ କେତେଟା ପ୍ୟାଣ୍ଟ ସାର୍ଟ୍ ଭର୍ତ୍ତିକର, ବ୍ରସ୍ ଓ ପେଷ୍ଟବି–ବାସ୍ ।’

 

କହୁ କହୁ ସେ ଜାମା–ପେଣ୍ଟ୍ ପିନ୍ଧିସାରିଥିଲା ଏବଂ ମୁଁ ଆଉ ଅଧିକ ବାକ୍ୟ ବିନିମୟ ନକରି ତା’ କଥାନୁଯାୟୀ ପ୍ରସ୍ତୁତ ହୋଇଗଲି । ରୁମ୍‌ରେ ତାଲା ପକାଇ ଦୁହେଁ ତଳକୁ ଆସିଲୁ ।

 

ତଳେ ଜିପ୍‍ରେ ଷ୍ଟିଅରିଂ ଉପରେ ହାତ ପକାଇ ବସିଥିଲେ ଜଣେ ଭଦ୍ରଲୋକ, ତାଙ୍କୁ ଆଗରୁ କେବେ ଦେଖିଥିବା ପରି ମୋର ମନେ ହେଲା ନାହିଁ । ରଣେନ୍ ଜିପ୍‍ରେ ବସିବା ଦେଖି ମୁଁ ବି ନୀରବରେ ଜିପ୍‍ରେ ବସିପଡ଼ିଲି ଏବଂ ଜିପ୍‍ଟି ଗଡ଼ିଚାଲିଲା ଆଗକୁ ।

 

କଲେଜ କ୍ୟାମ୍ପସ୍ ପାରିହୋଇ, ସହର ଅତିକ୍ରମ କରି ଜିପ୍‍ଟି ମେନ୍‍ରୋଡ଼୍ ଧରିବାପରେ ଡ୍ରାଇଭିଂ କରୁଥିବା ଭଦ୍ରବ୍ୟକ୍ତି ପଚାରିଲେ, ‘କ’ଣ ଭାବୁଚ ?'

 

ମୁଁ ସ୍ତବ୍ଧ ହୋଇଗଲି ପରିଚିତ ସ୍ୱର ଶୁଣି । ରଣଜିତ୍ ପାତ୍ରହିଁ ଡ୍ରାଇଭିଂ କରୁଥିଲେ । ଏତେ ନିଖୁଣଭାବେ ସେ ମେକପ୍ କରିଥିଲେ ଯେ ଆଗରୁ ଏତେଥର ଦେଖିଥିଲେବି ଚିହ୍ନିବାର ଉପାୟ ନଥିଲା । ସିଏ ପୂରା ଲଣ୍ଡା ହୋଇ ପଡ଼ିଥିଲେ, ଏପରିକି ନିଶବି କାଟି ଦେଇଥିଲେ, ମୁହଁରେ ଗୋଟେ ଚଷମା ଲଗାଇଥିଲେ ବୋଧେ ଜିରୋ ପାୱାରର । ବେକରେ ରୁମାଲଟେ ଗୁଡ଼ାଇଥିଲେ । ବୁଟ୍ ବଦଳରେ ଚପଲ ପିନ୍ଧିଥିଲେ । ନିଜ ଶରୀରର ଶ୍ୟାମଳ ବର୍ଣ୍ଣକୁ କୌଣସି ଉପାୟରେ ଅଧିକ ସଫା କରିଥିଲେ । ସିଭିଲ୍ ଡ୍ରେସ୍‍ରେ ଥିବାବେଳେ ସେ ଜାମାଟା ଇନ୍‍କରି ପିନ୍ଧିଥାନ୍ତି, ସେଦିନ ଜାମାଟା ପ୍ୟାଣ୍ଟ ଉପରେ ପକାଇଥିଲେ । ମୋଟଉପରେ ସେ ନିଜକୁ ବଦଳାଇବା ପାଇଁ ସବୁ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଥିଲେ । ଯା’ହେଉ, ରଣେନ୍ ଉତ୍ତର ଦେଇଥିଲା, ‘କିଛି ନାଇଁ, କ’ଣ ଭାବିବି ? ସେଠି ପହଞ୍ଚିବାପରେ ସବୁ ଦେଖାଯିବ ।’

 

: ‘ଆମେ କୁଆଡ଼େ ଯାଉଛେ ?’ ମୁଁ ପଚାରିଲି ।

 

: ‘ସେଇ ବସ୍‌ଷ୍ଟାଣ୍ଡକୁ ।’ ରଣେନ୍ କହିଲା ।

 

: ‘କାହିଁକି ?’

 

: ‘ସେଇଠି ଦେଖିବୁ ।’ ସେ ଯେତେବେଳେ ଅଧିକ ନ କହିବାକୁ ଭାବିଥିବ, ତାକୁ କେହି ଅଧିକ କୁହାଇପାରିବା ଅସମ୍ଭବ । ସୁତରାଂ, ମୁଁ ନୀରବ ରହିଲି ।

 

: ‘ଚକୋଲେଟ୍ କଥା କ’ଣ ବୁଝିଲେ ସାର୍ ?' ରଣେନ୍ ପଚାରିଲା ।

 

: ‘ନା–କେହି କାହାକୁ ଚକୋଲେଟ୍ କିଣିବାର ଦେଖିନାହାନ୍ତି ବା କିଣି ନାହାନ୍ତି, ବରଂ କେଇଜଣ ଚୁଇଙ୍ଗ୍ ଗମ୍ କିଣିଥିବା କଥା କହିଲେ । ବିଶେଷତଃ ବିକ୍ରମ ଭଟ୍ଟକୁ କେହି ଚକୋଲେଟ୍ କିଣିବା ବା ଖାଇବା ଅବସ୍ଥାରେ ଦେଖିନାହାନ୍ତି ।’ ରଣଜିତ୍ ପାତ୍ର କହିଲେ ।

 

: ‘ଆଉ ଡକ୍ଟର ଓଝା ?’

 

: ‘ଡକ୍ଟର ଓଝା ପାନ ଖାଆନ୍ତି, ତେଣୁ ତାଙ୍କର ଚକୋଲେଟ୍ ଦରକାର ପଡ଼େ ନାଇଁ । ଡକ୍ଟର ନାୟକବି ସେଇଆ କହିଲେ ।’

 

: ‘ତେବେ ସାର୍ ଯେତେ ଦୂର ଲାଗୁଚି ଏ ଦିଗଟା ବିଫଳ ହୋଇଗଲା ।’

 

: ‘କିନ୍ତୁ ହତ୍ୟାକାରୀ ଖସିପାରିବ ନାହିଁ ।’ ରଣଜିତ୍ ପାତ୍ର ହସିଲେ ।

 

: ‘ମାନେ ?’ ରଣେନ୍ ପଚାରିଲା ।

 

: ‘ଅନ୍ୟ ଯୋଜନାଟା କାମ ଦେଇଛି ।’

 

ତାଙ୍କ କଥା ଶୁଣି ରଣେନ୍ ମୁହଁ ଉଜ୍ଜ୍ୱଳ ଦିଶିଲା, ସେ ଅଧିକ କିଛି ପଚାରିଲା ନାହିଁ । ସତେଅବା ସେ ସବୁକଥା ବୁଝିପାରିଥିଲା ।ରଣଜିତ୍ ପାତ୍ର ଜିପ୍‍ର ଗତି ବଢ଼ାଇଦେଲେ । ତାଙ୍କର ଦୃଷ୍ଟି ନିର୍ବନ୍ଧଥାଏ ରାସ୍ତା ଉପରେ ଓ ହାତ ଦୃଢ଼ ଥାଏ ଷ୍ଟିଅରିଂ ଉପରେ । ରଣଜିତ୍ ପାତ୍ରଙ୍କ ପରି ସୁଦକ୍ଷ ଡ୍ରାଇଭର ମୁଁ କେବେ ଦେଖି ନାହିଁ ।

 

(ଦଶ)

 

ପିକ୍‌ନିକ୍ ଯିବା ଦିନ ରାତିରେ ଯେଉଁ ବସ୍‌ଷ୍ଟାଣ୍ଡରେ ଗାଡ଼ି ଅଟକିଥିଲା, ସେଇ ବସ୍‌ଷ୍ଟାଣ୍ଡର ଶେଷ ଆଡ଼କୁ ଗାଡ଼ି ଅଟକାଇଲେ ରଣଜିତ୍ ପାତ୍ର । ଛୋଟ ବସ୍‌ଷ୍ଟାଣ୍ଡଟିରେ ବେଶ୍ ଗହଳି ଲାଗିଥାଏ ।

 

: ‘ଟିକେ ଚା’ ପିଇବା ଆସ ।' ଓହ୍ଲାଉ ଓହ୍ଲାଉ ରଣଜିତ୍ ପାତ୍ର କହିଲେ ।

 

ଆମେ ଗୋଟେ ଚା' ଦୋକାନରେ ପହଂଚି ଚା’ ପିଇଲୁ ।

 

: ‘କୋଉ ଦୋକାନଟା ?’ ରଣଜିତ୍ ପାତ୍ର ପଚାରିଲେ ।

 

ରଣେନ୍ ଗୋଟେ ଚା’ ଦୋକାନକୁ ଦେଖାଇଦେଲା । ରଣଜିତ୍ ପାତ୍ର ସେ ଆଡ଼େ ଦୃଷ୍ଟି ନିର୍ବନ୍ଧ କଲେ ।

 

: ‘ସାର୍, ଆପଣଙ୍କ ଲୋକଙ୍କୁ ତ ଦେଖୁନି ।’ ରଣେନ୍ କହିଲା । ରଣଜିତ୍ ପାତ୍ର ଚା’ ପଇସା ଦେଇ ଆସୁ ଆସୁ କହିଲେ, ‘ଅଛନ୍ତି, କିଛି ଅସୁବିଧା ହେଲେ ସେମାନଙ୍କ ଦେଖା ମିଳିବ ।’

 

: ‘ମତେ ଟିକେ ଭୟ ଲାଗୁଚି ।’ ରଣେନ୍ ସାମାନ୍ୟ ଉତ୍ତେଜିତ ହୋଇପଡ଼ିଥିଲା ।

 

: 'ଆରେ ! ଆଶ୍ଚର୍ଯ୍ୟ । ରଣଜିତ୍ ପାତ୍ର ରଣେନ୍‍ର କାନ୍ଧରେ ହାତ ପକାଇଲେ, ‘ଘରେ ବସିବସି ତ ବେଶ୍ କଥା ଭାବିପାରୁଥିଲ, ଏବେ ଡର ଲାଗୁଛି କାହିଁକି ? ତୁମେ ଗୋଟେ କାମ କର, ସେପଟ ପାନ ଦୋକାନରେ ବସି ଗୋଟେ ମାଗାଜିନ୍ କିଣି ପଢ଼ୁଥାଅ ମୁଁ ଟିକେ ଆଖପାଖ ଘୂରି ଆସେ ।’

 

: ‘କିନ୍ତୁ କିଛି ଅସୁବିଧା ନାହିଁ ତ ? ଆପଣ...’ ରଣେନ୍ କଥାକୁ ଅଧାରୁ କାଟି ରଣଜିତ୍ ପାତ୍ର କହିଲେ, ‘କିଛି ନାଇଁ, ତୁମ ଉପରେ ଲୋକ ନଜର ରଖିଛନ୍ତି । ସେ ପାନଦୋକାନରେ ବସି ବାଦାମ ଖାଉଥିବା ଲୋକଟି ମୋ ଲୋକ, ଯାଅ–ସେଠି ବସିଥାଅ, କିନ୍ତୁ ତାକୁ କିଛି ପଚାରିବ ନାହିଁ-।’ ଆଉକିଛି ପଚାରିବା ପୂର୍ବରୁ ରଣଜିତ୍ ପାତ୍ର ଚାଲିଗଲେ ।

 

ଏମିତି ଅଧଘଣ୍ଟାରୁ ବେଶୀ ବିତିଗଲା । ତା'ପରେ ଅଚାନକ ଏକ ହ୍ୱିସିଲ ଶବ୍ଦରେ ଆମ ପାଖରେ ବସିଥିବା ଭଦ୍ରବ୍ୟକ୍ତି ଜଣକ ଠିଆ ହୋଇଗଲେ । ତାଙ୍କ ହାତ ପକେଟ୍‍ରେ ଥାଏ । ପୁନର୍ବାର ଅପେକ୍ଷାକୃତ ଜୋରରେ ହ୍ୱିସିଲ ବାଜିବାରୁ ସେଇ ଭଦ୍ରବ୍ୟକ୍ତି ଜଣକ ପୂର୍ବ ପରିଚିତ ଚା’ ଦୋକାନ ଆଡ଼କୁ ଦୌଡ଼ିଗଲେ । ଆମେ ଦେଖିଲୁ ଯେ, ବିଭିନ୍ନ ଦିଗରୁ ପ୍ରାୟ ପନ୍ଦରଜଣ ପାଖାପାଖି ଲୋକ ସେଇ ଚା’ ଦୋକାନ ଆଡ଼କୁ ଦୌଡ଼ୁଥାନ୍ତି । ଆମେବି ସେଆଡ଼େ ଚାଲିଲୁ ।

 

ଚା’ ଦୋକାନ ଭିତରେ ପଶି ଦୋକାନର ପଛପଟେ ଥିବା ଏକ ଅପେକ୍ଷାକୃତ ଖୋଲା ଜାଗାରେ ପହଞ୍ଚି ଆମେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲୁ । ଦୁଇଜଣ ଲୋକ ଟଣାଓଟରା ହେଉଥାନ୍ତି । ଜଣକୁ ଆମେ ଅକ୍ଳେଶରେ ଚିହ୍ନିପାରିଲୁ–ସେ ରଣଜିତ୍ ପାତ୍ର । ଆର ଲୋକଟିକୁ ମୁଁ ଚିହ୍ନି ପାରିଲି ନାହିଁ । ଉଭୟେ ତଳେ ଥରେ ଦି'ଥର ଗଡ଼ିଥିବାରୁ କାଦୁଅ ଲଟରପଟର ହୋଇ ଯାଇଥାନ୍ତି । ରଣଜିତ୍ ପାତ୍ରଙ୍କ ମିଛ ଚଷମାଟା ଗଳି ପଡ଼ିଥାଏ ଏବଂ ତାଙ୍କ ଦାନ୍ତ ଦୁଇଧାଡ଼ି ମଝିରେ ଥାଏ ପିତଳର ଏକ ହ୍ୱିସିଲ । ଅନ୍ୟ ଜଣକ କିଏ ବୋଲି ମୁଁ ପଚାରିବାକୁ ବାହାରିବାବେଳକୁ ରଣେନ୍ ଚିତ୍କାର କଲା, ‘ଡକ୍ଟର ଓଝା !’

 

ଏବଂ ତତ୍‌କ୍ଷଣାତ୍ ମୁଁ ଡକ୍ଟର ଓଝାଙ୍କୁ ଚିହ୍ନି ପାରିଲି ।

 

ସିଭିଲ୍ ଡ୍ରସ୍‍ରେ ଥିବା ଅନ୍ୟ ଅଫିସରମାନେ ତୁରନ୍ତ ରଣଜିତ୍ ପାତ୍ରଙ୍କୁ ସାହାଯ୍ୟ କଲେ ତଥା ମୁହୂର୍ତ୍ତକ ଭିତରେ ଡକ୍ଟର ଓଝାଙ୍କ ହାତରେ କଡ଼ିଆ ପିନ୍ଧାଇ ଦିଆଗଲା । ପୋଲିସ୍‌ ଭ୍ୟାନ୍ ଦୁଇଶହ ମିଟର ଦୂରେ ଥିଲା, ପୋଲିସ୍ ଆସି ପହଞ୍ଚିବା ପରେ ରଣଜିତ୍ ପାତ୍ରଙ୍କ ଲୋକେ ଡକ୍ଟର ଓଝାଙ୍କୁ ଧରି ପୋଲିସ୍‌ ଭ୍ୟାନ୍‌ରେ ବସିଲେ । ରଣଜିତ୍ ପାତ୍ର ନିକଟସ୍ଥ ଏକ ଟିଉବ୍‍ୱେଲ୍‍ରେ ଧୁଆଧୋଇ ହୋଇ ଜିପ୍‍ରେ ବସିଲେ । ରଣେନ୍ ଓ ମୁଁ ବସିବା ପରେ ନିକଟସ୍ଥ ଥାନାକୁ ଜିପ୍ ମୁହାଁଇଲେ ରଣଜିତ୍ ପାତ୍ର ।

 

‘ହେ ଭଗବାନ ! ଡକ୍ଟର ଓଝା ଶେଷରେ...।’ ରଣେନ୍ କେବଳ ଏତିକି କହିଥିଲା ।

 

(ଏଗାର)

 

ଡକ୍ଟର ଚକ୍ରଧର ଦାଶଙ୍କ ହତ୍ୟାକାଣ୍ଡ ଯେମିତି କଲେଜରେ, ଅଧ୍ୟାପକ ମହଲରେ ତଥା ସହରରେ ଚହଳ ପକାଇ ଦେଇଥିଲା, ଠିକ୍ ସେମିତି ଚହଳ ପକାଇଦେଲା ତାଙ୍କର ହତ୍ୟାକାରୀଭାବେ ଡକ୍ଟର ଓଝାଙ୍କୁ ଗିରଫ୍‍ କରାଯିବାର ଖବରଟା !

 

ଡକ୍ଟର ଓଝା ଗିରଫ୍‍ ହେବାପରେ ସମ୍ବାଦପତ୍ରମାନଙ୍କରେ ସବିଶେଷ ବିବରଣୀ ପକାଶ ପାଇଲା । ଖବରକାଗଜରେ ରଣେନ୍‍ର ଖୁବ୍ ପ୍ରଶଂସା କରାଯାଇଥିଲା । କାରଣ ତା’ର କଥା ଉପରେହିଁ ପୋଲିସ୍‌କୁ ଡକାଯାଇଥିଲା, ନଚେତ୍ ହତ୍ୟାକାଣ୍ଡଟି ପୂର୍ଣ୍ଣଭାବେ ଗୋପନ ରହିଯାଇଥାନ୍ତା-। ଏକ ସମ୍ବାଦପତ୍ର ପ୍ରଥମେ ଇନିସ୍‌ପେକ୍ଟର ରାମକିଙ୍କର ମହାନ୍ତିଙ୍କର, ତା'ପରେ ରଣଜିତ୍ ପାତ୍ରଙ୍କର ସାକ୍ଷାତ୍‌କାର ଛାପିଥିଲା । ପରେ ପରେ ଡକ୍ଟର ସୁଧୀର ନାୟକଙ୍କର ସାକ୍ଷାତ୍‌କାର ମଧ୍ୟ ପ୍ରକାଶ ପାଇଲା । ପ୍ରତ୍ୟେକ ରଣେନ୍‍ର ଭୂରି ଭୂରି ପ୍ରଶଂସା କରିଥିଲେ । ବିଶେଷତଃ ରଣଜିତ୍ ପାତ୍ର ଖୁବ୍ ପ୍ରଶଂସା କରିଥିଲେ । ସୁତରାଂ, ରଣେନ୍‍ର ବେଶ୍ ପ୍ରଚାର ହୋଇଥିଲା ।

 

ଦିନେ ଅର୍ଥାତ୍ ଡକ୍ଟର ଓଝା ଗିରଫ୍‍ ହେବାର କିଛିଦିନ ପରେ ରଣଜିତ୍ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଆମେ ଥାନାରେ ପହଞ୍ଚିଲୁ । ସେଠାରୁ ତାଙ୍କ ଘରକୁ ଗଲୁ । ରଣଜିତ୍ ପାତ୍ର ଗୋଟେ ଛୋଟକାଟର ଭୋଜିର ବ୍ୟବସ୍ଥା କରିଥିଲେ । ଭୋଜନ ପ୍ରସ୍ତୁତ ହେବା ପୂର୍ବରୁ ଆମେ ଏକତ୍ର ବସି କଥା ହେଉ ହେଉ କେତେବେଳେ ଡକ୍ଟର ଦାଶଙ୍କ କେସ୍ କଥା ଆଲୋଚନାର ପରିସର ଭିତରକୁ ଆସିଯାଇଥିଲା, ଆମକୁ ମାଲୁମ ନଥିଲା ।

 

: ‘ପୋଲିସ୍ ତଦନ୍ତ କରୁଥିବା ପର୍ଯ୍ୟନ୍ତ ମତେବି ପଚରାଉଚୁରା କରୁଥିଲା’, ମୁଁ କହିଲି, ‘କିନ୍ତୁ ଆପଣଙ୍କ ହାତକୁ ତଦନ୍ତ ଭାର ଆସିବା ପରେ ଆପଣ କେବେ ମତେ ଏକାକୀ ଡକାଇ କିଛି ପଚାରିନାହାନ୍ତି, କାହିଁକି ?’

 

ମୋ ପ୍ରଶ୍ନରେ ରଣଜିତ୍ ପାତ୍ର ହସିଲେ, କହିଲେ, ‘ଦେଖ ହତ୍ୟାକାରୀ ଜଣେ ବା ଏକାଧିକ, ମତେ ଅଜଣା ଥିଲା । ସେତେବେଳେ ମୋର ସନ୍ଦେହ ଆପଣଙ୍କ ଉପରେ ନୁହେଁ, ସମସ୍ତଙ୍କ ଉପରେ ଥିଲା । ରଣେନ୍‍କୁ ପଚରାଉଚୁରାବେଳେ ମୁଁ ଜାଣିଜାଣି ଆପଣଙ୍କୁ ଛାଡ଼ୁଥିଲି, ଯଦି ରଣେନ୍ ଓ ଆପଣ ଉଭୟେ ସମ୍ପୃକ୍ତ ଥାନ୍ତେ, ତେବେ ରଣେନ୍‍ର କଥାକୁ ଅନ୍ୟମାନଙ୍କ କଥାସହ ତୁଳନା କରି ମୁଁ ସତଟା ଜାଣିଥାନ୍ତି ଏବଂ ଆପଣଙ୍କୁ ଆମ କଥାବାର୍ତ୍ତା ଶୁଣିବାର ସୁଯୋଗ ଦେଇ ମୁଁ ଗୋପନରେ ଲୋକ ଲଗାଇ ଆପଣଙ୍କ କାମର/ପ୍ରତିକ୍ରିୟାର ରିପୋର୍ଟ ନେଉଥିଲି–ସେଥିରୁ କିଛି ମିଳିଥାନ୍ତା । ଯଦି ଆପଣ ଏକାକୀ ହତ୍ୟାକାରୀ ହୋଇଥାନ୍ତେ ଏବଂ ରଣେନ୍ ସେକଥା ଜାଣି ନଥାନ୍ତା, ତେବେବି ଅସୁବିଧା ନଥିଲା । କାରଣ ରଣେନ୍‍ବାବୁଙ୍କ କଥା ଓ ଆପଣଙ୍କ ଉପରେ ଗୋପନ ନଜର ରଖିଥିବା ଲୋକର ରିପୋର୍ଟକୁ ମିଳାଇ/ ତୁଳନା କରି ସବୁ ଜାଣି ହୋଇଥାନ୍ତା । ପୁନଶ୍ଚ, ଆପଣଙ୍କୁ ପ୍ରତ୍ୟକ୍ଷ ନ ପଚାରିବା ଏବଂ ଆପଣଙ୍କୁ ଆମ ଯୋଜନା ଲୁଚାଇବାର ଲକ୍ଷ୍ୟ ଥିଲା ଯେ, ଯଦି ଆପଣ ହତ୍ୟାକାରୀ ହୋଇଥାନ୍ତେ, ତେବେ ଯୋଜନାଗୁଡ଼ିକୁ ଭଣ୍ଡୁର କରିବାପାଇଁ ପ୍ରୟାସ କରିବାଦ୍ଵାରା ଧରାପଡ଼ିଥାନ୍ତେ । ଆପଣ ହତ୍ୟାକାରୀ ହୋଇଥିଲେ ଖସିବାର ବାଟ ନଥିଲା ।’

 

ରଣଜିତ୍ ପାତ୍ର ପୁନର୍ବାର ହସିଲେ ।

 

: ‘ବିକ୍ରମ ଭଟ୍ଟକୁ କ’ଣ ଆପଣ ମୋ ପରି ଛାଡ଼ି ଦେଇଥିଲେ ?’ ମୁଁ ପଚାରିଲି ।

 

: ‘ନା, ମୁଁ ତାକୁ ଥରେ ଜେରା କରିଥିଲି’, ରଣଜିତ୍ ପାତ୍ର କହିଲେ, ‘ତା’ ଉପରେ ମୋର ସନ୍ଦେହ ଥିଲା । ତା' ପଛରେବି ଲୋକ ଲାଗିଥିଲେ, କିନ୍ତୁ ପରେ ତା’ ଉପରୁ ସନ୍ଦେହ କମିଥିଲା ।’

 

: ‘କାହିଁକି ?'

 

: ‘ଆପଣ ଜାଣନ୍ତି ସନ୍ଦେହଟା ଶେଷ ଆଡ଼କୁ ପାଞ୍ଚଜଣଙ୍କ ଉପରେ ଥିଲା–ରଣେନ୍, ଆପଣ, ବିକ୍ରମ ଭଟ୍ଟ, ଡକ୍ଟର ଓଝା ଏବଂ ଡକ୍ଟର ନାୟକ । ମୁଁ ଯେ ରଣେନ୍‍କୁ ପୂରା ବିଶ୍ୱାସ କରିଯାଇଥିଲି ବୋଲି ତାକୁ ସବୁ ବିଶ୍ଳେଷଣ କରିବାକୁ ସୁଯୋଗ ଦେଇ ନିଜେ କେବଳ ଶ୍ରୋତା ଥିଲି ବା ତା’ ପରାମର୍ଶକୁ ଗ୍ରହଣ କରୁଥିଲି; ସେକଥା ନୁହେଁ । ବରଂ ମୋର ସନ୍ଦେହ ଥିଲା ଯେ, ଧୂର୍ତ୍ତ ରଣେନ୍ ନିଜେ ହତ୍ୟାକାରୀ ଅନ୍ୟ ଉପରେ ଦୋଷଟା ପ୍ରମାଣିତ କରିବାର ପ୍ରୟାସ ଚଳେଇଛି–ଏବଂ ସେଥିପାଇଁ ମୁଁ ତା’ କଥା ମନଦେଇ ଶୁଣୁଥିଲି । କିନ୍ତୁ କ୍ରମଶଃ ତା’ ଉପରୁ ସନ୍ଦେହ ଦୂର ହେଲା ଏବଂ ମୁଁ ତାକୁ ବିଶ୍ଵାସ କଲି । ତା’ଛଡ଼ା, ସେମିତି କରିବାଦ୍ଵାରା ଗୋଟେ ଲାଭ ହେଲା ଯେ, ରଣେନ୍ ପରି ଏକ ନିହାତି ଧୂର୍ତ୍ତ, ସୂକ୍ଷ୍ମବୁଦ୍ଧିସମ୍ପନ୍ନ ଲୋକକୁ ମୁଁ ଆବିଷ୍କାର କରିପାରିଲି, ଅତଏବ ରହିଲେ ଚାରିଜଣ । ଆପଣଙ୍କ କଥା ତ କହିଲି । ବିକ୍ରମ ଭଙ୍ଗ କଥା ଏଇଆ । ଯେତେବେଳେ ସଙ୍ଗୀତା ରଥ, ମିନତି ମହାପାତ୍ର, ମମତା ବହିଦାର, ଡକ୍ଟର ଓଝା ଓ ଡକ୍ଟର ନାୟକଙ୍କଠାରୁ ମୁଁ ସେଦିନ ରାତିରେ ଝରକା ବନ୍ଦ ଥିଲା କି ନାହିଁ, ବୁଝିବାକୁ ଯାଇଥିଲି, ସେତେବେଳେ ଜାଣିଥିଲି ଯେ ବିକ୍ରମ ଦୋଷୀ ନୁହେଁ । କାରଣ ରଣେନ୍ ଥରେ କହିଥିଲା ବିକ୍ରମ ଶୋଇ ପଡ଼ିଥିଲା ବୋଲି, ଦ୍ୱିତୀୟତଃ ବିକ୍ରମ ସେଦିନ ରାତିରେ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ନଥିଲା । ଅତଏବ, ସବୁକଥାକୁ ଏକତ୍ର କରି ଦେଖିଲେ ଜଣାପଡ଼େ ଯେ, କେବଳ ଡକ୍ଟର ଓଝାଙ୍କର ଝରକା ଖୋଲାଯିବା–ନ ଯିବା ବକ୍ତବ୍ୟକୁ ବାଦ୍ ଦେଲେ, ଅନ୍ୟମାନେ ପ୍ରାୟତଃ ଝରକା ଖୋଲା ନଯିବା କଥା କହିଥିଲେ । ଯେଉଁମାନେ ଜାଣିନାହାନ୍ତି ବୋଲି କହିଥିଲେ, ସେମାନଙ୍କ ଉପରେ ସନ୍ଦେହ ନଥିଲା, କାରଣ ସେମାନେ ଡକ୍ଟର ଦାଶଙ୍କର ସାମ୍ନା ସିଟ୍‌ରେ ବସିଥିଲେ । ସୁତରାଂ, ଯଦି ଝରକା ଖୋଲାଯାଇ ନଥାଏ ତଥା ବିକ୍ରମ ଭଟ୍ଟ ବାଟରେ ଓହ୍ଲାଇ ନଥାଏ, ତେବେ ସନ୍ଦେହ କାହାକୁ କରାଯିବା ଉଚିତ ଥିଲା ? ଦୁଇଜଣଙ୍କୁ : ଡକ୍ଟର ଓଝା ଓ ଡକ୍ଟର ନାୟକ । ଉଭୟେ ଇଞ୍ଜେକ୍‍ସନ୍ ଦେବାପରି ପୋଜିସନ୍‍ରେ ଥିଲେ ଓ ଉଭୟେ ଓହ୍ଲାଇଥିଲେ ସେଦିନ ରାତିରେ ।’

 

: ‘କିନ୍ତୁ ସେମାନେ ସେଇ ବସ୍‌ଷ୍ଟାଣ୍ଡରେ ସିରିଞ୍ଜ୍ ଓ ବିଷ ଶିଶି ଫୋପାଡ଼ିଥିବେ ବୋଲି ଆପଣ କାହିଁକି ଭାବିଲେ ? ପିକ୍‌ନିକ୍ ସ୍ପଟ୍‍ରେବି ଫୋପାଡ଼ିଥିବାର ସମ୍ଭାବନା ଥିଲା ।’ ମୁଁ କହିଲି ।

 

: 'ହଁ–ତା' ଠିକ୍ ।’ ରଣଜିତ୍ ପାତ୍ର କହିଲେ, ‘ମୁଁ ବି ସେ ସମ୍ଭାବନା କଥା ଭାବିଥିଲି, କିନ୍ତୁ ରଣେନ୍ ସେଇ ବସ୍‌ଷ୍ଟାଣ୍ଡ କଥା କହିଥିଲା । ଅବଶ୍ୟ ମୁଁ ଥରେ ପିକ୍‌ନିକ୍ ସ୍ପଟ୍‍ର ଆଖପାଖ ଖୋଜିଥିଲି ।'

 

: ‘ମୋର ସେମିତି ଭାବିବାରେ କାରଣଟେ ଥିଲା’, ରଣେନ୍ କହିଲା, ‘ହତ୍ୟାର ସମୟ, ବସ୍ ଅଟକିବା ସମୟ, ଇଞ୍ଜେକ୍‍ସନ୍ ଦିଆଯିବାର ସ୍ଥାନ ଇତ୍ୟାଦିକୁ ଏକାଠି କରି ଦେଖିବା ପରେ ମୋର ସନ୍ଦେହ ଡକ୍ଟର ଓଝା ଓ ଡକ୍ଟର ନାୟକଙ୍କ ଉପରେ ରହିଲା । ପୁଣି ଝରକା ସାଢ଼େ ତିନିଟାରୁ ସାଢ଼େ ଚାରିଟା ଭିତରେ ଖୋଲାଯାଇ ନଥିଲା–ଏକଥା ମୁଁ ଜାଣିବି ଆଉଥରେ ନିଶ୍ଚିତ ହେବାପାଇଁ ଅନ୍ୟମାନଙ୍କଠୁଁ ବୁଝିବାକୁ ରଣଜିତ୍‍ବାବୁଙ୍କୁ କହିଲି । ସୁତରାଂ, ଯଦି ଡକ୍ଟର ନାୟକ ଏବଂ ଡକ୍ଟର ଓଝାଙ୍କ ଭିତରୁ ଜଣେ ବା ଦୁଇଜଣଯାକ ହତ୍ୟାକାରୀ ଏବଂ ସେମାନେ ଓହ୍ଲାଇଥିଲେ, ତେବେ ସେମାନେ କ’ଣ କରିଥିବେ ? ନିଜକୁ ସେମାନଙ୍କ ଜାଗାରେ ରଖି ଚିନ୍ତା କଲେ ମନକୁ ଗୋଟିଏ କଥା ଆସେ । ସେଇଟି ହେଲା, ସର୍ବପ୍ରଥମେ ପ୍ରମାଣକୁ ଦୂରେଇ ଦେବାର ପ୍ରଚେଷ୍ଟା ଏବଂ ସେଥିପାଇଁ ହତ୍ୟାକାରୀ ପ୍ରଥମ ସୁଯୋଗ ଅର୍ଥାତ୍ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବାକୁ କଦାପି ହାତଛଡ଼ା କରିବ ନାହିଁ । ତେଣୁ ମୁଁ ଭାବିଲି ଯେ, ବସ୍‌ଷ୍ଟାଣ୍ଡରେ ସିରିଞ୍ଜ୍ ଓ ବିଷ ଶିଶିକୁ କୋଉଠି ଫୋପାଡ଼ି ଦିଆଯାଇଛି ।’

 

କିଛି ସମୟ ନୀରବତାପରେ ରଣେନ୍ ପୁଣି କହିଲା, ‘ତା’ପରେ ଚକୋଲେଟ୍ କଥାଟା ଆସି ମୋ ସନ୍ଦେହକୁ ଦୃଢ଼ କରିଦେଲା । ଡକ୍ଟର ଦାଶଙ୍କ ପରି ଲୋକକୁ ପ୍ରଥମତଃ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଚକୋଲେଟ୍ ଦେବା ଅସମ୍ଭବ–କେବଳ ଡକ୍ଟର ଓଝା ବା ଡକ୍ଟର ନାୟକଙ୍କ ପକ୍ଷରୁହିଁ ତାଙ୍କୁ ଚକୋଲେଟ୍ ଯଚାଯିବା ସମ୍ଭବ । ଅବଶ୍ୟ ସନ୍ଦେହମୁକ୍ତ ହେବାପାଇଁ ସେ ସମ୍ପର୍କରେ ଅଧିକ ଖବର ନେବାକୁ ମୁଁ ରଣଜିତ୍‍ବାବୁଙ୍କୁ କହିଥିଲି । ମୁଁ ନିଜେବି ଭିତରେ ବୁଝିଥିଲି–ତା'ପରେ ସନ୍ଦେହ ଦୃଢ଼ ହୋଇଥିଲା ।’

 

: ‘କିନ୍ତୁ ସାର୍, ଆପଣଙ୍କୁ ସେଦିନ ଥାନାରେ ରଣେନ୍ ଗୋପନରେ କ’ଣ କହିଥିଲା ?' ମୁଁ ପଚାରିଲି, 'ମୋର ତ ସନ୍ଦେହ ହୋଇଥିଲା ଯେ ଆପଣ ମତେ ସନ୍ଦେହ କରୁଥିଲେ ବୋଲି !'

 

ରଣଜିତ୍ ପାତ୍ର ହସିଲେ, କହିଲେ, ‘ଓ ସେଦିନ ମତେ ରଣେନ୍ କହିଥିଲା ଗୋପନରେ ଡକ୍ଟର ଓଝା ଓ ଡକ୍ଟର ନାୟକଙ୍କ ଘର ସର୍ଚ୍ଚ କରି ଦେଖିବାପାଇଁ ଯେ, ଯଦି ସିରିଞ୍ଜ୍ ଓ ବିଷ ଇତ୍ୟାଦି କିଣିଥିବାର ରସିଦ ମିଳିଯାଇପାରେ ।’

 

: ‘ମିଳିଥିଲା କି ?' ମୁଁ ପୁଣି ପଚାରିଲି ।

 

: ‘ହଁ’–ରଣଜିତ୍ ପାତ୍ର କହିଲେ, ‘କେବଳ ସିରିଞ୍ଜ୍‍ର ରସିଦ ମିଳିଥିଲା । କିନ୍ତୁ ମୁଁ ତ ଏବେବି ଆଶ୍ଚର୍ଯ୍ୟ ହେଉଚି ରଣେନ୍ ସେକଥା ଭାବିପାରିଲା କେମିତି ?’

 

ରଣଜିତ୍ ପାତ୍ର ତା’ ଆଡ଼କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଥିବା ଦେଖି ରଣେନ୍ କହିଲା ‘ସନ୍ଦେହଟା ଯେତେବେଳେ ଡକ୍ଟର ଓଝା ଓ ଡକ୍ଟର ନାୟକଙ୍କ ଉପରେ ରହିଲା, ସେତେବେଳେ ମୁଁ ଅନୁମାନ କଲି ଯେ, ଉଭୟଙ୍କ ଭିତରୁ କେହି ପେଶାଦାର ହତ୍ୟାକାରୀ ନୁହନ୍ତି, କେବେ କୌଣସି ପ୍ରତିଶୋଧ ନେବାପାଇଁ ବୋଧେ ହତ୍ୟା କରାଯାଇଥିଲା ଡକ୍ଟର ଦାଶଙ୍କୁ । ଯଦି ପେଶାଦାର ହତ୍ୟାକାରୀ ନୁହନ୍ତି, ତେବେ ଘରେ ଇଞ୍ଜେକ୍‍ସନ୍ ସିରିଞ୍ଜ୍ ରଖିବା ଦରକାର କ’ଣ ? ପୁନଶ୍ଚ, ଯଦି ବା ଏମିତି ରଖାଯାଇଥାଏ, ତେବେ ଯାହା ଘରେ ସିରିଞ୍ଜ୍ ଥିବ, ତା’ ଘରେ ଅନ୍ୟାନ୍ୟ ଅଧିକ ଉପକରଣ ଥିବା ସ୍ଵାଭାବିକ, ଯଥା–ଅଧିକ ଛୁଞ୍ଚି, ଡେଟଲ, ତୁଳା ଇତ୍ୟାଦି ଏବଂ ସେସବୁ ଏକ ଜାଗାରେ ରହୁଥିବ । ଯଦି ତା’ ନହୁଏ, ତେବେ ହତ୍ୟାକାଣ୍ଡ ପୂର୍ବରୁ ସିରିଞ୍ଜ୍ କିଣିଥିବା ସ୍ଵାଭାବିକ । ଅନ୍ୟାନ୍ୟ ଉପକରଣ ଥିବା ବାକ୍ସଟି ଆଦୌ ନଥିବ । ଏଥିପାଇଁ ମୁଁ ରଣଜିତ୍‍ବାବୁଙ୍କୁ ଉଭୟଙ୍କ ଘର ସର୍ଚ୍ଚ କରି ଦୁଇଟି ଜିନିଷ ଆଣିବାକୁ କହିଥିଲି–ରସିଦ ବା ଇଞ୍ଜେକ୍‍ସନ୍ ପାଇଁ ଆବଶ୍ୟକ ଥିବା ଉପକରଣ ସହ ବାକ୍‍ସ–ଯେମିତି ଛୋଟ ଫାଷ୍ଟଏଡ଼ ବକ୍‍ସ ଘରେ ଥାଏ । ହତ୍ୟାକାରୀ ସିନା ସିରିଞ୍ଜ୍‍ଟା ନେଇଯିବ, ତା’ ବୋଲି କ’ଣ ଆଉ ସବୁ ନେଇଯିବ ? ଏବଂ ସେଇ ଚେଷ୍ଟାଟା ସଫଳ ହେଲା । ଡକ୍ଟର ନାୟକଙ୍କ ଘରୁ ତୁଳା, ଡେଟଲ ମିଳିଥିଲା, କିନ୍ତୁ ସେ ସବୁ ସ୍ୱାଭାବିକଭାବେ ଜଣେ ସାଧାରଣ ଲୋକର ଘରେ ଥାଏ । ଡକ୍ଟର ଓଝାଙ୍କ ଘରେବି ସେଇଆ । ଅର୍ଥାତ୍ କାହାରି ଘରେ ସିରିଞ୍ଜ୍ ରଖି ନଥିଲେ, ସିରିଞ୍ଜ୍ ରଖିବାର ଆବଶ୍ୟକତା କାହାର ଥିଲା ବୋଲି ମନେହେଲା ନାହିଁ ଏବଂ ଯେତେବେଳେ ଡକ୍ଟର ଓଝାଙ୍କ ବେଡ଼୍‍ତଳୁ ରସିଦଟା ମିଳିଲା–ଗୋଟେ ସିରିଞ୍ଜ୍ କିଣା ଯାଇଥିବାର ରସିଦ, ସେତେବେଳେ ସବୁ ପରିଷ୍କାର ହୋଇଗଲା । ରସିଦରେ ହତ୍ୟାକାଣ୍ଡର ଦୁଇଦିନ ପୂର୍ବର ତାରିଖ ପଡ଼ିଥିଲା । ଯେଉଁ ଦୋକାନରୁ ଡକ୍ଟର ଓଝା ସିରିଞ୍ଜ୍ କିଣିଥିଲେ, ରଣଜିତ୍‍ବାବୁ ସେଠାକୁ ଯାଇ ନିଶ୍ଚିତ ହୋଇଥିଲେ, ରସିଦଟା ଅସଲି ବୋଲି ।’

 

: ‘ତେବେ ସେତେବେଳେ ଡକ୍ଟର ଓଝାଙ୍କୁ ଗିରଫ୍‍ କରାଗଲା ନାହିଁ କାହିଁକି ? ମୁଁ ପଚାରିଲି ।’

 

: ‘କାହିଁକି–ଟିକେ ଡେରିରେ ଗିରଫ୍‍ କରାଯିବାରେ କିଛି ଅସୁବିଧା ହେଲା କି ?’ ରଣଜିତ୍ ପାତ୍ର ମୁହୂର୍ତ୍ତକରେ ମୁଁ ଗୋଟେ ବୋକା ବୋଲି ପ୍ରମାଣ କରିବାକୁ ବାହାରି ପଡ଼ିଲେ, ‘ସେତେବେଳେ ଗିରଫ୍‍ କରିଥିଲେ ହୁଏତ ପ୍ରମାଣ ଅଭାବରୁ ଡକ୍ଟର ଓଝା ଖସି ଯାଇଥାନ୍ତେ । ତାଙ୍କୁ ସ୍ପଟ୍‍ରେ ଧରିବାର ଯୋଜନାଟା ଖୁବ୍ ସାବଧାନତା ସହକାରେ କରାଗଲା । ଗିରଫ୍‍ କରିଥିଲେ କି ଆମେ ଆଉ ସିରିଞ୍ଜ୍ ଓ ବିଷ ଶିଶି ପାଇଥାନ୍ତୁ ? ଡକ୍ଟର ଓଝା କୈଫିୟତ ଦେଇଥାନ୍ତେ ଯେ ସିରିଞ୍ଜ୍‍ଟା ଭାଙ୍ଗିଯାଇଛି ବୋଲି ବା ଆଉ ଏକ ସିରିଞ୍ଜ୍ ଯୋଗାଡ଼ କରି ଆମକୁ ଦେଖାଇ କହିଥାନ୍ତେ ସେ ସିରିଞ୍ଜ୍‍ଟା ତାଙ୍କ ପାଖରେ ଅଛି । ତେଣୁ ରସିଦଟା ଆଣିବା ଯଥାସମ୍ଭବ ଗୋପନ ରଖିବା ଶେଷଯାଏଁ କାମ୍ୟଥିଲା ।’

 

ରଣଜିତ୍ ପାତ୍ର ରହିଲେ । ଭିତରେ ଏତେ କାମ ହୋଇଯାଇଛି ଭାବି ମତେ ଆଶ୍ଚର୍ଯ୍ୟ ଲାଗୁଥିଲା । ଅଥଚ ସାରା କଲେଜରେ ଟେର୍ କେହି ପାଇ ନଥିଲେ ।

 

: ‘ଆଚ୍ଛା–ଡକ୍ଟର ଓଝାଙ୍କୁ ପୁଣିଥରେ ଘଟନାସ୍ଥଳକୁ ଅଣାଯିବା କେମିତି ସମ୍ଭବ ହେଲା ?’ ମୁଁ ପଚାରିଲି ।

 

: ‘ଯେଉଁ ମୁହୂର୍ତ୍ତରେ ଡକ୍ଟର ଓଝାଙ୍କ ଘରୁ ଗୋପନରେ ରସିଦଟା ଆବିଷ୍କାର କରାଗଲା', ରଣଜିତ୍ ପାତ୍ର କହିବାରେ ଲାଗିଲେ, ‘ତା’ପରଠୁ ଗୋପନରେ ଏକ ଯୋଜନା କରାଗଲା । କେମିତି ଡକ୍ଟର ଓଝାଙ୍କୁ ଘଟନାସ୍ଥଳକୁ ଅଣାଯିବ । ଯଦିଓ ଜଣାପଡ଼ି ସାରିଥିଲା ଯେ, ଡକ୍ଟର ଓଝାହିଁ ସବୁର ନାୟକ ବୋଲି, ତଥାପି ତାଙ୍କୁ ସେତେବେଳେ ଗିରଫ୍‍ କରାଯିବାରେ ପ୍ରମାଣ ନଷ୍ଟ ହେବାର ଯଥେଷ୍ଟ ଆଶଙ୍କା ଥିଲା । ପ୍ରଥମରେ ସେ ଫାଙ୍କି ପାରିଥାନ୍ତେ । ଦ୍ୱିତୀୟରେ, ସିରିଞ୍ଜ୍ ଓ ବିଷ ଶିଶି ଫିଙ୍ଗା ସ୍ଥାନଟି ହୁଏତ ଜଣାପଡ଼ି ନଥାନ୍ତା । ସର୍ବୋପରି, ତାଙ୍କୁ ସ୍ପଟ୍ ଉପରେ ଗିରଫ୍‍ କରିବାଟା ସବୁଦିଗରୁ ନିରାପଦ ମନେ କରି ଏକ ଚତୁର, ଶକ୍ତିଶାଳୀ ଓ ଦୀର୍ଘସୂତ୍ରୀ ଯୋଜନା କରାଗଲା ।

 

: ‘ଡକ୍ଟର ସୁଧୀର ନାୟକଙ୍କର ସାହାଯ୍ୟ ନିଆଗଲା । ଡକ୍ଟର ନାୟକଙ୍କୁ କୁହାଗଲା ଯେ, ସେ ଡକ୍ଟର ଓଝାଙ୍କୁ ଥରେ ଭେଟିବେ–ପୂରା ସାଧାରଣ ଭାବରେ, ବନ୍ଧୁ ପରି : ତାଙ୍କ ସହ ବିଭିନ୍ନ କଥାବାର୍ତ୍ତା ଚାଲୁ ରଖିବେ । କଥାବାର୍ତ୍ତା ଛଳରେ ଏଇ କେସ୍ କଥା ଉଠାଇବେ । କହିବେ ଯେ, ପୋଲିସ୍ ଦୁଇଜଣଙ୍କୁ ସନ୍ଦେହ କରୁଛି–ଜଣେ ହେଲେ ଡକ୍ଟର ଓଝା ଏବଂ ଅନ୍ୟଜଣେ ସେ ନିଜେ । ଡକ୍ଟର ନାୟକ ଏହାବି କହିବେ ଯେ, ଏଥିପାଇଁ ତାଙ୍କୁ ଶାନ୍ତିରେ ନିଦ ହେଉ ନାହିଁ । ଏସବୁ ଭିତରେ ସେ ଡକ୍ଟର ଓଝାଙ୍କର ପ୍ରତିକ୍ରିୟା ଅବଶ୍ୟ ଲକ୍ଷ୍ୟ କରିବେ । ତା’ପରେ କହିବେ ଯେ, ଯେହେତୁ ଇଞ୍ଜେକ୍‍ସନ୍‍ଦ୍ୱାରା ହତ୍ୟା କରାଯାଇଛି, ପୋଲିସ୍‍ ସିରିଞ୍ଜ୍, ବିଷ ଶିଶି ଓ ରସିଦ ଯଦିଥାଏ, ତେବେ ରସିଦ–ଇତ୍ୟାଦି ଖୋଜୁଛି । ରସିଦଟା ପୋଲିସ୍ ଖୋଜୁଛି ବୋଲି କହିବାକୁ ଡକ୍ଟର ନାୟକଙ୍କୁ ନିର୍ଦ୍ଦେଶ ଥିଲା ।

 

: ‘ସୁଖର କଥା ଯେ, ଡକ୍ଟର ନାୟକ ସବୁକଥା ନିର୍ଦ୍ଦେଶାନୁଯାୟୀ କହିଥିଲେ । ପରଦିନ ଡକ୍ଟର ନାୟକ ଜଣାଇଲେ ଯେ, ଡକ୍ଟର ଓଝା ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି । ଆମେ ସେଇଆ ଆଶା କରିଥିଲୁ । କାରଣ ଡକ୍ଟର ଓଝା ବିଚଳିତ ହୋଇପଡ଼ିଥିବା ଜାଣିବା ପରେ ଡକ୍ଟର ନାୟକଙ୍କୁ କୁହାଗଲା ଯେ, ସେ ଡକ୍ଟର ଓଝାଙ୍କୁ ପୁଣିଥରେ ଭେଟି କଥାବାର୍ତ୍ତା ଛଳରେ କୁହନ୍ତୁ ଯେ ତାଙ୍କର ରଣଜିତ୍ ପାତ୍ରଙ୍କ ସହ ଭେଟ ହୋଇଥିଲା । ଏକଥା ମଧ୍ୟ ଜଣାଇବେ ଯେ, ରଣଜିତ୍ ପାତ୍ର ନିକଟ ଭବିଷ୍ୟତରେ ପିକ୍‌ନିକ୍ ସ୍ପଟ୍‌କୁ ଯିବେ ସିରିଞ୍ଜ୍ ଓ ବିଷ ଶିଶି ଖୋଜିବାପାଇଁ । ବୋଧେ ତିନି/ଚାରିଦିନ ଭିତରେ । ଆହୁରି ଜଣାଇବେ ଯେ, ଯଦି ସେ ସବୁ ମିଳିଯାଏ, ତେବେ ଅବସ୍ଥା ସାଂଘାତିକ-!

 

: ‘ପରବର୍ତ୍ତୀ କଥା ସରଳ । ଡକ୍ଟର ଓଝା ରସିଦଟା ନ ପାଇ ବିଚଳିତ ହେବା ସ୍ଵାଭାବିକ ଏବଂ ଏହା ଭାବିଥିବା ସ୍ଵାଭାବିକ ଯେ, ଯଦି ରଣଜିତ୍ ପାତ୍ର ପିକ୍‍ନିକ୍ ସ୍ପଟ୍‍ରୁ କିଛି ନ ପାଇବେ, ତେବେ ରାତିରେ ବସ୍ ଅଟକିଥିବା ଜାଗାରେ ଖୋଜିବା ସ୍ଵାଭାବିକ । ଯଦି ସିରିଞ୍ଜ୍ ଓ ଶିଶି ମିଳିଯାଏ, ତେବେ ଅସୁବିଧା । ଅତଏବ, ରଣଜିତ୍ ପାତ୍ର ପିକ୍‍ନିକ୍ ସ୍ପଟ୍ ଖୋଜିବା ପୂର୍ବରୁ ସିରିଞ୍ଜ୍ ଓ ଶିଶି ଫିଙ୍ଗିଥିବା ସ୍ଥାନରୁ ନେଇ ଆସିବା ଉଚିତ । ରସିଦଟା ମିଳୁ ନଥିବାରୁ ଡକ୍ଟର ଓଝା ଭାବିଥିଲେ ଯେ, ସେ କେଉଁଠି ତାକୁ ହଜେଇ ଦେଇଛନ୍ତି ବୋଲି । କାରଣ ସେତେବେଳକୁ ପାଖାପାଖି ମାସେ ବିତି ଯାଇଥିବାରୁ ସେ ଠିକ୍ ମନେ ପକାଇ ପାରୁ ନଥିଲେ ଯେ, ରସିଦଟା କେଉଁଠି ଥିଲା ବୋଲି । ତଥାପି ସେ ଯାଇଥିଲେ, କାରଣ ସେ ଭାବିଥିଲେ ଯଦି ରସିଦଟା କେଉଁ ବିପଜ୍ଜନକ ବ୍ୟକ୍ତି ହାତରେ ପଡ଼ିଥାଏ ତଥା ତା’ପରେ ଯଦି ସିରିଞ୍ଜ୍ ଓ ଶିଶିଟା ମିଳେ ଏବଂ ଡକ୍ଟର ଦାଶଙ୍କଠାରେ ପ୍ରୟୋଗ ହୋଇଥିବା ବିଷସହ ଫିଙ୍ଗା ଯାଇଥିବା ବିଷ ଶିଶିର ମେଳ ଆସିଯାଏ; ତେବେ ବିପଦରେ ପଡ଼ିବା ସ୍ଵାଭାବିକ । ରସିଦର ତାଙ୍କ ନାଁଟା ଥିଲା ତ ! ଅତଏବ, ରସିଦଟା ଯେଉଁଠି ଥାଉନା କାହିଁକି, ସିରିଞ୍ଜ୍ ଓ ବିଷ ଶିଶି ପ୍ରଥମେ ନେଇ ଆସିବା ଉଚିତ ବୋଲି ସେ ଭାବିବା ସ୍ଵାଭାବିକ । ସିରିଞ୍ଜ୍‍ ଓ ଶିଶି ନେଇ ଆସିବା ପରେ ସେ ଆଉ ଏକପ୍ରକାର ସିରିଞ୍ଜ୍ ଯୋଗାଡ଼ କରିପାରିଥାନ୍ତେ ଏବଂ ପ୍ରମାଣ ହୋଇଥାନ୍ତା ସିରିଞ୍ଜ୍‍ଟା ତାଙ୍କ ନିକଟରେ ଅଛି ବୋଲି ! ବା ସିରିଞ୍ଜ୍‍ଟା ଭାଙ୍ଗିଯାଇଛି ବୋଲି ସେ ବି କହିପାରିଥାନ୍ତେ ।

 

: ‘ଏବଂ ସେ ସେୟା ଭାବି ଯଥାଶୀଘ୍ର ସେଇ ବସ୍‍ଷ୍ଟାଣ୍ଡକୁ ଆସିଥିଲେ । ସେ ଆଶା କରି ନଥିଲେ ଯେ, ତାଙ୍କୁ ସେଠାରେ କେହି ଅପେକ୍ଷା କରିଥିବ ବୋଲି । ସେ ସାମାନ୍ୟ ମେକପ୍‍ବି କରିଥିଲେ । ମୁଁ ଯେତେବେଳେ ତାଙ୍କୁ ଦେଖିଲି ତାଙ୍କ ପିଛା କଲି । ସେ ଚା’ ଦୋକାନର ପଛପଟକୁ ଗ୍ଲାସେ ପାଣି ନେଇ ମୁହଁ ଧୋଇବାରେ ଲାଗିଲେ । ତା'ପରେ ତାଙ୍କର ‘ମୁଦିଟା ଡ୍ରମ୍‍ରେ ପଡ଼ିଗଲା’ ବୋଲି କହିଲେ । ତାଙ୍କ କଥାରେ ଦୋକାନର ବାସନ ମାଜୁଥିବା ଟୋକାଟା ମାଟିରେ ପୋତା ହୋଇଥିବା ସେଇ ହାତଧୁଆ ଡ୍ରମ୍‍ରୁ କେଇ ବାଲଟି ପାଣି କାଢ଼ି ପକାଇଲା ଏବଂ ଭିତରେ ପଶି ମୁଦିଟା ଖୋଜିବାରେ ଲାଗିଲା । ମୁଁ ଜାଣିଲି ଯେ, ସେଇଠାରେହିଁ ଡକ୍ଟର ଓଝା ସେଦିନ ରାତିରେ ସବୁ ଫିଙ୍ଗିଥିଲେ ବୋଲି । ଯେତେବେଳେ ଡ୍ରମ୍ ଭିତରୁ ସବୁ କର୍ଦ୍ଦମାକ୍ତ ପଦାର୍ଥ କଢ଼ାଗଲା, ଡକ୍ଟର ଓଝା କାଦୁଅରୁ କିଛି ଖୋଜିବାରେ ଲାଗିଗଲେ । ଯେମିତି ତାଙ୍କ ହାତରେ ଏକ ଭଙ୍ଗା ସିରିଞ୍ଜ୍ ଓ ଶିଶି ମୁଁ ଦେଖିଲି, ସେମିତି ତାଙ୍କୁ ଧରିଲି । ତା’ପରେ କଥା ତୁମେ ଜାଣ । ସିରିଞ୍ଜ୍‍ର ଛୁଞ୍ଚିଟା ନଥିଲା-। କିନ୍ତୁ ସେଇ ସିରିଞ୍ଜ୍‍ଟା ରସିଦରେ ଉଲ୍ଲେଖ ଥିବା ସିରିଞ୍ଜ୍ ସହ ମିଶିଲା ଏବଂ ଶିଶିଟା ପରୀକ୍ଷା କରି ଜଣାଗଲା ଯେ ସେଇଟା ଏକପ୍ରକାର ଉତ୍କଟ ବିଷ ରହୁଥିବା ଶିଶି, ଯେଉଁ ବିଷ ପ୍ରୟୋଗରେ ଡକ୍ଟର ଦାଶଙ୍କର ମୃତ୍ୟୁ ହୋଇଥିଲା । ପରେ ଅବଶ୍ୟ ଡକ୍ଟର ଓଝା ଅସହାୟ ହୋଇ ସବୁ ମାନିଯାଇଥିଲେ-।’

 

ରଣଜିତ୍ ପାତ୍ର ଆଉ କିଛି କହିଥାନ୍ତେ ବା ମୁଁ ଆଉ କିଛି ପଚାରିଥାନ୍ତି, ସେତିକିବେଳେ ତାଙ୍କ ପତ୍ନୀ ଖାଇବାକୁ ଡାକିବାରୁ ଆମେ ସମସ୍ତେ ଖାଇବାକୁ ଉଠିଲୁ । ଟେବୁଲରେ ବସୁବସୁ ରଣଜିତ୍ ପାତ୍ର କହିଲେ ‘ସେ କଥା ଭାବି ଆଉ ଲାଭ କ’ଣ ? ଯଦି କିଛି ସନ୍ଦେହ ଥାଏ, ତେବେ ରଣେନ୍‍ଠାରୁ ବୁଝିନେବେ ।’

 

: ‘ଆଉ ଗୋଟିଏ କଥା କୁହନ୍ତୁ ଆଜ୍ଞା’, ମୁଁ କହିଲି, ‘ହତ୍ୟାର କାରଣଟି କ’ଣ ?’

 

: ‘ପ୍ରମୋସନ୍ ଭାଇ, ପ୍ରମୋସନ୍; ଡକ୍ଟର ଦାଶଙ୍କ ପରେ ଡକ୍ଟର ଓଝା ପ୍ରଫେସର୍ ହୋଇଥାନ୍ତେ; ଖାଲି ସେତିକି ନୁହେଁ, ତାଙ୍କର ଆମେରିକା ଯିବା ନିଧାର୍ଯ୍ୟ ହୋଇଥିଲା । ସେ ମରିଯିବା ପରେ ବିଭାଗ ପକ୍ଷରୁ ଡକ୍ଟର ଓଝାହିଁ ସେ ସୁଯୋଗ ପାଇବାରେ ହକ୍‍ଦାର ଥିଲେ । ଯଥାଶୀଘ୍ର ସବୁ ସୁଯୋଗ ହାସଲ କରିବାର ଅଦମ୍ୟ ଇଚ୍ଛାହିଁ ହତ୍ୟାର କାରଣ । ରଣଜିତ୍ ପାତ୍ର ଏତକ କହି ଚିକେନ୍ ପିସ୍‍ଟେ ପାଟିରେ ପୂରାଇଲେ ।

✽✽✽

 

Unknown

ତ୍ରିଶତୀ ସମ୍ପାଦକ ଏବଂ ସ୍ଖଳିତ ଅଭିନେତ୍ରୀ କଥା

 

(ନୂତନ ଅବୋଲକରା ସିରିଜ୍‌ର ଏହା ତୃତୀୟ କଥା । ପ୍ରଥମଟି ‘ରାଣ୍ଡବାଜ୍ ବଣିକ ଓ ନାଗରୀ ଗଣକୀ କଥା’ ଏବଂ ଦ୍ୱିତୀୟଟି ‘ଦିବଂଗତ କବିଙ୍କ ଅସରନ୍ତି ଗାଥା ଏବଂ କଳଙ୍କିତ କବିପୁତ୍ର କଥା’ ପୂର୍ବରୁ ପ୍ରକାଶ ପାଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରଛି ।

 

ବାସ୍ତବରେ ଅବୋଲକରା ଏକ ବିଚିତ୍ର ଚରିତ୍ର । ଆମ ସଂସ୍କୃତି ଓ ସାହିତ୍ୟ ପରମ୍ପରାରେ ଏହା ପ୍ରାୟତଃ ଘରେଘରେ ପରିଚିତ ଥିଲା । କେଉଁ ମାନସିକତା ଅବା ସାରସ୍ୱତ ଆବଶ୍ୟକତାରୁ ଏପରି ବିଚିତ୍ର ଅଭିମାନୀ ଚରିତ୍ରଟିଏର ପରିକଳ୍ପନା କରାଯାଇଥିଲା, ତାହା ସଠିକ୍ କହିବା ଅବା ଅନୁମାନ ଲଗାଇବା କାଠିକର ପାଠ । କି ଅଦ୍ଭୁତ ଶ୍ରୋତା ସିଏ ହୋଇଥିବ, ଯିଏ ଜଣେ ଆପାତତଃ ଗୁରୁଜନସ୍ଥାନୀୟ ଗପ ଶୁଣେଇବାବାଲା ସହ ସର୍ତ୍ତ ରଖୁଥିବ ଯେ, ଗପଟିଏ ଶୁଣାଇଲେହିଁ ସିଏ ତାଙ୍କର କିଛି ନିର୍ଦ୍ଦିଷ୍ଟ କାମ କରିଦେବ ! ହାୟ–ଏପରି ଜଣେ ଶ୍ରୋତା ମୋ’ଭାଗ୍ୟରେ ଯଦି କେଉଁଠି ଥାଆନ୍ତା, ତେବେ ମୁଁ କାଗଜ କଲମ ସହ ସମ୍ପର୍କ ତୁଟାଇ କେବଳ ଲୋକଟିକୁ ଗପ ପରେ ଗପ ଶୁଣାଇବାରେ ଲାଗିଯା'ନ୍ତି । ନାଇଁ, ନାଇଁ...ସିଏ ମୋପାଇଁ କିଛି କାମ କରିଦିଅନ୍ତା ନାହିଁ, ବରଂ ମୁଁ ତା’ର ଛୋଟବଡ଼ କାମ କରିପକାନ୍ତି । ଏଇଥିପାଇଁ ଯେ ତା’ରି ମୁହଁରେମୁହଁରେ ମୋ’ ଶୁଣେଇଥିବା ଗପ କାହିଁ କେତେ ବର୍ଷ ବଂଚି ରହିଯା'ନ୍ତା !

 

ହଁ–ପୁରୁଣା ଅବୋଲକରା ଗପମାନଙ୍କରେ ଗଳ୍ପକ ଜଣେ ଟିଙ୍ଗା ଓ ସାମାନ୍ୟ ଚିଡ଼ିଚିଡ଼ା ସ୍ଵଭାବର ଥିଲେ ବୋଲି ସୂଚନାମିଳେ । ତାଙ୍କୁ ବେଶୀ ସଂଖ୍ୟକ ବିତଣ୍ଡା ପ୍ରଶ୍ନ ପଚାରିଲେ ସିଏ ଅଧାରୁ ଗପ କହିବା ବନ୍ଦ କରି ଉଠିଯିବାପରି ପରିସ୍ଥିତି ସୃଷ୍ଟି କରୁଥିଲେ । ଅତଃ ମାତ୍ର ତିନିଟି/ପାଞ୍ଚଟି ପ୍ରଶ୍ନ ପଚାରିପାରିବ ବୋଲି ଅବୋଲକରା ସହ ସିଏ ସର୍ତ୍ତ ରଖୁଥିଲେ ।

 

ହଁ–ଯେପରି ବେଦ ଓ ଉପନିଷଦ ଜଣେ ନୁହେଁ, ଅନେକଙ୍କଦ୍ଵାରା ଭିନ୍ନଭିନ୍ନ କାଳଖଣ୍ଡରେ ରଚିତ ହୋଇଥିଲା, ସେପରି ଏମନ୍ତ ମଧ୍ୟ ସମ୍ଭବ ଯେ ଅବୋଲକରା ଶୃଙ୍ଖଳାରେ ଭିନ୍ନଭିନ୍ନ ସମୟରେ ଚମତ୍କାର କାହାଣୀ ସବୁ ଶୁଣାଇ ଦିଆଯାଇଛି ବା ଲିପିବଦ୍ଧ କରାଯାଇଛି । ପ୍ରଥମ ଓ ଶେଷ ଅବୋଲକରା କାହାଣୀ କେବେ ଓ କାହାଦ୍ଵାରା ରଚିତ ହୋଇଥିଲା ବା କୁହାଯାଇଥିଲା, ମୋତେ ଜଣାନାହିଁ । ତେବେ ପ୍ରାୟ ସମସ୍ତ କାହାଣୀ ଶୁଣିବା ଓ ଶୁଣାଇବା ପ୍ରକ୍ରିୟାରେ କେତେକ ସାଧାରଣ ସର୍ତ୍ତ ବା ଉପାଦାନ ରହିଥିଲା, ଯେପରି, କମ୍ବଳ, ଛତା, ଢାଳ, ନନାଙ୍କର ଅର୍ଥାତ୍ ଗଳ୍ପକ/କଥକଙ୍କର ଗୋଡ଼ ମୋଡ଼ିଦେବାଠାରୁ ଆରମ୍ଭ କରି ଛୋଟମୋଟ ‘ବୋଲ’ (ଆଦେଶ ?) ପାଳନ କରିବାର ପ୍ରତି ବଦଳରେ ‘ଅ–ବୋଲ–କରା’ ଗପ ଶୁଣିବା ଅଥବା ଏହାର ବିପରୀତରେ ଗପଟେ ଶୁଣିବାପାଇଁ ବୋଲ କରିଦେବା ଇତ୍ୟାଦି । ସମୟ ଓ ସମାଜ ବଦଳିବା ସହ କାହାଣୀ, କଥନଶୈଳୀ, କାହାଣୀ ଚୟନ, ପରିବେଶ, ଉପାଦାନ ଏବଂ ଉପକରଣ ବଦଳିଯିବା ଅତୀବ ନ୍ୟାୟସଂଗତ । ଏହି ସବୁ ବିଷୟ ଗଳ୍ପ କଥନ ପ୍ରକ୍ରିୟା ଭିତରେ ଆତଯାତ ହେବେ । ସମାଜର ପରିବର୍ତ୍ତନ ସହ ତାଳ ଦେଇ ଉଭୟ ଗଳ୍ପକ ଓ ଅବୋଲକରାଙ୍କର ମଧ୍ୟ ପରିବର୍ତ୍ତନ ଘଟିଛି-

 

ନୂତନ ଅବୋଲକରା ସିରିଜ୍‌ର ଏହା ତୃତୀୟ କଥା । ସଶ୍ରଦ୍ଧ ପାଠକୀୟ ଆଲୋଚନା, ମନ୍ତବ୍ୟ, ପରାମର୍ଶ ଓ ପ୍ରତିକ୍ରିୟାର ଅପେକ୍ଷା ରହିଲା । ...ଗଳ୍ପକ)

 

Χ Χ Χ

 

ଅବୋଲକରା ଏକ ଉଚ୍ଚମାନର ବିଦେଶୀ ସୁରାର ବଣ୍ଟନ ସ୍ଥାନରୁ ନିଜ ପାତ୍ର ଦେଖାଇ ଦ୍ୱିତୀୟ ଥର ସୁରା ଆଣି ଏକ ଅପେକ୍ଷାକୃତ ନିରୋଳା ସ୍ଥାନରେ ପଡ଼ିଥିବା ହାଲ୍‌କା ଚୌକିରେ ବସିପଡ଼ିବା ମୁହୂର୍ତ୍ତରେହିଁ କାନ୍ଧରେ କାହାର କରସ୍ପର୍ଶ ଅନୁଭବ କରି ବୁଲିପଡ଼ି ଦେଖିଲା ଯେ, ଗଳ୍ପକନନା କ୍ଷୁଦ୍ରାଦପି କ୍ଷୁଦ୍ର ହସଟିଏ ଓଠରେ ଖେଳାଇ ଠିଆ ହୋଇଥିଲେ । ତାଙ୍କୁ ଦେଖିବାକ୍ଷଣି ଅବୋଲକରା ନିର୍ମଳ ଆନନ୍ଦରେ ବିହ୍ୱଳ ହୋଇଗଲା ଏବଂ ହାତରେ ଧରିଥିବା ସୁରାପାତ୍ରଟିକୁ ମେଜ ଉପରେ ଯତ୍ନରେ ରଖି ଗଳ୍ପକଙ୍କୁ ପ୍ରଣିପାତ କଲା । ତତ୍ ସହ ନିକଟରୁ ଆଉ ଏକ ଚୌକି ଟାଣିଆଣି ଏପରି କାଇଦାରେ ପକାଇଲା ଯେପରି ସେମାନେ ସାମନାସାମନି ବସି କଥା ହୋଇପାରିବେ !

 

ଚୌକିରେ ବସୁବସୁ ଗଳ୍ପକ କହିଲେ, ‘ଢେର୍ ଦିନ ହେବ ତୁମ ସହ ସାକ୍ଷାତ ହୋଇ ନାହିଁ ଅବୋଲ । ତେବେ ସେଥିପାଇଁ ମୋର କଦାଚିତ୍‍ ଚିନ୍ତା ବା ଆଶଙ୍କା ନଥାଏ । ସେ ସବୁ ସ୍ଵାଭାବିକ କଥା, କାରଣ ଏ ଜଗତ ଓ ପ୍ରକୃତିର ରୀତିନୀତି ନିୟମ ଏପରି ଯେ ପରସ୍ପରକୁ ଶ୍ରଦ୍ଧା କରୁଥିବା ଓ ଭଲପାଉଥିବା ମଣିଷମାନେ ଆଗ୍ରହ ଥାଇବି ଭେଟାଭେଟି ହୋଇନପାରିବାରୁ ଗଭୀର ଦୁଃଖରେ କାଳାତିପାତ କରିଥା’ନ୍ତି । ଅତି ନିଜର ଲୋକମାନେ ବର୍ଷ ବର୍ଷ ଧରି ପରସ୍ପରକୁ ସାକ୍ଷାତ କରିପାରନ୍ତି ନାହିଁ, ତେବେ ସାକ୍ଷାତ୍ ନହେବାଟା ସମ୍ପର୍କକୁ ଦୁର୍ବଳ କରିପାରି ନଥାଏ । ହେଲେ ସେ ସବୁ ପରବର୍ତ୍ତୀ କଥା । ପ୍ରଥମରେ ମୋତେ କୁହ ଯେ, ଏହି ସ୍ଥାନରେ କେଉଁ ସମ୍ପର୍କ ବା ପରିଚୟର ଆଧାରରେ ତୁମେ ଉପସ୍ଥିତ ହୋଇଛ ?

 

ଅବୋଲକରା ପାନୀୟକୁ ଓଠ ସ୍ପର୍ଶ କରାଇଲା ଏବଂ କହିଲା, ‘ଆପଣ ଖୁବ୍ ଆଦରରେ ମୁଁ ଆପଣଙ୍କୁ ଭେଟି ପାରି ନଥିବା କାରଣରୁ ମୋତେ ଚୂନ ମାରିଲେ । ତେବେ ଆପଣଙ୍କ ଚୂନମରା ବା ଥଟ୍ଟା କରିବାକୁ ମୁଁ କଦାଚିତ୍ ଭିତରକୁ ନିଏ ନାହିଁ । ଆଉ କଥା ରହିଲା ମୁଁ ଏଠାରେ କିପରି ଉପସ୍ଥିତ ହୋଇଛି । ଯଦିଚ ଏହା ମୋର ଧୃଷ୍ଟତା ହେବ, ତଥାପି ସେଇ ଏକା ପ୍ରଶ୍ନ ଆପଣଙ୍କୁ ମଧ୍ୟ ପଚରାଯାଇପାରେ । ଆପଣ ଏଠାରେ କିପରି ଓ କାହିଁକି ?

 

‘ଆଜି ଏଠାରେ ଯେଉଁ ଉତ୍ସବ ପାଳନ କରାଯାଉଛି, ତାହା ଜଣେ ପ୍ରସିଦ୍ଧ ସାମ୍ବାଦିକଙ୍କର ଉତ୍ସବ । ତାଙ୍କ ପ୍ରକାଶିତ ଏକ ସାପ୍ତାହିକ ସମ୍ବାଦପତ୍ରର ପ୍ରସାରଣ ସଂଖ୍ୟା ଗତ ସପ୍ତାହରେ ଏକ ଲକ୍ଷରେ ପହଞ୍ଚିଥିବାରୁ ଆଜିର ଏହି ସାୟଂକାଳୀନ ସମାରୋହ । ଏଠାରେ ଅନେକ ବଡ଼ କମ୍ପାନୀମାନଙ୍କର ବିଜ୍ଞାପନ ସହ ସ୍ଥାନୀୟ କେତେକ ବୃହତ୍ ଗହଣା ଦୋକାନ, ହୋଟେଲ, ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ବିଜ୍ଞାପନମାନ ଲାଗିଥିବାର ତୁମେ ଦେଖିପାରୁଥିବ । ବାସ୍ତବରେ ଆଜିର ଆସର ସେମାନଙ୍କର କ୍ଷୁଦ୍ର ସହଯୋଗର ନମୁନା ମାତ୍ର । ତେବେ ଏସବୁ ତ ତୁମ ପ୍ରଶ୍ନର ଉତ୍ତର ନୁହେଁ । ସେହି ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ ଭେନୁଗୋପାଳ ମହାନନ୍ଦ ମୋର ମହାବିଦ୍ୟାଳୟକାଳର ସତୀର୍ଥ । ମଝିରେ ମଝିରେ ଆମ ଉଭୟଙ୍କର ସାକ୍ଷାତ ହେଉଥିଲେବି ତା’ର ବୃତ୍ତି ବା ଚଳିବାର ମାର୍ଗ ଇତ୍ୟାଦି ବିଷୟରେ ମୋର ଜାଣିବାର ଅବକାଶ ନଥିଲା । ଏଇମାତ୍ର ଛ'ମାସ ହେବ ମୁଁ ସବୁ ଜାଣିଲି । ଅନେକ କଥା ମୁଁ ମୋର ବନ୍ଧୁ, ପତ୍ରିକାର ସମ୍ପାଦକ ଭେନୁ ବା ବେଣୁ ମହାନନ୍ଦଠାରୁ ଶୁଣିଛି, କିଛି କଥା ଅନ୍ୟ ଚିହ୍ନାଜଣା ଓ ସରକାରୀ ପଦାଧିକାରୀଙ୍କଠୁ ଶୁଣିଛି । ଅତଏବ, ମୁଁ ଏଠାରେ ଜଣେ ବନ୍ଧୁ ହିସାବରେ ଯଦିବା ଉପସ୍ଥିତ ରହିଛି, ମୋର ବିଶେଷ ଆଗ୍ରହ ନାହିଁ, ଆଗ୍ରହ ନଥାଉ, ଅନୁସନ୍ଧିତ୍ସା ତ ରହିଛି । ସମାଜ ଓ ସଂସ୍କୃତିର ବିଭିନ୍ନ ବିଭବ, ଧାରା, ପ୍ରତିଧାରା, ନୂତନ ଚଳଣି ଆଦି ସମ୍ପର୍କରେ ବ୍ୟାପକ ନହେଲେବି ସମ୍ୟକ୍ ଜ୍ଞାନଲାଭ ଆଶାରେ ମୁଁ ଆସିଛି । ତେବେ ତୁମର ଉପସ୍ଥିତି ମୋତେ ଚକିତ କରିଛି ।

ଗଳ୍ପକଙ୍କର ଏହି ଦୀର୍ଘ କୈଫିୟତ ପରେ ଅବୋଲ କିଛି ନ କହି ନିଜ ଚୌକିରୁ ଉଠିଗଲା ଏବଂ ସିଧା ପହଞ୍ଚିଗଲା ମାଗଣା ସୁରା ବଣ୍ଟନ କକ୍ଷ ବା କେନ୍ଦ୍ର ନିକଟରେ ଏବଂ ଦୁଇଟି ପାତ୍ରରେ ଉତ୍କଟ କଡ଼ାପାନୀୟ ଧରି ନିଜ ଆସନ ନିକଟକୁ ଫେରିଆସି ସେତକ ଥୋଇ ଦେଇ ପୁନର୍ବାର ଦ୍ରୁତଗତିରେ ଚାଲିଗଲା ତଥା ପାଞ୍ଚ ମିନିଟ୍ ମଧ୍ୟରେ ଏକ କାଗଜ ଥାଳିଆରେ କୁକୁଡ଼ା ମାଂସ ଟୁକୁଡ଼ାର ପକୁଡ଼ି ଓ ଅନ୍ୟ ଏକ କାଗଜ ଥାଳିଆରେ ଗଜାମୁଗ ସହ ନଡ଼ିଆ–କାକୁଡ଼ି ଗୁଣ୍ଡ ମିଶା କିଛି ନେଇ ଆସିଲା । ପକୁଡ଼ି ନିଜ ନିକଟରେ ରଖି ଗଜାମୁଗକୁ ଗଳ୍ପକଙ୍କ ନିକଟକୁ ଠେଲି ଦେଇ, ଏକ ପାତ୍ରରୁ ପାନୀୟ ପିଇଦେଇ, ପରମ ପରିତୃପ୍ତିର ହସଟିଏ ହସିଲା ଏବଂ କହିଲା, ‘ମୁଁ କେବଳ ଆଗ୍ରହର ବଶବର୍ତ୍ତୀ ହୋଇଆସିଛି । ମୋର ଜଣେ ଚିହ୍ନା ଲୋକ ଏଇ ହୋଟେଲରେ ରୁମ୍ ବଏ କାର୍ଯ୍ୟ କରେ । ତା’ରି କଥାରେ ଆସିଛି ।’

‘କିନ୍ତୁ ତୁମକୁ ନିମନ୍ତ୍ରିବା ପାଇଁ ତ ରୁମ୍ ବଏର କ୍ଷମତା ନାହିଁ’, ଗଳ୍ପକ କହିଲେ, ‘ସରଳାର୍ଥ ଏହି ଯେ, ତୁମେ ଆଜି ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟ ସମ୍ପୂର୍ଣ୍ଣ ମାଗଣାରେ ପାଇବ । ଏହା ତ ନୀତି ଓ ସାମାଜିକତା ବହିର୍ଭୂତ କାର୍ଯ୍ୟ । ମୋର ସୀମିତ ଜ୍ଞାନ କଳନରେ ମୁଁ ଜାଣୁଛି ଯେ, ତୁମେ ସର୍ବନିମ୍ନ ଦୁଇ ସହସ୍ର ମୁଦ୍ରାର ଖାଦ୍ୟ–ପାନୀୟ ଉଦରସ୍ଥ କରିଦେବ ।’

‘ଆପଣ ଚମତ୍କାର ଗପ କହିପାରନ୍ତି ସତ’ ଅବୋଲ କହିଲା, ‘କିନ୍ତୁ ଅଧିକାଂଶ ସମୟରେ ମୋର ଅନୁଭବ ହୁଏ ଯେ, ଆପଣ ଜନଜୀବନର ବାସ୍ତବତାଠାରୁ ଢେର୍ ଦୂରରେ ଥାଆନ୍ତି । ଅନ୍ୟାର୍ଥେ ଆପଣ ଯୁଗୋପଯୋଗୀ ନୁହନ୍ତି ।’

 

‘ତାହା କିପରି ?’ ଗଳ୍ପକ ପ୍ରଶ୍ନ କଲେ ।

 

ଅବୋଲ କହିଲା, ‘ଏଇ ମୁହୂର୍ତ୍ତରେ ଏଠାରେ ଅତିକମ୍‌ରେ ପଚିଶ ତିରିଶ ଜଣ ଥିବେ ଯେଉଁମାନେ କି ଅଭ୍ୟାସଗତ ମାଗଣାଖିଆ । ବାସ୍ତବରେ ଏଇ ପଚିଶ ତିରିଶ ଜଣ ସହରର ପ୍ରାୟ ସଭାସମିତି ଓ ବିବାହାଦି ଉତ୍ସବରେ ରହି ମାଗଣା ଖାଆନ୍ତି । ଜଣେ ଚତୁର ଲୋକ ମାସେ ଦେଢ଼ମାସ ସଭାସମିତିରେ ରହି ସମସ୍ତଙ୍କୁ ନିରୀକ୍ଷଣ କଲେ ଜାଣିବ । ତେବେ ଅନ୍ୟ କେହି ମାଗଣା ଖାଇଲା ବୋଲି ମୁଁ ବି ଖାଇବି, ଏହା ତ ଆଦୌ ଯୁକ୍ତିସଙ୍ଗତ ନୁହେଁ । ଏହି ବଡ଼ବଡ଼ ସମ୍ଭ୍ରାନ୍ତ ଶ୍ରେଣୀୟ ଜାଗା/ସମାରୋହରେ କ’ଣ ହୋଇଥାଏ, ତାହାର ପ୍ରତ୍ୟକ୍ଷଦର୍ଶୀ ହେବାର ଅଭିଳାଷରେ ମୁଁ ଏଠାକୁ ଆସିଛି । ସୌଭାଗ୍ୟ ଓ ସଂଯୋଗ ଯେ, ଆପଣ ଏଠାରେ ଅଛନ୍ତି, ନତୁବା ମତେ ଲାଗୁଥିଲା ଯେ, ନିଶ୍ଚୟ କେହି ସନ୍ଦେହରେ ‘‘ତୁମେ କିଏ, ଏଠାକୁ କାହିଁକି ଆସିଛ’’ ବୋଲି ପଚାରିଦେବ ଏବଂ ଲଜ୍ଜାରେ ମୋର ସତେ ଅବା ମୃତ୍ୟୁ ହେଇଯିବ ।’

 

‘ରାତି ନ’ଟାରୁ ଦଶ ଯାଏଁ ଗଜଲ୍ ଆସର, ଦଶରୁ ଏଗାର ଡିସ୍କୋ ଡାନ୍‍ସ୍ ଏବଂ ସାଢ଼େ ଏଗାରରୁ ଗୋଟାଏ ଯାଏଁ ‘ଢିଗାମ୍ବର ଲାଇଭ୍’ ଅନୁଷ୍ଠିତ ହେବ । ରାତି ଏଗାରରେ ଏଠାରୁ ସମସ୍ତଙ୍କୁ ସଶ୍ରଦ୍ଧ ବିଦାୟ ଦିଆଯିବ । ଅତି–ମାନେ ନିହାତି ଅନ୍ତରଙ୍ଗ ପନ୍ଦର ସତର ଜଣଙ୍କ ଉପସ୍ଥିତିରେ ‘ଢିଗାମ୍ବର ଲାଇଭ୍’ ପରିବେଷିତ ହେବ । ତେବେ ସେତେ ଡେରିଯାଏ ରହିବାର ମୋର ଅଭିପ୍ରାୟ ନାହିଁ । ମୁଁ ସାଢ଼େ ଦଶରେ ୟେ ଜାଗା ଛାଡ଼ିବି । ତୁମେ ହୁଏତ ରହିପାର !’ ଗଳ୍ପକ କହିଲେ ‘ନା–ନା–ମୁଁ ଶେଷଯାଏଁ ରହିପାରିବି ନାହିଁ’, ଆଉ ଦୁଇ ଢୋକ ସୁରାପାନ ପୂର୍ବକ ଅବୋଲ କହିଲା, ‘କିନ୍ତୁ ଆପଣ ମତେ ବୁଝାଇଦେବେ କି ଏଇ ଢିଗାମ୍ବର ଲାଇଭ୍‍ଟା କି ପ୍ରକାର ଚିଜ ।’

 

ଗଳ୍ପକ କିଛିକ୍ଷଣ ନିରବତା ଅବଲମ୍ବନ କରିବାପରେ କହିଲେ, ‘ଏଠାରୁ ଚାରି କିଲୋମିଟର ଦୂରସ୍ଥ ଏକ ନିମ୍ନମାନର ହୋଟେଲରେ ମୁଁ ରହୁଛି, ଆଜିକୁ ମିଶାଇ ମୁଁ ତିନିଦିନ ସେଇଠି ରହିବି । ତୁମର ଅଜସ୍ର ମଙ୍ଗଳ ହେବ, ଯଦି ତୁମେ ମୋତେ ସେଇଠାରେ ଛାଡ଼ି ଦେଇ ଆସିବ । କ’ଣ କହୁଛ ?’

 

ଅବୋଲକରା କିଛି ଚିନ୍ତା କଲା, ତା'ପରେ ତା’ ମୁହଁ କେଜାଣି କାହିଁକି ଉଜ୍ଜ୍ଵଳ ଦିଶିଲା, କହିଲା, ‘ଇଏ ଗୋଟେ କଥା ! ମୁଁ ତ ଦାସାନୁଦାସ । ନିଶ୍ଚୟ ଛାଡ଼ି ଦେଇ ଆସିବି । ତେବେ ନିର୍ଦ୍ଦିଷ୍ଟ ସର୍ତ୍ତ ଅଛି ।’

 

‘କି ସର୍ତ୍ତ ? ଗଳ୍ପକ ପଚାରିଲେ ।’

 

‘ମୁଁ ଆପଣଙ୍କୁ ଏଠାରୁ ନେଇ ସେଠାରେ ଛାଡ଼ିଦେବି । ତେବେ ସର୍ତ୍ତ ହେଲା ଆପଣ ସେଠି ପହଞ୍ଚି ନିତ୍ୟକର୍ମ କରିବାପରେ ଆଜି ରାତିରେ ହେଉ ଅବା କାଲି ଦିନବେଳା ହେଉ, ମୋତେ ସମୟ ଦେଖି ଆରାମରେ ଗପ ଶୁଣେଇବ । ଆଉ ଗପର ନାମ ଆଗରୁ ନିଶ୍ଚୟ କହିବାକୁ ହେବ । କାଲି କହିବେ ଯଦି ମୁଁ...’

 

ଗଳ୍ପକ କହିଲେ, ‘ଯେଉଁ କାହାଣୀ ମୁଁ ଶୁଣେଇବି, ତାହା ମୋର ସଦ୍ୟତମ । ଏଇ ସମ୍ପାଦକ ବନ୍ଧୁର ଜୀବନଚର୍ଯ୍ୟାକୁ ନେଇ, ତହିଁରେ କିଛି କଳ୍ପନା ଯୋଡ଼ି ମୁଁ କାହାଣୀଟିଏ ତିଆରିଛି, ମନେମନେ । ଏହାର ନାମ ହୁଏତ ଏମିତି ରଖାଯାଇପାରେ, ‘‘ତ୍ରିଶତୀ ସମ୍ପାଦକ ଏବଂ ସ୍ଖଳିତ ଅଭିନେତ୍ରୀ କଥା’' । ତାହା ଯଦି ମୁଁ ତୁମକୁ ନ ଶୁଣେଇବି, ତେବେ ମୋର ଆତ୍ମା କି ହୃଦୟ ଶାନ୍ତି ପାଇବ ନାହିଁ ।

 

ଅବୋଲକରା କହିଲା, ‘ତେବେ ଢିଗାମ୍ବର ଲାଇଭ୍ ଜିନିଷଟା କ’ଣ ହୋଇପାରେ ? ଅତି ସଂକ୍ଷେପରେ ମତେ ବୁଝାଇ ଦିଅନ୍ତୁ ।’

 

ଗଳ୍ପକ ବଂଚିବାର ବାହାନା ଖୋଜିବାର ପ୍ରୟାସ କଲେ, କହିଲେ, “ମୋର ଯାହା ଅନୁମାନ, ଢିଗାମ୍ବର ଇଂରାଜୀ ପରି ଶୁଣାଗଲେବି ଇଂରାଜୀଠାରୁ ଏହା ଢେର୍ ଦୂରରେ । ବାସ୍ତବରେ ଏହା ଏକ ଅତି କଞ୍ଚା ଓଡ଼ିଆ ଶବ୍ଦ, ଯେତେ ଦୂର ସମ୍ଭବ ଏହା ବୋଧେ ଦିଗମ୍ବର ଲାଇଭ୍ । ଦିଗମ୍ବର ବୋଧେ ଏକ ସାଙ୍କେତିକ ସୂଚନା । ଦିଗମ୍ବର ଶବ୍ଦର ଅର୍ଥ ଜାଣିଥିବ । ସେ ଦିଗରୁ ବିଚାରିଲେ ଏହା ଏକ ସମ୍ପୂର୍ଣ୍ଣ ଉଲଗ୍ନ ନୃତ୍ୟ ଆସର । କିଛି ଦ୍ୱିତୀୟ ଓ ତୃତୀୟ ପାହାଚର ନାୟିକାମାନେ ଗୋଟିକ ପରେ ଗୋଟିଏ ବସ୍ତ୍ର ମଞ୍ଚ ଉପରେ ... ... । ଏସବୁ ବର୍ଣ୍ଣନା କରି କହିବାର କିଛି କାରଣ ନାହିଁ । ସେମାନଙ୍କ ସହ ଏମାନଙ୍କ ମଧ୍ୟରୁ କେତେକ ଉଲଗ୍ନ ହୋଇ...ଛାଡ଼ ! ବୁଝିଲ ଅବୋଲ, ସମୟ ଏକ ପ୍ରଜାପତି, ପୁଣି ସମୟବି ସଁବାଳୁଆ ।’

 

‘ଆପଣତ ଆଜିକାଲିକା କବିଙ୍କ ପରି କଥାଟା କହିଲେ’, ଅବୋଲକରା କହିଲା ‘ଏଠି ଆଉ ବେଶୀ ସମୟ ରହିବା ଅନୁଚିତ । ମୁଁ ଆପଣଙ୍କୁ ଆପଣଙ୍କ ରହିବା ଜାଗାରେ ଛାଡ଼ି ଦେବି । ତେବେ ସର୍ତ୍ତ ଏହି ଯେ, ଆପଣ ମତେ ‘‘ତ୍ରିଶତୀ ସମ୍ପାଦକ ଏବଂ ସ୍ଖଳିତ ଅଭିନେତ୍ରୀ କଥା’ ନିଶ୍ଚୟ ଶୁଣାଇବେ ।

 

ଗଳ୍ପକ ସର୍ତ୍ତରେ ରାଜିହେବାମାତ୍ରେ ଅବୋଲ ତୁରନ୍ତ ପାନୀୟ ଖଲାସ କରି ଉଠିପଡ଼ି ବୀରଦର୍ପରେ ଚାଲିବାରେ ଲାଗିଲା । ଗଳ୍ପକ ନନା ମଧ୍ୟ ଚାରିଆଡ଼େ ନଜର ଘୂରାଇଲେ ଏବଂ ଛାଇଛାଇଆ ଜାଗା ମଧ୍ୟଦେଇ ଚାଲିବାରେ ଲାଗିଲେ । ଆଖିର ଗୋଟେ କଣରୁ ଦେଖିଲେ ତାଙ୍କ ବନ୍ଧୁ ଅର୍ଥାତ୍ ଆସରର ଆୟୋଜକ ବେଣୁ ମହାନନ୍ଦ ଏକ ହାତରେ ସୁରାପାତ୍ର ଧରିଚି ଓ ଅନ୍ୟ ହାତ ଏକ ଉଗ୍ରାଧୁନିକା ତରୁଣୀର କାନ୍ଧରେ ରଖିଛି । ସିଏ ପିନ୍ଧିଥିଲା ଫିନ୍‍ଫିନ୍ ଧଳା ଜାମା, ଫୁଲ୍ ସାର୍ଟ୍, ସାର୍ଟ୍‍ର ତିଆରି ଭିନ୍ନ କିସମର, କିଛିଟା ଗଳାବନ୍ଦ କୋଟ୍ ଡିଜାଇନର, ତା’ ସହ ଜଙ୍ଘ ଚିପା ପ୍ୟାଣ୍ଟ । ଡାହାଣ ହାତର ଘଣ୍ଟା ଢେର୍ ଦୂରରୁ ବାରି ହୋଇ ପଡ଼ୁଥିଲା ।

 

ଅବୋଲ ଫାଟକ ବାହାରକୁ ଯାଇ ମଟରସାଇକେଲ ଷ୍ଟାର୍ଟ୍ କରିସାରି ରାସ୍ତାର ବାମପଟ ଧାରରେ ଘୁଁ ଘୁଁ କରୁଥିଲା । ଗଳ୍ପକନନା ତାକୁ କିଛି ନ କହି ମଟର ସାଇକେଲରେ ବସିଲେ । ଅବୋଲର ଗାଡ଼ି ମଧ୍ୟମ ବେଗରେ ଗଡ଼ିବାରେ ଲାଗିଲା । ଗୋଳିଆ ପାଣି ରଙ୍ଗର ଜହ୍ନର ଆଲୋକ, ଅଳ୍ପ ଶୀତୁଆ ପବନ ଏବଂ ମଧୁର ନିଶା ଅବୋଲକୁ ପ୍ରଦାନ କରିଥିଲା ଏକ ଚମତ୍କାର ଅନୁଭବ । ତେବେ ତାକୁ ଉଲ୍ଲସିତ କରିଥିଲା ଗଳ୍ପକ ନନାଙ୍କ ସାନିଧ୍ୟ ।

 

ସେ ଦିନ ରାତିରେ କାହାଣୀ ଶୁଣିବାର ସୁଯୋଗ ଓ ସୌଭାଗ୍ୟ ହୋଇ ନଥିଲା । ପରଦିନ ନିତ୍ୟକର୍ମ ସାରିବା ପରେ ଗଳ୍ପକନନା ରହୁଥିବା କୋଠରୀରେ ସେମାନେ ସାମନାସାମନି ବସିଥିଲେ । କାହାଣୀ ଶୁଣିବାପାଇଁ ଏହା ଥିଲା ଏକ ଚମତ୍କାର ପରିବେଶ । ଝର୍କା ବାଟେ ବାହାରର ଦୃଶ୍ୟ ସ୍ପଷ୍ଟ ଦିଶୁଥିଲା । ମନ ଦେଇ କାନ ଡେରିଲେ କିଛି ପକ୍ଷୀମାନଙ୍କର କିଚିରିମିଚିରି ଶୁଣାଯାଉଥିଲା । ଏସବୁ ଭିତରେ ସର୍ତ୍ତ ମୁତାବକ ଗଳ୍ପକ ନନା କାହାଣୀ କହିବା ଆରମ୍ଭ କଲେ । ତାଙ୍କର ସତେଜ ମୁଖମଣ୍ଡଳ ଓ ଆଖିର ଔଜଲ୍ୟରୁ ଅବୋଲ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ବାରି ହୋଇ ପଡ଼ୁଥିଲା ।

 

ପିଠି ପଛପଟେ ତକିଆଟେ ରଖି କାନ୍ଥକୁ ଆଉଜି ବସିଥିବା ଅବସ୍ଥାରେ ଗଳ୍ପକ କାହାଣୀ ଆରମ୍ଭ କଲେ, ତ୍ରିଶତୀ ସମ୍ପାଦକ ଏବଂ ସ୍ଖଳିତ ଅଭିନେତ୍ରୀ କଥା ।

 

ଆଜିର ପ୍ରସିଦ୍ଧ ସାମ୍ବାଦିକ ଭେନୁଗୋପାଳ ମହାନନ୍ଦ ଓରଫ୍ ବେଣୁ ଗୋପାଳ ମହାନନ୍ଦ ପ୍ରଥମରୁ କୌଣସି ପ୍ରସିଦ୍ଧ ପରିବାରରେ ଜନ୍ମ ହୋଇ ନଥିଲା । ତେବେ ପରବର୍ତ୍ତୀ କାଳରେ ତା’ସହ ସମ୍ପର୍କ ହେତୁ ମୁଁ ଏହି ପ୍ରସିଦ୍ଧିଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଢେର୍ ଦିନରୁ ବେଣୁ ବୋଲି ଡାକି ଆସିଛି ।

 

ବେଣୁର ପିତାଙ୍କ ନାମ ଥିଲା ଧନେଶ୍ୱର ମହାନନ୍ଦ । ତେବେ ଗ୍ରାମବାସୀ ଏବଂ ଆପଣାର ଲୋକମାନେ ଏହାଙ୍କୁ ଧନୀ ବୋଲି ଡାକୁଥିଲେ । ବିଧିର ବିଚିତ୍ର ବିଡ଼ମ୍ବନା ।

 

ଯାହାର ନାଁ ଧନୀ, ସେହିଁ ଥିଲା ଗାଁର ଦରିଦ୍ରତମ ବ୍ୟକ୍ତି । ଅନେକତ୍ର ଏପରି ପରିଦୃଷ୍ଟ ହୋଇଥାଏ । ଯେପରି ଦୃଷ୍ଟିଶକ୍ତି ରହିତ ବ୍ୟକ୍ତିର ନାମ ପଦ୍ମଲୋଚନ ହୋଇଥାଏ ଅବା ସୁଭାଷିନୀ ନାମ୍ନୀ କନ୍ୟାଟି ମୂକ ହୋଇଥାଏ । ବେଣୁର ପିତା ଧନୀ ତତ୍କାଳୀନ ସମାଜରେ ଅନ୍ୟର ଜମି ଭାଗଚାଷ କରି ପରିବାର ଚଳାଉଥିଲେ । ଉତ୍କଟ ଦାରିଦ୍ର୍ୟ ସତ୍ତ୍ୱେ ତାଙ୍କର ପୁଅଝିଅ ମିଶି ଛି’ଜଣ ପିଲା ଥିଲେ । ଅଧିକାଂଶ କ୍ଷେତ୍ରରେ ଏପରି ଲକ୍ଷ୍ୟ କରାଯାଇଥାଏ ଯେ, ଦରିଦ୍ର ଦମ୍ପତିମାନଙ୍କର ଅଧିକ ପିଲା ଏବଂ ସ୍ୱଚ୍ଛଳ ଓ ଧନିକ ବର୍ଗର ଦମ୍ପତିମାନଙ୍କର ଖୁବ୍ କମ୍ ସଂଖ୍ୟକ ପିଲା ଥା’ନ୍ତି । ଏହାର ସନ୍ତୋଷଜନକ କାରଣ ଅଦ୍ୟାବଧି ନିରୂପିତ ହୋଇପାରିନାହିଁ । ତେବେ ସମାଜଶାସ୍ତ୍ରୀ, ନୃତତ୍ତ୍ୱବିତ୍, ଅର୍ଥନୀତି ବିଶାରଦମାନେ କାରଣ ସମ୍ପର୍କୀତ ଭିନ୍ନଭିନ୍ନ ମତ ପୋଷଣ କରି ଆମର ଜ୍ଞାନର ଭଣ୍ଡାରକୁ ସମୃଦ୍ଧ କରିବା ସହ ଆମକୁ ଭୀଷଣ ଦ୍ୱନ୍ଦ୍ୱ ମଧ୍ୟକୁ ଠେଲି ଦେଇଥିବାରୁ ଆମେ ନିର୍ଦ୍ଦିଷ୍ଟଭାବେ କିଛି ମତାମତ ପ୍ରଦାନ କରିବା ଅନୁଚିତ ।

 

‘ଏକ ଦମ୍ପତି ଅଥବା ଏକ ପରିବାରରେ ଏକ ବା ଏକାଧିକ ପିଲା ଜନ୍ମ ହେବା ନହେବା ଏବଂ ସେହିପରି ଧନିକ ଓ ସ୍ଵଚ୍ଛଳ ବର୍ଗରେ ଖୁବ୍ ସୀମିତ ସଂଖ୍ୟକ ପିଲାହେବା ପଛରେ ଯେ, ନିର୍ଦ୍ଦିଷ୍ଟ କାରଣ ଥାଇପାରେ, ଏକଥା ଭାବି ମୁଁ ବିସ୍ମିତ ହେଉଛି । ଏମିତିରେ ଜିରାରୁ ଶିରା ନ୍ୟାୟରେ ଜଣେ ମଜାରେ କିଛି କାରଣ ବାହାର କରିପାରେ,’ କହିଲା ଅବୋଲକରା ।

 

ଗଳ୍ପକ ନନା ବିରକ୍ତି ପ୍ରକାଶ କରି କହିଲେ, ‘ମୁଁ ବାରମ୍ବାର ତୁମକୁ କହିଛି ଯେ, ପ୍ରଶ୍ନ ପଚାରିବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିବା ଉଚିତ । ପ୍ରଶ୍ନକର୍ତ୍ତା ସତ୍ୟାନୁସନ୍ଧାନୀ ହେବା ଉଚିତ । ପ୍ରଶ୍ନର କାରଣ ଅନୁସନ୍ଧିତ୍ସା ହେବା ଆବଶ୍ୟକ । ତେବେ କେବେ କେମିତି । ଆଗ୍ରହରେ ମଧ୍ୟ ପ୍ରଶ୍ନ କରାଯାଇପାରେ । ଏତଦ୍‌ଭିନ୍ନ ପ୍ରଶ୍ନ ବିତଣ୍ଡା ପର୍ଯ୍ୟାୟର । ତୁମର ବର୍ତ୍ତମାନର ପ୍ରଶ୍ନଟି କେଉଁ ପର୍ଯ୍ୟାୟର ମୁଁ ଜାଣିପାରୁନାହିଁ । ତେବେ ଏହା ଏକ ହାଲ୍‌କା ପ୍ରଜାତିର ପ୍ରଶ୍ନ ।’

 

‘ମୋର ଯାହା ଧାରଣା’, ଅବୋଲକରା କହିଲା, ‘ଅସ୍ୱଚ୍ଛଳ ବର୍ଗର ଲୋକମାନେ ଗର୍ଭ ନିୟନ୍ତ୍ରଣ ବା ନିରୋଧ ବା ଗର୍ଭବଧର ସାଧନମାନ ହାସଲ କରିପାରନ୍ତି ନାହିଁ । ମଧ୍ୟମ ଓ ତଦୁପରି ବର୍ଗର ଲୋକମାନେ ସ୍ୱେଚ୍ଛାରେ ଓ ସହଜରେ ସାଧନମାନ ହାସଲ କରୁଥିବାରୁ ସେମାନଙ୍କର ପିଲାମାନଙ୍କ ସଂଖ୍ୟା କମ୍ । ଏତଦ୍‌ଭିନ୍ନ ମୁଁ ଭାବେ ଯେ, ନାନାପ୍ରକାର ବିଚିତ୍ର ରୋଗ ମଧ୍ୟମ ଓ ସ୍ଵଚ୍ଛଳ ବର୍ଗୀଙ୍କୁ ଆକ୍ରମଣ କରୁଥିବାରୁ ସେଇ ବର୍ଗର ଅଧିକାଂଶଙ୍କର ରତ୍ୟାକାଂକ୍ଷା ହ୍ରାସ ପାଇବାରୁ ପିଲା ସଂଖ୍ୟା ହ୍ରାସପାଇଛି ।’

 

‘ଶୁଣ ଅବୋଲ’, ଗଳ୍ପକ ନନା କହିଲେ, ‘ତୁମର କଥାରେ ତୁମେ', ମୋର ଧାରଣା ଓ ‘ମୁଁ ଭାବେ’ ଇତ୍ୟାଦି ଖଣ୍ଡବାକ୍ୟ ପ୍ରୟୋଗ କରିଛି । ଭାବୁକ, ଚିନ୍ତକ ଓ ଜ୍ଞାନୀମାନେ ଏପରି କହନ୍ତି ନାହିଁ, କାରଣ ଏହାର କିଛି ମୂଲ୍ୟହିଁ ନାହିଁ । ତୁମେ ଅବା ମୁଁ ଅବା ଏହି ସଂସାରର ପ୍ରାୟ ଅଠାନବେ ପ୍ରତିଶତ ଲୋକଙ୍କର ଏପରି କହିବାର ଅଧିକାର ନାହିଁ । ଧାରଣା ଓ ଭାବନାର କିଛି ମୂଲ୍ୟ ସେତିକିବେଳେ ରହିବ, ଯଦି ତାହାର କିଛି ଚିରନ୍ତନ ମୂଲ୍ୟଥିବ ଓ ଏହା ଅକାଟ୍ୟ ସତ୍ୟ ଉପରେ ଆଧାରିତ ହୋଇଥିବ ।’

 

ଏପରି କଥା କହି ଗଳ୍ପର ଧାରା ଭଙ୍ଗ କରିଥିବାରୁ ମୁଁ ଅନୁତପ୍ତ, ଅବୋଲ କହିଲା, ‘ଆପଣ ଆପଣଙ୍କ କଥନିକାକୁ ପୁନର୍ଗତିଶୀଳତା ପ୍ରଦାନ କରନ୍ତୁ ।’

 

ଗଳ୍ପକ ନନା ମୁହୂର୍ତ୍ତେ ମାତ୍ର ନୟନ ମୁଦ୍ରିତ ଅବସ୍ଥାରେ ରହିଲେ ଓ ପୁନରାରମ୍ଭ କଲେ ।

 

‘ଅତଃ ଦରିଦ୍ର ଧନେଶ୍ଵର ବା ଧନୀ ମହାନନ୍ଦର ଛ’ଜଣ ପିଲାଥିଲେ । ଚତୁର୍ଥ ପିଲାଟିର ନାଁ ସେ ବେଣୁ ଗୋପାଳ ରଖିଥିଲେ । ବାସ୍ତବରେ ତାଙ୍କର ଅନ୍ୟ ସମସ୍ତ ପିଲାଙ୍କର ନାମ ଦେବାଦେବୀଙ୍କ ନାମାନୁସାରୀ ଥିଲା । ଯେପରି କୃଷ୍ଣଗୋପାଳ, ରାମଗୋପାଳ ଇତ୍ୟାଦି । ତେବେ ଦାରିଦ୍ର୍ୟହିଁ ପିଲାମାନଙ୍କ ଶିକ୍ଷାପଥରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଦିନ ମଜୁରିଆରୁ ଧନୀ ରାଜମିସ୍ତ୍ରୀ କାମ ଶିଖିଲା ଏବଂ ନିକଟସ୍ଥ ଗ୍ରାମ, ବଜାର ଓ କ୍ଷୁଦ୍ର ସହରରେ ରାଜମିସ୍ତ୍ରୀ କାମ କଲା । ଏହା ସତ୍ତ୍ୱେ ଦାରିଦ୍ର୍ୟ ଘୁଞ୍ଚିଲା ନାହିଁ । ତେବେ ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଧୀରସ୍ଥିର ଭାବରେ ଚତୁର୍ଥ ସନ୍ତାନ ବେଣୁ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କଲା ।’

 

ଗଳ୍ପକ ବିଶ୍ରାମ ନେବାକ୍ଷଣି ଅବୋଲ କହିଲା, ‘ଏହି ଇଟାଯୋଡ଼ି ଛାତ ପକ୍କାଘର କାର୍ଯ୍ୟକୁ ରାଜମିସ୍ତ୍ରୀ କାମ ବା ରାଜକାମ ବୋଲି କାହିଁକି କୁହାଯାଏ ?’

 

ଗଳ୍ପକ କହିଲେ, ‘ଢେର୍ ଅତୀତରେ କେବଳ ରାଜାମାନେହିଁ ଇଟା ପଥର ଯୋଡ଼ି ଛାତ ପକା ଗୃହ ବା ପ୍ରାସାଦ ବା ଦୁର୍ଗ ନିର୍ମାଣ କରୁଥିଲେ । ସେଇ କାମରେ ଯେଉଁମାନେ ମୁକରିର ହେଉଥିଲେ, ସେମାନଙ୍କୁ ରାଜାଙ୍କ ମିସ୍ତ୍ରୀ ବା ରାଜମିସ୍ତ୍ରୀ ବୋଲି କୁହାଗଲା । ଏହି ସରଳ କଥାଟି ତୁମେ ଜାଣି ନଥିବା ମୋତେ ବିସ୍ମିତ କରିଛି ।’

 

‘ମୋତେ ଆଜି ଆପଣ ଭଲ ଓଡ଼ିଆ ଶବ୍ଦଟିଏ ଶୁଣାଇଲେ, ତାହା ହେଲା ମୁକରିର', ଅବୋଲକରା କହିଲା ।

 

ଗଳ୍ପକ କହିଲେ, ‘ତାହା ତୁମର ଭ୍ରମ । ମୋର ମଧ୍ୟ ନିର୍ଦ୍ଦିଷ୍ଟ ଧାରଣା ନାହିଁ । ତେବେ ଯେତେଦୂର ସମ୍ଭବ ମୁକରିକ ଏକ ଫାର୍ସୀ କିମ୍ବା ଉର୍ଦ୍ଦୁ ଶବ୍ଦ । ସେହିପରି ଅନେକ ଶବ୍ଦ ଓଡ଼ିଆ ଭାଷାର କଳେବର ବଢ଼ାଇବା ସହ ଶୋଭାବର୍ଦ୍ଧନ କରିଛନ୍ତି ।’

 

‘ତେବେ ଏପରି ଶବ୍ଦ ଓଡ଼ିଆ ପରି ପ୍ରତ୍ୟୟ ହେଲେହେଁ ଓଡ଼ିଆ ନୁହେଁ ?’ ଅବୋଲ ବିସ୍ଫାରିତ ନୟନରେ ପଚାରିଲା ।

 

‘ନା, ଏମାନେ ଓଡ଼ିଆ ଶବ୍ଦ ନୁହନ୍ତି । ତୁମେ ଶୁଣି ସୁଖୀ ହେବ ଯେ, ଓଡ଼ିଶାରେ ମରହଟ୍ଟା ଓ ମୁସଲମାନଙ୍କ ପ୍ରବେଶ ବା ଅନୁପ୍ରବେଶ ବା ଅତିପ୍ରବେଶ କାରଣରୁ ତଥା ଏହି ଭାରତ ଭୂଖଣ୍ଡରେ କାବୁଲିବାଲାମାନେ ଗଳିକନ୍ଦିରେ ଭ୍ରମଣ କରିବାରୁ ଅନେକ ମରହଟ୍ଟା ଓ ଆଫ୍‌ଗାନୀ ତଥା ଉର୍ଦ୍ଦୁ ଶବ୍ଦ ଏଠାରେ ଘରେଘରେ ପ୍ରଚଳିତ ହୋଇଆସିଛି ।’

 

ଅବୋଲକରା ମନକୁ ମନ ହସୁଥିବା ଦେଖି ଗଳ୍ପକ ଏହାର କାରଣ ପଚାରନ୍ତେ ଅବୋଲ କହିଲା, ‘ଓଡ଼ିଆ ଭାଷାରେ ଲେଖ, ଓଡ଼ିଆ କୁହ, ସର୍ବତ୍ର ଇଂରାଜୀ ବଦଳରେ ଶୁଦ୍ଧ ଓଡ଼ିଆ ବ୍ୟବହାର ପାଇଁ ଯେଉଁ ମନୀଷୀମାନେ ଦାବି କରୁଛନ୍ତି ଏବଂ ସେମାନଙ୍କ ପଦକ୍ଷେପରେ ମୁଁ ମୁଗ୍ଧ ହୋଇଥିଲି, ଏବେ ତ ଦ୍ଵନ୍ଦ୍ୱରେ ପଡ଼ିଗଲି । ତହିଁପାଇଁ ହସିଲି ।’

 

‘ଦ୍ୱନ୍ଦ୍ୱର ହେତୁ କ’ଣ ?’ ଗଳ୍ପକ ପଚାରିଲେ ।

 

‘ତାହା ଏହି ଯେ', ଅବୋଲ କହିଲା, ‘ମନୀଷୀମାନଙ୍କ ଦାବି ଇଂରାଜୀ ବିରୋଧରେ ନା ଶୁଦ୍ଧ ଓଡ଼ିଆ ସପକ୍ଷରେ, ତାହାହିଁ ମୋର ଦ୍ଵନ୍ଦ୍ୱ ।’

 

‘ସେପରି ସଂଶୟ ପ୍ରବୁଦ୍ଧମାନଙ୍କର ଜାତ ହେବା ସ୍ୱାଭାବିକ’, ଗଳ୍ପକ କହିଲେ, କେବଳ ଇଂରାଜୀ ବିରୋଧରେ ସଂଗ୍ରାମ ଜାରି ରଖିବା ଅଯୌକ୍ତିକ । ସେପରି ସ୍ଥଳେ ବରଂ ଅଧିକ ଯୁକ୍ତିଯୁକ୍ତ ଏହା ହେବ ଯେ, ଓଡ଼ିଆ ଭାଷାରେ ମିଶି ରହିଥିବା ଯାବତୀୟ ବିଦେଶୀ ଶବ୍ଦ–ଏଥିରେ ସଂସ୍କୃତ ଓ ଖାଣ୍ଟି ଓଡ଼ିଆ ବ୍ୟତିରେକ ବାକି ସବୁକୁ ଆମେ ବିଦେଶୀ କହିବା–ସବୁକୁ ବିଦାକରିବା ଉଚିତ ହେବ-। ମୁଁ ତ ବୃଦ୍ଧ, ତୁମେ ମୋର ଏହି ସନ୍ଦେଶ ଅବଶ୍ୟ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବ-। ଇଂରାଜୀ ଯିବ, ହିନ୍ଦୀ ରହିବ, ଇଂରାଜୀ ଯିବ ଉର୍ଦ୍ଦୁ–ମରହଟ୍ଟା–ଫାର୍ସୀ–ଆଫ୍‍ଗାନୀ ରହିବ, ଇଏ କିମିତି କଥା ? ଯିବେ ଯଦି ସମସ୍ତେ ଯାଆନ୍ତୁ, ନହେଲେ ସମସ୍ତେ ରହନ୍ତୁ । ସମସ୍ତେ ଯାଆନ୍ତୁ ଏବଂ ଆମ ଓଡ଼ିଆଭାଷା ପୂରା ନିର୍ମଳ ହୋଇଯାଉ, କିନ୍ତୁ ଅତ୍ୟନ୍ତ କୃଶାଙ୍ଗୀ ହୋଇ ରହିଥାଉ-। ଅଥବା ସମସ୍ତେ ରହନ୍ତୁ ଓ ଆମେ ଏକ ସମୃଦ୍ଧ ଶୋଭାବନ୍ତ ଭାଷାର ମଣିଷ ହୋଇରହୁ । ଏଥିରୁ ଗୋଟିଏକୁ ବାଛିବାକୁ ତୁମେ ସନ୍ଦେଶ ଦେବ ।’

 

‘ଏହା ଆହ୍ୱାନ ନା ପରାମର୍ଶ ନା ସନ୍ଦେଶ ନା ଉପଦେଶ ?’

 

ଗଳ୍ପକ ସାମାନ୍ୟ ସଳଖ ହୋଇ ବସିଲେ, ‘ଏହାସବୁ କିଛି । ସାହିତ୍ୟିକମାନେ କବି ଓ ଗଳ୍ପକ ଓ ନାଟକ ପ୍ରଣେତାମାନେ ଯଦି ଭାଷାବିତ୍‍ମାନଙ୍କ କଥାରେ ଆତଯାତ ହୋଇଥା'ନ୍ତେ, ଏହି ଭାଷା ତଳିତଳାନ୍ତ ହୋଇଯାଇଥା’ନ୍ତା । ତେବେ ତାହା ଭିନ୍ନ ପ୍ରସଙ୍ଗ । ମୂଳକଥା ହେଲା, ଭାଷା ବ୍ୟବହାରର ପ୍ରାସଙ୍ଗିକତା ଓ ଏହାକୁ ନେଇ ବାସ୍ତବବାଦିତା । ଏଠି ଅନ୍ୟର ଭାଷା ପ୍ରତି ମମତା ବା ଶ୍ରଦ୍ଧାକୁ ନେଇ ପ୍ରଶ୍ନ ଉଠାଇ ବାହାବା ନେବା ଓ ଆତ୍ମବଡ଼ିମାରେ ମସ୍‌ଗୁଲ ହେବାର ମାନେ କିଛି ନାହିଁ । ଯେଉଁମାନଙ୍କ ସକାଶେ ଏହି ଭାଷା ଆଜିଯାଏ ବଞ୍ଚି ନାହିଁ ଏବଂ ଯେଉଁମାନଙ୍କ ସକାଶେ ଭବିଷ୍ୟତରେ ଏ ଭାଷା ଅଧିକ ସମୃଦ୍ଧ ହେବାର କିଞ୍ଚିତ୍‍ ସମ୍ଭାବନାହିଁ ନାହିଁ, ସେଇମାନେହିଁ ଭାଷା ବଞ୍ଚାଇବା ପାଇଁ ଗଳାଗର୍ଭ କରି ଚିଲ୍ଲାଉଛନ୍ତି ।’

 

‘ଆପଣ ଯଦ୍ୟପି ପ୍ରଚଣ୍ଡ ଧୈର୍ଯ୍ୟଶୀଳ’, ଅବୋଲା କହିଲା, ‘ତେବେ ସାମାନ୍ୟ ଉତ୍ତେଜିତ ହେବାପରି ମନେହେଲା । ଯଦ୍ୟପି ଆମର ମୂଳକଥାଟା ଶୁଣିବାରେ ବିଳମ୍ବ ହେଉଛି, ତଥାପି ଏସମ୍ପର୍କରେ ଆଉ ସାମାନ୍ୟ ବୁଝାଇ କହନ୍ତୁ । ଆପଣାର ସନ୍ଦେହ ପୂର୍ଣ୍ଣମୋଚନ ନହେଲେ ମୁଁ କିବା ଆପଣଙ୍କ ସନ୍ଦେଶ ପ୍ରଚାର କରିପାରିବି ?’

 

ଗଳ୍ପକ ଏକ ଗ୍ଲାସ୍ ଥଣ୍ଡା ପାଣି ପିଇଲେ, ପ୍ରାୟ ପାଞ୍ଚ ଦଶ ମୁହୂର୍ତ୍ତ ନିରବ ରହିଲେ । ଏବଂ ନିଜ କଥାର ପୁନରାରମ୍ଭ କଲେ ।

 

‘ବୁଝିଲ ଅବୋଲକରା, ଆମେ ଏକ ବିଚିତ୍ର ଛଳନାମୟ ଆତ୍ମପ୍ରବଞ୍ଚନାପୂର୍ଣ୍ଣ ସମୟର ଡଙ୍ଗାରେ ବସିଛେ । ତୁମେ ଯଦି ଏହି ସଂଗ୍ରାମୀମାନଙ୍କୁ କେବେ ଭେଟିବ ଏବଂ ଏମାନେ ଯଦି ତୁମ ସାମ୍ନାରେ ତୁମ୍ବି ତୋଫାନ କରିବେ, ତେବେ ବିନମ୍ରତାର ସହ ନିବେଦନ କରିବା ଯେ ସେମାନେ ଏପରି ତିନିଟି ବାକ୍ୟ କହନ୍ତୁ, ଯେଉଁଠାରେ ପ୍ରତିଟି ବାକ୍ୟରେ ଦଶଟି ଶବ୍ଦ ହୋଇ ତିନିଟି ବାକ୍ୟରେ ତିରିଶଟିଯାକ ଖାଣ୍ଟି ବା ଶୁଦ୍ଧ ଓଡ଼ିଆ ଶବ୍ଦ ହୋଇଥିବ । ଏହା ହୁଏତ ଅସମ୍ଭବ କିମ୍ବା ଏପରି ତିନିଟି ବାକ୍ୟର ସଂରଚନା କରିବାକୁ ତିରିଶରୁ ତିନିଶହ ଘଣ୍ଟା ଲାଗିପାରେ । ଏସବୁ ବାକ୍ୟରେ ନାମ ବାଚକ ଶବ୍ଦ ନ ରହିବା ଉଚିତ । ତୁମେ ଆଶ୍ଚର୍ଯ୍ୟ ହେବ ଅବୋଲ ଯେ, ସଂଗ୍ରାମୀମାନେ ଯେଉଁ ସ୍ଥାନରେ ଆଲେଖ୍ୟମାନ ଲେଖୁଛନ୍ତି, ତହିଁରେ ନିଜ ନାମର ଗୁଣବର୍ଦ୍ଧନାର୍ଥେ ଡକ୍ଟର ନାମକ ଏକ ଅତିଶୁଦ୍ଧ ଓଡ଼ିଆ ଶବ୍ଦର ପ୍ରୟୋଗରୁ ବିରତ ହୋଇନାହାନ୍ତି । ଆଉ କତିପୟ ପ୍ରଫେସର୍‍ ନାମକ ଏକ ଶବ୍ଦ ଅବସର ପରେ ମଧ୍ୟ ବ୍ୟବହାର କରନ୍ତି । ସ୍ଵଗୃହରେ ଥିବା ପ୍ରତ୍ୟେକ ପଦାର୍ଥ ଓ କାର୍ଯ୍ୟର ବର୍ଣ୍ଣନାପାଇଁ ଶତାଧିକ ବାହ୍ୟଶବ୍ଦର ପ୍ରୟୋଗ କରନ୍ତି । ସେଗୁଡ଼ିକୁ ଚଳେଇନବା ଓ ବାସ୍ତବବାଦୀ ହେବା ପରିବର୍ତ୍ତେ ଶୁଦ୍ଧ ଓଡ଼ିଆପାଇଁ ଗଳାଗର୍ତ୍ତୀ ଚିତ୍କାର ଅବଶ୍ୟ ଅରଣ୍ୟରୋଦନ ପ୍ରାୟ ।’

 

ଗଳ୍ପକ ରହିବାକ୍ଷଣି ଅବୋଲ କହିଲା, ‘ଗୋଟେ ଦି'ଟା ଉଦାହରଣ ଦେଇ ସନ୍ଦେହ ମୋଚନ କରନ୍ତୁ । ଆପଣ ବୁଲେଇବଙ୍କେଇ କହୁଛନ୍ତି । ଏକଥା ଜଣାପଡ଼ୁଛି ଯେ, ଆପଣ ସାମାନ୍ୟ କ୍ରୋଧାନ୍ୱିତ ହୋଇପଡ଼ିଛନ୍ତି ।’

 

‘ମୁଁ ଆଦୌ କ୍ରୋଧାନ୍ୱିତ ହୋଇ ନାହିଁ,’ ଗଳ୍ପକ କହିଲେ, ‘ଯଦିଓ କ୍ରୋଧାନ୍ୱିତ ହେବାଟା କିଛି ଖରାପ ଗୁଣ ନୁହେଁ । ତେବେ ଶୁଣ ଅବୋଲକରା, ତୁମର ତ ଯାନ୍ତ୍ରିକ ଦ୍ୱିପଦ ଅଛି । ତମେ ଯେକୌଣସି ‘ପ୍ର’ ବା ‘ଡ’ ବାଲା ଭାଷ୍ୟ ବୁଦ୍ଧଙ୍କ ନିକଟକୁ ଅର୍ଥାତ୍ ତାଙ୍କ ଗୃହକୁ ଯିବ । ଏମିତି ଅନେକ ଅନେକ ଅଛନ୍ତି, ଯେଉଁମାନେ ଉଭୟ ପ୍ର ଓ ଡ । ଏଠାରେ ଅବଶ୍ୟ ସ୍ମରଣ ରଖିବାକୁ ହେବ ଯେ, ସବୁ ପ୍ର ବା ଡ ବା ପ୍ର, ଡଙ୍କୁ ଏକା ନିକିତିରେ ତଉଲିବାର ପ୍ରୟାସ କରିବ ନାଇଁ । ଯେକୌଣସି ଜାଗାରେ ତୁମର ଅପମାନିତ ହେବାର ସମ୍ଭାବନା ଅଛି । ତୁମେ ଧୁଆମୂଳା ଓ ଅଧୁଆମୂଳା ଭିତରେ ଫରକ ବାରି ଶିଖିବା ଜରୁରୀ । ଉତ୍ତମ ଏହା ହେବ ଯେ, ତୁମେ ଗୋପନରେ ମୋ’ଠୁ ନାମ ଓ ଠିକଣା ସଂଗ୍ରହ କରିନେବ ।’

 

‘କ’ଣ କରିବାକୁ ହେବ ?' ଅବୋଲ ପଚାରିଲା ।

 

‘କିଛି କରିବାକୁ ହେବ ନାହିଁ । ଗଳ୍ପକ ଏକ ବିଚିତ୍ର ଢଙ୍ଗରେ କହିଲେ, ‘ତାଙ୍କ ଘରେ ଥିବା ସମସ୍ତ ଆସବାବପତ୍ରର ଓଡ଼ିଆ ପ୍ରତିଶବ୍ଦ ସଂଗ୍ରହ କରିବ । ଏଇ ଯେମିତି ସୋଫାସେଟ୍, ଡାଇନିଙ୍ଗ୍ ଟେବଲ୍, କମୋଡ଼୍‍ ପ୍ରଭୃତି । ତଦ୍‍ଭିନ୍ନ ଏକ ଏକ ଇଂରାଜୀ ବାକ୍ୟର ଓଡ଼ିଆବି କରେଇ ଆଣିବ । ସେ ବାକ୍ୟସବୁ ତୁମେ ନେଇଯିବ । ତେବେ ଯିବାବେଳେ କାର୍ଯ୍ୟକୁ ସୁଗମ କରିବାର୍ଥେ ତୁମେ ଅବଶ୍ୟ ମୋର ସାହାଯ୍ୟ ନେଇପାର । କମୋଡ଼୍‍ର ଓଡ଼ିଆ ସେମାନଙ୍କୁ ଏପରି କହିବ : ମଳ ନିଷ୍କାସନାର୍ଥେ ଉଦ୍ଦିଷ୍ଟ ଭଗ୍ନାଣ୍ଠୁ ସ୍ଥିତ୍ୟେ ଉପବେଶନ ଯନ୍ତ୍ର । ସେହିପରି ଡାଇନିଙ୍ଗ୍ ଟେବଲ୍ : ଏକାଧିକ ବ୍ୟାକ୍ତ୍ୟୋର୍ଥେ ଭୋଜନ ପରିବେଷଣ ଲକ୍ଷ୍ୟ ମେଜ କିମ୍ବା ଭୋଜନ ମେଜ । ସେହିପରି ସୋଫା ସେଟ୍ ଅଳ୍ପୋ ଚ୍ଚାରାମଦାୟୀ ବସିବା ସ୍ଥାନ । ତୁମେ ଏହାକୁ ହସରେ ଉଡ଼େଇ ଦେଇପାର । ଫୁଟବଲକୁ ପଦପେଣ୍ଡୁ କହି କାର୍ଯ୍ୟ ଚଳେଇ ନେଇପାର, ବାସ୍କେଟ ବଲ୍‍କୁ ମୁଣା–ପେଣ୍ଡୁ କହିପାର, କିନ୍ତୁ ଭଲିବଲକୁ କ’ଣ କହିବ ? ହସ୍ତାଘାତେ ବ୍ୟୋମେଏପଟ ସେପଟ ପେଣ୍ଡୁ ! ଏପରି ସୁନ୍ଦର ମଧୁର ଶବ୍ଦ ମୁଁ କୁତ୍ରାପି ଶୁଣି ନଥିଲି । ଏହା ଶୁଦ୍ଧ ଓଡ଼ିଆ । ଯାହାକୁ ଖାଣ୍ଟି ଓଡ଼ିଆ କୁହାଯାଉଛି, ସେପରି ବାସ୍ତବରେ ଯାହା ଅଛି ତହିଁରେ । ଭାବାଦାନପ୍ରଦାନ ସମ୍ଭବ ନୁହେଁ । ତୁମେ ପ୍ର ବା ଡ ବା ପ୍ରଡ଼ଙ୍କଠାରୁ ପ୍ରଥମେ ଦଶଟି ଓଡ଼ିଆ । ଶବ୍ଦ ସମ୍ବଳିତ ତିନିଟି ବାକ୍ୟ ଆଣ, ତାହାପରେ କଥା ।’

 

‘ଆପଣ ସର୍ବଦା କହନ୍ତି ଯେ, ବିତଣ୍ଡା କଥା ହେଲେ ମୂଳ କାହାଣୀ ଧ୍ୱଂସ ହୁଏ,’ ଅବୋଲା କହିଲା, ‘ହେଲେ ଆଜି ଆପଣହିଁ ମୂଳକାହାଣୀକୁ ନଷ୍ଟ କରିଦେଲେ ।’

 

‘ହୋଇପାରେ, ହେଲେ ତୁମେ ପ୍ରଥମେ ଅଯଥା ପ୍ରଶ୍ନଟେ କଲ ଯେ, ମୁକରିରଟା । ଓଡ଼ିଆ ଶବ୍ଦ କି ନୁହେଁ । ତହିଁରୁ ଏତେ କଥା । କିନ୍ତୁ ଏହା ବିତଣ୍ଡା ନୁହେଁ । ମୂଳକଥା ହେଲା, ଯେଉଁ ଭାଷା ପ୍ରତି ଜମା ବିପଦ ନାହିଁ, ଯିଏ ପୂର୍ଣ୍ଣ ସୁରକ୍ଷିତ, ଯେଉଁ ଭାଷାରେ ପ୍ରତିବର୍ଷ ଆନୁମାନିକ ଦୁଇଶହ କବି ଓ ଦୁଇଶହ ଗଳ୍ପକ ଜନ୍ମ ନେଉଛନ୍ତି, ସେଠି ମୁଷ୍ଟିମେୟ କତିପୟଙ୍କଦ୍ଵାରା କୃତ୍ରିମଭାବେ ସୃଷ୍ଟ ଆଶଙ୍କା, ଭୟ, ବିପଦର ନିର୍ଦ୍ଦିଷ୍ଟ କାରଣ ରହିଛି । ଗଣମାଧ୍ୟମ ଜରିଆରେ ଡର ସୃଷ୍ଟି କରାଇ ଡାଆଣୀ ହୋଇ ଲାଗି ପରେ ଗୁଣିଆ ହୋଇ ଝାଡ଼ିବା ଏକ ଅପପ୍ରୟାସ ମାତ୍ର । କିଶୋର–ତରୁଣ–ଯୁବଗୋଷ୍ଠୀ ଏଯାବତ୍ ଏମାନଙ୍କ ଚକ୍କର ଓ ଚକ୍ରାନ୍ତରେ ପଡ଼ି ନଥିବା ଏକ ପ୍ରଚଣ୍ଡ ଶୁଭ ସୂଚନା ମାତ୍ର । ଛାଡ଼ ଏ ସମ୍ପର୍କରେ ଏକ ସ୍ଵତନ୍ତ୍ର କାହାଣୀ ରହିଛି, ସେକଥା ସମୟ ସୁବିଧା ଦେଖି କୁହାଯିବ । ଏବେ ଆମେ ମୂଳକଥାକୁ ପ୍ରତ୍ୟାବର୍ତ୍ତନ କରିବା ।’

 

‘ମୁଁ ନାକକାନ ମୋଡ଼ି ହେଉଛି’, ଅବୋଲ କହିଲା, ‘ଆପଣଙ୍କୁ ଛୋଟମୋଟ ପ୍ରଶ୍ନ କରିବି ନାହିଁ । କଥାଭାଷା ଶୁଣି ମୁଁ ବୋରାତିଷ୍ଠ ହେଇଗଲି । ଏଣିକି କାହାଣୀ କହି ମନୋରଞ୍ଜନ କରନ୍ତୁ ଓ ଯନ୍ତ୍ରଣା ଲାଘବ କରନ୍ତୁ ।’

 

‘ତାହା ତ ନିଶ୍ଚୟ ହେବ’, ‘ଗଳ୍ପକ କହିଲେ, ‘ତେବେ ତୁମେ କହିବ ଏହି ବୋରାତିଷ୍ଠଟି କି ପ୍ରକାର ଶବ୍ଦ ?'

 

ଅବୋଲ କହିଲା, ‘ଏତେ କଥା ଶୁଣିବା ପରେ ମୁଁ ଭାବିଲି ଭାଷାମାନେ କଳି ତକରାଳ ନ କରି ମିଳିମିଶି ଚଳିବା ଭଲ । ତେଣୁ ମୁଁ ଇଂରାଜୀରୁ ବୋର୍ ଏବଂ ଓଡ଼ିଆରୁ ଅତିଷ୍ଠକୁ ମିଶାଇ ବୋରାତିଷ୍ଠ କରିଛି । ଏହାର ଅର୍ଥ ଏପରି ହେବ ଯେ ଯିଏ ବୋର୍ ହୋଇହୋଇ ଅତିଷ୍ଠ, ସିଏ ବୋରାତିଷ୍ଠ । ଆପଣଙ୍କର ଉପରମହଲରେ ହାତ ଅଛି । ଏ ଶବ୍ଦଟିକୁ ଅଭିଧାନରେ ପୂରାଇ ପାରନ୍ତେ ନାହିଁ ?’

 

‘ଅତୀତରେ କେତେ ଥର ମୁଁ ତୁମକୁ ଜ୍ଞାନ ରହିତ ବୋଲି ଆକଳନ କରିଥିଲି, ହେଲେ ଆଜି ମୋର ଭ୍ରମ ଦୂର ହେଲା । ତୁମର ପ୍ରତ୍ୟୁତ୍ପନ୍ନମତିତାରେ ମୁଁ ମୁଗ୍ଧ ହୋଇଛି । ଏହା ଏକ ଚମତ୍କାର ଶବ୍ଦ । ମୋର ଦୁଇଜଣ କୋଷପ୍ରଣେତା ପରିଚିତ । ଏ ଶବ୍ଦଟିକୁ ପରବର୍ତ୍ତୀ ସଂସ୍କରଣରେ ରଖିବାକୁ ମୁଁ ପରାମର୍ଶ ଦେବି ।’

 

‘ଏବେ ଆପଣ ତ୍ରିଶତୀ ସମ୍ପାଦକ କଥା କୁହନ୍ତୁ’ ଅବୋଲକରା କହିଲା ।

 

ଗଳ୍ପକ ଚାରି ପାଞ୍ଚ ମିନ୍ତି ବିଶ୍ରାମ ନେଇ ମୂଳକାହାଣୀର ଖିଅଯୋଡ଼ି ବସିଲେ ।

 

ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ବେଣୁ ସ୍ଥାନୀୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲା । ସେଇ ବର୍ଷ ସେ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରି ପରାଜିତ ହେଲା । ଦ୍ୱିତୀୟ ବର୍ଷ ମଧ୍ୟ ସେ ପ୍ରତିଦ୍ୱନ୍ଦ୍ୱିତା କଲା ଏବଂ ବିଜୟ ଲାଭ କଲା । ବାର୍ଷିକୋତ୍ସବ ପାଳନବେଳକୁ ବେଣୁଗୋପାଳ ଏକ ବୁଦ୍ଧିଦୀପ୍ତ ତରୁଣରେ ପରିଣତ ହୋଇଥିଲା । ସେ ଯେ ଜଣେ ବେଶ୍ କରିତ୍‍କର୍ମା ମଣିଷରେ ପରିଣତ ହେବ, ଏ କଥା କିଛି ଦୂରଦୃଷ୍ଟି ସମ୍ପନ୍ନ ମଣିଷ ଜାଣିପାରିଥିଲେ ।

 

ସ୍ଥାନୀୟ ବିଧାୟକ ଏବଂ ସେହି ବିଧାୟକଙ୍କଠାରୁ ପରାଜିତ ବ୍ୟକ୍ତି ଉଭୟଙ୍କୁ ସେ ଦକ୍ଷତା ଓ ଚତୁରତାର ସହ ଚଳେଇ ପାରିଥିଲା । ଉଭୟଙ୍କର ଆସ୍ଥାଭାଜନ ହୋଇ ଦୁଇପଟୁ ଅର୍ଥାଗମର ପୂର୍ଣ୍ଣ ବ୍ୟବସ୍ଥା କରି ତହିଁରେ ସଫଳ ହୋଇଥିଲା । ସ୍ଥାନୀୟ ମହାବିଦ୍ୟାଳୟର ଛାତ୍ର ସଂସଦର ବାର୍ଷିକୋତ୍ସବର ଏକ ମାସ ପୂର୍ବରୁ ସେ ଭିନ୍ନଭିନ୍ନ ସମୟରେ ଉଭୟଙ୍କୁ ଗୋପନରେ ଭେଟିଥିଲା ଏବଂ ଚତୁରତାର ସହ କଥାବାର୍ତ୍ତା କରି ବିଧାୟକଙ୍କଠାରୁ ପଚାଶ ହଜାର ଏବଂ ପରାଜିତ ବ୍ୟକ୍ତିଟିଠାରୁ କୋଡ଼ିଏ ଖସାଇଥିଲା । ମୋଟ ମାତ୍ର ସତୁରୀ ହଜାର ଟଙ୍କା ଜାମାଖୋପସ୍ଥ କରି ମଧ୍ୟ ତା’ର ମନ ଶାନ୍ତ ହୋଇ ନଥିଲା । ଘରେ ତା’ର ନିରକ୍ଷରା ବୋଉକୁ ସକାଳେ ପଖାଳ ଓ ଆମ୍ବୁଲ ପାଣି ଖାଇବାବେଳେ କହିଥିଲା, ‘ପୂରା ଏକ ନହେଲେ ମନ ଜମା ଶାନ୍ତି ହେବନି ବୋଉ’ ।

 

‘ଏକ କ’ଣ କିରେ ?’ ବୋଉ ପଚାରିଥିଲା ।

 

‘ଏକ ମାନେ ଏକ ଲକ୍ଷ ଟଙ୍କା ।’ ବେଣୁ କହିଥିଲା ।

 

ପରେ ଅବଶ୍ୟ ସେ ଆଉ ତିରିଶ ହଜାର ଆରାମରେ ଯୋଗାଡ଼ କରିଥିଲା । ଉପାୟଟି ଥିଲା ଅତୀବ ସରଳ । ବଜାରର କରତକଳ ବ୍ୟବସାୟୀ ବାଜି ରାଉତଠାରୁ ଖସିଥିଲା ଦଶ । ଗୋଟିଏ ବାତ୍ୟା ପରେ ବାଜ ତିରିଶ ଲକ୍ଷ ଲାଭ କରିଥିଲା । ଉତ୍ସବ ଦିନ ସମାଜସେବୀ ଭାବରେ ବାଜକୁ ସମ୍ବର୍ଦ୍ଧନା ଦିଆଯିବାର ସର୍ତ୍ତ ରହିଲା । ସେହି ଏକା ସର୍ତ୍ତରେ ଅବସରପ୍ରାପ୍ତ ଅବକାରୀ ନିରୀକ୍ଷକ ପଚିନବାବୁ (ପୂରାନାମ ପଞ୍ଚାନନ) ଓ ଆଗକୁ ସରପଞ୍ଚ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆଗ୍ରହିଣୀ କବିତା ଭାଉଜ ଦଶ ଦଶ ହଜାର ଦେଇଥିଲେ । ମହାବିଦ୍ୟାଳୟାଧ୍ୟାକ୍ଷୋପାଧ୍ୟକ୍ଷ କେହି ଏହାର ଟେର୍‌ ପାଇ ନଥିଲେ ।

 

‘ଆପଣ ଏକ ବିଚିତ୍ର ଶବ୍ଦ କହିଲେ । ଏହା କ’ଣ ୟୁରୋପୀୟ ଶବ୍ଦ ?’ କଥା ମଝିରେ ଅବୋଲ ପଚାରିଲା । ଗଳ୍ପକ ବିରକ୍ତି ପ୍ରକାଶ କରି କହିଲେ, ‘କଥା ମଝିରେ ଆଉ ବାଧା ସୃଷ୍ଟି କରିବ ନାହିଁ ବୋଲି ତୁମେ କହିଥିଲ । ତଥାପି ତୁମେ ଜାଣ ଯେ, ତୁମେ ଯାହାକୁ ବିଚିତ୍ର ଶବ୍ଦ କହିଲ, ବାସ୍ତବରେ ସେଥିରେ ଅନେକ ଶବ୍ଦର ସଙ୍ଗମ ଘଟିଛି । ସେତକ ଶବ୍ଦ ଏବେ ଓଡ଼ିଆ ଶବ୍ଦଭାବେ ବ୍ୟବହୃତ ହେଉଛି, କିନ୍ତୁ କୌଣସିଟି ଓଡ଼ିଆ ମୂଳ ବା ଚେର ଶବ୍ଦ ନୁହେଁ । ଦେଖ–ମହାବିଦ୍ୟାଳୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷ (ଏଠାରେ ଉପ ମିଶିଛି) । ଏହାର ମୂଳ ଅନ୍ୟ ଭାଷାରେ ଅଛି । ଛାଡ଼ ! କଥାଟା ଶୁଣ ।’

 

ଏହି ଉତ୍ସବ ପରେ ଗାଁରେ ଯେଉଁମାନେ ବେଣୁକୁ ବେଣୁଆ ବୋଲି ଡାକୁଥିଲେ, ସେମାନେ ‘ଆ’ ବାଦ୍ ଦେଇ ବେଣୁ ବୋଲି, କିଛି ଦୋକାନୀ, ମହାବିଦ୍ୟାଳୟର କିରାଣି ତାକୁ ବେଣୁବାବୁ ବୋଲି ମଧ୍ୟ ଡାକିଲେ । ଅଯଥା କଥାରେ ସର୍ବଦା ମୁଣ୍ଡ ଖେଳାଉଥିବା କତିପୟ ଲୋକ ସମୟାସମୟରେ ବେଣୁର ମୂଲ୍ୟବାନ ପରାମର୍ଶ ନେଲେ ।

 

ଇତିମଧ୍ୟରେ ପରୀକ୍ଷା ସରିଗଲା । ପରୀକ୍ଷା ପରେପରେ ବେଣୁ କ୍ୟାପିଟାଲ ଯାଇ ବିଧାୟକ ଘରେ ରହି ସେଇଠୁ ଖାତା ଦେଖା କେନ୍ଦ୍ରର ଅଧ୍ୟୀକ୍ଷକଙ୍କୁ ମୋଫା କରିଥିଲା ଅର୍ଥାତ୍ ବିଧାୟକଙ୍କଦ୍ଵାରା ମୋଫା କରିଥିଲା । ସେମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ ।

 

ଅବୋଲ ପଚାରିଲା, ‘ଏଇ ମୋଫୋଟି କି ପ୍ରକାର ଶବ୍ଦ ?’

 

ଗଳ୍ପକ ନନା କହିଲେ, ‘ଏହା ଏକ ଶୁଦ୍ଧ ଓଡ଼ିଆ ଶବ୍ଦ । ଏହାକୁ ତୁମେ ଲେଖି ରଖ । ବିଷାରଦମାନେ କୋଷ ତିଆରି କରିବାବେଳେ ଦେବ । କୋଷ ଭିତରେ ଏହା ରହିବା ଆବଶ୍ୟକ । ଏହାର ଅର୍ଥ ମୋବାଇଲ୍ ଫୋନ୍ ଯୋଗେ କଥା ହେବା । ଓଡ଼ିଆରେ ଭ୍ରାମ୍ୟମାଣ ଦୂରଭାଷ ସାମାନ୍ୟ ଜଟିଳ ଲାଗୁଛି, ପୁଣି ଏଇଟି ଉଧାର ଆଣିବା ପରି ମନେହୁଏ । ଆମେ ମୋଫା ନାମକ ଓଡ଼ିଆ ଶବ୍ଦଟେ ତିଆରିଲେ କ୍ଷତି ବା କ’ଣ ?’

 

‘ଆପଣ ଆଜି ତିନିଟି ନୂଆ ଶବ୍ଦ କହିଛନ୍ତି, ‘ଅବୋଲ କହିଲା,’ ‘ମିନିଟର ଓଡ଼ିଆ ମିନ୍ତି ଯେପରିକି ଫାଇଭ୍ ମିନିଟ୍‍ସର ପାଞ୍ଚମିନ୍ତି, ଅନ୍ୟର କଥା ବା କାମରେ ବୋର୍ ହୋଇ ହୋଇ ଅତିଷ୍ଠ ହୋଇଗଲେ ଓଡ଼ିଆରେ ଏହା ବୋରାତିଷ୍ଠ ହେବ ଏବଂ ଏବେ ମୋଫୋ ! ଆପଣଙ୍କୁ ମୁଁ ପ୍ରଣାମ ଜଣାଉଛି ।'

 

ଅବୋଲର କଥାରେ ଗଳ୍ପକ ପ୍ରୀତ ହେବାପରି ଜଣାଗଲେ, କହିଲେ, ‘ଏ ରାଜ୍ୟରେ ତୁମ ପରି ଶ୍ରୋତା ଓ ପ୍ରଶଂସକ ମୁଁ କ୍ଵଚିତ୍ ଦେଖିଛି । ଦେଖିବ, ମୋର ଅବର୍ତ୍ତମାନରେ ଏ ପ୍ରକାର କିଛି ଶବ୍ଦର ସୃଷ୍ଟିକର୍ତ୍ତଭାବେ ତୁମ ପରି କିଛି ଗୁଣଗ୍ରାହୀ ମୋତେ ସ୍ମରଣ କରିବେ ।’

 

‘ଆପଣଙ୍କ କଥା କହିବା ଶୈଳୀଟି ଏତେ ଭଲ ଯେ, ଆପଣ ମୂଳକଥାରୁ ଓହରିଯାଇ ଅନ୍ୟକଥା ଗପକଲେ ମଧ୍ୟ ବୋରାତିଷ୍ଠା ଲାଗେ ନାହିଁ,’ ଅବୋଲ କହିଲା, ‘ଏଣିକି ମୂଳକଥା କୁହନ୍ତୁ-।’ ଗଳ୍ପକ ଖଣ୍ଡିକାଶ ମାରି ଗଳାସଫା କଲେ ଓ କହିବାରେ ଲାଗିଲେ ।

 

ସମସ୍ତ ପ୍ରୟାସ ସତ୍ତ୍ଵେ ବେଣୁ ଅକୃତକାର୍ଯ୍ୟ ହେଲା । ଅକୃତକାର୍ଯ୍ୟ ହେବାର ନାନାଦି କାରଣ ସେ ଦେଖାଇଲା । ତେବେ ଅକୃତକାର୍ଯ୍ୟ ହେବା ନେଇ ସେ ଅସୁଖୀ ବା ଅନୁତପ୍ତ ନଥିଲା । ବରଂ ଏ ଭିତରେ ବିଧାୟକ ସହ ମିଶିବା, ମଝିରେମଝିରେ ସହର ଯିବା, ବିଧାୟକ ଘରେ ରହିବା, ଲୋକଙ୍କ ଗତିବିଧି ଦେଖିବା ଇତ୍ୟାଦି ଭିତରେ ତା’ର ଆତ୍ମବିଶ୍ୱାସ ଦୃଢ଼ ହୋଇଥିଲା ଏବଂ ଦୃଷ୍ଟିଭଙ୍ଗୀରେ ଆସିଥିଲା ପ୍ରଚଣ୍ଡ ପରିବର୍ତ୍ତନ । ଜୀବନରେ କିଛି କରିବାକୁ ହେଲେ ବା ତିଷ୍ଠି ରହିବାକୁ ହେଲେ ଶିକ୍ଷାହିଁ ଏକମାତ୍ର ମାଧ୍ୟମ ବା ସାଧନ ନୁହେଁ, ଏକଥା ସେ ଖୁବ୍‌ଶୀଘ୍ର ଅର୍ଥାତ୍ ବିଂଶାୟୁ ହେବା ପୂର୍ବରୁ ବୁଝିପାରିଥିଲା । ଅନେକ ପଚାଶ ପଞ୍ଚାବନବର୍ଷ ନ ହେବା ଯାଏଁ ଏକଥାଟା ବୁଝିପାରନ୍ତି ନାହିଁ । ସାଫଲ୍ୟପାଇଁ ଜ୍ଞାନ ଓ ବୁଦ୍ଧି ଜରୁରୀ ବୋଲି ସେ ବୁଝିସାରିଥିଲା । ଅତଃ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ନେଇ ସେ ଚିନ୍ତିତ ନଥିଲା ।

 

ବେଣୁ ଗାଁରେ ଥିବାବସ୍ଥାରେ ସରପଞ୍ଚ ପଦାକାଂକ୍ଷିଣୀ କବିତା ଭାଉଜ ଥରେ ତା'ର ଭେଟ ପଡ଼ି ଯାଇଥିଲେ । ମଧୁର ହସ ହସି କୁଶଳ ଜିଜ୍ଞାସା ଉପରାନ୍ତେ କହିଲେ, ‘ବୁଝିଲ ବେଣୁ, ତୁମେ ନିହାତି ଯୁକ୍ତ ତିନିଟା ପାସ୍ କରିବା ଉଚିତ । ଆଜିକାଲି ଗ୍ରାଜୁଏଟ୍ । ନହେଲେ କି ଲାଭ କହୁନ ? ଯାହାବି ହେଉ, ତୁମେ ଆଉଥରେ ପରୀକ୍ଷା ଦେଇ ଯୁକ୍ତ ତିନିରେ ନାମ ଲେଖେଇଲ, ନଚେତ୍ ମୋ ମନ ଶାନ୍ତ ହବନି ।’

 

ବିଲ୍‍କୁଲ୍ ଲାଜ ନକରି ବେଣୁ କହିଲା, ‘ତମେ ଭାଉଜ ସେଇ ପୁରୁଣାକାଳିଆ ଲୋକଙ୍କ ଭଳିଆ କହିଲ । ମୁଁ ଭାବିଥିଲି ମୋ ଭାଉଜ ସରପଞ୍ଚ ହେବ ।’

 

ବାସ୍ତବରେ, କବିତା ଭାଉଜଙ୍କ ଚିନ୍ତା ସାମାନ୍ୟ ବୃଦ୍ଧି ପାଇଥିଲା । ବେଣୁ ତା’ ଏକ ଅସଫଳତା ସହ ତାଙ୍କ ସରପଞ୍ଚ ହେବା ନ ହେବା ଓ ନୂଆ ଜମାନା କଥାଟା ପକେଇ କେମିତି ଗୋଳିଆଘଣ୍ଟା କରିଦେଲା । ବେଣୁ ଯଦି ବିଧାୟକକୁ କହି ଟିକେଟ୍ କଟେଇଦବ ତେବେ ? ପୁଣି ମନକୁ ବୁଝେଇଲେ ଯେ, ସେ ବେଣୁକୁ ଦଶ ଦେଇ ସମ୍ବର୍ଦ୍ଧିତ ହୋଇଥିଲେ । ବେଣୁ ସେ କଟାକଟି କାମ କରିବନି ।

 

ତାଙ୍କ ଭାବନାରେ ବାଧା ଦେଇ ବେଣୁ କହିଲା, ‘ଜାଣିଲ ଭାଉଜ ! ତମରି କଥାରେ ଜାଣ ଜଣେ ଗ୍ରାଜୁଏଟ୍ ହେଲା । କି ଆହୁରି ଉପରେ ପଢ଼ିଲା ତେଣିକି କ’ଣ କରି ପକେଇବ ସେ ? କହୁନ ! ଏ ଗାଁ କି ଆମ ଆଖପାଖରେ ତିନିଚାରି ଗାଁର କି ତମ ବାପଘର ଗାଁର ଯେତେକ ଗ୍ରାଜୁଏଟ୍ ପାସ୍ ହେଇଛନ୍ତି, ଏବେ କୋଉଠି କ’ଣ କରୁଛନ୍ତି, କହୁନ ?’

 

କବିତା ଭାଉଜ ନାମ ମହିଳା ଜଣକ ଦଶମ ପାସ୍ କରିଥିଲା । ଉଚ୍ଚଶିକ୍ଷା ବାବଦରେ ତା’ର ବିଶେଷ କିଛି ଧାରଣା ନଥିଲା । ତେବେ ସେ ବିଏ ଓ ଏମ୍ଏ କଥା ଶୁଣିଥିଲା । ଦଶମ ପାସ୍ କରିବାପରେ କବିତା ଅବଶ୍ୟ ସ୍ଥାନୀୟ ମହାବିଦ୍ୟାଳୟରେ ପଢ଼ିବାପାଇଁ ଆଗ୍ରହୀ ଥିଲା । ତେବେ ଗୋଟେ ନିହାତି ମେଞ୍ଚଡ଼ କାରଣପାଇଁ ସିଏ ପଢ଼ି ପାରି ନଥିଲା । ତାକୁ ଯେଉଁ ଶିକ୍ଷକ ଗୃହକୁ ଆସି ଘରେ ଜ୍ଞାନଦାନ କରୁଥିଲେ, ସିଏ ଘରେ କୁହାବୋଲା କରି କବିତାର ଫଳକୁ ତୃତୀୟ/ଦ୍ୱିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀ କରାଇବାର ନିର୍ଭର ଜବାବ୍ ଦେଇ, କବିତାକୁ ପରିଷଦ କାର୍ଯ୍ୟାଳୟକୁ ନେବା ଦରକାର ବୋଲି କହି ସାଙ୍ଗରେ କଟକ ନେଇଥିଲେ । ଦୁର୍ଭାଗ୍ୟର କଥା, ସେମାନେ ସେଦିନ–ମାନେ ଯୋଉଦିନ ଯାଇଥିଲେ–ସେ ଦିନ ଫେରିପାରିଲେ ନାହିଁ । ପରଦିନ ଫେରିବା ପରେ ଗୃହଶିକ୍ଷକ ବାରମ୍ବାର କୈଫିୟତ ଦେଇଥିଲେ ଯେ, କବିତାର ପ୍ରଥମ ଶ୍ରେଣୀର ଉତ୍ତୀର୍ଣ୍ଣ ହେବାଟା ଥୟ, କବିତାର ବାପା ବିଶ୍ୱାସ କରି ନଥିଲେ । ଯାହା ହେଉ, ସେ କଥା ସବୁ ଶାନ୍ତ ହେବାପରେ କବିତାର ମା’ ବୁଝେଇସୁଝେଇ କେତେଟା ପ୍ରଶ୍ନ ପଚାରିଥିଲେ । ଉତ୍ତର ନଦେଇ କବିତା କାନ୍ଦିବାରୁ ସେ ତହିଁ ପରଦିନ ଏକାନ୍ତରେ ନିଜ ସ୍ୱାମୀଙ୍କୁ କହିଥିଲେ, ‘ବାଳୁତ ପିଲା, ଖାଲି କାନ୍ଦୁଚି, କାଳେ କିସ ହେବ, ମୋର ତୁମକୁ କହିବା କଥା ଏତିକି ଯେ ମାସେ ଦି’ମାସ ଭିତରେ ତାକୁ ହାତକୁ ଦି'ହାତ କରିବା କଥାଟା ଭାବ ।’

 

କବିତାର ବାପ ସେଇ ମାସରେ କଷ୍ଟେମଷ୍ଟେ ଝିଅକୁ ଉଠେଇ ଦେଇଥିଲା । ବାହାଘରର ଠିକ୍ ସାଢ଼େ ସାତ ମାସ ପରେ ସେମାନେ ନାତି ମୁହଁ ଦେଖିଥିଲେ । କବିତାର ମା’ ଓ ଶାଶୁ ଠାକୁରଙ୍କୁ ଢେର୍ ଡାକିଥିଲେ । ତହିଁକି ସୁରୁଖୁରୁରେ ଛୁଆଟା ପଦାକୁ ଆସିଥିଲା ।

 

ତ କବିତା ଭାବି କି କହିଥିଲା, ‘ଗ୍ରାଜୁଏଟ୍ ହେଲେ ମାଷ୍ଟର କି ଅମିନ କି ପାଠସହାୟକ ହବ, ନହେଲେ ବ୍ୟାଙ୍କ୍‍ରେ ରହିବ, ଏଇଆ ତ ?’

 

ବେଣୁ କହିଥିଲା, ‘ତମରି କଥା ରହୁ ଭାଉଜ, ସେଇଆ ହେବେ, ନହେଲେ ବିଡ଼ିଓ ତହସିଲଦାର କି କଲେକ୍‍ଟର ହବ । କିନ୍ତୁ ଯଦି ଫେଲ୍ ହେଲା, ଜାଣିବ ଦି’ଟା ଭିତରୁ ଗୋଟାଏ କିଛି ହେବା ଥୟ । ବେକାରମେକାର ହେଇ ଗାଁରେ ରହିବ । ବସି ଖାଇ ପିଣ୍ଡିରେ କି ବରମୂଳେ ତାସ୍ ମାଡ଼ କରିବ । ନହେଲେ ଏଠିସେଠି ଝିଅଙ୍କୁ ପଢ଼େଇବା ନାଁରେ କ’ଣ ବୋଲି...ଛାଡ଼ ସେକଥା-। ଇଏତ ଗଲା ଗୋଟାଏ କଥା । ଆର କଥାଟି ହେଲା, ଫେଲ୍ ହବାପରେ ଯଦି ବୁଦ୍ଧି ଖର୍ଚ୍ଚ କଲ, ଆଉ ଟିକେ ପରିଶ୍ରମ କଲ, ତେବେ ଜାଣ ତମେ ସରପଞ୍ଚରୁ ଆରମ୍ଭ କରିବ, ଭାଗ୍ୟ ସାଥ୍ ଦେଲେ ଉଠିଉଠି ନିହାତି ଏମ୍.ଏଲ୍.ଏ ହବ । ହଜାରେ ସରକାରୀ ଲୋକ ପାଦ ଚାଟିବେ, ଜାଣିବ-। ତୁମେ ଭାଉଜ, ସରପଞ୍ଚରେ ଠିଆ ହବ ବୋଲି ସ୍ଥିର କରିଛ ଭଲ କରିଛ, ମୁଁ ତ ଆମ ପଞ୍ଚାୟତରୁ ଲଢ଼ିବି-। ହଁ ଶୁଣ–ଭାଇ କହିଛନ୍ତି ଆର ହପ୍ତାରେ ସରପଞ୍ଚ ଓ ସମିତି ସଭ୍ୟ ଟିକେଟ୍ ବଣ୍ଟାକଥା ଫାଇନାଲ୍‍ ହବ । ଆମେ ଦି'ଜଣ ଶନିବାର ଯିବାକୁ ଖବର ଦେଇଛନ୍ତି । ମୁଁ ଆଗ ପଳେଇବି, ତୁମେ ଭାଇଙ୍କୁ ନେଇ ବାହାରିଯିବ ।’

 

ବେଣୁ ଚାଲିଯିବାକୁ ଉଦ୍ୟତ ହେବାବେଳେ କବିତା ତା’ ହାତ ଧରି ପକେଇ କହିଲା, ‘ଶୁଣ ବିନୁ, ତୁମ ଭାଇ କ’ଣ ଏମ୍.ଏଲ୍‌.ଏ ଘର ସେଠି ପାଇବେ ? ମୁଁ ତ ଆଗରୁ ଯାଇନି, ଥରେ ଗଲେ ରାସ୍ତା ମନେରଖିବି, ଏଥିରେ ସନ୍ଦେହ ନାହିଁ । ଶୁଣ ଶନିବାର ତୁମର ମୋର ଚାଲିଯିବା । ସକାଳେ ଯିବା, ସଞ୍ଜବେଳକୁ ଆସିଯିବାନି କି ?’

 

କବିତା ଭାଉଜ ତାକୁ ବେଣୁରୁ ବିନୁ ଡାକିଥିବାରୁ ତାକୁ ଭଲଲାଗିଥିଲା ।

 

ଗଳ୍ପକ କଥା ମଝିରେ ବିଶ୍ରାମ ନେବାରୁ ସୁଯୋଗ ଉଣ୍ଡି ବସିଥିବା ପରି ଅବୋଲକରା ଚିନ୍ତିତ ହେବା ଭଙ୍ଗୀରେ ପଚାରିଲା, ‘ଆପଣ ଯେ ଟିକେ ଆଗରୁ କହିଲେ କି ଗାଁରେ ବସିକରି ଖାଇବ ଓ ବରଗଛ ଛାଇରେ ତାସ୍ ମାଡ଼ କରିବ, ଏହା କିପରି ସମ୍ଭବ ? ଆପଣ ଏପରି କହିଲେ ଯେପରି ପ୍ରତି ଗାଁରେ ଟୋକାମାନେ ବସି ଖାଉଛନ୍ତି ଏବଂ ରାଜ୍ୟରେ ହଜାରହଜାର ଭେଣ୍ଡିଆ କାମ ନକରି ବସି ଖାଇ ହେଣ୍ଡିମାରି ଟୀକା ଉପରେ ଗୋଲି ମାଡ଼ କରୁଛନ୍ତି । ଆପଣଙ୍କ କଥାରେ ମୋର ସନ୍ଦେହ ଉପୁଜୁଛି ।’

 

ଗଳ୍ପକ କହିଲେ, ‘ଏହା ଉତ୍ତମ ପ୍ରଶ୍ନ । ତେବେ ତୁମେ ଯଦି ସହରରେ ସମୟ ନ ବିତାଇ ଗାଁଗଣ୍ଡାରେ କିଛିଦିନ ଭ୍ରମଣ କରନ୍ତ, ତେବେ ସତ୍ୟାସତ୍ୟ ଜାଣିପାରନ୍ତ । ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି । ଚାଷ କରିବାକୁ ଇଚ୍ଛୁକ ଥିବା ଲୋକ ମଧ୍ୟ ଚାଷ କରିପାରୁ ନାହିଁ, କାରଣ ବିଲବାଡ଼ିରେ କାମପାଇଁ ଲୋକ ନାହାନ୍ତି । ଅନେକ ପରିବାରରେ ପଚାଶରୁ ଶହେ କିଲୋ ଚାଉଳ ମାସକୁ ଉପଲବ୍ଧ ହେଉଛି । ପଚିଶ ତିରିଶ କିଲୋ ଖର୍ଚ୍ଚ ପରେ ବାକି ତିରିଶରୁ ସତୁରୀ କିଲୋ ପୁନଃ ବଜାରକୁ ଯାଉଛି, ପୁନଃ ସେସବୁ ମିଲ୍‌କୁ ଯାଉଛି, ପୁନଃ ସରକାର ପୁନଃ... । ଏକ ସମୟ ଆସିବ ଲୋକେ ପୂର୍ଣ୍ଣ ମାଗଣାରେ ସବୁ କିଛି ପାଇବାପାଇଁ ଅଝଟ କରିବେ, ପରେ ଧର୍ମଘଟ କରିବେ ଏବଂ ଶେଷରେ ଲୁଟତରାଜ କରିବେ । ସେହି ସମୟରେ ଯାହା ଯେଉଁଠି ମିଳିବ, ଲୋକେ ତାକୁ ମୋର ବୋଲି ଦାବି କରିବେ । ସେଇ ସୁଦିନକୁ ଆମେ ଅପେକ୍ଷା କରିବା । ଅନେକ ମିଛ ହିସାବର ପର୍ଦାଫାସ୍ ହେବ ।’

 

‘ଏଣିକି ବେଣୁର ପ୍ରତିଭା ବିଷୟରେ କୁହନ୍ତୁ ।’ ଅବୋଲ ବିଶେଷ ଖୋଳତାଡ଼ ନକରି କହିଲା ଏବଂ ବହୁ ଗ୍ରାମ ଭ୍ରମଣ କରି ଥିବା ଗଳ୍ପକ ମଧ୍ୟ ମୂଳକାହାଣୀକୁ ଫେରିଯିବାକୁ ଉଚିତ ମନେକରିଥିଲେ ।

 

ନିର୍ଦ୍ଧାରିତ ଦିନ ପ୍ରାତଃକାଳୁ କବିତା ଭାଉଜଙ୍କୁ ସାଙ୍ଗରେ ଧରି ବେଣୁ ବାହାରିପଡ଼ିଲା । ବସ୍‍ରେ ବସିବାବେଳକୁ ଚାରି ଆଙ୍ଗୁଳି ଓଢ଼ଣା ପକାଇଥିବା କବିତା ଭାଉଜ ସହରରେ ଓହ୍ଲାଇବାବେଳକୁ କାନି ଉଡ଼ାଇ ଚାଲିଥିଲେ । ସେ ଯେ ଘରୁ କାନ୍ଧକଟା ବେଲ୍‌ଜା ପିନ୍ଧି ଆସିଥିଲେ, ଏକଥା ବେଣୁ ଆଖି ଧରି ପାରି ନଥିଲା । ଯାହା ହେଲେବି ତା’ର ନଜର ପକ୍ୱ ହୋଇ ନଥିଲା । ତେବେ ସହରରେ ପହଞ୍ଚିବା ପରେ ଭାଉଜଙ୍କୁ ମୁକ୍ତ ସ୍କନ୍ଧାଞ୍ଚଳ ସନ୍ଦର୍ଶନ ପୂର୍ବକ ସେ ଧନ୍ୟ ହୋଇଥିଲା ।

 

ଗଳ୍ପକ ନିଃଶ୍ୱାସ ମାରୁମାରୁ ଅବୋଲ ପଚାରିଲା, ‘କାନ୍ଧକଟା ବେଲ୍‍ଜା ମାନେ ଅବା କ’ଣ ?’

 

‘ଶୁଣ, ବିତଣ୍ଡା ପ୍ରଶ୍ନ ପଚାରିବାର ଏକ ସୀମା ଅଛି’, ଗଳ୍ପକ ମିଛ ବିରକ୍ତି ପ୍ରକାଶ କଲେ, ‘ତୁମେ ସତେ ଅବା ଚନ୍ଦ୍ର ଅବା ମଙ୍ଗଳରୁ ଆସିଥିବା ପରି କଥା କହୁଛ । କାନ୍ଧକଟା ବା ନିସ୍କନ୍ଧ ବ୍ଲାଉଜ୍ ତୁମେ ଦେଖିନାହଁ ?’

 

‘ଆପଣ ବ୍ଲାଉଜ୍‌କୁ ବେଲ୍‌ଜା କହିଲେ କିଏ ବା ବୁଝିବ ?’

 

‘ମନେରଖ, ବ୍ଲାଉଜ୍ ଏକ ବିଜାତୀୟ ଶବ୍ଦ । ଏହାର ଓଡ଼ିଆ ଆମେ ବେଲ୍‌ଜା କରିପାରିବା ବା ବେଲ୍‍ଜି କରିପାରିବା । ଅତୀତରେ ବୋଧେ ଏହି ମହାପ୍ରଦେଶରେ କେହି ବେଲ୍‌ଜା ପିନ୍ଧୁ ନଥିବାରୁ ସେପରି ଶବ୍ଦର ଆବଶ୍ୟକତା ନଥିଲା । ତେବେ ନାରୀମାନଙ୍କ ବକ୍ଷ ପ୍ରଦେଶପାଇଁ ବ୍ୟବହୃତ ଏକମାତ୍ର ବସ୍ତ୍ରର ନାମ ଥିଲା କାଞ୍ଚଲା । କାଞ୍ଚଲା ବଦଳରେ ଏବେ ଯେଉଁ ବିଚିତ୍ର ପଦାର୍ଥଟି ବକ୍ଷ ପ୍ରଦେଶର ସମ୍ମାନ ରକ୍ଷା ଓ ଗର୍ବ ବୃଦ୍ଧିପାଇଁ ବ୍ୟବହାର କରାଯାଉଛି, ତାହା କିଛି ଭୟଙ୍କର ଅସୁସ୍ଥତାର କାରଣ ହେଉଛି ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ମୋର ଜ୍ଞାନ ବ୍ୟାପକ ହୋଇଥିଲେହେଁ ମୁଁ ଏଠାରେ ସେସବୁ କହିବାକୁ ଉଚିତ ମନେକରୁନାହିଁ । ହାଟ ମଧ୍ୟରେ ବ୍ରହ୍ମଜ୍ଞାନାଲୋଚନା ଅନୁଚିତ । ତୁମେ ଏକାକୀ ମୋ ସହ ମୋଫୋରେ କଥା ହେବାବେଳେ ମୁଁ ଅନେକ କଥା ଜଣାଇବି, ହେଲା ?’

 

ଗଳ୍ପକ ବିଶ୍ରାମ ନେବାକ୍ଷଣି ଅବୋଲକରା ଉଠିଯାଇ ପୂର୍ଣ୍ଣ ଶୀତଳ ଜଳ ଦୁଇ ବୋତଲ ଆଣିଲା ଓ ଉଭୟେ ଜଳପାନ ପୂର୍ବକ ମସ୍ତିଷ୍କୋଦର ଶୀତଳକର କାହାଣୀ କହିବା ଓ ଶୁଣିବାପାଇଁ ନିଜକୁ ପ୍ରସ୍ତୁତ କଲେ ।

 

‘ଆହା–ଏତେ ମଧୁର ଶୀତଳ ଜଳ । ଗଳ୍ପକ ନିଜକୁ ସତେବା କହିଲେ, ‘ମସ୍ତିଷ୍କୋଦର ଶାନ୍ତ ହେଲା ।’

 

‘କ’ଣ କହିଲେ ?’

 

‘ଆରେ ! ଦୁଇଟି ଅଣଓଡ଼ିଆ ଶବ୍ଦ ମସ୍ତିଷ୍କ ଓ ଉଦରକୁ ମିଶାଇ ଏକ ଓଡ଼ିଆ ଶବ୍ଦ ତିଆରିଛି ।’

 

ଏହାପରେ ସେ ନିଜ କାହାଣୀର ଜଗତ ମଧ୍ୟକୁ ପୁନଃପ୍ରବେଶ କଲେ ।

 

ଯାନ୍ତ୍ରିକ ତ୍ରିପଦ ଧରି ବିଧାୟକର ସରକାରୀ ଘରେ ପହଞ୍ଚିବାବେଳକୁ ଦିନ ଏଗାର । ସେଠି ଜଣେ ଏପରି ଲୋକ ଦେଖା ହେଲା ଯିଏ ବେଣୁକୁ ଅଳ୍ପାଳ୍ପ ଚିହ୍ନିଥିଲା । ଭିତରକୁ ଖବର ଦେଇ ଏମାନେ ବାହାର ଘରେ ବସିଲେ । ପ୍ରାୟ ଦଶ ମିନିଟ୍ ପରେ ବିଧାୟକ ଆସି ଉପସ୍ଥିତ କତିପୟଙ୍କୁ ସମ୍ଭାଷଣ ଜଣାଇ ଜଣକ ପରେ ଜଣକୁ ବିଦାୟ ଦେଇସାରି ଏମାନଙ୍କୁ ଭିତରକୁ ଡାକିନେଲା । ଭିତରେ ସାମାନ୍ୟ ନାରୀଗୁଣ ସମ୍ପନ୍ନା ପୁରୁଷଟିଏ ମାନେ ଟୋକାଟିଏ ରୋଷେଇ କାମରେ ଆତ୍ମବିସ୍ମୃତ ହୋଇଥିଲା । ବିଧାୟକର । ସ୍ନେହାଦର କିଛି ସହୋଦରଠାରୁ କମ୍ ନଥିଲା । ସେଠାରେ ଉନ୍ନତମାନର ମଧ୍ୟାହ୍ନ ଭୋଜନ କରି ବେଣୁ, କବିତା ଭାଉଜ ଏବଂ ବିଧାୟକ ପ୍ରଥମେ ଖୁସି ଗପ ଏବଂ କ୍ରମେ କ୍ରମେ ସେରିଆ ଗପରେ ମଗ୍ନହେଲେ । ପାଞ୍ଚଟା ଯାଏଁ କଥାବାର୍ତ୍ତାଳାପଲୋଚନ ଚାଲୁ ରହିଲା । ଏ ଭିତରେ ବିଧାୟକ ସୂଚନା ଦେଇଥିଲା ଉପଦଳାଧିପତି ସଦରମହକୁମାରେ ଉପସ୍ଥିତ ନଥିଲେ । ଅତଃ ସେମାନେ ରାତ୍ରିଯାପନ କରିବା ଉଚିତ, ପରଦିନ ବରଂ ଆଲୋଚନା ପୂର୍ବକ ସେମାନେ ଫେରିଯିବାରେ କିଛି ବାଧା ନଥିଲା । ରାଜନୀତିରେ ତିଷ୍ଠିବା ଓ ସଫଳ ରହିବାକୁ ହେଲେ ସର୍ବଦା ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ସେମାନଙ୍କ ସୁନଜରରେ ରହିବା ଏକାନ୍ତାବଶ୍ୟକ । ବେଣୁ ରାତ୍ରିଯାପନ ବିପକ୍ଷରେ ଥିଲା, ହେଲେ କବିତା ଭାଉଜ ତାକୁ ବୁଝାଇଥିଲେ, ‘ବିନୁ ଶୁଣ, ଆମେ ଏତେ ବାଟରୁ ଆସିଚେ, ପ୍ରତିଦିନ ଆସିବା ସମ୍ଭବ କି ? ନା ଆମେ ଆସିଲେବି ସାର୍ ଆମକୁ ସମୟ ଦେଇପାରିବେ କି ? ଗୋଟାଏ ରାତି ରହି କାଲି ସାର୍‍ଙ୍କ ସହ ଯାଇ ତାଙ୍କୁ ଦେଖାକରିସାରି ଆମେ ଦିନେଦିନେ ବାହାରିଯିବା ବୋଲି ମୋର ମତ !’

 

ଟୋକା ବିଧାୟକ ବେଣୁକୁ ଲକ୍ଷ୍ୟ କରି କହିଲା, ‘ଶୁଣ ବେଣୁ, ତୁମେ ଏଠି ରହିବା ନରହିବାଟା ବଡ଼କଥା ନୁହେଁ । ତୁମେ ଚାଲିଗଲେବି ମୁଁ ତୁମମାନଙ୍କ ପାଇଁ କାମ କରିବି । ରହିଥିଲେ ସୁବିଧାଟା ଏଇଆ ଯେ, କେତେ କଥା ଆଲୋଚନା କରିଥା’ନ୍ତେ । ତୋତେ ଗୋଟେ ପାକ୍ଷିକ ସମ୍ବାଦପତ୍ରର ଆମ ବ୍ଲକ୍‍ର ପ୍ରତିନିଧି କରେଇ କାର୍ଡ଼ଟେ ଦେଇଥା’ନ୍ତି, ଏଣେ ଦେଖିଥା’ନ୍ତେ ତୁ ଦଳର ସେଠାକାର ଯୁବଶାଖାର ସଭାପତି ହେଇପାରିବୁ କି ନା । ଆଉ କବିତା ମାଡ଼ାମ୍‍ ଯଦି ଏଇ ଦରିଦ୍ର କୁଡ଼ିଆରେ ରହିବାକୁ ପସନ୍ଦ ନ କରିବେ, ତେବେ ମତେ କହିଲେ ମୁଁ ଏଇନେ କାର୍‍ଟେ କରିଦେବି, ଦି’ଜଣ ଚାଲିଯିବ ।’

 

କବିତା ଭାଉଜ ସର୍ବନିମ୍ନାନୁପାତର ଅଭିମାନ ପ୍ରଦର୍ଶନ ପୂର୍ବକ କହିଲେ, ‘ସାର୍ ଯଦି ଆମକୁ ତଡ଼ିଦେବେ, ଗାଁକୁ ନଯାଇ ଆଉ କୁଆଡ଼େ ଯିବା କହୁନ ।’

 

ଏହିପରି ବିଚିତ୍ର କିସମର କଥୋପକଥନ ଅନେକ ସମୟ ଚାଲିଲା । ଶରୀରର ଯେଉଁ ସବୁ ସ୍ଥାନରେ କେଶ ସୃଷ୍ଟି ହେଲେ ମଣିଷକୁ ବଡ଼ ହୋଇଗଲା ବୋଲି ଧରାଯାଏ ବେଣୁର ତାହା ହୋଇଥିଲେହେଁ ସେ ତଥାପି ପାଚିଲା ମଣିଷ ହେଇ ନଥିଲା । ଏମାନଙ୍କ କଥାବାର୍ତ୍ତାରୁ ସେ ଘୁଣାକ୍ଷରରେ ମଧ୍ୟ ଜାଣି ପାରି ନଥିଲା ଯେ କବିତା ଭାଉଜ ଓ ବିଧାୟକଙ୍କ ଭିତରେ ନାହିଁ ନାହିଁ ଭିତରେ ହଁ ହଁ ଚାଲିଥିଲା ବୋଲି ।

 

ଏଇପରେ ପାଣି ପିଇବାପାଇଁ ଗଳ୍ପକ ଅଟକିବାକ୍ଷଣି ଅବୋଲକରା ପଚାରିଲା, ‘ମୁଁ ମଧ୍ୟ ଜମା ଜାଣିପାରୁ ନାହିଁ ହଁରେ ନାହିଁ ଓ ନାହିଁରେ ହଁର ଅର୍ଥଟା କ’ଣ ବୋଲି । ଏତଦ୍‌ଭିନ୍ନ ଆପଣ ଏଇମାତ୍ର ଏକ ବିଚିତ୍ର ବାକ୍ୟ କହିଲେ ଯେ କ୍ରମେ କ୍ରମେ ସେରିଆ ଗପରେ ମଗ୍ନ ହେଲେ । ଏଇ ସେରିଆଟି କି ପ୍ରଜାତିର ଶବ୍ଦ ? ଏହା କ'ଣ ଓଡ଼ିଆ ଭାଷାର ଏକ ବିଲୁପ୍ତ ପ୍ରାୟ ଶବ୍ଦ ?’

 

ପାଣି ପିଇସାରି ଧୋତିର କୁଞ୍ଚରେ ମୁହଁ ପୋଛୁପୋଛୁ ଗଳ୍ପକ କହିଲେ, ‘ତୁମେ ଯେଉଁ ବିଷୟରେ ସଂଶୟ ପ୍ରକଟ କରିଛ, ମୁଁ ତାହା ଦୂର କରିବି । ସେରିଆ ଏକ ଓଡ଼ିଆ ଶବ୍ଦ ନୁହ । ଆଉ କେଉଁ ଭାଷାର ଏକ ଶବ୍ଦ ଅଛି କି ନା ସେ କଥା ମୁଁ କହିପାରିବି ନାହିଁ, କାରଣ ମୋର ଜ୍ଞାନ ସୀମିତ-। ସେରିଆଟି ମୁଁ ସୃଷ୍ଟି କରିଛି । ଏହାର ଇଂରାଜୀ ଅନୁବାଦ ହେବ ସିରିଅସ୍ । ଯେଉଁ ଜାଗାରେ ଆଗରୁ ମୁଁ ସେରିଆ ଶବ୍ଦ ଲଗେଇଛି, ସେଠି ଭାରି ସିରିଅସ୍ ଲାଗିଲେ ବାକ୍ୟଟି ହେବ କ୍ରମେ କ୍ରମେ ସିରିଅସ୍ ଗପରେ ମଗ୍ନ ହେଲେ । ଖାଲି ଓଡ଼ିଆ ବ୍ୟବହାର କର ବୋଲି କହିଦେଇ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଲେ ଚଳିବ କି ? ଶବ୍ଦ ଦବାକୁ ହବ । ସିରିଅସ୍ ବଦଳରେ ସେରିଆ ଲେଖିଲେ କ୍ଷତି ବା କ’ଣ ? ଅଭିଧାନରେ ଥାଉ । ଆମ ଭାଷାରେ ସିରିଅସ୍‍ର ଓଡ଼ିଆଟେ ଅଛି ବୋଲି ଜଣାଯାଉ । ଆଉ ଅନ୍ୟଟି ହେଲା ହଁରେ ନାହିଁ ଓ ନାହିଁରେ ହଁ । ସେଇଥିରୁହିଁ ମୁଁ ଆମ କାହାଣୀ ଆଗେଇ ନେବି ଏବଂ ତୁମର ସନ୍ଦେହମୋଚନ ହେବ ।' ଏହିପରି କହି ଗଳ୍ପକ ନିଜ କଥନିକାକୁ ଆଗେଇନେଲେ ଓ ଅବୋଲ ଏକାଗ୍ରଚିତ୍ତରେ ଶୁଣିବାରେ ଲାଗିଲା ।

 

ଯେତେବେଳେ ଜଣେ ରମଣପ୍ରିୟା ନାରୀ ଏବଂ ରମଣାକାଂକ୍ଷୀ ପୁରୁଷ ପରସ୍ପରର ସାମ୍ନା କରନ୍ତି, ସେତେବେଳେ ଯେଉଁ ବିଚିତ୍ର ପ୍ରକାର ଶୈଳୀରେ ଓ ଭାଷାରେ ବାର୍ତ୍ତାଳାପ ଚାଲେ, ସେକଥା ଏତେ ସହଜରେ ବୁଝାଇ ହେବ ନାହିଁ । ପୃଥିବୀର ବା ପ୍ରକୃତିର ସହସ୍ର ସହସ୍ର ରହସ୍ୟମାନଙ୍କ ପରି ଇଏବି ଏକ ରହସ୍ୟମୟ ଇଲାକା । ଦେଖ, ମୁଁ କହିଛି ରମଣପ୍ରିୟା ନାରୀ ଓ ରମଣାକାଂକ୍ଷୀ ପୁରୁଷ । ରମଣପ୍ରିୟ ପୁରୁଷ ନୁହେଁ କି ରମଣାକାଂକ୍ଷୀ ନାରୀ ନୁହେଁ । ସିଏ ଅବଶ୍ୟ ଆହୁରି ଗହନ କଥା ଏବଂ ଯଦିଓ ସେ ବିଷୟରେ ମୋର ବିଶେଷ ଜ୍ଞାନ ଅଛି, ତାହା ଏଠି ମୁଁ ତୁମକୁ କହିବି ନାହିଁ । ଏବେ ରମଣ ପ୍ରିୟା କବିତା ଓ ରମଣାକାଂକ୍ଷୀ ବିଧାୟକଙ୍କ କଥା ଚୁମ୍ବକରେ ଜାଣ । ସେମାନେ ଯେଉଁ ପ୍ରକାର କଥାବାର୍ତ୍ତା ହେଲେ ତାହାକୁ ପ୍ରବୀଣମାନେ ପରୋଷୋକ୍ତି ବୋଲି ଅଭିହିତ କରିଛନ୍ତି । ପ୍ରିୟ ଓ ଆକାଂକ୍ଷା ମଧ୍ୟରେ ବ୍ୟାପକ ପ୍ରଭେଦ ରହିଛି । ତେବେ ଲକ୍ଷ୍ୟ ଏକ ହୋଇଥିବାରୁ ବୁଲେଇବୁଲେଇ ଶେଷରେ ରମଣର ନିକଟତର ହୁଅନ୍ତି ତଥା ଶେଷରେ ସେଇ କର୍ମରେ ଲିପ୍ତ ହେବାର ଅବ୍ୟବହିତ ପୂର୍ବରୁ କୁହାକୁହି ହୁଅନ୍ତି ‘ଛି ! ଏ କାମ ନ କରିଥିଲେ କ’ଣ ଚଳି ନଥାନ୍ତା ।' ଏବଂ ଏହି ବାକ୍ୟଟିରେ ଦ୍ୱିଗୁଣୋତ୍ତେଜିତ ହୋଇ ରମଣଲିପ୍ତ ହୁଅନ୍ତି । ହଁ–ସଚରାଚର ଏହା ଦେଖାଯାଇଛି ଯେ, ପୁରୁଷ ବା ନାରୀ ଯାହା ପ୍ରତି ପ୍ରିୟ/ପ୍ରିୟା ବ୍ୟବହାର ହୋଇଥିବ, ସେ ବିବାହ କରିଥିବ ଏବଂ ଯାହାକୁ ଆକାଂକ୍ଷୀ ବୋଲି କୁହାଯାଇଥିବ, ସେ ସଚରାଚର ନହେଲେବି ଅବିବାହିତ ହୋଇଥିବ । ଅତଃ ପ୍ରତିପାଦ୍ୟ ଯେ, ଏଠାରେ କବିତା ନାମ୍ନୀ ନାରୀଟି ବିବାହିତା ଥିଲା ଏବଂ ବିଧାୟକଟି (ଜଣକ) ଅବିବାହିତ ଥିଲା । ଏପରି ଯୋଗାଯୋଗ ହେଲେ ଅର୍ଥାତ୍ ରମଣପ୍ରିୟା ନାରୀ ସହ ରମଣାକାଂକ୍ଷୀ ପୁରୁଷର ଭେଟ ହେଲେ ସ୍ଵାଭାବିକଭାବେ ନାରୀ ଜଣକ ଏପରି ବାକ୍ୟ ଓ କର୍ମ ପ୍ରୟୋଗ କରେ ଯଦ୍ଦ୍ୱାରା ରମଣର ସମ୍ଭାବନା ଉଜ୍ଜ୍ଵଳ ଓ ନିଶ୍ଚିତ ହୋଇଥାଏ । ରମଣାକାଂକ୍ଷୀ ପୁରୁଷର ଭୟ, ଭ୍ରାନ୍ତି, ସଙ୍କୋଚ ଦୂର କରିବାରେ ନାରୀ ଜଣକ ଆଗୁଆ ପଦକ୍ଷେପ ନେଇଥାଏ । ଏହାକୁ ଚିହ୍ନିବାଟା ବଡ଼କଥା । ତେବେ ବଡ଼ବଡ଼ ଶାସ୍ତ୍ରଜ୍ଞ ଓ ଅଭିଜ୍ଞମାନେ ଏକଥା ଅବଶ୍ୟ କହିଛନ୍ତି ଯେ, ଯଦି କୌଣସି ନାରୀ ରମଣଲିପ୍ତ ହେବାକୁ ଆଗ୍ରହୀ ହେବ ଏବଂ ନିଷ୍ପତ୍ତି ନେବ, ତେବେ ତାହାକୁ ତ୍ରିଦେବ ଏକତ୍ର ହେଲେ ମଧ୍ୟ ରୋକିପାରିବେନାହିଁ । ତ୍ରିଦେବ ବୋଇଲେ ବୁଝୁଛ ତ ? ବ୍ରହ୍ମା–ବିଷ୍ଣୁ–ମହେଶ୍ଵର ।

 

ଗଳ୍ପକଙ୍କ କଥା ଶୁଣି ଅବୋଲ ଦୁଃଖ ପ୍ରକାଶ ପୂର୍ବକ କହିଲା, ‘ମୁଁ ଅତ୍ୟନ୍ତ ରମଣାକାଂକ୍ଷୀ, ହେଲେ କୁତ୍ରାପି ମୁଁ ଜଣେ ରମଣପ୍ରିୟା ନାରୀକୁ ଭେଟୁନାହିଁ ।’

 

ଗଳ୍ପକ କହିଲେ, ‘ଯଦିଓ ଏ ପ୍ରଶ୍ନଟି ଅଶ୍ଳୀଳ ପର୍ଯ୍ୟାୟର, ତଥାପି ଏହା ଏକ ଭଲ ଦିଗକୁ ସୂଚାଉଛି । ତାହାହେଲା ତୁମର ଦୃଷ୍ଟି ଏଯାବତ୍ ସ୍ୱଚ୍ଛ ଓ ପବିତ୍ର ଅଛି । ଏହି ସଂସାରରେ, ଆମମାନଙ୍କ ନିକଟରେ ପ୍ରତି ମୁହୂର୍ତ୍ତରେ ରମଣପ୍ରିୟା ଓ ରମଣାକାଂକ୍ଷୀ ନାରୀମାନେ ଆତଯାତ ହେଉଥିଲେହେଁ ଯେଉଁ ପୁରୁଷମାନେ ତାଙ୍କୁ ଜାଣିପାରନ୍ତି ନାହିଁ, ସେମାନେ ଉତ୍ତମ ପ୍ରଜାତିର । କିନ୍ତୁ ଯେଉଁମାନେ ଏପରି ନାରୀଙ୍କୁ ଚିହ୍ନନ୍ତି ଏବଂ ନିଜର ରମଣାକାଂକ୍ଷୀକୁ ଦମନ କରି ରଖନ୍ତି, ସେମାନେ ପାପୀ ଓ ନରାଧମ ।’

 

ଅବୋଲ କହିଲା, ‘–ଆହା–ଆପଣ କେତେ ସୁନ୍ଦର କଥାକୁ କେତେ ଭଲଭାବରେ କହିଲେ, ଆପଣଙ୍କଠୁ ଅନେକ କିଛି ଶିଖିବାର ଅଛି, ଏ ସବୁକୁ ନେଇ ଆପଣ ପୁସ୍ତକଟେ ଲେଖନ୍ତୁ-।’

 

‘ଚୁପ୍‍କର !’ ଗଳ୍ପକ କ୍ରୋଧାନ୍ୱିତ ହେବାପରି ଜଣାଗଲା, ‘କାହାଣୀ ଶୁଣିବାର ଅଛି ତ ବସ । ଏମିତି ଏଣୁତେଣୁ ବାଜେ ମନ୍ତବ୍ୟ ଦେଇ କାହାଣୀର ଗତିପଥକୁ ଆଉ ଦିଗଭ୍ରଷ୍ଟ କରାଅ ନାହିଁ । ଏ କାହାଣୀକୁ ତୁମେ ବହୁ ବିଳମ୍ବିତ କରାଇସାରିଛ । ମୁଁ କେବଳ ନାରୀ–ପୁରୁଷଙ୍କ ସମ୍ପର୍କ ଓ ସମ୍ଭାବନାକୁ ଏମିତି କେତେକ ଜ୍ଞାନ ଗର୍ଭକ କଥା କହୁଥିଲି, ଯାହା ପ୍ରତ୍ୟେକ ନାରୀ ଓ ପୁରୁଷଙ୍କର କାର୍ଯ୍ୟରେ ଆସିବ । ତୁମେ ଏଣୁତେଣୁ କହିବା ଅନୁଚିତ ।’

 

ଏପରି କହି ଗଳ୍ପକ ପ୍ରାୟ ପାଞ୍ଚ ମିନ୍ତି ନୟନ ମୁଦ୍ରିତାବସ୍ଥାରେ ରହିଲେ । ତତ୍ପରେ କହିବାରେ ଲାଗିଲେ ଏବଂ ଅବୋଲ ଜାଣିଲା ଯେ ନନା କାହାଣୀକୁ ତୁରନ୍ତ ସାରିବା ଚକ୍କରରେ ଥିଲେ ।

 

ସେଦିନ ରାତିରେ ଶୋଇବା ପୂର୍ବରୁ କବିତା ଓ ବିଧାୟକ ଯେଉଁ ଅଦ୍ଭୂତ ଶୈଳୀରେ କଥାବାର୍ତ୍ତା ହୋଇଥିଲେ, ତହିଁରୁ ବିଚରା ବେଣୁ କିଛି ବୁଝିପାରି ନଥିଲା ସତ, କିନ୍ତୁ ପରବର୍ତ୍ତୀ ସମୟରେ ସେ ବ୍ୟାପକଭାବେ ପରିପକ୍ୱ ହୋଇଥିଲା ତଥା ସର୍ବାଧିକ ଗୁରୁତ୍ଵର କଥା ଏହି ଯେ ରମଣ ଓ ରମଣପ୍ରିୟା ତଥା ରମଣାକାଂକ୍ଷୀ ନାରୀମାନଙ୍କର ଅଶେଷ କ୍ଷମତା ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ ଅବଗତ ହୋଇପାରିଥିଲା । ସେଇ ରହସ୍ୟମୟ ରାତିରେ ଘଟଣାକ୍ରମେ ବଡ଼ ବିଚିତ୍ର ରୂପ ନେଇଥିଲା ।

 

ରାତି ପ୍ରାୟ ଦୁଇଟାବେଳେ, ଯେତେବେଳେ କି ବେଣୁକୁ ନିଘଞ୍ଚ ଅର୍ଥାତ୍ ଗହନ ନିଦ ହୋଇଯାଇଥିଲା । ସେ ସ୍ଵପ୍ନ ଦେଖିଥିବା ପରି ମନେହୋଇଥିଲା । ନାରୀ ପରିକା ଯେଉଁ ଟୋକାଟା ରୋଷେଇ କରୁଥିଲା, ଯେମିତି କି ସେଇ ଦେହକୁ ଆଉଁଷି ଦେଉଥିଲା । ଖୁବ୍ ଧୀରେ, ଦେହକୁ ସଲସଲ କରିବା ପରି । ଥରେ ଗାଁରେ ଖରାଦିନେ ଖରାବେଳେ ସେ ଶୋଇପଡ଼ିଥିଲା ତୋଟାରେ, ସୁଲୁସୁଲିଆ ପବନରେ ଆଖି ଲାଗିଯାଇଥିଲା । ବେକମୂଳେ ଝାଳର ଧାରଟେ ବୋହି ଓଦା ଲାଗିଲା, ହାତଟା ସେଇଠିକି ନେଇ ଝାଳ ପୋଛିଦେବ କ’ଣ, ଲାଗିଲା ସତେଅବା ଝାଳଟା ବେକମୂଳରୁ ଘୁଞ୍ଚିଗଲା ସନ୍ତର୍ପଣରେ ପିଠି କଡ଼କୁ ଓ ପିଠି କଡ଼ରୁ ଧୀରେ ଅଣ୍ଟାର ସେକଡ଼ୁ ଆସିଲା ଏପଟକୁ, ମାନେ ପେଟଆଡ଼କୁ, ତଳିପେଟ ଆଡ଼କୁ । କେଉଁ ଏକ ଆଦିମ ପ୍ରବୃତ୍ତିଗତ ସନ୍ତର୍ପଣତାରେ ଆଖି ଖୋଲିଥିଲା ବେଣୁ, ଶରୀରକୁ ବିଲ୍‌କୁଲ୍ ନ ହଲାଇ, ବାପ୍‍ରେ ପୂରା କଳାରଙ୍ଗର ସାପଟା, ପିଠିରେ ସରୁସରୁ ବୃତ୍ତାକାର ଧଳାରଙ୍ଗର ଦାଗ, ଚିତି ସବୁଠୁ ବିଷାକ୍ତ ଚିତି–ନିର୍ଜୀବ କିଛି ଗୋଟେ ପରି, କାଠଟେ ଅବା, ସାପଟା ଧୀରେ ତା'ଠୁ ଦୂରେଇଯିବାମାତ୍ରେ ଉଠିପଡ଼ିଲା ବେଣୁ ।

 

‘ହେଃ ! ରୁହବା, ଉଠିପଡ଼ୁଚ କାହିଁବା ?' ଖୁବ୍ ଧୀରେ କିଏ କହିଲା ତା’ ଜଙ୍ଘ ପାଖରୁ ।

 

‘କିଏ ? କିଏ ?’ ଏକପ୍ରକାର ହେମାଳ ହେଇଆସୁଥିବା ତଳିପେଟକୁ ନିୟନ୍ତ୍ରଣ କରୁକରୁ ବେଣୁ ପଚାରିଲା, ‘ଆବେ ତୁ ? ଏଠି କ’ଣ କରୁଚୁବେ ଏତେ ରାତିରେ ?’

 

‘ହେସ୍ ! ଏମିତି ଚିଲ୍ଲାଉଚ କିଆଁ ମ ? ୟେ ତେମେ ଆଉ ମୁଁ, ୟେ ତୁଚ୍ଛାଟାରେ ରଙ୍ଗ ।' ସେ ଜଙ୍ଘ ଆଉଁଷି ଦଉଦଉ କହିଲା, ‘ତମେ କାହିଁ କେତେ ବାଟରୁ ଆଇଚ । ଗୋଡ଼ ପରାଶ କରୁଥିବ କି ନାହିଁ ? ମା’ଙ୍କର ମୁଣ୍ଡ ଆଉ ଅଧକପାଳି ଏତେ ବିନ୍ଧିଲା ଯେ, ବାବୁ ସେପଟ ଘରକୁ ଅମୃତାଞ୍ଜନ ନେଇ ଘଣ୍ଟେ ହେଲାଣି ଗଲେଣି ।’

 

‘କିଏ କବିତା ଭାଉଜଙ୍କ ଦେହ କ’ଣ... ।’ ଏତକ କହି ଉଠିପଡ଼ୁ ସିଏ ବେହେଲ କହିଲା, ‘ତମେ ଏମନ୍ତେ ବୀରଦର୍ପରେ ଉଠି କୁଆଡ଼େ ବାହାରି ପଡ଼ିଲମ । ଭାଉଜ ପୁଣି କିଏ ? ଶୋଉନ କାହିଁକି ବା ?'

 

ସକାଳ ହୋଇଯାଇଥିଲା । କାମଦାମ ସାରି ଉପଦଳପତିଙ୍କୁ ଭେଟାଭେଟି କରି ଏମାନେ ଆସିଥିଲେ । ଠିକ୍ ଦି’ମାସ ପରେ କବିତା ଭାଉଜର ଟିକେଟ ମାନେ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୋଇଥିଲା । ସରପଞ୍ଚ ପ୍ରାର୍ଥୀନୀଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ସେ ବିଜୟିନୀ ହୋଇଥିଲେ । ବିଜୟ ପରେ କବିତା ଭାଉଜ ଓ ବେଣୁ ପୁଣି ଆସି ଗୋଟିଏ ଦିନ ଗୋଟିଏ ରାତି ରହିଥିଲେ । ଆଉ ଏଇ ଥରକହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା ଯେ, ଏବେ ଆସନ୍ତା ପାଞ୍ଚ/ସାତବର୍ଷ ପାଇଁ ବେଣୁ ପ୍ରତ୍ୟକ୍ଷ ରାଜନୀତିରେ ପଶିବ ନାହିଁ, ବରଂ ପରିବାର ସ୍ଥିତି ସୁଦୃଢ଼ କରିବ ତଥା ନିଜ ଭବିଷ୍ୟତ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଆଉ ଏବେ କବିତା ଭାଉଜ ଏଥରକ ବ୍ଲକ୍‍ର ଉପାଧ୍ୟକ୍ଷା ହେବେ ଓ ପାଞ୍ଚବର୍ଷ ପରେ ଅଧ୍ୟକ୍ଷା ହେବେ ।

 

‘ତ ଆମ ବିନୁ ଏବେ କ’ଣ କରିବେ ବୋଲି ଆପଣ ସ୍ଥିର କରିଛନ୍ତି ?’ କବିତା ଭାଉଜ ବିଧାୟକକୁ ପଚାରିଥିଲେ ।

 

‘ଶୁଣନ୍ତୁ, ବିନ କ’ଣ ମୋ ଭାଇ ନୁହେଁ ? ସେ କ’ଣ ଖାଲି ଆପଣଙ୍କ ଦିଅର ?’

 

ବିଧାୟକ କହିଲା, ‘ଏବେ ସେ ଏଇଠି ମୋର ଏଇ ଘରର ପଛପଟେ ରହିବ, ମୋର ଗୋଟାଏ ବହୁ ଦିନର ଇଚ୍ଛା ତା’ରିଦ୍ଵାରା ପୂରଣ କରିବି ବୋଲି ଭାବିଛି ।’

 

ଏହାପରେ ସେ ନିଜର ଗୋପନେଚ୍ଛା ପ୍ରକାଶ କରିଥିଲା । କ୍ଷୁଦ୍ର ଏକ ମାସିକ ସମ୍ବାଦପତ୍ର ପ୍ରକାଶ ସେ କରିବ, ସମୟାନ୍ତରେ ତାହା ପାକ୍ଷିକ ଏବଂ ତତ୍ପରେ ତାହା ଦୈନିକ ହେବ-। ମାସିକ ଆଠପୃଷ୍ଠିଆ ତାବଲାଓଦା ଆକାରର ସମ୍ବାଦପତ୍ରରେ କିଛି ପରିଶ୍ରମ ନାହିଁ କିମ୍ବା ସେପରି କାଗଜଟେ ପ୍ରକାଶ କରିବାପାଇଁ ଗୁଡ଼ାଏ ଜ୍ଞାନର ଆବଶ୍ୟକତା ନାହିଁ ବୋଲି ସେ ବୁଝାଇଥିଲା-। ଗୋଟେ କମ୍ପ୍ୟୁଟର, କମ୍ପ୍ୟୁଟର ଭଲଭାବେ ଚଳାଇ ଜାଣିଥିବା ଝିଅ, କିଛି କାଗଜ ହେଲେ ହେଲା-। ଏ କଥାର ରହସ୍ୟ ଓ ବିବରଣୀ ସେ ବୁଝାଇଥିଲା । ଛ’ ସାତଟି ପ୍ରତିଷ୍ଠିତ ଦୈନିକ ଖବରକାଗଜରୁ ଦୁଇ ତିନିଟି ବିଦେଶୀ ଖବର, ଦୁଇଟି ଦେଶ ଖବର, ସାତ ଆଠଟି ଆମ ରାଜ୍ୟ ଖବର, ଦୁଇଟି ଆମ ଅଞ୍ଚଳ ଖବର, ଗୋଟେ ଆମ କବିତା ମାଡ଼ାମ୍‍ଙ୍ଗ ପରି ସୁନ୍ଦରୀ ଓଡ଼ିଆ କି ହିନ୍ଦୀ ଚଳଚ୍ଚିତ୍ର ନାୟିକାର ଫଟୋ, ଛୋଟ ରାଶିଫଳ ବିଭାଗାଦି ରହିଲେ କାମ୍ ଫତେ ।

 

‘ଆପଣ ଦୁଇଟି କଥା ବୁଝାନ୍ତୁ’, କଥା ମଝିରେ ଅବୋଲ କହିଲା, ‘ତାବଲାଓଦା ଆକାରର ଅର୍ଥ ବା କ’ଣ ହୋଇପାରେ ? ତା'ଛଡ଼ା ଆପଣ ଏଇମାତ୍ର ବ୍ୟବହାର କରିଥିବା ମାଡ଼ାମ୍ ଓ ଫଟ ପରି ଇଂରାଜୀ ଶବ୍ଦର ଓଡ଼ିଆ କ’ଣ ସମ୍ଭବ ନୁକହେଁ ?'

 

ମୁଖମଣ୍ଡଳରେ ବିରକ୍ତି ଭାବ ଖେଳାଇ ଗଳ୍ପକ କହିଲେ, ‘ପ୍ରଥମଟି ଭଲ ପ୍ରଶ୍ନ, ମାତ୍ର ଦ୍ୱିତୀୟଟି ବିତଣ୍ଡା ପ୍ରଜାତିର ପ୍ରଶ୍ନ । ଇଂରାଜୀରେ ଏକ ଶବ୍ଦ ଅଛି ଟାବ୍ଳୟେଡ଼ । ଏହାର ସଠିକ ଓଡ଼ିଆ ନାହିଁ, ତେଣୁ ଆମେ ତବଳାଓଦା କହିଲୁ । କୋଷ ବହିରେ ଏହାର ଅର୍ଥ ଏପରି ଲେଖାଯିବ ଯେ, ଯେଉଁ ଖବରକାଗଜ ବା ପତ୍ରିକାରେ ପ୍ରାୟ ସବୁ ବିଷୟରେ କିଛି କିଛି ଥାଏ, ପତ୍ରିକାର ଏକ ନିର୍ଦ୍ଦିଷ୍ଟ ଆକାର ଥାଏ । ମାଡ଼ାମ୍ ଏବଂ ଫଟ ପରି ଶବ୍ଦ ଓଡ଼ିଆ ବୋଲି ମୋର ଧାରଣା ଥିଲା, ଅର୍ଥାତ୍ ସମୟ ରୂପକ ପଥରରେ ଘୋରି ହୋଇହୋଇ ଏହା ଓଡ଼ିଆରେ ପରିଣତ ହୋଇଛି । ଯେପରିକି ଗ୍ଲାସ୍, ଚେୟାର୍, ବେଗ୍‌, ପେଟ୍, ପେଣ୍ଟ୍ ଇତ୍ୟାଦି । ତୁମେ ସ୍ମରଣ କରାଇଥିବାରୁ ଧନ୍ୟବାଦାର୍ହ ।

 

ଗଳ୍ପକ ପୁନଃ କାହାଣୀ କଥନରେ ନିମଗ୍ନ ହେଲେ ।

 

ରାଶିଫଳ ଓ ନାରୀଜଗତ ବିଷୟରେ ଅଧଅଧ ପୃଷ୍ଠା ରହିବାର ସ୍ଥିର ହୁଅନ୍ତେ ଗ୍ରାମ୍ୟ ମଣିଷ ଦୁଇଜଣ ଅର୍ଥାତ୍ ବେଣୁ ଓ କବିତା ଦୁଇଟି ପ୍ରଶ୍ନ ପଚାରିଥିଲେ ।

 

ବେଣୁ ପଚାରିଥିଲା, ଯେଉଁ ଜ୍ୟୋତିଷ ନିୟମିତ ରାଶିଫଳ ଲେଖିବେ, ସେ ମାସିକ ବା ପାକ୍ଷିକ କେତେ ନେବେ ? କବିତା ପଚାରିଥିଲା, ‘ଯିଏ ନାରୀ ଜଗତରେ ନିୟମିତ ଲେଖିବେ, ସିଏ ତ ସବୁ ଜାଣିବା ଦରକାର କି ନାହିଁ ? କୋଉ ସଂଖ୍ୟାରେ ବେଶଭୂଷା, କେବେ ନାରୀଙ୍କ ସ୍ୱାସ୍ଥ୍ୟ, କେବେ ଜୀବିକା ଇତ୍ୟାଦି ଜଣେ ଲେଖିବା କଷ୍ଟ ।’

 

କବିତା କଥାରେ ବାଧା ଦେଇ ବିଧାୟକ ବିରକ୍ତି ପ୍ରକାଶ ପୂର୍ବକ କହିଲା, ‘ତମ ଦୁଇ ଜଣଙ୍କୁ ହ୍ୟାପ ସାଙ୍ଗରେ ଧରି ମୁଁ ବଡ଼ବଡ଼କଥା ଭାବିବା ଭୁଲ୍ । ଛିଃ–ଛି !’ ଏହାପରେ ସେ ବୁଝାଇଥିଲା । ‘ଟିକେ ବୁଦ୍ଧି ଖର୍ଚ୍ଚ କଲେ ସବୁ କାମ ଏଇ ବେଣୁ କରିପାରିବ । ମାସକୁ ଗୋଟେ ହିନ୍ଦୀ ପତ୍ରିକା ଆଣିଲେ ସେଥିରୁ ସବୁ ମିଳିବ, ଲେଖି ଜାଣିଲେ ହେଲା । ମାସକୁ ଥରେ ରାଶିଫଳ ଲେଖିପାରିବୁନି ଯଦି କି ସାମ୍ବାଦିକ କି ସମ୍ପାଦକ ହବୁ ? ଆଜିର ଶୁଭ ରଙ୍ଗ ଡ୍ୟାସ୍, ଏମାସର ଶନି ଡ୍ୟାସ୍, ମଙ୍ଗଳ ଡ୍ୟାସ୍, ଅର୍ଥହାନି, ଦ୍ରବ୍ୟଲାଭ, ବନ୍ଧୁ ଡ୍ୟାସ୍, ଭୋଜନ ଡ୍ୟାସ୍, ଦୂର ଭ୍ରମଣ ଡ୍ୟାସ୍ ? ହେଲା ? ଡ୍ୟାସ୍ ପୂରଣ କରି ବାର ପ୍ରକାର ଲେଖିପାରିବୁନି ? ପୁଣି ମାସକୁ ଥରେ ? କି ପନ୍ଦର ଦିନରେ ଥରେ ? ଛ୍ୟା ଛ୍ୟା । କବିତା ମାଡ଼ାମ୍‍ବି ଅଜବ ଲୋକ । ନାରୀ ଜଗତ କି ନାରୀମାନଙ୍କ ବିଷୟରେ ଯଦି ପୃଷ୍ଠାଏ ଅଧପୃଷ୍ଠାଏ ନ ଲେଖିପାରିବ, କି ମଣିଷ । ନାଃ କିଛି ହବନି । ଇଏ କୋଉ ଥର ଟିକେ ଫେସନ, କେବେ ଟିକେ ସ୍ଵାସ୍ଥ୍ୟ–ଏତିକି ହବନି ? କେବଳ ଫେସନ, ଆଉ ସ୍ଵାସ୍ଥ୍ୟ କଥା ମନରୁ ଫାନ୍ଦି ଲେଖିଲେ ପରା ପାଞ୍ଚବର୍ଷରେବି ସରିବନି । ଏ ମାସରେ ନଖର ଯତ୍ନ, ସେ ମାସରେ କେଶର ଯତ୍ନ, ତା’ପର ମାସରେ ଆଖି, ପୁଣି କାନ, ପୁଣି ନାକ, ପୁଣି ଓଠ, ପୁଣି ଚମ, ପୁଣି ବ୍ରଣ, ପୁଣି ସ୍ତ ।’

 

ବିଧାୟକ ଅଟକିବାକ୍ଷଣି କବିତାର ମୁହଁରେ ଉଭା ହେଲା ଲାଜଲାଜ ଭାବର ଏକ ବିଚିତ୍ର ଇନ୍ଦ୍ରଧନୁ । କାନ୍ଧ ଉପରର କାନିକୁ ବକ୍ଷ ପ୍ରଦେଶରେ ଦୁଇପ୍ରସ୍ତ କରି ରଖିଲା । କାହାଣୀକାରମାନେ ଗଳ୍ପକ ମୁହୂର୍ତ୍ତେ ବିଶ୍ରାମ ନେବାକ୍ଷଣି ଅବୋଲକରା ମୁହଁ ଗମ୍ଭୀର କରି ଏକ ଅତି ଓଜନଦାର ପ୍ରଶ୍ନ କରିବା ଢଙ୍ଗରେ ପଚାରିଲା, ବିଧାୟକ ଯେଉଁ ବାରମ୍ବାର ଡ୍ୟାସ୍ ବୋଲି କହିଲା, ତା’ର କ’ଣ କିଛି ପ୍ରତିଶବ୍ଦ ନାହିଁ । ମାନେ ଏପରି କିଛି ଶବ୍ଦ, ଯାହା ଠିକ୍ ଡ୍ୟାସ୍ କହିବା ପରି ସମାର୍ଥବୋଧକ ହୋଇଥିବ ?’

 

ଗଳ୍ପକ ଏକ ମଧୁରହସ ହସିଲେ କହିଲେ, ‘ଏହା ଏକ ଜିଜ୍ଞାସୁର ପ୍ରଶ୍ନ । ଯେପରି ଡ୍ୟାସ୍ ଏକ ବିଚିତ୍ର ଶବ୍ଦ, ସେହିପରି ଅନେକ ବିଚିତ୍ର ଶବ୍ଦ ଏ ରାଜ୍ୟ ଓ ଦେଶର ଇଂରାଜୀ କୁହାଳିମାନେ କହିଥା’ନ୍ତି, ଯେପରିକି ଆଇ ସି, ୟୁ ନୋ, ମାଇଁ ପଏଣ୍ଟ ଇଜ୍, ଇନ୍‍ଫାକ୍ଟ, ହିପ୍ ହିପ୍ ହୁର୍‌ରେ, ରାଇଟ୍ ନାଓ ଇତ୍ୟାଦି । ଅନେକଙ୍କର ଧାରଣା ଏ ସବୁର ସ୍ଥାନୀୟ ଶବ୍ଦ ନାହିଁ । ଦେଖ–ଏସବୁ ଗହନ ଓ ବ୍ୟାପକ ବିଷୟରେ ଏବେ ପଶିବାପାଇଁ ମୋର ଆଗ୍ରହ ନାହିଁ । ସଂକ୍ଷେପରେ ଏତିକି ଜାଣ ଯେ, ଡ୍ୟାସ୍ ବଦଳରେ ଅତୀତରେ ଚମତ୍କାର ଦୁଇଟି ଓଡ଼ିଆ ଶବ୍ଦ ବ୍ୟବହୃତ ହେଉଥିଲା । ଯେତେବେଳେ ଏ ଦେଶ ବା ରାଜ୍ୟ ବା ଭାଷାରେ ଡ୍ୟାସ୍ ପଶି ନଥିଲା, ଲୋକେ ପୁଣି ଚଳୁଥିଲେ କି ନାହିଁ ? ଲୋକେ କହୁଥିଲେ ‘ହା’ ବା ‘ଇଏ’ । ମୋର ଡ୍ୟାସ୍ ହେଇଯିବ’ ବାକ୍ୟଟିରେ ଲୋକେ କହୁଥିଲେ ମୋର ଇଏ ହେଇଯିବ ବା ଟିକେ ବୟସ୍କମାନେ କହୁଥିଲେ ‘‘ମୋର ହା ହେଇଯିବ । ପାକୁଆ ବୃଦ୍ଧ ବା ବୃଦ୍ଧାଙ୍କ ମୁହଁରୁ ଯିଏ ଏହି ହା ବା ଇଏ ଶୁଣିଛ, ସିଏ କଦାଚିତ୍ ଡ୍ୟାସ୍‍ର ମାୟାରେ ପଡ଼ିବ ନାହିଁ । ଆଚ୍ଛା, ସେଇଠୁ କ'ଣ ହେଲା ନା, ଦେଖିବାବେଳକୁ, ହଉ ହେଲା, ସତେ ନା କ’ଣ, ରହ ଦେଖିବା, ସାଙ୍ଗେସାଙ୍ଗେ ଇତ୍ୟାଦିଦ୍ୱାରା ଲୋକେ କାମ ଆରାମରେ ଚଳଉଥିଲେ ଏବଂ ଏବେବି ଚଳଉଛନ୍ତି । ହିପ୍ ହିପ୍ ହୁରେ ଯଦିବା ଓଡ଼ିଆରେ ପରିଣତ ହୋଇସାରିଛି, ତଥାପି ଏହାର ଓଡ଼ିଆ ମଧ୍ୟ ଖୁବ୍ ସୁନ୍ଦର । ପ୍ରଥମ ଘୋଷକ କହିବ (ଖୁସିରେ) ଆମ ଦଳର ବିଜୟ ହେଲା, ତ୍ରିବାର ହର୍ଷଧ୍ୱନି–ଆନନ୍ଦ...ଏହାପରେ ପଶ୍ଚାତ୍‍ଧାବନକାରୀ ବତିପେଲା ଦଳ ଚିତ୍କାର କରିବେ : ଗଦ୍‍ଗଦ୍ ! ଗଦ୍‍ଗଦ୍ !

 

ଏହିପରି ତିନିଥର କୁହାଯିବ । ଦୁଃଖର କଥା, ପ୍ର ଓ ଡଃମାନେ ନୂଆ ଭାଷା କୋଷ ଲେଖିବା, ନୂଆ ଶବ୍ଦ ସୃଷ୍ଟି କରିବା, ପୁରୁଣା ଶବ୍ଦକୁ ସାଂପ୍ରତିକ ପରିସ୍ଥିତିରେ ନୂତନାର୍ଥେ ପ୍ରଚଳନ କରାଇବା କାର୍ଯ୍ୟଗୁଡ଼ିକ ନକରି ଆନ୍ଦୋଳନକାରୀର ଭୂମିକା ନେଇ କୋଟିକୋଟି ଲୋକଙ୍କୁ ଶ୍ରଦ୍ଧାଭାଜନ ସରକାରକୁ ଅଯଥା ହଇରାଣ କରୁଛନ୍ତି । ଗାଁ ଗହଳିରେ ନିରକ୍ଷର ଶାଶୁ ବିଚାରି ବୋହୂକୁ ଗେଟ୍ ଆଉଟ୍, ନନ୍‍ସେନ୍‍ସ କହି ଗାଳି ଦେଉଥିବାବେଳେ ମୁଷ୍ଟିମେୟ ଲୋକେ ଯୋଉ ତୁମ୍ବି ତୋଫାନ କରୁଛନ୍ତି, ଇରେ ବାପ୍‌ରେ ବାପ୍ । ଲକ୍ଷ୍ୟ ଭାଷା ନୁହେଁରେ ଅବୋଲ । ଲକ୍ଷ୍ୟ ସରକାରୀ ଘର, ମାଗଣା, ଦୂରଭାଷ, ଜମି ଓ ଅର୍ଥ । କୋଟିକୋଟି ନିରକ୍ଷର ବୁଢ଼ାବୁଢ଼ୀ ଶହଶହ ହଜାର ହଜାର ବର୍ଷରୁ ଭାଷାକୁ ବଞ୍ଚେଇଛନ୍ତି, ସେମିତି ସ୍ନେହୀ ଲୋକର ଦରକାର ଏବେ ବେଶୀରେ ଅବୋଲ । ସେମାନେ ଆହୁରି ହଜାରେ ବର୍ଷ ଭାଷାକୁ ବଞ୍ଚେଇ ରଖିପାରିବେ । ଘୋ’ଘା କେବଳ ସ୍ଵାଭାବିକ । ପ୍ର ଓ ଡଃମାନଙ୍କ ଭିତରେ ଅବଶ୍ୟ ସତସତିକା ପ୍ରେମୀମାନେ ଅଛନ୍ତି । ହେଲେ ସେମାନେ ନିରବ ଅବା ସେମାନଙ୍କ ସ୍ଵର ସହିଦ ହୋଇଯାଇଛି । ଏହା ବିଚିତ୍ର ସମୟ । ତେବେ ଆମେ ବିଚଳିତ ହେବାର କାରଣ ନାହିଁ । ଆମେ ଗପ କହିବା ଓ ଶୁଣିବା ଲୋକ । ଚାରଣା ଦେଖିଲେ କି ଦିଅଣା ଶୁଣିଲେ, ତାକୁ ଷୋଳଅଣା କରି କହିବା ଆମ କାମ । ମୋର ସୌଭାଗ୍ୟ ଯେ, ମୋର ଏହି କଳ୍ପନା ପ୍ରସୂତ କାହାଣୀଗୁଡ଼ିକ ତୁମକୁ ଆମୋଦିତ ଓ ଆନନ୍ଦିତ କରୁଛି । ନହେଲେ ତୁମେ ଆଗ୍ରହରେ ପ୍ରଶ୍ନ ପଚାରୁ ନଥାନ୍ତ । ଏଥରକ ଆମେ ଆମ ମୂଳକାହାଣୀକୁ ଫେରିଯିବା । କାହାଣୀ ସମାପ୍ତ କଲେ କିଛି ଖାଇବାକୁ ପଡ଼ିବ । ମୋତେ ଭୋକ ଲାଗୁଛି ।

 

ଗଳ୍ପକ ମୂଳକଥନିକାକୁ ଫେରିଗଲେ ।

 

ଆଲୋଚନା–ପର୍ଯ୍ୟାଲୋଚନା ପରେ ବେଣୁ ଓ କବିତା ଭାଉଜ ଗାଁକୁ ଫେରିଯାଇଥିଲେ-। ଅବଶ୍ୟ କବିତା ଭାଉଜ ଆଉ ଗୋଟିଏ ଦିନ ରହି କିଛି କିଣାକିଣି କରିବାପାଇଁ ଆଗ୍ରହୀ ଥିଲେ-। ତେବେ ବେଣୁ ରହିବାପାଇଁ କୁଣ୍ଠା ପ୍ରକାଶ କରିଥିଲା । ସେମାନେ ନିଜନିଜ ବ୍ୟାଗ୍ ଧରି ବାହାରିବାବେଳକୁ ବିଧାୟକ ପାଖକୁ ଆସି ଶୀଘ୍ର ଆସି ରହି ମାସିକ ସମ୍ବାଦପତ୍ର କଥା ସ୍ମରଣ କରାଇ ଦେଇଥିଲା । ଏକଥା ମଧ୍ୟ କହିବାକୁ ଭୁଲି ନଥିଲା ଯେ, ଖୁବ୍ ଭଲ ଓଡ଼ିଆ ଓ ଇଂରାଜୀ କମ୍ପ୍ୟୁଟର ଟାଇପ୍ ଜାଣିଥିବା ଜଣେ ଝିଅ ଅବିବାହିତା ହୋଇଥିଲେ ଭଲ–ଯେମିତି ହେଲେ ଖୋଜିବାକୁ ପଡ଼ିବ, କାରଣ ସେ ଝିଅର ଭବିଷ୍ୟତ ନିର୍ଭର କରେ । ବେଣୁ ହଁ ମାରିଥିବାବେଳେ କବିତା ପାହାଚ ଓହ୍ଲାଉଓହ୍ଲାଉ ପଛକୁ କଣେଇ ଚାହିଁ ପଚାରିଥିଲା, ‘ଅବିବାହିତା କାହିଁକି-?’

 

ବିଧାୟକ ମୃଦୁ ହସି କହିଥିଲା, ନାଇଁ ସେମିତି କିଛି କାରଣ ନାହିଁ । କଥାହେଲା, ଆମର ଅନୁଷ୍ଠାନ ଆରମ୍ଭବେଳେ ଯଦି ଜଣେ ବିବାହିତା ମହିଳା ରହିବେ, ସିଏ ନିଜ ସ୍ଵାମୀ–ପିଲା–ଶାଶୁ ଶଶୁର ଇତ୍ୟାଦିଙ୍କ ପାଇଁ ଅଧିକ ସମୟ ଦେବେ । ଆମେ ମନା କରିପାରିବା କି ? ଯେତେବେଳେ ଆମ କାଗଜଟି ବୃହତ୍ ସଂସ୍ଥାରେ ପରିଣତ ହେବ, ସେତେବେଳେ ନି‌ଶ୍ଚେ ଦେଖିବା । ବିବାହିତା ମହିଳାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ଭଲପାଇବା ରହିଛି । ମାନେ ମ୍ୟାଡ଼ାମ୍, ସତ କହିଲେ–ମାନେ ଆପଣ ତ ଜାଣିଛନ୍ତି ମୁଁ ବିବାହିତା ମହିଳାଙ୍କୁ ଭଲପାଏ, କି ନାହିଁ ।’

 

ବେଣୁ ତିଳେମାତ୍ର ସୁଦ୍ଧା ଜାଣିପାରି ନଥିଲା ଯେ ବିଧାୟକ ଶେଷବାକ୍ୟ ମାଧ୍ୟମରେ କବିତାକୁ କେଉଁ ସନ୍ଦେଶ ଦେଇଥିଲା । କାଲଠାର କାଲ ମା’ ବୁଝିଥିଲା ।

 

‘ଆଚ୍ଛା କାହାଣୀ ଶେଷ ହେବା ପୂର୍ବରୁ ଏହା ମୋର ଶେଷ ପ୍ରଶ୍ନ’, ଅବୋଲକରା ବିନୟ ମୁଦ୍ରାରେ କହିଥିଲା, ‘ଏଇ କମ୍ପ୍ୟୁଟର ଶବ୍ଦଟିର ଓଡ଼ିଆ କ’ଣ ହୋଇପାରିବ ନାହିଁ ? ମାନେ ବ୍ୟବହାର ନହେଉ ପଛକେ, ଅଭିଧାନରେ ଥାଉ ।’

 

ଏହା ଏକ ଉତ୍ତମ ପ୍ରଜାତିର ପ୍ରଶ୍ନ ବୋଲି ମନ୍ତବ୍ୟ ଦେଇ ଗଳ୍ପକ କହିଲେ, ‘ହୋଇପାରିବ ନାହିଁ, ଏମିତି କିଛି ନାହିଁ । ତେବେ ତୁମେ ଯଦି କେବଳ ଇଂରାଜୀରୁ ଅନୁବାଦ କରିବା ଚକ୍କରରେ ରହିବ, ତେବେ ବିଚିତ୍ର ଶବ୍ଦ ସୃଷ୍ଟି କରିବ । ତୁମେ ନୂଆ ଶବ୍ଦ ସୃଷ୍ଟି କରିବା ଦିଗରେ ଧ୍ୟାନଦେବା ଆବଶ୍ୟକ । କମ୍ପ୍ୟୁଟରକୁ ଆମେ ଜ୍ଞାନକୁମ୍ପି ବା ଜ୍ଞାନକୁମ୍ପା ବା ତଥ୍ୟକୁମ୍ପି ବୋଲି କହିପାରିବା । ନହେଲେ ସରକାରୀ ପଦାଧିକାରୀଙ୍କୁ ଏ ଦାୟିତ୍ୱ ଦେଲେ ସେମାନେ ହୁଏତ ସ୍ପଷ୍ଟଭାବେ ବୋଧଗମ୍ୟ ଓଡ଼ିଆ କରିବେ, ଯେପରି ମନେକର ଏ ଚତୁଷ୍କୋଣାକାର ଯାନ୍ତ୍ରିକ ତଥ୍ୟ ପ୍ରଦାନକାରୀ ବାକ୍‍ସ କିମ୍ବା ସେଇପରି କିଛି । ଏପରି ଓଡ଼ିଆକୁ ହୁଏତ କତିପୟ ଭାଷାବିତ୍ ବିରୋଧ କରିବେ । ଫଳସ୍ଵରୂପ ଏଇ ପରି ଶତାଧିକ ଶବ୍ଦକୁ ସୁଧାରିବା ପାଇଁ କେମିତି ବସିବ । ତ.ଅ. ଏବଂ ଅ.ଉ.ଅ ବିଭିନ୍ନ କଥା କଟାକଟି ଓ ବିବାଦ ଭିତରକୁ ଯିବେ । ବାସ୍ତବରେ କାରଣଟି ଥିବ କ୍ଷୁଦ୍ର । ଜଏଣ୍ଟ ସେକ୍ରେଟାରୀ ନାମକ ଦୁଇଟି ଶବ୍ଦର ଓଡ଼ିଆ ତ.ଅ କରି ଲେଖିଥିଲା ଗଣ୍ଠି ସଚିବ-। ଅ.ଉ.ଅ ଏହାର ବିରୋଧ କରି ତ.ଅକୁ ଗାଳିମନ୍ଦ କରି କହିଥିଲା କି ତାହା ଓଡ଼ିଆରେ ହେବ ଯୁଗ୍ମ ସଚିବ । ତହିଁକି ତ.ଅ କହିଥିଲା କି ଯଦି ଜଣକର ଜଏଣ୍ଟ ପେନ୍ ହେଲା, ତେବେ କ'ଣ ଆମେ ଯୁଗ୍ମ ଯନ୍ତ୍ରଣା ବୋଲି କହିବା ? ଠିକ୍ କେଉଁଟା, ଜଏଣ୍ଟର ଓଡ଼ିଆ ଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ହେବା ଅନୁଚିତ, ଯଦି ବା ହେବ, ତେବେ କୋଷବିତ୍‍ଙ୍କଦ୍ଵାରା ତାହା କୋଷାସୀନ ହେଉ । ଏଥିରୁ ତର୍କର ସୂତ୍ରପାତ ହେବାରୁ ଏବେ ଇଂରାଜୀ ଭାଷାରେ କାର୍ଯ୍ୟ ସମ୍ପାଦିତ ହେଉଛି । ତୁମ ମନରେ ସନ୍ଦେହ ଉପୁଜୁଥିବ ଯେ, ତ.ଅ ଏବଂ ଅ.ଉ.ଅର ଅର୍ଥ କ'ଣ ବୋଲି । ଯଥାକ୍ରମେ ଏହାର ଅର୍ଥ ତଳ ଅଧିକାରୀ ବା ତଳ୍ୟାଧିକାରୀ ଏବଂ ଅତି ଉପର ଅଧିକାରୀ ବା ଅତ୍ୟୁପରାଧିକାରୀ-। ଛାଡ଼, ଏସବୁକୁ ନେଇ ମୁଁ ତୁମକୁ ଏକ ମଜାଦାର, ଚମକପ୍ରଦ କାହାଣୀ ଶୁଣେଇବି । ଏବେ ମୂଳକଥା ବସ୍ତୁ ଭିତରକୁ ପୁନରାଗମନ କରୁଛି ।’

 

ଗଳ୍ପକ କହିବାରେ ଲାଗିଲେ ।

 

କବିତା ଓ ବେଣୁ ଗାଁକୁ ଆସିଥିଲେ । ଆସିବାର ଦୁଇମାସ ଭିତରେ ବେଣୁକୁ ଡକରା ଆସିଥିଲା ଏବଂ ବେଣୁ ଯାଇ ପହଞ୍ଚିଥିଲା । ସରକାରୀ ଘରର ପଛକୁ ଲାଗି ପାଚେରୀ

 

ଭିତର ପଟେ ଥିବା ବୃହତ୍ କୋଠରୀରେ ଘଟିଥିଲା ବ୍ୟାପକ ପରିବର୍ତ୍ତନ । ଛାତ ତଳେ କୃତ୍ରିମ ଛାତ, ଶୀତତାପ ନିୟନ୍ତ୍ରକ ଯନ୍ତ୍ର, କମ୍ପ୍ୟୁଟର, ଚକ୍ ଚକ୍ କରୁଥିବା ଚୌକି, ଟେବୁଲ ଇତ୍ୟାଦି ସହ ଘରଟି ସୁନ୍ଦର ଲାଗୁଥିଲା । ତେବେ ଯେଉଁ କାରଣଟି ସକାଶେ ବେଣୁ ଆଉ ଗାଁକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁ ନଥିଲା, ସେଇଟି ହେଲା କମ୍ପ୍ୟୁଟର ସାମ୍ନାରେ ବସିଥିବା ଉଦ୍ଧତ ଯୌବନା ତରୁଣୀ, ଯିଏକି ଜିନ୍ ପ୍ୟାଣ୍ଟ ସହ ପିନ୍ଧିଥିଲା ପତଳା କନାର ଢିଲା ସାର୍ଟ୍ । ବେଣୁ ସେଇଦିନହିଁ ସ୍ଥିର କରିଥିଲା ଯଥାଶୀଘ୍ର ସେ ଜିନ୍‌ କପଡ଼ାର ବସ୍ତ୍ର କିଣିବ ।

 

ବିଧାୟକ ସେମାନଙ୍କୁ ପରସ୍ପରସହ ପରିଚୟ କରାଇଦେଲା । ଯଦିଓ ବିଧାୟକ ବେଣୁକୁ ଝିଅଟେ ଖୋଜିବାପାଇଁ କହିଥିଲା, ତଥାପି ବେଣୁକୁ ଭରସା କରି ସମୟ ବରବାଦ କରିବା ଅପେକ୍ଷା ସେ ନିଜ ଚିହ୍ନାଲୋକଙ୍କଦ୍ଵାରା ଝିଅଟାକୁ ଠାବ କରିଥିଲା, ସେ ଝିଅଟା ଥିଲା ଭିନ୍ନ ଏକ ନିର୍ବାଚନ ମଣ୍ଡଳୀର, ତା’ ନାଁ ଥିଲା ଅଳକା । ପ୍ରଥମ ନଜରରେ ବେଣୁ ଝିଅଟାର ଚେହେରାରେ ମୁଗ୍ଧ ହୋଇଥିଲା । ପୁରୁଣାକାଳିଆ କବି ଅବଶ୍ୟ କେତେ ଭଲଭାବରେ ଝିଅଟାର ରୂପ ବର୍ଣ୍ଣନା କରିଥା'ନ୍ତେ । ରୂପ ବର୍ଣ୍ଣନା କରିବାରେ କବିତା ଶ୍ରେଷ୍ଠ ମାଧ୍ୟମ ବୋଲି ଅନେକଙ୍କର ଧାରଣା । ଏପରି ଏକ ଧାରଣାର କାରଣ ହେଲା ପୁରାକାଳରେ କେବଳ କାବ୍ୟ–କବିତାହିଁ ଥିଲା । ଗପ ଥିଲା କି ? ଗାଳ୍ପିକଙ୍କର ଦୁର୍ଭାଗ୍ୟ ଏହି ଯେ, ସେ ଯଦି ଭଲ ଉପମା, ଅଳଙ୍କାର ଲଗେଇ ବାକ୍ୟ କରିବେ, କିଛି ଈର୍ଷାକୁ ସମାଲୋଚକ ଏବଂ ଗୁଣୀ ପାଠକ ଏହାକୁ ପ୍ରଶଂସା କରି କହିବେ : ଏ ଗଦ୍ୟ ପଦ୍ୟପରି ବା ଏ ଗଦ୍ୟ କବିତାଠାରୁ ଭଲ । ସେଇ କବିତା !

 

ଏହା ଅବଶ୍ୟ କହିବା ବାହୁଲ୍ୟ ଯେ, ଝିଅଟି ଥିଲା ଗୋଟିଏ ରୋଲ୍‌ରେ ଗଢ଼ା । ଏବେ ଯେହେତୁ ଚିରାଚରିତ ଢଙ୍ଗରେ ଚାଉଳର ବ୍ୟବହାର ହେଉ ନାହିଁ । ତେଣୁ ଗୋଟିଏ ଚାଉଳରେ ଗଢ଼ା ବୋଲି କହିବା ପ୍ରମାଦପୂର୍ଣ୍ଣ । ଚାଉଳ ବଦଳରେ ଆମେ ରୋଲ୍, ନୁଡ଼ୁଲ୍, ଚିକେନ୍, ପାସ୍ତା ଇତ୍ୟାଦି ବ୍ୟବହାର କରିପାରିବା । କବିତ୍ୱ ବା କାବ୍ୟିକ ଦିଗଟି ମୋର ଦୁର୍ବଳ, କିନ୍ତୁ ନାରୀ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଆଜିର କବି ତଥାପି ସମୟର କେଉଁ ଅଜଣା ଅତୀତ ବିନ୍ଦୁରେ ଅଟକି ଯାଇଥିବାବେଳେ ଗାଳ୍ପିକମାନେ ସମସାମୟିକ ହେବାଟା ସୁଖର କଥା ।

 

ଅତଃ ଅଳକା ନାମ୍ନୀ ତରୁଣୀଟି ବେଶ୍ ସୁନ୍ଦରୀ ଥିଲା । ଏ ଭିତରେ ବିଧାୟକ ଯୋଗାଡ଼ଯନ୍ତ୍ର କରି ସମ୍ବାଦପତ୍ର ପାଇଁ ନାମ ପଞ୍ଜିକରଣର ବ୍ୟବସ୍ଥା କରାଇଥିଲା । ସ୍ଥିର ହେଲା ଅଳକା ଏଗାରରେ ଆସିବ ଏବଂ ଛ’ଟାରେ ଯିବ । ସେଇ କାର୍ଯ୍ୟାଳୟର ପଶ୍ଚାତ୍‍ ଭାଗରେ ଥିବା ଅନ୍ୟ ଏକ ବଖୁରିଆ ଘରେ ଖଟ, ଆଲଣା ଇତ୍ୟାଦି ପକାଯାଇ ବେଣୁ ରହିବାର ବ୍ୟବସ୍ଥା ହୋଇଥିଲା । ପନ୍ଦର ଦିନ ପରେ ଦିନେ ଭଲ ମିଜାଜରେ ଥିବାବେଳେ ବିଧାୟକ ନିର୍ମାୟା ଭାବରେ କହିଲା, ‘ବୁଝିଲୁ ବେଣୁ, ତୋ ଉପରେ ଭରସା ଅଛି । ସେ ଟୋକୀକୁ ଧରି କଦାପି ସେ ବଖୁରିଆ ଘରକୁ ଯିବୁ ନାହିଁ ।’

 

ଇତିମଧ୍ୟରେ ବେଣୁ ଚାଲାକ୍ ହୋଇଆସିଥିଲା, କହିଲା, ‘ଜାଣିଲ ଭାଇ, ମୁଁ ତମକୁ ମା’ବାପ ରାଣ ଖାଇ ଜବାବ ଦଉଛି ଯେ, ସେ କାମ ମୋ’ଦ୍ଵାରା ହେବ ନାହିଁ । ହେଲେ ଯଦି ସେ କେବେ ମତେ ସେ ଘରକୁ ଯିବାକୁ ଡାକିଲା, ତେବେ ?’ ଏକଥାର ଉତ୍ତର ବିଧାୟକ ନିକଟରେ ନଥିଲା । ତଥାପି ସେ ମନେମନେ ଖୁସି ହୋଇଥିଲା ଯେ, ବେଣୁ ହାତରେ ସମ୍ବାଦପତ୍ରଟି ଠିକ୍ ଚାଲିବ ।

 

ବାସ୍ତବରେ ସେଇଆହିଁ ହୋଇଥିଲା ।

 

ପ୍ରଥମ ସଂଖ୍ୟାଟି ପ୍ରକାଶ ପାଇବା ପରେ ବିଧାୟକ, ବେଣୁ ଓ ଅଳକା ବିଧାୟକର ଅର୍ଥ ଶ୍ରାଦ୍ଧ କରି ଏକ ଉଚ୍ଚମାନର ଭୋଜନାଳୟରେ ଖାଇଥିଲେ । ଏ ଭିତରେ ବିଧାୟକ ଓ ବେଣୁ ଓ ସୁଶ୍ରୀ ଅଳକା ମିଶି ନିଜ ନିଜ ଭିତରେ ଆଲୋଚନାପୂର୍ବକ ଲେଖାଲେଖି ପାଇଁ ବ୍ୟବସ୍ଥା କରିଥିଲେ ଗୋଟେ ମହିଳା ପତ୍ରିକା, ଗୋଟେ ରାଜନୀତି ପତ୍ରିକା, ଗୋଟେ ସିନେମା ପତ୍ରିକା ନିୟମିତ ଆସିଲା-। ତହିଁରୁ ଫଟୋ କିଛି କିଛି ମିଳିଲା । ତେବେ ତିନି ଜଣଙ୍କ ସମ୍ମତି କ୍ରମେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗରେ ଯୌନ ସମସ୍ୟା କୈନ୍ଦ୍ରିକ କଥା ରହିବ, ସିନେମା ବିଭାଗରେ ନାୟକ ନାୟିକା ପରସ୍ପରକୁ ଚୁମ୍ବନ କରୁଥିବାର ଫଟୋ ରହିବ ଏବଂ ମହିଳା ବିଭାଗରେ ପାଠକୋର୍ଷକକାରୀ ଶିରୋନାମା ରହିବାର ବ୍ୟବସ୍ଥା ହେଲା, ଯଥା–ଗୋଇଠି ଫାଟିବା ଯୋଗୁଁ ବାହାଘର ଭାଙ୍ଗୁଚି କି କିମ୍ବା ଅଣ୍ଟାର ଚର୍ବିପାଇଁ ସ୍ଵାମୀ କ’ଣ ଅସୁଖୀ କିମ୍ବା ଏଣୁ–ତେଣୁ କ୍ଲିନିକ୍‍ରେ ସ୍ତନକର୍କଟ ପରୀକ୍ଷାପାଇଁ ଯାଆନ୍ତୁ ନାହିଁ କିମ୍ବା ପୁରୁଷ–ପୁରୁଷ ଦେହ ସମ୍ପର୍କ ବିପଜ୍ଜନକ କି ଇତ୍ୟାଦି-। ଏସବୁ ବିଷୟପାଇଁ ଫଟୋ ମିଳିବାରେ ଅସୁବିଧା ନଥିଲା । ପତ୍ରିକାରୁ ନତୁବା ଇଣ୍ଟରନେଟ୍‍ରୁ ଏମିତି ବିଚିତ୍ର ଫଟୋ ସବୁ ଅଳକା ସଂଗ୍ରହ କରୁଥିଲା, ଯାହାକୁ ଦେଖିବାକୁ ପ୍ରଥମେ ପ୍ରଥମେ ବେଣୁକୁ ସଂକୋଚ ଲାଗୁଥିଲା, କ୍ରମେ ଅଭ୍ୟାସରେ ପଡ଼ିଗଲା । ଅଳ୍ପ ଦିନ ଭିତରେ ତା’ର ଯଥେଷ୍ଟ ସାହସ ହୋଇଥିଲା ଏବଂ ସେ ସୁଶ୍ରୀ ଅଳକା ସାମ୍ନାରେ ମଧ୍ୟ ଫଟୋରେ ମୁହଁକୁ ଚାହିଁ ହସୁଥିବା ନାରୀର ବକ୍ଷପ୍ରଦେଶରେ ଆଙ୍ଗୁଳି ଚାଳନା କରିପାରିଥିଲା ।

 

ବିଧାୟକର କଡ଼ା ନିର୍ଦ୍ଦେଶ ଥିଲା ଯେ, ପ୍ରଥମ ବର୍ଷର ପ୍ରତ୍ୟେକଟି ସଂଖ୍ୟା ମାତ୍ର ତିନିଶହଟି ଛପା ହେବ ଏବଂ ପ୍ରତିଥର ଦୁଇଟି କୁନି ବିଜ୍ଞାପନ ପ୍ରଥମ ପୃଷ୍ଠାରେ ରହିବ । ପ୍ରଥମଟି ପତ୍ରିକାର ବିଜ୍ଞାପନ ଦର ଏବଂ ଦ୍ୱିତୀୟଟି ଜିଲ୍ଲା–ଉପଖଣ୍ଡ–ମଣ୍ଡଳସ୍ତରରେ ସାମ୍ବାଦିକ ଆବଶ୍ୟକ । ବିଧାୟକ ସଚିବାଳୟରେ ମନ୍ତ୍ରୀ–ସଚିବଙ୍କ କାର୍ଯ୍ୟାଳୟରେ ଷାଠିଏ, କିଛି ଥାନା, ତହସିଲ, ଜିଲ୍ଲାପାଳ ଅଫିସ୍ ମିଶାଇ ପଚାଶ ଏମିତି ଜାଗାରେ ଦୁଇଶହ ଖଣ୍ଡ ବିତରଣରେ ଯିବ । କୋଡ଼ିଏ ଖଣ୍ଡ ରଖାଯିବ । ପ୍ରଥମ ଦୁଇଟି ସଂଖ୍ୟା ଏମିତି ବିତରଣ କରାଯିବା ପରେ ଦିନେ ସଞ୍ଜବେଳେ ଗୋଟେ ବୁଢ଼ା ମୁଣ୍ଡ ଚକୁଳି ସାମ୍ବାଦିକ ଠିକଣା ଖୋଜିଖୋଜି ସେଠି ପହଞ୍ଚିଲା । ପ୍ରାଥମିକ ବା ପ୍ରାରମ୍ଭିକ ବାର୍ତ୍ତାଳାପ ପରେ ବୃଦ୍ଧଙ୍କ କଥାରେ ବିଧାୟକ ଏବଂ ବେଣୁର ଆଖି ଖୋଲିଗଲା । ବୃଦ୍ଧମାନଙ୍କ ପରାମର୍ଶ ସର୍ବତ୍ର କାହିଁକି ଗ୍ରହଣ କରାଯିବା ଉଚିତ, ସେମାନେ ସହଜରେ ବୁଝିପାରିଲେ ।

 

ବୃଦ୍ଧଙ୍କ କହିବା କଥା ଥିଲା ଯେ ପ୍ରତି ସଂଖ୍ୟାରେ ଦୁଇଟି ସତ୍ୟ–ଉନ୍ମୋଚନ ବା ଗୋପନକଥାର ପର୍ଦାଫାସ୍ ଶିରୋନାମାରେ ଦୁଇଟି ରିପୋର୍ଟ ରହିବ । ଗୋଟିକର କିଛିକିଛି ସତ୍ୟତା ରହିଥିବ । ଦୈନିକ ଖବରକାଗଜର ବଡ଼ ଖବର ଆଧାରରେ ବନେଇଚୁନେଇ ଏଇଟି ପ୍ରସ୍ତୁତ ହେବ । ଅନ୍ୟଟି ପୂରାପୂରି ମନରୁ ଲେଖାଯିବ । ଏଇଟି ମନରୁ ଲେଖିଲାବେଳେ କେତୋଟି ଅବଧାରିତ ସତ୍ୟ ସ୍ମରଣ ରଖିବା ବିଧେୟ । ଯଥା : ପଦସ୍ଥ ସରକାରୀ କର୍ମଚାରୀ/ ଅଧିକାରୀ, ଶିଳ୍ପପତି, ରାଜନେତାମାନେ କେତୋଟି କଥାକୁ କୋକୁଆ ପ୍ରାୟ ଭୟ କରନ୍ତି ଏବଂ ସେ ସବୁକୁ ପଢ଼ିବାକୁ ଅନ୍ୟମାନେ ଭଲପାଆନ୍ତି । କର୍ମଚାରୀ/ ଅଧିକାରୀମାନେ ଅର୍ଥ ତୋଷରପାତକୁ ସର୍ବାଧିକ ଭୟ କରନ୍ତି । ଲାଞ୍ଚ ନେବା ଓ ଦେବା କଥା ସମ୍ପର୍କିତ ଖବରକୁ ଏମାନଙ୍କ ପ୍ରଚଣ୍ଡ ଭୟ । ଶିଳ୍ପପତିମାନଙ୍କର ସର୍ବାଧିକ ଭୟ ଆୟକର ଫାଙ୍କିବା କଥାକୁ । ଆଉ ରାଜନେତାମାନଙ୍କର ଅଧିକାଂଶ କଥାରେ ଛାନିଆ ଓ କୋକୁଆ, କାରଣ ଟିକଟ ନପାଇବାର ଭୟ ଏମାନଙ୍କୁ ଆଚ୍ଛନ୍ନ କରି ରଖିଥାଏ । ଚକୁଳି ମୁଣ୍ଡିଆ ସାମ୍ବାଦିକ ବିଭିନ୍ନ ଶିରୋନାମାର କେତୋଟି ଉଦାହରଣ ଦେବା ସହ ଏକଥା ସ୍ପଷ୍ଟ ବୁଝାଇ ଦେଇଥିଲା ଯେ, ହେଡ଼ିଙ୍ଗ୍‍କୁ ଆଖି ଆଗରେ ରଖି ଛାଁକୁ ଛାଁ ରିପୋର୍ଟ ଲେଖାଯିବ । କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଆଖିରେ ରଖି ଏହା ଲେଖାଯାଇପାରିବ କିମ୍ବା କାହାରିକୁ ଆକ୍ଷେପ ନ କରି ମଧ୍ୟ ଲେଖାଯାଇପାରିବ ।

 

ଚକୁଳି ସାମ୍ବାଦିକ ଯେଉଁ କେତୋଟି ଉଦାହରଣ ଦେଇଥିଲା, ତାହା ଅବଶ୍ୟ ମୁଁ ତୁମକୁ କହିବି । ଏହିଠାରେ ଗଳ୍ପକ ବିଶ୍ରାମ ନେବାକ୍ଷଣି ଅବୋଲ ନ୍ୟୁନ ହୋଇ ପ୍ରଶ୍ନକଲା, ‘ଆପଣ ବାରମ୍ବାର ଚକୁଳି ସାମ୍ବାଦିକ କହିବାର ଅର୍ଥ କ’ଣ ?’ ଏକ ଗ୍ଲାସ୍ ପାଣି ପିଇ ଗଳ୍ପକ ହସିଦେଇ କହିଲେ, “ମୌଳିକଭାବେ ଯେଉଁ ସହରରୁ ମୁଁ ଆସିଛି, ଏପରି କଥାବାର୍ତ୍ତା ସେଠାକାର ସାଧାରଣଲୋକେ ବିନା ଦ୍ୱିଧାରେ କରିଥା’ନ୍ତି । ଚନ୍ଦାମୁଣ୍ଡିଆ ଲୋକଙ୍କୁ ଆମେ ଏପରି କହିଥାଉ, ଚକୁଳି ମୁଣ୍ଡିଆ, ଟାକରା, ମୋଜାଇକ୍ ଇତ୍ୟାଦି । ହଉ ଛାଡ଼ ! କାହାଣୀ ଶୁଣ ।’

 

ଗଳ୍ପକ ନିଜ କାହାଣୀ ଜଗତରେ ପୁନଃପ୍ରବେଶ କଲେ ।

 

ଚକୁଳି ସାମ୍ବାଦିକ କହିଲା, ‘କେତୋଟି ହେଡ଼ିଙ୍ଗ୍‍ର ସାମ୍ପଲ ନିଅ ।’

 

ଏକ : ଅମୁକ ବିଭାଗର ବରିଷ୍ଠ ଅଧିକାରୀଙ୍କ ଘରକୁ ରାତି ନ’ପରେ ଯାଉଥିବା ରହସ୍ୟମୟୀ ଜଣକ କିଏ ।

 

ଦୁଇ : ଯୁବମନ୍ତ୍ରୀଙ୍କ ଘରୁ କାନ୍ଦିକାନ୍ଦି ଫେରିଲେ ମହିଳା ।

 

ତିନି : ପଡ଼ୋଶୀ ରାଜ୍ୟକୁ ପାଞ୍ଚକୋଟିର ଶାଗୁଆନ ଓ ଚନ୍ଦନକାଠ ଯିବା ପଛରେ କେଉଁ ବିଧାୟକଙ୍କ ହାତ ?

 

ଚାରି : ଆୟକର ଫାଙ୍କୁଥିବା ଶିଳ୍ପପତିଙ୍କ ଉପପତ୍ନୀ ଯୁବ ସାଂସଦଙ୍କୁ ରାଜ୍ୟବାହାରେ ହୋଟେଲରେ ଭେଟିଲେ ।

 

ପାଞ୍ଚ : ଚୁଲବୁଲି ନାୟିକାଙ୍କୁ ବିଧାନସଭା ଟିକେଟ୍ ଦେବାପାଇଁ ମସୁଧା, ଗଡ଼ ଫାଦର୍‌ଙ୍କୁ ଚିହ୍ନିରଖ ।

 

ଛଅ : ବିଉଟି ପାର୍ଲର ଯାଇ ବିଧାୟକ ଘଣ୍ଟା ଓ ଦାମୀ ମୁଦି ହରାଇଲେ ।

 

ସାତ : ସମୁକ ବିଭାଗର ସୁନ୍ଦରୀଙ୍କୁ ବେଆଇନଭାବେ ପଦୋନ୍ନତି ଦେବାପାଇଁ ଚକ୍ରାନ୍ତ ପଛରେ କିଏ ?

 

ଏହିପରି ଉଦାହରଣ ଦେଇ ଚକୁଳି ସାମ୍ବାଦିକ ଜଣକ ବିଷଦଭାବେ ବୁଝାଇଥିଲା କିପରିଭାବେ ବିବରଣୀ ଲେଖାଯିବ, କାହାରି ନାଁ ରହିବ ନାହିଁ, ଠାର ମାରିବା ପରି କଥା । ଯୋଉଠି ଏମିତିକା କଥା ଘଟୁଥିବ ବା ଘଟିବାର ସମ୍ଭାବନା ଥିବ, ଲୋକେ ଆପେ ସେକଥା ଉଠେଇବେ । ଏମିତିବି ହୋଇପାରେ ଯେ କିଛିଲୋକ ହଜାର ହଜାର ଟଙ୍କା ଯାଚିବେ । ଫୋନ୍‍ରେ ନାନା କଥା/ ପ୍ରଶ୍ନ ପଚାରିବେ । କାହାରିକୁ ଫୋନ୍‍ରେ ଉତ୍ତରଦେବା ସମ୍ଭବ ନୁହେଁ ବୋଲି ସର୍ବଦା କୁହାଯିବ, ସମ୍ବାଦପତ୍ର ପକ୍ଷରୁ ସଭାସମିତି, ସାମ୍ବାଦିକ ସମ୍ମିଳନୀରେ ବେଣୁ ଯୋଗଦେବ । ତାହାହିଁ ହେଲା । ବେଣୁ ବେକରେ ଏକ ଫିତାରେ ନିଜ ସମ୍ବାଦପତ୍ରର ସ୍ଵତନ୍ତ୍ର ପ୍ରତିନିଧି ବୋଲି ପରିଚୟପତ୍ରଟେ ମାରି ଘୂରିବାରେ ଲାଗିଲା । ଏ ଭିତରେ ବିଧାୟକ ବହୁ ପ୍ରୟାସ କରି ମଧ୍ୟ ବେଣୁପାଇଁ ସଚିବାଳୟ ଭିତରେ ଆତଯାତ ହେବାପାଇଁ ପ୍ରବେଶପତ୍ରଟିଏ କରାଇପାରି ନଥିଲା ।

 

ଏ ଭିତରେ ଚକୁଳି ସାମ୍ୱାଦିକ ଆସି ବାଟ ବତେଇବାରୁ ପରବର୍ତ୍ତୀ ସଂଖ୍ୟାରେ ‘‘ଗୃହ ବିଭାଗର କଳା କାରନାମା, ନିରାପତ୍ତା ବିପନ୍ନ, ପଇସା ଦିଅ ପାସ୍ ନିଅ” ଶୀର୍ଷକ ଅନୁସନ୍ଧାନମୂଳକ ସମ୍ବାଦଟିଏ ପ୍ରକାଶ କଲା । ତା’ ଭିତରେ ଲେଖିଲା ଯେ, ମଧ୍ୟ ବୟସ୍କା ଜନୈକା ମହିଳାଙ୍କ ଦୟା ନହେଲେ ପାସ୍ ମିଳିବନି । ସାମ୍ବାଦିକମାନେ ପାସ୍ ପାଇବାପାଇଁ କେମିତି ହଇରାଣ ହେଉଛନ୍ତି, ସେକଥା ରହିଲା । ଶେଷରେ ଉଲ୍ଲେଖ ରହିଲା ଯେ, ବିଭାଗୀୟ ସଚିବ କେମିତି ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ, ଜିଲ୍ଲା ୱାରି ହିସାବର ତୁଳନାତ୍ମକ ବିବରଣୀ ସହ ସେ କଥା ଆଗାମୀ ସଂଖ୍ୟାରେ କ୍ରମାନ୍ୱୟେ ପ୍ରକାଶ କରାଯିବ । ଏପରି ସମ୍ବାଦ ପ୍ରକାଶର ଏଗାର ଦିନ ପରେ ଜଣେ ଲୋକ ବେଣୁର ସଚିବାଳୟ ପାସ୍ ଦେଇଯାଇଥିଲା । ଦୁଇଟି ସଂଖ୍ୟାପରେ ଗୃହସଚିବଙ୍କୁ ପ୍ରଶଂସା କରି ଖବର ବାହାରିଲା । ତହିଁରେ ଅବଶ୍ୟ ଉଲ୍ଲେଖ ରହିଲା ଯେ, ସମ୍ବାଦ ପ୍ରକାଶ ପାଇବା ପରେପରେ ସଚିବ କିପରି ନିଜ ଆଡ଼ୁ ଭିତିରିଆ ଅନୁସନ୍ଧାନ କରାଇ ବିଭାଗର କଳଙ୍କକୁ ଧରିବାରେ ସକ୍ଷମ ହୋଇଥିଲେ ଓ ବିଭାଗକୁ ମହିଳାଙ୍କ ପ୍ରଭାବରୁ ମୁକ୍ତ କରିଥିଲେ । ସେ ବର୍ଷର ବାର୍ଷିକୋତ୍ସବରେ ଅନ୍ୟ କେତେଜଣଙ୍କ ସହ ଉକ୍ତ ସଚିବଙ୍କୁ ମଧ୍ୟ ଅନ୍ୟତମ ଅତିଥିଭାବେ ଡକାଯାଇଥିଲା । ନିଜ ଭାଷଣରେ ସେ ସମ୍ବାଦପତ୍ରଗୁଡ଼ିକର ସତ୍ୟାଶ୍ରୟୀ ହେବା ଓ ନିରପେକ୍ଷତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜଣେ ନିଷ୍ଠାପର ସାମ୍ବାଦିକଭାବେ ସେ ବେଣୁ ଗୋପାଳର ଅଜସ୍ର ପ୍ରଶଂସା କରିଥିଲେ । ତେବେ ସେ ଜଣେ ଅଣୋଡ଼ିଆଧିକାରୀ ହୋଇଥିବାରୁ ଉଚ୍ଚାରଣବେଳେ ବାରମ୍ବାର ବେଣୁକୁ ଭେନୁବାବୁ–ଭେନୁବାବୁ ବୋଲି । କହିବା ବାହୁଲ୍ୟ, ବେଣୁକୁ ଏହି ଶବ୍ଦଟି ଅତି ଓଜନଦାର ମନେ ହୋଇଥିଲା ଏବଂ ବାର୍ଷିକୋତ୍ସବ ପରେ ପରେ ଟେଲିଫୋନ୍‌ରେ ଅନ୍ୟମାନଙ୍କୁ ସମ୍ଭାଷଣରେ ‘ହାଲୋ–ଭେନୁ ହିଅର୍’ ବୋଲି କହୁଥିଲା । ପ୍ରାୟ ତିନି ମାସ ପରେ ସେ ଏକ ଅଦାଲତ ସତ୍ୟପାଠଦ୍ଵାରା ନିଜ ନାମ ପରିବର୍ତ୍ତନ କରି ବେଣୁରୁ ଭେନୁ ଗୋପାଲ୍ କରିଥିଲା ।

 

ଏହାପରେ ଭେନୁର ସାମାଜିକ–ସାମ୍ବାଦିକ–ଅର୍ଥନୀତିକ–ସାଂସ୍କୃତିକ ଜୟଯାତ୍ରାର ପର୍ବ କ୍ଷିପ୍ର ଗତିରେ ଆଗେଇଲା । ବିଭିନ୍ନ ମହଲରେ ତା’ର ପରିଚୟ ହେଲା । ବିଧାୟକ ଜାଣିଥିବା ଓ ଜାଣୁଥିବା କେତେକ ସରକାରୀ ଓ ଦଳୀୟ କଥାରେ ଅଜସ୍ର କଳ୍ପନାର ଅସୁମାରି ରଙ୍ଗମାରି ଲେଖିପାରୁଥିବା ଚକୁଳି ସାମ୍ବାଦିକର ସହାୟତା ଓ ପରାମର୍ଶରେ ସମ୍ବାଦପତ୍ର ଓ ଭେନୁ ମାଡ଼ି ଚାଲିଲେ ।

 

ଦ୍ୱିତୀୟ ବାର୍ଷିକୋତ୍ସବରେ ଜଣେ ମନ୍ତ୍ରୀ ଓ ଦୁଇଜଣ ଅତି ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ଅତିଥି କରାଯାଇଥିଲା । ସେମାନଙ୍କ ସାମ୍ନାରେ ଭେନୁ ଘୋଷଣା କଲା ଯେ, ତାଙ୍କ କାଗଜର ପ୍ରସାରଣ ତିରିଶ ହଜାରରେ ପହଞ୍ଚିଥିଲା । ସେ ଉତ୍ସବରେ ତାଙ୍କ କାର୍ଯ୍ୟାଳୟର ଏକମାତ୍ର କର୍ମଚାରିଣୀ ସୁଶ୍ରୀ ଅଳକାଙ୍କୁ ରାଜ୍ୟର ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ବୋଲି ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧନା ପତ୍ରରେ–ଯାହାକୁ ମାନପତ୍ର ବୋଲି କୁହାଯାଉଛି–ଉଲ୍ଲେଖ କରାଯାଇଥିଲା ଯେ, ତେରଟି ନାଟକରେ ଅଭିନୟ କରି ମଞ୍ଚ ଜଗତରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ଏକଥା ମଧ୍ୟ ଘୋଷଣା କରାଗଲା ଯେ, ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିବାପାଇଁ ସେ ଚୁକ୍ତିବଦ୍ଧ ଥିଲେ । ସେଦିନ ଅଳକା ପ୍ରାୟ ଅଢ଼େଇବର୍ଷ ପରେ ଶାଢ଼ି ପିନ୍ଧିଥିଲା । ସକାଳ ଏଗାରଟାବେଳେ ବିଧାୟକର ସରକାରୀ ଘରର ପଛପଟ କାର୍ଯ୍ୟାଳୟରେ ଭିତରୁ କବାଟ ବନ୍ଦ କରି ଅଳକା ଶାଢ଼ି ପିନ୍ଧି ଭେନୁ ଗୋପାଳ ସାମ୍ନାରେ ଠିଆ ହୋଇ ମତାମତ ମାଗିଥିଲା । ତାରୁଣ୍ୟ ଅଥବା ଯୌବନର ଦମ୍ଭରେ ଜଣେ ତରୁଣୀ ବା ଯୁବତୀ ସମୟ ସମୟରେ କେତେ ବିପଦଜନକ ହୋଇପାରେ ସେ ସମ୍ପର୍କରେ ଭେନୁର ଧାରଣା ନଥିବାରୁ ସେ ଏକାକୀ ଅଳକାର ଶାଢ଼ି ପିନ୍ଧା ସମୟରେ ମତାମତ ଦେବାପାଇଁ ରହିଥିଲା । ଏହା ଅବଶ୍ୟ କହିବା ନିଷ୍ପ୍ରୟୋଜନ ଯେ ଅଳକା ସଂଲଗ୍ନ ଗାଧୁଆଘରେ ପ୍ରାୟ ଦଶମିନିଟ୍ ରହି ବାହାରିଥିଲା । ସେତେବେଳକୁ ସେ କେବଳ ସାୟା–ବ୍ଲାଉଜ୍ ପିନ୍ଧିଥିଲା । ଭେନୁ କ୍ଷୁଦ୍ର ମତଟିଏ ଦେଇଥିଲା ଯେ ସାୟାଟା ଆଉ ଇଞ୍ଚେ ମାନେ ଲାହିଠାରୁ ଇଞ୍ଚେ ତଳକୁ ରହିବା ଦରକାର । ଅଳ୍ପ ହସି ଅଳକା ସାୟାକୁ ଖସେଇ ଦେଲା । ସେ ଶାଢ଼ି ପିନ୍ଧୁଥିବାବେଳେହିଁ ଭେନୁ କହିଥିଲା କି ଲାହିରେ ସୁନା କି ରୁପାର ବିନ୍ଦି ଜାତୀୟ କିଛି ଗୋଟେ ଲଗେଇଥିଲେ ତା’ର ଆବେଦନ ଅଲଗା ପ୍ରକାରର ହୋଇଥା'ନ୍ତା । ଅଳକା ପାଖରେ ସେପରି କିଛି ନଥିବାରୁ ସେମାନେ ଭେନୁ ପ୍ୟାଣ୍ଟରୁ ଗୋଟେ ଛୋଟ ବୋତାମ ନେଇ, ତା' ଉପରେ ଯତ୍ନର ସହ ସିଗାରେଟ ଖୋଳ ଭିତରୁ ରୁପା ପରି ଝଲ୍‍ମଲ୍ ଜରିକୁ ଫେଭିକଲ୍‍ରେ ଲଗାଇ ରଖିଥିଲେ । ସଞ୍ଜବେଳେ ସଭାକାର୍ଯ୍ୟ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସେଇଟିକୁ ଲାହି ଉପରେ ଫେଭିକଲ୍ ଲଗାଇ ଠକେଇ ଦିଆଗଲା । ଘରୋଇ ଚ୍ୟାନେଲମାନ ଅବଶ୍ୟ ସେଇଠାରେ କ୍ୟାମେରାର ନଜର ନିବଦ୍ଧ କରାଇଥିଲେ ।

 

ସମାରୋହ ସରିବାର ପର ମୁହୂର୍ତ୍ତରେ ଘରୋଇ ଚ୍ୟାନେଲ ପ୍ରତିନିଧିମାନେ ସୁଶ୍ରୀ ଅଳକାଙ୍କୁ ଘେରି ଯାଇଥିଲେ । ସେମାନଙ୍କର ଗୋଟିଏ ପ୍ରଶ୍ନ ଥିଲା ତାଙ୍କ ଅଭିନୀତ ଚଳଚ୍ଚିତ୍ର ସବୁ କେବେ ମୁକ୍ତିଲାଭ କରିବାର ଥିଲା । ସେ ଉତ୍ତରରେ କହିଥିଲେ ଯେ ଗୋଟିକର ସୁଟିଂ ବାଙ୍ଗାଲୋର୍‍ରେ ଏବଂ ଅନ୍ୟ ଗୋଟିକର ସୁଟିଂ ଚିକ୍‍ମାଗାଲୁର୍‍କରେ ଚାଲିଥିଲା । ପରବର୍ତ୍ତୀ କଥା ଅତୀବ କ୍ଷିପ୍ର ଓ ସଂକ୍ଷିପ୍ତ ।

 

ଅଳକା ସତକୁସତ କେତେଟା ଧାରାବାହିକରେ ଅଭିନୟ ପାଇଁ ଡକରା ପାଇଥିଲା । କ୍ରମେ ସେ ଅଧିକରୁ ଅଧିକ ସେଆଡ଼େ ସମୟ ଦେଇଥିଲେହେଁ ମାସିକରୁ ପାକ୍ଷିକର ପରିବର୍ତ୍ତିତ ହୋଇଥିବା ବିଧାୟକର ସମ୍ବାଦପତ୍ରରେ କାମ କରିବାପାଇଁ ଆଉ ଜଣେ ଦକ୍ଷ କମ୍ପ୍ୟୁଟରବାଲୀକୁ ଯୋଗାଡ଼ କରିଥିଲା ତଥା ତା’ର ଜୀବନର ବିଚିତ୍ର ମୋଡ଼ରେ ସେ ଭେନୁଗୋପାଲର ଅବଦାନକୁ ଭୁଲି ନଥିଲା ତଥା କ୍ଷୁଦ୍ର ମାସିକ ସମ୍ବାଦପତ୍ରର ଦ୍ରୁତ ଅଭିବୃଦ୍ଧି ପଛରେ ଅଳକାର ଅବଦାନକୁ ଭେକୁ ମଧ୍ୟ ବିସ୍ମରି ନଥିଲା ।

 

କହିବା ବାହୁଲ୍ୟ, ଭେନୁ ଓ ଅଳକାର ଯୋଡ଼ି ଏକ ସଫଳ ବ୍ୟବସାୟୀ ଯୋଡ଼ିରେ ପରିଣତ ହୋଇଥିଲା । ଉଭୟ ଅଳକା ଓ ଭେନୁର ରୋଜଗାର ଆଶାତୀତଭାବେ ବୃଦ୍ଧି ପାଇଥିଲା-। ଭେନୁର ବିନା ସହାୟତାରେ ଗାଁର ସମ୍ପର୍କୀୟ ଭାଉଜ ମଝିରେମଝିରେ ଆସି ଦିନେ ଓଳିଏ ରହିଯାଉଥିଲେ । ଏ ଭିତରେ ଦିନେ ସଞ୍ଜବୁଡ଼ିଯିବା ପରେ ପାୱାର୍ କଟ୍ ସମୟରେ ଅସହ୍ୟ ଗରମଜନିତ କାରଣରୁ ବେଣୁ ବା ଭେନୁ ଓ ସୁଶ୍ରୀ ଅଳକା ନିଜନିଜ ପୋଷାକ ଖୋଲି ବସିଥିଲେ-। ତା'ପରେ ଅନ୍ଧାରରେ କିଏ ଦରଜା ଝର୍କା ବନ୍ଦ କରିଦେଇଥିଲା । ଭିତରେ ପୂରା ଗୁଳୁଗୁଳି-। ଯେମିତିକି ଅମୁହାଁଦେଉଳ ଭିତର । ଆହୁରି ଝାଳ । ଛିଃ–ଏତେ ଗରମ ଦଶବର୍ଷ ଭିତରେ କେବେ ହୋଇ ନଥିଲା । ଝରକା ଖୋଲିବା କି ? ନାହିଁ । ଦରଜା ? ଛି । ଏମିତି ଭିତରେ ପ୍ରାୟ ଅଧଘଣ୍ଟା ଭିତରେ ଆଲୋକ ଆସିଗଲା । ଫ୍ୟାନ୍ ବୁଲିବା ଓ ଏସି ଚାଲିବାରୁ ସେମାନେ ପୋଷାକ ପିନ୍ଧିଲେ-। ତାଙ୍କର ଲଜ୍ଜା ଛାଡ଼ିଯାଇଥିଲା ।

 

ସେ ଘର ସେମାନେ ଛାଡ଼ି ଦେଇଥିଲେ । ଏକା ଅପେକ୍ଷାକୃତ ବଡ଼ଘର ସେମାନେ ଭଡ଼ାରେ ନେଇଥିଲେ । ଅଳକାର ପସନ୍ଦାନୁଯାୟୀ ଘର ସଜା ହୋଇଥିଲା । ସମ୍ବାଦପତ୍ର ଏ ଭିତରେ ମାସିକରୁ ପାକ୍ଷିକ ଓ ପାକ୍ଷିକରୁ ସାପ୍ତାହିକ ହୋଇଥିଲା । ପ୍ରତ୍ୟେକ ବାର୍ଷିକ ସମାରୋହରେ ବେଣୁ ଏଣିକି ପ୍ରସାରଣର ପରିମାଣ କୋଡ଼ିଏ ହଜାର ବଢ଼ାଇ ବିବରଣୀ ପାଠ କରୁଥିଲା । ଅର୍ଥାତ୍ ଅଶୀ ହଜାର ପ୍ରସାରଣ ସଂଖ୍ୟା ସେ କହିଥିଲା ଗତବର୍ଷ ତ ଚଳିତବର୍ଷ ଏକ ଲକ୍ଷ ବୋଲି କହୁଥିଲା-। ଅଳକାର ନେତୃତ୍ଵରେ ଆଉ ପାଞ୍ଚଜଣ ତରୁଣୀ ଅଭିନେତ୍ରୀ ଓ ସାମ୍ବାଦିକ ହେବା ଆଶାରେ ସଂସ୍ଥାରେ ଯୋଗ ଦେଇଥିଲେ । ଜଣେ ବିଜ୍ଞାପନ ମୁଖ୍ୟ, ଜଣେ ପ୍ରସାରଣ ମୁଖ୍ୟ, ଜଣେ ଫିଚର୍ ମୁଖ୍ୟ, ଜଣେ ସ୍ଵତନ୍ତ୍ର ସହର ପ୍ରତିନିଧିଭାବେ କାର୍ଯ୍ୟ କରୁଥିଲେ । ବିଶେଷ ଭାବରେ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଅଳକା ଯଦ୍ୟପି ଏକ ଚଳଚ୍ଚିତ୍ରରେ ଅଭିନୟ କରି ନଥିଲା, ତଥାପି ତିନି ଚାରିଟି ଧାରାବାହିକରେ ଆଠ/ଦଶଟି ଭାଗରେ ଅଭିନୟ କରିଥିଲା । ତା’ ଅଧୀନରେ ଥିବା ଅଭିନୟାକାଂକ୍ଷିଣୀ ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣ ଭଜନାଲ୍‍ବମ୍‍ରେ ଭକ୍ତୁଣି ହୋଇ ଦେଖାଦେଇଥିଲେ । ମଦନ ପଦନଙ୍କ ନିର୍ଦ୍ଦେଶନାରେ ତିନିଜଣଯାକ ଅଭିନୟ କରିଥିଲେ-। ଅନ୍ୟ ଦୁଇଜଣଙ୍କର ପାଳି ପଡ଼ି ନଥିଲା । ଏତେ ନହକା ଚେହେରାର ଝିଅ ହୁଏତ ହଲିଉଡ଼୍ କିମ୍ବା ପେଲିଉଡ଼୍‍ କିମ୍ବା ଦେଲିଉଡ଼୍‍ ଅବା ନେଲିଉଡ଼୍‍ରେ କାମ କରିପାରିବେ, ହେଲେ ଏଠି ଆଲ୍ଉଡ଼୍‍ରେ ସାମାନ୍ୟ ପୁଚୁକା ପ୍ରଜାତିର ଅଭିନେତ୍ରୀ ନହେଲେ କାମ ନଚଳେ ବୋଲି ପଦନ୍ ଜଣାଇଥିଲା-!

 

ଭେନୁ–ଅଳକା ଯୋଡ଼ି କମ୍ ଦିନ ଭିତରେ ମିଳିତ ମାଲିକାନାରେ କ୍ଷୁଦ୍ର ଦୁଇ ବଖୁରିଆ ଫାଳଟେ ଘର କିଣିଥିଲେ । ଗୋଟେ ଚାରିଚକିଆ କିଣିଥିଲେ । ଆହୁରି ଅନେକ କିଛି ଘରକରଣା ଜିନିଷ କରିଥିଲେ । ରୋଷେଇବାସ ସହ ଘରକାମ ଦାମ କରିବାପାଇଁ ଜଣେ ଅତି ଉଚ୍ଚକୋଟୀର ମଧୁରୀ ପ୍ରଜାତିର ଲୋକ ଥିଲା । ହାଲିଆ ହୋଇପଡ଼ିଲେ ମଧୁରୀ ଜଣକ ଉଭୟଙ୍କର ଦେହ–ହାତ–ଗୋଡ଼–ଘଷାଘଷି କରିଦେଉଥିଲା ।

 

ଗଳ୍ପକ ବିଶ୍ରାମ ନେବାମାତ୍ରକେ ଅବୋଲ ପଚାରିଲା, ‘ଘର ଫାଳଟେ କିଣିଲେ ବୋଲି କହିବାର ଅର୍ଥ କ'ଣ ?’

 

‘ଶୁଣ ଏହା ଏକ ବିତଣ୍ଡା ପ୍ରଜାତିର ପ୍ରଶ୍ନ’, ଗଳ୍ପକ କହିଲେ, ‘ତଥାପି ଜାଣିଥାଅ ଯେ, ଇଂରାଜୀରେ ଯାହାକୁ ଫ୍ଲାଟ୍ କୁହାଯାଉଛି, ଓଡ଼ିଆରେ ତାକୁ ଫାଳଟିଏ ବା ଫାଳଟେ ଘର କୁହାଯାଇପାରିବ । ତେବେ ତୁମେ ଏଣୁତେଣୁ ପ୍ରଶ୍ନ କର ନାହିଁ ।’

 

ଗଳ୍ପକ ପୁନର୍ବାର କହିବାରେ ଲାଗିଲେ ।

 

ଭେନୁ କେତେଥର ବିବାହ ପ୍ରସ୍ତାବ ଦେଇଥିଲେହେଁ ଅଳକା ତହିଁରେ ରାଜି ହୋଇ ନଥିଲା । ଥରେ ବିରକ୍ତ ହୋଇ ସେ କହିଥିଲା, ଏମିତିରେ ମୋ ସହ ବୁଲାଚଲା କରିବାକୁ ତୁମକୁ ଲାଜ ଲାଗୁଚି କି ? ତମ ଛଡ଼ା କ’ଣ ମୁଁ ଆଉ କାହାକୁ ଦେହ ଦେଇଛି ନା କ’ଣ ? ତମର ଧାରଣା ବାହାହେଲେ ମୁଁ ପୂରାପୂରି ତମର ହେଇଯିବି । ତମର ଧାରଣା ସବୁ ବିବାହିତ ପୁରୁଷ ଓ ବିବାହିତା ନାରୀ ଯଥାକ୍ରମେ କେବଳ ନିଜ ପତ୍ନୀ ବା ପତିଠାରେ ଏକାଗ୍ରଚିତ୍ତ–ଏକାଗ୍ର ଦେହୀ ହୋଇଥାଆନ୍ତି, ନୁହେଁ ? ଏଇ ମୁହୂର୍ତ୍ତରେ ମୁଁ ବା ତମେ ଚାହିଁଲେ ପରସ୍ପର ପ୍ରତି ବିଶ୍ୱାସଘାତକତା କରିପାରିବା । ଅଥଚ ଆଜିଯାଏଁ ଆମେ ସେପରି କରିନାହେଁ । ବାହା ହୋଇଗଲେ ଭଲରେ ବା ସୁଖରେ ଜୀବନ ବିତେ, ଏମିତି ଧାରଣାଠୁ ତମେ ଦୂରରେ ରହିଲେ ଭଲ । କଥାଟା ବୁଝ ! ଆମେ ବାହାହୋଇଗଲେ ଆମର ଗ୍ଲାମର୍ ଯୋଡ଼ିର ଆକର୍ଷଣ ଶୂନ୍ ହୋଇଯିବ । ଆମ ଯୋଡ଼ିର ପ୍ରଧାନ ଆକର୍ଷଣ ହେଲା ଲୋକଙ୍କର ନଜରରେ ମୁଁ ଗୋଟେ ଫଲନ୍ ଓମାନ୍–ମାନେ ବଜ୍ଜାତ ସ୍ତ୍ରୀଲୋକ–ଅର୍ଥାତ୍ ସାଧୁ ଭାଷାରେ କହିଲେ ସ୍ଖଳିତ ମହିଳା । ଯେ ଯାବତ୍ ସେମିତି ଭାବୁଥିବେ, ସେ ଯାବତ୍ ମୁଁ ତାଙ୍କୁ ବୋକା ବନେଇ ରଖୁଥିବି ଏବଂ ସେମାନଙ୍କୁ ମୂଳଧନ କରି ମୋର ପୁଞ୍ଜି ବୃଦ୍ଧି କରୁଥିବି । ଆଉ ବାହା ହେଇଗଲେ ଆମ ପାଖରେ କୁଆକୋଇଲି ଉଡ଼ିବେ ନାଇଁ । ଏ ସମାଜରେ ତୁମ ଭିତରୁ ଅଧିକାଂଶ ପୁରୁଷ ସେମିତି । ନିଜ ସ୍ତ୍ରୀଟିକୁ ଛାଡ଼ି ଦୁନିଆର ବାକି ସମସ୍ତେ ସ୍ଖଳିତ କି ଦୁଶ୍ଚରିତ୍ର ହେଇଯିବାଟା ସେମାନଙ୍କର ଭିତିରି ଇଚ୍ଛା । ତୁମ ଭିତରେ ସେପରି ଇଚ୍ଛା ଥିଲେ ମୁଁ ତୁମକୁ ଘୃଣା କରିବି, ସେ କଥା ନୁହେଁ, ଭାବିବି ଜଣେ ନିହାତି ସାଧାରଣ ଘାଟିଆ ମଣିଷ ପାଖରେ ମୁଁ ଶୋଇଥିଲି, ହେଲା ? କିନ୍ତୁ ତୁମଛଡ଼ା ଆଉ କାହା ନିକଟରେ ଶୋଇବା ଅସମ୍ଭବ କଥା । ଆଉ ଇଏ କେତେବେଳେ ଟିକେ ଅଧିକ ହାଲିଆ ହୋଇ ପଡ଼ିଥିଲେ ଆମ ମଧୁରୀଟି ଓଦା ତଉଲିଆରେ ମୋର ବେକଠାରୁ ପାଦଯାଏଁ ପୋଛି ଦେଉଛି, ସେଇଟା ତୁମ ଆଖିରେ ବୋଧେ ଯାଉନାହିଁ–ଛିଃ ! ଛି ! ମଧୁରୀର ହାତ ମୋର ଶରୀରର ସବୁ ଆଡ଼ ଛୁଇଁଥାଏ ସତ, ହେଲେ ତା’ର ହାତ ସଭ୍ୟ ସମାଜର ଅନେକ ପୁରୁଷଙ୍କ ହାତଠାରୁ ଯଥେଷ୍ଟ ପବିତ୍ର । ତା’ର ହାତ କି ସ୍ପର୍ଶରେ କାମନାର ଲେଶମାତ୍ର ଗନ୍ଧବି ନଥାଏ, ବୁଝିଲ ?'

 

ଏକା ଥରକେ ଦୀର୍ଘ କଥାଟେ କହି ଅଳକା ସେଦିନ ବେଣୁ ଶୋଉଥିବା ଘରେ ନଶୋଇ ଆରପଟ ଘରେ ଶୋଇଲା । ଯିବାବେଳେ ମଧୁରୀକୁ ଭିତରକୁ ଡାକି ନେଇ ଭତରୁ କବାଟ କିଳିଦେଲା । ସେବେଠାରୁ ଭେନୁଗୋପାଲ୍ ଆଉ ବିବାହ କଥା ଉଠାଇ ନଥିଲା । ଅଧୁନା ସେ ଏକ ପ୍ରତିଷ୍ଠିତ ଆଗଧାଡ଼ିର ସବୁଠୁ ପ୍ରଭାବଶାଳୀ ସାମ୍ବାଦିକଭାବେ ଗଣାଯାଉଛି । ତା’ର ପ୍ରତିପତ୍ତା ପ୍ରଚଣ୍ଡ । ଏପରି କଥା, ଚିଠି ଦଲିଲ୍ ଇତ୍ୟାଦି ସେ ସଂଗ୍ରହ କରି ରଖୁଛି, ଯଦ୍ଦ୍ୱାରା ଅନେକଙ୍କୁ ସେ ହଇରାଣରେ ପକେଇ ପାରିବ ।

 

ତା’ର ଉନ୍ନତି ଜାରି ରହିଛି ଏବଂ ତା’ର ଏହି ଯାତ୍ରାପଥରେ ଅଳକାର ଅବଦାନ ମଧ୍ୟ ଅବିସ୍ମରଣୀୟ ।

 

ଗଳ୍ପକ ଦୀର୍ଘଶ୍ୱାସଟେ ପକାଇ ଉଠିପଡ଼ି ଗଞ୍ଜି ଫାଙ୍କରୁ ପଇତା କାଢ଼ି କାନରେ ଲଗାଇବାରୁ ଅବୋଲ ପଚାରିଲା, ‘କ’ଣ ଉଠି ପଡ଼ିଲେ ? ଏ କାହାଣୀ କ’ଣ ସରିଗଲା ?’

 

‘ନା, ସରି ନାହିଁ,' ଗଳ୍ପକ କହିଲେ, ‘ତେବେ ଆଉ କହି ଲାଭ ନାହିଁ । ଏଇଠି ଶେଷ ବୋଲି ଧରିନିଅ ।’

 

‘ସ୍ଖଳିତ ଅଭିନେତ୍ରୀ କଥାଟା ବୁଝିହେଲା, ଅଥଚ ତ୍ରିଶତୀ ସମ୍ପାଦକ କ’ଣ ? ବୁଝିହେଲା ନାହିଁ ।’

 

‘ଆରେ ଶୁଣ–ତ୍ରିଶତ ମାନେ ତିନିଶହ । ସର୍ବଦା ତିନିଶହରୁ ତିନି ହଜାର କାଗଜ ପ୍ରକାଶ କରି ଦୁଇ/ ତିନି ଲକ୍ଷ ପ୍ରସାରଣ ବୋଲି କହୁଥିବା ବେଣୁକୁ ମୁଁ ତ୍ରିଶତୀ ସମ୍ପାଦକ ବୋଲି କହିଛି । ଏଥିରେ ବିଶେଷ କିଛି ଚାତୁରୀ ନାହିଁ । ମୁଁ ସୁଖୀ ଯେ ବେଣୁ ମୋର ବନ୍ଧୁ । ପ୍ରତି ବାର୍ଷିକୋତ୍ସବରେ ସେ ମୋତେ ନିମନ୍ତ୍ରଣ କରିଥାଏ, ଏବଂ ମୁଁ ଆସେ । ଗତକାଲି ମଧ୍ୟ ତାହା ଥିଲା । ଏବେ ସେ ଲକ୍ଷାଧିକ ଟଙ୍କା ବ୍ୟୟରେ ହୋଟେଲରେ ମଦ ମାଂସ–ନାଚ–ଗୀତରେ ବାର୍ଷିକୋତ୍ସବ ପାଳନ କରୁଛି । ତା’ର ତଥା ଅଳକାର ଯୋଡ଼ିକୁ ମୁଁ ଧନ୍ୟବାଦ ଦେଉଛି ।’

 

ଏତକ କହି ଗଳ୍ପକ ଶୌଚାଳୟ ଭିତରେ ପ୍ରବେଶ କଲେ ।

 

(ଏହି କାହାଣୀରେ ଗଳ୍ପକ ବ୍ୟବହାର କରିଥିବା କିଛି ନୂଆ ବିଚିତ୍ର ଶବ୍ଦ ହେଲା : ବୋରାତିଷ୍ଠ, ମିନ୍ତି, ସେରିଆ, ତବଲାଓଦା, ଜ୍ଞାନ କୁମ୍ପା, ଫାଳଟେ, ପେଲିଉଡ଼୍‍ ଇତ୍ୟାଦି)

✽✽✽

 

କଙ୍କାଳ

 

ମେଡ଼ିକାଲ କଲେଜ ବାରଣ୍ଡାରେ ଶେଷଦୃଶ୍ୟ :

 

ଯେଉଁ ମହିଳା ଜଣକ ତରତର ହୋଇ ମେଡ଼ିକାଲ କଲେଜର ପ୍ରଶାସନିକ ଭବନର ପାହାଚ ଉପରକୁ ଉଠିଲେ, ମନେକର ତାଙ୍କ ନାଁ ଅହଲ୍ୟା । କିଏ ଜାଣେ, ତାଙ୍କ ନାଁ ମଧ୍ୟ ହୋଇପାରେ ମାନିନୀ କି ତପତୀ କି ଇତିଶ୍ରୀ କି କିଛି ଗୋଟେ ପୁରୁଣାକାଳିଆ ନାଁ, ଯେମିତିକି ଜେମାମଣି କି ହାରାବତୀ କି ରମା କି ମଞ୍ଜୁଷା କି ଇନ୍ଦୁରେଖା ! ନାଁରେ ଅବା କ’ଣ ଥାଏ ? ଆମେ କିନ୍ତୁ ଏଇ ମହିଳାଙ୍କ ନାଁ ଆପଣମାନଙ୍କୁ କହିବୁ ନାହିଁ । ଯେଉଁ ସମୟ ଓ ପରିସ୍ଥିତିରେ ତାଙ୍କ ନାଁ କୁହାଯାଇପାରିଥାନ୍ତା, ସେତେବେଳେ ତ କୁହାଗଲା ନାହିଁ; ଆଉ ଆଜି ସତ ନାଁରେ କ’ଣ ଥାଏ ଅବା ମିଛ ନାଁରେବି କ’ଣ ଥାଏ ? ଏମିତିରେ ନାଁରେ ଅବା କ’ଣ ଥାଏ ?

 

ଆମେ ତାଙ୍କ ଚେହେରା, ଚାଲି, ସମ୍ଭ୍ରମ କେମିତି ଏକ ସମ୍ଭ୍ରାନ୍ତପଣିଆ ଓ ବୟସରୁ ଅନ୍ତତଃ ଅନୁମାନ ଲଗେଇବା ଯେ ତାଙ୍କ ନାଁ ଅତି ପୁରୁଣାକାଳିଆ–ଯେମିତିକି ନେତ କି ହେମ–ହୋଇ ନଥିବ; କିମ୍ବା ଅତି ଆଧୁନିକ, ଯେମିତିକି ଲାଭ୍‍ଲି କି ଅନ୍ଵେଷା କି ଅନୁବ୍ରତାବି ହୋଇ ନଥିବ-! ତାଙ୍କ ନାଁ ହୋଇଥିବ....

 

ଯେମିତିକି ବୈଜୟନ୍ତୀ କି ବିଜୟଲକ୍ଷ୍ମୀ କି ତପତୀ ଅବା ତୁଙ୍ଗଭଦ୍ରା । ସେଇପରି କିଛି । ଏଇଠାରୁ ଆମେ ତାଙ୍କୁ ଏ ଘଟଣାର ବର୍ଣ୍ଣନା ଭିତରେ ଶେଷଯାଏଁ କେବଳ ଆରତି ବୋଲିହିଁ କହିବା ।

 

ତରତରରେ ପାହାଚ ଉଠିଯିବା ପରେ ସେ ଧୀରେଧୀରେ ଚାଲିଲେ, କାରଣ ସେ ବାରଣ୍ଡାରେ ଝୁଲୁଥିବା ନାମଫଳକଗୁଡ଼ିକୁ ପଢ଼ୁଥିଲେ ଏବଂ ଆଗକୁ ଯାଉଥିଲେ । ପ୍ରାୟ ଶେଷ ଆଡ଼କୁ ହସ୍‌ପିଟାଲର ଅଧୀକ୍ଷକଙ୍କ କୋଠରୀରେ ସେ ଅଟକିଲେ । ବାହାରେ ଯଦିଓ କେତେ ଜଣ ଟହଲ ମାରୁଥିଲେ, ଜଣେ–ବୋଧେ ପିଅନ–ଆଗେଇ ଆସି କାହାକୁ ଖୋଜୁଛନ୍ତି ବୋଲି ପଚାରିଲା-। ଅଧୀକ୍ଷକଙ୍କୁ ଦେଖା କରିବେ ବୋଲି କହିବାରୁ ଅପେକ୍ଷା କରିବାକୁ କହି ପଅନ ଭିତରକୁ ଗଲା ଏବଂ ଦୁଇ/ ତିନି ମିନିଟ୍ ଭିତରେ ବାହାରି ଆସି ସୂଚନା ଦେଲା ଯେ ଯଦିଓ ଭିତରେ ତିନି /ଚାରି ଜଣ ଥିଲେ, ତଥାପି ସେ ଚାହିଁଲେ ସାଙ୍ଗେ ସାଙ୍ଗେ ଯାଇପାରିବେ, ନତୁବା ଟିକେ ପରେ ଯାଇପାରିବେ ।

 

ଆରତି ଭିତରକୁ ଗଲେ । ପ୍ରଫେସର୍‍ ପ୍ରହରାଜ ଆନାଟୋମି ବିଭାଗର ଲୋକ । ଭଲ ଶିକ୍ଷକ ଏବଂ ଗବେଷକ ଭାବରେ ତାଙ୍କର ବେଶ୍ ସୁନାମ ଥିଲା । ଆରତି ନମସ୍କାର ଜଣାନ୍ତେ ସେ ପ୍ରତି ନମସ୍କାର ଜଣେଇଲେ ଏବଂ ଅଙ୍ଗୁଳି ନିର୍ଦ୍ଦେଶ କଲେ ବସିବାପାଇଁ । ସେ ଆପ୍ରନ୍ ପିନ୍ଧିଥିଲେ ଏବଂ ତାଙ୍କ ଗଳାରେ ଷ୍ଟେଥୋ ଲଟକିଥିଲା । ସାଧାରଣତଃ ଅଧୀକ୍ଷକମାନଙ୍କୁ ଏ ପୋଷାକରେ ଦେଖିବାକୁ ମିଳେ ନାହିଁ । ନିର୍ଦ୍ଦେଶିତ ଚେଆର୍‍ରେ ଆରତି ବସିଲେ । ପ୍ରଫେସର୍‍ ପ୍ରହରାଜଙ୍କ ସାମ୍ନାରେ ଥିଲେ ତିନିଜଣ ଲୋକ : ଜଣେ ମହିଳା, ପ୍ରାୟ ଆରତିଙ୍କ ସମବୟସ୍କ, ଜଣେ ଯୁବକ ଯାହାର ବୟସ ପଇଁତିରିଶ ଚାଳିଶ ଏବଂ ଅନ୍ୟ ଜଣେ ପୁରୁଷ, ମଧ୍ୟବୟସ୍କ । ପାଞ୍ଚ ମିନିଟ୍ ବସି କାନ୍ଥକୁ ଚାହିଁ ସେମାନଙ୍କ କଥାବାର୍ତ୍ତା ଶୁଣି ଆରତି ଜାଣିଲେ ଯେ ପଇଁତ୍ରିଶ–ଚାଳିଶବର୍ଷର ଯୁବକ ଜଣକ ହେଉଛନ୍ତି ମହିଳା ଜଣଙ୍କର ପୁଅ ଏବଂ ଅନ୍ୟ ଜଣକ ନିଶ୍ଚୟ ନିକଟ ସମ୍ପର୍କୀୟ ।

 

ସେମାନଙ୍କର କଥାବାର୍ତ୍ତା ବୋଧେ ଅନ୍ତିମ ପର୍ଯ୍ୟାୟରେ ଥିଲା, ଆରତି ପ୍ରବେଶ କରିବାର ପନ୍ଦର ମିନିଟ୍ ପରେ ସେମାନେ ବାହାରିଯିବାକୁ ଉଠିଲେ । ପ୍ରଫେସର୍‍ ପ୍ରହରାଜ ଉଠୁ ଉଠୁ ମ୍ଳାନ ହସଟେ ହସି କହିଲେ, ‘ନମସ୍କାର ମ୍ୟାଡ଼ାମ୍ ! ଆପଣ ଚାରିଦିନ ପରେ ନିଜେ ଆସନ୍ତୁ କି ଯାହାକୁ ପଠାନ୍ତୁ, ମୁଁ ଆଇନ ସମ୍ମତ କାଗଜପତ୍ର, ଆଡ଼୍‍ଭୋକେଟଙ୍କଦ୍ଵାରା ଦରକାରୀ ଦଲିଲ୍ ଇତ୍ୟାଦି କରି ରଖିଥିବି ସବୁ ଦେଇଦେବି । ସେ ଯାଏଁ ମହାପାତ୍ର ସାର୍‍ଙ୍କ ଦେହ ଏଇଠି ନିରାପଦରେ ଥିବ, କାଗଜପତ୍ର ନେବା ଦିନ ଆପଣ ଚାହିଁଲେ ଶେଷଥର ଦେଖିପାରିବେ ଓ ସ୍ପର୍ଶବି କରିପାରିବେ ।’

 

ଅଶ୍ରୁ ସଜଳ ଆଖିରେ ମହିଳା ଜଣକ ଓ ଅନ୍ୟମାନେ ବାହାରିଗଲେ । ପ୍ରଫେସର୍‍ ପ୍ରହରାଜ ଚୌକିରେ ବସି ପଡ଼ୁ ପଡ଼ୁ କହିଲେ, ‘କୁହନ୍ତୁ, କ’ଣ କାମ ଅଛି ?’

 

‘ମୋର ଗୋଟିଏ ଛୋଟ ଅନୁରୋଧ ଆପଣଙ୍କୁ ରକ୍ଷା କରିବାକୁ ହେବ’, ଆରତି କହିବାକୁ ଆରମ୍ଭ କଲେ, ‘ତେବେ ପ୍ରଥମରୁ ମୋର ପରିଚୟଟା କହି ରଖେ । ମୋ ନାଁ ଆରତି, ପୂରା ନାଁ ଆରତି ସାମନ୍ତରାୟ, ତେବେ ବିବାହ ପୂର୍ବରୁ ମୋ ନାଁ ଥିଲା ଆରତି ଦାସ । ମୁଁ ପଦାର୍ଥବିଜ୍ଞାନରେ ପିଏଚ.ଡି କରିବା ପରେ କେତେ ବର୍ଷ ଅଧ୍ୟାପିକାବି ଥିଲି, ତା'ପରେ ତିନିବର୍ଷ ଏକ ସର୍ବଭାରତୀୟ ସଂସ୍ଥାନରେ ବୈଜ୍ଞାନିକଭାବେ କାର୍ଯ୍ୟବି କରିଛି । ଏତିକି ଭିତରେ ପ୍ରଫେସର୍‍ ପ୍ରହରାଜଙ୍କ ମୁଖମଣ୍ଡଳର ପ୍ରତିକ୍ରିୟା ଦେଖି ଆରତି କହିଲେ, ‘ଦୟାକରି ଟିକେ ମୋ କାମଟି ଶୁଣନ୍ତୁ-। ମୁଁ ଜାଣେ ଏତେ ବଡ଼ ହସ୍‌ପିଟାଲ ଚଳାଇବା ଲୋକର ସମୟ ଖୁବ୍ କମ୍ ଓ ମୂଲ୍ୟବାନ-। ତେବେ ଆପଣ ଚାହିଁଲେ, ମୋର ବୟସ ପ୍ରତି ଟିକେ ଦୟା କଲେ, ମୋ କାମ ପାଞ୍ଚ ମିନିଟ୍‍ରେ ହୋଇଯିବ-।’

ଆରତିଙ୍କ ପୂର୍ଣ୍ଣ ଚେହେରା ପ୍ରତି ପ୍ରଫେସର୍‍ ପ୍ରହରାଜ ଏଥର ସଚେତନ ହେଲେ । ବତା ପରି ପତଳା ଡେଙ୍ଗା ଚେହେରା, ପ୍ରାୟ ଶ୍ୟାମଳ ବର୍ଣ୍ଣ, ଚଷମା ଥିଲା ସରୁ ଫ୍ରେମର, ନାଁ ହାତରେ ଥିଲା ସରୁ ଚେନ୍‍ବାଲା ଦାମୀ ଘଣ୍ଟା, ଡାହାଣ ହାତରେ ମାତ୍ର ପଟେ ଚୁଡ଼ି ବେଶ୍ ମୋଟା ସୁନା ଚୁଡ଼ି–କିଛିଟା ପୁରୁଣାକାଳିଆ କଙ୍କଣ ପରି । ସମୁଦାୟ ଚେହେରାରୁ ଅକ୍ଳେଶରେ ବାରି ହୋଇ ପଡ଼ୁଥିଲା ପରିବାର ଓ ମଣିଷଟିର ସମ୍ଭ୍ରାନ୍ତପଣିଆ–ଠାଣି ଓ ରୁଚି ।’

: ‘ଆପଣ କୁହନ୍ତୁ, ପ୍ରଫେସର୍‍ ପ୍ରହରାଜ କହିଲେ, ‘କାମଟି କରିପାରିବା ଯଦି ମୋ କ୍ଷମତା ଭିତରେ ଥିବ, ତେବେ ମୁଁ ନିଶ୍ଚୟ କରିବି । କୌଣସି ସିରିଅସ୍ ପେସେଣ୍ଟ୍ ବିଷୟରେ କିଛି କହିବେ ? ମାନେ ଏଇ ସ୍ପେଶାଲ କେବିନ୍ କି କୌଣସି ଅର୍ଗାନ୍...' ତାଙ୍କ କଥାରେ ବାଧା ଦେଇ ଆରତି କହିଲେ, 'ନା, ସେପରି କିଛି ନୁହେଁ । ମୋର କାମଟା ଯେମିତି ବିଚିତ୍ର କଥାଟା କହିବାକୁବି ଲାଜ ଲାଗୁଚି ।’

ଆରତିଙ୍କ ମୁହଁରେ ସତକୁସତ ଉତୁରି ଆସିଲା ଲାଜର ଏକ ବିଚିତ୍ର ସ୍ଵର୍ଣ୍ଣାଭ ଅରୁଣିମା । ସେଇଟିକୁ ଲକ୍ଷ୍ୟକରି ପ୍ରଫେସର୍‍ ପ୍ରହରାଜ ବିସ୍ମିତ ହେଲେ ଯେତିକି, ଭିତରେ ଭିତରେ କୌତୂହଳୀ ହେଲେ ସେତିକି । ସବୁକିଛି ଲାଗୁଥିଲା ଏକ ଅଜବ ଚଳଚ୍ଚିତ୍ର ଦେଖିବା ପରି କିମ୍ବା ଛୋଟ ଏକ ଉପନ୍ୟାସ ପଢ଼ିବା ପରି । କଥା ଚଳେଇ ନେବାକୁ ସେ କହିଲେ, ‘ଆପଣ ଯେତେ ଭଲ ଓଡ଼ିଆ କହିପାରୁଛନ୍ତି, ମୁଁ ପାରିବି ନାହିଁ ।’

ଆରତି ନାମ୍ନୀ ସେଇ ବିଚିତ୍ର ମହିଳା କହିଲେ, ‘ତିନି ଦିନ ତଳେ ଜଣେ ବ୍ୟକ୍ତି ନିଜ ଶରୀରକୁ ଏଇ ହସ୍‌ପିଟାଲକୁ ଦାନ କରିଛନ୍ତି, ତାଙ୍କ ନାଁ ସଚ୍ଚିଦାନନ୍ଦ ମହାପାତ୍ର–ତାଙ୍କୁ ସଚ୍ଚି ସାର୍, ନହେଲେ ମହାପାତ୍ର ସାର୍ ବୋଲି ସେ ଗାଁ ଓ ଆଖପାଖ ଅଞ୍ଚଳରେ ସମସ୍ତେ ଜାଣନ୍ତି ।’

 

‘ଠିକ୍ କଥା’, ପ୍ରଫେସର୍‍ ପ୍ରହରାଜ କହିଲେ, ‘ସେ ଷ୍ଟଡ଼ି ଆଣ୍ଡ୍ ରିସର୍ଚ୍ଚପାଇଁ ଶରୀର ଦାନ କରିଛନ୍ତି । ଟିକେ ଆଗରୁ, ଆପଣ ଏଠି ପହଞ୍ଚିବା ସମୟରେ ଯେଉଁ ମହିଳା ବାହାରିଗଲେ, ସିଏ ତାଙ୍କ ପତ୍ନୀ, ତାଙ୍କ ସହ ଥିବା ଯୁବକ ଜଣକ ତାଙ୍କ ପୁଅ, ଆଉ ଜଣେ କେହି ଦୂର ସମ୍ପର୍କୀୟ । ସେମାନଙ୍କ ଅନୁରୋଧ ଏବଂ ମହାପାତ୍ର ସାର୍‍ଙ୍କ ଶେଷ ଇଚ୍ଛା ଅନୁଯାୟୀ ଆମେ ଡେଡ଼୍‍ବଡ଼ିଟା ନେଇ ଆସିଛୁ । ହେଲେ ଏସବୁପାଇଁ କେତେକ ଲିଗାଲ୍ ଡକୁମେଣ୍ଟ କରାଯିବା ଜରୁରୀ । ସେଇ କଥା ମୁଁ ସେମାନଙ୍କୁ ବୁଝାଉଥିଲି । କିନ୍ତୁ ଏ ସବୁ କାହିଁକି ? ଆପଣ କ’ଣ ସେମାନଙ୍କର ବନ୍ଧୁ, ସମ୍ପର୍କୀୟ ! ଆଃ ! ଟିକେ ଆଗରୁ ଜଣେଇଥିଲେ...'

ପୁନର୍ବାର ପ୍ରଫେସର୍‍ ପ୍ରହରାଜଙ୍କ କଥା କାଟି ଆରତି କହିଲେ, ‘ଆପଣମାନଙ୍କ କଥାବାର୍ତ୍ତାରୁ ମୁଁ କିଛି କିଛି ଅନୁମାନ କରିଥିଲି । କିନ୍ତୁ ନା–ଚିହ୍ନା ପରିଚୟ ନ ହୋଇଛି, ଭଲ ହୋଇଚି । ମୋର ସେମାନଙ୍କ ସହ କିଛି ଦରକାର ନଥିଲା କି ନାହିଁ । ମୋର କେବଳ ନିଶ୍ଚିତ ହେବାପାଇଁ ଏତିକି ଜାଣିବା ଦରକାର ଯେ ୟେ ସେଇ ସଚ୍ଚି ମହାପାତ୍ର ସାର୍ ତ, ଯାହାଙ୍କ ଘର କୃଷ୍ଣରାଜପୁର ଗାଁରେ ?’

 

‘ବୋଧେ ସେଇଆ, କିନ୍ତୁ ଏସବୁ ଭିତରେ ମୋ କାମଟି କ’ଣ, ସେକଥା ମୁଁ ଜାଣିପାରୁ ନାହିଁ ।’

 

‘ଆପଣଙ୍କ ପାଇଁ କିଛି ବଡ଼କାମ ନୁହେଁ’, ଆରତି କହିଲେ, ‘ଯେଉଁ ରୁମ୍‍ରେ ସଚ୍ଚିବାବୁଙ୍କ ଶରୀର ଅଛି, ମୋତେ ଆପଣ ଟିକେ ସେଇଠିକୁ ନେଇଯିବେ, ଶରୀରଟା ଦେଖେଇ ଦେବେ, ଏବଂ...'

 

‘ଏବଂ ?’ ପ୍ରଫେସର୍‍ ପ୍ରହରାଜଙ୍କ ଦୁଇ ଆଖି ଉପରକୁ ଉଠିଗଲା । ବୁଟ୍ ପିନ୍ଧିଥିଲେବି ପାଦତଳ ସତେ ଅବା ହେମାଳ ହେମାଳ ଲାଗିଲା ।’

 

ଆଖିର ଦୁଇ କୋଣରେ ଦୁଇବୁନ୍ଦା ଲୁହ ଜକେଇ ଆସିଥିବା ଏବଂ ସ୍ୱର ସାମାନ୍ୟ ଫାଟି ଆସିବା ପରି ସମୟରେ ଆରତି କହିଲେ, ‘ମୁଁ ଖାଲି ସେଇ ଶରୀରକୁ ମୁହୂର୍ତ୍ତକ ପାଇଁ ଛୁଇଁବି, ବାସ୍-।’

 

ଶେଷ ଆଡ଼କୁ ତାଙ୍କ ସ୍ଵର ଶୁଣାଗଲା ଅସ୍ପଷ୍ଟ । ଏମିତିବି ହୋଇପାରେ ଯେ ହୁଏତ ସେ କହିଥିଲେ ସ୍ପଷ୍ଟଭାବେ, କିନ୍ତୁ ପ୍ରଫେସର୍‍ ପ୍ରହରାଜ ଶୁଣିଥିଲେ ଅସ୍ପଷ୍ଟଭାବେ । ପ୍ରଫେସର୍‍ଙ୍କ ଗଳା ଭିତରୁ ସବୁତକ ପବନ ସତେଅବା ଧୀରେଧୀରେ କେହି ଶୋଷି ନେଇଥିଲା ।

 

‘କ’ଣ କହିଲେ ?’ ପ୍ରଫେସର୍‍ କେମିତି ଏକ ବିଚିତ୍ର ସ୍ୱରରେ ପଚାରିଲେ ।

 

ଅଧମିନିଟ୍ ଶାଢ଼ିର କାନି ମୋଡ଼ିମୋଡ଼ିକା ଭଙ୍ଗୀରେ, ଟେବୁଲର କାଚ ଉପରେ ଦୃଷ୍ଟି ନିର୍ବନ୍ଧ ରଖି, ଆରତି କହିଥିବା କଥାକୁ ଦୋହରାଇଲେ । ପ୍ରଫେସର୍‍ ପ୍ରହରାଜଙ୍କ ମୁଖଭଙ୍ଗୀ ବଦଳି ଯାଇଥିଲା । ସେ ଠିଆ ହୋଇଯାଇଥିଲେ କହିଲେ, ‘ପ୍ରଥମତଃ ତାହା ଆଇନସମ୍ମତ ନୁହେଁ, ଦ୍ୱିତୀୟତଃ ତାହା ନୀତି ସମ୍ମତ ମଧ୍ୟ ନୁହେଁ । କେବଳ ପତ୍ନୀ ଓ ପୁଅ ବା ଝିଅଙ୍କପାଇଁ କିଛିଟା ସମ୍ବେଦନା ରହିବ ନିଶ୍ଚୟ । କେବଳ ପ୍ରଥମ ଦିନେ ଦିଦିନ ଭିତରେ କିଛି ଜଣାଶୁଣା ଟିଭି ଚାନେଲ୍‌କୁ ଡକାଯାଇଥିଲା, ବାସ୍ । ଏବେବି ଦେଖିବାର କ’ଣ ଅଛି ? ଏକ କାଚର କଫିନ୍ ଭିତରେ ନିର୍ଦ୍ଦିଷ୍ଟ କେମିକାଲରେ ବୁଡ଼ାଯାଇ ରଖାଯାଇଛି ଶରୀରଟା ମାନେ ଆମ ଭାଷାରେ କହିଲେ ନେକେଡ଼୍ ବଡ଼ି ।’

 

‘ତଥାପି ମୁଁ ଥରେ ଦେଖିବାକୁ ଚାହେଁ ।’ ଆରତି କହିଲେ ।

 

ପ୍ରଫେସର୍‍ଙ୍କ ଆଖି ଥରେ ଘୂରି ଆସିଲା ଛାତରୁ, ସ୍ଥିର ହୋଇଗଲା ଟେବୁଲର କାଚ ଉପରେ, ସେଇଠୁ ସାମାନ୍ୟ ଉପରକୁ ବେକଭାଙ୍ଗି, ତୀର୍ଯ୍ୟକ ଦୃଷ୍ଟିରେ ସେ କହିଲେ, ‘କ'ଣ ପାଇଁ ଜଣେ ଆପାତ ଅଜଣା ଲୋକର ଡେଡ଼୍‍ବଡ଼ି ଦେଖିବା ଆପଣଙ୍କର ନିହାତି ଦରକାର ? ତା'ଛଡ଼ା ଏପରି ଅବସ୍ଥାରେ ଯଦି କୌଣସି କାରଣରୁ ଆପଣଙ୍କର କିଛି ହୋଇଯାଏ, ତେବେ ମୋର ଚାକିରି ତ ଯିବ, ତେବେ ସେଥିକି ମୋର ପରୱା ନାହିଁ କିନ୍ତୁ ମୋ ରେପୁଟେସନ୍‍ଟା ଯିବ ।’

 

ଆରତି ହସିଲେ, ମୁରୁଝା କଖାରୁ ଫୁଲିଆ ହସ, କହିଲେ, ‘ମୁଁ ବିଜ୍ଞାନର ଛାତ୍ରୀ, ଆରମ୍ଭରୁ ରକ୍ତ କି ଡେଡ଼୍‍ବଡ଼ି କି ଗାଡ଼ି ଆକ୍‍ସିଡ଼େଣ୍ଟରେ ମୃତ ଦେହ ଦେଖି ମୁଁ ଭୟ ପାଇଯାଏ ନାହିଁ-। ଯେଉଁ ନୀତିର ଆଧାରରେ ଆପଣ ମତେ ବାରଣ କରୁଛନ୍ତି, ସେ କଥାର ମର୍ମ ମୁଁ ବୁଝୁଛି-। ମହାପାତ୍ର ସାର୍‍ଙ୍କର ଅବଶ୍ୟ ମୋର କୋଉ ବାଟେ କିଛିହିଁ ସମ୍ପର୍କ ନଥିଲା । ତେବେ ଯେତିକି ସାମାନ୍ୟ ସମ୍ପର୍କର ଦ୍ଵାହିରେ ମୁଁ ଏଠାକୁ ଧାଇଁ ଆସିଛି, କେବଳ ଖବରକାଗଜମାନଙ୍କରୁ ଶରୀର ଦାନ ଖବରଟା ପଢ଼ି, ଟିକେ ଦେଖିବାପାଇଁ, ପ୍ରାୟ ପଚାଶବର୍ଷ ପରେ ଏବଂ ଯଦି ଆପଣ ମୋତେ ନ ଦେଖାଇ ଫେରାଇ ଦିଅନ୍ତି, ତେବେ ବୁଝିବାକୁ ହେବ ଯେ ଡାକ୍ତରମାନଙ୍କର ହୃଦୟହିଁ ନାହିଁ-। ମୁଁ ଏଠୁ ଫେରିଯିବି ସତ କିନ୍ତୁ ମଲା ପରେବି ମୁଁ ଆପଣଙ୍କୁ କଦାପି କ୍ଷମା କରିପାରିବି ନାହିଁ ।’

 

ପ୍ରଫେସର୍‍ ପ୍ରହରାଜ କଠୋରଭାବେ କର୍ତ୍ତବ୍ୟନିଷ୍ଠ ମଣିଷ, କହିଲେ, ‘ଆପଣ ମୋତେ ଇମୋସ୍‌ନାଲି ଆଘାତ ଦେଉଛନ୍ତି । କଥାଟା ଅର୍ଥାତ୍ ମୋ ପୋଜିସନ୍‍ଟା ସେଇଆ ନୁହେଁ । କାହା ଅନୁମତିରେ ମୁଁ ଆପଣଙ୍କୁ ଭିତରକୁ ଛାଡ଼ିବି ? କାହିଁକି ? ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, କୌଣସି ପ୍ରକାରେ କ’ଣ ମତେ କେହି କନ୍‍ଭିନ୍‍ସ୍ କରାଇପାରିବ ଯେ ଆପଣ ସେହି ବ୍ୟକ୍ତିଙ୍କର ମୃତ ଶରୀରକୁ ଦେଖିବା ଓ ସ୍ପର୍ଶ କରିବା ନିଶ୍ଚିତ ଜରୁରୀ ବୋଲି ।’

 

‘ଆପଣ ବ୍ୟସ୍ତ ମଣିଷ’ ଆରତି ସାମାନ୍ୟ ଦୁଃଖମିଶା ଦୃଢ଼ତାରେ କହିଲେ, ‘ହୁଏତ ଅଧଘଣ୍ଟା କି ଘଣ୍ଟାଏ ସମୟ ଦେଲେ ମୁଁ ସେଇ କଥାଟା କହିପାରନ୍ତି । ଅବଶ୍ୟ ଅନ୍ୟ ଏକ ଦିଗରୁ ବିଚାର କଲେ, ଆପଣ ଅନୁମତି ନ ଦେଲେ ନାହିଁ । ମୁଁ ସମ୍ପୂର୍ଣ୍ଣ ଭିନ୍ନ ଦିଗରୁ ଭାବିବି । ଜୀବନରେ ସବୁ ଇଚ୍ଛା କ’ଣ ମୋର ପୂରଣ ହୋଇଛି ? ସମସ୍ତ ଅସମ୍ପୂର୍ଣ୍ଣ ଇଚ୍ଛାମାନଙ୍କ ସହ ଆଉ ଏକ ଇଚ୍ଛା ସାମିଲ ହେବ । ପ୍ରତିଟି ମଣିଷର ଜୀବନଯାତ୍ରା ହେଉଛି ଅନେକ ଅସମ୍ପୂର୍ଣ୍ଣ ଇଚ୍ଛାମାନଙ୍କର ସମାହାର ।'

 

ପ୍ରଫେସର୍‍ ପ୍ରହରାଜଙ୍କର ଉତ୍ତେଜନା କମି ଆସିଥିଲା । ଚୌକିରେ ବସି ସେ ପୂରା ଶାନ୍ତ ଦିଶୁଥିଲେ, ହେଲେ ଭିତରେ ଭିତରେ ଅନେକ କଥା ପାଟି ଚିରି ବାହାରି ଆସିବାପାଇଁ ଅସ୍ଥିର ହେଉଥିଲେ । କିନ୍ତୁ କିଛି ନ କହି ସେ ବେଲ୍ ମାରି ପିଅନକୁ ଭିତରକୁ ଡକାଇ ନିଜେ ଗ୍ଲାସେ ପାଣି ପିଇଲେ ଏବଂ ଆରତିଙ୍କୁ ପାଣି ଦେଲେ ଏବଂ ଚା’ ମଗାଇଲେ । ପିଅନକୁ ନିର୍ଦ୍ଦେଶ ଦେଲେ କିଛି ସମୟପାଇଁ କାହାରିକୁ ଭିତରକୁ ନ ଛାଡ଼ିବାପାଇଁ ।

 

‘ଆପଣ ଯାହା କହିବାର କଥା କୁହନ୍ତୁ’, ପ୍ରଫେସର୍‍ ପ୍ରହରାଜ କହିଲେ, ‘ଯଦିଓ ଜାଣୁଚି ଯେ ମାନେ ଏବେ ମୋର ଅନୁଭବ ହୋଇଛି ଯେ ବୋଧହୁଏ ସବୁକଥା ମୋର ଶୁଣିବା ଉଚିତ ନୁହେଁ । ତେବେ ମାନୁଛି ଯେ ଆପଣଙ୍କ ଓଡ଼ିଆ କହିବାର ଷ୍ଟାଇଲ୍ ବେଶ୍ ଭଲ । ମୁଁ ଚେଷ୍ଟା କଲେବି କଥା ଏମିତି ସଜେଇ କହିପାରିବି ନାହିଁ । କୁହନ୍ତୁ ।’

 

ଆରତିଙ୍କ ଦୃଷ୍ଟି ମୁହୂର୍ତ୍ତେ ନିବଦ୍ଧ ହେଲା ଛାତରେ, ତା’ପରେ ଟେବୁଲର କାଚ ଉପରେ, କ୍ଷଣକପାଇଁ ପ୍ରହରାଜଙ୍କ ମୁହଁରେ, ପୁନର୍ବାର ଛାତରେ ଏବଂ ସେ ଛାଡ଼ିଲେ ଏକ ଦୀର୍ଘଶ୍ୱାସ । ମ୍ଳାନ ହସଟେ ସହ କହିଲେ, ‘ଗୁଡ଼ାଏ ଗପ ଉପନ୍ୟାସ ପଢ଼ାପଢ଼ି କରି କଥା କହିବାବେଳେ ହୁଏତ ମୋ ବାକ୍ୟଗୁଡ଼ା ସେମିତି ହୋଇଯାଇଚି । ମୁଁ ବିଜ୍ଞାନର ଛାତ୍ରୀ, ପୁଣି ଫିଜିକ୍ସର ଛାତ୍ରୀ; ଢେର୍ ଦିନବି ବାହାରେ ଥିଲି, ତେବେ ଚାକିରି ଛାଡ଼ି ଘରେ ଫୁଲ୍‍ଟାଇମ୍ ରହିବା ପରେ ଗପ, କବିତା, ଉପନ୍ୟାସ ପଢ଼ିବା ମୋର ଏକରକମ ନିଶାରେ ପରିଣତ ହୋଇଛି । ତେବେ ସେସବୁ ପରେ । ଏବେ ମୂଳକଥା ।’

 

‘ଆପଣ ତ ପାଖାପାଖି ମୋ ପୁଅ ବୟସର, କେତେ କଥା କହିହେବ, କେତେ କଥା କହିହେବ ନାହିଁ । ତଥାପି ଆପଣ ଯେହେତୁ ଡାକ୍ତର, ମତେ ବିଶେଷ ସଂକୋଚ ଲାଗିବ ନାହିଁ; ଡାକ୍ତରଙ୍କ ଆଗରେ ଅନେକ କିଛି କହି ହୋଇଯାଏ । ଛାଡ଼ନ୍ତୁ, ମୋରବି ଡେରି ହେଉଛି, ଆପଣଙ୍କରବି ଡେରି ହେଉଛି । ମୁଁ ସଂକ୍ଷେପରେ କହିଦେବି ।

 

ଇଏ ବୋଧେ ପଚାଶବର୍ଷ ତଳର କଥା...

 

ମୋର ସ୍କୁଲ୍‍ରେ ପ୍ରାୟ ଶେଷବର୍ଷ ଓ କଲେଜରେ ପ୍ରଥମ ବର୍ଷ ବେଳର କଥା...ସେତେବେଳେ...

 

ସଞ୍ଜବେଳ ପଦ୍ୟାନ୍ତ : ରକତ ଟଳମଳ...

 

ଇଏ ଯୋଉ ସମୟର କଥା, ସେତେବେଳେ ଗାଁରେ ବିଜୁଳି ଥିଲା–ତେବେ ସଞ୍ଜବେଳେ ଜମା ବିଜୁଳି ରହୁ ନଥିଲା । ରାତି ଏଗାରରେ ବିଜୁଳି ଆସୁଥିଲା । ସେତେବେଳେ ଯାହା ଶୋଇବା କଥା । ଯାହା ପାଠ ପଢ଼ାପଢ଼ି କରିବା କଥା, ଲଣ୍ଠନ କି ଡିବି ଆଲୁଅରେ । ଘର ଭିତରୁ ପଦାକୁ ବାହାରିବାକୁ ଆମ ପିଲାଙ୍କୁ ଜୋରରେ ଡର । କିଟିକିଟି ଅନ୍ଧାର । ଯଦିଓ ଘରଗୁଡ଼ାକ ଥିଲା ପ୍ରାୟ ଲଗାଲଗି, ତଥାପି ୟାଙ୍କ ଘରୁ ତାଙ୍କ ଘରକୁ ଯିବାକୁ ଯୋଉ ଭୟ, ବାପ୍‌ରେ ବାପ୍ ।

 

ସେଇ ସମୟରେ, ଢେର୍ ବର୍ଷ ତଳେ କ’ଣ ଗାଁମାନଙ୍କରେ ଥିଲା–ଏବେ ନାହିଁ, ସହରମାନଙ୍କରେ କ’ଣ ଥିଲା–ଏବେ ନାହିଁ; ସେସବୁ କହି ବସିଲେ ଗୋଟେ ଗ୍ରନ୍ଥ ହେଇଯିବ । ତେବେ ଯୋଉ ଜିନିଷଟି ଏବେ ଗାଁରୁ ହଜିଯାଇଛି, ସେଇଟି ହେଲା ସ୍ନେହ ଓ ସରଳତା; ଛାଡ଼ନ୍ତୁ । ମାନେ ସଞ୍ଜବେଳ ହେବାମାତ୍ରକେ ସମସ୍ତେ ନିଜ ନିଜ ଘରେ ବହି ବସ୍ତାନି ଖୋଲି ବସିଥିବେ କି ନାହିଁ, ଲାଇଟ୍ ପ୍ରଥମେ ଧପ୍‍ଧପ୍ ହେବ, ତା’ପରେ ଡିମ୍ ହୋଇଯିବ, ଶେଷରେ ପୂରା ଅନ୍ଧାର । ପାଠ ନା ହାଟ । ସେଇଠୁ କା’ ଘରେ ଗୋଟେ ତ କା’ ଘରେ ଦି’ଟା ଡିବି କି ଲଣ୍ଠନ ଲାଗିବ । ତେବେ ତାହା ପାଠପାଇଁ ନୁହେଁ । ଗୋଟେ ରହିବ ରୋଷେଇ ଜାଗାରେ, ଅନ୍ୟଟି ଅଗଣା ମଝିରେ, ପିଲାମାନେ ଠୁଳ ହେବେ ଦାଣ୍ଡ ବାରଣ୍ଡାରେ । ଯେତେ ପ୍ରକାରର ମୂଲ୍ୟହୀନ ଗପ, କିଶୋର–କିଶୋରୀଙ୍କ ଗପ, ଛୋଟପିଲାବି ଥିବେ–ବଡ଼ମଣିଷବି ଥିବେ, ଭଲ ହସଖୁସିର ପରିବେଶ ।

 

ଅଧିକାଂଶ ଦିନ ସେଇ ସବୁ ସଞ୍ଜରେ ଗୀତ ପ୍ରତିଯୋଗିତା ଚାଲେ । ମାନେ ଗୀତ୍ୟାନ୍ତ । ଭାବୁଚି, ଆପଣ ଜାଣିପାରୁଛନ୍ତି । ମାନେ ପ୍ରଥମେ ସବୁ ପିଲା ଦୁଇ ଦଳରେ ବିଭକ୍ତ ହେବେ । ଏକଡ଼ ଦଳ ପଦେ ବୋଲିବ, ପଦର ଶେଷ ଅକ୍ଷରରୁ ପରବର୍ତ୍ତୀ ଗୀତ ଅପର ଦଳ ଆରମ୍ଭ କରିବ । ଯୋଉ ଦଳ ଗାଇ ନ ପାରିବ, ସେମାନେ ହାରିବେ ।

 

ଆଜିକାଲି ଓଡ଼ିଶାର ଗାଁ ଗହଳିରେ ଆଉ ସେପରି ହେଉ ନାହିଁ । କାରଣ ରାଜ୍ୟ ଯେହେତୁ ବିଜୁଳି ଉତ୍ପାଦନରେ ସମ୍ପୂର୍ଣ୍ଣ ବଳକା ରାଜ୍ୟ ହୋଇସାରିଛି, ସଞ୍ଜବେଳେ ତ ଆଉ ତିନି/ ଚାରି ଘଣ୍ଟା ଲାଇଟ୍ କଟୁ ନଥିବ । ତା’ଛଡ଼ା ସେତେବେଳେ ଲାଇଟ୍ କଟିବାମାତ୍ରେ ଜଣକ ଘରେ ଚାରି ପାଞ୍ଚ ଘରର ପିଲା ଠୁଳ । ଆଜିକାଲି ତ କେହି କାହା ଘରକୁ ଯାଉ ନାହାନ୍ତି, ନିଜ ନିଜ ଘରେ ବସି ଟିଭି ଦେଖୁଛନ୍ତି । ଯଦିବି ପିଲା ଆଗ୍ରହରେ କାହା ଘରକୁ ଯିବାକୁ ବାହାରୁଛନ୍ତି, ବାପ–ମା'ମାନେ ବାରଣ କରୁଛନ୍ତି, ଘରେ ବସି ଟିଭି ଦେଖିବାକୁ ବୁଝାଉଛନ୍ତି । ଏପରି ପିଲାମାନେ ଘରେ ରହି ରହି କାହା ସହ ମାନେ ସମବୟସ୍କମାନଙ୍କ ସହ ନ ମିଶି କେମିତି ବିଚିତ୍ରଭାବେ ଅସାମାଜିକ ହୋଇଯାଉଛନ୍ତି । ତା’ର ପ୍ରତିଫଳନ ଆପଣମାନେ ଦୈନିକ ସମ୍ବାଦପତ୍ରରେ ଦେଖୁଛନ୍ତି ।

 

(ଆରତି ଟିକେ ଅଟକିଲେ, ମ୍ଳାନ ହସଟେ ହସିଲେ, ଗ୍ଲାସ୍‍ରୁ ଢୋକେ ପାଣି ପିଇଲେ ଏବଂ ପୁଣି କହିବାରେ ଲାଗିଲେ ।)

 

ଏଇ ଟିକେ ଆଗରୁ ମୁଁ କହିଲି ଯେ ଚାରି ପାଞ୍ଚ ଘରର ପିଲା ସଞ୍ଜବେଳେ ଲାଇନ୍ ଯିବା ପରେ ଜଣକ ଘରେ ଠୁଳ ହେଉଥିଲେ ବୋଲି । କାହା ଘରକୁ କେହି ବନ୍ଧୁବାନ୍ଧବ ଆସିଲେ ତାଙ୍କୁ ଅବଶ୍ୟ ସେଇ ଆସରକୁ ନିଶ୍ଚେ ଡକାଯାଉଥିଲା । ଏ କ୍ଷେତ୍ରରେ ଝିଅ ଜ୍ୱାଇଁ, ଭଣଜା ଭାଣିଜୀ, ସାଙ୍ଗଫାଙ୍ଗଙ୍କର ଡିମାଣ୍ଡ୍ ଥିଲା ଢେର୍ ଅଧିକ । ସାଙ୍ଗଫାଙ୍ଗମାନେ ଆପଣ ବୁଝୁଛନ୍ତି କି ନାହିଁ ? ଅର୍ଥାତ୍, ମନେ କରନ୍ତୁ କାହା ଘରର ପୁଅ କି ଝିଅ ଯଦି ବାହାର ଜାଗାରେ ରହି ପଢ଼ୁଥିବେ, ସିଏ ଛୁଟିରେ–ଗ୍ରୀଷ୍ମଛୁଟି ଅବା ପୂଜାଛୁଟିରେ–ଗାଁକୁ ଆସିବାବେଳେ ତା’ ସାଙ୍ଗକୁ ଆଣିଥିବ । ସାଙ୍ଗ ଜଣକ ଗାଁରେ ସାତ/ଆଠ ଦିନ ରହି ଚାଲିଯାଏ । ହେଲେ ସେଇ ସାତ ଆଠ ଦିନ ସିଏ ୟା’ ଘରେ ତା’ ଘରେ ଅତିଥି ହୋଇ–ଅତିଥି କ’ଣ ମ । ଘର ଲୋକଟେ ପରି–ଖିଆପିଆ କରେ । ସିଏ ପୁଣି ଯିବାବେଳେ ଏକ କରୁଣ ପରିବେଶ ସୃଷ୍ଟି ହୁଏ । ବୁଢ଼ୀମା/ବୋଉ/ଖୁଡ଼ୀ ଶ୍ରେଣୀୟ ଲୋକମାନେ ଆଖି ଛଳଛଳ କରନ୍ତି, କେତେ କରି କହନ୍ତି ଆଗାମୀ ଅମୁକ ଛୁଟିରେ ପୁଣି ଆସିବ । ପିଲା ଜଣକ ବାରମ୍ବାର ଜବାବ୍ ଦେଉଥାଏ, ନିଶ୍ଚେ ଆସିବ । ଅଥଚ ଏପରି ସାଙ୍ଗମାନେ କେତେ ନା କେତେ କାରଣରୁ ଆଉ ମାଟ୍ରିକ୍ ଫେଲ୍ ହୋଇ ରହିଥିବା କେହି ସମବୟସ୍କ ଅଥବା ସମବୟସ୍କା ହୁଏତ କହେ : ତମେ ତ ପାଠପଢ଼ୁଆ ପିଲା, ଆମ ପରି ମୂର୍ଖଙ୍କୁ ବା କାହିଁ ମନେରଖିବ ? ଯଦି ମନ ଡାକେ, ଚିଠି ଖଣ୍ଡେ ଦବ ।

 

ଗାଁକୁ ଆସିଥିବା ସାଙ୍ଗ ଜଣକ ବୁଝାଏ ଯେ ବନ୍ଧୁତା ଭିତରେ ଧନୀ ଗରିବ କି ଜ୍ଞାନୀ ମୂର୍ଖ କି ପାଠୁଆ ଅପାଠୁଆର ସ୍ଥାନ ନାହିଁ । ସେ ଯୋଉଠି ଥିଲେବି ‘ଏଠାକାର’ ସ୍ନେହଶ୍ରଦ୍ଧା ଭୁଲିପାରିବ ନାହିଁ, ନିଶ୍ଚେ ଚିଠି ଦେବ ।

 

ସେତେବେଳେ ଇଏ ମୋବାଇଲ୍ ଫୋବାଇଲ୍ ନଥିଲା ।

 

ହେଲେ ସିଏ ଯାଉଥିଲା ଯେ ଯାଉଥିଲା । ଚିଠି ନା ଫିଠି । ସବୁ କିଛି ପୂରା ଭୁଲି ହୋଇଯିବା ପରେ, ଯାହା ଖୁବ୍‌ କ୍ଷୁଦ୍ର ହୋଇ ରହୁଥିଲା, ଗଙ୍ଗଶିଉଳି ଫୁଲଟେ ପରି, ସେଇ ଢେର୍ ଦିନଯାକେ ମହକୁଥିଲା ସ୍ମୃତିରେ ।

 

ଆଜିକାଲି ଏଇ ସାଙ୍ଗଫାଙ୍ଗ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଧେ । ଯଦିବି କୋଉଠି କିଏ ଯାଉଛି, ସିଏ ଗୀତ୍ୟାନ୍ତରେ ଭାଗ ନେଉ ନାହିଁ କି ଲୁଡ଼ୁ କି ତାସ୍ ଖେଳୁ ନାହିଁ । ସିଏ ସଞ୍ଜବେଳେ ଗାଁ ସାଙ୍ଗ ସହ ମିଶି ପାଖ ବଜାରରେ ମଦ ପିଉଛି ନହେଲେ ସୁଯୋଗ ଦେଖି ସାଙ୍ଗର ନିକଟ ସମ୍ପର୍କୀୟମାନଙ୍କ ଅସଂଯତ ଅବସ୍ଥାର ଫଟୋ ମୋବାଇଲ୍‍ରେ ଉଠାଉଛି । ଏଥିରେବି ବିଶେଷ ଚିନ୍ତିତ ହେବାର କିଛି କାରଣ ନାହିଁ । ଯେଉଁ ସମୟ ଚାଲିଯାଇଥାଏ, ସେଇଟି ମଧୁର ମନେହୁଏ, ‘ଭଲ ଥିଲା’ ବୋଲି ଲାଗେ ! କିଏ ଜାଣେ, ହୁଏତ ଏମିତି ସମୟ ଆସିବ, ଯେତେବେଳେ ଆଜିର ମଦପିଆ ଓ ମୋବାଇଲ୍‍ରେ ନାରୀମାନଙ୍କର ଅସଂଯତ ଅବସ୍ଥାର ଫଟୋ ଉଠାଯିବା ସମୟବି ମଧୁର ଓ ଭଲ ମନେହେବ, କିଏ ବା ଜାଣେ ସେକଥା ! ଆମେ ଯେମିତି ସେବେର ସମୟକୁ ଝୁରି ହେଉଛୁ, ଲୋକେ ଆଜିର ସମୟକୁ ହୁଏତ ଝୁରିହେବେ ।

 

‘ଆଚ୍ଛା–ଆପଣ ବୋର୍ ହେଉନାହାନ୍ତି ତ ?’ ଆରତି ସାମାନ୍ୟ ବ୍ୟସ୍ତ ହୋଇ ପଚାରିଲେ-

 

ଏଯାବତ୍ ଧୀରସ୍ଥିର ହୋଇ ବସିଥିବା ପ୍ରଫେସର୍‍ ପ୍ରହରାଜ ଅଳ୍ପ ହସି କହିଲେ, ‘ନା, ମୁଁ ତ ପ୍ରଥମରୁ କହିଛି ଆପଣଙ୍କ କଥା କହିବା ଷ୍ଟାଇଲ୍‌ଟା ପୂରା ବହିର ଲେଖା ପରି । ଭାବୁଛି, ଏଣିକି କିଛି କିଛି ଓଡ଼ିଆ ଷ୍ଟୋରିଫେରି ବହି କିଛି ପଢ଼ିବି । ଆକ୍‍ଚୁଆଲି ଓଡ଼ିଆ ଭାଷାରେ ଭଲ ଷ୍ଟୋରି ମାଗାଜିନ୍ ଅଛି କି ନାହିଁ, ମୋର ବିଶେଷ ଆଇଡ଼ିଆ ନାହିଁ । ତେବେ ସେ ସବୁ କଥା ପରେ । ମୂଳ କଥାଟି ତ ଆପଣ ଏଯାଏଁ କହିଲେ ନାହିଁ । ସେଇଟି ହେଲା, ଆପଣ କାହିଁକି ଡେଡ଼୍‍ବଡ଼ିଟା ମାନେ–ମହାପାତ୍ର ସାର୍‍ଙ୍କ ଡେଡ଼୍‍ବଡ଼ିକୁ ଛୁଇଁବା କଥା କହୁଥିଲେ, ତା’ର କାରଣ ତ ଏଯାଏଁ କହିଲେ ନାହିଁ । କାରଣଟି ଶୁଣିବା ପରେ ପୁଣି ମୁଁ ସ୍ଥିର କରିବି ଯେ ଆପଣ...'

 

ମାନେ ? ଆରତି କହିଲେ, ‘ମୋର ସବୁକଥା ଶୁଣିବା ପରେ ପୁଣି ଆପଣଙ୍କୁ ସ୍ଥିର କରିବା ଅଛି ?'

 

ପ୍ରଫେସର୍ ପ୍ରହରାଜ ହସିଲେ ଏବଂ କହିଲେ, ‘ଆପଣ କହିଯା’ନ୍ତୁ ।’

 

ଗ୍ଲାସ୍‍ରୁ ପୁଣି ପାଣି ଦି’ଢ଼ୋକ ପିଇ ଆରତି କହିବାରେ ଲାଗିଲେ...

 

ସେ ବର୍ଷ ଖରାଛୁଟି, ହିନ୍ଦୀଗୀତ ଓ କଣ୍ଟାଭର୍ତ୍ତି ରାସ୍ତା :

 

ସେବର୍ଷ ଖରାଛୁଟିରେ ମୋର ଏକାଦଶ ଶ୍ରେଣୀ, ସେତେବେଳେ ଏକାଦଶ ଶ୍ରେଣୀ ଥିଲା । ମାଟ୍ରିକ୍‍ମାନେ ଏକାଦଶ । ୟେ ଯୋଉ ସମୟ କଥା ମୁଁ କହୁଛି, ସେତେବେଳେ ମୋର ଦଶମ ବାର୍ଷିକ ପରୀକ୍ଷା ସରିଥାଏ, ତା’ପରର ଖରାଛୁଟିର କଥା । ମାନେ ଆମର ଏକାଦଶ, କିନ୍ତୁ ଆମର କ୍ଲାସ୍ ଆରମ୍ଭ ହୋଇ ନଥାଏ । ସେତେବେଳର କଥାଟେ ଯଦି କହିବି, ଆପଣ ହସି ହସି ଗଡ଼ିଯିବେ । ଦଶମ ଶ୍ରେଣୀର ତିନି / ଚାରି ଜଣ ଏବଂ ଏକାଦଶ ଶ୍ରେଣୀର ସାତ/ଆଠ ଜଣ ଝିଅ ଶାଢ଼ି ପିନ୍ଧି ସ୍କୁଲ୍‍କୁ ଆସୁଥିଲେ । କାରଣଟି ଥିଲା ଅତି ସରଳ । ସେସବୁ ଝିଅମାନଙ୍କର ଚେହେରା ଏମିତି ଥିଲା ଯେ ଶାଢ଼ି ପିନ୍ଧିବା ଥିଲା ଏକରକମ ଆବଶ୍ୟକତା । ସେତେବେଳେ ତ ପ୍ୟାଣ୍ଟ କି ଜିନ୍ ପ୍ୟାଣ୍ଟ୍ କି ଟି–ସାର୍ଟ୍ ଇତ୍ୟାଦି ନଥିଲା । ସ୍କର୍ଟ–ବ୍ଲାଉଜ୍ ଚଳୁଥିଲା, ହେଲେ ଯଦି ଝିଅ ଡେଙ୍ଗୀ କି ମୋଟୀ ଥିଲା, ତେବେ ସେତକବି ମନା ଥିଲା । ବଢ଼ିଲା ଝିଅଙ୍କ ଉପରେ ଥିଲା ନାନା କଟକଣା । ମାନେ ଜଙ୍ଘ ଦିଶିବ ନାହିଁ କି ନଜର ପଡ଼ିଯିବା ପରି ଢଙ୍ଗରେ ଛାତିର ପୋଷାକ ହୋଇପାରିବ ନାହିଁ-। ହେଲେ ଫିଜିକ୍ସ ପଢ଼ାସାରି, ଏମ୍.ଫିଲ୍ କରିବା ଭିତରେ ଯେତେବେଳେ ମୋର ଜଣେ ସାଇଣ୍ଟିଷ୍ଟଙ୍କ ସହ ବିବାହ ହେଲା ଏବଂ ମୁଁ ତାଙ୍କ ସହ ଆମେରିକା ଗଲି, ସେଠାକାର ସମୁଦ୍ରକୂଳର ଦୃଶ୍ୟ ଦେଖି ପ୍ରଥମେ ପ୍ରଥମେ ମୋତେ ନିଦ ହେଉ ନଥିଲା । ସ୍ୱାମୀଙ୍କର ବାଧ୍ୟବାଧକତା ପରେ ମୁଁ ଯେତେବେଳେ ଜିନ୍ ପ୍ୟାଣ୍ଟ, ଟି–ସାର୍ଟ୍ ପିନ୍ଧିଲି, ଶେଷଯାଏଁ ଟି–ସାର୍ଟ୍ ଉପରେ ଗୋଟେ ସ୍କାର୍ଫ ପକାଉଥିଲି । ଛାଡ଼ନ୍ତୁ ସେସବୁ ତ ଭିନ୍ନ ଏକ ପ୍ରସଙ୍ଗ ।

 

ସେଇ ବର୍ଷ ଖରାଛୁଟିରେ–ମାନେ ଆମେରିକାରେ ନୁହେଁ ମ–ଆମ ଗାଁରେ ଖରାଛୁଟିରେ ଆମ ବଡ଼ବାପାଙ୍କ ଘରକୁ ଆସିଥା’ନ୍ତି ସଚ୍ଚିଭାଇ, କୋଉ ଗୋଟେ ଦୂର କଲେଜରେ ଆଇ.ଏ ପଢ଼ୁଥିଲେ । ହଷ୍ଟେଲ୍‍ରେ ରହୁଥିଲେ, ବଡ଼ବାପାଙ୍କ ବଡ଼ପୁଅ ମନୁଭାଇଙ୍କ ସାଙ୍ଗ । ସଞ୍ଜବେଳେ ବିଜୁଳି କଟିଗଲେ ଗାଁରେ ଆମେ କେମିତି ସମୟ ବିତଉଥିଲୁ, ସେକଥା ତ ଅଳ୍ପକେ କହିଛି ।

 

ତ ଦିନେ ସଞ୍ଜରେ ଲାଇନ୍ କଟିଯିବା ପରେ କେହି ଜଣେ ପ୍ରସ୍ତାବ ଦେଇଥିଲା ଯେ ଗୀତ ଆସରକୁ ସଚ୍ଚିଭାଇଙ୍କୁ ଡାକିବା ବରଂ ଉଚିତ ହେବ; ନହେଲେ ବଡ଼ବାପାଙ୍କ ଘରେ ଅନ୍ଧାରରେ ବସି କରିବେ କ’ଣ ? ସେଇଆ ହେଲା, ପାଞ୍ଚ ମିନିଟ୍ ଭିତରେ ସେ ଆସିଲେ । ଆମମାନଙ୍କ ଭିତରେ ଜଣେ ହୋଇ ଚକା ମାଡ଼ି ବସିଲେ । ଦୂରରେ ଥିବା ଲଣ୍ଠନର ଫିକା ଆଲୁଅରେ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସଚ୍ଚଭାଇ ଅସ୍ୱସ୍ତିବୋଧ କରୁଥିଲେ ।

 

ତେବେବି ଗୀତ ପ୍ରତିଯୋଗିତା ଆରମ୍ଭ ହେବାର କିଛି ସମୟ ଭିତରେ ଜଣାପଡ଼ିଗଲା ଯେ ଅନେକ ଗୀତ ତାଙ୍କୁ ଜଣାଥିଲା । ମୋର ତ ଆଉ ଏତେ ମନେ ନାହିଁ, ତଥାପି ଚମତ୍କାର ଓଡ଼ିଆ ଗୀତଠାରୁ ଆରମ୍ଭ କରି ଚମତ୍କାର ହିନ୍ଦୀ ଗୀତ ସବୁ । ଓଡ଼ିଆ ଗୀତମାନେ ଖାଣ୍ଟି ଓଡ଼ିଆ ଗୀତ । ‘ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ’ଠାରୁ ଆରମ୍ଭ କରି ‘ୱ ଜାନେୱାଲେ ହୋ ସକେ ତୋ ଲୌଟ୍ କେ ଆନା’ ପର୍ଯ୍ୟନ୍ତ । କେତେ ଯେ କେତେ ଗୀତ । କୋଉ ଗୀତ କିଏ ବୋଲିଛି, କିଏ ଲେଖିଛି–ସବୁ ସତେବା ତାଙ୍କ ମୁହଁରେ ଥିଲା । ଆମେ ବା କ’ଣ ବୁଝୁଥିଲୁ ଗୀତ କି କବି କି ଅର୍ଥ କି ଭାବ କି ଗାୟକ କି ସଙ୍ଗୀତ ନିର୍ଦ୍ଦେଶକ କଥା । ଆମର ଖାଲି ଏ ଦଳର ଗୀତର ଶେଷ ଅକ୍ଷରରୁ ସେ ଦଳର ଆରମ୍ଭ, ସେ ଦଳର ଶେଷ ଅକ୍ଷରରୁ ଏ ଦଳର ଆରମ୍ଭ–ବାସ୍ । ତେବେ ଗୋଟାଏ କଥା ସ୍ପଷ୍ଟ ହୋଇଯାଇଥିଲା ଯେ ଯୋଉ ଦଳରେ ସଚ୍ଚିଭାଇ ରହିବେ, ସେ ଦଳର ବିଜୟ ଥିଲା ସୁନିଶ୍ଚିତ । ସେ ଏତେ ଭଲ ଗାଉଥିଲେ ଯେ ବୟସ୍କମାନେ ତାଙ୍କ ଗୀତ ଶୁଣୁଥିଲେ ।

 

ଥରେ ଜଣେ ସମ୍ପର୍କୀୟ ବୁଢ଼ୀମା କହିଥିଲା ଯେ ସେ ଭାଗବତ ପଢ଼ିଲେ ଭଲ ପଢ଼ିବେ । ସଚ୍ଚିଭାଇ ଥରେ ଦି'ଥର ଭାଗବତବି ପଢ଼ିଥିଲେ ବୋଧେ । ମୋର ଯାହା ମନେପଡ଼ୁଚି, ସେ ବୋଧେ ମୋଟ ଦଶଦିନ ରହିଥିଲେ କି କ’ଣ ।

 

ସଚ୍ଚିଭାଇ ଥିଲେ ଶ୍ୟାମଳ ବର୍ଣ୍ଣର ତରୁଣ, ଏମିତି କିଛି ରାଜାପୁଅ ଚେହେରାର ନୁହେଁ । ନିରୀହ ସରଳିଆ ଚେହେରା, ଟିକେ ନହକା ଡେଙ୍ଗାଳିଆ ଦେହ । ତେବେ ଆଖି ବୁଜି ଗୀତ ଗାଇବାବେଳେ ସେ ଖୁବ୍ ଭଲ ଲାଗୁଥିଲେ ।

 

ଆସରକୁ ସେ ଆସିବାର ତୃତୀୟ ଦିନ ଦଳ ଭାଗ ହେବାବେଳେ ମୁଁ ଯେମିତି କହିଛି–କହିଛି କ’ଣ ମ–ପାଟିରୁ ଖସିଗଲା ଜାଣ–ଯେ ‘ଭାଇ ଆମ ପଟେ ରହିବେ’ ବୋଲି ସେ ଚଟ୍‍କରି କହିଲେ, ସତେଅବା ଆଗରୁ ଓଠ ଆଗରେ ସଜେଇ ରଖୁଥିବା ପରି, ‘ତୁମେ ତ ବେଶ୍ ଗୀତ ଜାଣିଚ, ତୁମ ପଟ ଦଳରେ ମୁଁ କାହିଁକି ରହିବି ?'

 

ତାଙ୍କ କଥା କହିବା ଢଙ୍ଗରେ କ’ଣ ଥିଲା କେଜାଣି, ମତେ କିନ୍ତୁ ଭଲ ଲାଗିଲା ନାହିଁ । ମୁଁ ଚଟ୍‍କରି ସେଠୁ ଉଠି ଘର ଭିତରକୁ ଚାଲିଗଲି । ହେଲେ କାଳେ କିଏ କ'ଣ ଖରାପ ଭାବିବ, ଗ୍ଲାସେ ପାଣି ପିଇ ପୁଣି ବାହାରେ ଆସି ନିଜ ଜାଗାରେ ବସିଲି । ଗୀତ ପ୍ରତିଯୋଗିତା ସ୍ଵାଭାବିକ ଭାବରେ ଚାଲିଲା । ତେବେ ଗୋଟାଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି, ହେଲେ ସେଦିନ ମୋର କାହିଁକି ସ୍ପଷ୍ଟ ଅନୁଭବ ହେଲା ସେ ସଚ୍ଚିଭାଇ ସେଦିନ ଯେତିକି ଗୀତ ଗାଇଲେ, ଅଧିକାଂଶ ହିନ୍ଦୀ ସିନେମା ଗୀତ, ଆଜିକାଲି ଏସବୁକୁ ପୁରୁଣାଗୀତ କହି କେତେ ଆଦର କରାଯାଉଛି; ଅଧିକାଂଶ ଗୀତ ଥିଲା ରୋମାଣ୍ଟିକ୍ ଗୀତ । ମୋର କିନ୍ତୁ ଅନୁଭବ ହେଲା ସେ ମୋତେ ଦେଖେଇ, ମାନେ ମୋତେ ଲକ୍ଷ୍ୟ କରିହିଁ ଗାଉଥିଲେ । ସେଇ ଅନୁଭବ ହେବାକ୍ଷଣି ମୋତେ କେମିତି ଡରଡ଼ର ଲାଗିଲା, ଦେହ ଶୀତେଇଗଲା ଯେମିତି, ସେଦିନ ଗୀତ ଗାଇବାବେଳେ ଗଳା ଯେମିତି ବସି ଯାଉଥାଏ ମୋର ଏବଂ ମୋର ଏ ଅବସ୍ଥା ସଚ୍ଚିଭାଇ ନିଶ୍ଚେ ଠଉର କରିଥିବେ । ମତେ ଲାଗିଲା ସେ ଯେମିତି ଅଧିକ ଉତ୍ସାହିତ ହୋଇ ଖାଲି ଭଲପାଇବା ଉପରେ ଆଧାରିତ ଗୀତ ସବୁ ଗାଇଲେ-। ମାନେ ଆପଣ ହୁଏତ ସେସବୁ ଗୀତ ଜାଣି ନଥିବେ, କି ଶୁଣି ନଥିବେ; ଯେମିତିକି ‘ପ୍ୟାର କିୟା ତୋ ଡରନା କ୍ୟା', ‘କହିଁ ଏକ୍ ମାସୁମ୍ ନାଜୁକ୍ ସି ଲଡ଼୍‍କି’, ‘ତେରେ ହୁସ୍ମ କି କ୍ୟା ତାରିଫ୍ କରୁଁ', ‘ଲଗ୍‍ଜା ଗଲେ କି ୟେ ହଁସୀରାତ୍ ହୋ ନା ହୋ’ ଇତ୍ୟାଦି ଏବଂ ଏମିତିକା ଅନେକ ଗୀତ-

 

‘ଏ ଭିତରୁ କିଛି ଗୀତ ଶୁଣିବା ପରି ମନେ ପଡ଼ୁଚି ଆପଣଙ୍କର ?’ ଆରତିଙ୍କ ଅଚାନକ ପ୍ରଶ୍ନରେ ଯେମିତି ମୋହ କି ତପଭଙ୍ଗ ହେଲା ପ୍ରଫେସର୍‍ ପ୍ରହରାଜଙ୍କର ।

 

‘ମୁଁ ? ମୋତେ ପଚାରିଲେ ?' ସେ ପ୍ରଥମେ ପ୍ରତିପ୍ରଶ୍ନ କଲେ, ତା’ପରେ କହିଲେ, ‘ଏସବୁ ଗୀତ କେବେ କେମିତି ଶୁଣିଛି, ଆମବେଳେ କିନ୍ତୁ ‘ରୂପ ତେରା ମସ୍ତାନ୍', ‘ଦମ୍ ମାରେ ଦମ୍' ଜାତୀୟ ଗୀତର ପପୁଲାରିଟି ବହୁତ ଥିଲା ।

 

ଆରତି ହସିଲେ, ମ୍ଳାନ ଅଥଚ ମଧୁର ହସ, ତାଙ୍କ ନଜର ଥରେ ପ୍ରହରାଜଙ୍କ କାନ୍ଧ ଉପରବାଟେ ପଛପଟ କ୍ୟାଲେଣ୍ଡରରୁ ଘୂରି ଆସିଲା ଓ ସେ ପୁଣି ନିଜ କଥା କହିବାରେ ଲାଗିଲେ...

 

ସେଦିନର ଆସର ପରେ ଯିଏ ଯୁଆଡ଼େ ଦୌଡ଼ାଦୌଡ଼ି ହୋଇଯିବା ପରେ ମୁଁ ନଇଁପଡ଼ି ଶପ ଗୋଟାଉଥାଏ, ଆଖି କୋଣରେ ଦେଖିଲି, ବାରଣ୍ଡାର ତଳପଟ ପାହାଚ କଡ଼କୁ ଅନ୍ଧାର ଭିତରେ ଚୁପ୍‍ଚାପ୍ ଠିଆ ହୋଇଥିଲେ ସଚ୍ଚି ଭାଇ । ଶପଟା ହାତରେ ଧରି ମୁଁ ଉଠିପଡ଼ିବାବେଳକୁ ସେ ଧୀରେ ଡାକିଲେ, ‘ଶୁଣ’ ।

 

ମୁଁ ତିନିଟା ପାହାଚ ଓହ୍ଲେଇ ତାଙ୍କର ଟିକେ ନିକଟତର ହେବାରୁ ସେ ପୂରା ଧୀର ସ୍ୱରରେ କହିଲେ, ‘ତତେ ଏତେ କଡ଼ାକଥା କହିବା ମୋର ଭୁଲ୍ । କାଲି ତୋ ପଟେ ରହିବି !'

 

ମୋ ଅଜାଣତରେ ମୋ ପାଟିରୁ ବାହାରିଗଲା, ‘ଦରକାର ନାହିଁ ।’ ବାସ୍ ସେ ତାଙ୍କ ବାଟରେ ଗଲେ ଓ ମୁଁ ଘରକୁ ଆସିଲି । ସେଦିନ ରାତିସାରା ମୋତେ ଭଲ ନିଦ ହେଲା ନାହିଁ ।

 

ପରଦିନ ସଞ୍ଜରେ, ଲାଇଟ୍ କଟିଯିବା ପରେ, ଚିରାଚରିତ ଢଙ୍ଗରେ ଆମେ ପ୍ରାୟ ଆଠ/ ନଅ ଜଣ ପିଲା ଏକାଠି ହେଲୁ । ସଚ୍ଚିଭାଇଙ୍କର ଦେଖା ନଥିଲା । ଆମେ ଖବର ପଠେଇଲୁ । ସେ ବଡ଼ବାପାଙ୍କ ଘରେ ଥିଲେବି ମୁଣ୍ଡ ବିନ୍ଧୁଛି ବୋଲି କହି ଆସିଲେ ନାହିଁ । ଏଥିରୁ କିଏ କ’ଣ ବା କାହିଁକି ଭାବିବ ? ହେଲେ ଯାହା କହନ୍ତି ଚୋର ମନ ଚୋର ଗଣ୍ଠିରେ । ଏଣେ ଗୀତ ବୋଲା ଚାଲିଥାଏ । ଅଧଘଣ୍ଟା ପରେ ମୁଁ ଉଠି ବଡ଼ବାପାଙ୍କ ଘରକୁ ଗଲି । ସଚ୍ଚିଭାଇ ଦିଶୁ ନଥିଲେ । ବଡ଼ବୋଉ ଚକୁଳି ପିଠା ପକାଉଥିଲା । ଲାଜ ଲାଗୁଥିଲେବି ମୁଁ ବଡ଼ବୋଉକୁ ପଚାରିଲି । ଏତିକି ଭିତରେ ସଚ୍ଚିଭାଇ ଗୋଟେ ରୁମ୍‍ରୁ ବାହାରିଲେ, କ’ଣ ଗୋଟେ ବାହାନା ଦେଖେଇଲେ । ମୁଁ ତାଙ୍କୁ ସିଧା କିଛି ନ କହି ବଡ଼ବୋଉକୁ କହିଲି, ‘ଅନ୍ଧାରରେ ବସି ଭାଇ ଏଠି କ’ଣ କରୁଛନ୍ତି ? ଯଦି ଗୀତ ବୋଲିବାକୁ ଯାଇଥା'ନ୍ତେ, ମୁଣ୍ଡବିନ୍ଧା ଭଲ ହୋଇଯାଇଥା'ନ୍ତା । ମୁଁ ଫେରି ଆସିବାବେଳକୁ ଜାଣିଲି ସଚ୍ଚିଭାଇ ମୋ ପଛରେ ଆସୁଥିଲେ । ବଡ଼ବାପାଙ୍କ ଘରଠୁ ପ୍ରାୟ ଚାଳିଶ/ପଚାଶ ହାତ ଦୂରରେ ଆମ ଘର । ଆମ ଘର ଆଉ କୋଡ଼ିଏ ପଚିଶ ହାତ ଥାଏ, ସେ ଦି’ପାଦ ତରତରରେ ଆଗକୁ ଆସି, ମୋର ପାଖାପାଖି ହୋଇଯାଇ ସେଇ ଅନ୍ଧାର ଭିତରେ କହିଲେ, ତୁ ଗୋଟେ ଭଲ ଝିଅ ଯେ; ହେଲେ ରାଗି !’

 

ମୁଁ ଟିକେ ଅଟକିଯାଇ କହିଲି, ‘ରାଗି ମୁଁ ନା ତମେ ?’

 

ଗୋଟାଏ ଶବ୍ଦ–ବଢ଼ିଲା ଝିଅର କଥା କହିବାରେ ଗୋଟାଏ ଶବ୍ଦ ଏକଡ଼ ସେକଡ଼ ହୋଇଗଲେ କ’ଣ ନା କ’ଣ ହୋଇଯାଏ । ସ୍ୱତଃସ୍ଫୂର୍ତ୍ତ ଭାବରେ ମୁଁ ଯେଉଁ ଆପଣ ବଦଳରେ ତମେ କହିଲି, ସେଇ କାଳ ହେଲା କି କ’ଣ ।

 

ସିଏ ଆହୁରି ପାଖକୁ ଆସି ପୂରା ଫିସ୍‍ଫିସ୍ ସ୍ୱରରେ କହିଲେ, 'ଯିଏ ଯାହାକୁ ଯେତେ ଅଧିକ ଭଲପାଏ, ସିଏ ତା’ ଉପରେ ସେତେ ରାଗେ । ଏତିକି ଜାଣିନୁ ? ଆଉ କେଡ଼େଟେ ହେଲେ ବୁଝିବୁବେ ? କଥା ହେଲା...'

 

ସିଏ ଆଉ କିଛି କହିବା ଆଗରୁ ମୁଁ ଡଗଡ଼ଗ ହୋଇ ଚାଲିଆସିଲି, ସିଏବି ମୋ ପଛେ ପଛେ । ସମସ୍ତେ ଛୋଟକାଟର ତାଳିମାଡ଼ କଲେ । ଆମେ ଅଲଗାଅଲଗା ଦଳରେ ରହିଲୁ । ସେଦିନ ସେ ଗୋଟେ ଗୀତ ଦୁଇ ତିନିଥର ଗାଇଥିଲେ, ମୋର ପଦଗୁଡ଼ା ଭଲଭାବେ ମନେ ନାହିଁ, ହେଲେ ଅର୍ଥଟା ଏୟା ଯେ ଯେତେବେଳେ କୋଉଠି ଖୁବ୍ ଗୋଟେ ଭଲ ଗୀତ ତୁମେ ଶୁଣିବ, ମୋତେ ନିଶ୍ଚେ ମନେ ପକେଇବ । ମୋ କଥା ନିଶ୍ଚେ ମନେପଡ଼ିବ ।

 

ସେଦିନ ରାତି ପ୍ରାୟ ଦଶଟାରେ ଆସର ଭାଙ୍ଗିବାବେଳକୁ ସେ ପାହାଚ ଓହ୍ଲାଉ ଓହ୍ଲାଉ କହିଲେ, ମନେ ପଡ଼ିବ ତ ! ମୁଁ ଶପ ଗୋଟେଇ ନେଇ ଭିତରକୁ ଚାଲିଗଲି ।

 

ତା’ ପରଦିନ ଗୀତ ମଝିରେ କଥାବାର୍ତ୍ତା ଚାଲିଥିବାବେଳେ, ସମସ୍ତଙ୍କ ମାନେ ସବୁ ପିଲାଙ୍କ ଉପସ୍ଥିତିରେ ସଚ୍ଚିଭାଇ କହିଲେ କି ଦିଦିନ ପରେ ସେ ଫେରିଯିବେ । କିଶୋର କି ତରୁଣ ଅବସ୍ଥାରେ କାହାକୁ କେମିତି କୋଉ ବାଗରେ କଥାଟା କହିଲେ ଜାଣିବା ଲୋକହିଁ ଜାଣିବ, ଅନ୍ୟମାନେ ଟେର୍ ସୁଦ୍ଧା ପାଇବେ ନାହିଁ, ସେକଥା ନିର୍ଦ୍ଦିଷ୍ଟ ବୟସର ପୁଅଝିଅଙ୍କୁ ଆପେଆପେ ଜଣା ଥାଏ । ସେଇ ବାଗରେ ସଚ୍ଚିଭାଇ କଥାଟା କହିଥିଲେ । ସେ ଜାଣିଥିଲେ ଏବଂ ମୁଁ ବି ଜାଣିଲି ଯେ କଥାଟା ବା ଖବରଟା କେବଳ ମୋତେହିଁ କୁହାଯାଇଥିଲା ।

 

ରାତିରେ ସମସ୍ତଙ୍କୁ ନିଦ ହୋଇଯିବା ପରେ କେଜାଣି କାହିଁକି ମୋର କୋହ ଉଠିଲା । ସଚ୍ଚିଭାଇ ଯେ ଚାଲିଯିବ, ଏତେ ଶୀଘ୍ର, କଥାଟା ମୂଳରୁ ମୋ ଦେହରେ ଯାଉ ନଥିଲା । ଆଉଥରେ ଆଉ କୋଉ ବର୍ଷ ଯେ ଆମର ଭେଟ ହେବ, ତା’ର କିଛି ନିର୍ଦ୍ଦିଷ୍ଟତା ନଥିଲା । ମୋତେ ଖାଲି ଖାଁ ଖାଁ ଲାଗୁଥିଲା । ସେତେବେଳର ସମୟବି ଏମିତି ଥିଲା ଯେ କାହାକୁ ଏକଥା କହିବାବି ଥିଲା ଏକବାରେ ଅସମ୍ଭବ । କିଛି ଗୋଟେ ଅତି ମୂଲ୍ୟବାନ ହଜିଯାଇଥିଲା ଯେମିତି ।

 

ଯୋଉଦିନ ସଚ୍ଚିଭାଇ ଚାଲିଯିବା କଥା, ତା’ ପୂର୍ବଦିନ ସଞ୍ଜରେ ଗୀତ ପ୍ରତିଯୋଗିତା ଆରମ୍ଭ ହୋଇ ଟିକେ ବେଳାବେଳି ସରିଲା; ଏଇଥିପାଇଁ ଯେ ସଚ୍ଚିଭାଇ ନିଜ ଜିନିଷପତ୍ର ସଜଡ଼ାସଜଡ଼ି କରିବାପାଇଁ । ସଚ୍ଚିଭାଇ ପାହାଚ ଓହ୍ଲାଉ ଓହ୍ଲାଉ କହିଲେ, ଟିକେ ବଡ଼ପାଟିରେ, ମୋ ବୋଉକୁ ଲକ୍ଷ୍ୟ କରି, ‘ମାଉସୀ, ମୁଁ ତ କାଲି ଭୋରରୁ ଚାଲିଯିବି । ଆଜି ବଡ଼ ମଉସାଙ୍କ ଘରେ ମୁଁ ଆଗରୁ କହିଛି, ଅରୁ ମୋ ସହ ଯିବ, ସେଇଠି ଆଜି ଖାଇବ ।’

 

ମୁଁ ଘରେ କବାଟ କଣରେ ଶପ ରଖୁଚି, ଛାତି ଭିତରେ କିଛି ଗୋଟେ ବିଶାଳ ଶବ୍ଦ କରି ଭାଙ୍ଗିଗଲା ବୋଧେ । କ’ଣ ପାଇଁ ନିଜ ଅଜାଣତରେ ମଣିଷ ଆପଣରୁ ତମେକୁ ଓହ୍ଲାଇ ଯାଏଁ, କିଏ ବା ଜାଣେ ତା’ର ରହସ୍ୟ । କ’ଣ ପାଇଁ ଜଣେ ପରିଣତ ହୋଇଯାଏ ଆରତିରୁ ଅରୁରେ, କିଏ ବା କହିପାରିବ । ମୋର ଆଜିବି ସ୍ପଷ୍ଟ ମନେଅଛି, ମୋ ପାଦ ଥରୁଥାଏ । ସେତିକିବେଳେ ବୋଉ କହିଲା, ‘କିଲୋ, ଖୁଣ୍ଟଟା ପରି ଠିଆ ହେଇଚୁ କ’ଣ ଯାଉନୁ ।’ ତା’ପରେବି ବୋଉ ଆଉ ପଦେ ଦିପଦ କ'ଣ କହିଥିଲା, ମୁଁ ଶୁଣିପାରି ନଥିଲି ।

 

ଆଗରେ ସଚ୍ଚିଭାଇ, ଟିକେ ପଛରେ ମୁଁ । ସେଥରକ ପରି, ଘର ଆଉ ଅଳ୍ପ ଦୂର ଥାଏ, ସଚ୍ଚି ଭାଇ ଅଟକିଗଲେ, ଖୁବ୍ ଧୀର–ଫଟାଳିଆ ସ୍ୱରରେ କହିଲେ, 'ଏଠୁ ଯିବା ପରେ କ’ଣ ମୁଁ ମନେ ରହିବି ?’

 

ମୁଁ କି ମୋ ଭିତରୁ କେହି ଜଣେ କହିଲା, ‘ହୁଁ । ଗୀତ ଶୁଣିଲେ କି ଗୀତ ଆସର ହେଲେ ନିଶ୍ଚେ ମନେପଡ଼ିବ ।’

 

‘ତୁ ଗୋଟାଏ ଅତି ଭଲ ଝିଅ', ସେ କହିଲେ, ‘ତୋ ହୃଦୟଟା ଅତି ଭଲ । ମୋର ଇଚ୍ଛା ହଉଚି ତୋ ହୃଦୟ ଉପରେ ହାତ କି ମୁଣ୍ଡ ରଖି ସ୍ପନ୍ଦନଟା ଥରେ ମାପିବାକୁ ।’

 

ଆଉ ସେ କିଛି କହି ନଥିଲେ କି ଉତ୍ତର ଦେବାପାଇଁ ମୋ ନିକଟରେ ଶବ୍ଦହିଁ ନଥିଲା । ଆମେ ବଡ଼ବାପାଙ୍କ ଘରେ ପହଞ୍ଚିଲୁ । ଖିଆପିଆ ପର୍ବ ପରେ ବଡ଼ବୋଉ ମତେ ଆଣି ଆମ ଘରେ ଛାଡ଼ି ଦେଇଗଲା । ବାସ୍, ରାତିସାରା ଆଉ ନିଦ କାହିଁ ? ହୃଦୟ ଉପରେ ହାତ ବା ମୁଣ୍ଡ ରଖିବାପାଇଁ ଇଚ୍ଛା ହେବା ମାନେ କ’ଣ ? ଯୋଉ ଜାଗାରେ ହୃଦୟ ଥାଏ ବୋଲି ଡାକ୍ତରମାନେ କହନ୍ତି, ସତରେ କି ହୃଦୟ ସେଇଠି ଥାଏ ? ନା ଆଉ କୋଉଠି ଥାଏ ? ସଚ୍ଚିଭାଇ ପୁଣି କହିଥିଲେ ସ୍ପନ୍ଦନ କଥା । ସେ ପୁଣି କ’ଣ ? ଯୋଉ ଜାଗାରେ ଛାତିର ସ୍ପନ୍ଦନ ଥାଏ, ବାଁ ପଟେ, ମୁଁ ସେଇଠି ହାତ ରଖୁ ରଖୁ ମୋ ତାଳୁରୁ ତଳିପା ଯାଏଁ ଗୋଟେ ଛୋଟକାଟର ଭୂମିକମ୍ପ ହୋଇଗଲା ଜାଣ ।

 

ସଚ୍ଚିଭାଇଟା ବଦମାସ କି ? ନା ଉଦ୍ଦେଶ୍ୟ ମନ୍ଦ ? ଯୋଉ ଜାଗାରେ ମୋ ହାତଟା ଥିଲା, ସେଠି ହୃଦୟ ଥାଏ କି ନଥାଏ, ମୋତେ ଜଣା ନଥିଲା । କିନ୍ତୁ ସେଇଟା ଯେ ଝିଅମାନଙ୍କ ପାଇଁ ବେଶ୍ ବିପଜ୍ଜନକ ଜାଗା, ସେକଥା ବୁଝିବାର ବୟସ ମୋର ହୋଇଥିଲା ।

 

ଅତି ଭୋରରୁ ମୋ ନିଦ ଭାଙ୍ଗିଗଲା । ବାହାରକୁ ଆସି ପ୍ରଥମେ ଯାହା ଉପରେ ମୋ ନଜର ପଡ଼ିଲା, ସେ ଥିଲା ବଡ଼ବୋଉ । ସେ ଏତେ ସକାଳୁ ଫୁଲ କାହିଁ ତୋଳୁଥିଲା ବୋଲି ମୁଁ ପଚାରିବାରୁ କହିଲା ଯେ ସଚ୍ଚି ଭୋରରୁ ଚାଲିଯିବାକୁ ଥିବାରୁ ସେ ଉଠିଥିଲା । ବଡ଼ବାପାଙ୍କ ପୁଅ ଓ ସଚ୍ଚିଭାଇ ସକାଳୁ ଚାଲି ଯାଇଥିଲେ ।

 

ସେଇ ରାତି ଥିଲା ଶେଷ ଦେଖା ସଚ୍ଚିଭାଇଙ୍କ ସହ । ତା’ପରେ ଧୀରେଧୀରେ ସବୁ ସ୍ଵାଭାବିକ, ସହଜ ହୋଇ ଆସିଲା । ନିଶାର ପ୍ରଭାବ ଛାଡ଼ିଗଲା । ତା’ପରେ କଲେଜ, ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ । ଫିଜିକ୍‌ସରେବି ମୁଁ ଖୁବ୍ ଭଲ କଲି । ବିଚିତ୍ର କଥା, ନା ସଚ୍ଚିଭାଇ ଆଉଥରେ ଗାଁକୁ ଆସିଥିଲେ, ନା ତାଙ୍କଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷରେ କିଛି ଖବର ଥିଲା । ମୋର ବଡ଼ ବିଶ୍ୱାସ ଥିଲା ବଡ଼ବାପାଙ୍କ ପୁଅକୁ ମାଧ୍ୟମ କରି ସେ ନିଶ୍ଚେ କୋଉ ଛୁଟିରେ ଥରେ ଆସିବେ । ହେଲେ ସେପରି କିଛି ହୋଇ ନଥିଲା । ଏ ଭିତରେ ସମୟ ନିଗିଡ଼ିଗଲା କୁଆଡ଼େ ।

 

ପୁଣି କିନ୍ତୁ ଭେଟ ହେଲା ପାଖାପାଖି ତେରବର୍ଷ ପରେ, ସେଇ ଗାଁରେ; କିନ୍ତୁ ଯୋଉ ପରିସ୍ଥିତିରେ ଆପଣ କଳ୍ପନା କରିପାରିବେ ନାହିଁ; ଏମିତି ପରିସ୍ଥିତିରେ ଯେ କଥା ହେବାର ଆଉ ସୁଯୋଗହିଁ ନଥିଲା । କ’ଣ କହିଲେ ? ମୋ ବାହାଘର ଦିନ । ସଞ୍ଜବେଳେ ! ସେଦିନ କିନ୍ତୁ ଲାଇଟ୍ ଚାଲିଯାଇ ନଥିଲା । ଚଉଦିଗ ଆଲୁଅରେ ଝଲସୁଥିଲା । ବଡ଼ବାପାଙ୍କ ପୁଅ ସଚ୍ଚିଭାଇଙ୍କୁ ନିମନ୍ତ୍ରଣ ଦେଇ ଡାକି ଆଣିଥିଲା ।

 

ବଡ଼ବାପାଙ୍କ ପୁଅ ମନୁଭାଇର ସ୍ୱର ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ଯୋଉ ଘରେ ସାଜସଜ୍ଜ କରି ମତେ ବସେଇ ଦିଆଯାଇଥିଲା, ସେ ଘରେ ମୋତେ ଘେରି ବସିଥିଲେ ଦଳେ ଝିଅ, ଛୋଟ ବଡ଼ । ପୁଣି କିଛି ସମ୍ପର୍କୀୟ ବୟସ୍କା ମହିଳା । ମନୁଭାଇର ସ୍ୱର ଶୁଣି ମୁଁ ଦରଜା ଯାଏଁ ଆସିଗଲି । ମନୁଭାଇ ତାଙ୍କ ପଛରେ ଥିବା ଜଣକୁ ଦେଖାଇ କହିଲେ, ‘ଚିହ୍ନିଲୁ ଇଏ କିଏ !’ ମନେପକା ।

 

ଦେଖୁଦେଖୁ ମୋ ଦେହ ଥରିଲା, ପାଦ ସତେବା ହେମାଳ ହୋଇଗଲା, ମୋର ସମଗ୍ର ସତ୍ତା ପୂରା ହାଲୁକା ଲାଗିଲା । ତଥାପି ମୋର ବୟସ, ଶିକ୍ଷା ଓ ସମୟର ବ୍ୟବଧାନ ମତେ ଅଭିଜ୍ଞ କରିସାରିଥିଲା । କ୍ଷଣକ ଭିତରେ ନିଜକୁ ସଜାଡ଼ି ନେଇ, ହସି ହସି କହିଲି, ‘ସଚ୍ଚିଭାଇ ପରା ! ଚିହ୍ନଉଚ କ’ଣ ମ !'

 

ସଚ୍ଚିଭାଇ ଖାଲି ଶୁଖିଲା ହସଟେ ହସି କହିଥିଲେ, ‘ତୁ ପୂରା ବଡ଼ ଝିଅଟେ ହୋଇଗଲୁଣି-!’

 

ଏତିକିବେଳେ କିଏ ଡାକିଲା କି କ’ଣ, ମନୁଭାଇ ଚାଲିଗଲେ । ସେଇ ବାରଣ୍ଡାର ଗୋଟେ କଡ଼କୁ ଆମେ ଘୁଞ୍ଚିଯାଇ ଠିଆ ହେଲୁ, ଏଇଥିପାଇଁ ଯେ ପ୍ରବଳ ଗହଳି ଥିଲା । କେତେ ବନ୍ଧୁବାନ୍ଧବ, ଗାଁ ସାଙ୍ଗ ଯିବାଆସିବା କରୁଥିଲେ, କିଏ ଗାଲରେ ହାତ ମାରୁଥିଲା ତ କିଏ ପିଠି ଥାପୁଡ଼େଇ ଦେଉଥିଲା !

 

‘ଶୁଣ ଅରୁ’ ସେ ତରତରରେ କହିଲେ, 'ଏଠି କିଛି କହିହେବ ନାହିଁ କି କହିବାପାଇଁ ମଧ୍ୟ ବିଶେଷ କିଛି ନାହିଁ ! ହେଲେ ଆଜି ନ କହିଲେ ଆଉବି ଏ ଜୀବନରେ କହିହେବ ନାହିଁ !’

 

ତାଙ୍କର ‘ ଅରୁ’ ଉଚ୍ଚାରଣରେ ଛାତି ଭିତରେ କିଛି ଯେମିତି ଝିମ୍‍ଝିମ୍ ହୋଇଗଲା, ଯୋଉ ସ୍ପନ୍ଦନ କଥା ସେ କହିଥିଲେ, ସତେଅବା ତାକୁ ମୁଁ ଚିହ୍ନିପାରିଲି । ସ୍ୱତଃ ମୋ ଦୁଇହାତ ଛାତି ଉପରକୁ ଉଠିଗଲା । କାହିଁକି କେଜାଣି, ମତେ ଲାଗିଲା ମୋ ଭିତରେ ସବୁ ଅନୁଭବ ସେ ଯେମିତି ଜାଣୁଥିଲେ ।

 

‘କୁହ !’ ମୁଁ ଧୀରେ କହିଲି ।

 

ସେ ଅତି ଧୀର ସ୍ୱରରେ କହିଲେ, ‘ଢେର୍ ଦିନ ତଳେ କହିଥିଲି ଯେ ତୁ ଗୋଟେ ଖୁବ୍ ଭଲ ଝିଅ ବୋଲି, ତୋର ହୃଦୟ ଆହୁରି ଭଲ ବୋଲି । ତୋ ଉପରେ ମୋର ଢେର୍ ଭରସା । ତୋ’ ହୃଦୟ ଉପରେ ହାତ କି ମୁଣ୍ଡ ରଖି ତୋ ହୃଦୟର ସ୍ପନ୍ଦନ ପରଖିବି ବୋଲି, ତାହା ଆଉ ହୋଇପାରିବ ନାହିଁ । ତେବେ ତୋ ପାଖରେ ମୋର ଗୋଟିଏ ମାତ୍ର ଅନୁରୋଧ ରହିଲା । ଯଦି ମୋ ଆଗରୁ ତୋର କିଛି ହୋଇ ନଥାଏ, ତେବେ !!' ଲାଉଡ଼୍‍ସ୍ପିକର୍ ଭଲ ଗୀତ ବାଜୁଥାଏ, କଥାବାର୍ତ୍ତା, ଡକାଡ଼କି ଭିତରେ ଆମ କଥା ଶୁଣିବା ପରିସ୍ଥିତିରେ କେହି ନଥିଲେ । ସେଇ ସୁଯୋଗରେ ମୁଁ ତାଙ୍କ ଆଖରେ ଆଖି ମିଶେଇ କହିଲି, ‘କୋଉ ଦିନର କୋଉ କଥା ତମର ମନେଅଛି !’

 

ସେ ଚଟ୍ କରି କହିଲେ, ‘ତୋର କ’ଣ ଜମା ମନେ ଥିବ କି ! ହଉ ଶୁଣ୍, ମୁଁ ସ୍ଥିର କରିସାରିଛି ଯେ ମୋର ମୃତ୍ୟୁ ପରେ ମୋ ଶରୀରକୁ ମେଡ଼ିକାଲ କଲେଜକୁ ଦାନ କରିଦେବି । ଏବେ ଶିକ୍ଷକଟେ ହେଇଛି, ଅତି ବେଶିରେ ହୁଏତ ଅଧ୍ୟାପକଟେ ହୋଇ ଗାଁରେହିଁ ମରିବି । ଆଉ ମୁଁ ଏମିତି ବ୍ୟବସ୍ଥା କରିଥିବି ଯେ ମୋର ଶରୀର ଦାନ କଥା ସବୁ ଖବରକାଗଜରେ ବାହାରିବ । ତୁ ଯଦି ଓଡ଼ିଶାରେ ଥାଉ ଓ ଆସିବା ଅବସ୍ଥାରେ ଥାଉ, ତେବେ ହସ୍‌ପିଟାଲ୍‍କୁ ଆସିବୁ, ଆମ ପରିବାରର ଲୋକ କି ଜଣେ ଭଲ ଡାକ୍ତରଙ୍କୁ କହି ମୋର ଅସାଡ଼ ହାତକୁ କ୍ଷଣକପାଇଁ ଏଇଠି ଛୁଆଁଇଦବୁ । ଏ ରାଜ୍ୟରେ କଦାପି ଦୁଇଜଣ ସଚ୍ଚିଦାନନ୍ଦ ମହାପାତ୍ର ଏକ ସମୟରେ ଶରୀର ଦାନ କରି ନଥିବେ !’

 

ବାସ୍–ଏତିକି କଥା । ସଚ୍ଚିଭାଇ ସେଦିନ ଯେତେବେଳେ ‘ଏଇଠି ଛୁଆଁଇଦବୁ’ ବୋଲି କହିଥିଲେ, ସେ ମୋର ବାଁପଟ ଛାତିକୁ ଆଖିରେ ଇଙ୍ଗିତ କରିଥିଲେ । ସେତେବେଳର ସେଦିନର ଚିନ୍ତା ଓ ମନ ବଦଳିଯାଇଛି ମୋର । ମୁଁ ଜାଣୁଚି, ଏଇଠି ଛୁଆଁଇଦେଲେ ମୋର ତାଙ୍କୁ ପ୍ରଦାନ କରିଥିବା କଥା ରଖିବାରେ ମୁଁ ସମର୍ଥ ହେବି । ହଁ–ସଚ୍ଚିଭାଇ ସେଦିନ ଆଉ ଏକ କଥା କହିଥିଲେ ଯେ ଯଦି ମୁଁ ବେଶି ବିଳମ୍ବ କରେ, ତେବେ ମେଡ଼ିକାଲ କଲେଜବାଲା ହୁଏତ ଶରୀରକୁ କଙ୍କାଳରେ ପରିଣତ କରିଦେଇପାରନ୍ତି, ତଥାପି ‘ତୁ ମୋ କଥା ଟିକକ ରଖିବୁ ।’

 

ସେଇ ଦେଇଥିଲା କଥା ରଖିବାକୁ ମୁଁ ଆଜି ଆସିଛି । ଆମେରିକାରେ ଅଧେ ଜୀବନ ବିତିଗଲା । ଏବେ ଓଡ଼ିଶାରେ ରହୁଚୁ । ଏଣିକି ଆପଣଙ୍କ ଇଚ୍ଛା ଓ ଦୟା ! ଆରତି ଏଥର ନିରବ ରହିଲେ । ତାଙ୍କ ମୁହଁରେ ଆଉ ଉଦାସ ଭାବ ନଥିଲା । ସେ ଉଜ୍ଜ୍ୱଳ ଦିଶୁଥିଲେ । ପ୍ରଫେସର୍‍ ପ୍ରହରାଜ ଉଠୁଉଠୁ କହିଲେ, ‘ମୋତେ ତ ଏକଥା ପୂରା ପରୀ କାହାଣୀ ପରି ଲାଗୁଚି । ଆପଣ ଏଠି ନଥିଲେ ସବୁକିଛିକୁ ମୁଁ ସ୍ଵପ୍ନ ଭାବିଥାନ୍ତି । ଆପଣବି ଏତେ ସୁନ୍ଦରଭାବେ କହିଲେ ଯେ ମତେ ଲାଗୁଛି ମୁଁ ଗପଟେ ପଢ଼ୁଥିଲି କି ଚଳଚ୍ଚିତ୍ର ଦେଖୁଥିଲି ।'

 

ଦରଜା ଖୋଲି ବାହାରକୁ ଆସୁ ଆସୁ ସେ କହିଲେ, ‘ଆସନ୍ତୁ, ସେଇଠିକି ଯିବା !’

 

ଏଥର ଶେଷକଥା ଓ ଶେଷଦୃଶ୍ୟ :

 

ଯୋଉ ହଲ୍‌ରେ ସଚ୍ଚି ସାର୍‍ଙ୍କ ଦେହ ଥିଲା, ସେଇଠାରୁ ପ୍ରଫେସର୍‍ ପ୍ରହରାଜ ଏବଂ ଆରତି ବାହାରକୁ ଆସିଲେ । ନିଜ କାର୍‌ରେ ବସି ଷ୍ଟାର୍ଟ୍‍ କରିବାବେଳକୁ ପ୍ରଫେସର୍‍ ପ୍ରହରାଜ ସେଠି ଠିଆ ହୋଇଥିଲେ । ହାତ ହଲାଇ ବିଦାୟ ଦେବାବେଳେହିଁ ଆରତି କହିଲେ, ‘ପୁରୁଷମାନେ ଓ ସେମାନଙ୍କ ପ୍ରକୃତି ବଡ଼ ବିଚିତ୍ର ।’

 

‘ଏସବୁ କଥା ମୁଁ ଏତେ ଭାବିପାରେ ନାହିଁ ।’ ପ୍ରଫେସର୍‍ ପ୍ରହରାଜ କହିଲେ, ‘ହେଲେ ଆଜି ପରଠୁ ସାରା ଜୀବନ କେବଳ ଭାବିହେବାହିଁ ସାର ହେବ ।’

 

ଗାଡ଼ି ଧୀରେ ଗଡ଼ିବାବେଳେ ପ୍ରହରାଜ କହିଲେ, ‘ମୋତେ ଫୋନ୍ ନମ୍ବରଟା ଦେଇଥିବେ ତ ।’

✽✽✽

 

Unknown

ପ୍ରସ୍ତାବ

 

ମଣିଷର କଥା ଗନ୍ଧ ହୋଇପାରେ । କେଉଁ ଗନ୍ଧ, ଅବା କେଉଁ ପରିକା ଗନ୍ଧ, ସେକଥା ପଚାରିଲେ କେହି ବୁଝାଇ କହିପାରିବ ନାହିଁ । ଅତୀତ କାଳରେ ଲୋକମାନେ ଅର୍ଥାତ୍ ଗୁରୁଜନମାନେ ଆକଟ କରିବା ଛଳରେ କହୁଥିଲେ–ମୋ କଥା ତୋତେ ଗନ୍ଧଉଚି କି ? ଏହି ଗନ୍ଧ କିନ୍ତୁ କି ପ୍ରକାର ଗନ୍ଧ ହୋଇପାରେ ? ନା ଯେକୌଣସି ପ୍ରକାର ଗନ୍ଧକୁ ଏ କ୍ଷେତ୍ରରେ ଗ୍ରହଣ କରାଯାଇପାରିବ ?

 

ହାୟ !

 

ମଣିଷ କେଡ଼େ ବିଚିତ୍ର ଜୀବନ ସତରେ ! ଏହାର ସବୁକିଛି ଗନ୍ଧ ହୋଇପାରେ । ତୀବ୍ର ଗନ୍ଧ । ଉତ୍କଟ ଗନ୍ଧ । ଖାଲି ନାକଫଟା ଗନ୍ଧ ନୁହେଁ, ସାରା ଦେହ ଫାଟିଯିବା ପରି ଗନ୍ଧ ! ଏମିତିକି ପୂରା ମନଫଟା, ହୃଦୟଫଟା ଗନ୍ଧ !

 

ଆ !

 

ପୂରା ମନଫଟା ଗନ୍ଧ ।

 

ଏମିତିକା ଗନ୍ଧ ଯେ ପେଟରୁ ଖାଦ୍ୟ ବାହାରି ଆସିବା ପରେ ସାମାନ୍ୟ କଥା, ସମଗ୍ର ହୃଦୟଟା ପଦାକୁ ବାହାରି ପଡ଼ିବା ପରି ଗନ୍ଧ !

 

ଘରସାରା, ମାନେ କୋଠରୀସାରା ସେଇ ବିଚିତ୍ର ଗନ୍ଧ । ବିଚିତ୍ର ସେଇ ଗନ୍ଧରେ ପ୍ରଚଣ୍ଡ ଅଣନିଃଶ୍ୱାସୀ ଲାଗୁଥିଲା, ତଥାପି ଝର୍କା ଖୋଲା ରଖି ସେଇଠି ଆକାଶକୁ ଚାହିଁ ବସିଥିଲା ପାର୍ବତୀ-। ଯେଉଁ କଥାରୁ ଏତେ ଉତ୍କଟ ଗନ୍ଧ ବାହାରିଥିଲା ଏବଂ ଘରସାରା ସଂଚରି ଯାଇଥିଲା, ପୁଣି ଘର ଭିତରୁ ବାହାରି ଗନ୍ଧମୟ କରି ପକାଇଥିଲା ଅଗଣାର ଫୁଲକୁ, ତାରରେ ଶୁଖୁଥିବା ଶାଢ଼ି, ସାୟା, ବ୍ଲାଉଜ୍ ଓ ବ୍ରା’କୁ ସେଇ ଗନ୍ଧ ଆସିଥିଲା ଲତିକାର କଥାରୁ ।

 

ଏଇମାତ୍ର ଲତିକା ଗଲା ଏବଂ ତା’ କଥାର ପଛେ ପଛେ ଖେଳି ବୁଲୁଚି ସେଇ ଗନ୍ଧ । ଆଉ ରୁମ୍‍ରେ ଖଟରେ ଶୋଇଚି ତା’ ସ୍ଵାମୀ ସତ୍ୟାନନ୍ଦ । ସେପଟକୁ ଗନ୍ଧଟା ଯାଇଥିବ କି ନାହିଁ, କିଏ ବା କହିବ !

 

ଯେତେବେଳେ ପାର୍ବତୀର ବିବାହ ସତ୍ୟାନନ୍ଦ ସହ ହୋଇଥିଲା, ସେତେବେଳେ ପାର୍ବତୀକୁ ଊଣେଇଶବର୍ଷ, ଆଉ ସତ୍ୟାନନ୍ଦକୁ ତେଇଶ । ଏ ଭିତରେ ଏଗାରବର୍ଷ ବିତିଗଲାଣି, ତାକୁ ତିରିଶ, ସତ୍ୟାନନ୍ଦକୁ ଚଉତିରିଶ ।

 

ଲତିକା ଏଇମାତ୍ର କହିଗଲା, ‘‘ତୁମେ ତ ଏବେବି ଯେମିତି ଦିଶୁଚ ଅପା, କଲେଜ ଝିଅଙ୍କୁ ଚିତା କାଟିଦେବ ।''

 

ଏଇକଥା ପଦକ ତାକୁ ଖୁବ୍ ଭଲ ଲାଗିଥିଲା, କିନ୍ତୁ ବେଶିକ୍ଷଣ ନୁହେଁ; କାରଣ ଲତିକା ସେଇ ପ୍ରଚଣ୍ଡ ଗନ୍ଧ ଉତ୍ପନ୍ନକାରୀ କଥା ମଝିରେ ୟେ କଥା କହିଥିଲା । ସେତିକିବେଳକୁ ଘରସାରା ଖେଳି ବୁଲୁଚି ସେଇ ଗନ୍ଧ ।

 

ଲତିକାକୁ କେତେ ବର୍ଷ ହବ ? ବୋଧେ ଛତିଶ କି ସଇଁତିରିଶ । ତାକୁ କେବେ ବୟସ ପଚାରିନି ପାର୍ବତୀ । ଏକଥା ଅବଶ୍ୟ ନିଶ୍ଚିତ ଯେ ଲତିକା ତା'ଠୁ ବୟସରେ ବଡ଼, ତଥାପି ସିଏ ଅପା ଡାକେ ଆରମ୍ଭରୁ । ନିକଟସ୍ଥ ବସ୍ତିରେ ରହେ । କୋଡ଼ିଏ/ ପଚିଶ ଘର ଧରିଚି । ସକାଳେ ସଞ୍ଜରେ ବୁଲିବୁଲି ବାସନମଜା, ଲୁଗାସଫା, ଘର ଝାଡ଼ୁ କରିବା କାମ କରେ । ଏତେ କାମ କରି ତା' ହାତ, ପାପୁଲି, ଆଙ୍ଗୁଠି ସବୁ ପୂରା ଠିକ୍, ଅଥଚ ପାର୍ବତୀ ଯଦି ଦୁଇ ତିନି ସପ୍ତାହ ପାଣିକାମ କରିଦବ, ହାତ ପାଣି ଖାଇଯିବ । ଗୋଡ଼ ନଖ ସବୁ ଧଳା ଧଳା ଦିଶିବ । ପୁଣି ଅଣ୍ଟାର କିମିତି ଏକ ଯନ୍ତ୍ରଣା ବାହାରିବ । ପାର୍ବତୀ ଚାକିରି କରି ନାହିଁ, ଶତକଡ଼ା ଶହେ ଭାଗ ଗୃହିଣୀ । ଘରର ସବୁ କାମ କରିବା ତା’ର ଇଚ୍ଛା । ହେଲେ ବର୍ଷାଦିନେ, ଶୀତଦିନେ ପାଣି କାମ କରିବା ଅସମ୍ଭବ ହୋଇପଡ଼େ । ସତ୍ୟାନନ୍ଦ ସରକାରୀ ଚାକିରି କରେ, ନିୟମିତ ଦରମା ପାଏ, ଅମାୟିକ ସ୍ନେହୀ ଭଦ୍ର ପିଲା, କହିଥିଲା, ‘‘ଇଏ ଗୋଟେ କଥା, ବାସନମଜା ଲୁଗାସଫା କାମପାଇଁ ମୁଁ ଲୋକ ଠିକ୍ କରିଦେବି । ସେଇ କାମ ଦି'ଟା ଛାଡ଼ି ତମେ ଘରର ବାକି ସବୁ କାମ ବୁଝ ।’’ ବାହାଘର ପ୍ରଥମ କେଇ ବର୍ଷ ପାର୍ବତୀ ଗାଁରେ ରହିଥିଲା । ସତ୍ୟାନନ୍ଦ ସରକାରୀ ଘର ପାଇବା ପରେ ସେ ରାଜଧାନୀକୁ ଆସିଥିଲା । ଇଏ ସବୁ ସେତିକିବେଳର କଥା । ସେବେଠାରୁ ଲତିକା ତାଙ୍କ ଘରକୁ ଆସୁଛି । ଏତେ ଦିନ ଭିତରେ କେବେ କିନ୍ତୁ ସେ ଏମିତିକା ପ୍ରଚଣ୍ଡ ଉତ୍କଟ ଗନ୍ଧ ଉତ୍ପନ୍ନକାରୀ କଥା କହି ନଥିଲା । ଆଜି ହସି ହସି କହିଲା ଏବଂ ସେତିକିବେଳକୁ ଘରସାରା ଗନ୍ଧ ଯେ ଗନ୍ଧ ।

 

ସତ୍ୟାନନ୍ଦ ଆର ଘରେ ଶୋଇଛି । ଏବେ ସେ ମାସେ ଛୁଟିରେ ଅଛି । ହୁଏତ ସେ ଚାହିଁ ମଧ୍ୟ ଥାଇପାରେ କିନ୍ତୁ ତା’ର ଆଖି ବନ୍ଦ ଥିଲା । ପ୍ରାୟ ଦୁଇବର୍ଷ ତଳେ ତା’ର ସେଇ ବିଚିତ୍ର ରୋଗ ବାହାରିଥିଲା । ପ୍ରଥମେ ଯନ୍ତ୍ରଣା, ତା'ପରେ ଔଷଧ, ଇଞ୍ଜେକ୍‍ସନ୍, ତା'ପରେ ସବୁକିଛି ଭଲ, ପୁଣି ଯନ୍ତ୍ରଣା, ଯାବତୀୟ ପରୀକ୍ଷା ନିରୀକ୍ଷା, ପୁଣି କେତେ ହଜାର ଖର୍ଚ୍ଚ, ଗୋଟେ ଛୋଟ ଅପରେସନ୍, ସବୁ କିଛି ଭଲ, ପୁଣି ଯନ୍ତ୍ରଣା, ପରିସ୍ରା ବନ୍ଦ । ପୁଣି ପରୀକ୍ଷା ଓ ହଜାର ହଜାର ଖର୍ଚ୍ଚ । ଏ ଭିତରେ ସତ୍ୟାନନ୍ଦ ଛୁଟି ନେଉଥିଲା, ପୁଣି ଅଫିସ୍ ଯାଉଥିଲା, ପୁଣି ଛୁଟି ନେଉଥିଲା । ଅଫିସ୍ ଲୋକମାନେ ତା’ ପ୍ରତି ବେଶ୍ ସମ୍ବେଦନଶୀଳ ଥିଲେ । କିଛି କିଛି ସାହାଯ୍ୟବି କରିଥିଲେ । ସରକାରୀ କ୍ଷେତ୍ରରେ ମେଡ଼ିକାଲ ବିଲ୍ ସବୁ ଯଦିଓ ପାସ୍ ହବାକୁ ମାସ ମାସ, ବର୍ଷ ବର୍ଷ ଲାଗେ, ତଥାପି ସତ୍ୟାନନ୍ଦର କେତେକ ବିଲ୍ ହୋଇଯାଇଥିଲା । ତାକୁ ମାତ୍ର ଚଉତିରିଶବର୍ଷ, ଅଳ୍ପ ଦିନର ଚାକିରି, ସଞ୍ଚୟ କମ୍, ସୀମିତ ଛୁଟି । ଛୁଟି ସବୁ ସରିଯାଇଥିଲା । ତା’ପରେ ସ୍ଥିର ହୋଇଥିଲା ଯେ, ସେ ସପ୍ତାହରେ ଯେତେଥର ସମ୍ଭବ, ସେତେଥର ଆସିବ । ଭଲ ନ ଲାଗିଲେ ଘରେ ରହି ବିଶ୍ରାମ ନେବ । ଉପର ଅଫିସର ରାଜି ହୋଇଥିଲେ । ସେଇ ଅନୁଯାୟୀ ସବୁ ଚାଲିଥିଲା । ଏସବୁ ଏଇଥିପାଇଁ ହୋଇଥିଲା ଯେ ସେ ଯେମିତି ମାସକୁ ମାସ ଦରମା ଗଣ୍ଡାକ ପାଇବ । ସେ ନିୟମିତ ମାସକୁ ମାସ ଦରମା ଗଣ୍ଡାକୁ ପାଉଥିଲା ।

 

ତା’ର କିଡ଼୍‍ନିରେ କ’ଣ ବିଚିତ୍ର ରୋଗ ହୋଇଥିଲା । ପାର୍ବତୀ ଡାକ୍ତରମାନଙ୍କ କଥାରୁ କିଛି ଭଲଭାବେ ବୁଝିପାରି ନଥିଲା । ପ୍ରଥମେ କ’ଣ ଗୋଟେ ଛୋଟ ଅପରେସନ୍ ହୋଇଥିଲା । ପଥର ବାହାରିଥିଲା । କେତେ ହଜାର ଖର୍ଚ୍ଚ ହୋଇଥିଲା । ଆପାତତଃ ସବୁ ଭଲ ହୋଇଯାଇଥିଲା-। ପୁଣି ଡାହାଣପଟେ କିଡ଼୍‍ନିରେ ଯନ୍ତ୍ରଣା ହେଲା, ପୁଣି ପରୀକ୍ଷା ଚାଲିଲା । ଡାକ୍ତର କହିଲେ ଇନ୍‍ଫେକ୍‍ସନ୍ ଅଛି । ଫଟ ଉଠିଲା, ଅଲ୍‍ଟ୍ରାସାଉଣ୍ଡ୍ ଇତ୍ୟାଦି ହେଲା । ଜଣାଗଲା ଯେ ଗହମ ଆକାରର ମାଂସ ବଢ଼ିଛି । ସେଇଟା କଟାହୋଇ ବାହାରିବା ଦରକାର । ପୁଣି ହଜାର ହଜାର ଖର୍ଚ୍ଚ-। ଡାକ୍ତରଖାନାରେ କୋଡ଼ିଏ ଦିନ ରହଣି । ତା’ପରେ ସବୁ ଭଲ । ପାର୍ବତୀବି କେତେଟା ମନ୍ଦିରରେ ମାନସିକ କରିଥିଲା, ସେଠି ସବୁ ପୂଜା କଲା । ସତ୍ୟାନନ୍ଦ ଆଗ ଅପେକ୍ଷା ଝଡ଼ି ଯାଇଥିଲା ସତ, ହେଲେ ସତେଜ ଦିଶୁଥିଲା । ସେ ଅଫିସ୍‍ବି କଲା । ଏ ଭିତରେ ସଞ୍ଚିତ ଟଙ୍କା ସରିଯାଇଥିଲା-। ବାପା ଗାଁରୁ କିଛି ଟଙ୍କା ପଠେଇଥିଲେ । ବୋଉ ଆସି କେତେ ଦିନ ରହିଥିଲା । ବାପା ଗାଁର କିଛି ଜମିବି ବିକିଥିଲେ । ପାର୍ବତୀର ବାପା ଅର୍ଥାତ୍ ସତ୍ୟାନନ୍ଦର ଶ୍ଵଶୁର ମଧ୍ୟ ଭଲ ଆର୍ଥିକ ସାହାଯ୍ୟ କରିଥିଲେ । ତଥାପି ଅର୍ଥର ପ୍ରଚୁର ଆବଶ୍ୟକତା ଥିଲା । ଘରକୁ ନିୟମିତ ବନ୍ଧୁ ସମ୍ପର୍କୀୟ ଆସୁଥିଲେ । ଘରର ଯାବତୀୟ ଖର୍ଚ୍ଚ ଚାଲିଥିଲା । ପାର୍ବତୀ ଯେଉଁ ମୁହୂର୍ତ୍ତରେ ଭାବିଥିଲା ଯେ ସବୁକିଛି କ୍ରମେ କ୍ରମେ ସ୍ୱାଭାବିକ ହୋଇ ଆସିବ, ସେଇ ସମୟରେ ଡାକ୍ତର ତା’ ମୁଣ୍ଡରେ ସତେ ଅବା ଚଡ଼କ ପକାଇଥିଲା ।

 

ଫୋନ୍‌ ଯୋଗେ ପାର୍ବତୀଙ୍କୁ ଡକାଇ, ସବୁକିଛି ବୁଝାଇ ସୁଝାଇ କହିଥିଲା ଯେ ଯେଉଁ ଛୋଟ ମାଂସ ଟିକକ କିଡ଼୍‍ନିରୁ ବାହାରିଥିଲା ସେଇଟାକୁ ପରୀକ୍ଷାପାଇଁ ବମ୍ବେ ପଠାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସତ୍ୟାନନ୍ଦର କିଡ଼୍‍ନିରେ କ୍ୟାନସର୍ ହୋଇଥିଲା । ଆଉ ଗୋଟେ, ଅପରେସନ୍ ହବା ଦରକାର, ଗୋଟେ କିଡ଼୍‍ନି ମଧ୍ୟ ବାହାର କରି ଦିଆଯିବ । ଲେଜର୍ ଥେରାପି ଓ କେମୋଥେରାପି ନିୟମିତ ଚାଲିବ । ଏବେ ପ୍ରାଥମିକ ଅବସ୍ଥା, ଟିକେ ଯତ୍ନ ନେଲେ ଓ ଠିକ୍ ଚିକିତ୍ସା କଲେ ସବୁ ଭଲ ହୋଇଯିବ । ହେଳା କଲେ ଏବଂ ବିଳମ୍ବ କଲେ ସତ୍ୟାନନ୍ଦର ଜୀବନ ପ୍ରତି ବିପଦ ଥିଲା ।

 

ବଡ଼ ସଂକୋଚ ଓ ଖୁବ୍ ସନ୍ତର୍ପଣରେ ପାର୍ବତୀ ଜାଣିବାକୁ ଚାହିଁଥିଲା ଯେ ସବୁ ମିଶାଇ କେତେ ଖର୍ଚ୍ଚ ହେବ ବୋଲି । ଡାକ୍ତର କହିଥିଲା ଯେ ପୂରା ନିର୍ଦ୍ଦିଷ୍ଟଭାବେ ଠିକ୍ ସଂଖ୍ୟାଟା କହିବା ଅସମ୍ଭବ । ତେବେ ଆନୁମାନିକ ସାତ ଆଠ ଲକ୍ଷ ଟଙ୍କା ଲାଗିବ । ସେ ଏକଥା ମଧ୍ୟ ସୂଚନା ଦେଇଥିଲା ଯେ ସେ ଗୋଟେ କ୍ୟାନସର୍ ଫାଉଣ୍ଡେସନ୍ ସହ ଚିହ୍ନା ଓ ଟାଏ–ଅପ୍ କରାଇଦେବ, ଯଦ୍ଦ୍ୱାରା କି ଇଞ୍ଜେକ୍‍ସନ୍ ଓ ମେଡ଼ିସିନ୍ ମାଗଣାରେ ମିଳିବ । କେବଳ କ୍ୟାନସର୍ ସମ୍ପର୍କିତ ମେଡ଼ିସିନ୍ । ତଥାପି ଅନ୍ୟାନ୍ୟ ସବୁ ଖର୍ଚ୍ଚ ତ ବହନ କରିବାକୁ ପଡ଼ିବ ।

 

ପାର୍ବତୀ ସେଠୁ ଫେରିଆସିବା ପରେ କଥାଟା କାହାକୁ କହି ନଥିଲା । ଏମିତିକି ସତ୍ୟାନନ୍ଦକୁବି କହି ନଥିଲା । ଭାବିଥିଲା, ଭଲବେଳ ଓ ସୁବିଧା ସୁଯୋଗ ଦେଖି ତାକୁ, ଘରର ଅନ୍ୟମାନଙ୍କୁ କହିବ । ହେଲେ ସେଠୁ ଫେରି ଏକାଏକା ବହେ କାନ୍ଦିଥିଲା । ଠାକୁରଘରେ ବସି ଠାକୁରମାନଙ୍କ ଫଟୋକୁ ଚାହିଁ କେତେ ଅଭିଯୋଗ ଅନୁନୟ କରିଥିଲା । କୌଣସି ଖରାପ ଅଭ୍ୟାସ ନଥିବା ସୁସ୍ଥସବଳ ସତ୍ୟାନନ୍ଦର ଏପରି ବିଚିତ୍ର ରୋଗ ବାହାରିଲା, ତା’ର କିଛି ନିର୍ଦ୍ଦିଷ୍ଟ ଉତ୍ତର ନଥିଲା ।

 

ସେ ମନେମନେ ହିସାବ କରିଥିଲା । ଗହଣା ବିକିଦେଲେ ଅତି ବେଶିରେ ଲକ୍ଷେ ମଧ୍ୟ ହେବ ନାହିଁ । ଆଉ କ’ଣ ଥିଲା କି ? ଗାଁ ଜମି ବିକିଲେ ଚାଳିଶ/ପଚାଶ ହଜାର ହେବ । ଆଉ କ’ଣ-? ବନ୍ଧୁ, ସହକର୍ମୀଙ୍କ ପାଖରେ ହାତ ପତେଇଲେ ଆଉ ପଚାଶ ହଜାର ହୁଏତ ମିଳିପାରେ-। କୌଣସି କଥା ସତ୍ୟାନନ୍ଦକୁ ସେ କହି ନଥିଲା । କହିବ କହିବ ହେଉଥିଲା । ମନ ଭିତରେ କଥାଟାକୁ ବାରମ୍ବାର ଖେଳାଇବାରେ ଲାଗିଥିଲା । ସେ ଭିତରେ ସତ୍ୟାନନ୍ଦ ମଝିରେ ମଝିରେ ଅଫିସ୍ ଯାଉଥିଲା । ବଡ଼ପାଟିରେ କଥା ହେଲେ କି ଟିଭି ଜୋରରେ ବାଜିଲେ ତାକୁ ବିରକ୍ତ ଲାଗୁଥିଲା । ବେଶି ସମୟ ଏକକାଳୀନ ଠିଆ ହୋଇପାରୁ ନଥିଲା । ମଝିରେ ମଝିରେ ତାକୁ ହାଲିଆ ଲାଗୁଥିଲା । ହେଲେ ସେ ସୁସ୍ଥ ଥିଲା । ସେ ସୁସ୍ଥ ହୋଇଗଲା ବୋଲି ତା’ ଆତ୍ମୀୟସ୍ୱଜନ ଖୁସି ଥିଲେ । ଅଫିସ୍ ସହକର୍ମୀମାନେ ତାକୁ ବଧେଇ ଜଣାଇଥିଲେ । ହେଲେ ଏକମାତ୍ର ପାର୍ବତୀକୁହିଁ ଜଣାଥିଲା ଯେ ସତ୍ୟାନନ୍ଦର କିଡ଼୍‍ନିରେ ବସା ବାନ୍ଧିବାକୁ ଆରମ୍ଭ କରିଥିଲା ଭୟାନକ କ୍ୟାନସର୍‍ର ଜୀବାଣୁ । ଆଉ ତାକୁ ଉତ୍ପାଟନ କରିବାକୁ ଆବଶ୍ୟକ ଥିଲା ଆନୁମାନିକ ଆଠ ଲକ୍ଷ ଟଙ୍କା । ସତ୍ୟାନନ୍ଦ ଘରୁ ଟିକେ କୁଆଡ଼େ ବାହାରିଯିବାମାତ୍ରେ ସେ କାନ୍ଦି ପକାଉଥିଲା । ତା’ ସଂସାରରେ ଏ ଚଡ଼କ କାହିଁକି ପଡ଼ିଲା ବୋଲି ତା’ର ପ୍ରିୟ ଠାକୁରମାନଙ୍କୁ ଅଭିମାନରେ କେତେକଅଣ କହୁଥିଲା । ଥରେ ଥରେ କୌଣସି ଠାକୁରଙ୍କ ଫଟୋକୁ ଚାହିଁ କେତେ ସମୟ ଏକକାଳୀନ ଧ୍ୟାନରେ ବସିବା ପରି ବସି ରହୁଥିଲା ।

 

ସେଦିନ ବେଳାବେଳି ରୋଷେଇ ସରିଥିଲା । ସତ୍ୟାନନ୍ଦ କହିଥିଲା ଯେ ହାଲିଆ ଲାଗୁଥିଲା । ସେ ବେଳାବେଳି ଖାଇସାରି, ଅଫିସ୍ ନ ଯାଇ ନିୟମିତ ଖାଉଥିବା ଔଷଧଯାକ ଖାଇ ସେପଟ ରୁମ୍‍ରେ ଶୋଇପଡ଼ିଥିଲା । ତାକୁ ନିଦ ହେବା ଯାଏଁ ପାର୍ବତୀ ତାକୁ ଆଉଁଶା ଆଉଁଶି କରୁଥିଲା । ତାକୁ ନିଦ ହେବାପରେ ଖଟରୁ ଉଠିଆସି ଠାକୁରଘର ସାମ୍ନାରେ କେତେକ୍ଷଣ ବସିଥିଲା-। ତା'ପରେ ନିଜେ ଖାଇସାରି ଧୁଆଧୋଇ ହୋଇ କ’ଣ ଗୋଟେ ପୁରୁଣା ଧର୍ମ ପତ୍ରିକା ଓଲଟାଉଥିଲା ତ ସେତିକିବେଳେ ଲତିକା ଆସିଲା । ତା’ସହ ପ୍ରାୟ ଘଣ୍ଟେ ଦେଢ଼ଘଣ୍ଟାର କଥାବାର୍ତ୍ତା-। ପୁଣି ସେ କେତେବେଳୁ ଗଲାଣି । ଅଥଚ ସେତିକିବେଳୁ ଘରସାରା ଖେଳି ବୁଲୁଚି ଉତ୍କଟ ଗନ୍ଧ-। ବିଚିତ୍ରଭାବେ ଉତ୍କଟ ଗନ୍ଧ ।

 

ପୁରୁଣା କନ୍ଥା ପୋଡ଼ାର ଗନ୍ଧ ।

 

ଟାୟାର ପୋଡ଼ା ଗନ୍ଧ ।

 

ମଡ଼ା ପୋଡ଼ା ଗନ୍ଧ ।

 

ଜଣେ ମଣିଷର କଥା ପୁଣି ଏମିତି ଉତ୍କଟ ଗନ୍ଧ ହୋଇପାରେ !

 

କଥାର ଗନ୍ଧ । ଗନ୍ଧର କଥା ।

 

ଲତିକା କେତେବେଳୁ ଚାଲିଗଲାଣି । ଘରସାରା ଖେଳି ବୁଲୁଚି ସେଇ ଗନ୍ଧ । ଘରର ସବୁ ଜିନିଷପତ୍ରରେବି ଲାଗି ରହିଛି ସେ ଗନ୍ଧ ।

 

ଲତିକାର ବୟସ କେତେ ହୋଇପାରେ ? ବତିଶରୁ ପଞ୍ଚତିରିଶ ଭିତରେ । ନିକଟସ୍ଥ ତିରିଶ/ ଚାଳିଶ ଘର ଥିବା ବସ୍ତିରେ ଅପେକ୍ଷାକୃତ ଏକ ଭଲ ଘରେ ରହେ । ଭଲ ଘର ଅର୍ଥ ଆଜବେଷ୍ଟସ୍ ଘର । ସ୍ଥାନୀୟ ଜଣେ ଗୁଣ୍ଡା ସରକାରୀ ଜାଗାରେ ଆଠ ଦଶ ଘର ତିଆରି କରି ଘର ପିଛା ଦୁଇ ହଜାର ଆଦାୟ କରୁଥିଲା । ସେଇଥିରୁ ଗୋଟାକରେ ଲତିକା ଓ ତା’ର ପରିବାର ରହୁଥିଲେ । ପରିବାର କହିଲେ ଲତିକା ନିଜେ, ତା’ର ଛ’ସାତବର୍ଷର ଝିଅ, ଦ୍ୱିତୀୟ ସ୍ୱାମୀ, ଯିଏ ଅଟୋ ଚଲାଏ । ଲତିକାର ପ୍ରଥମ ସ୍ୱାମୀର ଝିଅ, ଦ୍ୱିତୀୟ ସ୍ଵାମୀଆଡ଼ୁ କିଛି ହୋଇ ନଥିଲା । ଅତି ଦୁଃଖଦ ପରିସ୍ଥିତିରେ ମିନିଟ୍ରକ୍ ଧକ୍କାରେ ସେ ମରିଯାଇଥିଲା । ସେଇ ଲତିକା ବାସନ ମାଜିବାକୁ ଆସେ । ଶ୍ୟାମଳ ବର୍ଣ୍ଣର ସ୍ତ୍ରୀଲୋକ । ବସ୍ତିର ସ୍ତ୍ରୀଲୋକ ପରି ଜମା ଜଣାପଡ଼େନା । ଅଣ୍ଟାରେ ମୋବାଇଲ୍‍ଟେ ଖୋସା ହୋଇଥାଏ । କେତେବେଳେ କେମିତି କାହା ସହ କଥା ହେବାରବି ପାର୍ବତୀ ତାକୁ ଦେଖିଛି । କେତେ ପୂରା ଧୀର ସ୍ଵରରେ ତ କେବେ ଉଚ୍ଚ ସ୍ୱରରେ । ପରିଷ୍କାର ପରିଚ୍ଛନ୍ନ ଶାଢ଼ି ପିନ୍ଧେ । କେବେକେବେ ସାଲୱାର୍ ପଞ୍ଜାବି । ଶରୀରରେ ଯୌବନ ଲହଡ଼ି ଭାଙ୍ଗୁଚି ବୋଲି କୁହାଯାଇପାରିବ ନାହିଁ, କିନ୍ତୁ ଦେଖିଲେ ସାମଗ୍ରିକଭାବେ ଭଲ ଲାଗେ ।

 

ଘର ଭିତରକୁ ଆସିବା ପରେ ପାର୍ବତୀକୁ ଚିନ୍ତାମଗ୍ନ ହୋଇ ବସିଥିବା ଦେଖି କହିଥିଲା, ‘‘ମନ ଭଲ ନାହିଁ କି ମା’ ?''

 

ଲତିକାର ପ୍ରଶ୍ନରେ ତୁରନ୍ତ କିଛି ଜବାବ ଦେଇ ନଥିଲା ପାର୍ବତୀ । କହିଲା, “ସବୁ ଠିକ୍‍ଠାକ୍ ଅଛି ଯେ; ହେଲେ ସମସ୍ୟା ତ ଗୋଟିକ ପରେ ଗୋଟିଏ ବଢ଼ିବାରେ ଲାଗିଚି ।''

 

‘‘କାହାର କିଛି ହେଲା କି ମା’ ? ପୁଅ ଦେହ ଭଲ ଅଛି ତ ?’’ ସେ ପଚାରିଥିଲା ।

 

ପାର୍ବତୀ ଓ ସତ୍ୟାନନ୍ଦର ପୁଅକୁ ଏବେ ପାଞ୍ଚବର୍ଷ ଚାଲିଛି । ସତ୍ୟାନନ୍ଦର ଦେହ ଖରାପ ହେବାପରଠୁ ପାର୍ବତୀ ତାକୁ ନେଇ ନିଜ ବାପଘରେ ଛାଡ଼ି ଆସିଥିଲା । ସେଇଠିବି ଗୋଟେ ଅପେକ୍ଷାକୃତ ଭଲ ସ୍କୁଲ୍‍ରେ ତା’ ନାଁ ଲେଖେଇ ଦିଆହୋଇଥିଲା । କହିଥିଲା, ‘‘ପୁଅ ଦେହ ଭଲ ଅଛି । କେତେ ଦିନ ହବ ତାକୁ ନ ଦେଖି ଅବଶ୍ୟ ମନଟା ଭଲ ଲାଗୁନାହିଁ ।’

 

ଲତିକା ଏ ଭିତରେ ରୋଷେଇଘରକୁ ଯାଇ ବାସନମଜା ଆରମ୍ଭ କରି ସାରିଥିଲା । ପାର୍ବତୀ ନିଜ ଜାଗାରେ ବସିଥିଲା, ଲତିକା ଭିତରୁ ଡାକିଲା, ‘‘ଇଆଡ଼େ ଆସ ମ ମା’ ।''

 

ପାର୍ବତୀ ରୋଷେଇଘର ଦରଜା ନିକଟରେ ଛୋଟ ପ୍ଲାଷ୍ଟିକ୍ ଷ୍ଟୁଲ୍‍ଟେ ପକାଇ ବସିପଡ଼ିଲା । ଲତିକା ପୁଣି ପଚାରିଥିଲା, ‘‘ବାବୁଙ୍କର ପୁଣି କ’ଣ ହେଲା କି ?’’

 

ପାର୍ବତୀ ଭାବିଥିଲା, କିଛି କହିବ ନାହିଁ । କହିକରି ଅବା କିବା ଲାଭ ? ନିଜର ସ୍ଵାମୀକୁ କର୍କଟ ହୋଇଛି ବୋଲି କହିଦବାକୁ ତା’ ଜିଭ ଯାଉ ନଥିଲା । ବାସ୍ତବରେ ଡାକ୍ତର ସହ ତା’ର ଆଲୋଚନା ଓ ଡାକ୍ତର କହିଥିବା କଥା ସେ କାହାରିକୁ କହି ନଥିଲା । ସତ୍ୟାନନ୍ଦକୁବି ନୁହେଁ । ଅନେକବାର କହିବ କହିବ ହୋଇ ଅଟକି ଯାଇଥିଲା । କିନ୍ତୁ ଛାତିତଳେ କଥାଟା ଦିନକୁଦିନ ପଥରରେ ପରିଣତ ହେବାରେ ଲାଗିଥିଲା, ଭାବିଦେଲେ ଭିତରଟା ସତେ ଅବା ରୁନ୍ଧି ହୋଇଯାଉଥିଲା । କିଛି କୂଳକିନାରା ମିଳୁ ନଥିଲା ।

 

ଲତିକା ପଚାରିଦେବାମାତ୍ରେ ପାର୍ବତୀର ଆଖି ଛଳଛଳ ହୋଇଯାଇଥିଲା । କଥାଟା କିଛି ଗୁରୁତର ହେଇଥିବ ଅନୁମାନ କରି ଲତିକା ପ୍ରଶ୍ନଟା ପୁଣି ଦୋହରାଇଲା ।

 

‘‘ବାବୁଙ୍କର ପୁଣି କ’ଣ ନୂଆ କିଛି ହେଲା କି ?’’

 

ଲତିକା ଆଉ କଥାଟା ଚାପି ପାରିଲା ନାହିଁ । ଅନେକ ସମୟରେ ସେମିତି ହୁଏ । ବର୍ଷାଦିନେ ଯେମିତି ବଢ଼ିପାଣି କୂଳ ଲଙ୍ଘିବ ଇଙ୍ଘିବ ହେଉଥାଏ, ଶେଷରେ ଇଙ୍ଘିଯାଏ; କଥାବି ସେମିତି । ବହୁ ପ୍ରୟାସ କରି ଛାତି ତଳେ ଚାପି ରଖିଥିବା କଥା କେତେବେଳେ କେଉଁ ଦୁର୍ବଳ ମୁହୂର୍ତ୍ତରେ ଜିଭ ତଳୁ ଖସି ଆସେ ।

 

ଅପେକ୍ଷାକୃତ ଧୀର ସ୍ଵରରେ ସବୁ କଥା କହିସାରି ପାର୍ବତୀ ବାଷ୍ପରୁଦ୍ଧ ସ୍ୱରରେ କହିଥିଲା, ‘‘ଡାକ୍ତର କହୁଛି, ମୋଟ ଆଠ ଲକ୍ଷ ଟଙ୍କା ଲାଗିବ । ଏକଥାବି କହୁଛି ଯେ ତା'ପରେବି ଗୋଟେ କିଡ଼୍‍ନି ବାହାର କରିଦେବାକୁ ପଡ଼ିପାରେ ।’’

 

‘‘ସାଙ୍ଗେ ସାଙ୍ଗେ କ’ଣ ସବୁ କରିବାକୁ ପଡ଼ିବ ?'' ଲତିକା ପଚାରିଥିଲା ।

 

‘‘ଯେତେ ଶୀଘ୍ର ଚିକିତ୍ସା ଆରମ୍ଭ କରାଯିବ, ସେତେ ଭଲ୍ ପାର୍ବତୀ କହିଥିଲା,

 

‘‘ମୋ ହାତରେ ଦଶ ହଜାର ଟଙ୍କାବି ନାହିଁ । ଆଉ ମୁଁ ଆଠ ଲକ୍ଷ କଥା ଭାବିବି କେମିତି-? ସବୁଆଡ଼ୁ ହାତବୁଲା ସରିଛି । ଯାହା ଗହଣାଗାଣ୍ଠି ଅଛି, ବିକିଦେଲେ ହୁଏତ ଲକ୍ଷେ ହେବ-। ୟା’ଙ୍କ ବାପା, ମୋ ବାପାଙ୍କଠୁ ମିଶିଲେ ହୁଏତ ଆଉ ଲକ୍ଷେ ହୋଇପାରେ, ଆଉ ତା’ପରେ-? ଥରେ ଚିକିତ୍ସା ଆରମ୍ଭ କରି ତ ଅଧା ବାଟରେ ଆଉ ବନ୍ଦ କରିହେବ ନାହିଁ ।''

 

‘‘ତମେ ମା’ ଟିକେ ହୋମିଓପାଥି କି ଆୟୁର୍ବେଦ ଡାକ୍ତରଙ୍କୁ ପଚାରିଲ ନାହିଁ’’ ଲତିକା କହିଲା, “କେରଳୀ ଡାକ୍ତରବି ଅଛନ୍ତି । ଏମାନେ ଯଦି ଚିକିତ୍ସା କରନ୍ତେ ତେବେ ହୁଏତ ବହୁତ କମ୍‍ରେ ହୋଇଯା’ନ୍ତା । ଆମ ଘରେ କି ବସ୍ତିରେ ଯାହାର କିଛି ହେଲେ ଆମେ ଆଗ ହୋମିଓପାଥି ଡାକ୍ତର ଦେଖଉ । ଅପରେସନ୍ ଫପରେସନ୍ କାମ ହେଇଥିଲେ ଡାକ୍ତରଖାନା ଯାଉ ।''

 

ଲତିକାର ଶିକ୍ଷା କେତେ, ସେକଥା ପାର୍ବତୀକୁ ଜଣା ନଥିଲା । ଦୂରରୁ ଦେଖିଲେ ଜଣେ ଗ୍ରାଜୁଏଟ୍ ବୋଲି ଭାବିବ । କହିଲା, “ସେ କଥା ଭାବିଚି । ହେଲେ ଭୟ ଲାଗୁଚି । ଯଦି ରୋଗ ବଢ଼ିଯାଏ, ଆଉ କିଛି କରିବାର ଉପାୟ ନଥିବ । ଯେ ଖୁବ୍ ବଡ଼ରୋଗ ।''

 

ଲତିକା କହିଲା, “କ୍ୟାନସର୍ କଥା କ’ଣ ମୁଁ ଜାଣିନି ? ଜାଣିଛି ମା’ । ଆମ ବସ୍ତିରେ ପରା ଦି'ଜଣ ସେ ରୋଗରେ ମରିସାରିଛନ୍ତି । ଜଣକପାଇଁ ଆମେ ସବୁ ପରା । ଘର ଘର ଚାନ୍ଦା କରିଦେଇଥିଲୁ । ହେଲେ ବଞ୍ଚିଲା ନାହିଁ ମା’ ।''

 

ପାର୍ବତୀ କହିଲା, “ଆରମ୍ଭରୁ ଠିକ୍‌ଠାକ୍ ଚିକିତ୍ସା ହେଲେ କେତେ ଲୋକ ବଞ୍ଚିଯା'ନ୍ତି । ଡେରିହେଲେ ମହାବିପଦ ।''

 

ଏ ଭିତରେ ଲତିକାର ବାସନମଜା ସରିଯାଇଥିଲା । ସେ ଗୋଡ଼ହାତ ଧୋଇ ଉଠିବାରୁ ପାର୍ବତୀ ଉଠିଲା । ସେପଟ ରୁମ୍‍ରେ ସତ୍ୟାନନ୍ଦ ଗାଢ଼ ନିଦରେ ଶୋଇଥାଏ । ପରଦା ଟେକି ତା’ ଆଡ଼େ ଟିକେ ଅନେଇ ଦେଇ ପାର୍ବତୀ ବାହାର ବାରଣ୍ଡାକୁ ଆସିଗଲା । ପଛେ ପଛେ ଲତିକା । ବାହାରେ ମୋଟରସାଇକେଲ୍, କାର୍, ସ୍କୁଟି ଚାଲିଥିଲେବି ସେତେଟା ଗହଳି ନଥିଲା । ପାର୍ବତୀ ଥିଲା ବାରଣ୍ଡାରେ, ଲତିକା ତା’ରି ସିଧାରେ ତଳେ ପାହାଚ ଉପରେ । ସିଏ ଦି’ପାଦ ଯାଉଯାଉ ବୁଲିପଡ଼ିଲା, କହିଲା ‘‘ମା’ ଗୋଟେ କଥା କହିବି, ଅବଶ୍ୟ ଆମେ ଛୋଟଲୋକ । କିନ୍ତୁ ମା’ ଜଣେ ବାଆ ହୋଇଥିବା ସ୍ତ୍ରୀଲୋକପାଇଁ ତା’ର ବର ସବୁ କିଛି । ବର ଯଦି ନଥିବ, ତେବେ ଜୀବନ ଥାଇ ଯାହା, ନଥାଇ ସେଇଆ । ମୋ କହିବା କଥା, ତମେ ନିଜେ କିଛି ଗୋଟେ କର, ଯେମିତି କିଛି ଟଙ୍କା ରୋଜଗାର ହବ । ବାବୁ ତ ଯାହାବି ହେଲେ ଦରମା ପାଉଛନ୍ତି । ସେଥିରେ ଘର ଚାଲିବ । ତମ ପଇସାରେ...''

 

ତା’ କଥାରେ ବାଧା ଦେଇ ଅଳ୍ପ ଦୁଃଖମିଶା ହସ ହସି ପାର୍ବତୀ କହିଲା, ‘‘ମୁଁ ତ ଜମା ପ୍ଲସ୍ ଥ୍ରୀ ପଢ଼ିଚି । ଆଜିକାଲି କମ୍ପ୍ୟୁଟର ନ ଜାଣିଲେ ମଣିଷ କୋଉ କାମର ନୁହେଁ । ସିଲେଇ ମେସିନ୍ ପକେଇଲେ କି ଘରେ ବସି ଆଉ କିଛି ବିଜିନେସ୍ କଲେ ହୁଅନ୍ତା । ହେଲେ ମୋର ନା ଧନବଳ ଅଛି, ନା ଅଛି ମନୋବଳ, ନା ଅଛି ଲୋକବଳ ! ମୋ ଦେଇ କିଛି ହବନି । ଭଗବାନ କାହିଁକି ଏତେ ଦୁଃଖ ରଖିଛନ୍ତି ମୋପାଇଁ କେଜାଣି ।''

 

ଲତିକା କେତେକ୍ଷଣ ନିରବ ରହିଲା, ପାର୍ବତୀକୁ ବାରଣ୍ଡାଠାରୁ ପାଞ୍ଚ/ଛ' ହାତ ଦୂରକୁ ଠାରରେ ଡାକିନେଲା, କହିଲା, “ଛୋଟ ମୁହଁରେ କଥାଟାଏ କହିବି ବୋଲି ଭାବୁଚି, ହେଲେ ଭୟ ଲାଗୁଚି । ତମେ ଯଦି ଜମା ନ ରାଗିବ କହିବି ।''

 

‘‘କହ, ରାଗିବି କାହିଁକି ?'' ପାର୍ବତୀ କହିଥିଲା ।

 

ଲତିକା ଶାଢ଼ିର କାନି ମୋଡ଼ୁ ମୋଡ଼ୁ କହିଲା, “ତମେ କୋଉ ଘରର ଝିଅ, ମୁଁ ଜାଣିଚି ମା’ । ତମେ ନିଜେବି କେମିତିକା ମଣିଷ, ମୁଁ ସେକଥା ଜାଣିଚି । କଥାଟା କହିବାକୁ ସାହସ କୁଳଉନି-। କିନ୍ତୁ ବାବୁକୁ ଯୋଉ ରୋଗ ହେଇଛି, ଖାଲି ଟଙ୍କା ଦରକାର ।''

 

‘‘ତୁ କ’ଣ କହୁଚୁ ?'' ପାର୍ବତୀ ପଚାରିଲା ।

 

‘‘ଜାଣିଲ ମା’ ମାଇକିନାମାନଙ୍କର ସମ୍ପତ୍ତି କ’ଣ କହିଲ ?'' ପ୍ରଶ୍ନଟା ପଚାରି ଲତିକା କେଇକ୍ଷଣ ପାର୍ବତୀକୁ ଏକଲୟରେ ଚାହିଁ କହିଲା, ‘‘ଆମ ମାଇକିନାମାନଙ୍କର ସମ୍ପତ୍ତି ହେଲା ଆମ ଧିଅ । ଧିଅ ସମ୍ପତ୍ତିକୁ ଯଦି ଜଣେ ଠିକ୍‍ଭାବେ ନେଇଆଣି ଥୋଇ ପାରିଲା, କିଛି ଅଭାବ ରହିବ ନାହିଁ । ଆମେ ତିନି ଚାରି ଜଣ ବସ୍ତିରେ ନିହାତି ଦରକାର ହେଲେ ସେ କାମ କରୁ, ଆମେ ଡେଲି ସେ କାମ କରୁନା ।''

 

ପାର୍ବତୀ ତାକୁ ବଲବଲ କରି କେଇ ସେକେଣ୍ଡ୍‍ ଅନେଇଲା । ଯଦିଓ ତା’ଦେହ ଭିତରେ ଭିତରେ କେମିତି ଏକପ୍ରକାର ଶିର୍‍ଶିର୍ ହେବାକୁ ଆରମ୍ଭ କରିଥିଲା, ତଥାପି ସେ କିଛି ବୁଝିବା ଅବସ୍ଥାରେ ନଥିଲା । ସ୍ୱତଃ ତା’ ପାଟିରୁ ବାହାରିଲା, “ତୁ କ’ଣ କହୁଛୁ ?”

 

ପାର୍ବତୀ ରାଗରେ ଏ ପ୍ରଶ୍ନଟା କରିଥିଲା କି ସ୍ୱାଭାବିକଭାବେ ପଚାରିଥିଲା, ସେକଥା ଠଉର କରିବାର ପ୍ରୟାସ କଲା ଲତିକା । ତା’ପରେ କହିଲା, “ଶୁଣ ମା’ ଖରାପ ସମୟ ପଡ଼ିଥିବାବେଳେ ବହୁତ ଟଙ୍କା ଦରକାର କି ନାହିଁ ? ଆମପାଇଁ ସ୍ୱାମୀର ଜୀବନ ସବୁଠାରୁ ବଡ଼ କି ନାହିଁ ? ଏ ସମୟରେ କେମିତି ହାତକୁ ଟଙ୍କାଟା ଆସିବା ଦରକାର, ସେଇଟା ବଡ଼କଥା ଆମପାଇଁ-। ତମେ କୁହ, କୋଉ ଅବସ୍ଥାରେ ଯଦି ମୁଁ କି ମୋ ବର କି ମୋ ପିଲାଛୁଆ ମରିବି ଯିବେ, ମୋ ପିଠିରେ କେହି ପଡ଼ିବ ? ଟଙ୍କାଟିଏ କେହି ଯାଚିକରି ଦବାକୁ ଆସିବ କି ? ଆଉ ତମେ ଯୋଉ ମାଗିବା କଥା କହୁଚ, କାହାଠୁ ମାଗିବ ? କେତେବି ମାଗିବ ? ଲୋକ ଯଦି ଜାଣିବେ ଯେ ତମେ ତାଙ୍କୁ ଟଙ୍କା ମାଗିବାକୁ ଆସିଚ, ସିଏ ଏମିତି ବାଟ କରିବେ ଯେମିତି ତମର ତାଙ୍କର ଜମା ଭେଟ ହବନେଇଁ । ସେଇଥିଲାଗି କହୁଥିଲି କି...’’

 

ଲତିକା ଏମିତି ଏକା ନିଃଶ୍ୱାସରେ କହିଗଲା, ସତେ ଯେମିତି ସେ କିଛି ପ୍ରବଚନ ଦେଉଥିଲା । ସେ ଗୋଟେ ହାତ ଗେଟ୍‍ର ଗ୍ରିଲ୍ ଉପରେ ରଖୁଥିଲା, ସତେ ଅବା ପଦାକୁ ବାହାରିଯିବ । ପାର୍ବତୀ ଅତ୍ୟନ୍ତ ସରଳ, ନିଷ୍କପଟ, ନିର୍ମାୟା ଭାବରେ ପଚାରିଲା, “ତୁ ଯେ ଏତେ କଥା କହିଲୁ, ମୁଁ ସେଥିରୁ କିଛି ବୁଝିପାରିଲି ନାହିଁ । ଖାଲି ଏତିକି ଜାଣିଲି, କ’ଣ ଗୋଟେ କାମ କରିଦେଲେ ଟଙ୍କା ସହଜରେ ହାତକୁ ଆସିବ, ଏଇଆ ତ ?

 

ଆଖିକୁ ଢିମାଢ଼ିମା କରି ଲତିକା କହିଲା, ‘‘ଶୁଣ ମା’, ତମେ ଯେମିତି ଲୋକ, ତୁମେ ଏ ଦୁନିଆରେ ତିଷ୍ଠିବା କାଠିକର ପାଠ । କିନ୍ତୁ ତମେ ଯଦି ମନକୁ ଟିକେ ଟାଣ କରି ବାହାରିବ, କିଛି ଚିନ୍ତା ରହିବ ନାଇଁ । ମୋର ବରଟାବି ଭଲଲୋକ । ତାକୁ ମୁଁ କହିବି ସିଏ ଟିକେ ସାହାଯ୍ୟ କରିବ । ଜାଣିଲ ମା’ ଭଗବାନ ବଡ଼, ସେଇ ସବୁ ଦେଖେ, ଜାଣେ । କୋଉଟା ଭଲ କାମ, କୋଉଟା ଖରାପ କାମ, ଆମେ ଜମା ବିଚାର କରିପାରିବା ନାହିଁ । ଯାହାକୁ ଆମେ ଭଲ ଭାବିଥିବା, ଭଗବାନଙ୍କ ଆଖିରେ ସେଇଟା ଖରାପ, ଆଉ ଆମେ ଯାହାକୁ ଖରାପ ଭାବିଥିବା, ଭଗବାନଙ୍କ ବିଚାରରେ ସେଇଟା ଭଲ । ଏଗୁଡ଼ା ଏତେ କଥା ଭାବିଲେ ମୁଣ୍ଡ ଗୋଳମାଳ ହେଇଯିବ । କାମ କରିଗଲେ ଯାଏଁ ।'’

 

“ଆଲୋ ତୁ ତ ବେଶ୍ ଭଲ ବାଗରେ କଥା କହୁଚୁ ।'' ପାର୍ବତୀ କହିଲା, “ତୁ କେତେ ପାଠ ପଢ଼ିବୁ କିଲୋ ?’’

 

ପାର୍ବତୀର କଥା ତାକୁ ଟିକେ ବାଧିଲା କି କ’ଣ, କହିଲା, “ମୁଁ କି ପାଠ ପଢ଼ିଚି ମ ! ହେଲେ ମା’, ସଂସାର ମୁଁ ଯେତିକି ଦେଖିଲିଣି, ସେଇଥିରେ ମୋର ଢେର୍ ଜ୍ଞାନ ହେଇଗଲାଣି । ଆଉ ମୋର ପାଠ କି ଦରକାର ।

 

ଲତିକା ମ୍ଳାନ ହସ ହସିଲା, କହିଲା, ‘‘ତାହାହେଲେ ମା’ ତମେ ରାଜି ତ ?’’

 

‘‘ମାନେ ?'' ପାର୍ବତୀ ପଚାରିଲା ।

 

ଲତିକା ଚାରିଆଡ଼ୁ ଥରେ ନଜର ଘୂରେଇ ଆଣିଲା, ତଳ–ଉପର–ବାଁ–ଡାହାଣ ଚାରିଆଡ଼ୁ । ସତେ ଅବା ନିଶ୍ଚିତ ହେଲା, ଆଖପାଖରେ କେହି ନଥିଲେ । ମୁହଁକୁ ଲତିକା କେମିତି ଏକ ଭଙ୍ଗୀରେ ପରିବର୍ତ୍ତିତ କରି ପାର୍ବତୀର ଆହୁରି ନିକଟତର ହୋଇ କହିଲା, ‘‘ଶୁଣ ମା’, ଏଥିରେ ଜମା କିଛି ବିପଦ ନାହିଁ କି ଏଇଟା ସେମିତି କିଛି ଖରାପ କାମ ନୁହେଁ । ଯିଏ ଖରାପ ବୋଲି କହୁଚି, ସିଏ କ’ଣ ଆମକୁ ଅଜାଡ଼ି ପକେଇବ ନା କ’ଣ ?''

 

ଭିତରୁ ଖଣ୍ଡିକାଶ ଶୁଭିଲା, ପାର୍ବତୀ କହିଲା, “ଇଏ ଉଠି ପଡ଼ିବେ ଏଥର ।’’ ଲତିକା ଟିକେ କାନ ଡେରିଲା, ତା’ପରେ ନିଶ୍ଚିତ ହେବାପରି ଢଙ୍ଗରେ କହିଲା, “ନା ବାବୁଙ୍କୁ ଭଲ ନିଦ ହେଇଚି । ଶୁଣ ମା’, ତମେ ଚାହିଁଲେ ଘର କାମଦାମସାରି ଦିନବେଳାବି ହବ, ନହେଲେ ସଞ୍ଜ ଛ’ଟାରୁ ରାତି ଦଶଟା ଭିତରେବି ଆରାମରେ ହେଇପାରିବ । ମୋ ବର, ତା' ନାଁ ସୁକାନ୍ତ–ସିଏ ତମକୁ ଠିକ୍ ଛକ ପାଖରୁ ନହେଲେ ଘରୁ ନବ, ପୁଣି ଆଣି ଘରେ ଛାଡ଼ିଦେବ । ଜାଣିଲ ? କେହି ଜାଣିବାର ନାହିଁ କି ଶୁଣିବାର ନାହିଁ । ଧୂଳି ନାହିଁ କି ମଳି ନାହିଁ ।”

 

ଏତେବେଳେ ପାର୍ବତୀ ହୁଏତ କିଛି ଅନୁମାନ କରିପାରିଲା, ତା’ ଦେହ ତାଳୁରୁ ତଳିପା ଯାଏଁ କେମିତି ଏକ ଅଦ୍ଭୁତ ଶିହରଣରେ ଶୀତେଇଗଲା । ପର ମୁହୂର୍ତ୍ତରେ ହୁଏତ ରାଗ ଉଠି ଆସୁଥିଲା, ସେଇ ରାଗ କିଛି ନିର୍ଦ୍ଦିଷ୍ଟ ରୂପରେଖ ନେବା ଆଗରୁ ଲତିକା କହିଲା, ‘‘ତମର କାମ ହେଲା ମା’, ଖାଲି ଭଲ ଶାଢ଼ିଟେ ପିନ୍ଧି ବାହାରି ପଡ଼ିବ ।''

 

ପାର୍ବତୀ ଏଥର ଠାର ବାରଣା ବୁଝିସାରିଥିଲା, ପ୍ରଚଣ୍ଡ କ୍ରୋଧ ବଦଳରେ ତା' ଭିତରେ ଉଙ୍କି ମାରୁଥିଲା ପ୍ରଚଣ୍ଡ ଉତ୍ସୁକତା । ପଚାରିଲା, “ମତେ ଠିକ୍ କରି କହ, କେମିତି କ’ଣ କରିବାକୁ ପଡ଼ିବ, ଆଉ ମୋର ରୋଜଗାର କେମିତି ହବ, କେତେ ହବ ।''

 

ପାର୍ବତୀର କଥାରେ ଲତିକା ଟିକେ ଖୁସି ଓ ଆଶ୍ୱସ୍ତ ହେବାପରି ଜଣାଗଲା । କହିଲା, ‘ମା’, ଆମକୁ, ମାନେ ମାଇକିନାମାନଙ୍କୁ ଭଗବାନ ଆଉ କିଛି ନହେଲେ ନାହିଁ, ଏଇ ଦେହ ଖଣ୍ଡକ ତ ଦେଇଛନ୍ତି । ସେଇ ଆମର ସବୁକିଛି । ସିଏବି କେଇ ଦିନ କହୁନ ? ଆଉ ଆଠ/ଦଶବର୍ଷ ପରେ ତୁମକୁ କି ମତେ କୋଉ ପୁରୁଷ ପିଲା ଅନେଇବବି ନାହିଁ । ଶୁଣ ମା’, ଏ ଟାଉନ୍ ଜାଗାରେ ଲୋକଙ୍କର ପଇସାର ଅଭାବ ନାହିଁ । ଖାଲି ଟିକେ ଧିଅ ସୁଖ, ମଜାପାଇଁ ଧନୀଘର ପିଲା, ଅଫିସରିଆ କିଛି ଲୋକ ହଜାର ହଜାର ଟଙ୍କା ଉଡ଼େଇ ଦଉଛନ୍ତି । ଇଏ ମା' କେତେ ସମୟର କାମ କି ? ଥରେକି ଜାଣ ସବୁ ସବୁ କରି ଘଣ୍ଟାକର କାମ । ହେଲେ ଗୋଟାଏ କଥା; କଥାରେ ଆଉ କାମରେ ପୂରା ଲାଜ ଛାଡ଼ିବାକୁ ହବ ମା’ । ବାହା ହେଇଥିବା ଅଧାଳିଆ ଲୋକଗୁଡ଼ା ଟିକେ ସବୁ କାମ ଡେରି ଡେରି କରନ୍ତି, ଆଉ ବାହା ନ ହୋଇଥିବା ପାଠ ପଢ଼ୁଥିବା ଟୋକା ତ ଖାଲି ତରବର, ଅସ୍ଥିର । ଚଟାପଟ କାମ ସାରିଦେଲେ ଯାଏ’ । ତାଙ୍କରବି ଶୀଘ୍ର ସରିଯାଏ । ଯେମିତି ଜଣାପଡ଼ୁଚି, ସେମିତି କିଛି କଷ୍ଟ ନାହିଁ କି ବିପଦ ନାଇଁ । ମୋର ବର କେତେଜଣ ଅତି ଭଲ, ଭଦ୍ରଲୋକଙ୍କୁ ଜାଣିଚି । ଝାମେଲା ନାହିଁ କି, ପଇସା ମିଳିବାରେ ଝିକିଝିକି ନାହିଁ । ଛ’ରେ ଗଲ, ସାତେରେ ଆଇଲ । ସାତେରେ ଗଲ ଆଠେରେ ଆଇଲ । ସଞ୍ଜବେଳେ ଦି’ଥରରେ ତମେ ପାଇଲ କୋଡ଼ିଏ ହଜାର । ଦିନବେଳା ଛାଡ଼, ତମେ ଦିନବେଳା ପାରିବନି । ଯଦି ମନେକର ମାସେରେ ତମ ଜମା ଦଶଦିନ ଗଲ, ପାଇବ ଦୁଇଲକ୍ଷ । ଅଧିକାବି ହେଇପାରିବ । ତିନି ମାସେରେ ପରା ମା’ ତମେ ଆଠ ଦଶ ଲକ୍ଷ ଟଙ୍କା ନେଇଆସିବ, ବାବୁଙ୍କ ଧିଅ ନିଶ୍ଚେ ପୂରା ଭଲ ହେଇଯିବ । ତିନି/ଚାରି ମାସ ପରେ ତମେ ଆଉ ଏ କାମ କରିବ ନାଇଁ । ଏଥିରେ କିଛି ପାପ ନାହିଁ, କି ଭୁଲ୍ କିଛି ନାହିଁ । ନିଜ ବରର ଜୀବନ ବଞ୍ଚେଇବା ପାଇଁ ଯାହା କରିବା କଥା, ଜଣେ ମାଇକିନା ତା’ କରିବାକୁ ବାଧ୍ୟ, କ’ଣ କହୁନ ?''

 

ଏତେବେଳକୁ ସେଇ ଜାଗାଟାରେ ବିଚିତ୍ର ଗନ୍ଧ, କେମିତି ଏକ ଉତ୍କଟ ଗନ୍ଧ ଉବୁକି କରି ଉଠୁଥିଲା କେଉଁଠୁଁ, ଚରିଯାଉଥିଲା ମାଟିରେ, ଗଛରେ, ମନରେ, ଦେହରେ । କଥାରୁ ପୁଣି ଏମିତି ଗନ୍ଧ ଉପୁଜିପାରେ ? ସେଇ ବିଚିତ୍ର ଗନ୍ଧ ସଞ୍ଚରି ଯାଇଥିଲା ଘରସାରା, ସେଇ ଗନ୍ଧ ସେତିକିବେଳୁ ନାକ, ଦେହ, ମନ, ପ୍ରାଣ, ଆତ୍ମା ସବୁକିଛିକୁ ରୁନ୍ଧି ଦେଇଚି ପାର୍ବତୀର, ଅବଶ୍ୟ କଥାଗୁଡ଼ା କହିସାରି ଲତିକା କେତେବେଳୁ ଚାଲିଯାଇସାରିଛି, ଅଥଚ ସେଇ ଗନ୍ଧ ଇଲାକା ଛାଡ଼ି ଯାଉ ନାହିଁ ।

 

ଏହା କି ଗନ୍ଧ ସତରେ ?

 

ଶୁଖୁଆ ପୋଡ଼ା ଗନ୍ଧ ?

 

ନା ଗୋବର ଖତର ଗନ୍ଧ ?

 

ନା ପୁରୁଣା ନର୍ଦ୍ଦମା ଗନ୍ଧ ?

 

ନା ବାହାଘର ପରେ ଅଇଁଠାଗଦା–ଖଲିପତ୍ରର ମିଶାମିଶି ଗନ୍ଧ ?

 

ନା ଶବ ଦରପୋଡ଼ା ଗନ୍ଧ ?

 

ନା ପୁରୁଣା ଡାକ୍ତରଖାନାର ୱାଡ଼୍‍ର ଗନ୍ଧ ?

 

ନା ସବୁର ମିଶାମିଶି ଏଇ ବିଚିତ୍ର ଉତ୍କଟ ଗନ୍ଧ ?

 

ଲତିକା ଆହୁରି କେତେକେତେ ଭୟଙ୍କର କଥା କହିଗଲା । ବସ୍ତିରେ ରହିଲେବି କେତେ ଗହନ କଥା ତାକୁ ଜଣା । ତା’ ନିଜର ଅଭିଜ୍ଞତାବି ଅଛି । କେତେ ସାହସୀ । କେତେ ନିର୍ଭୟ । ପୁଣି ତା’ ବରବି ତାକୁ ସାହାଯ୍ୟ ସହଯୋଗ କରେ । ସେମାନଙ୍କର ଜୀବନ, ଆଦର୍ଶ, ଦର୍ଶନ ପୂରା ଅଲଗା । ସବୁକିଛି ସ୍ୱାଭାବିକ, ସହଜ । ବେଶି ଭାବିଲେ ଖରାପ । ଜୀବନ ସୁରୁଖୁରୁରେ ଗଡ଼ିବାକୁ ହେଲେ, ପିଲାଛୁଆ–ସ୍ଵାମୀଙ୍କର ସବୁ ମଙ୍ଗଳ ହେବାକୁ ହେଲେ ଜଣେ ସ୍ତ୍ରୀଲୋକ ଯାହା ଦରକାର, ସେସବୁ କରିବା ଉଚିତ । ସେଥିରେ ଭାବନା, ଚିନ୍ତା, ଚେତନା, ଆଦର୍ଶ, ଦର୍ଶନର ସ୍ଥାନ ନାହିଁ । ଲତିକାର ଚାଲିଯିବା ପରେବି ଗନ୍ଧ ଯାଇ ନାହିଁ । ତା’ ଯିବା ପରେ ପାର୍ବତୀର ମୁଣ୍ଡ ଗୋଳମାଳ ହେଇଯିବା କଥା, ହୋଇ ନାହିଁ, କିନ୍ତୁ ତା’ ମନ ଭିତରେ ଛାତି ତଳେ କେତେକଅଣ କୋଉଠି ଭାଙ୍ଗିରୁଜି ଚୂରମାର ହେଇଯାଇଛି ।

 

ଶେଷକଥା ଲତିକା କହିଥିଲା, “ବୁଝିଲ ମା’ ପୁରୁଷ ଲୋକଙ୍କର ଔକାତ୍‍ କେତେ ମ ! ମାଇକିନାଙ୍କ ଛାତି ଉପରେ ତାଙ୍କର ଖାଲି ନଜର । ନବେ ଭାଗ ଲୋକଙ୍କର କଥା ସେତିକି । ବାକିତକ ବୁଝିଲ ମା’ ଜାଣ ଭଡ଼ୁଆ । ଏକାଟିଆ ମାଇକିନାଟେ ପାଇଲେ ଯାବତୀୟ କକରଛନିଆ କରନ୍ତି । ପଇସାଗଣ୍ଡାକ ଆମ ହାତକୁ ଆସିଲେ କାମ ଶେଷ । ତମେ ତ ମା’ ପାଠ ପଢ଼ୁଆ ଲୋକ, ତମର କିଛି ଅସୁବିଧା ହେବ ନାଇଁ । ପ୍ରଥମେ ଥରେ ଦି'ଥର ଅଡ଼ୁଆ ଲାଗିବ, ତମେ ତ ପାଞ୍ଚ ଛ’ମାସ ପରେ ଏ ଧନ୍ଦା ଛାଡ଼ିଦବ । ଯଦି ମୋ କଥାରେ ତମେ ରାଜି, ମତେ କହିଲେ ମୁଁ ମୋ ବରକୁ କହିବି ।''

 

ଯଦ୍ୟପି ପାର୍ବତୀ ଠିଆ ହୋଇଥିଲା, ତା’ର ଶରୀର ଥରୁଥିଲା । କୌଣସି ଶବ୍ଦ ନଥିଲା ତା’ ମୁହଁରେ । ତା’ର ମନ, ଅନ୍ତର, ହୃଦୟ ପିତା ହୋଇଯାଇଥିଲା । ମୁଣ୍ଡ ଭିତରଟା ଶୂନ୍ୟ ହୋଇଯାଇଥିଲା । ଯିବା ପୂର୍ବରୁ ଲତିକା ପଚାରିଥିଲା, ‘‘ତମେ ଯଦି ଜମା ଖରାପ ନ ଭାବିବ, ମୁଁ ଗୋଟେ କଥା କହନ୍ତି ।''

ପାର୍ବତୀ ପ୍ରଶ୍ନିଳ ଦୃଷ୍ଟିରେ ତାକୁ ଚାହିଁଥିଲା । କିଛି କହିପାରି ନଥିଲା । ମୌନତାକୁ ସମ୍ମତି ଭାବି ଲତିକା କହିଥିଲା, ‘‘ତମ ଛାତି କଥା ଭାବିଲେ ମୋର ଭାରି ହିଂସା ହୁଏ ମା' । ବହୁତ ସୁନ୍ଦର ମା’ ।'’

‘‘ଚୋପ୍ ।'' ପାର୍ବତୀର ଓଠକୁ ଏତେବେଳେ ସ୍ଵତଃସ୍ଫୂର୍ତ୍ତଭାବେ ଶବ୍ଦ ଆସିଥିଲା, ‘‘ବହୁତ ବଢ଼ି ବଢ଼ି କଥା କହୁଚୁ । ତୁ ଯା’ ।''

ବାସ୍, ଲତିକା ଚାଲିଯାଇଥିଲା । ଟଳିଟଳି ସେଇଠୁ ଘର ଭିତରକୁ ଆସିଥିଲା ପାର୍ବତୀ । ଭିତର ଘରକୁ ଯିବାବେଳେ ଖଟ ଉପରେ ଆଖି ପହଁରେଇ ନେଇଥିଲା । ସତ୍ୟାନନ୍ଦ ଶୋଇଥିଲା ଅପୂର୍ବ ଏକ ପ୍ରଶାନ୍ତିରେ । ପତଳା ଚଦରଟେ ପଡ଼ିଥିଲା ତା’ ଶରୀରରେ ବେକଯାଏଁ । ସେ ଥିଲା ସତେ ଅବା ସମ୍ପୂର୍ଣ୍ଣ ଆଶ୍ୱସ୍ତ ଏବଂ ନିଶ୍ଚିନ୍ତ । କ୍ଷଣେ ମାତ୍ର ସେଠି ଠିଆ ହୋଇ ସତ୍ୟାନନ୍ଦର ସେଇ ଶାନ୍ତ ସୁଧାର ମୁହଁକୁ ଚାହିଁ ଭିତରକୁ ଗଲା ପାର୍ବତୀ ।

ଭିତର ଘରର କବାଟ ବନ୍ଦ କଲା ଭିତରୁ । ଝର୍କାବି । ସବୁ ପରଦା ଭଲଭାବେ ଟାଣିଦେଲା । ଡ୍ରେସିଙ୍ଗ୍ ଟେବୁଲ୍ ସାମ୍ନାରେ ଆସି ଠିଆହେଲା । ନିଜକୁ ନିରୀକ୍ଷଣ କଲା । ଛାତି ଉପରୁ ଶାଢ଼ି ଖସେଇଦେଲା, ତା’ପରେ ବ୍ଲାଉଜ୍ ଖୋଲିଦେଲା, ଶେଷରେ ବ୍ରା’ । ଅଣ୍ଟା ପାଖର ସାମାନ୍ୟ ଚର୍ବିକୁ ଦେଖିଲା ।

ମୁର୍କି ହସିଲା ପାର୍ବତୀ । ସବୁ ପୁଣି ଗୋଟିକ ପରେ ଗୋଟିଏ ପିନ୍ଧିଲା । କବାଟ ଖୋଲି ଏପଟ ଘରକୁ ଆସି ଦେଖିଲା, ସତ୍ୟାନନ୍ଦର ନିଦ ଭାଙ୍ଗିଯାଇଛି, ସେ ବସିଚି ଖଟ ବାଡ଼ାକୁ ଆଉଜି । ପାର୍ବତୀ ତା’ ପାଖରେ ବସୁ ବସୁ ସତ୍ୟାନନ୍ଦ ପଚାରିଲା, “କବାଟ କିଳି କ’ଣ କରୁଥିଲ କି ?''

 

‘‘ନିଜକୁ ଟିକେ ଭଲ କରି ଦେଖିଲି ।''

 

‘‘ମାନେ ?’’ ବିସ୍ମୟରେ ପଚାରିଲା ସତ୍ୟାନନ୍ଦ ।

 

‘‘ମାନେ ପୁଣି କ’ଣ ମ !''

 

ସେଇ ମୁହୂର୍ତ୍ତରେ ପାର୍ବତୀ ଅନୁଭବ କଲା, କୌଣସି ପ୍ରକାରର ଜଣା/ ଜଣା/ ତୀବ୍ର/ ତିକ୍ତ/ ମଧୁର/ ବିଚିତ୍ର ଗନ୍ଧ ଘର ଭିତରେ ନଥିଲା ।

 

‘‘କାଲିଠୁ ଲତିକା ଏଠାକୁ ଆଉ ଆସିବ ନାହିଁ ।'' ପାର୍ବତୀ ଧୀରେ କହିଲା, ‘‘କାମ କ’ଣ ମତେ ବଳେଇ ଯାଉଚି ନା କ’ଣ ?’’

✽✽✽

 

ଆତ୍ମା–ପଲଟ

 

ସମୁଦାୟ ଘଟଣାଟା ଏମିତି ପ୍ରକାରର ବିଚିତ୍ର ମୋଡ଼ ନେବ ଓ ଏମିତି ଅଭାବନୀୟ ପରିଣତିରେ ପହଞ୍ଚିବ, ଏକଥା ଥିଲା ମୋର କଳ୍ପନାର ବାହାରେ । ଘଟଣାଟା ସତ୍ୟ ଅବା ମାୟା, ଇନ୍ଦ୍ରଜାଲ ଅବା ବାସ୍ତବ, ମନ୍ତ୍ର ଅଥବା ତନ୍ତ୍ର, ହଠଯୋଗ ଅବା କୁଣ୍ଡଳିନୀ ସାଧନ କିମ୍ବା ଚଣ୍ଡୀ ସାଧନା ଅବା ବେତାଳ ସାଧନା; କିଏ ବା ଜାଣେ ? କିମ୍ବା କିଏ ଅବା ଏ ସମ୍ପର୍କରେ ବୁଝାଇ ପାରିଥା'ନ୍ତା ? ଯାହାହେଉ, ଏସବୁ ତ ଥିଲା ଢେର୍ ପରର କଥା । ଏ କଥାଟାକୁ ଦେହ–ମନ–ପ୍ରାଣରେ ଭେଦାଇବାକୁ ହେଲେ ଆମକୁ ଫେରିଯିବାକୁ ହେବ କିଛି ବର୍ଷ ତଳକୁ ।

 

ସେତେବେଳେ ମୋର ଦଶମ ଶ୍ରେଣୀ ।

 

ଏବଂ ସେଇଠାରୁ ବୋଧହୁଏ ଏ ଘଟଣାର ମୂଳଦୁଆ ପଡ଼ିଥିଲା ।

 

ଆଦ୍ୟପର୍ବ

 

ଆମର ଘର ଥିଲା ଏକ ଅପେକ୍ଷାକୃତ ଛୋଟ ସହରରେ । ହେଃ–ନାମକୁ ମାତ୍ର ସହର-। ଛୋଟବଡ଼ଗୁଡ଼ାଏ ଦୋକାନ, ଖାଲଖମା ଭରା ପିଚୁରାସ୍ତା, ଗୋଟାଏ ଧଇଁଆ କଲେଜ, ନିୟମିତଭାବେ ଡାକ୍ତର ରହୁ ନଥିବା ଏକ ମେଞ୍ଚଡ଼ ଡାକ୍ତରଖାନା, ନିଦରେ ଚାଲୁଥିବା ପରି ଏକ କୁନି ବ୍ୟାଙ୍କ୍‍, ଆର୍.ଆଇ. ଅଫିସ୍ ଏବଂ କେବେବି କୌଣସି ଭଦ୍ରଲୋକ ଯାଉ ନଥିବା ବ୍ଳକ୍ ଅଫିସ୍‌କୁ ନେଇ ସେଇ ସହର । ହେଲେ ଆମ ସ୍କୁଲ୍‍ର ପ୍ରଚୁର ନାମ ଡାକ ଥିଲା ସେତେବେଳେ-। ପ୍ରତିବର୍ଷ ମାଟ୍ରିକ୍ ପରୀକ୍ଷାରେ ଆମ ସ୍କୁଲ୍‍ରୁ ପନ୍ଦର କୋଡ଼ିଏ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲେ ।

 

ଯୋଉ ବର୍ଷ ମୋର ଦଶମ ଶ୍ରେଣୀ, ସେଇ ବର୍ଷ ଜାଣ ଆରମ୍ଭରୁ କେତେ ନା କ’ଣ ସବୁ ଘଟିଗଲା ଭିତରେ ଓ ବାହାରେ । ଭିତରେ ମାନେ ମୋ ଭିତରେ ଏବଂ ବାହାରେ ମାନେ ମୋ ବାହାରେ ।

 

ଯେମିତିକି ଦିନେ ଦିନେ ଜହ୍ନର ଚାରିକଡ଼ରେ ପଡ଼ିଥାଏ ଖୁବ୍ ଫିକା ଧଳା ରଙ୍ଗର ବୃତ୍ତଟିଏ ଯାହାକୁ ଦେଖି କିଏ କହେ ଘୋର ବର୍ଷାର ସୂଚନା ତ ଆଉ କିଏ କହେ ପ୍ରଚଣ୍ଡ ଖରାର ସମ୍ଭାବନା; ସେମିତି ମୁଁ ଆବିଷ୍କାର କଲି ଯେ ମୋ ନାକତଳର ନିର୍ଦାଗ ଇଲାକାରେ ଖୁବ୍ ଫିକା କଳା ରଙ୍ଗର ସରୁ ଦାଗଟେ ଦିଶୁଚି–ଆଃ ନିଶ । ଏଇ ବିଚିତ୍ର ଘଟଣାର ଖୁବ୍ କମ୍ ଦିନ ମାନେ ଏକ ସପ୍ତାହ ପରେ ଆଉ ଏକ ବିସ୍ଫୋରଣକାରୀ ଘଟଣା ଘଟିଲା । ଆମ ସ୍କୁଲ୍‍ରେ ନାଁ ଲେଖାଇଲା, ମାନେ ଆମ ଶ୍ରେଣୀରେ ପଢ଼ିବ ବୋଲି, ଝିଅଟେ–ତପତୀ ତପସ୍ୱିନୀ ।

 

ଅସୁବିଧାଟା ପ୍ରଥମେ ଘଟିଥିଲା ମୋ ଭିତରେ, ଭିତରେ ମାନେ ଛାତି ଭିତରେ । ଦ୍ୱିତୀୟ ଅସୁବିଧାଟା ଘଟିଥିଲା ଯେଉଁଦିନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଲମ୍ବାକଲିଆ ପ୍ରେମାନନ୍ଦ ସାର୍ ବଡ଼ ଗେହ୍ଲାରେ ସେଇ ଝିଅଟିକୁ ସମସ୍ତଙ୍କ ଆଗରେ ସମ୍ବୋଧନ କରିଥିଲେ ‘ତପୁ ବୋଲି । କ୍ଲାସ୍‌ର କୋଉ ପିଲା କ’ଣ ଭାବିଥିବ କେଜାଣି, ମୁଁ କିନ୍ତୁ ମନେମନେ ସାର୍‍ଙ୍କୁ ଯାଚ୍ଛାତା ଗାଳି ଦେଇଥିଲି । ଗାଳି ମାନେ ଏକ ନମ୍ବର ଗାଳି, ଗାଁ ଟୋକାଙ୍କର ଯୋଉ ଭାଷା । ସହରୀ ଟୋକାଏ ତ ଜମା ଦୁଇ /ତିନିଟା ଶବ୍ଦରେ କାମ ଚଳେଇ ନିଅନ୍ତି । ହେଲେ ଆମ ଗାଁ ଟୋକାଙ୍କ ଗାଳିର ଭାଷା ଆଉ ଷ୍ଟାଇଲ୍ ନିଆରା । ସେଇ ଭାଷା ଓ ଷ୍ଟାଇଲ୍‍ରେ ମୁଁ ଘନଘନ ଗାଳି ଦେଇଥିଲି ସାର୍‍ଙ୍କୁ, ମନେମନେ । ଗୋଟେ ଶବ୍ଦବି ଆସି ନଥିଲା ବାହାରକୁ । ଗାଳିତକ ଫସିଲ ହୋଇଗଲେ ଛାତିତଳେ, ହୃଦୟର ଚାରିକଡ଼ରେ, ଏବେ ଯାଏଁ ସେଇଠି ଅଛନ୍ତି । ଯୋଉଦିନ ମୋର ମୃତ୍ୟୁ ହେବ, ତମ ଭିତରୁ କେହି ଲୋକ ଯଦି ମୋ ଛାତି ଖୋଲିବ, ଫସିଲ ହୋଇସାରିଥିବା କେତେ ନା କେତେ ଜିନିଷ ପାଇବ, ତା’ରି ଭିତରେ ଯୋଉଗୁଡ଼ା ଝଲସୁଥିବ କଳା ରଙ୍ଗର, ସେଇସବୁ ପ୍ରେମାନନ୍ଦ ସାର୍‍ଙ୍କୁ ଦିଆଯାଇଥିବା ଗାଳିର ଶବ୍ଦ ସବୁ । ଛାଡ଼ ।

 

କୋଉ କଥା କୁଆଡ଼େ ଚାଲିଗଲା ।

 

କଥା ପୁଣି ଯିବ କୁଆଡ଼େ ମ ।

 

ସାର୍‍ଙ୍କୁ ଗାଳିଦବାର ଦଶ/ ବାର ଘଣ୍ଟା ପରେ, ମାନେ ସେଇଦିନ ରାତିରେ, ମତେ ଆଉ ନିଦ ନା ଫିଦ । ମୁଁ ଗଡ଼ୁଥାଏ ଖଟ ଉପରେ, ଅନ୍ଧାର ଭିତରେ ଏବଂ ଘରସାରା ଅନ୍ଧାର ଭିତରେ ନାଲି–ନୀଳ–ହଳଦୀ–କଳାରଙ୍ଗର ବୃତ୍ତ ସବୁ ଦୌଡ଼ୁଥା’ନ୍ତି ମୋ ଆଖିରୁ ବାହାରିଯିବା ପରେ, ଧକ୍କା ଖାଉଥା’ନ୍ତି କାନ୍ଥରେ ଏବଂ ପୁଣି ମିଳେଇ ଯାଉଥା'ନ୍ତି ଆଉ କୋଉଠି । ଯେତେଟା ବୃତ୍ତ ବାହାରି ଯାଉଥାଏ, ସେତେଟା ତପତୀର ମୁହଁ ଉଡ଼ିଯାଉଥାଏ ଘର ଭିତରେ ।

 

କେତେ ଦିନ ପରେ ମୋ ଭିତରୁ ମତେ କେହି ଧକ୍କାଟେ ମାରିଲା । ପୁଣି ଏକ ବିସ୍ଫୋରଣକାରୀ ଘଟଣା ଘଟିଲା ମୋ ଭିତରେ । (ମୁଁ ବାରମ୍ବାର ଏଇ ବିସ୍ଫୋରଣକାରୀ ଶବ୍ଦଟା କହୁଛି ବୋଲି ଯୋଉମାନେ ଭ୍ରୂ–କୁଞ୍ଚନ କରୁଛନ୍ତି ଏବଂ ଭାବୁଛନ୍ତି କେବଳ ବିସ୍ଫୋରକ ଲେଖାଯିବା ଉଚିତ, ସେମାନଙ୍କ ପାଇଁ କୁହାଗଲା ଯେ ବ୍ୟାକରଣ ବହି ପକେଇ କେହି ଗପ ଲେଖେ ନାହିଁ କିମ୍ବା କାହାଣୀ ଶୁଣାଏ ନାହିଁ । ଆଗ) ଏ ବିସ୍ଫୋରଣଟାର କାରଣ ଶୁଣ ।

 

ଝିଅଟାର ନାଁ ଥିଲା ତପତୀ ତପସ୍ୱିନୀ ।

 

ଆଉ ମୋ’ ନାଁ ଥିଲା ଫଗୁ ଚରଣ ।

 

ବାପା–ମା’ ପିଲାଙ୍କ ନାମକରଣ କରିବାବେଳେ ଟିକେ ଭାବିଚିନ୍ତି ନାମକରଣ କରିବା ଉଚିତ । ଯେତେଥର କ୍ଲାସ୍‍ରେ ସାର୍‍ମାନେ ମୋ ନାଁ ଧରି ଡାକୁଥିଲେ, ସେତେଥର ଭିତରେ ଭିତରେ ମୋର ମୃତ୍ୟୁ ହୋଇଯାଉଥିଲା । ମୋତେ ବେଳେବେଳେ–ମାନେ ଏବେବି ଲାଗେ ଯେ ମୋ ନାଁ ପରେ ଏ ରାଜ୍ୟରେ ଆଉ କୌଣସି ପୁଅର ନାଁ ଫଗୁ ଚରଣ ବୋଲି ଦିଆଯାଇନାହିଁ । ଯାବତୀୟ କାର୍ଯ୍ୟ ମୋ ଗୁଡ଼୍‍ବକ୍ ବାପାର, ଯାହାର ପୂରା ନାଁ ଥିଲା ମାଗୁ ଚରଣ ।

 

ସେଇ ଦଶମ ଶ୍ରେଣୀରେ, ବାର୍ଷିକ ପରୀକ୍ଷାବେଳକୁ ଆଉ ଗୋଟେ ବଡ଼ ବିସ୍ଫୋରଣ ହେଲା । ଅବଶ୍ୟ ସେତେବେଳକୁ ମୋର ତପତୀ ତପସ୍ୱିନୀ ନାମକ ଝିଅଟା ସହ କେତେଥର କଥାବାର୍ତ୍ତା ହୋଇସାରିଥିଲା । ଏଇସବୁ ସାଧାରଣ କଥା । ସିଏ କ’ଣ ପଚାରିଥିବ, ମୁଁ ଉତ୍ତର ଦେଇଥିବି ଅଥବା ମୁଁ କ’ଣ ପଚାରିଥିବି ଓ ସେ ଏଣୁତେଣୁ ଉତ୍ତର ଦେଇଥିବ । ଏଇ ପାଠଫାଠ କଥା ତ ! ସେତେବେଳେ କ’ଣ ଏତେ ଆଧୁନିକ ଯନ୍ତ୍ରପାତି ଥିଲା ନା ଆମେ ଆଧୁନିକ ହୋଇଥିଲୁ-। ଆଜିକା ପରି ଯଦି ମୋବାଇଲ୍ ଥାଆନ୍ତା, ତେବେ ମୁଁ ନିଶ୍ଚେ ଯେନତେନ ପ୍ରକାରେଣ ପ୍ରେମାନନ୍ଦ ସାର୍ ତପତୀକୁ ଗେହ୍ଲେଇ ହୋଇ ‘ତପୁ’ ବୋଲି ଡାକିବାବେଳର ଦୃଶ୍ୟ ଓ ଶବ୍ଦ ରେକର୍ଡ଼ିଂ କରିଦେଇଥା’ନ୍ତି । ଛାଡ଼ ବିସ୍ଫୋରଣର କାରଣ ଥିଲା ଅଲଗା ।

 

ମାନେ ଗାଁର–ଗାଁ କ’ଣ ମ । ଗାଁ ପରିକା ସେଇ ମେଞ୍ଚଡ଼ ସହରର କାହାର ଗୋଟେ ଝିଅ କି ପୁଅର ବାହାଘର ନିମନ୍ତ୍ରଣ କାର୍ଡ଼ ଆମ ଘରକୁ ଆସିଥିଲା । ଓଲଟାଇ ଦେବାବେଳକୁ ‘ସାଗର ସହ ସରିତା’ର ଶୁଭ ବିବାହ । ଆଃ–ଏଇଠିହିଁ ହୋଇଥିଲା ବିସ୍ଫୋରଣ ଓ ତଣ୍ଟିରେ ଲାଗିଥିଲା ମାଛକଣ୍ଟା । କାହିଁକି କେଜାଣି ମତେ ଭଲ ଲାଗିଥିଲା ଭାବିବାକୁ ଯେ ମନେକର ସେଇଠି ଥାଆନ୍ତା ତପତୀ ତପସ୍ୱିନୀ ସହ ଫଗୁ ଚରଣର ଶୁଭ ବିବାହ । ଛିଃ ଛିଃ...କି ବେଖାପ ଶୁଭୁଥିଲା ଯୋଡ଼ିଟା । ମନେକର, ତା’ ଡାକ ନାଁ ଥିଲା ତପୁ ! ଏଣେ ମୋ ଡାକ ନାଁ ? କହିବି ନା କହିବିନି ? କହିବା ଅପେକ୍ଷା ବରଂ କୋଉ ଉପାୟରେ ସହିଦ ହୋଇଯିବା ଭଲ ବୋଲି ମୁଁ ଭାବିଥିଲି । କୋଉ ଅକଲରେ ବାପା–ମା’ ମୋ ଡାକ ନାଁ ଦେଇଥିଲେ ନୁଙ୍ଗ ବୋଲି ।

 

ସମୟ ବଡ଼ ନିଷ୍ଠୁର ହୋଇପାରେ ଏବଂ ଜୀବନବି କଣ୍ଟାମୟ ହୋଇପାରେ । ହେଲେ ତା’ରି ଭିତରେ କଡ଼ ଲେଉଟାଉଥା’ନ୍ତି ବିସ୍ମୟକର ଘଟଣା ସବୁ । ଅହର୍ନିଶ । ନିରନ୍ତର ।

 

ମାଟ୍ରିକ୍ ପରୀକ୍ଷା କେଇଟା ଦିନ ଥିଲା । ସେତେବେଳକୁ ଆମମାନଙ୍କର ସ୍କୁଲ୍ ଯିବା ବନ୍ଦ ହୋଇଯାଇଥାଏ । ହେଲେ ସେଦିନ କାହିଁକି କେଜାଣି, ବୋଧେ ଆଡ଼୍‍ମିଟ୍ କାର୍ଡ଼ ଆଣିବାପାଇଁ କି କ’ଣ, ଆମେ ସବୁ ସ୍କୁଲ୍‍କୁ ଯାଇଥିଲୁ । ରବିବାର ଦିନ କେବଳ ଆମ କ୍ଲାସ୍‍ରେ ପିଲାମାନଙ୍କୁ ଡକାଯାଇଥିଲା ।

 

ସ୍କୁଲ୍‍ର ଖୁବ୍ ଉଚ୍ଚା ମୁଖ୍ୟ ବାରଣ୍ଡାରୁ ଓହ୍ଲେଇ ପଡ଼ି ଫାଟକ ଆଡ଼କୁ ଯିବାବେଳକୁ କଡ଼ରେ ଥିବା ମନ୍ଦାର ଗଛ ଉହାଡ଼ରୁ ଝିଅ ସ୍ଵର ଶୁଣାଗଲା ‘ଫଗୁ’ । ବୁଲିପଡ଼ି ଦେଖିବାବେଳକୁ ସେଇଠି ଠିଆ ହୋଇଥିଲେ ଦୁଇଜଣ : ତପତୀ ଏବଂ ପଳାଶ । ଏଇ ପଳାଶ ଯଦି କୌଣସି କାରଣବଶତଃ ତପତୀ ଜାଗାକୁ ଆସିଯାଇପାରିଥା’ନ୍ତା, ତେବେ ବିବାହ କାର୍ଡ଼ରେ ହୁଏତ ‘ଫଗୁ ସହ ପଳାଶ’ ଚମତ୍କାର ଲାଗିଥା’ନ୍ତା । ହଁ–ଯେମିତି ଫଗୁ ଚରଣ ପରି ନିହାତି ଏକ ପୁରୁଣାକାଳିଆ ନାଁ ବୁଡ଼ିଯାଇଛି, ସେମିତି ପଳାଶ ପରି ସୁନ୍ଦର ମଧୁର ନାଁଟିର ମଧ୍ୟ ଆଉ ପ୍ରଚଳନ ନାହିଁ ।

 

ତେବେ ସେଦିନ କିଏ ଫଗୁ ବୋଲି ଡାକିଥିଲା, ହଠାତ୍ ଜାଣିବା ସମ୍ଭବ ନଥିଲା । ପଳାଶ ନା ତପତୀ ? ମୁଁ ଦି’ପାଦ ସେମାନଙ୍କ ଆଡ଼କୁ ଯାଇ ପଚାରିଲି, ‘କ’ଣ ?' ମନ୍ଦାର ପତ୍ରଟେ ଛିଡ଼େଇ ତାକୁ ବାଁ ହାତରେ ବାଁ ଗାଲ ଉପରେ ପହଁରେଇ ଆଣି ତପତୀ କହିଲା, ‘ତମର ଯଦି ଫାଷ୍ଟକ୍ଲାସ୍ ହୁଏ, ହବ ତ ନିଶ୍ଚୟ, ତମେ ସାଇନ୍‍ସ୍ ପଢ଼ିବ ନା ଆର୍ଟ୍‍ସ୍ ?'

 

ତପତୀର ବାପାଙ୍କର ସିନା ଏଇ କୁନି ସହରକୁ ବଦଳି ହେବାରୁ ତପତୀ ଆମ ସ୍କୁଲ୍‍କୁ ଆସିଥିଲା ନହେଲେ ସେମାନେ ତ ଆଉ ଏକ ବଡ଼ ସହରରେ ଥିଲେ । ଅତଏବ ପାଠ ପଢ଼ିବା, ଉଚ୍ଚଶିକ୍ଷା, କ’ଣ ପଢ଼ିଲେ କ’ଣ ଲାଭ ହୁଏ; ଏସବୁ ବିଷୟରେ ତପତୀର ବେଶ୍ ଭଲ ଧାରଣା ଥିଲା-। ମୋର ? ମୋର ସତ୍ୟରେ ସ୍ପଷ୍ଟ କିଛି ଆଇଡ଼ିଆହିଁ ନଥିଲା । ଆମେ କେଇ ଜଣ ଭଲ ପଢ଼ୁଆଙ୍କର ଧାରଣା ଥିଲା ସରଳ । ଯେ ମାଟ୍ରିକ୍ ପରେ ଭଲଭାବେ କଲେଜରେ ଚାରିବର୍ଷ ପଢ଼ିଦେଲେ, ନହେଲେ ଛ’ବର୍ଷ ପଢ଼ିଦେଲେ ଶିକ୍ଷକ କି ଅଧ୍ୟାପକଟେ ତ ହୋଇପାରିବ-। ଆଉ ଯଦି ଭାଗ୍ୟ ଭଲ ଥାଏ, ତେବେ ଏଲ୍ଆଇସି କି ବ୍ୟାଙ୍କ୍‍ରେ କିରାଣିଟେ ତ ହୋଇପାରିବ ।

 

ମୁଁ କହିଥିଲି, ‘ମତେ ଜଣା ନାହିଁ । ଯାହାହେଲେ କିଛି ତ ପଢ଼ିବି ।’

 

କେମିତି ଏକ ଶୁଖିଲା ପତ୍ର ପରିକା ଆକର୍ଷଣ ବିହୀନ ହସ ହସି ତପତୀ ପୁଣି ଗୋଟେ ମନ୍ଦାର ପତ୍ର ଛିଣ୍ଡେଇ କହିଲା, ‘ମୁଁ ତ ସାଇନ୍‍ସ୍ ପଢ଼ିବା ନିଶ୍ଚିତ । ତମେବି ସେୟା ପଢ଼ିବା ଭଲ ।’

 

ମତେ ଅନ୍ଧାର ଦିଶିଥିଲା ଚଉଦିଗ । ମନ୍ଦାର ଗଛ ସେଠି ନଥିଲା । ସ୍କୁଲ୍‍ର ଦୁଇ ମହଲା ଘର ନଥିଲା । ଅନ୍ଧାରହିଁ ଅନ୍ଧାର । କୁହୁଡ଼ିହିଁ କୁହୁଡ଼ି । ପ୍ରାୟ ମୁହୂର୍ତ୍ତକ ପରେ ସବୁକିଛି ସ୍ୱାଭାବିକ ହେଇଗଲା ।

 

‘ଆଗ କେତେ ନମ୍ବର ରହୁଚି ଦେଖାଯାଉ ।” ଏତକ କହି ସେଠୁ ମୁଁ କିମିତି ଖସିଲି, ମୋର ମନେ ନାହିଁ । ପାଠ ପଢ଼ିବି କ’ଣ । ତପତୀର ମୁହଁ, ଗୋଟାଏ ନୁହ ଅସଂଖ୍ୟ, ଯେମିତିକି ବର୍ଷା ହବା ଆଗରୁ ଝଡ଼ିପୋକ, ସେମିତି ବହିସାରା । ଭୂଗୋଳ କହ, ବହିସାରା ତପତୀ । ଇତିହାସ ବହିସାରା ତପତୀ । ଅଙ୍କ, ସଂସ୍କୃତ, ଓଡ଼ିଆ, ଇଂରାଜୀ ବହିସାରା ତପତୀ ।

 

ଭାବିଲି ଫେଲ୍ ହେଇଯିବି ।

 

ହେଲେ ନା, ଫେଲ୍ ହେଲିନି ।

 

ତପତୀର ସିଟ୍ ପଡ଼ିଥିଲା ମୋ'ଠାରୁ ପାଞ୍ଚ/ ସାତ ଫୁଟ୍ ପଛରେ । ତେବେ ଏକଥା ସ୍ୱୀକାର କରିବାରେ ମୋର ଜମା ଦ୍ୱିଧା ନାହିଁ ଯେ ଯଦି ତପତୀ ମୋର ଆଗରେ କି ସାଇଡ଼ରେ ବସିଥା'ନ୍ତା, ରେଜଲ୍‍ଟ ସିଟ୍‌ରୁ ମୋ ରୋଲ୍ ନମ୍ବର ଉଡ଼ିଯାଇଥା’ନ୍ତା ଚଢ଼େଇଟେ ପରି ।

 

କିନ୍ତୁ ମୋର ଫାଷ୍ଟ କ୍ଲାସ୍ ହୋଇଥିଲା ।

 

ଢେର୍ ଅଧିକ ନମ୍ବର ରହିଥିଲା, ତପତୀଠାରୁ ଜମା ଦୁଇ ନମ୍ବର ଅଧିକ । ଆଜି ଦିନର ଏଇ ମୁହୂର୍ତ୍ତ ଯାଏଁ ମୋର ବିଶ୍ୱାସଟେ ରହିଆସିଛି ଯେ ଯୋଉ ଯୋଉ ଶିକ୍ଷକମାନେ ମୋ ଖାତା ଦେଖିଥିଲେ, ସେମାନଙ୍କୁ ଖାତାରେ ମୋ ଲେଖା ଭିତରେ ଝାପ୍‍ସାଭାବେ ତପତୀର ମୁହଁ ନିଶ୍ଚେ ଦେଖାଯାଇଥିଲା ।

 

ଯେଉଁ କଲେଜରେ ତପତୀ ତପସ୍ୱିନୀ ନାମ ଲେଖାଇଥିଲେ, ସେଇ କଲେଜରେ ଫଗୁ ଚରଣବି ନାଁ ଲେଖାଇଥିଲେ । କଲେଜରେ ଯିଏ ଯେତେବେଳେ ମତେ ମୋର ପୂରା ନାଁ ପଚାରୁଥିଲେ, ଲାଜରେ ମୋ ଅବସ୍ଥା କହିଲେ ନ ସରେ । ଥରେ ଜଣେ ସାଙ୍ଗ ମୋ ନାଁ ଶୁଣି ମନ୍ତବ୍ୟ ଦେଇଥିଲା, ‘ଗୁ ଲଗେଇ ଏତେ ନାଁ ଅଛି, ଯେମିତିକି ଜଗୁ, ବଗୁ, ମାଗୁ, ସାଗୁ, ହଗୁ, ଚଗୁ; ହେଲେ ଫଗୁ ନାଁଟା କିଏ ଦେଲାବେ ।’

 

ଛାଡ଼ । ତପତୀ ଓ ମୁଁ ଉଭୟେ ବିଜ୍ଞାନରେ ନାଁ ଲେଖାଇଥିଲୁ । ଆମର ଦେଖା ହେଉଥିଲା ବା ଆମେ ପରସ୍ପରକୁ କ୍ଲାସ୍ ରୁମ୍‍ରେ ଦେଖୁଥିଲୁ । କଥାବାର୍ତ୍ତା ନିୟମିତ ଭାବରେ ହେବାରେ ବାଧା ନଥିଲା । କଲେଜରେ କ’ଣ ଆମ ମେଞ୍ଚଡ଼ ସହରର କେହି ଲୋକ ଥିଲେ ଯେ ଆମେ ଡରିଥା’ନ୍ତୁ । କେତେଥରବି ଆମେ ଏକାଠି ଜଳଖିଆ ଖାଇଥିଲୁ ସାଙ୍ଗ ହୋଇ । ସାଇନ୍‍ସ୍ ପଢ଼ିବାର ଚାପରେ ଓ ଜଣେ ଅପରକୁ ଦେଖିପାରୁଥିବାର ସ୍ଵାଭାବିକତାରେ ମୋର ଅଧୀରତା ଢେର୍ କମିଯାଇଥିଲା । ତେବେ ମୋ ଭିତରେ ଯେଉଁ ପ୍ରକାରର ଭାବ ବା ଅନୁଭବ ତପତୀ ପ୍ରତି ରହିଥିଲା, ସେପରି ଅନୁଭବ ତପତୀ ଭିତରେ ମୋପାଇଁ ଥିଲା କି ନଥିଲା, କିଏ ବା କହିପାରିଥା'ନ୍ତା-?

 

ତେବେ ମୋ ଅନୁଭବକୁ ମୁଁ ଭଲଭାବେ ଚିହ୍ନି ପାରିଥିଲି । ସେଇଆକୁହିଁ କାହିଁ କୋଉ ଯୁଗରୁ ପ୍ରେମ ବା ଭଲପାଇବା ଇତ୍ୟାଦି ଶବ୍ଦଦ୍ଵାରା କୁହାଯାଇ ଆସିଛି । ରୋଗର ଯେପରି ଲକ୍ଷଣ ଥାଏ ଏବଂ ଲକ୍ଷଣରୁ ଯେମିତି ରୋଗକୁ ଚିହ୍ନାଯାଇପାରେ, ସେମିତି ଲକ୍ଷଣରୁ ମୁଁ ଜାଣିଲି ଯେ ତପତୀକୁ ମୁଁ ଭଲ ପାଉଥିଲି । ଅତିମାତ୍ରାରେ !!

 

ପ୍ରଥମ ଲକ୍ଷଣ ଥିଲା ଏହି ଯେ ମୋ ଭିତରେ ଅନେକ ସମୟରେ ଆଶଙ୍କାଟିଏ ଉପୁଜୁଥିଲା ଯେ ତପତୀ କାହା ପ୍ରେମରେ ପଡ଼ିଗଲା କି । ଦ୍ୱିତୀୟ ଲକ୍ଷଣ ଥିଲା ଏହି ଯେକୌଣସି ପୁଅପିଲା–ହେଇପାରେ ସହପାଠୀ, ଅବା ଶିକ୍ଷକ ଅବା ଉପର କ୍ଲାସ୍‍ର ପିଲା; ମୋର ସନ୍ଦେହ ହେଉଥିଲା ଟୋକାଟାର ଉଦ୍ଦେଶ୍ୟ ଉପରେ । ତୃତୀୟ ଲକ୍ଷଣ ଥିଲା ଏହି ଯେ ଯଦି କୌଣସି ପୁଅପିଲାକୁ ଦେଖି ତପତୀ ହସୁଥିବାର ମୁଁ ଦେଖୁଥିଲି, ତେବେ ମତେ ଘାରିଯାଉଥିଲା ଭୟ । ଅକଳନ ଭୟ ।

 

ଘାରି ଯାଉଥିଲା ଭୟ ନା ଘେରିଯାଉଥିଲା ଭୟ ? କୋଉଟା ଠିକ୍ ? ଶୁଣ–ଗପ କହିବା ଲୋକର ମୁହଁରୁ ଯାହା ବାହାରିଲା, ତାହାହିଁ ଠିକ୍ । ଏଠି ଦୟାକରି ମତେ ଭାଷା କି ବ୍ୟାକରଣ କଥା କୁହନା । ଆମେ ସବୁ ହେଲୁ ମାଟ୍ରିକ୍ ପରେ ବିଜ୍ଞାନ ପଢ଼ିଥିବା ଲୋକ, ମୁଁ ଯାହା ତପତୀ ସେଇଆ ।

 

ଅତଏବ, ତିନିଗୋଟି ପ୍ରାଥମିକ ଲକ୍ଷଣର ଆଧାରରେ ଅର୍ଥାତ୍ ପ୍ରଥମରେ ଆଶଙ୍କା, ଦ୍ୱିତୀୟରେ ସନ୍ଦେହ ଓ ତୃତୀୟରେ ଭୟର ଆଧାରରେ କୁହାଯାଇପାରେ ଯେ ମୁଁ ତପତୀକୁ ଅତିମାତ୍ରାରେ ଭଲ ପାଉଥିଲି । ତେବେ ସମସ୍ୟାଟି ଥିଲା ଭିନ୍ନ ଏକ ପ୍ରଶ୍ନରେ : ତପତୀ ମୋତେ ମାନେ ଫଗୁ ଚରଣ ନାମଧାରୀ ତରୁଣଟିକୁ ଭଲପାଉଥିଲା କି ?

 

ଏ ପ୍ରଶ୍ନର ବିଧିବଦ୍ଧ ଉତ୍ତର ନ ମିଳିଲେବି ପ୍ରଥମେ କିଛି ସୂଚନା ମିଳିଲା ଏବଂ ଛୋଟମୋଟ ସୂଚନା ଓ କଥାବାର୍ତ୍ତାରୁ ମୁଁ ଅନୁମାନ ଲଗେଇଲି ଯେ ତପତୀ ମତେ ପ୍ରଚୁର ଭଲପାଉଥିଲା । ଏ ଭଲ ପାଇବା କେବଳ ଭଲ ପାଇବାରେହିଁ ସୀମିତ ଥିଲା, କାରଣ ଅନ୍ତତଃ ମୁଁ କେବେ ମୁହୂର୍ତ୍ତକ ପାଇଁବି ଭାବି ନଥିଲି ଏସବୁର ପରବର୍ତ୍ତୀ ପରିଣତି କ’ଣ ବୋଲି । ତପତୀର ସ୍ଥିତି ମଧ୍ୟ ସେୟା ଥିଲା ବୋଲି କୁହାଯାଇପାରିବ–କାରଣ ସେଇ ବୟସରେ ଆଗକୁ ଅଧିକ କ’ଣଟା ଭାବିଥିବ ବା ଭାବିଥା’ନ୍ତା ସେ !

 

କିଏ ଜାଣେ । ଏସବୁ ବ୍ୟାପାରରେ ଝିଅମାନେ ଚିନ୍ତା/ କଳ୍ପନା/ ଆଚରଣରେ ତ ପୁଅମାନଙ୍କଠାରୁ ଶହେ ପାଦ ଆଗରେ ଥାଆନ୍ତି । ତପତୀ ହୁଏତ ସେମିତି ଥିଲା । ହୁଏତ ତପତୀ ସେମିତି ନଥାଇ ଥିଲା ଏକ ସତେଜ ଓ ଚମତ୍କାର ବ୍ୟତିକ୍ରମ !

 

ଆମ ଉଭୟଙ୍କର ପୁଣି ବେଶ୍ ଭଲ ନମ୍ବର ଥାଇ ଫାଷ୍ଟ କ୍ଲାସ୍ ହେଲା । ଏଥର ପୁଣି ତପତୀ ସେଇ ଜାତିର ପ୍ରଶ୍ନ ପଚାରିଥିଲା । କିନ୍ତୁ ଏତେବଡ଼ ସେଇ କଲେଜରେ ମନ୍ଦାର ଗଛହିଁ ନଥିଲା । ଥିଲା ଧାଡ଼ିଧାଡ଼ି କଣ୍ଟା ଭର୍ତ୍ତି ଗୋଟେ ବିଚିତ୍ର କିସମର କାଗଜ ଫୁଲର ଗଛ, ପୁଣି ଆଉ ଗୋଟେ ଜାଗାରେ ଥିଲା ଧାଡ଼ିଏ ଏକା ଉଚ୍ଚତାର ଦେବଦାରୁ ଗଛ । ସେଇଠି ଠିଆ ହୋଇଥିଲା ତପତୀ ।

 

‘ମୋର ଏତେ ନମ୍ବର ରହିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି’, ତପତୀ କହିଥିଲା ।

 

‘ମୋ କଥାବି ସେଇଆ’, ମୁଁ କହିଥିଲି, ‘ହେଲେ ଏଣିକି ?'

 

ତପତୀ କହିଲା, ‘ଆଉ ଏଣିକି କ’ଣ ? ମୋର ତ ଇଚ୍ଛା, ମାନେ ଆମ ଘରର ସମସ୍ତଙ୍କରବି ଇଚ୍ଛା ଯେ ମୁଁ ଡାକ୍ତରୀ ପଢ଼େ, ଦେଖେଁ କ’ଣ ହଉଛି ।'

 

‘ହବ କ’ଣ ?' ମୁଁ କହିଥିଲି, ‘ତୁମେ ତିନି ଚାରି ମାସ ଲାଗିଲେ ମେଡ଼ିକାଲ ପାଇଯିବ ।’

 

ଆଜିକା ପରି ସେତେବେଳେ କୋଚିଙ୍ଗ୍ କି ଟିଉସନ୍ ଇତ୍ୟାଦି ନଥିଲା ।

 

‘ଆଉ ତମେ ? ତମେ ତ ଏକାଥରକେ ପାଇଯିବ’ । ତପତୀ କହିଥିଲା ଏବଂ କହିବା ସହ କେଜାଣି କାହିଁକି ନଇଁପଡ଼ି ମାଟିରୁ ଉଠେଇ ଆଣିଥିଲା ଛୋଟିଆ ଗୋଡ଼ିଟିଏ ଏବଂ ଦୁଇ ହାତ ପାପୁଲିରେ ନଚେଇଥିଲା ଗୋଡ଼ିଟାକୁ, ଏ ପାପୁଲିରୁ ସେ ପାପୁଲିକୁ । ଉତ୍ତୀର୍ଣ୍ଣ ଅପରାହ୍‍ଣର ଫିକା ହଳଦିଆ ସୂର୍ଯ୍ୟରଶ୍ମି ପ୍ରତିଫଳିତ ହେଉଥିଲା ତପତୀର ଚାବୁକ୍‍ରେ ଏବଂ ସାମ୍ପୋକରା କେଶ ରାଶିରେ । ଆଚ୍ଛା–ପ୍ରତିଫଳିତ ହେବ ନା ପ୍ରତିବିମ୍ବିତ ହେବ ? ବିଜ୍ଞାନର ଛାତ୍ର ଗପ କହି ବସିଲେ ଏମିତି ଭୁଲ୍‍ଭଟକା ହବଇ ହବ ।

 

ମୁହୂର୍ତ୍ତକ ପାଇଁ, ମାନେ ଯାହାକୁ ଆମ ବିଜ୍ଞାନର ଭାଷାରେ କୁହାଯାଏ ଫ୍ରାକ୍‍ସନ୍ ଅଫ୍ ଏ ସେକେଣ୍ଡ୍‍, ଠିକ୍ ସେତିକି ସମୟପାଇଁ ମୋର ସେଦିନ ଇଚ୍ଛା ହୋଇଥିଲା ତପତୀର ସେଇ ସୁନେଲି ଆଭାପୂର୍ଣ୍ଣ କେଶ ରାଶିରେ ପାପୁଲି ପୂରେଇ ଆଣିବାପାଇଁ ।

 

ତପତୀର ଗଣ୍ଠିବିହୀନ ଆଙ୍ଗୁଠିରେ ଗୋଡ଼ିଟା ଏପଟ ସେପଟ ହେଉଥିଲା । ତାହାହିଁ ଏ ଜଗତର ରୀତି । ଗୋଡ଼ିର ଭାଗ୍ୟ ମୋ ପରି ମଣିଷମାନଙ୍କ କପାଳରେ କଦାଚିତ୍ ଜୁଟେ ନାହିଁ ।

 

‘ମୁଁ ମେଡ଼ିକାଲ ଏଣ୍ଟ୍ରାନ୍‍ସ୍ ଦେବି ନାହିଁ’ ମୁଁ କହିଲି, ‘ମତେ ଏବେ ପାଞ୍ଚବର୍ଷ ଧରି ମେଡ଼ିକାଲ ପଢ଼େଇବାର କ୍ଷମତା ଆମ ପରିବାରର ନାହିଁ । ଜମିବାଡ଼ି, ଘରଡ଼ିହ ବିକିଦେଲେବି ସେକଥା ସମ୍ଭବ ହେବ ନାହିଁ । ଆଉ ଦୁଇ /ତିନିବର୍ଷ ଭିତରେ ଚାକିରି କରିବା ମୋପାଇଁ ଜରୁରୀ ।'

 

ଯେଭଳି ବିସ୍ମୟରେ ତପତୀ ସେଦିନ ମୋ ମୁହଁରେ ଦୃଷ୍ଟି ସ୍ଥିର ରଖି ପ୍ରଶ୍ନିଳ ଢଙ୍ଗରେ ମତେ ଅନେଇଥିଲା, ସେକଥା ମୁଁ ଏ ଜନ୍ମରେ ଭୁଲିପାରିବି ନାହିଁ । ତେବେ ତା’ପରର ବାକ୍ୟଟି ଆଜି ଅଦ୍ୟାବଧି ସାଇତା ହୋଇ ରହିଛି ମୋ ଛାତି ତଳେ, ଫସିଲରେ ପରିଣତ ହେଇନାହିଁ ସତ, ତଥାପି ପ୍ରତିଟି ଶବ୍ଦ–ନା–ନା ପ୍ରତିଟି ଅକ୍ଷରକୁ କାଇଁଚ ପରି ମାଳାଟେ ବନେଇ ରଖିଚି ସେବେଠୁ ଛାତି ତଳେ ।

 

ତପତୀ ସ୍ଵଗତୋକ୍ତି କରିବା ଢଙ୍ଗରେ କହିଥିଲା, ‘ତେବେ ଏଣିକି ଆମେ ଅଲଗା ହେଇଯିବା ନା କ’ଣ !’ ଏ ବାକ୍ୟରେ ଥିଲେ ସତରଟି କାଇଁଚ । ଆଉ ପ୍ରତ୍ୟେକଟି କାଇଁଚ ତପତୀର ଅଜାଣତରେ ଘୋଷଣା କରିସାରିଥିଲେ ତପତୀର ମନର କଥା । ହୃଦୟର କଥା । ଆତ୍ମାର କଥା ।

 

ମନର କାନ୍ଥରେ ଯନ୍ତ୍ରଣାର ହାତୁଡ଼ିରେ ଭଲପାଇବାର କଣ୍ଟାକୁ ଅଜାଣତରେ ବାଡ଼େଇ ସେଇଠି ଅକ୍ଷରର କାଇଁଚମାଳକୁ ଝୁଲେଇ ଦେଇଥିଲା ତପତୀ । ସେ ମାଳ ଝଟକୁଚି ଅଦ୍ୟାବଧି !

 

ମଧ୍ୟ ପର୍ବ

 

ଚାହୁଁଚାହୁଁ ସେଦିନ ସୂର୍ଯ୍ୟଙ୍କ ସୁନେଲି ରଶ୍ମି ଅପସରି ଯାଇଥିଲା ତପତୀର କେଶ ରାଶିରୁ ଏବଂ ସମୟର ଅଳ୍ପ ନିଷ୍ଠୁର ବ୍ୟବଧାନରେ ମୋ ଜୀବନରେ ଉଭା ହୋଇଥିଲା । ମଧ୍ୟାହ୍ନର ପ୍ରଖର ସୂର୍ଯ୍ୟର ଅଗ୍ନିବର୍ଷୀ ରଶ୍ମି ।

 

ତପତୀ ପରୀକ୍ଷା ଦେଇଥିଲା, ମେଡ଼ିକାଲ ପାଇଥିଲା ଏବଂ ନାଁ ଲେଖାଇଥିଲା ରାଜ୍ୟର ଏକ ବୃହତ୍ ମେଡ଼ିକାଲ କଲେଜରେ । ମୁଁ ଯେଉଁ କଲେଜରେ ପଢ଼ୁଥିଲି, ସେଇଠି ପୁଣି ନାଁ ଲେଖାଇଲି । ଫିଜିକ୍ସ ଅନର୍ସରେ । ମୋର କେଜାଣି କେମିତି ଗୋଟେ ବିଚିତ୍ର ଧାରଣା ହୋଇଥିଲା ଯେ ସେଇ ଅନର୍ସ ରଖି ପଢ଼ିଲେ କିଛି ନା କିଛି ଉପାୟରେ ଥଇଥାନ ହୋଇଯିବ ମାନେ ଚାକିରିଟେ ମିଳିଯିବ । ବଡ଼ ଦୁଃଖ କଷ୍ଟରେ ମୋର ପିତା ମାଗୁ ଚରଣ ମାସକୁ ମାସ ସର୍ବନିମ୍ନ ଅର୍ଥରାଶି ପଠାଉଥିଲେ । ମୋର ଅଳ୍ପ କିଛି ବୃତ୍ତି ଟଙ୍କା ମିଳୁଥିଲା, ସବୁ ମିଶିମାଶି ଚଳିଯାଉଥିଲା ।

 

ତପତୀ ମେଡ଼ିକାଲ କଲେଜରେ ହଷ୍ଟେଲ୍‌ରେ ରହୁଥିଲା । ହେଲେ ଆଉ ଆମର ଦେଖା ହେବାର ସମ୍ଭାବନା ନଥିଲା, କାରଣ ତପତୀର କଲେଜ ଥିଲା ପ୍ରାୟ ତିନିଶ ମାଇଲ ଦୂରରେ । ଥରେ ସେଇ ଦୁରନ୍ତ ସହରକୁ ଯିବାପାଇଁ ଯେତିକି ଅର୍ଥ ଦରକାର ଥିଲା, ସେତକ ମୋ ନିକଟରେ ନଥିଲା । ତେବେ ଭଲ ପାଉଥିବା ଲୋକପାଇଁ ଅର୍ଥ କଦାଚିତ୍ ପ୍ରତିବନ୍ଧକ ହେବାର ନଜିର କୁତ୍ରାପି ନଥିଲା । ତପତୀର ଆମ କଲେଜକୁ ଆସିବାରହିଁ ନଥିଲା । ତାଙ୍କ ପାଠର ପ୍ରଥମ ଦୁଇବର୍ଷ ନିଃଶ୍ୱାସ ମାରିବାର ସୁଯୋଗଇ ନଥିଲା । ମୋ ପାଠବି ମୋତେ ବଳିପଡ଼ୁଥିଲା । ପାଠପଢ଼ା ଛାଡ଼ି ପରସ୍ପରକୁ ବାହା ହୋଇପଡ଼ି କେଉଁଆଡ଼େ ଚାଲିଯିବା ପରି ପରିବେଶ, ପରିସ୍ଥିତି, ସାମର୍ଥ୍ୟ ନା ମୋର ଥିଲା, ନା ତପତୀର ଥିଲା ।

 

ଆଃ ! ତପତୀ କଥା ଏଠି ଉଠିବା ଅନୁଚିତ ।

 

ତପତୀର–ମୋର କୋମଳ ବନ୍ଧୁତ୍ୱ ଥିଲା ସତ, ହେଲେ ମୋ ମନ ଭିତରେ ତପତୀ ଯେଉଁ ଆସ୍ଥାନର ଅଧିକାରିଣୀ ଥିଲା, ତପତୀର ମନ ଭିତରର ସିଂହାସନରେ ମୋ କଥା ଛାଡ଼, ମୋ ପାସ୍‍ପୋଟ୍‍ ସାଇଜ୍ ଫଟୋପାଇଁ ଜାଗା ଥିଲା କି ନଥିଲା, କିଏ ବା ଜାଣିଥିଲା ସେକଥା !!

 

ଏ ଭିତରେ ସମୟ ଗଡ଼ି ଚାଲିଥିଲା । କୋଉଦିନ ତପତୀ ସ୍ମରଣକୁ ଆସୁଥିଲା ତ କେବେ ନୁହେଁ । ଏକଥା ଅବଶ୍ୟ ସତ ଯେ ତପତୀର ସ୍ମୃତିର ଛୋଟ–ବଡ଼ ଅଗ୍ନି କଣିକା କେବେକେବେ ଥରେ ଅଧେ ହୃଦୟର ଦଣ୍ଡକାରଣ୍ୟରେ ଘଟାଉଥିଲା ଅଗ୍ନିକାଣ୍ଡ । ବାହାରକୁ ସବୁ ଥିଲା ସ୍ଵାଭାବିକ ।

 

ତପତୀର କିଛି ଖୋଜ୍‍ଖବର ନଥିଲା । ତା’ ମାନେ କ’ଣ ନିରୁଦ୍ଦିଷ୍ଟ ହୋଇଯାଇଥିଲା ନା କ’ଣ । ସେକଥା ନୁହ । ନା ତା'ଠୁ ଆସିଥିଲା ଚିଠି, ନା ଆମ ହଷ୍ଟେଲ୍‍କୁ ଫୋନ୍ । ମୁଁ ଛୁଟିରେ ଆମ ଘରକୁ ଗଲେ ସେଇ ସମୟରେ ତପତୀ ସେଠାକୁ ଆସୁ ନଥିଲା । ମୋ ସ୍କୁଲ୍‍ବେଳର ଅନେକ ସାଙ୍ଗ ଭେଟ ହେଉଥିଲେ । ସେମାନଙ୍କଠୁ ଜାଣିଲି ଯେ ତପତୀର ପିତାଙ୍କର ପୁନର୍ବାର ଭିନ୍ନ ଏକ ସହରକୁ ବଦଳି ହୋଇଯାଇଥିଲା ।

 

ଅତଏବ, ତପତୀ ଯେଉଁ ମେଡ଼ିକାଲ କଲେଜରେ ପଢ଼ୁଥିଲା, ସେଠାକୁ ଯିବା ବିନା ତପତୀକୁ ପୁନର୍ବାର ଭେଟିବାର ଇଚ୍ଛା ଯେ ସାକାର ହେବ, ଏ ଭରସା ଆଉ ନଥିଲା ।

 

ପାଠର ଓଜନ କ୍ରମାଗତ ବୃଦ୍ଧି ପାଉଥିଲା । ସମୟ ତା’ର ନିର୍ଦ୍ଦିଷ୍ଟ ବେଗରେ ଗତି କରୁଥିଲା ।

 

କେବେ କେମିତି ମନ ହାଲୁକା ଥିବା ସମୟରେ ତପତୀର ମଧୁର ସ୍ମୃତି ବହିଯାଉଥିଲା ଦମକାଏ ଦକ୍ଷିଣା ପବନ ପରି–ଆଃ । ପୁଣି କେବେ ତପତୀର ସ୍ମୃତି ମହକୁଥିଲା ଝରା ଗଙ୍ଗଶିଉଳି ହୋଇ । ଦିନେ ଦୁଇଦିନ ବ୍ୟସ୍ତ ଲାଗୁଥିଲା, ତା’ପରେ ସବୁକିଛି ପୁଣି ସ୍ୱାଭାବିକ ।

 

କେବେକେବେ ବିଚିତ୍ର ଚିନ୍ତା ସବୁ ମତେ ବିବଶ କରିଦେଉଥିଲେ । ମୁଁ ଯେମିତି ତପତୀକୁ ଝୁରି ହେଉଥିଲି, ତପତୀ କ’ଣ ସେମିତି ଝୁରି ହେଉଥିଲା ? ପୁଣି ଭାବେ କାହିଁକି ବା ଝୁରି ହୋଇଥା'ନ୍ତା ? ମୁଁ କ’ଣ କେବେ ତାକୁ ମୋର ଭଲପାଇବା କଥା କହିଥିଲି କି ? ଜଣେ ଏକା ସ୍କୁଲ୍‍ରେ ପଢ଼ିଥିବା ଝିଅଟେ ଓ ପୁଅଟେ ଭିତରେ ଯାହା ଯେମିତି ସମ୍ପର୍କ ରହିବା କଥା, ଆମର ସେତିକି ଥିଲା । ମୋ ଭିତରେ ଯେ ଅହର୍ନିଶ ମାଘ ପୂର୍ଣ୍ଣିମା ରାତିରେ ଗାଁରେ ଅଗରା–କଣି–କୁଟା–ଛଣ ଜଳାଯିବା ପରି କେହି ନିଆଁ ଜଳାଇବାରେ ଲାଗିଥିଲା, ସେକଥା ତପତୀ ବା ଜାଣିଥା’ନ୍ତା କେମିତି ? କିମ୍ବା ଏମିତିବି ହୋଇପାରେ ଯେ ତପତୀରବି ଠିକ୍ ମୋରି ପରି ଅନୁଭବ ଆସୁଥିଲା, କିନ୍ତୁ ସେ ସବୁକିଛିକୁ ଚାପି ରଖିଥିଲା । ଏମିତି ମଧ୍ୟ ହୋଇଥିବା ସମ୍ଭବ ଯେ ତପତୀ ଭାବିଥିଲା, ମୁଁ ଆଗ କହିବି ତାକୁ ମୋର ତା’ ପ୍ରତି ଥିବା ଭଲପାଇବା କଥା ଏବଂ ମୁଁ ଭାବିଥିଲି ସେ ମୋତେ ଆଗ କହିବ !

 

ଏମିତି ଦ୍ଵନ୍ଦ୍ୱ, ଚିନ୍ତା, କଳ୍ପନା ଭିତରେ ସମୟ ଧୀର ନିଃଶବ୍ଦରେ ହୃଦୟର ଧପ୍‍ଧପ୍ ଶବ୍ଦ ପରି ଚାଲିଯାଉଥିଲା । ମୁଁ ଜାଣିଥିଲି ନା ଆଉ ମୁଁ ତାକୁ ମନକଥା କହିପାରିବି, ନା ଏଣିକି ସେ ମନକଥା ମତେ କହିପାରିବ । ସମୟ ଧୀର ଅଥଚ ନିଶ୍ଚିତ ଭାବରେ ପ୍ରେମର ମୃଣ୍ମୟ ମୂର୍ତ୍ତି ଉପରେ ବୋଳିବାରେ ଲାଗିଥିଲା କେଉଁ ଅଜଣା ରଙ୍ଗର ପ୍ରଲେପ । ଆବହମାନ କାଳରୁ ଏହାହିଁ ବାରମ୍ବାର ଘଟି ଆସିଛି । ‘ମୁଁ ତୁମକୁ ଭଲପାଏ’ ଅବା ‘ମୁଁ ତୁମକୁ ପ୍ରେମ କରେ’ ବୋଲି ସ୍ପଷ୍ଟଭାବେ କହିପାରି ନଥିବା ହେତୁ କେତେ ତରୁଣ–ତରୁଣୀଙ୍କ ଜୀବନ ଭରିଯାଇଛି ହା–ହୁତାଶରେ, କେତେକେତେ ସୁନା ରଙ୍ଗର ସୋରିଷ କିଆରି ପରିଣତ ହୋଇଛି ଖଇର ରଙ୍ଗର ଶୁଖିଲା ନଡ଼ାରେ । କେହି କେହି ଚଳେଇ ନେଇଛନ୍ତି ଜୀବନ, କେହି କେହି ଚଳେଇ ନେଇ ନ ପାରି ବୁଲିଛନ୍ତି ରାସ୍ତାରେ । ପୁଣି କେହି କେହି ହାରିଛନ୍ତି ଜୀବନ ।

 

ଆମର କ’ଣ ହେବାର ଥିଲା କେଜାଣି !

 

କିମ୍ବା ଏକପାଖିଆ ପ୍ରେମର ବେତାଳକୁ କାନ୍ଧରେ ବୋହି ମୁଁ ଭିନ୍ନ ଏକ ବିକ୍ରମାଦିତ୍ୟ ଆତଯାତ ହେଉଥିଲି ଛାତ୍ରାବାସ ନାମକ ଶ୍ମଶାନ ଏବଂ ପଦାର୍ଥ ବିଜ୍ଞାନ ନାମକ ଅଶ୍ୱତ୍‍ଥ ବୃକ୍ଷର ମଝିରେ ।

 

ଏଇ ମାତ୍ର ଚାରି ପାଞ୍ଚବର୍ଷ ଉଡ଼ିଗଲା । ଆକାଶର କୟାଁ ଓ ଚିଲିକାର ମାଛ ଏକାଠି ହେବାର ସମ୍ଭାବନା ଆଉ ନଥିଲା । ତପତୀର କିଛି ବିଶେଷ ଖବର ମୋ ପାଖରେ ନଥିଲା ଏବଂ ମୋ ଆକଳନରେ ମୋର କିଛି ଖବର ମଧ୍ୟ ତା’ ନିକଟରେ ନଥିଲା । ଜୀବନ ସର୍ବଦା ସେମିତି । ସବୁଠୁ ଭଲ ଖବର ମିଳିବ ବୋଲି କଳ୍ପନାରେହିଁ ଜୀବନ ଶେଷ ହୋଇଯାଏ । ସେତକବି କ’ଣ କମ୍ କଥା ? କେତେକଙ୍କ ଜୀବନରେ ତ ଖବର ଆସିବ ନାହିଁ ବୋଲି ଜଣାସରିଥାଏ ।

 

ଆମ ମେଞ୍ଚଡ଼ ସହରରେ ସେଥରକ ପହଞ୍ଚିବା ପରେ ଚିରାଚିତ ଢଙ୍ଗରେ ସେଠାରେ ରହୁଥିବା ସାଙ୍ଗମାନେ, ଅନ୍ୟ ବୟସ୍କମାନେ, ଶିକ୍ଷକ–ଶିକ୍ଷୟିତ୍ରୀମାନେ ଭେଟ ହେଲେ । ଏକଦା ଭଲ ଅର୍ଥାତ୍ ଖୁବ୍ ଭଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସମସ୍ତଙ୍କର ଗୋଟେ ରକମର ଆଗ୍ରହ ଥାଏ, ସ୍ନେହ–ଶ୍ରଦ୍ଧା–ସଦିଚ୍ଛା ଥାଏ; ସେଇ ପିଲାମାନେ କ’ଣ ପଢ଼ିଲେ, କି ଚାକିରି କଲେ ତେବେ ତା’ର ପ୍ରଭାବରେ ଗାଁର ଅଳ୍ପ ଅର୍ଦ୍ଧଶିକ୍ଷିତମାନଙ୍କୁ ଦାନାପାଣି ପାଇଁ ଛୋଟମୋଟ ଚାକିରିରେ ରଖାଇପାରିବେ କି ନାହିଁ ଇତ୍ୟାଦି ଇତ୍ୟାଦି ।

 

ଏଇ ପ୍ରକାର କେତେ କଥା, ଆଲୋଚନା, ସ୍ମୃତି ରୋମନ୍ଥନ ଭିତରେ ଜଣେ ସାଙ୍ଗ କହିଲା, ‘ଯୋଉ ଝିଅଟା ଦଶମରେ ଆସି ନାଁ ଲେଖାଇଥିଲା, କ’ଣ ତ ତା’ ନାଁ–ତପତୀ ନା କପୋତୀ–ସିଏ ତ ଚାରିମାସ ହେଲାଣି ଚାକିରି କଲାଣି । ଡାକ୍ତରାଣୀ ହେଇଚି କୋଉ ନିପଟ ଆଦିବାସୀ ଅଞ୍ଚଳର ବ୍ଲକ୍ ଡାକ୍ତରଖାନାରେ ।

 

‘କୋଉ ତପତୀ’ ? ବଡ଼ ବହପରେ ପଚାରିଦେଲି ସିନା, ସେତେବେଳକୁ ମୋର ତଳିପା ଶୀତଳ ଲାଗୁଥାଏ, କପାଳ ଝାଳେଇବାକୁ ଆରମ୍ଭ କରିଥାଏ, ତଳିପେଟ ଭିତରେ କ୍ରମଶଃ ଗ୍ରାସି ଆସୁଥାଏ ବିଚିତ୍ର ଶୂନ୍ୟତା । ଚାକିରି କରିଗଲାଣି !!

 

‘ଆରେ ଭଲ କଥା ତ !’ ସାଙ୍ଗ ଜଣକ କହିଥିଲା, ‘କାଚଗୁଲି ପରିକା ଢିମାଢ଼ିମା ଆଖି, କାନ୍ଧ ଉପର ଯାଏଁ ଖୋଲା କୁଞ୍ଚୁକୁଞ୍ଚିଆ ବାଳ । ତୁ ତ ଏବେଠୁ ଝିଅ ସାଙ୍ଗକୁ ଭୁଲିଯିବା ଆରମ୍ଭ କଲୁଣି, ଆଉ କେତେଟା ଦିନ ଭିତରେ ଆମ ପୁଅସାଙ୍ଗଗୁଡ଼ାକବି ତୋର ଆଉ ମନେପଡ଼ିବେ ନାହିଁ-! ହେଲା ଭାଇ, ବଡ଼ ଚାକିରି କରି ଭଲରେ ଥାଅ । ଆମକୁ ଟିକେ ମନେ ରଖିଥାଅ ।’

 

ମୁଁ ଖାଲି ମୁହଁରେ ସରୁ ହସଟେ ଝୁଲାଇ ରଖିଥାଏ, ଯେମିତି ଝୁଲୁଥାଏ ଛୋଟ ଲଣ୍ଠନଟିଏ କୋଉ ଦୁରନ୍ତ ନିପଟ ମଫସଲ ଗାଁର ଚା’ ଦୋକାନରେ ।

 

ତପତୀ କେଉଁ ଦୁରନ୍ତ ଆଦିବାସୀ ଇଲାକାର ଛୋଟ ବ୍ଲକ୍‍ସ୍ତରୀୟ ଡାକ୍ତରଖାନାରେ ଯୋଗ ଦେଇଥିଲା, ସେକଥା ଜାଣିବାରେ ମୋର ଆଗ୍ରହ ବଢ଼ିଲା । କ’ଣ ପାଇଁ କେଜାଣି, ମୋ ଭିତରଟା ପୂର୍ଣ୍ଣ ହୋଇଯାଉଥାଏ ଏକପ୍ରକାର ଅସ୍ଥିର ଭାବରେ । ସତେ ଯେମିତି କୋଉଠି କିଛି ହଜିଯାଇଥିଲା, ସତେ ଯେମିତି କେହି ନିଜ ଲୋକ ହଜିଯାଇଥିଲା ଭିଡ଼ ଭିତରେ; ସତେ ଯେମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଶହେ ଦେଢ଼ଶହ କିଲୋମିଟର ଆଗରୁ ଏକ ନିହାତି ନିକାଞ୍ଚନ ଜାଗାରେ ଗାଡ଼ିର ଇଞ୍ଜିନ୍ ଅଚାନକ ଖରାପ ହୋଇଯାଇଥିଲା !

 

ମୋର ଏମ୍.ଫିଲ୍ ପାଇଁ ପ୍ରବେଶିକା ପରୀକ୍ଷା ସରିଥିଲା, ହେଲେ ରେଜଲ୍‍ଟ ବାହାରିବାରେ ବିଳମ୍ବ ହେଉଥିଲା । ହେଲେ ମୋତେ ଗୋଟେ ବେଶ୍ ଭଲ କାମ ମିଳିଯାଇଥିଲା । ଗୋଟେ ଘରୋଇ କୋଚିଙ୍ଗ୍ ସେଣ୍ଟର୍‍ରେ ସକାଳ–ସଞ୍ଜରେ ପିଲାଙ୍କୁ ପଢ଼ାଇବା କାମ ମିଳି ଯାଇଥିଲା । ଦରମା କିଛି ମନ୍ଦ ନଥିଲା । ସକାଳ ସାତରେ ଯାଅ, ଦିନ ଏଗାରରେ ଫେର; ପୁଣି ସନ୍ଧ୍ୟା ଛ’ରେ ଯାଅ, ରାତି ନ’ରେ ଫେର । ପିଲାଙ୍କପାଇଁ ପ୍ରଶ୍ନପତ୍ର କର, ଖାତା ଦେଖ, ଇତ୍ୟାଦି ।

 

ଏ ଭିତରେ ତପତୀ ଚାକିରି କରିଯିବା–ଆଃ !

 

କୋଉ ବାଟେ କ’ଣ ମତେ ସେ ଜଣାଇ ପାରି ନଥା'ନ୍ତା ?

 

ହେଲେ କେମିତି ଜଣାଇଥା'ନ୍ତା ? କାହିଁକି ଜଣାଇଥା'ନ୍ତା ?

 

ତାହାହେଲେ ମାଟ୍ରିକ୍ ପରୀକ୍ଷାର କେଇଦିନ ଆଗରୁ ସ୍କୁଲ୍‍ର ହତା ଭିତରେ ମନ୍ଦାର ଗଛର ଉହାଡ଼ରେ ମନ୍ଦାର ପତ୍ରକୁ ଚିବୁକରେ ଘୂରାଇ କାହିଁକି ସେ ମତେ କହିଥିଲା ସେକଥା ? ଯୋଉ କଥା ଚପି ରହି ରହି ଛାତି ତଳେ ଫସିଲ ହୋଇ ସାରିଛି କୋଉ କାଳରୁ !!

 

ମୁଁ ବି କାହିଁକି ଏମିତି ହେଉଥିଲି ? କାହିଁ କେତେ ବର୍ଷର କେଇପଦ କଥା, କଲେଜବେଳର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କର ଆଧାରରେ ମୁଁ ଏତେଦୂର ଏତେ କଥା ଭାବି ବସିବାଟା ଉଚିତ ଥିଲା କି ? ମୋତେ ଧିକ୍ ।

 

ସବୁଠୁ ବଡ଼କଥା ହେଲା ମେଡ଼ିକାଲ ପାଠ ପଢ଼ିଥିବା ବା ପଢ଼ୁଥିବା କେତେଜଣ ଛାତ୍ରଛାତ୍ରୀ ସେମାନଙ୍କ ପେସା ବା ବୃତ୍ତି ବାହାରେ କାହାକୁ ପ୍ରେମ କରିଥା'ନ୍ତି ବା ବିବାହ କରିଥାନ୍ତି-? ଶହେରେ ଦୁଇ /ତିନି ଜଣ କି କ’ଣ ! ସେ ସବୁ କାହିଁ କୋଉ ଅତୀତ କାଳରେ ଘଟୁଥିଲା, ଯେତେବେଳେ ଶହେଜଣ ପୁଅ ମେଡ଼ିକାଲ ପଢ଼ୁଥିବାବେଳେ ହୁଏତ ଦଶ ପନ୍ଦର ଜଣ ଝିଅ ମେଡ଼ିକାଲରେ ନାଁ ଲେଖାଉଥିଲେ । ପୁଅମାନଙ୍କର ଅର୍ଥାତ୍ ଡାକ୍ତରମାନଙ୍କର ଆଉ ଚାରା କ’ଣ ଥିଲା ?

 

ଆଜିକାଲି ସେ ସମୟ ଓଲଟି ଯାଇଛି । ଏବେ ତ ପ୍ରତି ଶହେ ଜଣରେ ସତୁରି ଝିଅ, ତିରିଶ ପୁଅ । କ’ଣ କରୁଛ କରୁଥା ! ଯଦିଓ ହିସାବରେ ବଳି ପଡ଼ିଯିବା ପରି ଲାଗୁଛି, କଥାଟା ସେଇଆ ନୁହେଁ । ମେଡ଼ିକାଲ ପଢ଼ୁଆ ଝିଅ ଅନ୍ୟ କେଉଁ ବୃତ୍ତିଧାରୀଙ୍କ ପାଇଁ ଫାଙ୍କା ରହୁନାହାନ୍ତି, ଅସଂଖ୍ୟ ଘରୋଇ ମେଡ଼ିକାଲ କଲେଜ ଖୋଲିଯିବା ପରେ ଭଲ ହେଉ ମନ୍ଦ ହେଉ, ଭାଗମାପ କେଜାଣି କେମିତି ଛିଡ଼ି ଯାଉଛି । ତେବେ ଏଇ ଧାରା ଆମ ସମୟରୁହିଁ ପ୍ରାୟ ଆରମ୍ଭ ହୋଇଥିଲା, ଯେତେବେଳେ ରାଜ୍ୟରେ ନା ଥିଲା ଘରୋଇ ମେଡ଼ିକାଲ କଲେଜ, ନା ଆରମ୍ଭ ହୋଇଥିଲା ମୋବାଇଲ୍‌ର ଯୁଗ !

 

ଛାଡ଼ ! ଏତେ ବୁଲେଇବଙ୍କେଇ ନ କହି ସିଧାସିଧା କହିଲେ କେହି ଯେମିତି ବାରମ୍ବାର ମୋ କାନ ଭିତରେ ଶୁଣେଇଦେଇ ଯାଉଥିଲା ଯେ ତପତୀ ନିଶ୍ଚୟ କୌଣସି ନବ–ଡାକ୍ତରକୁ ଭଲପାଇ ସାରିଥିଲା । ପ୍ରେମ କରିସାରିଥିଲା ।

 

ତପତୀ ଆଉ କାହାର ହୋଇସାରିଥିଲା, କେବେଠାରୁ ! ହୁଏତ କେହି ଅଂଶୁମାନ ଅବା ପ୍ରିୟଦର୍ଶୀ ଅବା ତାରାଶଙ୍କର ଅବା ଶୀଳଭଦ୍ର ଅବା ଦେବଦତ୍ତ ନାମଧାରୀ ଜଣେ ଅଧିଷ୍ଠିତ ହୋଇସାରିଥିଲା ତପତୀର ହୃଦୟ ସିଂହାସନରେ !

 

ତପତୀ ନାମକ ସେଇ ବିଚିତ୍ର ସୌନ୍ଦର୍ଯ୍ୟମୟୀର ହୃଦୟ ସାମ୍ରାଜ୍ୟରେ ଫଗୁ ଚରଣ ନାମଧାରୀ କୌଣସି ଅନାମଧେୟ ପ୍ରଜାର ସତ୍ତାହିଁ ନଥିଲା !

 

କୋଉ ଆଦର୍ଶ ଅବା କାହାର ପ୍ରେରଣାରେ ତପତୀ ରାଜ୍ୟର ଏକ ଉପାନ୍ତ ଅଞ୍ଚଳରେ ଯୋଗ ଦେଇଥିଲା କେଜାଣି । ସେ ଅଞ୍ଚଳରେ ଖରାଦିନେ ପାଣି ମିଳେନା ବୋଲି ଅପବାଦ ରହିଥିଲା । ଦିନମାନ ଚବିଶିଘଣ୍ଟାରୁ ବାର ଚଉଦ ଘଣ୍ଟା ବିଜୁଳି ରହୁ ନଥିଲା ।

 

ହଁ–ତପତୀ ସରକାରୀ କ୍ୱାଟର୍‍ରେ ରହୁଥିଲା ନା ଭଡ଼ାଘରେ ରହୁଥିଲା ? ପୁଣି କେତେ ନିରାପଦ ଥିଲା ଭଡ଼ାଘର ? ତାକୁ ଛାଡ଼ି କେତେ କର୍ମଚାରୀ ଥିଲେ ସେଠି ? ସର୍ବନିମ୍ନ ସଂଖ୍ୟକ ଆବଶ୍ୟକୀୟ କର୍ମଚାରୀ କ’ଣ ଥିଲେ ସେଠି ? ଜଣେ ଡାକ୍ତର ବା ଡାକ୍ତରାଣୀ ସୁଚାରୁରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାପାଇଁ ସର୍ବନିମ୍ନ ଆବଶ୍ୟକତା ଅନୁଯାୟୀ ଯନ୍ତ୍ରପାତି ସେଇ ଡାକ୍ତରଖାନାରେ ଥିଲା କି ନାହିଁ ?

 

ଗୋଟିଏ ବାକ୍ୟରେ କହିଲେ ଏକ ନାହିଁ–ନାହିଁର ଇଲାକାରେ ପାଦ ରଖିଥିଲା । ତପତୀ; ହେଲେ କୋଉ ଆଦର୍ଶ ବଳରେ ? ଅବା କେଉଁ ଜିଦିରେ ? ଅବା କାହା ପ୍ରେରଣାରେ ? ନା ଏମିତି କ’ଣ ହୋଇଥିଲା ଯେ ତା’ର ପ୍ରିୟ ପୁରୁଷ ଅର୍ଥାତ୍ ମନର ମଣିଷ ଅର୍ଥାତ୍ ଭାବୀ ସ୍ଵାମୀ ସେଇ ଆଖପାଖ ଆଉ କେଉଁ ଡାକ୍ତରଖାନାରେ ଡାକ୍ତରଭାବେ ଯୋଗ ଦେଇଥିଲା କି ?

 

ପ୍ରଶ୍ନ ପରେ ପ୍ରଶ୍ନ ମୋତେ ଆନ୍ଦୋଳିତ କଲା । ଉଦ୍‍ବେଳିତ କଲା । ପ୍ରଶ୍ନର ବନଶୀ କଣ୍ଟାରେ ମୁଁ ଲଟକିଥିଲି ଅସହାୟ ମାଛଟେ ପରି, ଯେତେ ଜୋରରେ ଛାଟିପିଟି ହେଲେବି କଣ୍ଟାରୁ ମୁକ୍ତି ନଥିଲା, ଅଥଚ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା କ୍ରମାଗତ; ଯନ୍ତ୍ରଣା ଅସହ୍ୟ ହେଲେ କ’ଣ ହୁଏ-? ବ୍ୟକ୍ତି ସଭାର ଅଂଶ ପାଲଟିଯାଏ, ଯେମିତି ଚାଲିଥାଏ ନିଃଶ୍ୱାସ ପ୍ରଶ୍ୱାସ ଓ ଯେମିତି ସ୍ୱତଃ ପଡ଼ୁଥାଏ ଆଖି ପଲକ, ସେମିତି ଯନ୍ତ୍ରଣାବି କ୍ରମେ ନିଜର ହୋଇଯାଏ । ଏତେ ନିଜର ଯେ ମଣିଷ ପୂରା ଅସହାୟ ହୋଇଯାଏ, ଯେମିତି ସଂଗ୍ରାମର ଶେଷ ଆଡ଼କୁ ହୋଇଯାଇଥାଏ ମାଛ, ଭାବୁଥାଏ ଯେ ସେ ତଥାପି ସଂଗ୍ରାମ ଜାରି ରଖିଛି; ହେଲେ ବାସ୍ତବରେ ମାଛ କେବଳ ଭାସୁଥାଏ ପାଣିରେ-

 

ଆଃ ! ତପତୀ !

 

ହାୟ ତପତୀ !

 

ଏମିତି ଅସ୍ଥିର ଲାଗୁଥିଲା କ’ଣ ପାଇଁ ? ଏଇ କେଇବର୍ଷ ହେବ ତ ଏମିତି ଆଦୌ ଲାଗୁ ନଥିଲା ବରଂ ତପତୀ ଏକରକମ ଭୁଲି ହୋଇଯାଇଥିଲା କହିଲେ ଚଳେ ! କ'ଣ ପାଇଁ ପ୍ରଚଣ୍ଡ ଇଚ୍ଛାଟେ ଜାଗ୍ରତ ହେଉଥିଲା ମୋ ଭିତରେ ତପତୀ ରହୁଥିବା ଜାଗାକୁ ଚାଲିଯିବା ପାଇଁ ? ଯଦି ସେ ବାହା ହୋଇଯାଇଥାଏ ? ବାହାହୋଇ ନଥାଏ ? ହେଇଥିଲେ କେତେ, ହେଇ ନଥିଲେ କେତେ ? ମୋର ସ୍କୁଲ୍‍ବେଳର ଜଣେ ଝିଅ ସାଙ୍ଗକୁ ମୁଁ ଦେଖା କରିପାରିବି ନାହିଁ ? ଇଏ ପୁଣି କେମିତି କଥା ? ଯିଏ ଯାହା ଭାବୁଥିବ, ଭାବୁଥାଉ । ମୋର ଯିବାର କଥା, ମୁଁ ଯିବି ବୋଲି ସ୍ଥିର କଲି । ଯଦି ତପତୀ କିଛି ପଚାରେ, କହିଦେବି ଯେ ସେଇ ଅଞ୍ଚଳରେ ମୋର କୋଉ ସାଙ୍ଗ ଘରକୁ ଆସିଥିଲି ବୋଲି । ନହେଲେ ଆଉ କ’ଣ ମିଛସତ କହିଦେବି । ମୋର ଯିବା ନିଶ୍ଚିତ !

 

କ୍ରମେ ମାତ୍ର ଦିନ କେଇଟା ଭିତରେ ମୋର ଇଚ୍ଛା ପ୍ରବଳରୁ ପ୍ରବଳତର ହେଲା । ମୁଁ ତପତୀକୁ ଦେଖିବି ଓ ତା’ର ସ୍ୱର ଶୁଣିବି, ଏଇ ପ୍ରକାରର ଇଚ୍ଛାଟିଏ ଏତେ ପ୍ରବଳ ହେଲା ଯେ ମୁଁ ଦୁଇଦିନ କୋଚିଙ୍ଗ୍ ସେଣ୍ଟର୍ ଗଲିନାହିଁ, ଗୋଟେ ଦିନ ଯଦିଓ ଗଲି, ପିଲାଙ୍କୁ ପଢ଼େଇ ପାରିଲି ନାହିଁ ! ଆମ ପ୍ରଶାସନିକ ଅଧିକାରୀ କ’ଣ ଦେହ ଭଲ ନାହିଁ କି ?' ବୋଲି ଦିନେ ପଚାରିଲେ ।

 

ଦିନେ ରାତିରେ ମୋର ଏକ ବିଚିତ୍ର ଅନୁଭବ ହେଲା । ଖାଇସାରି ପ୍ରାୟ ଏଗାରଟାବେଳକୁ ମୋତେ ନିଦ ହୋଇଯାଇଥିଲା, ନିଦ ମାନେ ଜବରଦସ୍ତ ନିଦ ! ହୁଏତ ମୁଁ ସ୍ଵପ୍ନ ଦେଖିଥିଲି କିମ୍ବା ବିନା ସ୍ଵପ୍ନରେ ସେମିତି ଅନୁଭବ କରିଥିଲି ! କେଜାଣି ! ମୋ ଅଣ୍ଟାରେ ଗୋଟେ ଶକ୍ତ ରଶି ବନ୍ଧା ହୋଇଥିଲା ଏବଂ କେହି ମତେ ଜୋରରେ ଟାଣୁଥିଲା । ମୁଁ ସବୁ ଶକ୍ତି ଏକାଠି କରି ବିପରୀତ ଦିଗକୁ ଟାଣିବାରେ ଲାଗିଥିଲି । ହେଲେ ନା–ସବୁ ବୃଥା ! ରଶି ମତେ କୁଆଡ଼େ ଉଡ଼େଇ ନେଇଗଲା । ପୁଣି ବଡ଼ ଅଦ୍ଭୁତଭାବେ ରଶି ଛିଡ଼ିଗଲା ।

 

ମୋ ତଳିପେଟ ଶୂନ୍ୟ ହୋଇଗଲା । ତଳେ ଛେଚିହୋଇ ପଡ଼ିବା ଆଗରୁ ମୁଁ ଗୋଟେ ମୁଲାଏମ ଜାଗାରେ ଠିଆ ହୋଇଗଲି ।

 

ସେଇଠି ଗୋଟେ ମନ୍ଦାର ଗଛ ଆଢ଼ୁଆଳରେ ଠିଆ ହୋଇଥିଲା ତପତୀ !

 

ମୋ ନିଦ ଭାଙ୍ଗିଗଲା । ତପତୀ ଆଖପାଖରେ ଥିବା ପରି ଅନୁଭବ ହେଲା । ତପତୀ କିନ୍ତୁ ନଥିଲା । ମୁଁ ଆଲୁଅ ଜଳେଇଲି । ରାତି ତିନିଟା ଚାଳିଶ !

 

ପରଦିନ ସକାଳେ ମୁଁ ଟିକେଟ୍ କଲି । ଯୋଉ ବ୍ଲକ୍‌ର ଅଭ୍ୟନ୍ତରସ୍ଥ ଛୋଟ ଡାକ୍ତରଖାନାରେ ତପତୀ ଡାକ୍ତରାଣୀ ହୋଇ ଯୋଗ ଦେଇଥିଲା, ସେଇଠି ପହଞ୍ଚିବା ଜରୁରୀ ଥିଲା-। ତେବେ ସେଯାଏଁ ତ ବସ୍ ନଥିଲା, ଗୋଟିଏ ବସ୍ ଚାଲୁଥିଲା ଆମ ସହରରୁ ସେଇ ବ୍ଲକ୍ ସଦରମହକୁମା ଯାଏଁ । ଜାଣିବା ଶୁଣିବା ଲୋକଙ୍କଠାରୁ ତଥା ଟିକେଟ୍ କାଉଣ୍ଟରରୁ ବୁଝିଲି ବ୍ଲକ୍ ସଦରମହକୁମାଠାରୁ ସେ ଜାଗାଟା ସତର କିଲୋମିଟର ଦୂର ।

 

ହେ ଭଗବାନ !

 

ଅପରାହ୍‍ଣ ଚାରିଟାରେ ମୁଁ ବସ୍‌ରେ ବସିଲି ।

 

ଶେଷ ପର୍ବ

 

ପଶ୍ଚିମ ଓଡ଼ିଶାର ସେଇ ଘୁମନ୍ତ କ୍ଷୁଦ୍ର ବ୍ଲକ୍ ହେଡ଼୍ କ୍ୱାଟର୍‌ରେ ବସ୍ ଲାଗିବାବେଳକୁ ସକାଳ ସାତ । ବସ୍‌ଷ୍ଟାଣ୍ଡର ଆଖପାଖରେ ସ୍ୱାଭାବିକ ଗହଳଚହଳ ଥିଲା । ଚା’, ଜଳଖିଆ, ପାନ ଦୋକାନରେ ଭିଡ଼ ଆରମ୍ଭ ହୋଇଯାଇଥିଲା । ଅଧିକାଂଶ ଦୋକାନ ଖୋଲି ନଥିଲା ନଜର ଘୂରାଇଲି । ଅତି କ୍ଷୁଦ୍ର ସହର ବା ସାମାନ୍ୟ ବୃହତ୍ ବଜାର । ଅଞ୍ଚଳର ଦାରିଦ୍ର୍ୟ ବାରିହୋଇ ପଡ଼ୁଥିଲା । କେଜାଣି କାହିଁକି ମୋର ମନେ ହୋଇଥିଲା ଲୋକମାନେ ସରଳ, ଖୁବ୍ ସରଳ ମାନେ ନିର୍ଦ୍ଦିଷ୍ଟ କିଛି ଆଶା ଆକାଂକ୍ଷା ନଥିବା, ବଡ଼ କିଛି କାମନାକୁ ମନ ବୃନ୍ଦାବନରେ ପୋଷା ମନେଇ ନଥିବା ସରଳ ମଣିଷ ! ଖୁବ୍ ଦୂରରେ ଦିଗ୍‌ବଳୟକୁ ଛୁଇଁଥିଲା ପାହାଡ଼ । ମୁଁ ଚା’ ପିଇସାରି ବାହନ ଖୋଜିଲି । ଥିଲା ଦୁଇଟି ଅଟୋ, ଗୋଟିଏ ମାରୁତି ଭ୍ୟାନ୍ । ସତର କିଲୋମିଟର ରାସ୍ତାକୁ ଅଟୋବାଲା କହିଲେ ଦେଢ଼ଶହ, ମାରୁତି ଭ୍ୟାନ୍‍ବାଲା କହିଲା ତିନିଶହ ଟଙ୍କା । ମୁଁ ମୂଲଚାଲ ନ କରି ଅଟୋରେ ବସିଲି ।

 

ବାଟରେ ରାସ୍ତାର ଦୁଇ ପାର୍ଶ୍ଵର ବିସ୍ତୀର୍ଣ୍ଣ ସବୁଜିମା, ମଝିରେ ମଝିରେ ଟିକ୍‌ଟିକ୍‌ ପତ୍ରବାଲା ବିରାଟ ବିରାଟ ଗଛ, କେତେକ ଜାଗାରେ କେବଳ ଧଳା ଓ ହଳଦିଆ ଜଙ୍ଗଲୀ ଫୁଲ, କାଁଭାଁ ଘର ରାସ୍ତାକଡ଼ରେ, ଗୋଟେ ଦି’ଟା କୁନି ପାନ ଦୋକାନ, ଅଳସ ଭାଙ୍ଗୁଥିବା ପିଠିରେ ପଟା ପଟା ଦାଗ ଥିବା କୁକୁର, ଏଠିସେଠି ଗାଈ କି ମଇଁଷି, ଗୋଟେ ବିଚିତ୍ର ପ୍ରକାରର ବାସ୍ନା ଖେଳି ବୁଲୁଥିଲା ପବନରେ ! ସବୁ ଫେଣ୍ଟାଫେଣ୍ଟି ଗୋଟେ ଅଜବ ପ୍ରକାରର ବାସ୍ନା । କେଇ ମୁହୂର୍ତ୍ତପାଇଁ ତପତୀ ଥିଲା ପଛରେ ଏବଂ ସେଇ ଅଞ୍ଚଳରେ ନିରୀହ ପ୍ରକୃତି ଥିଲା ଆଗରେ ।

 

‘ଏ ଅଞ୍ଚଳରେ ପିଚୁ ରାସ୍ତା କଡ଼ରେ ଘରଫର ନାହିଁ କାହିଁକି ?’ ମୁଁ ପଚାରିଲି ।

 

ଅଟୋଚାଳକ ମୁର୍କି ହସି, ସତେ ଅବା ପ୍ରସ୍ତୁତ କରି ରଖିଥିବା ପରି କହିଲା, ‘ଆମ ଏ ଆଡ଼େ ରାସ୍ତାକଡ଼ ଜମି ପ୍ରତି କାହାର ଲୋଭ ନାଇଁ ଆଜ୍ଞା ! ରାସ୍ତାଠୁ ଦୂରରେ ରହିବା ସମସ୍ତଙ୍କର ପସନ୍ଦ ।’

 

ସିଏ ଅବଶ୍ୟ ତାଙ୍କ ଆଡ଼ର ଓଡ଼ିଆରେ କହିଥିଲା ବେଶ୍ ମଧୁର ଢଙ୍ଗରେ । ଦୂରରୁ ଦିଶିଲା ଛୋଟକାଟର ବଜାର ଏବଂ ସାତ ଆଠଟା ହଳଦିଆ ରଙ୍ଗର ଏକମହଲା କୋଠା । ସରକାରୀ ଘର । ଡାକ୍ତରଖାନା ଆସିଗଲା ବୋଲି ଅଟୋବାଲା କହିଲା । ଅଟୋ ଯେଉଁଠି ଅଟକିଲା, ସେଠି ଦଶ ବାରଟା ଦୋକାନ । ଦି’ ତିନିଟା ଚା’ ଜଳଖିଆ ଦୋକାନ, ଗୋଟେ ମେଡ଼ିସିନ୍ ଦୋକାନ, ଗୋଟେ ସାଇକେଲ୍ ମରାମତି ଦୋକାନ, ଗୋଟେ ଦରଜି ଦୋକାନ ଇତ୍ୟାଦି-। କାନ୍ଧରେ ଏୟାର୍‍ବ୍ୟାଗ୍ ଝୁଲାଇ ଅଟୋରୁ ଓହ୍ଲାଇବା ପରେ କେଇଜଣ ଉତ୍ସୁକତାଭରା ଦୃଷ୍ଟିରେ ମୋ ଆଡ଼େ ଚାହିଁଲେ । ଡାକ୍ତରାଣୀ ପରା ଏଇଠି କୋଉ କ୍ୱାଟର୍‍ରେ ରହୁଛନ୍ତି ? ମୁଁ ପଚାରିଲି-

 

ମୋର ସବୁଠୁ ପାଖରେ ଠିଆ ହୋଇଥିବା ଲୋକ ଜଣକ କହିଲା, ‘ଏଇ ଗେଟ୍‌ରେ ଭିତରକୁ ଯାଆନ୍ତୁ, ବାଁ ପଟର ତିନି ନମ୍ବର ଘରଟା ଦିଦିଙ୍କର ଘର ।’

 

ମୁଁ ଭିତରକୁ ଗଲି । ପ୍ରଥମ ହଲ୍ ପରି ଲମ୍ବା ଘରଟାରେ କବାଟ ନଥିଲା, ଭିତରୁ ଦିଶୁଥିଲା ଖଟିଆ କେତେଟା, ତା’ପରେ ଟହଲ ମାରୁଥିବା କିଛି ଗାଉଁଲି ମହିଳା ଓ ପୁରୁଷ, ଧଳାଶାଢ଼ି ପିନ୍ଧା ଦି’ଜଣ ବୋଧେ ନର୍ସ, ତଳେ ଶପ ପରି କିଛି ପକାଇ ଶୋଇଥିବା କିଛି ମହିଳା । ହଁ ଡାକ୍ତରଖାନା ! ମୁଁ ଧୀରେଧୀରେ ଚାଲୁଥାଏ, ମୋର ଛାତି ତଳେ ଦୁମ୍‍ଦୁମ୍ ଶବ୍ଦ ହେବାରେ ଲାଗୁଥାଏ । ଚଢ଼େଇଟା ଭିତରର ବୁଦା ଭିତରୁ ଫଡ଼କରି ଉଡ଼ିଗଲା, ମୁଁ ଠାଏ କରି ଚମକି ପଡ଼ିଲି, ଚଢ଼େଇଟା ମୋ ପାଦଶବ୍ଦ ନୁହେଁ ବୋଧେ ଛାତି ତଳର ଦୁମ୍‌ଦୁମ୍ ଶୁଣି ଉଡ଼ିଗଲା ।

 

ତିନି ନମ୍ବର ଘର ପାଖରେ ଠିଆ ହେଲି । ଆଉ ଚିନ୍ତା ନଥିଲା, ତପତୀ ଜାଗାରେ ଆଉ କେହି ଅଜଣା ଡାକ୍ତରାଣୀ କବାଟ ଖୋଲିବାର ସମ୍ଭାବନାହିଁ ନଥିଲା; କାରଣ କାଠ ଜାଫ୍ରିର ବାହାର ପଟରେ କଳାରଙ୍ଗର ଟିଣରେ ଲେଖା ଥିଲା; ‘ତପତୀ ତପସ୍ୱିନୀ, ଏମ୍.ବି.ବି.ଏସ୍ ଏବଂ ଟିକେ ତଳକୁ ଥିଲା : ଡାକ୍ତର ।’ ସବୁ ବେଶ୍ ବଡ଼ ଓଡ଼ିଆ ଅକ୍ଷରରେ ଲେଖା ଥିଲା ।

 

ମୁଁ ପ୍ରଥମେ ଧୀରେ ପରେ ଟିକେ ଜୋରରେ ଜାଫ୍ରିରେ ଲାଗିଥିବା କଡ଼ା ଖଡ଼ଖଡ଼ କଲି-। ଭିତରୁ ମୃଦୁ ପାଦଶବ୍ଦ ଶୁଣାଗଲା । ପ୍ରଥମେ ଅନ୍ଧାରିଆ ବାରଣ୍ଡାରେ ଥିବା ଦରଜା ଖୋଲିଲା ଏବଂ ଜାଫ୍ରିରେ ଥିବା ବଡ଼ବଡ଼ ଫାଙ୍କରେ ମୁଁ ଦେଖିଲି ତପତୀକୁ କାହିଁ କେତେ ବର୍ଷ ପରେ-। ମୁହୂର୍ତ୍ତକ ପରେ ଜାଫ୍ରିବି ଖୋଲିଲା । ମୋର ପାଦ ତଳର ମାଟି ଧୀରେ ଧୀରେ ପରିଣତ ହେଲା ଚୋରାବାଲିରେ । ଜାଫ୍ରି ଖୋଲି ତିନି/ ଚାରି ପାଦ ପଛକୁ ଘୁଞ୍ଚିଗଲା ତପତୀ ଅର୍ଥାତ୍ ମୁଁ ଆଉ ପାହାଚରେ ଠିଆ ନ ହୋଇ ଭିତରକୁ ଯାଏଁ । କେଇ ମୁହୂର୍ତ୍ତର ବିଚିତ୍ର ଏକ ବିବଶତା ପରେ ମୁଁ ଉପରକୁ ଉଠିଲି ଏବଂ ପିଠିରେ ଦୀର୍ଘକ୍ଷଣ ହେବ ଲଟକିଥିବା ଏୟାର୍‌ବ୍ୟାଗ୍‌କୁ ତଳେ ରଖିଲି ଏବଂ ସ୍ପଷ୍ଟଭାବେ ଚାହିଁଲି ତପତୀ ଆଡ଼େ !

 

ସଦ୍ୟ ଗାଧୋଇଥିବା ତପତୀର କେଶରାଶିରେ ତଥାପି ଚିକ୍‌ମିକ୍ କରୁଥିଲା କେଇବୁନ୍ଦା ପାଣି । ତା’ର କେଶଗୁଚ୍ଛ ଠିକ୍ ସେମିତି ଥିଲା, ଯେମିତି ଥିଲା ସ୍କୁଲ୍‍ରେ ଓ କଲେଜରେ । କୁଞ୍ଚୁକୁଞ୍ଚିଆ ଓ କାନ୍ଧ ଉପର ଯାଏଁ । ବେକରେ ଥିଲା ସରୁ ଚେନ୍ । କାନରେ ଥିଲା ଛୋଟ ପଥରବସା ଫୁଲ, ହାତରେ ପଟେ ଲେଖାଁ ଖୁବ୍ ସରୁ ସୁନା ଚୁଡ଼ି । କାମବାଲୀ ସ୍ତ୍ରୀଲୋକମାନେ ଅଥବା ଧାନ କାଟିବାକୁ ବାହାରିଥିବା ଗାଉଁଲି ମହିଳାମାନେ ଯେମିତି ଢଙ୍ଗରେ ଶାଢ଼ି ପିନ୍ଧିଥାନ୍ତି, ସେମିତି ପିନ୍ଧିଥିଲା ତପତୀ । ଶାଢ଼ିର କାନି ବେକତଳ ବାଟେ ଯାଇ ଡାହାଣ କାନ୍ଧ ଉପରବାଟେ ଆସି ବାଁ ପଟ ଅଣ୍ଟାରେ ଖୋସା ହୋଇଥିଲା । ତା’ ପାଦରେ ଥିଲା ପୁରୁଣାକାଳିଆ ସ୍ଲିପର୍ ।

 

ତପତୀ ମୋ ସାମ୍ନାରେ ନଥିଲା । ଫ୍ୟାନ୍ ଥିଲା, କିନ୍ତୁ ବୁଲୁ ନଥିଲା । ମୁଁ ରୁମ୍‌ରେ ଆଖି ପହଁରେଇଲି । ଜଣେ ଡାକ୍ତରର ଟେବୁଲ୍ ଉପରେ ସର୍ବନିମ୍ନ ଯାହା ରହିବା କଥା, ତାହାହିଁ ଥିଲା । ଗୋଟେପଟ କାନ୍ଥ କଡ଼କୁ ଲାଗି ଥିଲା ଛୋଟ କାଚ ଆଲମାରି । ଭିତରେ କେବଳ ବହି ଥିବା ପରିହିଁ ଲାଗୁଥିଲା । ଉଠିଯାଇ ଦେଖିଲି ବହି । ହେଲେ ତାହାହିଁ ଥିଲା ମୋପାଇଁ ଅଷ୍ଟମ ଆଶ୍ଚର୍ଯ୍ୟ । ସେଠି ଡାକ୍ତରୀପାଠର ଖଣ୍ଡେବି ବହି ନଥିଲା । ଓଡ଼ିଆ ଓ ଇଂରାଜୀ ଭାଷାର କେତେକ ବେଶ୍ ଜଣାଶୁଣା ଗାଳ୍ପିକ ଓ ଔପନ୍ୟାସିକର ରଚନା ସବୁ ଯତ୍ନରେ ରଖାଯାଇଥିଲା । ସାହିତ୍ୟ ପ୍ରତି ତପତୀ ଯେ କେବେ ଆଗ୍ରହୀ ଥିଲା, ଏକଥା ମୋର ସ୍ମରଣରେ ନଥିଲା ।

 

ସେଇ ଏକା ଶାଢ଼ିରେ ଦୁଇ କପ୍ ଚା’ ଧରି ମୁହଁରେ କେତକୀ ଫୁଲିଆ ହସଟେ ଖେଳାଇ ତପତୀ ଆସିଲା ଓ ଚା’ ଦୁଇ କପ୍ ଟି’ପୟ ଉପରେ ଥୋଇ କାନ୍ଧରେ ଲଟକିଥିବା ଦୁଇଫୁଟିଆ ତଉଲିଆରେ ହତା ପୋଛୁ ପୋଛୁ ଝରକାର ପର୍ଦା ଗୋଟେ ପଟକୁ ଆଡ଼େଇଦେଲା । ଘର ଭିତରରେ ଉଜ୍ଜ୍ଵଳ ସୂର୍ଯ୍ୟରଶ୍ମି । ତପତୀ ମୋ ସାମ୍ନାରେ ଅର୍ଥାତ୍ ଟି’ପୟ ଆରପଟେ ବସିଲା । ଏତେବେଳେ ମୁଁ ଲକ୍ଷ୍ୟକଲି ଯେ ସବୁ ଠିକ୍ ଥିଲା, କେବଳ ତା’ ଗହମ ରଙ୍ଗର ଶରୀର ସାମାନ୍ୟ ମ୍ଳାନ ଦିଶୁଥିଲା ବାସ୍ ।

 

ସେ ଗୋଟେ କପ୍ ଓ ମୁଁ ଗୋଟେ କପ୍ ଉଠେଇନେଲୁ । ତେବେ ତା’ କ୍ୱାଟର୍‍ରେ ପହଞ୍ଚିବାଠାରୁ ଚା’ ପାନ ପର୍ବର ପ୍ରକ୍ରିୟା ଭିତରେ ଯାହା ମୋତେ ଭିତରେ ଭିତରେ ପ୍ରଚଣ୍ଡ ବିସ୍ମିତ କରିଥିଲା, ତାହା ହେଉଛି ମତେ ଦେଖିବା ପରେ ସିଏ ଆଦୌ ଆଶ୍ଚର୍ଯ୍ୟ ନ ହେବା ! ସତେ ଯେମିତି ମୁଁ ସେଇ କ୍ୱାଟର୍‍ରେ କିଛି ବର୍ଷ କି ମାସ ରହି ଆସିଥିଲି ଏବଂ ଏଇ ଦିନେ ଦିଦିନ ହେବ ବାହାରକୁ ଯାଇ ସେଇ ସକାଳୁ ଫେରୁଥିଲି ! ନତୁବା ସତେ ଅବା ସିଏ କିମିତି କୋଉ ସୂତ୍ରରୁ ମୋର ଏଠାକୁ ଆସିବା କଥା ଜାଣିଥିଲା ! ସତେ ଅବା ସେ ମତେ ଅପେକ୍ଷା କରିଥିଲା !

 

କେତେ ମିନିଟ୍ ପରେ ତପତୀର ସ୍ଵର ଶୁଣାଗଲା । ମତେ ଲାଗିଲା କୋଉ ନିକାଞ୍ଚନ ପାହାଡ଼ୀ ଗୁମ୍ଫା ଭିତରେ ପ୍ରତିଧ୍ୱନିତ ହେଲା ବଂଶୀର ସ୍ଵର ।

 

‘ଯାହାହେଉ, ଶେଷରେ ଆସିଗଲ ।’ ତପତୀ କଥା ଆରମ୍ଭ କଲା । ସେତେବେଳକୁ ମୋର ଭୟ, ଆଶଙ୍କା ଓ ବିବଶତା ତଥା ଅଧୀର ଉତ୍ତେଜନା ସ୍ଵାଭାବିକ ହୋଇଆସିଥିଲା ।

 

‘ଆସିଗଲି ମାନେ !’ ମୁଁ ବିସ୍ମୟରେ ପଚାରିଲି, ‘ଆସିବି ବୋଲି ଜଣାଥିଲା ନା କ’ଣ ?'

 

ରହସ୍ୟମୟ ହସଟେ ହସି ସେ କହିଲା, ‘ସେଇଆ ବୋଲି ଭାବ ।’

 

ମୁଁ ଆହୁରି ବିସ୍ମୟରେ ପଚାରିଲି, ‘ମାନେ ?’

 

ଯେଉଁ ହସଟେ ହସିଲେ ସୂର୍ଯ୍ୟ ଚନ୍ଦ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ ଅର୍ଥାତ୍ ସୂର୍ଯ୍ୟ ଘୂର୍ଣ୍ଣନ ଆରମ୍ଭ କରିବେ ଏବଂ ଚନ୍ଦ୍ର ସ୍ଥିର ହେବେ, ସେଇ କିସମର ନିଃଶବ୍ଦ ହସଟେ ହସି ତପତୀ କହିଲା, ‘ମୁଁ ତ ତମକୁ ଏଠିକି ଡକେଇଥିଲି ।’

 

ଏଥର ସତେ ଅବା ମୋର ସମଗ୍ର ସତ୍ତା ହେମାଳ ହେଇଗଲା, ମୋର ଶରୀର ଶୀତେଇଗଲା । ମୋ ସାମ୍ନାରେ ଯିଏ ଥିଲା, ସିଏ ତପତୀ ଅବା ଆଉ କେହି ଅତିମାନବୀୟ । ଅବା ଆଧିଭୌତିକ ସତ୍ତା, କିଏ ବା ଜାଣିଥିଲା !

 

ପରବର୍ତ୍ତୀ ପ୍ରଶ୍ନଟି ପଚାରିବାବେଳକୁ ମୋ ସ୍ଵର ସତକୁସତ ଥରିଥିଲା, ‘ଡକେଇଥିଲ ମାନେ ?’

 

‘ସେସବୁ କଥା ପରେ’, ତପତୀ ଉଠି ପଡ଼ୁ ପଡ଼ୁ କହିଲା, ‘ତମେ ଏ ଟ୍ରାଉଜରଟା ପାଲଟି ପକାଅ, ଏ ଟି–ସାର୍ଟ୍‍ଟା ପିନ୍ଧି ଆଉ କପେ ଚା’ ପିଇ ପାଖ ବଜାରରୁ ଟିକେ ବୁଲିଆସ । ସେ ଭିତରେ ମୁଁ କ’ଣ ଟିକେ ଜଳଖିଆ କରିଦଉଚି, ତମେ ନିତ୍ୟକର୍ମ ସାରି ଖାଇଦେଇ ପୂରା ତିନିଘଣ୍ଟା ଆରାମରେ ବିଶ୍ରାମ ନେଇଯାଅ । ମୁଁ ଡାକ୍ତରଖାନାରୁ ମୋ କାମ ସାରି ଠିକ୍ ସମୟରେ ଆସିଯିବି । ଏ ଅନ୍ଧାରିମୁଲକରେ ଲୋକଙ୍କୁ ରୋଗ ହେଲେ ତାଙ୍କର କିଏ ସାହାଭରସା କହୁନ ? ଯଦି ହବ, ସଞ୍ଜବେଳେ ମୋ ସହ ସେଠୁ ଟିକେ ବୁଲି ଆସିବ ।'

 

‘ଏ ଟ୍ରାଉଜର ଆଉ ଟି–ସାର୍ଟ୍...’ । ମୋ ପାଟିରୁ କଥା ନ ସରୁଣୁ ତପତୀ ଦୁଇ ଗାଲରେ ଭଉଁରି ଖେଳାଇ କହିଲା, 'ଏସବୁ ସହ ଯାହା ଯାହା ଦରକାର, ତମରିପାଇଁହିଁ ସବୁ କିଣା ଯାଇଛି ! ମୋ ବାପା କି ଭାଇ କି ଆଉ କାହାର ଏସବୁ ନୁହେଁ ! ହେଲା କି ?'

 

ମୁଁ ବଜାର ତଥା ବଜାରଠାରୁ ତିନିଶ/ ଚାରିଶ ମିଟର ଦୂର ଯାଏଁ ଟହଲ ମାରିବା ଢଙ୍ଗରେ ବୁଲିଲି । ସବୁକିଛି ବଡ଼ ଅଜବ ଲାଗୁଥିଲା । ଏଠାକୁ ଆସିବାର କିଛିଦିନ ପୂର୍ବର ଅସହ୍ୟ ବିବଶତା, ତପତୀକୁ ଭେଟିବାର ଦୁର୍ବାର ଆକାଂକ୍ଷା, ଭିତରର ଉତ୍ତେଜନା, ବିଚିତ୍ର ଉତ୍କଣ୍ଠା–ଏସବୁ କିଛିହିଁ ଆଉ ନଥିଲା । ସବୁକିଛି ଥିଲା ଅତି ସ୍ୱାଭାବିକ । ମୁଁ ବି ବିସ୍ମିତ ହେଲି । ତପତୀ ସହ ମୋର ଶେଷ ଦେଖା ହୋଇଥିଲା ବୋଧେ ସେ ମେଡ଼ିକାଲ ପ୍ରବେଶିକା ହେବାର ଅବ୍ୟବହିତ ପୂର୍ବରୁ; ଅଥଚ ତାକୁ ଭେଟିବାର ପ୍ରଚଣ୍ଡ ଇଚ୍ଛା ମୋର ବଳବତୀ ହୋଇଥିଲା ମାତ୍ର ଏଇ କେତେ ଦିନ ଆଗରୁ; ସେ ଇଚ୍ଛା କ୍ରମଶଃ ପ୍ରବଳରୁ ପ୍ରବଳତର ହୋଇଥିଲା ଏବଂ ଶେଷରେ ଏତେ ପ୍ରଚଣ୍ଡ ହୋଇଥିଲା ଯେ ମୁଁ ଆଉ ରହି ନ ପାରି ଏକାମୁହାଁ ହୋଇ ଚାଲିଆସିଲି । ଏବେ ଲାଗୁଥିଲା ସତେଅବା କିଛି କାରଣ ନଥିଲା । ମୁଁ ଖାଲି ସାଧାରଣ ଏକ ଆଗ୍ରହରେ ଚାଲିଆସିଥିଲି । ବଡ଼ ବିଚିତ୍ର ଅନୁଭବ । ତେବେ ତତୋଽଧିକ ବିଚିତ୍ର ଥିଲା ତପତୀର ଆଚରଣ । ସେ ମତେ ଦେଖି ଜମା ଚକିତ ହୋଇ ନଥିଲା କିମ୍ବା ଏତେ ବର୍ଷ ପରେ ମତେ ଦେଖି ସେ ଲାଜେଇ ନଥିଲା କିମ୍ବା ଶାଢ଼ି ସଜାଡ଼ିବାର କାଣିଚାଏ ପ୍ରୟାସ କରି ନଥିଲା । ସବୁକିଛିକୁ ମିଶାଇ ଓ ଘଟଣାକ୍ରମକୁ ମିଳାଇଲେ ଗୋଟିଏ ମାତ୍ର ସିଦ୍ଧାନ୍ତହିଁ ସ୍ଵାଭାବିକ ଥିଲା ଏବଂ ତାହା ହେଉଛି ମୋର ଏଠାକୁ ମାନେ ତପତୀ ନିକଟକୁ ଆସିବାଟା ଥିଲା ଯେପରି ଅବଧାରିତ ସତ୍ୟ, ସତେଅବା ନ ଆସି ମୋର ଗତ୍ୟନ୍ତରହିଁ ନଥିଲା !

 

ଏବଂ ସବୁଠାରୁ ଭୟଙ୍କର ସମ୍ଭାବନାଟି ଥିଲା ଆହୁରି ଭୀତିପ୍ରଦଭାବେ ରୋମାଞ୍ଚକାରୀ ।

 

ଯେ...ଯେ...ବୋଧହୁଏ କେଜାଣି କେମିତି ତପତୀକୁ ଜଣାଥିଲା ଯେ ମୁଁ ନିଶ୍ଚୟ ଆସିବି-

 

ମୋ ଶରୀରରୁ ଝାଳ ବହିସାରିଥିଲା । ଏ ଭିତରେ ମୁଁ ତପତୀର କ୍ୱାଟର୍‌ର ବାରଣ୍ଡା ଉଠି ସାରିଥିଲି ଏବଂ ଦରଜା ଖୋଲା ଥିଲା ଓ ଭିତରୁ ତପତୀ କାହା ସହ କଥା ହେବାର ଶୁଣାଯାଉଥିଲା ।

 

ମୁଁ ଭିତରକୁ ଗଲି । ତପତୀ ଆପ୍ରନ୍‌ଟେ ପିନ୍ଧି ବେକରେ ଷ୍ଟେଥୋ ଝୁଲାଇ ଚମତ୍କାର ଦିଶୁଥିଲା । ତଳେ ଯୋଉ ମଧ୍ୟବୟସ୍କ କାଳିଆ ଓ ସାମାନ୍ୟ ବେହେଡ଼ା ଦାନ୍ତିଆ ଲୋକଟି ବସିଥିଲା, ସେ ମୋତେ ହାତଯୋଡ଼ି ‘ବାବୁ ନମସ୍କାର’ ବୋଲି କହିଲା । ପ୍ରଥମ ଦର୍ଶନରେ ମୋର ମନେହେଲା ବିଚରା ଲୋକଟି କୀର୍ତ୍ତନ ଦଳର କି ଖଞ୍ଜଣି ଭଜନ ଦଳର । ନିହାତି ସରଳ ଲୋକଟେ-

 

ତପତୀ ହସିଲା, କହିଲା, ‘ପୁଣି ବସିଲ କାହିଁକି ଶୁଣେ ? ଶୀଘ୍ର ଦାନ୍ତ ଘଷି ପକାଅ, ସାଙ୍ଗହେଇ ଜଳଖିଆ ଖାଇଦେବା, ତୁମେ ତେଣିକି ଏଠି ଯାହା କରୁଛ କରୁଥାଅ । ଆଉ ଇଏ ମହାତ୍ମା ହେଲେ ରାଇ ସିଂ ମାଝୀ । ମୁଁ ଏଠି ଜଏନ୍ କରିବାର ସାତ ଆଠବର୍ଷ ଆଗରୁ ଝାଡ଼ୁଦାରଭାବେ ଚାକିରି ପାଇଥିଲେ । ୟାଙ୍କର ଅନେକ ଭଲ ଗୁଣ ଅଛି, ତା’ ଭିତରୁ ଗୋଟିଏ ହେଲା ଇଏ ଚମତ୍କାର ରୋଷେଇ ଜାଣନ୍ତି । ଯା’ହେଉ, ମାଝୀ ଏଠି ମୋର ସବୁ କାମ କରିଦିଏ ବୋଲି ମୁଁ ଅଛି । ମୁଁ ଯିବା ପରେ ସେ ଏଠି ରହି ରୋଷେଇ କରିବ । ଏଠାକାର ଚାଉଳ ରାଜ୍ୟର ସବୁଠାରୁ ଭଲ ଚାଉଳ । ଏବେ ଭାତ–ଡାଲି–ମାଛ, ତା'ଛଡ଼ା କ’ଣ ଟିକେ ଭଜା କରିଦେବ । ଆମ ସେଆଡ଼ ପରି ଏଠି ଏତେ ପ୍ରକାର ପରିବା ହୁଏ ନାହିଁ ।

 

ତପତୀ ଏମିତି କେତେ କଥା ଗପୁଥିଲା । ମତେ ଲାଗିଲା ତପତୀ ଆଉ ସେ ଅଞ୍ଚଳ ଛାଡ଼ି ଆସିବା ଚକ୍କରରେ ନଥିଲା । ତା'ଛଡ଼ା ସବୁ କଥା ସେ ଏତେ ନିଃସଙ୍କୋଚରେ କହିଯାଉଥିଲା ଯେ ସତେଅବା ଢେର୍ ଦିନରୁ ଆମେ ଦି’ଜଣ ଏକାଠି ଏଇ କ୍ୱଟର୍‌ରେ ରହି ଆସିଥିଲୁ ।

 

ଜଳଖିଆ ପର୍ବ ପରେ ପରେ ମାଝୀ ଚା’ ଦି’କପ୍ ଆଣି ରଖିଲା । ତପତୀ ଠିଆଠିଆ ପିଇଦେଇ ବାହାରିଯିବା ପରେ ମାଝୀର ମୋର କିଛି କଥାବାର୍ତ୍ତା ହେଲୁ । ମାଝୀ ତାଙ୍କ ସେଆଡ଼ର ଭାଷାରେ କଥା ହେଉଥିଲା–ଗୋଟେ ପ୍ରକାର ଓଡ଼ିଆ, ମୁଁ ବି କହୁଥିଲି ଓଡ଼ିଆ ଆଉ ଏକପ୍ରକାରେ ।

 

‘କିହୋ ମାଝୀ, ଏ କ୍ୱାଟର୍‍ର ଇଲାକା ତ ବେଶ୍ ବଡ଼, ହେଲେ ରୁମ୍ ତିନିଟି’ ମୁଁ କହିଲି ।

 

ସେ ତାଙ୍କ ଭାଷାରେ କହିଲା, ‘ଆଗ ପଟରେ ସିନା ଦି’ଟା ଟଗର ଗଛ, ହେଲେ ମା’ ତ ପଛ ପାଖରେ ସୁନା ଫଳେଇଛନ୍ତି ।”

 

‘ମାନେ ?' ମୁଁ ପ୍ରଶ୍ନ କଲି ।

 

ସେ କହିଲା ଯେ କେତେ ଆଡ଼ୁ ଯୋଗାଡ଼ କରି ତପତୀ ସାତ ଆଠ ପ୍ରକାର ମନ୍ଦାର ଗଛ ଲଗାଇଥିଲା ଏବଂ ସଞ୍ଜବେଳେ ନିଜେ ମନ୍ଦାର ଗଛରେ ପାଣି ଦେଉଥିଲା । କେତେଟାରେ ତ ଫୁଲ ଧରିଲାଣି ।

 

ମୁଁ ଆଲମାରିରୁ ଗୋଟେ ବହି ଆଣି ବସିଲି ଏବଂ ମାଝୀ ରୋଷେଇ କାମରେ ଲାଗିଗଲା । ତପତୀ ଆସିଲା ଠିକ୍ ଦୁଇଟାବେଳେ ଏବଂ ଦଶ ମିନିଟ୍ ଭିତରେ ଆମେ ଖାଇବସିଲୁ-। ମାଝୀ କ’ଣ ସବୁ ଖାଦ୍ୟ ଟିଫିନ୍‌ରେ ଧରି ବାହାରିଗଲା । ସତରେ ସେ ଚମତ୍କାର ରାନ୍ଧିଥିଲା ।

 

ଖାଇବା ପରେ ତପତୀ ଓ ମୁଁ ନାନା କଥା ଗପିଲୁ । ୟେ କିପରି କଥା ଯେ ଆମେ ଥରେବି କେହି କାହାକୁ ଭଲପାଇବା କଥା କହି ନଥିଲୁ । ତେବେ ମୁଁ ମନେମନେ ଭଲପାଇ ବର୍ଷ ବର୍ଷ ଧରି ଅସ୍ଥିର ହୋଇ ସେଇ ଅସହ୍ୟ ଅସ୍ଥିରତାରୁ ମୁକୁଳିବାକୁ ଶେଷରେ ଏଠିକୁ ଚାଲି ଆସିଥିଲି-। ତେବେ ଯଦି ତପତୀର ହୃଦୟରେ ସେମିତି ସମାନ ଚିନ୍ତା କି ଅନୁଭବ ନଥା’ନ୍ତା, ସେ କାହିଁକି ମତେ ଅତିଥି ପରି ରଖିଥିଲା ? କ’ଣ କେବଳ ବନ୍ଧୁତାର ଦ୍ୱାହିରେ ? ତେବେ ସନ୍ଦେହ, ଆଶଙ୍କା ଓ ଦ୍ୱିଧାରୁ ମୁକୁଳିବା ପାଇଁ ମୁଁ କଥା ମଝିରେ ପରୋକ୍ଷରେ ମୋ ଫେରିଯିବା କଥା ଉଠେଇଲି-

 

‘ମୁଁ ଭାବୁଚି ଆଜି କିମ୍ବା ଅତିବେଶିରେ କାଲି ସନ୍ଧ୍ୟାରେ ବାହାରି ପଡ଼ିବି । ତେବେ ଏଠି ଆଗରୁ ଟିକେଟ୍ କରିବାକୁ ପଡ଼େନା ସାଙ୍ଗେ ସାଙ୍ଗେ ମିଳିଯିବ ?' ମୁଁ ପଚାରିଲି ।

 

ତପତୀ କହିଲା, ‘ବ୍ୟସ୍ତ କାହିଁକି ? ଯିବ ତ !’

 

‘ମାନେ ?' ମୁଁ କହିଲି, ‘ମୋ କୋଚିଙ୍ଗ୍ ସେଣ୍ଟର୍ ଚାକିରି, ପିଲାଙ୍କ ପାଠ, ମୋ ନିଜର ଏମ୍.ଫିଲ୍ ଇଣ୍ଟରଭିଉ ସବୁ ମାଡ଼ ଖାଇଯିବ ।’

 

ସେ କହିଲା, ‘ସେ ସବୁ ସପ୍ତାହେ କି ଦି’ସପ୍ତାହ ଡେରି ହେଲେ ଚଳିବ ! କାହାପାଇଁ କୋଉ କାମ ଅଟକିଯାଏ ନାହିଁ ।’

 

ମୋତେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ । ତପତୀ ଚାହୁଁଥିଲା ଯେ ମୁଁ କିଛିଦିନ ରହେ । ଏହାର ଅର୍ଥ କ’ଣ ହୋଇପାରେ ? ଏ କ୍ୱାଟର୍‍ରେ ଏମିତି ଦୁଇ ଚାରି ଦିନରୁ ଅଧିକ ରହିଲେ ସାଧାରଣ ଲୋକେ, ପୁଣି ଷ୍ଟାଫ୍ କ’ଣ ଧାରଣା କରିବେ ?

 

ତପତୀ ପୁଣି କହିଲା, ‘ପୁଅମାନେ ସେମିତି ! ଯୁକ୍ତିତର୍କ କରି, ଭଲମନ୍ଦ ଭାବି ଭାବି ନିଜେ କିଛି କରିବେନି କି କରେଇ ଦେବେନି ! ସବୁ କଥାରେ ଆଶଙ୍କା, ସନ୍ଦେହ । ଆଉ ତମକୁ ବହୁ ଭାବିବା ପରେ ମୁଁ ଏଠିକି ଡକେଇ ଆଣିଚି, ଏତେ ଶୀଘ୍ର ଚାଲିଯିବା ପାଇଁ ତମେ ଆସିଛ କି ?'

 

ତପତୀର କଥାରେ ମୋର ତାଳୁରୁ ତଳିପା ଥରିଗଲା । ସେ ମତେ ଡକାଇ ଆଣିଥିଲା ବୋଲି କହିବାର ଅର୍ଥ କ’ଣ ? ଏହା ସତ୍ୟ ଯେ ଏଇ ଗତ ମାସେ ଭିତରେ ତପତୀକୁ ଭେଟିବାର ଇଚ୍ଛା ମୋତେ ଅସ୍ଥିର କରିବାରୁ ମୁଁ ଏଠାକୁ ଆସିଥିଲି । ମୁଁ ସିଧାହୋଇ ବସିଲି, ପଚାରିଲି, ‘ମୁଁ ତ ଢେର୍ ଦିନ ହେବ ତମକୁ ଦେଖି ନଥିଲି, ସେଥିପାଇଁ ଜଣେ ସାଙ୍ଗଠୁ ତୁମ ଠିକଣା ପାଇ ଆସିଗଲି । ଆଉ ତୁମେ ଡକେଇଲ କେତେବେଳେ ?’

 

‘ସତେ ।’ ଆଖିକୁ ଏଡ଼େ ଢିମାଢ଼ିମା କରି, ଗାଲରେ ଭଉଁରି ଖେଳାଇ, ମଧୁର ହସଟେ ସହ କୁଞ୍ଚୁକୁଞ୍ଚିଆ ଖୋଲା କେଶରାଶିକୁ ପିଠି ଆଡ଼କୁ ଛାଟିଦେଇ ଉଠିପଡ଼ି ତପତୀ କହିଲା, ‘ଆସ, ମୋ ପଛେ ପଛେ !’

 

କ୍ୱାଟର୍‍ର ପଛ ପାଚେରିର ଭିତର ପଟକୁ ଗାଧୁଆଘରକୁ ଲାଗିଥିଲା ଛୋଟ ଘରଟେ, ଛ’ଫୁଟ୍‍ରେ ଆଠଫୁଟ୍ କି ସେଇପରି ଆକାରର । ଘରଟା ବନ୍ଦ ଥିଲା । ତପତୀ ଦରଜା ଖୋଲିଲା ଏବଂ ଆଲୋକ ଜଳେଇଲା । ମୁଁ ଉଙ୍କିମାରି ଭିତରକୁ ଅନେଇଲି । ଭିତରେ ମତେ ଅପେକ୍ଷା କରିଥିଲା ବିଚିତ୍ର ଦୃଶ୍ୟ–ସମ୍ଭାର ।

 

ଚଟାଣରେ ଶପଟେ ପଡ଼ିଥିଲା । ତା’ ଉପରେ ଛଣର ତିଆରି ପ୍ରାୟ ଦୁଇଫୁଟ୍ ଆକାରର ମଣିଷ ଶୋଇବା ଅବସ୍ଥାରେ ଥିଲା । ପାଖରେ ଥିଲା ବେଣ୍ଟ ନଥିବା ଦାଆ, ଲୁହା କଣ୍ଟା କେତେଟା ଝୁଣା ଧୂଆଁ ଦେବାପାଇଁ ସରା, ଶୁଖିଲା ମନ୍ଦାର ଫୁଲ, କଳା ସୂତା ଗୋଟେ ବଣ୍ଡଲ, ମୟୂରଚନ୍ଦ୍ରିକା, ଝିଙ୍କ କାଠି, ରୁଦ୍ରାକ୍ଷ କେତେଟା, କାଇଁଚମାଳ, ଆଠ ଦଶଟା କଉଡ଼ି, ଗୋଟେ ଶଙ୍ଖ ଓ ଏମିତିକା କେତେ ନା କେତେ ବିଚିତ୍ର ଜିନିଷ ।

 

‘ଏଥିରୁ ମୁଁ ତ କିଛି ବୁଝିପାରୁ ନାହିଁ’, ମୁଁ କହିଲି ।

 

ତପତୀ ସେ କୋଠରିଟା ପୁନଃ ବନ୍ଦ କଲା ଏବଂ ଆମେ ପୁନଶ୍ଚ ଆମର ପୂର୍ବ ଜାଗାକୁ ଫେରିଲୁ । ତପତୀ ପଚାରିଲା, ‘ଚା’ କରିବି କି ଟିକେ ? ତା’ପରେ ଗପ କରିବା ।'

 

ଚା’ ପର୍ବ ପରେ କଥା ଆରମ୍ଭ କରିବାବେଳକୁ ମୁଁ ଦେଖିଲି ତା’ ଆଖି ଲୁହରେ ପୂରା ଟଳମଳ । ମୋର ପ୍ରଚଣ୍ଡ ଲୋଭ ହେଉଥିଲା ତା’ ପାଖକୁ ଉଠିଯିବା ପାଇଁ, କିନ୍ତୁ ମୁଁ କାହିଁକି କେଜାଣି ନିଜ ଜାଗାରେ ବସିରହିଲି । ତପତୀ ଆରମ୍ଭ କଲା କଥା ।

 

‘ତୁମେ ଓ ମୁଁ–ଉଭୟେ ବିଜ୍ଞାନର ଛାତ୍ରଛାତ୍ରୀ । ଏସବୁ ମୋଟେ ବିଶ୍ୱାସ କରିବା ପରି ନୁହେଁ । ହେଲେ ମୋର ବିଶ୍ୱାସ ନ କରି ଚାରାହିଁ ନାହିଁ, କାରଣ ମୁଁ ହିଁ ତ ଅଙ୍ଗେ ନିଭେଇଚି ।’ ତପତୀ ରହିଯିବାରୁ ମୁଁ କହିଲି, ‘କୁହ, ସବୁକଥା ମୁଁ ଶୁଣେ ।'

 

ତପତୀ କହିଲା, ‘ସବୁକଥା ଯଦି କହିବସିବି, ତେବେ ଗୋଟେ ଛୋଟକାଟର ଉପନ୍ୟାସ ହୋଇଯିବ । ପରେ କେବେ ବନେଇଚୁନେଇ କହିବି । ଏବେ ସଂକ୍ଷେପରେ ଶୁଣିଥାଅ । ଚାକିରି ପାଇ ଏଠିକି ଆସିବା ପର୍ଯ୍ୟନ୍ତ ମୋ ଭିତରେ ତମ ପ୍ରତି ଭଲପାଇବା ଥିଲା, ଅଥଚ ମୁଁ ସେକଥା କହିପାରି ନଥିଲି । ଆଜିଯାଏଁ ମଧ୍ୟ କହିପାରି ନଥିଲି । ମେଡ଼ିକାଲ ପାଠ ପଢ଼ିବା ଆରମ୍ଭ କରିବା ଦିନଠାରୁ ନିହାତି ନଅ/ ଦଶ ଜଣ ସିନିଅର୍ ଏବଂ ଛ’/ସାତ ଜଣ ସହପାଠୀ ମୋ ପ୍ରତି ସେମାନଙ୍କ ଦୁର୍ବଳତା ପ୍ରକାଶ କରିଛନ୍ତି । ହେଲେ ଆରମ୍ଭରୁ ମୋର ତମ ପ୍ରତି ଯେଉଁ ଦୁର୍ବଳତା ଥିଲା, ତାକୁ ଅତିକ୍ରମ କରି ଆଗକୁ ମାଡ଼ି ଚାଲିଯିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ଏଣେ ପୁଣି ବିବାହ କରିଯିବା ପାଇଁ ବାପା–ମା’ଙ୍କ ଆଡ଼ୁ ଘନଘନ ଚାପ । ତେବେ ସେ ସବୁକୁ ଧୈର୍ଯ୍ୟର ସହ ସାମ୍ନା କରି ମୁଁ ଏଠିକି ଚାଲି ଆସିଲି । ବାପାମା’ଙ୍କୁ ରୋକ୍‌ଠୋକ୍ ଶୁଣାଇଥିଲି ଯେ ମୋର ନିକଟ ଭବିଷ୍ୟତରେ ବିବାହ କରିବାର ନାହିଁ ।

 

‘ଏଠି ପହଞ୍ଚିବା ପରେ ଏବଂ ଏଇ ମାଝୀ ସହ ଚିହ୍ନା ହେବାପରେ ସମୁଦାୟ ଘଟଣାଟାର ଗତିପଥ ବଦଳିଗଲା । କଥା ପଡ଼ୁ ପଡ଼ୁ ମାଝୀକୁ ତା' ସ୍ତ୍ରୀ ପିଲାଙ୍କ କଥା ପଚାରିବାରୁ ସେ ନିହାତି ଅବିଶ୍ଵାସ୍ୟ କଥା କହିଲା ମୋତେ । ତା’ର ନା ସ୍ତ୍ରୀ ଥିଲା, ନା ପରିବାର । ବାସ୍ତବରେ ସେ ଯେଉଁ ଆଦିବାସୀ ଝିଅକୁ ଭଲପାଇଥିଲା, ସିଏ ଆଉ ଜଣକୁ ବାହା ହୋଇଗଲା । ତେବେ ନିକଟବର୍ତ୍ତୀ ଏକ ଗାଁର ତାନ୍ତ୍ରିକକୁ ଧରି ମାଝୀ ଏମିତି ମନ୍ତ୍ର/ତନ୍ତ୍ର କଲା ଯେ ସେ ଝିଅ ପ୍ରତି ରାତିରେ ମାନେ ଶୋଇବାକୁ ଯିବା ଆଗରୁ ନିଦରେ ଚାଲିବା ପରି ବାହାରକୁ ଆସିଯାଏ । ସେତେବେଳେ ସେ କାଠ ପ୍ରତିମାରେ ପରିଣତ ହୋଇଯାଏ । ଏମିତି କିଛିଦିନ ଉତ୍ତାରୁ ସେ ଝିଅକୁ ତା' ସ୍ଵାମୀ ସନ୍ଦେହ କରିବାରୁ ବିଚାରି ଆତ୍ମହତ୍ୟା କରିଦେଲା ।

 

ତପତୀ ଟିକେ ବିଶ୍ରାମ ନେଲା ଓ ପୁଣି କହିବାରେ ଲାଗିଲା ।

 

ତା’ କଥା ଶୁଣି ମୁଁ ମଜାରେ ତାକୁ କହିଥିଲି ଯେ ବିଜ୍ଞାନ ଯୁଗରେ ଏସବୁ ବିଶ୍ୱାସ କରିବା କଷ୍ଟ । ସେ ସରଳ ଆଦିବାସୀ ଲୋକ । ମୋ କଥାରେ ତାକୁ ଅପମାନ ହେଲା । କହିଥିଲା ଯେ ଏସବୁକୁ ଅବିଶ୍ୱାସ କରିବା ଅର୍ଥ ତାଙ୍କ ଦେବତା ଓ ତା’ର ଗୁରୁଙ୍କୁ ଅପମାନ କରିବା । ଯଦି ଏତେ ଅବିଶ୍ଵାସ, ତେବେ ସେ ପ୍ରମାଣ ଦେବାକୁ ପ୍ରସ୍ତୁତ ବୋଲି କହିଥିଲା ।’

 

ତପତୀ କିଛି ଭାବିବା ପରି ଅଟକିବାରୁ ମୁଁ ପଚାରିଲି, ତା’ପରେ ?

 

ତା’ପରେ ଆଉ କ’ଣ ? ତପତୀ ନରମ ସ୍ୱରରେ କହିଲା, ମୁଁ ମାଝୀକୁ ପଚାରିଥିଲି ଯେ ସେ ମୋର ସ୍କୁଲ୍‍ବେଳର ଜଣେ ବନ୍ଧୁଙ୍କୁ ଏଠିକି ମନ୍ତ୍ର କି ତନ୍ତ୍ର ବଳରେ ଯଦି ଡକାଇ ନେଇ ଆସିପାରିବ, ତେବେ ମୁଁ ତା’ କଥାରେ ବିଶ୍ୱାସ କରିବି, ସାରା ଜୀବନ ମୁଁ ବିଶ୍ୱାସ କରିବି ଯେ ଯେମିତି ବିଜ୍ଞାନର ସ୍ଥିତି ସତ୍ୟ, ସେମିତି ମନ୍ତ୍ରରବି ସ୍ଥିତି ସତ୍ୟ ! ମାଝୀ ମୋ'ଠୁ ସବୁ ବୁଝିଥିଲା, ଟିକିନିଖି ବୁଝିଥିଲା । ତା’ପରେ ଗୋଟେ ଅମାବାସ୍ୟା ପରଠାରୁ ସେଇ ଛୋଟ ଘରଟାରେ ତା’ର ବିଚିତ୍ର ପୂଜାପାଠ ଆରମ୍ଭ କରିଥିଲା । ଛଣର ସେଇ ମୂର୍ତ୍ତି କରି କ’ଣ ସବୁ ବିଡ୍‌ବିଡ଼୍ ହେଇ ପ୍ରାର୍ଥନା ଓ ପୂଜା କରେ । ଦିନେ କହିଲା ଯୋଉ ବାବୁକୁ ମୁଁ ଡକେଇବାକୁ ଚାହୁଁଥିଲି, ସେ ଛଟପଟ ହେଉଥିଲା ଆସିବ ବୋଲି । ସେ ପ୍ରାୟ ଦଶ/ବାର ଥର ଏମିତି କହିଛି ମୋତେ ଯେ ବାବୁ ଅସ୍ଥିର ହେଲାଣି, ଏଥର ଆସିବ । ମୁଁ ଭରସା କରେନା, ଖାଲି ଶୁଣେ । ଏବେ ଦିନେ ବିରକ୍ତ ହୋଇ ମତେ ତାଗିଦା କଲା ଯେ ଯୋଉ ମଣିଷ ଆସିବ ବୋଲି ମୁଁ ପୂଜାପାଠ କରାଉଥିଲି, ତା’ପାଇଁ ପୋଷାକ–ଚପଳ–ପାନିଆ ଶେଯ ଇତ୍ୟାଦି କିଣି ରଖିବାକୁ ପଡ଼ିବ । ପଚାରିବାରୁ କହିଥିଲା ଯେ ସେସବୁର ପ୍ରଭାବ ଅଛି । ଏବେ ଏଇ ତିନିଦିନ ତଳେ କହିଲା ବାବୁ ଆସିଗଲା ଜାଣ ।’

 

ତପତୀ କଥାରେ ବାଧା ଦେଇ ମୁଁ ପଚାରିଲି, ‘ସେ କେମିତି ଜାଣିପାରିଲା ?’

 

ତପତୀ କହିଲା, ‘ସେଇ ଛୋଟ ଘରେ ଥିବା ଛଣ ମଣିଷରୁ । ମତେ ଡାକି ସେଇ ଛଣ ପିତୁଳାକୁ ଦେଖେଇ ବୁଝାଇଥିଲା ଯେ ପ୍ରତିମା ଆଜିଯାଏଁ ସିଧା ଥିଲା ଅର୍ଥାତ୍ ଉପରକୁ ମୁହଁ କରିଥିଲା; ହେଲେ ସେଦିନ ଓଲଟି ପଡ଼ିଥିଲା । ମୁଁ ଆଦୌ ହସି ନଥିଲି । ଖାଲି ତା’ର ଅର୍ଥ କହିବାକୁ ମାଝୀକୁ ଅନୁରୋଧ କରିଥିଲି । ମାଝୀ କହିଥିଲା ଯେ ପ୍ରତିମାରେ ଆତ୍ମାର ସଞ୍ଚାର ହେଇଥିଲା ଏବଂ ପ୍ରତିମା ଓଲଟିଯିବାର ଅର୍ଥ ଏହି ଯେ କେତେକ୍ଷଣ ପାଇଁ ଏଠିକାର ଆତ୍ମା ବାବୁର ଶରୀରରେ ଓ ବାବୁର ଆତ୍ମା ପ୍ରତିମାରେ ଆବିର୍ଭାବ ହୋଇଥିଲା । ପ୍ରତିମାକୁ ଖୋଜି ଖୋଜି, ମାନେ ଶରୀରକୁ ଖୋଜି ଆତ୍ମା ଏଠାକୁ ଆସିବା ନିଶ୍ଚିତ । ମାଝୀର କଥା ସତ ହେଲା । ବାବୁ କିଏ ଜାଣୁଛ ତ ? ତୁମେ ! ଶେଷରେ ମୁଁ ମାଝୀର ପୂଜାରେ ବିଶ୍ଵାସ କରୁଛି । ଆଜି ନିଶାର୍ଦ୍ଧରେ ସେ ଆସି ସବୁ ନଦୀରେ ବିସର୍ଜନ କରିବ । ମୋର ସେଥିରେ ଯାଏଆସେ କେତେ ? ତମକୁ ମୁଁ ମୋ ପାଖକୁ ଡକାଇ ଆଣିଛି, ସେଇ କ’ଣ କମ୍ କଥା ।’

 

ମୁଁ ଉଠି ତପତୀ ନିକଟକୁ ଗଲି, ତା’ ପାଖରେ ବସିପଡ଼ି କହିଲି, ‘ମୁଁ ଆଉ ତୁମକୁ ଛାଡ଼ି ଯିବି ନାହିଁ ।’

 

ବାହାରୁ କୋଉ ଦୂରରୁ ମନ୍ଦିରରୁ ଘଣ୍ଟ ଶବ୍ଦ ଶୁଣାଗଲା । ନିୟମିତ ପାୱାର କଟ୍ ଜନିତ କାରଣରୁ ଘର ଭିତରେ ଓ ବାହାରେ ଥିଲା ଆପାତତଃ ଅନ୍ଧକାରର ରାଜୁତି । ତଥାପି ଏ ଝର୍କା ଖୋଲା ଥିବାରୁ ଘର ଭିତରଟା ସାମାନ୍ୟ ଫର୍ଚାଳିଆ ଦିଶୁଥିଲା । ସେଇ ବିଚିତ୍ର ଫର୍ଚାଳିଆ ଅନ୍ଧାରରେ ତପତୀ ଠିଆ ହୋଇପଡ଼ିଲା । ଭାବିଲି ସେ ମହମବତୀ କି ଲଣ୍ଠନ ଲଗେଇବ । ହେଲେ ଦେଖିଲି ସେ ଠିଆହୋଇ ଶାଢ଼ିର କାନିରେ ଗୋଟେ ଗଣ୍ଠି ପକାଇଲା ଓ ସେଇ କାନିକୁ ବେକବାଟେ ଗୁଡ଼େଇ ଆଣି ମୋତେ ପ୍ରଣାମ କଲା ।

 

‘ଏ କି ବିଚିତ୍ର କାମ ସବୁ ତୁମେ କରୁଚ ତପତୀ ।’ ମୁଁ କହିଲି ।

 

ଅନ୍ଧାର ଭିତରେ ତପତୀ ହସିଲା ବୋଲି ମୁଁ ଜାଣିପାରିଲି, ପାଖ ସୋଫାରେ ବସିପଡ଼ି କହିଲା, ‘ମାଝୀ କହିଥିଲା ଏତକ କରିବାପାଇଁ । ଗଣ୍ଠି ପକାଇଲେ ତୁମେ ଆଉ କଦାପି ମୋ'ଠୁ ଦୂରକୁ ଯାଇପାରିବ ନାହିଁ ।’

 

ତପତୀର କଥାରୁ ମୁଁ ଜାଣିଲି, ତା’ ଦୁଇ ଗାଲରେ ଦୁଇଟି ଚମତ୍କାର ଭଉଁରି ପଡ଼ିଥିବ !

☆☆☆

 

Unknown

ନିଆଁଗିଳା ଝିଅ

(ଏକ)

 

ଏଇ ଯେଉଁ କଥା ବା ଘଟଣାକୁ ମୁଁ କାହାଣୀର ରୂପ ଦେବାକୁ ବାହାରିଛି, ବାସ୍ତବରେ ସେମିତି କରିବା କଥା ନୁହେଁ । ସବୁ ଦୁଃଖ କଥା ବା ଦୁଃଖଦ ଘଟଣାକୁ କାହାଣୀର ରୂପ ଦେଇ ବାହାବା ନେବାଟା କ’ଣ ନୀତି ଗର୍ହିତ କାମ ନୁହେଁ କି ? ଦୁଃଖ ତ ଦୁଃଖ, ପୁଣି ଅନ୍ୟର ଦୁଃଖ ! ହଁ–ନିଜର ଦୁଃଖକୁ ନେଇ ବଣିଜ କରାଯାଇପାରେ, ହେଲେ ଅନ୍ୟର ଦୁଃଖକୁ ନେଇ ବଣିଜ କରିବା କି ହାଟବଜାରରେ ପ୍ରଘଟ କରିବା ପଛରେ କି ପ୍ରକାର ମାନସିକତା କାମ କରେ କେଜାଣି ! ମୁଁ ଏକଥା ଜାଣେ ଯେ ଏହା ଏକ ନିହାତି ଅନୈତିକ କାର୍ଯ୍ୟ । ପୁଣି ଏହା ମଧ୍ୟ ଶହେଗୁଣ ଅନୈତିକ ଯେ ଯେଉଁମାନଙ୍କ ଜୀବନର ଅପ୍ରମିତ ଦୁଃଖକୁ ଆଜି ମୁଁ ଏଠି ହାଟବଜାରରେ ଗଡ଼େଇବାକୁ ବାହାରିଛି, ସେମାନେ କଦାଚିତ୍ ଜାଣିପାରିବେ ନାହିଁ ଯେ ସେମାନଙ୍କୁ କେହି ଜଣେ ସ୍ୱାର୍ଥପର ସହରୀ ଲେଖକ କାହାଣୀର ଚରିତ୍ରରେ ସଜେଇ ଦେଇଛି । ଯେଉଁମାନେ ମାସକରେ ଥରେ ଖବରକାଗଜର ଚେହେରା ଦେଖନ୍ତି ନାହିଁ, ପୁଣି ଦେଖିଲେବି ଖବରକାଗଜ ପଢ଼ିବା ଯେଉଁମାନଙ୍କର ଅଭ୍ୟାସ ଭିତରେ ଯାଏଁ ନାହିଁ, ସର୍ବୋପରି ପଢ଼ିଲେବି ଯେଉଁମାନଙ୍କୁ ଦୁଇଟା ପାରାଗ୍ରାଫ୍ ପଢ଼ିବାକୁ ହୁଏତ ଦୁଇଘଣ୍ଟା ଲାଗେ; ସେମାନେ ବା କାହିଁକି ଏ କାହାଣୀ ପଢ଼ିବେ !! ଯଦିବା କେହି ଜଣେ ଏ କାହାଣୀ ପଢ଼ି ସେମାନଙ୍କୁ କହି ବା ଶୁଣାଏ, ତେବେ ଶୁଣେଇବାବାଲା ସମେତ ଏ କାହାଣୀର ଚରିତ୍ରରେ ରୂପାନ୍ତରିତ ହୋଇଥିବା ମୁଖ୍ୟ ସତ ମଣିଷ ଦୁଇଜଣ ସ୍ଵପ୍ନରେ ସୁଦ୍ଧା କଳନା କରିପାରିବେ ନାହିଁ ଯେ ସେଇମାନେହିଁ ଏ କାହାଣୀର ପାତ୍ରପାତ୍ରୀ । କାହିଁକି ଜାଣିପାରିବେ ନାହିଁ ? ହାଃ...ହାଃ...ମୁଁ ସହରୀ ମଣିଷ, ପୁଣି ଲେଖକ, ଅନ୍ୟର ଗୋପନ ସୁଖ ଓ ଅନ୍ତରଙ୍ଗ ଦୁଃଖକୁ ଚୋରେଇ ଆଣି ବଣିଜ କରିବା ଲୋକ ମୁଁ; ତେଣୁ ମୁଁ ଭାରି ହୁସିଆର, ଭାରି ସତର୍କ । ଏକଥାରେ ମୁଁ ସତ ନାଁ ଓ ସତ ଜାଗାକୁ କେଡ଼େ ସନ୍ତର୍ପଣରେ ବଦଳେଇ ଦେଇଛି । କେତେ ଚାଲାକି କରି, କଳ୍ପନାପ୍ରସୂତ କାହାଣୀଟିଏ ଲେଖୁଥିବା ପରି ମୁଁ ଯୋଜନାବଦ୍ଧଭାବେ ସବୁ ସଜାଇବାର ନିଷ୍ଠାପର ପ୍ରୟାସ କରିଛି-। କିଏ କାହିଁକି ଜାଣିବ କାହା କଥା ଏଠି ମୁଁ ଲେଖୁଚି ବୋଲି ।

 

ହଁ–ମୁଖ୍ୟତଃ ଯେଉଁ ଦୁଇଜଣଙ୍କୁ ନେଇ ଏ କାହାଣୀର ଅବତାରଣା, ସେମାନେ ହେଲେ ଷୋହଳ କି ସତର କି ଅଠରବର୍ଷର ଆଦିବାସୀ ଝିଅ ସରସୀ ଏବଂ ଚବିଶ କି ପଚିଶ କି ଛବିଶବର୍ଷର ଯୁବକ ବତାସ୍ । ପୂରା ନାଁ ସରସୀ ମାରାଣ୍ଡି ଓ ବତାସ୍ ମୁଣ୍ଡୁରୀ । ଏ ଦୁଇଜଣ ଯେଉଁ ଅଞ୍ଚଳର ବାସିନ୍ଦା, ସେଠି ଲୋକମାନଙ୍କର ବିଚିତ୍ର ନାମକରଣ କରାଯାଇଥାଏ । ସରସୀ ମାରାଣ୍ଡିର ଥିଲେ ଆଉ ଦୁଇ ଭଉଣୀ, ଅତସୀ ଓ କଳସୀ । ଏ ତିନି ଭଉଣୀଙ୍କ ବାପା ନାଁ ନୂଆ ମାରାଣ୍ଡି, ମା’ ନାଁ ଫୁଲ ମାରାଣ୍ଡି । ଆଉ ବତାସ୍ ମୁଣ୍ଡୁରୀର ଥିଲେ ଆହୁରି ତିନି ଭାଇ; ଆକାଶ୍ ମୁଣ୍ଡୁରୀ, ହତାଶ୍ ମୁଣ୍ଡୁରୀ, ନିକାଶ ମୁଣ୍ଡୁରୀ । ଏମାନଙ୍କର ବାପାଙ୍କ ନାଁ ଥିଲା ବାମିଆ ମୁଣ୍ଡୁରୀ ଓ ମା’ ନାଁ ମଲ୍ଲୀ ମୁଣ୍ଡୁରୀ ! ଏମାନେ ନିପଟ ଦୁର୍ଗମ ଆଦିବାସୀ ଅଞ୍ଚଳର ଲୋକ । ତେବେ ଆଦିବାସୀ ଯୁବତୀ ସରସୀ ଓ ଆଦିବାସୀ ଯୁବକ ବତାସ୍‌ର ଘର ଏକା ଗାଁ କିମ୍ବା ଏକା ପଞ୍ଚାୟତରେ ନଥିଲା । ଉଭୟଙ୍କ ଘରର ଦୂରତା ଥିଲା ପ୍ରାୟ ଶହେ ପଚିଶ କିଲୋମିଟର । ଦୁଇଟା ଭିନ୍ନ ଜିଲ୍ଲାରେ, ନିପଟ ଅନ୍ଧାରି ଆଦିବାସୀ ମୁଲକରେ ।

 

କହୁ କହୁ କହିଦେଇଛି ଯେତେବେଳେ ଯେ ସେହି ସବୁ ଅଞ୍ଚଳରେ ବିଚିତ୍ର ନାମକରଣର ଉଦାହରଣ ମିଳିଥାଏ, ତେଣୁ କିଛି ଉଦାହରଣ ଦେବାଟା ଉଚିତ ହେବ । ମନେକରାଯାଉ ଯେ ଛୁଆଟେ ଭୂମିଷ୍ଠ ହେବା ବା ହେଉଥିବା ସମୟରେହିଁ ଆକାଶରେ ଘଁ ଘଁ ଶବ୍ଦ କରି ଉଡ଼ିଗଲା ଉଡ଼ାଜାହାଜ ! ଯଦି ପିଲାଟି ସ୍ଥାନୀୟ ଡାକ୍ତରଖାନାରେ ଭୂମିଷ୍ଠ ହୋଇଥାଏ, ତେବେ ତା’ ନାଁ ଡାକ୍ତର ଦିଆଯିବ ! ଘରର ଉପକରଣଠାରୁ ଆରମ୍ଭ କରି ଫୁଲ, ଫଳ, ପଶୁ, ପକ୍ଷୀ ଇତ୍ୟାଦିଙ୍କ ନାଁ ବି ଦିଆଯାଇଥାଏ, ପୁଣି ଏକାଧିକ ପିଲା ଥିଲେ ପଦକୁ ପଦ ପଡ଼ିବା ପରି ନାଁ ଦିଆଯାଇଥାଏ ! ବଡ଼ ପିଲାର ନାଁ ଯଦି ନିଃଶ୍ଵାସ, ସାନ ପିଲାଟାର ନାଁ ପ୍ରଶ୍ୱାସ ହେବ । ଝିଅ ବଡ଼ଟାର ନାଁ ଯଦି ଇରାନୀ, ତେବେ ସାନଟାର ନାଁ ଜାପାନୀ । ଏମିତି ! ଯେଉଁ ଅଞ୍ଚଳରେ ଚାକିରି କରୁଥିବା ସମୟରେ ମୁଁ ଏମିତି ବିଚିତ୍ର ନାମକରଣ ଦେଖି ଶୁଣି ଆମୋଦିତ ହେଉଥିଲି, ସେଇ ଅଞ୍ଚଳରେ ମୋପାଇଁ ସବୁଠୁ ବିଚିତ୍ର ଅର୍ଥାତ୍ ବିଚିତ୍ରତମ ନାଁ ଥିଲା ଦୁଇ ଭାଇଙ୍କର ।

 

ମୁଁ ଅଫିସ୍‌ରେ ବସିଥିବାବେଳେ ସେ ଦୁଇ ଭାଇ ଗୋଟେ କାମରେ ଆସିଥିଲେ । ମୁଁ ଯେତେବେଳେ ସେମାନଙ୍କ ନାମ ପଚାରିଥିଲି, ଜଣେହିଁ ଉତ୍ତର ଦେଇଥିଲା ।

 

: ‘ମୋ ନାଁ ପି.ଟି.ଏକ୍କା, ଆଉ ଏ ମୋର ଭାଇ, ଇଆର ନାଁ ଡି.ଟି. ଏକ୍କା !' ପି.ଟି. ଏକ୍କା କହିଥିଲା ।

 

: ‘ଆଚ୍ଛା, ୟେ ପି.ଟି. ଏବଂ ଡି.ଟି.ର ଫୁଲ୍‍ଫର୍ମ୍ କ’ଣ ?’ ମୁଁ ପଚାରିଥିଲି ।

 

ଦୁଇଜଣଯାକ ଉତ୍ତର ନ ଦେଇ ନିରବ ରହିଥିଲେ । ଟିକେ ଜୋର୍ ଦେଇ ପଚାରିବାରେ ପି.ଟି. ନାମଧାରୀ ଯୁବକ ଜଣକ କହିଥିଲା, ‘ଆଜ୍ଞା, ମୋର ପୂରା ନାଁ ପେଟ୍ରୋଲ୍‍ ଟାଙ୍କି ଏକ୍କା, ଆଉ ମୋର ଭାଇ ନାଁ ଡିଜେଲ ଟାଙ୍କି ଏକ୍ସା ! ଇଏ ନାମ ଦୁଇଟା ବାହାରେ କହିବାପାଇଁ ଆମକୁ ସରମ ଲାଗେ । ହେଥିରଲାଗି ଆମେ ପି.ଟି. ଏବଂ ଡି.ଟି. କହୁ ଆଜ୍ଞା !’

 

: ‘କୁହ, ମୋ ପାଖରେ କି କାମ ?' ମୁଁ ହସି ହସି ପଚାରିଥିଲି ।

 

: ‘ନାମ୍ ବଦଳାଇବୁ ଆଜ୍ଞା ! ଏ ନାମ୍ ଲାଗି ଲୋକେ ଥଟ୍ଟା କରୁଚନ୍ତି ଆଜ୍ଞା !' ଡି.ଟି. କହିଥିଲା !

 

: ‘ଠିକ୍ ଅଛି, କି ନାମ ବାଛିଚ ଶୁଣିବା !’

 

: ‘ମୋର ନାମ୍ ହେବ ବନ୍ଧୁକ ଏକ୍କା ଏବଂ ଭାଇର ନାମ ହେବ ରାଇଫଲ ଏକ୍କା !’

 

ଏମିତି ବିଚିତ୍ର ନାମମାନଙ୍କର ଅଞ୍ଚଳ ଏ ରାଜ୍ୟରେ ଅଛି । ଏବଂ ସେଇଠି ମୁଁ ଶୁଣିଥିଲି ଆଦିବାସୀ ଯୁବତୀ ସରସୀ ଏବଂ ଆଦିବାସୀ ଯୁବକ ବତାସ୍‌ର କଥା !

 

ସରସୀ ମାରାଣ୍ଡି ।

 

ବତାସ୍ ମୁଣ୍ଡୁରୀ ।

 

(ଦୁଇ)

 

ସତର କି ଅଠରବର୍ଷର ସରସୀ ଘରଠୁ ଛଅ କିଲୋମିଟର ଦୂରରେ ଥିବା ଏକ ବିଦ୍ୟାଳୟରେ ପାଠ ପଢ଼ିବ ବୋଲି ନାଁ ଲେଖାଇଥିଲା । ସପ୍ତାହରେ ଦୁଇ/ ତିନିଦିନ ଯାଉଥିଲା । ସେ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏଁ ଥିଲା । ସେଠି ନିହାତି କମ୍‌ରେ ପାଞ୍ଚଜଣ ଶିକ୍ଷକ ରହିବା କଥା, ହେଲେ ଥିଲେ ଦୁଇଜଣ । ତହିଁରୁ ଜଣକର ଦେହ ଖରାପ ହେଉଥିଲା ଓ ସେ ସପ୍ତାହରେ ତିନିଦିନ ଆସୁଥିଲା । ତଥାପି ସେ ବିଦ୍ୟାଳୟରେ ଭଲ ପାଠପଢ଼ା ହେଉଥିଲା ବୋଲି ନାଁ ଡାକ ଥିଲା । ସରସୀ ମାରାଣ୍ଡିର ବାପ ନୂଆ ମାରାଣ୍ଡି ତିନିଚାରି ମାସରେ ଥରେ ଝିଅ ପଢ଼ୁଥିବା ଜାଗାକୁ ଯାଉଥିଲା, କିନ୍ତୁ କେବେ ଖାଲି ହାତରେ ନୁହେଁ ! ଗୋଟେ ଗଞ୍ଜା ନେଇକରି ଯିବା ନିଧାର୍ଯ୍ୟ ଥିଲା । ଯୋଉ ମାଷ୍ଟର ଯୋଉଦିନ ରହୁଥିଲା, ଗଞ୍ଜା ପଡ଼ୁଥିଲା ତା’ ହାତରେ । ଛାଡ଼ ମ ସେକଥା ।

 

ସରସୀର ଯୋଉ ବର୍ଷ ପଞ୍ଚମ ସରିଲା, ଛ’ କ୍ଲାସ୍ ହେଲା, ତା’ ପାଠରେ ଡୋର ବନ୍ଧା ହେଲା । ଏ ଭିତରେ, ମାନେ ସେଇ ଖରାଛୁଟିରେ ସେ ବଡ଼ ହୋଇଥିଲା । ବଡ଼ ହୋଇଯିବାରୁ ଯେ ତା'ର ପାଠପଢ଼ା ଠପ୍ ହେଇଥିଲା, ସେକଥା ନୁହେଁ । ତା’ ମା’ କହିଥିଲା କି ତା’ର ଢେର୍ ପାଠ ହେଲା, ଏଣିକି ସେ ଘରେ ରହି ଘରକଥା ବୁଝିଲେ ସିନା ତା’ ତଳ ଭଉଣୀ ଅତସୀ ପାଠ ପଢ଼ିବାକୁ ଯିବ ! ତ ସେ ଘରେ ରହିଲା ଓ ଅତସୀ, ଯିଏ କି ତା'ଠୁ ଚାରିବର୍ଷ ସାନ, ସ୍କୁଲ୍‌ରେ ନାଁ ଲେଖେଇଲା-। ଝିଅ ନାଁ ଲେଖାଇବାର ଆଠଦିନ ପରେ ତା’ ବାପା ନୂଆ ମାରାଣ୍ଡି ଗୋଟେ ମାଷ୍ଟରକୁ ଜାଣ କିଲେ ସରିକି ଗଞ୍ଜେଇ ଦେଇଥିଲା । ସେ ମାଷ୍ଟର ଦିଚାରିଦିନ ପରେ ଆସି ୟାଙ୍କ ଘରେ ପହଞ୍ଚିଥିଲା; ଝିଅପାଇଁ ଖାତା, ବହି, କଲମ ସବୁ ଆଣିଥିଲା । ସରକାର ସବୁ ଦେଇଥିଲା ବୋଲି କହିଥିଲା ।

 

ସରସୀ ଘରେ ରହିଲେବି କୋଉ ତା’ର କାମ କମିଯାଇଥିଲା କି ? ଜାଣ କାମ ବଢ଼ିଯାଇଥିଲା । ପ୍ରାୟ ପ୍ରତ୍ୟେକ ଦିନ ସେ କାମକୁ ଯାଉଥିଲା । ଯଦି ବାପ ସାଙ୍ଗରେ ଯାଉଥିଲା, ତେବେ ସକାଳୁ ଯାଉଥିଲା; ହେଲେ ଯଦି ମା’ ସାଙ୍ଗରେ ଯାଉଥିଲା, ତାହାହେଲେ ସାଢ଼େ ନ'ଟା ପରେ ମା’ର ଡେରି ହେଉଥିଲା, କାରଣ ସିଏ ଛୁଆ ଦି’ଟାଙ୍କୁ ଖୁଏଇ ପିଏଇ ସ୍କୁଲ୍‍କୁ ବିଦା କରିବା ପରେହିଁ ମା’ କାମକୁ ଯାଉଥିଲା ।

 

ଏ ଯେଉଁ କଥାଟା ମୁଁ ଏମିତି ବର୍ଣ୍ଣନା କରୁଚି, ପୂରା ସାଦାସିଧା ଓଡ଼ିଆ ଭାଷାରେ; ବାସ୍ତବରେ ମୁଁ ସେମିତି ଶୁଣି ନଥିଲି । ମତେ ଯେଉଁ ବ୍ୟକ୍ତି ଜଣକ ଏକଥାଟା ଅତି ନିଷ୍ଠାରେ ଓ ଆଗ୍ରହରେ ବର୍ଣ୍ଣନା କରି କହିଥିଲେ, ସେ ଜଣେ ଆଦିବାସୀ ଲୋକ, ଶିକ୍ଷକ ଅଛନ୍ତି ଗୋଟେ ହାଇସ୍କୁଲ୍‍ରେ । ସରସୀର ବାପା ନୂଆ ମାରାଣ୍ଡିର ପରିବାର ସହ ତାଙ୍କର ବେଶ୍ ଭଲ ସମ୍ପର୍କ । ତାଙ୍କର ନାଁ ହେଲା ରିଚାର୍ଡ଼ କେର୍‍କେଟା । ମୁଁ ଥରେ କଥାପ୍ରସଙ୍ଗରେ କେର୍‍କେଟା ସାର୍‍ଙ୍କୁ ମଜାରେ ପଚାରିଥିଲି, ସେ ରିଚାର୍ଡ଼ ନାଁଟା କୋଉଠୁ ପାଇଲେ ବୋଲି । ସେ ହସିଥିଲେ । କହିଥିଲେ, ‘ଯୋଉ ବର୍ଷ ରିଚାର୍ଡ଼ସ ବୋଲି ଜଣେ କ୍ରିକେଟର୍ ଗୋଟେ ଦିନିକିଆ ମ୍ୟାଚ୍‍ରେ ଶହେ ଅଣଚାଶ ରନ୍ ଭାରତ ବିପକ୍ଷରେ ସ୍କୋର୍ କରିଥିଲେ, ସେଇଦିନ ତାଙ୍କର ଜନ୍ମ ହୋଇଥିବାରୁ ଗାଁର ଜଣେ କଲେଜ ପଢ଼ୁଆ ଟୋକା ଏଇ ନାଁଟା ଦେଇଥିଲା !’

 

: ‘ତେବେ ରିଚାର୍ଡ଼ସରୁ ‘ସ’ଟା କୁଆଡ଼େ ଗଲା ?’ ମୁଁ ପଚାରିଥିଲି !

 

: ‘ନାଁ ଲେଖେଇଥିବା ମୋର ମୂର୍ଖବୁଢ଼ା ବାପଟା ଖାଇଗଲା ଆଜ୍ଞା !’

 

ସେ କହିଥିଲେ ।

 

ସେଇ ଶିକ୍ଷକ–ମାନେ କେର୍‌କେଟା ସାର୍ ମତେ କଥାଟା ଶୁଣେଇଥିଲେ । ସେ ଏକଥାଟା କହିବାବେଳେ ବାରଣା ତାଙ୍କ ଭାଷାରେ, ଅଣାଏ ହିନ୍ଦୀ, ଅଣାଏ ଇଂରେଜୀ ଓ ଦି’ଅଣା ଓଡ଼ିଆ ମିଶେଇ ଏକ ବିଚିତ୍ର କିସମର ମଧୁର ଭାଷାରେ କହିଥିଲେ । ଭାଷାଟା ତାଙ୍କ ମୁହଁରେ ମଧୁର ଓ ସୁନ୍ଦର ଲାଗିବାର କାରଣ ଥିଲା କଥା କହିବାବେଳେ ଗୋଟିଏ ବାକ୍ୟରେ ସେ ଗୋଟେ କି ଦି’ଟା ନିର୍ଦ୍ଦିଷ୍ଟ ଶବ୍ଦକୁ ଲାଗଲାଗ କହୁଥିଲେ, ଏଇ ଯେମିତି ମୁଁ କହିଲି ଲାଗଲାଗ ! ସେମିତି ସେ କହିବାବେଳେ ଗଲା ଗଲା, ଦେଖ ଦେଖ, ନାଇଁ ନାଇଁ, ଆହୁରି ଆହୁରି, ନେଲା ନେଲା, ଫୁଲ ଫୁଲ ଇତ୍ୟାଦି ତାଙ୍କ କହିବା ଢଙ୍ଗକୁ ମଧୁର କରିଥିଲା । ତା’ ସାଙ୍ଗକୁ ତାଙ୍କର ନିର୍ମାୟା ହସ । ସେ ଭାଷା, କିମ୍ବା ସେଇ ଢଙ୍ଗ, ଅବା ସେଇ ଶବ୍ଦମାନଙ୍କୁ ନେଇ ଏକଥାଟା ମୁଁ ବର୍ଣ୍ଣନା କରିପାରିବି ନାହିଁ । ଆଉ ଗୋଟେ ବଡ଼ ସମସ୍ୟା ହେଲା ମୋତେ ନୂଆ ମାରାଣ୍ଡିର ଭାଷା କିମ୍ବା ବତାସ୍ ମୁଣ୍ଡୁରୀର ଭାଷାରୁ କାଣିଚାଏବି ଜଣା ନଥିଲା । ଅତଏବ କଥାଟା ସ୍ପଷ୍ଟ ଯେ ମୁଁ ଏକଥାଟା ମୋ ଜ୍ଞାନଧ୍ୟାନ ଓ କହିବା ଅନୁଯାୟୀହିଁ କହିବି । ଅବଶ୍ୟ ଗୋଟାଏ କଥା ନିଧାର୍ଯ୍ୟ ଯେ କେର୍‌କେଟା ସାର୍‌ଙ୍କଠାରୁ ଶୁଣିଥିବା କଥାରେ ମୁଁ କାଣିଚାଏ ଖାଦ ମିଶାଇବି ନାହିଁ । ସେ କିନ୍ତୁ ମୋତେ ମନା କରିଥିଲେ କଥାଟା ପ୍ରଘଟ ନ କରିବାପାଇଁ । ହେଲେ ମୋର ପ୍ରକୃତି ଖରାପ, ଏମିତିକା ଗୋଟେ କଥାକୁ ପେଟ ଭିତରେ ଧରି ରଖିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ ।

 

ଆହା ! ସରସୀ ମାରାଣ୍ଡି !

 

ପୁଣି ବତାସ୍ ମୁଣ୍ଡୁରୀ !!

 

(ତିନି)

 

ସରସୀ ଆହୁରି ବଡ଼ ହେଲା । ବଡ଼ ହେଲା ମାନେ ଡେଙ୍ଗା ହେଲା । ସାମାନ୍ୟ ମୋଟେଇବା ପରିବି ଜଣାଗଲା । ଦେହର ରଙ୍ଗ ଫର୍ଚ୍ଚା ଦିଶିଲା । ନାକରେ, କାନରେ ଗହଣା ଲଗେଇଲା । ତ ବଡ଼ ହେବା ସାଙ୍ଗରେ ସୁନ୍ଦରବି ଦିଶିଲା । ନାକ–କାନ–ବେକରେ ପକାଇଥିବା ଗହଣାତକ ସେ ଓ ତା’ ମା’ ସାଙ୍ଗ ହୋଇ ଯାଇ କିଣିଥିଲେ ପଞ୍ଚାୟତ ଅଫିସ୍ ପାଖ ହାଟରୁ, ମୋଟ ତେତିଶ ଟଙ୍କା ପଡ଼ିଥିଲା । ମା’ କହିଥିଲା କି ହାତକୁ ଅଧିକ ଟଙ୍କା ଆସିଲେ ରୁପାର ଗହଣା କିଣା ହବ ! ସେ ତ ଏଥର ମଝିରେ ମଝିରେ କାମକୁ ଯାଉଥିଲା । ତା’ ଟଙ୍କା ସେ ପ୍ରାୟ ରଖୁଥିଲା । ଅବଶ୍ୟ ମଝିରେ ବଜାରରୁ ସାଲୱାର ଜାମା ଆଣିଥିଲା ।

 

ବାପା, ମା’ ଓ ସରସୀ ତିନିଜଣ କାମକୁ ଯାଉଥିଲେ । ଯେତିକି ଟଙ୍କା ଆଣୁଥିଲେ, ଯଦି ଶହେ କି ପଚାଶ ଟଙ୍କାର ନୋଟ୍ ଆଣୁଥିଲେ, ତାହାହେଲେ ସରସୀ ଗଣିପାରୁଥିଲା; ହେଲେ ଯଦି ଦଶ–କୋଡ଼ିଏ–ପାଞ୍ଚଟଙ୍କିଆ ଆସୁଥିଲା, ତେବେ ଗଣିବାକୁ ତିନି, ଚାରିଥର ଲାଗୁଥିଲା । ତା’ ମା’ର ତିନିଟା ଘଡ଼ା ଥିଲା । ସେ ତିନିଝିଅଙ୍କ ନାଁରେ ତିନିଟା ଘଡ଼ାର ନାମକରଣ କରିଥିଲା । ସେଇ ହିସାବରେ ଘଡ଼ାରେ ଟଙ୍କା ପକାଉଥିଲା । ସରସୀ ଘଡ଼ାରେ ଦଶ ଟଙ୍କା ପକାହେଲେ, ଅତସୀ ନାଁବାଲା ଘଡ଼ାରେ ପାଞ୍ଚଟଙ୍କା ପଡ଼ୁଥିଲା; ଆଉ କଳସୀ ଘଡ଼ାରେ ତିନି ! ମା’ ପଇସା ସଞ୍ଚୁଥିଲା ବେଳ ଅବେଳ ପାଇଁ, ଧିଅ ମୁଣ୍ଡ–ରୋଗବଇରାଗ ପାଇଁ । ନା–ସେ ଝିଅକୁ ଯୌତୁକ ଦବା ଲାଗି ସଞ୍ଚୁ ନଥିଲା । ତାଙ୍କ ସମାଜରେ ସେସବୁ ଝମେଲା ନଥାଏ । ବରଂ ଓଲଟା କଥା; ମାନେ ପୁଅବାଲା ଟଙ୍କା ଦବ, ପୋଢ଼ କି ବୋଦା ଦବ, ତାହାହେଲେ ଝିଅ ଏ ଘରୁ ସେ ଘରକୁ ଯିବ ! ଯଦି ରୋଗବଇରାଗ ନ ହେଲା, ତେବେ ସେଇ ଟଙ୍କାରେ ଝିଅଙ୍କପାଇଁ ଯାହା କିଛି ଗହଣା କିଣାଯିବ । ଘଡ଼ାର ଟଙ୍କା ଅନୁଯାୟୀ ଝିଅର ଗହଣା । ତେବେ ଯୋଉ କାରଣଟି ପାଇଁ ସେମାନଙ୍କର ଛୋଟ ସୁନ୍ଦର ସଂସାରଟି ଭଲରେ, ସୁରୁଖୁରୁରେ ଚାଲିଥିଲା; ସେଇଟି ହେଲା ସରସୀର ବାପା ନୂଆ ମାରାଣ୍ଡି କଦାପି ଥରେବି ମଦ ପିଉ ନଥିଲା ! ତାଙ୍କ ଗାଁରେ ସବୁ ପୁରୁଷ, ଅଧାରୁ ଅଧିକ ମାଇପେ ମଦ, ମାନେ ହାଣ୍ଡିଆ ପିଉଥିଲେ; ହେଲେ ନୂଆ ମାରାଣ୍ଡି ଘରେ କେହି ନିଶାପାଣି ଛୁଉଁ ନଥିଲେ । ତ ଜାଣ ସେଇଥିପାଇଁ ତାଙ୍କର ଚଳଣି ଭଲ ଥିଲା ଓ କିଛି ଟଙ୍କା ବଳୁଥିଲା ।

 

ଏ ଭିତରେ ଗୋଟେ ବିଚିତ୍ର ଘଟଣା ଘଟିଲା ସେମାନଙ୍କ ଅଞ୍ଚଳରେ । ଦି'ଟା ପୋଢ଼ ଧରି ଆଠ/ ଦଶ ଜଣ ଲୋକ ପାହାଡ଼ ତଳ ରାସ୍ତା ଦେଇ ଫେରୁଥିଲେ, ସଞ୍ଜ ହୋଇଯାଇଥିଲା । ଲୋକଙ୍କ କହିବା କଥା ଯେ ତାଙ୍କର ପାଦତଳେ ଜାଣ ଗୋଟେ ଅସୁର କି ବ୍ରହ୍ମରାକ୍ଷସ ଢୋ’ ଶବ୍ଦ କଲା । ଗୋଟେ ନିଆଁହୁଳା ଗର୍ଜନ କଲା । ଧୂଆଁ ହୋଇଗଲା ଜାଣ ଚଉଦିଗ । ଧୂଳି ଓ ଧୂଆଁ ଟିକେ ସ୍ଥିର ହେବାପରେ ଦେଖିବାବେଳକୁ, ପାଞ୍ଚଜଣ ଲୋକ, ପୁଣି ଗୋଟେ ପୋଢ଼ ମରିକରି ତଳେ ସଫାଟ୍ ହୋଇଯାଇଥିଲେ । ବାକିମାନେ ଖଣ୍ଡିଆଖାବରା ହୋଇଥିଲେ । ପରେ ପରେ ପୋଲିସ୍ ଆସି କ’ଣ ସବୁ ଟିପାଟିପି କରି ନେଇଥିଲା । ଯୋଉଠି ସେ ବ୍ରହ୍ମରାକ୍ଷସ ଢୋ ଶବ୍ଦ ହେଇଥିଲା, ସେଇ ଆଖପାଖର ଲୋକ ଓ କିଛି ଦୋକାନୀଙ୍କୁ ପୋଲିସ୍ ପଚରାଉଚରା କରିଥିଲା । ଲୋକମାନେ ଯାହା କହିବା କଥା କହିଲେ, ଦୋକାନୀମାନେ କହିଲେ କି ସେମାନେ ତ ଖଣ୍ଡେ ଦୂରରେ ଥିଲେ, ମାନେ ନିଜ ନିଜର ଦୋକାନ ଭିତରେ ଥିଲେ, ପାହାଡ଼ ତଳପଟେ କ’ଣ କେମିତି ହେଲା, ଜାଣନ୍ତେ କେମିତି ? ଖାଲି ଶବ୍ଦ ଶୁଣିଥିଲେ ଯାହା । ତଥାପି ପୋଲିସ୍ ଆଠଦଶଙ୍କୁ ନେଇ ଥାନାରେ ପୂରେଇଥିଲା । ପନ୍ଦର ଦିନ ପରେ ଛାଡ଼ିଲା । ଖବରକାଗଜ ଓ ଟିଭିବାଲାଏ ଯିବାଆସିବା କଲେ । ଗୋଟେ ଦି'ଟା ଓକିଲ ଆସି ଥାନାକୁ ଯାଇ ଥାନାବାବୁକୁ ଧଡ଼୍‍କେଇଲେ ! ଓକିଲ ବୁଝେଇଲା କି ମଣିଷ କ’ଣ ଜନ୍ମ ହେଇଚି ପୁଲିସ୍ ଖୁଆଡ଼ରେ ପଶିବା ପେଇଁ ? ମଣିଷର ଅଧିକାର ହେଲା ସ୍ୱାଧୀନତା । ଲୋକଙ୍କୁ ନ ଛାଡ଼ିଲେ ସିଏ ଥାନାବାବୁ ନାଁରେ ମାମଲା ଠୁଙ୍କିବ, ମାନେ ଏମିତି କଦର୍ଥନ କରିବ ଯେ ବାବୁର ପ୍ରମୋସନ୍ ବନ୍ଦ । ଥାନାବାବୁ ଓ ଓକିଲର କଥାବାର୍ତ୍ତା ସବୁ ଗାଁବାଲାଏ, ମାନେ ଖୁଆଡ଼ରେ ଥିବା ଲୋକେ ଶୁଣିଥିଲେ । ୟାଙ୍କ କହିବା କଥା ଏଇଆ ଯେ ତୋଡ଼ କାଢ଼ୁଥିଲେବି ଥାନାବାବୁର ପଛ ହରଡ଼କମ୍ପ ହେଇଯିବାରୁ ସେ ସମସ୍ତଙ୍କୁ ପରଦିନ ସକାଳୁ ଛାଡ଼ି ଦେଇଥିଲା ।

 

ଏ ଘଟଣା ପରେ ହସ୍ତା ହାଟ ଓ ପାହାଡ଼ ଏକଡ଼ ବଜାରରେ ଗୋଟେ ନୂଆ କଥା ଶୁଣିବାକୁ ମିଳିଲା । ଲୋକେ କୁହାକୁହି ହେଲେ ଯେ ନକ୍‌ସଲ୍ ଆସିଛି ସେ ଅଞ୍ଚଳକୁ ନିଆଁହୁଳା ଏବଂ ପ୍ରକାଣ୍ଡ ଶବ୍ଦ ସେଇ ନକ୍‌ସଲ୍‌ମାନଙ୍କ କାମ । ନକ୍‌ସଲ୍ ଦେଖିବାକୁ କେମିତିକା, କ’ଣ ଖାଏ, କୋଉଠି ଶୁଏ, ଯଦି ଜଙ୍ଗଲରେ ରୁହେ ତେବେ ଗଛରେ ରୁହେ କି ଗାତଖୋଳି ରୁହେ, ବର୍ଷା ହେଲେ କ'ଣ କରେ, ଏମାନଙ୍କ ମୁଣ୍ଡରେ ଶିଙ୍ଗ ଥିଲା କି ନଥିଲା ଇତ୍ୟାଦି ବିଷୟରେ ଲୋକମାନେ ନାନା କଥା କୁହାକୁହି ହେଲେ । ସେ ଗାଁରେ ଗାଲୁଆ ଲୋକ ଅବଶ୍ୟ ନଥିଲେ; ଆଦିବାସୀ ଗାଁରେ ସେ ପ୍ରକାର ଲୋକ ଯଦିଓ ନଥିଲେ ତଥାପି ଜଣେ ଟୋକା ଖରାବେଳେ ଜଙ୍ଗଲ ଆଡ଼ୁ ଧଇଁସଇଁ ହୋଇ ଆସି ଦିନେ କହିଲା କି ସେ ନକ୍‌ସଲ୍ ଦେଖିଥିଲା ବୋଲି । ଗୁଡ଼ାଏ କଥା ଗପିଗାପି ସେ କହିଥିଲା କି ତା'ଠୁ ଆଠଦଶ ହାତ ଦୂରରେ ଗୋଟେ ଖସାଙ୍ଗ୍ କିନା ଶବ୍ଦ ହେଲା, ସେ ପଛେ ପଛେ ଗଲା, ଦେଖିଲା କି ବିଚିତ୍ର କିସମର ଗେଟମ ଜନ୍ତୁଟାଏ । କଥାଟା ହ୍ୟାପ ପ୍ରଘଟ ହେଇଗଲା, ପୁଲିସ୍ ଆସି ଟୋକାଟାକୁ ନାନା କଥା ପଚାରିଲା, ଧମକଚମକ ଦେଲା । ଟୋକାଟାର ସେଇ ଗୋଟାଏ କଥା ! ଗେଟମ ହେଇ ଜନ୍ତୁଟା, ଖସାଙ୍ଗ୍ କିନା ଚମ୍ପଟ ମାରିଦେଲା ।

 

ଏ କଥାର ପ୍ରାୟ ପନ୍ଦର କୋଡ଼ିଏ ଦିନ ପରେ ସେ ଖଣ୍ଡମଣ୍ଡଳରେ ଦୁଇଟା ଜିପ୍ ବୁଲି ବୁଲି ଗାଇ ବୁଲିଲା ଯେ ଅମୁକ ଜିଲ୍ଲାର ଏଇ ବ୍ଲକ୍‌କୁ ମିଶେଇ ଆଉ ଚାରିଟା ବ୍ଲକ୍ ହେଲା ନକ୍‌ସଲ୍ ବ୍ଲକ୍ । ଲୋକେ ତାଙ୍କୁ ବିଲ୍‌କୁଲ୍ ସାହାଯ୍ୟ କରିବା ଅନୁଚିତ । ପୋଲିସ୍‌କୁ ଖବର ଦେଲେ ପୁରସ୍କାର ମିଳିବ । ଗୋଟେ ଜିପ୍‌ରେ ପୋଲିସ୍‌ ଏବଂ ଆର ଜିପ୍‌ରେ ସାଦା ପୋଷାକ ଲୋକ ବସିଥିଲେ । ସେଇଦିନ ସମସ୍ତେ ଜାଣିଲେ ଯେ ନକ୍‌ସଲ୍ ହେଲା ମଣିଷ, ସିଏ ଗେଟମ ମେଟମ କି ଖସାଙ୍ଗ ମସାଙ୍ଗ୍ କଥା ସବୁ ଡାହା ଗାଲୁ କଥା !

 

ସେଦିନ ଏକଥାବି ପୋଲିସ୍ ଘୋଷଣା କରିଥିଲା ଯେ ପାହାଡ଼–ଜଙ୍ଗଲ–ଗାଁ–ମଣିଷମାନଙ୍କ ଉପରେ ନଜର ରଖିବାପାଇଁ ଏ ପଞ୍ଚାୟତରେ ଫୋର୍ସ ରହିବେ । ସେମାନେ ସ୍କୁଲ୍ ଘରେ ରହିବେ । ମାନେ ସ୍କୁଲ୍‍ରେ ଥିଲା ମୋଟ ଛ'ଟି ଶ୍ରେଣୀଗୃହ ଅଫିସ୍‌କୁ ଛାଡ଼ି । ସେଥିରୁ ଦୁଇଟି କୋଠରି ଫୋର୍ସକୁ ଦିଆଯିବ । ଅନତିଦୂରରେ ଗୋଟେ ନୂଆ ଟିଉବ୍‍ୱେଲ୍ ଖୋଳାଯିବ, ଆଉ ଦି’ ବଖରା ଘର କାଠ ବାଉଁଶରେ ତିଆରି ହବ । ଏପଟ ଘରେ ନାନା ପ୍ରକାରଜିନିଷପତ୍ର ରହିବ, ସେପଟେ ଫୋର୍ସ ମଣିଷମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ରହିବେ । ଗାଁରୁ ଦଶ ଜଣ ଲୋକ ବଛା ହେଲେ ଫୋର୍ସମଣିଷର କାମ କରିବାପାଇଁ । କିଏ ଲୁଗା କାଚିବ, କିଏ ରୋଷେଇ କରିବ, କିଏ ଝାଡ଼ୁ ମାରିବ ଇତ୍ୟାଦି ଇତ୍ୟାଦି ଫୋର୍ସ ମଣିଷ ଆସିବେ ଚବିଶ ଜଣ । ଗାଁ ଲୋକେ ହସାହସି ହେଲେ ସରକାର ଗୋଟାଏ ବିଚିତ୍ର ଲୋକମାନେ ସରକାର ପଠେଇବ ଚବିଶଟା ଲୋକ, ଏଡ଼େବଡ଼ ଜଙ୍ଗଲକୁ ଚବିଶ ଦଶ । ଲୋକ ହେଲେବି ଅଗମୂଳ ପାଇବେ ନାହିଁ, ଆଉ ଇଏ କ'ଣ କରିବେ !! ତା' ଛଡ଼ା ଯଦିଞ୍ଚ ନକ୍‌ସଲ୍‌ମାନେ ମଣିଷ, ତେବେ ମଣିଷ ମାରିବାପାଇଁ ଏସବୁ ଯୋଗାଡ଼ଯନ୍ତ୍ର କରିବାଟା ଭଲ କାମ କି ? ଗାଁ ଲୋକମାନେ ଏ କଥାର ରହସ୍ୟ ଭେଦ କରିପାରୁ ନଥିଲେ ।

 

ହେଲେ ସତସତିକା ସେଇଆ ହେଲା । ଫୋର୍ସ ଆସିଲା । ସରକାର ଅଡ଼ର୍ କଲା ସ୍କୁଲ୍‍ରେ ରହିବାକୁ । ମାଷ୍ଟ୍ରମାନଙ୍କର ତ ବାୟା ପାଳକ ପଡ଼ିଲା । ବଡ଼ ଶ୍ରେଣୀରେ ପଢ଼ୁଥିବା ପିଲାମାନେ କଥାଭାଷା ହେଉଥିଲେ ଯେ ସ୍କୁଲ୍ ଘର ସରକାର ଖୋଲିଥିଲା, ସେ ଘରେ କ’ଣ ହବ ସେକଥା ସରକାର ବୁଝିବା ଗାଁ ଲୋକେ କୁହାକୁହି ହେଲେ ଯେ ସରକାର ଦି’ବର୍ଷପାଇଁ ଆଦିବାସୀଙ୍କ ପାଠପଢ଼ା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା, କାରଣ କେତେକ ଜିଲ୍ଲାର ଆଦିବାସୀ ପିଲା ଅଧିକ ପାଠ ପଢ଼ି ଭୁବନେଶ୍ୱର–କଟକରେ–ବାଲେଶ୍ୱରରେ ହଲ୍ଲାଗୁଲ୍ଲା କରୁଥିଲେ ଚାକିରିପାଇଁ । ଏତେସଂଖ୍ୟାରେ ଆଦିବାସୀମାନେ ପାଠ ଶିଖିଯିବା ଦେଖି ସରକାର ଡରି ଯାଇଥିଲା । ଛାଡ଼–ଲୋକେ ନାନା କଥା ଗପିବେ । ଯାହାହେଉ, ସ୍କୁଲ୍‌କୁ ଆସୁଥିବା ପିଲାଙ୍କ ସଂଖ୍ୟା କମିଗଲା, କିନ୍ତୁ ମାଷ୍ଟ୍ର ରିପୋର୍ଟ ଦେଲା ଯେ ଫୋର୍ସ ରହିବାରୁ ପିଲାମାନେ ବିନା ଡରଭୟରେ ବହୁସଂଖ୍ୟାରେ ଆସୁଥିଲେ । ସେଇ ଅନୁପାତରେ ସେମାନେ ମଧ୍ୟାହ୍ନ ଭୋଜନ, ଚାଉଳ, ଡାଲି, ପରିବା ଇତ୍ୟାଦି ନିଧଡ଼କରେ ଚଳୁ କଲେ । ଇତ୍ୟାଦି ଇତ୍ୟାଦି ଆହୁରି କେତେକଅଣ !

 

ସେଇଠି, ମାନେ ସ୍କୁଲ୍‍ର ଗେଟ୍‌ଠାରୁ ମାତ୍ର ଦଶବାର ହାତ ଦୂରରେ ସରସୀ ଭେଟିଥିଲା ସେଇ ଟୋକା ଫୋର୍ସକୁ ଅଥବା ସେଇ ଫୋର୍ସ ଟୋକାକୁ, ଯାହା ନାଁ ବତାସ୍ ମୁଣ୍ଡୁରୀ । ସେ ପିନ୍ଧିଥିଲା ଛପିଛପିକିଆ ପେଣ୍ଟ୍‍ ଜାମା, ମୁଣ୍ଡରେ ସେଇମିତିକା ଟୋପି । କାନ୍ଧରେ ଟଙ୍ଗେଇ ଥିଲା ବନ୍ଧୁକ । ଲୋକଟା ମାନେ ସେଇ ଫୋର୍ସ ଟୋକାର ମୁହଁଟା ଚେପାଳିଆ, ନାକଟା ଫୁଲା ଫୁଲା, ଡେଙ୍ଗାଳିଆ, ବୟସ ଜାଣିବା କଷ୍ଟ । ସରସୀ ତ କେବେଠୁ ସ୍କୁଲ୍ ଯିବା ଛାଡ଼ି ସାରିଥିଲା । ହେଲେ ସେଦିନ ତା’ ସାନଭଉଣୀ ଅତସୀ ସ୍କୁଲ୍ ଯିବାବେଳେ କହିଯାଇଥିଲା ତିନିଟାବେଳକୁ ସ୍କୁଲ୍‍କୁ ଗଲେ ସାଙ୍ଗ ହୋଇ ସେମାନେ ଫେରିବେ, ସରସୀବି ଫୋର୍ସ ମଣିଷମାନଙ୍କୁ ଦେଖି ଆସିବ । ସରସୀ ଖରାକୁ ଦେଖି ସମୟ ଅନୁମାନ କରିଯାଇଥିଲା । ସେଇଠି ସେ ଦେଖିଥିଲା ସେଇ ଚେପ୍‍ଟା ନାକିଆ ଫୋର୍ସ ଟୋକାକୁ, ସିଏ ସରସୀ ଆଡ଼କୁ ଚାହିଁ ମୁଚୁକି ମୁଚୁକି ହସିଥିଲା ଦଶ ବାର ହାତ ଦୂରରୁ । ସେଦିନ ଅତସୀ ଓ ତା’ର ଫେରି ଆସିଥିଲେ । ଶେଷ ଯାଏଁ ଟୋକାଟା ତାଙ୍କ ଆଡ଼କୁ ଅନେଇଥିଲା । ସରସୀ ଦି’ ତିନିଥର ପଛକୁ ଅନେଇଥିଲା ତ !

 

ପରେ ଜାଣିଥିଲା ସେ ଫୋର୍ସ ଟୋକାର ନାଁ ବତାସ୍ ମୁଣ୍ଡୁରୀ । ସେ କାହିଁ ଜାଣିଥା'ନ୍ତା ମ । ସ୍କୁଲ୍ ଯିବାର ଛ’ ସାତ ଦିନ ପରେ ସେ ଫୋର୍ସ ଟୋକା ଅତସୀ ହାତରେ ମଳିଚିଆ କାଗଜରେ ପଠେଇଥିଲା ଛୋଟିଆ ଚିଠିଟାଏ । ଚିଠିରେ ସରସୀର ନାଁ ଗାଁ ଠିକଣା କିଛିହିଁ ନଥିଲା ।

 

ସ୍କୁଲ୍‍ରୁ ଫେରି ଅତସୀ କହିଥିଲା, ‘ସେଦିନ ଯୋଉ ଫୋର୍ସ ଟୋକା ଗେଟ୍ ପାଖରେ ଠିଆ ହେଇ ହସୁଥିଲା, ସେଇ ଚେପ୍‌ଟାମୁହାଁ ମତେ ଚୁପ୍ କରି ଡାକି ଏ କାଗଜ ଦେଇ କହିଲା କି...-!’

 

: ‘କ’ଣ କହିଲା ?' ସରସୀ ପଚାରିଥିଲା ।

 

: ‘କହିଲା କି ତୋ ସହ ଯିଏ ଆସିଥିଲା ସେଦିନ, ସିଏ କ’ଣ ଭଉଣୀ ହବ, ମୁଁ ‘ହଁ’ ମାରିବାରୁ କହିଲା କି ଏଇ କାଗଜଟା ନବୁ, ତୋ ଭଉଣୀକୁ ଦବୁ । ଏ କାମଟା କରିବାକୁ ମତେ ସେ କୋଡ଼ିଏ ଟଙ୍କା ଦେଇଚି ।’

 

ସରସୀ ହସିଲା, କହିଲା, ‘ତୁ ରଖିଥା ସେ ଟଙ୍କା ।’

 

(ଚାରି)

 

ସେଦିନ ଚିଠିଟା ପଢ଼ିବାକୁ ବେଳ ହେଲା ନାହିଁ । ସେଇଟା ଚିଠି କି ଆଉ କୋଉ କାଗଜ କେଜାଣି । ସରସୀ କେବେଠୁ ବଡ଼ ହୋଇସାରିଥିଲା, ଚିଠି ହେଉ କି ଆଉ ଯେଉଁ କାଗଜ ହେଉ, ଭିତରେ କ’ଣ ଥିବ ତାକୁ ବାସ୍ନା ହୋଇସାରିଥିଲା । ପରଦିନ ଯେତେବେଳେ ମା’–ବାପା କାମକୁ ଗଲେ, ଅତସୀ ସ୍କୁଲ୍‌କୁ ଯାଇସାରିଲା, ସେତେବେଳକୁ ଦିନ ବୋଧେ ଏଗାରଟା ହେଇଥିବ, ଘରର ପଛଆଡ଼କୁ ଯାଇ ଖପର ଭିତରୁ ବାହାର କରି ସରସୀ କାଗଜଟା ଖୋଜିଲା ।

 

ଅକ୍ଷରଗୁଡ଼ା ଏତେ ଭଲ ନଥିଲା, ତେବେ ପଢ଼ି ହେଉଥିଲା ତ । ସରସୀ ସିନା କିଛି ପାଠ ପଢ଼ିଥିଲା ବୋଲି ଏ କାଗଜଟା ପଢ଼ିପାରିଲା, ନହେଲେ ତ ଆଉ କାହା ଗୋଡ଼ହାତ ଧରି ନେହୁରା ହେଇଥା'ନ୍ତା !! ସେଇ କାଗଜରେ ଲେଖା ଥିଲା : ‘‘ସେଦିନ ମୁଁ ତୁମକୁ ଇସ୍କୁଲ ପାଖରେ ଦେଖିଲି । ତମେ ଜାଣ ଗୋଟିଏ ରାଜାଝିଅ ପରିକା । ମୁଁ ଏତେ ଦେଶ ବୁଲିଚି, ବହୁତ ଝିଅ, ଢେର୍ ଟୋକୀ ଦେଖିଚି । ହେଲେ ସବୁ ତମ ତଳେ । ତମେ ତ ଏଇ ଗାଁ ଭିତରେ ରହିଚ, ମୁଁ ପାଞ୍ଚ ସାତ ଦେଶବୁଲୁଚି । କାଶ୍ମୀର, ରାଜସ୍ଥାନ, ଆସାମ, ନାଗାଲେଣ୍ଡ୍ ଏମିତି କେତେ ଦେଶ । ବହୁତଠେଇଁ ଝିଅଙ୍କ ଚମଡ଼ା କାଗଜ ଭଳିଆ ଧଳା, ହେଲେବି ତମ ପାଦତଳେ ଜାଣ ! ମୁଁ ତୁମକୁ ଆଉଥରେ ଦେଖିବାକୁ ଚାହୁଁଚି । ତମେ ଯଦି ତମ ଭଉଣୀ ସାଙ୍ଗରେ ଆଉଥରେ ଆସନ୍ତ, ତୁମକୁ ଗୋଟେ କଥା କହିପାରନ୍ତି । ଏଠି ଲୋକ ହାଉଯାଉ, ରହିଲି । ଇତି–ତୁମର ବତାସ୍ ।’’

 

ଏମିତି କଥା ସବୁ ବଢ଼ିଲା ଝିଅଙ୍କ ପାଖକୁ ଲେଖାଯାଏ କି ? ଏସବୁର ଅର୍ଥ ସେ ବୁଝିପାରୁଚି । ଏତେଗୁଡ଼ା ଦେଶ ବୁଲିଲେ ସରସୀର କ’ଣ ଯାଏଁ ? ମା’ ତାକୁ କେତେଥର କହିଛି ଯେ ପୁଅପିଲା କି ପୁରୁଷ ଲୋକପାଖକୁ ଜମା ଏକା ଯିବନେଇଁ, ଆଜିକାଲି ବେଳକାଳ ଭଲ ନାଇଁ-। ମା’ର କଥାଟା ଭଲଭାବେ ନ ବୁଝିଲେବି ଜାଣିପାରେ । ତା’ର କ’ଣ ଗରଜ ପଡ଼ିଥିଲା । ପୁଣି କୋଉ ପୁଅପିଲା କି ମର୍ଦ ଲୋକ ପାଖକୁ ଧାଇଁବାକୁ ମ ! ଫୋର୍ସ ଟୋକାର ହାତଲେଖା କାଗଜକୁ ଟୁକୁଡ଼ା ଟୁକୁଡ଼ା କରି ଉଡ଼େଇଦେଲା ପବନରେ ସରସୀ । ଛିଃ–ସେ କାହିଁକି ସ୍କୁଲ୍ ପାଖକୁ ଯିବ ମ-! ଚେପ୍‌ଟା ମୁହଁ ଗେଣ୍ଡା ନାକିଆଟା ଏମିତି ଅବାଗିଆ ଦିଶୁଚି–ଛିଃ ! ନା–ସେ ଯିବ ନାହିଁ-

 

ଉପରଓଳି ସ୍କୁଲ୍‌ରୁ ଆସି ବହିଯାକ ରଖିସାରି ଅତସୀ କହିଲା, ‘ସେ ଲୋକ ମତେ ଦେଖି ହସିଲା । କହିଲା କି ଯଦି କେବେ ଟଙ୍କା ଦରକାର ହବ କହିବୁ ।’

 

ସରସୀ ତାକୁ ବାଡ଼ିପଟକୁ ଡାକିନେଇ କହିଲା, ‘ଶୁଣ୍, ସେ ଯଦି ଟଙ୍କା ଦିଏ, ଜମା ଆଣିବୁ ନାଇଁ । ଟଙ୍କା କ’ଣ ମ, ଯାହାବି ଦବ, କିଛି ଆଣିବୁ ନାଇଁ । କହିବୁ ଆମର କିଛି ଦରକାର ନାହିଁ ।’

 

ହେଲେ କେଇଟା ଦିନ ପରେ ସରସୀ ଓ ତା’ ମା’ କାମରୁ ଫେରୁଥିବା ବାଟରେ ସେ ଫୋର୍ସ ଟୋକା ସହ ଭେଟ ପଡ଼ିଲା । ସେମାନେ ଥିଲେ ଦୁଇଜଣ, କାନ୍ଧରେ ଲଟକିଥିଲା । ବନ୍ଧୁକ, କୁଆଡ଼େ ଯାଇଥିଲେ କେଜାଣି, ହେଲେ ଫେରୁଥିଲେ ସ୍କୁଲ୍ ଆଡ଼କୁ । ସରସୀକୁ ଦେଖି ସେ ଟୋକା, ଯିଏ ଚିଠି ଶେଷରେ ନାଁ ଲେଖିଥିଲା ବତାସ୍ ବୋଲି, ଅଟକିଗଲା । ସେ ଅଟକିଯିବାରୁ ଆର ଟୋକାଟା ଅଟକିଗଲା । ଏ ଟୋକାଟା ଥିଲା ଗେଧକାଳିଆ ।

 

ମୁର୍କିହସା ମାରି ବତାସ୍ ପଚାରିଲା, ‘ତମ ଘର ଏଇ ଆଡ଼େ ? ଏତେ ବାଟରୁ ତମ ଭଉଣୀ ଯାଏଁ ଇସ୍କୁଲକୁ ?’ ପ୍ରଶ୍ନଟା ସେ ସରସୀକୁ ଲକ୍ଷ୍ୟ କରି ପଚାରିଥିଲା । ସରସୀର ମା’ ଫୁଲ ମାରାଣ୍ଡି ଝିଅ ଆଡ଼କୁ ଅନେଇଲା, ତା’ ଆଖିରେ ପ୍ରଶ୍ନଟା ଉଙ୍କି ମାରୁଥିଲା; ଆଲୋ ପୋତାମୁହୀଁ, ଇଏ ଟୋକା ତତେ ଆଉ ତୁ ୟେ ଟୋକାକୁ କେମିତି ଜାଣିଲୁ କିଲୋ ?'

 

ଚେପ୍‌ଟା ମୁହାଁ ଫୋର୍ସ ଟୋକା ମା’କୁ ଲକ୍ଷ୍ୟ କରି କହିଲା, ‘ୟେ ଗାଁକୁ ଏଇ ବର୍ଷ ଇଲେକ୍‍ଟ୍ରିକ୍ ଆସିବ । କାହିଁକି ନା ନକ୍‌ସଲ୍ ଥିବା ଏରିଆକୁ ସରକାର ସବୁ ସୁବିଧା ସୁଯୋଗ ଦଉଚି । ଇସ୍କୁଲ ଘରବି ବଡ଼ ହବ । ଗାଁରେ ଏଇନେ ଦି’ଟା ଟିଉବ୍‌ୱେଲ୍ ଅଛି, ଦେଖିବ କେମିତି ଆଉ ତିନିଟା ବସେଇବ ସରକାର, ପାଣିର ଅଭାବ ରହିବ ନେଇଁ, ଜାଣିଲ ତ !’

 

‘ଆଗରୁ ତ କିଛି ହଉ ନଥେଲା, ସରକାରର ଏବେ କାଇଁକି ହେଜ ହେଲା ?’ ଫୁଲ ମାରାଣ୍ଡି ପଚାରିଲା । ଏତେବେଳକୁ ସରସୀ ଭୂଇଁକୁ ଚାହିଁ ନଖରେ ଗାର କାଟୁଥିଲା ମାଟିରେ ।

 

‘ଦେଖିବ ଆହୁରି କେତେ କାମ ହବ’, ଫୋର୍ସ ଟୋକା ବତାସ୍ କହିଲା, ‘ଯୋଉ ଏରିଆ ନକ୍‌ସଲ୍ ଏରିଆ ହବ, ସେଠି ବହୁତ କାମ ହବ । ରାସ୍ତାଘାଟ ଚକ୍‌ଚକ୍ ହବ । ବହୁତ ଶସ୍ତାରେ ସରକାର ଜିନିଷ ବିକିବ । ଖାଲି ନକ୍‌ସଲ୍‌ଙ୍କ ଉପରେ ନଜର ରଖିବା ଦରକାର । ମୁଁ କେତେଆଡ଼ ବୁଲି ଦେଖିଚି ।'

 

ତାହାହେଲେ ମୋ ଜାଣିବାରେ ତ ନକ୍‌ସଲ୍ ଏରିଆ ହବାଟା ଭଲ କଥା’, ଫୁଲ କହିଲା, ‘ସରକାର ତ ସବୁ ଏରିଆକୁ ନକ୍‌ସଲ୍ ଏରିଆ କରନ୍ତା, କାମ ହୁଅନ୍ତା ।'

 

ଏ ପ୍ରକାର ବିଚିତ୍ର କଥା ସେ ଟୋକା କଦାଚ ଶୁଣି ନଥିଲା । ତା’ର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ଫେଲ୍ । ଅଠରବର୍ଷରେ ସେ ଫୋର୍ସରେ ମିଶିଥିଲା । ଟ୍ରେନିଙ୍ଗ୍ ସରିବା ପରେ ଆଜି ଭିତରେ ସେ କେତେ ରାଜ୍ୟ ବୁଲିଲାଣି, କେତେ ସହର ବଜାର, ଗାଁ ଗଣ୍ଡା, ଜଙ୍ଗଲ ଦେଖିଲାଣି । ବୁଲାବୁଲି କରି ତା’ର ଯେତିକି ଜ୍ଞାନ ହେଇଥିଲା, ଢେର୍ ଜ୍ଞାନ ବୋଲି ଜାଣ !

 

‘ତମେ ଦି'ଜଣ ଏଇନେ କାମରୁ ଆଇଚ’, ସେ କହିଲା, ‘ସୁବିଧା ହେଲେ ମୁଁ ଏଆଡ଼େ ଆସିବି, ତମ ଘରକୁ ଯିବି । ଜାଇଁଲ ତ ? ଆମର ପରା କାମ ସେଇଆ, ଘର ଘର ବୁଲି ପତ୍ତା ଲଗେଇବା କୋଉଠି କିଏ ନକ୍‌ସଲ୍ ଅଛି କି ନା !’

 

‘ନକ୍‌ସଲ୍‌ଟା କି ଜିନିଷ ?’ ଏତେବେଳେ ତା’ ଆଡ଼କୁ ଅନେଇ ସରସୀ କହିଲା, ‘ଗାଁରେ ନକ୍‌ସଲ୍ ପୁଣି କୋଉଠି ଥାଏ ? ଯଦି ଜଙ୍ଗଲରେ ଥାଇପାରେ । ହେଲେ ଆମ ଗାଁରେ କାହିଁ ରହିବ ମ ?’

 

ସରସୀ ଟିକେ ରାଗିଯାଇଥିଲା କି କ’ଣ, ମା’ର ହାତ ଧରି ଟାଣି ନଉ ନଉ କହିଲା, 'ଏଠି ସେସବୁ କିଛି ନାହିଁ । ତମେ ଫୋର୍ସ ଆସି ଏଠି ରହି ଆମ ଗାଁରେ ନକ୍‍ସଲ୍ ପୂରଉଚ । ନକ୍‍ସଲ୍‍ଟା କିମିତିକା ଆମକୁ ଜଣା ନାଇଁ, କ’ଣ ନା ନକ୍‌ସଲ୍ !’

 

ଫୋର୍ସ ଟୋକା ମୁହଁରେ ଏମିତି କଥା କୋଉ ଗାଁବାଲା କୋଉଠି କହି ନଥିଲେ । ସିଏ ମତେ ଚଢ଼ା ଗଳାରେ କହିଲା, ‘ଏଇଟା ନକ୍‌ସଲ୍ ନଥିଲା କି ନୁହ । ହେଲେ ତମ ଏମ୍.ପି. ଦିଲ୍ଲୀରେ ପାଟିତୁଣ୍ଡ କରି ମିଛଟାରେ ଏ ବ୍ଲକ୍‌ଟାକୁ ନକ୍‌ସଲ୍ ବ୍ଲକ୍ ବୋଲି ଲେଖେଇ ଆଣିଚି । ନକ୍‌ସଲ୍ ବ୍ଲକ୍ ହବା ମାନେ ନିହାତି ଆଠ/ଦଶ କୋଟି ଆସିବ, କାମ ହବ, କାମ କିଛି ହବ, ବାକି ମିଳିମିଶି ଖାଇବେ ! ଆମର କ'ଣ ଅଛି ? ଆମେ ତ ଦିନରାତି ଖରା ବର୍ଷାରେ ନିଜ ଗାଁ ଛାଡ଼ି ବୁଲୁଥିବୁ, ଜାଇଁଲୁ ?

 

ଫୋର୍ସ ଟୋକା ଜାଇଁଲୁ କହିବା ଅର୍ଥ ସବୁକଥା ସେ ସରସୀକୁ କହିଥିଲା, ତା’ ମା’ ଫୁଲ ମାରାଣ୍ଡିକୁ ନୁହେଁ । ଏହାର ଏଗାରଦିନ ପରେ ଅତସୀ ସ୍କୁଲ୍‌ରୁ ଫେରି ଖାଇବା ପରେ ଭଉଣୀକୁ ବାଡ଼ି ପଛକୁ ଡାକିନେଇ ଚାରି ଚଉଡ଼ା କାଗଜ ଖଣ୍ଡେ ଧରେଇ ଦେଇ କହିଲା, ‘ସେଇ ଲୋକ ଏଇଟା ଦେଇଚି ଆଜି ତତେ ଦେବାକୁ ।’

 

‘ଏଇଟା ମତେ ଦେବାକୁ ତତେ ପୁଣି ଟଙ୍କା ଧରେଇଚି କି ନାଇଁ ?' ସରସୀ ପଚାରିଲା ।

 

ଜଙ୍ଘଚିପା ଚଡ଼ି ଭିତରୁ ପଚାଶ ଟଙ୍କିଆ ନୋଟ୍‌ଟେ ବାହାର କରି ସରସୀକୁ ଦେଖାଇ ଅତସୀ କହିଲା, ‘ଏଇଟା ଦେଇଚି ।’

 

ସରସୀ ହସିଲା, କହିଲା, ମୋତେ ଦେ ! ଗତଥର ସେ ଦେଇଥିଲା କୋଡ଼ିଏ ଟଙ୍କା, ତୁ ନେଇଥିଲୁ । ଏଥରକ ଏତେ ଟଙ୍କା ଦେଇଚି, ତୁ କ'ଣ କରିବୁ ? ଦେ...’

 

ଅତସୀ ବିନା ପ୍ରଶ୍ନରେ ନୋଟ୍ ଖଣ୍ଡକ ବଢ଼େଇଦେଲା, କହିଲା, ‘ତୋର ଲୋଭ ଆସିଲା, ନାଇଁ ?'

 

ସରସୀ କହିଲା, ‘ଟଙ୍କାରେ ପୁଣି କାହାର ଲୋଭ ନାଇଁ ?’

 

ସେତେବେଳକୁ ସରସୀର ଆଖି ଦି'ଟା ଦିଶୁଥିଲା ବିଚିତ୍ର, ଖୁବ୍ ରାଗିଗଲେ ତା' ଭଉଣୀର ଆଖି ଦି’ଟା ଏମିତି ହୋଇଯାଏ । ଅତସୀ ଆଉ କିଛି ଭାବିବା ବା କହିବା ଆଗରୁ ସରସୀ ସେଇ ନୋଟ୍‌ଟାକୁ ଆଠ ଦଶଖଣ୍ଡ କରି ଚିରି ପକେଇଲା । ଘର ଭିତରକୁ ଯାଇ ଛୋଟ ଫର୍ଦ୍ଦେ କାଗଜ ଓ କଲମ ଆଣିବାକୁ କହିଲା ଅତସୀକୁ । ଅତସୀ ସେତେବେଳକୁ ଅଜଣା ଆଶଙ୍କାରେ ଜଡ଼ସଡ଼ । କିଛି ନ କହି ଭିତରକୁ ଯାଇ ରଫ୍‍ଖାତାରୁ ଫର୍ଦ୍ଦେ କାଗଜ ଓ କଲମ ନେଇ ଆସିଲା । କାଗଜ ଖଣ୍ଡକୁ ଭଙ୍ଗାଭଙ୍ଗି କରି ଛୋଟିଆ ଖୋପମାନେ ଲଫାଫା ଆକାରର କରି ତା' ଭିତରେ ଚିରା ଟଙ୍କା ଖଣ୍ଡକୁ ପୂରେଇ ମୁହଁ ବନ୍ଦ କଲା । ଲଫାଫା ପରି ଦିଶୁଥିବା ଖୋଳ ଉପରେ ଲେଖିଲା, ‘ଆମେ ଭିକାରି ନୁହ । ତମ ଟଙ୍କା ତମେ ନିଅ ।’ ଲେଖିସାରି ଅତସୀକୁ କହିଲା, ‘ଏଇଟାକୁ ବଡ଼ ବାଗରେ ବହି ଭିତରେ ରଖିଥା, ଦେଖାହେଲେ ତାକୁ ଦେଇଦେବୁ । ଆଉଦିନେ ତା’ଠଉଁ ଟଙ୍କା ଆଣିବୁ ନାହିଁ । ହେଲେ ଏଇଟା ଦବାକୁ ତୁ ପାଖକୁ ଯିବୁ ନାହିଁ । ସେ ବଦମାସ ଦେଖାହେଲେ ଦବୁ !’

 

ପରଦିନ ସକାଳେ ବନ୍ଧକୁ ଗାଧୋଇ ଯିବାବେଳେ ସରସୀର ଭେଟ୍ ପଡ଼ିଥିଲା କୋଡ଼ିଏ ବାଇଶବର୍ଷର ଭେଣ୍ଡିଆ ସଂସାରୀ ମାରାଣ୍ଡି । ଏଇ ଛି’ମାସ ହେବ ସରସୀ ତାକୁ ମନ ଦେଇସାରିଥିଲା । ସଂସାରୀ ସାଙ୍ଗରେ ତା’ର ଭେଟ ହୋଇଥିଲା ପଞ୍ଚାୟତ ଅଫିସ୍ ଆଗରେ ହୋଇଥିବା ମେଳାରେ । ତାଙ୍କ ଗାଁଠୁ ଚାରି କୋଶ ଦୂର ଗାଁରେ ତା’ର ଘର । ପିଲାବେଳେ କି ସ୍କୁଲ୍ ଯିବା ବାଟରେ ଥରେ ଅଧେ ଭେଟ୍‌ଭୁଟା ହୋଇଥିବ । ହେଲେ ଛ’ମାସ ତଳେ ଯୋଉ ଭେଟ ପଡ଼ିଥିଲେ ସେମାନେ, ସେତିକିବେଳେ ଆଖିରେ ଆଖିରେ ସେମାନଙ୍କ ମନ ଦିଆନିଆ ହୋଇଥିଲା-। ସରସୀର ପାଦ ତଳ ଝିମିଝିମି ହୋଇଯାଇଥିଲା, କ’ଣ ପେଇଁ କେଜାଣି ।

 

ପ୍ରଥମ ଭେଟ ପରେ ଏ ଭିତରେ ନିହାତି କମ୍‌ରେ ଦଶ–ବାର ଥର ଭେଟ ପଡ଼ିଥିବେ ସେମାନେ । ଜଙ୍ଗଲ କି କ୍ଷେତକୁ ଯିବା ରାସ୍ତାରେ, ହାଟରେ, ବନ୍ଧ ପାଖରେ, ମେଳାରେ । ପହିଲିଥର ଦିପଦ କଥା, ତମର ଗାଁଟା କ'ଣ, ନାଁଟା କ’ଣ ! ତା’ପରେ ଚାରିପଦ, ତା'ପରେ କୋଡ଼ିଏ ପଦ, ତା’ପରେ ସବୁକିଛି ସ୍ଵାଭାବିକ । ସରସୀର ମା’ ସେମାନଙ୍କ କଥା ଜାଣିଥିଲା, ମାନେ ସୁରାକ୍ ପାଇଥିଲା । ସେଇଥିପେଇଁ ଥରେ ସରସୀ ଆଗରେ ଶୁଣେଇ କରି କହିଥିଲା, ‘ଜାଣିଲୁ ସର, ମୋତେ ଯଦି ଦି’ଟା ପୋଢ଼ ଆଉ ଦି’ ହଜାର ଟଙ୍କା ଦେବ, ତାକୁ ମୁଁ ଝିଅ ଦବା କଥା ଭାବିବି-। ଆଗ କାଳରେ ପାହାଡ଼ ଉପରେ ଯେମିତିକା ପରୀମାନେ ରହୁଥିଲେ, ମୋର ଗୋଟେ ଝିଅ ତ ସେଇପରିକା । ଦି’ଟା ପୋଢ଼ମାନେ ଦି’ଟା । ଗୋଟେ ପୋଢ଼ ଘରେ ରହିବ, ଆଉ ଗୋଟେ ଗାଁର ଲୋକେ ଖାଇବେ କି ନା ?’

 

ମା’ଟା ତା’ର ସେମିତିକା । ବେଳେବେଳେ ମନକୁ ମନ ଗପେ; ବେଳେବେଳେ ଗଛ ସାଙ୍ଗରେ, ନେଉଳ ସାଙ୍ଗରେ, ଆକାଶରେ ଉଡ଼ିଯାଉଥିବା ଚିଲ ସାଙ୍ଗରେ ଗପାଗପି କରେ । ଦିନରାତି କାମରେ ଲାଗିଥାଏ । କାମରୁ ଫେରିଲେ ଘରକାମ, ଘରକାମ ସରିଗଲେ ପୁଣି ବାହାର କାମ । ଖାଲି ରାତିରେ ଯେତିକି ସମୟ ଶୁଏ ବାସ୍ ।

 

ବନ୍ଧର ହୁଡ଼ାରେ ଭେଟ ପଡ଼ିବାରୁ ସରସୀ ପାଖକୁ ଡାକିଲା ସଂସାରୀକୁ । ଭୂଇଁରେ ନଖରେ ଗାର କାଟି ଗଳା ବସିଯାଇଥିବା ପରି ସ୍ୱରରେ କହିଲା, ‘ଶୁଣ୍‌ । ତତେ ମୁଁ ମନ ଦେଇଚି କି ନାଇଁ ? ତୁ ବି ମତେ ମନ ଦେଇଚୁ କି ନାଇଁ ? ସଂସାରୀ ବୋକାଙ୍କ ପରି ମୁଣ୍ଡ ଟୁଙ୍ଗାରିଲା, କଥାଟାର ଅଗମୂଳ ଠଉର କରିପାରିଲା ନାହିଁ । ହେଲେ ସେ କିଛି କହିବା ଆଗରୁ ସରସୀ ପୁଣି କହିବାରେ ଲାଗିଲା, ‘ତୁ ତୋର ବାପାକୁ କହ, ସିଏ ଆସି ଆମ ଘରେ ଜବାବ ରଖୁ, ଦି'ଟା ପୋଢ଼ ଆଉ ଦି’ ହଜାର ଟଙ୍କାକୁ ରାଜି ହଉ । ଟଙ୍କା କମ୍ ହେଲେ ଚଳିବ । ସବୁ କାମ ଏଇ ମାସକ ଭିତରେ କର ।’

 

ସଂସାରୀର ମୁହଁ ବ୍ୟସ୍ତବିବ୍ରତ ଜଣାଗଲା ।

 

‘ମୋର ଉପରେ ଭରସା ପାଉନି କି ?’ ସେ ପଚାରିଲା ।

 

‘ଭରସା ଅଛି, ହେଲେ ମୋତେ କାହିଁ କିଛି ଭଲ ଲାଗୁନି ।’

 

‘କଥା କ’ଣ ? ତୋର ଧିଅ ଫିଅ ଭଲ ନାଇଁକି ?' ସଂସାରୀ ଏଥର ସତେବା ସରସୀ ମୁଖମଣ୍ଡଳରେ ଉକୁଟି ଥିବା ଆଶଙ୍କା ଭିତରୁ ତା’ର ମନର କଥା ପଢ଼ିପାରିଲା କି କ'ଣ, ପଚାରିଲା, ‘କ’ଣଟା ଭଲ ଲାଗୁନି, ଖୋଲିକରି କହ ।’

 

ଛେପ ଢୋକି ଢୋକି ପ୍ରାୟ ଆଠ/ଦଶ ମିନିଟ୍ ଭିତରେ ସରସୀ ସବୁକଥା କହିଲା । ଫୋର୍ସ ଟୋକା ବତାସ୍ ଯଦି ତା’ର ବାପା–ମା’ଙ୍କୁ ଚାରି/ପାଞ୍ଚ ହଜାର ଟଙ୍କା, ଦି’ ତିନିଟା ପୋଢ଼, ଗାଁ ଲୋକଙ୍କ ଢେର୍ ମଦ ଦେଇଦେବ; ଆଉ ଯଦି ସେମାନେ ରାଜି ହେଇଯିବେ, କ'ଣ ହେବ ତାହାହେଲେ ? ସେ ଅବଶ୍ୟ ସେତେଯାଏଁ ତାଙ୍କର ଘରକୁ ଆସି ନଥିଲା ।

 

ସଂସାରୀ ଫୁଟକି ମାରିଲା, ‘ହେଃ ! ତୁ କୋଉ କଥାକୁ ନେଇ କୋଉଠି ଭାବିଲୁଣି, ସେ ଲୋକଗୁଡ଼ା ବାହାହବା କଥା ଶୁଣିଲେ ଡରିକି ଭାଗିଯା’ନ୍ତି । ଖାଲି ଟିକେ ମଜା ମାରିବାପାଇଁ ଯେତେକ ଧନ୍ଦା । ଯୋଉଠିକି ଗଲେ ଏଇ କାମ ! ଏ ଜାଗା ଛାଡ଼ିଲେ ତୁ କିଏ ନା ସେ କିଏ ।’

 

‘ହେଲେବି ମତେ ଭଲ ଲାଗୁନି ।’

 

‘ଆଲୋ ଯାଃ ! ଏ ଇଲାକାରେ ମୁଁ ଥାଉଁଥାଉଁ ତୁ ଏତେ ଭାବୁଚୁ କାଇଁ ? ଏତେ ଡରୁଚୁ କାଇଁ ? ଯା–ଘରକୁ ଯା !’ ସରସୀ ଚାଲି ଆସିଥିଲା ।

 

(ପାଞ୍ଚ)

 

ଛ’ ଦିନ ପରେ ସେମାନଙ୍କ ଘର ଆଗରେ ପ୍ରାୟ ସଞ୍ଜବେଳେ ସାଇକେଲ୍‌ରୁ ଓହ୍ଲେଇଲା ସେଇ ଫୋର୍ସ ଟୋକା ବତାସ୍ ଭାଗ୍ୟ ଭଲ, ଘରେ ସେତେବେଳେ ସମସ୍ତେ ଥିଲେ । ବାପା ନୂଆ ମାରାଣ୍ଡି, ମା’ ଫୁଲ ମାରାଣ୍ଡି, ତିନି ଝିଅ ! ଘର ଭିତରେ ଥାଇ ସ୍ଵରରୁ ଜାଣିପାରିଲା ସରସୀ ଯେ ସେଇ ଆସିଲା । ବାହାର ଦରଜାରୁ ଚାରି ହାତ ଦୂରରେ ଗୋଟେ ଦଉଡ଼ିଆ ଖଟରେ ବସିଥିଲା ନୂଆ ମାରାଣ୍ଡି । ଲୋକଟା କଣିବାଡ଼ର ଗେଟ୍‌ଟାକୁ ଆଡ଼େଇ ଭିତରକୁ ଆସିଥିଲା ।

 

‘ମୋ ନାଁ ବତାସ୍ ମୁଣ୍ଡୁରି, ଆମେ ଫୋର୍ସ ଲୋକ, ଇଆଡ଼େ ନକ୍‌ସଲ୍ ଜଗିବାକୁ ସରକାର ପଠେଇଚି, ସେପାଖ ଗାଁ ସ୍କୁଲ୍‌ରେ ଆମର ତମ୍ୱୁ ଲାଗୁଚି, ମତେ ତୋର ଦି'ଟା ଝିଅ ଜାଣେ, ବଡ଼ଟା ଆଉ ସ୍କୁଲ୍‌ ଯାଉଚି ଯେଟା !’ ଏକା ନିଃଶ୍ଵାସରେ ଏତକ କହିଥିଲା ସେଇ ଲୋକ, ମା’ ଓ ତିନି ଝିଅ ଭିତରେ ଥିଲେ । ସରସୀ ଉଠିଆସି ଜଗିଲା କବାଟ କଡ଼ରେ । କେତେବେଳେ ମା’ବି ନାଲି ଚା’ ନେଇ ବାହାରକୁ ଯାଇ ସେଇ ଖଟ କଡ଼ରେ ଭୂଇଁ ଉପରେ ବସିଯାଇଥିଲା ।

 

ଫୋର୍ସ ଟୋକା କହୁଥାଏ ଯାହା ଦରକାର ଦବ, ଟଙ୍କା–ପୋଢ଼–ମଦ, ସବୁ ଦବ ! ହେଲେ ସରସୀକୁ ବାହା ହବ । ବାପା ହଁ କହୁ ନଥାଏ କି ନାହିଁ କହୁ ନଥାଏ । ମା’ ପୂରା ମନା କରୁଥାଏ । ମା’ ଅବଶ୍ୟ ସଂସାରୀ କଥା ଜମା କହୁ ନଥାଏ, ଖାଲି କହୁଥାଏ ଝିଅର ବୟସ ହେଇନି, ଆଉ ଦି’ବର୍ଷ ପରେ ବାହା ହବ । ସେ କହୁଥାଏ ଝିଅ ତା’ ପାଖରେ ରାଣୀ ବନିକି ରହିବ, କେତେ ଗାଁ–କେତେ ସହର ଖୁସିରେ ବୁଲିବା । ସରକାରୀ ଘରେ ରହିବ, କେତେ ଭଲ ଡ୍ରେସ୍ ପିନ୍ଧିବ, ଗାଡ଼ି ମାନେ ମଟର ସାଇକେଲ୍‌ରେ ବସି ବୁଲିବ, ସିନେମା ଦେଖିବ, ଆଉ ବା କ’ଣ ଦରକାର ?

 

ଏତିକିବେଳେ କିନ୍ତୁ ତା’ର ବାପ ଗୋଟେ ଭଲ କାମ କଲା । ବଡ଼ପାଟିରେ ସରସୀକୁ ଦୁଇ ତିନିଥର ଡାକିଲା । ସରସୀ ଧୀରେ କବାଟ କଣରୁ ବାହାରି ଖଟ କଡ଼ରେ ବାପ ପାଖରେ ଠିଆ ହେଲା । ଅନ୍ଧାରିଆ ପରିବେଶରେ ଯଦିଓ ଫୋର୍ସ ଟୋକାର ମୁହଁଟା ଭଲ ଦିଶୁ ନଥାଏ ତଥାପି ସରସୀ ଜାଣୁଥାଏ ଯେ ସେ ତାକୁହିଁ ଅନେଇଥିଲା । ସରସୀର ବାପ ନୂଆ ମାରାଣ୍ଡି ସରଳ ପରିଶ୍ରମୀ ଲୋକ । ଝିଅକୁ ପଚାରିଲା, ‘ଶୁଣ୍‌ ଝିଅ, ଇଏ ବାବୁ ଫୋର୍ସ ଚାକିରିଆ, ୟାଙ୍କର କହିବା କଥା...'

 

ବାପର କଥାକୁ ଅଧାରୁ କାଟି କହିଲା, ‘ମୁଁ ୟାଙ୍କର କଥା ଶୁଣିଚି । ୟେଠିକି ଆସିବା ଆଗରୁ ସେ ମୋ ପାଖକୁ ଅତସୀ ହାତରେ ଗୋଟେ ଲେଖା ପଠେଇଥିଲେ, ମୁଁ ଲେଖା ପଢ଼ି ତାଙ୍କ ଜବାବ ଦେଇଛି ।’

 

ନୂଆ ମାରାଣ୍ଡି ରାଗି ଆସିଥିଲା, କହିଲା, ‘ତୁ ଝିଅ ତାକୁ ଲେଖା ଦେଇଛୁ ?’

 

‘ନା, ସେ ଅତସୀ ହାତରେ ପଚାଶ ଟଙ୍କାଟେ ପଠେଇଥିଲେ, ମୁଁ ସେଇଟାକୁ ଚିରି ଟୁକୁଡ଼ା କରି ଫେରେଇ ଦେଇଥିଲି । ସେଇଥିରୁ ସେ ମୋ ଜବାବ ଜାଣିପାରିଲେ ନାଇଁ କି ?’

 

ଏତେବେଳକେ ଅନ୍ଧାର ଭିତରେବି ନୂଆ ମାରାଣ୍ଡିର ମୁହଁ ଉଜ୍ଜ୍ଵଳି ଉଠିଲା । କହିଲା, ‘ଆଜ୍ଞା, ଆପଣ ଏଥର ଉଠନ୍ତୁ । ମୋର ଝିଅ ଯାହାକେ ପସନ୍ଦ ନକଲା, ମୋର ଆଉ କ’ଣ କର୍ବାର ଅଛି ? ଆମର ସମାଜରେ ଝିଅର ମନର ପସନ୍ଦଟା ବଡ଼କଥା, ଝିଅ ଯାହାକେ ବାଛିବ, ବାହାଘର ତାର୍ ସାଙ୍ଗେ ହବ ! ତମର ମାନେ ଆପଣଙ୍କୁ ସମାଜରେ ଏୟାବି ଥିବ ତ !’

 

‘ହଉ–ମୁଁ ଯାଉଚି’ ବତାସ୍ ଉଠୁ ଉଠୁ କହିଲା, ‘ତେବେବି ମୋର କଥା ଭଲ୍‍କି ଭାବିବ ।’

 

ସେ କଣିବାଡ଼ର ଗେଟ୍ ପାଖାପାଖି ହେବାବେଳେ ତାକୁ ଶୁଣେଇବା ପରି ସରସୀ କହିଲା, ‘ଏ ଫୋର୍ସଗୁଡ଼ାକର କ’ଣ ଥାଏ ? କୋଉଠି କ’ଣ ହଉଥିବ, ଗୁଳିମାଡ଼ ଖାଇ ମରିଗଲେ ସହରରେ ମୁଁ କି ମଜା କରିବି ? ତୁମେ ସବୁ କେହି ଜାଣିବି ପାରିବନି ସହରରେ ମୋର କ’ଣ ହେଲା ! ଭିକବି ମାଗି ହବ ନାଇଁ । ଯଦିବି ବା’ ହେବି, ଆମ ଗାଁ, କି ଏଇ ଆଖପାଖର କାହାକୁ ବାହା ହେବି ! ଆମ ଗାଁ, ପାହାଡ଼, କ୍ଷେତ, ଜଙ୍ଗଲ ଛାଡ଼ି ଯୁଆଡ଼େ ଗଲେବି ଚଳିପାରିବି ନାହିଁ !’

 

ଫୋର୍ସ ଟୋକା ଫେରିଆସିଲା, କହିଲା, ‘ତୁ କାହାକୁ ମନର ଭିତରେ ବାଛିଚୁ କି ?’

 

‘ବାଛେ କି ନ ବାଛେ’, ସରସୀ ଘର ଭିତରକୁ ଯାଉ ଯାଉ କହିଲା, ‘ତୋର ପରି ମାଙ୍କଡ଼ମୁହାଁକୁ କାହିଁକି ବାଛିବି ? ଚାକିରିଟେ କର୍‍ଲୁ ବୋଲି କ’ଣ ଆମର ଜଙ୍ଗଲଟାର ମାଲିକ ବନିଗଲୁ କି ?’

 

ଯେଉଁ ଭଦ୍ରଲୋକ ଏ ସମୁଦାୟ କଥାଟାକୁ ମୋ ଆଗରେ ବର୍ଣ୍ଣନା କରିଥିଲେ, ତାଙ୍କର କହିବା କଥା ଥିଲା ଏଇଆ ଯେ ସରସୀ ଯେଉଁ ‘ମାଙ୍କଡ଼ମୁହାଁ’ ବୋଲି କହିଥିଲା, ସେଇଥିରୁହିଁ ପରବର୍ତ୍ତୀ ଘଟଣା ସବୁ ଘଟିଥିଲା ଏବଂ ଖୁବ୍ ଶୀଘ୍ରବି ଘଟିଥିଲା । ତେବେ ଏସବୁର ପରିଣତି ଏତେ ଭୟଙ୍କର ହେବ ବୋଲି କ’ଣ କେହି କଳ୍ପନା କରିଥିଲେ କି ? ନା ନୂଆ ମାରାଣ୍ଡି କିମ୍ବା ତା' ସ୍ତ୍ରୀ ଫୁଲ ମାରାଣ୍ଡି କିମ୍ବା ସରସୀ କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ।

 

ହଁ–ବତାସ୍ ମୁଣ୍ଡୁରୀ ସେଦିନ ଫେରିଯାଇଥିଲା ।

 

(ଛଅ)

 

କିନ୍ତୁ ବତାସ୍ ମୁଣ୍ଡୁରୀ ଓ ସରସୀ ମାରାଣ୍ଡିର ଭେଟାଭେଟି ହେଲା ପ୍ରାୟ ଦଶ/ପନ୍ଦରଦିନ ପରେ । ଜଙ୍ଗଲ ଦାଢ଼ରେ । ସଞ୍ଜ ହେଇ ନଥିଲା, ହେବାକୁ ଅଧଘଡ଼ିଏ ବାକି ଥିଲା । ସରସୀ ଓ ତା’ ମା’ ସ୍ଵାଭାବିକଭାବେ ଯେମିତି ଯାଉଥିଲେ, ସେଦିନବି ଜଙ୍ଗଲକୁ ଯାଇଥିଲେ । ଆଗପରିକା ଆଉ ଏତେ ଘନ ଜଙ୍ଗଲ ନଥିଲେବି ଏପଟର ଛୋଟ ଛୋଟ ପାହାଡ଼ କଡ଼ ଲଗେଇ ଲମ୍ବିଥିଲା ଜଙ୍ଗଲ । ସ୍ଥାନେ ସ୍ଥାନେ ଘଞ୍ଚ, ପୁଣି ସ୍ଥାନେ ସ୍ଥାନେ ଫିକା ଜଙ୍ଗଲ । ତା’ରି ଭିତରୁ ମିଳେ ଜାଳ, ଗୋଟେ ପ୍ରକାର କଅଁଳିଆ ଶାଗ ଜାତୀୟ ପତ୍ର, ପୁଣି କେବେ କେମିତି ଗୋଧିଟାଏ ! ଭାଗ୍ୟ ନିହାତି ଟାଣ ଥିଲେ ବଣ କୁକୁଡ଼ାଟେ ମିଳିଯାଏ । ମଲା ସେମାନେ କ’ଣ ଏକା ନା କ'ଣ, ଗାଁର ଅନ୍ୟମାନେବି ନିଜର ଆବଶ୍ୟକତାନୁଯାୟୀ ଯାଉଥିଲେ । ଆଗପରିକା ଏତେ ଯାଉ ନଥିଲେ । ବୁଢ଼ା, ଦରବୁଢ଼ା ଆଉ ଭେଣ୍ଡିଆମାନେ ସରକାରୀ କାମରେ ଚାଲିଯାଉଥିଲେ, କିଛି ମହିଳାବି ଯାଉଥିଲେ । ସରକାରୀ କାମରେ ଦୁଇ/ତିନିଦିନରେ ଥରେ କଞ୍ଚାପଇସା ! ଟଙ୍କା ପାଇ ଆସିବାବେଳକୁ ନବେ ଭାଗଙ୍କର ପାଦ ଟଳମଳ । ଜଙ୍ଗଲକୁ ଗଲେ ଏ ଚିଜ ମିଳିବ କୋଉଠୁ ?

 

ମା’ ଶୁଖିଲା ଓ ଦରଶୁଖିଲା ଜାଳର ତିନିଫୁଟିଆ ବୋଝଟେ ନେଇ ଯାଇସାରିଥିଲା, ପ୍ରାୟ ପଚାଶ ଷାଠିଏ ହାତ ଯାଇଥିଲା ସେ । ମା’ର ପିଠିପଟ ଦିଶୁଥିଲା ଦୂରରୁ । ମୁଣ୍ଡରେ ଜାଳ, ବାଁ ହାତରେ ଶାଗପତ୍ର, ଡାହାଣ ହାତରେ ତିନିଫୁଟିଆ ବାଡ଼ି । ସରସୀର ଜାଳବିଡ଼ା ବାନ୍ଧିବା କାମ ସରିଥିଲା, ଖାଲି ଆଣ୍ଠୁ ଲଗେଇ ଗୋଟାଏ ଝୁଙ୍କାରେ ମୁଣ୍ଡକୁ ଉଠେଇ ନେଇ ଚାଲିବା କଥା । ପ୍ରଥମ ଥରରେ ବିଡ଼ାଟା ମୁଣ୍ଡ ଉପରକୁ ଗଲା ନାହିଁ, ଅଧାରୁ ଖସିଆସି ପୁଣି ଲୋଟିପଡ଼ିଲା ଭୂଇଁରେ । ସରସୀ ପୁଣି ଥରେ ଟେକିବ ବୋଲି ନଇଁପଡ଼ିବାବେଳେହିଁ ଶୁଣାଗଲା, ‘ଟିକିଏ ହାତ ଲଗେଇବି କି-? ଜାଳ ବିଡ଼ାଟା ଓଜନ ହେଇଗଲା ନା କି ?'

 

ସାମ୍ନାରେ ସିଂହ କି ବାଘ କି ଅହିରାଜ ସାପ ଦେଖିଥିଲେ ଏମିତି ଚମକି ନଥା’ନ୍ତା ସରସୀ, ଯେମିତି ଚମକିଲା ସାମ୍ନାରେ ବତାସ୍‍ମାନେ ସେଇ ଫୋର୍ସ ଟୋକାକୁ ଦେଖି । ମୁହଁ ବୁଲାଇ ମୁହୂର୍ତ୍ତକରେ ଦେଖିନେଲା ଯେ ମା’ର ଇଆଡ଼କୁ ପିଠିକରି ଧୀର ଗତିରେ ଚାଲିବାର ଦୃଶ୍ୟ ଆଉ ନଥିଲା, ମା’ ମୋଡ଼ ବୁଲିସାରିଥିଲା । ଏକଡ଼କୁ ମୁହଁ ବୁଲେଇ ଦେଖିଲା ଫୋର୍ସ ଟୋକା ମୁହଁରେ ଲଟକିଥିଲା ଏକପ୍ରକାର ହସ, ଯେମିତି ଲଟକିଥାଏ ଜଙ୍ଗଲୀ ଲଟାରୁ ପିତା ପିତା ଫଳ । ତା’ର ଓଠ ବନ୍ଦ ହୋଇଆସିଲା, ହସ ବଦଳରେ ଆଖି ଦି’ଟାରେ ଉବୁକି ଆସିଲା ବିଚିତ୍ର ଏକ କ୍ରୂରତା । ଆଖି ଦି'ଟା ସ୍ଥିର ହୋଇଗଲା ସରସୀର ସମୁଦାୟ ଚେହେରା ଉପରେ ।

 

‘ଆଲୋ, ତୁ ସତରେ ମତେ ପସନ୍ଦ କରୁନା ?' ଫୋର୍ସ ଟୋକା ପୂରା ଧୀରେ କହିଲା, ଯେମିତିକି କେବଳ ସେଇ ଦି'ଜଣ ଶୁଣିବେ ।

 

‘ତୁ ଭଲଲୋକଟାଏ ଯେ, ସରସୀ ଆସ୍ତେ କହିଲା, ‘ହେଲେ ମୁଁ ଆର୍ ଗୋଟେ ଜୁଆନ୍‌କୁ ମନ ଦେଇଚି, କେବେଠାରୁ କଥାବି ଦେଇଚି ତା’ର ଘରକୁ ଯିବି !

 

ସରସୀ ଥରେ ଚାରିକଡ଼ରୁ ଆଖି ଘୂରେଇ ଆଣିଲା, କାଳେ ଆଉ କେହି ଜଙ୍ଗଲରୁ ଫେରୁଥିବ ଗାଁକୁ, ନହେଲେ ମା’ କାଳେ ଫେରୁଥିବ ତାକୁ ଖୋଜିଖୋଜିକା ! ଭିତରେ ଭିତରେ ଜଙ୍ଗଲ ଦେବତାକୁ ଡାକିଲା, ଯଦି ଏତିକିବେଳେ ଗୋଟେ ଭାଲୁ କି ଚିତା କି ଅହିରାଜକୁ ପଠେଇ ଦିଅନ୍ତି, ତାହାହେଲେ ମୁଁ ଏଠୁ ଏକା ଝପଟାକେ ଭାଗି ଯାଆନ୍ତି । କିଛି ନହେଲେ ଗୋଟେ କଙ୍କଡ଼ାବିଛାକୁ ପଠାଅ, ୟା’ର ଗୋଡ଼ରେ ଥରେ ଡଙ୍କଟା ମାରିଦଉ, ସିଏ ମାଆଲୋ ବାପଲୋ ହଉଥିବ, ମୁଁ ଏକାଥରକେ ଘରେ ହାଜର ହେଇଯା'ନ୍ତି ! ହେ ଜଙ୍ଗଲର...

 

ଖପ୍ କରି ସରସୀର ହାତକୁ ଧରିପକାଇଲା ଫୋର୍ସ ଟୋକା, ଧରୁଧରୁ ଦାନ୍ତ ନେଫେଡ଼ି କହିଲା, ‘ତୋର ହାତ ପୂରା ମୁଲାଏମଲୋ...କ’ଣ ତ ତୋ ନାଁ ?

 

ସରସୀ ତା’ ପ୍ରଶ୍ନର ଉତ୍ତର ନ ଦେଇ ତା’ ଟାଣମୁଠାରୁ ନିଜ ହାତ ଖସେଇ ନେବାକୁ ଟାଣିଭିଡ଼ି ହେଲା । ଇଏ ଯେତେ ଟାଣିଭିଡ଼ି ହେଲା, ତା’ର ମୁଠା ସେତେ ଟାଣ ହେବାରେ ଲାଗିଲା-। ସତସତିକା ମାଙ୍କଡ଼ର ମୁହଁ ପରି ମୁହଁକୁ କେମିତି ଗୋଟେ ବିଚିତ୍ର ପ୍ରକାରର କରି ସେ କହିଲା, ‘ଆଲୋ, ସେ ଜୁଆନ୍‌କୁ ମନ ଦେଇଚୁ ନା ଆଉ କ’ଣ ଦେଇଚୁ ବା ?'

 

କଥାବାର୍ତ୍ତା କରି ଫୋର୍ସ ଟୋକାର ମନକୁ ଟିକେ ଭୁଲେଇବାର ଲକ୍ଷ୍ୟରେ ସରସୀ ଓଲଟା ପଚାରିଲା, ‘ଆଉ କ’ଣ ଦେବି ମ ?’ ଫୋର୍ସ ଟୋକା କହିଲା, ‘ଆଉ ତାକୁ ଧିଅ ଦେଇଚୁ ନା ନାଇଁ ବା ?’ ଟିକେ ଏଣେତେଣେ ଅନେଇ ପୁଣି ଯୋଡ଼ିଲା, ‘ଏତେ ପାଖାପାଖି ଘର, ତୋର–ତା'ର କିଛି ଆଉ ହେଇନି ?'

 

‘ତୁଟା କୋଉ ଜାତିର ଲୋକ କି ?' ସରସୀ ତାଚ୍ଛଲ୍ୟ କଲା, ‘ମିଶାମିଶିଟାଏ କି ? ଆଦିବାସୀ ଛୁଆ ଏମିତି କଥା କହେନା କି ତିର୍‍ଲା ଲୋକ ସାଙ୍ଗରେ ଏମିତି ଝାବଡ଼ା ଢଙ୍ଗ କାଢ଼େନା ।’

 

‘ନାଲୋ ! ମୁଁ କାହିଁକି ଆଦିବାସୀ ହେବିଲୋ ?' ସରସୀ ଆଡ଼କୁ ପାଦ ବଢ଼ଉ ବଢ଼ଉ ଫୋର୍ସ ଟୋକା କହିଲା, ‘ତୋ ପରି ସୁନାମୁଣ୍ଡାଟା କୋଉଠି ପାଇଥା'ନ୍ତି ।

 

ୟା’ ପରର କଥା କିଏ ବା ଜାଣେ ? କିଏ କ’ଣ ଜଙ୍ଗଲ ଭିତରେ ଥିଲା ନା କ’ଣ ? ସରସୀ ଯାହା କହିଥିଲା ତା’ ମା’ ଫୁଲ ମାରାଣ୍ଡିକୁ, ତା’ ମା’ ଯାହା କହିଥିଲା ଜଣେ ଦି’ଜଣ ଅତି ଆପଣାରମାନଙ୍କୁ, ତହିଁରୁ ଶୁଣାଶୁଣିରୁ ଯାହା କଥାଟା ଗଡ଼ି ଗଡ଼ି ବା ଝରି ଝରି ଆସିଥିଲା ମୋ ଯାଏଁ । ମୁଁ ଏକଥାରୁ ସେ କଥା, ପୁଣି ସେ କଥାରୁ ଏକଥାର ଖିଅ ଯୋଡ଼ି ଯୋଡ଼ି କଥାଟାକୁ ଏତେବାଟ ଆଣିଛି । ଯେଉଁ ବିଷୟରେ ମୁଁ ଜମା ଜାଣି ନାହିଁ କିମ୍ବା ଏକଥା ମୋତେ ଶୁଣାଇଥିବା ଆଦିବାସୀ ଭଦ୍ରବ୍ୟକ୍ତି ଜଣକ କିଛି କହିନାହାନ୍ତି, ସେ ବିଷୟରେ ମୁଁ ମନରୁ ଫାନ୍ଦି, ଯୋଡ଼ାଯୋଡ଼ି କରି କିଛି କହିବାଟା ଠିକ୍ ହେବ କି ? ଆଉ କେଉଁ କଥା ହୋଇଥିଲେ ହୁଏତ ମୁଁ ଫନ୍ଦାଫନ୍ଦି କରି କହିଦିଅନ୍ତି, ମୁଁ ବି କେବେ କେମିତି କରିଥାଏ; ଆଉ ଅଧିକାଂଶ ତ ସବୁବେଳେ ମନଗଢ଼ା, ଫନ୍ଦାଫନ୍ଦି କଥାଗୁଡ଼ା କହନ୍ତି । ଏଠି ସେ କାମ ମୁଁ ପାରିବି ନାହିଁ । କାହିଁକି ନା ଏଠି ଜଣେ ସତର ଅଠର ଝିଅର ଇଜ୍ଜତ ଓ ସ୍ଵାଭିମାନର କଥା ଜଡ଼ିତ । ମୋର ତ ପୁଣି ଦି'ଟା ବଢ଼ିଲା ଝିଅ କି ନାହିଁ ?

 

ହଁ କ’ଣ କହୁଥିଲିଟି ? ସେ ବଦମାସ ଫୋର୍ସ ଟୋକା, ବତାସ୍ ମୁଣ୍ଡୁରୀ କି ପ୍ରକାର ଗୋଡ଼ଟାକୁ ବୁଲେଇଦେଲା ଯେ ସରସୀ ଝାପ୍‍ସା କରି କଟା ଗଛତଳେ ପଡ଼ିବା ପରି ପଡ଼ିଗଲା, ଗୋଟେ ବଡ଼ପାଟି କରିଥିଲା କି କ’ଣ କେଜାଣି । ଯଦି ସେ ଥରକୁ ପାଞ୍ଚଥର ବଡ଼ପାଟି କରିଥା’ନ୍ତା ଜଣେ ତ କେହି ଗାଁ ଲୋକ ଶୁଣିଥାନ୍ତା । ସରସୀ ପାଟିରେ ସେ ଟୋକା ଗୋଟାଏ ରୁମାଲକୁ ଛୋଟ ଗୁଳାକରି ଠେସିଥିଲା କି ? କେଜାଣି । ସେ ବଦମାସ ନିର୍ଲଜ୍ଜ ତା’ ପାଖରେ ବସିପଡ଼ିଥିଲା କି ? କେଜାଣି ! କିଏ ବା କାହିଁକି ସତମିଛ ଫାନ୍ଦିବ ?

 

ସରସୀର ଚେତା ଆସିଲା । କେତେ ଘଡ଼ି ପରେ କେଜାଣି । ସେ ଘରେ କି ଆଉ କୋଉଠି ଥିଲା, ତା’ର କିଛି ଧାରଣାଇ ନଥିଲା । ଧିଅ କାହିଁକି କେଜାଣି ପରାସ ଲାଗୁଥିଲା । ଆଶ୍ଚର୍ଯ୍ୟ କଥା, ରାତି ସମୟ ନା କ’ଣ, ମୁଣ୍ଡ ଉପରେ ତରା କି ଚିକ୍‌ମିକ୍ କରୁଥିଲା ଆଉ କିଛି ? ଟିକେ ଭୟ ଲାଗିଲା । ଚାଳିଶ ପଚାଶ ହାତ ଦୂରରୁ ମିଞ୍ଜି ମିଞ୍ଜି ହୋଇ ଗୋଟେ ଆଲୁଅ ଦିଶିଲା । ଅନ୍ଧାର ଭିତରେ ଇଆଡ଼କୁ କିଏ ଆସୁଥିଲା ? ଧଡ଼୍‍କରି ଉଠି ବସିଲା ସରସୀ । କେମିତି କେମିତି ଲାଗୁଥିଲା ତା’ ଧିଅ । କି ବେଢ଼ଙ୍ଗ ଅଭଦ୍ର କଥା, ଛିଃ ଛିଃ ! ତା’ର ସାଲୱାରଟା ଧିଅରେ ନଥିଲା, ଆଉ ଉପର ଜାମାଟା ବେକଯାଏ ମୋଡ଼ା ଯାଇଥିଲା । ଏଥରକ ତା’ର ମନେପଡ଼ିଲା ଧୀରେ ଧୀରେ ସବୁ କଥା । ଦୂରରୁ ମିଞ୍ଜି ମିଞ୍ଜି ଆଲୁଅ ପାଖାପାଖି ହୋଇଯାଇଥିଲା । ସରସୀ ଠିଆହେଇପଡ଼ି ଜାମାଟାକୁ ମୋଡ଼ିମୋଡ଼ିକା ଫିଟେଇବାରେ ଲାଗିଲା, ଆଣ୍ଠୁଯାଏଁ ।

 

ଅନ୍ଧାର ଭିତରେ ଖୋଜିବାରେ ଲାଗିଲା ସାଲୱାରକୁ । ସାଲୱାର ମିଳିବା ଆଗରୁ ଆଲୁଅ ତା’ ପାଖରେ ପହଞ୍ଚି ଯାଇଥିଲା । ସରସୀ ତଳକୁ ମୁହଁ କରି ଛିଡ଼ା ହୋଇଥିଲା ।

 

ଲଣ୍ଠନଟା ତଳେ ଥୋଇଦେଇ ମା’ ଫୁଲ ମାରାଣ୍ଡି ସରସୀକୁ ଧରି ଅସ୍ଥିର ହୋଇ ନିଜକୁ ନିଜେ ବୋଧେ କହିଲା, ‘ତୋର କ'ଣ ହେଲାଲୋ ମୋ ମା’ ? ମୁଁ ଡାଆଣୀ ଆଗେଆଗେ କାହିଁକି ଚାଲିଗଲି... ।’

 

ସରସୀ ଆଉଜିଗଲା ମା’ କାନ୍ଧକୁ, ତା’ର ବା’ ଭୂଇଁରୁ ଲଣ୍ଠନ ଉଠେଇଲା, କହିଲା, ‘ଘର୍‌କେ ଆସ୍ ।’

 

(ସାତ)

 

ଭଉଣୀମାନେ ସ୍କୁଲ୍‍କୁ ଓ ବାପ କାମକୁ ଯାଇଥିବାବେଳେ ସରସୀର ଓ ତା’ ମା’ର ସବୁକଥା ହୋଇଥିଲେ । ମା’ ସବୁକଥା ବାପକୁ କହିଥିଲା । ପହିଲେ ପହିଲେ ତ ବାପ ତୀର ଆଉ ଖଣ୍ଡା ବାହାର କରି ସେଇ ଫୋର୍ସ ଟୋକାକୁ ନାଛିଦେବ ବୋଲି ବାହାରିଥିଲା । ହେଲେ ଫୁଲ ଆଉ ସରସୀ ତାକୁ ଢେର୍ ବୁଝେଇଥିଲେ । ମାରିଦବ ସିନା, ଫୋର୍ସ ଲୋକମାନେ ତାକୁ କି ସେ ଗାଁବାଲାଙ୍କୁ ଛାଡ଼ିବେ କି ? ଘରେ ଘରେ ପଶିବେ, ନକ୍‌ସଲ୍ ମକ୍‍ସଲ୍ କହି ପାଞ୍ଚ/ସାତଙ୍କୁ ଉଡ଼େଇ ଦେବେ । କି ଲାଭ ମିଳିବ ? ସରସୀର ଲାଜ ଆଉ ଫେରିବ କି ? ତା’ ବା’ ନୂଆ ମାରାଣ୍ଡି ସିନା ଧନୁତୀର ଆଉ ଖଣ୍ଡାକୁ ରଖିଦେଲା ବାକ୍ସ ଭିତରେ, ହେଲେ ସେ ଆଉ ଆଗର ଦମ୍ଭିଲା ମଣିଷ ହେଇ ରହିଲା ନାହିଁ । ତା’ କାନ୍ଧ ନଇଁଗଲା, ଆଖି ଦି’ଟା କୋରଡ଼ିଆ ଦିଶିଲା, ଗାଲର ମାଉଁସ କିଏ ନେଇଗଲା ଯେମିତି ।

 

ଦିନେ ଏକାବେଳେ ଫୁଲ ପଚାରିଲା ତା’ ମର୍ଦକୁ, ‘ତୁ ନିଶାପାଣି ଖାଉଚୁ କିରେ ନୂଆ ?’ ନୂଆ ମୁଣ୍ଡ ହଲେଇ ମନା କରିବାରୁ କ’ଣ ଭାବିଲା କେଜାଣି, କହିଲା, ‘ପାହାଡ଼ ଆଉ ଜଙ୍ଗଲ ଦେବତା ବହୁତ ଭଲ, ସେଦିନ ଯଦି ସରସୀକୁ ଆଉ କୋଉ ଗାଁବାଲା ଦେଖିଥା'ନ୍ତା, କ’ଣ କେତେ ହେଇଯାଇଥା’ନ୍ତା ।’

 

‘କ’ଣ ହେଇଥା’ନ୍ତା ? ନୂଆ କହିଲା, ‘ଗାଁବାଲା ଏକାଠି ହେଇ ମାଡ଼ିଯାଇଥା'ନ୍ତେ ଫୋର୍ସ ରହିବା ଜାଗାକୁ, ଦି' ଚାରିଟା ମରିଥା’ନ୍ତେ, ପାଞ୍ଚଦଶଟା ଜେଲ୍‌ରେ ପଶିଥା'ନ୍ତେ, ଆଉତକ ଜଙ୍ଗଲରେ ଛପିଥା’ନ୍ତେ, ପନ୍ଦର କୋଡ଼ିଏ ଦିନ ପରେ ବାହାରିଥା’ନ୍ତେ ! ସେଇଠୁ ପୁଣି ସବୁ ଠିକ୍‌ଠାକ୍ ଚାଲିଥାନ୍ତା ! ଆଉ କ'ଣ !’

 

ଫୁଲ ଏସବୁ କଥା ବୁଝିପାରେନା । ଆକାଶକୁ ଅନେଇ ଭୂଇଁରେ ମୁଣ୍ଡିଆ ମାରେ । ଏ ଭିତରେ ସରସୀର ଭଉଣୀମାନଙ୍କର ପାଠପଢ଼ା ବନ୍ଦ ହୋଇଯାଇଥିଲା । ସବୁ କିଛି ପ୍ରାୟ ସୁରୁଖୁରୁରେ ଚାଲିବାବେଳକୁ ସରସୀ ଦିନେ ଖରାବେଳେ ମା’କୁ ଘରର ପଛପଟ ବାଡ଼ ପାଖକୁ ନେଇ କାନ୍ଦିଥିଲା ବାଡ଼ର ଗଛରୁ ପତ୍ର ଛିଣ୍ଡାଇ ଛିଣ୍ଡାଇ !

 

‘କ’ଣ କିଲୋ ?’ ଫୁଲ ପଚାରିଥିଲା, ଅସ୍ଥିର ହୋଇ ।

 

‘ଦି’ ମାସ ହେଲା ମୋର ଧର୍ମ ହେଇନି ।’

 

ମଣିଷଟାଏ କାଠ ଖଣ୍ଡରେ ପରିଣତ ହେଲେ ଯେମିତି ଦିଶିଥାନ୍ତା, ଫୁଲ କେଇ ମୁହୂର୍ତ୍ତପାଇଁ ସେମିତି ଦିଶିଲା । କଥାଟା ଓ ଏହାର ପରିଣତି ସମ୍ପର୍କରେ କିଛିଟା ଅନୁମାନ ଲଗେଇବା ପରେ କହିଲା, ‘ଶୁଣ୍ ଝିଅ, ତୁ ଆଜିଠୁ ଆଉ ପଦାକୁ ବାହାରିବୁ ନାହିଁ । ପାଣିଠଉଁ ଆରମ୍ଭ କରି ତୋର ଯାହା ଯେତେବେଳେ ଦରକାର, ମତେ କହିବୁ । ମୁଁ ନେଇଆସିବି ।’

 

‘ହେଲେ ମୋର କ’ଣ ହେବ ମା’ ?' ସରସୀ ପଚାରିଲା !

 

ଚାରିଆଡ଼କୁ ଥରେ ସନ୍ତର୍ପଣରେ ନଜର ଘୂରେଇ ମା’ କହିଲା, ‘ତୋର ପେଟରେ ଛୁଆ ଅଛି !!’

 

ଏଥିରେ ସରସୀର ପ୍ରତିକ୍ରିୟା ବିଶେଷ କିଛି ନଥିଲା । ସେ ଯୋଉଠି ବସିଥିଲା, ସେଇଠୁ ଦୂରକୁ ଅନେଇଲେ ଯୋଉଠି ଆକାଶ ସାଙ୍ଗରେ ସେପଟ ଗାଁର ମାଟି ଓ ଭୂଇଁ ମିଶିଥିଲା, ସେଇଠି ଥିଲା ତା’ର ନଜର । ମୁହଁର ଶିରାପ୍ରଶିରାଯାକ ଟାଣ ହୋଇ ଆସିଥିଲା ସରସୀର, ଆଖି ଦିଓଟି ଥିଲା ପୂରା ସ୍ଥିର, ପାଖରୁ ଯେମିତି ଦିଶେ ଅହିରାଜ ସାପର ଆଖି । ତା’ ମା’ ଯିଏକି ତାକୁ ଜନମ ଦେଇଥିଲା, ପୁଣି ଏଡ଼େ ଟିକେରୁ ଏଡ଼େ ବଡ଼ କରିଥିଲା ସିଏ ଜାଣିପାରିଲା ସରସୀ ମନ ଭିତରର ନିଷ୍ଠୁର କଥାଯାକ, ସତେ ଯେମିତି ଭିତରେ ଝିଅ ଜଳିବାରେ ଲାଗିଥିଲା ।

 

‘ଆମର ଜଙ୍ଗଲ ଭିତରେ ଏମିତି ଚେରମୂଳି ଅଛି’, କିଛି ଗୋଟେ ବଡ଼ ଷଡ଼ଯନ୍ତ୍ରର ରୂପରେଖ ବତେଇବା ପରି ତା’ ମା’ ଫୁସ୍‌ଫୁସ୍ ସ୍ଵରରେ କାନ ପାଖକୁ ମୁହଁ ଆଣି କହିଲା, ‘ଲାଗଲାଗ ପାଞ୍ଚ ଦିନ ଖାଲି ପେଟରେ ଖାଇବୁ ବୋଲେ ପେଟ ଭିତରୁ ଛୁଆଟା ସଫା ହେଇଯିବ, ଗାଁ ଭିତରେ କିଏ ବା ଜାଣିବ କାହିଁକି ?’

 

ଅର୍ଥହୀନ ଶୂନ୍ୟ ଏକ ବିଚିତ୍ର ଦୃଷ୍ଟିରେ ସରସୀ ଅନେଇଲା ମା’କୁ, ‘ଛୁଆଟାର କିବା ଅପ୍ରାଧ ? ଛୁଆଟାକୁ ମାରି ମୁଁ ପାପ ମୁଣ୍ଡେଇବି କାହିଁକି ?’

 

ଏକଥାରେ ମା’ ସତେଅବା କାଠ ପାଲଟିଗଲା । ତା'ପରେ ହାଲିଆ ହୋଇପଡ଼ିଥିବା ସ୍ୱରରେ କହିଲା, ‘ତାହାହେଲେ ତୁ ସଂସାରୀକୁ ମନରୁ ପୋଛିଦେଲୁ ? ଆଉ କ’ଣ ପେଟରେ ଗୋଟେ ଲୋକର ଛୁଆଧରି ତା’ର ଘରକୁ ଯିବୁ ?’

 

‘ଏବେ କାହିଁ ତା’ର ଘରକୁ ଯିବି ?’ ସରସୀ ଓଲଟା ପଚାରିଲା, ‘ଛୁଆଟା ହେଇସାର୍ଲା ପରେ ତାର୍ ଘର୍‌କୁ ଯିବି । ୟାଡ଼ୁସ୍ୟାଡ଼ୁ କଥା କହି ମୋର ମୁଣ୍ଡ ଖରାପ୍ କରନା !'

 

‘କୋଉ ମର୍ଦର ହାତ ନ ଧରି ଛୁଆଟାକେ ଜନମ୍ ଦବୁ ? ଆଉ ଜନମ୍ କର୍ଲା ପରେ ତୋର ହାତ ଧରିବାକୁ କିଏ ଆସ୍‌ବ ?' ମା’ ନିଜର ସବୁ ଅଭିଜ୍ଞତାରୁ ଏକାଠି କରି ପଚାରିଲା ।

 

‘କୋଉ ମର୍ଦମାନେ ? ସେଇ ସଂସାରୀ ମତେ ନବ, ଛୁଆ ହେଲେବି ନବ ନହେଲେବି ନବ । ମୁଁ ତାକୁ ଭଲକରି ଚିହ୍ନିଚି । ଥରେ କଥା ଦେଇଚି ମାନେ କଥା । ଭାଙ୍ଗିବ ନାହିଁ ।’

 

ଏଇ ଝିଅଟାର କଥା ବେଳେବେଳେ ଜମା ବୁଝାପଡ଼େନା । କ’ଣ କହେ, କାହିଁକି କହେ, କିଏ ବା ଜାଣେ ! ଏସବୁ ତ ତା’ର କଥା, ଚାଲିଚଳନ କେମିତି ଅଚିହ୍ନା ଅଚିହ୍ନା ଲାଗୁଚି !

 

ଏ ଭିତରେ ଦିନେ ଏପଟ ଗାଁର ଇସ୍କୁଲ ଯାଉଥିବା ଟୋକାଟାଏ ଚୋରପରିକା ଆସି ସରସୀକୁ ବାହାରକୁ ଡାକି କେହି ନ ଦେଖିବାବେଳେ ଚାରିଚଉତା କାଗଜ ଖଣ୍ଡେ ବଢ଼େଇଦେଲା । ବାପା ମା’ ଘରେ ନଥିବାବେଳେ ସରସୀ କାଗଜଟା ଖୋଲିଲା, ତାକୁ ଅବଶ୍ୟ ଜଣାଥିଲା କାଗଜଟା କିଏ ଦେଇଥିବ । କାଗଜରେ ଲେଖା ଥିଲା, ‘ମୋର ସରଗର ଚାନ୍ଦ, ସେଦିନ ମୋର ଭୁଲ୍ କାମଟା ହେଇଗଲା । ମୁଁ ଖରାପ ଲୋକ ନାହିଁ । ମୋତେ ମୋର ଚାନ୍ଦ ମାଙ୍କଡ଼ କହିବାରୁ ମୋର ରାଗ ବଢ଼ିଗଲା । ଆଉ ଜଙ୍ଗଲରେ ଭେଟ୍ ପଡ଼୍‌ବା ଦିନବି ମୋ ଚାନ୍ଦର କଥା ମୋ ଧିଅରେ ନିଆଁ ଲଗେଇ ଦେଲା । ହେଲେ ଯଦି ଚାନ୍ଦ ମୋତେ ମାଫ୍ କର୍ବ, ତେବେ ମୁଁ ନିଶ୍ଚେ ମୋର ଚାନ୍ଦକୁ ବାହା ହେବି, ଦେଶ ରାଇଜ ବୁଲେଇବି । ରାଣୀ କରି ରଖିବି । ଯଦି ମୋ ଚାନ୍ଦ ମୋତେ ମାଫ୍ କର୍ବ, ତେବେ ଛୋଟ କାଗଜରେ ଲେଖି ଜଣାଇଲେ ମୁଁ ଯିବି । ଇତି । ମୋ ଚାନ୍ଦର ବତାସ୍ ।’

 

ଚାରିଦିନ ଯାଏଁ ଉତ୍ତର ଦବ କି ନ ଦବ, ଭାବି ଭାବି ଶେଷରେ ତାଙ୍କ ଗାଁର ଇସ୍କୁଲ ଯାଉଥିବା ଟୋକା ହାତରେ ତା’ର ପାଠ ଅନୁଯାୟୀ ଛୋଟିଆ କଥାଟେ ଲେଖି ପଠେଇଲା ।

 

‘ତୁ ସେ ଲୋକକୁ ଜାଣିପାରିବୁ ?' ଯୋଉ ପିଲାଟା କାଗଜ ଆଣିଥିଲା, ସରସୀ ତା'ର ହାତରେ କାଗଜ ଧରେଇଦେଇ ପଚାରିଥିଲା, ‘ତା’ରି ହାତରେ ଦବୁ, ତାକୁ ଯଦି ନପାଇବୁ, ମତେ ପୁଣି ଦେଇଦେବୁ ।’

 

‘ମତେ କ’ଣ ଦବ ?' ସେ ପିଲା ପଚାରିଥିଲା ।

 

‘କାହିଁ ! ସେ ଲୋକ ତତେ କ’ଣ ଦେଇଥିଲା କି ?’

 

‘କୁଡ଼େ ଟଙ୍କା ଦେଇଥିଲା !’

 

‘ଏତେ ? ମୁଁ ଏତେ ଦେବିନି, ଅଧା ଦେବି ।' ସରସୀ କହିଥିଲା ।

 

ଫୋର୍ସ ଟୋକା ଠିକ୍ ସମୟରେ ସରସୀ ପଠେଇଥିବା କାଗଜ ଖଣ୍ଡକ ପାଇଥିଲା । ନିଛାଟିଆବେଳେ କାଗଜ ଖୋଲିଥିଲା । ଅକ୍ଷରଗୁଡ଼ା ଥିଲା ଅତି ଅସୁନ୍ଦର । ସିଧା ସିଧା ଲେଖା । ସରସୀର ଶିକ୍ଷାକୁ ଚାହିଁ ଲେଖା ।

 

‘‘ଯିଏ ମାଙ୍କଡ଼ମୁହାଁ, ମୁଁ ତାକୁ ମାଙ୍କଡ଼ ଡାକିବି । ମାଙ୍କଡ଼ କ’ଣ ମଣିଷର କଥା ଜାଣିବ । ଯୋଉ ମାଙ୍କଡ଼ ତିନି ମାସ ଆଗେ ଜଙ୍ଗଲ ଭିତରେ ମୋର ଭେଟ୍ ପଡ଼ିଥିଲା, ତା’ର ଛୁଆ ମୋର ପେଟ୍‌ର ଭିତରେ ଅଛି । ମୁଁ ଛୁଆକେ ମାର୍‌ବି ନେଇ । ଜନମ୍ ଦେବି । ଦେଖ୍‍ବି ମାଙ୍କଡ଼ର ଛୁଆ ମାଙ୍କଡ଼ ମିତି ହେଇଛି କି ସୁଧାର ପିଲା ହଉଛି ।''

 

ଥରେ ନୁହେଁ, ଦୁଇଥର ନୁହେଁ, ତିନିଥର ନୁହେଁ, ତିରିଶ ଥରରୁ ଅଧିକ ଥର କାଗଜ ଖଣ୍ଡକୁ ଓଲଟାଇ ମୋଲଟାଇ ପଢ଼ିଥିଲା ବତାସ୍ ମୁଣ୍ଡୁରୀ । ଯେତେଥର ପଢ଼ିଥିଲା, ପ୍ରତିଥରର ଶିହରଣ ପୂର୍ବଥର ଶିହରଣଠାରୁ ଯଥେଷ୍ଟ ଅଧିକ ଶିହରଣ ଥିଲା । କି ବିଚିତ୍ର ଭଗବାନଙ୍କ ଲୀଳା ! ଦୁଇ ଚାରି ମିନିଟ୍‌ର କଥା, ସେଇଥିରେ ଆଉ ଜଣେ ନୂଆ ମଣିଷର ସୃଷ୍ଟି କେମିତି ହେଲା ? ତା’ର ମନ ଅସ୍ଥିର ହେଇଗଲା । ପାଖରେ ଯଦି ସରସୀ ଥାଆନ୍ତା, ତେବେ ତାକୁ ମୁଣ୍ଡରେ ସତକୁସତ ବସାଇ ଜଙ୍ଗଲ ଭିତରୁ ବୁଲିଆସିଥାନ୍ତା ସେ । ସରସୀ ପ୍ରତି ତା’ର ଅନ୍ତର ଭିତରେ କାଣିଚାଏ ରାଗ ନଥିଲା । ନଥିଲାବି କିଛି ଅଭିଯୋଗ, କି ଘୃଣା ! ବିଚିତ୍ର ଏକ ଭଲ ପାଇବାରେ ଅନ୍ତର ତା'ର ପୂର୍ଣ୍ଣ ହୋଇଯାଇଥିଲା । ସେ ଭଲପାଇବା କେବଳ ସେ ସରସୀ ପ୍ରତି ଥିଲା, ତା’ ନୁହେଁ, ବରଂ ଆକାଶ, ମାଟି, ପାଣି, ପବନ, ଗଛ, ପଶୁ–ପକ୍ଷୀ, ସରସୀ ବଟାର କିଛି ବାପା, ମା', ଗାଁ, ପାହାଡ଼, ଝରଣା ସବୁକିଛି ପ୍ରତି ସେ ଭଲପାଇବା ପ୍ରସାରିତ ଓ ପରିବ୍ୟାପ୍ତ ଥିଲା ।

 

ଥରେ ନୁହେଁ, ଲକ୍ଷେଥର ସେ କଳ୍ପନା କରିଥିଲା ମନ ଭିତରେ ଯେ ସେ ସରସୀକୁ ତା’ ଘରର ମାଲିକାଣୀ ବନେଇବ, ତାକୁ କିମିତି ସବୁ ଦରମା ଦେଇଦବ, ତା’ର ଦୁଇ ଭଉଣୀଙ୍କୁ ପାଠ ପଢ଼େଇବ, ପିଲାଟାକୁ ସୁଖରେ ବଢ଼େଇବ, ତାକୁ ସାହସୀ କରେଇବ, ଘୋଡ଼ାଚଢ଼ା ଓ ବନ୍ଧୁକ ଚଳେଇବା ଶିଖେଇବ । ସରସୀ କ’ଣ କଦାପି ତାକୁ ଆଉ ଘୃଣା କରିବ ? ଦିନେ ଯିବ, ଦିନବେଳା, ସରସୀ ଘରର ଲୋକେ, ଗାଁର ଲୋକେ ଥିବେ, ସେ ସରସୀର ହାତପାଦ ଧରି ଭୁଲ୍ ମାଗିବ । ଏମିତି ଭୁଲ୍ ମାଗିବ ଯେ ସରସୀ କ୍ଷମା କରିଦବ, ନିଶ୍ଚେ ତା’ର ହାତ ଧରିବ ! ପେଟରେ ଧରିଥିବା ଛୁଆର ବାପକୁ କୋଉ ନାରୀ ଭୁଲିପାରେ ? କାହିଁ ? ସେ କ'ଣ ମାଗଣାରେ ସରସୀର ହାତ ମାଗିବାକୁ ଯିବ କି ?

 

ଜି.ପି.ଏଫ୍, ପୁଣି ଡାକଘରେ ଥିବା ଟଙ୍କା ଆଣିବ ସେ ! ସବୁତକ ଟଙ୍କା, ଦଶ ହଉ କ ପଚିଶ ହଜାର କି ପଚାଶ ହଜାର–ସବୁ ନେଇ ସରସୀ ବାପ–ମା’ଙ୍କ ପାଦତଳେ ଅଜାଡ଼ି ଦବ !

 

ସେ ଟଙ୍କାରେ ସେମାନେ କୋଠାଘରଟେ କରନ୍ତୁ !

 

(ଆଠ)

 

ସରସୀ କାହିଁକି ପଦାକୁ ବାହାରୁ ନାହିଁ ବୋଲି ଚିନ୍ତାଟେ ଅବଶ୍ୟ ଏ ଭିତରେ ଅନେକଥର ସଂସାରୀ ମୁଣ୍ଡକୁ ପଶି ଆସିଥିଲା । ସରସୀ ଜୀବନରେ ଏ ଭିତରେ କ’ଣ ଘଟିଥିଲା, କେମିତି ଘଟିଥିଲା, ସେସବୁର ଟେର୍ ସଂସାରୀ ପାଇ ନଥିଲା । ସରସୀର ଭଲପାଇବା ତଥା ତା’ ନିଜର ଭଲପାଇବା ଉପରେ ତା’ର ଥିଲା ଅଗାଧ ବିଶ୍ୱାସ । ତାଙ୍କ ସମାଜରେ ଥରେ କଥା ଦେବା ପରେ କେହି ଆଉ କଥାରୁ ଓହରି ଯାଏନା । ଅନ୍ୟ ଭେଣ୍ଡାମାନେ ଯେମିତି ବୁଲାବୁଲିରେ ସମୟ ବିତଉଥିଲେ, ସଂସାରୀ ସେମାନଙ୍କ ଦଳରେ ନଥିଲା । ସାରା ଦିନ କଠିନ ପରିଶ୍ରମ କରି ସେ ଯାହା ଯେତିକି ରୋଜଗାର କରୁଥିଲା, ତହିଁରୁ ଖୁବ୍ କମ୍ ଖର୍ଚ୍ଚ କରି ବାକି ସବୁ ସଞ୍ଚୟ କରୁଥିଲା । କାହିଁକି ନା ସରସୀର ଘରକୁ ନିହାତି ହଜାର ଟଙ୍କାର ଦେବାର ଥିଲା, ପୁଣି ଗୋଟେ ପୋଢ଼ ! ଏଣେ ପୁଣି ଗାଁବାଲାଙ୍କୁବି ଗୋଟେ ପୋଢ଼ ଦେବାର ଥିଲା ।

 

ତଥାପି ଦିନେ ସଞ୍ଜ ଅନ୍ଧାରବେଳେ, ମନ ସମ୍ଭାଳି ନ ହେବାରୁ ସଂସାରୀ ଟହଲ ମାରିମାରିକା ସରସୀ ଘର ଯାଏଁ ଆସି ବାଡ଼ର ବାହାର ପାଖରୁ ଅତସୀର ନାଁ ଧରି ଦୁଇ ଡାକ ଦେଲା । ପ୍ରଥମରୁହିଁ ଡାକଟା ପଡ଼ିଥିଲା ସରସୀ କାନରେ । କାହାକୁ ଯିବାକୁ ନ ଦେଇ ସରସୀହିଁ ବାହାରକୁ ଯାଇଥିଲା । ଘରେ ମା’ ଥିଲା, ବାପ କୁଆଡ଼େ କାମକୁ ଯାଇ ଫେରି ନଥିଲା ।

 

‘ପଦାକୁ କାହିଁ ବାହାରୁନୁ କିଲୋ ?' ସରସୀକୁ ଦେଖୁଦେଖୁ ସଂସାରୀ ପଚାରିଲା, ‘ତୋର ଧିଅ ଭଲ ନାଇଁ କି ?’

 

ଉତ୍ତର ନ ଦେଇ ସରସୀ ସୁଁ ସୁଁ ହେଉଥିବା ଦେଖି ସଂସାରୀ ପୁଣି ପଚାରିଲା, ‘କିଲୋ ଏଥିରେ କାନ୍ଦିବାର କ’ଣ ଅଛି ?’ ଯେତେ ପଚାରିଲେବି ସରସୀ ଉତ୍ତର ନ ଦେବାରୁ ସଂସାରୀ ତା’ ପାଖକୁ ଆସି ତା’ର ଗୋଟେ ହାତକୁ ଧରିବାର ଚେଷ୍ଟା କରିବାରୁ ସରସୀ କହିଲା, ‘ଏଇନେ ଛୁଁନା । ଆଉ କେତେ ଦିନ ଯାଉ ।’ କହିସାରି ପୁଣି ଜୋରରେ ସୁଁ ସୁଁ ହେଲା ।

 

କିଛି ଗୋଟେ ଗଡ଼ବଡ଼ ହେଇଛି ବୋଲି ଅନୁମାନ କରୁଥିଲେବି ପ୍ରକୃତ କଥାଟା କ’ଣ ହୋଇଥିବ, ସେ ବିଷୟରେ କିଛିବି ଧାରଣା କରିପାରୁ ନଥିଲା ସଂସାରୀ । ବହୁ ବାଧ୍ୟବାଧକତା କରିବା ପରେ ସରସୀ କହିଲା, ‘ତୋର୍ ଆଗେ କଥାଟା କହିବା କଥା, ତେଣିକି ଭଲମନ୍ଦ ବିଚାର ତୋର !’

 

ଆରମ୍ଭରୁ ଶେଷ ଯାଏଁ ସବୁ କଥା କହିସାରି ସରସୀ କହିଲା, ‘ଚାରି ମାସର ହେଲା ପେଟ ଭିତର୍ ଛୁଆ । ଏଣିକି ବିଚାର ତୋର ମୋତେ ତୋର୍ ଘର୍‌କେ ନବାର୍ ଲାଗି ଆଉ ମୁଁ ବାଧ୍ୟ କରିବି ନାଇଁ । ମା’ର କହିବାର କଥା ଯେ ମୁଁ ଆଉ ଏଣିକି ବାହାର୍‌କୁ ବାହାର୍‌ବା କଥା ନୁହେଁ, ଏଣିକି ପେଟ ଜଣାପଡ଼ିବ । ଘରେ ରହିବି, ତେଣିକି.... !’

 

ତା’ର କଥା କାଟି ସଂସାରୀ କହିଲା, ‘ଦିନେ ନା ଦିନେ ଛୁଆ ହବ କି ନା ? ସେତେବେଳେ ? ତ ସେ ଲାଗି ମୋର କହିବା କଥା ଯେ ଆମେ ଏଇ ତିନି / ଚାର୍‌ଦିନ ଭିତରେ ବାହାହେଇ ମର୍ଦ–ତିର୍‍ଲା ହେଇଗଲେ, ତେଣିକି ଯେବେ ଛୁଆ ହଉଚି ହଉ । ତୋତେ ତ ଆଉ ସାଇଭାଇ ଗାଁ ଲୋକେ କିଛି କହିବେ ନାହିଁ ।’

 

‘ତୋର୍ ଏସବୁ କଥା ଶୁଣିବାଲାଗି ମୋର ବେଳ ନାହିଁ,’ ସରସୀ ଧୀରସ୍ଥିରଭାବେ କହିଲା, ‘ତୋତେ ଏବେ ବାହା ହବାର ପ୍ରଶ୍ନ ନାହିଁ । କାହାର ଗୋଟେ ପାପର ଛୁଆକୁ ନେଇ ତୋର ଘରକୁ ଯିବି ? ଛି ! ତୁ ଯଦି ଅପେକ୍ଷା କର୍ବାର୍‌ କଥା, କର, ନହେଲେ ତୋର୍ ଯଦି ମନ, ତେବେ ତୁ ଆଉ କାହାକୁ ବାହା ହେଇଯା !’

 

ଶେଷ ଆଡ଼କୁ ସରସୀର ସ୍ଵର ଫଟା କେନ୍ଦରାପରିକା ଶୁଣାଗଲା ! ସିଏ ଘର ଆଡ଼କୁ ବୁଲିପଡ଼ିବାବେଳେହିଁ ସଂସାରୀ ତା’ର ହାତକୁ ଜୋରରେ ଧରିପକାଇଲା ମୁଠା ଟାଣ କରି କହିଲା, ‘ଶୁଣ୍, ମୁଁ ତତେ ମନ ଦେଇଛି କି ନାହିଁ ? ତୁ ମତେ ମନ ଦେଇଚୁ କି ନାହିଁ ? ତା’ର ଭିତରେ ଆଉ କାହାର ପ୍ରଶ୍ନ ନାହିଁ, ହେଲା ? ଏଥର ତୁ ଯା । ତୁ ଯୋଉଦିନ ଖବର୍ ଦବୁ, ମୁଁ ସେଇଦିନ ଆସିବି ? ହେଲା ? ନା ଆଉ କିଛି କହିବାର ଅଛି ତୋର ? ଖାଲି ଆଉ ଗୋଟେ କଥା । ସେ ଫୋର୍ସ ଲୋକଟାକୁ ମତେ ଚିହ୍ନେଇଦେବୁ ?’

 

‘ସେସବୁ କଥା ପରେ’, ସରସୀ କହିଲା, ‘ତୁ ଏବେ ଯା !'

 

(ନଆ)

 

ଫୋର୍ସ ଟୋକା ତା’ପରେ ପ୍ରାୟ ପ୍ରତି ପନ୍ଦର/କୋଡ଼ିଏ ଦିନରେ ଥରେ ପାଞ୍ଚ–ଦଶଧାଡ଼ିଆ ଚିଠିଟେ ପଠଉଥିଲା, ଛିଡ଼ାମିଡ଼ା କାଗଜରେ । ପ୍ରତି ଚିଠିରେ ସେ ଅନୁତାପ କରୁଥିଲା-। ପ୍ରତି ଚିଠିରେ ଦେହର ଯତ୍ନ ନେବାପାଇଁ ପରାମର୍ଶ ଦେଉଥିଲା । ଏକଥାବି ଜଣଉଥିଲା ଯେ ସରସୀ ହଁ କହିବାମାତ୍ରେ ସେ ଘରକୁ ଆସି ବାପା ମା'ଙ୍କୁ ଦେଖା କରିବ । ଯାହା ଯେତେ ଟଙ୍କା ଦରକାର, ସେ ଖର୍ଚ୍ଚ କରିବ । ଦୁନିଆ ଲୋକ କିଏ କେତେ କଥା କହିବେ, ହେଲେ ଯିଏ ଯାହା କହିଲେ, ତା’ର ଯାଏଁ କେତେ ଆସେ କେତେ !! ସେ ତ ଜାଣିଛି ସେ ସରସୀ ପେଟରେ ଥିବା ଛୁଆର ବାପ ସିଏ ବୋଲି । ସରସୀ କହିବାମାତ୍ରକେ ସିଏ ଆସିବ, ଏବେ ହେଉ କି ଆଗକୁ ଯେବେ ହଉ । ସରସୀ ଯଦି କହିବ, ତେବେ ସେ ତାଙ୍କ କ୍ୟାମ୍ପ୍‍କୁ ଆସୁଥିବା ଡାକ୍ତରଠାରୁ ବୁଝି ଓଷଦ ଆଣି ଦବ । ଏମିତି ଲେଖା ଥିବ, ସତେ ଯେମିତି ସରସୀ ତା’ ତିର୍‍ଲା !

 

କୌଣସି ଗୋଟିଏ ଚିଠି ଜବାବ୍‌ରେ ସରସୀ ଧାଡ଼ିଏବି ଲେଖି ନଥିଲା । ଦିନେ ମୁହଁଅନ୍ଧାର ସଞ୍ଜବେଳେ ଘର ସାମ୍ନା ବାଡ଼ ପାଖରୁ ତା’ର ସ୍ୱର ଶୁଭିଲା । ସେତେବେଳକୁ ସରସୀର ଆଠମାସ, ଚାଲିବା କଷ୍ଟ, ବସିବା କଷ୍ଟ, ଉଠିବା କଷ୍ଟ । ବାହାରୁ ପାଣି ଆଣି ମା’ ଦଉଥିଲା, ଘର ଭିତରେ ସବୁ କାମ–ଦାନ୍ତଘଷା, ଗାଧୋଇବା । ଖାଲି ଝାଡ଼ା ଯିବା କାମଟା ବାହାରେ କରିବା କଥା, ତ ସେ କାମ ସରସୀ ରାତି ଅନ୍ଧାର ହବାପରେ କରୁଥିଲା । ମା’ର କହିବା କଥା ଥିଲା ଯେ ଗାଁର କେହି ଯେମିତି ସରସୀର ପେଟ ନ ଦେଖେ । ତଥାପି କେଜାଣି କେମିତି ଜଣେ ଦି’ଜଣ ଫୁଟୁର୍ ଫାଟର୍ ହେଉଥିଲେ । ତେବେ ଏସବୁକୁ ନେଇ ଅଯଥା ଗୁରୁତ୍ୱ ଦେବା ପରି ସମାଜରେ ସେମାନେ ରହୁ ନଥିଲେ । ଯେଉଁ ଭଦ୍ରବ୍ୟକ୍ତି ମୋତେ ଏକଥା ଏତେ ଟିକିନିଖି ବର୍ଣ୍ଣନା କରିଥିଲେ, ସେ ହସି ହସି କହିଥିଲେ ଯେ ଯଦି ଏପରି କଥାଟା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଟିଥା'ନ୍ତା, ତେବେ କଥା ଥାନା–କୋର୍ଟ କଚେରି–ଖବରକାଗଜ–ଟିଭି ଚାନେଲ୍ ବାଟେ ଶେଷକୁ ଆତ୍ମହତ୍ୟାରେ ସରିଥା’ନ୍ତା । ଆଦିବାସୀ ସମାଜରେ ନାରୀକୁ ସବୁଠୁ ଅଧିକ ଗୁରୁତ୍ୱ ଓ ସମ୍ମାନ ଦିଆଯାଇଥାଏ । ସମ୍ମାନ ରକ୍ଷାପାଇଁ ଯାହା କରାଯିବା କଥା, ତାହାହିଁ କରିଯାଏ । ଏ ବିଷୟରେ କେହି କାହାକୁ ମିଛ ପରାମର୍ଶ ଦିଏ ନାହିଁ ! କି ଛଳନା ଭାରାକ୍ରାନ୍ତ କରାଏ ନାହିଁ ।

 

ହଁ–ଫୋର୍ସ ଟୋକାର ସ୍ଵର ଶୁଣାଗଲା, ସେତେବେଳକୁ ସରସୀର ଆଠମାସ । ସେ ଟୋକା ଭିତରକୁ ଆସିଲା । ଆସି ବାହାରେ ପଡ଼ିଥିବା ଦଉଡ଼ିଆ ଖଟ ଉପରେ ବସିଲା । ଅତସୀ ଓ ସାନ ଭଉଣୀ କଳସୀ ତା’କୁ ଦେଖି ଦେଇ ଭିତରକୁ ଚାଲି ଆସିଥିଲେ । ସେମାନଙ୍କ ମା’–ବାପା ସେଇ ଦଉଡ଼ିଆ ଖଟର ଅନ୍ୟ ଏକ ପାଖରେ ବସିଥିଲେ । ପ୍ରାୟ ଘଣ୍ଟାଏ ଖଣ୍ଡେ ସେ ଭୁଲ ମାଗି ନିଉନ ହୋଇ କେତେ ନେହୁରା ହେଇ କେତେକେତେ କଥା କହିଲା । ହେଲେ ସରସୀର ମା’ ଫୁଲର ସେଇ ଗୋଟିଏ କଥା: ଝିଅର ଇଚ୍ଛା ବିରୁଦ୍ଧରେ ସେମାନେ କଦାପି କିଛି କରିବେ ନାହିଁ । ଯୋଉ ମୁହୂର୍ତ୍ତରେ ଝିଅ ହଁ କହିବ, ସେଇଦିନ ସେମାନେବି ରାଜି ହେବେ । ହେଲେ ମୂଳକଥା ଏଇ ଯେ ଫୋର୍ସ ହେଇ, ଏତେ ଭଲ ଚାକିରି କରି ସେ ଏ ଖରାପ କାମ କାହିଁକି କଲା ? ପୁଣି ସବୁଠୁ ବଡ଼କଥା ହେଲା ସେ ନିଜେ ଜଣେ ଆଦିବାସୀ ପିଲା କି ନାହିଁ ? ଟିଙ୍କେ ଟିଙ୍କେ ମଦ ପିଇ ଏ ଗାଁର ଲୋକ କେତେକଅଣ କରିପକାନ୍ତି, ହେଲେ କଦାପି ମା’ ଭଉଣୀମାନଙ୍କୁ ଖରାପ ବ୍ୟବହାର କରନ୍ତି ନାହିଁ । ମଣିଷ ମାରିଦେବେ ପଛକେ ତିର୍‍ଲାମାନଙ୍କୁ ଖରାପ ବ୍ୟବହାର କରିବେ ନାହିଁ ।

 

ଏତେକଥା ପରେ ମା’ ଟିକେ ବିଶ୍ରାମ ନେଲା, ପାଣି ପିଇବ କି ବୋଲି ତାକୁ ପଚାରିଲା ଏବଂ ତାକୁ ରସ ଗିଲାସରେ ପାଣି ଦବାପରେ ଯୋଉ ପଦକ କଥା କହିଲା, ସରସୀର ମନକୁ ପାଇଲା, ମନକୁ ପାଇଲା କ’ଣ ମ, ମଲାଯାଏ ମନେ ରହିବ, ଖାସା କଥାଟା ଯାହା । ଅନ୍ଧାର ଭିତରେ କବାଟ କଣରେ ଠିଆ ହୋଇ ଶୁଣୁଥିଲା । ମା’ କହିଲା, ‘ତୁ ପୁଅ ଫୋର୍ସରେ ମିଶିବା ପରେ, ବଡ଼ବଡ଼ ପାଠପଢ଼ୁଆବାବୁ ସାଙ୍ଗରେ ମିଶିକି ବୋଧେ ଏମିତି କାମ ଶିଖିଚୁ । ସହରିଆ ପାଠ ପଢ଼ାଳିମାନେ ଏମିତି କାମକୁ ଭଲ ଭାବନ୍ତି । କାମକୁ ଗଲାବେଳେ ମୁଁ ଦେଖିଚି, ପାଠପଢ଼ୁଆ ଲୋକଙ୍କ ଆଖି ଚକ୍ରମିତ ଘୂରୁଥିବ ତିର୍‍ଲାମାନଙ୍କ ଆଡ଼େ । ପାଠପଢ଼ୁଆଙ୍କ ନଜରରେ ନିଜ ତିର୍‍ଲାକୁ ବାଦ୍ ଦେଲେ ଆଉ ସବୁ ତିର୍‍ଲା ହେଲେ ସେମାନଙ୍କ ମାଇପ । ଆଉ ଆମ ଆଦିବାସୀଙ୍କ ନଜରରେ ନିଜ ତିର୍‍ଲାକୁ ବାଦ୍ ଦେଲେ ଜଗତ୍ରଯାକର ତିର୍‍ଲା ହେଉଛନ୍ତି ମା', ଭଉଣୀ !’

 

ଏମିତି କେତେକଅଣ ଗପିବା ପରେ ଫୋର୍ସ ଟୋକା ଘଡ଼ିଏ ରାତିରେ ଫେରିଯାଇଥିଲା, ଗଲାବେଳେ କହିଥିଲା ଯେ ଖୁବ୍ କମ୍ ଦିନ ଭିତରେ ସମସ୍ତଙ୍କ ପାଇଁ ଭଲ ଭଲ ଜିନିଷ ନେଇ ଆସିବ । ମା’ କି ତା’ର ବାପ ଏକଥା ଉପରେ ପଦେବି କିଛି କଥା କହି ନଥିଲେ ।

 

(ଦଶ)

 

ଏ ଘଟଣା, ମାନେ ଫୋର୍ସ ଟୋକା ଆସିବାର ହପ୍ତାଏ ଖଣ୍ଡ ପରେ ଦିନେ ଖରାବେଳେ ସରସୀର ପେଟ ଭିତରୁ ଗୋଟାଏ ବିଚିତ୍ର ଯନ୍ତ୍ରଣା ଆରମ୍ଭ ହେଲା । ସମୟ ଯେତେ ଗଢ଼ିବାରେ ଲାଗିଲା, ଯନ୍ତ୍ରଣା ସେତେ ବଢ଼ିବାରେ ଲାଗିଲା । ତା' ମା’ର ଚିନ୍ତା ସେତେବେଳକୁ କାହିଁରେ କ'ଣ ! ଅଭିଜ୍ଞତାରୁ ମା’ ଜାଣିସାରିଥାଏ ସମୟ ଆଉ ଡେରି ନଥିଲା । ଅତିବେଶିରେ ଦି'ଘଡ଼ି ଭିତରେ ଛୁଆଟା ବାହାରି ଆସିବ, ଏଥିରେ ସନ୍ଦେହ ନଥିଲା । ଯୋଉ ଘର ଭିତରେ ସରସୀ ତଳେ ଖାଲି ଶପଟେ ଉପରେ ଶୋଇଥିଲା, ଅନ୍ୟ ଦୁଇଭଉଣୀଙ୍କୁ ବାହାରେ ବସି ରହିବାକୁ କହିଥିଲା ମା' । ମା’–ଝିଅଙ୍କର ଗୋଟିଏ ମାତ୍ର ପ୍ରାର୍ଥନା ଥିଲା : ଯେମିତି ଘରକୁ କେହି ନ ଆସୁ । ତଥାପି ସରସୀ ମଝିରେ ଥରେ ଚିଲେଇବାର ଦେଖି ମା’ କହିଥିଲା କି ସେ ଯାଇ ବୁଢ଼ୀକୁ ଡାକି ଆଣିବ । ସେ ପୁଣି ଏମିତି ବୁଢ଼ୀ ଯେ ତିନିଖଣ୍ଡ ଗାଁର ଦାୟିତ୍ୱ ତା’ ଉପରେ ଥିଲା । ଡାକ୍ତରଖାନା ଯିବା ଅପେକ୍ଷା ଲୋକମାନେ ବୁଢ଼ୀକୁ ଡକାଇବାକୁ ପସନ୍ଦ କରୁଥିଲେ । ହେଲେ ବୁଢ଼ୀର ନାଁ ଉଠିବାମାତ୍ରେ ସରସୀ ଭିତରେ ଯେମିତି ଦଶଟା ପୋଢ଼ର ବଳ ଆସିଗଲା । କୁନ୍ଥେଇ କୁନ୍ଥେଇ ମା’କୁ କହିଲା, ‘ଦେଖ୍ ମା’–ମୁଁ ଜମା ଚିଲେଇବି ନାଇଁ କି ବଡ଼ପାଟିରେ କାନ୍ଦିବି ନାହିଁ, ଖାଲି ଦାନ୍ତ ଚିପି କୁନ୍ଥେଇବି । ତୁ କାହାକୁ ଡାକେନା କି ଏକଥା କହନା । ଖାଲି ଗୋଟାଏ କଥା ମା', ମୋର ହୋସ୍ ଯେମିତି ରହେ–ଆଃ ! ମା’ ! ତୁ ମୋ କଥା ନ ରଖିଲେ ମା’...ଆଃ ! ଗୋଟେଦିନ ପାହାଡ଼ ଉପରୁ ଛଲାଙ୍ଗ୍ ଲଗେଇ ଦେବି । ଆଃ–ମା’ !

 

ମା’ କ’ଣ ଭାବିଥିଲା କେଜାଣି, ତା' କଥା ମାନିଥିଲା । ପିଲାଗୁଡ଼ା କ'ଣ ଭାବିଥିଲେ କେଜାଣି, ଦି’ ଦି’ ମୁଠା ଚୁଡ଼ା ଖାଇ ଶୋଇପଡ଼ିଥିଲେ । ସଞ୍ଜ ଗଡ଼ି ରାତି ହବାକୁ ବସିଲା, ସରସୀ ସେ ଯମଯନ୍ତ୍ରଣାରୁ ମୁକୁଳିଲା ନାଇଁ । ନୂଆ ମାରାଣ୍ଡି ବାହାରର ଦଉଡ଼ିଆ ଖଟ ଉପରେ ବସି ଆକାଶକୁ ଅନେଇଥାଏ । ପିଲା ଦି’ଟା କେତେବେଳୁ ଉଠି ଘର ଭିତର–ବାହାର ହେଉଥିଲେ । ଝିଅପିଲାମାନେ ବଅସ ହବା ଆଗରୁ ବହୁତ କଥା ବୁଝିଯା'ନ୍ତି । ସରସୀ ଯେ ବାହା ନ ହୋଇ ମା’ ହବାକୁ ଯାଉଥିଲା, ଏକଥା ତଥା କଥାର ଗୁରୁତ୍ୱ ସେମାନେ ଠିକ୍ ବୁଝୁଥିଲେ । ମୂର୍ତ୍ତିପରିକା ବସୁଥିଲେ ଏଠିସେଠି, ଯଦି ବା ଚାଲୁଥିଲେ ସତେ କାଠର ପିତୁଳା ଚାଲୁଥିଲା । ରାତି ଦି'ଘଡ଼ି ସରିକି ଅତସୀ ଓ କଳସୀ ପୁଣି ଚୁଡ଼ା ଚୋବେଇ ଶୋଇଗଲେ ଏଣିକି ରାତି ଗଡ଼ିଲା, ଅନ୍ଧାର ଗାଢ଼ ହେଲା । ବାହାରେ ଦଉଡ଼ିଆ ଖଟରେ ପଥର ମୂର୍ତ୍ତି ପରି ବସିଥିଲା ନୂଆ ମାରାଣ୍ଡି । କେବେକେବେ ଘର ଭିତରୁ ଅସହ୍ୟ ଯନ୍ତ୍ରଣାର କୁନ୍ଥାଣ ଶୁଭୁଥିଲା, ବାସ୍ ।

 

ଏ ଭିତରେ ତାରାମାନେ ସ୍ଥାନ ପରିବର୍ତ୍ତନ କରିସାରିଥିଲେ । ଅନ୍ଧାର କେତେ ଗାଢ଼ ହୋଇସାରିଥିଲା । ନୂଆ ମାରାଣ୍ଡି ସେଇ ଦଉଡ଼ିଆ ଖଟର ଗୋଟେ ପଟକୁ ଥିବା ବାଉଁଶ ଖୁଣ୍ଟକୁ ଆଉଜି ବୋଧେ ଘୁମେଇ ପଡ଼ିଥିଲା କି କ’ଣ ! ଜଙ୍ଗଲରେ ଥିବା ଦେବତା କି ଭୂତ ଥିର୍ କିନା ତା’ ଧିଅରେ ହାତମାରି ଆଉଁଶିବା ପରି କହିଲା, ‘ଶୁଣୁଚ କି ନା ? ପୁଅ ହେଇଚି । ପୁଅ ! ସରସୀର ହୋସ୍ ଅଛି !’

 

ତା’ ନିଦ ଭାଙ୍ଗିଗଲା । ପାଖରେ ଅନ୍ଧାର ଭିତରେ ଅନ୍ଧାରକୁ ନେସି ହେଇ ତା’ ତିର୍‍ଲା ଫୁଲ ଠିଆ ହେଇଥିଲା । କଥାଟା ଭଲକରି ଶୁଣି ନଥିଲା ସେ, ପଚାରିଲା, ‘କ'ଣ କହିଲ ? ସରସୀ... !’ ଫୁଲ ନିଜ କଥା ଦୋହରାଇଲା । କଥାଟା ଶୁଣି ନୂଆ ମାରାଣ୍ଡି ଠିଆ ହୋଇ ପଡ଼ିଲା । ଅନ୍ଧାର ଭିତରେବି ଫୁଲ ଜାଣିପାରିଲା ଯେ ତା’ର ମର୍ଦ ଦିଶୁଥିଲା ଶୁଖିଲା ତାଳପତ୍ର ପରି । ହାତ ବାଜିଗଲେ ଝଡ଼ିଯିବ ଝରଝର ହେଇ ।

 

‘କ’ଣ ହବ ଏଥର ?' ସେ ଅନ୍ଧାରରେ ପଚାରିଲା, ‘ପିଲାଟା କାନ୍ଦୁନି ? ସକାଳ ହଉ ହଉ କଥାଟା ଗାଁସାରା ରଟିବ, କାହାକୁ ଲୁଚେଇବା ? ଛୁଆର କାନ୍ଦ ତ ରାସ୍ତା ସେ ମୁଣ୍ଡକୁ ଶୁଭିବ । ଆମର ଘରଟା ଯଦି ଗାଁର ଏପଟ ମୁଣ୍ଡରେ ନ ହୋଇ ମଝିରେ ଥା'ନ୍ତା କଥା ଲୁଚି ନଥା'ନ୍ତା । କ’ଣ କରିବା କହ ।’

 

‘ସେସବୁ କଥା ପରେ’, ଫୁଲ କହିଲା, ‘ମୁଁ ଆଗ ଦେଖେ ମୋ ଝିଅର କ’ଣ ହେଲା ।’ ଉଠି ଚାଲି ଯାଉ ଯାଉ କହିଗଲା, ‘ଏଠି ଏମିତି ନ ବସି ପାଣି ଗରମ କରିଦିଅ ।’

 

ଫୁଲ ଚାଲିଗଲା ଯୋଉ ଘରେ ସରସୀ ଥିଲା ।

 

ନୂଆ ଚାଲିଗଲା ପାଣି ଗରମ କରିବାକୁ ।

 

ଭିତରେ ଯାଇ ଫୁଲ ଦେଖିଲା, ଚୁଚୁନ୍ଦ୍ରା ଛୁଆର ରଙ୍ଗ ପରି ଦେହର ରଙ୍ଗ ପିଲାଟାର, ହାତର ଆଙ୍ଗୁଠି ଖୁବ୍ ଛୋଟ କନିଅର କଢ଼ି ପରି । କନ୍ଦାକଟା ନାହିଁ । ଲଣ୍ଠନର ଧିମା ଆଲୁଅରେ ସେ ଦେଖିଲା ସରସୀର କାଣି ଆଙ୍ଗୁଠିର ଅଗ୍ରଭାଗକୁ ପିଲାଟା ଚୁଚୁମୁଥିଲା ! ଫୁଲ ପୂରା ଧୀର ସ୍ଵରରେ କହିଲା, ‘ଆଲୋ, ଖୁଏଇବା କଥା, ଖୁଅଉନୁ ! ଭଣ୍ଡଉଚୁ କାହିଁକି ? ଦରଜାଠାରୁ ଆଠ ଦଶ ହାତ ଦୂରରୁ ବାପର ପାଟି ଶୁଣାଗଲା, ‘ଗରମ ପାଣିନେ ।’

 

ଫୁଲ ଉଠିଗଲା ଗରମ ପାଣି ଆଣିବାକୁ, ନୂଆକୁ କହିଲା ଶୁଖିଲା କାଠ ଆଣିବାକୁ, ସରର ମୁଣ୍ଡ ପାଖରେ ନିଆଁଟେ ହବ, ଛୁଆ ସେକା ହବ; ମର୍ଦ ତାକୁ ଫୁସ୍‌ଫୁସ୍ କରି ପଚାରିଲା ସକାଳ ହେଲେ କ’ଣ ହବ, ଫୁଲ କହିଲା ସକାଳ ହଉ, ଆଗ ଯାଇ ସାଗୁ ଆଣ, ଘରେ ଡାଲି ଦି'ଟା ଚାଉଳ ଛଡ଼ା କିଛି ନାଇଁ ଇତ୍ୟାଦି ଇତ୍ୟାଦି । ବୋଧେ ଏ ଭିତରେ ଚାରି/ପାଞ୍ଚ ମିନିଟ୍ ବିତିଥିବ, ଭିତରୁ ସରସୀର ଉଚ୍ଚାସ୍ୱର ଶୁଣାଗଲା, ‘ମା’ ! ମା’ ! ମା' ।

 

ଗରମ ପାଣି ଭରା ରସ ଡେକ୍‌ଚି ଧରି ଭିତରକୁ ଆସି ଫୁଲ ପଚାରିଲା, ‘କ’ଣ ହେଲା-?’

 

ଛୁଆ ଆଡ଼କୁ ଆଙ୍ଗୁଠି ଦେଖାଇ ସରସୀ ସ୍ଥିର ଗଳାରେ କହିଲା, ‘ଇଏ ତ ହଲଚଲବି ହଉନି ମା’ ! ତୁ ଦେଖି ମା’, ଏଟାର ଜୀବନ ନାହିଁ କି ?’

 

ତାଳୁରୁ ତଳିପା ଯାଏଁ ଶିହରଣଟେ ଖେଳିଗଲା ଫୁଲର, ହାତଗୋଡ଼ ଥରିଲା ଥରିଲା ଲାଗିଲା । ଛୁଆଟା ପାଖରେ ନଇଁପଡ଼ି ହାତ ଲଗେଇ, ଶୁଙ୍ଘାଶୁଙ୍ଘି କରି ଦୀର୍ଘଶ୍ୱାସଟେ ଛାଡ଼ି ହାଲିଆ ହେବାପରି ବସିଯାଇ କହିଲା, ‘ନାଲୋ ସର, ଜୀବନ ନାଇଁ । ଏବେ ପୁଣି କ’ଣ କରିବି ?’

 

ମା’ ଫୁଲ ଓ ଝିଅ ସରସୀର ଆଖି କୋଣ ଜକେଇ ଆସିଥିଲା ।

 

ଯେମିତି ସତେ କି କାଳେଶୀ ଲାଗିଲା, ଯେମିତି ସତେ କି ଦିସାରି ବୁଢ଼ୀ ମନ୍ତ୍ରପାଣି ଦେଲା, ସେମିତି ଢଙ୍ଗରେ ଜାଣ ସରସୀ ଉଠି ବସିପଡ଼ିଲା । ଧିଅରେ ଯେମିତି ପୋଢ଼ର ବଳ । ମା’କୁ କହି ଧିଅମୁଣ୍ଡ ପୋଛି ହୋଇଗଲା । ଗରମ ପାଣିରେ କନା ବୁଡ଼େଇ ଧିଅରେ ଦି'ଥର ବୁଲେଇ ଆଣିଲା । ମା’ ହାତ ଓ କାନ୍ଧରେ ଭରାଦେଇ ଉଠି ଠିଆ ହେଇପଡ଼ିଲା, ଗୋଡ଼ହାତ ଥରୁଥାଏ, ତଳେ ଦୁଲ୍‌କରି ପଡ଼ିଯିବା କଥା, ଜଙ୍ଘ ଦି’ଟା ଭିତରେ ସତେଅବା କଣ୍ଟା ସବୁ କିଏ ଫୋଡ଼ିଥିଲା, ତଳିପେଟଟା ଏମିତି ହାଲୁକା ଲାଗୁଥିଲା ଯେ ସତେଅବା ତା’ର ଓଜନହିଁ ନଥିଲା । ଗୋଟେ ପାଦ ଆଗକୁ ପକେଇଲେ ଯେମିତି ତିନିପାଦ ଭାସିଯାଉଥିବା ପରି ଅବସ୍ଥା । ମୁଣ୍ଡବି ବୁଲଉଥିଲା ।

 

ମା’କୁ ଭଲଭାବରେ ଧରିଥାଇ ସେ କହିଲା, ‘ସେସବୁ କନାରେ ଛୁଆଟାକୁ ଗୁଡ଼େଇ ମୋ ହାତକୁ ଦେ । ଆଉ ତୁ କୋଦାଳ ଧରି ମୋର୍ ସାଙ୍ଗରେ ଆସ୍ । ବା’କୁ କହି କିଛି ଲଣ୍ଠନ ପଣ୍ଡନ ନ ନେଇ ଘରର ଆଗପଛ ଦରଜା ବନ୍ଦ କରି ପଛେ ପଛେ ଆସୁ ।’

 

‘ତୁ ପାଗଳ ହେଇଗଲୁ କି ?’ ମା’ ପଚାରିଲା, ‘ରାତିଅଧରେ ଅନ୍ଧାରରେ କୁଆଡ଼େ ଯିବା-?’

 

‘ମୁଁ କାଇଁ ପାଗଳ ହେବି ?' ସରସୀ କହିଲା, ‘ଆଉ ରାତି ନାହିଁ କି ଅନ୍ଧାର ନାହିଁ । ସେମିତି ଲାଗୁଚି, ଚାହୁଁଚାହୁଁ ସକାଳ ହେଇଯିବ, ଲୋକମାନେ ବାହାରି ଆସିଲେ... ! ଡେରି ନ କରି ଆସ୍ ମା’ ।’

 

ଭଲମନ୍ଦ ବିଚାର କରିବାର ସମୟ ଆଉ ନଥିଲା । ତିନିଚାରି ପରସ୍ତ କନାରେ ଗୁଡ଼େଇ ଛୁଆଟାର ଜଡ଼ ଶରୀରକୁ ଧରି, ମୁଣ୍ଡରେ ଓଢ଼ଣି ପରି ଗାମୁଛାଟେ ପକାଇ ବାହାରିଗଲା ସରସୀ । ପଛେ ପଛେ ଛୋଟ କୋଦାଳଟେ ଧରି ବାହାରି ଆସିଲା ତା’ ମା’ । ସବା ପଛରେ ବାପା । ରାତି ପାହି ନଥିଲେବି ପାହି ଆସିବାର ସୂଚନା ଜଣାପଡ଼ିସାରିଥିଲା । ଏକମୁହାଁ ହେଇ ଚାଲିଥିଲା ସରସୀ-। ସଦ୍ୟମାନେ ତିନିଚାରି ଘଣ୍ଟା ଆଗରୁ ପିଲାଟେ ଜନ୍ମ ଦେଇଥିବା ଝିଅଟା ଧିଅରେ ହାଲିଆ ଭାବ ନଥିଲା । ଟିକେ ଆଗରୁ ସିଧା ହେଇ ଠିଆ ହେବାର ଲାଗି ଯା’ର ଜୁ ନଥିଲା, ସିଏ ଆଗେଆଗେ ଚାଲିଥିଲା ବାଁ, ଡାହାଣକୁ ତରତରରେ ଜଙ୍ଗଲୀ କୋକିଶିଆଳି ପରି ଅନେଇ ଚାଲିଥିଲା ସରସୀ । ଚାହୁଁଚାହୁଁ ସେ ପହଞ୍ଚିଗଲା ସେଇଠି, ଯୋଉଠି ଦଶମାସ ଆଗରୁ ଫୋର୍ସ ଟୋକା ମାଙ୍କଡ଼ମୁହାଁ...କି ମୁଣ୍ଡୁରୀ ତ ତା’ ନାଁ...ଛାଡ଼ ଏତେସବୁକଥା କହିବାକୁ ବେଳ ନାହିଁ ଏଠି । ଯୋଉ ଜାଗାରେ ଦିନେ ତା' ଜୀବନରେ ଘୋଟି ଆସିଥିଲା ଝଡ଼ଟିଏ, ସେଇ ଜାଗାରେ–ମାନେ ଠିକ୍ ସେଇ ଜାଗାରେ ହାତରେ ଗାରଟେ କାଟି ସରସୀ କହିଲା, ‘ଏଇଠି ମା', ଏଇଠି ଗାତଟେ ଖୋଳ ମା’ !’

 

ସରସୀର କଥାରେ ଯନ୍ତ୍ର ପରି ଗାତ ଖୋଳିବାରେ ଲାଗିଗଲା ଫୁଲ, ତା’ ମା’ ! ବାପବି ଶେଷଆଡ଼କୁ ସାହାଯ୍ୟ କଲା । ପ୍ରାୟ ତିନି ଫୁଟ୍ ଗହୀରର ଗାତ ହୋଇଯିବା ପରେ ଛୁଆଟାକୁ କନା ବୁଜୁଳା ଭିତରୁ ବାହାର କରି ଧୀରେ ଗାତ ଭିତରେ ରଖିଦେଲା । ଉପରେ ଯେତେକ କନା କପଡ଼ା ସଜେଇ ଥୋଇଦେଲା । ଦୀର୍ଘଶ୍ୱାସଟେ ଛାଡ଼ି ହାଲିଆ ହୋଇପଡ଼ିଥିବା ପରି ଭୂଇଁରେ ବସିପଡ଼ିଲା । ବାପ ଓ ମା’ ପୁଣି ମାଟି ଘୋଡ଼େଇ ଗୋଡ଼ରେ ଦବେଇବାରେ ଲାଗିଲେ । ତା’ ଉପରେ ଆଖପାଖର ଶୁଖିଲା ପତ୍ର ଖେଳେଇବା ପରି ପକେଇଦେଇ ବାହାରି ଆସିଲେ ।

 

ଆଗରେ ବାପ, ନୂଆ ମାରାଣ୍ଡି ।

 

ମଝିରେ ମା’, ଫୁଲ ମାରାଣ୍ଡି ।

 

ପଛରେ ସେ, ସରସୀ ମାରାଣ୍ଡି ।

 

ଘର ଥାଏ ଆହୁରି ଦି’ ଡାକେ ବାଟ । ଟିକେ ଟିକେ ଫରଚା ହେଇଆସିଲାଣି ସେତେବେଳକୁ । ଦି’ ପାଦ ତରତରରେ ଆଗକୁ ଯାଇ ମା’ର ପାଖାପାଖି ହୋଇ ସରସୀ କହିଲା, ‘ଶୁଣ ମା’ ! ଯାହାକି କିଛି କର୍, ଏଇ ମାସେ ଭିତରେ ମୁଁ ସଂସାରୀ ଘରକୁ ଯେମିତି ଯିବାର ବାଟ କର । ମୁଁ ତାକୁ ଖବର ଦଉଚି, ସେ ଯେତିକି ଯାହା ଦବ, ସେତକ ରଖି କାମ କର !’

 

ମା’ ଏକଥାର ଉତ୍ତର ଦେଲା ନାହିଁ । ଓଲଟା ଅନ୍ୟକଥା ପଚାରିଲା । ‘ଗୋଟେ କଥା ମତେ ସତ୍ ସତ୍ କହ, ପିଲାଟା ଆପେ ମରିଗଲା କି ତୁଇ ମାରିଦେଲୁ ?’

 

“ମୋର କିଛି ମନେନାଇଁ, ଆପେ ମରିଗଲା କି କ’ଣ !' ସରସୀ କହିଲା, ‘ଝିଅ ହୋଇ ମରିଯାଇଥିଲେ ମନ ଖରାପ ଲାଗିଥା'ନ୍ତା, ପୁଅଟା ମର୍‌ଗଲା ଭଲ ହେଲା, ନହେଲେ ସେଇ ଫୋର୍ସ ଟୋକାମିତି ହେଇଥା'ନ୍ତା ।’

 

କିଛି ସମୟ ନିରବରେ ଚାଲିବା ପରେ ସରସୀ ନିଜ ଆଡ଼ୁ ମା’କୁ କହିଲା, ‘ଯଦି କୋଉ ମର୍ଦ ସହ ମୋର ମନ ଦିଆନିଆ ହେଇଥା'ନ୍ତା, ହେଲେ ଛୁଆ ଜନମ୍ ପରେ ସେ ମତେ ଦଗା ଦେଇଥା'ନ୍ତା, ତାହାହେଲେବି ଛୁଆଟା ବଞ୍ଚିଥିଲେ ମୁଁ ପାଳିଥା'ନ୍ତି । ହେଲେ ଯାହା ସହ ମନ ଦିଆନିଆ ନାହିଁ, ଯାହାକୁ ପହିଲା ଦିନରୁ ଦେଖି ମତେ ଘୃଣା ଆସିଥିଲା, ତା’ର ଛୁଆକୁ ବଞ୍ଚେଇ ରଖି ପୁଣି ପାଳିପୋଷିବା–ଛି ଛି !’

 

‘ତାହାହେଲେ ତୁ କ’ଣ ଏଡ଼େ ସୁନ୍ଦର ଛୁଆକୁ ମାରିବୁ ? ସତ କଥା... ।’

 

ତା’ର କଥାକୁ ଶେଷ ହେବାକୁ ନ ଦେଇ ସରସୀ କହିଲା, ‘ସଂସାରୀକୁ ମୁଁ ଓ ସେ ମୋତେ କଥା ଦେଇଛି କି ଆମେ ଏକାଠି ଘର କରିବୁ । ଆଉ ଯାହାକୁ ମୁଁ ଘୃଣା କରେ, ଯିଏ ମୋର କଥା ନ ମାନି ମୋର ଧିଅରେ ହାତ ଲଗେଇଲା, ତା’ର ଛୁଆକୁ ପେଟରେ ଧରି ମୁଁ ଏ ସଂସାରୀ ଘରକୁ ଯିବି ? ଯୋଉ ସଂସାରୀକୁ ମୁଁ ମନ ଦେଇଚି ? ଝିଅ ଦେଇଥିଲେ କହିଥା’ନ୍ତି, ଦେଖ୍–ଏ ଛୁଆ ବଡ଼ ହେଲେ ମୋର ମା’ ପରି ହବ ? ପୁଅଟାକୁ ଦେଖେଇ କହିପାରିଥା'ନ୍ତି କି ଏ ତା’ର ବାପା ପରି ହବ ? ସେ ଛାଏଁ ମରୁ କି ମୋ ହାତରେ ମରିଥାଉ, ସେଥିରେ କିଛି ନାହିଁ, ମରିଚି ତ !’

 

ଏହାପରେ କେତେଦିନ ବିତିଯାଇଥିଲେବି ମା’–ଝିଅ ଆଉ ସେକଥା କେବେ ହୋଇ ନଥିଲେ । ଫୋର୍ସ ଟୋକା ଚଉଦ ଦିନ ପରେ ଦିନେ ଆସିଥିଲା । ଉପରଓଳି । ସରସୀ ସାମ୍ନାପଟ କି ଗୋଟେ ଗଛରେ ପାଣି ଦଉଥିଲା । ସାଇକେଲ୍ ରଖି ବାଡ଼ ଆରପଟରୁ ପଚାରିଲା, ‘ତମେ କ’ଣ ଏ ଭିତରେ ମା’ ହେଲ କି ?' ସରସୀ କିଛି କହିବନି ବୋଲି ଭାବିଥିଲେବି କହିଲା, ‘ମା’ ତ ହେଲିଣି କେବେଠାରୁ ?' ସରସୀର କଥାରେ ମୁର୍କି ହସି ସେ କହିଲା, ‘ଆଉ ଛୁଆଟା ?’

 

ନିଷ୍ଠୁର ସ୍ଵରରେ ସରସୀ କହିଲା, ‘ଛୁଆ ? କି ଛୁଆ ? ମାଙ୍କଡ଼ମୁହାଁ ! ଯୋଉ ଜାଗାରେ ମତେ ଧରିଥିଲୁ, ସେଇଠି ଚାରିହାତ ମାଟି ତଳେ ଅଛି । ଆଉ ନଥିବ । ଜନ୍ଦା ପିମ୍ପୁଡ଼ିଙ୍କ ପାଟିରେବି ପଡ଼ି ନଥିବ । ମାଟିତଳ ପୋକ ଖାଇଯାଇଥିବେ !’

 

‘ହେ ଭଗବାନ !’ ଏତିକି କହିଥିଲା ସେ କେମିତି ଏକ ଦୟନୀୟ ଯନ୍ତ୍ରଣା କାତର ସ୍ଵରରେ । ତା'ପରେ ସାଇକେଲ୍ ଧରି ବାହାରି ଯାଇଥିଲା, ଆଉ ଦ୍ୱିତୀୟ ଥର ତାକୁ ସେ ତିନିଚାରିଖଣ୍ଡ ଗାଁରେ ଦେଖିବାକୁ ମିଳି ନଥିଲା ! ଏକଥାକୁ ଆଉ ଫେଣେଇ, ବନେଇ ଚୂନେଇ କହିବାରେ କିଛି ଲାଭ ନାହିଁ । ଯେଉଁ ଆଦିବାସୀ ଭଦ୍ରବ୍ୟକ୍ତି ଜଣକ ଏକଥା ମତେ ଶୁଣେଇଥିଲେ, ସିଏ ଓଡ଼ିଆ ଭଲ କହିପାରନ୍ତି ନାହିଁ । ତେବେ ଏ ଘଟଣାଟା କହିବାବେଳେ ସେ ନବେ ଭାଗ ତାଙ୍କର କି ଗୋଟେ ଆଦିବାସୀ ଭାଷାରେ ଦଶ ଭାଗ ଓଡ଼ିଆ ମିଶେଇ କହିଥିଲେ । ତାଙ୍କର ସଙ୍ଗୀତମୟ ଭାଷାରେ ସମୁଦାୟ ଘଟଣାଟାର ବର୍ଣ୍ଣନା ସେ କରିଥିଲେ । ଏକଥା ମୁଁ ଆରମ୍ଭରୁ କହିଛି । ହେଲେ, ଏବେ ମୁଁ ଏକଥାଟା ପୂରାପୂରି ଓଡ଼ିଆରେ କହିଲି, କାରଣ ମୋତେ ସେ ଭାଷା ଜଣା ନାହିଁ । ଦୁଇ ଚାରିଟା ଆଦିବାସୀ ଶବ୍ଦ କରିପାରିଥା’ନ୍ତି ! ତାହା ହେଇ ନାହିଁ । ତେଣୁ ଏ କଥାଟା ସେତେ ମଧୁର ଲାଗି ନପାରେ । କେହି କେହି ଶୁଣିବାବାଲା ହୁଏତ କହିପାରନ୍ତି ଯେ ମାରାଣ୍ଡି, ମୁଣ୍ଡୁରୀ ଇତ୍ୟାଦି ସାଙ୍ଗିଆଧାରୀମାନେ ନିଜ ନିଜ ଭିତରେ ଖାଣ୍ଟି ଓଡ଼ିଆରେ କଥା ହେବାଟା କାହାଣୀ ସହ ଖାପ ଖାଉନାହିଁ !! ଏହା ତ ଠିକ୍ କଥା । ଏକଥା ମୁଁ ମୂଳରୁ କହିସାରିଛି ! ତେବେ ଏ କାହାଣୀ–ମାନେ ଘଟଣାଟା ବର୍ଣ୍ଣନା କରିବାବେଳେ ଭାଷାଟା ବଡ଼କଥା ନୁହେଁ । ହେଲେ, ଯେଉଁ ମାଧୁର୍ଯ୍ୟ ଓ ସାରଲ୍ୟ ସେ ଭାଷାରେ ଆସିପାରିଥା’ନ୍ତା, ତାହା ଏ ବର୍ଣ୍ଣନାରେ ନାହିଁ !

 

ହଁ–ଏ ଘଟଣା ମୋତେ ଶୁଣାଇବାର ପ୍ରାୟ ପନ୍ଦର କୋଡ଼ିଏ ଦିନ ପରେ ସେ ଭଦ୍ରବ୍ୟକ୍ତି ମୋତେ ଫୋନ୍ କରିଥିଲେ ଏବଂ କହିଥିଲେ ଯେ ସରସୀ ମାରାଣ୍ଡି ସଂସାରୀକୁ ବାହା ହୋଇଯାଇଥିଲା ! ଉଭୟ ସାଙ୍ଗ ହୋଇ କାମକୁ ଯାଉଥିଲେ ।

✽✽✽

 

Unknown

ଆପଣା ରାତିର ପରିବର୍ତ୍ତିତ ଦୃଶ୍ୟପଟ

 

ଅନେକ ଦିନ ପରେ ତମେ ଆସିଲ ଆମ ଆଡ଼େ । ବୋଧେ ଆସିବାର ନଥିଲା, ତଥାପି ଅଚାନକ ଆସିଗଲ । ଭାବିଥିବ, ଚାକିରି ଛାଡ଼ି ଘରେ ବସି କବିତା, ଗପ, ଲେଖୁଥିବି । ଏଠିକୁ ଆସି ତମର ଧାରଣା ବଦଳି ଯାଇଥିବ । ଜାଣେ, ତମେ କେବଳ ମୋର ଚାକିରି ଛାଡ଼ିଦେବା ଖବର ପାଇ ଏଠାକୁ ଚାଲିଆସିବ–ବର୍ତ୍ତମାନ ମୋର ଅବସ୍ଥା ଦେଖି ହୁଏତ ଖୁସି ହେଉଥିବ ଅବା ଦୁଃଖ ପାଉଥିବ । ଛାଡ଼–ତମେ ଆସିଗଲ !

 

ତମେ ଆସିବା ପରେ ମୋ ପାଖକୁ ଖବର ଗଲା, ମୁଁ ଆସିଲି । ତମେ ଭାବିଥିବ, ମୁଁ କୁଆଡ଼େ ଅଭ୍ୟାସ ମୁତାବକ ଯାଇ ତାସ୍ ଖେଳୁଥିବି ଅବା କେଉଁଠାରେ ବସିଥିବି ଏକାଏକା ! ହେଲେ ମୋର ଗୋଡ଼ହାତ କାଦୁଅ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଉଥିବ । ସତରେ, ମୁଁ ବିଲରୁ ଫେରୁଥିଲି !

 

ହଁ–ଏବେ ଆଉ ଏଠି ବସିବସି କ’ଣ କରିଥାନ୍ତି କହୁନ ? ଚାକିରି ଛାଡ଼ିବା ପରେ ଯେବେ ପ୍ରବାସୀ କେହି ଗାଁକୁ ଫେରେ, ତା’ର ପୃଥିବୀ ତେବେ ବାନ୍ଧି ହୋଇଯାଏ ପ୍ରକୃତିରେ ! ଭାବୁଚ କି ଗାଁର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଏଠି ରହିଚି ? ଜମା ନୁହେଁ । ଚାକିରି ଛାଡ଼ିବା ପରେ ଆଉ କି ସହରରେ ଜାଗା ମିଳେ ? ଖାଇବା ଗଣ୍ଡାକ ଯୋଗାଡ଼ କରିବାପାଇଁ ଗାଁକୁ ଚାଲିଆସିଲି । ଜମିବାଡ଼ି ଦେଖାଶୁଣା କରୁଚି । ଚାକିରି ବା କାହିଁ କରିଥାନ୍ତି ? ସେଠି ଯୋଉ ପରିଶ୍ରମ, ଏଠି ସେଇ ପରିଶ୍ରମ । ସେଠି ମାସ ଶେଷରେ ଅପର୍ଯ୍ୟାପ୍ତ ପଇସା ବଳୁଥିଲା, ଏଠି ସେତକ ନାହିଁ । ପଇସାବି ମୋର କି କାମରେ ଆସିବ ? ସେଥିପାଇଁ ଏଠିକି ଚାଲିଆସିଲି, ପରିଶ୍ରମ କରିବି–ଯେତିକି ହେବ, ପେଟ ପୂରିଯିବ ବାସ୍ !

 

ସେଠିକା ଚିନ୍ତା ଏଠି ନାଇଁ, ସେଠିକା ଯନ୍ତ୍ରଣା ଏଠି ନାଇଁ । ସେଠିକା ଅନ୍ୟର ହୁକୁମତି ଏଠି ନାଇଁ । ଏଠି ମୁଣ୍ଡର କାମ ନାହିଁ, ଦେହର କାମ । ମୁଣ୍ଡ କାମ କରିକରି କେବେ ସମୟ ମିଳୁ ନଥିଲା ନିଜ ସହ ଟିକେ ଗପିବାକୁ, ସେଥିପାଇଁ ଦେହ ଭଲ ରହିଲା ନାହିଁ । ଏଠି ଦେହର କାମ, ଦେହର କଷ୍ଟ ଅଛି । ତେଣୁ ରାତିରେ ଗାଢ଼ ନିଦ ହେଉଚି । ଅନ୍ୟ ସମୟରେ ଆରାମରେ ବସି ନିଜ ସହ ଗପୁଚି । ଯେଉଁ ମଣିଷ ଶାନ୍ତିରେ, ଖୋଲାଖୋଲିଭାବେ, ଏକାକୀ ନିଜ ସହ ଗପିପାରେ, ତା’ଠୁ ବେଶୀ ସୁଖୀ ଆଉ କିଏ ଅଛି ? ସେଇଥିପାଇଁ ଏଠି ଭଲ ଲାଗୁଚି !

 

ଏଁ ? ଚାକିରି ଛାଡ଼ିବା ? ଚାକିରି ଛାଡ଼ିବା ପ୍ରାୟ ବର୍ଷେ ପାଖାପାଖି ହେବ ! ତମେ ବା କିମିତି ଜାଣନ୍ତ ? ତମର ମୋର ତ ପାଞ୍ଚବର୍ଷ ହେବ ଦେଖା ହୋଇନାହିଁ । ଆଚ୍ଛା–ତମ ସହ ବସି ଗପୁଚି ତ ଗପୁଚି, ତମେ ଚାହା ପିଇଚ ତ ? ପିଇନ ବୋଧେ ? ଟିକେ ରୁହ, ଚାହା ଦି’କପ୍ ପିଇ ଗପ୍‍ସପ୍ ହେବା ।

 

ଏଠି ମୋର କେହି ନାହାନ୍ତି । କିଏ ବା କେବେ ଥିଲା ଯେ ? ଅରକ୍ଷିତ ବୋଲି ଜଣେ ମଧ୍ୟବୟସ୍କ ଲୋକ ରଖିଚି, ରୋଷେଇ ବାସ କରିଦଉଚି । ବେଳେବେଳେ ମୋ ସହ ଜମିବାଡ଼ି କଥାବି ବୁଝେ ।

 

ସହର ଏମିତି ଛାଡ଼ିଦେଲି । ସହରରେ ତ ତେତିଶବର୍ଷ ରହିଲି, ଆଉ ରହିଥାନ୍ତି କାହିଁକି-? ଖାସ୍ ସେଥିପାଇଁ ଗାଁକୁ ଚାଲି ଆସିଲି । ଆଉ କିଛି କାରଣ ନାଇଁ, ସତ କହୁଚି ଆଉ କିଛି କାରଣ ନାହିଁ । ଜନ୍ମହେବା ପରଠୁ ଏମ୍.ଏ. ପାସ୍ କରି ଚାକିରି କରିବା ପର୍ଯ୍ୟନ୍ତ ତ ସହରରେ ରହିଲି, ଭାବିଲି ଗାଁରେ ଅବଶିଷ୍ଟ ଜୀବନ ବିତେଇଦେବା ! ହସୁଚ ? ବୋଧେ ଭାବୁଛ ଜୀବନ ତ ମୋର ଅନେକ ବାକି ଅଛି, ମୁଁ ବୁଢ଼ା ହେଇନି । ତମେ ଆଉ କେବେ ଅନୁଭବ କରିବ ଯେ, ସମଗ୍ର ଜୀବନଟା ଅତି ଅଳ୍ପ ସମୟ ବୋଲି । ଜଣେ ଚାଳିଶବର୍ଷରେ ମୃତ୍ୟୁମୁଖରେ ପଡ଼ିବାବେଳେ ଭାବେ : ଆଃ ! ଜୀବନଟା କେତେ ଅଳ୍ପ । ଜଣେ ଶହେବର୍ଷରେବି ଭାବେ ସେଇଆ । ଚାଳିଶବର୍ଷ ବଞ୍ଚୁଥିବା ଲୋକଟି ପାଇଁ ଜୀବନ ଯେତିକି ସମୟ ବୋଲି ଅନୁଭୂତ ହୁଏ, ଶହେବର୍ଷ ବଞ୍ଚୁଥିବା ଲୋକଟିପାଇଁବି ଜୀବନ ସେତିକି ଲମ୍ବା ବୋଲି ଅନୁଭୂତ ହୁଏ । ମୁଁ ଯେ ତେତିଶବର୍ଷରେ ସେକଥା ଭାବୁଚି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତା'ପରେ ମୋ ପରି ଲୋକଟାଏ ଅଧିକ କାଳ ବଞ୍ଚି ରହିଲେ, ଅନ୍ୟ ଉପରେ ବୋଝ ହେଇଯିବ । ଯେତେ ଶୀଘ୍ର ମିରିଯିବି, ସେତେ ଭଲ । ମତେ ଲାଗିଲା, ମୋର ମରିବା ସମୟ ପାଖେଇ ଆସୁଚି, ସେଥିପାଇଁ ଶେଷ ଜୀବନ ଗାଁରେ ବିତେଇ ଦେବାପାଇଁ ଚାଲିଆସିଲି । ତମେ ଭାବୁଥିବ, ଶିକ୍ଷାର ସର୍ବୋଚ୍ଚ ଡିଗ୍ରୀ ହାସଲ କରି, ସମାଜରେ ସମ୍ମାନ ଥିବା ଚାକିରି ଛାଡ଼ି ମୁଁ ଗାଁରେ ଯେ ଚାଷ କରି ଚଳୁଚି–ମୁଁ ପାଗଳ ହୋଇଯାଇଛି । ସତରେ, ସେମିତି କିଛି ହୋଇଥିବ, ମୁଁ ପାଗଳ ହେଇଗଲିଣି ବୋଧେ !

 

ଆଚ୍ଛା ତମେ କାହିଁକି ଆସିଛ ? ପାଞ୍ଚ ବରଷ ପରେ ତମେ କାହିଁକି ଆସିଛ ? ତମେ ମୋର ମନେ ନ ପଡ଼, ସେକଥା ନୁହେଁ । ତେବେ ଏଇ କେଇଁ ଦିନ ଗାଁରେ ରହିବା ପରେ ତମକଥା ପ୍ରାୟତଃ ଭୁଲି ହୋଇଯାଇଥିଲା କହିଲେ ଚଳେ । ତମେ ହଠାତ୍ ଆସି ମନେ ପକେଇଦେଲ ଯେ, ଅତୀତରେ ତମର ମୋପାଇଁ କିଛି ଅସ୍ତିତ୍ୱ ଥିଲା । ଭଲହେଲା, ବେଳେବେଳେ ଅତୀତକୁ ଦେଖିବାକୁ ଭଲ ଲାଗେ । କିନ୍ତୁ ଅତୀତକୁ ଏକାଏକା ଉପଭୋଗ କରିହୁଏ ନାହିଁ । ଅତୀତର ଘଟନାବଳି ସହ ଜଡ଼ିତ ଥିବା ମଣିଷ ଜଣକ ଯଦି ଅତୀତକୁ ଦେଖିବା ସମୟରେ ଉପସ୍ଥିତ ଥାଏ ତେବେ ଅତୀତର ଦୃଶ୍ୟ ବଡ଼ ଉପଭୋଗ୍ୟ ହୁଏ, ନୁହେଁ ? ତମେ ଆସିଚ ପାଞ୍ଚବର୍ଷ ପରେ ଏଇ ମମତା ଯଥେଷ୍ଟ ତମ ମୋ ଭିତରେ ପରର ଭାବ ସୃଷ୍ଟି କରିବାପାଇଁ । ତଥାପି ସେମିତି ଅନୁଭବ ଆସୁ ନାହିଁ । କେବଳ ତୁମେ ଆସିଛ, ତମ ସହ ବିତି ଯିବ କେତେ କ୍ଷଣ ! ତା’ପରେ ଆସିବ ସନ୍ଧ୍ୟା, ସନ୍ଧ୍ୟାରେ ମୁଁ ପ୍ରତିଦିନ ନଈକୂଳ ଆଡ଼େ ଯାଏଁ ।

 

ହଁ–ସିଗାରେଟ ଟଣା ସେମିତି ଅଛି । ପାଞ୍ଚ ବରଷ ସିନା ମଣିଷ ସହ ମଣିଷକୁ ପର କରିଦେବା ପାଇଁ ଯଥେଷ୍ଟ, ହେଲେ ସିଗାରେଟସହ ପାଞ୍ଚବରଷର ସମ୍ପର୍କ କ’ଣ ?

 

ଦେଖ, ତମେ କାହିଁକି ଆସିବ ବୋଲି ପଚାରୁଥିଲି, ଅନ୍ୟକଥା କହିପକେଇଲି । କୁହ, ତମେ କେମିତି ଏଆଡ଼େ ଚାଲି ଆସିଲ ? କେତେ ବର୍ଷ ତଳେ ଶୁଣିଥିଲି, ତମେ ଏକ ବଡ଼ ଡାକ୍ତରାଣୀ ହେଇଚ, ବିଦେଶ ଯାଇଚ । ବିଦେଶରୁ କେବେ ଫେରିଲ ? ଆଉ ଏଇ କେଇଦିନ ହେବ ଖବରକାଗଜ ପଢ଼ିବାର ସୁଯୋଗ ହେଉ ନାହିଁ । ପଢ଼ୁଥିଲେ ଅବା ଜାଣିଥାନ୍ତି । ଖବରକାଗଜ ପଢ଼ୁନାହିଁ, ରେଡ଼ିଓଟା ବିକିଦେଲି । ଆଧୁନିକ ପଦାର୍ଥ ବୋଇଲେ ମୋର ଅଛି ଗୋଟେ ଟେପ୍ ରେକର୍ଡ଼ର ଓ କେତେଟା ପୁରୁଣା ଗୀତର କ୍ୟାସେଟ୍ । ଖାଇସାରି ରାତିରେ ଶୋଇବାକୁ ଗଲାବେଳେ କେତେଟା ଗୀତ ଶୁଣେ, କିଛି ସମୟପାଇଁ ଆଖିବୁଜି ଶେଯରେ ଗଡ଼େ, ଖସ୍ତେ ଦୁଇଖଣ୍ଡ ସିଗାରେଟ ଟାଣେ, ତା’ପରେ ଧୀରେ ଧୀରେ ନିଦ ଆସିଯାଏ । ପ୍ରତିଦିନ ସେଇ ଅବଚେତନ ମୁହୂର୍ତ୍ତରେ ହାତ ଯନ୍ତ୍ରଚାଳିତ ପରି ଟେପ୍‍ରେକର୍ଡ଼ର ପାଖକୁ ଚାଲିଯାଏ, ସୁଇଚ୍ ଅଫ୍ କରେ, ନିଦ ହୋଇଯାଏ । ରାତି ପାଞ୍ଚ/ଛ’ଘଣ୍ଟା ବିତିଯାଏ ପାଞ୍ଚ/ ଛ’ ସେକେଣ୍ଡ୍‍ ଭଳି ।

 

ଏତେ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଉଚ, ନୁହେଁ ? ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ଯେ ? ଗୋଟେ ପ୍ରକାର ଜୀବନ ଭଲ ଲାଗିଲା ନାହିଁ, ଆଉ ଏକପ୍ରକାରର ଜୀବନରେ କିଛି ଗୋଟେ ଖୋଜୁଚି–ଭାବୁଚି ମିଳିବ । ଏଥିରେ ତମେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?

 

ଏମିତି ଚାହିଁଛ କ’ଣ ? କ’ଣ ଦେଖୁଚ ମୋଠାରେ ? ସହରରେ ଥିବାବେଳେ ଆଖି ତଳେ ଯେଉଁ କଳାଦାଗ ପଡ଼ିଥିଲା, ତାହା ଏବେ ଫିକା ହୋଇ ଆସିଲାଣି । ଆଗ ଅପେକ୍ଷା ସ୍ଵାସ୍ଥ୍ୟ ଟିକେ ଉନ୍ନତି କରିଚି ବୋଲି ଭାବୁଚି । କେବଳ ସିଗାରେଟ ଟଣା ଯୋଗୁଁ ଓଠ ଟିକେ କଳାପଡ଼ି ଯାଇଚି । ଆଉ କ’ଣ ? ନା ମୋ ଭିତର ମଣିଷକୁ ନିରିଖେଇ ଦେଖୁଚ ? ଦେଖ, ସେଠି ଆଉ ଭିତର ମଣିଷ ବୋଲି କେହି ନାହିଁ–ଯିଏ ଅଛି, ସେ ଏଇ ବାହାର ମଣିଷର ଛାଇ ।

 

କବିତା, ଗପ ? ଛି, ସେ ଅଭ୍ୟାସ କାହିଁ କେତେ ଦିନ ତଳୁ କୁଆଡ଼େ ଛାଡ଼ିଗଲାଣି । ସେ ବି ଅତୀତ ହେଇଗଲାଣି । ଏବେ କେବଳ ଅତୀତର ମୁହୂର୍ତ୍ତକୁ କେବେ ଅଚାନକ ଦେଖି ପକେଇଲେ, ପୁରୁଣା ବନ୍ଧୁଟି ସହ ହଠାତ୍ ଦେଖାହେବା ଭଳି–ଏଇ ଯେମିତି ତମ ସହ ଏବେ, ଭାରି ଖୁସି ଲାଗେ । ଖୁସିଲାଗେ ଯେ ମୁଁ କବିତା–ଗପ ଲେଖୁଥିଲି । ଆହୁରି ଖୁସି ଲାଗେ ଯେତେବେଳେ ତମପରି କେହି ଜଣେ ପାଖରେ ଥିବାବେଳେ ଏକଥା ମନେପଡ଼େ ।

 

ବୋଧେ ତମେ ଖୋଜୁଚ ମୋ ଭିତରୁ ଆଉ ଜଣକୁ ଯିଏ କଲେଜ ଡ୍ରାମାରେ ହିରୋ ହେଉଥିଲା, ରାତିରେ ହଷ୍ଟେଲ୍‍ରୁ ବାହାରି ଷ୍ଟେସନ୍‍ରେ ଘୂରୁଥିଲା, ଛାତିରେ ଶୋଉଥିଲା ଶୀତ ଦିନ ରାତିରେ, କବିତା–ଗପ ଲେଖୁଥିଲା, ଭଲ ପଢ଼ି ସମ୍ମାନଜନକ ଚାକିରିଟିଏ ପାଇଥିଲା; ତାକୁ ! ହେଲେ ଗାଁରେ ଜଣେ ଚାଷୀ ଭିତରୁ ସେ ସବୁ ଖୋଜିଲେ ମିଳିବ ନାଇଁ । କୌଣସି ଚାଷୀ ମୋରି ପରି ଟେପ୍ ରେକର୍ଡ଼ ରଖିବା ଯେମିତି ଅବାନ୍ତର, ସେମିତି ତମେ ମୋ ପରି ଜଣେ ଚାଷୀ ଭିତରୁ ଆଉ ଜଣକୁ ଖୋଜିବାବି ଅବାନ୍ତର । ସେ ଲୋକଟି ହଜିଛି ସହରରେ, ବର୍ଷେ–ଦୁଇବର୍ଷ ତଳୁ, କୋଉଠି ହଜିଯାଇଥିବ ସହରର ଗହଳିରେ ଅବା ଗଳିକନ୍ଦିରେ କିମ୍ବା ମରିଯାଇଥିବ କାହା ଛୁରା ମାଡ଼ରେ । ଏଠି ଯାହା ସାମନାରେ ବସିଚ ତମେ–ସିଏ ଚାଷୀଟିଏ, ପରିବାରରେ ଏକା, ଚାଷ କରି ପେଟ ପୋଷେ, ମନଖୁସି ପାଇଁ ବିଳାସରେ ଟେପ୍‌ଟିଏ ରଖିଚି, ସିଗାରେଟ ଟାଣୁଚି, ସନ୍ଧ୍ୟାରେ ନଈକୂଳିଆ ବଜାରରେ ବୁଲୁଚି କାନ୍ଧରେ ଗାମୁଛା ଖଣ୍ଡେ ପକାଇ, ଆଣ୍ଠୁ ଲୁଚୁ ନଥିବା ଲୁଗାଟିଏ ପିନ୍ଧି-!

 

ତଥାପି ତମେ ଆସିଚ, ଆସିଥିବାରୁ ମୋ ଭିତରେ କିଛି ଗୋଟେ ବିସ୍ଫୋରଣ ଘଟୁଚି । ମୋର କବିତ୍ୱ ବାହାରକୁ ବାହାରି ଆସୁଚି, ମୋର ଗାଳ୍ପିକତ୍ୱ ଲୁଚି ପାରୁନାହିଁ, ଛାତ ଉପରେ ଶୋଉଥିବା, ରାତିରେ ଷ୍ଟେସନ୍‍ରେ ଘୂରୁଥିବା ବ୍ୟକ୍ତିତ୍ୱଟି ଆପଣା ଛାଏଁ ବିସ୍ମୃତିର ଅଳିଆଗଦା ତଳୁ ଉଠିଆସୁଚି ଯାଦୁକର ମାରି ଦେଇ ବଞ୍ଚେଇ ଦେଉଥିବା ଲୋକଟିଏ ଭଳି । ଧୀରେ ଧୀରେ, ଆଖିମେଲି ଅଙ୍ଗପ୍ରତ୍ୟଙ୍ଗ ସଂଚାଳନ କରି, କୌଣସି ସଂଯମ ମାନୁ ନାହିଁ, କୌଣସି ଯୁକ୍ତ ଖାଟୁ ନାହିଁ-!

 

ଏଇଟା ତ ଆଷାଢ଼ ମାସ, ଏ ବର୍ଷ ବର୍ଷା ଡେରିରେ ହେଲା, ଏବେ ଚାଷବାସ କାମ ଆରମ୍ଭ ହେଇଚି । କିନ୍ତୁ ପ୍ରଥମ ଆଷାଢ଼ ପ୍ରତିବର୍ଷ ପରି ମୋ ଘର ଚାଳରୁ ବୁହେଇ ଦେଇଗଲା ଦୁଃଖର ଧାରାଟିଏ । ପ୍ରଥମ ବର୍ଷାରେ ମୁଁ ଘରୁ ପଦାକୁ ବାହାରି ନାହିଁ । ଘରେ ବସି ସିଗାରେଟ ଟାଣି, ଟେପ୍ ଶୁଣି, ଝର୍କାବାଟେ ବର୍ଷାକୁ ଦେଖିଚି, ଦେଖିଚି ଦୁଃଖର ମୁଣ୍ଡାଏ ବରଫ କେମିତି ତରଳି ତରଳି ଖସି ଆସୁଚି ଆକାଶରୁ–ଶୂନ୍ୟରୁ, ଝରିଯାଉଚି ମୋ ଚାଳରେ, ମୋ ଅଗଣାରେ, ମୋ ବାଡ଼ିରେ, ମୋ ବିଲରେ, ମୋ ପୋଖରୀରେ । ଆଘ୍ରାଣ କରିଚି ଅନେକକ୍ଷଣ ମାଟିର ଗନ୍ଧ । ତମେ ଆସି ପୁଣି ମନେପକେଇ ଦେଲ ସେଇ ପ୍ରଥମ ଆଷାଢ଼ର କଥା । ତମେ କ’ଣ ଏଇଆ ମନେପକାଇବାକୁ ଆସିଚ ?

 

ମନେପଡ଼େ ସେଦିନର କଥା ? ମନେପଡ଼େ ମୁଁ ତମକୁ ଭେଟିଥିଲି ତମ ଡାକ୍ତରଖାନାର ବାରଣ୍ଡାରେ ? କହିଥିଲି ତମକୁ ସବୁକଥା । କହିଥିଲି, ସ୍କୁଲ୍ ଜୀବନରୁ ତମକୁ ଭଲପାଏ ବୋଲି । କହିଥିଲି, ତମେହିଁ ଗପ–କବିତାର ଉତ୍ସ ?' କହିଥିଲି ଯେ, ଯେଉଁଦିନ ବଡ଼ ଚାକିରି ପାଇଥାନ୍ତି, ସେଦିନ ତମକୁ ମନକଥା କହିଥାନ୍ତି, ଆଉ ସେଦିନ ବଡ଼ ଚାକିରି ପାଇଥିଲି, ତେଣୁ ତମ ଆଗରେ ହୃଦୟର କଥା କହିଥିଲି ! ମନେପଡ଼େ, ତମେ କ’ଣ କହିଥିଲ ତା’ପରେ ?

 

ସେଦିନ ତମେ ମତେ ଅନ୍ୟ ଉପାୟରେ ମଧ୍ୟ କଥା କହିପାରିଥାନ୍ତ । ତମର ମୋର ତ ଅଚିହ୍ନା ନଥିଲା, ତମର ମୋର ତ ପ୍ରଥମ ସାକ୍ଷାତ ନଥିଲା ସେଦିନ ! ତଥାପି ତମେ କଠୋର ହେବାକୁ ପସନ୍ଦ କଲ । ମୁଁ ତୁମକୁ ଆଗରୁ କହିଥିଲେ ଭୁଲ୍ ହୋଇଥାନ୍ତା ବୋଲି ସେଦିନ ବୁଝିଲି । ଏବେ କହୁଚି, ସେଦିନ ପର୍ଯ୍ୟନ୍ତ ମୁଁ ତମକୁ ଭାବିଥିଲି ଛୋଟପିଲାଟିଏ, ଅବୁଝା ଝିଅଟିଏ । ଛୋଟପିଲାଟେ ଆଗରେ ମୁଁ କେମିତି କହିଥାନ୍ତି ହୃଦୟର କଥା ? ହୁଏତ ତମପ୍ରତି ମୋର ଏକପାଖିଆ ପ୍ରେମ ଯୋଗୁଁ ତମ ପ୍ରତି ମୋର ସେମିତି ଧାରଣା ହେଇଥିଲା । ଯାହାହେଉ, ତମେ ସେଦିନ ତମ ଡାକ୍ତରଖାନାର ବାରଣ୍ଡାରେ ମୋର ଦୁଇ ଆଖି ଖୋଲିଦେଲ, ତମେ ଆଉ ଛୋଟପିଲା ନାହଁ ବୋଲି ମତେ ଜଣେଇ ଦେଲ, ବଡ଼ ଚାକିରି ତମକୁ ମୋ ନିକଟକୁ ଆଣିଦେବ ନାହିଁ ବୋଲି ମତେ ବୁଝେଇ ଦେଲ !

 

ତମେ କହିଥିଲ : ‘ଆଉଥରେ ଯେମିତି ତମ ମୁହଁରୁ ଏକଥା ନଶୁଣେ । ତମେ ମୋତେ ବଡ଼ ଚାକିରି ଦେଖେଇ ଲୋଭାଉଚ କ’ଣ ? ହୃଦୟର ବାକ୍ୟ ଶୁଣଉଚି କ’ଣ ? ଜଣେ ଡାକ୍ତରାଣୀ ପୁଣି ଅବିବାହିତା–ତାଙ୍କ ସଙ୍ଗେ କିମିତି କଥାବାର୍ତ୍ତା କରିବାକୁ ହୁଏ ତମକୁ ଆସେନା । ଭବିଷ୍ୟତରେ ଯେମିତି ତମ ସହ ମୋର ଭେଟ ନହୁଏ !’ ବାସ୍–ତମଠୁ ଅଧିକା ଆଉ କ’ଣ ଶୁଣିଥାନ୍ତି ? ମୁଁ ଫେରି ଆସିଥିଲି । ସେଦିନ ମୋ ଭିତରେ କ'ଣ ହୋଇଥିଲା, ସେକଥା ଆଜି କହିବାପାଇଁ ଲଜ୍ଜା ନାହିଁ, ଗ୍ଳାନି ନାହିଁ, ଶଙ୍କା ନାହିଁ, ଅନୁଶୋଚନ ନାହିଁ । ବରଂ ସେକଥା ଆଜି କହିବାବେଳେ, ପୁଣି ତମ ଆଗରେ, ମୋର ପୁରୁଷକାର ବଢ଼ିଯାଇଚି, ମୋର ପୁରୁଷକାରରେ ମୁଁ ଚଉଦିଗ ଘୋଡ଼େଇ ଦେଇଚି । ଏଇଥିପାଇଁ ଯେ, ମୋର ପୁରୁଷକାର ବର୍ତ୍ତମାନ କୌଣସି ଅଫିସରର ପୁରୁଷକାର ନୁହେଁ, କୌଣସି କବିର ପୁରୁଷକାର ନୁହେଁ, କୌଣସି ଗାଳ୍ପିକର ନୁହେଁ, କୌଣସି ଡ୍ରାମାର ହିରୋର ନୁହେଁ ଅବା ଷ୍ଟେସନ୍‌ରେ ରାତିରେ ଘୂରୁଥିବା କୌଣସି ବେପରୁଆ ଛାତ୍ରର ନୁହେଁ–ବରଂ ମୋର ପୁରୁଷକାର ସହରଠୁ ବହୁଦୂରସ୍ଥ ଏକ ଛୋଟ ଗାଁର କୌଣସି ଏକ ଚାଷୀର ଉଦ୍ଧତ ପୁରୁଷକାର ।

 

ତମ ପାଖରୁ ସେଦିନ ଫେରି ଆସିବାପରେ ମୁଁ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ଲେଖିଚି । ତମ ଚିଠିବି ଦୁଇଥର ପାଇଚି । ପ୍ରଥମ ଚିଠିରେ ତମେ କୌଣସି ଏକ ଗପର ପ୍ରଶଂସା କରି ଲେଖିଥିଲ, ମୁଁ ଏବେ ଭୁଲିଗଲିଣି ତା’ର ନାଁ । ତା’ର କିଛିଦିନ ପରେ ମୁଁ ତମ ଦ୍ୱିତୀୟ ଚିଠି ପାଇଥିଲି । ଲେଖିଥିଲ, ସେଦିନର ଅପ୍ରୀତିକର ଘଟଣାକୁ ନେଇ ତମେ ଦୁଃଖ ପାଇଚ ବୋଲି । ସେ ଘଟଣାକୁ ମୁଁ ଭୁଲିଯିବା ପାଇଁ ତମେ ଉପଦେଶ ଦେଇଥିଲ । ସେତେବେଳେ ତମେ ଆଉଥରେ ମୋ ଅଫିସ୍‍କୁ ଆସିଥିଲ ମତେ ଭେଟିବାପାଇଁ; ଭେଟିପାରି ନଥିଲ । ଭେଟିଥିଲେ ସେଦିନ କ’ଣ ହେଇଥାନ୍ତା, ଏବେ କହିବା କଷ୍ଟ ! ତଥାପି ତମ ଡାକ୍ତରଖାନାରେ ତମେ ଯେମିତି ନିଷ୍ଠାପର ଡାକ୍ତରାଣୀଟିଏ, ମୋ ଅଫିସ୍‍ର ଚାରି ମହଲା କୋଠାଟିରେ ମୁଁ ବି ସେମିତି ନିଷ୍ଠାପର ଦୃଢ଼ ଅଫିସରଟିଏ । ସେ ସମୟରେ ମୁଁ ଠିକ୍ ଜାଣୁଥିଲି ତମ ହୃଦୟର କଥା ! ଦେଖା କରିବାର କିଛି ଦରକାର ନଥିଲା, ସେପାଇଁ ମୁଁ ଜାଣିଜାଣି ତମକୁ ଦେଖାକରୁ ନଥିଲି ! ତା’ପରେ ତମ ସହ ମୋର ଅଚାନକ ଭେଟ ହୋଇଥିଲା ଏକ ସାଧାରଣସଭାରେ । ମୌଖିକ ଭାବ ଆଦାନପ୍ରଦାନ ପରେ ତମେ କଫି ପିଇବାକୁ ଡାକିଥିବାରୁ ଏବେ ସ୍ପଷ୍ଟ ମନେ ଅଛି । ମୁଁ ବି ଯାଇଥିଲି ତମ ସହ । ତମେ ତମ ହୃଦୟର କଥା ଡରିଡ଼ରି, କଫି ପିଉପିଉ, ମତେ କହିଥିଲ ! ଭାବିଥିଲ, ମୁଁ ରୋମାଞ୍ଚେଇ ଯିବି ଆନନ୍ଦରେ । ଅଥଚ ତା’ହେଲା ନାହିଁ । ଏବେବି ଭଲ ଭାବରେ ମନେ ଅଛି ଯେ, ସେଦିନ କଫିବାରରେବି ମୁଁ ତମକୁ ଛୋଟ ଅବୁଝା ଝିଅଟେ ବୋଲି ଭାବିଥିଲି ! ତମ କଥା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ମୁଁ ପଦେକଥା କହି ନଥିଲି । ଶେଷରେ କହିଥିଲି : ‘ଚାଲ, ମିଟିଙ୍ଗ୍‍ବେଳ ହୋଇଗଲାଣି, ସମସ୍ତେ ହଲ୍ ଭିତରକୁ ଗଲେଣି !’ ବାସ୍–ତମକୁ ବାଧିଲା, ତମେ ନୀରବରେ ଗଲ ହଲ୍ ଭିତରକୁ ଓ ନୀରବରେ ଫେରିଗଲ ସଭା ଭାଙ୍ଗିବା ପରେ ! ତା'ପରେ ତମର ମୋର ଆଉ ପାଞ୍ଚବର୍ଷ ହେବ ଦେଖା ହୋଇନାହିଁ । ୟା ଭିତରେ ତମେ ଯାଇ ବିଦେଶରୁ ଫେରିଲଣି । ସତରେ, ସେଦିନର ଡାକ୍ତରଖାନାର ଅବୁଝା ଝିଅ ଆଜି ଖୁବ୍ ନାମଜାଦା ବିଦେଶ ଫେରନ୍ତା ଡାକ୍ତରାଣୀ !

 

ତମ ଉପରେ ଯେ ପ୍ରତିଶୋଧ ନେବାପାଇଁ ମୁଁ ସେପରି କରିଥିଲି, ତାହା ନୁହେଁ । ମୁଁ ଯେ ତମର ପ୍ରେମକୁ ପରୀକ୍ଷା କରୁଥିଲି, ତା’ବି ନୁହେଁ । ଜିଦ୍‌ରେବି ନୁହେଁ । ସେଦିନ ଡାକ୍ତରଖାନାରେ ମୋର ସମସ୍ତ ପୁରୁଷକାରକୁ ତମେ ଖିନ୍‌ଭିନ୍ କରି ଭଙ୍ଗା ଇଞ୍ଜେକ୍‍ସନ୍ ଶିଶିପରି ଫୋପାଡ଼ି ଦେବାପରେ, ଆଉ କେମିତି ମୁଁ ତମକୁ ସାମନାସାମନି କରିଥାନ୍ତି ? ପୁରୁଷକାର ନଥିବା ମଣିଷଟି କେବେ ପ୍ରେମ କରିପାରେ ? ହଁ–ହଁ–ପୁରୁଷକାର ନଥିବା ମଣିଷଟି ପ୍ରେମ କରିପାରେ, ମାତ୍ର ସେଇ ପ୍ରେମକୁ ପ୍ରକାଶ କରିବା ଘୋର ଲଜ୍ଜାର କଥା । ତେଣୁ ସେ ଘଟଣା ପରେ ମୁଁ ତମକୁ ନା ଘୃଣା କରୁଥିଲି, ନା ଈର୍ଷା କରୁଥିଲି, ନା ତମ ଉପରେ ପ୍ରତିଶୋଧ ନେବାର ଚିନ୍ତା ମୋ ଭିତରେ ଥିଲା ! ମୁଁ ପୂର୍ବଭଳି ତମକୁ ପ୍ରେମ କରୁଥିଲି, କିନ୍ତୁ ଆଉ ପ୍ରକାଶ କରିଥାନ୍ତି କେମିତି ? ଏବେ ତମକୁ ପ୍ରେମ କରୁଚି କି ନାହିଁ, ସେକଥା କହିବା ଅନାବଶ୍ୟକ । ତଥାପି ଗୋଟିଏ କଥା କହିପାରେ ଯେ, ପୁରୁଷକାର ନଥିବା ଚାଷୀ କେବେ ପ୍ରେମ କରିବାର ସ୍ଵପ୍ନ ଦେଖିପାରେ ?

 

ତା’ପରେ ମୋର ବିଶ୍ୱାସ ହେଲା, ପୁରୁଷକାର ନଥିବା ମଣିଷଟି କେବଳ ଖାଇବା ନିମିତ୍ତ ଆବଶ୍ୟକ ପରିଶ୍ରମ କରି, ଗଣ୍ଡାଏ ଖାଇ ବଞ୍ଚିପାରେ । ତା’ଛଡ଼ା ଆଉ କିଛି ନାହିଁ । ସେଇଥିପାଇଁ ଚାକିରି ଛାଡ଼ି, ମୁଁ–ସେଦିନର ସେଇ ମେଡ଼ିକାଲ ବାରଣ୍ଡାର ପୁରୁଷକାରହୀନ ଉଚ୍ଚପଦସ୍ଥ ଅଫିସରଟିଏ, ନିଜର ପୁରୁଷକାର ନଥିବାର ଜ୍ୱାଳାରେ, ଦହନରେ, ଯନ୍ତ୍ରଣାରେ, ଗ୍ଳାନିରେ ନିଜର ପୁରୁଷକାରହୀନତା, ସଭ୍ୟ ଜଗତରୁ ଲୁଚେଇବା ପାଇଁ ଏଇ ଦୂର ଗାଁକୁ–ଯୋଉଠି ମୋ ବାପ–ଅଜା ଚଉଦପୁରୁଷର ଭିଟାମାଟି, ସେଇଠିକି ଆସି ଚାଷ କରି ବଞ୍ଚୁଚି । ବାସ୍–ଏଇ ମୋ କଥା । ଏମିତି ବଞ୍ଚିଛି, ଆଉ ବା ଜୀବନରେ କ’ଣ ଅଛି ? ଅତି ଅଳ୍ପବି ଏଇ ଜୀବନର ରାସ୍ତା, କେତେବେଳେ ସରିଯିବ ତା’ର ଠିକଣା ନାହିଁ । କେହି ଯାଯାବର ପାନ୍ଥଶାଳାଟେ ପାଏ ରାତି ଗୋଟାଏ ବିତେଇବା ପାଇଁ, ଆଉ କେହି ରାତିରେ ପାନ୍ଥଶାଳାଟେ ନ ପାଇ ଗଛମୂଳେ ରାତିଟି ବିତେଇ ଦିଏ–ଏଇତ ତଫାତ୍ ! ନା ଆଉ କିଛି ?

 

ମୁଁ କେବଳ ମୋ କଥା କହିଚାଲିଛି । ପଚାରୁଥିଲି ପରା, ତମେ କାହିଁକି ଆସିଚ ବୋଲି-। ଅନ୍ୟକଥା କହି ପକେଇଲି । ତମେ କାହିଁକି ଆସିବ ବୋଲି ପଚାରୁଥିବାରୁ ତମେ ଭାବୁଚ କି ତମେ ନ ଆସିବାଟା ଭଲ ହୋଇଥାନ୍ତା ? ନା–ନା–ସେକଥା ଜମା ନୁହେଁ । ତମେ ଆସିଚ, ଭଲ କରିଚ । ମୋ କଥାର ଅର୍ଥହେଲା, କେମିତି ତମ ପାଦ ଆମ ଆଡ଼େ ପଡ଼ିଲା ? ତମର ତ କାର୍ଯ୍ୟବ୍ୟସ୍ତ ଜୀବନ, ତମେ କିମିତି ସମୟ ପାଇଲ ଏଆଡ଼େ ଆସିବାପାଇଁ ? ପୁଣି ବିଦେଶରୁ ଫେରିବା ପରେ ତ ତମର ଜୀବନ ପୂର୍ବପେକ୍ଷା ଆହୁରି କର୍ମମୁଖର ହୋଇଯାଇଥିବ-। ସକାଳୁ ସଞ୍ଜଯାଏଁ ତମ ଦୁଆରେ ରୋଗୀଙ୍କର ମେଳା ଲାଗି ରହୁଥିବ । ଖାଇବାପାଇଁବି ତମେ ସମୟ ପାଉ ନଥିବ । ଡାକ୍ତରାଣୀ ଜୀବନ ବଡ଼ କର୍ମମୟ, ନୁହେଁ ? ଅନ୍ୟର ଯତ୍ନ ନେଉନେଉ ତମେ ନିଜର ଯତ୍ନ ନେବାକୁ ସମୟ ପାଉ ନଥିବ । ହଁ–ତା'ଠୁ ବଡ଼କାମବି ଜୀବନରେ ଜଣେ କ’ଣ କରିପାରେ-? ଆମେ ସବୁ ମାନେ ମୁଁ ତ ମୂଲ୍ୟହୀନ ଜୀବନ ବିତଉଚି । ଏମିତି–ଜିଇବା ଅପେକ୍ଷା ମରିବା ଭଲ । ଏମିତି ଜୀବନ ପଶୁବି ବିତାଏ । କିନ୍ତୁ ତମେ ଯେ ଅନ୍ୟକୁ ମୃତ୍ୟୁମୁଖରୁ ଛଡ଼ାଇ ଆଣିବାପାଇଁ ଅହରହ ପରିଶ୍ରମ କରି ନିଜକୁ ଭୁଲିଯାଉଥିବ ! ନିଜର ଅବସର ବୋଲି କିଛି ସମୟ ନଥିବ-। ତମେ ଏହାଠୁ ବଡ଼ ଉତ୍ସର୍ଗ ଆଉ କ’ଣ ଜୀବନରେ କରିପାରିଥାନ୍ତ ? ସତରେ, ତମର ଚଲାପଥରେ ସେଇ ଅଗଣିତ ରୋଗୀମାନଙ୍କର ଆଶୀର୍ବାଦ ଫୁଲ ହୋଇ ବିଞ୍ଚିହୋଇ ଯାଉ ! ଜୀବନର ରାସ୍ତା ତମର ଫୁଲମୟ ହେଉ !

 

ତମେ ଏମିତି ମଉନ ରହିଚ ଯେ ? ଆରମ୍ଭରୁ ତ ମୁଁ କେବଳ ଗପୁଚି । ତମେ କିଛି କୁହ-। ନହେଲେ ଆଉ କେତେ ସମୟ ମୁଁ ଏକଲା ବକ୍‌ବକ୍ ହେଉଥିବି ? ଆଗରୁ ତ ତମେ ଏମିତି ମଉନ ରହୁଥିବାର ମୁଁ ଜାଣିନି । କାହିଁ–ସ୍କୁଲ୍‍ରେ ତ ତମେ ଏମିତି ମଉନ ନଥିଲ । ସେତେବେଳେ ତ ତମେ ଥିଲ ଚପଳମତି କୁନି ଝିଅଟିଏ ! ଘୂରି ବୁଲୁଥିଲା ପ୍ରଜାପତିଟିଏ ପରି ! ତଥାପି ସ୍କୁଲ୍ ଜୀବନରେ ତମ ସହ ମୋର ପଦିଏ କଥାବାର୍ତ୍ତା ହେଇନି । ତା’ପରେ ତ ତମେ କଲେଜରେ କେତେ ତରୁଣଙ୍କର ମାନସୀ ହୋଇଗଲ । ଅବଶ୍ୟ ମୋ ଜାଣିବାରେ ତମର କାହା ପ୍ରତି ଦୁର୍ବଳତା ନଥିଲା ! ମୁଁ କିନ୍ତୁ ସ୍କୁଲ୍‍ଠାରୁ ଆରମ୍ଭ କରି ତମେ କଲେଜରେ ସାଇନ୍‌ସ୍ ପଢ଼ି ମେଡ଼ିକାଲ ଯିବା ଭିତରେ ତମ ସହ ପଦେ କଥା କହି ନାହିଁ, କହିପାରିନାହିଁ । ସର୍ବଦା ଭାବୁଥିଲି, ବଡ଼ହେଲେ ତମକୁ ସବୁକଥା କହିବି ! ବଡ଼ ଚାକିରି କଲି, ଲେଖକଟିଏଭାବେ ସାଧାରଣ ନାଁ କମେଇଲି, ତଥାପି ତମେ ମୋର ଆଖି ଖୋଲିଦେଲ, ବୁଝେଇ ଦେଲ ଯେ ଏସବୁ କିଛି ନୁହେଁ । ତା’ପରେ ମୋର ଧାରଣା ହୋଇଥିଲା ଯେ ତମେ ତମ ଡାକ୍ତରୀ ଜୀବନରେ କୌଣସି ତରୁଣକୁ ଭଲପାଇଥିବ ! ତେଣୁ ତମ ମେଡ଼ିକାଲ ବାରଣ୍ଡାରୁ ଫେରିବା ପରେ ମୁଁ ତମକୁ ଭିନ୍ନ ଦୃଷ୍ଟିରେ ଦେଖିଲି । ତମେ ଯେମିତି ଅନ୍ୟର ବାଗ୍‌ଦତ୍ତା ପରି ମୋତେ ଅନୁଭବ ହେଲ । ମୁଁ ତମକୁ ଭକ୍ତି କଲି ! ତମଠୁ ଦୂରେଇ ରହିଲି-। କିନ୍ତୁ ତମେ ପୁଣି ମୋ ସହ ନିକଟେଇବାର ଚେଷ୍ଟା କଲ । ସେତେବେଳେ ମୋର ଅନୁଭବ ହେଲା ଯେ, ମୁଁ ପୁରୁଷ–ମୋର ପୌରୁଷ ଅନେକ ଦିନରୁ କେଉଁଠି ମରିହଜି ଯାଇଚି, ତେଣୁ ମୁଁ ତମଠୁ ଦୂରେଇଗଲି, ପୁରୁଷକାରକୁ ଜାବୋଡ଼ି ଧରି ମୁଁ ଫେରିଆସିଲି, ୟା’ ଭିତରେ ତମେ ବିଦେଶ ଯାଇଚ, ନାଁ କମେଇଚ । ପାଞ୍ଚବର୍ଷ ବିତିଗଲାଣି । ତମେ ଆସିବା ଅଚାନକ ଓ ଅପ୍ରତ୍ୟାଶିତ-। ତମେ ଯଦି ନ କହିବ, ତମେ କାହିଁକି ପୁରୁଷକାରହୀନ ଚାଷୀଟିଏର ଦୁଆରକୁ ଆସିଚ, ମୁଁ ବା କିମିତି ଜାଣିବି ? ମଉନବ୍ରତ ଛାଡ଼, ପଦେ ଦିପଦ କଥା କୁହ । ତମ ମନକଥା, ବିଦେଶ କଥା, ଡାକ୍ତରୀଜୀବନ କଥା ! ବିଦେଶରେ ସବୁ କିଛି ଆମ ଦେଶଠାରୁ ଭଲ ନା ? ଆମ ସମାଜ ପରି ସେଠି ପ୍ରତି ମୁହୂର୍ତ୍ତରେ ମଣିଷର ଜୀବନ ପ୍ରତି ଭୟ ନାହିଁ, ନୁହେଁ ? ତମେ ତମ ବିଦେଶ ଅଭିଜ୍ଞତା କୁହ, ମଜା ଲାଗିବ । ଏଇତ ସନ୍ଧ୍ୟା ହେଇ ଆସିଲାଣି, ଆଜି ଦିନଟା ଏଠି ଅତିଥି ହୋଇ ରହିଯାଅ-! ତୁମେ ରାତିସାରା ତମ ବିଦେଶ ଅଭିଜ୍ଞତା ଗପିବ । କିନ୍ତୁ ଫ୍ୟାନ୍ ନାହିଁ, ରାତିରେ ଗରମ ଲାଗିପାରେ । ମୋର ତ ଫ୍ୟାନ୍ ଦରକାର ହେଉ ନାହିଁ !!

 

ତମ ରହିବା ସମ୍ପର୍କରେ ତ ମୁଁ ତମ ମତ ନେଇନି, ଖାଲି ତମେ ରହିବ ବୋଲି ଭାବି ଏତେ କଥା କହୁଚି । ତମେ ରହିବ ତ ? ସତରେ ରହିବ ? ହେଲେ ତମେ ମୁଣ୍ଡ ହଲେଇ କଥା କହିବା କେବେଠୁ ଆରମ୍ଭ କଲଣି ? ପଦୁଟିଏବି କୁହ, ପଦେ କଥା ଯଦି ନ କହିବ, ତେବେ ଆସିଥିଲ କିଆଁ ? ହଉ ତମେ ଲୁଗା ବଦଳାଅ, ଶାଢ଼ି ଆଣିଥିବ ତ ! ହାତ–ଗୋଡ଼ ଧୋଇ ଆସ ! ଏଠି ଗାଧୁଆଘର ନାହିଁ । ବାଡ଼ିପଟେ କୂଅ ଅଛି, ସେଇଠିକି ଚାଲ, ପାଣି କାଢ଼ିଦେବି । ମୁହଁ ଧୋଇପକା । ତା'ପରେ ବରଂ ବସି ସାରା ରାତି ଗପିବ, ନହେଲେ ଗୀତ ଶୁଣିବ । ମୁଁ ଭାବୁଚି ତମକୁ ଏଠି ଭଲ ଲାଗିବ, ନିଶ୍ଚେ ଭଲ ଲାଗିବ । ସହରର ଆରାମ ଏଠି ମିଳିନପାରେ, ତଥାପି ତମକୁ ଏଠି ନିଶ୍ଚେ ଭଲ ଲାଗିବ । ଚାଲ, ମୁହଁ ଧୋଇ ଆସିବ ।

 

କ’ଣ କହିଲ ? (ଆଃ ! ତମ କଣ୍ଠ ଏବେବି ସେମିତି ମଧୁର ଅଛି !!) ଗୋଡ଼ହାତ ଧୋଇବା ଦରକାର ନାହିଁ ? ଠିକ୍ ଅଛି, ମୁଁ ଟିକେ ବାହାରୁ ଆସେ, ଅରକ୍ଷିତ କ’ଣ କରୁଚି ଦେଖ ! ତମେ ବରଂ ଏଇଠି ବସି ଗୀତ ଶୁଣୁଥାଅ । ତମେ ଥରେ ସ୍କୁଲ୍‍ରେ ଯେଉଁ ଗୀତ ବୋଲିଥିଲ, ମନେ ଅଛି ନା ? ସେଇ ଗୀତଟା ଅଛି, ତମକୁ ଅନେକ ଦିନ ପରେ ମୋ ଘରୁ ଶୁଣି ଭଲ ଲାଗିପାରେ । ଆଚ୍ଛା–ତମେ ଗୀତ ଶୁଣୁଥାଅ, ମୁଁ ଆସୁଚି ଏଇ ସାଙ୍ଗେ ସାଙ୍ଗେ ବାହାରୁ !!

 

ପ୍ରଥମ ପ୍ରହର କଥା :

 

ସିଏ ବାହାରକୁ ଗଲେ । ବୋଧେ ଅରକ୍ଷିତକୁ କହି ଖାଇବା ପିଇବାର ବନ୍ଦୋବସ୍ତ କରିବାପାଇଁ । ଏବେ ଶାଢ଼ିଟା ବଦଳେଇ ଦେଲେ ଚଳିବ । ଆଃ । ଖୁବ୍ ସୁନ୍ଦର ପୁରୁଣା ଗୀତଗୁଡ଼ା ରଖିଛନ୍ତି !

 

ସତରେ ତମେ ବଡ଼ ଅଦ୍ଭୁତ ଲୋକ । ଏଡ଼େ ଚାକିରି ଛାଡ଼ିଦେଲ ଅଥଚ ଗାଁରେ ଚାଷ କରୁଚ, ପୁଣି ପୁରୁଣା ହିନ୍ଦୀଗୀତ, ନଈକୂଳ, ସିଗାରେଟ ମଧ୍ୟରେ ବାନ୍ଧି ହୋଇଯାଇଚ । ତମେ ମତେ କେତେକଅଣ କହିଗଲ, ଯଦିଓ ତମେ ମତେ ପ୍ରତ୍ୟକ୍ଷଭାବେ ଆକ୍ଷେପ ନ କରିଚ ତଥାପି ପରୋକ୍ଷଭାବେ କରିଚ । ତମେ ଅନେକ କଥାରେ ନିଜକୁ ଦୋଷୀ ଭାବିଚ । ଭାବୁଥାଅ, ମୁଁ ତମକୁ ଅଧିକା କ’ଣ ବା ବୁଝେଇପାରିବି ?

 

ହଁ–ତମେ ମତେ ଡାକ୍ତରଖାନାର ବାରଣ୍ଡାରେ ଦେଖା କରିଥିଲ, ତମ ମନକଥା କହିଥିଲ-। ମୁଁ ତମକୁ ନାସ୍ତିବାଚକ ଉତ୍ତର ଦେଇଥିଲି । ତମେ ଏକ ଅଜବ ପୁରୁଷ; ତମେ ପ୍ରଣୟ ନିବେଦନ କରୁଥିଲ, ଅଥଚ ନାରୀର ଆଖିରୁ ତା’ ଅନ୍ତରର ଭାଷା ବୁଝିପାରି ନଥିଲ । ଛାଡ଼–ତମେ ଭାବିଚ ସେଦିନ ମେଡ଼ିକାଲ ବାରଣ୍ଡାରେ ମୁଁ ତମ ପୌରୁଷକୁ ଆଘାତ କରିଚି । ସତରେ ତମେ ବିରାଟ ଭୁଲ୍ କରିବସିଚ । ନାରୀକୁ କେମିତି ପ୍ରେମ ନିବେଦନ କରାଯାଏ, ତମେ ଜାଣନି । ଯାହାହେଉ, ସେ ସବୁ କଥାର ପୁନରାବୃତ୍ତି କରି ଲାଭ ନାହିଁ ।

 

ତା’ପରେ ମୁଁ ତମକୁ ଭେଟିବାପାଇଁ ଚେଷ୍ଟା କରିଥିଲି । ତମେ ଦେଖା ଦେଇ ନଥିଲ । ସାଧାରଣସଭା ଦିନ ତମେ ମୋତେ ଉପେକ୍ଷା କଲ, ତାହାହିଁ ଥିଲା ତମ ସହ ମୋର ବିଦେଶ ଯିବା ପୂର୍ବରୁ ଶେଷ ସାକ୍ଷାତ । ମୁଁ ବିଦେଶ ଗଲି, ଚାରିବର୍ଷ ପରେ ଫେରିଲି । ଶୁଣିଲି, ତମେ ଚାକିରି ଛାଡ଼ି ଦେଇଚ । ଗାଁରେ ରହୁଚ, ଆଶ୍ଚର୍ଯ୍ୟ ଲାଗିଲା । ଅନେକ ଦିନ ଚିନ୍ତା କରିବାରେ ବିତିଗଲା–ତମକୁ ଭେଟିବି, ଅବା ଭେଟିବିନି । ତମକୁ ଭେଟିବା ପରର ପରିଣତି କ’ଣ ହେବ, ସେକଥା ମୋ ମନରେ ଭୟ ସଂଚାର କରୁଥିଲା । ସ୍କୁଲ୍ ଜୀବନରୁ ମୁଁ ତମକୁ ଜାଣେ, ତମ ପ୍ରକୃତିକୁ ଜାଣେ । ଶେଷରେ ଠିକ୍ କଲି ତମକୁ ତମ ଗାଁରେ ଭେଟିବି । ତମ ଗାଁକୁ ଦେଖିବି, ଗାଁର ସୌନ୍ଦର୍ଯ୍ୟକୁ ଦେଖିବି, ତମେ ଗାଁରେ କିମିତି ଜୀବନ ବିତଉଚ ଦେଖିବି । ସତରେ, ଗାଁରେ ତମେ ଜୀବନଟିଏ ବିତଉଚ ଅତି ସୁନ୍ଦର ! ତମର କିନ୍ତୁ ସେଇ ସିଗାରେଟ ବଦଭ୍ୟାସଟା ଯାଇନି ! ତମେ ଆଗଠାରୁ ଝଡ଼ି ଯାଇଚ । ଗାଁର ମାଟି କାଦୁଅ ତମ ଶରୀରରେ ନେସି ହୋଇଥିଲା, ତମେ ଆଦୌ ଉଚ୍ଚପଦସ୍ଥ ଅଫିସରଟିଏ ଥିଲ ବୋଲି ଜଣାପଡ଼ୁ ନଥିଲ ! ଏ ଯୁଗରେ ଏସବୁ ସମ୍ଭବ–ଏହା ମୋ କଳ୍ପନାର ବାହାରେ ଥିଲା !

 

ଅଯଥାରେ ତମେ ମତେ ଅନେକ ପ୍ରଶଂସା କରିଗଲ । ଅନ୍ୟର ସେବା କରୁଚି ବୋଲି ଅନେକ ପ୍ରଶଂସା କଲ । ତମର ଗାଧୁଆଘର ବା ଫ୍ୟାନ୍ ନାହିଁ ଏବଂ ମୋର ଅସୁବିଧା ହେବନି ବୋଲି କହି ନିଜକୁ ଛୋଟ କରି ବର୍ଣ୍ଣନା କଲ । ଜମା ନୁହେଁ, ମୋର ଆଦୌ ଅସୁବିଧା ହେବନି । ବିଦେଶରେ ଏତେ ଦିନ ରହି ବିଦେଶୀ ଚଳଣି ଶିଖିଚି ମାତ୍ର ଆମ ଚଳଣି ଭୁଲି ନାହିଁ । ସେମିତି ହୋଇଥିଲେ ତମ ଗାଁକୁ ମୁଁ କାର୍‌ରେ ଆସିଥାନ୍ତି ବସ୍‌ଷ୍ଟାଣ୍ଡରୁ ଏତେ ବାଟ ଖରାରେ ଚାଲିଚାଲି ଆସି ନଥାନ୍ତି !

 

ତମେ ମତେ ଦେଖି ଖୁସି ହୋଇଚ, ଏକଥା ଜାଣିଚି । କିନ୍ତୁ ତମେ ଯେ ତମର ଅସୀମ ଖୁସିକୁ ଚାପି ରଖିଚ, ତମ ପୁରୁଷକାରର ଖୋଳପା ତଳେ, ଏକଥା ଦେଖିପାରିଚି । ଅଥଚ ତମେ ମତେ ଆରମ୍ଭରୁ ଏକ ବନ୍ଧୁ ବୋଲି ଭାବିଚ–ମତେ ଜାଣିବାକୁ ଦେଇ ନାହଁ ଯେ ତମର ମୋ ପ୍ରତି ଦୁର୍ବଳତା ଥିଲା ବା ଅଛି । ମତେ ଦେଖି ତମେ ଦୁର୍ବଳ ହୋଇଯାଇ ନାହଁ । ଜଣେ ପୁରୁଣା ଅନ୍ତରଙ୍ଗ ବନ୍ଧୁ ଅନେକ ଦିନ ପରେ ତମ ଘରକୁ ଆସିଚି–ସେଇଥିପାଇଁ ଯେତିକି ଖୁସି ହେବା କଥା, ତମେ ସେତିକି ଖୁସି ହୋଇଚ । ସେଥିପାଇଁ ତମ ପୁରୁଷକାରକୁ ଧନ୍ୟବାଦ !

 

ତମେ ତ ଆରମ୍ଭରୁ କେବଳ ଅତୀତ ଘଟଣା ବଖାଣିଲ, ନିଜର ଶେଷକଥା କହିଲ, ପୁଣି ମୋର ସେତେବେଳର ଆଚରଣ ପାଇଁ ପରୋକ୍ଷରେ ଆଘାତ ଦେଲ, ତଥା ମୋପାଇଁ ତମେ ଗର୍ବିତ ସେ କଥାବି କହିଲ । ମଝିରେ ମୁଣ୍ଡ ହଲାଇ ହଁ–ନାହିଁ କରିବା ଛଡ଼ା ମୋର ଚାରା କ’ଣ ଥିଲା ଯେ ? ଅନେକ ଦିନ ପରେ ତମ ସହ ଦେଖା, ପୁଣି ତମେ ଗପୁଚ ଅତୀତ କଥା, ସେତେବେଳେ ମୁଁ ନାରୀଟିଏ ବା କ’ଣ କହିଥାନ୍ତି ? ନୀରବ ରହିବା ଛଡ଼ା ମୋର କିଛି କହିବାର ନଥିଲା । ସତ କହିଲେ, ତମ ଆଖି ସହ ଆଖି ମିଳେଇ ଚାହିଁବାର ଶକ୍ତି ମୋ ଭଳି ବିଦେଶ ଫେରନ୍ତା ଡାକ୍ତରାଣୀର ନଥିଲା । କିନ୍ତୁ ତମେ ମୋ' ନୀରବତାକୁ ମୁଁ ଭୁଲ୍ ସ୍ୱୀକାର କରିନେବା ବୋଲି ଭାବିଲ । ତମର ଜିତାପଟ ହେଇଚି ଭାବି ନେଇ ଅନେକ କିଛି କହିଲ । କହିଲ ବୋଲି ଦୁଃଖ କରିନାହିଁ ବା ଆଘାତ ପାଇ ନାହିଁ । ହେଉ, ତମର ଜିତାପଟ ହେଉ, ତମର ପୁରୁଷକାର ଅଜେୟ ରହୁ । ମୁଁ ହାରିଯାଏ, ମୋର ନାରୀତ୍ୱ ତମ ପୁରୁଷକାରରେ ମିଶି ଏକାକାର ହେଇଯାଉ, ମୋ ନାରୀତ୍ଵର ସତ୍ତା ନ ରହୁ, କେବଳ ସେହି ପୁରୁଷକାରର ପ୍ରକାଶରେ ଜଗତ ଉଦ୍‌ଭାସିତ ହେଉ–ଏହାହିଁ କହିବାକୁ ମୁଁ ଏତେ ବାଟରୁ ଚାଲି ଆସିଚି । ସୌଭାଗ୍ୟ ତମେ ତଡ଼ି ଦେଇ ନାହଁ, ରାତିକପାଇଁ ଘରେ ଜଗା ଦେଇଚ ଓ ପୁରୁଣା ବନ୍ଧୁଟିକୁ ବନ୍ଧୁଭଳି ଚର୍ଚ୍ଚା କରିଚ । ଏଇଯେ–ତମ ପାଟି ଶୁଭୁଚି, ବୋଧେ ଖାଇବାବେଳ ହୋଇଗଲା ? ଏତେ ଶୀଘ୍ର ! ଶାଢ଼ିଟା ଠିକ୍‍ଭାବେ ସଜାଡ଼ି ଦିଏ ।

 

ଏଁ ? ହଁ–ତମ ପାଖରେ ସୁନ୍ଦର ସୁନ୍ଦର ଗୀତର ସିଲେକ୍‌ସନ୍ ଅଛି । ନା–ନା–ମୁଁ ଆଗ ଖାଇବିନି । ତମର ମୋର ସାଙ୍ଗ ହେଇ ବସିବା । ଖାଇବାବେଳେ ଦୁଇଜଣ ବସି ଖାଇଲେ, ପଦେ ପଦେ କଥା ହେଉ ହେଉ ସତରେ ଭାରି ଭଲ ଲାଗେ !

 

କ’ଣ କହିଲ ? ଆର ଶାଢ଼ି ଅପେକ୍ଷା ଏ ଶାଢ଼ିରେ ସୁନ୍ଦର ଦିଶୁଚି ? (ତମେ ବଡ଼ ଇଏ) କେଜାଣି ସୁନ୍ଦର ଦିଶୁଥିବି, ବେଳେବେଳେ ଘରପିନ୍ଧା ଶାଢ଼ିରେ ନାରୀମାନେ ସୁନ୍ଦର ଦିଶନ୍ତି ! (ତମେ ବଡ଼ ଚାଲାକ, ଏମିତି ମୋର ରୂପର ପ୍ରଶଂସା କରୁଚ ସତେ ଯେମିତି ଯେକୌଣସି ସାଧାରଣ ଲୋକ ସେମିତି କରୁଚି ।)

 

ଦ୍ୱିତୀୟ ପ୍ରହର କଥା :

 

–କହୁଥିଲ ପରା ତମ ଗାଁର ରାତି ସୁନ୍ଦର ? ଚାଲ ଟିକେ ବାହାରେ ବୁଲି ଆସିବା । ଜହ୍ନବି ତ ପଡ଼ିଚି ।

 

–ଗାଁରେ କ’ଣ ଅଛି ଯେ ରାତିରେ ବୁଲିବ ?

 

–ଚାଲନା, ଘରେ ବା ବସିବସି କ’ଣ କରିବା ?

 

–ଆରେ ବାବା, ଏଟା ସହର ନୁହେଁ ଯେ, ରାତିରେ ଆମେ ହାତ ଧରାଧରି ହେଇ ରାସ୍ତାରେ ବୁଲିବା ! ଏଠି ଭାରି ସଂକୋଚରେ ରହିବାକୁ ହୁଏ !

 

–ଧେତ୍ ! ହାତ ଧରାଧରି ହେଇ ଯିବାକଥା ମୁଁ କହିଲି ? ବୁଲୁବୁଲୁ ଯଦି କେହି ଦେଖା ହେବ, କହିଦେବ ମୁଁ ସମ୍ପର୍କୀୟ–ଗାଁ ବୁଲି ଦେଖୁଚି !

 

–ମୁଁ ମିଛ କିଆଁ କହିବି ?

 

–ତେବେ ଶୋଇବା ଜାଗାଟା କୋଉଠି ଟିକେ କହିଦିଅ, ବରଂ ଶୋଇଯିବା । ରାତି ପାହିଲେ ପୁଣି ଯିବାକୁ ଅଛି ଯେ !

 

–ଆଚ୍ଛା ତେବେ ଚାଲ ବୁଲି ଆସିବା ଗାଁରେ, ଜହ୍ନର ଚାନ୍ଦୁଆ ତଳେ, ନୀଳନୀଳ ଗଛଙ୍କର ମେଳେ । କିନ୍ତୁ ଗାଁର ରୂପରେ ଭୁଲି ତମେ ଯେମିତି ଆଉ ଦିଦିନ ଗାଁରେ ରହି ନ ଯାଅ !

 

–ନା–ନା ଜମା ରହିବି ନାହିଁ କି ତମର ଅଯଥା ଅର୍ଥଶ୍ରାଦ୍ଧ କରାଇବି ନାହିଁ ।

 

–ଚାଲ ଯିବା ?

 

–ଚାଲ ।

 

–ସମସ୍ତେ ଶୋଇ ଗଲେଣି ବୋଧେ ?

 

–ନା, ଶୋଇବା ଶୋଇବା ହେଉଛନ୍ତି ।

 

–ପୂରା ନିଶୂନ ଲାଗୁଚି ଗାଁ ରାସ୍ତା ।

 

–ଡର ମାଡ଼ୁଚି ?

 

–ନା ।

 

–ଜହ୍ନ କିମିତି ?

 

–ସୁନ୍ଦର ।

 

–ପବନ ?

 

–ଭଲ ।

 

–ତାହାହେଲେ ଗାଁଟା ସୁନ୍ଦର ନା ?

 

–ହଁ ।

 

–ଏମିତି କୁଆଡ଼େ ଯିବା ?

 

–ନଈକୂଳକୁ ଯୋଉଠି ତମେ ଏକାଏକା ବସ, ସେଇଠିକି

 

–ଇଚ୍ଛା ଅଛି ଏତେ ବାଟ ଚାଲିବାକୁ ?

 

–କେତେ ବାଟ ?

 

–ଅଧ କିଲୋମିଟର ।

 

–ହଁ ଯିବା, ଫେରି ଆସିବା ।

 

–ନ ଫେରିଲେ ?

 

–ଆଗ ଚାଲନା ।

 

–ଏଇ ତେବେ ସେଇ ନଈ ?

 

–ହଁ...

 

–ଏଇଠି ବସ ତମେ ପ୍ରତିଦିନ ?

 

–ହଁ...

 

–ଏଇଠି ବସିବା ।

 

–ନା, ଆଉ ବସିବା କ’ଣ ? ଫେରିଯିବା...

 

–ଟିକେ ବସନା !

 

–ଆରେ ଏଠି ବସିଲେ ବା କେତେକ୍ଷଣ ବସିବା ?

 

–ଯେତେକ୍ଷଣ ହେଉ ।

 

–ଆଚ୍ଛା ହଉ ବସ ଏବେ ।

 

–ପ୍ରତିଦିନ ତମେ ଏଠି ବସ ?

 

–ପ୍ରାୟ ପ୍ରତିଦିନ ।

 

–କ’ଣ କର ?

 

–କିଛି ନାହିଁ ।

 

–ତଥାପି ?

 

–ଏମିତି ଗୁଣୁଗୁଣୁ ହେଇ ଗୀତଟେ ଗାଏ, ସିଗାରେଟ ଟାଣେ–

 

–ଫେରିଯିବାବେଳେ କିଛି ଗୋଟେ ହଜେଇ ଦେବାପରି ଲାଗେବି ?

 

–କ’ଣ ?

 

–କିଛି ଗୋଟେ, ତମ ଭିତରୁ !

 

–ମାନେ ?

 

–ଏଇ ଯେମିତି ତମେ ଫେରି ଯାଉଥିବ,

 

ତମ ଭିତରର କିଛି ଗୋଟେ ରହିଯାଏନି ଏଠି ?

 

–ବେଳେବେଳେ ସେମିତି ହୁଏ ।

 

–କେମିତି ?

 

–କିଛି ଗୋଟେ ହଜିଯାଏ ।

 

–ସତ ?

 

–ସତ !!

 

–ଫେରିବା ଚାଲ...

 

–ମୁଁ କ’ଣ ମନା କରୁଚି ?

 

–ନା ଯିବା ନାଇଁ ।

 

–ଆଉ ?

 

–ତମେ ଏଇ ଗାଁରୁ ଫେରିଯିବ ?

 

–ମୁଁ ? କୁଆଡ଼େ ?

 

–ମୋ ସାଙ୍ଗରେ ସହରକୁ ।

 

–କାହିଁକି ?

 

–ସହରରେ ରହିବ ।

 

–କୋଉଠି ?

 

–ମୋ ପାଖରେ, ମୋ ଘରେ...

 

–ନା, ସେଠି ବେକାର ବସିବି କିଆଁ ? ଗାଁରେ ତ ପରିଶ୍ରମ କରି ସୁଖରେ

 

ଅଛି ।

 

–ଗାଁ ତେବେ ଛାଡ଼ିବନି ?

 

–ନା ।

 

–କାହିଁକି ?

 

–ଗାଁଟା ଭଲ । ଏଠି ଦୁଃଖମିଶା ସୁଖ ଅଛି, ସୁଖମିଶା ଦୁଃଖ ଅଛି । ଘୃଣାପୂର୍ଣ୍ଣ ଭଲପାଇବା ଅଛି, ଭଲପାଇବା ପୂର୍ଣ୍ଣ ଘୃଣା ଅଛି । ସହରରେ ତ ଖାଲି ଦୁଃଖ, ବା ଖାଲି ସୁଖ, ଖାଲି ପ୍ରେମ ବା ଖାଲି ଘୃଣା, ଖାଲି ବିଶ୍ୱାସ ବା ଖାଲି ପ୍ରବଞ୍ଚନା !

 

–ମୋ ଘରଠୁ କ’ଣ ଗାଁଟା ଭଲ ?

 

–ଜାଣିନି । ତମ ଘରକୁ ତ ମୁଁ କେବେ ଯାଇନି !

 

–ତେବେ ଚାଲନା ଥରେ ।

 

–ଏବେ ଯେ ଧାନଚାଷ କରିବାର ବେଳ !!

 

–ଏ ବର୍ଷ ଚାଷ ନ କଲେ ଚଳିବନି ?

 

–ଖାଇବି କ’ଣ ?

 

–ସେଟା ମୋ ଦାୟିତ୍ୱ ।

 

–ଅରକ୍ଷିତ ?

 

–ତାକୁବି ସାଙ୍ଗରେ ନେଇ ଯିବା ।

 

–ଏଠିକା ଖବର ?

 

–ତେବେ ଅରକ୍ଷିତ ରହି ବୁଝିବ, ଆମେ ଟଙ୍କା ପଠେଇଦେବା ।

 

–ଆମେ କ’ଣ ? କୁହ ତୁମେ ।

 

–ହେଲା ଏବେ, ମୁଁ ଟଙ୍କା ପଠେଇ ଦେବି ।

 

–ନା, ମୁଁ ଯିବିନି ।

 

–କ’ଣ ହେଲା ?

 

–ତମ କାର୍ଯ୍ୟବ୍ୟସ୍ତ ଜୀବନରେ ମୁଁ ପୁଣି ତମ ଉପରେ ବୋଝ ହେବି ।

 

–ବୋଝ ବୋହିବା ଦାୟିତ୍ୱ ମୋର ।

 

–ନାହିଁ ବାବା, ସହରକୁ ଯିବି ନାହିଁ । ତମେ ବା କେଉଁଭାବେ ଆମନ୍ତ୍ରୁଚ ମତେ ? ତମର ମୋର ତ କେବଳ ପୁରୁଣା ସମ୍ପର୍କ–କେବଳ କ୍ଲାସ୍‌ମେଟ୍‍ର ! ସେତିକିରେ ତମେ ମୋ ବୋଝ ବୋହିବାକୁ ବାହାରିବ ? ମୋର ତ ପୁଣି ବିବେକ ଅଛି !

 

–ସତରେ ତମର ମୋର କ୍ଲାସ୍‌ମେଟ୍ ଭିନ୍ନ ଅନ୍ୟ କିଛି ସମ୍ପର୍କ ନାଇଁ ?

 

–ଥିବ, ମତେ ଜଣା ନାହିଁ ।

 

–ତମକୁ ବେଶ୍ ଜଣାଅଛି ।

 

–ନା, ନା, ନା...

 

–ତେବେ ତମେ ନଈକୂଳରେ କ’ଣଟେ ହଜେଇଦିଅ ବେଳେବେଳେ ?

 

–ଥାଉ ସେ ସବୁ କଥା । ଚାଲଯିବା, ରାତି ବୋଧେ ଦ୍ୱିତୀୟ ପ୍ରହର ସରିବ,

 

ବିଲୁଆ ଭୁକୁଚି ।

 

–ଯିବାତ ନିଶ୍ଚେ, କିନ୍ତୁ ସତରେ ତମ ସହ ଆଉ କିଛି ସମ୍ପର୍କ ନାଇଁ ?

 

–ଅଛି, କିନ୍ତୁ ମୋ ମୁହଁରୁ ଶୁଣିଲେ ଲୋକ ହସିବେ ।

 

–ମୁଁ କହୁଚି...

 

–ତେବେବି ଲୋକ ହସିବେ ।

 

–କାହିଁକି ?

 

–କେହି ନ ହସିଲେ ମୁଁ ହସିବି ।

 

–ହସୁଥାଅ ତମର ତମେ ।

 

–ବୋର୍ କରୁଚ ମତେ ?

 

–ନା ତ ।

 

–ତେବେ ?

 

–ଥରେବି ତ ମତେ ନେଇଯାଇ ବାହୁର ଅତଳ ସମୁଦ୍ରକୁ ମୁକ୍ତି ଦିଅ ମତେ !

 

–ଅସମ୍ଭବ !

 

–କ’ଣ ମତେ ଆଘାତ କରୁଚ ?

 

–କାହିଁ ନା’ ତ...

 

–ତାହାହାଲେ...

 

–ପ୍ରଥମେ ଚୁମାଟିଏ ଦେବି, ପରେ ବାହୁର ଅତଳ ସମୁଦ୍ର କଥା ।

 

–ଧେତ୍, ତମେ ବଡ଼...

 

–କ’ଣ ?

 

–ଅଭଦ୍ର ।

 

–ତମେ ?

 

–ମୁଁ ବି ଅଭଦ୍ର ।

 

–ଚୁମାଟିଏ ଦିଅ ?

 

–ଅନୁମତି ନିହାତି ଦରକାର ?

 

–ହଁ...

 

–ଓଃ ! ସବୁକଥାରେ ତମେ ଆଗରୁ କାହାଠୁ ଅନୁମତି ନିଅ ତେବେ ?

 

–ପୁରୁଷକାରହୀନ ଲୋକ ପ୍ରତିଟି ପଦକ୍ଷେପରେ ଅନୁମତି ମାଗେ ।

 

–ତାହାହାଲେ ଅନୁମତି ମିଳିବ ନାଇଁ । ତମ ପୁରୁଷକାର ଫେରିବା ପରେ ଅନୁମତି ମିଳିବ ।

–ଓଠ ଦେଖାଅ...

–ଛି ! ଅଭଦ୍ର–

–ତମେବି...

–ଆଃ ! ଛାଡ଼ମ, ଆରେ ଛାଡ଼ମ, ମୁଁ ଏତେ ସମୟପାଇଁ...ଓଃ, ମୁଁ ଏତେ ସମୟପାଇଁ ଅନୁମତି ଦେଇ ନଥିଲି...ଆରେ ବାବା, ନଈକୂଳଟା, କିଏ ଦେଖିବ ! ହେ ଭଗବାନ !

–ଆରେ ବାବା...ଏତେ ଅଭଦ୍ର ନା ତମେ ?

କୋଉଠି ଲୁଚେଇଥିଲ ମ ଏତେ ଅଭଦ୍ରାମି ?

ଇସ୍...

–ପୁରୁଷକାର ମାନେ କ’ଣ ଏଇଆ ?

ଓଃ...ଛାଡ଼, ଛାଡ଼, ଛାଡ଼...ଜୀବନସାରା ଆଉ ଚୁମା ଖାଇବିନି ତମଠୁ...

–ଚାଲଯିବା ?

–ହଁ...

–ଦ୍ୱିତୀୟ ପ୍ରହର ସରିଯିବଣି ।

–ହଁ ।

–ଘର ଆଉ କେତେ ବାଟ ?

–ଏଇ ଆଗ ଘରଟା ପରା ? ଏତେ ଶୀଘ୍ର ଘରଟାବି ଭୁଲିଗଲ !

–ନା ରାସ୍ତାଟା ସରିଗଲା ଶୀଘ୍ର; ଭାବୁଥିଲି ଘର ଆହୁରି ଆଗରେ ଅଛି ।

ତୃତୀୟ ପ୍ରହର କଥା :

ଆଜି ମୋ ନାରୀତ୍ୱର ପରାଜୟ ବା ବିଜୟ ହେଲା, ସେ କଥା ଭାବିବାର ବେଳ ନାହିଁ । ଏତିକି ଜାଣିଚି–ମୋ ନାରୀତ୍ୱ ତମର ଏକଦା ଆଘାତପ୍ରାପ୍ତ ପୁରୁଷକାରରେ ମିଶି ସେଇ ପୁରୁଷକାରର ଅଂଶ ପାଲଟି ଯାଇଚି । ସେଇ ଜହ୍ନରାତି ନିଶୂନ ନଈତୁଠର ଦ୍ୱିତୀୟ ପ୍ରହରରେ ଯେଉଁ ଶିହରଣ ମୋ ଦେହରେ ଖେଳି ଯାଇଥିଲା, ଯେଉଁ ଅନୁଭବ ତମର ପ୍ରଥମ ଚୁମ୍ବନରେ ମୋ ବେକ ମୂଳଠାରୁ ମେରୁଦଣ୍ଡ ଭିତର ଦେଇ ସଂଚରି ଯାଇଥିଲା ପାଦ ତଳିପାକୁ–ସେଇ ଶିହରଣ, ସେଇ ଅନୁଭବ ଏବେବି ତମ ଘରେ ଏଇ କୋଠରୀ ଭିତରେ ସଂଚରିଯାଇଚି, ମାଟିରେ, ପବନରେ ନିଃଶ୍ୱାସରେ, ଅନ୍ଧାରରେ !

 

ତମେ ଶୋଇଯାଇଥିବ ଗାଢ଼ ନିଦରେ ଆର ଘରେ । ତମ ପୁରୁଷକାରର ବିଜୟ ହେଇଚି । ନା–ତମେ ସେକଥା କେବେ ଭାବୁ ନଥିବ । ମୋ ମନର ମଣିଷର ଏଇକଥା ଭାବିବାକୁ ସମୟ ନାହିଁ । ପ୍ରେମରେ ଆଉ ବିଜୟ–ପରାଜୟ କାହିଁ ? ପ୍ରେମରେ ତ ସବୁ ଏକାକାର, ବିଜୟ ହେଲେ ଉଭୟଙ୍କର, ପରାଜୟ ହେଲେ ଉଭୟଙ୍କର, ନୁହେଁ ? ବିଶ୍ଵାସ କର, ତମଠୁ ଚୁମାଟେ ଖାଇବାପାଇଁ ପାଞ୍ଚବର୍ଷ ପରେ ସୁଦୂର ସହରରୁ ଏଇ ଗାଁକୁ ! ତମ ବାହୁବନ୍ଧନରେ ବିତେଇ ଦେବାକୁ ମୁହୂର୍ତ୍ତ କେତୋଟି, ଚାଲିଆସିଥିଲି ତମ ଘରକୁ !

 

ତମେ ବିଶ୍ଵାସ କରୁ ନଥିବ । ଭାବୁଥିବ, ଜଣେ ଡାକ୍ତରାଣୀର ହୃଦୟ ନାହିଁ । ମଣିଷ ଶରୀରର ସମସ୍ତ ଅଙ୍ଗ–ପ୍ରତ୍ୟଙ୍ଗ, ରକ୍ତ–ମାଂସ, ଶିରାପ୍ରଶିରା ସହ ଏତେ ବର୍ଷ କଟେଇବା ପରେ ମୋର ଆଉ ଉତ୍ତେଜନା ନଥିବ ବୋଲି ଭାବୁଥିବ ! ଭାବିବା ସ୍ଵାଭାବିକ । ହେଲେ ତମେ ନାରୀତ୍ୱର ଡାକ ବୁଝିବ କେମିତି ? ଶୁଣିବ କେମିତି ନାରୀର ହୃଦୟର ଝଙ୍କାର ?

 

ଅନ୍ୟ କେଉଁ ପୁରୁଷ ମୋ ଓଠରେ ରଖିଥିଲେ ତା’ର ଓଠ, ମତେ ଜଡ଼େଇ ଧରିଥିଲେ ତା’ ବାହୁବନ୍ଧନରେ, ମୋର ଉତ୍ତେଜନା ନଥାନ୍ତା ଅବା ମତେ ଶୁଷ୍କ ଲାଗିଥାନ୍ତା । ହେଲେ ତମେ–ତମର ଓଠର ସ୍ପର୍ଶକୁ ପାଞ୍ଚବର୍ଷତଳୁ ଅପେକ୍ଷା କରିଚି ମୁଁ । ତମ ବାହୁବନ୍ଧନରେ ସାତତାଳ ପାଣି ଭିତରେ ଅଣନିଃଶ୍ୱାସୀ ହେବାପାଇଁ ଆର ଜନ୍ମ ଯାଏଁ ଅପେକ୍ଷା କରିଥାନ୍ତି ମୁଁ । ସେଦିନ ପାଞ୍ଚବର୍ଷ ତଳେ, ତମେ ସେ ମେଡ଼ିକାଲ ବାରଣ୍ଡାରେ ନାରୀତ୍ଵର ଭିତର କଥାକୁ ଚିହ୍ନିପାରିଲ ନାହିଁ କି ଚିହ୍ନିବାର ପ୍ରୟାସ କଲ ନାହିଁ । ସେଇଦିନୁ ମୋ ନାରୀତ୍ୱ ଅପେକ୍ଷା କରିଚି ତମକୁ କେବଳ ତମକୁ ! ଏ ଭିତରେ କର୍ତ୍ତବ୍ୟର ଆହ୍ୱାନରେ ବିତିଗଲା ପାଞ୍ଚବରଷ । ତମ ଜୀବନରେବି ତମେ ପରିବର୍ତ୍ତନ ଆଣିଲ । ହେଲେ ତମେ ବା କିମିତି ଜାଣନ୍ତ ଯେ, ନାରୀ ଯେଉଁ ପୁରୁଷକୁ ଥରେ ଅନ୍ତରତଳେ କାମନା କରେ, ସେ ପୁରୁଷକୁ ନ ପାଇବା ଯାଏଁ ତା’ ହୃଦୟରେ ଜଳୁଥାଏ ଗ୍ଳାନିର ମହମବତୀଟିଏ, ଦୁଃଖର ଦୀପଟିଏ, ଆତ୍ମଶ୍ଳାଘାର ଝରଣାଟିଏ ବହୁଥାଏ ନାରୀର ଅନ୍ତର ତଳେ । ସେଇ ପୁରୁଷର ବାହୁବନ୍ଧନରେ, ସେଇ ପୁରୁଷର ଓଠ ସ୍ପର୍ଶରେ, ସେଇ କାମ୍ୟ ପୁରୁଷର ଗାଢ଼ ଆଲିଙ୍ଗନରେ, ସେଇ କାମ୍ୟପୁରୁଷର ଦେହରେ ଦେହର ଉତ୍ତାପ ମାପିବାବେଳେ ଚାଲିଯାଏ ନାରୀର ଅୟୁତ ଯୁଗର ଗ୍ଳାନି, ଜନ୍ମ ଜନ୍ମାନ୍ତରର ଉତ୍ତାପହୀନତା, କ୍ଳାନ୍ତି, ଦୁଃଖ ! ନାରୀର ହୃଦୟର ମରୁଭୂମିରେ ହୋଇଯାଏ ଅସରାଏ ବର୍ଷା, କହିଯାଏ ହୃଦୟ ପର୍ବତର ଶିଖର ଦେଶରୁ ଉତ୍ତେଜନାର ଝରଣାଟିଏ ତୃପ୍ତିର ହଳଦିବସନ୍ତଟି ଗାଇଯାଏ ଗୀତ !

 

ଆଃ ! କିଏ କହେ ଭଲପାଇବାର ସାର୍ଥକତା ମିଳନରେ ନାହିଁ ବୋଲି । ତମେ ଯେ ଆର ଘରେ ଶୋଇଚ, ତମ ସହ ମିଳିତ ହେବାର ଆକର୍ଷଣରେ ଛାତି ତଳୁ ମୋର କିଛି ଗୋଟେ ଖସିଯାଉଚି ତଳରୁ ତଳକୁ । ପାଦ–ହାତ ଥରୁଚି, ମୁଣ୍ଡ ଝିମ୍‌ଝିମ୍ କରି ଦେଉଚି, ଆଃ । ପ୍ରେମର ଏଇ ମିଳନୀ ଆକର୍ଷଣରେ ଦେହର କାମନା ଥାଇପାରେ, କିନ୍ତୁ ଏଇ ମିଳନ ନହେଲେ ପ୍ରେମ କେବଳ କବିତାର ଉତ୍ସ, ଉପନ୍ୟାସର କଥା ହୋଇ ରହିଥିବ, ମନୁଷ୍ୟ ଜୀବନରେ ଆଉ ରହିଲା କ’ଣ ? ପ୍ରେମରେ ଯେଉଁମାନେ ଦେହର ମିଳନକୁ ଗୌଣ କହି ହସରେ ଉଡ଼ାଇ ଦିଅନ୍ତି, ସେଟା ସେମାନଙ୍କର କେବଳ ଯୁକ୍ତି । ନିଜ ବିଫଳତାକୁ ଲୁଚେଇବାର ଅପଚେଷ୍ଟା । ଦେହର ମିଳନ ମନର ବନ୍ଧନକୁ ଟାଣ କରେ । ଆଃ ! ଏଇ ମୁହୂର୍ତ୍ତରେ ତମ ସହ ମିଳିତ ହେବାର ପିପାସା ମୋର ବଳବତୀ ହେଉଚି, ଦୁର୍ବାର ହେଉଚି, ତୃଷ୍ଣା ପ୍ରବଳ ହେଉଚି । ଥରୁଟିଏ ଯଦି ତମେ ତମ ପ୍ରେମର ସ୍ୱାକ୍ଷରସ୍ୱରୂପ ମୋ ଦେହରେ ତମ ଦେହର ଉତ୍ତାପକୁ ବିଲୀନ ନ କଲେ, ତେବେ ମୋ ନାରୀତ୍ୱ ବାହୁନୁଥିବ ସାତ ଜନ୍ମ ଯାଏଁ ।

 

ମିଳନ ବା କି ଅନୁଭୂତି ? ଯାହାର ଚିନ୍ତାରେ ମୋ ଛାତିର ସ୍ପନ୍ଦନ ବଢ଼ୁଚି, ହାତପାଦ ଥରୁଚି, ଦେହ ଅବଶ ଲାଗୁଚି, ମେରୁଦଣ୍ଡ ଭିତର ଦେଇ କିଛି ଗୋଟେ ଶିହରଣ ଖେଳିଯାଉଚି ତାଳୁରୁ ତଳିପା ଯାଏଁ, ମୁଣ୍ଡ ଝିମ୍‌ଝିମ୍ କରୁଚି । ମିଳନରେ ତ ତେବେ ମୋର ସତ୍ତା ରହିବ ନାହିଁ ! ମୋର ଦେହ ହାତ ରହିବ ନାହିଁ, ମୋର ସ୍ପନ୍ଦନ ବନ୍ଦ ହୋଇଯିବ, ହାତପାଦ ଶରୀରରୁ ବିଚ୍ଛିନ୍ନ ହୋଇଯିବ, ପୃଥିବୀ ଖସିଯିବ ପାଦତଳୁ, ଆଖିର ଜ୍ୟୋତି ଲିଭିଯିବ, କାନର ଶ୍ରବଣଶକ୍ତି ଲୋପପାଇ ଯିବ, ଘ୍ରାଣଶକ୍ତି ହଜିଯିବ, ବାକ୍‌ଶକ୍ତି ରୁଦ୍ଧ ହେଇଯିବ; ମୋର ତେବେ ରହିବ କ’ଣ ?

 

ମୋର ତେବେ ରହିବ କ’ଣ ପ୍ରିୟତମ ? ମୋର ତେବେ ରହିବ କ'ଣ ହୃଦୟେଶ୍ୱର ? ମିଳନ ସମୟରେ ମୋର ସତ୍ତା ତେବେ କେଉଁଠି ବିଲୀନ ହେବ, କେଉଁଠି ? ତମ ସହ ? ତମ ପ୍ରାଣରେ ? ତମ ଦେହରେ ? ମିଳନରେ ତମେ ମୁଁ ହୋଇଯିବ, ମୁଁ ତମେ ହୋଇଯିବି–କାହାର ସତ୍ତା ନଥିବ, ଏହାହିଁ ବୋଧେ ପ୍ରେମ ! ଯେଉଁଠି ତମର–ମୋର ଫରକ ନାହିଁ, ସେଠି ଆଉ ତମ ସହ ମୋର ମିଳନ କ’ଣ ? ତମେ ମୁଁ । ମୁଁ ତମେ । ତେବେ ମୋ ସହ ମୋର ବା ତମ ସହ ତମର ମିଳନ ହେବ । ମିଳନରେ ସେହି ସମୟର ଅନୁଭବହିଁ ପ୍ରେମ । ଦେହର ଯୋଗୁଁ ମିଳନ–ଅଥଚ ମିଳନରେ ଦେହର ଗୁରୁତ୍ୱ ନାଇଁ ।

 

ଉଠିଯିବି କି ତମ ପାଖକୁ ? ଆର ଘରକୁ ? ଯେଉଁଠି ତମ ନିଃଶ୍ୱାସ ଅଛି, ତମ ଛାତିର ସ୍ପନ୍ଦନ ଅଛି, ଯେଉଁଠି ତମ ଧମନୀର ଶବ୍ଦ ପବନକୁ ଗୌରବାନ୍ୱିତ କରେ । ତମ ଚୁମ୍ବନବେଳର ସେଇ ସିଗାରେଟ ଗନ୍ଧ ଏବେବି ମତେ ଉଚ୍ଚକିତ କରୁଚି ।

 

ତମ ଘରକୁ ଏତେ ରାତିରେ ଗଲେ ତମେ ଭାବିବ ମୁଁ ଦୁର୍ବଳମନା ନାରୀ । ଭାବ, ମୋର ଯାଏଁ କେତେ ଆସେ କେତେ ? ମୁଁ ତମକୁ ପ୍ରେମ କରେ । ତମ ପ୍ରେମ ଯଦି ମତେ ତମ ଶୋଇବା ଘରକୁ ଟାଣିନେଲା, ତେବେ ସେଥିପାଇଁ ମୁଁ ପଛେ ଦୁର୍ବଳମନା ନାରୀତ୍ୱର ଅଧିକାରିଣୀ ହୁଏ ! ଭାବିପାର ମୁଁ କାମନାଗ୍ରସ୍ତ । ଭାବ, ମୋର ଯାଏଁ କେତେ ଆସେ କେତେ ? ତମ ପ୍ରେମର ଡାକ ଯଦି ମୋତେ ପାଞ୍ଚବର୍ଷପରେ କାମନାର ଉନ୍ମାଦ କରିପାରିଲା, ତେବେ ସେ କାମନା ମୋର ଗୌରବ, ସେ ମିଳନ ଆକର୍ଷଣ ମୋର ଗର୍ବ ! ହେଲେ ମୁଁ କ’ଣ ମୋ ପ୍ରିୟ ପୁରୁଷର ମନ ଜାଣିନି-? ହୃଦୟ ଜାଣିନି ? ମୁଁ କ’ଣ ମୋ ପ୍ରିୟ ପୁରୁଷର ଚେତନାକୁ ଚିହ୍ନିନି ? ଠିକ୍ ଚିହ୍ନିଚି, ଠିକ୍ ଜାଣିଛି, ଠିକ୍ ବୁଝିଛି ! ମୋ ପ୍ରିୟ ପୁରୁଷ, ଯାହାର ପୁରୁଷକାର ପାଞ୍ଚବର୍ଷ ପରେ ମଧ୍ୟ ତା’ ନିକଟକୁ ଟାଣି ଆଣିଚି, ଯାହାର ପୁରୁଷକାର ଏ ଜଗତର ଅନ୍ୟ ସମସ୍ତ ପୁରୁଷକାରର ଊର୍ଦ୍ଧ୍ୱରେ; ସେ ପୁରୁଷର ଚିନ୍ତା–ଚେତନାକୁ ମୁଁ ଠିକ୍ ଚିହ୍ନେ । ନା–ମୁଁ ଯିବି, ମୋ ପ୍ରିୟ ପୁରୁଷ ନିକଟରେ ଆଜି ରାତି ଅନିଦ୍ରାରେ ବିତେଇ ଦେବି । ରାତି ବା ଆଉ କେତେ ବାକି ? କାଲି ସକାଳୁ ଚାଲିଯିବି, ସେ ମୋ ସହ ଯିବେ ନାହିଁ, ଯଦି ଯିବେ ତେବେ କାଲି ନୁହେଁ । ଏବେ ଆଜି ରାତିଟା କିଆଁ ମୂଲ୍ୟହୀନ ହେବ-? ଆଜି ରାତିଟା ମୋ ପ୍ରିୟ ପୁରୁଷର ନିଃଶ୍ୱାସର ଗନ୍ଧରେ ବିତେଇ ନ ଦେବି କିଆଁ ? ଯଦି ନିଦ ହେଇଥାନ୍ତା, ଏତେ କଥା ମୁଣ୍ଡକୁ ଆସନ୍ତା ନାହିଁ । ଆଉ ନିଦ ହେବ ନାହିଁ । ମୁଁ ନିଶ୍ଚେ ଆର ଘରକୁ ଯିବି । ମୋ ପ୍ରିୟ ପୁରୁଷର ମୁଣ୍ଡକୁ କୋଳରେ ଧରି, ତା’ର କେଶ ରାଶିରେ ଅଙ୍ଗୁଳି ସଂଚାଳନ କରି, ତା’ର ପାଞ୍ଚବର୍ଷର ଗ୍ଳାନିକୁ, ଦୁଃଖକୁ, ଅନୁଶୋଚନାକୁ ପୋଛିଦେବି । ଆଃ ! ମୁଁ ଏ ଘରେ କଳ୍ପନାରେ ଭାସି ବୁଲୁଚି, ଅଥଚ ଆର ଘରେ ଏକାକୀ ମୋ ପ୍ରେମ ଶୋଇଯାଇଚି ! ମୁଁ ଥାଉଁଥାଉଁ ତାଙ୍କର ଗୋଟିଏ ରାତି କିଆଁ

 

ଏକାକୀ ବିତିବ ? ମୋ ପ୍ରିୟ ପୁରୁଷ ମୋ କୋଳରେ ଆରାମରେ, ଶାନ୍ତିରେ, ଦୁଃଖରେ, ସୁଖରେ, ଗ୍ଳାନିରେ, ତୃପ୍ତିରେ ସ୍ୱପ୍ନଟିଏ ନ ଦେଖିବ କିଆଁ ?

 

ଏଇ ଯେ ତାଙ୍କ କବାଟ ଆଉଜା ହେଇଚି । ଧୀରେ ଖୋଲି ଯାଉଚି । ଭିତରେ ସେ ଶୋଇଛନ୍ତି । ମେଞ୍ଚାଏ ଜହ୍ନ ଆଲୁଅ ଝରକା ବାଟେ ତାଙ୍କ ଶରୀରରେ ପଡ଼ିଚି । ତକିଆ ପାଖରେ ଦିଆସିଲି ଖୋଳ, ସିଗାରେଟ ପ୍ୟାକେଟ୍ ଥୁଆ ହୋଇଚି । ଏଇ ମୋ ପ୍ରିୟ ପୁରୁଷ, ମୋ ସାମ୍ନାରେ, ଯିଏ ଏକାକୀ ବିତେଇଚି ପାଞ୍ଚ ବରଷ ପୁରୁଷକାର ଆଘାତ ହେବାର ଆହତ ଅଭିମାନରେ । ଯିଏ ଏକାକୀ ପାଞ୍ଚ ବରଷର ଦୁଃଖକୁ ଗରଳ କରି ପିଇଯାଇ ଗାଁର ଜହ୍ନରେ, ଗାଁର ନଈକୂଳେ, ଗାଁର ପବନରେ, ଗାଁର ବର୍ଷାରେ, ଗାଁର ସୁନୀଳ ଆକାଶରେ ବିତେଇଚି ଜୀବନ । ଅରକ୍ଷିତ ଛଡ଼ା ଯାହାର ଏ ଜୀବନରେ କେହି ନାହିଁ ନିଜର ! ଯାହାର କଥାର ପ୍ରତିଟି ଶବ୍ଦ ଦୁଃଖ କବିତାଟିଏ ହୋଇ ଝୁଲୁଚି ଗାଁ ନଈପଠାପରେ । ସେଇ ଶୋଇଚି ମୋ ସାମ୍ନାରେ ।

 

ଦେଖିଚି, ତମେ ଯେତେବେଳେ କଥା କହୁଥିଲ ତମ ଆଖିରେ ଓଦାଳିଆ ଅଭିବ୍ୟକ୍ତି; ଶୁଣିଚି କେତେବେଳେ ତମ ଓଜନିଆ ସ୍ୱରର ସ୍ପନ୍ଦନ । ନଈକୂଳେ ଅନୁଭବ କରିଚି ତମ ରୁଦ୍ଧ ଆବେଗ । ଯେଉଁ ଆବେଗ ମତେ ଦେଖିବା ପରେ ବାଧା ନ ମାନି କୂଳ ଲଙ୍ଘିଯିବାକୁ ଅସ୍ଥିର ହେଉଥିଲା ଅଥଚ ପୁରୁଷକାରର ଶୃଙ୍ଖଳ ସେଇ ଅଧୀର ଆବେଗକୁ ବାନ୍ଧି ରଖିଥିଲା ! ସେଇ ପ୍ରିୟ ପୁରୁଷ ମୋ ମନର ପ୍ରିୟ ପୁରୁଷ ଆର ଘରେ ଶୋଇଚି ! ସତରେ, ତମେ ମୋ ପ୍ରେମ, ତମେ ମୋ ପ୍ରେମିକ, ତମେ ମୋ ମିଳନ !

 

ଚତୁର୍ଥ ପ୍ରହର କଥା :

 

“ଏତେ ରାତିରେ ତମେ ଉଠି ଆସିଚ ଯେ ? ନିଦ ହେଲାନି ? ଦେହ କିଛି ଅସୁସ୍ଥ ହେଲା ? ନା ଗାଁରେ ନିଦ ଆସୁନି ? ଆର ଘରେ ଏକା ଡର ଲାଗିଲା ?'' ନା–ନା, ଏମିତି ଖାଲି ଶୋଇ ଶୋଇ ନିଦ ହେଲାନି, ଭାବିଲି ତମ ସହ ଗପିଗପି ରାତି କଟେଇଦେଲେ ଭଲ । ତମ ସୁଖ ନିଦ୍ରାଟା ଭାଙ୍ଗିଦେଲି ନା ?

 

(ତମେ ଗୋଟେ କିମିତିଆ ପୁରୁଷ ମ ? ମୁଁ ଯେ ତମ ସହ ମିଳନ ଆକର୍ଷଣରେ ବିନିଦ୍ର, ଏକଥା ତମେ କିଆଁ ବୁଝୁନା ଯେ ? ମୁଁ କ’ଣ ତମକୁ ମୁହଁ ଖୋଲି କହନ୍ତି ? ଓଃ ! ଏଇ କଥାଟା ମୁହଁରେ କିଆଁ କହିହୁଏନା ଯେ !!)

 

X X X

 

ଆଉବା କେତେ ମୁହୂର୍ତ୍ତ ? ରାତି ପାହିଯିବ । କେଉଁଠୁଁ ଶୁଭିଲାଣି ପକ୍ଷୀର ସ୍ଵର । ତଥାପି ରାତିବାକି ଅଛି । ରାତ୍ରିର ଏଇ ଚତୁର୍ଥ ପ୍ରହରରେ ପକ୍ଷୀମାନେ ଠିକ୍ ବୋବେଇ ପାରନ୍ତି ନାହିଁ, ବିଶେଷତଃ ଜହ୍ନ ରାତିରେ । କିନ୍ତୁ କୁମ୍ଭାଟୁଆ ଭୁଲ୍‌ କରେନା । ଏପର୍ଯ୍ୟନ୍ତ କୁମ୍ଭାଟୁଆର ସ୍ୱର ରାତ୍ରିର ନିସ୍ତରଙ୍ଗ ବକ୍ଷରେ ସୃଷ୍ଟି କରି ନାହିଁ ଶବ୍ଦର ତରଙ୍ଗ । ରାତି ବାକି ଅଛି !

 

କି ଗପ ଗପିବା ? କିଏ ଗପିବ ? କିଏ ଶୁଣିବ ? ତମେ ତ ମୋ କଥା ଶୁଣିବାପାଇଁ ପ୍ରତୀକ୍ଷା କରିଚ, ମୁଁ ବି ତ ତମ ସ୍ୱର ଶୁଣିବାପାଇଁ ପ୍ରତୀକ୍ଷା କରିଚି ! ସତରେ, ଦୁଇଟି ହୃଦୟ ଏକାକାର ହେଲେ, ଭାଷା ଆଉ ଜିଭକୁ ଆସେ ନାହିଁ ।

 

ତମ କୋଳରେ ମୋ ମୁଣ୍ଡ ଅଛି, ମୋ ହାତ ତମ ଦୀର୍ଘ କେଶରାଶି–ଯାହା ଓହଳି ଆସିଚି ତମ ବେକ ମୂଳଠାରୁ ପିଠି ଉପର ଦେଇ ଜଙ୍ଘ ଯାଏଁ–ଯାହାର ଘନ ଛାଇରେ ବିତେଇ ହେବ ସମଗ୍ର ଦୁଃଖୀ ଜୀବନ–ସେଇ କେଶ ରାଶିରେ ମୋ ହାତ ଖେଳୁଚି । ଏମିତି ମୁହୂର୍ତ୍ତର ନିକଟତ୍ଵକୁ କି ଶବ୍ଦଦ୍ଵାରା ଅନୁଭବ କରାଯାଇପାରେ ?

 

ଏ ରାତି ଆଉ ଫେରିବନି । ଏ ରାତି ଆଉ ତମପାଇଁ ବା ମୋପାଇଁ ଅପେକ୍ଷା କରିବନି-। ଏ ଜହ୍ନ ଆଉ ଉଇଁବନି, ଏ ନିଃଶବ୍ଦତା ଆଉ ଫେରିବନି । ଏ ଗାଁ ଆଉ ମିଳି ନ ପାରେ । ତେବେ କିଆଁ ଏସବୁକୁ ଆଜି ଉପେକ୍ଷା କରିବା ?

 

ଏଇ ରାତିରେ, ଜହ୍ନର ଫିକା କିରଣ ଦିଗ୍‌ବଳୟଠାରୁ ଆମ ଝରକା ବାଟେ ଘରର ଚଟାଣ ଉପରକୁ ଲମ୍ବି ଆସିଥିଲାବେଳେ, ଦୂରରୁ ପକ୍ଷୀମାନଙ୍କର ଅସ୍ପଷ୍ଟ କାକଳୀ କ୍ରମେ ସ୍ପଷ୍ଟ ହୋଇଆସିବାବେଳେ, ତମ କୋଳରେ ମୋ ମୁଣ୍ଡ ବିଶ୍ରାମିଥିବାବେଳେ, ମୋ ଅଙ୍ଗୁଳି ତମ ଘନ କେଶ ରାଶିରେ ଉଜୁଡ଼େଇ ଦେବାବେଳେ ସେହ୍ନ; କହ କିମ୍ପା ତମ ଓଠଧାରେ ମୋ ଓଠ ଏକାକାର ନ ହେବ ? କହ କିମ୍ପା ତମ ବାହୁ ମୋତେ, ମୋ ବାହୁ ତମକୁ ଜଡ଼େଇ ନ ଦେବେ ? କୁହ କିମ୍ପା ତମ ଦେହ–ମୋ ଦେହ ଗୋଟିଏ ଅନୁଭବ ହେଇ ଏଇ ରାତିକୁ ଲମ୍ବା କରି ଦେବାର ସ୍ୱପ୍ନ ଦେଖିବେ ନାହିଁ ?

 

ଏଇତ ତମ–ମୋ ଓଠ ଏକାକାର ହେଲା, ତମ ମୋ ବାହୁବନ୍ଧନ ପରସ୍ପରଠାରେ କଠୋର ହେଲା, ତମ ମୋ ନିଃଶ୍ୱାସ ଘନ ଓ ତୀବ୍ର ହେଲା, କ୍ରମେ ତମ–ମୋ ଦେହ ଏକାକାର ହେଲା ।

 

ଏଇତ, ଶରୀରର ପାର୍ଥକ୍ୟ ରହୁ ନାହିଁ; ଓଠର, ହାତର, ପାଦର, ନିଃଶ୍ଵାସର, ବନ୍ଧନର, ଆଲିଙ୍ଗନର, ଚୁମ୍ବନର ପ୍ରଭେଦ ରହୁ ନାହିଁ !

 

ଏଇତ, ତମ ଦେହ ଶୀତ କରୁଚି, ମୋ ଦେହ ଥରୁଚି । ମୋ ତାଳୁରୁ ତଳିପା ଯାଏଁ ଖେଳେଇ ହେଇଯାଉଚି ତଡ଼ିତ୍‍ର ସ୍ରୋତଟିଏ । ତମ ତାଳୁରୁ ତଳିପା ଯାଏଁ ସଂଚରି ଯାଉଥିବା ନୂତନ ଶିହରଣଟି ମୋ ଦେହକୁ ସଂକ୍ରମିତ ହେଉଚି !

 

ଆମେ କେଉଁଠି ଅଛେ ? ଆମେ କେମିତି ଅଛେ ? ଆମର ଶରୀର ଅଛି । ଆମର ପ୍ରାଣ ଅଛି ? ନାହିଁ, ନାହିଁ, ନାହିଁ–କେଉଁଠି ବିଲୀନ ହେଇଯାଇଚି । ଏ ସେଇ ଅନୁଭବ, ଏ ସେଇ ଶିହରଣ, ଏ ସେଇ ରୋମାଞ୍ଚିତ କଦମ୍ବ, ସେଇ ସୁରଭିତ ତଡ଼ିତ୍‍ର କୃଷ୍ଣଚୂଡ଼ା–ଯାହାର ନାଁ ପ୍ରେମ ! ଏ ସେଇ ସମ୍ପର୍କର ଝରଣା, ଏ ସେଇ ତୃଷ୍ଣା ଅପହାରୀ ସମୁଦ୍ର–ଯାହାର ନାଁ ପ୍ରେମ !! ଏଠି ଦେହ ନାହିଁ, ଦାହ ନାହିଁ, ନିଆଁ ନାହିଁ, ଜ୍ୱଳନ ନାହିଁ,

 

ଘୃଣା ନାହିଁ, ଗ୍ଳାନି ନାହିଁ, ତୃଷ୍ଣା ନାହିଁ, ବାସନା ନାହିଁ–ଏ ସେଇ ପ୍ରେମ ଯାହାପାଇଁ ତମେ ମୋର ଓ ମୁଁ ତମର ବାଟ ପାଞ୍ଚବର୍ଷ ହେଲା ଚାହିଁଛେ ! ଏ ସେଇ ଆଲିଙ୍ଗନର ନାଗଫାଶ, ଏ ସେଇ ଚୁମ୍ବନର ମାୟାମୃଗ–ଯାହାର ନାଁ ପ୍ରେମ !

 

ଆଃ ! ଏତେ ଶୀଘ୍ର ସକାଳ ଆସିଗଲା ? କୁମ୍ଭାଟୁଆର ସ୍ୱର ଯେ ଶୁଭୁଚି । ଜହ୍ନର କିରଣ ଯେ ମଳିନ ପଡ଼ି ଆସିଲାଣି । ତଥାପି ଆମେ ଓଠରୁ ଓଠ ମୁକୁଳେଇବା ନାଇଁ, ତଥାପି ଆମେ ବାହୁରୁ ବାହୁ ଖସାଇବା ନାହିଁ, ତଥାପି ଆମେ ଶରୀରରୁ ଶରୀର ଅଲଗା କରିବା ନାଇଁ । ଏମିତି ନୀରବେ, ନିଃଶବ୍ଦେ, ସୂର୍ଯ୍ୟ ଆଗମନୀରେ–ବିଦାୟୀ ଚନ୍ଦ୍ରର ଅସ୍ପଷ୍ଟ ଜ୍ୟୋତ୍ସ୍ନାରେ, କୁମ୍ଭାଟୁଆର ହୁଁ–ହୁଁ–କୋଇଲିର କୁହୁତାନ–କୁଆର କା’ କା’ରେ, ନିଃଶ୍ୱାସର ଗତି କ୍ରମଶଃ ନିୟନ୍ତ୍ରିତ ହେବାର ଅପଚେଷ୍ଟା କରୁଥିବାବେଳେ; ଆମେ ଜଗତର ସବୁଠୁ ଅଳସୁଆ ପାଲଟି ଯାଇ ରାତିକୁ ଧରି ରଖିବାର, ବାନ୍ଧି ରଖିବାର ଅପଚେଷ୍ଟା କରିବା । ରାତି ଲୁଚିଥିବ ତମ କବରୀରେ । ମଳିନ ଜ୍ୟୋତ୍ସ୍ନା ଉକୁଟି ଉଠିଥିବ ତମ ଦୁଇ ନୟନରେ, କୁମ୍ଭାଟୁଆ ଶବ୍ଦ ଏକାକାର ହୋଇଯିବ ତମ ସ୍ପନ୍ଦନର ତାଳରେ ! ଆଉ ବା କ’ଣ ଦରକାର ? ତମେ ମତେ ଚାହିଁ ହସୁଥିବ ଥରେ, ମୁଁ ତମକୁ ଚାହିଁ ହସୁଥିବି ଧୀରେ । ପରସ୍ପରକୁ ଚାହିଁ ଦେଇ ଚାହୁଁଥିବା ଛାତିକୁ । କ୍ଳାନ୍ତ ଆଖିପତା ମୁଦି ହେଉଥିବ ସକାଳରେ । ନାରୀ ପ୍ରତି ତମର ଭକ୍ତିଭାବ ଆସେ ? ଭକ୍ତି ପୁଣି କ’ଣ ? ତମେ ନିଜକୁ ଠକୁଚ । ଅଧିକାଂଶ ନାରୀ ଦ୍ରୌପଦୀ ପରି, ପାଞ୍ଚ ପତି ଥାଉଁଥାଉଁ କର୍ଣ୍ଣ ସୌନ୍ଦର୍ଯ୍ୟରେ ସେମାନଙ୍କ ମନ ଭୁଲିଯାଇଥାଏ । ଛାଡ଼–ଏଟା ନିହାତି ମାମୁଲି କଥା । ତମେ ଗଞ୍ଜେଇ ଟାଣିଲେ ପୂରା ଭୁଲିଯିବ ଯେ, ଏ ଜଗତରେ ନାରୀ ବୋଲି ଗୋଟେ ଜୀବ ଅଛି ! ସତରେ, ଏଇଠି ତମର ଦୁଃଖ ଅଧାଅଧି କମିଯିବ ।

 

ଏଁ ? ଗଞ୍ଜେଇ ଟାଣିଟାଣି ଏମିତି ସମୟ ଆସିବ ଯେତେବେଳେ ତମେ ଶଯ୍ୟା ଛାଡ଼ି ଉଠିପାରିବ ନାହିଁ ? ହଁ–ସତକଥା । ତମେ ଅସୁସ୍ଥ ହୋଇଯିବ, ଶେଯରୁ ଉଠିପାରିବ ନାହିଁ । କିନ୍ତୁ ତମେ କ’ଣ ବେକରେ ଦଉଡ଼ି ଲଗେଇ ପାରିବ ନାହିଁ ? ତମେ କ’ଣ କୌଣସି ବିଷକୁ ପାଟିରେ ପୂରେଇ ପାରିବ ନାହିଁ ? ତମେ କ’ଣ ନିଜ ବେକରେ ଛୁରି ବସେଇ ପାରିବ ନାହିଁ ? ତମେ କ’ଣ ଏତେ ଭୀରୁ ? ତମେ କ’ଣ ସତରେ ଏଡ଼େ କାପୁରୁଷ ? ଜମା ନୁହେଁ । ଯଦି ତମେ ଶଯ୍ୟାଶାୟୀ ହେବ, ପ୍ରଚୁର ଗଞ୍ଜେଇ ଟାଣି ବେକରେ ରସି ଲଗେଇ ଝୁଲି ପଡ଼ିବ ଛାତରୁ, ଅବା ଖାଇଦେବ କିଛି ବିଷାକ୍ତ ପଦାର୍ଥ ଅବା ନିଜ ବେକରେ ବସେଇଦେବ ଛୁରି ।

 

ସବୁ ଶେଷ ! ତମେ କାହା ଉପରେ ବୋଝ ହେବ ନାହିଁ । ଯିଏ ମରିବାକୁ ଡରେ, ତା’ର ଦୁଃଖର ଶେଷ ନାହିଁ । ଯିଏ ମରିବାକୁ ଡରେ, ତା’ର ଗ୍ଳାନିର ଶେଷ କାହିଁ ? ତମର ବରଂ ଏପରି କରିବାଦ୍ଵାରା ସାରା ଜୀବନ ଚିନ୍ତା ରହିଲା ନାହିଁ କି ତମପାଇଁ କେହି ଚିନ୍ତା କଲା ନାହିଁ । ତମେ ଗଞ୍ଜେଇରେ ଜୀବନ ଉପଭୋଗ କଲ, ନିଜ ଜୀବନର ଉପଭୋଗ ନିଜ ହାତରେ ଶେଷ କରିବ । ସତରେ, ନିଜ ଜୀବନକୁ ଉପଭୋଗ କରିବା ପରେ, ନିଜଦ୍ୱାରା ନିଜର ମୃତ୍ୟୁକୁ ଉପଭୋଗ କରିବା ସୁଖର କଥା କିଛି ନାହିଁ । ଏକଥା ତମକୁ ନୂଆ ଲାଗୁଚି କାରଣ ତମେ ପୁରୁଣା ପୋଷାକ ପିନ୍ଧିଛ !

 

ତମପାଇଁ କେହି ଚିନ୍ତା କରିବ ? ବାପା ? ମା’ ? ଭାଇ ? ବନ୍ଧୁ ? ସମସ୍ତେ ତମପାଇଁ ଚିନ୍ତା କଲେ ତମର ଯାଏଁ କେତେ ଆସେ କେତେ ? ସେ ସବୁ ତମର ଅପରାଧ ବୋଧ–ତମର ଗିଲ୍ଟ କନ୍‌ସେସନେସ୍ । ଏଇ ମନେକର, ଜଣେ ଝିଅ ଆସି ତମକୁ କହିଲା ଯେ, ତମେ ତାକୁ ବାହା ନହେଲେ ସିଏ ଆତ୍ମହତ୍ୟା କରିଦେବ । ତେବେ ତମେ ତାକୁ ବାହା ହେଇପଡ଼ିବ ? ଯଦି ବାହା ନ ହେବ, ତେବେ ସେ ସମ୍ପର୍କରେ ଆଉ ଚିନ୍ତାକରି ଲାଭ କ’ଣ ? ସେ ଝିଅ ମଲେ ମରୁ । କିଏ ତାକୁ କହୁଥିଲା ଏମିତି ପ୍ରତିଜ୍ଞା କରିବାପାଇଁ ? ଏଇଠି ଯଦି ତମେ ତମର ଅପରାଧ ବୋଧକୁ ଲଗାମଛଡ଼ା କରିଦେବ, ତେବେ ତମର ଇଚ୍ଛା ନଥିଲେବି ତମେ ସେଇ ଝିଅକୁ ବାହା ହେବାକୁ ବାଧ୍ୟ ହେବ । ଆମର କାମ ଯଦି ଆଉ କାହାକୁ ଭଲ ନ ଲାଗିଲା, ତେବେ ସେମାନେ ଚିନ୍ତା କରି ଲାଭ କ’ଣ ? ଯଦିବା କେହି ଚିନ୍ତା କରେ, ସେ ସମ୍ପର୍କରେ ଆମକୁ କହି ଲାଭ କ’ଣ ? ଯଦି ଆମକୁ କହିଲା, ଆମେ ସେଥିରେ ବିଚଳିତ ହେବାର କ’ଣ ଅଛି ? ଏସବୁ ମୋରାଲ୍ ବ୍ଲାକ୍‌ମେଲିଂ ! ବାପ ମା–ଭାଇ–ବନ୍ଧୁ–କୁଟୁମ୍ବ ପ୍ରତ୍ୟେକ ଜଣେ ଜଣେ ମୋରାଲ୍ ବ୍ଲାକ୍‌ମେଲ୍‍ର୍ ! ଠିକ୍ ସେଇ ଆତ୍ମହତ୍ୟା ଧମକ ଦେଉଥିବା ଝିଅପରି । ସେମାନେ ଆମକୁ ପଳପଳ ଜାଳୁଛନ୍ତି । ସେମାନଙ୍କ ପାଇଁ ଆମ ଜୀବନରେ ଅଧେ ଦୁଃଖ, ଆମ ଜୀବନରେ ଅଧେ ଗ୍ଳାନି, ଅଧେ ଅନୁଶୋଚନା ଏସବୁ ମିଛ । ଏ ସବୁ ମରୀଚିକା । ତମେ ଏସବୁ ପଛରେ ଦୌଡ଼ ନାଇଁ କିମ୍ବା ଏମାନଙ୍କୁ ତମ ପଛରେ ଆସିବାର ଦେଖିଲେ ବିଚଳିତ ହୁଅ ନାହିଁ । ଏମାନେ ଏକ ବ୍ଲାକ୍‌ମେଲ୍‍ର୍ ! ଭାଇ, ଆଉ ଗଞ୍ଜେଇ ଅଛି ? ଦିଅ, ଦିଅ ।

 

ବିଶ୍ଵାସ କର, ଆଜି ମୁଁ ସବୁଦିନ ଅପେକ୍ଷା ବେଶୀ ଗଞ୍ଜେଇ ଟାଣିଚି । ମାନେ ବେଶୀ କିଛି ନୁହେଁ; ଏଇ ନ’ଟଙ୍କାର ଗଞ୍ଜେଇ ମୁଁ ଗତ ଚାରିଘଣ୍ଟା ଭିତରେ ଟାଣିଚି । ତଥାପି ମତେ ନିଦ ହୋଇ ନାହିଁ । ତଥାପି ମୋର ଜ୍ଞାନ ଅଛି, ତଥାପି ମୁଁ ତମକୁ ଏତେ କଥା କହୁଚି । ଦେଖ, ତମେ ଦୁଃଖୀ ଲୋକଟିଏ, ମୋ ପାଖରେ ଅଜାଡ଼ି ଦେଇଚ ତମ ମନ ତଳର କଥା, ସେଥିପାଇଁ ମୁଁ ତମକୁ ଯାହା ଭାବୁଚି କହୁଚି ! ଦେଖ ଏଇ ପଡ଼ିଆଟା କେତେ ନିର୍ଜନ, ଏଇ ଆକାଶ କେତେ ଲମ୍ବା, ଏଇ ତା’ର କେତେ ଛୋଟ ! ଆମେ ଏମିତି ଏକ ପରିବେଶ ମଧ୍ୟରେ ! କେତେ ଆରାମ, ତମେ ଯଦି କିଛି ଗଞ୍ଜେଇ ଟାଣିଥାନ୍ତ ନା, ଆଃ ! ଭାବୁଚ କି ମୋର ଆଡ଼ୁସାଡ଼ୁ କଥା ବାହାରୁଚି ? ଜମା ନୁହେଁ–ମୁଁ ପୂରା ସେନ୍‌ସରେ ଅଛି ।

 

ତମେ ବି.ଏ. ପରୀକ୍ଷା ଦେଇଚ ? କ’ଣ ହେଲା ସେଇଠୁ ? ତମ ପ୍ରେମିକା ତମକୁ ଧୋକା ଦେଲା ? ତମ ବାପା ତମକୁ ଭଲପାଉ ନାହାନ୍ତି ? ମା’ ତମକୁ ଦେଖିଦେଲା ସିଗାରେଟ ଟାଣିବାବେଳେ ? ସାନ ଭାଇ ଦେଖିଦେଲା ତମକୁ ତମେ ସେଇ ପୁଚୁକିଗାଲବାଲୀ ଝିଅର ବ୍ଲାଉଜ୍ ଭିତରେ ହାତ ପୂରେଇଥିବା ଅବସ୍ଥାରେ ? ହଁ–ହଁ ବନ୍ଦକର, ବନ୍ଦକର । ମୁଁ ତମକୁ ପଚାରୁଚି କ’ଣ ହେଲା ସେଇଠୁ ? ସବୁ ତମର ଭୁଲ୍ । ତମେ ଯାହା କିଛି କରିଚ ବା କରୁଚ ସେ ବିଷୟରେ ଅନ୍ୟ କିଏ କ’ଣ ଭାବିଲା ବା ଭାବୁଚି, ସେ କଥାରେ ତମର ଯାଏଁ ଆସେ କେତେ ? ତମେ ପିଲାଲୋକ, ଆହୁରି ବଡ଼ ହେବ । ତମର ଆହୁରି ଅଭିଜ୍ଞତା ହେବ । ସେତେବେଳେ ତମେ ବୁଝିବ ଏଟା ଏକ ଅଜବ ସମୟ । ଏଠି ତମ ବାପା ଗୋଟେ ଲମ୍ପଟ, ଯିଏ ଅଫିସ୍‍ରେ ନିଜ ଷ୍ଟେନୋର ବ୍ଲାଉଜ୍‍ରେ ହାତ ଭର୍ଭି କରେ ! ତମ ମା’ ମିଷ୍ଟର୍‍ ପଟ୍ଟନାୟକଙ୍କ ଛାତିରେ ମୁଣ୍ଡ ରଖି କହନ୍ତି ଯେ, ତମ ବାପା ଅପରେସନ୍ ହେବାପରେ ଆଉ ଆଗ ପରି ସେକ୍ସ୍ କରିପାରୁନାହାନ୍ତି ! ତମ ଭାଇ ତକିଆ ତଳେ ନିହାତି ଥାର୍ଡ଼କ୍ଲାସ୍ ସେକ୍ସ୍ ପତ୍ରିକା ରଖିଥାଏ । ତା’ ଭଉଣୀର ଭ୍ୟାନିଟିରୁ ନିରୋଧ ପ୍ୟାକେଟ୍ ବାହାରେ । ଏଟା ଗୋଟେ ବଡ଼ ଅଜବ ସମୟ ! ସତରେ ଏ ସମୟଟାହିଁ ନପୁଂସକ ହେଇଯାଇଚି । ତମର ଦୋଷ ନାହିଁ, ତମ ବାପାର ଦୋଷ ନାହିଁ, ତମ ମା’ର ଦୋଷ ନାହିଁ, ତମ ଭାଇର–ଭଉଣୀର ଦୋଷ ନାହିଁ–କାହାର ଦୋଷ ନାହିଁ । ଅଥଚ ସମସ୍ତଙ୍କର ଗୋଟାଏ ଦୋଷ ହେଉଚି ଯେ, ପ୍ରତ୍ୟେକ ଭାବୁଚି ଯେ ତା’ ସମ୍ପର୍କରେ ଆଉ କିଏ କ’ଣ ଖରାପ ଭାବିଲା କି ? କାହିଁକି ତମେ ସବୁ ଏତେ ଭାବିବବେ ? ତମେ ଶଳେ କିଏ ଭାବିବାକୁ ଅନ୍ୟ ବିଷୟରେ କି ନିଜ ବିଷୟରେ ? ବାପା ଅପରେସନ୍ ହେଲା, ମା’ ମିଷ୍ଟର୍‍ ପଟ୍ଟନାୟକ ଆଗରେ ଲଙ୍ଗଳା ହେଲା, କ'ଣ ହେଲା ? ମା’ ମିଃ ପଟ୍ଟନାୟକ ଆଗରେ ଲଙ୍ଗଳା ହେଲା ଆଉ ତମ ବାପା ତ ଷ୍ଟେନୋ ବ୍ଲାଉଜ୍‌ରେ ହାତ ପୂରେଇଲା ତ ହେଲା କ’ଣ ? ଭଉଣୀକୁ ସତେଇଶବର୍ଷ, ବାହା ଦେଇପାରୁନି, ତା’ ଭ୍ୟାନିଟିରୁ ନିରୋଧ ପ୍ୟାକେଟ୍ ବାହାରିଲା ତ ।

 

ସକାଳର କଥା :

 

–ତେବେ ତମେ ସହରକୁ ଆସିବ ?

 

–ହଁ–କିନ୍ତୁ ଏବେ ନୁହେଁ !

 

–ତେବେ ?

 

–ଆଠଦଶ ଦିନ ଭିତରେ !

 

–ଏତେ ଦିନ ?

 

–ଆଠଟା ଦିନ ତ !

 

–ନା, ତମେ ଶୀଘ୍ର ଆସ ।

 

–କେତେ ଶୀଘ୍ର ?

 

–ଏଇ ଆଜି–କାଲି ଭିତରେ !

 

–ଏତେ ଶୀଘ୍ର ?

 

–ହଁ ।

 

–ଚେଷ୍ଟା କରିବି ।

 

–ହେଲେ ସେତେବେଳେ ଯଦି ମୁଁ ଆଉ ଏକ ଘରେ ଭିତରୁ କବାଟ ଦେଇ ଶୋଇବି, ତେବେ ମୋ ଦୋଷ ଦେବନି !

 

–ଆଚ୍ଛା ।

 

–ତମେ ଜାଣନି, ମୁଁ ଭାରି ରାଗୀ ।

 

–ସେଠି ଦେଖିବା ତମ ଘରେ ତମେ କେତେ ରାଗିପାର !

✽✽✽

 

ଭୈରବ

 

ଏମ୍.ଏ. ପାସ୍ କରି ସାରିବା ପରେ ଗୋଟେ ନୂଆ ହୋଇ ଆରମ୍ଭ ହୋଇଥିବା କଲେଜରେ ଯୋଗ ଦେବାର ନିଷ୍ପତ୍ତି ନେଇ, ଆବଶ୍ୟକୀୟ ଜିନିଷପତ୍ର ଧରି ମୁଁ ଘରୁ ବାହାରିପଡ଼ିଲି-। ଘରେ ଅବଶ୍ୟ କେହି କେହି ମନା କରୁଥିଲେ ଏତେଦୂରକୁ ଯିବାପାଇଁ । ଆମ ଘରଟା ଏକ ଭଲ ସହରରେ ଏବଂ ସେପରି ସହରରେ ରହିଲେ ବିଭିନ୍ନ ବଡ଼ବଡ଼ ଚାକିରି ନିମନ୍ତେ ଉଦ୍ଦିଷ୍ଟ ଥିବା ପରୀକ୍ଷାପାଇଁ ନିଜକୁ ମୁଁ ଭଲଭାବେ ପ୍ରସ୍ତୁତ କରିପାରିବି ବୋଲି କେହି କେହି କହୁଥିଲେ-। ମୁଁ ଯୋଗ ଦେବାକୁ ଥିବା କଲେଜଟା ଗୋଟେ ସୀମାନ୍ତ ଅଞ୍ଚଳରେ ଏବଂ ସେପରି ମଫସଲ ଅଞ୍ଚଳରେ ରହିଲେ ମୋ ମୁଣ୍ଡରେ ଥିବା ବୁଦ୍ଧିଗୁଡ଼ାକ ଧୀରେ ଧୀରେ ଗୋବରରେ ପରିଣତ ହୋଇଯିବ ବୋଲି ଅନେକ ଭାବୁଥିଲେ ।

 

ଯାହାହେଉ, ଦୀର୍ଘ ଦୁଇ ଦିନର ଯାତ୍ରା ପରେ ମୁଁ ସେଇ କଲେଜରେ ଯୋଗ ଦେଲି । କଲେଜଟା ନୂଆଭାବେ ଆରମ୍ଭ ହେଉଥିଲେ ମଧ୍ୟ ଛାତ୍ର, ଛାତ୍ରୀ ସଂଖ୍ୟା ମୋ ଆଶାରୁ ଅନେକ ବେଶୀ ଥିଲା । ମୁଁ ଧାରଣା କରିଥିଲି, କଲେଜର ଘର ବୋଲି କିଛି ନଥିବ–ଗୋଟେ ଲମ୍ବା ଚାଳଘର ବା ଟିଣ ଘର ଭିତରେ କଲେଜ ଚାଲୁଥିବ ଏବଂ ଅଧ୍ୟାପକମାନେ ଦୁଇଶ ଟଙ୍କା ଦରମା ପାଉଥିବେ-। କିନ୍ତୁ ସେଠାରେ ପହଞ୍ଚି ଜାଣିଲି, ମୋର ଅନୁମାନ ପୂରା ଭୁଲ୍ । ସ୍ଵାଧୀନତା ପୂର୍ବରୁ ସେଇ ଅଞ୍ଚଳରେ ଏକ ଛୋଟ ରାଜ୍ୟ ଥିଲା, ସ୍ୱାଧୀନତା ପରେ ରାଜା ସବୁ ସମ୍ପତ୍ତି ବିକ୍ରି କରି ବିଦେଶ ଚାଲି ଯାଇଥିଲେ । ତାଙ୍କ ପ୍ରାସାଦଟା ସେ ଜଣେ ଧନୀ ବ୍ୟବସାୟୀଙ୍କୁ ବିକ୍ରି କରିଦେଇଥିଲେ-। ବର୍ଷେ ଦି’ବର୍ଷ ତଳେ ସେଇ ବ୍ୟବସାୟୀଙ୍କ ମୃତ୍ୟୁପରେ ତାଙ୍କ ପୁଅ ସେଇ ପ୍ରାସାଦକୁ ନୂଆ କଲେଜପାଇଁ ଉତ୍ସର୍ଗ କରି ଦେଇଥିଲେ ଏବଂ ତାଙ୍କ ପିତାଙ୍କ ନାମରେ କଲେଜକୁ ନାମିତ କରାଯାଇଥିଲା-। ଅତଏବ, ମୋ ଅନୁମାନର ବିପରୀତ କଥା ମୁଁ ଦେଖିଲି ଅର୍ଥାତ୍ କଲେଜ ଗୋଟେ ଚାଳଘରେ ବା ଟିଣ ଘରେ ନ ହୋଇ ସୁବୃହତ୍ ଏକ ପ୍ରାସାଦରେ ଚାଲୁଥିଲା ଏବଂ ଆବଶ୍ୟକତାରୁ ଅଧିକ କୋଠରୀ ଥିଲା । ଦ୍ୱିତୀୟତଃ ପ୍ରତ୍ୟେକ ଅଧ୍ୟାପକଙ୍କୁ ପାଞ୍ଚଶହ ଟଙ୍କା ଦିଆଯାଉଥିଲା-। ସେଇ ଅଞ୍ଚଳରେ ଜଣିକିଆ ମଣିଷ ପାଞ୍ଚଶ ଟଙ୍କାରେ ଆରାମରେ ଚଳିପାରିବ । ଯାହା ହେଉ, କଲେଜ ସମ୍ପର୍କରେ ବର୍ଣ୍ଣନା କରିବା ମୋର ଲକ୍ଷ୍ୟ ନୁହେଁ, କିନ୍ତୁ ମୁଁ କହିପାରେ ଯେ ଜାଗାଟାରେ ମୋର କିଛି ଅସୁବିଧା ନଥିଲା ଏବଂ ପାଞ୍ଚଶହ ଟଙ୍କାରେ ଆରାମରେ ମୁଁ ଚଳି ଯାଉଥିଲି । ପରିଚାଳନା ସମିତିର ଅନୁମତି କ୍ରମେ ସେଇ ପ୍ରାସାଦର ଏକ କୋଠରୀରେ ମୁଁ ରହୁଥିବାରୁ ମୋର ଘରଭଡ଼ା ପଇସାଟା ବଞ୍ଚି ଯାଉଥିଲା ।

 

ମୋ ପରି ଅନ୍ୟ କେତେ ଜଣ ଅବିବାହିତ ଅଧ୍ୟାପକଙ୍କୁ ମଧ୍ୟ ସେଇ ପ୍ରାସାଦରେ ଗୋଟିଏ ଲେଖାଏଁ କୋଠରୀ ମିଳିଥିଲା । ଆମେ ଛଅ ଜଣ ରହୁଥିଲୁ । ଗୋଟିଏ ମେସ୍ କରି ଆରାମରେ ଖାଉଥିଲୁ, କେତେବେଳେ ଏକାଠି ସିନେମା ଦେଖି ଯାଉଥିଲୁ, ତାସ ଖେଳୁଥିଲୁ–ମଜାରେ ଦିନ କଟି ଯାଉଥିଲା ।

 

ଆମ ମେସ୍‌ରେ ଦୁଇଜଣ ଥିଲେ କାମ କରିବାକୁ । ଜଣେ ପୂଝାରି ଓ ଜଣେ ଚାକର । ପୂଝାରିଟି କେବଳ ରୋଷେଇବାସ କରେ, ଜଳଖିଆ ପ୍ରସ୍ତୁତ କରେ । ଚାକରଟି ନିକଟସ୍ଥ ବଜାରରୁ ପାନ, ସିଗାରେଟ, ସାବୁନ ଓ ଅନ୍ୟାନ୍ୟ ହାଟ ସଉଦା କରେ, ଆମ ଜାମାପେଣ୍ଟ୍‍ ବଜାରରୁ ଇସ୍ତ୍ରୀକରାଇ ଆଣେ, ସକାଳୁ ଘର ଝାଡ଼ୁକରେ ଇତ୍ୟାଦି । ଏମିତିଭାବେ ମତେ ଲାଗୁଥିଲା ମୁଁ ଅବା ଗୋଟେ ହଷ୍ଟେଲ୍‍ରେ ରହୁଚି, ତେଣୁ ଏଠାକୁ ଆସିବାବେଳେ ଘରେ ମତେ ଆସିବାକୁ ବାରଣ କରୁଥିବା ସତ୍ତ୍ୱେ ମୁଁ ଆସିଥିବାରୁ ଏବଂ ଆସି ନିଜକୁ ଉପଭୋଗ କରୁଥିବାରୁ ଖୁବ୍ ଖୁସିଥିଲି । ଏ ଅଞ୍ଚଳରେ ଖୁବ୍ ବଡ଼ବଡ଼ ପାହାଡ଼ ଅଛି । ଡେଙ୍ଗ ଡେଙ୍ଗା ଗୋଟେ ପ୍ରକାରର ବଣୁଆ ଗଛ ବହୁସଂଖ୍ୟାରେ ଏଆଡ଼େ ବଢ଼ି ଆକାଶକୁ ଛୁଇଁଚନ୍ତି ଅବା ସତେ । ଚାରିଆଡ଼ ନୀଳନୀଳ ! କଲେଜଟାଠାରୁ କିଛି ଦୂରରେ ବଜାର–ରାଜା ଥିବାବେଳେ ବଜାରଟା ସେଠି ନଥିଲା, ଏବେ ହେଇଚି । କଲେଜଟା କିନ୍ତୁ ଆପାତତଃ ଏକ ନିର୍ଜନ ଜାଗାରେ ! ତେବେ ଏସବୁ ଗପ ଥାଉ, କଲେଜକୁ ନେଇ ଏ ଗପଟା ନୁହ ବରଂ ଆମ ନିକଟରେ କାମ କରୁଥିବା ସେଇ ଚାକରଟି–ଯାହାର ବୟସ ସତୁରୀ ପାଖାପାଖି–ତାକୁ ନେଇ ଏ ଗପଟାର ସୃଷ୍ଟି !

 

ତା’ ନାଁ ଭୈରବ । ବୟସ ସତୁରୀ ପାଖାପାଖି । ମୁଁ ଭଲ କରି କହିପାରେ ଯେ ସେ ବୃଦ୍ଧ ନୁହେଁ । ଗୋରା ତକତକ ଲୋକଟା, ଡେଙ୍ଗାବି–ତା’ ଅଣ୍ଟା ଟିକେବି ବଙ୍କା ହୋଇନାହିଁ, ତୀକ୍ଷ୍ଣ ନାକଟା ତା’ର, ଖୁବ୍ କର୍ମଠ ସେ ! ସିନ୍ଦୂରାଫାଟିବାବେଳକୁ ଉଠେ ସେ ଏବଂ ଘର ଝାଡ଼ୁ ଦେଇ ପ୍ରତ୍ୟେକ କୋଠରୀରେ ବାଲଟିଏ ପାଣି ରଖିବାଠାରୁ ଆରମ୍ଭ କରି ରାତ୍ରିଭୋଜନ ପରେ ବାସନ ମାଜିବା ପର୍ଯ୍ୟନ୍ତ ସେ କାମ କରୁଥାଏ । ଯଦି ଭୈରବ କେତେବେଳେ ମେସ୍‌ରେ ନଥିବ, ତେବେ ସେ କଦାପି ଶୋଇ ନଥିବ ବା ନିଜ କାମରେ ବାହାରକୁ ଯାଇ ନଥିବ–ତାକୁ ନିଶ୍ଚେ ଆମ ଭିତରୁ କେହି କୌଣସି କାମରେ ବଜାର ପଠାଇଥିବ । ଲୋକଟା ପ୍ରତ୍ୟେକର ମନଲାଖି ଏମିତି କାମ କରେ ଯେ, ତା’ ପ୍ରତି କାହାର କିଛି ଅଭିଯୋଗ ନାହିଁ । ଅଭିଯୋଗ କରିବାର ସୁଯୋଗ ନଥାଏ ।

 

ଭୈରବର ପରିବାର ନାହିଁ । ଏ ମେସ୍‌କୁ ଆସିବା ଆଗରୁ ସେ କେଉଁଠି ଥିଲା, ମତେ ସେ କଥା ଜଣା ନାଇଁ । ଆସିବା ଦିନୁ ମୁଁ ଦେଖୁଚି ଯେ, ସେ ଏଇଠି ଖାଏ, ପିଏ, ରହେ, ଶୁଏ–କୁଆଡ଼େ ଯାଏଁ ନାହିଁ । କୁଆଡ଼େ ବା ଯିବ ? ତା’ର ଘର ନାଇଁ, ନିଜର ବୋଲି ଜାଗା ନାଇଁ, ଯେଉଁଠି ଚାକିରି କରିବ–ସେଇଟାହିଁ ତା’ ଘର ।

 

ଖୁବ୍ କମ୍ କଥା କହେ ଭୈରବ । ମୁଁ ଦିନେ ପଚାରିଲି : ‘ଭୈରବ, ଏତେ ଶୀତରେ ମଧ୍ୟ ତୁମେ ସକାଳୁ ଉଠି କାମ କରିପାରୁଚ କିମିତି ? ତୁମକୁବି ବୟସ ହେଲାଣି ।’ ଭୈରବ କହିଥିଲା : ‘ନା, ସାର୍‌–ଆମର ଆଉ କିଏ ଅଛି ଯେ, ଦେହ ଖରାପ ହେଲେ ଯତ୍ନ ନେବ ? ତେଣୁ ଗୋଟିଏ ନିୟମରେ ନ ଚଳିଲେ ଦେହ ଖରାପ ହେଇଯିବ । ତା'ଛଡ଼ା ଖଟିଲେ, ଖାଇ ପିଇ ଠିକ୍ ସମୟରେ ଶୋଇଲେ ଆଉ ଦେହର ଚିନ୍ତା କରିବାକୁ ହବ ନାଇଁ । ଭୋରୁ ନ ଉଠିଲେ ଦେହ ଭଲ ରହେ ନାଇଁ ସାର୍ । ନହେଲେ ରାସ୍ତାକଡ଼ରେ ପଡ଼ିଥିଲେ ମେହେନ୍ତରବି ଉଠାଇବ ନାଇଁ ।’

 

ପଚାରିଲେ କହେ, ନହେଲେ ନାଇଁ–ଏମିତି ଭୈରବ । ଅବଶ୍ୟ ନିଜ ତରଫରୁ କେତେଟା ଚିରାଚରିତ ବାକ୍ୟ ଭୈରବ କହେ, ତା’ ବ୍ୟତୀତ ଆଉ କିଛି ପ୍ରାୟତଃ କହେ ନାଇଁ । ‘କ’ଣ ସାର୍‌, ସିଗାରେଟ ଆସିବ ?’ ବା ‘ଜାମାପଟା ଇସ୍ତ୍ରୀ ହେବାର ଅଛି କି ?’ ବା ‘ଆଜି ମାଛ ମିଳୁଚି ବଜାରରେ’ ଇତ୍ୟାଦି କେତେଟା ବାକ୍ୟ ଭୈରବ ସାଧାରଣତଃ ନିଜ ତରଫରୁ କହିଥାଏ ।

 

କିଛି କାମ ନଥିବାବେଳେ ଭୈରବ ବସିଥାଏ । କିନ୍ତୁ କେବେ ତାକୁ ଢୁଳାଇବାର ଦେଖିନି । ଆଖି ଦିଓଟି ସେମିତି ସତେଜ, ଚେହେରାଟା ସଦା ପ୍ରଫୁଲ୍ଲ–ଆଖିରେ ଆଖି ମିଶିଲେ ଟିକେ ହସିଦିଏ ଭୈରବ, ବାସ୍–କିଛି କହେନି କିନ୍ତୁ ।

 

ମୋଟାମୋଟି ଏଇ ହେଲା ଭୈରବ । ତେବେ ବର୍ତ୍ତମାନ ଆପଣଙ୍କୁ ପ୍ରାସାଦର ଭୌଗଳିକ ଅବସ୍ଥିତି ଓ ନକ୍ସାଟା କହିଦିଏ !

 

ବଜାରଠୁ କିଛି ଦୂର ସିଧା ଆସି ବାଁପଟେ ଶହେ ହାତ ଚାଲିବା ପରେ ପ୍ରାସାଦଟି ପଡ଼ିବ-। ପ୍ରାସାଦର ପଛପଟେ ଗୋଟେ ବିରାଟ ପାଚେରୀ ଅଛି, ପାଚେରୀଠୁ କିଛି ଦୂରରେ ଛୋଟ ନଈଟିଏ ବହି ଯାଇଚି । ନଈର ଆରପାରିରୁ ପାହାଡ଼ଗୁଡ଼ା ଦିଶେ । ଛୋଟ ବଡ଼ ଅନେକ ପାହାଡ଼-। ପ୍ରାସାଦର ସାମ୍ନାଟା ଖୋଲା ଜାଗା–ଏବେ କଲେଜର ଖେଳପଡ଼ିଆଭାବେ ବ୍ୟବହୃତ ହେଉଚି । ଉତ୍ତରପଟେ ଆଉ ଗୋଟେ ଏକ ମହଲା ଘର, ସେଠି ପ୍ରାୟ ଆଠ ଦଶ ବଖରା ଘର ଅଛି-। ସବୁଗୁଡ଼ାକ ତାଲା ପଡ଼ିଚି, ସେଠି ବ୍ୟବସାୟ ଆରମ୍ଭ ହୋଇଥିଲା, କିନ୍ତୁ କଲେଜ ଆରମ୍ଭ ହେବାପରଠୁ ସେଠି ଆଉ ବ୍ୟବସାୟ ହେଉନି–ଘରଟା ଅବ୍ୟବହୃତ ହୋଇ ପଡ଼ିଚି । ଦକ୍ଷିଣ ପଟେ କେତେଟା ଘରର ଭଗ୍ନାଂବଶେଷ ପଡ଼ିଚି–ନିକଟରେ ଇଟା, ପଥର, ବାଲି ଗଦା ହୋଇଚି, ବୋଧେ ପୁଣିଥରେ ତିଆରି ହେବ । ପ୍ରଥମେ ଏ ଘରଟା ବ୍ୟବସାୟୀ ଜଣକ କିଣିଥିଲେ, ତାଙ୍କଠୁ ଜଣେ ରିଟାୟାର୍ଡ଼ ମିଲିଟାରୀ ଅଫିସର ଏବେ କିଣିଛନ୍ତି । ଏଇ ଭଙ୍ଗା ଘରଟା ଅବଶ୍ୟ କଲେଜର ନିହାତି ପାଖାପାଖି ନୁହେଁ, ତା’ଛଡ଼ା କଲେଜ ଓ ଘରଟା ମଝିରେ ଗୋଟେ ପାଚେରୀ ତିଆରି ହୋଇଗଲେ କଲେଜର ସେ ଦିଗରୁ କିଛି ଅସୁବିଧା ରହିବ ନାହିଁ ।

 

ପ୍ରାସାଦର ସାମ୍ନାପଟ କୋଡ଼ିଏଟା କୋଠରୀରେ କଲେଜ କାମ ଚାଲିଛି । ଅଫିସ୍, କ୍ଲାସ୍, ଲାଇବ୍ରେରି, ଲେଡ଼ିଜ କମନ୍‍ରୁମ୍, ଲେକଚରସ୍ କମନ୍‍ରୁମ୍ ଇତ୍ୟାଦି ସବୁକିଛି ପ୍ରାସାଦର ମୁଖ୍ୟାଂଶରେ ହୋଇଥାଏ । ଏଇ ମୁଖ୍ୟ ଧାଡ଼ି ଘରର ଗୋଟେ ପଟେ ବାରଣ୍ଡାରେ । କୋଡ଼ିଏ–ତିରିଶ ହାତ ଚାଲିଗଲେ ପଛପଟେ ଆଉ ଏକ ବାରଣ୍ଡା ଅଛି । ସେଇ ବାରଣ୍ଡାର ଉଭୟ ପାର୍ଶ୍ଵରେ ଆଠଟା ଲେଖାଏଁ ଘର । ଗୋଟେ ପଟର ପ୍ରଥମ ଛ’ଟା କୋଠରୀରେ ଆମ ଛ’ଜଣ ରହୁଛୁ, ତା’ପର କୋଠରୀଟା ଆମ ମେସ୍‌ର ରୋଷେଇଘର ଏବଂ ଶେଷ ବଖରାରେ ଚାକର ଭୈରବ ଓ ପୂଝାରି ରହନ୍ତି । ଆରପଟର ଆଠଟାଯାକ କୋଠରୀରେ ତାଲା ପଡ଼ିଚି । ପୁନଶ୍ଚ ସେପଟର ଆଠଟାଯାକ ବଖରା ଏପଟର ଆଠଟା ବଖରା ପରି ପରସ୍ପର ସଂଲଗ୍ନ ନୁହେଁ । ସେପଟେ ପ୍ରଥମେ ଚାରିଟି ବଖରାପରେ ଗୋଟେ ଦରଜା ଅଛି–ତା’ପରେ ଆଉ ଚାରିଟି ବଖରା । ଦରଜାରେବି ତାଲା ପଡ଼ିଚି । ଶୁଣିଚି ଯେ ସେଇ ଦରଜାଟା ଖୋଲିଦେଲେ ଗୋଟେ ଗଳି ରାସ୍ତା ପଡ଼ିବ–ସେଇ ଗଳି ବାରଣ୍ଡାର ଶେଷ ମୁଣ୍ଡକୁ ଆଉ କେତୋଟି ଘର ପଡ଼ିବ । ସେ ଘରଗୁଡ଼ା ସବୁ ଏକ ମହଲା, ଏପଟ ପରି ବା ଆମେ ରହୁଥିବା ଆଠ ବଖରା ପରି ବା ମୁଖ୍ୟ କୋଠାପରି ଦୁଇ ମହଲା ନୁହେଁ । ସବୁ ଉପରମହଲା ଘରଗୁଡ଼ିକରେ ତାଲା ପଡ଼ିଚି । ଆମେ ରହୁଥିବା ଆଠ ବଖରା ଓ ଆମ ମେସ୍‌ର ସାମ୍ନା ଆଠବଖରା ମଝିରେ ଥିବା ଖାଲି ଜାଗାଟା ଅତୀତରେ ରାଜାଙ୍କ ବଗିଚା ଥିଲା, ଏବେ ସେଠି ଏକ ନଳକୂଅ ବସାଯାଇଚି । ତଥା ଆମମାନଙ୍କ ଗାଧୁଆ କାମ ସେଇଠି ହୋଇଥାଏ । ସେଇ ଖୋଲା ଜାଗାରୁ ସିଧା ପ୍ରାସାଦର ପଛପାଖ ପାଚେରୀ ନିକଟକୁ ଲମ୍ବିଥିବା ଖୋଲା ଜାଗାର ଗୋଟେ କୋଣକୁ ପାଇଖାନାର ବ୍ୟବସ୍ଥା ହୋଇଚି । ପ୍ରଥମେ ଅବଶ୍ୟ ପାଇଖାନା ହେବା ବିରୁଦ୍ଧରେ ସମସ୍ତେ ପ୍ରତିବାଦ କରୁଥିଲେ, କିନ୍ତୁ ପଛପାଖ ପାଚେରୀ ଓ ମୁଖ୍ୟ ପ୍ରାସାଦ ମଝିରେ ଥିବା ଦୀର୍ଘ ଦୂରତାକୁ ଆଖି ଆଗରେ ରଖି ଅନୁମତି ଦିଆଗଲା । ପାଇଖାନା ଯିବାକୁ ଆମକୁ ପ୍ରାୟ ଶହେ ହାତ ଯିବାକୁ ପଡ଼େ । ଆସନ୍ତା କିଛି ବର୍ଷ ଭିତରେ ସେଠି କିଛି ତିଆରି ହେବାର ନାହିଁ କିମ୍ବା ଅଧିକ ଘର ଯଦିବା କେବେ ଦରକାର ହୁଏ, ତେବେ ସେଥିପାଇଁ ମୁଖ୍ୟ ପ୍ରାସାଦର ସାମ୍ନାରେ ତଥା ଉତ୍ତରପଟେ ପ୍ରଚୁର ଖାଲି ସ୍ଥାନ ଅଛି । ଅତି ଆବଶ୍ୟକ ହେଲେ ନଳକୂଅ ଓ ପାଇଖାନାକୁ ମଧ୍ୟ ଉଠାଇ ଦିଆଯାଇପାରେ । ବୋଧେ ଏଇ ପ୍ଲାନ୍‌ରେ ଆମକୁ ଏଠି ରହିବାର ସୁଯୋଗ ଦିଆଯାଇଚି ।

 

ତେବେ ଯାହା ହେଉ, ଏଇ ହେଲା ସଂକ୍ଷେପରେ ପ୍ରାସାଦର ଗଠନ ପ୍ରଣାଳୀ ତଥା ଭୌଗଳିକ ଅବସ୍ଥିତ । କିନ୍ତୁ ଏଯାବତ୍ ଆମ କାହାଣୀଟା ଆରମ୍ଭ ହୋଇପାରି ନାଇଁ, ତେଣୁ ଆଉ ସମୟ ନଷ୍ଟ ନ କରି ବରଂ କାହାଣୀଟା ଆରମ୍ଭ କରାଯାଉ ।

 

ଦିନେ ରାତିରେ ହଠାତ୍ ମୋ ନିଦ ଭାଙ୍ଗିଗଲା, ସାଧାରଣତଃ ମୋ ନିଦ ଅଧରାତିରେ ଭାଙ୍ଗେ ନାହିଁ । ଏଠାକୁ ଆସିବା ଦିନୁ ଭୈରବ ମତେ ସକାଳୁ ଉଠାଇଚି, ତେଣୁ ହଠାତ୍ ନିଦ ଭାଙ୍ଗିଯିବାରୁ ମୁଁ ତକିଆ ତଳୁ ଘଣ୍ଟା ବାହାର କରି ସମୟ ଦେଖିଲି–ରାତି ଦୁଇ । ଏମିତି ସମୟରେ ନିଦ ଭାଙ୍ଗି ଯାଇଥିବାରୁ ମୁଁ ଆଶ୍ଚର୍ଯ୍ୟ ହେଲି ଏବଂ ପୁଣି ଶୋଇପଡ଼ିବାର ଚେଷ୍ଟା କଲି !

 

ଶୋଇପଡ଼ିବାର ଚେଷ୍ଟାରେ ମୋ ଆଖିପତା ବନ୍ଦ ହୋଇ ଆସିଚି, ମୁଁ ଖୁବ୍ କ୍ଷୀଣଭାବେ କେଁକରି ଗୋଟେ ଶବ୍ଦ ଶୁଣିଲି । ଅନ୍ଧାରରେ ମୋ ଆଖି ଖୋଲିଗଲା–ଭୟରେ ନୁହେଁ, କିନ୍ତୁ ଏମିତି-! ମତେ ଲାଗିଲା; ଶବ୍ଦଟା କବାଟ ଖୋଲିବାର ଶବ୍ଦ । ହେଇଥିବ, ଅନ୍ୟମାନଙ୍କ ଭିତରୁ କେହି ଉଠିଥିବ ବାହାରକୁ ! ମୁଁ କେବେ ରାତିରେ ଉଠେ ନାଇଁ, କିନ୍ତୁ ଅନେକ ରାତିରେ ଉଠନ୍ତି-

 

ଏମିତି ଭାବୁ ଭାବୁ ମତେ ନିଦ ଲାଗିଗଲା । ନିଦ ଲାଗିଗଲା ଓ ପରଦିନ ସକାଳ ପର୍ଯ୍ୟନ୍ତ ମୁଁ ଶୋଇ ପଡ଼ିଲି ଆରାମରେ । ସକାଳୁ ମତେ ଭୈରବ ଉଠେଇଲା, ଅଧିକାଂଶ ଦିନ ପରି-। ତା’ପରେ ନିତ୍ୟକର୍ମ, କଲେଜ । ପୁଣି ରାତିରେ ଖାଇବା, କିଛି ସମୟ ଭଟ୍ଟନାଗରବାବୁଙ୍କ ରୁମ୍‌ରେ ବସି ତାସ୍ ଖେଳିବା–ଶେଷକୁ ନିଜ କୋଠରୀରେ ଏକାଏକା ରାତ୍ରିଯାପନ-! ଏ କଲେଜରେ ବିଭିନ୍ନ ପ୍ରଦେଶର ଲୋକ ଅଛନ୍ତି । ମୁଁ ଭଟ୍ଟନାଗର, ପାଣ୍ଡେ, କର୍ମଗାର, ରାୟଚୌଧୁରୀ ଇତ୍ୟାଦି ଇତ୍ୟାଦି । ଆମେ ଛ’ଜଣ ହେଲୁ ମୁଁ ମିଷ୍ଟର୍‍ ଭଟ୍ଟନାଗର, ମିଷ୍ଟର୍‍ ପାଣ୍ଡେ, ମିଷ୍ଟର୍‍ ଭର୍ଗିଜ, ମିଷ୍ଟର୍‍ କୁଲକର୍ଣ୍ଣି ଓ ମିଷ୍ଟର୍‍ ପଟେଲ ! ଜାତୀୟତାର ଏପରି ଏକତ୍ରୀକରଣ ହେବାର ଏକମାତ୍ର କାରଣ ହେଉଚି ପରିଚାଳନା ସମିତିର ଅଧ୍ୟାପକ ନିର୍ବାଚନରେ ସଚ୍ଚୋଟପଣିଆ-! ଶିକ୍ଷିତ ବେକାରମାନେ ମାଗଣାରେ ଘରଟେ ପାଇଲେ ତଥା ଦି’ଓଳି ଖାଇବାର ସୁବିଧା ହେଲେ ନିଜ ଘର ଛାଡ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି, ଏଥିପାଇଁ ପରିଚାଳନା ସମିତି ଘର ଯୋଗାଇବା ସହ ଖୁବ୍ ଭଲ ଦରମା ମଧ୍ୟ ଦେଉନି ଅନ୍ୟ ନୂଆ କଲେଜ ତୁଳନାରେ ! ସର୍ବୋପରି, ଜାତୀୟତାର ଏକତ୍ରୀକରଣ ହେବାର ଅନ୍ୟତମ କାରଣ ହେଲା, କଲେଜଟା ସୀମାନ୍ତ ଅଞ୍ଚଳରେ ତଥା ସେ ଅଞ୍ଚଳରେ ଏମ୍.ଏ.ଙ୍କର ଘୋର ଅଭାବ । ତେଣୁ ବିଭିନ୍ନ ଅଞ୍ଚଳରୁ ନିରପେକ୍ଷଭାବେ ଭଲ ଛାତ୍ରଙ୍କୁ ରଖାଯିବାରେ ସର୍ବଭାରତୀୟତାର ବିନ୍ଦୁଟିଏ ସୃଷ୍ଟି ହୋଇଚି ।

 

ଯାହା ହେଉ, ସେଇ ରାତି ପରେ ତିନି ଚାରି ଦିନ ମୋର ଆଉ ଅସମୟରେ ନିଦ ଭାଙ୍ଗିନି । କିନ୍ତୁ ଦିନେ ପୁଣି ମୋ ନିଦ ଭାଙ୍ଗିଗଲା । ଅଭ୍ୟାସ ମୁତାବକ ମୁଁ ତକିଆ ତଳୁ ଘଣ୍ଟା ବାହାର କରି ଦେଖିଲି–ରାତି ଦୁଇ । ମୁଁ କଡ଼ ଲେଉଟାଇ ପୁଣି ଶୋଇ ପଡ଼ିବାକୁ ଚେଷ୍ଟା କରୁଚି, ଖୁବ୍ ଧୀରେ କେଁ କରି ଶବ୍ଦ ଶୁଭିଲା । ମୁଁ ଭାବିଲି ବୋଧେ ଭଟ୍ଟନାଗର କି ପାଣ୍ଡେ କି କୁଲକର୍ଣ୍ଣି କେହି ଉଠିଥିବ । ମୁଁ ଶୋଇ ପଡ଼ିବାକୁ ଚେଷ୍ଟା କଲି । ମୋତେବି ଧୀରେ ଧୀରେ ନିଦ ଲାଗିଆସିଲା-

 

କିଛିକ୍ଷଣ ପରେ ମୋ ନିଦ ପୁଣି ଭାଙ୍ଗିଗଲା । ରାତି ଦୁଇଟା କୋଡ଼ିଏ । ମୁଁ ଆଶ୍ଚର୍ଯ୍ୟ ହେଲି । ନିଦ ଲାଗିବାର କୋଡ଼ିଏ ମିନିଟ୍ ପରେ ମୋ ପରି ଲୋକର ନିଦ ଭାଙ୍ଗିଯିବା ମୋପାଇଁ ନିଶ୍ଚେ ଏକ ଆଶ୍ଚର୍ଯ୍ୟ କଥା । ମୁଁ କିଛି ଶବ୍ଦ ଶୁଣିଲି ବୋଲି ମତେ ଲାଗୁଥାଏ । କିନ୍ତୁ ଏବେ ତ କିଛି ଶବ୍ଦ ନାଇଁ । ତେବେ କାରଣ କ’ଣ ହୋଇପାରେ ?

 

ଏମିତି ଭାବି ଶୋଇଯିବାର ଉପକ୍ରମ କରୁଚି, ମତେ ଲାଗିଲା ବାରଣ୍ଡାରେ କେହି ଚାଲୁଚି–ଖୁବ୍ ସନ୍ତର୍ପଣରେ ପାଦ ପକାଉଚି, ତଥାପି ପାଦ ଶବ୍ଦ ଖୁବ୍ କ୍ଷୀଣଭାବେ ଶୁଭୁଚି, ପାଦ ଚିପି ଚାଲିବା ଶବ୍ଦ ! ପାଣ୍ଡେ ? ଭଟ୍ଟନାଗର ? କୁଲ୍‌କର୍ଣ୍ଣି ? ରାୟଚୌଧୁରୀ ? କିଏ ? ଏ ଭିତରେ ପାଞ୍ଚ ମିନିଟ୍ ବିତିଗଲା, ନା–ଏମାନେ ନୁହନ୍ତି, ଏମାନେ ହୋଇଥିଲେ ତ କବାଟ ବନ୍ଦ କରିବାର ଶବ୍ଦ ମଧ୍ୟ ଶୁଭିଥାନ୍ତା !! ପୁଣି କିଛିକ୍ଷଣ ବିତିଗଲା, ନା–କାହାରି କବାଟ ବନ୍ଦ କରିବା ଶବ୍ଦ ଶୁଭିନି, ତେବେ କିଏ ? କିଏ ?

 

ମୋ ନିଦ ପୂରା ଛାଡ଼ି ଯାଇଥାଏ । ମୁଁ ଭାବିଲି ଉଠି ବାହାରକୁ ଯିବି । ସେତେବେଳେ ମୋ ମୁଣ୍ଡରେ ଅନ୍ୟ କିଛି ଚିନ୍ତା ନଥାଏ, ମୁଁ ଭାବୁଥାଏ ବାହାରକୁ ଗଲେ ପାଣ୍ଡେ କି ଭଟ୍ଟନାଗର କି ଯିଏ ହେଇଥାଉ, ତା’ଠୁ ଖଣ୍ଡେ ସିଗାରେଟ ଆଣି ଟାଣିବି–ମୋ ସିଗାରେଟ ସରି ଯାଇଚି । ସିଗାରେଟ କଥା ମନେପଡ଼ିବାକ୍ଷଣି ମୁଁ ଉଠି ଠିଆ ହେଲି ବାହାରକୁ ଆସିବାପାଇଁ ।

 

ଖୁବ୍ ଧୀରେ ମୁଁ ମୋ କବାଟ ଖୋଲିଲି । ଅଳ୍ପ ମେଲା କରି, ବାହାରକୁ ମୁହଁ ବାହାର କରି ବାରଣ୍ଡାକୁ ନିରୀକ୍ଷଣ କଲି । ଅନ୍ଧାରରେ ପରିଷ୍କାର ଦିଶୁ ନଥିଲେବି କ୍ରମେ ଜାଣିଲି ବାରଣ୍ଡାରେ କେହି ନାହାନ୍ତି । ତେବେ କ’ଣ ଭଟ୍ଟନାଗର ବା ପାଣ୍ଡେ ବା କୁଲକର୍ଣ୍ଣି ବା ଅନ୍ୟ ଯିଏ କେହି ଉଠିଥିଲା, ସିଏ ମୋ’ ପରି କେତେବେଳେ ନିଃଶବ୍ଦରେ କବାଟ ବନ୍ଦ କରିଦେଇଚି ? ତାହାହେଲେ ଯେଉଁ କେଁ କରି ଶବ୍ଦଟେ ମୁଁ ଶୁଣିଥିଲି, ପୁଣି ସେପରି ହେବା କଥା ତ । ନା ଅନ୍ୟମନସ୍କତା ହେତୁ ମୁଁ ଶୁଣିପାରି ନାହିଁ ?

 

କବାଟ ଅଧା ମେଲା କରି ପ୍ରାୟ ଦଶ ମିନିଟ୍ ସେମିତି ବାହାରକୁ ମୁହଁ କାଢ଼ି ମୁଁ ଠିଆ ହେଲି । ନା, କେହି ଉଠି ନାହାନ୍ତି ବା ଯିଏ ଉଠିଥିଲା, ସିଏ କବାଟ ବନ୍ଦ କରିଦେଲାଣି । ମୁଁ ଭାବୁଥାଏ, ଯାଇ ଭଟ୍ଟନାଗରକୁ ଉଠେଇ ଖଣ୍ଡେ ସିଗାରେଟ ଟାଣିବି । ହଠାତ୍ କେଜାଣି କାହିଁକି ମୋ ଦୃଷ୍ଟି ସେଇଠୁ ଲମ୍ବିଗଲା ପଛପଟ ପାଚେରୀ ପର୍ଯ୍ୟନ୍ତ !

 

ସେପଟଟା ଖୋଲା ଜାଗା, ଅପେକ୍ଷାକୃତ ଫର୍ଚ୍ଚା ଦିଶୁଥାଏ । ସେଇ ଫର୍ଚ୍ଚାଳିଆ ପରିବେଶ ଭିତରେ ମତେ ଜଣାଗଲା, କେହି ଜଣେ ଚାଲିଚାଲି ଆସୁଚି ବାରଣ୍ଡା ଦିଗକୁ । କିଏ ? କିଏ ହୋଇପାରେ ? ମୁଁ ଭଲଭାବେ ଆଖି ମଳି, ପୂର୍ବ ପରି ସେମିତି କବାଟ ଫାଙ୍କରେ ଠିଆ ହୋଇ, ନିରୀକ୍ଷଣ କଲି–ହଁ–ମୁଁ ଭୁଲ୍ ଦେଖିନି, କେହି ଜଣେ–ଗୋଟେ ଫିକାଳିଆ ଅସ୍ପଷ୍ଟ ଛାଇପରି ଅନ୍ଧାରରେ ଆଉ ଟିକେ ଅନ୍ଧାରିଆ ହୋଇ ଧୀରେ ଧୀରେ ଚାଲି ଆସୁଚି ଏ ଆଡ଼କୁ । କ୍ରମେ ସେଇ ଅନ୍ଧାରିଆ ଛାଇଟା ନିକଟତର ହେଲା । ତଳକୁ ମୁହଁ ପୋତି ସିଏ ଆସୁଚି । ଏଥରବି ମୁଁ ଜାଣିପାରିଲି–ସିଏ ଭୈରବ !

 

ମୁଁ ତାକୁ କିଛି ପଚାରି ଦେଇଥାନ୍ତି । କିନ୍ତୁ ପଚାରିପାରିଲି ନାଇଁ । ସିଏ ତା’ କୋଠରୀକୁ ଚାଲିଗଲା । ତା’ର ଆଦୌ ଧାରଣା ହୋଇନାଇଁ ଯେ, ତାକୁ ଅନ୍ୟ ଜଣେ କେହି ଦେଖିଚି ବୋଲି । ମୁଁ ମଧ୍ୟ ନିଃଶବ୍ଦରେ କବାଟ ବନ୍ଦ କରି ମୋ କୋଠରୀକୁ ଆସି ଲୋଟିଗଲି ଖଟ ଉପରେ !!

 

କ’ଣ ପାଇଁ ଏତେ ରାତିରେ ଶଯ୍ୟାଛାଡ଼ି ଏକାକୀ ବାହାରେ ବୁଲୁଥିଲା ଭୈରବ ? କ'ଣ ପାଇଁ ? ତେବେ କେଇ ଦିନ ତଳେ ଅଧରାତିରେ ସେଇ କ’ଣ ଉଠିଥିଲା ? ସେଇ ? କ’ଣ ପାଇଁ ଯାଇଥିଲା ସିଏ ପାଚେରୀ ନିକଟକୁ ? ସେପଟ ବାଟେ ତ ବାହାରକୁ ଯିବାକୁ ବାଟ ନାଇଁ, ତେବେ କ’ଣ ପାଇଁ ଏତେ ରାତିରେ, ଗହନ ଅନ୍ଧାରରେ, ଭୈରବ ପରି ଦିନସାରା ଖଟୁଥିବା ଲୋକଟି ଶାନ୍ତିରେ ନ ଶୋଇ ବୁଲୁଥିଲା ବାହାରେ ? କ’ଣ ପାଇଁ ?

 

ମୋର ଭୈରବ ପ୍ରତି ସନ୍ଦେହ ଜାତ ହେଲା । ପୁଣି ଘୃଣା । ପୁଣି ଭୟ । ଭୈରବ ବିପଜ୍ଜନକ ! ଭୈରବ ରହସ୍ୟମୟ ! ଭୈରବ ସହ ମୋର ପ୍ରଥମ ସାକ୍ଷାତଠାରୁ ଆଜିଯାଏଁ ତା’ର ସମସ୍ତ କାର୍ଯ୍ୟକଳାପ ଏକ ଚାଲବାଜି ବୋଲି ମନେ ହେଲା । ଏକ ସାଧୁ ମଣିଷର ଖୋଳପାରେ ରହି ଭୈରବ ଅନ୍ୟମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଲିଛି !

 

କିନ୍ତୁ ଭୈରବର ଉଦ୍ଦେଶ୍ୟଟା କ’ଣ ? ରାତିରେ ଏକାକୀ ଘୂରି ବୁଲିବାର ଅର୍ଥ କ’ଣ ? କ’ଣ ପାଇଁ ସତରେ ଘୂରି ବୁଲୁଚି ଭୈରବ ? କ’ଣ ସେଇ ରହସ୍ୟ ? କ’ଣ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ଯାହାପାଇଁ ଭୈରବ ଘୂରୁଚି ରାତ୍ରିର ନିର୍ଜନ ପ୍ରହରରେ ?

 

ପରଦିନ ସକାଳେ ଭାବିଲି, ଏ ସମ୍ପର୍କରେ ଅନ୍ୟମାନଙ୍କୁ କହିବି । କିନ୍ତୁ ପୁଣି ଭାବିଲି, ନା–କହିବାଦ୍ୱାରା ଲାଭ ନାଇଁ, ବରଂ କ୍ଷତି । କଥାଟା ନିଶ୍ଚେ ଜଣାପଡ଼ିଯିବ ତଥା ଭୈରବ ସତର୍କ ହୋଇଯିବ । ଅନ୍ୟମାନେ ମଧ୍ୟ ଅଯଥା ଆଗ୍ରହ ପ୍ରକାଶ କରିବେ ଭୈରବର ନୈଶୀଭିସାରରେ ! ବରଂ ଆଉ ଦିନେ ଦିଦିନ ବା ଥରେ ଦି’ଥର ଭୈରବର ନୈଶାଭିସାରକୁ ଗୋପନରେ ଲକ୍ଷ୍ୟ କରାଯାଉ । ତା’ର ନୈଶାଭିସାରର ଗୋପନ ଉଦ୍ଦେଶ୍ୟଟି ପ୍ରଥମେ ଅନ୍ତତଃ ଜାଣିବା ଦରକାର, ପରେ ବରଂ ସମସ୍ତଙ୍କୁ କହି ସେ ସମ୍ପର୍କରେ ସତର୍କଭାବେ କିଛି କରାଯାଇପାରିବ !

 

ରାତି ! କେଁ କରି ଶବ୍ଦରେ ଭାଙ୍ଗିଗଲା ମୋ ନିଦ । ମୁଁ ଚଟ୍ କରି ଉଠି ବସିଲି । ଆଜି ମୋତେ ଭୈରବ ଉପରେ ଆଖି ରଖିବାକୁ ହେବ । ତା’ ନୈଶାଭିସାରର ରହସ୍ୟ ସମ୍ପର୍କରେ କିଛି ଜାଣିବାକୁ ହେବ !

 

ମୁଁ ଧୀରେ କବାଟ ଖୋଲିଲି । ଅନ୍ଧାର ଚାରିଆଡ଼ । ଅନ୍ଧାରରେ ଦୃଷ୍ଟି ସ୍ଥିର କରିବା ପରେ କ୍ରମେ ସବୁ ଝାପ୍‌ସା ଦିଶିଲା । ମୁଁ ଦେଖିଲି କେହି ଜଣେ ଚାଲିଚି ପଛ ପାଖ ପାଚେରୀଆଡ଼େ-। କଳାରଙ୍ଗର କିଛି ଗୋଟେ ଧରିଛି ହାତରେ !

 

ଭାବିଲି ଭଟ୍ଟନାଗର କି ପାଣ୍ଡେକୁ ଉଠେଇବି । ତା'ପରେ ଏକତ୍ର ହୋଇ ଅନ୍ଧାରରେ ସେଇ ଲୋକଟିର ପିଛା କରିବୁ । ସେ କିଏ ? ଆଜି କ’ଣ ସେଇ ଭୈରବ ? ନା ଭଟ୍ଟନାଗର ? ନା ପାଣ୍ଡେ ? ନା ରାୟଚୌଧୁରୀ ? ନା ଅନ୍ୟ କେହି ? କିଏ ?

 

ଦୁଆରମୁହଁ ପାଖରେ ଠିଆ ହୋଇ ଏମିତି ଭାବିବା ଭିତରେ କେତେବେଳେ ସେ ଲୋକଟି ଫେରି ଆସିଚି । ମୋ ଆଖି ଅନ୍ଧାରରେ ସତର୍କ ହୋଇଗଲା । ବହଳ ଅନ୍ଧାର ସୃଷ୍ଟି କରି ଛାୟାଟି ଚାଲିଆସୁଚି ଆଗକୁ । ଝୁଲିଝୁଲି ନିଶ୍ଚିନ୍ତରେ ଆସୁଚି !

 

କ୍ରମେ ସିଏ ନିକଟତର ହେଲା । ଅନ୍ଧାରରେ ମଧ୍ୟ ମୁଁ ତାକୁ ଚିହ୍ନିଲି । ସେ ଭୈରବ ଯେଉଁ କଳା ରଙ୍ଗର କିଛି ଗୋଟେ ଧରିଥିବା ପରି ମତେ ଦିଶିଥିଲା, ସେଇଟି ଗୋଟେ ବାଲଟି !

 

କୌଣସି ଆଡ଼କୁ ଦୃଷ୍ଟି ନ ପକାଇ ବାରଣ୍ଡାକୁ ଚଢ଼ି ତା’ ଶୋଇବା ଘରକୁ ପଶିଗଲା ଭୈରବ । ତା'ପରେ ଭିତରୁ କବାଟ ବନ୍ଦ କରିବାର ଶବ୍ଦ ଆସିଲା । କେଁ କରି ଶବ୍ଦଟେ ।

 

ଭାବିଲି, ଏ ସମ୍ପର୍କରେ ଭଟ୍ଟନାଗର କି ପାଣ୍ଡେକୁ କହିବି । ତା’ପରେ ଦିନେ ରାତିରେ ବରଂ ଆମେ ମିଶି ଭୈରବର ପିଛା କରିବୁ । ଏତେ ରାତିରେ ସିଏ ଯାଏଁ କୁଆଡ଼େ ? ପୁଣି ଏକା ? ପୁଣି ଗୋଟେ ବାଲଟି ଧରି ! କାହିଁ–ପ୍ରଥମ ରାତିରେ ତ ତା’ ହାତରେ ବାଲଟି ନଥିଲା ? ତେବେ ? ଅନେକ ଭାବିଲି, ଏ ସମ୍ପର୍କରେ ଅନ୍ୟମାନଙ୍କୁ କହିବି । ପୁଣି ଭାବିଲି, ଏ ସମ୍ପର୍କରେ ପୂଝାରିକୁ ପଚାରିବି । କିନ୍ତୁ ପୂଝାରିକୁ ପଚାରିବା ଠିକ୍ ହେବ କି ? ସେ ବି ହୁଏତ ଭୈରବର ଏ ଗୋପନ କାର୍ଯ୍ୟର ସହଯୋଗୀ ହୋଇଥାଇପାରେ । ସେ ଭୈରବକୁ ସତର୍କ କରାଇଦେଇପାରେ । ତେବେ-? ନା ମୁଁ ଏ ସମ୍ପର୍କରେ କାହାକୁ କହିଲି ନାଇଁ । ଭାବିଲି, ବରଂ ଅପେକ୍ଷା କରିବି, ବରଂ ଗୋଟେ ଟର୍ଚ୍ଚ କିଣିବି, ଗୋଟେ ଲାଠି ଯୋଗାଡ଼ କରିବି ଓ ଦିନେ ରାତିରେ ଏକାଏକା ଭୈରବର ପିଛା କରିବି ।

 

ପରଦିନ ବଜାରରୁ ଗୋଟେ ଟର୍ଚ୍ଚ କିଣି ଆଣିଲି ଏବଂ କଲେଜ ହତା ଭିତରୁ ଗୋଟେ ଶୁଖିଲା ଟାଣୁଆ ଗଛକୁ ଭାଙ୍ଗି ଲାଠିଟିଏ ତିଆରି କଲି । ତା'ପରେ ଅପେକ୍ଷା କଲି ।

 

ପୁଣି ରାତି ! ରାତି ଦୁଇ !

 

କେଁ କରି ଶବ୍ଦଟେ ହେଲା । ଖୁବ୍ ଧୀରେ । ନିଶ୍ଚେ ଭୈରବ ଉଠିଲା । ନା–ଆଜି ମୁଁ ଜୀବନରୁ ପାଣି ଛଡ଼େଇ ଏକାଏକା ତା’ର ପିଛା କରିବି, ଯାହା ହେବାର ଥିବ ହେବ । ବୋଧେ ଏଇ ରାଜପ୍ରାସାଦର କୌଣସି ଗୋପନ ରହସ୍ୟ ପଛରେ ଭୈରବ ପଡ଼ିଚି, ନହେଲେ ବୋଧେ କୌଣସି କୁକର୍ମରେ ଲିପ୍ତ ଅଛି । ଆଜି ମତେ ସେସବୁର ରହସ୍ୟ ଜାଣିବାକୁ ପଡ଼ିବ ।

 

କେଁ କରି ଶବ୍ଦ ହେବାମାତ୍ରେ ମୁଁ ଖଟ ଉପରୁ ଡେଇଁ ପଡ଼ିଲି । ଖଟ ତଳୁ ଲାଠିଟା ଓ ତକିଆ ତଳୁ ଟର୍ଚ୍ଚଟା ବାହାର କରି ଖୁବ୍ ସନ୍ତର୍ପଣରେ କବାଟ ଖୋଲି ପ୍ରଥମେ କବାଟ ଫାଙ୍କରେ ବାହାରକୁ ଲକ୍ଷ୍ୟ କଲି । ଅନ୍ଧାରରେ ଆଖିକୁ ଆଡ଼୍‍ଜଷ୍ଟ କଲି ।

 

ହଁ–ଏଇତ କେହି ଜଣେ ଚାଲିଯାଉଚି ମାତ୍ର କୋଡ଼ିଏ ହାତ ଦୂରରେ । ନିଶ୍ଚେ ଭୈରବ । ହାତରେ କଳାରଙ୍ଗର କିଛି ଗୋଟେ ଧରିଛି–ନିଶ୍ଚେ ସେଇଟି ଏକ ବାଲଟି । ମୁଁ ଟର୍ଚ୍ଚଟା ବାଁ ହାତରେ, ଲାଠିଟା ଡାହାଣ ହାତରେ ଧରି ସତର୍କରେ ଓହ୍ଲେଇଲି ବାରଣ୍ଡାରୁ ।

 

ଓହ୍ଲେଇ ପଡ଼ିଲି ବାରଣ୍ଡାରୁ ଏବଂ ଭୈରବର ପିଛା କଲି । ଭୈରବର ପିଛା କଲି ଏବଂ ଭୈରବ ଓ ମୋ ଭିତରେ ଦୂରତା ଥାଏ ମାତ୍ର ପନ୍ଦର ହାତ । ଦୂରତା ଥାଏ ମାତ୍ର ପନ୍ଦର ହାତ ତଥା ଭୈରବ ଜାଣିପାରୁ ନଥାଏ ଯେ ମୁଁ ତା’ ପିଛା କରୁଚି । ଭୈରବ ଚାଲିଥାଏ ଏକାମୁହାଁ ହୋଇ ତା’ ଲକ୍ଷ୍ୟପଥରେ ଏବଂ ତା’ପଛରେ ହାତରେ ଲାଠି, ଟର୍ଚ୍ଚ ଧରି ଖୁବ୍ ସନ୍ତର୍ପଣରେ ଚାଲୁଥାଏ ମୁଁ ।

 

ପଛପଟ ପାଚେରୀଟା ଆମ ରହୁଥିବା ଆଠ ବଖରାଠୁ ପ୍ରାୟ ଶହେ ହାତ ଦୂର । ଭୈରବ ଚାଲିଥାଏ ସେଇ ପାଚେରୀ ଆଡ଼େ । କ୍ରମେ ମୋ ଆଖି ଅନ୍ଧାରରେ ଅଭ୍ୟସ୍ତ ହୋଇଯାଇଥାଏ ଏବଂ ମୁଁ ଦେଖିପାରୁଥାଏ ଭୈରବ ହାତରେ ଥିବା ବାଲଟିକୁ । ଭୈରବ ଆଦୌ ଜୋରରେ ଚାଲୁ ନଥାଏ । ତା’ର କୁଆଡ଼କୁ ନଜର ନଥାଏ । ନିଶ୍ଚିନ୍ତରେ ହଲିହଲି, ଅନ୍ଧାରରେ ଏକାକାର ହୋଇ, ଧୀରେ ଧୀରେ ଆଗକୁ ଭାସିଯାଉଥାଏ ଭୈରବ !

 

ଚାରିଆଡ଼ ଅନ୍ଧାର । ପ୍ରତି ମୁହୂର୍ତ୍ତରେ ମୁଁ ଆଶା କରୁଥାଏ କିଛି ଗୋଟେ ଘଟିଯିବ ! ଭୈରବ ଚାହିଁଦେବ ପଛକୁ । ଚମକି ପଡ଼ିବ ତା’ପରେ । ହେଲେ ତା’ପରେ ? ତା'ପରେ ପାଚେରୀ କଡ଼ରୁ ବାହାରି ଆସିବେ ଆଉ କେତେ ଜଣ ! ସେମାନେ ଘେରି ଯିବେ ମତେ ପଚାରିବେ ମୋର ଉଦ୍ଦେଶ୍ୟ କ’ଣ ବୋଲି, ତା’ପରେ ମୋତେ ବାନ୍ଧି ପକାଇବେ, ମୋ ପାଟିରେ କନା ବୁଜୁଳା ଦେଇଦେବେ, ମୋତେ ଭିଡ଼ି ନେଇଯିବେ ଗୋଟେ ଅନ୍ଧାରିଆ ସୁଡ଼ଙ୍ଗ ବାଟେ କେଉଁ ଏକ ଅଜଣା କୋଠରୀକୁ, ତା'ପରେ–ତା’ପରେ ?

 

ମୁଁ ଏତେ ସବୁ ଆଶଙ୍କା କରିବା ଭିତରେ କିଛିକ୍ଷଣ ପାଇଁ ଭୁଲି ଯାଇଥିଲି ନିଜକୁ । ହଠାତ୍ ସଚେତନ ହୋଇ ସାମ୍ନାକୁ ଚାହିଁ ଦେଖେତ ଭୈରବ ନାହିଁ । ଭୈରବ ଗଲା କୁଆଡ଼େ ? କୁଆଡ଼େ ଗଲା ସେ ? ସେ କ’ଣ ତେବେ ଜାଣିପାରିଥିଲା ଯେ ମୁଁ ତାକୁ ଅନୁସରଣ କରୁଛି ବୋଲି-? କେମିତି ଜାଣିଲା ? କିନ୍ତୁ ସେ ଅଦୃଶ୍ୟ ହୋଇଗଲା କେଉଁଆଡ଼େ ?

 

ମୋତେ ଖୁବ୍ ଡର ମାଡ଼ୁଥାଏ । ହଠାତ୍ ମୁଁ ନିଜକୁ ଅସହାୟଭାବେ ଏକାକୀ ମନେକଲି-। ଭଟ୍ଟନାଗର କି ରାୟଚୌଧୁରୀକୁ ଡାକି ଆଣିଥିଲେ ଭଲ ହୋଇଥାନ୍ତା । ମୋତେ ଭୀଷଣ ଡର ମାଡ଼ିଲା । ଭୈରବର ରହସ୍ୟମୟ ଅନୁପସ୍ଥିତିରେ ହତବାକ୍ ହୋଇ ଟର୍ଚ୍ଚକୁ ଓ ଲାଠିକୁ ଦୃଢ଼ଭାବେ ଧରି ମୁଁ ଅନ୍ଧାରରେ ଖୁଣ୍ଟଟେ ପରି ଠିଆ ହୋଇଥାଏ । କ’ଣ କରିବି କିଛି ବୁଦ୍ଧି ଦିଶୁ ନଥାଏ-

 

କ’ଣ କରିବି କିଛି ଜାଣିପାରୁ ନଥାଏ ମୁଁ । କାଠଗଣ୍ଡିଟେ ପରି ଠିଆ ହୋଇଥାଏ–ଭୟରେ ଜୁଡ଼ୁବୁଡ଼ୁ ହୋଇ । ଏବେ କ’ଣ କରିବି ବୋଲି ଭାବୁଥାଏ । ଫେରିଯିବି ? ଫେରିଯିବି କି ? ଅନ୍ଧାରରେ ଭଲଭାବେ ଆଖି ବୁଲେଇ ନେଲି, କାଳେ ଭୈରବ ଛପିଥିବ କେଉଁଠି । ନା–କେହି ନାଇଁ, ଫେରିଯିବି କି ତେବେ ?

 

ମୁଁ ଭାବୁଥାଏ ଫେରିଯିବି ଓ ମତେ ଚମକାଇ ଭୈରବ ହଠାତ୍ ଆବିର୍ଭୂତ ହେଲା ପାଇଖାନା ପଛପଟୁ । ସେ ତା’ର ସ୍ୱାଭାବିକ ଗତିରେ ଚାଲି ଆସୁଥିଲା, କିନ୍ତୁ ହଠାତ୍ ମତେ ଦେଖିପାରି କିଛି ଦୂରରୁ ଠିଆ ହୋଇଗଲା । ସେ ଆଉ ପାଦେବି ଆଗକୁ ଆସୁ ନଥାଏ । ଥମକି ଠିଆ ହୋଇଗଲା ମୋ'ଠୁ କିଛି ଦୂରରେ । ତା’ ହାତରେ ଥାଏ ବାଲଟି । ଭୈରବ କ’ଣ କଦାପି ଆଶା କରୁଥିଲା ଯେ, ତା’ର ନୈଶାଭିସାର ଧରାପଡ଼ିଯିବ ବୋଲି ?

 

ମୁଁ ହଠାତ୍ ତା’ ଉପରକୁ ଟର୍ଚ୍ଚ ପକାଇଲି । ହଁ–ସେ ଭୈରବ, ମୋ'ଠୁ ପନ୍ଦର କୋଡ଼ିଏ ହାତ ଦୂରରେ ଠିଆ ହୋଇଥାଏ ସେ । ତା' ଦେହରେ ଥାଏ ଗାମୁଛାଟାଏ ଓ ହାତରେ ବାଲଟି । କ’ଣ ତେବେ ଭୈରବର ଭିତର ଉଦ୍ଦେଶ୍ୟ ଏମିତି ବେଶରେ ରାତିରେ ଏକାକୀ ବୁଲିବାର ?

 

ଭୈରବ ମୁହଁରେ ଟର୍ଚ୍ଚ ପଡ଼ିବାକ୍ଷଣି ଭୈରବ ଏପଟ ସେପଟ ହୋଇଗଲା । ଗୋଟେ ହାତରେ ଟର୍ଚ୍ଚର ତୀବ୍ର ରଶ୍ମି ନିକଟରୁ ନିଜକୁ ଘୋଡ଼ାଇବାର ଚେଷ୍ଟା କରୁଥାଏ ସେ । ମୁଁ ଟର୍ଚ୍ଚ ଲିଭାଇଲି !

 

ଭୈରବ ପଚାରିଲା : ‘କିଏ ? କିଏ ସେ ?'

 

ସବୁ ଦିନପରି ଭୈରବର କଣ୍ଠ ଶୁଭୁ ନଥିଲା । କେମିତି ଗୋଟେ ନିଦମିଶା ଗଁ ଗଁ କଣ୍ଠ ଶୁଭୁଥାଏ ତା’ର, ଗୋଟେ ଧମକାଇବା ଭାବ ଥାଏ ତା’ ସ୍ଵରରେ ।

 

ମୁଁ କହିଲି : ‘ମୁଁ ! କିନ୍ତୁ ତୁମେ ଏତେ ରାତିରେ ଏକାକୀ ଏପଟେ କୁଆଡ଼େ ଯାଇଥିଲ ଭୈରବ ?'

ଭୈରବ ମୋ ପ୍ରଶ୍ନର ଉତ୍ତର ଦେଲା ନାଇଁ । ମୋ କଣ୍ଠ ବାରିପାରି ପୁଣି ଚାଲିବା ଆରମ୍ଭ କରି ମୋର ନିକଟବର୍ତ୍ତୀ ହେଲା !

 

କହିଲା : ‘ସାର୍ ଆପଣ ?’

 

: ‘କିନ୍ତୁ ତୁମେ ଏତେ ରାତିରେ ଏକାକୀ ବୁଲୁଥିଲ କୁଆଡ଼େ ?’

 

: ‘ବୁଲୁ ନଥିଲି ତ ।’

 

: ‘ତେବେ ସେଇ ପାଚେରୀ ପଟେ ଯାଇଥିଲ କାହିଁକି ?’

 

ମୁଁ ଚାଲୁଥାଏ ଓ ଭୈରବ ଚାଲୁଥାଏ ମୋ ପଛେ ପଛେ । ମୋର ଭୟ ଭାବ କଟିଯାଇଥାଏ ଏବଂ ଭୈରବ ପ୍ରତି ଥିବା ସମସ୍ତ ସନ୍ଦେହ ଦୂର ହୋଇଯାଇଥାଏ । କାରଣ ସେତେବେଳକୁ ମୁଁ ଜାଣିସାରିଥିଲି ଯେ ଭୈରବ କାହିଁକି ପାଚେରୀ ଆଡ଼କୁ ଯାଇଥିଲା । ତେଣୁ ମୁଁ ଭୈରବଠାରୁ ମୋ ପ୍ରଶ୍ନର ଉତ୍ତର ଶୁଣିବାକୁ ଆଗ୍ରହୀ ନଥିଲି । କିନ୍ତୁ ଏମିତି କିଛି ପଚରା ଯିବା ଉଚିତ ବୋଲି କେତେଟା ପ୍ରଶ୍ନ ପଚାରି ଦେଲି ।

 

ଭୈରବ କହିଲା : ‘ସାର୍, ଆପଣ ମତେ କ’ଣ ସନ୍ଦେହ କରୁଥିଲେ କି ? ବୋଧେ ସନ୍ଦେହ କରୁଥିଲ, ନହେଲେ ଲାଠି–ଟର୍ଚ୍ଚ ଧରି ମୋ ପିଛା କରିଥାନ୍ତେ କାହିଁକି ? ହେ ଭଗବାନ୍, ଆପଣ ମୋ ସମ୍ପର୍କରେ କି କଦର୍ଯ୍ୟ ଭାବନା କରି ନଥିବେ ସତେ !'

 

କହିସାରି ଭୈରବ ନୀରବ ହେଲା । ଏ ଭିତରେ ଆମେ ଆମ ବାରଣ୍ଡା ନିକଟରେ ଆସି ପହଞ୍ଚି ଯାଇଥିଲୁ । ପାହାଚ ଉପରକୁ ଉଠିସାରି, ବାରଣ୍ଡାରେ ବାଲଟିଟା ନିଃଶବ୍ଦରେ ରଖିସାରି, ଭୈରବ ମତେ କହିଲା : ‘ସାର୍, ଆପଣ କ’ଣ ଜାଣିନାହାନ୍ତି ଯେ, ମୁଁ ପ୍ରାୟ ପ୍ରତିଦିନ ରାତିରେ ଏଇବେଳେ ପାଇଖାନାଯାଏ ବୋଲି ? ସବୁ ସାର୍ ମାନେ ଜାଣିଛନ୍ତି । ବେଳେବେଳେ ହାତରେ ଦୁଇ ତିନି ଥରବି ପାଇଖାନା ଯାଏଁ । ମୁଁ ପରା ଦିନରାତି ମିଶି କେତେଥର ପାଇଖାନା ଯାଏଁ, ତା’ର ହିସାବ ନିଜେ ମଧ୍ୟ କରିପାରେନି ।’

 

ଭୈରବଠୁ ଏତକ କୈଫିୟିତବି ମୁଁ ଆଶା କରୁ ନଥିଲି । ସେତେବେଳକୁ ମୁଁ ଜାଣିସାରିଥିଲି ଯେ, ସେ ପାଇଖାନା ଯାଇଥିଲା ବୋଲି ଏବଂ ନିଶ୍ଚିନ୍ତ ହୋଇଯାଇଥିଲା ଯେ ସେ ଅନ୍ୟ ରାତିରେ ମଧ୍ୟ ପାଇଖାନା ଯାଇଥିଲା ବୋଲି । ନିଜର ଅହେତୁକ ସନ୍ଦେହ ଓ ଭୟପାଇଁ ମୁଁ ଲଜ୍ଜିତ ହେଉଥିଲି !

☆☆☆

 

Unknown

ଶ୍ରୀଧର ଖଟୁଆର ବଣିଜ

(ଏକ)

 

ସେଦିନ ସକାଳୁ ସକାଳୁ ଶ୍ରୀଧର ଖଟୁଆ ତା’ ଘର ଆଗରେ ଗୋଟେ ମଟରସାଇକେଲ୍ ରହିବାର ଶବ୍ଦ ଶୁଣି ଅନୁମାନ ଲଗାଇବାରେ ଲାଗିଲା ଯେ, କିଏ ଆସିଥାଇପାରେ । ପୋଲିସ୍ ଆସିବାର ଯେଉଁ ସମ୍ଭାବନା କାଲି ରାତି ଯାଏଁ ଥିଲା, ସେ ସମ୍ଭାବନା କାଲିରାତି ଏଗାରଟାଠାରୁ ଦୂରେଇ ଯାଇଚି । କଦାପି ପୋଲିସ୍ ଆସି ନଥିବ । ତେବେ କିଏ ହୋଇପାରେ ? ଶ୍ରୀଧର ଖଟୁଆ ଶୋଇବା ଅବସ୍ଥାରେ ଥାଏ, ପିନ୍ଧିଥାଏ ଗୋଟେ ଲୁଙ୍ଗି ଓ ଗଞ୍ଜି, ଜମା ଉଠିଆସୁ ନଥାଏ ଦେଖିବାକୁ ଯେ, କିଏ ଆସିଛି । ଯିଏ ଆସିଥିବ, ସିଏ ଆପେଆପେ ଭିତରକୁ ଆସିବ, ତା’ର ଏତେ ମୁଣ୍ଡ ଖେଳାଇବାର କିଛି ନାଇଁ । ପୋଲିସ୍ ହୋଇଥିଲେ ଅବା ସିଏ ଆଗ ଉଠିଯାଇଥାନ୍ତା । ସେ ଦୃଢ଼ ନିଶ୍ଚିତ ଯେ, କଦାପି ପୋଲିସ୍ ହୋଇ ନଥିବ ।

 

ପୋଲିସ୍ କିଆଁ ଆସିବ ? ଏଇ ଯେଉଁ ନୂଆ ଥାନାବାବୁ ଆସିଚି, ଉପରକୁ ଗଳା ଭାରି କଡ଼ା, ଭିତରଟା ପୂରା ଫମ୍ପା । ଆଠଦିନ ହେବ ସେ ଶ୍ରୀଧର ଖଟୁଆକୁ ବସେଇ ଉଠେଇ ଦେଉ ନଥିଲା, କିନ୍ତୁ କାଲି ରାତିଠାରୁ ଶ୍ରୀଧରର ଆଉ ସେ ଭୟ ନାଇଁ ! ପ୍ରଥମେ ପ୍ରଥମେ ଶ୍ରୀଧର ଅବଶ୍ୟ ସେ ଥାନାବାବୁ ସହ ଲୁଚକାଳି ନ ଖେଳିଚି ସେ କଥା ନୁହେଁ । କିନ୍ତୁ ପରେ ଭଲଭାବେ ଚିନ୍ତାକରି ଦେଖିଲା ଯେ, ପାଣିରେ ଘର କରି କିମ୍ଭୀର ସହ ଶତ୍ରୁତା କଲେ କିଛି ଲାଭ ନାଇଁ । ତେଣୁ କାଲି ରାତି ଏଗାରଟାବେଳେ ଆଗରୁ କିଛି ଖବର ନଦେଇ ଶ୍ରୀଧର ସିଧା ପହଞ୍ଚିଲା ଥାନାବାବୁଙ୍କ କ୍ୱାଟର୍‍ରେ । ଥାନାବାବୁ ତାକୁ ଦେଖି ପଚାରିଲେ–

 

: ‘ତୋ ନାଁ କ’ଣ ?’

 

: ‘ଶ୍ରୀଧର ଖଟୁଆ ।’

 

: ଓ–କେମିତି ଚାଲି ଆସିଲ ମନକୁ ମନ ? କ’ଣ ଆଉ ବେଶୀଦିନ ଲୁଚକାଳି ଖେଳିବାକୁ ସାହସ ହେଲା ନାଇଁ ?' ଥାନାବାବୁ ଅଧା ନିଦରୁ ଉଠିଥାଏ କି କ’ଣ–କି ମଦପିଇ ଥାଏ କେଜାଣି–ତା’ କଣ୍ଠ ଶୁଭୁଥାଏ ଏକ ଫଟା ଢୋଲ ପରି । ଥାନାବାବୁର ଏ କଥାରେ ଶ୍ରୀଧର ଆଦୌ ବିଚଳିତ ହେଲା ନାଇଁ । କହିଲା : 'ନାଇଁ ଆଜ୍ଞା–ଆପଣ ତ ଆଉ ବାଘ ସାପ ନୁହନ୍ତି ଯେ, ମୁଁ ଆପଣଙ୍କ ଘରକୁ ଆସିବି ନାଇଁ ।’

 

: ‘ବେଶ୍ ତ କଥା କହି ଶିଖୁଚ ।’ ଥାନାବାବୁର ଏ କଥାରେ ଶ୍ରୀଧର କିଛି କହିଲା ନାଇଁ । କିଛି ସମୟ ନୀରବରେ ବିତିଗଲା । ତା’ପରେ ଥାନାବାବୁ କହିଲେ : ‘ତୁମକୁ ତ ଖୋଜା ଚାଲିଥିଲା, ଏବେ ଛାଏଁ ଧରାଦେଉଚ, କିଛି ଭିତିରିଆ ମତଲବ ଅଛିନା କ’ଣ ?’

 

: ‘ନାଇଁ ଆଜ୍ଞା–ମତଲବ ଆଉ କ’ଣ ? ଆପଣ ଆସିବା ଦିନୁ ତାକବଂଳ ମତେ ଖୋଜୁଛନ୍ତି, ମୋର ପରି ଗୋଟାଏ ଗରିବ ଲୋକ ଉପରେ ଆପଣଙ୍କ ଏମିତି ରାଗ କାହିଁକି ହେଲା କେଜାଣି । ତେବେ ଆଜ୍ଞା–ଟିକେ ଭିତରକୁ ଚାଲନ୍ତୁ, ସାନ୍ୟ ଗୁରୁତର କଥା ଅଛି ଆଜ୍ଞା ।’

 

ଥାନାବାବୁ ଶ୍ରୀଧରର ଗୋଡ଼ଠୁ ମୁଣ୍ଡଯାଏଁ ଥରେ ଚାହିଁଲେ । କ’ଣ ଭଜିଲେ କେଜାଣି ତା’ପରେ କହିଲେ : ‘ତମକୁ ପ୍ରଥମେ ଆରେଷ୍ଟ କରିବା କଥା, ତମେ ଲୁଚ କ’ଣ ନା ମୋ ଘର ଭିତରକୁ ଆସିବ । ପୁଣି ରାତି ଏଗାରରେ, ହଉ ଆସ–କ’ଣ କରିବାର ଅଛି । ଭିତରକୁ ଯାଉଯାଉ ଶ୍ରୀଧର କହିଲା : ‘କଥା କ’ଣ କି ଆଜ୍ଞା–ବେପାର ଆଉ ଭଲ ଚାଲୁନି । ମାଲ୍‍ବି ଆଉ ଆଗପରି ମିଳୁନି, ତା’ପରେ ଆଜିକାଲି ଲୋକଗୁଡ଼ା ଚାଲାକ ହୋଇଗଲେଣି–ଓଃ, କୁହନ୍ତୁ ନାଇଁ ଆଜ୍ଞା ସେକଥା ।'

 

ହସିହସି ଥାନାବାବୁ କହିଲେ, ‘ମତେ କ’ଣ ତମ ବେପାରର ଅଂଶୀଦାର କରିବ ନା କ’ଣ ? ବେପାରର ଲାଭ କ୍ଷତି କାହିଁ ଶୁଣଉଚ ?’

 

: ‘ମାନେ ଆଜ୍ଞା–ଆପଣଙ୍କ ଶୁଭଦୃଷ୍ଟି ରହିଥିଲେ ବେପାରଟା ଯାହା ଯେମିତି ଚାଲିଥିବ, ନହେଲେ ପୂରା ବୁଡ଼ି ଯିବ ଆଜ୍ଞା । ଏବେ ଆଜ୍ଞା, ମାସକରେ ଜମା ତିନିଶ କି ପାଞ୍ଚଶ ଟଙ୍କା ହାତକୁ ଆସୁଚି, ଘରଭଡ଼ା ଗଲେ ସେତକବି ନିଅଣ୍ଟ ।’

 

ଏତକ କହିସାରି, ଶ୍ରୀଧର ଖଟୁଆ ଗୋଟେ ଅର୍ଥପୂର୍ଣ୍ଣ ହସ ହସି, ଗୋଟାଏ ମଳିଆ ବ୍ୟାଗ୍‌ରୁ ବିଡ଼ାଏ ନୋଟ୍ ବାହାର କରି ଟେବୁଲ ଉପରେ ଥୋଇଲା । ଥାନାବାବୁଟାବି ମହାଘଡ଼ିଆଳ, ଟଙ୍କା ଦେଖି ଜମାରୁ ଉପରେ ଖୁସି ହେଲା ନାଇଁ । ଥରେ ଟଙ୍କାବିଡ଼ା ଉପରୁ ଦୃଷ୍ଟି ବୁଲେଇ ଆଣି କହିଲା : ‘ତମର ତ କିଛି କମ୍ ସାହସ ନୁହେଁ । ଏଗାରଟା ରାତିରେ ମୋ କ୍ୱାଟର୍‍ରରେ ମତେ ଟଙ୍କା ଯାଚୁଛ ।'

 

: ‘ଆଜ୍ଞା, ଆପଣ ରଖିଲେ ରଖିବେ, ମାରିଲେ ମାରିବେ । ମତେ ଏଠି ଗିରଫ୍‍ କଲେ ମୋ ବୋପାରବି ତାକତ ନାଇଁ ଆଜ୍ଞା କିଛି କରିବାକୁ କି ଆଜ୍ଞା ଆପଣ ଯଦି ମତେ ଦୟାକଲେ–କୋଉ ବୋପାର ହିମ୍ମତ ନାଇଁ ଭିତରେ ପୂରେଇଦବ ।’

 

ଥାନାବାବୁ ମୁରୁକି ହସି ଦେଲେ । ମଳିଆ ଲୁଗାପିନ୍ଧି ଶ୍ରୀଧର ଯେତି ଦିଶୁଥିଲା, ସେ ଯେ ଆଦୌ ସେ ଧରଣର ନୁହେଁ, ଏକଥା ବୋଧେ ସେ କାଲି ରାତିରେ ବୁଝିପାରିଲେ । ଟଙ୍କାଗୁଡ଼ାକ ନଗଣି ଡ୍ର’ ଭିତରେ ରଖି କହିଲେ : ‘ହଉ ତମେ ଯାଆନ୍ତୁ ମଝିରେ ମଝିରେ ଆସି ଏମିତି ଦେଖାସାକ୍ଷାତ୍ କରି ଯାଉଥିବ, ବୁଝିଲ ? ଏକଥାଟା କେମିତି ହେଲା ? ଆଉ ତମେ ଆଠଦିନ ହେବ ଯେମିତି ଖେଳିଲ, ସେ କଥାଟା କ’ଣ ଭଲ ହେଉଥିଲା ?’

 

ଶ୍ରୀଧର ଫେରି ଆସିଥିଲା ତା’ପରେ । ତାହାହେଲେ ଆଜି ଏତେ ସକାଳୁ କିଏ ତା' ଘର ଆଗରେ ମଟର ସାଇକେଲ୍ ଥୋଇଲା ? କିଏ ? ତା’ ଘର ଆଖପାଖରେ ତ ଆଉ କାହା ଘର ନାଇଁ ଯେ, ମଟର ସାଇକେଲିଆଟା ଆଉ କାହା ଘରକୁ ଆସିଥିବ । ନିଶ୍ଚେ ତା' ଘରକୁ ଆସିଚି । ନଚେତ୍ ତା’ ଘର ସାମ୍ନାରେ ତା’ ମଟରସାଇକେଲଟା ଖରାପ ହେଇଯାଇଚି, ଏପର୍ଯ୍ୟନ୍ତ ଷ୍ଟାର୍ଟ୍ ହେବା ଶବ୍ଦ ଶୁଭିନାଇଁ ତେବେ କ’ଣ ଲୋକଟା ସଜାଡ଼ୁଚି ମଟରସାଇକେଲ ? ନା, ଅପେକ୍ଷା କରୁଚି ତାକୁ ? କିଏ ଆସିଥାଇପାରେ ଏତେ ସକାଳୁ ? କିଏ ? କିଏ ସେ ?

 

(ଦୁଇ)

 

ଶ୍ରୀଧର ଖଟୁଆ ଉଠି ବସିଲା, ଗୋଟେ ସାର୍ଟ୍ ପିନ୍ଧି ପକେଇଲା । ତା'ପରେ କିଏ ମଟର ସାଇକେଲରେ ଆସିଥିଲା ବୋଲି ଦେଖିବାକୁ ବାହାରିପଡ଼ିଲା । ହେଲେ ତାକୁ ବେଶୀ ଦୂର ଯିବାକୁ ହେଲା ନାଇଁ, ସେ ଯେମିତି ଦାଣ୍ଡଘରର ପରଦାଟା ଆଡ଼େଇ ଦେଇଚି, ଦେଖିଲା ଆରାମରେ ଚେଆର୍ ଉପରେ ବସି ସିଗାରେଟ ଟାଣୁଛନ୍ତି । ଜଣେ ଗୋରା ତକତକ ଡେଙ୍ଗା ଭଦ୍ରଲୋକ । ଆଗରୁ କେଉଁଠି ତାଙ୍କୁ ଦେଖିଚି ବୋଲି ଶ୍ରୀଧରର ଆଦୌ ମନେପଡ଼ିଲା ନାଇଁ ।

 

ସେ ଲୋକଟି ଶ୍ରୀଧରକୁ ଦେଖି କହିଲା : ‘ନମସ୍କାର । ମୁଁ ତ ବସିବସି ଭାବୁଥିଲି ଯେ, ଆପଣ ଘରେ ନାହାନ୍ତି ବୋଲି । ଫେରି ଯିବି ବୋଲି ଭାବୁଥିଲି ! ଦେଖା ମିଳିଗଲା ଯାହା ହେଉ ।’

 

ଲୋକଟା କିଏ, ଶ୍ରୀଧର ଜାଣି ନଥାଏ । ତେଣୁ ଭିତରେ ଭିତରେ ସାବଧାନ ହୋଇଯାଇଥାଏ । ଶଳା ଥାନାବାବୁଟା କାଲି ରାତିରେ ଟଙ୍କା ଖାଇ ଆଉ ବିଶ୍ୱାସଘାତକତା କଲାନି ତ ? ଏଇଟା ଶଳା କୋଉ ଭିତିରିଆ ପୋଲିସ୍‍ବାଲା ନା କ’ଣ ? ନିଜର ଲୋକପରି କଥାଗୁଡ଼ା କହୁଚି ! ଆଚ୍ଛା–ଭିତରକୁ କିମିତି ଆସିଲା ଲୋକଟା !! ଶ୍ରୀଧରର ଦାଣ୍ଡ କବାଟ କ’ଣ ତେବେ ମେଲାଥିଲା ? ସେମିତି ତ ହବା କଥା ନୁହେଁ । ତେବେ କ’ଣ ସକାଳୁ ସକାଳୁ ଶ୍ରୀଧର ଉଠି ଯେଉଁ ଚା’ ପିଇବାକୁ ଓ ସିଗାରେଟ କିଣିବାକୁ ଯାଇଥିଲା, ତା'ପରେ ଘରକୁ ଫେରି ଆଉ ଦାଣ୍ଡ କବାଟଟା ବନ୍ଦକରି ନଥିଲା ? କେମିତି ଆସିଲା ଏ ଲୋକଟା ?

 

ଲୋକଟା ଶ୍ରୀଧର ଆଡ଼କୁ ଏକଲୟରେ ଚାହିଁଥିବା ଦେଖି, ଶ୍ରୀଧର ଯଥାସମ୍ଭବ ଗମ୍ଭୀର ହୋଇ କହିଲା : ‘ପରିଚୟଟା ଜାଣିପାରିଲିନି ଆଜ୍ଞା ।’

 

: ‘ମୋ ନାଁ ସୁନାକର ବରାଳ, ଜଣେ ମଧ୍ୟମ ଧରଣର କଣ୍ଟ୍ରାକ୍ଟର ।' ଲୋକଟା କହିଲା ।

 

: ନାଁଟା ଆଗରୁ ଶୁଣିଚି ବୋଧେ ଆଜ୍ଞା । ଏଇ ଯୋଉ ସରକାରୀ ଘରଗୁଡ଼ା ତିଆରି ଚାଲିଛି ଆପଣ ସେଇ କାମରେ ଜଣେ କଣ୍ଟ୍ରାକ୍ଟର, ନୁହେଁ ଆଜ୍ଞା ?'

 

: ‘ଆପଣ ତେବେ ଖବର ରଖୁଛନ୍ତି ।’ ଲୋକଟା, ମାନେ ସୁନାକର ବରାଳ କହିଲା ।

 

: ‘ଆଉ କେତେ ଜଣ କଣ୍ଟ୍ରାକ୍ଟର ଅଛନ୍ତି ଆଜ୍ଞା ?'

 

: ‘ମୋତେ ମିଶେଇ ତିନିଜଣ ।’

 

ଏ ସମ୍ପର୍କରେ ଆଉ ଅଧିକ କିଛି ପଚାରିବାକୁ ଶ୍ରୀଧର ଉଚିତ ମନେକଲା ନାଇଁ । କିଛି ସମୟ ନୀରବରେ ବିତିଗଲା । ଲୋକଟା ସିଗାରେଟ ଟାଣୁଥାଏ ଓ ଶ୍ରୀଧରବି ସିଗାରେଟ ଟାଣୁଥାଏ । ଘରର ଝରକା ବାଟେ ଶ୍ରୀଧର ଦେଖିପାରୁଥାଏ ମଟର ସାଇକେଲଟାକୁ ।

 

ନୀରବରେ କେତୋଟି ମୁହୂର୍ତ୍ତ ବିତି ଯିବା ପରେ ଶ୍ରୀଧର ପଚାରିଲା : ‘ଏଥରକ ଆଜ୍ଞା, ଦୟା କରି କୁହନ୍ତୁ ମୋଦ୍ଵାରା ଆପଣଙ୍କର କି ଉଦ୍ଦେଶ୍ୟ ସାଧନ ହୋଇପାରେ । ଶ୍ରୀଧରର କଥାଶୁଣି ଲୋକଟା ଖଣ୍ଡିକାଶ ମାରି, ଗଳା ସଫାକରି କହିଲା : ‘କଥା କ’ଣ କି–କ’ଣ କି କାଲି ରାତିରେ ଅଚାନକ ଏସ୍.ଇ. ଆସି ପହଞ୍ଚିଛନ୍ତି । ଆଜି କାମ ଦେଖି ରିପୋର୍ଟ ଦେବେ, ପୁଣି ଆଗରୁ ଗୋଟେ କାମର ବିଲ୍ ଦେଖିବେ ବୋଲି ଜଣେଇଛନ୍ତି ।

 

: ‘ଏମିତି କ’ଣ ଅଚାନକ ଏସ୍.ଇ. ସବୁ ଆସନ୍ତି ? ଏମିତି କଥା ତ ପ୍ରାୟ ଘଟୁନି । ପୁଣି ବିଲ୍–ଫିଲ୍ ତ ଏସ୍.ଇ. ଏମିତି ଟୁରୁରେ ଥାଇ ଦେଖନ୍ତି ବୋଲି ମୁଁ ଜାଣି ନଥିଲି ।’ ଅବଶ୍ୟ ମୋର ଆଜ୍ଞା ଏସବୁରେ ବେଶୀ ଜ୍ଞାନ ନାଇଁ ।’ କହିଲା ଶ୍ରୀଧର !

 

: ‘ନାଇଁ, ସବୁବେଳେ ଆସନ୍ତି ନାଇଁ । ସରକାରୀ ଘରକଥା, କେତେବେଳେ କ’ଣ ହୁଏ, ଭଗବାନବି ଜାଣିପାରିବେ ନାଇଁ, ନହେଲେ ଏସ୍.ଇ. କହନ୍ତା ଯୋଉ ବିଲ୍‌ଟା ପଠେଇଚ, ତା’ର ଗୋଟେ କପି ମତେ ଦେଖାଅ ବୋଲି ?’

 

: ‘ଏସ୍.ଇ କ’ଣ ଭାରି କଡ଼ା ଲୋକ ?’ ପୁରା ବ୍ୟବସାୟ କରିବାରେ ପଚାରିଲା ଶ୍ରୀଧର।

 

: ‘ନା, ସେମିତି କଡ଼ା ନୁହେଁ, ଟିକେ ଚିଡ଼ଚିଡ଼ା ପ୍ରକୃତିର । କିନ୍ତୁ ମୋର ଯଦି ସବୁକାମ କି କାଗଜପତ୍ର ଠିକ୍ ଥାନ୍ତା, ସେ କଡ଼ା କି ଫଡ଼ା, ମୋର କ’ଣ ଥିଲା ସେଥିରେ ?'

 

: ‘ହେଁ–!' କହିଲା ଶ୍ରୀଧର ଓ ଟିକେ ଭାବି ପୁଣି ପଚାରିଲା : ‘ତେବେ ମତେ କ'ଣ କରିବାକୁ ହେବ ଆଜ୍ଞା ?’

 

‘ସେ କଥା କ’ଣ ଆଉ କହିବାକୁ ପଡ଼ିବ ? ସେ ଆଜି ରାତିକ ରହିବେ ବଂଲୋରେ, କାଲି ସକାଳୁ ଚାଲିଯିବେ । ତେଣୁ ଯାହା କରିବେ, ଯେମିତି ମୋର ସବୁ କାଗଜପତ୍ର ଠିକ୍ ହେଇଯିବ !’

 

: ‘କେତେବର୍ଷ ହେବ ଲୋକଟାକୁ ?'

 

: ‘ପଇଁଚାଳିଶ ସେପଟେ !’

 

: ‘ହଉ ଆଜ୍ଞା, ବୁଝିବା । ଆପଣ ଆଉ ଟିକେ ଆଗରୁ କଥାଟା କହିଥିଲେ ସୁବିଧା ହୋଇଥାନ୍ତା, ଏବେ ମତେ ଟିକେ ପରିଶ୍ରମ କରିବାକୁ ହେବ । ତେବେ ଛାଡ଼ନ୍ତୁ, ମୁଁ ଆପଣଙ୍କୁ ନିର୍ଭର ଜବାବ ଦେଉଚି ଯେ ସନ୍ଧ୍ୟାବେଳେ ମୁଁ ଯାଇ ବଂଲୋରେ ପହଂଚିବି । କିନ୍ତୁ ବଂଲୋରେ ଆଉ କେହି ନଥିବେ ଯେମିତି ଆଜ୍ଞା ! ଆପଣ ଥାଇପାରନ୍ତି, ଯୋଉ ବୁଢ଼ା ଦି’ଟା ଅଛନ୍ତି ତାଙ୍କୁ କିଛିକିଛି ଦେଇ ଦେବେ ଆଜ୍ଞା–କିନ୍ତୁ ଆଉ କୌଣସି ଓଭର୍‍ସିଅର କି ବାବୁ ସାହେବ ଲୋକ ଏସ୍.ଇ. ଆସିଛନ୍ତି ବୋଲି ଭିଡ଼ ନ ଜମାନ୍ତି ଯେମିତି ଆଜ୍ଞା, ତାଙ୍କୁ ସାତଟା ପୂର୍ବରୁ ବିଦା କରି ଦେଇଥିବେ !’

 

ଶ୍ରୀଧରର କଥାଶୁଣି ସୁନାକର ବରାଳ ଗୋଟେ ହଁ ମାରିଲା । ଶ୍ରୀଧର ପୁଣି ବେପାରୀ କାଇଦାରେ ଆରମ୍ଭ କଲା : ‘ପାଉଣା କଥାଟା ଏବେଠୁ ନିଷ୍ପତ୍ତି ହେଉ ଆଜ୍ଞା, ପଛକୁ ରହିଲେ ଝାମେଲା ହବ !’

 

: ‘କେତେ ଦେବାକୁ ହେବ ?’ ପଚାରିଲା ସୁନାକର ବରାଳ ।

 

: ‘ସାତଶହ ଦେବେ ଆଜ୍ଞା ।’

 

ରେଟ୍‌ଟା ବେଶୀ ହେଉଚି ବୋଲି ସୁନାକର ବରାଳ ଜାଣିଲା । କିନ୍ତୁ କିଛି ବାଟ ନାଇଁ । ତଥାପି କହିଲା : ‘ଆଉ ଟିକେ ରିହାତି କଲେ ଚଳନ୍ତାନି ।’

 

: ‘ଆଜ୍ଞା, ରିହାତି କଥା କ’ଣ କହୁଛନ୍ତି ? ପୋଲିସ୍‌କୁ ଦେବାକୁ ହେବ, ଘରଭଡ଼ା ଦେବାକୁ ହେବ । ଗାଡ଼ି ଭଡ଼ାରେ କିଛି ଯିବ । ପୁଣି ମାଲ୍ ପିଛା କେତେ ଖର୍ଚ୍ଚ ଆପଣ ଜାଣନ୍ତି । ସବୁ ଯାଇ ସାରି ମୋର ବଳିବ ଶହେ !' ବେପାରର ସବୁ ସୂକ୍ଷ୍ମ ରହସ୍ୟ ସୁନାକର ବରାଳକୁ କହିଲା ଶ୍ରୀଧର । ଶ୍ରୀଧର ଠିକ୍ ଜାଣେ, ମାଛଟା ଆଉ ଜାଲରୁ ଖସିବ ନାଇଁ, ତେଣୁ ସାତଶହଟା କିଛି ନୁହ । ବରଂ ସେ ହଜାରେ କହିଥିଲେ ଭଲ ହୋଇଥାନ୍ତା । ଛାଡ଼–ସାତଶହ–ଆସିଯାଇଚି ପାର୍ଟିରୁ ।

 

ଶ୍ରୀଧର ନୀରବ ରହିବା ଦେଖି ସୁନାକର ବରାଳ ତା’ ହାତକୁ ଚୁପ୍‍ଚାପ୍ ସାତଶ ଟଙ୍କା ବଢ଼େଇ ଦେଇ କହିଲା : ‘ହଉ, ମୁଁ ଯାଉଚି, ସାତଟାବେଳେ ଆପଣ ନିଶ୍ଚେ ପହଞ୍ଚିବେ ।’

 

: ‘ସାତଟା ସୁଦ୍ଧା ନୁହେଁ ଆଜ୍ଞା, ସାତଟା ପରେ । କିନ୍ତୁ ଆପଣ ଅନ୍ୟମାନଙ୍କୁ ସାତଟା ପୂର୍ବରୁ ବିଦା କରିଦେଇଥିବେ ! ବୁଝିଲେ ?' କହିଲା ଶ୍ରୀଧର !

 

ସୁନାକର ବରାଳ ଉଠିଲା । ଶ୍ରୀଧରବି ଉଠିଲା ତା’ ସହ । ସେ ଯିବାପରେ ଘରକୁ ଆସି ଆଉଥରେ ଟଙ୍କାଗୁଡ଼ା ଗଣି, ପକେଟ୍‌ର ରଖି ସାଙ୍ଗେ ସାଙ୍ଗେ କାମରେ ବାହାରି ଗଲା ଶ୍ରୀଧର । ବେଶୀ ସମୟ ନାଇଁ–ଏଇତ ବାଜିଲାଣି, ସାତଟା ସୁଦ୍ଧା କାମ କରି ଜବାବ ରଖିବାକୁ ହେବ । ଶ୍ରୀଧର ପେଣ୍ଟ୍‍ ପିନ୍ଧି, ଘରେ ତାଲା ପକାଇ, ବାହାରକୁ ଆସିଲା ।

 

(ତିନି)

 

ଶ୍ରୀଧର ଖଟୁଆର ବୟସ ସଇଁତ୍ରିଶ ପାଖାପାଖି ହେବ । ମଧ୍ୟମ ଧରଣର ଉଚ୍ଚତା, ଶ୍ୟାମଳ ବର୍ଣ୍ଣ–ଭଲ ସ୍ଵାସ୍ଥ୍ୟ, ସୁନ୍ଦରଭାବେ ସଜାଇ କଥା କହିପାରେ ।

 

ଅନେକ ଲୋକ ଅଛନ୍ତି, ଯେଉଁମାନେ ପିଲାଦିନୁ ସାହସୀ, ଅର୍ଥାତ୍ ପିଲାଦିନେ ଏମାନେ ସାଧାରଣତଃ ସାପଟେ ଦେଖିଲେ କି ବିଛାଟେ ଦେଖିଲେ ଡରିଯାନ୍ତି ନାଇଁ, ବରଂ ବାଡ଼ିଟେ ଧରି ଗୋଡ଼େଇଯା'ନ୍ତି । ବଡ଼ ହେଲେ ଏମାନେ ଖୁବ୍ ସାହସୀ ହୁଅନ୍ତି । ଜୀବନକୁ ବାଜି ଲଗେଇ ଦୁଃସାହସିକ କାମ କରିବାରେ ସେମାନଙ୍କର ଆଗ୍ରହ ଥାଏ । ଶ୍ରୀଧର ଖଟୁଆ ସେମିତି ନୁହେଁ । ଅନେକ ଦିନ ହେବ ବିଭିନ୍ନ ପ୍ରକାରର ପରିବେଶ ସଂସ୍ପର୍ଶରେ ଆସିଥିବାରୁ ତା’ର ଏବେ ସାହସ ହୋଇଗଲାଣି, କିନ୍ତୁ ତଥାପି ତା’ ଭିତରେ ଏବେବି ଛପି ରହିଛି ଭୟାଳୁ ଡରକୁଳା ମଣିଷଟିଏ !

 

ଶ୍ରୀଧର ଖଟୁଆ ଖୁବ୍ ବିପଜ୍ଜନକ ମଣିଷବି ନୁହେଁ । ବିପଦର ସୂଚନା ମିଳିଲେ ଆଗରୁ ସାବଧାନ ହେବା ମଣିଷ ସେ । ତଥାପି ତା' ପାଖରେ ସବୁବେଳେ ଥାଏ ଗୋଟେ ଦେଶୀ ହାତତିଆରି ପିସ୍ତଲ ବା ଗୋଟେ ଉଭୟ ପଟେ ଧାରଥିବା ଆଠ ଇଞ୍ଚ୍‍ର ଛୁରି । ତା’ ବୋଲି ସେ ହଠାତ୍ ଆଦୌ ଅସ୍ତ୍ର ଦି’ଟା ବ୍ୟବହାର କରେ–ତା’ ନୁହ ! ନିଜର ବାକ୍‍ଚାତୁରୀ ଓ ବୁଦ୍ଧି ଉପରେ ନିର୍ଭର କରି ସେ ଆଜିଯାଏଁ ବେପାର ଚଳେଇ ଆସିଚି ।

 

ସାତବର୍ଷ ହେଲା ଶ୍ରୀଧର ଖଟୁଆ ଏ ସହରରେ ରହୁଥିଲେବି ତାକୁ ବେଶୀ ଲୋକ ଜାଣି ନାହାଁନ୍ତି । ଯେଉଁମାନେ ଜାଣିଛନ୍ତି, ସେମାନେ ତା’ ବ୍ୟବସାୟରେ ବାଧା ଦେବା ପରି ଲୋକ ନୁହନ୍ତି-। ନିଜକୁ ଯଥାସମ୍ଭବ ଅଜ୍ଞାତରେ ରଖି ଶ୍ରୀଧର ବେପାର କରେ । ଅଥଚ ସହରର ଅନେକ ଜଣାଶୁଣା ଲୋକଙ୍କୁ ଶ୍ରୀଧର ଜାଣେ ଏବଂ ଅନେକଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେବି ତାକୁ ଭଲଭାବେ ମାଲୁମ ଅଛି !

 

ବେଶପୋଷାକ ସମ୍ପର୍କରେବି ଶ୍ରୀଧର ଖୁବ୍ ସାବଧାନ । ଦରକାରବେଳେ ସେ ଲୁଗା ଓ ପଞ୍ଜାବି ପିନ୍ଧି ବାହାରେ । ପୁଣି ପ୍ୟାଣ୍ଟ–ସାର୍ଟ୍‍ବି ପିନ୍ଧେ । ଆବଶ୍ୟକତାନୁଯାୟୀ ସେଗୁଡ଼ିକୁ ସଫା କରିଥାଏ ବା ଟିକେ ମଇଳା ପିନ୍ଧିଥାଏ । ଅନେକ ଗୋପନୀୟ ସ୍ଥାନରେ ଶ୍ରୀଧର ଖୁବ୍ ଦାମୀ ଡ୍ରେସ୍ ପିନ୍ଧି ଚଲାବୁଲା କରେ । ପନ୍ଦର ଦିନ ଦାଢ଼ି ରଖେ ତ ତା'ପର ପନ୍ଦର ଦିନ ଦାଢ଼ି କାଟିଦିଏ, ଦାଢ଼ି ଥିବାବେଳେ କୌଣସି ପାୱାର ନଥିବା ଚଷମା ବ୍ୟବହାର କରେ, ଦାଢ଼ି କାଟି ଦେବାପରେ ଗୋଟେ ଟୋପି ବେଳେବେଳେ ପିନ୍ଧେ, ଅନେକ କ୍ଷେତ୍ରରେ ମୁଣ୍ଡ କୁଣ୍ଡାଇବା ପ୍ରଣାଳୀ ମଧ୍ୟ ପରିବର୍ତ୍ତନ କରେ-। ଅତଏବ ମୋଟ କଥାରେ ଶ୍ରୀଧର ଖୁବ୍ ଚତୁରଭାବେ ବ୍ୟବସାୟ ଚଳାଏ ଏବଂ ଯଥାସମ୍ଭବ ଅନ୍ୟମାନଙ୍କ ଆଖିରେ ଧୂଳିଦେବାର ଚେଷ୍ଟାକରେ । ତା’ ଘରଟା ଗୋଟେ ରାସ୍ତାକଡ଼ିଆ ନିକାଞ୍ଚନ ଜାଗାରେ । ଘର ଆଖପାଖରେ କୌଣସି ଶିକ୍ଷିତ ଲୋକର ଘର ନାଇଁ । ତେବେ ଶ୍ରୀଧର କି ବ୍ୟବସାୟ କରେ ?

 

(ଚାରି)

 

ସେତେବେଳକୁ ସାଢ଼େ ଛ’ବାଜିଲାଣି, ଅଥଚ ଶ୍ରୀଧରର ଦେଖାନାଇଁ । କହିବା ଅନୁଯାୟୀ ସୁନାକର ବରାଳ ଅନ୍ୟ ସମସ୍ତଙ୍କୁ ବିଦା କରିଦେଇ ବଙ୍ଗଳାର ଦରୁଆନଠୁ ଆରମ୍ଭ କରି ସମସ୍ତଙ୍କୁ ପାଞ୍ଚ ଦଶ ଟଙ୍କା ଦେଇ ସାରିଛି । ଅଥଚ ଏଯାଏଁ ଶ୍ରୀଧରର ଦେଖା ନାଇଁ । ଅବଶ୍ୟ ଶ୍ରୀଧର କହିଥିଲା, ସାତଟାବେଳେ ପହଞ୍ଚିବ ଆଉ ଅଧ ଘଣ୍ଟା ଅଛି । ଶ୍ରୀଧର ଜବାବରେ ହେଳା କରେନି, ଦେଖାଯାଉ ! ଏସ୍.ଇ. ଘର ଭିତରେ ବସି କାଗଜପତ୍ର ଦେଖୁଛନ୍ତି । ଦି’ଟା ଓଭର୍‍ସିଅର, ଗୋଟାଏ ଏସ୍ଡ଼ିଓ ତଥା ଗୋଟିଏ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର୍‍ ଆସିଥିଲେ । ସେଇ ସବୁ ଫାଇଲ୍‍ ବୋଧେ ଦେଖୁଛନ୍ତି, ତା' ଭିତରେ ସୁନାକର ବରାଳ ଫାଇଲ୍‍ବି ଥିବ ! କେତେବେଳେ ଆଖି ପଡ଼ିଯିବ । ସିଏ ତ ଶହେ ବାସ୍ତରି ବସ୍ତା ସିମେଣ୍ଟର ବିଲ୍ କରିଥିଲା, ମନରେ ସନ୍ଦେହ ଆସିପାରେ, ଶଳା ଶ୍ରୀଧରଟା କୁଆଡ଼େ ଗଲା ?

 

ଏଇତ ଗେଟ୍ ବାହାରେ ଗୋଟେ କାର୍ ରହିଲା । ଶ୍ରୀଧର ଆସିଲା ବୋଧେ ଶଳା ତ ସକାଳେ ଗାଡ଼ି ଭଡ଼ାରେ ଦୁଇଶ ବଞ୍ଚିଯିବ ବୋଲି କହୁଥିଲା, ସତରେ ବୋଧେ ସିଏ କାର୍‌ରେ ଆସିଛି ।

 

ହଁ–ତ, ଏଇ ଶ୍ରୀଧର ଓହ୍ଲେଇ ଆସୁଚି ଗାଡ଼ିରୁ । ବାପ୍‌ରେ, ଡ୍ରେସ୍‌କୁ ଦେଖ, ସତେଅବା ଅଫିସରଟେ । ବୁଟ୍‌ର ମଚମଚ ଶବ୍ଦ ବଂଲୋର କାନ୍ଥରେ ପ୍ରତିଧ୍ୱନିତ ହୋଇ ପୁଣି ଫେରିଯାଉଚି ତା’ ପାଦତଳକୁ !

 

: ‘କ’ଣ ସାହେବ କାର୍ଯ୍ୟବ୍ୟସ୍ତ ଅଛନ୍ତି ?’ ବାରଣ୍ଡାକୁ ଉଠି ଆସୁଆସୁ ଅପେକ୍ଷାକୃତ ଉଚ୍ଚ କଣ୍ଠରେ ଅର୍ଥାତ୍ ଭିତରଘରେ ଥିବା ଏସ୍.ଇ.ଙ୍କୁ ଶୁଣାଇବା ଭଳି କହିଲା ଶ୍ରୀଧର : ହଁ’ ଧୀର ସ୍ଵରରେ କହିଲେ ସୁନାକର ବରାଳ ! ତା’ପରେ ଟିକେ ଦୂରକୁ ଡାକିନେଇ ସୁନାକର ବରାଳଙ୍କ କାନରେ ଶ୍ରୀଧର କହିଲା, ‘ଆପଣ ଗୋଟେ କାମ କରିବେ । ଆମ କଥାବାର୍ତ୍ତାର ମଝିରେ ଥରେ ଭିତରକୁ ଯିବେ, ବୁଝିଲେ ? ବାସ୍ !’

 

ସୁନାକରଙ୍କ ଉତ୍ତରକୁ ଅପେକ୍ଷା ନକରି ଭିତରକୁ ପଶିଗଲା ଶ୍ରୀଧର ଖଟୁଆ ।

 

: ‘ନମସ୍କାର ସାର୍ ।’ ଶ୍ରୀଧରର ସମ୍ବୋଧନରେ ଉପରକୁ ମୁଣ୍ଡଟେକି ଚାହିଁଲେ ଏସ୍.ଇ.-

 

: ‘ନମସ୍କାର ।’

 

: ‘ଆପଣ କ’ଣ ଏବେ ଫ୍ରି ଅଛନ୍ତି ଅଧ ଘଣ୍ଟେପାଇଁ ? ନହେଲେ ବରଂ ମୁଁ ଅପେକ୍ଷା କରୁଛି ବାହାରେ, ଟିକେ କଥା ଥିଲା !’ ଖୁବ୍ ଭଦ୍ରଭାବେ କହିଲା ଶ୍ରୀଧର !

 

: ‘ନା ନା ଫ୍ରି ଅଛି, କୁହନ୍ତୁ ।’

 

କଥା କ’ଣ କି ଆଜିକାଲି ଯେଉଁ ଓଭର୍‍ସିଅରମାନେ ଫିଲଡ଼୍‍ରେ ରହି କାମ ଦେଖୁଛନ୍ତି ଏବଂ ରିପୋର୍ଟ ଦେଉଛନ୍ତି, ସେମାନେ ସବୁ ଏକରକମ ଘୁସ୍‌ଖୋର ହୋଇଗଲେଣି । ତେଣୁ ଆମପରି ଦୁଃସ୍ଥ କଣ୍ଟ୍ରାକ୍ଟରମାନଙ୍କ ଅବସ୍ଥା ବଡ଼ ଦୟନୀୟ ଆଜ୍ଞା ! କାହାକୁ ବା କହିବୁ ? ଏସ୍.ଡ଼ି.ଓ. ମହୋଦୟ ଶୁଣିବାକୁ ନାରାଜ ତାଙ୍କ ଉପର ଅଫିସରଙ୍କୁ କହିଲେ ସିଏ କହୁଛନ୍ତି ‘ଆମେ କ’ଣ କରିବୁ ?'

 

କହିସାରି ଶ୍ରୀଧର ଟିକେ ବିଶ୍ରାମ ନେଲା । ଏସ୍.ଇ. ସାହେବ ତାକୁ ଏକଲୟରେ ଚାହିଁଥାନ୍ତି, ବୋଧେ ଆଶ୍ଚର୍ଯ୍ୟ ହେଉଥାନ୍ତି ଯେ, ଗୋଟେ ପୂରା ଅଜଣା ଲୋକ ବୋଧେ ଗୋଟେ କଣ୍ଟ୍ରାକ୍ଟର ହୋଇଥିବ–କିମିତି ଏତେ ସହଜରେ ତାଙ୍କ ସହ କଥାବାର୍ତ୍ତା କରୁଚି ବୋଲି !

 

ଶ୍ରୀଧର ପୁଣି ଆରମ୍ଭ କଲା : ‘ଭାବିଲି, ଏସବୁ କଥା ଆପଣଙ୍କ କାନରେ ପଡ଼ୁ । ଜାଣୁଛି ଆପଣ ତ ଫିଲଡ଼୍‌କୁ ଯାଇ କାମ ସବୁ ଦେଖିବେନି, ତଥାପି ଶୁଣିଥାନ୍ତୁ ।’ ଏସ୍.ଇ. ସାହେବ କହିଲେ, ‘ସବୁଆଡ଼େ ସେମିତି ଚାଲିଚି ଆଜ୍ଞା, ତା’ ସତ୍ତ୍ୱେ କଣ୍ଟ୍ରାକ୍ଟରମାନେ କଣ୍ଟ୍ରାକ୍ଟରୀ କରୁଛନ୍ତି, ଠିକ୍ ବାଟେ ବିଲ୍ ହେଉଛି, ଅଫିସରମାନେ ପର୍ସେଣ୍ଟ ପାଉଛନ୍ତି–ଦେଶରେ କ’ଣ କୋଉଠି ଅନେଷ୍ଟି ଅଛି ?’

 

ସେଇ ସାହେବଙ୍କ କଥାରୁ ବୋଧେ ଶ୍ରୀଧର ଠଉରେଇବାକୁ ଚେଷ୍ଟା କଲା, ସେ କିଭଳି ମଣିଷ–କେତେ ଗହୀରର ମାଛ !

 

ଶ୍ରୀଧର ପୁଣି କହିଲା : ‘ଛାଡ଼ନ୍ତୁ ଆଜ୍ଞା–ମୋର ଆସିବାର ଉଦ୍ଦେଶ୍ୟ ଭିନ୍ନ । ଶୁଣିଲି ଆପଣଙ୍କ ଅଫିସ୍‍ରେ ଗୋଟେ ଟାଇପିଷ୍ଟ ପୋଷ୍ଟ୍ ଖାଲିଅଛି । ମୋର ଜଣେ ସମ୍ପର୍କୀୟଙ୍କୁ ସେଠି ରଖେଇବା ପାଇଁ ଅନୁରୋଧ କରିବାକୁ ଆସିଚି । ପୋଷ୍ଟ୍‍ଟା ତ ଆଜ୍ଞା ଆପଣଙ୍କ ହାତରେ, ଆପଣ ଚେଷ୍ଟା କଲେ ହେଇଯିବ !

 

: ‘ନା, ତ–ଟାଇପିଷ୍ଟ ପୋଷ୍ଟ୍ ଖାଲିଥିବା କଥା ମୋର ମନେ ପଡ଼ୁନି । ଯଦିଥାଏ ତେବେ ବରଂ ଆପଣ ଆମ ଅଫିସ୍‍ ଆଡ଼େ ଆସନ୍ତୁ, ଚେଷ୍ଟା କରିବା ।'

 

ଶ୍ରୀଧର କ’ଣ କହିଥାନ୍ତା, ହଠାତ୍ ସେତିକିବେଳେ ଭିତରକୁ ପଶିଆସିଲେ ସୁନାକର ବରାଳ । ତାଙ୍କୁ ଦେଖି ଶ୍ରୀଧର ହଠାତ୍ ଆଶ୍ଚର୍ଯ୍ୟ ହେବା ଭଙ୍ଗୀ ଦେଖାଇ କହିଲା : ‘ଆରେ ସୁନାକର ଯେ ? ତୁ ଏଠି କିମିତି ? କ’ଣ କିଛି କାମ ଥିଲା ସାର୍‌ଙ୍କ ପାଖରେ ?'

 

ତା’ର ଏପରି କଥାରେ ସୁନାକର ବରାଳ ଆଶ୍ଚର୍ଯ୍ୟ ହେଲେବି ନିଜକୁ ସମ୍ଭାଳି ନେଇ କହିଲେ : ‘କାମ ? ତୁ କ’ଣ ଜାଣିନୁ ସାର୍‌ ଆମର ଭାଗ୍ୟକର୍ତ୍ତା ବୋଲି ?’ ପୁଣି ଭାବିଲେ, ବୋଧେ ଏମିତି କହିବାରେ ତାଙ୍କର ଭୁଲ୍‌ ହେଇଯାଇଚି । ତେଣୁ ସେ ଚଟ୍‍କରି କହିପକାଇଲେ : ‘ଆଚ୍ଛା–ତୁ ଏଠି କିମିତି ? କିଛି କାମରେ ?' ସୁନାକରଙ୍କ କଥାର ଉତ୍ତର ନଦେଇ ଶ୍ରୀଧର କହିଲା, ‘ଆଚ୍ଛା, ସୁନାକର ପ୍ଲିଜ୍ ଡୋଣ୍ଟ ମାଇଣ୍ଡ, ଗୋଟେ କାମ କରତ । ବାହାରେ ଜୁଲି ଅଛି, ଏଠିକୁ ଡାକିଦେ !’

 

ସେ ପରିସ୍ଥିତିରୁ ମୁକୁଳିବାର ସୁଯୋଗ ପାଇ ସୁନାକର ବାହାରକୁ ଆସିଲେ । ବାହାରେ ଜୁଲି କୋଉଠି ଅଛି ? ଜୁଲିଟା କିଏ ? ଆଉ କ’ଣ କାର୍‌ରେ ଜୁଲି ବୋଲି କିଏ ଜଣେ ଆସିଛି ? ସେ କାର୍‌ ଆଡ଼କୁ ଗଲେ ।

 

ଶ୍ରୀଧର ଏଣେ ଏସ୍.ଇ.ଙ୍କୁ କହିଲା ! ‘ଆପଣ ସାର୍ ଜୁଲି ସହ ପରିଚିତ ହେଇଥାନ୍ତୁ, ଆପଣଙ୍କ ଅଫିସ୍‍କୁ ହୁଏତ ମୁଁ ନଯାଇପାରେ, ତେଣୁ ଜୁଲି ଯେବେ ଯିବ ଆପଣ ତାକୁ ଚିହ୍ନିପାରିବେ-!’

 

ଟିକେ ରହି ଶ୍ରୀଧର ପୁଣି ଆରମ୍ଭ କଲା : ‘ଦେଖନ୍ତୁ ସାର୍, ଲେଟସ ବି ଫ୍ରାଙ୍କ୍ ଆଣ୍ଡ ଫ୍ରି । ଏଥିପାଇଁ ଯଦି ଆପଣଙ୍କର କିଛି କହିବାର ଥାଏ କହନ୍ତୁ । ମୋ ଶକ୍ତି ଅନୁଯାୟୀ ମୁଁ ଆପଣଙ୍କ କଥା ରଖିବାର ଚେଷ୍ଟା କରିବି ।’

 

ଏସ୍.ଇ. ସାହେବ ଚଟ୍‍କରି କହିଲେ : ‘ନା, ନା–ଦାଟସ୍ ନଟ୍ ଦି ପଏଣ୍ଟ । ସତରେ ମୁଁ ଜାଣି ନାଇଁ ଅଫିସ୍‍ରେ ଆମର ଗୋଟେ ଟାଇପିଷ୍ଟ ପୋଷ୍ଟ୍ ଅଛି ବୋଲି । କଥା ଦେଇଚି, ଯଦି ପୋଷ୍ଟ୍ ଥାଏ, ଆଇ ୱିଲ୍ ଟ୍ରାଇ ମାଇଁ ବେଷ୍ଟ ଟୁ ହେଲ୍‌ପ ୟୁ ।’

 

ସୁନାକରବାବୁ ଏତିକିବେଳେ ଜଣେ ଉଗ୍ର ଆଧୁନିକା, ତେଇଶ–ଚବିଶବର୍ଷର ତରୁଣୀଙ୍କୁ ନେଇ ଭିତରକୁ ଆସିଲେ । ନୀଳଶାଢ଼ି ପିନ୍ଧି, ଛାତିର ଉର୍ଦ୍ଧ୍ୱାଂଶ ଅଳ୍ପ ଦିଶୁଥିବା ସେଇ ତରୁଣୀ ଯେ ଜୁଲି, ଏକଥା ଏସ୍.ଇ. ସାହେବ ବୁଝିପାରିଲେ । ଏସ୍.ଇ. ଯେଉଁ ମୁହୂର୍ତ୍ତକ ପାଇଁ ଜୁଲିକୁ ଚାହିଁଥିଲେ, ସେଇ ମୁହୂର୍ତ୍ତକରେ ଶ୍ରୀଧରର ଆଖି କିନ୍ତୁ ଘୂରି ବୁଲୁଥିଲା ଏସ୍.ଇ.ଙ୍କ ମୁଖମଣ୍ଡଳ ଉପରେ !

 

: ‘ନମସ୍କାର’ ମଧୁର ସମ୍ଭାଷଣ ଜଣେଇଲା ଜୁଲି ।

 

: ‘ନମସ୍କାର’ ଏସ୍.ଇ. ସାହେବ କହିଲେ ।

 

ଟିକେ ଦୂରରେ ବିନା ନିର୍ଦ୍ଦେଶରେ, ଗୋଟେ ଟୁଲ୍ ଉପରେ ବସିପଡ଼ିଲା ଜୁଲି ।

 

: ‘ସାର୍, ଏଇ ହେଲା ମୋର ସମ୍ପର୍କୀୟା ଜୁଲି, ଟାଇପ୍ ସ୍ପିଡ଼୍‌ ଖୁବ୍ ଭଲ, ଆଇ.ଏ. ପାସ୍ କରିଛି । ଆଚ୍ଛା ଜୁଲି, ସାର୍‌ଙ୍କୁ ସବୁ ସାର୍ଟିଫିକେଟ୍‍ଗୁଡ଼ା ଦେଖାଇଦେ !’ କହିଲା ଶ୍ରୀଧର ଖଟୁଆ ।

 

: ‘ ଆରେ ଥାଉ, ସେସବୁ ପରେ ଦେଖାଇଲେ ଚଳିବ ।’ ଏସ୍.ଇ. ସାହେବ କହିଲେ ।

 

: ‘ନା ସାର୍, ଆପଣ ଦେଖୁଥାନ୍ତୁ, ପରେ ଯେମିତି ଜୁଲି କଥା ଭୁଲି ନଯାନ୍ତି । ସି ଇଜ ଫ୍ରମ ଏ ଭେରି ପୁଅର ଫାମିଲି । ଜୁଲି ସାର୍‌ଙ୍କୁ ସବୁ କାଗଜପତ୍ରଗୁଡ଼ା ଦେଖାଉଥା, ମୁଁ ଦେଖେ ସୁନାକରଟା କୁଆଡ଼େ ଗଲା ।’ କହିସାରି ଚଟ୍ କରି ବାହାରକୁ ବାହାରି ଆସିଲା ଶ୍ରୀଧର ଖଟୁଆ । ଏସ୍.ଇ. ମହୋଦୟ ବିଚରା ବୁଝିପାରୁ ନଥାନ୍ତି ସେ ପରିସ୍ଥିତିରେ କ’ଣ କରାଯିବ । ଡାକବଙ୍ଗଳାର ଗୋଟାଏ ଘରେ ସେ ଓ ଜଣେ ଅପରିଚିତା ତରୁଣୀ । ଓଃ ସୁନାକରଟା କେତେବେଳେ ବାହାରି ଯାଇଚି !!

 

ଜୁଲି ଆଡ଼କୁ ଚାହିଁ ଦେଖିଲେ ସେ ତଳକୁ ମୁହଁ ପୋତି କ’ଣ ସବୁ କାଗଜ ଫାଇଲ୍‍ ଭିତରୁ ବାହାର କରୁଚି । କେତେଟା କାଗଜ ବାହାର କରି ଜୁଲି ଉଠି ଆସିଲା ତାଙ୍କ ପାଖକୁ ହେ ଭଗବାନ ! ଏ କ’ଣ ସୁନାକର ଓ ଏଇ ଲୋକଟାର ମିଳିତ ପ୍ଲାନ୍ । ଝିଅଟା ଆସି ତାଙ୍କ ଚେଆର୍‍କୁ ଲାଗି ଠିଆ ହେଲାଣି ! ଓଃ–ଗଡ଼୍–ଝିଅଟା ନଇଁପଡ଼ି କ’ଣ ସବୁ କହୁଚି ବୋଧେ ତା’ କ୍ୟାରିଅର୍ ଓ ଟାଇପ୍‌ସ୍ପିଡ଼୍‌ କଥା ! ଝିଅଟାର ହାତ ତାଙ୍କ ହାତରେ ବାଜିଗଲା କି ? ପୁଅଟା କହିଲା କି, ‘ସାର୍ ଆପଣ ଦୟା କଲେ ସବୁ ହେଇଯିବ ?' କହିଲା କି ? ଝିଅଟାର ମୁହଁ ନଇଁ ଆସିଲା କି ଆଉ ଟିକେ-? ହେ ଭଗବାନ–ହାଓ ଡେଞ୍ଜର୍‍ସ୍ ଏକ୍ସପେରିଏନ୍‌ସ । ପ୍ରକୃତରେ ସେ ଲୋକଟାର ଓ ଝିଅଟାର ମତଲବ କ’ଣ ? ଝିଅଟା କ'ଣ କହିଲା କି, ‘ସାର୍‌, ଆପଣ ହାଲିଆ ହୋଇପଡ଼ିଛନ୍ତି ! କହିଲା କି-? ସେ ବସି ପଡ଼ିଲାଣି ତାଙ୍କ ଚେଆର୍‍ର ହାତ ଉପରେ ! ହାଓ ହରିବଲ୍ । ଝିଅଟାର ଏମିତି ବ୍ୟବହାର କଥା କ’ଣ ସୁନାକର ଓ ସେ ଲୋକଟା ଜାଣିଛନ୍ତି ? ଜାଣି ନାହାନ୍ତି ? ଓଃ–ଝିଅଟା ଯେ ହଠାତ୍ ତାଙ୍କ ମୁହଁକୁ ଧରି ତାଙ୍କ ଗାଲରେ ଚୁମ୍ବନ କରିଦେଲା । ଓଃ–ଗଡ଼୍ । ସେ ଡାକିବେ ଦରୁଆନକୁ ?

 

ଝିଅଟା ତାଙ୍କୁ ଚୁମ୍ବନ କରୁଥିବାବେଳେ ହଠାତ୍‍ ଭିତରକୁ ପଶିଆସିଲା ଶ୍ରୀଧର ଓ ଫେରି ଯାଉଯାଉ କହିଲା : ‘ଓ–ସରି, ତୁ କିନ୍ତୁ ଏତେ ଶୀଘ୍ର ଏତେ ଆଗେଇବା ଅନୁଚିତ ଜୁଲି । ଝିଅଟା କିନ୍ତୁ ସେ ଲୋକଟାର କଥାରେ ଆଦୌ ବିଚଳିତ ହେଲା ନାଇଁ ! ସେ ସେମିତି ଚୁମ୍ବନ କରୁଚି ତାଙ୍କୁ-! ଏସ୍.ଇ. ସାହେବଙ୍କ ମନରେ ଭଲମନ୍ଦ କିଛି ନଥାଏ ସେତେବେଳେ ! ସେ ଝିଅଟାକୁ ଚେଆର୍‍ର ହାତ ଉପରୁ ଖସେଇ ଆଣିଲେ ତାଙ୍କ କୋଳକୁ । ତା’ ଶାଢ଼ି ଉପରେ ଛାତିରେ ହାତ ବୁଲାଇଲେ-। ଝିଅଟା ଚଟ୍‌କରି ଉଠିପଡ଼ି କହିଲା; ‘ସାର୍, ମୁଁ ଲାଇଟ୍‍ଟା ଲିଭାଇ ଦିଏ ।' ଉତ୍ତରକୁ ଅପେକ୍ଷା ନକରି ସିଏ ଲାଇଟ୍ ଲିଭାଇ ଦେଇ ପୁଣି ଫେରି ଆସିଲା ସାହେବଙ୍କ କୋଳକୁ ! ସାହେବଙ୍କ ମୁଣ୍ଡରେ ଗୋଟେ କଥା ଖେଳୁଥାଏ–ତାଙ୍କ ସ୍ତ୍ରୀଟା ସବୁଦିନେ ଏମିତି ଉଚ୍ଛୁଳା ନଈପରି ଥିଲେ କେଡ଼େ ସୁନ୍ଦର ନ ହୁଅନ୍ତା ସତେ ! ଝିଅଟାର ଛାତି ସତରେ କି ଆକର୍ଷଣୀୟ ନହୋଇଚି ମ !

 

ବାରଣ୍ଡାରେ ସୁନାକର ଓ ଶ୍ରୀଧର ପାଖାପାଖି ଠିଆ ହୋଇଥିଲେ । ଭିତରର ଲାଇଟ୍ ଲିଭିବା ଦେଖି, ଶ୍ରୀଧର ସାମାନ୍ୟ ଆଖି ନଚେଇ କହିଲା : ‘ଆପଣଙ୍କ ହୋଇଗଲା ଜାଣନ୍ତୁ । ଜୁଲିକୁ ଆଉ କିଛି ଦେବେନି ? ଅବଶ୍ୟ ଏଇଟା କମ୍ପଲସରି ନୁହେଁ ।’

 

ସୁନାକର କିଛି ନ କହି ଶ୍ରୀଧର ହାତକୁ ଶହେ ଟଙ୍କିଆ ଖଣ୍ଡେ ବଢ଼ାଇ ଦେଲେ ତାଙ୍କୁ ଖୁବ୍ ଭୟ ଲାଗୁଥାଏ !

 

କେତେକ୍ଷଣ ପରେ ସୁନାକର ପଚାରିଲେ : ‘ଆପଣ ଏ ମାଲ୍ ପାଇଲେ କୁଆଡ଼ୁ ?'

 

: ‘ସେଇଟା ଆଜ୍ଞା ବିଜିନେସ୍–ସିକ୍ରେଟ !’ ଗୋଟେ ପ୍ରକାରର ହସହସି କହିଲା ଶ୍ରୀଧର-!!

 

(ଶେଷ)

 

କହିବା ବାହୁଲ୍ୟ କଣ୍ଟ୍ରାକ୍ଟର ସୁନାକର ବରାଳର ବିଲ୍‌ ବିନା ଭେରିଫିକେସନ୍‌ରେ ଦସ୍ତଖତ ହୋଇଯାଇଥିଲା ତଥା ସେ ବୟାଳିଶ ବସ୍ତା ସିମେଣ୍ଟ ଜାଗାରେ ଶହେ ବାସ୍ତରି ବସ୍ତାର ସିମେଣ୍ଟ ପାଇଥିଲା !!

☆☆☆

 

କୌଣସି ଏକ ଗୃହସ୍ଥର ଶୋକ

 

ମୁଁ ଜଣେ ଗୃହସ୍ଥ ଅର୍ଥାତ୍ ମୋର ସ୍ତ୍ରୀ ଅଛି, ପୁଅଟିଏ ଅଛି, ଭାଇ–ଭଉଣୀ ଅଛନ୍ତି, ବାପ–ମା’ ଅଛନ୍ତି ! ଏମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ମୋର ! ମୋ ସ୍ତ୍ରୀ ଏମ୍.ଏ. ପାସ୍ କରିଅଛନ୍ତି ଓ ଉଗ୍ର ଆଧୁନିକା । ମୁଁ ଗୋଟିଏ ଜାତୀୟକରଣ ହୋଇଥିବା ବ୍ୟାଙ୍କ୍‍ରେ ଅଫିସର ! ମୋର ଦରମାରୁ କୌଣସି ମାସରେ ପ୍ରାୟତଃ କିଛି ବଳେ ନାହିଁ, ଅଥଚ ମୁଁ ପ୍ରତିଦିନ କିଛି ଲୋକଙ୍କୁ ସଂଚୟ କରିବାକୁ ଉପଦେଶ ଦେଇଥାଏ । ମୋର ଦରମା ନ ବଳିବାର ଅନେକ କାରଣ ରହିଛି । ସାନଭାଇ–ଭଉଣୀମାନଙ୍କର ସମସ୍ତ ପଢ଼ାଖର୍ଚ୍ଚ ତଥା ପୋଷାକପତ୍ର ଖର୍ଚ୍ଚ ମୁଁ ବହନ କରିଥାଏ । ବାପ–ମା'ଙ୍କର ମାସିକ ଔଷଧ ଖର୍ଚ୍ଚ, ପୁଅର ଟିଉସନ୍ ଖର୍ଚ୍ଚ, ସ୍ତ୍ରୀଙ୍କର ବିଭିନ୍ନ ପ୍ରସାଧନ ସାମଗ୍ରୀ ଖର୍ଚ୍ଚ ତଥା ଆମ ଘରକୁ ମୋର ଏବଂ ମୋ ସ୍ତ୍ରୀଙ୍କର ବନ୍ଧୁବାନ୍ଧବୀମାନେ ଆସୁଥିବାଜନିତ ଖର୍ଚ୍ଚ ଇତ୍ୟାଦି ସରିବାବେଳକୁ ପଇସା ଶେଷ ! ଏପରିକି ମୁଁ ଦିନେଦିନେ ସ୍କୁଟର୍‍ ବଦଳରେ ସାଇକେଲ୍‌ରେ ଅଫିସ୍ ଯାଏଁ ଏବଂ ସେଇ ସାଇକେଲ୍‌ରେ ଯିବାଟାକୁ ମୋର ଅନେକ ବନ୍ଧୁ ଭଲ ମନରେ ଗ୍ରହଣ କରି ନପାରି ମୁଁ ଅନେକ ପଇସା ସଞ୍ଚୁଚି ବୋଲି କହନ୍ତି ! ତଥାପି ମୋର ଦୁଃଖ ନାହିଁ । କାରଣ ପ୍ରତିଟି ଦିନ ପରିବାରବର୍ଗଙ୍କ ସହ ଖାଇପିଇ କଟିଯାଉଚି ତ ! ଖାଇବାକୁ ଗଣ୍ଡେ ମିଳୁଚି, ରହିବାକୁ ଘରଟେ ଅଛି, ଆଭିଜାତ୍ୟ ଦେଖେଇବାକୁ ସ୍କୁଟର୍‍ଟିଏ ଅଛି ଓ ମୁଁ ଅନ୍ୟମାନଙ୍କ ଆଖିରେ ମୋଟା ଅଙ୍କର ଦରମା ପାଉଚି ଆଉ କ’ଣ ? ତଥାପି ମୋର ଛାତିତଳେ ଲୁଚି ରହଚି କ୍ଷତଟିଏ, ତଥାପି ମୋର ହୃଦୟ ବିଦାରି ପକାଉଚି ଦୁଃଖଟିଏ–ସେ ଦୁଃଖକୁ କାହାରିକୁ କହିପାରୁ ନାହିଁ କିମ୍ବା ସେ ଦୁଃଖକୁ କାହାରି ଆଗରେ କହିହେବ ନାହିଁ ! ମୋ ଭଳିଆ ଗୃହସ୍ଥ ଜୀବନ ବିତାଉଥିବା ପ୍ରାୟ ସମସ୍ତଙ୍କର କିଛି ନା କିଛି ଦୁଃଖ ଅଛି କିନ୍ତୁ ମୋ ଭଳିଆ ଦୁଃଖ ଖୁବ୍ କମ୍ ଲୋକଙ୍କର ଥିବ ଏବଂ ଯେଉଁମାନଙ୍କର ମୋ ଭଳିଆ ଦୁଃଖ ଥିବ ସେମାନେ ସେ ସମ୍ପର୍କରେ ଆଦୌ ଜାଣି ନଥିବେ ଏକଥା ମୁଁ ହଲପ୍ କରି କହିପାରେ !!

 

ମୋର ସେଇ ଅକୁହା ଦୁଃଖର କାରଣ ହେଲେ ମୋ ସ୍ତ୍ରୀ । ଆପଣ ଯଦି ଆମ ଘରଆଡ଼େ ଆସିଥାନ୍ତି, ତେବେ ମୋ ସ୍ତ୍ରୀଙ୍କୁ ନିଶ୍ଚେ ଦେଖିଥିବେ । ଏକଥାବି ମୁଁ ଜୋର୍‌ ଦେଇ କହିପାରେ ଯେ, ଆପଣ ଯଦି ମୋ ସ୍ତ୍ରୀଙ୍କୁ ଦେଖିଥିବେ, ତେବେ କଦାପି ଭୁଲି ନଥିବେ । ଆପଣ ମୋ ସ୍ତ୍ରୀଙ୍କର ସୌନ୍ଦର୍ଯ୍ୟ ଦେଖି ମୋ ପ୍ରତି ଈର୍ଷାନ୍ୱିତ ହୋଇଥିବେ–ଏବେବି ଯେଉଁମାନେ ମୋ ସ୍ତ୍ରୀଙ୍କୁ ଦେଖନ୍ତି, ସେମାନେ ମତେ ଈର୍ଷା କରନ୍ତି ! ମୋ ସ୍ତ୍ରୀ ଯେ ନିତାନ୍ତ ସୁନ୍ଦରୀ ଏଥିରେ ସନ୍ଦେହ ନାହିଁ ! ଯେତେବେଳେ ତାଙ୍କ ସହ ମୋର ବିବାହ ପ୍ରସ୍ତାବ ପଡ଼ିଥିଲା, ସେତେବେଳେ ମୁଁ ତାଙ୍କୁ ଦେଖିବାକୁ ଯାଇଥିଲି ଓ ଯେମିତି ଦେଖିଥିଲି ତାଙ୍କ ସୌନ୍ଦର୍ଯ୍ୟରେ ମୋର ଆଖି ରହିଯାଇଥିଲା ଭାବିଥିଲି, ମୁଁ ଗୋଟାଏ ମାଙ୍କଡ଼ ଓ ଏପରି ମୁକ୍ତାମାଳ ମୋ ଗଳାରେ ଶୋଭା ପାଇବା ସୁନ୍ଦର ଦିଶିବ ନାହିଁ ! ମାତ୍ର ମୋ ସ୍ତ୍ରୀଙ୍କର ମୁରବିମାନେ ସେତେବେଳେ ମୋ ପରି ଜଣେ ମୋଟା ଦରମା ରୋଜଗାର କରୁଥିବା ଯୁବକକୁ ହାତଛଡ଼ା ନ କରିବାପାଇଁ ମୋ ପଛରେ ଲାଗି ରହିଲେ । ଶେଷରେ ମୁଁ ସତକୁସତ ମତ ବଦଳାଇଲି ଯେ ମୁଁ ମାଙ୍କଡ଼ ନୁହେଁ ବୋଧେ ମୁଁ ଜଣେ ରାଜକୁମାର ଏବଂ ମୋ ଗଳାରେ ସେଇ ମୁକ୍ତାମାଳଟି ଶୋଭା ପାଇବା ଉଚିତ ତଥା ସେ ବିବାହ ପ୍ରସ୍ତାବରେ ରାଜିହେଲି ! ମାତ୍ର ଏବେ ବୁଝୁଚି–ଖୁବ୍ ଭଲ ଭାବରେ ବୁଝିପାରୁଚି ଯେ ମୁଁ ଗୋଟିଏ ମାଙ୍କଡ଼ ଓ ମୋ’ ଗଳାରେ ମୋ ସ୍ତ୍ରୀ ପରି ମୁକ୍ତାମାଳଟିଏ ଶୋଭା ପାଉନାହିଁ !

 

ପ୍ରଥମେ ଯେଉଁଦିନ ମୁଁ ତାଙ୍କୁ ଦେଖିଥିଲି, ସେଦିନ ଭାବିଥିଲି ଏମିତିଆ ସୁନ୍ଦରୀ ଝିଅ ପଛରେ ଅନେକ ଯୁବକ ନିଜର ଜୀବନ ବାଜି ଲଗେଇ ଦେଇଥିବେ ଓ ଏମିତି ସୁନ୍ଦରୀ ଝିଅର ମନରେ ଯେ କାହାପ୍ରତି ଦୁର୍ବଳତା ସୃଷ୍ଟି ହୋଇ ନଥିବ, ସେ କଥା ନୁହେଁ । ତେଣୁ ସୌନ୍ଦର୍ଯ୍ୟରେ ଆଖି ଲାଖି ଯାଇଥିଲେବି ମୁଁ ପ୍ରଥମେ ମନା କରିଦେଇଥିଲି । ଯାହାହେଉ, ଆମର ବିବାହ ପରେ ପ୍ରଥମ ମିଳନ ରାତିରେ ମୁଁ ଅନୁଭବ କଲି ମୋର ସ୍ତ୍ରୀଙ୍କର ଗୋଟିଏ ବୋଲି ଦୁର୍ଗୁଣ ନାହିଁ ! ମାତ୍ର କାଳକ୍ରମେ ମୋର ସମସ୍ତ ଧାରଣା ଭ୍ରାନ୍ତ ବୋଲି ପ୍ରମାଣିତ ହେଲା ଓ ମୋର ହୃଦୟର ନିଭୃତ କୋଣରେ ସୃଷ୍ଟି ହେଲା ଦୁଃଖର ଝରଣାଟିଏ, କ୍ଷତର ପାହାଡ଼ଟିଏ, ଯନ୍ତ୍ରଣାର ମରୁଭୂମିଟିଏ !

 

ମୋ ସ୍ତ୍ରୀ ଓଠରେ ଗାଢ଼ ଲିପ୍‌ଷ୍ଟିକ୍ ମାରନ୍ତି, ସ୍ଲିଭ୍‌ଲେସ୍ ବ୍ଲାଉଜ୍ ପିନ୍ଧନ୍ତି, ବ୍ଲାଉଜ୍‍ର କନା ଏମିତି ପତଳା ଯେ ତନ୍ମଧ୍ୟରୁ ତାଙ୍କର ବ୍ରା’ର ଷ୍ଟାପ୍ ପରିଷ୍କାର ଦିଶେ । ଏସବୁ ଉଗ୍ର ଆଧୁନିକତା ସାଙ୍ଗକୁ ତାଙ୍କର ଅସାମାନ୍ୟ ରୂପର ନିଆଁରେ ଯେ ଅନେକ ପୁରୁଷ ପଳପଳ ଜଳୁଥିବେ, ସେକଥା ମୁଁ ଜାଣେ ! ହେଲେ ମୁଁ କ’ଣ କରିପାରିବି ? ଜାଳିବା ବ୍ୟକ୍ତି ଓ ଜଳୁଥିବା ବ୍ୟକ୍ତିଙ୍କର ମଝିରେ ସମସ୍ୟା, ମୁଁ ବା କିଏ ? ମୋ ସ୍ତ୍ରୀଙ୍କର ସୌନ୍ଦର୍ଯ୍ୟ ବା ତାଙ୍କର ଉଗ୍ରଆଧୁନିକତାରେ ଜଳିଉଠୁଥିବା ଅନ୍ୟପୁରୁଷକୁ ଦେଖିଲେ ଅତୀତରେ ମୁଁ ଭିତରେ ଗର୍ବ କରୁଥିଲି । ସୁତରାଂ, ଏସବୁ ମୋର ଦୁଃଖ ନୁହେଁ ବା ଦୁଃଖର କାରଣ ନୁହେଁ !

 

କଥାଟି ହେଲା, ମୋର ବନ୍ଧୁ ବିଭୁ ମହାପାତ୍ର ମୋ ଘରକୁ ଦିନେ ଆସିଥିଲା । ବିବାହ ପରେ । ଆମଘରୁ ବିଦାୟ ନେବାବେଳେ ସେ ମୋ ସହ କରମର୍ଦ୍ଦନ କଲା ଓ ପରେ ପରେ ମୋ ସ୍ତ୍ରୀଙ୍କ ସହ ! ମୋ ମନରେ ବିଭୁ ପ୍ରତି ନିହାତି କଦର୍ଯ୍ୟ କଥା ସବୁ ଉଦୟ ହେଲା । ପରକ୍ଷଣରେ ଭାବିଲି, ଏଗୁଡ଼ା ମୋ ନିଜର କୁ–ଚିନ୍ତା, ମୁଁ ଛୋଟଲୋକଟିଏ, ବ୍ୟାକ୍‌ୱାର୍ଡ଼ ମଣିଷଟାଏ ! ସ୍ତ୍ରୀଙ୍କୁ ନେଇ ବିଭୁ ସହ କିଛି ଖରାପ ଚିନ୍ତା କରିବା ପାପ । ନିଜର ସୁନ୍ଦରୀ ସ୍ତ୍ରୀ ଯଦି ଅନ୍ୟ ପୁରୁଷକୁ ସେକେଣ୍ଡ୍‍ଟିଏ ଚାହିଁଲା, ତେବେ ସ୍ୱାମୀ ମନରେ କୁ–ଚିନ୍ତା ଘାରିବା ସ୍ଵାଭାବିକ । ସୁତରାଂ, ସେକଥା ମୁଁ ମନରୁ ଦୂରେଇ ଦେଲି ସେଇ ମୁହୂର୍ତ୍ତରେ ଓ ସ୍ଵାଭାବିକ ହେଲି । ସେଦିନ ରାତିରେ ମୋ ସହ ଘନିଷ୍ଠ ହେବାବେଳେ ମୋ ସ୍ତ୍ରୀ ମୋ ବାହୁବନ୍ଧନ ଭିତରେ ଥାଇ ପଚାରିଲେ : ‘ତମ ସାଙ୍ଗ ବିଭୁଟା ଅତି ସିମ୍ପଲ୍ ! ଅନ୍ୟର ସ୍ତ୍ରୀ ସହ ହାଣ୍ଡେ୍‌ସେକ୍ କରିବାରେ ତା’ର ଟିକେ ସଂକୋଚ ନାହିଁ । କିଛି ଜାଣିପାରେନି ଭାରି ସିମ୍ପଲ୍ !' ମୁଁ ଚମ୍‌କିପଡ଼ିଲି । ମତେ ଜଣାଗଲା ମୋ ସ୍ତ୍ରୀ ବୋଧେ ଜାଣିପାରିଛନ୍ତି ଯେ ମୁଁ ବିଭୁ ସହ ତାଙ୍କର କରମର୍ଦ୍ଦନ କରିବାକୁ ଭଲ ଦୃଷ୍ଟିରେ ଗ୍ରହଣ କରିନାହିଁ ଓ ସେଥିପାଇଁ ସେ ବିଭୁର କରମର୍ଦ୍ଦନ କରିବାକୁ ବିଭୁର ସରଳତା ବୋଲି ପ୍ରତିପାଦନ କରୁଛନ୍ତି । ପୁଣି ଭାବିଲି, ନା ନା, ଏମିତି ବରଂ ହୋଇଥିବ ଯେ, ମୋ ସ୍ତ୍ରୀ ବିଭୁର ହାଣ୍ଡ୍‍ସେକ୍ କରିବାକୁ ସତରେ ବିଭୁର ସରଳତା ବୋଲି ଭାବୁଛନ୍ତି ଏବଂ ବିଭୁର ମଧ୍ୟ ଏପରି କରିବାରେ କିଛି ଉଦ୍ଦେଶ୍ୟ ନଥିଲା ! ବରଂ ମୋ ସ୍ତ୍ରୀ ବୋଧେ ବିଭୁପରି ସରଳ ଲୋକ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ପୁଣି ଭାବିଲି, ମୋ ସହ ଘନିଷ୍ଠ ହେବାବେଳେ ମୋ ସ୍ତ୍ରୀଙ୍କର ହଠାତ୍ ବିଭୁ କଥା ମନେପଡ଼ିଲା କେମିତି ? ଏମିତିଆ କୁଚିନ୍ତା ମୁଣ୍ଡରେ ପଶିଥିଲେବି ବିଭୁର କରମର୍ଦ୍ଦନ ବା ମୋ ସ୍ତ୍ରୀଙ୍କର ହଠାତ୍ ବିଭୁକଥା ନେଇ ପ୍ରଶ୍ନ କରିବା ଆଦୌ ମୋ ମନରେ ସେମାନଙ୍କୁ ନେଇ କୌଣସି ଅଶ୍ଳୀଳ ସନ୍ଦେହର ସୂତ୍ରପାତ କରି ନଥିଲା ! କ୍ରମେ ଏସବୁ କଥା ଭୁଲି ହୋଇଗଲା ।

 

ମାତ୍ର ପରେ ବିଭୁ ସହ ମୋ ସ୍ତ୍ରୀଙ୍କର ସମ୍ପର୍କ ବଢ଼ିଚାଲିଲା ତଥା ବିଭୁ ସହ ତାଙ୍କର ଦୈହିକ ସମ୍ପର୍କ ସ୍ଥାପିତ ହେଲା । ଏକଥା ମୁଁ ଜାଣିଲି, ଜାଣି ନ ଜାଣିଲା ପରି ରହିଲି । ଭାବିଲି, ମୋର ଆଦୌ ପୌରୁଷ ନାହିଁ, ମୁଁ ଚନ୍ଦ୍ରସେଣା ପାଲଟିଯାଇଚି । ମୋର ସ୍ତ୍ରୀ ଅନ୍ୟପୁରୁଷ ସହ ସହବାସ କଲେ ବୋଲି ମୋର ଦୁଃଖ ହେଇଚି, ତାହା ନୁହେଁ । ଯଦି ମୋର ଶରୀର ତଳେ ତାଙ୍କ ଶରୀର ଥାଇ ସେ ବିଭୁକଥା ଚିନ୍ତା କରନ୍ତେ, ତେବେ ତା’ଠୁ ବରଂ ଭଲ ବିଭୁର ଶରୀର ତଳେ ତାଙ୍କର ଶରୀର ରହିବା ! ମୋର କହିବା କଥା ଯେ, ମୋ’ଠି କ’ଣ ଅଭାବ ? ବିଭୁଠି କ’ଣ ଅଧିକା ? ଯେଉଁ ଜିନିଷଟି ବିଭୁଠାରେ ମୋ ସ୍ତ୍ରୀ ଆବିଷ୍କାର କରିଛନ୍ତି, ତାହାହିଁ ମୋର ଦୁଃଖ ! ମୋର ଅଭାବ ମୋର ଦୁଃଖ । ଯାହାହେଉ, ଏଇ କଥାଟି ମତେ ବାଧୁଥିଲେ ମଧ୍ୟ ମୁଁ ବିଭିନ୍ନ ଯୁକ୍ତିଦ୍ୱାରା ମୋ ସ୍ତ୍ରୀଙ୍କୁ ଦୋଷମୁକ୍ତ କରୁଥିଲି ! ଏକଥା ମୁଁ କାହା ଆଗରେ କହିପାରୁନି । ମାତ୍ର ଏ ସବୁ ମୋର ଦୁଃଖ ନୁହେଁ, ଏଥିରେ ମୋର ଗ୍ଳାନି ନାହିଁ ବା ବିକାର ନାହିଁ । ମୋର ଯନ୍ତ୍ରଣା ହେଉଚି ମୋର ପୌରୁଷ ନଥିବାର ସନ୍ଦେହ ! ମୋର ଦୁଃଖ ହେଉଚି ମୋର ଚନ୍ଦ୍ରସେଣାତ୍ୱ ! ମୋର ଗ୍ଳାନି ହେଉଚି ମୋର ପୌରୁଷର ସନ୍ତକ ମୋ ପୁଅ ! ମତେ ଲାଗୁଚି ସେ ମୋ ପୁଅ ନୁହେଁ–ବିଭୁର ପୁଅ !

 

ମୁଁ ଗୃହସ୍ଥ ! ମଣିଷଟିଏ । ମୁଁ ଗୃହସ୍ଥ ! ପୁରୁଷଟିଏ । ମୁଁ ସୁନ୍ଦରୀ ସ୍ତ୍ରୀଟିଏର ସ୍ୱାମୀଟିଏ । ସେଥିପାଇଁ ବେଳେବେଳେ ଅନେକ ଖରାପ ଚିନ୍ତା ମୋ ମୁଣ୍ଡରେ ଜମାଟ ବାନ୍ଧୁଚି । ସେଇ ଚିନ୍ତାରୁ ମୁଁ ଦୂରେଇ ରହିପାରୁନି । ବେଳେବେଳେ ମୁଁ ଭାବୁଚି ମୋର ସ୍ତ୍ରୀ । ଜଣେ ବହୁଭୋଗ୍ୟ ନାରୀ ! ବିବାହପୂର୍ବରୁ ସିଏ ଅନ୍ୟ ପୁରୁଷମାନଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ ବୋଲି ମୁଁ ଭାବୁଚି ।

 

ବିବାହପୂର୍ବରୁ ମୋ ସ୍ତ୍ରୀ ତାଙ୍କର ଜଣେ ଭିଣୋଇଙ୍କ ଘରେ ରହୁଥିଲେ । ଏବେ ସେ ଭିଣୋଇ ଆସିଥିଲେ ଓ ମୋ ସ୍ତ୍ରୀଙ୍କର ଗାଲରେ ହାତମାରି କହିଲେ ଯେ, ମୋ ସ୍ତ୍ରୀ ମୋଟା ହୋଇଯାଇଛନ୍ତି ! ମତେ ଲାଗିଲା ବିବାହ ପୂର୍ବରୁ ଅନେକବାର ସେ ଯେମିତି ମୋ ସ୍ତ୍ରୀଙ୍କର ଗାଲରେ ଥିବା ମାଂସର ସ୍ଥୁଳତା ମାପିଛନ୍ତି । ଆଉଦିନେ ମୋ ସ୍ତ୍ରୀଙ୍କର ଭାଇର ଜଣେ ସାଙ୍ଗ ଆସିଥିଲେ । ମୋ ସ୍ତ୍ରୀ ତାଙ୍କ ସହ ଗପୁଥିଲେ । ସେତେବେଳେ ତାଙ୍କର ଛାତିର ଏକପାର୍ଶ୍ୱରେ ଶାଢ଼ି ନଥିଲା !! ଏହା ନିହାତି ସାଧାରଣ କଥା ଓ ମୋ ସ୍ତ୍ରୀଙ୍କର ଅନ୍ୟମନସ୍କତାବି ହୋଇପାରେ ! ମାତ୍ର ମୁଁ ଏସବୁ ଆଦୌ ସହିପାରୁ ନାହିଁ–ଯୋଉଦିନଠୁ ବିଭୁ ସହ ମୋ ସ୍ତ୍ରୀଙ୍କର ଶାରୀରିକ ସମ୍ପର୍କ ସ୍ଥାପିତ ହୋଇଚି, ସେଦିନଠାରୁ ମୋ ସ୍ତ୍ରୀଙ୍କର ପ୍ରତିଟି କାମ ମୋ ମନରେ ସନ୍ଦେହ ଉପୁଜାଉଛି । ମୋର ମନ ଭିତରେ କେଉଁଠି ଛପି ରହୁଚି କଣ୍ଟାଟିଏ, ସେଇ କଣ୍ଟାଟି ବାରମ୍ବାର ମୋ ହୃଦୟର ଗୋଟିଏ କୋଣରେ ଫୁଟି ଆଘାତ କରୁଚି ଓ ସେଇଠୁ ଝରିଆସୁଚି ଦୁଃଖର ଝରଣାଟିଏ, ଗ୍ଳାନିର ରକ୍ତନଦୀଟିଏ !

 

ମୋ ମନରେ ଏକ ଅଜବ ବିଶ୍ଵାସ ମୋ ଅଜାଣତରେ ଗଢ଼ି ହୋଇଗଲାଣି । ସେଇଟି ହେଲା, ସ୍ତ୍ରୀମାନେ ବିବାହ ପରେ ସ୍ୱାମୀ ଭିନ୍ନ ଅନ୍ୟ ପୁରୁଷ ସହ ଦୈହିକ କାମନା ଚରିତାର୍ଥ କରିବାକୁ ଭଲପାଆନ୍ତି । ସୁଯୋଗ ପାଇଲେ ଏଇ କାମନାଟି ଚରିତାର୍ଥ କରନ୍ତି । ସ୍ଵାମୀ କେବଳ ଏକ ସାମାଜିକ ରକ୍ଷାକବଚ ! ଏଇ ବିଶ୍ଵାସ ମୋ ଭିତରେ ଯେତେଯେତେ ଦୃଢ଼ ହେଉଚି, ସେତେସେତେ ମୋ ଭିତରେ ମୋ ପୌରୁଷ ଚେଉଁ ଉଠୁଚି । ଯେମିତି ଭିତରୁ ମୋ ପୌରୁଷ ମତେ ବେଳେବେଳେ ଚାଲେଞ୍ଜ କରୁଚି ଅନ୍ୟର ସ୍ତ୍ରୀ ସହ ଏ ସତ୍ୟଟିକୁ ପରୀକ୍ଷା କରିବାପାଇଁ ! ପୁଣି ମୋ ଭିତରୁ କିଏ ଯେମିତି ବାରଣ କରୁଚି, ଧିକ୍କାର କରୁଚି । ପର ମୁହୂର୍ତ୍ତରେ ମୁଁ ପୁଣି ଈର୍ଷାରେ ଜଳିଯାଉଚି । ଦୁଃଖରେ ଶଢ଼ି ଯାଉଚି । ଯନ୍ତ୍ରଣାରେ ମନ୍ଥିଚକଟି ହୋଇଯାଉଚି, ଗ୍ଳାନିରେ ପେଣ୍ଟି ହୋଇଯାଉଚି । ଭାବୁଚି, ଅନ୍ୟର ସ୍ତ୍ରୀକୁ ଉପଭୋଗ କଲେ ମୁଁ ହୁଏତ ଫେରିପାଇବି ମୋର ପୌରୁଷ !!

 

ଏଇ କେଇଦିନ ତଳେ ଗୋଟେ ପାର୍ଟିରେ ଖାଇ ବସିଥିଲାବେଳେ ମୋ ପାଖରେ ବସିଥିଲେ ମିସେସ୍ ସିହ୍ନା । ଆଗରୁ ଶୁଣିଥିଲି କାଳୀ ରଥ ବୋଲି ଗୋଟେ କୋଉ କମ୍ପାନୀର ପର୍ସନାଲ୍ ମାନେଜର ସହ ମିସେସ୍ ସିହ୍ନାଙ୍କ ଅବୈଧ ସମ୍ପର୍କ ରହିଛି ! ହଠାତ୍ ମିସେସ୍‌ ସିହ୍ନାଙ୍କୁ ମୋ ପାଖରେ ଦେଖି ଭିତରର କାମନାଟା ମୋର ଦପ୍ କରି ଜଳିଉଠିଲା । ମୋ ସ୍ତ୍ରୀଙ୍କ କଥା ମନେପଡ଼ିଗଲା । ମତେ ଲାଗିଲା, ମୋ ସ୍ତ୍ରୀ ପରି ମିସେସ୍ ସିହ୍ନା ଅନ୍ୟ ପୁରୁଷର ସାନିଧ୍ୟ କାମନା କରନ୍ତି । ମୋ ମୁଣ୍ଡରେ ଭୂତ ଚଢ଼ିଗଲା । ମୁଁ ବୁଦ୍ଧିଶୂନ୍ୟ ହୋଇଗଲି । ଟେବୁଲ୍ ତଳବାଟେ ମିସେସ୍ ସିହ୍ନାଙ୍କ ପାଦକୁ ଚିପିଦେଲି । ଥରେ–ଦୁଇଥର–କିଛି ପ୍ରତିକ୍ରିୟା ନାହିଁ ! ତୃତୀୟବାର ମିସେସ୍ ସିହ୍ନା ମତେ ଗାଢ଼େଇ ଚାହିଁଲେ । ସତେ ଯେମିତି କହିଲେ : ‘ଏତେ ଲୋକଙ୍କ ଆଗରେ ଏମିତି କ'ଣ ହେଉଛୁ ନନ୍‌ସେନ୍‌ସ ?’ ମୋର ଭୟ ଜାତ ହେଲା । ମିସେସ୍ ସିହ୍ନା ଯଦି ମତେ ଚାପୁଡ଼ାଟିଏ ପକାନ୍ତି !! ମୋର ଚେଇଁଉଠୁଥିବା ପୌରୁଷ ପୁଣିଥରେ ଚାଲିଗଲା କ୍ଳୀବତ୍ୱର ଖୋଳକୁ । କଇଁଛର ଖୋଳପା ପରି ମତେ ଗୁଡ଼େଇ ରଖିଚି ଚନ୍ଦ୍ରସେଣାତ୍ୱର ଖୋଳପାଟିଏ ଯେମିତି ! ତା’ ତଳେ ମୋ ପୌରୁଷ ଜଳି ଯାଉଚି । ମୋର ପୌରୁଷ ଜଳିଯିବାର ଦୁଃଖହିଁ ମୋର ଦୁଃଖ, ଏକାନ୍ତଭାବେ ମୋର ଦୁଃଖ !!

 

ବିବେକ ମତେ ବାରମ୍ବାର ବାରଣ କଲା ଓ କାମନା ମତେ ଦହି ପକେଇଲା ମିସେସ୍ ସିହ୍ନାଙ୍କୁ ଉପଭୋଗ କରିବାପାଇଁ ! ମୋ ଲାଳସା ପ୍ରବଳ ହେଲା ଦିନେ ଖରାବେଳେ ମିଷ୍ଟର୍‍ ସିହ୍ନା ମତେ ଚାହା ଦେବାବେଳେ ମୁଁ ତାଙ୍କ ହାତକୁ ଧରିପକେଇଲି ତଥା ମୋର ଅନ୍ୟହାତରେ ତାଙ୍କ ହାତରୁ ଚା' କପ୍ ନେଇ ଟେବୁଲ୍ ଉପରେ ରଖିଲି । ତା'ପରେ ତାଙ୍କର ହାତକୁ ପାଗଳ ପରି ଚୁମ୍ବନ କଲି । ମୋ ଭିତରେ କାମନାର ନିଆଁ ହୁ–ହୁ–ହୋଇ ଜଳିଉଠିଲା । ମିସେସ୍ ସିହ୍ନା ମତେ ସ୍ତମ୍ଭୀଭୂତ ହୋଇ ଚାହିଁଥାନ୍ତି ! ତା’ପରେ ସେ ମୋ ହାତରୁ ତାଙ୍କ ହାତ ଛଡ଼େଇ ନେଲେ । ମୁଁ ଭାବିଲି ବୋଧେ ପ୍ରଳୟ ଘଟିଯିବ । ହୁତ୍‌ହୁତ୍ ଜଳୁଥିବା କାମନାର ନିଆଁ ଲିଭି ଆସିଲା ମୋ ଭିତରୁ ଡରରେ ! ମାତ୍ର କିଛି ପ୍ରଳୟ ହେଲା ନାହିଁ । ମିସେସ୍ ସିହ୍ନା ଭିତରପଟୁ କବାଟ ଦେଇ ଆସି ମୋ ସାମ୍ନାରେ ବସି ଗପ ଆରମ୍ଭ କଲେ । କେତେ ମିନିଟ୍ ପରେ ସେ ଭିତରକୁ ଗଲେ ପାଣି ଆଣିବାପାଇଁ । ଡ୍ରଇଂରୁମ୍‌ରେ ବସି ମଧ୍ୟ ମୁଁ ପରଦାର ଦୋଳନରେ ଦେଖିପାରୁଥାଏ ଯେ ମିସେସ୍ ସିହ୍ନା ନଇଁପଡ଼ି ଫ୍ରିଜ୍‌ରୁ ପାଣିବୋତଲ ବାହାର କରୁଛନ୍ତି । ନଇଁ ପଡ଼ିବାବେଳେ ତାଙ୍କର ଶାଢ଼ିର ଏକ ଅଂଶ ତାଙ୍କ ଛାତିରେ ନାଇଁ ! ସେଇ ଦୃଶ୍ୟକୁ ଆଉରି ଉପଭୋଗ କରିବାପାଇଁ ମୁଁ ଡ୍ରଇଂରୁମ୍‌ର ସ୍କ୍ରିନ୍ ନିକଟରେ ଆସି ଠିଆ ହେଲି ଓ ସାଇଡ଼୍‌ରୁ ମିସେସ୍ ସିହ୍ନାଙ୍କ ଉନ୍ମୁକ୍ତ ଛାତିକୁ ଉପଭୋଗ କଲି । ହଠାତ୍ ମୋ ଭିତରେ କିଏ ଯେମିତି ମତେ ଚାଲେଞ୍ଜ କଲା ଯେ ମୁଁ ପୁରୁଷ ନୁହେଁ, ମୁଁ ଚନ୍ଦ୍ରସେଣାଟିଏ, ମୋର ପୌରୁଷତ୍ୱ ନାହିଁ–ପୌରୁଷ ଥିଲେ ମୁଁ ମିସେସ୍ ସିହ୍ନାଙ୍କୁ ଭୟ ନକରି ଉପଭୋଗ କରନ୍ତି । ତାଙ୍କର ସମ୍ମତିକୁ ଅପେକ୍ଷା କରନ୍ତି ନାହିଁ । ମୋର ଦୁଃଖ, ମୋର ଗ୍ଳାନି ମୋ କଇଁଛ ଖୋଳପା ଭିତରୁ ବାହାରି ଆସି ମତେ ଖତେଇ ହେଲେ ! ମୋ ଭିତରେ ଦପ୍ କରି ଜଳିଉଠିଲା କାମନାର ନିଆଁ–ସର୍ବଗ୍ରାସ୍ୟ ନିଆଁର ଲହଲହ ଜିଭ ମୋତେ ଅସ୍ଥିର କରିପକେଇଲା । ନିଆଁ–ଲାଳସାର ନିଆଁ । ପ୍ରେମର ଏତେଟିକେ ଅନୁଭବ ନାହିଁ ମୋର । କେବଳ ଉପଭୋଗର ହିଂସ୍ର କାମନା, ଲାଳସାର ହୁତ୍‌ହୁତ୍ ବହ୍ନି ମୋତେ ପାଗଳ କରିପକେଇଲା । ମୁଁ ଚାଲିଗଲି ଓ ମିସେସ୍ ସିହ୍ନାଙ୍କୁ ଜାବୋଡ଼ି ଧରି ତାଙ୍କୁ ଚୁମ୍ବନ ପରେ ଚୁମ୍ବନରେ ଛାଇଦେଲି । ତାଙ୍କୁ ମୋ ଦେହରେ ଭିଡ଼ି ଧରି ମୋ ଦେହରେ ମିଶେଇ ଦେବାର ଚେଷ୍ଟା କଲି । ମୋ ଦୁଇହାତରେ ତାଙ୍କୁ ଶୂନ୍ୟେ ଶୂନ୍ୟେ ଟେକିନେଲି ତାଙ୍କ ବେଡ଼୍‌ରୁମ୍‌କୁ । ତାଙ୍କ ବେଡ଼୍‌ ଉପରେ ତାଙ୍କୁ ମନଭରି ଉପଭୋଗ କଲି । ମିସେସ୍ ସିହ୍ନା ପ୍ରତିବାଦ କଲେ ନାହିଁ । ବରଂ ତାଙ୍କର ଉତ୍ତେଜନାଜନିତ ଶୀତ୍କାର ମତେ ପାଗଳ କରିଦେଲା, ବେଳୁବେଳ ହିଂସ୍ର କରିଦେଲା । ମତେ ମିସେସ୍ ସିହ୍ନା ଉତ୍ସାହିତ କରୁଥାନ୍ତି ! ଉପଭୋଗ କରିସାରିବା ପରେ ମିସେସ୍ ସିହ୍ନା ଇଂରାଜୀରେ ଯାହା ପଚାରିଲେ, ତା’ର ଓଡ଼ିଆ ଏମିତି ହେବ ଯେ, ତାଙ୍କୁ ମିଶେଇ ମୋର କେତେଜଣ ନାରୀ ଉପଭୋଗ କରିବା ହେଲା ? ଉତ୍ତରରେ ମୁଁ ଅଳ୍ପ ହସି ମୁଣ୍ଡ ହଲେଇଲି, ଯଦିଓ ସେ ମୋର ପ୍ରଥମ ଗୁପ୍ତ ଉପଭୋଗ ! ତାଙ୍କୁ ମୁଁ ତାଙ୍କର କେତେତମ ପୁରୁଷ ବୋଲି ପଚାରିଲି ! ମିସେସ୍ ସିହ୍ନା ଉତ୍ତରରେ ଆଠ ବୋଲି କହିବା ମନେଅଛି !!

 

ଏହି ଅନୁଭୂତି ପରେ ମତେ ଜଣାଗଲା ଏ ପୃଥିବୀରେ ସତେଯେମିତି ପ୍ରତ୍ୟେକଟି ନାରୀର ଓ ପ୍ରତ୍ୟେକଟି ପୁରୁଷର ଜନ୍ମ କେବଳ ଅବସର ସମୟରେ, ଖୁସିରେ, ଆନନ୍ଦ ମୁହୂର୍ତ୍ତରେ ପରସ୍ପରକୁ ଦେହବାନ କରି ତୃପ୍ତ କରିବାପାଇଁ ! ମିସେସ୍ ସିହ୍ନା ଆଠଜଣଙ୍କଦ୍ଵାରା ଉପଭୋଗ୍ୟ, ଅଥଚ କେଡ଼େ ଧୀର, ଶାନ୍ତ, ନମ୍ର ! ଏକଥା କ’ଣ ମିଷ୍ଟର୍‍ ସିହ୍ନାଙ୍କୁ ଜଣାଥିବ ? ଯଦି ଜଣାଥିବ, ତେବେ ସେ ବି ମୋରି ପରି ପଳପଳ ନିଜ ସହ ବିଶ୍ୱାସଘାତକତା କରି, ସମାଜ ସହ ପ୍ରବଞ୍ଚନା କରି, ଜୀବନ ସହ ମନ୍ତ୍ରଣା କରି ବଞ୍ଚୁଛନ୍ତି ! ମୁଁ ମୋତେ ଓ ମିଷ୍ଟର୍‍ ସିହ୍ନାଙ୍କୁ ତଥା ଜଗତର ଆମପରି ପୁରୁଷମାନଙ୍କୁ ଦୟା କରେ ! ଆଇ ପିଟି ଫର୍ ଦେମ୍ ! ପ୍ରତ୍ୟେକଟି ପୁରୁଷର ଦୁଃଖହେଲା ତା’ ସ୍ତ୍ରୀ ! ପ୍ରତ୍ୟେକଟି ନାରୀର ଦୁଃଖ ହେଲା ତା’ ସ୍ଵାମୀ ! ଏମିତି ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଧୋକା ଦେଇ, ଅନ୍ୟସହ ଜୀବନ ଉପଭୋଗ କରି, ମିଛରେ ମିଛରେ, ଛଳନାରେ ଭାସୁଛନ୍ତି !!

 

ମୁଁ ଗୃହସ୍ଥ ଥିଲି ! ସ୍ଵାମୀଟିଏ ଥିଲି । ମୋର ଏକପତ୍ନୀବ୍ରତ ଥିଲା । କିଏ ମୋର ଶାନ୍ତିର ସହରରେ ସୃଷ୍ଟିକଲା ଝଡ଼ଟିଏ ? ମୋ ସ୍ତ୍ରୀ ? ବିଭୁ ମହାପାତ୍ର ? ମୁଁ ? ମିସେସ୍ ସିହ୍ନା ? କାଳୀରଥ-? କିଏ ? କିଏ ମତେ କାମନାଦଗ୍ଧ ପଶୁଟିଏ, ବାସନା ଜର୍ଜରିତ କୀଟଟିଏ, ଲାଳସାପୂର୍ଣ୍ଣ ପିଶାଚଟିଏରେ ପରିବର୍ତ୍ତିତ କଲା ? ମୁଁ କିଆଁ ମିସେସ୍ ସିହ୍ନାଙ୍କର ଦ୍ୱାରସ୍ଥ ହେଲି ? ମୋ ସ୍ତ୍ରୀ କିଆଁ ବିଭୁ ମହାପାତ୍ରର ଦ୍ୱାରସ୍ଥ ହେଲେ ? କ’ଣ ପାଇଁ ? କେହି ପାରିବନି ଉତ୍ତର ଦେଇ ?

 

ମୁଁ ପଶୁଟିଏ । ଏବେ ସର୍ବଦା ପଶୁର, ସଇତାନର ଚିନ୍ତା ମତେ ଗ୍ରାସିପକଉଚି । ମୁଁ ଭାବୁଚି ପ୍ରତ୍ୟେକଟି ପୁରୁଷ ଗୋପନରେ ସୁଯୋଗ ପାଇଲେ ଅନ୍ୟର ସ୍ତ୍ରୀକୁ ଯେମିତି ଉପଭୋଗ କରିବାର ଲାଳସା ଏଡ଼େଇପାରନ୍ତି ନାହିଁ, ପ୍ରତ୍ୟେକ ନାରୀ–ସ୍ତ୍ରୀହିଁ ସେମିତି !

 

କେତେବେଳେ ଉଦ୍ୟମ ପୁରୁଷଆଡ଼ୁ ଆରମ୍ଭ ହୁଏତ କେତେବେଳେ ନାରୀଆଡ଼ୁ ! ଏଥିରେ ନୂଆ କିଛି ନାହିଁ । ଆମେ ମଝିରେ, ମିଛରେ ସଂସ୍କୃତି–ସମାଜର ଦ୍ଵାହି ଦେଉ । ସେମିତି ହେବା ଭଲ । ନହେଲେ ଏସବୁ ଶୃଙ୍ଖଳାରେ, ଗୋପନରେ ହୋଇପାରିବ ନାହିଁ ।

 

ସଂସ୍କୃତି–ସମାଜର ବାଡ଼ ତିଆରି ହୋଇଛି, ଆଇନର ଚାନ୍ଦୁଆ ତିଆରି ହେଇଚି–ତା’ ତଳେ ସବୁ ଫ୍ରି !

 

ମିସେସ୍ ସିହ୍ନାଙ୍କୁ ଉପଭୋଗ କରିବା ପରେ ମୁଁ ଅନେକ ନାରୀଙ୍କୁ ଉପଭୋଗ କରିଛି । ପ୍ରତ୍ୟେକଥରର ଉଦ୍ୟମରେ ବ୍ୟର୍ଥ ହୋଇନାହିଁ । ମୋର ବିଶ୍ୱାସ ହେଉଚି, ମୋର ପୌରୁଷ ଅଛି, ମୁଁ ପୁରୁଷ ଚନ୍ଦ୍ରସେଣାର ଆବରଣ, କ୍ଳୀବତ୍ଵର କଇଁଛ ଖୋଳପା ମୋର ଛିଣ୍ଡିପଡ଼ିଚି !

 

ଅତୀତରେ ମୋର ଦୁଃଖ ଥିଲା ଯେ, ମୁଁ ଚନ୍ଦ୍ରସେଣାଟିଏ । ଏବେ ମୋର ଦୁଃଖ ଯେ, ମୁଁ ଚନ୍ଦ୍ରସେଣା ନୁହେଁ । ପୌରୁଷ ନଥିବାର ଜାଗାରେ ଏବେ ମୋର ପୌରୁଷ ଥିବାର ଦୁଃଖ !

 

ତଥାପି–ତଥାପି, ମୋର ଦୁଃଖ କମିନାହିଁ, ତଥାପି ମୋର ଗ୍ଳାନି କମିନାହିଁ ! ତଥାପି ମୋର ଯନ୍ତ୍ରଣା ଉପଶମ ହୋଇନାହିଁ ! କାହିଁକି ?

 

ଏମିତିଆ ଘୋଡ଼ାଦୌଡ଼ କେଉଁଯାଏଁ ଚାଲିଥିବ ? ମୋ ସ୍ତ୍ରୀ ଧାଇଁଥିବେ ବିଭୁ ମହାପାତ୍ରର ପଛରେ, ମୁଁ ଧାଇଁଥିବି ମିସେସ୍ ସିହ୍ନାଙ୍କ ପଛରେ, ହେଲେ କେଉଁଯାଏଁ ? ଏସବୁର ଉତ୍ତର ନାହିଁ । କାରଣ ଏ ସମାଜ–ସଂସ୍କୃତିହିଁ ଚନ୍ଦ୍ରସେଣା ପାଲଟିଯାଇଚି, ଅତଏବ ଆମେ ସମସ୍ତେ କ୍ଳୀବ, ଆମର କାହାରି ପୌରୁଷ ନାହିଁ ! ଯଦି ସତରେ ମୋର ପୌରୁଷ ଥା'ନ୍ତା, ତେବେ ମିସେସ୍ ସିହ୍ନାଙ୍କୁ ପରସ୍ତ୍ରୀ ଭାବି ନିହାତି ନଗ୍ନ, ନିହାତି ହିଂସ୍ର କାମନା, କଦର୍ଯ୍ୟ ଲାଳସାରେ ଉପଭୋଗ କରିବ-। ପରେ ମୋର ଦୁଃଖ, ମୋର ଗ୍ଳାନି, ମୋର ଯନ୍ତ୍ରଣା ନିଶ୍ଚେ ପ୍ରଶମିତ ହୋଇଥାନ୍ତା-!! ଯାହା ନଥିଲା ବୋଲି ମୋର ଦୁଃଖ ଥିଲା, ଏବେ ତାହା ଅଛି ବୋଲି ମୋର ଦୁଃଖ ! ମୋ ସ୍ତ୍ରୀ ଓ ବିଭୁ ମହାପାତ୍ରମାନେ ଏକଦା ମୋର ଦୁଃଖ ଥିଲେ ! ଏବେ ମୁଁ ଓ ମିସେସ୍ ସିହ୍ନାମାନେ ମୋର ଏକାନ୍ତ ଗୋପନୀୟ ଦୁଃଖ !!

 

ବିବାହିତ ହେଉ ବା ଅବିବାହିତ ହେଉ, ନାରୀଟିଏ ଧାଇଁଥିବ ପୁରୁଷଟିଏର ପଛରେ, ପୁରୁଷଟିଏ ଧାଇଁଥିବ ନାରୀର ପଛରେ । ପ୍ରତ୍ୟେକଟି ନାରୀର, ପ୍ରତ୍ୟେକଟି ପୁରୁଷର ଛାତି ଭିତରଟା ଜଳିଯାଉଥିବ, ଗ୍ଳାନିରେ ଶଢ଼ିଯାଉଥିବ, ଯନ୍ତ୍ରଣାରେ କାହାର ହୃଦୟର ଆକାଶରେ ଉଇଁବନି ଜହ୍ନଟିଏ !! ଯାହାର ହୃଦୟରେ ଉଇଁଥିବ ଜହ୍ନଟିଏ (ମୋରି ପରି), ସେ ଜହ୍ନ ଆଉ ଅସ୍ତମିତ ହେବ ନାହିଁ । ସେ ରାତି ଆଉ ପାହିବ ନାହିଁ । ସେ ଅନ୍ଧାର ଦୂରୀଭୂତ ହେବ ନାହିଁ । ଆଦୌ ଅସ୍ତ ଯାଉ ନଥିବା ଜହ୍ନର ଆଲୋକ ଅନ୍ତହୀନ ସମୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ରାତ୍ରିର ଅନ୍ଧାରକୁ ସମ୍ପୂର୍ଣ୍ଣରୂପେ ଦୂରେଇପାରୁ ନଥିବ ! ହୃଦୟର ଆକାଶରେ, ଛାଇ ଛାଇ ଅନ୍ଧାରିଆବେଳେ, ଅସ୍ପଷ୍ଟ ଜହ୍ନର ଆଲୁଅରେ, କୌଣସି ଗୃହସ୍ଥ (ମୋରି ପରି) ପାଗଳ ହୋଇଯାଉଥିବ, ସାଡ଼ିଷ୍ଟ ପାଲଟି ଯାଉଥିବ ନିଜର ସାଡ଼ିଷ୍ଟିକ୍ ଚେତନାରେ ପରିପୂର୍ଣ୍ଣ ହୋଇ ମଧ୍ୟ ଶାନ୍ତି ପାଉ ନଥିବ, : ସୁତରାଂ ପୂର୍ବର ଦୁଃଖ, ପୂର୍ବର ଯନ୍ତ୍ରଣା, ପୂର୍ବର ଗ୍ଳାନି କେବେ ଦୂର ହେବ ନାହିଁ ! କଳଙ୍କିତ ସମାଜରେ, ଚନ୍ଦ୍ରସେଣା ସଂସ୍କୃତିରେ ସମସ୍ତେ ନିଜକୁ ବିଭୁ ମହାପାତ୍ର ପରି, ମୋ ପରି, ମୋ ସ୍ତ୍ରୀଙ୍କ ପରି, ମିସେସ୍ ସିହ୍ନାଙ୍କ ପରି ଦୁଃଖୀ ଓ ନିଜର ଦୁଃଖକୁ ଉପଶମ କରିବାର ଉପାୟ ନ ପାଇ ସମସ୍ତେ ସାଡ଼ିଷ୍ଟ ତଥା ନିଜର ସାଡ଼ିଷ୍ଟିକ୍ ଚେତନା ଶାନ୍ତ ହେବାପରେ ମଧ୍ୟ ସମସ୍ତେ ଦୁଃଖୀ, ଯନ୍ତ୍ରଣାଜର୍ଜର, କ୍ଳାନ୍ତ, ଅବସନ୍ନ–ଠିକ୍ ମୋରିପରି ନିରୀହ ଗୃହସ୍ଥଟିଏ ପରି !

 

ଏତେ ଦୁଃଖରେ ଗୃହସ୍ଥଟିଏ ଗୋପନରେ କାନ୍ଦିବା ଛଡ଼ା ଅଧିକା କ’ଣ କରିପାରିବ ? ଜହ୍ନ ଏଯାଏଁ ଅଛି ଓ ଅସ୍ତ ହୋଇନାହିଁ–ସମସ୍ତ ଗୃହସ୍ଥ ଦୁଃଖୀ ଓ ସମସ୍ତେ ମୋରି ପରି କାନ୍ଦୁଛନ୍ତି ଗୋପନରେ !!!

✽✽✽

 

ପଥର

 

ଯୁଧିଷ୍ଠିରବାବୁଙ୍କର ଝିଅ ଥିଲା ଏବଂ ଯେହେତୁ ତାଙ୍କର ପ୍ରଚୁର ଟଙ୍କା ଥିଲା, ମାନେ ତାଙ୍କର ବିଦେଶୀ ମଦଦୋକାନ ଚାରିଟା ସହରରେ ଥିଲା; ସେହେତୁ ତାଙ୍କ ଝିଅ ଜିତା ଖୁବ୍ ସୁନ୍ଦରୀ ହୋଇଥିଲା ଅଥବା ଏମିତି ମଧ୍ୟ କୁହାଯାଇପାରେ ଯେ, ସୁନ୍ଦରୀ ହେବାକୁ ବାଧ୍ୟ ଥିଲା !

 

ଜିତା ଥିଲା ସବା ସାନ ଝିଅ ଏବଂ ତା’ଉପରେ ଥିଲେ ବିନୀତା ଓ ନୀତା, ସେମାନେ ବାହା ହୋଇଯାଇଥିଲେ ମାନେ ବାହା ହେବାଟା ଥିଲା ଖୁବ୍ ସହଜ ଓ ସେମାନେ ବାହା ହେବାକୁ ବାଧ୍ୟ ଥିଲେ, କାରଣ ଯୁଧିଷ୍ଠିରବାବୁଙ୍କର ଧୁମ୍ ଟଙ୍କା ଥିଲା, ମାନେ ଚାରିଟା ମଦ ଦୋକାନ, ପୁଣି ଚାରିଟା ଅଲଗା ସହରରେ ।

 

ସାନ ଝିଅର ନାମକରଣବେଳେ ଉପସ୍ଥିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ଧାରଣା ହୋଇଯାଇଥିଲା ଯେ, ଯୁଧିଷ୍ଠିରବାବୁ ବେପାରୀ ଲୋକ ହେଲେବି ତାଙ୍କର ରୁଚି ଜ୍ଞାନ ଅମାପ; ଯେହେତୁ ଜିତା ପରି ଏକ ତତ୍କାଳୀନ ଅତ୍ୟାଧୁନିକ ନାମ ସେ ଭାବିପାରିଥିଲେ ତଥା ଉପସ୍ଥିତ କେତେ ଜଣ ଏଥିନେଇ ପ୍ରଶଂସା କରିବାରେ ଯୁଧିଷ୍ଠିରବାବୁ ମୁରୁକି ହସା ଦେଇଥିଲେ, କାରଣ ସେ ବେଶୀ ଗପିବାକୁ ପସନ୍ଦ କରୁ ନଥିଲେ, ଯେହେତୁ ତାଙ୍କ ପାଖରେ ଥିଲା ଅମାପ ଅର୍ଥ, କାରଣ ତାଙ୍କର ଚାରିଟା ବିଦେଶୀ ମଦ ଦୋକାନ ଥିଲା ।

 

ଯୁଧିଷ୍ଠିରବାବୁଙ୍କ ସ୍ତ୍ରୀ ଭାବିଥିଲେ ସାନ ଝିଅର ନାଁ କୌଣସି ଦେବୀଙ୍କ ନାମ ଅନୁସାରେ ଦିଆଯିବ, ଯେମିତିକି ସରସ୍ଵତୀ ଅଥବା ଲକ୍ଷ୍ମୀ ଅଥବା ନିହାତି କମ୍‌ରେ କୌଶଲ୍ୟା ବା ସାବିତ୍ରୀ; କିନ୍ତୁ ନାମକରଣବେଳେ ସେ ଘର ଭିତରେ ରହିଯାଇଥିବାରୁ ହସ୍ତକ୍ଷେପ କରିବାର ସୁଯୋଗ ପାଇ ନଥିଲେ; ଅତଏବ ‘ଜିତା’ ନାମଟି ଦିଆଯିବା କଥା ପରେ ଜାଣିପାରି ସ୍ୱାମୀଙ୍କୁ ଏକାନ୍ତରେ ପଚାରନ୍ତେ, ଯୁଧିଷ୍ଠିରବାବୁ ବହୁତ କ୍ଳାନ୍ତ ହୋଇଥିବା ପରି ମାନେ ସେ ସତରେ କ୍ଳାନ୍ତ ହୋଇଯାଇଥିଲେ, କାରଣ ତାଙ୍କର ଟଙ୍କା ଥିଲା ଓ ଟଙ୍କା ଥିବା ମଣିଷମାନେ ଅଳ୍ପ ପରିଶ୍ରମରେ କ୍ଳାନ୍ତ ହୋଇଯାଆନ୍ତି, କହିଥିଲେ, “ଆରେ, ଜିତା ନାଁଟା କାହିଁକି ଦେଲି ଜାଣିନ ? ବଡ଼ ଝିଅ ନା ବିନୀତା, ତାକୁ ସଂକ୍ଷିପ୍ତ କରି ମଝିଆଁ ଝିଅ ନାଁ ଦେଲି ନୀତା, ନୀତାକୁ ତ ଆଉ ସଂକ୍ଷିପ୍ତ କରି ଖାଲି ‘ତା’ ବୋଲି ନାମ ଦେଇ ହେବ ନାହିଁ, ତେଣୁ ୟା’ ନାଁ ଦେଲି ଜିତା ।’’

 

ଜିତା ଥିଲା ସୁନ୍ଦରୀ, ପିଲାଦିନେ, ସ୍କୁଲ୍‍ରେ ପଢ଼ିବାବେଳେ, କଲେଜ ଯିବାବେଳେ ସବୁବେଳେ ଜିତା ସୁନ୍ଦରୀ ଥିଲା, କାରଣ ତା’ ବାପାଙ୍କର ଥିଲା ପ୍ରଚୁର ଟଙ୍କା । ତା'ଛଡ଼ା ତା'ର ଶରୀରର ରଙ୍ଗଥିଲା ଗୋରା, ବେକଟା ଥିଲା ଆକର୍ଷଣୀୟଭାବେ ଲମ୍ବା, ଅଣ୍ଟାରେ ବିଲ୍‍କୁଲ୍ ଚର୍ବି ନଥିଲା । ଯେତେ ଡେଙ୍ଗା ହେଲେ ଝିଅମାନେ ଅସୁନ୍ଦର ଦେଖାଯାନ୍ତି, ଜିତା ସେତେ ଡେଙ୍ଗା ନଥିଲା ତଥା ଯେତେ ଗେଡ଼ା ହେଲେ ଝିଅମାନେ ଅସୁନ୍ଦର ଦିଶନ୍ତି, ଜିତା ସେତେ ଗେଡ଼ା ନଥିଲା । ତା’ ବାଳଗୁଡ଼ାକ ଥିଲା କୁଞ୍ଚୁକୁଞ୍ଚିଆ ଏବଂ ସେ ସର୍ବଦା କାନ୍ଧ ଉପରଯାଏ ବାଳ ରଖିଥିଲା । ଆଙ୍ଗୁଠିମାନେ ଥିଲେ ଆକର୍ଷଣୀୟ ଏବଂ ବାମ ହାତର ନଖମାନେ ଥିଲେ ତତୋଽଧିକ ଆକର୍ଷଣୀୟ । ମାଟ୍ରିକ ପଢ଼ିବାବେଳେ ତଥା କଲେଜର ପ୍ରଥମ ଦୁଇବର୍ଷରେ ଜିତା ନାନା ରକମର ପୋଷାକ ପିନ୍ଧୁଥିଲା, ଯେହେତୁ ତା’ ବାପାଙ୍କର ପ୍ରଚୁର ଟଙ୍କା ଥିଲା ଏବଂ ଆହୁରି ସୁନ୍ଦର ମନେ ହେଉଥିଲା । ତା’ପରେ ବେଳେବେଳେ ଶାଢ଼ି ପିନ୍ଧିଲା ଏବଂ ଶାଢ଼ିକୁ ସେ ତାତ୍‌କାଳିକ ରୁଚି ଅନୁଯାୟୀ ଏମିତି ପିନ୍ଧୁଥିଲା, ଯଦ୍ଦ୍ୱାରା ତା’ର ଅଣ୍ଟା ଏବଂ ପିଠି ଅନାବୃତ୍ତ ରହୁଥିଲା, ସୁତରାଂ ସେ ଆହୁରି ସୁନ୍ଦର ଦିଶୁଥିଲା । ସର୍ବୋପରି, କଲେଜରେ ସେ ସର୍ବଦା ଖୁବ୍ ସୁନ୍ଦରୀ ଝିଅ ସାଙ୍ଗଙ୍କ ସହ ଠିଆ ହେଉଥିବାରୁ ବା ଚାଲବୁଲ କରୁଥିବାରୁ ଆହୁରି ସୁନ୍ଦର ଲାଗୁଥିଲା ।

 

ଜିତା ପ୍ରଥମେ ଏକ ସଙ୍ଗୀତ ସ୍କୁଲ୍‍କୁ ଯାଉଥିଲା, କାରଣ ତା’ ବାପାଙ୍କର ବହୁତ ଟଙ୍କା ଥିଲା । ଅଳ୍ପ ଦିନ ପରେ ସେ ସଙ୍ଗୀତ ସ୍କୁଲ୍ ଛାଡ଼ି ଦେଲା, ତା’ ବାପାଙ୍କର ଟଙ୍କା କମିଗଲା ବୋଲି ନୁହେଁ; କାରଣ ସେ ନାଚ ସ୍କୁଲ୍‍କୁ ଗଲା । ତା’ ବାପାଙ୍କର ବହୁତ ଟଙ୍କା ଥିଲା ।

 

ଜିତା ଏକ ଅର୍ଥରେ ଆଧୁନିକା ଥିଲା, ବରଂ ଆଧୁନିକା ହେବାକୁ ବାଧ୍ୟ ଥିଲା, କାରଣ ତା’ ବାପାଙ୍କର ଟଙ୍କା ଥିଲା ତଥା ଟଙ୍କା ଥିବାଟା ଖୁବ୍ ଭଲ କଥା, ପୁଣି ତାଙ୍କର ରଂଗୀନ ଟିଭି ଥିଲା, ଭିସିଆର–ଭିସିପି ଥିଲା, ଫ୍ରିଜ୍ ଥିଲା, ଘରୋଇ ବ୍ୟବହାର ପାଇଁ କାର୍ ଥିଲା, ବ୍ୟବସାୟ କାର୍ଯ୍ୟପାଇଁ ଦୁଇଟା ଟ୍ରକ୍ ଥିଲା, ଦୁଇଟା ତିନିମହଲା କୋଠା ଥିଲା–ଗୋଟାଏ ଭଡ଼ା ଲାଗିଥିଲା, ଆହୁରି କେତେକଅଣ ଆଧୁନିକ ସାମଗ୍ରୀ ଥିଲା ଯଥା : କାଲ୍‌କୁଲେଟର୍, ଟେଲିଫୋନ୍, ୱାସିଙ୍ଗ୍‍ମେସିନ୍, ଏୟାର୍ କୁଲର୍ ଇତ୍ୟାଦି । ତାଙ୍କ ଘର କାନ୍ଥରେ ସୁନ୍ଦର ପେଣ୍ଟିଙ୍ଗ୍ ଟଙ୍ଗା ହୋଇଥିଲା, ଫ୍ଲୋରରେ ଦାମୀ କାର୍ପେଟ୍ ପଡ଼ିଥିଲା । ତାଙ୍କ ବାଥ୍‌ରୁମ୍‌ରେ ଦାମୀ ଟାଇଲ୍ ଲାଗିଥିଲା, ଘରେ ରୋଷେଇ କରିବାପାଇଁ ପୂଝାରି ବ୍ୟତୀତ ଦୁଇଜଣ ଚାକର ଥିଲେ; କାରଣ ଯୁଧିଷ୍ଠିରବାବୁଙ୍କର ଟଙ୍କା ଥିଲା ।

 

ଜିତା କିନ୍ତୁ ବି.ଏ. ପଢ଼ିବାବେଳେ ପ୍ରଥମ ବର୍ଷହିଁ ପ୍ରେମରେ ପଡ଼ିଥିଲା । ସେଇଟି ବୋଧେ ପ୍ରଥମ ଘଟଣା, ଯେତେବେଳେ କି ତା’ ବାପାଙ୍କର ଟଙ୍କା କଥା ତା’ର ସ୍ମରଣ ହୋଇ ନଥିଲା । ସେ ପୁଅଟା ତାଙ୍କ ଉପର ବ୍ୟାଚ୍‌ରେ ପଢ଼ୁଥିଲା ଏବଂ ପୁଅଟାର ବାପା ପୋଷ୍ଟାଲ୍‍ରେ କିରାଣି ଥିଲେ, ମାନେ ତାଙ୍କର ଖୁବ୍ କମ୍ ଟଙ୍କା ଥିଲା । ପୁଅଟା–ଅର୍ଥାତ୍ ପରାଶରର ବାପା ଅର୍ଥାତ୍ ଭୋଳିବାବୁ ନିୟମିତ ଦରମା ପାଉଥିଲେ, ଯଦିଓ ସଂଚୟ କରିବା କଥା ଭାବିବା ପୂର୍ବରୁ ତାଙ୍କର ଟଙ୍କା ସରି ଯାଉଥିଲା, କାରଣ ପୁଅ ପାଖକୁ ମାନେ ପରାଶର ପାଖକୁ ମାସିକ ଚାରିଶହ ଟଙ୍କା ପଠାଇବାକୁ ପଡ଼ୁଥିଲା, ଯେହେତୁ ପରାଶର ହଷ୍ଟେଲ୍‍ରେ ରହୁଥିଲା; ତା’ଛଡ଼ା ତାଙ୍କର ଆଉ ତିନିଟି ପିଲା ମଧ୍ୟ ପଢ଼ୁଥିଲେ ତଥା ତାଙ୍କର ଗାଁରେ ଜମିବାଡ଼ି ପ୍ରାୟତଃ ନଥିଲା, ପୁଣି ତାଙ୍କ ସ୍ତ୍ରୀ ଅର୍ଥାତ୍ ପାର୍ବତୀଦେବୀ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରୋଗରେ ପଡ଼ିଯାଉଥିବା, ହେତୁ ଔଷଧପାଇଁ ବହୁତ ଖର୍ଚ୍ଚ ହେଉଥିଲା, ତା'ଛଡ଼ା ବୁଢ଼ା ବାପା–ଯିଏକି ଭୋଳିବାବୁଙ୍କ ପାଖରେ ରହିଥିଲେ, ତାଙ୍କପାଇଁ ଔଷଧ, ଫଳମୂଳ ପାଇଁ ବହୁତ ଖର୍ଚ୍ଚ ହେଉଥିଲା ।

 

ଆଉ ଏକ କଥା ଅବଶ୍ୟ କୁହାଯାଇପାରେ । ଯାହାର ଯେତେ ବେଶୀ ଟଙ୍କା ତା'ର ସେତେ ବେଶୀ ଖର୍ଚ୍ଚ ହେଲେବି କେଜାଣି କେମିତି ଟଙ୍କା ବଳେ, ଯେମିତି ବଳୁଥିଲା ଯୁଧିଷ୍ଠିରବାବୁଙ୍କର ମାନେ ଜିତାର ବାପାଙ୍କର । ପୁଣି ଯାହାର ଯେତେ ଟଙ୍କା, ତା’ର ସେତେ କମ୍ ଖର୍ଚ୍ଚ ହେଲେବି କେଜାଣି କାହିଁକି ଟଙ୍କା ଜମା ବଳେନାହିଁ–ଯେମିତି ଜମା ବଳୁ ନଥିଲା । ଭୋଳିବାବୁଙ୍କର, ମାନେ ପରାଶର ବାପାଙ୍କର ।

 

ଜିତା ପ୍ରେମରେ ପଡ଼ି ଯାଇଥିଲା ।

 

ତା’ର ପ୍ରେମର ପୁରୁଷ ଥିଲା ପରାଶର ।

 

ପରାଶରର ପ୍ରେମରେ ପଡ଼ିବା ଆଗରୁ ଜିତା ଅଥବା ଜିତାର ପ୍ରେମରେ ପଡ଼ିବା ଆଗରୁ ପରାଶର ଆଦୌ ପ୍ରେମରେ ପଡ଼ି ନଥିଲେ, କାରଣ ଜିତାର ଖୁବ୍ ଟଙ୍କା ଥିବାରୁ ଅନେକ ଆଶାୟୀ ତରୁଣ ଇଚ୍ଛା ଥାଇବି ତାକୁ ପ୍ରେମ କରିବାର ସାହସ କରିପାରୁ ନଥିଲେ ଏବଂ ପରାଶରର ଖୁବ୍ କମ୍ ଟଙ୍କା ଥିବାରୁ ଝିଅମାନେ ତାକୁ ପ୍ରେମ କରିବା କଥା ଭାବିପାରୁ ନଥିଲେ । ଅତଏବ ଜିତାର ଜୀବନରେ ପରାଶର ଥିଲା ପ୍ରଥମ ପ୍ରେମିକ ଓ ପରାଶର ଜୀବନରେ ଜିତା ଥିଲା ପ୍ରଥମ ପ୍ରେମିକା-। ଖୁବ୍ ଟଙ୍କା ଥିବା ଜିତାର ଆପାତତଃ ଟଙ୍କା ନଥିବା ପରାଶର ସହିତ କେମିତି ଅଥବା କେଉଁ ପରିସ୍ଥିତିରେ ପ୍ରେମ ହୋଇଗଲା । ସେକଥା ବର୍ଣ୍ଣନା କରିବା ଏଠାରେ ଅନାବଶ୍ୟକ, କାରଣ ପ୍ରେମ ହେବା ପରବର୍ତ୍ତୀ ଘଟନାବଳିହିଁ ମୁଖ୍ୟକଥା ।

 

ତେବେ ସେମାନଙ୍କ ପ୍ରେମ ସମ୍ପର୍କୀୟ କେତେଟା କଥା ଏଠାରେ କୁହାଯାଇପାରେ । ଯଥା : ପ୍ରେମରେ ପଡ଼ିବା ପରେ ପରାଶର ଜିତା–ପ୍ରେମରେ ସମ୍ପୂର୍ଣ୍ଣ ଭିଜି ଯାଇଥିଲା, ଉଭୟେ ଉଭୟଙ୍କ ପାଖକୁ ବେଶ୍ ସୁନ୍ଦର ଅଥଚ ଛୋଟ ଚିଠି ଲେଖୁଥିଲେ–ଯଦିଓ ଜିତା ନୀଳ ବା ଗୋଲାପି ଚିଠି ଲେଖା କାଗଜ ବ୍ୟବହାର କରୁଥିଲା କାରଣ ତା’ ବାପାଙ୍କର ବହୁତ ଟଙ୍କା ଥିଲା; ତଥାପି ପରାଶର ସାଦା କାଗଜରେ ଲେଖୁଥିଲା, କାରଣ ତା’ ବାପାଙ୍କର ଜମା ଟଙ୍କା ନଥିଲା ।

 

ଯଥା : ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା ମାତ୍ର ପଦେ କଥାରୁ । ଉପର ଶ୍ରେଣୀର ପିଲାମାନଙ୍କର ତଳ ଶ୍ରେଣୀର ପିଲାମାନଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ଦିନ ପରାଶର କିଛି ଉଦ୍ଦେଶ୍ୟ ନଥାଇ ପଦେ କଥା କହିଥିଲା ଅର୍ଥାତ୍ ଗୀତ ପ୍ରତିଯୋଗିତା, ହସକଥା କୁହାକୁହି ଏବଂ ଛୋଟକାଟର ସଭାଟିଏ ହେବାପରେ ଯେତେବେଳେ ଜଣେ ପ୍ରକାଣ୍ଡ ପାଜିଟୋକା କହିଥିଲା, ‘ଜିତା ପାଞ୍ଚମିନିଟ୍ ନାଚୁ’ ବୋଲି, ସେତେବେଳେ ଜିତାର ପଛ ସିଟ୍‌ରେ ବସିଥିବା ପରାଶର ଅନ୍ୟମନସ୍କଭାବେ କହିଥିଲା, ‘ଯେଉଁଠି ନାହିଁ ସେଠି ନାଚିଲେ ନାଚର ଅପମାନ ହୁଏ; ଏବଂ ଜିତା ନାଚି ନଥିଲା, ତା’ପରଠୁ ଜିତା ଆପ୍ରାଣ ଉଦ୍ୟମ କରି, ଦୀର୍ଘ ପାଞ୍ଚ/ଛ’ମାସ ପରେ ପରାଶରକୁ ତା’ ପ୍ରେମରେ ପକାଇପାରିବାରେ ସମର୍ଥ ହେଇଥିଲା, ଅବଶ୍ୟ ପରାଶର ଶୀଘ୍ର ପ୍ରେମରେ ପଡ଼ିପାରିଥାନ୍ତା କିନ୍ତୁ ତା' ବାପାଙ୍କର ଖୁବ୍ କମ୍ ଟଙ୍କା ଥିବାରୁ ସେ ସବୁ କଥାରେ ମାପିଚୁପି ଚଳୁଥିଲା, ଅଥଚ ଶେଷରେ ଜିତାର କଥାବାର୍ତ୍ତା–ବ୍ୟବହାର–ରୁଚି ଇତ୍ୟାଦି ଯୋଗୁଁ ପରାଶର ତା’ ପ୍ରେମରେ ପଡ଼ିଯାଇଥିଲା ।

 

ଯଥା : ଯଦି ପରାଶର କହୁଥିଲା, ‘ମୁଁ ବେଳେବେଳେ ମଦପିଏ’, ତେବେ ଜିତା ମୁରୁକି ହସି କହୁଥିଲା, ‘ମତେ ସେକଥା କାହିଁକି କହୁଚ ? ପରାଶର ପୁଣି କହେ ‘କହିବି ନାଇଁ ? ମଦ ପିଇପିଇ ଯଦି ମରିଯାଏ ?’ ଜିତା ଆଦୌ ବିଚଳିତ ନ ହୋଇ କହେ, ‘ତମେ ବଞ୍ଚି ଥିବାବେଳେ ତମପାଇଁ ଯାହା ସୁଖ–ଶାନ୍ତିର କାରଣ, ମୁଁ ତାକୁ ବାରଣ କରିବି କାହିଁକି ? ତେଣିକି ମଦ ଖାଅ କି ଗଞ୍ଜେଇ ଟାଣ ।’ ପରାଶର ପଚାରେ, ‘ତମେ ତ କାଲି ଥରେ ମନା କରିବ ନାହିଁ ? ଜିତା କହେ, ‘କରିବି ନାହିଁ ? ହଜାରଥର ବାରଣ କରିବି, କିନ୍ତୁ ତମେ ନ ମାନିଲେ ଜମା ଦୁଃଖ କି ରାଗ କରିବି ନାଇଁ ।’

 

ଯଥା : ପରାଶର କହେ, ‘ମୁଁ ଆଉ ଜଣକୁ ଭଲ ପାଉଥିଲି । ମୁରୁକି ହସାଦେଇ ଜିତା କହେ, ‘ମୋର କି ଯାଏଁ ଆସେ ସେଥିରେ ? ତମେ ଏବେ ତ ଆଉ ତାକୁ ଭଲପାଉନ ।’ ପୁଣି ପରାଶର କହେ, ‘ଯଦି ସେଇ ଝିଅକୁ ଛାଡ଼ିବା ପରି ତମକୁ ଛାଡ଼ି ଆଉ କାହାକୁ ଭଲ ପାଇଯାଏ, ତେବେ ?' ଜିତା କହେ, ‘ଯାହାକୁ ଭଲପାଇଲେ ପାଉଥାଅ, ହେଲେ ମତେ ଛାଡ଼ିବ କାହିଁକି ଶୁଣେ-?'

 

ଯଥା : ଥରେ ଡିପାଟ୍‍ମେଣ୍ଟରେ ଗପ କରୁକରୁ ବିବାହ ସମ୍ପର୍କରେ କଥାବାର୍ତ୍ତା ହେବା ସମୟରେ ପରାଶର କହିପକାଇଲା, ‘ଭଲପାଇ ବାହା ହେବାଟା ଯଦିଓ ଜରୁରୀ, ତଥାପି ଆମେ ବାହାହେବା ଅନୁଚିତ ।’

 

: ‘କାହିଁକି ?' ଜିତା ପଚାରିଥିଲା ।

 

: ‘ତମ ବାପା ଏ ବିବାହରେ ଜମା ରାଜି ହେବେନି, ଅଯଥା ସମସ୍ୟା ସୃଷ୍ଟି ହେବ ।’

 

: ‘ବାପା ରାଜି ନହେଲେ ଦେଖାଯିବ ।’ ଜିତା କହିଥିଲା ।

 

: ‘ତମର ଯାହା ଯାହା ଅଛି, ଆମର ସେସବୁ ନାହିଁ, ପରାଶର କହିଥିଲା ‘କଥା ହେଲା, ତମର ସବୁ କିଛି ଅଛି, ଆମର କିଛିହିଁ ନାହିଁ । ତୁମ ବାପା ଯେ ଏମିତି ଘରେ ଝିଅ ଦେବାକୁ ରାଜି ହେବେ... ।’

 

: ‘ତମ ଘରେ କିଛି ନଥିଲେବି ତମେ ତ ଥିବ ।’ ଜିତା ପରାଶରକୁ ଚିମୁଟି ଦେଇଥିଲା ।

 

ଯଥା : ଉଭୟେ ଉଭୟଙ୍କ ନିକଟରେ ବେଶ୍ ଫ୍ରି ହୋଇଯାଇଥିଲେ ଏବଂ ଦିନେ ପରାଶର କହିଥିଲା, ‘କାଲି ସ୍ୱପ୍ନ ଦେଖିଲି, ଗୋଟେ ପୂରା ଜନମାନବ ଶୂନ୍ୟ ପଡ଼ିଆରେ ମୁଁ ତମ କୋଳରେ ମୁଣ୍ଡ ରଖି ଶୋଇଥାଏ ।’ ଜିତା ଏ କଥାର ଉତ୍ତରରେ କହିଥିଲା, ‘ଖାଲି ଶୋଇଥିଲ ନା ଆଉ କ’ଣ କରୁଥିଲ ସ୍ୱପ୍ନରେ ?'

 

କ୍ରମେ କଲେଜରେ ଆପାତତଃ ସମସ୍ତେ ଜାଣିଯାଇଥିଲେ ଯେ ଜିତା–ଯାହାର ବାପାଙ୍କର ଖୁବ୍ ଟଙ୍କା, ସିଏ ପରାଶରକୁ–ଯାହାର ବାପାଙ୍କର ଜମାଟଙ୍କା ନଥିଲା–ଭଲ ପାଉଥିଲା ବୋଲି ଏବଂ ସାଙ୍ଗସାଥୀମାନେ କମେଣ୍ଟ୍ ମାରିଲେ ତଥା କାନ୍ଥରେବି ଦୁଇ/ତିନି ଜାଗାରେ ସେମାନଙ୍କ ନାମ ମଝିରେ ଯୁକ୍ତ ଚିହ୍ନ ଦିଆଯାଇ ଲେଖା ହୋଇଗଲା ! ଜିତାର ବାପା, ମାନେ ଯୁଧିଷ୍ଠିରବାବୁ, ତାଙ୍କର ତ ବହୁତ ଟଙ୍କା ଥିଲା, ସିଏ ଏ ସମ୍ପର୍କରେ ଜାଣିବାକୁ ପାଇଲେ ଏବଂ ଯଦିଓ ତାଙ୍କର ପରାଶରର ରୂପଗୁଣ ସମ୍ପର୍କରେ କିଛିହିଁ ଧାରଣା ନଥିଲା, ତଥାପି ସେ ନିଶ୍ଚିତ ଥିଲେ ଯେ, ତାଙ୍କ ଝିଅର ପସନ୍ଦ କଦାପି ଖରାପ ହୋଇ ନଥିବ; ସୁତରାଂ ସେ ଖୁସୀ ହେଲେ ତଥା ମନେମନେ ସ୍ଥିର କଲେ ଯେ, ଯଥାଶୀଘ୍ର ସେଇ ପୁଅଟା ସହ ଜିତାର ବିବାହ ଦିଆଯିବା ଆବଶ୍ୟକ ।

 

: ‘ଜାଣିଲ ପଞ୍ଚାନନ’, ଯୁଧିଷ୍ଠିରବାବୁ ନିଜର ଜଣେ କରିତ୍‍କର୍ମା ମାନେଜରକୁ ଡକାଇ କହିଲେ, ‘ଟିକେ ପତ୍ତା ଲଗାଅ, ଯୋଉ ଟୋକାଟାକୁ ଆମ ଜିତା ଭଲପାଉଚି ସେ ଟୋକାଟା ଦେଖିବାକୁ କେମିତି, ପଢ଼ାପଢ଼ି କିମିତି କରେ ଇତ୍ୟାଦି । ଆଉ ଗୋଟାଏ କଥା ପତ୍ତା ଲଗାଅ, ତା’ ବାପା କ’ଣ କରେ, ତା’ପର ବିଷୟରେବି ସବୁ ବୁଝିବ ।’

 

ଯୁଧିଷ୍ଠିରବାବୁ ନିଜ କାର୍ଯ୍ୟରେ ମନ ଦେଲେ, କାର୍ଯ୍ୟ ବୋଇଲେ ଆହୁରି ଟଙ୍କା ଉପାର୍ଜନ କରିବାରେ ମନ ଦେଲେ, ତାଙ୍କର ପଞ୍ଚମ ମଦ ଦୋକାନ ଖୋଲା ଯିବା ନେଇ ସେ ବ୍ୟସ୍ତ ଥିଲେ ।

 

ସରସ୍ଵତୀ ପୂଜା ଦିନ ଜିତା ଏବଂ ପରାଶର ପ୍ରାୟ ଦଶ ମିନିଟ୍ ସମୟ ସମ୍ପୂର୍ଣ୍ଣ ନିରୋଳା ପାଇଥିଲେ ଗପ କରିବାକୁ ଏବଂ ଜିତା କହିଥିଲା, ‘ଆମ ନାଁକୁ ଯୋଡ଼ି କାନ୍ଥରେ ଲେଖୁଛନ୍ତି, ଦେଖୁଚ ତ ?'

 

ପରାଶର ହସି ଦେଇଥିଲା, ଜିତା କହିଲା, ‘ମତେ ଭାରି ଖରାପ ଲାଗୁଚି ।’ ପରାଶର ପୁଣି ହସିବାରୁ ଜିତା କହିଥିଲା, ‘ହସୁଚ କ’ଣ ମ, ତମକୁ ଲାଜ ଲାଗୁନି ?’

 

ପରାଶର ମୁହଁ ଖୋଲିଥିଲା, ‘ମତେ କାହିଁକି ଲାଜ ଲାଗିବ ? ତମ ପରି ଝିଅକୁ ପ୍ରେମ କରିବାଟା ଲାଜର କଥା ନୁହେଁ, ବରଂ ମତେ ଭଲ ଲାଗୁଚି । ତମକୁ ଲାଜ ଲାଗୁଥିବ, କାରଣ ଯେମିତି ପୁରୁଷକୁ ନେଇ ଗର୍ବ କରାଯାଇପାରିଥାନ୍ତ, ମୁଁ ସେମିତି ନୁହ ।

 

ଜିତା ମନଦୁଃଖ କରିଥିଲା ଏକଥା ଶୁଣି ଏବଂ ତା’ ମୁହଁ ମଳିନ ଦିଶିଥିଲା । ତା’ପରେ କହିଥିଲା, ‘ମତେ କଥା କଥାରେ ଆଘାତ କରିବାକୁ ତମକୁ ଭଲ ଲାଗେ । ହଉ ହେଲା, ଆଉ ମତେ ଲାଜ ଲାଗିବନି । କିନ୍ତୁ ତମେ ଏମିତି କଥା କହିବାର ଭିତିରି ଅର୍ଥଟି କ’ଣ ?’

 

ପରାଶର କହିଲା, ‘ମୂଳକଥା ହେଲା, ଆମର ଏତେ ଦିନ ହେବ ସମ୍ପର୍କ ହେଲାଣି, କିନ୍ତୁ...' କଥା ମଝିରେ ଅଟକି ଯାଇ ପରାଶର ଓଠ–ଆଙ୍ଗୁଠି–ପାପୁଲି ସାହାଯ୍ୟରେ ବୁଝାଇ ଦେଲା ଯେ, ଜିତାର ଓଠ ସହ ତା’ ଓଠର ସମ୍ପର୍କ ସ୍ଥାପିତ ହେବା ନିହାତି ଦରକାର ଏବଂ ଜିତା କଥାଟା ବୁଝିପାରି ଲାଜରେ ଝାଉଁଳି ପଡ଼ିଥିଲା, ଝାଉଁଳି ପଡ଼ିବା ଭିତରେ ପରାଶର ମୁହଁକୁ ଥରେ ଚାହିଁ କହିଥିଲା, ‘ଅଭଦ୍ର’ ।

 

‘କେହି କୋଉଠି ନାହାନ୍ତି ।’ ପରାଶର କହିଥିଲା ଏବଂ ଜିତା କିଛି କହି ନଥିଲା, କାରଣ ଝିଅମାନେ ତୁରନ୍ତ କିଛି କହିବାକୁ ପସନ୍ଦ କରନ୍ତି ନାହିଁ, ପରାଶର ବିଳମ୍ବ କରିବାକୁ ଉଚିତ ମନେକରୁ ନଥିଲା । ତେଣୁ ଆସ୍ତେ କରି ଜିତା ବେକ ଚାରିପଟେ ଦୁଇ ହାତ ରଖି ମୁହୂର୍ତ୍ତକ ଭିତରେ ଓଠର ସଦ୍‍ବ୍ୟବହାର କରିଥିଲା ଏବଂ ଜିତା ଆଖି ତଳକୁ କରି କହିଥିଲା, ‘ବଜାରୀ' । ଏମିତି କଥାରେ ପରାଶର ସାମାନ୍ୟ ଦୁଃଖ କରିବାରୁ ଜିତା କହିଥିଲା, ‘ଝିଅଟେ ଯେତେବେଳେ ଗୋଟେ ପୁଅକୁ ବଜାରୀ କହେ, ଜାଣିବ ପୁଅଟି ତାକୁ ଭଲ ଲାଗିଛି ।’

 

ଏମିତି ସବୁକିଛି ଚାଲିଥିଲା ଏବଂ ଭିତରେ ଭିତରେ ଜିତାର ବାପା ନିଯୁକ୍ତ କରିଥିବା ପଞ୍ଚାନନ ନାମକ ଲୋକଟି ଏମାନଙ୍କ ଖବର ନେଉଥିଲା, ଯଦିଓ ସିଏ ଜାଣି ନଥିଲା ଯେ, ଜିତା ଏବଂ ପରାଶର ଦିନେ ନିରୋଳାରେ ଓଠର ସଦ୍‌ବ୍ୟବହାର କରିଥିଲେ ବୋଲି ।

 

: ‘ଟୋକାଟାର ବାପ ପୋଷ୍ଟାଲ୍‍ରେ କ୍ଲର୍କ ଅଛି ଆଜ୍ଞା ।’ ପଞ୍ଚାନନ ନିଜ ମୁନିବ ଯୁଧିଷ୍ଠିରବାବୁଙ୍କ ସାମ୍ନାରେ ନିତାନ୍ତ କାକୁସ୍ଥ ହୋଇ କହିଥିଲା, ‘ଟୋକାଟା ହଷ୍ଟେଲ୍‍ରେ ରହେ, ଦେଖିବାକୁ ବେଶ୍ ଡଉଲ–ଡାଉଲ, ଭଲ ପଢ଼େ ବୋଲି କେତେଟା ଟୋକାଙ୍କଠାରୁ ବୁଝିଲି । ତେବେ ବିଶ୍ୱାସ ନହେବାରୁ ମାଷ୍ଟ୍ରକୁ ପଚାରି ବୁଝିଲି, କଥାଟା ସତ ।’ ‘ଟୋକାଟାର ଘରକଥା କିଛି ବୁଝିଲି ।’ ଯୁଧିଷ୍ଠିରବାବୁଙ୍କ ପ୍ରଶ୍ନରେ ପଞ୍ଚାନନ ମୁରୁକି ହସିଲା–ତା’ର ଏମିତି ହସସହ ଯୁଧିଷ୍ଠିରବାବୁ, ମାନେ ତାଙ୍କର ବହୁତ ଟଙ୍କା ଥିଲା, ସିଏ ପରିଚିତ ଥିଲେ; ହସଟି ମାତ୍ର ମୁହୂର୍ତ୍ତକ ପାଇଁ ଝୁଲି ପଡ଼ିଥିଲା ପଞ୍ଚାନନର ଓଠରେ, ପଞ୍ଚାନନ କହିଲା, ‘ଟୋକାଟାର ଘର ଗାଁରେ, ତା’ର ଦେଢ଼ମାଣ ଜମି, ଏବେ ସେ ଜମି ଟୋକାର ଦାଦା ଖାଉଚି, ବର୍ଷକୁ କିଛି ଚାଉଳ ୟାଙ୍କ ପରିବାରକୁ ଦେଉଚି । ଟୋକାର ବାପ ଏଯାଏଁ ସହରରେ ଜାଗା କିଣିନାହିଁ କିମ୍ବା ଅନ୍ୟ କିଛି ରୋଜଗାରର ପନ୍ଥା ମଧ୍ୟ ନାହିଁ ।’

 

ତେବେ ତ ମହାଅସୁବିଧାରେ ପଡ଼ିଲା ମଣିଷ, ‘ଯୁଧିଷ୍ଠିରବାବୁ ନାକ କୁଣ୍ଡାଇଥିଲେ, ‘ଜିତାଟା କିଛି ବୁଝିପାରୁ ନାହିଁ, ହେଲେ ଏମିତି ଘରେ ତ ଝିଅକୁ ବାହାଦେବା ଏକବାରେ ଅସମ୍ଭବ, ଏଠି ଯେମିତି ଢାଞ୍ଚାରେ ବଢ଼ିଚି ସେଠି ତ ଜମା ଚଳିପାରିବ ନାହିଁ ।’

 

‘ଦେଖ ପଞ୍ଚାନନ’, ଯୁଧିଷ୍ଠିରବାବୁ କହିଲେ, ‘ଆମ ଆଗରେ ଦୁଇଟି ବାଟ ଅଛି । ଝିଅକୁ ଅନ୍ୟଠି ବାହା କରିଦେବା ଏବଂ ଟୋକାକୁ କହିଦେବା ଯେ, ଜିତା ସହ ସବୁ ସମ୍ପର୍କ ସେ ତୁଟାଇ ଦେବା ଉଚିତ । ତା’ଛଡ଼ା, ଟୋକାର ବାପକୁ ମଧ୍ୟ ଏ ସମ୍ପର୍କରେ କହିବା ଉଚିତ ହେବ । ତୁମେ ଲୋକ ଲଗାଇ ଜିତାପାଇଁ ଉପଯୁକ୍ତ ପାତ୍ର ଖୋଜିବାରେ ଲାଗିପଡ଼ । ହଁ ଟୋକାକୁ ଆଉ ତା’ ବାପକୁ ଟିକେ ଚେତାଇ ଦେବ ।’

 

ଯୁଧିଷ୍ଠିରବାବୁ–ମାନେ ତାଙ୍କର ତ ବହୁତ ଟଙ୍କା, ତାଙ୍କ ନିର୍ଦ୍ଦେଶ ପାଇ ପଞ୍ଚାନନମାନେ ସେ ଜାଣିଲା ଯେ, ଯୁଧିଷ୍ଠିରବାବୁଙ୍କ ଟଙ୍କା ତା’ ପଛରେ ସେଇ ପଞ୍ଚାନନ ତୁରନ୍ତ ପାଞ୍ଚଟା ପ୍ରସ୍ତାବ ଆଠଦିନ ଭିତରେ ପହଞ୍ଚାଇ ଦେଲା । ହଉ ବିଚାର କରିବା ବୋଲି ଯୁଧିଷ୍ଠିରବାବୁ କହିଲେ, ଦୁଇଟା ପ୍ରସ୍ତାବର ସିଧାସିଧା ନାକଚ କରିଦେଲେ ଏବଂ ବାକି ତିନିଟାରୁ ଗୋଟିଏକୁ ଜଣାଇଲେ ଯେ, ସେମାନେ ଝିଅ ଦେଖି ଆସନ୍ତୁ ବୋଲି ତଥା ଜିତା–ସେ ଏ ସମ୍ପର୍କରେ ଜାଣିବାକୁ ପାଇଲା ଏବଂ ପଞ୍ଚାନନ–ସେ ତ କାମର–ମଣିଷ ସେ ଦିନେ ପରାଶରକୁ ତା’ ହଷ୍ଟେଲ୍‍ରେ ଭେଟିଲା ।

 

‘ତୁମ ନାଁ ପରାଶର ?’ ପଞ୍ଚାନନ ପଚାରିଥିଲା, ସେ ଆପଣ ବୋଲି କହିବାକୁ ଉଚିତ ମଣି ନଥିଲା । ପରାଶର ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇବାରୁ ପଞ୍ଚାନନ କହିଥିଲା, ‘ତୁମ ସହ ଗୁରୁତ୍ୱପୂର୍ଣ୍ଣ କଥା ଅଛି ଟିକେ ନିରୋଳା ହେଲେ ଭଲ ହୁଅନ୍ତା ।'

 

ଉଭୟେ ହଷ୍ଟେଲ୍‍ ସାମ୍ନାସ୍ଥିତ ପଡ଼ିଆରେ ପହଞ୍ଚିବା ପରେ ପଞ୍ଚାନନ ଆରମ୍ଭ କରିଥିଲା, ‘କଥା କ’ଣ କି, ଆମ ଜିତା ତୁମ ସହ ପଢ଼େ ?'

 

: ‘ନା ।’ ପରାଶର କହିଥିଲା, ‘ମୋ ତଳବ୍ୟାଚ୍‌ରେ ସେ ।’ ପରାଶର ଥିଲା ନିତାନ୍ତ ସରଳ ତଥା ଗମ୍ଭୀର, ଅପରପକ୍ଷରେ ପଞ୍ଚାନନ ଥିଲା କାମର ମଣିଷ ।

 

: ‘ତୁମେ ଜିତାର ପିଛା ଛାଡ଼ି ଦେବା ଭଲ ହେବ, ଜିତାର ବାପା ମଧ୍ୟ ସେଇଆ ଚାହାନ୍ତି', ପଞ୍ଚାନନ କହିଥିଲା ।

 

ପରାଶର ବୋକାଙ୍କପରି ଅନେଇଥିବାରୁ ପଞ୍ଚାନନ କହିଥିଲା, ‘କ’ଣ ମୋ କଥା ଶୁଣୁଚ ନା ନାଇଁ ?'

 

ପରାଶର କୁହନ୍ତୁ ବୋଲି କହିବାରୁ ପଞ୍ଚାନନ କହିଥିଲା, ‘ଅବଶ୍ୟ ଯେକୌଣସି ଟୋକା ଜିତାର ପଛରେ ପଡ଼ିବା ସ୍ଵାଭାବିକ, କାରଣ ସେ ଦେଖିବାକୁ ଖୁବ୍ ଭଲ, ପୁଣି ତା’ ବାପାର ଅଚଳାଚଳ ସମ୍ପତ୍ତି । ତେଣୁ ତୁମେ ସବୁଆଡ଼କୁ ନିଜର ରଖି ଜିତାକୁ ହାତକରିନେଇଚ । କିନ୍ତୁ ତୁମେ ଜାଣିରଖିବା ଉଚିତ ଯେ, ତୁମେ ଜିତାର ସମାସ୍କନ୍ଧ ନୁହ । ଏସବୁର ପରିଣାମବି ଭଲ ହେବ ନାହିଁ । ସବୁଠୁ ଭଲ ହେବ, ତୁମେ ଜିତାସହ ସବୁ ସମ୍ପର୍କ ତୁଟାଇ ଦେଲେ ।’ ପରାଶର ପୂର୍ବବତ୍ ବୋକାଙ୍କ ପରି ଅନେଇ ରହିଥିଲା, ତା'ପରେ ଉଠିଆସି କହିଲା, ‘ଆଚ୍ଛା, ନମସ୍କାର–ଆପଣଙ୍କ କଥା ମନେ ରହିଲା ।’

 

: ‘କଥା ମନେ ରଖିଲେ ହେବ ନାହିଁ, ପଞ୍ଚାନନ କହିଥିଲା, ‘କଥା ମାନିବେ ।’

 

କଲେଜରେ ଜିତା ଭେଟ ହୋଇଥିଲା ଏବଂ କହିଥିଲା, ‘ତୁମ ମୁହଁ ଶୁଖିଲା ଦିଶୁଚି ।’ ଏବଂ ପରାଶର–ତା’ର ତ ଜମା ଟଙ୍କା ନଥିଲା, ତେଣୁ ତା’ ମୁହଁ ଶୁଖିଲା ଦିଶୁଥିଲା, କହିଲା, ‘ତୁମ ବାପା ଗୁରୁତ୍ଵପୂର୍ଣ୍ଣ ଖବରଟେ ପଠାଇଛନ୍ତି ।’ ଖବରଟା କ’ଣ ବୋଲି ଜିତା ପଚାରିବାରୁ ପରାଶର କହିଥିଲା, ‘ତୁମ ସହ ସବୁ ସମ୍ପର୍କ ନ କାଟିଲେ ପରିଣାମ ଭଲ ହେବ ନାହିଁ ।’

 

: ‘ତୁମେ କ’ଣ ଭାବୁଚ ?’ ଜିତା ପଚାରିଥିଲା ।

 

ପରାଶରର ସ୍ୱର ପାଣିଚିଆ ଶୁଭିଥିଲା, ‘ଭାବିବି ଆଉ କ’ଣ ? ତମ ବାପାଙ୍କର ବହୁତ ଟଙ୍କା, ସେ ଯାହା ଇଚ୍ଛା ତାହା କରିପାରିବେ । ମୋ ବାପାଙ୍କର ଜମା ଟଙ୍କା ନାହିଁ, ତେଣୁ ମୁଁ କିଛି କରିପାରିବି ନାହିଁ କି କହିପାରିବି ନାହିଁ ।'

 

: ‘ତୁମେ ତ ଏତେ ଡରକୁଳା ନଥିଲ ।’ ଜିତା ମୁରୁକି ହସି କହିଲା ।

 

‘ମୁଁ ଡରକୁଳା ନୁହେଁ ।’ ପରାଶର ହସିଲା, ‘ମୁଁ ସାହସୀବି ନୁହେଁ । ମୁଁ କେବଳ ଜଣେ ସାଦାସିଧା ମଣିଷ ।’

 

ଜିତାର ବାପାଙ୍କର ତ ବହୁତ ଟଙ୍କା ଥିଲା, ତେଣୁ ସେ ତୁରନ୍ତ ପ୍ରସ୍ତାବ ମଗାଇଥିଲେ ଏବଂ ଆହୁରି ପ୍ରସ୍ତାବସବୁ ଆସିବାରେ ଲାଗିଥିଲା, କିନ୍ତୁ ଗୋଟାଏ ଜାଗାରେ ଯୁଧିଷ୍ଠିରବାବୁଙ୍କର ମନ ମାନିଥିଲା, କାରଣ ପୁଅର ପରିବାରର ସହରରେ ଦୁଇଟା କୋଠା ଥିଲା ଏବଂ ପୁଅଟା ସପ୍ଲାଇ କାରବାର କରୁଥିଲା, ସେମାନଙ୍କର ଟ୍ରକ୍‍ବି ଥିଲା, ସେମାନେ ଝିଅ ଦେଖି ଆସିଥିଲେ, ପୁଅଟା ନିଜେବି କେତେଟା ସାଙ୍ଗଙ୍କ ଜିତାକୁ ଦେଖିବାକୁ ଆସିଥିଲା, ଜିତା ତା’ଆଡ଼େ ନଚାହିଁ ଉତ୍ତର ଦେଇଥିଲା–ମାନେ ଜିତା ତ ଗୋଟେ ଅଜବ ଝିଅ–ସେ ଜିଦ୍‌ରେ ଚାହିଁ ନଥିଲା, ସେଇଠି–ମାନେ ସେଇ ପୁଅଟା ସହ ବିବାହ ଠିକ୍ ହୋଇଗଲା ତଥା ନିର୍ବନ୍ଧ ହେବ ବୋଲି ପ୍ରସ୍ତୁତି ଚାଲିଲା ।

 

ଯୁଧିଷ୍ଠିରବାବୁ ରାତିରେ ହିସାବପତ୍ର ଦେଖୁଥିଲେ, ଜିତା ସେ ଘର ଭିତରକୁ ଆସିବାରୁ ସ୍ନେହରେ–ସେ ତ ଜିତାକୁ ଗେହ୍ଲା କରୁଥିଲେ–ପଚାରିଲେ, ‘କ'ଣ କହିବୁ ମା’ ?’

 

ପ୍ରଶ୍ନଟା ପଚାରି ସେ ଜିତାକୁ ଚାହିଁଲେ, ଅଚାନକ ତାଙ୍କୁ ମନେହେଲା ତାଙ୍କ ଝିଅ ସତେଅବା ତାଙ୍କର ସମ୍ପୂର୍ଣ୍ଣ ଅପରିଚିତ, ତା’ର ସ୍ୱାଭାବିକ ହସ ମୁହଁରେ ନଥିଲା; ବରଂ ହସ ଜାଗାରେ ସମୁଦାୟ ମୁଖମଣ୍ଡଳରେ ଝଲସି ଉଠିଥିଲା ଅଦ୍ଭୁତ ଏକଦୀପ୍ତି–ଜିଦ୍‌ ବୋଲି କୁହାଯାଇପାରେ ଏବଂ ସେଇ ଦୀପ୍ତି ସତେ ଅବା ଜିତାକୁ ଭିନ୍ନ ଏକ ମଣିଷ କରିଦେଇଥିଲା ।

 

: ‘ମୁଁ ଏବେ ବାହା ହେବି ନାହିଁ ।’ ଜିତା ସ୍ଥିରଭାବେ କହିଲା, ତାଙ୍କ ଘରର ବହୁତ ଟଙ୍କା ଥିବାରୁ ସେମାନେ ଆଧୁନିକ ପରିବାର ହୋଇଯାଇଥିଲେ ଏବଂ ବାପ–ଝିଅ ଖୁବ୍ ଖୋଲାଖୋଲିଭାବେ କଥାବାର୍ତ୍ତା କରିପାରୁଥିଲେ । ତା’ଛଡ଼ା ଝିଅକୁ ସ୍ମାର୍ଟ କରି ଗଢ଼ିବାର ଚେଷ୍ଟା ଯୁଧିଷ୍ଠିରବାବୁଙ୍କର ଖୁବ୍ ସଫଳ ହୋଇଥିଲା ।

 

: ‘କାହିଁକି ?' ଯୁଧିଷ୍ଠିରବାବୁ ସ୍ନେହରେ ପଚାରିଲେ, ‘ତୁ ଭଲା ଟିକେ ଆଗରୁ କହିଥାନ୍ତୁ ! ଏବେ ତ ଜବାବ ଦିଆ ସରିଗଲାଣି ।’

 

: ‘ମୁଁ ଜଣକୁ ଭଲପାଏ ।’ ଜିତା ଏତେଟା ସ୍ମାର୍ଟ ହୋଇଯାଇଥିବ ବୋଲି ଯୁଧିଷ୍ଠିରବାବୁ ଆଶା କରି ନଥିଲେ, ଯଦିଓ ତାଙ୍କର ବହୁତ ଟଙ୍କା ଥିଲା ଏବଂ ଝିଅ ସ୍ମାର୍ଟ ହେଉ ବୋଲି ସେ ଝିଅର ଜନ୍ମବେଳୁ କାମନା କରିଆସିଥିଲେ ।

 

: ‘ମୁଁ ଜାଣେ ମା’ ।’ ଯୁଧିଷ୍ଠିରବାବୁ ସ୍ନେହରେ କହିଥିଲେ, ‘ପରାଶର କଥା ମୁଁ ଜାଣେ । କିନ୍ତୁ ତା’ ସହ ମୁଁ ତୋର ବିବାହ ଦେଇପାରିବି ନାହିଁ । ତୁ ତା’ ଘରେ ଚଳିପାରିବୁ ନାହିଁ ।’ ଜିତା ମୁହୂର୍ତ୍ତେ ତା’ ବାପାଙ୍କୁ ଚାହିଁ ତଳକୁ ମୁହଁ କରି କହିଥିଲା, ‘ମୁଁ ଚଳିପାରିବି ।’ ‘ମୁଁ ସବୁ ଦିଗରୁ ବିଚାର କରିସାରିଚି ମା’, ଯୁଧିଷ୍ଠିରବାବୁ କହିଲେ, ‘ତୁ ପିଲାଲୋକ, ବୁଝିପାରୁନୁ, ପରେ ବୁଝିବୁ । ତା’ର କିଛି ବୋଲି କିଛି ନାହିଁ, ତା’ଘରେ କିଛି ନାହିଁ । ତୁ କହୁଚୁ ସିନା, କିନ୍ତୁ ଚଳିପାରିବୁ ନାହିଁ । ପରେ ଅନୁତାପ କରିବୁ । ’

 

‘ମୋର କିଛି ଅସୁବିଧା ହେବ ନାହିଁ, ମୁଁ ଆପଣଙ୍କୁ କଥା ଦେଉଚି । ମୁଁ କେବଳ ଆପଣଙ୍କୁ ଏତିକି କହୁଚି, ମୁଁ ଚାହୁଁଥିବା ଜାଗାରେ ମୋର ବାହାଘର କରିଦିଅନ୍ତୁ ।’ ଜିତା ମାନସିକଭାବେ ନିଜକୁ ପ୍ରସ୍ତୁତ କରିସାରିଥିଲା ତଥା ଆଦୌ ସଂକୋଚ ନକରି ସବୁକିଛି କହିବାର ସାହସ ନେଇ ଆସିଥିଲା ବୋଲି ଯୁଧିଷ୍ଠିରବାବୁ ତତ୍‌କ୍ଷଣାତ୍ ବୁଝିପାରିଲେ ଏବଂ କହିଲେ, ‘ତା’ ହୋଇପାରିବ ନାହିଁ ।’

 

ଜିତା ଚାଲି ଆସୁଥିଲା, ତା’ର କିଛି କହିବାର ନଥିଲା; ତା’ଛଡ଼ା ଏ ସମ୍ପର୍କରେ ବାପାଙ୍କ ସହ ଅଧିକ ଗପିବାକୁ ତାକୁ ଭଲ ଲାଗୁ ନଥିଲା ।

 

: ‘ଶୁଣ ମା’ । ଯୁଧିଷ୍ଠିରବାବୁ ଡାକିବାକ୍ଷଣି ଜିତା ବୁଲିପଡ଼ି ସ୍ଥିରଭାବେ କହିଲା, ‘ଆପଣ ତ କହିଲେ ହୋଇପାରିବ ନାହିଁ, ଆଉ ଶୁଣିବାର କ’ଣ ଅଛି ?’

 

ଯୋଉ ଟୋକାଟା ସହ ଜିତାର ନିର୍ବନ୍ଧ ହେବାର ଥିଲା, ତାହା ହେଲା ନାହିଁ, ଯୁଧିଷ୍ଠିରବାବୁ କହିଥିଲେ, ‘ଝିଅର ମନ ଟିକେ ଥଣ୍ଡା ହୋଇଯାଉ ।’

 

ପୁଣିଥରେ ପଞ୍ଚାନନ କଲେଜରେ ପରାଶରକୁ ଭେଟିଥିଲା ।

 

: ‘ଶୁଣ ବାବୁ, ପଞ୍ଚାନନ ପ୍ରସ୍ତୁତ ହୋଇ ଆସିଥିଲା, ‘ଲାଗୁଚି ତୁମେ ତ ଆମ ଜିତାକୁ କିମିଆ କରିଦେଇଚ ।’

 

‘ଆପଣ କହିଯିବା ପରେ ମୁଁ ଥରେ ମାତ୍ର ଭେଟିଥିଲି ଜିତାକୁ । ତାକୁ ମନା କରିଦେଇଚି ମତେ ନ ଭେଟିବାପାଇଁ । ଚିଠିପତ୍ର ତ ଦିଆନିଆ ନାହିଁ, କଥାବାର୍ତ୍ତାବି ନାହିଁ–ଆଉ କ’ଣ କରିପାରେ-?'

 

: ‘ସତ କହୁଚ ତ ବାବୁ ?'

 

: ‘ସନ୍ଦେହ ହେଲେ ଝିଅକୁ ନେଇ ଅନ୍ୟ କଲେଜରେ ପଢ଼ାଅ ।’

 

: ‘ମୁଁ ବି ସେୟା ଭାବୁଚି । ଏଇଟା ଭଲ କଲେଜ, ଜିତାକୁ ଏଠୁ ନେଇଯିବାଟା ଭଲ ହେବନି । ଭଲ ହେବ, ଯଦି ତୁମେ ଅନ୍ୟ କଲେଜକୁ ଚାଲିଯିବ ! ନା କ’ଣ କହୁଚ ?' ପଞ୍ଚାନନ କୁଟିଳ ହସ ହସିଥିଲା ।

 

ପରାଶର କାବାକାଠ ହୋଇଯାଇଥିଲା, ଭଦ୍ର ଜଣାଯାଉଥିବା ଲୋକଟି ଯେ ଆଦୌ ଭଦ୍ର ନୁହେଁ–ପରାଶର ତାହା ବୁଝିପାରିଥିଲା ।

 

: ‘ମୁଁ କଲେଜ ଛାଡ଼ିବା ସମ୍ଭବ ନୁହେଁ, ପରାଶର କହିଥିଲା, ‘ମୁଁ ଆସିଛି ପଢ଼ିବାକୁ, ଜିତା ବାପାଙ୍କର ଟଙ୍କା ଅଛି, ଜିତା ନ ପଢ଼ିଲେ ଚଳିବ, କିନ୍ତୁ ମୁଁ...'

 

: ‘ଏତେ କହିବା ଦରକାର ନାହିଁ,’ ପଞ୍ଚାନନ ବାଧା ଦେଇଥିଲା : ତମେ କଲେଜ ଛାଡ଼ିବ, ନଚେତ ନ ପଢ଼; ଆମର ବାବୁ ଯାଏଁ କେତେ ଆସେ କେତେ ? ଆଉ ଯଦି ନଛାଡ଼, ତେବେ ଛଡ଼େଇଦବା, ଆଉ କ’ଣ ?’

 

ଯୁଧିଷ୍ଠିରବାବୁଙ୍କର ବହୁତ ଟଙ୍କା ଥିଲା ଏବଂ ଟଙ୍କାର ସଦ୍‍ବ୍ୟବହାର କରିବା ମଧ୍ୟ ତାଙ୍କୁ ମାଲୁମ ଥିଲା, ତେଣୁ ପଞ୍ଚାନନକୁ ଡାକି ଏକାନ୍ତରେ କହିଲେ, ‘ଟୋକାଟା ସମ୍ପର୍କରେ କ’ଣ ଭାବୁଚ-?’

 

: ‘ସିଧା ଆଙ୍ଗୁଠିରେ ଘିଅ ଉଠିଯିବ ବୋଧେ’ ପଞ୍ଚାନନ କହିଥିଲା ।

 

: ‘ଆଚ୍ଛା–ସେ ଟୋକାଟା ଚାଲିଗଲେ କ’ଣ ଜିତା ମୁଣ୍ଡରୁ ତା’ ଭୂତ ଓହ୍ଲାଇଯିବ ?'

 

: ‘ନିଶ୍ଚେ ଆଜ୍ଞା, ପଞ୍ଚାନନ କାନ କୁଣ୍ଡାଇଲା, ‘କେତେ ଭୂତ ଓହ୍ଲାଇଚି ଆଜ୍ଞା ।’

 

ଯୁଧିଷ୍ଠିରବାବୁଙ୍କର ବହୁତ ଟଙ୍କା ଥିଲା, ତାଙ୍କ ଝିଅ ଏଇ କେତେ ଦିନ ହେବ ଟଙ୍କାର ବେଶୀ ବ୍ୟବହାର କରୁ ନଥିଲା । ଜିତା କେବଳ କାନରିଂ ଦି’ଟା ଛାଡ଼ି ବାକି ଗହଣା ଓହ୍ଲାଇ ଦେଇଥିଲା, ଘଣ୍ଟା ବାନ୍ଧିବା ବନ୍ଦ କରିଦେଇଥିଲା ଏବଂ କାର୍ ବଦଳରେ ରିକ୍ସାରେ କଲେଜ ଯାଉଥିଲା, ଅପେକ୍ଷାକୃତ କମ୍ ଦାମର ଶାଢ଼ି ପିନ୍ଧୁଥିଲା । ମୋଟାମୋଟି ସେ ସାଧାରଣ ଝିଅ ପାଲଟି ଯାଇଥିଲା–ସତେ ଅବା ତା’ ବାପାର ମୋଟେଇ ଟଙ୍କା ନଥିଲା ଏବଂ ଏଥିପାଇଁ ତା’ର ତା’ ବାପାଙ୍କ ସହ ଥରେ ଅଧେ ଜୋରଦାର୍ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।

 

: ‘ତୁ ଏମିତିଭାବେ ବାହାରେ ବୁଲିଲେ ମୋର ଇଜ୍ଜତ ନଷ୍ଟ ହେଉଚି', ବୁଝିଲୁ ? ବହୁ ବୁଝାଇବା ପରେ ଯୁଧିଷ୍ଠିରବାବୁ ରାଗିଯାଇ କହିଥିଲେ, ‘ଏମିତି ହେଲେ ବାଧ୍ୟ ହୋଇ ତୋର ବାହାରକୁ ଯିବା ବନ୍ଦ କରିଦିଆଯିବ ।’

 

: ‘ମୁଁ ତ ସେୟା ଚାହୁଁଚି ।’ ଜିତାର ସ୍ଵରର ସ୍ଥିରତା ଯୁଧିଷ୍ଠିରବାବୁଙ୍କୁ ବିସ୍ମିତ କରିଥିଲା ।

 

ପରାଶରର ବାପା–ଯାହାଙ୍କର କି ଜମା ଟଙ୍କା ନଥିଲା ଓ ଯିଏ ପୋଷ୍ଟାଲ୍‍ରେ କିରାଣି ଥିଲେ–ଦିନେ ତାଙ୍କୁ ଭେଟି ଏକାନ୍ତରେ ପଞ୍ଚାନନ କହିଲା, ‘ଦେଖନ୍ତୁ ଆପଣଙ୍କ ପୁଅକୁ ଟିକେ କଣ୍ଟ୍ରାଲ କରନ୍ତୁ । ଏ ବୟସରେ ଏମିତି ହୁଏ, ହେଲେ ବିଚରା ବିଛା ଲାଙ୍ଗୁଡ଼ରେ ହାତ ମାରିଦେଇଚି, ଏଣେ ଟଙ୍କାରବି ଲୋଭ ।’

 

ପରାଶରର ବାପା କିଛି ବୁଝି ପାରି ନଥିଲେ, ତେଣୁ ପଞ୍ଚାନନ ତାଙ୍କୁ ସବୁ କଥା ବୁଝାଇ ଦେଇଥିଲା, ପଞ୍ଚାନନ ବେଶ୍ ବୁଝାଇପାରୁଥିଲା, ନହେଲେ ଯୁଧିଷ୍ଠିରବାବୁଙ୍କ ପରି ପଇସାବାଲା ଲୋକ ତାକୁ ପାଖରେ ଏତେ ଦିନ ଆଦରରେ ରଖିଥିଲେ କାହିଁକି ?

 

: ‘ଏବେ ଅବଶ୍ୟ ସୀମା ଟପିନି ?’ ପଞ୍ଚାନନ କହିଥିଲା, ‘କିନ୍ତୁ ସୀମା ଟପିବା ଉପରେ, ଆଉ ତା’ପରେ କଥାଟା ଭଲ ହେବନି କି ଆପଣ ଆମ ଦୋଷ ଦେବେନି ।’

 

ପରାଶରର ବାପା ଆଉ କିଛି ବୁଝିବା ଆଗରୁ ପଞ୍ଚାନନ ଚାଲିଯାଇଥିଲା । ପରାଶରର ବାପା ହଷ୍ଟେଲ୍ ଆସି ପୁଅଙ୍କୁ ବହୁତ ବୁଝାଇଲେ ଏବଂ ଧନୀ–ଗରିବର ପାର୍ଥକ୍ୟ ବୁଝାଇଲେ । ବହୁତ ଝିଅ–ପାଠ ପଢ଼ୁଆ ଏବଂ ସୁନ୍ଦରୀ–ମିଳିବେ ବୋଲି ପରାଶରକୁ କହିଲେ । ପରାଶର ଏତିକି କହିଥିଲା, ମୋ ଉପରେ ଭରସା ରଖନ୍ତୁ, ମୁଁ ଠିକ୍ ବାଟରେ ଅଛି । ସେ ଝିଅ ସହ ମୁଁ ସବୁ ସମ୍ପର୍କ ଛିନ୍ନ କରିସାରିଛି–କେବେଠାରୁ ।'

 

ପରାଶରର ବାପା ଫେରି ଆସିଥିଲେବି ତାଙ୍କୁ ଶାନ୍ତି ଲାଗୁ ନଥିଲା ଏବଂ ତେଣୁ ଯଦିଓ ତାଙ୍କର ଟଙ୍କା ନଥିଲା, ସେ ଗରିବ ପରିବାରର କନ୍ୟାଟିଏ ସନ୍ଧାନରେ ଲାଗି ରହିଲେ ତଥା ଯଥାଶୀଘ୍ର ପରାଶରକୁ ହାତକୁ ଦି’ହାତ କରିଦେବା ଆବଶ୍ୟକ ବୋଲି ଭାବିଲେ ।

 

ପରାଶରର ବାପା–ଯାହାଙ୍କର କି ଟଙ୍କା ନଥିଲା, ତାଙ୍କ ପୁଅପାଇଁ ପାତ୍ରୀଟିଏ ଖୋଜିବାରେ ଲାଗିଲେ । ଜିତାର ବାପା–ଯାହାଙ୍କର କି ବହୁତ ଟଙ୍କା ଥିଲା, ତାଙ୍କ ଝିଅପାଇଁ ପାତ୍ରଟିଏ ଖୋଜିବାରେ ଲାଗିଲେ । ପରାଶର ତା’ ବାପାଙ୍କୁ ଲମ୍ବା ଚିଠିଟାଏ ଲେଖିଥିଲା ଯେ, ଝିଅ ଖୋଜିବା ଅନାବଶ୍ୟକ, କାରଣ ସେ ବାହା ହେବ ନାହିଁ । ଜିତା ତା’ ବାପାଙ୍କୁ ରୋକ୍‌ଠୋକ୍ ଜଣାଇଥିଲା ଯେ, ସେ ବିବାହ କରିବ ନାହିଁ ।

 

ପରାଶର ବାପା ନିଜର ଜଣେ ବନ୍ଧୁଙ୍କୁ କହିଥିଲେ, ‘ପରାଶରକୁ ବାହା ଦେଇ ଦେଲେ ତା’ ମୁଣ୍ଡରୁ ସେ ଝିଅଟାର ଭୂତ ଆପେ ଓହ୍ଲାଇଯିବ ।’ କହିବା ବାହୁଲ୍ୟ ପରାଶରର ବାପା ନିଜ ବନ୍ଧୁଙ୍କୁ ସବୁକଥା ଖୋଲି କହିଥିଲେ । ଯୁଧିଷ୍ଠିରବାବୁ ଦିନେ ପଞ୍ଚାନନକୁ କହିଥିଲେ, ‘ଏ ଭୂତ ଜିତା ମୁଣ୍ଡରୁ ଏତେ ସହଜରେ ଯିବ ନାହିଁ, ବୁଝିଲ କିଛି ବ୍ୟବସ୍ଥା କରିବାକୁ ହେବ ।’

 

ପରାଶରକୁ ଦିନେ ନିର୍ଧୁମ୍ ଛେଚା ହୋଇଥିଲା, ରାତି ଦଶଟା ସାଢ଼େ ଦଶଟାବେଳେ, କଲେଜ ମଧ୍ୟସ୍ଥ ପଡ଼ିଆ ଭିତରେ । ତିନି ଚାରିଜଣ ଛେଚିଥିଲେ, କିନ୍ତୁ ହଣାହଣି କରି ନଥିଲେ; ଯଦିଓ ସେଇ ମାଡ଼ରେ ପରାଶରର ବାମ ହାତର ଖଣ୍ଡେ ହାଡ଼ ଭାଙ୍ଗି ଯାଇଥିଲା ତଥା ଅନ୍ୟାନ୍ୟ ଅନେକାଂଶ ଦରଜ ହୋଇଯାଇଥିଲା । ମାଡ଼ର କାରଣ ପରାଶର ଅନୁମାନ କରିପାରୁ ନଥିଲା, କାରଣ ସେ ଥିଲା ନିତାନ୍ତ ସରଳ ତଥା ତା’ର ଆଦୌ ଟଙ୍କା ନଥିଲା । ସାଙ୍ଗମାନେ ତାକୁ ଡାକ୍ତରଖାନା ନେଇଥିଲେ, ତା’ର ବାମ ହାତଟା ବ୍ୟାଣ୍ଡେଜ୍ ହୋଇଥିଲା ।

 

ଜିତା ଖବରଟା ଶୁଣିଲା, କାରଣ କଥାଟା କଲେଜରେ ଚର୍ଚ୍ଚାର ବିଷୟ ହୋଇଯାଇଥିଲା-। ଜିତା ବୁଦ୍ଧିମତୀ ଥିଲା, କାରଣ ତାଙ୍କର ବହୁତ ଟଙ୍କା ଥିଲା ଏବଂ ସେ ଅବିଳମ୍ବେ ଜାଣିଲା ଯେ, ପରାଶରକୁ ମାଡ଼ ହେବାର ଅନ୍ତର୍ନିହିତ କାରଣଟି କ’ଣ ହୋଇଥିବା ସମ୍ଭବ ।

 

କଥାବାର୍ତ୍ତା ଛଳରେ, ମାନେ ହାତ ବ୍ୟାଣ୍ଡେଜ୍ ହେବାର ଚାରି ଦିନ ଯାଏଁ ପରାଶର ଡାକ୍ତରଖାନାରେ ଥିଲା, ତା’ପରେ ତା’ ବାପା ଆସି ତାକୁ ଗାଁକୁ ନେଇଯାଇଥିଲେ–ସେଇ ଚାରି ଦିନ ପରାଶରକୁ ଦେଖିବାକୁ ଅନେକ ସାଙ୍ଗ ଆସୁଥିଲେ–ପରାଶର କଥାବାର୍ତ୍ତା ଛଳରେ କହିଥିଲା, ‘ମୁଁ ଗୋଟେ ଅଦ୍ଭୁତ ପ୍ରକୃତିର ମଣିଷ; ଯଦି କେହି କେବେ ମତେ ଯନ୍ତ୍ରଣା ଦେଲା କି ଦୁଃଖ ଦେଲା କି ମାଡ଼ଦେଲା ମୋର ଅଦ୍ଭୁତ ପ୍ରତିକ୍ରିୟା ଆସେ–ଖୁବ୍ ପିଲାଦିନୁ ସେମିତି । କେହି ଯେମିତି ଭିତରୁ ଥାଇ କହୁଥାଏ; କେତେ ଯନ୍ତ୍ରଣା, କେତେ ଦୁଃଖ, କେତେ କଷ୍ଟ, କେତେ ମାଡ଼ କିଏ ଦେଉଚି ଦେଉଥାଉ । ଆହୁରି ହେଉ, ମୁଁ ଆହୁରି ସହିପାରେ । ମୁଁ ଜମା ରାଗିପାରେ ନାହିଁ; ପ୍ରତିହିଂସାପରାୟଣବି ହୋଇପାରେ ନାହିଁ କି ଅନ୍ୟକୁ ଯନ୍ତ୍ରଣା ଦେବା କଥାବି ଭାବିପାରେ ନାହିଁ–କାହିଁକି କେଜାଣି ! ବେଳେବେଳେ ଭାବେ, ସାରା ଜଗତଯାକର ଯନ୍ତ୍ରଣା–ଦୁଃଖ–କଷ୍ଟ ସହିପାରିବାର କ୍ଷମତା ମୋର ଅଛି ।’

 

ପରାଶରର ସାଙ୍ଗ ଏକଥା ବୁଝି ନପାରି ପଚାରିଥିଲା, ‘ତୋର ଦେହରୁ ଦରଜ ଗଲାଣି ?’ ପରାଶର ହସିଥିଲା ଏବଂ ତା’ ବାପା ଆସି ତାକୁ ନେଇ ଯାଇଥିଲେ । ଘରେ ବହୁତ ବୁଝାଇଥିଲେ । ପରାଶର ହାତ ଭାଙ୍ଗି ନଥିଲେ ତା’ର ନିର୍ବନ୍ଧ ହୋଇଥାନ୍ତା ବୋଲି କହିଥିଲେ ।

 

: ‘ଦେଖନ୍ତୁ’, ପରାଶର କହିଥିଲା ‘ଆପଣ ଭାବୁଛନ୍ତି କିଛି ଗୋଟେ ନିହାତି କୁକର୍ମ କରିଥିବାରୁ ମତେ ମାଡ଼ ହୋଇଛି, ସେକଥା ନୁହେଁ ।’

 

ପରାଶରର ବାପା–ତାଙ୍କର ଜମା ଟଙ୍କା ନଥିଲା–ସେ ଲୁହ ଗଡ଼ାଇଲେ ଏବଂ ଜିତାର ବାପା–ତାଙ୍କର ପ୍ରଚୁର ଟଙ୍କା–ସେ ରକ୍ତ ଚାଉଳ ଚୋବାଇଲେ । ପରାଶର ବାରମ୍ବାର କହିଲା, ମୋର କାହା ସହ ସମ୍ପର୍କ ନାହିଁ ଏବଂ ମୁଁ ବାହା ହେବି ନାହିଁ । ଜିତା ବାରମ୍ବାର କହିଲା ମୋର ପରାଶରକୁ ବାହାହେବାର ଇଚ୍ଛା, ନଚେତ୍ ଅନ୍ୟକୁ ନୁହେଁ ।

 

ଯୁଧିଷ୍ଠିରବାବୁ ପଚାରିଲେ, ‘ପଞ୍ଚାନନ, ସେ ପାଜିଟା ଏବେ କୋଉଠି ?'

 

: 'କୋଉ ପାଜି ?’ ପଞ୍ଚାନନ ତୁରନ୍ତ ପ୍ରତିପ୍ରଶ୍ନ କରିଥିଲା ।

 

: ‘ସେଇ ପରାଶର ।'

 

: ‘ଖଟରେ ଶୋଇ ସେଓ–ଅଙ୍ଗୁର ଆଦି ଖାଉଛି ।’

 

: ‘ତାକୁ ଖତମ୍ ନ କଲେ ହବ ନାଇଁ, ବୁଝିଲ ?' ଯୁଧିଷ୍ଠିରବାବୁ କହିଲେ, ‘ହେଲେ ତା’ ପୂର୍ବରୁ ଧର୍ମକୁ ଛାଡ଼ିବା କାହିଁକି ? ତା’ପରେ କୁହ ଯେ, ପରାଶର ମାସେ /ଦି’ମାସ ଭିତରେ ବାହା ନହେଲେ ଭଲ ଫଳ ହେବ ନାହିଁ ।'

 

ପଞ୍ଚାନନ ସନ୍ଦେଶଟି ପହଞ୍ଚାଇ ଦେଲା ।

 

ପରାଶର ବାପା କହିଲେ, ‘ତୁ ବାହା ହୋଇପଡ଼ ।’

 

ବୋଉ କହିଲା, ‘ମୋ ପୁଅର କି ଗ୍ରହରିଷ୍ଟ ପଡ଼ିଚି କେଜାଣି ।’

 

ଏ ଘଟଣାର ସାତ / ଆଠ ଦିନ ପରେ ଜିତା ଯୁଧିଷ୍ଠିରବାବୁଙ୍କୁ ଅଚାନକ ପଚାରିଲା, ‘ବାପା–ଆପଣ ଖବର ପଠାଇଥିଲେ ଯେ ପରାଶର ଅନ୍ୟଠି ବାହା ନହେଲେ ତାକୁ ଜୀବନରେ ମାରି ଦିଆଯିବ ବୋଲି ?'

 

ପ୍ରଶ୍ନଟା ଥିଲା ସିଧାସଳଖ ଏବଂ ଜିତାର ମୁଖମଣ୍ଡଳ ତଥା ଭାବଭଙ୍ଗୀ ଥିଲା ସ୍ଥିର ଓ କଠୋର, ଯଦିଓ ଯୁଧିଷ୍ଠିରବାବୁଙ୍କର ବହୁତ ଟଙ୍କା ଥିଲା, ତଥାପି ସେ ହଠାତ୍ କ’ଣ କରିବାକୁ ହେବ ସ୍ଥିର କରିପାରିଲେ ନାହିଁ । ଟିକେ ପରେ ନିଜକୁ ସମ୍ଭାଳି କହିଲେ, ‘ନା ତ ମା’–କିଏ କହିଲା, ମୁଁ କ’ଣ ଏଡ଼େ ଅମଣିଷ ହୋଇଚି ?’

 

: 'ଯାହା ହେଉ, ଆପଣ ବୁଝୁଛନ୍ତି ଯେ, ଏମିତି କାମ କେବଳ ଅମଣିଷମାନେ କରନ୍ତି ବୋଲି, ଜିତା ଏତକ କହି ବାପାଙ୍କ ଆଗରୁ ଚାଲିଗଲା ତଥା ଯୁଧିଷ୍ଠିରବାବୁ ତତ୍‌କ୍ଷଣାତ୍ ବୁଝିପାରିଲେ ଯେ, ଜିତା କଲେଜ ଯାଉଥିବା ଯୋଗୁଁ ସବୁ ଖବର କୌଣସି ସୂତ୍ରରୁ ଜାଣିପାରୁଥିଲା ବୋଲି, ତାଙ୍କର ବହୁତ ଟଙ୍କା ଥିଲା, ତେଣୁ ବହୁତ ବୁଦ୍ଧି ମଧ୍ୟ ଦିଶୁଥିଲା, ବୁଦ୍ଧି ନଥାଇ ଟଙ୍କା କମେଇବା ଅସମ୍ଭବ କଥା–ଅତଏବ ସେ ବୁଦ୍ଧି ବଳରେ ସ୍ଥିର କଲେ ଯେ, ଜିତାର କଲେଜ ଯିବା ବନ୍ଦ ହେବାଟା ପ୍ରାଥମିକ କାର୍ଯ୍ୟ !

 

‘ଦେଖ ମା', ଦିନେ ଯୁଧିଷ୍ଠିରବାବୁ କହିଲେ, ‘ଗୋଟେ କଥା କହିବି କହିବି ବୋଲି କେତେ ଥର ଭାବିଲିଣି, ତୁ କ’ଣ ଭାବିବୁ ବୋଲି କହିନି । ଏତେ ଅସୁବିଧା ହେଉଚି । କଥା କ’ଣ କି, ତୁ ଆମ ବ୍ୟବସାୟର କିଛି ହିସାବପତ୍ର ଦେଖାଶୁଣା କର । ଏ ଯେଉଁ ଲୋକ ଦି’ଟା ହିସାବପତ୍ର ଦେଖୁଛନ୍ତି, ମୋର କାହିଁ ସନ୍ଦେହ ହେଉଛି ଯେ ସେମାନେ ଠକୁଛନ୍ତି । ମୁଁ ତ ନିଜେ ସବୁ ଦେଖିବା ସମ୍ଭବ ନୁହେଁ, ଅବଶ୍ୟ ମୁଁ ସବୁ ବୁଝାଇଦେବି ।’

 

: ‘ପରୀକ୍ଷାଟା ଆଉ ଅଳ୍ପ ଦିନ ରହିଲା...' ଜିତାର ବାକ୍ୟ ସରି ନଥିଲା, ଯୁଧିଷ୍ଠିରବାବୁ କହିଲେ, ‘ହେଲା ଏବେ, ତୁ ପରୀକ୍ଷା ନଦେ ! ମୋ ମା’ର ପାଠପଢ଼ା ନହେଲେ କ’ଣ ହେଇଯିବ ? ମା’ ତ ମୋର ଘରେ ରହି ସବୁ ବୁଝିବ ।’

 

ପ୍ରତ୍ୟୁତ୍ପନ୍ନମତି ଜିତା ତୁରନ୍ତ ବାପାଙ୍କର ସୁମହତ ଉଦ୍ଦେଶ୍ୟକୁ ବୁଝିପାରିଲା ଏବଂ ଅଳ୍ପ ହସି କହିଲା, ‘ଆପଣ ଯଦି କହୁଛନ୍ତି, ତେବେ ପରୀକ୍ଷା ଦେବି ନାହିଁ ।’ ଜିତାର କଲେଜ ଯିବା ବନ୍ଦ ହୋଇଯାଇଥିଲା ଏବଂ ଯୁଧିଷ୍ଠିରବାବୁ ଖୁବ୍ ବିସ୍ମିତ ହୋଇଥିଲେ ଜିତା ଏତେ ସହଜରେ ତାଙ୍କ କଥା ମାନି ନେବାରୁ ! ପ୍ରଥମ ଥରପାଇଁ ସେ ଅନୁଭବ କଲେ ଯେ, ତାଙ୍କର ସବୁଠାରୁ ଗେହ୍ଲା ଝିଅ କ୍ରମଶଃ ତାଙ୍କ ନିକଟରେ ଅବୋଧ୍ୟ ହୋଇଯାଉଥିଲା ବୋଲି, ଗୋଟେ ଘର ଭିତରେ ରହି ମଧ୍ୟ ଜିତା ଏବଂ ତାଙ୍କ ଭିତରେ ଦୂରତ୍ୱ ସତେ ଅବା ଲମ୍ୱିଥିଲା ଯୋଜନ ଯୋଜନ ଦୂର, ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ, ପରେ ଭୟଭୀତ ମଧ୍ୟ !

 

ଦୁଇ ମାସ ପରେ କଲେଜରେ ପାଦ ଦେଇ ପରାଶର ଜାଣିଲା ଯେ ଜିତାର କଲେଜ ଆସିବା ଏକବାରେ ବନ୍ଦ । ସାଙ୍ଗମାନେ ନାନା କଥା କହିଲେ ଏବଂ ପରାଶରର ପାଠ ପଛେଇ ଯାଇଥିବାରୁ ସେ ବେଶୀ ସମୟ ଲାଇବ୍ରେରିରେ କଟାଇଲା ।

 

ଜିତା ଘରେ ରହି ହିସାବପତ୍ର ବୁଝାବୁଝି କଲା, ଜଟିଳ ହିସାବପତ୍ର ବୁଝି ନ ପାରିଲେ ବାପାଙ୍କୁ ପଚାରିଲା, ପ୍ରତିଦିନର କାମ ସେଇ ଦିନ ସାରିବାର ପ୍ରୟାସ କରୁଥିଲା, କୌଣସି ସାଙ୍ଗ ଘରକୁ ଯାଉ ନଥିଲା କି ସିନେମା ଦେଖିଯାଉ ନଥିଲା, ଅବସର ସମୟରେ ପତ୍ରପତ୍ରିକା ପଢ଼ୁଥିଲା, ଯୁଧିଷ୍ଠିରବାବୁ ଜିତାର ହିସାବପତ୍ରରେ ନିଷ୍ଠା ଦେଖି ବିସ୍ମିତ ହୋଇଥିଲେ ଏବଂ ବିସ୍ମିତ ହେବା ଭିତରେହିଁ ଅନୁଭବ କରିଥିଲେ ଯେ, ଝିଅଠାରୁ ତାଙ୍କର ଦୂରତା ବଢ଼ିବାର ଲାଗିଥିଲା ବୋଲି, ଜିତାର ପରାଶର ସହ ଚିଠିପତ୍ର ଦିଆନିଆ ନଥିଲା, ସାକ୍ଷାତ ହେବାର ସମ୍ଭାବନାହିଁ ନଥିଲା, ପରାଶରକୁ ସ୍ୱପ୍ନରେବି ଦେଖୁ ନଥିଲା, ତଥାପି ପରାଶର ଏମିତି ମାନସିକ ବନ୍ଧନଟିଏ ପ୍ରତିଷ୍ଠିତ ହୋଇଯାଇଥିଲା ଯେ, ଜିତା ଆଦୌ ଏସବୁ ନେଇ ଚିନ୍ତିତା ନଥିଲା ତଥା ତା’ର ଶୂନ୍ୟଭାବ ଦେଖି ଯୁଧିଷ୍ଠିରବାବୁ ମନେମନେ ଖୁସୀ ହେବାଟା ଥିଲା ନିହାତି ସ୍ୱାଭାବିକ !!

 

ଖରାବେଳ ସମୟ, ଜିତା ଉପନ୍ୟାସଟେ ପଢ଼ୁଥିଲା, ଟେଲିଫୋନ୍ ଆସିଲା; ଜିତା ଅପରପଟୁ ତା’ର ଜଣେ ଅନ୍ତରଙ୍ଗ ବାନ୍ଧବୀର ସ୍ୱରକୁ ଜାଣିପାରିଲା, କିନ୍ତୁ ଯେଉଁ ଖବରଟି ଅପରପଟୁ ଆସିଲା ତାକୁ ତୁରନ୍ତ ହଜମ କରିବାର କ୍ଷମତା ଜିତାର ନଥିଲା, ଯଦିଓ ବେଳୁ ଧୀର–ସ୍ଥିର–ଶାନ୍ତ ରଖିବାଟା ତା’ର ଅଭ୍ୟାସରେ ପଡ଼ିଯାଇ କ୍ରମଶଃ ପ୍ରକୃତିରେ ପରିଣତ ହୋଇଯାଇଥିବାରୁ ସେ ବିଚଳିତ ହୋଇ ନଥିଲା ।

 

ପରାଶର କେତେ ଦିନ ହେବ କଲେଜ ଆସିଥିଲା ଏବଂ ନିୟମିତ ପଢ଼ାପଢ଼ି କରୁଥିଲା-। ଅଥଚ ପୂର୍ବଦିନ ରାତିରେ କେହି ଅଜଣା ବ୍ୟକ୍ତି ପରାଶର ଏକାକୀ ଥିବାବେଳେ ତା’ ଉପରକୁ ବୋତଲେ ଏସିଡ଼୍ ଫୋପାଡ଼ିଥିଲା, ପରାଶରର ଯଦିଓ ଅନେକ ଜାଗାରେ ଘା’ ହୋଇଯାଇଥିଲା, ତଥାପି ସେ ତରତରରେ ଜାମା–ପ୍ୟାଣ୍ଟ ଖୋଲି ଦେଇଥିବାରୁ ବିଶେଷ ଗୁରୁତର କ୍ଷତି ହୋଇ ନଥିଲା ।

 

ପୂର୍ବବତ୍–ଅର୍ଥାତ୍ ପରାଶରକୁ ମାଡ଼ ହେବାବେଳେ ଯେମିତି ହୋଇଥିଲା–ସେମିତି ହୋଇଥିବ ବୋଲି ଜିତାକୁ ମାଲୁମ ଥିଲା, ଅର୍ଥାତ୍ ପରାଶରର ସାଙ୍ଗମାନେ ତାକୁ ଡାକ୍ତରଖାନା ନେଇଥିବେ ଏବଂ ଡାକ୍ତରଖାନାରେ କିଛିଦିନ ରହିଥିବ ପରାଶର ତଥା ତା’ପରେ ତା’ ବାପା ଆସି ତାକୁ ଘରକୁ ନେଇ ଯାଇଥିବେ ।

 

ଯୁଧିଷ୍ଠିରବାବୁ ଭାବିଥିଲେ ଝିଅ କିଛି ଜାଣି ନଥିବ ବୋଲି ଏବଂ ନିଶ୍ଚିନ୍ତ ହେଲେ, ପୁଣି ଝିଅ ସବୁ ହିସାବପତ୍ର ପୂର୍ବପରି ନିୟମିତ ଓ ଠିକ୍‍ଭାବେ କରୁଥିବାରୁ ତାଙ୍କର ସନ୍ଦେହର କାରଣ ନଥିଲା ।

 

: ‘ଏଥର କାମଟା ସୁରୁଖୁରୁରେ ହୋଇଗଲା, ନା କ’ଣ ?’ ଯୁଧିଷ୍ଠିରବାବୁ ପଚାରିଲେ । ‘ଆଜ୍ଞା–ସବୁ ଆପଣଙ୍କ ଦୟାରୁ ।’ ପଞ୍ଚାନନ ମୁରୁକି ହସି କହିଲେ ପରାଶରକୁ ଦଳେ ସାଙ୍ଗ ଦେଖା କରିବାକୁ ତା’ଘରକୁ ଯାଇଥିଲେ ଏବଂ କଥାବାର୍ତ୍ତା ଭିତରେ ଯନ୍ତ୍ରଣାକାତର ସ୍ଵରରେ ପରାଶର ଥଟ୍ଟା କରିଥିଲା, ‘ଭାଗ୍ୟ ଭଲ ଏସିଡ଼୍‌ ପକାଇଲେ, ଯଦି ପରମାଣୁ ବୋମା ପକାଇଥାନ୍ତେ ମୋ କାମ ଖତମ୍ ହୋଇଯାଇଥାନ୍ତା ।'

 

: ‘ତୋ ଉପରେ କିଏ କାହିଁକି ଏସିଡ଼୍‌ ପକାଇଲା ?' ଜଣେ ସାଙ୍ଗ ପଚାରିଥିଲା ।

 

: ‘ଜାଣିଥିଲେ ତ ମୁଁ ପୋଲିସ୍‍ରେ ଜଣେଇ ଦେଇଥା'ନ୍ତି ।’ ପରାଶର କହିଥିଲା ।

 

ଯୁଧିଷ୍ଠିରବାବୁ ଅବଶ୍ୟ ଭାବିଥିଲେ ଯେ, ଯଦି ପରାଶର ପକ୍ଷରୁ ପୋଲିସ୍‍ରେ ଖବର ଦିଆଯାଇଥାଏ ଏବଂ ଯଦି ପୋଲିସ୍‍ ଖୋଳତାଡ଼ କରେ ଏବଂ ଯଦି ପରାଶର ଜିତା ସମ୍ପର୍କ କଥା ପୋଲିସ୍‍ ଜାଣେ, ତେବେ କିଛିଟା ଅସୁବିଧା ହେବ, ତା’ ବୋଲି ସମସ୍ୟାଟାକୁ ଅତିକ୍ରମ କରିବା ଅସମ୍ଭବ ନୁହେଁ ବୋଲି ତାଙ୍କୁ ମାଲୁମ ଥିଲା; କିନ୍ତୁ ପୋଲିସ୍‍ ପକ୍ଷରୁ କୌଣସି ଖବର ନ ଆସିବାରୁ ସେ ନିଶ୍ଚିନ୍ତ ହୋଇଥିଲେ ଯେ, ପରାଶର ପୋଲିସ୍‍ରେ ଖବର ଦେଇ ନଥିଲା ଏବଂ ଯୁଧିଷ୍ଠିରବାବୁ ହସିଥିଲେ, କାରଣ ତାଙ୍କର ବହୁତ ଟଙ୍କା ଥିଲା ତଥା ଟଙ୍କା ଥିଲେ ମଣିଷ ହସିପାରେ, ତେଣୁ ତାଙ୍କ ମନ ଖୁସି ଥିଲା ଏବଂ ମନଖୁସୀ ଥିବାବେଳେ ଜଣେ ଟିକେ ଅସାବଧାନ ହୋଇଯାଏ, ଅତଏବ ଜିତା ଯେତେବେଳେ କାର୍ ନେଇ ଅଧଘଣ୍ଟା ପାଇଁ ବାହାରକୁ ଯିବ ବୋଲି କହିଲା, ଯୁଧିଷ୍ଠିରବାବୁ ନାହିଁ କରି ନଥିଲେ । ଜିତା କାର୍ ନେଇ ଯାଇଥିଲା ଏବଂ ଡ୍ରାଇଭରକୁ ଗୋଟେ ବଡ଼ ଦୋକାନ ଆଗରେ ଠିଆ କରାଇ ଦେଇ ଭିତରକୁ ଯାଇଥିଲା ଓ କେତେ ମିନିଟ୍ ଭିତରେ ଗୋଟେ ଛୋଟ ବୋତଲ ଧରି ଫେରି ଆସିଥିଲା ।

 

ଝିଅକୁ ବାହାରକୁ ଛାଡ଼ି ଦେଇ ଯୁଧିଷ୍ଠିରବାବୁ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ମାତ୍ର ଝିଅ ଫେରି ଆସିବାରୁ ତାଙ୍କ ଚିନ୍ତା ଉଭେଇ ଯାଇଥିଲା ତଥା ତାଙ୍କର ଧାରଣା ହୋଇଥିଲା ଯେ, ଝିଅ ପରାଶରକୁ ଭୁଲିବାର ଉପକ୍ରମ କରୁଛି !!

 

ସେଦିନ ରାତିରେ ଖାଇବସିଥିବାବେଳେ ଜିତା କହିଲା, ‘ଆପଣ ହଠାତ୍ ଶୋଇପଡ଼ିବେ ନାହିଁ, ଟିକେ ଚାହିଁଥିବେ ।’

 

:‘କାହିଁକି ମା’ ?’ ଯୁଧିଷ୍ଠିରବାବୁ ପଚାରିଥିଲେ ।

 

: ‘କେତେଟା ହିସାବ ମେଳ ଖାଉନି ।’ ଜିତା କହିଥିଲା, ‘ମୁଁ ଏଇ ସାଙ୍ଗେ ସାଙ୍ଗେ ଖାତା ନେଇଯାଉଛି ।’ ଯୁଧିଷ୍ଠିରବାବୁଙ୍କର ବେଜାର ଟଙ୍କା ଥିଲା ଏବଂ ସେଇ ପରମାଣକୁ ଆହୁରି ବୃଦ୍ଧି କରାଇବାପାଇଁ ତାଙ୍କ ଝିଅ ଯେ ମନ–ପ୍ରାଣ ଦେଇ ଲାଗି ପଡ଼ିଥିଲା, ତା'ର ସୂଚନା ପାଇ ସେ ଅତ୍ୟନ୍ତ ଖୁସି ହୋଇଥିଲେ ।

 

ଯୁଧିଷ୍ଠିରବାବୁ ନିଜ ରୁମ୍‌ରେ ବସି ଅନ୍ୟକିଛି ଫାଇଲ୍‍ ଦେଖୁଥିଲେ, ସାଢ଼େ ଏଗାରଟା ବାଜି ଯାଇଥିଲା ଏବଂ ଜିତା ଯେକୌଣସି ମୁହୂର୍ତ୍ତରେ ଆସିବାର ସମ୍ଭାବନା ଥିଲା, ସେ ତାଙ୍କ ରୁମ୍‌ର ଦରଜା ମଧ୍ୟ ଖୋଲା ରଖିଥିଲେ ।

 

ରାତି ପ୍ରାୟ ବାରଟା ଦଶବେଳକୁ ଉପରମହଲାରୁ ଗୋଟେ ଚିତ୍କାର ଶୁଭିଲା, ‘ବାପା’ ଏବଂ ଯୁଧିଷ୍ଠିରବାବୁ ସ୍ଵରଟା ଜିତାର ବୋଲି ଜାଣିପାରିଲେ ତଥା ତତ୍‌କ୍ଷଣାତ୍ ଉପରମହଲା ଆଡ଼େ ଧାଇଁଲେ । ଜିତାର ରୁମ୍‌ରେ କେହି ଅଜ୍ଞାତ ବ୍ୟକ୍ତି ପଶିଯାଇଥିଲା ବୋଲି ସେ ଭାବିଥିଲେ ।

 

ଉପର ବାରଣ୍ଡାର ପ୍ରାରମ୍ଭରେହିଁ ତାଙ୍କର ଜିତା ସହ ମୁହାଁମୁହିଁ ହୋଇଥିଲା, କେମିତି ଏକ ଗନ୍ଧ ଆସୁଥିଲା କେଉଁଠୁଁ, ଜିତାର ପୋଷାକର ସାମ୍ନାପଟ ଓଦା ପରି ଜଣାପଡ଼ୁଥାଏ, ଜିତାର ମୁଖମଣ୍ଡଳ କେମିତି ଏକ ଅସହ୍ୟ ଯନ୍ତ୍ରଣାରେ ବିକୃତ ଦିଶୁଥାଏ ।

 

: ‘କ’ଣ ହେଲା ମା’ ?’

 

ଯୁଧିଷ୍ଠିରବାବୁ ଜିତାକୁ ଧରିପକାଇଲେ ।

 

: ‘ମୋ ଦେହରେ ଏସିଡ଼୍ ପଡ଼ିଯାଇଛି ।’

 

: ‘କିଏ ପକାଇଛି ?' ଯୁଧିଷ୍ଠିରବାବୁଙ୍କ ସ୍ୱର ନିର୍ମମ ଶୁଣାଗଲା ।

 

: ‘ମୁଁ ନିଜେ ।’ ଯନ୍ତ୍ରଣାରେ ଜୁଡ଼ୁବୁଡ଼ୁ ହୋଇଥିବା ଜିତାର ସ୍ଵରରେ ଥିଲା ଏକରକମର ଅବଜ୍ଞା !!

 

: ‘ହେ ଭଗବାନ ।’ ଏତିକି କହି ଯୁଧିଷ୍ଠିରବାବୁ ଜିତାକୁ ଧରି ସିଧା କାର୍‌ରେ ଶୁଆଇ ଦେଲେ ଏବଂ ଘରର ଅନ୍ୟମାନଙ୍କୁ ତୁରନ୍ତ ପଛରେ ଆସିବାକୁ କହି ଡାକ୍ତରଖାନାରେ ପହଞ୍ଚିଗଲେ-। ତାଙ୍କ ପଛେ ପଛେ ପଞ୍ଚାନନ, ଜିତାର ବୋଉ ଓ ଅନ୍ୟମାନେ ଡାକ୍ତରଖାନାରେ ପହଞ୍ଚିବାଟା ଥିଲା ନିତାନ୍ତ ସ୍ୱାଭାବିକ !

 

ରାତି ପ୍ରାୟ ସାଢ଼େ ଦୁଇଟାବେଳକୁ ଜିତାର ଆବଶ୍ୟକୀୟ ଚିକିତ୍ସା ହୋଇଯାଇଥିଲା ଏବଂ ଜିତାକୁ ନିଦ ହୋଇଯାଇଥିଲା । ଡାକ୍ତର ଡାକ୍ତରାଣୀମାନେ ଯିବାବେଳେ କହି ଯାଇଥିଲେ ଯେ, ଜିତାର ନିଦ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ଏବଂ ସେପରି ସ୍ଥଳେ କ’ଣ କରିବାକୁ ହେବ, ସେ ସମ୍ପର୍କୀୟ ସୂଚନା ଦେଇ ଯାଇଥିଲେ । ଜିତାର ଶଯ୍ୟା ନିକଟରେ ବସିରହିଥିଲେ ତିନି ଜଣ ! ଯୁଧିଷ୍ଠିରବାବୁ ଓ ତାଙ୍କ ପତ୍ନୀ ତଥା ପଞ୍ଚାନନ । ତିନିହେଁ ଆପାତତଃ ନୀରବରେ ବସି ରହିଥିଲେ; ଯଦିଓ ମଝିରେ ମଝିରେ ଜିତାର ବୋଉଙ୍କର କାନ୍ଦ ବାହାରୁଥିଲା ।

 

: ‘ତା’ପରେ ଝିଅ ଏମିତି କରିବ, ମୁଁ ଭାବି ନଥିଲି ।’ ଯୁଧିଷ୍ଠିରବାବୁ ସ୍ଵଗତୋକ୍ତି କରିଥିଲେ ଏବଂ ପୁନର୍ବାର ଛାଇଯାଇଥିଲା ନୀରବତା ।

 

: ‘କେମିତି ତା’ ହାତ ଗଲା କେଜାଣି ।’ ଜିତାର ବୋଉ କହିଥିଲେ ଏବଂ ପୁଣି ନୀରବତା-

 

ଡାକ୍ତରଙ୍କ ସତର୍କବାଣୀ ଅନୁଯାୟୀ ସତକୁସତ ଜିତାର ନିଦ ଅଚାନକ ଭାଙ୍ଗିଯାଇଥିଲା, ସେ ପ୍ରଥମେ ଚାରିଆଡ଼କୁ ଚାହିଁଥିଲା ଏବଂ ତା’ପରେ ବୋଧେ ତା’ର ସବୁ ସ୍ମରଣ ହୋଇ ଯାଇଥିଲା କି କ’ଣ କେଜାଣି, ସ୍ମିତ ହସଟିଏ ତା’ ଓଠରେ ଖେଳି ଯାଇଥିଲା ।

 

: ‘କେମିତି ଲାଗୁଚି ମା’ ?’ ଯୁଧିଷ୍ଠିରବାବୁ ପଚାରିଥିଲେ ।

 

: ‘ପରାଶରକୁ ଯେମିତି ଲାଗିଥିବ ।’ ଜିତାର ସ୍ଵର ଥିଲା ତଥାପି ଅବଜ୍ଞାସୂଚକ, ଯଦିଓ ତାକୁ ଖୁବ୍ ଯନ୍ତ୍ରଣା ହେଉଥିଲା ଏବଂ ପ୍ରଥମ ଥରପାଇଁ ଯୁଧିଷ୍ଠିରବାବୁଙ୍କୁ ଭୟ ଲାଗିଲା । ନିଜ ଗେହ୍ଲା ଝିଅର ସାମ୍ନାରେ ।

 

ସାତଦିନ ପରେ ଜିତା ଘରକୁ ଆସିଲା ଏବଂ ପ୍ରାୟ ଦୁଇମାସ ପରେ ତା’ ଶରୀରର କ୍ଷତ ସବୁ କ୍ରମଶଃ ଶୁଖିଗଲା, ବାକି ତା’ ବାପାଙ୍କର ବହୁତ ଟଙ୍କା ଥିଲା, ନଚେତ ଛ'ମାସ ଲାଗିଥାନ୍ତା ଭଲ ହେବାକୁ । ତା’ ମୁହଁରେ ତିନିଟା ବଡ଼ବଡ଼ ଗହିରିଆ ଦାଗ ହୋଇଯାଇଥିଲା ଏବଂ ବେକ ମୂଳେ ଗୋଟେ ଦାଗ ତଥା ଦୁଇ ହାତରେ ମଧ୍ୟ କେତେଟା ଦାଗ ହୋଇଯାଇଥିଲା ଏବଂ ସେଇ ସବୁ ଦାଗ ଲିଭିବାର ସୂଚନା ଦିଶୁ ନଥିଲା ତଥା ଡାକ୍ତର କହୁଥିଲେ ଯେ, ଦାଗ ସବୁ ସାରା ଜୀବନ ରହିପାରେ ।

 

ଏ ଭିତରେ ପରାଶର ଭଲ ହୋଇ ପୁନର୍ବାର କଲେଜ ଆସିଥିଲା ଏବଂ ତା’ ଶରୀରର କେତେକାଂଶ ଦାଗରେ ପୂର୍ଣ୍ଣ ହୋଇଯାଇଥିଲା । ଜିତାକୁ ପୂର୍ବ ପରି ଆଉ ହିସାବ ଦେଖିବାକୁ ହେଉ ନଥିଲା, ସେ ଘରେ ଚୁପ୍‍ଚାପ୍ ବସି ରହୁଥିଲା, ବହିପତ୍ର ପଢ଼ାପଢ଼ି କରୁଥିଲା ଏବଂ ଯୁଧିଷ୍ଠିରବାବୁଙ୍କ ନିର୍ଦ୍ଦେଶରେ ତା' ଉପରେ ନଜର ରଖାଯାଇଥିଲା, କାଳେ ଝିଅ ପୁଣି କ’ଣ କରିପକାଇପାରେ !! !

 

: ‘ବାପା–ମୋର ଜଣେ ସାଙ୍ଗ ଫୋନ୍ କରିଥିଲା ଯେ, ପରାଶର କଲେଜ ଆସୁଚି ।’ ଜିତା ସ୍ଵଭାବସୁଲଭ ଢଙ୍ଗରେ ଦିନେ ଯୁଧିଷ୍ଠିରବାବୁଙ୍କୁ କହିଥିଲା, ତା’ ମୁହଁରେ ଥିଲା ଧାରେ ହସ, ଯଦିଓ ଝିଅର ମୁହଁକୁ ଚାହିଁ ଯୁଧିଷ୍ଠିରବାବୁଙ୍କୁ ଦୁଃଖ ଲାଗୁଥିଲା !

 

: ‘କ’ଣ ହେଲା ମା’ ?' ଯୁଧିଷ୍ଠିରବାବୁ ସ୍ନେହରେ ପଚାରିଲେ ।

: ‘ଗୋଟେ ଲୁହା ଛଡ଼ରେ ପରାଶର ମୁଣ୍ଡରେ ପାହାରଟେ ଦେଲେ ଭଲ ହୁଅନ୍ତା ।’ ଜିତାର କଥାରେ ମାତ୍ର ମୁହୂର୍ତ୍ତକ ପାଇଁ ପ୍ରଚଣ୍ଡ ଖୁସିରେ ଉଜ୍ଜ୍ଵଳି ଉଠିଥିବା ଯୁଧିଷ୍ଠିରବାବୁଙ୍କ ମୁହଁ ଝିଅର ମୁହଁକୁ ଚାହିଁବାକ୍ଷଣି ମଳିନ ପଡ଼ିଯାଇଥିଲା ଏବଂ ତାଙ୍କର ବହୁ ଟଙ୍କା ଥିଲା, ସେ ଯାହା ଇଚ୍ଛା ତାହା କରିପାରିଥାନ୍ତେ, କିନ୍ତୁ ସେ କହିଲେ, ‘ତୋର ଯୋଉଥିରେ ଖୁସୀ ମା’, ମୋର ସେଇଥିରେ ଖୁସୀ !

ଦିନେ ପ୍ରାୟ ନ’ଟାବେଳକୁ ଦେଖାଗଲା ଯେ, ପରାଶର ଜିତାର ଗେଟ୍ ନିକଟରେ ଠିଆ ହୋଇଥିଲା ଏବଂ ତାକୁ ଦେଖିପାରି ଯୁଧିଷ୍ଠିରବାବୁ ପଞ୍ଚାନନକୁ ପଚାରିଥିଲେ, ସେ କିଏ ବୋଲି ଏବଂ ପଞ୍ଚାନନ ପରାଶରର ନାମ କହିବାକ୍ଷଣି ଯୁଧିଷ୍ଠିରବାବୁ କହିଲେ, ‘ତାକୁ ଭିତରକୁ ଡାକ ।’

କେତେ ସମୟପରେ ଫେରିଆସି ପଞ୍ଚାନନ କହିଲା, ‘ସେ ମନା କଲେ ।’ କେତୋଟି ମିନିଟ୍ ପରେ ସାଦା ଶାଢ଼ିଟେ ପିନ୍ଧି, କେବଳ କାନରେ ଦି’ଟା ରିଂ ଝୁଲାଇ, ଜିତା ବାହାରି ଆସିଥିଲା, ସେ ଆହୁରି ଭଲଭାବେ ନିଜକୁ ସଜାଇ ପାରିଥାନ୍ତା, କାରଣ ତାଙ୍କର ଟଙ୍କା ଥିଲା । ଯୁଧିଷ୍ଠିରବାବୁ ବାହାର ବାରଣ୍ଡାକୁ ଆସି ଯାଇଥିଲେ, କହିଲେ, ‘ରହ ମା’, ଡ୍ରାଇଭରକୁ ଡାକି ଦେଉଚି ।’

: ‘ଆମେ ରିକ୍ସାରେ ଚାଲିଯିବୁ ।’ ଜିତା କହିଥିଲା ।

ସେମାନେ କୋର୍ଟରେ ବିବାହ କରିଥିଲେ ଏବଂ ପରାଶରର ଛୋଟ ଘରକୁ ଚାଲିଯାଇଥିଲେ, ପରାଶରର ବାପା ଆଦୌ ରାଗି ପାରି ନଥିଲେ, କାରଣ ତାଙ୍କର ଖୁବ୍ କମ୍ ଟଙ୍କା ଥିଲା ।

 

ପ୍ରଥମ ଦିନ ରାତିରେ ଯେତେବେଳେ ପରାଶର ପଚାରିଲା, ‘ତୁମ ବାପା ମତେ ପଦେକଥା କହିଲେନି କାହିଁକି ?' ସେତେବେଳେ ଜିତା ‘ବାପାଙ୍କ କଥା ତ ପଚାରୁଚ, ହେଲେ ହାତଟା ଏତେ ସମୟ ହେଲା ଅଭଦ୍ରଙ୍କ ପରି ସେଠି ରଖିଚ କାହିଁକି ଶୁଣେ ?’ ବୋଲି କହି ପରାଶରର ହାତକୁ ଛାତି ଉପରୁ ଅଣ୍ଟାତଳ ଆଡ଼କୁ ଖସାଇ ଦେଇଥିଲା !!

✽✽✽

 

ଅତୀତର କୌଣସି ଏକ କାନ୍ଦକାନ୍ଦ ମୁହଁ ସମ୍ପର୍କରେ

ଅବସର ସମୟରେ ଅଚାନକ ମନେପଡ଼ିଥିବା ମଣିଷର କଥା

 

ବେଶ୍ କିଛିଦିନ ତଳର କଥା ହୋଇଗଲାଣି । ସେତେବେଳେ ମୁଁ ଓ ମୋର ଅନ୍ତରଙ୍ଗ ବନ୍ଧୁ ତନ୍ମୟ ଗୋଟାଏ ସହରରେ ରହୁଥାଉ । ମୋ ଅଫିସ୍‍ଠୁ ତା’ ଅଫିସ୍‍ଟା ଚାରି/ପାଞ୍ଚ କିଲୋମିଟର । ଅଫିସ୍‍ରୁ ଫେରିବାବେଳେ ତନ୍ମୟ ଅଧିକାଂଶ ଦିନ ସ୍କୁଟର୍‍ ନେଇ ଆମ ଅଫିସ୍ ବାଟେ ଆସେ ଏବଂ ଆମେ ଏକାଠି ଫେରୁ । କେବଳ କେମିତି ଅଫିସ୍‍ରୁ ଫେରିବା ବାଟରେ ଆମେ କୌଣସି ହୋଟେଲକୁ ପଶିଯାଉ–ଏକାଠି ବସି ସିଗାରେଟ ଟାଣୁ, କଫି ପିଉ ଅବା କିଛି ଜଳଖିଆ ଖାଉ । ସାଧାରଣତଃ, ଆମେ ହୋଟେଲ ‘ନନ୍ଦନ’କୁ ଯାଉଥିଲୁ । ‘ନନ୍ଦନ’ଟା ନିହାତି ଦାମୀ ହୋଟେଲ ନହେଲେବି ବେଶ୍ ସମ୍ଭ୍ରାନ୍ତ ହୋଟେଲ । ଡାଇନିଙ୍ଗ୍ ହଲ୍‌ର ଗୋଟେ କଣକୁ ବସି ଖୁବ୍ ଧୀର ସ୍ଵରରେ ବାଜୁଥିବା ପୁରୁଣା ହିନ୍ଦୀଗୀତ ସବୁ ଶୁଣୁଶୁଣୁ ଅନୁଚ୍ଚ ସ୍ଵରରେ କଥାବାର୍ତ୍ତା ହେବାପାଇଁ ‘ନନ୍ଦନ’ ଥିଲା ସୁନ୍ଦର ଜାଗାଟେ ଏବଂ ତନ୍ମୟ ସାଙ୍ଗରେ ସପ୍ତାହରେ ପ୍ରାୟ ଥରେ ଦି'ଥର ‘ନନ୍ଦନ’କୁ ଯିବାଫଳରେ ମୁଁ ସେଇ ଲୋକଟିକୁ ଆବିଷ୍କାର କରିଥିଲି ।

 

ସେ ଲୋକଟା ବସୁଥିଲା ‘ନନ୍ଦନ’ର କାଉଣ୍ଟରରେ । ମଧ୍ୟମ ଉଚ୍ଚତା ବିଶିଷ୍ଟ ଶ୍ୟାମଳ ବର୍ଣ୍ଣର ଲୋକଟା । ସବୁବେଳେ ଧଳା ପ୍ୟାଣ୍ଟ-ସାର୍ଟ୍ ପିନ୍ଧିଥାଏ । ଦରକାର ନହେଲେ ପଦେ କଥା କହେ ନାଇଁ । ‘ନନ୍ଦନ’ ପରି ଏକ ହୋଟେଲର କାଉଣ୍ଟରରେ ଯେମିତି ଲୋକଟେ ବସୁଥିବ ବୋଲି ଅନୁମାନ କରାଯାଇପାରେ, ସେ ଆଦୌ ସିମିତିଆ ଲୋକ ନଥିଲା ! ଲୋକଟା ଯେ ଅଯଥା ଗାମ୍ଭୀର୍ଯ୍ୟର କଇଁଛ ଖୋଳପା ଭିତରେ ଯାକିଯୁକି ହୋଇ ଶୋଇ ରହୁଥିଲା, ସେକଥା ନୁହେଁ । ସେ ଯେ ଲଜ୍ଜା ବା ଗର୍ବ ଯୋଗୁଁ ତା' ତରଫରୁ ଆଗଭର ହୋଇ ପଦେକଥା କହୁ ନଥିଲା–ତା’ବି ନୁହେଁ ।

 

ଦିନେ ଦିନେ ମୁଁ ଦେଖେ, ଲୋକଟା ମୁଣ୍ଡ ଉପରର ଘୂରୁଥିବା ଫ୍ୟାନ୍‌କୁ ଚାହିଁଛି ତ ଚାହିଁଛି ! ତା’ର ଦୃଷ୍ଟି ସ୍ଥିର ହୋଇ ରହିଥାଏ ଘୂରୁଥିବା ଫ୍ୟାନ୍ ଉପରେ, ହଠାତ୍ କୌଣସି ଲୋକ କାଉଣ୍ଟର ପାଖରେ ପହଞ୍ଚିଲେ ତା’ର ଦୃଷ୍ଟି ଫ୍ୟାନ୍ ଉପରୁ ନଇଁ ଆସିବ ତଳକୁ ଏବଂ ଆବଶ୍ୟକୀୟ ପଦେ ଦିପଦ କଥାବାର୍ତ୍ତା କରି ସେ ପୁଣି ଦୃଷ୍ଟି ଫେରାଏ ଉପରକୁ । କେତେବେଳେ ପୁଣି କେଉଁ ଉପନ୍ୟାସର ପୃଷ୍ଠା ଭିତରେ ବାଟବଣା ହୋଇଯାଇଥାଏ ଲୋକଟି ।

 

ଥରେ ସନ୍ଧ୍ୟାବେଳେ ‘ନନ୍ଦନ’ରେ ବସି କଫି ପିଉଥିବା ସମୟରେ ମୁଁ ବନ୍ଧୁ ତନ୍ମୟକୁ ପଚାରିଲି : ‘ଏଇ ଲୋକଟାର ନାଁ କ’ଣ ?'

 

: ‘ଶଶାଙ୍କ ଚୌଧୁରୀ ।’ ତନ୍ମୟ କଫି ପିଉ ପିଉ କହିଲା ।

 

ତନ୍ମୟଠୁ ଲୋକଟାର ନାଁ ଶୁଣି ମୁଁ କିଛିକ୍ଷଣ ନୀରବ ରହିଲି । ତା'ପରେ କହିଲି : ‘ବଡ଼ ଅଜବ ଲୋକଟା । ଏଭଳି ହୋଟେଲର କାଉଣ୍ଟରରେ ଯିମିତି ଲୋକଟେ ବସିବା କଥା, ଆଦୌ ସିମିତି ନୁହ । ସବୁବେଳେ ଅନ୍ୟମନସ୍କ, ଭିତରେ ଭିତରେ କିଛି ଗୋଟେ ଗୁରୁତର କଥା ଭାବୁଚି ଯେମିତି । ଫ୍ୟାନ୍‌କୁ ଚାହିଁଛି ତ ଚାହିଁଛି, ବହିଟେ ପଢ଼ୁଛି ତ ପଢ଼ୁଛି ! କାଉଣ୍ଟରରେ ପଇସା ନ ଦେଇ ଚାଲିଗଲେବି ଜାଣିପାରିବ ନାଇଁ ।’

 

ଲୋକଟା ଉପରୁ ଥରେ ଦୃଷ୍ଟି ଫେରେଇ ଆଣି ତନ୍ମୟ କହିଲା, ‘ଆରେ ବାବା, ସେ କଥା ନୁହେଁ । ଦିନେ କାଉଣ୍ଟରରେ ବିଲ୍ ନଦେଇ ଯିବାର ଚେଷ୍ଟା କରି ଦେଖ୍‌–ଜାଣିପାରିବୁ ଲୋକଟା ଯେତେ ଅନ୍ୟମନସ୍କ ଥିଲେବି ସେଇ ସମୟରେ ତା’ର ସବୁ ଠିକ୍ ହୋଇଯାଏ ! ଜମା ଠକି ଦେଇଯାଇପାରିବୁ ନାଇଁ । ଲୋକଟା ଟିକେ ଅନ୍ୟମନସ୍କ ରହେ ସତ, କିନ୍ତୁ ମହାହୁସିଆର !’

 

: ‘ଲୋକଟା କ’ଣ ଏ ହୋଟେଲ ଆରମ୍ଭରୁ ଏଠି ଅଛି ?' ମୁଁ ପୁଣି ପଚାରିଲି । ତନ୍ମୟ କହିଲା, ‘ନା–ତିନିବର୍ଷ ହେବ ଏଠି ଅଛି । ପୂର୍ବରୁ ଗୋଟେ ବୁଢ଼ାଲୋକ ବସୁଥିଲା କାଉଣ୍ଟରରେ, ସେ ମରିଯିବା ପରେ ଏ ଲୋକଟା ଆସିଚି । କିନ୍ତୁ ତୋର ଏତେ କଥା ଜାଣିବା କ’ଣ ଦରକାର ?'

 

: ‘ନା–ନା, ଜାଣିବା କିଛି ଦରକାର ନୁହେଁ ସତ, କିନ୍ତୁ ଏ ହୋଟେଲକୁ ଆସିବା ପରଠୁ ଶଶାଙ୍କ ଚୌଧୁରୀ ନାମକ ଏଇ ଲୋକଟା ପ୍ରତି ମୋର ଏକ ଅଦ୍ଭୁତ ଆଗ୍ରହ ଜନ୍ମିଚି । ବଡ଼ ଅଜବ ଲୋକ, ନୁହେଁ ? ସବୁବେଳେ ଅନ୍ୟମନସ୍କ–ପୁଣି ଗମ୍ଭୀର !'

 

ମୋ କଥାରେ ତନ୍ମୟ କିଛି କହିଲା ନାହିଁ । ତା’ର କଫି ପିଆ ସରିଯାଇଥିଲା । ସେ ଖଣ୍ଡେ ସିଗାରେଟ ଲଗେଇଲା । ସିଗାରେଟ ଧୂଆଁରେ କୁଣ୍ଡଳୀ କରୁକରୁ କହିଲା : ଲୋକଟା ଅଜବ ସତରେ ! ତା’ର ଜୀବନବି ସେମିତି ! ଗୋଟେ ଘଟଣାକୁ ନେଇ ତା’ ଜୀବନର ଗତି ସମ୍ପୂର୍ଣ୍ଣ ବଦଳିଗଲା–ତା'ପରଠୁ ତ ସେ ଆସି ଏଇ ହୋଟେଲରେ ଅଛି ।’

 

ତନ୍ମୟ ଟିକେ ସିରିୟସ ଜଣାପଡ଼ିଥିଲା । ତା’ କଣ୍ଠସ୍ୱର ସାମାନ୍ୟ ଓଜନିଆ ଜଣାଗଲା ମତେ । ମୁଁ ପଚାରିଲି : ‘କଥାଟା କ’ଣ ?' ପୁଣି ଦୁଇ କପ୍ କଫିର ଅଡ଼ର୍ ଦେଇ ତନ୍ମୟ ସେଇ ଲୋକଟା–ଅର୍ଥାତ୍ ଶଶାଙ୍କ ଚୌଧୁରୀ ନାମକ ସେଇ ଲୋକଟାର ଜୀବନର ଗତିକୁ ବଦଳାଇ ଦେଇଥିବା ଘଟଣାଟି ସମ୍ପର୍କରେ କହିବାକୁ ଲାଗିଲା !

 

: ଏଇ ହୋଟେଲରେ ରହିବା ପୂର୍ବରୁ ଶଶାଙ୍କ ଚୌଧୁରୀ ଅନ୍ୟ ଏକ ସହରରେ ଚାକିରି କରୁଥିଲା । ବୋଧେ ଗୋଟେ ସେକ୍‌ସନ୍ ଅଫିସର ଥିଲା କି କ’ଣ ! ଅଫିସ୍‍ରେ କେବଳ ଜଣକୁ ଛାଡ଼ିଦେଲେ ଆଉ ସମସ୍ତଙ୍କ ସହ ତା’ର ବେଶ୍ ଭଲ ପଡ଼ୁଥିଲା । ଅବଶ୍ୟ ଜଣକ ସହ ତା’ର କାହିଁକି ଭଲ ପଡ଼ୁ ନଥିଲା, ସେକଥାର ମୂଳକାରଣଟି ମୋତେ ସଠିକ୍ ଜଣାନାହିଁ !

 

: ଯୋଉ ଲୋକଟି ସହ ଶଶାଙ୍କର ପଡ଼ୁ ନଥିଲା, ସେ ଲୋକଟିର ଘର ଥିଲା ଏକ ଦୂର ଗାଁରେ ଓ ତା’ ପରିବାରବର୍ଗ ସବୁ ଗାଁରେ ରହୁଥିଲେ । ଲୋକଟା ଅଫିସ୍‍ରୁ ଅଳ୍ପ ଦୂରରେ ଗୋଟେ ବଖୁରିଆ ଘର ଭଡ଼ା ନେଇ ରହୁଥିଲା ଏବଂ ଦୁଇ/ତିନି ମାସରେ ଥରେ ଗାଁକୁ ଯାଉଥିଲା । ଯଥାସମ୍ଭବ ଅଳ୍ପ ଟଙ୍କା ଖର୍ଚ୍ଚ କରି ଅବଶିଷ୍ଟ କିଛି ବଳକା ଟଙ୍କା ସେ ମାସକୁ ମାସ ଘରକୁ ପଠାଇ ଦେଉଥିଲା !

 

: ‘କିନ୍ତୁ ଶଶାଙ୍କ ଚୌଧୁରୀ ଦିନେ କ’ଣ କଲା ନା ସେ ଲୋକଟା ଯେଉଁ ଘରେ ରହୁଥିଲା, ସେ ଘରର ମାଲିକକୁ ବିଭିନ୍ନ କଥା କହି ସେ ଲୋକଟାକୁ ଭଡ଼ା ଛଡ଼େଇ ଦେଲା । ଲୋକଟା ବିଚରା ଘର ଖୋଜି ଖୋଜି ଅଫିସ୍‍ଠୁ ଚାରି କିଲୋମିଟର ଦୂରରେ ଆଉ ଗୋଟେ ଘର ନେଇ ରହିଲା । ଫଳରେ ଲୋକଟାର ସ୍ୱଳ୍ପ ବେତନରୁ ଆଉ କିଛି ଟଙ୍କା ଅଧିକ ଖର୍ଚ୍ଚ ହେବାରେ ଲାଗିଲା–ଅର୍ଥାତ୍ ପୂର୍ବ ଘରଟା ଅଫିସ୍‍ର ପାଖାପାଖି ଥିବାରୁ ଲୋକଟା ଚାଲିଚାଲି ଅଫିସ୍‍କୁ ଆସୁଥିଲା, କିନ୍ତୁ ଚାରି କିଲୋମିଟର ଦୂରରେ ଘରଭଡ଼ା ନେବାଫଳରେ ଲୋକଟାର ମାସକୁ ସତୁରୀ / ଅଶୀଟଙ୍କା ଅଧିକ ରିକ୍ସା ଭଡ଼ାରେ ଖର୍ଚ୍ଚ ହେବାକୁ ଲାଗିଲା ।’

 

: ‘ଆଉ ଦିନେ ସେ ଲୋକଟା ଉପରକୁ ଅଫିସ୍‍ରେ ସମସ୍ତଙ୍କ ଆଗରେ ଶଶାଙ୍କ ଚୌଧୁରୀ ଫାଇଲ୍ ଫୋପାଡ଼ିଲା । ସେ ଲୋକଟାବି କିଛି କମ୍ ନୁହେଁ । ସେ ନିହାତି ଅଭଦ୍ର ଭାଷାରେ ଶଶାଙ୍କକୁ ଗାଳି ଦେଲା, ଯାହା ହେଉ–ଅନ୍ୟମାନଙ୍କ ହସ୍ତକ୍ଷେପରେ ସେଦିନ କଥାଟା ସେତିକିରେ ରହିଲା ।’

 

: ‘ତେବେ ସେ ଯାହା ହେଉନା କାହିଁକି, ଏତେ ବର୍ଣ୍ଣନା କରିବା ଦରକାର ନାଇଁ, ଏତିକ କହିଲେ ଯଥେଷ୍ଟ ହେବ ଯେ, ସେଇ ଲୋକଟା ସହ ଶଶାଙ୍କ ଚୌଧୁରୀର ଶତ୍ରୁତା ବଢ଼ିବାରେ ଲାଗିଲା ଏବଂ ଉଭୟେ ଉଭୟଙ୍କ ଉପରେ କୌଣସି ଉପାୟରେ ପ୍ରତିଶୋଧ ନେବାର ସୁଯୋଗରେ ରହିଲେ ।’

 

: ‘ଦିନେ ଡାକପିଅନ ଅଫିସ୍‍କୁ ଚିଠି ନେଇ ଆସିବାବେଳେ ଶଶାଙ୍କ ଚୌଧୁରୀର ଗେଟ୍ ପାଖରେ ଦେଖାହେଲା ! ଗେଟ୍ ପାଖରେ ଚିଠିଗୁଡ଼ାକ ଖେଳେଇଲା ଶଶାଙ୍କ ଚୌଧୁରୀ ନିଜର କୌଣସି ଚିଠି ଅଛି କି ନାଇଁ ! ତା’ର ଅବଶ୍ୟ ଖଣ୍ଡେ ଚିଠିଥିଲା, କିନ୍ତୁ ଆର ଲୋକଟି ନାମରେ ଥିବା ଖଣ୍ଡେ ଚିଠିକୁବି ସେ ନେଇ ଆସିଲା । ଏମିତି କିଛି ଉଦ୍ଦେଶ୍ୟ ତା'ର ସେତେବେଳେ ନଥିଲା ! କେବଳ ଲୋକଟା ତା’ ଚିଠି ନ ପାଉ–ବାସ୍ । ଏକପ୍ରକାର ପ୍ରତିଶୋଧ ପ୍ରବଣତାର ବଶବର୍ତ୍ତୀ ହୋଇ ଶଶାଙ୍କ ଚୌଧୁରୀ ସେ ଲୋକଟାର ଚିଠିକୁ ପକେଟ୍‌ରେ ରଖିଦେଲା ଏବଂ ଲୋକଟାକୁ ତା’ ଚିଠି ଦେଲା ନାଇଁ ।’

 

: ଏ ଘଟଣାର ପନ୍ଦର / କୋଡ଼ିଏ ଦିନ ପରେ ସେ ଲୋକଟାର ଗାଁରୁ ଦି’ଜଣ ଲୋକ ଆସି ପହଂଚିଲେ । ସେତେବେଳେ ଶଶାଙ୍କ ଚୌଧୁରୀ ଅଫିସ୍‍ରେ ଥାଏ, ସେ ଲୋକଟାବି ଥାଏ । ଗାଁରୁ ଆସିଥିବା ଲୋକ ଦି'ଜଣ ସେ ଲୋକଟାକୁ ଦେଖି କାନ୍ଦ ଆରମ୍ଭ କରିଦେଲେ । ଅଫିସ୍‍ରେ କେହି ହଠାତ୍ କିଛି ବୁଝିପାରିଲେ ନାଇଁ । ପରେ ଜଣାପଡ଼ିଲା ଯେ, ସେ ଦି'ଜଣ ହେଉଛନ୍ତି ଲୋକଟାର ସମ୍ପର୍କୀୟ ଭାଇ । ସେମାନେ ଗାଁରୁ ଆସିଥିଲେ । କାରଣ ଲୋକଟାର ଚାରିବର୍ଷର ପୁଅଟି ମରିଯାଇଥିଲା । ଖବରଟା ଶୁଣି ଲୋକଟା ପ୍ରଥମେ ଆଖି ଢିମାଢ଼ିମା କରି ସ୍ଥିର ହୋଇଗଲା-! କେତେକ୍ଷଣ ପରେ ତା’ର ଚେତା ଫେରିଲା ଏବଂ ସେତେବେଳକୁ ସେ ଆଉ ସ୍ୱାଭାବିକ ଅବସ୍ଥାରେ ନଥିଲା । ପାଗଳଙ୍କ ପରି ପ୍ରଳାପ କରିବା ଆରମ୍ଭ କରିଦେଇଥିଲା-। ସବୁ ସହକର୍ମୀମାନେ ଯଥାସମ୍ଭବ ଲୋକଟାକୁ ନିୟନ୍ତ୍ରଣରେ ରଖିବାରେ ଲାଗିପଡ଼ିଲେ କିନ୍ତୁ ଲୋକଟା ଆଦୌ କାହାରି କଥାରେ ବୁଝିବା ଅବସ୍ଥାରେ ନଥିଲା, ସେଇ ମୁହୂର୍ତ୍ତରେ ତା’ର ସମ୍ପର୍କୀୟ ଭାଇ ଦି’ଜଣଙ୍କ ସହ ସେ ଦଶଦିନ ପାଇଁ ଛୁଟି ନେଇ ଗାଁକୁ ଚାଲିଗଲା ।

 

: ସହକର୍ମୀମାନେ କାମଛାଡ଼ ସେଇ ଲୋକଟା ବିଷୟରେ କଥାବାର୍ତ୍ତା କରୁଥିଲେ । ଆହାଃ–ବିଚରାର ବିବାହର ନଅବର୍ଷ ପରେ ପୁଅଟେ ହେଇଥିଲା । ସେ ପୁଣି ମରିଗଲା । ଶଶାଙ୍କର ଲୋକଟା ସହିତ ଶତ୍ରୁତା ଥିଲେବି ସେ ଅନ୍ୟମାନଙ୍କ ସହ ଲୋକଟା ପ୍ରତି ସମବେଦନା ଜଣାଇଲା !

 

: ‘‘ଶଶାଙ୍କ କିନ୍ତୁ ବୁଝିପାରୁ ନଥିଲା ଯେ, ଅନ୍ୟମାନେ କାହିଁକି ଲୋକଟାର ପୁଅର ମୃତ୍ୟୁପାଇଁ ଡାକ ବିଭାଗକୁ ଦାୟୀ କରୁଥିଲେ ବୋଲି । ପଚାରି ବୁଝିଲା ଯେ, ପିଲାଟାର ଦେହ ପନ୍ଦର/କୋଡ଼ିଏ ଦିନ ତଳେ ହଠାତ୍ ଖରାପ ହେଲା, ଗାଁ ଗାଉଁଲି ଡାକ୍ତରଙ୍କଦ୍ୱାରା ଭଲ ହେଲା ନାଇଁ । ଗାଁର ସମ୍ପର୍କୀୟମାନଙ୍କ ସହାୟତାରେ ଲୋକଟାର ସ୍ତ୍ରୀ ପୁଅକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲା । ସେଠି ମଧ୍ୟ କିଛି ସୁଫଳ ମିଳିଲା ନାହିଁ, ତେଣୁ ତା' ସ୍ତ୍ରୀଲୋକଟି ପାଖକୁ ଏ ସମ୍ପର୍କରେ ଚିଠି ଦେଇଥିଲା ଏବଂ ଜଣାଇଥିଲା ଯେ ଜରୁରୀ ଆସି ପୁଅକୁ ସହରକୁ ନେଇ ଚିକିତ୍ସା କରାଇବା ପାଇଁ । କିନ୍ତୁ ଲୋକଟି ସେଦିନଠାରୁ ପୁଅର ମୃତ୍ୟୁ ଦିନ ପର୍ଯ୍ୟନ୍ତ ଚିଠି ପାଇ ନଥିଲା । ଏସବୁ ଡାକ ବିଭାଗର ଦାୟିତ୍ୱହୀନତା ନୁହେଁ ତ ଆଉ କ’ଣ ? ଅଫିସ୍‍ରେ ସମସ୍ତେ ସେଥିପାଇଁ ଡାକବିଭାଗର ଦୋଷ ଦେଉଥିଲେ ।’’

 

: ‘କଥାଟା ଶୁଣି ଶଶାଙ୍କର ମୁଣ୍ଡ କ’ଣ ହୋଇଗଲା । ଅଫିସ୍‍ରୁ ଫେରି କିଛିଦିନ ତଳେ ଡାକପିଅନଠାରୁ ଲୁଚେଇ ଆଣିଥିବା ସେଇ ଲୋକଟାର ଚିଠି–ଯାହାକୁ କି ସେ ନ ରଖି ଦେଇଥିଲା ଡ୍ରରେ, ସେଇ ଚିଠିଟାକୁ ଖୋଲିଲା । ସେଇ ଚିଠିଟା ପ୍ରକୃତରେ ଲୋକଟା ପାଖକୁ ତା’ ସ୍ତ୍ରୀ ଲେଖିଥିଲା ପୁଅର ଦେହ ଖରାପ ସମ୍ପର୍କରେ !’

 

: ‘ଶଶାଙ୍କ ଚୌଧୁରୀ କ’ଣ କରିବ ଜାଣିପାରିଲା ନାଇଁ । ଭାବିଲା, ଚିଠିଟା ପୋଡ଼ିଦେବ-। ପୁଣି ଭାବିଲା, ବରଂ ଚିଠିଟା ନେଇ ସେ ଲୋକର ଗାଁକୁ ଯାଇ ଲୋକଟାର ପାଦତଳେ ପଡ଼ି ସବୁ ଦୋଷ ସ୍ୱୀକାର କରିନେବ । ତାକୁ ଯେଉଁ ଦଣ୍ଡ ଦେବ, ତାକୁ ମଥାପାତି ସହିନେବ ! ଏମିତି ବିଭିନ୍ନ ଅଜବ ଅଜବ ଚିନ୍ତା ଶଶାଙ୍କର ମୁଣ୍ଡକୁ ଢୁକିଲା ।

 

ଏଇ ପର୍ଯ୍ୟନ୍ତ ମୁଁ ସମସ୍ତ ଏକାଗ୍ରତା ସହକାରେ ବନ୍ଧୁ ତନ୍ମୟର କଥା ଶୁଣୁଥିଲି । କଫି କପ୍ କେତେବେଳେ ଶୂନ୍ୟ ହୋଇଯାଇଥିଲା, ମତେ ଜଣା ନଥିଲା । ମଝିରେ କେତେ ଖଣ୍ଡ ସିଗାରେଟବି ଟଣା ସରିଥିଲା । ତନ୍ମୟ ପୁଣି ଦି’କପ୍ କଫିର ବରାଦ ଦେଲା । ତା'ର ନୀରବତାର ସୁଯୋଗ ନେଇ ମୁଁ ପଚାରିଲି : ‘ତେବେ କ’ଣ ସତରେ ଶଶାଙ୍କ ଚୌଧୁରୀ ଲୋକଟା ପାଖକୁ ଯାଇ ସବୁ ଦୋଷ ସ୍ୱୀକାର କରିଥିଲା ?’

 

ତନ୍ମୟ କହିଲା : ‘ନା–ସେ ତା’ ପାଖକୁ ଯାଇ ନାଇଁ କିମ୍ବା ଦୋଷ ସ୍ୱୀକାର କରିନାଇଁ, ସେ ଲୋକଟାବି ଆଉ ଚାକିରିରେ ଯୋଗଦେଲା ନାଇଁ । ଶୁଣାଗଲା, ସେ ପାଗଳ ହୋଇଯାଇଥିଲା-। ପରେ ସୁସ୍ଥ ହେଲା କି ନାଇଁ, ସେ କଥାର ଖବର କେହି ରଖିନାହିଁ ।'

 

: ‘କିନ୍ତୁ ଶଶାଙ୍କ ଚୌଧୁରୀ ଭିତରେ ଗୋଟେ ପ୍ରକାରର ଦୋଷୀଭାବ ଜନ୍ମି ତାକୁ ଏମିତି ଘାଣ୍ଟିଚକଟି ପକାଇଲା ଯେ, ସେ ଆଉ ସେ ଅଫିସ୍‍ରେ ରହିବା ସମ୍ଭବ ହେଲା ନାହିଁ । ଅଫିସ୍‍କୁ ଯିବାମାତ୍ରେ ତା’ର ଲୋକଟି କଥା ମନେପଡ଼ିଲା ଓ ମନେ ପଡ଼ିଲା ତା'ର ପ୍ରଳାପ ।’

 

: ‘କ୍ରମେ ଅନ୍ୟମାନେ ଲକ୍ଷ୍ୟ କଲେ ଯେ, ଶଶାଙ୍କ ଅନ୍ୟମନସ୍କ ରହୁଛି । ସେ ଯେମିତି ଭିତରେ ଭିତରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ଭାବୁଛି । ସେ ଆଉ ଆଗପରି ହସ ଖୁସି ମିଜାଜର ଲୋକ ନାହିଁ । ସବୁବେଳେ ଯେମିତି ଝଡ଼ପରର ଶାନ୍ତ ପୃଥିବୀ ପରି ଶଶାଙ୍କର ମୁଖମଣ୍ଡଳ ଓଜନିଆ ରହୁଚି-। ଏ ସମ୍ପର୍କରେ କେହି ପଚାରିଲେ ସେ କିଛି ଉତ୍ତର ନ ଦେଇ ହସି ଦେଉଥିଲା ।’

 

: ‘ତା’ର ଦୋଷୀଭାବ କିନ୍ତୁ ଦିନକୁଦିନ ଏତେ ତୀବ୍ର ହେଲା ଯେ ଶଶାଙ୍କ ଦିନେ ନିଜ ଚାକିରିରୁ ରିଜାଇନ୍ କରିଦେଇ ସେ ସହରରୁ ଚାଲିଆସିଲା । ତା’ପରେ ତ ଏଇ ସହରରେ । ବସୁଚି ହୋଟେଲ ‘ନନ୍ଦନ’ର କାଉଣ୍ଟରରେ । କିନ୍ତୁ ସେମିତି ଗମ୍ଭୀର ଓଜନିଆ ମୁହଁ, ଅନ୍ୟମନସ୍କତା ତା’ର ରହିଯାଇଛି । ଆଉ ବଦଳି ନାଇଁ, ବୋଧେ ସେ କଥାଟାକୁ ମନରୁ ଭୁଲିପାରୁ ନାହିଁ ।’

 

ବନ୍ଧୁ ତନ୍ମୟ ଏଇଠାରେ ପୁଣି ଟିକେ ବିଶ୍ରାମ ନେଲା । ଏ ଭିତରେ ମୁଁ ଥରେ କାଉଣ୍ଟର ଉପରୁ ଆଖି ବୁଲେଇ ଆଣିଥିଲି । ଶଶାଙ୍କ ଚୌଧୁରୀ ବସିଥିଲା–ପୂର୍ବପରି, ଫ୍ୟାନ୍ ଉପରେ ପୂର୍ବପରି ନିବଦ୍ଧ ଥିଲା ତା’ର ଦୃଷ୍ଟି, ଯେଉଁ ଦୃଷ୍ଟି ମୋତେ ଆରମ୍ଭରୁ ମନେ ହୋଇଥିଲା ଏକ ଆହତ ଗୋଖର ସାପର ତୀବ୍ର ଦୃଷ୍ଟି ପରି–ସେଇ ଦୃଷ୍ଟି ହଠାତ୍ ମତେ

 

ମନେହେଲା ଖୁବ୍ ଅସହାୟ–ଖୁବ୍ କାନ୍ଦକାନ୍ଦ, ଅନୁଶୋଚନା ଦଗ୍ଧ ଦୃଷ୍ଟି, ମୁହଁର ଉଦାସିଆ ଦିଗ୍‌ବଳୟ ତଳୁ ଉଙ୍କି ମାରୁଥିବା ତାରା ଦିଓଟି ହଠାତ୍ ମନେହେଲେ ଖୁବ୍ ନିଃସଙ୍ଗ !!

 

ମୁଁ ପଚାରିଲି : ‘ଆଚ୍ଛା–ଶଶାଙ୍କ ଚୌଧୁରୀ ତ ଏକଥା ସମ୍ପର୍କରେ କାହାକୁ କିଛି କହି ନଥିବ, ତୁ କିମିତି ଜାଣିଲୁ ଏସବୁ ?’

 

ମୋ ପ୍ରଶ୍ନରେ ତନ୍ମୟ ଏକ ମୁରୁକି ହସା ଦେଲା । କହିଲା : ‘ଏ କଥାଟା ତୋତେ କହିବା ଉଚିତ ନଥିଲା । ତୋତେ କହି ଦେଇଥିବାରୁ ମତେ ଖୁବ୍ ଦୋଷୀ ଲାଗୁଚି–କାହାକୁ କହିବି ନାଇଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲି ।'

 

: ‘କିନ୍ତୁ ତୁ କିମିତି ଜାଣିଲୁ ସତରେ ?' ମୁଁ ପୁଣି ପଚାରିଲି ।

 

ତନ୍ମୟ କହିଲା : ‘ଦିନେ ଏଇ ହୋଟେଲର ବାରରେ ମୁଁ ରାତି ଏଗାରଟା ପରେ ପହଞ୍ଚିଗଲି । ସେଠି ସେତେବେଳେ ଶଶାଙ୍କ ଚୌଧୁରୀ ଛଡ଼ା ଆଉ କେହି ନଥିଲେ । ଶଶାଙ୍କ ଚୌଧୁରୀ ଗୁଡ଼ାଏ ପିଇ ଦେଇଥାଏ । ମୁଁ ବି ତା’ ପାଖରେ ବସି ପିଇବାରେ ଲାଗିଲି । କେତେ ସମୟ ଡ୍ରିଙ୍କ୍ କରିଚି, ଜାଣେ ନାଇଁ–କିନ୍ତୁ ତା' ଭିତରେ ଶଶାଙ୍କ ଚୌଧୁରୀ ସହ ମୋର ପରିଚୟ ଆଦାନପ୍ରଦାନ ହୋଇଥିଲା । ମୋର ସେନ୍‌ସ ଭଲଭାବେ ନଥାଏ–ତା’ରବି ସେନ୍‌ସ ନଥାଏ । ଉଭୟେ ଆଡ଼ୁସ୍ୟାଡ଼ୁ ଅନେକ କଥା ଗପ କରିଥିଲୁ । ସେଇ ଗପିବା ଭିତରେ ସେଦିନ ସେ ସବୁକଥା କହିଦେଇଥିଲା, କିନ୍ତୁ ମୋ'ଠୁ ପ୍ରତିଜ୍ଞା କରାଇ ନେଇଥିଲା ଯେ, ଯେମିତି ମୁଁ ଏକଥା ଅନ୍ୟ କାହା ସାମ୍ନାରେ ନ କହେ । ମୁଁ ତ ତତେ କହିଦେଲି ।’

 

: ‘ଲୋକଟା ଡ୍ରିଙ୍କ୍ କରିବା ଉଚିତ ନୁହେଁ ।' ମୁଁ କହିଲି ।

 

: ‘ସେଦିନଠୁ ସେ ଡ୍ରିଙ୍କ୍ କରିବାବି ଛାଡ଼ି ଦେଇଛି । ହସିହସି ତନ୍ମୟ କହିଲା ।

 

: ଆମେ କାଉଣ୍ଟରରେ ବିଲ୍ ଦେଇ ଘରକୁ ଆସିଲୁ । ରାତି ସାଢ଼େ ଆଠଟା ବାଜି ଯାଇଥିଲା । ଏବଂ ପାଠକେ ! ମତେ ମଧ୍ୟ ଦୋଷୀ ଦୋଷୀ ଏଇଥିପାଇଁ ଲାଗୁଚି ଯେ, କଥାଟା ମୁଁ ଆପଣଙ୍କୁ କହିଦେଲି ବୋଲି ! ହେଲେ ଏଇଥିପାଇଁ ମୁଁ ଆଜି ଆପଣଙ୍କୁ ଏ କଥାଟା କହିଲି ଯେ, ଏ ଘଟଣା ବହୁ ପୁରୁଣା ହୋଇଗଲାଣି । ଶଶାଙ୍କ ଚୌଧୁରୀ କାହିଁ କେବେଠୁ ମରିଗଲାଣି, ତା'ପାଇଁ ଯେଉଁ ଲୋକର ଚାରିବର୍ଷର ପୁଅଟି ମରିଯାଇଥିଲା–ସେ ବି ମରି ଯିବଣି ! ଗପର ପ୍ରଥମ ବାକ୍ୟରୁ ମୁଁ କହିଛି ଯେ, ଏଇଟା ବେଶ୍ କିଛିଦିନ ତଳର କଥା ବୋଲି ! ଆଜି ହଠାତ୍ ମନେ ପଡ଼ିଗଲା ଏବଂ ଆଜିର ଅବସର ସମୟରେ ସେଇ ଦୀର୍ଘ ଅତୀତର କାନ୍ଦକାନ୍ଦ–ଉଦାସିଆ ମୁହଁଟି–ଶଶାଙ୍କ ଚୌଧୁରୀର ନିଃସଙ୍ଗ ମୁହଁଟି ଅଚାନକ ମନେପଡ଼ିଯାଇଥିବାରୁ ମୁଁ ଆପଣଙ୍କୁ ଘଟଣାଟା ନକହି ରହିପାରୁ ନାଇଁ ।

✽✽✽

 

ଛାତିତଳେ ଦୁଃଖର ମଶାଲ ଜାଳି କୁଆଡ଼େ ବାହାରିଛ ଗୌତମ ?

(ଏକ)

 

ଆରେହେ ଗୌତମ !

 

କୁଆଡ଼େ ବାହାରିଛୁ ?

 

ଏତେ ଅନ୍ଧାର, ବର୍ଷାବି ହୋଇପାରେ, ଏବେଳେ କୁଆଡ଼େ ଯାଉଚ ?

 

ତୁମେ କେଉଁ ଗୌତମ ?

 

ତକ୍ଷଶିଳାର ରାଜପୁତ୍ର ଗୌତମ ?

 

ଅବା ଗୌତମ ବୁଦ୍ଧ ?

 

ଅବା ଅହଲ୍ୟାର ସ୍ୱାମୀ ତପସ୍ୱୀ ଗୌତମ ?

 

କେଉଁ ଗୌତମ ତୁମେ ?

 

ଅବା ତୁମେ ଗୌତମ ନାୟକ ?

 

ନା ଗୌତମ ସ୍ୱାଇଁ ?

 

ନା ଗୌତମ ସାମନ୍ତରାୟ ?

 

ନା ଗୌତମ ଜେନା ?

 

ନା ଗୌତମ ହରିଚନ୍ଦନ ?

 

କେଉଁ ଗୌତମ ତୁମେ ?

 

ଆଚ୍ଛା–ତୁମେ ଯେଉଁ ଗୌତମ ହୁଅ ପଛେ, କୁଆଡ଼େ ବାହାରିଛ ? ପୁଣି ଏତେ ଅନ୍ଧାର ରାତିରେ, ଆକାଶରେ ତାରାଟେ ନଥିବାବେଳେ !

 

ତୁମେ ଯେଉଁ ଗୌତମ ହୁଅନା କାହିଁକି, ମୁଁ ତୁମକୁ କେବଳ ଗୌତମ ବୋଲି ଡାକିବି । ତୁମେ କିଛି ଖରାପ ଭାବିବ ନାଇଁ, ତୁମେ ଜଣେ ମଣିଷ ତ ? ତୁମର ଶତାବ୍ଦୀ ମୋର ଦରକାର ନାଇଁ, ତୁମର ଯୁଗ ମୋର ଦରକାର ନାଇଁ, ତୁମର ଜାତି–ଧର୍ମ–ବଂଶ–ପରମ୍ପରା–ସଂସ୍କାର ମୋର କିଛି ଦରକାର ନାଇଁ ! ମୁଁ ତୁମକୁ କେବଳ ଗୌତମ ବୋଲି ଡାକିବି !!!

 

(ଦୁଇ)

 

ତୁମେ ପ୍ରଥମେ କ’ଣ ଦେଖିଲ ? ବୃଦ୍ଧ ?

 

ଦୁଃଖ ଲାଗିଲା ତୁମକୁ, ନୁହେଁ ?

 

ତା'ପରେ ? ଶବ ? ଜୀବନଠାରୁ ତୁମର ମମତା ତୁଟି ଯାଇଥିବ ।

 

ଶେଷରେ ସନ୍ନ୍ୟାସୀ ?

 

ଭାବିଲ ସନ୍ନ୍ୟାସୀ ଶାନ୍ତିରେ ଅଛି, ତେଣୁ ସନ୍ନ୍ୟାସ ଗ୍ରହଣ କରିବା ଉଚିତ ।

 

ତୁମେ କୁଆଡ଼କୁ ଯାଇଥିଲ ?

 

କୁଟୀରକୁ ଫେରି କ’ଣ ଦେଖିଲ ?

 

ତୁମ ପତ୍ନୀ ଅହଲ୍ୟା ଉଲଗ୍ନ ହୋଇ ଶୋଇଚି ରତିକ୍ଳାନ୍ତା ହୋଇ, ସ୍ଵେଦବିନ୍ଦୁ ଚମକୁଚି ଅୟୁତ ସୂର୍ଯ୍ୟର ଆଭାରେ । କେହି ପତ୍ନୀକୁ ତୁମର ସମ୍ଭୋଗ କରି ଚାଲିଯାଇଛି, ନୁହେଁ ?

 

ଅଭିଶାପ ଦିଅ–ଅଭିଶାପ, ଘୋର ବ୍ରହ୍ମ ଅଭିଶାପ !

 

ସତକୁସତ ପଥର ପାଲଟିଗଲା ଅହଲ୍ୟା !

 

ତୁମେ ଗୌତମ ?

 

ତୁମ ଭଉଣୀକୁ କେଇଜଣେ ଗୁଣ୍ଡା ରାସ୍ତାରେ ଧର୍ଷଣ କଲେ ?

 

ତୁମେ ?

 

ତୁମ ପତ୍ନୀଙ୍କ ନିକଟକୁ ସେଇ ବାରବୁଲା ଟୋକାଟା ଆସିବାରେ ତୁମର ଦୁଃଖ ?

 

ତୁମର ?

 

ପ୍ରମୋସନ୍ ହୋଇପାରୁ ନାହିଁ, ଏଇଆ ତ ?

 

ତୁମର ?

 

ଆଗପରି ଆଉ କବିତା ବାହାରୁ ନାଇଁ, ଚିତ୍ର ଆଙ୍କିପାରୁ ନାହିଁ, ଡ୍ରାମା କରିପାରୁନାହିଁ, ପ୍ରେମିକାଟି ଅନ୍ୟ ପୁରୁଷଙ୍କୁ ଆଦିରି ଭାଗ୍ୟକୁ ନିନ୍ଦି ପଡ଼ିରହିଛି, ନୁହେଁ ?

 

ଗୌତମ–ଶୁଣ, ଏସବୁ କୁତ୍ସିତ ଅଭିଜ୍ଞତାରେ ପଡ଼ିଲେ ମଧ୍ୟ ତୁମ କାମନା ଲୋପ ହେବ ନାଇଁ । ଏମିତି ଘଟଣା ମରିଯିବ ନାଇଁ, ବରଂ ନୂଆନୂଆ ଜନ୍ମ ହେଉଥିବ, ରକ୍ତବୀର୍ଯ୍ୟ ଅସୁରର ପ୍ରତି ରକ୍ତବିନ୍ଦୁରୁ ଅସୁର ଜନ୍ମିବା ପରି । ଜୀବନରେ କାମନାର ଅନ୍ତ ନାଇଁ । ହାୟରେ ଗୌତମ, ଏଇ ସାମାନ୍ୟ କଥାରେ ଡରିଯାଇ ଛାତିରେ ଛେପ ପକାଇ ଦେଲୁ ତୁ ? ସାମାନ୍ୟ କଥାରେ ଅଭିଶାପ ଦେଇ ଅହଲ୍ୟାକୁ ପଥର କରିଦେଲୁ ତୁ ? ସାମାନ୍ୟ କଥାରେ ପୁତ୍ର ରାହୁଳ, ପତ୍ନୀ ଯଶୋଧାରାକୁ ପରିତ୍ୟାଗ କରିଦେଲୁ ତୁ ! ବୋକା ! ବୁଦ୍ଦୁ ! ଜ୍ଞାନର ଚରମ ଅବସ୍ଥା ଏଇଟା ନୁହେଁ, ଏହାର ଊର୍ଦ୍ଧ୍ୱରେ ଆହୁରି ଗଭୀର ଜ୍ଞାନ ଅଛି, ଶୁଣ !

 

ଶୁଣୁଥିବ ବସି !

 

ଅନ୍ୟକଥା ଭାବିବନି, ହସିବନି, କାନ୍ଦିବନି, ଈର୍ଷାକରିବୁନି, ଦୁଃଖ କରିବୁନି, ହିଂସା କରିବୁନି, ଏଁ ? ତେବେ ପ୍ରସ୍ତୁତ ହୁଅ, ଶୁଣୁଥାଅ ଜୀବନର–ଯୌବନର–ଜଞ୍ଜାଳର ଗହୀର ରହସ୍ୟ-

 

ଶୁଣୁଥିବ ସତ, ପ୍ରଶ୍ନ ପଚାରିବ ନାଇଁ, ନ ବୁଝିପାରିଲେ ଆଉଥରେ ଶୁଣିବ, କିନ୍ତୁ ପ୍ରଶ୍ନ ପଚାରିବ ନାଇଁ ! ମୁଁ ଯାହା କହୁଚି–ସବୁ ସତ, ତେଣୁ ପ୍ରଶ୍ନ ପଚାରିବ ନାଇଁ । ଖାଲି ବୁଝିଯିବା ଦରକାର । ଏତିକି ଧୈର୍ଯ୍ୟ କ’ଣ ତୁମଠି ନାହିଁ ?

 

(ତିନି)

 

ଗୌତମ, ମୃତ୍ୟୁପରର ଅବସ୍ଥା କ’ଣ ?

 

କେଉଁ ବ୍ୟକ୍ତି କହିପାରିବ ଏ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ?

 

ନା–ଏ ପ୍ରଶ୍ନର ଉତ୍ତର କୌଣସି ମାନବ ଠିକ୍‍ଭାବେ କହିପାରିବ ନାଇଁ, ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ ନା କାହିଁକି, ମନ ବୁଝିବା ପରି ଉତ୍ତର କେହି ଦେଇପାରିବେ ନାଇଁ । ସ୍ଵର୍ଗ, ନର୍କ, ଦେବତା, ମୁକ୍ତି, ପୁନର୍ଜନ୍ମ–ସବୁ ପାଗଳର ପ୍ରଳାପ, ବିକୃତ ମାନସର ଫମ୍ପା ପ୍ରତିଧ୍ୱନି । ସେଥିରେ ଭଳି ଯାଅନା ଗୌତମ ! ଏସବୁ କଥା ମୂର୍ଖଙ୍କ ପାଇଁ, ଅମଣିଷଙ୍କ ପାଇଁ–ମୂର୍ଖ ଅମଣିଷଙ୍କୁ ସାମାଜିକଭାବେ ଶୃଙ୍ଖଳିତ କରାଇବା ପାଇଁ ଏସବୁର ସୃଷ୍ଟି । ସ୍ୱାର୍ଥ ହାସଲପାଇଁ ମଣିଷ ସବୁ କରିପାରେ । ଏକଲବ୍ୟର ବୃଦ୍ଧାଙ୍ଗୁଳି ଉତ୍ସର୍ଗିତ ହୋଇଯାଏ ଦ୍ରୋଣଙ୍କୁ ଦକ୍ଷିଣା ଦେବାରେ । ଅବତାରୀ ଶ୍ରୀକୃଷ୍ଣ ମଧ୍ୟ ମାନବାବସ୍ଥାରେ କାପୁରୁଷଭାବେ ଶ୍ରୀଖଣ୍ଡୀଙ୍କୁ ଠିଆ କରାନ୍ତି ଭୀଷ୍ମଙ୍କ ସାମ୍ନାରେ । ସ୍ୱାର୍ଥପାଇଁ ସବୁର ସୃଷ୍ଟି ଗୌତମ । ସ୍ୱାର୍ଥପାଇଁ ସ୍ଵର୍ଗ, ସ୍ୱାର୍ଥପାଇଁ ନର୍କ, ସ୍ଵାର୍ଥପାଇଁ ଦେବତାର ପରିକଳ୍ପନା–ସବୁ ସ୍ୱାର୍ଥପାଇଁ ସୃଷ୍ଟି ଗୌତମ ! ତୁମେ ଏସବୁରେ ଭୁଲି ଯାଅନା । ମୃତ୍ୟୁ ପରଟା ଯେହେତୁ ଅନିଶ୍ଚିତ, ସେହେତୁ କେତେଟା ବୁଦ୍ଧିମାନ–ଚତୁର ବ୍ୟକ୍ତି ଏସବୁର ପରିକଳ୍ପନା କରିଥିଲେ ସାଧାରଣ ମାନବକୁ ଶୃଙ୍ଖଳିତ କରିବାପାଇଁ । ତୁମେ ତ ଉଚ୍ଛୃଙ୍ଖଳ ନୁହ, ତୁମେ ତ ଅସାମାଜିକ ନୁହ–ବରଂ ତୁମେ ଶୃଙ୍ଖଳିତ ବୁଦ୍ଧିମାନ ପରର କ୍ଷତି କରୁ ନଥିବା ଏକ ସାଧାରଣ ମଣିଷ, ତେଣୁ ମୃତ୍ୟୁପରର ବିଭିନ୍ନ ଉଦ୍ଭଟ ଅବସ୍ଥା ସମ୍ପର୍କରେ ଚିନ୍ତାକରି ସମୟ ନଷ୍ଟ କରନା । କିଛି ଲାଭ ନାଇଁ ଚିନ୍ତା କରି ! ମୃତ୍ୟୁ ପୂର୍ବର ଅବସ୍ଥା ତୁମ ପରି ମଣିଷପାଇଁ ଗୁରୁତ୍ଵପୂର୍ଣ୍ଣ !!

 

ମୃତ୍ୟୁ ପୂର୍ବର ଅବସ୍ଥାକୁ ଜୀବନ ବୋଲି କୁହାଯାଏ, ନୁହେଁ ? ତୁମେ ମୃତ୍ୟୁ ପୂର୍ବରୁ ଜୀବନକୁ କିପରି ଉପଭୋଗ କରିବା ଉଚିତ ? କହିପାରିବ ଗୌତମ, ମୃତ୍ୟୁପରର ଅନିଶ୍ଚିତତାକୁ ନେଇ ମୃତ୍ୟୁ ପୂର୍ବରୁ ମୂଲ୍ୟବାନ ସମୟକୁ ନଷ୍ଟ କରିବାରେ କିଛି ଅର୍ଥ ଥାଏ ? କିଛି ଅର୍ଥ ଥାଏ ଗୌତମ ?

 

ତୁମେ ସ୍ୱର୍ଗକୁ ଯିବ ? ମୃତ୍ୟୁପରେ ସ୍ୱର୍ଗକୁ ଯାଆନ୍ତି, ଏମିତି କିଛି ଧରାବନ୍ଧା ନିୟମ ତ ନାଇଁ । ନର୍କକୁ ? ସେମିତି କିଛି ଧରାବନ୍ଧା ନିୟମବି ନାଇଁ ! ମୃତ୍ୟୁପରେ ଗତି କ’ଣ, ସେକଥା କେହି କହିପାରିବ ନାଇଁ ! ଆଦୌ ଗତି ନଥାଇପାରେ ମଧ୍ୟ । ସେଥିରେ ସମୟ ନଷ୍ଟ କରନା । ସେପାଇଁ ବର୍ତ୍ତମାନର ସମୟକୁ ହତ୍ୟାକରନା ଗୌତମ । ସମୟ ଖୁବ୍ ମୂଲ୍ୟବାନ, ଜୀବନ ଚଟ୍‌କରି ଖସିଯିବ ହାତମୁଠାରୁ, ସମୟକୁ ଠିକ୍‍ଭାବେ ଉପଭୋଗ କରିପାରିଲି ନାଇଁ ବୋଲି ଅବସାଦବୋଧଟିଏ ନିମିଷକ ପାଇଁ ଆସି ସବୁ ଗର୍ବ–ଗୌରବ ଅହଂକାର–ଯଶ–ସ୍ଵାଭିମାନକୁ ଚୋରାଇ ନେବ । ଏବେଠୁ ଠିକ୍ ବାଟରେ ଚାଲୁଥାଅ । ମୃତ୍ୟୁ ପରର ଅବସ୍ଥା ସମ୍ପର୍କରେ ଚିନ୍ତା କରି ମୃତ୍ୟୁପୂର୍ବର ଅବସ୍ଥାକୁ ଅବହେଳା କରିବା ତୁମପରି ବୁଦ୍ଧିମାନ ପକ୍ଷରେ ଶୋଭା ପାଏନା ଗୌତମ-!!

 

(ଚାରି)

 

ଗୌତମ !

 

ତେବେ ମୁଁ ତୁମକୁ ଜନ୍ମଠାରୁ ମୃତ୍ୟୁଯାଏଁ ପରିବ୍ୟାପ୍ତ ସମୟର କଥା କହିବି । ଏଇ ସମୟକୁ ଜୀବନ ବୋଲି କୁହାଯାଏ, ନୁହେଁ ? କିନ୍ତୁ ପ୍ରକୃତରେ ଏଇ ସମୟଟି ଜୀବନ ନୁହେଁ, ଏଇ ସମୟରେ ଘଟି ଯାଉଥିବା ଘଟନାବଳିହିଁ ଜୀବନ । ତେବେ ଘଟଣାଗୁଡ଼ିକୁ ତୁମେ କି କ୍ରମରେ ସଜାଇବ ? କିମିତିଭାବେ ନିୟନ୍ତ୍ରଣ କରିବ ? କିମିତିଭାବେ ପ୍ରତିକ୍ରିୟା ଦେଖାଇବ ? ଏସବୁର ସମଷ୍ଟିହିଁ ଜୀବନ, ମୁଁ ତୁମକୁ ଏସବୁର କଥା କହିବି ।

 

ତୁମେ ଗୌତମ ବୁଦ୍ଧ ? ତପସ୍ୱୀ ଗୌତମ ? ଗୌତମ ନାୟକ ?

 

କିଏ ? ଗୌତମ ସାମନ୍ତରାୟ ? ଗୌତମ ଜେନା ? ଗୌତମ ହରିଚନ୍ଦନ ?

 

ଯିଏ ହୁଅନା କାହିଁକି, ମୁଁ ତୁମକୁ ଜନ୍ମଠୁ ମୃତ୍ୟୁ ଯାଏଁ ସମୟର ଘଟନାବଳି ସମ୍ପର୍କରେ କହିବି ! ମନଦେଇ ଶୁଣ !!

 

(ପାଞ୍ଚ)

 

ନିଜଦ୍ୱାରା ହେଉ ବା ଅନ୍ୟଦ୍ୱାରା ହେଉ, ତୁମକୁ ସଂଯୁକ୍ତ କରି ଘଟୁଥିବା ଘଟଣାଗୁଡ଼ିକ ନିଶ୍ଚୟ ତୁମକୁ କିଛି ନା କିଛି ଅନୁଭବ ଦେବ । ଅନୁଭବ ନଥାଇ ଜଣକର ଜୀବନରେ ଘଟଣା ଘଟି ନ ପାରେ । କେଉଁ ଘଟଣା ତୁମଠାରେ ହୁଏତ କ୍ରୋଧ ଜାଗ୍ରତ କରାଇପାରେ, କେଉଁ ଘଟଣା ହୁଏତ ଶାନ୍ତି ଜନ୍ମାଇପାରେ, କେଉଁ ଘଟଣା ସୁଖ ଦେଇପାରେ ତ କେଉଁ ଘଟଣା ଦୁଃଖ ଦେଇପାରେ ! ଜୀବନରେ ଘଟଣାମାନେ ଅନୁଭବକୁ ସାଙ୍ଗରେ ନେଇ ଆସିଥାନ୍ତି–ହେଉ ପଛେ କ୍ରୋଧ, ଶାନ୍ତି, ସୁଖ, ଦୁଃଖ, ଗ୍ଳାନି, କ୍ଷୋଭ, ଅଭିମାନ ବା ଆଉକିଛି । କୌଣସି ନିର୍ଦ୍ଦିଷ୍ଟ ଘଟଣାସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ଅନୁଭବ ପ୍ରତି କେଉଁ ପ୍ରକାରର ଦୃଷ୍ଟିକୋଣ–କି ପ୍ରକାରର ପ୍ରତିକ୍ରିୟା ଜଣେ ଦେଖାଇବାକୁ ଶିଖିବା ଉଚିତ–ତା' ଉପରେ ନିର୍ଭର କରେ ଜୀବନର ସଫଳତା ।

 

ବୁଝିଲ ଗୌତମ, ଜୀବନର ସବୁଠୁ ବଡ଼ ସମସ୍ୟା ହେଲା ଏଇ ଅନୁଭବଗୁଡ଼ିକ ନିୟନ୍ତ୍ରଣରେ ରଖିବା । ଯିଏ ଅନୁଭବର ଜୁଆରରେ ଭାସିଯାଏ, ସିଏ ଗଣ୍ଡରେ ଡୁବି ଯାଏଁ । ଥରେ ଅନୁଭବ ଉପରୁ ନିୟନ୍ତ୍ରଣ ହରାଇଲେ ସବୁ ଓଲଟପାଲଟ ହୋଇଯାଏ–ସଳଖ ଦିଶୁଥିବା ରାସ୍ତାଟି ହଠାତ୍ ଅଙ୍କାବଙ୍କା ଜଣାପଡ଼େ, ଉଜ୍ଜ୍ଵଳ ଦିଶୁଥିବା ଲକ୍ଷ୍ୟସ୍ଥଳଟି ହଠାତ୍ ପାଉଁଶିଆ ଦିଶି କ୍ରମେ ଅନ୍ଧାର ଭିତରେ ହଜିଯାଏ–ଅନ୍ଧାରରେ ହଜିଯାଉଥିବା ଲକ୍ଷ୍ୟ ପଛରେ ଧାଇଁଲେ ଝୁଣ୍ଟିପଡ଼ିବା ସାର ହୁଏ, ବୁଝିଲ ଗୌତମ ?

 

ଜୀବନକୁ ଯେଉଁମାନେ ଘଟଣାମାନଙ୍କର ସମଷ୍ଟି ବୋଲି କହନ୍ତି, ସେମାନେ ବୋଧେ ବୁଝିପାରନ୍ତି ନାଇଁ ଯେ ଯେଉଁସବୁ ଘଟଣା ସହିତ କୌଣସି ଅନୁଭବ ଜଡ଼ିତ ନୁହେଁ, ସେସବୁ ଘଟଣାର ଆମ ଜୀବନରେ କୌଣସି ଗୁରୁତ୍ୱ ନାଇଁ ବୋଲି !! ସେମାନେ ଏକଥାଟି ବୁଝିପାରନ୍ତି ନାଇଁ ଏବଂ ବୁଝିପାରନ୍ତି ନାଇଁ ବୋଲି ଅନୁଭବକୁ ନିୟନ୍ତ୍ରଣ କରି ଶିଖିବା ଛାଡ଼ି ଘଟଣାକୁ ନିୟନ୍ତ୍ରଣ କରିବାରେ ଲାଗିପଡ଼ନ୍ତି । ଭାବନ୍ତି ଜୀବନରେ ଘଟଣା ଘଟୁ ନଥାନ୍ତା କି ! କିନ୍ତୁ ଗୌତମ, ଘଟଣା ନଥିଲେ ଜୀବନର ଗତି କାହିଁ ? ଗତି ନଥିଲେ ତାହା ଜୀବନ ନୁହେଁ, ଏକ ଅଥର୍ବ ସ୍ଥିତି । ସେମିତି ବଞ୍ଚିବାରେ ଜାଣି ହୁଏ ନାଇଁ ନିଜେ ପଶୁ କି ମଣିଷ, କି ଗଛ କି ଆଉ କ’ଣ । ଗୌତମ, ଘଟଣା ପ୍ରତି ବୀତସ୍ପୃହା ହେବା ଦରକାର ନାଇଁ, ଘଟଣା ସହ ଜଡ଼ିତ ଥିବା ଅନୁଭବ ପ୍ରତି କେତେ ପ୍ରତିକ୍ରିୟା ପ୍ରଦର୍ଶନ କରିବ, ସେକଥା ଶିଖ । ଅନୁଭବକୁ କିମିତି ନିୟନ୍ତ୍ରଣରେ ରଖିବ ସେ କଥା ଶିଖ । ତାହାହେଲେ ଘଟଣାଦ୍ୱାରା ଜୀବନର ଗତି ଥିବ ଆଗକୁ ଓ ଅନୁଭବକୁ ଚିହ୍ନି ଠିକ୍ ପ୍ରତିକ୍ରିୟା ଦେଖାଇବା ଯୋଗୁଁ ଜୀବନ ତୁମକୁ ଅସହ୍ୟ ମନେ ହେବନାଇଁ ! କୌଣସି ନିର୍ଦ୍ଦିଷ୍ଟ ଅନୁଭବକୁ ଠିକ୍ ପ୍ରତିକ୍ରିୟା ଦେଖାଇପାରିଲେ, ସେଇ ଅନୁଭବ ଜାଗ୍ରତକାରୀ ଘଟଣାଟି ତୁମକୁ ହତାଶାରେ ଭରି ନଦେଇ, ତୁମ ମନରେ ଭରିଦେବ ଅଫୁରନ୍ତ ଉତ୍ସାହ–ଆଗକୁ ଚାଲିବାର ଅଫୁରନ୍ତ ପ୍ରେରଣା ! ଗୌତମ, ଦୁଃଖକୁ କିମିତି ଉପଭୋଗ କରିବାକୁ ହେବ ସେକଥା ନ ଭାବି ଦୁଃଖ ଜାତ କରାଇଥିବା ଘଟଣାଟିକୁ ମୂଳରୁ ଶେଷ ଯାଏଁ ମଣିଷ ଭାବି ବସେ ବୋଲି ଆହୁରି ଦୁଃଖ ପାଏ–ଦୁଃଖର ନଈଟିଏ ବହିଯାଏ ତା’ ସାମ୍ନାରେ । ଗୌତମ, ଏଇଠିହିଁ ମଣିଷର ଦୁଃଖ । ଗୌତମ, ଏଇଠାରେ ବିଫଳ ହେଲେ ଜୀବନକୁ ଉପଭୋଗ କରିବାର ସିଂହ ଦରଜା ଚିରଦିନ ପାଇଁ ବନ୍ଦ ହୋଇଯାଏ !!

 

(ଛଅ)

 

ଗୌତମ, ଜୀବନରେ କାମନାର ଭୂମିକା କ’ଣ ?

 

ତୁମପରି ଜଣେ ଗୌତମ ଥିଲେ–ଗଭୀର ଜ୍ଞାନ ପ୍ରାପ୍ତି ନିମନ୍ତେ ତାଙ୍କୁ ବୁଦ୍ଧ କୁହାଯାଏ । ସେ ଏ ସମ୍ପର୍କରେ ଖୁବ୍ ସୁନ୍ଦର କଥା କହି ଯାଇଛନ୍ତି । ତାଙ୍କର ସେଇ ବାଣୀ ଅବଶ୍ୟ ତୁମେ ଶୁଣିଥିବ । ତଥାପି ତାଙ୍କର କଥାକୁ ପୁନର୍ବାର ଦେଖିବା ଆସ ।

 

ବୁଦ୍ଧ କହିଥିଲେ ଜୀବନ ଦୁଃଖପୂର୍ଣ୍ଣ । ଏକଥା ସେ କିଆଁ କହିଥିଲେ ? ଏଇଥିପାଇଁ ଯେ, ଜୀବନରେ ମଣିଷ ଅନେକ କିଛି କାମନା କରିଥାଏ ଏବଂ ସବୁଗୁଡ଼ିକର ପ୍ରାପ୍ତି ସମ୍ଭବ ହୁଏ ନାଇଁ । କାମନା ପୂରଣ ନହେଲେ ଦୁଃଖ ଆସେ । କାମନା ରହିବ ନାଇଁ, ଏହା ଅସମ୍ଭବ । କାମନା ରହିବ ଏବଂ ସବୁ କାମନା ପୂରଣ ହେବ ନାଇଁ ତଥା ସେଇଥିପାଇଁହିଁ ଜୀବନ ଦୁଃଖମୟ ହୋଇଯାଏ !

 

ସେ ପୁଣି କହିଥିଲେ କାମନାର ବିନାଶରେ ଦୁଃଖର ବିନାଶ । ଏଇ କଥାଟି ସମ୍ପର୍କରେ ମୁଁ ତୁମକୁ କିଛି କହିବି ।

 

କାମନାର ବିନାଶ ସମ୍ଭବ କି ? ଯେଉଁ ମୁହୂର୍ତ୍ତରେ ଜଣକର କାମନାର ବିନାଶ ଘଟିବ, ତା'ପରଠୁ ତା’ର ସ୍ଥିତି କେଉଁପରି ହେବ ? କାମନାର ବିନାଶ ହୋଇଥିବା ହେତୁ ଦୁଃଖର ମଧ୍ୟ ବିନାଶ ହୋଇଥିବ ତଥା ବୁଦ୍ଧଙ୍କର ଶେଷୋକ୍ତି ‘ଦୁଃଖର ବିନାଶରେ ନିର୍ବାଣ ପ୍ରାପ୍ତି’ ଘଟିବା ସ୍ଵାଭାବିକ । ଏକଥାରେ ମୋର ସନ୍ଦେହ ଅଛି । ତେଣୁ ଆହୁରି ଭଲଭାବେ କଥାବାର୍ତ୍ତା ହେବା ଆସ-!

 

କାମନାର ବିନାଶ ପରେପରେ ଦୁଃଖର ମଧ୍ୟ ବିନାଶ ଘଟିବ । ଠିକ୍ ଅଛି । ତା’ପରେ ନିର୍ବାଣ ନୁହେଁ ? କିନ୍ତୁ ନିର୍ବାଣଟି କି ଅବସ୍ଥା ? ଏହା ମଣିଷର ଜୀବନ ଥିବା ଅବସ୍ଥାରେ ଘଟେ ନା ଜୀବନର ପରିସମାପ୍ତିରେ ଅର୍ଥାତ୍ ମୃତ୍ୟୁପରେ ଘଟେ ? ଯଦି ନିର୍ବାଣ ମୃତ୍ୟୁପରର ଅବସ୍ଥା, ତେବେ ଏ ସମ୍ପର୍କରେ ମୋର କିଛି କହିବାର ନାଇଁ, କାରଣ ସେ ସମ୍ପର୍କରେ ପ୍ରଥମତଃ ମୋର ଗହୀର ଚାଷ ନାଇଁ–ଦ୍ୱିତୀୟତଃ ଆରମ୍ଭରୁ ମୁଁ କହିଛି ଯେ ମୃତ୍ୟୁପରର ଅନିଶ୍ଚିତ ଅବସ୍ଥାକୁ ଆଶାକରି ମୃତ୍ୟୁ ପୂର୍ବର ସମୟ ନଷ୍ଟ କରିବା ବୋକାମି । କିନ୍ତୁ ଯଦି ଏଇ ନିର୍ବାଣ ଅବସ୍ଥାଟି ଜୀବନ ନଥିବା କାଳରେ ଅନୁଭବ୍ୟ, ତେବେ କିମିତି ସେ ଅନୁଭବ ? କିମିତି ସେ ଜୀବନ ? କିମିତି ସ୍ଥିତି ସେ ?

 

କାମନା ନାଇଁ, ତେଣୁ କୌଣସି ପ୍ରାପ୍ତିପାଇଁ ଘୋଡ଼ାଦଉଡ଼ ନାଇଁ, ଅତଏବ ଦୁଃଖ ନାଇଁ, ସୁଖ ନାଇଁ, ଗ୍ଳାନି ନାଇଁ, ଯୋଉ ନାଇଁ, ଅନୁଶୋଚନା ନାଇଁ–କିଛି ନାଇଁ । କିନ୍ତୁ ଏମିତି ଅବସ୍ଥା ସମ୍ଭବ କି ? ଅସମ୍ଭବ ବନ୍ଧୁ ! ଏମିତି ଅବସ୍ଥା ଅସମ୍ଭବ । କୌଣସି ଅପ୍ରାପ୍ତିର ଦୁଃଖାନୁଭବକୁ ଜଣେ ସୁଖାନୁଭବରେ ପରିବର୍ତ୍ତିତ କରାଇ ଜୀବନକୁ ଏକ ଅଲଗାଭାବେ ବଞ୍ଚିପାରେ ସତ, ମାତ୍ର କାମନା ରହିତ ହେବା ଅସମ୍ଭବ । କାମନା ରହିବ–ପ୍ରାପ୍ତିପାଇଁ ଆକାଂକ୍ଷା ରହିବ, ଅପ୍ରାପ୍ତିର ଦୁଃଖ ରହିବ–ଏସବୁ ସତ । କିନ୍ତୁ ସେ ଦୁଃଖ ତୁମକୁ ବିଚଳିତ ନକରୁ, ସେ ଦୁଃଖରେ ତୁମେ ଜ୍ଞାନ ରହିତ ହୁଅ ନାଇଁ, ଅପ୍ରାପ୍ତିର ଦୁଃଖକୁ ଲୁଚାଇ ରଖ ନାଇଁ, ବରଂ ସ୍ୱୀକାର କର ତୁମର ଅପ୍ରାପ୍ତିର ଦୁଃଖ ଅଛି ବୋଲି–ଏବଂ ନୂଆଭାବେ ପୁନଶ୍ଚ ଅନ୍ୟକିଛି ପାଇଁ ଚାଲୁଥାଅ, ବିଫଳ ହେଲେବି ବାରମ୍ବାର ଚାଲିଥାଅ, ଜୀବନ ଚଟ୍‌କରି ନିଗିଡି ପଡ଼ିବ ପାପୁଲି ସନ୍ଧିରୁ ବୁନ୍ଦାଏ ପାଣି ପରି–ଜଣାଯିବ ନାଇଁ, ଏଇପରି ଚାଲିବାହିଁ ଜୀବନ, ମୃତ୍ୟୁ ବା ମୃତ୍ୟୁପର କଥା ନେଇ ମୁଣ୍ଡ ଖେଳାଅ ନାଇଁ, ସେ ସବୁ ବିକୃତ ମସ୍ତିଷ୍କ ବ୍ୟକ୍ତିଙ୍କର କାମ–ସଫଳତାରେ ବା ବାରମ୍ବାର ବିଫଳତାରେ ମଧ୍ୟ ଚାଲୁଥାଅ, କେବଳ ଚାଲୁଥାଅ ଏବଂ ବିଫଳତାର ଦୁଃଖ, ଗ୍ଳାନି, କ୍ଷୋଭ, ଅନୁଶୋଚନା, ଲଜ୍ଜା, ଅଭିମାନର ପଙ୍କରେ ନିଜ ସାମ୍ନାରେ ରାସ୍ତାକୁ ପଙ୍କିଳ କର ନାଇଁ ! ଏଇ ଅନୁଭବଗୁଡ଼ିକୁ ଠିକ୍‍ଭାବେ ଚିହ୍ନିଶିଖ, ଏଇ ଅନୁଭବଗୁଡ଼ିକୁ ପରିବର୍ତ୍ତିତ କରିବା ଶିଖ–ଆଜି ଯିଏ ତୁମର ଗ୍ଳାନି, କାଲି ତୁମପାଇଁ ସିଏ ଗୌରବ ହୋଇ ଠିଆ ହେବ, କାମନା ରହିତ ହେବା ଅସମ୍ଭବ–ସେପରି ସ୍ଥଳେ ତୁମର ସ୍ଥିତି ରହିବ ନାଇଁ, ଜୀବନ ବୋଲି କିଛି ରହିବ ନାଇଁ–ମୃତ୍ୟୁ ପରେ ଜୀବନର ଗତି ସମ୍ପର୍କରେ କଳ୍ପନା କରି ଏବେର ଜୀବନରେ ସାଧନା କରି ଜୀବନର ସମସ୍ତ ସମୟକୁ ବ୍ୟର୍ଥକରି ଲାଭ କ’ଣ ? ନିର୍ବାଣ ତୁମର କି କାମରେ ଆସିବ ବନ୍ଧୁ ? ଜୀବନକୁ ଏପରି ଉପଭୋଗ କର, ଯେପରି ନିଜେ ମୁହୂର୍ତ୍ତକ ପାଇଁ କି ଭାବିବ ନାଇଁ ଯେ ଜୀବନ ତୁମର ବ୍ୟର୍ଥ ହୋଇଯାଇଚି ବୋଲି–ମୁହୂର୍ତ୍ତକ ପାଇଁ ଅନ୍ୟର ଅମଙ୍ଗଳ କାମନା ନକରି ନିଜ ଜୀବନର କାମନାର ପ୍ରାପ୍ତି/ଅପ୍ରାପ୍ତିର ସଫଳତା/ବିଫଳତାକୁ ନେଇ ତୁମେ ଆଗକୁ ଚାଲିଯାଅ–ଶେଷରେ ଦିନେ ଧପ୍‌କରି ନିଭିଯିବ ସବୁକିଛି, ତା’ପରେ ତୁମର ଆଉ କିଛି କରିବାର ନାଇଁ !

 

ବୁଝିଲ ଗୌତମ, ତୁମେ ତ ଶିଶୁ ନୁହ–ବୟସ୍କ; ଭଲମନ୍ଦ ବିଚାର କରିବାର ଶକ୍ତି ତୁମର ଅଛି, ଏବେଠୁ ଏଇମିତି ହେବାକୁ ଶିଖ, ତୁମ ଜୀବନରେ କିଛି ବିଫଳତା ରହିବ ନାଇଁ, ବିଫଳତା ତୁମପାଇଁ ସଫଳତା ହୋଇ ଠିଆ ହେବ, ଲଜ୍ଜାତୁମ ପାଇଁ ଗୌରବ ହୋଇ ଉଭା ହେବ, ଗ୍ଳାନି ତୁମପାଇଁ ଗର୍ବ ହୋଇ ପ୍ରତିଭାତ ହେବ !

 

ବନ୍ଧୁ ! ବାରବର୍ଷ ତପସ୍ୟା ପରେ ମଧ୍ୟ ବୁଦ୍ଧଙ୍କର କାମନାର ବିନାଶ ଘଟି ନଥିଲା ବୋଲି ମୁଁ ଭାବୁଚି ! ହୋଇଥିଲା ? ଜୀବନ ଥାଉଁଥାଉଁ କିମିତି ହେଲା କାମନାର ବିନାଶ ? ତାହାହେଲେ ସେ କିଆଁ ଧର୍ମପ୍ରଚାର କରିବାକୁ ବାହାରିଥିଲେ ? କିଆଁ ଲୋକଙ୍କୁ ସଦ୍‌ବୁଦ୍ଧି ଦେବାକୁ ଆଗେଇ ଆସିଲେ ? ଧର୍ମପ୍ରଚାର କରିବା ବା ସତ୍‌ବୁଦ୍ଧି ଦେବାପାଇଁ ଆଗେଇ ଆସିବା କିଛି ମନ୍ଦକାମ ନୁହେଁ, କଥାହେଲା ତାହାହିଁ ତ ଥିଲା ତାଙ୍କର କାମନା । କହିପାର, ତାଙ୍କର କାମନାର ବିନାଶ ଘଟିଥିଲା, କେବଳ ସାଧାରଣ ଜନତାର କଲ୍ୟାଣ ଉଦ୍ଦେଶ୍ୟରେ ସେ ଆଗେଇ ଆସିଥିଲେ । ନା, ବନ୍ଧୁ–ନା ! ତା' କଦାପି ସମ୍ଭବ ନୁହେଁ । କାମନାର ବିନାଶ ପରେ ମଣିଷର ଆଉ ଥାଏ କ’ଣ ? ତା’ର ତ କିଛି ନଥାଏ । ଖାଦ୍ୟର କାମନା ନାଇଁ, ବସ୍ତ୍ରର କାମନା ନାଇଁ, ଚାଲିବାର କାମନା ନାଇଁ, ପ୍ରାପ୍ତି ନିମନ୍ତେ ଦୌଡ଼ ନାଇଁ, ନିର୍ବାଣପାଇଁ ଲକ୍ଷ୍ୟ ନାଇଁ–ଦୁଃଖନାଇଁ, ସୁଖନାଇଁ–ଭଲ/ମନ୍ଦ, ପାପ–ପୁଣ୍ୟ–ଗ୍ଳାନି–ଗର୍ବ–ଲଜ୍ଜା–ଗୌରବ–କ୍ଷୋଭ–ଅନୁଶୋଚନା–ପଶ୍ଚାତାପ–ଅଭିମାନ–କ୍ରୋଧ–କାମଲୋଭ–ମୋହ–କିଛି ନାଇଁ । ତା’ର ସ୍ଥିତି ଏକ ଅଜବ ସ୍ଥିତି ! ସେ ସ୍ଥିତି ସମ୍ପର୍କରେ କେବଳ କଳ୍ପନା କରାଯାଇପାରେ, ସେ କଳ୍ପନାବି ଅସମ୍ପୂର୍ଣ୍ଣ ରହିଯିବ–ସେ ସମ୍ପର୍କରେ କଳ୍ପନା କରିବା ମଧ୍ୟ ଏତେ ସହଜକାମ ନୁହେଁ । କାମନାର ବିନାଶରେ ଜୀବନର ସ୍ଥିତି କାହିଁ ? ଯଦି କାମନା ବିନାଶ ହେବାର ଠିକ୍ ପରମୁହୂର୍ତ୍ତରେ ନିର୍ବାଣ ପ୍ରାପ୍ତି ହୁଏ ଏବଂ ନିର୍ବାଣତ୍ୱ ଯଦି ମୃତ୍ୟୁପରର ଏକ ଅବସ୍ଥା ହୋଇଥାଏ–ତେବେ ଅବା କାମନାର ବିନାଶ ସମ୍ଭବ ହୋଇଥିବ ! ମୃତ୍ୟୁ ପୂର୍ବରୁ କାମନାର ବିନାଶ ଆଉ କାହିଁ ? ବୁଦ୍ଧଙ୍କର କାମନାର ବିନାଶ ଘଟି ନଥିଲା, ଯାହାଥିଲା ତାହା ଅପରର ମଙ୍ଗଳ କାମନା–ହେଇପାରେ ଏହାହିଁ ତାଙ୍କର କାମନା, ତା’ଛଡ଼ା ସେ ଜିତେନ୍ଦ୍ରିୟ ଥିବା ସମ୍ଭବ ବା ଅନ୍ୟ କାମନା ସବୁକୁ ଦମନ କରିଥିଲେ । କିନ୍ତୁ ଗୋଟିଏ କାମନା ଥିଲା ନିଶ୍ଚୟ, ରହିବାକୁ ବାଧ୍ୟ । ଛାଡ଼ ବନ୍ଧୁ, ବୁଦ୍ଧଙ୍କ କାମନା ବିନାଶ ହୋଇଥିଲା କି ନାଇଁ, ଆମର ଭାବିବା ଅନାବଶ୍ୟକ, ମୋର ଯାହା କାମନା ସମ୍ପର୍କରେ କହିବାର ଥିଲା, ମୁଁ କହିଲି !! ଏବେ ଜୀବନ ସମ୍ପର୍କରେ ଗପିବା ଆସ ।

 

(ସାତ)

 

ଜୀବନକୁ ଭଲପାଇ ଶିଖିଲେ ଘଟଣା ସହ ସଂଯୁକ୍ତ ଥିବା ଅନୁଭବଗୁଡ଼ିକୁ ମଧ୍ୟ ଭଲପାଇ ହୋଇଯାଏ । ଅପ୍ରାପ୍ତିର ଦୁଃଖ ରହେ ନାଇଁ । ହତାଶାର ବରଗଛମୂଳେ ବାରବୁଲା ପରି ଦୀର୍ଘଶ୍ୱାସ ଛାଡ଼ିବାକୁ ପଡ଼େନାଇଁ । ଜୀବନକୁ ଭଲପାଇ ଶିଖ !

 

ଜୀବନକୁ ଭଲ ପାଇବାର ସହଜତମ ଉପାୟ କ’ଣ କୁହତ ? କାହାରିଠୁ କୌଣସି ପ୍ରତିଦାନର ଆଶା ରଖିବ ନାଇଁ, ଅଥଚ ଯଥାସମ୍ଭବ ଅନ୍ୟକୁ ସମର୍ପି ଦେବାର ପ୍ରୟାସ କରୁଥିବ । ନିଜକୁ ଭଲପାଇଲେ ଅନ୍ୟକୁ ଭଲପାଇ ହୁଏ । ନିଜଠୁ ପ୍ରତିଦାନର ଆଶା ନରଖିଲେ ଅନ୍ୟଠୁ ପ୍ରତିଦାନ ପାଇବାର ଆଶା ରହେ ନାଇଁ । କିଛି ଗୋଟେ କରି ସେଥିରୁ ନିଜପାଇଁ କିଛି ଅର୍ଜନ କରିବାର ଚେଷ୍ଟା କଲେ ତାହା ନିଜଠୁ ପ୍ରତିଦାନର ଆଶାରେ ପରିଣତ ହୁଏ । ତୁମେ କେବଳ କରିଥିବ, ପ୍ରତିଦାନର ଆଶା ନଥିବ–ଯାହା କିଛି ମିଳିଲା, ପ୍ରଥମେ ଚିନ୍ତା କରି ଦେଖିବ ତାହା ତୁମର ନିତାନ୍ତ ଆବଶ୍ୟକ କି ନାଇଁ । ଆବଶ୍ୟକ ହୋଇଥିଲେ ଗ୍ରହଣ କରିପାର । ନହେଲେ ନାହିଁ । ଏମିତିକି ଆବଶ୍ୟକ ଥିଲେ ମଧ୍ୟ ଗ୍ରହଣ ନ କରିବାକୁ ଶିଖିବା ଉଚିତ ।

 

ଅପରକୁ କ’ଣ ତେବେ ଦେବ ? ଏମିତି ଦେବ, ଯାହା ପାର୍ଥିବ–ଅପାର୍ଥିବଭାବେ ଅପରର କୌଣସି କ୍ଷତି କରୁ ନଥିବ । ଅନ୍ୟର ଜୀବନର ଚଲାପଥରେ କୌଣସି ବାଧାବିଘ୍ନ ଘଟାଉ ନଥିବ । ନହେଲେ କିଛି ଦେବ ନାଇଁ କିମ୍ବା କିଛି ପ୍ରତିଦାନର ଆଶା କରିବ ନାଇଁ । ପ୍ରତିଦାନର ଆଶା କରିବ ନାହିଁର ଅର୍ଥ ନୁହେଁ ଯେ, ତୁମେ କାହାଠୁ କିଛି ଗ୍ରହଣ କରିବ ନାଇଁ । ତୁମର ପାର୍ଥିବ/ଅପାର୍ଥିବଭାବେ କ୍ଷତି ନକଲା ଭଳି କୌଣସି ଚିନ୍ତା/ପଦାର୍ଥ ଯଦି କେହି ଆଗୁସାର ହୋଇ ତୁମକୁ ଦାନକରେ, ତେବେ ବନ୍ଧୁଭାବେ ଗ୍ରହଣ କରିବ–ପୁଣି ଚଳିବ ନିଜ ରାସ୍ତାରେ, ତେବେ ଯାଇ ଜୀବନ ପରସ୍ପର ପ୍ରତି ଏକ ଅନୁପମ ମମତ୍ୱବୋଧରେ ଭରି ଉଠିବ, ତେବେ ଯାଇ ତୁମର ଜୀବନ ଦୁଃଖହୀନ ଫୁଲପରି ମହକି ଉଠିବ–ନିଜକୁ ତୃପ୍ତି ଲାଗିବ ଯେ, ତୁମ ଜୀବନଟି ସତେ କେଡ଼େ ସୁନ୍ଦର, ତୁମ ଜୀବନଠୁ ସୁନ୍ଦର କିଛି ନାଇଁ ଏବଂ ସମସ୍ତଙ୍କ ଜୀବନକୁ ତୁମେ ଭଲପାଇଯିବ !

 

(ଶେଷ)

 

ତେବେ ଗୌତମ ତୁମେ ଶିଶୁ ନୁହେଁ ବୟସ୍କ । ତୁମର ବିବେକ ଦୁର୍ବଳ ନୁହେଁ–ସବଳ ! ବିବେକ ତୁମକୁ କଦାପି ଭୁଲ୍ ବାଟରେ ଟାଣି ନେବ ନାଇଁ–ନେଇ ନପାରେ । କିନ୍ତୁ ତୁମେ ସର୍ବଦା ସଜାଗ ଥିବ ଯେ, ବିବେକର ପ୍ରଥମ ପରାମର୍ଶକୁ ଅବହେଳା ନକରି ସମ୍ମାନ ଦେବ । ତେବେ ଯାଇ ତୁମର ମୃତ୍ୟୁକୁ ଭୟ ରହିବ ନାଇଁ, ମୃତ୍ୟୁର ଭୟ ନ ରହିଲେ ତୁମେ ମୃତ୍ୟୁପରର ଅବସ୍ଥା ସମ୍ପର୍କରେ ଚିନ୍ତା ନକରି ମୃତ୍ୟୁ ପୂର୍ବର ଜୀବନ ସମ୍ପର୍କରେ ସଚେତନ ହୋଇପାରିବ । ବିବେକକୁ ଜୀବନାଭିମୁଖୀ କରାଇପାରିଲେ ଜୀବନରେ ଅହରହ ଘଟୁଥିବା ଘଟଣାଗୁଡ଼ିକ ତୁମକୁ ଗୁରୁତ୍ୱପୂର୍ଣ୍ଣ ମନେ ହେବ ନାଇଁ–ତୁମେ ଘଟଣା ପ୍ରତି ଗୁରୁତ୍ୱ ନଦେଇ ଘଟଣା ସହ ଜଡ଼ିତ ଥିବା ଅନୁଭବକୁ ଗୁରୁତ୍ୱ ଦେବ ! ତାହାହେଲେ ତୁମେ ସୁଖ–ଦୁଃଖ–ପାପ–ପୁଣ୍ୟ–ଭଲ–ମନ୍ଦ–ଘୃଣା–ପ୍ରେମ–କ୍ରୋଧ–କ୍ଷୋଭ–ଗ୍ଳାନି–ଅଭିମାନ ଇତ୍ୟାଦି ଅନୁଭବକୁ ଚିହ୍ନିପାରିବ, ଚିହ୍ନିଲେ ପାର୍ଥକ୍ୟ ନିରୂପଣ କରିପାରିବ, ପାର୍ଥକ୍ୟ ନିରୂପଣ କରି ଶିଖିଲେ ନିର୍ଭୁଲ ପ୍ରତିକ୍ରିୟା ଦେଖାଇବ, ନିର୍ଭୁଲ ପ୍ରତିକ୍ରିୟା ଦେଖାଇଲେ ତୁମେ ଦୁଃଖରେ ଭାଙ୍ଗିଯିବ ନାଇଁ, ସୁଖରେ ଉଲ୍ଲସିତ ହେବ ନାଇଁ, ଗ୍ଳାନିରେ ହତାଶ ହେବନାଇଁ, କ୍ରୋଧରେ ପାଗଳ ହେବ ନାଇଁ ଅବା ପ୍ରେମରେ ବାଟ ହୁଡ଼ି ଯିବ ନାଇଁ ! ତେବେ ଜୀବନକୁ ପାଦେ ପାଦେ ଆଗକୁ ନେଇ ଯାଉଥିବା କାମନାମାନେ ତୁମକୁ ବିଭିନ୍ନ ଅନୁଭବର କ୍ରୀତଦାସ କରିଦେବେ ନାଇଁ । ସେପରି ସ୍ଥଳେ ତୁମର ଜୀବନକୁ ଗତିଶୀଳ କରି ରଖିବାପାଇଁ କାମନା ଥିବ ଅଥଚ କାମନାଜନିତ ବିକାର ନଥିବ । ବୁଝିପାରୁନ ? ତୁମର କାମନା ଥିବ ଅଥଚ କାମନା ନଥିବ ! ସୁଖ ଥିବ ସୁଖ ନଥିବ ! ଦୁଃଖ ଥିବ–ଦୁଃଖ ନଥିବ ! ସବୁଥିବ–କିଛି ନଥିବ ! ତେବେ ଯାଇ ଜୀବନ ତୁମକୁ ଭଲ ଲାଗିବ । ତେବେ ଯାଇ ଜୀବନ ମୃତ୍ୟୁ ପୂର୍ବର ସମୟକୁ ମହକାଇ ଦେବ ତୃପ୍ତିର ମହକରେ । ତୁମର ସବୁଥିବ, ତେଣୁ ତୁମେ ଅନ୍ୟକୁ ସବୁ ଦେଇପାରୁଥିବ । ତୁମର କିଛି ନଥିବ, ତେଣୁ ତୁମେ ଅନ୍ୟଠୁବି ସବୁକିଛି ଆଣିପାରୁଥିବ ! ଏଇମିତି ନିଜର ଜୀବନ ସହ ଅନ୍ୟର ଜୀବନ ଏକାକାର ହୋଇଯିବ । ମଣିଷ ମଣିଷ ଭିତରେ ଫରକ ରହିବ ନାଇଁ–ସମସ୍ତଙ୍କ ପାଇଁ ମହକି ଉଠିବ ସମୟ, ସମସ୍ତଙ୍କ ପାଇଁ ବିଫଳତାର ଯନ୍ତ୍ରଣାର ହିମାଳୟ ତରଳିଯାଇ ପରିଣତ ହେବ ତୃପ୍ତିର ସଫଳତାର ଝରଣାରେ । ସେତେବେଳେ ତୁମେ ଆଦୌ ନିଜର ଅହଂକାରୀ ବ୍ୟକ୍ତିତ୍ୱକୁ ଚିହ୍ନି ପାରିବ ନାଇଁ । ତୁମେ କେଉଁ ଗୌତମ, ତୁମେ ନିଜେ ମଧ୍ୟ ଜାଣିପାରିବ ନାଇଁ ! ବୁଝିଲ ତ ?

 

ତେବେ ଗୌତମ, ବର୍ତ୍ତମାନ କୁହତ ତୁମେ ସତରେ କେଉଁ ଗୌତମ ? କହିପାରିବ ? ପାରିବ ନାଇଁ । ତୁମେ ତ ସବୁ, ପୁଣି ତୁମେ ତ କେହି ନୁହ ! ଏଇଆ ନା ? ତେବେ ତୁମେ ଯେଉଁ ଗୌତମ ହୁଅନା କାହିଁକି–ହୁଅପଛେ ଗୌତମ ବୁଦ୍ଧ ଅବା ଗୌତମ ନାୟକ ଅବା ଗୌତମ ସ୍ଵାଇଁ ଅବା ଗୌତମ ହରିଚନ୍ଦନ ଅବା ଗୌତମ ଜେନା ଅବା ସାମନ୍ତରାୟ–ଯିଏ ହୁଅନା କାହିଁକି, ନିଜର ପରିଚୟ ଖୋଜିଖୋଜି ହାଲିଆ ହୁଅ ନାଇଁ–ତୁମେ ସବୁ–ତେଣୁ ତୁମେ ଯେ ଏକାକୀ ଏ ଘନ ଅନ୍ଧାର ବର୍ଷା ରାତିରେ ଦୁଃଖରେ କୁଆଡ଼େ ବାହାରିଛ, ତା’ର ଅର୍ଥ କ’ଣ ? ଏବେ ଘରକୁ ଫେରିଯାଅ । ରାତିରେ ବାହାରେ ବୁଲିଲେ ଦେହ ଖରାପ ହେବ । ଥରେ ମୁଣ୍ଡ ଟେକି ଦେଖ ତୁମର ଦୁଃଖ ଆକାଶର ଛାତିରେ ଝୁଲୁଛି ସପ୍ତର୍ଷି ମଣ୍ଡଳ ହୋଇ ! ବୁଝିଲ ? ଫେରିଯାଅ !

 

ନା ଅନ୍ୟ କିଛିପାଇଁ ବାହାରିଛ ? କୁହତ କେଉଁଥିପାଇଁ ଏତେ ରାତିରେ ବାହାରିଛ ଗୌତମ ? ଯଦି ତୁମର ଛାତି ତଳେ ଜୀବନପାଇଁ ଜଳୁଥିଲା ଦୁଃଖର ମଶାଲଟିଏ, ତେବେ ବର୍ତ୍ତମାନ ଦେଖ–ଛାତିତଳେ ଝରଝର ହୋଇ ନିଗିଡ଼ି ଯାଉଚି ସୁଖର–ପ୍ରେମର ଆନନ୍ଦର–ଶାନ୍ତିର–ତୃପ୍ତିର ଝରଣାଟିଏ । ସତରେ, ଥରେ ମାତ୍ର ନିଜକୁ ଚାହିଁ ଦେଖତ !!!

✽✽✽

 

Unknown

ଚଉମୁହାଣି

 

ଉପୋଦ୍‌ଘାତ :

 

ଆସହୋ, ଯେତେ ବାଟ ହୁଡ଼ିଥିବା ମଣିଷ ! ଭିଡ଼ ଭିତରେ ହଜିଯାଇ, ଚିକ୍‌ମିକ୍ ଆଲୁଅର ଭେଳିକିରେ ବାଟ ଭୁଲି ଥିବା ମଣିଷ ସବୁ ଆସହୋ ! ଚଉମୁହାଣିଟା ବଡ଼ ବିପଦ ଜାଗା, ଠିକ୍ ବାଟଟା ଭୁଲିଯାଇ ଭୁଲ୍ ବାଟରେ ପଶିଯିବହୋ ! ମୋ ସହ ଆସ, ନିରାପଦରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବ ।

 

ଭିଡ଼ ଭିତରେ ବାଟ ଖୋଜି ଖୋଜି ନୟାନ୍ତ ହୁଅନା, ସମୟକୁ ଏତେ ହେଳାରେ ନିଗିଡ଼ି ଯିବାକୁ ଦିଅନା, ଜୀବନକୁ ଏତେ ଶୀଘ୍ର ଇଡ଼ି ଦିଅନାହୋ । ଶେଷ ପର୍ଯ୍ୟନ୍ତ ଯଦି ଠିକ୍ ରାସ୍ତାରେ ରହିବାକୁ ଚାହଁ, ତେବେ ପ୍ରସ୍ତୁତ ହୋଇ ଆସ ମୋ ପଛେ ପଛେ ନିଶ୍ଚିନ୍ତରେ ଚାଲୁଥାଅ ।

 

ବାଦ୍ୟଯନ୍ତ୍ର କିଛି ଆଣିଥାଅହୋ । ଏତେ ବଡ଼ ରାସ୍ତାରେ କେବେ ଯଦି କ୍ଳାନ୍ତ ଲାଗେ, ତେବେ ରାତିରେ ବାଦ୍ୟଯନ୍ତ୍ର ବଜେଇ ଦିଘଡ଼ି ନିଜକୁ ଭୁଲିପାରିବ । ଆଉ କିଛି ଦରକାର ନାଇଁ । ବାଟରେ ଖାଦ୍ୟ–ପାନୀୟର ଅଭାବ ନାଇଁ, ବାଟରେ ବେଶପୋଷାକର ଅଭାବ ନାଇଁ, ରାତିରେ ରହିବାପାଇଁ ଆଶ୍ରୟର ଅଭାବ ନାଇଁ ।

 

କିଛି ଆଶଙ୍କା କର ନାଇଁ । ନିଜକୁ ପୂର୍ଣ୍ଣଭାବେ ମୋତେ ସମର୍ପଣ କରିଦିଅ । ନିଶ୍ଚିନ୍ତରେ ବସିଥାଅହୋ । ଚାଲି ଚାଲି ଶେଷରେ ଦେଖିବ, ତୁମେ ତୁମ ଲକ୍ଷ୍ୟସ୍ଥଳରେ ଢୁକି ଯାଇଚ । ସେତେବେଳେ ମୁଁ ଆଉ ତୁମକୁ ମୋ ସହ ରହିବାପାଇଁ ବାଧ୍ୟ କରିବି ନାଇଁ, ତୁମେ ତୁମର ହୋଇଯିବହୋ । ମୋପାଇଁ ଚିନ୍ତା କରନାହୋ, ମୋ କଥା ମୁଁ ଏକାଏକା ଠିକ୍ ବୁଝିପାରିବି । ଆସହୋ ଯେତେ ବାଟ ହୁଡ଼ିଥିବା ମଣିଷ; ନହେଲେ ଅନୁତାପ କରିବ ପଛରେ !!

 

ପ୍ରଥମ ମୁହାଣ :

 

ବନ୍ଧୁଗଣ ! ଆରମ୍ଭ ହୋଇଗଲା ଯାତ୍ରା । ଏଇଠୁ ଆରମ୍ଭ । ଆମେମାନେ ଏ ଡାକେ କି ଦି’ଡ଼ାକେ ବାଟ ଅତିକ୍ରମି ଗଲେଣି । ଯାତ୍ରା ଆରମ୍ଭ ହୋଇଗଲା ଶୁଣି ଏତେ ନିଃଶବ୍ଦତା କିଆଁ ଘେରିଯାଇଚି ତୁମମାନଙ୍କ ମୁହଁରେ ? କ’ଣ ପାଇଁ ଏ ଆଶଙ୍କା ? କାହାକୁ ବା ଏ ଭୟ ?

 

ଏକଦା ଏକାଏକା ମୁଁ ଏଇ ବାଟ ଦେଇ ଶେଷ ପର୍ଯ୍ୟନ୍ତ ଚାଲି ଯାଇଥିଲି । କାହିଁ ମୋର ତ ସାମାନ୍ୟ ଆଶଙ୍କା ନଥିଲା । ଏକାକୀ, ପୁଣି ଏ ରାସ୍ତାରେ ନୂତନ ତଥାପି ତ ଭୟ ନଥିଲା । ଏବେ ତ ଆମେ ଅନେକ ଅଛେ, ମୋର ପୂର୍ବରୁ ଅଭିଜ୍ଞତା ଅଛି, ଭୟ କ’ଣ ପାଇଁ ?

 

ଏଇଟା ପ୍ରଥମ ମୁହାଣ !! ଏଇ ପ୍ରଥମ ମୁହାଣରେ ଈର୍ଷା ନାହିଁ, ହିଂସା ନାହିଁ, ଘୃଣା ନାହିଁ, ବିଦ୍ୱେଷ ନାଇଁ, ଆଶଙ୍କା ନାହିଁ, ମାୟା ନାହିଁ, ଛଳନା ନାହିଁ । ଏଠି ସବୁକିଛି ସୁନ୍ଦର । ଏଇ ଦେଖ–ରାସ୍ତାର ଧାରେ ଧାରେ କୃଷ୍ଣଚୂଡ଼ା ଗଛ ସବୁ କେମିତି ଲାଲ ରଙ୍ଗରେ ଲହଡ଼ି ଭାଙ୍ଗୁଚି । ରାସ୍ତାର ଛାତିରେ ବିଛେଇ ହୋଇଯାଇଚି କୃଷ୍ଣଚୂଡ଼ାର ପାଖୁଡ଼ା, ପାଦକୁ ନରମ ଲାଗୁଚି ଏ ରାସ୍ତା ।

 

କି ସୁନ୍ଦର ପବନ ବହୁଚି ଦେଖ । ଏମିତି ପବନରେ ଅନନ୍ତ କାଳପାଇଁ ଚାଲୁଥିଲେ ଶୋଷ ଲାଗିବ ନାଇଁ, ସତେଅବା ଏଇ ପବନ–ଏଇ ପାଣି–ଏଇ ଜୀବନ, ଏଇ ପ୍ରାଣ, ଏଇ ମନ । ପବନରେ ଦୋହଲୁଚି ଦେଖ କୋଇଲିର ଘର, ପୁଣି ଶୁଣ କାନ ଡେରି ପବନରେ ଭାସିଆସେ କୋଇଲିର ମଧୁର ରାଗିଣୀ ।

 

ଏଇ ଯେଉଁ କୁଳୁକୁଳୁ ଶବ୍ଦ ଭାସିଆସୁଚି ଦୂରରୁ କୋଇଲିର ମଧୁର ରାଗିଣୀ ସହ ଏକାକାର ହୋଇ, ସେଇଟା କି ଶବ୍ଦ ଜାଣିପାରୁଚ ? ସେଇଟି ଏକ ଝରଣା, ବେଶୀ ଦୂର ନୁହେଁ, ଏଇ ଆଗରେ–ଗୋଟେ ଛୋଟ ମୁଣ୍ଡିଆରୁ ଝରିଆସୁଚି ଝରଣାଟିଏ, କେତେ ଖଣ୍ଡ ବଡ଼ବଡ଼ ପଥର ସନ୍ଧିରୁ, ପିଚକାରି ମାରିବା ପରି ପୃଥ୍ୱୀର ଛାତିରୁ ଉବୁକି ଆସୁଚି ଝରଣାଟିଏ, ବହିଯାଉଚି କୁଳୁକୁଳୁ ହୋଇ । ଅପେକ୍ଷା କର, ସେଇ ଝରଣା କୂଳସ୍ଥ ପଥର ଉପରେ କିଛିକ୍ଷଣ ବିଶ୍ରାମ କରିବା । ଝରଣାର ପାଣିରେ ସ୍ନାନ କରି ଦେହ ମନକୁ ଏକ ଅଲଗା ପ୍ରକାରର ରୋମାଞ୍ଚରେ ସୁରଭିତ କରିବା-। ଏଇ ଆଗରେ ତ ଝରଣା ।

 

ଶୁଣିପାରୁଚ ? ଶୁଣିପାରୁଚ ଖୁବ୍ କ୍ଷୀଣଭାବେ ଏକ ମଧୁର ଆବାଜ ପବନରେ ମିଳେଇ ଯାଉଚି ? ଶୁଣିପାରୁଚ ? ଝରଣାଠୁ କିଛି ଦୂରେ ଗୋଟେ କୁଡ଼ିଆ କରି ଜଣେ ଲୋକ ରହୁଚି ଅନେକ ଦିନରୁ । ଯେବେ ମୁଁ ଏକାକୀ ଆସିଥିଲି, ତା’ କୁଡ଼ିଆରେ ଦିନକପାଇଁ ରହିଥିଲି । ସେଇ ଲୋକର ଏକ ବଇଁଶୀ ଅଛି–ସେଇ ନିଶ୍ଚେ ବଜାଉଛି ବଂଶୀ, ସ୍ୱର କ୍ଷୀଣଭାବେ ମିଳେଇଗଲା ପବନରେ, ପୁଣି ଶୁଭିବହୋ, ପୁଣି ଶୁଭିବ !

 

ଯେଉଁ ଜୀବ ସବୁ ଆକାଶରେ ଉଡ଼ି ବୁଲୁଛନ୍ତି, ସେମାନଙ୍କୁ ପକ୍ଷୀ କୁହାଯାଏ । ଏ ଜଗତରେ ଏମିତି ବିଭିନ୍ନ ପ୍ରକାରର ପକ୍ଷୀ ଅଛନ୍ତି । ହଳଦୀ ରଙ୍ଗର ସେଇଟା ହଳଦିବସନ୍ତ, ସେଇଟା କଜଳପାତି, ଖୁବ୍ ଦୂରରେ ଧ୍ୟାନମଗ୍ନ ତପସ୍ୱୀ ପରି ଯିଏ ବସିଚି ସେଇଟି ବଗ,

 

ଏଇ ଦେଖ ଦେଖ–ଏଟା ଶୁଆ–ମଣିଷପରି କଥା କହିବା ଶିଖିପାରେ, ଆଉ କେଉଁ ପତ୍ର ଗହଳିରୁ ଯେଉଁ ମଧୁର ସ୍ୱର ଭାସି ଆସୁଚି ପବନରେ–ଠିକ୍ ଦ୍ଵାରସ୍ଥ କୁଡ଼ିଆର ସେଇ ଏକା ମଣିଷର ବଂଶୀ ସ୍ୱର ପରି ସେଇ ମଧୁର କଣ୍ଠର ଅଧିକାରୀ ହେଲା କୋଇଲି–ଏକ ପକ୍ଷୀ । ଅନେକଙ୍କର ଧାରଣା ଯେ, ପକ୍ଷୀମାନେ ମୁକ୍ତ–ସର୍ବଦାସୁଖୀ, ହେଲେ ତୁମେ କଦାପି ସେମିତି ଭାବିବ ନାଇଁ । କଦାପି ଧାରଣା କରିବ ନାଇଁ ଯେ, ଏଜଗତର କୌଣସି ଜୀବ ସୁଖରେ ପୂର୍ଣ୍ଣତା ଲଭିଛି ବୋଲି । କେହି ମୁକ୍ତ ନୁହେଁ–ଜୀବନ ଯେଉଁଠି ମାୟା ସେଇଠି, ମାୟା ପଛେ ପଛେ ବନ୍ଧନ, ଯେଉଁଠି ବନ୍ଧନ ସେଠି ଆଉ ପୂର୍ଣ୍ଣସୁଖ କାହିଁ ? ଏକଥାଟି ଆଦୌ ଭୁଲିବ ନାଇଁ, ଭୁଲିଗଲେ ଏଇ ପ୍ରଥମ ମୁହାଣକୁ ଅତିକ୍ରମି ପାରିବ ନାହିଁହୋ । ଆସହୋ–ତୁମ ପାଦ ଧିମେଇ ଯାଉଚି କିଆଁ ? ମୋତେ ଏତେ ବୟସ ହେଲାଣି, ଅଥଚ ମୁଁ କ୍ଳାନ୍ତ ହୋଇ ନାହିଁ, ତୁମେମାନେ ତ ଆଜିଠୁ ଏମିତି ଦୁର୍ବଳ ହୋଇଯାଉଚ, ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ଯିବ କିମିତି ? ଆସହୋ–ଅଟକି ଯାଅ ନାହିଁ, ଥରେ ଅଟକିଗଲେ ଆଉ ପାଦ ଉଠେଇପାରିବ ନାଇଁ, ଡରି ଯାଅନି, ଏଯାଏଁ ତ ସନ୍ଧ୍ୟା ହୋଇନି, ଦିନଟିଏବି ବିତିନି ସାହସ ଧର–ଆସହୋ, ଆସ ! ସନ୍ଧ୍ୟା ପୂର୍ବରୁ କିଛି ବାଟ ଚାଲିଯିବା ।

 

ନା–ତୁମମାନଙ୍କର ଏତେ ମନ୍ଥର ପଦପାତରେ ରାସ୍ତା ଅତିକ୍ରମି ହେବ ନାଇଁ । କିଛି ଗୋଟେ ଉପାୟ କରିବାକୁ ହେବ । ତୁମକୁ ଏଠାରୁ ଫେରେଇ ଦେଇ ହେବ ନାହିଁ । ଶେଷ ପର୍ଯ୍ୟନ୍ତ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଇଚି ଯେତେବେଳେ, ଶେଷ ନିଃଶ୍ୱାସ ଥିବା ଯାଏଁ ମୁଁ ମୋ ପ୍ରତିଶ୍ରୁତି ରକ୍ଷା କରିବି । କିନ୍ତୁ ତୁମମାନଙ୍କର ଏତେ ଧୀର ଗତିରେ ତ ସମୟ ଅଣ୍ଟିବ ନାଇଁ, ମତେ ଅନ୍ୟ ଉପାୟ କରିବାକୁ ହେବ ।

 

ତୁମେମାନେ ଆଉ ରାସ୍ତାକଡ଼ର ବିଭିନ୍ନ ପଦାର୍ଥ ନେଇ ମୋତେ ପ୍ରଶ୍ନ କର ନାହିଁ । ଏଇଟା କ’ଣ ? ସେଇଟା କି ଜୀବ ? ଏମିତି କାହିଁକି ହେଲା ? ସେମିତି କିଆଁ ହେଲା ନାହିଁ ? ଏମିତି ଅଜବ ପ୍ରଶ୍ନ କର ନାହିଁ, କିଛି ସମୟ ନୀରବ ରୁହ ।

 

ନା–ମୁଁ ଜାଣେ ତୁମେ ନୀରବ ରହିପାରିବନି । ମୁଁ ଜାଣେ ଯେ ତୁମେମାନେ କେହି ମୋ ଗତି ସହ ତାଳ ମିଳେଇ ଚାଲିପାରୁନାହଁ–ଏଣେ ମତେ ମୋ ପ୍ରତିଶ୍ରୁତି ରଖିବାକୁ ହେବ; ନା–ନା ମତେ କିଛି ଉପାୟ କରିବାକୁ ହେବ ।

 

ଆଚ୍ଛା–ତେବେ ମୋ ମୁଣ୍ଡକୁ ଗୋଟେ ଉପାୟ ଢୁକିଚି । ମୁଁ ଜାଣେ ସେଟା କାହା ମନକୁ ପାଇବ ନାଇଁ, ତଥାପି କେତେବେଳୁ ଭାବିଚି । ନା–କାହାକୁ କହିବି ନାଇଁ, ମୋ କାମ ମୁଁ କରିଯିବି, ଏଇ ଦେଖ–ବିସ୍ତାରିଲି ଇନ୍ଦ୍ରଜାଲ ମାୟା, ସବୁ ମଣିଷ ମିଶି ଏକାକାର ହୋଇଯିବ । ଅନେକରୁ ଏକରେ ପରିଣତ ହେବ । ଏକ ଦେହ, ଏକମନ, ଏକପ୍ରାଣ ହୋଇଯିବ । ସହସ୍ର ଦେହ ମିଶି ହେବ ଏକ ଦେହ । ତେବେ ଯାଇ ସେ ନୂଆ ମଣିଷଟି ମୋ ଗତି ସହ ପାଦ ମିଳେଇ ଚାଲିପାରିବ । ଭୟ କରନାହୋ–ଶେଷରେ ମୁଁ ପୁଣି ଏକରୁ ଅନେକ କରିବି, ତୁମେ ନିଜର ଏକକ ବ୍ୟକ୍ତିତ୍ୱ ଫେରି ପାଇବ, ନିଜ ନିଜ ପରିଧିକୁ ଫେରିଯାଇ ନିଜ ନିଜ ଲକ୍ଷ୍ୟକୁ ଏକକଭାବେ ଉପଭୋଗ କରିପାରିବହୋ !

 

ବିସ୍ତାରିଲି ତେବେ ଦେଖ ଇନ୍ଦ୍ରଜାଲ ମାୟା । ଅସୁରୁଣୀ ବୁଢ଼ୀର ଭେଣ୍ଡାକୁ ମେଣ୍ଢା କରିବାର ମନ୍ତ୍ର ଏଇ ଦେଖ ଆରମ୍ଭ କଲି, ବାସ୍–ଆଉ ମୁହୂର୍ତ୍ତେ ମାତ୍ର । ଏଇତ–ଏତେଜଣ ଆସିଥିଲେ ମତେ ଅନୁସରଣ କରି । ଏବେ କେହି ନାହିଁ । କେବଳ ଜଣେ ଠିଆ ହେଇଚି । ସବୁ ମିଶି ଯାଇ ଏକ ହୋଇ ଯାଇଚି ।

 

ଠିକ୍ ଅଛି–ଆସହୋ ମୋର ନୂତନ ସହଯାତ୍ରୀ, ଶୀଘ୍ର ଶୀଘ୍ର ଚାଲିଆସ, ଡର କ’ଣ ? ତୁମେ ଆଉ ମୁଁ । ତୁମେ ଗୋଟିଏ ଏକକ–ଜଣେ ମଣିଷ । ଏଇ ଯାତ୍ରା ଶେଷ ପର୍ଯ୍ୟନ୍ତ ମୁଁ ତୁମକୁ କେଉଁ ଭାବରେ ବା ସମ୍ବୋଧନ କରିବି ? ମନେକର ତୁମ ନାଁ ମଣିଭଦ୍ର । ଏଇ ନାମରେ ତୁମେ ପରିଚିତ ହେବ ।

 

ଏବେ ତୁମର ଅନେକ କିଛି ବୁଝିବାର ବୟସ ହୋଇଗଲାଣି । ଆଗ ଭଳି ମୋତେ ଆଉ ତୁମକୁ ସବୁ ବୁଝେଇବାକୁ ପଡ଼ୁନାହିଁ । ଏଇଟା ପକ୍ଷୀ, ଏଇଟା ଗଛ, ସେଇଟା ଫୁଲ, ସେଇଟା ଝରଣା, ସିଏ ଆକାଶ, ଏଇଟା ସୂର୍ଯ୍ୟ, ସେଇଟା ଚନ୍ଦ୍ର ଇତ୍ୟାଦି ବୁଝେଇବାକୁ ପଡ଼ୁନି । ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ଅନେକ ଉନ୍ନତି ଘଟିଚି ତୁମ ବିଚାରବୋଧରେ । ସତରେ, ତୁମେ ସେ ସମୟକୁ ମୁହୂର୍ତ୍ତକ ଭିତରେ ପିଇଦେଇ ଏ ସମୟ ଭିତରେ ପାଦ ରଖିଚ ।

 

ଦିନ ସରି ଆସିଲାଣି । ଏବେ ରାତି ଆସିଯିବ । ସେ ବାଦ୍ୟଯନ୍ତ୍ରଟା ଆଣିଚ ପରା ? ରାତିରେ କେଉଁ ଗଛ ମୂଳେ ରହିବା, ସେଇ ବାଦ୍ୟଟା ବଜାଇବା । ତେବେ ଆମକୁ ଗଛମୂଳେ ରହିବାକୁ ହେବନି ବୋଧେ । ଏଇତ–ସେଇ ଏକା ମଣିଷର କୁଡ଼ିଆଟା ଦିଶିଲାଣି, ସେଇ ଯାହାର ବଂଶୀସ୍ଵର ଖୁବ୍ ଦୂରରୁ ଶୁଣିଥିଲେ । ଯା’ହେଉ, ଗୋଟିଏ ଦିନରେ ତୁମେ ଅନେକ ବଢ଼ିଯାଇଚ, ଗୋଟିଏ ପାହାଚରୁ ଅନ୍ୟ ଏକ ପାହାଚ ଉପରକୁ ଚଢ଼ିଚ । କଢ଼ିରୁ ଫୁଲଟିଏ ହୋଇ ଫୁଟିଚ । ବିନ୍ଦୁ ବିନ୍ଦୁ ବର୍ଷାଜଳ ମିଶି ଏକ ବିଶାଳ ନଈ ହୋଇଚି । ତୁମର ଅନେକ ପରିବର୍ତ୍ତନ ହୋଇଚି ସତରେ ମଣିଭଦ୍ର ।

 

ଚାଲ ଶୋଇଯିବା । ରାତି ଅନେକ ହେଲାଣି । ବାଦ୍ୟଯନ୍ତ୍ରଟା ବଜାଇ ତୁମେବି କ୍ଳାନ୍ତ ଦିଶୁଚ । ଜହ୍ନଟାବି ଗଡ଼ିଗଲାଣି ମୁଣ୍ଡଉପରୁ । କାଲି ସକାଳୁ ପୁଣି ଯାତ୍ରା କରିବାକୁ ହେବ–ତେଣୁ ଆଜି ଟିକେ ବିଶ୍ରାମ ନନେଲେ ହେବ କିମିତି ?

 

ଦ୍ୱିତୀୟ ମୁହାଣ :

 

ଏ ଯେ କୁମ୍ଭାଟୁଆର ସ୍ୱର । ଏ ଯେ ବିଭିନ୍ନ ପକ୍ଷୀଙ୍କର ଶୁଭ ସକାଳର ଆବାହନୀରେ ମଧୁର ଝଙ୍କାର । ଏ ଯେ ବିନ୍ଦୁ ବିନ୍ଦୁ କାକରଙ୍କର ଆଲୋକକୁ ସ୍ୱାଗତିକା । ଏ ଯେ ରାଶିରାଶି ଫୁଲଙ୍କର ଅନ୍ଧାରକୁ ପ୍ରୀତିଭରା ବିଦାୟୀ ମହକ ।

 

ଏ ଯେ ପୂର୍ବାକାଶରେ ଆଦୌ ରଶ୍ମି ନଥିବା ରକ୍ତବର୍ଣ୍ଣର ମନ୍ଦାଏ ଦାଗ । ଏ ଯେ ପ୍ରଥମ କିରଣର ପରଶ । ଏ ଯେ ସକାଳ–ଉଠ, ଉଠ ମଣିଭଦ୍ର, ଉଠ–ଆଉ ବିଳମ୍ବ କର ନାହିଁ, ରାସ୍ତା ଅନେକ ବାକି ବୋଲି ଏବେଠୁ ଭୁଲିଗଲଣି ନା କ’ଣ ?

 

କ’ଣ ପ୍ରସ୍ତୁତ ? ତେବେ ଯାତ୍ରା ଆରମ୍ଭ ହେଉ । ଆଜି ପ୍ରଥମେ ତୁମେ ପାଦ ପକାଅ ଆଗକୁ । ତୁମଦ୍ୱାରା ଆଜି ଯାତ୍ରାର ଶୁଭାରମ୍ଭ ହେଉ । ପ୍ରକୃତିର ସର୍ବମଙ୍ଗଳ ଆବାହନୀରେ ଭରି ରହିଥିବା ଅପୂର୍ବ ଜ୍ୟୋତିର୍ମୟ ପ୍ରଶାନ୍ତିର ଅଥଳ ସମୁଦ୍ରରେ ପ୍ରଥମେ ତୁମର ନାଆ ପବନରେ ହଲିହଲି ଦିଗ୍‌ବଳୟ ଆଡ଼କୁ ଯାତ୍ରାରମ୍ଭ କରୁ ।

 

ସାବଧାନ ବନ୍ଧୁ, ସର୍ବଦା ସଜାଗ ଥିବ, ଏ ଯେ ଦ୍ୱିତୀୟ ମୁହାଣ । ପ୍ରଥମ ମୁହାଣ ଅପେକ୍ଷା ଏଠାକାର ଯାତ୍ରା ସାମାନ୍ୟ କଷ୍ଟଦାୟକ । ପ୍ରଥମ ମୁହାଣରେ ଭୁଲପାଇଁ କ୍ଷମା କରାଯାଇପାରେ, ହେଲେ ଏଠି ତୁମକୁ ପ୍ରାୟଶ୍ଚିତ୍ତ କରିବାକୁ ହେବ ବନ୍ଧୁ–ନଚେତ ରକ୍ଷା ନାହିଁ । ଏ ଯେ ଦ୍ୱିତୀୟ ମୁହାଣ ।

 

X X X

 

ଏ ଧରଣର ପ୍ରଶ୍ନ ମୋତେ ପଚାର ନାହିଁ ମଣିଭଦ୍ର । ଏ ପ୍ରଶ୍ନର କିଛି ମୂଲ୍ୟ ନାହିଁ । ଏ ଜଗତର ଆହୁରି ଅନେକ ଅନ୍ଧାରି ଦିଗନ୍ତ ଦେଖିବାକୁ ବାକି ଅଛି ତୁମର, ସବୁ ଦେଖିସାର, ତା’ପରେ ପ୍ରଶ୍ନ କରିବ । ତେବେ ମୁଁ ଉତ୍ତର ଦେବି ।

 

ବଡ଼ବଡ଼ ବୃକ୍ଷମାନେ ଛୋଟ ଫୁଲଗଛମାନଙ୍କୁ ପବନରେ ଦୋଳି ଖେଳିବାକୁ ଅନୁମତି ଦେଉ ନାହାନ୍ତି । କଳା ବଉଦ ସବୁ ଉଇଁ ଆସୁଥିବା ଜହ୍ନକୁ ଆଚ୍ଛାଦିତ କରି ପକାଉଚି । ସମୁଦ୍ରର ଅନବରତ ଚିତ୍କାର ଦୂରରୁ ଶୁଭୁଥିବା କୋକିଳର ମଧୁର କୁହୁତାନକୁ କେଉଁଠି ବିଲୀନ କରି ଦେଉଚି-। ଏଥିରେ ବିସ୍ମିତ ହେବାର କ’ଣ ଅଛି ? ତୁମର ଦୁଃଖ କରିବାର କ’ଣ ଅଛି ? ଏସବୁ ଚିରାଚରିତ ପ୍ରଥାରୂପେ ଚଳିଆସୁଚି, ପ୍ରକୃତିର ନିୟମ ବୋଲି କହି ଏସବୁର ପ୍ରତିରୋଧ କରିବାର ସାହସ କାହାଠି ନାହିଁ । ଲକ୍ଷ ଲକ୍ଷ ଜୀବନ ଏମିତି ପ୍ରଶ୍ନ କରି କେଉଁଠି ହଜିଗଲେଣି । ପ୍ରଥମେ ଉତ୍ତେଜନା ଥାଏ, କ୍ରମେ ସବୁ ମଉଳି ଯାଇ ପରିଣତ ହୁଏ ପାଉଁଶ ଗଦାରେ ।

 

ମନେରଖ ମଣିଭଦ୍ର, ଏ ଯାତ୍ରା ଭିତରେ କୌଣସି ଦିନ ତୁମେ କୌଣସି ବିଶାଳ ବୃକ୍ଷକୁ ବା ସମୁଦ୍ରକୁ ବା କଳା ବଉଦକୁ ଏ ସମ୍ପର୍କୀୟ ପ୍ରଶ୍ନ ପଚାରିବ ନାଇଁ–ସବୁ ଗୋଳମାଳ ହୋଇଯିବ । ସମସ୍ତେ ଏକାକାର ହୋଇ ଆମକୁ କେଉଁ ଅଜ୍ଞାତ ବଳୟର ଅନ୍ଧାରି ଗହ୍ୱରରେ ହସ୍ତପଦ ଶୃଙ୍ଖଳବଦ୍ଧ କରି ପକାଇ ଦେବେ । ସେ ଦୁଃସାହସ କରିବନି ମଣିଭଦ୍ର ! ଜାଣେ ଏ ବୟସ ସେମିତି । ଏ ବୟସରେ ଆକାଶକୁ ଗୋଇଠା ମାରି ଚୁନା କରିଦେବାକୁ ଇଚ୍ଛା ହୁଏ, ସମୁଦ୍ରକୁ ବୁନ୍ଦାଏ ସୁରକରି ଶୋଷି ଦେବାର ଲାଳସା ଅଥୟ କରେ । ସମ୍ଭାଳି ଯାଅ ମଣିଭଦ୍ର । ନହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ନାଇଁ । ତୁମେ ତ ଆଉ ତୁମ ନିଜର ନୁହ ମଣିଭଦ୍ର, ତୁମେ ଯେ କେତେ ଅଗଣିତଙ୍କର ସମ୍ମିଶ୍ରଣରେ ଏକ ଏକକ !

 

ନା–ନା–ଅଟକିଯାଅ ନାହିଁ ମଣିଭଦ୍ର । ସେ ଦୃଶ୍ୟ ବୋଧେ ତୁମେ ଜୀବନରେ ପ୍ରଥମ ଥରପାଇଁ ଦେଖୁଚ । କହୁଚ, ସେ ଆଡ଼ୁ ଆଖି ଫେରାଅ । ସେଟା ଗୋଟେ ହଳଦିବସନ୍ତ, ତଳେ ପଡ଼ିଚି–ତାକୁ ଖୁମ୍ପି ଯାଉଚି ଏକ ଛଞ୍ଚାଣ, ପୁଣି ଖୁମ୍ପି ପକାଉଚି କାଉଟିଏ, ପୁଣି ଶୋଷି ଯାଉଚି ତା’ ରକତ ଜୋକଟିଏ, ସର୍ବ ଶେଷରେ ବାକିତକ ଶେଷ କରିଦେଇଚି ଶାଗୁଣାଟି ଆସି । ଅତି ସାଧାରଣ ଦୃଶ୍ୟ–ଖୁବ୍ ନିତିଦିନିଆ । ପଶୁପକ୍ଷୀ ଜାତିରେ ଏମିତି ଘଟେ । ଚାଲିଆସ–ଏମାନଙ୍କ ହାତରୁ ହଳଦିବସନ୍ତଟିକୁ ରକ୍ଷା କରିବା ନିମନ୍ତେ ତୁମକୁ ତୁମ ପୌରୁଷ ଯେଉଁ ଆହ୍ୱାନ ଦଉଚି, ସେସବୁକୁ ନପୁଂସକ କରିଦିଅ । ଆସ–ଆସ, ମଣିଭଦ୍ର–ଚାଲିଆସ !

 

ବିସ୍ମିତ ହଅନା ମଣିଭଦ୍ର, ଏ ମୁହାଣରେ କାହା ବଂଶୀସ୍ୱନ ତୁମ କର୍ଣ୍ଣକୁ ପବିତ୍ର କରିବ ନାହିଁ । ସେପରି ଆଶା କରିବା ମଧ୍ୟ ବୃଥା । ଦୂରରୁ ଯେଉଁ କିମ୍ଭୂତକିମାକାର ଶବ୍ଦ ଶୁଭୁଚି, ସେଟା କାହାର କ୍ରନ୍ଦନ ଧ୍ୱନି । ଅସହ୍ୟ ବେଦନାରେ ଜର୍ଜରିତ କେହି ଜଣେ କୁନ୍ଥେଇଲା ପରି କ୍ରନ୍ଦନ କରୁଚି-। ଅତ୍ୟାଚାରିତ କେହି ଜଣେ । କ’ଣ ? ସେଠାକୁ ଯିବ ? ଛି–ଛି ମଣିଭଦ୍ର, ଏତେ ବୁଝାଇବା ପରେ ମଧ୍ୟ ତୁମେ ବୁଝୁନାହଁ । ସେସବୁ ମାୟାଜାଲ–କୁହୁକ, ସେଆଡ଼େ ଚାହଁନା । ନାକସିଧା ଚାଲୁଥାଅ କେବଳ ଚାଲୁଥାଅ । କାହାକୁ ଚାହଁନାହିଁ, କେହି ତୁମକୁ ଚାହିଁଲେ ବିବ୍ରତ ହୁଅନାହିଁ-। କାହାକୁ ସାହାଯ୍ୟ କର ନାହିଁ, କାହାଠୁ ସାହାଯ୍ୟ ଆଶା କର ନାହିଁ । କାହାରି ପ୍ରତି ଆକୃଷ୍ଟ ହୁଅ ନାହିଁ, କେହି ତୁମ ପ୍ରତି ଆକର୍ଷିତ ହେଲେ ତୁମେ ନିଜକୁ ଭୁଲିଯାଅ ନାହିଁ-। ଅତ୍ୟାଚାର ଜର୍ଜରିତ ହଳଦିବସନ୍ତକୁ ଦୟା ଦେଖେଇବାର ଉପକ୍ରମ କର ନାହିଁ, ଦୂରରୁ କାହାର କ୍ରନ୍ଦନ ଶୁଣି ସେଆଡ଼େ ଯାଅ ନାହିଁ । ପିଶାଚ ସବୁ ଖାଇଯା’ନ୍ତୁ ଝୁଣି ଝୁଣି ହଳଦିବସନ୍ତର ମାଂସ । ଯିଏ କାନ୍ଦୁଚି, ସିଏ ସେମିତି କାନ୍ଦି କାନ୍ଦ ଅଶ୍ରୁର ଝରଣାଟିଏ ବୁହେଇ ଦେଲେ ମଧ୍ୟ ତୁମେ ଚିନ୍ତିତ ହୁଅ ନାହିଁ । ଆଗକୁ ଚାଲ, କେବଳ ଆଗକୁ ।

 

ଏଟା ଦ୍ୱିତୀୟ ମୁହାଣ ମଣିଭଦ୍ର । ସାବଧାନ ରୁହ । ଆଉ କେଇଟା ମୁହୂର୍ତ୍ତ ପରେ ଆମେ ଏ ମୁହାଣ ଅତିକ୍ରମି ଯିବା । ସେତକ ସମୟ ଅନ୍ତତଃ ସାବଧାନ ରୁହ । ଏଇତ ପକ୍ଷୀମାନେ କଳରବ କରି ଗୃହାଭିମୁଖୀ ହେଲେଣି, ଏଇତ ପଶ୍ଚିମାକାଶ ରଙ୍ଗବେରଙ୍ଗ ଦିଶିଲାଣି । ଏଇତ ଦୂରସ୍ଥ କେଉଁ ମନ୍ଦିରର ଘଣ୍ଟା ଶବ୍ଦ ଶୁଭିଲାଣି । ଏଇତ ସନ୍ଧ୍ୟାତାରା ଆକାଶର ସୀମନ୍ତରେ ନବବିବାହିତା ତରୁଣୀର ସିନ୍ଦୁର ପରି ଝଟକିଲାଣି । ଏଇତ ଅନ୍ଧକାର ଗାଢ଼ତର ହେଉଚି–ଏ ଯେ ରାତ୍ରିର ପୂର୍ବାଭାସ । ଆଉ ଅଳ୍ପ କେତେଟା ମୁହୂର୍ତ୍ତ, ମଣିଭଦ୍ର ଆଗକୁ ପାଦ ରଖ, ମନ ସ୍ଥିର କର, ଧୈର୍ଯ୍ୟଧର, କେଉଁଆଡ଼େ ଚାହଁ ନାହିଁ, କିଛି ଶୁଣ ନାହିଁ । ଏସବୁ ଜଗତର ନିହାତି ସାଧାରଣ କଥା, ତୁମର ଏବେ ପ୍ରଶ୍ନ କରିବାର ବୟସ ହୋଇନି କି ଉତ୍ତର ଶୁଣିବାର ଅଧିକାର ନାଇଁ । ସେମିତି ସମୟ ହୁଏତ ଆସିପାରେ ତୁମ ଜୀବନରେ, ଅପେକ୍ଷାକର–ଏବେ କିନ୍ତୁ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅ ନାହିଁ । ସବୁ ମାୟାବର୍ତ୍ତ, ଓ ଇନ୍ଦ୍ରଜାଲ, କୁହୁକ । ଭୟ କରନା, ମୁଁ ଅଛି–ତୁମର ନିରାପଦତ୍ୱ ମୋର ପ୍ରତିଶ୍ରୁତି ଅଟେ ।

 

ମଣିଭଦ୍ର, ଏ ଯେ ରାତି । ଏଇଟା ଏକ ପୁରାତନ ବରଗଛ । ଏଇ ଗଛ ମୂଳେ ଆଜି ରାତି ବିତେଇବା । ଆଚ୍ଛା–ବାଦ୍ୟଯନ୍ତ୍ରଟା ବାହାର କରି, ଦୀପକ ରାଗିଣୀରେ ଧରାକୁ ସମ୍ମୋହିତ କରି ନିଦ୍ରା ଦେବୀଙ୍କୁ ନିମନ୍ତ୍ରଣ କର ତ ! ଆଚ୍ଛା–ଏବେ ଶୋଇଯାଅ, କାଲି ପ୍ରତ୍ୟୁଷରୁ ଉଠିବାକୁ ହେବ ଯେ !

 

ତୃତୀୟ ମୁହାଣ :

 

ବର୍ଷା ଆରମ୍ଭ ହୋଇଗଲା ଯେ ! ମଣିଭଦ୍ର, ଯାତ୍ରା କିନ୍ତୁ ବନ୍ଦ ରହିବ ନାଇଁ । ବର୍ଷାରେ ଭିଜିଭିଜି, କାଲୁଆ ପବନରେ ଥରିଥରି, ଆଗକୁ ପାଦପରେ ପାଦ ବଢ଼େଇବାକୁ ହେବ । ବର୍ଷାରେ ଭିଜିଭିଜି ଲକ୍ଷ୍ୟସ୍ଥଳଠାରୁ ନିଜ ଭିତରର ଦୂରତା କମେଇବାରେ ଅଲଗା ପ୍ରକାରର ଉତ୍ତେଜନା ଅଛି ମଣିଭଦ୍ର । ଏଇଟା ତୃତୀୟ ମୁହାଣ ମଣିଭଦ୍ର–ଏ ମଧ୍ୟ ଦେଇ ଯିବାବେଳେ ପାଣିର ପ୍ରଖର ସୁଅରେ ଭାସି ଯିବ ନାଇଁ, ନିଆଁର ଲେଲିହାନ ଶିଖାରେ ଜଳିଯିବ ନାଇଁ, ପବନର ପ୍ରଳୟଙ୍କରୀ ତୀବ୍ର ଝଙ୍କାରରେ ଉଡ଼ିଯିବ ନାଇଁ–ତେବେ ଏ ଯାତ୍ରା ସଫଳ ହେବ ।

 

ମନେକର, ଆମେ ଏମିତି ଚାଲୁଥା'ନ୍ତେ । କେଉଁଠି ମୁଣ୍ଡ ଗୁଞ୍ଜିବାପାଇଁ ଆଶ୍ରା ନଥାନ୍ତା । ଦିନବି ରାତିଠୁ ଅନ୍ଧାରିଆ ଦିଶୁଥାନ୍ତା । ସବୁ ଆଶା ହରେଇ ଆମେ ଚାଲୁଥାନ୍ତେ । ଖୁବ୍ ଦୂରରୁ ହଠାତ୍ ଅନ୍ଧକାର ଭେଦି ଦିଶନ୍ତା ଆଲୋକର ରେଖାଟିଏ–ଜୁଳୁଜୁଳିଆ ପୋକ ପରି, କ୍ଷୁଦ୍ର–କିନ୍ତୁ ସ୍ଥିର-। ଖୁବ୍ ଦୂରରେ ଘରଟେ ଅଛି ବୋଲି ଆମର ପ୍ରତ୍ୟୟ ହୁଅନ୍ତା । ସେଇ ଦିଗକୁ ମୁହଁ କରି ଆମେ ଏକ ନୂତନ ଉନ୍ମାଦନାରେ ଚାଲୁଥାନ୍ତେ । ଅନେକ ବିତିଯାନ୍ତା ସମୟ ଚାଲିଚାଲି । ତା'ପରେ ଆମର ଅନୁଭବ ହୁଅନ୍ତା ଯେ, ସେ ଆଲୋକଟି ବହୁତ ଦୂରରେ ଅଛି–ହୁଏତ ଆମେ କେବେବି ସେ ଆଲୋକର ପାଖରେ ପହଞ୍ଚି ପାରିବା ନାଇଁ । ପ୍ରାରମ୍ଭରେ ସଂଚରି ଥିବା ନୂତନ ଉନ୍ମାଦନା କ୍ରମେ ମଉଳିଯାନ୍ତା । ତଥାପି ଆମେ ଅଟକି ଯାନ୍ତେ ନାହିଁ, ଚାଲୁଥାନ୍ତେ–ଏକାମୁହାଁ ହୋଇ, ତରତରରେ । ଯେତେ ଦୂର ହେଉ ପଛେ, ଦୂରତା କ୍ରମେ କମିଯାଉଚି ବୋଲି ଆମେ ଜାଣିଥାନ୍ତେ । କ୍ରମେ କ୍ରମେ ସେଇ ଆଲୋକର ଆକାର ସାମାନ୍ୟ ବଢ଼ିଯାନ୍ତା । ଲୋମ କୂପରେ ଖେଳିଯାଆନ୍ତା ଏକ ଅଦ୍ଭୁତ ଶିହରଣ । ଆଲୋକ ବିନ୍ଦୁଟିର ଆକାର ପୁଣି ବଢ଼ିଯା’ନ୍ତା । ଏମିତି କ୍ରମେ କ୍ରମେ ସବୁ ପରିଷ୍କାର ଦିଶନ୍ତା । ତା’ପରେ ଆମେ ସେଇ ଆଲୋକ ନିକଟରେ ପହଞ୍ଚି ଯା'ନ୍ତେ । ଦେଖନ୍ତେ, ଗୋଟେ ଘର-। ସେଇ ଘରର ଝରକାବାଟେ ଦିଶୁଚି ଆଲୋକ–ଯାହା ପ୍ରଥମେ ଜୁଳୁଜୁଳିଆ ପୋକ ପରି ଦିଶୁଥିଲା-। ଆମେ କବାଟରେ ଠକ୍ ଠକ୍ ଶବ୍ଦ କରନ୍ତେ । ଭିତରୁ ପାଦ ଶବ୍ଦ ଶୁଭନ୍ତା ଆମେ ବାହାରେ ଅପେକ୍ଷା କରିଥାନ୍ତେ । ବର୍ଷାରେ ଭିଜିଭିଜି ଆମ ଶରୀରରୁ ବୁନ୍ଦାବୁନ୍ଦା ପାଣି ଝରୁଥାନ୍ତା-। କବାଟ ଖୋଲିଯା'ନ୍ତା । ଆମ ସମ୍ମୁଖରେ ଜଣେ ବୃଦ୍ଧ ଠିଆ ହୋଇଥାନ୍ତେ–ପକ୍ୱକେଶ, ଲୋଳିତ ଚର୍ମ, କୋଟରଗତ ଚକ୍ଷୁ । ଆମକୁ ଭିତରକୁ ଯିବାପାଇଁ ବୃଦ୍ଧ ଆହ୍ୱାନ ଜଣାଉଥା’ନ୍ତେ । ଭିତରେ ଆମେ ପହଞ୍ଚିବା ପରେ ସେ ଆମକୁ ପୋଷାକ ଦିଅନ୍ତେ, ତା’ପରେ ଆମକୁ ଚୁଲି ନିକଟରେ ବସି ସେକି ହେବାକୁ କହନ୍ତେ । ଆମେ ନିଆଁରୁ ଉଷୁମ ଟାଣୁଥିବାବେଳେ ବୃଦ୍ଧ ଅନ୍ୟ ଘର ଭିତରୁ ବୀଣା ବଜାଉଥାନ୍ତେ । ଆମେ ନୀରବରେ ବର୍ଷାମୁଖର ରାତିରେ ସେଇ ବୀଣାର ମଧୁର ଗୁଞ୍ଜନକୁ ଉପଭୋଗ କରୁଥାନ୍ତେ । କ୍ରମେ ବର୍ଷା ଥମି ଯାନ୍ତା । ଆକାଶରେ ତାରା ସବୁ ଜହ୍ନି ଫୁଲ ହୋଇ ଫୁଟନ୍ତେ । ଜହ୍ନ ଦିଶନ୍ତା ବାଦଲ ତଳୁ । ବୃଦ୍ଧଙ୍କ ବୀଣା ବାଦନ, ଝରକା ବାଟେ ପଶି ଆସୁଥିବା ଥଣ୍ଡାପବନ ଓ ନିଆଁର ପାଖରେ ଅନୁଭବ କରୁଥିବା ଉତ୍ତାପ ସବୁ ମିଶି ଆମ ଆଖିରେ ନିଦ୍ରାରୂପେ ପରିବର୍ତ୍ତିତ ହୁଅନ୍ତେ । ଏମିତି ଅଭିଜ୍ଞତା ଖୁବ୍ ଆନନ୍ଦକର ନୁହେଁ ମଣିଭଦ୍ର ?

 

ଏବେବି ବର୍ଷା ଝିପ୍‌ଝିପ୍ ପକାଉଚି ମଣିଭଦ୍ର । ତୁମକୁ କେତେ କଥା କହିଗଲି । ନହେଲେ ବର୍ଷାରେ ତୁମେ ଆଗକୁ ପାଦ ପକାଇବାକୁ ଆଗ୍ରହ ପ୍ରକାଶ କରି ନଥାନ୍ତ । ଏମିତି ଏକ ଅଜବ କାଳ୍ପନିକ ପରିସ୍ଥିତି କଥା କହି ତୁମର ଏକାଗ୍ରତାକୁ ସ୍ଥିର ରଖିବାରେ ସାହାଯ୍ୟ କଲି, ନୁହେଁ ? କିନ୍ତୁ ତୁମକୁ ଏମିତି ଏକ ବାସ୍ତବ ପରିସ୍ଥିତି ଭଲ ଲାଗିବ, ନୁହେଁ ?

 

ମଣିଭଦ୍ର, ଏଟା ତୃତୀୟ ମୁହାଣ । ଆଉ ବେଶୀ ବିଳମ୍ବ ନାହିଁ । ଏ ମୁହାଣ ଶେଷ ହୋଇଯିବ । କିନ୍ତୁ ଏତେ ବାଟ ଏ ମୁହାଣ ଭିତରେ ଚାଲିବା ଭିତରେ ଯେଉଁ ଅନୁଭବ ତୁମ ହୃଦୟର ତନ୍ତ୍ରୀକୁ ଥରାଇ ଦେଲା, ସେ ଅନୁଭବ ସମ୍ପର୍କରେ ତୁମେ କିଛି ବର୍ଣ୍ଣନା କଲେ ଭଲ ହେବ । ତେବେ ମଣିଭଦ୍ର, ଏ ତିନିଗୋଟି ମୁହାଣ ଭିତରେ ବିତିଥିବା ସମୟ ସମ୍ପର୍କରେ ତୁମେ କିଛି କୁହ ।

✽✽✽

 

ମଣିଭଦ୍ରର ଅନୁଭବ

(ଏକ)

 

କୁଆଁ–କୁଆଁ–କୁଆଁ !

 

କିଏ ? କିଏ ? କାହାର ଏ ଶିଶୁ ? କିଏ ଏ ଶିଶୁର ପିତା ? କିଏ ଏ ଶିଶୁର ମାତା ? ଏ ଶିଶୁ ଯେ ମା’ର କ୍ଷୀର ବ୍ୟତୀତ କିଛି ଖାଇପାରିବ ନାହିଁ । କିଏ ଏ ଶିଶୁକୁ ପଥପ୍ରାନ୍ତରେ କୁଆଁ କୁଆଁ ଶବ୍ଦରେ ଗଗନ ପବନ ପ୍ରକମ୍ପିତ କରିବାକୁ ଛାଡ଼ି ଦେଇଗଲା ?

 

ଆଖି ଅଛି–କିଛି ଦେଖିପାରୁ ନାହିଁ ଶିଶୁଟି, କାନ ଅଛି କିଛି ଶୁଣିପାରୁ ନାହିଁ । ହାତ ଅଛି–କାହାକୁ ଆକ୍ରମଣ କରିପାରୁ ନାହିଁ କିମ୍ବା କାହା ଆକ୍ରମଣକୁ ପ୍ରତିହତ କରିପାରୁ ନାହିଁ । ଗୋଡ଼ ଅଛି ଦୌଡ଼ିପାରୁ ନାହିଁ । କିଏ ସେ ନିଷ୍ଠୁର ପିତାମାତା ଯିଏ ଏପରି ଅସହାୟତାଭାବେ ଶିଶୁଟିକୁ ପଥପ୍ରାନ୍ତରେ ଛାଡ଼ି ଦେଇ ଗଲା, ଗଛ ମୂଳେ ?

 

ଏ ଯେ ବ୍ରାହ୍ମ ମୁହୂର୍ତ୍ତ । ଅଳ୍ପକ୍ଷଣରେ ସକାଳ ଆସିଯିବ, ସୁରୁଜ ଉଇଁବ, ପକ୍ଷୀଙ୍କର କଳରୋଳରେ ବାୟୁମଣ୍ଡଳ ଅନୁରଣିତ ହେବ–ଶୁଭ୍ର ଆଲୋକର ଆଭାରେ ଚଉଦିଗ ଉଦ୍ଭାସିତ ହେବ । ଶିଶୁଟିକୁ ଜଗତ ଦେଖିବ, କେହି ଜଣେ ନିଶ୍ଚେ ବାହାରିବ, ଯିଏ ଶିଶୁଟିକୁ ଘରକୁ ନେବ, ଏମିତି କେହି ସନ୍ତାନହୀନା ରମଣୀ ଥିବ ଯିଏ ଶିଶୁଟିର ମା’ ହେବ, ଶିଶୁର ମୁଖରେ ସ୍ତନ ଦେବାକୁ ଏକ ବେଦନା ଜର୍ଜରିତ କରୁଥିଲେ ମଧ୍ୟ ସ୍ତନ୍ୟ ଝରୁ ନଥିବ, ତଥାପି ଶିଶୁଟି ବଞ୍ଚିବ ।

 

ଏଇ ଯେ କୁଆଁ କୁଆଁ ଶବ୍ଦ ବନ୍ଦ ହୋଇଗଲା । କିଏ ସେହି ନାରୀ ଯିଏ ଶିଶୁଟିକୁ ତୋଳି ନେଲା କୋଳକୁ ? କିଏ ସେହି ବେଦନା ଜର୍ଜରିତା ନାରୀ ଯାହାର ସ୍ତନ୍ୟ ଝରୁ ନଥିଲେବି ସେ ଶିଶୁର ମୁଖରେ ସ୍ତନ ଦେଲା ? କିଏ ?

 

କେଡ଼େ ଅସହାୟ ସତେ ମଣିଷର ଜୀବନ ! ଜୀବନ ଓ ମୃତ୍ୟୁ ଭିତରେ ଥିବା ଦୂରତାର ଧୈର୍ଯ୍ୟ କେତେ ବନ୍ଧୁ ? ଯନ୍ତ୍ରଣା ଓ ଆନନ୍ଦ ମଧ୍ୟରେ ବ୍ୟାପିଥିବା ରାସ୍ତାର ଦୈର୍ଘ୍ୟ କେତେ ବନ୍ଧୁ ?

 

ଜୀବନ ଏଇ ଶୂନ୍ୟ ବିନ୍ଦୁରୁ ଆରମ୍ଭି ଆଗକୁ ଯିବ ବନ୍ଧୁ । କେଉଁ ପିତାମାତାର ନିଷ୍ଠୁର ପ୍ରତ୍ୟାଖ୍ୟାନରେ ଜୀବନ ଘୁମେଇ ପଡ଼ି ଚିରଦିନ ନିସ୍ତେଜ ହୋଇଯିବ ନାହିଁ । ଅପରିଚିତ ଗଛର ଶାଖାରେବି ଲତାଟିଏ ଊର୍ଦ୍ଧ୍ୱକୁ ଉଠି ସୂର୍ଯ୍ୟ ସହ କଥାବାର୍ତ୍ତା କରିପାରେ ବନ୍ଧୁ !

 

ଏ ଯେ ଜୀବନ ! ଏ ଯେ ଶିଶୁର ଦରୋଟି କଥା ଓ ନିଃଶବ୍ଦ ହସ । ଏ ଯେ ଶିଶୁର ଜୀବନ ବନ୍ଧୁ । ଏ ଯେ ମଞ୍ଜିର ଭିତରୁ ଗଜୁରି ଆସୁଥିବା ଦୁଇଟି ସୁନୀଳ ପତ୍ର ! ଏ ଯେ ସଂଗ୍ରାମ ଚାଲୁ ରଖିବାପାଇଁ ପ୍ରତିଜ୍ଞାବଦ୍ଧ ସିଂହ ଶାବକ ।

 

ତୋର ଜୀବନରେ ଆସିଗଲା ପ୍ରଥମ ରାତ୍ରିରେ ଶିଶୁ । ନିଦ୍ରାରେ ଦୁଇ ଆଖିପତା ମୁଦି ହୋଇଯିବ । ଆଖି ଖୋଲିବୁ, ଦେଖିବୁ ଆଉ ଏକ ସକାଳ । ଏକ ମୁହାଣରୁ ଆଉ ଏକ ମୁହାଣ । ମାୟାରେ ପୁଅ, ସବୁ ମାୟା–ସବୁ ଇନ୍ଦ୍ରଜାଲ, କୁହୁକ । ଜୀବନ ଓ ମୃତ୍ୟୁ ମଧ୍ୟରେ ବ୍ୟାପିଥିବା ସମୟର ଦୂରତା ଏକ କୁହୁକରେ ଧନମାଳୀ । ସେଇ କୁହୁକମୟ ଦୂରତାରେ କେତେ ବଣ, କେତେ ବିଲ, କେତେ ଝଡ଼, କେତେ ପାହାଡ଼ ପର୍ବତ, କେତେ ନଈ ଝରଣା ଭେଟିବୁ, ଦେଖିବୁ ଜୀବନ କେମିତି ସବୁ ସତ୍ତ୍ୱେବି କୌଣସି ବରଗଛ ମୂଳରୁ ଆରମ୍ଭ ହୋଇ କଅଁଳା ବାଛୁରୀ ପରି ଡେଇଁ ଡେଇଁ ମାଡ଼ି ଯାଉଚି ଲକ୍ଷ୍ୟହୀନଭାବେ ଆଗକୁ ଏକ ନୂତନ ସଞ୍ଜୀବନୀ ମନ୍ତ୍ରର ଉଦ୍ଦୀପନାରେ ।

 

(ଦୁଇ)

 

ମୁଣ୍ଡ ଉପରେ ଚିକ୍‌ମିକ୍ କରୁଥିବା ଟିକିଟିକି ଆଲୋକ ପିଣ୍ଡ ସବୁ ଖଦ୍ୟୋତି ନୁହନ୍ତିରେ ଧନମାଳୀ, ସେସବୁ ନକ୍ଷତ୍ର । ସେ ଯେଉଁ ବିଶାଳ ସୁନୀଳ ପରିବ୍ୟାପ୍ତ ହୋଇଚି, ସେଟା ଫର୍ଦ୍ଦେ କାଗଜ ନୁହେଁରେ, ସେଇଟା ଆକାଶ । ଖୁବ୍ ଦୂରରେ ଯେଉଁଠି ଆକାଶ ଓ ମାଟି ପରସ୍ପର ସ୍ପର୍ଶ କରିବା ପରି ଦିଶୁଛନ୍ତି ପ୍ରକୃତରେ ତା’ ନୁହେଁରେ–ସେମାନେ କେବେ ପରସ୍ପରକୁ ସ୍ପର୍ଶ କରିପାରିବେ ନାଇଁ । ଏଠି ମାଟିରୁ ଆକାଶ ଯେତିକି ଦୂର–ସେଠିବି ସେତିକି ।

 

ଏବେ ତରତର ହେବାରେ କିଛି ନାହିଁ, କ୍ରମେ ସବୁ ଆପେ ଜାଣିଯିବୁ । ଫୁଲ, ଫଳ, ଆକାଶ, ପୃଥିବୀକୁ ଚିହ୍ନି ପାରିବୁ । ଏବେ ତ କଥା କହି ଶିଖିଲୁଣି, ଆଉ ବାପା କେତେଟା ଦିନ । ତୋତେ କିଛି ଚିହ୍ନେଇ ଦେବାକୁ ପଡ଼ିବ ନାଇଁ । ଯେଉଁ ଜିନିଷଟିକୁ ଦେଖି ତୁ ଏବେ ଆଶ୍ଚର୍ଯ୍ୟ ହେଉଚୁ, ସେଇଟିକୁ ତୁ ଆଉ କେଇଟା ଦିନରେ ବଜେଇ ଶିଖିବୁ–ସେଇଟି ବୀଣା ।

 

ଏବେ ପାଦେ ପାଦେ ପକେଇ, ଥରିଥରି, କିଛି ଗୋଟେ ଧରିଧରି ଚାଲୁଚୁ । କେତେଟା ମୁହୂର୍ତ୍ତ ପରେ ଏ ବନସ୍ତର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ତୁ ଦୌଡ଼ିବୁ–ତୋତେ ଛୁଇଁ ହେବ ନାହିଁ, ଚଢ଼େଇଟି ପରି ଛୋଟ ହେଲେବି ଆକାଶ ତୋ’ ହାତପାଆନ୍ତାରେ ଥିବ, ନକ୍ଷତ୍ର ସବୁ ତୋ ଘର ହୋଇଯିବେ, ସୁରୁଜ ତୋ’ ଖେଳନା ପାଲଟି ଯିବ । ଥୟ ଧରରେ ଧନମାଳୀ, ସମୟଟା ବହିଯିବ ଏକ ନବପରିଣିତା ଅଥଚ ସଦ୍ୟ ବିଧବାର ଅଶ୍ରୁଧାର ଭଳି ।

 

ଡରି ଯା’ନାରେ ଧନମାଳୀ, ଡରିଯାଆନା । ତୋରି ବଅସର ପିଲାମାନେ ତ କେତେକଅଣ କରି ଯାଇଛନ୍ତି । ଏକଲବ୍ୟ କହ, ଅଭିମନ୍ୟୁ କହ–ସବୁ ପିଲା । ନଚିକେତା ନାଁ ଶୁଣିଚୁ ? ପିଲାଟାଏ–ଯମ ନିକଟକୁ ଯାଇ କେତେ ଜଟିଳ ପ୍ରଶ୍ନ ପଚାରି ଉତ୍ତର ପାଇଥିଲା । ଆହୁରି ଛୋଟ ବେଲାଳସେନ କଥା ଜାଣିଥିବୁ । ଡରି ଯାଆନାରେ ଧନମାଳୀ ଡରିଯା’ନା । ଥରେ ଚମକି ପଡ଼ିଲେ ଛାତରୁ ଖସିପଡ଼ିବ ନିଆଁ ପିଣ୍ଡୁଳାଟିଏ; ଯୋଉଠି ଥିବୁ; ସେଇଠି–ପାଦେ ଆଗକୁ କି ପାଦେ ପଛକୁ ଘୁଞ୍ଚି ପାରିବୁ ନାହିଁ । ଗଛ, ପତ୍ର, ପକ୍ଷୀ, ଆକାଶ ସବୁ ତୋତେ ଡରେଇବେରେ ମୋ ଜୀବଧନ । ତୋ ନିଜର ନିଃଶ୍ୱାସର ଶବ୍ଦ ଜଣାପଡ଼ିବ ସତେ ଅବା ଅଜଗରଟାଏ ସୁ–ସୁ କରୁଚି ଦୂରରୁ, ତୋ’ ପାଦ ତଳେ ମାଡ଼ି ହୋଇ ଯାଉଥିବା ଶୁଖୁଲା ପତ୍ରର ଶବ୍ଦ ତୋତେ ଶୁଭିବ ରାକ୍ଷସର ଗର୍ଜନ ପରି, ଡରିଯିବୁ–ଥରେ ଚମକି ପଡ଼ିଲେ ଛାତିରେ ଛେପ ପକାଇବାକୁ ସମୟ ପାଇବୁ ନାହିଁରେ ଗଳାମାଳି !!

 

ଚଉଠି ରାତିରେ ବିଧବା ହୋଇଥିବା କୁଆଁରୀର ଅଶ୍ରୁଧାର ପରି, ସମୟ ତତେ ଅସରା ଲାଗୁଚି, ହେଲେ ସମୟ ଏତେ ଲମ୍ବା ନୁହେଁ । ତୋ ଜୀବନଟା ତତେ ବଡ଼ ଲାଗୁଚି, ଜୀବନ ଆଦୌ ବଡ଼ ନୁହେଁ । ଏଇ ଆଜି ଅଛି, କାଲିକି ନଥିବ । ସାବତ ମା’ର ମିଛିମିଛିକା କାନ୍ଦଣା ପରି ସମୟ ଏତେ ଶୀଘ୍ର ନିଗିଡ଼ି ଆସିବ ନଖ ସନ୍ଧିରୁ, ଥପ୍‌କରି ବୋହିପଡ଼ିବା ପରି ବୁନ୍ଦାଏ ପାଣି–ସମୟ ତୋ ଜାଣିବା ଆଗରୁ ସରିଯିବରେ । ଏବେଠୁ ସମୟକୁ ବାନ୍ଧି ରଖିବାର ବାଟ ରଖୁଥା । ନହେଲେ କେବେ ଚମକିପଡ଼ି ପଛକୁ ଫେରି ଚାହିଁବାବେଳକୁ ଦେଖିବୁ ସମୟ କେତେବେଳେ ବୁନ୍ଦାଏ ପାଣି ମରୁଭୂମିର ତତଲା ବାଲିରେ ପଡ଼ି ମିଳେଇଗଲା ପରି ମିଳେଇ ଯାଇଚି–କିଛି ସତ୍ତା ନାହିଁ !

 

ତୋ' ବଅସରେ ମୁଁ ଯଦି ଆକାଶକୁ ଛେପ ପକାଉଥିଲି, ତେବେ ଆକାଶରେ ପଡ଼ୁଥିଲା-। ତୋ ବଅସରେ ମୁଁ ସୂରୁଯକୁ ଗୋଇଠା ମାରୁଥିଲିରେ । ମୋ ଘୁଙ୍ଗୁଡ଼ି ଶବ୍ଦ ଘଡ଼ଘଡ଼ିଠାରୁ ଆହୁରି ଜୋରରେ ଶୁଭୁଥିଲା । ହିଂସ୍ର ପଶୁପକ୍ଷୀଙ୍କୁ ମୋର ଡର ନଥିଲା, ଭୂତ–ପ୍ରେତଙ୍କୁ ମୋର ଡର ନଥିଲା, ଦେବତା ରାକ୍ଷସଙ୍କୁ ମୋର ଡର ନଥିଲା–ମୋର କାହାକୁ ଡର ନଥିଲା । ଏ ଜଗତରେ ଏମିତି କିଛି ନଥିଲା, ଯାହା ମତେ ଡରେଇ ପାରିବ । ତୁ ସେମିତି ହଁରେ ବାୟା, ନହେଲେ ଠକି ଯିବୁ । ହାତେ ମାପି ଚା’ଖଣ୍ଡେ ଚାଲି ଶିଖରେ । କିଏ ? କିଏ କହିଲା ଏତେ କଥା ? କେହିତ ନାହିଁ କୋଉଠି ! ତେବେ କିଏ ?

 

ଏ–ଯେ ସମୟ, ଏ ଯେ କୈଶୋରର ମଧୁ ସଞ୍ଜ, ଏ ଯେ ଉଦ୍ଦାମତାର ଗୋଧୂଳି, ଏ ଯେ ରଙ୍ଗୀନ ସପନର ସଞ୍ଜବତି ।

 

ଏ ଯେ ବିତି ଯାଉଚି । ଏ ଯେ ଇଡ଼ି ଯାଉଚି । କାଠ ଚମ୍ପାଟିଏ ବୃନ୍ତଚ୍ୟୁତ ହେଉଚି । କଅଁଳା ବାଛୁରୀ ପରି ଅସୀମ ଉଦ୍ଦୀପନାରେ ବୀର୍ଯ୍ୟବନ୍ତ ଏଇ ଋତୁଟି ଯେ ଡେଇଁ ଡେଇଁ ଆଗକୁ ଚାଲିଯାଉଚି । ପୁଣି ଆଗକୁ, ଆହୁରି ଆଗକୁ ଆଗକୁ, ଆହୁରି–ଆହୁରି ।

 

(ତିନି)

 

ଯୌବନର ଉତ୍ତୁଙ୍ଗ ପ୍ରାସାଦ ଭିତରକୁ ପାଦ ରଖିବା ପୂର୍ବରୁ ପ୍ରାସାଦର ଫାଟକସ୍ଥ ରଜନୀଗନ୍ଧାମାନେ ସ୍ୱାଗତ ଜଣେଇଲେ । ତା’ପରେ ପ୍ରାସାଦ ପରେ ପ୍ରାସାଦ, ପାବଚ୍ଛ ପରେ ପାବଚ୍ଛ, କୋଠରୀ ପରେ କୋଠରୀ । ଏତେ ବିଶାଳ । ଏତେ ବିଶାଳ ପ୍ରାସାଦ ପୁଣି ବ୍ୟାପିବ ଭିତରକୁ ଓଃ ।

 

ତରତରରେ ଚାଲି ଯାଉଥିବାବେଳେ ହଠାତ୍ କୌଣସି ଏକ କୋଠରୀ ଭିତରୁ କେହି ଜଣେ ସମ୍ଭାଷଣ ଜଣେଇଲା । କିଏ ? କିଏ ? ଅର୍ଦ୍ଧ ମୁକୁଳିତ ପରଦା ଆଡ଼େଇ ଦେଖିଲି ଗୋଟେ ଆଠବର୍ଷର ପୁଅ ଓ ଗୋଟେ ଖୁବ୍ ଛୋଟ ଝିଅଟେ ।

: ‘ଆପଣ କେଉଁଠୁଁ ଆସିଲେ ଅଙ୍କଲ୍ ?’ ଛୋଟ ଝିଅଟି ପଚାରିଲା ।

 

: ‘ଖୁବ୍ ଦୂରରୁ, କାହିଁ କେତେ ଦୂର ।' ମୁଁ କହିଲି ।

 

: ‘ଆପଣ ଜାଗାର ନାଁ କହନ୍ତୁ, ମୁଁ ତ କେତେ ଜାଗାର ନାଁ ଜାଣେ ।' ସେ କହିଲା ।

 

: ‘ତୁ ବୁଝି ପାରିବୁ ନାଇଁ, ଯେଉଁଠି ସମୟ କଅଁଳା ବାଛୁରୀରୁ ବାଘଟିଏ ହୋଇ ହେଣ୍ଟାଳ ମାରେ–ସେଇଠୁ ।’ ମୁଁ କହିଲି ।

 

ତା'ପରେ ବିତିଲା କେତେକ୍ଷଣ ନୀରବତାରେ । ମୁଁ ପୁଣି ପଚାରିଲି : 'ତୁମେ ଦୁଇ ଜଣ ଯେ, ବଡ଼ମଣିଷ କେହି ନାହାନ୍ତି ?’

 

: ‘ଝିଅଟି କହିଲା : ବାବା ତ ଏବେ ଫେରିବେ, ମା’ କିନ୍ତୁ ଫେରିବ ବାବା ଫେରିବାର ଘଣ୍ଟାକ ପରେ । ବେଳେବେଳେ ମା’ ଆଗ ଚାଲି ଆସେ ଯେ ।’

 

କେତେ ସମୟ ଏମିତି ଗପିଗପି ଚାଲିଗଲା । ତା'ପରେ ଜୋତାର ଶବ୍ଦ ଶୁଭିଲା । କେହି ଆସୁଚି । ଜଣେ ବୃଦ୍ଧ–କୋଟରଗତ ଆଖି, ପକ୍ୱକେଶ, ହାତରେ ଜଷ୍ଟି, ଲୋଳିତ ଚର୍ମ । ତାଙ୍କୁ ଦେଖି ‘ବାବା–ବାବା କହି ପିଲା ଦି’ଜଣ ତାଙ୍କ ଆଡ଼କୁ ଦୌଡ଼ିଗଲେ । ଏତେ କମ୍ ବୟସର ଶିଶୁ ଦି’ଜଣଙ୍କର ଏବେ ବୟସ୍କ ବୃଦ୍ଧ କେମିତି ପିତା ହେଇପାରିଲେ, ତାହା ମତେ ବିସ୍ମିତ କଲା । କୁନି ଝିଅଟି ବୃଦ୍ଧଙ୍କ ସହ ମୋର ପରିଚୟ କରିଦେଲା । ଖୁବ୍ ଶୀଘ୍ର ବୃଦ୍ଧଙ୍କ ସହ ଜୀବନର ଅନେକ କଥା ସମ୍ପର୍କରେ ମୋର କଥାବାର୍ତ୍ତା ଜମିଥିଲା !

 

ପୁଣି ପାଦ ଶବ୍ଦ ଶୁଭିଲା । ବୋଧେ ଏ ଭିତରେ ଘଣ୍ଟାଏ ବିତିଯିବଣି । ହଁ ଜଣେ ଅପୂର୍ବ ସୁନ୍ଦରୀ ନାରୀ । ହେଲେ ମୁଁ ତାଙ୍କୁ ପୂର୍ବରୁ ଦେଖିଚି, ଦେଖିଚି ନିଶ୍ଚେ ଦେଖିଚି କେଉଁଠି । ଝିଅଟି ମା’ ମା’ ଡାକି ତାଙ୍କ ଆଡ଼କୁ ଦୌଡ଼ିଗଲା । ନୀରବ ଘରର ଉପତ୍ୟକା ହଠାତ୍ ଏକ କୋଳାହଳମୟ ନଗରୀ ପାଲଟି ଗଲା ।

 

ମୁଁ କିନ୍ତୁ ଦେଖିଚି, ଦେଖିଚି । କୋଉଠି ଦେଖିଚି, ଠିକ୍ ଖିଆଲ୍ କରିପାରୁନାହିଁ । ତାଙ୍କ ସହ ମୋର ପରିଚୟ ହୋଇଗଲା । ଲକ୍ଷ୍ୟ କରିଚି, ତାଙ୍କ ଆଖି କେତୋଟି ମୁହୂର୍ତ୍ତ ମୋତେ ନିରିଖି ଚାହିଁଲା–ସତେ ଅବା ସେ ବି ଦୋଦୋଚିହ୍ନା ହେଉଛନ୍ତି । ହେଲେ କୋଉଠି ? କୋଉଠି ? କୋଉଠି ଆଗରୁ ଆମର ଦେଖା ହୋଇଥିଲା ? କି ପରିଚୟ ଥିଲା ଆମର ?

 

କେତେକ୍ଷଣ ପରେ ମୁଁ ଚାଲି ଆସିଲି ସେଇଠୁ । ପୁଣି ଦୌଡ଼ିଲି, ଦୌଡ଼ିଲି । କଅଁଳା ବାଛୁରୀରୁ ମୁଁ ବାଘ ହୋଇଯାଇଚି । କିନ୍ତୁ ସେଇ ନାରୀଙ୍କ ବିଷୟରେ ମୁଁ ଅତୀତରୁ କିଛି ସ୍ମରଣ କରିପାରୁ ନାହିଁ । ଖାଲି ତାଙ୍କ ମୁହଁ ମନେ ପଡ଼ୁଥାଏ । କୋଉଠି ଦେଖିଚି; ହେଲେ କୋଉଠି ? ଛାଡ଼–ମନେ ନପଡ଼ୁ । ମୋର ଯାଏଁ କେତେ ଆସେ କେତେ ?

 

ମୁଁ କେବଳ ଦୌଡ଼ିବି । କେଉଁଠି ପହଞ୍ଚିବି ତା’ର ଠିକଣା ନାଇଁ । ଆଦୌ କେଉଁଠି ପହଞ୍ଚିନପାରେ ମଧ୍ୟ । ବାଟରେ ଅଗଣିତ ମଣିଷଙ୍କୁ ଭେଟିବି । ସମସ୍ତଙ୍କୁ ମନେରଖି ହେବ ନାହିଁ, ବା ମନେରଖିବା ଦରକାର ନାହିଁ । ଏମିତି ଦୌଡ଼ୁଥିବି କେବଳ । ଯେଉଁ କେତେ ଜଣଙ୍କ ସହ ଯେଉଁ କେତୋଟି ମୁହୂର୍ତ୍ତ ଦେଖା ହେବ । ସେତିକି ମୋପାଇଁ ଗୁରୁତ୍ୱପୂର୍ଣ୍ଣ । ତା’ ପୂର୍ବରୁ ବା ପରର ଅବସ୍ଥା ମୋପାଇଁ ଗୌଣ ।

 

ଏ ଯେ ଲମ୍ବିଚି କେବଳ ଫୁଲର ନଗର । ଏଇତ ମାଳତି, ସୁଗନ୍ଧରାଜ, ହେନା ପୁଣି ସିଙ୍ଗଡ଼ାହାର, କେତକୀ ଓ ମଲ୍ଲୀ । ଏଇତ ରାସ୍ତାର ଉଭୟ ପାର୍ଶ୍ଵରେ କୃଷ୍ଣଚୂଡ଼ା ରକ୍ତବର୍ଣ୍ଣର ଆଭାରେ ଝଟକୁଚି । ରାସ୍ତାରେବି, ବିଛେଇ ହୋଇଚି କୃଷ୍ଣଚୂଡ଼ାର ଅସଂଖ୍ୟ ପାଖୁଡ଼ା । ଏଇତ ଆରମ୍ଭ ହେଲା ପଦ୍ମ ପୋଖରୀ । ତା'ପରେ ତ ପୁଣି ରଜନୀଗନ୍ଧାର କୁଞ୍ଜ । କେବଳ ରଜନୀଗନ୍ଧା । ହେଲେ ଏଇ ଫୁଲର ନଗର ପରେ ମୋପାଇଁ କ’ଣ ଅପେକ୍ଷା କରିଚି କେଜାଣି !

 

ଚତୁର୍ଥ ମୁହାଣ :

 

ଏମିତି ନୀରବରେ ଆଖି ବନ୍ଦ କରି ବସିଚ କ’ଣ ମଣିଭଦ୍ର ? କ’ଣ ଶୋଇପଡ଼ିଲ ନା କ୍ଳାନ୍ତ ? ଆଉ ତ ମାତ୍ର ଗୋଟିଏ ମୁହାଣ ବାକି । ଏ ଯେ ଚତୁର୍ଥ ମୁହାଣ । ଏଇଟା ପାରିହେଲେ ତ ଯାଇ ତୁମର ଓ ମୋର ଲକ୍ଷ୍ୟସ୍ଥଳ । କ’ଣ ହାଲିଆ ଲାଗୁଚି ? ନିଦ ମାଡ଼ୁଚି ? ଛିଃ–ଛି–ଏମିତି ସମୟରେ କ୍ଳାନ୍ତି ? ଏମିତି ସମୟରେ ନିଦ୍ରା ? ଭୁଲି ଯାଉଚ କିଆଁ ଯେ ମଣିଭଦ୍ର ତୁମ ଉପରେ ଲକ୍ଷ ଲକ୍ଷ ଜୀବନର ଦାୟିତ୍ୱ ନ୍ୟସ୍ତ ବୋଲି । ତୁମେ ତ କେବଳ ନିଜପାଇଁ ଆସି ନାହଁ–ତୁମେ ସେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ତୁମର ଏକକ ପରିଣତ ହେବ ଅନେକରେ । ତୁମେ କ’ଣ ଏକଥା ଭୁଲିଯାଇଚ ? ଏତେ ଦାୟିତ୍ୱଶୂନ୍ୟ ହେବା କଥା ନୁହେଁ । ମଣିଷ କେବଳ ନିଜପାଇଁ ବଞ୍ଚେ ନାହିଁ ଅନ୍ୟପାଇଁ ମଧ୍ୟ ବଞ୍ଚେ । ତୁମେ କ୍ଳାନ୍ତ ହୁଅନା, ନିଦ୍ରାପାଇଁ ଅଧୀର ହୁଅନା । ଏ ଯେ ଚତୁର୍ଥ ମୁହାଣ–ଏଠି ସାମାନ୍ୟ ଅସାବଧାନ ହେବା ବଡ଼ ଭୟଙ୍କର ।

 

X X X

 

ହଁ–ହଁ–ଏଇଟା ପଥରଟା, ତୁମେ ଝୁଣ୍ଟିପଡ଼ିଲ ଯେ । ଥରକପାଇଁ କ୍ଷମା ଅଛି । ଆଉଥରେ ଝୁଣ୍ଟି ପଡ଼ିଲେ ଉଠିପାରିବ ନାହିଁ । ପ୍ରଖର ସୂର୍ଯ୍ୟାଲୋକରେବି ତୁମେ ଏଡ଼େ ବଡ଼ ପଥରଟା ଦେଖିପାରୁନାହଁ ? ତୁମର କ'ଣ ଦୃଷ୍ଟିଶକ୍ତି କମିବା ଭଳି ବୟସ ହେଲାଣି ? ନା ନିଦ୍ରା ?

 

ଏ କ’ଣ ମଣିଭଦ୍ର ? ତୁମେ ଯେ ନିଶାଗ୍ରସ୍ତଙ୍କ ପରି ଟଳିଟଳି ଚାଲୁଚ । ତୁମର କ’ଣ ହେଲା ମଣିଭଦ୍ର ? କାହିଁ କିଛି ସମୟ ପୂର୍ବର ତୁମର ତ ସେ କଅଁଳା ବାଛୁରୀର ଚପଳତା ବା ଜଙ୍ଗଲୀ ବାଘର ଉଦ୍ଦାମତା ନାହିଁ । ତୁମେ ବେକ ତଳକୁ ଭାଙ୍ଗି ଚାଲୁଚ କିଆଁ ?

 

ମଣିଭଦ୍ର, ଏବେଠୁ ନିଶ୍ଚେଷ୍ଟ ହୁଅ ନାହିଁ । ଏବେଠୁ ତୁମକୁ କ୍ଳାନ୍ତିର ଅସହାୟତା ଘେରି ନ ଯାଉ । ତୁମେ ଭାବୁଚ, ତୁମେ ଆଉ ପାରିବ ନାଇଁ–ବୋଧେ ସବୁ ଶେଷ । ତା’ନୁହେଁ ମଣିଭଦ୍ର, ତା’ ନୁହେଁ । ତୁମର ଶୈଶବ ନଥିଲା, କୈଶୋର ନଥିଲା, ଯୌବନ ନଥିଲା ଆଉ ଜରା ତୁମକୁ ଗ୍ରାସିବ କୁଆଡ଼ୁ ? ଶୈଶବ ଏକ ସମୟ ନୁହେଁ–ତାହା ଏକ ଅଜ୍ଞତା । କୈଶୋରବି ଏକ ସମୟ ନୁହେଁ–ତାହା ଏକ ଅନୁଭବ । ଆଉ ଯୌବନ ? ତା’ବି ଏକ ସମୟ ନୁହ–ଯୌବନ ଏକ ଅଭିଜ୍ଞତା-। ସେମିତି ତୁମପାଇଁ ଜରାବି ଏକ ଦୁଃସାହସିକ ଅଭିଯାନ । ଏଥିରେ କ୍ଳାନ୍ତି କାହିଁ ? କ୍ଳାନ୍ତ ହେବାର ସମୟ କାହିଁ ?

 

ଉଠ ଉଠ ମଣିଭଦ୍ର, ଆଗକୁ ଚାଲ, କେବଳ ଆଗକୁ ଡରିଯାଅନା–ରହିଯାଅନା ମୁଁ ତ ଅଛି ପାଖେପାଖେ ଡର କ’ଣ ? ଏଇତ ଦୂରରୁ କେଉଁଠୁଁ ଶୁଭୁଚି ମୃଦଙ୍ଗର ଶବ୍ଦ, ଆସୁଚି ଧୂପଗନ୍ଧ, କ୍ଳାନ୍ତି ନାହିଁ ? ତୁମକୁ କି ଜରା ଗ୍ରାସିପାରେ ମଣିଭଦ୍ର ? ଜରା କି ତମକୁ ଭୟ ଦେଖାଇପାରେ ? ତୁମେ ନିଜକୁ ଭୟ କରୁଚ ମଣିଭଦ୍ର, ତେଣୁ ଏ ଜଗତର ସବୁକିଛି ତମକୁ ଭୟ ଦେଖାଉଛନ୍ତି ମଣିଭଦ୍ର !

 

ବାସ୍–ମଣିଭଦ୍ର, ଏଇଠୁ ଲମ୍ପ ପ୍ରଦାନ କର, ଏ ମୁହାଣରୁ ସେପଟକୁ ପାରି ହୋଇଯାଅ-। ଏଇଟା ଅଗ୍ନିର ବଳୟ, ତା’ପରେ ଜଳର ପରଖା, ଶେଷରେ ପବନର ପ୍ରଳୟଙ୍କରୀ ଝଙ୍କାର–ସବୁ କିଛି ଏକା ଲମ୍ପରେ ପାରିହେବାକୁ ପଡ଼ିବ । ସାହସ ସଂଚୟ କର । ତୁମକୁ ନିଆଁ ପୋଡ଼ି ପାରିବ ନାଇଁ, ଜଳ ବୁଡ଼େଇ ପାରିବ ନାଇଁ, ପବନ ଉଡ଼େଇ ପାରିବ ନାଇଁ ବାସ୍, ପ୍ରସ୍ତୁତ ହୁଅ, ହଁ–ହଁ–ଲମ୍ଫ ପ୍ରଦାନ କର !

 

ଶେଷ :

 

ସବୁକିଛି ପାରିହୋଇ, ଆରପଟେ ପହଞ୍ଚି ମଣିଭଦ୍ର ଦେଖିଲା, ସେ ଆଉ ଏକ ନାହିଁ । ଅନେକ ମଣିଷର ମିଶ୍ରଣରେ ସୃଷ୍ଟି ହୋଇଥିବା ମଣିଭଦ୍ର ନାମକ ଏକକ ହଠାତ୍ ଅନେକରେ ପରିଣତ ହୋଇଯାଇଚି । କିନ୍ତୁ କହିବା ବାହୁଲ୍ୟ, ଏକରୁ ଅନେକରେ ପରିଣତ ହୋଇ ମଣିଭଦ୍ର ଦେଖିଲା ଯେ, ସମସ୍ତେ କ୍ଳାନ୍ତିରେ ହାଇ ମାରୁଛନ୍ତି–ସମସ୍ତଙ୍କୁ ଏକ ଅଜଣା ଭୟ ଗ୍ରାସିଚି–ସମସ୍ତେ ଧୀରେ ଧୀରେ, ଆକାଶ ତଳେ, ଘାସ ଉପରେ, ଥଣ୍ଡା ପବନର ମତୁଆଲା ନିଶାରେ ଶୋଇପଡ଼ୁଛନ୍ତି-। ଗଭୀର ତନ୍ଦ୍ରା ସମସ୍ତଙ୍କୁ ଆଚ୍ଛାଦିତ କରିପକାଇଚି ।

✽✽✽

 

କସ୍ତୁରୀ ମୃଗ

 

ଉପୋଦ୍‌ଘାତ :

 

(ଏକ)

 

କିଏ ?

 

କିଏ ସେ ଛିଡ଼ା ହୋଇଚି ସେଠି ?

 

ଓଃ ! ତୁମେ !

 

ତୁମେ କଲ୍ୟାଣ ଅଧିକାରୀ ।

 

ଏ ନିର୍ଜନ ରାଜପଥରେ, ଏକାକୀ, ଏମିତି ଅଣ୍ଟାରେ ଗୋଟେ ହାତ ଦେଇ, ଲାଇଟ୍ ପୋଷ୍ଟ୍ ତଳେ ଠିଆ ହେବାର ଅର୍ଥ କ’ଣ ହୋଇପାରେ କଲ୍ୟାଣ ଅଧିକାରୀ ?

 

(ଦୁଇ)

 

କିଏ ସେ ?

 

କିଏ ବାହୁନୁଚି ବସି ସେଠି ?

 

ଓଃ ! ତୁମେ !

 

ତୁମେ ଚନ୍ଦ୍ରା ପାଢ଼ୀ ।

 

ହେଲେ ଏମିତି ଏକ ଅନ୍ଧାରିଆ ଘରର ବାରଣ୍ଡାରେ ବସି, ଦୁଇ ଆଣ୍ଠୁ ମଝିରେ ମୁହଁ ରଖି, ବାହୁନିବାର ଅର୍ଥ କ’ଣ ହୋଇପାରେ ଚନ୍ଦ୍ରା ପାଢ଼ୀ ?

 

(ତିନି)

 

ହେ–ଏ–ଏ !

 

କିଏ–ଏ–ଏ ?

 

କିଏ ସେଏଏ ?

 

ଓଃ ! ତୁମେ !

 

ଶୋଭନ ଦାସ !

 

ତମେ ସେଠି କ'ଣ କରୁଚ ? ଛାତର କଡ଼ିରେ ରସିଟେ ବାନ୍ଧିବାର ଅର୍ଥ କ'ଣ ହୋଇପାରେ ଶୋଭନ ଦାସ ? କ'ଣ କିଛି ଗୋଟେ ନୂଆ ।

 

କାହାଣୀର ପ୍ରଥମାଂଶ :

 

ତୋତେ ଏ ଦୁର୍ବୁଦ୍ଧି କିଏ ଦେଲା କଲ୍ୟାଣ ? ଏତେ ରାତିରେ ଲାଇଟ୍‌ପୋଷ୍ଟ୍ ତଳେ ବର୍ଷାରେ ଭିଜୁଛୁ ? ସତରେ ତୋର କ’ଣ ହୋଇଛି କଲ୍ୟାଣ ? ହେଲା ଏବେ, ଲାଇଟ୍ ପୋଷ୍ଟ୍ ନିକଟରୁ ଦୂରେଇ ଠିଆହୋ, କେତେ ଜୋରରେ ବିଜୁଳି–ଘଡ଼ଘଡ଼ି ମାରୁଚି, ଏମିତିବେଳେ ଗଛମୂଳେ ବା ଲାଇଟ୍ ପୋଷ୍ଟ୍ ତଳେ ଠିଆ ହେବା ନିରାପଦ ନୁହେଁ ।

 

ଏଇ ଯେଉଁ ଯୁବକଟିକୁ ମୁଁ ଆପଣଙ୍କୁ ଦେଖାଉଚି, ତା’ ନାଁ କଲ୍ୟାଣ ଅଧିକାରୀ, ସିଏ ଅନେକ ସମୟ ହେବ ଠିଆ ହୋଇଚି ଲାଇଟ୍‌ପୋଷ୍ଟ୍ ତଳେ ଓ ଭିଜୁଛି ବର୍ଷାରେ । କଲ୍ୟାଣ ଅଧିକାରୀଟା ସବୁ ଦିନେ ସେମିତି ଆଜ୍ଞା । ସାମାନ୍ୟ ଗମ୍ଭୀର ପ୍ରକୃତିର । ତା’ଛଡ଼ା ବେଳେବେଳେ ସିଏ ନିଜ ଚିନ୍ତା ଚାରିଛକରେ ଏମିତି ବାଟ ଭୁଲିଯାଇଥାଏ ଯେ, ସାଧାରଣ ଔପଚାରିକତା ମଧ୍ୟ ପାସୋରି ପକାଏ । ଏଇ ଯେମିତି ଆପଣଙ୍କୁ ନମସ୍କାରଟେ ଜଣାଇପାରିଲା ନାହିଁ । କଲ୍ୟାଣ ଖୁବ୍ ସୁନ୍ଦର ଚିତ୍ର ଆଙ୍କେ, ଏତେ କମ୍ ବୟସରେ ଏମିତି ଚିତ୍ର ଆଙ୍କିବା ଖୁବ୍ କମ୍ ଦେଖାଯାଏ । ଠିକ୍ ଅଛି କଲ୍ୟାଣ, ତୁ ଭିଜୁଥା’ ବର୍ଷାରେ । ଆମର ଅନେକ କାମ ଅଛି । ଆମେ ଯାଉଛୁ । ତୁ କିନ୍ତୁ ଏଠି ବେଶୀ ସମୟ ବିତାନାହିଁ, ଭଲ ନୁହେଁ–ଜଲଦି ଘରକୁ ଚାଲିଯା’ । ବର୍ଷାଟା ଜୋରରେ ହେଉଚି ଯେ-!

 

X X X

 

ଟିକେ ରୁହନ୍ତୁ ଆଜ୍ଞା, ନିକଟରୁ କେଉଁଠୁଁ ସୁଁ–ସୁଁ କାନ୍ଦ ଶୁଭୁଚି । ବୋଧେ ନାରୀ କଣ୍ଠସ୍ୱର-। ଏଇ ନିକଟସ୍ଥ ବାରଣ୍ଡାରେ କେହି ବସି କାନ୍ଦୁଚି । ଅନ୍ଧାର ଯୋଗୁଁ ଆଦୌ ଜାଣି ହେଉନାହିଁ ।

 

ଆରେ ? ଏଠି ବସି ବାହୁନୁଚୁ କିଆଁ ? ତୁ ଚନ୍ଦ୍ରାଟି ? ଅନେକ ଦିନ ତଳେ ତୋତେ ଦେଖିଥିଲି ଚନ୍ଦ୍ରା, ନୁହେଁ ? କିନ୍ତୁ ଆଜିର ଏ ଘନଘୋର ବର୍ଷାମୁଖର ରାତିରେ ତୁ ଏଠି ବସି ବାହୁନୁଚୁ କିଆଁ ? ଦୁଃଖଟେ କ’ଣ ଏମିତି ଗଭୀରଭାବେ ଧ୍ଵସ୍ତବିଧ୍ୱସ୍ତ କରିଯାଇଚି ତୋ’ ମନର ପୃଥିବୀକୁ ଯେ, ଏଇ ନିଶୂନ ମଧ୍ୟରାତ୍ରିର ବର୍ଷାମୁଖର ପ୍ରହରରେ ତୁ ତୋ’ ଦୁଃଖକୁ ରାସ୍ତାକଡ଼ର ବର୍ଷାଧାରରେ ମିଶେଇ ଦେଉଚୁ ? ଏଇ ଚନ୍ଦ୍ରା ପାଢ଼ୀ । ମୁଁ ଅନେକ ଥର ଆପଣଙ୍କୁ କହିଥିବି ତା' କଥା । ଆପଣ ଭୁଲି ଯିବେଣି ! କ’ଣ କହିଲେ ? ଏଁ ? ହଁ–ହଁ–ଚନ୍ଦ୍ରା ଏମ୍.ଏ. ପାସ୍ କରିଚି, ଗୋଟେ କେଉଁଠି ଅଧ୍ୟାପିକା ଥିଲା, କିନ୍ତୁ ଆଉ ବେଶୀ ଖବର ମୁଁ ରଖିନାହିଁ ।

 

ଆରେ, ତୁ ଜୋରରେ କାନ୍ଦୁଚୁ କିଆଁ ଯେ ? ଛିଣ୍ଡା ଶାଢ଼ିକୁ ସିଲେଇ କରିଦେବା ଦୁଃଖକୁ ରାତି ଭିତରେ ସିଲେଇ କରି ଜୀବନ ବିତେଇବାକୁ ହୁଏ ଚନ୍ଦ୍ରା । ନହେଲେ କାନ୍ଦି କାନ୍ଦି ସପ୍ତ ସହସ୍ର ଗଙ୍ଗା ବୁହେଇ ଦେଲେ କି ଜୀବନ ଉବୁକି ଆସିବ ପରିପୂର୍ଣ୍ଣ ମାଠିଆଟେ ପରି ? ଜମା ନୁହେଁ ଚନ୍ଦ୍ରା, ଜମା ନୁହେଁ ।

 

ଯା’ ଘରକୁ ଯା’ । ଏତେ ରାତିରେ କବାଟ ମେଲା କରି, ବାହାର ପିଣ୍ଡାରେ ବସି କାନ୍ଦିଲେ କିଛି ଲାଭ ହେବ ନାଇଁ । ଭିତରକୁ ଯା’ ଦୁଃଖ ସହ ସାଲିସ୍ କରି ଶିଖ । ଏ ବିଶାଳ ପୃଥିବୀରେ ତୋ'ଠୁ ଅଧିକା ଦୁଃଖ ଥିବା ମଣିଷମାନେ ଦୁଃଖକୁ ଭଲପାଇ ବଞ୍ଚୁଛନ୍ତି ।

 

X X X

 

ତୁ ଏଠି କ’ଣ କରୁଚୁରେ ଶୋଭନ ? ଶୋଇ ନାହୁଁ ଏତେବେଳ ଯାଏଁ ? ଏଇ ଶୋଭନ ଦାସ । ନିଆଁ ମୁଣ୍ଡାପରି ସବୁବେଳେ ଉତ୍ତପ୍ତ । କାହାରିକୁ ଖାତିର ନାଇଁ, କାହାକୁ ଭୟ ନାହିଁ । ଶତ୍ରୁ ସହ ସାଲିସ୍ କରେ ନାଇଁ, ମିତ୍ର ସହ ବିଶ୍ୱାସଘାତକତା କରେ ନାଇଁ । ବି.ଏ. ପାସ୍ କରିଚି, ସରକାରୀ ଚାକିରି କରିଛି, ବିବାହ କରିନି । ଆମେ ଆଜି ଏଇ ଶୋଭନ ଦାସ ଘରେ ରହିବା ।

 

କିନ୍ତୁ ତୋ’ର ଆଜି ଏସବୁ କି କାମ ଚାଲିଚି ଶୋଭନ ? ଛାତର କଡ଼ିରୁ ଏଡ଼େ ରସିଟା ବାନ୍ଧୁଛୁ କ’ଣ ପାଇଁ ? ଏତେ ରାତିରେ ? ଏବେ ତ ରାତି ଗୋଟାଏ ଟପି ଯିବଣି । ଚାଲ୍ କ’ଣ ଯଦି ଖାଇବାକୁ ଅଛି ଆମକୁ ଦେ । ଆମକୁ ଭୀଷଣ ଭୋକ । ତୋ’ କାମ ଏତିକିରେ ଥାଉ । ଆମ ରହିବାର ବନ୍ଦୋବସ୍ତ କର । ଖାଇସାରି ଏକାଠି ବରଂ ଗପ୍‍ସପ୍ ହେବା !!

 

କାହାଣୀ :

 

କଲ୍ୟାଣ ଅଧିକାରୀ, ଚନ୍ଦ୍ରାପାଢ଼ୀ ତଥା ଶୋଭନ ଦାସ ପରି ଯୁବକ–ଯୁବତୀମାନଙ୍କର ଏକ ଅଜବ ସମସ୍ୟା ରହିଛି । ଖୁବ୍ କମ୍ ବୟସରୁ ଏଇ ଅଜବ ସମସ୍ୟାଟି ସେମାନଙ୍କ ହୃଦୟର କେଉଁ ନିଭୃତ କୋଣରେ ଆସନ ଜମେଇ ବସିଥାଏ !

 

କ’ଣ ହୋଇଚି ସତରେ କଲ୍ୟାଣର ? କ’ଣ ହୋଇଚି ସତରେ ଚନ୍ଦ୍ରାପାଢ଼ୀର ? ଜଣେ ନିଶାର୍ଦ୍ଧରେ ରାଜପଥ ଉପରେ ଲାଇଟ୍ ପୋଷ୍ଟ୍ ଉହାଡ଼ରେ ଏକାକୀ ଠିଆ ହୋଇ ଭିଜୁଚି ବର୍ଷାରେ, କ’ଣ ପାଇଁ ? ଆଉ ଜଣେ ବାହୁନୁଚି କବାଟ ମେଲା କରି ନିଶାର୍ଦ୍ଧରେ ଏକାକୀ ନିଜ ବାରଣ୍ଡାରେ, କ’ଣ ପାଇଁ ? ଆଉ ଜଣେ ରାତି ଗୋଟାଏବେଳେ ଛାତରୁ ବାନ୍ଧୁଛି ରସି, କ’ଣ ପାଇଁ ? ଏ ସମସ୍ତ ଘଟଣାର କାରଣ ନିରୂପଣ କରିବା ସହଜ ନୁହେଁ । ଗୋଟେ ଦି'ଟା କାହାଣୀ କହି ଏମାନଙ୍କ କଥାକୁ ବୁଝେଇ ହେବ ନାଇଁ । ତେବେ କ’ଣ ହୋଇଚି ଏମାନଙ୍କର ?

 

କଲ୍ୟାଣ ଅଧିକାରୀ ବେଳେବେଳେ ଚିତ୍ର ଆଙ୍କେ ତଥା ଖୁବ୍ ସୁନ୍ଦର ଆଙ୍କେ । ଚନ୍ଦ୍ରା ପାଢ଼ୀବି ଅଧ୍ୟାପିକା । ଶୋଭନ ଦାସ ଗୋଟେ ସରକାରୀ ଚାକିରି କରିଛି । ତଥାପି କ’ଣ ପାଇଁ କଲ୍ୟାଣ ଏକାକୀ ଭିଜୁଚି ବର୍ଷାରେ ? ତଥାପି କ’ଣ ପାଇଁ ଚନ୍ଦ୍ରାପାଢ଼ୀ ବାହୁନୁଚି ନିର୍ଜନରେ ? କ’ଣ ପାଇଁ ଶୋଭନ ରସି ବାନ୍ଧୁଛି ଛାତରୁ ?

 

କଲ୍ୟାଣ ବା ଚନ୍ଦ୍ରା ବା ଶୋଭନ କେହି କାହାକୁ ଚିହ୍ନନ୍ତି ନାହିଁ । ସମସ୍ତଙ୍କ ସହ ମୋର ପରିଚୟ ଅଛି । ଆଶ୍ଚର୍ଯ୍ୟ–ଗୋଟେ ରାତିରେ ଶୋଭନ ଘରକୁ ଯିବାବେଳେ ଅନ୍ୟ ଦି'ଜଣଙ୍କ ସହ ଭେଟ ହୋଇଗଲା ଅଜବ ପରିସ୍ଥିତିରେ ।

 

କେହି କାହାକୁ ଚିହ୍ନନ୍ତି ନାଇଁ ଅଥଚ କେମିତି ଗୋଟେ ଅଦ୍ଭୁତ ସାମଞ୍ଜସ୍ୟ ରହିଛି ତିନି ଜଣଙ୍କ ଭିତରେ । ରାତିରେ ଏକାକୀ ବର୍ଷାରେ ଭିଜି ଲାଇଟ୍ ପୋଷ୍ଟ୍ ତଳେ ଠିଆ ହେବା କ’ଣ ଏକପ୍ରକାର ବାହୁନିବା ନୁହେଁ କି ? ଛାତରୁ ରସିଟା ଟାଙ୍ଗିବା କ’ଣ ବାହୁନିବା ନୁହେଁ ? ବା ରାତିରେ ଏକାକୀ ନିଜ ଘରର ବାରଣ୍ଡାରେ ବସି–ସୁଁ–ସୁଁ ହୋଇ କାନ୍ଦିବା କ’ଣ ରାତିରେ ବର୍ଷାରେ ଭିଜିବା ବା ଛାତରୁ ରସି ଟାଙ୍ଗିବା ସହ ସମାନ ନୁହେଁ କି ? ସତରେ ଏସବୁ କ’ଣ ପାଇଁ ? ସର୍ବୋପରି, ଏତେ ସାମଞ୍ଜସ୍ୟ ରହିବାର କାରଣ କ’ଣ ?

 

X X X

 

କଲ୍ୟାଣ ଅଧିକାରୀ, ଚନ୍ଦ୍ରାପାଢ଼ୀ ବା ଶୋଭନ ଦାସ ପରି ସମସ୍ତେ ସେଇ ବୟସରେ ନିଜର ଏକ ସ୍ଵତନ୍ତ୍ର ପରିସର ଭିତରେ ବଞ୍ଚିବାକୁ ଚାହାନ୍ତି, କିନ୍ତୁ ସେଇ ଇଚ୍ଛାଟା ପୂରଣ ନହେଲେ ଏମିତି ହୋଇଯାନ୍ତି । କେତେବେଳେ କେହି ହୁଏତ ବଡ଼ପାଟି କରି ପୂର୍ଣ୍ଣତାପାଇଁ ଚିତ୍କାର କରେ, କେହି ହୁଏତ ଆପଣା ଛାତିରେ ପଥର ରଖି ଭିତରେ ଭିତରେ ତରଳିଯାଏ ମହମବତୀ ପରି–ପୁଣି କେହି ଅବା ନିଜର ବା ଅନ୍ୟର ଧ୍ୱଂସ ସାଧନ କରି ଏକ ପାଶବିକ ଉନ୍ମାଦନାରେ ନିଜ ଅପୂର୍ଣ୍ଣତାକୁ ସମସ୍ତେ ଭାବନ୍ତି, ସେଇ ନିର୍ଦ୍ଦିଷ୍ଟ ବୟସର ନିର୍ଦ୍ଦିଷ୍ଟ ସମୟରେ ତାଙ୍କର ସ୍ୱତନ୍ତ୍ର ହେବାର ଅଧିକାର ରହିଛି । ଏଇ ଭାବନାଟି ମୁଣ୍ଡକୁ ଆସିବାକ୍ଷଣି ହଠାତ୍ ସଚେତନ ହୋଇ ସମସ୍ତେ ଚାରିଆଡ଼େ ଖୋଜି ବୁଲନ୍ତି ନିଜର ସ୍ୱତନ୍ତ୍ର ପରିସରକୁ । ହେଲେ ମାୟାମୃଗ ପରି ସେଇ ସ୍ୱତନ୍ତ୍ରତା ଛପି ଯାଇଥାଏ କେଉଁ ବଣବୁଦା ଉହାଡ଼ରେ, ପୁଣି ଦେଖାଦିଏ କେଉଁ ପତ୍ର ଗହଳରୁ, ପୁଣି ଲୁଚିଯାଏ । କେବେ ଧରାଦିଏ ନାଇଁ । ଶେଷରେ କଲ୍ୟାଣ ଅଧିକାରୀ ବା ଚନ୍ଦ୍ରା ପାଢ଼ୀ ବା ଶୋଭନ ଦାସ ପରି ପ୍ରତ୍ୟେକ ନିଜକୁ ଅସହାୟ ମଣନ୍ତି । ଅସହାୟ ବୋଲି ନିଜକୁ ଅଭିହିତ କରି ନିଜ କାପୁରୁଷତାକୁ ଘୋଡ଼ାଇ ପକାଇବାର ଚେଷ୍ଟା କରନ୍ତି ।

 

ଅସହାୟତା ନାମକ ଏକ ଅଜ୍ଞାତ ଅନ୍ଧକୂପ ଭିତରେ ଜୀବନ ରୁନ୍ଧି ହୋଇଯାଏ । ପରେ ଅନ୍ୟଠୁ ‘ଦୁଃଖୀ’ ବୋଲି ଶବ୍ଦଟିଏ ଡେଇଁ ଡେଇଁ ଚାଲିଆସେ ନିକଟକୁ, ଭିତରେ ବେଶ୍ ଆଶ୍ୱସ୍ତ ଲାଗେ ଯେ, ମୁଁ ଦୁଃଖୀଟିଏ, ମୁଁ ଅସହାୟ ମଣିଷଟିଏ–ମୋର କେହି ସାହା ନାଇଁ, ତେଣୁ ମୋର ଛାତିରେ ପଥର ରଖି ମହମବତୀ ପରି ତରଳିଯିବାର ଅନ୍ତିମ ପରିଣତିରେ ସମସ୍ତେ ଦୁଃଖ କରିବା ଦରକାର, ଅଥଚ କାହାର ମାତେ ଉପଦେଶ ଦେବାର ଅଧିକାର ନାଇଁ ।

 

ମୁଁ କଲ୍ୟାଣ ଅଧିକାରୀ, ମୋର ଘରଟେ ଅଛି, ଘରେ କେହି ନାଇଁ, ମୁଁ ଏକା । ଛୋଟ ଚାକିରିଟିଏ କରିଚି ଗୋଟେ ଫାର୍ମରେ । ସେଠି ଗଧଖଟଣି । ସକାଳ ଆଠରୁ ସନ୍ଧ୍ୟା ପାଞ୍ଚ । ମଝିରେ ଘଣ୍ଟେ ବିଶ୍ରାମ ।

 

ମୁଁ କଲେଜରେ ପଢ଼ିବାବେଳେ ଚିତ୍ର ଆଙ୍କୁଥିଲି । ଏବେ ସେ ସଉକ ନାଇଁ, ତଥାପି ବେଳେବେଳେ ଲାଗେ ଭିତରେ କିଛି ଗୋଟେ ହନ୍ତସନ୍ତ କରିପକାଉଚି ମତେ, ତାକୁ ବାହାର କରିବାକୁ ହେବ, ହେଲେ କେମିତି ?

 

ମୁଁ ରଙ୍ଗ, ତୂଳୀ ଓ କାଗଜ ଧରି ବସିଯାଏ, କିଛି ଗୋଟେ ଆଙ୍କେ, ଆଙ୍କିବା ଭିତରେ ସିଗାରେଟ ଟାଣେ, କେହି କେବେ ଦେଖିଲେ ଆଶ୍ଚର୍ଯ୍ୟରେ ଅନାଏ, ସତେଅବା ଏକ ଛୋଟ ଫାର୍ମରେ ଛୋଟ ଚାକିରି କରିଥିବା କଲ୍ୟାଣ ଅଧିକାରୀର ଚିତ୍ର ଆଙ୍କିବାର ଅଧିକାର ନାଇଁ ।

 

ଆଉ କେହି ଚିତ୍ର ଦେଖି ପ୍ରଶଂସା କରେ । ମୁଁ ଜାଣେ ଚିତ୍ର ଭଲ ବୋଲି ସେ ଜଣେଇ ଦେବାକୁ ସିଏ କହେ ‘ସୁନ୍ଦର ! କଲର୍ କମ୍ବିନେସନ୍‌ଟା ମାର୍ଭଲସ୍ । ତମର ସତରେ ଆର୍ଟିଷ୍ଟିକ୍‌ ହ୍ୟାଣ୍ଡ ଅଛି କଲ୍ୟାଣ ।’ ଏ କଥାରେ ମୋଟେ ପ୍ରଶଂସା ନଥାଏ, ବରଂ ଥାଏ ଗୋଟେ ପ୍ରକାରର ଭାବ ଯାହା ଜଣାଇଦିଏ ଯେ, ‘ମୋରବି ଚିତ୍ର ସମ୍ପର୍କରେ ଧାରଣା ଅଛି ।’

 

ଆଉ କେହି କହେ : ‘ତମେ କଭର୍ ଡିଜାଇନ୍ କରୁନ କଲ୍ୟାଣ ? ଏମିତି କହୁଥିବା ମଣିଷଟି ଜଣାଇଦିଏ ଯେ, ସେ କେତେ ସୁନ୍ଦର ଉପାୟ ଜାଣେ ପଇସା ରୋଜଗାର କରିବାର, କେଡ଼େ ସହଜ ରାସ୍ତା ତାକୁ ଜଣା ଯଶ ଅର୍ଜିବାର !

 

କେହି କିନ୍ତୁ ମତେ କିଛି ପଚାରନ୍ତି ନାଇଁ ମୋ ଚିତ୍ର ସମ୍ପର୍କରେ । କେହି ମତେ ବୁଝନ୍ତି ନାଇଁ । ସତେ ଅବା ଚିତ୍ରକୁ ମୁଁ ସୃଷ୍ଟି କରିନି, ଚିତ୍ର ମତେ ସୃଷ୍ଟି କରିଚି ସତେ ଅବା ମୋ ହାତ ତୂଳୀ ଚଳେଇନି, ତୂଳୀ ଚଳେଇଚି ମୋ ହାତକୁ । ଅଦ୍ଭୁତ ସମୟ ଏବେ ସତେ, ମଣିଷର ନିକଟବର୍ତ୍ତୀ ହେବାକୁ କେହି ପ୍ରସ୍ତୁତ ନୁହନ୍ତି, ସମସ୍ତେ ମଣିଷ ଅଧିକୃତ ପଦାର୍ଥର ବେଶୀ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି ।

 

ମତେ ଅସହାୟ ଲାଗୁଚି କି ସେଥିପାଇଁ ? ନା–ବରଂ ମତେ ସାମାନ୍ୟ ଦୁଃଖ ଲାଗୁଚି ମଣିଷ କ’ଣ ସତେ କେବେ ଅସହାୟ ହୋଇପାରେ ? ସେଇ ନିଜକୁ ଅସହାୟ ବୋଲି ଘୋଷଣା କରିପାରେ, ଯିଏ ନିଜର କାର୍ଯ୍ୟ କ୍ଷମତା ସମ୍ପର୍କରେ ଭଲରୂପେ ଜାଣେନା, ସେ ଅସହାୟ ହୋଇପାରେ, ଯିଏ ନିଜ କାର୍ଯ୍ୟଦକ୍ଷତାକୁ ସନ୍ଦେହ କରେ ! ପାରିବା ନ ପାରିବାର ଦ୍ୱନ୍ଦ୍ୱ ଭିତରେ ଯିଏ ସର୍ବଦା ଉବୁଟୁବୁ ହୋଇ କେଉଁଟିକୁ ଗ୍ରହଣ କରିବ ବୋଲି ଜାଣିପାରେ ନାଇଁ, ସେଇହିଁ ଅସହାୟ । ମୁଁ ସେମିତି ନୁହେଁ । ମୁଁ କ’ଣ କରିବି ମତେ ଜଣା ! କ’ଣ ପାରିବି କ’ଣ ନ ପାରିବି–ମତେ ଜଣାଅଛି । ମୁଁ କାହାକୁ ଭଲ ପାଇଚି ବା ଭଲ ପାଇନି, ସେ ସମ୍ପର୍କରେ ମୋର ନିଜକୁ କୌଣସି ପ୍ରଶ୍ନ କରିବାର ନାଇଁ । କିନ୍ତୁ ମୋର ଦୁଃଖ ଅଛି । ଜୀବନ ମୋପାଇଁ ଅସହାୟତାର ଅନ୍ଧଗଳି ନୁହେଁ, ଜୀବନ ମୋପାଇଁ କିଞ୍ଚିତ୍‍ ଦୁଃଖର ନିଛାଟିଆ ରାଜପଥ ।

 

ଅନେକ ଥର ଭାବିଚି ଏଇ ଚାକିରିଟା ଛାଡ଼ିଦେବି । ହେଲେ ଛାଡ଼ିପାରି ନାଇଁ ଓ ଛାଡ଼ି ପାରିବି ନାଇଁ ମଧ୍ୟ । ଛାଡ଼ି ଦେଲେ ହୁଏତ ମତେ ଭିକ୍ଷା ମାଗିବାକୁ ପଡ଼ିବ ଅବା ଚୋରୀ କରିବାକୁ ପଡ଼ିବ, ନହେଲେ ବଞ୍ଚିବି କେମିତି ? ନିଜ ଚାକିରି ଛାଡ଼ି ପାରୁନାହିଁ, ଏଣେ ମୋ ହାତରୁ ନିଗିଡ଼ି ଯାଉଚି ସମୟ । ସମୟକୁ ଓଠ ଲଗେଇ ଚାଟି ଦେବାକୁ ପଡ଼ିବ । ଦିନସାରା ମତେ ବ୍ୟସ୍ତ ରହିବାକୁ ପଡ଼ୁଚି ଅଫିସ୍‍ରେ । ରାତିହିଁ ମୋର ଉପଭୋଗର ସମୟ । ରାତିହିଁ ମୋର ନିଗିଡ଼ି ପଡ଼ୁଥିବା ଅମୃତର ଧାରା ।

 

ତେଣୁ ରାତି ଦଶରେ ଖାଇଦେଇ ଅଧଘଣ୍ଟା ଶେଯରେ କଡ଼ ଲେଉଟାଇବା ପରେ ମୁଁ ଉଠେ । ଘରର ଦରଜାରେ ଚାବି ଲଗେଇ ବାହାରକୁ ଆସେ । ଚାଲେ । ଚାଲେ । ଖରାରେ ବା ବର୍ଷାରେ ବା ଶୀତରେ । ଫେରୁ ଫେରୁ ରାତି କେବେ ଏକ, କେବେ ବା ଦୁଇ । କେତେଥର ନାଇଟ୍ ଡ୍ୟୁଟିରେ ଥିବା କନେଷ୍ଟବଳ ଅଟକାଇଚି, ପଚାରିଚି କେତେ କଥା । ଏବେ ଅନେକ କନେଷ୍ଟବଳ ମୋର ରାତିର ବନ୍ଧୁ । କେବେକେବେ ସେମାନେ ବିଡ଼ି ଦିଅନ୍ତି ମତେ ଅବା କେବେ ମୋ'ଠୁ ନିଅନ୍ତି ସିଗାରେଟ । ପୁଣି କେବେ ମୋ ସହ ଚାଲନ୍ତି ଷ୍ଟେସନ୍ ଯାଏଁ–ଗପିଗପି, ଘରକଥା–ପିଲାଙ୍କ ପଢ଼ାପଢ଼ି କଥା, ବଡ଼ ଝିଅକୁ ବାହା ନକରିପାରିବାର ଅବସୋସ କଥା । ଷ୍ଟେସନ୍‌ରେ ଚା’ ପିଅନ୍ତି ମୋ ସହ, ପୁଣି ଫେରୁ ସାଙ୍ଗ ହୋଇ !

 

କେବେକେବେ ରାତିଅଧରେ ଫେରିବା ପରେ ନିଦ ହୁଏନା । ଟେବୁଲ୍ ନିକଟରେ ବସିପଡ଼ି ରେଖା ଅଙ୍କନ କରେ । ପରଦିନ ରଙ୍ଗ ମାରେ ସେଇ ରେଖାଚିତ୍ରରେ । ଏମିତି ଖାପ ଛଡ଼ା ମୋ ପେଣ୍ଟିଙ୍ଗ୍ । ଏକାଗ୍ରତା ନାଇଁ, ନିଷ୍ଠା ନାଇଁ ! ଛାତି ତଳେ କଣ୍ଟାଟିଏ ଏକା ଥରକେ ଚିତ୍ରଟେ ଅନେକ ଦିନ ଧରି ଆଙ୍କି ନଥିବାରୁ ଅକାଲୁଆ କରିଦିଏ । ତୃଷାଟିଏ ଘେରିଯାଏ ମତେ । କିନ୍ତୁ ମତେ ସମୟ କାଇଁ ?

 

ମୋର ଏମିତି ଗୋଟେ ଜୀବନ ଦରକାର, ଯେଉଁଠି ମୁଁ ଥିବି ଏକାକୀ । ମୋ ଘରଠୁ ମାଇଲିଏ ଭିତରେ ନଥିବ ଆଉ କାହା ଘର । ମୋର ଚାକିରି ନଥିବ । ଯେଉଁଠି ମୁଁ ରହିବି, ସେଇଟା ହୋଇଥିବ କେଉଁ ଏକ ସହରଠୁ ପଚାଶ ମାଇଲ ଦୂର ଗୋଟେ ଗାଁ । ଇଚ୍ଛା ମୁତାବକ ମୁଁ ସହରରୁ ଆଣିପାରୁଥିବି ଚିତ୍ରଆଙ୍କିବାର ସାମଗ୍ରୀ ସବୁ ।ରାସ୍ତାରେ ମାଟି ଉଠେଇବା ଯାଏଁ । କିନ୍ତୁ ରୋଷେଇ କରିବା ଦାୟିତ୍ୱଟି କେହି ମୋ’ଠୁ ନେବା ଦରକାର । ଗାଁର କେହି ଜଣେ ଠିକ୍ ଖାଇବାବେଳକୁ ଗଣ୍ଡେ ଖାଇବାକୁ ଦେଇ ଦିଅନ୍ତା–ବାସ୍ !

 

ମୁଁ ଜାଣେ, ଆପଣ ବିବାହ କଥା କହିବେ । ବିବାହ କଲେ ମୁଁ ଆଉ ନିଜର ହୋଇପାରିବି ନାଇଁ । ମୁଁ ମୋ ନିଜର ହେବାକୁ ଚାହେଁ । ପୂରା ନିଜର । ସେଥିପାଇଁ ଆଜିଯାଏଁ ମୁଁ ବାହା ହେଇନି । କିନ୍ତୁ ମୁଁ ନିଜର ହୋଇପାରୁଚି କେଉଁଠି ? ଚାରିଆଡ଼େ ମଣିଷ ।

 

‘କ’ଣ କଲ୍ୟାଣ ଭଲ ଅଛ ?' ଅନ୍ୟମନସ୍କଭାବେ ଏମିତି କେହି ପଚାରେ ।

 

‘ଅଫିସ୍ କେମିତି ଚାଲିଚି କଲ୍ୟାଣବାବୁ ?' ଅନ୍ୟ କେହି ପଚାରିଦିଏ । ପୁଣି କେହି ଘରକୁ ଆସେ ମୋର । ବସେ କେତେ ସମୟ । ଚିତ୍ର ଦେଖେ । ପଚାରେ : ‘ଆପଣ ଏତେ ଭଲ ଆଙ୍କୁଛନ୍ତି, କଭର୍ ଡିଜାଇନ୍‌ କରୁ ନାହାନ୍ତି କିଆଁ ? ସେଥିରେ ତ ଭଲ ପଇସା ।’ ଆଉ କେହି ଅଯଥା ଆତ୍ମୀୟ ହେବାର ଚେଷ୍ଟାରେ ମୂଲ୍ୟହୀନ ପ୍ରଶ୍ନଟେ ପଚାରେ : ଆପଣ ବିବାହ କରୁନାହାନ୍ତି କିଆଁ ?

 

ମୁଁ ଆଉ ନିଜର ହୋଇପାରୁଚି କୋଉଠି ? ଏମିତି ଅନେକ ଅଜବ ପ୍ରଶ୍ନର ଉତ୍ତର ଅହରହ ଦେବାକୁ ହେଉଥିବା ମଣିଷଟି କି କେବେ ନିଜର ବୃତ୍ତର କେନ୍ଦ୍ରବିନ୍ଦୁରେ ବଞ୍ଚିପାରେ ? ଏଇତ ମୋର ଦୁଃଖ !

 

ନା–ମୁଁ ଅସାମାଜିକ ନୁହେଁ । ସେଇ ସବୁ ପ୍ରଶ୍ନର ଉତ୍ତର ଦେବାବେଳେ ମୋର ଘୃଣା ଆସେନି । ମତେ ବିରକ୍ତ ଲାଗେନି । ତଥାପି ଏମିତି ପ୍ରଶ୍ନ ସବୁ କେହି ପଚାରିଲେ, ମତେ ଲାଗେ କେହି ମୋ ଭିତରକୁ ଅଯଥା ପଶିଯାଉଚି । କଥାବାର୍ତ୍ତା କରଭାଇ, ଏତେ କଥା ଗପିବାକୁ ଅଛି । ସାରା ଜୀବନ ନଖାଇ ନ ପିଇ ନ ଶୋଇ ଗପିଲେ ମଧ୍ୟ ଗପ ସରିବ ନାଇଁ । କିନ୍ତୁ ସେଇ କଲ୍ୟାଣ ଭଲ ଅଛୁ, କଲ୍ୟାଣର ପେଣ୍ଟିଙ୍ଗ୍, କଲ୍ୟାଣର ବିବାହ, କଲ୍ୟାଣର ଅଫିସ୍, କଲ୍ୟାଣର ଅଫିସର, କଲ୍ୟାଣର ବାପ–ମା’, ଘରଦ୍ଵାର ଇତ୍ୟାଦି ବାଜେ କଥା ଗପ ନାହିଁ । ମିଳିଯିବ ଏମିତି ଏକ ଅଜବ ଦୁଃଖରୁ ଅଚାନକ ମୁକ୍ତି । ସେଥିପାଇଁ ଶୀତ/ବର୍ଷା/ଗ୍ରୀଷ୍ମ ରାତିରେ ମଧ୍ୟ ମୁଁ ରାତ୍ରିର କର୍ତ୍ତବ୍ୟରତ କନେଷ୍ଟବଳ ସହ ଷ୍ଟେସନ୍ ଯାଇ ଚା’ ପିଏ । ସିଏ ଏମିତି ଅଯଥା ପ୍ରଶ୍ନ ପଚାରେ ନାଇଁ । ଖୁବ୍ ସୁନ୍ଦର କଥା ସବୁ ଗପେ, କେତେ କଥା । ମିଳିଯିବ କେବେ ମୁକ୍ତି । ଏମିତି ଅଜବ ଦୁଃଖୀ ଅକ୍‌ଟୋପସି ହାତରୁ ଉଧୁରିବା ଏତେ ସହଜ ନୁହେଁ । ଚାକିରି ଛାଡ଼ିବା ସମ୍ଭବ ନୁହେଁ ଏବେ । ତେବେ କ’ଣ କରାଯିବ ? ଏମିତି ଶଢ଼ିଯିବ ଜୀବନ କିଞ୍ଚିତ୍‍ ଦୁଃଖ ନିଃଶବ୍ଦ ରାଜପଥରେ ? କେଜାଣି-! ଏମିତି ଦୁଃଖଟେ ତ ମତେ ଘାରି ପକାଉଚି । ମୁଁ କ’ଣ କରିବି ବନ୍ଧୁ, ମୁଁ କ’ଣ କରିବି ?

 

X X X

 

ନିଜ ଘରର ବାରଣ୍ଡାରେ ବସି କୌଣସି କାରଣପାଇଁ ଦୁଃଖକୁ ଅଶ୍ରୁକରି ନିଗିଡ଼ାଇ ଦେଲେ ଶହେ ଲୋକ ରାସ୍ତାରୁ ଆଖିଟେକି ଚାହିଁବେ । କହିବେ : ‘କ’ଣ ହେଲା ଚନ୍ଦ୍ରା ? ଏମିତି କାନ୍ଦୁଛୁ କିଆଁ ? କହ–ଆମେ ଥାଉଁଥାଉଁ ତୁ ଏମିତି କାନ୍ଦିବା ଶୋଭାପାଏନା ।’

 

ଆଉ କେହି କହିବ : ‘ଛାଡ଼–ତା’ ପ୍ରେମିକଟି ବୋଧେ ବିବାହ କରିଗଲା ।’ ପୁଣି କେହି କହିବ : ‘ସେ ବିବାହିତା, କିନ୍ତୁ ସ୍ୱାମୀପରା ତାକୁ ସନ୍ଦେହ କରୁଚି ।’ ପୁଣି ଶୁଭିବ : ‘ମୁଁ ଜାଣେ, ମୁଁ ଠିକ୍ ଜାଣେ । ଚନ୍ଦ୍ରା ପାଢ଼ୀ ତ ? ସେ ପରା ଅନ୍ତଃସତ୍ତ୍ଵା । ପୁରୁଷଟି କିନ୍ତୁ ତା’ର ମାନୁ ନାଇଁ । ସେପାଇଁ ଏକ କୁମ୍ଭୀର କାନ୍ଦଣା ।’

 

ଏମିତି ! ଏଟା ଏକ ଅଜବ ସହର । ଏଠି ନିଜର କୌଣସି ଦୁଃଖକୁ ଅଶ୍ରୁ କରି ନିଜ ଘରର ବାରଣ୍ଡାରେ ବୁହାଇବା ପାଇଁ ମନା । ସେପରି କଲେ ରାତାରାତି ତୁମ ଚରିତ୍ର ବଦଳିଯିବ । ଏଟା ଏକ ସେମିତି ସହର ! ଦୁଃଖକୁ ଅଶ୍ରୁ କଲେ ଏଠି ରାତାରାତ କଳଙ୍କିନୀ ହେବାକୁ ହୁଏ !

 

ଏଇତ ! କେଇ ଦିନ ତଳେ ଦିନେ ରାତିରେ ହଠାତ୍ ମତେ କାନ୍ଦ ଲାଗିଲା । ବଡ଼ ଅଦ୍ଭୁତ ପରିସ୍ଥିତି ମୋର ସେତେବେଳେ । ନା ସ୍ଵର୍ଗକୁ ଯାଉଚି, ନା ଖସିପାରୁଚି ମର୍ତ୍ତ୍ୟକୁ । ଅସହାୟଭାବେ ଅଧା ସ୍ଵର୍ଗରେ ଝୁଲୁଥିବା ଅବସ୍ଥା ମୋର । ନ କାନ୍ଦିଲେ ନା ମତେ ଶାନ୍ତି ଲାଗୁଚି, ନା ଥରେ କାନ୍ଦିଲେ ମୋର ଯନ୍ତ୍ରଣା ଉପଶମ ହେଉଚି । ସେ ଦିନ ବର୍ଷା ରାତିରେ କାନ୍ଦିବା ପରେ ମନ ହେଉଚି ବସି କାନ୍ଦନ୍ତି । ମୋ କାନ୍ଦିବା ପଛରେ ଏମିତି କିଛି ଆପଣ ଆଶା କରୁଥିବା ପରି କାରଣ ନାଇଁ । ଆମେମାନେ ଯେ କି ଧରଣର ସମ୍ପର୍କର ସେତୁବନ୍ଧ ପରସ୍ପର ଭିତରେ ଗଢ଼ି ଅଛୁ, ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ନିହାତି ଅଜବ କାରଣ ସବୁ ସେଇ ସମ୍ପର୍କର ମଝିରେ ମରୁଭୂମିରେ ନିତିଦିନିଆ ବାଲିଝଡ଼ ପରି ସାଧାରଣଭାବେ ଆସି କନ୍ଦେଇ ଦିଅନ୍ତି ! ନ କାନ୍ଦିଲେ ରାହା ନାଇଁ, ହାତରେ ବେଢ଼ି–ଗୋଡ଼ରେ କଡ଼ି, ହୃଦୟରେ ଶୃଙ୍ଖଳ–ନିଶ୍ଚେ କାନ୍ଦିବ, ନହେଲେ ନିସ୍ତାର ନାଇଁ !

 

ବାପା ମରିଯିବା ପରେ ମା’ ଦୁଇବର୍ଷ ମତେ ବହୁ କଷ୍ଟ କରି ପାଠ ପଢ଼େଇଥିଲା । ମୋର ପାଠପଢ଼ାର ଯତ୍ନନେବା ଛଡ଼ା ସଂସାରର ଅନ୍ୟ ସବୁ କିଛି ତା’ପାଇଁ ଗୌଣ ହୋଇପଡ଼ିଥିଲା-। ସେଇ ସୁଯୋଗରେ ସାନ ଭାଇ ଫୁଲାଫାଙ୍କିଆ ଧରିଗଲା । ବାପା ମରିବାବେଳେ କେତେ ବର୍ଷ ହୋଇଥିଲା ତାକୁ ? ବୋଧେ ପନ୍ଦର–ଷୋହଳ । ସବୁକିଛି ବୁଝିପାରିବାର ବୟସ ତା’ର ହୋଇଥିଲେବି ସାଙ୍ଗମାନଙ୍କ ମେଳରେ ପଡ଼ି ଅନ୍ୟ ବାଟେ ଚାଲିଗଲା ସେ !

 

ଏ ଭିତରେ ଦୂର ଏକ କଲେଜରେ ଅଧ୍ୟାପିକାଭାବେ ନିଯୁକ୍ତି ଆସି ଯାଇଥିଲା ମୋର । ସେଠି ମୋତେ ଗୋଟେ ଘରଭଡ଼ା ନେଇ ରହିବାକୁ ହେଉଥାଏ । ସାନଭାଇକୁ ନେଇଗଲି ସେଠିକୁ ହେଲେ ସାମାନ୍ୟ ପରିବର୍ତ୍ତନ ହେଲା ନାହିଁ ତା’ର । ସକାଳୁ ଉଠି, ଗାଧୋଇ, ଗଣ୍ଡେ ଖାଇ ଦେଇ ଚାଲିଯିବ, ଫେରିବ ସନ୍ଧ୍ୟାରେ । କ୍ଲାସ୍ କରେ ଦିନେ ଦିନେ, ପୁଣି କୁଆଡ଼େ ଚାଲିଯାଏ । ସେ ସିଗାରେଟ ଟାଣେ ବୋଲି ମୁଁ ଜାଣେ । କିଛି କହେ ନାହିଁ । କ’ଣ ବା କହିଥାନ୍ତି ?

 

ଦିନେ କିନ୍ତୁ ଫେରିଲା ଅନେକ ଡେରିରେ । ରାତି ଏଗାର କି ବାଆର । ମୁଁ ଚାହିଁ ବସିଥାଏ, ତା’ ଫେରିବା ବାଟକୁ । ସେ ଫେରିଲା ଓ ଫେରିଲା ଟଳିଟଳି । ମୁଁ ପଚାରିଲି : ‘କୁଆଡ଼େ ଥିଲୁ ଏତେବେଳ ଯାଏଁ ?' ‘ସିନେମା ଯାଇଥିଲି’, ସେ କହିଲା ଓ ଘରସାରା ଖେଳିଗଲା ଗୋଟେ ଉତ୍କଟ ଗନ୍ଧ !

 

ହଁ–ସେ ମଦ ପିଇଥିଲା । ମୋ ଆଡ଼ୁ ମୁହଁ ଲୁଚେଇ ସିଏ ସିଧା ତା’ ଖଟକୁ ଚାଲିଗଲା । ମୁଁ ପଚାରିଲି : ‘ଖାଇବୁ ନାଇଁ ?' ତା’ର ସଂକ୍ଷିପ୍ତ ଉତ୍ତର : ‘ଖାଇଚି ।’

 

ମୁଁ ଧୀରେ ତା’ ଖଟ ନିକଟକୁ ଗଲି । ଖଟରେ ବସିଲି । ସେ ଶୋଇଥାଏ କାନ୍ଥ ଆଡ଼କୁ ମୁହଁ କରି । ମୁଁ ତା’ ପିଠିରେ ହାତ ରଖିଲି । ତା’ ପିଠିରେ ହାତ ରଖିବାକ୍ଷଣି ମୋ ଆଖି ଜକେଇ ଆସିଲା । ସେ ନିଃଶ୍ୱାସ ଜୋରରେ ନେଉଥାଏ । ମଝିରେ ମଝିରେ ତା'ର ହିକ୍କା ଉଠୁଥାଏ । ମୁଁ କହିଲି, ‘କେବେଠୁ ପିଇବା ଆରମ୍ଭ ହୋଇଚି ଶୁଣେ ?' ସେ କିଛି କହିଲା ନାଇଁ । ଏ ତ ନିହାତି ସାଧାରଣ ପ୍ରଶ୍ନ । ୟା'ଠୁ ଅନେକ ଉଚ୍ଚସ୍ତରର କଥା ମୋ'ଠାରୁ ଶୁଣିବାର ଆଶା କରି ସିଏ ଆସିଥିବ-!

 

ମୁଁ ପଚାରିଲି : ‘ପଇସା କେଉଁଠୁଁ ଆଣିଲୁ ?’ ତଥାପି ସିଏ ନିରୁତ୍ତର । କାଠଗଣ୍ଡି ପରି ସିଏ ପଡ଼ିଥାଏ କାନ୍ଥକୁ ମୁହଁ କରି । ହିକ୍କା ସେମିତି ଉଠୁଥାଏ ତା’ର । ମୁଁ କହିଲି : ‘ଠିକ୍ ଅଛି । ବୋଧେ ସାଙ୍ଗମାନଙ୍କ ପଇସାରେ ଆଜିର ପ୍ରୋଗ୍ରାମ ହେଇଚି । କିନ୍ତୁ ଆଉ ଯେମିତି ସେ କଥା ନହୁଏ । ପିଇବାକୁ ମନ ତ ପଇସା ମତେ ମାଗିଲେବି ଚଳିବ । ସାଙ୍ଗମାନଙ୍କ ଅପେକ୍ଷା ତୋ’ କଥା ମୁଁ ବେଶ୍ ବୁଝିପାରିବି । ପିଉଚୁ ତ, ମତେ ଗୋଟେ ଲାଜ କ’ଣ ?'

 

ମୁଁ ଆଉ କେତେକ୍ଷଣ ବୋଧେ ସେମିତି କହିଥାନ୍ତି । ସିଏ ଧଡ଼୍ କରି ଉଠିପଡ଼ିଲା । ଆଖି ଦି’ଟା ଲାଲ୍ ପଡ଼ିଆସୁଥାଏ ତା’ର । ମୁଁ ବସିଥାଏ ସେଇଠି, ସେଇ ଖଟ ଧାରରେ, ତା'ଠୁ ହାତେ ଦୂରରେ, ତାକୁ ସାମ୍ନା କରି ।

 

ସିଏ ମୋ ମୁହଁକୁ ସିଧା ଚାହୁଁ ନଥାଏ । ମୁଁ ତା’ ଓଠ ତଳେ ହାତଦେଇ ତା’ ମୁହଁକୁ ଟେକିଲି । ତା’ ଆଖିରେ ମୋ ଆଖି ମିଶି ଯିବାକ୍ଷଣି ସିଏ କାନ୍ଦି ପକେଇଲା ଭୋ’ କରି । ମୁଁ ଧୀରେ ତାକୁ କୋଳକୁ ଆଉଜାଇ ଆଣିଲି । ଏଡ଼େ ଟିକେ ହୋଇଥିଲା–ଦିନେ ଭୁଲ୍‌ରେ ଗୋଟେ ନିଦ ବଟିକା ଖାଇଦେଇ, ଅଚେତ ହୋଇ ଏମିତି ମୋ କୋଳରେ କେତେକ୍ଷଣ ପଡ଼ିଥିଲା–ସେକଥା ତା’ର ମନେ ନଥିବ । ହେଲେ ମୋର ଠିକ୍ ମନେଅଛି–ତା'ର ସେଦିନର ନିର୍ଜୀବ/ ଅଚେତ ଶରୀରକୁ କୋଳରେ ଧରି, କେତେ ଅଜବ ଚିନ୍ତା କରି ନଥିଲି ମୁଁ ସତେ, କେତେ ଆଶଙ୍କାରେ ତା’ର ସେଇ ଟିକି ଅଚେତ ଶରୀରକୁ କୋଳରେ ଅସହାୟଭାବେ ଧରି ବସିଥିଲି, ତା’ର ଚେତା ଫେରିବା ପରେ ମଧ୍ୟ ତା'ପର ଦିନ ମୁଁ ସ୍କୁଲ୍ ଯାଇ ନଥିଲି, ପାଖେପାଖେ ବସିଥିଲି ତା’ର–ସେଇ ଆଜି ଏଡ଼େ ବଡ଼ ହୋଇଯାଇଚି, ମୋରି ପାଖରେ ରହୁଚି, ମଦପିଇ ମୋ କୋଳରେ ଶୋଇ ଭେଁ–ଭେଁ କାନ୍ଦୁଚି–ଅଚେତ ହୋଇ ନାଇଁ, କିନ୍ତୁ କାନ୍ଦୁଚି । ତାକୁ ଆଉଁଷିବା ଭିତରେ କେତେବେଳେ ମୁଁ କାନ୍ଦି ପକେଇଚି ମତେ ଜଣା ନାଇଁ ।

 

କେତେ ସମୟ ସେମିତି ବିତିଗଲା । ତା'ପରେ ସିଏ କଥା କହିଲା, ପଦେ କଥା, ସତେ ଅବା ତା’ ଭିତରେ ଏତେ ଟିକେ ଅପରାଧବୋଧ ଜାଗି ନାଇଁ, ସତେ ଅବା ସେ ମଦ ପିଇଚି । କେବଳ ତା’ର ମନେଅଛି ମୋ’ କଥା, ମୋର ଭଲ–ମନ୍ଦ କଥା, ନିତିଦିନ ପରି ସେ ଦିନ ସେ ସବୁ ଚିନ୍ତା ସତ୍ତ୍ୱେ ମଧ୍ୟ ପଚାରିଲା ସେଇ ପଦକ, ଯେମିତି ଦିନେ ସିଏ ନିଦବଟିକା ଖାଇ ଚେତା ହରେଇ ପୁଣି ଚେତା ଫେରି ପାଇବା ପରେ ପଚାରିଥିଲା : ‘ତୁ ଏତେବେଳ ଯାଏଁ ଶୋଇନୁ ଅପା ?' ସେମିତି ପଚାରିଲା, ମୋ କୋଳରୁ ତା’ ମୁହଁ କାଢ଼ି : ‘ଖାଇନୁ ନା ?’

 

 

‘ନା–ଯାଉଚି ଖାଇବି । ମୁଁ କହିଲି । ସିଏ ଉଠି ସିଧା ହୋଇ ବସିଲା । ମୁଁ କହିଲି : ‘ତୁ ଖାଇଚୁ, ଶୋଇପଡ଼, ମୁଁ ଖାଇଦେଇ ଏଇ ସାଙ୍ଗେ ସାଙ୍ଗେ ଶୋଇପଡ଼ିବି ଯେ ।’

 

ପରଦିନ ସକାଳୁ କିନ୍ତୁ ମୁଁ ଉଠିବାବେଳକୁ ସେ ନଥାଏ, କୁଆଡ଼େ ଯାଇଥାଏ, ଅଧିକାଂଶ ଦିନ ସେ ଉଠେ ମୋ ଆଗରୁ, କୁଆଡ଼େ ଯାଏଁ, ଫେରେ ସାତଟା/ଆଠଟାବେଳକୁ, ଗାଧୋଇ ଗଣ୍ଡେ ଖାଇଦେଇ ପୁଣି ଚାଲିଯାଏ । ସେଦିନ କିନ୍ତୁ ଆଉ ଫେରିଲା ନାଇଁ । ତା’ପରେ ଆଉ ସେ ଫେରିନାଇଁ, କୁଆଡ଼େ ଯାଇଚି କେଜାଣି ? ସବୁ ବନ୍ଧୁ ଘରୁ ଖବର ନିଆସରିଲାଣି, ଘରକୁବି ଯାଇନି, କୁଆଡ଼େ ଗଲା କେଜାଣି ! ମୁଁ କ’ଣ ଜାଣିଥିଲି ସିଏ ଏମିତି ମୋର କଥାରେ ଘର ଛଡ଼ା ହୋଇଯିବ ବୋଲି ? କ’ଣ ଭାବି ସେ ଘରଛଡ଼ା ହୋଇଚି, ସେ କଥା ତାକୁ ଜଣା । କି ଲକ୍ଷ୍ୟ ନେଇ ସେ ଠେଲି ହୋଇ ବାହାରିଯାଇଚି ଘରର ଚଉକାଠ ଭିତରୁ କେବଳ ସେ ଜାଣେ । ବର୍ଷେ ହୋଇଗଲାଣି, ଅଥଚ ସିଏ ଫେରି ନାଇଁ !

 

କିନ୍ତୁ ସେ ଫେରିବ ବୋଲି ମୁଁ ଜାଣେ । ସେ ମତେ ଛାଡ଼ି ରହିପାରିବ ନାଇଁ । ମତେ ନଦେଖି ସେ ଜୀବ ଛାଡ଼ିପାରିବ ନାଇଁ ବୋଲି ମୁଁ ଜାଣେ । ସେ ଯେଉଁଠି ଥିଲେବି ମୁଁ ଥିବି ତା’ ପାଖରେ । ମୁଁ ଏଠି ବସି ଆପଣଙ୍କ ସହ ବାଜିମାରିପାରେ ଯେ, ସେ ଆଉ ସେଦିନ ପରଠୁ ମଦ ପିଇ ନାଇଁ–ନା ପିଇ ନାହିଁ ତା' ସହ ଆପଣଙ୍କର ଦେଖାହେଲେ, ତା'ଠୁ ଆପଣ ମୋ କଥାର ସତ୍ୟତା ବୁଝିପାରନ୍ତି । କିନ୍ତୁ କ’ଣ କରୁଚି ? ଯୋଉଠି ଥିଲେବି ତା’ର ଅସୁବିଧା ହେଉଥିବ । କେହି ତାକୁ ଚା' କପେ ଦେଉ ନଥିବ ଦାନ୍ତ ଘଷିବା ପୂର୍ବରୁ, ସେ ସକାଳୁ ବୁଲିବୁଲି ଫେରିବା ପରେ କେହି ତାକୁ ପରଟା ଦିଖଣ୍ଡ ଦେଉ ନଥିବ । ତା’ର ସତରେ ଅସୁବିଧା ହେଉଥିବ ।

 

ତା’ ଯିବାପରେ ମା’କୁ ମୋ ପାଖକୁ ନେଇ ଆସିବି ବୋଲି ଭାବିଥିଲି । ହେଲେ ମା’ ଆସିଲାନି ସେମିତି ଗାଁରେ ଅଛି । ସେ କେମିତି ବଞ୍ଚୁଚି, ସେକଥା ମୁଁ ବର୍ଣ୍ଣି ପାରିବି ନାଇଁ । ଏଇ ଦୀପାବଳିରେ ଗାଁକୁ ଯାଇଥିଲି, ଦେଖିଲି ମା’ ଜିଇଚି, କେମିତି ଜିଇଚି ସେକଥା ମୁଁ କହିବି କେମିତି-? ଖାଉଚି ଗଣ୍ଡେ ବାସ୍ ବଞ୍ଚିଚି; ସେ କିନ୍ତୁ ଆସିଲା ନାଇଁ ମୋ ସହ !

 

ଜମିବାଡ଼ି ଅଛି, ସେଥିରେ ଚଳି ହେବ ନାଇଁ । ତା' ଛଡ଼ା ମା’ ମରିଯିବ, ପରେ ମୁଁ କିମିତି ଚଳିବି ଗାଁରେ ? ଗାଁରେ ସବୁକିଛି ସମ୍ଭବ, ହେଲେ ଜଣେ ବୟସ୍କା ଝିଅ ଅବିବାହିତା ରହିବା ସମ୍ଭବ ନୁହେଁ । ପୋଖରୀ ତୁଠରୁ ଆରମ୍ଭ କରି ଖରାବେଳର ନିର୍ଜନ ମୁହୂର୍ତ୍ତରେ ମଧ୍ୟ ଟୁପ୍‌ଟାପ୍ ଶୁଭିବ, ନା–ସେଠି ଚଳିହେବ ନାଇଁ !

 

ବିବାହ ? ହଁ–ସେଇଟିହିଁ ଗୋଟିଏ ସମାଧାନ ଏସବୁପାଇଁ ବୋଲି ଆପଣ କହିବେ । ହେଲେ ସମସ୍ତେ ମୋ ପରି ଝିଅମାନଙ୍କର ଅସୁବିଧା ବୁଝିପାରନ୍ତିନି । ଯଦି ଆପଣଙ୍କ ସମାଜରେ ନାରୀର ଦେହ ସବୁଠୁ ମୂଲ୍ୟବାନ ଓ ଆକର୍ଷଣୀୟ ପଦାର୍ଥ, ତେବେ ଆପଣ ଠିକ୍ କହୁଛନ୍ତି–ବିବାହ ମୋପାଇଁ ଖୁବ୍ ନିରାପଦ । ସତରେ ଖୁବ୍ ନିରାପଦ । ଅନେକ ମଧ୍ୟ ନିଜେ ନିଜେ ବିବାହ ପ୍ରସ୍ତାବ ନେଇ ଆସିଛନ୍ତି, ହେଲେ ମୁଁ କିମିତି ମୋ ବିବାହରେ ସବୁକିଛି କରିବି ? ଜଣେ ନାରୀପାଇଁ ତା'ଠୁ ଅସହାୟ ଅବସ୍ଥା କ'ଣ ଥାଇପାରେ ? ଆପଣ କିନ୍ତୁ ହସିବେ, କହିବେ ଏସବୁ ବାହାନା । କୁହନ୍ତୁ, ମୋର ଦୁଃଖ ନାଇଁ, ଆହୁରି ବଡ଼ବଡ଼ ଦୁଃଖକୁ ସକାଳୁଆ ଉଷୁମ ଚା’ ପରି ମୁଁ ପିଇଦେଇଚି । ଯଦି ମୁଁ ପ୍ରେମ କରୁଥାନ୍ତି, ତେବେ ଅବା ଦେଖାଯାଇଥାନ୍ତା; କିନ୍ତୁ ନା ମୁଁ କାହାକୁ ପ୍ରେମ କରିପାରିଲି–ନା ମୋର ସେମିତି କୌଣସି ପୁରୁଷ ସହ ସମ୍ପର୍କ ଗଢ଼ିଉଠିଲା–ଯାହା ସହ ମୁଁ ସାରା ଜୀବନ ବିତାଇବାର ନିଷ୍ପତ୍ତି ନିଜେ ନେଇପାରିଥାନ୍ତି । ଛାଡ଼ନ୍ତୁ ସେକଥା–ଆପଣଙ୍କୁ ବୁଝାଇ ଲାଭ ନାଇଁ । ମୁଁ କେବଳ ଏକା ଏବେ, ଜଣେ ଅବିବାହିତା ଆଧ୍ୟାପିକା, ଭାଇଟିଏ ନିଖୋଜ ହୋଇଚି ଯାହାର, ଆଖିକୁ ଭଲ ଦିଶୁ ନଥିବା ମା’ଟିଏ ଅଛି ଯାହାର ଗାଁରେ–ଗାଁର କପଟୀ ମଣିଷଙ୍କ ମେଳରେ ରୁନ୍ଧି ହୋଇଯାଇଚି ଯାହାର ପ୍ରତିବାଦହୀନ ଜୀବନ !

 

ତେଣୁ ଏମିତି ବେଳେବେଳେ କାନ୍ଦମାଡ଼େ । କେତେବେଳେ କାନ୍ଦି ହୋଇଯାଏ, ପୁଣି କେତେବେଳେ କାନ୍ଦିପାରେ ନାଇଁ । ଅଜାଣତରେ ଶୂନ୍ୟକୁ ଚାହିଁ ଚାହିଁ ଭୁଲି ହୋଇଯାଏ । ଯେ, ସମୟ ନିଗିଡ଼ି ପଡ଼ୁଚି ରାସ୍ତା ପାଖ ନଳକୂଅରୁ ପାଣି ହୋଇ । ପ୍ରକୃତରେ ୟାଠୁ ବଡ଼ବଡ଼ ଦୁଃଖରେ ମଧ୍ୟ ଲୋକେ ବଞ୍ଚୁଛନ୍ତି, କାନ୍ଦୁ ନାହାନ୍ତି । ହେଲେ ମୁଁ କ’ଣ ସବୁବେଳେ କାନ୍ଦେକି ? ଜମା ନୁହେଁ । କେତେବେଳେ କେମିତି ବସିଥାଏ ତ ବସିଥାଏ, ଚାହିଁଥାଏ ତ ଚାହିଁଥାଏ, ଆଖିକୁ ଅଜାଣତରେ ଲୁହ ଚାଲିଆସେ ତ ଚାଲିଆସେ ।

 

ଏମିତି ଜୀବନ ଚାଲିଚି, ଚାଲିଥିବ । ହେଲେ ଆପଣଙ୍କର ଯଦି ମୋ ଭାଇ ସହ ଦେଖାହୁଏ, ତା’ର କପାଳ ତଳକୁ ଗୋଟେ କଟାଦାଗ ଅଛି, କୁଞ୍ଚୁକୁଞ୍ଚିଆ ବାଳ, ଗୋରା ଓ ଡେଙ୍ଗା ପିଲାଟା, ସବୁବେଳେ ସାର୍ଟ୍‍କୁ ପ୍ୟାଣ୍ଟ ଭିତରେ ଇନ୍ କରି ପିନ୍ଧେ–ତେବେ ଆପଣ ଦୟାକରି ତାକୁ କହିବେ, ଅନ୍ତତଃ ଥରେ ମୁହୂର୍ତ୍ତକ ପାଇଁ ଦେଖା କରି ସିଏ ପଛେ ପୁଣି ଚାଲିଯିବ ତା’ ଲକ୍ଷ୍ୟ ପଥରେ । ମୁଁ ତାକୁ ଗୋଟିଏ ରାତିରୁ ଅଧିକ ଅଟକାଇବି ନାଇଁ, ମୁଁ କ’ଣ କେବେ ତା’ ଲକ୍ଷ୍ୟ ପଥରୁ ତାକୁ ପଛକୁ ଟାଣି ଆଣିପାରେ ? ସିଏ ଖାଲି ମତେ ଗୋଟିଏ ରାତିରେ ତା’ର ଏତେ ଦିନର ଅଭିଜ୍ଞତା ମତେ କହିଯିବ ବାସ୍ ! ତା'ପରେ ସିଏ ଯୁଆଡ଼େ ଇଚ୍ଛା ଯାଉ । ଆଉ ଯଦିବି ସିଏ ଆସିବାକୁ ରାଜି ନହୁଏ, ତେବେ ତାକୁ ପଚାରି ବୁଝିବେ ସେ ମଦ ପିଉଚି କି ନାଇଁ । ମୁଁ ଆପଣଙ୍କ ସହ ବାଜିମାରିପାରେ ଯେ, ସେ ମଦ ପିଉ ନାହିଁ !

 

X X X

 

ଠିକ୍ ଛାତର କଡ଼ାରୁ ରସିଟାଏ ବାନ୍ଧୁଚି, ଆସି ପହଞ୍ଚି ଗଲେ ଦି’ଜଣ । ଏତେ ବର୍ଷା ରାତିରେ ଶଳେ ଘରୁ ବାହାରିଛନ୍ତି କେମିତି କେଜାଣି । ସତେ ଅବା ବହୁଦିନର ପୁରୁଣା ବନ୍ଧୁ ଦି’ଜଣ ମୋର । କ’ଣ ନା ‘ଶୋଭନ, ତୋ ଘରେ ରହିବୁ ଆଜି ।’ ବାଷ୍ଟାର୍ଡ଼ସ୍‌ ଛାତରୁ ରସିଟା ବାନ୍ଧିଲି, ତୁମ ବୋପାର କ’ଣ ଗଲା ? ଶଳେ ମୋ କାମରେ ଠିକ୍‍ବେଳେ ପହଞ୍ଚ ବାଧା ଉପୁଜାଇବେ କ’ଣ ନା ‘ରାତିଟା ଗପିଗପି କଟାଇଦେବା ।'

 

ସେମିତି ଆଉ ଦିନେବି ହୋଇଥିଲା । ଛାତରୁ ରସିଟା ବାନ୍ଧିବାକୁ ବାହାରିଚି, କବାଟ ଖଡ଼ଖଡ଼ ହେଲା ଚଟାଣରେ ରସିଟା ଫୋପାଡ଼ି ଦେଇ ବିରକ୍ତରେ କବାଟ ଖୋଲି ଦେଖେ ତ ମୋ ଉପର ଅଫିସ୍‍ର ବନମାଳୀବାବୁ । ବାଷ୍ଟାର୍ଡ଼–ଅଫିସର ନା ଚୋପା । ଶଳାଟା ଏତେ ବେକାର କଥା ଗପେ ଯେ, ବେଳେବେଳେ ମନ ହୁଏ ତା’ ଅଭିଆଡ଼ୀ ଝିଅଟାକୁ ଦିନେ ଅଫିସ୍ ସମୟରେ ଅଫିସ୍ ନଯାଇ ତା’ ଘରେ ରେପ୍ କରିଦିଅନ୍ତି, ତା’ପରେ ବନମାଳୀବାବୁ ଆଉ ମୋ ଦୁଆର ମାଡ଼ନ୍ତେନି । ସାମ୍ନାରେ ଅବଶ୍ୟ ମୁଁ ତାକୁ ବାବୁ ବୋଲି ଡାକେ, ଅନ୍ୟବେଳେ ସ୍ନେହରେ ବନା ବୋଲି ଡାକେ । ଲୋକଟାର ସ୍ମୃତିଶକ୍ତି ଲୋପ ପାଇଯାନ୍ତା ଓ ସେ ଭୁଲିଯାନ୍ତା ମୋ ଘରକୁ ରାସ୍ତା । ତେବେ ମିଳନ୍ତା ନିସ୍ତାର । ଏତେ ଗପୁଡ଼ି, ଛୋଟ ପିତ୍ତଳ ହାଣ୍ଡିପରି ପେଟରେ ଏତେ କଥା ଥାଏ ତା’ର । ସବୁ ବେକାର କଥା ! ପେଟ ଏକ୍‌ଜିବିସନ୍‌ରେ ବାଷ୍ଟାର୍ଡ଼ଟା ଫାଷ୍ଟ ହୁଅନ୍ତା । ଏତେ ଖାଏ, ଓଃ । ନଖାଇ ଅବଶ୍ୟ ଲୋକଟାର ଚାରା ନାଇଁ, ଯେତେ ପଇସା ସେ ଲାଞ୍ଚ ନିଏ, କ’ଣ କରିବ ନହେଲେ ? ବାଷ୍ଟାର୍ଡ଼ଟା ଖାଇବା ସମୟ ଛାଡ଼ି ସବୁବେଳେ ଗପୁଥାଏ କି ଗପିବା ସମୟ ଛାଡ଼ି ସବୁବେଳେ ଖାଉଥାଏ ଜାଣିବା କଷ୍ଟ । ସେଇ ବନା ପହଞ୍ଚିଲା ସେଦିନ–ସବୁ ପ୍ଲାନ୍ ଖତମ୍ ।

 

‘ଆରେ, ରସିଟା କ’ଣ କରିବେ ଯେ ଶୋଭନବାବୁ ?’ ବନା ନାମକ ସେଇ ଗପିବା ସମୟ ବାଦ୍ ଦେଇ ସବୁବେଳେ ଖାଉଥିବା ଓ ଖାଇବା ସମୟ ବାଦ୍ ଦେଇ ସବୁବେଳେ ଗପୁଥିବା ବାଷ୍ଟାର୍ଡ଼ଟା ପଚାରିଲା ! ତା’ ପ୍ରଶ୍ନଟାକୁ ପୂରା ବାଆଁରେଇ ମୁଁ କହିଲି : ଆରେ ଆପଣ ? ‘ଏଇପଟେ ମାଛ କିଣିବାକୁ ଯାଇଥିଲି, ଚାଲି ଆସିଲି ।’ ସେ କହିଲା । ‘ନା–ଆଜିକାଲି ମାଛ ମିଳୁଚି କେଉଁଠି ? ଚୁଙ୍ଗୁଡ଼ି ତ ଯିବ ଜାପାନ, ରୋହିଭାକୁଡ଼ ତ ଆମେ ଯିବାବେଳକୁ ଖତମ୍ । ଆଉ କିଣିବ କ’ଣ ? ଅବଶ୍ୟ ବାଳିଆ ଥିଲା । କିନ୍ତୁ ବାଳିଆ ମାଛ ଟେଷ୍ଟି ନୁହେଁ । ବନା ନାମକ ସେଇ ଚନ୍ଦାମୁଣ୍ଡିଆଟା ତା’ ପେଟ ଆଉଁଷୁ ଆଉଁଷୁ ନିଜ ଗପୁଡ଼ି ଅଭ୍ୟାସର ପ୍ରମାଣସ୍ୱରୂପ ଏତକ କହିଲା । ମୁଁ କିଛି ନ କହି ଚାହିଁଥାଏ ତା’ ଚନ୍ଦାମୁଣ୍ଡକୁ, ଯୋଉଠି ଦି’ ବୁନ୍ଦା ଝାଳ ଜମିଯାଇ ଦିଶୁଥାଏ ଦିଓଟି ତାରା ପରି ।

 

ବନା କହିଲା : ‘ବୁଝିଲେ ଶୋଭନବାବୁ, ମାଛ କ’ଣ ମୁଁ ଖାଇନି ? ଖାଇଚି, ଢେର୍ ଖାଇଚି । କେବଳ ଏଇ ପିଲାମାନଙ୍କୁ ଖୁଆଇବା କଥା । ମୋ ପିଲାଦିନେ, ବୁଝିଲେ ଆମେ ତ ଥାଉ ଗାଁରେ ! ମାଛ ? କାହିଁ କହୁଛନ୍ତି ସେକଥା ? ସକାଳେ ଇଲିଶି ତ ସନ୍ଧ୍ୟାରେ ରୋହି, ସନ୍ଧ୍ୟାରେ ଭାକୁଡ଼ ତ ସକାଳେ ପୋହଳା । ସେବେଳ ଆଉ ନାଇଁ । କିଲୋ ଅତିବେଶୀରେ ତିନିଟଙ୍କା । ବୁଝିଲେ ? ପାଠ ପଢ଼ିସାରି ଚାକିରି କରିବା ପରେ ଆଉ ସେ ମାଛ କାହିଁ ? ଏ ମାଛଗୁଡ଼ାକରେ କ’ଣ ସ୍ୱାଦ ଅଛି ? ଖାଲି ପିଲାଙ୍କପାଇଁ ନେବା କଥା । ସେଇ ମିନିମ–ମୋ ବଡ଼ ଝିଅ ମିନି, ମାଛ ନହେଲେ ନଚଳେ ତା’ର । ଅତି ମୋଟା ହୋଇଥିବାରୁ ଆଉ ବେଶୀ ନ କହି ବନା ଏଇଠି ବିଶ୍ରାମ ନେଲା । କହୁଚି କ’ଣ ନା ପାଠ ପଢ଼ିସାରି ଚାକିରି କରିବା ପରେ ! ହୁଁ–ଶଳାଟା ତ ପ୍ରମୋସନ୍‍ ହେଇ ହେଇ ପହଞ୍ଚୁଛୁ ଏଠି, ଏଣିକି ଲକ୍ଷେ ଚେଷ୍ଟା କଲେ ଆଉ ଉପରକୁ ଉଠିପାରିବୁ ନାଇଁ । କ’ଣ ନା ମିନି ମାଛ ନହେଲେ ଖାଏନି । ହଁ–ସେଇ ମିନି, ମୁଁ ଦେଖିଚି, ପୂରା ରଟନ୍ ମାଲ୍ ! ବାଷ୍ଟାର୍ଡ଼–ସେଇଟା ତୋ’ ବଡ଼ ଝିଅନା ? ତାକୁଇ ତ ନିଶ୍ଚେ ଦିନେ ରେପ୍ କରିବି, ଶଳା ଚନ୍ଦାମୁଣ୍ଡକୁ ଆଉଁଷି ଆଉଁଷି ଆଉ ଆସିବୁନି ଏଠିକି । ତୁ କିଆଁ ଗପୁବେ ?

 

ଯା’ ହେଉ, ସେଦିନ ମାତ୍ର ଅଢ଼େଇ ଘଣ୍ଟା ଗପି ବନା ବା ବନମାଳୀବାବୁ ବା ମିନି ନାମକ ସେଇ ବ୍ରଣମୁହୀଁ ଝିଅଟାର ବାପା ମୋ ଘରୁ ବିଦାୟ ନେଲେ । ତା'ପରେ ଆଜି କାମ ଆରମ୍ଭ କରୁ କରୁ ଏଇ ବାଷ୍ଟାର୍ଡ଼ ଦି’ଟା ଆସି ହାଜର । କୋଉଠି ଥିଲେବେ କୁକୁର ଦି’ଟା ? କ’ଣ ନା ଆଜି ଏକ ଅଜବ ରାତି ! ଦେଖିଲ ବର୍ଷାରେ ଲାଇଟ୍ ପୋଷ୍ଟ୍ ତଳେ ଭିଜୁଚି କଲ୍ୟାଣ ଅଧିକାରୀ-। କୋଉ କଲ୍ୟାଣ ଅଧିକାରୀବେ ? ଓ–ହଁ, ମୁଁ ଜାଣେ–ଚିତ୍ର ଫିତ୍ର ଆଙ୍କେ ତ ? ଭଲଲୋକଟା-। ସେ ତା’ର ବର୍ଷାରେ ଭିଜିଲା, ତୁମ ଦି'ଜଣଙ୍କର ବୋପାର କ’ଣ ଗଲା ? ତମର ସେ ବନ୍ଧୁ ? ତୁମେ ଶଳାଚୋର, ଏତେ ରାତିରେ ବୁଲୁଥିଲ କିଆଁବେ ?

 

ଆଉ ଗୋଟେ କୋଉ ଚନ୍ଦ୍ରାପାଢ଼ୀ କାନ୍ଦୁଥିଲା ତା’ ଘର ବାରଣ୍ଡାରେ ବସି ? କୋଉ ଚନ୍ଦ୍ରା ପାଢ଼ୀ ? ମୁଁ ଜାଣିନି । ଏସହରରେ ଏମିତି ନାମରେ ଗୋଟେ ଅବିବାହିତା ରହୁଚି, ଯାହାକୁ ପୁଣି ମୁଁ ଜାଣିନି, ଆଶ୍ଚର୍ଯ୍ୟ । କ’ଣ କହୁଥିଲବେ ଶଳେ ? ଚନ୍ଦ୍ରା ପାଢ଼ୀ ଅଧ୍ୟାପିକା ଅଛି ? ଗୋଟେ ଅଧ୍ୟାପିକା ତା’ ଘର ବାରଣ୍ଡାରେ ବସି କାନ୍ଦିଲେ ତୁମର କ’ଣ ଗଲା । ପ୍ରତିଟି ମଣିଷର ପରିସ୍ଥିତି ଅଲଗା ନିଜର ଦୁଃଖ ଅଲଗା, ତୁମେ କିଏବେ ସେଥିରେ ମୁଣ୍ଡ ଖେଳଉଚ ।

 

ଶଳା ନାରୀଟିଏ ଏକାକିନୀ ଦେଖିଲେ ତୁମ ଅବସ୍ଥା ପୂରା ମଜନୁ । କି ଦୟା । ପୂରା ଆତ୍ମୀୟ ଅବା ! ତା’ ଦୁଃଖର ଅଧା ବାଣ୍ଟି ନେବ କି ସତେ । ବାଷ୍ଟାର୍ଡ଼ ! ନିଜକଥା ନିଜେ ବୁଝ । ନିଜ ଦୁଃଖ କଥା ନିଜେ ଭାବ । ସତେ ଅବା ନିଜେ ଗୋଟେ ଗୋଟେ କାମନା ଶୂନ୍ୟ, ଦୁଃଖ ଶୂନ୍ୟ ବୁଦ୍ଧଦେବ । ଶଳା ସବୁ ତୁମର ହିଡ଼ନ୍ ସେକ୍ସସୁଆଲିଟି । ଯୋଉ ଖଟ ଉପରେ ତମେ ଦି'ଟା ଗଧପରି ଶୋଇ ଘଡ଼ଘଡ଼ି ପରି ଘୁଙ୍ଗୁଡ଼ି ମାରୁଚ, ସେ ଖଟକୁ ପଚାର, ସେ ଖଟ କହିବ କେତେ ବିବାହିତା ନାରୀଙ୍କୁ ମୁଁ ରବିବାରରେ ଦିନବେଳେ ଉପଭୋଗ କରିଚି । ସବୁ ଶଳା ଏକ୍ । ବାଷ୍ଟାର୍ଡ଼ସ୍-! ଚନ୍ଦ୍ରା ପାଢ଼ୀ–ଓଃ ! ଆବେ ଶଳେ, ଗୋଟେ ଦାଢ଼ି ରଖି, ହାତରେ କଡ଼ା ପୂରାଇ ପୁରୁଷଟାଏ ତା’ ବାରଣ୍ଡାରେ ବସି କାନ୍ଦୁଥିଲେ, ତମେ ଟିକେ ବିଚଳିତ ହୋଇଥାନ୍ତ ? ଜମା ନୁହେଁ । ସମସ୍ତଙ୍କ ଦୁଃଖରେ ଦୁଃଖୀ ହେବାକୁ ଶିଖ । ସମସ୍ତଙ୍କ ସୁଖରେ ସୁଖୀ ହେବାକୁ ଶିଖ । କେତେ ଦିନ ତୁମେ ବଞ୍ଚିବ ? କେତେ ଦିନ ଶଳେ ନିଜକୁ କାମନା ଶୂନ୍ୟ ଦୁଃଖ ଶୂନ୍ୟ ବୋଲି ଦେଖେଇ ହବ-? ଯଦି କଲ୍ୟାଣ ଅଧିକାରୀ ବା ଚନ୍ଦ୍ରା ପାଢ଼ୀ ତୁମର ଅପରିଚିତ ହୋଇଥାନ୍ତେ, ତେବେ ଯାଇଥାନ୍ତେରେ ଶଳେ ସେମାନଙ୍କ କଥା ବୁଝିବାକୁ ।

 

X X X

 

ଛାଡ଼–ମୋର ସେଥିରେ ଯାଏଁ କେତେ ଆସେ କେତେ ! ମୁଁ ଗୋଟିଏ ଜାରଜ, ମୋର ନାଁ ଶୋଭନ ଦାସ ବୋଲି କିଏ ଦେଇଥିଲା, ମତେ ମାଲୁମ ନାହିଁ । ଶୁଣିଚି ଜଣେ ସ୍କୁଲ୍ ଶିକ୍ଷକ ମତେ ରାସ୍ତାକଡ଼ରୁ ପାଇଥିଲେ । କିଛିଦିନ ଯାଏଁ ସେଇ ସ୍କୁଲ୍ ଶିକ୍ଷକଙ୍କ ଘରେ ଲାଳିତପାଳିତ ହୋଇଥିଲି । ତା’ପରେ ସିଏ ମତେ ଜଣେ ଖ୍ରୀଷ୍ଟିଆନ ପାଦ୍ରୀଙ୍କ ହାତରେ ସମର୍ପି ଦେଇଥିଲେ । ପାଦ୍ରୀଙ୍କ ପାଖରେ କିଛିଦିନ ରହିଥିଲି ବୋଲି ଶୁଣିଛି । ଶେଷରେ ସେଇ ପାଦ୍ରୀ ଗୋଟେ ଖ୍ରୀଷ୍ଟିଆନ ଅନୁଷ୍ଠାନରୁ ମୋ ଶିକ୍ଷା ଶେଷ ପର୍ଯ୍ୟନ୍ତ ଆର୍ଥିକ ବ୍ୟବସ୍ଥା କରାଇ ମତେ ଏକ ବୋଡିଂ ସ୍କୁଲ୍‍ରେ ରଖାଇ ଦେଲେ । ସେତେବେଳକୁ ମୋ ବୟସ ଚାରି କି ପାଞ୍ଚ । କିନ୍ତୁ ମୁଁ ଜାଣିଯାଇଥିଲି ଯେ ମୋ ନାଁ ଶୋଭନ । ନାଁଟା କିଏ ଦେଇଥିଲା କେଜାଣି ? ବୋଧେ ସେଇ ସ୍କୁଲ୍ ଶିକ୍ଷକ । ଅବା ସେଇ ପାଦ୍ରୀ । ଯାହା ହେଉ, ନାଁଟା ସହ ‘ଦାସ’ ସାଙ୍ଗିଆଟା କେଉଁଠୁଁ ଆସିଲା କେଜାଣି । ସେ କଥା ମତେ ଅଜଣା !

 

ଏମିତି ଖୁବ୍ ଭଲ ଛାତ୍ରଟାଏ ମୁଁ ନଥିଲି । ଆଭରେଜ୍ ଷ୍ଟୁଡ଼େଣ୍ଟ୍ । ପରୀକ୍ଷା ପରେ ପରୀକ୍ଷା ପାସ୍ କରିକରି ଶେଷରେ ବି.ଏ. ପାସ୍ କଲି । କିଛିଦିନ ଗୋଟେ ମାରୁଆଡ଼ିର ଲୁଗା ଦୋକାନରେ ହିସାବ ଦେଖାଶୁଣା କଲି, ଶେଷରେ ଏଠି, ଏଇ ଅଫିସ୍‍ରେ, ଯେଉଁଠି ବନା ନାମକ ଚନ୍ଦାମୁଣ୍ଡିଆ ରାସ୍କେଲଟା କିରାଣିରୁ ପ୍ରମୋସନ୍‍ ପାଇପାଇ ମୋ ଉପରେ ଅଫିସର । ମୋର କିଛି ଚିନ୍ତା ନାଇଁ, କିଛି ଭୟ ନାଇ । ଘରଟେ ଭଡ଼ା ନେଇଚି, ରହୁଚି, ଏକା କେବେ ହାତରେ ରାନ୍ଧିଖାଏ, କେବେ ହୋଟେଲରେ । ମୋର କାହା ପ୍ରତି ହିଂସାନାଇଁ, ଈର୍ଷା ନାଇଁ, କାହାରିପାଇଁ କିଛି ଦାୟିତ୍ୱ ନାଇଁ କାହାର ମଧ୍ୟ ମୋପାଇଁ କିଛି ଦୁଃଖ ନାଇଁ, ଚିନ୍ତା ନାଇଁ–ସେ ବନାକୁ ଛାଡ଼ିଦେଲେ ମୋର ଆଉ କାହା ପ୍ରତି ଘୃଣା ନାଇଁ ବାସ୍ !

 

ମତେ ପିଲାଦିନେ ରାସ୍ତାରୁ ଗୋଟେଇ ଆଣିଥିବା ଶିକ୍ଷକ ଜଣକ ହୁଏତ ମରି ହଜି ଯିବେଣି, ମତେ ଜୀବନରେ ସବୁ ସୁବିଧା ଯୋଗାଇ ଦେଇଥିବା ପାଦ୍ରୀ ବୋଧେ ସ୍ୱଦେଶକୁ ଫେରିଯିବେଣି ! ସେମାନେ ମୋର ରକ୍ଷାକର୍ତ୍ତା, ପ୍ରାଣଦାତା; କିନ୍ତୁ ସେମାନଙ୍କ ପ୍ରତି ମୋର ଏତେ ଟିକେ କୃତଜ୍ଞତା ନାଇଁ । ସେପରି ଭାବପ୍ରବଣ ମୁଁ ନୁହେଁ । ସେମାନେ ମତେ ରାସ୍ତାରୁ ଉଠେଇ ନଥିଲେ, ହୁଏତ ଆଉ କେହି ଉଠେଇଥାନ୍ତା, ପରିସ୍ଥିତିରେ ପଡ଼ି ମୁଁ ହୁଏତ ଚୋରଟାଏ କି ଖୁଣୀଟାଏ ହୋଇଥାନ୍ତି । କିମ୍ବା ମତେ ଖାଇଥାନ୍ତା ହେଟା ଅବା କୁକୁର ବିଲୁଆ । ଅବା କୁଆଁ–କୁଆଁ କାନ୍ଦି କାନ୍ଦି ରାସ୍ତାକଡ଼ରେ ଉଡ଼ିଯାଇଥାନ୍ତା ମୋର ପ୍ରାଣବାୟୁ । କ’ଣ ହୋଇଥାନ୍ତା ସେଇଠୁ ? ଜୀବନକୁ ଏବେ ଏମିତି ଉପଭୋଗ କରୁଚି ବୋଲି ମୁଁ ଆଦୌ ଗର୍ବିତ ବା ଆନନ୍ଦିତ ନୁହେଁ; ତେଣୁ ମୁଁ କ’ଣ ହେଇଚି ଅବା କ’ଣ ହୋଇଥାନ୍ତି ଅବା କ’ଣ ହୋଇ ନଥାନ୍ତି ଅବା ରାସ୍ତାକଡ଼ରେ ମୋ ଅବସ୍ଥା କ’ଣ ହୋଇଥାନ୍ତା–ସେ ସମ୍ପର୍କରେ ମୁଁ ମୁଣ୍ଡ ଖେଳାଏ ନାଇଁ । ମୁଁ କ’ଣ ହୋଇଚି–ସେଥିପାଇଁ ମୁଁ କାହା ପ୍ରତି କୃତଜ୍ଞ ହୋଇନାହିଁ, କାରଣ ଜୀବନ ଯେ ଏକ ଆକର୍ଷଣ ଏକଥା ମୁଁ କେବେ ଭାବି ନାଇଁ । ରାସ୍ତା କଡ଼ରେ ମରିଯାଇଥାନ୍ତି–ମାର ଗୁଲିହୋ ମୃତ୍ୟୁକୁ । ମାର ଗୁଲିହୋ ଜୀବନକୁ ।

 

ବନ୍ଧୁମାନେ କହନ୍ତି ବାହା ହୋଇ ଯିବାପାଇଁ । ପୁଣି ନୂଆକରି ପରିବାରଟେ, ପରମ୍ପରାଟେ ଆରମ୍ଭ କରିବାପାଇଁ । ସୁନ୍ଦରୀ, ଶିକ୍ଷିତା ଝିଅଟେ ବାହା ହେବାକୁ ଅନେକ କହନ୍ତି । ହେଲେ ବାପା–ମା' ଜାତିଗୋତ୍ର ବଂଶ ପରମ୍ପରା ଇତ୍ୟାଦିର ପରିଚୟ ନଥିବା ମଣିଷଟିକୁ କେହି ଝିଅ ଦିଏ ? ଅବଶ୍ୟ କିଏ ମତେ ଝିଅ ଦେବାକୁ ରାଜି ହେଲା ବା ନ ହେଲା, ସେଇଟା ମୋପାଇଁ ଗୁରୁତ୍ଵପୂର୍ଣ୍ଣ ନୁହେଁ ।

 

ବିବାହର ଉଦ୍ଦେଶ୍ୟ ନେଇ ମୁଁ ବେଶି ଭାବି ନାଇଁ । ଏକ ନିର୍ଦ୍ଦିଷ୍ଟ ବୟସରେ ଜୀବନକୁ ନାରୀର ଦେହରେ ହଜେଇ ଦେବା ? ପରିବାରଟେ କରି ବାପା ବୋଲାଇବା ? କ'ଣ ବିବାହର ଉଦ୍ଦେଶ୍ୟ ସତରେ ? ନାରୀର ଦେହ, ସ୍ନେହ, ପିଲାର ବାପା ଡାକରେ ଜୀବନର କ୍ଳାନ୍ତିକୁ ଦୂରେଇବା-? କ’ଣ ସତରେ ?

 

ନା–ଏସବୁର ମାନେ କିଛି ହୁଏନା । ବିବାହର ଉଦ୍ଦେଶ୍ୟ କ'ଣ, ସେ ସମ୍ପର୍କରେ ଉତ୍ତର ଖୋଜିବା ବୋକାମି । ଖାଉଚି, ପିଉଚି, ପିନ୍ଧୁଚି, ଶୋଉଚି, ବୁଲୁଚି ବାସ୍ । ମିସେସ୍ ପାଣିଗ୍ରାହୀ, ମିସେସ୍ ମହାନ୍ତି, ମିସେସ୍ ସାମନ୍ତରାୟ, ମିସେସ୍ ଆଚାର୍ଯ୍ୟ ଇତ୍ୟାଦି । ଅନେକ ବିବାହିତା ମହିଳାଙ୍କୁ ଉପଭୋଗ କରିଚି–ଏଇଠି, ମୋ ଘରେ । ଟୁ ବି ଭେରି ଫ୍ରାଙ୍କ୍, ମାଇଁ ବେଡ଼୍ ଇଜ୍ ଭେରି ଟାୟାର୍ଡ଼ ଅଫ୍ ଦି ମାରେଡ଼୍ ଓମେନ୍ । କ’ଣ ତେବେ ଏମାନଙ୍କ ସ୍ୱାମୀମାନେ ଏମାନଙ୍କୁ ଦେଇଛନ୍ତି ବିବାହ ମାଧ୍ୟମରେ ? ପୁଅଟେ ? ଝିଅଟେ ? ପାଇଛନ୍ତି କ’ଣ ? ପରିବାରକୁ ରୋଷେଇ କରି ଯୋଗାଇବା, ଘରର ମାସିକିଆ ସଉଦା ତାଲିକା କରିବା ଫିଲ୍ମ ଦେଖିବା ଉଚିତ ଇତ୍ୟାଦି କଥା ବୋଧେ ମିସେସ୍‍ମାନଙ୍କଦ୍ଵାରା ନିଷ୍ପତ୍ତି କରାଯାଏ !

 

ଏମାନେ କିଆଁ ଯେ ଆସନ୍ତି ମୋ ନିକଟକୁ ? ବିବାହିତ ପୁରୁଷ ଅପେକ୍ଷା ବୋଧେ ଅବିବାହିତ ପୁରୁଷଟେ ନାରୀପାଇଁ ଅଧିକ ତୃପ୍ତିଦାନକାରୀ । ସେଥିପାଇଁ, ମୁଁ ବିବାହ କରିବି ନାଇଁ, ଅବିବାହିତ ରହିବି । ହୋଇଥିବ, ମୁଁ ଗୋଟେ ଓମାନାଇଜର୍ ! କିନ୍ତୁ ଏତେ ଶୀଘ୍ର ନାରୀମାନେ ଧରା ଦିଅନ୍ତି ଫାଶରେ ? ରିଏଲି, ବିବାହିତା ନାରୀମାନେ ଅବିବାହିତାମାନଙ୍କ ଅପେକ୍ଷା ଖୁବ୍ ସହଜରେ ଧରା ଦିଅନ୍ତି ଫାଶରେ । କେଜାଣି କାହିଁକି । ଆପଣ ମିଛ ଭାବନ୍ତୁନି–ଟ୍ରାୟ୍‌ ୱାନ୍‌ସ ଆଣ୍ଡ ସି ।

 

ଯେଉଁ ପରିସ୍ଥିତିରେ ମୋ ଜୀବନ ଗତି କରୁଚି, ତା’ ଭିତରେ ଅଧିକ ଜ୍ଞାନଆହରଣ କରିବା ଅନାବଶ୍ୟକ । ବେଳବି ନାଇଁ, ପେଟ ଚାଖଣ୍ଡପାଇଁ ପରିଶ୍ରମ କରିସାରିବା ପରେ ଆଉ ସମୟ କାହିଁ କିଛି ପଢ଼ିବାପାଇଁ ? ମୋର କିଛି ଜାଣିବା ଆବଶ୍ୟକ, ମୁଁ ଯେତିକି ଜାଣିଛି ସେତିକି ମୋପାଇଁ ଯଥେଷ୍ଟ । ଜଣେ ମଣିଷ ତା’ ପରିବେଶ ଅନୁପାତରେ ଜ୍ଞାନ ଆହରଣ କରିବା ଦରକାର, ନହେଲେ ପାଗଳ ହେବାର ଯଥେଷ୍ଟ ସମ୍ଭାବନା ଅଛି ।

 

ମୋର ଦୁଃଖ କ'ଣ ? କିଛି ନାଇଁ । ଅନୁଶୋଚନା କ’ଣ ? କିଛି ନାଇଁ । ଯନ୍ତ୍ରଣା କ’ଣ-? କିଛି ନାଇଁ । ମୋର ଗ୍ଳାନି ନାଇଁ, ଦୁଃଖ ନାଇଁ, ଅନୁଶୋଚନା ନାଇଁ, ଯନ୍ତ୍ରଣା ନାଇଁ–ଜୀବନକୁ ଉପେକ୍ଷା କଲାପରି କିଛି ନାଇଁ ।

 

ମୁଁ କ’ଣ ପାଇଚି ବନ୍ଧୁ ? ସବୁ ପାଇଚି, ସବୁ । ପଇସା ପାଇଚି, ଖାଇବାକୁ ପାଇଚି, ଜୀବନସାରା ରହିବାକୁ ଆରାମଦାୟକ ସ୍ଥାନ ପାଇଚି ଜୀବନସାରା, ପିନ୍ଧିବାକୁ ଖୁବ୍ ଭଲ ପୋଷାକ ପାଇଚି ଜନ୍ମ ହେବାପରଠୁ । ଯେତିକି ପଢ଼ିବା ଦରକାର, ପଢ଼ିଚି । ଚାକିରି କରିଚି । ବିବାହ କରିପାରିବି, ପରିବାର ବସେଇ ପାରିବି । କିନ୍ତୁ ନା–ସେସବୁ ମୋର ଦରକାର ନାଇଁ ବୋଲି ସେ ସମ୍ପର୍କରେ ଭାବି ନାହିଁ ।

 

ଶାନ୍ତି ? ବନ୍ଧୁ, ଶାନ୍ତି ଯଦି ଜୀବନରେ ମତେ ମିଳିନି, ତେବେ ଏ ଜଗତରେ କାହାକୁ ମିଳିନି । ମତେ ପରିପୂର୍ଣ୍ଣ ଶାନ୍ତି ମିଳିଚି–ଜୀବନରେ, ଯୌବନରେ, ଶିକ୍ଷାରେ, ଉପଭୋଗରେ, ଧନରେ । ମୋର ଆଉ କିଛି ଦରକାର ନାଇଁ । ଜୀବନରେ ଆଉ କିଛି ଦରକାର ନାଇଁ ବୋଲି କହିପାରୁଥିବା ମଣିଷଟିହିଁ ଶାନ୍ତିରେ ଅଛି ବନ୍ଧୁ, କେତେ ଜଣ ଏକଥା ସ୍ୱୀକାର କରିପାରିବେ ? ମୋର କାହାଠୁ କିଛି ପାଇବାର ନାଇଁ, କାହାକୁ କିଛି ଦେବାର ନାଇଁ । ମୋର କାହାପ୍ରତି ଆନୁଗତ୍ୟ ନାହିଁ, କାହାର ମୋ ପ୍ରତି ଆନୁଗତ୍ୟ ନାହିଁ । କାହା ପ୍ରତି ମୋର ହିଂସା ନାହିଁ, କାହାର ମୋ ପ୍ରତି ହିଂସା ନାହିଁ । କାହାପାଇଁ ବା କିଛି ଗୋଟେପାଇଁ ମୁଁ ବଞ୍ଚୁନାହିଁ, ଅବା ମୋପାଇଁ ମଧ୍ୟ କାହାର ଜୀବନ ନିୟନ୍ତ୍ରିତ ହେଉ ନାହିଁ । ମୁଁ ମୁକ୍ତ, ସ୍ଵାଧୀନ ! ମୋର ବନ୍ଧନ ନାହିଁ, ଏତେଟିକେ ବନ୍ଧନ ନାହିଁ !

 

ଅତିକ୍ରମି ଆସିଥିବା ଜୀବନର ରାସ୍ତାର ଏମିତି ଏକ ବିନ୍ଦୁରେ ମୁଁ ଏବେ ପହଞ୍ଚିଛି ଯେ, ଆଗକୁ ଗଲେ କାମନାର/ଆଶାର/ଆକାଂକ୍ଷାର ନାଗଫାଶ ବନ୍ଧନରେ ମୁଁ ବାନ୍ଧି ହୋଇଯିବି, ଓ ପଛକୁ ଗଲେ ମୋର ନିଜ ପ୍ରତି ଘୃଣାର ସୀମା ରହିବ ନାହିଁ, ଫଳତଃ ଶାନ୍ତି ମଧ୍ୟ ରହିବ ନାହିଁ । ତେଣୁ ଏଇ ନିର୍ଦ୍ଦିଷ୍ଟ ବିନ୍ଦୁରୁ ପଛକୁ ବା ଆଗକୁ ଯିବା ପୂର୍ବରୁ ମତେ କିଛି ଗୋଟେ କରିବାକୁ ପଡ଼ିବ । ସବୁକିଛିର ପରିସମାପ୍ତି ଘଟାଇବାକୁ ହେବ । ସେଥିପାଇଁ ତ ଅନେକ ଦିନ ହେବ ମୁଁ ଗୋଟେ ରସି ଆଣି ରଖିଚି, ପ୍ରଥମଥର ଛାତରୁ ବାନ୍ଧିବାବେଳେ ବନା ନାମକ ଇଡ଼ିଅଟଟା ଆସି ପହଞ୍ଚିଥିଲା ଓ ଆଜି ଏଇ ବାଷ୍ଟାର୍ଡ଼ ଦି'ଟା ଆସି ମୋ ଘରେ ଆସ୍ଥାନ ଜମେଇଛନ୍ତି । ଆଜି ଆଉ କିଛି କରିବା ସମ୍ଭବ ନୁହେଁ, ପରେ କେବେ ପୁଣି ଚେଷ୍ଟା କରିବି । ଆରେ ? ରାତି କେତେ ଏବେ ? ମୋତେ ନିଦ ଆସିଲାଣି, ଆଖିପତା ନଇଁ ଆସୁଚି ମୋର । ଆଚ୍ଛା ତେବେ ଶୁଭରାତ୍ରି ।

✽✽✽

 

କାହାଣୀର ଶେଷ ଅଂଶ

(ଏକ)

 

ବୁଝିଲ କଲ୍ୟାଣ ଅଧିକାରୀ, ତୁମର ଗୋଟେ ଧାରଣ ହୋଇଯାଇଚି ଯେ, କେହି ତୁମକୁ ବୁଝିବାକୁ ଚେଷ୍ଟା କରୁ ନାହାନ୍ତି, କେହି ତୁମ ଭିତର ମଣିଷର ନିକଟବର୍ତ୍ତୀ ହେବାକୁ ଇଚ୍ଛା କରୁ ନାହାନ୍ତି । ତୁମର ବିଶ୍ୱାସ ହୋଇଯାଇଚି ଯେ, ସମସ୍ତେ ତୁମ ସହ ଗୋଟେ ପ୍ରକାରର ଉପରଠାଉରିଆ ସମ୍ପର୍କ ରଖିଛନ୍ତି ।

 

ତୁମେ ଗୋଟେ ନିଜର ମନଲାଖି ଜଗତ ଖୋଜୁଛ । ନିଜର ମନଲାଖି ପରିବେଶ ଖୋଜୁଛ । ପାଇନ ବୋଲି ତମକୁ କେମିତି ଗୋଟେ ଅଜଣା ନିଃସଙ୍ଗତାବୋଧ ଘାରି ପକାଉଚି । ନୁହେଁ ? ତୁମେ ଏସବୁର ମୁକ୍ତି ଖୋଜୁଚ, ନୁହେଁ ? ବୁଝିଲ କଲ୍ୟାଣ, ମଣିଷ ସର୍ବଦା ନିଜ ମନଲାଖି ଦୁନିଆଟିଏ ପାଏ ନାଇଁ ବା ମନଲାଖି ଦୁନିଆଟେ ଗଢ଼ିପାରେ ନାହିଁ । କଳ୍ପନାର ସୁଦୂର ଆକାଶର ଅସହାୟ ଦିଗ୍‌ବଳୟ ତଳେ ମନଲାଖି ଦୁନିଆର ଛବିଟିଏ ଝୁଲୁଥାଏ ତାରାଟେ ପରି । ଏଣେ ପ୍ରକୃତ ଜଗତଟି ସମ୍ପୂର୍ଣ୍ଣ ଭିନ୍ନ । ଜୀବନର ବାସ୍ତବ ଜଗତ ଓ କଳ୍ପନାର ସେଇ ମନଲୋଭା ଜଗତ ଭିତରେ ଟିକେ ମେଳ ନଥାଏ । ତଥାପି ବାସ୍ତବ ଜଗତର ଅନେକ ଅସହ୍ୟ ପରିସ୍ଥିତି ଭିତରେ ଜୀବନ ଗଡ଼ିଯାଉଥାଏ ଆଗକୁ । ପ୍ରତି ମୁହୂର୍ତ୍ତରେ ସଂଗ୍ରାମ ଚାଲୁ ରହିଥାଏ, ହାଲିଆ ଲାଗେ ନାହିଁ, କିନ୍ତୁ ତଣ୍ଟି ନିକଟରେ ଅଟକି ଯାଇଥାଏ ବାଟଭୁଲା ଯାଯାବର ପରି ଶୋଷଟିଏ । ନୁହେଁ ? ଏଇଆ ନା କଲ୍ୟାଣ ?

 

ତେଣୁ ବନ୍ଧୁ, ଜୀବନର ଏକ ନିର୍ଦ୍ଦିଷ୍ଟ ପରିସର ଭିତରେ ବନ୍ଧାପଡ଼ିଥାଏ ଜୀବନ–ତୁମ ଅଜ୍ଞାତରେ ତୁମେ ଆଖିମେଲି–ଡେଣା ଖୋଲି ଉଡ଼ି ଯିବାକୁ ଇଚ୍ଛା କଲେ ମଧ୍ୟ ପାର ନାହିଁ; ଅଶାନ୍ତି ଲାଗେ, ଅବସୋସ ଲାଗେ, ଶୋଷ ଲାଗେ । ସମୁଦ୍ରକୂଳରେ ଠିଆ ହୋଇ ମଧ୍ୟ ଶୋଷ ମେଣ୍ଟେ ନାହିଁ । ତୁମକୁ ଜୀବନ ଉପଭୋଗ କରିବାର ଉପାୟ ଶିଖିବାକୁ ହେବ ? ତୁମ କଳ୍ପନାର ମନଲୋଭା ଜଗତର ଦୁରନ୍ତ ଛବିଟିକୁ ବାସ୍ତବ ଜୀବନରେ ଏକାକାର କରିବାକୁ ହେବ । ଏଇଟା ସହଜକଥା ନୁହେଁ । ଏଥିପାଇଁ ତୁମକୁ ପ୍ରଥମେ ସନ୍ତୁଷ୍ଟ ରହିବାକୁ ହେବ ! ମିଳିଥିବା ପଦାର୍ଥକୁ ନେଇ କିମିତି ତୃପ୍ତ ହେବାକୁ ହୁଏ, ସେ କଳା ନ ଶିଖିଲେ ଅହରହ ଜୀବନକୁ ଶୋଷ କରୁଥିବ ।

 

ଯେତେ ମଣିଷ ଶାନ୍ତିରେ ଅଛନ୍ତି ବୋଲି ତୁମେ ଭାବ ବା ସେମାନେ କହନ୍ତି, ତୁମେ ଯଦି ସେମାନଙ୍କ ଜୀବନକୁ ଅନୁଧ୍ୟାନ କରନ୍ତ, ଦେଖନ୍ତ ସେମାନେ ନିଜ ବାହାରକୁ ଯାଇ ନାହାନ୍ତି । ନିଜ ଭିତରୁ ଜନ୍ମିଥିବା ଅବସାଦର, ଆଶାର, ଗ୍ଳାନିର, ଶୋଷର, ଅବସୋସ ନିଆଁ କେବେ ନିଜ ବାହାରେ ଥିବା ପଦାର୍ଥ ବା ବ୍ୟକ୍ତି ଯୋଗୁଁ ନିଭିବ ନାହିଁ–ନିଭିନପାରେ । ନିଜ ଭିତରୁ ଅଦ୍ଭୁତ ତୃଷ୍ଣାର ପରିସମାପ୍ତ ନିଜ ଭିତରେ । ନିଜ ଭିତରକୁ ଦେଖ, ନିଜକୁ ଦେଖ, ନିଜ ମନକୁ ନିରିଖେଇ ଦେଖ, ହୃଦୟକୁ ପଚାର, ତୁମେ କ’ଣ ସତରେ ବର୍ତ୍ତମାନଠୁ ଅନେକ କିଛି ଅଧିକ ଆଶାକର ? ସେ ସବୁ ନହେଲେ କ’ଣ ତୁମ ଜୀବନର ନନ୍ଦିଘୋଷ ଅଟକି ଯିବ ଚିରଦିନ ପାଇଁ ? ଜମା ନୁହେଁ । ତୁମେ କେବଳ ନିଜ ଭିତରର ସମୁଦ୍ରର ଜଳରେହିଁ ନିଜର ଶୋଷ ମେଣ୍ଟେଇପାରିବ । ଆଦୌ ହତାଶ ହୁଅ ନାହିଁ । ସେମିତି ହେଲେ ଜୀବନ ତୁମକୁ ଠକିଦେବ । ଦୁଃଖର କଳାବାଦଲଟିଏ ଅହରହ ତୁମ ମନଆକାଶର ମଝିରେ ଝଟକୁ ଥିବା ଆନନ୍ଦର ଜହ୍ନକୁ କ୍ଳାନ୍ତିର ଛାଇରେ ଘୋଡ଼ାଇଦେବ । ତେଣୁ ତୁମେ ଆଦୌ ନିଜ ବାହାରେ କିଛି ଗୋଟେର ତୃପ୍ତିପାଇଁ, ଶାନ୍ତିପାଇଁ ଚେଷ୍ଟା ଚାଲୁ ରଖନାହିଁ । ତେବେ, ତୁମ ଜୀବନ ଏକ ଅପୂର୍ବ ମାଧୁର୍ଯ୍ୟରେ ଭରିଯିବ, ପରିତୃପ୍ତିର ଏକ ମହମହ ମଲ୍ଲୀ ତୁମ ଜୀବନର କ୍ଷୁଦ୍ର ବଗିଚାକୁ ସୁରଭିତ କରିଦେବ, କିଛି ଗୋଟେର ଅପ୍ରାପ୍ତିର ଅବସାଦବୋଧ ତୁମକୁ ପଛରୁ ଭୂତହୋଇ ଡରେଇ ଦେବ ନାହିଁ ।

 

(ଦୁଇ)

 

ଶୁଣ ଚନ୍ଦ୍ରା, ମଣିଷ ଅନେକ ସମୟରେ ନିଜ ଚାହୁଁଥିବା ବା ଆଶା କରି ନଥିବା ଘଟଣା ସବୁରେ ଛନ୍ଦି ହୋଇପଡ଼େ । କେତେବେଳେ ମୁଣ୍ଡରେ ହାତୀ ସୁନାକଳସ ଢାଳିପାରେ, ପୁଣି କେବେ ବିନା ଦୋଷରେ ମାଣ୍ଡବ୍ୟଙ୍କ ପରି ଶୂଳି ଭୋଗିବାକୁ ପଡ଼େ । ମୁଣ୍ଡରେ ହାତୀ ସୁନାକଳସ ଢାଳିଲେ ରାଜ୍ୟ ଶାସନ କରିବାକୁ ହେବ ବୋଲି ଚିନ୍ତିତ ହୁଅନାହିଁ ଅବା ମାଣ୍ଡବ୍ୟଙ୍କ ପରି ଶୂଳି ଖୁଣ୍ଟରେ ଚଢ଼ିବାକୁ ହେଲେ ମଧ୍ୟ ନିଜ ସାଧନାରୁ ବିଚ୍ୟୁତ ହୁଅ ନାହିଁ । ପ୍ରତିବାଦ କର ନାହିଁ । ତୁମେ ହୁଏତ କହିବ, କାହିଁକି ? ବିନା ଦୋଷରେ ମୁଣ୍ଡ ପାତି ଯନ୍ତ୍ରଣାକୁ, ଦୁଃଖକୁ, ଅତ୍ୟାଚାରକୁ ସହି ନେବାର କିଛି ଅର୍ଥ ହୁଏ ? କିନ୍ତୁ ଚନ୍ଦ୍ରା, ତୁମେ ପ୍ରତିରୋଧ କରିପାରିବ ତ ? ରାଜାଙ୍କର ଏତେ ସୈନ୍ୟ, ଏତେ ଶକ୍ତି ! ତୁମେ ପ୍ରତିବାଦ କଲେ ତୁମ ନିର୍ଦ୍ଦୋଷତା ପ୍ରମାଣ ହୋଇଯିବ ନାହିଁ, ବରଂ ତୁମର ଅପରାଧ ସାବ୍ୟସ୍ତ ହୋଇଯିବ । ଶୂଳିକୁ ଚଢ଼ିବାକୁ ଭୟ କର ନାହିଁ, ସବୁ ଠିକ୍ ହୋଇଯିବ । ମୃତ୍ୟୁକୁବି ଉପଭୋଗ କରାଯାଇପାରେ । ତୁମେ ଶୂଳି ଖୁଣ୍ଟକୁ ଭୟ କରି ଆସିଛ, ତେଣୁ ତୁମ ଜୀବନରେ ଘୋଟି ଯାଇଛି ଖାଁ–ଖାଁ–ଭାବଟିଏ । କେଉଁ ଯୁକ୍ତିରେ, କେଉଁ ସାହସରେ ତମେ କହିପାରିବ ଯେ, ତୁମ ଭାଇ ତୁମପାଇଁ ଅନ୍ଧାର ରାତିରେ ଘରର ବାରଣ୍ଡାରେ ନିଗାଡ଼ି ଦେଉଚି ଅଶ୍ରୁ ? ଘରଛଡ଼ା ସ୍ନେହ କାଙ୍ଗାଳ ଭାଇପାଇଁ ତୁମେ ଅଶ୍ରୁ ନିଗାଡ଼ିବାବେଳେ ତୁମ ଭାଇ ହୁଏତ କେଉଁ ରୂପଜୀବୀ ସହ ସୁରାପାନ କରୁଥାଇପାରେ । ଏଡ଼େଇ ପାରିବ ଏ ସମ୍ଭାବନାକୁ ?

 

ଆଜିକାଲି ଗୋଟେ ନୂଆ ପ୍ରକାରର ରୋଗ ଗ୍ରାସିଚି, ତୁମ ବୟସର ତରୁଣ ତରୁଣୀଙ୍କୁ । ବାସ୍ତବତାଠାରୁ ଦୂରରେ ରହି କୌଣସି ଏକ ନିର୍ଦ୍ଦିଷ୍ଟ ଘଟଣାକୁ ଦୂରରୁ ଦେଖି, ସେଇ ଘଟଣା ପ୍ରତି ନିଜର ଭାବପ୍ରବଣତାକୁ ପ୍ରାଧାନ୍ୟ ଦେବା । ନୁହେଁ ? ଏଟା ବଡ଼ ବିପକଜନକ ରୋଗ ଚନ୍ଦ୍ରା ! ଥରେ ଭାବପ୍ରବଣତାର ନାଗଫାଶ ଭିତରେ ପଡ଼ିଗଲେ ତୁମେ ଆଉ ସେ ବନ୍ଧନରୁ ମୁକୁଳି ପାରିବ ନାଇଁ । ସର୍ବପ୍ରଥମେ ନିଜ କର୍ତ୍ତବ୍ୟକୁ ଚିନ୍ତା କର, ତୁମେ ସେଇ ନିର୍ଦ୍ଦିଷ୍ଟ ଘଟଣାରେ କ’ଣ କରିପାରିବ । ଯଦି କିଛି ପାରିବ, ତେବେ କର । ଯାହା ଠିକ୍ ଭାବୁଚ, ତାହା କର । ହୁଏତ ପ୍ରକୃତରେ ତାହା ଭୁଲ୍ ହୋଇଥାଇପାରେ । କିନ୍ତୁ ତୁମେ କର । ଚୁପ୍‍ଚାପ୍ ବସ ନାହିଁ । ଭଲ ହେଲେ ତାହା ଅନ୍ୟମାନଙ୍କଦ୍ଵାରା ସଂଶୋଧିତ ହୋଇପାରିବ । ଏ ଜଗତରେ ଏମିତି ଅନେକ ମଣିଷ ମିଳିବେ, ଯିଏ ତୁମକୁ ଯେକୌଣସି ପରିସ୍ଥିତିରୁ ମୁକୁଳାଇ ପାରିବେ । ସମସ୍ତେ ସବୁବେଳେ ଠିକ୍ କରନ୍ତି ନାହିଁ-। ମଣିଷ ଯଦି ସବୁବେଳେ ଠିକ୍‍ହିଁ କରୁଥାନ୍ତା, ତେବେ ସଭ୍ୟତା ଏତେ ବାଟ ଆସି ନଥାନ୍ତା ଚନ୍ଦ୍ରା, ମଣିଷ ବାରମ୍ବାର ଭୁଲ୍ କରିବା ଯୋଗୁଁହିଁ ସଭ୍ୟତା ଏତେ ବାଟରେ ଆସି ପହଞ୍ଚିଛି । ତେଣୁ ତୁମେ ଯାହା ଠିକ୍ ବୋଲି ଭାବୁଛ ସେଇଆ କର । ତାହା ଭୁଲ୍ ହୋଇପାରେ । କିନ୍ତୁ ନିଷ୍କର୍ମା ହୁଅନାହିଁ-। ଭାବପ୍ରବଣତାର ଅନ୍ଧକୂପ ମଧ୍ୟରେ ନିଜର କାର୍ଯ୍ୟ କ୍ଷମତାକୁ ବନ୍ଦ କରିଦିଅ ନାହିଁ ।

 

ତୁମର ବାପା ମରିଯିବା ବା ଭାଇ ତୁମକୁ ଛାଡ଼ି କୁଆଡ଼େ ନିରୁର୍ଦ୍ଦିଷ୍ଟ ହୋଇଯିବା ଅବା ଗାଁରେ କୁଚକ୍ରି ଲୋକଙ୍କ ଯୋଗୁଁ ମା’ଙ୍କର ଅସୁବିଧା ଭୋଗ କରିବା ତଥା ସବୁ ଅସୁବିଧା ସତ୍ତ୍ୱେ ମଧ୍ୟ ମା’ଙ୍କର ଗାଁରେ ରହିବାର ଜିଦ୍ ଇତ୍ୟାଦିକୁ ତୁମେ ଯେଡ଼େଯେଡ଼େ ସମସ୍ୟା ବୋଲି ଭାବୁଚ, ପ୍ରକୃତରେ ସେସବୁ ସେତେ ବଡ଼ ନୁହେଁ । ଅଥବା ତୁମେ ବିବାହ କରିପାରିନାହଁ ବୋଲି ତୁମର ଅନ୍ତର୍ନିହିତ ଅବସୋସ ବା ତୁମକୁ ବିବାହ ଦେବାପାଇଁ କେହି ନଥିବାର ଦୁଃଖ ବା ତୁମେ କୌଣସି ପୁରୁଷକୁ ପ୍ରେମ ନକରିପାରିବାର ଅସହାୟତା ତୁମକୁ ତୁମ ଅଜ୍ଞାତରେ ନିଷ୍ପେଷି ଦେଉଛନ୍ତି–ଏଗୁଡ଼ା ସତରେ ସମସ୍ୟାହିଁ ନୁହେଁ । ତୁମେ ଆଦୌ ନିଜ କାର୍ଯ୍ୟକ୍ଷମତା ବ୍ୟବହାର କରିନାହଁ । ଏଯାବତ୍ ତୁମେ କେବଳ ଭାବପ୍ରବଣତାର ମୂର୍ତ୍ତିମନ୍ତ ପ୍ରତୀକଟିଏ ହୋଇ ସମାଜର ଚଉକାଠ ଭିତରେ ଠିଆ ହୋଇ ରହିଛ । ଏଥିପାଇଁ ଲଜ୍ଜା ବା ସଂକୋଚ କରିବାର କିଛି କାରଣ ନାଇଁ, ଯାହା ଠିକ୍ ବୋଲି ତୁମ ହୃଦୟ କହୁଚି–ବିବେକ ବାରମ୍ବାର ଚେତାଉଚି ତାକୁ କାର୍ଯ୍ୟରେ ପରିଣତ କରିବାର ସାହସ ଖୋଜି ନ ପାଇବାକୁ ଭୀରୁତା କୁହାଯାଇପାରେ । ସଂକ୍ଷେପରେ ତୁମକୁ ପଳାୟନପନ୍ଥା ବା ସ୍ଵପ୍ନବାଦୀ ବୋଲି କୁହାଯାଇପାରେ ।

 

ଏବେବି ସମୟ ଅଛି, ଖୁବ୍ ଶୀଘ୍ର କାର୍ଯ୍ୟାରମ୍ଭ କର । ସାହସ ନହେଲେ ନିଜକୁ ଚାହଁ, ସଂକୋଚ ଆସିଲେ ହୃଦୟକୁ ପଚାର, ଭୟ ଲାଗିଲେ ବିବେକକୁ ପଚାର, ଭାବପ୍ରବଣତାକୁ କଦାପି ଲଗାମଛଡ଼ା କରି ଦିଅନାଇଁ । ମା’ ଥାନ୍ତୁ ଗାଁରେ । ଭାଇ ନ ଫେରିଲେ ନ ଫେରୁ । ଦିନେ ଯଦି ସିଏ ଫେରିବ, ତେବେ ସେଦିନ ତୁମେ ସବୁ ଅଭିମାନ ନିଗାଡ଼ି ଦେବ ତା'ଉପରେ । କେବଳ ତୁମେ ଅଛ ଜୀବନ ଅଛି, ଜୀବନ ଅଟକି ଯାଇନି–ସେଇଟା ବଡ଼କଥା । ତୁମେ ଚାହିଁଲେ ମଧ୍ୟ ମୃତ୍ୟୁ ଆସିବ ନାଇଁ । ତେଣୁ ଜୀବନର ଗତିକୁ ଚାଲୁ ରଖିବାପାଇଁ ତୁମେ କେବଳ ନିଜ କଥା ଚିନ୍ତାକର ।

 

ଶାନ୍ତିରେ ରହିବା କଥା ଅନେକ କହନ୍ତି । ହେଲେ ଶାନ୍ତିରେ ରହିବା ମଣିଷ କେହି ନାହାନ୍ତି । ତୁମେ ଶାନ୍ତି ଖୋଜୁଛ, ପାଇ ନାହଁ । ତୁମେ ସେଇ ଅଗଣିତ ମଣିଷ ଗୋଷ୍ଠୀ ଭିତରୁ ଜଣେ ! ତେବେବି ହତାଶ ହେବାର କିଛି ନାଇଁ । ଏବେବି ସମୟ ଇଡ଼ି ଯାଇ ନାଇଁ, ଏବେବି ସୂର୍ଯ୍ୟ ମୁଣ୍ଡ ଉପରୁ ଖସିପଡ଼ି ନାଇଁ ଦିଗ୍‌ବଳୟ ତଳକୁ । ହନୁମାନ ପରି ତମେବି ମୁହୂର୍ତ୍ତକରେ ସୂର୍ଯ୍ୟକୁ ଜାକି ଦେଇପାରିବ ତୁମ ହାତମୁଠାରେ ଚନ୍ଦ୍ରା ! ଚେଷ୍ଟାକର ନୀରବରେ କାନ୍ଦ ନାଇଁ !

 

(ତିନି)

 

ତେବେ ଶୋଭନ, ମାନିନେଲି ଯେ, ତୁମର ଆଉ କିଛି ପାଇବାର ନାହିଁ ଜୀବନଠାରୁ । ତୁମେ ସବୁ ପାଇଚ ସବୁକିଛି ମନଭରି ଉପଭୋଗ କରିଛ । ଜନ୍ମ ହେବାଠୁ ଏଯାଏଁ ତୁମର ଖାଇବା, ରହିବାର ଅସୁବିଧା ହୋଇନାହିଁ । ଏ ଯୁଗର ଜଣେ ମଣିଷ ନିହାତି କମ୍‌ରେ ଯାହା ଜାଣିବା କଥା, ତୁମେ ସେତିକି ଜାଣିଛ । ଯୌବନରେ ଅନେକ ନାରୀଙ୍କୁ ମଧ୍ୟ ଉପଭୋଗ କରିଛ, ଯେଉଁଟାକୁ ତୁମେ ଗର୍ବ ବୋଲି ଭାବି ଅନେକ ଥର ଉଲ୍ଲେଖ କରିଛ । ଚାକିରିଟେବି କରିଚ ଏବଂ ବର୍ତ୍ତମାନ ତୁମର ଦୁଃଖ ନାଇଁ, ଅବସୋସ ନାଇଁ–ଜୀବନ ପ୍ରତି ଅଭିଯୋଗ ନାଇଁ । ଠିକ୍ କଥା, ଭେରି ଗୁଡ଼୍‌ ।

 

ତେବେ ତୁମେ ସେଇ ରସି କଥାଟା ଖୋଲି କହିଲ ନାଇଁ । ବୋଧେ ସବୁକିଛି ଜୀବନରେ ମିଳିଯାଇଚି ବୋଲି ଏକ ଭାବ ତୁମର ଆସିବା ପରେ ତୁମେ ଆଉ ଜୀବନର ଧୈଯ୍ୟକୁ ବଢ଼ାଇବାକୁ ଚାହୁଁ ନାହଁ । ତୁମେ ବୋଧେ ଛାତରୁ ରସି ବାନ୍ଧୁଥିଲ ଆତ୍ମହତ୍ୟା କରିବାପାଇଁ । ଶୋଭନ, ଯିଏ କିଛି ପାଇନାହିଁ ବୋଲି ଜୀବନ ଉପରେ ଅଭିମାନ କରି ଆତ୍ମହତ୍ୟା କରେ, ସେ ହୁଏତ କେତେକ ପରିମାଣରେ ଠିକ୍ କରୁଥାଇପାରେ, କିନ୍ତୁ ଯିଏ ଜୀବନରେ ସବୁପାଇଚି ଓ ଆଉକିଛି ପାଇବାର ନାହିଁ ବୋଲି ବାହାସ୍ଫୋଟ ମାରି ଆତ୍ମହତ୍ୟା କରିବାକୁ ବାହାରେ, ସିଏ ବିରାଟ ଭୁଲ୍‌ କରିଥାଏ । ସେ ନିଜକୁ ଚିହ୍ନି ନାଇଁ, ନିଜକୁ ଭୀଷଣଭାବେ ଠକୁଚି । ଶୋଭନ, ଯଦି ସମୟ ଥାନ୍ତା, ତେବେ ତୁମ କଥା ଆଉଥରେ ଶୁଣିଥାନ୍ତି ।

 

ସବୁ ପାଇସାରିବା ପରର ଅନୁଭବଟା କିମିତିଆ ଶୋଭନ ? କହିପାରିବ ଶୋଭନ ସେ ଅନୁଭବଟା କିମିତିଆ ? ବୋଧେ ସେଇଟା କେବଳ ଅଙ୍ଗେ ନିଭାଯାଏ, କାହାକୁ କହି ହୁଏନା ? ଜୀବନରେ ସବୁ ପାଇସାରିବା ପରର ଅନୁଭବଟା ଆସିଗଲେ ଜୀବନ ଓ ମୃତ୍ୟୁ ଭିତରେ ଫରକଟା କ’ଣ କହିପାରିବ ଶୋଭନ ? ମୁଁ ଜାଣେ, ଖୁବ୍ ଭଲଭାବେ ଜାଣେ ଯେ, ତୁମେ ଏ ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ । ଜୀବନ ଓ ମୃତ୍ୟୁ ଭିତରେ ଫରକ ନିର୍ଣ୍ଣୟ କରିବାକୁ ତୁମକୁ ଅନେକ ଦିନ ଲାଗିବ । ଖୁବ୍ ପିଲାଳିଆଭାବେ ତୁମେ କହିଛ ଯେ, ଜୀବନ ଏକପ୍ରକାର ଗତି ବା ମୃତ୍ୟୁପୂର୍ବରୁ ଜୀବର ଗତିଶୀଳ ଅବସ୍ଥା ଏବଂ ମୃତ୍ୟୁ ହେଲା ଜୀବର ଚିରନ୍ତନ ଜଡ଼ତା ବା ସ୍ଥିରତା । ନୁହେଁ ? କେତେଟା ବସନ୍ତ ତୁମେ ଅତିକ୍ରମ କରିଛ ଶୋଭନ ? କେତେ ହଳ ଡ୍ରେସ୍ ତୁମେ ଜୀବନରେ ପିନ୍ଧିଛ ଶୋଭନ ? କେତେ ପ୍ରକାର ଖାଦ୍ୟ ତୁମ ସାରା ଜୀବନରେ ଖାଇଛ ଶୋଭନ ? କେତେ ନାରୀଙ୍କୁ ତୁମେ ଉପଭୋଗ କରିସାରିଛ ଶୋଭନ ?

 

ମଣିଷର ଜୀବନଥାଇ ମଧ୍ୟ ମୃତ୍ୟୁଘଟେ ଶୋଭନ । ସେଇ ମୃତ୍ୟୁକୁ ଯେଉଁମାନେ ସହିପାରନ୍ତି ନାହିଁ, ସେମାନେ ସେଇ ମୃତ୍ୟୁକୁ ପ୍ରତିପାଦିତ ବା ଚିରନ୍ତନ କରିବାପାଇଁ ଆତ୍ମହତ୍ୟା କରନ୍ତି । ତୁମର ସେଇ ଅବସ୍ଥା । ତୁମର ମୃତ୍ୟୁ କେବେଠୁ ଘଟିଛି, ତୁମେ ନିଜ ମୃତ୍ୟୁକୁ ପ୍ରତିପାଦିତ କରିବାକୁହିଁ ଆତ୍ମହତ୍ୟା କରିବାକୁ ବାହାରିଛ । ହଁ–ତୁମେ ତ କହିଲ ନାଇଁ ଜୀବନ ଓ ମୃତ୍ୟୁ ଭିତରେ ଫରକ କ’ଣ ! ଜୀବନର ସବୁ ପାଇବାର ଅନୁଭବ ଆସିଗଲେ ଜୀବନ ଓ ମୃତ୍ୟୁ ଭିତରେ ଫରକ କ’ଣ ବୋଲି ତୁମେ ଭାବ ? ବୁଝିଲ ଶୋଭନ, ଜୀବନରେ ସବୁ ପାଇଚନ୍ତି ବା ଜୀବନରେ ଆଉକିଛି ପାଇବାର ନାଇଁ ବୋଲି ଯେଉଁମାନେ ଅନୁଭବ କରିଛନ୍ତି, ସେମାନଙ୍କ ସ୍ଥିତି ଏକ ଗତିଶୂନ୍ୟ ସ୍ଥିତି । ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ସେମାନଙ୍କ ରାଜ୍ୟ, ଯେଉଁଠି କାମନା ନାଇଁ, ବିଚାର ନାଇଁ, ପ୍ରେମ ନାଇଁ, ଘୃଣା ନାଇଁ, ଶୋଷ ନାଇଁ, ସମୁଦ୍ର ନାହିଁ–କିଛିହିଁ ନାହିଁ । କେବଳ ଏକ ଭୟଙ୍କର ଶୂନ୍ୟତାର ସ୍ଥିତି ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ । ସେଠି ଜୀବନ ଓ ମୃତ୍ୟୁ ଭିତରେ ଫରକ ବାରି ହୁଏ ନାହିଁ । ସେମାନେ ଆତ୍ମହତ୍ୟା କରିବାକୁ ଚାହାନ୍ତି ନାହିଁ ! ଜୀବନ ଅଛି ବୋଲି ବିସ୍ମିତ ହୁଅନ୍ତି ନାହିଁ ! ମୃତ୍ୟୁ ଆସନ୍ନ ବୋଲି କବଳିତ ହୁଅନ୍ତିନି । ସେମାନଙ୍କର ବିକାର ନଥାଏ । ତାଙ୍କପାଇଁ ଜୀବନ ଚାଲି ନଥାଏ, ସେମାନେ ଜୀବନପାଇଁ ଚାହିଁଥାନ୍ତି, ମୃତ୍ୟୁକୁ ଦେଖି ଆଲିଙ୍ଗନ କରନ୍ତି । କିନ୍ତୁ ତୁମପରି ମୃତ୍ୟୁକୋଳକୁ ଲମ୍ଫ ପ୍ରଦାନ କରନ୍ତି ନାଇଁ, କାରଣ ଜୀବନ ଚାଲିଚି ବୋଲି ସେମାନଙ୍କର ଧାରଣା ନଥାଏ । ବୁଝିଲ ତ ? ବୋଧେ ବୁଝିଲନି ! କିନ୍ତୁ ଏତିକି ମନେରଖ, ଆତ୍ମହତ୍ୟା କରିବା ପରେ ସ୍ପଷ୍ଟ ପ୍ରମାଣିତ ହେବ ଯେ, ଶୋଭନ ଦାସ ଯାହା ସବୁ କହୁଥିଲା, ସେ ସବୁ ଡାହାମିଛ । ଅବଶ୍ୟ ତୁମର ସତ୍ତା ନଥିବ ସେସବୁ ଶୁଣିବାକୁ । ତଥାପି ତୁମର ମୃତ୍ୟୁ ପରେ କ’ଣ ତୁମେ ଅନ୍ୟମାନଙ୍କ ଦୃଷ୍ଟିରେ ତୁମର ବର୍ତ୍ତମାନର ବିପରୀତ ମଣିଷଟିଏ ହୋଇ ବର୍ଣ୍ଣିତ ହେବାକୁ ଚାହଁ ?

 

ଉପସଂହାର :

 

ତୁମେ ଯିଏ ହୁଅନା କାହିଁଛି ତୁମେ ଭୀଷଣଭାବେ ନିଜକୁ ଠକିଛ, ନିଜ ଜୀବନକୁ ଠକିଛ, ନିଜ ବଞ୍ଚିବା ପ୍ରଣାଳୀକୁ ଠକି ଆସିଛ, ଆଜି ଯାଏଁ । ଆଜିକାଲି ପ୍ରତିଟି ମଣିଷ–କି ପୁରୁଷ କି ନାରୀ, ସମସ୍ତେ ଏମିତି ନିଜକୁ, ନିଜ ଜୀବନକୁ, ନିଜ ବଞ୍ଚିବା ପ୍ରଣାଳୀକୁ ଠକି ସମୟ ବିତଉଛନ୍ତି । ଜୀବନ ସହ ବିଶ୍ୱାସଘାତକତା କରି ବଞ୍ଚୁଛନ୍ତି ।

 

ତୁମେ କଲ୍ୟାଣ ଅଧିକାରୀ ଅବା ଚନ୍ଦ୍ରା ପାଢ଼ୀ ଅବା ଶୋଭନ ଦାସ–ଯିଏ ହୁଅନା କାହିଁକି, ତୁମେମାନେ ଭୀଷଣଭାବେ ଠକି ଯାଇଛ !

 

ନିଜ ବାହାରେ ସୁଖ ଖୋଜିଲେ, ନିଜ ବାହାରେ ନିଜ ଅସହାୟତାକୁ ଦୂରେଇବାର ଉପାୟ ଖୋଜିଲେ, ନିଜ ବାହାରେ ନିଜ ମୃତ୍ୟୁକୁ ଖୋଜିଲେ–ତୁମେ ହତାଶ ହେବ, କିଛି ପାଇବ ନାଇଁ । ପ୍ରମାଣିତ ହେବ ଯେ, ତୁମେମାନେ କ୍ଳାନ୍ତ ହୋଇପଡ଼ିଛ, ଥକି ଯାଇଛ, ହାରି ଯାଇଛ–ତୁମମାନଙ୍କ ଭିତରେ ବୀର୍ଯ୍ୟ ନାହିଁ !

 

ଅନ୍ତର୍ମୁଖୀ ହୁଅ । ନିଜ ଭିତରକୁ ଚାହଁ । ନିଜକୁ ଚିହ୍ନ । ନିଜ ଭିତରୁ ଶାନ୍ତିର, ସୁଖର ଉପାଦାନ ଖୋଜ । ତେବେ ତୁମେ ଶାନ୍ତି ପାଇବ । ତେବେ ତୁମେ ସୁଖ ପାଇବ । ନିଜ ଭିତରୁ ଜନ୍ମିଥିବା ଦୁଃଖ, ଗ୍ଳାନି, ଶୋଷ, ଅସହାୟତା, କ୍ଳାନ୍ତିକୁ ଦୂରେଇବା ପାଇଁ ନିଜ ବାହାରେ ଥିବା ବସ୍ତୁ ବା ପଦାର୍ଥ ବା ଜୀବମାନଙ୍କଠାରେ ସନ୍ଧାନ କର ନାହିଁ । ତୁମେ ବିଫଳ ହେବ । ଅଧିକରୁ ଅଧିକ କ୍ଳାନ୍ତ ହୋଇପଡ଼ିବ । ତେଣୁ ବନ୍ଧୁଗଣ ଆସ, ନିଜ ଭିତରୁ ଜୀବନକୁ ଶାନ୍ତିରେ ଉପଭୋଗ କରିବାର ଉପାୟ ଖୋଜିବା !!

✽✽✽

 

ତୀର୍ଥଯାତ୍ରା

 

(ଏଇ କାହାଣୀର ତରବରିଆ ପରିସମାପ୍ତି ପାଇଁ ଲେଖକଙ୍କୁ ଦାୟୀ କରାଯିବା ଉଚିତ ନୁହେଁ ।)

 

: ‘ଦେଖ, ଆମେ ଏବେଠୁ ସାବଧାନ ହେବା ଉଚିତ, ଯେମିତି ଆମର ଶୀଘ୍ର ପିଲାପିଲି ନହୁଏ ।’

 

ବିବାହ ପରର ପ୍ରଥମ ମିଳନ ରାତିରେ ଅଳକା କହିଥିଲା, କିନ୍ତୁ ଉତ୍ତେଜନା ହେତୁ ହେଉ ଅଥବା ଅନ୍ୟ କୌଣସି କାରଣ ହେତୁ ହେଉ, କଥାଟା ନୀଳାମ୍ବର ମୁଣ୍ଡକୁ ଢୁକି ନଥିଲା ।

 

ପତ୍ନୀ ସହ ବିବାହ ପୂର୍ବରୁ ପରିଚୟ ନଥିଲେ, କୌଣସି ପତ୍ନୀ ଯେ ପ୍ରଥମ ରାତ୍ରିରେ ଏପରି କଥା କହିପାରିବ, ଏହା ଭାବୁଥିବା ଲୋକର ବିବାହ ସମ୍ପର୍କୀୟ ଜ୍ଞାନଟା ସୀମିତ ବୋଲି କହିବାକୁ ହେବ । ସୁତରାଂ କହିବା ବାହୁଲ୍ୟ, ଅଳକାର ନୀଳାମ୍ବର ସହ ବିବାହ ଆଗରୁ ପରିଚୟ ଥିଲା ଏବଂ ସେମାନେ ଦୀର୍ଘ ଦିନ ଧରି ପ୍ରେମିକ–ପ୍ରେମିକାଭାବେ ବିତାଇବା ପରେ ବିବାହ କରିଥିଲେ ।

 

ପୁନର୍ବାର ଦଶ/ବାର ଦିନ ପରେ ଯେତେବେଳେ ଅଳକା କଥାଟାକୁ ନୀଳାମ୍ବର ମନେ ପକାଇ ଦେଲା, ସେତେବେଳେ ନୀଳାମ୍ବର ଭାବିଥିଲା, ବୋଧେ ଅଳକା ଡାକ୍ତରୀ ପଢ଼ିଥିବାରୁ ଏତେ ଶୀଘ୍ର ପିଲାପିଲି ଚାହୁଁ ନାଇଁ, ଟିକେ ବିଳମ୍ବରେ ଚାହୁଁଛି । ତେଣୁ ସେ ହସିହସି କହିଥିଲା : ‘ହେଲା ଏବେ, ତରତର ହେବାରେ କିଛି ନାଇଁ, ମୁଁ କ’ଣ ଆଉ ତମକଥା ଭାଙ୍ଗି ଦେଉଚି ନା କ’ଣ ?'

 

ବିବାହର ଦୁଇବର୍ଷ ପରେ ଯେତେବେଳେ ଅଳକା ପିଲାପିଲି ସମ୍ପର୍କୀୟ ପ୍ରଶ୍ନ ଉଠାଇଲା ନାଇଁ, ନୀଳାମ୍ବର ଦିନେ ତାକୁ କହିଲା, ‘ବେଶୀ ଡେରି କଲେ ଭଲ ନୁହେଁ, ମତେ ଏବେ ବତିଶ ଚାଲିଲା, ତମକୁ ତିରିଶ ବୁଝିଲ ?'

 

ଅଳକା ନୀଳାମ୍ବରର ଥାଳିରେ ତରକାରୀ ଦେଉଦେଉ ହସିହସି କହିଲା : ‘ଓହୋ ଭାରିତ ଡେରି ହେଇଗଲା ? ଆଉ କିଛିଦିନ ଯାଉ ତମେ କ’ଣ ଭାବୁଚ ମୋର ପୁଅଟେ କି ଝିଅଟେ ଦରକାର ନାଇଁ ବୋଲି ନା କ’ଣ ?’

 

ଅଳକା ଯେ ତଥାପି ଅନିଚ୍ଛୁକା, ସେ କଥାଟି ଅନୁଭବ କରି ଚୁପ୍ ରହିବା ଭିନ୍ନ ଅନ୍ୟ ରାସ୍ତା ଥିଲା ବୋଲି ସେଦିନ ଭାବିପାରି ନଥିଲା ନୀଳାମ୍ବର । କିନ୍ତୁ ନୀଳାମ୍ବରର ନୀରବତାକୁ ଅଭିମାନ ବୋଲି ମନେକରି ଅଳକା ଟିକେ ଗେହ୍ଲେଇ ହୋଇ କହିଥିଲା : ‘ଶୁଣ ଏମିତି ପୁଅଟେ ହେବ ନା ସବୁ ଜାଣିଥିବ । ଚିତ୍ର ଆଙ୍କୁଥିବ, ଗପ ଲେଖୁଥିବ, ରାଜାପୁଅ ପରି ଦିଶୁଥିବ–ନହେଲେ ଏମିତି ଇଞ୍ଜିନିୟର୍‍ କି ଡାକ୍ତର ହେବ ଯେ ସାରା ଦେଶରେ ଚହଳ ପକାଇଦେବ ।’

 

ଡାକ୍ତର କି ଇଞ୍ଜିନିୟର୍‍ ଅପେକ୍ଷା ପୁଅଟି ତା’ର ଲେଖକ ବା ଚିତ୍ରକର ହେବାର ଶୁଣିଲେ ନୀଳାମ୍ବର ଖୁସୀ ହେବ ବୋଲି ଅଳକା ସେତକ କହିଥିଲା, ନହେଲେ ପ୍ରକୃତରେ ତା’ର ସେମିତି ଇଚ୍ଛା ନଥିଲା ।

 

: ‘ଆଉ ଝିଅ ହେଲେ’ ଅଳକା କହିଥିଲା, ‘ମୁଁ ତାକୁ ନାଚ ସ୍କୁଲ୍‍ରେ ଛାଡ଼ିଦେବି–ସବୁଠୁ ଭଲ ସ୍କୁଲ୍‍ରେ ଚାରିଆଡ଼େ ଘୂରୁଥିବ ଯେ ସେତେବେଳେ ଝିଅ ସାଙ୍ଗରେ ।’

 

କହିବା ବାହୁଲ୍ୟ, ପୁଅ ବା ଝିଅର ଭବିଷ୍ୟତରେ ଯାହା ଯାହା ହେବାର ସମ୍ଭାବନା ଅଳକା ଦେଖାଇଲା, ସେଥିରେ ନୀଳାମ୍ବର ଆଦୌ ଉତ୍ସାହିତ ହେବା ପରି ମାଲୁମ ପଡ଼ିଲା ନାଇଁ, କିନ୍ତୁ ଅଳକା ମନରେ ଦୁଃଖ ନଦେବାପାଇଁ କହିଲା : ‘କିନ୍ତୁ ଯଦି ଯାଆଁଳା ପୁଅ କି ଯାଆଁଳା ଝିଅ ହୁଏ, ତେବେ ଆମକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ଯେ । ତା’କଥାରେ ଅଳକା ଚଟ୍‌କରି କହିଥିଲା : ‘ଇଃ ମା’–ସେ କଥା କୁହନା, ମୋ ଦେହ କ’ଣ ହେଇଯାଉଚି, ଯାଆଁଳା ପିଲା ? ହେ ଭଗବାନ ।’ ଯାଆଁଳା ପିଲା କଥା ଶୁଣି ଅଳକା ସତକୁସତ ଡରିଯାଇଥିଲା ।

 

ଏ ଭିତରେ ପୁଣି କେତୋଟି ବର୍ଷ ବିତିଗଲା । ନୀଳାମ୍ବର ଜାଣେ ଯେ, ଅଳକା ପିଲା ନ ହେବାପାଇଁ ସବୁ ପ୍ରକାରର ସାବଧାନତା ଅବଲମ୍ବନ କରେ । ପୁଣି ସେ ଡାକ୍ତରୀ ଛାତ୍ରୀ ଥିବାରୁ ତାକୁ ଯେ ଉପାୟଗୁଡ଼ାକ ଉତ୍ତମରୂପେ ଜଣା, ଏଥିରେ ଦ୍ୱିମତ ହେବାର ପ୍ରଶ୍ନହିଁ ଉଠୁ ନଥିଲା । ବେଳେବେଳେ ନୀଳାମ୍ବର ଭାବେ, ଅଳକାକୁ ବିବାହ ପୂର୍ବରୁ ଡାକ୍ତରୀ ପଢ଼ିବାପାଇଁ ଉତ୍ସାହିତ କରି ସେ ଭୁଲ୍ କରିଛି ।

 

ନୀଳାମ୍ବର ଆଇ.ଏସ୍‍ସି. ପଢ଼ୁଥିବାବେଳେ ନିଜ ଗ୍ରୁପ୍‌ରେ ଆବିଷ୍କାର କରିଥିଲା ଅଳକାକୁ ତଥା ସେମାନେ କେମିତି ପରସ୍ପରକୁ ପ୍ରେମ କରି ବସିଲେ, ସେକଥା ବର୍ଣ୍ଣନା କରିବା ଅନାବଶ୍ୟକ-। କିନ୍ତୁ ଅଳକା ମେଡ଼ିକାଲ ଏଣ୍ଟ୍ରାନ୍‍ସ୍ ପାଇବାବେଳକୁ ତା’ର ଓ ନୀଳାମ୍ବରର ପ୍ରେମ ବେଶ୍ ଜମି ଆସିଥିଲା ତଥା ଅଳକା ଯେତେବେଳେ ନୀଳାମ୍ବରକୁ କହିଥିଲା ଯେ, ତା’ର ମେଡ଼ିକାଲ ପଢ଼ିବାକୁ ଆଦୌ ଇଚ୍ଛା ହେଉନି ବୋଲି, ସେତେବେଳେ ନୀଳାମ୍ବରହିଁ ତାକୁ ଅନେକ ବୁଝାଇଥିଲା ମେଡ଼ିକାଲ ଲାଇନ୍‌ରେ ଯୋଗ ଦେବାପାଇଁ; ଅଥଚ ସେଥିପାଇଁ ଯେ ତାକୁ ବିବାହ ପରେ ହୀନସ୍ତା ହେବାକୁ ହେବ–ଏକଥା ସ୍ୱପ୍ନରେ ମଧ୍ୟ ତା’ ମଗଜର ପରିଧି ଭିତରକୁ ପ୍ରବେଶ କରି ନଥିଲା ।

 

କହିବା ଅନାବଶ୍ୟକ, ବିବାହର ପ୍ରଥମ ବର୍ଷଟା ନୀଳାମ୍ବର ନିଜ ତରଫରୁ ସନ୍ତାନ ନହେବାପାଇଁ ବିଭିନ୍ନ ପ୍ରକାରର ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରୁଥିଲା ଏବଂ ଏ କଥା ମଧ୍ୟ କହିବା ଅନାବଶ୍ୟକ ଯେ ବିବାହର ଦ୍ୱିତୀୟ ବର୍ଷ ପରେ ନୀଳାମ୍ବର ନିଜ ତରଫରୁ କୌଣସି ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କଲା ନାଇଁ । କିନ୍ତୁ ସେମିତି କରିବାଦ୍ଵାରା ଯେ ସେ ଅଳକାର ଦୃଷ୍ଟିକୁ ଫାଙ୍କି ଦେଇପାରିବ, ଯେ ସମ୍ଭାବନା ଆଦୌ ନଥିଲା । ଅଳକା ନିଜ ତରଫରୁ ସମସ୍ତ ପ୍ରକାରର ସାବଧାନତା ଗ୍ରହଣ କଲା । ଏମିତିକି ଥରେ ଦି’ଥର ଅଳକାକୁ ଅଚାନକ ମିଳନପାଇଁ ଉତ୍ତେଜିତ କରାଇ ପ୍ରତିରୋଧକ ସମ୍ପର୍କରେ ଭୁଲାଇବାର ଚେଷ୍ଟା କରି ମଧ୍ୟ ବିଫଳ ହେଲା ନୀଳାମ୍ବର । ଅବଶ୍ୟ ଯେଉଁ ଥରକ ଅଳକା ନୀଳାମ୍ବରର ଅଚାନକ ମିଳନ ପିପାସାରେ ନିଜକୁ ବିନା ପ୍ରତିରୋଧକରେ ସମର୍ପି ଦେଇଥିଲା, ସେଥରକ ମିଳନର ଠିକ୍ ପର ମୁହୂର୍ତ୍ତରେ ଅଳକାକୁ କି ଗୋଟାଏ ଟାବ୍‌ଲେଟ୍ ଖାଇବା ଦେଖି ନୀଳାମ୍ବର ନିଶ୍ଚିତ ହୋଇଗଲା ଯେ, ଯେଉଁ ସମ୍ଭାବନାଟି ଉଦୟ ହେବାର ଉପକ୍ରମ କରୁଥିଲା ତାହା ଅଚାନକ ଅସ୍ତ ହୋଇଗଲା ।

 

କୌଣସି ଧାର୍ମିକ କାରଣ ବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଯେ ନୀଳାମ୍ବର ସନ୍ତାନ କାମନା କରୁଥିଲା, ସେପରି ଭାବିବା ଘୋର ଅନ୍ୟାୟ । ସନ୍ତାନଟିଏ ଥିଲା ନୀଳାମ୍ବରର ଆବଶ୍ୟକତା, ଅନ୍ତତଃ ନୀଳାମ୍ବର ସେୟା ଭାବୁଥିଲା ବୋଲି ଯଥାଶୀଘ୍ର ସନ୍ତାନଟେ କାମନା କରୁଥିଲା । ଗୋଟିଏ ଖୁବ୍ ପୁରାତନ ସଂସ୍କୃତ କାହାଣୀର ଅନୁବାଦ ପଢ଼ି ନୀଳାମ୍ବର ଜାଣିସାରିଥିଲା ସେ କେଉଁ ଧରଣର ମଣିଷ । ସେ କାହାଣୀରେ ତିନି ପ୍ରକାରର ମାଛଙ୍କ ବର୍ଣ୍ଣନା କରାଯାଇଥିଲା ଏବଂ କାହାଣୀଟି ପଢ଼ିବା ସମୟରେ ନୀଳାମ୍ବର ଅନୁଭବ କରିଥିଲା ଯେ, ସଂସାରରେ ରହୁଥିବା ତିନି କିସମର ମଣିଷଙ୍କୁ ମାଛ ଜରିଆରେ ବର୍ଣ୍ଣନା କରାଯାଇଛି ବୋଲି ତଥା ସେ ଖୁସୀ ହୋଇଥିଲା ଯେ, ସେ ସବୁଠୁ ନିରାପଦଭାବେ ସବୁ କାମ କରିବା ପରି ମଣିଷଙ୍କ ଭିତରୁ ଜଣେ । ସଂକ୍ଷେପରେ କହିଲେ, ସେ ଥିଲା ଗୋଟେ ମିଟର ମାପି ଗୋଟେ ଇଞ୍ଚ୍ ଚାଲିବା ଲୋକ, କୌଣସି କାମରେ ହାତଦେବା ପୂର୍ବରୁ ଶହଶହ ସମ୍ଭାବନା ସେ ଦେଖେ, ଆଗପଛ ବିଚାର କରେ, ଲାଭ କ୍ଷତି ହିସାବ କରେ–ତା’ପରେ ଯାଇ କାମରେ ହାତ ଦିଏ । ସେଇ ନୀଳାମ୍ବରର ସନ୍ତାନଟିଏ ପାଇବା କାମରେ ହାତ ଦେବାଟା ଯେ ନିହାତି ବୋକାମି ବା ନିର୍ବୋଧତାର ପରିଚୟ, ଏକଥା ଭାବୁଥିବା ପ୍ରତିଟି ମଣିଷଙ୍କୁ ନୀଳାମ୍ବର ବୋକା ବୋଲି ଜ୍ଞାନ କରୁଥିଲା । ତାକୁ ବେଶ୍ ମାଲୁମ ଥିଲା ଯେ, ବିଭିନ୍ନ ବଡ଼ବଡ଼ ଆଦର୍ଶର କଥା କହୁଥିବା ଲୋକଗୁଡ଼ା କେବେ ସେଇ ଆଦର୍ଶରେ ଚଳନ୍ତି ନାଇଁ, ତେଣୁ ସେ କାହାରି କଥାରେ କାନ ନ ଦେଇ ସନ୍ତାନଟିଏ ପାଇବାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲା ।

 

ନୀଳାମ୍ବର ସମ୍ପର୍କରେ ଯେଉଁ କଥାଟି ଅନେକଙ୍କୁ ମାଲୁମ ନଥିଲା, ସେଇଟି ହେଲା ନୀଳାମ୍ବର ଥିଲା ତା’ ବାପ–ମା’ଙ୍କର ଏକମାତ୍ର ସନ୍ତାନ ଏବଂ କଥାଟା ସମ୍ପର୍କରେ ଅନ୍ୟ କାହା ଅପେକ୍ଷା ସେ ନିଜେ ବେଶୀ ସଚେତନ ବୋଲି ଜାଣିଥିଲା । ଅନ୍ୟ ଏକ ସମ୍ଭାବନାକୁ ଅନେକ ଦେଖିପାରୁ ନଥିବାବେଳେ ନୀଳାମ୍ବର ଜଳଜଳ ଦେଖିପାରୁଥିଲା । ସେଇଟି ହେଲା, ଚାକିରି ଚାଲିଯିବା ପରେ ଯେତେବେଳେ ସେ ଓ ଅଳକା ବୟସ୍କ ହୋଇଯିବେ ଅନ୍ୟ ଏକ ଆତ୍ମୀୟ ଉପରେ ନିର୍ଭର କରିବା ବିନା ଜୀବନ ବିତାଇବା ଯେତେବେଳେ ଅସମ୍ଭବ ହୋଇପଡ଼ିବ, ସେତେବେଳେ କ’ଣ କରାଯିବ ? ଆଉ ତ ସେତେବେଳେ ଅଳକା ଓ ସେ ଏକାଠି ଆତ୍ମହତ୍ୟା କରିବେନି । ତେବେ-? ଯେଉଁମାନେ ଏବେ ବଡ଼ବଡ଼ କଥା କହୁଛନ୍ତି, ସେମାନେ ସେତେବେଳେ ଥଟ୍ଟା କରିବେ-। ଏମିତିଭାବେ ନିରାପଦ ଭବିଷ୍ୟତଟିଏର ଚିନ୍ତା କରିବା ଯେ ନୀଳାମ୍ବର ସେଇ ସଂସ୍କୃତ ଗପରୁ ଶିଖିଥିଲା, ତା' ନୁହେଁ, ବରଂ ତା’ର ବିଶ୍ୱାସଟିକୁ ସେଇ ଗପ ମଜବୁତ୍ କରିବାରେ ସାହାଯ୍ୟ କରିଥିଲା ।

 

ତା’ଛଡ଼ା, ଅନେକ ପ୍ରଶ୍ନ ନୀଳାମ୍ବରର ମନକୁ ଆସି ତାକୁ ଅସ୍ଥିର କରିପକାଉଥିଲେ । ଅବଶ୍ୟ ତା’ର ହିସାବୀ ପ୍ରକୃତି ଅନୁଯାୟୀ ସେ ପ୍ରତିଟି ପ୍ରଶ୍ନର କୈଫିୟତ ମନେମନେ ତିଆରି କରିପାରୁଥିଲା । ଉଦାହରଣସ୍ଵରୂପ, ତା’ ମନକୁ ପ୍ରଶ୍ନଟେ ଆସୁଥିଲା, ବିବାହର ଏତେ ଦିନ ପରେ ଯଦି ପିଲାପିଲି ହେବନାଇଁ, ପୁଣି ହେବାର ସମସ୍ତ ସମ୍ଭାବନାକୁ ଲୋପ କରିଦିଆଯିବ, ତେବେ ସେ କ’ଣ ପାଇଁ ଚାକିରି କରିଚି ? ରୋଜଗାର କରୁଚି ? ଏମିତି ପ୍ରଶ୍ନର କୈଫିୟତ ନୀଳାମ୍ବର ମନେମନେ ଭାବୁଥିଲା ଯେ, ଯଦି ଚାକିରି କରି ନଥାନ୍ତା ଏବଂ ରୋଜଗାର କରୁ ନଥାନ୍ତା, ତେବେ ଜୀବନ ନିର୍ବାହ କରନ୍ତା କିମିତି ? ଖାଇବା, ପିନ୍ଧିବା ରହିବା ଇତ୍ୟାଦି ସମସ୍ୟାର ସମାଧାନ ହୁଅନ୍ତା କିମିତି ? ପିଲାଟିଏ ହେବ ବୋଲି ସେ ଚାକିରି କରି ନାଇଁ, ନିଜେ ବଞ୍ଚିବାପାଇଁ ଚାକିରି କରିଚି–ଏକଥା ନିଜକୁ ବେଶ୍ ବୁଝାଇପାରୁଥିଲା ନୀଳାମ୍ବର । ସେମିତିଭାବେ ଆହୁରି ଅନେକ ପ୍ରଶ୍ନ ମନକୁ ଆସୁଥିଲା, ଯଥା : କ’ଣପେଇଁ ସେ ନିଜକୁ ଏତେ ଆଡ଼ମ୍ବରରେ ସଜେଇଚି ? କ’ଣପେଇଁ ସନ୍ନ୍ୟାସୀ ନ ହୋଇ ସେ ସାଧାରଣ ଜୀବନଟିଏ ପଛେରେ ଧାଇଁଚି ? କ’ଣପେଇଁ ସେ ଅଳକାକୁ ବିବାହ କରିଥିଲା ? କହିବା ବାହୁଲ୍ୟ, ପ୍ରତିଟି ପ୍ରଶ୍ନପାଇଁ ନୀଳାମ୍ବର କୈଫିୟତଟିଏ ଭାବିପାରୁଥିଲା । କିନ୍ତୁ ତା’ର ଦୁଃଖ ଏବଂ ଅବସୋସ ଥିଲା ଯେ, କୌଣସି କୈଫିୟତ ତାକୁ ସନ୍ତୁଷ୍ଟ କରିପାରୁ ନଥିଲା; ବରଂ ସେ ତରଳି ଯାଉଥିଲା ମହମବତୀଟିଏ ପରି–ଭିତରେ ଭିତରେ, ପ୍ରତିଟି ତରଳି ଯିବା ଭିତରେ ତା’ର ସନ୍ତାନଟିଏ ପାଇବାର ଆକାଂକ୍ଷାଟି ଦ୍ୱିଗୁଣ ବିକ୍ରମରେ ବଳବତୀ ହୋଇପଡ଼ୁଥିଲା ଏବଂ ବଳବତୀ ହୋଇପଡ଼ି ତାକୁ ଅଥୟ କରିପକାଉଥିଲା ବୋଲି ସେ ଅନୁଭବ ମଧ୍ୟ କରିପାରୁଥିଲା ।

 

: ‘ପିଲା, ପିଲା, ପିଲା’–ଅଳକା ବେଳେବେଳେ ଚିଡ଼ି ଯାଉଥିଲା, ‘ମୁଁ କ’ଣ ଜାଣେନା ଯେ, ଆମର ପିଲାଟିଏ ହେବାର ଆବଶ୍ୟକତା ଅଛି ବୋଲି ? ତମ ଅପେକ୍ଷା ମତେ ବେଶ୍ ଜଣା, କିନ୍ତୁ ଏମିତି ଅଥୟ ହେଉଚ କାଇଁକି ଶୁଣେ ?’

 

: ‘ଅଳକାର ଏମିତି କଥା କେତେ ଥର ଶୁଣି ଥରେ ନୀଳାମ୍ବର କାନ କୁଣ୍ଡାଇ କୁଣ୍ଡାଇ କହିଥିଲା, ‘ତମେ ବୁଝୁନ, ପିଲାଟା ସିନା ମୋ ଚାକିରି ସରିବାବେଳକୁ ବଡ଼ ହୋଇଯାଇଥିବା ଉଚିତ, ନହେଲେ ମୁଁ ରିଟାୟାର୍ଡ଼ କରିବାବେଳକୁ ପିଲାଟା ପଢ଼ୁଥିବ ଅଷ୍ଟମରେ । ସେମିତି ହେଲେ ଆମେ ଆଉ ପିଲାଟାର ଠିକ୍ ଯତ୍ନ ନେଇ ପାରିବା ତ ?’

 

: ‘ତା’ କଥା ଶୁଣି ଅଳକା କହିଥିଲା, ‘ଓହୋ–ତମକୁ ବେଶ୍ ହିସାବ କରି ଆସେ ।'

 

: ‘ତମେ ରିଟାୟାର୍ଡ଼ କରିବାବେଳକୁ ଅଷ୍ଟମରେ ପଢ଼ୁଥିବ ନା ଅ–ଆ–ଶିଖୁଥିବ ମ ।'

 

ନୀଳାମ୍ବର ନିଜେ ବେଶୀ ଭଲ ଯୁକ୍ତି କରିପାରୁ ନଥିଲା କିମ୍ବା ଯୁକ୍ତି କରିବାପାଇଁ ତା’ର ଆଗ୍ରହ ନଥିଲା । ସେ ଅନୁଭବ କରିସାରିଥିଲା ଯେ, ଯୁକ୍ତିଦ୍ୱାରା ଜୀବନକୁ ନିୟନ୍ତ୍ରଣ କଲେ ଅନେକ ସମୟରେ ଅନୁତାପ କରିବାକୁ ପଡ଼େ ବୋଲି, ତଥାପି ଅଳକାର କଥାରେ ନୀରବ ରହିବା ଭିନ୍ନତାର ଆଉ କିଛି ବାଟ ନଥିଲା ।

 

ସେ ଯେ ଅଳକାକୁ ବାଧ୍ୟ କରିପାରି ନଥାନ୍ତା, ସେମିତି ନୁହ–ସେମିତି ଭାବୁଥିବା ଲୋକମାନେ ବରଂ ତା’ର କ୍ଷମତାକୁ ହେୟଜ୍ଞାନ କରୁଥିଲେ ବୋଲି କହିବାକୁ ହେବ । କଥାହେଲା, ସେ ଅଳକାକୁ ବାଧ୍ୟ କରୁ ନଥିଲା, ବାଧ୍ୟ କରିଥିଲେ ତାଙ୍କ ସମ୍ପର୍କର ଡୋରଟି ଯେ ଅଜାଣତରେ ଶିଥିଳ ହୋଇଯାଇଥାନ୍ତା, ଏକଥାଟି ଅନ୍ୟମାନଙ୍କ ଅପେକ୍ଷା ବେଶ୍ ଭଲଭାବେ ମାଲୁମ ଥିଲା ନୀଳାମ୍ବରକୁ !!

 

ବିବାହ ପରେ ଅନେକ ଦିନପାଇଁ ପିଲାଟିଏ ନ ହେବାରୁ ନୀଳାମ୍ବର ଅନୁଭବ କଲା ଯେ ତା’ ଭିତରେ ଓ ଅଳକା ଭିତରେ ଦୁଇ ପ୍ରକାରର ବ୍ୟବହାରର ବିକାଶ ଘଟିଚି ।

 

ଆଗରୁ ଅନ୍ୟ କାହାର ପିଲାଟିଏ ଦେଖିଲେ ନୀଳାମ୍ବର ଖୁବ୍ ଖୁସି ହେଉଥିଲା ଏବଂ ଅନେକ ସ୍ଥଳରେ ସମୟ ଥିଲେ ଅନ୍ୟର ପିଲାଟିକୁ କୋଳେଇ ନେଉଥିଲା–ଗେଲ କରୁଥିଲା, ପିଲାଟି ସମ୍ପର୍କରେ ଆଗ୍ରହ ପ୍ରକାଶ କରୁଥିଲା । କିନ୍ତୁ କ୍ରମେ ସେ ଅନୁଭବ କଲା ଯେ, ସେ ଅନ୍ୟର ପିଲାକୁ ଆଦର କରିପାରୁ ନାହିଁ, ଆଦର କରିବାର ପ୍ରେରଣାହିଁ ନିଜ ଭିତରୁ ପାଉନାହିଁ । ତାକୁ ଲାଗିଲା, ବୋଧେ ଅନ୍ୟର ପିଲାକୁ ଟିକେ ଆଦର କଲାବେଳେ ସେଇ ପିଲାର ବାପ–ମା' ତା’ର ପିଲାଟିଏ ନାଇଁ ବୋଲି ତାକୁ ଦୟା କରୁଛନ୍ତି । ଧୀରେ ଧୀରେ ଏମିତି ଅସହାୟ ଭାବଟେ ନୀଳାମ୍ବର ଉପରେ ଅହରହ ମାଡ଼ିମାଡ଼ି ପଡ଼ିଲା ଯେ ସେ କୌଣସି ଶିଶୁ ତା’ ବାପ–ମା’ କୋଳରେ ଥିବାବେଳେ ପିଲାଟିକୁ ଗେଲ କରିବାକୁ ଉଚିତ ମନେକଲା ନାଇଁ । ଅତଏବ, ଏଇଟା ଖୁବ୍ ସ୍ୱାଭାବିକ ଯେ, ସେ ନିଜ ଅଜ୍ଞତାରେ ସବୁ ପିଲାଙ୍କୁ, ପିଲାଙ୍କର ବାପ–ମା'ମାନଙ୍କୁ ଈର୍ଷା କରିବାରେ ଲାଗିଲା ଏବଂ ଯେଉଁଦିନ ନୀଳାମ୍ବର ତାଙ୍କ ଅଫିସ୍‍ର ଲେଡ଼ି ଟାଇପିଷ୍ଟ ପ୍ରତି ନିଜ ଭିତରେ ଘୃଣା ଅନୁଭବ କଲା, ସେ ଆଶ୍ଚର୍ଯ୍ୟ ହେଲା କାରଣ ତା’ର ଘୃଣାର କାରଣ ସେଇ ଟାଇପିଷ୍ଟର ସ୍ଫୀତୋଦର ବୋଲି ସେ ଆବିଷ୍କାର କରିଥିଲା ।

 

ଅଳକା ଭିତରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଅର୍ଥାତ୍ ଅଳକା ପ୍ରଥମେ ପ୍ରଥମେ ଗର୍ଭବତୀ ନାରୀମାନଙ୍କୁ ନାକ ଟେକୁଥିଲା, ଶିଶୁକୁ କ୍ଷୀର ଖୁଆଉଥିବା ଅବସ୍ଥାରେ କୌଣସି ନାରୀକୁ ଦେଖିଲେ ଅଳକାର ଦେହ ଶିରିଶିରେଇ ଉଠୁଥିଲା–ଖୁବ୍ ଛୋଟ ଛୋଟ ଶିଶୁଙ୍କୁ କୋଳକୁ ଆଣିବାର ବା ଗେହ୍ଲା କରିବାର କୌଣସି ଆଗ୍ରହ ତା’ଠାରେ ନଥିଲା । ବରଂ ଅଳକା ତିନି/ଚାରିବର୍ଷର ଶିଶୁ ବା ଚାଲି ଶିଖୁଥିବା ଶିଶୁମାନଙ୍କ ପ୍ରତି ଆଗ୍ରହ ଦେଖାଉଥିଲା । ଅଳକାର ଏଇ ବ୍ୟବହାରଟି ସହ ନୀଳାମ୍ବର ଏତେ ପରିଚିତ ଥିଲା ଯେ, ଅଳକା ଗର୍ଭଧାରଣ ନକରି ପିଲାଟେ ପାଇଲେ ଖୁସୀ ହେବ ବୋଲି ସେ ବିଶ୍ୱାସ କରିଯାଇଥିଲା । କିନ୍ତୁ ଅଜସ୍ର ଚେଷ୍ଟା କରି ମଧ୍ୟ ନୀଳାମ୍ବର ଅଳକାକୁ ବିଶ୍ଵାସ କରାଇ ପାରି ନଥିଲା ଯେ, ବିନା ଗର୍ଭଧାରଣରେ ଏକାଥରେ ତିନି/ଚାରିବର୍ଷର ବା ଚାଲିଶିଖୁଥିବା ଶିଶୁଟିଏ ସନ୍ତାନରୂପେ ପାଇବା ଅସମ୍ଭବ, ନିହାତି ଅସମ୍ଭବ–ଯେମିତି କି ହାତୀ ଆକାଶରେ ଉଡ଼ିବାଟା ଏକବାରେ ଅସମ୍ଭବ । ଅଥଚ ସେଇ ଅଳକା କ୍ରମେ ଅନ୍ୟ ପ୍ରକାରର ବ୍ୟବହାର ଦେଖାଇଲା । ନୀଳାମ୍ବରର ଶିଶୁ ସମ୍ପର୍କୀୟ ସବୁ କିଛି ପ୍ରତି ଈର୍ଷା ଓ ଘୃଣା ଜାତ ହେବାବେଳକୁ, ଅଳକା ସେସବୁକୁ ଏବେ ଭଲ ପାଉଥିଲା, ଗର୍ଭବତୀ ନାରୀଟିଏ ଦେଖି ତା’ ଶରୀରରେ ଏକ ଅପୂର୍ବ ରୋମାଞ୍ଚ ଭରି ଯାଉଥିଲା, ତା’ର ଛାତିଠୁ ଢଳି ପେଟଯାଏ ଏକପ୍ରକାରର ଯନ୍ତ୍ରଣା ଜର୍ଜର ଅନୁଭବ ସଂଚରି ଯାଉଥିଲା, କିଏ ପିଲାକୁ କ୍ଷୀର ଖୁଆଇବା ଦେଖିଲେ ଅଳକାର ଛାତି ଭିତରେ କିଏ ଯେମିତି ସଲସଲ କରି ପକାଉଥିଲା–ମୋଟାମୋଟି ସେଇ ସବୁ ଦୃଶ୍ୟ ଦେଖିଲେ ଅଳକା ଆଗପରି ନାସିକା କୁଞ୍ଚନ କରିବା ପରିବର୍ତ୍ତେ ଗୋଟେ ଆଗ୍ରହମିଶା ଦୃଷ୍ଟିରେ ସବୁକୁ ଲକ୍ଷ୍ୟ କରୁଥିଲା । ବରଂ ଯେଉଁ ନୂତନ ବ୍ୟବହାରଟି ଅଳକାକୁ ନୀଳାମ୍ବରର ଆଖିରେ ଧରା ପକାଇ ଦେଇଥିଲା, ସେଇଟି ହେଲା ଅଳକା ଆଗପରି ତିନି/ଚାରିବର୍ଷର ଶିଶୁଙ୍କୁ ସ୍ନେହ ନକରି ତାଙ୍କ ଉପରେ ଚିଡ଼ିଚିଡ଼ି ହେଉଥିଲା, କିନ୍ତୁ ଖୁବ୍ ଛୋଟ ଛୋଟ ଶିଶୁଙ୍କୁ ଦେଖିଲେ ସେମାନଙ୍କୁ କୋଳକୁ ନେଇ ଏକପ୍ରକାରର ଅନିର୍ବଚନୀୟ ତୃପ୍ତିରେ ସାଉଁଳେଇ ପକାଉଥିଲା । ଏମିତିକି ଥରେ ଗୋଟେ ତିନିମାସର ଛୁଆ ଅଳକା କୋଳରେ ଥାଇ ଏକ କରିଦେଲା, ଛୁଆଟିର ମା’ ବ୍ୟସ୍ତ ହୋଇ ପଡ଼ିବାବେଳେ ଅଳକା କହିଲା : ‘ମଲା–ଏମିତି କ’ଣଟେ ହେଇଗଲା ଯେ ? ଏଇବେଳେ ପରା ଛୁଆଗୁଡ଼ା କୋଳରେ ଥାଇ ଏକ କରିବାକୁ ଭଲ ପାଆନ୍ତି । ଆଉ ଟିକେ ବଡ଼ ହୋଇଗଲେ ଚକୋଲେଟ୍ ଦେଲେବି କୋଳରେ ଏକ କରିବେ ନାଇଁ ।’

 

ଶେଷ ବାକ୍ୟଟି କହି ଅଳକା ପ୍ରଥମେ ହସି ପକାଇଥିଲା !!

 

X X X

 

ଦିନେ ଅଳକା ପଡ଼ିଶା ଘରର ଛୋଟ ଛୁଆଟାକୁ ଗେଲ କରୁଥିବା ଦେଖି ନୀଳାମ୍ବର ତାକୁ ଡାକ ପକାଇଲା ଏବଂ ଅଳକା ପିଲାଟାକୁ କାଖେଇଥିବା ଅବସ୍ଥାରେ ଆସିବାକ୍ଷଣି ନୀଳାମ୍ବର କହିଲା : ‘ଟିକେ ଚା’ ପିଇଥାନ୍ତି ଯେ, କିନ୍ତୁ ତୁମେ ତ କାହାର ପିଲାଟିଏ ଲାଙ୍ଗୁଡ଼ରେ ବାନ୍ଧି ବୁଲୁଚ ।’

 

ନୀଳାମ୍ବର ‘କାହାର ପିଲାଟା’ ବୋଲି ଟିକେ ଜୋର୍ ଦେଇ କହିବା ପରି ଅଳକାର ମନେ ହେଲା ଏବଂ ତା’ର ଲାଙ୍ଗୁଡ଼ ନାଇଁ ବା ଥିଲେବି ସେ କଦାପି ପିଲାଟାକୁ ନିଜ ଲାଙ୍ଗୁଡ଼ରେ ବାନ୍ଧି ବୁଲି ନଥାନ୍ତା ବୋଲି ଭଲଭାବେ ଜାଣିଥିଲେବି ଅଳକା ଚଟ୍‌କରି ବୁଲିପଡ଼ି କହିଲା : ‘କାହାର ପିଲାମାନେ ? ତୁମେ କ’ଣ ଜାଣନା କାହାର ପିଲା ବୋଲି ?’

 

: ‘ଏ ସଂସାରରେ ଏତେ ପିଲା ଅଛନ୍ତି, ତମେ ଏବେ କେତେବେଳେ କାହା ପିଲାକୁ କାଖେଇବ, ମୁଁ ଜାଣିବି କିମିତି ? ତା’ଛଡ଼ା, ସବୁ ପିଲାଗୁଡ଼ା ଚାରି/ପାଞ୍ଚ ମାସର ହେଇଥିବାବେଳେ ମତେ ଏକାପରି ଦୁଶନ୍ତି ।’ ନୀଳାମ୍ବର ହାଙ୍ଗ୍‍ରରେ ଜାମାଟା ଟଙ୍ଗାଉ ଟଙ୍ଗାଉ କହିଲା ।

 

ଅଳକା ଯେ ନୀଳାମ୍ବରର ଏକଥାରେ କିଛି କହି ନଥାନ୍ତା ବା କହିବାକୁ କିଛି ଶବ୍ଦ ପାଇଲା ନାଇଁ, ତା’ ନୁହେଁ । ଯେତେ ଦୂର ସମ୍ଭବ ସେ କିଛି କହିପାରିଲା ନାଇଁ । ଶବ୍ଦଗୁଡ଼ା ତଣ୍ଟି ପାଖରେ ଜମାଟ ବାନ୍ଧିଗଲେ, ଚେଷ୍ଟା କରି ମଧ୍ୟ ଅଳକା ଅକ୍ଷରଟିଏବି ଉଚ୍ଚାରଣ କରିପାରିଲା ନାଇଁ-। ସେଭଳି ଏକ ଅଜବ ଅବସ୍ଥାରୁ ମୁକ୍ତି ପାଇବାପାଇଁ ଅଳକା ଚଟ୍‌କରି ବୁଲିପଡ଼ିଲା ଏବଂ ବାହାରକୁ ଚାଲିଗଲା । ସେ ଯିବା ପରେ ନୀଳାମ୍ବର ଅନୁଭବ କଲା ଯେ, ଏମିତି କହି ଅଳକାକୁ ଆଘାତ ଦେବା ତା’ପକ୍ଷରେ ଉଚିତ ହେଲା ନାଇଁ । ଅବଶ୍ୟ କହିବା ପୂର୍ବରୁ କଥାଟା ସେ ଅନୁଭବ କରିବାର ଥିଲା ।

 

ମୁହୂର୍ତ୍ତକ ଭିତରେ ଫେରି ଆସିଲା ଅଳକା ଏବଂ ଠିଆ ହୋଇଗଲା ନୀଳାମ୍ବର ସାମ୍ନାରେ । ତା’ ଆଖି ଦି'ଟାକୁ ଦେଖି ନୀଳାମ୍ବରର ଛାତି ଭିତରଟା ଏମିତି ହେଲା, ଯେଉଁଟାକୁ କି ବର୍ଣ୍ଣନା କରିବାକୁ କୌଣସି ଭାଷାରେ ଶବ୍ଦ ନାଇଁ । ଥରେ ତା’ ମୁହଁକୁ ଚାହିଁ ଅଳକା ତଳକୁ ଚାହିଁ ଠିଆ ହୋଇଥାଏ, ଶାଢ଼ିର କାନିକୁ ମୋଡ଼ୁଥାଏ, କିଛି କହୁ ନଥାଏ–ସତେ ଅବା ବଳିକୁ ଯାଉଥିବା ଛେଳିଟି–ସବୁକିଛି ମାନି ନେବାକୁ ପ୍ରସ୍ତୁତ–କୌଣସିଥିରେ ପ୍ରତିବାଦ କରିବାର ପ୍ରଶ୍ନହିଁ ଉଠୁନି । ସେଇ ଭଙ୍ଗୀଟି, ମୁହୂର୍ତ୍ତକର ସେଇ ଦୃଷ୍ଟିଟି ନୀଳାମ୍ବରକୁ ଅନୁଭବ କରାଇ ଦେଲା ଯେ, ସତେ ଅବା ଅଳକା ସବୁ ଭୁଲ୍ ସ୍ୱୀକାର କରିନେଇଚି ନିଜ ତରଫରୁ, ଶାସ୍ତିପାଇଁ ଅପେକ୍ଷା କରିଚି । ଶାଢ଼ିର କାନି ମୋଡ଼ିବା ଭଙ୍ଗୀଟି ନୀଳାମ୍ବରକୁ ମନେହେଲା ଖୁବ୍ ବେଦନାଦାୟକ, ତାକୁ ଲାଗିଲା, ତାରିପରି ଅଳକା ମଧ୍ୟ ପିଲାଟିଏ ନଥିବାରୁ ଅହରହ ଭିତରେ ଭିତରେ ଜାଳିପୋଡ଼ି ଛାରଖାର ହେଇଯାଉଚି, ପଳ ପଳ ବିଦୀର୍ଣ୍ଣ ହୋଇଯାଉଚି ବେଦନାରେ; ଅଥଚ ସର୍ବଦା ପ୍ରୟାସ କରି ଆସିଚି ତା’ର କିଛି ଦୁଃଖ ନାଇଁ ବୋଲି ଏ ଭାବଟିଏ ଦେଖାଇବା ପାଇଁ, ସର୍ବଦା ନୀଳାମ୍ବରକୁ ସୁଖୀ କରାଇବାକୁ ପ୍ରୟାସ କରି ଆସିଚି । ଏମିତି ଅବସ୍ଥା ନୀଳାମ୍ବର ସେତେବେଳେ ଯେ ସେ ପିଲାପିଲି ହେବା ନ ହେବା କଥାଟା ପୂରା ପାସୋର ହୋଇଗଲା–ତା’ର କେବଳ ଅଳକା ସହ ବିତାଇଥିବା ମଧୁର ଦିନଗୁଡ଼ିକର କଥା ମନେପଡ଼ିଲା–ବିବାହ ପୂର୍ବର ଏବଂ ବିବାହ ପରର । ଶେଷକୁ ମାତ୍ର କେତୋଟି ମୁହୂର୍ତ୍ତ ଭିତରେ ଅଳକା ପ୍ରତି ଏକ ସ୍ନିଗ୍ଧ ମଧୁର ସ୍ନେହଶୀଳଭାବ ତାକୁ ଏମିତି ଫେଣ୍ଟି ପକାଇଲା ଯେ, ସେ ସ୍ୱତଃ ଅଳକାର ଓଠତଳେ ହାତ ଦେଇ ମୁହଁକୁ ଟେକି ଧରି ଦେଖିବାକୁ ଚେଷ୍ଟା କଲା ।

 

ଯେଉଁ ଅସହାୟ ଦୟନୀୟତାଟି ଅଳକାର ଏଯାଏଁ ବନ୍ଧ ଭାଙ୍ଗିବ ଭାଙ୍ଗିବ ବୋଲି ହେଉଥିଲା, ନୀଳାମ୍ବରର ସ୍ପର୍ଶମାତ୍ରକେ ସେଇ ବନ୍ଧଟି ଭୁଷୁଡ଼ିପଡ଼ିଲା ଏବଂ ଅଳକା ଚେତନା ରହିତ ପରି ଢଳି ପଡ଼ିଲା ନୀଳାମ୍ବରର ଛାତି ଉପରକୁ ଏବଂ କଇଁକଇଁ ହୋଇ କାନ୍ଦି ଉଠିଲା । କୌଣସି ପରିସ୍ଥିତିରେ ନୀଳାମ୍ବର ଅଳକାର କାନ୍ଦଟା ଆଶା କରୁ ନଥିବାରୁ ଅଳକାର ଅଚାନକ କାନ୍ଦରେ ନୀଳାମ୍ବର କିଂକର୍ତ୍ତବ୍ୟବିମୂଢ଼ ହୋଇଗଲା । ଅଳକା ଯେ କାନ୍ଦିପାରେ, ଏ ସମ୍ଭାବନା କଥାଟା ସେ ଭାବି ନଥିଲା ଏବଂ ଯଦି ପୂର୍ବରୁ ସମ୍ଭାବନାଟି ସମ୍ପର୍କରେ ଭାବି ପାରିଥାନ୍ତା, ତେବେ ନିଜେ ପଛେ ସନ୍ତୁଳି ହୋଇଥାନ୍ତା, କିନ୍ତୁ ପିଲାପିଲି କଥାଟା କଦାପି ଉଠାଇ ନଥାନ୍ତା ଅଳକା ସାମ୍ନାରେ !

 

ନୀଳାମ୍ବର ଆଶା କରୁଥିଲା, ଅଳକା ତାକୁ ରାଗିକରି ଓଲଟାଇ ଦିପଦ କହିବ । ଏମିତିକି ଟିକେ ପାଟିତୁଣ୍ଡ–ମନୋମାଳିନ୍ୟବି ହୋଇପାରେ । ତା’ପରେ ସବୁ ଠିକ୍ ହୋଇଥାନ୍ତା । ତା'ଛଡ଼ା ତା’ ଭିତରେ ଜ୍ୱଳନଟିଏ–ଯନ୍ତ୍ରଣାଟିଏ ଏମିତି ବଢ଼ି ଚାଲିଥିଲା ଯେ, ଅଳକାକୁ ପ୍ରତ୍ୟକ୍ଷରେ ବା ପରୋକ୍ଷରେ କହି ନଥିଲେ ବା ନିଜ ବ୍ୟବହାରକୁ ସେଇ ଜ୍ଵଳନ ଅନୁଯାୟୀ ପରିବର୍ତ୍ତନ କରି ନଥିଲେ ସେ ପାଗଳ ହୋଇଯାଇଥାନ୍ତା କି କ’ଣ । କିନ୍ତୁ ସେ କ’ଣ କଦାପି ଆଶା କରିଥିଲା ଯେ, ସେ ଯେଉଁ ଭାବରେ ଅଳକାକୁ ଆଶା କରୁଥିଲା–ଅଳକା ତା’ ଚିନ୍ତାଧାରାଠୁ ବହୁ ଊର୍ଦ୍ଧ୍ୱରେ ଥିଲା ବୋଲି ? ଏତେ ଊର୍ଦ୍ଧ୍ୱରେ ଯେ ସାଧାରଣ ମଣିଷର ଆଖିପାଏ ନାଇଁ । ଅଳକା ତାକୁ ଏମିତି ଭଲପାଏ, ତା’ର ସଭାସହ ଏମିତି ନିଜକୁ ମିଶାଇ ଦେଇଥିଲା, ନିଜ ଚିନ୍ତାରେ ଦୁଇ ଜଣଙ୍କୁ ଏମିତି ଏକାକାର କରିଦେଇଥିଲା ଯେ, କେବେବି ସ୍ୱପ୍ନରେ ମଧ୍ୟ ସେ ନୀଳାମ୍ବରକୁ ଆଘାତ କରି ପଦେ କହିବାର କଳ୍ପନା କରି ନାଇଁ । ମୁହୂର୍ତ୍ତକରେ ସେ ସ୍ୱୀକାର କରିଗଲା ନିଜକୁ, ଖୋଲିଦେଲା ନିଜକୁ–ନିଜର ଆକାଶକୁ; ସାମାନ୍ୟ କଥାରେ ଦୂରରୁ ହିମାଳୟ ପରି ଦୃଢ଼ମନେ ହେଉଥିବା ଅଳକା ତରଳି ଗଲା ଗୋଟେ ଦଶ ପଇସିଆ ଆଇସ୍‍କ୍ରିମ୍ ପରି ଏବଂ ଯେଉଁ କଥାଟା କୌଣସି ଉପାୟରେ ହୁଏତ ନୀଳାମ୍ବରର ହୃଦ୍‍ବୋଧ ହୋଇ ନଥାନ୍ତା, ସେକଥାଟି ସହଜରେ ବୁଝାଇ ଦେଲା ଅଳକା ।

 

: ‘ତମେ ଭାବୁଚ ନା ମୁଁ ମା’ ହୋଇପାରିବି ନାଇଁ ?' ନୀଳାମ୍ବରର ଛାତିରେ ମୁଣ୍ଡ ରଖି ଠିଆ ହୋଇଥିବା ଅବସ୍ଥାରେ ନୀଳାମ୍ବରର ବକ୍ଷର କେଶରାଶି ଭିତରେ ଅଙ୍ଗୁଳି ସଂଚାଳନ କରୁକରୁ କହିଲା ଅଳକା । ତା' ମୁହଁ ଥାଏ ତଳକୁ । ନୀଳାମ୍ବର ପ୍ରଥମେ ଭାବିଲା କହିଦେବ ଯେ, ‘ନା, ସିମିତି ଭାବି ନାଇଁ’, ପୁଣି ଭାବିଲା କହିଦେବ ଯେ, ‘ଆଉ କ’ଣ ବିଶ୍ୱାସ କରିଥାନ୍ତି ?’–କିନ୍ତୁ ସେ କିଛି କହିପାରିଲା ନାଇଁ, ବରଂ ସେତେବେଳେ ତା’ର ମନେହେଲା ଏସବୁ ଆଲୋଚନା ନିହାତି ମୂଲ୍ୟହୀନ, କେବଳ ତା’ର ଖିଆଲ ହେଲା ଯେ ସେ ଅନେକ ଦିନ ହେବ ଅଳକାକୁ ଠିକ୍‍ଭାବେ ସ୍ନେହ–ଶ୍ରଦ୍ଧା–ପ୍ରେମ କରିପାରି ନାଇଁ ଏବଂ ଏ କଥାଟି ଅନୁଭବ କରିବାକ୍ଷଣି ନୀଳାମ୍ବରର ଆଶ୍ଚର୍ଯ୍ୟ ଭାବ ଦ୍ୱିଗୁଣିତ ହୋଇଗଲା । ସ୍ୱତଃ ତା'ର ଆଙ୍ଗୁଠି ସବୁ ଅଳକାର ଘନକୁଞ୍ଚିତ କେଶ ରାଶି ଭିତରେ ଘୂରି ବୁଲିଲେ ।

 

‘ତମେ କ’ଣ ଭାବୁଚ ନାରୀ ହୋଇ ମୋର ମା’ ହେବାର ଇଚ୍ଛା ନାଇଁ ?' କିନ୍ତୁ ‘ଅଳକାର କଣ୍ଠ ଭିଜାଭିଜା ଶୁଭୁଥିଲା ଏବଂ କିନ୍ତୁ ବୋଲି କହିବା ପରେ ବୋଧେ ତା’ କଣ୍ଠ ପୂରାପୂରି ଆପେଆପେ ରୁଦ୍ଧ ହୋଇଗଲା କି କ’ଣ । ଅଳକା ପୁଣି ନୀଳାମ୍ବରର ଛାତିରେ ମୁହଁ ଗୁଞ୍ଜି ଦେଲା ଏବଂ ସେ ପୁନର୍ବାର କାନ୍ଦୁଚି ବୋଲି ବୁଝିବା ପରି ବୟସ ଓ ଅଭିଜ୍ଞତା ନୀଳାମ୍ବରର ହୋଇଥିଲା ।

 

‘କିନ୍ତୁ ଫିନ୍ତୁ କିଛି ନାଇଁ’ ନୀଳାମ୍ବର କହିଲା, ‘ତମେ ଯାହା ଚାହୁଁଚ ସେଇଆ ହବ, ସେମିତି ପିଲାଟିଏର ଅଭାବ ଅତି ଅନୁଭବ ହେଲେ ଆମେ ଗୋଟେ ପୁଅକରି ଆଣିବା ଅନାଥାଶ୍ରମରୁ ତାକୁ ନିଜ ପୁଅ ପରି ପାଳିବା, ବୁଝିଲ ?' ନୀଳାମ୍ବର କେଉଁ ପ୍ରେରଣାରେ ଏତକ କହିଲା ସେ ନିଜେ ଜାଣେ ନାଇଁ, କିନ୍ତୁ ଗୋଟାଏ କଥା ସେ ବୁଝିଲା ଯେ, କଥାଟାକୁ ଯଥାସମ୍ଭବ କବିତ୍ୱମୟ କରି କହିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ତା’ କଥାରେ ଅଳକାର ସନ୍ଦେହ ହେଲା କି କ’ଣ କେଜାଣି, ଅଳକା ମୁହଁ ଉଠେଇ ଏତେ ସମୟ ପରେ ତାକୁ ଜୁଳୁଜୁଳୁ କରି ଚାହିଁଲା, ସେଇ ଚାହାଣିରେ ନୀଳାମ୍ବର ଏମିତି ଅତିଷ୍ଠ ହୋଇଗଲା ଯେ, ଶେଷରେ ମୁରୁକି ହସାଟେ ଦେଇ ଚଟ୍‌କରି ଅଳକାର ଓଠରେ ନିଜ ଓଠ ଲଗେଇଦେଲା ଏବଂ ଅଳକାକୁ ଖୁବ୍ ଜୋରରେ ଭିଡ଼ିଧରିଲା-। ଏସବୁ ସମ୍ପର୍କରେ ସମ୍ୟକ ଜ୍ଞାନ ଥିବା ଯେକୌଣସି ବ୍ୟକ୍ତି ସହଜରେ ବୁଝିପାରିବେ ଯେ ନୀଳାମ୍ବର ବୁଝାଇବାକୁ ଚାହୁଁଥିଲା ଯେ, ‘ମତେ ସନ୍ଦେହ କର ନାଇଁ–ମୁଁ ଯାହା କହୁଚି, ଅନ୍ତର ଭିତରୁ କହୁଚି’ ତଥା ଅଳକା ମଧ୍ୟ କନ୍ଦାକଟା ନ କରି ଟିକେ ସହଜ ହୋଇଆସିଲା । ନୀଳାମ୍ବର ଅଳକାକୁ ବନ୍ଧନରୁ ମୁକୁଳାଇ, କବାଟ ଭିତର ପଟୁ ଦେଇ, ଅଳକାର ହାତ ଧରି ନେଇ ଖଟ ଉପରେ ବସାଇଲା । ନିଜେ ଅଧାଶୁଆ ହୋଇ ଗଡ଼ିପଡ଼ିଲା ଖଟ ଉପରେ ଏବଂ ଅଳକାକୁ ନିଜ ଛାତି ଉପରେ ଶୁଆଇ ପକାଇ ତା’ ବେକମୂଳଠାରୁ କେଶ ରାଶି ଭିତରେ ଅଙ୍ଗୁଳି ସଂଚାଳନ କରିବାକୁ ଲାଗିଲା ।

 

‘ଗୋଟେ କଥା ପଚାରିବି ଅଳକା, କିଛି ଭାବିବ ନାଇଁ ତ ?’ ନୀଳାମ୍ବର ପଚାରିବା ପରେ ଅନୁଭବ କଲା ଯେ, ପ୍ରଶ୍ନଟା ଅନ୍ୟ ଉପାୟରେ ଭଲଭାବେ କୁହାଯାଇପାରିଥାନ୍ତା ଏବଂ ସେଇ ମୁହୂର୍ତ୍ତରେ ଉପନ୍ୟାସ ପଢ଼ାପଢ଼ି ନକରୁଥିବାର ଅସୁବିଧାଟା ଅନୁଭବ କଲା ନୀଳାମ୍ବର ।

 

‘ଭାବିବି କ’ଣ ମ । ଅଳକା ଗେହ୍ଲେଇ ହୋଇ କହିଲା ଏବଂ ବୋଧେ କାଳେ ନୀଳାମ୍ବର ତା’ର ଗେହ୍ଲେଇ ଭାବଟିକୁ ସ୍ଵରରୁ ଚିହ୍ନି ପାରିବ ନାଇଁ, ସେଥିପାଇଁ ନୀଳାମ୍ବରର ଛାତିରେ ଥରେ ନାକ ଘଷିଦେଲା ମଧ୍ୟ ।

 

‘ତମେ କାହିଁକି ପିଲାଟେ ଚାହୁଁନ କୁହ ତ । ନୀଳାମ୍ବର କହିଲା ଏବଂ ଏମିତି ନିହାତି ଶୁଷ୍କଭାବେ କହିଥିବାରୁ ତାକୁ ବେଲଜ୍ଜା ବେଲଜ୍ଜା ଲାଗିଲା । ଅଳକା ହଠାତ୍ କିଛି କହିଲା ନାଇଁ, ସେ ସେମିତି ପଡ଼ିଥାଏ ଅର୍ଦ୍ଧଶାୟିତ ନୀଳାମ୍ବରର ଛାତି ଉପରେ, ନାକ କି ଗାଲ ଘଷୁଥାଏ ମଝିରେ ମଝିରେ ନୀଳାମ୍ବର ଛାତିରେ, ଏମିତିକି ଥରେ ନୀଳାମ୍ବରର ବେକ ମୂଳେ ଜିଭଟାବି ଲଗେଇଦେଲା ଥରେ–ସେମିତି ଅବସ୍ଥାରେ ମୁହଁ ନ ଉଠାଇ ଅଳକା ଯେତେବେଳେ ଆରମ୍ଭ କଲା, ସେତେବେଳେ ଅଳକାର ସ୍ଵର ଜଣାଗଲା ଯେମିତି ଆସୁଚି ବହୁଦୂରରୁ, ତେଣୁ ନୀଳାମ୍ବର ଗୋଟେ ନିହାତି ସିରିଅସ୍ କଥା ଶୁଣିବାପାଇଁ ଅପେକ୍ଷା କଲା, କିନ୍ତୁ କଥାଟି ଶୁଣିବା ପରେ ସେ ବୁଝିପାରିଲା ନାଇଁ ସେ ହସିବା ଉଚିତ କି କାନ୍ଦିବା ଉଚିତ କି ଆଉ କ’ଣ କରିବା ଉଚିତ, ଏପରିକି କେଉଁ ଉପାୟରେ କଥାଟାର ସମାଧାନ କରାଯାଇପାରିବ, ସେକଥା ମଧ୍ୟ ଚଟ୍‌କରି ତା’ ମୁଣ୍ଡକୁ ଢୁକିଲା ନାଇଁ !

 

‘ତମେ ଜମା ଭାବିପାରିବ ନାଇଁ ସେ କଥା; ଅଳକା ସ୍ୱପ୍ନାବସ୍ଥାରେ ଥାଇ କହୁଥିବା ପରି କହୁଥିଲା’, ପ୍ରେଗ୍‍ନାନ୍‌ସି ନ–ଦଶ ମାସଟା ଜମା ବଡ଼କଥା ନୁହେଁ, କିନ୍ତୁ ମୁଁ ଯେତେବେଳେ ଡେଲିଭରି କଥାଟା ଭାବେ, ମତେ ଲାଗେ ମୋର ହାଟ୍‍ ଫେଲ୍ ହୋଇଯିବ କି ନର୍ଭସ ବ୍ରେକ୍ ଡାଉନ୍ ହେଇଯିବ ।

 

ନୀଳାମ୍ବର ମୁଡ଼୍ ଭଲଥିଲା, ତେଣୁ ସେ ରସିକତା କରି କହିଲା, ‘ଯାହାର, ତମେ ସହଜିଆ ଡାକ୍ତରୀ ଶବ୍ଦଗୁଡ଼ା କହିଚ ମୁଁ ବୁଝିପାରୁଚି । ଆଉ ଅଧିକା କଷ୍ଟ ଶବ୍ଦ କହିବ ନାଇଁଟି ।’

 

ନୀଳାମ୍ବର କଥାରେ ଅଳକା ଥରେ ଗେହ୍ଲାରେ ତା’ ମୁଣ୍ଡବାଳକୁ ଝିଙ୍କି ଦେଲା ।

 

‘କଥାଟା ଯଦି ମନସ୍ତତ୍ୱବିତ୍‌ଙ୍କୁ ପଚରାଯିବ, ତେବେ ସେମାନେ କହିବେ ଯେ ପିଲାଦିନୁ କି ମେଡ଼ିକାଲ ପଢ଼ିବାବେଳୁ ମୋ ମନରେ ଡେଲିଭରି ପ୍ରତି ଗୋଟେ ଅଦ୍ଭୁତ ଭୟ ରହିଯାଇଛି ବୋଲି । ବୋଧେ ସେଇଆ ହେଇଥିବ, କାରଣ ମୋ ବଡ଼ଭାଉଜଙ୍କର ଡେଲିଭରି ସମୟରେ ମୃତ୍ୟୁ ହେଇଥିଲା–ତା’ପରେ ମେଡ଼ିକାଲ ପଢ଼ିବାବେଳେବି ମୁଁ ଦେଖିଚି–ସେ ଯୋଉ ଯନ୍ତ୍ରଣା–ଓହୋ । କେତେଟା ସ୍ତ୍ରୀଲୋକଙ୍କୁବି ମରିଯିବା ଦେଖିଚି–ପୁଣି କେତେ ସଦ୍ୟ ଜନ୍ମ ହେଇଥିବା ଶିଶୁଙ୍କୁବି ମରିଯିବା ଦେଖିଚି ।’ ଅଳକା ନିଜ କଥାର ଖିଅ ଧରି କହିବାରେ ଲାଗିଥିଲା ।

 

କିନ୍ତୁ ଅଳକା କଥା ମଝିରେ ବିଶ୍ରାମ ନେବାମାତ୍ରେ ସୁଯୋଗର ଅସଦ୍‌ବ୍ୟବହାର ନକରି ନୀଳାମ୍ବର କହିଲା, ‘ଏଗୁଡ଼ା ଅତି ବେକାର କଥା, ତା’ ବୋଲି କ’ଣ ଆଉ କେହି ମା’ ହେଉ ନାହାନ୍ତି-? ମେଡ଼ିକାଲ ପଢ଼ିଥିବା ଝିଅମାନେ କ’ଣ ଆଉ ବାହା ହେଉନାହାନ୍ତି ନା ଡେଲିଭରିବେଳେ ମା’ ବା ଶିଶୁକୁ ମରିଯିବା ଦେଖୁନାହାନ୍ତି ? କୋଟି କୋଟି ଝିଅ ତ ପୁଣି ମା’ ହେଉଛନ୍ତି ।’

 

‘କୋଟି କୋଟି ମା’ ହେଉଛନ୍ତି ସତ, କିନ୍ତୁ ମୁଁ ଶହେ/ଦେଢ଼ ଶହକୁ ପୁଣି ମରିଯିବାର ତ ଦେଖିଚି ।’ ଅଳକାର କଥାରେ ନୀଳାମ୍ବର ଆଶ୍ୱସ୍ତ ହେବା ସ୍ୱାଭାବିକ, କାରଣ ସେ କହିଥିବା ସଂଖ୍ୟାଟା କୋଟି କୋଟିରେ ଥିବାବେଳେ ଅଳକା କହିଥିବା ସଂଖ୍ୟାଟା ମାତ୍ର ଶହେ/ଦେଢ଼ ଶହରେ ଥିଲା ।

 

‘ପିଲାଟେ କନ୍‌ସିଭ କରିବା କଥା ଭାବିଲେ ମୋ ମନକୁ ଏମିତି ସବୁ ଦୁଃଶ୍ଚିନ୍ତା ଆସୁଚି’, ଅଳକା କହିଲା, ‘ମୋ ଆଖି ଆଗରେ ଖାଲି ନାଚି ଯାଉଚି କେତେ ନାରୀଙ୍କର ଯନ୍ତ୍ରଣାକାତର ଛବି–କିଏ ଯନ୍ତ୍ରଣାରେ ଚିତ୍କାର କରୁଚି, କିଏ ସେନ୍‌ସଲେସ୍ ହେଇଯାଉଚି, ପୁଣି କାହାର ଅପରେସନ୍ ହେବା ଦରକାର ହେଉଚି, କାହାର ପିଲାଟେ ମରିସାରି ଜନ୍ମ ହେଉଚି, କାହାର ଜନ୍ମ ହେବାପରେ ମରୁଚି–ଏମିତି କେତେକଅଣ । ହାଉସ୍‌ ସର୍ଜନସିପ୍ କରୁଥିବାବେଳେ ଗୋଟେ ସ୍ତ୍ରୀଲୋକର ପେଟରେ ଯାଆଁଳା ପିଲା ଥିଲା–ଓହୋ ! କି ଯେ ଯନ୍ତ୍ରଣା ପାଉଥିଲା ସେ । ଭାବିଲେ ରୋମମୂଳ ଠିଆ ହୋଇଯାଉଚି ।’ କହୁ କହୁ ଅଳକାର ରୋମମୂଳ ଠିଆ ହୋଇଗଲା କି କ’ଣ କେଜାଣି, ସିଏ ନୀଳାମ୍ବରକୁ ଟିକେ ଗାଢ଼ଭାବେ ଆଲିଙ୍ଗନାବଦ୍ଧ କରିପକାଇଲା ।

 

‘ଯାହା କହ, ତୁମେ ଏସବୁରେ ଏତେ ବିଚଳିତ ହେବା କଥା ନୁହେଁ, ମୁଁ ଭାବିଥିଲି ଡାକ୍ତରୀ ପଢ଼ୁଆ ଝିଅଗୁଡ଼ା ଟିକେ ଟାଣ ମନା ହୋଇଥିବେ ନା ।’ ନୀଳାମ୍ବର ଅଳକାକୁ ସାହସ ଦେବା ଭଙ୍ଗୀରେ କହିଲା ।

 

‘ବିଚଳିତ ହେବନି ?' ଅଳକା ଚଟ୍ କରି କହିଲା; ‘ଯଦି ଡେଲିଭରିବେଳେ ମୋର କିଛି ହେଇଯାଏ, ତମର ଆଉ ପିଲାଟାର କ’ଣ ହେବ ସେକଥା ଭାବିବାବେଳକୁ ଅଳକା ବାକ୍ୟଟା ପୂରଣ କରିପାରିଲା ନାଇଁ, ତା’ର କଣ୍ଠରୁଦ୍ଧ ହେଇଗଲା, ବୋଧେ ଆଖିକୁ ଲୁହ ଆସିଗଲା କି କ’ଣ ଅନ୍ତତଃ ଆଖିକୁ ଲୁହ ଆସିଯାଇଥିବ ବୋଲି ନୀଳାମ୍ବରର ଅନୁଭବ ହେଲା । ଯଦି ସେଇ ଅନୁଭବ ନୀଳାମ୍ବରର ହୋଇ ନଥାନ୍ତା, ତେବେ ତା’ ପାଟିରୁ ହୁଏତ ଖସି ଯାଇଥାନ୍ତା : ‘କ’ଣ ହେବ ନହେବ ସେ କଥା ଭାବି ଏବେଠୁ ଦୁଃଖ ପାଇବା ଅନୁଚିତ, କାରଣ ତମେ ତ ନଥିବ–ତମ ନଥିବା ପରେ କ'ଣ ହେବ, ସେକଥା ଏବେ ଭାବୁଚ କିଆଁ ?’ କିନ୍ତୁ ସେ ଏତକ କହିବା କଥା ଚିନ୍ତା କରିପାରିଲା ନାଇଁ, ନହେଲେ ନୀଳାମ୍ବର କହି ଦେଇଥାନ୍ତା । ସେତେବେଳେ ତା’ ପ୍ରତି ଅଳକାର ଏତେ ଚିନ୍ତା, ଏତେ ଦରଦ, ଏତେ ଗଭୀର ଭଲପାଇବାରେ ସେ ଏମିତି ଫେଣ୍ଟିଫାଣ୍ଟି ହୋଇଯାଇଥିଲା ଯେ, ତା' ଅଜାଣତରେ ତା’ ବନ୍ଧନ ଅଳକା ପ୍ରତି ଦୃଢ଼ ହୋଇଗଲା । ଅଳକା ପିଠିରେ ଗୋଟେ ହାତ ଓ ମୁଣ୍ଡରେ ଗୋଟେ ହାତ ଘୂରାଉ ଘୂରାଉ ନୀଳାମ୍ବର କହିଲା : ‘କିନ୍ତୁ ଏତେ ଡର ସତ୍ତ୍ୱେ ତମର କ’ଣ ମା’ ହେବାକୁ ମନହୁଏ ନାଇ ?’

 

ଏ ପ୍ରଶ୍ନଟି ଅଳକାକୁ ପଚାରିବା ଆଦୌ ଉଚିତ ନଥିଲା ବୋଲି ନୀଳାମ୍ବର ମୁହୂର୍ତ୍ତେ ଭିତରେ ଅନୁଭବ କଲା, କାରଣ ଅଳକା ପୁଣିଥରେ ଝରଝର କରି କାନ୍ଦି ପକାଇଲା । ନୀଳାମ୍ବର ଅନୁଭବ କଲା ତା’ ବକ୍ଷ ପ୍ରଦେଶ ଓଦା ଲାଗୁଚି ଏବଂ ନିଜ ଉପରେ ଭୀଷଣ ବିରକ୍ତ ହେଲା ନୀଳାମ୍ବର ଏମିତି ପ୍ରଶ୍ନଟେ ପଚାରି ଦେଇଥିବାରୁ । ମା’ ହେବାପାଇଁ ସବୁ ଦିଗରୁ ସମର୍ଥ ଥିବା ସତ୍ତ୍ୱେ ମଧ୍ୟ ଜଣେ ନାରୀ ଯେତେବେଳେ କୌଣସି କାରଣରୁ ମା’ ହୋଇପାରେ ନାଇଁ, ସେତେବେଳେ ସେଇ ନାରୀଟିର ଦୁଃଖ ଏ ସଂସାରର ସବୁଠୁ ଯନ୍ତ୍ରଣାଦାୟକ ଅସହାୟ ଗଭୀର ଦୁଃଖ ବୋଲି ନୀଳାମ୍ବରର ଅନୁଭବ କରିବାରେ ଆଦୌ ଅସୁବିଧା ହେଲା ନାଇଁ କିମ୍ବା କଥାଟି ବୁଝିନପାରିବା ପରି ହୃଦୟହୀନ ସେ ନଥିଲା ।

 

ପ୍ରଥମ ଥରର କାନ୍ଦ ପରି ଅଳକାର କାନ୍ଦ ବନ୍ଦ ହୋଇଗଲା ନାଇଁ । ବରଂ ତାକୁ ନୀଳାମ୍ବର ବୁଝାଇବାକୁ ଯାଇ କହୁଥିବା ପ୍ରତିଟି ଶବ୍ଦ ସେ କାନ୍ଦକୁ ଅଧିକ କରୁଣ କରି ତୋଳିଲା । ଅଳକା ସେମିତି କାନ୍ଦିବ ବା କାନ୍ଦିପାରେ ବୋଲି ନୀଳାମ୍ବର କଦାପି ଆଶା କରି ନଥିଲା, ତେଣୁ ଅଳକାର କାନ୍ଦରେ ନିହାତି ଅସହାୟ ହୋଇଯାଇ ନୀଳାମ୍ବର କହିଲା, ‘ପ୍ଲିଜ୍ ଅଳକା, କାନ୍ଦନି–ମୁଁ କିଛି ଭାବି ସେମିତି କହିନାଇଁ, ମୁଁ କେବଳ ତମର ଭିତିରି ଇଚ୍ଛାଟା ଜାଣିବାକୁ ଚାହିଁଥିଲି ମାତ୍ର ।’ କହିସାରି ନୀଳାମ୍ବର ଅନୁଭବ କଲା ଯେ, ସେ ଭିତିରି ଇଚ୍ଛା ବୋଲି କହିବାଟା କାନକୁ ଭଲ ଶୁଭିଲା ନାଇଁ ବରଂ ପ୍ରକୃତ ଇଚ୍ଛା ବା ହୃଦୟର ଇଚ୍ଛା ବୋଲି କହିଥିଲେ ଶ୍ରୁତିମଧୁର ଶୁଭିଥାନ୍ତା ।

 

‘ତମେ କାହୁଁ ଜାଣିବ', କାନ୍ଦୁ କାନ୍ଦୁ ଅଳକା ଗୁଣୁଗୁଣୁ ହୋଇ କହିଲା, ‘ମୁଁ ମୋ ଶାଢ଼ି ଟ୍ରଙ୍କ୍‍ରେ ତମକୁ ଲୁଚେଇ ଦି’ହଳ ଛୋଟପିଲାଙ୍କ ଡ୍ରେସ୍ ରଖିଚି ବୋଲି ? କିନ୍ତୁ ମୁଁ କ'ଣ କରିବି ? ମୁଁ ଜମା ସାହସ ପାଉ ନାଇଁ ।’

 

ଅଳକା କଥାରେ ଏତେ ଆଶ୍ଚର୍ଯ୍ୟ ହୋଇଗଲା ଯେ, ନୀଳାମ୍ବର ପାଟିରୁ ହଠାତ୍ କିଛି ବାହାରିଲା ନାଇଁ । କି ଅଜବ ପରିସ୍ଥିତି ସତେ ଅଳକାର–କି ଅସହାୟ ନାରୀଟି ଯିଏ କୋହ ଉଠେଇ କାନ୍ଦୁଥିଲା, ପିଲାଟିଏ ଗର୍ଭରେ ଧାରଣ କରିବାପାଇଁ ଯାହାର କୋକୁଆଭୟ–ଅଥଚ ଯିଏ ସର୍ବାନ୍ତକରଣରେ ମା’ଟିଏ ହେବାକୁ ଚାହେଁ କେମିତିଆ ନାରୀ ସିଏ ? ଯେଉଁ ପରିସ୍ଥିତିରେ ଅଳକା ଥିଲା, ତାକୁ ଦୁଃଖ କୁହାନଗଲେବି ନିଶ୍ଚେ ଅସହାୟତା କୁହାଯିବ ବୋଲି ଜାଣିଥିଲା ନୀଳାମ୍ବର ।

 

‘ହେଲା ଏବେ’, ନୀଳାମ୍ବର ଭାବିଚିନ୍ତି ଖୁବ୍ ଶାନ୍ତ କଣ୍ଠରେ ଦୃଢ଼ ନିଷ୍ପତ୍ତିଟିଏ ଘୋଷଣା କରିବା ଭଙ୍ଗୀରେ କହିଲା, ‘ଆମର ପିଲା ଦରକାର ନାଇଁ, ମୁଁ କେବେ ତମକୁ ବାଧ୍ୟ କରିନି ସେପାଇଁ, କରିଚି ? ତମେ ଯଦି ସବୁକଥା କହିଦେଇଥାନ୍ତ, ଭଲ ହେଇଥାନ୍ତା । ଆମେ ନହେଲେ ଅନାଥାଶ୍ରମରୁ ଗୋଟେ ଶିଶୁ ଆଣିବା, ଆଉ କ’ଣ ?'

 

ଅଳକାର କୋହ ସାମାନ୍ୟ କମି ଆସିଥିଲା, କିନ୍ତୁ ନୀଳାମ୍ବରର ଅନାଥାଶ୍ରମରୁ ଶିଶୁଟେ ଆଣିବା କଥା ଶୁଣି ସେ ପୁନର୍ବାର କଇଁକଇଁ ହୋଇ କାନ୍ଦିପକାଇଲା । କିନ୍ତୁ ଏଥରକ ତା’ କାନ୍ଦର ଅର୍ଥ ବା କାରଣ ନୀଳାମ୍ବର ଜାଣିପାରିଲା ନାଇଁ । ସେ କିଛି କହିବ କହିବ ହେଉଥିଲା, କିନ୍ତୁ ଅଳକା କୋହ ମିଶା କଣ୍ଠରେ କହିଲା : 'ତମେ ପୁରୁଷମାନେ ଜମା ବୁଝିପାରିବ ନାଇଁ, କେବେ ବୁଝିପାରିବ ନାଇଁ, କୌଣସି ଫିଜିକାଲ୍ ଡିଫେକଟ୍ ନଥାଇ ମଧ୍ୟ ନାରୀଟିଏ ମା’ ହୋଇପାରୁ ନଥିଲେ, ସେ ନାରୀର ଦୁଃଖ ତମେ ପୁରୁଷମାନେ ଜମା ବୁଝିପାରିବ ନାଇଁ । ମା’ର ଦୁଃଖ ପୁଅ ବୁଝିପାରେ, ଭାଇର ଦୁଃଖ ଭଉଣୀ ବୁଝିପାରେ, ପ୍ରେମିକାର ଦୁଃଖ ପ୍ରେମିକ ବୁଝିପାରେ, ସାଧାରଣଭାବେ ପତ୍ନୀର ଦୁଃଖ ପତି ବୁଝିପାରେ–ଏମିତିକି ଗୋଟେ କଲ୍‌ଗାର୍ଲର ଦୁଃଖ ତା’ କ୍ଲାଏଣ୍ଟ ବୁଝିପାରେ–କିନ୍ତୁ ମୋ ପରି ନାରୀର ଦୁଃଖ ବୁଝିବାପରି ହୃଦୟ ନେଇ କୌଣସି ପୁରୁଷ ନାଇଁ ।'

 

ଯଦି ଅଳକା କାନ୍ଦୁ ନଥାନ୍ତା ଏବଂ ତା’ ମୁଡ଼୍ ଅନ୍ୟପ୍ରକାର ଥାନ୍ତା, ତେବେ ନୀଳାମ୍ବର ନିଶ୍ଚିତଭାବେ ତାକୁ କହିଥାନ୍ତା; ‘ଯାହାର ତୁମେ କହିଥିବା ଇଂରାଜୀ ଶବ୍ଦଗୁଡ଼ା ମୁଁ ବୁଝିପାରିଲି, ଅଧିକା କଷ୍ଟ ଶବ୍ଦ କହିବ ନାଇଁ ।’ କିନ୍ତୁ ସେ ଏମିତି କିଛି କହିବା କଥା ଚିନ୍ତା ମଧ୍ୟ କରିପାରିଲା ନାଇଁ-। ନୀଳାମ୍ବର କିଛି କହିଲା ନାଇଁ, ଅଳକାକୁ କେତେକ୍ଷଣ କାନ୍ଦିବାପାଇଁ ଛାଡ଼ିଦେଲା । କେତେକ୍ଷଣ ପରେ ଅଳକାର କାନ୍ଦ ଟିକେ ଥମି ଆସିବା ଦେଖି କହିଲା : ‘ଅଳକା–ଛି ! ତମେ ଏମିତି ଯଦି ଏତେ କାନ୍ଦିବ, ଆମ ଜୀବନ ଚାଲିବ କିମିତି କୁହତ ?' ଏତକ କହିବାବେଳେ ତା’ କଣ୍ଠ ଏମିତି ଶୁଭିଲା ଯେ, ଅଳକା ତତ୍‌କ୍ଷଣାତ୍ ମୁଣ୍ଡଟେକି ତା’ ଦୃଷ୍ଟିରେ ଦୃଷ୍ଟି ମିଶାଇ ନିରୀକ୍ଷଣ କଲା–ଚେଷ୍ଟାକଲା ତା’ ହୃଦୟର ଭାଷା ବୁଝିବାପାଇଁ, କିନ୍ତୁ ଅଳକା ମୁଣ୍ଡ ଟେକିବାମାତ୍ରେ ନୀଳାମ୍ବର ମୁହଁକୁ ସ୍ମିତ ହସଟିଏ ସଂଚରି ଆସିଥିବାରୁ ସେ କିଛି ଧାରଣା କରିପାରିଲା ନାଇଁ ।

 

ସରୁ ହସଟେ ମୁହଁରେ ଖେଳାଇ ନୀଳାମ୍ବର କହିଲା; ‘କେତେଦିନ ହବ ଏଇଟା ହେଇନି କୁହତ ?’ କହିବା ସଙ୍ଗେ ସଙ୍ଗେ ନୀଳାମ୍ବର ଆଙ୍ଗୁଠି ଦେଖାଇ ଏମିତି ଅସଭ୍ୟ ସଂକେତଟିଏ କଲା ଯେ, ଅଳକା ଧେତ୍ ବୋଲି ମୁରୁକି ହସାଟେ ଦେଇ ତା’ ଛାତିରେ ମୁହଁ ଗୁଞ୍ଜିଦେଲା ଏବଂ ନୀଳାମ୍ବର ଜାଣିଲା ଯେ କଳାବାଦଲ ଅପସରି ଯାଇଚି । ପର ମୁହୂର୍ତ୍ତରେ ଅଳକା ଅନୁଭବ କଲା ନୀଳାମ୍ବରର ଗୋଟେ ହାତ ତା’ ଖୋସଣି ପାଖରେ ଓ ଆର ହାତଟି ବ୍ଲାଉଜ୍‍ର ବୋତାମ ଉପରେ ହଲଚଲ ହେଉଚି ।

 

ଶେଷ

 

ଯେଉଁ ପାଠକ ପାଠିକାମାନେ ଆଶା କରିଥିବେ ଯେ, କାହାଣୀର ପରିସମାପ୍ତି ଅନେକ ଡେରି ଅଛି, ସେମାନଙ୍କୁ ଦୁଃଖର ସହ କୁହାଯାଉଚି ଯେ ତାହା ନୁହେଁ । କାରଣଟା ଅବଶ୍ୟ ଜଣାଇ ଦିଆଯାଉଚି । କେଉଁ ସାହସରେ ନୀଳାମ୍ବରର ବିନା ପ୍ରବର୍ତ୍ତାଇବାରେ ଅଳକା ଗର୍ଭବତୀ ହେଲା, ତାହା କହିବା କଷ୍ଟ ଏବଂ ତା’ଠୁ ଆହୁରି କଷ୍ଟ କାରଣଟିକୁ ଏତେ ଲୋକଙ୍କୁ ଖୋଲାଖୋଲି ଜଣାଇବା । କହିବା ବାହୁଲ୍ୟ, ବିନା ଅସୁବିଧାରେ ଅଳକାର ପୁଅଟିଏ ହେଲା । ଯେଉଁ କାରଣପାଇଁ କାହାଣୀକୁ ଅଚାନକ ସମାପ୍ତ କରାଗଲା, ସେଇଟି ହେଲା କାହାଣୀରେ କେବଳ ଅଳକାର ଗର୍ଭାବସ୍ଥା କାଳୀନ ଓ ପ୍ରସବକାଳୀନ ଭୟ ଓ ବେଦନାର ବର୍ଣ୍ଣନା ବାକି ଥିଲା; କିନ୍ତୁ କୁହନ୍ତୁ ତ ସେ ସବୁର ଟିକିନିଖି ବର୍ଣ୍ଣନା କରିଥିଲେ ଆପଣମାନଙ୍କର ଆଗ୍ରହ ରହିଥାନ୍ତା ତ ?

✽✽✽

 

Unknown

ନୀଳକଣ୍ଠ

 

ଏଇମାତ୍ର ମୋର ବନ୍ଧୁ ନୀଳକଣ୍ଠ ଆମ ଘରୁ ଗଲା । ସେ ଚାଲିଗଲାଣି ସତ, ମାତ୍ର ସେ କହିଯାଇଥିବା କଥାଟା ବାସ୍ତବ ଅବା ସ୍ୱପ୍ନ–ଏଯାଏଁ ଜାଣି ହେଉନାଇଁ । ମୋ ପତ୍ନୀ ଏଯାଏଁ ସେମିତି ମୂର୍ତ୍ତିପରି ଚୌକିରେ ବସିଛନ୍ତି । ତାଙ୍କ ପାଟିରୁ ଏଯାଏଁ ପଦେହେଲେ କଥା ବାହାରି ନାହିଁ । ବୋଧେ ତାଙ୍କ ଆଖିକୁ ଅଶ୍ରୁ ଆସିଯାଇଥିଲା କି କ’ଣ, ସେ କିନ୍ତୁ ଯଥାସମ୍ଭବ ପ୍ରୟାସ କରିଛନ୍ତି ସେ ଅଶ୍ରୁକୁ ମୋ ଆଖିରେ ବା ନୀଳକଣ୍ଠ ଆଖିରେ ଧରା ନକାଇବା ପାଇଁ । ନୀଳକଣ୍ଠ ଚାଲିଯିବା ପରେ ମଧ୍ୟ ବିଶ୍ଵାସ ହେଇନାଇଁ ଯେ, ସେ ଚାଲିଯାଇଚି ବୋଲି–ସତେଅବା ସେ ଏଇଠି ଯେମିତି ବସି ଗପୁଥିଲା, ସେମିତି ଗପୁଚି କି କ’ଣ ! କିମ୍ବା ସମୁଦାୟ କଥାଟା ଏକ ସ୍ଵପ୍ନ–ଆଦୌ ନୀଳକଣ୍ଠ ଆସି ନଥିଲା, ବୋଧେ ଆମେ ପତି–ପତ୍ନୀ ଏକାଠି ଗୋଟେ ପ୍ରକାରର ସ୍ଵପ୍ନହିଁ ଏଯାଏଁ ଦେଖୁଥିଲୁ ଜାଗ୍ରତ ଅବସ୍ଥାରେ !

 

ରାତି ପ୍ରାୟ ସାଢ଼େ ଏଗାରଟାବେଳେ ନୀଳକଣ୍ଠ ଆସିଥିଲା କି କ’ଣ ! ଏବେ ବୋଧେ ଗୋଟାଏରୁ ବେଶୀ ହେବ–କି ଦୁଇଟା ହେବ କେଜାଣି ! ତା’ ଘରଟା ଏଇ ପାଖରେ–ସେ ବୋଧେ ଘରେ ପହଞ୍ଚି ଯିବଣି । କିନ୍ତୁ ଘରେ ପହଞ୍ଚିବା ପରେ ସେ କ'ଣ ଶୋଇପାରିଥିବ ? ସେ କ’ଣ କଦାପି ତା’ ପରିବାରର ଅନ୍ୟମାନଙ୍କୁ ସେଇ କଥାଟି କହିପାରିଥିବ–ଯେଉଁ କଥାଟି କହି ଆମକୁ ଏଠି ସେ ସ୍ତମ୍ଭୀଭୂତ କରିଯାଇଛି ?

 

କବାଟ ଖଡ଼ଖଡ଼ ହେବା ଶୁଣି ମୁଁ କବାଟ ଖୋଲିଥିଲି ଏବଂ ନୀଳକଣ୍ଠକୁ ଏତେ ରାତିରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି ।

 

: ‘କେବେ ଫେରିଲୁ କିରେ ?’ ମୁଁ ପଚାରିଲି ।

 

ତା’ ମୁହଁଟା ଦିଶୁଥାଏ ଫର୍ଦ୍ଦେ ସାଦାକାଗଜ ପରି, ସତେକି ଜମାରୁ ଟୋପାଏବି ବିରକ୍ତ ନଥିଲା ତା’ ମାଂସପେଶୀରେ ।

 

: ‘କାଲି ଫେରିଲି ।’ ସେ ନିହାତି ସାଧାରଣଭାବେ କହିଦେଇ ବସିପଡ଼ିଲା ଚେଆର୍‍ରେ, ତା’ ହାବଭାବ, ଆଖି, ମୁହଁର ପ୍ରତିକ୍ରିୟାକୁ ଦେଖି ମୁଁ ବେଶ୍ ଜାଣିପାରୁଥିଲି କିଛି ଗୋଟେ ନିହାତି ସିରିୟସ୍ ଘଟିଛି । ନହେଲେ ନୀଳକଣ୍ଠ ପରି ଚବିଶିଘଣ୍ଟା ମଜାକଥା କହୁଥିବା ଏବଂ ହୋ–ହୋ ହସରେ ଚଉଦିଗ କମ୍ପାଇ ଦେଇଥିବା ମଣିଷ ଏମିତି ନିର୍ଜୀବ–ନିସ୍ତେଜ ହୋଇ ଥକ୍କା ମାରି ଚେଆର୍‍ ଉପରେ ବସିପଡ଼ିବା କଥା ନୁହେଁ ।

 

ନୀଳକଣ୍ଠର ମୋର ଖୁବ୍ ପିଲାଦିନରୁ ସାଙ୍ଗ ଥିଲୁ, ଏବେବି ଅଛୁ ତା’ ଘର ଆମ ଘର ଭିତରେ ଦୂରତା ମାତ୍ର ଦୁଇଶହ ଅଢ଼େଇଶ ମିଟର ହେବ । ଆମେ ଏକାଠି ସ୍କୁଲ୍‍ରେ ପଢ଼ୁଥିଲୁ । ତା’ପରେ ମାଟ୍ରିକ୍ ପରେ ସେ ସେନାବାହିନୀରେ ଯୋଗ ଦେଇଥିଲା ଓ ମୁଁ କଲେଜରେ ଭର୍ତ୍ତି ହୋଇଥିଲି । ଏବେ ମୁଁ ବି ରାଜ୍ୟ ସରକାରଙ୍କର ଜଣେ ଛୋଟକାଟିଆ କର୍ମଚାରୀ । ମୁଁ ଏବେବି ଆମର ପୂର୍ବର ସେଇ ପୁରୁଣା ଘରେ ରହୁଛି । ନୀଳକଣ୍ଠର ଘରବି ଯେଉଁଠିଥିଲା ସେଇଠି ଅଛି । ଏ ଭିତରେ ଆମ ଉଭୟଙ୍କର ବିବାହବି ହୋଇଯାଇଛି । ମଝିରେ ମଝିରେ ଆମର ଦେଖାହୁଏ–ଅର୍ଥାତ୍ ନୀଳକଣ୍ଠ ଯେବେ ଘରକୁ ଆସେ, ଆମ ଘରେ ତା’ର ଅଧା ସମୟ ବିତେ । ସେଇ ନୀଳକଣ୍ଠ ଏଇମାତ୍ର ଆସିଥିଲା, ଚାଲିଗଲାଣି ।

 

ସେ ଆସି ଚେଆର୍‍ ଉପରେ କାଠଖଣ୍ଡଟେ ପରି ବସି ରହିଲା କିଛିକ୍ଷଣ । ତା’ପରେ ଦୁଇ ପାପୁଲିକୁ ଗାଲରେ ଭରାଦେଇ ତଳକୁ ମୁହଁକରି ବସିପଡ଼ିଲା । ଯେତେବେଳେ ମୋ ପତ୍ନୀ ସେ ଘର ଭିତରକୁ ଆସି ନୀଳକଣ୍ଠକୁ ଦେଖି ଖୁସି ହୋଇ ‘କେବେ ଆସିଲ’ ବୋଲି ପଚାରିଲେ, ସେତେବେଳେ ନୀଳକଣ୍ଠ ପାପୁଲି ଦୁଇଟି ଭିତରୁ ମୁହଁକୁ ପୁନର୍ବାର ମୁକ୍ତ କଲା–ମୁଁ ଏବଂ ମୋ ପତ୍ନୀ ଦେଖିଲୁ ନୀଳକଣ୍ଠର ସଦା ଚଞ୍ଚଳ ହସହସ ମୁହଁରେ ଚିକ୍‌ମିକ୍ କରୁଥିଲା କେଇବୁନ୍ଦା ଲୁହ । ସେ ଯଥାସମ୍ଭବ ପ୍ରୟାସ କରୁଥିଲା ଲୁହକୁ ଅଟକାଇବା ପାଇଁ, ସେଇ ଚେଷ୍ଟାରେ ସେ ପକେଟରୁ ରୁମାଲ କାଢ଼ି ଆଖି ପୋଛିଲା ମଧ୍ୟ । କିନ୍ତୁ ତା'ର ଏମିତି କାନ୍ଦିବା ଦେଖି ଆମେ ବିସ୍ମୟାଭିଭୂତ ହୋଇଯାଇଥାଉ ।

 

: ‘କ’ଣ ହେଲା ?’ ମୋ ପତ୍ନୀ ପଚାରିଲେ ।

 

ନୀଳକଣ୍ଠ ମୁହଁ ଉଠାଇ ଚାହିଁଥିଲା କେବଳ, ସତେଯେପରି ପ୍ରଶ୍ନଟା ତା’ ପର୍ଯ୍ୟନ୍ତ ପହଞ୍ଚିପାରି ନଥିଲା ।

 

କେତେକ୍ଷଣ ପରେ କହିଲା : ‘କହିବାକୁ କ’ଣ କିଛି ବାକି ଅଛି ? ଜମା କହିପାରିବି ନାଇଁ–କେବେ ନୁହ ! ତୁମମାନଙ୍କୁ ସିନା ଏଠି କହିଦେବି, କିନ୍ତୁ ବୋଉକୁ କିମିତି କହିବି ? ସେଇ ଚିନ୍ତାରେ ତ ଏଠିକୁ ପଳାଇ ଆସିଚି–କେମିତି କଥାଟା ବୋଉକୁ କହିବି ?’

 

ସେ ଏକାଥରେ ପୁଳାଏ କଥା କହି ନିରବ ହୋଇଗଲା । ତା’ କଥାର ଅଗମୂଳ କିଛି ଧରିପାରୁ ନଥାଉ ଆମେ ।

 

: ‘କ’ଣ ହେଇଚି ତୋର ?’ ମୁଁ ପଚାରିଲି ।

 

: ‘ମୋର ? ମୋର କ’ଣ ହେବ ? ମୋର କ’ଣ କିଛି ହେଇଥିବା ପରି ଜଣାପଡ଼ୁଚି ?' ସେ ଓଲଟା ମତେ ଏତକ ପଚାରିବାବେଳକୁ ତା’ ଆଖିରେ ଲୁହ ସ୍ପଷ୍ଟ ଚିକ୍‌ମିକ୍ କରୁଥାଏ ।

 

ସେ ପକେଟରୁ ରୁମାଲ ବାହାର କରି ଲୁହ ପୋଛୁ ପୋଛୁ କହିଲା : ‘ଚା’ କପେ ହୋଇପାରିବ ? ଚା’ କପେ କର, ଟିକେ ଭଲ ଲାଗିବ–ମୁଁ ଆଜି ଦିନମାନ ଚା’ ପିଇନାଇଁ ।’

 

ତା’ କଥାରେ ମୋ ପତ୍ନୀ ଉଠିଗଲେ ଚା’ କରିବାପାଇଁ । ସେ ଚା’ କରିସାରି ଫେରିବା ପର୍ଯ୍ୟନ୍ତ ନୀଳକଣ୍ଠ ଆଉ କିଛି କହିନାଇଁ କିମ୍ବା ମୁଁ ତାକୁ କିଛି ପଚାରି ନାଇଁ । ସେ ସେମିତି ବସିଥାଏ–ମୁଁ କେବଳ ତାକୁ ଦେଖୁଥାଏ । ଯେତେବେଳେ ମୋ ପତ୍ନୀ ତାକୁ ଚା’ ଦେଲେ, ସେ ମୁହଁ ଉଠାଇ ତାଙ୍କ ହାତରୁ ଚା’ କପ୍‍ଟା ନେଲା । ଚା’ ପିଉଥାଏ ସେ ଏବଂ ତା’ର ଦୃଷ୍ଟି ନିବଦ୍ଧ ଥାଏ ଛାତରେ ଘୂରୁଥିବା ଫ୍ୟାନ୍ ଉପରେ–ମୁଁ ଜାଣିପାରୁଥାଏ ତା’ର ମୁଣ୍ଡ ଭିତରେବି କୌଣସି ଦୁଶ୍ଚିନ୍ତା ସେମିତି ଘୂରୁଥିଲା, ଯାହାକୁ ସେ ବର୍ଣ୍ଣନା କରିବ କରିବ ବୋଲି କରିପାରୁ ନଥିଲା !

 

: ‘ତୋର ମୋ ବାପାଙ୍କ କଥା ମନେଅଛି ?' ନୀଳକଣ୍ଠ ପଚାରିଥିଲା ଚା’ ପିଉ ପିଉ । ମୁଁ ଶୁଣିଥିଲି ତା’ ବାପା କୋଉ ଏକ ସହରରେ ଗୋଟେ ଦୋକାନ କରି କିଛି ରୋଜଗାର କରି ଘର ଚଳାଉଥିଲେ ବୋଲି, କିନ୍ତୁ ଅନେକଦିନ ହେବ ତା’ ବାପାଙ୍କର କିଛି ଖବର ନଥିଲା, ଘରକୁ ଟଙ୍କା ପଠାଇବା ମଧ୍ୟ ବନ୍ଦ ହୋଇଯାଇଥିଲା, ସେ ନିଜେବି ଆଉ ଆସିଲେ ନାଇଁ । ସେତେବେଳେ ଆମର ଅଷ୍ଟମ କି ନବମ ଶ୍ରେଣୀ । ଲୋକେ ଫୁସ୍‌ଫାସ୍ ହେଉଥିଲେ ବୋଧେ ଆଉ କାହାକୁ ବାହା ହୋଇ ନୀଳକଣ୍ଠର ବାପା ସେଠି ରହିଗଲେ କି କ'ଣ ? ଏ ଘଟଣା ପରେ ନୀଳକଣ୍ଠର ମା’ ବହୁତ କଷ୍ଟ କରି, ୟା ତା’ ଘରେ ବାସନ ମାଜି ତାକୁ ପାଠ ପଢ଼ାଇଲେ, କିନ୍ତୁ ବେଶୀବାଟ ପାରି ନଥିଲେ । ବାଧ୍ୟ ହୋଇ ମାଟ୍ରିକ୍ ପରେ ନୀଳକଣ୍ଠ ସୈନ୍ୟବାହିନୀରେ ଯୋଗ ଦେଇଥିଲା । ଯା’ ହେଉ, ତା’ର ଅଚାନକ ସେମିତି ପ୍ରଶ୍ନ ଶୁଣି ମୁଁ କହିଲି : ‘କାହିଁ–ତୁ କ’ଣ ତାଙ୍କର କିଛି ଖବର ପାଇଲୁ ନା’ କ’ଣ ?’

 

ସେ ମୋ ଆଡ଼େ ଶୂନ୍ୟ ଦୃଷ୍ଟିରେ ଚାହିଁଲା । ମଝିରେ ମଝିରେ ତା’ର ଏମିତି ନିରବ ରହିବାଟା ବଡ଼ ଅସହ୍ୟ ମନେହେଉଥାଏ । କେତୋଟି ନିରବ ମୁହୂର୍ତ୍ତ ପରେ ସେ କହିଲା, ହଁ ଖବର ପାଇଚି ।’

 

ସେ ଏମିତିଭାବେ ଦୀର୍ଘଶ୍ୱାସଟେ ସହ ଏ ଦୁଇପଦ କହିଲା ଯେ, ମୋ ମେରୁଦଣ୍ଡ ଭିତର ଦେଇ ଶିହରଣଟିଏ ଖେଳିଗଲା । ମୁଁ ଅଧିକ କିଛି ପଚାରିବାକୁ ସାହସ କରିପାରିଲି ନାଇଁ ।

 

: ‘ତୋର ମନେଅଛି କି ଥରେ ଆମେ ଆମ ଘରପାଖ ସେ ବୁଢ଼ୀଟାର ବାଡ଼ିରେ ପଶି ପିଜୁଳି ଖାଉଥିଲେ–ଦୁହେଁ ଥିଲେ ଗଛ ଉପରେ ? ବୁଢ଼ୀଟା ଦେଖି ଦେଇଥିଲା ଆମକୁ ଏବଂ ତଳେ ଠିଆ ହୋଇ ଗୋଟେ ଛୋଟ ବାଉଁଶଧରି କହୁଥିଲା ଯେ, ଆମକୁ ଖେଞ୍ଚି ଗଳେଇ ପକେଇବ ବୋଲି ? ମନେଅଛି ? ବୁଢ଼ୀଟା ଯାହା ଇଚ୍ଛା ତାହା ଶୋଧୁଥିଲା ଆମକୁ ? ତା’ ଡରରେ ଆମେ ଗଛରୁ ଓହ୍ଲାଉ ନଥିଲେ, ମନେଅଛି ?' ସେ ଖୁବ୍ ପିଲାଦିନର କଥା କହୁଥିଲା, ମୋରବି ସେଦିନର କଥାଟା ମନେଅଛି, ଅନେକକଥା କେଜାଣି କାହିଁକି ମନେରହିଯାଇଥାଏ–ବୋଧେ ଆମ ଅଷ୍ଟମ କି ନବମଶ୍ରେଣୀବେଳର କଥାଟା ।

 

‘‘ମୁଁ କହିଲି–‘ହଁ–ଅଳ୍ପ ଅଳ୍ପ ମନେଅଛି, ବୋଧେ ଆମେ ଗଛ ଚଢ଼ିବାବେଳେ ଦିନ ଏଗାରଟା ବାରଟା ହେଇଥିବ, ନୁହେଁ ?”

 

: ‘ଠିକ୍, ଠିକ୍–ଠିକ୍ ମନେଅଛି ତୋର !’ ସେ ଖୁବ୍ ଜୋରରେ ଖୁସି ହେବା ପରି ଜଣାଗଲା । କଥାଟା ବା ସେଦିନଟା ମତେ ମନେପକାଇଦେଇପାରିଚି ବୋଲି ତା’ ଖୁସିର ସୀମା ନଥିଲା, କିନ୍ତୁ ତଥାପି ତା' ମୁହଁରେ ସେମିତି ଦୁଃଖଭରା ବାଦଲଟିଏ ଭାସିବୁଲୁଥାଏ ଏବଂ ତା’ ଆଖି ଦି’ଟା ଦିଶୁଥାଏ ନିହାତି କାନ୍ଦକାନ୍ଦ । ତା'ପରେ ସେ ସେଇକଥାଟି ନିରବଚ୍ଛିନ୍ନ ଗପିବାରେ ଲାଗିଲା । ମୁଁ ବା ମୋ ପତ୍ନୀ ତା’ କଥାରେ ବାଧା ଦେଇ ମଝିରେ ପ୍ରଶ୍ନ ପଚାରି ନାହୁଁ । ସେ ବି ସେ ସୁଯୋଗ ଦେଇନାହିଁ ଆମକୁ । ସେ ଏକାଥରକେ ଆରମ୍ଭ କଲା, ମଝିରେ ମୁହୂର୍ତ୍ତେ ଲେଖାଏଁ ବିଶ୍ରାମ ନେଇ କଥାଟା ଶେଷକରି ଚାଲିଗଲା । ସେ ଚାଲିଯିବା ପରେ ମଧ୍ୟ ତା' କଥାର ପ୍ରଭାବଟା ଆମ ଉପରୁ ଯାଇନାହିଁ ! କବାଟଟା ସେ ଯେମିତି ମେଲା କରିଦେଇଯାଇଥିଲା, ସେମିତି ମେଲା ଅଛି !!

 

X X X

 

: ‘ବୋଧେ ଆମର ଅଷ୍ଟମ କି ନବମ ଶ୍ରେଣୀ ହୋଇଥିଲା, ନୁହେଁ ? ଆମେ ପିଜୁଳି ଗଛରେ ଚଢ଼ି ସେଇ ବୁଢ଼ୀଦ୍ୱାରା ଧରା ପଡ଼ିଯାଇଥିଲେ । ବୁଢ଼ୀ ଗୋଟାଏ ବାଡ଼ି ଧରି ଆମକୁ ତଳେ ପକାଇଦେବ ବୋଲି କହି କେତେକଅଣ ଅକଥ୍ୟ ଭାଷାରେ ଗାଳି ଦେଉଥିଲା । ଆମ ଅବସ୍ଥାବି ତଦ୍ରୂପ । ବୁଢ଼ୀର ଚିତ୍କାରରେ କେହି ଘରୁ ଆସି ଆମକୁ ପିଜୁଳିଗଛ ଉପରେ ବସିଥିବା ଅବସ୍ଥାରେ ଦେଖିଦେବାର ଭୟ–ପୁଣି ଓହ୍ଲାଇବାର ଚେଷ୍ଟା କଲେ କାଳେ ବୁଢ଼ୀ ଧରିଥିବା ବାଡ଼ିରେ ପାହାରେ ଲେଖାଏଁ ଦେବ–ଏ ଦୁଇଟି ଭୟ ଭିତରେ ଆମେ ବସିଥିଲେ ଗଛରେ !

 

: ‘କଥାଗୁଡ଼ା ଏତେ ଭଲଭାବେ ମନେ ନଥିଲା ମୋର, ଏମିତିକି ପ୍ରାୟତଃ ଭୁଲିଯାଇଥିଲି କହିଲେ ଚଳେ । କିନ୍ତୁ ବେଳେବେଳେ ଅନେକ କାରଣରୁ ଅନେକ ଅତୀତ କଥା ମନେପଡ଼ିଯାଏ–ଏମିତି ଗୋଟେ ଗୋଟେ ଅଜବ ଘଟଣା ଘଟେ, ଯଦ୍ଦ୍ୱାରା କି ଅତୀତର ଗୋଟେ ଗୋଟେ ମଜାଦାର ବା ଦୁଃଖ ଖବର ବା ବିସ୍ମୟକର ଘଟଣା ମନେପଡ଼ିଯାଏ । ପଅରଦିନ ସେମିତି ଘଟଣାଟେ ଘଟିଲା ଏବଂ ସେଦିନର ସବୁକଥା ମୋର ମନେପଡ଼ିଗଲା ଠିକ୍ କାଲି ଘଟିଥିବା ପରି–ମୁଁ ସାଙ୍ଗେ ସାଙ୍ଗେ ଘରକୁ ଚାଲିଆସିଲି କାଲି ଆସି ପହଞ୍ଚିଲି ଘରେ, କିନ୍ତୁ ମୁଁ କ’ଣ ଘରେ ରହିପାରୁଚି ? ସେଇ ଘଟଣାଟି ମାର ସମସ୍ତ ଶାନ୍ତିକୁ କୁଆଡ଼େ ନେଇଯାଇଚି ଏବଂ ବୋଧେ ସାରା ଜୀବନପାଇଁ ମତେ ଏମିତି ଅହରହ ହନ୍ତସନ୍ତ ହେବାକୁ ପଡ଼ିବ !

 

: ‘ବୁଢ଼ୀ କବଳରୁ ରକ୍ଷା ପାଇବାପାଇଁ ପିଜୁଳିଗଛରୁ କେମିତି ଓହ୍ଲାଇଥିଲେ, ମନେଅଛି-? ବୋଧେ ମନେନାଇଁ ତୋର । ମୋର ଏବେ କିନ୍ତୁ ସ୍ପଷ୍ଟ ମନେପଡ଼ୁଚି । ଆମେ ସେମିତି ଗଛରେ ବସିଥିଲେ–ଏତିକିବେଳେ ଡାକପିଅନ ଆସିଲା । ମତେ ଡାକିଲା । ମୁଁ ଗଛରୁ ଓହ୍ଲାଉ ନଥିବା ଦେଖି ସବୁକଥା ଜାଣିପାରି ସେ ବୁଢ଼ୀକୁ କହିଲା, ମୋର ଓହ୍ଲେଇବା ନିହାତି ଦରକାର । ବୁଢ଼ୀକୁ କେତେ ବୁଝାଇଲା, ତା’ପରେ ବୁଢ଼ୀ ରାଗରେ ତମତମ ହୋଇ ବାଡ଼ିଟା ଫୋପାଡ଼ି ଦେଇ ଘର ଭିତରକୁ ଯିବା ପରେ ଆମେ ଓହ୍ଲାଇଥିଲେ, ନୁହେଁ ? ଓହ୍ଲାଇପଡ଼ି ତ ମୁଁ ଦୌଡ଼ି ପଳାଇବାକୁ ବାହାରିଥିଲି, କିନ୍ତୁ ଡାକପିଅନର ଡାକ ମତେ ଅଟକାଇ ଦେଇଥିଲା ।

 

: ‘ଶୁଣ ଶୁଣ–ଯାଉଚ କୁଆଡ଼େ ? ତୁମକୁ ନାଁ ଲେଖିଆସେ ?’ ଡାକପିଅନ ପଚାରିଥିଲା-

 

: ‘ହଁ କ’ଣ ହେଲା ?’ ମୁଁ କହିଥିଲି ।

 

: ‘ତମର ଗୋଟେ ଅର୍ଜେଣ୍ଟ ଟେଲିଗ୍ରାମ୍ ଅଛି, ଘରେ ବୋଉ ନାହାନ୍ତି, କବାଟ ବନ୍ଦ ଅଛି–ତମେ ଟିକେ ଦସ୍ତଖତ କରି ନେଇଯା ।’

 

: ‘ମୁଁ ନାଁଟା ଦସ୍ତଖତ କରି ଟେଲିଗ୍ରାମ୍‌ଟା ତା’ ହାତରୁ ଆଣିଥିଲି । ତା'ପରେ ଆମେ ଏକମୁହାଁ ଦୌଡ଼ି ପଳାଇ ଆସିଥିଲେ । ଥରେବି ପଛକୁ ଚାହିଁ ନାହିଁ । ଏବେ ମାନସ ଚକ୍ଷୁରେ ଦେଖିପାରୁଚି, ଆମର ଖୁସୀରେ ଦୌଡ଼ି ଆସିବାବେଳର ଦୃଶ୍ୟକୁ ଡାକପିଅନ ନିଶ୍ଚେ ପଛରୁ ଦେଖିଥିବ ।

 

: ‘ମନେକରି ବୋଉଙ୍କ ହାତରେ ଟେଲିଗ୍ରାମ୍‌ଟା ଦେବ, ହଜାଇବ ନାଇଁ !’ ଡାକପିଅନ ବଡ଼ପାଟିରେ କହିଥିଲା ମନେଅଛି ?

 

: ‘ଛକ ପାଖରୁ ତୁ ତୁମଘରକୁ ଯାଇଥିଲୁ ଓ ମୁଁ ଆମଘରକୁ ଆସିଥିଲି । ତା'ପରେ ମୁଁ ଆଉଜା ହୋଇଥିବା କବାଟ ଖୋଲି ଘରକୁ ଆସି ଦେଖିଲି, ବୋଉ ନଥିଲା–ଟେଲିଗ୍ରାମ୍‌ଟା କୋଉଠି ରଖିଥିଲି, ଜାଣୁ ? ଆମ ଘରେ ଗୋଟେ ସିନ୍ଦୁକ ଥିଲା, ତା’ ଉପରେ ଥିଲା ଗୋଟେ ଟ୍ରଙ୍କ୍, ସେଇ ସିନ୍ଦୁକ ଓ ଟ୍ରଙ୍କ୍ ମଝି ଫାଙ୍କରେ ଭର୍ତ୍ତି କରିଦେଇଥିଲି, ଭାବିଥିଲି ବୋଉ ଆସିଲେ ଦେଇଦେବି-। ତା'ପରେ ବୋଉ ଘରକୁ ଆସିଥିବ ସତ, ହେଲେ ସେଇ ଟେଲିଗ୍ରାମ୍ କଥା ଆଉ ମୋର ମନେପଡ଼ିନାଇଁ ।

 

: ‘ଏ ଭିତରେ ତ ଆମଘର ଉପରକୁ ବିପଦ ମାଡ଼ିଆସିଲା । ବାପା ଟଙ୍କା ପଠାଇବା ବନ୍ଦ କରିଦେଲେ, ବୋଉ ବାଧ୍ୟ ହୋଇ କିଛି କିଛି ଜିନିଷପତ୍ର ବିକି ଚଳିବାରେ ଲାଗିଲା–ତା’ପରେ ୟା ତା’ ଘରେ ବାସନମାଜି ମତେ ପାଠ ପଢ଼ାଇଲା । ଓଳିଏ ଖାଇ ଆର ଓଳି ଓପାସରେ ରହି ମଧ୍ୟ ଦିନେଦିନେ ଆମକୁ ବିତାଇବାକୁ ହେଉଥିଲା । ବୋଉ ଏତେ କଷ୍ଟ କରୁଥିଲା, କାରଣ ତା’ ଭିତରେ ବିଶ୍ୱାସଟିଏ ଥିଲା ଯେ ମୁଁ ପାଠପଢ଼ି ଚାକିରି କଲେ ସବୁ ଦୁଃଖ ଦୂର ହୋଇଯିବ ।

 

: ‘ମାଟ୍ରିକ୍ ପାସ୍ କରିବା ପରେ ବୋଉ କହୁଥିଲା, ଯେମିତି ହେଲେ ମତେ ଆଉ ଟିକେ ପଢ଼ାଇବ–ତା’ର ଇଚ୍ଛା ଥିଲା ମୁଁ ଆମ ସ୍କୁଲ୍‍ରେ ମାଷ୍ଟର ହୋଇଥାନ୍ତି । କିନ୍ତୁ ମାମୁଁ କହିଲେ ମିଲିଟାରୀରେ ଭର୍ତ୍ତି ହୋଇଯିବା ପାଇଁ ସେ କଥାରେ ବୋଉ ଯାହା କାନ୍ଦିଲା–ଓହୋ ! ଗୋଟାଏ ବୋଲି ପୁଅ–ପୁଣି ତାକୁ ପଠାଇବ ମିଲିଟାରୀରେ । ଯା’ହେଉ, ସେତେବେଳକୁ ମୋର ସାମାନ୍ୟ ବୁଦ୍ଧି ଆସିଯାଇଥାଏ, ମୁଁ ନିଜେ କିଛି ରୋଜଗାର କରିବା କଥା ଭାବୁଥାଏ–ଏବେ ଭାବୁଚି ସେଇ ବୟସରେ ମିଲିଟାରୀରେ ପଶିବାର ନିଷ୍ପତ୍ତି ନେଇ ମୁଁ କିଛି ଭୁଲ କରି ନଥିଲି, ନହେଲେ ଏଠି ରହି ବୋଉର ବାସନମଜା ପଇସାରେ କଲେଜମାଡ଼ି ଶେଷକୁ ଚୋରି କରିଥାନ୍ତି କି କ’ଣ !

 

: ‘କ୍ରମେ ବୋଉ ମୋର ଅନୁପସ୍ଥିତି ସହ ନିଜକୁ ଖାପ ଖୁଆଇନେଲା । ମିଲିଟାରୀରେ ଯୋଗଦେଲେ ଖାଲି ମରିବାକୁ ପଡ଼େ ବା ମରନ୍ତି, ଏ ଧାରଣା ବଦଳିଗଲା ତା’ର । ଏ ଭିତରେ ମୁଁ ବାହା ହେଲି, ଏବେ ବୋଉ ବେଶ୍ ଖୁସୀ । ବୋହୂ ତ ପାଖରେ ଅଛି, ପୁଅ ତ ମଝିରେ ମଝିରେ ଆସୁଚି, ଆଉ କ’ଣ ? ଏବେବି ଆମର ପରିବାର ନେବା ବ୍ୟବସ୍ଥା ହୋଇଯାଇଛି–ଦେଖାଯାଉ, ଯିବାପାଇଁ ବୋଉକୁ ରାଜି କରାଇପାରୁଚି କି ନାଇଁ !

 

: ‘ଏଯାଏଁ ସବୁ ଠିକ୍ ଥିଲା । କିନ୍ତୁ ପଅରଦିନ ତ ସବୁ ଗୋଳମାଳ ହୋଇଗଲା । ଗତ ମାସେ ହେବ ଆମର ବମ୍ବେର ସହରତଳି ଅଞ୍ଚଳରେ କ୍ୟାମ୍ପ୍ ପଡ଼ିଥିଲା–ଗୋଟେ କ’ଣ ବଡ଼ଧରଣର ହାଣକାଟ ଚାଲିଥିଲା ସେଠି, ଅବସ୍ଥା ନିୟନ୍ତ୍ରଣ କରିବାପାଇଁ ମିଲିଟାରୀ ସାହାଯ୍ୟ ନିଆଯାଇଥିଲା । ମୁଁ ବି ଥିଲି ସେ ଦଳରେ । ଅବସ୍ଥା ନିୟନ୍ତ୍ରଣକୁ ଆଣିବାପାଇଁ ପ୍ରାୟ ବାର/ତେର ଦିନ ଲାଗିଲା ଆମକୁ–କ୍ରମେ ଅବସ୍ଥା ଠିକ୍ ହୋଇଗଲା । ଦିନେ ମୁଁ ଓ ମୋର ଜଣେ ସାଙ୍ଗ ଗୋଟେ ଅଞ୍ଚଳରେ ପହରା ଦେଉଥାଉ । ବୁଲିବୁଲି ଆମେ ଗୋଟେ ଦୋକାନରେ ବସିଗଲୁ । ଦୋକାନୀ ବୁଢ଼ାଟାବି ବେଶ୍ ଭଲଲୋକ ଥିଲା ।

 

: ‘ଏମିତି ଗପ୍‍ସପ୍ ହେଉ ହେଉ ସେ ଦୋକାନୀଟି ଆମମାନଙ୍କ ଘର, ପରିବାର କଥା ପଚାରିଲା । କଥା ଭିତରେ ମୁଁ ଯେମିତି ଆମ ଏଇ ଅଧା ଗାଁ–ଅଧା ସହର ଜାଗା ନାଁ କହିଲି, ସେ ଟିକେ ଜାଣିଥିବା ପରି ଭାବ ଦେଖାଇଲା ।

 

: ‘ଆପଣ କ’ଣ ସେଠି କାହାକୁ ଜାଣନ୍ତି ନା କ’ଣ ?’ ମୁଁ ପଚାରିଲି ।

 

: ‘‘ନା, ନା–ଜାଣିନାଇଁ, ଜାଣିଥିଲି । ସେ କିନ୍ତୁ ଅନେକଦିନ ତଳର କଥା ହୋଇଗଲାଣି । ସେ ଗାଁ କି ଆଉ କୋଉ ଗାଁ, ମୋର ଠିକ୍ ମନେନାଇଁ, ବୋଧେ ତୁମେ ଯେଉଁ ଗାଁଟା ନାଁ କହୁଚ ସେଇ ଗାଁ କି କ’ଣ–ସେଠାରୁ ଗୋଟେ ଲୋକ ଆମର ଏ ଦୋକାନରେ କାମ କରୁଥିଲା, ତା'ପରେ ଏଠି ସାହାଯ୍ୟ ନେଇ ନିଜର ଗୋଟିଏ ଛୋଟ ଦୋକାନ କରିଥିଲା–କିନ୍ତୁ ସେ କେବେକାର କଥା ହେଲାଣି ।”

 

: ‘ଦୋକାନୀଟିର ଏମିତି କହିବାରେ ମୁଁ ତାକୁ ସେଇ ଲୋକଟିର ନାଁ ପଚାରିଲି ଏବଂ ସେ ଭାବି ଭାବି ଶେଷରେ ଯେଉଁ ନାଁ କହିଲା, ସେଥିରେ ମୁଁ ଆକାଶରୁ ଖସିପଡ଼ିଲି ଅବା ଦୋକାନୀଟି ମୋ ବାପାଙ୍କର ନାଁ କହୁଥିଲା । ତାକୁ ପୁଣିଥରେ ପଚାରିଲି, ସେ ମୋ ବାପାଙ୍କର ନାଁଟାହିଁ କହୁଥିଲା ।

 

: ‘ମୁଁ ଦୋକାନୀଟିକୁ ସେଇଠୁ ଅଧିକ କଥା ପଚାରିଲି । ସେ ପ୍ରଥମେ ମୋ ଆଡ଼କୁ ଚାହିଁଲା–ବୋଧେ ସନ୍ଦେହରେ କି କ’ଣ ! ଆର୍ମି ଡ୍ରେସ୍ ଦେଖି ବୋଧେ ତା’ ମନରେ ଟିକେ ଭୟ ଆସିଥିଲା କି କ'ଣ !

 

: ‘କିଛି ଭାବନ୍ତୁ ନାଇଁ, କଥା କ’ଣ କି ସେଇ ଲୋକଟି ବୋଧେ ଆଜିକୁ ଦଶବାରବର୍ଷ ହେବ ଗାଁକୁ ଫେରିନାହିଁ–ଏକା ଗାଁର ଯେତେବେଳେ, ପଚାରିଦେଲି, ‘ମୁଁ କହିଲି, ଲୋକଟି ମୋ ବାପା ବୋଲି କେମିତି କହିଥାନ୍ତି ଦୋକାନୀଟିକୁ ? ଯା’ହେଉ, ମୋ କଥା ନ ସରୁଣୁ ଦୋକାନୀଟି ଚଟ୍ କରି ଉତ୍ତର ଦେଲା : ‘ଫେରିନାଇଁ ? ଫେରିଥାନ୍ତା । କିମିତି ? ସିଏ ପରା ଏଠି ଦିନେ ଗାଡ଼ି ଧକ୍କାରେ ମରିଗଲା, ତା'ପରେ ମୁଁ ନିଜେ ପରା ତାଙ୍କ ଘରକୁ ଟେଲିଗ୍ରାମ୍ କରିଥିଲି, ଆଉ ଫେରିବ କ’ଣ ସେ ?’’

 

: ‘ବାସ୍–ଏତିକିରେ ମୋର ସବୁକଥା ଗୋଟି ଗୋଟି ହୋଇ ମନେପଡ଼ିଗଲା, ସେଇ ଦୋକାନରେ କେତୋଟିକ୍ଷଣ ପାଇଁ ମୁଁ ମୂର୍ତ୍ତିଟାଏ ପାଲଟିଗଲି ଅବା ! ତା'ପରେ ସେ ଦୋକାନୀଟି ଆଉ କ’ଣ ପଚାରିଛି, ମତେ ମାଲୁମ ନାଇଁ, ମୁଁ କେବଳ ହଁ–ନାଇଁରେ ଉତ୍ତର ଦେଇ ସେଠୁ ବାହାରି ଆସିଲି, ମୋ ପାଦତଳଟା ଘୂରୁଥାଏ ଯେମିତି ! ସାଙ୍ଗେ ସାଙ୍ଗେ କ୍ୟାମ୍ପ୍‍କୁ ଫେରି ହାବିଲଦାରକୁ କହିଲି ଦେହ ଖରାପ ଲାଗୁଚି ବୋଲି । ହାବିଲଦାରଟା ବେଶ୍ ସମଝଦାର ମଣିଷ, କହିଲା ଶୋଇପଡ଼ । କିନ୍ତୁ ମୁଁ ଆଉ ଶୋଇପାରୁଥାଏ କୋଉଠି ? ମୋ ଆଖି ଆଗରେ ତ ଖାଲି ନାଚୁଥାଏ ଯେ, ଘରୁ ଦୌଡ଼ି ଦୌଡ଼ି ମୁଁ ଟେଲିଗ୍ରାମ୍‌ଟା ରଖିଦେଉଚି ସିନ୍ଦୁକ ଓ ଟ୍ରଙ୍କ୍‍ର ମଧ୍ୟବର୍ତ୍ତୀ ଫାଙ୍କରେ !

 

: ‘ସେଇଦିନ ରାତିରେ ହାବିଲଦାର ଜରିଆରେ କ୍ୟାପ୍‍ଟେନ୍‌କୁ ଦେଖାକରି କେତେ କଥା ବୁଝାଇ କହିଲି । ବହୁ କଷ୍ଟରେ ରାଜିହେଲେ ଆଠଦିନ ଛୁଟି ଦେବାପାଇଁ । ମୁଁ ସାଙ୍ଗେ ସାଙ୍ଗ ଚାଲିଆସିଲି । କାଲି ତ ଆସି ପହଞ୍ଚିଲି ଏଠି !

 

: ‘ଘରେ ପହଞ୍ଚି ପ୍ରଥମେ ସିନ୍ଦୁକ ପାଖକୁ ଗଲି । ମୋ ହାତ ଥରୁଥାଏ । ତା’ ଉପରେ ଥିବା ଟ୍ରଙ୍କ୍‍କୁ ଟେକିଲି–ନା, କୌଣସି କାଗଜପତ୍ର ନଥିଲା । ଏତେବର୍ଷ ତଳର କାଗଜ କ’ଣ ଆଉ ଥାନ୍ତା ସେଠି ? ବୋଉ ଅନେକଥର ସିନ୍ଦୁକ ଖୋଲାଖୋଲି କରି ଟ୍ରଙ୍କ୍ ଏପଟ ସେପଟ କରିବାବେଳେ କୋଉଠି ପଡ଼ିଥିବ–ପରେ ପହଁରା ହୋଇ ଚାଲିଯାଇଥିବ ଅଳିଆଗଦାକୁ !

 

: ‘କିନ୍ତୁ କେତେ ସମୟ ପରେ ଅଚାନକ ମୋ ମୁଣ୍ଡକୁ ଚିନ୍ତାଟାଏ ଢୁକିଲା । ମୁଁ ବୋଉକୁ କେମିତି ପଚାରୁ ପଚାରୁ ପଚାରିଦେଲି ଯେ ଟ୍ରଙ୍କ୍ ତଳେ ଏବଂ ସିନ୍ଦୁକ ଉପରେ ଯେଉଁସବୁ କାଗଜପତ୍ର ଥିଲା, ସେଗୁଡ଼ା ଫୋପଡ଼ା ହେଇଚି କି ନାଇଁ ! ସେ ଜାଗାଟାରେ ଆମର ବିଭିନ୍ନ କାଗଜପତ୍ର ରହୁଥିଲା । ହାଟସଉଦା ହିସାବ କାଗଜ, ଜମିବାଡ଼ି ସମ୍ପର୍କୀୟ କିଛି କାଗଜ, ବାପା ପଠାଉଥିବା ଟଙ୍କାର ରସିଦ ସବୁ ଇତ୍ୟାଦି ଇତ୍ୟାଦି ଯେତେକ ଟୁକୁରା କାଗଜପତ୍ର ସବୁ ସେଠି ରହୁଥିଲା । ମୋର ଆଶା ଥିଲା, ବୋଉ ସେ ସବୁକୁ ନ ଫୋପାଡ଼ି ରଖିଥାଇପାରେ ଏବଂ ମୋର ଆଶାବି ସତ୍ୟରେ ପରିଣତ ହେଲା ।

 

: ‘ସେ କାଗଜ ତୋର ପୁଣି କି କାମରେ ଆସିବ ମ ?’ ବୋଉ ପଚାରିଲା ।

 

: ‘ତୁ ରଖିଚୁ କି ?' ମୁଁ ପଚାରିଲି ।

 

: ‘ବୋଉ କିଛି ନ କହି ସିନ୍ଦୁକ ଉପରୁ ଟ୍ରଙ୍କ୍‍ଟା କାଢ଼ିଲା । ତା'ପରେ ସିନ୍ଦୁକଟା ଖୋଲିଲା–ଗୋଟେ ପୁରୁଣା ଅମୂଲଟିଣ କାଢ଼ିଲା, କହିଲା, “ପ୍ରଥମଥର ସିନ୍ଦୁକ ଖୋଲିବାବେଳେ ଏ କାଗଜଗୁଡ଼ା ଏଇ ଟିଣଟାରେ ଭର୍ତ୍ତି କରି ରଖିଥିଲି–ଯା’ହେଉ, ତୋ କାମରେ ଆସିଲା ତ !”

 

: ‘ମୋ ଛାତି ଭିତରଟା ପୁଣି ଉଠପଡ଼ ହେଲା । ମୋ ହାତ ପୁଣି ଥରିଲା । ମୁଁ ବୋଉକୁ ଟିକେ ବାହାରକୁ ଯିବାକୁ କହିଲି । ତା'ପରେ ଟିଣଟା ଖୋଲି ସବୁ ଛିଣ୍ଡା ଟୁକୁରା କାଗଜ ବାହାର କରି ଗୋଟି ଗୋଟି କରି ଦେଖିଲି । ସ୍କୁଲ୍‍ରେ ଦରମା ଦେବା ପରର ରସିଦ, କେତେଟା ପୁରୁଣା ହାଟ ତାଲିକା, ଜମିବାଡ଼ି ଖଜଣାର କାଗଜପତ୍ର–ଏସବୁ ଭିତରେ ଥିଲା ସେଇଟି, ସେଇ ଟେଲିଗ୍ରାମ୍‌ଟା । ମୁଁ ସେଇ ମଳିଆ ଟେଲିଗ୍ରାମ୍ କାଜଟିକୁ ପଢ଼ିଲି, ବୋଉ ନାଁରେ ଥିଲା–ଏବଂ ସେଥିରେ ଲେଖାଥିଲା : ‘ଇଓର ହଜ୍‌ବ୍ୟାଣ୍ଡ୍ ଡେଡ଼୍ ।’ ହଜ୍‌ବ୍ୟାଣ୍ଡ୍ ଶବ୍ଦ ପରେ ବ୍ରାକେଟ୍‍ରେ ବାପାଙ୍କ ନାଁ ଥିଲା !

 

: ‘ମୁଁ ସେମିତି କାଠପରି ବସିଥିଲି ସେ ଘରେ, ଆଉ କେତେ ସମୟ ସେମିତି ବସିଥାନ୍ତି କିଏ ଜାଣେ ? କିନ୍ତୁ ମୋ ପତ୍ନୀଙ୍କ ଚା’ ପିଇବାର ଡାକରାରେ ମୁଁ ସଚେତନ ହୋଇ ଟେଲିଗ୍ରାମ୍‌ଟା ପକେଟରେ ପୂରେଇ ବାହାରକୁ ଚାଲିଆସିଲି, ଆସିଲାବେଳେ ଦେଖିଲି ବୋଉ ବସି ପରିବା କାଟୁଥିଲା–ତା' ହାତରୁ ସେମିତି ଚିରାଚରିତ ରୀତିରେ ରୁଣୁଝୁଣୁ ଶବ୍ଦ ବାହାରୁଥିଲା–ଏତେବର୍ଷ ଧରି ସ୍ୱାମୀ ନ ଆସିଥିଲେବି ସେ ଭାବେନାଇଁ ଯେ, ସେ ନ ଆସିବେ ବୋଲି । ବୋଧେ ସେ ଏବେବି ଆଶା ରଖିଚି ଯେ ସେ ଆସିବେ । କିନ୍ତୁ ସେ କ’ଣ ସ୍ୱପ୍ନରେ ସୁଦ୍ଧା ଭାବିଥିବ ଯେ, ସେ ଯେଉଁ ଲୋକଟି ପାଇଁ ଏକ ଅନିର୍ଦ୍ଦିଷ୍ଟ ପ୍ରତୀକ୍ଷାରେ ଜୀବନ ବିତେଇ ଆସିଚି, ସେ ଲୋକଟି ଜୀବନରେ ଆଉ କେବେ ଫେରିବ ନାଇଁ ବୋଲି ? କେବେଠୁ ସେ ଏ ଜଗତ ଛାଡ଼ି ଚାଲିଯାଇଛି ।

 

: ‘କାଲିଠୁ ଆଜିଯାଏଁ ମୁଁ ଏମିତି ଘୂରୁଚି, ଘରକୁ ଯିବାକୁ ଡର ଲାଗୁଚି । ଧରା ପଡ଼ିଯିବା ଭୟ ମତେ ଗୋଡ଼ାଉଚି । ବୋଉ କିଛି ଗୋଟେ କହିଲେ ଲାଗୁଚି, ସେ କିଛି ଜାଣିଦେଲା କି ? କେମିତି ତାକୁ କହିବି ଖବରଟା ? କେବେ କ’ଣ ମୁଁ ତାକୁ ବାପାଙ୍କ ମୃତ୍ୟୁଖବରଟା ଦେଇପାରିବି ? କେମିତି ବା କହିବି ? କେମିତି ଯେ କହିବି, ଆଜି ନୁହ–ଆଜିକୁ ଅନେକ ବର୍ଷ ତଳେ ବାପାଙ୍କର ମୃତ୍ୟୁ ହୋଇଥିଲା ବୋଲି ?

 

: ‘ପୁଣି ଭାଗ୍ୟର କି ଚରମ ଉପହାସ ଦେଖ ତ ! ଯେଉଁ ଖବରଟି ବୋଉପାଇଁ ଜୀବନରେ ସବୁକିଛି, ସେଇ ଖବରଟିକୁ ବହନ କରିଥିବା କାଗଜଟିକୁ ସାଇତି ରଖିଥିଲା ବୋଉ ! ସତେଅବା କେଉଁ ଷଷ୍ଠେନ୍ଦ୍ରିୟ ବଳରେ ଜାଣିପାରି ସାଇତି ରଖିଥିଲା ସେ । କେମିତି ତାକୁ କହିବି ଯେ, ସବୁର ମୂଳରେ ମୁଁ ବୋଲି ? ହଁ–ମୋ ଦୋଷ ମୁଁ ସ୍ୱୀକାର କରିଯାଇପାରେ, କିନ୍ତୁ ଖବରଟା ବୋଉ ଏ ବୟସରେ ସହିପାରିବ ତ ?

 

: ‘ସେଇ ଦ୍ୱନ୍ଦ୍ୱଟି ମତେ ଜାଳିପୋଡ଼ି ଦେଉଚି–ଖବରଟା ବୋଉକୁ ଦେବ ଅବା ଦେବିନାଇଁ ଦ୍ୱନ୍ଦ୍ୱ ! ନ ଦେଲେ ଜୀବନରେ ବୋଉ ପ୍ରତି କେଡ଼େବଡ଼ ବିଶ୍ୱାସଘାତକତାଟା କରିବ ସତରେ ! ପୁଣି ଖବରଟାକୁବି କହିବି କୋଉ ମୁହଁରେ ? କୋଉ ସାହସରେ ? ଯେଉଁ କାଚର ରୁଣୁଝୁଣୁ ଶବ୍ଦ ସକାଳରୁ ରାତିରେ ଶୋଇବାକୁ ଯିବାଯାଏ, ଠାକୁରଘରଠୁ ପରିବାକାଟିବାଯାଏଁ ଘରର ଚାରିଆଡ଼େ ମୁଁ ପିଲାଦିନୁ ଶୁଣିଆସିଚି–ସେ ଶବ୍ଦଟା ଅଚାନକ ବନ୍ଦ ହୋଇ ଯିବନିକି ? ରାତିରେ ଖାଇବା ପରେ ବୋଉ ଯେତେବେଳେ କ୍ଷୀର ଗିଲାସ ଧରି ଆସେ, ସେଇ ରୁଣୁଝୁଣୁ ଶବ୍ଦରୁ ମୁଁ ଜାଣେ ବୋଉ ଆସିଗଲା–ମତେ ଛାଇନିଦ ଲାଗିଥିଲେ ସେ ଶବ୍ଦରେ ଭାଙ୍ଗିଯାଏ–ଏମିତିକି ବୋଉ କାଚର ରୁଣୁଝୁଣୁ ଶବ୍ଦ ଓ ମୋ ସ୍ତ୍ରୀର କାଚ ରୁଣୁଝୁଣୁ ଶବ୍ଦ ଭିତରେ ଫରକଟା ମୁଁ ବେଶ୍ ଜାଣିପାରେ ! ଆଜି ଖବରଟା କହିଦେଲେ କାଲି ବୋଉ ଆସି ଖଟ ପାଖରେ ଠିଆ ହେଇଗଲେବି ମୁଁ ଜାଣିପାରିବିନି ! ଯେଉଁ ଶବ୍ଦରେହିଁ ଜଣକର ସତ୍ତା ଜିଇଁ ରହିଛି, ମରିବା ପରେ, କୋଉ ସାହସରେ ସେଇ ଶବ୍ଦରେ ଲଟକିଥିବା ଜୀବନକୁ ନିଷ୍ପ୍ରାଣ କରିଦେବି ମୁଁ ? ବୋଉକୁ ଶେଷ ଜୀବନରେ ଏଇଆ ଉପହାର ମୁଁ ଦେବି ?”

 

ନୀଳକଣ୍ଠ ନୀରବ ହୋଇଗଲା ଏକାଥରେ । ସେ ଯେ ତରତରରେ କହୁଥିଲା, ତା' ନୁହ-! ରହିରହି କହୁଥିଲା, ମଝିରେ ତା’ର କୋହବି ଉଠୁଥିଲା, ଆଖିକୁ ଲୁହ ଆସିଯାଇଥିଲା । କିନ୍ତୁ ଏଇଠି ସେ ନୀରବ ରହିଲା, ଦୀର୍ଘସମୟ ପାଇଁ । ମୁଁ ଓ ମୋ ସ୍ତ୍ରୀ ତା’ କଥାଶୁଣି କାଠକଣ୍ଢେଇ ପରି ବସିଥାଉ ଏବଂ ଦେଖୁଥାଉ ସେଇ ଲୋକଟିକୁ, ଯିଏ ଏକ ଅଜବ ଦ୍ଵନ୍ଦ୍ୱର ଆବର୍ତ୍ତନରେ ପଡ଼ି ଅସହାୟ ହେଇଯାଇଚି, ରାହା ପାଉନି !

 

ମୁଁ ପଚାରିଲି : ‘‘ସେ ଟେଲିଗ୍ରାମ୍ ଅଛି ତୋ ପାଖରେ ?’’

 

ସେ କିଛି ନ କହି ଟେଲିଗ୍ରାମ୍‌ଟା ପକେଟରୁ ବାହାର କରି ଦେଖାଇଲା, ମଇଳା କାଗଜଟାରେ କେତେଟା ଅକ୍ଷର–ଅଥଚ କି ଅଦ୍ଭୁତ ଶକ୍ତି ସେ ଅକ୍ଷରଗୁଡ଼ାକର । ସେ ମୋ ହାତରୁ କାଗଜଟା ନେଇଗଲା, ପୂର୍ବପରି ପକେଟରେ ରଖିଲା, ତା’ପରେ ଠିଆ ହେଲା ଏବଂ ଆମକୁ ଆଉ କିଛି ନକହି ଚାଲିଗଲା !!

 

(ଶେଷ)

 

ନୀଳକଣ୍ଠ ଚାଲିଗଲାଣି କେତେବେଳୁ । ଏବେ ବୋଧେ ରାତି ଦୁଇ କି ସାଢ଼େ ଦୁଇ କି ତିନି ହେବ–କିଏ ଜାଣେ ! ସେ ଯିବାପରେ ମୁଁ ମୋ ସ୍ତ୍ରୀ ସେମିତି ବସିଚୁ, କାଠମୂର୍ତ୍ତି ପରି, ସତେଅବା ଆମର ପ୍ରାଣ ନାଇଁ । ନୀଳକଣ୍ଠ ସ୍ମରଣ କରାଇଯାଇଥିବା ପିଲାଦିନର ପିଜୁଳିଗଛ ଚଢ଼ାକଥା ଏବେ ମନେପଡ଼ୁଚି, ଧୀରେ–ଝାପ୍‌ସା ଝାପ୍‌ସା ହେଇ, ଦୂର ବାଦଲ ତଳୁ ଚିକ୍‌ମିକ୍ କରୁଥିବା ତାରାଟେ ପରି !

 

ନୀଳକଣ୍ଠ ଚାଲିଗଲାଣି ! ସେ ଯିବାବେଳେ କବାଟ ଯେମିତି ମେଲାଥିଲା, ସେମିତି ମେଲା ଅଛି । ଏଇତ ଆମର ବିସ୍ମୟାଭିଭୂତ ଭାବ କଟିଯିବାପରେ ମୋ ସ୍ତ୍ରୀ ଉଠୁଛନ୍ତି, କବାଟ ଭିତରପଟୁ ବନ୍ଦ କରୁଛନ୍ତି !

 

ନୀଳକଣ୍ଠ ଏବେ ଘରେ ପହଞ୍ଚିଯିବଣି ! ଶୋଇ ନଥିବ ! ତାକୁ ନିଦ ହେଉ ନଥିବ । ଆଠଦିନ ଛୁଟିପରେ ସେ ଚାଲିଯିବ, କିନ୍ତୁ ଯିବା ପୂର୍ବରୁ ସେ କ’ଣ କଦାପି ତା’ ବୋଉକୁ ସେଇ ମସିଆ କାଗଜରେ ଲିପିବଦ୍ଧ ହୋଇଥିବା ଝାପ୍‌ସାଅକ୍ଷର କେତେଟାର ସମ୍ବାଦଟି ଦେଇପାରିବ ? ସତେ କ’ଣ ନୀଳକଣ୍ଠ ତା’ ବୋଉକୁ ଇଂରାଜୀ ଟେଲିଗ୍ରାମ୍‌ଟିର ଅର୍ଥ ଓଡ଼ିଆରେ ବୁଝାଇ କହିପାରିବ-??

✽✽✽

 

ସ୍ଥିରତାର ଚିତ୍ରପଟ

 

କେହି ହୁଏତ ବୁଝିପାରିବ ନାଇଁ କଥାଟାର ଗୁରୁତ୍ଵ । କଥାଟା ସେମିତି–ଖୁବ୍ ଗୌଣ ମନେହୁଏ, ଅଥଚ ପ୍ରକୃତରେ ଖୁବ୍ ଗୁରୁତର । ଅନେକଥର ଭାବିଲିଣି ଅନ୍ୟମାନଙ୍କୁ କହିବି କଥାଟା ସମ୍ପର୍କରେ କିନ୍ତୁ କହିପାରିନି । କାହିଁକି ? କହିଲେ ହୁଏତ ପ୍ରଥମେ ଶ୍ରୋତାଟି ଭାବିପାରେ ଯେ କଥାଟା ଗୁରୁତର, କିନ୍ତୁ ପରମୁହୂର୍ତ୍ତରେ ଭାବିପାରେ ଯେ କଥାଟା ନିହାତି ବାଜେ–ନିହାତି ମୂଲ୍ୟହୀନ–ସେପାଇଁ କହିପାରିନି ! ମୁଁ କଦାପି ସହିପାରିବି ନାଇଁ ଯଦି କେହି ପ୍ରଥମେ କଥାଟାକୁ ବୁଝିବାର ପ୍ରୟାସ କରୁ କରୁ ପରେ ତତ୍‌କ୍ଷଣାତ୍ କଥାଟାକୁ ପାଦରେ ଆଡ଼େଇଦିଏ !

 

କଥାଟା ନିଶ୍ଚିତ ଭାବରେ ଗୁରୁତର । ଆଜିକୁ ପ୍ରାୟ ଛ' ମାସ ହେବ ମୋ ଜୀବନରେ କିଛି ବୋଲି କିଛିହିଁ ଘଟିନାଇଁ ଏବଂ ଏଇ ଛ’ ମାସ ମୁଁ ଅହରହ ଭାବି ଆସିଛି ଯେ କିଛି ଗୋଟାଏ ଘଟଣା ଘଟିବ ମୋ ଜୀବନରେ ।

ଛ’ମାସ–ଓଃ ! କିଛି ଗୋଟେ ଘଟିବ ନିଶ୍ଚୟ, ଅଥଚ କିଛି ଘଟୁନାଇଁ ବାସ୍ତବରେ ! କଥାଟା ସରଳ ମନେହେଉ ଥାଇପାରେ, କିନ୍ତୁ ପ୍ରକୃତରେ ନିହାତି ଜଟିଳ ! ଏମିତି କେଉଁ ମଣିଷ ଆପଣଙ୍କ ଆଖି ଆଗରେ ଅଛି, ଯାହା ଜୀବନରେ ଦୀର୍ଘ ଛ’ମାସ ଧରି କିଛି ବୋଲି କିଛିହିଁ ଘଟିନାଇଁ, ଅଥଚ ପ୍ରତିମୁହୂର୍ତ୍ତରେ କିଛି ଗୋଟେ ଘଟିବାର ସମ୍ଭାବନା ସର୍ବଦା ଉଦୟ ହେଉଛି ?

 

ଛ' ମାସ ତଳେ, ଦିନେ ରାତିରେ, ଶୋଇବାକୁ ଯିବାର ଠିକ୍ ପୂର୍ବରୁ, ମୁଁ ଅନୁଭବ କଲି ଯେ ସେଦିନ ମୋତେ ନେଇ କିଛିହିଁ ଘଟିଲା ନାଇଁ ! ମୁଁ କାବାକାଠ ହୋଇଗଲି । ଗୋଟେ ମଣିଷ ଜୀବନରେ ଦିନଟାଏ ବିତିଯିବ, ଅଥଚ କିଛିହିଁ ଘଟିବ ନାଇଁ–ଏ କେମିତି ସମ୍ଭବ ? ମୁଁ ଟିକିନିଖି କରି ସେଦିନର ସବୁ ମୁହୂର୍ତ୍ତକୁ ସ୍ମରଣ କରିଗଲି, କିନ୍ତୁ ନା କିଛିହିଁ ଘଟି ନଥିଲା ସେଦିନ ! ଏବଂ ଏକ ଚରମ ହତାଶାବୋଧରେ ଫେଣ୍ଟି ହୋଇ ମୁଁ ଆଶା କଲି ଯେ ପରଦିନ କିଛି ନିଶ୍ଚୟ ଘଟିବ !

 

ପରଦିନ କିଛି ଗୋଟେ ଘଟିବ ବୋଲି ମୋର ଦୃଢ଼ବିଶ୍ୱାସ ଥିଲା । କିଛି ଗୋଟେ । ଖୁବ୍ ଛୋଟ ହୋଇପାରେ । ଖୁବ୍ ବଡ଼ବି । ଖୁବ୍ ହାସ୍ୟାସ୍ପଦ ହୋଇପାରେ, ଖୁବ୍ ଦୁଃଖମୟବି ! ନୂତନ ଚାକିରିଟିଏର ସନ୍ଧାନ ମିଳିପାରେ ବା ଖବର ମିଳିପାରେ ଚାକିରିଟା ଚାଲିଯିବାର । ମୋର ହୋଇପାରେ ପକେଟ୍‍ ମାର ବା ମୁଁ କାହାର ପକେଟରୁ ଟଙ୍କା ଚୋରୀ କରିପାରେ । ମୁଁ କାହା ସହ ଧକ୍କା ଲଗାଇପାରେ ଗାଡ଼ି ଚଢ଼ିଯିବାବେଳେ ବା କେହି ମୋ ସହ ଧକ୍କା ଲଗାଇପାରେ । କିଛି ଗୋଟେ ଘଟିପାରେ । କିଛି ଗୋଟେ ଘଟିବାର ଆଶା କରି ମୁଁ ସେଇ ରାତିରେ ଶୋଇପଡ଼ିଥିଲି !

 

ତା'ପରଦିନବି ବିତିଗଲା । ମୁଁ ଅପେକ୍ଷା କରୁଥାଏ କିଛି ଗୋଟେ ଘଟିବ, ଛୋଟ ବା ବଡ଼, ସୁଖକର ବା ଦୁଃଖମୟ, ତୃପ୍ତିମୟ ବା ଗ୍ଳାନିମୟ–କିଛି ଗୋଟେ ଘଟଣା, ମତେ ନେଇ ହୁଏତ ହୋଇଥିବ ଚମକପ୍ରଦ ଅବା ନିହାତି ନଗଣ୍ୟ, କିନ୍ତୁ କିଛି ଗୋଟେହିଁ ଘଟିବ ଏ ବିଶ୍ଵାସ ମୋର ଥିଲା-! କିନ୍ତୁ କିନ୍ତୁ ଦ୍ୱିତୀୟଦିନ–ବି କିଛି ଘଟିଲା ନାଇଁ ।

 

ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତବି କିଛି ଘଟିଲା ନାଇଁ । ରାତି ବାରଟାବେଳେବି ମୁଁ ଭାବିଥିଲି ଯେ, ଅଚାନକ କବାଟ ଖଡ଼ଖଡ଼ ହେବ, ମୁଁ ଉଠି କବାଟ ଖୋଲିଦେବି, ତା’ପରେ ? କ’ଣ ଘଟିବା ଉଚିତ ତା’ପରେ ? ଠିଆ ହୋଇଥାନ୍ତା ଗୋଟେ ନାରୀ ? ଗୋଟେ ରାଜପୁଅ ? ଗୋଟେ ହାତୀ ? ଗୋଟେ ଖୁବ୍ ପୁରୁଣା ବନ୍ଧୁ ? ପ୍ରେମିକା ? ଗୋଟେ ଚାରିଟା ହାତଥିବା ମଣିଷ ? ଯା’ହଉ, କ’ଣ ଘଟିଥାନ୍ତା ବା ଘଟିବା ଉଚିତ ଥିଲା, ସେ ନେଇ ମୁଁ ବେଶୀ ଚିନ୍ତିତ ନଥିଲି ! କିଛି ଘଟିବା ଉଚିତ, ମୁଁ ଏତିକି ଆଶା କରୁଥିଲି । ଅବଶ୍ୟ ସେଦିନ କିଛିହିଁ ଘଟି ନଥିଲା !! ଏମିତି ତା’ପରଦିନ ବିତିଗଲା । ମୁଁ ଆଶା କରୁଥିଲି, କିଛି ଘଟିବ ! ତା'ପରଦିନ ବିତିଗଲା କିଛି ଘଟିବ । ତା’ପରଦିନ ! କିଛି ଘଟିବ ! ତା’ପରଦିନ, ତା’ ପରଦିନ, ତା’ ପରଦିନ–ଏମିତି ଦିନପରେ ଦିନ ବିତିଗଲା ଏବଂ ଏବେ ମୁଁ କାଲେଣ୍ଡରରୁ ଜାଣିପାରୁଛି ଯେ, ଏ ଭିତରେ ଛ’ ମାସ ବିତିଗଲାଣି, କିନ୍ତୁ କିଛି ବୋଲି କିଛିହିଁ ଘଟିନାଇଁ ମୋ ଜୀବନରେ । କିଛି ନାଇଁ ! ପୂରା ଶୂନ୍ୟ ! ମହାଶୂନ୍ୟ !

 

ଛି’ ମାସଧରି କିଛି ଘଟିଲା ନାଇଁ ଏବଂ ଏଯାବତ୍ ମଧ୍ୟ କିଛି ଘଟିନାଇଁ । ସେପାଇଁ ମୁଁ ବୋର୍ ହୋଇଛି, ବେଳେବେଳେ ସନ୍ଦେହ ଆସିଛି ମୁଁ ନିଜେ ବଞ୍ଚିଛି କି ନାଇଁ ବୋଲି । ତଥାପି ବିଶେଷ ଅସୁବିଧା ହୋଇନାହିଁ । ଅସୁବିଧା ବା କାହିଁକି ହୁଅନ୍ତା ? ମୁଁ ତ ପ୍ରତି ମୁହୂର୍ତ୍ତରେ ଆଶା କରିଆସିଛି ଯେ ପରମୁହୂର୍ତ୍ତରେ କିଛି ଘଟିବ ! ଏମିତି ଆଶା, ଏମିତି ପ୍ରତୀକ୍ଷା ଭିତରେ ବିତିଯାଇଛି ଛ’ ମାସ ଏବଂ ବିତି ଯାଉଛି ପ୍ରତିଟି ମୁହୂର୍ତ୍ତ ତଥା ଆଉ ଏମିତି ଛ’ଶହ ବର୍ଷ ବିତିଗଲେବି କିଛି ଅସୁବିଧା ନାଇଁ !!

 

କିଛି ଆଦୌ ଘଟି ନାଇଁ ବା ଘଟୁନାଇଁ, ଏଇଟା ସତ !

 

କିନ୍ତୁ କିଛି ଗୋଟେ ଘଟିବ, ଏଇଟାବି ତତୋଽଧିକ ସତ ।

 

କିଛିବି ଘଟିପାରେ, ଏଇଠି–ଏଇ ମୁହୂର୍ତ୍ତରେ, ଆଜି ! ନତୁବା ଟିକେ ପରେ, ନଚେତ୍ ଆସନ୍ତାକାଲିର ଯେକୌଣସି ମୁହୂର୍ତ୍ତରେ । ନଚେତ୍ ତା’ରଦିନ । ବା ତା'ପରଦିନ । କୌଣସି ଦିନ, କିଛି ଗୋଟେ ।

 

ଅନେକ କିଛି ଘଟିବାର ଅଛି, ଅଥଚ କିଛିହିଁ ଘଟୁନାଇଁ ।

 

ଅନେକ କିଛି ଘଟିବାର ଥିଲା, ଅଥଚ କିଛିହିଁ ଘଟିଲା ନାଇଁ ।

 

କିନ୍ତୁ ମତେ ଭଲରୂପେ ମାଲୁମ ଅଛି ଯେ, ଭବିଷ୍ୟତରେ ଅନେକ କିଛି ଘଟିବ–ଅବା ଅନେକ ଭିତରୁ ଗୋଟେ ନିଶ୍ଚୟ ଘଟିବ ! ଯେକୌଣସି ଦିନ ଯେକୌଣସି ମୁହୂର୍ତ୍ତରେ କିଛି ଗୋଟେ ନିଶ୍ଚୟ ଘଟିବ ! କିଛି ଗୋଟେ ଘଟିପାରେ ଭୟଙ୍କର । ଅବଶ୍ୟ ମୁଁ ଯେମିତି ଆଶା କରୁଚି, ସେମିତି ଘଟି ନପାରେ, ଅନ୍ୟଭାବେ ଘଟିପାରେ । ଜମା ଘଟିନପାରେ ମଧ୍ୟ । କିନ୍ତୁ ତା’ ବୋଲି ଘଟିବାର ସମ୍ଭାବନାଟିକୁ ମୁଁ କଦାପି ଏଡ଼ାଇ ଦେଇପାରିବି ନାଇଁ । ଘଟିପାରେ କିଛି ଭୟଙ୍କର, ଯେକୌଣସି ମୁହୂର୍ତ୍ତରେ କାଜଲ୍‍ ମିଆଁ ହାଜର ହୋଇପାରେ ମୋ ଘରେ ବା ମୋ ସାମ୍ନାରେ ଏବଂ ତା'ପରେ ଘଟିପାରେ କିଛି ଗୋଟେ ଭୟଙ୍କର !

 

କଥାଟା ଏତେଦୂର ଯିବାର କିଛି କାରଣ ନଥିଲା । ଗତ ନିର୍ବାଚନବେଳର କଥା । ମୁଁ ଯେଉଁ ଦଳପାଇଁ ପ୍ରଚାର କରୁଥିଲି, କାଜଲ୍ ମିଆଁ ତା’ର ମୁଖ୍ୟ ବିରୋଧୀଦଳ ପାଇଁ ପ୍ରଚାର କରୁଥିଲା । ସେଇଠି ଥିଲା ତା' ମୋ ଭିତରେ ଶତ୍ରୁତା । ଆମର ଶତ୍ରୁତା କ୍ରମଶଃ ତୀବ୍ରରୁ ତୀବ୍ରତର ହେଲା ଏବଂ ଦିନେ ଆମ ଦଳରେ ଖବର ପହଞ୍ଚିଲା ଯେ କାଜଲ୍‍ ଘରେ ଅନୁପସ୍ଥିତ ବୋଲି । ରାତିଅଧରେ, ମୁଁ ଏବଂ ଆଉ କେତେଜଣ କାଜଲ୍‍ ମିଆଁର ଘରର କବାଟ ଖଡ଼ଖଡ଼ କଲୁ ଏବଂ ଭିତରୁ ଆସୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଆମ ଦଳରେ ଥିବା ଗୋଟେ ବିହାରୀ ମିଆଁ ଦେଇଥିବାରୁ ଭିତରେ ଲୋକଙ୍କର କିଛି ସନ୍ଦେହ କରିବାର ନଥିଲା ତଥା ଦରଜା ଖୋଲିଗଲା । ତା’ ପରର କଥା ବର୍ଣ୍ଣନା କରିବାକୁ ଏବେ ମତେ ଲାଜ ଲାଗୁଚି । କିନ୍ତୁ ସେତେବେଳେ ଆମ ଦଳରେ ମତେ ମିଶାଇ କେହି ଆଉ ମଣିଷ ଅବସ୍ଥାରେ ନଥିଲେ । ଭିତରର ସଦସ୍ୟମାନେ କେହି ପାଟି ଖୋଲିବା ଆଗରୁ ସମସ୍ତଙ୍କୁ ଭଲରୂପେ ବାନ୍ଧି ଦିଆଗଲା ଏବଂ ଅଧିକ ନିରାପଦ ହେବାପାଇଁ ପ୍ରତ୍ୟେକଙ୍କ ପାଟିରେ ରୁମାଲ ଭର୍ତ୍ତି କରାଯିବାଟା ଥିଲା ସ୍ଵାଭାବିକ କଥା । ଆମ ଦଳରେ ମୋଟରେ ଥିଲେ ଛ' ଜଣ । ସେମାନଙ୍କ ଭିତର ଦୁଇଜଣଙ୍କ ବିବେକ ଟିକେ ଭଲଥିଲା ବୋଲି କହିବାକୁ ହେବ । କାରଣ ସେ ଦୁଇଜଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପହରାଦେବାକୁ ପସନ୍ଦ କରିଥିଲେ । ବାହାରର ଲୋକମାନେ ଅବଶ୍ୟ ଘଟଣାଟାର ସୁରାକ ମଧ୍ୟ ପାଇ ନଥିଲେ । ଅବଶିଷ୍ଟ ଚାରିଜଣଙ୍କ ମଧ୍ୟରୁ ତିନିଜଣଙ୍କ ହାତରେ କାଜଲ୍‍ ମିଆଁର ପତ୍ନୀକୁ ଛାଡ଼ିଦେଇ ମୁଁ କାଜଲ୍‍ ମିଆଁର ସେଇ ଗୋରୀ, ପାତଳୀ ଭଉଣୀକୁ ନେଇ ଏକାକୀ ଗୋଟେ ଭିତରଘରକୁ ଚାଲିଗଲି । କାଜଲ୍‍ ମିଆଁର ଭଉଣୀ ଥିଲା ଏକ ସତେଜ ଗୋଲାପ ପରି ଏବଂ ତାକୁ ଅନ୍ୟମାନଙ୍କ ସାମ୍ନାରେ ଉପଭୋଗ କରିବାର ଇଚ୍ଛା ଆଦୌ ନଥିଲା ମୋର ବା ସେପରି କୋମଳ ପୁଷ୍ପଟିକୁ ଉପଭୋଗ ପରେ ଅନ୍ୟମାନଙ୍କ ହାତରେ ସମର୍ପି ଦେବାର ଆଗ୍ରହ ନଥିଲା ମୋର !!

 

ଯା’ ହେଉ, ସେସବୁ ଗତ ନିର୍ବାଚନବେଳର କଥା । ଚାରି/ପାଞ୍ଚବର୍ଷ ତଳର । କିନ୍ତୁ କାଜଲ୍ ମିଆଁ ଯେ କୌଣସି ମୁହୂର୍ତ୍ତରେ ଏକାକୀ ବା ଦଳବଳ ସହ ପହଞ୍ଚିପାରେ ଯେକୌଣସି ସମୟରେ–ରାତିରେ/ଦିନରେ, ଆଜି/କାଲି, ଏଇ ମୁହୂର୍ତ୍ତରେ ବା ପର ମୁହୂର୍ତ୍ତରେ ଏବଂ ତା'ପରେ କିଛି ଗୋଟେ ଘଟିପାରେ ନିହାତି ଭୟଙ୍କର । ଅର୍ଥାତ୍ କଟିଯାଇପାରେ ମୋର ବେକ ବା ଗୋଟେ ହାତ ବା ଗୋଟେ ଗୋଡ଼ । କିଛି ଅସମ୍ଭବ ନୁହେଁ । ସୌଭାଗ୍ୟ ଯେ ମୋ ବାପା–ମା’ ଏବେ ବଡ଼ଭାଇଙ୍କ ପାଖରେ, ଅନ୍ୟଏକ ସହରରେ । ଏବଂ ମୋର ଜନ୍ମରୁ ଭଉଣୀ ନାଇଁ । ମୁଁ ବି ଅବିବାହିତ । ଏବେ ଘରେ ମୁଁ ଏକା । ତେଣୁ କାଜଲ୍‍ ମିଆଁ ଅଧିକ କିଛି କରିପାରିବ ନାଇଁ–କେବଳ ମତେ ଜୀବନରୁ ମାରିଦେଇପାରେ ।

 

କିନ୍ତୁ ପ୍ରାୟ ଚାରି/ପାଞ୍ଚବର୍ଷ ହୋଇଗଲେବି କାଜଲ୍‍ ମିଆଁର ଦେଖାନାଇଁ କାହିଁକି ? ସେ କ’ଣ ଜାଣିପାରି ନାଇଁ ଅପରାଧୀର ପତ୍ତା ? ସେକଥା ଅସମ୍ଭବ ! ନା ସେ ମତେ ଜାଣିଜାଣି ଏମିତି ଭୟରେ ପଳପଳ ଜାଳିଦେବାକୁ ଚାହେଁ ? ନା ମୁଁ ବିବାହ କରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଚି ? ତା’ପରେ ସେ ଆସିବ ଏବଂ... ! ଏବଂ କ’ଣ ? କ'ଣ କରିବ ? କିଛିବି କରିପାରେ । ଘଟିପାରେ କିଛି ଭୟଙ୍କର । କିଛି ଖୁବ୍ ଭୟଙ୍କର । ଅସମ୍ଭବ ନୁହେଁ । ଏସବୁ ବାଜେ ଚିନ୍ତା ? କିଛି ଆଦୌ ଘଟି ନପାରେ ? ଘଟି ନପାରିବାଟା ଗୁରୁତର ନୁହେଁ, ଗୁରୁତର ହେଲା ଯେକୌଣସି ମୁହୂର୍ତ୍ତରେ କିଛି ଭୟଙ୍କର ଘଟିଯିବାର ସମ୍ଭାବନାଟା !

 

ଏଇ ଛି’ମାସ ହେଲା କାହିଁକି କେଜାଣି ମୁଁ ଭାବୁଚି କାଜଲ୍‍ ମିଆଁ ଆସିବ । ମୋ ଘରକୁ, ରାତିଅଧରେ । ଅବା କେଉଁ ହୋଟେଲରେ ଖାଉଥିବାବେଳେ ପହଞ୍ଚି ଯିବ । ବା ସିନେମା ହଲ୍‌ରୁ ଫେରିବାବେଳେ ବା ହାଟରୁ ଫେରିବାବେଳେ ଯେକୌଣସି ମୁହୂର୍ତ୍ତରେ ଏବଂ ଯେକୌଣସି ଦିନ । ଏବେ ତ ତା’ ଦଳ ଶାସନରେ ଏବଂ ତା' ନାଁଟି ଉଠୁଛି ପଡ଼ୁଚି । ସରକାର ତ ଆଉ ମାତ୍ର କେତେଟା ମାସ ରହିବ, ନୂଆ ନିର୍ବାଚନ ପୂର୍ବରୁ କିଛି କରିବା କଥା କାଜଲ୍‍ ମିଆଁ, କିନ୍ତୁ କିଛି କରୁନି କାହିଁକି ? କାହିଁକି ?

 

ଛ’ମାସ କିଛି ଘଟିଲା ନାଇଁ, ଅଥଚ ଏଇ କାଜଲ୍‍ମିଆଁଟା ତ ଥରେ ଆସିପାରିଥାନ୍ତା ଏବଂ କିଛି ଭୟଙ୍କର ଘଟାଇପାରିଥାନ୍ତା ମୋ ଜୀବନରେ । କିନ୍ତୁ କିଛି ଘଟିଲା ନାଇଁ । ଏଣେ ମୁଁ ଅହରହ ଭାବୁଚି କାଜଲ୍‍ ମିଆଁ ଯେକୌଣସି ସମୟରେ ଆସିପାରେ ସେ କିନ୍ତୁ ଆସୁ ନାଇଁ । ହୁଏତ ଆଜି ଆସିପାରେ ବା କାଲି ବା ପଅରଦିନ ବା ତା’ପରଦିନ ବା ତା’ପରଦିନ । ଜମା ନଆସିପାରେବି ! କିନ୍ତୁ ଜମା ନଆସିବାଟା ବଡ଼କଥା ନୁହେଁ, ବଡ଼କଥା ହେଲା ଆସିବାର ସମ୍ଭାବନାଟା । ହୁଏତ ସେ ଆସିବାରେ ଏବଂ ମୋ ଜୀବନରେ କିଛି ଘଟୁ ନଥିବାର ଅଜବ ପରିସ୍ଥିତିକୁ ବଦଳାଇ ଦେଇପାରେ । ଘଟାଇପାରେ କିଛି ଭୟଙ୍କର ଏକ ବିସ୍ଫୋରଣ । ସେମିତି ଭୟଙ୍କର କିଛି ଘଟିଲେ ଅବଶ୍ୟ ମୋର କିଛି କରିବାର ନାଇଁ । ଏବେ ମୋର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାଇଁ ! ମୋର ନିଜର ଦଳବଳ ନାଇଁ । ସର୍ବୋପରି, କାଜଲ୍‍ର ଦଳ ତ ଶାସନରେ ଏବେ !

 

କାଜଲ୍ ଆସିପାରେ ଏବଂ ଘଟିପାରେ କିଛି ଭୟଙ୍କର ! କାଜଲ୍ ନ ଆସି ଅନ୍ୟ କିଛି ଘଟିପାରେ । ଘଟିପାରେ କିଛି ରୋମାଣ୍ଟିକ୍ । ଘଟି ନପାରେ ମଧ୍ୟ ! ସେଇଟା ବଡ଼କଥା ନୁହେଁ, ବଡ଼କଥା ହେଲା ଘଟିବାର ସମ୍ଭାବନାଟି, ହୁଏତ ଆଜି ବା କାଲି ବା ପଅରଦିନ ବା ତା’ ପରଦିନ ବା ତା’ ପରଦିନ–ଘଟିପାରେ କିଛି ରୋମାଣ୍ଟିକ୍ ଯେକୌଣସି ମୁହୂର୍ତ୍ତରେ ଏବଂ ଅଚାନକ ମୋର ଏଇ ଅଜବ ଜୀବନରେ ହୁଏତ ସଂଚାରିପାରେ କିଛି ମଧୁର ଅନୁଭୂତି, କିଛି ସ୍ମୃତିମୟ ଅନୁଭବ, କିଛି ତୃପ୍ତିମୟ ଶିହରଣ ।

 

ଘଟିପାରେ କିଛି ରୋମାଣ୍ଟିକ୍, ଯଦିଓ ମତେ ନେଇ କିଛି ଘଟିନି ଗତ ଛି’ମାସ ଧରି ।

 

ଏମିତି ଘଟିପାରେ ଯେ, ଯେଉଁ ଝିଅଟିକୁ ଢେର୍ ଦିନ ତଳେ ମୁଁ ପ୍ରେମ ନିବେଦନ କରିବାକୁ ଯାଇଥିଲି ଏବଂ ଯିଏ ସେଦିନ ମତେ ଖୁବ୍ ନିମ୍ନଭାବେ ଜଣାଇଥିଲା ଯେ ମୁଁ ତା’ର ପିଛା ଛାଡ଼ିଦେବା ଉଚିତ ବୋଲି, ସେଇ ଝିଅଟି ସହ ମୋର ଅଚାନକ କୌଣସି ନା କୌଣସି ସ୍ଥାନରେ, କୌଣସି ନା କୌଣସି ସମୟରେ ଭେଟ ହୋଇଯାଇପାରେ । ଯେକୌଣସି ସ୍ଥାନ ମୋ ଘର ବା ବସ୍‌ଷ୍ଟାଣ୍ଡ ବା ସିନେମାହଲ୍ କାଉଣ୍ଟର ବା ଡାକ୍ତରଖାନା ବା ରାସ୍ତାରେ! ଯେକୌଣସି ସମୟ–ଆଜି ବା କାଲି ପଅରଦିନ, ଏବେ ବା ଟିକେ ଡେରିରେ ବା ଅନେକ ଡେରିରେ । ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଭେଟ ହୁଅନ୍ତା ! ହେବାଟା ଅସମ୍ଭବ ନୁହେଁ, ଯଦିଓ ସେଇ ପ୍ରଥମ ପ୍ରେମ ନିବେଦନ ପରେ ସେ ଝିଅଟି ସହ ନା ମୋର ପତ୍ରାଳାପ ଅଛି, ନା ଅଛି ଦେଖାସାକ୍ଷାତ୍, ନା ଅଛି କୌଣସି ସଂଯୋଗ ବା କୌଣସି ସମ୍ପର୍କ ।

 

ତେବେବି କିଛି ଗୋଟେ ରୋମାଣ୍ଟିକ୍ ଘଟିଯାଇପାରେ, ଯଦିଓ ଛ’ମାସଧରି କିଛିହିଁ ଘଟିନି ରୋମାଣ୍ଟିକ୍ । କେଉଁ ପରିସ୍ଥିତିରେ ସେ ଝିଅଟି ସହ ଭେଟ ହେଲେ ହୁଅନ୍ତା ସବୁଠୁ ରୋମାଣ୍ଟିକ୍ ? ମୁଁ ହୁଏତ ସ୍ଥିର କରିପାରିବି ନାଇଁ । ଯେକୌଣସି ସ୍ଥାନ ହେଲେ ଚଳିବ ! ଯେକୌଣସି ପରିସ୍ଥିତି । ଯେକୌଣସି ସମୟ । ସେଇ ଝିଅଟି ପାଇଁ ତ ମୁଁ ଏବେବି ଛାତିତଳେ ପୃଥିବୀଟେ ପ୍ରସ୍ତୁତ କରି ରଖିଛି, ତେଣୁ ଯେକୌଣସି ସମୟ, ଯେକୌଣସି ଦିନ, ଯେକୌଣସି ମୁହୂର୍ତ୍ତ, ଯେକୌଣସି ସ୍ଥାନରେ ତା’ ସହ ଭେଟ ହେଲେ ସେଇଟା ହେବ ମୋପାଇଁ ସବୁଠୁ ରୋମାଣ୍ଟିକ୍ !

 

ଯଦିଓ ତା’ପାଇଁ ଏତେ ଜାଗାଅଛି ଛାତି ତଳର ପୃଥିବୀରେ, ସେ ଆସୁନାଇଁ ! ଆସିବା ଉଚିତ ଏବଂ ଘଟିବା ଉଚିତ କିଛି ଗୋଟେ । ପୁଣି ଏବେ ଏଇ ଛି’ମାସର ନିର୍ଜନତା, ଅସହ୍ୟ ବୋରଡ଼ମ୍ ଭିତରେ ମୋର କେବଳ ତା’ କଥା, ତା’ ମୁହଁ ବେଶୀ ବେଶୀ ମନେପଡ଼ିଛି । ସେ ଆସିବା ଉଚିତ । ଘଟିବା ଉଚିତ କିଛି ଗୋଟେ କେମିତି କିଛି ରୋମାଣ୍ଟିକ୍ ଘଟି ନାଇଁ ଛ'ମାସ ଧରି ଜଣକର ଜୀବନରେ ? କିଛି ଗୋଟେ ନିଶ୍ଚିତ ଘଟିବା ଉଚିତ ।

 

ଝିଅଟି ସହ ମୁହାଁମୁହିଁ ହୋଇଯାନ୍ତା ଏବଂ ଝିଅଟି କହନ୍ତା, : ‘ନମସ୍କାର !’

 

‘ ନମସ୍କାର !' ମୁଁ ସ୍ଵତଃ ହସିଦିଅନ୍ତି ଏବଂ ନିଜ ଆଡ଼ୁ କିଛି କହନ୍ତି ନାଇଁ ।

 

ଯେକୌଣସି ସ୍ଥାନ ହୋଇପାରେ ଆମ ଭେଟାଭେଟିର ସ୍ଥାନ ଏବଂ ଯେକୌଣସି ସମୟ-। ଯେକୌଣସି ଦିନ !

 

‘କ’ଣ କରୁଛନ୍ତି ଏବେ ?’ ସେ ପଚାରୁଥାନ୍ତା ଟିକେ ପରେ ଏବଂ ମୁଁ ହସନ୍ତି ଖୁବ୍ ଧୀରେ ଏବଂ କହନ୍ତି ନାଇଁ କିଛି, ହସ ମାଧ୍ୟମରେ ଜଣାଇଦେବାକୁ ଚାହୁଁଥାନ୍ତି ଯେ, କିଛିବି ଗୋଟେ କରୁଚି ଏବଂ ସେ ସମ୍ପର୍କରେ ଜାଣିବାର ଆବଶ୍ୟକ ବା କ’ଣ ? ମୋ ମନତଳେ ଅଭିମାନଟିଏ ଥାନ୍ତା, ଗଦାଏ ବରଫ ପରି, ଯେ ମୋ ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବା ପରେ ଆଉ ପରସ୍ପରକୁ ନିଜ ନିଜ ସମ୍ପର୍କରେ ଜଣାଇବା କ'ଣ ଦରକାର ଯେ ?

 

‘କେମିତି ଅଛନ୍ତି ?' ସେ ପୁନର୍ବାର ପଚାରନ୍ତା ।

 

‘ଭଲ ଅଛି–ବଞ୍ଚିଛି ?’ ମୁଁ ହସନ୍ତି ।

 

କିଛି ସମୟ ବିରାଜମାନ କରୁଥାନ୍ତା ନୀରବତା ଏବଂ ମୋ ଭିତରର ଅଭିମାନର ବରଫ ପାହାଡ଼ଟି କ୍ରମଶଃ ବୃଦ୍ଧି ପାଉଥାନ୍ତା ! ମଣିଷ ତ ଅଭିମାନର ପାହାଡ଼ଟିଏ ।

 

ଏମିତି କିଛି ଘଟିବାଟା ବା ଘଟିବାପାଇଁ ମୁଁ ଆଶା କରୁଥିବାଟା ସତରେ ଅଦ୍ଭୁତ କଥା ନୁହେଁ କି ? ଝିଅଟା ସହ ମୋର ଆଦୌ ଭେଟ ହେବାର ନାଇଁ ବା ଝିଅଟି କଦାଚନ ମୋତେ ପ୍ରେମ କରିବାର ସମ୍ଭାବନାହିଁ ନାଇଁ । ତଥାପି ତା' ସହ ମୋର ହୁଅନ୍ତା, ଭେଟ ହେବାପରେ ମୋ ଭିତରେ ବଢ଼ୁଥାନ୍ତା ଅଭିମାନର ବରଫ ପାହାଡ଼ଟିଏ ଏବଂ ତା’ର ପ୍ରତି କଥାରେ ମୁଁ ତାକୁ ଏକ କୋମଳ ଆଘାତ ଦେବାକୁ ଚାହୁଁଥାନ୍ତି । ଏସବୁ ନିହାତି ଅଦ୍ଭୁତ, ନିହାତି ଅଜବକଥା ନୁହେଁ କି ? କିନ୍ତୁ କିଛି ତ ଗୋଟେ ଘଟିବା ଆବଶ୍ୟକ, ଛି’ ମାସ ଧରି କିଛି ଘଟିନାଇଁ ଯେ ! ହୋଇପାରେ–କାଲି ବା ତା'ପର ଦିନ ବା ତା’ପର ଦିନ ବା କୌଣସି ଦିନ କୌଣସି ମୁହୂର୍ତ୍ତରେ କୌଣସି ସ୍ଥାନରେ ଝିଅଟି ସହ ମୋର ଭେଟ ହୋଇପାରେ ଏବଂ ଘଟିପାରେ କିଛି ଖୁବ୍ ରୋମାଣ୍ଟିକ୍, କିଛିବି ଘଟିପାରେ ।

 

‘କୋଉଠି ରହୁଛନ୍ତି ଏବେ ? ଝିଅଟି ପୁନର୍ବାର ପଚାରୁଥାନ୍ତା ଏବଂ ମୋ ଭିତରେ ବୃଦ୍ଧି ପାଉଥାନ୍ତା ଅଭିମାନର ବରଫ ପାହାଡ଼ଟିଏ । ମୁଁ ମୋ ଘର ନମ୍ବର ଦେଇ ଦିଅନ୍ତି ।

 

କିଛିବି ଘଟିପାରେ ଏବଂ ମୋ ଚିନ୍ତାରେ ଅଚାନକ ଦୃଶ୍ୟଟି ପରିବର୍ତ୍ତିତ ହୋଇ ସ୍ଥାନାନ୍ତରିତ ହେଉଥାନ୍ତା ମୋ ଘରକୁ । ଆଜିବି ହୋଇପାରେ ! କାଲିବି । ନଚେତ୍ ତା’ ପରଦିନ ! ବା ତା'ପରଦିନ ! ସକାଳ ବା ମଧ୍ୟାହ୍ନ ଅବା ଗୋଧୂଳି ବା ରାତି !

 

ମୋ ଘର କବାଟ ଖଡ଼ଖଡ଼ ହୁଅନ୍ତା, ଘରେ ଥାନ୍ତି ମୁଁ ଏକାଏକା ଏବଂ ଉଠିଯାଇ ଫିଟାଇ ଦିଅନ୍ତି କବାଟ । ସାମ୍ନାରେ ଥାଆନ୍ତା ଝିଅଟି ଏବଂ ତା’ ମୁହଁକୁ ସଂଚରି ଆସୁଥାନ୍ତା ସତେଜ ହେନାର ସ୍ତବକ ପରି ହସଟିଏ ।

 

: ‘କ’ଣ ଭିତରକୁ ଡାକିବ ନାଇଁ ନା କ'ଣ ?’ ମୁଁ କାବା ହୋଇ ତାକୁ ଚାହିଁଥିବା ଦେଖି ଝିଅଟି ମୃଦୁହସ ସହ ପଚାରନ୍ତା ଏବଂ ମୁଁ ତା’ ସାମ୍ନାରୁ ଆଡ଼େଇ ହୋଇଯାନ୍ତି ତଥା ସେ ପଶିଆସନ୍ତା ଘର ଭିତରକୁ !

 

‘କେହି ନାହାନ୍ତି ନା କ’ଣ ?' ସେ ପଚାରନ୍ତା !

 

: ‘କିଏ ଥାନ୍ତା ?’ ମୋର ଏଇ ପ୍ରଶ୍ନଟି ମୋ ଭିତରର ବରଫ ପାହାଡ଼ାଟିକୁ ଆହୁରି ବଢ଼ାଇ ଦେଉଥାନ୍ତା ।

 

ନିରବତା ବିରାଜମାନ କରୁଥାନ୍ତା କିଛିକ୍ଷଣ ।

 

: ‘କୁଆଡ଼େ ଆସିଲେ ?’ ମୁଁ ପଚାରନ୍ତି । କଳ୍ପନାରେ ମୁଁ ତାକୁ ‘ତୁ’–‘ତା’ ସମ୍ବୋଧନ କରେ । କିନ୍ତୁ ଯଦି ସେ ଆସନ୍ତା, ତେବେ ମୁଁ ତାକୁ ନିଶ୍ଚିତ ଅଭିମାନରେ ‘ଆପଣ’ ବୋଲି ସମ୍ବୋଧନ କରନ୍ତି । ସେ ମୋ'ଠୁ ବୟସରେ ସାନ ହୋଇଥିବା ଯୋଗୁଁ ମୋର ତାକୁ ଆପଣ କହିବା ଯୋଗୁଁ ଆଶ୍ଚର୍ଯ୍ୟ ହେଉଥାନ୍ତା ।

 

ଏମିତି କିଛି ଗୋଟେ ଘଟିବା ଉଚିତ । ଆଜି ବା କାଲି ବା ପଅରଦିନ ବା ତା'ପର ଦିନ–ଯେକୌଣସି ସମୟରେ–ସକାଳେ ବା ମଧ୍ୟାହ୍ନରେ, ଗୋଧୂଳିରେ ବା ସନ୍ଧ୍ୟାରେ ବା ରାତ୍ରିରେ-। ଏମିତି କିଛି ରୋମାଣ୍ଟିକ୍ ଘଟିବାର ଚିନ୍ତାଟା ମୋର ବେଳେବେଳେ ପରିବର୍ତ୍ତିତ ହୋଇଯାଏ-। ଭାବେ ମୁଁ ଅସୁସ୍ଥ ହୋଇଥାନ୍ତି । ମନେ କରାଯାଇପାରେ ଜ୍ୱର, ଶୋଇଥାନ୍ତି ମୋ ଘରେ-। ଯେକୌଣସି ଦିନ ଏକଥା ଘଟିବା ବିଚିତ୍ର ନୁହେଁ । ଘଟିବା ଉଚିତ, କାରଣ ଗତ ଛ'ମାସ ଧରି ମୋ ଜୀବନରେ କିଛି ବୋଲି କିଛିହିଁ ଘଟି ନାଇଁ !

 

ମୋ ଘର ଏବଂ ମତେ ହୋଇଥାନ୍ତା ଜର । ମୁଁ ଘୋଡ଼େଇ ହୋଇ ଶୋଇଥାନ୍ତି ଖଟ ଉପରେ, ଭିତରଘରେ, ଏତିକିବେଳେ କବାଟ ଖଡ଼ଖଡ଼ ହୁଅନ୍ତା ! ‘ଭିତରକୁ ଆସ ।’ ମୁଁ କହନ୍ତି ରେଜେଇ ଭିତରୁ ଏବଂ ଚାହିଁ ରହନ୍ତି ଦୁଆରମୁହଁ ଆଡ଼କୁ କେତେକ୍ଷଣ ପରେ ଭିତରଘରର ଦୁଆରମୁହଁ ନିକଟରେ ଆବିର୍ଭୂତ ହୁଅନ୍ତା ମୂର୍ତ୍ତିଟିଏ–ସେଇ ଝିଅଟି । ସେ ଶାଢ଼ି ପିନ୍ଧିଥାଇପାରେ ଅବା ଅନେକ ବର୍ଷ ତଳେ, ମୁଁ ତାକୁ ପ୍ରେମ ନିବେଦନ କରିବାକୁ ଯାଇଥିବାବେଳେ ଯେମିତି ନୀଳରଙ୍ଗର ମିଡ଼ିଟିଏ ପିନ୍ଧିଥିଲା, ସେମିତି ମିଡ଼ିଟିଏ ପିନ୍ଧିଥାଇପାରେ । ସେ ନାରୀଟିଏ ପରି ଦିଶୁଥାଇପାରେ ଅବା ଦିଶୁଥାଇପାରେ ଛୋଟଝିଅଟେ ପରି । ସେ ତା’ର କୁଞ୍ଚିତ କେଶଗୁଚ୍ଛକୁ ବାନ୍ଧି ଥାଇପାରେ ଅବା ମୁଁ ତାକୁ ସେତେବେଳେ ଦେଖିବା ପରି କେଶଗୁଚ୍ଛକୁ ମୁକୁଳା କରିଥାଇପାରେ । କିଛିବି ହୋଇପାରେ । କିଛି ଅସମ୍ଭବ ନୁହେଁ ।

 

‘କ’ଣ ହୋଇଛି ଆପଣଙ୍କର ?’ ସେ କହୁକହୁ ଭିତରକୁ ଆସୁଥାନ୍ତା ଏବଂ ମୋ ଭିତରେ ଅଭିମାନର ବରଫ ପାହାଡ଼ଟି କ୍ରମଶଃ ବୃଦ୍ଧିପାଉଥାନ୍ତା । ମଣିଷ ତ ଅଭିମାନର ବରଫ ଗଦାଟିଏ ।

 

‘କିଛି ହେଇନି ମ ।’ ମୁଁ କହୁଥାନ୍ତି ଏବଂ ପାହାଡ଼ଟି ଆହୁରି ବଢ଼ିବାରେ ଲାଗିଥାନ୍ତା । ସେ କିନ୍ତୁ ପାଖକୁ ଆସୁଥାନ୍ତା ଏବଂ ମୋ କପାଳ ଉପରେ ହାତ ରଖିଥାନ୍ତା ତଥା ମୋ ଭିତରେ ବରଫ ପାହାଡ଼ଟି ଆହୁରି ବଢ଼ୁଥାନ୍ତା !

 

‘ହେ ଭଗବାନ ! ଆପଣଙ୍କୁ ଏତେ ଜର ।’ ସେ ସ୍ଵଗତୋକ୍ତି କରୁଥାନ୍ତା ଏବଂ ମୁଁ ଆଖିବୁଜି ଦେଉଥାନ୍ତି, ଜ୍ଵରର ଯନ୍ତ୍ରଣାରେ ନୁହେଁ–ଅଭିମାନର ପାହାଡ଼ଟି ଆହୁରି ବଢ଼ି ଯାଉଥିବାର ଜ୍ଵଳନରେ !

 

ତା'ପରେ ? ତା'ପରେ ଅନେକ କିଛି ସମ୍ଭବ ! ଅନେକ କିଛି ଘଟିପାରେ । ସେ ମୋ'ଠୁ ବିଭିନ୍ନ କଥା ବୁଝି ମତେ ଔଷଧ ଖୁଆଉଥାନ୍ତା । ମତେ ହର୍ଲିକ୍ସ ଗୋଳାଇ ପିଆଇ ଦେଉଥାନ୍ତା । ମୋ ମୁଣ୍ଡ ଚିପିଦେଉଥାନ୍ତା । ମୁଁ ଆଖିବୁଜି ପଡ଼ିଥାନ୍ତି ଏବଂ କିଛିହିଁ କହୁ ନଥାନ୍ତି ।

 

‘ଥାଉ', କେତେବେଳକେ ମୁଁ କହନ୍ତି, ‘ଏମିତି ହେଲେ ମୋର ଅଭ୍ୟାସରେ ପଡ଼ିଯିବ ଯେ ! ପ୍ରତିଦିନ ଏମିତି ସେବା ଦରକାର ହେବ । ପ୍ରତି ଥର ଦେହ ଖରାପ ହେଲେ କାହାର ଦରକାର ପଡ଼ିବ–ଏବେ ତ ଏମିତି ଚଳିଯାଉଚି ଏକାଏକା ।’

 

ମୋ ଭିତରେ ବୃଦ୍ଧିପାଉଥାନ୍ତା ଅଭିମାନର ବରଫ ପାହାଡ଼ଟିଏ ।

 

ତା'ପରେ ସେ କିଛି ତ ଗୋଟେ କୁହନ୍ତା ! ଏଇ ଯେମିତି, ‘ସବୁଦିନ ଆପଣଙ୍କ ସେବା କଲେ ଆପଣ ସତରେ ବାଧା ଦେବେ ନା କ'ଣ ?' ଏବଂ ତା'ପରେ ମୋ ଆଖି ଖୋଲିଯାନ୍ତା ଏବଂ ମୁଁ ତାକୁ ନିରିଖେଇ ଚାହାନ୍ତି । ମୋ’ର ତା'ପରେ କ'ଣ ହୁଅନ୍ତା କେଜାଣି, ଅଭିମାନର ଏତେବଡ଼ ବରଫ ଗଦାଟା ବା ବରଫ ପାହାଡ଼ଟା ନିମିଷକେ ତରଳିଯାଆନ୍ତା, କ୍ରମଶଃ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇଯାନ୍ତା ଏବଂ ଶେଷରେ କିଛି ନଥାନ୍ତା ଏବଂ ମୁଁ ଧୀରେ ଧୀରେ ତା’କୁ ମୋ ଆଡ଼କୁ ଆଉଜାଇ ଆଣନ୍ତି ! ମଣିଷ ତ ବରଫ ପାହାଡ଼ଟିଏ, ଯେକୌଣସି ମୁହୂର୍ତ୍ତରେ ତରଳିଯାଇ ନଦୀଟିଏ ହୋଇଯାଇପାରେ ।

 

‘‘ଏମିତି କିଛି ଗୋଟେ ଘଟିବା ଉଚିତ । ଆଜି ବା କାଲି । ତା’ପଅରଦିନ ବା ତା'ପରଦିନ ବା କୌଣସିଦିନ । ଯେକୌଣସି ସମୟରେ–ସକାଳେ, ମଧ୍ୟାହ୍ନରେ, ଗୋଧୂଳିରେ, ସନ୍ଧ୍ୟାରେ ବା ରାତିରେ ! ଅଜବ କଥା–ଛ’ମାସ ହେବ କିଛିହିଁ ଘଟିନାଇଁ । ତା’ ବୋଲି କ’ଣ କିଛି ଘଟିବ ନାଇଁ ? ଘଟିବ । ନିଶ୍ଚେ ଘଟିବ । କିଛି ଗୋଟେ । ହୁଏତ ଏବେ । ବା ଟିକେ ପରେ ବା ଅନେକ ପରେ । ଆଜି ବା କାଲି । ବା କୌଣସି ଦିନ !

 

ହୁଏତ ଘଟିପାରେ ଭୟଙ୍କର କିଛି ଗୋଟେ, ଯେମିତିକି କାଜଲ୍‍ମିଆଁର ଆବିର୍ଭାବ ଏବଂ ମୋ ଉପରେ ପ୍ରତିଶୋଧ ନେବା । ସେକଥା ଘଟିବା ତ ବିଚିତ୍ର ନୁହେଁ । ଘଟିପାରେ । ହୁଏତ ଘଟିପାରେ କିଛି ଖୁବ୍ ରୋମାଣ୍ଟିକ୍ । ଯେମିତିକି ଏ ଝିଅଟିର ଆବିର୍ଭାବ ଏବଂ ଦୀର୍ଘଦିନ ପରେ ମୋର ପ୍ରେମ ସ୍ୱୀକାର କରିବା । ଏକଥା ଘଟିବା ବିଚିତ୍ର ନୁହେଁ । ଘଟିପାରେ ! କିଛିବି ଘଟିପାରେ ! କୌଣସି ସମୟରେ । କୌଣସି ଦିନ । କୌଣସି ପରିସ୍ଥିତିରେ । କୌଣସି ସ୍ଥାନରେ ।

 

ଏମିତିବି ହୋଇପାରେ, କାଜଲ୍‍ ମିଆଁ ଆଦୌ ଆଉ ମୋ ଜୀବନରେ ଆସି ନ ପାରେ । ସେ ଝିଅଟିବି ଆଦୌ ମୋ ଜୀବନରେ ଆସି ନପାରେ । ଆହୁରି ଅନେକ କିଛି ଘଟିବାକୁ ଅଛି ଏସବୁ ବ୍ୟତୀତ ଏବଂ କିଛି ଗୋଟେ ଘଟିପାରେ । ଯଦିଓ ଛ'ମାସ ହେବ ପୂରା ଶୂନ୍ୟ । କିଛିହିଁ ଘଟିନାଇଁ । ତଥାପି ନିଶ୍ଚିତ ଘଟିବ କିଛି ଗୋଟେ । ହୋଇପାରେ ଅପ୍ରତ୍ୟାଶିତ । ଅସ୍ୱାଭାବିକ । ଅଦ୍ଭୁତ । ଅଜବ । ହୁଏତ ଘଟଣା ନ ଘଟି ଘଟିପାରେ ଅଘଟଣ । କିଛି ଅବିଶ୍ଵାସ୍ୟ !!

 

ସ୍ଵାମୀ ପରିତ୍ୟକ୍ତା ଯେଉଁ ବତିଶବର୍ଷର ନାରୀଟି ଆମ ଅଫିସ୍‌ରେ ଚାକିରି କରୁଚି ଏବଂ ମୋ ସହ ଏକା ଟେବୁଲ୍‌ରେ ବସୁଚି, ସିଏ ହୁଏତ ଦିନେ ଅନ୍ତଃସତ୍ତ୍ଵା ହୋଇପାରେ ଏବଂ ଅନ୍ୟମାନଙ୍କୁ କହିପାରେ ଯେ, ମୁଁ ହେଉଚି ତା’ର ସେଇ ଅନାଗତ ସନ୍ତାନର ଜନକ । ଏମିତିକି ସିଏ ହୁଏତ ମତେ ଏଥିପାଇଁ ଚାର୍ଜ କରିପାରେ । ମୁଁ ତା’ର ସେମିତି କଥାରେ ସ୍ତମ୍ଭୀଭୂତ ହୋଇଯାନ୍ତି ଏବଂ ମୋର ସେଇ ବିସ୍ମୟ ବିମୂଢ଼ ଭାବକୁ ହୁଏତ ଅନ୍ୟ ସହକର୍ମୀମାନେ ଭାବିପାରନ୍ତି ଯେ, ମୌନେ ସମ୍ମତି ଲକ୍ଷଣମ୍ ।

 

କିଛିବି ଘଟିପାରେ, ଯେହେତୁ ଛ’ମାସ ହେବ କିଛି ଘଟିନାଇଁ । ତେଣୁ କିଛିବି ଘଟିପାରେ ଏବେ ଅବା କାଲି ଅବା ତା’ପରଦିନ ବା କୌଣସି ଦିନ ! କୌଣସି ପରିସ୍ଥିତିରେ । କିଛି ଗୋଟେ ଭୟଙ୍କର ବା ରୋମାଣ୍ଟିକ୍ ବା ଅସ୍ୱାଭାବିକ ! କିଛି ଗୋଟେ ! ଏମିତିବି ହୋଇପାରେ ସେଇ ସ୍ଵାମୀ ପରିତ୍ୟକ୍ତା ନାରୀଟି ହୁଏତ ମତେ କୋର୍ଟରେ ଚାର୍ଜ କରିପାରେ । ତା' ନିକଟରେ ତା’ର ସେଇ ଅନାଗତ ଗର୍ଭଟି ଥାନ୍ତା ତା’ର ପ୍ରମାଣ ଏବଂ ତାକୁ ସମସ୍ତେ ବିଶ୍ୱାସ କରୁଥାନ୍ତେ । ମୁଁ ଛେଳିଟିଏ ପାଲଟିଯାନ୍ତି ଏବଂ ଠିଆ ହୋଇଥାନ୍ତି କାଠଗଡ଼ାରେ । ଛେଳି ଓ ମଣିଷ ଭିତରେ ପାର୍ଥକ୍ୟ ବା କେତେ ? କାଠଗଡ଼ା ଭିତରେ ମୋର ହଠାତ୍ ଶରଣ ହେଉଥାନ୍ତା ଛେଳିକଥା ଏବଂ ମୁଁ ନିଜକୁ ଛେଳିସହ ତୁଳନା କରୁଥାନ୍ତି । ଆଶ୍ଚର୍ଯ୍ୟ କଥାରେ ମୋର ଆଉ ବିକାର ନଥାନ୍ତା । ସେଇ ନାରୀଟି ଉପରେ ମୁଁ ଆଉ ରାଗିପାରୁ ନଥାନ୍ତି ବା ନିଜ ନିର୍ଦ୍ଦୋଷପଣିଆକୁ ଜାହିର କରିବାର ପ୍ରୟାସ କରୁ ନଥାନ୍ତି । ପ୍ରଥମେ ଭାବୁଥାନ୍ତି କହି ପକାଇବି : ‘ମୁଁ କିଛି ଜାଣେନି । ମୁଁ ନିର୍ଦ୍ଦୋଷ । ମୁଁ ଯେ ସେଇ ଅନାଗତ ସନ୍ତାନର ଜନକ । ୟାର ପ୍ରମାଣ କ’ଣ ?’ କିନ୍ତୁ ମୁଁ କିଛି ନ କହି ନୀରବ ରହନ୍ତି ଏବଂ ତା’ପରେ ଅଚାନକ ମୋ ପାଟିରୁ ବାହାରି ଆସନ୍ତା : ‘ହଁ–ମୁଁ ସେ ସନ୍ତାନର ଜନକ ଏବଂ ଶିଶୁଟିର ସମସ୍ତ କଥା ମୁଁ ସେଇ ନାରୀଙ୍କ ଉପରେ ଛାଡ଼ି ଦେଉଚି । ସେ ଇଚ୍ଛାକଲେ ଏବେ ଭ୍ରୁଣଟିକୁ ନଷ୍ଟ କରିଦେଇପାରନ୍ତି । ଇଚ୍ଛାକଲେ, ଜନ୍ମ ପରେ ଶିଶୁଟିକୁ ମୋ ନିକଟରେ ଛାଡ଼ି ଦେଇପାରନ୍ତି ଲାଳନପାଳନ ପାଇଁ ଏବଂ ସେଥିପାଇଁ ଏବେଠୁ ଆଇନକୁ ସାକ୍ଷୀ ରଖି ମୋ’ଠୁ ବଣ୍ଡ୍ ସାଇନ୍ କରିନେଇପାରନ୍ତି । ମୁଁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ଖୁବ୍ ଯତ୍ନରେ ଶିଶୁଟିକୁ ଲାଳନପାଳନ କରିବି । ଇଚ୍ଛାକଲେ, ସେ ଶିଶୁଟିକୁ ନିଜ ନିକଟରେ ରଖି ମୋ'ଠାରୁ ମାସିକ ଲାଳନପାଳନ ଖର୍ଚ୍ଚ ନେଇପାରନ୍ତି । ଇଚ୍ଛାକଲେ ମତେ ବିବାହ ମଧ୍ୟ କରିପାରନ୍ତି ଏବଂ ମୁଁ ରାଜି ମଧ୍ୟ ହେବି ସେ ପ୍ରସ୍ତାବରେ ।’

 

ଛେଳି ଓ ମଣିଷ ଭିତରେ କିବା ପାର୍ଥକ୍ୟ ? ଏ ସବୁ କିଛିବି ଘଟିପାରେ । ଏବେ ବା କେବେ ! କୌଣସି ଦିନ । ଅଚାନକ ଏବଂ ଅପ୍ରତ୍ୟାଶିତ । ଯଦିଓ ଛ'ମାସ ହେବ ଆଦୌ କିଛି ଘଟିନାଇଁ । ଏସବୁ କିଛି ନ ଘଟି ଆଉ କିଛି ଘଟିପାରେ, କିନ୍ତୁ ଏସବୁ ଘଟିବା ବିଚିତ୍ର ନୁହେଁ ! ସମ୍ଭବ-! ମଣିଷଟିଏ ଛେଳି ହେବାକୁ ବା କେତେକ୍ଷଣ ?

 

ମୁଁ ଛେଳି ପାଲଟିଯାଆନ୍ତି ଓ କୋର୍ଟରେ ଛାଇଯାନ୍ତା ନୀରବତା । ତା'ପରେ ମୁଁ କହନ୍ତି, ‘ମାନ୍ୟବର କୋର୍ଟ ଯାହା ଆଦେଶ ଦେବେ, ମୁଁ ମାନିନେବାକୁ ରାଜି, ମୋର କିଛିହିଁ ଆଉ କହିବାର ନାଇଁ ।’ କୋର୍ଟ କିଛି ଗୋଟେ ଆଦେଶ ଦିଅନ୍ତା ଏବଂ ମୁଁ ବି ମାନିନିଅନ୍ତି । ମୋର ଦ୍ୱିଧା ନଥାନ୍ତା । ନଥାନ୍ତା ଘୃଣା । ନଥାନ୍ତା କ୍ରୋଧ । ଛେଳି ବଡ଼ ଅଦ୍ଭୁତ ଜୀବ ସତରେ ! ମଣିଷ ଓ ଛେଳି ଭିତରେ କିବା ପାର୍ଥକ୍ୟ ?

 

ଏସବୁ କିଛି ଘଟି ନପାରେ । ଘଟିପାରେ ମଧ୍ୟ । କିଛି ବିଚିତ୍ର ନୁହେଁ । ସମ୍ଭବ । କେବେ କୌଣସି ଦିନ ଏସବୁ କିଛି ନଘଟି ଘଟିପାରେ ବା ଏବେ ଯେକୌଣସି ଦିନ ଯେକୌଣସି ମୁହୂର୍ତ୍ତରେ ଏସବୁ ଘଟିପାରେ । ଛ’ମାସ ହେବ କିଛିହିଁ ଘଟିନାଇଁ । ଅଜବ କଥା । କିଛି ଘଟିବା ଉଚିତ ସତରେ-। କିଛି ଘଟିବାକୁ ମୁଁ ଆଶା କରୁଚି–ହେଉ ପଛେ ଭୟଙ୍କର ବା ରୋମାଣ୍ଟିକ୍ ବା ଅପ୍ରତ୍ୟାଶିତ-। କିଛି ନ ଘଟିବାଟା ଅଦ୍ଭୁତ କଥା । କିଛି ଘଟିବା ଉଚିତ ଏବଂ ଘଟିପାରେ ।

 

ଅବଶ୍ୟ ମାମଲାଟା କୋର୍ଟକଚେରି ଯାଏଁ ନ ଯାଇପାରେ । ସେଇ ନାରୀ ଜଣକ ଦିନେ, ଯେକୌଣସି ଦିନ, କାଲି ବା ପଅରଦିନ ବା ତା’ପରଦିନ ବା କୌଣସ ଦିନ ସକାଳେ ବା ମଧ୍ୟାହ୍ନରେ ନା ଗୋଧୂଳିରେ, ଅଫିସ୍‌ରେ ବା କୌଣସି ସ୍ଥାନରେ ମତେ ଗୋପନରେ ଡାକିପାରନ୍ତି । ତାଙ୍କ ଆଖିରେ ଚିକ୍‌ମିକ୍ କରୁଥାନ୍ତା ଲୁହ । ମୁଁ ତାଙ୍କ କାନ୍ଦିବାର କାରଣଟା ପଚାରୁଥାନ୍ତି । ସେ ବିଭିନ୍ନ ବା ଯେକୌଣସି କଥାବାର୍ତ୍ତା ଆଳରେ ଶେଷରେ କଥାଟି କହୁଥାନ୍ତେ ଯେ ସେ ଅନ୍ତଃସତ୍ତ୍ଵା । ଯେ ତାଙ୍କୁ କେହି ଧର୍ଷଣ କରିଥିବାରୁ ସେ ଅନ୍ତଃସତ୍ତ୍ୱା । ସେ ସ୍ଵଇଚ୍ଛାରେ ଦେହଦାନ କରି ଅନ୍ତଃସତ୍ତ୍ୱା-! ଯେ କେହି ତାଙ୍କୁ ପୁନର୍ବିବାହ କରିବାର ପ୍ରତିଶ୍ରୁତି ଦେଇ ଉପଭୋଗ କରିବା ପରେ ଠକିଦେଇ ଯାଇଚି ତଥା ସେ ଅନ୍ତଃସତ୍ତ୍ୱା ! ଯେ ସେ ପିଲାଟିକୁ ନଷ୍ଟ କରିବାକୁ ଚାହୁଁନାହାନ୍ତି ଇତ୍ୟାଦି ଇତ୍ୟାଦି-। ଅନେକକିଛି ଏମିତି କହିବା ପରେ ଶେଷରେ ସେ କହୁଥାନ୍ତେ : ‘ଆପଣ ଯଦି ପିଲାଟିକୁ ସ୍ୱୀକାର କରନ୍ତେ...'

 

ମୁଁ ଜଡ଼ସଡ଼ ହୋଇଯାଆନ୍ତି, ସତେଅବା କାଠଟାଏ । କାଠ ଆଉ ମଣିଷ ଭିତରେ କିବା ଫରକ ? ଶୁଖିଲା କାଠ ଜଳେ, ମଲା ମଣିଷ ଜଳେ ! ଫରକଟା ଏଇଆ ଯେ, କଞ୍ଚାକାଠ ଜଳେ ନାଇଁ, କିନ୍ତୁ ଜିଅନ୍ତା ମଣିଷ ମଲା ମଣିଷ ଅପେକ୍ଷା ଅଧିକ ଜଳିପାରେ । କେଉଁ ମଣିଷ ବା ଜୀବଥିବା ଅବସ୍ଥାରେ ଜଳିନାଇଁ ? କାଠ–ମଣିଷ, ଏକାକଥା ।

 

ଦୁଇଟା କଥା ଭିତରୁ ଗୋଟାଏ ହେଉଥାନ୍ତା । ମୁଁ ଅନାଗତ ଶିଶୁଟିକୁ ନିଜର ବୋଲି ସ୍ୱୀକାର କରନ୍ତି, କିନ୍ତୁ ନାରୀଜଣକୁ ବିବାହ କରନ୍ତି ନାଇଁ ଏବଂ ପିଲାଟା ଜନ୍ମପରେ ମା’ ପାଖରେ ରହୁଥାନ୍ତା ! କିମ୍ବା ଏମିତି ହୋଇପାରେ ଆମେ ବିବାହ କରିପକାନ୍ତୁ । ଆରାମରେ ! ବନ୍ଧୁ, ସହକର୍ମୀମାନଙ୍କୁ ବିସ୍ମିତ କରିଦେଇ । ସଂସାର କରନ୍ତୁ । ପିଲାଟି ଜନ୍ମ ହୁଅନ୍ତା ! ମତେ ବାପା ବୋଲି ଡାକନ୍ତା । ଏମିତି କିଛି ନିୟମ ତ ନାଇଁ ଯେ କାଠଖଣ୍ଡଟିଏ ବାପା ହୋଇପାରିବ ନାଇଁ !! ମଣିଷ ତ ବାପା ! ମଣିଷ ଓ କାଠ ଭିତରେ ଫରକ ବା କ’ଣ ? କାଠ–ମଣିଷ ଉଭୟେ ସମାନ !

 

କିଛିବି ସମ୍ଭବ । ମଣିଷ ଛେଳିହେବା ସମ୍ଭବ । କାଠ ହେବା ସମ୍ଭବ । ଏବଂ ଏସବୁକୁ ମୋ ଜୀବନରେବି ଘଟିବା ସମ୍ଭବ । କିଛି ବିଚିତ୍ର ନୁହେଁ । ଅସମ୍ଭବ ନୁହେଁ । ଆଜି ଘଟିପାରେ । ଏବେ ଘଟିପାରେ । କେବେ ଘଟିପାରେ । କୌଣସି ଦିନ । ଅଥବା କଦାପି ଏସବୁ ନଘଟି ଅନ୍ୟକିଛି ଅଭାବିତ ଘଟିପାରେ । ସମ୍ପୂର୍ଣ୍ଣ ନୂତନ । ଛ’ମାସ ହେବ କିଛି ଘଟିନାହିଁ ଯେକୌଣସି ମୁହୂର୍ତ୍ତରେ କିଛି ଘଟିବା ବିଚିତ୍ର ନୁହେଁ ।

 

ଘଟଣାଟା ଅବଶ୍ୟ ଅନ୍ୟ ଏକ ମୋଡ଼ ନେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାଇଁ । ମୋର ସ୍ଵାମୀ ପରିତ୍ୟକ୍ତା ନାରୀଟି ମୋ ନାଁରେ କୋର୍ଟରେ କେସ୍ କରୁଚି ବୋଲି ଜାଣି ମୋ ପାଖରେ କୋର୍ଟ ନୋଟିସ୍ ଆସିବା ଆଗରୁ ମୁଁ ମୋର ଜଣେ ଡାକ୍ତର ବନ୍ଧୁ ନିକଟରେ ଅପରେସନ୍ ହୋଇପଡ଼ନ୍ତି ଏବଂ ଗୋଟେ ସାର୍ଟିଫିକେଟ୍ ଯୋଗାଡ଼ କରନ୍ତି । ମୁଁ ବର୍ଷେ/ଦି’ବର୍ଷ ଆଗରୁ ଅପରେଟେଡ଼୍ ବୋଲି ଏବଂ କୋର୍ଟ ନୋଟିସ୍‌ ଆସିବାକୁ କିଛିଦିନ ଯାନ୍ତା । ମୁଁ ପ୍ରଥମ ନୋଟିସ୍‌ଟା ରିସିଭ୍ କରନ୍ତି ନାଇଁ । ଦ୍ଵିତୀୟ ନୋଟିସ୍‌ବେଳକୁ ମୁଁ ପୂରା ସୁସ୍ଥ ହୋଇଯାଇଥାନ୍ତି ଏବଂ କୋର୍ଟରେ ହାଜର ହୁଅନ୍ତି । ସେଇ ନାରୀଜଣକ ସବୁ ବୟାନ ଦେବାପରେ ମୁଁ ମୋ କଥା କହନ୍ତି ଏବଂ ସେଇ ନାରୀଙ୍କର ମୁହଁ ଲାଜରେ ଲାଲ୍ ପଡ଼ିଯାନ୍ତା/ଅପମାନରେ ଶଢ଼ିଯାନ୍ତା ! କୋର୍ଟରେ ଖେଳିଯାନ୍ତା ଗୁଞ୍ଜରଣ, ହାସ୍ୟରୋଳ । ହୁଏତ କୋର୍ଟ ତା’ ତରଫରୁ ଅନ୍ୟଜଣେ ଡାକ୍ତର ନିଯୁକ୍ତ କରନ୍ତା ମୋ କଥାର ସତ୍ୟତା ପରୀକ୍ଷା କରିବାପାଇଁ ଏବଂ ସେଇ ଏକା ରିପୋର୍ଟ ମିଳନ୍ତା । କେବଳ ମତେ କୋର୍ଟ ଡାକ୍ତରକୁ ବୁଝାଇ ମୁଁ ବର୍ଷେ/ଦି’ବର୍ଷ ଆଗରୁ ଅପରେସନ୍‍ କରାଇନେଇଚି ବୋଲି ଲେଖାଇବାକୁ ପଡ଼ନ୍ତା । ଜମିଯାନ୍ତା ସେଇ ନାରୀଟିର ଅବସ୍ଥା । ଏଇଟା ସଇତାନି ବୁଦ୍ଧି । ସଇତାନି ଚିନ୍ତା ! ମଣିଷ ସଇତାନ ହେବନି ତ ହେବ ଆଉ କିଏ ? ମଣିଷ ଓ ସଇତାନ ଭିତରେ କିବା ପାର୍ଥକ୍ୟ ? ସଇତାନ ଯିଏ, ସେଇ ମଣିଷ ! କିଛିବି ଘଟିପାରେ । ଛେଳିଯିଏ, ସେଇ ମଣିଷ । କିଛିବି ଘଟିପାରେ । କାଠ ଯିଏ, ସେଇ ମଣିଷ–କିଛିବି ଘଟିପାରେ । ଆଜି ବା କାଲି ବା ପଅରଦିନ ବା ତା’ପରଦିନ ବା କୌଣସି ଦିନ । ମଣିଷ ଯିଏ, ସେଇ ଭୟଙ୍କର । ମଣିଷ ଯିଏ, ସେଇ ଅଭିମାନୀ ବରଫର ପାହାଡ଼ ରୋମାଣ୍ଟିକ୍ ଜୀବଟିଏ ! କିଛିବି ସମ୍ଭବ !

 

କିଛିବି ଘଟିପାରେ । ଛ’ମାସ ହେବ କିଛି ଘଟିନାଇଁ । ଆଜି ଘଟିପାରେ ବା କାଲି ବା ତା'ପରଦିନ କୌଣସି ଦିନ । ଯେକୌଣସି ମୁହୂର୍ତ୍ତରେ । ଯେକୌଣସି ସ୍ଥାନରେ । ଯେକୌଣସି ପରିସ୍ଥିତିରେ କିଛି ଘଟିପାରେ । ଛ'ମାସ ହେବ କିଛି ଘଟିନାଇଁ । କିଛି ଘଟି ନପାରେ ମଧ୍ୟ । ଏସବୁ ଭିନ୍ନ ଅନ୍ୟକିଛି ଘଟିପାରେ ମଧ୍ୟ । ଏସବୁବି ଘଟିପାରେ ।

 

କାଜଲ୍‍ ମିଆଁ ଆସି ମୋ ଉପରେ ପ୍ରତିଶୋଧ ନେଇପାରେ । ଅନେକ ବର୍ଷ ତଳେ ଯେଉଁ ମିଡ଼ିପିନ୍ଧା ଝିଅକୁ ପ୍ରେମ ନିବେଦନ କରିଥିଲି, ସେ ଏବେ ଆସି ମୋ ପ୍ରେମକୁ ସ୍ୱୀକାର କରିପାରେ । ଆମ ଅଫିସ୍‌ରେ ମୋ ଟେବୁଲରେ ବସୁଥିବା ସ୍ଵାମୀ ପରିତ୍ୟକ୍ତା ନାରୀଟି ମତେ ତା’ ଅନାଗତ ଗର୍ଭର ପିତା ବୋଲି ଦାବି କରିପାରେ । କିଛି ଘଟିପାରେ । ଭୟଙ୍କର । ରୋମାଣ୍ଟିକ୍ । ଅପ୍ରତ୍ୟାଶିତ ! ଅଭାବିତ !

 

ଅନେକ କିଛି ଘଟିପାରେ । ମୋର ପ୍ରମୋସନ୍ ହୋଇପାରେ । ମୋ ଚାକିରି ଚାଲିଯାଇପାରେ । ମତେ କୌଣସି ଭୟଙ୍କର ରୋଗ ହୋଇପାରେ । ମୋର ଗାଡ଼ି ଧକ୍କା ହୋଇପାରେ । ମତେ ଲକ୍ଷେ ଲଟେରି ଟଙ୍କାର ମିଳିପାରେ । କିଛିବି ଆଜି ବା କାଲି ବା କୌଣସି ଦିନ । କାଜଲ୍‍ ମିଆଁ ଆସିପାରେ । ସେ ଝିଅଟି ଆସି ମୋ ପ୍ରେମ ସ୍ୱୀକାର କରିପାରେ । ଅଫିସ୍‍ରେ ସେଇ ନାରୀଟି ମତେ ଘୋର ଅସୁବିଧାରେ ପକାଇପାରେ । କିଛିବି ! କୌଣସି ଦିନ !

 

ଅନେକ କିଛି ଘଟିବାକୁ ବାକି ଅଛି । କିଛିବି ଘଟୁନାଇଁ । ଛ’ମାସ ହେବ କିଛିହିଁ ଘଟି ନାଇଁ । ଆଗକୁ ହୁଏତ ଅନେକ କିଛି ଘଟିପାରେ । ଏକାବେଳକେ ବା ଗୋଟିକ ପରେ ଗୋଟିଏ । ଧୀରେ ଧୀରେ ବା ଅଚାନକ ଝଡ଼ ପରି । ଅନେକ କିଛି ଘଟିବାର ଥିବାବେଳେ କିଛି ଘଟୁ ନଥିବାଟା ଖୁବ୍ ଦୁଃଖ ଲାଗୁଚି । କାଜଲ୍‍ ମିଆଁ ମତେ ଛୁରିମାରୁ ପଛକେ, କିନ୍ତୁ ସେଇଟା ଘଟିବା ଉଚିତ । ସେଇ ଝିଅଟି ମୋ ମୁହଁରେ ଚପଲ ମାରୁପଛକେ, କିନ୍ତୁ ସେଇଟା ଘଟିବା ଉଚିତ । ମୋ ଟେବୁଲରେ ଚୁପ୍‌ଚାପ୍ ବସୁଥିବା ନାରୀଟି ମତେ ତା’ ଅବୈଧ ଭ୍ରୁଣର ଜନକ ବୋଲି ଦାବି କରୁପଛକେ, କିନ୍ତୁ ସେତକ ଘଟିବା ଉଚିତ ! କିଛି ଘଟୁ ! କିଛି ନ ଘଟିବାଟା ସତରେ ଅଦ୍ଭୁତ ।

 

ବୋଧେ କିଛି ଘଟିବ । ଏବେ ଏଇ ମୁହୂର୍ତ୍ତରେ । ଆଜି । ବା କାଲି । ବା ପଅରଦିନ ବା ତା'ପର ଦିନ । କେବେବି ! ସକାଳେ ! ସନ୍ଧ୍ୟାରେ ! ମଧ୍ୟାହ୍ନରେ ! ଗୋଧୂଳିରେ ! ରାତିରେ ! ଯେକୌଣସି ସ୍ଥାନରେ । ଯେକୌଣସି ପରିସ୍ଥିତିରେ । ବୋଧେ କିଛି ଘଟିବ । ଛ' ମାସ ହେବ କିଛି ବୋଲି କିଛି ଘଟିନାଇଁ । କିଛି ଘଟିବ । ବୋଧେ ଏଇଠି । ଏଇ ମୁହୂର୍ତ୍ତରେ । ଏଇ ଅବସ୍ଥାରେ । ଆଜି । କାଜଲ୍‍ ମିଆଁ ବା ସେ ଝିଅଟି ବା ସେଇ ନାରୀଟି–କେହି ହୁଏତ କିଛି ଘଟାଇପାରେ । ଚଟ୍‌କରି ମଣିଷକୁ ଛେଳି ବା କାଠ ବା ସଇତାନ ବା ଦେବତା ବା ରୋମାଣ୍ଟିକ୍ ପୁରୁଷ ବା ଅଭିମାନୀ ବରଫ ପାହାଡ଼ଟିଏରେ ପରିଣତ କରିଦେଇପାରେ । କିଛି ଘଟିପାରେ ! ବୋଧେ କିଛି ଘଟିବ !!

✽✽✽

 

ଦାର୍ଶନିକଙ୍କ ସହରରେ ନରହରି

(ଏକ)

 

କୌଣସି ଏକ ନିପଟ ଗାଁର ନରିଆ ଓରଫ୍‍ ନରହରି କଲେଜରେ ପାଦ ଦେବା ପରେ ଗୋଟାଏ ଅଜବ ସ୍ଵପ୍ନ ଅନେକବାର ଦେଖିଲା । ଗୋଟାଏ କୁତ୍ସିତ କଦାକାର ବୃଦ୍ଧ ଠିଆ ହୋଇଚି ରାସ୍ତା ଉପରେ ଏବଂ ଜୁଳୁଜୁଳୁ କରି ଚାହିଁ ରହିଚି ଚା’ ଦୋକାନଆଡ଼େ । ଜଣାପଡ଼ୁଥିଲା ଯେମିତି ନାକଟା ପଶିଯାଇଛି ଭିତରକୁ, ଆଖି ଜାଗାରେ ଯୋଡ଼ାଏ ଗାତ । ବାସ୍–ନିଦ ଭାଙ୍ଗିଯାଏ ନରହରିର । କିନ୍ତୁ ଯେଉଁଦିନ ଖରାବେଳେ ନରହରି ବସ୍‌ଷ୍ଟାଣ୍ଡରୁ ତାଙ୍କ ଗାଁର ସଦେଇ ଓରଫ୍‍ ସଦାଶିବକୁ ସାଇକେଲରେ ବସାଇ ଘର ଯାଏଁ ଆଣିଲା, ସେଦିନ ତା’ର ଧାରଣ ହେଲା ଯେ ସ୍ୱପ୍ନରେ ଦେଖୁଥିବା ସେଇ ଅଜବ ବୃଦ୍ଧର ପରିଚୟଟା ନିଶ୍ଚେ ମିଳିଯିବ ସଦାଶିବ ପାଖରୁ । ନରହରିର ଏପରି ଭାବିବାର କାରଣଟା ଥିଲା ନିହାତି ସରଳ । ତା’ର ଆଶା ଥିଲା ଯେ ଗାଁ କଲେଜରୁ ଆଇ.ଏ. ପାସ୍ କରି ଦିଲ୍ଲୀରେ ପଢ଼ିବାକୁ ଯାଇଥିବା ସଦାଶିବର ଜ୍ଞାନର ଭଣ୍ଡାର ଏମିତି ପୂର୍ଣ୍ଣ ଯେ ସେ ଅକ୍ଳେଶରେ ସବୁ ପ୍ରକାର ଜଟିଳ ପ୍ରଶ୍ନର ସରଳ ଉତ୍ତର ଦେଇପାରେ ।

 

‘ବୁଝିଲୁ ସଦେଇ, ମୁଁ ଗୋଟାଏ ସ୍ଵପ୍ନ ବାରମ୍ବାର ଦେଖୁଚି ।’ ନରିଆ ଓରଫ୍‍ ନରହରି ପିଲାଦିନେ ସଦାଶିବକୁ ଯେଉଁ ନାମରେ ଡାକୁଥିଲା, ସେଇ ନାମରେ ସମ୍ବୋଧନ କରି କହିଲା ।

 

‘ହେଃ–ତୁ’ଟା ସଦେଇ ବୋଲି ଡାକୁଚୁ କ’ଣବେ ? ତୁ ଖବରକାଗଜ ଜମା ପଢ଼ୁନୁ କି ? ମୁଁ ପରା ଆଫିଡ଼େଭିଟ୍ କରି ମୋ ନାଁକୁ ସଦାଶିବରୁ ଶୁଭଙ୍କର କରିଦେଇଚି ।' ସଦେଇ ଓରଫ୍‍ ସଦାଶିବ ଓରଫ୍‍ ଶୁଭଙ୍କର ଆଶା କରିଥିଲା ଯେ ଚାରିଧାଡ଼ି ବିଶିଷ୍ଟ ନାମ ପରିବର୍ତ୍ତନ ବିଜ୍ଞାପନକୁ କାଶ୍ମୀରଠୁ କନ୍ୟାକୁମାରୀ ଯାଏଁ ସମସ୍ତେ ଯତ୍ନର ସହ ପଢ଼ିଛନ୍ତି ତଥା ପ୍ରତ୍ୟେକ ଖବରଟା ସ୍ମରଣ ରଖିଛନ୍ତି ମଧ୍ୟ ।

 

‘ନାଁରେ କ’ଣ କିଛି ଅଛି ? ତୁ ବଦଳାଇଲୁ କାହିଁକି ? ଯା’ହେଉ, ମୁଁ ତତେ ସଦେଇରୁ ଶୁଭଙ୍କର ଡାକିବା ଭାରିକଷ୍ଟ, ଅଭ୍ୟାସରେ ପଡ଼ିଗଲାଣି ତ ।’ ନରହରି ଦୁଇଟା ପ୍ରଶ୍ନ ସହ ନିଜର ନିଷ୍ପତ୍ତିଟି ମଧ୍ୟ ଶୁଣାଇଦେଲା ।

 

‘ତୁ ତ ଆଚ୍ଛା କଥା କହୁଚୁ । ନାଁରେ କିଛି ନାଇଁ ? ହେଲା, ନାଁରେ କିଛି ନାଇଁ, କିନ୍ତୁ ତା’ ବୋଲି ମୋ ନାଁଟା ଶୁଭଙ୍କରରୁ କୁକୁର ଓ ତୋ ନାଁଟି ନରହରିରୁ ବିଲୁଆ କରିଦେଲେ ଭଲ ହେବ ବୋଲି ତୁ ଭାବୁଚୁ ?' ଗୋଟାଏ ନିହାତି ଅକାଟ୍ୟ ଯୁକ୍ତି ଦେଖାଇପାରିଚି ବୋଲି ଭାବଟିଏ ଦେଖାଇ ସଦାଶିବ ଓରଫ୍‍ ସେଇ ଦିଲ୍ଲୀ ଫେରନ୍ତା ଉଚ୍ଚ ଶିକ୍ଷିତ ଯୁବକଟି ଗାଁ କଲେଜର ଛାତ୍ର ନରିଆ ଓରଫ୍‍ ନରହରିକୁ ହେୟଜ୍ଞାନ କରିବାପରି ଢଙ୍ଗରେ କହିଲା ।

 

ନରହରି କେତେକ୍ଷଣ ନୀରବ ରହିଲା । ତା’ ମୁଣ୍ଡରେ ସଦାଶିବର କଥା ଆଦୌ ପ୍ରଭାବ ପକାଇ ନଥାଏ । ସେ କେବଳ ଭାବୁଥାଏ ଯେ ସ୍ଵପ୍ନଟା କଥା ସଦାଶିବକୁ କହିବ କି ନାଇଁ ।

 

‘ବୁଝିଲୁ କି’, ସେ ଆରମ୍ଭ କଲା, ‘ମୁଁ ଗୋଟାଏ ଅଜବ ସ୍ଵପ୍ନ ଅନେକଥର ଦେଖିଲିଣି । ପଥର ମୂର୍ତ୍ତିପରି ବୁଢ଼ାଟାଏ, ନାକଟା ଚେପା–ଆଖି ଜାଗାରେ ଦି’ଟା ଗାତ, କୁତ୍ସିତ–କଦାକାର ରୂପ, ଠିଆ ହୋଇଥିବ ଛକ ପାଖ ଚା’ ଦୋକାନର ଭିତରକୁ ଚାହିଁ ।’

 

କହିସାରି ନରହରି ଅନୁଭବ କଲା ଯେ, ସେ ସାମାନ୍ୟ ଅପ୍ରତିଭ ହୋଇ ଯାଇଚି, ସତେ ଅବା ବହୁ ଚେଷ୍ଟାକରି ନିଜ ଗର୍ଭକୁ ଲୁଚାଇ ରଖିଥିବା କୁମାରୀଟି ଅଚାନକ ଧରାପଡ଼ି ଯାଇଚି କାହା ପାଖରେ ।

 

‘ଠିକ୍ ଦେଖିଚୁ ପଥରର ବୁଢ଼ାଟା ? ନା ପଥର ପରି ?’ ସଦାଶିବ ଟିକିନିଖି ତଥ୍ୟ ଜାଣିବାକୁ ଚାହିଁଲା ।

 

‘କେଜାଣି ବୋଧେ ପଥରଟା କି କ’ଣ ।’

 

‘ନାକଟା ଖଣ୍ଡିଆ ? ଆଖି ଦି'ଟା ଗାତ ।’

 

‘ହଁ–ସେମିତି, ବଡ଼ ଅଜବ ଦିଶେ ବୁଢ଼ାଟା ।’

 

ସଦାଶିବ ନିଜ କେଶରାଶି ଭିତରେ ଅଙ୍ଗୁଳି ସଂଚାଳନ କଲା, ଯେମିତି କେତେକ ସଭ୍ୟ ବିଧାନସଭା ଗୃହରେ ଚପଲ ଫିଙ୍ଗିବା ପୂର୍ବରୁ କରିଥାନ୍ତି । ତା'ପରେ କହିଲା : ‘ତେବେ ମୁଁ ଯାହା ଭାବୁଚି– ।' ସେ ଅଧାରେ ନୀରବ ହୋଇଗଲା । ‘କ’ଣ ଭାବୁଛ ?' ନରହରି ଉତ୍ସାହିତ ହୋଇ ପଚାରିଲା ।

 

‘ଭାବୁଚି ଯେ–ଯେ–ସେଇଟା ସକ୍ରେଟିସ୍‌ଙ୍କ ମୁହଁ ହୋଇପାରେ, କାରଣ ବହିରେ ସକ୍ରେଟିସ୍‍ଙ୍କର ଏକ ଅଦ୍ଭୁତ ମୁହଁର ଚିତ୍ର ଆମେ ଦେଖୁ, ନୁହେଁ ? ତୋର ବର୍ଣ୍ଣନା ତ ଅବିକଳ ସେଇ ଚିତ୍ରସହ ମିଶିଯାଉଚି ।’ ସଦାଶିବ ଏତକ କହିଲା ଏବଂ ନରହରିର ପ୍ରତିକ୍ରିୟା ଜାଣିବାକୁ ତା’ ଆଡ଼େ ଦୃଷ୍ଟି ପକାଇଲା; କିନ୍ତୁ ଗାଁ କଲେଜର ନରହରି ଅଯଥାରେ ଆଦୌ ପ୍ରତିକ୍ରିୟା ଦେଖାଉ ନଥିବାରୁ ସଦାଶିବର ତା’ ମୁଖ–ସୂଚିପତ୍ରରୁ ମନର କଥା ଜାଣିବା ସମ୍ଭବ ହେଲା ନାହିଁ ।

 

ନରହରି କେବଳ ପଚାରିଲା, ‘ତୁ ଗ୍ରୀସର ଦାର୍ଶନିକ ସକ୍ରେଟିସଙ୍କ କଥା କହୁଚୁ ତ ? ହେଲେ ସେ ମତେ ସ୍ଵପ୍ନରେ କାହିଁକି ବାରମ୍ବାର ଦେଖା ଦେବେ ?’

 

ଏତିକି ପରେ ଆଉ ସେମାନେ ସ୍ୱପ୍ନ ବିଷୟରେ କଥାବାର୍ତ୍ତା ନହୋଇ ଅନ୍ୟ ବିଷୟରେ କଥାବାର୍ତ୍ତା ହେବାକୁ ଲାଗିଲେ । ଗାଁର କେତେଟା ଖବର ଶୁଣାଇଲା ନରହରି ଏବଂ ତା’ର ପ୍ରତି ବଦଳରେ ସଦାଶିବ ଅନେକ ଅଜବ ଅଜବ ଖବର ଶୁଣାଇଲା ନରହରିକୁ । ଯା’ହେଉ, କଥାବାର୍ତ୍ତା ଛଳରେ ନରହରି ବୁଝିଥିଲା ଯେ, ସଦାଶିବ ମାତ୍ର ପାଞ୍ଚଦିନ ରହିବ ଗାଁରେ । ତେଣୁ ସେ କହିଲା, ‘ଆଚ୍ଛା–କାଲି ଟିକେ ଯଦି ନଈକୂଳକୁ ଆସନ୍ତୁ, କଥାବାର୍ତ୍ତା ହୁଅନ୍ତେ ।'

 

ସଦାଶିବ ଅସ୍ତିବାଚକ ଅର୍ଥରେ ମୁଣ୍ଡ ହଲାଇଲା ।

 

ପରଦିନ ଉଭୟଙ୍କର ନଈକୂଳେ ଭେଟ ହୋଇଥିବା ଏକ ନିହାତି ସାଧାରଣ କଥା ତଥା ନରହରି ଯେ ସ୍ଵପ୍ନକଥା ଗପିଥିବ, ତାହା ଆହୁରି ସାଧାରଣ କଥା !

 

‘ତେବେ ମୁଁ ପ୍ରତି ସ୍ୱପ୍ନରେ ସକ୍ରେଟିସ୍‌ଙ୍କୁ ଦେଖୁଚି ବୋଲି ତୁ ଭାବୁଚୁ ?' ଘାସ ମେଞ୍ଚାଏ ଉପରେ ବସୁ ବସୁ ନରହରି ସିଧାସଳଖ ପଚାରିଲା ଏବଂ ଏମିତି ତରବରିଆଭାବେ ପଚାରିବା ଯୋଗୁଁ ନରହରିକୁ କଥାବାର୍ତ୍ତା ଆରମ୍ଭ କରିବାର ଖାଣ୍ଟି ଉପାୟଟି ଜଣା ନଥିଲା ବୋଲି ଭାବିବାଟା ଭୁଲ୍; ବରଂ ସେ ନିଜର ସ୍ଵପ୍ନଦ୍ଵାରା କେତେ ଗଭୀରଭାବେ ପ୍ରଭାବିତ ହୋଇଥିଲା, ସେକଥାର ବିଶଦ ସୂଚନା ମିଳିଲା ।

 

‘ସକ୍ରେଟିସ୍‌ଙ୍କ ବ୍ୟତୀତ ଆଉ କେହି ହୋଇ ନ ପାରନ୍ତି ।’ ସଦାଶିବ ଆକାଶକୁ ଚାହିଁ କହିଲା, ସତେ ଅବା ଦୂର ଦିଗ୍‌ବଳୟ ତଳୁ ତାକୁ ଦିଶୁଥିଲା ସକ୍ରେଟିସ୍‌ଙ୍କ ମୁହଁ । କି ସେ ଆହୁରି ଭଲଭାବେ ଇତିହାସ ବହିର ସକ୍ରେଟିସ୍‌ଙ୍କ ଚିତ୍ରସହ ନରହରି ବର୍ଣ୍ଣିତ ବୃଦ୍ଧଙ୍କର ସାମଞ୍ଜସ୍ୟ ଖୋଜୁଥିଲା ।

 

‘ହେଲେ ତୁ ଜାଣିଲୁ କିମିତି ଯେ, ମୁଁ ସକ୍ରେଟିସ୍‌ଙ୍କୁ ସ୍ୱପ୍ନରେ ଦେଖୁଚି ବୋଲି ?’

 

ନରହରି ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଯିବା ପାଇଁ ପଚାରିଲା ।

 

‘ଦେଖ, ତୁ ଭାବନା ଯେ ମୁଁ ତତେ ମିଛ କହୁଚି’ ସଦାଶିବ ଆରମ୍ଭ କଲା, ‘ମୁଁ ଅନେକ ଦାର୍ଶନିକଙ୍କ ଫଟୋ ଦେଖିଚି–ଏମିତିକି ଅନେକ ବଡ଼ବଡ଼ ଦାର୍ଶନିକଙ୍କ ତୈଳଚିତ୍ରବି ଦେଖିବାର ସୁଯୋଗ ପାଇଚି । କାହିଁ–ସଫୋକ୍ଲିସ, ସ୍ପିନୋଜା, ନିଏତ୍‌ସେ, ସୋପେନ୍ ହାଗ୍ୱର, ମାର୍କସ, କାମ୍ୟୁ ଇତ୍ୟାଦି କାହାରି ଫଟୋ ସହ ତ ତୋ’ ବର୍ଣ୍ଣିତ ବୁଢ଼ାଟା ଖାପ ଖାଉନି । କେବଳ ସକ୍ରେଟିସ୍‌ଙ୍କ ସହ ଯାହା ମେଳ ମୁଁ ଦେଖୁଚି ।’

 

ଏକକାଳୀନ ଏତେ ସଂଖ୍ୟକ ଦାର୍ଶନିକଙ୍କ ନାମ ଉଚ୍ଚାରଣ କରିଥିବାରୁ ସଦାଶିବର ମୁହଁରେ ଏକପ୍ରକାରର ଦୀପ୍ତି ଫୁଟି ଉଠିଥାଏ । ଅବଶ୍ୟ ସେ ନିଶ୍ଚିତ ହୋଇପାରୁ ନଥିଲା ଯେ, ନରହରି ସେ ସବୁ ଦାର୍ଶନିକଙ୍କ ନାଁ ଆଗରୁ ଶୁଣିଥିଲା କି ନାଇଁ । ଯଦି ନଶୁଣିଥାଏ, ତେବେ ନରହରି ପାଖରେ ସ୍ପିନୋଜ ବା ମାର୍କସ ବା ନିଏତ୍‌ସେଙ୍କ ନାଁ ଏବଂ ତାଙ୍କ ଗାଁର ଗିରିଆ ବା ସନିଆଁର ନାଁ ଭିତରେ କିଛି ଫରକ ନାଇଁ । କିନ୍ତୁ ନରହରି ଆଦୌ ସଦାଶିବର ମୁହଁକୁ ଚାହିଁ ନଥାଏ, ସେ ସାମ୍ନାକୁ ଚାହିଁଥାଏ ଏବଂ ତା' ଦୃଷ୍ଟି ନଈ ଉପରବାଟ ହୋଇ ଆରପଟ ଗଛ ଉପରେ ପହଁରି ଲମ୍ବି ଯାଇଥିଲା ଦୂରକୁ । କେତେକ୍ଷଣରେ ନୀରବତା ପରେ ସେ କହିଲା : ‘ତେବେ ସକ୍ରେଟିସ୍ କାହିଁକି ବାରମ୍ବାର ମୋ ପାଖକୁ ଆସୁଛନ୍ତି ?'

 

ସେ ଏତେ ଗଭୀରଭାବେ ନିଜ ଚିନ୍ତାରେ ମଜ୍ଜିଯାଇ କଥାଟା କହିଲା ସତେ ଅବା ସକ୍ରେଟିସ୍ ବାସ୍ତବରେ ସ୍ୱଦେହରେ ତା’ପାଖକୁ ବାରମ୍ବାର ଆସୁଥିଲେ ଏବଂ ସଦାଶିବକୁ ହସ ଲାଗୁଥିଲେବି ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ହସକୁ ଚାପି ରଖିବାରେ ସମର୍ଥ ହେଲା । ତା'ପରେ କହିଲା : ‘ତତେ ଗୋଟା କଥା କହିବି କିଛି ଭାବିବୁ ନାଇଁ ତ ନରହରି ?’

 

‘କ’ଣ ?’

 

‘ନା, ସେମିତି କିଛି ଗୁରୁତର କଥା ନୁହେଁ, ତେବେ ତୁ ଭାବିବୁ ଯେ ମୁଁ ସହରକୁ ଯାଇ ନଷ୍ଟ ହୋଇଗଲିଣି ।’

 

‘ହେଃ–ତୁ କହୁନୁ । ଆମ ସାଙ୍ଗ ଭିତରେ ଚଳିବନି ତ ଆଉ କୋଉଠି ଚଳିବ ?' ନରହରି ପୂର୍ଣ୍ଣ ଆଶ୍ୱାସନା ଜଣେଇଲା ସଦାଶିବକୁ ।

 

ଟିକେ ରହି ଥରେ ଖଣ୍ଡିକାଶ ମାରି ସଦାଶିବ କହିଲା, ‘ଏଇ ମାନେ ମାନେ ମୁଁ କ’ଣ କହୁଥିଲି କି, ମାନେ–ତୋର ଏ ଭିତରେ କୌଣସି ନାରୀ ସହ କିଛି ସମ୍ପର୍କ ହେଇଚି କି ?' ସଦାଶିବ ଯଥାସମ୍ଭବ ଭଦ୍ର ଓ ସଂଯତ ଭାଷା ବ୍ୟବହାର କରିଥିଲା, ତାକୁ ଭଲରୂପେ ମାଲୁମ ଥିଲା ଯେ, ତାଙ୍କ ଗାଁଟା ନିହାତି ରକ୍ଷଣଶୀଳ ଏବଂ ସେଠି ଟୋକାଗୁଡ଼ାକବି ପରସ୍ପର ଭିତରେ ନିହାତି ଖରାପ ଭାଷା କଥାବାର୍ତ୍ତା ହୁଅନ୍ତି ନାଇଁ ବା ଯେଉଁ କେତେଟା ହୁଅନ୍ତି ସେମାନଙ୍କୁ ନିହାତି ନିରୋଳା ସ୍ଥାନର ସନ୍ଧାନ କରିବାକୁ ପଡ଼େ । ସର୍ବୋପରି, ନରହରିଟା ଲାଜକୁଳା ବୋଲି ସେ ଜାଣିଥିଲା ତଥା ନରହରି ନିଜେ ଖରାପ ଭାଷା କହେ ନାଇଁ ଏବଂ ଅନ୍ୟ କେହି କହିବାର ଶୁଣିଲେ ଚମକି ପଡ଼େ ।

 

ଯା'ହେଉ ସଦାଶିବ କଥା ଶୁଣି ନରହରି ଟିକେ ଆଶ୍ଚର୍ଯ୍ୟ ହେଲା । ତା'ପରେ କହିଲା, ‘ନାରୀ ସହ ସମ୍ପର୍କ ହେଇଚି ବୋଲି ତୁ ଭାବିଲୁ କାହିଁକି ?’

 

ସଦାଶିବ ସଳଖି ହେଇ ବସିଲା ଏବଂ କିଛି ଗୋଟେ ବଡ଼କଥା କହିବାକୁ ଯାଉଚି ବୋଲି ଭାବ ଦେଖାଇ ଆରମ୍ଭ କଲା, ‘ତୁ ଭାବୁଚୁ ମୁଁ ମୂଲ୍ୟହୀନ କଥା କହୁଚି ? କିନ୍ତୁ ତା’ ନୁହେଁ ଏ ବୟସରେ ଯଦି ନାରୀମାନଙ୍କ ସହ ସମ୍ପର୍କ ରଖାନଯାଏ ବା ଯଦି କୌଣସି ନାରୀର କଥା ମନରେ ଭାବି ସେଇ ନାରୀସହ ଦୈହିକ ସମ୍ପର୍କ ରଖି ନହୁଏ–ତେବେ ତୁ କହୁଥିବା ସ୍ଵପ୍ନ ପରି ସ୍ଵପ୍ନ ଦେଖାଯାଏ ।’

 

ସଦାଶିବ ଏତିକି କହି ନରହରିର ପ୍ରତିକ୍ରିୟା ଦେଖିବାପାଇଁ ଅପେକ୍ଷା କରିଥାନ୍ତା, କିନ୍ତୁ ନରହରି ତା’ ଆଡ଼କୁ ବିସ୍ମିତ ହୋଇ ଚାହିଁ ଥିବାର ଦେଖି ସାମାନ୍ୟ ଅପ୍ରତିଭ ହୋଇ ସଦାଶିବ ତରତରରେ କହିପକାଇଲା, ‘ମାନେ ଫ୍ରଏଡ଼ ବୋଲି ଜଣେ ମନସ୍ତତ୍ୱବିତ୍ ଥିଲେ, ତାଙ୍କ ମତରେ ମଣିଷର ଯୌନକାମନା ଚରିତାର୍ଥ ନହେଲେ ନାନାପ୍ରକାରର ସ୍ଵପ୍ନ ଦେଖାଯାଏ । ମୁଁ ତ ତୋତେ ଭଲ କରି ଜାଣିଚି ତୋର ପ୍ରକୃତି ସହ ସବୁକଥା ମିଳାଇସାରି ଭାବୁଚି ବୋଧେ ତୁ ଦେଖୁଥିବା ସ୍ୱପ୍ନ ପଛରେ ନାରୀଜନିତ କାରଣ ଥାଇପାରେ ।’

 

ନରହରି ଯିଏକି ଏଯାଏଁ ସଦାଶିବର କଥା ଏକଲୟରେ ଶୁଣୁଥିଲା ଏବଂ ଯିଏ ଏଯାଏଁ ବିଶ୍ୱାସ କରିଆସିଥିଲା ଯେ ତା’ ସ୍ୱପ୍ନରେ ଆସୁଥିବା ବୁଢ଼ାଟା ସକ୍ରେଟିସ୍ ଭିନ୍ନ ଅନ୍ୟ କେହି ନୁହନ୍ତି ବୋଲି, ସିଏ ଯେ ସଦାଶିବର କଥାରେ ଲାଜେଇଲା ନାଇଁ–ଏହା କହିବା ଅନ୍ୟାୟ । କିନ୍ତୁ ସ୍ୱପ୍ନର ବୃଦ୍ଧ ଯେ ସକ୍ରେଟିସ୍‌ଙ୍କଠାରୁ ଆରମ୍ଭ କରି କୌଣସି ନାରୀ ଯୋଗୁଁ ଦେଖାଦେଉଚି, ଏକଥା ସେ ଭାବିପାରୁ ନଥିଲା ।

 

‘ତୁ କ’ଣ ସେମିତି ସ୍ଵପ୍ନ ଜମା ଦେଖୁନୁ ?' ନରହରି ଶେଷରେ ବିସ୍ମୟ ଭାବ ରୂପକ ବଟବୃକ୍ଷରୁ ଓହ୍ଲାଇ ପଚାରିଲା, ଯେଉଁ ପ୍ରଶ୍ନର ଅନ୍ୟାର୍ଥ ଏମିତି ହୋଇପାରେ ଯେ, ‘ଆଚ୍ଛା ସଦାଶିବ ତୁ କ’ଣ ଏକ ବା ଏକାଧିକ ନାରୀଙ୍କ ସହ ନିୟମିତ ସମ୍ପର୍କ ରଖି ଆସିଚୁ ?'

 

ସଦାଶିବ ମଧ୍ୟ ପ୍ରଶ୍ନଟିର ଲୁକ୍କାୟିତ ଅର୍ଥଟି ବୁଝିଲା ।

 

‘ସକ୍ରେଟିସ୍ ପରି ମଣିଷ ବା ସକ୍ରେଟିସ୍‌ଙ୍କୁ ମୁଁ କେବେ ସ୍ୱପ୍ନରେ ଦେଖି ନାଇଁ,’ ସଦାଶିବ ଏକ ଦୀର୍ଘ ଭାଷଣ ଆରମ୍ଭ କରିବା ଭଙ୍ଗୀରେ ଆରମ୍ଭ କରି କହିଲା, ‘ଅବଶ୍ୟ ତୋ ଆଗରେ ସବୁ ଖୋଲି କହିବାରେ ମୋର ଦ୍ୱିଧା ନାଇଁ । ଆମେ ସବୁ ଯେଉଁ ହଷ୍ଟେଲ୍‍ରେ ରହୁଚୁ, ସେଗୁଡ଼ିକରେ ସେତେ କଟକଣା ନାଇଁ, ବୁଝୁଚୁ ତ ? ଆମ ଝିଅ ସାଙ୍ଗମାନେ ଆମ ରୁମ୍‌କୁ ଆସିପାରନ୍ତି । ମୁଁ ଯେତେବେଳେ ପ୍ରଥମେ ଯାଇ ହଷ୍ଟେଲ୍‍ରେ ରହିଲି, ଏସବୁ ଦେଖି କାବାକାଠ ! ଜଣେ ଜଣେ ଝିଅ ରାତିସାରାବି ରହିଯାନ୍ତି ରୁମ୍‌ରେ । କ୍ରମେ ସବୁ ଦେହସୁହା ହୋଇଗଲା । ଯାହା ମତେ ଲାଗୁଥିଲା ଖରାପ ବୋଲି, ପରେ ଭଲ ବୋଲି ଜଣାଗଲା । କଥାହେଲା ମନରେ କିଛି ଗୋଟେ ଗ୍ରହଣ କରିବା । ଯେମିତି ଆମେ ଗାଈକୁ ଗୋମାତା ବୋଲି ପୂଜା କରୁ, କିନ୍ତୁ ମୁସଲମାନମାନେ କରନ୍ତି ନାଇଁ ଏବଂ ମୁସଲମାନମାନେ ଘୁଷୁରୀକୁ ଯେପରି ଦୃଷ୍ଟିରେ ଦେଖନ୍ତି, ଆମେ ଦେଖୁନା–ବୁଝିଲୁ ? ଯାହା ହେଉ, ମୋରବି ଜଣେ ଦି’ଜଣ ଝିଅ ସାଙ୍ଗ ହେଲେ ତଥା ସେମାନେ ମୋର ରୁମ୍‌କୁ ମୋ ନିମନ୍ତ୍ରଣରେ ଏବଂ ମୋ ବିନା ନିମନ୍ତ୍ରଣରେବି ଆସିଲେ–ତା’ପରେ ତ ସବୁ ସାଧାରଣ କଥା ।

 

ସଦାଶିବ ନିଜର ନାରୀଜନିତ ସମ୍ପର୍କକୁ ଗୌରବ ଭାବି ଏତକ କହିଲା ବା ସେ ସକ୍ରେଟିସ୍‌ଙ୍କ ପରି ଜଣକୁ ବା ସକ୍ରେଟିସ୍‌ଙ୍କୁ ସ୍ୱପ୍ନରେ ନ ଦେଖିବାର କାରଣଟା ନରହରିକୁ ବୁଝାଇବାକୁ ଯାଇ ଏସବୁ କହିଲା, ନରହରି ସହଜରେ ଜାଣିପାରିଲା ନାଇଁ । କିନ୍ତୁ ନରହରି, ଯାହାର କି ଯୌନ ଅଭିଜ୍ଞତା କେବଳ ଅନ୍ୟମାନଙ୍କ କଥା ଲୁଚାଇ ଶୁଣିବାରେ ଅବା କୌଣସି ଗ୍ରାମ୍ୟ ମଦାଳସୀ ନଈରେ ଗାଧୋଉଥିବାବେଳେ ତା’ର ଆର୍ଦ୍ରବସନ ଜଡ଼ିତ ଅଙ୍ଗସନ୍ଦର୍ଶନରେ ସୀମିତ, ସେ ଯେ ସଦାଶିବର କଥାରେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଲା–ଏଥିରେ ତିଳାର୍ଦ୍ଧ ସନ୍ଦେହ ନାଇଁ ।

 

ଉଭୟଙ୍କ ଭିତରେ କିଛିକ୍ଷଣ ନୀରବତା ବିରାଜମାନ କଲା, ସତେ ଯେପରି ଉଭୟେ କେବଳ ଗଛ, ଆକାଶ, ନଈ, ପକ୍ଷୀ ଇତ୍ୟାଦିଙ୍କ ସହ ଭିତରେ ଭିତରେ ବାର୍ତ୍ତାଳାପ କରୁଥିଲେ । ସବୁକଥା ସଦାଶିବ କହି ଦେବା ପରେ ଭାବୁଥାଏ ଯେ, ବୋଧେ କହିଦେଇ ସେ ଭୁଲ୍ କରିପକାଇଲା । ନରହରି ମନରେ ସେତେବେଳେ କି ଧରଣର ଚିନ୍ତାସବୁ ଖେଳୁଥିଲା, ସେ କଥା କହିବା କାଠିକର ପାଠ । ଅନେକକ୍ଷଣ ପରେ ଯେତେବେଳେ ନରହରି ନୀରବତା ଭଗ୍ନ କଲା, ତା’ର କଥାରେ ସଦାଶିବ ଚମକି ପଡ଼ିଲା–ତଥା ସଦାଶିବ ସ୍ଥାନରେ ଆଉ ଯିଏ କେହି ଥିଲେ ମଧ୍ୟ ଚମକି ପଡ଼ିଥାନ୍ତା ଏବଂ ସେମିତି ଚମକି ପଡ଼ିବାଟାକୁ ମଣିଷର ସାଧାରଣ ପ୍ରତିକ୍ଷେପ କ୍ରିୟା ବୋଲି କହିବାକୁ ହେବ । ‘ତୁ ଏଥର ହଷ୍ଟେଲ୍‍ ଯିବାବେଳେ ମୁଁ ବି ତୋ’ସହ କିଛିଦିନ ପାଇଁ ଯିବି ।’ ନରହରି ଦୃଢ଼ ଏବଂ ପରିଷ୍କାର କଣ୍ଠରେ କହିଥିବା ଏଇ ବାକ୍ୟରେ ସଦାଶିବ ଚମକି ପଡ଼ିଥିଲା ।

 

(ଦୁଇ)

 

ସଦାଶିବ ଯେଉଁ ସହରରେ ପଢ଼େ, ସେ ସହରରେ ପହଞ୍ଚିବା ପରେ ନରହରି ଯେ କେମିତିଭାବେ ବୃହତ ଅଟ୍ଟାଳିକାମାନ, ପ୍ରବଳ ଭିଡ଼, ସହସ୍ର ସହସ୍ର ସଂଖ୍ୟକ ଦ୍ୱିପଦ–ତ୍ରିପଦ–ଚତୁଷ୍ପଦ–ଷଟ୍‌ପଦଯାନମାନ ଦେଖି ବିସ୍ମିତ ହୋଇଥିଲା, ସେ ସବୁ ବର୍ଣ୍ଣନା କରିବା ନିହାତି ଅନାବଶ୍ୟକ । କିନ୍ତୁ ସଦାଶିବ ପଢ଼ୁଥିବା ଅନୁଷ୍ଠାନର ପରିସର ଭିତରେ ପାଦ ଦେବା ପରେ ସେ ଯେପରିଭାବେ ବିସ୍ମିତ ହୋଇଥିଲା, ସେ ସବୁ ବର୍ଣ୍ଣନା କରିବା ନିତାନ୍ତ ଆବଶ୍ୟକ ।

 

ନିଜ ଶିକ୍ଷାନୁଷ୍ଠାନର ପରିସର ଭିତରକୁ ପ୍ରବେଶ କରିବା ପୂର୍ବରୁ ସଦାଶିବ ଓରଫ୍‍ ସଦେଇ ନରହରିକୁ ସାବଧାନ କରି କହିଥିଲା : ‘ଦେଖ୍ ନରିଆ, କ୍ୟାମ୍ପସ୍ ଭିତରେ ମତେ କଦାପି ସଦେଇ ବୋଲି ଡାକିବୁ ନାଇଁ । ମୁଁ ମୋ ନାଁ ବଦଳାଇ ଶୁଭଙ୍କର କରିଦେଇଚି, ବୁଝିଲୁ ? ମନେ ରଖି କାମ କରିବୁ ।’

 

ସଦାଶିବର ଯେଉଁ ବନ୍ଧୁଟି ପ୍ରଥମେ ସେମାନଙ୍କର ଦେଖାହେଲା, ସେ ସଦାଶିବକୁ ଦେଖି ଖୁସୀ ହୋଇ କହିଲା : ‘ହାଲୋ ବେକେଟ୍–ଗୁଡ଼ାଏ ଦିନ ରହିଗଲ ଗାଁରେ ।’ ଖୁବ୍ ତରତରରେ ଏବଂ ସମ୍ପୂର୍ଣ୍ଣ ଇଂରାଜୀରେ କହୁଥିବାରୁ ଗାଁ କଲେଜରେ ପଢ଼ୁଥିବା ନରହରିକୁ କିଛି ସମୟ ଲାଗିଥିଲା କଥାଟା ବୁଝିବାକୁ ତଥା ବାକ୍ୟଟାର ସବୁଅଂଶ ବୁଝିପାରିଲେବି ବେକେଟ୍ ଶବ୍ଦଟା ବୁଝିପାରି ନଥିଲା ସେ । ପରେ ସେ ସମ୍ପର୍କରେ ସଦାଶିବକୁ ପଚାରିବାରୁ ସେ ଉତ୍ତରରେ କହିଥିଲା : ‘ଆମ ଡିପାଟ୍‍ମେଣ୍ଟର ମାଗାଜିନ୍‌ରେ ମୁଁ ଗୋଟେ ଡ୍ରାମା ଲେଖିଥିଲି ମାନେ ନାଟକ, ପୂରା ଆବସର୍ଡ଼–ମାନେ ଗୋଟେ ପ୍ରକାରର ମୁଣ୍ଡକୁ କସରତ କରାଇବା ପରି ଡ୍ରାମା–ବୁଝିଲୁ ? ସେଇ ଡ୍ରାମାର ଆରମ୍ଭରେ ମୁଁ ବେକେଟ୍‍ଙ୍କ ଶୈଳୀରେ ଡ୍ରାମାଟା ଲେଖିଚି ବୋଲି ସୂଚନା ଦେଇଥିଲି ସେଥିପାଇଁ ଡିପାଟ୍‍ମେଣ୍ଟ ଟୋକାଗୁଡ଼ା ମତେ ବେକେଟ୍ ବୋଲି ଡାକନ୍ତି–ଅନ୍ୟମାନେ ଅବଶ୍ୟ ଶୁଭଙ୍କର ବୋଲି ଡାକନ୍ତି ।’

 

‘ବେକେଟ୍ କିଏ ?’ ନରହରି ନିହାତି ଦୟନୀୟ ହୋଇ ପଚାରିଥିଲା, ତା'ର ଧାରଣା ହୋଇଯାଇଥିଲା ଯେ ସେ କିଛି ପଢ଼ି ନାଇଁ, କିଛି ଜାଣି ନାଇଁ–ସେ ଯାହା ପଢ଼ିଛି, ଜାଣିଚି ବା ପଢ଼ୁଚି, ଜାଣୁଚି–ସେ ସବୁ ଗାଈ ଘାସ ଖାଏ ପରି ସାଧାରଣ କଥା ।

 

‘ସାମୁଏଲ ବେକେଟ୍ ବୋଲି ଜଣେ ନାଟକ ଲେଖୁଥିଲେ, ତାଙ୍କ ଲେଖିବା ଶୈଳୀଟା ନୂଆ ଧରଣର ଥିଲା, ମାନେ ଆବସର୍ଡ଼ମାନେ ମୁଣ୍ଡକୁ କସରତ କରାଇବା ପରି ଡ୍ରାମା ଲେଖୁଥିଲେ ସେ । ମାନେ ତାଙ୍କ ଡ୍ରାମା ପଢ଼ିବା ପରେ ତୁ ଜାଣିବୁ ଯେ, ଆରମ୍ଭ–ଶେଷ ନଥାଇ କିମିତି ଡ୍ରାମା ଲେଖାଯାଏ, ଛାଡ଼–ବେକେଟ୍ ଥିଲେ ଜଣେ ବିଖ୍ୟାତ ନାଟ୍ୟକାର ।’ ସଦାଶିବ ଯଥାସମ୍ଭବ ପ୍ରୟାସ କରିଥିଲା ଆବସର୍ଡ଼ ଡ୍ରାମା କଥାଟା ନରହରିକୁ ବୁଝାଇବା ପାଇଁ, ନରହରି ବୁଝି ନଥିଲା ବୋଲି ତା’ର ବିଶ୍ୱାସ ହୋଇଯାଇଥିଲା ଏବଂ ନରହରିର ଅବସ୍ଥା ମଧ୍ୟ ଥିଲା ତତୋଽଧିକ ଶୋଚନୀୟ, ଅର୍ଥାତ୍ ଆରମ୍ଭ ଓ ଶେଷ ନଥାଇ ନାଟକଟେ କିମିତି ଲେଖାଗଲା ବୋଲି ଏକ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା ସେ । ଆରମ୍ଭ ନାଇଁ ବୋଲି ସଦାଶିବର କଥାରେ ସେ କାଣିଚାଏ ବିଶ୍ୱାସ କରୁ ନଥିଲା, କାରଣ ତା’ର ଧାରଣା ଥିଲା ଯେ ନିଶ୍ଚିତ ଆରମ୍ଭ ଥିବ ନହେଲେ ପ୍ରଥମ ଅଙ୍କର ପ୍ରଥମ ଦୃଶ୍ୟର ପ୍ରଥମ ସଂଳାପ ନ ରହିବା କଥା ବୋଲି ସେ ମନେମନେ ଧରି ନେଇଥିଲା ।

 

ହଷ୍ଟେଲ୍‍ରେ ପହଞ୍ଚିବାର ମାତ୍ର କେତୋଟି ଘଣ୍ଟା ପରେ ନରହରି ଆବିଷ୍କାର କଲା ଯେ, ସଦାଶିବର ପାଖ ରୁମ୍‌ରେ ରହୁଥିବା ଛାତ୍ର ଜଣକ ନିତାନ୍ତ ବୃହତ ବପୁ ବିଶିଷ୍ଟ । ସାଧାରଣତଃ ଏତେ ବୃହତ ଶରୀର ବିଶିଷ୍ଟ କୌଣସି ମଣିଷ ଯେ ଛାତ୍ର ହୋଇପାରେ, ସେକଥା ସେ ଟୋକାଟାକୁ ଦେଖି ନଥିଲେ ନରହରି କଦାପି ବିଶ୍ୱାସ କରି ନଥାନ୍ତା । ହଷ୍ଟେଲ୍‍ ରୁମ୍ ଭିନ୍ନ ଅନ୍ୟ ଯେକୌଣସି ସ୍ଥାନରେ ସେପରି ବୃହତକାୟ ମଣିଷକୁ ଦେଖିଥିଲେ ନରହରି ନିଶ୍ଚେ ଧରି ନେଇଥାନ୍ତା ଯେ, ସେ ଜଣେ ଅଫିସର ବା ବେପାରୀ ବା ସେଇମିତି କିଛି ବୋଲି । ସଦାଶିବର ସେଇ ବୃହତ ବପୁବିଶିଷ୍ଟ, ବନ୍ଧୁଟି ଯେତେବେଳେ ସନ୍ଧ୍ୟାରେ କେବଳ ଅଣ୍ଡରୱିଅର୍‌ଟିଏ ପିନ୍ଧି ସଦାଶିବର ରୁମ୍‌କୁ ଜଙ୍ଘ କୁଣ୍ଡେଇ କୁଣ୍ଡେଇ ଆସିଲା, ସେତେବେଳେ ନରହରି ଯିମିତି ଆଶ୍ଚର୍ଯ୍ୟାନ୍ୱିତ ହୋଇ ତା’ର ଜଙ୍ଘକୁ ଚାହିଁଥିଲା, ସେମିତି ଚାହିଁବାକୁ ସେଠି ଜଣେ ମନସ୍ତତ୍ୱବିତ୍ ଥିଲେ ନିଶ୍ଚେ ନରହରି ସୁପ୍ତ ଯୌନାକାଂକ୍ଷୀ ବୋଲି କହିଥାନ୍ତେ । ଯାହାହେଉ, ସଦାଶିବ ତାକୁ ‘ମୋଟୁ’ ବୋଲି ସମ୍ବୋଧନ କରିବାକ୍ଷଣି ନରହରି ନିଶ୍ଚିତ ହେଇଗଲା ଯେ ସାରା ହଷ୍ଟେଲ୍‍ରେ ସେ ‘ମୋଟୁ’ ବୋଲି ପରିଚିତ ।

 

‘ଗାଁ ଖବର ସବୁ କ’ଣ ?’ ମୋଟୁ ପଚାରିଲା ଇଂରାଜୀରେ ।

 

‘ଖବର ଆଉ କ’ଣ ? ଯାହା–ସେୟା ।’ ସଦାଶିବବି ଇଂରାଜୀରେ କହିଲା ।

 

ନରହରି ତା’ କଲେଜର ବୁଦ୍ଧିମାନ ଛାତ୍ରଥିଲା, ଅତଏବ କଥାଗୁଡ଼ା ବୁଝିପାରୁଥିଲା, କିନ୍ତୁ ନିଜେ ସେପରି ଇଂରାଜୀ କହିବାଟା ତା’ ପକ୍ଷରେ ଥିଲା ଏକାକୀ ବିନା ଅମ୍ଳଜାନରେ ଏଭରେଷ୍ଟ ଚଢ଼ିବାର ପ୍ରୟାସ କରିବା ପରି ଏବଂ ଯେତେବେଳେ ସଦାଶିବ ସେଇ ମୋଟୁଟି ସହ ତା’ର ପରିଚୟ ଖୁବ୍ ଅନ୍ତରଙ୍ଗ ବନ୍ଧୁ ବୋଲି କରାଇଲା ତଥା ମୋଟୁଟି ତତ୍‌କ୍ଷଣାତ୍ ଏକ ଛୋଟ କୁଲାପରି ପାପୁଲି ବଢ଼ାଇଲା କରମର୍ଦ୍ଦନ କରିବାପାଇଁ, ସେତେବେଳେ ନରହରି ନର୍ଭସ ହେବା ନିହାତି ସ୍ୱାଭାବିକ । ଅବଶ୍ୟ ନରହରି ସେତିକିବେଳେ ପୂରାପୂରି ନର୍ଭସ ହେଇଗଲା, ଯେତେବେଳେ ମୋଟୁଟି ଚଟ୍‌କରି ଇଂରାଜୀରେ କ’ଣ ପଦେ କହିଦେଲା ।

 

‘ଭେରି ସାଏ ।’ ମୋଟୁଟି କହିଲା, ସେତେବେଳକୁ ନରହରି ଟେବୁଲ ଉପରେ ପଡ଼ିଥିବା ଗୋଟାଏ ବହି ଓଲଟାଇବାରେ ଲାଗି ଯାଇଥାଏ, ସତେ ଅବା ସେ ସମ୍ପୂର୍ଣ୍ଣ ଅନ୍ୟମନସ୍କ ଏବଂ କଥାଟା ଶୁଣିପାରି ନାଇଁ ତଥା ପରିଚୟ ପର୍ବ ପ୍ରତି ସମ୍ପୂର୍ଣ୍ଣ ବୀତସ୍ପୃହ ।

 

ମୋଟୁଟି ନରହରି ପ୍ରତି ବିଶେଷ ଧ୍ୟାନ ନ ଦେଇ ସଦାଶିବ ସହ ବାର୍ତ୍ତାଳାପରେ ମଜିଗଲା । ନରହରି ଯେ ସେମାନଙ୍କ ବାର୍ତ୍ତାଳାପକୁ ଶୁଣୁଥିଲା, ତା' ନୁହେଁ; କିନ୍ତୁ କଥାବାର୍ତ୍ତା ମଝିରେ ଗୋଟାଏ ବାକ୍ୟ ତା’ର ଶୁଣି ହୋଇଗଲା ।

 

‘ତୋ ଚିତ୍ରଅଙ୍କା କିମିତି ଚାଲିଚି ।’ ସଦାଶିବର ସେଇ ମୋଟୁଟିକୁ ଏଇ ପ୍ରଶ୍ନଟି ନରହରିର ଶୁଣି ହୋଇଯାଇଥିଲା ତଥା ସେ ଆଶ୍ଚର୍ଯ୍ୟ ହୋଇଥିଲା ଯେ, କାଦୁଅର ମୂର୍ତ୍ତିପରି ଦିଶୁଥିବା ମୋଟୁଟି ଚିତ୍ର ଆଙ୍କିପାରେ ବୋଲି ।

 

‘ଚାଲିଚି ସେମିତି’ ମୋଟୁ କହିଲା, 'ଏବେ ଗୋଟେ ଆର୍ଟିଷ୍ଟ୍ ପାଖକୁ ଯାଇଥିଲି । ପୋଟ୍ରେଟ୍‌ ଅଙ୍କା ଶିଖିବାପାଇଁ । କହିଲା କ’ଣନା ମାସକୁ ନେବ ତିନିଶହ ଟଙ୍କା ସତେ ଅବା ଗୋଟା ପିକାସୋ । ପିକାସୋବି ଏତେ ଟଙ୍କା ମାଗୁ ନଥିବେ ।’

 

ଖୁବ୍ ଇଂରାଜୀରେ କଥାବାର୍ତ୍ତା ଚାଲିଥିଲେବି ନରହରି ବୁଝିପାରୁଥିଲା । ତା'ଛଡ଼ା ମୋଟୁଟି ଗୋଟେ ଷ୍ଟାଇଲ୍‍ରେ ରହିରହି ଝୁଣ୍ଟିଝୁଣ୍ଟି, କାନ୍ଧ ନଚେଇ କହୁଥିବାରୁ ନରହରିର ବିଶେଷ ଅସୁବିଧା ହେଉ ନଥିଲା ।

 

‘ଆଚ୍ଛା–ତୁ ପିକାସୋଙ୍କ ପେଣ୍ଟିଙ୍ଗ୍ ଦେଖିଚୁ ?' ସଦାଶିବ ପଚାରିଲା, ତା’ର ଯେ ପେଣ୍ଟିଙ୍ଗ୍ ସମ୍ପର୍କୀୟ ଜ୍ଞାନଟା ନିହାତି ତଳସ୍ତରର ନୁହ, ଏକଥା ପ୍ରମାଣିତ ହେବାକୁ ସମୟ ଲାଗିଲା ନାଇଁ ।

 

‘ନା, ଦେଖିନି, କିନ୍ତୁ ପେଣ୍ଟିଙ୍ଗ୍‍ର ଫଟୋଗୁଡ଼ା ଗୋଟେ ମାଗାଜିନ୍‌ରେ ଦେଖିଚି, ବେଶ୍ ଇମ୍ପ୍ରେସିଭ । କିନ୍ତୁ ସେ ଫଟୋରୁ ପ୍ରପର୍ କଲର କମ୍ବିନେସନ୍‌ଟା ଜାଣି ହେଲାନି ।’

 

‘ଚଗାଁଙ୍କର ପେଣ୍ଟିଙ୍ଗ୍ ଦେଖିଚୁ ?' ସଦାଶିବ ବେଶ୍ ଜାଣିଥିବା ପରି ପଚାରିଲା ।

 

‘ଚଗାଁ ? ନା–ତାଙ୍କର ଦେଖିନି । କିନ୍ତୁ ଗଁଗାଁଙ୍କର ପେଣ୍ଟିଙ୍ଗ୍‍ ଦେଖିଚି ।’

 

‘ରାଇଟ୍–ମୁଁ ଗଗାଁଙ୍କ କଥା କହୁଚି, ଚଗାଁ ବୋଲି କହିଲି ବୋଧେ ।’

 

‘ଗଗାଁଙ୍କର ପେଣ୍ଟିଙ୍ଗ୍‍ ଦେଖିଚିମାନେ ପେଣ୍ଟିଙ୍ଗ୍‍ର ଫଟୋ ଦେଖିଚି । ପ୍ରକୃତ ପେଣ୍ଟିଙ୍ଗ୍‍ କେବଳ ଦୁଇଜଣ ବଡ଼ ଆର୍ଟିଷ୍ଟ୍‍ଙ୍କର ଦେଖିଚି । ଶାନ୍ତିନିକେତନ ବୁଲି ଯାଇଥିବାବେଳେ ନନ୍ଦଲାଲ ବୋଷ ଓ ରବୀନ୍ଦ୍ରନାଥଙ୍କର ପେଣ୍ଟିଙ୍ଗ୍‍ କେତେଟା ଦେଖିଚି–ଅନ୍ୟମାନଙ୍କ ପେଣ୍ଟିଙ୍ଗ୍‍ ଦେଖିବାକୁ ସମୟ ହେଲାନି, କାମଟେ ପଡ଼ିବାରୁ ଚଟାପଟ ଆସିବାକୁ ହେଲା ।’

 

ସଦାଶିବ ଓ ସେଇ ମୋଟୁଟି କେତେବେଳ ଯାଏଁ ଏମିତି ଗପିଲେ, ନରହରି କେତେକ କଥା ବୁଝୁଥାଏ, କେତେକ ବୁଝିପାରୁ ନଥାଏ । ଗପସାରି ମୋଟୁଟି ଯିବା ପରେ ସଦାଶିବ ନରହରିକୁ ଗାଧୁଆଘର ଓ ପାଇଖାନା ଦେଖାଇଦେଲା, ନରହରି ନିତ୍ୟକର୍ମ ସାରି ଫେରିବା ପରେ ଡ୍ରେସ୍ ପିନ୍ଧି ସେମାନେ ଖାଇବାକୁ ବାହାରିଲେ । ହଷ୍ଟେଲ୍ ମେସ୍‌ରେ କେତେ ଦିନ ହେବ ଗେଷ୍ଟ୍ ମିଲ୍ ପ୍ରଥାଟା ବନ୍ଦ ହୋଇଯାଇଥିବାରୁ ସେମାନଙ୍କୁ ବାଧ୍ୟହୋଇ ହୋଟେଲ ଯିବାକୁ ହେଲା । ସଦାଶିବ ମେସ୍‌ରେ ଖାଇପାରିଥାନ୍ତା, କିନ୍ତୁ ନରହରି ଏକାକୀ ହୋଟେଲକୁ ଯାଇପାରିବ କି ନାଇଁ ବୋଲି ଦ୍ୱନ୍ଦ୍ୱଟିଏ ତା’ ମନରେ ଉପୁଜିବାରୁ ସେ ନରହରି ସହ ହୋଟେଲରେ ଖାଇବାକୁ ସ୍ଥିର କରିଥିଲା । ହୋଟେଲ ଯିବା ବାଟରେ ସଦାଶିବର ଆଉ ଜଣେ ବନ୍ଧୁ ଦେଖାହେଲା । ପିନ୍ଧିଥାଏ ଗୋଟେ ଜିନ୍ ପ୍ୟାଣ୍ଟ ଓ ଖଦଡ଼ ପଞ୍ଜାବି, କାନ୍ଦରେ ଖଦଡ଼ ଝୁଲାଟେ ପକାଇଥାଏ । ସିଗାରେଟ ଲାଗିଥାଏ ମୁହଁରେ ।

 

: ‘ହାଲୋ ଓଲ୍ଡମ୍ୟାନ୍, କେବେ ଆସିଲ ?' ସେ ଟୋକାଟା ଏମିତି ପଚାରିଲା ଯେ, ନରହରି ତତ୍‌କ୍ଷଣାତ୍ ପଛକୁ ବୁଲି ଚାହିଁଲା ପଛରେ କେହି ବୃଦ୍ଧ ଆସୁଚି କି କ’ଣ ଦେଖିବାପାଇଁ । କିନ୍ତୁ ତୁରନ୍ତ ନିଜ ଭୁଲ୍ ଜାଣିପାରିଲା ଏବଂ ଜାଣି କରି ଯେ ଟୋକାଟା ସଦାଶିବକୁ ଓଲ୍ଡମ୍ୟାନ୍ ବା ବୃଦ୍ଧ ବୋଲି ସମ୍ବୋଧନ କରିଥିଲା ।

 

: ‘ଏଇତ ଆସୁଚି ।’ ସଦାଶିବ କହିଲା ଏବଂ ପଚାରିଲା : ‘ତୋ’ ଖବର ଆଉ କ’ଣ ?'

 

: ‘ଖବର କ’ଣ ଆଉ ? ପିଏଚ.ଡି. ପାଇଁ ରେଜିଷ୍ଟ୍ରେସନ କରିଦେଲି ।’

 

: ‘ଟପିକ୍ କ’ଣ ରଖିଲୁ ?’

 

: ‘ଇମ୍ପାକ୍‌ଟ୍ ଅଫ୍ ଅର୍ବାନାଜାଇସନ୍ ଅନ୍ ରୁରାଲ ଇଣ୍ଡିଆ ।’

 

: ‘ବାଃ । ବଢ଼ିଆ ଟପିକ୍‌–ରିଏଲି ମାର୍ଭଲ୍‌ସ ।’ ସଦାଶିବ ଏମିତି ତୃପ୍ତିରେ କହିଲା ଜଣେ ଅନୁଭବ କରିବ ଯେ ଶାହାଜାହାନ୍ ତାଜମହଲଟା ବନାଇବାପରେବି ସେମିତି ତୃପ୍ତି ଅନୁଭବ କରି ନଥିବେ ।

 

: ‘ଆମେ ଖାଇବାକୁ ଯାଉଚୁ । ପରେ ଦେଖାହେବ–ବାଏ ।’ ସଦାଶିବ କହିଲା ଏବଂ ନରହରି ସହ ହୋଟେଲ ଆଡ଼େ ପୁନର୍ବାର ଯାତ୍ରା ଆରମ୍ଭ କଲା ।

 

ନରହରି ବାଟରେ ପଚାରିଲା : ‘ଟୋକାଟା ବୋଧେ ଗାଁ ଅଞ୍ଚଳର, ନହେଲେ ଗାଁ ଉପରେ ପିଏଚ.ଡି. କରୁଥାନ୍ତା କାହିଁକି ?’

 

: ‘ହେଃ । ସେ ଜମା ଗାଁ ଦେଖିନି । ଜନ୍ମରୁ ଏଯାଏଁ ଏଇ ସହରରେ । ପିଏଚ.ଡି. କରିବାକୁ ହେଲେ ଗାଁକୁ ଯିବା ଦରକାର କ’ଣ ? ଲାଇବ୍ରେରି ଭିତରେ ସବୁ ଗାଁ ଦେଖି

 

ହେବ । ତା’ଛଡ଼ା ଫରେନ୍ ଅଥରଗୁଡ଼ା ଇଣ୍ଡିଆନ୍ ଭିଲେଜ ଉପରେ ସବୁ ମାଟେରିଆଲ କଲେକ୍‌ଟ କରିସାରିଛନ୍ତି ।’ ସଦାଶିବ ଏମିତିଭାବେ କହିଲା, ସତେ ଅବା ନରହରି ନିର୍ଘାତ ଶିଶୁଟାଏ–କିଛି ଜାଣିନି, ତଥା ସେ ସବୁ ଗୂଢ଼ ରହସ୍ୟ ବୁଝାଇବାର ପ୍ରୟାସ କରୁଚି । ହୋଟେଲରେ ପହଞ୍ଚିବା ଯାଏଁ ନରହରି ଆଉ କିଛି କହି ନଥିଲା ।

 

(ତିନି)

 

ହୋଟେଲରେ ଗୋଟେ ଟେବୁଲକୁ ଘେରି ଦୁଇଜଣ ପୁଅ–ଦୁଇଜଣ ଝିଅ ବସିଥିଲେ । ସଦାଶିବ ଓ ନରହରି ଅନ୍ୟ ଏକ ଟେବୁଲରେ ବସି ଖାଇବାପାଇଁ ଅଡ଼ର୍ ଦେବା ଭିତରେ ଜାଣିସାରିଥିଲେ ଯେ, ସେଇ ଚାରିଜଣଙ୍କର କୌଣସି ଏକ ଆଲୋଚନା ପୂରା ଗରମାଗରମ ଅବସ୍ଥାକୁ ଆସିଯାଇଥାଏ ।

 

: ‘ପ୍ରାଚୀନ ଗ୍ରୀକ୍ ସଭ୍ୟତା କଥା ଭାବିଲେ ମତେ ଆଶ୍ଚର୍ଯ୍ୟ ଲାଗେ,’ ଗୋଟେ ଟୋକା କହୁଥାଏ, ‘ଏତେ ବଡ଼ବଡ଼ ଦାର୍ଶନିକ ଜନ୍ମ ନେଇଥିଲେ ସେଠି । କ’ଣ ଥିବ ସତେ ସେ ସଭ୍ୟତାଟା-। କିନ୍ତୁ କାହିଁ ? ଆଜିର ଗ୍ରୀକ୍ ସଭ୍ୟତାଟା ଗୋଟେ କଙ୍କାଳ । ସକ୍ରେଟିସ୍, ଆରିଷ୍ଟୋଟଲ, ପ୍ଲାଟୋ, ସଫୋକ୍ଲିସ୍, ହିରୋଡ଼ାଟସ୍, ପିଥାଗୋରସ, ଆର୍କମେଡ଼ସ ଏମିତି ଅସଂଖ୍ୟ ନାଁ ମିଳିବ-। ଆଜିର ଗ୍ରୀସରେ ଗୋଟେ ଭଲ ନାଁ ମିଳନ୍ତା ।’

 

ସେ ଟୋକାଟାର ଭାଷଣ ଶେଷ ହୋଇଥିଲା କି ନାଇଁ, କହିହେବ ନାଇଁ କିନ୍ତୁ ସେ ଅଟକିବାମାତ୍ରେ ଆଉ ଜଣେ କହିଲା : ‘କାହିଁ–ଭାରତରେ ସେମିତି ନଥିଲା କି ? ବ୍ୟାସ–ବାଲ୍ମୀକିଙ୍କଠୁ ଆରମ୍ଭ କରି ନଚିକେତା–ଯାଜ୍ଞବଳକ୍ୟ ପର୍ଯ୍ୟନ୍ତ, ପୁଣି ଚାର୍ବାକ୍‌–ଶଙ୍କରାଚାର୍ଯ୍ୟ, ବୁଦ୍ଧ, ଆର୍ଯ୍ୟଭଟ୍ଟ, ଧନ୍ୱନ୍ତରୀ–ବରାହମିହିର ଏମିତି ଅସଂଖ୍ୟା ଥିଲେ କିନ୍ତୁ ଆଜିର ଭାରତରେ କିଛି ଅଛି-?' ଟୋକାଟା କହିସାରି ହୋଟେଲର ଚଉଦିଗରେ ଥରେ ଆଖି ବୁଲେଇ ଆଣିଲା, ଆଶା କରିଥିଲା ବୋଧେ ତା’ କଥାରେ ଅନ୍ୟମାନେ ନିଶ୍ଚିତ ଆକର୍ଷିତ ହୋଇଥିବେ ବୋଲି । କିନ୍ତୁ ଅନ୍ୟ କେହି ତା' କଥା ଶୁଣୁଥିବା ପରି ମନେହେଲା ନାଇଁ ।

 

ସୁଯୋଗ ଦେଖି ନରହରି ଧୀର କଣ୍ଠରେ ସଦାଶିବକୁ ପଚାରିଲା : ‘ଆରେ ଟୋକାଟା କ’ଣ ଏବେ ଗ୍ରୀସ୍ ବୁଲିବାକୁ ଯାଇଥିଲା ନା କ'ଣ ?’

 

: ‘ଡାକ୍ । ସେଇଟାକୁ ମୁଁ ଜାଣେ–ମହାବାନାଟା ।’ ସଦାଶିବ ନିଜ କଣ୍ଠସ୍ୱରକୁ ଯଥାସମ୍ଭବ ଅନୁଚ୍ଚ ରଖିବାର ପ୍ରୟାସରେ ସଫଳ ହୋଇଥିଲା । ଇତିମଧ୍ୟରେ ସେମାନଙ୍କ କଥା ପୁରାତନ ସଭ୍ୟତାରୁ ସାହିତ୍ୟକୁ ଚାଲିଆସିଥାଏ । ତଥା ନରହରି ଓ ସଦାଶିବଙ୍କ ଟେବୁଲକୁ ଖାଇବା ମଧ୍ୟ ଆସିଯାଇଥାଏ ।

 

: ‘ଯାହା କହ–ଏ ଶତାବ୍ଦୀରେ ଅନ୍ୟ କେଉଁ ଭାଷାର ସାହିତ୍ୟରେ କିଛି ଖାଣ୍ଟିଥାଉ କି ନଥାଉ, କିନ୍ତୁ ରସିଆନ୍ ସାହିତ୍ୟଟା ଏ ଶତାବ୍ଦୀକୁ ଏକ ବଡ଼ଦାନ ନୁହେଁ ?’ ଜଣେ ପ୍ରଶ୍ନିଳ ଦୃଷ୍ଟିରେ ଅନ୍ୟକୁ ଚାହିଁ କହିଲା । ତା’ର ସେପରି ଦୃଷ୍ଟିର ଉତ୍ତର ଦେଲା ଜଣେ ତରୁଣୀ, ଯିଏକି ସେଯାଏଁ ପାଟିଖୋଲିବା ନରହରି ଦେଖି ନଥିଲା ।

 

: ‘ରାଇଟ୍–କିନ୍ତୁ ଫ୍ରେଞ୍ଚ କି ଇଂରାଜୀ ସାହିତ୍ୟରେ ବେଶ୍ କିଛି ଖାଣ୍ଟି ମିଳେ’, ସେଇ ତରୁଣୀଟି କହିଲା, ‘ପ୍ରକୃତରେ ଫ୍ରେଞ୍ଚ ଓ ଇଂଲିଶ୍‌ରେହିଁ ଏ ଶତାବ୍ଦୀର ପ୍ରଥମ ପାଞ୍ଚଟି ଦଶକର ସର୍ବୋକୃଷ୍ଟ ସାହିତ୍ୟ ସୃଷ୍ଟି ହେଇଚି ।’

 

ଟୋକାଟା ତତ୍‌କ୍ଷଣାତ୍ ଜୋରରେ କହିଲା : ‘ହଁ–ମାନୁଚି । କିନ୍ତୁ ମୋର କହିବା କଥା ଯେ, ପ୍ରେମ–ଘୃଣା ପରି ବିଭିନ୍ନ ଅନୁଭବ ବା ନାରୀକୁ ଯେଉଁ ଦୃଷ୍ଟିଭଙ୍ଗୀରେ ରସିଆନ୍ ସାହିତ୍ୟିକମାନେ ବିଚାର କରିଛନ୍ତି, ଅନ୍ୟ ଭାଷାରେ ସାହିତ୍ୟିକମାନେ ସେତେଟା ପାରିନାହାନ୍ତି । ରସିଆନ୍ ସାହିତ୍ୟିକମାନେ ଗୋଟେ ପ୍ରକାର ମାନବିକ ସମ୍ବେଦନଶୀଳତା ନେଇ ସବୁକୁ ବିଚାର କରିଥିବାବେଳେ ଅନ୍ୟମାନଙ୍କ ବର୍ଣ୍ଣନାରେ ସେସବୁ ଏକପ୍ରକାର ପ୍ରବୃତ୍ତିର ବର୍ଣ୍ଣନା ପରି ଲାଗେ–ମୁଁ ଏଇଆ କହୁଚି ।’

 

ଟୋକାଟା ନୀରବ ହେବା ସହ ନରହରିର ଚିନ୍ତାଧାରାବି ବାଟବଣା ହେଇଗଲା । ଟୋକାଟା କଥାରୁ ନରହରି କାଣିଚାଏ ବୁଝିପାରିଲା ନାଇଁ ଏବଂ ତାକୁ କେହି ସେତେବେଳେ ପଚାରିଥିଲେ ସେ ସ୍ୱୀକାର କରିଥାନ୍ତା ଯେ ସେ କିଛି ବୁଝି ପାରି ନାଇଁ ।

 

ସେ ଚାରି ଜଣଙ୍କର ଖିଆ ସରି ଯାଇଥିଲା । ସେମାନେ ଉଠି ହାତ ଧୋଇ ପୁନର୍ବାର ସେଇ ଟେବୁଲ ପାଖରେ ପୂର୍ବପରି ବସିଲେ । ଜଣେ ପକେଟରୁ ଗୋଟେ କାଗଜର ପୁଡ଼ିଆ ବାହାର କଲା ଏବଂ ଆଉ ଜଣେ ଗୋଟେ ସିଗାରେଟ ଖୋଳରୁ ଚାରିଟା ସିଗାରେଟ ବାହାର କରି ସିଗାରେଟ ଭିତରୁ ଟବାକୋଗୁଡ଼ା କାଢ଼ିବାରେ ଲାଗିଲା । ପୁଡ଼ିଆ ବାହାର କରିଥିବା ଟୋକାଟି ପୁଡ଼ିଆରୁ କିଛି ବାହାର କରି ହାତରେ ଦଳୁଥାଏ । ନରହରି ପୂର୍ବରୁ କେହି ସେମିତି କରୁଥିବାର ଦେଖି ନଥିଲା । କିନ୍ତୁ ନିଜର ସାଧାରଣ ଜ୍ଞାନର କିଞ୍ଚିତ୍‍ ବିନିଯୋଗ କରି ନରହରି ଜାଣିଲା ଯେ, ଦଳା ଯାଉଥିବା ଜିନିଷଟି ଗଞ୍ଜେଇ–ଅଥଚ ଗଞ୍ଜେଇକୁ କେବେ ଚିଲମ ଭିନ୍ନ ଅନ୍ୟ କେଉଁଥିରେ ଟଣାଯିବାର ସେ ଦେଖି ନଥିଲା । ଖୁବ୍ କମ୍ ସମୟ ଭିତରେ ସବୁକିଛି ପ୍ରସ୍ତୁତ ହୋଇଗଲା ଏବଂ କିଛିକ୍ଷଣ ପୂର୍ବରୁ ସକ୍ରେଟିସ୍–ସଫୋକ୍ଲିସ-ପ୍ଲାଟୋ–ହେହାମର–ଫ୍ରେଞ୍ଚ ସାହିତ୍ୟ–ଇଂରାଜୀ ସାହିତ୍ୟ–ରସିଆନ୍ ସାହିତ୍ୟ ଉପରେ ଧୂଆଁଧାର ଆଲୋଚନା କରୁଥିବା ଚାରିଜଣ ଗଞ୍ଜେଇ ଟାଣିବାରେ ଲାଗିଗଲେ ।

 

: ‘ଏମିତି ଜାଗାରେ ଗଞ୍ଜେଇ ଟାଣିଲେ କେହି ଧରୁ ନାହାନ୍ତି ?' ନରହରି ସାଧାରଣ ପ୍ରଶ୍ନଟିଏ ପଚାରିଲା ଏବଂ ସଦାଶିବଠାରୁ ମଧ୍ୟ ତତୋଽଧିକ ସାଧାରଣ ଉତ୍ତରଟିଏ ପାଇଲା : ‘ଧରିବ କିଏ କାହିଁକି ? ହୋଟେଲଟା କ’ଣ କ୍ୟାମ୍ପସ୍ ବାହାରେ କି ?’

 

ଯା’ହେଉ, ଗଞ୍ଜେଇଟଣାର ସ୍ଥାନଟା ଦେଖି ନରହରି ଯେତେ ଆଶ୍ଚର୍ଯ୍ୟ ହୋଇ ନଥିଲା; ତା'ଠୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲା ଝିଅ ଦି’ଜଣ ଟାଣିବା ଦେଖି, କାରଣ ସେ ପର୍ଯ୍ୟନ୍ତ କୌଣସି ନାରୀ ସିଗାରେଟ ଟାଣିବା ମଧ୍ୟ ସେ ଦେଖି ନଥିଲା, ଏମିତିକି ସେ ଦେଖିଥିବା ଦୁଇଟା ଓଡ଼ିଆ ଓ ଗୋଟେ ହିନ୍ଦୀ ସିନେମାରେ ମଧ୍ୟ କୌଣସି ନାରୀ ସିଗାରେଟ ଟାଣି ନଥିଲେ !

 

ଯେଉଁ ମୁହୂର୍ତ୍ତରେ ସଦାଶିବ ଅନୁଭବ କଲା ଯେ, ଝିଅ ଦି’ଟା ଗଞ୍ଜେଇ ଟାଣିବା ଦେଖି ନରହରି ଭୀଷଣ ଆଶ୍ଚର୍ଯ୍ୟ ହେଇଯାଇଚି, ସେଇ ମୁହୂର୍ତ୍ତରେ ନରହରିକୁ ଭୀଷଣରୁ ଭୀଷଣତରଭାବେ ଆଶ୍ଚର୍ଯ୍ୟ କରି ଦେବାପାଇଁ ସେ କହିଲା : ‘ଏ ଦି’ଟା ବୋଧେ ଆଜି ଟୋକା ଦି’ଟାଙ୍କ ରୁମ୍‌ରେ ରାତିରେ ରହିବେ । ଏତିକି କ’ଣ ? ଆହୁରି ଟାଣିବେ ନା ! ରାତିରେ ରହିବାର ନଥିଲେ ଟୋକା ଦି’ଟା ବିଲ୍ ଦେଇଥାନ୍ତେ କାହିଁକି ?'

 

ସତକୁସତ ନରହରି ଭୀଷଣ ଆଶ୍ଚର୍ଯ୍ୟ ହେଲା, ସେଭାବଟି ତା’ ମୁହଁରେ ବେଶ୍ ଉକୁଟି ଉଠିଥିଲା ଏବଂ ସେଇକ୍ଷଣି ସଦାଶିବ ତାକୁ ଗାଁରେ କହିଥିବା କଥା ତା’ର ମନେପଡ଼ିଗଲା ତଥା ତତ୍ ସହ ମନେପଡ଼ିଗଲା ସ୍ୱପ୍ନ କଥା । ସ୍ୱପ୍ନରେ ସେଇ ନାକ ପଶିଯାଇଥିବା, ଆଖି ଜାଗାରେ ଦୁଇଟା ଗାତ ଥିବା ବୁଢ଼ାଟା କଥା । ତା’ସହ ମନେପଡ଼ିଗଲା ସକ୍ରେଟିସ୍‌ଙ୍କ କଥା–ସକ୍ରେଟିସ୍ । ସକ୍ରେଟିସ୍ ! କିଏ ଏବେ କହୁଥିଲା ସକ୍ରେଟିସ୍ ଶବ୍ଦଟା ? ନରହରି ସେଇ ଚାରି ଜଣଙ୍କୁ ଚାହିଁଲା, ବୋଧେ ସେମାନଙ୍କ ଭିତରୁ କେହି ଉଚ୍ଚାରଣ କରିଥିଲା ଶବ୍ଦଟା । ସେଇ ଚାରି ଜଣଙ୍କ ଭିତରେ କୋଉଠି ଲୁଚିଚି ସକ୍ରେଟିସ୍ ? ଚାରିଜଣଯାକ ତ ଗଞ୍ଜେଇରେ ଡୁବିଥିଲେ, କିନ୍ତୁ ତା’ ସ୍ଵପ୍ନର ବୃଦ୍ଧକୁ ଅନେକ ଥର ଦେଖିଥିଲେବି ନରହରି କେବେ ଗଞ୍ଜେଇ ଟାଣିବାର ଦେଖି ନଥିଲା । ବୋଧେ ତାଙ୍କ ସମୟରେ ସକ୍ରେଟିସ୍ ଗଞ୍ଜେଇ ଟାଣୁ ନଥିଲେ ।

 

ସେମାନଙ୍କ ଖିଆ ସରିଯାଇଥିଲା ।

 

(ଚାରି)

 

ସଦାଶିବର ରୁମ୍‌ରେ ନରହରିର ତୃତୀୟ ଦିନଟି ଥିଲା ସଂଯୋଗବଶତଃ ଏକ ରବିବାର ତଥା ଉଭୟେ ରୁମ୍‌ରେ ବସି ନରହରି ଦେଖିଥିବା ବିଭିନ୍ନ କଥା ସମ୍ପର୍କରେ ଗପ କରୁଥିଲେ ।

 

ଏତିକିବେଳେ କବାଟ ଖଡ଼ଖଡ଼ ହେଲା ଏବଂ ସଦାଶିବ ଉଠିଯାଇ କବାଟ ଖୋଲିଲା । ରୁମ୍‌କୁ ପଶି ଆସିଲା ଜଣେ ତରୁଣୀ । ନରହରି ତା’ ଆଡ଼ୁ ଥରେ ଦୃଷ୍ଟି ଘୂରାଇ ଆଣି ଟେବୁଲ ଉପରେ ଦୃଷ୍ଟି ନିବଦ୍ଧ କଲା ।

 

: ‘କ’ଣ ବେଶ୍ ତ ଲୁଚିଲୁଚି ବୁଲୁଚ ।’ ତରୁଣୀଟି କହିବା ସଙ୍ଗେ ସଙ୍ଗେ ନରହରିଠୁ ଅଳ୍ପ ଦୂରରେ ଖଟ ଉପରେ ବସିପଡ଼ିଲା । ସଦାଶିବ ସାମାନ୍ୟ ଅପ୍ରତିଭ ହୋଇ କହିଲା : ‘ନା, ନା–ସେ କଥା ନୁହ, ଟିକେ ବ୍ୟସ୍ତ ଥିଲି ତ, ଖବର ଦେଇପାରିନି । ଆଚ୍ଛା ଶୀଲା–ଏ ହେଲା ମୋର ଜଣେ ବାଲ୍ୟବନ୍ଧୁ ।’ ସଦାଶିବ ଏତିକି କହିବାମାତ୍ରେ ଶୀଲାର ହାତ ଲମ୍ବି ଆସିଲା ନରହରି ଆଡ଼କୁ ଏବଂ ଏକା ସମୟରେ ନରହରିର ହାତ ଦ୍ୱୟ ନମସ୍କାର ଜଣାଇବା ଭଙ୍ଗୀରେ ଉପରକୁ ଉଠିଗଲା । ସଦାଶିବ ଏଥିରେ ସାମାନ୍ୟ ଲଜ୍ଜିତ ହେଲା କି ନାଇଁ ଠିକ୍ କହିହେବ ନାଇଁ, କିନ୍ତୁ ଶୀଲା ହସି ପକାଇଲା ଏବଂ ନରହରି ଯେତେବେଳେ ନିଜ ଅବସ୍ଥା ବୁଝିପାରି ଶୀଲା ଆଡ଼କୁ ସଂକୋଚରେ ହାତ ବଢ଼ାଇଲା, ଶୀଲା ତା’ ସହ କରମର୍ଦ୍ଦନ କଲା ଏବଂ ଇଂରାଜୀରେ ବାକ୍ୟଟିଏ କହିଲା, ‘ଯା’ର ଅର୍ଥ ପରିଚିତ ହୋଇ ଖୁସୀ ହେଲି’ ବୋଲି ନରହରି ବୁଝିପାରିଲା : କିନ୍ତୁ ନିଜ ତରଫରୁ କିଛି କହିପାରିଲା ନାହିଁ । ଯା’ହଉ, ଶୀଲାର ହାତ ସ୍ପର୍ଶଜନିତ ଅନୁଭୂତି ତା’ ଦେହରେ କେତେକ୍ଷଣ ଘୂରି ବୁଲିଲା ବୋଲି କହିବାକୁ ହେବ ତଥା ସେ ସମବୟସ୍କା ଅପରିଚିତ । ତରୁଣୀର ଶରୀର ସ୍ପର୍ଶଜନିତ ସୁଖଟାକୁ ପ୍ରଥମେ ଅନୁଭବ କରି ତତ୍‌କ୍ଷଣାତ୍ ବୁଝିଲା ଯେ, କାହିଁକି ସଦାଶିବ ସକ୍ରେଟିସ୍ ସ୍ୱପ୍ନ ଦେଖୁନାଇଁ ବା ଦେଖୁ ନଥିବ ବୋଲି !

 

ତରୁଣୀଟି କଥା କଥାକେ ସଦାଶିବକୁ ଚୁମୁଟି ଦେଉଥାଏ । ନରହରି ପ୍ରତିଥର ସେଇ ଚୁମୁଟିଦେବାଟାକୁ କଣେଇ କଣେଇ ଦେଖୁଥାଏ । ପୂରା ଦେଖିବାକୁ ତା’ର ସାହସ ହେଉ ନଥାଏ । ଯା’ହେଉ, ଅଚାନକ ସେଇ ତରୁଣୀଟି ଥରେ କଥା ଛଳରେ ନରହରିକୁ ମଧ୍ୟ ଚୁମୁଟି ଦେଲା ଏବଂ ଥରେ ତା’ ପିଠିରେ ଚାପୋଡ଼ାଟେ ସ୍ନେହରେ ବସାଇଦେଲା ତଥା ନରହରିର ସାମାନ୍ୟ ଯୌନ ଅଭିଜ୍ଞତା ଥିଲେ ସେ ଅନାୟାସରେ ବୁଝିପାରିଥାନ୍ତା ଯେ ତରୁଣୀଟି ତା’ର ଦେହ ପ୍ରତି ମଧ୍ୟ ଆକର୍ଷିତା ତଥା ପ୍ରେମଭିକ୍ଷା କଲେ ବିଫଳ ହେବାକୁ ପଡ଼ିବନି ବୋଲି । ସେଇ ଥରେ ଚୁମୁଟି ଦେବା ଓ ଥରେ ଚାପୋଡ଼ା ବସେଇବାରେ ନରହରିର ଶରୀରରେ ଖେଳି ଯାଇଥିବା ଏକ ସମ୍ପୂର୍ଣ୍ଣ ଅଲଗା ଶିହରଣ ଯେ ଅତିମାତ୍ରାରେ ଆନନ୍ଦମୟ–ଏକଥା ଅଭିଜ୍ଞତା ନଥିଲେ ମଧ୍ୟ ନରହରି ବୟସ ଯୋଗୁଁ ବୁଝିପାରିଥିଲା ।

 

: ‘ତୁମଠୁ ଯୋଉ ବହିଟା ନେଇଥିଲି, ସେଇଟା ସେତେ ଭଲ ହେଇନି । ଭଲ ଯେ; କିନ୍ତୁ ଲରେନ୍‌ସଙ୍କ ପରି ନୁହେଁ ।’ ସେଇ ତରୁଣୀଟି କହିଲା ଏବଂ ଲରେନ୍‌ସଙ୍କର କୌଣସି ନଭେଲ୍ ପଢ଼ି ନଥିବା ନରହରି ପାଇଁ ଏକଥାର ମୂଲ୍ୟ ନଥିଲା ।

 

: ‘ସେ କଥା ମୁଁ ବହି ଦେବାବେଳେ କହି ନଥିଲି ନା କ’ଣ ?’ ମୃଦୁ ହସି ସଦାଶିବ କହିଲା : ‘ଫରକଟା କ’ଣ କି’, ତରୁଣୀଟି କହିଲା, ‘ଲରେନ୍‌ସଙ୍କ ନଭେଲ୍‍ରେ ସେକ୍ସ୍‍ଟା ଖୁବ୍ ସବଲିମ୍–ସିରିନ୍ । ରିଲେସନ୍‍ସିପ୍‌ଟା ଭାରି ଟେଣ୍ଡର–କିନ୍ତୁ ଏ ବହିଟାରେ ଟିକେ କ୍ରୁଡ଼ । ନରହରି କଥାଟା ବୁଝିପାରିଲା ନାଇଁ । ସେକ୍ସ୍, ସବ୍‌ଲିମ୍, ଟେଣ୍ଡର, ରିଲେସନ୍‌ସିପ୍, କ୍ରୁଡ଼ ଇତ୍ୟାଦି ଶବ୍ଦ ବୁଝିପାରୁଥିଲେବି ସମୁଦାୟ ବାକ୍ୟଟା ବୁଝି ନପାରିବାର କାରଣଟା ହେଲା, ତା’ର ନା ଟେଣ୍ଡର ସେକ୍ସ୍‍ରେ ଅଭିଜ୍ଞତା ଥିଲା–ନା ଅଭିଜ୍ଞତା ଥିଲା କ୍ରୁଡ଼ ସେକ୍ସ୍‍ରେ ।

 

: ‘ରାଇଟ୍ ।’ ସଦାଶିବ ଏମିତି କହିଲା, ଯେମିତି ସେ ଅନେକ କଥା ଜାଣେ, କିନ୍ତୁ ସେତେବେଳେ କହିବା ଉଚିତ ମନେ କରୁ ନଥିଲା । କଥାବାର୍ତ୍ତାକୁ ଅନ୍ୟ ବିଷୟ ଉପରକୁ ଟାଣିନେବାକୁ ସଦାଶିବ ଚାହିଁଥିଲା, କିନ୍ତୁ ତରୁଣୀଟି ଲରେନ୍‍ସଙ୍କ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇ ଆସିଥିଲା ଯେମିତି ।

 

: ‘କଥା ହେଲା, ଲରେନ୍‌ସଙ୍କ ନଭେଲ୍‍ରେ ଯେମିତିଭାବେ ସେକ୍ସ୍‍ଟା ଚିତ୍ରିତ ହୋଇଚି, ଆଜିକାଲି ପୁରୁଷ ଓ ନାରୀ ଭିତରେ ସେକ୍ସ୍‍ଟା ସେ ଧରଣର ନୁହେଁ । ଆଜିକାଲି ଉଭୟେ ଯେମିତି ଗୋଟେ ଗୋଟେ ଯନ୍ତ୍ର–ମୁହୂର୍ତ୍ତକ ପାଇଁ ଆନନ୍ଦ, ତା’ପରେ ଶେଷ–କେହି କାହାରି ହୃଦୟର ଭାଷା ବୁଝିବାକୁ ପ୍ରସ୍ତୁତ ନୁହନ୍ତି । ଆଉ ହୃଦୟର ଭାଷାର ବିନା ବିନିମୟରେ ସେକ୍ସ୍‍ଟା ପୂରା ରୁଗ୍‌ଣ । ତରୁଣୀଟି ଏତକ କହିଲା ଏବଂ ଥରେ ନରହରି ଆଡ଼ୁ ଦୃଷ୍ଟି ଫେରେଇ ନେଇ ସଦାଶିବ ଆଡ଼କୁ ମୁହଁ କଲା । କହିବା ବାହୁଲ୍ୟ, ନରହରି ସେତେବେଳକୁ ତରୁଣୀଟି କହିଥିବା ଇଂରାଜୀ ବାକ୍ୟଗୁଡ଼ିକର ଓଡ଼ିଆ ଅନୁବାଦ କରି ଚାଲିଥିଲା ଏବଂ ‘ସିକ୍’ ଶବ୍ଦଟାକୁ ମନେମନେ ସେ ‘ରୁଗ୍‌ଣ’ ବୋଲି ଅନୁବାଦ କରିସାରିଥିଲା ।

 

ପରିସ୍ଥିତି ନିୟନ୍ତ୍ରଣର ବାହାରକୁ ଚାଲିଯାଉଚି ବୋଲି ସଦାଶିବର ମନରେ ଧାରଣାଟେ ଉଦ୍ରେକ ହେବାକ୍ଷଣି ସେ ସେକ୍ସ୍ ସମ୍ବନ୍ଧୀୟ ଆଲୋଚନାକୁ ଅଧିକ ନବଢ଼ାଇ କହିଲା; ‘ଶୀଲା, ଜଷ୍ଟ ଏ ମିନିଟ୍–ମୁଁ ଗୋଟେ ପ୍ୟାକେଟ୍ ସିଗାରେଟ ନେଇ ଆସୁଚି, ତୁମେ ମୋ ଫ୍ରେଣ୍ଡ ସହ ବସି ଗପ କରୁଥାଅ ।’ ଶୀଲା ବା ନରହରି କିଛି କହିବା ପୂର୍ବରୁ ସଦାଶିବ ଘର ଭିତରୁ ବାହାରିଯାଇଥିଲା ଏବଂ ସେଇ ମୁହୂର୍ତ୍ତରେ ନରହରିର ପ୍ରଥମଥର ପାଇଁ ସଦାଶିବକୁ ଅଭିଶାପ ଦେବାର ଇଚ୍ଛା ହେଲା ।

 

ସଦାଶିବ ଯିବାର କେତୋଟି ମୁହୂର୍ତ୍ତ ପରେ ଶୀଲା ପୂର୍ବପରି ନରହରିର ପିଠିରେ ସରୁ ଚାପୋଡ଼ାଟେ ଦେଇ କହିଲା; ‘ହାୟ ୟଙ୍ଗ୍‍ମ୍ୟାନ୍–ବହିଟା କ’ଣ ଦେଖୁଚ ମ ! ଜୀବନରେ କଥାବାର୍ତ୍ତାଟା ସବୁଠୁ ଆନନ୍ଦଦାୟକ ଅନୁଭୂତି ବୋଲି ତୁମେ ଜାଣିବା ଉଚିତ ।’ ଏବଂ ତତ୍‍ସହ ନରହରିର ଶରୀରରେ ରୋମାଞ୍ଚଟେ ଖେଳିଗଲା ବୋଲି କହିହେବ ନାଇଁ, କିନ୍ତୁ ଯେତେବେଳେ ସେ ଅନୁଭବ କଲା ଯେ, ଶୀଲାର ପାଦ ତା’ ପାଦରେ ଘଷି ହେଉଚି, ସେତେବେଳେ ତା’ ଶରୀରରେ ରୋମାଞ୍ଚଟେ ନିଶ୍ଚିତ ଖେଳିଗଲା ବୋଲି ସ୍ୱୀକାର କରିବାକୁ ହେବ ।

 

ଶୀଲା ନରହରିର ଗୋଡ଼ରେ ଗୋଡ଼ ଘଷୁ ଘଷୁ କହିଲା : ‘ଜଣାପଡ଼ୁଚି ତୁମେ ଏଯାଏଁ ଅକ୍ଷତ ଅଛ, ମାନେ କୌଣସି ନାରୀକୁ ସ୍ପର୍ଶ କରିନାହଁ, ଠିକ୍ କହିଲି ନା ।’ ନରହରି କଥାଟାରେ ଲଜ୍ଜା ଅନୁଭବ କରିବା ସ୍ଵାଭାବିକ, କିନ୍ତୁ ସେଇ ଲାଜ ଭାବ ଭିତରେ ନିଜ ଅଜାଣତରେ କେତେବେଳେ ତା’ ମୁଣ୍ଡ ଟୁଙ୍ଗାରି ହୋଇଗଲା, ସେ ନିଜେ ଜାଣିପାରିଲା ନାଇଁ । ତା’ର ଏପରି ସରଳ ଭାବ ଦେଖି ଶୀଲା ଖିଲ୍‌ଖିଲ୍‌ ହସି ପକାଇ କହିଲା : ‘ତେବେ ତମର ଏକ୍ସପେରିଏନ୍‌ସ ଦରକାର, ବୁଝିଲ ୟଙ୍ଗ୍‍ମ୍ୟାନ୍ ? ନହେଲେ ଜୀବନରେ ବହୁ ଅସୁବିଧା ଭୋଗିବ ଯେ ।’

 

ଶୀଲା ଏତକ କହିବା ଭିତରେ ତା’ର ହାତ ନରହରିର କାନ୍ଧ ଉପରେ ପଡ଼ିଯାଇଥାଏ ଏବଂ ସେ ପୂର୍ବପରି ହାତ ଉଠାଇ ନେଉ ନଥାଏ । ବିଚରା ନରହରିର କାନ୍ଦ କାନ୍ଦ ଅବସ୍ଥା । ସେ ନା ଉଠି ଯାଇପାରୁଥାଏ ନା କିଛି କରିପାରୁଥାଏ । କେବଳ ଗୋଟେ ପ୍ରକାରର ଶିହରଣ ଖେଳି ବୁଲୁଥାଏ ତା’ଠି । ତା’ର ଶିହରଣକୁ ଅଧିକ ସତେଜ କରି ଶୀଲା ତା’ ଆଡ଼କୁ ଝୁଙ୍କିପଡ଼ି ହାଇଟାଏ ମାରି କହିଲା : ‘ତମେ ଜାଣିନ ୟଙ୍ଗ୍‍ମ୍ୟାନ୍, ମୋର ଗୋଟେ ଅବସୋସ ଅଛି । ମୁଁ ଯେତେ ପୁରୁଷଙ୍କ ସହ ସେକ୍ସ୍ କରିଚି, ସେମାନେ କେହି ଅକ୍ଷତ ନଥିଲେ, କିନ୍ତୁ ମୁଁ ଅକ୍ଷତ ପୁରୁଷର ଏକ୍ସପେରିଏନ୍‌ସକୁ ସଂଚିବାକୁ ଚାହେଁ ।’

 

ଶୀଲା ନିଶ୍ଚୟ ଅଧିକ କିଛି କହିଯାଇଥାନ୍ତା, କିନ୍ତୁ ଠିକ୍ ସେତିକିବେଳେ ସଦାଶିବର ଫେରି ଆସିବା ବାଟକୁ ନରହରିର ସୌଭାଗ୍ୟ ବୋଲି କହିବାକୁ ହେବ । ଶୀଲା କେବଳ ନରହରି ଆଡ଼କୁ ଲୋଭାତୁର ଚାହାଣିଟେ ପକାଇ ମୁହଁ ବୁଲାଇ ବସିଲା । ନରହରି ଭିତରେ ଭିତରେ ଭାବୁଥାଏ ଯେଉଁ ମଣିଷଟି କିଛିକ୍ଷଣ ପୂର୍ବେ ସିରିଜ୍ ସେକ୍ସ୍, ଟେଣ୍ଡର ଫିଲିଙ୍ଗ, ସବ୍‌ଲିମ ରିଲେସନ୍‌ସିପ୍ ଇତ୍ୟାଦି ଖୁବ୍ ସୁନ୍ଦର ସୁନ୍ଦର କଥାମାନ କହୁଥିଲା, ସେ ଅଚାନକ ଏମିତି ଲୁଡ଼ଭାବେ କଥାଗୁଡ଼ା କହିଲା କେମିତି । ନରହରି ଠିକ୍‍ବେଳେ ଗୋଟେ କଥା ମନେ ପକାଇପାରିଥିଲା ଯେ, ଗୋଟେ ଆଦର୍ଶର କଥା କହିବା ଓ ସେଇ ଆଦର୍ଶ ଅନୁଯାୟୀ ନିଜ ଜୀବନକୁ ପରିଚାଳିତ କରିବାରେ ଆକାଶ–ପାତାଳ ପ୍ରଭେଦ ।

 

(ଶେଷ)

 

ମାତ୍ର କେତେଟା ଦିନ ଭିତରେ ନରହରି ଅନେକ ଦର୍ଶନ, ଅନେକ ବାଦ ସମ୍ପର୍କରେ ଶୁଣିଲା । ଅନେକ ନାମ ଶୁଣିଲା । ସଫୋକ୍ଲିସ, ସକ୍ରେଟିସ୍, ଡାୟୋଜିନିଷ, ପ୍ଲାଟୋ, ଆରିଷ୍ଟୋଟଲଙ୍କଠାରୁ ଆରମ୍ଭ କରି ସ୍ପେନ୍‌ସର, ଜେମ୍‌ସ, ଫ୍ରଏଡ଼, ଡାଭିନ୍‌ସି, ମାର୍କସ, ଏନଜିଲସ ଇତ୍ୟାଦିଙ୍କ ନାଁ ଶୁଣିଲା । ସେକ୍ସପିଅର, ମିଲଟନ, ଜନ୍‌ସନ୍‌ଙ୍କଠାରୁ ଆରମ୍ଭ କରି ଦସ୍ତୋଭାସ୍କି, ଗର୍କୀ, କାମ୍ୟୁ, କାଫ୍‌କା, ସାର୍ଭ୍ରେ, ଲରେନ୍‌ସ, ରସେଲ, ହେମିଂୱେ ଇତ୍ୟାଦିଙ୍କ ସହ କାନବାଟେ ପରିଚିତ ହେଲା । ତଥାପି ନରହରିକୁ ଲାଗିଲା, ସବୁଗୁଡ଼ା କେବଳ ମାୟାମୃଗ, କାହା ପଛରେ ଦୌଡ଼ି କିଛି ଫାଇଦା ନାଇଁ । ଜୀବନ ଆଦୌ ସେଇଆ ନୁହେଁ । ବରଂ ଭଲ ନିଜର କୌଣସି ସରଳ ସୁନ୍ଦର ମୂଲ୍ୟବୋଧ ଅନୁଯାୟୀ ଜୀବନ ବତେଇବା । ଅନ୍ୟର ଆଦର୍ଶ କଥା କହି ବାସ୍ତବରେ ଅନ୍ୟ ମଣିଷ ହୋଇ ବଞ୍ଚିବାରେ ପଇସାଟିକର ଫାଇଦା ନାଇଁ । ଯେଉଁ ଦର୍ଶନ ବ୍ୟକ୍ତିକୁ ବ୍ୟକ୍ତିର ସ୍ଥିତି ଓ ସତ୍ତା, ଅଭାବ–ଅସୁବିଧା, ମାନସିକ ତୃପ୍ତି ସମ୍ପର୍କରେ ସଚେତନ କରାଇପାରି ନାଇଁ–ସେ ସବୁ କେଉଁ ସମାଜର କୌଣସି କାମରେ ଆସି ନ ପାରେ । ଯେହେତୁ ସମାଜ କେଇଜଣ ମୁଷ୍ଟିମେୟଙ୍କୁ ନେଇ ଗଠିତ ନୁହେଁ, ସେହେତୁ ମାତ୍ର କେତେ ଜଣଙ୍କ ମୁହଁରେ ବଡ଼ବଡ଼ ଆଦର୍ଶର କଥା କୌଣସି ପରିବର୍ତ୍ତନ ଆଣିପାରିବ ନାଇଁ । ସବୁଗୁଡ଼ା ଏକ ବିରାଟ ଧୋକାବାଜି ।

 

ଏମିତି ଅଜବ ଚିନ୍ତାଧାରା ଭିତରେ ନରହରି ଚଳୁଥିଲା । କିନ୍ତୁ ଯେଉଁଦିନ ସେ ପୁନର୍ବାର ନିଜର ପରିଚିତ ସ୍ଵପ୍ନଟି ଦେଖିଲା, ତା’ପର ଦିନ ସେ ଗାଁକୁ ଆସିବାର ସ୍ଥିର କଲା ଏବଂ ସଦାଶିବର ବାରଣ ସତ୍ତ୍ଵେ ଚାଲିଆସିଲା । ଷ୍ଟେସନ୍‍ରେ ଅନେକ ଲୋକଙ୍କୁ ଦେଖି ନରହରିର ନିଜ ଗାଁ ଲୋକଙ୍କ କଥା ମନେ ପଡ଼ିଲା । ତା’ର ମନେହେଲା, ସେ ଅନେକ ମିଛ ଦାର୍ଶନିକଙ୍କ ସହରରୁ ପଳାଇଯାଇ ରକ୍ଷା ପାଇଯାଉଚି ଏବଂ ସେଇ ମୁହୂର୍ତ୍ତରେ ତା'ର ମନେହେଲା, ଯେଉଁ ନାକଚେପଟା ଗାତୁଆ ଆଖି ବୁଢ଼ାଟା ସ୍ୱପ୍ନରେ ଦେଖାଦିଏ, ସେଇଟା ଜମା ମିଛ ସକ୍ରେଟିସ୍ ନୁହେଁ । ସେଇ ବୁଢ଼ାଟା କାହାର ଅନୁସରଣ ବା ଅନୁକରଣ କରେ ନାଇଁ । ସବୁଦିନ ସେଇ ବୁଢ଼ାଟା ସ୍ୱପ୍ନରେ ଏକାପରି ଦୁଶେ–ଜମା ବେଶ ବଦଳାଏ ନାହିଁ ।

 

ନରହରି ଟ୍ରେନ୍‌ରେ ବସିଲା ଏବଂ ସଦାଶିବ ଟା–ଟା–ଜଣେଇଲା ।

✽✽✽

 

Unknown

ସାହାଡ଼ା ସୁନ୍ଦରୀ

 

ଘଟଣାଟାକୁ କି ପ୍ରକାରର ଘଟଣା କୁହାଯିବ; ଏହାକୁ ବା ମୁଁ କୋଉଠୁ ଆରମ୍ଭ କରିବି; ଏସବୁ ମୋ ସାମ୍ନାରେ ବିଚିତ୍ର ସମସ୍ୟା । ଶୁଣିସାରିବା ପରେ ଆପଣ ଏହାକୁ ବିସ୍ମୟକର କହିପାରନ୍ତି, ନତୁବା ଅଲୌକିକ, ନତୁବା ଆଧିଭୌତିକ । ଘଟଣାଟା ଅବଶ୍ୟ ମୋତେ ଅବା ଆମ ପରିବାରର କାହାକୁ ନେଇ ଘଟିନାହିଁ । ଏଇମାତ୍ର ପନ୍ଦର କୋଡ଼ିଏ ଦିନ ତଳେ ମୋର କଲେଜବେଳର ବନ୍ଧୁ ରତ୍ନାକର ଆସିଥିଲା, ତା’ରି ମୁହଁରୁ ମୁଁ ଓ ମୋ ସ୍ତ୍ରୀ ଶୁଣିଥିଲୁ । ତାକୁଇ କେନ୍ଦ୍ର କରି ଘଟିଥିଲା ସବୁକିଛି ।

 

କଥାଟା ମୋତେ ଏମିତି ପ୍ରଭାବିତ କରିଛି ଯେ ଏଇ କେତେଦିନ ହେବ ମୁଁ ସେଥିରୁ ମୁକୁଳି ପାରୁନାହିଁ । ସେଇ ମୁକୁଳି ନ ପାରିବାର ଯେଉଁ ଅସହାୟ ଅନୁଭବ, ତହିଁରୁ ମୁକ୍ତି ପାଇବାପାଇଁ ମୁଁ କଥାଟା ଆପଣମାନଙ୍କ ଆଗରେ କହିବାପାଇଁ ବାହାରିଛି । କହିଦେଲେ ମତେ ହାଲୁକା ଲାଗିବ ।

 

ରତ୍ନାକର ମୋର କଲେଜବେଳର ବନ୍ଧୁ । ଆମେ ପାଞ୍ଚବର୍ଷ ଏକାଠି ପଢ଼ିଥିଲୁ । ସେ ଏକ ଜାତୀୟକରଣ ବ୍ୟାଙ୍କ୍‍ରେ କ୍ଲରିକାଲ୍ ପରୀକ୍ଷା ଦେଇ ପାଇଯାଇଥିଲା । ମୁଁ କିଛିଦିନ ଗାଁରେ ବିତେଇବା ପରେ ଛୋଟକାଟର ଚାକିରିଟେ ପାଇ ସହରରେ ରହୁଥିଲି । ଯୋଉ ସହରରେ ମୁଁ ରହୁଥିଲି, ସେଇଟା ଆମ ରାଜ୍ୟର ଗୋଟେ ବଡ଼ ସହର ଏବଂ ସେଠି ଆମ କଲେଜବେଳର ଅନେକ ବନ୍ଧୁ ରହୁଥିଲେ । ତନ୍ମଧ୍ୟରୁ କେତେକ ନିୟମିତଭାବେ ଭେଟ ହେଉଥିଲେ ଏବଂ କେତେକ ଅନିୟମିତଭାବେ ଭେଟ ହେଉଥିଲେ ଏବଂ କେତେକ କେବଳ ଫୋନ୍ ମାଧ୍ୟମରେ ସମ୍ପର୍କ ରଖିଥିଲେ । କିନ୍ତୁ ରତ୍ନାକର ସହ ମୋର ଏଇ ଯେଉଁ ଭେଟ ଏବେ ହେଲା ଏବଂ ସେ ତା’ ଜୀବନର ଯେଉଁ ବିଚିତ୍ର ବିସ୍ମୟକର କଥାଟି ମୋତେ ଶୁଣାଇଲା; ଏଇ ଭେଟ ବୋଧେ ଦଶ/ ବାରବର୍ଷ ପରେ ହେଲା । କାରଣ ଥିଲା ସ୍ୱାଭାବିକ । ରତ୍ନାକର ଏକ କ୍ଷୁଦ୍ର ସହରରେ ଥିବା ବ୍ୟାଙ୍କ୍‍ରେ ଥିଲା । ସେଠାକୁ ମୋର ଯିବା ଆସିବା ନଥିଲା । ସେ ବିବାହ କରିଥିବା ମୁଁ ଜାଣିଥିଲି, କାରଣ ମୁଁ ବରଯାତ୍ରୀ ହୋଇଯାଇଥିଲି । ତା’ପରେ ଅଳ୍ପ କେତେ ଦିନ ଆମର ସମ୍ପର୍କ ଥିଲା । ପରେ ଆଉ ପ୍ରତ୍ୟକ୍ଷ ସମ୍ପର୍କ ନଥିଲା । ପନ୍ଦର/ କୋଡ଼ିଏ ଦିନ ତଳେ ଯେତେବେଳେ ମୁଁ ମୋ ମୋବାଇଲ୍‌ରେ ରତ୍ନାକରର ସ୍ୱର ଶୁଣିଲି, ପ୍ରଥମେ ବିସ୍ମିତ, ପରେ ଚମତ୍କୃତ ଓ ଶେଷରେ ଆନନ୍ଦିତ ହେଲି !

 

ହଁ–ଯେଉଁ ସହରରେ ରତ୍ନାକର ରହୁଥିଲା, ସେଇଟା ଥିଲା ତା’ ଗାଁଠାରୁ ମାତ୍ର କୋଡ଼ିଏ/ପଚିଶ କିଲୋମିଟର ଦୂରରେ । ନିଜ ଗାଁ ଓ ଘର ପାଖରେ ଯଦି ବ୍ୟାଙ୍କ୍‍ ଚାକିରି ମିଳିଗଲା, ତେବେ ସଚରାଚର ଯାହା ହୁଏ, ରତ୍ନାକର କ୍ଷେତ୍ରରେ ସେଇଆ ହୋଇଥିଲା ବୋଲି ମୁଁ ଶୁଣିଥିଲି । ସେ ଗାଁ ଘରଟାକୁ ପୂରା ନୂଆ ରୂପ ଦେଇଥିଲା । ଦୁଇ ମହଲା ଘର, ସବୁ ପ୍ରକାର ସୁବିଧା ଥିଲା । ତା'ଛଡ଼ା ଗାଁରେ ଥିବାରୁ ନିଜ ବାଡ଼ିବଗିଚା, ଚାଷ–ବାସ, ଗଡ଼ିଆ–ପୋଖରୀ କଥା ଭଲଭାବେ ବୁଝିପାରୁଥିଲା-। ଅଥଚ ତା' ବାପା–ବୋଉ, ସ୍ତ୍ରୀ ପିଲାପିଲିଙ୍କ କୌଣସି ଖବର ମୋ ପାଖରେ ନଥିଲା । ନଥିବାବି ସ୍ୱାଭାବିକ । ତେବେ ତା' ଫୋନ୍ ପାଇବା ପରେ ସବୁ ଖବର ମିଳିଯିବ ବୋଲି ମୋତେ ଜଣାଥିଲା-

 

ହଁ–ରତ୍ନାକର କହିଥିଲା ଯେ ସେ ଏତେ ତାରିଖ ୟେତେଟାବେଳେ ଷ୍ଟେସନ୍‍ରେ ପହଞ୍ଚିବ । ମୁଁ ସେଇଠି ତାକୁ ଦେଖା କରିବା ଦରକାର । କି କାମରେ ସେ ଆସୁଥିଲା, ସେକଥା କହି ନଥିଲା । ହଁ–ଏଇଠି ଆଉ ଗୋଟେ ପୂରା ଭିନ୍ନ କଥା ଖିଆଲ ଆସୁଛି । ପ୍ରାୟ ଛ’ ସାତ ମାସ ତଳେ ଆମ ପଡ଼ିଶା ଘରର ପୁଅକୁ ମୁଁ ଏଇ ରତ୍ନାକର ଶବ୍ଦର ଅର୍ଥ ପଚାରିଥିଲି । ପିଲାଟା–ତା’ ଡାକ ନାଁ ସନ୍ନି ଏବଂ ସିଏ ପଢ଼ୁଥିଲା ଏକ ପ୍ରସିଦ୍ଧ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ–ପ୍ରଥମେ ମତେ ବଲବଲ କରି ଅନେଇଥିଲା ଏବଂ ତା’ପରେ କହିଥିଲା ଯେ କାଗଜରେ ଇଂରାଜୀ ଅକ୍ଷରରେ ଲେଖିଦେଲେ ସେ ହୁଏତ ଅର୍ଥ କହିପାରିବ । ମୁଁ ଗୋଟେ କାଗଜରେ ଲେଖିଥିଲି, ‘ଆର–ଏ–ଟି–ଏନ୍–ଏ–କେ–ଏ–ଆର୍ ।’ ଟିକେ ନିରିଖେଇ ଦେଖିବା ପରେ ପିଲାଟା ଠୋଠୋ ହସି କହିଲା, ‘ଅଙ୍କଲ୍‌, ଆପଣ ଯାହା ଲେଖିଛନ୍ତି, ତା’ର ମତଲବ ହେଲା–ରାତ୍ ନା କର୍‌–ମାନେ ରାତି କରନା, ମାନେ ଡେ ଟାଇମ୍ ଥିବାବେଳେ କାମ କମ୍ପ୍ଲିଟ୍ କର–ଏୟା ତ ?’ ମୋ ମୁଣ୍ଡ ଘୂରିଗଲା ପରି ଲାଗିଥିଲା, ତେବେ ମୁଁ ଶାନ୍ତ ହୋଇଯାଇଥିଲି, କାରଣ ତା’ର ବାପା ସେତିକିବେଳେ ବାହାରି ଆସି କହିଥିଲେ, “ଦେଖିଲ ତ ଓଝାବାବୁ, ଆମ ସନ୍ନିର ବୁଦ୍ଧି କେତେ ତୀବ୍ର ? ତା’ ସ୍କୁଲ୍‍ର ଟିଚର୍‌ମାନେ କହୁଛନ୍ତି ଯେ ସେ ଭବିଷ୍ୟତରେ କିଛି ଗୋଟେ ୟୁନିକ୍ କାମ କରିବ ।’

 

ମୁଁ ହସି ହସି ତାଙ୍କ କଥାରେ କଥା ମିଳେଇଥିଲି ।

 

ହଁ–ରତ୍ନାକର ଫୋନ୍ କରିଥିବା ମୁତାବକ ନିର୍ଦ୍ଦିଷ୍ଟ ତାରିଖ ଦିନ ସଞ୍ଜବେଳେ ଷ୍ଟେସନ୍‌ରେ ପହଞ୍ଚିଥିଲା । ମୁଁ ତାକୁ ଅପେକ୍ଷା କରିଥିଲି । ସେ ଯେମିତି ମତେ ଠାବ କରିଛି, ସେ ଦୁଇ ମିନିଟ୍ କୁଣ୍ଢାକୁଣ୍ଢି ହେବା ପରେ କହିଲା, ‘ଚାଲ୍ ।’

 

ଆମେ ବାହାରକୁ ଆସିଲୁ । ସେ ହାତରେ ଧରିଥିଲା ଗୋଟିଏ ମାତ୍ର ଆଟାଚି । ମୁଁ ପଚାରିଲି, “କିରେ, ଏତେ ଛୋଟ ଆଟାଚି କ’ଣ ଆଣିଛୁ ? ତୁ କ’ଣ ଏଠାରେ ଆଠ/ ଦଶ ଦିନ ରହିବୁ ନାହିଁ ?’’

 

ମୋ ହାତ ଧରି ଚାଲୁଚାଲୁ ସେ କହିଲା, ‘‘ନାଇଁରେ ଭାଇ, ମୁଁ କାଲି ଗୋଟିଏ ଦିନ ରହିବି, ପଅରଦିନ ସକାଳୁ ସକାଳୁ ଯିବି । କାଲି ଦିନକ ଭିତରେ ଯାହା କଥା । ଛାଡ଼, କାମ କି କଥା, ସେ ସବୁ ପରେ; ତୁ ଆଗ ମୋତେ ନେଇ ଛୋଟକାଟର ଗୋଟେ ହୋଟେଲରେ ଢୁକେଇ ଦେ ।''

 

‘‘ତୁ କ’ଣ ମୋ’ ଘରେ ରହିବୁ ନାହିଁ ?'' ମୁଁ ପଚାରିଲି ।

 

‘‘ଦୁଇ ରାତି କାହିଁ ତୋ ଘରେ ଭିଡ଼ କରିବି ? ପିଲାଙ୍କ ପାଠ ପଢ଼ାରେ ବାଧା ହେବ ।''

 

ମୁଁ କହିଲି, “ତୁ ଆଉ ଏତେ ଆଗକୁ ଭାବନା, ମୋର ତ ଗୋଟିଏ ବୋଲି ଝିଅ, ପଢ଼ୁଛି ବାଙ୍ଗାଲୋରରେ, ଘରେ ଆଉ କିଏ ? ମୁଁ ଓ ମୋ ସ୍ତ୍ରୀ । ତୁ ତ ମୋ ସ୍ତ୍ରୀକୁ ଦେଖିନାହୁଁ, ଦେଖିବୁ ? ତା'ଛଡ଼ା, ମୋ ଘରେ ଦି’ରାତି ରହିଲେ କ’ଣଟା ଅସୁବିଧା ହେବ । ଶଳା ଘରରନ୍ଧା ଖାଇବୁ, ଟିକେ ପୁରୁଣା ଦିନର କଥା ଗପିବା, ପୁଣି ଏତେ ବର୍ଷ ଭିତରେ ପରସ୍ପର ଜୀବନରେ କେତେ କଥା ଘଟିଗଲାଣି, ଟିକେ ସେସବୁ ଜାଣିବା, ତୁ କହୁଛୁ କ'ଣ ନା ହୋଟେଲରେ ରହିବୁ ? ଛିଃ ଛିଃ–ବସ୍, ମୋ ଗାଡ଼ିରେ ବସ୍ ।’’

 

ଆମେ ଚାଲିଚାଲି ଗାଡ଼ି ପାଖରେ ପହଞ୍ଚି ଯାଇଥିଲୁ ଏବଂ ଆମ ଘରକୁହିଁ ଆସିଲୁ । ମୋ ସ୍ତ୍ରୀ ରତ୍ନାକରର ଆସିବା କଥା ଜାଣିଥିଲେ । ପୂରା ନିଜ ଲୋକ ପରି ତା’ ହାତରୁ ଆଟାଚିଟା ନେଇ ରଖିଲେ । ତୁରନ୍ତ ଦୁଇ କପ୍ ଚା’ ଆମକୁ ଦେଇ ଦଶ ମିନିଟ୍ ଭିତରେ ଗରମ ଗରମ ପକୁଡ଼ି ଆଣି ଥୋଇଲେ । ତା’ରି ଭିତରେ ସେ ରତ୍ନାକରକୁ ଚକ୍‌ମକ୍ ଧଳା ଧୋତିଟେ ଦେଇ ତାଗିଦା କରିଥିଲେ ଯେ ତୁରନ୍ତ ଲୁଗାଟା ପାଲଟି ପକାଇ ଗୋଡ଼ହାତ ଧୋଇ ଆସିବାପାଇଁ । ମୋ ସ୍ତ୍ରୀଙ୍କର ଅବଶ୍ୟ ଏଇ ଗୁଣଟି ଭଲ, ଖାଲି ମୋ ସାଙ୍ଗ କି ସହକର୍ମୀ ନୁହେଁ, ଘରକୁ କେହି ଆସିଲେ ସିଏ ପୂରା ନିଜର ଲୋକ ପରି ବ୍ୟବହାର କରିଥା'ନ୍ତି । ମୋର ଅନୁଭବ ହେଲା ଯେ ରତ୍ନାକରକୁ ମୋ ସ୍ତ୍ରୀର ବ୍ୟବହାର, କାର୍ଯ୍ୟକଳାପ ପସନ୍ଦ ହୋଇଥିଲା । ତାଆରି ଭିତରେ ମୋ ସ୍ତ୍ରୀ କହିଲେ, ‘‘ଆପଣ ଆସିଲେ, ସ୍ତ୍ରୀଙ୍କୁ ତ ନେଇଆସିଥା’ନ୍ତେ, ନା ସେଠି ବହୁତ କାମ ?''

 

ମୁଁ ସ୍ତ୍ରୀଙ୍କୁ ସମର୍ଥନ କରି କିଛି କହିବା ଆଗରୁ ସେ କହିଲା, ‘‘ଆସିପାରିବା ସ୍ତ୍ରୀ ଥିଲେ ସିନା ସାଙ୍ଗରେ ଆଣିଥା’ନ୍ତି ।''

 

ଯଦିଓ ସେ ହସିହସି କଥାଟା କହିଥିଲା, ମୋ ଭିତରେ ଝଣ୍‌ଣ କରି ଶବ୍ଦ ହୋଇ କାଚ ଗ୍ଲାସ୍‌ଟେ ଭାଙ୍ଗିଗଲା ଯେମିତି; କାରଣ ମୁଁ ତ ତା' ବାହାଘରରେ ଉପସ୍ଥିତ ଥିଲି । ଏଣେ ମୋ ସ୍ତ୍ରୀ ବିଚାରୀ ଗୋଟେ ବଡ଼ ଭୁଲ୍ କଥା କହିପକାଇଥିବା ପରି ଦୋଷୀ ଭାବ ନେଇ ପ୍ରଶ୍ନିଳ ଦୃଷ୍ଟିରେ ମୋତେ ଚାହିଁଲେ । ମୋର ଚାରା ବା କ’ଣ ? ମୁଁ କହିଥିଲି ଯେ ରତ୍ନାକର ବିବାହିତ, ତା’ର ପିଲାପିଲି ଥିବେ । ଯାହାହଉ, ମୁହୂର୍ତ୍ତକ ଭିତରେ ମୋ ନିଜକୁ ସମ୍ଭାଳି ନେଇ କହିଲେ, “ମାନେ କ’ଣ କୁଆଡ଼େ ଯାଇଛନ୍ତି ନା କ’ଣ ?’’

 

ରତ୍ନାକର କହିଲା, “ସେ କଥା ନୁହେଁ । କହି ବସିଲେ ମୋତେ ନିହାତି ରାତିଟିଏ ଲାଗିବ-। ଛାଡ଼ ସେକଥା, ତୁମମାନଙ୍କ କଥା କୁହ । ଘର କରିଛ କି ନାହିଁ, କେତୋଟି ଜାଗା ଅଛି ତମର ଏଇ ସହରରେ ? ଆଉ ଅନ୍ୟ ସବୁ କଥା ? ଝିଅ କି ପାଠ ପଢ଼ୁଚି, କେମିତି ପଢ଼ୁଚି, ସବୁ କୁହ; ମୁଁ ସବୁ ଶୁଣେ ।''

 

ବାସ୍ତବରେ, ତା’ର ଏସବୁ କଥା ଯଦିଓ ମୁଁ ଶୁଣୁଥାଏ, ମୋ ମୁଣ୍ଡ ଭିତରେ ବିଶେଷ କିଛି ପ୍ରଶ୍ନ ନଥାଏ । ଆଉ ଯେତେ ଦୂର ସ୍ମରଣ ଥିଲା, ତା’ର ସ୍ତ୍ରୀ ଥିଲା ଖୁବ୍ ସୁନ୍ଦର ଏବଂ ଶିକ୍ଷିତା । ୟା' କଥାରୁ ଲାଗିଲା, ଯେମିତି ତା’ ସ୍ତ୍ରୀର ମୃତ୍ୟୁ ଘଟିଥିଲା କିମ୍ବା ସେ ନିଖୋଜ ହୋଇଯାଇଥିଲା । କ’ଣ ହୋଇପାରେ ? ଯଦି ସେଇଆ ହୋଇଥାଏ, ତେବେ କେବେକାର କଥା ଇଏ ? ଇଏ କ’ଣ ପୁନର୍ବିବାହ କରିନାହିଁ ? ପିଲାପିଲି ଅଛନ୍ତି ନା ନାହିଁ ? ଭିତରେ ଭିତରେ ନାନା କଥା ମତେ ଆନ୍ଦୋଳିତ କରୁଥାଏ । ରତ୍ନାକର ବୋଧେ ମୋ ଭିତରର ଆନ୍ଦୋଳନ ଏବଂ ମୋ ସ୍ତ୍ରୀଙ୍କ ଅସ୍ୱସ୍ତି ଭାବ ବୁଝିପାରିଲା, କହିଲା, “ବୁଝିଲ ଭାଉଜ, ଯାହା ଜଣାପଡ଼ୁଚି, ତୁମେ ଖୁବ୍ ଭଲ ରୋଷେଇ କରୁଥିବ, କ’ଣ ଟିକେ ରାତି ଖାଇବା କର, ତା’ପରେ ବସି ଗପିବା, ମୋ କଥାଟା ତୁମେ ଶୁଣିବ, ଶେଷରେ ତୁମେ ଦି’ଜଣ ଯାହା ରାୟ ଦବ, ସେଇଆ ହବ । ମୋର କେତେ ଶୁଭାକାଂକ୍ଷୀ କେତେ ବନ୍ଧୁ, କେତେ ପ୍ରକାର କଥା କହିସାରିଛନ୍ତି, ତୁମମାନଙ୍କ କଥା ଶୁଣିବି, ହେଲା ? ତୁମ ବର ମୋର ଘନିଷ୍ଠ ବନ୍ଧୁ, ସିଏ ମୋ ବାହାଘରକୁ ଯାଇଥିଲା, ମୋ ସ୍ତ୍ରୀକୁ ଦେଖିଥିଲା, ପରକଥା ସବୁ ଜାଣିନି । ଜାଣିଥା’ନ୍ତା ବା କିମିତି ? ତା’ର ମୋର ତ ଢେର୍ ଦିନ ହବ ଭେଟ ହୋଇନି, କି ମୁଁ ବି ତାକୁ କିଛି ଜଣେଇନି । ଛାଡ଼ ଏବେ ସେ କଥା ।''

 

ଖିଆପିଆ ପର୍ବ ପରେ ମୋ ସ୍ତ୍ରୀ ଆସି ଡ୍ରଇଂରୁମ୍ ସୋଫା ଉପରେ ବସିଲେ । ଆଗରୁ ଆମେ ଦି’ଜଣ ବସିଥିଲୁ । ରୋଷେଇ କରିବା ଏବଂ ଆମମାନଙ୍କୁ ଖାଇବାକୁ ଦେବା ଭିତରେ ମୋ ସ୍ତ୍ରୀ ସତେ ଅବା ଅନ୍ୟମନସ୍କ ଥିଲେ । କଥାଟା ରତ୍ନାକର ମୁହଁରୁ ନ ଶୁଣିବା ଯାଏଁ ସତେ ଅବା ତାଙ୍କର ମନ ଶାନ୍ତ ହେବାର ନଥିଲା । ତାଙ୍କର କ’ଣ ମ, ମୋର ତ ଅବସ୍ଥା ଥିଲା ସେଇଆ ।

 

‘‘କ’ଣ ହେଲା ରତ୍ନାକର ? ତୋ କଥା ତ ମତେ ରହସ୍ୟ ପରି ଲାଗୁଚି । କ'ଣ ହେଲା ସତରେ ?'' ମୁଁ ପଚାରିଲି ।

 

‘‘ଶୁଣ୍ ଭାଇ, କଥାଟା ଅତି ବିସ୍ମୟକରଭାବେ ବିଚିତ୍ର’’, ସେ ଆରମ୍ଭ କଲା, ‘‘ଗୋଟେ ବିଶ୍ୱାସରେ ଯାହା ମୁଁ ଚାଲିଛି, ଅବଶ୍ୟ ବିଶ୍ଵାସଟା ଭାଙ୍ଗିଗଲେ କିଛି ଅଘଟଣ ଘଟିଯିବ, ସେକଥା ହୁଏତ ନ ହୋଇପାରେ, ତେବେ ସେ ବିଶ୍ୱାସ ଏତେ ଗଭୀର ଯେ ମୁଁ ଭାଙ୍ଗିବାକୁ ଚାହେଁନା ।''

 

‘‘ଘଟଣାଟା କ’ଣ ଭାଇ ?'' ମୁଁ ପଚାରିଲି, ହେଲେ ସେତେବେଳକୁ ମୋ ସ୍ତ୍ରୀ ପୂରା ଆଶଙ୍କିତ ହୋଇ ବସିଥା'ନ୍ତି, ମୋର ଅବସ୍ଥାବି ପ୍ରାୟ ସେଇଆ । କି ବିଚିତ୍ର କଥା ? କି ବିଶ୍ୱାସ ? ବିଶ୍ୱାସ ଭାଙ୍ଗିଗଲେ କି ପ୍ରକାରର ପ୍ରଳୟ ହୋଇଯିବ ?

 

‘‘ଶୁଣ୍, ତୁ ଯେଉଁ ମୋ ବାହାଘରକୁ ଯାଇଥିଲୁ, ସେଇଟା କେତେ ବର୍ଷ ତଳର କଥା ? ତୁ କ’ଣ ଠିକ୍‍ଭାବେ କହିପାରିବୁ ?'' ରତ୍ନାକର ଦୀର୍ଘ କଥାଟେ କହିବା ଢଙ୍ଗରେ ଆରମ୍ଭ କଲା, “ତୋର ମନେ ନଥିବ । ଦେଖ୍ ଭାଇ, ତୁ ମୋ ପରେ ବାହା ହୋଇଥିଲୁ, ଅଥଚ ତୋ’ ଝିଅ ବାଙ୍ଗାଲୋରରେ ପଢ଼ିଲାଣି, କେତେ ବର୍ଷ ହେଲା ତାକୁ ଏବେ ?’’

 

ମୋ ସ୍ତ୍ରୀ କହିଲେ, “କୋଡ଼ିଏ ଚାଲିଲା ।''

 

ସ୍ତ୍ରୀଙ୍କ ପାଟିରୁ କଥା ଛଡ଼େଇ ନେବା ପରି ରତ୍ନାକର କହିଲା, ‘‘ମୋ ବାହାଘର ହୋଇଥିଲା ଆଜକୁ ଚବିଶବର୍ଷ ତଳେ । ଭାଇ, ବା’ଘର ପରେ ସବୁ ଠିକ୍‌ଠାକ୍ ଚାଲିଲା । ବ୍ୟାଙ୍କ୍‍ରେ ଥରେ କିରାଣି ଚାକିରି ହେଲେ ଆଉ ଯୁଗ ଯାଏଁ ବଦଳି ନଥାଏ । ମୁଁ ଯିବାଆସିବା କରୁଥାଏ । ଘରଟା ପୂରା ବାଗେଇ ଦେଲି । ଦୁଇ ମହଲା ଘର, ତଳେ ବାପାବୋଉ, ଉପରେ ଆମେ । ତଳେ ଠାକୁରଘର, ଧାନ ଘର, ରୋଷେଇଘର । ଉପରେ ପାଣିଟାଙ୍କି, ତଳେ ଟାପ୍ ପାଣି । ବାପା–ବୋଉଙ୍କ ପାଇଁ ଟିଭି, ଆମ ଉପରେ ଟିଭି । ସବୁ ଲୋନ୍ କରି ଚାଲିଥିଲା, ଦରମାର ବୃହତ୍ ଏକ ଅଂଶ ଲୋନ୍ ଶୁଝିବାରେ ଯାଉଥିଲା; ତେବେବି ଅସୁବିଧା ନଥିଲା । ବାପା ଜମିବାଡ଼ି ବୁଝୁଥିଲେ । ଧାନ, ମୁଗ, ବିରି, ପନିପରିବା, ମାଛ–କୋଉଥିରେ ଅଭାବ ନଥିଲା । ସବୁ ସୁରୁଖୁରୁରେ ଚାଲିଥିଲା-। ତିନିବର୍ଷ ପରେ ଆସିଲା ସେଇ ଭୟଙ୍କର ବିପଦ ।''

 

ରତ୍ନାକର ଅଟକି ପାଣି ପିଇଲା । ମୋ ସ୍ତ୍ରୀ ପଚାରିଲେ, ‘‘ମାନେ ?’’

 

‘‘ମାନେ ଆଉ କ’ଣ ଭାଉଜ, ଜଣ ଜଣକ ଜୀବନରେ ବିପଦ ଯେତେବେଳେ ଆସେ, ବଡ଼ବଡ଼ ବିପଦ ଆସେ ଏବଂ ଗୋଟାକ ପରେ ଗୋଟାଏ ଆସେ'', ପୂରା ଦାର୍ଶନିକ ଢଙ୍ଗରେ କହିଲା ରତ୍ନାକର, ‘‘ମୋ ସ୍ତ୍ରୀ, ତା’ ନାଁ ଥିଲା ରେଣୁ, ତା’ର ଛୁଆ ହେବାର ଥାଏ । ଘରେ ଖୁସିର ବାତାବରଣ ଥାଏ । ବାପା–ବୋଉ ଭାରି ଖୁସି । ଶ୍ୱଶୁର ଘରେବି ଖୁସିର ମାହୋଲ୍ । ମୋ ବୋଉ ତ ଚବିଶିଘଣ୍ଟା ରେଣୁ ପଛରେ ଲାଗିଥାଏ, ଏଇଟା ଖା’ ସେଇଟା ଖାଆନା, ଏ କାମ କରନା ଏତେବେଳେ ଶୋଇପଡ଼ ଇତ୍ୟାଦି ।’’

 

‘‘ସମୟ ଯେତେଯେତେ ପାଖେଇ ଆସିଲା, ମୋର ଚିନ୍ତା ସେତେ ସେତେ ବଢ଼ିବାରେ ଲାଗିଲା । ପ୍ରଥମ ପିଲା ହେବାଟା ଅନେକ ସମୟରେ ଭାରି ବିପଦରେ ପକାଇଥାଏ । ମୋର ସେଇଆ ହେଲା । ପରିସ୍ଥିତି ଏମିତି ହେଲା ଯେ ଦିନେ ସନ୍ଧ୍ୟାରେ ଗାଡ଼ି କରି ଯୋଉ ଛୋଟ ସହରରେ ଥିଲା ଆମ ବ୍ୟାଙ୍କ୍, ସେଠିକୁ ରେଣୁକୁ ନେବାକୁ ପଡ଼ିଲା । ସେଠିବି ଛୋଟ ଡାକ୍ତରଖାନା, ଘରୋଇ ନର୍ସିଂହୋମ୍‌ର ନାମଗନ୍ଧ ନଥିଲା । ସରକାରୀ ଡାକ୍ତରଖାନା କଥା ତ ଜାଣିଛୁ । ମୁଁ, ମୋ ବାପା, ମୋ ଶ୍ଵଶୁର, ମୋ ଶଳା ସମସ୍ତେ ସେଠାରେ ଥା'ନ୍ତି । ଭାଗ୍ୟ ଭଲ, ଡାକ୍ତରଟା ଥାଏ, ନର୍ସଗଣକବି ଖୁବ୍ ଭଲ । ତେବେ ମୂଳକଥା ହେଲା ସେଠି ଆନୁସଙ୍ଗିକ ଯନ୍ତ୍ରପାତିର ଘୋର ଅଭାବ-। ଆମେମାନେ ବାରଣ୍ଡାରେ ଥାଉ । ମୋ ସ୍ତ୍ରୀ ସହ ସେମାନେ ଭିତରେ ଥା'ନ୍ତି । ରାତି ପ୍ରାୟ ଏଗାରଟାବେଳକୁ ଡାକ୍ତର କହିଲା ଯେ ପିଲାଟି ପେଟ ଭିତରେ ନିହାତି ଜଟିଳ ଅବସ୍ଥାରେ ଥିଲା, ବଡ଼ ଧରଣର ଅସ୍ତ୍ରୋପଚାର ନହେଲେ ପିଲାଟା ବାହାରିବା ସମ୍ଭବ ନଥିଲା । କଟକ ବା ଭୁବନେଶ୍ୱର ନେଇଯିବାକୁ ସେ ପରାମର୍ଶ ଦେଲା । ଆମ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା-। ଆମମାନଙ୍କର ଥିଲା ମୋଟର ସାଇକେଲ୍, ରାତି ଏଗାରଟା ପରେ ସେ ସହରରେ ଗାଡ଼ିମୋଟର ମିଳିବା ସେତେବେଳେ ଥିଲା ଖୁବ୍ କଷ୍ଟ । ମୋ ଶଳା ତଥାପି ଗଲା ଅଟୋଟେ କି କାର୍‌ଟେ ଆଣିବାପାଇଁ । ପ୍ରାୟ ପଇଁଚାଳିଶ ମିନିଟ୍ ପରେ ସେ ଫେରିବାବେଳକୁ କାମ ଶେଷ-।''

 

କଥାକୁ ଏଇଠି ରଖି ରତ୍ନାକର ଦୀର୍ଘଶ୍ୱାସ ପକାଇବାବେଳକୁ ମୋ ସ୍ତ୍ରୀ ପଚାରିଲେ, ‘‘କାମ ଶେଷ ମାନେ ?’’

 

‘‘ଏତିକି ବୁଝିପାରୁନା ଭାଉଜ'', ସେ କହିଲା, “ରେଣୁ ଶେଷ ନିଃଶ୍ୱାସ ତ୍ୟାଗ କରି ସାରିଥିଲା, ତା’ ସହ ପିଲାଟାବି । କାଳେ ପୁଣି ପୁଲିସ୍ ଝାମେଲା ହବ, ଆମେ ରାତାରାତି ସେଠୁ ଚାଲି ଆସିଲୁ । ଭାଗ୍ୟ ଭଲ, ସବୁକଥା ଶ୍ୱଶୁର ଶଳାଙ୍କ ସାମ୍ନାରେ ଘଟିଥିଲା, ନହେଲେ ମୋ ନାଁରେ ନାରୀ ନିର୍ଯାତନା କି ଯୌତୁକ କେସ୍ ହୋଇଥା’ନ୍ତା, ଆଉ ମୁଁ ସ୍ତ୍ରୀ ଦେହାନ୍ତ ଦୁଃଖ ଭୁଲି ଘଣା ପେଲିଥା’ନ୍ତି ।''

 

ମୋ ସ୍ତ୍ରୀ କହିଲେ, “ଆପଣ ଟିକେ ରହିଥା’ନ୍ତୁ ପରକଥାଗୁଡ଼ାକ ଗପିବେ ଯେ; ହେଲେ ମୁଁ ଚା’ ନେଇଆସେ ।''

 

ମୋ ସ୍ତ୍ରୀ ଉଠି ଚାଲିଗଲେ, ଚା’ଟା ସତରେ ଦରକାର ଥିଲା । ମୁହୂର୍ତ୍ତକ ପାଇଁ ମୋ ଭିତରେ ଭାବନାଟେ ଖେଳିଗଲା ଯେ, ଘଣା ପରି କେତେ କେତେ ଶବ୍ଦ ଧୀରେ ଧୀରେ ଆମ ଭାଷାରୁ ଅନ୍ତର୍ଧାନ ହୋଇଯିବ, ଆଉ କେତେ ବର୍ଷ ପରେ କେହି ଆଉ ଘଣା, ଢିଙ୍କି, ମାଣ, ଗଉଣି, ଗଡ଼ୁ ଇତ୍ୟାଦି ଶବ୍ଦ ବ୍ୟବହାର କରିବେ ନାହିଁ । ଅବଶ୍ୟ ସେମିତି କେତେ କେତେ ନୂଆ ଶବ୍ଦ ଆସିଯିବ, ଆସିଯାଏବି ।

 

ରତ୍ନାକର ପଚାରିଲା, “କ’ଣ ଭାବୁଚୁ ?'’

 

ମୁଁ କହିଲି, “ନା, ଭାବୁ ନାହିଁ । କିନ୍ତୁ ତୁ କହୁଥିଲୁ ଯେ ନିହାତି ବିଚିତ୍ରଭାବେ ବିସ୍ମୟକର ଘଟଣା ସବୁ ଘଟିଗଲା ତୋ ଜୀବନରେ । ତୁ ଯାହା କହିଗଲୁ, ସେ ସବୁ ଅତି ଦୁଃଖଦାୟକ ଘଟଣା, ହେଲେ ।''

 

ମୋ କଥାରେ ବାଧାଦେଇ ସେ କହିଲା, ‘‘ରହ, ତୁ ଏତେ ବ୍ୟସ୍ତ ହେଲେ ଚଳିବ କି ? ଭାଉଜ ଚା’ ଆଣି ସାରନ୍ତୁ । ତା'ପରେ ସେ ସବୁ କହିବି ।''

 

ଠିକ୍ ସେଇ ମୁହୂର୍ତ୍ତରେ ମୋ ସ୍ତ୍ରୀ ଚା’ ଧରି ପହଞ୍ଚିଲେ । ରତ୍ନାକର ଚା’ କପ୍‌ଟା ଧରି ସିଧା ହୋଇ ବସିଲା, ମୁଁ ବି । ଚା’ ମଝିରେ ସେ କଥାଟା ପୁଣି ଆରମ୍ଭ କଲା ।

 

‘‘ସଚରାଚର ଯେପରି ହୁଏ, ମୋ କ୍ଷେତ୍ରରେ ଓ ଆମ ଘର କ୍ଷେତ୍ରରେ ସେଇଆ ହେଲା'', ରତ୍ନାକର କହିବାରେ ଲାଗିଲା, ‘‘ବର୍ଷ ପରେ ରେଣୁର ଦୁଃଖ ଭୁଲି ହୋଇ ଆସିଲା । ମୋ ବାପା–ବୋଉ ଆଉଥରେ ବାହା ହବା କଥା ଉଠେଇଲେବି ସିଧାସଳଖ ମତେ କେବେ କହି ନଥିଲେ । କେତେ ଜଣ ସାଙ୍ଗ ସେକଥା କହିଲେ । ସବୁଠାରୁ ମଜା କଥା ହେଲା, ଦିନେ ମୋ ଶ୍ୱଶୁର ଓ ଶାଶୁ ଆମ ଘରକୁ ଆସି ମତେ ପୁଣି ବାହା ହେବାପାଇଁ ବୁଝାଉଥିଲେ । ଏଥିରୁ ସେମାନଙ୍କ ଉଚ୍ଚ ମନୋଭାବ ଓ ଉଦାରତା ପ୍ରତିପାଦିତ ହୋଇଥିଲା କି ମୁଁ ଏକଦା କିପରି ଭଲ ଜ୍ୱାଇଁ ଥିଲି, ସେକଥା ପ୍ରତିପାଦିତ ହୋଇଥିଲା; ସେ ସବୁ କହିବା କାଠିକର ପାଠ । ବଡ଼ ବିଚିତ୍ର ପରିସ୍ଥିତି । ଏଣେ ଘରର ମୁଁ ଏକମାତ୍ର ପୁଅ । ବାହାହେବା ପାଇଁ ଚାରିଆଡ଼ୁ ଚାପ । ମୁଁ ବି ମନେମନେ ସ୍ଥିର କରିନେଲି ଯେ ବାହା ହବାଟା ସବୁ ଦିଗରୁ ଜରୁରୀ । ପୁଣି ଝିଅ ଖୋଜା ଚାଲିଲା, ପୁଣି ପ୍ରସ୍ତାବ ଆସିବାରେ ଲାଗିଲା ।

 

‘‘ଏ ଭିତରେ ଗୋଟାଏ ଜାଗାରେ ପ୍ରସ୍ତାବ ଆପାତତଃ ସ୍ଥିର ହେଲା । ଯୋଉ ଦିନ ନିର୍ବନ୍ଧ ହେବା କଥା, ସେଦିନ ଆମ ଘର ପଟର ଲୋକମାନେ ଜିନିଷପତ୍ର ଧରି ଯିବାକୁ ବାହାରିଛନ୍ତି, ସେପଟୁ ଖବର ଆସିଲା ଯେ, ଝିଅଟାର ଅଚାନକ ଶରୀର ଅସୁସ୍ଥ, ଚେତା ବୁଡ଼ିଯାଇଛି, ବୋଧେ ପ୍ରଥମ ହୃଦ୍‌ଘାତ, ତାକୁ କଟକ ନିଆଯାଇଛି । ଆମ ଘରଲୋକେ ଆଉ କରିବେ କ’ଣ, ଘରେ ରହିଲେ । ସନ୍ଧ୍ୟାବେଳକୁ ଖବର ଆସିଲା ଯେ ଝିଅଟି ଆଉ ସଂସାରରେ ନଥିଲା ।

 

‘‘ଏହା ଥିଲା ବିଚିତ୍ର ଏକ ଦୁଃଖଦ ସଂଯୋଗ କିମ୍ବା ଭାଗ୍ୟର ମୋ ପ୍ରତି କ୍ରୂର ପରିହାସ । ଜଣେ ଦି'ଜଣ ପରୋକ୍ଷରେ ମୋ କପାଳ ଓ ଗ୍ରହରାଶିକୁ ନିନ୍ଦା କରୁଥିଲେ । ସେମାନଙ୍କ କହିବାନୁଯାୟୀ ମୋତେ ଯିଏ ବିବାହ କରିବ, ସିଏ ବେଶି ଦିନ ବଞ୍ଚିବାର ନଥିଲା; ଏମିତିକି ନିର୍ବନ୍ଧଟା ହେବା ମଧ୍ୟ ଭାଗ୍ୟ କରାଇ ଦେଲା ନାହିଁ । ମୁଁ ଭାବିଲି, ବାହାହେବା ଜମା ଦରକାର ନାହିଁ-। ଏ ପୃଥିବୀରେ ଅସଂଖ୍ୟ ଆଜୀବନ ଅବିବାହିତ ଲୋକ ଅଛନ୍ତି । ମୁଁ ତ ଥରେ ବାହା ହୋଇଥିଲି, ପିଲାର ବାପବି ହୋଇଥା'ନ୍ତି, ନ ହେଲା ନାହିଁ । ମୋର ଭଲ ଚାକିରି, ଘରର ତ ସମସ୍ତ ସୁବିଧା ଥିଲା, ବାହାହବା ନିହାତି ଜରୁରୀ ନଥିଲା । ଏଣିକି ଯେତେ ପ୍ରସ୍ତାବ ଆସିଲା, ମୁଁ ରୋକ୍‍ଠୋକ୍ ମନାକଲି । ମୋ ବାପା–ବୋଉବି ମୋର ଗ୍ରହମାନଙ୍କୁ ନିନ୍ଦା କରିବାରେ ଲାଗିଲେ-

 

‘‘ଏ ଭିତରେ ଭିକାରି ଅବଧାନ ବୋଲି ଜଣେ ଜାତକ–ଫାତକ ଦେଖୁଥିବା ଲୋକକୁ ବାପା ଘରକୁ ଡକାଇଲେ । ବାପା–ବୋଉଙ୍କ କଥା ଭାଙ୍ଗି ନ ପାରି ମୁଁ ସେଦିନ ରହିଲି । ଆଖପାଖର କେହି ଏକଥା ଜାଣିଲେ ନାହିଁ । ମୋ ଜାତକ ଦେଖି, ଭିକାରି ଅବଧାନ କ’ଣ ସବୁ ଚକ୍ ଖଡ଼ିରେ ହିସାବ କରିବାରେ ଲାଗିଲା । ତା'ପରେ ସେ ଯାହା କହିଥିଲା, ତା’ର ସାରାଂଶ ଏହି ଯେ ଶନି–ରାହୁ–କେତୁଙ୍କ ସହ ମଙ୍ଗଳ ଏମିତି ଜଟିଳଭାବେ ଅଛନ୍ତି ଯେ ସ୍ତ୍ରୀ ମୋ ଘରେ ମୋ ସହ ବେଶିଦିନ ତିଷ୍ଠିବ ନାହିଁ । ଆହୁରି କେତେକଅଣ ଉଦାହରଣ ପୁରାଣରୁ ଦେଲା, ଚାରି/ ପାଞ୍ଚ ଶ୍ଳୋକବି ବୋଲିଲା । ଶେଷରେ କହିଲା ଯେ, ଏପରି ସମସ୍ୟାପାଇଁ ଉପାୟ ମଧ୍ୟ ଥିଲା । ଆଧ୍ୟାତ୍ମିକ ଜଗତରେ ସବୁ ସମ୍ଭବ । ଚାତକ–ଚାତକୀ ପରି ତା’ ମୁହଁକୁ ଚାହିଁଥିବା ମୋ ବାପା–ବୋଉ ପଚାରିଲେ ଯେ କ’ଣ କରିବାକୁ ପଡ଼ିବ । ସେ କହିଲା ଯେ ଦୁଇଟି କାମ କରିବାକୁ ପଡ଼ିବ । ପ୍ରଥମତଃ, ନିକଟସ୍ଥ କୌଣସି ଏକ ଶିବ ମନ୍ଦିରରେ ସାତ ମାସ ଯାଏଁ ପ୍ରତି ଶନିବାର କଞ୍ଚାକ୍ଷୀର ଶିବଙ୍କ ଶିରରେ ଢାଳିବାକୁ ପଡ଼ିବ ଏବଂ ଶେଷ ଶନିବାର ଦିନ ପାର୍ବତୀଙ୍କୁ ଷୋଳହାତ କଳା ଶାଢ଼ି ପିନ୍ଧେଇବାକୁ ପଡ଼ିବ । ଦ୍ୱିତୀୟତଃ ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଯେ ନିଜ ବାଡ଼ିରେ କିମ୍ବା ରାସ୍ତା କଡ଼ରେ ଥିବା ସାହାଡ଼ା ଗଛ ସହ ମୋର ବିବାହ କରାଇବା । ଅବଧାନ ଏକଥା ମଧ୍ୟ କହିଲେ ଯେ ନିଜ ବାଡ଼ି ନଚେତ୍ ରାସ୍ତାକଡ଼ । ଅନ୍ୟ କାହା ବାଡ଼ିର ଗଛ ହେଲେ ଚଳିବ ନାହିଁ । ଅନ୍ୟ ଏକ କଥା ହେଲା ଲୁଚାଚୋରାରେ ଏ ବିବାହ କରାଯିବ ନାହିଁ । ନିହାତି କମ୍‌ରେ ସାତଟି ପରିବାର ଏକଥା ଜାଣିବେ ଏବଂ ବିବାହ ପରେ ପରିବାର ଭାଇବନ୍ଧୁ କୁଟୁମ୍ବଙ୍କୁ ଖାଇବାକୁ ଦେବାକୁ ପଡ଼ିବ ।

 

‘‘ଅବଧାନ ତା’ ବାଟେ ବାଟେ ଗଲା । ଭାଇରେ, ମୁଁ ବାପାବୋଉଙ୍କ ଉପରେ ରାଗିଲି । ଘରେ ଗୋଟେ ପ୍ରକାର ପାଲା ଲାଗିଲା । ବାପାଙ୍କର ଇଚ୍ଛା ଥିଲେବି ସେ ବେଶି କିଛି କହୁ ନଥା'ନ୍ତି । ବୋଉ ତ କାନ୍ଦୁଥାଏ ଅହରହ । ବୋଉର ମତ ଥିଲା ଯେ ଅବଧାନଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରାଯିବ । ନହେଲେ ଆମ ବଂଶ ନିର୍ବଂଶ ହୋଇଯିବ । ବାପାବି ଭିତରେ ଭିତରେ ବୋଉକୁ ସମର୍ଥନ କରୁଥିଲେ । ହେଲେ ସିଏ ଏକଥା ମଧ୍ୟ ଜାଣୁଥିଲେ ଯେ, ଆଜିକାଲି ଯୁଗରେ ଜଣେ ଯୁବକ ସାହାଡ଼ା ଗଛକୁ ବାହାହୋଇ ପୁଣ ଜ୍ଞାତି–କୁଟୁମ୍ବଙ୍କୁ ଭୋଜିଭାତ ଖାଇବାକୁ ଦେବାଟା ନିହାତି ହାସ୍ୟାସ୍ପଦ କଥା । ତଥାପି ମଣିଷର ଆଶା ତ । ସାହାଡ଼ା ଗଛକୁ ବାହାହେଲେ ଭବିଷ୍ୟତରେ ମୋର ସ୍ତ୍ରୀ ଦେହ କିଛି ହେବନି, ନିର୍ବିଘ୍ନରେ ମୋର ପୁଅ ବା ଝିଅ ହେବ ଏବଂ ଆମ ବଂଶରକ୍ଷା ହବ । ମୋ ମାମୁ ମାଇଁ, ମଉସା, ମାଉସୀ, ପିଉସା, ପିଉସୀ, ଅନ୍ୟମାନେ କ୍ରମେ ଅବଧାନଙ୍କର ନିଦାନ ବିଷୟରେ ଜାଣିଲେ । ଜଣ ଜଣ କରି ମତେ ଆସି ସୁବିଧା ସୁଯୋଗ ଦେଖି ବୁଝାଇବାରେ ଲାଗିଲେ । ବୟସ ଗଡ଼ିଗଲେ ସବୁ ନିରର୍ଥକ ବୋଲି ମତେ ବୁଝାଇଲେ । ସଂସାର କେତେ ଦିନର ଖେଳ, ଆଜି ମଲେ କାଲିକି ଦିଦିନ, ମଣିଷ ଜୀବନ ପାଣି ଫୋଟକା, ଆଜି ନହେଲେ କାଲିକୁ ପସ୍ତେଇବ ଇତ୍ୟାଦି ଦାର୍ଶନିକ ବାକ୍ୟମାନ ମତେ ଶୁଣିବାକୁ ମିଳିଲା ।

 

‘‘ଛାଡ଼, କଥା ଲମ୍ବେଇ ଲାଭ କ’ଣ ? ପରିସ୍ଥିତି ଏମିତି ହେଲା ଯେ ସାହାଡ଼ା ଗଛକୁ ବାହା ହେବାକୁ ମୁଁ ରାଜି ହେଲି । ଅବଧାନ କହିବା ଓ ମୁଁ ରାଜି ହେବା ଭିତରେ ପ୍ରାୟ ଅଢ଼େଇବର୍ଷ ବିତି ଯାଇଥିଲା । ସୌଭାଗ୍ୟକ୍ରମେ ଆମ ବାଡ଼ି ଭିତରେ ଥିଲା ଏକ ସାହାଡ଼ା ଗଛ । ପରେ ଜାଣିଲି ଯେ, ଅବଧାନର ପରାମର୍ଶ ପରେ ବୋଉ ତୁରନ୍ତ କୋଉଠୁ ଗୋଟେ ଛୋଟ ସାହାଡ଼ା ଗଛ ଆଣି ଆମ ବାଡ଼ି ଭିତରେ ଲଗାଇ, ତା’ ମୂଳରେ ଖତ–ଫତ, ପାଣି ଦେଇ ବଢ଼ାଇବାରେ ଲାଗିଥିଲା । ଗଛଟା ପ୍ରାୟ ଚାରିଫୁଟ୍ ଉଚ୍ଚତାର ହୋଇଯାଇଥିଲା । ତା’ ମୂଳରେ ବୋଉ ନିୟମିତ ପାଣି ଦେଉଥିଲା ।”

 

ଶେଷରେ ସେଇଆ ହେଲା । ଭାଇରେ, ଛୋଟକାଟର ବାହାଘର ହେଲା । ଚାଳିଶ–ପଚାଶ ଲୋକ, ପିଲାଛୁଆଙ୍କ ମେଳରେ ମୁଁ ବାଡ଼ି ଭିତରର ସାହାଡ଼ା ଗଛ ମୂଳକୁ ଗଲି । ସେଠି ପୁରୋହିତ କର୍ମ କଲେ । ବାହାଘରଟା ମୋଟ ଦେଢ଼/ଦୁଇ ଘଣ୍ଟା ଲାଗିଲା । ଶେଷରେ ମୁଁ ସାହାଡ଼ା ଗଛରେ ସିନ୍ଦୂର ଲଗେଇଲି, ତା’ର ଡାଳରେ ଶଙ୍ଖା ପିନ୍ଧେଇଲି, ଗଛରେ ଚାରିକଡ଼େ ଖଣ୍ଡେ ଭଲ ଶାଢ଼ି ଗୁଡ଼େଇଲି ଇତ୍ୟାଦି । ପରେ ଅବଶ୍ୟ ସେ ଶାଢ଼ିଟା ପୁରୋହିତଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ପୁରୋହିତ ଗୋଟେ ଶ୍ଳୋକ ବୋଲିଥିଲେ ଏବଂ ମୋତେ ତା’ର ଅର୍ଥ ବୁଝେଇଥିଲେ ଏବଂ ତାଙ୍କ ସହ ଶ୍ଳୋକଟା ବୋଲିବାକୁ କହିଥିଲେ । ଶ୍ଳୋକର ଅର୍ଥ ହେଉଛି ଏଇଆ ଯେ, ‘ତୁମେ ଗଛ ହେଲେହେଁ ମୋ ସ୍ତ୍ରୀ । ମୁଁ ଜାଣିଶୁଣି କଦାପି ତୁମ ପ୍ରତି ବିଶ୍ୱାସଘାତକତା କରିବି ନାହିଁ କିମ୍ବା ତୁମକୁ ଆଘାତ ଦେବା ପରି କିଛି କରିବି ନାହିଁ । ତୁମର ଡାଳ ଭାଙ୍ଗିବି ନାହିଁ ବା ହାଣିବି ନାହିଁ । ତୁମେ ବଞ୍ଚି ରହିବାର ସବୁ ପ୍ରକାର ପ୍ରୟାସ କରିବି । ମୋ ବୋଉ କାନ୍ଦିବାରେ ଲାଗିଥାଏ, ତାକୁ ଦେଖି ଅନ୍ୟ କେଇ ଜଣ ମହିଳାଙ୍କ ଆଖିରେ ଲୁହ ଛଳଛଳ ହେଉଥାଏ । ବାପା ମଧ୍ୟ ଭାବପ୍ରବଣ ହୋଇପଡ଼ିଥା'ନ୍ତି । ଯାହାହେଉ, ସେଠାରୁ ଆସିବା ପରେ ଘରେ ଶହେ ସରିକି ଲୋକ ଖିଆପିଆ କଲେ । ଏକାଟିଆବେଳେ ବୋଉକୁ କହିଲି, ‘ବୋଉଲୋ, ଏଥର ତୋ’ ମନ ଶାନ୍ତି ହେଲା’ ବୋଉ ହସିଥିଲା କେବଳ ।

 

‘‘ଭାଉଜ, ତୁମେ ଆଉ କପେ ଚା’ କର ।” ରତ୍ନାକର ମୋ ସ୍ତ୍ରୀଙ୍କୁ ଲକ୍ଷ୍ୟ କରି କହିଲା ଏବଂ ମୋ ସ୍ତ୍ରୀଙ୍କର ସତେ ଅବା ଧ୍ୟାନ ଭଙ୍ଗ ହେଲା । ସେ ଯେମିତି କୌଣସି ଏକ ବିଚିତ୍ର ଦୃଶ୍ୟ ସାମ୍ନାରେ ଦେଖିବାରେ ଲାଗିଥିଲେ ଏବଂ ଅଚାନକ ଦୃଶ୍ୟ ବଦଳି ଯାଇଥିଲା ।

 

‘‘ଚା’ ତ ନିଶ୍ଚୟ ହବ,’’ ମୋ ସ୍ତ୍ରୀ କହିଲେ, “ମୁଁ ମୋ ଜେଜେମା’ଠାରୁ ଏଇ ସାହାଡ଼ା ଗଛ ସହ ବିବାହ କଥା ଶୁଣିଥିଲି, ହେଲେ ସାତ ସ୍ଵପ୍ନରେ କେବେ ଭାବି ନଥିଲି ଯେ ମୁଁ ଏପରି ଜଣେ ମଣିଷକୁ ଭେଟିବି, ଯିଏ କି ସାହାଡ଼ା ଗଛକୁ ବାହା ହୋଇଥିବ ।''

 

‘‘ମୋ କଥା କ’ଣ ସରିଲାଣି କି ଭାଉଜ, ତୁମେ ଚା’ ଆଣ ମୁଁ କହୁଛି'', ରତ୍ନାକର କହିଲା-। ତା’ ଆଖି ଦୁଇଟା ଉଜ୍ଜ୍ୱଳ ଦିଶୁଥିଲା ।

 

ମୁଁ କହିଲି, ‘‘ଏ ଘଟଣା ପରେ ତୋର ସବୁ ରିଷ୍ଟ ଗ୍ରହଦୋଷ କଟିଗଲା, ନା କ’ଣ ? ପୁଣି ବାହାହେଲୁ କି ନାହିଁ ?''

 

ରତ୍ନାକର ରହସ୍ୟମୟ ଢଙ୍ଗରେ କହିଲା, “ରହ, ଭାଉଜ ଆସନ୍ତୁ । ସବୁ କହୁଛି । ଘରେ ବିରାଜମାନ କଲା ନୀରବତା । ରତ୍ନାକର ଦୃଷ୍ଟି ନିବଦ୍ଧ ଥିଲା ଛାତ ଉପରେ : କି ପଙ୍ଖା ଉପରେ କେଜାଣି । ମୁଁ ବି ତାକୁ ଆଉ କିଛି ନ ପଚାରି ନୀରବ ରହିଥିଲି । ମୋ ସ୍ତ୍ରୀ ତିନି କପ୍ ଚା’ ଧରି ଆସିବାମାତ୍ରେ ରତ୍ନାକର ତାଙ୍କ ହାତରୁ ଗୋଟେ କପ୍ ନେଲା । ସମସ୍ତେ ଚା’ ପିଇବା ଭିତରେ କ’ଣ ଟିକେ କଥା ହେବା ପରେ ରତ୍ନାକର ପୁଣି ନିଜ କଥାର ଖିଅ ଯୋଡ଼ିଲା ।

 

‘‘ସାହାଡ଼ା ଗଛ ସହ ମୋ ବାହାଘରର ଠିକ୍ ବର୍ଷକ ପରେ ପୁଣି ଗୋଟେ ଗୋଟେ ପ୍ରସ୍ତାବ ଆସିଲା । ମୁଁ କିମ୍ବା ବାପା କେଉଁଆଡ଼େ ଝିଅ ଦେଖି ଯାଇନାହୁଁ । ବୋଉର ଜିଦ୍ ଥିଲା ଆମ ପରିବାରରେ ଏତେ ଅଘଟଣ ବା ବିଚିତ୍ର ଘଟଣା ଘଟୁଥିଲା, କାଳେ କେତେବେଳେ ସିଏ ମରିଯିବ, ତେଣୁ ତା’ ମରିଯିବା ଆଗରୁ ମୁଁ ବାହାହେବା ଜରୁରୀ । ହୁଏତ ସେୟା ହୋଇଥା'ନ୍ତା, ଯଦି ମୋର ଶରୀର ଅସୁସ୍ଥ ହୋଇ ନଥା'ନ୍ତା ।

 

“ମୋର ବିଚିତ୍ର ରୋଗଟେ ବାହାରିଥିଲା । ଛୋଟ ଗହମ ପରି ଥିଲା, କ୍ରମଶଃ ବଢ଼ିବାରେ ଲାଗିଥିଲା । ଠିକ୍ ଡାହାଣପଟ ବେକ ଉପରକୁ କାନ ପଛପଟକୁ ସେଇଟା ବାହାରିଥାଏ-। ମୁଁ ଜମା ତାକୁ ଗୁରୁତ୍ୱ ଦେଉ ନଥାଏ । ଭାଇରେ, ସେଇଟା ବଡ଼ ବରକୋଳି ପରି ହେବାବେଳକୁ ମୋର ଟିକେ ଚିନ୍ତା ହେଲା, ତଥାପି ମୁଁ ଗୁରୁତ୍ୱ ଦେଉ ନଥାଏ । ମୁଁ କେତେଜଣ ଲୋକଙ୍କୁ ଦେଖିଲି, ଯେଉଁମାନଙ୍କର ସେମିତିକା ବା ତା’ଠୁ ବଡ଼ ଆକାରର ମାଂସ ବଢ଼ିଥିଲା, କିଛି ଯନ୍ତ୍ରଣା–ଫନ୍ତ୍ରଣା ନଥିଲା । ମୋର କିନ୍ତୁ ଦରଜ ଥିଲା । ଥରେ ମୁଁ ଆମ ବ୍ୟାଙ୍କ୍‍ ପାଖରେ ଥିବା ଡାକ୍ତରଙ୍କୁ ଦେଖାଇଲି-। ସିଏ କହିଲେ ଯେ କିଛି କହିହେବ ନାହିଁ, ହୁଏତ ଟ୍ୟୁମରଟା ଖୁବ୍ ବିପଜ୍ଜନକ ହୋଇପାରେ-। ନ ହୋଇପାରେବି । ସେ ପରାମର୍ଶ ଦେଲେ ଯେ ଜଣେ ବିଶେଷଜ୍ଞଙ୍କ ନିକଟରେ ପରୀକ୍ଷା କରାଇନେବା ଭଲ ହେବ । ସେ କଟକ ଓ ଭୁବନେଶ୍ୱରର ତିନି ଚାରିଜଣ ଆସି ପରୀକ୍ଷା କରିବାରେ ବିଳମ୍ବ ହୋଇଗଲା । ଏଣେ ବିଚରା ସେଇଟା ବଢ଼ି ବଢ଼ି ଗୋଟେ କଇଥ ଆକାରର ହେଇଗଲା । ହାତକୁ ଟାଣ ଲାଗୁଥାଏ । ଶୋଇବାରେ କଷ୍ଟ ହେଉଥାଏ । ମୁଣ୍ଡ ପାଖରେ ଛୋଟ ମୁଣ୍ଡଟେ ପରି ଦିଶୁଥାଏ । କେତେ ଲୋକ କେତେ କଥା କହିଲେ । ସେଇ ବିରାଟ ଆବୁପାଇଁ ମୋର ଆଉ ପ୍ରସ୍ତାବ ଦେଖାଗଲା ନାହିଁ, ମୋର କ’ଣ କେତେବେଳେ ହବ, କାହାକୁ ବା ଜଣା ଥିଲା-? ଆମ ଘରେ ତ ଭାଳେଣି ପଡ଼ି ଯାଇଥାଏ । ବୋଉର କାନ୍ଦ ବନ୍ଦ ହେଉ ନଥାଏ କହିଲେ ଚଳେ-

 

"ଯା’ ହଉ, ଦିନେ ଗୋଟେ ଗାଡ଼ି କରି ଦୁଇ ଜଣ ସାଙ୍ଗଙ୍କୁ ଧରି ମୁଁ କଟକ ଆସିଲି । ଡାକ୍ତର କହିଥିବା ମୁତାବକ ଜଣେ ବିଶେଷଜ୍ଞଙ୍କୁ ଦେଖା କଲି । ସିଏ ନାନା ପରୀକ୍ଷା କଲେ ଏବଂ ଆଉ ଜଣକଦ୍ଵାରା ଯାବତୀୟ ପରୀକ୍ଷା କରାଇଲେ । ଆମେ ହୋଟେଲରେ ଖାଇ ଅପେକ୍ଷା କଲୁ । ସଞ୍ଜବେଳକୁ ମୋତେ ରିପୋର୍ଟ ମିଳିଲା । ଆମେ ପୁଣି ପ୍ରଥମ ବିଶେଷଜ୍ଞଙ୍କୁ ଦେଖା କଲୁ । ରିପୋର୍ଟଟା ଦେଖୁଦେଖୁ ସତେ ଅବା ସେ ମହାଚିନ୍ତାରେ ପଡ଼ିଗଲା । କହିଲା ଯେ କର୍କଟ ରୋଗ କିଛି ବାଟ ମାଡ଼ିଗଲାଣି । ତେବେ ଚାରିଆଡ଼େ ଖେଳେଇ ହୋଇ ନାହିଁ । କିଛିଟା ମାଂସରେ ଥିଲା ଏବଂ ତା’ରି ଭିତରୁ ସବୁ ଚେର ପରି ମୁଣ୍ଡର ଉପର ଭାଗରେ ମାଡ଼ିବା ଆରମ୍ଭ କରିବା ସହ ପ୍ରାୟ ଏକ ସେଣ୍ଟିମିଟର ବେକ ତଳପଟେ ଥିଲା । ଡାକ୍ତର କହିଲା ଯେ ଚିନ୍ତା କରିବାର କାରଣ ନଥିଲା । ପ୍ରଥମେ ଅସ୍ତ୍ରୋପଚାର ସାହାଯ୍ୟରେ ସବୁ ପରିଷ୍କାର କରାଯିବ, ତା’ପରେ କେମୋଥେରାପି ଓ ରେଡ଼ିଓ ଥେରାପି ଚାଲିବ, ଭଲ ନିଶ୍ଚୟ ହେଇଯିବ, ତେବେ ସମୟସାପେକ୍ଷ । ଆଉ ହେଳା କଲେ ଅତି ବେଶିରେ ଦୁଇବର୍ଷ ବଞ୍ଚି ରହିବ । ସେ ଡାକ୍ତର ମୋତେ ଭାରତର ଚାରି ପାଞ୍ଚଟା ଭଲ ଭଲ ଡାକ୍ତରଖାନାର ଠିକଣା ଦେଇଥିଲେ ଏବଂ ଯଥାଶୀଘ୍ର ଅନ୍ତତଃ ଅସ୍ତ୍ରୋପଚାର ସାରିଦେବାକୁ କହିଥିଲେ ।

 

‘‘ସେଠାରୁ ବଡ଼ ଭାରାକ୍ରାନ୍ତ ମନ ନେଇ ମୁଁ ଓ ଦୁଇ ବନ୍ଧୁ ଫେରିଥିଲୁ । କାହାକୁ ବା କ’ଣ କହିଥା’ନ୍ତି ? କର୍କଟ ରୋଗମାନେ ମୃତ୍ୟୁ, ଏପରି ବିଶ୍ୱାସ ଆମ ଛୋଟ ସହରରେ ଅତି ପ୍ରଚଣ୍ଡ । ମୁଁ କାହାକୁ କିଛି କହିଲି ନାହିଁ । ଭାବିଲି, ଏକାବେଳକେ ପାଞ୍ଚ ଲକ୍ଷ ଟଙ୍କା ଧରି ବାହାରିଯିବି, ତେଣିକି ଯାହା ହବ । ସାଙ୍ଗରେ ବାପା କି ବୋଉ ଯିବେ, ନହେଲେ କୋଉ ସାଙ୍ଗକୁ ନେଇଯିବି । ଏଣେ ଯାହା ବୁଝିଲି, ଚିକିତ୍ସାପାଇଁ ବ୍ୟାଙ୍କ୍‍ ଶେଷଯାଏ ଖର୍ଚ୍ଚ ବହନ କରିବ । ସବୁ ଠିକ୍ ଥିଲା, ହେଲେ ମୋର କ’ଣ ହେଲା କେଜାଣି, ମୁଁ ସ୍ଥିର କଲି ଯାହା ହେବାର ହେବ, ମୁଁ କଦାପି ଅସ୍ତ୍ରୋପଚାର କରାଇବି ନାହିଁ । ମରିବାର ଥିଲେ ମରିବି, ଥିଲେ କ’ଣ ମ, ମରିବା ତ ସ୍ଥିର । ଟିକେ ଆଗରୁ ମରିବା କଥା ଭାବି ମୋର ମନଟା ଦୁଃଖୀ ହୋଇଯାଇଥାଏ । ହେଲେ ମୋ ନିଷ୍ପତ୍ତିରେ ମୁଁ ଥିଲି ଅଟଳ । ଅସ୍ତ୍ରୋପଚାର ହେଲେ ମତେ ଯେ ମାସ ମାସ ଧରି ଡାକ୍ତରଖାନାରେ ରହିବାକୁ ପଡ଼ିଥା'ନ୍ତା, ଏକଥା ମତେ ଜଣାଥିଲା । ତା’ଛଡ଼ା କେମୋଥେରାପି ଓ ରେଡ଼ିଓଥେରାପିର ପରିଣାମ କ’ଣ ହେବ, ଦୁଇ / ତିନି ଜଣ ଭୁକ୍ତଭୋଗୀ ମତେ କହିଥିଲେ ।

 

‘‘ଗୁଡ଼୍, ଇଏ ତ ଗଲା ମୋ ରୋଗ, ମୋ ଯନ୍ତ୍ରଣା, ମୋ ଦୁଃଖ, ମୋ ଚିନ୍ତା କଥା । ଅବିଶ୍ଵାସ୍ୟ, ଅଲୌକିକ, ବିଚିତ୍ର ବା ବିସ୍ମୟକର ଯାହା କୁହ; ଘଟିବାକୁ ଆରମ୍ଭ ହେଲା ଏହାର ପରଠାରୁ । ମୁଁ ମଝିରେ ମଝିରେ ସମୟ ପାଇଲେ ବାହା ହୋଇଥିବା ସାହାଡ଼ା ଗଛ ପାଖରେ ଛିଡ଼ା ହୁଏ । ମଣିଷ ଭାବି ତା’ ସହ ମନେମନେ କଥା ହୁଏ । ଗଛଟା ଏ ଭିତରେ ଆହୁରି ଦୁଇ ହାତ ବଢ଼ି ସାରିଲାଣି । ଡାଳପତ୍ର କେନା ଇତ୍ୟାଦିରେ ଗଛଟା ଭଲ ଲାଗୁଥିଲା । କଡ଼ାକଡ଼ି ନିର୍ଦ୍ଦେଶ ଥିଲା ଯେ ସେ ଗଛରୁ କେହି ଦାନ୍ତକାଠି ଉଦ୍ଦେଶ୍ୟରେ ଡାଳ କାଟିବେ ନାହିଁ । ମତେ ବେଳେବେଳେ ହସ ଲାଗୁଥିଲା । ଗଛଟାକୁ ଦେଖି ଭାବେ–ଏଇ ମୋ ସ୍ତ୍ରୀ, ଏଇ ମୋ ସଙ୍ଗିନୀ, ଏଇ ମୋ ପ୍ରଣୟିନୀ ! ହାଃ । ନିଶ୍ଚିନ୍ତରେ ବାହାରେ ଅଛି । ପ୍ରକୃତିର କୋଳରେ ଖରା–ବର୍ଷା–କାକର–ଶୀତ–ଝଡ଼–ଜହ୍ନରାତି–ତାରାଙ୍କ ଗହଣରେ ରହିଛି । ଏପରି ବିଚିତ୍ର ଏକ ସତ୍ତାର ମୁଁ ପ୍ରଣୟୀ, ମୁଁ ସ୍ୱାମୀ । ମତେ ବିଚିତ୍ର ଲାଗେ । ବିଚିତ୍ର ପରମ୍ପରା । ବିଚିତ୍ର ବିଶ୍ୱାସ ।

 

‘‘ଗୁଡ଼୍–ମୋର ଏ ରୋଗ ବାହାରିବା ଭିତରେ ମୁଁ ଆଉ ସାହାଡ଼ା ଗଛ ନିକଟକୁ ଯାଇପାରି ନଥିଲି; କିନ୍ତୁ କହିରଖେ ଯେ ସେଇ ଗଛଟା ପ୍ରତି ସତରେ ମୋର ଅହେତୁକ ମାୟା ଆସିଯାଇଥିଲା । ମୁଁ ବେଳେବେଳେ ତା’ ଡାଳପତ୍ରକୁ ମଧ୍ୟ ଆଉଁଶି ଦେଉଥିଲି ।''

 

‘‘କର୍କଟ ରୋଗାକ୍ରାନ୍ତ ହୋଇବି ଏବଂ ଅସ୍ତ୍ରୋପଚାର କରାଇବି ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେବା ପରେ ଦିନେ ସନ୍ଧ୍ୟା ନଇଁବା ପରେ ମୁଁ ବାଡ଼ି ଭିତରକୁ ଗଲି, ସେହି ସାହାଡ଼ା ଗଛ ନିକଟରେ ଠିଆ ହେଲି । ଅନ୍ଧାରିଆ ହୋଇଥାଏ । କେହି କୁଆଡ଼େ ନଥା'ନ୍ତି । ମୁଁ ଗଛକୁ ଟିକେ ଆଉଁଶିଦେଲି, ଗଛ କ’ଣ ମ, ମୋ ସ୍ତ୍ରୀକୁ । ସେଇ ଅନ୍ଧାରରେ ସ୍ଵଗତୋକ୍ତି କରିବା ପରି କହିଲି “ଦେଖ, ତୁମର ପରମାୟୁ କେତେ ବର୍ଷ, ମତେ ଜଣା ନାହିଁ । ମୁଁ ଏବେ ଯୁବକ, ହୁଏତ ଆଉ ଚାଳିଶ କି ତିରିଶବର୍ଷ ବଞ୍ଚିଥା'ନ୍ତି, କିନ୍ତୁ ମୋତେ ଅତି ଭୟଙ୍କର ଏକ ରୋଗ ଖାଇଯିବାରେ ଲାଗିଛି; ସେଥିରୁ ସହଜରେ କେହି ବର୍ତ୍ତିପାରନ୍ତି ନାହିଁ । ଥରେ ସେ ରୋଗ ଶରୀରରେ ପ୍ରବେଶ କଲେ ଆଉ ଯାଏଁ ନାହିଁ । ଯଦିବା ଯାଏଁ, ତେବେବି ସାରା ଜୀବନ ନାନା କଷ୍ଟ, ଯନ୍ତ୍ରଣାରେ ମଣିଷ ବଞ୍ଚି ରହିଥାଏ ମୃତ୍ୟୁ ପର୍ଯ୍ୟନ୍ତ । ଅନେକ ସମୟରେ ଜିଇଥିବା ମଣିଷଟି ଭାବେ ମରିଯାଇଥିଲେ ଭଲ ହୋଇଥା'ନ୍ତା । ଶରୀର କୁରୂପ ହୁଏ, ଅଙ୍ଗହାନି ଘଟେ । ଖାଇବା, ଚାଲିବା, କଥା କହିବା, ଗୀତ ଗାଇବା କଷ୍ଟକର ହୋଇପଡ଼େ । ଜୀବନ ଦୁର୍ବିସହ ହୋଇପଡ଼େ । ଅବଶ୍ୟ ମଣିଷ ବଞ୍ଚି ରହିଥାଏ । ମୁଁ ସେଇଆ ପସନ୍ଦ କଲି ନାହିଁ । ମୁଁ ନିଷ୍ପତ୍ତି ନେଲି ଯେ ଦୁଇ ତିନିବର୍ଷ ଭିତରେ ମରିବାର ଥିଲେ ମରିବି ପଛକେ, ଆଉ ଅସ୍ତ୍ରୋପଚାର କରାଇବି ନାହିଁ ।’

 

‘ଗଛକୁ ଏମିତି ନାନା କଥା କହିଲି, କହିବା ଭିତରେ ମୁଁ ଅବଶ୍ୟ ଖୁବ୍ ଭାବପ୍ରବଣ ହୋଇପଡ଼ିଲି । ଶେଷକଥାଟା ଏଇଆ ମୋର ସେଇ ଗଛ–ସ୍ତ୍ରୀକୁ ଶୁଣାଇଥିଲି ଯେ ମୋ ଗ୍ରହ ଯୋଗୁଁ ଦୁଇଜଣ ମଣିଷ ଓ ଜଣେ ଶିଶୁ ମରିସାରିଥିଲେ, ତୁମେ ଗଛ ହୋଇପାର, ହେଲେ ତୁମର ବୈଧବ୍ୟ ଯୋଗ ରହିଛି ।’

 

‘‘ଭାଇରେ, କେଜାଣି କାହିଁକି ମତେ ହସ ଲାଗିଲା । ମୁଁ ସେଠାରୁ ଚାଲି ଆସିଲି । ମୁଁ ବଡ଼ ସାଧାରଣଭାବେ ଜୀବନ ବିତଉଥାଏ; ଆତଙ୍କରେ ଯେ କେବେ ସେ କଇଥ ପରି ବିଣ୍ଡା ମାଉଁସଟା ଫାଟି ପୂଜରକ୍ତ ବାହାରିବ, ନତୁବା କେବେ କର୍କଟ ମୁଣ୍ଡ ଭିତରେ ମାଡ଼ିଯିବ, ଏତେ ମାଡ଼ିଯିବ ଯେ ମୋର ଶ୍ରବଣଶକ୍ତି ଚାଲିଯିବ, ସ୍ମରଣ ଶକ୍ତି ଚାଲିଯିବ, ମୁଁ ପଙ୍ଗୁ ହୋଇଯିବି ଇତ୍ୟାଦି ଇତ୍ୟାଦି । ହେଲେ ଏସବୁ କିଛି ହେଉ ନଥାଏ । ପ୍ରାୟ ସାତ / ଆଠ ମାସ ପରେ ମୁଁ ଅନୁଭବ କଲି ଯେ ମାଂସପିଣ୍ଡୁଳାଟାର ଆକାର କମିବାରେ ଲାଗିଥିଲା, ମୋର ଯନ୍ତ୍ରଣା ମଧ୍ୟ କମିବାରେ ଲାଗିଥିଲା-। ମୁଁ ବି ମନେମନେ ଆଶ୍ଚର୍ଯ୍ୟ ହେଉଥାଏ । ଗ୍ରହ, ଭାଗ୍ୟ ଏବଂ ନାନା ଦେବଦେବୀଙ୍କୁ ଧନ୍ୟବାଦ, କୃତଜ୍ଞତା ଜଣାଉଥାଏ ।’’

 

“ଦେଖ ଭାଇ, ଠିକ୍ ଏଇ ଜାଗାରେ ମାଂସପିଣ୍ଡୁଳାଟା ଥିଲା, ମନକୁ ମନ ଉଭାନ ହେଇଗଲା । ମୁଁ ପରେ କଟକ ଯାଇ ଡାକ୍ତରଙ୍କ ପାଖରେ ଭଲଭାବେ ପରୀକ୍ଷା କରାଇଥିଲି । ସେ ଡାକ୍ତର ବିସ୍ମୟରେ କାବାକାଠ ହୋଇଗଲା । ତା’ର ଆଜିଯାଏ ବଦ୍ଧମୂଳ ଧାରଣା ଅଛି ଯେ ମୁଁ କିଛି ଗୋପନ ଦିବ୍ୟ ଔଷଧର ଟେର୍ ପାଇଥିଲି ଏବଂ ତା’ରିଦ୍ଵାରା ଅଲୌକିକଭାବେ ସୁସ୍ଥ ହୋଇଥିଲି କିମ୍ବା ମୁଁ ମୋରି ପରି ଦିଶୁଥିବା ବା ଅନ୍ୟ କେହି ଜଣେ ଥିଲି । ମୁଁ ଡାକ୍ତର ନିକଟରୁ ଅପୂର୍ବ ମନ–ଶାନ୍ତିରେ ଫେରିଥିଲି । ଦେଖ୍, ଏଇଠି ହାତ ମାରି ଦେଖ, ପ୍ରାୟ କିଲେ କି ଦେଢ଼କିଲୋ ଓଜନର ମାଂସଟା ଏଇଠି ଥିଲା । କହନା ଭାଇ, ସେ ଯୋଉ ଘୋର ମାନସିକ ଦୁଶ୍ଚିନ୍ତା ଓ ବେଳେବେଳେ ଅସହ୍ୟ ଶାରୀରିକ ଯନ୍ତ୍ରଣା ।''

 

ରତ୍ନାକର ରହିବାକ୍ଷଣି ମୁଁ ପଚାରିଲି, ‘‘କ’ଣ ହେଲା ସତରେ ? ତୋ କଥା ତ ମତେ ସତରେ ଅତି ଅଦ୍ଭୁତ ଲାଗୁଛି ।’’

 

ରତ୍ନାକର ପୁଣି କହିବାରେ ଲାଗିଲା, “ମାଂସଟା ବାରଣା କମିଯିବା ପରେ ଦିନେ ମୁଁ ସାହାଡ଼ା ଗଛ ପାଖରେ ଠିଆ ହୋଇଥାଏ, ମନେମନେ ଗଛକୁ କହିଲି ଯେ ମୋର ରୋଗ ଭଲ ହୋଇ ଆସୁଛି, ତୁମର ବୋଧେ ଆଉ ବୈଧବ୍ୟ ଯୋଗ ନାହିଁ । ଭାଇ, ଏତିକି କଥା ମନେମନେ କହିଛି କି ନାହିଁ, ମତେ ଲାଗିଲା ଗଛର ଏକ ନିର୍ଦ୍ଦିଷ୍ଟ ଜାଗାରେ ବୋଧେ ଡାଳପତ୍ର ଫଡ଼୍‍ଫଡ଼୍ ଶବ୍ଦ ହେଲା । ମୁଁ ଟିକେ ଡରିଗଲି, କେହି କୋଉଠି ନଥିଲେ, ପବନବି ନଥିଲା, ତା'ଛଡ଼ା ପବନ ହେଲେବି ସାହାଡ଼ା ଗଛର ଡାଳପତ୍ର ଏତେ ସହଜରେ ହଲେ ନାହିଁ । ସେକଥା ଦେଖିଥିବୁ । ଚଢ଼େଇଟା ଥିଲା କି ଆଉ । ମୁଁ ନଇଁ ପଡ଼ିଲି ।''

 

ଏହିଠାରେ ରତ୍ନାକରର ସ୍ଵର ରୁଦ୍ଧ ହୋଇ ଆସିଲା, ତା’ର ଆଖି ଦୁଇଟା ଛଳଛଳ ହୋଇ ଆସିଲା । ମୁଁ ଓ ମୋ ସ୍ତ୍ରୀ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ରତ୍ନାକର ଧୋତିର କାନିରେ ଆଖି ପୋଛିଲା ।

 

‘‘ନଇଁପଡ଼ି ମୁଁ କ’ଣ ଦେଖିଲି ଜାଣୁ ?'' ସେ କହିବାରେ ଲାଗିଲା, ‘ଯେଉଁ ଟ୍ୟୁମର୍ ବା ମାଂସପିଣ୍ଡୁଳାଟା ମୋ ବେକ ମୂଳେ ଥିଲା, ଠିକ୍ ସେଇପରି ଓ ସେଇ ଆକାରର ପିଣ୍ଡୁଳାଟା, ସାହାଡ଼ା ଗଛର ଗୋଟେ ଗଣ୍ଠିରେ ହୋଇଥିଲା । ସେଥିରୁବି ଅଠାଳିଆ କିଛି ପଦାର୍ଥ ଭଣଭଣ ହୋଇ ନିର୍ଗତ ହୋଇଥିଲା । ମୋ ଶରୀର ଥରିବାରେ ଲାଗିଲା । ମୁଁ ମୋ ଟ୍ୟୁମରଟାକୁ ସ୍ପଷ୍ଟ ଦେଖୁପାରୁଥାଏ ଗଛରେ ଏବଂ ଏହା ସତ୍ୟ ଯେ ଗଛଟାର ସତେଜତା ଭିତରେ ଅନେକ ପରିମାଣରେ ହ୍ରାସ ପାଇଥାଏ ।''

 

ଆମ ସ୍ୱାମୀ–ସ୍ତ୍ରୀଙ୍କ ପାଟିରୁ ବଚନ ବାହାରୁ ନଥାଏ । ମୋ ଶରୀର ଆପାଦମସ୍ତକ ତିନି ଚାରିଥର ଶିହରିତ ହୋଇସାରିଥାଏ । ମୋର ବିଶ୍ୱାସ ଯେ ମୋ ସ୍ତ୍ରୀଙ୍କର ମଧ୍ୟ ସେମିତି ହୋଇଥିବ-। ସେ ନିଜ ଶାଢ଼ି କାନିରେ ଆଖି ପୋଛିଲେ !

 

‘‘ସେ ସାହାଡ଼ା ସୁନ୍ଦରୀ କ’ଣ ଏବେ ଆପଣଙ୍କ ବାଡ଼ିରେ ଅଛି ?'' ମୋ ସ୍ତ୍ରୀ ରୁଦ୍ଧ ସ୍ୱରରେ ପଚାରିଲେ ।

 

‘‘ହଁ, ବଞ୍ଚିଛି; ତା’ ମୂଳରେ ଖରାଦିନସାରା ମୁଁ ପାଣି ଦିଏ, କାରଣ ମୋର ବୋଉ କେବେଠାରୁ ସେପୁରକୁ ଗଲାଣି । ଘରେ ବାପା ଓ ମୁଁ । ଜଣେ ଲୋକ ଅଛି । ରୋଷେଇ କରି ଦେଉଚି ବାସ୍ । ଗଛଟା ବଞ୍ଚିଛି ସତ, ହେଲେ ସେଇ ଟ୍ୟୁମର୍‌ଟା ଗୋଟେ ଫୁଟବଲଠାରୁ ବଡ଼ ଆକାରର ହେଲାଣି । ଗଛଟାର ସେଇପଟର ଡାଳ କେତେଟା ଜଳିଗଲା ପରି ହୋଇଛି, ମୁଁ ଜାଣେ ଯେ ଛୋଟ ଛୋଟ ସେଇ ଡାଳ ଖଣ୍ଡକୁ କର୍କଟ ରୋଗ ଖାଇଯାଉଛି । ମତେ ବଞ୍ଚାଇବାକୁ ଯାଇ ଏବଂ ନିଜେ ବିଧବା ନ ହେବାପାଇଁ ମୋର ସେହି ବୃକ୍ଷପତ୍ନୀ ନିଜ ଉପରକୁ ରୋଗଟା ନେଇଛି ଏବଂ ଅସହ୍ୟ ଯନ୍ତ୍ରଣାରେ ବଞ୍ଚି ରହିଛି । ମୁଁ ନିୟମ କରିଛି, ଆମ ବିବାହ ବାର୍ଷିକୀରେ ତାକୁ ଶାଢ଼ିଟେ ପିନ୍ଧାଏ, ଚୁଡ଼ି ପିନ୍ଧାଏ ଓ ତା’ଠି ସିନ୍ଦୁର ଲଗାଏ । ଶାଢ଼ିଟା ପରେ ଗରିବ ମହିଳା ଦେଖି ଦେଇଦିଏ । କିଏ କ’ଣ ଭାବିଲେ ମୋର ଯାଏଁ କେତେ ? ଆସେ କେତେ ?'’

 

‘‘ତୁ କ’ଣ ସତରେ ଆଉ ବିବାହ କଲୁ ନାହିଁ ?’’ ମୁଁ ପଚାରିଲି ।

 

ସେ କହିଲା, “ଭାଇ, ତୁ ଏଇଆ ବୁଝିଲୁ ? ବିବାହ ଦିନ ପୁରୋହିତ ଶ୍ଳୋକ ପଢ଼ି ମତେ ବୁଝାଇଥିଲେ ଯେ ମୁଁ ସ୍ତ୍ରୀ ପ୍ରତି ବିଶ୍ୱାସଘାତକତା କରିବି ନାହିଁ । ମୁଁ ମୋର ଜବାବ୍ ରଖିଛି । ସିଏ ବଞ୍ଚିଥିବା ଯାଏଁ ମୁଁ ଅନ୍ୟତ୍ର ବିବାହ କରିବା ଅସମ୍ଭବ । ମୋର ଦୃଢ଼ବିଶ୍ୱାସ ହୋଇଛି ଯେ ମୁଁ ମଣିଷ ବିବାହ କରିଥିଲେ ମରିସାରିଥା'ନ୍ତି । ମଣିଷର ରୋଗ ନେବା କ୍ଷମତା ନାହିଁ । ତାହା କେବଳ ବୃକ୍ଷର ଅଛି । ମୁଁ ସେଇ ସାହାଡ଼ା ଗଛକୁ ପ୍ରଚଣ୍ଡ ଭଲପାଏ । ମତେ ଲାଗେ, ସିଏ ମତେ ତତୋଽଧିକ ଭଲପାଏ । ଜଣେ ନାରୀକୁ ବିବାହ କରିଥିଲେ ଅଧିକ କ’ଣ ହୋଇଥା’ନ୍ତା ? ପାଖରେ ଧରି ଶୋଇଥା’ନ୍ତି, ପିଲାପିଲି ହୋଇଥା’ନ୍ତେ; ଏଇଆ ତ ? ନହେଲେବି ତ ଚଳୁଛି । ଜଣେ ଯଦି ମତେ ପୁନର୍ଜୀବନ ଦେଇଛି ଓ ମୋର ସମସ୍ତ ଯନ୍ତ୍ରଣା ହରଣ କରି ନେଇଛି, ତେବେ ତା’ଠୁ ମତେ କେହି ଅଧିକ ଭଲପାଇବା କଥା କଳ୍ପନା ମଧ୍ୟ କରାଯାଇ ନ ପାରେ ଏବଂ ସେପରି ଭଲପାଇବା ପ୍ରତି କସ୍ମିନ୍‍କାଳେ ମୁଁ ବିଶ୍ୱାସଘାତକତା କରିପାରିବି ନାହିଁ । ମୋ ବୋଉ ସେଇ ଗଛର ମନକଥା ଓ ଦୁଃଖ ବୁଝିଥିଲା, ମତେ ଲାଗୁଚି ଭାଉଜ ମଧ୍ୟ ସେଇ ଗଛର ମାନେ ମୋର ସେଇ ବିଚିତ୍ର ପତ୍ନୀର ମନ ଓ ହୃଦୟ କଥା ବୁଝିପାରିଛନ୍ତି ।’’

 

ଧୋତି ସଜାଡ଼ି, ଠିଆ ହୋଇପଡ଼ି ରତ୍ନାକର ମୋ ସ୍ତ୍ରୀଙ୍କୁ ପ୍ରଶ୍ନ କଲା, ‘‘ଭାଉଜ, ମୁଁ ଯାହା କରିଛି ଠିକ୍ କରିଛି ନା ଭୁଲ୍ ?’’

 

ମୋ ସ୍ତ୍ରୀ ପୁଣି ଆଖି ପୋଛି କହିଲେ, “ଜଣେ ନାରୀକୁ ବାହା ହବାଟା କ'ଣ ଜୀବନରେ ସବୁ କିଛି ?'' ରତ୍ନାକର ସ୍ଵଗତୋକ୍ତି କଲା, “ଆରେ ରାତି ତିନି ହେଲାଣି । କାଲି ସକାଳୁ ନିଦ ଭାଙ୍ଗିବ ତ ।''

 

ଆମେ ପରସ୍ପରକୁ ଶୁଭରାତ୍ରି ଜଣାଇ ଶୋଇବାକୁ ଗଲୁ ।

 

ପରଦିନ ମୁଁ ଓ ମୋ’ ସ୍ତ୍ରୀ ଉଠିବାବେଳକୁ ରତ୍ନାକର ଉଠି ନଥିଲା ସତ, କିନ୍ତୁ ନିଦରେ ମଧ୍ୟ ତା’ ମୁହଁରେ ଝଟକୁଥିଲା ଅପୂର୍ବ ଏକ ପ୍ରଶାନ୍ତି ।

 

‘‘ଆମେ ଦି’ଜଣ ଯାଇ ସେଇ ସାହାଡ଼ା ସୁନ୍ଦରୀକୁ ଥରେ ଦେଖିଆସିବା, ନା କ'ଣ କହୁଚ-?'' ମୋ’ ସ୍ତ୍ରୀ ପଚାରିଲେ ।

✽✽✽

 

ଚିଠି ସ୍ଵପ୍ନ ଚିଠି ଆୟୁ

 

ନୀଳକଣ୍ଠ ସାମାନ୍ୟ ଉଚ୍ଚସ୍ଵରରେ ପଚାରିଲା, “ଆଜି କ’ଣ କିଛି ଆସିନାହିଁ ? ମାନେ ଚିଠି କି ମେସେଜ୍ ?”

 

ତା’ର ପତ୍ନୀ ଇନ୍ଦୁରେଖା ଗାଧୁଆଘରେ ଥିଲା, ସିଏ ଯେହେତୁ ସାୱାର୍ ଖୋଳି ନଥିଲା କିମ୍ବା ଦୁଲ୍ ଦୁଲ୍ ପାଣି ଢାଳି ହେଉ ନଥିଲା, ପ୍ରଶ୍ନଟି ଆରାମରେ ଶୁଣିପାରିଥିଲା । ଏମିତିରେବି ତା’ର କାନ ନୀଳକଣ୍ଠର କଥାପାଇଁ ସର୍ବଦା ସଜାଗ ଥାଏ । କହିଲା, “ମେସେଜ୍ ତ ପ୍ରାୟ ଆସୁନାହିଁ-। ଚିହ୍ନାଲୋକ ନହେଲେ ମେସେଜ୍ କାହିଁ କିଏ ଦବ ? ଯିଏ ସବୁ ତୁମ ଲେଖା ପଢ଼ୁଛନ୍ତି, ସମସ୍ତଙ୍କ ପାଖରେ ତ ତୁମ ନମ୍ବର ନାହିଁ । ଆସିବ ବା କୁଆଡ଼ୁ ? ତୁମେ ଠିକଣାଟା ଦଉଚ, ହେଲେ ଲେଖା ଶେଷରେ ତୁମ ମୋବାଇଲ୍ ନମ୍ବର ତ ଦଉନ । ନ ଦବାବି ଭଲ । ନହେଲେ ବସେଇ ଉଠେଇ ଦେବେ ନାହିଁ । ଯେତିକି ଚିଠି ଆସୁଚି, ଆମର ସେଇ ଭଲ ।”

 

ଏଣିକି ଦୁଲ୍‌ଦୁଲ୍‌ ପାଣି ଢାଳିହେବା ଶବ୍ଦ ଶୁଣାଗଲା, ଅର୍ଥାତ୍ ଇନ୍ଦୁରେଖା ହୁଏତ ଦେହରେ ସାବୁନ ବୋଳି ହେଉଥିଲା କିମ୍ବା ମୁଣ୍ଡ ସାମ୍ପୋ କରୁଥିଲା । ପାଣିଢ଼ଳା ବନ୍ଦ ହୋଇଗଲା, ମାନେ ଇନ୍ଦୁ ଛୋଟିଆ ଗାମୁଛାରେ ପୋଛିପାଛି ହେବ ଏବଂ ହୁଏତ ଭିତରୁ ଶାଢ଼ି ପିନ୍ଧି ବାହାରିବ, ନତୁବା ତରତରରେ ଖାଲି ସାୟାଟେ କାଖଯାକେ ଗୁଡ଼େଇ ଭିତରଘରକୁ ପଶିଯିବ । ଇଏ କ’ଣ ଆଜିକାଲିକା କଥା ହେଇଚି ନା କ’ଣ ? ସେମାନଙ୍କ ବାହାଘର ଚାହୁଁଚାହୁଁ ଷୋହଳବର୍ଷ ହେଇଗଲା-। ପୁଅକୁ ନ' ଚାଲିଲା । ସେ କ’ଣ ଏଠି ଅଛି ନା କ’ଣ ? ନୀଳକଣ୍ଠର ସାନଭାଇ ବରଗଡ଼ରେ ଇଞ୍ଜିନିୟର୍‍ ଅଛି, ସେଇଠି ରହୁଛି ଏବଂ ଗୋଟେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛି-। ଝିଅ ସାତବର୍ଷର, ଏଇଠି ରହେ; ଏବେ ସ୍କୁଲ୍ ଯାଇଛି, ଫେରିବ ଆହୁରି ଦୁଇଘଣ୍ଟାରେ । ଆଜି ଇନ୍ଦୁର ଗାଧୋଇବା ବେଶ୍ ଡେରି ହୋଇଥିଲା; କାରଣ ଦୁଇଜଣ ମହିଳା ଆସିଥିଲେ ପ୍ରାୟ ଏଗାରଟାବେଳେ, ବ୍ୟବସାୟ କାମରେ, ତାଙ୍କରି କାମରେ ବ୍ୟସ୍ତ ରହି ଡେରି ହୋଇଥିଲା-। ସେମାନେ ଯିବା ପରେ ନୀଳକଣ୍ଠ ପଚାରିଥିଲା ଚିଠିଫିଠି ଆସିଥିବା ନ ଆସିବା କଥା । ବାଜିଥିଲା ବୋଧେ ଗୋଟାଏ । ଆଗରୁ ଭାତ–ଡାଲି କରି ସାରିଥିବା ଇନ୍ଦୁରେଖା କ’ଣ ଟିକେ ଭଜା ଓ ଆମ୍‌ଲେଟ୍ କରିବ ବୋଲି କହୁଥିଲା, ଏସବୁ କରିବାକୁ ତାକୁ ଜମା ମୁହୂର୍ତ୍ତଟେବି ଲାଗେନା-

 

ଏତିକିବେଳେ ସେପଟ ଘରୁ ଶାଢ଼ି ପିନ୍ଧି, କେତେକ ମୌଳିକ ପ୍ରସାଧନ ସାରି, ମୁର୍କି ହସଟେ ଖେଳାଇ ବାହାରିଲା ଇନ୍ଦୁ । ଦେଖ ତ । ସିଏ କେତେ ଅନ୍ୟମନସ୍କ ଥିଲା । ଏଇ ବାଟେ କେତେବେଳେ ସେ ଚାଲିଯାଇଥିଲା, ନୀଳକଣ୍ଠ ମୋଟେ ଜାଣିପାରି ନଥିଲା । ପଚାରିଲା, ‘‘ଗାଧୁଆଘରୁ ବାହାରି ତୁମେ ଏଇ ବାଟେ ଗଲଟି ? ମୁଁ ତ ଜମା କାହିଁ ଖିଆଲ କରିପାରୁନାହିଁ । କ’ଣ ପିନ୍ଧିକି ଗଲ ବୋଲି ମୁଁ ଅନେଇଚି, ଏଣେ ତୁମେ କେମିତି ଗଲ କି ?’’

 

: ଏମିତି ରୋମାଣ୍ଟିକ୍ ହେବାର କାରଣ, ପୁଣି ଖରାବେଳଟାରେ, କ’ଣ ପାଇଁ ମ ?’’ ଓଲଟା ପ୍ରଶ୍ନ କଲା ଇନ୍ଦୁରେଖା । ପୁଣି ପଚାରିଲା, “ଭାତ, ଡାଲି ତ ସରିଛି, ତରତରରେ କ’ଣଟା କରି ହବ କହିଲ ?''

 

ନୀଳକଣ୍ଠ କହିଲା, “ଯଦି ପୂରା ତରତର, ତେବେ ଗୋଟେ କାମ କର । ଗୋଟେ ଗୋଟେ ଅଣ୍ଡାର ଆମ୍‌ଲେଟ୍ କରିଦିଅ, ଏଣେ ବାଇଗଣଟେ ପୋଡ଼ି ଦିଅ । କାମସାରି ତୁମର ଯଦି ଯିବା କଥା, ତେବେ ତିନି / ସାଢ଼େ ତିନି ଭିତରେ ବାହାରିଯାଅ । ମାମିପାଇଁ ସେଇଠି ସଜାଡ଼ି ଦେଇଯାଅ, ମୁଁ ସମ୍ଭାଳି ନେବି । ତା’ର କୋଉଥିରେ ଜିଦି ନାହିଁ କି ଅଝଟ ନାହିଁ ।''

 

ମାସକ ତଳେ ଘରର ରୋଷେଇଆକୁ ସେମାନେ ବିଦା କରି ଦେଇଥିଲେ । ଚଉଦ ମାସ ହେବ ସେ କାମ ଚଳେଇଥିଲା, ହେଲେ ତା’ ହାତରନ୍ଧା ବାପ–ଝିଅଙ୍କର ମନକୁ ଗଲା ନାହିଁ । ଇନ୍ଦୁରେଖାର ଯାବତୀୟ କାମ ସତ୍ତ୍ୱେ ଭଲ–ମନ୍ଦ ରୋଷେଇ କାମ ଟିକକ ସେ ହାତକୁ ନେଇଥିଲା-

 

ହଁ–ନୀଳକଣ୍ଠର ଏକ ବିଚିତ୍ର ଅଭ୍ୟାସ କଥା ଏଠାରେ କୁହାଯାଇପାରେ ! ଯେ, ତା’ ମନ ସ୍ନେହ ଓ ପ୍ରେମ ତଥା ଦୁଷ୍ଟାମିରେ ଉବୁଟୁବୁ ହେଉଥିବାବେଳେ ସେ ଇନ୍ଦୁ ବୋଲି ଡାକେ, ହେଲେ ସାମାନ୍ୟ ରାଗ କି ଅଭିମାନ ଥିଲେ ସେ କେବଳ ରେଖା ବୋଲି ଡାକେ । ଇନ୍ଦୁରେଖା ବା ଇନ୍ଦୁ ବା ରେଖା ଏ କଥା କାହିଁ କୋଉ କାଳରୁ ଜାଣିଛି, ଯେବେ ନୀଳକଣ୍ଠ ସମ୍ପୂର୍ଣ୍ଣ ସୁସ୍ଥ ଥିଲା, ସେବେଠାରୁ । ସ୍ତ୍ରୀମାନେ ବହୁ କଥା ଜାଣିପାରନ୍ତି ନାହିଁ, ସ୍ଵାମୀମାନେ ବହୁ କଥା ଜାଣିପାରିଲେ ମଧ୍ୟ ସେତେ ଗହନ କଥା ଜାଣିପାରନ୍ତି ନାହିଁ । ମାନେ ବିବାହ ପରେ, ପରସ୍ପର ସମ୍ପର୍କରେ !

 

ଇନ୍ଦୁର କାମ କରିବାର ବେଗ ବଢ଼ି ଯାଇଥିଲା । ଜଣାପଡ଼ିଲା ଯେ ନୀଳକଣ୍ଠର ମନ ପ୍ରଫୁଲ୍ଲ ଥିଲା । ଚକଲଗା ସୁନ୍ଦର ଡାଇନିଙ୍ଗ୍ ଟେବଲ୍‌ଟାକୁ ନୀଳକଣ୍ଠର ଖଟ ପାଖାପାଖି ଲଗେଇ ରଖିଲା ଇନ୍ଦୁ । ସେପଟୁ ବାଇଗଣ ପୋଡ଼ା ଓ ଅଣ୍ଡା ଆମ୍‌ଲେଟ୍‌ର ମିଶାମିଶି ବିଚିତ୍ର ବାସ୍ନା ଖେଳି ବୁଲୁଥିଲା ଘରସାରା ।

 

ନୀଳକଣ୍ଠର ବେକ ତଳେ ହାତ ଦେଇ ସାମାନ୍ୟ ଜୋର୍ ଲଗେଇ ତାକୁ ଉଠେଇ ବସାଇଦେଲା ଇନ୍ଦୁରେଖା । ଆଜକୁ କେତେ ବର୍ଷ ହୋଇଗଲାଣି ବୋଧେ ତିନି / ଚାରି

 

ବର୍ଷ–ଏମିତି ଚାଲିଛି ଜୀବନ । ନୀଳକଣ୍ଠ ସମ୍ପୂର୍ଣ୍ଣ ସୁସ୍ଥ ଅଛି ମନରେ, ଶରୀରରେବି ଏମିତି କିଛି ଛୋଟମୋଟ ରୋଗ ନାହିଁ । କିନ୍ତୁ ଅଚାନକ ଦିନେ ସେଇ ବିଚିତ୍ର ଘଟଣା ଘଟିଥିଲା ସେ ଅଫିସ୍‌ରେ ଥିବାବେଳେ, ଆଜି ପରି ଏକ ଖରାବେଳେ ।

 

‘‘କିଛି ଏଣୁତେଣୁ ଭାବୁଛି କି ?’’ ଇନ୍ଦୁ ତା’ ମୁହଁ ଦେଖି ପଚାରିଲା, “ଏବେକାର କାମଟା ଆଗ ସରିଯାଉ, ମୁଁ ଚାଲିଯାଏ ! ତୁମେ ତୁମର ଯାହା ଭାବିବା କଥା ଭାବୁଥିବ, ଶୁଣ ଆଚାର ଖାଇବ କି ?''

 

ସମ୍ମତିସୂଚକ ମୁଣ୍ଡ ହଲାଇ ନୀଳକଣ୍ଠ କହିଲା, “ଏଣୁତେଣୁ ବାଜେ କଥା ଭାବିବି କାହିଁକି-? ତୁମ ପାଖକୁ ଯେଉଁ ଦୁଇଜଣ ମହୀୟସୀ ମହିଳା ଆସିଥିଲେ, ତାଙ୍କ ମଧ୍ୟରୁ ଜଣକୁ ମୁଁ ଏଇଠି ଶୋଇ ମଧ୍ୟ ଦେଖିପାରୁଥିଲି । ମାନେ ତା’ ମୁହଁଟା ମତେ ଦିଶୁ ନଥିଲା, ହେଲେ ସେ କେମିତି କାଇଦାରେ ବସିଥିଲା କେଜାଣି, ତା’ ବାଁ ହାତପଟଟା ଏଠିକୁ ଦିଶୁଥିଲା ।''

 

: ‘‘ଯାବତୀୟ ଖରାପ କଥା ତୁମଠୁ ଶୁଣିବ, ଖାଇଲ ଆଗ’’, ଇନ୍ଦୁ କହିଲା, “ସେ ବି ମୋରି ପରି ଦୁଇଟା ପିଲାର ମା’ । ତା’ର ଯାହା ଯେମିତି, ମୋରବି ସେମିତି ।''

 

: "ଆଃ ! ବାଇଗଣ ଭର୍ତାଟା ଚମତ୍କାର ହେଇଚି ।’’ ନୀଳକଣ୍ଠ ଏକପ୍ରକାର କଷ୍ଟରେ ଖାଇବାରେ ଲାଗିଥାଏ । ତା’ର ଡାହାଣ ହାତ ଓ ଡାହାଣ ଗୋଡ଼ ଶତକଡ଼ା ଷାଠିଏ ଭାଗ ଅଚଳ ହୋଇଯାଇଥିଲା । ବାମପଟଟା ପ୍ରାୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା । ଅଫିସ୍‌ରେ ଥିବାବେଳେ, ଖରାବେଳେ ।

 

ସେ ଚୌକିରେ ବସିଥିଲା । ସରକାରୀ ଚାକିରି । ଖରାବେଳେ ଅଫିସ୍‌ରେ ଯାହା ହୁଏ, ସେଇଆ ଚାଲିଥିଲା, ମାନେ ଗାଲୁ ଗପ । କ’ଣ ଗୋଟାଏ ବିଷୟ ପଢ଼ି ସମସ୍ତେ ହୋ–ହୋ ହସୁଥିବାବେଳେ ଲଥ୍‌ କରି ଚେଆର୍‌ରେ ମେଞ୍ଚାଏ କାଦୁଅ ପରି ପଡ଼ି ଯାଇଥିଲା ସେ । ତା’ ଆଖି ଡୋଳା ଡିମା ଡିମା ହୋଇଯାଇଥିଲା । ଏଡ଼େ ଏଡ଼େ ଆଖିରେ ସମସ୍ତଙ୍କୁ ଚାହିଁଥିବା ପରି ଜଣାପଡ଼ୁଥିଲେବି ସେ କିଛି ଦେଖୁ ନଥିଲା, କାରଣ ତା’ର ମସ୍ତିଷ୍କ କାମ କରୁ ନଥିଲା । ଚହଳ ପଡ଼ିଗଲା । ଅଫିସ୍‍ସାରା ଲୋକ ରୁଣ୍ଡ ହୋଇଗଲେ । କିଏ କେତେ କଥା କହିବା / ଆଲୋଚନା କରିବା ଭିତରେ ତାକୁ ଘଷାଘଷି କରି ଆମ୍ବୁଲାନ୍‌ସ୍‍ରେ ନେଇ ଯାଇଥିଲେ ସ୍ଥାନୀୟ ଏକ ବେଶ୍ ବୃହତ୍ ଡାକ୍ତରଖାନାକୁ । ସୌଭାଗ୍ୟକୁ ସେଠି ବେଶ୍ ଜଣାଶୁଣା ତିନି / ଚାରି ଜଣ ଡାକ୍ତର ଥିଲେ । ଘଣ୍ଟେ ଦୁଇଘଣ୍ଟା ଭିତରେ ସେ ଚୈତନ୍ୟ ଫେରି ପାଇଥିଲା, ବରିଷ୍ଠ ଡାକ୍ତର ଯଥେଷ୍ଟ ଇଞ୍ଜେକ୍‍ସନ୍ ଓ ଔଷଧ ଦେଇସାରିଥିଲେ । କେହି ଜଣେ ସହକର୍ମୀ ଏ ଭିତରେ ଇନ୍ଦୁରେଖାକୁ ନେଇ ଆସିଥିଲା । ଆଜିକାଲି ଏ ମୋବାଇଲ୍ ଯୁଗରେ କଥାଟା ଚାହୁଁଚାହୁଁ ବ୍ୟାପି ଯାଇଥିଲା । ବନ୍ଧୁବାନ୍ଧବ, ଗାଁ ଲୋକେ କିଏ କେତେ ଆସିଥିଲେ ।

 

ବରିଷ୍ଠ ଡାକ୍ତର କହିଥିଲେ, “ବ୍ରେନ୍ ଭିତରେ କିଛି ଚର୍‌ଚର୍ ହୋଇଛି । ଖୁବ୍ ସୂକ୍ଷ୍ମ ।''

 

ଗାଁରୁ ଆସିଥିବା ଗୋପୀନାଥ କକେଇ ପଚାରିଥିଲେ, “ଏହି ରପ୍‌ଚର୍‌ଟା କ’ଣ ?''

 

ଡାକ୍ତରଖାନାରେ ଅନ୍ୟ ଜଣେ ରୋଗୀ ସହ ଆଗରୁ ଆସିଥିବା ଜଣେ ସାମାନ୍ୟ ବେହେଲ ପ୍ରଜାତିର ଲୋକ କହିଥିଲା, ‘‘ଡାକ୍ତର ଯେବେ ଚର୍ ଲଗା ଶବ୍ଦ କି କଥା କହିବେ, ଜାଣିବ କିଛି ବଡ଼ ଧରଣର ଅସୁବିଧା ।''

 

: ‘‘ଅର୍ଥାତ୍ ?'’ ଅନ୍ୟ ଜଣେ ଛେନାରୁ ଚୋପାଛଡ଼ା ପ୍ରଜାତିର ଲୋକ ପଚାରିଥିଲା ।

 

: ‘‘ଏଇ ଯେମିତି ଫ୍ରାକ୍‌ଚର୍, ଟିଙ୍କ୍‍ଚର୍, ଷ୍ଟ୍ରେଚର୍‌, ଷ୍ଟ୍ରକ୍‌ଚର୍, ଡିପାର୍‌ଚର୍‌, ଭଲ୍‍ଚର୍ ।”

 

କେହି ହୁଏତ ଅନ୍ୟ କିଛି ପ୍ରଶ୍ନ ପଚାରିଥା’ନ୍ତା, ଦୁଇ ଜଣ ଡାକ୍ତର ଆସି ଇନ୍ଦୁରେଖାକୁ ନିଭୃତକୁ ଡାକି ନେବାରୁ କଥା ବଦଳିଥିଲା । ଡାକ୍ତର ନାନାକଥା ବୁଝାଇବା ଛଳରେ ଜଣାଇଥିଲେ ଯେ ନୀଳକଣ୍ଠର ବେକଠାରୁ ତଳକୁ ନବେ ପ୍ରତିଶତ ପାରାଲିସିସ୍ ହୋଇଯାଇଥିଲା । ସୁଖର କଥା, ତା’ର ବ୍ରେନ୍ ସମ୍ପୂର୍ଣ୍ଣ ସୁସ୍ଥ–ସତେଜ–କାର୍ଯ୍ୟକ୍ଷମ ଥିଲା । ଯଦି ଚିକିତ୍ସାରେ ସାମାନ୍ୟ ବିଳମ୍ବ ହୋଇଥା’ନ୍ତା, ତେବେ କୋମା ହୋଇଯାଇଥା'ନ୍ତା ।

 

ଛାଡ଼, ସଂକ୍ଷେପରେ କହିଲେ ନୀଳକଣ୍ଠ ମାସେ ଡାକ୍ତରଖାନାରେ ରହିଲା, ଘରକୁ ଆସିବା ପରେ ଶଯ୍ୟାଶାୟୀ ହେଇଗଲା । ପରେ କିଛି କିଛି ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ କରିହେଲା ସତ, ଯେମିତିକି ଡାହାଣ ହାତରେ ଧୀରେ ଧୀରେ ଖାଇବା, ଅତି ମନ୍ଥରଗତିରେ ଲେଖିବା, ଶରୀରର ବାମାଂଶକୁ ଅନ୍ୟ ଉପରେ ଭରାଦେଇ, ଡାହାଣ ପଟେ ଆଶାବାଡ଼ି ଲଗାଇ ପାଇଖାନା ଯାଏଁ ଯିବା ଇତ୍ୟାଦି ।

 

କ୍ରମେ ସାଙ୍ଗ ସହକର୍ମୀମାନଙ୍କ ଯିବାଆସିବା କମିଯାଇଥିଲା । ବନ୍ଧୁବାନ୍ଧବଙ୍କରବି । ନିଜ ନିଜ ଜୀବନଚର୍ଯ୍ୟାରେ ସମସ୍ତେ ଧନ୍ଦି ହୋଇଥିଲେ । ନୀଳକଣ୍ଠର ଦରମା ବନ୍ଦ ହେବା ସ୍ଵାଭାବିକ ଥିଲା । ଇଞ୍ଜିନିୟର୍ ସାନଭାଇ ପୁଅକୁ ନେଇଯାଇଥିଲା, ଝିଅ ଖୁବ୍ ଛୋଟ ଥିଲା । ସିଏ ବା କ’ଣ ଜାଣୁଥିଲା ।

 

ପ୍ରଥମେ ଅସହାୟଭାବେ ଜୁଳୁଜୁଳୁ କରି ଚାହିଁ ରହୁଥିବା ନୀଳକଣ୍ଠ ନିଜର ବିପତ୍ତି ଏବଂ ଚରମ ଏହି ଅସାମର୍ଥ୍ୟକୁ ନେଇ ବିଞ୍ଚିବା, କଥା କହିବା ଓ ଥଟ୍ଟାମଜା କରିବା ଶିଖିଲା । ସୁଗୃହିଣୀ ଥିବା ଇନ୍ଦୁରେଖାର ବିଚିତ୍ର ରୂପ–ରୂପାନ୍ତର ଏବଂ ଘଟ–ଘଟାନ୍ତରକୁ ଗୋଟିଏ ଜାଗାରେ ଶୋଇ ରହି ନିରୀକ୍ଷଣ କରୁଥିଲା ନୀଳକଣ୍ଠ ।

 

କେବେ ଥଟ୍ଟା କରୁଥିଲା ।

 

କେବେ ମଜା ଓ ବ୍ୟଙ୍ଗ ।

 

କେବେ ଭିତରେ ଦୁଃଖ କରୁଥିଲା ।

 

କେବେ ପୁଣି ଲାଗୁଥିଲା ପ୍ରଚଣ୍ଡ ଅସହାୟ ।

 

ହେଲେ ସବୁକୁ ସାଙ୍ଗରେ ଧରି ଜିଇବା କଥାଟା ଖୁବ୍ ଶୀଘ୍ର ଆୟତ୍ତ କରିପାରିଥିଲା ।

 

ନୀଳକଣ୍ଠ । ତା’ର ଚିନ୍ତା, ଚେତନା, କାର୍ଯ୍ୟ, କଥା, ଥଟ୍ଟା, ମଜା, ହସ, ଦୁଃଖ ଇତ୍ୟାଦିକୁ ଭଲଭାବେ ପଢ଼ିପାରୁଥିଲେବି ଇନ୍ଦୁରେଖା ଥିଲା ନିର୍ବିକାର । ତା’ର ଓ ଘରର ଯାବତୀୟ କାମ କରିବା ଭିତରେ ସେ କାହାକୁ ଧାର ମାଗି ନଥିଲା, ପ୍ରାଥମିକଭାବେ ସାହାଯ୍ୟ ପରେ ସିଏ ପ୍ରଥମେ ଅଭାବରେ ଓ ପରେ କ୍ରମଶଃ ସ୍ଵାଭାବିକଭାବେ ତଥା ଏଇ ବର୍ଷେ ହେବ ଭଲଭାବେ ସଂସାର ଚଳେଇ ନେଇଛି । ଇନ୍ଦୁରେଖା ହସିହସି କିପରି ଏତେ କାମ କରିପାରୁଥିଲା, ସିଏ ନିଜେ କଦାପି ଏସବୁ ତୁଲେଇ ପାରି ନଥା'ନ୍ତା, ଯଦି ଇନ୍ଦୁରେଖା ତା’ ପରି...

 

ଛିଃ !

 

କିନ୍ତୁ ତା’ର ଅସୁସ୍ଥତା ପରଠୁ ଥରେ ମାତ୍ର ମଧ୍ୟ ବିରକ୍ତିଭାବ ପ୍ରକାଶ କରି ନଥିଲା ଇନ୍ଦୁରେଖା । ରାଗିବା ତ ଖୁବ୍ ଦୂରର କଥା ।

 

ଛୋଟ ସେଇ ଚକଲଗା ଡାଇନିଙ୍ଗ୍ ଟେବଲ୍‌ଟାକୁ ଘୁଞ୍ଚାଇ ନେଉ ନେଉ ଇନ୍ଦୁରେଖା ମୁରକି ହସା ଦେଇ କହିଲା, “ଆଜି ତୁମେ ଶୀଘ୍ର ଖାଇଦେଲ ତ ।''

 

: ‘‘ସେଇ ଯୋଉ ତୁମ ସାଙ୍ଗର ସମ୍ପତ୍ତି ଦେଖିଦେଲି, ସେଇଥିପାଇଁ ।''

 

ଛୋଟ ଟର୍କିସ୍‌ରେ ତା’ ମୁହଁ ପୋଛି ଦେଉ ଦେଉ ଇନ୍ଦୁ କହିଲା, ‘‘ରୁହ, ତୁମର କେହି ବନ୍ଧୁ ଆସନ୍ତୁ, ମଜା ବାହାର କରିଦେବି ।’’

 

: ‘‘ମାନେ ?'' ନୀଳକଣ୍ଠ ବିସ୍ମୟରେ ପଚାରିଲା, “କ’ଣ କରିପାରିବ ?'’

 

: ‘‘ତୁମେ ଏବେ ମୋ ସାଙ୍ଗର କ’ଣ କରି ପକେଇଲ କି ? ଖାଲି ଦୂରରୁ କିଛି ଗୋଟେ ଦେଖିଲ ଯାହା’' । ଇନ୍ଦୁରେଖା ଝିଅପାଇଁ ଖାଇବା ସଜେଇ ରଖୁ ରଖୁ କହିଲା, ମୁଁ ସେମିତି ତୁମ ସାଙ୍ଗ କେହି ଆସି ବସିବାମାତ୍ରେ ତାଙ୍କୁ ଦେଖିବି, ଆଉ ତୁମକୁ ଜଣେଇଦେବି । ହଉ ଏବେ ଶୁଣ, ଝିଅ ଆସିଲେ ଖୁଆଇବ । ତାକୁ ଆଡ଼ୁସାଡ଼ୁ ଗପ କହିବ । ସବୁଦିନ ପରି ମୁଁ ଠିକ୍ ଆଠ / ସାଢ଼େ ଆଠରେ ପହଞ୍ଚିବି ।''

 

ନୀଳକଣ୍ଠ ତାକୁ ଟା–ଟା କରୁ କରୁ ଇନ୍ଦୁ ପୁଣି ଫେରିଆସି କହିଲା, “ଏଇ ଶୁଣ, ଏଇଟା ହେଲା ଏଗାର ତାରିଖର ଚିଠି, ଆଉ ଏଇଟା ହେଲା ପଅରଦିନର । କିଏ ଲେଖିଥିଲେ, ମୋର ଆଉ ନାଁ ମନେ ନାହିଁ । ହେଲେ ତୁମେ ପଢ଼ିସାରିଛ, ଅଥଚ ଉତ୍ତର ଦିଆଯାଇନି । ତୁମେ ପୁଣିଥରେ ପଢ଼ିଦିଅ, ଉତ୍ତର ଭାବିରଖ, କାଗଜ–କଲମ ସେଇ ତକିଆ କଡ଼ରେ ଅଛି, ଯଦି ଉତ୍ତର ଲେଖିଥିବ ତ ଭଲ, ନହେଲେ ମୁଁ ଫେରିଲେ ଚା’ ଖାଉ ଖାଉ ଲେଖିବା, ହେଲା ?'’

 

ଦୁଇଟା ଚିଠି ଦେଇ, ଦରଜା ଆଉଜାଇ, ବାହାରପଟୁ ତାଲା ଲଗାଇ ବାହାରିଗଲା ଇନ୍ଦୁରେଖା । ଘରଟା ପୁଣି ଶୂନ୍ୟ ଶୂନ୍ୟ ଲାଗିଲା । ପୂରା ନିଃଶବ୍ଦ । ନିସ୍ତରଙ୍ଗ ! ଇନ୍ଦୁଟା ସେମିତି, ଥିଲାବେଳେ ସବୁ କିଛି ଥାଏ, ନଥିଲେ କିଛିହିଁ ନଥାଏ । ଆଶ୍ଚର୍ଯ୍ୟ–ସାହିତ୍ୟର ‘ସ’ ଅକ୍ଷରର ଧାର୍‌ ଧରୁ ନଥିଲା ସେ । ହେଲେ ତା’ର ପାରାଲିସିସ୍ ହେବାର ଦଶ/ଏଗାର ମାସ ପରେ ଶୋଇ ଶୋଇ ନାନା ଚିନ୍ତା, ଭଲ ଓ ମନ୍ଦ–ତା’ମୁଣ୍ଡକୁ ଆସିବାରୁ ସେ ଇନ୍ଦୁରେଖା ହାତରେ ଭଲ କାଗଜ କଲମ ମଗାଇ କବିତା ଲେଖିବା ଆରମ୍ଭ କଲା । ଏମିତିରେ ତା’ର କିଛି ଚିହ୍ନାପରିଚିତି ଥିଲା, କିନ୍ତୁ ଖବରକାଗଜର ସମୀକ୍ଷା ଓ ପ୍ରାପ୍ତି ସ୍ୱୀକାର ସ୍ତମ୍ଭରୁ ଠିକଣା ଯୋଗାଡ଼ କରି, ଇନ୍ଦୁରେଖା ହସ୍ତାକ୍ଷରରେ କବିତା ଉତରାଇସାରି, ଲଫାଫା ଉପରେ ଠିକଣା ଲେଖି ପଠାଇବାରେ ଲାଗିଲା । ଆଶ୍ଚର୍ଯ୍ୟ, ତା’ କବିତା ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ବାହାରିଲା । ଛୋଟ ଓ ମଧ୍ୟମ ଆକାରର କବିତା । କେବେ ପୂରା ବେଛନ୍ଦ । ପୁଣି ଛନ୍ଦଛନ୍ଦ ପରି । ଲେଖାଲେଖି ବାବଦରେ ତା’ର ସାମାନ୍ୟ ରକମର ଆଇଡ଼ିଆ ଥିଲା । ପ୍ରଚୁର ସମୟ ଥିବାରୁ ସେ ଲେଖୁଥିଲା, ବାକି କାମ ଇନ୍ଦୁରେଖା କରୁଥିଲା । କୋଉ ସଂପାଦକ ସୌଜନ୍ୟ–କପି ଖଣ୍ଡେ ପଠାଉଥିଲା ତ କେହି କିଛି ଜଣାଉ ନଥିଲେ-। ତେବେ ତାଲିକା ହିସାବ ଇନ୍ଦୁ ରଖିଥିଲା, କୋଉ କବିତା କୋଉ ପତ୍ରିକାକୁ ପଠାଗଲା, ଗୋଟେ ଖାତାରେ ତାରିଖ ପଡ଼ି ହିସାବ ରହୁଥିଲା । କବିତା ପ୍ରକାଶ ପାଇବା ପରେ ଇନ୍ଦୁରେଖା ପତ୍ରିକା ଦୋକାନ ଖୋଜି ସେ ପତ୍ରିକା ସଂଗ୍ରହ କରୁଥିଲା । ଯୋଉ ସାମାନ୍ୟ ମୋଟୀ, କିନ୍ତୁ ପୃଥୁଳା ନୁହେଁ, ଗୋରୀ ମଧ୍ୟ ନୁହେଁ କିନ୍ତୁ ଟିକେ ଡେଙ୍ଗା ଓ ହସମୁହିଁକୁ ଆପଣମାନେ ପତ୍ରିକା ଦୋକାନରେ ନିଶ୍ଚେ ଦେଖିଥିବେ, ସେଇ ହେଲା ଇନ୍ଦୁରେଖା ।

 

ପାଠକଙ୍କଠାରୁ ମିଳିଥିବା ଛୋଟ ଛୋଟ ଚିଠି ।

 

ଯା’ହେଉ, କବିତା ପଢ଼ି ଲୋକେ ପୁଣି ଚିଠି ଲେଖୁଛନ୍ତି ।

 

ମନକୁ ମନ ହସିଲା ନୀଳକଣ୍ଠ ।

 

ଝିଅ ଆସିବ । ପ୍ରାୟ ଘଣ୍ଟାଏ ପରେ । କବାଟ ଖଡ଼ଖଡ଼ କରିବ । ପଡ଼ିଶାଘରର ଜଣେ କେହି ଆସିବ । ଏପଟେ ଝରକାବାଟେ ହାତ ଗଳାଇ ଅନ୍ୟ ଏକ ଡୁପ୍ଲିକେଟ୍ ଚାବି ନେଇ ଦରଜା ଖୋଲିଦବ, ଝିଅ ଭିତରକୁ ଆସିବ, ଚୌକି–ସାହାଯ୍ୟରେ ଭିତର ହୁକ୍ ଲଗେଇଦବ । ବାପ–ଝିଅ ନାନାକଥା ଗପିବେ । ଇଏ ଖଟ ଉପରୁ ନିର୍ଦ୍ଦେଶ ଦେବାରେ ଲାଗିବ, ସିଏ ଏଡ଼ିକି ମେଞ୍ଚଡ଼ ଟୋକୀ, ସବୁ କିନ୍ତୁ ନିର୍ଭୁଲ ଭାବରେ କରିବ । ସିଏ ଟୋକୀ ପୂରା ମା’ ପରି । ଏବେ ଟିକେ ଟିକେ ଜାଣିଲାଣି, ଖାଇସାରି ଅଇଁଠା ପୋଛୁଚି, ବାସନ ଦିଖଣ୍ଡ ମାଜିଦଉଚି ।

 

ପ୍ରଥମ ଚିଠିଟା ଖୋଲିଲା ନୀଳକଣ୍ଠ । ଏଇ ସହର ଭିତରୁ ଲେଖିଚି, ଛୋଟ ଚିଠିଟେ ।

 

ନିଜର ପୂରା ଠିକଣା ଅବଶ୍ୟ ଦେଇନାହିଁ ।

 

ସାରାଂଶ ଏହି ଯେ :

 

କବିତାଟି ଭଲ ଲାଗିଲା । ବ୍ୟବହାର ହୋଇଥିବା କେତେଟା ଶବ୍ଦ ଯଥା କାଇଁଚମାଳି, ବେତକୋଳି, ମୁଗ କିଆରି ଇତ୍ୟାଦି ଗାଁ କଥା ସ୍ମରଣ କରାଇ ଦେଉଛି । ତେବେ ଟିକେ ଦୀର୍ଘ ହୋଇଗଲା । ଗୋଟେ ଉପମା ଟିକେ ବେଖାପ ଲାଗିଲା । କଙ୍କଡ଼ାବିଛାର ଲାଞ୍ଜ ପରି ବେଣୀ ହେଲା ନାହିଁ, ଯଦିଓ ଆଜିକାଲି ନାନାପ୍ରକାର ଚୁଟି ସଜାଯାଉଛି । ମୋଟାମୋଟି ଭଲ ଲାଗିଲା । ଇତି–ପୁରୁଷୋତ୍ତମ ଦାସ ।

 

ଥୋଇଦେଲା ।

 

ଦ୍ୱିତୀୟ ଚିଠିଟି ବୋଧେ ପିପିଲିରୁ, ପ୍ରେରକ କେହି ଜଣେ ମାନସୀ ପୃଷ୍ଟି । ନାରୀମାନେ ଯେ କବିତା ଭଲ ଲାଗିବାରୁ କବିଙ୍କୁ ଚିଠି ଲେଖିପାରନ୍ତି, ଏକଥା ପ୍ରଥମେ ପ୍ରଥମେ ବିଚିତ୍ର ଲାଗିଥିଲା ତାକୁ । ତେବେ ବୁଝାଇ ଦେଇଥିଲା । ଜଣେ ଜଣେ ଜଣାଶୁଣା କବି କୁଆଡ଼େ ଗୋଟେ ଗୋଟେ କବିତାପାଇଁ ଅଶୀ / ନବେ / ଶହେ ଚିଠି ପାଇଥା'ନ୍ତି । କେହି କେହି ଅତି ଭାଗ୍ୟବାନ କବି ଶତାଧିକ ଚିଠି ପାଇଥା'ନ୍ତି । କେହି କେହି ଅତି ଭାଗ୍ୟବାନ କବି ଶତାଧିକ ଚିଠି ପାଇଥା'ନ୍ତି । ଗୋଟେ ଗୋଟେ ପ୍ରେମକବିତା ଯଦି ଭଲ କରି ଉତୁରିଗଲା, ତେବେ ଜାଣ କବି ଆସନ୍ତା କିଛି ବର୍ଷପାଇଁ ବଞ୍ଚିଗଲା । ଏସବୁ କହିସାରି ଇନ୍ଦୁ ଅବଶ୍ୟ କହିଥିଲା ଯେ ତା’ ହାତରେ କବିତା ଭଲ ଉତୁରିବ ।

 

ମାନସୀ ପୃଷ୍ଟିଙ୍କ ଚିଠିର ସାରାଂଶ ଏହି ଯେ :

 

ଜୀବନ ଖୁବ୍ ବିଶାଳ । ଏଥିରେ ନାନାପ୍ରକାର ଅନୁଭବ–ଅନୁଭୂତି ରହିବ । ଯଦି କବିତାରେ ହତାଶା ଭାବାବେଗ ବେଶି ଦେଖାଯିବ, ତେବେ ପାଠକ କବିଠୁ କି ଅପେକ୍ଷା ରଖିବ ? କବି ନିରାଶା କି ହତାଶାର ପ୍ରଚାରକ ନୁହେଁ । ଅମୁକ କବିଙ୍କ କବିତା କେତେ ସକାରାତ୍ମକ ଇତ୍ୟାଦି ଇତ୍ୟାଦି ।

 

ଦୁଇଟିଯାକ ଚିଠିକୁ ତକିଆ କଡ଼ରେ ରଖି ନୀଳକଣ୍ଠ ମନେମନେ ଉତ୍ତର ଭାବିଲା । ମନେମନେ କୈଫିୟତ ତିଆରି କରିବାକୁ ତାକୁ ଭଲ ଲାଗୁଥିଲା । ସେଇ ମୁହୂର୍ତ୍ତରେ ଅବଶ୍ୟ ତା’ର ଇଚ୍ଛା ହେଲା କବିତାଟେ ଲେଖିବାପାଇଁ । ଆହା–ଏତେ ଦିନେ ପତ୍ନୀ ଇନ୍ଦୁରେଖା ଏଇ ଛୋଟ କଥାଟିକୁ କେମିତି କେଜାଣି ଭୁଲିଯାଇଛି । କବିତାଲେଖା ଖାତା ଓ କଲମ ର୍ୟାକ୍‍ରେ ରଖିଦେଇଛି, ବୋଧେ ତାକୁ ଉଠାଇ ବେଡ଼୍‍ସିଟ୍ ଝଡ଼ାଝଡ଼ି କରିବାବେଳେ । ଠିକ୍ ଅଛି, ଏବେ କିଛି ଭାବ; ପରେ ଲେଖ । ହେଃ–ହସିଲା ନୀଳକଣ୍ଠ । କବିତା କଦାଚିତ୍ ସେପରି ଲେଖାଯାଏ ନାହିଁ, ଗପ ସେମିତି ବୋଧେ ଲେଖାଯାଏ ।

 

ସଂସାର ଅତି ବିଚିତ୍ର । କିଏ କହିଥିଲେ ଏ କଥା ? ସେହି ନ୍ୟାୟରେ ଅବଶ୍ୟ କୁହାଯାଇପାରିବ ଯେ ଶରୀର ଅତି ବିଚିତ୍ର । ସମ୍ପର୍କ ଅତି ବିଚିତ୍ର । ଅତୀତ ଅତି ବିଚିତ୍ର ଥିଲା । ବର୍ତ୍ତମାନବି ବିଚିତ୍ର । ଭବିଷ୍ୟତ ମଧ୍ୟ ଅତି ବିଚିତ୍ର ହେବ । ଜୀବନ ତ ବିଚିତ୍ର । କିଛି ନ କହି ଅତି ସଂକ୍ଷେପରେ ହୁଏତ କୁହାଯାଇପାରିବ ଯେ ଏଇ ସୃଷ୍ଟି ଅତି ବିଚିତ୍ର ଏବଂ ତନ୍ମଧ୍ୟରେ ଯାହା ଗୋଚର ହୋଇଥାଏ ତାହା କେବଳ ବିଚିତ୍ରତାର ଅନନ୍ତ ସମାହାର । ଖଟରେ ପଡ଼ି ରହି, ଫ୍ୟାନ୍‍ର ଘୂର୍ଣ୍ଣନକୁ ଦେଖୁଦେଖୁ ମୁର୍କି ହସିଲା ନୀଳକଣ୍ଠ । ଆମ ଦେଶ ଓ ସଂସ୍କୃତିର ଦାର୍ଶନିକମାନେ ବା ମୁନିଋଷିମାନେ ପ୍ରାୟତଃ ଏ ସବୁ କଥା କହିବା ସମୟରେ ମୋଟେ ଭୟ କରୁ ନଥିଲେ । ବର୍ଷ ବର୍ଷ ଭାବିବା ପରେ ଧାଡ଼ିଏ କଥାରେ କାମ ଶେଷ । ପାଶ୍ଚାତ୍ୟ ସଂସ୍କୃତି ଦେଖ, ନାନା ଯୁକ୍ତିତର୍କ–ବାଦବିବାଦ–ଲେଖା–ତର୍ଜମା ପରେ କାମ ଫୁସ୍ ।

 

ଶରୀର ଏମିତି ବିଚିତ୍ରଭାବେ ଅସୁସ୍ଥତାର ଶିକାର ହେଲା ଯେ ଯଦିଓ ସମସ୍ତେ ବାରଣ କରୁଥିଲେ, ତଥାପି ସେ ସ୍ୱେଚ୍ଛାକୃତ ନେଇଗଲା । ତା’ର ସଂଚୟ ଓ ଅନ୍ୟାନ୍ୟ ପ୍ରାପ୍ୟ ମିଶି ମିଳିଥିଲା ପ୍ରାୟ ଆଠ ଲକ୍ଷ ଟଙ୍କା । ଏହା ଏକ ଅର୍ଥରାଶିଭାବେ ଗଣାଯିବା କଥା ନୁହେଁ । ଘର ଚଳିବା, ଯାବତୀୟ ଔଷଧପତ୍ର, ବନ୍ଧୁବାନ୍ଧବ, ପିଲାଙ୍କ ପାଠପଢ଼ା, ପୁଣି ଘରଭଡ଼ା । ଏହି ଘରଭଡ଼ାହିଁ ସିଂହଭାଗ ଖାଉଥିଲା । ସରକାରୀ ଘର ଛାଡ଼ିବା ଥିଲା ସ୍ଵାଭାବିକ ।

 

ଏଇ ମୁହୂର୍ତ୍ତରୁହିଁ ଆରମ୍ଭ ହୋଇଥିଲା ଇନ୍ଦୁରେଖାର ଜୀବନର ବିଚିତ୍ର ଜୟଯାତ୍ରା । ଦିନ କେଇଟା ଭିତରେ ସେ ବେଶ୍ କିଛି ସମସ୍ୟା ସମ୍ଭାଳି ନେଇଥିଲା । ସମସ୍ୟା ବୋଲି କହିବା ଠିକ୍ ନୁହେଁ, ବରଂ ପରିସ୍ଥିତି କହିବା ଠିକ୍ ହେବ ।

 

ମିଳିଥିବା ଆଠଲକ୍ଷରୁ ଚାରିଲକ୍ଷ ଟଙ୍କାକୁ ଇନ୍ଦୁରେଖା ବ୍ୟାଙ୍କ୍‍ରେ ସ୍ଥାୟୀ ଜମା ଆକାରରେ ରଖିଥିଲା । ପ୍ରାୟ ଦେଢ଼ଲକ୍ଷ ଟଙ୍କା ହାତରେ ରଖି କହିଥିଲା, “ଏତକ ମୁଁ ହାତରେ ରଖିଲି ଆମର ବର୍ଷକର ଘର ଖର୍ଚ୍ଚପାଇଁ । ପଚାଶ ହଜାର ଟଙ୍କା କେବଳ ଏଇଠି ଏମିତି ଥିବ, ଏଇ ପର୍ସ୍ ଭିତରେ କିଛି ଜରୁରୀକାଳୀନ ଖର୍ଚ୍ଚପାଇଁ ।''

 

ସେ ବୁଝାଇଥିଲା ଯେ ବାକି ଥିବା ପ୍ରାୟ ଦୁଇଲକ୍ଷ ଟଙ୍କା ଭିତରେ ତଥା ଆପାତତଃ ବର୍ଷକ ଭିତରେ ଏମିତି କିଛି କରିବା ନିତାନ୍ତ ଜରୁରୀ, ଯଦ୍ଦ୍ୱାରା ତେଣିକି ସେଇଥିରୁହିଁ କିଛି ରୋଜଗାର କରାଯାଇପାରିବ ଓ ଦୁଃଖକଷ୍ଟ ହେଉ ପଛକେ ଘର ଚଳାଇ ହେବ । ଖର୍ଚ୍ଚ ତ ବଢ଼ିବା ନିଧାର୍ଯ୍ୟ ଥିଲା ।

 

ପ୍ରାୟ ଏଇ ସମୟବେଳକୁ ନୀଳକଣ୍ଠ ଅଳ୍ପ ସଂଖ୍ୟାରେ ଅଥଚ ନିୟମିତ କବିତା ଲେଖା ଆରମ୍ଭ କରିଥିଲା । ତା’ପରେ ଖବରକାଗଜ ଓ ଶୁଭେଚ୍ଛୁମାନଙ୍କଠାରୁ ପତ୍ରିକାମାନଙ୍କ ଠିକଣା ଯୋଗାଡ଼ କରି, ଇନ୍ଦୁ ହାତରେ କବିତାକୁ ପୁନଃ ଗୋଲ୍‌ଗୋଲ୍ ଅକ୍ଷରରେ ଲେଖାଇ, ଲଫାଫାରେ ପୂରାଇ ପଠାଇବାରେ ଲାଗିଲା । କବିତା ପ୍ରାୟତଃ ବାହାରୁଥିଲା ଏବଂ ଇନ୍ଦୁ ସମ୍ପୂର୍ଣ୍ଣ ଜଣେ ଉତ୍ସର୍ଗୀକୃତ ପ୍ରାଇଭେଟ୍ ସେକ୍ରେଟାରୀ ପରି ହିସାବ ରଖୁଥିଲା, ଅଭାବ ସତ୍ତ୍ୱେ ପତ୍ରିକା ଆଣୁଥିଲା ।

 

କବିତା ବାହାରିବା ପରେ ନୀଳକଣ୍ଠ ଓ ଇନ୍ଦୁ ଏପରି ଖୋଲା ଖୁସି ଜାହିର କରିଥିଲେ ଯେ ପୁଅ–ଝିଅବି ଅଜସ୍ର ଖୁସି ହୋଇଥିଲେ । ପୁଣି ଯୋଉଦିନ ସୁକିନ୍ଦା ଅଞ୍ଚଳରୁ ଗୋଟେ ପାଠକୀୟ ଶ୍ରଦ୍ଧାଭରା ପୋଷ୍ଟ୍‍କାର୍ଡ଼୍ ଚିଠି ଆସିଥିଲା, ନୀଳକଣ୍ଠର ଖୁସିର ସୀମା ନଥିଲା । ଆର୍ଥିକ କଷ୍ଟ ସତ୍ତ୍ୱେ ଇନ୍ଦୁ ସେଦିନ ଚିକେନ୍ ଆଣି ଘରେ ବିରିଆନି ତିଆରି କରିଥିଲା । କି ବିଚିତ୍ର କଥା । ଚିଠିର ସମୟ ସରିସାରି ଆସିବାବେଳକୁ ଗୋଟେ ଏତେ ଛୋଟ ଚିଠି ମଣିଷକୁ ଏତେ ଖୁସି ଦେଇପାରେ ବୋଲି ଇନ୍ଦୁର ଧାରଣାଇ ନଥିଲା । ସେଦିନ ବିରିଆନି ଖାଇବାବେଳକୁ ଏ ସମ୍ପର୍କରେ ନାନା ପ୍ରଶ୍ନ–ଉତ୍ତର ପର୍ବ ଚାଲିଥିଲା । ଇନ୍ଦୁର ଜିଜ୍ଞାସାଭରା ପ୍ରଶ୍ନ, ପିଲା ଦି'ଜଣଙ୍କର ନିରୀହ ସରଳ ପ୍ରଶ୍ନ ନୀଳକଣ୍ଠକୁ ଆମୋଦିତ ଓ ଉଲ୍ଲସିତ କରିଥିଲା ।

 

ସୁକିନ୍ଦା କୋଉ ଜିଲ୍ଲାରେ ବୋଲି ଝିଅର ଥିଲା ପ୍ରଶ୍ନ ।

 

କବିତା କାହିଁକି ଲୋକେ ଆଗ୍ରହରେ ପଢ଼ନ୍ତି ବୋଲି ପୁଅ ବିସ୍ମୟ ପ୍ରକାଶ କରିଥିଲା । ଇନ୍ଦୁ ସରଳ–ନିର୍ମାୟା ହସଟେ ହସି ଜଣାଇଥିଲା ଯେ ତା’ର କେଜାଣି କେମିତି ଧାରଣାଟେ ରହି ଆସିଥିଲା ଯେ ନିଶ୍ଚିନ୍ତକୋଇଲି, ପାଣିକୋଇଲି, ସାରଙ୍ଗଯୋଡ଼ି ଇତ୍ୟାଦି ଗାଁଗୁଡ଼ାକରେ ଢେର୍ କବିତା–ପଢ଼ୁଆ ଲୋକ ଥାଆନ୍ତି ! କେଜାଣି !

 

ସେ ଢେର୍ ଅଧିକ ସଂଖ୍ୟକ ଭଲ କବିତା ଲେଖିପାରିବ ବୋଲି ତା’ର ପ୍ରତ୍ୟୟ ହୋଇଥିଲା । ଯଦ୍ୟପି ସେ ଥିଲା ଶଯ୍ୟାଶାୟୀ ଏବଂ ନିଜର ସାମାନ୍ୟ ସାମାନ୍ୟ ଜୀବନଚର୍ଯ୍ୟା ପାଇଁ ସେ ଥିଲା ଇନ୍ଦୁ ଉପରେ, ନହେଲେ ପୁଅ–ଝିଅଙ୍କ ଉପରେ ନିର୍ଭରଶୀଳ । ଏଇତ ଇନ୍ଦୁ ଯିବା ପରେ ପରେ ତା’ର କବିତାଟେ ଲେଖିବାପାଇଁ ତା’ର ପ୍ରଚଣ୍ଡ ଇଚ୍ଛା ହୋଇଥିଲା, ହେଲେ ହାତ ପାଖରେ କାଗଜ–କଲମ ନଥିବାରୁ ତାହା ହୋଇପାରିଲା ନାହିଁ । ଏମିତିକି ଗୀତ ଟିକେ ମଧ୍ୟ ଶୁଣିପାରୁ ନାହିଁ । କିଏ ଜଣେ ଘରକୁ ଆସିଥିଲେ, ବୁଝାଇଥିଲେ ଯେ ଏହି ପ୍ରକାର ବିଚିତ୍ର ଶାରୀରିକ ଅସୁସ୍ଥତା ପାଇଁ ଔଷଧ, ଛୋଟ ଛୋଟ ପରିଶ୍ରମ ସେହି ଶୋଇବା ଅବସ୍ଥାରେ କରିବା ଜରୁରୀ, ତା’ଛଡ଼ା ଲେଖାପଢ଼ା ସହ ନିୟମିତ ଭଲ ସଙ୍ଗୀତ–ମାନେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ମଧ୍ୟ ଦରକାର; ଏହା ମସ୍ତିଷ୍କର କୋସିକାମାନଙ୍କୁ ସଦା ସଜାଗ/ସଜୀବ ରଖିଥାଏ ।

 

ସେହି ଶୋଇବା ଅବସ୍ଥାରେ ନୀଳକଣ୍ଠ ଦୁଇଟି କଥାପାଇଁ ହସିଲା । ପ୍ରଥମଟି ହେଲା, ଫିଜିଓଥେରାପି କିମ୍ବା ଏକ୍ସର୍‌ସାଇଜ୍‍ର ପୂରା ଠିକ୍ ଓଡ଼ିଆ ପ୍ରତିଶବ୍ଦ କ’ଣ ହୋଇପାରେ ? ସିଏ ତ ଏହି ମାତ୍ର ଛୋଟ ଛୋଟ ପରିଶ୍ରମ ବୋଲି ଭାବିଲା । ଦ୍ଵିତୀୟଟି ହେଲା, କୋସିକା । ଏହା ସତରେ ‘ସ’ ହେବ ‘ନା ‘ଷ’–ଅର୍ଥାତ୍ କୋଷିକା ହେବ ? ଆଚ୍ଛା–ମଣିଷ ଭାବିବାବେଳେ କ’ଣ ବନାନ ଶୁଦ୍ଧ କରି ଭାବିଥାଏ ନା... ? ଇଏ ବିଚିତ୍ର କଥା ସବୁ ଶଯ୍ୟାଶାୟୀ ହୋଇଥିବା ଜଣେ ଅତି ସମର୍ଥ ଥିବା, ଅର୍ଥାତ୍ କୌଣସି ଅଙ୍ଗ–ପ୍ରତ୍ୟଙ୍ଗ ବାହାରକୁ କିଛି ଖରାପ ହୋଇ ନଥିବା କବି ହୃଦୟର ଲୋକହିଁ ଭାବିପାରେ । କୋଷରୁ କୋଷିକା, କିନ୍ତୁ କୋଷ ବୋଲି କ’ଣ କିଛି ନାହିଁ ? ଥିବହୋ ।

 

ହାଃ ହାଃ ହାଃ !

 

ଅଣ୍ଡକୋଷ, ରାଜକୋଷ, ପାଞ୍ଚକୋଶ, କୋଷମୁକ୍ତ ତରବାରି ଏସବୁ କ’ଣ ଗୋଟିଏ ମାତ୍ର କୋଷରୁ ଆସିଛି ? ନା ଏଥିରେ ‘ସ’ ଓ ‘ଶ’ର କିଛି ଭୂମିକା ଅଛି ?

 

ହଁ–ଛୋଟମୋଟ କାମ କରିବାବି କଷ୍ଟକର । ନହେଲେ ଗୀତ ଶୁଣିଥା’ନ୍ତ । କାହାର ସବୁ ସିଡ଼ି ଆଣିଚି ଇନ୍ଦୁ ।

 

ବେଗମ୍ ଅଖ୍‌ତାର୍, ବୀଣା ସହସ୍ରବୁଦ୍ଧେ, କିଶୋରୀ ଅମୋନକର୍; ପୁଣି ବିସ୍‌ମିଲ୍ଲା ଖାଁ ଓ ଆଲ୍ଲାରଖା ଖାଁଙ୍କ ଯୁଗଳବନ୍ଦି, କେତେଟା କବାଲି । ସତରେ ତାକୁ ସୁସ୍ଥ ଲାଗେ । ପୁଅ ଝିଅ ଥିବାବେଳେ ଅବଶ୍ୟ ଏସବୁ ଆପାତତଃ ବାଜେ ନାହିଁ । ଅବଶ୍ୟ ଅତି ବିଚିତ୍ର କଥା ଏହି ଯେ ଏବେ ତା’ ଝିଅ ଦିନେ ଅଧଘଣ୍ଟା ଏକାଗ୍ରଚିତ୍ତରେ ତା’ ଖଟ ଧାରରେ ବସି, କୋଉ ଗୋଟେ ଶାସ୍ତ୍ରୀୟ ଗାୟନ ଶୁଣି କହିଥିଲା, “ବୁଝିଲ ବାପା, ଇଏ ଗୀତ ପିଙ୍କି ହେ ପୈସାଓ୍ୱାଲୋଁକି ଗୀତଠାରୁ ଭଲ । ମତେ ଏଗୁଡ଼ା ଭଲ ଲାଗୁଚି ।” ନୀଳକଣ୍ଠ ଗଭୀର ଆନନ୍ଦିତ ଓ ବ୍ୟଥିତ ହୋଇଥିଲା ।

 

କିନ୍ତୁ ସବୁ କଥା କେମିତି ଯଥାସମୟରେ ପଛକୁ ପଛ ନିର୍ଭୁଲଭାବେ ଇନ୍ଦୁରେଖା କରିପାରୁଛି ? ସିଏ ନିଜେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେବି ଏମିତି ଶୃଙ୍ଖଳାରେ କରିପାରୁ ନଥିଲା । ମଣିଷମାନଙ୍କର ଜୀବନର ପଥ ଏମିତି ବଦଳେ । ସଂସାର ଏମିତି ଓଲଟପାଲଟ ହୋଇଯାଏ । ବାସ୍ତବରେ କିଛି ବଦଳେ ନାହିଁ ଓଲଟପାଲଟ ହୁଏ ନାହିଁ ।

 

ସେତେବେଳେ, ମାନେ ଯେତେବେଳେ ସିଏ ଭଲ ଥିଲା, ସେତେବେଳେ କବିତା, ସାହିତ୍ୟ ପତ୍ରିକା, ଶାସ୍ତ୍ରୀୟ ସଙ୍ଗୀତ ଇତ୍ୟାଦି ପ୍ରତି କ’ଣ ଇନ୍ଦୁରେଖାର ଆଜି ପରି ଆଗ୍ରହ ଥିଲା ? କେଜାଣି, ହୁଏତ ତା’ ଭିତରେ ଥିଲା । ହେଃ । ତା’ ନିଜର କୋଉ ଆଗ୍ରହ ଥିଲା କି ?

 

ଶୋଇ ଶୋଇ କାନ୍ଥ ଘଣ୍ଟାକୁ ଅନେଇଲା ନୀଳକଣ୍ଠ ।

 

ଝିଅ ସ୍କୁଲ୍‍ରୁ ଫେରିବାକୁ ଆହୁରି ଚାଳିଶ ମିନିଟ୍ ।

 

ଇନ୍ଦୁ ଆସିବ ରାତି ଆଠ/ ସାଢ଼େ ଆଠବେଳକୁ ।

 

ସମୟବି ସେମିତି; ଚାଳିଶ ମିନିଟ୍ ସମୟ ଲାଗେ ଚାଳିଶ ଘଣ୍ଟା ବା ଚାଳିଶ ଦିନ ବା ଚାଳିଶ ମାସ, ଚାଳିଶବର୍ଷ, ଚାଳିଶ ଦଶକ, ଚାଳିଶ ଶତାବ୍ଦୀ, ଚାଳିଶ ସହସ୍ରାବ୍ଦ, ଚାଳିଶ ଅୟୁତ, ଚାଳିଶ ଲକ୍ଷ, ଚାଳିଶ ନିୟୁତ, ଚାଳିଶ କୋଟି, ଚାଳିଶ ପଦ୍ମ, ଚାଳିଶ କଳ୍ପ, ଚାଳିଶ ଯୁଗ ପରି ଲାଗେ-। ବେଦରେ କୁଆଡ଼େ ସତରଟା ସ୍ଥାନ ଯାଏଁ ଅର୍ଥାତ୍ ଏକରେ ସତରଟି ଶୂନ ଯାଏଁ ସଂଖ୍ୟାର ନାମକରଣ ହୋଇଚି ।

 

ବିଚିତ୍ର କଥା ।

 

ଚାଳିଶ ମିନିଟ୍ ଭିତରେ ଚାଳିଶ କଳ୍ପ ଲୁଚି ରହିଥାଏ ।

 

ଏଇଟି ଏକ ଚମତ୍କାର କବିତା ହୋଇପାରିଥା’ନ୍ତା, ହାତପାଆନ୍ତାରେ ଯଦି ବା କାଗଜ କଲମ ଥାଆନ୍ତା । ହଁ ମ ! ଝିଅ ଆସିଯାଉ ।

 

ହଁ, ସେହି ଦୁଇ ଲକ୍ଷରେ ପ୍ରଥମେ ଘରଟେ ଭଡ଼ା ନେଇ ତିନିଟା ସିଲେଇ ମେସିନ୍ ଓ ଗୋଟିଏ ବିଦ୍ୟୁତ ଚାଳିତ ସିଲେଇ ମେସିନ୍‌ରେ ଏକପ୍ରକାର ଜିଦିରେ କାମ ଆରମ୍ଭ କରିଥିଲା ଇନ୍ଦୁ-। ଗୋଟିଏ ସ୍ଥାନୀୟ ଖବରକାଗଜରେ ମାତ୍ର ଦୁଇଥର ଛୋଟ ଛୋଟ ବିଜ୍ଞାପନ ଦେଇଥିଲା-। ତାକୁ ସିଲେଇ ତ ଏମିତିରେ ଜଣାଥିଲା, ହେଲେ ତା’ର ଆଇଡ଼ିଆ ଥିଲା ପ୍ରଚୁର । ସେଇଥିରୁହିଁ କାମ ଆରମ୍ଭ ହେବାର ଠିକ୍ ବର୍ଷେ ପୂରିବାବେଳକୁ ଆପାତତଃ ଘରର ଯାବତୀୟ ଖର୍ଚ୍ଚ ସେଇ ଦୋକାନରୁ ଆସୁଥିଲା । ବସ୍ତି ଅଞ୍ଚଳରୁ ତିନିଜଣ ମହିଳାଙ୍କ ସହ ସେ ନିଜେ, ପରେ ଏବେ ନ’ଟି ମେସିନ୍ ଅନବରତ କାମ କରି ମଧ୍ୟ କାମ ବଳୁଛି ଓ ଫେରାଇବାକୁ ପଡ଼ୁଚି ।

 

ଏତେ ବ୍ୟସ୍ତତା ଭିତରେ ଇନ୍ଦୁଦ୍ଵାରା ମୁହୂର୍ତ୍ତକ ପାଇଁ ମଧ୍ୟ ଘର ଅବହେଳିତ ହୋଇଛି ବୋଲି କେହି କହିପାରିବ ନାହିଁ । ବାସ୍ତବରେ କେବେ ଜଣାପଡ଼େ ନାହିଁ ଯେ ଇନ୍ଦୁ ବ୍ୟସ୍ତ ବୋଲି, ପ୍ରଥମେ ଟିକେ ଲାଗୁଥିଲା, ଏବେ କାମ କରିବାରେ ଦୋକାନରେ ଥିବା ମହିଳା ଏବଂ ତାଙ୍କ ସ୍ୱାମୀ କି ଭାଇ ସାହାଯ୍ୟ କରୁଥିଲେ । ଏଇତ–ତାକୁ ଖୁଆଇବାବେଳକୁ ତିନି / ଚାରିଜଣ ମହିଳା ଆସି ଘରେ ବସିଥିଲେ, ଯାହାଙ୍କ ସହ ଇନ୍ଦୁ ବାହାରି ଯାଇଛି, ଗଲାବେଳେ କବାଟ ଦେଇଯାଇଛି, ହାତ ପାଖରେ କାଗଜ କଲମ ଦେବାକୁ ଭୁଲିଯାଇଛି ।

 

ଏ ଭିତରେ ତା’ର କେତେ କବିତା ବାହାରିଲାଣି ?

 

ବୋଧେ ପଚାଶ କି ଷାଠିଏ ।

 

ଏବଂ ପ୍ରତି କବିତାପାଇଁ ଯଦି ହାରାହାରି ସିଏ ଦୁଇ/ ତିନି ଚିଠି ପାଇଥାଏ, ତେବେ ମୋଟ କେତେ ଚିଠି ହେଲାଣି ? ସବୁକୁ ଇନ୍ଦୁ ସାଇତି ରଖିଚି । କହେ ସେଇହିଁ ସମ୍ପତ୍ତି । ଏ ସଂସାର ଓ ସିଲେଇ ମେସିନ୍‌ରୁ କ’ଣ ମିଳିବ ?

 

ଅଥଚ ସେଇଥିରେହିଁ ସଂସାର ଚାଲିଥିଲା । ପୁଣି ବେଶ୍ ସୁରୁଖୁରୁରେ । ନାଇଁ–

 

ଆଉ ଏଣିକି ଏକାଏକା ଖାଁ ଖାଁ ଲାଗିବ ନାହିଁ, ଝିଅ ଆସିବାବେଳ ହୋଇଗଲାଣି । ଏହି ଝିଅ ବଡ଼ ହେବ, ସିଧା ସିଧା ଏମ୍.ଏ. ଯାଏଁ ପଢ଼ିବ କି ପ୍ରଥମେ ବିଜ୍ଞାନ ଦୁଇବର୍ଷ ପଢ଼ି ତା’ପରେ ଆଉ କ’ଣ ପଢ଼ିବ କେଜାଣି । ସେତେବେଳକୁ ସେ ବଞ୍ଚିଥିବ କି ନାହିଁ । ଶୋଇ ଶୋଇ କ’ଣ ଏତେ ବର୍ଷ ବିତେଇ ହବ ? କିଏ କହିପାରିବ ? ହୁଏତ ସେ ଉଠିପାରିବ, ନିଜ କାମ ନିଜେ ଆରାମରେ କରିପାରିବ; ଏମିତିବି କାହିଁକି ନ ହେବ ଯେ ସେ ଆଗ ପରି ପୂରା...

 

ଡାକ୍ତରଙ୍କ କହିବା କଥା ଯେ ଆଗ ପରି ନହେଲେବି ସେ ପ୍ରାୟ ଷାଠିଏ /ସତୁରି ଭାଗ କାର୍ଯ୍ୟକ୍ଷମ ହୋଇଯିବ । ତାହାବି କିଛି କମ୍ କଥା ନୁହେଁ । ଦେଖାଯାଉ ।

 

ଝିଅ ଫେରିଲା ଠିକ୍ ତା’ ସମୟରେ ।

 

ଯେମିତି ଦରଜା ଖୋଲେ, ସେମିତି ଖୋଲିଲା । ନୀଳକଣ୍ଠକୁ ‘ବାବା’ ବୋଲି ବଡ଼ପାଟିରେ ଡାକଟେ ମାରି ଗାଧୁଆଘରେ ପଶିଲା ଓ ମାତ୍ର ଚାରିପାଞ୍ଚ ମିନିଟ୍‌ରେ ବାହାରି ଆସିଲା-। ରୋଷେଇଘର ର୍ୟାକ୍‍ରୁ ତା’ ଖାଇବା ଆଣି ସେପଟ ଫାଙ୍କା ଜାଗାରେ ଖାଇ ବସିଲା । ଛୋଟ ଘର-। କିଏ କୋଉଠି କ'ଣ କଲେ ଶବ୍ଦରୁ ଅନେକ କଥା ଜାଣିହୁଏ । ବାସନ ସବୁ ଧୁଆଧୋଇ ଜାଗାରେ ରଖି ଫ୍ରକ୍‌ରେ ମୁହଁ ପୋଛି ପୋଛି ଏ କଡ଼କୁ ଆସିଲା । ଚକଲଗା ଷ୍ଟୁଲ୍‌ଟେ ଭିଡ଼ିଆଣି ବାପାର ଖଟ ଧାରରେ ବସିପଡ଼ିଲା ।

 

ବାପା–ଯାହାକୁ ସେ ‘ବାବା' ବୋଲି ଡାକି ଆସିଥିଲା–ତା’ ସହ ଛୋଟମୋଟ କଥା କେତେକଅଣ ଗପିଲା, ସତେ ଅବା ସେ ଜାଣେ ଯେ ତା’ର ଏଇ କଥାବାର୍ତ୍ତା ଟିକକରେହିଁ ନୀଳକଣ୍ଠ ଅସୁସ୍ଥତା କ୍ରମଶଃ ଭଲ ହୋଇ ଆସିଥିଲା ବୋଲି...

 

ନୀଳକଣ୍ଠ ବୁଝାଇବାରେ ଲାଗିଲା ଯେ...

 

ଇନ୍ଦୁ–ତା’ ମା’ କେମିତି ଖାତା କଲମ ଦେଇଯାଇ ନଥିଲା ।

 

ଇନ୍ଦୁ–ତା’ ମା’ କେମିତି ସିଡ଼ି ପ୍ଲେୟାର...

 

ଇନ୍ଦୁ–ତା’ ମା’ କେମିତି...ଇତ୍ୟାଦି ଇତ୍ୟାଦି ।

 

ସେଇ ଛୋଟିଆ ଟୋକୀ–ମାନେ ଯଦିଓ ତା’ର ଝିଅର ନାଁ ଥିଲା–ଯାହାକୁ ଜନ୍ମ ପରଠାରୁ କେବଳ ଝିଅ ବୋଲି ଡାକି ଆସିଥିଲା, ନୀଳକଣ୍ଠର ଅଭିଯୋଗ ସବୁକୁ ଉତ୍କୀର୍ଣ୍ଣ ହୋଇ ଶୁଣିଲା, ଗୋଟେ ଗୁରୁଜନ ଜାତୀୟ ବୁଢ଼ୀ ମାଇକିନା ପରି ଏବଂ କହିଲା, “ମାମା ଦିନଯାକ ଭିତରେ ଯେତେ କଥା ମନେରଖି କାମ କରୁଚି, ମୁଁ ଯଦି ସେତିକି ମନେରଖି ପାରନ୍ତିନା କ୍ଲାସ୍‌ରେ ଟପ୍ ହେଇଯା'ନ୍ତି ।''

 

ନୀଳକଣ୍ଠ ମୁଗ୍ଧ ହେଲା । ତା’ର ଟିକି ଝିଅଟି ଯେ ତା’ର ପତ୍ନୀକୁ ଟପିଯାଇ ମାତୃସ୍ଥାନୀୟ ମହିଳାରେ ପରିଣତ ହୋଇସାରିଛି ବୋଲି ତା’ର ଅନୁଭବ ହୁଅନ୍ତେ ସେ ଝିଅକୁ ଟିକେ ଆଉଁଶି ଦେଇ କହିଲା, “ମାମାକୁ ଫୋନ୍ କରି କହ, ଆଜି ବେଳାବେଳି ଆସିବ ।’’

 

ଝିଅର ଫୋନ୍ ପାଇବାବେଳକୁ ଇନ୍ଦୁରେଖା ସାମ୍ନାରେ ଥିଲେ ତିନିଜଣ ଉଚ୍ଚ ମଧ୍ୟବିତ୍ତ ପରିବାରର ମହିଳା । ଜଣେ ନିଜର ବ୍ଲାଉଜ୍, ଆଉ ଜଣେ ନିଜ କଲେଜ ପଢ଼ୁଆ ଝିଅର ଡ୍ରେସ୍ ଓ ଅନ୍ୟ ଜଣେ ଶାଢ଼ିରେ ପ୍ୟାଚ୍‌ପକା କାମ ବିଷୟକ କଥାବାର୍ତ୍ତା ସାରି ସମ୍ପୂର୍ଣ୍ଣ ଭିନ୍ନ ବିଷୟରେ ଗପ୍‍ସପ୍ କରୁଥିଲେ ।

 

ପ୍ରଥମ ମହିଳାକୁ ଇନ୍ଦୁରେଖା ଧରାଇଥିଲା ଇନ୍‌ଲାଣ୍ଡ୍ ଲେଟର୍‌ଟେ ।

ଦ୍ୱିତୀୟ ଜଣକୁ ଧରାଇଥିଲା ଲଫାଫାଟେ ଏବଂ

ତୃତୀୟ ଜଣକୁ ଧରାଇଥିଲା ପୋଷ୍ଟ୍‍କାର୍ଡ଼୍‍ଟେ ।

ଏବଂ ସବୁକଥା ସ୍ପଷ୍ଟଭାବେ ବୁଝାଇଥିଲା ।

‘‘ଶୁଣନ୍ତୁ ।'' ଇନ୍ଦୁରେଖା କହିଥିଲା, “ଏଗୁଡ଼ିକ ଆପଣ ନିଅନ୍ତୁ । ନିଜ ନିଜ ଅଞ୍ଚଳର ଡାକଘରୁ ଏଗୁଡ଼ିକ ପଠାଇଦେବେ । କିଛି ବିପଦ ନାହିଁ ମ । ଭିତରେ ଅଲଗାଅଲଗା ଲୋକଙ୍କ ନାଁରେ ଚିଠି ଅଛି । ପୋଷ୍ଟ୍‍କାର୍ଡ଼୍‍ଟା ଦେଖୁ ନାହାନ୍ତି । ଜମା ଚାରିଧାଡ଼ି ! ଇନ୍‌ଲାଣ୍ଡ୍ ଓ ଲଫାଫାରେ ଆଉ ଦଶ / ବାର ଧାଡ଼ି ଅଧିକ ଅଛି । କିଛି ଚିଟ୍‌ଫଣ୍ଡ କାରବାର ନୁହେଁ ମ । ଖାଲି ଚିଠି ପକେଇଦେବେ । ବାସ୍ ।''

ସେମାନେ ନିଜ ନିଜ ଭ୍ୟାନିଟିରେ ଚିଠି ରଖି ବାହାରିବାବେଳକୁ ଝିଅର ଫୋନ୍ ଆସିଥିଲା ।

‘‘କ’ଣ ହେଲା ଝିଅ ?” ଇନ୍ଦୁରେଖା ପଚାରିଲା ।

‘‘ବାବା କହୁଛନ୍ତି, ତୋ ଲାଗି ସିଏ ଗୀତ ଶୁଣିପାରିଲେନି କି ଚିଠିର ଉତ୍ତରଟେବି ଲେଖି ପାରିଲେନି; କିନ୍ତୁ ତାଙ୍କ ମନ ଆଜି ଭଲ ଅଛି; କହିଲେ, ମାମାକୁ କହ ଶୀଘ୍ର ଆସିବ, ତୁ ଆଜି ଶୀଘ୍ର ଆସିଯା ।''

 

ଶାଢ଼ିର କାନିରେ ଲୁହ ପୋଛି ଇନ୍ଦୁ କହିଲା, “ଯାଉଚିଲୋ ମା', ତୁ ବାବାଙ୍କ ପାଖରେ ବସି ଗପ କରୁଥା ।''

 

‘‘ବସିଛି ତ ।''

 

ଗମ୍ଭୀରମୁହୀଁ ସେ ଟୋକୀ ଏପଟୁ କହିଥିଲା ।

✽✽✽

 

Unknown

ଝଡ଼ିଲା ପତ୍ର ବୃକ୍ଷେ

 

ଓଃ ! କେତେ ସମୟ ହେବ ମତେ ନିଦ ଘାରିଥିଲା ? ଗୋଟାଏ ଦିନ ଅବା ଗୋଟାଏ କଳ୍ପ ? କବାଟ ବନ୍ଦ, ଝରକା ବନ୍ଦ, ବାହାରକୁ ଯିବାର ବାଟ ବନ୍ଦ । ତଥାପି କେହି ଜଣେ ଘର ଭିତରେ ଉପସ୍ଥିତ, କିଏ ? ମୋ ଭିନ୍ନ ଆଉ କିଏ ? କିଏ ସେହି, ଯିଏ ବନ୍ଦ ଝରକା ଓ ବନ୍ଦ କବାଟ ତଥା କାନ୍ଥ ଭେଦକରି ଘର ଭିତରକୁ ନିଃଶବ୍ଦରେ ପ୍ରବେଶ କରିପାରେ ?

 

ସ୍ଵପ୍ନ ନା ସତ୍ୟ ? ଏମିତିବି ହୋଇପାରେ ଲୋକଟାକୁ ମୁଁ ସ୍ୱପ୍ନରେ ଦେଖୁଥିଲି ଏବଂ ସିଏ ସାକାର ହୋଇ ବସିଚି ଘର ଭିତରେ । ଏବେ ଟିକେ ଝାପ୍‌ସା ଦିଶୁଚି, ଲୋକଟାକୁ ମୁଁ ଚିହ୍ନି ପାରିବା ସ୍ୱାଭାବିକ–ପକେଟ୍ ମାରୁଟାଏ, ଥରେ ବସ୍‌ଷ୍ଟାଣ୍ଡରେ ମୋ ପକେଟରୁ ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଥିଲା ।

 

ନା–ବୋଧେ ସେ ଆଉ ଜଣେ କିମ୍ବା ହଠାତ୍ ଉଭାନ ହୋଇଗଲା ଓ ତା’ ଜାଗାରେ ସମ୍ପୂର୍ଣ୍ଣ ନୂଆ ଜଣେ ଆସିଚି । ହୋଇପାରେ ଜଣେ ଭଦ୍ରଲୋକ–ସେକ୍ରେଟାରିଏଟ୍‌ରେ ଅଣ୍ଡର୍ ସେକ୍ରେଟାରି ଅଛି । ଝିଅ ବାହାଘର କରୁଚି ବୋଲି କହୁଥିଲା; ହେଲେ ସେ ମୋ ଘର ଭିତରକୁ ଆସିଲା କେମିତି ଓ କାହିଁକି ? ଲୋକଗୁଡ଼ା କ’ଣ କାନ୍ଥରୁ ଆସି ପୁଣି କାନ୍ଥ ଭିତରେ ଉଭାନ ହୋଇଯାଉଛନ୍ତି ନା କ’ଣ ? ନା ସ୍ୱପ୍ନରେ ଆସୁଛନ୍ତି ? ମୂଳକଥା ହେଲା, ମୁଁ ସଚେତନ ଅବା ସୁପ୍ତ–ଜାଣିପାରୁ ନାଇଁ ଏବଂ ସମସ୍ୟାଟି ସେଇଠି । ସ୍ଵପ୍ନ ହେଉ ବାସ୍ତବ–ଜଣେ ଜଣେ କିନ୍ତୁ ଆସୁଛନ୍ତି ।

 

ଏଇତ ଚା’ ଦୋକାନୀ–ବାକି ପଇସା ମାଗୁଚି । ଶଳା ହାରାମି ପ୍ରତି ଆଠଦିନରେ ପଇସା ମାଗୁଚି, ସତେ ଅବା ପ୍ରତି ଆଠ ଦିନରେ ମୁଁ ଦରମା ପାଉଚି କି କ’ଣ । ଯାହାହେଲେ କିନ୍ତୁ ଲୋକଟା ଭଲଲୋକ–ପଇସା ନଥିଲାବେଳେ ଆମକୁ ଚଳଉଚି କହିଲେ ଚଳେ । ତା’ ପ୍ରତି ଏମିତି କଠୋର ଭାଷା ପ୍ରୟୋଗ କରିବା ଅନ୍ୟାୟ ।

 

ଆଚ୍ଛା–ଆମ ଅଫିସ୍‍ର ସେ ବୁଢ଼ା ବଡ଼ବାବୁଟା ଏଠିକୁ ଆସିଲା କିମିତି ? ହାତପାଆନ୍ତାରେ ଖଣ୍ଡେ ବାଡ଼ି ଥିଲେ ବୁଢ଼ାର ମୁଣ୍ଡକୁ ଦିଫାଳ କରିଦେଇଥାନ୍ତି । ହ୍ୟାପ୍ କହିଲା କ’ଣ ନା ଭୁଲ୍‌ ଇଂରାଜୀ ଲେଖିଚ । ବେଶୀ ପାଠ ପଢ଼ିଚି ଯେମିତି । ପାଞ୍ଚ ଲୋକଙ୍କ ଆଗରେ ମତେ ଅପଦସ୍ଥ କରାଇପାରେ କହିଲା କ’ଣ ନା ‘‘ମୁଁ ବୁଢ଼ାଲୋକ, ମୋର ଭୁଲ୍ ହୋଇଗଲା ।” ଶଳା ପ୍ରକାଣ୍ଡ ପାଜି ।

 

ଏଇତ ସଦାନନ୍ଦ ! ହାତରେ ଗୋଟାଏ ବୋତଲ । ଧେତ୍–ବୋଧେ ଜାଣିନି ଯେ, ମୁଁ ଆଉ ଆଗପରି ପିଆପିଇ କରୁନି ବୋଲି ।

 

: ‘କିରେ ସଦାନନ୍ଦ, ଖବର କ’ଣ ?’

 

: ‘ଆଜି ମୋ ଜନ୍ମଦିନ, ବୋତଲରେ ପାଳିବା ।’

 

ଶଳାକୁ ଦମେ ଶୋଧିଲି, ରାଗରେ ଉଠିଚାଲିଗଲା–ଯାଉ । ଜନ୍ମଦିନକୁ ବୋତଲରେ ପାଳିବ । କୁଆଡ଼େ ଗଲା ସେ ଦିନ, ଯେବେ ଜନ୍ମଦିନ ପାଳିତ ହେଉଥିଲା କ୍ଷିରି–ଖେଚଡ଼ିରେ ?

 

ମତେ ଭୟ ଲାଗୁଚି । ଏ ଯେ କାଳୀ ରଥ । ପ୍ରାୟ ବର୍ଷେ ତଳେ ସ୍କୁଟର୍‍ ଦୁର୍ଘଟଣାରେ ମୃତ କାଳୀରଥ । କାଳୀରଥ ନା ତା’ର ଆତ୍ମା ? ଆତ୍ମା ବୋଲି କିଛି ଗୋଟାଏ ଅଛି ନା କ’ଣ ସତରେ ? ଡର କ’ଣ ? ଆତ୍ମା–ଫାତ୍ମା କିଛି ନାଇଁ । ତଥାପି କିମିତି ଆସିଲ ? ମଲା ମଣିଷବି ବେଳେବେଳେ ସ୍ଵପ୍ନରେ ଆସନ୍ତି, ନୁହେଁ ? ସ୍ୱପ୍ନରେ ସବୁ ସମ୍ଭବ । କିନ୍ତୁ ମୁଁ ସ୍ଵପ୍ନ ଦେଖୁ ନାଇଁ କଦାପି ଏବଂ ବାସ୍ତବରେ କାଳୀରଥ ଆସିବା ଏକବାରେ ଅସମ୍ଭବ । ତେବେ ମୋର ସ୍ଥିତି କେମିତି-?

 

ସ୍ୱପ୍ନରେ ନା ବାସ୍ତବରେ ?

 

କାଳୀ ରଥର ମୃତ୍ୟୁପରେବି ସୁନୀତା ଅପେକ୍ଷା କରିଚି, କରିଥାଉ ।

 

ଜ୍ଞାନୀ ଏବଂ ହୃଦୟବାନ ମଣିଷମାନେ କୁଆଡ଼େ ଗୋଟାଏ ଲକ୍ଷ୍ୟସ୍ଥଳକୁ ତ୍ୟାଗ କରି ଯାଆନ୍ତି ନାଇଁ, ଆଉ ଯଦି କେବେ ତ୍ୟାଗ କରନ୍ତି, ତେବେ କଦାପି ପଛକୁ ଫେରି ଚାହାନ୍ତି ନାଇଁ । ସୁନୀତା ଏଯାଏଁ ପ୍ରଥମ ଲକ୍ଷ୍ୟସ୍ଥଳକୁ ଛାଡ଼ି ନାଇଁ । ନ ଛାଡ଼ୁ–ବୋକୀଟାଏ । ହାରିଯିବ ! ଅନ୍ୟମାନଙ୍କ ସହ, ଜଗତ ସହ ପାଦ ମିଶାଇ ଚାଲି ନ ପାରିଲେ ହାରିବ ନାଇଁ ତ ଆଉ କ’ଣ ? ତୋର ହୃଦୟ କ’ଣ ଏମିତି ଏକ କୋଣାର୍କ ଯେ, ସେଠି କେବଳ ସୂର୍ଯ୍ୟଙ୍କ ବ୍ୟତୀତ ଅନ୍ୟ ଦେବତା ପୂଜା ପାଇବା ମନା ? ଜୀବନ ଗୋଟାଏ ଡଙ୍ଗାଲୋ ସୁନ୍ଦରୀ, ଆହୁଲା ମାରି ଆଗକୁ ଯା’ ! ହାଇସ୍କୁଲରେ ମୋ’ ସହ ପଢ଼ୁଥିଲା–ଗୋରୀ ହେଇ ପତଳୀ ଝିଅଟା, ବାହା ହୋଇଗଲାଣି କେବେଠାରୁ, କାହିଁକି ଆସିଚି ? ପିଲାଛୁଆ, ସ୍ୱାମୀ, ଶାଶୁ ଶ୍ୱଶୁର ଛାଡ଼ି ଏତେ ରାତିରେ ନିଃଶବ୍ଦରେ, ଏକାକିନୀ । ସେମିତି କିଛି କଥା ତ ନଥିଲା ଆସିବାର । ଖାଲି ଦୁଇବର୍ଷ ଅପଲକ ନୟନରେ କ୍ଲାସ୍‍ରେ ସାର୍ ନଥିବାବେଳେ ପରସ୍ପରକୁ ଚାହିଁବା–ବାସ୍ ! କହିପାରିଲି ନାଇଁ : ‘ମୁଁ ତୁମକୁ ଭଲପାଏ ।’ ସେତେବେଳେ ଏକଥାବି ଭଲଭାବେ ଜଣା ନଥିଲା ମତେ । ତାକୁବି ଭଲଭାବେ ଜଣା ନଥିଲା କି କ’ଣ–ନହେଲେ ସେ ବି ତ ଅନ୍ତତଃ ମତେ କହିଥାନ୍ତା ବା ପତ୍ରଟେ ଲେଖିଥାନ୍ତା । ଛାଡ଼–ହେଲେ ଆଜି ଏଠି ଆଉ କାହିଁକି ? ସ୍ମୃତିବି ଗୋଟାଏ ସମୁଦ୍ର ସୁନ୍ଦରୀ, ଚୁମ୍ବନ ଗୋଟାଏ ଦେବୁ ? କାନ୍ଥ ଭିତରେ ଉଭାନ ଦେହ, ଉଭାନ କାୟା, ଉଭାନ ମୋର ସମସ୍ତ ଇଚ୍ଛା !!

 

ପ୍ରାୟ ଦୁଇବର୍ଷ ଦୁଇମାସ ତଳେ ଆଉ ଗୋଟେ ତରୁଣୀକୁ ମୁଁ ପ୍ରେମ ନିବେଦନ କରିଥିଲି । ମୋ ଭିତରେ ସେତେବେଳେ ଏମିତି ଭାବଟିଏ ଜାଗ୍ରତ ହୋଇଥିଲା ଯେ, ମୁଁ ତାକୁ ପ୍ରେମ ନିବେଦନ କରି ନଥିଲେ ହୁଏତ ମୋର ଛାତି ଫାଟି ଯାଇଥାନ୍ତା । ଅବଶ୍ୟ ଅନେକ ସ୍ଥଳରେ ଏମିତି ଅବସ୍ଥାରେ ପ୍ରେମ ନିବେଦନ ନକରି ଅନେକ ତରୁଣଙ୍କର ଛାତି ଫାଟିଯିବା ପରିବର୍ତ୍ତେ ପାଲଟି ଯାଇଚି ଗୋଟେ ଗୋଟେ ଉଇହୁଙ୍କା । ଝିଅଟା ମତେ ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିଦେଲା । ମୋ ଭିତରେ ଅଦ୍ଭୁତ ରକମର ଅଜବ ଅଜବ ପ୍ରତିକ୍ରିୟା ଏବଂ ଛାତିତଳଟା ପୂରା ଗୋଟେ ଶୂନ୍ୟ–ଅନ୍ଧାରି ଗୁମ୍ଫା । ହେଲେ ସେ ଝିଅଟା ପୁନଶ୍ଚ ଏଠିକି ଆସିବାର ବା ଏଠି ଅଚାନକ ଆବିର୍ଭୂତ ହେବାର କାରଣଟି କ’ଣ ?

 

: ‘ମୋ ବା’ଘର ଏଇ ଛବିଶରେ, ଆସିବେ ।’ କୋମଳ ସ୍ଵର ଶୁଣାଗଲା ଘର ଭିତରୁ, କାନ୍ଥ ନିକଟରୁ ।

 

ମୁଁ ଜାଣିପାରୁନଥିବି ସ୍ୱରଟା ସତ୍ୟ ବା ସ୍ଵପ୍ନ । ପୁଣି ଜାଣିପାରୁନଥିବି କଥାଟା ସତ୍ୟ ବା ମିଥ୍ୟ । ସତ୍ୟ–ସତ୍ୟ–ତ୍ରିବାର ସତ୍ୟ ଏବଂ ମୋ ଦୁଃଖଟା ଏ ଜଗତର ଅନ୍ୟାନ୍ୟ ଅସଂଖ୍ୟ ଦୁଃଖ ଭିତରେ କ୍ରମଶଃ ସାମିଲ । ମତେ ଲାଗୁଥିବ ତରୁଣୀର ସ୍ଵର ସହ ମୁଁ କୋଟି କୋଟି ବର୍ଷ ଧରି ପରିଚିତ । କୋଟି କୋଟି ବର୍ଷ ! ବୋଧେ ମୁଁ ବାରମ୍ବାର ଜନ୍ମିଚି, ତାକୁ ପ୍ରତିଥର/ ପ୍ରତି ଜନ୍ମରେ ପ୍ରେମ ନିବେଦନ କରି ତା’ଠୁ ପ୍ରତ୍ୟାଖ୍ୟାତ ହୋଇଛି ଏବଂ ପୁନର୍ବାର ଜନ୍ମିଚି । ମୋର ଆଶାଟା ଏକ ବୈତରଣୀ ନଦୀ ଏବଂ ମୋର ନିର୍ବାଣହିଁ ନାଇଁ । ଏ ଜନ୍ମଟାବି ପୁନର୍ବାର ଅକାରଣ, ଆଉ ଏକ ଜନ୍ମପାଇଁ ପ୍ରତୀକ୍ଷା । ଦୁଃଖ, ଦୁଃଖ, ଦୁଃଖ ! କାମନା ଅଛି, ଦୁଃଖ ରହିବ । ବୁଦ୍ଧ ଦେବ ଠିକ୍ କହିଛନ୍ତି-। ଅବଶ୍ୟ କୋଟି କୋଟି ବର୍ଷର ବ୍ୟର୍ଥତା ପରେ ଏଇ ସରଳ ସତ୍ୟଟା ମୁଁ ବି ଏବେ କହିପାରିଥାନ୍ତି ଏବଂ କିଏ ଜାଣେ, ମୁଁ ହୁଏତ ବୁଦ୍ଧ ପାଲଟି ଯାଇଥାନ୍ତି ଅବା ହୁଏତ ଭବିଷ୍ୟତରେ ଅନ୍ୟକେ ବୁଦ୍ଧ ହେବାର ସମ୍ଭାବନାକୁ ମୁଁ କଦାପି ଏଡ଼ାଇ ଦେଇପାରିବି ନାଇଁ ।

 

ତରୁଣୀଟି କେତେବେଳୁ ବୋଧେ ମିଳାଇଗଲାଣି କାନ୍ଥ ଭିତରେ । ମୁଁ ଏମିତି ଅନ୍ୟମନସ୍କ ଭାବରେ ଚିନ୍ତାମଗ୍ନ ହେବାରୁ ବୋଧେ ସିଏ ଚାଲି ଯାଇଛି କେତେବେଳେ ମୋ ଅଜ୍ଞାତରେ । ଏସବୁ ମୁଁ ସ୍ୱପ୍ନାବସ୍ଥାରେ ଚିନ୍ତା କରୁଚି ନା ବାସ୍ତବରେ ? ମୋର ଅଦ୍ଭୁତ ଏକ ସ୍ଥିତି ।

 

ଅଦ୍ଭୁତ ଏକ ସ୍ଥିତି । ହୁଏତ ପ୍ରେମ ଓ ଘୃଣା, ପାପ ଓ ପୁଣ୍ୟ, ଜୀବନ ଓ ମୃତ୍ୟୁ, ଜାଗ୍ରତ ଓ ସୁପ୍ତ–ଏସବୁ ମଧ୍ୟସ୍ଥ କୌଣସି ଏକ ବିନ୍ଦୁରେ ସ୍ଥିର ମୋର ସ୍ଥିତି ଏବଂ ସେଇ ବିନ୍ଦୁରେ ସମୟ ମଧ୍ୟ ସ୍ଥିର । ସମୟ ସ୍ଥିରମାନେ କ’ଣ ? ଦଶବର୍ଷ ତଳେ ଆମ ବଗିଚାର ଚମ୍ପାଗଛଟା ଯେତେ ବଡ଼ ଥିଲା, ମୋ ସ୍ମୃତିରେ ଏବେ ସେତିକି ବଡ଼ । ଯଦିଓ ବାସ୍ତବରେ ଅନେକ ବଡ଼ ହୋଇଯିବଣି ଚମ୍ପାଗଛଟା ଏ ଭିତରେ କିମ୍ବା ବାତ୍ୟାରେ ଉପୁଡ଼ି ଯିବଣି–କିନ୍ତୁ ମୋ ସ୍ମୃତିର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ଗଛଟା ଅପରିବର୍ତ୍ତିତ, ଗଛଟାକୁ ନେଇ ସମୟ ସ୍ଥିର ଏବଂ ସେଇଠିହିଁ ମୋ ଜୀବନର ସମସ୍ତ ଯନ୍ତ୍ରଣା, ସମସ୍ତ ଜ୍ୱଳନ ଏକାକାର । ମୁଁ ଚାଲିଆସିଲିଣି ଆଗକୁ ଏବଂ କେତେଟା କଥାରେ ମୋପାଇଁ ସମୟ ସ୍ଥିର–ଅଦ୍ଭୁତ କଥା ।

 

ଏସବୁ ଚିନ୍ତା ମତେ ଚାରିଆଡ଼ୁ ବ୍ୟତିବ୍ୟସ୍ତ କରି ଦେଉଚି ଏବଂ ତା'ଠୁ ଅଧିକ ଅଜବ ଲାଗୁଚି ଏଇ କାନ୍ଥ ଭିତରୁ ଜଣକ ପରେ ଜଣେ ପରିଚିତ / ଅର୍ଦ୍ଧ ପରିଚିତ । ଅପରିଚିତ ମଣିଷ ବାହାରି ବକ୍‌ବକ୍ କରିବା । ନିଦ ହୋଇଥିଲେ ଏସବୁ ସ୍ୱପ୍ନ ବୋଲି କହି ଦେଇଥାନ୍ତି, ପୂର୍ଣ୍ଣ ଜାଗ୍ରତ ଥିଲେ ଏସବୁ ବାସ୍ତବ ବୋଲି କହିହୋଇଥାନ୍ତା, ଏମିତିକି କାନ୍ଥ ଭିତରୁ ବାହାରୁଥିବା ମଣିଷଗୁଡ଼ାଙ୍କୁ ଧରି ପକାଇଥାନ୍ତି; କିନ୍ତୁ ମୋ ସ୍ଥିତି ଏବେ ଅଦ୍ଭୁତ–ନା ସ୍ଵପ୍ନ ନା ବାସ୍ତବତା, ନା ଚେତନାଗ୍ରସ୍ତ ନା ଅଚେତନ, ନା ସୁପ୍ତ ନା ଜାଗ୍ରତ ।

 

ଆଉ ଜଣେ କେହି ଆଗନ୍ତୁକ । କିଏ ? ଭଲ ଜାଣି ହେଉ ନାହିଁ । ଓଃ–ହଁ, ଏବେ ଜାଣିହେଉଛି ।

 

ଏଇ ଟୋକାଟାକୁ ମୁଁ ଚିହ୍ନିଛି । ବହୁ ବର୍ଷ ତଳେ, ମୋ ପିଲାଦିନେ ଏଇ ଟୋକାକୁ ମୁଁ ନିତି ଦେଖୁଥିଲି ଆମ କଲୋନିରେ–ଟିଉସନ୍ କରିବାକୁ ଆସୁଥିଲା ଜଣେ ଏସ୍.ଡ଼ି.ଓଙ୍କ ଘରକୁ । ଟୋକାଟା ମୋ ବୟସର ପିଲାମାନଙ୍କୁ ଦିନେ ଦିନେ ଚକୋଲେଟ୍ ଦେଉଥିଲା । ବେଶ୍ ସୁନ୍ଦର ଟୋକାଟା । ସେତେବେଳେ ଯଦିଓ ଆମେମାନେ ପରିଷ୍କାରଭାବେ କିଛି ବୁଝିପାରୁନଥିଲୁ, ତଥାପି କଲୋନିରେ ସେତେବେଳେ ସେଇ ଟୋକା ଓ ଏସ୍.ଡ଼ି.ଓଙ୍କ ଝିଅକୁ ନେଇ ନାନାକଥା ଶୁଣାଯାଉଥିଲା ତଥା ସେଇ କଥାଗୁଡ଼ା ଯେ ରହସ୍ୟମୟ ସେକଥା ମୁଁ ବୁଝିପାରିଥିଲି, କାରଣ ଦିନେ ମତେ ଏସ୍.ଡ଼ି.ଓଙ୍କ ଝିଅ ମିନି ଅପା ଗୋଟେ ଚାରିଭାଙ୍ଗ କାଗଜ ଦେଇଥିଲା ସେଇ ଟୋକାଟାକୁ ଦେବାପାଇଁ ଏବଂ ମୁଁ ମାତ୍ର ଦୁଇଟି ଚକୋଲେଟ୍ ଆଶାରେ ସେ କାମ କରିଥିଲି ମଧ୍ୟ । ପରେ ଜାଣିଲି, ସେମାନେ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ସେତେବେଳେ ଆମ ପରି ପିଲାମାନଙ୍କୁ ହତଚକିତ କରି ନିତାନ୍ତ ଅଦ୍ଭୁତ କଥାଟାଏ ଘଟିଥିଲା । ସେଇଟି ହେଲା ଆମ କଲୋନିଠାରୁ ପ୍ରାୟ ଦୁଇ କିଲୋମିଟର ଦୂରସ୍ଥ ଏକ ପୋଖରୀରୁ ଦିନେ ସେଇ ଟୋକାଟାର ଶବ ବାହାରିଥିଲା । ପର ବର୍ଷ ମିନି ଅପାର ବିବାହ ହୋଇଥିଲା । ଆମେମାନେ ସେ ଶବକୁ ଦେଖିଥିଲୁ ଏବଂ ମିନିଅପା ବାହାଘରରେବି ଆନନ୍ଦରେ ଭୋଜି ଖାଇଥିଲୁ । ମୁଁ ସେତେବେଳେ କିଛି ବୁଝିପାରି ନଥିଲି । ଏସ୍.ଡ଼ି.ଓଙ୍କର ବଦଳି ହେବାପରେ ତଥା ମୋ ବୟସ ବଢ଼ିବାପରେ ମୁଁ ଜାଣିବାକୁ ପାଇଲି ଯେ, ସେଇ ଟୋକାଟାର ମୃତ୍ୟୁ ପଛରେ ଏସ୍.ଡ଼ି.ଓଙ୍କର ହାତ ଥିଲା ବୋଲି । ଖାଲି ହାତ ଥିଲା, ତା’ ନୁହେଁ, ଟୋକାଟାକୁ ମରାଇବାବେଳେ ଏସ୍.ଡ଼ି.ଓ ନିଜେ ଉପସ୍ଥିତ ଥିଲେ ବୋଲି ଶୁଣାଯାଉଥିଲା । ଅତି ନାରକୀୟ ଉପାୟରେ ଟୋକାଟାକୁ ହତ୍ୟା କରାଯାଇଥିଲା । ଥରେ ରାତିରେ ଏସ୍.ଡ଼ି.ଓ ଟୋକାଟାକୁ ଡକାଇ ପଠାଇଥିଲେ ତଥା ତା’ ପୂର୍ବରୁ ନିଜ ଗ୍ୟାରେଜ୍‍ରେ ଆଗରୁ ତିନି / ଚାରିଟା ଟୋକାଙ୍କୁ ରଖାଇଥିଲେ । ଟୋକାଟା ଆସିବା ପରେ ତାକୁ ଗ୍ୟାରେଜ୍‍କୁ ନେଇ ଗୋଟେ ବଡ଼ ବାଲଟିରେ ବାଲଟିଏ କିରୋସିନୀ ଭିତରେ ଟୋକାଟାର ମୁଣ୍ଡକୁ ଜବରଦସ୍ତ ବୁଡ଼ାଇ ରଖିଥିଲେ । ଭଡ଼ାଟିଆ ନରହନ୍ତାମାନେ ଟୋକାଟାକୁ ମାଡ଼ି ବସିଥିଲେ ତଥା ରାତାରାତି ଶବକୁ ନେଇ ପୋଖରୀରେ ପକାଇ ଦେଇଥିଲେ । ଏତେ କଥା ସମ୍ପର୍କରେ ସେତେବେଳେ ଆମେ କିଛି ବୋଲି କିଛିହିଁ ଜାଣିନଥିଲୁ । ଏବେ ଭାବୁଚି, ପୋଲିସ୍‍ ବୋଧେ ଟୋକାଟାର ମୃତ୍ୟୁକୁ ସେତେବେଳେ ଆତ୍ମହତ୍ୟା ବୋଲି ଚପାଇ ଦେଇଥିବ ।

 

ହେଲେ ସେ ଟୋକାଟା ଆଜି, ଏତେ ଦିନ ପରେ ମୋ କାନ୍ଥ ଭେଦ କରି ଏଠି କେମିତି-? ଏ ବାୟୁମଣ୍ଡଳରେ ଏମିତି କେତେ ହତାଶ ପ୍ରେମିକର ଆତ୍ମା ଘୂରି ବୁଲୁଚି ? ଏ ମେଘରେ ଏମିତି କେତେ ପ୍ରେମିକାର ଅଶ୍ରୁ ଝରୁଚି ? କେତେ ପ୍ରେମିକ–ପ୍ରେମିକାଙ୍କର ଦୀର୍ଘଶ୍ୱାସରେ ଗୋଟେ ଘୂର୍ଣ୍ଣିବାତ୍ୟା ହୁଏ ?

 

ଟୋକାଟା ଅଚାନକ ଉଭାନ । ମୋର ତାକୁ କେତେଟା କଥା ପଚାରିବାର ଥିଲା । ବିଶେଷତଃ ତା’ର ମୃତ୍ୟୁର କାରଣ କଥାଟା ସତ କି ମିଛ । ମିନି ଅପାକୁ ନ ପାଇବାର ଦୁଃଖଟା ତା’ର ଏଯାଏଁ ଅଛି କି ନାଇଁ ।

 

କୁଆଡ଼େ ଗଲା ସେ ? କେଉଁଠି ଥିଲା ସେ ଆଜିଯାଏଁ ? ମୋ ଛାତି ଭିତରେ ? ଯଦି ଜଣେ ଅନ୍ୟ ଜଣକର ଛାତି ତଳେ ରହିପାରେ ତା’ର ମୃତ୍ୟୁ ନାହିଁ ?

 

ମୋତେ ନିଦ ହୋଇନି କି ମୁଁ ଜାଗ୍ରତ ନୁହେଁ । ମୁଁ ଜାଣିପାରୁନି ମୋ ଅନୁଭବ ସବୁ ସତ୍ୟ କି ମାୟା । ମୃତ ଜୀବିତ ସମସ୍ତେ ଆସିପାରୁଛନ୍ତି ମୋ ପାଖକୁ ଏବଂ ମୁଁ ଜାଣୁଚି–କିଛି ବୁଝିପାରୁ ନାହିଁ, ଚଳଚ୍ଚିତ୍ର ପରି ଘଟଣାସବୁ ଗୋଟିକ ପରେ ଗୋଟିଏ ଆତଯାତ ମୋ ଭିତରେ ବା ମୋ ସାମ୍ନାରେ । ବଡ଼ ଅସହାୟ ମୋ ସ୍ଥିତି ।

 

ଅସହାୟତା ଏକ ଅଦ୍ଭୁତ ଶବ୍ଦ । ଏ ଜଗତରେ କିଏ ବାସ୍ତବରେ ଅସହାୟ ? ଆଉ କିଏ ଅସହାୟ ନୁହେଁ ? ବଡ଼ କଷ୍ଟ ଏ ପ୍ରଶ୍ନର ଉତ୍ତର ପାଇବା । ଯାହାକୁ ପ୍ରେମ କହେ ତୋର ମୁଁ କେହି ନୁହେଁ; ଘୃଣା କହେ ମୁଁ ବି ତୋର କେହି ନୁହେଁ ଯାହାକୁ ଜୀବନ ଦୂରେଇ ଦିଏ ଏବଂ ମୃତ୍ୟୁ କହେ ମୁଁ ତୋତେ ଗ୍ରହଣ କରିବି ନାହିଁ ସେଇହିଁ ଅସହାୟ । ମୋର ଅବସ୍ଥା ସେମିତି ନୁହେଁ, ତେବେ ସେଇପରି । ମତେ ନିଦ୍ରା ଦୂରେଇ ଦେଇଚି ତା’ ପାଖରୁ ଏବଂ ଚେତନା ମଧ୍ୟ ମୋ ପାଖରେ ନାହିଁ । ମୁଁ ଅସହାୟ ନୁହେଁ ତ ଆଉ କ’ଣ ?

 

ଆଶ୍ଚର୍ଯ୍ୟ ! ଏ ଯେ ତପତୀ । ଯେଉଁ ତପତୀ ଦିନବେଳେ ମଧ୍ୟ ଘରୁ ବାହାରେ ନାଇଁ ଆଜି ଏତେ ରାତିରେ ଏକାକିନୀ, ମୋ ଘରର ଦରଜା ବନ୍ଦ ଥିବା ସତ୍ତ୍ୱେ ଆସିପାରିଲା କେମିତି ?

 

: ‘ତୋ’ ବାପା ଘରେ ନଥିଲେ କି ?' ମୁଁ ପଚାରିଲି ।

 

: ‘ଥିଲେ ।’

 

: ‘କେମିତି ଆସିଲୁ ?' ମୁଁ ପଚାରିଲି ।

 

: ‘ସମସ୍ତେ ଥିଲେ, ତଥାପି ଚାଲିଆସିଲି ।’

 

: ‘କେହି ତ ନାହାନ୍ତି, ପାଖକୁ ଆସୁନୁ ।’ ମୁଁ କହିଲି ।

 

ତପତୀ ପାଖକୁ ଆସିଲା ନାଇଁ, ଦୂରେଇ ଠିଆ ହେଲା । ତା’ ମୁହଁ ଉପରେ ଗୋଛାଏ କୁଞ୍ଚୁକୁଞ୍ଚିଆ ବାଳ ବିଛାଡ଼ି ହୋଇ ପଡ଼ିଥାଏ । ତା’ ଆଖି ଦି’ଟା ଢିମାଢ଼ିମା ଦିଶୁଥାଏ । ସେ ଠିଆ ହୋଇଥାଏ ମୂର୍ତ୍ତିଟେ ପରି ।

 

ସାମ୍ନାରେ ତପତୀ ଥିଲେ ମୁଁ ଧୈର୍ଯ୍ୟ ରଖିପାରେ ନାଇଁ । ମୁଁ ଖଟ ଉପରୁ ଉଠିପଡ଼ିଲି । ତପତୀ ପାଖକୁ ଧୀରେଧୀରେ ଚାଲିବାରେ ଲାଗିଲି । ତପତୀ ଖଟ ଚାରିପାଖରେ ଦୌଡ଼ିବାକୁ ଲାଗିଲା । ମୁଁ ମଧ୍ୟ ତା’ ପଛେ ପଛେ ଦୌଡ଼ିବାରେ ଲାଗିଲି । ସେ ଆହୁରି ଜୋରରେ ଦୌଡ଼ିବାରେ ଲାଗିଲା । ମୁଁ ଆହୁରି ଜୋରରେ ଦୌଡ଼ିଲି । ତଥାପି ତା' ମୋ' ଭିତରେ ଦୂରତା କମୁ ନଥାଏ । ତା’ ମୋ ଭିତରର ଦୂରତା ମୁହୂର୍ତ୍ତରୁ କୋଟି କୋଟି କଳ୍ପ ଯାଏଁ ପରିବ୍ୟାପ୍ତ ହୋଇଗଲା ।

 

ଏଇତ ତପତୀ–ହାତପାଆନ୍ତାରେ ।

 

ଏଇତ ତପତୀ–ଯୋଜନ ଯୋଜନ ଦୂରରେ, କୋଟିକଳ୍ପର ଦୂରତାରେ ।

 

ଏଇତ ତପତୀ–ପାପୁଲି ସନ୍ଧିରେ ।

 

ଏଇତ ତପତୀ–ଆକାଶରେ ତାରାଙ୍କ ମଝିରେ ।

 

ଦୌଡ଼ି ଦୌଡ଼ି ହାଲିଆ ଲାଗିଲା । କ୍ଳାନ୍ତ ହୋଇ ବସି ପଡ଼ିବାବେଳେ ଗୋଡ଼ରେ ଗୋଡ଼ ଛନ୍ଦି ହୋଇଗଲା ମୋର, ମୁଁ ଧଡ଼ାସ କରି ତଳେ ଚାରିକାତ ମେଲାଇ ପଡ଼ିଗଲି ।

 

ଘର ଭିତରେ ତପତୀ ନାଇଁ–ଉଭାନ ।

 

ପତନ ପରେ ଆଉ କ’ଣ ଥାଏ ?

 

ଝୁଣ୍ଟି ପଡ଼ିଲେ ଉଠିପାରିବୁ ନାହିଁ,

 

ଝଡ଼ିଲା ପତ୍ର ବୃକ୍ଷେ ଲାଗିଛ କାହିଁରେ ।

 

ସମସ୍ତେ ଉଭାନ । ସମସ୍ତ ବର୍ତ୍ତମାନ ମୁହୂର୍ତ୍ତକରେ ପରିବର୍ତ୍ତିତ ହୋଇଗଲା ଅତୀତରେ । ପତ୍ର ଥିବା ଯାଏଁ ସବୁ ବର୍ତ୍ତମାନ । ପତ୍ର ଝଡ଼ିଲେ ସବୁ ଅତୀତ । କେହି ନାଇଁ କୋଉଠି ।

 

ସେଇ ପକେଟ୍ ମାରୁ ଲୋକଟା ଉଭାନ । ଚା’ ଦୋକାନୀ ଉଭାନ । ଆମ ଅଫିସ୍‍ର ବଡ଼ବାବୁବି ଅନ୍ତର୍ଦ୍ଧାନ । ବଡ଼ବାବୁ ହୋଓଓ । କୁଆଡ଼େ ଗଲ ? ମୁଁ ପତିତ ଜନ, ମତେ ଉଦ୍ଧାର କର, ହାତ ଧରି ଖଟ ଉପରେ ବସାଇ ଦିଅ ।

 

ଯିଏ ସବୁ ଆସିଥିଲେ, ସବୁ ଉଭାନ । ତଳେ ପଡ଼ିଥିବାବେଳେ କେହି ଉଠାଇବାକୁ ଆସିବେ ନାହିଁ, କେହି ଆସିବେ ନାଇଁରେ ଧନମାଳୀ !! ସଦାନନ୍ଦ, କାଳୀରଥ, ହାଇସ୍କୁଲବେଳର ସେଇ ଝିଅଟି–ସବୁ କୁଆଡ଼େ ଗଲେ ? ବିନା କାରଣରେ ସମସ୍ତେ ଆସୁଥିଲେ, ଅଥଚ ଦରକାରବେଳକୁ ସମସ୍ତେ ଅନ୍ତର୍ଦ୍ଧାନ ।

 

ଯେଉଁ ତରୁଣୀକୁ ମୁଁ ପ୍ରେମ ନିବେଦନ କରିଥିଲି, ଟିଉସନ୍ କରିବାକୁ ଆସୁଥିବା ସେଇ ଟୋକାଟା ଓ ତପତୀ–ସବୁ କୁଆଡ଼େ ଗଲହେ !! ମତେ ଏମିତି ହୀନିମାନ କରି କୁଆଡ଼େ ଗଲ ?

 

ଜୀବନ ଗୋଟାଏ ଗଛରେ ବାପା, ତହିଁରେ ତପତୀ ଗୋଟାଏ ପତ୍ର । ତପତୀ ଝଡ଼ିପଡ଼ିବା ପରେ ମୋର ଆଉ କ’ଣ ଥାଏ ? ଜୀବନରେ ଆଉ କ’ଣ ଥାଏ ?

 

ଝଡ଼ିଲା ପତ୍ର ଆଉ ପୁନର୍ବାର ଲାଗିବ ନାଇଁରେ ।

 

ପତ୍ର ଝଡ଼ୁଚି, ପତ୍ର ଝଡ଼ୁଚିହୋ କାନ ଡେରି ଶୁଣ ପଡ଼ିବାର ଶବ୍ଦ ।

 

ଯେଉଁ ଗଛରୁ ପତ୍ର ପରେ ପତ୍ର ଝଡ଼ିବାରେ ଲାଗିଛି, ଆଉ ସେ ଗଛମୂଳେ ଜୀବନକୁ ପ୍ରତୀକ୍ଷା କରନାରେ ବାଇମନ, ଆଗକୁ ଚାଲ, ଆଗକୁ ଚାଲ, ଧୈର୍ଯ୍ୟଧରି ଆଗକୁ ଚାଲ । ତୋ’ ଡାକ ଆଉ କେହି ନଶୁଣିଲେ ନାଇଁ, ତୁ ଆଗକୁ ଚାଲ !

 

ଏକାକୀ ଚାଲ !

 

ଆଗକୁ ଚାଲ !!

✽✽✽

 

ପେଚା

 

ଯେଉଁ ଘଟଣାଟି ମୁଁ ଏବେ ଶୁଣାଇବାକୁ ବାହାରିଛି, ତାହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା । ମୁଁ ମଧ୍ୟ ସ୍ଥିର କରିଛି ଯେ ମୋର ବର୍ଣ୍ଣନା ଶୁଷ୍କ ଲାଗୁ ପଛକେ, ମୁଁ କିନ୍ତୁ ତହିଁରେ କାଣିଚାଏବି କଳ୍ପନାର ଖିଅ ଯୋଡ଼ିବି ନାହିଁ । ଘଟଣାରେ ସଂପୃକ୍ତ ସମସ୍ତ ପାତ୍ରପାତ୍ରୀ ଅଛନ୍ତି । ମୁଁ ଏକଥାଟା ଅବଶ୍ୟ ବର୍ଣ୍ଣନା କରିବାର ନିର୍ଦ୍ଦିଷ୍ଟ କିଛି କାରଣ ନାହିଁ । କଥାହେଲା, ଏକବିଂଶ ଶତାବ୍ଦୀର ଏହି ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ଏପରି ଘଟଣା ଯେ ଘଟିଥାଇପାରେ, ତାହା ଥିଲା ମୋର କଳ୍ପନାର ସମ୍ପୂର୍ଣ୍ଣ ବାହାରେ । ସବୁ ସତ୍ତ୍ୱେବି ମୋର ଏସବୁ କହିବାର ନଥିଲା; ତେବେ ଘଟଣାର ଅନ୍ୟତମ ମୁଖ୍ୟ ଚରିତ୍ର ରଘୁନାଥ ଯଦି ଗତକାଲି ଭେଟ ପଡ଼ି ନଥାନ୍ତା ଓ କହି ନଥାନ୍ତା ଯେ ତା’ ପୁଅର ମୁଣ୍ଡ ଉପରୁ ସବୁ ବିପଦ ଦୂର ହୋଇଯାଇଛି ବୋଲି ।

 

ବୁଝିଲେ ସାର୍, ରଘୁ ଖୁବ୍ ଖୁସିରେ କହିଥିଲା, ‘ଯାହା ଜଣାପଡ଼ୁଚି ଦେବୀ ମା’ଙ୍କ କରୁଣାରୁ ଆଉ ବିପଦ ଆସିବ ନାହିଁ, ଆଉ ପୁଅ ପ୍ରତି ବିପଦ ନାହିଁ ।’

 

ତା’ ପୁଅକୁ ଜର ହେଉଥିଲା ପ୍ରାୟ ଦୁଇମାସ ଧରି, କୌଣସି ଡାକ୍ତରୀ ଚିକିତ୍ସା କାମ ଦେଇ ନଥିଲା, ଯାବତୀୟ ପରୀକ୍ଷା ନିରୀକ୍ଷା ସତ୍ତ୍ୱେ ଡାକ୍ତରମାନେ କିଛି ଜାଣି ପାରି ନଥିଲେ; ଏସବୁ କଥା ସେ ମତେ କେବେ କେମିତି କହିଥିଲା । କାଲି ଯେତେବେଳେ ‘ଆଉ ବିପଦ ନାହିଁ’ ବୋଲି କହିଲା, ମୁଁ ଉତ୍ସୁକତାବଶତଃ ଘଟଣାଟା ଜାଣିବାକୁ ଚାହିଁଲି । ଦୋକାନରୁ ପୁଳାଏ ପରିବା ରଖି ରଘୁ ମୋ ସହ ଆମ ଘରକୁ ଆସିଥିଲା ଏବଂ ସୋଫାରେ ବସି ଘଟଣାଟା ବର୍ଣ୍ଣନା କରିଥିଲା । ତା’ଠାରୁ ସବୁ ଶୁଣିବା ପରେ ମୋର କାହିଁକି ସବୁକଥା ଆଜିକାଲିର ପିଲାମାନଙ୍କୁ ଶୁଣାଇବାର ପ୍ରଚଣ୍ଡ ଇଚ୍ଛା ହେଲା । ସେମାନେ ଜାଣନ୍ତୁ, ଅଲୌକିକ ଓ ଆଧିଭୌତିକ ବୋଲି କିଛି ଅଛି । ଏଇ ଘଟଣାଟି ଜାଣିବା ପରେ ସେମାନେ ସବୁ କଥାକୁ ଆଉ ହସରେ ଉଡ଼େଇ ଦେଇପାରିବେ ନାହିଁ ।

 

ରଘୁର ବେଶ୍ ବଡ଼ ପରିବା ଦୋକାନ କଲୋନିର ଠିକ୍ ମଝିରେ, ସରକାରୀ ଜାଗାରେ । ସେଇ ଦୋକାନର ରୋଜଗାରରେ ଘରଭଡ଼ା ଦେଇ, ଘର ଚଳେଇ, ଗାଁକୁ ପ୍ରତି ମାସରେ କିଛି ଅର୍ଥ ପଠାଇବା ଭିତରେବି ତା’ର ଥିଲା ତିନିଟି ଜୀବନବୀମା ପଲିସି । ପୁଅକୁ ପଢ଼ଉଥିଲା ଏକ ଦାମୀ ସ୍କୁଲ୍‍ରେ । ଦୋକାନ ଅର୍ଥ ବୃହତ୍ ଏକ କେବିନ୍‌ର ଦୋକାନ । ସେଇଥିରୁ ଆପାତତଃ ସବୁ ଖର୍ଚ୍ଚ ଉଠିଯାଉଥିଲା । ଅଥଚ ତା’ର ଭିତରେ ସମସ୍ୟାଟା ଆରମ୍ଭ ହୋଇଥିଲା । ସାଧାରଣ ଲୋକ କହନ୍ତି ସୁଖର ଦିନ ବେଶି ଦିନ ରହେ ନାହିଁ । ଦୁଃଖର ଦିନ ସେମିତି ଲାଗିରହିଥାଏ । ତେବେ ରଘୁ କହିଥିଲା ଯେ ଉପରବାଲା କମ୍ ଦିନ ଭିତରେ ତା’ର ଦୁଃଖ ଦୂର କରିଛନ୍ତି ।

 

‘ଘଟଣାଟା କ’ଣ ହୋଇଥିଲା ରଘୁ ?' ମୁଁ ପଚାରିଥିଲି, ‘ତୁମେ ତ ଖାଲି କଥାଟାର ଶେଷଟା କହିଲ, ହେଲେ ଆରମ୍ଭରୁ ନ କହିଲେ ବିପଦଟା କ’ଣ ଟଳିଲା କେମିତି, ଦେବୀ ମା’ଙ୍କ କରୁଣା କ’ଣ ଏମିତି ହେଲା, ସେ ସବୁ ତ କିଛି ପରିଷ୍କାର ବୁଝାପଡ଼ିଲା ନାହିଁ । ଆଜି ତ ଘରକୁ ଆସିବ, ହାତରେ ସମୟବି ଅଛି, ଦୁଇ /ତିନି କପ୍ ଚା’ ପିଇବା ଭିତରେ କଥାଟା ଶୁଣିବା ।'

 

ଏ ଭିତରେ ମୋ ପତ୍ନୀ ଚା’ ଓ ରଘୁପାଇଁ କିଛି ଜଳଖିଆ ଆଣିଥିଲେ । ରଘୁ ସେତକ ଖାଇ ଚା’ ପିଇବା ଭିତରେ କଥାଟା ଆରମ୍ଭ କରିଥିଲା ।

 

‘ବୁଝିଲେ ଆଜ୍ଞା’, ରଘୁ ଆରମ୍ଭ କରିଥିଲା, ‘ପ୍ରାୟ ତିନିମାସ ତଳେ ମୋ ପୁଅ ଜରରେ ପଡ଼ିଲା...' ରଘୁ କହିବାରେ ଲାଗିଲା ।

 

ଏଣିକି ରଘୁର କଥା ।

 

ଜାଣିଲେ ଆଜ୍ଞା, ଆମର ତ ଗୋଟିଏ ପୁଅ, ଗୋଟିଏ ଝିଅ । ଝିଅ ତ କଲେଜରେ ପ୍ଳସ୍ ଟୁ ପାସ୍ କରି ଏବେ ଘରେ ଅଛି, ସୁବିଧା ଦେଖି ବାହାଘର କରିଦେବି । ତା'ପାଇଁବି ମୁଁ ଯାହା କିଛି ଏଠିସେଠି ରଖିଛି, ତା’କାମ ଚଳିଯିବ । ଖାଲି ତାକୁ ଏକୋଇଶ ଟପିଲେ ହାତକୁ ଦି’ହାତ କଲି । ପୁଅଟାପାଇଁ ମୋର ଯାବତୀୟ ଚିନ୍ତା । ମୁଁ ତାକୁ ଗୋଟେ ଭଲ ସ୍କୁଲ୍‍ରେ ପଢ଼ଉଚି, ତା’ର ଏ ବର୍ଷ କ୍ଲାସ୍ ଟେନ୍ ହେଲା । ଆଗକୁ ପରୀକ୍ଷା ।

 

ତିନି ଜାଗାରେ ଟିଉସନ୍‍ବି ହଉଚି, ଗଣିତ ଗୋଟେ ଜାଗାରେ, ଇଂରାଜୀ ଗୋଟେ ଜାଗାରେ, ପୁଣି ଆଉ ଗୋଟେ ଜାଗାରେ ସଂସ୍କୃତ । ସ୍କୁଲ୍–ଟିଉସନ୍ ଯିବାପାଇଁ ସ୍କୁଟି କିଣି ଦେଇଚି-। ଭାଇ–ଭଉଣୀ ସେଇ ଗାଡ଼ିଟା ନେଇ କେତେ ନା କେତେ ଘର କାମରେ ସାହାଯ୍ୟ କରନ୍ତି । ହଁ–ଏଇଠି ଗୋଟାଏ କଥା କହି ଦେଇଥାଏ ଆଜ୍ଞା । ମୋ ପୁଅଟା–ତା' ନାଁ ଭାଲୁ–ଭାରି ଧୀରସ୍ଥିର, ଅତି ଶାନ୍ତ । ସିଏ ଜମା ଇଆଡ଼େ ସିଆଡ଼େ ଚଗଲାମି କରିବାବାଲା ନୁହେଁ ।

 

ତା’ କଥାରେ ବାଧାଦେଇ ମୋ ସ୍ତ୍ରୀ କହିଲେ, ‘ପୁଅର ଡାକ ନାଁଟା ଭାଲୁ ବୋଲି କାହିଁକି ଦେଲମ । ଏତେ ଭଲ ଭଲ ଷ୍ଟାଇଲିଆ ନାଁ ସବୁ ଥାଉଁଥାଉଁ...

 

ରଘୁ ନିଜର କହିବା ଢଙ୍ଗରେ ମୋ ସ୍ତ୍ରୀଙ୍କର ସନ୍ଦେହ ମୋଚନ କରିଥିଲା ।

 

ଜାଣିଲେ ମା', ଏଇ ସହର ଜାଗାରେ ଆପଣମାନେ ମୋତେ ରଘୁ ବୋଲି ଜାଣିଚନ୍ତି, ଲୋକମାନେ ଏଠି ମୋ ପୂରା ନାଁଟାକୁ ଛୋଟେଇ ଦେଇ ରଘୁନାଥରୁ ରଘୁ ବୋଲି ଡାକୁଛନ୍ତି । ନହେଲେ ବାସ୍ତବରେ ମୋ’ ଡାକ ନାଁ ହେଲା ନେଉଳ । ମୋ ଜେଜ ଦେଇଥିଲା । ସେମିତି ମୋ ପୁଅର ଜେଜେ ତା’ ନାଁ ଭାଲୁ ବୋଲି ଦେଇଥିଲା ।

 

ଆପଣ ମା’ ଜାଣିଲେ ହସିହସି ଗଡ଼ିଯିବେ ଯେ ଆମ ଗାଁରେ ଅନେକ ପୁରୁଣାକାଳିଆ ଲୋକଙ୍କ ଡାକ ନାଁ ପଶୁପକ୍ଷୀ ଜୀବଜନ୍ତୁଙ୍କ ନାଁକୁ ନେଇ ହେଇଚି । ବୁଢ଼ାବୁଢ଼ୀମାନେ ବୋଧେ ଅତି ସ୍ନେହରେ ସେମିତିକା ନାଁ ଦେଉଥିଲେ କି କ’ଣ । କିମ୍ବା ଏମିତିବି ହୋଇପାରେ ଯେ ପୁରୁଣା ଲୋକମାନେ ଜୀବଜନ୍ତୁଙ୍କୁ ଅତି ଭଲ ପାଉଥିବାରୁ ସେମିତି କରୁଥିଲେ । କିଏ ଜାଣେ ଏମିତିବି ହୋଇଥିବ ଯେ ରୂପ–ଭେକ ଦେଖିବି ନାଁ ଦିଆଯାଇଥାଇପାରେ । ନେଉଳ, ମୂଷା, ଏଣ୍ଡୁଅ, ଧଣ୍ଡ, ଭାଲୁ, ବାଘ, ହେଟା, ବିଲେଇ, ବେଙ୍ଗ, ଗୋଧି ଇତ୍ୟାଦି କେତେକଅଣ ।

 

 

ସେସବୁ ଏତେ କଥା ଛାଡ଼ନ୍ତୁ ଆଜ୍ଞା । ମୂଳକଥା ହେଲା, ‘ପୁଅକୁ ଜର ହେଲା ଏବଂ ଜର ତ ଜମା ଛାଡ଼ିଲା ନାହିଁ । ପ୍ରଥମେ ଆଜ୍ଞା ଏଲୋପାଥି ଡାକ୍ତର, ପଣ୍ଡା ଡାକ୍ତର, ଆପଣବି ତାକୁ ଜାଣିଥିବେ, ଭଲ ଡାକ୍ତରଟାଏ । ଭଲ ଆଉ କ’ଣ, ଜର ତ ତା' ହାତରେ ବାରଦିନ ଯାଏଁ ଭଲ ହେଲା ନାହିଁ । ପ୍ରଥମେ ମିନିମିନି ବଟିକା ଦେଲା, ତା’ପରେ ଢେବା ଢେବା ବଟିକା ଦେଲା, କିଛି କାମ ଦେଲାନି । ସେଇଠୁ ଯେମିତି ଆଠଦିନ ହେଲା, କହିଲା ରକ୍ତପରୀକ୍ଷା କର । କ’ଣ ସବୁ ଲେଖିଦେଲା ଛୋଟିଆ କାଗଜରେ । ସେ କାଗଜ ଖଣ୍ଡକ ଦେଖେଇ ପୁଅର ରକ୍ତପରୀକ୍ଷା କରେଇଛି । ସବୁ ଫୁସ୍ ।

 

ଏଇଠି ରଘୁ ଟିକେ ଅଟକିବାକ୍ଷଣି ମୋ ସ୍ତ୍ରୀ ପଚାରିଲେ; ‘ଫୁସ୍ ମାନେ ?’

 

ଏପରି ବିତଣ୍ଡା ପ୍ରଶ୍ନ ପଚାରିଥିବାରୁ ଯଦିଓ ମୋ ସ୍ତ୍ରୀଙ୍କ ଉପରେ ରାଗ ଆସୁଥିଲା, ରଘୁ କିନ୍ତୁ କିଛିବି ପ୍ରତିକ୍ରିୟା ନ ଦେଖାଇ ଅଳ୍ପ ହସି କହିଲା, ‘ବୁଝିଲ ମା’ ଫୁସ୍‌ମାନେ ରକ୍ତପରୀକ୍ଷାରୁ କିଛିବି ବାହାରିଲା ନାହିଁ ।’

 

କ’ଣ ବାହାରିଥାନ୍ତା ବୋଲି ଡାକ୍ତର ଭାବିଥିଲା କି ? ମୋ ସ୍ତ୍ରୀ ପଚାରିଲେ । ଯଦିଓ ଏହା ଥିଲା ଆପାତତଃ ଏକ ଅଦରକାରୀ ପ୍ରଶ୍ନ ଏବଂ ଯଦିଓ ଗୁରୁତ୍ୱପୂର୍ଣ୍ଣ କଥା ମଝିରେ ଏ ପ୍ରକାର ପ୍ରଶ୍ନ ପଚାରିବା ନାରୀମାନଙ୍କର ସହଜାତ ପ୍ରବୃତ୍ତି ଏବଂ ଯଦିଓ ଅନେକ ପୁରୁଷ ଲୋକ ଏଥିରେ ପ୍ରଚଣ୍ଡ ବିରକ୍ତ ହୋଇଥାନ୍ତି; କିନ୍ତୁ ପ୍ରଥମତଃ ରଘୁ ବିରକ୍ତି ଭାବ ପ୍ରକାଶ କରିବା ପରି ଲୋକ ନଥିଲା ଏବଂ ଦ୍ୱିତୀୟତଃ ରଘୁ ପରିବା ବିକ୍ରି କରିବାଦ୍ଵାରା ଦୈନିକ ଅନେକ ମହିଳାଙ୍କ ସଂସ୍ପର୍ଶରେ ଆସୁଥିବାରୁ ବିରକ୍ତି ଭାବ ଦେଖାଇବା ପାଇଁ ଯାହା ଦରକାର, ତାହା ହରାଇଥିଲା ।

 

ପୂରା ଥଣ୍ଡା ମନରେ ସେ କହିଲା, ‘ଏଇ ଭାଇରାଲ୍ ଫାଇ୍‌ରାଲ୍ କି ଡେଙ୍ଗୁ ଫେଙ୍ଗୁ କି ମେଲେରିଆ ବାହାରିଥିବ ବୋଲି ପଣ୍ଡା ଡାକ୍ତର ଭାବିଥିଲା, ହେଲେ ଯେମିତି ରିପୋର୍ଟ ଦେଖିଲା କିଛି ନାହିଁ ବୋଲି, କହିଲା କି ଦି’ଟା କାମରୁ ଗୋଟାଏ କରିବାକୁ ପଡ଼ିବ । କଟକ ବଡ଼ ଡାକ୍ତରଖାନା ନବାକୁ ପଡ଼ିବ ଅଥବା ଗୋଟେ କ୍ୟାପ୍‌ସୁଲ, ଗୋଟେ ବଟିକା ଓ ଗୋଟେ ପାଣି ଔଷଧ ନବେ ଦିନ ନିୟମିତ ଖାଇବାକୁ ପଡ଼ିବ । ମୋର ତ ଅକଲଗୁଡ଼ୁମ୍ ।’

 

ରଘୁ ଟିକେ ବିଶ୍ରାମ ନେଲା ଓ କପେ ନାଲି ଚା’ ମାଗିଲା । ମୋ ପତ୍ନୀ ତିନିଜଣଙ୍କ ପାଇଁ ତିନି କପ୍ ଚା’ ଆଣି ଥୋଇଲେ । ଚା' ପିଉପିଉ ରଘୁ ପୁଣି କହିବାରେ ଲାଗିଲା ।

 

ସେଇଠୁ କ’ଣ ହେଲା ନା ଗୋଟେ ଗରାଖ ଦୋକାନକୁ ଆସିଥିଲା, ପୁଅ କଥା କହିବାରୁ ନାନାକଥା ଶୁଣେଇସାରି କହିଲା କି ଏଲୋପାଥିବାଲାଙ୍କ ପାଖକୁ ଯିବାର ଅର୍ଥ ଧିଅରୁ କିଛି କଟେଇବ ନହେଲେ ଧିଅ ସିଲେଇ କରିବ । ନହେଲେ ସିଏ ଗୋଟେ ଦି'ଟା ବଟିକା ଦେଇସାରି ଏତେ କିସମର ପରୀକ୍ଷା କରେଇବ ଯେ ପଇସା ଗଣିବା ଭୟରେ ରୋଗୀ ମରିଯିବ, ନହେଲେ ଭଲ ହୋଇଯିବ । ସିଏ ଲୋକଟିବି ଏମିତି କଥାକୁହା କପିଳା ଯେ ମତେ ବୁଝେଇଦେଲା କି ଏଲୋପାଥିଠାରୁ କାହିଁ କେତେ ଗୁଣ ଭଲ ହେଉଚି ଆୟୁର୍ବେଦିଆଙ୍କଦ୍ୱାରା ନାଁ ଓ ଠିକଣାବି ଦେଲା । ମୁଁ ଶଳାଟିବି ଲୋକଟି କଥା ମାନି, ପୁଅକୁ ନେଇ ରଥ ଆୟୁର୍ବେଦୀ ଡାକ୍ତର ପାଖକୁ ଗଲି, ସେ ଲୋକଟି ବିଚରା ମଧୁରିଟିଏ । କଥାରେ ତା’ର ବାଟୁଳି ବାଜୁ ନଥାଏ, ଭାରି ଚିକ୍କଣ କଥା ।

 

‘ମଧୁରିଟିଏ ମାନେ ?' ମୋ ସ୍ତ୍ରୀ ଆଗ୍ରହରେ ପଚାରିଲେ ।

 

ରଘୁ କହିଲା, ‘ମା’ ଯଦି ଏମିତି ପଚାରିବେ, ମୁଁ କ’ଣ ବୁଝେଇପାରିବି ? ଗାଁରେ କହନ୍ତି, ଶୁଣି ଶୁଣି ଆମର ଅଭ୍ୟାସ । କହୁ କହୁ କହିଦେଇଯାଏ । ମତେ ଯାହା ଲାଗୁଚି, ମାନେ ଯୋଉ ଲୋକ, ମାନେ ପୁରୁଷ ଲୋକ, କଥାକଥାକେ ବିନା କାରଣରେ ସବୁ ହସଟେ ହସୁଥିବ ଓ ଟିକେ ଉପରେ ପଡ଼ି କଥା କହୁଥିବ, କାମଟେ ହେଇଯିବ ବୋଲି କହି କାମ ନହେଲେ ଅନ୍ୟର ଦୋଷ ଦେଉଥିବ, ଏଣେ ଟିକେ ମୁହଁହଲା ଅଣ୍ଟାହଲା ପ୍ରକୃତି ଥିବ; ଜାଣିବ ମା’–ସେମିତିକା ଲୋକ ହେଲା ମଧୁରି । ଛାଡ଼ମା’ ।’

 

ମୁଁ କହିଲି ଯେ ଆମ ଅଫିସ୍‌ରେ ସେମିତିକା ଦି’ଜଣ ଥିଲେ । ରଘୁ ହସିଲା ଏବଂ କହିଲା ଯେ ତା’ ଦୋକାନକୁବି ଦି’ ତିନି ଜଣ ମଧୁରି ଆସୁଥିଲେ ବୋଲି ।

 

ଟିକେ ଛାତ ଆଡ଼ୁ ଆଖି ଘୂରେଇ ଆଣି ସେ ପୁଣି କହିବାରେ ଲାଗିଲା ।

 

ଆୟୁର୍ବେଦ ଡାକ୍ତର ଦି'ଚାରିଟା କଥା ପୁଅକୁ, ଦି’ଚାରିଟା କଥା ମତେ, ଆଉ ଦି'ଚାରିଟା କଥା ମୋ ସ୍ତ୍ରୀଙ୍କୁ ପଚାରିବା ପରେ ଦି'/ତିନି ମିନିଟ୍ ସ୍ଥିର ହେଇ ବସି କ'ଣ ଭାବିଲା, ତା’ପରେ କାଗଜରେ ଓଷଦ ଲେଖିଲା, କେତେଟା ତା’ ପାଖରେ ମିଳିବ ବୋଲି କହିଗଲା, ଆଉ କେତେଟା ଓଷଦ କୋଉଠି ମିଳିବ ସେ କଥା ବତେଇଦେଲା । ପୁଣି ଉପଦେଶ ଦେଲା କି ସକାଳୁ ଖାଲି ପେଟରେ ପୁଅକୁ ଦୂବ ଓ କନ୍ଦବଟା ପିଏଇବାକୁ ପଡ଼ିବ ଓ ସଞ୍ଜରେ ଅପରାଜିତା ଚେର ସହ ପାଞ୍ଚ ଗ୍ରାମ୍ ଗୁଡ଼, ଦି’ଟା ମରିଚ ଓ ଦି’ଟା ଲବଙ୍ଗ ବାଟି ଛାଣି ପିଏଇବାକୁ ପଡ଼ିବ । ଏମିତି ତିରିଶ ଦିନଯାଏଁ କରିବା ପରେ ଜାଣ ରୋଗ ଖତମ୍ । ମୁଁ କହିଲି କି ଯୋଉ ଓଷଦ ଦବା କଥା ଦିଅ, ମୁଁ କିଣିନେବି । ଆଉ ଘରେ ଦୋକାନୀ ମୋକାନୀ ଲୋକ; ଦୂବ–କନ୍ଦ–ଅପରାଜିତା ଚେର ଇତ୍ୟାଦି ଯୋଗାଡ଼ କରିବାକୁ ବେଳ କାହିଁ ? ଦିନେ ଯଦି ଦୋକାନ ବନ୍ଦ, ଜାଣ ନାମ ନେବା ସାର ।

 

ସିଏ ଆୟୁର୍ବେଦୀ ଡାକ୍ତର ତା’ପରେ ଯୋଉକଥା କହିଲା, ସେଥିରେ ମୋର ତଳିପେଟ ଆଡ଼ୁ ହସ ଆସିଲା, ସିଏ କହିଲା କି ଓଷଦ ତିଆରି କରିବାପାଇଁ ସିଏ ନିଜେ ତ ଅନେକ ଦରକାରୀ ଜିନିଷ ପାଉ ନାହିଁ । ପ୍ରକୃତି କୋଳରେ ଅନେକ ଅତି ଦରକାରୀ ଗଛବୃଚ୍ଛ ଲତା ଆଦି ନଷ୍ଟ ହୋଇଗଲାଣି । ସହରରେ ତ ଦୂବଫୁବ କି ଅପରାଜିତା ମପରାଜିତା କିଛି ନାଇଁ । ଯଦି ଓଷା–ମୋଷା ପଡ଼ୁଚି, ତେବେ ଜାଣ ସହରୀ ସ୍ତ୍ରୀଲୋକମାନଙ୍କର ଅବସ୍ଥା ବାରଣ୍ଡା ଦିକଡ଼ା । ଦୂବ–ବରକୋଳି ପତ୍ର–ଆମ୍ବଡ଼ାଳ ଇତ୍ୟାଦି ଖୋଜୁଥା । ଆୟୁର୍ବେଦୀ ଡାକ୍ତର କହିଲା କି ଏସବୁ ଅବସ୍ଥାପାଇଁ କେବଳ ସହରୀ ପି.ଡବ୍‍ଲିଉ.ଡି.ବାଲାଏ ଦାୟୀ । ମୋତେ ଆଜ୍ଞା କଥାଟା ଭାରି ବେଖାପ ଲାଗିଲା ! ଆମର ଆଜ୍ଞା, ମୂର୍ଖ ଲୋକର ଜ୍ଞାନରେ ମୋର ଧାରଣା ଥିଲା ଯେ ଟଙ୍କାପଇସା ଯାହା କିଛି ଖାଆନ୍ତୁ ପଛକେ, ସହରମାନଙ୍କରେ ଯାବତୀୟ ଉନ୍ନତିପାଇଁ ପି.ଡବ୍‍ଲିଉ.ଡି. ଇଞ୍ଜିନିୟର୍‌ମାନେହିଁ ଦାୟୀ; ହେଲେ ସେ ଆୟୁର୍ବେଦୀ କଥାରେ ତ ମୋର ଅକଲ ପୂରା ଗୁଡ଼ୁମ୍ । କହିଲା କି କଟକରେ ତ ଆଉ ସବୁଜ କି ଶାଗୁଆ ରଙ୍ଗର ଜିନିଷହିଁ ନାହିଁ, ଗଛ ତ ଦୂରର କଥା । ଭୋବନିଶୋର ଟିକେ ବାଗ ଥିଲା, ମାନେ କ୍ୱାଟର୍‍ଗୁଡ଼ାକ ଆଗରେ ତିନି/ଚାରି ଫୁଟ୍, ଗୋଟେ ଗୋଟେ ଜାଗାରେ ତ ସାତ /ଆଠ ଫୁଟ୍ ମାଟି ଓ ଘାସୁଆ ଜାଗା ଥିଲା । ବର୍ଷାହେଲେ ଜଳ ସେଇବାଟେ ତଳକୁ ଯାଉଥିଲା, ଭିତର ସ୍ତର ଠିକ୍ ରହୁଥିଲା । ସେଇ ଜାଗାଗୁଡ଼ିକରେ ଡହଡ଼ହ ଖରାଦିନେ ଗାଈ, କୁକୁର, ଷଣ୍ଢ ଶୋଇପାରୁଥିଲେ, ସେମାନଙ୍କ ମଳବି ମାଟିରେ ମିଶି ଯାଉଥିଲା । ସହରକୁ ନୂଆ ଆସିଥିବା କି ଚପଲ ନଥିବା ମଣିଷ ସେଇ ବାଟେ ଯାଉଥିଲେ । ସହରର ପରିବେଶକୁ ସେଇ ଜାଗାର ଦୂବଘାସ କେତେ ବାଗରେ ଭଲ ରଖୁଥିଲା । ଏବେ ଇଞ୍ଚେବି ମାଟି ଜାଗା ପାଇବ ନାହିଁ । ସହରର ତାତି ଯୋଗୁଁ ଏବର୍ଷ ଜୀବନ ଅଥୟ ହେଲା, ଯୋଉ ଦୁଇ ଡିଗ୍ରୀ ବଢ଼ିଲା, ପି.ଡବ୍‍ଲିଉ.ଡି.ବାଲାଙ୍କ ଦାନ ସେତକ । ଗଛ ଯାଇଥିଲା, ଘାସବି ଗଲା-। କୁକୁର, ଷଣ୍ଢ, ଗାଈ ଇତ୍ୟାଦିଙ୍କ ମଳ ଦିନ ଦିନ ଧରି ପିଚୁ କି ପକ୍କା ଉପରେ ପଡ଼ି ରହୁଛି-। ତାକୁ ମଡ଼େଇ ହେଇ ଗାଡ଼ିମଟର ଚାଲୁଚି । ଲୋକେ ନିରୀହ ପଶୁଙ୍କୁ ଗାଳି ଦଉଛନ୍ତି-। ସେ ଗାଳି ଭଗବାନଙ୍କ ବାଟଦେଇ ଅସଲି ଖବିସଙ୍କ ଆଡ଼କୁ ଯାଉଚି ।

 

‘ଏଥିରେ ତ ହସିବା ପରି କିଛି ନାହିଁ' ମୁଁ କହିଲି, 'ସେ ଡାକ୍ତର ଯାହା କହିଲା ବରଂ ସତ ଓ ବେଶ୍ ଦୁଃଖଦାୟକ । ବର୍ଷ ଶେଷରେ ବଜେଟ ଅର୍ଥ କାଳେ ଫେରିଯିବ, ତେଣୁ ମନଇଚ୍ଛା ସବୁଆଡ଼ ପକ୍କା କରି ପକାଉଛନ୍ତି । ଏଥର ଟିକେ ଭୂମିକମ୍ପ ହେଲା, ଆରଥରକୁ ଜୋର୍ ଭୂମିକମ୍ପ ହେବ । ଭୁବନେଶ୍ୱର ସହରର ମାଟିତଳେ ପୂରା ଖୋକ୍‌ଲା ହେଇଯିବ, ଥରକ କମ୍ପନରେ ଗଳିପଡ଼ିବ ।’

 

‘ସେଇଠୁ ?' ବିସ୍ଫାରିତ ନୟନରେ ରଘୁ ପଚାରିଲା ।

 

‘ଶୁଣ ରଘୁ’, ମୁଁ କହିଲି, ‘ମଣିଷର ମୂର୍ଖାମି ଯୋଗୁଁ, କିଛି ଅତି ମାୟାବୀ ଲୋଭୀ ମଣିଷଙ୍କ କାମ ଯୋଗୁଁ କେତେ ସହର ଉଜୁଡ଼ିଯାଇଛି; ଆଉ ଗୋଟେ ଯିବ । ସେଠୁ ରାଜଧାନୀକୁ ନୂଆ ଜାଗାକୁ ନିଆଯିବ, ନୂଆ ସହର ହବ, ଏ ମରିଥିବା ସହରକୁ ଐତିହ୍ୟ ନଗରୀ କରାଯିବ, ୟେଠି ଅଲଗା କାମ ଚାଲିବ, ବାସ୍–ଆଉ କ’ଣ ।’

 

‘କୋଉ କଥା ଯାଇ କୋଉଠି ପହଞ୍ଚିଲାଣି’, ମୋ ପତ୍ନୀ ସାମାନ୍ୟ ବିରକ୍ତି ପ୍ରକାଶ କଲେ, ‘ରଘୁ ତାଙ୍କ ପୁଅର ଶରୀର ଅସୁସ୍ଥ କଥା କହୁଥିଲେ, କଥା କୁଆଡ଼େ ଗଲାଣି ।’

 

ରଘୁ କହିଲା, ‘ମୁଁ ଟିକେ ଗପୁଡ଼ି ଲୋକ ମା’, ସେ ଡାକ୍ତର କଥା ପୂରା ଠିକ୍ ।’

 

‘ହେଲେ ତା’ କଥାରେ ତୁମକୁ ଜୋରରେ କାହିଁକି ହସ ଲାଗିଲା କହୁନ ।’ ମୁଁ ଉସ୍କେଇଲି-

 

ରଘୁ କହିଲା, ‘ମା’ ନଥିଲେ କହିବାଟା ସହଜ ହୋଇଥାନ୍ତା ।’

 

‘ଆରେ । କୁହ ମ ।' ମୋ ସ୍ତ୍ରୀ କହିଲେ, ‘ମା’ କ’ଣ ଛୋଟଛୁଆ ନା କ’ଣ ?’

 

ରଘୁ ସାମାନ୍ୟ ଲାଜରେ କହିଲା, ‘ସେକଥା ନୁହ ମା’ । ସବୁକଥା କହିସାରି ସେ ଆୟୁର୍ବେଦୀ ଡାକ୍ତର ମତେ କହିଥିଲା ଯେ ଘିଅ ବଳିଲେ ନିଶରେ ଲଗାନ୍ତି ।

 

ମୋ ସ୍ତ୍ରୀ କହିଲେ, ‘ଆଚ୍ଛା ରଘୁ, କଥା ଭିତରେ ଟିକେ ଆଗରୁ ତୁମେ କହିଲ ଯେ ଅବସ୍ଥା ବାରଣ୍ଡା ଦିକଡ଼ା । ଏମିତିକା ଆଉ କ’ଣ ଢଗଫଗ ଅଛି–ମାନେ ଗାଁ ଗହଳିରେ ଚଳୁଥିବ ଯୋଉଥିରେ କି ସଂଖ୍ୟା ଥିବ ।’

 

ଏ ପ୍ରକାର ବିଚିତ୍ର ପ୍ରଶ୍ନ କଥା ମଝିରେ ପଚାରିବା ମୋ ସ୍ତ୍ରୀଙ୍କର ପୁରୁଣା ଅଭ୍ୟାସ । ତେଣୁ ମୁଁ କହିଲି, ‘ତୁମେ ଏମିତି ପ୍ରଶ୍ନ ପଚାରି କଥା ଲମ୍ବଉଥିବ ନା ଆମେ ରଘୁର ପୁଅ କଥା ଶୁଣିବା ?' ରଘୁ କିନ୍ତୁ ମୋ କଥାକୁ ବିଶେଷ ଗୁରୁତ୍ୱ ନ ଦେଇ କହିଲା, ‘ଅଛି ମା', ମୋର ବେଶି ମନେ ନାହିଁ, ମୁଁ ତିନି/ଚାରିଟା କହିପାରିବି; ଯେମିତି କି ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା କି କିଏ ସାତ କିଏ ସତର କି ତା’ ଚାରି ଖୁରାକୁ ଜୁହାର କି ତିନିପୁରୁଷରେ କୁଳବାଳୁଙ୍ଗା ପଞ୍ଚମୁଖେ ହରି ଇତ୍ୟାଦି ।’

 

ମୋ ସ୍ତ୍ରୀ କିର୍ କିର୍ ହସି ସେଠୁ ଉଠିଗଲେ ଏବଂ ପାଞ୍ଚ ମିନିଟ୍ ଭିତରେ ତିନି କପ୍ ଚା’ ଧରି ଆସି ବସୁବସୁ କହିଲେ, ‘ତୁମର କଥା କହିବା ଢଙ୍ଗଟି ବଡ଼ ବିଚିତ୍ର, ମାନେ ଖୁବ୍ ଭଲ । ତୁମର ଯଦି ଗପଫପ ଲେଖିବାର ଦକ୍ଷତା ଥାଆନ୍ତା, ତୁମେ ଭଲ ଲେଖିଥାନ୍ତ । ହଉ–ଏଥର ତୁମ ପୁଅର ଦେହ ଖରାପ ଓ ଭଲ ହେବା କଥା ଶୁଣିବା ।’ ଚାରି ଢୋକରେ ଚା’ ପିଇସାରି ରଘୁ ପୁଣି ହଜିଲା କଥାର ଖିଅ ଯୋଡ଼ିଲା ।

 

ତା'ପରେ କ’ଣ ହେଲା ନା ଆୟୁର୍ବେଦୀ ପାଖରୁ ଅଳ୍ପ କିଛି ଓଷଦ ଆଣି ମୁଁ ଆସିଲି । ଭାଲୁଆ–ମାନେ ମୋ ପୁଅ ତିନି/ ଚାରି ଦିନ ତାକୁ ଖାଇଲା । ପ୍ରଥମେ ଟିକେ ଭଲ ହେଇଯିବା ପରି ଜଣାଗଲା, ତା’ପରେ ଯୋଉ କଥାକୁ ସେଇକଥା । ଠିକ୍ ସଞ୍ଜବେଳକୁ ଜର ଆସିଲା, ଚାରି ପାଞ୍ଚ ଘଣ୍ଟା କମ୍ପ ଜର, ରାତି ଗୋଟାଏବେଳକୁ ଜର ଅଧା କମିବ, ଜବରଦସ୍ତ କ’ଣ ଟିକେ ଖୁଆଇ ଦେଲେ ସକାଳଯାଏଁ ନିଦ । ଦିନବେଳା ଯଦିଓ ଅବସ୍ଥା ଭଲ ରହୁଥିଲା, ତଥାପି ପୂରା ଭଲ ବୋଲି କୁହାଯାଇପାରିବ ନାହିଁ । ପୁଅର ମା’ କେଇଦିନ ଭିତରେ ଜାଣ ତାମ୍ପଡ଼ା ଶୁଖୁଆ ପରିକା ଦିଶିଲା । ଯେତେବେଳେ ଦେଖିବ, କିଛି ନା କିଛି ଠାକୁର ଠାକୁରାଣୀଙ୍କ ନାଁ ଡାକି କ’ଣ ବିଡ଼୍‌ବିଡ଼୍‌ ହେଉଥିବ । କେତେ ଯେ କ’ଣ ମାନସିକ କରିପକେଇଲା, ତା’ର ଇୟତ୍ତା ନାହିଁ । ମୋର ଯଦିଚ ଏସବୁରେ ଏତେଟା ଭରସା ନଥାଏ, ତଥାପି ମନକୁ ବୁଝେଇବା ପାଇଁ ନ ଡାକି ବାଟବି କାହିଁ ? ଠାକୁରମାନେ ଯଦି ନଡ଼ିଆଟା, କଦଳୀ ଗଣ୍ଡାଏ, କଳାଶାଢ଼ି କି ଦି’ରତି ସୁନା କି ଅଣାଏ ରୁପା ନେଇ ଆମର କାମ କରିଦେଉଥାନ୍ତେ ତ ଆମପରିକା ଗରିବ ଲୋକର କାମ ତ ଜମା ହବା କଥା ନୁହେଁ । ବଡ଼ବଡ଼ିଆମାନେ କ’ଣ ନାଇଁ କ’ଣ ଅଜାଡ଼ି ପକେଇ ନିଜ କାମଟି କରାଇ ନେଉଥାନ୍ତେ, ବୋଧେ ଏବେ ସେଇଆ ହଉଥିବ କି କ’ଣ । ଟିକିଏ ସୁରାକ ମିଳିବାମାତ୍ରେ ଯେ କାମଟା ଠାକୁର କରେଇଦେବେ, କମ୍ପାନୀ ମାଲିକମାନେ ଠାକୁରମାନଙ୍କୁ ବଡ଼ ଗାଡ଼ି, ମଟର, ସାଇକେଲ, ଚେପ୍‌ଟା ଟିଭି, ଫ୍ରିଜ୍, ଦାମୀ ମୋବାଇଲ୍ ଇତ୍ୟାଦି ଦେଇ ପକାନ୍ତେ ।

 

ରଘୁ କ୍ଷଣକପାଇଁ ବିଶ୍ରାମ ନେଲା ଓ ପୁଣି କହିବାରେ ଲାଗିଲା ।

 

ଏ ଭିତରେ ଦୋକାନକୁ ଜଣେ ଗୁଣ୍ଠୁଣିହାତୀ ପ୍ରକାରର ସ୍ତ୍ରୀଲୋକ ପରିବାପାଇଁ ଆସିଥିଲା । ମୋ ଜାଣିବାରେ ସେ ସ୍ତ୍ରୀଲୋକ ଜଣକ ଫ୍ଲାଟ୍‌ରେ ରହୁଥିଲା । ଫ୍ଲାଟ୍‌ମାନେ ଜାଣିବା ଧନୀଘର ଲୋକ । ଯାହାହେଉ, ଦୋକାନରେ ତିନି / ଚାରି ଗରାଖ ଥିଲେ ସେତେବେଳେ । ମୁଁ କାହା ସହ ପୁଅ ଦେହ ଖରାପ କଥା ହେଉଥିଲି । ସେ ସ୍ତ୍ରୀଲୋକ ଜଣକ ଶୁଣୁଥିଲା କି କ’ଣ, କେତେଟା ଏଣୁତେଣୁ କଥା ପଚାରି ପରାମର୍ଶ ଦେଲା ଯେ ରାଓ ହୋମିଓପାଥିବାଲା ପାଖକୁ ଯିବାକୁ । ଦେଖିବାକୁ ହାତୀ ପରି ହେଲେ କ’ଣ ହେବ, ତା’ ବ୍ୟବହାର ପ୍ରାୟ ଠେକୁଆ ପରି ଏବଂ ସେ ଗୋଟେ ଦି’ଟା ଉଦାହରଣବି ଦେଲା ଯେ କେମିତି ଚାରିପାଞ୍ଚ ଜଣ ଅତି ସିଭିଅର୍ ଜର ରୋଗୀ ତିନି ଦିନ ଭିତରେ ପୂରା ଏମିତି ଭଲ ହୋଇଗଲେ ଯେ କଅଁଳା ହରିଣପରିକା ଡେଇଁବାରେ ଲାଗିଲେ । ସେ ଏମିତି ବାଗରେ କଥାଟା କହିଲେ ଯେ, ତହିଁପର ଦିନ ମୁଁ ଅଟୋକରି ପୁଅକୁ ଧରି ରାଓ ହୋମିଓପାଥି ଦୋକାନ ଖୋଜି ଖୋଜି ହାଜର ।

 

ରାଓବାବୁ ସ୍ଵାସ୍ଥ୍ୟ ଭଲ, ହେଲେ ଟିମ୍ପା ହୋଇ ଲୋକଟାଏ, ଚଷମା ଦେଇଥାଏ, ଆମେ ସେଠି ପହଞ୍ଚିବାବେଳକୁ ଦୁଇ ଜଣ ଲୋକ ସେଠି ବସିଥାନ୍ତି, ବୋଧେ ସ୍ୱାମୀ–ସ୍ତ୍ରୀ କି କ’ଣ ? ରାଓ ଡାକ୍ତର ସେମାନଙ୍କ ସହ କ’ଣ ଭୁଟୁର୍‌ଭାଟର୍ ହେଉଥାଏ । ଏକଡ଼ ବେଞ୍ଚ୍‍ରେ ଆମ ବାପ–ପୁଅଙ୍କୁ ବସିବାର ସଂକେତ ଦେଇ ତା’ କାମରେ ସିଏ ଲାଗିଲା, ମାନେ କ’ଣ ସବୁ ଓୗଷଦ ତିଆରି କରିବାରେ ଲାଗିଲା । ଯାହାହେଉ, ସେ ହଳକ ଯିବା ପରେ ଆମକୁ ଭିତରକୁ ଡାକିଲା । ଭିତରକୁ ଯାଉ ଯାଉ ମୋ ପୁଅକୁ ଦେଖେଇ ପଚାରିଲା ଯେ ପୁଅ ବାହା ହୋଇଥିଲା କି ନାହିଁ । ମୁଁ ନାହିଁ କରିବାରୁ ସେ ଟିକେ କଡ଼ା ଗଳାରେ କହିଲା ଯେ ସେ ଅବିବାହିତ ରୋଗୀ ଜମା ଦେଖେ ନାହିଁ । ମୋର ତ ନାହିମୁଣ୍ଡରୁ ବାମ୍ପ ଉଠିଲା ଜାଣ । ତାହାହେଲେ ତ ଛୋଟପିଲାଙ୍କୁ ସେ ଜମା ଦେଖୁ ନଥିବ ବୋଲି ମୁଁ କହିବାରୁ ସେ ଟେବୁଲ୍ ଆରପଟୁ ମତେ ଡିମା ଡିମା ଆଖି କରି ଅନେଇଲା, ମୁଁ ଥଟ୍ଟା କରୁଥିଲି କି ନା, ସେକଥା ପରଖିଲା କି କ’ଣ । ତା’ପରେ ଧୀର ସ୍ୱରରେ କହିଲା ଯେ ଛୋଟପିଲା, ଆସିଲେ ସେ ବିଲ୍‌କୁଲ୍ ଦେଖେ ନାଇଁ, ସେମାନଙ୍କୁ ଶିଶୁ ଭବନ ପଠେଇ ଦିଏ; ନହେଲେ କୋଉ ପିଡ଼ିଆଟିକ୍ ପାଖକୁ ପଠେଇ ଦିଏ । ସେ କେବଳ ବିବାହିତମାନଙ୍କୁ ଦେଖେ ।

 

ମୁଁ ଯେମିତି କହିଲି ଯେ ମୋ ପୁଅ ଆଠଦଶବର୍ଷ ପରେ ବାହାହେବ, ସେ ପ୍ରଥମେ ପୂରା ଚିହିଁକି ଗଲା, କହିଲା ବାହାରିଯାଅ, ମୁଁ ଦୋକାନ ବନ୍ଦ କରିବି, ଏତେ ଗହଳି କାହିଁକି । ମୁଁ ଖୁଁକରି ଟିକେ ହେଲି, ମାନେ ମତେ ତ ଜୋରରେ ହସ ମାଡ଼ିଲା; କାଳେ ସେ ଟିମ୍ପା ହୋମିଓପାଥି ଡାକ୍ତର ଗରମ ଖାଇଯିବ ବୋଲି ଯାବତ୍ୟ ଚେଷ୍ଟା କରି ହସଟା ଦବେଇବାକୁ, ସେଇ ଦବେଇବାବେଳେ ଯେମିତି ମୁଁ ଶବ୍ଦ ହେଉଚି, ସେ ମତେ ଗାରଡ଼େଇ ଅନେଇଲା, ପଚାରିଲା କି ଥଟ୍ଟା କରି ହସିଲ କି । ମୋର ଡର ଆଉ ନଥାଏ, ଭାବୁଥାଏ ଟିମ୍ପା ତ ପୁଅକୁ ଦେଖିବନି, ଆଉ ଡର କାହିଁକି ? ମୁଁ ଟିକେ ଗ୍ରେଭ୍‌ମାରି କହିଲି ଯେ ହସି ପକେଇଥାନ୍ତି, ହେଲେ ହସିଲି ନାହିଁ । ସେଟା ବିତଣ୍ଡାଟାଏ, ପଚାରିଲା କାହିଁକି ହଁ ସିଁ ପଙ୍କେଇଥାନ୍ତ ମ । ସେ ଯେମିତି ତେଢ଼େଇ କରି କଥାଟା କହିଲା, ମୁଁ ସେମିତି ପୂରା ବଙ୍କେଇ କରି ଦି' ଚାରିପଦ କହିଲି । ମୁଁ କହିଲି ଆମେ ବାପ–ପୁଅ ଘଣ୍ଟାଏଁ ହେଲାଣି ଏଣ୍ଠିକି ଆଇଲୁଣି, ଆପଣ ଦେଖି ଦେଇଛେଲେ ଆମେ ୟେନ୍ତେବେଳକୁ ଘେଁରେ ପେହଞ୍ଚି ସାରିଥାନ୍ତୁ ।

 

ଟିମ୍ପା ଡାକ୍ତର ଆଉ ସେ ଦିଗରେ ମାନେ ରୋଗ ଦିଗରେ ମୁଣ୍ଡ ନଖେଇ ମତେ କଟମଟ କରି ଅନେଇ କରି ପଚାରିଲା ଯେ ତମ ଘର କ’ଣ ପୁରୀ କି ସେଇ ଆଖପାଖରେ । ମୁଁ କାହିଁକି ବୋଲି ପଚାରିବାରୁ କହିଲା ଯେ ପୁରୀ ବା ସେଇ ଆଖପାଖର ଲୋକେ ବେଳେବେଳେ ଅତି ଖୁସିରେ କି ଅତି କ୍ରୋଧରେ ବଙ୍କେଇବାଙ୍କେଇ କଥା କହନ୍ତି । ମୁଁ କହିଲି କେଜାଣି ହେଇଥିବ, ମୁଁ ତ ଜୀବନରେ ମାତ୍ର ଥରେ ଯାଇଥିଲି ପୁରୀ । ଆମଘର କଟକ । କଟକରେ ଲୋକମାନେ ଏତେ ବଙ୍କେଇ କହନ୍ତି ବୋଲି ମୋର ଧାରଣାଇ ନଥିଲା । ମୁଁ ଆଉ କଥା ବଙ୍କେଇ କରି ନ କହି ସିଧା କହିଲି ଯେ ଆମେ ଯେତେ ସମୟ ଗପିଲେ, ସେତିକି ଭିତରେ ପିଲାଟାର ରୋଗ ନିଦାନ ସରନ୍ତାଣି । ସେ କହିଲା କି ୟେ ପିଲାଟା ତ ପୂରା ଭଲ ଆଉ ସୁସ୍ଥ ପିଲାଟା, ୟାକୁ ଅଯଥାରେ ଦେଖି ଲାଭ କ’ଣ । ମତେ ଲାଗିଲା କି ତା’ର ମନ ଟିକେ ପରିବର୍ତ୍ତନ ହେଲା, ବୋଧେ ଦେଖିବ । ତ ମୁଁ ତାକୁ ଟିକେ ସାକୁଲେଇ ହେଇ କହିଲି ଯେ କେତେ ଲୋକଙ୍କଠାରୁ ମୁଁ ତାଙ୍କ ଖ୍ୟାତି ବିଷୟରେ ଶୁଣି ଆସିଥିଲି । ତା' ଛଡ଼ା ଏଲୋପାଥି ଓ ଆୟୁର୍ବେଦୀ ଫେଲ୍ ମାରିବାରୁ ମୁଁ ଆସିଥିଲି-। ତା’ପରେ ସବୁକଥା ଆମୂଳଚୂଳ କହିଲି । କହିଲି କ’ଣ ମ ଗାଇଗଲି ତ । ସେ ଆଖିବୁଜି ସବୁ ଶୁଣିଲା, କହିଲା–ମାନେ ପୁଅକୁ କହିଲା–ବାପା ଏପଟକୁ ଆସ । ମୋ ଦୋକାନ ଖାତା ଭଳିଆ ଗୋଟେ ମୋଟାଳିଆ ଖାତା ବାହାର କଲା । ପୁଅ ଯେମିତି ଟେବୁଲ୍ ସେକଡ଼କୁ ଯାଇ ଗୋଟେ ଟୁଲ୍ ଉପରେ ବସିଚି, ତାକୁ ତା’ ନାଁ ଗାଁ ବୟସ ଇତ୍ୟାଦିକୁ ନେଇ କ’ଣ ନା କ’ଣ କେତେ ନା କେତେ ପ୍ରଶ୍ନ ପଚାରିଲା । ପଚାରୁଥାଏ, ଏଣେ ଖାତାରେ ଲେଖୁଥାଏ । କହିଲା, ମାନେ ପଚାରିଲା, ବୟସ ଦୋଷ ଦେଖାଦେଲାଣି କି ? ଇଏ ଘୋଡ଼ାମୁହାଁ ଟୋକା, ୟା ନାଁ ତ ଭାଲୁ, ସାହିତ୍ୟରେ ପୂରା ଦୁର୍ବଳ, ଉତ୍ତର ଦେବ କ’ଣ, ମୋ ଆଡ଼କୁ ବଲବଲ କରି ଅନେଇଲା ।

 

ରଘୁ ପୂରା ଏକା ଲହସରେ କହୁଥିଲା, ତା’ପରେ ଆମମାନଙ୍କ ମୁହଁରେ କିଛି ଭାବାନ୍ତର ଦେଖିଲା କି କ’ଣ, ଅଟକିଗଲା; ଜାଣିପାରିଲା ଯେ ସେ ଅଖାଡ଼ୁଆ ଶବ୍ଦଟେ କହିଦେଇଥିଲା ବୋଲି, ତା’ ମୁହଁ ଟିକେ ଅପ୍ରତିଭ ଜଣାଗଲା, ଟିକେ ଭୁଲ୍ କରିବା ପରି ଭାବ ଦେଖାଇବାମାତ୍ରକେ ତା’ ହାତ କାନ ମୁଣ୍ଡକୁ ଉଠିଗଲା । ମୋ ସ୍ତ୍ରୀ ମୁର୍କି ହସି କହିଲେ, ‘ବୁଝିଲ ରଘୁ, ତୁମେ ଏଡ଼େ କାଇଦାରେ କଥାଗୁଡ଼ା କହିଯାଉଚ ଯେ ମୁଁ ଜମା ପାରିବି ନାହିଁ । ଇଏବି ଏଡ଼େ ବାଗରେ କହିପାରିବେ ନାହିଁ । କଥାଟା ଯେମିତି ଗପ ବହି ପଢ଼ିବା ପରି ଲାଗୁଚି କି ତା'ଠୁ ଭଲ ଲାଗୁଚି । ମୁଁ ଆଗରୁ ଯାହା ପଢ଼ୁଥିଲି । ଏବେ ଆଉ ଘରକୁ ବହି ଆଣୁ ନାହିଁ, କାହିଁ ଆଣିବି କହୁନ । ନା ଭାଷା ଭଲ, ନା ଭାବ ଭଲ ।’

 

ମୁଁ କହିଲି, ‘ଆଜିକାଲି ଖାଲି ଧାଇଁଆ ଗପ, ଶହେରେ ଗୋଟାଏ କି ଦି’ଟା ଭଲ ଗପ ।’

 

ମୋ ସ୍ତ୍ରୀ ପଚାରିଲେ, ‘ରଘୁ, ତୁମର ବୋଧେ ଆଉ କପେ ଚା’ ଦରକାର କି କ’ଣ ! ଟିକେ କିଛି ଜଳଖିଆ ଖାଇଥାନ୍ତ କି ?’

 

ରଘୁ କହିଲା, 'ନାଇଁ ମା' କଥାଟା ସାରିଦେଲେ ମୁଁ ଯିବି, ନହେଲେ ଡେରି ହୋଇଯିବ । ଖାଲି ଚା’ କପେ କରିବ ଯଦି କର ।'

 

ମୋ ସ୍ତ୍ରୀ ଉଠି ଚାଲିଗଲେ, ସତେ ଅବା ସେଇ ସୁଯୋଗ ଅପେକ୍ଷାରେ ରଘୁ ଥିଲା । ମୋ ଆଡ଼କୁ ଟିକେ ଘୁଞ୍ଚି ଆସିବା ପରି ଭାବ ଦେଖାଇ କହିଲା, ‘ଜାଇଁଲେ ସାର୍, ମା’ ଥିଲେ ବୋଲି ସିନା ମତେ ଟିକେ ଲାଜ ଲାଗିଲା, ନହେଲେ ଲାଜ ବୋଲି କିଛି ଅଛି କି ? ମୁଁ ଆଜ୍ଞା ଗୋଟେ ଭଲ ଖବରକାଗଜ ଘରକୁ ନେଉଥିଲି, ଏବେ ବନ୍ଦ କରି ଦେଇଛି ।'

 

‘କାହିଁକି ?’ ମୁଁ ପଚାରିଲି ।

 

‘କାହିଁକି ବୋଲି ପଚାରୁଛନ୍ତି ଆଜ୍ଞା ?' ରଘୁ କହିବାରେ ଲାଗିଲା, ‘ଆମେ ତ ପରିବା ବିକାଳି ଲୋକ, ବାହାରେ ଏକଥା କହିଲେ ପିଠିରୁ ଛାଲ ଉତାରିଦେବେ ।’

 

କଥାଗୁଡ଼ାକ ରଘୁ ପୂରା ଧୀର ସ୍ଵରରେ କହୁଥିଲା । ଆଉ କ’ଣ କହିଥା’ନ୍ତା ବୋଧେ, ହେଲେ ମୋ ସ୍ତ୍ରୀ ଚା’ ଓ କିଛି ପକୁଡ଼ି ଆଣି ଆସିଯିବାରୁ ରଘୁ କଥା ବୁଲେଇ ‘ପକୁଡ଼ି କ’ଣ ହବ ମ’ ବୋଲି କହି ମୋ ସ୍ତ୍ରୀଙ୍କୁ ଲକ୍ଷ୍ୟ କରି କହିଲା, ‘ତମେ ଏଠି ବସିଲ ମା’, ମୁଁ ଆଗ କଥାଟା ସାରିଦିଏ, ସେଣେ ଡେରି ହଉଚି ।’

 

ସେ ପକୁଡ଼ି ଖାଇ ଚା’ ପିଇଲା ଏବଂ ପୁଣି ତା’ ପୁଅର ଦେହ ଭଲକଥା କହିବାରେ ଲାଗିଲା ।

 

ହଁ–ସେଇଠୁ କ’ଣ ହେଲା ନା ସେ ଟିମ୍ପା ହୋମିଓପାଥି ଡାକ୍ତର ପ୍ରାୟ ଅଧାଘଣ୍ଟା ପ୍ରଶ୍ନ ପଚାରିସାରି ଓଷଦ ଲେଖିଲା, ଓଷଦବି ଦେଲା, ସୋରିଷ ପରିକା ଗୁଲିଗୁଡ଼ା କାଣି ଆଙ୍ଗୁଠି ଆକାରର ବୋତଲ ଭିତରେ ଥାଏ । ଚାରିଟା ବୋତଲ ସବୁ ଏକାପରି ଓ ଏକା ଆକାରର । ମୋର ନାନା କଥା ଡାଉଟ୍ ହେଉଥାଏ, ହେଲେ ସେ ସବୁ ତାକୁ ପଚାରିବାକୁ ମୋର ସାହସ ହେଉ ନଥାଏ-। କାଳେ ଯଦି ଟିଙ୍ଗିଯିବ, ଜାଣ କଥା ସଇଲା ।

 

ବାପ ପୁଅ ଘରକୁ ଆସିଲୁ । ଘରକୁ ଫେରିବା ବାଟରେ ପୁଅ ଟିକେ ଗୁମ୍‌ସୁମ୍ ଥାଏ । ମୁଁ ବି ତାକୁ କିଛି ପଚାରିଲି ନାହିଁ । ଘରେ ପହଞ୍ଚିବା ପରେ ଓଷଦ ଖିଆ ଚାଲୁ ରହିଲା । ନଖଉଷୁମ ପାଣିରେ କୋଉ ଗୁଲି ତ, ଥଣ୍ଡା ପାଣିରେ କୋଉ ଗୁଲି, କୋଉ ଗୁଲି ଖାଲି ପେଟରେ ତ କୋଉ ଗୁଲି ଖାଇସାରିଲା ପରେ । ଡାକ୍ତର କହିବା ମୁତାବକ ଓଷଦ ଖିଆ ଚାଲିଲା । ପ୍ରାୟ ଅଢ଼େଇ ଦିନ ପରେ ପୁଅକୁ ଆରାମ ଲାଗିଲା । ତିନି / ଚାରି ଦିନ ପରେ ସେ ଟୋକା ତ କଅଁଳା ବାଛୁରୀ ପରି ଚାଙ୍ଗା ହେଇଗଲା । ମୋ ସ୍ତ୍ରୀ ଓ ମୁଁ ସ୍ଥିର କଲୁ ଯେ ଟିମ୍ପା ହୋମିଓପାଥି ଡାକ୍ତର ପାଖକୁ କିଲେ ଦହି, କିଲେ ଛତୁ ଓ କିଲେ ରସଗୋଲା ନେଇକି ଯିବୁ । ଯୋଉଦିନ ସଞ୍ଜବେଳେ ଆମେ ଦି’ଜଣ ଯିବାକୁ ବାହାରିଥିଲୁ, ସେଇ ଦିନ ସଞ୍ଜ ନଇଁବା ଆଗରୁ ସେ ଟୋକା–ମାନେ ମୋ ପୁଅ ଭାଲୁ ସ୍କୁଲ୍‍ରୁ ଆସି ବସିଥିଲା ଗୋଟେ ଚୌକିରେ । ଥିଲା ଥିଲା ତା’ ବେକଟା ହଠାତ୍ ଡାହାଣ ପଟକୁ ଛାଏଁ ମୋଡ଼ି ହୋଇଗଲା । ମୋ ସ୍ତ୍ରୀ ତ ଚିଲେଇଲା । ଖାଲି ‘ମୋ ପୁଅର କ’ଣ ହେଲା’, ବୋଲି ବାରମ୍ବାର ଚିଲଉଥାଏ । କୋଳରେ ପୁଅର ମୁଣ୍ଡକୁ ଧରି ବାହୁନୁଥାଏ । ଏଣେ ଆମ ଘରେ ଧୀରେ ଧୀରେ ଭିଡ଼ ବଢ଼ୁଥାଏ । ନାନାପ୍ରକାର ପରାମର୍ଶ / ଉପଦେଶ ବିଭିନ୍ନ ଦିଗରୁ ଆସୁଥାଏ । ଘରକୁ ଡାକ୍ତର ଡାକ, ଆମ୍ବୁଲାନ୍‌ସ୍ ଡକାଅ, ଛାତି ଘଷ, ମୁଣ୍ଡରେ ପାଣି ଢାଳ, ହେଙ୍ଗୁ ଶୁଙ୍ଘାଅ, ପାଟିରେ ତେନ୍ତୁଳି ପାଣି ଦିଅ, ହେଃ–ତେନ୍ତୁଳି କ’ଣବେ ବେଲପତ୍ର ଶୁଙ୍ଘାଅ, ମୁଣ୍ଡରେ ହନୁମାନଙ୍କ ଛଡ଼ାଫୁଲ ଛୁଆଁଅ, ଫଟୋ ହନୁମାନଙ୍କ ଛଡ଼ାଫୁଲ ହବନି–ମୂର୍ତ୍ତି ହନୁମାନଙ୍କ ଫୁଲ ଆଣବେ ବଗାଦଳ, ମୂର୍ତ୍ତି ହନୁମାନ କା’ ଘରେ ଅଛି, ରାମଙ୍କ ଫୁଲ ଆଣ–ରାମ ତ ହନୁମାନଙ୍କ ପ୍ରଭୁ–ଯଦିଞ୍ଚ ତାଙ୍କ ଛଡ଼ାଫୁଲ କାମ ଦବ ୟା’ଙ୍କର କାହିଁକି କାମ ନ ଦେବ, ଆରେ ଏସବୁ ଠାକୁର ନୁହ–ଶିବଙ୍କ ଫୁଲରେ ଯାବତୀୟ ରୋଗ ଭୂତପ୍ରେତ ପିଶାଚ କୁଆଡ଼େ ଭାଗିସ୍ ହେଇଯିବେ । ଆରେ ରୋଗରେ ଠାକୁର କ’ଣ କରିବେ, ଡାକ୍ତର ଆଗ; ଏସବୁ ପରିସ୍ଥିତିରେ ଡାକ୍ତର ଆଗ ଠାକୁର ପଛ, ଇତ୍ୟାଦି ଇତ୍ୟାଦି ।

 

ପୁଅ ମୁଣ୍ଡରେ ପାଣି ଛିଞ୍ଚାଯାଉଥାଏ, ଫୁଙ୍କାଫୁଙ୍କି ଚାଲିଥାଏ, ସ୍ତ୍ରୀର ବାହୁନାବି । ପୁଅ ମଝିରେ ଥରେ ଆଖି ମୁହୂର୍ତ୍ତକ ପାଇଁ ଯେମିତି ଖୋଲିଛି, ପରସ୍ତେ ହୁଳହୁଳି ପଡ଼ିଗଲା । ସ୍ତ୍ରୀଲୋକଗୁଡ଼ା ଘେରିକି ବସିଥିଲେ ତ, ହୁଳହୁଳି ମାରିଦେଲେ । ପୁଅକୁ ଲାଗିକରି କି ଘେରି କରି ଯଦି ପୁରୁଷ ଲୋକ ଥା’ନ୍ତେ ନିଶ୍ଚେ ହରିବୋଲ ପରସ୍ତେ ମାରିଥା’ନ୍ତେ । ଛାଡ଼–ମୋର ଯୋଉ ଅବସ୍ଥା ନ କହିଲେ ଭଲ ।

 

ସେତିକିବେଳେ ଜଣେ ସ୍ତ୍ରୀଲୋକ, ସେଇ କଲୋନିର କି ଆଖପାଖ ଅଞ୍ଚଳର, ଚିହ୍ନାଚିହ୍ନା ଲାଗୁଥାଏ, ଟିକେ ମୋଟୀ, ମୋ କାନ ପାଖରେ ମୁହଁ ଲଗାଇ କହିଲା ଯେ ଇଏ ‘ରୋଗଫୋଗ ନୁହେଁ, ପୁଅକୁ କେହି ନଜର ପକେଇଚି, ତା’ପରେ ଗୁଣି କରିଚି, ବାଣ ପେଶୁଚି, ତେଣୁ ପୁଅକୁ ନେଇ କୋଉ ଦେବୀ ସାଧକ ପାଖକୁ ଯିବା ଉଚିତ । ମୋ ମୁଣ୍ଡ ଚକ୍କର ଖାଇଗଲା ଜାଣ । ମୁଁ ସେ ମୋଟୀକୁ ସେଠାରୁ ଟିକେ ଦୂରକୁ ମାନେ ଦଶ ପନ୍ଦର ହାତ ଦୂରକୁ ନେଇ ଫୁସ୍‌ଫୁସ୍ ସ୍ୱରରେ ପଚାରିଲି ଯେ ସେ କେମିତି ଜାଣିଲା ଯେ ଇଏ ରୋଗ ନୁହେଁ ବାଣ ପେଶା ବୋଲି । ସିଏ ମୋର ଆହୁରି ପାଖକୁ ଲାଗିଆସି କହିଲା ଯେ ସେ ସବୁ କଥା ପରେ, ଆଗ ଅଟୋ ଫଟୋ କରି ପୁଅକୁ ତୁରନ୍ତ ଦେବୀ ମା’ ପାଖକୁ ନେଇଯା । ଦେବୀ ମା’ କିଏ ବୋଲି ମୁଁ ପଚାରିବାରୁ ସେ କହିଲା ଯେ, ସେ ବି ଜଣେ ରକ୍ତମାଂସର ସ୍ତ୍ରୀଲୋକ । ଅମୁକ ଜାଗାର ସମୁକ ଘରେ ରହେ । ତା’ର ପିଲା ମାତ୍ର ଗୋଟିଏ ଝିଅ । ପ୍ରତି ଗୁରୁବାର ସକାଳୁ ସେ ନିର୍ଜଳା ରହେ, ଠାକୁରଘରେ କୁଶର ଗୋଟେ ଆସନରେ ବସେ, ଦେବୀମା’ଙ୍କ ଫଟୋକୁ ଚାହିଁ ରହେ, କ’ଣ ସବୁ ବିଡ଼୍‌ବିଡ଼୍ ହେଇ ଗପେ କି ମନ୍ତ୍ର ପଢ଼େ କି ଗୀତ ବୋଲେ କେଜାଣି । ତା'ପରେ ତ ଦେବୀ ମା’ ତା’ ଧିଅକୁ ଆସନ୍ତି । ରାତି ବାର ଗୋଟାଏ ଯାଏଁ ତା’ଠିଁ ରହନ୍ତି । ସେଇ ସମୟ ଭିତରେ ରୋଗବଇରାଗ, ଗୁଣିଗାରୁଡ଼ି, ପିହୁଳା ମାରିବା, ଦୃଷ୍ଟିଆ ଜର ଆହୁରି କେତେ ନା କେତେ ସମସ୍ୟାର ଭଲପାଇଁ ବାଟ ବତେଇ ଦିଏ । ଏ ପିଲାକୁ ତୁରନ୍ତ ସେଠିକି ନେଇଯାଅ, ୟା’ର ଗ୍ରହ ଟାଣ, ନତୁବା ମା’ର ପୁଣ୍ୟବଳ ହେତୁ ହଉ, ବାଣ ଏଯାଏଁ ପୂରା କାମ କରିନି । ଆମେ ୟେଠି ଗପ କରି ସମୟ ନଷ୍ଟ କରି ଲାଭ କ’ଣ ବୋଲି ସେ ମତେ କହିଲା । ମୁଁ ଖାଲି ମନେମନେ ଭାବୁଥାଏ ଯେ ୟେ ସ୍ତ୍ରୀଲୋକ କଥା ବୋଧେ ସତ, ନହେଲେ ଏଲୋପାଥି, ଆୟୁର୍ବେଦୀ, ହୋମିଓପାଥି କାମ କଲାନି କାହିଁକି । ମୋ ଛାତି ଭିତରଟା କ’ଣ ହେଇଗଲା । ମୁଁ ପଦାକୁ ବାହାରିବାବେଳକୁ ଭାଗ୍ୟକୁ ଅଟୋଟେ ମାନେ ଖାଲି ଅଟୋଟେ ଯାଉଥିଲା । ମୁଁ ତ ତାକୁ ମାଡ଼ି ବସିଲି ଜାଣ । ଅଟୋରେ ମୁଁ, ମୋ ସ୍ତ୍ରୀ, ପୁଅ ଓ ଦେବୀ ମା’ଙ୍କ ଘରକୁ ବାଟ ଦେଖାଇବା ପାଇଁ ସେ ସ୍ତ୍ରୀଲୋକ ଜଣକ ବସିଲା । ପ୍ରାୟ କୋଡ଼ିଏ ମିନିଟ୍ ଭିତରେ ଆମେ ଗୋଟେ ଗଳି ଭିତରେ ଥିବା ଘର ଆଗରେ ଅଟକିଲୁ । ଗୋଟେ କଡ଼କୁ–ମାନେ ଅଟୋ ଭିତରେ ଗୋଟେ କଡ଼କୁ ମୁଁ, ଅପରପଟ କଡ଼ରେ ସେ ମୋଟୀ, ମଝିରେ ପୁଅକୁ କୋଳରେ ଧରି ମୋ ସ୍ତ୍ରୀ, ଅବଶ୍ୟ ଆମେବି ପୁଅ ଉପରେ ହାତ ପକେଇଥାଉ । ଏତେବେଳକୁ ପୁଅର ଆଉ ଆଗ ପରି ପୂରା ଅଚେତ ଅବସ୍ଥା ନଥାଏ । ସେ ଟିକେ ଟିକେ ଆଖି ଖୋଲୁଥାଏ । ୟେ ସ୍ତ୍ରୀଲୋକ କହୁଥାଏ ଯେ ମା’ଙ୍କ କୃପାରୁ ବାଣର ପ୍ରଭାବ ନଥିଲା ବୋଲି । ସେ ଖାଲି ଜଣେଇ ଦେବାକୁ ଚାହୁଁଥିଲା ଯେ ଯେହେତୁ ଆମେ ଦେବୀ ମା’ଙ୍କ ଆସ୍ଥାନକୁ ଯାଉଥିଲୁ, ସେହେତୁ ବାଣର ପ୍ରଭାବ ଛାଁକୁ ଛାଁ କମି କମି ଆସୁଥାଏ । ସେ ମୋଟୀ ସ୍ତ୍ରୀଲୋକ ଜଣକ ବୋଧେ ଆନ୍ଧ୍ର ଫାନ୍ଧ୍ର ସୀମା ପାଖ ଅଞ୍ଚଳର କି ଆଉ କୋଉ ଅତି ଧୁରିଆ ଅଞ୍ଚଳର, ମୁଁ ଠିକ୍‌ରେ ଜାଣୁ ନଥାଏ, ଓଡ଼ିଆ ଭଲ କହୁଥାଏ, ହେଲେ କଥାରେ କେମିତି ଟିକେ ବାଙ୍କ ରହୁଥାଏ । ଭାବୁଥାଏ ଡାକ୍ତର ପାଖକୁ ନ ନେଇ କିଛି ବଡ଼ ଭୁଲ୍‌ କଲି କି ।

 

କେଜାଣି କାହିଁକି କଥା ମଝିରେ ଅଟକିଗଲା ରଘୁ । ଟିକେ ମୋ ସ୍ତ୍ରୀଙ୍କ ଆଡ଼କୁ ଚାହିଁଲା-। ମୋ ସ୍ତ୍ରୀ ମୁର୍କିହସି ପଚାରିଲେ, ‘କ’ଣ ପୁଣି ଚା’ ଦରକାର ହଉଚି କି ?'

 

କାନମୂଳ କୁଣ୍ଡାଇ ରଘୁ କାନ୍ଥ ଘଣ୍ଟାକୁ ଚାହିଁ କହିଲା, ‘ବହୁତ ଡେରି ହେଇଗଲାଣି ମା’ । ତଥାପି ଚା’ଟିକେ ହେଇଥିଲେ କଥାଟା ସାରିଦେଇଥା'ନ୍ତି, ନହେଲେବି କିଛି ଯାଏଁ ଆସେ ନାହିଁ, ଆଉ କ’ଣ କଥାଟା ଅଧାରଖି ଏଠୁ ଯିବି ନା କ’ଣ ?'

 

ମୋ ସ୍ତ୍ରୀ ରୋଷେଇଘରେ ପହଞ୍ଚି ଠନ୍ ଟୁଂ ଝଣ୍ ଫଟ୍ ଠାନ୍ ଢଂ ଇତ୍ୟାଦି ଜାତୀୟ ଶବ୍ଦ କରିବାକ୍ଷଣି ମୋର ପୂରା ପାଖକୁ ଚାଲିଆସି ରଘୁ ଆପାତତଃ ଫିସ୍‌ଫିସ୍ ସ୍ୱରରେ କହିଲା ଯେ ମା’ ଚା’ କରି ଆଣିବା ଭିତରେ କଥାଟା–ମାନେ ସେଇଟା ମେନ୍ କଥା ନୁହେଁ–ସେ ମତେ କହିଦବ । ମୁଁ ଆଗ୍ରହରେ ତା’ ଆଡ଼କୁ ଝୁଙ୍କି ପଡ଼ିବାକ୍ଷଣି ସେ ତରତରରେ କହିଲା, ‘ବୁଝିଲେ ଆଜ୍ଞା, ଅଟୋ ଭିତରେ ମୋ ସ୍ତ୍ରୀ କୋଳରେ ତ ପୁଅ ବସିଥାଏ, ଆମେ ଦି'ଜଣ ମାନେ ମୁଁ ଏବଂ ସେ ମୋଟୀ ଦି’କଡ଼ରେ ବସିଥାଉ । ପୁଅଟା ଯେହେତୁ ଝୁଙ୍କି ଯାଉଥାଏ, ମୁଁ ଗୋଟେ ହାତ ଆଗପଟରେ ନେଇ ତା’ ମୁଣ୍ଡକୁ ଧରିଥାଏ ଏବଂ ଆଉ ଗୋଟେ ହାତ ମୋ ସ୍ତ୍ରୀ ପିଠି ପଛବାଟେ ନେଇ ଭିଡ଼ି ଧରିଥାଏ, କାଳେ ନହେଲେ ମା’ ପୁଅ ଆଗ ରଡ଼ରେ ବାଡ଼େଇ ହେଇଯିବେ । ସେ ମୋଟୀ କ’ଣ କଲାନା ଏ ଆଡ଼କୁ ଝୁଙ୍କିପଡ଼ି ମୋ ସ୍ତ୍ରୀକୁ ଯାବତୀୟ କଥା ବୁଝାଉଥାଏ, ସେଗୁଡ଼ାକ ଅବଶ୍ୟ ଏଠି କହିବା ଦରକାର ନାହିଁ ।’

 

ଜାଇଁଲ ମା', ଅଟୋ ଯାଇ ଠିକଣା ଜାଗାରେ ଅଟକିଲା । ସେ ମୋଟୀ ଅଟୋକୁ ବାଟ କଢ଼େଇ ନେଉଥାଏ । ଗଳି ଭିତରର ଯୋଉ ଘର ଆଗରେ ଅଟୋ ରହିଲା, ସେଇଟା ଛୋଟକାଟର ଘର । ମୋଟୀ ଅଟୋରୁ ଓହ୍ଲେଇ ଆଗତୁରା ଘର ଭିତରକୁ ଯାଇସାରିଥାଏ । ମୁଁ ଓ ମୋ ସ୍ତ୍ରୀ ପୁଅକୁ ଧରି ଧରି ଭିତରକୁ ଗଲୁ । ପ୍ରଥମ ଘରେ ଶପଟାଏ ପକାଇ ସେ ମୋଟୀ ଅପେକ୍ଷା କରିଥାଏ । ପୁଅକୁ ଏଇଠି ଶୁଏଇ ଦିଅ ବୋଲି ସେ ଆମକୁ କହିବାରୁ ଆମେ ପୁଅକୁ ସେଇ ଶପ ଉପରେ ଶୁଏଇ ଦେଲୁ । ଆମ ଭାଲୁର ଚେତା ପ୍ରାୟ ଫେରି ଆସିଥାଏ । ସେ ଜୁଳୁଜୁଳୁ କରି ଛାତକୁ ଅନେଇଥାଏ । ଭାରି ଦୁର୍ବଳିଆ ଦିଶୁଥାଏ । ତା' ଦେହରେ ଜର ଥାଏ, ମାନେ ଏମିତି ଖଇଫୁଟା ଜର ନୁହେଁ, ତେବେ ଜର ତ ।

 

ପୁଅ ପାଖରେ ତା’ ମା’ ତଳେ ବସିଥାଏ, ମୁଁ ଟିକେ କଡ଼କୁ ଠିଆ ହୋଇଥାଏ । ମୋଟୀ ଏ ଭିତରେ ଭିତରଘରକୁ ଯାଇଥିଲା, ପାଞ୍ଚ ମିନିଟ୍ ପରେ ସେ ଆସିଲା, ତା’ ପଛେ ପଛେ ଜଣେ ମଧ୍ୟ ବୟସ୍କା ମହିଳା, ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ, ମୁଣ୍ଡରେ ସିନ୍ଦୁର ବଦଳରେ ଥିଲା ଚନ୍ଦନ, ସେ ଅବଶ୍ୟ ଦେବୀ ମା’ ପରି ଦିଶୁଥିଲେ । ମୁଁ ଓ ମୋ ସ୍ତ୍ରୀ ଅବଶ୍ୟ ତାଙ୍କୁ ନମସ୍କାର ହେଇଥା’ନ୍ତୁ । ତେବେ ତତ୍‌କ୍ଷଣାତ୍ ମୋଟୀ ଦେବୀ ମା’ଙ୍କୁ ପ୍ରଣାମ କର ବୋଲି କହନ୍ତେ ଆମେ ସାଷ୍ଟାଙ୍ଗ ପ୍ରଣାମ କଲୁ । ସେ ଅର୍ଥାତ୍ ଦେବୀ ମା’ ଆମ ପୁଅର ମୁଣ୍ଡ ପାଖରେ ବସିଲେ । କ’ଣ ସବୁ ଭୁଟ୍‌ଭୁଟ୍ ହେଇ କହିବାରେ ଲାଗିଲା, କିଛି ମନ୍ତ୍ର ପଢ଼ିଲା ପରିକା, ମନ୍ତ୍ର କି କ’ଣ କେଜାଣି । ଜାଇଁଲ ବାବୁ, ମୋର ଗୋଟାଏ କଥା ଡାଉଟ୍ ରହିଯାଇଚି । ଯେ ମନ୍ତ୍ରଗୁଡ଼ାକ କ’ଣ ଖାଲି ସଂସ୍କୃତ ଭାଷାରେ ଥାଏ ନା ଅନ୍ୟ ଭାଷାରେ ଥାଏ ? ମୋ ଦୋକାନକୁ ଗୋଟେ ଲୋକ ଆସିଥିଲା, କ’ଣ ଗୋଟେ କଥା ପଡ଼ିବାରୁ କହିଲା ଯେ ପୃଥିବୀର ସବୁ ଭାଷାରେ ମନ୍ତ୍ର ଅଛି । ସେ କହିଲା ଆଫ୍ରିକା ମାଫ୍ରିକାରେ କ’ଣ ମନ୍ତ୍ର ସବୁ ସଂସ୍କୃତରେ ପଢ଼ା ହଉଥିବା ନା କ’ଣ ? ସେଠିକା ଭୂତ–ପ୍ରେତ–ଡାହାଣୀ, ପିଶାଚ ମିଶାଚ–ଗିଶାଚ କ’ଣ ସଂସ୍କୃତ ମନ୍ତ୍ର ବୁଝିବେ ନା କ’ଣ ? ସେମାନଙ୍କୁ କ’ଣ ଆମ ସଂସ୍କୃତ ମନ୍ତ୍ର କାପୁ କରିବ ନା କ’ଣ ?

 

ଛାଡ଼ନ୍ତୁ ଆଜ୍ଞା, ଯାହାର ବିଶ୍ୱାସ ଯେଡ଼େ, ତାହାର ପ୍ରଭୁ ତେଡ଼େ । ମୋ ସ୍ତ୍ରୀ ଶପର ଏକରେ ବସିଥାଏ, ଦେବୀ ମା’ ସେକରରେ ବସିଥା'ନ୍ତି । ମୋଟୀ ଓ ମୁଁ ଟିକେ ଦୂରକୁ ଠିଆ ହୋଇଥାଉ । ଦେବୀ ମା’ ପୁଅର କପାଳରେ ମିଣ୍ଟିଏ ଦି’ମିଣ୍ଟି ହାତ ରଖିଲେ, ଆଖି ବୁଜି ତା' ମୁହଁ–ଛାତି ଫୁଙ୍କିବାରେ ଲାଗିଲେ । ପୁଣି ଭିତରକୁ ଯାଇ ଦୁଇଟା ମନ୍ଦାର ଫୁଲ ଓ ପାଉଁଶ ପରି କିଛି ଚୂର୍ଣ୍ଣ ଆଣି ଆସିଲେ । ଗୋଟେ ଫୁଲ ପୁଅର କପାଳରେ ଓ ଗୋଟେ ଫୁଲ ପୁଅର ପେଟ ଉପରେ ରଖିବା ପରେ ଦେବୀ ମା’ ପାଉଁଶ ପରିକା ଚୂନକୁ ପୁଅର କପାଳଠାରୁ ପାଦଯାଏଁ ଛିଞ୍ଚିବାରେ ଲାଗିଲେ । ସେଇଠି ତଳକୁ ମୁହଁ କରି ବସିଲେ । ପ୍ରାୟ ପନ୍ଦର ମିନିଟ୍ ସେମିତି ବିତିଗଲା, ମାନେ ଶପ ଉପରେ ପୁଅ, ସେକରେ ସେ, ଏକରେ ମୁଁ ଓ ସେ ମୋଟୀ ଠିଆ ହୋଇଥାଉ, ମୋ ସ୍ତ୍ରୀ ଶପର ସେପଟକୁ ବସିଥାଏ । ମୁଁ ଏତେବେଳେକେ ମୋ ସ୍ତ୍ରୀ ମୁହଁକୁ ଭଲ କରି ଲକ୍ଷ୍ୟ କଲି, ତା’ ମୁହଁ ପୂରା ଶୁଖୁଲା ଭେଣ୍ଡି ପରି ଦିଶୁଥାଏ । ରଘୁ ପାଟିରୁ କଥା ସରିଛି କି ନାହିଁ, ମୋ ସ୍ତ୍ରୀ ବଡ଼ ଆଗ୍ରହରେ ପଚାରିଲେ, ‘ଶୁଖିଲା ଭେଣ୍ଡି କେମିତିକା କିହୋ ରଘୁ ?’

 

ରଘୁ ହସି ହସି କହିଲା, ‘ମା’ଙ୍କର ଯୋଉ କଥା ।’

 

ୟା’ପରେ ରଘୁ ଆଉ ସେକଥା ନ ବଢ଼ାଇ ନିଜକଥା କହିବାରେ ଲାଗିଲା ।

 

ସେଇଠୁ କ’ଣ ହେଲା ନା ଦେବୀ ମା’ ମୋ ପୁଅକୁ ‘ପୁଅ ଉଠ; ଉଠିକି ବସ’ ବୋଲି ତିନି ଚାରିଥର କହିଲେ । ଆପଣମାନେ ବିଶ୍ୱାସ କରିବେ କି ନାହିଁ କେଜାଣି, ଆମ ପୁଅ ତ ପୂରା ଚାଙ୍ଗ ହୋଇ ଉଠିଲା । ଉଠି ବସିଲା । ଦେବୀ ମା’ କହିଲେ, ‘ବାପା ଠିଆ ହେଲ ।’ ଭାଲୁ ଠିଆ ହେଲା । ମା’ ତାକୁ ଟିକେ ଚାଲିବାକୁ କହିବାରୁ ସେ ଘରର ଏପଟ ସେପଟ ହେଇ ଟିକେ ଚାଲିଲା । ମା’ ତାକୁ ପୁଣି ବସିବାକୁ କହିବାରୁ ସେ ବସିଲା । ମା' ତାକୁ ଆଉ କେତେଟା ସାଧାରଣ ପ୍ରଶ୍ନ ପଚାରିବା ପରେ ଭିତରକୁ ଗଲେ । ମତେ ଓ ସ୍ତ୍ରୀଙ୍କୁ ଭିତରକୁ ଡାକିଲେ । ବାହାର ଘରେ ରହିଲେ ମୋ ପୁଅ ଭାଲୁ ଏବଂ ସେଇ ମୋଟୀ ।

 

ଭିତରଘରର ସାଜସଜ୍ଜା ଥିଲା ଅତି ବଢ଼ିଆ । ସତେ ଯେମିତି କୁନି ମନ୍ଦିରଟେ । ଛୋଟିଆ ଜଣିକିଆ ଖଟ ଉପରେ ଦେବୀ ମା’ ବସିଲେ । ଆମକୁ ପୁଅ ସମ୍ପର୍କରେ କେତେଟା କଥା, ପରିବାରରେ ନିକଟରେ କିଏ ମରିଥିଲା କି ନାହିଁ ସେକଥା, କାହା ସମ୍ପର୍କରେ ଆମର କିଛି କଦର୍ଯ୍ୟ ମନ୍ତବ୍ୟ ଦେବା କଥା, କାହା ସହ ଆମର ଶତ୍ରୁତା, ଆଗରୁ କିଏ ଆମ ଉପରେ ଦାଉ ସାଧିବା କି ରାଗ ସୁଝାଇବା ପରି କିଛି କାର୍ଯ୍ୟ କରିବାର କଥା, ଇତ୍ୟାଦି ଇତ୍ୟାଦି । ଆମେ ସ୍ଵାମୀ ସ୍ତ୍ରୀ ସାଧ୍ୟ ମୁତାବକ ଉତ୍ତର ଦେଲୁ ।

 

ଦେବୀ ମା’ ତା'ପରେ ଆମକୁ ବୁଝାଇବାରେ ଲାଗିଲେ । ତାଙ୍କ କଥାର ସାରାଂଶ ଯାହା, ମୁଁ କହି ଦଉଚି । ତାଙ୍କର କହିବା କଥା ଥିଲା ଯେ...

 

ଆମ ଘର କି ମୋ ବେପାର ଉପରେ କେହି କଡ଼ା ନଜର ପକେଇଥିଲା । ଶତ୍ରୁତା ଥାଇପାରେ କି ନ ଥାଇପାରେ । ସିଏ ହୁଏତ କୋଉ ଗୁଣିଆକୁ ପଟେଇପାଟେଇ ଦାଉ ସାଧିବାପାଇଁ ବାଣ ମାରୁଥିଲା । କିମ୍ବା ଏମିତିବି ହୋଇଥାଇପାରେ ଯେ କୋଉ ଲୋକମାନେ କେହି ଟୋକାଳିଆ ଲୋକ ନୂଆ ଗୁଣି ଶିଖୁଥିବ କି ତନ୍ତ୍ର ସାଧୁଥିବ–ସିଏ ହୁଏତ ପୁଅଠାରେ ବାଣ ପରୀକ୍ଷା କରୁଥିଲା । ଯାହାହେଉ, ଏସବୁ ଚିନ୍ତାର ବିଷୟ ବୋଲି ଦେବୀ ମା’ କହିଲେ, ଦେହ ଖରାପ ହେବା ନିର୍ଦ୍ଦିଷ୍ଟ ସମୟରେ ଓ ଦିନରେ ଜର ହେବା ଗୁଣିର ପ୍ରଭାବ ବୋଲି ଆମକୁ ବୁଝେଇଲେ । ସେଇ ଲାଗି ଏଲୋପାଥି, ହୋମିଓପାଥି, ଆୟୁର୍ବେଦୀ, କବିରାଜି କିଛି କାମ ଦେଇ ନଥିଲା ।

 

ଆମେ ଦି’ଜଣ କିଛି କହୁ ନଥାଉ । ସେ ଯାହା କହୁଥା’ନ୍ତି ଖାଲି ଶୁଣୁଥାଉ ଶେଷରେ ସେ ଯାହା କହିଲେ ପୂରା ମର୍ମକଥା । କହିଲେ ଯେ ଯିଏବି ହେଉ, ସେ କ’ଣ ଦେବୀ ମା’ଙ୍କ ଉପରେ ନା କ’ଣ ? କଥାଟା ଆମକୁ ବୁଝେଇଲେ । ଯିଏବି ଗୁଣିଆ, ସିଏ ବାଣ ମାଧ୍ୟମରେ ଆମ ଘରକୁ ଗୋଟେ ଅଶୁଭ ଆତ୍ମା ପଠେଇଥିଲା, ସିଏ ଅଶୁଭ ଆତ୍ମା ପାଞ୍ଚ ସାତ ଦିନରେ ଥରେ ଆମ ଘରକୁ ଆସୁଥିଲା ଏବଂ ତା’ରି ପ୍ରଭାବରେ ପୁଅର ଶରୀର ଖରାପ ହେଉଥିଲା । ଅଶୁଭ ଆତ୍ମା ଆସୁଥିଲା କି ନାହିଁ, ଯଦି ଆସୁଥିଲା ତେବେ କେମିତି ଆସୁଥିଲା, ଘରେ କି ଘର ପାଖରେ ରହୁଥିଲା, କାହାର ବା ଆତ୍ମା ଇତ୍ୟାଦି ନାନା ପ୍ରଶ୍ନ ଆମେ ପଚାରିଲୁ । ମୋ ଛାତି ତ ଧଡ଼ଧଡ଼ ହେଉଥାଏ, ମୋ ସ୍ତ୍ରୀ ପ୍ରାୟ ଥରୁଥାଏ ବୋଲି କହିଲେ ଚଳିବ । ଦେବୀ ମା’ ଆମର ସବୁ କଥା ଶୁଣି ଟିକେ ନିରବ ରହିଲେ । ତା’ପରେ କହିଲେ ଯେ ତମେମାନେ ତ ପୁଅର ଚିନ୍ତା ମତେ ଦେଇଗଲ, ଆଉ ଏତେ ଭାବୁଚ କାହିଁକି । ଯାହା କରିବା କଥା ସେ କରିବେ ।

 

ମୁଁ ତାଙ୍କ ପାଦ ତଳେ ପାଁଶ ଟଙ୍କା ରଖୁଥିଲି, ସେ ହସିଲେ, କହିଲେ ଏବେ ନୁହ, ଅଶୁଭ ଆତ୍ମା ଯିବା ପରେ ତୁମ ପରିବାରର ସମସ୍ତେ ଏଠିକି ଆସିବ, ଦେଢ଼ଶ ଦୁଇଶ ଲୋକ ଖାଇବାପାଇଁ ବ୍ୟବସ୍ଥା କରିବ, ସେଦିନ ନିହାତି କମ୍‌ରେ ତିରିଶ ଜଣ କୁନି କୁନି ପିଲା ଯେମିତି ଖାଇବେ । ଆଜି ୟେ ଟଙ୍କା ନେଇଯାଅ । ୟେ ଟଙ୍କା ଆଜି ଏଠି ପଶିଲେ ମନ୍ତ୍ରର ପ୍ରଭାବ ଗୋଲ୍ ହେଇଯିବ । ଯାଅ, ପୁଅପାଇଁ ଏବେ ପାଖରୁ ଆଉ ବିଶେଷ କିଛି ବିପଦ ନାହିଁ । ଆସନ୍ତା ଗୁରୁବାର ସଞ୍ଜରେ ଆସିବ, ସେଦିନ ଦେବୀମା’ଙ୍କ ଆଦେଶରେ ମୁଁ ଚାର ପ୍ରେରଣ କରିବି, ଚାର ତାକୁ ଖୋଜି ବାହାର କରିଦବ, ସବୁଦିନ ପାଇଁ, ତା'ପରେ ତ ଆମ ପୁଅର ଭବିଷ୍ୟତ ଉଜ୍ଜ୍ୱଳ ।

 

ଶେଷ ବାକ୍ୟଟି କହିବାବେଳେ ସେ ପୁଅର ଗାଲକୁ ଆଉଁଶି ଦେଇଥିଲେ । ଆମେ ଯେମିତି ଯାଇଥିଲୁ, ସେମିତି ଫେରି ଆସିଥିଲୁ ।

 

ସତକୁସତ, ଆପଣ ବିଶ୍ୱାସ କରିବେ ନାଇଁ ଆଜ୍ଞା, ଦେବୀ ମା’ଙ୍କ ଅପାର କରୁଣା, ସେଇ ଦିନ ପରଠାରୁ ଭାଲୁର ଜର ପୂରା ଛାଡ଼ିଗଲା, ସିଏବି ପୂରା ସତେଜ ଦିଶିଲା, ଆଗପରିକା ଚାଙ୍ଗା ଚଉକସ୍ ହେଇଗଲା, ପେଟପୂରା ଠିକ୍ ଖାଇଲା, ଖେଳିବାକୁ ଧାଇଁଲା, ଖେଳିସାରି ଆସି ମା’କୁ ଖାଇବାକୁ ମାଗିଲା । ମାନେ ମୋ କହିବା କଥା ଏହି ଯେ ପିଲାଟା ପୂରା ସ୍ଵାଭାବିକ ହେଇଗଲା, ଅନ୍ୟ ସବୁ ପିଲାଙ୍କ ପରି । ମୋ ସ୍ତ୍ରୀ ଯାବତୀୟ ଚିନ୍ତାରୁ ମୁକ୍ତି ପାଇଲା, ହେଲେ ତା’ର ରାଉ ରାଉ ହବା ଜମା କମିଲା ନାହିଁ । କଥା କ’ଣ କି, ସେ ବେଳ ପାଇବାମାତ୍ରେ ତୁହାକୁ ତୁହା ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦୀ ଡାକ୍ତରଙ୍କୁ ଗାଳି ଦେଉଥିଲା ।

 

ଏ ଭିତରେ ଭଲରେ ଭଲରେ ପାଞ୍ଚ ଦିନ ଖଣ୍ଡ ବିତିଗଲା । ଠିକ୍ ଗୁରୁବାର ଦିନ ସକାଳୁ ଭାଲୁକୁ ଆମର ଜର ହେଲା । ଭାଲୁ ତ ଜରରେ କମ୍ପିବାରେ ଲାଗିଲା । ଆଗରୁ ତ ଆମ ଘରେ ନାନାପ୍ରକାର ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦୀ ଓଷଦ ଥିଲା । ଭାବିଲି ଏବେ ଦୁଇ ତିନି ପାନ ଓଷଦ ଦେଇ ପହିଲେ ଜର ଭଲ କରିବା ପରେ ସଞ୍ଜକୁ ମା’ଙ୍କ ଘରକୁ ଯିବୁ; ପୂରା ଭଲ ନହେଲେବି ଧିଅରୁ ଟିକେ ତାତି କମିଯିବ ତ । ଯେମିତି ମୁଁ ଓଷଦ ଦବା କଥା କହିଛି, ମୋ ସ୍ତ୍ରୀ ତ ପରସ୍ତେ କମ୍ପିଗଲା । ସିଏ ଏମିତି ଚିଲେଇଲା ଯେ ମତେ ଲାଗିଲା ଛାତରୁ ପଙ୍ଖାଟା ଗଳି ପଡ଼ିବ ଯେମିତି ।

 

କହିଲା କି ବଟିକା ମଟିକା ଫଟିକା କିଛିବି ଦିଆଯିବନି । ଯାହା ଦେବୀ ମା’ କହିବେ ସେଇଆ ହବ । ଆଜିକାଲି ତ ଆଜ୍ଞା ମୋବାଇଲ୍ ହେଇଗଲାଣି । ଦେବୀ ମା’ବି ଆମକୁ ତାଙ୍କ ମୋବାଇଲ୍ ନମ୍ବର ଦେଇଥିଲେ । ମୋ ସ୍ତ୍ରୀ ନମ୍ବର ଲଗେଇଦେଲା ଓ ମୁଁ କଥା ହେଲି । ଦେବୀ ମା’ ଯାହା କହିଲେ ତା’ର ସାରାଂଶ ଏହି ଯେ କୋଉ ପ୍ରକାର ତାନ୍ତ୍ରିକ କି ପ୍ରକାର ବାଣ ପଠେଇଥିଲା, ସେକଥା ସେ ଜାଣିପାରିଥିଲେ । ବାଣ ଗୁରୁବାର ସକାଳୁ କାମ କରିବା ଅର୍ଥ ଯାହା ଜରିଆରେ ବାଣ ଆସିଥିଲା, ସିଏ ଆମ ଚକଡ଼ା ପ୍ରବେଶ କରିସାରିଥିଲା । ସେମିତି କିଛି ଜୀବଜନ୍ତୁ ବା ଅଚିହ୍ନା ମଣିଷକୁ ଆମେ ଆମ ଚକଡ଼ାରେ ଦେଖିଥିଲୁ କି ? ଇତ୍ୟାଦି କେତେକ ପ୍ରଶ୍ନ । ଆମେ ସ୍ଵାମୀ ସ୍ତ୍ରୀ ସାଧ୍ୟ ମୁତାବକ ଉତ୍ତର ଦେଲୁ । ମା’ ପରାମର୍ଶ ଦେଲେ କି ଆମ ଭିତରୁ ଜଣେ ଘରେ ରହିବ ଓ ଜଣେ ପୁଅକୁ ନେଇ ତୁରନ୍ତ ତାଙ୍କ ଘରକୁ ଯିବ । ତେବେ ପୁଅକୁ ଆମ ଚକଡ଼ାରୁ ପଦାକୁ ଟିକେ ସାବଧାନରେ ଆଣିବା ଦରକାର । ଠାକୁରଘରୁ ଯେ କୌଣସି ଠାକୁରଙ୍କ ଫଟୋକୁ ବା ମୂର୍ତ୍ତିକୁ ପୁଅର ପକେଟ୍‌ରେ ରଖି ପଦାକୁ ଆସିବ ।

 

ସେଇଆ ହେଲା । ପୁଅକୁ ନେଇ ମୋ ସ୍ତ୍ରୀ ସାବଧାନରେ ଘରୁ ବାହାରିଗଲା । ବାଟରେବି ସାଧାରଣଭାବେ ସାବଧାନତା ଅବଲମ୍ବନ କରିବାକୁ ଆମକୁ କୁହାଯାଇଥିଲା, ଯେପରିକି କାହାରି ହାତରୁ କିଛି ଖାଇବ ନାହିଁ, ଅଚିହ୍ନା ଲୋକ ସହ କଥା ହେବ ନାହିଁ, ଷଣ୍ଢ କି କୁକୁର କି ବିରାଡ଼ିର ପାଖକୁ ଯିବ ନାହିଁ । ସେ ଯାହାହେଉ, ମୋ ସ୍ତ୍ରୀ ପୁଅକୁ ନେଇ ନିରାପଦରେ ସେଠି ପହଞ୍ଚିଗଲା । ସେତେବେଳକୁ ଦିନ ବୋଧେ ସାଢ଼େବାର କି ଗୋଟାଏ । ମୁଁ ଘରେ ରହିଲି । ମତେ କୁହାଯାଇଥିଲା ମାନେ ଦେବୀ ମା’ଙ୍କ ଆଦେଶ ଥିଲା ଯେ ମୁଁ ଆମ ଘର ଓ ଚକଡ଼ାରେ ତୀକ୍ଷ୍ଣ ନଜର ରଖିବି । ଯଦି କିଛି ଅଜବ କଥା ଘଟିବାର ଦେଖିବି, ତୁରନ୍ତ ଦେବୀ ମା’ଙ୍କୁ ଫୋନ୍‌ରେ ଜଣେଇବି । ଅଜବ କଥା ମାନେ ସାଧାରଣରେ ଯାହା ସବୁଦିନ ଘଟି ନଥାଏ, ଯେମିତିକା କୌଣସି ଗଛରୁ ପବନ ଫବନ ନଥାଇ ଡାଳ ଖଣ୍ଡେ ଭାଙ୍ଗିଯିବା କି ଶୂନ୍ୟଟାରେ ଥାକରୁ ଖଣ୍ଡେ ବାସନ ଖସିପଡ଼ିବା କି ସେଇଭଳିଆ କିଛି; କ'ଣ ହେବ, କିଏ କ’ଣ ସେକଥା ଜାଣିଥିଲା କି ?

 

ଟେନ୍‌ସନ୍ ଅଧିକ ହେବାରୁ ମୁଁ ମଝିରେ ମଝିରେ ସିଗାରେଟ ଫୁଙ୍କୁଥାଏ, ମନେମନେ ପ୍ରାର୍ଥନାବି କରୁଥାଏ । ଭିତରେ ଟିକେ ଭୟବି ଆସୁଥାଏ । କାରଣ ମୁଁ ଥାଏ ଏକା, ସେପଟେ ପୁଅପାଇଁ କ’ଣ ପୂଜାପୂଜି କରାଗଲା, ମୁଁ ଜାଣିପାରୁ ନଥାଏ । ମୁଁ ସେଦିନ କ’ଣ ଆଉ କିଛି ଖାଇଚି ନା କ’ଣ ? ଖାଲି ନିରୋଳା ପାଣି ପିଉଥାଏ, ସିଗାରେଟ ଫୁଙ୍କୁଥାଏ ଏବଂ ଏ ଘର ସେ ଘର, ବାରଣ୍ଡା, ସହର ଘର କିବା ଘର, ଏଡ଼ିକି ଟିକେ ଜାଗା ଆଗକୁ ଓ ତା’ଠୁ ଛୋଟ ଜାଗା ପଛପଟକୁ, ବାସ୍ ସେତିକି ଜାଗା ଉପରେ ମୋର ନଜର ଘୂରି ବୁଲୁଥାଏ । ଟିକେ ଦୂରରେ ରାସ୍ତାରେ ଗାଡ଼ି ମଟର ପଁ ପାଁ ହେଇ ଯାଉଥାଏ । ଆଖପାଖ ଘରୁ ମଧ୍ୟ ଖଡ଼ ଖଡ଼, ପାଟିତୁଣ୍ଡ ଶୁଭୁଥାଏ । ବଡ଼ ବିଚିତ୍ର ଅବସ୍ଥା । ମୁଁ ଅପେକ୍ଷା କରୁଥାଏ ମୋ ସ୍ତ୍ରୀର ଫୋନ୍‌କୁ ଏବଂ ମୋର ଧାରଣା ଯେ ସେପଟେ ସେମାନେ ମଧ୍ୟ ଅପେକ୍ଷା କରୁଥିବେ ମୋ ଫୋନ୍‌କୁ ।

 

ଏ ଭିତରେ ଘଣ୍ଟା ପରେ ଘଣ୍ଟା ବିତିଯାଉଥାଏ । ପରେ ମୁଁ ମୋ ସ୍ତ୍ରୀଠାରୁ ଯାହା ଜାଣିଲି, ସେପଟେ ଦେବୀ ମା’ ପୁଅକୁ ତାଙ୍କ ଘରେ ମାନେ ପୂଜାଘରେ ବସାଇ କ’ଣ ସବୁ ପୂଜାପାଠ କରିଥିଲେ । ମୂଳକଥା ହେଲା, ସେ ଗୋଟେ ଚାରିହାତିଆ ଘର ଚଟାଣରେ ଆଙ୍କି ଦେଇଥିଲେ–ମାନେ ସିନ୍ଦୁରରେ ଗୋଟାଏ ଚାରିହାତିଆ ବର୍ଗକ୍ଷେତ୍ର–ପୁଅ ତାହାରି ଭିତରେ ଥାଏ । ବସାଉଠା ସବୁକିଛି ତାଆରି ଭିତରେ । ସେଠି ଆଉ କ’ଣ ସବୁ ହୋଇଥିଲା, ସେକଥା ଆଉ କୋଉ ଦିନ ଆସିଲେ କହିବି ।

 

ଏଣେ ପ୍ରାୟ ସଞ୍ଜବେଳକୁ ମୁଁ ଭାବିଲି କାହାକୁ ଡକେଇବି, ସେତେବେଳକୁ ମୁଁ ପ୍ରାୟ ଛ’ ସାତ ଘଣ୍ଟା ଏକା ରହିଲିଣି । ମତେ ତ ଜେଲ୍‌ରେ ରହିବା ପରି ଲାଗୁଥାଏ । ମୁଁ ଭିତରଘର ଓ ବାରଣ୍ଡାର ଆଲୁଅ ଲଗେଇ ସାରିଥାଏ । ବାହାର ଆଲୁଅ ଲଗେଇ ନଥାଏ । ସିଗାରେଟ ଖଣ୍ଡେ ଲଗାଇ ମୁଁ ବାହାରକୁ ଆସିଲି । ବାହାର ଦର୍ଜା ପାଖରେ ଠିଆ ହୋଇ ଭାବୁଥାଏ ‘ଆଜି ଦିନର ବେପାର ଗଲା ।’ ପୁଣି ମନକୁ ବୁଝଉଥାଏ, ବେପାର ଗଲେ ଯାଉ, ପୁଅ ଭଲ ହେଇଯାଉ ।

 

ଘରର ସାମ୍ନା ଦରଜାର ବାଁ ପଟକୁ ଲୁଗାପଟା ଶୁଖାଇବା ପାଇଁ ମୋ ସ୍ତ୍ରୀ ଗୋଟେ ତାର ଟଙ୍ଗେଇଥିଲା, ମାନେ ତା’ର ବାନ୍ଧିଥିଲା । ଆଖିଟା ସେଇଠି ପଡ଼ିଯିବାବେଳକୁ କେଜାଣି କାହିଁକି ମୋ ଧିଅ ହାତ ଶୀତେଇଗଲା । ଆରେ ଦେଖିବାବେଳକୁ ସେଇ ତାରରେ ଶୁଖୁଥିବା ପୁଅର ଜାମାପେଣ୍ଟ୍‍ ଉପରେ ପୂରା ଧୀରେ, ମାନେ ଧୀରସ୍ଥିର ହୋଇ ବସିଥାଏ ବଡ଼, ମାନେ ଅତିବଡ଼ ପେଚାଟାଏ !

 

‘ପେଚାଟାଏ ?' ମୋ ସ୍ତ୍ରୀଙ୍କ ପାଟିରୁ ବାହାରି ପଡ଼ିଲା ।

 

ରଘୁ ସେକଥା ବା ମନ୍ତବ୍ୟ ପ୍ରତି ଧ୍ୟାନ ନ ଦେଇ କହିବାରେ ଲାଗିଲା ।

 

ବଡ଼ ପେଚାଟାଏ । ମୁଣ୍ଡଟାକୁ ‘ଠ’ ପରି ବୁଲଉଥାଏ । ମୋ ଉପରେ ତା’ ଆଖି ପଡ଼ିବାରୁ ମତେ ଲାଗିଲା ଯେମିତି ମୋ ଧିଅ ହେମାଳ ହେଇଗଲା । ଡିମାଡ଼ିମା ଆଖି ଦି'ଟା ଯେମିତି ମୋ ଭିତରେ ପଶି ଯାଉଥାଏ କି ଆଉ । ସେ ଜମା ଉଡ଼ି ପଳାଇ ଯାଉ ନଥାଏ । ମୁଁ ବି ତାକୁ ହୁରୁଡ଼େଇ ଦେଉ ନଥାଏ । ଘର ଭିତରକୁ ପୁଣି ଫେରି ଆସିବାକୁ ମୋର ଆଉ ଜୁ’ ନଥାଏ ଯେମିତି । ଠିଆ ହୋଇଥିବା ଜାଗାରୁ ଘୁଞ୍ଚିବାକୁ ତ ମତେ ଭୟ ଲାଗୁଥାଏ । ହ୍ୟାପ୍ ପେଚାଟା ଯେମିତି ଦୂରବୀଣ ଲଗାଇ ମତେ ଦେଖୁଥାଏ ।

 

ସେତିକିବେଳେ ସେ ଆଶ୍ଚର୍ଯ୍ୟ କଥାଟା ଘଟିଲା । ପାହାଚ କଡ଼କୁ ମାଟି ଥିବା ଜାଗା ଉପରକୁ ପେଚାଟା ଝାମ୍ପ ମାରିଲା, ଆଉ ମୁହୂର୍ତ୍ତକ ଭିତରେ ସେଠୁ ଶୁଭିଲା ଚିଁ ଚିଁ ଶବ୍ଦ । ପୁଣି ଆଖି ପିଛୁଳାକେ ପେଚାଟା ଯୋଉ ତାର ଉପରେ ବସିଥିଲା, ସେଇଠି ହାଜର । ମୁଁ ଦେଖିବାବେଳକୁ ତା' ନଖ ସନ୍ଧିରେ ଚିଁ ଚିଁ ଚିତ୍କାର କରୁଥାଏ ଚୁଚୁନ୍ଦ୍ରାଟାଏ । ତାକୁ ଧରି ପେଚା ସେଇ ସିଧାରେ ତଳକୁ ଆସି ବସିଲା, ଥଣ୍ଟରେ ତାକୁ ଧରି ଏପଟ ସେପଟ ମାଟିରେ ପିଟିବାରେ ଲାଗିଲା । କେତେ ସମୟ ପରେ ଚିଁ ଚିଁ ବନ୍ଦ ହୋଇଗଲା ଓ ପେଚାଟା ଘର ସାମ୍ନାରେ ଗୋଟେ ଚକ୍କର କାଟି ଉଡ଼ିଗଲା । ମୋର ଟିକେ ସାହସ କୁଳେଇଲା । ମୁଁ ଧୀରେ ତଳକୁ ଯାଇ ଦେଖିଲି । ରକ୍ତାକ୍ତ ଚୁଚୁନ୍ଦ୍ରା ସେଇଠି ପଡ଼ିଥାଏ ।

 

ମୁଁ ଘର ଭିତରକୁ ଆସି ଫୋନ୍‌ରେ ଏକଥା ମୋ ସ୍ତ୍ରୀକୁ ଓ ତା’ ମାଧ୍ୟମରେ ଦେବୀ ମା’ଙ୍କୁ ଜଣାଇବା କଥା ଭାବୁଚି, ସେପଟୁ ମୋ ସ୍ତ୍ରୀର ଫୋନ୍ ଆସିଲା । ତା’ ସ୍ଵରବି ଟିକେ ଖୁସି ଲାଗୁଥାଏ-। ତରତରରେ ସେ କହିଲା କି ଯୋଉ ସିନ୍ଦୁରର ଗୋଟେ ଜାଗା ଭୂଇଁରେ ଦାଗ ଦିଆଯାଇଥିଲା, ସେ ସିନ୍ଦୁରର ରଙ୍ଗ ଆଉ ଲାଲ୍ ନଥିଲା, ଏକପ୍ରକାର ହଳଦିଆ ପଡ଼ିଯାଇଥିଲା । ଏତିକି କହି, ମୁଁ ଆଉ କିଛି କହିବା ଆଗରୁ ମୋ ସ୍ତ୍ରୀ ‘ଦେବୀ ମା’ କଥା ହେବେ’ ବୋଲି କହି ଫୋନ୍‌ଟା ମା’ଙ୍କୁ ଦେଇଦେଲା ।

 

‘କିଛି ଅଘଟଣ କି ଘଟଣା ଘଟିଚି ନା ନାହିଁ ?' ମା’ ପଚାରିଲେ ।

 

ମୁଁ ତ ଆଜ୍ଞା ଥତମତ ହେଇଗଲି । ଥଙ୍ଗେଇ ଥଙ୍ଗେଇ କହିଲି, ‘ସେମିତି ବିଶେଷ କିଛି ଘଟି ନାହିଁ । ତେବେ ମା’, ବଡ଼ ପେଚାଟାଏ ଢେର୍ ସମୟ ଘର ଆଗ ଲୁଗାଶୁଖା ତାରରେ ବସିଲା, ପୁଣି ପୁଅର ଜାମା ଉପରେ, ତା’ପରେ ପାହାଚ ତଳୁ ଚୁଚୁନ୍ଦ୍ରାଟାଏ ଧରି ତାକୁ ମାରି ଏଇଠି ପକେଇ ଦେଇ ଯାଇଚି । ମା’ କହିଲେ ଯେ ସେମିତି କିଛି ହୋଇଥିବ ବୋଲି ସେ ଆଶା କରୁଥିଲେ । ଘରେ ତାଲା ପକେଇ ତାଙ୍କ ଘରକୁ ଯିବାକୁ ମା’ ନିର୍ଦ୍ଦେଶ ଦିଅନ୍ତେ ମୁଁ ତୁରନ୍ତ ସେଇଆ କଲି ।

 

ସେଠି ପହଞ୍ଚି ଦେଖିଲି ଯେ ଠାକୁରଘରେ ଆସନ ପାତି ବସିଛନ୍ତି ମୋ ପୁଅ ଓ ସ୍ତ୍ରୀ ଏବଂ ଦେବୀ ମା' । ସାମ୍ନାରେ ଖଟୁଲି ଉପରେ ସୁସଜ୍ଜିତ ହୋଇ ଶୋଭା ପାଉଥିଲା କୌଣସି ଦେବୀଙ୍କ ଫଟୋ, ଯାହାଙ୍କ କରୁଣାରୁ ପ୍ରତି ଗୁରୁବାର ଦିନ ସେହି ମହିଳାଙ୍କ ଧିଅରେ ଦେବୀଙ୍କ ପ୍ରଭାବ ରହୁଥିଲା, ଦେବୀ ଆବିର୍ଭୂତ ହେଉଥିଲେ ।

 

ମତେ ଦେଖି ଏଇଠି ନମସ୍କାର କର ବୋଲି କହିଲେ । ମୁଁ କଲି । ସେ ଉଠିଲେ ଏବଂ ଆମକୁ ଲକ୍ଷ୍ୟ କରି କହିଲେ, ‘ଯାଅ, ଆଉ କିଛି ବିପଦ ନାହିଁ । ସେ ଅଶୁଭ ଆତ୍ମାକୁ ଦେବୀ ମା’ଙ୍କ ଦୂତ ଦୂର କରିଛି । ତୁମର ପ୍ରଥମ କାମ ହେଲା ସେଇ ମଲା ଚୁଚୁନ୍ଦ୍ରାକୁ ଅଗଣାଠାରୁ ମାନେ ତୁମ ଚକଡ଼ାଠାରୁ ଦୂରରେ କୌଣସି ମନ୍ଦିର ନିକଟରେ ପୋତିଦେବା ଓ ଦ୍ୱିତୀୟ କାମ ହେଲା, ଛୋଟପିଲାଙ୍କୁ ଭଲ ଭୋଜି ଖାଇବାକୁ ଦେବା । ଉଭୟ କାର୍ଯ୍ୟ କରିବାର ଜବାବ୍ ଦେଇ ଆମେ ଫେରିଆସିଲୁ । ଘରେ ପହଞ୍ଚି ମଲା ଚୁଚୁନ୍ଦ୍ରା ପାଖକୁ ଯାଇ ଆଶ୍ଚର୍ଯ୍ୟ ହେଲି, କାରଣ ରକ୍ତ ବୋହିଥିଲେବି ସେଠି ଜନ୍ଦା–ପିମ୍ପୁଡ଼ି ନଥିଲେ ।

 

ସେବେଠାରୁ ପୁଅ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ଘରର କେତେଟା ସମସ୍ୟାବି ଆପେଆପେ ଭଲମାନେ ସମାଧାନ ହେଇଯାଇଚି ବୋଲି ଶେଷ ମନ୍ତବ୍ୟ ଦେଇ ରଘୁ ଉଠୁ ଉଠୁ କହିଲା, ‘ହେ ଭଗବାନ । କେତେ ଯେ ଡେରି ହେଲାଣି । ମୋ ସ୍ତ୍ରୀ ଓ ମୁଁ ଉଠି ଠିଆହେଲୁ । ମୋ ସ୍ତ୍ରୀ କହିଲେ, ‘ତୁମେ ଯେମିତି ସଜେଇ ସାଜେଇ କଥାଟା କହିଲ, ପୂରା ବହି ପଢ଼ିବା ପରି ଲାଗିଲା । ମାନେ ବହିଗୁଡ଼ାକରେ ବାହାରୁଥିବା ଗପଠାରୁବି ଢେର୍ ଭଲ ।’

 

ରଘୁ ଦର୍ଜାରୁ ବାହାରି ଯାଉ ଯାଉ କହିଲା, ‘ନାଇଁ ମ ମା’ । ଆମର ଶିକ୍ଷାଦୀକ୍ଷା ଯେତିକି, ତାହାରି ଭିତରେ ଗପିଦେଲି ।’

 

ମୁଁ କହିଲି, ‘ତୁମେ ତ ଏମିତି କହିଲ ଯେ ଆମେ ଯୋଉଠି ବସିଚୁ ସେଇଠି ।’

 

ମୋ ସ୍ତ୍ରୀ ଗେଟ୍‌ରେ ତାଲା ପକାଉ ପକାଉ କହିଲେ, ‘ଆଉ ତୁମେ ! ଭଲକଥା ଯଦି କହି ବସିବ, ଗାଈଛେଳିବି ଶୁଣିବେ ନାହିଁ । ଲେଖିବା ତ ଦୂରର କଥା ।’ ମୁଁ ବେଶି କିଛି ଆଉ କହିଲି ନାହିଁ । ପ୍ରଥମତଃ, ରଘୁର କଥା ତଥାପି ମୋ ମୁଣ୍ଡରେ ଖେଳୁଥିଲା । ଦ୍ୱିତୀୟତଃ, ଆଉ କିଛି କହିଥିଲେ ସେଦିନ ରାତିଟା ବରବାଦ ହେଇଯାଇଥା’ନ୍ତା !

✽✽✽

 

ଜଣେ ଝିଅର ଦୁଇଟି ଚିଠି

 

ଉପକ୍ରମଣିକା

 

ମନେକର, ନାଇଁ–ଆମେ ପ୍ରଥମେ କିଛି କଳ୍ପନା କରିବା । ଆମେମାନେ ଏବେ ଏକ ବିଚିତ୍ର ସମୟ ଓ ସମାଜରେ ବାସ କରୁଛେ । ଏଠି ମୋବାଇଲ୍ ଫୋନ୍ ଅଛି; ସେ ସର୍ବଦା କଳ୍ପନାଲୋକରେ ଅଛି, ଅଛି କ’ଣ ମ । ସେଇଠି ବିଚରଣ କରୁଛି । ଯାହାର ସେଇଟି ନାହିଁ, ତା’ର କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଅଛି । ଯାହାର ତାହା ନାହିଁ, ତା'ର ସାଇବର୍ କାଫେ ଅଛି । କାଫେ ନା କେଫ୍ ? ହେଃ–କଥା ମଝିରେ ଖଳ ପୂରାଅନା । ଯେଉଁମାନଙ୍କର ଏସବୁ ନାହିଁ, ସେମାନଙ୍କର ଗଞ୍ଜେଇ ଅଛି । ନହେଲେ ଅଫିମ ଅଛି । ନହେଲେ କେତେ ପ୍ରକାରର ବଟିକା ଅଛି । କିନ୍ତୁ...

 

କ’ଣ କିନ୍ତୁ ?

 

ନା, ମାନେ ମଦ କଥା କହିଲେ ନାହିଁ ତ !!

 

ମଦ ? ଛି–ଛି–ବାଜେ ଲୋକଙ୍କ ବେପାର ସେସବୁ । ମଦର ପ୍ରଥମ କଦର୍ଯ୍ୟ ଗୁଣ ହେଲା ତମକୁ କଳ୍ପନାଲୋକରୁ ଫେରାଇ ଆଣିବା । ସେଇଲାଗି ମଦର ଆଦର ବେଶି । ଅର୍ଥାତ୍ ? ଆରେ କିଏ ଆଜିକାଲି ଚାହେଁ କଳ୍ପନାଲୋକରେ ସମ୍ରାଟ ହୋଇ ରହିବାକୁ ? ସମସ୍ତେ ଚାହାନ୍ତି ବାସ୍ତବ ଜଗତରେ କୁଲି ହବାକୁ !!!

 

କଳ୍ପନା କ’ଣ ଗୋଟେ ରାଇଜ କି ? ଆରେ ରାଇଜ ନୁହେଁ ତ ଆଉ କ'ଣ ? ତମେମାନେ ଏବେ ଯାହାକୁ ନିଜ ରାଜ୍ୟ କହୁଚ, ସେଇଟି କି ଅସୁନ୍ଦର, ଅସନା; ଚାରିଆଡ଼େ ଅଳିଆ ଆବର୍ଜନା । ଗାଁ ଗହଳିବି ନଷ୍ଟ ହୋଇଗଲାଣି । ନଷ୍ଟମାନେ ?

 

ବୁଝେଇବି କ’ଣ ?

 

ଗାଁ ଗହଳିର ବାହାଘରରେ ଦହି ସର୍ବତ୍ ମିଳୁନି, ହେଲେ ମଦ ମିଳୁଚି !!

 

ସଞ୍ଜବେଳେ ସାରା ଗାଁଟା ବୁଲିଆସ । ଅଧ ସେରେ ଘିଅ ମିଳିବ ନାହିଁ । ଅଥଚ ଚାରି /ପାଞ୍ଚ କାର୍ଟୁନ୍ ମଦ ମିଳିବ । ଛିଃ–ଏଇଟା କି ରାଜ୍ୟ ? ବରଂ ଆମ କଳ୍ପନାର ରାଜ୍ୟ ଭଲ ଥିଲା । ସେଠି କିଛି ଅସୁନ୍ଦର ନୁହେଁ, ସେଠି ସମସ୍ତେ ଭଲ ମଣିଷ । ଅଳିଆ ଆବର୍ଜନା ଚିହ୍ନବର୍ଣ୍ଣ ନାହିଁ । ସେଠି ଯନ୍ତ୍ରୀମାନେ ବର୍ଷସାରା ରାସ୍ତାକଡ଼ରୁ ଅନବରତ ବଡ଼ବଡ଼ ଗଛ କାଟୁ ନଥା'ନ୍ତି । ଗଛ କାଟିସାରି ଯେଉଁ ଚିକ୍କଣ ରାସ୍ତା ସେଠି ହୁଏ, ସେ ରାସ୍ତା ଚାରି / ଛ’ମାସ ଭିତରେ ଖାଲଖମା ପୂର୍ଣ୍ଣ ହୋଇଯାଏ ନାହିଁ ଅଥବା କାମ କରିଥିବା ଠିକାଦାର କୋଡ଼ିଏ ଲକ୍ଷ ଟଙ୍କିଆ କାର୍‌ରେ ବୁଲେ ନାହିଁ କିମ୍ବା ସାଧାରଣ ମଣିଷ ଖାଲଖମା ପୂର୍ଣ୍ଣ ରାସ୍ତାରେ ଦୁର୍ଘଟଣାରେ ଜୀବନ ହରାଏ ନାହିଁ-

 

ଆମ କଳ୍ପନାର ରାଜ୍ୟ ଭଲ ଥିଲା । ହେଲେ ତୁମମାନଙ୍କର ଏଇ ବିଚିତ୍ର ରାଜ୍ୟର ପ୍ରଭାବରେ କଳ୍ପନା ରାଜ୍ୟରେବି ଖରାପ ପବନ ବହିବାରେ ଲାଗିଲା । ପବନ କି ଖରାପ ଥାଏ ? ଜାଣିନାହିଁ ବୋଧେ । ଏବେ ତ ଏ ରାଜ୍ୟରେ ପବନ ବିଷମୟ ଓ ଦୁର୍ଗନ୍ଧରେ ଭରା । ଦେହକୁ ଥଣ୍ଡା ଲାଗିବ ସତ, ହେଲେ ଶୁଙ୍ଘିଦେଲେ ଜୀବନ ଚାଲିଯିବ !

 

ଯେମିତି ସେ ରାଜ୍ୟର ପ୍ରଭାବରେ ଏ କଳ୍ପନା ରାଜ୍ୟରେ କଦର୍ଯ୍ୟ ଓ ଦୁର୍ଗନ୍ଧ ପବନ ବହିଲା, ତ ସେଇ ଝିଅଟାକୁ ଏକୋଇଶବର୍ଷ ଚାଲିଲା । ମନେକର, ଝିଅଟି ମାଟ୍ରିକରେ ପ୍ରଥମ ଶ୍ରେଣୀ ପାଇଥିଲା, ଯୁକ୍ତ ଦୁଇରେବି ଗାଁ କଲେଜରୁ ପ୍ରଥମ ଶ୍ରେଣୀ ପାଇଥିଲା । ପୁଣି ଯୁକ୍ତ ତିନିରେବି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲା ।

 

କଳ୍ପନା ରାଜ୍ୟରେ ସବୁକିଛି ତଥାପି ଭଲ ଥିଲା । ସେଇଠି ସେ ଚାକିରିଟେ କରି ବାହାସାହା ହେଇ ଆରାମରେ ସୁଖର ସଂସାରରେ ମଜ୍ଜି ଯାଇଥା'ନ୍ତା । ହେଲେ ସେତେବେଳକୁ ତାକୁ ଜମା ଏକୋଇଶବର୍ଷ ଏବଂ ସେତିକିବେଳକୁ ସେପଟ ରାଜ୍ୟର ନିହାତି କଦର୍ଯ୍ୟ ପବନ ଏପଟର କଳ୍ପନା ରାଜ୍ୟରେ ପଶି ସାରିଥିଲା । ଛିଃ–ଛିଃ ! ଝିଅଟି ଚାକିରି କରିବା ତ ଦୂରର କଥା, ସେ ସ୍ୱପ୍ନ ଦେଖିବାକୁ ତାକୁ ସମସ୍ତେ ମନା କଲେ ।

 

ସେଇ ସମୟରେ କଳ୍ପନା ରାଜ୍ୟର ଜଣେ ଲୋକ ଯିଏକି କଦର୍ଯ୍ୟ ପବନ ବହୁଥିବା ତୁମମାନଙ୍କ ରାଜ୍ୟରେ କିଛିଦିନ ରହି ଚାଲାକ ହୋଇଯାଇଥିଲା, ସିଏ ଏ ଝିଅକୁ ବୁଝାଇଲା କି କଳ୍ପନା ରାଜ୍ୟ କେବେଠାରୁ ଧ୍ୱଂସ ହୋଇସାରିଥିଲା ତଥା ସେଠି କିଛି ବୋଲି କିଛି ସମ୍ଭବ ନଥିଲା ।

 

ଯଦି ଜୀବନରେ କିଛି ହବ ତ କଳ୍ପନାର ରାଜ୍ୟ ଛାଡ଼ ।

 

ସେଠିକି ଚାଲ । ସନ୍ଧ୍ୟା ଚାରିଟାରୁ ରାତି ଆଠଟା ଯାଏଁ ଚାକିରି କରିବ । ସେଇଥିରୁ ଯାହା କିଛି ରୋଜଗାର କରିବ, ତହିଁରେ ଏମ୍‌.ଏ. ପଢ଼ିବ । ତାହାହେଲେ ଆହୁରି ଭଲ ଚାକିରି ମିଳିବ, କାରଣ କ୍ୟାରିଅର୍‍ଟା ଭଲ ଥିଲାନା । ଆଉ ଏଠି କଳ୍ପନା ରାଜ୍ୟରେ ଯଦି ରହିଯିବ, ରହିଥାଅ । କିଏ ମନା କରୁଛି କି ! ରହି ରହି ସାହାଡ଼ା ଗଛ ପାଲଟି ଯିବ ।

 

ଝିଅର ବାପା କହିଲା : ଯା’ ମା’ ଯା’ ! ୟେ କଳ୍ପନା ରାଜ୍ୟରେ ରହି ଆମର ବା କିସ ଲାଭ ହେଲା ?

 

ଝିଅର ମା’ କହିଲା; ଯା’ ମା’ ଯା’ । ୟେ କଳ୍ପନା ରାଜ୍ୟରେ ଜନମ ହୋଇ ତୋର ବା କିସ ଲାଭ ହେଲା ?

 

ଝିଅର ସବୁଠୁ ଘନିଷ୍ଠ ସାଙ୍ଗ ବିନୋଦିନୀ କହିଲା; ଯା’ । ଡରିବାର କିଛି ନାଇଁଲୋ । ମୋବାଇଲ୍‌ଟା ତ ପାଖେପାଖେ ରଖିବୁ । ଆମେ ଆରାମରେ କଥା ହେବା । ତମର ସିନା ଘରେ ମୋବାଇଲ୍ ନାହିଁ । ଆମର ତ ଅଛି । ତୁ ମତେ ଖବର ଦେଲେ ମୁଁ ତମ ଘରେ ଜଣେଇ ଦେବିନି ? ପୁଣି ତମ ଘରଆଡ଼ୁ ଯଦି କିଛି ଖବର ଦେବାର ଥାଏ, ତେବେ ମୁଁ ତତେ ଜଣେଇଦେବି ।

 

ଝିଅ କହିଲା : ମଲା ! ମୁଁ କ’ଣ ଦଶ ଦେଶ ନା ଦଶଦିଗ ପାର୍ ହେଇ ଯାଉଚି ନା କ’ଣ-। ଏଇଠୁ ସେଇଠିକୁ ଯିବାକୁ ଜମା ପନ୍ଦର ସତର ଘଣ୍ଟା ଆସିବାକୁବି ସେତିକି । ଯେତେବେଳେ ଇଚ୍ଛା ହବ, କି ମତେ ଭଲ ନ ଲାଗିବ, ମୁଁ ଆସି ଏଠି ପହଞ୍ଚି ଯିବିନି କି ?

 

: ‘ନହେଲେ ମୁଁ ଚିଠି ଦେବିନି କି ?' ଝିଅ କହିଲା ।

 

ବାପ ଖୁସି ହେଲା : ଚିଠି ଦବୁ, ମୋ ସୁନାଟା ପରା !

 

ମାଆ ଖୁସି ହେଲା : ଚିଠି ଦବୁ, ମୋ ଆଖିର ଡୋଳା ମା’ଟା ମୋର ସାଙ୍ଗ କହିଲା : ଚିଠି ଦବୁ, ମୋ ଛାତିର ଟୁକୁଡ଼ା ।

 

ସେଇଠୁ କ’ଣ ହେଲା ନା ଚାକିରି କରି ସେଇ ପଇସାରେ ଏମ୍.ଏ. ପଢ଼ିବ ବୋଲି ଝିଅ ସେଇ ଲୋକ ସାଙ୍ଗରେ ଚାଲିଗଲା । ସେ ଲୋକମାନେ ଯିଏ ଏପଟ କଳ୍ପନା ରାଜ୍ୟରୁ ବାହାରିଯାଇ ସେପଟ ଦୁର୍ଗନ୍ଧ ପବନ ବହୁଥିବା ରାଜ୍ୟରେ ରହିଯାଇଥିଲା; ତା’ରି ସାଙ୍ଗରେ ଦିନେ ସକାଳୁ ସକାଳୁ ଝିଅ ବାହାରିଯାଇଥିଲା ।

 

ସେଇ ଝିଅର ନାଁ ଥିଲା ତମାଳ ।

 

କଳ୍ପନା ରାଇଜ ଛାଡ଼ି ତମାଳ ଚାଲିଗଲା ।

 

ଯାହା ସାଙ୍ଗରେ ଗଲା, ଏପଟର କଳ୍ପନା ରାଇଜରେ ତା’ ନାଁ ଥିଲା ନରିଆ । ତମାଳ ତାକୁ ନରିଆ ଦା ବୋଲି କହୁଥିଲା । ହେଲେ ଦୁର୍ଗନ୍ଧ ପବନ ବହୁଥିବା କଦର୍ଯ୍ୟ ରାଜ୍ୟରେ ତା’ ନାଁ ଥିଲା ନରେନ୍ଦ୍ର ।

 

ତମାଳ ଗଲାଦିନ

 

ବାପା କାନ୍ଦିଥିଲା ।

 

ବୋଉ କାନ୍ଦିଥିଲା ।

 

ସାଙ୍ଗ ବିନୋଦିନୀ କାନ୍ଦିଥିଲା ।

 

ଗାଁ ଛାଡ଼ି ତମାଳ ଯାଉଥିବା ଖବର ପାଇ ଆଉ ଜଣେ ଲୁହ ଗଡ଼େଇ ନଥିଲେବି କାନ୍ଦିଥିଲା, ତା’ ନାଁ ଶିରିଆ ।

 

ହେଃ । ଗାଁରେ ସେମିତି ଡାକନ୍ତି : ଶ୍ରୀଧରକୁ ଶିରିଆ ।

 

ଗାଁ ପୁଣି କଉଠୁ ଆଇଲା କିହୋ ?

 

ହଁ ସେଇ କଳ୍ପନା ରାଇଜ !

 

।। ପ୍ରାୟ ଛ’ମାସ ପରେ ବାପା–ବୋଉଙ୍କୁ ତମାଳର ଚିଠି ।।

 

ମାନନୀୟ ବୋଉ,

 

ମୋର ନମସ୍କାର ଜାଣିବୁ । ବାପାଙ୍କୁ ଜଣାଇବୁ । କେତେ ଦିନ ହବ ତୁମମାନଙ୍କ ସହ କଥା ହେଇନି । କଥା ହେଇଥା’ନ୍ତି, ହେଲେ ମୁଁ କ’ଣ ଏଯାଏଁ ମୋବାଇଲ୍ ଫୋନ୍ କିଣିଲିଣି ନା କ’ଣ ? କିଣିନି । ପଇସା ରଖୁଚି । ଆଗ ଗୋଟେ ଭଲ ଘଣ୍ଟା କିଣିବି, ତା’ପରେ ବାପାଙ୍କପାଇଁ ଗୋଟେ ଘଣ୍ଟା କିଣିବି, ତୋ’ପାଇଁ ଗୋଟେ ଭଲ ଶାଢ଼ି–ଆଉ ହଳେ ପାଉଁଜି କିଣିବି । ଏସବୁ କିଣି ନ ସାରିବା ଯାଏଁ ମୁଁ କ’ଣ ମୋବାଇଲ୍ କିଣିପାରିବି ? ଏମିତିରେ ଦେଖିଲେ ମୋବାଇଲ୍ କିଣିଲେ ଅଯଥା ଖର୍ଚ୍ଚାନ୍ତ ହେବା କଥା । ମୁଁ ଏପଟେ ପଇସା ଖର୍ଚ୍ଚ କରିବି, ତୁମେ ପୁଣି କୋଉଠିକି ଯାଇ କାହା ଫୋନ୍‌ରୁ ଟିକେ କଥା ହବାକୁ କଷ୍ଟ କରିବ । ଛାଡ଼ ମୋ ଦରମାଟା ଖାଲି ବଢ଼ିଯାଉ, ଦେଖିବୁ-!

 

ହଁ–ବୋଉ । ଦରମା କଥା ଶୁଣ୍ । ସେଠାରୁ ଆସିବାବେଳେ ତୁ କାନ୍ଦୁଥିଲୁ । ଏଇନା ଦେଖ୍ ମୁଁ ଦରମା ପାଇ କିଛି କିଛି ରଖିବା ଆରମ୍ଭ କଲିଣି । ପ୍ରଥମ ମାସରେ ଦେଇଥିଲେ ସାତ ହଜାର ପାଞ୍ଚଶହ । ସେଥିରୁ କଟିଯାଇ ମୋ ନାଁରେ ରହୁଚି ଆଠଶହ । ଆଉ ଯାହା ରହିଲା, ସେଥିରୁ ହଜାରେ ଯାଉଚି ଖାଇବା ଖର୍ଚ୍ଚ । ଏଠି ଗୋଟେ ଦୁଇମହଲିଆ ଧାଡ଼ି ଧାଡ଼ି ଘରେ ଆମେ ରହୁଚୁ । ଯେମିତି କଲେଜରେ ହଷ୍ଟେଲ୍ ଥାଏ, ଇଏ ସେମିତି ହଷ୍ଟେଲ୍‍ । ଆମେ ଅର୍ଥ କ’ଣ ମ ! ମାନେ ଚାରି ଝିଅ, ତିନି ଜଣ ପୁଅ । ପୁଅମାନଙ୍କର ରହିବା ଜାଗା ଅଲଗା ପଟେ । ଆଉ ଆମ ଚାରି ଜଣଙ୍କର ଦୁଇଟା ରୁମ୍ । ରହିବା ଜାଗା ମନ୍ଦ ନୁହେଁ । ଗାଧୁଆଘର, ପାଇଖାନାବି ଭଲ । ଖାଇବାପାଇଁ ନଉଛନ୍ତି ହଜାରେ । କହିଲୁ, ଏତେ ଶସ୍ତାରେ କୋଉଠି ମାସକର ଖାଇବା ମିଳିବ ଆଜିକା ଯୁଗରେ ? ସପ୍ତାହରେ ପୁଣି ତିନିଥର ଆଇଁଷ । ହେଲେ ଜଳଖିଆ ଦଉ ନାହାନ୍ତି । ସେଇ ଜଳଖିଆ ଖର୍ଚ୍ଚରେ ତ ମୋର ମାସକୁ ଛ’ ସାତ ଶହ ଚାଲିଯାଉଛି । ଏଣେ ତେଲ, ସାବୁନ, ବ୍ରସ୍, ପେଷ୍ଟ, ସର୍ଫ ଇତ୍ୟାଦିରେ ତ ଚାରି /ପାଞ୍ଚ ଶହ । ସବୁ କଥାକୁ ବିଚାର କରି ଦେଖିଲେ ଆମେ ଝିଅ ଚାରିଜଣ ଭଲରେ ଅଛୁ । ପୁଅମାନେ ସିନା ଏଣେତେଣେ ବୁଲାବୁଲି କରି–ସିନେମା ଦେଖି–ମଦ ପିଇ ପଇସା ଉଡ଼ାନ୍ତି । ଆମର ସେସବୁ ବଦଖର୍ଚ୍ଚ ନାଇଁ । ପ୍ରଥମ ମାସରେ ଜମା ଏଗାର ଶହ ବଳିଥିଲା, ହେଲା ? କାହିଁକି କହିଲୁ ? ବହୁତ ଜିନିଷ କିଣିବାକୁ ପଡ଼ିଲା । ଗୋଟେ ଟ୍ରଙ୍କ୍ କିଣିଲି, ବେଡ଼୍‌ସିଟ୍, ଗାମୁଛା, ତକିଆ, ଶପ, ଶସ୍ତା ଛୋଟ ଗଦିଟାଏ–ଏମିତି କେତେକଅଣ ! ପ୍ରତି ଜିନିଷ ଏଠି ଅଧିକା ଦାମ୍ ।

 

ତା'ପର ମାସଠାରୁ ତିନି ହଜାର, ଅଢ଼େଇ ହଜାର ରଖୁଚି । ଏଯାଏଁ ମୋ ପାଖରେ ଷୋହଳ ହେଇଚି । ଏକଥା ବାପାଙ୍କୁ କହିବୁନି । ଶୁଣିବାମାତ୍ରେ ସେ ବହେ କାନ୍ଦିବେ । କ’ଣ ନା ଝିଅ ବୋଧେ ପେଟକୁ ନ ଖାଇ ପଇସା ସଂଚୁଚି ! ତାଙ୍କ କଥା ଜାଣିନୁ–ମୋ ହାତରେ ଥରେ କଣ୍ଟେଇ କୋଳି କଣ୍ଟା ବାଜି ଏତେ ଟିକେ ରକ୍ତ ବାହାରିଥିଲା ଯେ ମତେ ଗୋଟାଏ ଦିନ ସ୍କୁଲ୍‍କୁ ଛାଡ଼ି ନଥିଲେ । ଆଉ ନିଜେବି କାମକୁ ଯାଇ ନଥିଲେ । ମୋରି ପାଖରେ ବସି ଦିନକଯାକ କୁନ୍ଥେଇଥିଲେ । ଶୁଣ ବୋଉ, ଏ ଚିଠି ତୁ ପଢ଼ିବୁ, ତାଙ୍କୁ ପଢ଼ିବାକୁ ଦବୁନି, ମୋ ରାଣଲୋ । ଯଦି ସେ ଜିଦି କରିବେ, ତୁ କହିବୁ ଯେ ତମାଳ ପରା ରାଣ ପକେଇଚି ! ଦେଖିବୁ ସାପ ଯେମିତି ଗଦ ଖଣ୍ଡେ ଶୁଙ୍ଘିଦେଇ ଜୋକମିତି ହେଇଯାଏ, ସେମିତି ହେଇଯିବେ ! ଆଉ ଚିଠି ମାଗିବେନି, ହେଲେ ତାଙ୍କୁ କିଛି କିଛି ପଢ଼ି ଶୁଣେଇବୁ । ସବୁକଥା କ’ଣ ଶୁଣେଇହବ କି ?

 

ହଁ–କ’ଣ କହୁଥିଲି ତ ! ତୋ'ପାଇଁ ତିନିଟା ସାୟା, ଦି’ଟା ବ୍ଲାଉଜ୍, ଖୁଲଣାପାଇଁ ଓ ବିନୋଦିନୀ ପାଇଁ ଗୋଟେ ଗୋଟେ ଟେପ୍ କିଣିଚି । ମୋର ଏକାଥରକେ ଚାରିଟା ଟେପ୍ କିଣିଚି । ଲେଡ଼ିଜ୍ ଡ୍ରେସ୍ ଏଠି ଭାରି ଶସ୍ତା । ମୁଁ ଯିବାବେଳେ ସବୁ ନେଇକି ଯିବି । ଦି'ଟା ଆଟାଚି କିଣିବି ବୋଲି ଭାବିଚି ।

 

ଦେଖ ମ–ଯିବା କଥାଟା ସିନା ଲେଖିଦେଲି । ଦେଖାଯାଉ, କମ୍ପାନୀ ଛାଡ଼ୁଚି କି ନାଇଁ । ନାହିଁ–ମାନେ କଥା କ’ଣ କି ଏବେ ଯିବାଟା ସହଜ ନୁହେଁ । ପ୍ରଥମ ଛ' ମାସର ଟ୍ରେନିଙ୍ଗ୍ ଏବେ ସରିଲା ଜାଣ । ଏଇନେ ଆମ ଚାରିଜଣ ଝିଅଙ୍କ ଭିତରୁ ଦି'ଜଣଙ୍କର ପୋଷ୍ଟିଙ୍ଗ୍ ମିଳିଯାଇଚି । ପୋଷ୍ଟିଙ୍ଗ୍ ମାନେ ହେଲା ଫୁଲ୍ ଚାକିରି, ଜାଣିଲୁ ? ଖାଲି ମୋତେ ଆଉ ରୀନାକୁ ଅଡ଼ର୍ ମିଳିନି ! ଯାହା ଜଣାପଡ଼ୁଚି, ମିଳିଯିବ ବୋଧେ ଏଇ ସପ୍ତାହ ଭିତରେ । ତା’ପରେ ଆମ ଚାରିଜଣଙ୍କର ଏଇଠି ଚାକିରି ହବ, କିନ୍ତୁ ଅଲଗାଅଲଗା ଜାଗାରେ । ନ’ଟାବେଳେ କମ୍ପାନୀ ଗାଡ଼ିରେ ଯିବୁ, ତେଣିକି ସଞ୍ଜ ବୁଡ଼ିବା ଯାଏଁ ଆଉ କାହାରି ସହ ଭେଟ ହବାର ନାହିଁ । ହେଲେ ଆମ ରହିବା ଜାଗା ବଦଳିବ ନାହିଁ ମ !

 

ମୁଁ କ’ଣ ଭାବିଚି ଶୁଣ । ମୋର ଲକ୍ଷ୍ୟ କ’ଣ ଥିଲା, ସେକଥା ତ ତୁ ଜାଣିଚୁ । ପଇସା ସଂଚି ସଂଚି ଭାବିଚି ଏମ୍.ଏ. ନୁହେଁ, ଏମ୍.ବି.ଏ. ପଢ଼ିବି । ଏଇଠି ଗୋଟେ ଘରୋଇ ମେନେଜ୍‍ମେଣ୍ଟ୍ କଲେଜରେ । ସେ କଲେଜ ଓ ଆମ ଏ କମ୍ପାନୀ ଭିତରେ ସେମିତି ବ୍ୟବସ୍ଥା ଅଛି । ଯଦି ମୁଁ ଘରେ ଥାଆନ୍ତି, ଏଇନା ତୁ ପ୍ରଶ୍ନ ପଚାରି ପଚାରି ମୋ ମୁଣ୍ଡ ଖାଇଯାଇଥା’ନ୍ତୁ । ଏମ୍‍ବେୟ କ’ଣ ମେନେଜ୍‍ମେଣ୍ଟେ କ’ଣ ! ତୁ ଏତେ କଥାରେ ମୁଣ୍ଡ ପୂରାନା । ଖାଲି ଏତିକି ଜାଣିଥା ଯେ ଏ ପାଠ ପଢ଼ିବାପାଇଁ ନିହାତି କମ୍‌ରେ ଦଶ ଲକ୍ଷ ଟଙ୍କା ଦରକାର । ଏତେ ଟଙ୍କା କିଏ ନା ଆମେ କିଏ-! ହେଲେ କମ୍ପାନୀ ବୁଝାବୁଝି କରି ଆମପାଇଁ ଦେଢ଼ଲକ୍ଷ, ଆଉ ମାତ୍ର ବର୍ଷିକିଆ କୋର୍ସ-। ପୁଣି ଏକାଥରକେବି ଦେଢ଼ ଦବାର ନାହିଁ । ପଚାଶ, ତିରିଶ–ଏମିତି । ଛାଡ଼ କମ୍ପାନୀ ସେକଥା ବୁଝିବ । ଖାଲି ସର୍ତ୍ତ ଏଇଆ ଯେ ବର୍ଷକ ପରେ କମ୍ପାନୀରେ ତିନିବର୍ଷ ଚାକିରି କରିବ ବୋଲି ଚୁକ୍ତି କରିବାକୁ ପଡ଼ିବ, ହେଲା ? ଆଉ ଯଦି କମ୍ପାନୀ ବ୍ୟବସ୍ଥାରେ ପାଠ ନ ପଢ଼ିବ, ତେବେ ଷାଠିଏ ମହଣ ଘିଅ କେବେ ହବ ନା ରାଧା ନାଚିବ ?

 

ହଁ–ବୋଉ, ଆଉ ଗୋଟେ କଥା । ଏ ଯୋଉ ଏତେ ଦିନ ହବ ମୁଁ ଚିଠିପତ୍ର ଦେଇ ନଥିଲି, ତୁମେମାନେ ବଡ଼ ଚିନ୍ତାରେ ଥିବ, ନୁହେଁ ? ହେଲେ ଘରୁ ନରିଆ ଦା’ ସାଙ୍ଗେ ଆସିବାବେଳେ ମୁଁ କିଛି ଅମଙ୍ଗଳ କଥା ଭାବି ନଥିଲି । ମୋର ତ ମନରେ ଭୟ ନଥିଲା କି ଦୁଶ୍ଚିନ୍ତା ନଥିଲା । ସେଇଥିପାଇଁ କିଛି ଅଘଟଣ ଘଟିନାହିଁ । ଗାଁରେ ନରିଆ ଦା’କୁ କେହି ସହିପାରନ୍ତି ନାଇଁ । କାହିଁକି କହିଲୁ ବୋଉ ? କାରଣ ଏଇଆ ଯେ ସିଏ ସହରରେ ଭଲରେ ଅଛି, ଭଲ ଦିପଇସା କମଉଚି । ସେଇଲାଗି ତାକୁ କେହି ସହିପାରନ୍ତି ନାହିଁ । ଜାଣିଲୁ ବୋଉ, ଗାଁ ଲୋକମାନଙ୍କର ପ୍ରକୃତି ଅଜବ । ଯାହା ପାଖରେ ପଇସା ନାହିଁ, ମାନେ ଆମ ପରିବାର ପରି–ମାନେ ମୋ ବାପାଙ୍କ ପରି–ସେମିତିକା ମଣିଷକୁ ଦେଖିଲେ ନ ଦେଖିବା ପରି ଆଡ଼େଇଯିବେ, ଭଲରେ ଦିପଦ କଥା କହିବେ ନାଇଁ । ମୁଁ କ’ଣ ପିଲାଦିନୁ ବାପାଙ୍କୁ ଦେଖିନେଇଁ ? ଜଣେ ଜଣେ ଲୋକ ବାପାଙ୍କୁ ଏମିତି କଥା କହିବା ମୁଁ ଶୁଣିଛି–ଓହୋ ! ସତ କହୁଚି ବୋଉ, ମୁଁ ଯଦି ଝିଅ ନ ହୋଇ ପୁଅ ହୋଇଥା'ନ୍ତି, ସେମାନଙ୍କ ଭିତରେ ଜଣେ ଦି’ଜଣଙ୍କୁ ହାଣି ଦେଇଥା'ନ୍ତି । ଆଉ ଯଦି ଗାଁରୁ ବାହାରିଯାଇ କିମ୍ବା କିଛି ବ୍ୟବସାୟ କରି ଭଲ ପଇସା ରୋଜଗାର କଲି, ତେବେବି ନିସ୍ତାର ନାହିଁ; ଯେତେକ ଅସହିଷ୍ଣୁ କଥା-। କ’ଣ ସବୁ କୁହାକୁହି ହୁଅନ୍ତି, ତୁ କ’ଣ ଜାଣିନୁ ବୋଉ ?

 

ମୋ ବୋଉ ପରିକା କିଏ ଅଛି ଆଉ ?

 

ମୋ ସୁନା ବୋଉ, ସରଳିଆ ବୋଉ, ବୋକୀ ବୋଉ, ଗଧି ବୋଉ !

 

ଛାଡ଼–ଲୋକଙ୍କ ରୀତିନୀତି, ହାବଭାବ ଦେଖି ଦେଖି ତ ମୋ ବୋଉ ବୁଢ଼ୀ ହେଲାଣି । ନୁହେଁ ? ନାଇଁ ନାଇଁ–କାନ ଧରୁଚି ବୋଉ ! ତୁ କାହିଁକି ବୁଢ଼ୀ ହବୁ ମ ! ହଁ–ଯଦି ଜଣକ ରୋଜଗାର ଭଲ ହେଲା, ତେଣିକି ଦେଖ ଗାଁବାଲାଙ୍କ କଥା । ଯେତେକ ମିଛଖଚ ଫାନ୍ଦି କହିବେ । ଇଏ ରଙ୍ଗ ରହିବ ନାହିଁ, ଏଇ ଅଧର୍ମରେ ଆସିଥିବା ଟଙ୍କା ଭଗବାନ କୋଉ ବାଟେ ନେଇଯିବେ, କାହାରି ଗର୍ବ ରହିବ ନାହିଁ ଇତ୍ୟାଦି ଇତ୍ୟାଦି । ଛି ଛି ଛି–ଗାଁବାଲାଙ୍କ ଇଚ୍ଛା, ସମସ୍ତେ ଗରିବ ଥା'ନ୍ତୁ । ନହେଲେ ଯଦି ଧନୀ ହେଉଛନ୍ତି, ତେବେ ସମସ୍ତେ ଏକା ଦିନକେ ଧନୀ ହୁଅନ୍ତୁ । ନହେଲେ ନାଇଁ ।

 

ଗରିବ ହେଲେ ମଲ, ଧନୀ ହେଲେ ମଲ; ଏଣେ ଗରିବ ହୋଇ ରହିଲେବି ମଲ । ନାଇଁଲ ବୋଉ, ଏଇଆ ନା ? ମୁଁ ସିନା ଚିଠି ଲେଖୁଚି । ଚିଠିରେ କେତେ ପ୍ରଶ୍ନ ତତେ ଗୁଡ଼େଇ ତୁଡ଼େଇ ପଚାରୁଚି । ହେଲେ ତୁ କୋଉ ମୋ ପାଖରେ ଅଛୁ ଯେ ତୁ ହିଁ କହିଲୁ କି ନାହିଁ କହିଲୁ, ସେ କଥା ମୁଁ କୋଉ ଜାଣିପାରିବି । ହେଲେ ବୋଉ, ମୁଁ ତୋ ମନକଥା ଜାଣିପାରେ–ମାନେ କୋଉଠି ତୁ ହଁ କହୁ, ପୁଣି କୋଉଠି ନାହିଁ କହୁ, ସେକଥା ମୁଁ ଜାଣେ ।

 

ହଁ–କ’ଣ କହୁଥିଲିଟି, ନରିଆ ଦା’ କଥା । ଭଲ ହଉ, କି ମନ୍ଦ ହେଉ, ନରିଆ ଦା’ ତ ଆମ ଗାଁରୁ ମୋ ସହ ଚାରିଜଣ ପୁଅ ଓ ଜଣେ ଝିଅକୁ ମିଶାଇ ଛ’ଜଣଙ୍କୁ ଆଣି ଏଠି ରଖେଇ ଦେଇଚି । ଖାଲି କ’ଣ ଆମ ଗାଁରୁ ? ଆମ ସେଇ ଆଖପାଖର ଚାରି/ଛ’ଟା ଗାଁରୁ ନିହାତି ଏଗାର/ବାର ଜଣଙ୍କୁ ଏଠି ରଖିଛି । ଅବଶ୍ୟ ସମସ୍ତଙ୍କୁ ଘରୋଇ କମ୍ପାନୀରେ । ଘରୋଇ ହଉ କି ସରକାରୀ ହଉ; ବୁଝିଲୁ ବୋଉ–ଟଙ୍କା ତ ଟଙ୍କା, ଟଙ୍କା କ’ଣ ଘରୋଇ ନା କ’ଣ ?

 

ବୁଝିଲୁ ବୋଉ, ଯାହା ଜଣାପଡ଼ୁଚି ଏଇ ମାସରୁ ଆମକୁ ଦରମାଟା ଟିକେ ଅଧିକ ଦେବେ । ମୁଁ ଯାହା କହିଚି, ସେଇଆ ବୋଉ । ମୁଁ ଯେଉଁ ଟଙ୍କା ପଠେଇବି, ସେଥିରେ ତୁ ତୋପାଇଁ ଗୋଟେ ଶାଢ଼ି କିଣିବୁ । ଆଉ ଗୋଟେ କାମ ମନେ ପକାଇ ନିଶ୍ଚେ କରିବୁ । ଗୋଟେ ଅଢ଼େଇଶ/ ତିନିଶ ଟଙ୍କାର ଶାଢ଼ି କିଣିବୁ, ସେଇଟିକୁ ଆମ ସାହିର ନିରୁ ବୋଉକୁ ଦେଇଦବୁ । ଆସିବାବେଳେ ମତେ କେତେ କରି ସେ କହିଥିଲା ଦରମା ପାଇଲେ ତାକୁ ଗୋଟେ ଶାଢ଼ି କିଣି ଦବାକୁ । ଭୁଲିବୁ ନାଇଁ । ଆଉ ଗୋଟେ ଦେଢ଼ଶ ଦି'ଶ ଟଙ୍କାର ଡ୍ରେସ୍ କିଣିଦବୁ ମିନୁ ଅପା ପୁଅପାଇଁ । ଛୋଟ ଛୁଆଟା ତ ! ତା’ କଥା ତ ମୋର ଅଧେବେଳ ମନେ ପଡ଼ୁଚି । ଏଠିକୁ ମୋର ଆସିବା ଜମା ଛ' ମାସ ହବ, ହେଲେ ଲାଗୁଚି ଯେମିତି ଛ’ବର୍ଷ ହେଲାଣି । ଆଉ ଲାଗୁଚି ସତେ ଯେମିତି ମିନୁ ଅପା ପୁଅ ବହୁତ ବଡ଼ ହୋଇଗଲାଣି । ନିଜ ଲୋକଙ୍କଠାରୁ ଦୂରେଇ ରହିଲେ ସେମିତି ଲାଗେ । ସେଇଠି ତ ସବୁ ଯନ୍ତ୍ରଣା । ମୁଁ ବା ତତେ କ’ଣ ବୁଝେଇବି, ତୁ ତ ମୋ'ଠୁ କାହିଁ କେତେ ବଡ଼ । ପୁଣି ତୁ ତ ତେରବର୍ଷରେ ନିଜ ଲୋକଙ୍କୁ ଛାଡ଼ି ଏଠିକୁ ଆସିଥିଲୁ ।

 

ହଁ–ଦେଖ୍, କାମରେ ଦାଉ ଏଠି ଏତେ ଅଧିକ ଯେ ତତେ କ’ଣ କିମିତି ବୁଝେଇବି । ହାତରେ କିଛି ଟଙ୍କା ହେଲେ ବାପାଙ୍କୁ ଓ ତତେ ନିଶ୍ଚେ ଏଠିକି ବୁଲେଇ ଆଣିବି । ବେଶି ଦିନ ନ ହେଲା ନାଇଁ, ପାଞ୍ଚ/ସାତ ଦିନ ତ ରହିବହିଁ ରହିବ । ହଁ–କ’ଣ କହୁଥିଲି ତ ? କାମର ଦାଉରେ ସବୁକଥା ଭୁଲି ହୋଇଯାଏ । ଜଳିଆ ଦାଦି ଦେହ ଭାରି ଖରାପ ଥିଲା । କ’ଣ ହେଲା ତାଙ୍କର ? ମତେ ଲାଗୁଚି ସେ ଆଉ ନଥିବେ ଏ ଦୁନିଆରେ । ହେ ଭଗବାନ । ଖରାପ ଚିନ୍ତା କାହିଁକି ମନକୁ ଆସୁଚି କେଜାଣି ।

 

ଦୁନିଆ ତ ସେମିତି ବୋଉ, ବେଶି ଭାବିଲେ ବେଶି ଦୁଃଖ, କମ୍ ଭାବିଲେ କମ୍ ଦୁଃଖ, ଜମା କିଛି ନ ଭାବିଲେ ଜମା ଦୁଃଖ ନାହିଁ ! ମୁଁ ଏ କଥାଟା ବାହାର କରିଛି । ଆଗରୁ କେହି ବଡ଼ମଣିଷ ହୁଏ କହିଥିବେ । ଆଲୋ ବୋଉ–ଜ୍ଞାନମାନେ ଆଉ କ'ଣ କି ? ଭୋଗିଲେ ମଣିଷା ଜ୍ଞାନ ବାହାରେ । ଯୋଉ ଯୋଉ ବଡ଼ବଡ଼ ମଣିଷ ନିଜେ ନ ଭୋଗି ଜ୍ଞାନ ବଖାଣିଛନ୍ତି କି ବହି ଲେଖିଥା’ନ୍ତି, ଦେଖିବୁ ସେସବୁ ବେଶି ଦିନ ଲାଷ୍ଟିଙ୍ଗ୍ କରେନା । ଯୋଉ କଥା ଗାଁରେ କହନ୍ତି, ସବୁ ଜ୍ଞାନ ସେଇଠୁ । ଠକିଲେ ଶିଖନ୍ତି, କାନ୍ଧରେ ପଡ଼ିଲେ ବଜେଇ ଶିଖନ୍ତି । ବୋଉ, ଏଇଟା ଠକିଲେ ନା ଠିକିଲେ ? ହଁ–ଆଉ ଗୋଟେ କଥା, ଶୁଣିଲେ ହସି ହସି ଗଡ଼ିଯିବୁ । ଗାଁରେ ତୁ ସବୁବେଳେ ମୋ ଉପରେ ଖଟର ଖଟର ହେଉ ଯେ ମୋତେ ରୋଷେଇ ଆସେନା ! ବାହା ହୋଇ କାହା ଘରକୁ ଗଲେ ଗାଳି ଶୁଣିବି !

 

ଗାଳି ନା ଫାଳି । ଶୁଣ୍ ବୋଉ–ପ୍ରଥମ ଦଶ/ପନ୍ଦର ଦିନ ବଡ଼ କଷ୍ଟରେ ଚଳିଲି । ତା'ପରେ ଆମେ ଚାରି/ପାଞ୍ଚ ଜଣ ମିଶି ଏବେ ରୋଷେଇ କରୁଚୁ । ମୁଁ ଶିଖିଗଲିଣି । ଏଇଟା କି ରାଜ୍ୟ କେଜାଣି । ଏଠିକା ଲୋକଙ୍କୁ ରୋଷେଇ ମାଲୁମ ନାହିଁ । ୟାଙ୍କ ରୋଷେଇ ଯଦି ତୁ ଆଠଦିନ ଖାଇବୁ, ତୋର ଛାତି ଦୁକୁଦୁକୁ ବନ୍ଦ ହେଇଯିବ । କହନା କହନା ! ଆମେ ସାଙ୍ଗମାନେ ପାଳିକରି ରୋଷେଇ କରୁଚୁ । ଦେଖ୍–ମୋ ପାଳି ହଉଚି ବୁଧବାର । ମାନେ ବୁଧବାର ଦିନ ମୁଁ ରୋଷେଇ କରିବି, ସେଦିନ ଅନ୍ୟ ସାଙ୍ଗମାନେ ହେଲ୍‍ପର୍ । ପରିବା କାଟିବା, ମସଲା ବାଟିବା, ବାସନ ମାଜିବା କାମ ସେମାନଙ୍କର । ଆମର ଏଠି ବୁଧବାର ଦିନ ଛୁଟି । ମୁଁ ହଲି ହଲି ବସି ବସି ରାନ୍ଧେ । ପୁଣି ସେଦିନ ତ ଆମିଷ ବାର । ଆଇଁଷ ରୋଷେଇ ପୂରା ସହଜ, ନୁହେଁଲୋ ବୋଉ ? ଏବେ ମୋର ମନେ ପଡ଼ୁଚି ତୁ କିମିତି ବାପାଙ୍କ ସାଙ୍ଗରେ ଦିନେ ଦିନେ ଖିଟ୍ ଖିଟ୍ ଲଗେଇଥାଉ । ଜାଲ ନେଇକି ଯାଅ, ପୋଖରୀ କି ନଈରୁ ମାଛ ଆଣ । ମାଛ କି କଙ୍କଡ଼ାର ଢଙ୍କ ପାଣି ଝୋଳ ହେଲେବି ଭାତ ଆରାମରେ ଉଠିଯାଏ । ଝୋଳରେ ଲଙ୍କାଟେ ଦଳିଦେଲେ କାମ ଫତେ । ଆଉ ଯଦି ମୋତେ ସାଦା ବାର ଦିନ–ମାନେ ସୋମ କି ଗୁରୁବାର ଦିନ ରୋଷେଇ କରିବାକୁ ପଡ଼ିଥା’ନ୍ତା, ଜାଣ ମୋ ଅବସ୍ଥା–ଅବସ୍ଥା କ’ଣ ମ ! ମୋ ଧଜିଆ ଉଡ଼ିଯାଇଥା'ନ୍ତା । ସାଙ୍ଗ କିଏ ନା ମୁଁ କିଏ ?

 

ହଁ–ଗୋଟେ କଥା ମନେପଡ଼ିଲା ଏବେ । ଏଇ ସାଦା ରୋଷେଇ ଶିଖିବି ବୋଲି ଗୋଟେ ନୂଆ ବାହାରିଥିବା ଓଡ଼ିଆ ଚ୍ୟାନେଲ୍ ଦେଖିଲି । ଭଲ ଚ୍ୟାନେଲ୍ ହେଇଚି । ଅଧେ ବେଳ ରୋଷେଇ–ମୋସେଇ ବଜଉଚି । ହେଲେ ତୋ'ଠୁ ଗୋଟେ କଥା ବୁଝିବାର ଅଛିଲୋ ବୋଉ । ଚିକିଣିଆ ଲମ୍ବାକଲିଆ ଟୋକାଟେ ରୋଷେଇ ଦେଖେଇଲା । କହିଲା କି ପୂରା ଖାଣ୍ଟି ଓଡ଼ିଆ ରୋଷେଇ ଆଇଟମ୍ ଦେଖେଇବ । କ’ଣଟା ସୋରିଷ ବଟା ଦିଆ ଜହ୍ନି ତରକାରୀରେ ଖଡ଼ାପକା ତରକାରୀ । ଯାହା ତ କଲା କଲା, ଅତି ଷ୍ଟାଇଲ୍ ମାରି ସେ ସ୍ତ୍ରୀଲୋକଟା–ମାନେ ଯିଏ ରୋଷେଇ କରି ଦେଖଉଥିଲା–କହିଲା କ’ଣ ନା ଓହ୍ଲେଇଲାବେଳକୁ ଏଥେରେ ନଡ଼ିଆ କୋରା ଓ ଆଗରୁ ଭଜା ହୋଇ ରଖୁଥିବା ମଝିଆ ସାଇଜ ଚିଙ୍ଗୁଡ଼ି କୋଡ଼ିଏଟା ପକେଇ ତିନି ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିବ । ଗ୍ୟାସ୍ ଚୁଲି ଲଗେଇ ଯିଏ ରାନ୍ଧୁଥିବ, ସିଏ କ’ଣ ଚୁଲା ବନ୍ଦ କରନ୍ତା ନାଇଁ ନା କ’ଣ ! ଆଚ୍ଛା କଥା ! ଜେଜେ ବଞ୍ଚିଥିବାବେଳେ ସବୁବେଳେ କହୁଥିଲେ ମାଛ କି ମାଂସରେ ଜମା ଶ୍ରୀଫଳ ପକେଇବ ନାହିଁ । ବିଷ ହେଇଯିବ । ଏତେ ଫଳ ଥାଉଁଥାଉଁ ନଡ଼ିଆ ପଛରେ ଶ୍ରୀ କାହିଁକି ଲାଗିଛି । ବିଶ୍ଵାସର କଥା । ଜେଜେ ଯଦି ବଞ୍ଚିଥା’ନ୍ତେ ଓ ସେ ଟିଭି ଚ୍ୟାନେଲ୍ ଦେଖିଥା’ନ୍ତେ, ନଡ଼ିଆ ଫୋପଡ଼ ମାରି ଟିଭି ସେଟ୍ ଫଟେଇ ଦେଇଥା’ନ୍ତେ । ଚୁଙ୍ଗୁଡ଼ି ଖଡ଼ା ରାଇମାନେ କ’ଣ ବୁଝିଚି କେଜାଣି । ବେଙ୍ଗ ବୋଉ ଖୁଡ଼ୀ ବଞ୍ଚିଥିଲେ ହୁଏତ କହିଥା’ନ୍ତା, 'ଯିଏ ଦୁଇ ଦଶ ମାସରେ ଛୁଆ ଜନମ କରିଥିବ, ସେଇ ଏ ତରକାରୀ ଖାଇ ହଜମ କରିବ । ତତେ କ’ଣ କହିବି–ଅଣ୍ଡାରେ କ୍ଷୀର ଦେଇ ପୁଣି ରୋଷେଇ କରୁଛନ୍ତି ।

 

ହଁ ବୋଉ, ମୋ ପାଳିଦିନ ମୋର କଚେ ପୁଅ ବାର । ଗ୍ୟାସ୍ ଚୁଲା ପାଖରେ ଠିଆହୋଇ ମୁଁ ଖାଲି ଅଡ଼ର୍ ମାରୁଥାଏ–କଟା ପିଆଜ ଆଣ, ଫୁଟଣ ଆଣ, ତେଲ–ମସଲା ଆଣ, ଧନିଆପତ୍ର । ଆମ୍ବୁଲ ଟିକ୍‍ଟିକ୍ କାଟ । ଏଠିକି ଆଣ, ସେଠିକି ନିଅ । ଏମିତିରେ ରୋଷେଇ ସାରିଦିଏ ।

 

ବହୁତ ଲମ୍ବା ଚିଠି ଲେଖିଲିଣି । ସଞ୍ଜ ବୁଡ଼ି ଆସିଲାଣି । ଆଜି ଏଠି ଲାଇଟ୍ ନାହିଁ । ମୁଁ ଆସିବାପରେ ଏଇ ପ୍ରଥମ ଥରପାଇଁ ଲାଇନ୍ କଟିଲା । ହଁ ମନେପଡ଼ିଲା, ମନେପଡ଼ିଲା; ଏଇ କଥାଟା କହିଦେଇ ଚିଠିଟା ସାରିଦେବି । ତୁ ବୁଝିପାରିବୁ କି ନାହିଁ କେଜାଣି । ଯଦି ବୁଝିପାରିବୁ, ହସି ହସି ଗଡ଼ିଯିବୁ । ଆମ ଏଇ ସାଙ୍ଗଙ୍କ ଭିତରେ ଗୋଟେ ଝିଅ ଅଛି, ସେ ମତେ ଏବେ କହିଲା ଯେ ଏବେ କୁଆଡ଼େ ଓଡ଼ିଶାରେ ଗୋଟେ ଗଣ୍ଡଗୋଳ ଚାଲିଛି । ମାନେ ଷ୍ଟ୍ରାଇକ୍ ଫାଇକ୍ ଚାଲିଚି ଯେ କେହି ଓଡ଼ିଆ ଛଡ଼ା ଅନ୍ୟ ଭାଷାରେ ଲେଖିବେ ନାଇଁ କି କଥା ହେବେ ନାହିଁ । ମାନେ ତୁ ତ ବୋଉ ବେଶି ପଢ଼ିନୁ; ଏ ବିଷୟରେ ଯଦି କାହାଠୁ ବୁଝି କ’ଣ ଟିକେ ଲେଖନ୍ତୁ, ଆମେ ଏଠି ଜାଣନ୍ତୁ; ଏଠିକି ଓଡ଼ିଆ ଖବରକାଗଜ ଆସେନି ।

 

ଇଏ ଟୋକୀ, ମାନେ ଏ କଥା ଯିଏ କହିଲା, ଆଇଚି କୋଉ ଗୋଟେ ମେଞ୍ଚଡ଼ ସହରରୁ-। ସେଠି କୁଆଡ଼େ ଇଂରାଜୀ ମିଡ଼ିଅମ୍ ସ୍କୁଲ୍‍ରେ ପଢ଼ୁଥିଲା । ଇଂରେଜୀ ମିଡ଼ିଅମ୍ ଅର୍ଥ ହେଲା ଯୋଉ ସ୍କୁଲ୍‍ରେ ଇଂରାଜୀରେ ସବୁ ପଢ଼ାଯାଏ, ପିଲାମାନେ ସେଠି ଇଂରାଜୀ କହିବା ଲେଖିବା ଆରମ୍ଭରୁ ଶିଖନ୍ତି । ଏବେ ଖାଇବାବେଳେ କହିଲା, ‘ତମେ ସବୁ ଜାଣଚ ନା ନାଇଁ ? ଶହେ ଜଣ ଏବେ ଲାଗିଛନ୍ତି; ଓଡ଼ିଆରେ କହିବେ, ଲେଖିବେ, ପଢ଼ିବେ । ଅଫିସ୍‌ରେ ଓଡ଼ିଆ ଚାଲିବ-। ମୋ ଡାଡ଼୍‍ବି ସେଇ ଗ୍ରୁପ୍‍ରେ ଅଛନ୍ତି । ହବତ ଦିସ୍ ସାଇଡ଼ ନହେଲେ ଦ୍ୟାଟ୍ ସାଇଡ଼ ।’ ଏଥିରୁ ତୁ କ’ଣ ବୁଝିବୁ ବୁଝ ! ମୋ ଉପରେ ଚିଲେଇଲା ! ମୁଁ ତାକୁ ପଚାରିଲି କାଠ ବ୍ରଣ ମାନେ କ’ଣ-। ଦାନ୍ତ ନେଫେଡ଼ି ମତେ କହିଲା କାଠରେ କ’ଣ ବ୍ରଣ ହୁଏ କି ? ଶୁଣ୍–ତୁ ତ ମୋ ସୁନା ବୋଉ ! ମୁଁ ଘରେ ନାଇଁ ବୋଲି ତୋ ମନ କେତେ ଦୁଃଖ ହୋଇଥିବ । ଗୋଟେ ମଜା କଥା କହି ଏ ଚିଠି ସାରିବି-। ହସି ହସି ବେଦମ୍ ହବୁ । ସେଇ ଟୋକୀ ଏବେ ପୁଣି ଦିନେ ଖାଇ ବସିଥିବାବେଳେ କହିଲା, 'ଓଡ଼ିଆ ଭାଷାମାସା କଥା କହୁଥିବା ଯଦି ମୋ ଡାଡ଼୍ ହେଇ ନଥା'ନ୍ତେ ନା ମୁଁ ତାଙ୍କୁ ପଚାରନ୍ତି, ବ୍ରା, ସେମିଜର କ’ଣ ଓଡ଼ିଆରେ ଆମେ କଥା ହବୁ । ତମେ ସବୁ କୁହ କ’ଣ ଓଡ଼ିଆ ହବ-।’ ଆମେ ଚାରିଜଣ ଥିଲୁ । ଘଣ୍ଟାଏ ବକର୍‍ବକର୍ ପରେ ସ୍ଥିର ହେଲା ଯେ ଓଡ଼ିଆ ହବ ସିକା ନହେଲେ ଖୋପ-। ହେଲେ ଏ ଦି'ଟାବି ଓଡ଼ିଆ କି ନାଇଁଲୋ ବୋଉ !

 

ଯଦି ଜେଜେ ବଞ୍ଚିଥା’ନ୍ତେ–ଜେଜେ କ’ଣ ମ–ସେ ଟୋକୀ ଯଦି ଧୂଳିଆ ଦି’ ହାତରେ ପଡ଼ିଥା’ନ୍ତା, ଦି’ ଚାପୁଡ଼ାରେ ତା’ ଗାଲ ଚକୁଳି ଚିତଉ ହେଇଯାଇଥା’ନ୍ତା ! ଓଡ଼ିଆ ନା ଫୋଡ଼ିଆ ଭାଷା ! ପ୍ରତି ମାସରେ ଓଡ଼ିଶାରୁ ଶହେ କି ବେଶି ସରିକି ଝିଅ, ପୁଣି ଛୋଟ ଝିଅଙ୍କୁ ନେଇ କୋଉଠି ନା କୋଉଠି ବିକ୍ରି କରୁଛନ୍ତି, ସେକଥାପାଇଁ କେହି ଦିନେ ଷ୍ଟ୍ରାଇକ୍ ମାଇକ୍ କରିବା କଥା ଶୁଣିଛି ନା ଭାବିଛି ?

 

ହେ ବୋଉ ! ମୋତେ ମାଫ୍ କରିଦେ, ମୋ ସୁନାଟା ପରା । ରାଗରେ ମୁଁ ଦି’ ଚାରିଥର ଟୋକୀ ବୋଲି ଲେଖି ଦେଇଚି । ଏତେଦୂରରେ ଅଛି, ମୋ ଉପରେ ରାଗିବୁନି । ଅନ୍ଧାର ହେଲାଣି, ଏଯାଏଁ ଲାଇଟ୍ ଆସି ନାହିଁ । ଆଉ ଲେଖୁନି ! ଧଡ଼ଧାଡ଼ ଶୁଭୁଚି–କ'ଣ କେଜାଣି, ବିଲେଇ ଆସି ଘରେ ପଶିଲାଣି କି ? କେଜାଣି ! ଇଏ ଦଳେ ସିନେମା ଯାଇଥିଲେ, ଏଇନେ ଫେରୁଥିବେ ! ମୁଁ ଏକା ଥିଲି ବୋଲି ଏତେ ଲେଖିଦେଲି ! ରହିଲି ବୋଉ ।

 

ବାପା ହେରିକା ସମସ୍ତିଙ୍କି ମୋର ନମସ୍କାର ଜଣେଇଦବୁ । ସାନମାନଙ୍କୁ ସ୍ନେହ । ଜାଣିଚୁ ତ ମୁଁ ୟା’ରି ଭିତରେ ଯିବି । ସମସ୍ତେ ଭଲରେ ଥାଅ । ଜୟ ମା’ ଗ୍ରାମଦେବତୀ କଂସେଇମା’ !

 

ଇତି

ତୋର ଝିଅ,

ତମାଳ ।

 

।। ତମାଳର ସାଙ୍ଗ ବିନୋଦିନୀ ।।

 

ଦ୍ୱିତୀୟ ଚିଠିଟି ତମାଳ ଲେଖିଥିଲା ତା’ର ପିଲାଦିନର ସାଙ୍ଗ ବିନୋଦିନୀ ପାଖକୁ । ବିନୋଦିନୀ ପ୍ଲସ୍ ଥ୍ରୀରେ ଫେଲ୍ ହୋଇ ଘରେ ଥିଲା । ତା’ର ବାହାଘର ପ୍ରସ୍ତାବ ପଡ଼ୁଥିଲା ତ ଭାଙ୍ଗି ଯାଉଥିଲା । ତେବେବି ତା’ର ବାହାଘର ହେଇଯିବା ଏକରକମ ନିଶ୍ଚିତ ଥିଲା । ତା’ର ତିନି ଭାଇ ଚାକିରି କରି ବାହାରେ ଥିଲେ । ଘରେ ସିଏ, ତା’ର ବାପା–ବୋଉ, ଜଣେ ଚାକରାଣୀ ରହୁଥିଲେ । ସେଇମାନେ ଟଙ୍କା ପଠଉଥିଲେ । ଘର ଆରାମରେ ଚଳୁଥିଲା । ଲୋକମାନେ କୁହାକୁହି ହେଉଥିଲେ ଯେ ଯୋଉଦିନ ବିନୋଦିନୀର ବାହାଘର, ତା’ର ଭାଇମାନେ ମାଛ, ମାଂସ, କ୍ଷିରି, ପୁରିରେ ଗାଁ ଲୋକଙ୍କୁ ବୁଡ଼େଇଦେବେ, ନହେଲେ ଭସେଇଦେବେ । ଅତି ଆଧୁନିକ ଟୋକାଗୁଡ଼ା ତ ଢେର୍ ମଦ ପିଇବେ ବୋଲି ଆଶା ବାନ୍ଧି ବସିଥିଲେ । କଥା ହେଲା, ସରକାର ମରକାର ପୋଲିସ୍‍ ମୋଲିସ୍ ଏତେ ନିୟମ କାନୁନ କଟକଣା କରୁଥିଲେ ଯେ ବାହାଘର ପ୍ରସେସନ୍ ତ ମନେ ହେଉଥିବା ଶବ ଶୋଭାଯାତ୍ରା ପରି । ଯଦି କେହି ମଦ ପିଉଥିଲେ ପୋଲିସ୍‍ ଡରରେ ଚାଲୁଥିଲେ ପୂରା ଧୀରେଧୀରେ । ସହରର ଦିନ ବାହାଘର ତ ଛାଡ଼ । ସିଏ ଶବ ଶୋଭାଯାତ୍ରାଠୁବି ହୀନ ଥିଲା, ମାନେ ପୋଷ୍ଟ୍‍ମର୍ଟମ୍ ହବା କଥା ଜାଣ । ଯାଃ–ଏସବୁଥିରୁ ଆମକୁ କ’ଣ ମିଳିବ ? ଆମର ତ ବିନୋଦିନୀ କଥା ପଡ଼ିଥିଲା । ବିନୋଦିନୀ ପ୍ଲସ୍ ଥ୍ରୀ ଫେଲ୍ ହୋଇ ଗାଁରେ ଥିଲା, ବାହା ହୋଇ ନଥିଲା । ସେ ଥିଲା ତମାଳର ପିଲାଦିନର ସାଙ୍ଗ । ସବୁଠୁ ଅନ୍ତରଙ୍ଗ ସାଙ୍ଗ । ତାଆରି ପାଖକୁ ତମାଳ ଲେଖିଥିଲା ଚିଠିଟାଏ । ସେଇଆକୁ ଆମେ କହୁଛୁ ତମାଳର ଦ୍ୱିତୀୟ ଚିଠି । ବାସ୍ତବରେ ଏମିତି କହିବା କଥା ଯେ ବୋଉକୁ ଗୋଟିଏ ଚିଠି ଓ ବିନୋଦିନୀକୁ ଗୋଟିଏ ଚିଠି ଲେଖିଥିଲା ତମାଳ, ଛାଡ଼ ମ ! ଏତେ ଜିରାରୁ ଶିରା କିଏ କାଢ଼ୁଚି ମ ! ଏଇ ଜିରାରୁ ଶିରା କଥାଟା କେହି କହିପାରିବ ନାହିଁ; ମାନେ ଆଧୁନିକ ପିଲାମାନେ ଏଥିରୁ କ’ଣ ବୁଝିବେ ? ତେଣୁ ଢଗଢ଼ମାଳିକୁ ବଦଳାଇବାର ସମୟ ଆସିଯାଇଛି । ତେଣୁ ଆମେ ଯଦି କହିବା ରସଗୋଲାରୁ ଶିରା କାଢ଼ିବା କଥା, ତାହାହେଲେ ସମସ୍ତେ ବୁଝିବେ ।

 

ହଁ–କ’ଣ ତ !

 

ଦିନେ ଖରାବେଳେ ଡାକପିଅନ ବିନୋଦିନୀ ନାଁରେ ଆସିଥିବା ଲଫାଫାଟାକୁ ତାକୁ ଧରେଇଦେଲା । ଘରେ ଆଉ କିଏ ଥିଲା ଯେ ଚିଠି ନବାପାଇଁ ଆସିଥା'ନ୍ତା ଦାଣ୍ଡପିଣ୍ଡାକୁ ? ସେଇଠୁ ସେ ଭିତରକୁ ଗଲା, ତାଙ୍କର ବଡ଼ଘର । ତା’ ଶୋଇବା ଘର କବାଟ ଭିତର ପଟୁ ବନ୍ଦ କରି ଲଫାଫା ଖୋଲିଲା ।

 

ଆହା–ତମାଳର ଚିଠି ।

 

ଯା’ହେଉ, ଏତେ ଦିନେ ମନେପଡ଼ିଲା ତା’ର ଗାଁ କଥା ।

 

।। ଚିଠି ।।

 

ପ୍ରିୟ ବିନୋଦିନୀ,

 

ଶୁଭେଚ୍ଛା ଜାଣିବୁ । ଆଶା ଭଲରେ ଥିବୁ । ଗାଁରେବି ସବୁ ଭଲ ଥିବ । ଏଇମାତ୍ର ଆଠଦିନ ତଳେ ବୋଉ ପାଖକୁ ଗୋଟେ ଲମ୍ବା ଚିଠି ଦେଇଥିଲି । ମାନେ କଥା କ’ଣ ଏଠି ଆମେ ଯୋଉଠି ଅଛୁ, ସେଠି ଆମକୁ ମୋବାଇଲ୍ ଫୋନ୍‍ଟେ ରଖିବାକୁ ମନ କରାଯାଇଛି । ବାହାରକୁ ଯିବାକୁବି ମନା । ଯାହା ଦରକାର, ଗୋଟେ କାଗଜରେ ଇଂରାଜୀରେ କି ହିନ୍ଦୀ ଅକ୍ଷରରେ ଲେଖିଦେଲେ ଜଣେ ଦି’ଜଣ ଲୋକ ଅଛନ୍ତି; ନେଇ ଆସନ୍ତି । ଲୁଚି ଛପି ଚିଠିଟେ ଲେଖିବା ଛଡ଼ା କିଛି ବାଟହିଁ ନାହିଁ । ରାତିରେ ସମସ୍ତେ ଶୋଇଯିବା ପରେ ଏ ଚିଠି ଆରମ୍ଭ କରିଛି, ଆଜି ରାତିରେ ହୁଏତ ସରିବ ନାହିଁ, ଦୁଇ ତ ଦିନ ଲାଗିଯିବ । ସେଇଟା ବଡ଼କଥା ନୁହେଁ । ବଡ଼କଥା ହେଲା, ଏଇଟା ଡାକ ବାକ୍ସରେ ପଡ଼ିବ କେମିତି । ବୋଉ ପାଖକୁ ଲେଖିଥିବା ଚିଠିଟା ପକାଇବାବେଳକୁ ଯୋଉ ରାସ୍ତା ଧରିଥିଲି, ସେଇ ରାସ୍ତାରେ ଯିବାକୁ ପଡ଼ିବ । ହେଲେ ସେ କଥା ପରେ ।

 

ହଁ–ବୋଉକୁ ଯୋଉ ଚିଠି ଲେଖିଥିଲି, ସେଇଟା ବୋଉ ତତେ ଦେଖାଇଛି କି ନାହିଁ କେଜାଣି ! ନ ଦେଖେଇଥିଲେବି ଦେଖେଇବ ନିଶ୍ଚୟ । ତାକୁ ମୁଁ ଯେତେକଥା ଯେମିତି ଲେଖିଛି, ତୁ ଯଦି ପଢ଼ିଥାଉ; ତେବେ ତୋର ମନ ଖୁସୀ ଥିବ । ଏଇଆ ଭାବି ଯେ ତୋର ପିଲାଦିନର ସାଙ୍ଗ ଆଜି ସହରରେ ରହି କେତେ ଉନ୍ନତି କରିଛି । ଟ୍ରେନିଙ୍ଗ୍ ସାରି ଏବେ ଅଧିକ ଦରମା ପାଇବ । ହଉ–ଛାଡ଼ !!

 

ବୋଉକୁ ଦେଇଥିବା ଚିଠିଟା ଯଦି ତୁ ପଢ଼ି ନଥାଉ, ତେବେ କିଛିବି ଯାଏଁ ଆସେ ନାହିଁ । ବୋଉକୁ ଯାହା ଲେଖିଚି, ସେକଥା ତତେ ଲେଖିହବ ନାହିଁ, କି ଏ ଚିଠିରେ ତତେ ଯାହା ଏବେ ଲେଖିବି, ସେସବୁ ବୋଉକୁ ଲେଖିପାରିନଥା'ନ୍ତି । ଖାଲି ଫରକ ଏତିକି ଯେ ବୋଉକୁ ଦେଇଥିବା ଚିଠି ସେ ତୋତେ ଦେଖେଇ ପାରିବ ଓ ପଢ଼େଇ ପାରିବ । ତୁ କିନ୍ତୁ ଏ ଚିଠିଟା ବୋଉକୁ କଦାପି ଦେଖେଇ ପାରିବୁ ନାହିଁ । ଦେଖେଇବା କଥା ତୁ ସ୍ୱପ୍ନରେ ସୁଦ୍ଧା ଭାବିବୁ ନାହିଁ । ତତେ ମୋ ରାଣ, ମୋ ବୋଉ ରାଣ । ଆ ତୁ ଯଦି ରାଣ ଭାଙ୍ଗିବୁ, ତେବେ ଜାଣ ଏତେଦୂରରେ ଥିବା ତୋ ସାଙ୍ଗର ଜୀବନ ଉପରକୁ ନିଶ୍ଚୟ ବିପଦ ଆସିବ !

 

ଶୁଣ୍–ମୋ ଆସିବା ତ ଛ’ମାସ ହେଲାଣି । ଚିଠି ଲେଖିବାକୁ କାଗଜ ଖଣ୍ଡେ କି କଲମଟେ ଯୋଗାଡ଼ କରିବା ଏଠି କଷ୍ଟ । କଷ୍ଟ ନୁହେଁଲୋ–ଅସମ୍ଭବ ! ସକାଳେ ଆଣି ଜଳଖିଆ ଦଉଥିବା ଷୋଳ ସତରବର୍ଷର ମାଇଚିଆ ଟୋକାଟାକୁ କେତେ ତେଲ ମାରିମାରି ସେ ଆଣି ଦି' ଫର୍ଦ୍ଦ କାଗଜ ଆଉ ତିନି ଟଙ୍କିଆ ପେନ୍ ଦେଇଚି । ତା’ ମନରେ ଠାକୁର ବିଜେ କଲେ କି କ’ଣ ! ଆଉ ମୋବାଇଲ୍ ଫୋନ୍ ! ସେକଥା ଭୁଲିଯା ! ଆମେ ସିନା ଘରୁ ପଦାକୁ ବାହାରି ପାରିଲେ ଯାହା ହୁଅନ୍ତା । ଛ’ମାସ ହେଲା ମୁଁ ଏଇ ତିନିମହଲା କୋଠାରୁ ପଦାକୁ ବାହାରି ନାହିଁ । ଏଣେ ଚିଠି ଲେଖିବାବି ମୋପାଇଁ କଷ୍ଟ ହଉଚି । ଏଠିକାର ବାହାର ଦୁନିଆ ଦେଖିନାଇଁ । ଏମିତିକି ଏଇଟା କୋଉ ରାଜ୍ୟ କି କୋଉ ସହର, ସେକଥାବି ମୁଁ ଠିକ୍ କରି କହିପାରିବି ନାହିଁ । ତା'ଛଡ଼ା ଚିଠି ଲେଖାଟା କୋଉ ସହଜ କାମ କି ? ତୁ କହୁନୁ–ଆମେ କ’ଣ ଜୀବନରେ କାହାକୁ କେବେ ଚିଠି ଲେଖିଚେ ଯେ ସହଜରେ ଲେଖି ହେଇଯିବ ! ତେବେ ଏଇ ଛ'ମାସ ଭିତରେ ଯାହା ଯେମିତି ଘଟିଚି, ସେଇଆକୁ ବସି ବସି ମୋ ଭାଷାରେ ଲେଖିବି । ସବୁଠୁ ବଡ଼କଥା ହେଲା ଏ ଚିଠି ତୋ ପାଖରେ ପହଞ୍ଚିବ କି ନା, କିଏ କହିବ ! ଆଉ ତୁ ବି କୋଉ ମତେ ଉତ୍ତର ଦେଇପାରିବୁ ? ମୁଁ କ’ଣ ଏ ଜାଗା, ଏ ଘରର ଠିକଣା ଚାଣିଚି ଯେ ତତେ ଲେଖିଦେବି ? ସବୁଠାରୁ ଦୁଃଖ ଓ ହତାଶାର କଥା ଏଇଆ ଯେ ବୋଉ ଓ ତୁ ମୋ ଚିଠି ପାଇଲ କି ନାଇଁ, ସେକଥା କୋଉ ବାଟେ ଜାଣିବାର ସୁଯୋଗବି ମୋର ନାହିଁ । ବୋଧେ ହତାଶ ହେଇ ହେଇ ମୋର ଜୀବନ ଚାଲିଯିବ । ନା–ମୁଁ ଆଉ ତୁମ ଦି’ଜଣଙ୍କୁ ଦେଖିପାରିବି ନାହିଁ !

 

ହଁ–ମୁଁ ତ ନରିଆ ଦା’ ସାଙ୍ଗରେ ଚାଲିଆସିଲି । ଗାଁରୁ ବସ୍‍ରେ ଭୁବନେଶ୍ଵର । ସେଇଠୁ ରେଳରେ ବସିଲୁ । ଟିକେଟ୍ ନରିଆ ଦା’ ଆଗରୁ କରିଦେଇଥିଲା । ଆମେ ସେକେଣ୍ଡ୍‍ କ୍ଲାସ୍ ଏ.ସି.ରେ ଆସିଲୁ । ମୁଁ ତ କେବେ ଆଗରୁ ରେଳଗାଡ଼ିରେ ବସି ନଥିଲି । ଇଏ ଏସି/ମେସି ଫାଷ୍ଟ ସେକେଣ୍ଡ୍‍ ମତେ କି ଜଣାଥିଲା ? ପରେ ଜାଣିଲି ! ହେଲେ ଟ୍ରେନ୍‌ଟା କୁଆଡ଼େ ଯାଉଥିଲା କି ଆମର କୁଆଡ଼କୁ ଯିବାଲାଗି ଟିକେଟ୍ ହୋଇଥିଲା, ମତେ କିଛି ଜଣା ନଥିଲା । ଟ୍ରେନ୍ ନାଁଟା କିନ୍ତୁ କୋଣାର୍କ କି କ’ଣ ! ତେବେ କୋଉଠି ଅଟକିଲା, ଆମେ କୋଉଠି ଓହ୍ଲେଇଥିଲୁ, କିଛି ଜଣା ନଥିଲା ମତେ । କାହିଁକି ନା ଟିକେ ଘୁମେଇବା ପରି ଲାଗୁଥିଲା ତ !

 

ଆମେ ଓହ୍ଲେଇବାବେଳକୁ ରାତି ତିନିଟା । ଓହ୍ଲେଇବା ପରେ ବାହାରକୁ ଆସିବାକ୍ଷଣି ଆମକୁ ନେବାଲାଗି ଛୋଟିଆ କାର୍‍ଟେ ଥିଲା । କାର୍‍ରେ ବସିବାକ୍ଷଣି ମୋ ଆଖି ପତା ଲାଗି ଆସୁଥାଏ । ନରିଆ ଦା’ କହୁଥାଏ କି କମ୍ପାନୀ ଗାଡ଼ି ପଠେଇଥିଲା ।

 

ଗାଡ଼ି ଯାଇ ଲାଗିଲା ଗୋଟେ ତିନି ମହଲା ଘର ସାମ୍ନାରେ । ବଡ଼ ଲୁହା ଗେଟ୍ । ବଡ଼ ତାଲା ଝୁଲୁଥିଲା ସେଠି । ମଣିଷ କି ମାଛି ମଶା ଥିବା ପରି ଜଣା ପଡ଼ୁ ନଥିଲା । ଏଇଟା କ’ଣ ସେଇ କମ୍ପାନୀର ହେଡ଼୍ ଅଫିସ୍ ବୋଲି ମୁଁ ପଚାରିଲି । ନରିଆ ଦା’ ବୁଝେଇଲା ଯେ ବୋକୀଟା କିଲୋ ? ଏତେ ସକାଳୁ ସବୁ ଅଫିସ୍ ଖୋଲେ କି ? ତା’ପରେ ମତେ କହିଲା କି ଏଇଟା ହଷ୍ଟେଲ୍, ଏଠି କମ୍ପାନୀର କେତେ ଷ୍ଟାଫ୍ ରହନ୍ତି । ଝିଅ ଓ ସ୍ତ୍ରୀଲୋକମାନଙ୍କ ପାଇଁ କୁଆଡ଼େ ସେମିତିକା ପନ୍ଦର/ସତରଟା ହଷ୍ଟେଲ୍ ଥିଲା । ପୁଅମାନଙ୍କ କଥା ଛାଡ଼ । ତାଙ୍କମାନଙ୍କ ପାଇଁ ପଚାଶରୁ ବେଶି ଥିଲା । ସେଇଠୁ ଗେଟ୍‍ରେ ଲାଗିଥିବା ଗୋଟେ ସୁଇଚ୍ ଯେମିତି ନରିଆ ଦା’ ଚିପିଦେଇଚି, ଭିତରେ ତ ଶ୍ଳୋକ ବାଜିଲା । ବୋଉ ମତେ ପିଲାଦିନେ ପଦେ ଦିପଦ କ’ଣ ଶ୍ଳୋକ ଶିଖେଇଥିଲା । ସେଇ ଶ୍ଳୋକ ବାଜିବା ପରେ ଉପରମହଲାରୁ ଦି'ଜଣଙ୍କ ମୁହଁ ଦେଖାଗଲା । ଜଣେ ପୁରୁଷ ଓ ଜଣେ ମହିଳା । ଏଇଟା ତ ଲେଡ଼ିଜ୍ ହଷ୍ଟେଲ୍ ବୋଲି କହୁଥିଲ, ଏଣେ ପୁରୁଷ ଲୋକ କ’ଣ ମୁହଁ ଦେଖେଇଲାଣି ବୋଲି ମୁଁ ପଚାରିବାରୁ ନରିଆ ଦା’ ହସିଥିଲା; କହିଥିଲା କେଇଜଣ ପୁରୁଷ ଷ୍ଟାଫ୍ ନ ରହିଲେ ଲେଡ଼ିଜ୍‍ମାନେ ନିରାପଦ ରହିପାରିବେ ନାହିଁ ।

 

ସେଇଠୁ କ’ଣ ହେଲା ଶୁଣ୍ । ମୁଁ ଖାଲି ପ୍ରଥମ ଦୁଇ ଦିନର କଥା ଓ ପରର କଥା ଟିକେ ଟିକେ କହିଦେବି । ସେଇଥିରୁ ତୁ ଜାଣିବୁ । ମଲା–ତୁ କ’ଣ ଛୋଟପିଲା ହେଇଚୁ ନା କ’ଣ ? କିନ୍ତୁ ମୋ ରାଣ, ମୋ ସୁନାଟା ପରା, ପଢ଼ିସାରି ପୂରା ଟିକ୍ ଟିକ୍ କରି ଚିରିଦବୁ, ଏମିତିକି ଅକ୍ଷରଟେ ଯେମିତି କେହି ପଢ଼ି ନ ପାରେ ! ନହେଲେ କପେ ଚା’ କରିବୁ ଖାସ୍ ତୋଅରିପାଇଁ, ଚୁଲି ଲଗେଇବୁ ତ ଏ ଚିଠିକୁ ଆଗ ପକେଇଦବୁ; ଦେଖିବୁ ଚା’ ମିଠା ଲାଗିବ । ସାଙ୍ଗର ଚିଠି ତ ! ନାଇଁବେ–ଏଣିକି ଯୋଉକଥା ଲେଖିବି, ଚା’ କଷା ଆଉ ପିତା ଲାଗିବ !!

 

ଗେଟ୍ ଖୋଲିଲା ପୁରୁଷ ଲୋକଟା । ଆମେ ଭିତରକୁ ଆସୁ ଆସୁ ପୁଣି ବନ୍ଦ କରିଦେଲା । ଆମେ ଦି'ଜଣ–ମାନେ ନରିଆ ଦା’ ଓ ମୁଁ ଭିତରକୁ ଆସିଲୁ । ମାନେ ମଝି ମହଲାକୁ । ନରିଆ ଦା’ ପୁରୁଣା ଲୋକ ପରି ବ୍ୟବହାର କରୁଥାଏ । ମୁଁ ଗୋଟେ ଚେଆର୍‍ରେ ବସୁ ବସୁ ଆଗରୁ ମୁହଁ ଦେଖେଇଥିବା ସ୍ତ୍ରୀଲୋକ ଜଣକ ଆସି ପୂରା ଗମ୍ଭୀର ଢଙ୍ଗରେ କହିଲା କି ରୁମ୍ ନମ୍ବର ନ’କୁ ଯାଅ । ତା’ପରେ ମୋ ସାଙ୍ଗରେ ଆସିଲା ରୁମ୍ ଦେଖେଇବାକୁ । ନରିଆ ଦା’ କହିଥିଲା କି ଆମର ଦିନ ଦଶଟାବେଳକୁ ଭେଟ ହବ । କାରଣ ଏପଟେ କେବଳ ମହିଳା ଓ ଝିଅ ରହନ୍ତି ତ ! ସେ ତିନି ମହଲା ଆଡ଼କୁ ତ ଯାଇଥିଲା !

 

ଆଜି ଯାଏଁ ମୁଁ ଆଉଥରେ ତାକୁ ଦେଖି ନାହିଁ । ଛ’ମାସ ହେଇଗଲା । ହଁ–ମୋ ବାପାଙ୍କର ସାନ ଭାଇ–ନିଜର ନୁହେଁ, ଲେଖାଯୋଖା । ସେଇ ହିସାବରେ ମୁଁ ତାକୁ ଦାଦା ଡାକି ଆସିଥିଲି କୋଉ ପିଲାଦିନୁ । କେତେ ଭରସାରେ ମୋ ବାପା–ବୋଉ ତା' ସହ ପଠେଇଥିଲେ ! ପୁଣି କେଡ଼େ ଭରସାରେ ମୁଁ ଘରୁ ଗୋଡ଼ କାଢ଼ିଥିଲି । କୋଉ ଅଜଣା ଅନାମ ସହରରେ ତିନି/ଚାରି ପ୍ରକାର ଭାଷା କହୁଥିବା ଲୋକଙ୍କ ମେଳରେ ମତେ ଛାଡ଼ିଦେଇ କେତେ ଆରାମରେ ନରିଆ ଦା’ ଚାଲିଗଲା ମ ସତେ !

 

ମୁଁ ନ’ନମ୍ବର ରୁମ୍‍ର କବାଟ ଖୋଲି ଭିତରକୁ ଗଲି । କେତେ ଫୁଟ୍‍ରେ କେତେ ଫୁଟ୍ ସେକଥା ମୁଁ କହିପାରିବି ନାହିଁ । କିନ୍ତୁ ମଝିଆ ସାଇଜର ରୁମ୍ । ସେଥିରେ ଦୁଇଟା ବେଡ଼୍ । କାନ୍ଥରେ ଦୁଇଟା ଆଲମାରି । ଛୋଟ ଟିଭିଟାଏ ଥାଏ । ଗୋଟାଏ ଟେବୁଲ୍ । କାନ୍ଥ ଆଲମାରି କବାଟରେ ବଡ଼ ଦର୍ପଣ । ଗୋଟେ ବେଡ଼୍ ଫାଙ୍କା ଥାଏ । ତାଆରି ଉପରେ ମୁଁ ମୋ ବ୍ୟାଗ୍ ରଖିଲି । ଭିତରୁ କବାଟ ଦେଇଦେଲି । ଆର ଖଟରେ ଝିଅଟେ କି ସ୍ତ୍ରୀଲୋକଟେ ଶୋଇଥାଏ । କାନ୍ଥ ଆଡ଼କୁ ମୁହଁ କରି । ନିଦରେ ଥାଏ କି ଚାହିଁଥାଏ, ସେ କଥା ଜାଣିବାର ରାହା ନଥାଏ ।

 

ଶୁଣ୍ ବିନି–ସେଇ ସମୟଠାରୁ ଆଉ ଓଡ଼ିଆ କହିବାର ସୁଯୋଗ ନଥିଲା । ଓଡ଼ିଆ ଛଡ଼ା କୋଉ ଭାଷାରେ କଥା ହେବା ତ ମୋପାଇଁ କାଠିକର ପାଠ । ସେଠି ହିନ୍ଦୀ ଓ ଆଉ ଏକ ଅଜଣା ଭାଷା–ହିନ୍ଦୀ ପରିକା; କୁହାକୁହି ହେଉଥିଲେ । ମୁଁ ପ୍ରଥମ କୋଡ଼ିଏ ଦିନ ନାକରେ କାନ୍ଦିଛି । ଏବେ ଗୋଟେ ଖେଚେଡ଼ି ଭାଷା କହୁଚି, କାମ ତ ଚଳିଯାଉଚି ନା । ମୋର କିନ୍ତୁ ଇଚ୍ଛା କ’ଣ ଜାଣିଛୁ ? ମୁଁ କୌଣସି ଭାଷା କହନ୍ତି ନାହିଁ !

 

ବ୍ୟାଗ୍‍ପତ୍ର ଥୋଇ ମୁଁ ସେଇ ରୁମ୍ ଭିତରେ ଥିବା ଛୋଟିଆ ଗାଧୁଆଘରେ ପଶିଲି । ବାହାରିଲାବେଳକୁ ସେ ଆର ଝିଅଟା ଉଠି ବସିଥାଏ । ମତେ ଦେଖି ସେ ଜମା ଆଶ୍ଚର୍ଯ୍ୟ ହେବା ପରି ଜଣାଗଲା ନାହିଁ । ସତେ ଯେମିତି ତାକୁ ଜଣାଥିଲା ଯେ, ମୁଁ ସକାଳୁ ଆସିବି ! ସେ ମତେ ଥରେ ପାଦରୁ ମୁଣ୍ଡଯାଏଁ ଅନେଇଲା । ସେ ଯେଉଁ ପତଳା ଚାଦର ଘୋଡ଼େଇ ହୋଇଥିଲା, ସେଇଟା ହଟେଇ ଦେଇଥିଲା ! ଧଳା କନାର ସେମିଜ ପରିକା ଗୋଟେ ପିନ୍ଧିଥାଏ ଆଉ କିଛି ନଥାଏ ଦେହରେ । ଉଠିଲା ଓ ଗାଧୁଆଘରେ ପଶିଲା । ସିଏ ବାହାରିବାବେଳକୁ ମୋର ପ୍ରାରମ୍ଭିକ କାର୍ଯ୍ୟ ସରିଯାଇଥିଲା । ହେଲେ ସେଇ ସମୟରୁ ମୁଁ ଯେଉଁ ଧକ୍କା ପାଇଥିଲି ଏବଂ ଯେଉଁ ହତାଶାଭାବ ମତେ ଘେରିଯାଇଥିଲା, ସେଇ ଅନୁଭବ ଏ ଜୀବନ କି ଜନ୍ମ କ’ଣ, ପାଞ୍ଚ ଜନ୍ମ ଯାଏଁ ମୋର ପିଛା ଛାଡ଼ିବ ନାହିଁ !

 

ସେ ଝିଅଟା ଯେତେବେଳେ ଗାଧୁଆଘରୁ ବାହାରିଲା, କ’ଣ ଆଉ କହିବି ସେକଥା । ଏଇ କଲମଟାବି ଯେମିତି ମନା କରୁଚି ଲେଖିବାପାଇଁ । ଏ ଚିଠି ତ ଏତେ ଲମ୍ବା ହେଲାଣି, ଆଉ କେତେ ଲେଖିବି ? ପୂରା ଉଦ୍ଭୂତ ଲଙ୍ଗଳା । ମାନେ ସୂତାଟେବି ତା’ ଧିଅରେ ନଥିଲା । ସେ ବଡ଼ ଦର୍ପଣ ଆଗରେ ଅଧଘଣ୍ଟା ଠିଆ ହୋଇ ନିଜ ଦେହକୁ ନିରୀକ୍ଷଣ କଲା । ତା'ପରେ ଗୋଟେ ବଡ଼ ଡବାରୁ କ୍ରିମ୍ ବାହାର କରି ବୋଳିହେଲା । ଯଦିଓ ତା’ର ନେଲ୍‍ପଲିସ୍, ଅଳତା, ଆଇବ୍ରୋ କଲର୍, ଲିପ୍‍ଷ୍ଟିକ୍ ସବୁ ଠିକ୍ ଥିଲା; ସେ ସବୁକିଛିର ପୁଣି ଗୋଟେ କୋଟିଂ ଚଢ଼େଇଲା । ପାଦରେ ଟିକେ ଅଳତା ଓ ମୁଣ୍ଡରେ ଟିକେ ନଡ଼ିଆ ତେଲ ଛଡ଼ା ଧିଅରେ କ’ଣ ବା ଲଗେଇଚେ ଆମେ ? ପୁଣି ମଣିଷ ଧିଅରେ ଲଗେଇବାକୁ ଏତେ ପ୍ରକାର ଜିନିଷ ଥାଏ ବୋଲି ମୋର ଧାରଣାଇ ନଥିଲା ।

 

ଦିନ ପ୍ରାୟ ଏଗାରଟାବେଳକୁ ସଜେଇ ସାଜେଇ ହୋଇ କୁଆଡ଼େ ଗଲା ଯେ ଗଲା । ଦି’ଟା/ଅଢ଼େଇଟାବେଳକୁ ଆସିଲା, ପୂରା ହାଲିଆ ହୋଇ ପଡ଼ିଥାଏ । ଖଟ ଉପରେ ଲମ୍ବହୋଇ ପଡ଼ିଗଲା । ମତେ ପଦେବି କାହିଁ କିଛି କହିଥାନ୍ତା ? ପନ୍ଦର କୋଡ଼ିଏ ମିନିଟ୍ ଉପରେ ମାଇଚିଆ ଟୋକାଟା ଦୁଇଟା ଚାରିଥାକିଆ ଟିଫିନ୍ ଧରି ଆସିଲା । ମୋ ଆଡ଼କୁ ଗୋଟେ ଓ ସେ ଝିଅଟା ଆଡ଼କୁ ଗୋଟେ ଟିଫିନ୍ ବଢ଼େଇ ଦେଇ ଟିକେ ଆଖି ନଚେଇ ମୋ ଉଦ୍ଦେଶ୍ୟରେ ହିନ୍ଦୀରେ କହିଲା, ‘ତମର ଆଇଁଷ କି ସାଦା ?' ମୁଁ ସବୁ ଖାଏ ବୋଲି କହିବାରୁ କେମିତି ଏକ ଠାର ମାରି କହିଲା, ‘ସବୁ ଖାଇପାରିବ ଯଦି ଏଠି ତିଷ୍ଠି ଯିବ !’

 

ଟୋକାଟା ଯିବା ପରେ ଆମେ ପରସ୍ପରର ମୁହଁକୁ କ୍ଷଣକପାଇଁ ଅନେଇଦେଇ ନିଜ ନିଜର ଟିଫିନ୍ ଖୋଲି ଖାଇବାକୁ ଲାଗିଲୁ । ଖାଇବାଟା ମନ୍ଦ ନଥିଲା । ଆମ ଓଡ଼ିଆ ଘରର ଖାଇବା ପରି ନହେଲେବି ମତେ ଭଲ ଲାଗିଥିଲା । ତେବେ ଯୋଉ କଥାଟା ମତେ ଭାରି ଅଡ଼ୁଆ ଲାଗିଥିଲା, ସେଇଟା ହେଲା ଅଧପ୍ଲେଟ୍ ସରିକି ଭାତ ସାଙ୍ଗକୁ ତିନିଟା ରୁଟି, ରୁଟି ପୁଣି ଆମ ଘରର ପୁରି ଆକାରର । ଛାଡ଼–ଦୁଇଦିନ ଏମିତି ବସି ବସି ଖାଇବା ପରେ ତୃତୀୟ ଦିନ ପରଠୁ ଆଜି ଏ ଚିଠି ଲେଖାହେବା ଯାଏଁ ତ ଚାକିରି, ଖାଲି ଦିନରାତି କଠିନ ପରିଶ୍ରମ ଦରମା–ଆହା, କ’ଣ ଆଉ ସେସବୁ ଏ ଚିଠିରେ ଖୁଣ୍ଟିନାଣ୍ଟି ଲେଖିବି । ଛି, ଛି । ମୋର ଜମା ଇଚ୍ଛା ନାହିଁ ଲେଖିବାକୁ । ହେଲେ ଯେତେବେଳେ ଭାବୁଚି ଯେ ହୁଏତ ମୁଁ ଆଉ ଗାଁକୁ ଫେରିବି ନାହିଁ, ସେଇ ସମୟରେ ମନଟା କିମିତି ଜଳିପୋଡ଼ି ଛାରଖାର ହେଇଯାଏ !

 

ଗାଁରେ ଥିବାବେଳେ କେତେବେଳେ କେମିତି ଶୁଣିଚି ଏଇ ଶବ୍ଦ ଦି'ଟା, ଜଳିପୋଡ଼ି ଛାରଖାର । ହେଲେ ମୁଁ ହୁଏ କି ଆଉ କେହି ହଉ; କେହି କ’ଣ କେବେ ୟା' ଉପରେ ନଜର ଦିଏ-? ସେଥିରୁ ପୁଣି ମନେପଡ଼ୁଚି ଆମ ଗାଁର ଶେଷ ମୁଣ୍ଡରେ ଥିବା ପ୍ରାୟ ଅଧ ମାଇଲରୁ ଅଧିକ ଲମ୍ବର କିଆ ବାଡ଼ । ଅଗିରାପୂନେଇଁ ଦିନ ଦୁଷ୍ଟ ଟୋକାଏ ନିଆଁ ଲଗେଇ ଦିଅନ୍ତି ସେଇ ବାଡ଼ରେ, ତୋର ମନେ ଅଛି ? ଏପଟେ ଠା’କୁ ଠା’ ସତସତିକା ଅଗି ଜଳୁଥାଏ । ସତସତିକା ଅଗି ନିଆଁ ଯଦି ପନ୍ଦର ଫୁଟ୍ ଯାଏଁ ଉଠୁଥିଲା, ତେବେ କିଆ ବାଡ଼ର ନିଆଁ କୋଡ଼ିଏ ଫୁଟ୍ ଉପରକୁ ଉଠିଯାଉଥିଲା-। ଏଣେ ଆକାଶର ଗୋଟେ ପଟକୁ ଗାଢ଼ ଇଟା ରଙ୍ଗର ବିଶାଳ ଥାଳିଟେ ପରି ଉଇଁ ଆସୁଥିଲା ଜହ୍ନ-। ସତ ଅଗିକୁ ଲୋକେ ଫିଙ୍ଗୁଥିଲେ ଆଳୁ, ବଡ଼ବଡ଼ ପୁଆ ସାରୁ, ବାଇଗଣ । ଅଗି ନିଭିଯିବା ପରେ ଧାସକୁ ନ ଡରି ପାଉଁଶ ଆଡ଼େଇ ଲୋକେ କେତେ ଆଦରରେ ଫିଙ୍ଗା ଜିନିଷ ଖୋଜି ଖାଉଥିଲେ-! ତୋର ମନେ ଅଛି ?

 

କିଆ ବାଡ଼ ଜଳି ସକାଳକୁ ପୋଡ଼ା–କୁହୁଳା–ମାଟିଆ–କଳା–ସବୁଜ ରଙ୍ଗର ହୋଇଯାଇଥାଏ । ସେଇଆକୁ ବଡ଼ମାନେ ଦେଖି କହୁଥିଲେ ଯେ ଜଳିପୋଡ଼ି ଛାରଖାର ହେଇଗଲା । ଏତେଦିନ ଏଠି ରହି ମୋରବି ଆଉ ଠିକ୍‍ସେ ମନେ ନାଇଁ, ଛାରଖାର କହନ୍ତି କି ନାରଖାର ! ମୋ ମନଟା ଏଠି ଏବେ ସେଇ ପୋଡ଼ା କିଆବାଡ଼ ପରି ଛାରଖାର ହେଇଯାଇଛି । ଏତେ ଦୁଃଖ ଭିତରେବି ଗାଁର ଅଗିରାପୂନେଇଁ କଥା ଓ ସେଇସବୁ ସଞ୍ଜର ଦୃଶ୍ୟ ଆଜି ମନେପଡ଼ି ଟିକେ ଭଲ ଲାଗୁଚି ।

 

ଦେଖ୍ ମ ! ଚିଠିରେ ସିନା ଏଠିକା କଥା, ମୋ କଥା ଲେଖିବା କଥା । ମୁଁ ଏଠି ବସି ତୋ ଆଗରେ ସେଠିକା କଥା ବଖାଣୁଚି ! ହଁ–କୋଉ କଥା କହୁଥିଲ ତ । ତୃତୀୟ ଦିନର ସଞ୍ଜବେଳ କଥା । ଟୋକାଟା ଆସି କହିଲା, ‘ଦିଦି, ଆଜି ଆପଣଙ୍କର ଜଏନିଂ ହବ । ଆପଣ ଭଲ ଫ୍ରେସ୍ ପିନ୍ଧି ରେଡ଼ି ହେଇଥିବେ । ମୁଁ ନହେଲେ ଶର୍ମିଲା ଦିଦି ଆସି ଡାକିନେବ ।’

 

‘କ’ଣ ସଞ୍ଜବେଳେ ଜଏନିଂ ହବ ?’ ମୁଁ ପଚାରିଲି ।

 

ଆମେ ସବୁ ହିନ୍ଦୀରେ କଥା ହେଉଥିଲୁ । ଏଠି ଆଉ ହିନ୍ଦୀ କ’ଣ ଲେଖିବି ? ମୋ କଥା ଶୁଣିବାକୁ ସେ ଟୋକା କ’ଣ ଥିଲା ନା କ'ଣ ? ସେ ଆର ଝିଅଟାବି ଦିଦିନ ଭିତରେ ମୋ ସାଙ୍ଗରେ ଭଲରେ ଦିପଦ କଥା ହେଇ ନଥିବ । ସତେ ଯେମିତି ଗୋଟାଏ ମନ୍ତ୍ରୀ କି ବଡ଼ ଅଫିସର କି ଆଉ କ’ଣ ! ଏଗାରଟାବେଳକୁ ଯାଏଁ, ଦି’ଟା ଅଢ଼େଇଟାବେଳକୁ ଆସେ, ସିଆଡ଼େ ବୋଧେ ଖାଇସାରି ଆସିଥାଏ, ଦୁମ୍ କରି ଖଟ ଉପରେ ପଡ଼ିବ, ଚାହେଁ କି ଶୁଏ ମୁଁ ଜାଣିପାରେନା । ପୁଣି ଠିକ୍ ଚାରିରେ ଉଠି ଅଧଘଣ୍ଟା ଭିତରେ ପୂରା ଫିଟ୍‍ଫାଟ୍ ହେଇ ବାହାରିପଡ଼େ । ତା' ସହ କଥା ହବାକୁ ମୋର ଇଚ୍ଛା ହେଲେବି ମୁଁ ହୋଇପାରେନା । ତା’ ମୁହଁଟା ଏମିତି ଥାଏ ଯେ କିଛି ଗୋଟେ ପଚାରିଦବାକୁ ମୋର ସାହସ କୁଳାଏନା !

 

ହଁ–ସେଇଠୁ ସେ ଟୋକାଟାର କହିବାନୁଯାୟୀ ମୁଁ ବ୍ୟାଗ୍‍ରୁ ସବୁଠୁ ଭଲ ଡ୍ରେସ୍ ବାହାର କରି ପିନ୍ଧି ଭଲରେ ଫିଟ୍‍ଫାଟ୍ ହେଇ ବସି ରହିଲି । ଠିକ୍ ସାଢ଼େ ପାଞ୍ଚବେଳକୁ ଶର୍ମିଲା ଦିଦି ଆସି କବାଟ ଖଟଖଟ କଲା । କବାଟ କୋଉ ଭିତରୁ ଦିଆଯାଇଥିଲା କି ? ମୁଁ ଠିଆ ହୋଇଯାଇଥିଲି, ସେ କବାଟ ଅଧାଖୋଲି ଆସି ମତେ ଦେଖୁଦେଖୁ କହିଲେ, ‘ଆରେ ୱା ! ବସ୍ ତ ପୂରା ଖୁସ୍ ହୋଏଯାୱେ !’ ଏମିତିକା କି ଅଜବ ଗୋଟେ ମିଶା ଭାଷାରେ କଥା କହେ ସେ ।

 

ମୁଁ ପୁଣି କିମିତିକା ବୋକୀ, ଗଧୁଣୀ ଥିଲି ଟିକେ ଭାବ । ମୁଁ ତାକୁ ବଡ଼ ଆଗ୍ରହରେ ପଚାରିଲି, ‘ଜଏନିଂ ଲେଟର୍‍ଟା ଆଗରୁ ଲେଖିଥିଲେ ଭଲ ହୋଇଥା’ନ୍ତା । କାଗଜକଲମ ଦେଲେ...।’ ମୋ କଥାରେ ବାଧାଦେଇ ସେ କହିଥିଲା କି ସେଇଠି ବସ୍‌ଙ୍କ ପାଖରେ କାଗଜ–କଲମ ସବୁ ଥିଲା ବୋଲି !

 

ମୋ ଛାତି ଦୁମ୍ ଦୁମ୍ ପଡ଼ୁଥାଏ ।

 

ସତେଅବା ବଡ଼ ହାତୁଡ଼ିରେ କେହି ପିଟୁଥାଏ ।

 

ଆଗରେ ଶର୍ମିଲା ।

 

ପଛରେ ମୁଁ ।

 

ମାତ୍ର ଦୁଇ ମିନିଟ୍‌ର ରାସ୍ତା, ଲାଗିଥିଲା ଦୁଇ ଘଣ୍ଟା ପରି; ଜାଣିଲୁ ତ !

 

ତୋ ସାଙ୍ଗ ପରା ଯାଉଥିଲା ପ୍ରଥମ ଦିନର ଚାକିରିକୁ ।

 

ଜଏନ୍ କରିବାକୁ !!

 

ସେ ରୁମ୍‍ଟାବି ଏମିତି କିଛି ବଡ଼ ନଥିଲା, ହେଲେ ସାଜସଜ୍ଜା ଟିକେ ଭଲ ଥିଲା । ମାନେ ଗୋଟେ ସିଙ୍ଗଲ୍ ଡବଲ୍‍ବେଡ଼୍‍ । ପରିଷ୍କାର, ପରିଚ୍ଛନ୍ନ; ଯେତିକି ଦରକାର ତା’ଠୁ ଅଧିକ ଉଜ୍ଜ୍ଵଳ ଆଲୁଅ, ଗୋଟେପଟ କାନ୍ଥ କଡ଼କୁ ଖୁବ୍ ଛୋଟ ଟେବୁଲ–ଚୌକି, ଟେବୁଲ୍ ଉପରେ ଦୁଇ/ ତିନିଟା କୋଲଡ଼୍‍ ଡ୍ରିଙ୍କ୍, ପୁଣି ଆଉ ବିଚିତ୍ର ଆକାରର ବୋତଲଟାଏ ଯେମିତିକି ଖେଳଣାଟାଏ, ଏପଟର ଜଣିକିଆ ସୋଫାରେ ଲୋକଟା ବସିଥାଏ । ମତେ ପୂରା ପଛକରି ନୁହେଁ । ଏମିତି ବସିଥାଏ ଯେ ମୁଁ ତା’ ମୁହଁର ଗୋଟେ ସାଇଡ଼ରୁ ଦେଖୁଥାଏ ।

 

ଧଡ଼ାସ୍ କରି ଗୋଟେ ଶବ୍ଦ ହେଲା । ମୁଁ ପଛକୁ ଅନେଇଲି । ଶର୍ମିଲା ଦିଦି ନଥିଲା, ବୋଧେ ଏତେ ଜୋରରେ କବାଟଟାକୁ ସେଇ ଆଉଜାଇ ଦେଇଥିଲା । ମୁଁ ଟିକେ ଶଙ୍କିଗଲି, ଚଟ୍‍କରି ବୁଲିପଡ଼ି କବାଟଟାକୁ ଟାଣିଲି–ନା, କବାଟ ବାହାରୁ ବୋଧେ ଦେଇ ଦେଇଥିଲା ସେ !

 

‘କ୍ୟା ହୁଆ ? ଇଧର ଆକେ ବୈଠୋ ନା !’

 

ଲୋକଟାର କଥାରେ ମୁଁ ତା’ ଆଡ଼କୁ ଅନେଇଲି । ସେ ମୋ ଆଡ଼କୁ ଏକଲୟରେ ଅନେଇଥାଏ ଓ ଓଠରେ ହସିବାର ଭଙ୍ଗୀଟା ରଖିଥାଏ । ସତେ କି ମତେ ଢେର୍ ଆଗରୁ ଚିହ୍ନେ । ସେତେବେଳେ ତ ମୋର ହିନ୍ଦୀ କି ଇଂରାଜୀ କହିବାଟା ଭଲଭାବେ ହୋଇ ନଥାଏ । ଭଲ ପୁଣି କ’ଣ ମ–ଜମା ତ ନଥାଏ । ତଥାପି ମୁଁ ପାଟିକୁ ଯାହା ଯେମିତି ଆସିଥିଲା, ସେମିତି କହୁଥାଏ । ସେଦିନର କଥା କ’ଣ ଅବିକଳ ମୋର ମନେ ଅଛି ନା କ’ଣ ?

 

ଏଣିକି ଆଉ କହିବାରବି କ’ଣ ଅଛି ? କି ହିନ୍ଦୀ କି ଓଡ଼ିଆ କି ଭୋଜପୁରୀ କି ବେଙ୍ଗଲି କି ଇଂରାଜୀ ! ଏଣିକି ଆଉ କହିବାର କିଛି ନାହିଁ । ୟା' ପରଠାରୁ ଆଜିଯାଏ ମୁଁ କେମିତି ଜିଇଚି, କ’ଣ ଖାଉଚି, ପିନ୍ଧୁଚି, ନିଜପାଇଁ କ’ଣ ସବୁ କିଣିଚି, କେତେ ଦରମା ପାଉଚି, ନିଜର କିଛି ସଂଚୟ ଅଛି କି ନାହିଁ, ମୋର କେହି ସାଙ୍ଗ ଏଠି ଅଛନ୍ତି କି ନାହିଁ, କେତେବେଳେ ଅଫିସ୍ ଯାଏଁ କେତେବେଳେ ଫେରେ ଇତ୍ୟାଦିର କିଛି ମୂଲ୍ୟ ନାହିଁ । କିମ୍ବା ଏସବୁକୁ ଚିଠିରେ ବନେଇ ଚୂନେଇ କହିବାର କିଛି ନାହିଁ ।

 

(ଚିଠି ପଢ଼ୁଥିବା ଅବସ୍ଥାରେହିଁ ବିନୋଦିନୀ ଲକ୍ଷ୍ୟ କଲା ଯେ ସତେ ଅବା ଦୁଇ/ଚାରି ବୁନ୍ଦା ପାଣି ଏଇଠାରେହିଁ ଦୁଇ/ଚାରିଟା ଅକ୍ଷରକୁ ଝାପସା କରିଦେଇଥିଲା । ତାକୁ ଲାଗିଲା ପାଣି ନୁହେଁ; ବୋଧେ ତା’ର ସାଙ୍ଗ ତମାଳ ସେଇଠି କାନ୍ଦି ପକେଇଥିଲା ଓ ଦି’ଟୋପା ଲୁହ ସେଠି ଖସିପଡ଼ିଥିଲା !)

 

ମୁଁ ସେ ଲୋକଟି ଆଡ଼କୁ ଅନେଇଲି । ବୟସ ପଇଁଚାଳିଶ କି କ’ଣ । ପୂରା ଚଇନି ଚିକ୍କଣ । କୋଟ୍‍ଟା ଖଟର ଗୋଟେ କଡ଼କୁ ପଡ଼ିଥାଏ । ଗୋଲାପୀ ସାର୍ଟ୍ । କଳା ପେଣ୍ଟ୍‍ । ସବୁ ସତ୍ତ୍ୱେ ମାଲୁମ ହଉଥାଏ ଯେ ଲୋକଟା ଭଲ ଖାନ୍‍ଦାନ୍‍ର ନୁହେଁ । ଯା’ହଉ, ସେଥିରେ କାହାର କ’ଣ ଯାଉଥିଲା ନା ଆସୁଥିଲା ? ଆରେ ବାବା–ମୁଁ ତ ଏମିତି ଭାବିବା ଭିତରେ ଟିକେ ଅନ୍ୟମନସ୍କ ହୋଇପଡ଼ିଥିଲି କି କ’ଣ, ଦେଖିବାବେଳକୁ କେତେବେଳେ ସେ ସାର୍ଟ୍ ଓ ଗଞ୍ଜିବି ଖୋଲିଦେଇଥିଲା-। ମତେ ପ୍ରଥମ ଥରପାଇଁ ଜୋର୍ ଡର ଲାଗିଲା । ମତେ ଲାଗିଲା ଖଟ ଉପରେ ମଣିଷ ନୁହେଁ, ବସିଥିଲା ଗୋଟାଏ ମଇଁଷି ।

 

ସିଏ ମୋ ଆଡ଼କୁ ଅନେଇଥିଲା ଏକଲୟରେ ।

 

ତା’ ଆଖିରେ ମୋ ଆଖି ମିଶିଯିବାରୁ ମୁଚୁକୁନ୍ଦି ହସଟେ ହସି କହିଲା, ‘ଯାହା ଦେଖୁଚି ମ୍ୟାଡ଼ାମ୍ କଥା ସତ । ତମର ଏ କାମରେ ଆଜି ବୋଧେ ପହିଲା ଦିନ ! ଭାବୁଥିଲି କି ମ୍ୟାଡ଼ାମ୍ ମିଛ କହି ମୋ'ଠୁ ମାଲ ଖସେଇବାର ଚକ୍କରରେ ଥିଲା ! ହେଲେ ତମେ ପୂରା

 

ସଜଫୁଲ ।’

 

ଛ’ମାସର ଏଠିକାର ଅଭିଜ୍ଞତା ମୋତେ ଗୋଟାଏ କଥା ଶିଖେଇଚି । ଦେହର ଭୋକ କି ସୁଖପାଇଁ ପୁରୁଷ ଯେତେବେଳେ କଥା କହିବା ଆରମ୍ଭ କରେ, ସେତେବେଳେ ତ ପୂରା କବି । ସେଠି ଅଫିସର କି ସୁଇପର କି ପାନ ଦୋକାନୀ କି କନେଷ୍ଟବଳ କି ହିରୋ କି ଅଟୋବାଲା ଇତ୍ୟାଦିର କିଛି ମାନେ ନଥାଏ । ସମସ୍ତେ କବି !

 

ଆଉ କାମ ସରିଗଲେ ?

 

ଚୁତିଆ ! ରାସ୍କେଲ । ବାଷ୍ଟାର୍ଡ଼ । ଲାଙ୍ଗୁଡ଼ା ପୋକ ! ଛିଃ ଛିଃ !

 

ହଠାତ୍ ଏସବୁ ଶୁଣି ତୁ ଭାବୁଥିବୁ ଗୋଟାଏ କଥା ତ ଚାଲିଥିଲା, ଇଏ ପୁଣି କି କଥା ? ସବୁ ସେଇ ଏକା କଥା । ମୁଁ ଦେଖୁଦେଖୁ ଲୋକଟି ଠିଆ ହୋଇପଡ଼ିଲା, ଦି' ସେକେଣ୍ଡ୍‍ରେ ପେଣ୍ଟ୍‍ ଓହ୍ଲେଇ ପକେଇଲା । ପକେଟ୍‍ରୁ ପାଞ୍ଚ ହଜାର ଟଙ୍କା ବାହାର କରି ମୋ ଆଡ଼କୁ ଫିଙ୍ଗିଦେଇ କହିଲା, ‘ଏତକ ସିର୍ଫ ତମର । ଜାଣିଲ ? ବୁଢ଼ୀକୁ ଆଗରୁ ପନ୍ଦର ଦେଇଚି । ନୂଆ ଜିନିଷ ବୋଲି ବୁଢ଼ୀ ନର୍ମାଲଠାରୁ ଡବଲ୍ ଖସେଇଦେଲା ।’

 

ସେ ହିନ୍ଦୀରେ ସବୁ କହୁଥିଲା ।

 

ପୂରା ଉଲଗ୍ନ ମଣିଷଟାଏ ଠିଆ ହୋଇଥିଲା, ମୁଁ ସିଆଡ଼କୁ ଅନେଇ ପାରୁ ନଥାଏ । ସେଇଠୁ ସେ ସିଧା ମତେ କହିଲା, ‘ତୁମ ଭି ସବୁ କୁଛ୍ ଉତାର୍ ଦୋ ନା ।’

 

ସେଇ ମୁହୂର୍ତ୍ତରେ ଜାଣିଲି ଆଉ ମୋର କିଛି ରାହା ନଥିଲା ।

 

ବାପା / ବୋଉ / ଗାଁ ସ୍କୁଲ୍ ସାର୍ /ନରିଆ ଦା’/ ଭଗବାନ ବିଷ୍ଣୁ / ଲକ୍ଷ୍ମୀ, ଶନି, ରାହୁ, କେତୁ, ଗଣେଶ, ଓମ୍‌ଫେଡ଼୍ କ୍ଷୀର..

 

ସବୁକିଛି ମନେହେଲା ବିଷ ।

 

ଭୟଙ୍କର ବିଷ । ଜଟିଳ ବିଷ ।

 

ଆଉ କ’ଣ କହିବି ନା କ’ଣଟା ଆଉ ଲେଖିବି ?

 

ନା, ମୁଁ ପ୍ରତିରୋଧ କରି ନଥିଲି ।

 

ନା, ମୁଁ ଚିତ୍କାର କରି ନଥିଲି ।

 

ନା, ମୁଁ କୋଉ ବାପା କି ଭଗବାନଙ୍କୁ ଡାକି ନଥିଲି !

 

X X X

 

ଜାଣିଲୁ ବିନୋଦିନୀ, ଏଇ ମୋର ଚାକିରି । ଦିନ ଏଗାରରୁ ଦୁଇ ଭିତରେ ଚାରିଜଣ, ପୁଣି ଉପରଓଳି ପାଞ୍ଚଟାରୁ ଏଗାରଟା ଭିତରେ ପାଞ୍ଚ / ଛ' ଜଣ । ଗାଁରେ ବାପା–ବୋଉ ଖାଣ୍ଟି କ୍ଷୀର, ଘିଅ, ଚୁନାମାଛ, ମୁଗଡ଼ାଲି ଖୋଇ ବଢ଼େଇଥିଲେ ବୋଲି ଏ ଦେହ ସମ୍ଭାଳଚି । ଆଜିକାଲିର ଗୁଣ୍ଡ ଦୁଧ, ପ୍ରୋଟିନ୍ ପାଉଡ଼ର ଖିଆ ଦେହ ହୋଇଥିଲେ ଏ ଚିଠି ଲେଖିବାକୁ ବଞ୍ଚି ନଥାନ୍ତି !

 

ଛାଡ଼–ଆଉ କିଛି ଲେଖିବାର କି କହିବାର ନାହିଁ !

 

କେତେ ଦିନ ବିତିଗଲାଣି ଏ ଭିତରେ ? ଚାରି ମାସ ? ଛ' ମାସ ? ବର୍ଷେ ? ଦଶ/ ବାରବର୍ଷ ? ନା ଗୋଟାଏ ଯୁଗ ମ ? କିଏ କାହିଁକି ହିସାବ ରଖିବ ମ ? ତାରାମାନେ ଆକାଶରେ ଚିକ୍‍ମିକ୍ କରୁଛନ୍ତି କି ନା, ଜହ୍ନ ରାତିରେ ଉଇଁ ଆସୁଚି କି ଏବେ ଦିନରେ ଉଇଁଚି, ସୂର୍ଯ୍ୟ ରାତିରେ ଉଦୟ ହେଉଚି କି ଦିନରେ; ମୋର ଯାଏଁ କେତେ ଆସେ କେତେ ? ମେଘ ହେଲେ ଆକାଶରୁ ପାଣି ଖସେ କି କ୍ଷୀର ଖସେ କି ରକ୍ତ ଖସେ; ମୋର ସେଥିକି ପରୱା କେତେ ?

 

ଗାଁରେ କାହାର ବା’ଘର ହେଲା କି ହେଲାନି, କାହାର ପୁଅଟେ କି ଝିଅଟେ ଜନ୍ମ ହେଲା, କାହା ଘରେ କିଏ ମଲା କି ରହିଲା, ମୋ ବୋଉ ଏଥର ବଡ଼ଓଷାରେ ବିରି ଗଜ କରିଥିଲା କି ନାହିଁ, ଜାଗର ଦିନ ଗାଁର ସୋମନାଥ ମନ୍ଦିରକୁ ଯାଇଥିଲା କି ନାହିଁ, ମୋର ସେଥିରେ କି ଲାଭ-? ମୋର ଆଉ କୋଉଥିରେ କ’ଣ ଥାଏ ?

 

ମ୍ୟାଡ଼ାମ୍ କହୁଚି ମୋ ନାଁରେ ଟଙ୍କା ଡିପୋଜିଟ୍ ହେଉଛି । ସବୁ ଖର୍ଚ୍ଚବାର୍ଚ୍ଚ କାଟିସାରି ଦିନକୁ ମୋ ନାଁରେ ତିନି ହଜାର ରହୁଚି, ମାନେ ମାସକୁ ନବେ ହଜାର, ମାନେ ଯଦି ମୋ ହିସାବରେ ଏଠିକି ଆସିବା ଛ’ମାସ ହୋଇସାରିଥାଏ, ତେବେ ହିସାବ କର କେତେ ହେଲା–ଖାଲି ଲକ୍ଷରେ ହିସାବ । ଏଣେ ମୋ ପର୍ସ୍‍ରେ ପାଞ୍ଚ । ଦଶ ଟଙ୍କାବି ନାହିଁ, କି ଗେଟ୍ ବାହାରପଟେ ଠିଆହୋଇ ଗୁପ୍‍ଚୁପ୍ ଖାଇବାର ବାଟବି ନାହିଁ !

 

ଏଇ ହେଲା ମୋ ଚାକିରି, ଏଇ ହେଲା ମୋର ଜୀବନ । ଆହୁରି ବହୁତ କଥା ଲେଖିବାକୁ ଅଛି, ହେଲେ କାହିଁକି ଲେଖିବି ? ସପ୍ତାହରେ ଥରେ ପାଞ୍ଚ / ଛଅ ଜଣ ଝିଅଙ୍କୁ କାଚ ବନ୍ଦ ଗାଡ଼ିରେ ସହର ବୁଲେଇବାକୁ ନିଆଯାଏ । ଗାଡ଼ିରେ ଅବଶ୍ୟ ଆମ ସହ ଦୁଇଜଣ ଗୁଣ୍ଡା ଛୁରି, ବନ୍ଧୁକ ଧରି ଯାଇଥା’ନ୍ତି । କେତେଟା ନିର୍ଦ୍ଦିଷ୍ଟ ଠାର ଜାଗା ଅଛି । ଆମ ଗାଡ଼ି ସେଇଠି ରହିବାକ୍ଷଣି ରାସ୍ତା କଡ଼ରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଲୋକଟେ କୋଉଥର ପୁଳାଏ ଚିକେନ୍ ପକୋଡ଼ା ବଢ଼େଇ ଦିଏ ତ କୋଉଥର ଆଠ ଦଶଟା ଏଗ୍ ଚିକେନ୍ ରୋଲ୍ ତ ପୁଣି କୋଉଥର ଦଶ ପ୍ଲେଟ୍ ମଟନ୍ ବିରିଆନି ବଢ଼େଇଦିଏ । ଏତକ କାମ ଏକ ମିନିଟ୍‍ରେ ତିନି ଭାଗରୁ ଭାଗେ ସମୟରେ ହୋଇଥାଏ । ଆମେ ଗାଡ଼ି ଭିତରେ ଖାଇ ଖାଇ, କାଚ ବାଟେ ଚକ୍‍ମକ୍ ଦୋକାନବଜାର, ଗାଡ଼ିମଟର, ହଜାର ହଜାର ଲୋକ ଦେଖି ଫେରିଆସୁ ।

 

ଏମିତିକା କେତେ କଥା । ଶୁଣି କିଛି ଲାଭ ନାହିଁ । ଏ ଚିଠିବି ଢେର୍ ଲମ୍ବା ହେଲାଣି । ହଉ ! ମାଇଚିଆ ଟୋକାକୁ କେତେ ନେହୁରା ହୋଇ କହିଛି ଚିଠିଟିକୁ ପକେଇଦେବା ପାଇଁ । ସେ ମୋ ଛାତି ଛୁଇଁ କହିଚି ନିଶ୍ଚେ ପକେଇଦବ ।

 

ହଁ–ଚୁମ୍ବକରେ ଦି’ଟା କଥା କହି ଏ ଚିଠି ପଠେଇ ଦେବି !

 

ବୋଉ ନିଶ୍ଚେ ତୋର ଦେଖାହବ । ସେ ନିଶ୍ଚେ ବଡ଼ ଆଗ୍ରହରେ ମୋ ଚିଠି କଥା ତେତେ କହିବ । କହିବ ଯେ ମୁଁ ତା’ପାଇଁ ଶାଢ଼ି, ଚୁଡ଼ି, ମୋବାଇଲ୍ କେତେକଅଣ ନେବି । କହିବ ଯେ ମୁଁ ବାପା ଦାଦାଙ୍କପାଇଁ କି କି ଜିନିଷ, ପୁଣି ଘରପାଇଁ କି କି ଜିନିଷ ନେବି ବୋଲି ଚିଠିରେ ଲେଖିଛି, ସେସବୁ ତୋ ଆଗରେ ବଖାଣିବ । ବୋଉଟା ସବୁଦିନ ସେଇଆ, ଆଲୁରି । ଦୁନିଆଯାକର କଥାରେ ତା’ର ବିଶ୍ଵାସ । ଦୁନିଆଯାକର ଲୋକଙ୍କୁ ତା’ର ବିଶ୍ୱାସ । ଯା’ହେଉ, ଏ ଚିଠି କଥା ତାକୁ କହିବୁ ନାହିଁ, ସୁନାଟା ପରା, ମୋ ରାଣ !

 

ନରିଆ ଦା’ ଗାଁକୁ ଫେରୁଚି କି ନାହିଁ ? ଫେରୁଥିବ । ତୋତେ ଗୋଟେ ଗୁରୁଦାୟିତ୍ୱ ଦେବି । ଏ ଚିଠି ଫିଠି କଥା ତାକୁ କହିବୁ ନାହିଁ । ଏମିତିରେ ତାକୁ କିଛିବି କହିବୁ ନାହିଁ କି ମୋ କଥା ତାକୁ ପଦେବି ପଚାରିବୁ ନାହିଁ । ତେବେ ହଁ–ଗୋଟାଏ କଥା । ଯଦି ସେ ଆମ ଗାଁର କି ଆଖପାଖ ଗାଁର କୋଉ ଝିଅକୁ ଚାକିରି କରେଇ ଦବାର ଲୋଭ ଦେଖାଇ କୋଉ ଦୂର ଜାଗାକୁ ନେବାର ଯୋଜନା କରେ, ତେବେ ସେ ଝିଅକୁ ନହେଲେ ତା'ର ପରିବାର ଲୋକଙ୍କୁ ଯେଉଁ ବାଟେ ହେଲେ ବୁଝେଇଦବୁ, ଯେମିତି ମୋ’ ପରି ଭୁଲ୍ ସେମାନେ ନ କରନ୍ତି ।

 

ଆଉ କ’ଣ ଲେଖିବି ?

 

ହଁ–ହଁ ସବାଶେଷରେ ଆଉ ପଦେ ମାତ୍ର ।

 

ଆମ ସ୍କୁଲ୍‍ର ପଣ୍ଡିତ ସାର୍‍ଙ୍କ ପୁଅ ବାପୁକୁ ଯଦି ଭେଟିବୁ...ଯଦି କ’ଣ ମ–ମୋପାଇଁ ଟିକେ ଭେଟିବୁ; ହେଲା ? ସେଇଟା ଦୁଷ୍ଟ ପିଲା, କାହାକୁ ମାନେନା । ମତେ ଥରେ ଏକା ପାଇ କହିଥିଲା କି ମତେ ଯଦି ବାହା ନ ହବ, ସାରା ଜୀବନ ବାହା ହବ ନାଇଁ । ଏ ବାଜେକଥା ଆଜିକାଲି କିଏ ଶୁଣିବାକୁ ଯାଏଁ ମ ! ଯାଉନୁ–ଛି !

 

ହଁ–ଶୁଣ୍ । ଯୋଉଦିନ ମୁଁ ନରିଆ ଦା’ ସାଙ୍ଗରେ ଆସିଲି, ସେ ବସ୍‌ଷ୍ଟାଣ୍ଡ ଯାଏଁ ଆସିଥିଲା । ଯଦି ସୁବିଧା ଥା'ନ୍ତା, ଚୋରଟା ରେଳ ଷ୍ଟେସନ୍‍ରୁ ଆସିଥା'ନ୍ତା ! ନରିଆ ଦା’ ସିଗାରେଟ ଟାଣିବାକୁ ଟିକେ ଦୂରକୁ ଯିବାମାତ୍ରକେ ମୋ ପାଖକୁ ଲାଗି ଆସି କହିଥିଲା, ‘କିଲୋ ! ତୁ ତ ଚାକିରି କଲୁ, ମୁଁ ଏଠି ବେକାର ! କିନ୍ତୁ ତତେ ଭଲପାଏ, ଜାଇଁଲୁ ? ଶୁଣ୍–ଯେବେ ଆସିବୁ, ମୋପାଇଁ ଗୋଟେ ସାର୍ଟ୍ ଯଦି ଆଣିବୁ, ତେବେ ଜାଣିବି ତୁ ମତେ ଭଲପାଉ... ।’

 

ଏତିକିବେଳେ ନରିଆ ଦା’ ଆସିଯିବାରୁ ସେ ଚାଲିଯାଇଥିଲା । ତା’ କାମ ଏତିକି ଯେ ଟଙ୍କା ଦୁଇଶ / ଅଢ଼େଇଶ ଖର୍ଚ୍ଚ କରି ଗୋଟେ ସାର୍ଟ୍ କିଣି ତାକୁ ଦେଇଦେବୁ, କହିବୁ ମୁଁ ପଠେଇଛି ବୋଲି–ବାସ୍ ! ମୋ ରାଣ, ମୋ ସୁନା ସାଙ୍ଗଟା ପରା ! କହିବୁ ଯେ ମୁଁ ବାହା ହେଇଯାଇଚି ଏଠି, ସେ ବି ବାହା ହେଇଯିବ ।

 

ରହିଲି । ସମସ୍ତଙ୍କୁ ପ୍ରଣାମ । ଗ୍ରାମଦେବତୀଙ୍କୁ ମୁଣ୍ଡିଆ । ସାନମାନଙ୍କୁ ସ୍ନେହ ।

 

ଇତି

ତୋର ତମାଳ ।

✽✽✽

 

Unknown

ଝଡ଼ିଲା ପତ୍ର ଓ ଗଙ୍ଗଶିଉଳି କଥା

 

କେଉଁ ରୋଗ କେତେବେଳେ କେମିତି କାହାକୁ, କାହିଁକି ଆକ୍ରମଣ କରିବ, ତା'ର କିଛି ନିର୍ଦ୍ଦିଷ୍ଟ ବିଧିବଦ୍ଧ କାରଣ ନାହିଁ । ମୁଁ ଯେମିତି ଆରମ୍ଭ କଲିଣି, ଶୁଣିବା ଲୋକ ଭାବିବ ଯେ ମୁଁ ଗପ କହିବା ମତଲବରେ ଅଛି । ହେଲେ ସେମିତି ନୁହେଁ । ମୁଁ ଜଣେ ଗପୁଡ଼ି ଲୋକ, କଥା ଆରମ୍ଭ କଲେ ଇଆଡ଼େ ସିଆଡ଼େ ପଶିଯାଏ ।

 

ରୋଗ ଆକ୍ରମଣ କରିବା ସମ୍ପର୍କରେ ଯେଉଁ ମନ୍ତବ୍ୟଟି ମୁଁ ଏବେ ପ୍ରଦାନ କଲି, ସେମିତି ରୋଗର ଚିକିତ୍ସାବି ବିଚିତ୍ର ପ୍ରକାରର ହୋଇପାରେ । କେଉଁ ଡାକ୍ତର କାହିଁକି, କେମିତି, କେଉଁ ପରୀକ୍ଷା କରାଇବ ଏବଂ କେଉଁ ଔଷଧ, କେତେ ଦିନପାଇଁ, କେତେ ପରିମାଣରେ ଖାଇବାପାଇଁ ନିର୍ଦ୍ଦେଶ ଦେବ, ତା’ର ଅଗମୂଳ ନାହିଁ ।

 

ମଣିଷ–ମଣିଷ ନେଇ ରୋଗ ।

 

ଡାକ୍ତର–ଡାକ୍ତର ନେଇ ଚିକିତ୍ସା ।

 

ମୋ ବାପାଙ୍କୁ ଏକ ବିଚିତ୍ର ରୋଗ ହେଲା ବୋଲି ଆମେ ଏକ ଅଜବ ସ୍ଥାନରେ ଓ ଅଜବ ସମୟରେ ଜାଣିଲୁ । ବାପାଙ୍କୁ ହେଲାଣି ସତାଅଶିବର୍ଷ । ବୋଉକୁ ହେଲାଣି ଅଠସ୍ତରୀ । ଉଭୟ ଗାଁରେ ରହୁଥିଲେ, ତାଙ୍କ ବୋଲହାକ କରିବାକୁ ଲୋକଟେ ଥିଲା । ଦି’ଜଣଯାକ ବେଶ୍ ଦମ୍ଭ ଥିଲେ, ବୋଉ ଯାହା–ତାହା ଗଣ୍ଡେ ଫୁଟେଇ ଦେଉଥିଲା, କାମ ଚଳୁଥିଲା । ମୁଁ ସ୍ଥିର କଲି, ଉଭୟଙ୍କୁ ମୋ ପାଖକୁ କିଛିଦିନ ନେଇଆସିବି । ଏଠି ରହିବେ, କିଛି ଭଲ ଜାଗା, ମନ୍ଦିର ଇତ୍ୟାଦି ବୁଲି ଦେଖିବେ । ତଦନୁଯାୟୀ ମୁଁ ଗାଁକୁ ଯାଇ ସବୁକିଛି ବ୍ୟବସ୍ଥା କରି ବାହାରି ପଡ଼ିଲି । ଆମେ ଗାଁ ଘରେ ଚାବି ପକାଇ, ଚାବିତକ କକେଇକୁ ଦେଇ ବାହାରିପଡ଼ିଲୁ । ଘର ନିକଟରୁ ଚାଳିଶ କିଲୋମିଟର ଆସି ଟ୍ରେନ୍‍ରେ ବସିଲୁ ।

 

ଏବଂ ସେଇ ଟ୍ରେନ୍ ଭିତରେହିଁ ରୋଗର ସୁରାକ ମିଳିଲା । ଟ୍ରେନ୍ ଚାଲିବାର କେଇ ମୁହୂର୍ତ୍ତ ପରେ ବାପା କହିଲେ, ‘ଆରେହେ, ଆମ ଘର ସବୁ ଏମିତି ଦୋହଲୁଛି କାହିଁକି ? ଭୂମିକମ୍ପ–ଫୁମିକମ୍ପ ହବ ନା କ'ଣ ?’

 

ଆମେ ଭୁବନେଶ୍ୱରରେ ପହଞ୍ଚିବା ଭିତରେ ବାପା ଏମିତି ବିଚିତ୍ର କଥାମାନ କହିଲେ ଏବଂ ମୁଁ ଜାଣିଲି, ତାଙ୍କୁ କିଛି ଏକ ବିଚିତ୍ର ଅଥଚ ଭୟଙ୍କର ରୋଗ ଆକ୍ରମଣ କରିସାରିଛି ।

 

ଝର୍କାବାଟେ ବାହାରକୁ ଚାହିଁ ଚାହିଁ ସେ କହିଲେ, ‘ଆରେହେ, ତମ ଏପଟ ଅଞ୍ଚଳରେ ଏ ଗଛଫଛ ସବୁ ପଛକୁ ଦୌଡ଼ିବାରେ ଲାଗିଛନ୍ତି କାହିଁକି ? ମାଳିକା କଥା ଫଳିଲା ନା କ’ଣ ?’

 

ଆମ ସହଯାତ୍ରୀମାନେ ପ୍ରଥମେ ହସିଲେ ମଧ୍ୟ ଦୁଃଖ କରିବାରେ ଲାଗିଲେ । ବୋଉ ଆଖି ଛଳଛଳ ହୋଇଗଲା । ମୁଁ ଜାଣିଲି, ଭୁବନେଶ୍ୱରରେ ପହଞ୍ଚିବାମାତ୍ରେ ବାପାଙ୍କୁ ଜଣେ ଭଲ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ିବ ।

 

କେତେ ଘଣ୍ଟା ନିରବ ରହିବା ପରେ ଦୀର୍ଘଶ୍ୱାସ ଛାଡ଼ି କହିଲେ, ‘ମତେ ଗାଁରେ ଭଲ ଲାଗୁଥିଲା । ସେଠି ରସାନନ୍ଦ, କରୁଣି, ଜଳଧର, କେଶବ, ଧୁରୁବ, ପହଲି, ନେତରା, କୁରୁପା ଆଦିଙ୍କ ସାଙ୍ଗରେ ମତେ ଭଲ ଲାଗୁଥିଲା । ଏଠି ମୁଁ କାହା ସାଙ୍ଗରେ ଚଳିବି ?’

 

ଯେଉଁମାନଙ୍କୁ ସେ ସ୍ମରଣ କରୁଥିଲେ, ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୁଁ ଠାବ କରିପାରୁଥିଲି, ଆଉ କେତେକଙ୍କ କଥା ମୋର ଜମା ମନେ ନଥିଲା । ମୁଁ ବୋଉକୁ ପଚାରନ୍ତେ, ସେ ଅନେକଙ୍କ କଥା କହିଲା, ହେଲେ ଜଣେ ଦି’ଜଣଙ୍କ କଥା ଜମା ମନେ ପକାଇ ପାରିଲା ନାହିଁ । ଆମେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତରଙ୍କୁ ଦେଖାଇଲି । ଡାକ୍ତର ତିନି / ଚାରି ପ୍ରକାର ଔଷଧ ଦେଇଥିଲା, ସେ ସବୁ ଖାଇବାପରେ ବାପା ଆଉ ଗପାଗପି କଲେ ନାହିଁ; ହେଲେ ସେ ଚୁପ୍ ରହିବାଟା ମଧ୍ୟ ଭଲ ଲାଗିଲା ନାହିଁ । ଛାଡ଼–ଦେଖ, ମୁଁ ଗପୁଡ଼ି ଲୋକ, କ’ଣ କହିବାକୁ ବାହାରିଥିଲି, କୋଉ କଥା କହିଲି ।

 

ମୋପାଇଁ ସୁଖର କଥା ଥିଲା ଏଇଆ ଯେ, ବାପା ସତାଅଶିବର୍ଷରେ ଶାରୀରିକ ଦୃଷ୍ଟିରୁ ଖୁବ୍ ଦମ୍ଭ ଥିଲେ । ଦମ୍ଭ ଥିଲେ ଅର୍ଥ ସେ କ’ଣ ଶାଳଗଛ କି ଶିଶୁଗଛ ପରି ଥିଲେ ନା କ’ଣ ? ସେ କଥା ନୁହେଁ । କଥାହେଲା, ନିଜର ସବୁକାମ ସେ ନିଜେ କରିପାରୁଥିଲେ । ପାଇଖାନା ଯିବା, ଦାନ୍ତ ଘଷିବା, ଗାଧୋଇବା, ଲୁଗା ଧୋଇବା, ଚଲାବୁଲା କରିବା, ଖବରକାଗଜ ଓ ମଝିରେ ମଝିରେ ଭାଗବତ ପଢ଼ିବା ଇତ୍ୟାଦି କାମ ସେ ନିଜେ କରୁଥିଲେ । ମୋ ସ୍ତ୍ରୀ ଅର୍ଥାତ୍ ତାଙ୍କ ବୋହୂ କିଛି ସାହାଯ୍ୟ କରିବାକୁ ଚାହିଁଲେ ସେ ବିରକ୍ତ ହେଉଥିଲେ । ସେ ବୋଉର ସାହାଯ୍ୟ ମଧ୍ୟ ନେଉ ନଥିଲେ ।

 

ଦିନେ ସକାଳୁ ମୁଁ ବସି ଖବରକାଗଜ ପଢ଼ୁଛି, ସେ ଆସି ମୋ ସାମ୍ନାରେ ବସିଲେ । ମୁଁ ମୁହୂର୍ତ୍ତକ ପାଇଁ ତାଙ୍କୁ ଚାହିଁଲି । ସେ ଖୁବ୍ ସତେଜ ଓ ସୁନ୍ଦର ଦିଶୁଥାନ୍ତି । ତାଙ୍କ ହଳଦୀଗଣ୍ଡ ଦେହକୁ ପଇତା ବେଶ୍ ମାନୁଥାଏ । ସେ ବି ଡେଙ୍ଗା ଲୋକ । ସକାଳୁ ମୁହଁ ଧୋଇ ସେ ଭଲ ଦିଶୁଥାନ୍ତି ।

 

ନିରବତା ଭାଙ୍ଗି ସେ ପଚାରିଲେ, ‘ବାବା, ଆପଣଙ୍କ ନାଁ କ’ଣ ? ଆପଣ କ ଅଫିସ୍‍ରେ ଚାକିରି କରିଛନ୍ତି ?'

 

ମତେ ପ୍ରଚଣ୍ଡ ହସ ମାଡ଼ିଲେବି ହସିଲି ନାହିଁ, କେବଳ ତାଙ୍କୁ ଚାହିଁଲି । ମୋ ସ୍ତ୍ରୀ ଚା’ ଧରି ଆସୁଥିଲେ, ସେ ଏତେ ଜୋରରେ ହସିଦେଲେ ଯେ ତାଙ୍କ ହାତରୁ ଟ୍ରେଟା ଗଳି ପଡ଼ିଥାନ୍ତା । ଯା’ହେଉ, ସେ ଚା’ ଆଣି ଥୋଇଲେ । ମୁଁ ମୋ କପ୍‍ଟା ଧରିଲି ଏବଂ ବାପା ତାଙ୍କ ଗ୍ଲାସ୍‍ଟା ଧରିଲେ-। କେଉଁ ଆବହମାନ କାଳରୁ ଗ୍ଲାସ୍‍ରେହିଁ ଚା’ ପିଅନ୍ତି ଏବଂ ସେଥିରେ ଦୁଇ କପ୍‍ରୁ ଅଧିକ ଚା’ ପିଅନ୍ତି ।

 

ପ୍ରଥମ ଢୋକଟି ପିଇସାରି ସେ ପୁଣି ପଚାରିଲେ, ‘କ’ଣ ଆପଣ କିଛି ଉତ୍ତର ଦେଲେ ନାହିଁ ଯେ ।’ ମୁଁ କହିଲି, ‘ମୁଁ ସରକାରୀ ଅଫିସ୍‍ରେ ଯାହା ତାହା ଗୋଟେ ଚାକିରି କରିଛି ।’ ମୋ ସ୍ୱର ସାମାନ୍ୟ ଉଚ୍ଚ ହେଲା କି କ’ଣ, ସେ କହିଲେ, ‘ମତେ ତ ସବୁ ସ୍ପଷ୍ଟ ଶୁଣାଯାଉଛି, ଆପଣ ଏଡ଼େ ବଡ଼ପାଟିରେ କଥା କହୁଛନ୍ତି କାହିଁକି ?’

 

ଏବେ ସେ ମୋତେ ଅନେକ ସମୟରେ ଆପଣ ବୋଲି ସମ୍ବୋଧନ କରୁଥିଲେ ଏବଂ ତାଙ୍କର ସେମିତି କରିବାଟା ମୋ ସ୍ତ୍ରୀଙ୍କୁ ଆମୋଦିତ କରୁଥିଲା ଏବଂ ବୋଉକୁ ବ୍ୟଥିତ କରୁଥିଲା । ହଁ–ବାପା ଯେ କହିଲେ ମୋ ସ୍ଵର ତାଙ୍କୁ ଉଚ୍ଚା ଶୁଣାଗଲା, ସେ କଥାରେ ମୁଁ ସଚେତନ ହେଲି । ମୋବାଇଲ୍ ଫୋନ୍ ତା’ର ଏକ କାରଣ ହୋଇପାରେ ଏବଂ ଘରେ ସର୍ବଦା ଟିଭି ଅନ୍ ରଖି କଥାବାର୍ତ୍ତା ହେଲେ ମଧ୍ୟ ନିଜ ଅଜାଣତରେ ବଡ଼ପାଟିରେ କଥାବାର୍ତ୍ତା କରିବା ଅଭ୍ୟାସରେ ପଡ଼ିଯାଏ ।

 

ଡାକ୍ତରର ଔଷଧ ଯେ ବାପାଙ୍କ ଉପରେ ଜମା କାମ କରିନାହିଁ ଅଥବା ଔଷଧର ପ୍ରଭାବ ସମ୍ପୂର୍ଣ୍ଣ କମିଆସିଲାଣି ଏବଂ ସେ ପୁନଶ୍ଚ ସେଥିପାଇଁ ଅଜବ କଥା ଗପିବାରେ ଲାଗିଥିଲେ । ଡାକ୍ତର ଯେ ମନଦେଇ ଚିକିତ୍ସା କରି ନଥିଲା, ସେକଥା ମୁଁ ଜାଣିଲି । ସେ ବି ଆମ ଘର ପାଖରେ ରହୁଥିବା ଡାକ୍ତର ତାଙ୍କ ସହ ମୋର ସମ୍ପର୍କ ଭଲ, ସୁତରାଂ ତାଙ୍କୁ କିଛି କହିବା ସମ୍ଭବ ନଥିଲା । ଅଥଚ ଏହା ନିଧାର୍ଯ୍ୟ ଯେ, ଡାକ୍ତରମାନେ ଆଜିକାଲି କିଛି ଭଲଭାବେ ମନ ଦେଇ ଶୁଣିବାକୁ ନାରାଜ, ସମୟରବି ଅଭାବ । ଛାଡ଼ ବାପାଙ୍କୁ ଗୋଟେ ଭଲ ଡାକ୍ତରଙ୍କୁ ଦେଖାଇବା ।

 

ଅଫିସ୍‍ରେ ପହଞ୍ଚିବା ପରେ ମୁଁ ଡାକ୍ତରଙ୍କୁ ସବୁକଥା କହିଲି । ସେ କହିଲେ, ଚିନ୍ତା କରିବାର କାରଣ ନାହିଁ । ବୟସ ଅଧିକ ହେଲେ ଏମିତି ହୁଏ । ମେଡ଼ିସିନ୍ ଖାଇବାକୁ ପଡ଼ିବ । ତେବେ ଆଂଶିକ ସ୍ମୃତିଶକ୍ତି ହ୍ରାସ ପାଇଛି, ଅଥବା ସ୍ମୃତିଶକ୍ତି ସମ୍ପୂର୍ଣ୍ଣ ହ୍ରାସ ପାଇଛି, ସେକଥା ଠାବ କରିବାକୁ ପଡ଼ିବ । ଅବଶ୍ୟ ଡାକ୍ତର କହିଥିଲେ ଆସେସ୍‍ମେଣ୍ଟ କରିବାକୁ ପଡ଼ିବ ।

 

ବାପା ବେଳେବେଳେ କାହିଁ କେଉଁ ଦୂର ଅତୀତର କଥା ଟିକିନିଖି ବର୍ଣ୍ଣନା କରୁଥିଲେ ତ ଅନେକ ସମୟରେ ସଦ୍ୟ ଘଟିଥିବା କଥା ବିସ୍ମରଣ ହୋଇଯାଉଥିଲେ । ଆହୁରି ଦୁଃଖଦ କଥା ଥିଲା ଏଇଆ ଯେ, ଅଧିକାଂଶ ସମୟରେ ତାଙ୍କର ଧାରଣା ହେଉଥିଲା, ଘଟଣାଟି ଘଟିବାରେ ଲାଗିଛି ତଥା ସେ ସେଇ ଘଟଣାର ଜଣେ ପାତ୍ର ଏବଂ ତାଙ୍କ ଅଂଶଟି ସେ କରିବାରେ ଲାଗି ପଡ଼ୁଥିଲେ । ମୋର ଅନୁଭବ ହେଲା ଯେ, ଯେଉଁ ସବୁ ସମୟରେ ସେ ଚୁପ୍‍ଚାପ୍ ବସି ରହୁଥିଲେ, ସେତେବେଳେ ବାସ୍ତବରେ ସେ ଚୁପ୍‍ଚାପ୍ ବସି ରହୁ ନଥିଲେ । ତାଙ୍କ ଆଖି ଦିଓଟି ଆପାତତଃ ଥିଲା ସ୍ଥିର ଏବଂ ଦୃଷ୍ଟି ଥିଲା ଆପାତତଃ ଶୂନ୍ୟ । ସାମ୍ନାର ଜାଗା ଥିଲା ସତେଅବା ମଞ୍ଚ ଏବଂ ସେଠାରେ ଅନବରତ ଘଟି ଚାଲିଥିଲା କିଛି ନାଟକ, କିଛି ଏକାଙ୍କିକା, କିଛି ମୋଗଲ ତାମସା, କିଛି ପାଲା, ଦାସକାଠିଆ, କିଛି ଗୀତିନାଟ୍ୟ, ଘୋଡ଼ାନାଚ, ଦଣ୍ଡନାଚ, ପାଟୁଆନାଚ ଆହୁରି କେତେକଅଣ । ପାତ୍ରପାତ୍ରୀମାନେ ଅନବରତ ଯା–ଆସ କରୁଥିଲେ ସାମ୍ନାରେ । ତାଙ୍କ ପିଲାଦିନ, କୈଶୋର, ଯୌବନର କେତେକେତେ କଥାସବୁ ଘଟି ଯାଉଥିଲା କ୍ଷଣିକ ଭିତରେ । ସେ ନିଜେ ଗଛ ଚଢ଼ୁଥିଲେ, ଡେଉଁଥିଲେ, ପାଣିରେ ପହଁରୁ ଥିଲେ, ଲୁଚୁ ଥିଲେ, ମନ୍ଦିର ବେଢ଼ାରେ ଘୂରୁଥିଲେ, କେତେକେତେ କାମ କରୁଥିଲେ । ଏତେ ସବୁ କଥା ଜଣା ପଡ଼ୁଥିଲା ଏଇଥିପାଇଁ ଯେ ସେ ମଝିରେ ମଝିରେ ଚମକି ପଡ଼ିବା ପରି ଅଜବ ଅଜବ ପ୍ରଶ୍ନ ପଚାରୁଥିଲେ । ତାଙ୍କର ସ୍ମୃତିଶକ୍ତି ଲୋପ ପାଇଯିବା ପରି ମନେ ହେଉଥିଲେହେଁ ସତରେ ତାହା ହୋଇ ନଥିଲା । ସବୁକିଛି ଥିଲା ଅଥଚ ଓଲଟପାଲଟ ହୋଇଯାଇଥିଲା, ସେ ଚେଷ୍ଟା କଲେବି କିଛି ସଜାଇପାରୁ ନଥିଲେ ଏବଂ ତାହାହିଁ ଥିଲା ତାଙ୍କର ଅସହାୟତା ।

 

ସତାଅଶିବର୍ଷରେ ସେ ସୁସ୍ଥ ଥିଲେ, ଦମ୍ଭ ଥିଲେ; ତାହାହିଁ ମୋପାଇଁ ଥିଲା ସୌଭାଗ୍ୟର କଥା । ବୋଉବି ସତରେ ବେଶ୍ ସୁସ୍ଥ ଥିଲା, ଅଥଚ ସେତେଟା ଦମ୍ଭ ନଥିଲା । ବୋଉ ଯେ କ୍ରମଶଃ ଦୁର୍ବଳ ହୋଇଆସୁଛି, ସେକଥା ଜଣାପଡ଼ୁଥିଲା । ମୋ ପୁଅ ସ୍ଥାନୀୟ ଏକ ଇଞ୍ଜିନିୟରିଙ୍ଗ କଲେଜରେ ପଢ଼ୁଚି, ସେ ଅଧିକାଂଶ ସମୟରେ ଘରେ ନଥାଏ । କ୍ଲାସ୍‍ରୁ ଫେରିବା ପରେ ସେମାନେ ଦଳେ ସାଙ୍ଗ କୁଆଡ଼େ ବୁଲୁଥାନ୍ତି । ବାପାଙ୍କର ଇଚ୍ଛା, ତା' ସହ ଗପାଗପି କରନ୍ତେ, ସେକଥା ହୋଇପାରେ ନାହିଁ । ଘରେ ବୋଉ ଓ ମୋ ସ୍ତ୍ରୀ ସହ ସେ କ’ଣ ବା ଗପନ୍ତେ । ତଥାପି ଗପାଗପି କରନ୍ତି ।

 

ଆମ ଗାଁ ଘର ଏବେ ଚାବି ପଡ଼ି ରହିଛି । ଏତେ ବଡ଼ ବାଡ଼ି, ଚାଳିଶଟା ନଡ଼ିଆ ଗଛ, ଗୋଟେ ଛୋଟ ପୋଖରୀ, ସବୁକିଛି ଏବେ କକେଇଙ୍କ ଘର ଦାୟିତ୍ଵରେ । ବାପା ବୋଉ ଗାଁରେ ରହୁଥିଲେ, ବାପା ଏମିତି ମନଇଚ୍ଛା ଆଡ଼ୁସାଡ଼ୁ ଗପିବା ଓ ଅଦ୍ଭୁତ କାଣ୍ଡ କରିବାରୁ ମୁଁ ତାଙ୍କୁ ବୋଉ ସହ ଏଠାକୁ ମୋ ପାଖକୁ ନେଇ ଆସିଛି ।

 

ଗାଁରେ ଯେ ବିଶେଷ କିଛି ଅସୁବିଧା ହେଉଥିଲା, ସେକଥା ନୁହେଁ । ଆମ ପୁରୁଣା ଦୁଇ ବଖରା ଥିଲା ବାକି ତିନି ବଖରା ଛାତ ପଡ଼ିଥିଲା । ଛାତ ଉପରେ ପାଣିଟାଙ୍କି ଥିଲା । ରୋଷେଇଘରେ ଗ୍ୟାସ୍ ବ୍ୟବସ୍ଥା ଥିଲା । ସେଠି ଟେଲିଫୋନ୍ ସୁବିଧା କରିଥିଲି, ଏଇଥିପାଇଁ ଯେ ସକାଳେ ସନ୍ଧ୍ୟାରେ କିମ୍ବା ଆବଶ୍ୟକ ସମୟରେ ସେମାନଙ୍କ ସହ କଥା ହୋଇହେବ । ବାପା କିନ୍ତୁ କେବେ ଥରେବି ଫୋନ୍ କରି ନାହାନ୍ତି । ବୋଉ ଦିନକୁ ଦି’ ତିନିଥର ଫୋନ୍ କରେ, ନାନାପ୍ରକାର କଥା କହେ ।

 

ବୋଉ କଥା ଶୁଣି, ବାପାଙ୍କ କଥା/ କାମ ଶୁଣି, ମୁଁ କେତେ ଦିନପାଇଁ ସେମାନଙ୍କୁ ମୋ ପାଖକୁ ନେଇଆସିଥିଲି । ଜାଗା ପରିବର୍ତ୍ତନ ହେଲେ ଭଲ ଲାଗିବ, ମନ ଫୁର୍ତ୍ତି ରହିବ, ଅସୁବିଧାବେଳେ ଡାକ୍ତର ଦେଖାଇ ହବ, ତା’ଛଡ଼ା ସୁବିଧା ଦେଖି କିଛି ଭଲ ଭଲ ଜାଗା ସେମାନଙ୍କୁ ଦେଖାଇ ହବ । ସବୁକଥା ବିଚାରକରି ଆମେ ସ୍ୱାମୀ–ସ୍ତ୍ରୀ ଗାଁକୁ ଯାଇ ଦୁଇଦିନ ରହିଥିଲୁ ଏବଂ ସେମାନଙ୍କୁ ନେଇଆସିଥିଲୁ ।

 

ଏବେ ଦିନେ ମୁଁ ଅଫିସ୍‍ରୁ ଫେରି ବସିଛି, ମୋ ସ୍ତ୍ରୀ ଚା’ କରୁଛନ୍ତି, ବୋଉ ମୋ’ ପାଖରେ ବସି ଗାଁ କଥା ଗପୁଥିଲା, ବାପା ଭିତରୁ ବାହାରି ଆସି ମୋ ସାମ୍ନାରେ ବସି ପଡ଼ିଲେ, କହିଲେ, ‘ବୁଝିଲ ବନ୍ଧୁ, ତମ ୟେ ସହରରେ ଅଜବ କଥା ଦେଖୁଛି, କିହୋ ଝିଅ–ମାଇକିନାଗୁଡ଼ା ମଟରସାଇକେଲ ପଛରେ ନାନାରକମ ବେଢ଼ଙ୍ଗରେ ଯାହା ବସୁଛନ୍ତି ଛାଡ଼, ଏତେ ଜୋରରେ ଗାଡ଼ି ଚଳାଉଛନ୍ତି କାହିଁକି ? ମୁଁ କି ବୋଉ କିଛି କହିଲୁ ନାହିଁ । ମୋ ସ୍ତ୍ରୀ ଆଣି ଚା’ ଦେଇଗଲେ । ସମସ୍ତେ ଚା’ ପିଇଲେ । ବାପା ପୁଣି କହିଲେ, ‘କାଲି ରାତିରେ ମୁଁ ଛାତ ଉପରକୁ ଯାଇଥିଲି, କିନ୍ତୁ ମତେ କିଛି ଭଲ ଲାଗିଲା ନାହିଁ ।

 

‘କ’ଣ ହେଲା ?' ମୁଁ ପଚାରିଲି ।

 

‘ହବ କ’ଣ ? ଆରେ ମୁଁ ତ ଯେମିତି ଉପରକୁ ଚାହିଁଦେଇଛି, ମୋ ହୋସ୍ ଉଡ଼ିଗଲା ଜାଣ ! ମୁଁ କ’ଣ ଆଉ ବେଶୀ ସମୟ ରହିଛି କି ?

 

‘କ’ଣ ହେଲା କଥାଟା କୁହ, ମୁଁ କହିଲି ।’

 

‘ଆରେ, ଉପରେ ନା ଥିଲା ତାରା ନା ଥିଲା ଆକାଶ ନା ଥିଲା ଜହ୍ନ ।’ ସେ କହିଲେ, ‘ମାଳିକାରେ ଅଛି, ପ୍ରଳୟବେଳରେ ଏମିତି ହବ, ଆକାଶ–ତାରା–ଜହ୍ନ କେହି ଦିଶିବେ ନାହିଁ । ଶେଷରେ ଦିନବେଳେ ସୂର୍ଯ୍ୟବି ଲୁଚିଯିବେ । ଘନଘୋର ଅନ୍ଧାର ଛାଇଯିବ ।’

 

ମତେ ବେଶ୍ ଲାଗୁଥିଲା ତାଙ୍କ କଥା । କଥାର ଅର୍ଥ ଯାହା ହୋଇଥାଉନା କାହିଁକି, ସେ ଯେଉଁ ଚମତ୍କାର ଶବ୍ଦ ଲଗାଇ କଥା କହୁଥିଲେ, ମତେ ଭଲ ଲାଗୁଥିଲା । ମୁଁ କହିଲି, ‘ଶୁଣ, ଆକାଶ ଅଛି, ରାତିବେଳେ ଏ ସହରର ଆଖି ଝଲସା ଆଲୁଅରେ କିଛି ଦିଶୁ ନାହିଁ । ସେ ସବୁକିଛି ବୁଝୁଥିବା ପରି ମୋ ଆଡ଼େ ଚାହିଁଲେ, ତା'ପରେ କହିଲେ, ‘ଆପଣ କିଛି ବୁଝୁ ନାହାନ୍ତି ବାବୁ, ଏ ସେଇ ପ୍ରଳୟ ବେଳ, ଦିନେ ଦିନେ ଆକାଶ ଦିଶିବ, ଦିନେ ଦିନେ ଆକାଶ ଲୁଚିବ ।'

 

ୟେ କଥା ସେଦିନ ସେଇଠି ରହିଲା । ମୁଁ ହାଟ–ବଜାର କରିବାକୁ ବାହାରିଗଲି । ରାତିରେ ଶୋଇବାକୁ ଯିବାବେଳେ ମୋ ସ୍ତ୍ରୀ କହିଲେ, 'ଦେଖ, ତୁମେ ବାପାଙ୍କୁ ଭଲ ଡାକ୍ତର ଦେଖାଅ, ସେ ମଝିରେ ମଝିରେ ଏମିତି ଅଜବ ଅଜବ କଥା କହୁଛନ୍ତି, ତାଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଖରାପ ହେଇଯାଇଛି ।’

 

ଏ ସମ୍ପର୍କରେ ମୁଁ ଗୋଟେ ଟୋକା ଡାକ୍ତର ସହ କଥା ହୋଇଥିଲି । ସେ କହିଲା ସତାଅଶିବର୍ଷରେ ସୁସ୍ଥ ଥିବା ଜଣେ ଲୋକକୁ ଆଡ଼ୁସାଡ଼ୁ ଔଷଧ ଦେଇ ତା’ର ବଡ଼ି–ସିଷ୍ଟମକୁ ଖରାପ କରିବା ଅନୁଚିତ । ତେବେ ଜଣେ ଭଲ ସାଇକିଆଟ୍ରିଷ୍ଟ ବା ଭଲ ନ୍ୟୁରୋଲୋଜିବାଲାକୁ ଦେଖାଇବାକୁ ସେ ପରାମର୍ଶ ଦେଲା । ତେବେ ତାଙ୍କୁ ଥଣ୍ଡା–ସାଦା ଜିନିଷ ଖାଇବାକୁ ଦେବାପାଇଁ ସେ ପରାମର୍ଶ ଦେଲା ।

 

ମୁଁ ଅଫିସ୍ ବାହାରିବାବେଳକୁ କେବେ ମୋ ସ୍ତ୍ରୀ ଠିଆ ହୋଇଥାନ୍ତି ତ କେବେ ବୋଉ, ଦିନେ ଦିନେ ବାପା । ସେମିତିବେଳେ ବାପା ଦିନେ କହିଲେ, ‘ଆପଣ ଏଇ କେଇଦିନ ହେବ ଠିକ୍ ଦଶଟାବେଳକୁ କୁଆଡ଼େ ଯାଉଛନ୍ତି ?'

 

ବୋଉ ଠିଆ ହୋଇଥିଲା, ତାଙ୍କ କଥା ଶୁଣି କହିଲା, ‘ତୁମେ କ'ଣ ଜାଣିନା ସେ ଅଫିସ୍ ଯାଉଛି ?’ ହଉ ହେଲା, ଆପଣ କିଛି ଫଳ ଆଣିବେ । ଲିଚୁ, ପିଜୁଳି କି ଜାମୁକୋଳି । ଆଉ ଏ ଯୋଉ ଅଙ୍ଗୁର, ସେଓ ମିଳୁଚି ସେଗୁଡ଼ା ଆଣିବେନି ।’

 

ସନ୍ଧ୍ୟାବେଳକୁ ମୁଁ ଆଣିଥିବା ଫଳସବୁ ଦେଖି ସେ କହିଲେ, ‘ବୁଝିଲେ ଆଜ୍ଞା, ଆପଣଙ୍କ ଗାଁରେ ଯେତେବେଳେ ଯାହା ଖୋଜିବ, ମିଳୁଚି । ଆଉ ଆମ ଗାଁରେ କିଛି ମିଳେନି । ଆଚ୍ଛା–ଆପଣଙ୍କ ଗାଁଟିବି ବେଶ୍ ବଡ଼, ୟେଠି ରାସ୍ତା ସବୁ ଢେର୍ ଓସାରିଆ, ବଡ଼ ଗାଁ ବି–ହଜାର ହଜାର ଲୋକ ହାଉଯାଉ ହେଉଛନ୍ତି, ରାତିରେ ଲକ୍ଷ ଲକ୍ଷ ଆଲୁଅ, ଆମ ପିଲାଦିନେ ଜମିଦାର ଘର ବା ଘରେ ଏମିତି ରୋଷଣି ବାହାରିଥିଲା, କିନ୍ତୁ ଧନମଣି ୟେଠି ଆକାଶ ନାହିଁ, ତାରା ନାହିଁ କି ଜହ୍ନ ନାହିଁ; ଆଉ ସେଇକଥା ଭାବିଲେ ଡର ମାଡ଼ୁଚି ।’

 

ବାପାଙ୍କ କଥାର ଉତ୍ତର ନ ଦେଇ ମୁଁ ଭିତରଘରକୁ ଯାଇ ଡ୍ରେସ୍ ବଦଳାଉଚି, ଏତିକିବେଳେ ମୋ ପୁଅ ଆସିଲା । ତା’ର ଖୁବ୍ ପିଲାଦିନୁ ଜେଜେଙ୍କ ସହ ଭଲ ପଡ଼ୁଥିଲା । ଏବେ ତା’ର କ୍ଲାସ୍ ପାଠ, ଟିଉସନ୍‍ରେ ସେ ବ୍ୟସ୍ତ ରହୁଛି । ଆଗ ପରି ବେଶି ସମୟ ଦେଇପାରୁ ନାହିଁ । ଘରେ ରହିଲେ କମ୍ପ୍ୟୁଟର ଆଗରେ ବସିଥାଏ ।

 

ବାପା କହିଲେ, ‘ହଇହୋ ବାବୁ, ତୁମେ କିଏ ? ତୁମେ କିଏ ? ଘର ଭିତରକୁ ପଶିଯାଉଚ କାହିଁକି ? ମୋ ପୁଅ ବୁଲିପଡ଼ିଲା କହିଲା, ‘ଜେଜେ ମୋର ଏଇ ଦି'ମାସିକିଆ ପରୀକ୍ଷାଟା ଟିକେ ସରିଯାଉ, ତୁମଠାରୁ ତୁମ ପିଲାଦିନ, ତୁମ ବାହାଘର, ସେତେବେଳର ଗାଁ କଥା ସବୁ ଶୁଣିବା ।’ ଏତକ କହି, ସେ ବାପାଙ୍କର ଦି’ ଗାଲକୁ ଚିପିଦେଇ, ତାଙ୍କୁ ଟିକେ କୁଣ୍ଢାଇ ପକାଇ ଚାଲିଗଲା । ସେ ସେମିତିକା ଟୋକା, ଆଜିକାଲିକା ଟୋକାଙ୍କ ଗୁଣ ତା’ଠି ବେଶୀ ନାହିଁ, ଆପାତତଃ ଭଲ ପିଲା, ପିଲାଦିନେ ତଥା କୈଶୋରରେ ବହୁତ ସମୟ ଜେଜେବାପା–ଜେଜେମାଙ୍କ ନିକଟରେ ବିତିଥିଲା, ତେଣୁ ତାକୁ ଅଳ୍ପ ବହୁତେ ପୁରାଣ ଗପ କିଛି କିଛି ପଞ୍ଚତନ୍ତ୍ର ଗପ, ଗୋଟେ ଦି'ଟା ବେତାଳ ଗପ ଜଣା । ସବୁଠାରୁ ଭଲ କଥା, ସେ ଗାଁ ରୋଷେଇ–ଗାଁ ପରିବା ଭଲପାଏ । ସବୁବେଳେ କହିବ, ‘ଜେଜେମା’ ହାତରନ୍ଧା ସବୁଠୁ ଭଲ ।’ ସତରେ, ମୋ ବୋଉର ରୋଷେଇ ବେଶ୍ ଭଲ । କେତେଟା ଆଇଟମ୍ ସେ ଯେପରି କରେ, ଅନ୍ୟ କେହି ସେମିତି କରିପାରିବ ନାହିଁ ।

 

ସେଇଦିନ ରାତି ପ୍ରାୟ ସାଢ଼େ ଗୋଟାଏ ଦୁଇଟାବେଳକୁ ମୋ ରୁମ୍‌ର କବାଟ ଖଡ଼ଖଡ଼ ହେଲା । ମୁଁ ନିଦ ଭାଙ୍ଗି ସଚେତନ ହୋଇ କାନ ଡେରି ଶୁଣିଲି ଯେ ମୋ ପୁଅ ଖୁବ୍ ଧୀରେ ସନ୍ତର୍ପଣରେ ଡାକୁଚି । ମୋ ଭିତରେ ମୁହୂର୍ତ୍ତକ ପାଇଁ ଆଶଙ୍କା ଓ ଭୟ ଖେଳିଗଲା । ମୁଁ ସ୍ତ୍ରୀଙ୍କୁ ଜୋରରେ ହଲାଇଦେଇ କବାଟ ଖୋଲିଲି, ପୁଅ ଠିଆ ହୋଇଥାଏ ।

 

ମୁଁ କିଛି କହିବା ଆଗରୁ ସେ କହିଲା, 'ଛାତ ଉପରେ କିଛି ଗୋଟେ କେତେ ସମୟ ଧରି ଶବ୍ଦ ଆସୁଚି, ମଝିରେ ମଝିରେ ରମ୍ପାରମ୍ପି ପରି, ପୁଣି ପାଦ ଦୁମ୍‍ଦୁମ୍ ଶବ୍ଦ, ହେଇଶୁଣ ଶୁଣ–ଏବେ କିଛି ଗୋଟେ ଶବ୍ଦ ଆସୁଚି । ଚାଲ ଦେଖିଆସିବା ।'

 

ଏତେବେଳକୁ ସେଠାକୁ ମୋ ସ୍ତ୍ରୀ ଆସିଗଲେଣି । ଆମେ ସାଙ୍ଗ ହୋଇ ଉପରକୁ ଗଲୁ । ଉପରଟା ଅନ୍ଧାରିଆ–ଅନ୍ଧାରିଆ । ଚାରିଆଡ଼ର ସହରୀ ଆଲୋକର ସମ୍ଭାରରେ ସତରେ ଉପରର ଆକାଶ ଜମା ଦିଶୁ ନଥାଏ । ଛାତ ଉପରେ ବାଡ଼ା ଥାଏ । ମୁଁ ନିରିଖେଇ ଦେଖିଲି । ପାଣିଟାଙ୍କି ଉପରେ ଗୋଟେ କଣକୁ କେହି ଜଣେ ବସିଥାଏ । ପୁଅ ମତେ ଧୀରେ କହିଲା, ‘ବୋଧେ ଜେଜେ ବସିଛନ୍ତି ।’ ବାପା ଯେ ଏତେ ରାତିରେ ଏକା ଆସି ଆରାମରେ ପାଣିଟାଙ୍କି ଉପରେ ବସି ହାୱା ଖାଉଛନ୍ତି ଏବଂ ମଝିରେ ମଝିରେ ଟିଣ ଟାଙ୍କିରେ ଗୋଡ଼ ବାଡ଼ଉଛନ୍ତି, ଏକଥା ମତେ ବିସ୍ମିତ କରିବା ସ୍ୱାଭାବିକ । ସେ ପୁଣି ବେଶ୍ ନିଶ୍ଚିନ୍ତରେ ବସିଥିଲେ–ସତେ ଅବା ବସିଥିଲେ କୋଉ ନଈକୂଳରେ କି ଛୋଟ ପର୍ବତ ଉପରେ । ସେ ଯେପରି ବସିଥିଲେ, ତାହା ଥିଲା ବିପଜ୍ଜନକ । ସେ ପୂରା ଶୂନ୍ୟକୁ ଗୋଡ଼ ଦୁଇଟା ଝୁଲାଇ ବସିଥିଲେ, ଯଦି ଦୁର୍ଭାଗ୍ୟବଶତଃ ତଳକୁ ପଡ଼ିଯିବେ, ତେବେ ପଡ଼ିବେ ଏକୋଇଶ ଫୁଟ୍ ତଳକୁ ତଥା ପିଟି ହେବେ ଘରର ପଛପଟ ପାଚେରୀ ଉପରେ, ହେ ଭଗବାନ ।

 

ଆମେ ତାଙ୍କୁ ଡକାଡ଼କି ନକରି ଅତି ସନ୍ତର୍ପଣରେ ତାଙ୍କ ପଛ ପଟକୁ ଗଲୁ । ମୁଁ ତାଙ୍କର ଗୋଟେ ହାତକୁ ଧରି ପକାଇଲି । ସେ କିନ୍ତୁ ଚମକି ପଡ଼ିଲେ ନାହିଁ କି ବିସ୍ମିତ ହେଲେ ନାହିଁ । ସତେ ଯେମିତି ତାଙ୍କୁ ଜଣାଥିଲା କେହି ଜଣେ ତାଙ୍କୁ ଡାକିବ । ସେ ପାଣି କୁଣ୍ଡ ଉପରୁ ଓହ୍ଲାଇ ଆସିଲେ । ଛାତ ଉପରେ ପଡ଼ିଥିବା ଏକ ପ୍ଲାଷ୍ଟିକ୍ ଚେଆର୍‍ରେ ବସିପଡ଼ି କହିଲେ, ‘ଆପଣଙ୍କ ଘରେ ଯେତେ ଜାଗା ଅଛି, ଏଇ ଜାଗାଟି ସବୁଠାରୁ ଭଲ । ଜାଗାଟି ଉଞ୍ଚା, ତା' ସାମ୍ନାରେ ବହି ଯାଉଛି ନଈ, ନଈପାଣି ଚିକ୍‌ମିକ୍ କରୁଛି, ଯଦି ଆପଣମାନେ ଦେଖିପାରୁଥିବେ, ତେବେ ଦେଖନ୍ତୁ ଓ ସେଇ ହଉଚି ଆମ ଗାଁ । ଅଳ୍ପ ଦିନ ପରେ ଆମେ ଗାଁକୁ ଯିବା । ମୁଁ ତ ଏବେ ଭାବୁଥିଲି, ନଈ ପହଁରି ପଳେଇବି, ହେଲେ ବୁଢ଼ା ହୋଇଗଲିଣି, କାଳେ ଏତେ ବଡ଼ ନଈ ପହଁରିପାରିବି କି ନା, ସେଇଥିପାଇଁ କୁନ୍ଥୁକୁନ୍ଥୁ ହେଉଥିଲି ।’

 

ବାପା ସତେଜ ଦିଶୁଥିଲେ । ତାଙ୍କ କଥା ଶୁଣି ମୋ ଦେହ ଶୀତେଇ ଉଠିଲା । ମାନେ ଆମେ ନ ଆସିଥିଲେ ସେ ହୁଏତ ତଳର ଶୂନ୍ୟ ଜାଗାଟାକୁ ନଈଭାବି ଡେଇଁପଡ଼ିଥାନ୍ତେ । ଆଉ ଭାବି ହେଲା ନାହିଁ । ତାଙ୍କୁ ନେଇ ଆସି ତାଙ୍କ ରୁମ୍‌ରେ ଶୋଇବାକୁ କହି ଛାଡ଼ିଦେଲି । ସବୁକଥା ଶୁଣି ବୋଉର ଚିନ୍ତା କହିଁରେ କ’ଣ । ଏଣେ ଭାବୁଥାଏ ତାଙ୍କୁ ଡାକ୍ତର ଦେଖାଇବି । ପୁଣି ଭାବୁଥାଏ ଆଡ଼ୁସାଡ଼ୁ ଔଷଧ ଦେଇ ତାଙ୍କର ଅପକାର କରିବା ଅପେକ୍ଷା ବରଂ ବୋଉ ସହ ନେଇ ପୁଣି ଗାଁରେ ଛାଡ଼ିଦେବି । ବରଂ ଜଣେ ପନ୍ଦର ସତରବର୍ଷର ପିଲା ରଖିଲେ ସେ ବୋଉକୁ ଘର କାମରେ ସାହାଯ୍ୟ କରିବ ଓ ବାପାଙ୍କ ଉପରେ ନଜର ରଖିବ । ହେଲେ ଆଜିକାଲି ସେପରି ବିଶ୍ୱସ୍ତ ପିଲା ମିଳିବା କୋଉ ଏତେ ସହଜ ହୋଇଛି କି ? ଯାବତୀୟ ଚିନ୍ତା ଯଦିଓ ମତେ ଘାରିଲା, ତଥାପି ଗୋଟେ ଡାକ୍ତର ପାଖକୁ ତାଙ୍କୁ ନେବା କଥାଟା ଠିକ୍ ହେବ ନାହିଁ ବୋଲି ମୁଁ ଓ ମୋ ସ୍ତ୍ରୀ ଭାବୁଥାଉ-

 

ମୋର ବନ୍ଧୁ ଡାକ୍ତରଙ୍କୁ ଫୋନ୍ କଲି । ସେ କହିଲା, ଏସବୁ ଗୋଟେ ଉତ୍କଟ ରୋଗର ପ୍ରାଥମିକ ଲକ୍ଷଣ ଏବଂ ଦ୍ୱିତୀୟବସ୍ଥା । ରୋଗ ଆହୁରି ଉତ୍କଟ ହେବ । ମେଡ଼ିସିନ୍ ଖାଇଲେ ଏ ରୋଗ ଭଲ ହେବା ନ ହେବା ପଛ କଥା, କିନ୍ତୁ ଅନ୍ୟ ପ୍ରକାର ଅସୁବିଧା ସବୁ ବାହାରିବ । ଦିନେ ଦିନେ ଝାଡ଼ା ହେବ ନାହିଁ, ଦିନେ ଦିନେ ପତଳା ଝାଡ଼ା ହେବ, ଦେହ ହାତ କୁଣ୍ଡେଇ ହବ, ବାଳ ଉପୁଡ଼ିବ, ଦେହଯାକ ଛଉ–ଛଉକା ହୋଇଯିବ, ଆଖି ସର୍ବଦା ନାଲି ରହିବ, ଚଲାବୁଲା କରିବା କମିଯିବ, ହଜମ ହେବ ନାହିଁ, ସମୟେ ସମୟେ ବାନ୍ତି ହବ ଇତ୍ୟାଦି ।

 

ମୁଁ ପଚାରିଲି, ଆଚ୍ଛା ଏମିତି ମେଡ଼ିସିନ୍ ବାହାରିଛି କାହିଁକି ?

 

ଯାହାହେଉ, ମୁଁ ସ୍ଥିର କଲି ଯେ, ତାଙ୍କୁ ଏବେ ଡାକ୍ତରଙ୍କ ପାଖକୁ ନେବି ନାହିଁ । ଯଦି ପରିସ୍ଥିତି ଉତ୍କଟ ହୁଏ, ତେବେ ପରେ ନିଆଯିବ ।

 

ବାପାଙ୍କ ଖାଇବା ଠିକ୍‍ଠାକ୍ ଥିଲା । ମୋ ସ୍ତ୍ରୀ ତାଙ୍କୁ ପଚାରି ତାଙ୍କ ମନମୁତାବକ କିଛି ତରକାରୀ କରି ତାଙ୍କୁ ଦେଉଥିଲେ । ଦିନେ ଦିନେ ସେ ତାଙ୍କ ଆଡ଼ୁ ବରାଦ କରୁଥିଲେ । ଥରେ ମୋ ସ୍ତ୍ରୀ ତାଙ୍କୁ କିଛି ପଚାରିବାରୁ କହିଲେ, ‘ଶୁଣ ବୋହୂ, ଏଠି ତ ସେଇ ଏକପ୍ରକାର ପରିବା, ପୁଣି ସେସବୁ ପରିବାର ସ୍ୱାଦ ମଧ୍ୟ କମ୍, ଅନ୍ଧାରରେ ଖାଇବାକୁ ଦେଲେ ଜଣେ ଜମା ଜାଣିପାରିବ ନାହିଁ କି ପରିବା ଖାଉଛି ବୋଲି । ଛାଡ଼, ଯାହା ମିଳୁଚି, ତମେ ତାକୁ ମନପ୍ରାଣ ଦେଇ ରୋଷେଇ କର, ନହେଲେ କିଛି ନୂଆ ପ୍ରକାରେ କର ।

 

ଆରେ କ'ଣ ହେଲା କେଜାଣି, ବାପା ଅଚାନକ କଥା ବନ୍ଦ କରି ଅଟକିଗଲେ, ମୋ ସ୍ତ୍ରୀ ଆଡ଼କୁ ନିରିଖେଇ ଚାହିଁଲେ, କହିଲେ, ‘ଆଚ୍ଛା ମୁଁ ଏଠିକୁ କେତେ ଦିନ ହବ ଆସିଲିଣି ?’

 

ସବୁ ମହିଳାମାନଙ୍କ କ୍ଷେତ୍ରରେ ଯାହା ହୁଏ, ମୋ ସ୍ତ୍ରୀଙ୍କ କଥାରେ ସେଇଆ ହେଲା । ସେ ଉତ୍ତର ଦେଇ ନ ପାରି ଉପରେ ଘୂର୍ଣ୍ଣାୟମାନ ପଙ୍ଖାକୁ ଚାହିଁଲେ । କ’ଣ ସତେ ଅବା ହିସାବ କରିବାକୁ ଲାଗିଲେ । ତାଙ୍କ ଆଡ଼ୁ ନଜର ଫେରାଇ ବାପା କହିଲେ, ‘ଆମେ ତ ଆସିବା ପ୍ରାୟେ ମାସେରୁ ବେଶୀ ହେଲାଣି । ଏତେ ଦିନ ଭିତରେ ତ ବୋହୂଙ୍କର ହାଣ୍ଡିଛାଡ଼ ହୋଇନି । ସହରରେ କ’ଣ କେହି ଆଉ ନୀତିନିୟମ ମାନୁ ନାହାନ୍ତି ? ଆମର ଗାଁରେ ସେଇ ପାଞ୍ଚଦିନ ଭାରି ଅସୁବିଧା ହେଉଥିଲା, ତୋ’ ବୋଉ ତ ଗୋଟେ ଘର କୋଣରେ ଶୋଇ ରହୁଥିଲା, ଠାକୁର କାମ–ରୋଷେଇ କାମ ସବୁ ମୁଁ କରୁଥିଲି ।’

 

ସେ ବସିଥିଲେ, ଉଠିପଡ଼ି ସତେ ଅବା ଅସ୍ଥିରଭାବେ ଏକଡ଼ ସେକଡ଼ ହେବାରେ ଲାଗିଲେ । ସେ ଚାଲିଯିବା ପରେ ମୁଁ ବାପାଙ୍କୁ ପଚାରିଲି, ‘ତୁମକୁ ଏବେ ରାତିରେ ଭଲ ନିଦ ହେଉଛିଟି ?’

 

‘ବେଳେବେଳେ ଭଲ ନିଦ ହେଉଛି । ହେଲେ ଦିନେ ଦିନେ ଜମା ନିଦ ହେଉନି । ହେଲେ ତୋ ବୋଉ ବଡ଼ ଭାଗ୍ୟବାନ । ଖଟକୁ ଗଲେ କୁମ୍ଭକର୍ଣ୍ଣ ପରି ଶୋଇଯାଉଛି ।'

 

ବାପା ଖୁବ୍ ସ୍ୱାଭାବିକଭାବେ କଥା କହୁଥିଲେ । ଏପରି ଜଣେ ମଣିଷକୁ ଡାକ୍ତର ଦେଖାଇ ଔଷଧ ଖୁଆଇବାର କିଛି ଆବଶ୍ୟକତା ନାହିଁ ବୋଲି ମୁଁ ଭାବିବାବେଳକୁ ବାପା କହିଲେ, ‘କାଲି ରାତିସାରା କ’ଣ ମୁଁ ଶୋଇଛି ? ଆମ ଗାଁର ବାଳକୃଷ୍ଣ ଆସି ଜାଲ ଧରି ପହଞ୍ଚିଲା, ଆମେ ତ ରାତିସାରା ମାଛଧରି ଧରି ବେଦମ୍‍ । ମାଛ ଅବଶ୍ୟ ଆଉ ଆଗପରି ନାହାନ୍ତି, ଆମେ ଯାହା ଛୋଟ ଚିଙ୍ଗୁଡ଼ି, ମହୁରାଳି ଧରିଲୁ; ପୋହଳା ଜମା ଦି’ଟା । ଆଜିକାଲି ତ କଳାବଇଁଶି, ସେରଣା, ବାଳିଆ, ଚେଙ୍ଗ ସବୁ ଉଭାନ । ମାଛଯାକ ମୁଁ ଏଇ ଖଟ ଗୋଡ଼ ନିକଟରେ ରଖିଥିଲି, କୁଆଡ଼େ ଗଲା କେଜାଣି । ବୋହୂ ଟିକେ ସୋରିଷ ଆମ୍ବୁଲ ଦେଇ ଝୋଳ କରିଦେଇଥାନ୍ତେ ।'

 

ମୁଁ ତାଙ୍କ କଥାର ଉତ୍ତର ଦେଲି ନାହିଁ, ସେଦିନ ରାତିରେ ଚୁନାମାଛ ଆଣିଲି, ସୋରିଷ ଆମ୍ବୁଲ ଝୋଳ ହେଲା । ବାପା ରୁଟି ବଦଳରେ ଅଳ୍ପ ଉଷୁନାଭାତ ଖାଇଲେ ।

 

ତାଙ୍କପାଇଁ ଗୋଟେ ସେଟ୍ ଭାଗବତ ଆଣିଥିଲି । ବୋଉ ମତେ ବାରମ୍ବାର ଲଗେଇଥିଲା ଭାଗବତ ଆଣିବାପାଇଁ । ଭାଗବତ ପଢ଼ିଲେ ମନ ଭଲ ରହିବ, ତା’ ଛଡ଼ା ସେ ଭାଗବତ ପଢ଼ିଲେ ବୋଉବି ବସି ଶୁଣିବ । ଅବଶ୍ୟ ସେ ନିୟମିତ ଭାଗବତ ପଢ଼ୁ ନଥିଲେ । ପିଲାଦିନୁ କେତେ ଶହ ଥର ପଢ଼ିଥିବେ । ମୋ ପିଲାଦିନେ ଦେଖିଛି, ସେ ପୋଥିରୁ କ’ଣ ସବୁ ପଢ଼ୁଥିଲେ । ତା'ପରେ ବହି ଆଣିଲେ । ସେ ବହିରେ ଥିବା ସୁନ୍ଦର ସୁନ୍ଦର ଚିତ୍ର ମୁଁ ଦେଖେ । ଶ୍ରୀକୃଷ୍ଣ ପର୍ବତ ତୋଳିଧରି ଥିବାର ଦୃଶ୍ୟ, ବସ୍ତ୍ରହରଣର ଦୃଶ୍ୟ, ଯଦୁବଂଶ ଧ୍ୱଂସ ଚିତ୍ର, ସାପ ଉପରେ ଠିଆ ହେବା ଦୃଶ୍ୟ ଇତ୍ୟାଦି ଇତ୍ୟାଦି ।

 

ଦିନେ ସନ୍ଧ୍ୟାରେ, ଚଷମା ଲଗାଇ ଭାଗବତ ପଢ଼ୁଥିଲେ, ବଡ଼ପାଟିରେ ହସିଲେ କହିଲେ ‘କିହୋ, ଆପଣ ଏ ଆଧୁନିକ ଭାଗବତ ବହି କୋଉଠୁ ଆଣିଛନ୍ତି ?’

 

‘କାହିଁ କ’ଣ ହେଲା କି ?' ମୁଁ ପଚାରିଲି । ବୋଉ କହିବା ପରେ ମୁଁ ଯେଉଁ ଭାଗବତ ସେଟ୍‌ଟା ଆଣିଥିଲି, ତାକୁ ପ୍ରକାଶ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ।

 

ବାପା କହିଲେ, 'ଏଥିରେ ଅନେକ ଜାଗାରେ ଖାଇତେ, ଯାଇତେ ଲେଖା ହୋଇଛି । ପୁଣି ଭଉଣୀକୁ ବହେଣି ବୋଲି ଲେଖାଯାଇଛି । ଜଗନ୍ନାଥ ଦାସ କଦାପି ଏମିତି ଲେଖି ନଥିବେ । ତା'ଛଡ଼ା, ମୁଁ କେତେ ପ୍ରକାର ପୋଥି, ଅନ୍ୟ ଛପା ବହି ପଢ଼ିଛି, କୋଉଠି ଏମିତି ପଢ଼ି ନଥିଲି । ଏ ଭାଗବତ କିଏ ଛପେଇଚି କିହୋ ? ମୁଁ ବି ପଦସବୁ ଦେଖିଲି: ଖାଇତେ, ଯାଇତେ ଲେଖିବା ଜମା ଦରକାର ନାହିଁ । ତୁ ଯାଇ ଗାଁରେ ଥିବା ସେଟ୍‌ଟା ନେଇଆ, ମିଳେଇ ଦେଖିବା ।'

 

ମୁଁ ବି ଦେଖିଲି, ମତେ ଭାରି ଅଡ଼ୁଆ ଲାଗିଲା । ହେଲେ ଏକାଡ଼େମୀ କଥାକୁ ବେଦର ଗାର ବୋଲି ମାନିବାକୁ ପଡ଼ିବ । ଜଣେ ସଂପାଦନା କରିଛନ୍ତି । ଏସବୁ ଆଉ କିଛି ସଂସ୍କୃତ–ଓଡ଼ିଆ ପଣ୍ଡିତମାନଙ୍କୁ ଦେଖାଇବା ଦରକାର । ବ୍ୟାକରଣ ସମ୍ମତ ଶୁଦ୍ଧ ଓଡ଼ିଆପାଇଁ ଜଗନ୍ନାଥ ଦାସ ପ୍ରସିଦ୍ଧ-। ଖାଇତେ, ଯାଇତେ ଲେଖିଥିଲେ ଯିମି, ଖାଇମି ଇତ୍ୟାଦି ଲେଖିଥାନ୍ତେ । ଛାଡ଼, କୋଉ କଥା ଯାଇ କୋଉଠି ପହଞ୍ଚିଲାଣି !

 

ବାପାଙ୍କ ସ୍ମୃତିଶକ୍ତି ଯେ ବେଶି କିଛି ଖରାପ ହୋଇଥିଲା, ସେକଥା ନୁହେଁ । ସେ ବେଳେବେଳେ ଆଡ଼ୁସାଡ଼ୁ ଗପୁଥିଲେ । ହେଲେ ସେଥିରେ କାହାର କିଛି କ୍ଷତି ହେଉ ନଥିଲା । ଅଥଚ ବେଳେବେଳେ ସ୍ମୃତିଶକ୍ତି ପୂରା ଗାଏବ ହୋଇଯାଉଥିଲା ଓ ସେ ଅଜବ ଅଜବ କଥା ଗପୁଥିଲେ । କେତେବେଳେ ତାଙ୍କ ପିଲାବେଳ କଥା ଗପୁଥିଲେ । କାହାର କିଛି କହିବାର କି କରିବାର ନଥିଲା । ଯେଉଁ କଥାଟି ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେଇଟି ହେଲା, ସେ ନିଜର ସମସ୍ତ କାମ ନିଜେ କରୁଥିଲେ । ମୋ ସ୍ତ୍ରୀମାନେ ବୋହୂକୁ ସେ ପ୍ରଚଣ୍ଡ ଶ୍ରଦ୍ଧା କରୁଥିଲେ । କ’ଣ ଜଳଖିଆ ଖାଇବେ, କ’ଣ ଭାତ ସାଙ୍ଗରେ ଖାଇବେ, ସେଥିପାଇଁ ସେ ବରାଦ କରୁଥିଲେ । ପାରୁପର୍ଯ୍ୟନ୍ତ ଚେଷ୍ଟା କରି ବୋହୂ ସେସବୁ ପ୍ରସ୍ତୁତ କରୁଥିଲେ । ମୋ ବୋଉ ମଧ୍ୟ ସୁସ୍ଥ ଥିଲା, ଯଦିଓ ବାପାଙ୍କ ଅପେକ୍ଷା ସେ ଦୁର୍ବଳ ହୋଇଯାଇଥିଲା । ଉଭୟ କିନ୍ତୁ ମୋ ପୁଅକୁ ଭଲ ପାଉଥିଲେ ପ୍ରଚୁର । ଏମିତିରେ ସବୁକିଛି ଚାଲିଥିଲା । ମୋର ଅନ୍ୟ ଦୁଇ ଭାଇ ଭିନ୍ନ ଭିନ୍ନ ସହରରେ ରହୁଥିଲେ । ବାପା–ବୋଉ ସେଠାକୁ ଯିବାର ନାଁ ଧରୁ ନଥିଲେ । ତାଙ୍କର ଗାଁ ଚିନ୍ତା ଥିଲା ପ୍ରବଳ ।

 

ଏ ଭିତରେ ଦିନେ ସକାଳୁ ମୁଁ ବସି ଖବରକାଗଜ ପଢ଼ୁଚି, ବାପା ଆଖି ମଳିମଳି ଉଠିଆସି ସୋଫାରେ ବସିଲେ । ତାଙ୍କ ନିଦ ଭଲକରି ଛାଡ଼ି ନଥାଏ । କହିଲେ, ଆପଣ କ’ଣ ସହରରେ ଚାକିରି କରିଛନ୍ତି ?

 

ମୁଁ ତାଙ୍କୁ ଚାହିଁଲି; କିଛି କହିଲି ନାହିଁ ଆଖି ଠାରରେ ମୋ ସ୍ତ୍ରୀଙ୍କୁ କହିଲି ତାଙ୍କୁ ଚା’ ଦେବାପାଇଁ । ମୋ ସ୍ତ୍ରୀ ସେଠାରୁ ରୋଷେଇଘରକୁ ଚାଲିଗଲେ ।

 

: କ’ଣ ପଚାରିଲି ପରା, ଶୁଭିଲା ନାହିଁ ନା କ’ଣ ?

 

: ହଁ–ଚାକିରି କରିଛି ।

 

: ମୋପାଇଁ ଗୋଟେ ଚାକିରି ବୁଝିଦିଅନ୍ତ ଯଦି ଆପଣଙ୍କର ମଙ୍ଗଳ ହୁଅନ୍ତା ।

 

: କି ଚାକିରି କରିବ ? ମୁଁ ପଚାରିଲି ।

 

ସେ ଟିକେ କ’ଣ ଭାବିଲେ, କହିଲେ, ‘ପିଲାଙ୍କୁ ଗଛ ଚଢ଼ାଇବା କି ବନଶୀ ପକାଇବା କି ନଈ–ପହଁରା ଶିଖାଇବା ।’

 

: ‘ଆଚ୍ଛା–ମୁଁ ଆଜି ବୁଝାବୁଝି କରି ଆସେ ।’

 

ମୋ ସ୍ତ୍ରୀ ତାଙ୍କ ସାମ୍ନାରେ ଚା’ ଥୋଇଲେ, ସେ ପିଇବାରେ ଲାଗିଲେ, ଆଉ କିଛି କହିଲେ ନାହିଁ । ତାଙ୍କ ଭିତରେ ଯେ ଅଜବ ଏକ ଅସ୍ଥିରତା ଖେଳି ବୁଲୁଥିଲା, ଏଥିରେ ସନ୍ଦେହ ନଥିଲା । ସେ ଯେ ପିଲାଦିନକୁ ଝୁରୁଥିଲେ କିମ୍ବା ତାଙ୍କ ଆଖି ଆଗରେ ପିଲାଦିନର ଦୃଶ୍ୟ ସବୁ ଚଳଚ୍ଚିତ୍ର ପରି ଦୌଡ଼ିବାରେ ଲାଗିଥିଲା, ଏଥିରେ ସନ୍ଦେହ ନଥିଲା । ସେ ଅଚାନକ ଠୋ–ଠୋ ହୋଇ ହସିଲେ ।

 

ସ୍ଵଗତୋକ୍ତି କରିବା ପରି କହିଲେ, ‘କୁଳିଆ ଅବଧାନ । କରୁଣି, ଜଳଧର, ଉମାନାଥ ସବୁ କୁଆଡ଼େ ଗଲେ ? ଏଇ ସେଇ ବେଲଗଛ । ବେଲ ପାଚିଛି ।

 

ପୁଣି ଚୁପ୍‍ଚାପ୍ ବସିଲେ । ସବୁ ସ୍ଵାଭାବିକ ହେଲା ପରି ଲାଗିଲା । ସେ ପାଇଖାନା ଗଲେ । ଦଶଟାବେଳକୁ ମୁଁ ଅଫିସ୍ ଗଲି । ମୁଁ ଅଫିସ୍ ଯିବାବେଳକୁ ସେ ଜଳଖିଆ ଖାଉଥିଲେ । ସମ୍ପୂର୍ଣ୍ଣ ନିରବ ଥିଲେ ।

 

ଦିନ ପ୍ରାୟ ଗୋଟାଏବେଳକୁ ମୋ ସ୍ତ୍ରୀ ଟେଲିଫୋନ୍ କଲେ, ‘ତୁରନ୍ତ ଘରକୁ ଆସ । ମୁଁ ଅଧଘଣ୍ଟା ଭିତରେ ଘରେ ପହଞ୍ଚିଲି । ଅଜବ ଦୃଶ୍ୟ । ଆମ ଘର ଆଗରେ ଆଠ ଦଶ ଜଣ ପାଖ ପଡ଼ିଶା ଥା’ନ୍ତି । ମୋ ସ୍ତ୍ରୀ ଓ ବୋଉ ଦେବଦାରୁ ଗଛ ମୂଳେ ଠିଆ ହୋଇଥାନ୍ତି । ପାଚେରୀ କଡ଼କୁ ଥିବା ପ୍ରାୟ ପଚିଶି ଫୁଟ୍ ଉଚ୍ଚତାର ଗଛଟାର ମଝିଆମଝି ଜାଗାରେ ବାପା ଗଛକୁ କୁଣ୍ଢାଇ ବସିଥାନ୍ତି-। ସେ ଜାଗାରେ ଡାଳ କି କେନା ନଥାଏ । ସେ ଗଛଟାକୁ କୁଣ୍ଢେଇ ଧରିଥାନ୍ତି ।

 

ଆମେ ଯିଏ ଯେତେ ଡାକିଲୁ । ସେ ଓହ୍ଲାଉ ନଥାନ୍ତି, ଖାଲି ହୋ–ହୋ ହେଇ ହସୁଥାନ୍ତି-। ଏ ଭିତରେ ମୋ ସ୍ତ୍ରୀ ଗଛମୂଳ ଚାରିପଟେ ତକିଆ, କନ୍ଥା, ଗଦି, ସୋଫା ଉପରର ଗଦି ସବୁ ପକାଇ ସାରିଥିଲେ । କାଳେ ବାପା ଖସିପଡ଼ିବେ । ବାପା କିନ୍ତୁ ଖସି ପଡ଼ିଲେ ନାହିଁ । ଧୀରେ ଧୀରେ ଓହ୍ଲାଇଲେ । କ’ଣ ସବୁ ବିଡ଼୍‍ବିଡ଼୍ ହେଉଥାନ୍ତି । ଓହ୍ଲାଇପଡ଼ି ଝାଡ଼ିଝୁଡ଼ି ହୋଇ ଗଛମୂଳେ ଠିଆ ହୋଇଥାନ୍ତି ତଳକୁ ମୁହଁ କରି ।

 

ଅଚାନକ ସେ ମୋତେ ଗୋଟେ ପ୍ରଚଣ୍ଡ ଧକ୍କା ମାଇଲେ ଏବଂ ତୀର ବେଗରେ ଗେଟ୍ ବାହାରକୁ ବାହାରିଗଲେ । କଥାଟା କ’ଣ ବୁଝିବା ଆଗରୁ ସେ ପଚାଶ ମିଟର ଦୌଡ଼ିଗଲେଣି । ଯିବା ଆସିବା କରୁଥିବା ଲୋକଙ୍କୁ ପାଟିକରି ମୁଁ ପଛରୁ ଡାକି ତାଙ୍କୁ ଧରି ପକାଇବା ଲାଗି କହିଲି । ବାପା ଦୌଡ଼ିବାରେ ଲାଗିଥାନ୍ତି । ଭାଗ୍ୟ ଭଲ, ଖରାବେଳ ସମୟ ରାସ୍ତାରେ କାଁଭାଁ ସ୍କୁଟର୍‍ ମଟର ସାଇକେଲ ଯାଉଥିଲା । ନହେଲେ କ’ଣ ହେଇଥାନ୍ତା, କିଏ ଜାଣେ ।

 

ଯାହା ହେଉ, ଶେଷରେ କିଛି ଲୋକ ତାଙ୍କୁ ଧରିଲେ । ମୁଁ ପହଞ୍ଚି ଅନ୍ୟମାନଙ୍କ ସାହାଯ୍ୟରେ ରିକ୍ସାରେ ବସାଇ ତାଙ୍କୁ ଘରକୁ ଆଣିଲି । ଘରକୁ ଆସିବା ପରେ ସେ ପୂରା ଶାନ୍ତ । ଧଇଁସଇଁ ହେଉଥାନ୍ତି । ଖାଲି କହିଲେ, ‘ମୋ ଦେହ ଘିଅ–ଦୁଧ–ମହୁରେ ତିଆରି । ମତେ କ’ଣ ଆପଣମାନେ ପାରିବେ ?’

 

ବୋଉ ଗୋଟେ କଣରେ ବସି ସୁଁ ସୁଁ ହେଇ କାନ୍ଦିବାରେ ଲାଗିଥାଏ । କହୁଥାଏ, ତୁ ଆମକୁ ଗାଁକୁ ପଠେଇଦେ' । ଗାଁ କଥା, ଗାଁ ଲୋକଙ୍କ କଥା ଭାବି ଭାବି ସେ ଏମିତି ହଉଛନ୍ତି । ତାଙ୍କର ରୋଗଫୋଗ କିଛି ନାହିଁ । ମୁଁ ଯାହାତାହା ଗଣ୍ଡେ ଫୁଟେଇ ଦେବି, ନହେଲେ ଲୋକଟେ ରଖିବା ।’

 

ଯାହାହେଉ, ଦିନରେ ଆଉ କିଛି ଅସୁବିଧା ହୋଇନାହିଁ । ବାପା ଖାଇ–ପିଇ ଶୋଇଲେ-। ମୁଁ ଦେଖିଲି, ତାଙ୍କୁ ଭଲ ନିଦ ହେଇଥାଏ । ମୋ ପୁଅ ସନ୍ଧ୍ୟାରେ ଆସି ସବୁ ଶୁଣିଲା-। ମୁଁ, ପୁଅ, ମୋ ସ୍ତ୍ରୀ ସ୍ଥିର କଲୁ ତାଙ୍କୁ ଏଥରକ ଡାକ୍ତର ପାଖକୁ ନେବାକୁ ପଡ଼ିବ । ସେ ଔଷଧ ଖାଇବା ଜରୁରୀ-। ତଥାପି ମୋ ମନ ବୁଝୁ ନଥାଏ । ଡାକ୍ତର ଏମିତି ଔଷଧ ଦେବ, ସେ ପୂରା ଗୁମ୍ ହୋଇଯିବେ-। ମାଦଳ ପରି ଖାଲି ବସି ରହିବେ । ସେକଥା ମୁଁ ଚାହୁଁ ନଥିଲି । ତାଙ୍କର ପିଲାଳିଆମି, ଦୁଷ୍ଟାମି, ବଦମାସି, ଆଡ଼ୁସାଡ଼ୁ କଥା ବରଂ ଭଲ । ମୁଁ ଯଦି ଗାଁରେ ରହୁଥାନ୍ତି, ତାଙ୍କୁ ନିଶ୍ଚୟ ଗାଁରେ ରଖାଇଥାନ୍ତି । ତେଣିକି ସେ ଯାହା କରିବାର କଥା କରିଥାନ୍ତେ । ତାଙ୍କ ଉପରେ ନଜର ରଖିଥାନ୍ତେ ସମସ୍ତେ । ସେଠି ଖୋଲା–ମେଲା ଜାଗା, ତାଙ୍କୁ ଅସୁବିଧା ହୋଇ ନଥାନ୍ତା । ହେଲେ ମୋର ଗାଁକୁ ଯିବାର ଉପାୟ ନଥିଲା । ଆଉ ବୋଉ କଥା ମାନି ସେମାନଙ୍କୁ ଗାଁକୁ ପଠାଇବା ହୁଏତ ଭଲ ହେବ-। କିନ୍ତୁ ବୋଉ କଦାପି ଏକାକୀ ଘର କାମ କରି ତାଙ୍କ କଥା ବୁଝିପାରିବ ନାହିଁ । ନହେଲେ ଗାଁରେ ବେଶ୍ ଭଲ ଘର, ସବୁ ସୁବିଧା ଅଛି ।

 

ଯଦି ବାପା କୂଅକୁ ଡେଇ ପଡ଼ନ୍ତି ? ଯଦି ସେ କେତେବେଳେ ଗଛ ଚଢ଼ି ତଳକୁ ଡେଇଁ ପଡ଼ନ୍ତି ବା ଖସିପଡ଼ନ୍ତି ? ଯଦି ଏକାକୀ ଗଡ଼ିଆ କି ନଈକୁ ଚାଲିଯାନ୍ତି ?

 

ସବୁ ପ୍ରକାର ଆଶଙ୍କା, ସମ୍ଭାବନା, ଚିନ୍ତା ମତେ ଅସ୍ଥିର କରି ପକାଉଥାଏ । କ'ଣ କଲେ ଭଲ ହେବ ? ଏଣେ ତାଙ୍କୁ ଡାକ୍ତର ଦେଖାଇ ଔଷଧ ଦେବାକୁ ମଧ୍ୟ ମୋର ମନ ଡାକୁ ନଥାଏ । ଯଦିଓ ଭାଗବତ, ରାମାୟଣ ପଢ଼ୁଥାନ୍ତି, ସେଥିରୁ ସେ ଯେ କିଛି ବୁଝୁଥିଲେ, ମୋର ସେ ବିଶ୍ୱାସ ନଥିଲା ।

 

ଯାହାହେଉ, ଶେଷରେ ସ୍ଥିର ହେଲା ସେ ଓ ବୋଉ ମୋ ପାଖରେ ରହିବେ । ତେଣିକି ଯାହା ହବାର ଥିବ, ହବ । ସେମିତି ଦେଖିଲେ ବାପାଙ୍କର କିଛି ହୋଇ ନଥିଲା କହିଲେ ଚଳେ । କେତେ କେତେ ଲୋକଙ୍କ ଘରେ ବୁଢ଼ା ବୁଢ଼ୀ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହୋଇ ରହି ନରକଯନ୍ତ୍ରଣା ଭୋଗୁଛନ୍ତି ଓ ଭୋଗାଉଛନ୍ତି । ଖଟରେ ଶୋଇବା ଅବସ୍ଥାରେ ଝାଡ଼ା ପରିସ୍ରା କରୁଛନ୍ତି । ହେ ଭଗବାନ । ମୋ ବାପା ସବୁ ଦିଗରୁ ଭଲ ଅଛନ୍ତି । ଯାହା ମାନସିକ ଗଡ଼ବଡ଼ ଦେଖାଦେଇଛି, ତାକୁ ନେଇ ଚିନ୍ତା କରିବାର ବେଶୀ କାରଣ ନାହିଁ । ଅତି ବେଶୀ ହେଲେ ତେଣିକି ଦେଖାଯିବ ।

 

ନିଜେ ନିଜେ ବିଭିନ୍ନ ଦିଗରୁ ମନକୁ ବୁଝାଇବା ପରେ ମତେ ଟିକେ ଶାନ୍ତି ଲାଗିଲା, ମାନେ ଆରାମ ଲାଗିଲା ।

 

ଦିଦିନ ପରେ ରାତିଅଧରେ ମୋ ସ୍ତ୍ରୀ ମତେ ଉଠାଇଲେ । ସେ ନିଜେ ଶାଢ଼ି ପିନ୍ଧୁଥାନ୍ତି । ଘଣ୍ଟା ଦେଖିଲି । ରାତି ଦୁଇଟା । ବାହାରୁ ଖଡ଼୍‌ଖଡ଼୍ ଝଣଝଣ ଶୁଭୁଥାଏ ଏବଂ ଦି’ଜଣଙ୍କ କିଛି କଥା ଅସ୍ପଷ୍ଟ ଶୁଣାଯାଉଥାଏ । ଆମେ କବାଟ ଖୋଲି ବାହାରକୁ ଆସି ଦେଖିଲୁ ଅଜବ ଦୃଶ୍ୟ ।

 

ମୋ ପୁଅ ଗୋଟେ ଚେଆର୍‍ରେ ଆମ ଡାଇନିଙ୍ଗ୍ ଜାଗାରେ ବସିଛି । ସେ ଜାଗାଟା ବେଶ୍ ବଡ଼ ଜାଗା । ଏକାଥରକେ ପନ୍ଦର କୋଡ଼ିଏ ଜଣ ଆରାମରେ ବସି ଖାଇପାରିବେ, ଶୋଇ ମଧ୍ୟ ପାରିବେ । ସେଇଠି ବାପା ପେଟେଇ ଶୋଇବା ଅବସ୍ଥାରେ ଥାନ୍ତି । ତାଙ୍କ ମୁହଁରେ ଅକଳନ ସୁଖର ଜ୍ୟୋତି ଝଲମଲ କରୁଥାଏ । ଛୋଟପିଲାଟେ ଅବା କିଶୋର ଅବା ତରୁଣଟେ ସତେଅବା ପାଇଯାଇଛି ବହୁଦିନ ପରେ ଆକାଂକ୍ଷିତ କିଛି !

 

ବାପାଙ୍କ ଚାରିପଟେ ପଡ଼ିଥାଏ ଯାବତୀୟ ପ୍ରକାର ପଦାର୍ଥ, ମୁଖ୍ୟତଃ ବାସନ, ଚାମଚ, ଷ୍ଟିଲ୍ ଗ୍ଲାସ୍‌, ଛୋଟ ଛୋଟ ଗିନା, ପାଉଡ଼ର ଡବା, ଅନ୍ୟ ଡବା ଇତ୍ୟାଦି ଇତ୍ୟାଦି । କଥାଟା କିଛି ବୁଝିହେଲା ନାହିଁ । ଆମ ଦି'ଜଣଙ୍କୁ ଦେଖି ବାପାଙ୍କର କିଛି ଭାବାନ୍ତର ହେଲା ନାହିଁ । ସେ ସେମିତି ପେଟେଇ ପଡ଼ିଥାନ୍ତି, ତାଙ୍କ ମୁହଁରେ ଥାଏ ମଜାଦାର ଦୁଷ୍ଟାମିର ହସ । ପୁଅ ଆମ ଦି'ଜଣଙ୍କ ଆଡ଼କୁ ଚାହିଁ ହସିଲା ଓ ଚୁପ୍ ରହିବାପାଇଁ ଇଙ୍ଗିତ କଲା ।

 

ପୁଅ ଗୋଟେ ଷ୍ଟିଲ୍ କପ୍ ବାପାଙ୍କ ବାଁ ଆଡ଼କୁ ଗଡ଼େଇଦେଲା, ଚିଲ ପରି ବାପା ସେଇ ଦିଗକୁ ବୁଲିପଡ଼ିଲେ, ସେମିତି ପେଟେଇଥିବା ଅବସ୍ଥାରେ, କପ୍‌ଟା ଗଡ଼ୁଥିବା ଅବସ୍ଥାରେ ଖପ୍ କରି ଧରିପକାଇଲେ, କହିଲେ, ‘ପୁଅରେ, ଏଇଟା ଚେଙ୍ଗଟାଏ ।’

 

ପୁଅ ତଳୁ ଷ୍ଟିଲ୍ ଗ୍ଲାସ୍‍ଟେ ଆଣି ଜୋରରେ ଗଡ଼େଇ ଦେଲା, ବାପା ତୀବ୍ରଗତିରେ ସେଇ ଆଡ଼କୁ ବୁଲିପଡ଼ି, ଝାମ୍ପ ମାରିବା ପରି ଗ୍ଲାସ୍‍ଟାକୁ ଧରି ପକାଇ କହିଲେ, ‘ମାଗୁରଟାଏରେ ମାଗୁର ।’

 

ମଝିରେ ମୁଣ୍ଡ ଟେକି ଆମ ଆଡ଼କୁ ଚାହିଁ କହିଲେ, ‘ଟିକେ ଦୂରେଇ ଠିଆ ହୁଅ, ପଙ୍କ–ପାଣି ଛିଟିକିବହୋ ।’ ଆମ ଅଜାଣତରେ ଆମେ ସତକୁସତ ଦି’ ତିନି ଇଞ୍ଚ୍ ପଛକୁ ଘୁଞ୍ଚିଗଲୁ । ସତେ ଅବା ପାଣି ଛିଟିକା ଆମ ଉପରେ ପଡ଼ିଯାଇଥାନ୍ତା । ମୁଁ ପ୍ରଥମେ ମନେମନେ ଓ ପରେ ପ୍ରକାଶ୍ୟରେ ହସିଲି । ଏତିକିବେଳେ ପୁଅ ଗୋଟେ ପୁରୁଣା ଅମୃତାଞ୍ଜନ ବୋତଲ ଗଡ଼େଇଦେଲା । ବାପା ସେଇଆଡ଼କୁ ଝପଟି ପଡ଼ି ଗଡ଼ି ଯାଉଥିବା ବୋତଲଟିକୁ ଧରି ପକାଇ କହିଲେ ‘ସେରେଣା, ସେରେଣା ।'

 

ଆମେ ସ୍ୱାମୀ–ସ୍ତ୍ରୀ ଠିଆ ହୋଇ ସେଇ ଅଜବ ଦୃଶ୍ୟ ଦେଖୁଥାଉ । ପୁଅ କହିଲା, ‘ଜେଜେ ଆଜି ଢେର୍ ମାଛ ଧରା ହେଲେଣି । ତୁମେ ଯେତେ ପ୍ରକାର ମାଛ ଧରିଲଣି, ସେସବୁର ନାଁ ଏ ସହରରେ ଅଧେଲୋକ ଜାଣି ନଥିବେ । ୟେ ପୋଖରୀର ପାଣି ପୂରା ଗୋଳିଆ ହୋଇଗଲାଣି ।’

 

ବାପା ଧଡ଼୍‌ପଡ଼୍‌ ହୋଇ ଉଠିପଡ଼ିଲେ, କହିଲେ, ‘ମୁଁ ସତକୁସତ ହାଲିଆ ହେଇଗଲିଣି । ଏଥର ମତେ ନିଦ ହେଇଯିବ । ହେଲେ ମୁଁ ଦେହରୁ କାଦୁଅ ଧୋଇ ଆସେ ?’

 

ସେ ଗାଧୁଆଘର ଭିତରେ ପଶିଗଲେ । ବାପାଙ୍କୁ ଅଜବ ରୋଗ ହୋଇଛି ଏବଂ ତା’ର ନିଦାନ ମୋ ପୁଅ ପାଖରେ ଅଛି ତଥା ମୋ ପୁଅ ଜଣେ ବେଶ୍ ଭଲ ଡାକ୍ତର; ଏଇସବୁ କଥା ଭାବିବାକୁ ମତେ ଭଲ ଲାଗିଲା । ବାପା ଗାଧୁଆଘରୁ ବାହାରି, ପୋଛିପାଛି ହୋଇ ତାଙ୍କ ଖଟ ଉପରକୁ ଗଲେ । ଆଶ୍ଚର୍ଯ୍ୟ ତାଙ୍କୁ ଅଳ୍ପ ସମୟ ଭିତରେ ନିଦ ଲାଗି ଆସିଲା । ରାତିଅଧରେ ଧୁଆଧୋଇ ହୋଇଥିବାରୁ ମୋ ସ୍ତ୍ରୀ ତାଙ୍କ ଖଟ ପାଖକୁ ଯାଇ ପଚାରିଲେ, ‘ବାପା ଏବେ କ’ଣ ଚା’ ପିଇବେ ?'

 

କେଉଁ ବିଶାଳ ଉପତ୍ୟକା ମଝିରୁ ଖୁବ୍ ଧୀରେ ତାଙ୍କ ସ୍ଵର ଅବା ପ୍ରତିଧ୍ୱନିତ ହେଲା, ‘ହଁ, ଟିକେ ଚା’ କର ମା’ । ହେଲେ ଆଜି ଗୋଟିକିଆ ସେରେଣା ଝୋଳ କରିବୁ ଆମ୍ବୁଲ ଦେଇ ।'

 

ତାଙ୍କ ସ୍ଵର ଡୁବିଗଲା ତକିଆ ତଳେ । ଚା’ ପିଇବାପାଇଁ ସେ ଆଉ ଜାଗ୍ରତ ନଥିଲେ । ତାଙ୍କୁ ଜୋର୍ ନିଦ ଘାରି ଯାଇଥିଲା । ମୁଁ ଅଫିସ୍‍ରେ ପହଞ୍ଚିବାର ଅଧଘଣ୍ଟା ପରେ ମୋ ସ୍ତ୍ରୀ ଫୋନ୍ କରି କହିଲେ, ‘ବାପା ଏବେ ଏବେ ଉଠିଲେ, ଚା’ ପିଇଲେ ।’

 

ଏ ଭିତରେ ସେ ଅନେକ ଛୋଟମୋଟ ସମସ୍ୟା ସୃଷ୍ଟି କରିଛନ୍ତି । ଭାବିଛି, ଡାକ୍ତର ପାଖକୁ ନେବି, କିନ୍ତୁ ନେଇନି । ପୁଅ ସହ ଥରେ ଚାଲିଚାଲି ନିକଟସ୍ଥ ବଜାର ଯାଇଥିଲେ । ହାତ ପୂରାଇ ଦୋକାନରୁ ଛେନାପୋଡ଼ ଖଣ୍ଡେ ଖାଇଦେଲେ । ସିଗାରେଟ ଟାଣୁଥିବା ଟୋକା ମୁହଁରୁ ସିଗାରେଟ ଟାଣିଆଣି ଫିଙ୍ଗି ଦେଲେ । ଜଣକ ବାଡ଼ିରେ ପିଜୁଳି ହେଇଥିଲା, ଜିଦି କଲେ ଗଛ ଚଢ଼ି ପିଜୁଳି ତୋଳିବେ । ଯାହାହେଉ, ପୁଅ ତାଙ୍କୁ ଭୁଲେଇଭାଲେଇ, ମନଲାଖି କଥା କହି କଷ୍ଟେମଷ୍ଟେ ଘରକୁ ଆଣିଥିଲା ଓ କହିଥିଲା, ‘ଆଉ ଜେଜେଙ୍କୁ ବାହାରକୁ ନେବିନି ।’

 

ଆଉ ଦିନେ ସେମିତି ଘରର ଯାବତୀୟ ଜିନିଷ ଫୋପାଡ଼ିଲେ ଓ ଗୋଟେଇଲେ । ଫୋପାଡ଼ିବାବେଳେ ଗୋଟେ ଗୋଟେ ଫଳର ନାଁ କହୁଥାନ୍ତି, ଗୋଟେଇବାରେ ଲାଗିଥାନ୍ତି । ଏଇଗଲା ପିଜୁଳି, ଏଇଗଲା କରମଙ୍ଗା, ଏଇଗଲା ଲିଚୁ, ଏଇ ତ ସପେଟା, ଏଇ ସପୁରି, ଏଇ କଦଳୀ, ଏଇ ବରକୋଳି, ଏଇଟା ଆମ୍ବ ! ଏମିତି ଫୋପାଡ଼ୁଥା'ନ୍ତି । ଗୋଟାଉଥା'ନ୍ତି । ଅଧେ ଜିନିଷ ଚେପା ହେଇଗଲା, କେତେଟା ପୂରା ବଙ୍କାତେଡ଼ା ହୋଇଗଲା ।

 

ପୁଅ, ମୁଁ ମୋ ସ୍ତ୍ରୀ ସ୍ଥିରକଲୁ ଯେ ଥରେ ଡାକ୍ତର ଦେଖାଇବୁ ଓ ଔଷଧ ଦେବୁ । ଦେଖାଯାଉ କ’ଣ ହେଉଛି । ନିର୍ଦ୍ଧାରିତ ଦିନ ଗୋଟେ କାର୍‌ କରି ମୁଁ ତାକୁ ଡାକ୍ତର ପାଖକୁ ନେଲି । ଆମ ଅଫିସ୍‌ରୁ ଜଣେ ବନ୍ଧୁ ମତେ ସେ ଡାକ୍ତରର ଠିକଣା ଦେଇଥିଲା । ମହିଳା ଡାକ୍ତର ବା ଡାକ୍ତରାଣୀ । ମିଲିଟାରୀରେ ଥିଲେ । ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଦୁଇବର୍ଷ ଫ୍ରାନ୍‌ସରେ ତାଲିମ ନେଇଥିଲେ । ମାନସିକ ରୋଗ ବିଶେଷଜ୍ଞ । ମିଲିଟାରୀରେ ଅନେକ ସମୟରେ କେତେକଙ୍କର ଅବସାଦ ଭାବ, ନିରାଶାଭାବ ଦେଖାଯାଇଥାଏ, ଆତ୍ମହତ୍ୟା ପ୍ରବଣତା ଦେଖାଯାଏ, ଅପ୍ରାକୃତିକ ଯୌନାକାଂକ୍ଷା ଦେଖାଯାଏ । ସେସବୁପାଇଁ ସେ ଥିଲେ ଭଲ ଡାକ୍ତର ।

 

କାର୍ କ୍ଲିନିକ୍ ପାଖରେ ରହିଲା । ମୁଁ ବାପାଙ୍କୁ ଧରି ଧରି ନେଇ ବସାଇଲି । ଡାକ୍ତରାଣୀ ମୋ’ଠୁ ସବୁ ଶୁଣିଲେ, ଅଳ୍ପ ହସିଲେ । ପ୍ରେସ୍‌କ୍ରିପ୍‌ସନ୍ ଲେଖି ମତେ ଦେଲେ । ସକାଳେ, ମଧ୍ୟାହ୍ନରେ, ସନ୍ଧ୍ୟାରେ କେମିତି କେଉଁ ଔଷଧ ଖାଇବାକୁ ହବ, ବତାଇଲେ । ପନ୍ଦର ଦିନ ପରେ ଦେଖା କରିବାକୁ କହିଲେ ।

 

ମୁଁ ବାପାଙ୍କୁ ଗାଡ଼ିରେ ବସାଇ ଦରଜା ବନ୍ଦ କରୁଚି, ପିଲାଟେ ଆସି କହିଲା ଯେ, ଡାକ୍ତରାଣୀ ଡାକୁଛନ୍ତି । ମୁଁ ବାପାଙ୍କୁ ଡ୍ରାଇଭର ଜିମା ଦେଇ ପୁଣି କ୍ଲିନିକ୍‌କୁ ଫେରିଲି । ସେ ତଳକୁ ମୁହଁ କରି ବସିଥିଲେ ।

 

‘ବସନ୍ତୁ’ ସେ କହିଲେ; ଆପଣ ପରା ସାହିତ୍ୟ ଫାହିତ୍ୟ ଲେଖନ୍ତି ? ଆପଣହିଁ କହିପାରିବେ ।' ତାଙ୍କ କଥାରେ ମୁଁ ଆଶ୍ଚର୍ଯ୍ୟ ହେଲି, ତାଙ୍କ ସାମ୍ନାରେ ବସି ପଡ଼ିଲି, ‘କେମିତି ଜାଣିଲେ ?'

 

‘ଆପଣ ଯେଉଁଠି ରହନ୍ତି, ମୁଁ ସେଇ ପାଖରେ ରହେ ।’ ସେ କହିଲେ । ଏଥର ମୋର ତାଙ୍କ କଥା ମନେପଡ଼ିଲା । ମୋ ଅଫିସ୍ ବନ୍ଧୁ କହିଥିଲା ଯେ, ଡାକ୍ତରାଣୀ ଜଣକ ସେନାବାହିନୀରେ ଥିବାବେଳେ କ୍ୟାପ୍‍ଟେନ୍ ର୍ୟାଙ୍କର ଜଣକୁ ବିବାହ କରିଥିଲେ । ପ୍ରେମ ବିବାହ, ହେଲେ ବିବାହର ଚାରିବର୍ଷ ପରେ ତାଙ୍କ ସ୍ୱାମୀ ସୀମାନ୍ତରେ ଗୁଳି ବିନିମୟରେ ସହିଦ ହୋଇଥିଲେ । ତା'ପରେ ତିନି ଚାରିବର୍ଷ ପରେ ସେ ଚାକିରି ଛାଡ଼ିଥିଲେ । ପୁନର୍ବିବାହ କରି ନଥିଲେ । ପିଲାପିଲିବି ନଥିଲେ । ମୁଁ ତାଙ୍କୁ ନିରିଖେଇ ଦେଖିଲି । ବୟସ ଛୟାଳିଶ । ସତଚାଳିଶ ହେବ । ବେଶ୍ ସୁନ୍ଦର ।

 

: ‘ମତେ କ’ଣ କିଛି କହିବେ ?’ ମୁଁ ପଚାରିଲି ।

 

: ‘ନାଇଁ ଯେ, ସେ ବଡ଼ ସଂକୋଚରେ ଆରମ୍ଭ କଲେ, ‘କହିବି କି ନା ଭାବୁଚି । ନ କହିଲେବି କଥାଟା ଜମା ବିଶ୍ୱାସ ହଉନି କି ବୁଝି ହଉନି ।’

 

: ‘କୁହନ୍ତୁ, ସଂକୋଚ କରିବା ଦରକାର ନାହିଁ ।’

 

: ‘ଆପଣ ତ ଲେଖକ ଲୋକ । ବହୁ ଜାଗା ବୁଲିଛନ୍ତି । ବହୁ ଲୋକଙ୍କ ସହ ମିଶିଛନ୍ତି । ଏମିତିକା ଅନୁଭବ କେଉଁଠି ଶୁଣିଥିବେ ହୁଏତ । ଅବଶ୍ୟ ଗୁଣିଗାରୁଡ଼ିରେ ମୋର ଜମା ବିଶ୍ୱାସ ନାହିଁ ।’

 

: ‘କଥାଟା ସ୍ପଷ୍ଟ କରି କୁହନ୍ତୁ ।’

 

ସେ ପ୍ରାୟ ତିନି / ଚାରି ମିନିଟ୍ ନିରବ ରହିଲେ । ସେତକ ସମୟ ମତେ ଘଣ୍ଟାଏ ପରି ଲାଗିଲା । ତା'ପରେ ଏକା ନିଃଶ୍ୱାସରେ କହିଲେ, ‘କଥା କ’ଣ କି, ମାନେ ମୁଁ ରାତିରେ ଶୋଇଥିବି, କେହି ଜଣେ ମୋ ସହ ଇଣ୍ଟରକୋର୍ସ କରିଦେଉଛି । ମତେ ଗାଢ଼ ନିଦ ଥିବାବେଳେ । ଘରର କବାଟ ଝର୍କା ଭିତରୁ ବନ୍ଦ ଥିବ । ଗଭୀର ନିଦରେ ମତେ ଲାଗେ ମୋ ସ୍ୱାମୀଙ୍କ ପରି । ନିଦ ଭାଙ୍ଗିଗଲେ କେହି ନଥାଏ । ମତେ ଭୀଷଣ ଡର ଲାଗେ । ଆଉ ସକାଳଯାକେ ନିଦ ହୁଏ ନାହିଁ ।’

 

: ‘ଏମିତି କ’ଣ ସବୁ ରାତିରେ ହଉଛି ?’

 

: ନା, ସପ୍ତାହରେ ଥରେ ଦି'ଥର । ଏବେ ମାନେ ଏଇ ପଅରଦିନ ସେମିତି ହେଲା । ଉଠି ଦେଖେ ତ ମୋ ଦେହର କେତେକ ଜାଗାରେ ଖଣ୍ଡିଆ ହେଇ ରକ୍ତ ବାହାରୁଛି ।

 

ସେ ଚୁପ୍ ରହିଲେ, ମୁଁ ନିରବ ଥାଏ । କେତେ ପ୍ରକାର ବିଶ୍ୱାସ–ଅବିଶ୍ଵାସ, ବିଜ୍ଞାନ ଅବିଜ୍ଞାନର କୈଫିୟତ ଓ ଉତ୍ତର ମୋ ମନକୁ ଆସୁଥାଏ । କିନ୍ତୁ ମୁଁ କିଛି କହିଲି ନାହିଁ ।

 

ଡାକ୍ତରାଣୀ ଅସହାୟ ଦିଶୁଥିଲେ । ମୁଁ କିଛି କହିବି, କହିବି ହେଉଥିଲି; ଡ୍ରାଇଭର ଚିତ୍କାରରେ ମୁଁ ସେଆଡ଼େ ଅନେଇଲି । ବାପା କାର୍‍ରୁ ବାହାରି କାର୍ ଛାତ ଉପରକୁ ଚଢ଼ିବାର ପ୍ରୟାସ କରୁଥିଲେ । ମୁଁ କ୍ଲିନିକ୍‌ରୁ ବାହାରି ଦ୍ରୁତଗତିରେ କାର୍ ନିକଟକୁ ଆସିଲି । ବହୁ କଷ୍ଟ କରି ବାପାଙ୍କୁ ଗାଡ଼ି ଭିତରେ ଭର୍ତ୍ତିକଲି । କ୍ଲିନିକ୍ ଆଡ଼କୁ ଚାହିଁବାବେଳକୁ ଦେଖିଲି, ଡାକ୍ତରାଣୀ ମୋ ଆଡ଼କୁ ଆସୁଥିଲେ ।

 

: ‘ଅବସ୍ଥା ତ ଦେଖୁଛନ୍ତି', ମୁଁ କହିଲି, ‘କାଲି ସନ୍ଧ୍ୟାରେ ମୁଁ ନିଶ୍ଚେ ଆସିବି ।’

 

ଏବେ ଆଉ ସମୟ ନାହିଁ । ସେକଥା ପରେ କେବେ କହିବି ।

✽✽✽

 

ସମୟଠୁ ଲମ୍ବାରାସ୍ତାରେ ଘୁମେଇ ପଡ଼ିଛି ଜୀବନ ତଥା ଲକ୍ଷ୍ୟହୀନ କ୍ଳାନ୍ତ ପଥିକର କାହାଣୀ

(ଏକ)

 

ଜୁଆଆଡ଼୍‍ଡ଼ାରୁ ଜୁଆ ଖେଳିସାରି ବାହାରକୁ ଆସିଲା ଇବ୍ରାହିମ୍ । ଇବ୍ରାହିମ୍ ବଡ଼ବଡ଼ ଜୁଆଆଡ଼୍‍ଡ଼ାକୁ ଯାଏଁ ନାହିଁ-। ତା’ର ଭାଗ୍ୟ ସହ ବାଜିମାରିବା ପାଇଁ ମୂଳଧନ ନାହିଁ । ଏଇ ଛୋଟ ଜୁଆଆଡ଼୍‍ଡ଼ାରେ ଆଜି ମାତ୍ର ଶହେ ଟଙ୍କା ମୂଳଧନରେ ସେ ରୋଜଗାର କରିଚି ଚାରି ଶହ ଟଙ୍କା । କାଲି ପୁଣି ଜୁଆଖେଳିବ ଶହେ ଟଙ୍କାରେ ତ ଅବଶିଷ୍ଟ ତିନିଶହ ଟଙ୍କାରେ ଚଳିଯିବ କେତେଟା ଦିନ-। ବଡ଼ବଡ଼ ସହରରେ ଜୀବନକୁ ଜୁଆରେ ବାଜି ନ ପକାଇଲେ ବଞ୍ଚି ହୁଏ ନାହିଁ-। ଇବ୍ରାହିମ୍ ଲାଇଟ୍‌ପୋଷ୍ଟ୍ ତଳେ ଠିଆ ହୋଇଛି । ଲାଇଟ୍ ନାହିଁ । ଚାରିଆଡ଼ ଅନ୍ଧାର କିଛି ଦୂର ଯାଏଁ-। ଇବ୍ରାହିମ୍ ଟାକ୍‌ସି ଖୋଜୁଚି । ଇବ୍ରାହିମ୍ ଆଗେଇଲା ।

 

ପକେଟରେ ଦୁଇହାତ ଭର୍ତ୍ତିକରି ଇବ୍ରାହିମ୍ ଆଗକୁ ଚାଲିଚି । ହଠାତ୍ ଇବ୍ରାହିମ୍ ଥମକି ଠିଆ ହୋଇଗଲା । ତା'ଆଗରୁ ଆସୁଥିବା ଲୋକଟା ଠିକ୍ ତା’ରି ଆଗରେ ଠିଆ ହୋଇଛି । ଇବ୍ରାହିମ୍ କିଛି ଚିନ୍ତା କରିବା ଆଗରୁହିଁ ଲୋକଟା କ୍ଷୀପ୍ର ଗତିରେ ପକେଟରୁ ଛୁରି ବାହାର କରି ଇବ୍ରାହିମ୍ ପେଟରେ ଲଗେଇ ଦେଇ, ହିସ୍ ହିସ୍ କଣ୍ଠରେ କହିଲା; ‘କେତେ ଆଜି ଜୁଆରୁ ପାଇଚୁ ଦେଇଦେ ।’

 

ଇବ୍ରାହିମ୍ ପକେଟରେ ଏବେବି ତା’ର ଆଠଇଞ୍ଚ୍ ଲମ୍ବର ଛୁରା ଅଛି ଓ ସେ ଖୁବ୍ ସହଜରେ ଏଇ ଲୋକଟିକୁ ଧୋକାଦେଇ ପାରିବ । କିନ୍ତୁ କିଏ କହିପାରିବ ଏଇ ଲୋକଟିର ଦଳର ଅନ୍ୟମାନେ କିଛି ଦୂରରେ ଛପିଥାଇ ପାରନ୍ତି । ଯାହାହେଉ, ଲୋକଟିକୁ ଧୋକା ଦେବାକୁ ଠିକ୍ କରି ଇବ୍ରାହିମ୍ ଅଳ୍ପ ହସିବା ସ୍ୱରରେ କହିଲା; ‘ପାଇଚି ଚାରିଶହ । ହେଲେ ସବୁ ଟଙ୍କା ତ ଦେଇପାରିବିନି-। କାଲିକି ପୁଣି ଜୁଆପାଇଁ ରଖିବାକୁ ହେବ ଶହେ ଟଙ୍କା । ବରଂ ତିନିଶହ ଟଙ୍କା ଦେଇପାରିବି-।’

 

ଲୋକଟା କହିଲା; ‘ବକ୍ ବକ୍ ବନ୍ଦ କରବେ । ବାହାର କର ସବୁ ଟଙ୍କା ।

 

ଇବ୍ରାହିମ୍ ପକେଟରେ ସେମିତି ହାତ ପୂରେଇ ଠିଆ ହୋଇଥିଲା । ଟଙ୍କା ବାହାର କରିବା ଭଙ୍ଗୀରେ ଦ୍ରୁତଗତିରେ ପକେଟରୁ ତା’ର ଆଠ ଇଞ୍ଚ୍ ଲମ୍ବର ସ୍ପିଂ ଛୁରିଟି ବାହାର କରି ଘୁଞ୍ଚିଗଲା ଲୋକଟାର ବାଁ ପଟକୁ । କ’ଣ ଘଟୁଚି ବୋଲି କିଛି ବୁଝିବା ପୂର୍ବରୁ ଇବ୍ରାହିମ୍ ତା’ ଛୁରିରେ ସେଇ ଲୋକଟାର ଛୁରିକୁ ବାଡ଼େଇ ଖସେଇ ଦେଲା ତଳକୁ । ଲୋକଟି କାବାହୋଇ ଚାହିଁଥାଏ ତାକୁ । ଇବ୍ରାହିମ୍ ଲୋକଟାର ଓଠ ତଳେ ଛୁରି ମୁନ ଲଗେଇ କହିଲା : ‘କେତେ ଦିନ ହେଲା ଏସବୁ କାମରେ ହାତ ଦେଲଣି ମହାଶୟ ? ଆଜି ଛାଡ଼ି ଦେଉଚି । ହେଲେ ଗୋଟାଏ କଥା କହୁଚି ମନେରଖ । ଏସବୁ କାମ କଲାବେଳେ ଜୀବନକୁବି ଜୁଆରେ ବାଜି ଲଗେଇବାକୁ ହୁଏ । ଯାଅ–ପଛେଇ ପଛେଇ ଯାଅ, ତମ ଛୁରିଟା ସେଇଠି ଥାଉ ।’

 

ଲୋକଟି ପଛେଇ ପଛେଇ ଗଲା କିଛି ବାଟ । ତା’ପରେ ମୁହଁ ଫେରେଇ ଚାଲିଗଲା । ଇବ୍ରାହିମ୍ ନଇଁପଡ଼ି ଛୁରିଟା ଗୋଟେଇ ନେଲା ରାସ୍ତା ଉପରୁ ଓ ବୁଲିପଡ଼ିଲା । ମାତ୍ର ପରକ୍ଷଣରେ ସାମନାରେ ସାପ ଦେଖିବା ପରି ଚମକି ଗଲା । ଆଗରେ ଆଉ ଗୋଟେ ଲୋକ ତା’ଆଡ଼େ ରିଭଲ୍‍ଭର୍‍ଟିଏ ଦେଖେଇ ଠିଆ ହୋଇଛି । ଏଇଟି ଯେ ପ୍ରଥମ ଲୋକର ଦଳର, ସେକଥା ଇବ୍ରାହିମ୍ ବୁଝିପାରିଲା । କିନ୍ତୁ ଧୂର୍ତ୍ତ ଲୋକଟା ବିନା ଶବ୍ଦରେ କେତେବେଳେ ଆସି ତା’ ପଛରେ ଠିଆ ହୋଇଛି । ଇବ୍ରାହିମ୍ କିଛି କହିବା ପୂର୍ବରୁ ଲୋକଟା କହିଲା : ‘ଖୁବ୍ ଚାଲାକ୍ ତ, ତମ ନାଁଟା କ’ଣ ?' ଇବ୍ରାହିମ୍ ପ୍ରଶ୍ନଟା ଶୁଣିଲା, କିଛି ଉତ୍ତର ଦେଲାନି । ଲୋକଟା ପ୍ରଶ୍ନକୁ ପୁଣି ଦୋହରେଇଲା-

 

ଇବ୍ରାହିମ୍ କହିଲା : ‘ଦରକାର କ’ଣ ? ମୋ ନାଁ ନା ମୋ ଟଙ୍କା ?’

 

ଲୋକଟା କହିଲା : ‘ଦୁଇଟାଯାକ ଦରକାର ।’

 

ଇବ୍ରାହିମ୍ କହିଲା : ‘ମୋ ନାଁ ଇବ୍ରାହିମ୍ ।’ ତଥା ପରେ ପରେ ଲୋକଟା ହାତକୁ ଚାରିଶହ ଟଙ୍କା ପକେଟରୁ ବାହାର କରି ବଢ଼େଇ ଦେଲା । ଲୋକଟା ବାଁ ହାତରେ ଖୁବ୍ ସାବଧାନରେ ଟଙ୍କା ଧରି, ଇବ୍ରାହିମ୍‌କୁ ହସିହସି କହିଲା : ‘କିରେ, ସୁନାପିଲାଟା ପରି ଟଙ୍କା ଦେଇ ଦେଉଚୁ : ଆଉ ଟିକେ ଆଗରୁ ଦାଦାଗିରି ଦେଖଉଥିଲୁ ।’ ଏତିକିବେଳକୁ ଆଗ ଲୋକଟି ଫେରି ଆସିଥାଏ ଓ ଇବ୍ରାହିମ୍ ପକେଟରୁ ଦୁଇଟାଯାକ ଛୁରି କାଢ଼ିନେଇ ତା’ ଆଗରେ ଠିଆ ହୋଇଥାଏ ।

 

ଇବ୍ରାହିମ୍ ଧୀରେ କହିଲା : ‘ମହାଶୟ, ଛୁରିରେ ଜୀବନକୁ ବାଜି ଲଗେଇ ଦେବାର ସାହସ ଅଛି । ହେଲେ ବନ୍ଧକ ସାମନାରେ ଜୀବନକୁ ବାଜି ଲଗେଇ ଦେବାର ଦୁଃସାହସ କରିବାର ଅର୍ଥ କିଛି ଥାଏ ?’

 

ଲୋକଟା ଇବ୍ରାହିମ୍‌କୁ ଚାହିଁଲା । କିଛି ଭାବି କହିଲା : ‘ଇବ୍ରାହିମ୍, ତମେ ଶୁଣିଚ ବେଣୀ ମାଧବର ନାଁ ? ମୁଁ ସେଇ ବେଣୀ ମାଧବ ।

 

ଇବ୍ରାହିମ୍ ଶୁଣିଚି ଏଇ ନାଁଟାକୁ ବୋଲି ଗୋଟେ ଅନେକବାର । ୱାଗନ୍ ଲୁଟ୍, ବ୍ୟାଙ୍କ୍‍ ଲୁଟ୍, ଦୋକାନ ଉପରେ ଚଢ଼ଉ ଇତ୍ୟାଦି କୁଆଡ଼େ ଏଇ ବେଣୀ ମାଧବ ଲୋକର ଦଳ କରିଥାନ୍ତି । ଏଇଟା ଶଳା ତେବେ ସେଇ ବେଣୀ ମାଧବ ।

 

ଇବ୍ରାହିମ୍ କହିଲା : ‘ଶୁଣିଚି–ଅନେକ ଥର ।'

 

ବେଣୀ ମାଧବ କହିଲା : ‘କି ଯେ ଯୋଗରେ ଆଜି ନିଜେ ଏ କାମରେ ଆସିଥିଲି କେଜାଣି । ଆଉ କେହି ନଥିବାରୁ ଏଇ ନୂଆ ଲୋକଟାକୁ ସାହାଯ୍ୟ କରିବାକୁ ଆସିଥିଲି । ହେଲେ ତମ ସହ ଦେଖା ହେବାଟା ଖୁସିର କଥା ।’

 

 

ଇବ୍ରାହିମ୍ ଜାଣିପାରିଲା ନାହିଁ ପାଣି କୁଆଡ଼େ ଯାଉଚି । ଲୋକଟା ଏମିତି କଥାବାର୍ତ୍ତା କରିବାର କାରଣ ବା କ’ଣ ହୋଇପାରେ ? ଲୋକଟା ତାକୁ ଆଉ ନିଜ ଦଳରେ ମିଶେଇବାକୁ ଚାହୁଁଚି କି ? ଯଦି ଚାହୁଁଥାଏ, ତେବେ ଇବ୍ରାହିମ୍ ଯିବକି ? ହଁ–ନ ଯିବ କାହିଁକି ? ଜୁଆ ଉପରେ ନିର୍ଭର କରି ସେ ଦୁଇଦିନ ବାଦଶାହା, ଦୁଇଦିନ କ୍ରୀତଦାସ ପରି କେତେ ଦିନ ଚଳିବ ?

 

ଲୋକଟା କହିଲା : ‘ଯେତେବେଳେ ମୁଁ ଏସବୁ କାମରେ ହାତ ଦେଇଥିଲି, ସେତେବେଳେ ଛୁରି ସହ ଜୀବନ ବାଜି ଲଗେଇ ଦେଇଥିଲି । ହେଲେ ମୁଁ ଦୁଃସାହସ କରିନି । ଛାଡ଼–ଆଚ୍ଛା, ତମେ ମୋ ସାଙ୍ଗରେ ଆସିବ କି ଇବ୍ରାହିମ୍ ?’ ଏକଥା କହି ଲୋକଟି ଇବ୍ରାହିମ୍ ହାତକୁ ତା’ ଟଙ୍କା ଫେରେଇ ଦେଲା ଓ ରିଭଲ୍‍ଭର୍‍ଟା ପକେଟରେ ପୂରେଇ ଦେଲା । ଆର ଲୋକଟିକୁ ଇବ୍ରାହିମ୍‌ର ଛୁରି ଫେରେଇ ଦେବାକୁ କହିଲା । ତା’ପରେ ଇବ୍ରାହିମ୍‌କୁ ପ୍ରଶ୍ନଟା ପୁଣି ପଚାରିଲା । ଇବ୍ରାହିମ୍ ଆକାଶ ଆଡ଼େ ତୋଳିଲା ଦୃଷ୍ଟି ! ଯିବାରେ କିଛି ବିପଦ ଅଛି ? କି ବିପଦ ? ବିପଦ ଥିବାର ତ ସେ ଶୁଙ୍ଘି ପାରୁନି । ଏ ଲୋକଟା ତା’ପାଇଁ ବିପଦର କାରଣ ହେବ ନାହିଁ, ଏକଥା ନିଶ୍ଚିତ । ତେବେ ଏମିତିକି କୋଉ ସେ ଭଲରେ ବଞ୍ଚିଛି ? ବରଂ ବେଣୀ ମାଧବ ସହ ଚାଲିଯିବା ଭଲ । ଦେଖାଯିବ, ଜୀବନ ଭାସି ଭାସି କୋଉ କୂଳରେ ଲାଗୁଚି । ଜୀବନକୁ ଯିଏ ବାଜି ଲଗେଇଚି ମୃତ୍ୟୁ ସହ ବଞ୍ଚିବାପାଇଁ, ତା’ପାଇଁ ବେଣୀ ମାଧବ କ’ଣ ଏ ଜଗତରେ କେହି ବିପଦର କାରଣ ହୋଇପାରିବ ନାହିଁ । କିଛି ନଥିଲେ ତ ନିଜର ହାତ ଅଛି । ବେଣୀ ମାଧବ ପଛେ ପଛେ ଚାଲିଲା ଇବ୍ରାହିମ୍ । ସେଇ କଥାଟି ତା’ ମୁଣ୍ଡରେ ଖେଳୁଚି ଯେ, କିଛି ନଥିଲେ ତ ନିଜର ଦି’ଟା ହାତ ଆଲ୍ଲା ଦେଇଛନ୍ତି । ନିଜର ହାତକୁ ଟିକେ ଚାହିଁଲା ଓ ହସିଲା ଇବ୍ରାହିମ୍ !

 

(ଦୁଇ)

 

ସହରର ମୁଖ୍ୟ ରାସ୍ତା ଉପରେ ବେଣୀ ମାଧବର ଘର । ଛ’ ବଖରା ଘର । ଏଇ ଘରଟି ବେଣୀ ମାଧବର ପୈତୃକ ଘର ବୋଲି ସେ କହେ । ଅନ୍ୟଥା କାହାକୁ କିଛି ଜଣା ନାହିଁ । ଏଇ ଘରେ ବେଣୀ ମାଧବର ଆଖଡ଼ା ଜମେ । ସନ୍ଧ୍ୟାବେଳେ ସବୁ ମେମ୍ବର ଆସି ପହଞ୍ଚନ୍ତି । ବେଣୀ ମାଧବ ସେମାନଙ୍କୁ କାର୍ଯ୍ୟ ସମ୍ପର୍କରେ ବୁଝାଏ । ଯିଏ ଯାହା କାମ କରିସାରି ପରଦିନ ବାରଟାବେଳେ ଅବା ସନ୍ଧ୍ୟାବେଳେ ବେଣୀ ମାଧବକୁ ଦେଖା କରନ୍ତି । ବେଣୀ ମାଧବ ପ୍ରତ୍ୟେକର ଅଂଶ ପ୍ରତ୍ୟେକକୁ ଦେଇଦିଏ । କିଏ କେତେ ଆଣିଲେ, କେତେ ପାଇବେ–ସେ ସମ୍ପର୍କରେ ପ୍ରତ୍ୟେକଙ୍କୁ ବେଣୀ ମାଧବ ବୁଝାଇ ଦେଇଥାଏ । ସୁତରାଂ, ପରେ ଅସନ୍ତୋଷର କାରଣ ରହେ ନାହିଁ । ସହର ଉପରେ ଦିନ ବାରଟାରେ ଅବା ସନ୍ଧ୍ୟାବେଳେ ବୈଠକ ବସିଲେ କେହି ସନ୍ଦେହ କରିବେନି ବୋଲି ବେଣୀ ମାଧବ ଭାବେ । କେତେବେଳେ ଦଳର କେହି ଦୈବାତ୍ ଧରାପଡ଼ିଗଲେ ବେଣୀ ମାଧବ ଓକିଲ ଲଗାଏ । ଜାମିନ୍‍ ବ୍ୟବସ୍ଥା କରେ, ଅଭିଯୁକ୍ତ ଲୋକର ପରିବାର ସମସ୍ୟା ବୁଝେ । ଏଥିପାଇଁ ଦଳର କୌଣସି ସଭ୍ୟ ବେଣୀ ମାଧବ ସହ ବିଶ୍ୱାସଘାତକତା କରନ୍ତି ନାହିଁ । ପ୍ରକୃତରେ ବେଣୀ ମାଧବବି ଦିଲ୍‌ଦାର ପ୍ରକୃତିର ଲୋକ ! ବେଣୀ ମାଧବ ଯେ ଜେଲ୍ ନ ଯାଇଚି ଅବା ତା’ ନାଁରେ କେସ୍ ନ ହୋଇଚି–ସେ କଥା ନୁହେଁ; ମାତ୍ର ପ୍ରତି ଥର ପ୍ରମାଣ ଅଭାବରୁ ବେଣୀ ମାଧବ ଖସିଯାଇଛି । ବେଣୀ ମାଧବଟା ପ୍ରକୃତରେ ମହାଧୂର୍ତ୍ତ । ପ୍ରତ୍ୟେକ ସଦସ୍ୟକୁ ନିଜର ଯୋଜନା ସମ୍ପର୍କରେ ବୁଝାଉଥିବାବେଳେ ବେଣୀ ମାଧବ ଯେ କେଉଁ ସ୍ତରର ଫନ୍ଦିବାଜ୍, ତାହା ଜଣାପଡ଼େ । ଆଉ ଇବ୍ରାହିମ୍‌କୁ ସେ ପସନ୍ଦ କରିଚି କାରଣ ଇବ୍ରାହିମ୍‌ର ଜୀବନ ପ୍ରତି ମାୟା ଅଛି ଅଥଚ ସେ ସାହସୀ ! ତା'ଛଡ଼ା ଇବ୍ରାହିମ୍ ଖୁବ୍ ଦକ୍ଷତାର ସହ ତା’ ଦଳର ଗୋଟେ ଲୋକଟାକୁ ଧୋକା ଦେବାକୁ ବସିଥିଲା । ଯାହାହେଉ, ଇବ୍ରାହିମ୍ ତା’ ଦଳରେ ଜଣେ ସଦସ୍ୟ ବନିଗଲା ।

 

ଇବ୍ରାହିମ୍‌କୁ ଆଣି ବେଣୀ ମାଧବ ତା’ ଘରେ ରଖିଛି । କହିଚି ନିଜର ଘର ଖଣ୍ଡେ ନ ମିଳିବା ଯାଏଁ ତା’ ଘରେ ରହିବାପାଇଁ । ବେଣୀ ମାଧବର ଘରେ ତା’ ସ୍ତ୍ରୀ, ବଡ଼ ଝିଅ ଓ ଗୋଟେ ସାନ ପୁଅ । ବେଣୀ ମାଧବ ନିଜ ପରିବାର ସମ୍ପର୍କରେ ଇବ୍ରାହିମ୍‌କୁ କିଛି କହେ ନାହିଁ । କିନ୍ତୁ ଥରେ ମାଲ୍ ପିଇବାବେଳେ କଥାବାର୍ତ୍ତା କରୁ କରୁ ତା’ କଥାରୁ ଇବ୍ରାହିମ୍ ଅଳ୍ପ ଅଳ୍ପ ଜାଣିପାରିଲା ଯେ, ବେଣୀ ମାଧବର ବଡ଼ ଝିଅ କୋଉଠି ବାହା ହୋଇଥିଲା; ହେଲେ ତା’ର ସ୍ଵାମୀ ଆଉ ଗୋଟେ ମାଇକିନା ଆଣି ରଖିବାରୁ ବେଣୀ ମାଧବ ତାକୁ ଧମକାଧମକି କରିଥିଲା । ହେଲେ ସେ ଲୋକଟା ନ ଶୁଣିବାରୁ ବେଣୀ ମାଧବ ଦିନେ ଲୋକ ପଠେଇ ତାକୁ ନିର୍ଧୂମ ଛେଚିଲା ଓ ପରେ ପରେ ଝିଅକୁ ପ୍ରବର୍ତ୍ତାଇ ସେଇ ଲୋକଟାକୁ ଛାଡ଼ପତ୍ର ଦିଏଇ ଦେଲା । ତା’ପରଠୁ ଝିଅ ବେଣୀ ମାଧବ ପାଖରେ ଅଛି । ବେଣୀ ମାଧବର ଝିଅଟା ନାଁ କ’ଣ ତ ? ଇବ୍ରାହିମ୍ ମନେ ପକେଇଲା । ବୋଧେ ବେଣୀମାଧବ ସେହି ମାଲ୍ ପିଇବା ଦିନ ବାରମ୍ବାର ବେଲା ବେଲା ବୋଲି କହୁଥିଲା ।

ଚାରିଦିନ ହେଲା ବେଣୀ ମାଧବର ଘରେ ରହିଲେବି ଇବ୍ରାହିମ୍ ଏଇ ବେଲା ନାମ୍ନୀ ତରୁଣୀଟିକୁ ଦେଖି ନାହିଁ । ତରୁଣୀ ନୁହେଁ ତ ଆଉ କ’ଣ ? ବେଣୀ ମାଧବ କହୁଥିଲା, ତା’ ଝିଅକୁ ଏବେ ଚବିଶ ଚାଲୁଚି । ବେଣୀ ମାଧବ ଦୁଃଖ କରୁଥିଲା ଯେ, ଏ ବୟସରେ ତା’ ଝିଅଟା ଏଭଳି ଜୀବନ ଯାପନ କରୁଚି । ବାହା ନ ହେଇଥାଆନ୍ତା ନାହିଁ, ହେଲେ ବାହା ହୋଇ ସାରିବା ପରେ କୋଉ ଝିଅ ଚାହିଁବ ଏମିତି ସ୍ଵାମୀକୁ ଛାଡ଼ପତ୍ର ଦେଇ ଏକାକୀ ବାପଘରେ ଜୀବନ ବିତେଇବାକୁ ?

ଆଚ୍ଛା–ବେଲା ନାମ୍ନୀ ଏଇ ବେଣୀ ମାଧବର ତରୁଣୀ ଚିଡ଼ିଆଟା ରହେ କୋଉଠି ? ଇବ୍ରାହିମ୍ ତ କାହିଁ ତାକୁ ଦେଖି ନାହିଁ । ହେଲେ ବେଲାଟା ନିଶ୍ଚେ ଖୁବ୍‌ସୁରତ୍ ହେଇଥିବ, ବୋଧେ ଟିକେ ସେକ୍ସି !!

 

(ତିନି)

 

ସେଦିନ ସକାଳେ ଜଳଖିଆ ଖାଇ ସାରିବା ପରେ ବେଣୀ ମାଧବ ଇବ୍ରାହିମ୍‌କୁ ତା’ ପାଖରେ ବସେଇ କଥାବାର୍ତ୍ତା ଆରମ୍ଭ କଲା । ବୁଝେଇ ଦେଲା ଯେ, ଏବେ ଇବ୍ରାହିମ୍ ଆଉ ହାତଗୋଡ଼ ବାନ୍ଧି ବସିବା ଉଚିତ ନୁହେଁ । କିଛି ଗୋଟେ କାମ କରିବା ଉଚିତ । ଜୁଆ ଖେଳି ହେଉ ଅବା ପକେଟ୍‍ ମାର କରିହେଉ ଅବା ଲୁଟ୍ କରି ହେଉ–ଇବ୍ରାହିମ୍ ପଇସା ଆଣିବା ଉଚିତ । ଇବ୍ରାହିମ୍ ବୁଝିପାରିଲା ଯେ, ଏବେ ବେଣୀମାଧବ ମୁଣ୍ଡରେ ନିଶ୍ଚେ କିଛି ଯୋଜନା ଖେଳୁଚି, ଯାହାକୁ ସେ ଇବ୍ରାହିମ୍‌କୁ ସିଧା ସିଧା କହିପାରୁ ନାହିଁ । ସେଇ କଥାଟିକୁ କହିବା ପୂର୍ବରୁ ଗୌରଚନ୍ଦ୍ରିକାର ଆବଶ୍ୟକ କରୁଚି । ବେଣୀ ମାଧବର ସେଇ ଆଡ଼ୁସାଡ଼ୁ କଥା ମଧ୍ୟରେ ଇବ୍ରାହିମ୍ ଅପେକ୍ଷା କଲା କେତେବେଳେ ବେଣୀ ମାଧବ ପ୍ରକୃତ କଥାଟା କହୁଚି !

 

ବେଣୀ ମାଧବ କହିଲା: ‘ତତେ ଗୋଟାଏ କାମ କରିବାକୁ ହେବ ଇବ୍ରାହିମ୍ । ଭାନୁ ଦତ୍ତକୁ ଖତମ୍‍ କରିବାକୁ ହେବ । ଶଳାଟାର ଉତ୍ପାତ ଆଉ ସହିବାର ନୁହେଁ । ଆମର ପ୍ରତ୍ୟେକଟି କାମରେ ସିଏ ବାଧା ଦେଉଚି ଆଉ ଉପରୁ ଉପରୁ ଫାଇଦା ଉଠେଇବାକୁ ଚାହୁଁଛି ।’

 

ଇବ୍ରାହିମ୍ କାଠଗଡ଼ ପରି ନିଶ୍ଚଳ ହୋଇ ଶୁଣିଲା ବେଣୀ ମାଧବର କଥା । ଖୁବ୍ ଶାନ୍ତଭାବେ ଏକଥା କହିଲା ବେଣୀ ମାଧବ । ଅଥଚ ତା’ ସ୍ଵର ତଳେ ଲୁଚି ରହିଥିବା ପ୍ରତିହିଂସାର ପାଦ ଶବ୍ଦ ଠିକ୍ ଶୁଣିପାରୁଚି ଇବ୍ରାହିମ୍ । ଇବ୍ରାହିମ୍‍ର ‘ହଁ’କୁ ସେ ଅପେକ୍ଷା କରୁ ନାହିଁ । ବେଣୀ ମାଧବ ଧରି ନେଇଚି ଯେ, ଇବ୍ରାହିମ୍ ନିଶ୍ଚେ ରାଜି ହେବ । ମନକୁ ମନ ଇବ୍ରାହିମ୍ ଭାବିଲା ଯଦି ସେ ରାଜି ନହୁଏ, ତେବେ ବେଣୀ ମାଧବ ଯେ ତାକୁ କେବେ ଖତମ୍ କରି ନ ଦେବ, ସେକଥା କିଏ କହିବ ? ଇବ୍ରାହିମ୍ ‘ହଁ’ ଭରି ନିଜର ମୁଣ୍ଡ ହଲେଇ ସମ୍ମତି ଜଣେଇଲା ।

 

ବେଣୀ ମାଧବ ଉତ୍ସାହରେ ଇବ୍ରାହିମ୍‌କୁ ତା’ର ଯୋଜନା ବେତାଇ ଦେଲା । କେମିତି ଭାନୁ ଦତ୍ତ ଆଜି ରାତିରେ ଅମୁକ ଜୁଆଆଡ଼୍‍ଡ଼ାରେ ଜୁଆ ଖେଳୁଥିବ । ସିଏ ଫେରିଲାବେଳେ ତାକୁ ଖତମ୍‍ କରିବାକୁ ହେବ । ଭାନୁଦତ୍ତର ବାଁ କପାଳରେ ଗୋଟେ କଟାଦାଗ ଅଛି । ଇବ୍ରାହିମ୍ ସେଇ ଆଡ଼୍‍ଡ଼ାକୁ ଆଜି ଜୁଆ ଖେଳିବାକୁ ଯିବ । ଭାନୁ ଦତ୍ତ ସହ ବନ୍ଧୁତା ଜମେଇବ । ତା'ପରେ ଦୁହେଁ ସାଙ୍ଗ ହୋଇ ଫେରିବାର ପ୍ଲାନ୍ ଇବ୍ରାହିମ୍ କରିବ । ତା’ପରେ ବାଟରେ ଭାନୁଦତ୍ତକୁ ଖତମ୍‍ କରିବାକୁ ହେବ । ସବୁ କଥା କହି ସାରି ବେଣୀ ମାଧବ ଉଠିଗଲା । ସ୍ଥାଣୁ ପରି ବସି ରହିଲା ଇବ୍ରାହିମ୍ !

 

ଯେଉଁମାନେ ଜୁଆ ଖେଳନ୍ତି, ସେମାନଙ୍କ ପ୍ରତି ଇବ୍ରାହିମ୍‌ର ଅଜବ ଧାରଣା । ଇବ୍ରାହିମ୍ ଭାବେ ଯିଏ ଜୁଆଡ଼ି, ତା’ର ଜୀବନକୁ ଭୟ ନାହିଁ । ସିଏ ଜୀବନକୁ ଜୁଆରେ ଉଡ଼େଇ ଦେଇପାରେ-। ସୁତରାଂ, ଭାନୁଦତ୍ତ ଯେ, ଅସାବଧାନରେ ଜୁଆ ଖେଳିବାକୁ ଆସୁଥିବ ସେ କଥା ନୁହେଁ-। ପୁଣି ଗୋଟାଏ ଦିନର ବନ୍ଧୁତାରେ ଯେ ଭାନୁଦତ୍ତ ଇବ୍ରାହିମ୍ ସହ ଆସିବ–ସେଥିରେବି ନିଶ୍ଚିତତା ନାହିଁ-। ସର୍ବୋପରି, ଇବ୍ରାହିମ୍ ଆଗରୁ କେବେ ମଣିଷ ମାରିନି ! ଯଦି ମାରିବ, ତେବେ ଏଇ ହେବ ତା’ର ପ୍ରଥମ ମଣିଷ ହତ୍ୟା !

 

 

ଇବ୍ରାହିମ୍ ମୁରୁକେଇ ହସିଲା ନିଜେ ନିଜେ । ପିଲାଦିନେ ସେ ତା’ ଆବାଜାନ୍ ସାଙ୍ଗରେ ଛେଳି କାଟିଚି । ସେ ଛେଳିକୁ ଶୁଏଇ ପକେଇ ବେକ ପାଖରୁ ମାଡ଼ି ବସେ । ତା’ ଆବାଜାନ୍ ଗୋଟେ ବେଣ୍ଟ ନଥିବା ଛୁରିରେ ଛେଳିକୁ କାଟିଦିଏ ତଣ୍ଟି ପାଖରୁ । ପ୍ରଥମ ଥର ଛେଳିକୁ ଧରିବା ସମୟରେ ତା’ ଦେହ ଶୀତେଇ ଉଠିଥିଲା । ଅଜାଣତରେ ହାତ କୋହଳ ହୋଇଯାଇଥିଲା । ଛେଳିର ଶରୀରର ଉତ୍ତାପ, ସ୍ପନ୍ଦନକୁ ଦୁଇ ହାତରେ ଅନୁଭବ କରି ସେଦିନ ସେ ଅନ୍ୟ ଆଡ଼କୁ ମୁହଁ ବୁଲେଇ, ନିଶାଗ୍ରସ୍ତ ବ୍ୟକ୍ତି ପରି ଛେଳିକୁ ମାଡ଼ି ବସିଥିଲା ଯାହା ! ହେଲେ ତା’ପରେ କେବେକେବେ ତାକୁ ଛେଳି କାଟିବାକୁ ପଡ଼ିଚି ତା’ ଆବାଜାନ୍‍ର ଅନୁପସ୍ଥିତିରେ । ଏମିତିକି ଇବ୍ରାହିମ୍ ଥରେ କି ଦୁଇଥର ଗୋରୁବି କାଟିଚି, ହେଲେ ମଣିଷ କାଟିନି କେବେ ! କି କେବେ ଚିନ୍ତା କରି ନଥିଲା ଯେ, ତା’ ତକ୍‌ଦିର୍‍ରେ ଅଛି ସେ ଦିନେ ମଣିଷ କାଟିବ !

 

ଆଉ କାହାପାଇଁ ଯେ ସେ ମଣିଷ ମାରିବାକୁ ଯାଉଚି, ସେକଥା ଭାବି ତାକୁ କେମିତି ଅଖାଡ଼ୁଆ ଲାଗିଲା । ପୁଣି ଭାବିଲା, ଯିଏ ତାକୁ ନିର୍ଭରଯୋଗ୍ୟଭାବେ ଆହାର, ବସ୍ତ୍ର, ବାସସ୍ଥାନ ଯୋଗାଉଚି ଓ ଭବିଷ୍ୟତରେ ମଧ୍ୟ ଯୋଗାଇବାର ଆଶା ଅଛି, ତା’ପାଇଁ ମଣିଷ ମାରିଲେ ଦୋଷ ନାହିଁ । ପୁଣି ଭାବିଲା, ସେ ତ ନିଜେ ନିଜପାଇଁ ଆହାର, ବସ୍ତ୍ର, ବାସସ୍ଥାନ ଯୋଗାଡ଼ କରିପାରିବ । ହେଲେ ଜୀବନରେ ଆଉ ନିରାପତ୍ତା କାହିଁ ? ଆଉ କୁଲିଗିରି କରି କେହି ଶାନ୍ତିରେ ଦୁଇଓଳି ପେଟଭରା ଖାଇଲାଣିନା ? ଠିକ୍ ହୈ–କୁଚ୍ଛ ପରଓ୍ୱା ନେହିଁ । ସେ ମଣିଷ ମାରିପାରିବ । ଇବ୍ରାହିମ୍ ନିଶ୍ଚିତ କଲା ଯେ ସେ ଭାନୁ ଦତ୍ତକୁ ମାରିବ । ଆଜି ସନ୍ଧ୍ୟାରେ ମାରିପାରିବ । ତା’ ସହ ବନ୍ଧୁତା କରିହେଉ ଅବା ଶତ୍ରୁତା କରିହେଉ ।

 

(ଚାରି)

 

ଅତୀତରୁ ବର୍ତ୍ତମାନ ଦେଇ ଭବିଷ୍ୟତ ପର୍ଯ୍ୟନ୍ତ ଲମ୍ବି ଯାଇଚି ସମୟ । କଳନା କରି ହେଉ ନାହିଁ ଏ ମୁଣ୍ଡରୁ ସେ ମୁଣ୍ଡର ଦୂରତା । ସେଇ ଅକଳନ ସମୟ ମଝିରେ ଲମ୍ବି ଯାଇଚି ଦୁଃଖ, ଗ୍ଳାନି, ଯଶ, ସୁଖ ଓ ଅନୁତାପର ରାସ୍ତାଟିଏ । ସେଠି ଘୁମେଇ ପଡ଼ିଚି ଜୀବନ !

 

ଅକଳନ ସମୟର ଲମ୍ବା ରାସ୍ତାରେ କିଏ ବା ଘୁମେଇ ନ ପଡ଼ିବ ? ଏଡ଼େ ଲମ୍ବା ରାସ୍ତା ! ବିଶ୍ରାମ ନ ନେଇ କିଏ ବା ଅତିକ୍ରମିବ ତାକୁ ?

 

ଏତେ ଅଣଓସାରିଆ ରାସ୍ତା । କେତେବେଳେ ରାସ୍ତା ଉପରୁ ଖସିଯିବ ପାଦ, କିଏ କହିବ ? ତଥାପି ସେଇ ରାସ୍ତା ଛଡ଼ା ଆଉ ରାସ୍ତା ନାହିଁ । ଗୋଟିଏ ରାସ୍ତା ! ଜୀବନ ନିଶ୍ଚେ ଚାଲିଯିବ ସେଇ ବିପଦ ସଂକୁଳ ରାସ୍ତାରେ ?

 

ଏଇ ରାସ୍ତାରୁ ପାଦ ଖସିଗଲେ ଲାଗେ କେମିତି ? ସେ କେମିତିଆ ଅନୁଭବ ? ଉଡ଼ିଲା ପରି ଶରୀର ଚାଲିଯାଉଚି ଶୂନ୍ୟେ ଶୂନ୍ୟେ ତଳକୁ ଓ ତଳକୁ । ଛାତି ଭିତରୁ କିଛି ଗୋଟେ ଖସୁଚି । ଏଇ ତ ବୋଧେ ପିଟି ହୋଇଯିବ ମାଟିର ଚଟାଣରେ । ହେଲେ ମାଟି କାହିଁ ? କାହିଁ ମାଟି ? ମାଟି ନାହିଁ ! କୋଉଠି ରଖିବ ପାଦ ? ଜାଗା ନାହିଁ । ଛାତିରେ ଛାତିଏ ଭୟ ଆଶଙ୍କା ନେଇ ସର୍ବଦା ଖସୁଥିବ ତଳରୁ ତଳକୁ । ସେଇ ଆଶଙ୍କାର ଭୟରେ ଜୀବନ ଦୁର୍ବିସହ ମନେ ହେବ । ଉଡ଼ିଯାଆନ୍ତା ଜୀବନର ପଞ୍ଜୁରୀରୁ ଚଢ଼େଇଟି ଦିଗ୍‌ବଳୟ ତଳକୁ । ହେଲେ ସେ ଉଡ଼ିଯିବ ନାହିଁ । ଭିତରେ ରହି, ପାଟିରେ ପିଟି ହୋଇଯିବାର ଏକ ଅନାଗତ ଭୟ ଜାତ କରାଇ, ସୃଷ୍ଟି କରୁଥିବା ଅହରହ ଅଜଣା ଆତଙ୍କ । ଏଇ ଆତଙ୍କ ମଝିରେ କେତେ ସମୟ ଝୁଲିପାରିବ ଜୀବନ ? କ୍ଳାନ୍ତ ହୋଇଯିବା ପରେ ଖସି ଖସି ତଳକୁ, ଆଉ ଅନୁଭବ ହେବ ନାହିଁ ଯେ, ଜୀବନ ଚଳନକ୍ଷମ ବୋଲି । ଜୀବନରେ ଆଉ ସ୍ପନ୍ଦନ ନଥିବ । ଅନୁଭବ ହୀନ ଜୀବନ ଝୁଲୁଥିବ ଖସି ପଡ଼ି ସମୟର ରାସ୍ତାରୁ ଗ୍ଳାନିର ଆକାଶରେ-!!

 

ଇବ୍ରାହିମ୍ ଭାନୁଦତ୍ତ ସହ ଗପ୍‍ସପ୍ କରି ଫେରୁଥିବାବେଳେ ଜୁଆଆଡ଼୍‍ଡ଼ାରୁ, ଭାନୁଦତ୍ତର ବେକ ଚାରିପଟେ ହାତ ଗୁଡ଼େଇ ତଣ୍ଟିଠାରୁ କାଟିଦେଲା ଛୁରିରେ–ଯେମିତି ଏକଦା ସେ ତା’ ଆବାଜାନ୍ ସାଙ୍ଗରେ କାଟିଥିଲା ଛେଳି !!

 

X X X X

 

ଭାନୁଦତ୍ତ ଖାଲି କହିଥିଲା : ‘ଦୋସ୍ତ ! ୟେ କ୍ୟା କିୟା ତୁମନେ ?’ ଆଉ କିଛି କହିପାରି ନଥିଲା । ତା’ର ଛଟପଟ ହେଉଥିବା ଶରୀରକୁ ରାସ୍ତାରେ ପକେଇ ଦେଇ ଦ୍ରୁତଗତିରେ ଚାଲି ଆସୁଥିଲା ଇବ୍ରାହିମ୍ । ବାଟସାରା ତାକୁ ଶୁଭୁଥିଲା ଭାନୁଦତ୍ତ ଜୁଆଆଡ଼୍‍ଡ଼ାରେ କହୁଥିବା କେଇପଦ କଥା । ମାଲ୍ ପିଇଦେଇ ଭାନୁଦତ୍ତ କହୁଥିଲା: ‘ଆରେ ଭାଇ ! ଜିନ୍ଦେଗୀ ମେ ରହା କ୍ୟା ହେ ? କୁଛ ନେହିଁ । ଇସିଲିଏ ତୋ ହମ୍ ଖାତେ ହେଁ, ପିତେ ହେଁ, ଔର ଜିନ୍ଦେଗୀକୋ ବରବାଦ୍ କରତେ ହେଁ । ହମ୍ ଆଦମୀ ମାର୍ ସକତେ, ଲେକିନ୍‌ ଦୋସ୍ତକୋ ଧୋକା ନହିଁ ଦେ ସକତେ । ଜବ ଜିନ୍ଦେଗୀ ମେ କୁଚ୍ଛ୍ ହି ନହିଁ ରହା ତୋ’ ହମ୍ ଦୋସ୍ତକୋ ଧୋକା କ୍ୟୋଁ ଦେଁଗେ ?’

 

ଇବ୍ରାହିମ୍ ମୁଣ୍ଡ ଭିତରଟା କ’ଣ ହୋଇଯାଉଚି । ନା–ସିଏ ଭାନୁଦତ୍ତକୁ ମାରିବା ଉଚିତ ନଥିଲା । ଭାନୁଦତ୍ତ ଶେଷରେ ମଲାବେଳେବି ସେଇକଥା କହିଥିଲା । ତାକୁ ସେ ମଲାବେଳେବି ଦୁଷ୍ମନ ବୋଲି ଭାବି ନାହିଁ । ଦୋସ୍ତ ବୋଲି ଭାବିଛି । ପ୍ରତିଟି ଛେଳି ଏମିତି କିଛି ନା କିଛି ତାକୁ କହିଥିବେ । ସେ ହୁଏତ ଛେଳିମାନଙ୍କର ଭାଷା ବୁଝିପାରି ନାହିଁ । ହେଲେ ମୃତ୍ୟୁ ସମୟରେ ଛେଳିମାନେ ବୁଝେଇ ପାରି ନଥିବା କଥା ଭାନୁଦତ୍ତ ବୁଝେଇଦେଲା ତାକୁ ।

 

ଭାନୁଦତ୍ତର ନିସ୍ପନ୍ଦ ଦେହ ଏବେ ରାସ୍ତାରେ ଗଡ଼ୁଥିବ । ଅଥଚ ଭାନୁଦତ୍ତ ତାକୁ ଆଜି କିଛି ସମୟ ପୂର୍ବେ ଗୋଟେ ହୋଟେଲରେ ବହୁତ ଖାଇବାକୁ ଦେଇଛି । ନୂଆ ଦୋସ୍ତ ବୋଲି ଭାବି-। ଭାନୁଦତ୍ତ ଆହୁରି କ’ଣ ସବୁ କହୁଥିଲା । ହେଲେ ଇବ୍ରାହିମ୍ ଭାନୁଦତ୍ତର ଦୋସ୍ତିରେ ବିଷ ମିଶେଇ ଦେଇଛି । ଭାନୁଦତ୍ତକୁ ଧୋକା ଦେଇଚି । ଭାନୁଦତ୍ତର ରକ୍ତରେ ନାଲି ପଡ଼ିଥିବା ଛୁରିଟି ଏବେବି ତା’ ପକେଟରେ ଥିବା ଜରି ଭିତରେ ସୁରକ୍ଷିତ । ସେଇ ଛୁରି ଯେମିତି ବଢ଼ି ଆସୁଚି ତା’ରି ଆଡ଼କୁ, ଲାଗି ଯାଉଚି ତା’ ତଣ୍ଟିରେ, ଆଉ ସେ ନିଜେ ତା’ ପରିଚିତ ଛୁରିକୁ କହୁଚି : ‘ଦୋସ୍ତ ! ତୁମ୍‌ନେ ୟେ କ୍ୟା କିୟା ?’ ବେଣୀମାଧବର କଡ଼ା ଆଦେଶ ଯେ ଛୁରିକୁ ଫୋପାଡ଼ିବ ନାହିଁ, ଫେରେଇ ଆଣିବ-। ଇବ୍ରାହିମ୍ ଫେରେଇ ଆଣିଚି ! ଟଳି ଟଳି ସାଢ଼େ ଦୁଇଟା ରାତିରେ, ନାଇଟ୍ ଡ୍ୟୁଟି କନେଷ୍ଟବଳର ଆଖିରେ ଧୂଳି ଦେଇ ଇବ୍ରାହିମ୍ ପହଞ୍ଚିଲା ବେଣୀମାଧବର ଘରେ । ଅବଶ୍ୟ ବେଣୀମାଧବ ତାକୁ କହିଥିଲା ଯେ, ନାଇଟ୍ ଡ୍ୟୁଟି କନେଷ୍ଟବଳ କିଛି ଅସୁବିଧା କଲେ ତାକୁ ଉଡ଼େଇ ଦେବାର ବ୍ୟବସ୍ଥା ହୋଇଚି । ଏଇ ବେଣୀମାଧବର ଚେର ଯେ କେତେ ଭିତରକୁ ଯାଇଚି, ସେଦିନ ଏଇ କଥାରୁ ଇବ୍ରାହିମ୍ ବୁଝିପାରିଥିଲା ।

 

ବେଣୀମାଧବ ଘରର କଲିଂବେଲ୍ ଉପରେ ହାତ ଦେଇ ଠିଆ ହୋଇଗଲା ଇବ୍ରାହିମ୍ । କେତେ ସମୟ ପରେ କବାଟ ଖୋଲିଲା । କବାଟ ଖୋଲିବାକ୍ଷଣି ଇବ୍ରାହିମ୍ କାହାକୁ ଲକ୍ଷ୍ୟ ନ କରି ପଶିଗଲା ଭିତରକୁ ଓ ବେହୋସ ହୋଇଗଲା । ତା’ର ଖାଲି ମନେ ଅଛି, ସେ ଗୋଟେ ସ୍ତ୍ରୀଲୋକର ଚାପା ଚିତ୍କାର ଶୁଣିଚି । ବେଣୀମାଧବ ନଥିବାରୁ ସ୍ତ୍ରୀଲୋକଟି ଯେ ଚିନ୍ତିତ, ସେକଥାବି ବୁଝିପାରିଚି । ଏହାଛଡ଼ା ତା’ର ଆଉ କିଛି ମନେ ନାହିଁ । ଗୋଟେ ଅଜବ ଭଙ୍ଗୀରେ ଶୋଇଚି ଶୂନ୍ୟରେ ଝୁଲୁଥିବା ମଣିଷ, ମାଟିରେ ନାହିଁ ପାଦ ଯାହାର ଅଥଚ ଖସିଯାଇଚି ଅକଳନ ଲମ୍ବ ସମୟର ରାସ୍ତାରୁ ପାଦ । ଧିମେଇ ଆସୁଥିବା ହୃଦୟର ସ୍ପନ୍ଦନକୁ ନେଇ ଘୁମେଇ ପଡ଼ିଚି ଅନୁଭବହୀନ ଜୀବନ !

 

(ପାଞ୍ଚ)

 

ରାତି କେତେ ହେବ କେଜାଣି, ଇବ୍ରାହିମ୍‌ର ନିଦ ଚାଉଁକିନା ଭାଙ୍ଗିଗଲା । ସେଇ ମୁହୂର୍ତ୍ତରେବି ଇବ୍ରାହିମ୍‌ର ସତର୍କ ମନ ହଠାତ୍ ଆଖି ଖୋଲି ପକେଇଲା ନାହିଁ । କାନକୁ ସଜାଗ କଲା । ଆଖି ବୁଜି ମଧ୍ୟ ସେ ଅନୁଭବ କଲା ଯେ ସେ ଖଟ ଉପରେ ଶୋଇଚି କାନ୍ଧଯାଏ କିଛି ଗୋଟେ ଘୋଡ଼େଇ ହୋଇ । ତା’ ଖଟର ଠିକ୍ ଉପର ପାଖୁ ବେଣୀମାଧବର କଣ୍ଠ ଶୁଭୁଚି । ଆରଟା ଜଣେ ନାରୀର ସ୍ଵର ।

 

ବେଣୀମାଧବ କହୁଚି : ‘ନା–ନା–କିଛି ଅସୁବିଧା ନାହିଁ, ଲୋକଟା ଆଦୌ ବିପଜ୍ଜନକ ନୁହେଁ । ବିଶ୍ୱାସଘାତକତା କରି ନ ପାରେ । ଯାହାପାଇଁ କାମ କରୁଥିବ, ତା’ପାଇଁ ଜୀବନ ଦେଇଦେବ ।’

 

ଇବ୍ରାହିମ୍‌ର ମୁଣ୍ଡ ପୁଣି ଝିମ୍ ଝିମ୍ ହୋଇଯାଉଚି । ଏଇ କେତେ ଘଣ୍ଟା ତଳେ ସେ ଭାନୁଦତ୍ତ ସହ ବିଶ୍ୱାସଘାତକତା କରି ଆସିଚି । ଭାନୁଦତ୍ତର ଶେଷକଥା ମନେ ପଡ଼ିଲେ ଇବ୍ରାହିମ୍‌ର ମୁଣ୍ଡ ଝାଇଁଝାଇଁ କରିଯାଉଚି ।

 

କେତେ ସମୟ ନୀରବତା ପରେ ନାରୀ କଣ୍ଠ ଶୁଭିଲା : 'ଠିକ୍ ଅଛି ବାବା, ତମେ ଯାଅ ଶୋଇବ । ମୁଁ ଏଇଠି ଅଛି ଆଜି ରାତିଟା । କାଳେ କ’ଣ ଘଟିବ ! ଲୋକଟା ତ ପୂରା ବେହୋସ ହୋଇଯାଇଛି । ତା’ଚେତା ଫେରିବା ଯାଏଁ ମୁଁ ଏଇ ଚେଆର୍‍ରେ ବସିଚି !’

 

ଏଇଟା ଯେ ବେଣୀ ମାଧବର ସେଇ ଝିଅ ବେଲା, ଇବ୍ରାହିମ୍ ସେ କଥା ବୁଝିପାରିଲା । ବେଲାକୁ ଦେଖିବାର ଦୁର୍ବାର ଆକାଂକ୍ଷା ଇବ୍ରାହିମ୍‌କୁ ଅସ୍ଥିର କରିପକାଇଲା । ବେଲାର ଚିନ୍ତାରେ ଇବ୍ରାହିମ୍ କେତେକ୍ଷଣ ପାଇଁ ଭୁଲିଗଲା ଯେ, ସେ ଏଇ କେତେ ଘଣ୍ଟା ତଳେ ମଣିଷ କାଟିଚି ବୋଲି-। ତା’ପରେ କେହି ଜଣେ ବାହାରକୁ ଯିବାର ଶବ୍ଦ ଓ ପରେ ପରେ କବାଟ ବନ୍ଦ ହେବାର ଶବ୍ଦ-। ଘରେ କେବଳ ବେଲା ଅଛି । ଇବ୍ରାହିମ୍‌ର ତଳିପେଟରେ ଗୋଟେ କିମିତିଆ ଯନ୍ତ୍ରଣା ସୃଷ୍ଟି ହେଲା-। ସେଇ ଯନ୍ତ୍ରଣା ଇବ୍ରାହିମ୍‌ର ସାରା ଶରୀରକୁ ସଂଚରିଗଲା !

 

ଇବ୍ରାହିମ୍ କେତେ ଯେ କ’ଣ ଚିନ୍ତା କରୁଚି ତା’ର ଠିକଣା ନାହିଁ । ବେଣୀମାଧବ କେତେବେଳୁ ଘର ଭିତରୁ ବାହାରି ଯାଇଚି । ସେ କଡ଼ ଲେଉଟାଇବ କି ? ଖୋଲିଦେବ କି ଆଖି ସେଆଡ଼େ ? ବେଲା ସହ ମୁହାଁମୁହିଁ ହେଲେ ତା’ର ପ୍ରଥମ କର୍ତ୍ତବ୍ୟ କ’ଣ ହେବ ? ଇବ୍ରାହିମ୍ ନିଦରେ ଥିବାର ବାହାନାରେ ଲେଉଟାଇଲା କଡ଼ । ସନ୍ତର୍ପଣରେ ଆଖିପତା ଉପରେ କହୁଣୀ ରଖି ଭିତରୁ ଚାହିଁଲା । ଚେଆର୍‍ ଉପରେ ବସିଚି ବେଲା–ସ୍ଵାସ୍ଥ୍ୟବତୀ ଝିଅଟେ । ମୁଣ୍ଡରେ ସିନ୍ଦୂର ନାହିଁ । ପିନ୍ଧିଛି ନୀଳଶାଢ଼ି । ଢୋଳେଇ ପଡ଼ିଚି ଚେଆର୍‍ ଉପରେ ।

 

ଇବ୍ରାହିମ୍ ଆଖିପତା ଉପରୁ ହାତ କାଢ଼ିଦେଲା । ପୂରା ଆଖି ଖୋଲି ଦେଖିଲା । ତା’ର ଛାତି ଭିତରଟା ଉଠୁଚି ପଡ଼ୁଚି । ତଳିପେଟରୁ ଯେମିତି କିଛି ଗୋଟେ ଚାଲିଯାଉଚି ତଳକୁ । ଶରୀରଟା ତା’ର ଆହୁରି ହାଲ୍‌କା ହେଇଯାଉଚି । ତା’ର ହାତ ଗୋଡ଼ ଭଲଭାବେ ଚଳୁ ନାହିଁ । ଶରୀର ଅବଶ । ଆଖିର ପଲକ ପକାଇବାକୁ ଡର ମାଡ଼ୁଚି ! ଇବ୍ରାହିମ୍‌ର ସାରା ଶରୀର ଝାଳେଇ ଯାଉଚି, କେମିତିଆ ଗୋଟେ ଅଜଣା ଭୟରେ, ଯନ୍ତ୍ରଣାଦାୟକ ଉତ୍ତାପରେ ସାରା ଦେହ ଟାଙ୍କି ହୋଇଯାଉଚି । ବେଲାର ବ୍ଲାଉଜ୍ ଉପରେ ଶାଢ଼ି ନାହିଁ !!

 

ଇବ୍ରାହିମ୍ ଉଠି ବସୁଚି ଧୀରେ । ତା’ର କଣ୍ଠ ଭିତରଟା ରୁନ୍ଧି ହୋଇଆସୁଚି । ତଣ୍ଟି ଭିତରଟା ଅଜଣାଭାବେ ଶିହରି ଉଠୁଚି । କାଶହେବ ବୋଧେ । ଖଟ ଦାଢ଼ରେ ବସି ସେ ନିରୀକ୍ଷଣ କରୁଚି ବେଲାକୁ । ବେଲା ସେମିତି ଚେଆର୍‍ ଉପରେ ଘୁମେଇ ପଡ଼ିଛି ।

 

ଇବ୍ରାହିମ୍ ଧୀରେ ଠିଆ ହେଉଚି । ହାତ ବଢ଼ଉଚି ବେଲା ପାଖକୁ । ଧୀରେ ଧୀରେ ଇବ୍ରାହିମ୍‍ର ହାତ ସ୍ପର୍ଶ କରୁଚି ବେଲାର ମୁଣ୍ଡକୁ । ବେଲା ଚମକି ପଡ଼ି ଖୋଲୁଚି ଆଖି । ସାମ୍ନାରେ ଇବ୍ରାହିମ୍‌କୁ ଦେଖି ଆଚମ୍ବିତ ହୋଇଯାଉଚି । ଇବ୍ରାହିମ୍ ଖୁବ୍ ନିମ୍ନ କଣ୍ଠରେ, ନିହାତି ଅସ୍ୱାଭାବିକ ସ୍ୱରରେ ତାକୁ କହୁଚି : ‘ଆଜିଠୁ ଏମିତି କେବେ କୌଣସି ପୁରୁଷ ଆଗରେ ବସିବନି ।’ ଲାଜରେ ବେଲା ଇବ୍ରାହିମ୍ ତା’ ଛାତିକୁ ଚାହିଁ ଥିବାର ଦେଖି ଶାଢ଼ିକୁ ସଜେଇ ଦେଉଚି ଛାତି ଉପରେ ଓ ତଳକୁ କରୁଚି ମୁହଁ । ଇବ୍ରାହିମ୍ ପୁଣି ବସିପଡ଼ୁଚି ଖଟ ଦାଢ଼ରେ ।

 

ଖଟ ଦାଢ଼ିରେ ବସିବାକ୍ଷଣି ଇବ୍ରାହିମ୍‌ର ପୁଣି ମନେପଡ଼ୁଚି ଯେ ସେ କିଛିକ୍ଷଣ ପୂର୍ବେ ଭାନୁଦତ୍ତର ତଣ୍ଟିକାଟି ଦେଇଚି । ଭାନୁଦତ୍ତର ମୁହଁ ମନେ ପଡ଼ିଲେ ତା’ର କ’ଣ ହେଇଯାଉଚି ! ଠିକ୍ ଯେମିତି ତା’ର ମନ ହେଇଥିଲା ତା’ ଆବାଜାନ୍ ସହ ପ୍ରଥମ ଥର ଛେଳି କାଟିବାବେଳେ !

 

ଇବ୍ରାହିମ୍ ବାଁ ହାତରେ ଅଳ୍ପ ରଖିଥିବା ଦାଢ଼ିକୁ ସାଉଁଳଉଚି । ଡାହାଣ ହାତର ଆଙ୍ଗୁଠିକୁ ଗୋଟିକ ପରେ ଗୋଟିଏ ଫୁଟଉଚି ଖଟ ଦାଢ଼ରେ । ତା’ର ମୁହଁର ମାଂସପେଶୀ କଠିନ ହୋଇଆସୁଚି । ପୁଣି ସେ ସଚେତନ ହୋଇଯାଉଚି ଯେ ବେଲା ବସିଚି ତା’ ଆଗରେ । ସେ ମୁଣ୍ଡ ଟେକି ବେଲା ଆଡ଼େ ଚାହୁଁଚି । ଦେଖୁଚି ବେଲା ଚାହିଁଚି ତା’ଆଡ଼େ ଏକଲୟରେ । ଇବ୍ରାହିମ୍ ଅପ୍ରସ୍ତୁତ ହୋଇଯାଉଚି । ସତେ ଯେମିତି ବେଲା ତା’ ମନୋଭାବ ବୁଝିପାରୁଚି କିଛି କିଛି !

 

ଇବ୍ରାହିମ୍ ବେଲାକୁ ଅନ୍ୟମନସ୍କ ରଖିବାପାଇଁ କହିଲା : ‘ଆଉ ଜଗିଚ କାହିଁକି ? ମୋର ତ ଚେତା ଫେରି ଆସିଲାଣି ।’

 

ବେଲା ହସିଲା, ଉଠିଗଲା ନାହିଁ ଅବା ତା’ର କର୍ତ୍ତବ୍ୟ ସରିଯାଇଚି ବୋଲି କିଛି ସୂଚନା ମଧ୍ୟ ଦେଲା ନାହିଁ । କହିଲା : ‘ବାବା କହିଛନ୍ତି ସକାଳ ଯାଏଁ ଏଠି ବସିବାପାଇଁ ।’

 

ଇବ୍ରାହିମ୍‌ର ମନେଅଛି ଯେ, ବେଣୀମାଧବକୁ ବେଲା ନିଜ ତରଫରୁହିଁ କହିଥିଲା ଏ ଘରେ ରାତିସାରା ଜଗିବାପାଇଁ । ଅଥଚ ବର୍ତ୍ତମାନ କହୁଚି ଯେ, ତାକୁ ବେଣୀମାଧବ ଏଠି ଜଗେଇ ଦେଇଯାଇଚି ବୋଲି । ହଠାତ୍ ଇବ୍ରାହିମ୍ ମୁଣ୍ଡକୁ ଗୋଟେ ଅଜବ ଚିନ୍ତା ଢୁକିଲା । ବୋଧେ ବେଲା ଭାବିଚି ଯେ, କିଛି ସମୟ ଭିତରେ ଇବ୍ରାହିମ୍‌ର ଚେତା ଫେରି ଆସିବ, ସେଥିପାଇଁ ସେ ଇବ୍ରାହିମ୍ ସହ କଥାବାର୍ତ୍ତା ହେବାପାଇଁ ମିଛରେ ଜଗିବା ବାହାନାରେ ବେଣୀମାଧବକୁ ଭୁଲେଇ ଏ ଘରେ ବସିଚି । ଆଚ୍ଛା ବେଲାର ଇବ୍ରାହିମ୍ ପ୍ରତି ଦୁର୍ବଳତା ଅଛି କି ? ଇବ୍ରାହିମ୍‌କୁ ଲାଗିଲା, ବେଲାର ଅନ୍ୟ ପୁରୁଷ ପ୍ରତି ଦୁର୍ବଳତା ଜନ୍ମିବା ସ୍ଵାଭାବିକ । ଥରେ ବାହା ହୋଇ ସ୍ୱାମୀଠୁ ଦୂରରେ ରହିଲେ ନାରୀମାନେ ଦୁର୍ବଳ ହୋଇଯାଆନ୍ତି । ଏଇ କଥା ଭାବିବାକ୍ଷଣି ଇବ୍ରାହିମ୍ ଏକ ଅଜବ କାଣ୍ଡ କରିବସିଲା । ଖଟ ଦାଢ଼ରୁ ଉଠି ଯାଇ ବେଲାର ମୁହଁକୁ ଦୁଇ ହାତରେ ଟେକିଆଣି, ତା’ ଓଠରେ ନିଜ ଓଠ ଲଗେଇ ଦେଲା । ବେଲା କିଛି ପ୍ରତିବାଦ କଲା ନାହିଁ ! କେତେ ସମୟ ବେଲା ଓଠରେ ନିଜ ଓଠକୁ ଚାପି ଧରିବା ପରେ ଇବ୍ରାହିମ୍ ବେଲାର ଦୁଇବାହୁ ତଳେ ନିଜର ଦୁଇବାହୁ ରଖି ବେଲାକୁ ଠିଆ କରେଇଲା । ତା’ପରେ ବେଲାର ପିଠିପଟେ ବେଢ଼େଇ ଆଣି ସାପ ପରି ଦୁଇହାତ ଧୀରେ ଧୀରେ ପଛେଇ ପଛେଇ ବସିଗଲା ଖଟ ଉପରେ । ବେଲା ସେମିତି ତା’ ହାତ ମଝିରେ ରହି, ଶରୀର ସହ ଅଧା ନେସି ହୋଇରହିଛି । ଇବ୍ରାହିମ୍ ଧୀରେ ନିଜର ଗୋଡ଼ ଦୁଇଟିକୁ ବେଳାର ଶରୀର ସହ ଉଠେଇ ଆଣିଲା ଖଟ ଉପରକୁ । ଇବ୍ରାହିମ୍‍ର ଶରୀର ଉପରେ ବେଲାର ଶରୀର । ଇବ୍ରାହିମ୍ ଚକ୍ଷୁ ମୁଦ୍ରିତ ରଖି ବେଲାର ଓଠକୁ ଶୋଷି ପକଉଚି । କେତେକ୍ଷଣ ପରେ ବେଲା ଇବ୍ରାହିମ୍‌ର ଶରୀର ଉପରୁ ଉଠିଗଲା । ତା’ର ଶାଢ଼ି ଶରୀରରେ ଠିକ୍ ନାହିଁ । ସେ ଲାଇଟ୍ ଅପ୍ କରିଦେଇ ଧୀରେ ଧୀରେ ଫେରି ଆସିଲା ଖଟ ଉପରକୁ । ଖଟ ଉପରେ ବସିଗଲା । ତା’ର ବସିବା ଇବ୍ରାହିମ୍ ଅନୁଭବ କଲା । ଇବ୍ରାହିମ୍ ବେଲାକୁ ଟାଣି ଆଣିଲା ଆହୁରି ପାଖକୁ । ବେଲା ଇବ୍ରାହିମ୍‍ର କଡ଼କୁ ଲାଗିହୋଇ ଶୋଇଚି । ଇବ୍ରାହିମ୍‌ର ହାତ ଥରୁଚି । ସେଇ ଥରିଲା ହାତରେ ସିଏ ବେଲାକୁ ନିଜ ଆଡ଼କୁ ଆହୁରି ଭିଡ଼ି ଆଣୁଚି । ହଠାତ୍ ଇବ୍ରାହିମ୍‌ର କ’ଣ ହୋଇଯାଉଚି । ତା’ ଶରୀରରେ କିଛି ଲାଗୁଚି କୋମଳ କୋମଳ । ବେଲାର ଶରୀରରେ ବସ୍ତ୍ର ନାହିଁ । ଅନ୍ଧାରରେ ସେ ବସ୍ତ୍ର ଓହ୍ଲେଇ ଦେଇଛି । ଇବ୍ରାହିମ୍ କ୍ଷୀପ୍ର ଗତିରେ ବେଲାର ଶରୀରକୁ ନିଜ ଶରୀର ତଳେ ରଖି, ଅସହ୍ୟ ଉତ୍ତାପରେ ବେଲାର ଶରୀର ଉପରେ ରହି, କ୍ରମେ କ୍ରମେ ମିଶିଯାଉଚି ବେଲାର ଦେହରେ-। ବେଲାର ହାତ ଅସ୍ଥିରଭାବେ ଏପଟ ସେପଟ ହେଉଚି, ବେଲାର ପିଠିର ଏକ ପାର୍ଶ୍ୱକୁ ପଡ଼ିଛି ତା’ର ଅବିନ୍ୟସ୍ତ କେଶରାଶି, ଇବ୍ରାହିମ୍‍ର ପିଠିରେ ବେଲାର ହାତ ଘୂରୁଚି ଥରିଥରି-

 

ଧୀରେ ଧୀରେ ଇବ୍ରାହିମ୍‌ର ଅସ୍ଥିରତା କମି ଆସୁଚି । ତା’ର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇଯାଉଚି । ତଥାପି ସେ ବେଲାର ଶରୀରରୁ ନିଜକୁ ଖସେଇ ଆଣୁନାହିଁ । କିମ୍ବା ବେଲା ମଧ୍ୟ ଇବ୍ରାହିମ୍‌କୁ ଖସେଇ ଦେଉନାହିଁ । ବେଲାର ଶରୀର ଉପରେ ଶୋଇ ରହି ଇବ୍ରାହିମ୍ କ୍ଳାନ୍ତ ଭାବରେ ବେଲାର ନରମ ଦେହର କମି ଆସୁଥିବା ଉତ୍ତାପକୁ ବାନ୍ଧି ରଖିବାର ଚେଷ୍ଟା କଲା ! ହଠାତ୍ ବେଲା କହିଲା : ‘ଗୋଟେ କଥା କହିବି’ । ଇବ୍ରାହିମ୍ କିଛି କହିଲା ନାହିଁ । ସିଏ ଛାତିରେ ଘଷୁଚି ମୁହଁ । ବେଲା ପୁଣି ନିମ୍ନ କଣ୍ଠରେ କହିଲା : ‘ତାଙ୍କୁ ମାରିଦେବା ପାଇଁ ବାବା ତମକୁ କେତେ ଦେଲେ ?’

 

ଇବ୍ରାହିମ୍ ପିଠିରେ ଯେମିତି କିଏ ଚାବୁକ୍ ଲଗେଇଦେଲା । ହାତ ଧୀରେ ଧୀରେ କୋହଳ ହୋଇଆସିଲା । ଇବ୍ରାହିମ୍ କିଛି କହିପାରୁନାହିଁ । ତା’ର ଖାଲି ଭାନୁଦତ୍ତର ମୁହଁ ଆଉ ଭାନୁଦତ୍ତର ଶେଷକଥା ମନେପଡ଼ିଯାଉଚି । ଇବ୍ରାହିମ୍‌କୁ ନିଜର ଦୁଇ ବାହୁରେ ଚାପି ଧରି ତାକୁ ନିଜ ଛାତିର ସ୍ପର୍ଶ ଦେଉଥିଲେବି ଇବ୍ରାହିମ୍‌ର ରକ୍ତକଣିକାରେ ଆଉ ସ୍ପନ୍ଦନ ସୃଷ୍ଟି ହେଉନାହିଁ । ଇବ୍ରାହିମ୍‌କୁ ଅଧିକ ସନ୍ତୁଷ୍ଟ କରିବାପାଇଁ ବେଲା ଇବ୍ରାହିମ୍‌ର ହାତକୁ ଅଣ୍ଡାଳି ଅଣ୍ଡାଳି ଆଣି ନିଜ ଛାତିରେ ଲଗାଇଲା । ତା’ପରେ ଉତ୍ସାହିତ ହୋଇ କହିଲା : ‘ଜାଣିଚ ନା, ସେଇ ଭାନୁଦତ୍ତ ମୋର ସ୍ଵାମୀ ଥିଲା ଦିନେ ?’

 

ସେଇ ମୁହୂର୍ତ୍ତରେ ଇବ୍ରାହିମ୍‌କୁ ଜଣାଗଲା ଯେମିତି ସିଏ ତା' ଜୀବନରେ ପ୍ରଥମେ ଛେଳି କାଟିବା ଦିନ ତା’ ପାଟିରେ ରକ୍ତକଣିକା ଛଟିକି ପଡ଼ି ଯାଇଥିଲା, ସେମିତି ତା’ ପାଟିରେ ମେଞ୍ଚେ ରକ୍ତ ପଶିଯାଉଚି । ସେ ଥୁ–ଥୁ କରିପକାଉଚି । ତା’ ହାତ ବେଲାର ବେକ ଚାରିପଟେ ପୁଣି ଗୁଡ଼େଇ ହୋଇଯାଉଛି । କଠୋର ହାତ । ଭାନୁଦତ୍ତର ମୁହଁ । ଘର ଭିତରେ ବହଳ ଅନ୍ଧାର । ବେଲା ପୁଣି ଗୁଡ଼େଇ ଆଣୁଚି ଇବ୍ରାହିମ୍‌ର ବେକ ଚାରିପଟେ ହାତ । କିନ୍ତୁ ଇବ୍ରାହିମ୍‌ର ଉତ୍ତେଜନା ନାହିଁ । କୋଠର ହାତ ! ଭାନୁଦତ୍ତର ଶେଷକଥା ! ଆବାଜାନ୍ କାଟୁଚି ଛେଳି ! ସେ ନିଜେ ଭାନୁଦତ୍ତକୁ ବେକ ପାଖରୁ ଭିଡ଼ି ଧରି ତା’ ଗଳାରେ ଚଳେଇ ଦେଉଚି ନିଜର ସେଇ ଅଭ୍ୟସ୍ତ ହାତର ଆଠଇଞ୍ଚ୍ ଲମ୍ବର ଛୁରି ! ଘରର ଚାରିକାନ୍ଥ ଭିତରୁ କେହି ଚିତ୍କାର କରୁଚି : ‘ଦୋସ୍ତ, ତୁମନେ ୟେ କ୍ୟା କିୟା-?' ବେଣୀମାଧବ କହୁଚି : ‘ଲୋକଟା ବିଶ୍ୱାସଘାତକ ନୁହେଁ ।’ ଇବ୍ରାହିମ୍‌ର ହାତ ବେଲାର ତଣ୍ଟି ଚାରିପଟେ ଆହୁରି କଠୋର ହୋଇ ଆସିଲା । ଆହୁରି କଠୋର ! ଆହୁରି କଠୋର-। ବେଲାର ତଣ୍ଟିକୁ ଚିପି ଧରିଚି ଇବ୍ରାହିମ୍ । ବେଲାର ଶରୀର ଦୁମ୍‌ଦାମ୍ ବାଡ଼େଇ ହେଉନାହିଁ । କିନ୍ତୁ କେମିତି ଏକ ଅବ୍ୟକ୍ତ ଯନ୍ତ୍ରଣାରେ ମୋଡ଼ିମାଡ଼ି ହେଇଯାଉଚି ବେଲାର ଦେହ ! ଆହୁରି କଠୋର ! ବେଲାର ଶରୀର ପୁଣି ସିଧା ହୋଇଯାଉଚି ! ଆହୁରି କଠୋର ! ହେଲେ ବେଲାର ଶରୀରରେ ଆଉ ପ୍ରତିକ୍ରିୟା ନାହିଁ !!

 

(ଶେଷ)

 

ଇବ୍ରାହିମ୍ ଲାଇଟ୍ ଜଳେଇଲା । ଖଟ ଉପରେ ବେଲାର ନଗ୍ନ ଶରୀର ପଡ଼ଚି । ସିଏ ବେଲାର ଶରୀର ନିକଟକୁ ଗଲା । ବେଲାର ନିର୍ଜୀବ ଓଦାଳିଆ ଶରୀରକୁ ଲକ୍ଷ୍ୟ କଲା । ଖଟ ଉପରୁ ବେଡ଼୍‍ସିଟ୍ ଆଣି ବେଲାର ଶରୀର ଉପରେ ଆବୃତ୍ତ କରିଦେଲା । ନିଜର ଶରୀରକୁ ଚାହିଁଲା-। ପ୍ୟାଣ୍ଟ–ଜାମା ପିନ୍ଧି ପକାଇଲା । ଘରର ଗୋଟେ କଣରେ ପଡ଼ିଥିବା ଟେବୁଲ୍ ଉପରେ ଥିବା ଘଣ୍ଟାକୁ ଦେଖିଲା : ରାତି ପାଞ୍ଚ ! ସକାଳ ହୋଇଯିବ ଆଉ ଦଶ ପନ୍ଦର ମିନିଟ୍‌ରେ । ତା’ ପୂର୍ବରୁ ତାକୁ ବେଣୀମାଧବର ଇଲାକା ପାର ହେବାକୁ ପଡ଼ିବ । ବେଣୀମାଧବ ସହ ସେ ଟକ୍‌କର ଦେଇପାରିବ ନାହିଁ ।

 

ଇବ୍ରାହିମ୍ ଧୀରେ, ଅତି ଧୀରେ କବାଟ ଖୋଲିଲା । କବାଟ ଆଉଜାଇ ଆଣି ବାହାରକୁ ଆସିଲା । ଫର୍ଚା ହୋଇଆସୁଚି । ଇବ୍ରାହିମ୍ ଦ୍ରୁତଗତିରେ ଆଗେଇଲା ।

 

ରେଳଷ୍ଟେସନ୍‌ରେ ପହଞ୍ଚି ବୁଝିଲା ଦଶମିନିଟ୍ ଭିତରେ ଟ୍ରେନ୍ ଆସିବ । ଟ୍ରେନ୍‌ ଯୁଆଡ଼େ ଯିବ ସିଏ ସିଆଡ଼େ ଯିବ ବୋଲି ଠିକ୍ କରିନେଲା । କାରଣ ସାମାନ୍ୟ ବିଳମ୍ବ ହେଲେ ବେଣୀମାଧବ ତା’ର ପତ୍ତା ନେବ । ସେ ବେଣୀମାଧବ ସହ ବିଶ୍ୱାସଘାତକତା କରିବାକୁ ଚାହେଁ–ଧୋକା ଦେବାକୁ ଚାହେଁ ।

 

ଟ୍ରେନ୍ ଆସୁଚି । ଇବ୍ରାହିମ୍ ସିଗାରେଟ ଲଗଉଚି । ତାକୁ କ୍ଳାନ୍ତି ଆସୁଚି । ଭବିଷ୍ୟତରେ କିଭଳିଭାବେ ଜୀବନ ବିତେଇବ, ତାକୁ ଜଣା ନାହିଁ । ସିଏ କାନ୍ଦକାନ୍ଦ ହେଉଚି । ବେଲାକୁ ତଣ୍ଟିଚିପି ମାରିଥିବାରୁ ତାକୁ ଆହୁରି ଦୁଃଖ ଲାଗୁଚି ବର୍ତ୍ତମାନ । ଅଥଚ ବେଲାକୁ ମାରିବାବେଳେ ତା’ ଭିତରେ ଗୋଟେ ଅଦ୍ଭୁତ ପାଗଳାମି ପୂରି ରହିଥିଲା । ତା’ର ପୁଣି ମନେପଡ଼ିଲା ଭାନୁଦତ୍ତର ମୁହଁ ଓ ଶେଷକଥା ! ଇସ୍–ଭାନୁଦତ୍ତଟା ବେଲାର ସ୍ୱାମୀ ଥିଲା; ଅଥଚ ତା’ ସହ ଶୋଇରହି ବେଲାଟା ଭାନୁଦତ୍ତର ମୃତ୍ୟୁରେ କି ଆନନ୍ଦିତ ହେଉ ନଥିଲା । ବେଲାକୁ ମାରିବାର କିଛି କାରଣ ନାହିଁ । କିନ୍ତୁ ଭାନୁଦତ୍ତର ଶେଷକଥା ମନେ ପଡ଼ିଲେ ଇବ୍ରାହିମ୍ ଦେହ କ’ଣ ହେଉଚି ? ଟ୍ରେନ୍ ଆସୁଚି । ଇବ୍ରାହିମ୍ କ୍ଳାନ୍ତ ।

 

ଟ୍ରେନ୍ ଆସୁଚି ! ଇବ୍ରାହିମ୍ କ୍ଳାନ୍ତଭାବେ ଅପେକ୍ଷା କରିଛି । ସକାଳିଆ ତାରାକୁ ଇବ୍ରାହିମ୍ ଚାହିଁଛି ! ସେଇଯାଏ ପରିବ୍ୟାପ୍ତ ଅକଳନ ସମୟର ରାସ୍ତାଠୁ ବଡ଼ ରାସ୍ତାରେ ସେ ଏକାକୀ ଠିଆ ହୋଇଛି କ୍ଳାନ୍ତଭାବେ, ଅପେକ୍ଷାକରି ଜୀବନର ଲକ୍ଷ୍ୟକୁ ! ଇବ୍ରାହିମ୍‌ର ଆଖିପତା ବନ୍ଦ ଥିବା ଅବସ୍ଥାରେ ମଧ୍ୟ ସେ ଦେଖିପାରୁଚି କ୍ଷୀଣଭାବେ ତାରାକୁ ! ତା’ର ଗୋଡ଼ ଥରୁଚି ! ଖସିପଡ଼ିବ ସମୟର ରାସ୍ତାରୁ ! ଇବ୍ରାହିମ୍ ଅପେକ୍ଷା କରୁଚି ! ଯାତ୍ରୀମାନେ ତରତର ହେଲେଣି । ଆସୁଚି–ଟ୍ରେନ୍ ଆସୁଚି !

✽✽✽

 

Unknown

ବୁନ୍ଦାଏ ଅଶ୍ରୁରେ ଉବୁଟୁବୁ ପୃଥ୍ୱୀ

 

(ସୁପ୍ରସିଦ୍ଧ ମରାଠୀ କଥାକାର ଏଚ୍.ଏମ୍.ମରାଠେଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପର ଅନୁସୃଜନରେ ଏହି କାହାଣୀଟି ପ୍ରସ୍ତୁତ । ମୂଳ ମରାଠୀ ଗଳ୍ପଟି ପ୍ରଥମେ ପ୍ରକାଶିତ ହେବାପରେ ମରାଠୀ ସାହିତ୍ୟ ଜଗତରେ ଏହା ବହୁ ଆଲୋଚନା–ସମାଲୋଚନାର ଝଡ଼ ସୃଷ୍ଟି କରିଥିଲା । ଗଳ୍ପଟିର କାହାଣୀ ଓ ନଗ୍ନ ବାସ୍ତବତାର ରୂପାୟନର ଅପୂର୍ବ ବର୍ଣ୍ଣନା ବିଭିନ୍ନ ସାହିତ୍ୟିକ ଓ ପାଠକଗୋଷ୍ଠୀ ଭିତରେ ଚହଳ ପକାଇ ଦେଇଥିଲା । ସାହିତ୍ୟିକ ତଥା ସମାଲୋଚକମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିତର୍କ ଚାଲିଥିଲା । ଏପରିକି, ଉକ୍ତ ଗଳ୍ପର ଇଂରାଜୀ ଅନୁବାଦ (The Dark waters) ଅନୁରୂପ ଚହଳ ପକାଇ ଦେଇଥିଲା । ଅନେକ ପାଠକ ଗଳ୍ପଟିର କଥାବସ୍ତୁ ଓ ବର୍ଣ୍ଣନାରେ ଆଘାତ ପାଇଥିଲେ ବୋଲି ଅଭିଯୋଗ କରିଥିଲେ । କଳଙ୍କି ଲଗା ମୂଲ୍ୟବୋଧ ଉପରେ ଗଳ୍ପଟି ପ୍ରଚଣ୍ଡ ଆଘାତ କରିଥିଲା । ତେବେବି ଭାରତର ଶୋଷିତ ସମାଜର ସଂଘର୍ଷମୟ କରୁଣ ଜୀବନର କାହାଣୀକୁ ଖୋଲାଖୋଲିଭାବେ ବର୍ଣ୍ଣନା କରିବାରେ ଗଳ୍ପଟି ସଫଳ ହୋଇଛି ବୋଲି ସମସ୍ତେ ସ୍ୱୀକାର କରିଥାନ୍ତି ।

 

ବର୍ତ୍ତମାନର ଏଇ କାହାଣୀଟି କିନ୍ତୁ ମୂଳଗଳ୍ପର ଅନୁବାଦ ନୁହେଁ । ପାଠକ ଏହାକୁ ଅନୁକରଣ ବା ଅନୁସୃଜନ କହିପାରନ୍ତି । କେବଳ କାହାଣୀର ମଞ୍ଜ–ସାରାଂଶଟିକୁ ଗ୍ରହଣ କରାଯାଇଛି । ଉପସ୍ଥାପନା ଶୈଳୀବି ଭିନ୍ନ । କଥାବସ୍ତୁର କ୍ରମ–ବିକାଶରେ ମଧ୍ୟ ମୂଳ କାହାଣୀ ସହ ସାମଞ୍ଜସ୍ୟ ରଖାଯାଇନାହିଁ । ଚରିତ୍ରମାନଙ୍କର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି ।

 

୧୯୮୫ ନଭେମ୍ବରରେ ଏହି ଗଳ୍ପଟି ପ୍ରସ୍ତୁତ କରିଥିଲି । ସେତେବେଳର ସାହିତ୍ୟିକ ସାମାଜିକ ପାଣିପାଗ ଭିନ୍ନ ଥିଲା । ଏ ଗପ କୁଆଡ଼େ ପଠାଇବା ପାଇଁ ମୋର ସାହସ ନଥିଲା । ସେମିତି ଡାଏରିରେ ଥିଲା (ଓ ଅଛିବି) ଆଜି ଯାଏଁ । ଆଜି ମୋ ସହ ସଂପାଦକମାନେ ମଧ୍ୟ ବେଶ୍ ସାହସୀ ହୋଇଛନ୍ତି । ତେବେ ଏସବୁ ବୌଦ୍ଧିକ ବ୍ୟାପାର । ଉତ୍କଟ ସତ୍ୟ ଏହି ଯେ ଏହି ମହାନ୍ ଦେଶର କୌଣସି ନା କୌଣସି କୋଣରେ ଏପରି କିଛି ଘଟୁଚି, ଯାହାକୁ କେବଳ ହୃଦୟବିଦାରକ ବୋଲି କୁହାଯିବ । ସେ ତୁଳନାରେ ଏ ଗପଟି ଯେ ପାଠକମାନଙ୍କୁ ବିଚଳିତ କରିବ, ସେ ଭରସା ମୋର ନାହିଁ । ତେବେବି ୨୯ ବର୍ଷ ପରେ ଏ ଗପ ଆଜି ପ୍ରକାଶପାଇଁ ଦେବାବେଳେ ମତେ ସୁଖ ଲାଗୁଚି, ଦୁଃଖବି !

 

ଏଣିକି ଏହା ପାଠକଙ୍କ ହାତରେ ।

 

–ଲେଖକ

 

(ଏକ)

 

ସ୍କୁଲ୍‍ରେ ପହଞ୍ଚିବା ପରେ ମଧ୍ୟ ମାଳତୀର ମନରେ କଥାଟା ଆଉଟୁପାଉଟୁ ହେଉଥାଏ-। ଆରମ୍ଭରୁ ଶେଷଯାଏଁ କଥାଟା ତା’ ମନରେ ଭାସୁଥାଏ । କଥାଟାର ଭଉଁରିଜଳ ଭିତରୁ ବାରମ୍ବାର ଶୁଭୁଥାଏ ତା’ ମା’ର ଦରହସା ଚୁପ୍‌ଚୁପ୍ କଥା ଓ ସେଇ କଳା ଭୁଷୁଣ୍ଡା ବାହ୍ମୁଣର ଚିପାଚିପା ହସ-! ସେଇଥିପାଇଁ ତ ସେଦିନ ମାଳତୀ ଅନ୍ୟ ଦିନ ପରି ଖେଳ ଛୁଟିରେ ସାଙ୍ଗ ଝିଅମାନଙ୍କ ସହ ବାହାରକୁ ଗଲା ନାହିଁ ଏବଂ ଆରମ୍ଭରୁ ଶେଷଯାଏଁ କଥାଟାକୁ ଭାବିହେଲା ।

 

କେଡ଼େ ଅଶିକ୍ଷିତ ସେ କଳାଭୁଷୁଣ୍ଡା ବାହ୍ମୁଣଟା ମ ! ଦିନବେଳେ ତା’ ବାରଣ୍ଡାକୁ ଉଠିଗଲେ ରଡ଼ି ଛାଡ଼ିବ; ‘ହେଏଇ, ପିଣ୍ଡାକୁ କ’ଣ ଉଠି ଆଉଚୁ ? ସେଇଠୁ ରହ, ପିଣ୍ଡାଟା ମୋର ଧୋଇବ କିଏ କିଲୋ ? ତୋ’ ମା’ କ’ଣ ଆସିବ ଧୋଇବାକୁ ନା କ’ଣ ? ମୋ ମାଇପ ତ ମଲାଣି କେବେଠାରୁ, ଧୋଇବ କିଏ ?’

 

ସେଇ କଳାଭୁଷୁଣ୍ଡାଟା ପଶିଆସେ ରାତିରେ ତାଙ୍କ ଘର ଭିତରକୁ । କାହିଁ–ତା’ ପଇତା ତ ମାରା ହେଇଯାଏନା ! ବାରଣ୍ଡାକୁ ଛୁଇଁଦେଲେ ଯିଏ ଏତେବଡ଼ ରଡ଼ି କରେ, ସେଇ ଲୋକଟା କିମିତି ତା’ ମା’କୁ ରାତିରେ ବସେଇଥିଲା କୋଳରେ ? ଏକଥା ମାଳତୀ ବୁଝିପାରେ ନାହିଁ ।

 

ମାଳତୀ ବସି ପଢ଼ୁଥାଏ । କବାଟ ଖଡ଼ଖଡ଼ ହେଲା କାଲି ରାତିରେ । ସେଇ ଭୁଷୁଣ୍ଡାଟା ପଶିଆସିଲା ଘର ଭିତରକୁ । ଦୁଆରମୁହଁରେ ମାଳତୀକୁ ଦେଖି କହିଲା, ‘କିଲୋ ! ଶୋଇନୁ ଏଯାଏଁ ?’ ପଚାରିଦେଇ ମାଳତୀର ଉତ୍ତରକୁ ଅପେକ୍ଷା ନକରି ପଶିଗଲା ଘର ଭିତରକୁ । ମାଳତୀ ଏପଟ ଘରେ ବସି ପଢ଼ିବାର ବାହାନା କରିବା ଭିତରେ ସେପଟ ଘରର କଥାକୁ କାନ ଡେରିଥାଏ ।

 

‘କିଲୋ, ମାଳତୀକୁ ଶୁଏଇ ପକେଇନୁ ଏଯାଏଁ ?' ସେ ପଚାରିଲା ତା' ମା’କୁ ।

 

‘ଶୁଏଇ ପକେଇବି କ’ଣ ମ ! ସେ କ’ଣ ପିଲା ହେଇଚି ? ପଢ଼ୁଚି ତ ସେ ଘରେ, ତମର ତା’ଠି କି କାମ ?’ ମା’ ଉତ୍ତର ଦେଲା ।

 

ତା’ପରେ କିଛି ସମୟ ଆଉ କିଛି ଶୁଭିଲା ନାହିଁ । ଖାଲି ଯାହା ତା’ ମା’ର ହସ ଓ ସେଇ ଭୁଷୁଣ୍ଡାଟାର ଧଇଁସଇଁ ହେବା ପରି ଗୁଣୁଗୁଣୁ କଥାବାର୍ତ୍ତା !

 

ମାଳତୀ ବସିଥାଏ ଆର ଘରେ । ବହିରେ ତା’ ମନ ନଥାଏ । ଚାରିଟାବେଳେ ସ୍କୁଲ୍‍ରୁ ଫେରିବା ପରେ ଗଣ୍ଡାଏ ଚାଉଳଭଜା ଦେଇଥିଲା ମା’ ତାକୁ, ଭୋକରେ ପେଟ ଟକମକ ହେଲାଣି ସେତେବେଳକୁ, ୟେ ଭୁଷୁଣ୍ଡା କୋଉଠି ଥିଲା କେଜାଣି, ସେତିକିବେଳକୁ ଆସି ଟୁପ୍‌ଟାପ୍ ହବାକୁ ଲାଗିଲା ମା’ ସାଙ୍ଗରେ ! ରାତିରେ ଗଣ୍ଡେ ଖାଇବାକୁ ମିଳିବ କି ନାହିଁ, ସେଇଟା ଥିଲା ତା’ର ଚିନ୍ତା !

 

କ’ଣ ଭାବିଲା କେଜାଣି, ବହି ବନ୍ଦ କରି ଉଠି ଠିଆହେଲା ମାଳତୀ । ତାକୁ ଡର ଲାଗୁଥାଏ ଆର ଘରକୁ ଯିବାକୁ । ସତେ ଅବା ସେଇ କଳାଭୁଷୁଣ୍ଡାଟା ତା’ ବେକ ଚିପି ଦବ । ଠିଆ ହୋଇ, ଫ୍ରକ୍‌ର ଚିରା ଅଂଶକୁ ହାତ ପାପୁଲିରେ ଘୋଡ଼ାଇ, ମାଳତୀ ପାଦ ଚିପିଚିପି ଆର ଘର ନିକଟକୁ ଗଲା ।

 

କବାଟ ଆଉଜା ହୋଇଥିଲା, ଭିତରୁ ଶୁଭୁଥାଏ ହସ । ତା’ ମା’ ତ ଏମିତି ହସେନା କେବେ ! ହେଲେ ସେ ଭୁଷୁଣ୍ଡାଟା କି କଥା କହୁଥାଏ କେଜାଣି, ମା’ ତ ଖାଲି ହସୁଥାଏ ।

 

ଦରଆଉଜା କବାଟକୁ ଟିକେ ଠେଲିଲା ମାଳତୀ, ସାମାନ୍ୟ ଫାଙ୍କ ହେଇଗଲା । ସେ ଦି’ଜଣ ଜାଣିପାରିଲେ ନାହିଁ ଯେ ମାଳତୀ ସେମାନଙ୍କୁ ଝାପ୍‌ସାଭାବେ ଦେଖୁଥିଲା ବୋଲି । ହେଲେ କବାଟ ଫାଙ୍କରେ ମାଳତୀ ଯାହା ଦେଖିଲା, ତା’ର ତାଳୁରୁ ତଳିପାଯାଏଁ କେମିତି କେମିତି ହେଇଗଲା ।

 

ଓ ସେଇ ମୁହୂର୍ତ୍ତରେ ମରିଗଲା ତା’ର ସବୁ ଭୋକଶୋଷ ।

 

ମା’ର ଜଙ୍ଘ ଉପରଯାଏଁ ଶାଢ଼ି ନଥାଏ, କାଳିଆ ଭୁଷୁଣ୍ଡାର କୋଳରେ ବସିଥାଏ ମା’ । ଆଉ ସେ ଭୁଷୁଣ୍ଡା ମା’ର ଶାଢ଼ି ତଳେ ହାତ ପୂରାଇ ଛାତିକୁ ସଲସଲ କରୁଥାଏ କି କ'ଣ !

 

ସେତିକିବେଳଠୁ ମାଳତୀ ଡରରେ ଫେରିଆସିଥିଲା ଏପଟ ବଖରାକୁ । ଆଉ ରାତିରେ ଯାଇନି ସେଆଡ଼େ । ଭୋକରେ ଭୋକରେ ଶୋଇପଡ଼ିଥିଲା । ନିଦ ଭାଙ୍ଗିବାବେଳକୁ ସକାଳ । ସକାଳୁ ଉଠି ଘରଦୁଆର ପହଁରି, ବାସନ ମାଜି ସାରିବାବେଳକୁ ମା’ ଉଠିଥିଲା । ହେଲେ ଭୁଷୁଣ୍ଡାଟା ଆଉ ନଥିଲା ତାଙ୍କ ଘରେ, ସକାଳ ହବାର ଢେର୍ ଆଗରୁ ବୋଧେ ଉଠି ଚାଲି ଯାଇଥିଲା । ସେଇଦିନ ସକାଳୁ ମାଳତୀ ବୁଝିପାରିଥିଲା ଯେ ତା’ ମା’ କାହିଁକି ତାକୁ ରାତିରେ ଆଉ ପାଖରେ ଶୁଏଇ ଦଉନି ବୋଲି !

 

ଦଶଟାବେଳକୁ ଗଣ୍ଡେ ଚୁଡ଼ା ଖାଇ ମାଳତୀ ଆସିଥିଲା ସ୍କୁଲ୍‍କୁ । ସେ ଯାଏଁ କଥାଟା ତା’ ମୁଣ୍ଡରୁ ଯାଇ ନଥିଲା । ତଥାପି ତା’ ଆଖି ଆଗରେ ନାଚିଯାଉଥିଲା କାଲି ରାତିର ଦୃଶ୍ୟ, ବାରମ୍ବାର-। ତାହାହେଲେ ଦିଦିନ ତଳେ ସେ ଯୋଉ ପଧାନଟୋକା ଆସିଥିଲା ରାତିରେ ସେ ବି କ’ଣ ମା’କୁ ଏଇ ଭୁଷୁଣ୍ଡା ବାହ୍ମୁଣ ପରି କୋଳରେ ବସେଇ ସଲସଲ କରୁଥିଲା ?

 

ଖେଳଛୁଟି ଘଣ୍ଟା ବାଜିଲା, ପିଲାସବୁ ଫେରିଲେ ଶ୍ରେଣୀଗୃହକୁ । ମାଳତୀରବି ଭୁଲି ହେଇଗଲା ଗଲା କାଲି ରାତିର କଥା !

 

(ଦୁଇ)

 

ମାଳତୀ ହେରିକାଙ୍କ ଘର ଗାଁର ଶେଷ ମୁଣ୍ଡରେ । ଧାଡ଼ିଧାଡ଼ି ଛପର ଘର ଭିତରୁ ଗୋଟାଏ ମାଳତୀର ଘର । ତିନି ବଖରା ଘର ଭିତରୁ ଗୋଟିଏ ବଖରା ବାତ୍ୟାରେ ପୂରା ଭାଙ୍ଗି ଯାଇଥାଏ । ଘରର ସେଇ ଅଂଶଟା ଦିଶେ ଗୋଟେ ନିହାତି ବୁଢ଼ାର ପଶି ଯାଇଥିବା ଗାଲ ପରି ।

 

ସେଇ ଘରେ ଦି’ଜଣ ମଣିଷ । ମାଳତୀ ଓ ତା’ ମା' ! ବଡ଼ଭଉଣୀ ସେବତୀର ବାହାଘର ହୋଇଯାଇଥିଲା ବୋଲି ସେ ଶୁଣିଥିଲା ମା’ଠାରୁ । ସେବତୀ ନାମକ ସେଇ ବଡ଼ଭଉଣୀକୁ ସେ କେବେ ଦେଖି ନାହିଁ । ହେଲେ ଗାଁର କେତେକଙ୍କଠାରୁ ଏବେ ଏବେ ମାଳତୀ ଶୁଣିଲା ଯେ ସେବତୀକୁ ତା’ ମା’ ଜଣେ ରିକ୍ସାବାଲାକୁ କେଇଟା ଟଙ୍କାରେ ବିକି ଦେଇଥିଲା–ତିନିଶହ କି ପାଞ୍ଚଶହ କେଜାଣି !

 

ବାପା ମରିଯାଇଥିଲା ଯେତେବେଳେ ମାଳତୀର ଷଷ୍ଠ ଶ୍ରେଣୀ । ବାପାର ମୁହଁଟା ମନେଅଛି ତା’ର–ବଡ଼ କଳା ମୁହଁଟା, ଠାଏଠାଏ ବସନ୍ତ ଦାଗ, ଢିମାଢ଼ିମା ଆଖି । ବାପ କୁଆଡ଼େ କାମ କରିବାକୁ ଯାଉଥିଲା ନିଇତି, ଫେରୁଥିଲା ସଞ୍ଜରେ, ଦିନେ ଦିନେ ବାଡ଼ଉଥିଲା ମା’କୁ, ଆଉ ଦିନେ ଦିନେ କେତେଖଣ୍ଡ ନୋଟ୍ ଫିଙ୍ଗୁଥିଲା ମା’ ଉପରକୁ ।

 

ପୁଣି କେବେକେବେ...

 

ମାଳତୀକୁ ଗେଲ କରେ, ମା’କୁ ଠେଲିନିଏ ଘର ଭିତରକୁ, ଫୁସ୍‌ଫୁସ୍ କେତେକଅଣ ଗପ କରେ । କେଜାଣି କାହିଁକି ଦିନେ ଅଧରାତିରେ ନିଦ ଭାଙ୍ଗିଯିବା ପରେ ଅନ୍ଧାରରେ ମାଳତୀ ଦେଖିଲା ଯେ ବାପା ଶୋଇଥାଏ ମା’ ଉପରେ । ଡରିଗଲା ସେ, କାଳେ ବାପା ମାରିଦେବ କି ଆଉ ମା’କୁ ! ସେତିକିବେଳେ ଅନ୍ଧାର ଭିତରୁ ମା’ର ସ୍ୱର ଧୀରେ ଶୁଣାଗଲା : ଲୁଗାଟା ଖୋଲି ଦଉନା !' ତା’ ମୁଣ୍ଡ କ’ଣ ହେଇଗଲା, ଭୀଷଣ ଡରିଗଲା ସେ । କାହିଁକି ମା’ ଲୁଗା ଫିଟାଇବାକୁ କହୁଥିଲା, ତା’ର କିଛି କୂଳକିନାରା ପାଉ ନଥିଲା ସେ । ସେଇ ତା’ ବାପ–କି ଯେ ଗୋଟାଏ ରୋଗରେ ପଡ଼ିଲା–ଆଉ ଭଲ ହେଲା ନାହିଁ । ମା' ସବୁ ବାସନ ବିକିଲା, ଜମି ବିକିଲା, ବଡ଼ ଆମ୍ବ ଗଛଟେବି ବିକିଲା; ତଥାପି ବାପ ବଞ୍ଚିଲା ନାହିଁ–ସବୁ ତା’ର ମନେ ଅଛି !

 

ବାପ ମରିଯିବା ପରେ ମା’ ପରଘରର କାମ କରି, ବାସନମାଜି ଯାହାକିଛି ଆଣୁଥିଲା, ସେମାନେ ଚଳିଯାଉଥିଲେ । ମା’ର ଇଚ୍ଛା ଥିଲା ଯେ ମାଳତୀବି ତା' ସହ କିଛି କାମଦାମ କରି ଯାହିତାହି ରୋଜଗାର କରୁ !

 

: ‘ପାଠ ପଢ଼ି କ’ଣ ସ୍ଵର୍ଗକୁ ଯିବୁ ?' ମା’ କହୁଥିଲା ରାଗରେ । ଦିନେ ସେଇ ଏକାକଥା କହିସାରି ମାଳତୀ ଗାଲରେ ଠୋଠୋ ଚାପୁଡ଼ା ବସେଇ ଦେଲା ।

 

କାନ୍ଦିକାନ୍ଦି ମାଳତୀ କହୁଥିଲା, ‘ବାପାର ଇଚ୍ଛା ଥିଲା ମୁଁ ସାଉକାର ଘର ଅପା ପରି ପାଠ ପଢ଼ିବି, କା’ ଘରେ କାମ କରିବିନି ।’

 

: ‘ତେଣିକି ରାଣୀ ବନିବୁ, ନୁହେଁ ? ପଢ଼ୁଥା’ ପାଠ, ସେ ପାଠ ତତେ ଚୁଲିକୁ ନଉ । ପର ଗୁହାଳ ପୋଛି ପଛକେ ମୋ ଦିନ ସରୁ ନଥାଉଲୋ ସବାଖାଈ !'

 

ହେଲେ ମାଳତୀର ପାଠ ବନ୍ଦ ହେଲା ନାହିଁ । ସେ ପଢ଼ିଲା । ତାଙ୍କର ବାଉରି ଘର, ସାର୍ କହୁଥିଲେ ଯେ ସେ ଅନୁସୂଚିତ ଜାତି । ମା’ କହୁଥିଲା ଯେ ସରକାର ଫେର୍ ଗୋଟାଏ ଜାତି ବାହାର କରିଥିଲା । ଆଗରୁ ସରକାର ତାଙ୍କ ଜାତି ହରିଜନ ବୋଲି ମାନିଥିଲା । ଯା’ହେଉ, ସରକାର ପକ୍ଷରୁ ମାଗଣା ବହିଖାତା ମିଳୁଥିଲା, ଦରମାବି ଛାଡ଼, ତା’ରି ଭିତରେ କଷ୍ଟେମଷ୍ଟେ ମାଳତୀ ପଢ଼ୁଥିଲା । କ୍ଲାସ୍ ଡେଇଁଡ଼େଇଁ ଏତେ ବାଟ ଆସିଲାଣି, ତା’ର ଏବେ ଦଶମ ହେଲା । ସେ ଭଲ ପଢ଼ୁ ନଥିଲା, ଏବେ ସିଏ ଜାଣିଲାଣି ଯେ ସତରେ ସେ କେବେ ରାଣୀ ବନିପାରିବ ନାହିଁ ! ଯାହା ତ ପଢ଼େ, ବାରଣା ମନେ ରହେ ନାହିଁ । ତଥାପି ସେ କୋଉ ଶ୍ରେଣୀରେ ଦି’ବର୍ଷ ରହିନାହିଁ, ଥରକରେ ପାସ୍ କରି ଏଯାଏଁ ଆସିଥିଲା । ତଥାପି ତା’ର ପଢ଼ା ଜାରି ଥିଲା, ସଞ୍ଜ ହେଲେ ମଲାଟ ନଥିବା ବହିଥାକଟେ ଧରି, ଡିବିଟିଏ ଜଳେଇ ସେ ବସିପଡ଼ି କ’ଣ ସବୁ ଗୁଣୁଗୁଣୁ ହେଇ ପଢ଼ୁଥିଲା । ଆଜିକୁ ପାଞ୍ଚବର୍ଷ ହେଲା ସେ ସେମିତି ପଢ଼ି ଆସୁଥିଲା; ଦୁଃଖ କଷ୍ଟରେ, ଫେଲ୍ ନ ହୋଇ, ମା’ର ଗାଳି ଶୁଣିଶୁଣି, ମାଡ଼ ଖାଇଖାଇ !

 

ମା’ କେତେ ଦିନ ପରଘରେ ବାସନ ମାଜି ରୋଜଗାର କରିବା ପରେ ବୁଝିଲା ଯେ ସେତିକିରେ ଚଳିବା କାଠିକର ପାଠ । ଏଣିକି ସେ କେବେକେବେ ବିଲବାଡ଼ି କାମବି କଲା । ଜଙ୍ଘ ଉପର ଯାଏଁ ଲୁଗାଟେକି ସିଏ କାମ କରେ । ପୁଣି ବେଳେବେଳେ ଗାଁର ଧନୀ ସାହୁ ଦୋକାନରୁ ବାକିରେ ଅଟା ଓ ମଟର ଆଣି ପୁରି ତରକାରୀ କରି ରାସ୍ତା କଡ଼ର ଗୋଟେ ଗଛ ମୂଳେ ବସି ବିକେ-। ସେ ରାସ୍ତାଟା ଗାଁଠୁ ଦି’ଡାକ ବାଟ–ପିଚୁ ରାସ୍ତାଟା, ରାସ୍ତା କଡ଼ରେ ଛୋଟ ବଜାରଟା-! ସେଇ ବଜାର ମଝିରେ ଗଛମୂଳେ ମା’ ଗୋଟେ ଢାବଲ ପକାଇ ପୁରି ତରକାରୀ ବିକେ । ସନ୍ଧ୍ୟାପରେ ଫେରି ଧନୀ ସାହୁର ବାକିଟା ସୁଝି ଦିଏ, ଯାହା କିଛି ବଳେ, ସେଥିରେ ଘରକୁ କିଣିଆଣେ ଆଳୁ ଅଧ କିଲେ କି ବାଇଗଣ ଅଧ କିଲେ ! ଏବେବି ମା’ ସେମିତି କରି କିଛି ରୋଜଗାର କରେ-। ବଜାରରେ ପୁରି ବିକେ ତ କେବେ ଘର ଘର ବୁଲି ବାସନ ମାଜେ, ପୁଣି କେବେ ବିଲବାଡ଼ି କାମ–ଧାନରୁଆ, ଧାନକଟା ! ଯୋଉଠି ଯେବେ ଦିପଇସା ମିଳିବାର ଥାଏ, ମା’ ଥାଏ ସେଇଠି !

 

ମାଳତୀ କିନ୍ତୁ ସବୁ କାମ ସାରି ପଢ଼ୁଥାଏ ପାଠ । ଏବର୍ଷ ମାଟ୍ରିକ ପରୀକ୍ଷା, ସେଥିପାଇଁ ସକାଳେବି ବସି ପଢ଼େ, ସନ୍ଧ୍ୟାରେବି । ଯୋଉଦିନ ଡିବିରେ ତେଲ ନଥାଏ, ସେଦିନ ମାଳତୀ ଯାଇ ଧନୀ ସାହୁଠାରୁ ବାକିରେ କିରୋସିନୀ ନେଇଆସେ । ପରେ ବଜାରରେ ପୁରି ବିକି ମା’ ପଇସା ଦେଇଦିଏ । ଧନୀ ସାହୁ କେବେ ମାଳତୀ ଉପରେ ଚିଡ଼ଚିଡ଼ ହୁଏତ କେବେ କିଛି କହେ ନାହିଁ ! ହେଲେ ମା’ ସବୁବେଳେ ଦାନ୍ତ କଡ଼ମଡ଼ କରେ !

 

(ତିନି)

 

: ‘ଚୁଡ଼ା କୋଉଠୁ ଆଇଲା ?' ମାଳତୀ ପଚାରିଲା ମା’କୁ । ଅନେକ ଦିନ ହେବ ମାଳତୀ ଚୁଡ଼ା ଖାଇ ନଥିଲା । ତେଣୁ ସକାଳୁ ଚୁଡ଼ାଭଜା ଗଣ୍ଡେ ମିଳିବାରୁ ସେ ଆଶ୍ଚର୍ଯ୍ୟ ହେଲା । ରାତିର ଅଇଁଠା ବାସନ ମାଜୁମାଜୁ ମା’ ଖିଙ୍କାରୀ ଉଠିଲା, ମାଳତୀ ଆଡ଼କୁ ମୁହଁ ନ ଫେରେଇ କହିଲା, ‘ମୋ ଗେରସ୍ତ ଦେଇଯାଇଛିଲୋ !'

 

ଆଉ କିଛି ନ କହି ମାଳତୀ ଉଠିଗଲା ଘର ଭିତରକୁ, ବହି ବାହାର କରି ପଢ଼ି ବସିଲା । ମା’ର ସ୍ୱର ପଦାରୁ ଶୁଭୁଥାଏ ।

 

: ‘ହଁଲୋ ହଁ ! ତୁ ପାଠ ପଢ଼ୁଥା ! ମୁଁ ତ ଗାଁସାରା ବୁଲି ଗେରସ୍ତ ଖୋଜୁଥେବି । ତତେ ଚୁଡ଼ା ଭାଜି ଖୁଆଉଥେବି । ତୁ ରାଣୀ ହବୁଲୋ ରାଣୀ–ପଢ଼ୁଥା !'

 

ମାଳତୀ କାନରେ ସିନା ଟାଏଁ ଟାଏଁ ବାଜୁଥାଏ କଥାଗୁଡ଼ାକ, ହେଲେ ମା’ର ଗାଳି ତାକୁ ଜମା ବାଧୁ ନଥାଏ । ମା’ଟା ତା’ର ସବୁଦିନେ ସେମିତିଆ, ହରଘଡ଼ି କଟର କଟର କରୁଥିବ । ମାଳତୀ କେବଳ ଚାହିଁ ରହିଥାଏ ବହିକୁ, କିନ୍ତୁ ବହି ଭିତରର କୌଣସି ବାକ୍ୟ ପଶୁ ନଥାଏ ତା’ ମୁଣ୍ଡରେ ।

 

ସେ ଭାବୁଥିଲା କ୍ଲାସ୍‌କୁ ନୂଆ ଆସିଥିବା ସେଇ ଟୋକାଟା କଥା । ତା’ ନାଁଟାବି ବଡ଼ ଅବାଗିଆ–ବିଶ୍ୱଜିତ୍ । ଏଇଟା ଗୋଟାଏ କି ନାଁ ବା ? ଗାଁରେ ଏମିତିକା ନାଁ କାହାର ନଥିଲା । ମନେମନେ ଏଇ ନାଁଟାକୁ ମାଳତୀ ଯେତେଥର ଉଚ୍ଚାରଣ କରେ, ସବୁଥର ବିଶୋଜିତ୍ ହେଇଯାଏ-। ନାଁଟା ଜମା ଠିକ୍ ସେ ପାଟିରେ ପଶେନି । ଟୋକାଟା ସବୁବେଳେ ପେଣ୍ଟ୍‍ ଭିତରେ ଜାମାକୁ ପୂରେଇ ସ୍କୁଲ୍ ଆସେ, ବାବୁଟେ ପରି ଦିଶେ । ଆଚାର୍ଯ୍ୟ ଘରକୁ ଆସିଚି, ଏ ବର୍ଷଟା ଏଠି ପଢ଼ିସାରି ଚାଲିଯିବ ! ଆଗରୁ କୁଆଡ଼େ କଟକରେ ପଢ଼ୁଥିଲା । କଟକ ? କଟକଟା ସତରେ କେମିତିଆ-? ଖାଲି ଗାଡ଼ି ମଟର ପଁପାଁ କରି ଚାଲିଥାଆନ୍ତି ସେଠି ? ଯୁଆଡ଼େ ଚାହିଁବ, ଆଖି ପୂରା ଝଲସିଯିବ-। ଗାଁର ନିତିଆ ଭୋଇ ଝିଅ ଯାଇଥିଲା କଟକ, ସେ ଯାହା କହୁଥିଲା ! ହେଲେ ୟେ ଟୋକାଟା କଟକ ଛାଡ଼ି ଏଠିକି ଆଇଥିଲା କିଆଁ ମ ?

 

ଏଥର ପରୀକ୍ଷାରେ ଟୋକାଟା ନିଶ୍ଚେ ଫାଷ୍ଟ ହବ ! ତାଙ୍କ ଗାଁ ପୀତାମ୍ବରକୁ ନିଶ୍ଚେ ଟପେଇ ଦବ । କେଡ଼େ ଠାସ୍‍ରେ ଉତ୍ତର ନ ଦିଏ ସତେ ! ସାର୍ ପ୍ରଶ୍ନଟେ ପଚାରିବାମାତ୍ରେ ହାତ ଟେକେ । ସମସ୍ତେ ତାକୁ ଚାହାନ୍ତି । ମାଳତୀ ଯଦି ଠାସ୍‍ରେ–ଉତ୍ତର ଦେଉଥାନ୍ତା ! ମା’ ଦାଣ୍ଡ ପହଁରୁଥାଏ ତଥାପି ପାଟି ଚାଲିଥାଏ ତା’ର, କେଁ କେଁ କଟର କଟର ।

 

: ‘ସେ ସବାଖିଆଟା ମଲାନେଇଁ ଯେ ମତେ ମାରିଦେଇ ଗଲା । କହୁଥେଲା କ'ଣ ନା ଝୁଅକୁ ରାଣୀ ବନେଇବ, ରାଣୀ ! ରାଣୀ ବନିବ ଝୁଅ, ପଢ଼ୁଚି ପାଠ, ସବାଖାଈଟା ମଲାନେଇଁ ତା’ ସାଙ୍ଗରେ !’

 

ସେଇ ଟୋକାଟା ରାଜାପୁଅ ପରି ଦିଶେ । ସ୍କୁଲ୍‍ରେ କେହି ଜୋତା ମାଡ଼ି ଆସନ୍ତି ନାହିଁ, ଏକା ସେଇ ଆସେ । ପୂରା ରାଜା ପୁଅ ପରି ଦିଶେ । କେଜାଣି ! ରାଜାପୁଅଗୁଡ଼ା ଜୋତା ମାଡ଼ନ୍ତି, ନୁହେଁ ?

 

ମାଳତୀ ଆଡ଼କୁ ସିଏ ଜମା ଚାହେଁ ନାହିଁ । ଏମିତିରେ ତ ସେ କାହାରି ଆଡ଼କୁ ଚାହେଁ ନାହିଁ । ତାକୁ ଯିଏ ବା’ହବ, ଜାଣ ରାଣୀ ବନିଯିବ । ମାଳତୀକୁ ସେ ବା’ହବ କି ?

 

ଛି ! ମାଳତୀର ତ ଛିଣ୍ଡା ଜାମା । ତା’ ଜାମା କେଡ଼େ ସୁନ୍ଦର । ଧନୀ ସାହୁ ତ ପୁଣି ସେଦିନ କହୁଥେଲା, ‘ତୋ ମା’ଟା ମତେ ଆଉ ରଖେଇ ଦଉନି, ଜଙ୍ଘଯାଏ ଲୁଗା ଟେକି ଦେଇ ମୋ ଦୋକାନରୁ ଅଟା, ଚାଉଳ ନେଇଯାଉଚି । ଆଗରୁ ତ ସତରଟା ଗେରସ୍ତ କରିସାରିଚି, ଅଠର ନମ୍ବର କରିବ ବୋଲି ମତେ ଲୋଭ ଦେଖଉଚି !'

 

ମା’ଟା ସତରେ ଭାରି ନାସେନା ! ଏମିତି ମା’ର ଝିଅକୁ ସେ ଟୋକା କ'ଣ ବା’ହବ ?

 

ମାଳତୀର ନଜର ଅଗଣାରେ ପଡ଼ିବାକ୍ଷଣି ସେ ତରତରରେ ଉଠିପଡ଼ିଲା । ଖରା ଆସି ଦୁଆର ଅଧରେ, ନଅଟା ବାଜିସାରିବଣି ! ବହିପତ୍ର ଥୋଇଦେଇ ଗାଧୋଇ ଗଲା । ସ୍କୁଲ୍ ପୁଣି କେତେ ବାଟ !

 

(ଚାରି)

 

ରବିବାର ଦିନ ଉପରଓଳି ମା’ କହିଲା, ‘ଆଜି ଚାଲ୍ ମୋ ସାଙ୍ଗରେ ବଜାରକୁ ।’

 

: ‘କାହିଁକି ?’ ପଚାରିଲା ମାଳତୀ ।

 

: ‘ଗିଳିବାକୁ ଗୁଣ୍ଡା ଆସିବ କୁଆଡ଼ୁ ? ପାଠ ପଢ଼ିବୁ, ରାଣୀ ବନିବୁ, ନୁହେଁ ? ଚାଲ୍–ତୁ ପୁରି ବେଲିବୁ, ମୁଁ ଛାଣିବି ! ମୁଁ ଆଉ ଏକା ପାରୁନାହିଁ ! ମଲା–ସେମିତି ଅନେଇଚୁ କ’ଣ ମ ?’

 

ମାଳତୀ ବା ଆଉ କ’ଣ କହିଥାନ୍ତା ? ମା’ ସାଙ୍ଗରେ ବାହାରିପଡ଼ିଲା !

 

ବଜାରରେ ପହଞ୍ଚି ପସରା ମେଲେଇ ଦେଲା ମା’ । ମାଳତୀ ପୁରି ବେଲୁବେଲୁ ଦେଖିଲା ଯେ କ୍ଲାସ୍‍ର ସେଇ ଟୋକାଟା ଗୋଟେ ଦୋକାନରେ କ’ଣ ସବୁ କିଣାକିଣି କରୁଥାଏ । ଲୁଚେଇ ଲୁଚେଇ ତାକୁ ଦେଖୁଥାଏ ମାଳ । ପୂରା ତ ରାଜାପୁଅ; ସଫା ଜାମ ପେଣ୍ଟ୍‍, ଜାମା ପୁଣି ପେଣ୍ଟ୍‍ ଭିତରେ, ଏତେ ସୁନ୍ଦର ଜୋତା । ମାଳତୀ ଭାବିଲା ତାକୁ ଡାକିବ, ନିଜ ଦୋକାନର ପୁରି ଖୁଆଇବ । ଛି ! ଲାଜରେ ଶଢ଼ିଗଲା ମାଳତୀ । ରାଜାପୁଅ କ’ଣ ପୁରି ଖାଏ ରାସ୍ତା କଡ଼ରେ ?

 

ଆରେ ଏଇ ତ, ସେଇ ପିଲାଟା ! ଇଆଡ଼କୁ ଆସୁଥିଲା ତ ! ସିଆଡ଼କୁ ନ ଚାହିଁ ତଳକୁ ମୁହଁ ପୋତି ମାଳତୀ ପୁରି ବେଲିବାରେ ଲାଗିଲା । ପିଲାଟା ତାକୁ ଦେଖି ଦେଇଥିଲା କି ? ଭାବିବାବେଳକୁ ଲାଜରେ ଶଢ଼ିଗଲା ମାଳତୀ ! କେତେକ୍ଷଣ ପରେ ଉପରକୁ ମୁଣ୍ଡ ଟେକି ଅନେଇବାମାତ୍ରେ ମାଳତୀର ଭିତରଟା ଝାଇଁଝାଇଁ ହେଇଗଲା । ସେଇ ରାଜାପୁଅ ପରିକା ଟୋକାଟା ଠିଆ ହେଇଥିଲା ସାମ୍ନାରେ !

 

: ‘କେତେଟା ପୁରି ଦେବି ?' ମା’ ପଚାରିଲା ତାକୁ ।

 

: ‘ନା–ମୁଁ ପୁରି ଖାଇବି ନାହିଁ', ସେ କହିଲା, ତା’ପରେ ମାଳତୀକୁ ଲକ୍ଷ୍ୟ କରି ପଚାରିଲା, ‘ଏଇଟା ତୁମ ଦୋକାନ ?'

 

ଲାଜରେ ଜଡ଼ସଡ଼ ହେଇ ମାଳତୀ କହିଲା, ‘ହଁ’ । ତା’ର ଇଚ୍ଛା ହେଉଥିଲା କହିଦିଅନ୍ତା, ଯେ ଯେତେ ପୁରି ଖାଇବା କଥା, ସେ ଖାଇପାରେ, ପଇସା ଦରକାର କ’ଣ ? ସେ କିନ୍ତୁ ଏତକ କହିପାରିଲା ନାହିଁ, ମା’ର ଡରରେ ।

 

ସେତିକିବେଳେ ମା’ ପଚାରିଲା, ‘ତୁ ୟା’ଙ୍କୁ କିମିତି ଚିହ୍ନିଲୁ କିଲୋ ?’

 

ମାଳତୀ ଉତ୍ତର ଦେବା ଆଗରୁ ସେ ପିଲାଟା କହିଲା, ‘ଆମେ ଏକା କ୍ଲାସ୍‍ରେ ପଢ଼ୁ !’

 

ଏତେବେଳେକେ ମାଳତୀର ପାଟିରୁ କିଛି ଶବ୍ଦ ବାହାରିଲା, କହିଲା, ‘ତୁ ୟା’ଙ୍କୁ ଚିହ୍ନିନୁ ମା’ ? ଏ ପରା ଆଚାର୍ଯ୍ୟ ଘରକୁ ଆସିଛନ୍ତି, ଏବର୍ଷ ଏଇଠି ପଢ଼ିବେ !’

 

ମାଳତୀ କଥା ଶୁଣି କମଳୀ କହିଲା, ‘ଓ ଜାଣିଲି । ଆଚାର୍ଯ୍ୟ ଘର ମାଉସୀ ଥରେ କହୁଥେଲେ ତ ! ତେମେ କଟକରେ ଥେଲଟି ?’

 

ପିଲାଟା ହଁ କହିଲା । ସେତେବେଳକୁ କମଳୀର କଥା କହିବା ଢଙ୍ଗରେ ମାଳତୀ ପୂରା ଚିଡ଼ି ଯାଇଥିଲା । ରାଜାପୁଅ ସହ ଏମିତି କଥା ହୁଅନ୍ତି କି ? ମା’ର କଥା କହି ନ ପାରିବାଟାକୁ ଚଳେଇବାକୁ ଯାଇ ମାଳତୀ କହିଲା, ‘ଜାଣିନୁ ମା', ସେ ପରା ଆମ କ୍ଲାସ୍‍ରେ ସବୁଠୁ ଭଲ ପିଲା !'

 

ମା’–କମଳୀ ହସିଲା ମୁଚୁମୁଚୁ ହେଇ, ସେ ହସର ଅର୍ଥ ମାଳତୀ ବୁଝିଲା ନାହିଁ ! ହେଲେ ମାଳତୀକୁ ଆଚମ୍ବିତ କରି ତା' ମା' କହିଲା, ‘ତେମେ ବାବୁ ଯଦି ଏତେ ଭଲ ପାଠ ପଢ଼ୁଚ, କେତେବେଳେ ଟିକେ ଆସି ମାଳକୁ ଆମର ପାଠ ବୁଝେଇ ଦେଲେ ହୁଅନ୍ତା ନେଇଁ ? ତମ ଜେଜେ କ’ଣ ରାଗିବେ ଆମ ଘରକୁ ଆଇଲେ ?’

 

: ‘ଜେଜେ କାହିଁକି ରାଗିବେ ?' ସେ ଧୀରେ କହିଲା, ‘ମୁଁ ତ ପ୍ରାୟ ସମସ୍ତଙ୍କ ଘରକୁ ଯାଏଁ ।’

 

: ‘ତେବେ ତମେ ଆସିବ ଆମ ଘରକୁ ।’ କମଳୀ ଦାନ୍ତ ଦେଖେଇଲା ।

 

ସୁବିଧା ହେଲେ ଆସିବ ବୋଲି କହି ସେ ଚାଲିଗଲା । ମାଳତୀ କଦାପି ସ୍ୱପ୍ନରେବି ଭାବି ନଥିଲା ଯେ ସେ ରାଜାପୁଅ ପରିକା ପିଲାଟା ତାଙ୍କ ଘରକୁ ଆସିବ ବୋଲି । ରାଜପୁଅ ଦିନେ ତାଙ୍କ ଘରକୁ ଆସିବାର କଳ୍ପନାରେ ହଜିଯାଇ ମାଳତୀ ପୁରି ବେଲି ବେଲି ଘରକୁ ଫେରିଲା, ମା’ ସାଙ୍ଗରେ ରାତି ଆଠଟାରେ !

 

(ପଞ୍ଚ)

 

ସେଇ କଳା ଭୁଷୁଣ୍ଡା ବାହ୍ମୁଣଟା, ଯାହାର ବଅସ ପଇଁଚାଳିଶ ପାଖାପାଖି ହବ, ଯାହାର ମାଇପ ମରିଯାଇଥିଲା, ଯିଏ ଏଡ଼େ ପାଟି କରି ମନା କରେ ତା’ ଘରର ପିଣ୍ଡା ଛୁଇଁବାକୁ; ଏବେ ସେ ଆଉ ସଞ୍ଜ ଅନ୍ଧାରରେ ଲୁଚିଛପି କରି ମାଳତୀ ଘରକୁ ଆସୁ ନଥିଲା । ସଞ୍ଜ ବୁଡ଼ୁବୁଡ଼ୁ ତାଙ୍କ ଘର ଦୁଆରମୁହଁରେ ନିଇତି ଆସି ମାଳତୀର ମା’ର ନାଁ ଧରି ରଡ଼ି ଛାଡ଼ୁଥିଲା, ‘ଆଲୋହେ କମଳୀ, ଘରେ ନାହୁଁ କିଲୋ ? କାଲି ପରା ଆମର ଧାନ କାମ ହବ, ତତେ କହିଥିଲି ନା ଆଜିଯାଇ ଧାନଗୁଡ଼ା ବୋହି ଦବାକୁ !’

 

ଏମିତି ଆଡ଼ୁସାଡ଼ୁ କଥାର ବାହାନାରେ, ଲୋକଙ୍କୁ ଶୁଣାଇ ଶୁଣାଇ ବଡ଼ପାଟିରେ ଦିପଦ କହି ଭୁଷୁଣ୍ଡାଟା ନିଇତି ପଶିଆସୁଥିଲା ଘର ଭିତରକୁ ।

 

ଦିନେ ମାଳତୀ ପଢ଼ିବାକୁ ବାହାରୁଥିବାବେଳେହିଁ ଭୁଷୁଣ୍ଡା ବାହ୍ମୁଣ ପହଞ୍ଚିଗଲା । କମଳୀ ସେତେବେଳେ କ’ଣ କରୁଥିଲା କେଜାଣି, ସେଇ ଭୁଷୁଣ୍ଡାଟା ତରବରିଆଭାବେ କହିଲା, ‘ମୋର ଆଜି କାମ ଅଛି, ଜଲଦି ଜଲଦି ସାରିଦେବା ଚାଲ !’

 

: ‘ହେଃ ! ଏଡ଼େ ଅଭିଲା ତମେ ! ମାଳତୀ ଚାହିଁଚି ପରା !' ତା’ ମା’ କାହିଲା ।

 

: ‘ଚାହିଁଥାଉ, ସେ କ’ଣ ଆଉ ଛୋଟ ହେଇ ଅଛି ? ନା ଏସବୁ ଜାଣିନି ?’ ଭୁଷୁଣ୍ଡାଟା କହିଲା । ତା'ପରେ ଆଉ କିଛି ଶୁଣାଗଲା ନାହିଁ !

 

କେତେ ମୁହୂର୍ତ୍ତ ପରେ ମାଳତୀ ଉଠିଲା, ପାଦ ଚିପିଚିପି ଆର ଘରର ଦୁଆରମୁହଁ ପାଖରେ ଆସି ଠିଆ ହେଲା । କବାଟ ଫାଙ୍କରେ ଦେଖିଲା ଯେ ଘରର ଗୋଟେ କଣରେ ଡିବିଟେ ମିଞ୍ଜିମିଞ୍ଜି କରୁଥାଏ, ତା’ ମା’ ବସିଥାଏ ଗୋଟେ ସପ ଉପରେ, ଛାତିରେ ଲୁଗାପଟା ନଥାଏ, ଭୁଷୁଣ୍ଡାଟା ମା’ ଧିଅକୁ ଲାଗି ବସି ମା’ର ଛାତିରେ ହାତ ବୁଲଉଥାଏ !

 

ତାଙ୍କ ସ୍କୁଲ୍‍ର ଯୋଉ ରାଜାପୁଅ, ସିଏ କ’ଣ ମାଳତୀ ଛାତିରେ ଏମିତି ହାତ ବୁଲେଇବ-? ଛେଃ ଛେଃ ! କେଡ଼େ ନାସନା କଥାଟା ଭାବିଲା ମ ସିଏ ! ତା’ର ଯୋଉ ଛିଣ୍ଡା ଫ୍ରକ୍, ଭିତରେ ସାତସିଆଁ ସେମିଜ ! ରାଜାପୁଅ କାହିଁ ତା’ ଧିଅକୁ ଧିଅ ଲଗେଇ ବସନ୍ତା ମ !

 

ଭୁଷୁଣ୍ଡା ବାହ୍ମୁଣ ଏତିକିବେଳେ କହିଲା, ‘ଏବେ ମାଳତୀକୁ ଉଠେଇ ଦଉନୁ । ଝିଅ ଘିଅ, ଆଉ କେତେ ଦିନ ଘରେ ରଖିବୁ ତାକୁ ?'

 

: ‘ତମ ମୁଣ୍ଡ କାଇଁକି ବଥଉଚି ବା ?’ କମଳୀ ସବୁଦିନିଆ ସ୍ଵରରେ ଖିଙ୍କାରୀ ଉଠି କହିଲା, ‘ତାକୁ ତ ଜମା ଚଉଦ ପୂରି ପନ୍ଦର ଚାଲିଲା । ଖାଇବାକୁ ନ ପାଇବି ତ ବଢ଼ୁଚି ଗୋଲ୍‍ଗାଲ୍ ହେଇ ! ସେବତୀ ପରି ନୁହ । ସେବତୀକୁ ତରତରରେ ଦେଇ ଦେଲି ଯେ ଜମା ଦେଢ଼ହଜାର ହେଲା । ମାଳତୀ ଯେମିତି ପଚିଶ ହବ, ପୂରା ପଚିଶ ।'

 

କେମିତି ଗୋଟାଏ ବିକଟାଳିଆ ହସ ହସି ଭୁଷୁଣ୍ଡାଟା କହିଲା, ‘କିଲୋ, ପଚିଶ ହଜାରରେ କ’ଣ ତୁ ସାରା ଜୀବନ ଚଳିବୁ ନା କ’ଣ ? ସେତକ କ’ଣ ସରିବନି ? ମାଳତୀକୁ ଜମା ହାତଛଡ଼ା କରନା, ତାକୁ ସାଙ୍ଗରେ ନେଇ ବଜାରକୁ ପୁରି ବିକିବାକୁ ଯା ! ଭଲ ବିକ୍ରି ହବ । ତାକୁ ଯତ୍ନରେ ରଖ, ଆଉ ଦିନ କେଇଟାରେ ସେ ବାହାରକୁ ବାସିବ । ତୋର ଅଭାବ ରହିବ ନାଇଁ !’

 

କହିସାରି ହସିଲା ଭୁଷୁଣ୍ଡା ବାହ୍ମୁଣ !

 

ମାଳତୀ ଆଉ ଭିତରକୁ ଅନେଇଲା ନାଇଁ । ଭିତରର ଦୃଶ୍ୟ ଦେଖିବାକୁ ଆଉ ତା’ର ଆଗ୍ରହ ନଥିଲା । ସେ ଛୋଟରୁ ବଡ଼ ହେଇଗଲାଣି । ସେ ବାସିବ ଏବେ । ଦରଜା ନିକଟରୁ ଫେରିଆସିଲା ଏପଟ ବଖରାକୁ । ନା–ସେ ତା’ ମା’ ସାଙ୍ଗରେ ବଜାର ଯିବ ନାଇଁ, ଘରେ ବସି ରହିଲେବି ସେ ତା’ ମା’ ପରି ହବନେଇଁ । ସିଏ ଏକା ସେଇ ରାଜାପୁଅ ପରି ଟୋକାକୁ ବା’ହବ, ନହେଲେ ନାଇଁ ଦଉଡ଼ି ଦେଇଦବ ! ହେଲେ ଦଉଡ଼ି ଦେଇଦବ ଯେ; କିନ୍ତୁ ଟୋକାଟା କହିଥିଲା ଆସିବ ବୋଲି, ଆସୁନାହିଁ କାହିଁକି ? କୋଉ ଦିନ ଆସିବ, କିଏ ଜାଣେ ?

 

ଏତିକିବେଳେ ବାହାରୁ ମା’ର କଣ୍ଠସ୍ୱର ଶୁଣାଗଲା, ‘ବୁଝିଲ ନନା, ତମେ ଏମିତି ବାକିରେ କାମ କରୁଚ, ଏଣିକି ଆଉ ବାକି ଚଳିବ ନାଇଁ ।’

 

ଭୁଷୁଣ୍ଡାର ସ୍ଵର ଶୁଣାଗଲା, ‘କିଲୋ, ବାକି କ’ଣ ମ ! ମୁଁ କ’ଣ ଆଉ ଚାରିଜଣଙ୍କ ପରି ହେଇଚି । ଏଇ ଏବେ ପରା ତତେ ଦି’ କିଲୋ ଚାଉଳ, ଚାରି ସେର ଚୁଡ଼ା ଦେଇଥିଲି, ନା ନାହିଁ ?'

 

(ଛଅ)

 

ସେଇ ଟୋକାଟା ଆସିଲା ତିନି/ ଚାରି ଦିନ ପରେ ।

 

ସେଦିନ ସ୍କୁଲ୍‍ରୁ ଫେରି ମାଳତୀ ପଖାଳ ଖାଇ ବସିଥିଲା, ମା’ ଚକିପକାଇ ଚାଉଳ ରଗଡ଼ୁଥାଏ । ତା’ର ଲୁଗା ଟେକି ହେଇଯାଇଥିଲା ଜଙ୍ଘ ଉପରଯାଏଁ, ଦି’ଗୋଡ଼ ଫର୍‍କଟେଇ ବସିଥିଲା ମା’ ।

 

ମାଳତୀ ଭାବିଥିଲା ଟୋକାଟାକୁ ଦେଖି ମା’ ଚଟ୍‍କରି ଉଠିପଡ଼ି ଲୁଗାକୁ ପାଦଯାଏଁ ଖସେଇଦେବ, ହେଲେ ମା’ ସେମିତି ବସିଥାଏ । କହିଲା, ‘ଆଇଲ, ବାବୁ ଭଲ କଲ । ଆଲୋ ମାଳ, ବାବୁ ଆଇଚି, ଯାହା ପାଠ ବୁଝିବାର ଅଛି, ବୁଝ ।’

 

ଲାଜରେ ମାଳତୀ ସେଇ ଟୋକାଟା ସହ କଥା ହେଇପାରୁ ନଥାଏ । ତାଙ୍କର ପକ୍କାଘର, ପୁଣି ବିଜୁଳି ଆଲୁଅ ଅଛି । ଏଠି ତ ଡିବି, ସେଥିରେ କ’ଣ ଅକ୍ଷର ଦିଶିବ ?

 

ଟୋକାଟା କିନ୍ତୁ ଭାରି ଭଲ । ତା’ର ଏସବୁକୁ ନିଘା ନଥିଲା । ମାଳତୀ ସାଙ୍ଗରେ ଘର ଭିତରକୁ ଯାଉ ଯାଉ କହିଲା, ‘ଯୋଉଗୁଡ଼ା ବୁଝି ହେଉନି, ଚିହ୍ନ ଦେଇ ଦେଇଥିବ । ମୁଁ ମଝିରେ ମଝିରେ ଆସି ବୁଝେଇଦେବି !’

 

ମାଳତୀ କିଛି କହିପାରିଲା ନାଇଁ !

 

ମାଳତୀର ବଖରାରେ ପଡ଼ିଥିଲା ଗୋଟେ ଭଙ୍ଗା ଦଦରା ଖଟ, ସେଇ ଖଟରେ ମା’ର ତିନିଚାରିଟା ଲୁଗାକୁ ପକେଇ ଶୁଏ ମାଳତୀ, ସେଇ ଖଟରେ ବସିଲା ମାଳତୀ, ମଝିରେ ଦି'ଚାରିଖଣ୍ଡ ବହି, ସେପଟକୁ ବସିଲା ଟୋକାଟା !

 

ଟୋକାଟା କେତେ କଥା ଗପୁଥାଏ । ଇଂରାଜୀଟା କଷ୍ଟ ନୁହେଁ, ଟିକେ ମନ ଦେଲେ ହେଇଯିବ । ଆଉ ଅଙ୍କ ? ଅଙ୍କ ତ ସବୁଠୁ ସହଜ, କେତେଟା ସୂତ୍ର ମନେ ରଖିଦେଲେ ହେଲା । ଇତିହାସ ତ ଗପ । ମନଦେଇ ପଢ଼ିଲେ ସବୁ ସହଜ, କିଛି କଷ୍ଟ ନୁହେଁ । ସେ ବି ମନ ଦେଇ ପଢ଼ିଲେ ସବୁ ପ୍ରଶ୍ନର ଉତ୍ତର ଦେଇପାରନ୍ତା !

 

ମାଳତୀ କିନ୍ତୁ ଜମା ଶୁଣୁ ନଥିଲା ତା’ କଥା । ଖାଲି ଚାହିଁଥାଏ ତା’ ମୁହଁକୁ ! ତା’ ଓଠ ପାଖଟା କି ସୁନ୍ଦର ! ଜାମାପେଣ୍ଟ୍‍ କି ସଫା ! ଟୋକାଟାବି କି ଗୋରା ! ମାଳତୀ ବଲବଲ କରି ଅନେଇଥାଏ ତାକୁ !

 

ଗୁଡ଼ାଏ କଥା କହିସାରିବା ପରେ ଟୋକାଟା ଲାଜରେ ଅନୁଭବ କଲା ଯେ ଜଣେ ଝିଅ ଆଗରେ ଏକାଥରକେ ଏତେ କଥା ଗପିସାରିଛି ବୋଲି । ମାଳତୀ ତାକୁ ଏକଲୟରେ ଚାହିଁଥିବା ଦେଖି କହିଲା, ‘ଶୁଣୁଚ ନା ନାଇଁ ? ଖାଲି ବୋକୀଙ୍କ ପରି ଚାହିଁଚ ?'

 

ମାଳତୀ ଏଡ଼େ ଟିକେ ହୋଇଗଲା । ସେ ବୋକୀ ? ସତରେ ସେ ବୋକୀ, ନହେଲେ ତାକୁ ଏମିତି ଗିଳିଗଲା ଭଳିଆ ଚାହିଁଥାନ୍ତା କାହିଁକି ? ଗଲା–ସବୁ ନଷ୍ଟ ହେଇଗଲା ! ଆଉ ରାଜାପୁଅର ପାଖ କ’ଣ ମାଡ଼ିବ ସେ ? ବୋକୀମାନେ କ’ଣ ରାଜାପୁଅର ପାଖ ମାଡ଼ନ୍ତି ?

 

ଏତିକିବେଳେ ତା’ ମା’ ଆସିଲା ସେ ଘର ଭିତରକୁ । ଟୋକାଟା ଘୁଞ୍ଚିଯାଇ ‘ବସନ୍ତୁ’ ବୋଲି କହିଲା । କମଳୀ କିନ୍ତୁ ବସିଲା ନାହିଁ । ଖଟ କଡ଼ରେ ନଇଁପଡ଼ି ଖଟତଳୁ କ'ଣ ଗୋଟେ ଆଣିବାର ବାହାନା କଲା । ନଇଁ ପଡ଼ିବାବେଳେ ଶାଢ଼ିର ଉପର ଅଂଶଟାକୁ ଟିକେ ଢିଲା କରିଦେଇଥାଏ, ତା’ ଛାତିରୁ ଫାଳେ ଦିଶୁଥାଏ । ମାଳତୀକୁ ପରା ଦିଶୁଥିଲା, ଆଉ ସେ ଟୋକାକୁ ଦିଶି ନଥିବ ? ଟୋକାଟା ଟିକେ ସିଆଡ଼େ ଚାହିଁ ହଡ଼ବଡ଼େଇଗଲା, ତା'ପରେ ପୁଣି ତରବରରେ ମୁହଁ ଫେରେଇ ଆଣିଲା ବହି ଉପରକୁ !

 

କମଳୀଟା ସତରେ କେଡ଼େ ଅଭଦ୍ର । ସେଇ କିନ୍ତୁ ତା’ ମା’ । ଏଡ଼େ ସୁନ୍ଦର ରାଜାପୁଅକୁବି ଭାବିଚି ସେଇ ଭୁଷୁଣ୍ଡା ବାହ୍ମୁଣ ବୋଲି ! ଏମିତି ଜାଣି ଜାଣି ଛାତି ଦେଖାଇବାର ଅର୍ଥ କ’ଣ ? ପୁଣି ବୁଢ଼ୀ ହେଇଥାନ୍ତା ଭଲା ? ମୋଟୀ ହେଇ ପୁଚୁକି ମାଇକିନାଟା ! ରାଜାପୁଅଟା କ’ଣ ନ ଭାବିଥିବ ସତେ ! ଛି ! ଛି ! ଲାଜରେ ଶଢ଼ିଗଲା ମାଳତୀ । ମା'ର ଛାତିକୁ ଦେଖି ମଧ୍ୟ ନ ଦେଖିବା ପରି ସେ ଆଖି ବୁଲେଇନେଲା ବହି ଆଡ଼କୁ ।

 

ଖଟ କଡ଼ରୁ ଉଠି କମଳୀ କହିଲା, ‘ଗଲୁ ମାଳ, ଧନୀ ସାହୁ ଦୋକାନରୁ ଅଟା ନେଇ ଆସିବୁ । ଦି’ଟା ପୁରି ଛାଣିଦବା । ବାବୁ ଆଇଚି ଯେତେବେଳେ... ।’

 

ଟୋକାଟା କହିଲା, ‘ନାଇଁ, ନାଇଁ...ଥାଉ ! ମୁଁ ଖାଇକି ଆସିଚି ।’

 

'ସେମିତି କହିଲେ ହବ ? ଆମେ ଗରିବ ବୋଲି ତମେ ଆମ ଘରେ ନଖାଇ ସେମିତି ଫେରିଯିବ ? ସେକଥା ହବ ନେଇଁ !'

 

ମା'ର ସ୍ନେହବୋଳା କଥା ଶୁଣି ମାଳତୀ ଭାବିଲା ମା’ଟା ସତରେ ଭାରି ଭଲ ମଣିଷ ।

 

ତରତରରେ ମାଳତୀ ଚାଲିଗଲା ଧନୀ ସାହୁ ଦୋକାନକୁ ଅଟା ଆଣିବାପାଇଁ !

 

ମାଳତୀ ଯିବା ପରେ କମଳୀ ଖଟରେ ବସି କେତେ ଗପିଲା । ଟୋକାଟାର ଜେଜେଙ୍କର ଅଜସ୍ର ପ୍ରଶଂସା କରୁଥାଏ ସେ । ଟୋକାଟାବି ହଁ ହଁ ମାରୁଥାଏ । କଥାବାର୍ତ୍ତା ମଝିରେ କିଛି ଗୋଟେ ଗୋପନକଥା କହିବା ଭଙ୍ଗୀରେ କମଳୀ ଟିକେ ଟିକେ ପାଖକୁ ଲାଗି ଆସୁଥାଏ ।

 

ନିଜ ଘରକଥା ଗପିଲା କମଳୀ । କେମିତି ତା’ ଗେରସ୍ତ ମରିଗଲା, କେମିତି ସେବେଠାରୁ ମାଳତୀକୁ ସେ କେଡ଼େ ଦୁଃଖ କଷ୍ଟରେ ବଢ଼େଇଚି ଓ ପଢ଼େଇଚି ଇତ୍ୟାଦି ! ପୁଅଟେ ଜନ୍ମ ହେଉ ହେଉ କିମିତି ମରିଗଲା, କହୁ କହୁ କମଳୀର ଆଖି ଛଳଛଳ ହେଇଗଲା ।

 

‘ପୁଅଟା ଥେଲେ ଠିକ୍ ତମପରି ହୁଅନ୍ତାଣି ।’ କମଳୀ କହିଲା, ‘ଜନ୍ମ ହେଇ ମରିଗଲା । କପାଳ ତ ମୋର ସେଇଆ । ପୁଅ ମୁହଁ ଚାହିଁଲି ନାହିଁ ! ତୁମକୁ ଦେଖି ଦେଖି ଆଖି ପୂରି ଯାଉଚି !'

 

କହିସାରି, କାନ୍ଦକାନ୍ଦ ହେଇ ଆହୁରି ପାଖକୁ ଘୁଞ୍ଚୁଆସିଲା କମଳୀ । ଟୋକାଟାର ମୁଣ୍ଡରେ ହାତ ବୁଲେଇଦେଲା । ଟୋକାଟା କିଛି କହୁ ନଥିଲେବି ତାକୁ ବଡ଼ ଅସୁବିଧା ଲାଗୁଥାଏ । ଶେଷରେ କମଳୀ ତାକୁ ନିଜ ଆଡ଼କୁ ଆଉଜାଇ ଆଣିଲା । ଟୋକାଟା ଖସିଯିବାର ଚେଷ୍ଟା କରୁଥାଏ କିନ୍ତୁ କମଳୀ ପରି ଉଦ୍ଦଣ୍ଡୀ ମାଇକିନାଠୁ ଖସିବା ଏତେ ସହଜ ନଥିଲା । ସେତେବେଳକୁ କମଳୀ ଛାତିରୁ ଲୁଗା ଖସେଇ ସାରିଥାଏ । ଟୋକାଟା ଛାଟିପିଟି ହେଲାଣି, ଅଥଚ କମଳୀ ତା’ ମୁହଁଟାକୁ ଚିପି ଧରିଥାଏ ଛାତିରେ, ଦୁଇ ସ୍ତନ ମଝିରେ । ଛାତିର ଝାଳୁଆ ଗନ୍ଧରେ ଅଣନିଃଶ୍ୱାସୀ ହେଇଯାଉଥାଏ ଟୋକାଟା । କମଳୀ ସେମିତି ଭିଡ଼ି ଧରିଥାଏ ତାକୁ, ଖସିପାରୁ ନଥାଏ ସେ ।

 

ଏତିକିବେଳେ ଧନୀସାହୁ ଦୋକାନରୁ ଫେରିଲା ମାଳତୀ । ଦୁଆରମୁହଁରେ ଠିଆହୋଇ ସେ ଯାହା ଦେଖିଲା, ତା’ର ଧିଅ କ’ଣ ହେଇଗଲା । ଏମିତି ହେଲେ ଟୋକାଟା ମରିଯିବ ଯେ । ମା’ର କବଳରୁ ରାଜାପୁଅକୁ ମୁକୁଳେଇବାକୁ ଭିତରକୁ ପଶିଆସିଲା ସେ । ତାକୁ ଦେଖୁଦେଖୁ କମଳୀ କହିଲା, ‘ମୋ ପୁଅ ଥେଲେ ତୋ'ରି ପରି ହଅନ୍ତାଣିରେ ଧନ ! ତୋତେ କୋଳ କରି ମନ ପୂରି ଉଠୁଚିରେ ବାଇଆ !’

 

ସତକୁସତ କମଳୀ କାନ୍ଦି ପକେଇଲା ।

 

ମା’ ତାକୁ ଗେଲ କରୁଥିଲା ? ଭିଡ଼ି ଧରିଥିଲା କାହିଁକି ? ମାଳତୀ ଅବାକ୍ ହେଲା । ଟୋକାଟା ପୂରା କାନ୍ଦକାନ୍ଦ ହେଇଯାଇଥିଲା । ଗଲାବେଳେ ଅବଶ୍ୟ ଟୋକାଟା ପକେଟରୁ ସାବଧାନତା ସହକାରେ କମଳୀ ନେଇଯାଇଥିଲା ପାଞ୍ଚ ଟଙ୍କିଆଟେ ।

 

ମାଳତୀ ଦେଖିଲା, ଟୋକାଟା ଗାଧୋଇ ପଡ଼ିଥିଲା ଝାଳରେ । ମୁହଁ ରଙ୍ଗା ଦିଶୁଥିଲା । ସାମ୍ନାରେ ମାଳତୀକୁ ଦେଖି କହିଲା, ‘ଯାଉଚି, ପରେ କେବେ ଆସିବି । ମୋ ଦେହ ଭଲ ଲାଗୁନି ।’

 

ଟୋକାଟା ରାଗି ଯାଇଥିଲା ବୋଧେ । କଦାପି ଆଉ ସେ ଆସିବାର ନଥିଲା । ମା’ଟା ମରୁ ନାହିଁ କୋଉଠି । ଏଡ଼େ ଟିକେ ପିଲାଟାକୁ ଭାବିଲା କାଳିଆ ଭୁଷୁଣ୍ଡା ବାହ୍ମୁଣ !

 

ମାଳତୀ ପଚାରିଲା, ‘ରାଗିଲ କି ମା’ ଉପରେ ? ମା’ଟା ସବୁଦିନେ ସେଇଆ । ଯାହାକୁ ଦେଖେ, ନିଜ ମଲାପୁଅ କଥା କହି କାନ୍ଦି ପକାଏ !'

ଟୋକାଟା କିଛି କହିଲା ନାହିଁ । ମାଳତୀ ଠିକ୍ ଜାଣିସାରିଥିଲା ଯେ କଦାପି ସେ ଆଉ ତାଙ୍କ ଘରକୁ ଆସିବ ନାହିଁ । ସେଇ ରାଜାପୁଅ ଏବେ ତା’ ସାମ୍ନାରେ । ସ୍କୁଲ୍ ଲାଇବ୍ରେରିରୁ କେବେ ଥରେ ଆଣିଥିବା ଗପ ବହିରେ ମାଳତୀ ପଢ଼ିଥିଲା ଯେ ରାଜାପୁଅ ଏକ ପକ୍ଷୀରାଜ ଘୋଡ଼ାରେ ରାଜାଝିଅକୁ ଉଡ଼େଇ ନେଇ ଚାଲିଗଲା ! ଘୋଡ଼ା ଏବେ କାହିଁ ? ଘୋଡ଼ା ଥିଲେବି ସେ ନିଜେବି କୋଉ ରାଜାଝିଅ ଯେ !

ମାଳତୀର କ’ଣ ହେଲା କେଜାଣି, ପୁଅଟାକୁ ଭିଡ଼ି ଧରିଲା । ତାକୁ ଗେଲ କରିପକେଇବାପରି ହେଲା । ସେ ମାଳତୀଠୁ ଏମିତି କଦାପି ଆଶା କରୁ ନଥିଲା । ଜୋରରେ ଧକ୍କାଟାଏ ମାରି, ମାଳତୀଠୁ ନିଜକୁ ଅଲଗା କରି ଝଡ଼ପରି ବାହାରିଗଲା ସେ । ତା’ ପଛେ ପଛେ ପଦାକୁ ଆସି ମାଳତୀ ଦେଖିଲା, ଟୋକାଟାର ପତ୍ତା ନଥିଲା, ପୂରା ଅନ୍ଧାରରେ ମିଶିଯାଇଥିଲା ।

ଘର ଭିତରକୁ ଆସିବାବେଳେ ମାଳତୀ ମା’ କହୁଥିବାର ଶୁଣିଲା, ‘ତାକୁ ଏମିତି ମଝିରେ ମଝିରେ ଘରକୁ ଡାକି ପାଠ ବୁଝି ନବୁଲୋ ମାଳ । ଭଲ ପିଲାଟା ମୋତେ ତ ମା’ ମା’ ବୋଲି କହି ପାଞ୍ଚଟଙ୍କା ଦେଇଗଲାଲୋ !'

ମା’ କଥା ଶୁଣି ମାଳତୀ ଭାବିଲା କୋଉ ବାଟେ ତା’ଠୁ ପାଞ୍ଚଟଙ୍କା ପଟିମାରିଲା ମା’ କେଜାଣି !

ପାଞ୍ଚ ଟଙ୍କା !! ହେ ଭଗବାନ !!

 

(ସାତ)

 

ତା' ମା’ର ଓ ନିଜର ବ୍ୟବହାର ପାଇଁ ସେ ଭୁଲ ମାଗିନେବ ପିଲାଟାଠାରୁ, ସ୍କୁଲ୍ ଯିବା ବାଟରେ ଭାବିହେଲା ମାଳତୀ । ରାଜାପୁଅଗୁଡ଼ା ଭୁଲକୁ ମାଫ୍ କରିଦିଅନ୍ତି । ବହିରେ ଥିଲା ରାଜାପୁଅଗୁଡ଼ା ଦୟାଳୁ ।

 

ହେଲେ ରାଜାପୁଅ ସ୍କୁଲ୍‍କୁ ଆସିଲା ନାହିଁ । ସେଦିନ ନୁହେଁ । ତା’ପର ଦିନ ନୁହ । ତା’ ପରଦିନବି ନୁହ ! ତିନି /ଚାରି ଦିନ ରାଜାପୁଅକୁ ନ ଦେଖି ମାଳତୀର ମନ କ’ଣ ହେଇଯାଉଥାଏ । ସ୍କୁଲ୍ ଯିବା ବାଟରେ ସେ ଚାରିଆଡ଼କୁ ଚାହିଁ ଚାହିଁ ଯାଉଥିଲା, କାଳେ ଦେଖା ମିଳିଯିବ । ମାଳତୀ ଯାଇ ଭୁଲ୍ ମାଗିଦିଅନ୍ତା !

 

‘ମା’ଟା ଆମର ପାଗଳୀ । ବୁଝିଲ ?' ମାଳତୀ କହନ୍ତା ତାକୁ ।

 

‘ପାଗଳୀ କ’ଣ ?’ ରାଜାପୁଅ ଓଲଟା ପଚାରନ୍ତା ।

 

‘ତମେ କିଛି ଭାବିନା ତ ? ଆମ ଉପରେ ରାଗିନା’ ତ ?' ମାଳତୀ ପଚାରନ୍ତା ।

 

‘ରାଗିବି କାହିଁକି ?' ମଧୁର ଭାବରେ ସେ କହନ୍ତା ।

 

ତା’ପରେ ରାଜାପୁଅ ଧରି ପକାନ୍ତା ମାଳତୀର ହାତ, ତାକୁ ଲାଜ ଲାଜ ଲାଗନ୍ତା; ତେବେବି ହାତକୁ ଖସେଇ ଆଣନ୍ତା ନାହିଁ ସେ, ଚାଲିଚାଲି ସେମାନେ ପହଞ୍ଚନ୍ତେ ଗାଁ ଶେଷମୁଣ୍ଡ ଗଳି ରାସ୍ତାରେ, ସେଠୁ ଯାଆନ୍ତେ ନଈ କୂଳକୁ, ନଈକୂଳରେ ବସନ୍ତେ ହାତ ଧରାଧରି ହେଇ !! ତା’ପରେ ??

 

ତା'ପରେ ସେ ଟାଣି ନିଅନ୍ତା ମାଳତୀକୁ କୋଳକୁ, କୋଳରେ ବସାନ୍ତା, ଠିକ୍ ତା’ ମା’ ଯେମିତି ସେଦିନ ବସିଥିଲା ଭୁଷୁଣ୍ଡାଟା କୋଳରେ ଏବଂ ଫ୍ରକ୍ ତଳବାଟେ ହାତ ପୂରାଇ ସଲସଲ କରିପକାନ୍ତା ମାଳତୀର ଛାତିସାରା...ଛିଃ ମାଳତୀ ଆଗକୁ ଭାବିପାରେ ନାହିଁ !

 

ହେଲେ ସେ ଟୋକାଟା ଆଉ ସ୍କୁଲ୍‍କୁ ଆସିଲା ନାହିଁ !

 

ତା’ କଥା ଭାବି ଭାବି ମାଳତୀବି ଆଉ କୋଉ କାମରେ ମନ ଦେଇପାରିଲା ନାହିଁ । ରାଜାପୁଅ ସବୁବେଳେ ଥାଏ ତା’ କଳ୍ପନାରେ, କଳ୍ପନାର ଇନ୍ଦ୍ରଜାଲରେ, ବେଳେବେଳେ ଘୋଡ଼ାଟେ ଚଢ଼ିଆସେ, ମାଳତୀକୁ ଟେକି ନିଏ, କେତେବେଳେ ପୁଣି ଦି'ଜଣଯାକ ହାତ ଧରାଧରି ହେଇ ଚାଲୁଥାନ୍ତି ଗାଁ ଶେଷମୁଣ୍ଡ ସେପଟ ନଈପଠାରେ !

 

(ଆଠ)

 

ସେଦିନ ସନ୍ଧ୍ୟା ହେବାକୁ ଆଉ ଅଳ୍ପ ସମୟ ବାକିଥାଏ, ମାଳତୀ ବାହାରିଲା ଆଚାର୍ଯ୍ୟ ଘରଆଡ଼େ । ପିଲାଟାର ଜେଜେଙ୍କଠାରୁ ବୁଝିଲା ଯେ ତାକୁ ଚାରିଦିନ ହବ ଜର, ସେଦିନ ଟିକେ ଭଲ ଲାଗିବାରୁ ଯାଇଥିଲା ନଈକୂଳ ଆଡ଼େ । ତିନିଦିନ ହବ ଖାଲି ବଡ଼ପାଟିରେ ହସୁଥିଲା ଓ କାନ୍ଦୁଥିଲା ସେ । କ’ଣ ସବୁ ବିଳିବିଳଉଥିଲା, କେଜାଣି !

 

ମାଳତୀ ସିଧା ଚାଲିଲା ନଈକୂଳ ଆଡ଼େ । ରାଜାପୁଅର କେତେ ଦୁଃଖ ନଥିଲା ସତେ । କେବଳ ତା’ ମା’ର ଓ ତା’ର ନିଜର ସେଦିନର ବ୍ୟବହାର ପାଇଁହିଁ ବୋଧେ ରାଜାପୁଅକୁ ଜର ହେଇଗଲା ସେଦିନଠାରୁ ! ହେ ଭଗବାନ୍, ରାଜାପୁଅ ଭଲ ହେଇଯାଉ, ତେଣିକି ସେ ଯୋଉଠି ଥାଉ ପଛକେ ।

 

ନଈ ବନ୍ଧ ତଳକୁ ଗଡ଼ିବାବେଳେ ମାଳତୀ ଦେଖିଲା ପ୍ରାୟ ଶହେ ହାତ ଦୂରରେ ସେ–ମାନେ ରାଜାପୁଅ ନଈ ଭିତରକୁ ଚାହିଁ ! ମାଳତୀ ତାଆରି ଆଡ଼କୁ ଚାଲିବାରେ ଲାଗିଲା । ହଠାତ୍ ରାଜାପୁଅ ଏ ଆଡ଼କୁ ଚାହିଁଲା ଓ ଦେଖିଲା ମାଳତୀକୁ ।

 

ତା’ପରେ ଘଟିଲା ଏକ ବିଚିତ୍ର ଘଟଣା ।

 

ମାଳତୀର ସ୍ଵପ୍ନର ରାଜକୁମାର ଓରଫ୍‍ ବିଶ୍ୱଜିତ୍ ନାମକ ସେଇ ଟୋକା ଠିଆ ହୋଇପଡ଼ିଲା ଓ ଦୌଡ଼ିବାରେ ଲାଗିଲା ! ସେତେବେଳେ ସନ୍ଧ୍ୟା, ଚାରିଆଡ଼ ଦିଶୁଥାଏ ଅନ୍ଧାରୁଆ ।

 

ମାଳତୀବି ତା’ ପଛରେ ଦୌଡ଼ିବାରେ ଲାଗିଲା । ଦଉଡ଼ୁଥାଏ ଓ ତା’ ନାଁ ଧରି ‘ରହ ରହ’ ବୋଲି ଡାକୁଥାଏ । ପୁଣି କହିଲା ‘ଆରେ ରହ, ମୁଁ ତତେ ଆଉ ଆମ ଘରକୁ ଡାକିବାକୁ ଆସିନି ! ଜର ବୋଲି ଦେଖିବାକୁ ଆସିଥିଲି । ଆରେ–ରହ, ଅନ୍ଧାରରେ ଦଉଡ଼ୁଚୁ କାହିଁକି ।’

 

ହେଲେ ମାଳତୀର ଡାକରେ ସେ ଅଟକିଲା ନାହିଁ, ବରଂ ଆହୁରି ଜୋରରେ ଦଉଡ଼ିବାକୁ ଲାଗିଲା । ତଥାପିବି ଦୌଡ଼ିଥାଏ ମାଳତୀ !!

 

କେତେକ୍ଷଣ ପରେ ମାଳତୀର ଆଖି ଖୋସି ହେଇଗଲା, ଟୋକାଟା ଯେ ନଈଆଡ଼େ ଦୌଡ଼ୁଥିଲା । ଯେତେ ଜୋରରେ ଦୌଡ଼ୁଥିଲା, ନଈ ଭିତରକୁ ଡେଇଁ ପଡ଼ିବ ନା କ’ଣ ! ଏଇ ଭାବନାଟା ମାଳତୀ ମୁଣ୍ଡକୁ ଆସିବାକ୍ଷଣି ସେ ଆହୁରି ଜୋରରେ ପ୍ରାଣମୂର୍ଚ୍ଛା ଦଉଡ଼ିବାରେ ଲାଗିଲା, ଆହୁରି ବଡ଼ପାଟିରେ ଚିତ୍କାର କରିବାରେ ଲାଗିଲା, ‘ଆରେ ରହ, ରହ, ଆଗରେ ନଈ, ରହ ରହ...-!!’

 

ମାଳତୀର କଥା ତା’ ଗଳାରେ ରହିଗଲା । ଭୁସ୍ କରି ଶବ୍ଦଟାଏ କରି ଟୋକାଟା ପଡ଼ିଲା ନଈର ପେଟରେ । ତା’ ପଛେ ପଛେ ପାଣିର ଧାର ପାଖରେ ଥମକି ଠିଆ ହେଇଗଲା ମାଳତୀ, ଠିକ୍ ସେଇଠି, ଯୋଉଠି ଟୋକାଟା ଶେଷଥର ପାଦ ରଖିଥିଲା । ଏମିତିକି ପାଣିର ଧାରବି ସ୍ପଷ୍ଟ ଦିଶୁ ନଥାଏ । ଅନ୍ଧାରିଆ କଳା ମଚମଚ ଜଳରାଶିରେ ଲୁଚିଯାଉଥିଲା ରାଜାପୁଅଟା !!

 

(ନଅ)

 

ଗୋଟେ ବିଚିତ୍ର ପ୍ରକାରର ଅଜଣା ଭୟ ହଠାତ୍ ଆବୋରିଗଲା ମାଳତୀକୁ । ତା’ ତାଳୁରୁ ତଳିପା ଯାଏଁ ଖେଳିଗଲା ଶିହରଣଟେ । ତଳିପେଟକୁ ମନ୍ଥି ଚକଟି ଉବୁକି ଆସିଲା କାନ୍ଦକାନ୍ଦ ଭାବଟିଏ । ହେଲେ ସେ କାନ୍ଦୁ ନଥାଏ, ତା’ ଆଖିରେ ଲୁହ ନଥାଏ, ତଥାପି ଛାତି ଫାଟିଯିବା ପରି ଲାଗୁଥାଏ । କାବାକାଠ ହୋଇ ନଈପାଣି ନିକଟରେ ଠିଆ ହେଇଥାଏ ମାଳତୀ । ଟୋକାଟା ଯେ ସତକୁସତ ପାଣିକୁ ଡେଇଁ ପଡ଼ିବ, ଏକଥା ମାଳତୀ ସ୍ୱପ୍ନରେବି ଭାବି ନଥିଲା !

 

ମାଳତୀ ଏଥର ପଛକୁ ପାଦ ଫେରେଇଲା, ତା’ ମୁହଁରେ ଆଉ ଶବ୍ଦ ନଥିଲା, ଚାଲିବାପାଇଁ ପାଦରେ ଶକ୍ତି ନଥିଲା, ମୁଣ୍ଡ ଭିତରଟା ଲାଗୁଥିଲା ପୂରା ଫାଙ୍କା, ତଳିପେଟରୁ କିଛି ଗୋଟେ ବାରମ୍ବାର ଖସି ଯାଉଥିଲା ତଳକୁ–ତଳକୁ, ଖୁବ୍ ତଳକୁ, ନଈର ପାଣି କେବେ ଭଉଁରୀ କାଟିବା ପରି ତା’ ଛାତି ତଳେ ଭଉଁରୀ କାଟି ତଳକୁ ତଳ ସଂଚରି ଯାଉଥିଲା ଏକ ଅଜବ ପ୍ରକାରର ଅସହାୟତା, ବାସ୍–ଆଉ କିଛି ନଥିଲା ! ସେ ଚାଲୁଥିଲା, କିନ୍ତୁ ଚାଲୁଥିଲା ବୋଲି ଜାଣି ପାରୁ ନଥିଲା ।

 

ଯୋଗକୁ ନଈକୂଳରେ ସେଦିନ କେହି ନଥିଲେ । କେହି ଯଦି ଦେଖିଥାନ୍ତା ଯେ ଟୋକା ପଛରେ ଦୌଡ଼ୁଥିଲା ମାଳତୀ ଓ ଶେଷରେ ଟୋକାଟା ଡେଇଁ ପଡ଼ିଲା ନଈ ଭିତରକୁ, ତେବେ ମାଳତୀର ଅବସ୍ଥା କ’ଣ ହେଇଥାନ୍ତା କେଜାଣି ! ସେ କିନ୍ତୁ ଆଦୌ ଜାଣିପାରୁ ନଥାଏ ଯେ ନଈକୂଳରେ କେହି ଥିଲେ ଅବା ନଥିଲେ, ଜାଗାଟା ଶୂନ୍ୟ ବା ଜନମାନବ ପୂର୍ଣ୍ଣ । ଏକ ଅସହାୟ ଶୂନ୍ୟତାରେ ତରଳି ଯାଉଥାଏ ତା’ର ସମଗ୍ର ସତ୍ତା ! ବାହାରର ଜଗତଟା ଶୂନ୍ୟ ଅବା ପୂର୍ଣ୍ଣ, ସେକଥା ଜାଣିବାର ରାହା ନଥିଲା ତା’ର । ସେ କେବଳ ଚାଲିଯାଉଥିଲା, ପବନରେ ଭାସିଯିବା ପରି !

 

ଗୋଟିକ ପରେ ଗୋଟିଏ ପାଦ । ଫେରି ଆସୁଥିଲା ସେ । ତଳକୁ ମୁହଁ ପୋତି । ଥରେବି ମୁଣ୍ଡ ଟେକିନାହିଁ ରାସ୍ତାରେ, ଥରେବି ପଛକୁ ଚାହିଁନାହିଁ, ଥରେବି ବାଁ ଡାହାଣକୁ ଚାହିଁନାହିଁ; କେବଳ ଅଭ୍ୟାସ ମୁତାବକ ଚିହ୍ନା ରାସ୍ତାରେ କାଠ କଣ୍ଢେଇଟେ ପରି ଫେରିଆସୁଥିଲା ।

 

କେତେବାଟ ପରେ ଗାଁର ଘର ସବୁ ଆରମ୍ଭ ହେଲା । ମାଳତୀ ସେମିତି ଚାଲିଥିଲା । କିଏ ଗୋଟେ ପଚାରିଲା, ‘କିଲୋ ମାଳ ! କୁଆଡ଼େ ଯାଇଥିଲୁ ଏତେବେଳେ ?’ ମାଳତୀ ଟିକେ ଠିଆ ହେଲା, ମୁଣ୍ଡ ଟେକି ଚାହିଁଲା, ଅନ୍ଧାରରେ ଭଲଭାବେ ଜାଣିପାରିଲା ନାହିଁ ଲୋକଟା କିଏ–ପୁରୁଷ ବା ନାରୀ–ଝିଅ ବା ପୁଅ–ଛୋଟ ଅବା ବଡ଼ ! ଟିକେ ଠିଆହେଲା ସତ, ପୁଣି ଚାଲିଲା ଆଗକୁ !

 

ଆକାଶରେ ତାରା ସବୁ ଫୁଟି ଉଠିଲେଣି ଜହ୍ନିଫୁଲ ପରି । ଗାଁର ଧୂଳିଉଡ଼ା ରାସ୍ତାରେ ଚାଲିଥାଏ ମାଳତୀ, ନିଜ ଘର ଆଡ଼େ, କୁଆଡ଼କୁ ନଜର ନଥିଲା ତା’ର । ନା ସେ ଜାଣିପାରୁଥିଲା ସମୟ, ନା ଚିହ୍ନି ପାରୁଥିଲା ଚିହ୍ନା ମଣିଷକୁ, ନା ବୁଝିପାରୁଥିଲା ଲୋକଙ୍କ କଥାବାର୍ତ୍ତା, ନା ଶୁଣି ପାରୁଥିଲା ଦୂରରେ ବାଜୁଥିବା ଗାଁ ମନ୍ଦିରର ଘଣ୍ଟଶବ୍ଦ ! ତା’ର ସତ୍ତା କେମିତି ଏକ ଅଜବ ସ୍ଥିତିହୀନ ଶୂନ୍ୟତାର ପାଉଁଶ ଗଦା ତଳେ ପୋତି ହୋଇଯାଇଥିଲା !

 

ଦୋକାନ ବାରଣ୍ଡାରୁ ଧନୀ ସାହୁ ପଚାରିଲା, ‘କିରୋସିନୀ ପାଇଁ ଆସିଥିଲୁ କିଲୋ ମାଳ-?’

 

ସେ ତେବେ ପହଞ୍ଚିଗଲାଣି ଧନୀସାହୁ ଦୋକାନ ଆଗରେ । ଘର ଆଉ ଅଳ୍ପ ବାଟ ତେବେ ! ଏମିତି କ'ଣ ହେଲା ? ଏତିକି ବାଟ ଆସିବାକୁ ଏତେ ସମୟ ଲାଗିଲା ? ସେ ଥକି ଠିଆ ହେଲା ଧନୀ ସାହୁର ବାରଣ୍ଡା ନିକଟରେ । ଧନୀ ସାହୁର ପ୍ରଶ୍ନଟା କ’ଣ ଥିଲା ସେ ଆଉ ମନେପକାଇ ପାରୁ ନଥିଲା ।

 

ବେଞ୍ଚ୍ ଉପରେ ବସି, ପିଣ୍ଡା କଡ଼ରେ ଠିଆ ହୋଇଥିବା ମାଳତୀକୁ କଥା କହୁ ନଥିବା ଦେଖି ଧନୀ ସାହୁ ପୁଣି ପଚାରିଲା, ‘କୁଆଡ଼େ ଆସିଥିଲୁ ? କିରାସିନି ନବୁ ନା କ’ଣ ?'

 

ତାକୁ ମୁଣ୍ଡ ଉଠେଇ ଚାହିଁଲା ମାଳତୀ । କିରୋସିନ୍ ? କିରାସିନି ? ନା–ସେ ତ କିଛିବି ପାଇଁ ଆସି ନଥିଲା । ତେବେ ଏଠି ଠିଆ ହୋଇଥିଲା କ’ଣ ପାଇଁ ? କ’ଣ ପାଇଁ ?

 

ଗୁଣୁଗୁଣୁ ହୋଇ, ତଣ୍ଟି ଅଠା ହେବାପରି ମାଳତୀ କହିଲା, ‘କିଛିପାଇଁ ଆସିନି !' କହିସାରି ମାଳତୀ ପୁଣି ପାଦ ବଢ଼ାଉଥିଲା ଆଗକୁ । ଦି’ପାଦ ଯାଇଥିଲା କି ନାହିଁ, ପଛରୁ ଧନୀସାହୁ କହିଲା, ‘ଆଲୋ ଏ ମାଳ, ଶୁଣ୍ ଶୁଣ୍ ! ଖବରଟା ଅଛି, ମା’କୁ କହିବୁ, ଶୁଣିଯା !'

 

ମାଳତୀ ପୁଣି ଠିଆହେଲା କଣ୍ଢେଇଟିଏ ପରି । କ’ଣ କହିଲା ଧନୀ ସାହୁ ? ଖବର ? କି ଖବର ? ନା ସେ ଠିଆ ହେଲା ଆପେଆପେ ?

 

ଧନୀ ପୁଣି ଡାକିଲା, ‘ଆଲୋ ଏ ମାଳ, ଏଠିକି ଆଇଲୁ, ତୋର କ’ଣ ହେଇଚି କିଲୋ-? ପାଟିରୁ ତ ପଦେ କଥା ବାହାରୁନି ! କ’ଣ ପାଠ ପଢ଼ି ରାଣୀ ବନିଗଲୁଣି ନା କ’ଣ ମ-!'

 

ସତରେ, ସେ କିଛି କଥା କହି ନଥିଲା ଏଯାଏଁ ? କିଛି କହି ନଥିଲା ? କ’ଣ କହିଥାନ୍ତା ତେବେ ? କ’ଣ କହିବା ଦରକାର ? ଧନୀସାହୁ କ’ଣ ଜାଣିଦେଲା କି ସେ ଟୋକାଟା ଟିକେ ଆଗରୁ ନଈ ଭିତରକୁ ଡେଇଁ ପଡ଼ିଥିଲା ବୋଲି ? କେମିତି ଜାଣିଲା ? କେମିତି ?

 

ତରତରରେ ମାଳତୀ ପଚାରିଲା, ‘କ’ଣ ?'

 

‘ଏଠିକି ଆ, କହୁଚି !’ ଧନୀ କହିଲା ।

 

ଧୀରେ ଧୀରେ ଯନ୍ତ୍ରଚାଳିତ କଣ୍ଢେଇଟି ପରି ମାଳତୀ ଉଠିଗଲା ଉପରକୁ । ଧନୀସାହୁ ବସିଥାଏ ବେଞ୍ଚ୍ ଉପରେ, ମାଳତୀ ଠିଆହେଲା ତା' ସାମ୍ନାରେ !

 

‘ତୋ ମା' କହିଥିଲା କିଲେ ଅଟା ପଠେଇଦବାକୁ, ନେଇଯାଉନୁ !’ କହିସାରି ଧନୀସାହୁ ଉଠିଗଲା ଦୋକାନ ଭିତରକୁ । ଅଟା ଓଜନ କଲା । ପୁଣି ମାଳତୀକୁ ଡାକିଲା, ‘କିଲୋ ମାଳ, ତୋ ଧିଅ କ’ଣ ଖରାପ ? କଥା ବାହାରୁନି ପାଟିରୁ କ’ଣ ପେଇଁ କିଲୋ ? ମୁଁ ବକର୍‍ବକର୍ କରୁଚି, ତୁ ଘୁଙ୍ଗିଟେ ପରି ଠିଆ ହେଇଚୁ । ଏଠିକି ଆଇଲୁ, ଆଆ ବା–ଅଟା ନେ !’

 

ମାଳତୀ ଦୋକାନ ଘରର ଦରଜା ପାଖରେ ଠିଆ ହେଲା । ସେ ବାଉରି, ତେଣୁ ଦୋକାନ ଭିତରକୁ ଧନୀ କେବେବି ପୂରେଇ ଦିଏନା ତାକୁ । ହେଲେ ଆଜି ଡାକୁଥିଲା କେମିତି ?

 

ଆଜି କ’ଣ ହେଇଛି ଚାରିଆଡ଼େ ? ଟୋକାଟା ଡେଇଁପଡ଼ିଲା କାଇଁକି ନଈ ଭିତରକୁ ? ସିଏ ନିଜେ ମଣିଷ ଚିହ୍ନି ପାରୁ ନଥିଲା କ'ଣ ପାଇଁ ? ଧନୀସାହୁ ପରି ଲୋକ ତାକୁ ଡାକୁଥିଲା କାହିଁକି ଦୋକାନ ଭିତରକୁ ? ତା’ର ମୁଣ୍ଡ ବୁଲେଇଦେଲା ! ସେ କ’ଣ ପାଇଁ କିଛି ଜାଣିପାରୁ ନଥିଲା ? କ’ଣ ପାଇଁ ?

 

ଧନୀ ସାହୁ ଦୋକାନ ଭିତରେ ଡିବି ଜଳୁଥିଲା । ମାଳତୀ ପଶିଗଲା ଭିତରକୁ ! କେମିତି ଗଲା, ସେ ନିଜେବି ଜାଣିପାରିଲା ନାହିଁ !

 

ଦୋକାନ ଭିତରକୁ ପଶିବାକ୍ଷଣି ଧନୀସାହୁ ମାଳତୀର ହାତ ଧରିପକାଇ ଚୁପ୍‍ଚୁପ୍ କହିଲା, ‘ଖବରଟା କ’ଣ କି ?' ପୁଣି ନିଜ କଥାଟା ଅଧାରଖି ଚମକିପଡ଼ି ସେ କହିଲା, ‘ଆଲୋ ଏ ମାଳ, ତୋ ଧିଅ ଏମିତି ପଡ଼ିଚି କ’ଣ କିଲୋ ? ତତେ ଜର ନା କ'ଣ ? କାହିଁ, ମା’ ତ କିଛି କହୁ ନଥିଲା !’

 

ତାକୁ ଜର ? କେତେବେଳେ ଜର ହେଲା ? ଏବେ ତ ସେ ଦୌଡ଼ୁଥିଲା ଟୋକାଟା ପଛରେ । ନଈକୂଳରେ, ଜର ହେଲା କେତେବେଳେ ? ମିଛ କହିଲା କି ଧନୀ ?

 

‘ତତେ ଜରଲୋ ମାଳ, ଖବରଟା କ'ଣ କହିବି ? କଥାଟା କ’ଣ କି... !' ଧନୀ ସାହୁ ପୁଣି କଥା ଅଧାରଖି ମାଳତୀର ମୁହଁକୁ ଚାହିଁଲା । ତା’ପରେ ଉଠିଯାଇ, ମାଳତୀର ହାତଧରି, ଦୋକାନର ଆଉଜା ହୋଇଥିବା ଗୋଟେ କବାଟ କଣକୁ ତାକୁ ନେଇଯାଇ, କାନରେ କିଛି ଗୋଟେ ଫୁସ୍‍ଫୁସ୍ କରି କହିବାର ଭଙ୍ଗୀ କଲା, ମାଳତୀ ଠିଆ ହେଇଥାଏ, ତା’ କାନମୂଳରେ ଥାଏ ଧନୀ ସାହୁର ପାଟି !

 

‘ବୁଝିଲୁ ମାଳ, ମା’ କହୁଥିଲା ତତେ ନବାପେଇଁ କୁଆଡ଼େ ଗୋଟାଏ ଲୋକ ରାଜିହେଇଚି, ଖାଲି ଟଙ୍କା ଦେଲେ ତତେ ନବ !’

 

ମାଳତୀ କିଛି ଶୁଣୁ ନଥିଲା । କିଏ ନବ ? ଲୋକଟା ? ଲୋକଟା କିଏ ? ସବୁ ଲୋକଗୁଡ଼ା କ’ଣ ସେ ବିଶୋଜିତ ଭଳିଆ ? ଟଙ୍କା ଦବ କାହିଁକି ? ଟଙ୍କା ଦେଲେ ମା’ ତାକୁ ଦେଇଦେବ କାହିଁକି ? ତା’ ମୁଣ୍ଡ ବୁଲେଇ ଦେଲା, ସେ କିଛି ଜାଣି ପାରୁ ନଥିଲା, କିଛି ବୁଝିବି ପାରୁ ନଥିଲା ।

 

ହଠାତ୍ ମାଳତୀର ଅନୁଭବ ହେଲା ଯେ ଧନୀ ସାହୁ ତାକୁ ଆଉଜାଇ ନେଉଥିଲା ଛାତି ଉପରକୁ । କବାଟ କରେ ସେମିତି ତାକୁ ଛାତିରେ ଲଗେଇଥିଲା ଧନୀ, ଯେମିତି ସେଦିନ କାଳିଆ ଭୁଷୁଣ୍ଡା ବାହ୍ମୁଣ ଆଉଜାଇ ଧରିଥିଲା ତା’ ମା’କୁ । ଧନୀ ସାହୁ ଖୁବ୍ ଧୀରେ ହାତ ରଖିଲା ମାଳତୀର ଛାତି ଉପରେ !

 

କ’ଣ କହିବ କି କ’ଣ କରିବ, କିଛି ଜାଣି ପାରୁ ନଥିଲା ମାଳତୀ । ଧନୀର ହାତ ତା’ ଛାତିସାରା ଫ୍ରକ୍ ଉପରେ ଘୂରି ବୁଲୁଥାଏ, ପ୍ରଥମେ ଧୀରେ–ତା’ପରେ ଜୋରରେ । ମାଳତୀ ନା କିଛି କହୁଥିଲା, ନା ଛାଟିପିଟି ହେଉଥିଲା ! ତା’ ହାତଗୋଡ଼ରେ ବଳ ନଥିଲା, ଗଳାରୁ ଶବ୍ଦ ମଧ୍ୟ ସ୍ଫୁରୁ ନଥିଲା । ସେ ଦୌଡ଼ି ପଳାଉବି ନଥିଲା । ତା’ର ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେଇଯାଇଥିଲା ।

 

ଏଥର ଧନୀ ସାହୁ ତା’ ଫ୍ରକ୍‍କୁ ଟିକେ ଟେକିଦେଇ ହାତ ପୂରେଇଲା ଭିତରକୁ । ପୁଣି ଧୀରେ କହିଲା, ‘କିଲୋ ମାଳ, ତତେ ଜୋରରେ ଜର ହେଇଚି, ତୋ ଧିଅ ତ ଖଇ ଫୁଟୁଚି ।’ କହିସାରିବାବେଳକୁ ତା’ ହାତ ପହଞ୍ଚି ସାରିଥାଏ ଫ୍ରକ୍ ତଳେତଳେ ମାଳତୀର ଛାତିର ଉପର ଅଂଶରେ । ଯେଉଁ ସ୍ଥାନକୁ ତା' ମା’ ମୁକୁଳାଇ ଦିଏ ସେଇ ଭୁଷୁଣ୍ଡାଟା ଆଗରେ, ଯେଉଁ ସ୍ଥାନକୁ ତା’ ମା’ ଜବରଦସ୍ତି ସେଦିନ ଘଷୁଥିଲା ସେ ଟୋକାଟାର ମୁହଁରେ, ଯେଉଁ ସ୍ଥାନ ସମ୍ପର୍କରେ ମାତ୍ର ଏଇ କେଇଦିନ ହବ ସେ ସଚେତନ ହେଇଥିଲା–ସେଇଠି ଘୂରି ବୁଲୁଥାଏ ଧନୀର ହାତ !

 

ମାଳତୀକୁ ସଲସଲ ଲାଗିଲା କି ? ତା’ ଧିଅ କ’ଣ ହେଇଗଲା କି ? ଏ କିନ୍ତୁ ସେଇ ଅସହାୟ ଶୂନ୍ୟତା ନଥିଲା, ଜରଜନିତ ଥଣ୍ଡାଳିଆ ଶିହରଣବି ନଥିଲା, ସବୁକିଛି ମିଶି କେମିତି ଗୋଟେ ଅଜବ ଅଜବ ଲାଗୁଥିଲା ତାକୁ । ସେ କିନ୍ତୁ କିଛି କରିବା ଅବସ୍ଥାରେ ନଥିଲା ।

 

ଏଥର କାଟିଲା, କାଟିଲା ତାକୁ । ଜାଣିପାରିଲା ଯେ ଛାତି କାଟିଲା । ଧନୀସାହୁ କିନ୍ତୁ ଗୋଟେ ହାତରେ ତାକୁ ଜାବୋଡ଼ି ଧରିଥିଲା, ଆର ହାତଟା ପୂରେଇଥିଲା ଫ୍ରକ୍ ଭିତରେ । ଧନୀସାହୁ କହିଲା, ‘ବୁଝିଲୁଲୋ ମାଳ, ତୁ ଆହୁରି ବଡ଼ ହବୁ, ବୁଝିଲୁ ! ବଡ଼ ହେଲେ ତୋ’ ଠଉଁ ଟିକେ ସୁଖ ପାଇବି ବୋଲି ତୋ’ ମା’କୁ କେତେ ଟଙ୍କା ଦେଇଚି, କେତେ ଅଟା, ଚିନି ଦେଇଚି, ତତେ ମାଗଣାରେ କେତେ କିରାସିନି ଦେଇଚି । ତୁ ବଡ଼ ହେଇଗଲୁଣିଲୋ ମାଳ ! ଗୋଟାଏ ବଡ଼ ମାଇକିନାର ଛାତି ପରି ତୋର ଏ ଦି’ଟାଲୋ ! ଦେଖିବୁ, ଦଶହଜାର ଟଙ୍କାରୁ ପଇସାଟାଏ କମ୍‍ରେ ତୋ’ ମା’ ତତେ କଦାପି ଦେବନାଇଁ !

 

(ଦଶ)

 

ଧନୀସାହୁ ଦୋକାନରୁ ଛାଟିପିଟି ହୋଇ ପଳେଇ ଆସିଲା ମାଳତୀ !

 

ଧନୀସାହୁ କହୁଥିଲା, ‘ରହ–ମୁଁ ଏ ଟିଣଟା ସେପାଖକୁ ଘୁଞ୍ଚେଇଦିଏ, ଏଇଠି ବସିବା !’

 

ହେଲେ ତାକୁ ଛାଡ଼ି ଧନୀସାହୁ ଯେମିତି ଟିଣ ଉଠେଇବାକୁ ବାହାରିଛି, ମାଳତୀ ସେମିତି ଉଠିପଡ଼ି ବାହାରି ଆସି ଦୌଡ଼ିବାକୁ ଲାଗିଲା । କେମିତି ଦୌଡ଼ିଲା, ତାକୁ ଅଜଣା । ଧନୀସାହୁ କଦାପି ବସି ନଥାନ୍ତା ସେଠି, ନିଶ୍ଚେ ତା’ ଉପରେ ଶୋଇ ଯାଇଥାନ୍ତା–ଯେମିତି ଅନ୍ଧାରରେ ଦିନେ ସେ ଦେଖିଥିଲା ଯେ ତା’ ବାପା ଶୋଇଥିଲା ମା’ ଉପରେ, ଯେମିତି ସେ ଭୁଷୁଣ୍ଡାଟା ମଝିରେ ମଝିରେ ଆସି ଶୋଉଥିଲା ମା’ ଉପରେ !

 

ଘରେ ପହଞ୍ଚିବା ପରେ କମଳୀ କହିଲା, ‘ମଲୁନେଇଁ, ଆଇଲୁ ! କୁଆଡ଼େ ଯାଇଥିଲୁଲୋ ସବାଖାଈ ? ୟା ପେଇଁ ଅନେଇ ବସିଥିବି ରାତି ଘଡ଼ିଏ ଯାଏଁ !'

 

ମାଳତୀ କିଛି କହିଲା ନାହିଁ, ଚୁପ୍‍ଚାପ୍ ଘର ଭିତରକୁ ପଶିଯାଇ ଶୋଇପଡ଼ିଲା । ତାକୁ ଶୀତ ଲାଗୁଥାଏ, ହେଲେ କିଛି ଗୋଟେ ଆଣି ଘୋଡ଼େଇ ହବାକୁ ତର ନଥାଏ ତା'ର । ତା’ ଛାତିଟା ସେବେ ଯାଏଁବି ପୋଡ଼ାଜଳା କରୁଥାଏ । ଧନୀସାହୁ ଜୋରରେ ରଗଡ଼ିଥିଲା ଛାତିକୁ । କେତେବେଳ ପରେ କମଳୀ ତାକୁ ଉଠେଇବା ପାଇଁ ତା’ ଧିଅରେ ହାତ ମାରି ଦେଖେ ତ ମାଳତୀର ଧିଅ ଜୋରରେ ତାତିଥିଲା ?

 

ଜର ହେଇଗଲା ନା କ’ଣ ?

 

‘ତତେ ଜର କିଲୋ ଛତରଖାଇ ଟୋକୀ ? ଆଲୋହେ ବାରବୁଲି ?’

 

ରାଗରେ ଏମିତି କହିଲା ସିନା, ହେଲେ ତା’ ଭିତରେ ଆଶଙ୍କାଟିଏ ଉତୁରି ଆସିଥିଲା । ତରତରରେ ଆର ଘରୁ ଗୋଟେ ଛିଣ୍ଡା କନ୍ଥା ଆଣି ମାଳତୀକୁ ଘୋଡ଼େଇଦେଲା ସେ । ମୁଣ୍ଡ ପାଖରେ ବସି ମାଳତୀର ମୁଣ୍ଡ ଆଉଁଶିଲା । ମାଳତୀକୁ ଟିକେ ନିଦ ଲାଗିଆସିଥିଲା, ହେଲେ ମା’ର ଆଉଁଶାରେ ତା’ ନିଦ ଚାଉଁକିନା ଭାଙ୍ଗିଗଲା ।

 

ଚମକିପଡ଼ି ସେ ପଚାରିଲା, ‘କୁଆଡ଼େ ଗଲା ?’

 

କମଳୀ କହିଲା, ‘କିଏ ?'

 

ଆଖିଡ଼ୋଳା ଟେକି କମଳୀକୁ ଚାହିଁଲା ମାଳତୀ । କିଏ ? କିଏ ? କିଏ ସେ ? କିଏ ବସିଚି ତା’ ମୁଣ୍ଡ ଉପରେ । ସେଇ ଟୋକା ? ହଁ–ସେଇ–ଟୋକା–ସଫା ଜମା ପେଣ୍ଟ୍‍, ଜୋତା, ହସହସ ମୁହଁ–ରାଜାପୁଅ ପରି । କିଏ ? କିଏ ? ଧନୀ ସାହୁ ? ହଁ ମାଟିଆ ଗାମୁଛାଟେ ପିନ୍ଧି ଥନ୍ତଲପେଟକୁ ଆଉଁଶୁଥିଲା ଧନୀ ସାହୁ । ହାତ ବଢ଼େଇଲା ବୋଧେ ତା' ଛାତି ଉପରକୁ, ଭୟରେ ମାଳତୀ ନିଜ ଛାତି ଉପରେ ହାତ ରଖିଲା ! କିଏ ? କିଏ ସେ ? ସେଇ କାଳିଆ ଭୁଷୁଣ୍ଡାଟା ? ସେ କାହିଁକି ଆସିଥିଲା ? ତାକୁ ଗେଲ କରିବାକୁ ? କୋଳରେ ବସେଇ ଧନୀ ସାହୁଠାରୁ ଆହୁରି ଜୋରରେ ତା’ ଛାତି ଦଳି ପକେଇବ ? ତାକୁ ତଳେ ପକେଇ ନଦି ହୋଇପଡ଼ିବ ତା' ଉପରେ ? ମାଳତୀକୁ ଲାଗିଲା, ତା’ ଉପରେ ଧନୀ ସାହୁ ଓ ସେଇ କାଳିଆ ଲୋକଟା ଏକାବେଳକେ ମିଶି ଲଦି ହୋଇପଡ଼ି ତା’ ଛାତିକୁ ଦଳି ଚକଟି ପକେଇଲେ କି ? ସେ ଜୋରରେ ଚିତ୍କାର କଲା, ‘ଆଃ ! ଆ–ଆ–ଆ !'

 

‘କ’ଣ ହେଲା ?’ ପଚାରିଲା କମଳୀ ।

 

ଓହୋ !–ତା’ ମା’ ପରା ବସିଥିଲା ମୁଣ୍ଡ ପାଖରେ ।

 

କେତେକ୍ଷଣ ବିତିଗଲା, କମଳୀ ସେମିତି ବସିଥିଲା ଝିଅର ମୁଣ୍ଡ ପାଖରେ । ତା'ର ଆଶଙ୍କା ଘନୀଭୂତ ହେଉଥିଲା । ଝିଅକୁ ଡାଆଣୀ ଲାଗିଲା ନା କ’ଣ ! ଏମିତି ବିଳିବିଳେଇଲା କାହିଁକି ? ଏଇନା ରାତିରେ କା’ ଘରକୁ ଯିବ ସିଏ ? ଧନୀସାହୁ ଘରକୁ ? ବଇଦ ପୁରିଆ ପଧାନ ଘରକୁ ? ପଇସା ତ ଜମା ନଥିଲା ! କ'ଣ କରିବ ? ସେ ଭୁଷୁଣ୍ଡାଟା ଭଲା ଆସନ୍ତା ? ତାକୁ କୋଳରେ ବସେଇ ଦିପଇସା ରୋଜଗାର କରନ୍ତା ! ହେଡ଼ାଖିଆଟା କୁଆଡ଼େ ଯାଇଥିଲା କେଜାଣି-!

 

ମାଳତୀ ପୁଣି ବିଳିବିଳେଇଲା, ‘ହେଇ–ହେଇ–ଗଲା ଗଲା, ତାକୁ ଧରଧର–ବୁଡ଼ିଗଲାଲୋ ମା’ ବୁଡ଼ିଗଲା ! ଆହା ହା !’

 

ସତକୁସତ ମାଳତୀ ଭୋ–ଭୋ କରି କାନ୍ଦିକାନ୍ଦି ପକେଇଲା ।

 

କମଳୀ ବସିଥାଏ ସେମିତି । ମାଳତୀର କଥାରୁ କିଛି ବୁଝିପାରୁ ନଥାଏ, ଖାଲି ବଲବଲ କରି ଚାହିଁଥାଏ ସେ ! ରାତିଟା ପାହିଯାଉ, ଯାହାହବ !

 

ଏକା ମାଇପିଟା, ରାତିରେ କ’ଣ କରିବ ?

 

(ଏଗାର)

 

ପରଦିନ ସକାଳୁ ବହୁ ନେହୁରା ହେଇ ପୁରିଆ ପଧାନକୁ ଡାକି ଆଣିଲା କମଳୀ । ମାଳତୀକୁ ଦେଖିସାରି ପୁରିଆ କହିଲା, ‘ଥଣ୍ଡା ଜର, ଭଲ ହେଇଯିବ, କିଛି ଚିନ୍ତା କରନା, ସାଗୁ ଟିକେ ଗୋଳେଇ ପିଏଇ ଦେ ! ବଟିକା ଦି’ଟା ରଖିଥା ଦବୁ !’

 

ପୁରିଆ ଯିବା ପରେ କମଳୀ ଦୌଡ଼ିଲା ଧନୀ ସାହୁ ଦୋକାନକୁ । ଧନୀ ଉଠି ନଥିଲା । ତାକୁ ଉଠେଇଲା କମଳୀ । ଉଠିସାରି ଦୋକାନ ଖୋଲି କମଳୀକୁ ସିଧା ଶୁଣେଇଲା ଧନୀ ଯେ ବଇନି ହବା ଆଗରୁ ସେ ବାକି ଦବନି ! ଘଡ଼ିଏ ଅପେକ୍ଷା କରିବା ପରେ ଧନୀର ବଇନି ହେଲା, ତା'ପରେ ଅଢ଼େଇଶ’ ସାଗୁ ନେଇ ଫେରିଲା କମଳୀ ।

 

‘କାହାର କ’ଣ ହେଇଚି କିଲୋ ? ଧନୀ ସାହୁ ପଚାରିଥିଲା ।

 

‘ଜୋର୍ ଜର ହେଇଚି ମାଳକୁ !’ କମଳୀ କହିଥିଲା ।

 

ସାଗୁ ତିଆରି କରି ମାଳତୀକୁ ଉଠେଇଲା କମଳୀ । ଟିକେ ଟିକେ ପିଏଇଲା । ଦି’ଢ଼ୋକ ପରେ ମାଳତୀ ଆଉ ପିଇଲା ନାହିଁ, ଖାଲି ଡବଡ଼ବ ହେଇ ଚାହିଁଲା ମା’କୁ । ଦିନସାରା କମଳୀ ତାକୁ ସାଗୁ ପିଏଇବାକୁ ଚେଷ୍ଟା କଲା । ଥରକେ ଦି’ଢ଼ୋକରୁ ଅଧିକ ପିଇଲେ ଥୁଥୁ କଲା ମାଳତୀ !

 

ସଞ୍ଜବେଳକୁ କମଳୀ ରାଗରେ କହିଲା, ‘ମରିଯାଲୋ ସବାଖାଈ ଟୋକୀ, ସାଗୁ ତ ପିଇବୁନି, ତୋ’ ପେଇଁ ସେଓ ଆଣିବି ? ମର–ତୁ ମଲେ ମୋରବି ଚିନ୍ତା ଯିବ । ଖାସ୍ ତୋ’ ପେଇଁ ମୁଁ ଅହରହ ମରୁଚିଲୋ ନିଆଁଲାଗି ଟୋକୀ !'

 

କମଳୀ ଏତକ କହିଲା ସିନା, ହେଲେ ତା’ ଭିତରଟା କୋରି ହେଇଯାଉଥାଏ, ଏଇ ମାଳ ପିଲାଦିନେ କଣ୍ଟାଟେ ପରି ହେଇଥିଲା । ଏଇନା କେଡ଼େ ସୁନ୍ଦର ଦିଶିଲାଣି ! ଗୋଲ୍‍ଗାଲ୍ ଡଉଲ ଡାଉଲ ହେଇଚି, କିଛି ଭଲ ଜିନିଷ ଖାଇବାକୁ ନ ପାଇବି । ହେଲେ କ’ଣ ହେଲା ତା'ର ? ଭଲ ହବ କି ନାଇଁ ? ହେ ଭଗବାନ୍ ! ତମେ ଭରସା !

 

ଜର ଚାରିଦିନରେ ପହଞ୍ଚିଲା । ସେତେବେଳକୁ ମାଳତୀ ଶୁଖି କଣ୍ଟାପରି ଦିଶିଲାଣି ! ଧିଅରେ ଆଉ ଶିରୀ ନଥାଏ । ଭଲକରି ଚିହ୍ନି ହଉ ନଥାଏ ତାକୁ । ଧନୀ ସାହୁ ଦୋକାନରେବି ବାକି ବହୁତ ହେଲାଣି–ଆଜି ସାଗୁ ତ କାଲି ମିଶ୍ରି ତ କେତେବେଳେ ବିସ୍କୁଟ୍‍ ଗୋଟାଏ, କେତେବେଳେ ଆଉ କ’ଣ ! ତାକୁ ଏକା ଛାଡ଼ିଦେଇ କମଳୀବି କାମକୁ ଯାଇପାରୁନି ! ଏ ଚାରିଦିନ ଭିତରେ ପୁରିଆ ପଧାନ ତିନି/ଚାରି ଥର ଆସିଥିଲା, ଭଲ ହେଇଯିବ ବୋଲି କହୁଥିଲା । କାଲି ପଇସା ମାଗୁଥିଲା ସେ ! ତା’ର ବାରଟା ବଟିକା ହେଲାଣି ! କୋଉଠୁ କମଳୀ ଆଣିବ ଷୋଳ ଟଙ୍କା ? ଚୁପ୍ କରି ଦିନେ ମାଳତୀର ଶୋଇବା ଘରୁ ପୁରିଆକୁ ଡାକିନେଲା, ଆର ବଖରାରେ ବସେଇ ତା’ ଗୋଡ଼ ମୋଡ଼ିଦେଲା । ସେଇଟା ନପୁଂସକ ଜାତୀୟ ଲୋକ, ମାଇପଙ୍କ ଧିଅରେ ଟିକେ ଧିଅ ଘଷିଦେଲେ ତା’ର ସବୁ ସୁଖ । କମଳୀ ଜାଣିଥିଲା ଯେ ପୁରିଆ ତାକୁ ମାଡ଼ି ବସିବ ନାଇଁ । କମଳୀ ଖାଲି ଛାତିରୁ ଶାଢ଼ି ଖସେଇଦେଲା, ପୁରିଆ ଶୋଇକରି କମଳୀ ଛାତିରେ ହାତ ବୁଲେଇଲା । କମଳୀ ପୁରିଆ ଧିଅକୁ ଚିପି ଦଉଥାଏ । କେତେବେଳ ଧରି ପୁରିଆ ଖାଲି ସଁ ସଁ ହେଲା, ହେଲେ ଅଧିକ କିଛି କରିବାର ନଥିଲା ତା’ର, କମଳୀକୁ ଚିପିଧରି ଖାଲି ସଁ ସଁ ହେଲା ! କମଳୀ କହିଲା, ‘ଆଜି ଏତିକି ଥାଉ, କାଲିକି ଆସିବ, ଆହୁରି ଭଲକରି ଧିଅର ପରାଶ ମେଣ୍ଟେଇ ଦେବି !' ପୁରିଆ ଆଉ ପଇସା ମାଗିଲାନି ।

 

କମଳୀର ସବୁ ଚେଷ୍ଟା ସତ୍ତ୍ୱେ ମାଳତୀର ଅବସ୍ଥା ସୁଧୁରିଲା ନାହିଁ । ବେଶୀ ଖରାପ ଆଡ଼କୁ ଗତି କଲା । ଆଉ ଆଗପରି ଏବେ ସେ ବିଳିବିଳଉ ନଥିଲା, ଖୁବ୍ କ୍ଷୀଣ ସ୍ୱରରେ କ’ଣ ବିଡ଼୍‍ବିଡ଼୍ କରୁଥିଲା ! ହାତଗୋଡ଼ ଦିଶୁଥିଲା କାଉଁରିଆ କାଠିପରି !

 

ଭୁଷୁଣ୍ଡା ବାହ୍ମୁଣଟା ଆସିଥିଲା ଦିନେ । ସବୁ ଦେଖି କହିଲା, ‘ତତେ ମୁଁ କହୁଚି, ତାକୁ ଉଠେଇ ଦେ, କିଛି ଟଙ୍କା ମିଳିଯାଇଥାନ୍ତା । ମୋ କଥା ନମାନିବାର ଫଳ ଏଇନା ତୁ ଭୋଗିବୁନି ତ କିଏ ଭୋଗିବ ?

 

କମଳୀ କିଛି ଉତ୍ତର ଦେଇ ନଥିଲା !

 

ଆଉ ଦିନେ ଆସିଥିଲା ଧନୀ ସାହୁ । କମଳୀ ବସିଥିଲା ମୁଣ୍ଡରେ ହାତ ଦେଇ । ଧନୀକୁ ଦେଖି କହିଲା, ‘ଧନିଆ’ଇ, ଟିକେ ଜଗିଥା’ ମାଳକୁ । ମୁଁ ଟିକେ ଖାଲି ପୁରିଆ ପଧାନ ଘରୁ ବୁଲିଆସେ !’

 

କମଳୀ ଚାଲିଯିବା ପରେ ଧନୀ ସାହୁ ମାଳତୀର ଧିଅରେ ହାତ ବୁଲେଇଲା । ଧୀରେ ଡାକିଲା, ‘ମାଳ, ଏ ମାଳ– !’

 

ମାଳତୀ ଆଖି ଖୋଲିଲା ନାଇଁ, ଖାଲି ‘ଉଁ’ କଲା । ଧନୀ ସାହୁ ଚାରିଆଡ଼କୁ ଚାହିଁ ଖୁବ୍ ଧୀରେ ମାଳତୀ ଘୋଡ଼େଇ ହେଇଥିବା କନ୍ଥାକୁ ଟେକି ହାତ ପୂରେଇଲା ଭିତରକୁ । ମାଳତୀର ବେକ ତଳକୁ ହାତ ଖସେଇ, କେଇ ଦିନ ଭିତରେ ଢିଲା ହୋଇଯାଇଥିବା ଫ୍ରକ୍ ତଳେ ହାତ ପୂରେଇଲା । ଧୀରେ ଧୀରେ ଅନୁଭବ କରିବାରେ ଲାଗିଲା ମାଳତୀର ଶୁଖି ଆସିଥିବା ସ୍ତନକୁ । ତା’ର କ’ଣ ହେଲା କେଜାଣି, ଚଟ୍ କରି ହାତ ବାହାର କରି ଆଣିଲା, ମନକୁ ମନ ଗୁଣୁଗୁଣୁ ହେଇ କହିଲା, ‘ନା–ଏ’ ଆଉ ବଞ୍ଚିବ ନାହିଁ ! ଶୁଖି ଶୁଖି ମରିଯିବ । କ’ଣ ହେଲା ଏଡ଼େ ପୁଚୁକି ଟୋକୀଟାର ?'

 

ଏତିକିବେଳେ କମଳୀ ପହଞ୍ଚିଲା, ପୁରିଆ ଆସିଲାନି, ପରେ ଆସିବ । କମଳୀକୁ ଦେଖି ଧନୀ ସାହୁ କହିଲା, ‘ଆହା ! ପିଲାଟା ଶୁଖି ଶୁଖି ଜାଳ ହେଲାଣିଲୋ କମଳୀ । ତତେ ମୁଁ ସେବେଠୁ କଉଚି, ତୁ ଥରେ ରାତିକପାଇଁ ମାଳକୁ ମତେ ଦେ, ତୋର ସବୁ ବାକି ମୁଁ ଖାତାରୁ କାଟିଦେବି । ହେଲା ନାହିଁ ! ଏବେ କିମିତି ଶୁଝିବୁ ଶହେ ଷାଠିଏ ଟଙ୍କା ? ୟାକୁ ତ ଏବେ ମାଗଣାରେ ବୁଢ଼ାଟାଏବି ରାତିଏ ରଖିବ ନାହିଁ !'

 

କମଳୀ କିଛି କହିଲା ନାହିଁ !

 

କାଳିଆ ଭୁଷୁଣ୍ଡାର କଥା ଓ ଧନୀ ସାହୁର କଥା କମଳୀର କାନରେ ପ୍ରତିଧ୍ୱନିତ ହେଉଥିଲା ଘଣ୍ଟାପିଟା ଶବ୍ଦ ପରି । ସତରେ, ଦି’ଜଣଯାକ ଯାହା କହିଲେ ସତ । ଏବେ ଯଦି ମାଳ ମରିଯାଏ, ସେ ବାକି ଶୁଝିବ କେମିତି ? କମଳୀ ଯଦି ଧନୀ ସାହୁ ପାଖରେ ପାଞ୍ଚରାତି ଶୋଇବ, ତେବେ ସେ ପଚାଶ ଟଙ୍କାବି କାଟିବ ନାଇଁ ! ଏବେ ସେ ଶୁଝିବ କିମିତି ? ରାତିଏପାଇଁ ଭଲା ସେ ମାଳକୁ ପଠେଇଥାନ୍ତା ଧନୀ ଘରକୁ । ଆଗରୁ ଅବା ଦେଇଦେଇଥାନ୍ତା ମାଳକୁ, କିଛି ଟଙ୍କା ଆସିଥାନ୍ତା ! ସବୁ ଗଲା–ଏବେ କ'ଣ କରିବ ସେ ?

 

ମାଳତୀ ମୁହଁକୁ ଚାହିଁଲା ସେ । ତା' ମୁହଁକୁ ଚାହିଁବାକ୍ଷଣି କମଳୀର ସବୁ ଚିନ୍ତା ସବୁ ଭାବନା କୁଆଡ଼େ ଉଭେଇଗଲା । ମାତୃତ୍ୱର ଏକ ଅଭିନବ ବେଦନାରେ ତା’ର ଛାତିତଳୁ କୋହ ଉଠିଆସିଲା । ସେ କିଛି ଭାବିପାରିଲା ନାହିଁ । ତା’ ଆଗରେ ଏ ବଜ୍ଜାତ ଦୁନିଆର କୌଣସି ମୁହଁ ଆଉ ଦିଶୁ ନଥାଏ । କେବଳ ମାଳତୀର ମୁହଁକୁ ଚାହିଁଥାଏ ସେ ଓ ତା’ ଆଖିରୁ ଝରଝର ହୋଇ ଝରି ଆସୁଥାଏ ଅଶ୍ରୁର ଅସରନ୍ତି ଝରଣାଟିଏ ଦୁଇ ଗାଲ ଓଦାକରି ।’

 

(ବାର)

 

ଯୋଉଦିନ ମାଳତୀକୁ ଜର ହେବାର ସପ୍ତମ ଦିନ, ସେଦିନ ସକାଳୁ ସକାଳୁ କମଳୀ ମାଳତୀକୁ ବୁଝାଇବା ପରି କହିଲା, ‘ବୁଝିଲୁ ମାଳ, ତୋର ଯୋଉ ସାଙ୍ଗଟା ଆଇଥେଲା ଆମ ଘରକୁ, ସେ ପରା ନଈରେ ଡୁବି ଯାଇଥେଲା । ଖୋଜିଖୋଜି ମିଳୁ ନଥିଲା । ଆଜି ତା’ ମଡ଼ାଟା ମିଳିଲା, ପୂରା ଫୁଲିଯାଇଚି ବୋଲି କହୁଥେଲେ !’

 

କମଳୀର କଥା ଶୁଣି ଶୁଖିଶୁଖି ଜାଳ ହୋଇଯାଇଥିବା ସେଇ କଣ୍ଟାଟି ଧଡ଼୍ କରି ଉଠି ବସିଲା ଖଟ ଉପରେ । କେତେକଅଣ ଗୁଣୁଗୁଣୁ ହୋଇ କହିସାରି ପୁଣି ଶୋଇପଡ଼ିଲା । ଶୋଇପଡ଼ିଲା ଖଟ ଉପରେ, କିନ୍ତୁ ତା’ ଆଖି ବନ୍ଦ ନଥିଲା । ଶୁଖିଲା ପାଉଁଶିଆ ମୁହଁରେ କୋଟର ଦୁଇଟା ଭିତରୁ ତା’ ଡୋଳା ଦି’ଟା ଦପ୍‍ଦପ୍ କରୁଥାଏ ।

 

ଝିଅକୁ କିଛି କହିଲା ନାହିଁ କମଳୀ । କେଇଟା ଦିନ ଭିତରେ ମାଳତୀଟା କ’ଣ ହେଇ ନଗଲା ସତେ ! ହେ ଭଗବାନ୍ ! ଏସବୁ କ’ଣ ହେଇଗଲା ? କାଇଁକି ହେଲା ? କମଳୀ ଧୀରେ ପଚାରିଲା, ‘କ’ଣ ଖାଇବୁ ?'

 

କମଳୀର କଥା ବୋଧେ ମାଳତୀ ଶୁଣିପାରିଲା ନାହିଁ । ସେ କିଛି କହୁ ନଥିଲା, ଖାଲି ଦପ୍‌ଦପ୍ କରୁଥିଲା ଆଖି ଦି’ଟା ! କମଳୀ ପୁଣି ଥରେ ପଚାରିଲା । ମାଳତୀ ତଥାପି କିଛି କହିଲା ନାହିଁ ! ଆଖି ଦି’ଟା ତା’ର ସେମିତି ଦପ୍‍ଦପ୍ କରୁଥିଲା, ସତେ ଅବା ତା’ ଆଖିରୁ ନଈର ଗଭୀର ଗଣ୍ଡଟିଏ ପରିବ୍ୟାପ୍ତ ହୋଇଥିଲା ଭିତରକୁ ଭିତରକୁ, ଗଣ୍ଡର ଅତଳ ଜଳରେ ଭଉଁରୀ ଖେଳୁଥିଲା ପାଣି, ଭଉଁରୀ ଭିତରେ କୁଟାଖିଏ ପରି କିଛିଗୋଟେ ଭାସିଯାଇ ମିଳେଇ ଯାଉଥିଲା ଗହୀରରେ, କୁଟାଖିଅଟା ଦିଶୁଥିଲା ଧଳାଧଳା, ବେଶ୍ ସଫାସୁତୁରା, ଗୋଡ଼ରେ ଜୋତା, ପେଣ୍ଟ୍‍ ଭିତରେ ଜାମା, କିଏ ??

 

କିଏ ? କିଏ ସେ ? କିଏ ଘୂରିଘୂରି ଏକାକାର ହୋଇ ଯାଉଥିଲା ଜଳରାଶି ଭିତରେ ? କିଏ ? ମା’ କଥାର ଉତ୍ତର ନ ଦେଇ ମାଳତୀ ହଠାତ୍ ଚିତ୍କାର କଲା, ‘କିଏ ଏ ?’

 

(ତେର)

 

ରାତି ବହୁତ ହେବ ସେତେବେଳେ !

 

କମଳୀ ଶୋଇ ପଡ଼ିଥାଏ ମାଳତୀ ଶୋଇଥିବା ଘରେ, ତଳେ ଗୋଟେ ଛିଣ୍ଡା ସପ ପକେଇ, ତା’ର ଘୁଙ୍ଗୁଡ଼ିବି ଶୁଭୁଥିଲା ।

 

ମାଳତୀର ନିଦ ଭାଙ୍ଗିଲା, ଆଖି ଖୋଲିଲା ସେ । ଡିବି ଜଳୁଥିଲା, ତା’ ଆଖି ଦପ୍‍ଦପ୍ କରୁଥିଲା, ଗହୀର ଗଣ୍ଡରେ ପୂର୍ଣ୍ଣମୀର ଚାନ୍ଦର ପ୍ରତିଫଳନ ପରି । ସେ ଉଠିବସିଲା, ମୁଣ୍ଡ ବୁଲଉଥିଲା, ପଡ଼ିଯିବ ବୋଧେ । ହାତଭରା ଦେଇ ବସିଲା ସେ । ତଳକୁ ଚାହିଁଲା, କମଳୀ ଶୋଇଥିଲା ! କିଏ ? କିଏ ଶୋଇଥିଲା ? ତା’ ମା’ ? ନା ଆଉ କିଏ ?

 

ମାଳତୀ ଭାବିଲା ସେ ଠିଆ ହୋଇପାରିବ ! ଖଟ ଉପରୁ ଧୀରେ ଓହ୍ଲାଇ ଠିଆ ହେଲା ସେ । ତା’ ମୁଣ୍ଡ ଭିତରେ ଚର୍‍କି ପରି କିଛି ଗୋଟେ ଘର୍‍ର ଘର୍‍ର କରୁଥିଲା ! କ'ଣ ? କ’ଣ ସେଇଟା ? ପଡ଼ିଯିବ କି ସେ ? ନା–ସେ ପଡ଼ିଯିବ ନାହିଁ ! ସେ ଚାଲିପାରିବ ବୋଧେ ହଁ ! ଏଇତ ସେ ଚାଲିପାରୁଥିଲା ! ଧୀରେ ଦରଜାଟପି ବାହାରକୁ ଆସିଲା ସେ ! ବାହାରେ ଜହ୍ନ ପଡ଼ିଥିଲା !

 

ଯନ୍ତ୍ର ପରି ଚାଲି ଆସି ବାହାର ଦରଜା ଫିଟେଇଲା ମାଳତୀ । ପଦାକୁ ଆସିଲା ନୂଆନୂଆ ମଦ ପିଇଥିବା ଯୁବକଟିଏ ପରି ଟଳିଟଳି, ପବନରେ ଭାସିଭାସି, ପାହୁଣ୍ଡ ପରେ ପାହୁଣ୍ଡ ପକେଇ ସେ ଚାଲିଲା, ମୁଣ୍ଡ ଘୂରଉଥିଲା, ପଡ଼ିବ ପଡ଼ିବ ହେଲା, କିନ୍ତୁ ପଡ଼ିଯାଉ ନଥିଲା, ଚାଲିଥିଲା-!

 

ଏଇତ ଧନୀର ଦୋକାନ, କେହି ଶୋଇଥିଲା ବାରଣ୍ଡାରେ ! ଧନୀ ସାହୁ ବୋଧେ, ତା' ପାଖରେ ଆଉ କିଏ ? କିଏ ଶୋଇଥିଲା ? ଏଇତ ପଧାନ ଘର, ତାଙ୍କ ଘର ଆଗ ସଜନାଗଛ, ଜହ୍ନର ତୋଫା ଆଲୁଅରେ ଗଛବି ଦିଶୁଥାଏ ମଣିଷ ପରି । ଏଇଟା ତ ଛକ, ଏଇଠୁ ବାଁ ପଟେ ଗଲେ ବଜାର, ଯେଉଁଠି ତା’ ମା’ ପୁରି ବିକେ ଜଙ୍ଘ ଉପରଯାଏଁ ଶାଢ଼ି ଟେକିଦେଇ !

 

ଗୋଟାକ ପରେ ଗୋଟାଏ ସବୁ ଅତିକ୍ରମ କରିଗଲା ମାଳତୀ ଯନ୍ତ୍ରପରି । ଟଳିଟଳି, ନୂଆ ମଦ ପିଇଥିବା ଲୋକ ପରି, ପଡ଼ିଯିବ ପଡ଼ିଯିବ ହେଉଥିଲା, କିନ୍ତୁ ପଡ଼ୁ ନଥିଲା !

 

ନଈ ବନ୍ଧ ଉପରକୁ ଉଠିଲା ସେ, ବିଲୁଆଟେ ଭୁକିଲା । ଠାଏ କରି ଚମକି ପଡ଼ିଲା ମାଳତୀ । ରାତି କେତେ ହୋଇଥିଲା ? ସେ କୁଆଡ଼େ ଯାଉଥିଲା ? କୁଆଡ଼େ ?

 

ଆଖି ସାମ୍ନାଟା ଜାଲଜାଲିଆ ଦିଶିଲା ! ମୁଣ୍ଡ ଘୂରେଇ ଦେଲା ! ପାଦ ଝିମ୍‍ଝିମ୍ କଲା ! ତଳିପେଟ କ’ଣ ହେଇଗଲା ! ସେ କୁଆଡ଼େ ଆସିଥିଲା ? କୁଆଡ଼େ ? ନଈକୂଳର ଝଙ୍କା ବରଗଛ ମୂଳେ ଠିଆହେଲା ମାଳତୀ !

 

କିଛିକ୍ଷଣ ପରେ ସେଇଠୁ ଦୌଡ଼ିବାକୁ ଆରମ୍ଭ କଲା ସେ । ଖୁବ୍ ଜୋରରେ, ପାଦ ଜମା ଏପଟ ସେପଟ ହେଉ ନଥାଏ ସେତେବେଳେ, ଜରରେ ଦୁର୍ବଳ ହୋଇ ଯାଇଥିଲା ବୋଲି ଜମା ଅନୁଭବ ହେଉ ନଥିଲା ତା’ର । ଜଣେ ପନ୍ଦରବର୍ଷର ସୁସ୍ଥ ସବଳ ଜୁଆନ୍ ଟୋକୀ ଯେମିତି ଦୌଡ଼ିବା କଥା, ସେମିତି ଦୌଡ଼ୁଥିଲା ସେ ।

 

ଅମୁହାଁ ହେଇ ଦୌଡ଼ୁଥିଲା ମାଳତୀ । ପାଦରେ କଣ୍ଟା ଫୁଟିଲେବି ତାକୁ ମାଲୁମ ହେଉ ନଥିଲା । ସେ ଦୌଡ଼ୁଥିଲା । ତା’ ଆଖି ବନ୍ଦ ଥିଲା, ବାହ୍ୟଜଗତର କୌଣସି ଶବ୍ଦ ସେ ଶୁଣିପାରୁ ନଥିଲା । କୌଣସି ଅନୁଭବ ନଥିଲା ତା’ର !! କେବଳ ଦୌଡ଼ୁଥିଲା ସେ । ତା’ ଭିତର ପୃଥିବୀର ଦୁମ୍‍ଦୁମ୍ ଶବ୍ଦବି ଜାଣିପାରୁ ନଥିଲା ସେ । ସେ ଭାସୁଥିଲା ପବନରେ, ଯେମିତି ଧନୁରୁ ବାହାରିଯାଏ ତୀର ପବନରେ !

 

କେତୋଟି ମୁହୂର୍ତ୍ତ ପରେ ନଈ ପାଣିରେ ଝପାସ୍ କରି କିଛି ଗୋଟେ ପଡ଼ିବାର ଶବ୍ଦ ମୁହୂର୍ତ୍ତ କେତୋଟି ପାଇଁ ପ୍ରତିଧ୍ୱନିତ ହେଲା ପବନରେ !!

✽✽✽

 

Unknown

ଦିବଂଗତ କବିଙ୍କ ଅସରନ୍ତି ଗାଥା ଏବଂ କଳଙ୍କିତ କବିପୁତ୍ର କଥା

 

(ନୂତନ ଅବୋଲକରା ସିରିଜ୍‌ର ଏହା ଦ୍ୱିତୀୟ କଥା । ପ୍ରଥମଟି ‘‘ରାଣ୍ଡବାଜ୍ ବଣିକ ଏବଂ ନାଗରୀ ଗଣକୀ କଥା’’ ଅନ୍ୟତ୍ର ପ୍ରକାଶିତ । ବାସ୍ତବରେ, ଅବୋଲକରା ଏକ ବିଚିତ୍ର ଚରିତ୍ର । ଆମ ସଂସ୍କୃତି ଓ ସାହିତ୍ୟ ପରମ୍ପରାରେ ଏହା ପ୍ରାୟତଃ ଘରେ ଘରେ ପରିଚିତ ଥିଲା । କେଉଁ ମାନସିକତା ଅବା ସାରସ୍ୱତ ଆବଶ୍ୟକତାରୁ ଏପରି ବିଚିତ୍ର ଅଭିମାନୀ ଚରିତ୍ରଟିଏର ପରିକଳ୍ପନା କରାଯାଇଥିଲା, ତାହା ସଠିକ୍ କହିବା / ଅନୁମାନ ଲଗାଇବା କାଠିକର ପାଠ । କି ବିସ୍ମୟକର ଶ୍ରୋତା ସିଏ ହୋଇଥିବ, ଯିଏ ଜଣେ ଆପାତତଃ ଗୁରୁଜନ ସ୍ଥାନୀୟ ଗପ ଶୁଣେଇବାବାଲା ସହ ସର୍ତ୍ତ ରଖିଥିବ ଯେ ଗପଟିଏ ଶୁଣାଇଲେହିଁ ସିଏ ତାଙ୍କର ନିର୍ଦ୍ଦିଷ୍ଟ କାମ କରିଦେବ ! ହାୟ ! ଏହିପରି ଜଣେ ଶ୍ରୋତା ମୋ ଭାଗ୍ୟରେ ଯଦି କେଉଁଠି ଥାଆନ୍ତା, ତେବେ ମୁଁ କାଗଜ କଲମ ସହ ସମ୍ପର୍କ ତୁଟାଇ କେବଳ ଲୋକଟିକୁ ଗପହିଁ ଶୁଣାନ୍ତି । ପାଖରେ ବସାଇ ! ନା, ନା–ସିଏ ମୋପାଇଁ କିଛି କାମ କରି ଦିଅନ୍ତା ନାହିଁ; ବରଂ ମୁଁ ତା’ର ଛୋଟବଡ଼ କାମ କରିପକାନ୍ତି ! ଏଇଥିପାଇଁ ଯେ ତା’ରି ମୁହଁରେ ମୁହଁରେ ମୋ ଶୁଣେଇଥିବା ଗପ କାହିଁ କେତେ ବର୍ଷ ବଞ୍ଚି ରହନ୍ତା !!

 

ହଁ–ପୁରୁଣା ଅବୋଲକରା ଗପମାନଙ୍କରେ ଗଳ୍ପକ ଟିଙ୍ଗା ଓ ସାମାନ୍ୟ ଚିଡ଼୍‍ଚିଡ଼ା ସ୍ଵଭାବର ଥିଲେ ବୋଲି ସୂଚନା ମିଳେ । ତାଙ୍କୁ ବେଶୀ ସଂଖ୍ୟକ ବିତଣ୍ଡା ପ୍ରଶ୍ନ ପଚାରିଲେ ସିଏ ଅଧାରୁ ଗପ କହିବା ବନ୍ଦ କରି ଉଠିଯିବା ପରି ପରିସ୍ଥିତି ସୃଷ୍ଟି କରୁଥିଲେ । ଅନ୍ତତଃ ମାତ୍ର ତିନିଟି/ ପାଞ୍ଚଟି ପ୍ରଶ୍ନ ପଚାରି ପାରିବ ବୋଲି ସେ ଅବୋଲକରା ସହ ସର୍ତ୍ତ ରଖୁଥିଲେ !

 

ହଁ–ଯେପରି ବେଦ ଓ ଉପନିଷଦ ଜଣେ ନୁହେଁ, ଅନେକଙ୍କଦ୍ଵାରା ଭିନ୍ନ ଭିନ୍ନ କାଳଖଣ୍ଡରେ ରଚିତ ହୋଇଥିଲା, ସେପରି ଏମନ୍ତ ମଧ୍ୟ ସମ୍ଭବ ଯେ ଅବୋଲକରା ଶୃଙ୍ଖଳାରେ ଭିନ୍ନ ଭିନ୍ନ ସମୟରେ ଚମତ୍କାର କାହାଣୀ ସବୁ ଶୁଣାଇଦିଆଯାଇଛି ବା ଲିପିବଦ୍ଧ କରାଯାଇଛି । ପ୍ରଥମ ଓ ଶେଷ ଅବୋଲକରା ଗପ କେବେ ଓ କାହାଦ୍ୱାରା ରଚିତ ହୋଇଥିଲା ବା କୁହାଯାଇଥିଲା, ମତେ ଜଣା ନାହିଁ । ତେବେ ପ୍ରାୟ ସମସ୍ତ କାହାଣୀ ଶୁଣିବା ଓ ଶୁଣାଇବା

 

ପ୍ରକ୍ରିୟାରେ କେତେକ ସାଧାରଣ ସର୍ତ୍ତ ବା ଉପାଦାନ ରହିଥିଲା; ଯେପରି : କମ୍ବଳ, ଛତା, ଢାଳ, ନନାଙ୍କର ଅର୍ଥାତ୍ ଗଳ୍ପକ / କଥକଙ୍କର ଗୋଡ଼ ମୋଡ଼ି ଦେବାଠାରୁ ଆରମ୍ଭ କରି ଛୋଟ–ମୋଟ ‘ବୋଲ’ (ଆଦେଶ) ପାଳନ କରିବାର ପ୍ରତିବଦଳରେ ‘‘ଅ–ବୋଲ–କରା’’, ଗପ ଶୁଣିବା ଅଥବା ଏହାର ବିପରୀତରେ ଗପଟେ ଶୁଣିବାପାଇଁ ବୋଲ କରିଦେବା ପାଇଁ ଇତ୍ୟାଦି ଇତ୍ୟାଦି ! ସମାଜ ଓ ସମୟ ବଦଳିବା ସହ କାହାଣୀ, କଥନ ଶୈଳୀ, କାହାଣୀ ଚୟନ, ପରିବେଶ, ଉପାଦାନ ଏବଂ ଉପକରଣ ବଦଳିଯିବା ଅତୀବ ନ୍ୟାୟସଙ୍ଗତ । ଏହିସବୁ ବିଷୟ ଗଳ୍ପ–କଥନ ପ୍ରକ୍ରିୟା ମଧ୍ୟରେ ଆତଯାତ ହେବେ !

 

ନୂତନ ଅବୋଲକରା ସିରିଜ୍‌ର ଏହା ପ୍ରଥମ କଥା ନୁହେଁ, ଏହା ଦ୍ୱିତୀୟ କଥା । ସଶ୍ରଦ୍ଧ ପାଠକୀୟ ଆଲୋଚନା, ମନ୍ତବ୍ୟ ଓ ପରାମର୍ଶର ଅପେକ୍ଷା ରହିଲା । –ଗଳ୍ପକ)

 

ଅବୋଲକରା ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ଏକ ସୁଦୃଶ୍ୟ ସୁରା ଦୋକାନର ଅନତିଦୂରରେ ମୋଟରସାଇକେଲ୍ ଅଟକାଇବାକ୍ଷଣି ପଛରେ ବସିଥିବା ଗଳ୍ପକ ନନା ଓହ୍ଲାଇପଡ଼ି ଚାରିଆଡ଼କୁ ଚାହିଁ ବିସ୍ମୟରେ ପ୍ରଶ୍ନ କଲେ, ‘ଏଠାରେ ଗାଡ଼ି ଏମିତି ଅଚାନକ ଅଟକାଇବାର ଉଦ୍ଦେଶ୍ୟ ?'

 

ଅବୋଲକରା କହିଲା, ‘ମୁଁ କ୍ଷଣକ ଭିତରେ ସେହି ଦୋକାନରୁ କାମ ସାରି ଫେରିଆସିବି ! କହିବେ ଯଦି, ଆପଣଙ୍କ ପାଇଁ ହାଲ୍‌କା କିଛି ଘିନିଆସିବି ।’

 

‘ହାଲ୍‍କା ଅବା ଓଜନୀୟ, ମୋର ଏବେ କିଛି ଆବଶ୍ୟକ ନାହିଁ,’ ଗଳ୍ପକ କହିଲେ, ‘ମୋତେ ପ୍ରଚଣ୍ଡ ଭୋକ ଲାଗୁଅଛି । ଏଠାକାର କାର୍ଯ୍ୟ ଶେଷ କଲେ ଆମ୍ଭର ପ୍ରଥମ କାର୍ଯ୍ୟ ହେଉଛି କେଉଁଠାରେ ଉତ୍ତମମାନର ସାତ୍ତ୍ୱିକ ଭୋଜନ କରିବା !'

 

ଅବୋଲକରା କହିଲା, ‘ମୁଁ ଗଲି ଏବଂ ଅଇଲି । ଏଠାରେ ଖୁଲମ୍‍ଖୁଲା ପାନୀୟ ସେବନ ମୋର ଲକ୍ଷ୍ୟ ନୁହେଁ । ଏଠାରୁ କ୍ରୟକରି ଅନ୍ୟତ୍ର କେଉଁଠି ଶାନ୍ତିରେ ବସି କାର୍ଯ୍ୟଶେଷ କରିବାର ମୋର ବିଧି । ତେବେ ଏପରି ନିରାପଦ ସ୍ଥାନ ଯେଉଁଠି ଖାଦ୍ୟ ଓ ପାନୀୟର ମଜା ନେଇ ହେବ ଆପଣବି କିଛି ସାତ୍ତ୍ୱିକ ଆହାର କରିପାରିବେ ।’

 

ଅବୋଲ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲା । ସୁରା ଦୋକାନ ସେଠାରୁ ଥିଲା ପ୍ରାୟ ତିରିଶି ହାତ ଦୂରରେ ଏବଂ ସେଠାରେ ଲାଗିଥିଲା ଛୋଟକାଟର ଗହଳି । ଅବୋଲ ସେଇଠି କେଉଁଠି ହଜିଗଲା । ଫେରିଲା ପ୍ରାୟ ତିରିଶ ମିନିଟ୍ ପରେ । ତା’ ହାତରେ ଥିଲା ଖବରକାଗଜରେ ଗୁଡ଼ା ହୋଇଥିବା ମଧ୍ୟମ ଆକାରର ବୋତଲଟିଏ । କିଣିସାରି ଆସିବାପାଇଁ କଦାପି ଏତେ ସମୟ ଲାଗି ନଥାନ୍ତା, ଅତଃ ଯେତେ ଦୂର ସମ୍ଭବ ଅବୋଲ ପ୍ରାଥମିକ ପର୍ଯ୍ୟାୟର ପାନୀୟ କର୍ମ ସମାପନ କରିସାରିଥିଲା; ଏକଥା ଅବଶ୍ୟ ପ୍ରମାଣିତ ହେଲା ଅବୋଲ ସାମାନ୍ୟ ଲମ୍ବେଇକରି ଶବ୍ଦ ସବୁ ଉଚ୍ଚାରଣ କରିବାରୁ !

 

ପାଖକୁ ଆସିବାର ଗଳ୍ପକ ପଚାରିଲେ, 'ଯିବା ?'

 

ମୁଚୁକୁନ୍ଦ ଫୁଲିଆ ହସଟେ ଖେଳାଇ ଅବୋଲ କହିଲା, ‘ଯିବା ତ ନିଶ୍ଚୟ !'

 

‘କିନ୍ତୁ ଏପରି ଜାଗାରେ ଗାଡ଼ି ରଖିବ’, ଗଳ୍ପକ ବୁଝାଇବା ଢଙ୍ଗରେ କହିଲେ, ‘ଯେଉଁଠାରେ ତୁମପାଇଁ ଯଥେଷ୍ଟ ତାମସିକ ଖାଦ୍ୟ ଉପଲବ୍ଧ ହେଉଥିବ ଏବଂ ମୋପାଇଁ ଯଥେଷ୍ଟ ସାତ୍ତ୍ୱିକ ଖାଦ୍ୟ ମିଳୁଥିବ !’

 

‘ଅଅଛିଇଃ !’ ଅବୋଲ ଟିକେ ଲମ୍ବାଇ ଶବ୍ଦଟି କହିଥିଲା, ‘ଏଠାରୁ ଦଶ ଏଗାର କିଲୋମିଟର ଦୂରରେ ଜାତୀୟ ରାଜପଥ କଡ଼ରେ ସେପରି ଜାଗାଟେ ଅଛି, ଯେଉଁଠାରେ ସମ୍ପୂର୍ଣ୍ଣ ପୃଥକ୍ ରୋଷଶାଳା ସହ ପୃଥକ୍ ଡାଇନିଙ୍ଗ୍ ହଲ୍ ଅଛି !'

 

କହିସାରି ଅବୋଲ ମଟରସାଇକେଲଠୁ ଅନତିଦୂରରେ ସୁନ୍ଦର ସବୁଜ ଘାସର ଗାଲିଚା ଉପରେ ବସିପଡ଼ିଲା । ‘ମୋତେ ଭୋକରେ ଅସ୍ଥିର ଲାଗୁଛି’, ଗଳ୍ପକ କହିଲେ, ‘ଏଣେ ତୁମେ ଆରାମରେ ହାୱା ଖାଉଚ ।’

 

‘ଆପଣ ମଧ୍ୟ ହାୱା ଖାଇପାରନ୍ତି,’ ଅବୋଲ କହିଲା, ‘ମତେ ଖୁବ୍ ଆରାମ ଲାଗୁଚି । ମୁଁ ଏଇ ପରିବେଶରେ ନିହାତି ଏକ ଘଣ୍ଟା ଅତିବାହିତ କରିବାକୁ ଚାହେଁ !’

 

ଗଳ୍ପକ ବିରକ୍ତିଭାବ ପ୍ରକଟ ପୂର୍ବକ କହିଲେ, ‘ପ୍ରଥମତଃ ମୁଁ କ୍ଷୁଧାତୁର । ଦ୍ଵିତୀୟତଃ, ଯଜ୍ଞୋପବୀତଧାରୀ ଜାତି ଶ୍ରେଷ୍ଠ ଗଳ୍ପକ ମୁଁ । ତୁମେ ମୋ ନିକଟରେ ଜିଦି ଦେଖାଉଚ । ଏସବୁର ପରିଣାମ ଭଲ ହେବ ନାହିଁ ।’

 

ଅବୋଲ ସ୍ମିତହସି କହିଲା, ‘ଗୋଟିଏ ସର୍ତ୍ତରେ ମୁହୂର୍ତ୍ତକ ଭିତରେ ମୁଁ ଆପଣଙ୍କୁ ସେଠାରେ ପହଞ୍ଚାଇ ଦେବି !'

 

‘ତାହା କ’ଣ ?’ ଗଳ୍ପକ ପ୍ରଶ୍ନ କଲେ ।

 

‘ତାହା ଏହି ଯେ;’ ଅବୋଲକରା କହିଲା, ‘ସେହି ଭୋଜନାଳୟରେ ପହଞ୍ଚି ମନଭରି ଭୋଜନ କରିସାରିବା ପରେ ଆମେ ଚାରି ପାଞ୍ଚ ଘଣ୍ଟା ଗୋଟେ କୋଠରୀ ବୁକ୍ କରିପାରିବା, ସେଠାରେ ପୋଷାକପତ୍ର ଓହ୍ଲାଇ ଆରାମରେ ବିଶ୍ରାମ ନେଇପାରିବା । ସେଇଠାରେ ଆପଣଙ୍କୁ କାହାଣୀଟିଏ ଶୁଣାଇବାକୁ ପଡ଼ିବ ଏବଂ କେଉଁ କାହାଣୀ ମୋତେ ଶୁଣାଇବେ, ତାହାର ନାମ ଏବେଠାରୁ କହିବାକୁ ହେବ । ନତୁବା ଗାଡ଼ି ଏଠାରେ ରହିଲା, ଆଉ ଗଡ଼ିବ ନାହିଁ !’

 

‘ଅବୋଲ’; ଗଳ୍ପକ କହିଲେ, ‘ମୋର ଘୋର କ୍ଷୁଧା ସମୟରେ ତୁମେ ସୁରାପାନ କରି ମୋତେ ଖାପ୍‍ଚାରେ ପକାଇବାର ପ୍ରୟାସ କରୁଛ, ଏହା ଆଦୌ ଯୁକ୍ତି ବା ନୀତିସଙ୍ଗତ ନୁହେଁ !'

 

ଅବୋଲ କହିଲା, ‘ଆପଣ ଚମତ୍କାର କାହାଣୀ ଜାଣନ୍ତି ଏବଂ ଆପଣଙ୍କ କଥନଶୈଳୀ ଆହୁରି ଚମତ୍କାର । ମୋର ସେଥିପାଇଁ ଆପଣଙ୍କ ସହ ଏପରି ସର୍ତ୍ତାରୋପ, ନତୁବା ଆପଣଙ୍କ ପ୍ରତି ରହିଛି ମୋର ଅସରନ୍ତି ଶ୍ରଦ୍ଧା ଓ ସମ୍ମାନ । ତେବେ ଏହା ମଧ୍ୟ ସତ୍ୟ ଯେ ଆପଣ ମୋ ପରି ଜଣେ ନିଷ୍ଠାପର ଶ୍ରୋତା ଏହି ଭୁବନମଣ୍ଡଳରେ ପାଇବେ ନାହିଁ !’

 

‘ମୋର ଅବଶ୍ୟ ଯାହା କ୍ରୋଧ ଜାତ ହୋଇଥିଲା’, ଗଳ୍ପକ କହିଲେ, ‘ତୁମ୍ଭର ଏହି ଭୁବନମଣ୍ଡଳ ପରି ଲାଳିତ୍ୟଭରା ଶବ୍ଦ ପ୍ରୟୋଗ ହେତୁ ତାହା ଦୂର ହୋଇଛି । ମୁଁ ପ୍ରତିଶ୍ରୁତି ଦେଉଛି ଯେ ଖାଇସାରିବା ପରେ ମୁଁ ତୁମ୍ଭକୁ ଏକ ଭଲ କାହାଣୀ ଶୁଣେଇବି, ଯାହାର ଶୀର୍ଷର ହେଉଛି ‘‘ଦିବଂଗତ କବିଙ୍କ ଅସରନ୍ତି ଗାଥା ଓ କଳଙ୍କିତ କବିପୁତ୍ର କଥା ।'' ଏହା ଆଜକୁ ପ୍ରାୟ ପାଞ୍ଚ / ଦଶନ୍ଧି ପୂର୍ବର ଏକ କାହାଣୀ । ତେବେ ଆଜିବି ଏହାର ପ୍ରାସଙ୍ଗିକତା ରହିଛି । ଚାଲ–ବେଳୁବେଳ, କ୍ଷୁଧା ହେଲା ପ୍ରବଳ ।’

ଅବୋଲ ମଟରସାଇକେଲ ଷ୍ଟାର୍ଟ୍ କଲା, ଯଥାସ୍ଥାନରେ ପହଞ୍ଚି ସେମାନେ ଅଲଗାଅଲଗା ଟେବୁଲ୍‍ରେ ବସି ଖାଇଲେ । ଅବୋଲ ଆମିଷ ପରିପୂର୍ଣ୍ଣ ଏବଂ ଗଳ୍ପକ ଶୁଦ୍ଧ ନିରାମିଷ । ଅବୋଲ ସାତ ଆଠ ଘଣ୍ଟାପାଇଁ ଏକ ସୁନ୍ଦର ଶୀତତାପ ନିୟନ୍ତ୍ରିତ କୋଠରୀ ରିଜର୍ଭ୍ କରି ରଖିଥିଲା । ସେଠାରେ ପହଞ୍ଚି ଧୁଆଧୋଇ ହୋଇସାରି ଅବୋଲ ଲୁଙ୍ଗି ଓ ଗଳ୍ପକ ଶୁଭ୍ରଧୋତି ପିନ୍ଧି ଆରାମରେ ବସିବା ପରେ ଅବୋଲ, ମଧୁର ହସଟେ ଖେଳାଇ କହିଲା, ‘ଆରମ୍ଭ କରନ୍ତୁ ।’

 

ଗଳ୍ପକ ନିଜ କାହାଣୀ ଆରମ୍ଭ କରିଥିଲେ, ଅବଶ୍ୟ ସେ ସର୍ତ୍ତ ରଖିଥିଲେ ଯେ ନିଜ ସନ୍ଦେହ ମୋଚନ କରିବାର୍ଥେ କାହାଣୀ ମଝିରେ କିଛି ପ୍ରଶ୍ନ କରାଯାଇପାରେ; ଅଥଚ ଜାଣିଶୁଣି ଅବା ବିତଣ୍ଡା ଶ୍ରେଣୀୟ ପ୍ରଶ୍ନ ପଚାରିବାଠାରୁ ଦୂରରେ ରହିବା ସର୍ବାଦୌ ଆବଶ୍ୟକ । ଜ୍ଞାନ ଆହରଣ ଅବା ସତ୍ୟର ଉଦ୍‌ଘାଟନ ପାଇଁ ପ୍ରଶ୍ନ କରିବା ତଥା ଜିରାରୁ ଶିରା କାଢ଼ିବା ଅବା ଅପରର ଗାଣ୍ଡିରେ ଚୂନ ଲଗେଇବା ଲକ୍ଷ୍ୟରେ ପ୍ରଶ୍ନ କରିବା କଦାଚ ଏକା କଥା ନୁହେଁ । ଏହିଠାରେ ଅବୋଲ ନିର୍ମଳ ହସଟେ ହସିବାରୁ ଗଳ୍ପକ କାରଣ ପଚାରିଲେ । ସେ କହିଥିଲା ଯେ ସାଧୁ ଶବ୍ଦମାନଙ୍କ ମଝିରେ ଗାଣ୍ଡି ଶବ୍ଦଟି ପଶିଯିବାରୁ ତାକୁ ଭୀଷଣ ହସ ଲାଗିଲା । ଗଳ୍ପକ କହିଥିଲେ ଯେ, ହସ ପୂର୍ବରୁ ଭୀଷଣ ଶବ୍ଦଟି ଲାଗିବ କି ନାହିଁ, ସେକଥା ସେ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କଠାରୁ ପ୍ରଥମେ ବୁଝିବା ଦରକାର । ତା'ଛଡ଼ା, ଯେଉଁ ଶବ୍ଦଟିକୁ ସେ’ ଅସାଧୁ ବୋଲି ଜ୍ଞାନ କରିଛି, ବାସ୍ତବରେ ତାହା ଏକ ନିତ୍ୟ ବ୍ୟବହାର୍ଯ୍ୟ ଜନପ୍ରିୟ ଶବ୍ଦ । ଜଣେ ଦୁଇଜଣ ଜନନେତା ଓ ରାଜନେତାଙ୍କ ହେତୁ ଶବ୍ଦଟି ସାମାନ୍ୟ ଅପ୍ରିୟ ହୋଇଛି ସତ, ହେଲେ ମାଧୁର୍ଯ୍ୟ ହରାଇ ନାହିଁ । ଏପରି କହିବା ପୂର୍ବକ ଗଳ୍ପକ ମୂଳ କାହାଣୀଟି ଆରମ୍ଭ କରିଥିଲେ :

 

ଦିବଂଗତ କବିଙ୍କ ଅସରନ୍ତି ଗାଥା ଏବଂ କଳଙ୍କିତ କବିପୁତ୍ର କଥା ।

 

ଏହା ଢେର୍ ବର୍ଷ ତଳର କଥା । ସେତେବେଳେ ସମାଜର ପ୍ରତ୍ୟେକ ସ୍ତରରେ ନୀତି ଓ ଆଦର୍ଶର ପ୍ରଭାବ ଓ ପ୍ରତିଷ୍ଠା ଥିଲା । ସାଧାରଣ ଲୋକେ ନୀତିନିଷ୍ଠ ଓ ଆଦର୍ଶସିକ୍ତ ମଣିଷମାନଙ୍କୁ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ସାହିତ୍ୟ କ୍ଷେତ୍ର ଥିଲା ନିର୍ମଳ ଏବଂ ସାହିତ୍ୟିକ ଓ ସାହିତ୍ୟିକାମାନଙ୍କ ମଧ୍ୟରେ ଥିଲା ଅନାବିଳ ସ୍ନେହ ଓ ପରସ୍ପର ପ୍ରତି ପ୍ରଚୁର ଶ୍ରଦ୍ଧା । କବିମାନଙ୍କ ପ୍ରତି ଜନମାନସରେ ରହିଥିଲା ଅସରନ୍ତି ଆଦର । ଲୋକମାନେ କଥା କଥାରେ କବିତା ଉଦ୍ଧାର କରୁଥିଲେ । ସମାଲୋଚକମାନେ ଥିଲେ ବ୍ରିଟିଶ ଅମଳର ହେଡ଼୍‍ମାଷ୍ଟର ଅବା ଦାରୋଗା ପରି । ବାପ୍‍ରେ ବାପ୍ ! କବିତା କି ଗପ କି ଉପନ୍ୟାସ କି ନାଟକ ଭଲ ଲାଗିଲେ ଏପରି କଟୁ ସମାଲୋଚନା କରୁଥିଲେ ଯେ ଋଷି ଜଟା ଛିଣ୍ଡେଇ ମରିଯିବ । ପାଠକର ଧାରଣା ହେଉଥିଲା ବୋଧେ ସାମ୍ନାସାମ୍ନି ହୋଇଗଲେ ଲେଖକ ଓ ସମାଲୋଚକ ଭୁଜାଲି କି ଖଣ୍ଡା ଖର୍ପରରେ ପରସ୍ପରକୁ ସ୍ୱାଗତ କରିବେ ! ଅଥଚ କଦାଚିତ୍‍ ସେପରି ହେଉ ନଥିଲା । କୌଣସି ସଭା ସମିତି ଅବା ପୁସ୍ତକ ମେଳାରେ ଭେଟ ହୋଇଗଲେ ଅପୂର୍ବ ସୌଖ୍ୟ ଓ ସୌହାର୍ଦ୍ଦ୍ୟରେ ସେମାନେ ପରସ୍ପରକୁ ଆଲିଙ୍ଗନ କରୁଥିଲେ । ସେଠାରେ ପାଣିପାଗଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା, ପିଲାମାନଙ୍କ ପାଠପଢ଼ା–ଚାକିରିଠାରୁ ପ୍ରକାଶକମାନଙ୍କ ଦୌରାତ୍ମ୍ୟ ଇତ୍ୟାଦି କଥା ଆଲୋଚନା ହେଉଥିଲେହେଁ ସାହିତ୍ୟ ବିଷୟ କ୍ୱଚିତ୍ ଉଠୁଥିଲା । ଉଠୁଥିଲେହେଁ ନିଜ କଥା କଦାଚ ସେଠାରେ ଉଦ୍ଭବ ହେଉ ନଥିଲା । ଅଥଚ ଯଦି ସମାଲୋଚିତ କବି ବା ଲେଖକର ଦେହ ଖରାପ ହେଉଥିଲା, ତେବେ ସମାଲୋଚକ ପ୍ରଥମେ ଘରେ ବା ଚିକିତ୍ସାଳୟରେ ପହଞ୍ଚି ସବୁ ବୁଝିବା ସହ ଅନ୍ୟ ସମଧର୍ମାମାନଙ୍କୁ ଏକତ୍ରିତ କରାଇ ଏକ ଅର୍ଥ ସହଯୋଗ ପାଣ୍ଠି କରାଇ ସହଯୋଗର ବିଶାଳ ହାତ ପ୍ରସାରି ଦେଉଥିଲା ।

 

ଆହା–କୌଣସି କଥା କେବେବି ବ୍ୟକ୍ତିଗତ ସ୍ତରକୁ, ରୁଚିହୀନ ସ୍ତରକୁ ଯାଉ ନଥିଲା, ସମାଜ ଓ ସାହିତ୍ୟରେ ସତେଅବା ଚାଲିଥିଲା ସୁବର୍ଣ୍ଣଯୁଗ ।

 

ସେତିକିବେଳେହିଁ ସେହି ବିଚିତ୍ର କଥା ଘଟି ସମସ୍ତଙ୍କୁ ପ୍ରଥମେ ଚକିତ ଓ ପରେ ପ୍ରଚଣ୍ଡ ବ୍ୟଥିତ କରିଥିଲା । ସେହି ଘଟଣା ପରେ ପରେ ଏକା ସମୟଖଣ୍ଡରେ ଅଜବ ଅଜବ କଥା ଘଟିଥିଲା । ସେହି ସବୁ ଏହି କାହାଣୀରେ ଅଛି ।

 

ହୁତ୍‍ଖୋଳ ନାମକ ଏକ ସମୃଦ୍ଧ ରାଜ୍ୟରେ ବାସ କରୁଥିଲେ ଜଣେ କବି । ଏହାଙ୍କ ନାମ ଥିଲା ଅଲେଖ ଯୋଗୀନାଥ ଦାସ । ଆମ୍ଭେ ଏହାଙ୍କୁ କେବଳ ଯୋଗୀନାଥ ଅବା ସ୍ଥଳବିଶେଷରେ କବି ଯୋଗୀ ବୋଲି ଅବଶ୍ୟ କହିବା । ହୁତ୍‍ଖୋଳ ରାଜ୍ୟରେ ଥିଲା ମାତ୍ର ତେରଗୋଟି ଜିଲ୍ଲା । ତହିଁରୁ ଗୋଟିଏ ଜିଲ୍ଲାର ନାମ ଥିଲା ବୋଲପୁର । ଏହି ଜିଲ୍ଲାରେ କବି ଯୋଗୀ ଜନ୍ମଗ୍ରହଣ କରିଥିଲେ ।

 

ଯୋଗୀନାଥ ସମୟକୁ ଚାହିଁ ଢେର୍ କିଛି ପଢ଼ିଥିଲେ ବୋଲି କହିବାକୁ ହେବ । ତେବେ ସିଏ ଜଣେ ବହୁମୁଖୀ ପ୍ରତିଭା ଥିଲେ । ତାଙ୍କୁ ମୃଦଙ୍ଗ ବଜାଇ ଆସୁଥିଲା, ଖଞ୍ଜଣିବଜାଇ ଭଜନ ଗାଇ ଆସୁଥିଲା, ଗାଁ ତଥା ଆଖପାଖ ଅଞ୍ଚଳରେ ନାଟକ ଅବା ଗୀତିନାଟ୍ୟ ମଞ୍ଚସ୍ଥ ହେବାର ଥିଲେ ତାଙ୍କୁ ଖୋଜା ପଡ଼ୁଥିଲା । ସିଏ ଚମତ୍କାର ଗୀତ ତ ବୋଲି ପାରୁଥିଲେ, ବ୍ୟତିରେକ ସେ ଚମତ୍କାର ନିର୍ଦ୍ଦେଶନା ଦେଉଥିଲେ, ପୁଣି ନିଜେବି ଉଚ୍ଚକୋଟୀର ଅଭିନୟ କରୁଥିଲେ । ନାରୀ, ପୁରୁଷ–ଉଭୟ ଭୂମିକାରେ ସେ ଅବତୀର୍ଣ୍ଣ ହେଉଥିଲେ । ତାଙ୍କର ନିର୍ଦ୍ଦିଷ୍ଟ କିଛି କିସମର ଭୂମିକାପାଇଁ ଆଗ୍ରହ କି ପାଗଳାମି ନଥିଲା । ସବୁ ଭୂମିକା ବଣ୍ଟାଯିବା ପରେ ଯାହା ବଳୁଥିଲା, ସେଇଟି ଥିଲା ତାଙ୍କର । ମାନେ ବିଦୂଷକଠାରୁ ରାଣୀ, କଟୁଆଳଠାରୁ ବହିର ଖଳନାୟକ, ଦାସୀଠାରୁ ଶବ; ସବୁ ଭୂମିକାପାଇଁ ଦକ୍ଷତା ଥିଲା ତାଙ୍କର । ଏଣୁକରି ମୁଁ କହିଲି ଯେ ସେ ଥିଲେ ବହୁମୁଖୀ । ତେବେ ସେ ଯେ ଲେଖାଲେଖି କରିପାରନ୍ତି ବା ଧ୍ୟାନ ଦେଲେ କବିତା ଇତ୍ୟାଦି ଲେଖିପାରିବେ, ତାହା ସେହି ନାଟକ ନିର୍ଦ୍ଦେଶନା ଦେବାବେଳର ଏକ ଘଟଣାରୁ ଜଣାପଡ଼ିଥିଲା ।

 

ଏକଦା ଏକ ଗ୍ରାମରେ ଥିବା ବୃହତ୍ ଚାଟଶାଳିର ବାର୍ଷିକୋତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ନାଟକ ନିର୍ଦ୍ଦେଶନା ଦେବା ନିମନ୍ତେ ଯୋଗୀନାଥଙ୍କୁ ଡକରା ଆସିଥିଲା । ବହିର ଚତୁର୍ଥ ଅଙ୍କର ଦ୍ୱିତୀୟ ଦୃଶ୍ୟ ଅଭ୍ୟାସବେଳକୁ ଜଣାପଡ଼ିଲା ଯେ ଦୁଇ ପୃଷ୍ଠା ବହିର ନଥିଲା । ସେହି ନିର୍ଦ୍ଦିଷ୍ଟ ବହିର ଆଉ ଖଣ୍ଡେ କୁତ୍ରାପି ନଥିଲା । ତେବେ ଅଭ୍ୟାସକୁ ଆସୁଥିବା ଉଦ୍ୟୋକ୍ତା, ଦର୍ଶକ ଓ କଳାକାରମାନଙ୍କ ଏକମାତ୍ର ଜିଦି ଥିଲା ଏହି ଯେ ଦୁଇ ପୃଷ୍ଠା ଚିରିହଜି ଯାଇଥିଲେ ଯାଇଥାଉ; ଯୋଗୀନାଥ ଇଚ୍ଛାକଲେ ନିଶ୍ଚୟ ତାହା ପୂରଣ କରିପାରିବେ ନାହିଁ ନା କ’ଣ ?

 

ଅତଏବ, ବାଧ୍ୟ ହୋଇ ଯୋଗୀନାଥ ତିନିଟି ଚରିତ୍ରଙ୍କ ପାଇଁ ଦୁଇ ପୃଷ୍ଠା ସଂଳାପ ଲେଖିଥିଲେ ଏବଂ ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କର କ୍ଷୁଦ୍ର ତଥା ଅର୍ଥପୂର୍ଣ୍ଣ ସାରସ୍ୱତ ଯାତ୍ରା !

 

ସେ ଆବଶ୍ୟକବେଳେ ଡ୍ରାମାପାଇଁ ଗୀତ ଲେଖିଲେ । ଡ୍ରାମାଟି ଏକ ବିଜାତୀୟ ଶବ୍ଦ, ଯେବେ ଯୋଗୀନାଥ ଏସବୁ ସହ ସଂପୃକ୍ତ ଥିଲେ, ସେବେ ଏ ଶବ୍ଦ ନଥିଲା, ଯେହେତୁ ସେବେକା ଘଟଣା ମୁଁ ଏବେକା ସମୟରେ ବର୍ଣ୍ଣନା କରୁଚି, କିଛିଟା ଭାଷାଗତ ଭ୍ରମ ରହିଯିବା ସ୍ଵାଭାବିକ । ସ୍ଥାନୀୟ ଚାଟଶାଳି, ବିଦ୍ୟାଳୟ ଇତ୍ୟାଦିର ସମାରୋହମାନଙ୍କରେ ଗୀତ ଲେଖିବା କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ ହେଲା । ସିଏବି ଲେଖି ଚାଲିଲେ, ଆଖପାଖ ଅଞ୍ଚଳରେ ତାଙ୍କର ସୁନାମ ବଢ଼ିଲା ।

 

ପରିସ୍ଥିତି ଏପରି ହେଲା ଯେ ଏକୋଇଶିଆ, ଜନ୍ମଦିନ, ବ୍ରତଘର, ଷୋଳପାଲା, ବିବାହ ତଥା କେହି ଜଣାଶୁଣା ଲୋକ ମରିଗଲେ ମଧ୍ୟ ଗୀତଟିଏ ଲେଖିବାପାଇଁ ବରାଦ ଓ ଅନୁରୋଧ ଆସିଲା । ସେ ବି ଲେଖି ଚାଲିଲେ । ଜୀବନର ଏକ ଭଲ ସୃଜନଶୀଳ ଅଂଶରେ ପହଞ୍ଚିଥିଲେ ସେ-। ଯାହାତାହା ଲେଖିଲେବି ଲୋକ ପସନ୍ଦ କରୁଥିଲେ ।

 

କାନ୍ଥକୁ ଆଉଜି ବସିଥିବା ଅବୋଲ ପଚାରିଲା, ‘ଏସବୁ ପାଳନବେଳେ ଗୀତ ଲେଖାଯିବା କ’ଣ ପରମ୍ପରା ଥିଲା ?'

 

ଏହା ଏକ ଉତ୍ତମ ପ୍ରଶ୍ନ ବୋଲି ମନ୍ତବ୍ୟ ଦେଇ ଗଳ୍ପକ କହିଲେ, ‘ହଁ–ତାହା ଏକ ସୁନ୍ଦର ପରମ୍ପରା ଥିଲା । ସେତେବେଳେ ଆଜିକାଲି ପରି ମଦ–ମାଂସ–ଚଳଚ୍ଚିତ୍ର–ଗୀତ ସହ ନାଚ ଇତ୍ୟାଦି ନଥିଲା । ଗୀତ ଏପରି ଥିଲା ଯେ ଲୋକ କାନ୍ଦୁଥିଲେ ଓ ହସିହସି ଗଡ଼ିଯାଉଥିଲେ ନହେଲେ ଭାବପ୍ରବଣତାର ଓଜନରେ ଗମ୍ଭୀର ହୋଇଯାଉଥିଲେ ।’

 

‘କଥାଟା ବୁଝିହେଲା ନାହିଁ’, ଅବୋଲ ମନ୍ତବ୍ୟ କଲା ।

 

ଗଳ୍ପକ ବୁଝାଇଲେ, ‘ଯାହା ନାମରେ ଗୀତ ଲେଖା ଯାଉଥିଲା ଅବା ଭଣିତା ହେଉଥିଲା, ତଦନୁଯାୟୀ ଭାବପ୍ରକାଶ ହେଉଥିଲା । ମନେକର, ପୁଅ ଜନ୍ମଦିନରେ ଯଦି ମା' ଲେଖୁଥିଲା, ତେବେ କଥା–ବିଷୟ–ଭାବ ଯେମିତି ଥିଲା, ସେଇ ଗୀତ ଯଦି ଅଜା–ଆଈ ଲେଖୁଥିଲେ କଥା ଅଲଗା । ସେମିତି ବାହାଘରରେ ବର ବା କନ୍ୟାପାଇଁ ଯଦି ସେମାନଙ୍କ ଭାଇ–ଭଉଣୀ ଲେଖୁଥିଲେ, ତେବେ ପରିସ୍ଥିତି ଦେଖି ମଜା ବା ଗୁରୁତ୍ଵପୂର୍ଣ୍ଣ କଥା କୁହାଯାଉଥିଲା; କିନ୍ତୁ ଯଦି ବାପା–ବୋଉ କି ମାମୁ ମାଈଁ କି ଅଜା ଆଈ ଲେଖୁଥିଲେ, ତେବେ ଭାବ ପୂରା ଅଲଗା ରହୁଥିଲା ! ବାପ ଅବୋଲ, ସେହି ସୁନ୍ଦର ପରମ୍ପରା ଏବେ କେଜାଣି କାହିଁକି ବିଲୁପ୍ତ ହୋଇଛି । ଲୋକେ ଏହାକୁ ଏବେ କାହିଁକି ପୁରୁଣାକାଳିଆ ପରମ୍ପରା କହି ଆଡ଼େଇ ଦେଇଛନ୍ତି, ତା’ର କାରଣ କିଏ ବା ନିରୂପଣ କରିପାରିବ ? ଯଦି ସେହି ସବୁ ଗୀତ କେହି ଜଣେ ଏକାଠି କରିପାରିଥାନ୍ତା–ସବୁ ଗୀତ ନ ହେଲା ନାହିଁ, ନିହାତି ହଜାରେ ଗୀତ ଏକାଠି କରିପାରିଥାନ୍ତା ଆହା ! କେତେ କେତେ ସରଳ ହୃଦୟର ନିର୍ମଳ କବିତା କାଳର କେଉଁ କରାଳ ଗର୍ଭରେ ମରିହଜି ଯାଇ ନଥାନ୍ତା ।'

 

ଅବୋଲ ପଚାରିଲା, ‘ପ୍ରଥମତଃ ଆପଣ ଆହା ବୋଲି କାହିଁକି କହିଲେ ? ଏବଂ କବିତା କ’ଣ ସତରେ ମରିହଜି ଯାଇପାରେ କି ?'

 

‘ପ୍ରଥମଟି ଅତ୍ୟନ୍ତ ବିତଣ୍ଡା ଶ୍ରେଣୀର ପ୍ରଶ୍ନ’, ଗଳ୍ପକ ନନା କହିଲେ, ‘ଦ୍ୱିତୀୟଟିର ସାମାନ୍ୟ ଓଜନ ଥିଲେବି ମୁଁ ସେ ଉତ୍ତର ଦେବି ନାହିଁ । ତେବେ ଖାଲି ଏତିକି ମନେରଖ ଯେ ହୁତ୍‍ଖୋଳ ରାଜ୍ୟରେ ଯେତେ ଲକ୍ଷ ସ୍ନେହୀ ବୁଢ଼ୀ ମରିହଜି ଘାସ ହୋଇଯାଇଛନ୍ତି, ସେମାନଙ୍କ ସହ ସେହି ଅନୁପାତରେ ଲକ୍ଷ ଲକ୍ଷ କବିତା ନିଆଁରେ ପୋଡ଼ି ଘାସ ହୋଇଯାଇଛି । ଛାଡ଼ ସେ କଥା । ଆମ କାହାଣୀକୁ ଫେରିବା ।’

 

‘ଆପଣ କ’ଣ ସେପରି କବିତାରୁ ମୋତେ ପଦେ ଦିପଦ ଶୁଣାଇପାରନ୍ତେ ନାହିଁ ? ଅବୋଲ ପ୍ରଶ୍ନ କଲା ।

 

‘ପାରିବି', ଗଳ୍ପକ କହିଲେ, ‘କିନ୍ତୁ ନିର୍ଦ୍ଦିଷ୍ଟଭାବେ କାହା ଲେଖା ମୋର ପଦଟିଏ ମଧ୍ୟ ସ୍ମରଣ ନାହିଁ । ତେବେ ମୁଁ ଘଣ୍ଟାକ ମଧ୍ୟରେ ସେପରି ଗୀତଟେ ବାନ୍ଧିପାରିବି ବା ଛନ୍ଦିପାରିବି ତେବେ ଆମେ କାହାଣୀକୁ ଯିବା !’

 

ଗଳ୍ପକ ପୁନର୍ବାର ମୂଳ କାହାଣୀକୁ ଫେରିଗଲେ ।

 

ଯୋଗୀନାଥଙ୍କର ସୃଜନଶୀଳତାର ସ୍ଫୁରଣସ୍ୱରୂପ ସେ ଗୋଟିଏ ନାଟକ ଲେଖିଥିଲେ, ନିଜ ଅଞ୍ଚଳର ମନ୍ଦିର–ନଈ–ଜଙ୍ଗଲ ଇତ୍ୟାଦିକୁ ନେଇ ଛୋଟ ବହିଟେ ଲେଖିଲେ, ‘ଦ୍ରୌପଦୀର ପୁତ୍ର’ ବୋଲି ଏକ ପାଲାବି ଲେଖିଲେ ଏବଂ ଛୋଟ ଛୋଟ କବିତା ପ୍ରାୟ ଶହେଟି ଲେଖିଲେ । ସେ ଯେଉଁ ଢାଞ୍ଚାରେ ଅବଶ୍ୟ କବିତା ସବୁ ଲେଖୁଥିଲେ, ସେ ଢାଞ୍ଚା ଆଉ ଚାଲୁ ନଥିଲା କିମ୍ବା ଚାଲିବାର ମଧ୍ୟ ନଥିଲା । ତାଙ୍କ କବିତା ସବୁରେ ଅବଶ୍ୟ ଥିଲା ପ୍ରଭୂତ ଆନ୍ତରିକତା ଓ ସମାଜପାଇଁ ବାର୍ତ୍ତାବି । ନିଜ ଚଉଦିଗର ଛୋଟମୋଟ ଘଟଣା ଓ ଚତୁଃପାର୍ଶ୍ୱର ପାତ୍ର ଓ ଚରିତ୍ର ଥିଲେ ତାଙ୍କ କବିତାର ପ୍ରେରଣା ।

 

କେତୋଟି କବିତାର ଶୀର୍ଷକ ଏଠାରେ କହିବା ଅବଶ୍ୟ ସମୀଚୀନ ହେବ, ତହିଁରୁ ତୁମେ ଯୋଗୀନାଥଙ୍କ କବିତା ଜଗତ ସମ୍ପର୍କରେ ସମ୍ୟକ ଧାରଣା କରିପାରିବ । କେତେକ ଶୀର୍ଷକ ହେଉଛି : ବର୍ଷାର ଅଭାବ, ଚାଷୀର ଦୁର୍ଦ୍ଦଶା, ପଞ୍ଜୁରୀ ବନ୍ଧନରେ ଶାରି, ଶିକ୍ଷକର ଭାଗ୍ୟ, ରଜସ୍ୱଳା ନାରୀର ଆକାଂକ୍ଷା, ରାଜା ସୁଖୀ ଅବା ଭିକ୍ଷୁକ ସୁଖୀ, ଫଗୁଣର ମହକ, ଗ୍ରୀଷ୍ମର ବାରତା, ରୋଗୀର ଭାଗ୍ୟ, ଅନ୍ଧବିଶ୍ୱାସର ଅନ୍ତରାଳେ ଇତ୍ୟାଦି କିସମର କବିତା । ପ୍ରାୟ ଛନ୍ଦ କବିତା । ବେଳେବେଳେ ବିଚିତ୍ର ଛନ୍ଦର କବିତା । ସେତେବେଳେ ତ ଆଜିକା ପରି ଚିକ୍‌ଚିକ୍ କାଗଜ କି ଡାଏରି ନଥିଲା, ସୁତରାଂ କବି ଗୋଟେ ପ୍ରକାରର ଖୁବ୍ ମୋଟା ହାତତିଆରି କାଗଜରେ ମୁନିଆଁ ବାଉଁଶ ପାତିରେ ନିଜ ହାତତିଆରି କାଳିରେ ଯାହା ଲେଖିଥିଲେ, ସେ ସବୁକୁ ଚାରି ଚଉତା କରି ବିଡ଼ା ବାନ୍ଧି ରଖିଥିଲେ !

 

ହଁ କବି ଯୋଗୀନାଥଙ୍କର ଥିଲେ ଚାରିଜଣ ସନ୍ତାନ । ବଡ଼ ଝିଅ ବାସନ୍ତୀ କୁମାରୀ, ତା’ପରକୁ ଦୁଇ ପୁଅ ନିରାକାର ଓ ଦିବାକର, ଶେଷକୁ ଝିଅ ସୁନୀତି କୁମାରୀ । ଯେତେବେଳେ ବଡ଼ ଝିଅକୁ ଚଉଦ, ପୁଅ ନିରାକାରକୁ ବାର ଓ ଦିବାକରକୁ ନଅ ତଥା ସାନଝିଅକୁ ମାତ୍ର ଛଅବର୍ଷ, ସେତିକିବେଳେ ପ୍ରାୟ ବୟାଳିଶବର୍ଷରେ କବି ଯୋଗୀନାଥ ଦିବଂଗତ ହୋଇଥିଲେ । ତାଙ୍କ ବିୟୋଗରେ ସେ ଖଣ୍ଡମଣ୍ଡଳରେ ଶୋକର ଛାୟା ଖେଳିଯାଇଥିଲା । କେତେ ଯେ ଲୋକ ମନଭରି କାନ୍ଦିଥିଲେ, କିଏ ବା ଗଣିଥିଲା ଯେ କହିପାରିବ ?

 

କବି ପତ୍ନୀ ଖୁବ୍ ଧୈର୍ଯ୍ୟର ସହ ଏହି ଦାରୁଣ ଦୁଃଖର ମୁକାବିଲା କରିଥିଲେ । ତାଙ୍କ ପରିବାରର ଚଳଣି ଯଦ୍ୟପି ଖରାପ ନଥିଲା, ତେବେ ଘରର ମେରି ଉପୁଡ଼ି ଗଲେ ଯାହା ହେବା କଥା । ଘରକୁ ଆଉ ବିଶେଷ କେହି ଆସିଲେ ନାହିଁ । ଆଗପରି ସବୁବେଳେ ଗହଳଚହଳ ଲାଗିଲା ନାହିଁ । ତେବେ ଦିନରାତି ଏକାକାର କରି ଭରାଯୌବନରେ ସେହି କବିପତ୍ନୀ କମଳା ଦେବୀ ଜମିବାଡ଼ିରେ ଲୋକ ଲଗାଇ ଧାନ–ମୁଗ, ଫଳେଇବାରେ ସଫଳ ହୋଇଥିଲେ । ଏତଦ୍‌ଭିନ୍ନ କୋଉଠି ମାଟିଆଳୁ, କୋଉଠି କଖାରୁ, କୋଉଠି ଲଙ୍କା ଗଛଟାଏ, କୋଉଠି ଅମୃତଭଣ୍ଡା, ଲେମ୍ବୁ, କୁନ୍ଦୁରି ଇତ୍ୟାଦି ଯାବତୀୟ ଗଛ ସେ ଲଗାଇଥିଲେ । ଗଛମାନେ ତାଙ୍କୁ ଭଲ ପାଉଥିଲେ କି ତାଙ୍କ ଦୁଃଖ ଜାଣୁଥିଲେ କି କ’ଣ କେଜାଣି, ମନଇଚ୍ଛା ଫଳ, ପନିପରିବା ହେଉଥିଲା । ମୋଟଉପରେ କହିଲେ ସେ କାହାରିଠାରେ ହାତ ପତଉ ନଥିଲେ । ନଡ଼ିଆ ବିକି, ତା’ କତାରେ ରସି କରି, ପୁଣି ଖଡ଼ିକାରେ ଝାଡ଼ୁ କରି ବିକୁଥିଲେ, ନହେଲେ ତା’ ପ୍ରତିବଦଳରେ କୋଉ ଦିନ ପିଲାଙ୍କପାଇଁ ଚୁନାମାଛ ଟିକେ ତ କୋଉଦିନ ପାଏ ଶାଗୁଆତି ନେଇ ଆସୁଥିଲେ ।

 

ପିଲାମାନେ ଖୁସ୍ ଥିଲେ । ସେଇମାନଙ୍କ କଥାବାର୍ତ୍ତା ହୋହଲ୍ଲା, ପାଠପଢ଼ା ଇତ୍ୟାଦିରେ ଖଞ୍ଜା ଉଚ୍ଛୁଳି ପଡ଼ୁଥିଲା । ସେମାନେ ବା କାହିଁ ଜାଣନ୍ତେ କମଳାଦେବୀ କେମିତି ପିଠିପେଟ, ଦିନରାତି ଏକାକାର କରି ସେମାନଙ୍କ ସୁଖ ଟିକକପାଇଁ ନିଜକୁ ଅଜାଡ଼ି ଦେଇଥିଲେ ।

 

ମାସକରେ ନିତାନ୍ତ ଥରେ ସେ ଯୋଗୀନାଥଙ୍କ ଟ୍ରଙ୍କ୍‍ର ଚାବି ଖୋଲୁଥିଲେ, କାଗଜ ଭାଙ୍ଗ ଖୋଲି ଗୋଟେ ଦୁଇଟା କବିତା ଲଣ୍ଠନ ଆଲୋକରେ ପଢ଼ୁଥିଲେ, ଦି’ଟୋପା ଲୁହ ଗଡ଼ଉଥିଲେ, କାଗଜକୁ ପୁଣି ଚାରି ଚଉତା କରି ଟ୍ରଙ୍କ୍‍ରେ ରଖି ଚାବି ପକାଉଥିଲେ । ଏ ମଝିରେ ମଝିରେ ଠାକୁରଘର ଖଟୁଲି ତଳକୁ ଥିବା ପତଳା ପଥର ଟେକି ଗୋଟେ ଗଡ଼ୁ ଭିତରେ ଥିବା ତାଙ୍କ ନିଜର, ପୁଣି ଶାଶୁ ଦେଇଥିବା କିଛି ଗହଣାକୁ ଓଲଟପାଲଟ କରି ଦେଖୁଥିଲେ । ତାଙ୍କ ଦୁଇ ଝିଅଙ୍କପାଇଁ କଷ୍ଟେମଷ୍ଟେ କାମ ହୁଏତ ଚଳିଯିବ, ହେଲେ ଦୁଇ ବୋହୂଙ୍କୁ କ’ଣ ଦେବେ ସେ କଥା ଭାବିଲେ କାନମୂଳ ଝାଇଁଝାଇଁ କରୁଥିଲା ।

 

ସମୟ ଏକ ଅଜବ ଜିନିଷ, ରୂପରେଖ ନାହିଁରେ !

 

ସମୟ ଏକ କଦଳୀଗଛ ଅବୋଲକରା । ହେଇ, ଏଡ଼ିକି କୁନି ଗଛଟିଏ ଥିବ । ଚାହୁଁଚାହୁଁ ବଡ଼ଗଛ ହେଇଯିବ । କାନ୍ଦି ବାହାରିବ, ଭଣ୍ଡା ଛାଡ଼ିବ, ଭଣ୍ଡାକୁ ରାଇକରି ଲୋକେ ଖାଇବେ । ପରେ ପରେ କଦଳୀ ପାଚିଯିବ, ହୁଏତ ଶିରିଣି ହେବ, ପୁଣି ଗଛଟାକୁ ଚିରି ମଞ୍ଜାବି ଖାଇବେ । ଗଛର ଗଣ୍ଡି ଓ ପଳଖ ସେଇଠି ପଡ଼ିଥିବ । ପଚି ଗନ୍ଧ ଛାଡ଼ିବ ।

 

ସମୟ ସେମିତି ।

 

କମଳା ଦେବୀଙ୍କ କପାଳର ଆଖପାଖ କେଶ ଧଳା ହୋଇଆସିଲା । ମୁହଁର ହସ ଆହୁରି ସୁନେଲି ଦିଶିଲା । ଭଲମନ୍ଦ ହୋଇ ଦୁଇ ଝିଅ ବାହା ହୋଇଯାଇଥିଲେ । ସାନପୁଅ ଦିବାକର କଲିକତା ଯାଇ ସେଇଠି କିଛି ଛୋଟମୋଟ କାମ କରିବା ସହ କିଛି ପାଠପଢ଼ା ତଥାପି ଚାଲୁ ରଖିଥିଲା ।

 

ବଡ଼ପୁଅ ପ୍ରଥମେ ମାଷ୍ଟର ହୋଇଥିଲା ଏକ ଘରୋଇ ସ୍କୁଲ୍‍ରେ, ତା’ପରେ ସେଇଠି ଥାଇ ଏମ୍.ଏ. ଦେଇଥିଲା, ରାଉରକେଲାରେ ଗୋଟେ କଲେଜରେ ଅଧ୍ୟାପକ ହୋଇଥିଲା । ବଡ଼ର ଅର୍ଥାତ୍ ନିରାକାରର ଏମ୍.ଏ. ପରୀକ୍ଷାବେଳକୁ ଖୁବ୍ ସରୁ ପଟେ ସୁନାଚୁଡ଼ି ବିକିବାକୁ ପଡ଼ିଥିଲା କମଳା ଦେବୀଙ୍କୁ ।

 

ବାହାଘର ପାଇଁ ଝିଅ ଦେଖିବାକୁ ଆସିଥିଲା ନିରାକାର ଘରକୁ ଖରାଛୁଟିରେ । ଏତେବେଳକୁ କାଗଜ କଲମର ବ୍ୟବହାର ଚାଲିଲାଣି । ସବୁଠାରୁ ବଡ଼କଥା ହେଉଛି, ସେହି ସମୟକୁ ହୁତ୍‍ଖୋଳ ରାଜ୍ୟରେ ଅନ୍ୟୂନ ଦଶବାରଟି ସାହିତ୍ୟ ପତ୍ରିକା ବାହାରିଲାଣି ଚାରି/ପାଞ୍ଚଟି ମାସିକ, ଦୁଇ ଦ୍ୱିମାସିକ ଏବଂ ବାକି ତ୍ରୈମାସିକ । ଘରକୁ ଆସିବା ସମୟରେ ରାଉରକେଲାରେ କିଣିଥିବା ଚାରିଟି ପତ୍ରିକା ସାଙ୍ଗରେ ଆଣିଥିଲା ଶିକ୍ଷକରୁ ଅଧ୍ୟାପକ ହୋଇଥିବା ନିରାକାର । ସେହି ସବୁ ପତ୍ରିକାଗୁଡ଼ିକୁ ବଡ଼ ଆଗ୍ରହରେ ପଢ଼ିଲେ କମଳାଦେବୀ । ଦିନେ ଖରାବେଳେ କି ଗୋଟେ ପତ୍ରିକା ପଢ଼ୁଥିବାବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିବା ଦେଖି ପୁଅ ନିରାକାର କାରଣ ପଚାରନ୍ତେ ଛଳଛଳ ଆଖିରେ ମା’ ତାଙ୍କର ଉତ୍ତର ଦେଇଥିଲେ, ‘ଯଦି ସେତେବେଳେ ମାନେ ଯେତେବେଳେ ତୋ ବାପା ଲେଖାଲେଖି କରୁଥିଲେ, ଏମିତି ସୁନ୍ଦର ପତ୍ରପତ୍ରିକାମାନ ବାହାରୁଥାନ୍ତା, ତେବେ ତୋ’ ବାପାଙ୍କର କେତେକେତେ କବିତା, ନାଟକ, ଭଜନ ଇତ୍ୟାଦି ପ୍ରକାଶ ପାଇଥାନ୍ତା । ସେତେବେଳେ ତାଙ୍କର ଏଇ ଚାରିପାଞ୍ଚ ପଞ୍ଚାୟତରେ ଯୋଉ ଆଦର ସମ୍ମାନ, ସେକଥା କହନା । ହେଲେ ଆଜିକାଲିକା ସମୟ ହୋଇଥିଲେ ସାରା ରାଜ୍ୟରେ ତାଙ୍କର ସୁନାମ ରଟିଥାନ୍ତା । ରାଇଜଯାକର ଲୋକେ ତାଙ୍କୁ ଜାଣିଥାନ୍ତେ ।'

 

କମଳା ଦେବୀ ଶାଢ଼ି କାନିରେ ଆଖି ପୋଛିଥିଲେ ।

 

ସେଇ ମୁହୂର୍ତ୍ତରେ, ମାନେ ଠିକ୍ ସେଇ ମୁହୂର୍ତ୍ତରେ ନିରାକାରର ମନ ଭିତରେ ଖେଳିଗଲା ଏକ ଅତି ବିଚିତ୍ର ଯୋଜନା । ଅବଶ୍ୟ ସ୍କୁଲ୍‍ରେ ଦଶମ ଶ୍ରେଣୀରେ ପଢ଼ିବା ପରଠାରୁ ସେ ନିଜ ଭିତରର ଏହି ଅଜବ ଗୁଣକୁ ଚିହ୍ନି ପାରିଥିଲା । ଖୁବ୍ ଭଲ କଥାରୁ ପୂରା ଅଲଗା ପ୍ରକାରର ମାନେ ଟିକେ ଖଳମିଶା ଯୋଜନା ତା’ ମୁଣ୍ଡକୁ ଢୁକେ ଏବଂ ସମୟ ସୁବିଧା ଦେଖି ତାହା କାର୍ଯ୍ୟକାରୀ କରିବାରେ ସେ ଲାଗିଯାଏ । କ୍ରମେ ବୟସ ବଢ଼ିବା ସହ ଏହି ବିଚିତ୍ର ଗୁଣ ମଧ୍ୟ ସମାନୁପାତିକଭାବେ ଭିତରେ ଭିତରେ ବିକଶିତ ହେଲା । ଅବଶ୍ୟ ଏହା ସତ୍ୟ ଯେ ନିରାକାରର ମା' କମଳା ଦେବୀ ପୁଅର ଏହି ଗୁଣ ସମ୍ପର୍କରେ ଜାଣିପାରିଥିଲେ ।

 

ମୁହୂର୍ତ୍ତକ ମଧ୍ୟରେ ନିଜ ମନ ଭିତରେ ସେହି ଅଦ୍ଭୁତ ଯୋଜନାର ଏକ ଖସଡ଼ା ପ୍ରସ୍ତୁତ କରିସାରି ନିରାକାର ମା’ଙ୍କୁ କହିଥିଲା, ‘ଏବେବି ବାପାଙ୍କ ଲେଖା ସବୁକୁ ମାନେ ନିହାତି କମ୍‍ରେ କବିତା ସବୁକୁ କ୍ରମାନ୍ୱୟେ ପତ୍ରପତ୍ରିକାରେ ପ୍ରକାଶ କରାଯାଇପାରିବ । ତୁମେ ସବୁ କବିତାଗୁଡ଼ିକ ମୋତେ ଦିଅ, ମୁଁ ସେ ସବୁକୁ ଗୋଲ ଗୋଲ ଅକ୍ଷରରେ ଲେଖି ପତ୍ରିକାମାନଙ୍କୁ ପଠାଇବି, ଦେଖିବ ପ୍ରକାଶ ପାଇବ !’

 

ପୁଅର ଏପରି ବିଚିତ୍ର ପ୍ରସ୍ତାବରେ ମା’ ହସିଥିଲେ । କହିଥିଲେ, ‘କିଏ କାହିଁ ଜଣେ ବଞ୍ଚି ନଥିବା ମଣିଷର ଲେଖା ପ୍ରକାଶ କରିବ, କହୁନୁ ? ଲେଖକର ନାଁ ପୂର୍ବରୁ କ'ଣ ସ୍ୱର୍ଗତଃ ଚିହ୍ନ ଦେବେ ସଂପାଦକମାନେ ? ତା'ଛଡ଼ା ଇଏ ସବୁ ଆଜିକାଲିର ପତ୍ରପତ୍ରିକାରେ ଯୋଉ ପ୍ରକାର କବିତା କି ପ୍ରବନ୍ଧ କି ଗପ ସବୁ ପ୍ରକାଶ ପାଉଛି, ମାନେ ମୁଁ ଯାହା ଯେତିକି ପଢ଼ି କିଛି କିଛି ଧାରଣା କରିଛି, ସେଥିରୁ ଜାଣୁଛି ଯେ ତୋ' ବାପାଙ୍କ ଲେଖାସବୁ ଆଜିକାଲି ସାହିତ୍ୟ ପତ୍ରିକାରେ ବାହାରିବା ପାଇଁ ଫିଟ୍ ନୁହନ୍ତି । ତୁ ଗୋଟାଏ କାମ ଅବଶ୍ୟ କରିପାରିବୁ ଯେ ବାପାଙ୍କର ସବୁ କବିତାକୁ ନେଇ ଗୋଟେ ବହି, ଭଜନ–ଜଣାଣକୁ ନେଇ ଗୋଟେ ବହି, ଆବାହନୀ ସଙ୍ଗୀତ–ବା’ ଘର+ବ୍ରତଘର+ଜନ୍ମଦିନ ଗୀତକୁ ନେଇ ଗୋଟେ ବହି, ଆଉ ସବୁ ବାକି ଲେଖାମାନଙ୍କୁ ନେଇ ଗୋଟେ ବହି ଛପେଇ ପାରିବୁ । ଅବଶ୍ୟ କିଛି ଟଙ୍କା ଖର୍ଚ୍ଚ ହେବ । ହେଲେ ସେଇଆ କଲେହିଁ ତୋ' ବାପାଙ୍କ ଆତ୍ମାଶାନ୍ତି ପାଇବ ।’

 

‘ଆପଣ ଆଜିକାଲିକା ପ୍ରକାଶକଙ୍କ କଥା କୁହନ୍ତୁ ନାହିଁ ମା', ନିରାକାର ନିଜର ମା’ଙ୍କୁ ବହି ପ୍ରକାଶନର ଗୁମର କଥାତକ ବୁଝାଇବାରେ ଲାଗିଲା, ‘ହୁତ୍‍ଖୋଳ ରାଜ୍ୟର ରାଜଧାନୀରେ ସ୍ଥାନିତ ଅଧିକାଂଶ ପ୍ରକାଶକମାନେ ଏପରି ଏକ ଚମତ୍କାର ପରମ୍ପରା ଆରମ୍ଭ କରିଛନ୍ତି, ଯାହା ସମଗ୍ର ଦେଶରେ ଆଦର ଲାଭ କରିଛି ମା’ ! ପ୍ରାୟ ନବେ ଭାଗ ପ୍ରକାଶକ ଏହି ପରମ୍ପରାରେ ସାମିଲ ହୋଇଛନ୍ତି । ଯେଉଁ ଦଶ ଭାଗ ସାମିଲ ହୋଇ ନାହାନ୍ତି, ସେମାନେ ପ୍ରକାଶକ–କୁଳ–କଳଙ୍କ ବୋଲି ପରିଗଣିତ ହେଉଛନ୍ତି !'

 

‘ଏହି ନବେ ଭାଗ ଓ ଦଶ ଭାଗ ଅର୍ଥ କ’ଣ ?' କମଳାଦେବୀ ପ୍ରଶ୍ନ କରିଥିଲେ ।

 

‘ନବେ ଭାଗ ପ୍ରକାଶକ ଦରଦାମ୍ ମୂଲଚାଲ କରୁଛନ୍ତି; କେତେ ପୃଷ୍ଠାର ବହି ହେବ, ପ୍ରଚ୍ଛଦ କେତେ ରଙ୍ଗ ବିଶିଷ୍ଟ ହେବ, କେଉଁ ମାନର କାଗଜରେ ଛପାଯିବ ଇତ୍ୟାଦି ଆଧାରରେ ସେମାନେ ଟଙ୍କା ନେଇ ବହି ପ୍ରକାଶ କରୁଛନ୍ତି । ନିହାତି ପ୍ରସିଦ୍ଧ ଲେଖକ ଅଥବା ଉଚ୍ଚପଦବୀଧାରୀ ହୋଇ ନଥିଲେ ସେମାନେ ମାଗଣାରେ ବହି ଛାପିବେ ନାହିଁ । ତେବେ ସେମାନଙ୍କ ଦାବି ମୁତାବକ ଅର୍ଥ ପ୍ରଦାନ କଲେ ଯେକୌଣସି କିସମର ବହି ସେମାନେ ଛାପି ଦେଉଛନ୍ତି ! ଜାଣିଲ ମା’–ଆପଣ କହିବା ମୁତାବକ ଯଦି ଆମେ ଚାରି / ପାଞ୍ଚଟି ସାମାନ୍ୟ ବଡ଼ ଅର୍ଥାତ୍ ଦୁଇଶହ ପୃଷ୍ଠାର ବହି କରିବା, ତେବେ ଏହା ସ୍ୱାଭାବିକ ଯେ ଖଣ୍ଡେ ବହି ପିଛା ଚାଳିଶ ହଜାର ହିସାବରେ ଆମକୁ ଦୁଇଲକ୍ଷ ଟଙ୍କା ନଗଦ ବ୍ୟୟ କରିବାକୁ ପଡ଼ିବ । ଆମର ସେ ବିପୁଳାର୍ଥ ବ୍ୟୟ କରିବାର କ୍ଷମତା ନାହିଁ । ମୁଁ ଅଧ୍ୟାପକ ହୋଇଛି ସତ, କିନ୍ତୁ ମୋର ପ୍ରକୃତ ରୋଜଗାର ବିଷୟ ତୁମେ ଜାଣନାହିଁ ମା’ ! ବିଭିନ୍ନ ଉପାୟ ଅବଲମ୍ବନ କରି ମୁଁ ଅଧିକ କିଛି ରୋଜଗାର ଜାରି ରଖିଛି, ଏହା ସତ୍ୟ; ତେବେ ପିତାଙ୍କ ଅପ୍ରକାଶିତ ରଚନା ସବୁକୁ ବର୍ଗୀକୃତ ଓ ସଂକଳିତ କରି ପ୍ରକାଶ କରିବା ଦିଗରେ ତାହା ପର୍ଯ୍ୟାପ୍ତ ନୁହେଁ ! ସୁତରାଂ...'

 

ପୁଅର କଥାରେ ବାଧାଦେଇ କମଳାଦେବୀ ପ୍ରଶ୍ନ କଲେ, ‘ତୁ ଯେ ଏଇମାତ୍ର କହିଲୁ । ରାଜଧାନୀର ନବେଭାଗ ପ୍ରକାଶକ ଅର୍ଥ ପାଇଲେ ଯେକୌଣସି କିସମର ବହି ପ୍ରକାଶ କରୁଛନ୍ତି, ତା’ର ପ୍ରକୃତ ଅର୍ଥ କ'ଣ ? ଯେକୌଣସି କିସମର ଅର୍ଥ ବୁଝାଅ !’

 

ନିରାକାର ନିଜର ମା’ଙ୍କୁ ସବୁକଥା ସଂକ୍ଷେପରେ ବୁଝାଇଥିଲା ! ଯେ–

 

ରାଶିଫଳ, ରୋଷେଇ ପ୍ରଣାଳୀ, ସିଲେଇ ଶିକ୍ଷା, ଆଚାର ତିଆରି କୌଶଳ, ପକେଟ୍‌ ମାରକୁ ଧରିବେ କିପରି, ନିଦ ହେଉ ନଥିଲେ କ’ଣ କରିବେ, ନାରୀ ଜୀବନର ସାର୍ଥକତା, ପୁରୁଷ ଜୀବନର ଅସାରତା, ଗର୍ଭାବସ୍ଥାରେ ଶିଶୁର ଯତ୍ନ, ବନ୍ଧୁ ଚର୍ଚ୍ଚା କରିବାରେ ଏକଶହ ଏକଟି ଉପାୟ, ଘରେ ବସି ଟିଭି ମେକାନିକ୍ ହେବାର ସରଳ ଉପାୟ, ସରଳ ଫଟୋଗ୍ରାଫି ଶିକ୍ଷା, ନୂଆ ଜାଗା କିଣୁଛନ୍ତି କି, ଘରର ଛାତ ପକାଇବା ପୂର୍ବରୁ, ସ୍ଵାର୍ଥପର ଜାତିର ଲୋକଙ୍କ ଶହେଟି ଲକ୍ଷଣ ଇତ୍ୟାଦି କିସମର ବହିପ୍ରତି, ପ୍ରକାଶକ ଓ ବିକ୍ରେତାମାନଙ୍କର ଯଥେଷ୍ଟ ଆଦର ରହିଛି । ଏସବୁ ପ୍ରଜାତିର ପୁସ୍ତକମାନଙ୍କର ଲେଖକ–ଲେଖିକାମାନଙ୍କୁ କିଛି ଅଗ୍ରିମ ଅର୍ଥ ମିଳିଥାଏ । ଏକଥାର ମଧ୍ୟ ପ୍ରମାଣ ରହିଛି, ଉଦାହରଣବି ରହିଛି ଯେ, ଅନେକ ଜଣାଶୁଣା ସାହିତ୍ୟିକ ଏପ୍ରକାର ପୁସ୍ତକ ରଚନାରେ ଥରେ ଅଧେ ହାତ ଦେଇଛନ୍ତି । ଆହୁରି ଅନେକ ଅତ୍ୟନ୍ତ ପ୍ରତିଭାଶାଳୀ ବ୍ୟକ୍ତି ବିଭିନ୍ନ ନଗର, ସହରମାନଙ୍କରେ ପରିଦୃଷ୍ଟ ହେଉଥିଲେ, ଯେଉଁମାନେ କି କୁନି କୁନି ସମ୍ବାଦପତ୍ରମାନଙ୍କରେ ଅନେକ ଜ୍ଞାନ ଗର୍ଭକ ପ୍ରବନ୍ଧମାନ ଲେଖି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ଖ୍ୟାତି ସୁଗନ୍ଧରାଜ ଫୁଲପରି ପରିବ୍ୟାପ୍ତ ହୋଇଥିଲା । ଏମାନେ ଲେଖୁଥିବା କେତେକ ପ୍ରବନ୍ଧର ନାମ ହେଉଛି ଏହିପରି : ଇରାକ୍‍ପାଇଁ ଆମେରିକା କ’ଣ କରିବା ଉଚିତ, ପାକିସ୍ଥାନ–ଚୀନ ସମ୍ପର୍କରେ ଭାରତ ଭିଲେନ୍ କି, ନୂଆରୋଗରେ ଆଫ୍ରିକା ଆକ୍ରାନ୍ତ କାହିଁକି, ଡଲାରର ଆଧିପତ୍ୟ ହଟାଯାଉ, ପୁଣି ବିବେକାନନ୍ଦ ଜନ୍ମ ନିଅନ୍ତେ କି ଇତ୍ୟାଦି ! ନିଜର କଳ୍ପନା ଶକ୍ତିର ବ୍ୟାପକ ପ୍ରୟୋଗ କରି ତଥା ସେଲୁନ୍ ଓ କେତେକ ଦୋକାନରୁ ଅନ୍ୟାନ୍ୟ ଖବରକାଗଜ ପଢ଼ି ଏମାନେ ଲେଖିବାରେ ସମର୍ଥ ହେଉଥିଲେ । ଏତେକଥା କହିବାର ଲକ୍ଷ୍ୟ ଏହି କି ଏହି ସ୍ତମ୍ଭକାରମାନେହିଁ ପ୍ରକାଶକମାନଙ୍କର ଅତି ପ୍ରିୟ ଥିଲେ । ଅଗ୍ରିମ ଅର୍ଥ ଗ୍ରହଣ କରିବାର ଏକରୁ ତିନି ସପ୍ତାହ ଭିତରେ ଏମାନେ ପାଣ୍ଡୁଲିପି ପ୍ରଦାନ କରୁଥିଲେ ! ବହି ପ୍ରକାଶ ପାଇବାରେ ବିକ୍ରେତାବି ପ୍ରଭୂତ ସୁଖ ପାଉଥିଲେ ।

 

ଗଳ୍ପକ ନନା ଏତେ କଥା କହିସାରି ମୁର୍କିହସାଟେ ମାରି ବୁଝାଇଲେ, ‘ବୁଝିଲ ଅବୋଲ ପ୍ରତିଭାବାନ ଗାଳ୍ପିକ, କବି, ନାଟ୍ୟକାର, ପ୍ରାବନ୍ଧିକ ଓ ଔପନ୍ୟାସିକମାନେ ନିଜର ବହିଟେ ପ୍ରକାଶ କରିବାପାଇଁ ବାରଦୁଆର ଡ୍ୟାସ୍ ପିଣ୍ଡା ହେଉଥିଲେ ବୋଲି ନିରାକାର ତା’ର ମା’ କମଳାଦେବୀଙ୍କୁ ବୁଝାଇଥିଲା । ତେଣୁ ଦିବଂଗତ ତା’ର କବି–ପିତାଙ୍କ ଅପ୍ରକାଶିତ ପାଣ୍ଡୁଲିପିକୁ କେହି ପ୍ରକାଶକ ପ୍ରକାଶ କରିବାକୁ ଆଗେଇ ଆସିବେ ନାହିଁ ବୋଲି କହନ୍ତେ କମଳାଦେବୀ ଦୁଃଖିତା ହୋଇଥିଲେ । ଅତଏବ, ଦିବଂଗତ ପିତା ଯୁଗ ଉପଯୋଗୀ ବହି ଲେଖି ନାହାନ୍ତି ବୋଲି କହୁ କହୁ କମଳା ଦେବୀ ବିରୋଧ କରିଥିଲେ । ସବୁ ଦିଗରୁ ବିଚାର କରି ନିରାକାର ନିଜ ନିଷ୍ପତ୍ତି ମା’ଙ୍କୁ ଶୁଣାଇଥିଲା ଯେ, ପ୍ରାଥମିକଭାବେ ଗୋଟେ କାମ କରାଯାଇପାରେ ଯେ କିଛି ପତ୍ର ପତ୍ରିକାମାନଙ୍କୁ କବିତା ଭଜନ ଇତ୍ୟାଦି ପ୍ରେରଣ କରାଯାଇପାରେ । ପ୍ରଥମେ ଅପେକ୍ଷାକୃତ କୁନି ପତ୍ରିକାମାନଙ୍କରେ ଲମ୍ବା ଚୌଡ଼ା କବି ପରିଚୟ ସହ କବିତା ପ୍ରକାଶ ପାଉ, ତା’ପରେ ବଡ଼ ପ୍ରତିଷ୍ଠିତମାନଙ୍କ କଥା ଦେଖାଯିବ । ପୁତ୍ର ନିରାକାର ଏକଥା ମଧ୍ୟ ମାଆଙ୍କୁ ବୁଝାଇଥିଲା ଯେ କୁନି ପତ୍ରିକାକୁ ସର୍ବନିମ୍ନ ଏକ ହଜାର ଟଙ୍କା ପ୍ରଦାନ କରାଗଲେ ସାହିତ୍ୟ ଜଗତ ପ୍ରତି ଆନୁଗତ୍ୟ ପ୍ରକାଶ କରାଯିବା ସହ ରଚନା ପ୍ରକାଶିତ ହେବାର ପଥ ସୁଗମ ହୋଇପାରିବ । ମାଆ କମଳାଦେବୀ ପ୍ରଥମେ ଅନିଚ୍ଛାପ୍ରକାଶ କଲେହେଁ ପରେ ସମ୍ମତି ପ୍ରଦାନ କରିଥିଲେ । ତତ୍ପରେ ପ୍ରଥମେ କୁନି କୁନି ପତ୍ରିକା ଓ କ୍ରମେ ମଧ୍ୟମ ବର୍ଗୀୟ ପତ୍ରିକା ଓ ବଡ଼ ପତ୍ରିକାରେ ‘ଦିବଂଗତ କବି ଅଲେଖ ଯୋଗୀନାଥଙ୍କ ଅମର କବିତା’ ମୁଖ୍ୟ ଶିର–ନାମାରେ କବିତାର ଶୀର୍ଷକ ସହ କବିତାମାନ ପ୍ରକାଶିତ ହେଲା । କମଳାଦେବୀ ସ୍ୱର୍ଗତ ସ୍ୱାମୀଙ୍କ ନାମ ପତ୍ରପତ୍ରିକାରେ ଥରକୁଥର ଅନେକ ଥର ଦେଖି ପ୍ରୀତା ହୋଇଥିଲେ !’

 

ଜଳପାନ କରିବା ନିମନ୍ତେ ଗଳ୍ପକ ବିଶ୍ରାମ ନେବାକ୍ଷଣି ଅବୋଲ ତାଙ୍କଠାରୁ ଅନୁମତି ନେଇ ପଚାରିଲା, ‘ମୋର ସନ୍ଦେହ ମୋଚନାର୍ଥେ ମୁଁ କେତୋଟି ପ୍ରଶ୍ନ ପଚାରିବି । ତାହା ହେଲା, ପ୍ରଥମ : ବାରଦୁଆର ଡ୍ୟାସ୍ ପିଣ୍ଡା ବୋଲି ଆପଣ ଟିକେ ଆଗରୁ କହିଲେ, ଏଠାରେ ଡ୍ୟାସ୍ ଜାଗାରେ କେଉଁ ଶବ୍ଦ ଲାଗିବ ? ଦ୍ୱିତୀୟ : ଆପଣ କହିଲେ ଶିର–ନାମା, ପ୍ରକୃତ ଶବ୍ଦଟି ସେଇଆ ନା ଏହା ଶିରୋନାମା ବା ଶିରୋନାମ ? ତୃତୀୟ : ଯେତେ ପ୍ରକାର ପୁସ୍ତକ ପ୍ରକାଶ କରିବାପାଇଁ ପ୍ରକାଶକମାନେ ଆଗ୍ରହୀ ହୋଇଥାନ୍ତି ବୋଲି ଆପଣ ନିରାକାରର ମୁହଁରେ ଶୁଣାଇଲେ, କେବଳ ସେତିକି ପ୍ରକାରର ନା ଆଉ କିଛି ଆପଣ ଛପେଇ ରଖିଲେ ?'

 

ଗଳ୍ପକ ନନା ସ୍ମିତହସି ଉତ୍ତର ଦେଲେ, ‘ତୁମର ପ୍ରଥମ ପ୍ରଶ୍ନଟି ଅତ୍ୟନ୍ତ ବିତଣ୍ଡା ପ୍ରଜାତିର-। ତେବେ ତୁମେ ଡ୍ୟାସ୍ ଜାଗାରେ ବ୍ରାହ୍ମଣ ବା ଚାଷୀ ଶବ୍ଦ ଲଗାଇପାର; ଅନ୍ୟ କିଛି ଲଗାଇବା ଉପରେ କଟକଣା ନଥିଲେବି ସମସ୍ୟା ଅଛି । ଏସବୁ ଭିନ୍ନ ତୁମେ ଡ୍ୟାସ୍ ଜାଗାରେ ପକ୍କା, ମାଟି, ମାର୍ବଲ ବା ମୋଜାଇକ ପରି ଶବ୍ଦମାନଙ୍କ ମଧ୍ୟରୁ ଗୋଟିଏ ଲଗାଇ ପାରିବ । ତେବେ ତାହା ହେବ ବାରଦୁଆର ପକ୍କା ପିଣ୍ଡା ବା ମାଟି ପିଣ୍ଡା ଇତ୍ୟାଦି । ସମୟର ଆହ୍ୱାନରେ ଆମେ ଢଗଢ଼ମାଳିରେ ମଧ୍ୟ ପରିବର୍ତ୍ତନ କରାଇପାରିବା ଏବଂ ତୁମର ତୃତୀୟ ପ୍ରଶ୍ନ ସମ୍ପର୍କରେ ଏତିକି କହିବି ଯେ ଏପରି ପ୍ରଶ୍ନ ପଚାରିବ ବୋଲି ଅନେକ କ୍ଷଣ ଧରି ତୁମର ଜିଭ ଖଲଖଲ ହେଉଅଛି । ତେବେ ପୁଅର ମୁହଁରେ ମା’ ସାମ୍ନାରେ ତ ସେସବୁ କୁହାଯାଇପାରିବ ନାହିଁ । ଏବେ କହୁଛି ଶୁଣ । ଏହି ପ୍ରଶ୍ନଟି ଅବଶ୍ୟ ମଧ୍ୟ ପ୍ରଜାତିର ପ୍ରଶ୍ନ । ଯେଉଁ ପ୍ରକାଶକମାନଙ୍କ କଥା କୁହାଯାଇଛି, ତନ୍ମଧ୍ୟରୁ ଅନେକ ଛୋଟ ଛୋଟ ପ୍ରେସ୍‌କୁ ହାତରେ ରଖି ହଜାର ହଜାର ସଂଖ୍ୟାରେ ଗୋରୀ ଝିଅର ଦେହ, ରାତି ପିଆସୀ, ସାତ ଦିନରେ ସାତ ପ୍ରକାର, କାମ କରିବ ଆସ, ରସବତୀ ଘରେ ରାତ୍ରିଯାପନ ଇତ୍ୟାଦି କିସମର ବହି ରାଜ୍ୟର କୋଣ ଅନୁକୋଣରେ ଉପଲବ୍ଧ କରାଉଥିଲେ ।’

 

‘ଏସବୁ ପୁସ୍ତକ କେଉଁମାନେ ଲେଖୁଥିଲେ ?' ଅବୋଲକରା ପଚାରିଲା ।

 

‘ଯାହାର ହାତ ଥିଲା ଓ କିଛି ପ୍ରକାଶକ ଚିହ୍ନ ଥିଲେ ଓ ଯିଏ ଉନ୍ମକ୍ତ ମନରେ ପ୍ରକାଶକକୁ ଏ ପ୍ରକାର ବହି ବାବଦରେ ସୂଚନା ଦେଇପାରୁଥିଲା ତଥା ସର୍ବୋପରି ଯାହାର ଲେଖକ ହେବାର ଇଚ୍ଛା ଥିଲା, ସେମାନେ ଲେଖୁଥିଲେ । କଳ୍ପନା ଶକ୍ତିର ବ୍ୟାପକ ପ୍ରୟୋଗ କରାଯାଇ ଏ ପ୍ରକାର ପୁସ୍ତକ ରଚନା ହେଉଥିଲା ।’

 

‘ତେବେ ଅତ୍ୟନ୍ତ ତଳସ୍ତରର ଲୋକେ ଏପରି ଲେଖୁଥିଲେ ?’

 

ଅବୋଲକରାର ଏପରି ପ୍ରଶ୍ନର ଉତ୍ତରରେ ଗଳ୍ପକ ବିରକ୍ତ ହୋଇ କହିଲେ, ‘ମୂଳକଥାଠାରୁ ମୋତେ ଦୂରେଇ ନେଇ ଏଣୁତେଣୁ ଗପାଇବା ତୁମର ଲକ୍ଷ୍ୟ । ତେବେ ଏହି ପ୍ରଶ୍ନର ଉତ୍ତରଦେଇ ସାରି ମୁଁ କାହାଣୀ କହିବି । ପ୍ରତି ମଣିଷ ଭିତରେ ଦେବତା ଓ ରାକ୍ଷସ ଉଭୟ ଅଛନ୍ତି । ଯିଏ ଆଧ୍ୟାତ୍ମ୍ୟବାଦର କଥା କହୁଛି, ସିଏ ଯେ ଆତଙ୍କବାଦୀ ନୁହେଁ, ୟାର ଗ୍ୟାରେଣ୍ଟି ନାହିଁ । ଅହୋରାତ୍ର ପୁରାଣ ଚର୍ଚ୍ଚକ ବ୍ୟକ୍ତି ରମଣ କରିବ ନାହିଁ ବୋଲି ଭାବିବାଟା ଆମର ଭୁଲ ନୁହେଁ କି ? ବାହାରେ ସଭ୍ୟ ଦୁନିଆରେ ପ୍ରଭୂତ ସମ୍ମାନରେ କାଳାତିପାତ କରୁଥିବା ବ୍ୟକ୍ତି ବ୍ରହ୍ମଚାରୀ ହେବା ଜରୁରୀ ନୁହେଁ । ଭୁଲ୍ ଆମର, ଯିଏ ଜଣେ ବ୍ୟକ୍ତିର କେତେକ ଉତ୍ତମ ଗୁଣକୁ ଆଧାର କରି ସମସ୍ତ ଉତ୍ତମ ଗୁଣକୁ ସେହି ବ୍ୟକ୍ତିଠାରେ ଆରୋପିତ କରିବାକୁ ଭଲପାଏ ! ବଡ଼ବଡ଼ ସାହିତ୍ୟ ପୁରସ୍କାର ବିଜେତା ଯେ କଞ୍ଚା ରତିକ୍ରୀଡ଼ାକୁ ନେଇ ପୁସ୍ତକଟେ ଲେଖିବ ନାହିଁ ବା ଲେଖିବା ଅନୁଚିତ; ଏପରି ଭାବିବା ଏକ ନିହାତି ଅଯୌକ୍ତିକ କଥା ବରଂ ଲେଖିଲେ ରୁଚି ସମ୍ପନ୍ନ ଯୌନକଥା, ରମଣ କଥା ଲେଖିବ । ନତୁବା ତିନି ଥରରେ ମାଟ୍ରିକ୍ ପାସ୍ କରି ଇରାନ୍–ଇରାକ୍ ଯୁଦ୍ଧ, ଆମେରିକାର ଅର୍ଥନୀତି, ସିରିଆ–ଇସ୍ରାଏଲ୍ ସମ୍ପର୍କ ଇତ୍ୟାଦି ବିଷୟରେ ସାରଗର୍ଭକ ପ୍ରବନ୍ଧ ସବୁ ସ୍ଥାନୀୟ କୁନି ଖବରକାଗଜରେ ଲେଖୁଥିବା ସ୍ତମ୍ଭକାର ସମୟ ସୁବିଧା ପାଇବାମାତ୍ରେ ‘ରସବତୀ ଘରେ ରାତ୍ରିଯାପନ’ ପରି ବହିଟେ ଲେଖିବ ! ତେବେ ତୁମର ଏସବୁକୁ ନେଇ ବିଶେଷ ଚିନ୍ତା କରିବା ଅନୁଚିତ, କାରଣ ପୃଥିବୀର ସବୁ ସମାଜରେ ଏପରି ଘଟିବାରେ ଲାଗିଛି, ଛାଡ଼ !’

 

ଅବୋଲ କହିଲା, ‘ଆପଣଙ୍କ ପରି ଜ୍ଞାନୀ ଗୁଣୀ ଗଳ୍ପକଙ୍କ ସହ ଏକତ୍ର କିଛି ସମୟ ବିତାଇଲେ ଏପରି ଅନେକ ଗୂଢ଼ତତ୍ତ୍ୱ ସହଜରେ ବୁଝି ହୋଇଯାଏ । ପତ୍ରିକା, ପୁସ୍ତକ, ପ୍ରକାଶକ, ସ୍ତମ୍ଭକାର ଓ ଅନ୍ୟାନ୍ୟ ବିଷୟରେ ଯେତେ କଥା ଜାଣି ମୁଁ ଆଜି ଧନ୍ୟ ହୋଇଛି । ଏଣିକି ଆପଣ ଆମର ମୂଳକଥା କହନ୍ତୁ । କବିପୁତ୍ର ନିରାକାର କଥା !’

 

ଆଉ ଗ୍ଲାସେ (ଏକ ଗ୍ଲାସ୍‌କୁ ଓଡ଼ିଆ କରଣ କରି) ପାଣି ପିଇସାରି ଖଣ୍ଡିକାଶ ମାରି ଗଳାସଫା କରି ଗଳ୍ପକ ମୂଳ କାହାଣୀ କହିବାରେ ଲାଗିଲେ ।

 

ଏଣିକି ପତ୍ର ପତ୍ରିକାରେ କବିତା ବିଭାଗରେ ଗୋଟେ ବିଚିତ୍ର ସ୍ତମ୍ଭ ଦେଖି ପାଠକମାନେ ପ୍ରଥମେ ବିସ୍ମିତ ଓ ପରେ ଆମୋଦିତ ହେଲେ । କବିତାର ଶୀର୍ଷକର ଟିକେ ଉପରକୁ ‘ଦିବଂଗତ କବି ଅଲେଖ ଯୋଗୀନାଥଙ୍କ ଏକ କାଳଜୟୀ ସୃଷ୍ଟି’ ବୋଲି ଲେଖାଟେ ବା ସୂଚନାଟେ ରହିଲା । ବାମ ପଟକୁ ଯୋଗୀନାଥଙ୍କର ଏକ ଇଞ୍ଚ୍ ବାହୁ ବିଶିଷ୍ଟ ବର୍ଗକ୍ଷେତ୍ରାକାର ଜାଗାରେ କ୍ଷୁଦ୍ର ଫଟୋଟିଏ ସ୍ଥାନ ପାଇଲା । ଏମିତି ରାଜ୍ୟର ଅନେକ ପତ୍ରିକାରେ ଦିବଂଗତ କବିଙ୍କ କାଳଜୟୀ କବିତାମାନ ପ୍ରକାଶିତ ହେଲା । ପ୍ରତିଟି କବିତା ପଛରେ ଏକ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଥିଲା । ନିରାକାର କେବେ ଦରମାରୁ ଦେଉଥିଲା ତ କେବେ ନିଜ ଟିଉସନ୍ ଉପାର୍ଜିତ ଅର୍ଥରୁ ଦେଉଥିଲା । ଅଧ୍ୟାପକମାନେ କିପରି ଦରମା ବ୍ୟତିରେକ ବେଶ୍ କିଛି ରୋଜଗାର କରିପାରୁଥିଲେ ଏବଂ କ’ଣ କଲେ ସେ ନିଜେ ସେପରି କରିପାରିବ, ସେ ଦିଗରେ ସାମାନ୍ୟ ମନଧ୍ୟାନ ଦେଲା ନିରାକାର । ଅର୍ଥାଗମ ହେଲା ସେହି ଅର୍ଥରେ ନିରାକାର ନିଜ ଦିବଂଗତ ପିତାଙ୍କ କାବ୍ୟଯାତ୍ରା ଜାରି ରଖିଲା । ଏଠାରେ ଅବଶ୍ୟ ଗୋଟିଏ କଥା ଜୋର୍ ଦେଇ କୁହାଯାଇପାରେ ଯେ କବିପତ୍ନୀ କମଳା ଦେବୀଙ୍କର ଏଥିରେ ପୂର୍ଣ୍ଣ ସମର୍ଥନ ନଥିଲା । ସେ ଅସନ୍ତୁଷ୍ଟ ହେଲେହେଁ ବିରୋଧ କରିପାରୁ ନଥିଲେ । ଏହାର କାରଣ ଥିଲା ଅତ୍ୟନ୍ତ ସରଳ । କବିତା ସହ ସ୍ଵାମୀଙ୍କର ଫଟୋଟିଏ ପତ୍ରିକାରେ ପ୍ରକାଶ ପାଉଥିବାରୁ ତାଙ୍କର ମନେ ହେଉଥିଲା ସତେ ଅବା ସ୍ୱାମୀ ପତ୍ରିକାର ପୃଷ୍ଠାରୁ ତାଙ୍କୁ ଅନେଇ କିଛି କହୁଥିଲେ !

 

ଏହିପରି ସାଢ଼େ ଚାରିବର୍ଷ ଭିତରେ ପ୍ରାୟ ଏକଶହ କୋଡ଼ିଏଟି କବିତା ପ୍ରକାଶିତ ହେଲା । ଏ ବାବଦରେ ନିରାକାର ଓ ତା’ ପରିବାରର କେତେ ଖର୍ଚ୍ଚ ହୋଇଥିଲା, ତାହା ତୁମେ ଖୁବ୍ ସହଜରେ ହିସାବ କରିପାରିବ ।

 

ଏହି କବିତା ପ୍ରକାଶ କରିବାର ପାଗଳାମି ଭିତରେ ନିରାକାରର ଭେଟ ହୋଇଥିଲା ଚପଳାଦେବୀଙ୍କ ସହ । ଏହି ମହାଶୟାଙ୍କର ଏକମାତ୍ର କନ୍ୟା ସ୍ଥାନୀୟ ମହାବିଦ୍ୟାଳୟରେ ଶିକ୍ଷାଲାଭ କରୁଥିଲା, ଯେଉଁଠାରେ ସଂଯୋଗବଶତଃ ନିରାକାର ଅଧ୍ୟାପନା କରୁଥିଲା । ଚପଳଦେବୀ ନାରୀ ଜୀବନର କଠୋରତମ ଦୁଃଖ ଭୋଗି ସାରିଥିଲେ ଅର୍ଥାତ୍ ତାଙ୍କର ସ୍ୱାମୀ ଇହଧାମ ତ୍ୟାଗ କରିସାରିଥିଲେ । ତେବେ ସହରରେ ତାଙ୍କର ଆଦର ଥିଲା, ଏଇଥିପାଇଁ ଯେ ସେ ନିଜେ ଏକ କ୍ଷୁଦ୍ର ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ ଯେଉଁଥିରେ ଦିବଂଗତ କବିଙ୍କ କବିତା ପ୍ରକାଶ ପାଉଥିଲା ତଥା ସେ ସର୍ବଦା ସହରର କବିତା ଆସରରେ ଉପସ୍ଥିତ ରହୁଥିଲେ । ସେହିପରି ଏକ ଆସରରେ ସେ ନିରାକାରର ପାଖ ଚୌକିରେ ବସିଥିବା ଅବସ୍ଥାରେ ନିରାକାର ତାଙ୍କୁ ସେହି ବିଚିତ୍ର ପ୍ରସ୍ତାବ ଦେଇଥିଲା ।

 

‘ମୁଁ କ’ଣ ଭାବିଛି’; ସେ କହିଥିଲା, ‘ଏହି ଆସରରେ ମୋ ବାପାଙ୍କ କବିତାଟେ ପଢ଼ାଯାଇପାରନ୍ତା ନାହିଁ ? ମାନେ ଦିବଂଗତ କବିଙ୍କ ଅଭୁଲା କବିତା ଅମୁକ ପାଠ କରିବେ ବୋଲି ସଂଯୋଜିକା ଘୋଷଣା କରନ୍ତେ, ତା'ପରେ କବିତାଟା’...ନିରାକାର ଅଟକିଯିବାକ୍ଷଣି ଚପଳାଦେବୀ ପ୍ରଶ୍ନ କଲେ, ‘ତା’ପରେ ?’

 

‘ଆପଣ କବିତାଟା ପାଠ କରି ଦିଅନ୍ତେ’; ନିରାକାର କହିବାରୁ ପ୍ରଥମେ ସଲ୍ଲଜ ଭାବ ପ୍ରକାଶ କରିଥିବା ଚପଳାଦେବୀ ପରେ ସେଇଆହିଁ କରିଥିଲେ । ଏହାପରେ ଅନେକ କବିତା ଆସରରେ ନିରାକାର ପୁରୁଷ, ନାରୀ, ତରୁଣ, ତରୁଣୀଙ୍କଦ୍ୱାରା ନିଜ ପିତାଙ୍କ କବିତା ପାଠ କରାଇ ଦେଉଥିଲା । ଏ ଦିଗରେ ଅବଶ୍ୟ ନିରାକାରକୁ କବିତା ଆସରର ଚା’/ ଥଣ୍ଡା ପାନୀୟର ଖର୍ଚ୍ଚ ତୁଲାଇବାକୁ ପଡ଼ୁଥିଲା । ଉପାୟଟି ଥିଲା ଅତ୍ୟନ୍ତ ସରଳ ।

 

ଏଠାରେ ଅବଶ୍ୟ ଗୋଟିଏ କଥା କହିବା ଆବଶ୍ୟକ ଯେ ପ୍ରଥମ ଥର ନିରାକାର ହାତରୁ କବିତାଟି ନେଇ ଉଠିବାବେଳେ ତାଙ୍କ ବାମ ବକ୍ଷ ପ୍ରଦେଶ ସମ୍ୟକ ବା ସଂକ୍ଷିପ୍ତଭାବେ ନିରାକାରର ଦକ୍ଷିଣ ହାତର ପାପୁଲିକୁ ଛୁଆଁଇ ଦେଇଥିଲେ । ନିରାକାର ପାଇଁ ଏକ ସଂକେତଟି ଥିଲା ଯଥେଷ୍ଟ ଅର୍ଥାତ୍ ଏଣିକି ଭବିଷ୍ୟତରେ କବିତା ପାଠ ଉତ୍ସବମାନଙ୍କରେ ସେ ହିଁ ନିରାକାରର ସାଙ୍ଗରେ ଯିବେ ଏବଂ ତାଙ୍କ ଦିବଂଗତ ପିତାଙ୍କ କବିତା ପାଠ କରିବେ ।

 

ଚପଳା ଦେବୀ ଏ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ ବୋଲି ନିରାକାର ମନରେ ଧାରଣାଟେ କରାଇବାରେ ସମର୍ଥ ହୋଇଥିଲେ । ନିଜର ଅନାମଧେୟ ପତ୍ରିକାରେ ସେ ଦିବଂଗତ କବିଙ୍କ କବିତା ସମ୍ପର୍କରେ କେତେକ ଆଲୋଚନା ନିଜେ ଲେଖି ନିଜ ନାଁରେ ତଥା କେତେକ ଭିନ୍ନ ଭିନ୍ନ ନାମରେ ପ୍ରକାଶ କରାଇଲେ । ଏ ପ୍ରକାର ଲେଖା ପ୍ରକାଶିତ ହେବାପରେ ପରବର୍ତ୍ତୀ କବିତା ଆସରରେ ପତ୍ରିକାରୁ ଶହେ ଦେଢ଼ଶହ ମାଗଣାରେ ବଣ୍ଟାଯାଉଥିଲା । କିଛି କବି ଓ ତଥାକଥିତ ଆଲୋଚକ ଚପଳାଦେବୀଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏଣିକି ଚପଳା ଦେବୀ ଏବଂ କବିପୁତ୍ର ଅନେକ ଆସରରେ ଦେଖିବାକୁ ମିଳିଲେ । ଖଳ ଏବଂ ଖୁସ୍ ମିଜାଜର କେହି କେହି କବି ଓ ବ୍ୟଙ୍ଗକାର ଏମାନଙ୍କୁ ଦେଖି, ‘ପରସ୍ପରର ପରିପୂରକ’ ଅବା ‘ମେଡ଼୍ ଫର୍ ଇଚ୍ ଅଦର’ ଅବା ‘ଜଡ଼ାତେଲ–ମେଣ୍ଢାବାଳ’ ବୋଲି କହିଥିଲେ ।

 

ଗଳ୍ପକ ନନା ମୁହୂର୍ତ୍ତକ ପାଇଁ ଅଟକିଯିବାରେ ଅବୋଲ ପଚାରିଲା, ‘ଏଇ ଜଡ଼ାତେଲ–ମେଣ୍ଢାବାଳ କଥାଟା କି ପ୍ରକାରର କଥା ? ଏପରି କହିବାରେ କି ଉଦ୍ଦେଶ୍ୟ ସାଧିତ ହୋଇଥାଏ ?’

 

ଗଳ୍ପକ କହିଲେ, ‘ମୁଁ ବାରମ୍ବାର ତୁମକୁ କହିଛି ଯେ ବିତଣ୍ଡା ପ୍ରଶ୍ନ ପଚାରିବାଦ୍ଵାରା କାହାଣୀ କହିବାର ପ୍ରକ୍ରିୟା ଘୋର ବାଧାପ୍ରାପ୍ତ ହୋଇଥାଏ । ସର୍ବଦା ସଚେତନ ଥାଅ ଯେ ଯଥାର୍ଥ ପ୍ରଶ୍ନ ପଚାରିବାଦ୍ଵାରା କାହାଣୀର ଗତିଶୀଳତା ତ୍ୱରାନ୍ୱିତ ହୋଇଥାଏ ତଥା ଶ୍ରୋତାର ସଂପୃକ୍ତିର ଗଭୀରତା ଜଣାପଡ଼ିଥାଏ । ତେବେ ତୁମର ସନ୍ଦେହ ମୋଚନାର୍ଥେ ଏତିକି କହିବି ଯେ ଜଡ଼ାତେଲ ଏକ ଅଠାଳିଆ ତେଲ ଏବଂ ମେଣ୍ଢାବାଳ ବା ରୁମର ବହଳତା ମଧ୍ୟ ଉଲ୍ଲେଖନୀୟ । ଥରେ ମେଣ୍ଢାର ବାଳ ଜଡ଼ା ତେଲର ସଂସ୍ପର୍ଶରେ ଆସିଲେ ଉଭୟ ମିଶି ଏପରି ବିଣ୍ଡା ସୃଷ୍ଟି ହେବ ଯେ ଜଗତର କୌଣସି ଉପାଦାନଦ୍ୱାରା ଉଭୟଙ୍କୁ ପରସ୍ପରଠାରୁ ଅଲଗା କରିହେବ ନାହିଁ । ଧାରୁଆ ଅସ୍ତ୍ର ସାହାଯ୍ୟରେ ମେଣ୍ଢାର ଶରୀରରୁ ବିଣ୍ଡାକୁ ଅଲଗା କରାଯିବା ଭିନ୍ନ ବାଟହିଁ ନଥାଏ !'

 

‘ବାଳ ଶବ୍ଦଟି ସଂଯୁକ୍ତ ଥାଇ ଆଉ କିଛି ଏହି ପ୍ରକାରର ଢଗ ବା ରୂଢ଼ି ଅଛି କି ?' ଅବୋଲର ଏହି ପ୍ରଶ୍ନରେ ଗଳ୍ପକଙ୍କର ମୁଖମଣ୍ଡଳ ଉଜ୍ଜ୍ୱଳ ଦିଶିଲା ଏବଂ ଏହା ଏକ ମୂଲ୍ୟବାନ ଓ ଜ୍ଞାନୋଦ୍ରେକକାରୀ ପ୍ରଶ୍ନ ବୋଲି ମତ ଦେଇ ଗଳ୍ପକ କହିଲେ, ‘ଅଛି, ବ୍ୟବହାର ଖୁବ୍ କମ୍ ସୁଦୂର ଅତୀତରେ ଏହି ବାଳ ଶବ୍ଦଟିଦ୍ୱାରା ଅନେକ କିଛିର ପରିପ୍ରକାଶ ହେଉଥିଲା । ବାଳ ଶବ୍ଦଟି ସଂଯୁକ୍ତ ଥାଇ ଅସଂଖ୍ୟ ଢଗଢ଼ମାଳି ଇତ୍ୟାଦି ଥିଲା । ତଥାକଥିତ ଭଦ୍ର ସାହିତ୍ୟର ଦ୍ଵାହିରେ ଖାଲି ବାଳ କାହିଁକି, ଆହୁରି ଅନେକ ଢଗଢ଼ମାଳି କାଳର କରାଳ ଗର୍ଭରେ ବିଲୁପ୍ତ ହୋଇଯାଇଛି । ମୋର ମଧ୍ୟ ବିଶେଷ ସ୍ମରଣ ନାହିଁ । ତେବେ ଏସବୁ ବିଷୟରେ ସର୍ବଶେଷ ନ୍ୟାୟ ଓ ନିଷ୍ପତ୍ତି ଶୁଣାଇବାର କ୍ଷମତା ରଖିଥିବା ଭାଷା–ଶବ୍ଦ–ପ୍ରତିଷ୍ଠାନକୁ ମୁଁ ନିବେଦନ କରିବି ଯେ ବାଳ–ଢଗ, ବାଳ ରୂଢ଼ି ଆଦିର ପୁନରୁଦ୍ଧାର କରିବେ । ମୁଁ ନିଜର ଦାୟିତ୍ୱ ସେମାନଙ୍କ ଆଡ଼କୁ ଠେଲି ଦେଉଛି ବୋଲି କଦାଚିତ୍‍ ଭାବିବ ନାହିଁ । କଥା ହେଲା, ଜ୍ଞାନୀମାନଙ୍କ ଦରଜାରେ ଜ୍ଞାନପାଇଁ କରାଘାତ କରିବା ବିଜ୍ଞତାର ପରିଚାୟକ । ଛାର ବାଳକୁ ନେଇ ଏତେ କଥା ଆଲୋଚନା ହେତୁ ସମୟ ନଷ୍ଟ ହେଲା ଭାବିବା ଅନୁଚିତ । ଛାଡ଼ ବହୁ ଅତୀତରୁ ଚଳି ଆସିଥିବା ଏବଂ ବିଲୁପ୍ତ ହେବାକୁ ପ୍ରତୀକ୍ଷା କରିଥିବା ବାଳ–ବିଷୟକ ଦି’ଚାରିଟି କଥା ଶୁଣ; ଏମିତି କଥା ଯେ ଋଷି ବାଳ ଛିଣ୍ଡେଇ ମରିବେ, ଧୋଉ ଧୋଉ କମଳଯାକରୁ ବାଳଯାକ ଉଭାନ, ରାସ୍ତାରେ ଟ୍ରକ୍‍ଟା ପିଟି ଦେଇଥାନ୍ତା ହେଲେ ବାଳେ ବାଳେ ବଞ୍ଚିଗଲି, ସେଇ କାମ କରି କରି ମୋ ବାଳ ପାଚିଲାଣି–ମୋତେ ଆଉ ବୁଦ୍ଧି ଶିଖାନା, ଚନ୍ଦାମୁଣ୍ଡିଆ ମାଗୁର ନିଶୁଆ ହିଆରେ ନଥାଏ ବାଳ–ଏ ତିନିଙ୍କୁ ପରତେ ନ ଯିବ ଥିବା ଯାଏଁ କାଳ କାଳ, ତୁମେ ମୋ’ ବାଳବି ବଙ୍କା କରିପାରିବ ନାହିଁ, କୋର୍ଟ କଚେରି ଯାଇ ଯାଇ ମୋ ମୁଣ୍ଡବାଳ ଓ ପିଚାବାଳ ପାଚିଲାଣି ଇତ୍ୟାଦି ଇତ୍ୟାଦି !'

 

‘ଆପଣ ମୋର ମନ ଓ ହୃଦୟକୁ ଏକପ୍ରକାର ଆନନ୍ଦରେ ଭରି ଦେଇଛନ୍ତି; ଏଣିକି ଆପଣ ମୂଳ କାହାଣୀକୁ ଫେରିଯା'ନ୍ତୁ !’ ଅବୋଲ କହିଲା ।

 

ଗଳ୍ପକ ମୂଳକାହାଣୀକୁ ଫେରିଗଲେ ।

 

ଏତେ ଜାଗାରେ ବୁଲିବା, କବିତା ପାଠ କରିବା ଓ କରାଇବା ଇତ୍ୟାଦି ଭିତରେ ସାହିତ୍ୟ ଆକାଶର କେତେକ ତାରାକାଙ୍କ ସହ ତାଙ୍କର ପରିଚୟ ହୋଇଥିଲା, ପୁଣି କେତେକଙ୍କ ସହ ଅନ୍ତରଙ୍ଗତା ଆସିଯାଇଥିଲା । ଏହାର ସୁଯୋଗରେ କବିପୁତ୍ର ନିରାକାର ଏକ ପତ୍ରିକାର ବାର୍ଷିକୋତ୍ସବର ଅବ୍ୟବହିତ ପୂର୍ବରୁ ସେହି ପତ୍ରିକାର ସଂପାଦକଙ୍କୁ ସାକ୍ଷାତ ପୂର୍ବକ ନିଜ ଅନ୍ତରର କଥା କହିଥିଲା । କହିବା ବାହୁଲ୍ୟ ମାତ୍ର ଯେ ରାଜ୍ୟର ରାଜଧାନୀରେ ବାସ ଆସ୍ଥାନ ଜମାଇଥିବା ସେହି କରିତ୍‍କର୍ମା ସଂପାଦକ ଥିଲେ ଆଦୌ ଗର୍ବ ନଥିବା ଗହୀର ଜଳ ପ୍ରବାସୀ ଏକ ରୋହିମାଛ । କଥା କହିବାରେ ଏହାଙ୍କ ସମକକ୍ଷ କେହି ପ୍ରାୟତଃ ନଥିଲେ । ଏହାଙ୍କ ଶିକ୍ଷାଗତ ଯୋଗ୍ୟତା ନିତାନ୍ତ ସାଧାରଣ ଥିଲା ।

 

‘ପତ୍ରିକାର ବାର୍ଷିକ ସମାରୋହ ପରା ଏବେ କେବେ ନିକଟରେ ହେବ ?' ନିରାକାର ପଚାରିଥିଲା

 

‘ନିକଟରେ ଅର୍ଥ କ'ଣ ? ଆଜକୁ ଛ’ବର୍ଷ ହେବ ତ ଆମ ଉତ୍ସବ ବର୍ଷର ଏକ ନିର୍ଦ୍ଦିଷ୍ଟ ମାସରେ ନିର୍ଦ୍ଦିଷ୍ଟ ତାରିଖରେ ହୋଇ ଆସୁଅଛି ।’ ସଂପାଦକ ଚରଣ ମୋହନ କହିଥିଲା !

 

‘ଏ ବର୍ଷ କେଉଁମାନେ ସମ୍ମାନିତ, ପୁରସ୍କୃତ ଓ ସମ୍ବର୍ଦ୍ଧିତ ହେଉଛନ୍ତି ?' ନିରାକାର ପଚାରିଲା ।

 

‘ଶୁଣ ଭାଇ, ଚରଣ ମୋହନ ବୁଝାଇଥିଲା,' ‘ଆମ ଅନୁଷ୍ଠାନଦ୍ୱାରା ସମ୍ବର୍ଦ୍ଧିତ ପୁରସ୍କୃତ ଓ ସମ୍ମାନିତ ହେବାପାଇଁ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସମାଜସେବୀ ଏବଂ ଲେଖକଙ୍କଠାରୁ ଆରମ୍ଭ କରି ଗବେଷକ ସମସ୍ତେ ବ୍ୟାକୁଳ । ତେବେ ଆମର ନିର୍ବାଚନ ଅର୍ଥାତ୍ ପ୍ରତିଭା ଚୟନ ପ୍ରକ୍ରିୟା ଅତୀବ ସ୍ଵଚ୍ଛ । ତେବେ ଆପଣଙ୍କ ପ୍ରଶ୍ନର ଉତ୍ତର ଏହି ଯେ ଆମେ ଶେଷ ପର୍ଯ୍ୟନ୍ତ ପ୍ରତିଭାମାନଙ୍କ ନାମ ଗୋପନ ରଖିଥାଉ । ବାସ୍ତବରେ ମୁଁ ମୋ ଧର୍ମପତ୍ନୀଙ୍କୁ ମଧ୍ୟ ଏସବୁ କହି ନଥାଏ, କାରଣ ନାରୀମାନଙ୍କର ସ୍ୱଭାବ ବଡ଼ ବିଚିତ୍ର । ସ୍ୱଭାବତଃ ସେମାନେ ଗୋପନ ରଖିବାକୁ ଥିବା କଥାଟିକୁ ଅନ୍ୟକୁ କହିସାରି ଏହାକୁ କାହାକୁ କହିବ ନାହିଁଟି !' ବୋଲି ରାଣ ପକାଇ ସେମାନେ ଭାବନ୍ତି ଗୋପନ ରଖିବା ! ତେବେ ଆପଣ ଏ ସମ୍ପର୍କରେ ଜାଣିବାକୁ କିମ୍ପାଇ ଆଗ୍ରହୀ ହେଲେ ?’

 

ନିରାକାର ନମ୍ରତାର ସହ କହିଥିଲା, ‘ମୋର ଏକ କ୍ଷୁଦ୍ର ପ୍ରସ୍ତାବ ଅଛି । ତାହା ହେଲା, ଆସନ୍ତାବର୍ଷ ଅନ୍ତତଃ ଜଣକୁ ମରଣୋତ୍ତରଭାବେ ପ୍ରତିଭା ସମ୍ମାନ ଦିଆଯାଉ । ଅନେକ କବି ଓ ସାହିତ୍ୟିକ ଏପରି ଅଛନ୍ତି, ଯେଉଁମାନେ ଅତ୍ୟନ୍ତ ପ୍ରତିଭା ସଂପନ୍ନ ହୋଇଥିଲେହେଁ କମ୍ ବୟସରୁ ଦେହତ୍ୟାଗ କରିଥିବା ଜନିତ କାରଣରୁ କୌଣସି ପୁରସ୍କାର ବା ସମ୍ମାନ ପାଇପାରି ନଥାନ୍ତି...'

 

ବାସ୍ତବରେ ହୁତ୍‍ଖୋଳ ରାଜ୍ୟରେ ପ୍ରଚଳିତ ଥିବା ନିୟମାନୁଯାୟୀ କବି ବା ସାହିତ୍ୟିକମାନଙ୍କୁ ପୁରସ୍କୃତ ବା ସମ୍ମାନିତ କରିବାର କେତୋଟି ଅଲିଖିତ ନିୟମ ରହିଥିଲା ।

 

ସମ୍ପାଦକ ଚରଣ ମୋହନ ମନ୍ତବ୍ୟ ଦେଇଥିଲା, ‘କେତେକ ପୁରସ୍କାର ଅଛି, ଯାହା ମରଣୋତ୍ତରଭାବେ ଦେଶ ପକ୍ଷରୁ ପ୍ରଦାନ କରାଯାଇଆସିଛି । ତେବେ ସେ ସବୁ ଦେଶ ଉପରେ ନିର୍ଭର କରେ । ରାଜା ବା ସମ୍ରାଟ କାହାକୁ କେଉଁ ପୁରସ୍କାର ମୃତ୍ୟୁପରେ ବା ମୃତ୍ୟୁ ପୂର୍ବରୁ ପ୍ରଦାନ କରିବେ ଅବା କାହିଁକି ପ୍ରଦାନ କରିବେ, ତାହା ତାଙ୍କର ଆଗ୍ରହ ଅନାଗ୍ରହ ଉପରେ ନିର୍ଭର କରେ । ମୋ ମତରେ ବା ଆମ ପତ୍ରିକାର ଚୟନ ସମିତିର ମତରେ ଯାହାକୁ ଦେଶ ବା ଜାତି ସମାଜ ଜୀବିତାବସ୍ଥାରେ ଚିହ୍ନିପାରିଲା ନାହିଁ, ତାକୁ ମୃତ୍ୟୁପରେ ପ୍ରତିଭାଦୀପ୍ତ ବୋଲି ଘୋଷଣା କରିବାର ଅର୍ଥ ବା କ’ଣ ? ଖଣ୍ଡେ ଦରପୋଡ଼ା କାଠକୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିବା ଯାହା, ମୃତବ୍ୟକ୍ତିକୁ ଉପାଧି ପ୍ରଦାନ ବା ସମ୍ମାନିତ କରିବା ତାହା ! ତେବେ ଏ ସମ୍ପର୍କରେ ଆପଣ ଅତ୍ୟୁତ୍ସାହୀ ହେବାର କାରଣ କ’ଣ ?'

 

‘ମୋର ଦୃଷ୍ଟିଭଙ୍ଗୀ ଓ ଯୁକ୍ତି ଭିନ୍ନ ଦିଗରୁ', ନିରାକାର କହିଥିଲା, ‘ମରଣ ପରେ ଜଣକୁ କୌଣସିଭାବେ ସମ୍ମାନିତ କରାଯିବାଦ୍ଵାରା କିନ୍ତୁ ସମାଜକୁ ଗୋଟାଏ ବାର୍ତ୍ତା ପ୍ରଦାନ କରାଯାଇଥାଏ, ଯେ ଯାହା ହୋଇଥିଲା, ତାହା ଭୁଲ୍ ଓ ଅନ୍ୟାୟ ହୋଇଥିଲା, ବୃହତ୍ତର । ସମାଜ ବା ଦେଶ ବା ଜାତି ମରଣ ପରେ, ଜଣକୁ ସମ୍ମାନିତ କରି ନିଜ ଭୁଲ୍‍କୁ ପ୍ରକାରନ୍ତରେ ସ୍ୱୀକାର କରିଥାଏ ।’

 

ଚରଣ ମୋହନ ଦିବ୍ୟ ହସଟେ ହସି କହିଥିଲା, ‘ବ୍ୟକ୍ତି ବା ଜୀବିତ ସଭାକୁ ଯେପରି ଦେଖାଯାଏ ରାଷ୍ଟ୍ର ବା ସମାଜ ବା ଜାତିକୁ କଦାଚିତ୍‍ ସେପରି ଦେଖାଯାଇପାରି ନାହିଁ । ଏପରି ଭୁଲ୍ ଅନେକ କରିଥାନ୍ତି । ରାଷ୍ଟ୍ର କ’ଣ ରକ୍ତ–ମାଂସ–ଶରୀରଧାରୀ ହୋଇଛି ଅବା ତୁମ ଆମ ପରି ସତ୍ତା ହୋଇଛି ଯେ ଭୁଲ୍ ମାଗିବ ? ଯେଉଁମାନେ ଅତୀବ ଅହଂକାରୀ ମଣିଷ, ସେମାନେ ମଣିଷର କୃତ ଅପକର୍ମକୁ ଘୋଡ଼ାଇବା ପାଇଁ ‘ରାଷ୍ଟ୍ରର ଭୁଲ୍’ ବୋଲି ଭାବପ୍ରକାଶ ମାଧ୍ୟମରେ ଅନ୍ୟ କେତେକଙ୍କୁ ବୋକା ବନେଇ ନିଜକୁ ନୀତିବାନ୍ ବୋଲି ପ୍ରତିପାଦିତ କରିଥାନ୍ତି । ଏପରି କ୍ଷେତ୍ରରେ ସମ୍ମାନ/ ଉପାଧି / ପୁରସ୍କାର ଗୌଣ ହୋଇଥାଏ । କ୍ଷମତାସୀନମାନଙ୍କ ଅହଂହିଁ ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ତେବେ ଏସବୁ ଜଟିଳ କଥା ଛାଡ଼ନ୍ତୁ । ଆପଣ କାହିଁକି ଏସବୁ ବିଷୟକ କଥା ଉଠାଇଛନ୍ତି, ମୁଁ ଜାଣିପାରେ କି ?'

 

କେଇକ୍ଷଣର ନୀରବତା ପରେ ନିରାକାର ପଚାରିଥିଲା, ‘ଆପଣ କ’ଣ ଦିବଂଗତ କବି ଅଲେଖ ଯୋଗୀନାଥ ଦାସଙ୍କ ନାମ ବା ତାଙ୍କ ପ୍ରତିଭା ବିଷୟରେ କିଛି ଜାଣିଛନ୍ତି ?’

 

ଚରଣ କହିଲା, ‘ବିଶେଷ କିଛି ଜାଣିନାହିଁ । ତେବେ କେତେକ ପତ୍ର ପତ୍ରିକାରେ ଏହାଙ୍କ କବିତା ଏବକୁ ପ୍ରକାଶିତ ହେବା ଦେଖୁଛି । ଆଉ ମଧ୍ୟ କେତେକ ସାହିତ୍ୟ–ଫାହିତ୍ୟ ସଭା ବା ଆସରମାନଙ୍କରେ ଜନୈକା ମହିଳା ଏହାଙ୍କ କବିତା ପାଠ କରିବାର ଦେଖିଛି । ତେବେ ଆମର ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ସହ ଏହି ଦିବଂଗତ କବି ଓ କବିତାର କିବା ସମ୍ପର୍କ ରହିଛି-?'

 

ନିରାକାର କହିଲା, ‘ନାହିଁ–କଥା କ’ଣ କି–ମାନେ ମୋର ଇଚ୍ଛା ଯେ ସେହି ବାର୍ଷିକୋତ୍ସବରେ ଦିବଂଗତ କବିଙ୍କୁ ଆମେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିପାରନ୍ତେ କି ?'

 

‘ଆମେ ? ଅର୍ଥାତ୍ ? ଆପଣ କ’ଣ ଆମ ସଂସ୍ଥାର ନା କ’ଣ ?' ଚରଣ ବିସ୍ମିତ ହେଲା ।

 

ଅପ୍ରତିଭ ହୋଇପଡ଼ି ନିରାକାର କହିଲା, ‘ନାଇଁ, ନାଇଁ, ସେ ଅର୍ଥରେ ମୁଁ କଥାଟା କହି ନଥିଲି । ମୁଁ ଖାଲି ପ୍ରସ୍ତାବଟି ଦେଇଥିଲି ଓ ଆପଣଙ୍କ ମତାମତ ଲୋଡ଼ିଥିଲି !’ ଚରଣ କିଛିକ୍ଷଣ ଆଖିବୁଜି ବସି ରହିଲା । ତା'ପରେ କହିଲା, ‘ମୁଁ ଜାଣିବାକୁ ଚାହେଁ ଯେ ଯଦି ଏହାଙ୍କୁ ସମ୍ମାନିତ କରାଯାଏ, ତେବେ ସମ୍ମାନ ଗ୍ରହଣ କରିବ କିଏ ?’

 

ନିରାକାର କହିଲା, ‘ତାଙ୍କ ବିଧବା ବୃଦ୍ଧା ପତ୍ନୀ ଅବା ପୁତ୍ର ! ନତୁବା ଯେଉଁ ମହିଳା ତାଙ୍କ କବିତାକୁ ବିଭିନ୍ନ ଆସରରେ ପାଠ କରିଥାନ୍ତି, ସିଏ !’

 

ଚରଣ ନିଜ ଚୌକିରେ ସଳଖ ହୋଇ ବସିଲା ଏବଂ ପଚାରିଲା, ‘ଆପଣ ତାଙ୍କର କ’ଣ ହୁଅନ୍ତି ?’

 

‘ମୁଁ ତାଙ୍କର ପୁଅ !' ନିରାକାର ଏତକ କହି ନିଜ ଦିବଂଗତ କବି ପିତାଙ୍କ ସମ୍ପର୍କରେ ସଂକ୍ଷେପରେ କହିଲା ତଥା ସେ କିପରି ଅର୍ଥ ଖର୍ଚ୍ଚ କରି କବିତା ପ୍ରକାଶ କରାଇଥାଏ, ସେ କଥା ମଧ୍ୟ ବର୍ଣ୍ଣନା କଲା । ଆହୁରି ମଧ୍ୟ ସେ ନିଜ ଅନୁଭବରୁ କହିଲା ଯେ କେତେକ ସମ୍ପାଦକ କିପରି ବଡ଼ବଡ଼ କବିମାନଙ୍କ କବିତା ପଛକୁ ରଖି ଆଗ ଆଗ ଯୋଗୀନାଥଙ୍କ କବିତା ପ୍ରକାଶ କରିବାକୁ ଆଗ୍ରହୀ ହୋଇଥାନ୍ତି । ଶେଷରେ ନିରାକାର କହିଥିଲା, ‘ଜଣେ ସମ୍ପାଦକ ତ ଏକଥା କହିଲେ ଯେ ଯଦି ଦଶ ବାର ଜଣ ଦିବଂଗତ କବିଙ୍କ କବିତା ତାଙ୍କ ପତ୍ରିକାକୁ ପ୍ରତିମାସରେ ମିଳନ୍ତା, ତେବେ ସେ ତାଙ୍କର ତ୍ରୈମାସିକ ସାହିତ୍ୟ ପତ୍ରିକାକୁ ମାସିକ କରିଦିଅନ୍ତେ !’

 

ଚରଣ ହସିଥିଲା ଏକ ରହସ୍ୟମୟ ହସ ।

 

ତା’ପରେ କହିଥିଲା, 'ଏପରି ବିଚିତ୍ର ଇଚ୍ଛା ଥିବା ପୁଅ ମୁଁ ଆଗରୁ କୁତ୍ରାପି ଦେଖି ନଥିଲି-। ଏପରି କିଛି ଘଟଣା କଥା ଶୁଣି ନଥିଲି ମଧ୍ୟ । ତେବେ ଯଦି ମନେକରାଯାଏ ଯେ ଜୀବିତମାନଙ୍କୁ ସମ୍ବର୍ଦ୍ଧିତ କରିବା ଭିତରେ ଆମ ଅନୁଷ୍ଠାନ ଦିବଂଗତଙ୍କୁ ମଧ୍ୟ ସମ୍ମାନିତ କରିବାର ନିଷ୍ପତ୍ତି ନେଲା, ତେବେ ମଞ୍ଚ ଉପରକୁ କିଏ ଯିବେ ? ତା’ଛଡ଼ା କ’ଣ କ’ଣ ପ୍ରଦାନ କରାଯାଇ ସମ୍ମାନିତ କରାଯିବ-? ସେ ସବୁ ଆସିବ କୁଆଡ଼ୁ ?'

 

ନିରାକାର କିଛିକ୍ଷଣ ଭାବନା ମୁଦ୍ରାରେ ରହି ଉତ୍ତର ଦେଲା, ‘ସେ ସବୁର ଖର୍ଚ୍ଚ ମୁଁ ବହନ କରିବି । ଅର୍ଥାତ୍ ଏକ ଶାଲ, ବଡ଼ ଫୁଲତୋଡ଼ା ଏବଂ ଏକ ଉଚ୍ଚକୋଟୀର ଫଳକ ମୁଁ ଆପଣଙ୍କୁ ଦେବି । ତଦ୍‍ଭିନ୍ନ ମୁଁ ଆପଣଙ୍କୁ ଦଶହଜାର ଟଙ୍କା ଦେବି, ଯାହାକୁ ଆପଣଙ୍କ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯିବ ଯେ ଦିବଂଗତ କବିଙ୍କର ଅପ୍ରକାଶିତ କବିତାମାନଙ୍କର ଏକ ସଂକଳନ ପ୍ରକାଶପାଇଁ ଆପଣଙ୍କ ସଂସ୍ଥା ଆମକୁ ଦାନ କଲା ବୋଲି ! ଉପସ୍ଥିତ ଶ୍ରୋତା, ସାହିତ୍ୟ ପ୍ରେମୀ, ଗଣମାଧ୍ୟମ ଓ ସାହିତ୍ୟିକମାନେ ଜାଣିଲେ ଯେ ଆପଣଙ୍କ ସଂସ୍ଥା ନିରପେକ୍ଷଭାବେ ପ୍ରତିଭା ଚିହ୍ନଟ କରି ମୃତ୍ୟୁ ପରେ ହେଉ ପଛକେ ସମ୍ମାନିତ କରିବା ସହ ପୁସ୍ତକପାଇଁ ସହଯୋଗରେ ହାତ ତ ଅନ୍ତତଃ ବଢ଼େଇଲେ !’

 

ଦୁଇ ହାତକୁ ଦୁଇ ଗାଲରେ ଢିରା ଦେଇ ବସିଥିବା ଚରଣ ଦୀର୍ଘଶ୍ୱାସଟେ ପକାଇଲା ଏବଂ ଗିଲାସେ ପାଣି ପିଇଲା । ତା’ପରେ ନିଜ ଜୀବନର କେତେକ ତିକ୍ତ–ମଧୁର ଅନୁଭୂତିର ଆଧାରରେ ସାମାନ୍ୟ ଦୀର୍ଘ ମନ୍ତବ୍ୟ ଦେବା ଢଙ୍ଗରେ କହିବାରେ ଲାଗିଲା !

 

‘କଥା କ’ଣ କି’, ଚରଣ କହିଲା, 'ଏହି ସମୁଦାୟ ପ୍ରକ୍ରିୟାରେ ମୋର ଲାଭ କ’ଣ ? ମୁଁ ମୋର ଅନୁଷ୍ଠାନକୁ ଲୁହ–ଲହୁ ଦେଇ ଗଢ଼ିଛି । ପ୍ରଥମେ ଦୁଃଖ ଅପମାନବି ସହିଛି । ଖବରକାଗଜ ଓ ଟିଭିବାଲାଙ୍କ ସହଯୋଗରେ ଏବେ କେତେ ବର୍ଷ ହେବ ମୋ ପ୍ରଦତ୍ତ ପୁରସ୍କାରର ସୁନାମ ବୃଦ୍ଧି ପାଇଛି । ଆପଣଙ୍କ ପ୍ରସ୍ତାବ ଯଦିଓ ବହୁ ଭାବପ୍ରବଣତା ଉପରେ ଆଧାରିତ, ସେହି ଭାବପ୍ରବଣତା ପ୍ରତି ମୋର ସାମାନ୍ୟତମ ଦରଦ ନାହିଁ । ଜଣେ ଅଧ୍ୟାପକ ଭାବରେ ଆପଣ ଭଲଭାବେ ଜାଣନ୍ତି ଯେ ଯେଉଁ କବିତା କଥା ଆପଣ କହୁଛନ୍ତି, ସେ କବିତାରେ ମସଲା କିଛି ନାହିଁ ।’

 

ନିରାକାର କହିଲା, ‘ଆପଣଙ୍କ ଯୁକ୍ତି ସହ ମୁଁ ପୂର୍ଣ୍ଣ ଏକମତ । ମୁଁ ଏସବୁ ଦିଗ ଭଲ ଭାବରେ ବିଚାର କରିସାରିଛି । ବାସ୍ତବରେ ଗୋଟେ ଦୁଇଟା ଛୋଟ ସହରରେ ମୁଁ ସମ୍ବର୍ଦ୍ଧନା କରାଇସାରିଛି । ଆପଣ ଏତେ ଅସନ୍ତୋଷ ପ୍ରକଟ କରିବାର କିଛି କାରଣ ନାହିଁ ।’

 

‘ମୁଁ ପ୍ରସ୍ତାବ ଦେଇଛି ମାତ୍ର, ଗ୍ରହଣ କରିବା ଅଥବା ନ କରିବା ଆପଣଙ୍କ ହାତରେ ।’

 

ଏଇ ପର୍ଯ୍ୟନ୍ତ ସବୁକିଛି ଠିକ୍‍ଠାକ୍ ଥିଲା । ଏଇଠାରେହିଁ ଏପରି ଏକ କ୍ଷୁଦ୍ର ଅଥଚ ଯୁଗୋପଯୋଗୀ ଘଟଣା ଘଟିଲା, ଯେଉଁଥିପାଇଁ କବି ପୁତ୍ର ନିରାକାର କଳଙ୍କିତ କବିପୁତ୍ରରେ ପରିଣତ ହେଲା ।

 

‘କଳଙ୍କିତ ହେବା କ’ଣ ତା’ର କପାଳଲେଖନ ଥିଲା ?’ ଅବୋଲକରା ଦୀର୍ଘ ସମୟ ପରେ ପ୍ରଶ୍ନ ପଚାରିଲା ଓ ଯୋଗ କଲା, ‘ନା ସେ ଅକସ୍ମାତ୍ ସଂଯୋଗବଶତଃ କଳଙ୍କିତ ଶବ୍ଦଟିକୁ ନିଜ ସତ୍ତା ସହ ଧରି ବୁଲିଲା ?'

 

ଗଳ୍ପକ କିଛିକ୍ଷଣ ନୟନ ଯୁଗଳ ବନ୍ଦ ରଖି କହିଲେ, ‘ତାହା କହିବା ସମ୍ଭବ ନୁହେଁ । ଭାଗ୍ୟ–ଭବିତବ୍ୟ–କପାଳଲେଖନ ଇତ୍ୟାଦି ସହ ବାସ୍ତବତାର ସମ୍ପର୍କ ଅଛି କି ନା ଏବଂ ଯଦି ଅଛି, ସେ ସୀମା କେଉଁଠୁଁ ଆରମ୍ଭ ଓ କେଉଁଠି ଶେଷ; ତାହା ବିଚାର କରିବା ଓ ନିର୍ଦ୍ଧାରଣ କରିବା କାଠିକର ପାଠ । ଏହା ଏତେ କଠିନ ଯେ କେହି କେହି ଏସବୁ ବିଷୟରେ ଚିନ୍ତା କରିବାକୁ ଭ୍ରମ ଓ ମାୟା ବୋଲି କହିଛନ୍ତି । ତେବେ ଏତେ ସବୁ କଥା ଭିତରକୁ ଯିବା ଅନାବଶ୍ୟକ । ଯାହା ଘଟିଲା ଆମେ ତାହାହିଁ ବର୍ଣ୍ଣନା କରିବା, ତହିଁରୁ ଯିଏ ଯାହା କଳନା କରିବ’ ।

 

‘କେଉଁ କେଉଁ କର୍ମ କଳଙ୍କ ପରିସରଭୁକ୍ତ, ସେପରି କିଛି ନିର୍ଦ୍ଦିଷ୍ଟ ଅଛି କି ? ନା ଏହା କେବଳ ବ୍ୟକ୍ତିର ଚିନ୍ତା ଓ ଚେତନାର କଥା ? ନା ଏହା ଆପେକ୍ଷିକ ଅର୍ଥାତ୍ ସମାଜ ଓ ସମୟାନୁସାରୀ ?’

 

ଅବୋଲକରାର ଏହି ଗୁଚ୍ଛ ପ୍ରଶ୍ନଟି ଶେଷ ହେବାମାତ୍ରକେ ଗଳ୍ପକଙ୍କର ମୁହଁ ଉଜ୍ଜ୍ୱଳ ଦିଶିଲା । ସେ ଭାବପ୍ରବଣ ହୋଇ କହିଲେ, ‘ଯଦ୍ୟପି ଅନେକ ବିତଣ୍ଡା ପ୍ରଶ୍ନ କରିବାରେ ତୁମର ବ୍ୟାପକ ସୁଖ୍ୟାତି ରହିଛି, ତଥାପି ଆଜି କାହାଣୀ ମଧ୍ୟରେ ତୁମେ ଯେଉଁ ବୌଦ୍ଧିକ ପ୍ରଶ୍ନମାନ ଉତ୍ଥାପନ କରିଛ, ତାହା ମୋତେ ଆହ୍ଲାଦିତ କରିଛି । ତେବେ ଏ ସମ୍ପର୍କରେ ବିଶଦ ବର୍ଣ୍ଣନା ନୀତିଶାସ୍ତ୍ରମାନଙ୍କରେ ରହିଛି । ବିଭିନ୍ନ ସ୍ଥିତି, ଦୁସ୍ଥିତି, ପରିସ୍ଥିତିକୁ ଆଖି ଆଗରେ ରଖି ନୀତିଶାସ୍ତ୍ର ପ୍ରଣେତାମାନେ ନୀତି ପ୍ରଣୟନ କରିଛନ୍ତି । କେଉଁ କେଉଁ ଅନନ୍ୟ ଓ ବିଚିତ୍ର ପରିସ୍ଥିତିରେ କଠୋର ନୀତିରେ କୋହଳ କରାଯାଇପାରିବ, ତାହା ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ଏହା ବର୍ଣ୍ଣିତ ହେବା ସମୟରେ ଆଶାତୀତଭାବେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ମନସ୍ତାତ୍ତ୍ୱିକ ଦିଗକୁ ବିଚାର କରାଯାଇଛି । ସେସବୁ ଏଠାରେ କହିଲେ ଏହା କାହାଣୀ ନହୋଇ ନୀତିଶିକ୍ଷା ଦେବାପରି ମନେହେବ । ସୁତରାଂ, ଏତିକି କହିବି ଯେ ନିଜର ସ୍ୱାର୍ଥସାଧନ ପାଇଁ ନାରୀକୁ ବ୍ୟବହାର କରିବା ଏକ କଳଙ୍କ ବୋଲି କୁହାଯାଇଛି । ଏହିଠାରୁ ଆମେ କାହାଣୀ ଆଗେଇ ନେବା-।'

 

ଅବୋଲକରା କହିଲା, ‘କିନ୍ତୁ ଆପଣଙ୍କୁ ପ୍ରତିଶ୍ରୁତି ଦେବାକୁ ହେବ ଯେ ନୀତି ଓ କଳଙ୍କ, ଅନୀତି ଓ ଶୃଙ୍ଖଳା ସମ୍ପର୍କରେ ଆପଣ ଭବିଷ୍ୟତରେ ନିଶ୍ଚୟ କହିବେ ।’

 

ଗଳ୍ପକ ପୂର୍ଣ୍ଣ ପ୍ରତିଶ୍ରୁତି ଦେଲେ ଏବଂ ପୁନଶ୍ଚ ମୂଳ କାହାଣୀର ବିଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କଲେ ।

 

ନିରାକାର ଏବଂ ଗଭୀର ଜଳ ସଂଚାରୀ ରୋହିତ ସଦା ଚର୍ଚ୍ଚିତ ଚରଣ ମୋହନଙ୍କ ବାର୍ତ୍ତାଳାପ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ସମୟରେ ଦର୍ଜାର ପର୍ଦ୍ଦା ଆଢ଼ୁଆଳରୁ ଦିଶିଲା ଚପଳା ଦେବୀଙ୍କ ମୁହଁ ଏବଂ ତତ୍ ସହ ପବନକୁ ସୁରଭିତ କରି ଭାସି ଆସିଲା ତାଙ୍କ ପ୍ରଶ୍ନ, ‘ଆଉ କେତେ ଡେରି ହେବ ?' ତା'ପରେ ଚରଣ ଆଡ଼କୁ ଟୁକୁଡ଼ାଏ ହସ ଫିଙ୍ଗି କହିଲେ, ‘ଆଉ ଆପଣ ଭଲ ଅଛନ୍ତି ଆଜ୍ଞା ?’

 

ସ୍ମିତହସି ଚରଣ କହିଲା, ‘ନମସ୍କାର, ଆପଣ କ’ଣ ମୋତେ ଜାଣନ୍ତି ?'

 

ଚପଳା ଦେବୀ କହିଲେ, ‘ଆପଣଙ୍କୁ କିଏ ବା ନ ଜାଣେ ?’ ଏହି ପ୍ରଶ୍ନଟି କହିବା ସମୟରେ ତାଙ୍କର ବାମ ଆଖିପତା ଉପରକୁ ଉଠିବା ସହ ଡାହାଣ ଓଠର କୁଞ୍ଚନ ସାମାନ୍ୟ ଉପର ଆଡ଼କୁ ହୋଇଥିଲା । ସମୁଦାୟ ଭଙ୍ଗୀଟି ଥିଲା ଆକର୍ଷଣୀୟ । ଚରଣ କିଛି କହିବା ଆଗରୁ ସେ ହାତରେ ଧରିଥିବା କୁନି ବ୍ୟାଗ୍‍ଟିକୁ ବାମପଟକୁ ଥିବା ଟେବୁଲ୍ ଉପରେ ରଖି ନିକଟସ୍ଥ ଚୌକିରେ ବସିପଡ଼ିଲେ । ତୁମେ ତ ତରୁଣ, ମହିଳାମାନେ ହାତ ଥିବା ଚୌକିରେ ବସିବାବେଳେ ସାମାନ୍ୟ ଅସାବଧାନ ବା ଅନ୍ୟମନସ୍କ ହେଲେ ସେମାନଙ୍କ ବସ୍ତ୍ରାବୃତ୍ତା ବକ୍ଷ ପ୍ରଦେଶରେ ଏକାଂଶ ସନ୍ଦର୍ଶନ କରାଯାଇପାରେ । ଆଉ ଯଦ୍ୟପି କୌଣସି ନାରୀ ସଚେତନଭାବେ ନାଭି–କମଳ, ଦ୍ୱିଉରଜ ମଧ୍ୟସ୍ଥ କ୍ଷୀଣଧାରାଦି ପ୍ରଦର୍ଶନ କରିବାର ଆଗ୍ରହ ରଖେ, ତେବେ ହାତବାଲା ଚୌକିଠାରୁ ଚମତ୍କାର ପଦାର୍ଥ କିଛି ନାହିଁ !

 

ଗଳ୍ପକ ନିଜ ସ୍ଵଳ୍ପ କେଶରାଶିରେ ଅଙ୍ଗୁଳି ସଂଚାଳନ କରନ୍ତେ ଅବୋଲକରା କହିଲା, ‘ନାରୀମାନଙ୍କ ପ୍ରତି ମୋର ସାମଗ୍ରିକ ଆଗ୍ରହ ଥିଲେହେଁ ତାହା ମୋର ନିଜସ୍ୱ ନୀତିର ବାଧକ ହୋଇନାହିଁ । ତେବେ ବର୍ତ୍ତମାନ ମୋର ପ୍ରାଥମିକ ଆଗ୍ରହ ଅନ୍ୟତ୍ର । ଏଇମାତ୍ର ଆପଣ ଦୁଇଟି ବିଚିତ୍ର ଶବ୍ଦ ବ୍ୟବହାର କଲେ । ଗୋଟିଏ ହେଉଛି ପରିବୃତ୍ତା ଏବଂ ଅନ୍ୟଟି ହେଉଛି ବସ୍ତ୍ରାବୃତ୍ତା । ମୋର ଧାରଣା ପରିବୃତ୍ତା ବଦଳରେ ଜୋରରେ ଦବେଇ ଆପଣ ‘ତ୍ତ’ ବୋଲି କହିଲେ କି ? ମୋର ସନ୍ଦେହ ମୋଚନ କରନ୍ତୁ !’

 

ଗଳ୍ପକ କହିଲେ, ‘ତୁମେ ଅଧମ ଛାତ୍ର ପରି ଏହି ପ୍ରଶ୍ନ କଲ । କାହାଣୀର ଶ୍ରୋତକପାଇଁ ଏହା ଶୁଭଙ୍କର ନୁହେଁ । କାହାଣୀର ଗତିଶୀଳତା ଭଙ୍ଗ କରିବା ପ୍ରଜାତିର ପ୍ରଶ୍ନ ପଚାରିବା ଏକ ଅପରାଧ । ତୁମେ ଯେଉଁ ପ୍ରଶ୍ନ କରିଛ, ତାହା ଅବଶ୍ୟ ଭଲ ପ୍ରଶ୍ନ । ତେବେ ତା’ର ଉତ୍ତର ମୁଁ ଦେବି ନାହିଁ ! ବରଂ ଏତିକି କହିବି ଯେ ଯେଉଁ ଭାଷାବିତ୍ ଓ ଗବେଷକମାନେ ଏ ବାବଦରେ ଗଗନ–ପ୍ରକମ୍ପନକାରୀ ସ୍ୱର ଉତ୍ତୋଳନ କରୁଛନ୍ତି, ଏସବୁର ଉତ୍ତର ସେମାନେ ଦେବେ ! ମୂଳ ତିକ୍ତ ଓ କଟୁ ସତ୍ୟଟି ଏହି ଯେ ୟା’ଙ୍କ ମଧ୍ୟରୁ ତରୁଣ ଜଣକ ନିକଟରେ ନିଜକୁ ଭାଷାବିତ୍ ଘୋଷଣା କରି ସାହିତ୍ୟିକମାନଙ୍କୁ ଅତି କଠୋର ସମାଲୋଚନା ପୂର୍ବକ ଏମାନଙ୍କର ନୀରବତାକୁ ଘୃଣ୍ୟ ପର୍ଯ୍ୟାୟର ବୋଲି କହି ନିର୍ଣ୍ଣୟ ଶୁଣାଇଛନ୍ତି ଯେ ଭାଷା ଏପରି ସାହିତ୍ୟିକମାନଙ୍କୁ କଦାଚିତ୍‍ କ୍ଷମା କରିବ ନାହିଁ-। ଏହି ଅର୍ବାଚୀନ ଜଣକ ପରୋକ୍ଷରେ ଆହ୍ୱାନ ଦେଇଛି, ଯେ ସାହିତ୍ୟିକମାନେ ସେହି ତିନି । ଚାରି ଜଣଙ୍କ ସପକ୍ଷରେ ବାହାରନ୍ତୁ ତଥା ଏକାଙ୍ଗ ଚକ୍ରବର୍ତ୍ତୀ ଏକଶତ ସ୍ୱର୍ଣ୍ଣ ମୁଦ୍ରା ଦେବାଯାଏଁ ସେମାନଙ୍କ ସ୍ୱରରେ ସ୍ୱର ମିଳାନ୍ତୁ । ସରଳ କଥାଟି ହେଉଛି ଏହି ଯେ ସାହିତ୍ୟିକମାନେ ଯେଉଁ ବିହନ ବୁଣିବେ, ଭାଷାବିତ୍‌ମାନେ ତହିଁରୁ ଅଳ୍ପ ଗୋଟାଇଲେବି ଚଳନ୍ତା ତଥା ଗୋଟାଇବା ପ୍ରକ୍ରିୟାଟି ବେଶ୍ ଶାଳୀନତାର ସହ ମଧ୍ୟ କରାଯାଇପାରନ୍ତା ! ଅଥଚ ଅହଂକାର ଏମାନଙ୍କୁ ଅନ୍ଧ କରିସାରିଛି-! ଗଳ୍ପକ, କବି, ନାଟକ କୁହାଳି, ଔପନ୍ୟାସିକ ଇତ୍ୟାଦିଙ୍କୁ ନିନ୍ଦା ଓ ନିଜ କୁତ୍ସିତ ଅର୍ଥାତ୍ମସ୍ମାତାଙ୍କୀକ୍ଷାର ସ୍ୱର୍ଗଦ୍ୱାରରେ ଭସ୍ମ କରିବାର ଦୁଃସାହସ ମୋତେ ବିସ୍ମିତ କରିଛି । ଏହା କେଡ଼େ ଆଶ୍ୱାସନାର କଥା ଯେ ସାହିତ୍ୟ ସର୍ଜନା ସମୟରେ ଏମାନେ ଆଖପାଖରେ ନଥାନ୍ତି ଏବଂ ଏହା ମଧ୍ୟ କେଡ଼େ ଜ୍ଞାନ ଗର୍ଭକ ସତ୍ୟ ଯେକୌଣସି ଲେଖକ କଦାଚିତ୍ ତାହାର ଲେଖାକୁ ପ୍ରକାଶପାଇଁ ଦେବା ଆଗରୁ କୌଣସି ଭାଷାବିତ୍, ବା ଗବେଷକକୁ ଶୁଣାଇ ନଥାଏ । କି ଦୁଃଖର ପରିବେଶ ହୋଇଥାନ୍ତା ଯଦି କାଳିଦାସଙ୍କ ଆଗରେ କେହି ଗବେଷକ ବା ଭାଷାବିତ୍ ଥାନ୍ତା ! କି କାରୁଣ୍ୟ ସୃଷ୍ଟି ହୋଇ ନଥାନ୍ତା, ଯଦି ବିଷ୍ଣୁଶର୍ମା କି ସୋମଦତ୍ତଙ୍କ ଆଗରେ ଜଣେ ଆଜିର କରିତ୍‍କର୍ମା ଅର୍ଥ ଆଶାରେ ଲାଳ ନିର୍ଗମନ କରୁଥିବା ଭାଷାବିତ୍ ଉପସ୍ଥିତ ଥାଆନ୍ତା ! ଲେଖକ ଭାଷା ତିଆରି କରେ, ଭାଷାବିତ୍ ସ୍ୱତଃ ପ୍ରବୃତ୍ତ ହୋଇ ଭାଷାର ଶାନ୍ତ ସବୁଜ କିଆରିରେ ବାଡ଼ ବୁଲାଇଥାଏ । ଅତୀତର କେତେକ ବିତ୍‍ମାନେ ବାଡ଼ ବୁଲାଇବା ସମୟରେ କେଡ଼େ ଯତ୍ନ ଓ ନମ୍ରତାର ସହ ଲେଖକ ଘରୁ, ବାଡ଼–ସରଞ୍ଜାମ ନେଇ କାର୍ଯ୍ୟ କରିଥିବାରୁ ପୂଜା ପାଉଛନ୍ତି । ଛାଡ଼–ଏ ବିଷୟରେ ମୁଁ ନିଜେ ଚିନ୍ତା କରୁଥିବାରୁ ଓ ଗବେଷଣା ଚାଲୁ ରଖିଥିବାରୁ ସ୍ୱତନ୍ତ୍ରଭାବେ ତୁମକୁ ଭିନ୍ନ କାହାଣୀ ଶୁଣାଇବି । ଏବେ ତୁମେ ଭାଷା ଫାସା କଥା କହି ମୋର ସମୟ ବରବାଦ କରନାହିଁ !’

 

ଏ ଥରକ ଗଳ୍ପକ ନିଜ ମୂଳ କାହାଣୀକୁ ଫେରିଗଲେ !

 

ଚୌକି ଆରୋହିତା ଚପଳାଦେବୀଙ୍କ ଉରଜର କିଞ୍ଚିତାଂଶ ଓ ଶଙ୍ଖଧବଳ ନାଭିମଣ୍ଡଳ ସନ୍ଦର୍ଶନ ପୂର୍ବକ ନିଜକୁ ଅଶେଷ ଭାଗ୍ୟବାନ ମନେ କରିଥିଲା ଚରଣ ମୋହନ ! ସେ ମୁଗ୍ଧ ହୋଇ କ୍ଷଣକ ମଧ୍ୟରେ ନିଜ କାମନାର ଅଶ୍ଵମାନଙ୍କଠାରୁ ଲଗାମ ଖୋଲିଦେଲା ।

 

ଚପଳାଦେବୀ ପ୍ରଶ୍ନ କଲେ, ‘ସମାରୋହରେ କବି ଅଲେଖ ଯୋଗୀନାଥଙ୍କୁ ଆମେ କ’ଣ ସମ୍ମାନିତ କରିପାରନ୍ତେ ନାହିଁ ! ଆପଣଙ୍କଦ୍ୱାରା ପ୍ରକାଶିତ ପତ୍ରିକାର ସମାରୋହରେ ସମ୍ମାନିତ ହେବା କେବଳ ସୌଭାଗ୍ୟର ନୁହେଁ, ବରଂ ଗୌରବର କଥା । ତେବେ ନିରାକାରବାବୁ ଘର ଭିତରେ ଏତେ ଅଧିକ ସମୟ ରହିଯିବାରୁ ମୋର ଧାରଣା ହେଲା ଯେ କିଛି ଯୁକ୍ତିତର୍କ କିମ୍ବା କଥା କଟାକଟି ଚାଲିଛି । ତେଣୁ କରି ମୁଁ ଭିତରକୁ...'

 

ବାକ୍ୟଟି ଅଧା ଥିବାବସ୍ଥାରେହିଁ ସତେ ଅବା ତାଙ୍କର ସ୍ଵର ଛଳଛଳ ହୋଇଗଲା ଏବଂ ଶାଢ଼ିର କାନିରେ ସେ ମୁଖମଣ୍ଡଳ ଘୋଡ଼ାଇ ପକାଇବାର ପ୍ରୟାସ କଲେ । କାନିଟି ସହ ଦୁଇହାତ ଊର୍ଦ୍ଧ୍ୱକୁ ଉଠିଯିବାରୁ ଚରଣ ଆଖି ବୁଲେଇ ସ୍ତବ୍ଧ ହୋଇଗଲା । ନାରୀର ଉରଜ ଯେ ଏଭଳି ମାୟାର ବୁଢ଼ିଆଣୀ ଜାଲ ସଂରଚନା କରିପାରେ, ସେ କଥା ଚରଣ ଢେର୍ ଆଗରୁ ବୁଝିଥିଲେବି ପୁନଃ ଅନୁଭବ କଲା ।

 

ଏକ କିସମର ଅଠାଳିଆ ହସ ହସି ଚରଣ କହିଲା, ‘ନାହିଁ, ଆମେ ଯୁକ୍ତିତର୍କ ଅଥବା କଥା କଟାକଟି କରୁ ନଥିଲୁ । କେବେକେବେ ଏପରି ହୋଇଥାଏ ଯେ ଦର୍ଶନ ବା ନୀତି ଅବା ତତ୍ତ୍ୱ ବିଷୟକ କଥାର ଚର୍ଚ୍ଚା ସମୟରେ ପକ୍ଷମାନଙ୍କର ସ୍ଵର ମଧ୍ୟମରୁ ପଞ୍ଚମକୁ ଯାଇଥାଏ । ତେବେ ତା’ର ପଶ୍ଚାତ୍‍ଭାଗରେ କିଛି ଅସୂୟାଭାବ ନଥାଏ ।’

 

ଚପଳାଦେବୀ ପତ୍ର ଚା’ର ସ୍ଵାଦଭରା ହସ ହସି କହିଲେ, ‘କିନ୍ତୁ ଜନୈକ ଦାର୍ଶନିକ ଏକଥା ମଧ୍ୟ କହିଛନ୍ତି ଯେ ଶାସ୍ତ୍ର ସମ୍ବନ୍ଧୀୟ ତର୍କ ସମୟରେ ଯେଉଁ ପକ୍ଷର ସ୍ୱର ଅପରପକ୍ଷଠାରୁ ଉଚ୍ଚରେ ଥାଏ, ସେହି ପକ୍ଷ ଦୁର୍ବଳ । ଆପଣ ଉଭୟଙ୍କ ମଧ୍ୟରେ କାହା ସ୍ଵର ଉଚ୍ଚରେ ଥିଲା ?’

 

କିଛି ସମୟ ଧରି ନୀରବ ଥିବା ନିରାକାର କହିଲା, ‘ମହାଶୟ ମୋ ପ୍ରସ୍ତାବରେ ରାଜି ନୁହନ୍ତି, ମୁଁ କିନ୍ତୁ ମୋ ପକ୍ଷ ତାଙ୍କୁ ବୁଝାଇବାର ପ୍ରୟାସ କରୁଥିଲି, କଥା ତ ଏତିକି ! ହୁଏତ ମୁଁ ବାହାରି ଯାଇଥାନ୍ତି, ବାସ୍ ଅଥଚ ସେହି ମୁହୂର୍ତ୍ତରେ ତ ଆପଣ ପ୍ରବେଶ କରିଗଲେ !’

 

ଘର ଭିତରେ କିଛିକ୍ଷଣର ନୀରବତା ପରେ ଚରଣ କହିଲା, ‘ଆପଣମାନେ ମୋ କୁଡ଼ିଆଟିରେ ଏତେ ସମୟ ରହିଲେଣି, ଅଥଚ ମୁଁ ଆପଣମାନଙ୍କର କିଛି ଚର୍ଚ୍ଚା କରିପାରିଲି ନାହିଁ । ତେବେ କଥାକୁ ଆଗକୁ ବିଳମ୍ବିତ ନ କରାଇ ମୋର ଶେଷକଥା ଏହି ଯେ ଯଦ୍ୟପି ମୁଁ ଆପଣଙ୍କ ଅନୁରୋଧ ରକ୍ଷା କରିବି, ତେବେ ସେ ବାବଦରେ ଆପଣ ମୋତେ କୋଡ଼ିଏ ହଜାର ଟଙ୍କା ଦେବେ-। ତଦ୍‌ଭିନ୍ନ ଆପଣ ପୁରସ୍କାର ବାବଦ ଦଶ ହଜାର–ଯାହା ଆପଣ ନିଜ ଆଡ଼ୁ କହୁଥିଲେ–ଦେବେ ଏବଂ ଆପଣ ମଞ୍ଚ ଉପରେ ଯାହା ଯାହା ନେବାକୁ ଚାହିଁବେ, ସେ ସବୁ ମଧ୍ୟ ଦେବେ ! ଯଥା–ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର, ତାମ୍ର ଅବା କାଷ୍ଠ ଅବା ହାଲ୍‌କା ଟିଣ ଅବା ପ୍ଲାଷ୍ଟିକ୍‍ର ଫଳକ ଇତ୍ୟାଦି ।’

 

ଦିବଂଗତ କବିପୁତ୍ର ନିରାକାର କିଛି କହି ଆସୁଥିବା ଅବସ୍ଥାରେହିଁ ତା’ର କଥାରେ ବାଧା ଦେଇ ଚପଳାଦେବୀ କହିଲେ, 'ଠିକ୍ ଅଛି । ଆମେ ରାଜି । ଆପଣଙ୍କ ଅନୁଷ୍ଠାନର ସାରସ୍ୱତ ସମାରୋହର କେତେ ଦିନ ଆଗରୁ ଆପଣଙ୍କ ନିକଟରେ ବରାଦ ମୁତାବକ ସବୁକିଛି ପହଞ୍ଚିଯିବ !'

 

ଗଳ୍ପକ ନନା କାହାଣୀ କହିବାରୁ ବିରତ ରହି ଗ୍ଲାସେ ପାଣି ପିଇଲେ ଏବଂ ପୁନଃ ନିଜ କଥନିକାରେ ଡୁବ ଦେବା ପୂର୍ବରୁ ପ୍ରଶ୍ନ କଲେ, ‘ସନ୍ଦେହ ମୋଚନାର୍ଥେ ତୁମର କିଛି ପ୍ରଶ୍ନ ଅଛି କି ?'

 

ଅବୋଲକରା କହିଲା, ‘ମୋର କିଛି ସନ୍ଦେହ ନଥିବାରୁ ମୋଚନ କରିବାର କିଛି ନାହିଁ । ତେବେ ମୁଁ କେବଳ ଗୋଟିଏ ମାତ୍ର କଥା ଆଦୌ ବୁଝିପାରୁନାହିଁ । ଜଣେ ପୁତ୍ର ନିଜ ଦିବଂଗତ ପିତାଙ୍କ ରଚନାକୁ ପ୍ରକାଶ କରିବାପାଇଁ ଅର୍ଥ ବ୍ୟୟ କରିବା ଏବଂ ଘୂରି ଘୂରି ସମ୍ମାନ ଖୋଜିବା ପଛରେ ଥିବା ଚିନ୍ତା, ଚେତନା ଓ ମାନସିକତାକୁ ମୁଁ ସହଜରେ ବୁଝିପାରୁନାହିଁ ! ଏତାଦୃଶ କର୍ମଦ୍ୱାରା କେଉଁ ଉଦ୍ଦେଶ୍ୟ ସାଧିତ ହେଉଥିଲା ? ପୁଣି କେଉଁ ଦୀର୍ଘ ଅବା ଦୂର ଅତୀତର କବିତାଗୁଡ଼ିକ ନା ଥିଲା ଛନ୍ଦମୟ, ନା ଥିଲା ମୁକ୍ତଛନ୍ଦ, ନା ଗଦ୍ୟଧର୍ମୀ । ସଂପାଦକମାନେ ଅବଶ୍ୟ ଅର୍ଥ ବଦଳରେ ପୃଷ୍ଠାଏ ନଷ୍ଟ କରିବାରେ ବାଧା ନଥିଲା, ହେଲେ ଏହି ପୁତ୍ର ସମୁଦାୟ ଅର୍ଥ ବ୍ୟୟରେ ବରଂ ଗ୍ରନ୍ଥାବଳି ପ୍ରକାଶ କରି ସେଇ ପୁସ୍ତକର ବ୍ୟାପକ ପ୍ରସାର ପ୍ରଚାର ଦିଗରେ ଧ୍ୟାନ ଦେଇଥିଲେ ତାହା ଉଚିତ ହୋଇଥାନ୍ତା !’

 

ଗଳ୍ପକ ନନା କହିଲେ, ‘ତୁମ କଥାରେ ଯଥାର୍ଥତା ଥିଲେହେଁ ଏକ ସଭ୍ୟ ଗଣତନ୍ତ୍ର ଦେଶରେ ଜଣେ କବିତା ପ୍ରକାଶ କରାଇବା ତ କିଛି ମନ୍ଦ କର୍ମ ନୁହେଁ । ପୁତ୍ର ତ କିଛି ଅପରାଧ ଧର୍ମୀ କାର୍ଯ୍ୟ କରୁ ନଥିଲେ । ଅବଶ୍ୟ ଏକ ଉତ୍ତମ ପରାମର୍ଶ ତୁମ ମୁଖ ନିଃସୃତ ହୋଇଛି ଯେ ଗ୍ରନ୍ଥାବଳି ପ୍ରକାଶ କରାଯାଇ ବରଂ ଏ ପ୍ରକାର ପ୍ରହସନରେ ପୂର୍ଣ୍ଣଚ୍ଛେଦ ଅଣାଯିବା ଉଚିତ ଥିଲା ।’

 

ଗଳ୍ପକ ନନା ପୁରୁଣାକାଳିଆ ଲୋକ ।

 

ଏଣେ ଅବୋଲକରା ଭିନ୍ନ ସମୟର ମଣିଷ ।

 

ଅବୋଲ କହିଲା, ‘ତେବେ ଖୁବ୍ ନିକଟରେ ଏପରି ସମୟ ଉପସ୍ଥିତ ହେବ, ଯେତେବେଳେ ସମସ୍ତ ପୁରସ୍କାର ମରଣୋତ୍ତରଭାବେ ଦିଆଯିବା ପାଇଁ ପ୍ରସ୍ତାବ ଆସିବ ଏବଂ ହୁଏତ ଏକ ବିଜ୍ଞ ସରକାର ଏପରି ପ୍ରସ୍ତାବକୁ ଅନୁମୋଦନ କରିପାରନ୍ତି ।’

 

: ‘ଯଦି ଏପରି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହୁଏ, ତେବେ ଇତିହାସ ତଥା ସାରସ୍ୱତ ଜଗତ ସର୍ବଦା ଦିବଂଗତି ପ୍ରାପ୍ତ କବି ଅଲେଖ ଯୋଗୀନାଥଙ୍କ ପୁତ୍ରଙ୍କୁ ସ୍ମରଣ କରିବ । ତେବେ ଏ ପ୍ରକାର ବ୍ୟବସ୍ଥାର ଅସୁବିଧା ଏହି ଯେ ଆମକୁ ନିତାନ୍ତ ପକ୍ଷେ ମାଧବୀ ଦାସୀଙ୍କ ପାଖରୁ ମରଣୋତ୍ତର ପୁରସ୍କାର ଆରମ୍ଭ କରିବାକୁ ହେବ ।’

 

ଗଳ୍ପକ ନନାଙ୍କ କଥାରେ ମୃଦୁ ହସି ଅବୋଲ କହିଲା, 'ଏହିପରି କବି ଓ ଲେଖକଙ୍କୁ ପୁରସ୍କାର ଦିଆଗଲେ ତାହାକୁ ଗ୍ରହଣ କରିବ କିଏ ?

 

ସାଧାରଣତଃ ହସ ଉପରେ କଡ଼ା ନିୟନ୍ତ୍ରଣ ରଖିପାରୁଥିବା ଗଳ୍ପକ ନନା ଜୋରରେ ହସି କହିଲେ, ‘ସେ ସମ୍ପର୍କରେ ଏ ରାଜ୍ୟ ବା ଦେଶ ବା ମୂଲକରେ କେହି ନଜର ଦିଅନ୍ତି ନାହିଁ । ନାମ ଘୋଷଣାଟା ବଡ଼କଥା । ଦିବଂଗତ କବି /ଲେଖକଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିବେ ଅତିରିକ୍ତ ସଚିବ, ନହେଲେ ଗଣ୍ଠି ସଚିବ । ପରଦିନ ଏମାନଙ୍କ ଫଟୋ ଚାରିଆଡ଼େ ପ୍ରକାଶିତ ହେବ । ପୁରସ୍କାର, ଉତ୍ତରୀୟ, ମାନପତ୍ରାଦି ସରକାରୀ ଦପ୍ତରରେ ବର୍ଷେ ଦୁଇବର୍ଷ ରହିବ ? ତତ୍ପରେ ତାହା ସ୍ଵତଃ ନଷ୍ଟ ହୋଇଯିବ । ଏହା ସୁନ୍ଦର ହୁଅନ୍ତା !’

 

ଅବୋଲ ପଚାରିଲା, ‘ମୋତେ ଦୁଇଟି କଥା କୁହନ୍ତୁ । ପୁରସ୍କାରର ଅର୍ଥରାଶି କେଉଁଆଡ଼େ ଯାଏଁ ? ପୁଣି ଦପ୍ତରରେ ପୁରସ୍କାର ସହ ସଂପୃକ୍ତ ପଦାର୍ଥମାନ ରହି ରହି ନଷ୍ଟ ହେବାଟାକୁ ଆପଣ ‘ସୁନ୍ଦର’ ବୋଲି କାହିଁକି କହିଲେ ?’

 

ଗଳ୍ପକ ନନା ଅର୍ଦ୍ଧ ରହସ୍ୟମୟ ହସଟେ ହସି କହିଲେ, ‘ପୁରସ୍କାରର ଅର୍ଥ କେଉଁ ଆଡ଼େ ଯାଏଁ ଅଥବା ଯଦି ମରଣୋତ୍ତରଭାବେ ପୁରସ୍କାର ଅର୍ଥ ପ୍ରଦାନ କରାଯାଏ ତେବେ ସେ ଅର୍ଥ କେଉଁଆଡ଼େ ଯିବ, ସେ ସବୁ ଜଟିଳ ବିଷୟରେ ମୋର ଜ୍ଞାନ ଅତୀବ ସୀମିତ । ତେବେ ତୁମର ଦ୍ୱିତୀୟ ପ୍ରଶ୍ନଟି କଠିନ ପ୍ରଶ୍ନ । ସରକାରୀ ଦପ୍ତରରେ ପୁରସ୍କାର ସହ ସଂପୃକ୍ତ ପଦାର୍ଥମାନ ରହି ରହି ନଷ୍ଟ ହେବାଟାକୁ ମୁଁ ସୁନ୍ଦର କହିବାର ଅର୍ଥ କିଛି ନାହିଁ । ତେବେ ସରକାରୀ ଦପ୍ତରମାନଙ୍କରେ କୋଟି କୋଟି ଟଙ୍କାର ପଦାର୍ଥ ଦୁଇ ତିନିବର୍ଷ ପଡ଼ି ପଡ଼ି ଖତ ଖାଇଯାଏ, ଆଉ ଇଏ ମାନପତ୍ର, ଫଳକ, ଉତ୍ତରୀୟ କିବା ଛାର ! ତେବେ ମୁଁ ସୁନ୍ଦର ବୋଲି କହିଲି ଏଇଥିପାଇଁ ଯେ ପ୍ରାୟତଃ ସାହିତ୍ୟିକମାନେ ମୃତ୍ୟୁ, କ୍ଷଣଭଙ୍ଗୁରତା, ପରିବର୍ତ୍ତନଶୀଳତା ଇତ୍ୟାଦି କଥା ଲେଖିଥାନ୍ତି । କେଇଟା ପଦାର୍ଥ ନଷ୍ଟ ହୋଇଯିବାଟା ସେହି ସବୁ ତତ୍ତ୍ୱ ସହିତ ଖାପ ଖାଇଥାଏ । ତଦ୍‍ଭିନ୍ନ ମାତ୍ର ବର୍ଷ କେଇଟା ଭିତରେ ଆଜିକାଲିକାର ସାହିତ୍ୟ ଯେପରି କିଞ୍ଚିତ୍‍ ପ୍ରତିଷ୍ଠା ପାଇଥାଏ, ଦିବଂଗତ ହେବାପରେ ତା'ଠୁ କମ୍ ସମୟ ଭିତରେ ସାହିତ୍ୟିକ ଜନମାନସରୁ ତଥା ସାରସ୍ୱତ ଜଗତରୁ ଚିରବିଦାୟ ନେଇଥାଏ । ସେପରି ସ୍ଥଳେ ପୁରସ୍କାରକୁ ନେଇ ଅଭିମାନ କରିବା ଯେତିକି ହାସ୍ୟାସ୍ପଦ, କିଛି ପଦାର୍ଥ ଦାପ୍ତରିକ ଖତଖାଇବା/ ନଷ୍ଟ ହେବା ସେହି ଦିଗରୁ ସୁନ୍ଦର । ଛାଡ଼ ଆମେ ଆମର ମୂଳ କାହାଣୀଠାରୁ ଦୂରେଇ ଗଲେଣି । ମୁଁ କେଉଁଠାରେ ଅଟକିଥିଲି ତ ?'

 

କାହାଣୀ–ଶ୍ରବଣ ପ୍ରିୟ ଅବୋଲକରା ମନେ ପକାଇ ଦେବାରୁ ନନା କହିବାରେ ଲାଗିଲେ !

 

ପରବର୍ତ୍ତୀ କଥା ସଂକ୍ଷିପ୍ତ । ଚରଣ ମୋହନଙ୍କ ପତ୍ରିକାର ବାର୍ଷିକ ସମାରୋହରେ ଦିବଂଗତ କବି ଅଲେଖ ଯୋଗୀନାଥଙ୍କୁ ମରଣୋତ୍ତର ସମ୍ମାନ ଓ କବିତା ପୁରସ୍କାର ପ୍ରଦାନ କରାଯାଇଥିଲା । ଦିବଂଗତ କବିଙ୍କ ପତ୍ନୀ ଏହି ପୁରସ୍କାର ଗ୍ରହଣ କରିବାର ଥିଲା । ତେବେ ସେ ଅର୍ଥାତ୍ କବି ପତ୍ନୀ ଶାରୀରିକ ଅସୁସ୍ଥତାଜନିତ କାରଣ ଦର୍ଶାଇ ଅନୁପସ୍ଥିତ ରହିଯିବାରୁ ପ୍ରଥମେ ସ୍ଥିର ହୋଇଥିଲା ଯେ କବିପୁତ୍ର ନିରାକାରଙ୍କଦ୍ୱାରା ପୁରସ୍କାର ଗ୍ରହଣ କରାଯିବ । ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛିକ୍ଷଣ ପରେ ପ୍ରେକ୍ଷାଳୟର ପ୍ରଥମ ଧାଡ଼ିରେ ବସିଥିବା ନିରାକାରକୁ ସଂକେତ ପ୍ରଦାନ ପୂର୍ବକ ମଞ୍ଚ ଉପରକୁ ଡାକିଥିଲେ ଚତୁର ଚରଣ ମୋହନ । ମଞ୍ଚରେ ଅବଶ୍ୟ ପ୍ରତିବର୍ଷର ସମାରୋହ ପରି ଉପବେଶନ କରିଥିଲେ ଜଣେ ମନ୍ତ୍ରୀ, ଦୁଇଜଣ ବିଧାୟକ, ମୁଖ୍ୟବକ୍ତା ଭୂମିକାରେ ଜଣେ ଅଧ୍ୟାପକ ! ଚରଣମୋହନ ସ୍ୱାଗତ ଭାଷଣ ପ୍ରଦାନ କରିସାରିଥିଲେ । ଅଧ୍ୟାପକ ଜଣକ ସାହିତ୍ୟ–ଜୀବନ–ଯନ୍ତ୍ରଣା–କବିତା ବାଇରନ୍–ସେଲି–କୀଟସ୍–ମାନସିଂ–ଗଡ଼ନାୟକ–ଜୟଚନ୍ଦ୍ର–ସଚ୍ଚିରାଉତରା–ଗୁରୁପ୍ରସାଦ–ଭାନୁଜୀ–ରାଓ–ରୋଜାଲିନ୍ ଇତ୍ୟାଦି ଶବ୍ଦ ଓ ନାଁର ସମ୍ମିଶ୍ରଣରେ ଭାଷଣ ଦେଇ ଶ୍ରୋତାଙ୍କୁ କାବୁ କରି ରଖିଥିଲା । ଶ୍ରୋତାଙ୍କ ଧ୍ୟାନ ସେଇଆଡ଼େ ଥିବାବେଳେ ନିରାକାର ମଞ୍ଚକୁ ଉଠି ଚରଣ ମୋହନ ନିକଟକୁ ଯାଇଥିଲା ଓ ଚରଣର ପାଟି ନିକଟକୁ କାନ ଲଗାଇଥିଲା । ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କଥାଟେ କହୁଥିବାର ଭଙ୍ଗୀରେ ଚରଣ କହିଥିଲା ଯେ ଯଦି ଦିବଂଗତ କବିଙ୍କୁ ମରଣୋତ୍ତରଭାବେ ପ୍ରଦାନ କରାଯାଉଥିବା ସମ୍ମାନଟିକୁ ଚପଳାଦେବୀ ଗ୍ରହଣ କରିପାରନ୍ତେ, ତେବେ ଖୁବ୍ ଭଲ ହୁଅନ୍ତା; କାରଣ ରୁଚିସମ୍ପନ୍ନଭାବେ ପ୍ରସାଧିତା ନାରୀ ଜଣେ ତରୁଣ ମନ୍ତ୍ରୀଙ୍କ ହାତରୁ ସମ୍ମାନ ଗ୍ରହଣ କରିବାଟା ମଞ୍ଚକୁ ଭଲ ମାନିବ । ଟିଭି ଚ୍ୟାନେଲ୍‍ଗୁଡ଼ିକର କ୍ୟାମେରା ଏବଂ ଖବରକାଗଜର ଫଟୋ ଉତ୍ତୋଳନକାରୀମାନେ ମାତ୍ରାଧିକାଗ୍ରହୀ ହେବେ । ଚରଣ ଏ ବାବଦରେ ନିରାକାରର ମତ ଲୋଡ଼ିବାରୁ ସେ କିଛି ବିଶେଷ କଥା କହିପାରି ନଥିଲା ।

 

ତେବେ ସେ ହଁ ମାରିଥିଲା, କାରଣ ଚରଣ ମୋହନ କଥାରୁ ଜଣାପଡ଼ିଥିଲା ଯେ ନିରାକାର ମଞ୍ଚକୁ ଗଲେ ତାହା ରୁଚିପୂର୍ଣ୍ଣ ହେବ ନାହିଁ, ପୁରୁଷ ଲୋକ ପୁରସ୍କାର ପାଇଁ ମଞ୍ଚକୁ ଉଠିଲେ କ୍ୟାମେରା ଓ ଚ୍ୟାନେଲ୍‍ର ପ୍ରତିନିଧିଙ୍କ କ୍ୟାମେରାଗୁଡ଼ିକ ଚିତ୍ରୋତ୍ତଳନ କରିବାକୁ ଆଗ୍ରହୀ ହେବେ ନାହିଁ, ନିରାକାର ଯଥାଯଥଭାବେ ପ୍ରସାଧିତ ନୁହେଁ ଇତ୍ୟାଦି ଇତ୍ୟାଦି ।

 

‘ଆପଣ ଯାହା କହିଲେ ଠିକ୍ କଥା’, ସେ ଧୀରେ କହିଥିଲା ଏବଂ ମଞ୍ଚରୁ ଓହ୍ଲାଇ ଆସି ଚପଳାଙ୍କ ନିକଟରେ ବସି ସବୁ କଥା କହିଥିଲା ।

 

ପ୍ରସ୍ତାବଟି ଶୁଣି ଚପଳାଙ୍କ ଅଧରରେ ସଂଚରିଥିଲା ସ୍ମିତହସଟିଏ ଏବଂ ତାଙ୍କର ଦୁଇ ଆଖିର ଚମକ ବୃଦ୍ଧି ପାଇଥିଲା । ସେ ନିଜ ଶାଢ଼ିର ପଣତ, ଛାତି ଉପରର ଭାଙ୍ଗ, ନାଭି ପ୍ରଦେଶର କୁଞ୍ଚ ଇତ୍ୟାଦିଙ୍କୁ ବାରମ୍ବାର ସଜାଡ଼ିବାରେ ଲାଗିଲେ ।

 

ଏ ଭିତରେ ଭାଷଣବାଜି ସରିଗଲା । ସଚରାଚର ଯାହା ହୋଇଥାଏ, ସେଇଆ ହେଲା ଅର୍ଥାତ୍ ମନ୍ତ୍ରୀ ଏବଂ ଅଧ୍ୟାପକଙ୍କ ଭାଷଣ କେହି ଶୁଣି ନଥିଲେ । ଶେଷ ଆଡ଼କୁ ପ୍ରାୟ ଏକୋଇଶ ଜଣଙ୍କୁ ସମ୍ମାନିତ କରାଯିବାର ପର୍ବ ଆରମ୍ଭ ହେଲା । ବିଚିତ୍ର ଉପାଧି ଓ ନାମସଂଯୁକ୍ତ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଗଲା । ମନ୍ତ୍ରୀ ମହାଶୟଙ୍କ ଓଠର ବରଡ଼ାଳରେ ଏକ ମଲା ହସର ବାଦୁଡ଼ି ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ଲଟକି ଥିଲା ! ଯେତେବେଳେ ଚରଣମୋହନ ଘୋଷଣା କଲା କି ଦିବଂଗତ କବି ଅଲେଖ ଯୋଗୀନାଥଙ୍କୁ ଦଶ ସହସ୍ର ମୁଦ୍ରାର ପୁରସ୍କାର ସହ ସାହିତ୍ୟ–ମୂର୍ଦ୍ଧନ୍ୟ ସମ୍ମାନରେ ଭୂଷିତ କରାଯିବ ତଥା ପୁରସ୍କାର ଦିବଂଗତ କବିଙ୍କ ପରିବାରର ଅନ୍ତରଙ୍ଗ ଓ ଶୁଭେଚ୍ଛୁ ଚପଳାଦେବୀ ଗ୍ରହଣ କରିବେ, ସେତେବେଳେ ଶୋଚନା ଭବନ ପ୍ରେକ୍ଷାଳୟ ଭିତରୁ ତାଳିର କିଞ୍ଚିତ୍‍ ଶବ୍ଦ ଶୁଣାଗଲା ।

 

ମନ୍ତ୍ରୀଙ୍କ ଅଧରରେ ଲଟକି ଥିବା ମଲା ହସର ବାଦୁଡ଼ିକୁ ସତେ ଅବା କେହି ଜୀବନ୍ୟାସ ଦେଲା । ଚପଳା ଦେବୀ ଏକ ଆକର୍ଷଣୀୟ ଢଙ୍ଗରେ ଶୋଚନା ଭବନ ପ୍ରେକ୍ଷାଳୟର ପ୍ରଥମ ଧାଡ଼ିରୁ ଉଠି ଧୀରେ ଧୀରେ ମଞ୍ଚ ଉପରକୁ ଗଲେ । ମନ୍ତ୍ରୀ ତାଙ୍କ ସହ ଦୁଇ ମିନିଟ୍ କରମର୍ଦ୍ଦନ କଲେ ଅର୍ଥାତ୍ ତାଙ୍କ ପାପୁଲିକୁ ନିଜ ପାପୁଲିରେ ଦୁଇମିନିଟ୍ ରଖିଲେ । କେତେ କଥା ମଧ୍ୟ ପଚାରିଲେ । ଦିବଂଗତ କବିଙ୍କ ପୁତ୍ର ନିରାକାର ପ୍ରଦାନ କରିଥିବା ଦଶହଜାର ଟଙ୍କା, ତାଙ୍କରି ଅର୍ଥରେ କ୍ରୟିତ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛାଦି ମନ୍ତ୍ରୀଙ୍କ ହାତରୁ ଗ୍ରହଣ ପୂର୍ବକ ଚପଳାଦେବୀ ମଞ୍ଚାବତରଣ କରି ପୂର୍ବସ୍ଥାନରେ ଆସି ବସିଲେ ଯେଉଁଠି ତାଙ୍କ ହାତ ଓ ହାତର ଆରମ୍ଭାଂଶ ବାରମ୍ବାର ନିରାକାରର ଶରୀର ସ୍ପର୍ଶ କରିଥିଲା ।

 

ସଭା ସାଙ୍ଗ ହେବାପରେ ଚରଣ, ନିରାକାର, ଚପଳାଦେବୀ ଅନେକ ସମୟ ଶୋଚନା ଭବନ ସାମ୍ନାରେ ଦଣ୍ଡାୟମାନ ହୋଇ ସାହିତ୍ୟ ଜଗତରେ ଧରାଧରି ଇତ୍ୟାଦି ବିଷୟରେ ଅଧଘଣ୍ଟା ଆଲୋଚନା କରିଥିଲେ । ସେଦିନ ଆଉ ଫେରିଯିବା ପାଇଁ ବସ୍ ବା ଟ୍ରେନ୍ ନଥିବାରୁ ନିରାକାର ଓ ଚପଳାଦେବୀ ସ୍ଥାନୀୟ ଏକ ହୋଟେଲରେ ରାତ୍ରିଯାପନ କରିଥିଲେ । ପରବର୍ତ୍ତୀ କାଳରେ ଚପଳାଦେବୀ ନିଜର ସାରସ୍ଵତାକାଂକ୍ଷାକୁ ଚରଣ ମୋହନର ସହାୟତାରେ ବେଶ୍ କିଛି ଦୂର ଆଗେଇ ନେଇଥିଲେ ।

 

ଗଳ୍ପକ ଏକ ଦୀର୍ଘ ବିଶ୍ରାମ ନେବା ଢଙ୍ଗରେ ଦୀର୍ଘଶ୍ୱାସ ପକାଇବା ସହ ହାଇ ମାରିବା ଦେଖି ଅବୋଲ ପଚାରିଲା, ‘କ’ଣ ଏହି କାହାଣୀ ଶେଷ ହେଲା କି ?'

 

: ‘ହଁ–ଶେଷ ହେଲା !’ ଗଳ୍ପକ ନନା କହିଲେ ।

 

: ‘ପ୍ରଥମତଃ ଏହା ଆମୂଳଚୂଳ ଏକ ମାନ୍ଦା କଥା !’ ଅବୋଲକରା ସ୍ୱପ୍ରକୃତି ଅନୁଯାୟୀ ବିଭିନ୍ନ ପ୍ରଶ୍ନ ଉଠାଇଲା, ‘ଦ୍ୱିତୀୟତଃ, ନିରାକାର ଏପରି କିଛି କରିନାହିଁ ଯେଉଁଥିପାଇଁ ତାକୁ କଳଙ୍କିତ କବିପୁତ୍ର ବୋଲି କୁହାଯିବ । ନିଜ ପିତାଙ୍କର ସ୍ମୃତିରକ୍ଷା ପାଇଁ କିଏ କେତେକଅଣ କରୁଛନ୍ତି ? କେହି ମନ୍ଦିର ତୋଳାଇ ତନ୍ମଧ୍ୟରେ ପିତାଙ୍କ ପୂର୍ଣ୍ଣାବୟବ ପ୍ରତିମା ଥାପନା କରୁଛି, ସତେବା ଜଗତଯାକର ଲୋକେ ସେଠାକୁ ଆସିବେ ! କେହି ବୃହତ୍ ସରକାରୀ ଘରକୁ ଜବରଦଖଲ କରି ପିତାଙ୍କ ନାମରେ ସେଠାରେ ସ୍ମାରକୀ ଓ ଗବେଷଣାଗାର ଥାପୁଚି ! କେହି ଅବା କ୍ଷମତାରେ ଥିଲେ ନିଜ ପିତାଙ୍କ ନାମରେ ରାସ୍ତା, ପାର୍କ୍ ଇତ୍ୟାଦିର ନାମକରଣ କରାଉଛି । ସତେ ଅବା ମୃତ୍ୟୁଲୋକରୁ ଦିବଂଗତ ମଣିଷଟି ଫେରିଆସିବ । ସମୟ ବଡ଼ ନିଷ୍ଠୁର । ଏସବୁ କଦାଚିତ୍ ରହେ ନାହିଁ ବୋଲି କେହି ସହଜରେ ବୁଝନ୍ତି ନାହିଁ । ଛାଡ଼ । ଏସବୁ ତୁଳନାରେ ନିରାକାର ତ କିଛି ମନ୍ଦ କରି ନାହିଁ ।

 

: ‘କାହାଣୀର ଚରିତ୍ରମାନଙ୍କର କାର୍ଯ୍ୟକଳାପ ଭଲ/ ମନ୍ଦ/ ଖରାପ ଇତ୍ୟାଦି ନଉତିରେ ତଉଲା ଯାଇ ନଥାଏ ଅବୋଲକରା’, ଗଳ୍ପକ କହିଲେ, ‘ମୁଁ ଯାହା କହିଲି ତାହା ଏକ କାହାଣୀ ମାତ୍ର-। ଏଠି ଉଚିତ ଅନୁଚିତର ପ୍ରଶ୍ନହିଁ ନାହିଁ । ଏକ କ୍ଷୁଦ୍ର ସମୟ ଖଣ୍ଡର ଏକ ଚିତ୍ର ମାତ୍ର !’

 

: ‘ଆଉ ଏକ କଥା । ଆପଣ କହିଲେ ଯେ ଭାଷଣ ସମୟରେ ମୁଖ୍ୟବକ୍ତା ଅଧ୍ୟାପକ ଜଣକ କବି–ଲେଖକଙ୍କ ତାଲିକା ଭିତରେ ଜୟଚନ୍ଦ୍ର ଓ ରୋଜାଲିନ୍ ବୋଲି ଦୁଇ ଜଣ ଲେଖକ ଲେଖିକାଙ୍କ ନାମ ଗର୍ବର ସହ ନେଇଥିଲେ । ଏମାନେ କ'ଣ କବି ନା’ ଗାଳ୍ପିକ ନା ଔପନ୍ୟାସିକ ?’

 

ଅବୋଲର ପ୍ରଶ୍ନରେ ମୁର୍କି ହସି ନନା କହିଲେ, ‘ସେପରି ଲେଖକ ବା ଲେଖିକା ହୁଏତ ଏହି ବିଶାଳ ଜଗତରେ ଥାଇପାରନ୍ତି । କଥାହେଲା, ପ୍ରାଧ୍ୟାପକମାନଙ୍କର ଅର୍ଥାତ୍ ନିୟମିତ ଭାଷଣ ଫାଷଣ ଦେଉଥିବା ଅଧ୍ୟାପକମାନଙ୍କର ଏପରି ବିଚିତ୍ରାଭ୍ୟାସ ସମ୍ପର୍କରେ ଅନେକ ଅବଗତ ଅଛନ୍ତି । ଏମାନେ ଐତିହାସିକ ବିଷୟରେ ଭାଷଣ ଦେବାବେଳେ ଅନେକ ମହାନ୍ ବିପ୍ଳବୀଙ୍କ ନାମ ସହ କିଛି କାଳ୍ପନିକ ନାଁ ଯେମିତି ଯୋଡ଼ନ୍ତି, ସେମିତି ସାହିତ୍ୟିକଙ୍କ ତାଲିକାରେବି ଯୋଡ଼ନ୍ତି, ବୈଜ୍ଞାନିକଙ୍କ ତାଲିକାରେବି ଯୋଡ଼ନ୍ତି ଇତ୍ୟାଦି !'

 

‘ଏହା ଆମୋଦଦାୟକ, ମତେ ଉଦାହରଣ ସହ ବୁଝାଇଦେବେ କି ?' ଅବୋଲ ପ୍ରଶ୍ନ କଲା ।

 

ନନା କହିଲେ, ‘ଖୁଦିରାମ, ଭଗତ ସିଂ, ଉଦ୍ଦାମ ସିଂ, ବାଜି ରାଉତ, ରଘୁ ଦିବାକର, ଗୁର୍‍ବୀର ଦେବତୋଷ, ଚାଖି ଖୁଣ୍ଟିଆ, କୃପାସିନ୍ଧୁ... ! ଏଠାରେ ଚତୁର ବ୍ୟକ୍ତି ହୁଏତ କହିପାରେ ଗୁର୍‍ବୀର–ଦେବତୋଷ–କୃପାସିନ୍ଧୁ ଇତ୍ୟାଦି କାଳ୍ପନିକ ନାମ । ଏହିପରି କରାଯାଏ । ତାରିଖ ମଧ୍ୟ ମନରୁ କୁହାଯାଏ । ଏତଦ୍ୱାରା ପ୍ରତିପାଦିତ କରାଯିବାର–ପ୍ରୟାସ କରାଯାଏ ଯେ ସଂପୃକ୍ତ ଅଧ୍ୟାପକ ଅଧିକ ଜ୍ଞାନୀ ଓ ଅଧିକ ଗବେଷଣା କରିଛନ୍ତି !’

 

ଅବୋଲ ହସିଲା, କହିଲା, ‘ଜାଣିଲି, ଏବେ ସବୁ ବୁଝିଗଲି !’

 

ନନା କହିଲେ, 'ଏ ସମ୍ପର୍କରେ କେବେ ମୁଁ ତୁମକୁ ଏକ ସ୍ୱତନ୍ତ୍ର କାହାଣୀ ଶୁଣାଇବି !'

 

‘ତାହା ତ ନିଶ୍ଚୟ ! ତେବେ ଏଇ କାହାଣୀରେ ଆପଣ ଭଲ ଭଲ କିଛି ଶବ୍ଦ ବ୍ୟବହାର କରିଛନ୍ତି, ପୁଣି କେତେ ଶବ୍ଦକୁ ଏପଟ ସେପଟ କରିଛନ୍ତି, ପୁଣି ସନ୍ଧି ମାଧ୍ୟମରେ କିଛି ଶବ୍ଦଙ୍କୁ ଯୋଡ଼ି ବଡ଼ବଡ଼ ଶବ୍ଦ କହି, ମୋତେ ଆମୋଦିତ କରିଛନ୍ତି । ଏଥିପାଇଁ ମୁଁ ସାଧୁବାଦ ଜଣାଉଛି ।'

 

‘ଶବ୍ଦ ଓ ଭାଷା ବିଷୟରେ ତୁମର ଓ ଅନେକଙ୍କର ବିଚିତ୍ର ଧାରଣା, ଅବଧାରଣା, ବିଶ୍ଵାସ, ଅନ୍ଧବିଶ୍ୱାସ, ଭ୍ରାନ୍ତି ଇତ୍ୟାଦି ରହିଛି । ତାହା ଅଚିରେ ଦୂରହେବ’ ।

 

‘ତଥାପି ଆପଣ କହିଲେ ନାହିଁ ନିରାକାରକୁ କାହିଁକି କଳଙ୍କିତ କୁହାଯିବ !’

 

ଏଥର ନନା କହିଲେ, ‘ମୁଁ ପ୍ରଥମେ ସେ ଶବ୍ଦ ବ୍ୟବହାର କରି ନଥିଲି । ନିରାକାରର ମାତା ଅର୍ଥାତ୍ ଦିବଂଗତ କବିଙ୍କ ପତ୍ନୀ ନିଜ ପୁଅକୁ ସେହି ପୁରସ୍କାର ସମାରୋହ ପରେ କହିଥିଲେ, ‘‘ପୁଅରେ, ବାପାଙ୍କ ସମ୍ମାନ ବହୁତ ହେଲା, ଏଣିକି ଯାହା କରିବୁ ମୋର ମୃତ୍ୟୁପରେ କରିବୁ । ଅଧିକ ବାଜେ କାମ କର ନାହିଁ କି ନିଜକୁ ଅଥବା ପିତାଙ୍କୁ କଳଙ୍କିତ କରନାହିଁ !'' ସେଥିପାଇଁ ମୁଁ କଳଙ୍କିତ କବିପୁତ୍ର ବୋଲି କହିଥିଲି ।

 

: ‘ମୁଁ ଆପଣଙ୍କୁ ଆଜି ଏକ ଭଲ ଘଣ୍ଟା ଉପହାର ଦେବି !’ ଅବୋଲକରା କହିଥିଲା ।

✽✽✽

 

Unknown

କାହାଣୀ–ଚିତ୍ରନାଟ୍ୟ–ସଂଳାପ

(ଏକ)

 

ଘର ଆଗରେ କାର୍ ଅଟକିଲା ଏବଂ ସଫାରୀ ପିନ୍ଧା ଲୋକଟି ଓହ୍ଲାଇଲା । ଲୋକଟିକୁ ଯେ ମୁଁ ଆଗରୁ କେଉଁଠାରେ ଦେଖିଥିବି, ସେକଥା ମୋଟେ ସ୍ମରଣ ହେଲା ନାହିଁ ଅର୍ଥାତ୍ ଲୋକଟିକୁ ମୁଁ ଆଦୌ ଭେଟି ନଥିଲି ।

 

ମୁଁ ମୋ ଘରର ଉପରମହଲାର କ୍ଷୁଦ୍ର ବାଲ୍‍କୋନିରେ ବସିଥିଲି । ମୋ ଘରଟା ମୂଳ ସହରଠାରୁ ଦୂରରେ, ଜଣେ ଲେଖକ ବା ସେଇ ଜାତୀୟ ଲୋକ ସହରର ମଝି ଜାଗାରେ ଯେ ଆଦୌ ଘରଟେ କରିପାରିବ ନାହିଁ, ଏକଥା ମୋ ସମେତ ସବୁ ଲେଖକ ଜାଣନ୍ତି । ଯେଉଁ କେତେକ ହାତଗଣତି ଲେଖକମାନଙ୍କର ଘର ସହରର କେନ୍ଦ୍ରସ୍ଥାନମାନଙ୍କରେ ଅବସ୍ଥିତ, ସେମାନେ ଲେଖକ ହେବା ସହ ସଂଯୋଗବଶତଃ ଡାକ୍ତର, ଓକିଲ, ଇଞ୍ଜିନିୟର୍‍ ବା ପ୍ରଶାସନିକ ଅଧିକାରୀ ହୋଇପାରିଥିବାରୁ କେନ୍ଦ୍ର–ସହରରେ ଘର କରିବାକୁ ସମର୍ଥ ହୋଇଛନ୍ତି ।

 

ଅବଶ୍ୟ ମୁଁ ନିଜକୁ ଏଇଥିପାଇଁ ସୌଭାଗ୍ୟବନ୍ତ ମନକରେ ଯେ ଜଣେ ନାମମାତ୍ର ଲେଖକ ହୋଇ ମଧ୍ୟ ମୁଁ ରାଜଧାନୀରେ ଘରଟେ ବନେଇପାରିଥିଲି ଏବଂ ଘରଟିକୁ ଆପାତତଃ ରୁଚିସମ୍ପନ୍ନଭାବେ ସଜାଇ ପାରିଥିଲି । ରାଜଧାନୀରେ ସହସ୍ରାଧିକ ଲେଖକ ରହୁଥିଲେ ମଧ୍ୟ କେତେଜଣ ଅବା, ହାୟ–କେତେ ଜଣ ଅବା ଘରଟେ ବନାଇବାରେ ସମର୍ଥ ହୋଇଥିଲେ ? ଅନ୍ୟ ଲେଖକମାନଙ୍କ ପତ୍ନୀମାନେ ଯେପରି ସେମାନଙ୍କ ସ୍ୱାମୀମାନଙ୍କୁ ନାନାଦି କାରଣପାଇଁ ଖୁଣ୍ଟା ଦେବାରେ ଲାଗିଥାନ୍ତି–ଘର ତିଆରି କରିନପାରିବା ତନ୍ମଧ୍ୟରେ ପ୍ରମୁଖ କାରଣ–ମୋ ସ୍ତ୍ରୀ ମତେ ଜଣେ ସମର୍ଥ ଲେଖକ ଜ୍ଞାନ କରିଆସିଛନ୍ତି । ଲେଖକଟିଏକୁ ଜ୍ୱାଇଁ କରିଥିବାରୁ ଶ୍ୱଶୁର ଘର ଲୋକମାନେ ସଚରାଚର ଯେପରି ଦୀର୍ଘଶ୍ୱାସ ଛାଡ଼ୁଥାନ୍ତି ତଥା ନିଜ ଜ୍ୱାଇଁ ଲେଖାଲେଖି କରନ୍ତି ବୋଲି ପ୍ରକାଶ କରିବାକୁ କୁଣ୍ଠା କରନ୍ତି, ମୋ କ୍ଷେତ୍ରରେ ସେପରି ଘଟିନାହିଁ । କବି ସମ୍ମିଳନୀ, ସାହିତ୍ୟ କର୍ମଶାଳା, ଏକାଡ଼େମୀ ପ୍ରାୟୋଜିତ ସାହିତ୍ୟ ଉତ୍ସବ, ପୁସ୍ତକମେଳା ଇତ୍ୟାଦିରେ ଆମେ ପତି–ପତ୍ନୀ ଅନ୍ୟ ଲେଖକ ପତି–ପତ୍ନୀ ଯୋଡ଼ି ସହ ଭେଟ ହୋଇଥାଉ । ସେଇ ଅବସରରେ ମୋ ପତ୍ନୀ ଅନ୍ୟ ଲେଖକଙ୍କର ପତ୍ନୀଙ୍କୁ ଘର କରିସାରିଛନ୍ତି କି ନାହିଁ ବୋଲି ପଚାରନ୍ତି, କାହିଁକି କରି ନାହାନ୍ତି ତଥା କ’ଣ କଲେ ଜାଗା କିଣି ଅନ୍ତତଃ ଛୋଟ ଘରଟେ କରିହେବ, ସେ ସମ୍ପର୍କରେ ଅନ୍ତରଙ୍ଗ ପରାମର୍ଶ ଦିଅନ୍ତି । କିଏ କ'ଣ କେତେ ପ୍ରକାର ଭାବୁଥାଇପାରେ, ହେଲେ ଜଣେ ଗୃହହୀନ ଲେଖକକୁ ଗୃହଟେ କରିବାପାଇଁ ପରାମର୍ଶ ଦେବା କଦାପି ଏକ ଖରାପ କାର୍ଯ୍ୟ ହୋଇନପାରେ ।

 

ମଣିଷ ପ୍ରକୃତି ବଡ଼ ବିଚିତ୍ର ବୋଲି କୁହାଯାଇଛି, କିନ୍ତୁ ମୋର ପ୍ରକୃତି ଏହିପରି ଅର୍ଥାତ୍ ଅତିବିଚିତ୍ର । ମୁଁ ଗୋଟାଏ କଥା କହିବାକୁ ବା ବର୍ଣ୍ଣନା କରିବାକୁ ବାହାରିଥିବି, ଅନ୍ୟାନ୍ୟ ନାନାପ୍ରକାର କଥା ସେଥିରେ ପଶିଯିବ । ଅବଶ୍ୟ କହିବା ବାହୁଲ୍ୟ, ଯେଉଁମାନେ ଗପୁଡ଼ିଲୋକ ସେମାନଙ୍କୁ ମୋ କଥା ଭଲ ଲାଗିବ । କିନ୍ତୁ ଯେଉଁମାନେ ସ୍ୱଭାବତଃ ଅଳ୍ପକୁହା ଓ ଗମ୍ଭୀର, ସେମାନେ ମୋ କଥା କହିବା ଶୈଳୀରେ ବିବ୍ରତ ବା ବ୍ୟତିବ୍ୟସ୍ତ ହୋଇପଡ଼ିବେ । ଥରେ ଜଣେ ଅତି ଗମ୍ଭୀର ବୟସ୍କ ଲେଖକଙ୍କ ସହ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଆନ୍ତର୍ଜାତିକ ସାହିତ୍ୟର ପ୍ରଭାବ ସମ୍ପର୍କରେ କଥା ହେଉଥିବାବେଳେ ସେ ଅନ୍ୟମାନଙ୍କପରି ଧୈର୍ଯ୍ୟର ସହ ନଶୁଣି ମୋ କଥା ମଝିରେ କହିଥିଲେ, ‘‘ଆପଣ ଯେଉଁ ବିଷୟରେ ଆରମ୍ଭ କରିଥିଲେ, ସେ କଥା କହୁ ନାହାନ୍ତି, ୟେ ସାନିଆ ମିର୍ଜା–ସୋଏବ୍ ମାଲିକ ବିବାହରୁ ଆମକୁ କ’ଣ ମିଳିବ ? କ୍ଷୁଦ୍ର ଗଳ୍ପ ସହ ୟେ ଦି’ଜଣଙ୍କର କିବା ସମ୍ପର୍କ ?''

 

ତାଙ୍କ କଥାରେ ମୁଁ ଲଜ୍ଜିତ ବା ଅପ୍ରତିଭ ହୋଇଥିଲି କି ନାହିଁ, ସେକଥା ଏଠି ବୁଝାଇ କହିବାର ଅବକାଶ ନାହିଁ, କିନ୍ତୁ ଏଠାରେ ମୋର ବିଚିତ୍ର ପ୍ରକୃତିକଥା ଦେଖିବାର କଥା ! କ୍ଷୁଦ୍ର ଗଳ୍ପରୁ ସାମସଙ୍ଗ ଟିଭି ବା ସାନିଆ ମିର୍ଜା, ମୋର ଥଳକୂଳ ନଥାଏ । ମୁଁ ଭାରି ଗପୁଡ଼ି ଲୋକ, ମୋ ପ୍ରକୃତି ସେହିପରି, ଏହା ପୁରୁଣା କଥା ଏବଂ ଯେଉଁମାନେ ମୋ ସହ ମିଶିଛନ୍ତି, ସେମାନେ ମୋ କଥା ଭଲଭାବେ ଜାଣିଛନ୍ତି ।

 

କଥାଟା ସତରେ କୁଆଡ଼ୁ ଯାଇ କୁଆଡ଼େ ପଶିଗଲା ।

 

ସଫାରୀ ପିନ୍ଧା ଲୋକ ଜଣକ ମୋ ଘର ଆଗରେ ଓହ୍ଲାଇଥିଲେ । ମୋ ମୁଣ୍ଡରେ କାହିଁକି କେଜାଣି ଲେଖକଟିଏ ଘର କରିବା କଥା ପଶିଗଲା । ସେ ବାବୁଜଣକ ଥରେ ବୋଧେ ମୋ ବାରଣ୍ଡାକୁ ଉଠିଥିଲେ କି କ’ଣ, ପୁଣି ଓହ୍ଲେଇଯାଇ ନିଜ ଗାଡ଼ି ଆଗରେ ଠିଆ ହୋଇଥିଲେ । ତାଙ୍କର ଗାଡ଼ିରୁ ଓହ୍ଲାଇବା ଏବଂ ମୋର ନିଜ ଘର କରିଥିବା ଚିନ୍ତାରେ ନିମଗ୍ନ ହେବା ମଧ୍ୟରେ ବୋଧେ ମାତ୍ର ତିନି / ଚାରି ମିନିଟ୍ ସମୟ ବିତିଥିବ । ମଣିଷର ପ୍ରକୃତି ଯେପରି, ଚିନ୍ତା ମଧ୍ୟ ସେପରି । ମୁହୂର୍ତ୍ତକରେ ଜଣେ ଯେଉଁ ଦୃଶ୍ୟ–ସମୂହର କଳ୍ପନା କରିପାରିବ ବା ଘଟଣା ସମ୍ପର୍କରେ ଚିନ୍ତା କରିପାରିବ, ତାହାକୁ ଲେଖିବସିଲେ ଶହେ ପୃଷ୍ଠା ହୋଇଯିବ । ଖାଣ୍ଟି ଲେଖକମାନେ ଏପରି ମୁହୂର୍ତ୍ତ–ମୁହୂର୍ତ୍ତକର ଚିନ୍ତାକୁ–କଳ୍ପନାକୁ ଲେଖନୀ ମୁନରେ ବାନ୍ଧି ରଖିବାକୁ ସମର୍ଥ ହୋଇପାରିଛନ୍ତି ବୋଲି ବଡ଼ବଡ଼ ଗ୍ରନ୍ଥ–ଉପନ୍ୟାସ–କାବ୍ୟମାନ ରଚନା କରିବାରେ ସମର୍ଥ ହୋଇଛନ୍ତି । ମୋର ଚିନ୍ତା ଓ କଳ୍ପନାଶକ୍ତି ଅତ୍ୟନ୍ତ ବଳଶାଳୀ ହୋଇଥିଲେହେଁ ମୁଁ କଦାପି ସେମାନଙ୍କୁ ବାନ୍ଧି ରଖିପାରିଲି ନାହିଁ । ତଥାପି ମୁଁ ପରାଜୟ ସ୍ୱୀକାର କରିନାହିଁ କିମ୍ବା ଲେଖାଲେଖି ବନ୍ଦ କରିନାହିଁ । ମୋ ମନକୁ ଯେତେବେଳେ ଯାହା ଆସିଛି, ମୁଁ ଲେଖିଛି : କବିତା, ଗପ, କ୍ଷୁଦ୍ର ଉପନ୍ୟାସ, ଛୋଟ ଏକାଙ୍କିକା, ଅନୁବାଦ, ଗୀତିକବିତା ! ଦୈନିକ ଖବରକାଗଜମାନଙ୍କ ପାଇଁ ମଧ୍ୟ ମୁଁ ଛୋଟ ଛୋଟ ଲେଖା ଲେଖିଛି । ହେଲେ ଏହି ସାହିତ୍ୟର ଦୁନିଆଟି ଏଡ଼େ କଠୋର ଏବଂ ନିଷ୍ଠୁର ଯେ ପ୍ରାୟ ତିନି/ ଚାରିବର୍ଷ ନିୟମିତ ଏସବୁ ଲେଖାଲେଖି କରିବାପରେ ମଧ୍ୟ ସାହିତ୍ୟିକ ତାଲିକାରେ ମୋତେ ସ୍ଥାନ ମିଳିଥିବା ପରି ମନେହେଲା ନାହିଁ । ସୁତରାଂ, ଲେଖାଲେଖି ସହ ମୋତେ ଅନ୍ୟ କେତୋଟି କାର୍ଯ୍ୟ ନିୟମିତ କରିବାପାଇଁ ପଡ଼ିଥିଲା । ପରେ ମୁଁ ଜାଣିଗଲି ଯେ ପରିଚିତ ସାହିତ୍ୟିକମାନଙ୍କ ତାଲିକାରେ ନାମ ଲେଖାଇବାକୁ ହେଲେ ସାହିତ୍ୟ ରଚନା ଛଡ଼ା ଆଉ ସବୁ କ’ଣ କ’ଣ କରିବାକୁ ପଡ଼େ । ଏ ବାବଦରେ ମୋର ଏତେ ଗଭୀର ଜ୍ଞାନ ଯେ ନୂତନ–ତରୁଣ ସାହିତ୍ୟିକମାନଙ୍କୁ ମୁଁ ଉପଦେଶ ଦେବା ସ୍ତରକୁ ଆସିଗଲିଣି । ମୋର ମୁଣ୍ଡର ପନ୍ଦର କୋଡ଼ିଏଟି କେଶ ଶୁଭ୍ର ହେବାମାତ୍ରକେ ମୁଁ ଏହାକୁ ବିଷୟବସ୍ତୁ କରି ନିଶ୍ଚୟ ପ୍ରବନ୍ଧ ବା ମିନି ଉପନ୍ୟାସଟିଏ କୌଣସି ଏକ ପୂଜାସଂଖ୍ୟାରେ ଲେଖିବି । ଏବେ ସେକଥା ଥାଉ, ତେବେ ଯଦି ଦରକାର ପଡ଼େ ତେବେ ମୁଁ ନିଶ୍ଚୟ ମୋର କଷ୍ଟଲବ୍ଧ ଜ୍ଞାନ ଓ ଅନୁଭୂତିରୁ ଆପଣମାନଙ୍କୁ କହିବି । କହୁନାହାନ୍ତି, ଜ୍ଞାନ ଆଉ କ’ଣ ପାଇଁ ଥାଏ କି ? ବାଣ୍ଟିବାପାଇଁ ତ !

 

ସେଇ ସଫାରୀ ପିନ୍ଧା ଭଦ୍ରଲୋକ ତଳେ ତାଙ୍କ ଗାଡ଼ି ନିକଟରେ ଛିଡ଼ାହୋଇ ମୋ ଘର ଆଡ଼କୁ, ବୋଧେ ମୋ ନାମଫଳକ ଆଡ଼କୁ ଚାହୁଁଥିଲେ, ପୁଣି ଅସହାୟ ହୋଇ ନିଜ କାର୍‍କୁ ଆଉଁଶୁଥିଲେ । ବୋଧେ ସେ ଆଶା କରୁଥିଲେ କେହି ବାହାରକୁ ବାହାରିବ ଏବଂ ତାଙ୍କ ପ୍ରତୀକ୍ଷାର ଅନ୍ତହେବ । ସେ ଉପରକୁ ଥରେ ଦି'ଥର ଅନେଇଥିଲେ ମଧ୍ୟ ତାଙ୍କ ନଜର ମୋ’ ଉପରେ ପଡ଼ି ନଥିଲା । ପ୍ରଥମ କଥା ହେଲା, ଆମ ଲେଖକମାନଙ୍କ ଘରର ବାଲ୍‍କୋନି ମଧ୍ୟ ଖୁବ୍ ଛୋଟ, ସେଠାରେ ଗୋଟିଏ କାଠ ଚୌକିରେ ମୁଁ ଏପରି କାଇଦାରେ ବସିଥିଲି ଯେ ତାହା ସହଜରେ ତଳୁ ଜଣାପଡ଼ୁ ନଥିଲା । ହଁ–ଏଠାରେ ଅବଶ୍ୟ କହିରଖିବା ଉଚିତ ଯେ, ମୁଁ ଦୁଇଜଣ ଜଣାଶୁଣା ସାହିତ୍ୟିକଙ୍କ ଘରକୁ ଯାଇଛି, ସେମାନଙ୍କ ଘରେ ମୋଟେ ବାଲ୍‍କୋନି ନାହିଁ । ହେଉପଛେ ଛୋଟ, ମୋର ତ ବାଲ୍‍କୋନିଟେ ଅଛି !

 

ଯେତେ ଯାହାକଲେବି ମୋର ପ୍ରକୃତି ବଦଳିବ ନାହିଁ । ମୁଁ ତ ଗପୁଡ଼ିଲୋକ, ଏଣେ ଟିକେ ଅଧିକ କଳ୍ପନା କରିବା ଲୋକ । ଗୋଟେ କଥାରୁ ଆଉ କେତେ ଆଡ଼କୁ ମାଡ଼ିଯାଏ । ଯେଉଁମାନେ ମୋ ସହ ମିଶିଛନ୍ତି, ସେମାନେ ମୋର ଏହି ଗୁଣ ସହ ପରିଚିତ ଅଛନ୍ତି । ଏଇଠି ଦେଖୁନ, ମୁଁ କେମିତି ଏଣେତେଣେ ପଶିଯାଉଛି । ଅବଶ୍ୟ ଏକ ଦୁରନ୍ତ ଜିଲ୍ଲାର ତରୁଣ ସାହିତ୍ୟିକ ଜଣେ ଗୋଟେ ସଭାରେ ମୋର ଭେଟ ହେବା ସମୟରେ ଅନର୍ଗଳ ଗପ କରୁଥିବା ଦେଖି ମୁଗ୍ଧ ହୋଇ ମୋତେ କହିଲା, “ସାର୍ ! ଆପଣ କିଭଳି ଏତେକଥା ମନେ ରଖିଛନ୍ତି ଏବଂ କିଭଳି ଏତେ ଭଲ ଭାବରେ କଥାଗୁଡ଼ା ସଜେଇ କହିପାରୁଛନ୍ତି !''

 

ମୁଁ ତାଙ୍କୁ ଆଶ୍ୱାସନା ଦେଇଥିଲି, ‘ତୁମେ ଯେତେ ଅଧିକ ପଢ଼ିବ, ସେତେ ଭଲ କହିପାରିବ' ।

 

ହେଃ ! ୟେଗୁଡ଼ା କି କଥା ? ଜଣେ ଘର ଆଗରେ ଛିଡ଼ା ହୋଇଥିବ, ଅଥଚ ତମେ ନିଜ ବାଲ୍‍କୋନିରେ ଆରାମରେ ଏଣୁତେଣୁ ଚିନ୍ତାରେ ମଜ୍ଜି ଯାଉଥିବ, ଛି ! ଏ ଭିତରେ ନିଶ୍ଚୟ ସାତ/ ଆଠ ମିନିଟ୍ ବିତିଗଲାଣି । ଅତ୍ୟନ୍ତ ଗର୍ବୀ ଓ ଉଦ୍ଧତ ଲୋକ ମଧ୍ୟ ଏପରି କରିବ ନାହିଁ । ଆମ ସଂସ୍କୃତି ଓ ପରମ୍ପରାର ଏପରି ଆଚରଣ ଘୋର ବିରୋଧୀ ଅଟେ । ଏଠାରେ ଅବଶ୍ୟ ସ୍ପଷ୍ଟ କରିଦେବା ଉଚିତ ଯେ ମୁଁ ଆଦୌ ଗର୍ବୀ ବା ଅହଂକାରୀ ନୁହେଁ, କଥା ହେଲା ମୁଁ ଗପୁଡ଼ି ଲୋକ, ମୋ ପ୍ରକୃତି ସେମିତି । ଯଦ୍ୟପି ମୁଁ କାହାସହ ଗପ କରୁ ନଥିଲି, ଏଠାରେ ଏପରି ପରିସ୍ଥିତି ଥିଲା ଯେ ମୁଁ ନିଜ ସହହିଁ ବୋଧେ କଥାର ଖିଅ ଖେଳାଉଥିଲି । ସଚରାଚର ଏପରି ହୋଇଥାଏ । ଏହାର ଜ୍ଵଳନ୍ତ ଉଦାହରଣ ମୁଁ ଦେଇପାରେ । ଟ୍ରାଫିକ୍ ଛକରେ ନାଲିବତୀ ଜଳିଗଲେ ଯେଉଁମାନେ ଅଟକି ରହନ୍ତି, ନିଜ ସ୍କୁଟର୍‍–ମଟର ସାଇକେଲ୍–କାର୍–ଅଟୋ ଇତ୍ୟାଦିରେ ବସି ରହିଥାନ୍ତି, ସେମାନେ ସମସ୍ତେ କ’ଣ ଚିନ୍ତାଶୂନ୍ୟ ଥାଆନ୍ତି କି ? ନିଜ ସହ ନିଜେ ନିଜେ ଗପ କରୁଥାନ୍ତି । ଗୋଟିଏ ସ୍ଥାନରେ ଠିଆ ହୋଇଥିଲେ ମଧ୍ୟ କେତେଆଡ଼େ ଭ୍ରମଣ କରୁଥାନ୍ତି । ତାହା ଏକ ବିଚିତ୍ର ଅବସ୍ଥା । ଯଦି କେହି ଦୁଃସାହସୀ ଯୁବ ସାହିତ୍ୟିକ ଏ ଦିଗରେ ପ୍ରୟାସ କରନ୍ତା ଅର୍ଥାତ୍ ଟ୍ରାଫିକ୍ ଛକରେ ନାଲିବତୀରେ ଦଣ୍ଡାୟମାନ ଲୋକମାନେ କ’ଣ ଭାବୁଥିଲେ ସେତକ ସଂଗ୍ରହ କରିପାରନ୍ତା, ତେବେ ଅନେକ ଚମତ୍କାର କାହାଣୀମାନଙ୍କର ସୁରାକ ମିଳନ୍ତା; ସୁରାକ କ’ଣ ମ କାହାଣୀ ତ ମିଳନ୍ତା । ସ୍ଥଳ ବିଶେଷରେ ଉପନ୍ୟାସବି ଲେଖାଯାଇପାରନ୍ତା ।

 

ମୁଁ ଅଚାନକ ଠିଆ ହୋଇପଡ଼ିଲି । ତଳେ ଠିଆ ହୋଇଥିବା ଭଦ୍ରବ୍ୟକ୍ତିଙ୍କର ନଜର ସେଇ ମୁହୂର୍ତ୍ତରେ ମୋ ଉପରେ ପଡ଼ିଲା । ସେ ମୁରୁକେଇ ହସିଲେ ।

 

ମୁଁ ପଚାରିଲି, ‘କ’ଣ କାହାକୁ ଖୋଜୁଛନ୍ତି ?’

 

ସେ ତଳୁ କହିଲେ, ‘ଆପଣ କ’ଣ ବ୍ରଜବିହାରୀବାବୁ ?’

 

ମୁଣ୍ଡ ହଲାଇ ମୁଁ ତାଙ୍କୁ ହଁ ବୋଲି ସୂଚନା ଦେଲି ଏବଂ ହାତର ପାପୁଲି ଦେଖାଇ ପ୍ରତୀକ୍ଷା କରିବାକୁ କହି ତଳକୁ ଆସିବାରେ ଲାଗିଲି । ଲୋକ ଜଣକ ତେବେ ମୋତେ ଜାଣିଛନ୍ତି, ମୁଁ ସାହିତ୍ୟିକ ବୋଲି ଅବଗତ ଅଛନ୍ତି । ନତୁବା ସେ ନାମଫଳକରୁ ମୋ ନାଁ ଦେଖିଛନ୍ତି, ଘର ପଚାରି ପଚାରି ବୋଧେ ଆସିଛନ୍ତି । ମୋ ନିକଟକୁ ସେ ଲେଖକୀୟ କାମରେ ଆସିଥିଲେ ଅବା ଅନ୍ୟକିଛି କାମରେ ଆସିଥିଲେ, ସେକଥା ସେଇକ୍ଷଣି ଜାଣିବାର ଉପାୟ ନଥିଲା । ମୁଁ ଅବଶ୍ୟ ମୋ ନାମଫଳକଟିରେ ଯାହା ଯାହା ଲେଖାଇଥିଲି, ମୋ ଜାଣିବାରେ ରାଜଧାନୀରେ କୌଣସି ସାହିତ୍ୟିକ ସେପରି ଲେଖାଇ ନଥିବେ । ମୁଁ ଲେଖିଥିଲି : ‘ରଘୁ–ଜାନକୀ ନିବାସ, ବ୍ରଜ ବିହାରୀ ଖଟେଇ, ପ୍ଲଟ୍ ନଂ ୧୧୫/ ୨୦୮, କପିଳେନ୍ଦ୍ର ବିହାର ।’

 

ଏହି ନାମଫଳକରେ କ’ଣ କିଛି ନୂତନତ୍ୱ ଅଛି କି ? ଏହିପରି ନାମଫଳକମାନ ଆପଣ ରାଜଧାନୀରେ ଅନେକତ୍ର ବା ସର୍ବତ୍ର ପାଇବେ । କିନ୍ତୁ ମୋ ନାମଫଳକଟି ଭିନ୍ନ ଥିଲା, କାରଣ ମୋ ନାଁ ତଳକୁ ସୁନେଲି ଅକ୍ଷରରେ ଲେଖାଯାଇଥିଲା ‘କବି, ଗାଳ୍ପିକ, ପ୍ରାବନ୍ଧିକ’ । ମୋ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକେ ବିଶେଷତଃ ମୋ ସାନଶଳା ଓ ସାନଶାଳୀ ତଥା କିଛି ଶୁଭାକାଂକ୍ଷୀ ବନ୍ଧୁ ମୋ ନାମ ତଳକୁ ଅବଶ୍ୟ କବି–ଫବି ଇତ୍ୟାଦି ଲେଖିବାକୁ ବାରଣ କରିଥିଲେ । କିନ୍ତୁ ମୁଁ ନିଜ ଜିଦିରେ ଅଟଳ ରହିଥିଲି । ମୁଁ ଜଣେ ଲେଖକ, ହୋଇପାରେ ମୁଁ ଆଗଧାଡ଼ିର ଲେଖକମାନଙ୍କ ମଧ୍ୟରେ ଗଣାଯାଉ ନାହିଁ, ହୋଇପାରେ ପାଠକ ମୋତେ ଜଣେ ସିରିଅସ୍ ଲେଖକଭାବେ ଗଣେ ନାହିଁ; ହେଲେ ଏହାର ଅର୍ଥ ନୁହେଁ ଯେ ମୁଁ ଲେଖକ ପଦବାଚ୍ୟ ନୁହେଁ । ମୁଁ ଜଣେ ଲେଖକ । ମୁଁ ତାହା ଜଗତ ଆଗରେ ଘୋଷଣା କରିବାରେ ବାଧା କାହିଁକି ରହିବ ? ଘରକାମ ସମ୍ପୂର୍ଣ୍ଣ କରିବାବେଳକୁ ମୋର ତେତିଶଟି କବିତା, ଦୁଇଟି ଏକାଙ୍କିକା, ଏଗାରଟି ଗୀତିକବିତା, ଗୋଟିଏ ସାକ୍ଷାତକାର, ସତେଇଶଟି ଗପ, ଚାରିଟି ଅନୁବାଦ ଓ ସାତଟି ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ବାହାରି ସାରିଥିଲା । ଘରର ନାମ ‘ରଘୁ–ଜାନକୀ ନିବାସ’କୁ ମଧ୍ୟ ଅନେକ ନାପସନ୍ଦ କରିଥିଲେ । କେଇଜଣ ନିଛକ ବାନା ଜାତୀୟ ବନ୍ଧୁ ଥଟ୍ଟା କରି ମତେ ଘରର ନାମ ‘ରାମସୀତା’ ଅବା ‘ଦଶରଥ–କୈକେୟୀ’ ଅବା ‘ଲକ୍ଷ୍ମଣ–ଊର୍ମିଳା’ ଇତ୍ୟାଦି ଦେବାପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ହେଲେ ସେପରି କରିବା ମୋ ପକ୍ଷରେ ସମ୍ଭବପର ନଥିଲା, ମୁଁ ମୋ ଘରର ନାମ ମୋ ଜେଜେବାପା ଓ ଜେଜେମାଙ୍କ ନାମାନୁସାରୀ କରିଥିଲି ।

 

ମୋ ଜେଜେଙ୍କ ନାମ ଥିଲା ରଘୁନାଥ ଖଟେଇ । ଜେଜେମାଙ୍କ ନାମ ଥିଲା ଜାନକୀ ଖଟେଇ । ସେମାନଙ୍କ ପ୍ରତି ମୋର ଅତି ପ୍ରଚଣ୍ଡ ଶ୍ରଦ୍ଧାରୁ ମୁଁ ମୋ ଘରର ନାମ ‘ରଘୁ ଜାନକୀ’ ରଖିଥିଲି ।

 

ପାହାଚ ଓହ୍ଲାଇ ତଳକୁ ଆସି ବାରଣ୍ଡାସ୍ଥ ଗ୍ରିଲ୍ ଖୋଲିବା ଭିତରେ ମୁଁ ପୁଣି କେତେକଥାର ଅବତାରଣା କଲି ଦେଖିଲେ ତ ? ଏହି ହେଉଛି ପ୍ରକୃତି, ଯାହା ସମ୍ପର୍କରେ ମୁଁ ପୂର୍ବରୁ ସୂଚନା ଦେଇସାରିଛି । ଲେଖକ ପୁଣି ଗପୁଡ଼ି ହେଲେ ୟେପରି ହୋଇଥାଏ । ମୁଁ ଗ୍ରିଲ୍ ଖୋଲି ତଳକୁ ଆସିଲି । ସଫାରୀ ପିନ୍ଧା ଭଦ୍ରଲୋକ ଜଣକ ପୁନର୍ବାର ନିଜ ପ୍ରଶ୍ନ ଦୋହରାଇଲେ, ‘ଆପଣ ଲେଖକ ବ୍ରଜ ବିହାରୀବାବୁ ତ ?’ ଆଜ୍ଞା ହଁ, ମୁଁ କହିଲି ଏବଂ ପାହାଚ ଓହ୍ଲେଇ ତାଙ୍କ ନିକଟକୁ ଗଲି-। ସେ କହିଲେ, ‘ମୁଁ ଆଜ୍ଞା ଏଠି ପ୍ରାୟ ଦଶ / ବାର ମିନିଟ୍ ଠିଆ ହେଲିଣି, ଘରୁ କେହି ବାହାରିବାକୁହିଁ ନାହାନ୍ତି । କଲିଂବେଲ୍‌ଟା ଚିପିଥିଲି, ବାଜୁନାହିଁ କି କ'ଣ !

 

‘କ’ଣ କିଛି କାମ ଥିଲା ?' ମୁଁ ପଚାରିଲି । ସେ ମୁଣ୍ଡ ଟୁଙ୍ଗାରି ହଁ ବୋଲି କହିବାରୁ ମୁଁ ତାଙ୍କୁ ଭିତରକୁ ଆସିବାକୁ ଆମନ୍ତ୍ରଣ ଜଣାଇଲି । ସେ ମୋ ପଛେ ପଛେ ଭିତରକୁ ଆସିଲେ, ଆମେ ବାରଣ୍ଡା ଟପି ଡ୍ରଇଂରୁମ୍‍କୁ ଆସିଲୁ । ମୁଁ ବଡ଼ପାଟିରେ ମୋ ସ୍ତ୍ରୀଙ୍କୁ ଦୁଇ କପ୍ ଚା’ କରିବାର ବରାଦ ଦେଲି ଏବଂ ଆମେ ସାମ୍ନାସାମ୍ନି ସୋଫାରେ ବସି ପଡ଼ିଲୁ । ସେ ମୋ ଡ୍ରଇଂରୁମ୍‍ର ଚାରିଆଡ଼େ ଆଖି ବୁଲେଇ ଆଣି ଏବଂ ଘରଟି ଖୁବ୍ ଭଲ ଭାବରେ ସଜା ହୋଇଛି ବୋଲି ମନ୍ତବ୍ୟ ଦେଲେ । ସଚରାଚର ଯେପରି ସ୍ଵାମୀମାନେ ନିଜର ଭୂମିକାକୁ ଗୌଣକରି କହିଥାନ୍ତି, ମୁଁ ସେହିପରି କହିଲି, ୟେ ସବୁ ମୋ ଧର୍ମପତ୍ନୀଙ୍କ କାମ । ମୋର ସେ ଆଡ଼କୁ କ’ଣ ଏତେ ନଜର ଥାଏ ?'

 

ସେ କହିଲେ, ‘ଆପଣଙ୍କ ଘରଟା ଏମିତି ଜାଗାରେ ଯେ ପୂରା ଶାନ୍ତ ପରିବେଶ । ଏପଟେବି ଗାଡ଼ି–ମଟରର ଏତେ ପ୍ରାଦୁର୍ଭାବ ନାହିଁ । ଜାଗାଟା ଯେତିକି ନିରୋଳା, ଆପଣଙ୍କ ଘରଟା ଆହୁରି ଶାନ୍ତ ସ୍ତବ୍ଧ ଲାଗୁଚି ।’

 

ସାଧାରଣତଃ କଥା କହିବା ଭିତରେ କେହି ସ୍ତବ୍ଧ ଶବ୍ଦଟା ବ୍ୟବହାର କରନ୍ତି ନାହିଁ ବା କରିପାରନ୍ତି ନାହିଁ । ସୁତରାଂ ମୁଁ ଖୁସୀ ହେଲି ।

 

ମୁଁ କିନ୍ତୁ ଆପଣଙ୍କ ପରିଚୟ ଜାଣିପାରିଲି ନାହିଁ । ମୁଁ ଆସି ଆପଣଙ୍କ ଘରେ ବସି ଗପ ଜମେଇ ସାରିଲିଣି, ଅଥଚ ମୁଁ କିଏ ଆପଣ ଜାଣି ନାହାନ୍ତି । ମୋ ନାଁ ଡ. ପଦ୍ମକୁମାର । ମୁଁ ଜଣେ ଚଳଚ୍ଚିତ୍ର ପ୍ରଯୋଜକ । ଦୁଇଟା ଚଳଚ୍ଚିତ୍ରରେ ମୁଁ ଆଗରୁ ସହକାରୀ ନିର୍ଦ୍ଦେଶକ କାମ ତୁଲେଇ ସାରିଛି-। ଗୋଟାଏ ହିଟ୍, ଆରଟି ଚିତ୍‍ପଟାଙ୍ଗମାନେ ପୂରା ଫ୍ଲପ୍ ହୋଇଗଲା ।

 

ସତ କହୁଚି, ଅନେକ ସାହିତ୍ୟିକମାନଙ୍କ ସହ ମୋର ବ୍ୟକ୍ତିଗତ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କ ରହିଛି, କିନ୍ତୁ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ କାହାରି ସହ ମୋର ସତରେ ସମ୍ପର୍କ ହୋଇ ନଥିଲା । ଏକଥା ମୁଁ ଅଭିଜ୍ଞତାରୁ ଜାଣିଛି ଯେ ଆମ ରାଜ୍ୟରେ ସାହିତ୍ୟିକମାନଙ୍କ ସହ ଚଳଚ୍ଚିତ୍ର ଜଗତର ସମ୍ପର୍କ ଖୁବ୍ କ୍ଷୀଣ, ଅବା ଜମା ନାହିଁ କହିଲେ ଚଳେ । ଏହାର ହୁଏତ ନାନାଦି କାରଣ ରହିଥାଇପାରେ । ସେ ସବୁର ବ୍ୟାଖ୍ୟା ଓ ତର୍ଜମା କରିବାକୁ ମୁଁ ବିଶେଷ ସମୟ ପାଇ ନାହିଁ । ସମୟ–ସୁଯୋଗ ପାଇଲେ ମୁଁ ନିଶ୍ଚୟ ବ୍ୟାଖ୍ୟା କରିବି । କେବଳ ଗୋଟାଏ ଧାରଣା ମୋର ରହି ଆସିଛି ଯେ, ସାହିତ୍ୟିକମାନଙ୍କର ପ୍ରତିଭା ଏତେ ତୀବ୍ର ଓ ବଳଶାଳୀ ଯେ ସେମାନେ ହୁଏତ ଚଳଚ୍ଚିତ୍ର ଜଗତବାଲାଙ୍କ ସହ ମିଶିବାକୁ ପସନ୍ଦ କରିନାହାନ୍ତି କିମ୍ବା ଏପରି ମଧ୍ୟ ସମ୍ଭବ ଯେ ଚଳଚ୍ଚିତ୍ର ଜଗତରେ ଥିବା ପ୍ରତିଭାମାନେ ଏତେ ଉଚ୍ଚସ୍ତର ଯେ ସେମାନେ ସାହିତ୍ୟିକମାନଙ୍କୁ ଆପାତତଃ ଦୂରେଇ ରଖି ଆସିଛନ୍ତି । କାଁଭାଁ କେମିତି ବ୍ୟତିକ୍ରମ ଥାଇପାରେ । ସୁତରାଂ, ଏପରି ପରିସ୍ଥିତିରେ ମୋ ଘରେ ଡ. ପଦ୍ମକୁମାରଙ୍କ ଆବିର୍ଭାବ ମୋତେ ବିସ୍ମିତ ଓ କିଞ୍ଚିତ୍‍ ହର୍ଷିତ କରିଥିଲା ।

 

ମୋ ସ୍ତ୍ରୀ ଇତ୍ୟବସରରେ ଚା’ ଦେଇଗଲେ ।

 

ପରିସ୍ଥିତିକୁ ଲାଘବ କରିବାପାଇଁ ମୁଁ ପଚାରିଲି, ‘ଗୋଟାଏ କଥାର ରହସ୍ୟ ମୁଁ ଭେଦ କରିପାରିଲି ନାହିଁ । ଚଳଚ୍ଚିତ୍ର ସହ ସଂପୃକ୍ତ ଅଧିକାଂଶଙ୍କର ନାମ ପଛରେ କୁମାର ଲାଗିଥାଏ କାହିଁକି ! ଯାହାରବି ‘କୁମାର’ ଲାଗି ନଥିବ, ତାଙ୍କ ନାମଟି ଆଉ କିଛି ଏକ ବିଚିତ୍ର ପ୍ରକାର ହୋଇଥିବ ।’

 

ସେ ଏକ ନିହାତି ଅମାୟିକ ହସ ହସିଲେ, କହିଲେ, ‘ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ ମ ! ଗୋଟେ ଧାରା ଚାଲିଛି ତ ଚାଲିଛି । ସେପରି ନାଁ ସବୁ କାନକୁ ଭଲ ଶୁଭେ, ତା’ଛଡ଼ା ଟିକେ ଗ୍ଲାମର୍ ଗ୍ଲାମର୍ ଲାଗେ । ଏସବୁ ପରମ୍ପରା; ପରମ୍ପରା ନୁହେଁ ମ–ଏ ସବୁ ତରିକା ଦିଲ୍ଲୀପ କୁମାର–ରାଜେନ୍ଦ୍ର କୁମାର–ରାଜ କୁମାର ଇତ୍ୟାଦିଙ୍କଠାରୁ ଆରମ୍ଭ ହୋଇଛି । ହେଲେ ‘କୁମାର’ ଶବ୍ଦ ନଥାଇ ମଧ୍ୟ ନିଜ ନାଁକୁ କେତେକ ଆକର୍ଷଣୀୟଭାବେ ବଦଳାଇଛନ୍ତି ।’ ‘ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କ’ଣ ଏମିତି ହେଇଛି ?’ ମୁଁ ପିଲାଙ୍କ ପରି ପଚାରିଲି । ‘ଖୁବ୍ କମ୍', ସେ କହିଲେ, ‘ଆମର ଏଠି ନାୟକ–ନାୟିକାମାନେ ଏତେ ବେଶୀ ନାମ ପରିବର୍ତ୍ତନ କରନ୍ତି ନାହିଁ, ହେଲେ ଅନ୍ୟମାନେ କରନ୍ତି-।’

 

ଏହି ଅନ୍ୟମାନେ ଯେ କିଏ ସେ କଥା ମୁଁ ଆଉ ଖୋଳତାଡ଼ କରିବାକୁ ଚାହିଁଲି ନାହିଁ ।

 

ଏକ ସୁଖଦ ନିରବତା ବିରାଜମାନ କଲା । ସେ ମୋ ଡ୍ରଇଂରୁମ୍‍ର ଗୋଟେ କଡ଼ରେ ଥୁଆହୋଇଥିବା ଦୁଇଟି ବହି ର୍ୟାକ୍‍କୁ ବସିବା ଜାଗାରୁ ନିରୀକ୍ଷଣ କଲେ । ମୋ ଘରେ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ପହଞ୍ଚିଥିବାରୁ ମୋତେ ଖୁସୀ ଲାଗୁଥାଏ । ହଁ ଏଠାରେ କହି ରଖିବା ଉଚିତ ଯେ, ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତିତ୍ୱଙ୍କ ପ୍ରତି ମୋର ବେଶ୍ ଶ୍ରଦ୍ଧା–ସମ୍ମାନ ରହିଥିଲେହେଁ ମୁଁ ଓଡ଼ିଆ ବା ହିନ୍ଦୀ ଚଳଚ୍ଚିତ୍ର ଖୁବ୍ କ୍ୱଚିତ୍ ଦେଖିଥାଏ । ଏହାର କାରଣ ଅନେକ, ପ୍ରଥମଟି ହେଲା ସମୟର ଘୋର ଅଭାବ । ମୋ ସ୍ତ୍ରୀଙ୍କ ଦୟାରୁ ଅବଶ୍ୟ ମୁଁ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ ନାୟକ–ନାୟିକାଙ୍କ ବିଷୟରେ କିଛି କିଛି ଜାଣିଛି ।

 

ସେ ବହି ର୍ୟାକ୍‍ରୁ ମୁହଁ ବୁଲାଇ ପଚାରିଲେ, ‘ଆପଣଙ୍କର କେତୋଟି ବହି ବାହାରିଛି ?' ମୁଁ କହିଲି, ‘ହେଃ ! ମୋର ବହି କାହିଁ ? ବିଭିନ୍ନ ପତ୍ରପତ୍ରିକାରେ ଯାହା ଲେଖା ବାହାରେ । କେତେକ ପୂଜା ପତ୍ରିକାରେ ଅବଶ୍ୟ ଦୀର୍ଘ–ଗପ, ଛୋଟ ଉପନ୍ୟାସ ବାହାରିଛି । ବହୁ ଲେଖା ତ ସଂକଳିତ ହୋଇନାହିଁ । ହଁ–ଗପ ସଂକଳନ ଅବଶ୍ୟ ତିନିଟି ବାହାରିଛି ।’

 

ଯା’ହେଉ, ଏସବୁ କଥା ବଖାଣିବା ପାଇଁ ମୋର ଆଗ୍ରହ ନଥିଲା । ସେ ମୋ ଘରେ ବସି ମୋତେ ମୋ ଲେଖା ସମ୍ପର୍କରେ ପ୍ରଶ୍ନ ପଚାରିବେ, ମୋତେ କଥାଟା ଭଲ ଲାଗୁ ନଥିଲା । ଅନେକ ଏପରି ଲୋକ ଅଛନ୍ତି, ଯାହାଙ୍କର ଉଦ୍ଦେଶ୍ୟ କିଛି ନଥାଏ ବା ଉଦ୍ଦେଶ୍ୟ ଖରାପ ନଥାଏ, କିନ୍ତୁ ସେମାନେ ଅନେକ ଅବାନ୍ତର ପ୍ରଶ୍ନ ପଚାରନ୍ତି, ଯାହା ଲେଖକକୁ ବିଚରା ଭଲ ଲାଗେ ନାହିଁ । ସେପରି କେତେକ ପ୍ରଶ୍ନ ମୋ ମୁଣ୍ଡକୁ ତତ୍‍କ୍ଷଣ ଆସିଲା । ସେଗୁଡ଼ିକରୁ କେତୋଟି ସାମ୍ପଲ ହେଲା–ଆପଣ କେବେଠାରୁ ଲେଖାଲେଖି ଆରମ୍ଭ କଲେଣି ? ଆପଣଙ୍କ ଲେଖାମାନଙ୍କରେ ଆପଣ କେଉଁ ବିଷୟ ବା ତତ୍ତ୍ୱ ବା ଆଦର୍ଶକୁ ଗୁରୁତ୍ୱ ଦେଇଥାଆନ୍ତି ? ଆଚ୍ଛା–ଲେଖା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସମ୍ଭବ ବୋଲି ଆପଣ ଭାବନ୍ତି କି ? ଆପଣଙ୍କ ସୃଷ୍ଟି–ସମ୍ଭାରରେ ଦଳିତ–ଅବହେଳିତ ସ୍ଵର ପ୍ରତିଫଳିତ ହୋଇଛି କି ? ଇତ୍ୟାଦି ଇତ୍ୟାଦି ।

 

ମୋ ସ୍ତ୍ରୀ ଏହି ସମୟରେ ପୁନର୍ବାର ଚା’ ଦେଇଗଲେ । ସେ ଏଇ କାମଟିକୁ ଅବଶ୍ୟ ମନ ଦେଇ କରିଥାନ୍ତି । ମୁଁ କାହା ସହ ବେଶୀ ସମୟ କଥାବାର୍ତ୍ତାରେ ଲିପ୍ତ ହେଲେ ସେ ମଝିରେ ମଝିରେ ଚା’ ଦେଇଥାନ୍ତି ।

 

ସେ ଚା’ କପ୍ ଉଠେଇଲେ ଏବଂ ମୁଁ ପଚାରିଲି, ‘ଏଥର କୁହନ୍ତୁ ଆପଣ କ’ଣ ପାଇଁ ଆସିଥିଲେ ?' ‘ଆପଣଙ୍କର ଗୋଟେ କାହାଣୀ ‘‘ସବୁଜ ଧରଣୀ, ଲୋହିତ ଆକାଶ’କୁ ମୁଁ ଚଳଚ୍ଚିତ୍ର କରିବାକୁ ଚାହେଁ, ସେ କହିଲେ ।’

 

ତାଙ୍କର ଏହି କଥା ମୋତେ ପ୍ରଚଣ୍ଡଭାବେ ଉତ୍‍ଫୁଲ୍ଲିତ କଲା । ସେହି ଗର୍ବ ମିଶା ଖୁସିକୁ ମୁଁ ବାହାରେ ପ୍ରକାଶ ନ କରି ଗମ୍ଭୀର ହୋଇ ବସିବାର ପ୍ରୟାସ କଲି । ଯେଉଁକିଛି ସାହିତ୍ୟିକ, ସମ୍ପର୍କୀୟ ଏବଂ କୁଜୀ ସମାଲୋଚକ ମୋତେ ଏକ ସରିୟସ ଲେଖକମାନଙ୍କ ଭିତରେ ଗଣନ୍ତି ନାହିଁ, ସେଇ ମୁହୂର୍ତ୍ତରେ ସେମାନଙ୍କୁ ଡାକି ମୋର କହିବାର ଇଚ୍ଛା ହେଲା : ଦେଖ, ଦେଖ ବାବୁମାନେ, ମୋ ଲେଖାର ମାନ ଓ ଜନପ୍ରିୟତା ଦେଖ, ଜଣେ ଚଳଚ୍ଚିତ୍ର ପ୍ରଯୋଜକ–ନିର୍ଦ୍ଦେଶକ ମୋତେ ଓ ମୋ ଘର ଖୋଜି ଖୋଜି ଆସିଛନ୍ତି । ମୋ ଲିଖିତ କାହାଣୀ ଏବେ ସିନେମା ହେବାକୁ ଯାଉଛିହୋ ଅଧମମାନେ ।

 

ସେ କହିଲେ, 'ଅବଶ୍ୟ ଦୁଃଖର କଥା ଯେ, ସେଇ କାହାଣୀଟି ମୁଁ ପଢ଼ିନାହିଁ । କିନ୍ତୁ ମୋର ଜଣେ ଘନିଷ୍ଠ ବନ୍ଧୁ, ଯିଏକି ବହୁତ ସାହିତ୍ୟ–ଫାହିତ୍ୟ ପଢ଼ାପଢ଼ି କରନ୍ତି, ସେ ମୋତେ କାହାଣୀଟି କହିଥିଲେ । ତାଙ୍କଠୁ କାହାଣୀଟା ଶୁଣି ମୁଁ ଜାଣିପାରିଥିଲି ଯେ ଏକ ହିଟ୍ ସିନେମା ହେବାର ସବୁ ଉପାଦାନ ସେଥିରେ ଅଛି । ତେବେ ଆଜି ଆପଣ ମୋତେ ସେଇ କାହାଣୀଟା ଦେଇଥାନ୍ତୁ, ମୁଁ କାହାଣୀଟା ପଢ଼ିଦେବା ନିହାତି ଜରୁରୀ । ଦିନେ ଦୁଇଦିନ ଭିତରେ ମୁଁ ପୁଣି ଆସିବି-। ଜାଣନ୍ତୁ ଆମର ସମ୍ପର୍କ ଏକ ଦୀର୍ଘସ୍ଥାୟୀ ସମ୍ପର୍କରେ ପରିଣତ ହେବାକୁ ଯାଉଛି-। ଜଣେ ନିର୍ଦ୍ଦେଶକ, ପ୍ରଯୋଜକକୁ ତା’ କାହାଣୀକାର / ସଂଳାପ ଲେଖକ / ଗୀତିକାର ଇତ୍ୟାଦିଙ୍କ ସହ ଘଣ୍ଟା ଘଣ୍ଟା ବିତେଇବାକୁ ପଡ଼ିଥାଏ । ଆପଣ ବଳେ ସବୁ ଜାଣିଯିବେନି କି ! ଦର୍ଶକ ତ ଯାଇ ଆରାମରେ ସିନେମା ହଲ୍‌ରେ ଦୁଇ / ତିନି / ଘଣ୍ଟା ବସି ଆନନ୍ଦ ଉଠଉଚି, ନହେଲେ ନିଜ ଘରେ ବସି ଟିଭି ପରଦାରେ ସିନେମା ଦେଖୁଚି । ହେଲେ ଗୋଟେ ସିନେମା କରିବାପାଇଁ ଆମେ କେତେ ଲୋକ ଯେ କେତେଦିନ ଅକ୍ଳାନ୍ତ ପରିଶ୍ରମ କରୁ, ଦିନରାତି ଜଣାପଡ଼େନା, ସେକଥା କିଏ ଜାଣେ-? ଯଦି ଆପଣଙ୍କ ଏଇ କାହାଣୀଟା ଫାଇନାଲ୍ ହେଇଯାଏ, ତେବେ ମୁଁ ଆପଣଙ୍କୁ ସୁଟିଂ ସେଟ୍ ଓ ଗୀତ ରେକର୍ଡ଼ିଂ ସେସନ୍‍କୁ ନେଇ ଯିବି । ଆପଣଙ୍କରବି ଭଲ ଅନୁଭୂତି ହେବ, ଆମମାନଙ୍କର ଜୀବନକୁ ନେଇ ହୁଏତ ଆପଣ କିଛି ଲେଖିବେ !’

 

ସେ ଚୁପ୍ ରହିଲେ । ମୁଁ ମଧ୍ୟ ବେଶୀ ପ୍ରତିକ୍ରିୟା ନ ଦେଖାଇ ମୋ ଜାଗାରୁ ଉଠି ମୋର ସେଇ ଗଳ୍ପ ସଂକଳନଟା ଥାକରୁ ବାହାର କରି ଆଣିଲି, ଯେଉଁଥିରେ ‘ସବୁଜ ଧରଣୀ, ଲୋହିତ ଆକାଶ’ କାହାଣୀଟା ଥିଲା । ସେଇଟି ଆପାତତଃ ଏକ ଖୁବ୍ ଦୀର୍ଘ ଗଳ୍ପ ପର୍ଯ୍ୟାୟଭୁକ୍ତ । ମୋରବି ସେ କାହାଣୀର ଡିଟେଲସ୍ ମନେ ନାହିଁ । ସେ ଯିବାପରେ ମୁଁ ଆଉଥରେ ପଢ଼ିବି ବୋଲି ଭାବିଲି । ବହିଟା ମୁଁ ଡ. ପଦ୍ମକୁମାରଙ୍କ ଆଡ଼କୁ ବଢ଼େଇ ଦେଲି । ସେ ବହିଟା ଏପଟ ସେପଟ କରି ଖୁସୀ ହେବାପରି ଜଣାଗଲେ । ପୁଣି ବହିଟି ମୋ ଆଡ଼କୁ ଫେରାଇଦେଇ କହିଲେ, ‘ମୁଁ କ’ଣ ଖାଲି ବହିଟା ନେବି ନା କ’ଣ ? ଏଥିରେ ଆପଣ ଆଜି ତାରିଖ ପକାଇ ସ୍ୱାକ୍ଷର କରନ୍ତୁ । ଜାଣନ୍ତୁ, ଆଜିଠୁ ଏ ଚଳଚ୍ଚିତ୍ରର ଶୁଭ–ମହୁରତ୍ ହେଲା ।’ ସେ ଏକ ମଧୁର ହସ ହସିଲେ ।

 

ବହିରେ ତାଙ୍କ ନାଁ ଲେଖି ସ୍ୱାକ୍ଷର କରି ମୁଁ ବହିଟା ତାଙ୍କ ହାତକୁ ଦେଲି । ଏଥର ସେ ଉଠିଲେ, ମୋ ଆଡ଼କୁ କରମର୍ଦ୍ଦନ ପାଇଁ ହାତ ବଢ଼ାଇ କହିଲେ, ‘ଆଜି ମୁଁ ଆସୁଛି ବ୍ରଜବାବୁ, କିନ୍ତୁ ଖୁବ୍ ଶୀଘ୍ର ଆମର ପୁଣି ଭେଟ ହେବ ।' ସେ ବାହାରିଗଲେ । ମୁଁ ତାଙ୍କୁ ପୋର୍ଟିକୋ ନିକଟରେ ବିଦାୟ ଦେଇ ଡ୍ରଇଂରୁମ୍‍ ଆସିଲି । ମୋ ସ୍ତ୍ରୀ ଆସି ମୋ ସାମ୍ନାରେ ବସିଲେ । ସେ ବୋଧେ ଆମମାନଙ୍କ କଥା କିଛି କିଛି ଶୁଣିଥିଲେ, ପଚାରିଲେ, “ତମ ଲେଖା କ’ଣ ସିନେମା ହବ ନା କ'ଣ-?'' ‘ଆଜି କ’ଣ ବର୍ଷା ହବ ନା କ’ଣ !’ ମୁଁ କହିଲି, ‘ଚାରିଆଡ଼ ଅନ୍ଧାରିଆ ଦିଶିଲାଣି !’ ସାଧାରଣତଃ ମୋ ସ୍ତ୍ରୀଙ୍କୁ ସହଜରେ ଭୁଲାଇଦେଇ ହୁଏ, ସିଏ ଜଣେ ଅତ୍ୟନ୍ତ ସରଳ ମହିଳା । କିନ୍ତୁ ଆଜି ସେ ଭଳିଗଲେ ନାହିଁ ।

 

‘ମୁଁ ତମକୁ ପଚାରୁଚି କ’ଣ, ତମେ ମତେ କହୁଚ କ’ଣ ?' ସେ କହିଲେ।

 

‘ଆରେ, ସେ ଲୋକ ତ ବହି ନେଲା, ତେଣିକି ସିନେମା କରିବ କି ବହିକୁ ଆଉ କାହାକୁ ଉପହାର ଦେଇଦବ, ସେକଥା କିଏ କହିବ ? କହିଲା ତ ଗୋଟାଏ ଗପର ବିଷୟବସ୍ତୁ କାହାଠାରୁ ଶୁଣି ସିନେମା କରିବ ବୋଲି ଭାବୁଚି, ସତରେ ସିନେମା କରିବ କି ଆଉ କ’ଣ କରିବ, କିଏ ଜାଣେ ? ପୁଣି ମୋ ବହି ପଢ଼ିବା ଭିତରେ ଯଦି ଆଉ କାହା ବହି ତାକୁ ଭଲ ଲାଗିଲା, ତେବେ କଥା ସରିଲା । ଆଉ ଗୋଟେ କଥା ଜାଣିଛ କି ନାହିଁ ? ଯେ ଅଧିକାଂଶ ସମୟରେ ସିନେମା ଚାରଣା, ଆଠଣା ସୁଟିଂ ସରିବା ପରେ ବନ୍ଦ ହୋଇଯାଏ । ମା’ ଗର୍ଭରୁ ସେ ସିନେମା ଆଉ ସୂର୍ଯ୍ୟାଲୋକ ଦେଖିପାରେ ନାହିଁ ।'

 

ମୋ ସ୍ତ୍ରୀ କହିଲେ, ‘ଆଚ୍ଛା, ଯଦି ସେ ଲୋକ ସତକୁସତ ତମ ଗପକୁ ନେଇ ସିନେମା କରେ, କେତେ ଦେବ ?'

 

‘ଦେବ ମାନେ ?’ ମୁଁ ବିସ୍ମିତ ହେଲି ।

 

‘ଓଃ ! ଜମା ଜାଣିଥିବ କି ? କିହୋ–ଯାହା ଗପ କି ଉପନ୍ୟାସ ସିନେମା ହୁଏ, ତାକୁ ପ୍ରଯୋଜକ ନିଜ କ୍ଷମତା ଅନୁଯାୟୀ କିଛି ଅର୍ଥ ଦିଏ, କିଛି କ’ଣ ମ, ଭଲ ଅର୍ଥ ଦିଅନ୍ତି । ଏବେ ଗୋଟେ କୋଉ ଖବରକାଗଜରେ ପଢ଼ିଲି ଯେ କୋଉ ଗୋଟେ ଇଂରାଜୀ ଉପନ୍ୟାସର ଲେଖକକୁ ତିନି / ଚାରି ଲକ୍ଷ ଡଲାର ଦେଇ ପ୍ରଯୋଜକ ସିନେମା କରିବା ବହି କିଣିନେଲା ।’

 

ମୋ ସ୍ତ୍ରୀ ଖବରକାଗଜରୁ ସଦାସର୍ବଦା ଚଳଚ୍ଚିତ୍ର ସମ୍ପର୍କିତ ଖବରଗୁଡ଼ିକୁ ସବାଆଗ ପଢ଼ନ୍ତି ଏବଂ ନାୟକ–ନାୟିକାମାନଙ୍କ ଫଟୋଗୁଡ଼ିକୁ ନିରିଖେଇ ଦେଖନ୍ତି ବୋଲି ମୋତେ ଜଣାଥିଲା, କିନ୍ତୁ ଏତେ ଗଭୀର ଓଜନଦାର ଖବରବି ତାଙ୍କୁ ଜଣାଥିବ ବୋଲି ମୋର ଧାରଣା ନଥିଲା ।

 

ମୁଁ ଆଉ କଥା ନ ବଢ଼ାଇ ଉଠି ବାହାରକୁ ଚାଲିଗଲି । ଗେଟ୍ ପାଖରେ ଠିଆ ହୋଇ ମୋର ଘରକୁ ଭଲ ଭାବରେ ନିରୀକ୍ଷଣ କଲି ! ଯଦି ମୋର କାହାଣୀରେ ପ୍ରସ୍ତୁତି ସିନେମା ସୁପର୍‍ହିଟ୍ ହୋଇଯାଏ, ତେବେ ମୋ ନିକଟକୁ ପ୍ରଯୋଜକ ନିର୍ଦ୍ଦେଶକମାନଙ୍କର ଧାଡ଼ି ଲାଗିବ ଏବଂ ମୁଁ ଗୋଟିକ ପରେ ଗୋଟିଏ କାହାଣୀ ଲେଖିବି, ଦରକାର ହେଲେ ସଂଳାପବି ଲେଖିବି ଏବଂ ଅଚିରେ ମୁଁ ଜଣେ କୋଟିପତି ଲେଖକରେ ପରିଣତ ହେବି ବୋଲି ମୋର ଧାରଣା ହେଲା । ସବୁବେଳ ସମାନ ନଥାଏ, ଭଲବେଳବି ଆସେ । ଜଣେ ଲେଖକର ଘର କିମିତିକା ହେବା ଉଚିତ, ଏଥରକ ଅନ୍ୟମାନେ ଜାଣିବେ ଓ ଦେଖିବେ । ଗ୍ୟାରେଜ୍‍ରୁ ଫିଆଟ୍ କାର୍‍ଟାକୁ ଅବଶ୍ୟ ହଟାଇବାକୁ ପଡ଼ିବ ।

 

(ଦୁଇ)

 

ଚାରି / ପାଞ୍ଚ ଦିନ ପରେ ମୋର ଜଣେ ସାହିତ୍ୟିକ ବନ୍ଧୁ ସବୁଶୁଣି କହିଲେ ଯେ କାହାଣୀ ସିନେମାରେ ପରିବର୍ତ୍ତିତ ବା ରୂପାନ୍ତରିତ ହେବା ମନ୍ଦକଥା ନୁହେଁ, ବରଂ ଭଲ କଥା । ଓଡ଼ିଶାରେ ଜଣେ ପ୍ରଯୋଜକ ଜଣେ ସାହିତ୍ୟିକଠାରୁ କାହାଣୀ ମାଗିବା କିଛି କମ୍ କଥା ନୁହେଁ, କାରଣ ଏଠି ପ୍ରଯୋଜକ–ନିର୍ଦ୍ଦେଶକ–କାହାଣୀକାର–ସଂଳାପ–ଲେଖକ–ଚିତ୍ରନାଟ୍ୟ–ଲେଖକ–ଗୀତିକାର–ସଙ୍ଗୀତକାର–ସଂପାଦକ ପ୍ରାୟତଃ ଜଣେ ବ୍ୟକ୍ତି ହୋଇଥାଏ । ଏପରି ବହୁ ପ୍ରତିଭାର ସମାଗମ ଘଟିଥିଲା ସତ୍ୟଜିତ୍ ରାୟଙ୍କଠାରେ । ତାଙ୍କୁ ଛାଡ଼ିଦେଲେ ସେପରି ପ୍ରତିଭାଧର କୋଉଠି ଆଉ ଭାରତରେ ନାହାନ୍ତି, ଅଛନ୍ତି କେବଳ ଓଡ଼ିଶାରେ । ଜଣେ ପ୍ରଯୋଜକ, ଯିଏକି ନିଜ ସିନେମାରେ ଗୋଟେ ଗୀତ ଲେଖିଥିଲେ, ସେଇଟି ହେଲା, ‘‘ଟୋକୀକୁ ମାଇଲି ଟେକାଟିଏ, ହୋଇଗଲା ସିଏ ବୋକାଟିଏ, ଧାଇଁ ଚଢ଼ିଗଲା ଗଛରେ, ମୁଁ ରହିଗଲି ପଛରେ ।’’ ସେହି ପ୍ରଯୋଜକ–ଗୀତିକାର ଜଣକ ଏହି ଗୀତପାଇଁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ ବୋଲି ଆଶା ରଖିଥିଲେ । ଅଳ୍ପକେ କଟିଗଲା । ତାଙ୍କର ଅବସୋସ ଯେ ଯେଉଁ ଗୀତଟା ପୁରସ୍କାର ପାଇଲା, ସେଥିରେ ଅଯଥାରେ ବସନ୍ତ, ପ୍ରଣୟ, ଜୋଛନା, ମହାନଦୀ ପାଣି, କାଶତଣ୍ଡୀ ବଣ ପରି ନିତାନ୍ତ ରଦ୍ଦିଆ ଶବ୍ଦ ବ୍ୟବହାର କରାଯାଇଥିଲା । ସେ ଏବେ ଗୋଟେ ନୂଆ ଚଳଚ୍ଚିତ୍ର ଆରମ୍ଭ କରୁଛନ୍ତି, ସେଥିରେ ଦୁଇଟା ଆଇଟମ୍ ଗୀତ ରଖିଛନ୍ତି । ଦୁଇଟିଯାକ ଗୀତ ସେ ଲେଖିବେ ସ୍ଥିର କରିଛନ୍ତି ।

 

ମୋର ଚଳଚ୍ଚିତ୍ର ଜଗତ ସମ୍ପର୍କରେ ସମ୍ୟକ୍ ଧାରଣା ହେଲା ନାହିଁ । ମୁଁ ମୋର ବନ୍ଧୁଙ୍କୁ ମୋ ଘରକୁ ପ୍ରଯୋଜକ ଡ. ପଦ୍ମକୁମାର ଆସିଥିବା କଥା କହିଲି । ମୋ ବନ୍ଧୁ ତାଙ୍କୁ ଜାଣିଥିବା କଥା କହିଲେ ଯେ, ତାଙ୍କ ପ୍ରକୃତ ପୂରାନାମ ପଦନ କୁମାର ଦାସ । ଯେ, ପଦନ ନାମଟି ଏକ ବିଲୁପ୍ତ ନାମ । ପଦନ ଶବ୍ଦଟି ମଣିଷର ଅଥବା କୌଣସି ଜୀବଜନ୍ତୁର ନାମ ହୋଇପାରେ ବୋଲି ଆଜିକାଲି ସନ୍ଦେହ ଉପୁଜିବାରେ ସମ୍ଭାବନା ଅଛି । ଯାହାହେଉ, ପଦନ କୁମାରକୁ ପରିବର୍ତ୍ତନ କରି ଡ. ପଦ୍ମକୁମାର କରିବା ଏକ ସମୟୋଚିତ ପଦକ୍ଷେପ ବୋଲି ମୋର ବିଶ୍ୱାସ ହଲା ।

 

ଆଠ / ଦଶ ଦିନପରେ ମୁହଁସଞ୍ଜବେଳେ ଡ. ପଦ୍ମକୁମାର ପୂର୍ବଥର ପରି ନିଜ ସଫାରୀ ପୋଷାକରେ ମୋ ଘରେ ହାଜର ହେଲେ । ଏଥର ଅବଶ୍ୟ ସେ ଆସିବା ଆଗରୁ ମୋତେ ଟେଲିଫୋନ୍ କରିଥିବାରୁ ମୁଁ ତାଙ୍କୁ ପ୍ରତୀକ୍ଷା କରୁଥିଲି । ତାଙ୍କୁ ଦେଖିବାକ୍ଷଣି ମୋର ମୋ ବନ୍ଧୁଙ୍କ କଥା ସ୍ମରଣ ହେଲା ଯେ ତାଙ୍କ ନାମ ଏକଦା ପଦନ ଥିଲା । ଯେଉଁ ମୁହୂର୍ତ୍ତରେ ମୁଁ ଭାବିଲି, ତାଙ୍କ ନାମ ପଦନ ଥିଲା; ସେଇ ମୁହୂର୍ତ୍ତରେ ମୋ ମନେହେଲା ସେ କଦାପି ଚଳଚ୍ଚିତ୍ର ବନେଇ ପାରିବେ ନାହିଁ । ପୁଣି ତାଙ୍କ ନାମ ଡି. ପଦ୍ମ କୁମାର ବୋଲି ସ୍ମରଣ ହେବାରୁ ଲାଗିଲା ଯେ ସେ ଚଳଚ୍ଚିତ୍ର, ଶିଶୁ ଚଳଚ୍ଚିତ୍ର ପ୍ରାମାଣିକ ଚଳଚ୍ଚିତ୍ର ସବୁକିଛି ଅକ୍ଳେଶରେ ତିଆରି କରିପାରିବ ।

 

ସୋଫାରେ ବସୁ ବସୁ କହିଲେ, ଆପଣଙ୍କ କାହାଣୀ ‘ସବୁଜ ଧରଣୀ, ଲୋହିତ ଆକାଶ, ଆମୂଳଚୂଳ ପାଠ କଲି । ସଂକଳନରେ ଥିବା ପ୍ରାୟ ସବୁତକ ଗପ ପଢ଼ି ସାରିଦେଇଛି । କେତେକ ଗପ ପୂରା ଭଲ ଲାଗିଲା, ଆଉ କେତେକ ଗପ ଟିକେ ମାନ୍ଦା ଲାଗିଲା, ମାନେ ଅନ୍ତିମ ପରିଣତି ଟିକେ କିଛି ଭିନ୍ନ ପ୍ରକାର ହୋଇଥିଲେ ଭଲ ଲାଗିଥାନ୍ତା । ଅବଶ୍ୟ ଆପଣଙ୍କ ଷ୍ଟାଇଲ୍ ପୂରାଠିକ୍ ଅଛି ।’

 

ସାଧାରଣତଃ ମୋ ଲେଖା ସମ୍ପର୍କରେ ଏପରି ମନ୍ତବ୍ୟ ମୋତେ ଭଲ ଲାଗେ ନାହିଁ । ତା'ଛଡ଼ା, ପଦ୍ମକୁମାରବାବୁଙ୍କ ସାହିତ୍ୟିକ–ଗଭୀରତା ମୋତେ ମାଲୁମ ନଥିଲା । ଏହି ସମୟରେ ମୋ ପତ୍ନୀ ଦୁଇକପ୍ ଚା’ ଓ ଦୁଇ ପ୍ରକାର ଦାମୀ ବିସ୍କୁଟ୍‍ ଦେଇଗଲେ ଗତଥର ସେ ପ୍ରଯୋଜକ ମହୋଦୟଙ୍କୁ କେବଳ ଚା’ ଦେଇଥିଲେ । ଗତଥର ମଧ୍ୟ ସେ ତାଙ୍କୁ ନମସ୍କାର–ଫମସ୍କାର ଜଣେଇ ନଥିଲେ । ଏଥର ନମସ୍କାର ଜଣାଇଲେ । ପତ୍ନୀ ସେଠାରୁ ନିଷ୍କ୍ରାମ ହୁଅନ୍ତେ ପଦ୍ମକୁମାର ଚା’ କପ୍ ଉଠାଇ ନେଉ ନେଉ କହିଲେ, ‘ଏଇ ଯେଉଁ ଗପ ଆପଣଙ୍କର–‘ସବୁଜ ଧରଣୀ, ଲୋହିତ ଆକାଶ’–ଏଥିରେ ଆମ ମନମୁତାବକ ପ୍ରାୟ ସବୁ ଉପାଦାନ ଅଛି । ମାନେ ଗାଁ କଥା ଅଛି, ଛୋଟ ସହର ଅଛି, ଫରେନ୍ କଥା ଟିକେ ଅଛି; ଏଣେ ପ୍ରେମ ଅଛି–ପ୍ରତିଶୋଧବି ଅଛି । କେବଳ ଗୋଟିଏ କଥା ଅବଶ୍ୟ ମତେ ଅସୁବିଧାରେ ପକାଇପାରେ ।’

 

‘ମାନେ ?’ ମୁଁ ପଚାରିଲି ।

 

‘କଥାଟା ସେମିତି ଗୁରୁତର ନୁହେଁ ମ, ଆପଣ ତ ପୂରା ବ୍ୟସ୍ତ ହୋଇପଡ଼ିଲେଣି ।’ ସେ ନିର୍ମଳ ହସଟେ ହସି କହିଲେ, ‘ଶେଷରେ ବିନୟ ମରିଯିବାଟା ଗପପାଇଁ ବେଶ୍ ଭଲ ଲାଗୁଚି ? ହେଲେ ସିନେମାପାଇଁ ସାମାନ୍ୟ ଅସୁବିଧା । ଅଢ଼େଇ ଘଣ୍ଟା / ତିନିଘଣ୍ଟା ଦେଖିବା ପରେ ଯଦି ଦର୍ଶକ ଦେଖିବ ଯେ ବିନୟ ମୃତ୍ୟୁ ବରଣ କରୁଚି, ତେବେ ମୋ ସିନେମା ଫ୍ଲପ୍ ହୋଇଯିବ । ତା'ଛଡ଼ା, ସମାଜକୁବି ଗୋଟେ ରଙ୍ଗ ମେସେଜ୍ ଯିବ । ଆମେ ସମାଜକୁ ରଙ୍ଗ ମେସେଜ୍ ଦବାଟା ଠିକ୍ ହେବ କି ?'

 

‘ବିନୟର ମରିଯିବା କିଛି ରଙ୍ଗ ମେସେଜ୍ ଦେଉଛି ବୋଲି ମୁଁ ଭାବେ ନାହିଁ । ସବୁ କାହାଣୀ ତ ସମାନ ହେବ ନାହିଁ । ବିନୟର ବରଂ ଆମ ସମାଜର ଅସହାୟତା ଚିତ୍ରଣ କରାଯାଉଛି-।’ ମୁଁ କହିଲି । ସେ ଅଳ୍ପ ହସିଲେ, କହିଲେ, 'ଏଇଥିପାଇଁ ଆମ ଚଳଚ୍ଚିତ୍ରବାଲାଙ୍କ ସହ ଆପଣଙ୍କ ସାହିତ୍ୟବାଲାଙ୍କର ପଡ଼େ ନାହିଁ କି କେବେ ପଡ଼ିବ ନାହିଁ । ମାନେ ଆପଣ କେତେ ଗପ, କବିତା ଲେଖୁଛନ୍ତି । ତା’ ଭିତରୁ କେଉଁଥିରେ ନେଗେଟିଭ୍ ଫୋର୍ସର ବିଜୟ ହେବ ବା ପ୍ରାଧାନ୍ୟ ରହିବ ତ ଆଉ କେଉଁଥିରେ ପଜିଟିଭ ଫୋର୍ସର ବିଜୟ ଘଟିବ । କାହାଣୀରେ ବର୍ଣ୍ଣିତ ପରିସ୍ଥିତି ଓ ଘଟନାବଳିରେ ସେସବୁ ନିର୍ଭର କରେ । କିନ୍ତୁ ଆମ ସିନେମାବାଲାଙ୍କ କଥା ଅଲଗା । ମୋ ଜୀବନକାଳ ଭିତରେ ମୁଁ ଯେତେଟା ସିନେମା ବନେଇବି, ସେଥିରେ ଏସବୁ ରିସ୍‍କ ନେବା ମୋ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ଆମ ସିନେମାରେ, ମାନେ ଆମ ଓଡ଼ିଆ ସିନେମାରେ ନିହାତି କମ୍‍ରେ ପଚାଶ / ଷାଠିଏ ଲକ୍ଷ ଖର୍ଚ୍ଚ ହେଉଛି । ଲାଇଟ୍ ମ୍ୟାନ୍‍ଠାରୁ ଆରମ୍ଭ କରି କାଟରିଙ୍ଗ୍‍ବାଲା ପର୍ଯ୍ୟନ୍ତ ସମସ୍ତଙ୍କର ଧାରଣା ଯେ ପ୍ରଯୋଜକ ନିକଟରେ ଟଙ୍କାର କୁହୁକ ମୁଣା ରହିଛି । ଯିଏ ଯୋଉ ବାଟେ ପାରିଲା, ଲୁଟିବାର ପ୍ରୟାସ କରେ ।’

 

‘ଆପଣଙ୍କ ପ୍ରଯୋଜିତ ପ୍ରଥମ ସିନେମା ଓ ନିର୍ଦ୍ଦେଶିତ ପ୍ରଥମ ସିନେମାରେ ଆପଣ କାହାର କାହାଣୀ ନେଇଥିଲେ ?’ ମୁଁ ପଚାରିଲି ।

 

‘ସେ ବେଳର ଅନୁଭୂତି ଓ ପରିସ୍ଥିତି ଭିନ୍ନ ଥିଲା; ସେ କହିଲେ, ‘ପ୍ରଥମଟିର କାହାଣୀ ମୁଁ ଲେଖିଥିଲି, ଆଉ ଦ୍ୱିତୀୟଟିର କାହାଣୀ–ଚିତ୍ରନାଟ୍ୟ–ସଂଳାପ ସବୁ ମୁଁ ବଡ଼ ଯତ୍ନରେ ଲେଖିଥିଲି । ଦୁଇଟାଯାକ ଫିଲ୍ମକୁ ମୁଁ ସୁପର୍‍ହିଟ୍ ବୋଲି କହିବି ନାହିଁ ।’ ତେବେ ପ୍ରଥମଟି ହିଟ୍, ଆଉ ଦ୍ୱିତୀୟଟି କମ୍ ହିଟ୍, ଏହାକୁ ମୁଁ କଦାପି ଫ୍ଲପ୍ ବୋଲି କହିବି ନାହିଁ ।’

 

‘ଆପଣ ତ ଅଭିଜ୍ଞ ହୋଇଗଲେଣି କହିଲେ ଚଳେ’, ମୁଁ କହିଲି, ‘ଏଥରକ କାହାଣୀଟା ଆପଣ ଲେଖୁନାହାନ୍ତି ?’

 

‘ଲେଖି ପାରିଥାନ୍ତି, ହେଲେ ଆମ ସାହିତ୍ୟରୁ ଭଲ କାହାଣୀଟେ ନେଇ ସିନେମା କରିବି ବୋଲି ଏଥର ମନସ୍ଥ କରିଛି । ମୋ ମନକଥା ଜଣେ ବନ୍ଧୁଙ୍କୁ କହିବାପରେ ସେ ଆପଣଙ୍କ କଥା ଓ ଆପଣଙ୍କର ସେଇ ଗପଟା କଥା କହିଲେ ।’

 

‘ଠିକ୍ ଅଛି, ଯାହା ଆପଣଙ୍କର ଇଚ୍ଛା ।’ ମୁଁ କହିଲି ।

 

‘ଆପଣ କ’ଣ ଭାବୁଛନ୍ତି ଯେ କାହାଣୀଟା ନେବାପରେ ମୁଁ ଆପଣଙ୍କ ନିକଟରୁ ପୂରା ଅନ୍ତର୍ଦ୍ଧାନ ହେଇଯିବି ନା କ’ଣ ? ସେକଥା ନୁହେଁ । ମହୁରତ୍‍ଠାରୁ ଶେଷ ସିନ୍ ସୁଟିଂ ଯାଏଁ ସବୁବେଳେ ଆପଣଙ୍କ ସହ ଯୋଗାଯୋଗ ରହିବ । ଆପଣଙ୍କ ପରାମର୍ଶବି ନିଆଯିବ । ମୁଁ ଆପଣଙ୍କୁ ଆମ ଟିମ୍‍ର ସମସ୍ତଙ୍କ ସହ ପରିଚିତ କରେଇଦେବି, ମାନେ ହିରୋ, ହିରୋଇନ୍, ସାଇଡ଼୍ ହିରୋ, ସାଇଡ଼୍ ହିରୋଇନ୍, ଅନ୍ୟ ଅଭିନେତା–ଅଭିନେତ୍ରୀ, କମେଡ଼ିଆନ୍, ଭିଲେନ, କ୍ୟାମେରାମ୍ୟାନ୍‍, ଗୀତିକାର, ସଙ୍ଗୀତକାର, ସହକାରୀ ନିର୍ଦ୍ଦେଶକ ସମସ୍ତଙ୍କୁ ଆପଣ ଜାଣିବେ, ସମସ୍ତେବି ଆପଣଙ୍କୁ ଜାଣିବେ, ତାହାହେଲେ ଯାଇ ହେବ ।'

 

ତାଙ୍କ କଥାରେ ମୁଁ ପ୍ରମାଦ ଗଣିଲି । ଏତେ ଲୋକଙ୍କ ସହ ପରିଚିତ ହେବି, ପୁଣି ଦରକାର ହେଲେ ପରାମର୍ଶ ଦେବି । ମୋ ମୁହଁରେ ବୋଧେ ମୋ ଭାବନା ଦିଶିଗଲା କି କ’ଣ, ସେ କହିଲେ, ‘ଜମା କିଛି ଭାବନ୍ତୁ ନାହିଁ, ଆପଣଙ୍କୁ ଦୂରଜାଗା ସୁଟିଂକୁ ମୁଁ ଜମା ଡାକିବି ନାହିଁ । କଟକ–ଭୁବନେଶ୍ୱର ଭିତରର କାମକୁ ଡାକିବି । ଆପଣ ସମୟ କାଢ଼ିବେ ମୋପାଇଁ । ସିନେମା ତିଆରି କରିବା ହେଲା ଟିମ୍ ୱାର୍କ । ସମସ୍ତେ ମିଳିମିଶି ଗୋଟେ ପରିବାର ପରି କାମ କଲେ ସିନେମା ଠିକ୍ ହେବ । ଦେଖୁ ନାହାନ୍ତି, ରାଜକାପୁର–ମନୋଜକୁମାର–ମନମୋହନ ଦେଶାଇ–ରମେଶ ସିପ୍ପି–ବିମଲ ରାୟ–ଦେବାନନ୍ଦ–ଶକ୍ତି ସାମନ୍ତ–ହୃଷିକେଶ ମୁଖାର୍ଜୀ–ବାସୁ ଚାଟାର୍ଜୀ ସମସ୍ତଙ୍କର ଗୋଟେ ଗୋଟେ ଟିମ୍ ଥିଲା । ମାନେ ଟିମ୍ ୱାର୍କ । ଅର୍ଥାତ୍ ଟିମ୍ ଜଣକର ମନକଥା ଆଉ ଜଣେ ବୁଝିପାରେ-। ସବୁ ମିଶି ଶେଷରେ କ’ଣଟା ଆମର ଦରକାର, ସେଇଟା ସଠିକ୍ ହେବ, ନହେଲେ ତ ଜାଣ ସବୁ ବେଙ୍ଗା ହେଇଯିବ । ମୁଁ ନିଜର ଗୋଟେ ପରମାନେଣ୍ଟ ଟିମ୍ କରିବାକୁ ଚାହେଁ ଏବଂ ଭଲଭଲ କାହାଣୀକୁ ନେଇ ଭଲଭଲ ସିନେମା କରିବାକୁ ଚାହେଁ ।’ ସେ ଉଠିଲେ, କହିଲେ, ‘ତେବେ ମୁଁ ଆସୁଚି । ଆପଣଙ୍କ କାହାଣୀ ମୋର ମନକୁ ପାଇଚି । ତେଣିକି ଯାହା ଈଶ୍ୱରଙ୍କ ଇଚ୍ଛା ।

 

ମୋର ତ ଅଭାବ ଲାଗି ରହିଛି । ଆଜି ଆପଣ ଏତକ ରଖନ୍ତୁ, କିଛି ଭାବିବେ ନାହିଁ । ସେ ଚୁକ୍ତି–ଫୁକ୍ତିରେ ମୋର ଭରସା ନାହିଁ । ଯେତେବେଳେ ମୁଁ ଆପଣଙ୍କୁ ପୂରା ପଇସା ଦେଇସାରିବି, ରସିଦ ଲେଖାଇନେବି । ଆମେ ଯେତେବେଳେ ଗୋଟିଏ ଲୋକ, ପରସ୍ପର ଉପରେ ବିଶ୍ୱାସ ରହିବା ଜରୁରୀ ।’

 

ପୂର୍ବପରି ମୁଁ ତାଙ୍କୁ ଛାଡ଼ିବାପାଇଁ ପୋର୍ଟିକୋ ଯାଏଁ ଗଲି । ପୋର୍ଟିକୋ ନିକଟରେ ନିଜ ଗାଡ଼ିରେ ଦରଜା ଖୋଲୁ ଖୋଲୁ ସେ ବୁଲିପଡ଼ି କହିଲେ, ‘ଦେଖିଲ, ଭୁଲି ତ ଯାଇଥିଲି । ଆପଣ ନିଜପାଇଁ ଗୋଟେ ଆକର୍ଷଣୀୟ ନାଁ ଭାବନ୍ତୁ, ଆମର ସବୁ ପୋଷ୍ଟର ଓ ବିଜ୍ଞାପନରେ କାହାଣୀକାରଙ୍କ ନାମଭାବେ ସେଇ ନାମଟି ବ୍ୟବହାର କରାଯିବ ।’ କାହାଣୀ ବ୍ରଜ ବିହାରୀ ଖଟେଇ ବୋଲି କହିଲେ ଶୁଣିବାକୁ ଅଖାଡ଼ୁଆ ଲାଗୁଚି । ମନେ କରନ୍ତୁ ‘କାହାଣୀ ଡ. ରତ୍ନାକର', କି ‘ପି. ବାଲ୍ମିକୀ’ କି ‘କୁମାର ବ୍ରଜ କେ’ ଇତ୍ୟାଦି ନାମରେ ଚମକ ଅଛି, ସିନେମା ଜାତୀୟ ଆବେଦନ ଅଛି । ବୁଝିଲେ ? ଆପଣ ଭାବିଥିବେ । ମୁଁ ମୋ ପସନ୍ଦର ନାଁ ଆପଣଙ୍କ ଉପରେ ଲଦିଦେବି ନାହିଁ-।’

 

ସେ ହସିଲେ ଓ ଚାଲିଗଲେ । ମୋ ମୁଣ୍ଡରେ ଚଡ଼କ ପଡ଼ିଥିଲେବି ମୁଁ ଦୁଃଖ କରି ନଥାନ୍ତି କି ବିସ୍ମିତ ହୋଇ ନଥାନ୍ତି । ମୋ ନାଁ ଭଲ ଶୁଭୁ ନାହିଁ, ବଦଳାଇବାକୁ ଲୋକଟା କେଡ଼େ ସାହସରେ, ପୁଣି ମୋ ଘରେ କହିଗଲା ମ ! ସିନେମାପାଇଁ କାହାଣୀ ଦେବି, ପୁଣି ନିଜ ନାଁ ବଦଳେଇବି ! ପ୍ରଚଣ୍ଡ ବିରକ୍ତିରେ ମୁଁ ଘର ଭିତରକୁ ଆସିଲି, ଦେଖିଲି ମୋ ସ୍ତ୍ରୀ ସେଇ ଲଫାଫାଟିକୁ ଧରି ଠିଆ ହୋଇଛନ୍ତି । ମୁଁ ଖୋଲିବାକୁ କହିବାରୁ ସେ ଲଫାଫା ଖୋଲିଲେ ଏବଂ ତହିଁରୁ ଦୁଇଖଣ୍ଡ ହଜାର ଟଙ୍କିଆ ନୋଟ୍ ବାହାର କଲେ ।

 

‘ଅନ୍ୟ ଭାଷାର କାହାଣୀକାରମାନଙ୍କୁ ଢେର୍ ପଇସା ମିଳେ ମୋ ସ୍ତ୍ରୀ କହିଲେ, ‘ଯାହାହେଉ, ଆମ ଓଡ଼ିଶାରେ ଜଣେ ଲେଖକଙ୍କୁ ସିନେମାପାଇଁ ପଇସା ମିଳିବା କିଛି କମ୍‍କଥା ନୁହେଁ ! ମୋର ଧାରଣା ଥିଲା ଓଡ଼ିଶାରେ ଲେଖାଲେଖି କଲେ ଯେମିତି ପଇସା ମିଳେ ନାହିଁ, ଠିକ୍ ସେମିତି ସିନେମା ଫିନେମାରେବି ଲେଖାଲେଖିବାଲାଙ୍କୁ ପଇସା ମିଳେ ନାହିଁ । ଇଏ ତ ଯାହା କିଛି ଦେଲେ । ତମର କାହାଣୀଟା ଯଦି ହିଟ୍ ହେଇଯାଏ, ତେବେ ତମର ଡିମାଣ୍ଡ୍ ବଢ଼ିଯିବ । ସଲିମ୍–ଜାଭେଦ୍ ଯୋଡ଼ିଙ୍କର ପ୍ରଥମେ କ’ଣ ଡିମାଣ୍ଡ୍ ଥିଲା ?’

 

ମୋ ସ୍ତ୍ରୀଙ୍କର ଚଳଚ୍ଚିତ୍ର ଜ୍ଞାନ ମୋତେ ମୁଗ୍ଧ କଲା । ତାଙ୍କ ଆଗରେ ମୁଁ ନିଜକୁ ନିହାତି ନ୍ୟୁନ ମନେକଲି । ପଚାରିଲି, ‘ସଲିମ୍–ଜାଭେଦ୍ ପୁଣି କିଏ ?'

 

ମୋ ସ୍ତ୍ରୀ ମୋତେ କୌତୂହଳ ଦୃଷ୍ଟିରେ ଅନେଇଲେ କହିଲେ, ‘ସତରେ ଜାଣିନ ନା ଜାଣିକରି ସେମିତି ଛୋପରା ହେଉଚ ମ ! ଆଉ ଯଦି ସତରେ ଜାଣିନ, ତେବେ ମୋ ରାଣ, ତମେ ଆଜିଠୁ ଖବରକାଗଜରେ ସିନେମା ଖବର ସବୁକୁ ମନେଦେଇ ପଢ଼, ନହେଲେ ଗୋଟେ ଦି'ଟା ସିନେମା ପତ୍ରିକା ଘରକୁ ଆଣ । ତମ ନିଜ କାହାଣୀ ସିନେମା ହବାକୁ ବସିଲାଣି, ଆଉ ସଲିମ୍–ଜାଭେଦ୍ କିଏ ବୋଲି ତମେ ଜାଣିନ !'

 

‘ସେ ସବୁ କଥା ଛାଡ଼ । ମୁଁ କହିଲି, ‘ଲୋକଟାର ସାହସ ଦେଖ, କହୁଚି ମୋ ନାଁଟା କାନକୁ ଭଲ ଶୁଣା ଯାଉନାହିଁ, କହୁଚି ମୋ ନାଁ ବଦଳାଇ ଷ୍ଟାଇଲିଷ୍ଟ ନାଁ କରିବ । ପୁଣି ମତେ ଭାବିକରି ସ୍ଥିର କରିବାକୁ କହିଯାଇଛି । ସେ ଆସୁ ଏଥର !’

 

ମୋ ସ୍ତ୍ରୀ ହସିଲେ, କହିଲେ, ‘ତମେ ଏତେ ଛୋଟ ଛୋଟ କଥାରେ ଏତେ ଉତ୍ତେଜିତ ହୋଇଯାଉଚ କିଆଁ ଶୁଣେ ? ଏସବୁ ଲାଇନ୍‌ରେ ଧୈର୍ଯ୍ୟ ଦରକାର ।’

 

ଟିକେ ଚୁପ୍ ରହି, ମତେ ବୁଝାଇବା ଢଙ୍ଗରେ, ମୋ ପାଖକୁ ଲାଗିଆସି, ଛାତିକୁ ମୋ ଡାହାଣ କାନ୍ଧକଡ଼ରେ ଘଷେଇ କହିଲେ, ‘ସତ କହିଲ, ତୁମ ନାଁଟା ଟିକେ ପୁରୁଣାକାଳିଆ ନୁହେଁ ? ବ୍ରଜ ବିହାରୀ ନାଁଟା କେମିତି ନିପଟ ଗାଉଁଲିଆ ନାଁ ପରି ଲାଗେ । ସତରେ ତମେ ଗୋଟେ ଭଲ ଷ୍ଟାଇଲିଷ୍ଟ ନାଁ ଭାବିଲ ।’

 

‘ଜଣକର ନାଁ କିପରି ସହରିଆ/ ଷ୍ଟାଇଲିଆ / ଗାଉଁଲିଆ ହବ, ମୁଁ ତ ଜମା ବୁଝିପାରୁନି-। ନାଁ ତ ନାଁ । ନାଁ ସହ ଗୁଣର କି ସ୍ଥାନର କି ପରିସ୍ଥିତିର ସମ୍ପର୍କ କ’ଣ ?' ମୁଁ ପଚାରିଲି-। ମୋ ସ୍ତ୍ରୀ କଥା ବଢ଼େଇଲେ ନାହିଁ । ସେଇ ଲୋକଟିର ମାନେ ପ୍ରଯୋଜକର ପ୍ରସ୍ତାବକୁ ମୋ ସ୍ତ୍ରୀ ସମର୍ଥନ କରିବେ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

(ତିନି)

 

ଏହାପରେ ଦିନେ ଡ. ପଦ୍ମକୁମାରବାବୁଙ୍କର ଫୋନ୍ ଆସିଲା, ଯେ ମୋତେ ସହରରେ ଅମୁକ ହୋଟେଲରେ ସମୁକ ରୁମ୍‍କୁ ଯିବାକୁ ହେବ । ମୁଁ କାରଣ ପଚାରନ୍ତେ ସେ ଯାହା ଯାହା କହିଲେ ତା’ର ସାରମର୍ମ ଏହି ଯେ ତାଙ୍କ ନିର୍ଦ୍ଦେଶକ, ସଙ୍ଗୀତକାର, ନାୟକ, ନାୟିକା ଏବଂ କ୍ୟାମେରାମ୍ୟାନ୍‍ ସବୁ ସେଠାରେ ଏକତ୍ର ହେବେ । କାହାଣୀକାରବି ରହିବା ଜରୁରୀ । ପ୍ରଥମ କଥା, ସମସ୍ତଙ୍କ ସହ ପରିଚୟ ହେବ, ଦ୍ୱିତୀୟତଃ କାହାଣୀ ସମ୍ପର୍କରେ ଟିକେ ଭଲମନ୍ଦ ଆଲୋଚନା ହେବା ସହ ଅନ୍ୟାନ୍ୟ କଥାବି ଆଲୋଚନା ହୋଇଯିବ । ମୁଁ ରାଜିହେଲି ।

 

ମୁଁ ସେଠାରେ ପହଞ୍ଚିବାବେଳକୁ ଅନ୍ୟ ସମସ୍ତେ ଆସି ଯାଇଥିଲେ । ଯୋଉ ରୁମ୍‍ଟି ନିଆଯାଇଥିଲା, ସେଇଠି ଖୁବ୍ ବଡ଼ ରୁମ୍ । ସେଠାରେ ବୃତ୍ତାକାରରେ ଚେଆର୍ ପକାଇଯାଇଥିଲା । ମୁଁ ରୁମ୍ ଭିତରକୁ ପଶୁପଶୁ ଆମ ପ୍ରଯୋଜକ ବଡ଼ପାଟିରେ ସତେ ଅବା ଘୋଷଣା କଲେ, ‘ଏଇତ ଆସିଗଲେ, ମୁଁ ଯେଉଁ କାହାଣୀକାରଙ୍କ କଥା ଆପଣମାନଙ୍କୁ କହୁଥିଲି, ଇଏ ସେଇ ବ୍ରଜ ବିହାରୀବାବୁ । ସମସ୍ତେ ମତେ ନମସ୍କାର ଜଣାଇଲେ । ମୋର ଦୁଇ ହାତ ଆପେଆପେ ଯୋଡ଼ି ହୋଇଗଲା ।

 

ଡ. ପଦ୍ମକୁମାର ମୋତେ ଜଣ ଜଣ କରି ଚିହ୍ନାଇ ଦେଲେ ଏବଂ ମୁଁ ଜଣ ଜଣ କରି ପ୍ରତ୍ୟେକଙ୍କ ସହ କରମର୍ଦ୍ଦନ କଲି ।

 

ଇଏ ଆମ ନିର୍ଦ୍ଦେଶକ କେ. ନାଗାର୍ଜୁନ, ଆଗରୁ ଦୁଇଟି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇସାରିଛନ୍ତି, ଚାରିଟିରେ ସହକାରୀ ନିର୍ଦ୍ଦେଶକ ।

 

ଇଏ ଆମ ସଙ୍ଗୀତକାର–ପଣ୍ଡିତ ପ୍ରଭାକର, ୟା’ଙ୍କ କଥା କ’ଣ ବା କହିବି । ଅଧେ ଓଡ଼ିଆ ଆଲବମ୍ ଓ ସିନେମା ଗୀତ ସାହାବଙ୍କ କଲମରୁ ଝରିଆସେ ।

 

ଇଏ ଆମ ନାୟକ–ଆପଣ ତ ଖୁବ୍ ଭଲଭାବେ ଚିହ୍ନିଥିବେ, ଓଡ଼ିଶାର ସହରଠାରୁ ଆରମ୍ଭ ଗାଁ ଗହଳି, ଆଦିବାସୀ ଅଞ୍ଚଳ, ଏପରିକି ନିପଟ ପାହାଡ଼ିଆ–ଜଙ୍ଗଲଘେରା ଗାଁ–ସବୁଠୁ କାନ୍ଥବାଡ଼–କ୍ଲବ୍‍ଘର–ଗଛଗଣ୍ଡିରେ ୟାଙ୍କ ପୋଷ୍ଟର ଲାଗିଥିବ, ଟିଭି ପରଦାରେ ୟା’ଙ୍କ ମୁହଁ, ଖବରକାଗଜ–ପାରିବାରିକ ପତ୍ରିକା ଖୋଲିଲେ ୟା’ଙ୍କ ମୁହଁ–ସବୁ ସହରରେ ହେଉଥିବା ସୋ’ରେ ଇଏ ପ୍ରଧାନ ଆକର୍ଷଣ–ହାଃ, ହାଃ, ହାଃ...

 

ଏତେ କଥା କହୁକହୁ ଡ଼, ପଦ୍ମକୁମାର ନିଜ ଚେଆର୍‍ରୁ ଉଠି ପଡ଼ିଥିଲେ...ଆମ ଆଗାମୀ ଅବଦାନ ଏବଂ ଆପଣଙ୍କ କାହାଣୀର ନାୟକ ଆନନ୍ଦ ମହାବାହୁ । ସେମିତି ଆମ ସମସ୍ତଙ୍କର ପ୍ରିୟ ଚୁଲ୍‍ବୁଲୀ ନାୟିକା ପୂର୍ଣ୍ଣିମା ।

 

ଇଏ ଆମ ଖଳନାୟକ–ରାଧା ବିନୋଦ ।

 

ଇଏ ନଥିଲେ ଚଳଚ୍ଚିତ୍ର ଚାଲିବ ନାଇଁ, ଆମ ହାସ୍ୟାଭିନେତା–ଡାଙ୍ଗ।

 

ଆଉ ଇଏ ଆମ ମୁଖ୍ୟ କ୍ୟାମେରାମ୍ୟାନ୍ ମାଷ୍ଟର ଅଶ୍ୱିନୀ ।

 

ଏଥର ସେ ବସିପଡ଼ିଲେ । ସାମ୍ନାରେ ଥିବା ପାଣି ଗ୍ଲାସ୍ ଉଠାଇନେଇ ଢୋକେମାତ୍ର ପିଇଲେ । ସମସ୍ତଙ୍କ ମୁହଁରେ ଲାଗି ରହିଥିଲା ନିର୍ମଳ କାଚକେନ୍ଦୁ ପାଣି ହସ । କ୍ରମେ ଅନ୍ୟମାନେ ମଧ୍ୟ ବାର୍ତ୍ତାଳାପରେ ଯୋଗଦେଲେ । ଏଠାରେ କହି ରଖିବା ଉଚିତ ଯେ, ଆନନ୍ଦ ମହାବାହୁ ଏବଂ ପୂର୍ଣ୍ଣିମା କଥା କହିବାବେଳେ ତୁଳନାତ୍ମକଭାବେ ଧୀର ସ୍ଵରରେ କହୁଥିଲେ ତଥା ତାଙ୍କ ଓଠରୁ ପବନ କିମିତି ଫିସ୍–ଫିସ୍ ଶବ୍ଦ କରି ବାହାରୁଥିଲା । ଓଡ଼ିଆ ଶବ୍ଦ ସବୁ ଯେ ଏତେ ସୁନ୍ଦର–ଆକର୍ଷଣୀୟ ଢଙ୍ଗରେ କୁହାଯାଇପାରେ, ସେଇମାତ୍ର ମୋର ସମ୍ୟକ୍ ଧାରଣା ହେଲା ।

 

ଅନତିଦୂରରେ ଦୁଇ ତିନିଟି ବୋଧେ ଖାଦ୍ୟ–ମାନେ ରାତ୍ରିଭୋଜନ ସଜା ହୋଇ ରହିଥିଲା, ଦୁଇଜଣ ୱେଟର୍ ସାବଧାନ ପୋଜିସନ୍‍ରେ ସେଇ ପାଖରେ ଠିଆ ହୋଇ ରହିଥିଲେ । ସେମାନଙ୍କ ପଛକୁ ଆଉ ଏକ ଛୋଟ ଟେବୁଲ ଥିଲା, ତହିଁ ଉପରେ ଡେଙ୍ଗା, ମୋଟା, ବର୍ଗାକାର, ବୃତ୍ତାକାର ପାନୀୟ ବୋତଲମାନ ସଜା ହୋଇ ରହିଥିଲା । ଆମ ଖଳନାୟକ ରାଧାଗୋବିନ୍ଦ ତିନି/ଚାରି ଥର ସେଇଆଡ଼ୁ ନଜର ଘୂରାଇ ସାରିଥିଲା ।

 

ଡ. ପଦ୍ମକୁମାର ପୁନର୍ବାର ଠିଆହୋଇପଡ଼ି କହିଲେ, ‘ତେବେ ଆମର ପ୍ରୋଜେକ୍ଟ୍ ସରୁ ! ଏଇ ଟେବୁଲ୍ ମଝିରେ ମୋ ପାପୁଲି ଉପରେ ଜଣ ଜଣ କରି ପାପୁଲି ରଖନ୍ତୁ ଏବଂ ଏହା ଆମ ପରିବାରର ପ୍ରତିଜ୍ଞା ଯେ ଆମ ପ୍ରୋଜେକ୍ଟ୍ ମଝିରୁ କେହି ଓହରି ଯିବେ ନାହିଁ ତଥା ସବୁକାମ ସରିବା ଯାଏଁ ସମସ୍ତେ ଏକ ହୋଇ ରହିବେ ।’

 

ପ୍ରତ୍ୟେକ ଜଣ ଜଣ କରି ତାଙ୍କ ପାପୁଲି ଉପରେ ପାପୁଲି ରଖିଲେ । ଟାଣି–ଓଟାରି ହୋଇ ପ୍ରତ୍ୟେକ ତାଙ୍କ ହାତ ପାପୁଲି ଉପରେ ପାପୁଲି ରଖିଲେ । ନାୟିକା ପୂର୍ଣ୍ଣିମା ଏପଟକୁ ଆସି ତାଙ୍କର ସୁନ୍ଦର ଗୌରବର୍ଣ୍ଣର ପାପୁଲିକୁ ସଂଯୋଗବଶତଃ ମୋ ପାପୁଲି ଉପରେ ରଖିଲେ । ତାଙ୍କ ଶରୀରରୁ ବା ପୋଷାକରୁ ଚମତ୍କାର ଏକ ସୁଗନ୍ଧ ମୋତେ ବିମୋହିତ କଲା, ତାଙ୍କ ପାପୁଲି ଓ ଆଙ୍ଗୁଠି ଥିଲା ଅତ୍ୟନ୍ତ କୋମଳ । ସର୍ବୋପରି, ଦୁଇ / ତିନି ମୁହୂର୍ତ୍ତପାଇଁ ତାଙ୍କ ବାମସ୍ତନ ମୋ ଡାହାଣ ହାତକୁ ସ୍ପର୍ଶ କଲା କି କ’ଣ, ଓଃ–ଖୁବ୍ ଚମତ୍କାର ସେ ଅନୁଭବ, ହେଲେ କ’ଣ ହେବ ! ଜୀବନର ସବୁ ମଧୁର ମୁହୂର୍ତ୍ତ ଖୁବ୍ କ୍ଷଣସ୍ଥାୟୀ । ଡ. ପଦ୍ମକୁମାରଙ୍କ ନେତୃତ୍ଵରେ ଆମେମାନେ ଏକ ବିଚିତ୍ର ଧରଣର ହୋ–ଓଓଓ–ଶବ୍ଦ କଲୁ ଏବଂ ତାଳି ମାରିଲୁ, ବୋଧେ କାହାଣୀ ନିର୍ବାଚନ ଓ ଚଳଚ୍ଚିତ୍ରର ପ୍ରାରମ୍ଭ ଓଁକାର ମୁହୂର୍ତ୍ତରେ ଏହିପରି ସବୁ କରାଯାଏ । ମୋ ସ୍ତ୍ରୀଙ୍କୁ ଏଠାକୁ ନେଇଆସିଥିଲେ ସେ ବୋଧେ ଆଜିକାର ପରିବେଶକୁ ମନ ଭରି ଉପଭୋଗ କରିଥାନ୍ତେ । ହେଲା ଏବେ, ମୁଁ ଘରକୁ ଫେରି ସବୁକଥା ତାଙ୍କ ଆଗରେ ଟିକିନିଖି ବର୍ଣ୍ଣନା କରିବି ନାହିଁକି ! ଭବିଷ୍ୟତରେ ଅବଶ୍ୟ ଦିନେ ମୁଁ ତାଙ୍କୁ ସୁଟିଂ ସେଟ୍‌କୁ ଆଣିବି, ନାୟକ–ନାୟିକା–ଖଳନାୟକ–ହାସ୍ୟାଭିନେତା ସମସ୍ତଙ୍କ ସହ ତାଙ୍କ ପରିଚୟ କରାଇଦେବି, ସେ ଖୁସୀରେ ଉଛୁଳି ପଡ଼ିବେ, କେତେ ଲୋକଙ୍କ ଆଗରେ ସବୁ ବର୍ଣ୍ଣନା କରିବେ, ତାଙ୍କ ସ୍ଵାମୀ ଯିଏକି ଜଣେ ସାହିତ୍ୟିକ, ଯିଏକି ଭୁବନେଶ୍ୱରରେ ଘର କରିଥିବା ମୁଷ୍ଟିମେୟ ସାହିତ୍ୟିକମାନଙ୍କ ଭିତରେ ଜଣେ, ସିଏ ଆଜି ଚଳଚ୍ଚିତ୍ରର ଜଣେ କାହାଣୀକାର ବନି ସାରିଛି, ଇଏ କିଛି କମ୍ ଗର୍ବ ଓ ଅଭିମାନର କଥା ନୁହେଁ, ଏବଂ ତାଙ୍କ ସ୍ଵାମୀ ଚଳଚ୍ଚିତ୍ର ଜଗତରେ ମଧ୍ୟ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଯାହାଙ୍କୁ ହିରୋ–ହିରୋଇନ୍ ଓ ଅନ୍ୟ ସମସ୍ତେ ଶ୍ରଦ୍ଧା ସମ୍ମାନ–ଭକ୍ତି କରନ୍ତି । ହା–ହା–ହା ।

 

ଶେଷ ହସଟା ମୁଁ ମନେମନେ ହସିଥିଲି ।

 

ଏହାପରେ ପାନୀୟ ପର୍ବ । ସମସ୍ତେ ଦୁଇତିନି ପେଗ୍ ଅତ୍ୟନ୍ତ ଦାମୀ ସୁରାପାନ କଲେ-। ମୁଁ ଢେର୍ ଦିନ ପୂର୍ବେ ସୁରାପାନ କରିଥିଲି ଏବଂ ଢେର୍ ଦିନଠାରୁ ମୋ ସ୍ତ୍ରୀଙ୍କ ପ୍ରାଦୁର୍ଭାବ, ପ୍ରରୋଚନା ଓ ପ୍ରେରଣା ହେତୁ ସୁରା ସହ ସମ୍ପର୍କ ତ୍ୟାଗ କରିଥିଲି । କିନ୍ତୁ ଆମ ନାୟିକା ପୂର୍ଣ୍ଣିମା ଅନାୟସରେ ଛୋଟ ବରଫ ଖଣ୍ଡ ସହ ପ୍ରଥମ ଗ୍ଲାସ୍‍ଟି ଟେକିଦେବାପରେ ମୁଁ ଅସ୍ଥିର ଅନୁଭବ କଲି-। ମୁଁ ଏୟା ଭାବି ସେଦିନ ପିଇବାରେ ଲାଗିଲି ଯେ ଯେହେତୁ ମୋ କାହାଣୀ ଚଳଚ୍ଚିତ୍ର ହେବ ବୋଲି ସ୍ଥିର ହୋଇଛି ଏବଂ ପ୍ରାଥମିକ କାର୍ଯ୍ୟବି ବେଶ୍ ଆଗେଇବ, ସେହେତୁ ମୁଁ ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱରେ ପରିଣତ ହୋଇଥିବାରୁ ମୋ ସ୍ତ୍ରୀ ମୋର ସୁରାପାନକୁ ଖରାପ ଭାବିବେ ନାହିଁ ।

 

ସିନେମା ଲାଇନ୍‍ରେ ଏସବୁ ଚାଲେ ।

 

କ’ଣ ସବୁ ଚାଲେ ? କିଛି ଚାଲେନା !!

 

ପୂର୍ଣ୍ଣିମା ମାତ୍ର ଦେଢ଼ ପେଗ୍ ପିଇଥିଲେ, ତା’ପରେ ନିର୍ଦ୍ଦେଶକଙ୍କ ବାଧ୍ୟବାଧକତାରେ ଆଉ ଗୋଟେ ସ୍ମଲ୍ ପେଗ୍ ପିଇଲେ । ସେ ଟିକେ ଗମ୍ଭୀର ଦିଶୁଥିଲେ । ତାଙ୍କର କଥା କହିବା ବେଶ୍ କମି ଯାଇଥିଲା । ବୋଧେ ସେ ନିଜ ଅନୁଭବରୁ ଭଲଭାବେ ଜାଣିଥିଲେ ଯେ ସୁରାପାନ ଆସରରେ ଯେତେ କମ୍ ସମୟ ପୁରୁଷମାନଙ୍କ ଗହଣରେ ରହିବ ସେତେ ଭଲ । ପୁରୁଷମାନଙ୍କୁ ସୁରା ଆସରରେ ଯେଉଁ ନାରୀ ଭରସାକରେ, ଜାଣ ସିଏ ଜାଣି ଜାଣି ନିଜପାଇଁ ଚିରସ୍ଥାୟୀ ଶରଶଯ୍ୟାଟେ ତିଆରି କରେ ।

 

ଶରଶଯ୍ୟାରେ କିଏ ଶୋଇଥିଲା ତ ?

 

କିଏ କ’ଣ, କୋଉଠି ଶୋଇଥିଲା କୁହ ତ !

 

ଚାରିଟା ଉତ୍ତର ଭିତରୁ ବାଛ ବନ୍ଧୁ–ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଭୁରିଶ୍ରବା ଚାର୍ଯ୍ୟ ଏବଂ...ଏବଂ କର୍ଣ୍ଣାଚାର୍ଯ୍ୟ !

 

କର୍ଣ୍ଣାଚାର୍ଯ୍ୟ ଶବ୍ଦଟା ମୁଁ ଭାବିବାକ୍ଷଣି ମୋତେ ପ୍ରଚଣ୍ଡ ହସ ଲାଗିଲା । କର୍ଣ୍ଣ ତ ପୂରା କ୍ଷତ୍ରିୟ, ‘ଚାର୍ଯ୍ୟ’ କ’ଣ ? ମୋ ହସ ଦେଖି ଆମ ପ୍ରଯୋଜକ କହିଲେ, ‘କ’ଣ ଆଜ୍ଞା ହସିଲେ, କ’ଣ କିଛି ନୂଆ କାହାଣୀ ମନକୁ ଆସିଗଲା କି ?'

 

ମୁଁ କହିଲି, ‘ନାହିଁ ମ ! ଆଚ୍ଛା ଶରଶଯ୍ୟାରେ କିଏ ଶୋଇଥିଲେ ତ ?'

 

‘ସେ କଥା ଏବେ କାହିଁକି ? ଧୁଃସା ଫୁସା କିଏ ଶୋଇଥିବ ।’ କ୍ୟାମେରାମ୍ୟାନ୍ କହିଲା-। ମୁଁ ଯାହାବି ହେଲେ ଜଣେ ସାହିତ୍ୟିକ, ଯେତେ ନିଶା ହେଲେବି ମୁଁ ଯାହା ଥରେ ଜାଣିଥାଏ ନିଶାର ପ୍ରଭାବରେ ତାହା କଦାପି ଭୁଲ୍‍ଭାଲ ହୁଏ ନାହିଁ । କିନ୍ତୁ ନିଶାର ଆସରରେ ବେଳେବେଳେ ହୁଏତ ମଜାପାଇଁ ଅଥବା ଗୋଳମାଳ ସୃଷ୍ଟି କରିବାପାଇଁ କଥାକୁ ବା ସତ୍ୟକୁ ବା ତଥ୍ୟକୁ ଏକଡ଼ ସେକଡ଼ କରାଯାଇପାରେ ।

 

ଏତିକିବେଳେ ନାୟିକା ପୂର୍ଣ୍ଣିମା, ଯିଏ କି ଅଳ୍ପ କିଛି ଖାଦ୍ୟ ଖାଇ ସାରିଥିଲେ, କହିଲେ, ‘ଆପଣମାନେ ଏନ୍‍ଜୟ କରନ୍ତୁ, ରାତି ଅଧିକ ହୋଇ ଆସିଲାଣି, ଏବେ ମତେ ବିଦାୟ ଦିଅନ୍ତୁ ।’

 

ସିଏ ସମସ୍ତଙ୍କୁ ନମସ୍କାର ଜଣାଇ ବାହାରିଗଲେ ।

 

ସଚରାଚର ଯେପରି ଘଟେ ସେପରି ଘଟିଲା । ଯେଉଁସବୁ ପୁରୁଷମାନେ ମହିଳାମାନଙ୍କ ଉପସ୍ଥିତିରେ ଅତି ଭଦ୍ର ହୋଇ ରହିଥାନ୍ତି, ସେମାନେ ଅଭଦ୍ର ହୋଇଗଲେ । ଯିଏ ଯାହା କୁହାକୁହି ହେଲେ ଛାଡ଼ । ପଦ୍ମକୁମାର କହିଲେ, ମାନେ ମୋ କାନ ପାଖରେ ମୁହଁ ଲଗାଇ ଫିସ୍‍ଫିସ୍ କରି କହିଲେ, ‘ବୁଝିଲେ ବ୍ରଜ ବିହାରୀବାବୁ, ଏଥରକ ଗୋଟେ ପ୍ରକାର ଫାଶ ବସେଇଚି; ଦେଖାଯାଉ, ଇଏ ଅତି ଚତୁର ଚିଡ଼ିଆ ମୋ ଖଟକୁ ଆସୁଚି କି ନାହିଁ ! ଗତଥର ତ ଆସୁ ଆସୁ ଖସିଗଲା !'

 

ଏ କଥାର ଉତ୍ତର ମୁଁ କିଛି ଦେବା ଆଗରୁ ସେ କ’ଣ ଗୋଟେ ବଡ଼କଥା ମନେ ପକାଇବ କରି କହିଲେ, ‘ଆରେ ଦେଖତ ! ମୁଁ ତ ପୂରା ଭୁଲି ଯାଇଥିଲି । ଏଇ ଆପଣଙ୍କ ନାଁ କଥା-। ମାନେ କାହାଣୀକାରଭାବେ ଆପଣଙ୍କର ଯୋଉ ନାମ ଆମ ବିଜ୍ଞାପନ, ପୋଷ୍ଟର, ପ୍ରମୋ ଇତ୍ୟାଦିରେ ଯିବ !’

 

ତା’ପରେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ‘ଦାରୁପିଆ ଭାଇମାନେ ଶୁଣ, ଆମ କାହାଣୀକାରଙ୍କ ପାଇଁ ଗୋଟେ ଆକର୍ଷଣୀୟ ଭଲ ନାଁ ବାଛ । ଆଜି ସେଇ କାମଟି ସାରିଦେବା । ଭାଇଙ୍କ ନାଁ ହେଲା ବ୍ରଜ ବିହାରୀ ଖଟେଇ । ଏହାକୁ ଆମେ ଏମିତି ରଖିବା ନାଁ କିଛି ବଦଳାଇବା-?'

 

ବେଶୀ ନହେଲେବି ସମସ୍ତଙ୍କୁ ଅଳ୍ପ ଅଳ୍ପ ନିଶା ଚଢ଼ି ଆସିଥିଲା । ଏକଥାଟି ଶୁଣି ମୁହୂର୍ତ୍ତକ ପାଇଁ ସାମାନ୍ୟ ନିରବତା ଛାଇଗଲା, ହେଲେ ବୋଧେ କଥାଟା ବୁଝି ପାରିବାକ୍ଷଣି ସମସ୍ତେ ମୃଦୁ ‘ହୋଓ’ ଶବ୍ଦ କଲେ, ସତେ ଅବା ପ୍ରସ୍ତାବଟି ପ୍ରତି ଅକୁଣ୍ଠ ସମର୍ଥନ ମିଳିଲା । ପ୍ରତ୍ୟେକ ଆଉ ଏକ ଏକ ପେଗ୍ ଉଠେଇନେଲେ । ମୁଁ ମଧ୍ୟ ଏକ ପେଗ୍ ନେଉ ନେଉ କହିଲି, ‘ମୋ ନାଁ ବଦଳିବା କ’ଣ ନିହାତି ଦରକାର ? ମୋର ଏଇ ନାଁଟାକୁ ହେଲେ ରାଜ୍ୟରେ କିଛି ଲୋକ, କିଛି ପାଠକ ପାଠିକା ଜାଣିଛନ୍ତି । ନୂଆ ନାଁଟା ଗ୍ରହଣ କଲେ ମୋତେ ଜାଣିଥିବା କେହି ମଧ୍ୟ, ଏମିତିକି ମୋ ସ୍ତ୍ରୀ ମଧ୍ୟ ଜାଣିପାରିବ ନାହିଁ ଯେ କାହାଣୀଟିର ଲେଖକ ମୁଁ ବୋଲି ।'

 

ଭିଡ଼ ଭିତରୁ କେହି ଜଣେ ବୁଝେଇଲା, “ବୁଝିଲେ ସାର, ଯଦି ଆପଣଙ୍କ ନୂତନ ନାଁଟା ହିଟ୍ ହେଲା-ମାନେ ସାର, ଯଦି ସିନେମାଟା ହିଟ୍ ହେଲା, ତେବେ ଜଣେ କାହାଣୀକାର ଭାବେ ଆପଣଙ୍କ ନାଁ ଘରେ ଘରେ ଜାଣିବେ। ଆପଣଙ୍କ ଘରେ ପ୍ରଯୋଜକମାନଙ୍କ ଲାଇନ୍ ଲାଗିବ, ଜାଣିଲେ ତ ?'

 

ଏ ଲୋକଟିର କଥା ଶୁଣୁ ଶୁଣୁ ଆଉ ଜଣେ କହିଲା, ‘ନୂଆ ନାଁ ଦବା ନା !' ସେମାନଙ୍କ ଭିତରେ ବିଲୁଆ ବିଚାର ଚାଲିଥାଏ । କେତେ ପ୍ରକାର ନୂଆ ନାମ ପ୍ରସ୍ତାବ ଆସୁଥାଏ ଓ କାଟ ଖାଇ ଯାଉଥାଏ । ଶେଷରେ ସ୍ଥିର ହେଲା ଯେ ମୋ ପୋଷ୍ଟର ନାମ ‘ଅନନ୍ତ ବ୍ୟାସ’ ରହିବ । ସମସ୍ତେ ତାଳି ମାରିଲେ, ସେଇ ଖୁସୀରେ ଆଉ ଗୋଟେ ଗୋଟେ ଫାଇନାଲ୍ ପେଗ୍ ହେଲା । ଏଇଥରକ ମତେ ଭଲ ନିଶା ଧରିଆସିଲା । ମୁଁ ସେଇ ରାତିରେ ଘରେ ପହଞ୍ଚିବାବେଳକୁ ରାତି ସାଢ଼େ ଗୋଟାଏ !

 

(ଚାରି)

 

ପନ୍ଦର ଦିନପରେ ପଦ୍ମକୁମାରଙ୍କଠାରୁ ଫୋନ୍ ଆସିଲା ଯେ ମତେ ସନ୍ଧ୍ୟାରେ ସେଇ ପୂର୍ବର ହୋଟେଲକୁ ଯିବାକୁ ହବ । କେତେଟା ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେବ । ମୁଖ୍ୟ ତିନିଚାରି ଜଣ ରହିବେ, ଯଥା–କାହାଣୀକାର, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ଆଉ ଜଣେ ପୂରା ନୂଆ ଲୋକ । ମୁଁ ପହଞ୍ଚିବାବେଳକୁ ସମସ୍ତେ ଆସି ସାରିଥିଲେ ।

 

ପଦ୍ମକୁମାର ମତେ ଚିହ୍ନାଇଦେଲେ, ଇଏ ଗୀତିକାର ବାବାମଣି ।

 

ସମ୍ପୂର୍ଣ୍ଣ ନୂଆ ଜଣକ ପ୍ରଡ଼କ୍‌ସନ୍ ମାନେଜର ତଥା ଏକ୍‍ସଟ୍ରା ସପ୍ଲାୟର ।

 

ଏଥର ଆମେମାନେ ଖୁବ୍ ବଡ଼ ଏକ ରୁମ୍‍ରେ ବସିଥିଲୁ । ରୁମ୍ ଭିତରେ ଅଧିକ ଚେଆର୍‍ ପଡ଼ିଥିଲା । ଡ୍ରିଙ୍କ୍‍ସ୍‌ର ଅଭାବ ନଥିଲା ।

 

ପଦ୍ମକୁମାର ସମସ୍ତଙ୍କୁ ପ୍ରଥମ ପେଗ୍‍ଟା ଧରାଇ, ନିଜେ ପ୍ରଥମ ପେଗ୍‍ଟା ଏକାଥରକେ ଉଠାଇ କହିଲେ, ‘ଚିତ୍ରନାଟ୍ୟ ଓ ସଂଳାପ ମୁଁ ଆରମ୍ଭ କରିସାରିଛି । ରାତିଅନିଦ୍ରା ହୋଇ କାମ ଚାଲିଛି । ଭାବିଚି ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ଆମ ନିର୍ଦ୍ଦେଶକଙ୍କ ମତ ଯେ ପ୍ରଥମ ସଟ୍ ପୁରୀ ସମୁଦ୍ରକୂଳରୁ ଆରମ୍ଭ ହେବ, କାରଣ ଏହାଠାରୁ ପବିତ୍ର ସ୍ଥାନ ଜଗତରେ ନାହିଁ ! ମୁଁ ବି ଦୁଇଟା ଗୀତର ସିକ୍ୟୁଏନ୍ସ ଭାବି ସାରିଛି, ଏ ଗୀତ ଦି’ଟା ମୁଁ ଲେଖିବି, ଅବଶ୍ୟ ସମସ୍ତଙ୍କ ସହ ଆଲୋଚନା କରିବି ଯେ !’ ମୋ କାହାଣୀରେ ସମୁଦ୍ର–ଫମୁଦ୍ରର ନାମଗନ୍ଧ ନଥିଲା, ହେଲେ ପ୍ରଥମ ଦୃଶ୍ୟରେ ସମୁଦ୍ର କେମିତି ରହିବ, ସେକଥା ମୋ କଳ୍ପନାର ବାହାରେ ଥିଲା । ଯେଉଁ ବ୍ୟକ୍ତି ଜଣକ ପ୍ରଡ଼କ୍‌ସନ୍ ମାନେଜର ଓ ଏକ୍ସଟ୍ରା ସପ୍ଲାୟରଭାବେ ଉପସ୍ଥିତ ଥିଲେ, ସେ କହିଲେ, ‘ସେମାନେ ଗାଡ଼ିରେ ଅଛନ୍ତି-। ଯଦି ଚାରିଜଣଯାକ ସିଲେକ୍‍ସନ୍ ହେଲେ ତ ଭଲ କଥା, ନହେଲେ ପୁଣି ମତେ ଭଲ ଆର୍ଟିଷ୍ଟ୍‍ ଖୋଜିବାକୁ ପଡ଼ିବ ନା !’

 

‘ଆରେ ଦେଖ ମ ! ସେମାନେ ଗାଡ଼ିରେ, ଅଥଚ ଆମେ ଏଠି ମଉଜ କରୁଚେ, ଇଏ ଜମା ଭଲକଥା ନୁହେଁ ।’ ନିର୍ଦ୍ଦେଶକ କେ.ନାଗାର୍ଜ୍ଜୁନ କହିଲେ । ଲୋକଟି ଚାଲିଗଲା । ମୁଁ ଧୀରେ ଗୀତିକାର ବାବାମଣିଙ୍କୁ ପଚାରିଲି, ‘ଏକ୍ସଟ୍ରାମାନେ କ’ଣ ?'

 

ସିଏ ଦ୍ୱିତୀୟ ପେଗ୍ ଉଠାଇ କହିଲେ, ମୋ କାନ ପାଖରେ, ‘ସେମାନେ ହେଲେ ଗୋଟେ ସିନେମାରେ ଗରିବ ମାଇପ ସବୁରି ଶାଳୀ । ହିରୋ–ହିରୋଇନ୍‌ଙ୍କ ସହ ଯେଉଁ ଦଳକ ଟୋକୀ ନାଚନ୍ତି, ସେମାନେ ହେଲେ ଏକ୍ସଟ୍ରା । ପାରିଶ୍ରମିକ ଖୁବ୍ କମ୍ ମିଳେ, ଏଣେ ଶୋଷିତ ହେବାର ଭୟ ଓ ଆଶଙ୍କା । କିନ୍ତୁ ହିରୋଇନ୍ ହେବାର ପ୍ରଲୋଭନରେ ସେମାନେ ଘରୁ ଗୋଡ଼ କାଢ଼ିଥାନ୍ତି । ହଜାରରେ ଜଣେ ଯଦି କୋଉଠି ହିରୋଇନ୍ ବା ସାଇଡ଼୍ ହିରୋଇନ୍ ହଉଥିବ । ହିରୋ ଓ ହିରୋଇନ୍‌ର ବାଁ–ଡାହାଣ ପାର୍ଶ୍ଵରେ ଯେଉଁ ଚାରିଜଣ ଲାଗିହୋଇ ରହି ନାଚନ୍ତି, ତାଙ୍କର ଆଶା ଓ ଭାଉ ଅଧିକ । ସେମାନେବି ଭଲ ନାଚ ଜାଣିଥାନ୍ତି ଓ ଟିକେ ଅଧିକ ସୁନ୍ଦର ଥାନ୍ତି !’

 

ଏକା ନିଃଶ୍ଵାସରେ ଏତକ କହି ସେ ଆଉ ଏକ ପେଗ୍ ଉଠାଇବାବେଳକୁ ସେଇ ଯାଇଥିବା ଲୋକଟି ଭିତରକୁ ଆସିଲା । ତାଙ୍କ ପଛେ ପଛେ ଚାରିଜଣ ଅଠରରୁ ବାଇଶ ପଚିଶବର୍ଷର ତୁରଣୀବି ପ୍ରବେଶ କଲେ । କରମର୍ଦ୍ଦନ–ପରିଚୟ ପର୍ବ ଚାଲିଲା । ଇଏ ମିଲି, ସିଏ ସୋନା, ଇଏ ମିକି, ସିଏ ହେନା !

 

ସମସ୍ତେ ନାଚ, ମାନେ ଯେକୌଣସି ପ୍ରକାର ନଚାରେ ଧୁରନ୍ଧର !

 

‘ତମେ ସବୁ ସିନେମା ଶେଷଯାଏ ଆମ ଦଳରେ ରହିବ ନା ପୁଣି ମଝିରେ ଛାଡ଼ି ପଳେଇବ’, ପଦ୍ମକୁମାର କହିଲେ, ‘ପୂର୍ବଥର ତ ତିନିଜଣ ଅଧାରୁ ଚାଲିଗଲେ ଯେ ମୁଁ ନାହିଁନଥିବା ହଇରାଣ ହେଲି ! ହଁ–ଆଉ ଗୋଟେ କଥା ମନେ ରଖିଥାଅ ଯେ ମୋ ପାଖରେ ପାରିଶ୍ରମିକ କେବେ ବାକି ରହେ ନାହିଁ । ଆରେ, ତମେମାନେ କ’ଣ ଖାଲି ହିରୋ–ହିରୋଇନ୍‍ଙ୍କ ଆଗରେ ପଛରେ ନାଚିବ ନା କ’ଣ ? ଆହୁରି ଅନେକ ଛୋଟ ବଡ଼ ରୋଲ୍‍ବି ତମମାନଙ୍କୁ କରିବାକୁ ପଡ଼ିପାରେ, ଯେମିତି ସ୍କୁଲ୍ ଶିକ୍ଷୟତ୍ରୀ ବା ନଣନ୍ଦ ବା ଭାଉଜ ବା ନାୟିକାର ବାନ୍ଧବୀ, ଏମିତି କେତେ ରୋଲ୍ ଅଛି ! ତମେ ସବୁ ମନ ଟାଣ କଲେ ସବୁ ରୋଲ୍ ପାଇବ, କିଏ ଆଉ କ’ଣ ଜନ୍ମରୁ ଶିଖିଥାଏ ନା କ’ଣ ?’

 

ଆମମାନଙ୍କୁ ନିଶା ଚଢ଼ି ଆସୁଥିଲା । କେହି ଜଣେ ପ୍ରସ୍ତାବ ଦେଲା, ‘ଆମେମାନେ ଖାଲି ଖାଉଚେ, ପିଉଚେ, ମଜା କରୁଚେ ! ପିଲାମାନେ ବୋର୍ ହଉଛନ୍ତି । ଆହା–ଆଜି ଯଦି ହିରୋଇନ୍ ପୂର୍ଣ୍ଣିମା ଓ ହିରୋ ଆନନ୍ଦ ମହାବାହୁ ଥାନ୍ତେ, ଭାରି ଖୁସି ହୋଇଥାନ୍ତେ । ନିଅ ପିଲାମାନେ, ପ୍ରନ୍–ଚିକେନ୍–ଚପ୍ ନିଅ !’

 

‘ଆରେ, ତାଙ୍କୁ ଡ୍ରିଙ୍କ୍‍ସ୍ ଲଗାଅ,’ ବାବାମଣି ପ୍ରସ୍ତାବ ଦେଲା, ‘ହ୍ୱିସ୍କି ଦିଅନା, ତାଙ୍କୁ ୱାଇନ୍ ଲଗାଅ, ନା ତମମାନଙ୍କର କିଛି ସ୍ୱତନ୍ତ୍ର ବ୍ରାଣ୍ଡ୍ ଅଛିବେ ?’

 

ମିକି କହିଲା ସେ ଜମା ପିଏନା ।

 

ସୋନା କହିଲା ସେ ହ୍ୱିସ୍କିହିଁ ପିଇବ ।

 

ମିଲି କହିଲା ତା’ର ୱାଇନ୍ ।

 

ହେନା କହିଲା ତା’ର ଭୋଡ଼୍‍କା !

 

ପସନ୍ଦ ଅନୁଯାୟୀ ଯିଏ ଯାହାର ଗ୍ଲାସ୍ ଧରିଲେ, ଚିୟର୍ସ କରିବା ପରେ ପରେ ପ୍ରସ୍ତାବ ଆସିଲା ଯେ ମିକି ମାଡ଼ାମ୍ ଯେମିତି ହେଲେ ଗୋଟେ ପେଗ୍ ନେବେ । ସେଇଆ ହେଲା, ସେ ନାହିଁ କରି କରି ଗୋଟେ ପେଗ୍ ନେଲା । ତିନି ଚାରି ପେଗ୍‍ରେ ମତେ ନିଶା ହୁଏ ନାହିଁ । ଅଥଚ ସେଦିନ କାହିଁକି କେଜାଣି ନିଶାନିଶା ଲାଗିଲା । ମୁଁ ପୁଣି ଗୋଟେ ଲାର୍ଜ ପେଗ୍ ଉଠେଇଲି । ସେଇ ନିଶାରେ ମୋ ମୁଣ୍ଡରେ ଯାବତୀୟ ବିଚିତ୍ର ଚିନ୍ତା ପଶିଲା । ମୁଁ କି ପ୍ରକାରର ଲେଖକ ? ଆମ ଭାଷାରେ କାହିଁକି ଭଲ ଭଲ କାହାଣୀକୁ ନେଇ ସିନେମା କରାଯାଏ ନାହିଁ ? ଭଲ କବିମାନେ କାହିଁକି ଗୀତିକାର ହୁଅନ୍ତି ନାହିଁ ? ଆଉ ଗୋଟେ ପେଗ୍‍ ଦରକାରହୋ ! ସିନେମା କିମିତି ଆରମ୍ଭ କରାଯାଏ, ତାକୁ ନେଇ ଗୋଟେ କାହାଣୀ ନିଶ୍ଚେ ଲେଖିବି । କି ନିଶା କିହୋ ! ଧୀରେ ଧୀରେ ବଡ଼ କୋମଳଭାବେ ନିଶା ଚଢ଼ୁଚି, ଯେମିତି ଗଛକୁ ଚଢ଼ୁଥାଏ ସାପ !

 

‘ହୋ ମାନେଜର ସାଇବ, ଏମାନଙ୍କ ଫିଗର କିମିତି ଜାଣିବା କିହୋ ?’ ଆମ ଭିତରୁ କେହି ଜଣେ କହିଲା, ‘ପୂର୍ଣ୍ଣିମା ସହ ଏମାନେ ନାଚିଲେ ଠିକ୍ ସେ ମ୍ୟାଚ୍ କରିବ ନା ନାହିଁ ?’

 

ଝିଅମାନଙ୍କୁ ଘୂରି ପୂରି ନିରୀକ୍ଷଣ କରି ବାବାମଣି କହିଲେ, ‘ବୋଧେ ମ୍ୟାଚ୍ କରିବେ । ତମେମାନେ ଏପଟକୁ ଏଇଠି ଲାଇନ୍ କରି ଠିଆ ହେଲ ।’

 

ସେମାନେ ଲାଇନ୍ କରି ଠିଆ ହେଲେ । ମିକି ତା’ ହାତରେ ତୃତୀୟ ପେଗ୍ ଧରିଥାଏ । ବାବାମଣି କହିଲେ, ‘ମିକି ମ୍ୟାଡ଼ାମ୍‍ଙ୍କୁ ଟିକେ ଡାଏଟିଂ କରିବାକୁ ପଡ଼ିବ ।’

 

ସେ ଅବଶ୍ୟ ମଜାରେ କହିଥିଲେ, କିନ୍ତୁ ତୃତୀୟ ପେଗ୍‍ଟା ଢକଢ଼କ କରି ପିଇଦେଇ ମିକି ଚିତ୍କାର କଲା, ‘କ’ଣଟା ଦେଖିଲେ ଯେ କହିଲେ ଡାଏଟିଂ କରିବା ଦରକାର ! ମାନେ ମୁଁ ମୋଟୀ, ଏଇଆ ତ ?'

 

କହୁକହୁ ମିକି ଟପ୍‍ଟା ଖୋଲି ଫିଙ୍ଗିଦେଲା । ପରେ ପରେ ଜିନ୍ ପ୍ୟାଣ୍ଟ୍ । ତା’ ଶରୀରରେ ଖାଲି ସଂକ୍ଷିପ୍ତ ଅନ୍ତର୍ବସ୍ତ୍ର ଥାଏ । ସେ ଗରଗର ହେଉଥାଏ । କହିଲା, ‘ମୁଁ ମୋଟୀ ?’ କିଏ ଜଣେ କହିଲା, 'ଏଥିରୁ ଜାଣି ହଉନି ।’

 

ମିକି ବାକି ପୋଷାକତକ ଖୋଲିଦେଲା, କହିଲା, ‘ଏବେ କ’ଣ ଲାଗୁଚି ମୋଟୀ ?? ବାକି ତିନିଜଣ ଗୋଟେ ଲାଇନ୍‍ରେ ଠିଆ ହୋଇଥିଲେ ସେମାନଙ୍କୁ ଲକ୍ଷ୍ୟକରି ମିକି କହିଲା, ‘ଆଉ ଚାହିଁଚ କ’ଣ ମ ?'

 

ଏଇ ବା ସେଇ ମୁହୂର୍ତ୍ତରେ ମୋର କାହିଁକି ଧାରଣା ହେଲା ଯେ ମିକି ନାମ ତରୁଣୀଟି ଏସବୁ କାମରେ ସିଦ୍ଧହସ୍ତା, ନିଜର କର୍ମଦ୍ଵାରା ସେ ହୁଏତ ବାକି ତିନିଜଣଙ୍କୁ ଉଲଗ୍ନ ହେବାପାଇଁ ଇଙ୍ଗିତ ବା ପ୍ରେରଣା ଯୋଗାଉଥିଲା ।

 

ବାବାମଣି ପୁଣି ଗୋଟେ ପେଗ୍ ବୁଲାଇଦେଲା । ମଦର ଗୋଟାଏ ଖୁବ୍ ଭଲ ପ୍ରଭାବ ଅଛି, ତାହା ହେଲା ଏହା ମନରୁ ସମସ୍ତ ବିକାର, ଲଜ୍ଜା, ସମ୍ଭ୍ରମ ଲୋପ କରିଦିଏ । ଭାଷାଜ୍ଞାନ ମଧ୍ୟ ଲୋପ ପାଇଯାଏ । ଅର୍ଥାତ୍ ଯେଉଁ ଶବ୍ଦମାନେ ବିଲୁପ୍ତ ହୋଇଯାଇଛନ୍ତି ବୋଲି ଧାରଣା, ତାହା ମନେ ପଡ଼େ; ଏତଦ୍‌ଭିନ୍ନ ଯାବତୀୟ ନିଃଶବ୍ଦ ଶବ୍ଦ ସବୁ ଖୁବ୍ ସହଜ ଓ ସରଳଭାବେ ପାଟିରେ ଆତଯାତ ହୁଅନ୍ତି ।

 

କିଛି ପ୍ରବର୍ତ୍ତାଇବା, କିଛି କୁଣ୍ଠା, କିଛି ନାଇଁ–ନାଇଁ–ହଁ–ହଁ ଭିତରେ ବାକି ତିନିଜଣ ମଧ୍ୟ ପୋଷାକ ଖୋଲିଦେଲେ । କେହି ଜଣେ ପୁରାତନ କବିଙ୍କର କଳିଯୁଗ ଶେଷ ହେବାର ଲକ୍ଷଣ ସମ୍ପର୍କିତ କିଛି ପଦ କବିତା ମୋର କ୍ଷଣକପାଇଁ ମନେ ପଡ଼ିଗଲା । ମୁଁ ଖୁବ୍ ଗର୍ବିତ ହେଲି ଯେ ଯାହା କିଛି ପାଶ୍ଚାତ୍ୟ ଦେଶମାନଙ୍କରେ ଘଟୁ ଥିଲା, ତାହା ଆମ ରାଜ୍ୟରେ ଓ ମୋ ସାମ୍ନାରେ ଘଟୁଥିଲା ବୋଲି । ପ୍ରାୟ ବର୍ଷେ ଦି’ବର୍ଷ ତଳେ ମୁଁ ଜଣେ ବନ୍ଧୁଙ୍କଠାରୁ ଶୁଣିଥିଲି ଯେ ଜଣେ ଉଚ୍ଚପଦସ୍ଥ ଇଞ୍ଜିନିୟର୍‍ଙ୍କ ଘରେ ଏପରି ଆସରମାନ ହେଉଥିଲା ବୋଲି । ଏବେ ମଧ୍ୟ ଚାଲିଛି । ସେହି ଇଞ୍ଜିନିୟର୍‍, ତାଙ୍କ ସୁନ୍ଦରୀ ଧର୍ମପତ୍ନୀ, ଦୁଇ ଜଣ ବନ୍ଧୁ ଓ ସେମାନଙ୍କ ପତ୍ନୀ ସେଥିରେ ସାମିଲ । ରାତି ନ’ରୁ ଆରମ୍ଭ ହୋଇ ରାତି ତିନି /ଚାରି ଯାଏଁ ଏହି ଆସର ତାଙ୍କ ଘରେ ଚାଲେ । ପ୍ରଚୁର ଖାଦ୍ୟ ଓ ଅସରନ୍ତି ମଦ ସହ ଉଲଗ୍ନତାର ଆସର । ବଡ଼ବଡ଼ ସହରର ଗେଷ୍ଟହାଉସ୍ ଓ ଫାର୍ମହାଉସ୍‌ରେ ଏପରି ଚାଲୁଥିବାର ସମ୍ବାଦ ବେଳେବେଳେ ଖବରକାଗଜର ଶୋଭା ମଣ୍ଡନ କରିଥାଏ । ସେପରି ଏକ ଖବର ପଢ଼ି ମୋର ଜଣେ ନିପଟ ଗାଉଁଲି ସାଙ୍ଗ କହିଥିଲା ଯେ ଯଦି ରଜ, ଦୋଳ, ଦଶହରା ଉତ୍ସବମାନଙ୍କରେ ଏପରି ଆସରର ଆୟୋଜନ ଗାଁ ଗହଳିରେ କରାଯାନ୍ତା, ଖୁବ୍ ଭଲ ହୁଅନ୍ତା ! ମୁଁ ପଚାରିଲି, ‘ତୁ କ’ଣ ତୋ ସ୍ତ୍ରୀକୁ ଉଲଗ୍ନ ହେବାପାଇଁ ଛାଡ଼ି ଦିଅନ୍ତୁ ?'

 

ମୋ ଗାଉଁଲି ବନ୍ଧୁ କହିଲା, ‘ମଲା, ମୁଁ କ’ଣ ଛାଡ଼ିବି / ନ ଛାଡ଼ିବି ମ ! ଯଦି ମାଇପେ ଲୁଗା ନ ପିନ୍ଧିବାକୁ ମନ କରିବେ, ଆମେ କ’ଣ କରିବା ?'

 

ଏଣେ ସତକୁସତ ଚାରିଜଣଯାକ ତରୁଣୀଙ୍କ ଶରୀରରେ ଆଉ ବସ୍ତ୍ର ନଥାଏ । ହ୍ୱିସ୍କି–ରମ୍–ଭୋଡ଼୍‍କା–ୱାଇନ୍ ଫେଣ୍ଟାଫେଣ୍ଟି ଗନ୍ଧରେ ଏତେ ବଡ଼ ରୁମ୍ ଭିତରଟା ଫାଟି ପଡ଼ୁଥାଏ । ସିନେମାରେ କେମିତି ମର୍ଡ଼ର, ଫାଇଟିଙ୍ଗ୍ ରହିବ, କେମିତି ସାତଟା ଗୀତ ରହିବ ଇତ୍ୟାଦି କଥା ମୋ କାନରେ ପଡ଼ୁଥାଏ । ମିକି ଗୋଟେ ଆଇଟମ୍ ନମ୍ବରରେ ନାଚିବ ବୋଲି ସ୍ଥିର ହେଲା । ସେଇଟା କି ପ୍ରକାରର ଗୀତହେବ, ସେକଥା ବାବାମଣି ମିକିକୁ କୁଣ୍ଢାଇ ଧରି ବୁଝାଉଥାନ୍ତି । ମୋତେ ନିଶା ଜୋରରେ ଧରି ଆସୁଥାଏ । ଗୋଟେ ଟୋକୀ ସେପଟରୁ ଆସି ମୋ ଜଙ୍ଘ ଉପରେ ବସିଗଲା ଓ କହିଲା, ‘ସବୁ ଲେଖକ କ’ଣ ଏମିତି ଚୁପ୍‍ଚାପ୍ ରହନ୍ତି ନା କ’ଣ ?’

 

ଝିଅମାନେ ସତରେ କେତେ ଖୋଲା–ମେଲା ହୋଇଗଲେଣି ଆଜିକାଲି । ପୁଅମାନେ କାପୁରୁଷ–ଡରୁଆ ହୋଇ ଯାଉଛନ୍ତି କ୍ରମଶଃ ! ଜୀବନର ଅଧାଅଧି ରାସ୍ତା ପାରିହୋଇ ଯିବାପରେ, କାନ ନିକଟସ୍ଥ କେଶରାଶି ଶୁଭ୍ର ହୋଇଯିବା ପରେ, ନିଜ ପତ୍ନୀଙ୍କର ମେନୋପେଜ୍ ହୋଇଯିବାପରେ ଅଧିକାଂଶ ପୁରୁଷ ନିହାତି ଦୁଶ୍ଚରିତ୍ର ହୋଇଯାନ୍ତି । ପାଖରେ ପ୍ରଚୁର ଅର୍ଥ ଥିଲେ ଦୁଶ୍ଚରିତ୍ର ରାସ୍ତା ସବୁ ମୁକୁଳା ହୋଇଯାଏ । ମୋ କୋଳରେ ବସିଥିବା ଟୋକୀର ଶରୀରରୁ କି ଗୋଟେ ବାସ୍ନା ଆସୁଥିଲା । ସେ କିଛି ଅଜଣା କ୍ରିମ୍ ବ୍ୟବହାର କରିଥିଲା, ବୋଧେ ଶସ୍ତା କ୍ରିମ୍, କାରଣ ସେଇ ଧରଣର ବାସ୍ନା ସାଧାରଣତଃ ସେଲୁନ୍ ଭିତରେ ପଶିଗଲେ ନାକରେ ବାଜେ !

 

ଟୋକୀଟାକୁ ଗୋରୀ ବୋଲି କୁହାଯିବ ନାହିଁ । ପେଟ ନିକଟରେ ଚର୍ବି ଜମି ଆସିଥାଏ । ଏମିତି ଆସରମାନଙ୍କରେ ମାଗଣା ମଦ ଓ ମାଗଣା ଖାଦ୍ୟର ଫଳ । ମୋତେ ନିଶାଧରି ଆସିଥାଏ ଟିକେ ଅଧିକ । ମୁଁ ସେ ଟୋକୀକୁ ଆସ୍ତେ ମୋ ଜଙ୍ଘରୁ ଠେଲି ଉଠାଇ ଦେଲି । କହିଲି, ‘ରହ, ତରତର କାହିଁକି ହଉଚୁ ? ମୋର ଆଉ ଏକ ପେଗ୍ ଦରକାର !'

 

ସିଏ ମୋତେ ସାମାନ୍ୟ କ୍ରୋଧମିଶା ଚାହାଣି ପକାଇ ଉଠିଗଲା ସେ କଡ଼କୁ । ମୁଁ ଯେ ଜଣେ ସାଧୁ–ସଚ୍ଚରିତ୍ର ପୁରୁଷ, ମୁଁ ଯେ ମୂଲ୍ୟବୋଧମାନଙ୍କୁ ଭିଡ଼ି ଧରିଛି; ଏକଥା ଜମା ନୁହେଁ । କଥାହେଲା, ଆମ ଦେଶର ପ୍ରାୟ ସବୁ ପୁରୁଷଙ୍କ ପରି ମୁଁ ମାନସିକ ସ୍ତରରେ ଜଣେ ପ୍ରଚଣ୍ଡ ରାଣ୍ଡୁଆ, ଜଣେ ପ୍ରଚଣ୍ଡ ଭାଡ଼ୁଆ, ଜଣେ ଅସୀମ କାମୁକ, ସୁନ୍ଦରୀ ନାରୀର ସାନ୍ନିଧ୍ୟ ଆଶାୟୀ ମଣିଷ-। ବାସ୍ ସେତିକି । କିନ୍ତୁ ଏପରି ଆସର କିମ୍ବା ବାର୍‍ରେ ଉଲଗ୍ନ ନାଚ କିମ୍ବା ଆଧୁନିକ ବାବାମାନଙ୍କଦ୍ୱାରା ଉଚ୍ଛୃଙ୍ଖଳ ଯୌନତା ମୋଦ୍ଵାରା ସହି ହୁଏ ନାହିଁ । ମୁଁ ଯେଉଁ ସମୟରେ ଜନ୍ମ ହୋଇଥିଲି ଓ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଥିଲି, ଯେଉଁ କୋତରୀ ବୁଢ଼ୀମା ମତେ ଭଗବତ ପଢ଼ା ଶିଖାଇଥିଲା, ଯେଉଁ ପ୍ରକାରର ସିନେମା ଓ ସଙ୍ଗୀତ ମୋ ଭିତରେ ଭେଦି ରହିଥିଲା, ପୁଣି ଯେଉଁ ପ୍ରକାରର ସାହିତ୍ୟ ମୋର ମାନସିକତା କାହିଁ କୋଉକାଳୁ ନିରୂପଣ କରି ସାରିଥିଲା, ସେଠି ଏ ପ୍ରକାରର ଆସରର ସ୍ଥାନହିଁ ନଥିଲା !

 

ମୁଁ ଶେଷ ପେଗ୍‍ଟା ଉଠେଇଲି ।

 

ମୁଁ ଡ. ପଦ୍ମକୁମାରଙ୍କ କାନ୍ଧରେ ହାତ ରଖିଲି ।

 

ସେ ମୋ ଆଡ଼କୁ ମୁହଁ ବୁଲେଇଲେ, ତାଙ୍କ ଆଖି ଦୁଇଟି ଦିଶୁଥିଲା ସତେ ଅବା ମନ୍ଦାରକଢ଼ । ସେ ଯେ କେତେବେଳେ ନିଜ ସାର୍ଟ୍ ଖୋଲି ସାରିଥିଲେ, ମୋର ଲକ୍ଷ୍ୟ ନଥିଲା । ସୋନା କି ମିଲି କି ଇଲ୍ଲି କି ରୁବି କି ଛବି, କିଏ କେଜାଣି, ମୋତେ ନିଶା ଘାରି ଆସିଥିଲା, ସିଏ ତାଙ୍କ କୋଳରେ ବସିଥିଲା, ତା’ ଶରୀରରେ ବସ୍ତ୍ରହିଁ ନଥିଲା ।

 

ପଦ୍ମକୁମାର ମୁର୍କି ହସି ମତେ କହିଲେ, ‘ବୁଝିଲେ ଅନନ୍ତ ବ୍ୟାସ ମହାଶୟ, ଇଏ ସୋନା ମୋର ଏଥର ଫିଲ୍ମର ସାଇଡ଼୍ ହିରୋଇନ୍, ଆଉଥରକେ ସେ ହବ ମୋର ଫୁଲ୍ ହିରୋଇନ୍ । ହଁ କ’ଣ କହୁଥିଲେ କି ମତେ ?’

 

ମୁଁ ତ ସମ୍ପୂର୍ଣ୍ଣ ଭୁଲି ଯାଇଥିଲି ଯେ ମୋ ନାଁ ବ୍ରଜ ବିହାରୀ ଖଟେଇରୁ ପରିବର୍ତ୍ତନ କରି ଏମାନେ ଅନନ୍ତ ବ୍ୟାସ କରିଦେଇଥିଲେ ବୋଲି । ଛାଡ଼–ମୋତେ ନିଶା ଘାରି ସାରିଥିଲା । ସେଇ ମୁହୂର୍ତ୍ତରେ ପଦ୍ମକୁମାରଙ୍କୁ ପ୍ରଚଣ୍ଡ ଏକ ମୁଥ ମାରିବାପାଇଁ ମୋ ଭିତରେ କେଜାଣି କାହିଁକି ଆକାଂକ୍ଷା ଜାଗ୍ରତ ହେଲା । କିନ୍ତୁ ସେପରି ଆଗ୍ରହକୁ ମୁଁ ନିୟନ୍ତ୍ରଣ କଲି, ମୋର ଚିନ୍ତା ବୋଧେ ମୁହଁରେ ପ୍ରତିଫଳିତ ହୋଇଗଲା କି କ'ଣ, ସେ ଟିକେ ନରମ ସ୍ଵରରେ ପଚାରିଲେ, ‘ଆପଣଙ୍କୁ କ’ଣ ଏ ଆସର ଭଲ ଲାଗୁନାହିଁ ? ରାଗିଲେ ନା କ’ଣ ?' ମୁଁ କହିଲି, ‘ନାଇଁ, ଆସର ଚାଲୁ ରହିଥାଉ, ମୋର ମୁଣ୍ଡ ବୁଲାଇବା ପରି ଲାଗୁଚି । ଆଜି ବୋଧେ ମଦଟା ଦେହରେ ଗଲା ନାହିଁ କି କ'ଣ ! ରିମ୍‍ଝିମ୍ ଲାଗୁଚି ।’

 

‘ଚାଲିଯିବେ ତେବେ ?’ ସେ ପଚାରିଲେ ।

 

‘ଆପଣ ତ ମଝିରେ ମଝିରେ ଆମ ଘରକୁ ଆସୁଛନ୍ତି’, ମୁଁ କହିଲେ, ‘ପୁଣି କେତେବେଳେ ଆସିଲେ କଥାବାର୍ତ୍ତା ହେବା ।'

 

‘ଇଏ ଗୋଟେ କଥା’, ସେ କେମିତି ଏକ ଉତ୍ସାହରେ କହିବାର ଲାଗିଲେ ‘ଆର ସପ୍ତାହରେ ତ ଆମେ ସବୁ ସୁଟିଂକୁ ଚାଲିଯିବୁ । ତିନିଦିନ ପରେ ଫେରିବୁ । ତା'ପର ସପ୍ତାହରେ ପୁରୀରେ ଦି’ଟା ସଟ୍ ନିଆଯିବ, ସେତିକିବେଳେ ଆପଣ ଆମ ସହ ନିଶ୍ଚେ ରହିବେ ।’

 

ମୁହୂର୍ତ୍ତେ ରହି ତାଙ୍କ ଦଳରୁ ଜଣକୁ ଠାରି ପାଖକୁ ଡାକି କହିଲେ, ‘ଶୁଣ, ଟିକେ ଦରୱାଜା ଯାକେ ଯାଅ, ଇଏ ଯେମିତି ରୁମ୍ ବାହାରକୁ ବାହାରିଯିବେ, ଭିତରୁ ବନ୍ଦ କରିଦେବ । ଅବଶ୍ୟ କିଛି ଚିନ୍ତା କରିବାର ନାହିଁ, ଏପଟର ଚାରିଟାଯାକ ରୁମ୍ ତ କେବଳ ଆମର ଆଜି ରାତିକପାଇଁ, ବାରଣ୍ଡାରେ କେହି ନଥିବେ ।’

 

ମୁଁ ରୁମ୍ ବାହାରକୁ ବାହାରି ଆସିଲି । ମୋ ଜାଣିବାରେ ଏଇ ପଦ୍ମକୁମାର ଲୋକଟା ପାଞ୍ଚ କି ଛ’ ପେଗ୍ ପିଇଥିଲା, ଅଥଚ ଏତେ ସ୍ୱାଭାବିକ ଥିଲା କେମିତି ? ଶଳା ବୋଧେ ନିଜେ ରୋଲ୍ କରି ପାଣି ପିଉଥିଲା ଆଉ ଆମମାନଙ୍କୁ ଅଧିକରୁ ଅଧିକ ମଦ ପିଇବାପାଇଁ ଉତ୍ସାହିତ କରୁଥିଲା କି କ’ଣ ! ମୋର କାହିଁ ମନେ ହୋଇଥିଲା ଯେ ସେଦିନ ନିଶାର୍ଦ୍ଧ ପରେ ବିଚିତ୍ର କଥାଟେ ଘଟିଥିବ ।

 

ଯେ ଅଧିକରୁ ଅଧିକ ନିଶାରେ ଅନ୍ୟମାନେ ଚାରିକାତ ମେଲାଇ ପଡ଼ିଥିବେ । ସେଇ ସୁଯୋଗରେ ପଦ୍ମକୁମାର ସେ ଚାରି ତରୁଣୀଙ୍କୁ ନେଇ ଅନ୍ୟ ଏକ ରୁମ୍‍କୁ ଚାଲି ଯାଇଥିବେ ! ଅୟସ କରିଥିବେ ।

 

ଏମିତି ଭାବିବା ଭିତରେ ମୁଁ ହୋଟେଲର ଗେଟ୍ ବାହାରକୁ ଆସି ଯାଇଥିଲି । ରାସ୍ତା ଶୂନଶାନ୍ ହୋଇଯାଇଥିଲା । ମୁଁ ନିଜ ଗାଡ଼ି ଆଣି ନଥିଲି । ମୁଁ ଜାଣିଥିଲି ସୁରାପାନ ହେବ, ଆଉ ପିଆପିଇ କରି ଗାଡ଼ି ଚଲାଇବା ମୋ ଜାତକରେ ନାହିଁ ! ମୁଁ ଟିକେ ଅଧିକ ପିଇଥିଲି, ପୋଲିସ୍‌ ହାବୁଡ଼ରେ ପଡ଼ିଲେ ବିପଦ ଥିଲା । ରାତିର ନିରୋଳା ସହର କିନ୍ତୁ ବେଶ୍ ଭଲ ଲାଗୁଥିଲା !

 

ସହର କି ଜାଣେ ପ୍ରତି ମୁହୂର୍ତ୍ତରେ ତା’ର ନାଁକୁ ବଦନାମ–ତଳିତଳାନ୍ତ କରୁଥିଲେ କେତେ ଲୋକ ! କିଏ ପରିବେଶ ଧ୍ୱଂସ କରୁଥିଲା, କିଏ ନର୍ସିଂହୋମ୍‍ମାନଙ୍କରେ ଭୃଣହତ୍ୟା କରାଉଥିଲା, କିଏ ବଡ଼ ହୋଟେଲରେ ତ ଆଉ କେହି ବସ୍ତିରେ ସେକ୍ସ୍ ରାକେଟ୍ ଚଳଉଥିଲା, କେହି ନିଜ ଘରେ ଜୁଆଆଡ଼୍‍ଡ଼ା ଚଳାଇଥିଲା ତ କେହି ବ୍ଲୁ ଫିଲ୍ମ ତିଆରି କରୁଥିଲା, କେହି ସିଡ଼ି ପାଇରେସି ବେପାରରେ ମଗ୍ନ ଥିଲା, କେହି ଭେଜାଲ ଔଷଧ ତିଆରି କାରଖାନା କରିଥିଲା ତ ଆଉ କେହି ବିଦେଶୀ ମଦ ଭେଜାଲ କରୁଥିଲା, ପୁଣି କେହି ଡାଲି–ଚାଉଳ–ସୋରିଷରେ ମିଶିବାପାଇଁ ଆବଶ୍ୟକ ଅତି ଟିକିଟିକି ଗୋଡ଼ି ବସ୍ତା ସପ୍ଲାଇ କରୁଥିଲା, ଭିକ ମାଗିବାକୁ ଆସୁଥିବ ! ଅତି, କାନ୍ଦି–ମସିହା ଲୁଗା ପିନ୍ଧିଥିବା ମହିଳାକୁ ଘରକୁ ଡାକି ନେଇ କେହି ପୁଣି ଶହେ–ଦି’ଶହ ଟଙ୍କା ବିନିମୟରେ ଦେହ–ଖେଳ ସାରୁଥିଲା, ଆହୁରି ଆହୁରି ଆହୁରି ବିଚିତ୍ର କଥାମାନ ଘଟୁଥିଲେ ମୋର ଏଇ ପ୍ରିୟ ସହରରେ, ସହରର ଚରିତ୍ର ଖରାପ ହେଉଥିଲା, ସହର ବଦନାମ ହେବାରେ ଲାଗୁଥିଲା-!

 

ହେଃ ! ଏସବୁ ଅଯଥା ଅଜବ ଚିନ୍ତା ସବୁକୁ ଦାର୍ଶନିକର ଚିନ୍ତା ବା କଳ୍ପନା ଜଳ୍ପନା ବୋଲି କୁହାଯାଇ ପାରିଥାନ୍ତା କି ?

 

ଏତିକିବେଳେ ବା ସେତିକିବେଳେ ଅଟୋରିକ୍ସାଟେ ମୋ ପାଖରେ ଅଟକିଲା । ସେ ତ କିଛି କହିବା ଆଗରୁ ମୁଁ ଡେଇଁ ପଡ଼ିଲି ଅଟୋ ଭିତରକୁ, ସତେ ଯେମିତି ଡେଇଁପଡ଼େ, ଡେଇଁପଡ଼େ ମାଛ, ଡେଇଁପଡ଼େ ବେଙ୍ଗ ଓ ମାଙ୍କଡ଼ !

 

ମୁଁ କହିଲି, ‘ଚଲାଅ ଏଥର ବାବା !’

 

ଅଟୋବାଲା କହିଲା, ‘କୁଆଡ଼େ ?’

 

ମୁଁ କହିଲି, ‘ତମ ଇଚ୍ଛା ଯୁଆଡ଼େ ! ମୋର କାହିଁକି ଆଜି ଏଇ ସହରକୁ ଭଲକରି । ମନ ପୂରେଇ ଦେଖିବାକୁ ଇଚ୍ଛା ହଉଚି !’

 

ସିଏ ମତେ ପାଗଳ ଭାବିଥିବ, ନା ନା, ଭାବିଥିବ ଘୋଡ଼ା ମଦୁଆ !

 

କହିଲା, ‘ସେମିତି କହିଲେ କି ଚଳିବ ଏତେ ରାତିରେ ଆଜ୍ଞା ? ଠିକ୍ କରି କୁହନ୍ତୁ !’ ମୁଁ ଶାନ୍ତ ସୁଧାର ହୋଇଗଲି । ମୋ ଭିତରର ଯାବତୀୟ ଦର୍ଶନ ମରି ମରି ଆସିଲା । ଅଟୋ ଉଠି ଚାଲିଲା, ପଛକୁ ପଛକୁ ଦୌଡ଼ିବାରେ ଲାଗିଥିଲେ ଗଛ, ବିଦ୍ୟୁତଖୁଣ୍ଟ, ଘର, କେବିନ୍, ତାରା, ଜହ୍ନ, ରାସ୍ତା । ସହର ମନେ ହେଲା ଦାନ୍ତ ନଥିବା ଦାଆ କି କୁରାଢ଼ି ପରି, ନାଇଁ–ସହର ମନେହେଲା ବନ୍ୟାରେ ଉଜୁଡ଼ାଘର ପରି, ନାଇଁ–ସହର ମନେହେଲା କଂସେଇ ଦୋକାନରେ ଝୁଲୁଥିବା ବେକ କଟା ଖାସି ପରି, ଗୋଡ଼ ଉପରକୁ ବେକ ତଳକୁ । ବେକ ତଳକୁ !

 

ମୁଁ ଆହୁରି ଦାର୍ଶନିକ, ଆହୁରି ଗାଳ୍ପିକ, ଆହୁରି କବି ହୋଇଯାଇଥାନ୍ତି, ହେଲେ ମୋ ଘର ଆସିଗଲା । ଅଟୋବାଲାକୁ ଟଙ୍କା ଦେଇ ମୁଁ ଦୋହଲି ଦୋହଲି କଲିଂବେଲ୍ ଚିପିବାରେ ଲାଗିଲି !

 

(ଶେଷ)

 

ଏହା ପରର କଥା ସରଳ ଓ ସହଜ ତଥା ସଂକ୍ଷିପ୍ତ । କାରଣ ଏହି ଯେ ମୁଁ କଦାପି ଥରେ ମାତ୍ର ସୁଟିଂକୁ ଯାଇପାରି ନଥିଲି । ପଦ୍ମକୁମାରବାବୁ ନିୟମିତଭାବେ ମତେ କିନ୍ତୁ ଡାକୁଥିଲେ । ମୁଁ ମ୍ୟୁଜିକ୍ ସେସନ୍‍ରେବି ବସି ପାରି ନଥିଲି ।

 

ସେ କିନ୍ତୁ ପନ୍ଦର କୋଡ଼ିଏ ଦିନରେ ଥରେ ମୋ ଘରକୁ ଆସୁଥିଲେ, ଚା’ ପିଉଥିଲେ, ସିନେମାର ଅଗ୍ରଗତି କଥା ଗପୁଥିଲେ । ମୋ ସ୍ତ୍ରୀ ବି ତାଙ୍କ ସହ କ୍ରମଶଃ ଫ୍ରି ହୋଇଯାଇଥିଲେ, ସିନେମା ସୁଟିଂ କଥା ପଚାରୁଥିଲେ । ନାୟିକା ପୂର୍ଣ୍ଣିମା ଓ ନାୟକ ଆନନ୍ଦ ମହାବାହୁଙ୍କୁ ଥରେ ଆମ ଘରକୁ ଆଣିବାକୁ ଅନୁରୋଧ କରୁଥିଲେ । ସିଏ ମଧ୍ୟ ଜବାବ୍ ଦେଇଥିଲେ ସେ କଥା ନିଶ୍ଚେ କରିବେ !

 

ସିଏ ମତେ କାହାଣୀର ଅଗ୍ରଗତି କଥା କହୁଥିଲେ । ସିନେମାର ଆବଶ୍ୟକତା ଦୃଷ୍ଟିରୁ ସେ କରିଥିବା ପରିବର୍ତ୍ତନ କଥା ବର୍ଣ୍ଣନା କରୁଥିଲେ । କେମିତି ସେ ଜଣେ ସାନଭାଇର ଚରିତ୍ର ଯୋଡ଼ିଥିଲେ, କେମିତି ଏକ କଣା ଖଳନାୟକ ଚରିତ୍ର ଯୋଡ଼ିଥିଲେ, କେମିତି ନଈ–ସମୁଦ୍ର–ଜଙ୍ଗଲ ଆସିଥିଲା କାହାଣୀକୁ, କେମିତି ନାୟକର ସାନ ଭଉଣୀକୁ ଏଡ଼୍‍ସ୍ ହେବା କଥା ଯୋଡ଼ିଥିଲେ ଓ ଜନସଚେତନତା ସୃଷ୍ଟି କରାଇବାର ପ୍ରୟାସ କରିଥିଲେ, କେମିତି ଜଣେ କଳିହୁଡ଼ୀ ମାଇକିନା ଚରିତ୍ର ଓ କମେଡ଼ି କରୁଥିବା ଦୋକାନୀ ଚରିତ୍ର ଯୋଡ଼ିଥିଲେ ।

 

କେମିତି ଦୁଇଟା ଆଇଟମ୍ ଗୀତ ଥିଲା ! କେମିତି ଥିଲା ଦୁଃଖର ସୋଲୋ ଗାନା ! ପୁଣି ଟାଇଟଲ୍ ଗାନା । ପୁଣି ଗୋଟେ ପିଲାଙ୍କ ପ୍ରାର୍ଥନା । ଆହେ ଦୟା ମୟ ବିଶ୍ଵ ବିହାରୀ ପରି ପ୍ରାର୍ଥନା !

 

ଟାଇଟଲ୍ ଗାନାଟା ଲେଖିବାକୁ କିମିତି ତାଙ୍କୁ ଚାରିଦିନ ଚାରିରାତି ଓ ଚାରି ବୋତଲ ଭୋଡ଼୍‍କା ଲାଗିଥିଲା !

 

ସିନେମାର ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା !

 

ମୋ କାହାଣୀ ଆଉ ମୋ କାହାଣୀ ହୋଇ ନଥିଲା !!

✽✽✽

 

ମାରିବ ଶୂନ୍ୟଲହଡ଼ି ଥୟ ନୋହିବ

(ଏକ)

 

ମୁଁ ଯେ କେଉଁଠି ଛିଡ଼ା ହୋଇଚି, ମୁଁ ନିଜେବି ସେକଥା ଜାଣିପାରୁ ନାହିଁ । ମୁଁ ମର୍ତ୍ତ୍ୟରେ ବା ସ୍ଵର୍ଗରେ ବା ନରକରେ ଅବା ପାତାଳରେ–କେଉଁଠି ଏବେ ମୋର ସ୍ଥିତି ତାହା ମୁଁ ଠିକ୍ ଅନୁଭବ କରିପାରି ନାହିଁ । ମୁଁ କିଭଳି ଜୀବମାନଙ୍କ ଗହଣରେ ରହୁଚି ସେକଥାବି ମୁଁ ଠିକ୍‍ଭାବେ କହିପାରିବି ନାହିଁ । ସେମାନେ ମଣିଷ ଅବା ଦେବତା, ଯମଦୂତ ଅବା ନାଗସାପ–ସେକଥାର ବିଚାର କରିବାକୁ ମୋର ତର କାହିଁ ? ମୁଁ ଅଛି–ସେଇ ଯଥେଷ୍ଟ । ମୋ ଚାରିପଟେ ଅନେକ ଅଛନ୍ତି–ସେତିକି ମୋର ସାନ୍ତ୍ୱନା, : ହୁଅନ୍ତୁ ପଛେ ସେମାନେ ମିତ୍ର ଅବା ଶତ୍ରୁ, ଶୁଭାକାଂକ୍ଷୀ ଅବା ବିଶ୍ୱାସଘାତକ ।

 

କେହି ଜଣେ କେବେ ଅବା କହନ୍ତା ମୋତେ : ‘ତୁ ଯାହା କରିଛୁ ବା କରୁଚୁ ସବୁ ଠିକ୍ !’ କାହିଁ ? କେହି ସେମିତି ଦିନେହେଲେ କହିନାହିଁ ତ ! ବରଂ ପଛରୁ ହିସ୍‍ହିସ୍ କଣ୍ଠରେ–ନାଗସାପର ଫୁତ୍କାର ପରି ସେ କଣ୍ଠ ଅବା ଯମଦୂତମାନଙ୍କର ବିକଟାଳ ପୈଶାଚିକ ଆନନ୍ଦମୟ କୋଳାହଳ ପରି ସେ କଣ୍ଠ, କେହି ଯେମିତି ସର୍ବଦା ମତେ କହିଆସିଚି : ଭୁଲ୍, ଭୁଲ୍, ଭୁଲ୍ !

 

ସତରେ କ'ଣ ମୁଁ ଯାହା କରିଆସିଚି ବା କରିଯାଉଚି, ସେସବୁ ଭୁଲ ? ଜୀବନରେ ଏତେବଡ଼ ଲମ୍ବାରାସ୍ତା ଅତିକ୍ରମି ଆସିବା ପରେ ମଧ୍ୟ ଏଯାଏଁ କ’ଣ ମୁଁ ଥରେ ହେଲେ କିଛି ଠିକ୍‍ଭାବେ କରିନାହିଁ ? ହୋଇଥିବ ! ସମସ୍ତେ ଜୀବନରେ ପୂରା ଠିକ୍‍ରେ ଚାଲିପାରନ୍ତି ନାଇଁ କି ସମସ୍ତେ ଜୀବନରେ ପୂରା ଭଲରେ ଚାଲନ୍ତି ନାହିଁ ! କିମ୍ବା ଏମିତିବି ହୋଇପାରେ ଯେ, ଅନେକ ପୂରା ଠିକ୍‍ରେ ବିତେଇ ଦିଅନ୍ତି ଜୀବନ–ଏପରି ମଣିଷଙ୍କ ସଂଖ୍ୟା ନିହାତି ନଗଣ୍ୟ ହୋଇପାରେ । ମୁଁ ହୁଏତ ସେଇ ଅବଶିଷ୍ଟ ଲକ୍ଷଲକ୍ଷମାନଙ୍କ ମଧ୍ୟରୁ ଜଣେ ଯିଏ ଏଯାଏଁ ଜୀବନରେ ସର୍ବଦା କେବଳ ସମ୍ପୂର୍ଣ୍ଣ ଭୁଲ୍ ରାସ୍ତାରେ ଚାଲିଆସିଛି !!

 

ମୋ ନିକଟରେ ସଦାସର୍ବଦା ରହୁଥିବା ଜୀବମାନେ, କି ଜୀବସବୁ ସେମାନେ କେଜାଣି–ବଡ଼ ଭୟଙ୍କର, ପୁଣି ବେଳେବେଳେ ନିତାନ୍ତ ସୁନ୍ଦର–ଅପୂର୍ବ ଲାବଣ୍ୟରେ ଭରା ପଦ୍ମଟିଏ ପରି–ପୁଣି କେବେ ସଇତାନର ପ୍ରକୃତିରେ ତାଣ୍ଡବନୃତ୍ୟ କରୁଥିବା କୁତ୍ସିତ କଦାକାର ବିରାଟ ରୂପ–ସେଇ ଜୀବମାନେ ମୋର ଆତ୍ମୀୟ, ଅନ୍ତତଃ ମୁଁ ଚଉଦିଗରେ ନିତିଦିନ ଦେଖୁଥିବା ଜୀବମାନଙ୍କୁ ଆତ୍ମୀୟ ବୋଲି ଭାବୁଚି–ସେଇ ଆତ୍ମୀୟମାନେ ଏବେ କହିବାକୁ ଆରମ୍ଭ କଲେଣି ଯେ, ମୋର କେଉଁଠି ରହିଯାଇଛି ଗୁରୁତର ଭୁଲ୍–ମୁଁ ଯାହାସବୁ କରୁଚି, ଠିକ୍ କରୁନାହିଁ !

 

କିଏ କ’ଣ କହିଲା, ସେଥିରେ ମୋର ଯାଏଁ ଆସେ କେତେ ? ଚୋପ୍–ମୋର ଯାଏଁ ଆସେ ନାହିଁ ଆଉ କ’ଣ ତମର ଯାଏଁ ଆସେ ? ମୋର ପ୍ରତ୍ୟେକ କାର୍ଯ୍ୟ ସେଇ ଅଗଣିତ ଜୀବ–ସେଇ ଆତ୍ମୀୟ ବା ପଶୁ, ଶତ୍ରୁ ବା ମିତ୍ର, ଶୁଭାକାଂକ୍ଷୀ ବା ବିଶ୍ୱାସଘାତର ଦଳଦ୍ଵାରା ନିୟନ୍ତ୍ରିତ ହୋଇଯାଇଚି ଯେ ! ଏବେ ମୁଁ ସତ କହିବାକୁ ଡରୁଚି, ମୁଁ ଏବେ ନାରୀକୁ ପ୍ରକୃତ ନାରୀଟିଏ ପରି ଭାବିପାରୁ ନାହିଁ ! ଜଣେ ନାରୀ ସହ ମୋର ଯେଉଁ ଧରଣର ସମ୍ପର୍କ ଥାଉନା କାହିଁକି, ଖାଲି ଜଘନ୍ୟ କାମନାର ଚେତନାରେ ପ୍ରଜ୍ଜ୍ୱଳିତ ହୋଇଥିବା ପ୍ରତିଟି ଦେହ–ନାରୀର ଦେହ ମୋର ସ୍ନାୟୁତନ୍ତ୍ରୀରେ ଉପଭୋଗର ବାଡ଼ବାଗ୍ନି ଜାଳି, ଅହରହ ଏତେଦିନର ସମ୍ପର୍କର ସାତତାଳ ସମୁଦ୍ରକୁ ଶୁଖାଇ ସେଠାରେ ଠିଆ କରେଇ ଦେଉଚି ଗଦାଏ ଶୁଖିଲା କାଠ, କାଠ ତ କାଠ–ବାରୁଦ ପରି କାଠ–ଲାଗିଲା ଦେଖନିଆଁ–ଜଳିଲା ହୁତ୍‍ହୁତ୍ ହୋଇ–ଗଗନ ଛୁଆଁ ଯା’ର ଲେଲିହାନ ଶିଖା–ଦିଗ୍‌ବଳୟ ରଙ୍ଗେଇଦେଇଚି ଯା’ର ଶିଖା ଏକ ଅବ୍ୟକ୍ତ ବେଦନାର ଅଦ୍ଭୁତ ରଙ୍ଗରେ । ରାସ୍ତାରୁ ପାଇଥିବା କିଛି ଗୋଟେ ମୂଲ୍ୟବାନ ପଦାର୍ଥ ମୁଁ ସେ ପଦାର୍ଥର ଅଧିକାରୀକୁ ଫେରାଇ ଦେଉନାହିଁ ! ମୁଁ ସ୍ୱୀକାର କରିବାକୁ ସାହସ କରୁନାହିଁ ଯେ, ମୁଁ ରାସ୍ତାରୁ ପାଇଚି ବୋଲି ! ବରଂ ନିଜର ବୋଲି କହି ରଖିନେବାକୁ ସତରେ କେଡ଼େ ସୁଖ ଲାଗୁଚି ! ମୋ ଭିତରର ଏଡ଼େ ଗଜା ଶାଳଗଛଟାରେ କାହିଁ କେବେଠୁ ଲଟା ଘୋଡ଼େଇ ହୋଇ ଗଲାଣି–ଏଡ଼େଟିକେ ହୋଇଗଲାଣି ଶାଳଗଛଟା–ଦୂରରୁ ଦେଖିଲେ ଚିହ୍ନିହେବ ନାହିଁ, ସବୁ ଯେମିତି ଘାସ ଏଡ଼େ ଟିକେ ଟିକେ ନୀଳନୀଳ ଘାସ, ଘାସ ଛଡ଼ା ଆଉ କାହାର ସତ୍ତା ନାହିଁ, ସତ୍ତା ଥିଲେ ପ୍ରାଣ ନାଇଁ, ଘାସ ତ ଘାସ–ପୁଣି ଘଞ୍ଚ ଘାସ–ତା’ରି ଭିତରେ ମୋଡ଼ିମାଡ଼ି ହୋଇ ଶୋଇଚି ଚିତାବାଘଟାଏ–ମଣିଷ ଗନ୍ଧ ପାଇଲେ କୁଦାଟାଏ ମାରି ଉହୁଁକି ଆସିବ ଉପରକୁ ଶୋଷି ପକେଇବ ରକ୍ତ–ହେଲେ ସେଇ ଶାଳଗଛଟା କୁଆଡ଼େ ମରିହଜିଗଲାଣି କାହିଁ କେତେଦିନୁ, ଲୁଚିଗଲାଣି କେଉଁ ବିସ୍ମୃତିର ଅତଳ ଗଭୀରରେ–ସାତତାଳ ପଙ୍କ ତଳେ ପଚିଶଢ଼ି ପଙ୍କରେ ମିଶି ପଙ୍କୁଆ ମାଟି ହୋଇଗଲାଣି–ମାଟି ତ ମାଟି, ପୁଣି ନିହାତି ସନ୍ତସନ୍ତିଆ, ଯେଉଁଠି ସାଲୁବାଲୁ କେବଳ ମଶା, ମାଛି, ଲାଙ୍ଗୁଡ଼ା–କେତେକଅଣ !

 

କ’ଣ ଆଉ ବାକି ଅଛି ଯେ ? କିଛି ଆଉ ବାକି ନାହିଁ ! ମୋର ନିଜତ୍ୱ ବୋଲି କିଛି ନାହିଁ-। ମୋର ‘ମୁଁ’ତ୍ୱ କେବେଠୁ ବିଷଦାନ୍ତଝଡ଼ା ନାଗସାପପରି ମୋଡ଼ିମାଡ଼ି ହୋଇ ଶୋଇଗଲାଣି-! ନାଁ ମଁ ଫଁ କରି କାହାକୁ ଗୋଡ଼େଇ ଯାଉଚି ନା ନିଜକୁ ସାପଟିଏ ବୋଲି ପରିଚୟ ଦେଇପାରୁଚି-! ମୋର ଆଉକିଛି ନାହିଁ ! ନିହାତି ଅପାଂକ୍ତେୟ ସମ୍ପର୍କବିହୀନ ଛାର ଜୀବଟିଏ ମୁଁ ମୋର ଆତ୍ମୀୟମାନଙ୍କ ଗହଣରେ–ସାପ ନୁହେଁ ତ–ଦଉଡ଼ିଟାଏ !!

 

ଏତେଦିନ ପରେ ଜଣେ ଆଜି ହସିଲା ତ ମୋ ଆଡ଼େ ଚାହିଁ ! ଆହା କେଡ଼େ ମଧୁର ସେ ହସ ଟିକକ, ଜୀବନର ଉତ୍ତପ୍ତ କଣ୍ଟକିତ ରାସ୍ତାରେ ଏକାଟିଆ ହୋଇଗଲାବେଳେ, ଜୀବନ ଖୁବ୍ ମୂଲ୍ୟହୀନ ମନେହେବାବେଳେ, ଧୀମେଇ ଆସିଲାବେଳେ ପ୍ରାଣର ସ୍ପନ୍ଦନ ସେଇ ହସ ଟିକକ ଯେମିତି ଉପନିଷଦର ଅମରବାଣୀ, ଶୀତଳେଇ ଦେଇ ସମସ୍ତ ଉତ୍ତପ୍ତତା କଣ୍ଟାକୁ ଫୁଲ କରିଦିଏ ସେଇ ହସ ଟିକକ, ଯେମିତି ପ୍ରଖର ନିଦାଘରେ କୌଣସି ଗଛର ଛାଇରେ କ୍ଳାନ୍ତିରେ ବସିଗଲାବେଳେ ଧାରେ ସୁରଭିତ ମଳୟ ପବନ–ଭରିଦେଉଚି ଅଫୁରନ୍ତ ଉତ୍ସାହ, ଅଦମ୍ୟ ଉଦ୍ଦାମତା, : ନିଭି ଆସୁଥିବା ଦୀପର ମଝିରେ କେହି ଯେମିତି ଅଦୃଶ୍ୟଭାବେ ଭରିଦେଉଚି ତୈଳ, ଚାଲୁଥାରେ ବାଇମନ, ଝୁଣ୍ଟିପଡ଼ିବୁ ନାହିଁ–ଝୁଣ୍ଟିପଡ଼ିଲେ ଆଉ ଉଠିପାରିବୁ ନାହିଁ । ଝୁଲୁଥିବୁ !!

 

ହସଟିକକ ବିନା ଜୀବନ ସତରେ କେଡ଼େ ଦୁର୍ବିସହ ହେଉପଛେ ଶିଶୁଟିର ନିଷ୍କପଟ ହସ–କୌଣସି ବନ୍ଧୁର ହସ ଅବା କେଉଁ ରକ୍ତ ସମ୍ପର୍କୀୟର କୌଣସି କାରଣ ନଥାଇ ଧାରେ ହସ ଅବା କେଉଁ ଶତ୍ରୁର ହସ, କିମ୍ବା ଅନେକ ଦିନ ପରେ ଦେଖା ହୋଇଥିଲା ହୃଦୟର ନିଭୃତ ସିଂହାସନରେ ଆରୂଢ଼ା କୌଣସି ରାଜକୁମାରୀର ହସ–ହସଧାରେ ଭିତରେ ଯେମିତି କେହି କହିଯାଏ : ‘ତମେ ଅଛ ଠିକ୍ ସେମିତି, ଟିକେବି ବଦଳିନାହଁ, ଅଥଚ କେହିଜଣେ ଅପଗଣ୍ଡ କହୁଥିଲା ତମେ ଅନେକଟା ବଦଳିଯାଇଚ–ହେଲେ ତମେ ତ କାହିଁ ଜମା ବଦଳିନାହଁହେ ! କେମିତି ଅଛ ଏବେ ? କରୁଚ କ’ଣ ? ତମ କଥା ତ ଅନେକ ଶୁଣେ, ହେଲେ ତମ ଦେଖା ତ ମିଳେ ନାହିଁ !’ ସତରେ ସାମାନ୍ୟ ହସଟିକକ ଏତେକଥା କେମିତି କହିଯାଏ ? ଏତେକଥା ଭାସିଆସେ ପବନକୁ ତରଙ୍ଗାୟିତ କରି, ବାୟୁମଣ୍ଡଳକୁ ସୁରଭିତ କରି, ସେ ହସରେ ଭାସିଆସିଥିବା ଅନେକ ଅକୁହା କଥାର ଉତ୍ତର ଆପେଆପେ ଦେଇ ହୋଇଯାଏ–ଆଉ ଏକ ହସରେ, ହସରୁ ହସ ସଂକ୍ରମିତ ହେଲାବେଳେ କେତେକଥା କହିହୋଇଯାଏ ସମସ୍ତଙ୍କ ଅଲକ୍ଷ୍ୟରେ । ହାଲ୍‌କା ହୋଇଯାଏ ହୃଦୟ, ମନଖୋଲା ହସରେ ଉଡ଼ିଯିବ କି ହୃଦୟ ପବନରେ ମିଶିଯିବ କାହିଁ କେଉଁ ଅଜଣା ଏକ ଅପୂର୍ବ ଭାବାବେଗରେ, ଏକାକାର ହୋଇଯାଏ ଏକ ବିରାଟ ଶୂନ୍ୟତାରେ, ଶୂନ୍ୟତାରେ ମିଶି ଶୂନ୍ୟ ହୋଇଯାଏ, ସତରେ ହସଟିଏ କେଡ଼େ ମହାନ୍ !

 

ମୁଁ ଜାଣେ–ଠିକ୍‌ଜାଣେ ଯେ ଚଉଦିଗରେ ମତେ ଘେରିରହିଥିବା ଅସଂଖ୍ୟ ଆତ୍ମୀୟ ସମ୍ପର୍କୀୟମାନେ ଆଉ ହସୁନାହାନ୍ତି ଆଗଭଳି, ସତେ ଯେମିତି କିଛି ଗୋଟେ ହଜିଯାଇଛି ସମସ୍ତଙ୍କ ଭିତରୁ, ଛଳନାର କଇଁଛ ଖୋଳପା ଭିତରୁ ମୁଣ୍ଡଟେକି ସମସ୍ତେ କ୍ଷଣକପାଇଁ ପଚାରି ଦେଉଛନ୍ତି : ‘ଏସବୁ ତୁ କ'ଣ କରୁଛୁ ? ତୁ ଏମିତି କାହିଁ ହେଲୁ ? ତୁ ଯାହା କରୁଚୁ ଠିକ୍ କରୁନାହିଁ । ବାସ୍–ଏତିକିରେ କଥା ଶେଷ ଯେ ମୁଁ କିଛି ଠିକ୍ କରୁନାହିଁ ! ହେଲେ କେହି ହସୁନାହାନ୍ତି । ଜଣକର ଭୁଲ୍ ଦେଖେଇ ଦେବାବେଳେ କ’ଣ ହସିବି ହୁଏ ନାହିଁ ? ତମେ ସବୁ କର, ହେଲେ ରସହୀନ ମୁହଁଟିଏ ମତେ ବା ମୋ ପରି ଅଣନିଃଶ୍ୱାସୀ ହୋଇଥିବା ଜୀବମାନଙ୍କୁ, ଜୀବନର ଅନାକାଂକ୍ଷିତ ବାଲିଝଡ଼ରେ ଅସହାୟଭାବେ ଠିଆ ହୋଇଥିବା ଖଜୁରି ଗଛଟିକୁ ସଦାବେଳେ ହସହୀନ ମୁହଁଟିଏ ଦେଖାଅ ନାହିଁ-! ହୃଦୟେଶ୍ୱରୀ, କୋଟିକଳ୍ପରେ ତମେ ମତେ ଉପହାର ଦେଇ କ୍ଷଣକପାଇଁ ହସହସ ମୁହଁଟି–ଦୂରେଇ ଦେଇଚ ମୋ ଭିତରୁ ଅନେକ ଦୁଶ୍ଚିନ୍ତା; ଦୂରେଇ ଦେଇଚ ଅନେକ ଅସହାୟତା, ପୁଣି ଭରିଦେଇଚ । ଅଦୃଶ୍ୟଭାବେ ଜୀବନ ଦୀପରେ ତେଲ–ସଂଚରି ଦେଇଚ ଅଫୁରନ୍ତ ଯୌବନ ମୋର ଶିରାପ୍ରଶିରାରେ–ଭବିଷ୍ୟତର କୋଟିକଳ୍ପ ପାଇଁ ମୋର ଚିନ୍ତା କ’ଣ ଯେ ??

 

(ଦୁଇ)

 

ସବୁ ଆତ୍ମୀୟଜୀବମାନେ ଗୋଟିଏ ମାତ୍ର କଥା କହୁଛନ୍ତି । ସତେ ଯେମିତି ସେଇ କଥାଟିକୁ ଘୋଷିଛନ୍ତି କେବଳ ଅନ୍ୟକୁ ଶୁଣାଇବା ପାଇଁ ! ସେଇଟି ହେଲା : ‘ଏ ଜୀବନର ରାସ୍ତା ଏତେ ସହଜ, ସରଳ ନୁହେଁ ! ଆଦର୍ଶ କ’ଣ ହେବା ଉଚିତ ସେଇଟା ଜାଣିଥାଅ ଏବଂ ସେ ସମ୍ପର୍କରେ ଅନ୍ୟମାନଙ୍କ ଆଗରେ ଗୋଟେ ଧାରଣା ସୃଷ୍ଟି କରୁଥାଅ ଯେ ତୁମେ ସ୍ଵୟଂ ଆଦର୍ଶର ମଣିଷ, : ମାତ୍ର ବାସ୍ତବତାର ରାସ୍ତା ଆଦର୍ଶଠାରୁ ଖୁବ୍ ଅଲଗା ! ବଞ୍ଚିବାକୁ ହେଲେ ଆଦର୍ଶକୁ ରାତିରେ ସ୍ଵପ୍ନରେ ଅନୁଭବ କରେ, ସକାଳ ହେଲେ–ସ୍ଵପ୍ନ ଭାଙ୍ଗିଗଲେ ସବୁ ଯେମିତି ଖୁବ୍ ଅଲଗା–ରାତିଠାରୁ ଖୁବ୍ ଭିନ୍ନ, ସେମିତି ଆଦର୍ଶ ସହ ବାସ୍ତବ ଜୀବନରେ କିଛି ସମ୍ପର୍କ ନାଇଁ !’

 

ଜୀବନଟା କି ଏଇଆ ? ଖାଅ, ପିଅ, କିଛି ଗୋଟେ ପିନ୍ଧ, ଚାକିରି କରିବା ଯେକୌଣସି ଉପାୟରେ କିଛି ରୋଜଗାର କର, ସେଥିରେ ସନ୍ତୁଷ୍ଟ ନ ହୋଇ ଅନ୍ୟସହ ପ୍ରତିଦ୍ୱନ୍ଦ୍ୱିତା କର, ବାହାହୁଅ, ଗୋଟେ କି ଦି’ଟା କିମ୍ବା ତିନିଟା ଛୁଆଜନ୍ମ କର, ବାପା–ମା’ ହୋଇ ସେମାନଙ୍କ ଦାୟିତ୍ୱ ବୁଝ–ବାସ୍, ବୁଢ଼ା–ବୁଢ଼ୀ ହୋଇ ମର !! ଏଇ କି ଜୀବନ ? ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପରିବ୍ୟାପ୍ତ କ୍ଷୁଦ୍ର ସମୟଟିକୁ ଯଦି ଜୀବନ କୁହାଯାଏ, ତେବେ ଏଇ ସମୟଟିକୁ ଅହରହ ଭୟରେ, ଜ୍ୱଳନରେ, ଦ୍ୱନ୍ଦ୍ୱରେ ବିତେଇବ କାହିଁକି ? ଆଦର୍ଶରୁ ଦୂରେଇଗଲେ ମନର ଭୂତ ଗୋଡ଼େଇ ଆସେ, ‘ବିବେକର ତାଡ଼ନା ଅହରହ ଜାଳି ଦେଉଥାଏ, ଚିନ୍ତା–ରାଇଜରେ ଅହରହ ଦ୍ୱନ୍ଦ୍ୱ ଲାଗି ରହିଥାଏ ! ମୁଁ କ'ଣ କରିବା ଉଚିତ ଓ ମୁଁ କ'ଣ କରୁଚି ଭିତରେ ଦ୍ୱନ୍ଦ୍ୱ ! ଏଇଥିରୁ ଭୟ, ଭୟରୁ ଜ୍ୱଳନ ! କ’ଣ ପାଇଁ ତେବେ ଏ ସବୁ ? ଏସବୁ କି ଜୀବନ ସତେ ?

 

କ’ଣ ପାଇଁ ଏ ସବୁ ? କାହାପାଇଁ ? ନିଜପାଇଁ ତ କଦାପି ନୁହେଁ ! ଯେଉଁମାନେ ଏସବୁ ନିଜପାଇଁ ବୋଲି କହନ୍ତି, ସେମାନେ ସବୁ ପ୍ରତାରକ–ଛଳନାବାଦୀ ! ସାମାନ୍ୟତମ ପାରିପାର୍ଶିକ ଉତ୍ସରେ ଜଣେ ଆମପରି ବଞ୍ଚିପାରିବ, ଜୀବନରେ ଅନୁତାପ ରହିବ ନାଇଁ, ଦ୍ୱନ୍ଦ୍ୱ ରହିବ ନାହିଁ, ଜ୍ଵଳନ ରହିବ ନାହିଁ, ଅହରହ ମନର ଭୂତ ପଛରୁ ଗୋଡ଼ାଇବ ନାହିଁ ! ଦୁଇଟି କାରଣପାଇଁ ସବୁକିଛି-! ଗୋଟିଏ ହେଲା ଅନ୍ୟମାନଙ୍କ ପାଇଁ କିଛି ଯୋଗାଇବାକୁ ପଡ଼େ ଓ ଆରଟି ହେଲା, ଅନ୍ୟମାନଙ୍କ ସାମ୍ନାରେ ଦେଖେଇ ହେଇ ଅନ୍ୟମାନଙ୍କର ଆଖି ଝଲସାଇଦେବାର ଅଦମ୍ୟ ଆକାଂକ୍ଷା-! ଏ ବି ଏକ ଅଜବ ମାୟା ବନ୍ଧୁ, ଏ ମାୟାର ଆବର୍ତ୍ତରେ ଥରେ ପଡ଼ିଗଲେ ଆଉ ଉଧୁରି ପାରିବ ନାହିଁ, ସେଇ ମାୟାବର୍ତ୍ତରେ ଘୂରିଘୂରି ପହଞ୍ଚିବ କେଉଁ ଏକ ଅଜଣା କୁହୁକ ନଗରରେ, ଯେଉଁଠି ରାତିରେ ସ୍ଵପ୍ନରେ ଦେଖାଦିଏ ଆଦର୍ଶ ମେଣ୍ଢାଟିଏ ହୋଇ, ଆଉ ଦିନର ସୂର୍ଯ୍ୟାଲୋକ ଭୂମିସ୍ପର୍ଶ କରିବା ଆଗରୁ ମଉଳି ଯାଇଥାଏ । ସ୍ଵପ୍ନଟି ଓ ତା’ ସ୍ଥାନରେ ଠିଆ ହୋଇଥାଏ ଏକ ଛଳନାର ମେଣ୍ଢା-! ଅଜବ ଆବର୍ତ୍ତ ଏକ ଇଏ !!

 

ସବୁର ଦୋଷ ସେଇ ମାୟାବର୍ତ୍ତ–ମାଲୁଣୀର ସେଇ କୁହୁକ ମାୟାବର୍ତ୍ତୀ ସବୁ ଏକାଠି ରହିବାର ଫଳ ! ସବୁ ସେଇ ବନ୍ଧନର ଦୋଷ ! ଚାଲିଥା’ରେ ଜୀବନ ଏମିତି ଚାଲିଥା’ । ଯେତେକାଳ ପାରିବୁ, ସେତେକାଳ ଏମିତି ଏକ ଅଜବ ଭେଳିକି ଭିତରେ ଗୁଡ଼େଇ ତୁଡ଼େଇ ହୋଇ ଚାଲିଥା’ ! ଏ ଗତାନୁଗତିକ ଗୁଳାରୁ ବାହାର ହେଲେ ସବୁ ଭୁଲ୍ ହୋଇଯିବ, ସବୁ ଓଲଟପାଲଟ ହୋଇଯିବ, ମେଣ୍ଢା ହୋଇଯିବ ଭେଣ୍ଡା–ଭେଣ୍ଡା ହୋଇଯିବ ମେଣ୍ଢା ! ଯିଏ ଯେମିତି ଅଛି ସେମିତି ଥାଉ–ମେଣ୍ଢା–ମେଣ୍ଢା ହୋଇ ଆଉ ଭେଣ୍ଡା ସେମିତି ହୋଇ ରହିଥାଉ ଭେଣ୍ଡା ! ବାପ–ମା’ ଭାଇ–ବନ୍ଧୁ କୁଟୁମ୍ବ ଇତ୍ୟାଦି ସମ୍ପର୍କୀୟ ଜୀବମାନଙ୍କ ଗହଣରେ ରହିଲେ ରାତିରେ ମେଣ୍ଢା ଆଉ ଦିନରେ ଭେଣ୍ଡା ହେବାକୁ ହୁଏ–ଏକଥାଟି ଆଉ କେତେଦିନରେ ଶିଖିବୁରେ ଜୀବନ ??

 

ମୁଁ କ’ଣ କରୁଚି ଏବେ ? ସବୁ ଭୁଲ୍ ତେବେ ? ଯାଃ ! ମାଲ୍ୟାଣୀ ବୁଢ଼ୀଟା ତା’ ଜୀବନର ସବୁ ବିଦ୍ୟା ଲଗେଇବି ମତେ ରାତିରେ ମେଣ୍ଢା କରିପାରିଲା ନାହିଁ ! ଏତେ ମାଲ୍ୟାଣୀ ଏଠି–ଓଃ ! ଗଛ, ପତ୍ର, ଫୁଲ, ଫଳ, ଆକାଶ, ପକ୍ଷୀ, ନଈ, ସମୁଦ୍ର, ତାରା, ଚନ୍ଦ୍ର ସମସ୍ତେ ଅହରହ ଗୋଡ଼େଇ ଆସୁଛନ୍ତି–‘ତୁ ଭୁଲ କରୁଚୁରେ, ତୁ ଭୁଲ୍ କରୁଚୁରେ ବୋଲି କହି–ତାଳିମାରି ଠୋ–ଠୋ ହସୁଛନ୍ତି, କେତେଦିନ ଆଉ ସହିବି ମୁଁ ?

 

ଠିକ୍ ଅଛି ମାଲ୍ୟାଣୀ ବୁଢ଼ୀ, ତୋ ଜୀବନର ସର୍ବସ୍ୱ ଉତ୍ସର୍ଗ କରି ତୁ ମତେ ମେଣ୍ଢାଟିଏ କରିବାର ପ୍ରଚେଷ୍ଟାରେ ମାତିଥା’, : ମୁଁ ବି ଦେଖିବି ତୋ ବିଦ୍ୟାର କରାମତି କେତେଦୂର–ମୁଁ ବି କିଛି କମ୍ ରାଜାପୁଅ ନୁହେଁ, : ପୂରା ସୁନାହରିଣୀ–ଦୌଡ଼ିଥିବୁ ସେମିତି ମୋ ପଛରେ କାଳକଯାକ, ଏଇଠି ଥିବ–ଏଇଠି ନାହିଁ, ଏଇ ତ ଆଗରେ–ଏଇ ପଛରେ, ଏଇ ବାମରେ–ଏଇତ ଡାହାଣରେ, ଏଇ ନିମ୍ନରେ–ଏଇ ଊର୍ଦ୍ଧ୍ୱରେ, ଏଇ ଦେଖ ମୁଁ କେଉଁଠି ନାହିଁ–ଚଉଦିଗ ଶୂନ୍ୟ, : ଏଇ ଦେଖ ମୋର ଭିତରୁ ଲକ୍ଷ ଲକ୍ଷ କୋଟି କୋଟି ‘ମୁଁ’ ବାହାରି ଆସିଚି, ଖେଳୁଚି ତୋ ଚଉଦିଗରେ, ଚିହ୍ନୁଥା’ ମତେ–ଚିହ୍ନିବାକୁ ଲାଗିଲା ଯୁଗଟାଏ ତୋତେ !!

 

ତୁ ଗୋଡ଼େଇଥିବୁ, ମୁଁ ଦୌଡ଼ୁଥିବି । ତୋ ସାଙ୍ଗରେ ତୋତେ ସାହାଯ୍ୟ କରିବାକୁ ଥିବେ କେତେଲୋକ, ମୋ ସାଙ୍ଗରେ କିନ୍ତୁ କେହି ନାହିଁ–ମୁଁ ଏକା, ମୋ ଭୁଲ ବାଟରେ ଏକା ମୁଁ, ମୋର କେହି ସାହାଭରସା ନାହିଁ, ମୋର କେହି ଦରକାର ନାହିଁ, ଜୀବନଟା ତ ଏତେ ଟିକେ–ପାଣି ଆଞ୍ଜୁଳାଏ ଥପ୍‌ଥପ୍ ନିଗିଡ଼ି ପଡ଼ିବା ପରି ପାପୁଲି ଫାଙ୍କରୁ ବୋହିଯାଉଚି ଜୀବନ ସମୟର ପାପୁଲିରୁ, ଜୀବନ ଥିବାଯାଏ ଦୌଡ଼ିଥିବି ତୋ ଆଗରେ, ଲୁଚକାଳି ଖେଳ, ମୁଁ ସବୁବେଳେ ଲୁଚୁଥିବି–ତୁ ପାରିବୁନି ଖୋଜି, ଜୀବନଟାବି ଏମିତି ଦୌଡ଼ର ପ୍ରତିଯୋଗିତା ହେଲେ ମଜା ଅଛି–ଭାରି ମଜା, ଶେଷରେ ତୁ ଆଗ ନିଭିଯିବୁ ନହେଲେ ମୁଁ ଆଗ ନିଭିଯିବି–ହେଲେ ଦୌଡ଼ୁଥିବି ଓ ତତେ ଅହରହ ମୋ ପଛରେ ଦୌଡ଼ାଉଥିବି, : ବାପା–ମା’–ଭାଇ–ବନ୍ଧୁ କାହାରି କଥା ଶୁଣିବି ନାଇଁ, କାହାରି ଆଡ଼କୁ ଚାହିଁବି ନାହିଁ, ଦୌଡ଼ି ଦୌଡ଼ି ମିଳେଇଯିବି ଦୂର ଆକାଶର ପବନରେ, ତୁ ଖୋଜୁଥିବୁ, ମୋ’ରି ଭିତରୁ ଲକ୍ଷେ ‘ମୁଁ’ ଯେତେବେଳେ ବାହାରି ତୋ ସାମ୍ନାରେ ଠିଆ ହୋଇଯିବେ, ସେତେବେଳେ ତୋ’ର ସବୁ ମନ୍ତର, ସବୁ ଗୁଣି, ସବୁ କୁହୁକ ବିଫଳ ହୋଇଯିବ–ତୁ କାବାକାଠ ହୋଇଯିବୁ, ଡରିଯିବୁ–ହାଲିଆ ଲାଗିବ ତୋତେ–ତୁ ଆଉ ଦୌଡ଼ିପାରିବୁ ନାହିଁ !!

 

ମୁଁ ଭୁଲ୍ କରିଚି, ତେଣୁ ମୁଁ ଆଉ ପଛକୁ ଚାହିଁବି ନାହିଁ, ନିଜକୁ ସୁଧାରିବାକୁ ଯାଇ ଭେଣ୍ଡାରୁ ମେଣ୍ଢା ହେବି ନାହିଁ । ମୁଁ ଆଉ ନୂଆ ସମ୍ପର୍କର ସେତୁବନ୍ଧ ବାନ୍ଧିବି ନାହିଁ । ଖୁବ୍ ନିକଟରୁ କେହି ଡାକିଲେ ତା’ର ଉତ୍ତର ଦେବି ନାହିଁ । କାହାରି ହସର ପ୍ରତି ଉତ୍ତର ଦେବି ନାହିଁ । କାରଣ–ମୋର କାହାରିକୁ ବିଶ୍ୱାସ ନାହିଁ ! ବିଶ୍ଵାସ ହେବ କେମିତି ? ଅତୀତରେ ତ ଅନେକଥର ମୁଁ କିଛି ଠିକ୍ କରୁନାହିଁ ବୋଲି କହି ମୋର ନିହାତି ଆତ୍ମୀୟ ଜୀବମାନେ ମତେ ଧରିନେଇ ଭେଣ୍ଡାରୁ ମେଣ୍ଢା କରିବାପାଇଁ ମାଲ୍ୟାଣୀ ହାତରେ ସମର୍ପିବାର ଚେଷ୍ଟା କରିଛନ୍ତି । ମୁଁ ଆଉ ବିଶ୍ୱାସ କରିବି କେମିତି-? ନାଇଁ ମୋର କେହି ନାଇଁ, ମୁଁ କାହାକୁ ବିଶ୍ୱାସ କରେ ନାହିଁ ! କିନ୍ତୁ ମୁଁ ପ୍ରତାରକ ନୁହେଁ, ଛଳନାବାଦୀ ନୁହେଁ ! ଲକ୍ଷେ ହିପୋକ୍ରାଟ୍ ମେଣ୍ଢାଙ୍କ ଗହଣରେ ମୁଁ ଜଣେ ଖାଣ୍ଟି ଭେଣ୍ଡା !!

 

ବାସ୍–ଏ ଦୌଡ଼ିବାବି ଏକପ୍ରକାର ଜୀବନ, ଦେଖାଯାଉ କେତେବାଟ ଦୌଡ଼ିବାକୁ ପଡ଼ୁଚି । ଭୁଲ କରୁଥିଲେ ମତେ ନିଶ୍ଚେ ମାଲ୍ୟାଣୀ ଧରିନେବ, ଆଉ ଯଦି ମୁଁ ଠିକ୍ କରୁଥାଏ ତେବେ ଦୌଡ଼ିଦୌଡ଼ି ଜନ୍ମଠାରୁ ମୃତ୍ୟୁଯାଏ ଲମ୍ବିଥିବା ସମୟର କ୍ଷୁଦ୍ରରାସ୍ତାରେ ସାର୍ଥକ ହେବ ମୋ ପରି ଗୋଟାଏ ଭେଣ୍ଡିଆ ଜୀବର ନାଁ !!

 

(ତିନି)

 

ବଡ଼ ଅଜବ ଏ ଜୀବନ, ବଡ଼ ଉଦ୍ଭଟ ଏ ସମ୍ପର୍କ ! ସମସ୍ତେ ସମସ୍ତଙ୍କୁ ଚିହ୍ନିଛନ୍ତି ନାଁରେ, ଗାଁରେ, ବେଉସାରେ–ହେଲେ କେହି କାହାକୁ ବୁଝୁନାହାନ୍ତି ! ଏ ବି କି ଧରଣର ସମ୍ପର୍କ ? ବାପ ବୁଝୁନାହିଁ ପୁଅକୁ, ମା’ ବୁଝୁନାହିଁ ଝିଅକୁ, ସ୍ଵାମୀ ବୁଝିପାରୁନାହିଁ ସ୍ତ୍ରୀକୁ, ପ୍ରେମିକ ବୁଝିପାରୁନି ପ୍ରେମିକାକୁ, ବନ୍ଧୁ ବୁଝିପାରୁନି ବନ୍ଧୁକୁ ! ବୁଝିବାକୁ ସମୟ ନାହିଁ କାହାରି ! ଚାରିଆଡ଼େ ସମ୍ପର୍କ ଓ ବନ୍ଧନ, ହେଲେ କେହି ବୁଝୁନାହିଁ କାହାର ମନ ! ତଥାପିବି ସମ୍ପର୍କର ଡୋର ସମ୍ପୂର୍ଣ୍ଣ ଛିଡ଼ିଯାଇ ନାହିଁ ! ବଡ଼ ଅଜବ ସତରେ ଏ ଜୀବନ, ବଡ଼ ଉଦ୍ଭଟ ସତରେ ଏ ସମ୍ପର୍କ, ବଡ଼ ଭୟଙ୍କର ସତେ ଏ ସମୟ !

 

ଚାରିଆଡ଼େ ଦଳଦଳ ମଣିଷ । ଦେହକୁ ଦେହ ଲଗାଲଗି, କିଛି ଗୋଟେ ସମ୍ପର୍କର ଡୋରରେ ବନ୍ଧା ହୋଇଥିବା ଦଳଦଳ ମଣିଷ ! ହେଲେ କେହି କାହାର ନିକଟରେ ନାହିଁ ! ସମସ୍ତେ ପାଖାପାଖି ଅଥଚ ପରସ୍ପରଠାରୁ ଯୋଜନ ଯୋଜନ ଦୂରରେ ! ସମସ୍ତେ ପରସ୍ପରର ନିକଟରେ ଅଥଚ କିମିତି ଏକ ଅଜ୍ଞାତ ଦୂରତା ଜଣକୁ ଆଉ ଜଣକଠାରୁ ଦୂରେଇ ଦେଇଚି । ସମସ୍ତେ ସବୁଠି ପୂରି ରହିଛନ୍ତି, ଅଥଚ କେମିତି ଗୋଟେ ଅଜବ ଧରଣର ଶୂନ୍ୟତା ଚଉଦିଗରେ ଖାଁ ଖାଁ ଭାବ ଭରିଦେଇଚି !

 

ମୁଁ ତମକୁ ଚିହ୍ନିଚି, ଅଥଚ ବୁଝେ ନାହିଁ । ମୁଁ ତମକଥା ଶୁଣେ, ଅଥଚ ଉତ୍ତର ଦିଏ ନାହିଁ ! ମୁଁ ତମ ଦୁଃଖରେ କାନ୍ଦେ, ଅଥଚ ମୁଁ କାନ୍ଦୁଚି ବୋଲି ଭାବି ଭିତରେ ହସେ । ମୁଁ ତୁମକୁ କଥା କହେ, ଅଥଚ ତମେ ବୁଝନାହିଁ । କାହାର କାହାରି ପ୍ରତି ସମ୍ମାନ ନାହିଁ । କାହାର କାହାରି ପ୍ରତି ବିଶ୍ୱାସ ନାହିଁ, କାହାର କାହାରି ପ୍ରତି ଦରଦ ନାହିଁ–ତଥାପି ସମସ୍ତେ ହସୁଛନ୍ତି, ତଥାପି ସମସ୍ତଙ୍କ ଭିତରେ କାହାରି ନା କାହାରି ପ୍ରତି ସମ୍ପର୍କର ଡୋରଟେ ବନ୍ଧା ହୋଇଛି, ତଥାପି ସମସ୍ତେ ସମସ୍ତଙ୍କୁ ପ୍ରେମ କରୁଛନ୍ତି ବୋଲି ଉତ୍‍ଫୁଲିତ ହେଉଛନ୍ତି ! ସତରେ ବଡ଼ ଅଜବ ଏ ସମୟ, ବଡ଼ ଉଦ୍ଭଟ ଏ ସମ୍ପର୍କ !

 

ବେଳେବେଳେ ଏ ଉଦ୍ଭଟ ସମୟରେ କେହି ଅଜବ ମଣିଷ ପାଖକୁ ଆସେ, ପାଖରେ ବସେ, ମନଖୋଲି ବହେ ହସେ, କେତେ ପ୍ରଶ୍ନ ପଚାରେ, ଦୁଃଖରେ ଅଶ୍ରୁ ନିଗାଡ଼ି ପକାଏ ! କିଏ ସେ ? ସେ କେବେ କାହିଁତ କେଉଁ ସମ୍ପର୍କର ଡୋର ଯୋଡ଼ ନାହିଁ, ଆତ୍ମୀୟତାର ପୁରୁଣାପୋଥିକୁ ଆଡ଼େଇ ନାହିଁ ! ତେବେ ତଥାପି ବିଶ୍ୱାସ କରିବାକୁ ହେବ ଯେ, ଏ ମଣିଷ ପୂର୍ଣ୍ଣ ତଥା ସମ୍ପର୍କହୀନ ସମୟର ଏକ ଅଦ୍ଭୁତ ସମାଜରେ ଏପରି ମଣିଷ ଅଛନ୍ତି ଯିଏ ଆଦୌ କୌଣସି ସମ୍ପର୍କର ବୁଢ଼ିଆଣୀ ଜାଲ ଭିତରେ ଗୁଡ଼େଇ ନ ହୋଇ ଦିପଦ କଥା କହନ୍ତି, ଧାରେ ହସନ୍ତି !!

 

ସମ୍ପର୍କରେ ଜାହାଜରେ ଛୋଟ କଣାଟିଏ ହୋଇଯାଇଚି କେବେଠାରୁ ! କେହି ଜାଣେ ନାହିଁ କେବେଠାରୁ ! ଧୀରେ ପାଣି ପଶି ଯାଉଚି ଜାହାଜ ଭିତରକୁ, ନଖେ ପାଣି, ପାଦେ ପାଣି, ଆଣ୍ଠୁଏ ପାଣି, ପାଣି ବଢ଼ୁଚି–ଜଙ୍ଘେ ପାଣି, ଏଇ ଦେଖ ପାଣି ଉଠୁଚି ଅଣ୍ଟା ଉପରକୁ, ଜାହାଜ ଦବିଯାଉଚି ତଳରୁ ତଳକୁ, ଡୁବିଯିବରେ ଭାଇ ଡୁବିଯିବ ଜାହାଜଟା ! ଯିଏ ଯେଉଁଠି ଅଛି ସେଇଠି ଠିଆ ହୋଇ ସମସ୍ତ ଶକ୍ତି ଖର୍ଚ୍ଚ କରି ପାଣି ବୋହିଦିଅରେ, : ନହେଲେ ଡୁବିଯିବ ସମସ୍ତେ ଅଜ୍ଞାତ ଅକାତକାତ ଗଭୀର ଜଳରେ, ହଜାର ହଜାର ବର୍ଷର ସମ୍ପର୍କର ଏଡ଼େ ବିଶାଳ ଜାହାଜଟା ସମୟର ଏକ ଫୁତ୍କାରରେ କେଉଁ ଅନନ୍ତ ଜଳରାଶିରେ ବିଲୀନ ହୋଇଯିବରେ, ହାତ ଧରିଥାରେ ଅନ୍ୟର, ଅବିଶ୍ୱାସ ଘୃଣାର ଗମ୍ଭୀରାରେ ଚାବି ଠୁଙ୍କି ଦେ’ରେ ବାଇମନ, ନହେଲେ ତୁ ବି ରସାତଳଗାମୀ ହେବୁ–ତୋ ଚଉଦିଗର ସମସ୍ତ ଜୀବ କେହି ରହିବେନି, ଏତେଦିନର କଳାହାଣ୍ଡିଆ ମେଘପରି ମୁହଁରେ ତୋର ଖେଳେଇ ଦେ’ରେ ଧାରେ ହସର ବିଜୁଳି–ରହିଯାଉ ସମ୍ପର୍କର ଏଡ଼େବଡ଼ ଜାହାଜଟା !

 

ଜାହାଜଟା ବୁଡ଼ିଯିବ ବୋଲି ଭୟରେ କେହି ହସିପାରୁନା ? ଗ୍ଳାନି ଅବସାଦରେ ମୁଣ୍ଡ ତଳକୁ ହୋଇଯାଉଚି ପରା ! କେହି ହସି ଶିଖିବା ଧାରେ ନିର୍ମଳ ହସ ? କିଏ କେଉଁଠି ଅଛରେ ବାହାରିଆସ, ହସିଲାବାଲା ବାହାରିଆସ–ଜାହାଜ ବୁଡ଼ୁଥିବା ଦେଖି ମଧ୍ୟ ଯାହା ମନରେ ନଥିବ ଗ୍ଳାନି, ନଥିବ ଅବସାଦ, ନଥିବ ପଶ୍ଚାତାପ, ନଥିବ ଭୟ, : ସେଇମିତିକା ମଣିଷର ହସଟିଏ ଦରକାରରେ, ଆରେ ଏତେ ଲୋକ ଅଛ ଜାହାଜଟାରେ, କେହି ହସିପାରୁନା ??

 

କୋଟିଏ ହସରେ ମୂଲ୍ୟ ନାହିଁ, ଗୋଟିଏ ହସ ଦରକାର । କିଏ ସେହି ଭେଣ୍ଡା ଯାହାକୁ ମେଣ୍ଢା କରିବାପାଇଁ ମାଲ୍ୟାଣୀ ବୁଢ଼ୀ ଅହୋରାତ୍ର ଧାଇଁଥିଲା, ଯିଏ ମାଲ୍ୟାଣୀର ଗଦ ଶଙ୍ଘିନାହିଁ–କିଏ ସେମିତିଆ ଭେଣ୍ଡା ଅଛରେ ବାହାରିଆସ ! ନହେଲେ ଡୁବିଲାରେ ଜାହାଜ, ହରିବୋଲ ହୁଳହୁଳି ଦିଅ ଏଥର, ଆଉ ରକ୍ଷା ନାହିଁ, ସେମିତିଆ ଭେଣ୍ଡା ମିଳିବେ ନାଇଁରେ ମିଳିବେ ନାଇଁ, ଜାହାଜ ଡୁବିବ ରସାତଳକୁ, ପାଣିକୋଳକୁ, ସମୟର ତୋଫାନୀ ସୁଅରେ କୁଟାଖିଅ ପରି କେଉଁଠିକୁ ଚାଲିଯିବ ଜାହାଜଟା, ମୁହୂର୍ତ୍ତେ ରହିଲାରେ ଆଉ ଡୁବିବାକୁ !

 

ନା–ନା–ମୁଁ ଅଛିରେ ଜାହାଜରେ, ଆଉ ଡୁବିବ କିଆଁ ଜାହାଜ ? ମୁଁ ସେଇ ଆକାଂକ୍ଷିତ ଭେଣ୍ଡା, ଯାହାକୁ ଗୋଡ଼େଇଥିଲା ମାଲ୍ୟାଣୀ ଦିବାନିଶି, ମୁଁ ସେଇ ଯିଏ ସୁନାହରିଣୀ ହୋଇ ମାଲ୍ୟାଣୀକୁ ଠକିଦେଇ ଘୂରି ବୁଲୁଥିଲି, ସେଇ ଭେଣ୍ଡା ମୁଁ–ମୋର ହସରେ ଲଟକିଛି ଦେଖ ଜାହାଜଟା ବୁଡ଼ିବ ନାହିଁରେ ବୁଡ଼ିବ ନାହିଁ, କଦାଚନ ବୁଡ଼ିବ ନାହିଁ ! ହସର ମୂଲ୍ୟଦେଖ, କୋଟିଏ ଲୋକର ଆକୁଳ ପ୍ରାର୍ଥନା ଅପେକ୍ଷା ହସଟି କେଡ଼େ ମୂଲ୍ୟବାନ, ଧରି ରଖିଛି ଜାହାଜକୁ–ଇଚ୍ଛା କଲେ ଲୋପ କରିଦେବି ଜଗତଟା ! ଯେଉଁ ହସକୁ ମୋର ରୋକିବାପାଇଁ ସମସ୍ତ ସମ୍ପର୍କୀୟ ଜୀବମାନେ ଅଣ୍ଟାଭିଡ଼ି ବାହାରିଆସି ମୋ ପଛରେ ଲଗେଇ ଦେଇଥିଲେ କାଉଁରୀ କାମାକ୍ଷା ଦେଶର ମାଲ୍ୟାଣୀ ବୁଢ଼ୀକୁ, ଯେଉଁ ହସଦ୍ଵାରା ମୋ ଜୀବନ ଦୀପରେ କେହି ଜଣେ ଏକଦା ଭରିଦେଇଥିଲା ତେଲ–ଏ ସେଇ ହସ, ସମାଜର–ସମୟର ନାଲିଆଖି, ମାଲ୍ୟାଣୀର ମାୟାବର୍ତ୍ତ–ସବୁକୁ ଏଡ଼ାଇ ଯେଉଁ ସବୁକୁ ଆଜିଯାଏ ଜିଏଇ ରଖିଚି ମୁଁ–ଏ ସେଇ ମୁନି ମନଲୋଭା ହସ, ଏ ସେଇ ଜଗତ ରକ୍ଷାକାରୀ ହସ, ଜାହାଜକୁ ରସାତଳରୁ ଊର୍ଦ୍ଧ୍ୱକୁ ନିକ୍ଷେପିବାରେ ସମର୍ଥ ଏ ସେଇ ଶକ୍ତିଶାଳୀ ହସ !

 

ହେଲେ ‘ମନେରଖିଥା’ରେ ବାଇମନ, ଏ ହସ ସେଇ ମୁହୂର୍ତ୍ତରେ ବନ୍ଦ ହୋଇଯିବ । ଯେତେବେଳେ କୁହୁକିନୀ ମାଲ୍ୟାଣୀ ମୋ’ ଉପରେ ଦୃଷ୍ଟି ଢାଳିବ, ସେତେବେଳେ ମୋ ଦୋଷ ଦେବ ନାହିଁ–ମୋ ମୁହଁରୁ ନିରବ ହସ, ତା’ସହ କୋଟି କୋଟି ବର୍ଷର ପୁରୁଣା ଜାହାଜଟି ତଳକୁ ଚାଲିଯିବ । ସାବଧାନହେ ଜଗତର ଜାଗ୍ରତ ଓ ନିଦ୍ରିତ ପ୍ରହରୀ–ସାବଧାନ ଏ ଜାହାଜର କୋଟି କୋଟି ମେଣ୍ଢା, ମାଲ୍ୟାଣୀକୁ ନିୟନ୍ତ୍ରଣରେ ରଖିବା ଦାୟିତ୍ଵ ତମର, ନହେଲେ ହାତ ପାପୁଲିର ଫାଙ୍କରୁ ବୋହିଯିବ ସମୟଟି ବୁନ୍ଦାବୁନ୍ଦା ହୋଇ, ସେ ସମୟ ସହ ଏକାକାର ହୋଇ ବହିଯିବ ପଚାଶଢ଼ା ସମ୍ପର୍କର ଦୁର୍ଗନ୍ଧ ଝରଣାଟି ! ସାବଧାନ !–ତମେ ଏବେ ତମ କାମ କର, ଜାହାଜ ଡୁବିବ ନାହିଁ ! ମାଲ୍ୟାଣୀକୁ ରଖିଥା’ରେ ବାଇମନ, ନହେଲେ ଡୁବିଯିବ ଜାହାଜ !!

 

(ଚାରି)

 

ସମ୍ପର୍କ ସତେ ଅବା ଏଠି ଏକ ପୋକରା ବାଉଁଶ ! ଭିତରଟା ଫମ୍ପା–ବାହାରଟା ଚିକ୍କଣ ! ମାୟାବର୍ତ୍ତର ଇନ୍ଦ୍ରଜାଲ ଭିତରେ ଯଦି ରଖ ପାଦ–ମୁକୁଳିବା ବଡ଼ କଷ୍ଟକର ! ସେଇ ଚିକ୍କଣ ପୋକରା ବାଉଁଶର ଭିତରେ ବାନ୍ଧି ହୋଇଯିବ–ବନ୍ଦୀ ହୋଇ ଶଢ଼ୁଥିବ !

 

ସମ୍ପର୍କ ଯେ ଏଠି ଏବେ ପାଲଟିଯାଇଚି ପଚାଶଢ଼ା ସମୟର ଏକ ଅଂଶ, ଏକଥା ଭାବିବାକୁ ଆଶ୍ଚର୍ଯ୍ୟ ଲାଗେ ! ଅହରହ ସମ୍ପର୍କ ନିଗିଡ଼ି ଯାଉଚି ପ୍ରତି ମଣିଷର ପାପୁଲି ସନ୍ଧିରେ ! ହାତପାପୁଲିର ଆଙ୍ଗୁଠି ସନ୍ଧିରୁ ବୋହିଯାଉଚି ସମୟ–ଟିକ୍‍ଟିକ୍ କରି କାଟି ଦେଉଛି ଜନ୍ମଠୁ ମୃତ୍ୟୁର ଦୂରତାକୁ–ତଥାପିବି କେମିତି ଏକ ବନ୍ଧନରେ ଯୋଡ଼ି ହୋଇଯାଏ ସେଇ କଟା ଟୁକୁରାର ଅଂଶ !!

 

କେମିତି ସତରେ ଯୋଡ଼ି ହୋଇଯାଏ ଜନ୍ମଠୁ ମୃତ୍ୟୁଯାଏ ଲମ୍ବିଥିବା ଏକ ଆପେକ୍ଷିକ ଦୂରତାର ପ୍ରତିଟି ଅଂଶ ? କିଏ ଏଡ଼େ ଶକ୍ତିଶାଳୀ ଯିଏ ସମୟର ମୁନିଆଁ ଦାନ୍ତକୁ ମଧ୍ୟ ହରାଇ ଦେଇପାରେ ? ହସ–ସେଇ ଝଲକାଏ ହସ, ସଂଚରିଆସେ ଯାହା ତୋ ମୁହଁରୁ ମୋ ମୁହଁକୁ ମୁହୂର୍ତ୍ତକରେ କୌଣସି ମାଧ୍ୟମ ନଥାଇ, କୋମଳ ଏକ ହସ–ନିର୍ମଳ ଏକ ହସ–ନରମ ଏକ ହସ !

 

ହସିଦେଲୁ ତୁ ଚାହିଁ ମୋ ଆଡ଼େ, ମୁଁ ଧରିପାରିଲି ସମୟକୁ ମୋ ପାପୁଲିର ଆଙ୍ଗୁଠି ସନ୍ଧିରେ–ଆଉ ଉଡ଼ିଗଲା ନାହିଁ ସମୟ, ଆଉ ବୋହିଗଲା ନାହିଁ ସମ୍ପର୍କର ପଚାଶଢ଼ା ମୁଦିଏ ପାଣି ! ତୁ ହସିଦେଲୁ ତ ଜଳିଉଠିଲା ଦୀପଟିଏ କେଉଁ ନିଭୃତ କୋଣରେ ! ତୋ ହସର ଲହରୀରେ ତରଙ୍ଗାୟିତ ହେଲା ଦୀପଟିର ଶିଖା ! କ୍ରମେ ପୂର୍ବାପେକ୍ଷା ଉଜ୍ଜ୍ୱଳି ଉଠିଲା ସେଇ ଦୀପଟି, ଚଉଦିଗ ଝଲସାଇ ଦେଲା, ଆଖିରେ ମୋହ ଲଗେଇଦେଲା, ଇନ୍ଦ୍ରଜାଲର ମାୟାବର୍ତ୍ତରେ ଉବୁଟୁବୁ ହେଲା ମନ, ହୃଦୟର ନଇଁ ଆସୁଥିବା ଦ୍ରୌବଲ୍ୟର ସୂର୍ଯ୍ୟ ଉପରେ ଗ୍ରାସିଗଲା ଅଭିନବ ଏକ ପ୍ରେରଣାର ରାହୁ, କହିଲା : ‘ତୁ ଦୌଡ଼ୁଥାରେ ଆଗେଆଗେ, ମାଲ୍ୟାଣୀ ଦୌଡ଼ୁଥାଉ ତୋ ପଛରେ, ହେଲେ ତୋତେ ପାରିବ ନାହିଁ–କଦାପି ଭେଣ୍ଡାରୁ ମେଣ୍ଢା କରିପାରିବ ନାହିଁ !’

 

ମୁଁ ଦୌଡ଼ିଲି ଓ ଦୌଡ଼ିଲି, ମୋ ପଛେ ପଛେ ସୁନାମିରିଗର ଲୋଭରେ ଆତୁରା ମାଲ୍ୟାଣୀ, କେତେବେଳେ ମୁଁ ଏକ ତ–କେତେବେଳେ ମୁଁ ଅନେକ, କେତେବେଳେ ଆଗରେ ତ କେତେବେଳେ ପଛରେ, କେତେବେଳେ ପୁଣି ପୂରା ଉଭାନ–ସିଏ ମତେ ପାରିଲା ନାହିଁ : ମୁଁ ଧାଇଁ ଧାଇଁ ପହଞ୍ଚିଲି ଏକ ଅଜବ ନଗରୀରେ, ସେଇ ନଗରୀର ସୀମା ସେପଟେ ମୁଁ–ଏପଟେ ମାଲ୍ୟାଣୀ, ସେଟା ପରୀ ରାଇଜ, ମାଲ୍ୟାଣୀ ମନ୍ତର ଆଉ କାଟୁ କରିବ ନାହିଁ, ମାଲ୍ୟାଣୀ ଫେରିଗଲା ସେଇଠୁ । ମୁଁ ପଶିଲି ନୂଆ ନଗରୀରେ, ପରୀ ରାଇଜ–ଅଜବ ଦେଶ, ଅଜବ ଜୀବ, ଅଜବ ସମୟ, ଅଜବ ସମ୍ପର୍କ, ଅଜବ ଅଜବ ମାୟାବର୍ତ୍ତ–ସବୁକିଛି ଆଶ୍ଚର୍ଯ୍ୟମୟ–ରହସ୍ୟମୟ, ଭୟ ସଂଚାରକାରୀ ଅଥଚ ଆମୋଦଦାୟକ, ସବୁକିଛି ଶୀତଳ–କୋମଳ–ମୁଁ ପହଞ୍ଚିଲି ସେଇ ନଗରୀର ଏକ ସୁଉଚ୍ଚ ପ୍ରାସାଦରେ, ଆକର୍ଷଣରେ ଭିତରକୁ ଗଲି, ବାରଣ୍ଡାରେ ବସିଥିଲା ପରୀଟିଏ, ହସିଦେଲା–ସେଇ ହସ ଯିଏ କାଟିପାରେ ସମୟର ମୁନିଆଁ ଦାନ୍ତର ବିଷକୁ–ମୁଁ ଚାହିଁଲି ତା’ ଆଡ଼େ ଓ ମୋ ଓଠରୁ ସଂଚରିଗଲା ହସଟିଏ, ମୋର ସେଇ ହସ–ଯିଏ ଟେକି ଧରିଚି ନିମ୍ନଗାମୀ ଜାହାଜକୁ ଆଜିଯାଏ, ଯେଉଁ ଜାହାଜରେ କୋଟିଏ ଲୋକ !! ପରୀର ଘର ବଡ଼ ମନୋହର, ସୁବର୍ଣ୍ଣ ପଲଙ୍କରେ ମୋତେ ଘାରିଗଲା ନିଦ, ସକାଳ ହେଲା, ବାତାୟନ ଦେଇ ଭିତରକୁ ସୁନେଲି ସୁରୁଜ ଝଟକି ଆସିଲା, ଆଖି ଖୋଲିଲି–ପାଖରେ ପରୀ ବସିଚି–ଆଉଁଶୁଚି ମୋର କେଶଗୁଚ୍ଛକୁ !

 

ମୁଁ ଆଖି ଖୋଲିବା ଦେଖି ପରୀ ହସିଲା ଧାରେ ! ପରୀର ଆଖି ସହ ମୋ' ଆଖି ଏକାକାର ହେବାକ୍ଷଣି ପରୀ ନୁଆଁଇଦେଲା ଆଖି ତଳକୁ ! ତଥାପି କିନ୍ତୁ ପରୀର କୋଳରେ ଥାଏ ମୋ ମୁଣ୍ଡ ଓ ପରୀ ସାଉଁଳାଉଥାଏ ମୋ କେଶଗୁଚ୍ଛକୁ !

 

ପରୀ ପଚାରିଲା : କ୍ଳାନ୍ତି ଲାଗୁଥିବ, ନା ?

 

କହିଲି : କିନ୍ତୁ ଲାଗିବା କଥା ତ ! ହେଲେ ଏବେ ଲାଗୁନାହିଁ । ଯେଉଁ ମୁହୂର୍ତ୍ତରେ ତମ ହାତ ଖସିଆସିବ ମୋ କେଶଗୁଚ୍ଛରୁ, ତେବେ ଅବା କ୍ଳାନ୍ତି ଆସିପାରେ !

 

ପରୀ ତଳକୁ ମୁହଁ ପୋତିଦେଲା, କିଛି କହିଲା ନାହିଁ । ମତେବି ବଡ଼ ଅପ୍ରତିଭ ଲାଗିଲା-। ମୁଁ କିଆଁ କହିଲି ଏକଥା ? ଯଦି ପରୀ ରାଗିଯାଏ ? ନା–କାହିଁ ରାଗିବାର କିଛି ସୂଚନା ଦିଶୁନାହିଁ ତ !

 

କହିଲି : ତମ ନାଁ କ’ଣ ?

 

ସେ କହିଲା : ଅପରାଜିତା ।

 

ପୁଣି ସେ ପଚାରିଲା : ‘ତମ ନାଁ ?' ପଚାରିଦେଲା ଓ କ୍ଷଣକପାଇଁ ତା’ ଆଖିରେ ମୋ ଆଖି ମିଶିଗଲା ।

 

କହିଲି : ମତେ ଅଜାତଶତ୍ରୁ ବୋଲି ଡାକନ୍ତି ସମସ୍ତେ ।

 

କେତେକ୍ଷଣ ବିତିଗଲା, ପରୀର କୋଳରୁ ଉଠି, ନିତ୍ୟକର୍ମ ସାରି, ମୁଁ ବସିଥାଏ । କେଉଁଥିରେ ଅବହେଳା ନାହିଁ । ପରୀ ନିଜେ ରୋଷେଇ କରିଚି, ନିଜେ ବାଢ଼ି ମୋ ସାମ୍ନାରେ ବସିଚି ମୁଁ ଖାଇସାରିବା ପର୍ଯ୍ୟନ୍ତ ! ଧୀରେ ଧୀରେ ସଲ୍ଲଜ କଣ୍ଠରେ ପଚାରିଚି କେତେକଥା ! ମାଲ୍ୟାଣୀ କଥା ଶୁଣି କେତେବେଳେ ଆଶଙ୍କାରେ ପରୀର ମୁହଁ ଝାଉଁଳି ଯାଇଚି ତ କେତେବେଳେ ମାଲ୍ୟାଣୀ ହାତରୁ ମୁଁ ଖସିଯିବା କଥାଶୁଣି ପରୀର ମୁହଁରେ ଉଇଁଆସିଚି ଆନନ୍ଦର ପୂର୍ଣ୍ଣମୀର ଚାନ୍ଦଟିଏ ! ସତରେ କ’ଣ ସବୁ ପରୀମାନେ ଏମିତି ସ୍ନେହପ୍ରବଣା ?

 

(ପାଞ୍ଚ)

 

ଦିନେ ଏମିତି ପରୀର ମୋର ବସି ଗପୁଚୁ । କେତେକଥା ! କୌଣସି କଥାର ଅନ୍ତ ନାହିଁ–ଆରମ୍ଭ ନାହିଁ ! ଏମିତି ଶରତ୍‍ଋତୁର ଆକାଶରେ ବାଦଲ ଖଣ୍ଡ ପରି କୁଆଡ଼ୁ ଗୋଟେ ଅଜବ ବିଷୟରେ ଆମେ ଗପୁଛୁ, କେତେବେଳେ ଆମ ଅଜାଣତରେ ପୁଣି କାହିଁ କେଉଁ ଆଖି ପାଉ ନଥିବା ଦୂରତ୍ୱରେ ମିଶି କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇଯାଇ ମିଶି ଯାଉଚି ଶୂନ୍ୟରେ, ତା’ ଜାଗାରେ ଭାସି ଆସୁଚି ଆଉ ଏକ କଥାର ବାଦଲ–ଏମିତି ଗପ !!

 

ମୁଁ କହିଲି : ‘ଦେଖ, କି ଅଜବ କଥା ! ମୋ ନାଁଟା ଅଜାତଶତ୍ରୁ, ଅଥଚ ବର୍ଷ ବର୍ଷ ଧରି ସେଇ ମାଲ୍ୟାଣୀଟା ମୋର ଶତ୍ରୁ ହୋଇ ମୋ ପିଛା କରୁଛି !’ ପରୀ କହିଲା : ‘ଗୋଡ଼େଇ ଥାଉ ସେମିତି ! ସେ କାହିଁ ତମର ଶତ୍ରୁହେବ ମ ! ତମେ ତ କହୁଚ ସେ ତମଠୁ ଶକ୍ତିଶାଳୀ, ହେଲେ ସେ କ’ଣ ତମକୁ ପାରିଲା ? ସେ ତମର କ୍ଷତି କରିପାରୁନି, ଆଉ ଶକ୍ତିଶାଳୀ ହେଲା କେମିତି ? ତମେ ତ ସେମିତି ଅଜାତଶତ୍ରୁ ଅଛ ! ଏଇଟା ତ ଜୀବନର ଛକାପଞ୍ଝା ଖେଳ, ନହେଲେ ଜୀବନରେ ଉତ୍ତେଜନା ରହିବ ନାହିଁ !’

 

ମୁଁ କହିଲି : ତମେ ଖୁବ୍ ସୁନ୍ଦରଭାବେ କଥାବାର୍ତ୍ତା କରିପାର । ସତକୁସତ ମତେ ଅଜାତଶତ୍ରୁ କରିଦେଲ !

 

ପରୀ କିଛି କହିଲା ନାହିଁ ! ମୁଁ ପୁଣି କହିଲି : ‘ମତେ ତମପରି ସୁନ୍ଦର କଥା କହି ଆସେନା ! ନହେଲେ ଦେଖିଥା’ନ୍ତ, ମୁଁ ବି ତମକୁ ସତକୁସତ ଅପରାଜିତା କରିଦେଇଥାନ୍ତି ।'

 

‘ନା–ନା–’, ପରୀ ପ୍ରତିବାଦ କଲା, ‘ତମେ ସିନା ଅଜାତଶତ୍ରୁ, ହେଲେ ମୁଁ ଆଦୌ ଅପରାଜିତା ନୁହେଁ ! ମୋ ନାଁଟା କିଏ ସେମିତି ଦେଲା କେଜାଣି ?’

 

ପରୀ ବସିଚି ମୋ ସାମ୍ନାରେ, ତଳକୁ ମୁହଁ ପୋତି । ଆମକୁ ବେଢ଼ିଚି ନୀରବତାର କୁହୁଡ଼ି । ପରୀଟା ସତରେ ସୁନ୍ଦର !

 

ନୀରବତା ଭାଙ୍ଗି କହିଲା ପରୀ : ‘ତମେ କେବେ ହାରିଯାଇଛ କାହା ପାଖରେ ?’

 

ମୁଁ କହିଲି : ‘ଯଦି ମୋ ପରାଜୟର କବିତା ଶୁଣି ତମେ ଆନନ୍ଦିତ ହେବ, ତେବେ କହିବି ମୁଁ ହାରିଯାଇଚି !'

 

ପରୀ କହିଲା : ‘ମୁଁ କିଆଁ ଆନନ୍ଦିତ ହେବି ମ ତମ ପରାଜୟ କଥା ଶୁଣି ? ଯିଏ ଜଗତରେ କେବେ ପରାଜିତ ହେବାକୁ ଚାହେଁନା, ସିଏ ସିନା ଅନ୍ୟର ପରାଜୟରେ ଆନନ୍ଦିତ ହେବ-। ହେଲେ ମୁଁ ତ କେବେଠୁ ହାରିଯାଇଚି !’

 

ମୁଁ ପରୀକୁ ଚାହିଁଲି, ସେ ଲାଜରେ ତଳକୁ ମୁଣ୍ଡ ପୋତିଦେଲା । ମାଟି ଉପରେ ନଖରେ ଗାର କାଟିବାକୁ ଲାଗିଲା ।

 

ମୁଁ କହିଲି : ‘ସତରେ, ଯିଏ ଜୀବନରେ ହାରିନାହିଁ, ସିଏ ଜିତିବାର ସ୍ୱାଦ ଚାଖିବ କେମିତି ?’

 

ପରୀ କହିଲା : ‘ମୁଁ ତ ହାରିଯାଇଛି, ଏଯାଏଁ ମୋର ତ ବିଜୟ ହୋଇନାହିଁ–ଆଉ ବିଜୟର ସ୍ୱାଦ ଜାଣିବି କେମିତି ?’

 

ମୁଁ କହିଲି : ‘ତମେ ଏମିତି ସବୁକଥାକୁ ତମ ଆଡ଼କୁ ଟାଣିନେଲେ ଚଳିବ ପରୀ ?’

 

: ‘ମୋ ନାଁ ପରୀ ନୁହେଁ–ଅପରାଜିତା ।’ ସେ କହିଲା । ଏଥରକ ସତକୁସତ ମୁଁ ଅପ୍ରତିଭ ହୋଇଗଲି । ତା’ ନାଁଟା ତ ଅପରାଜିତା, ହେଲେ ମୁଁ କିଆଁ ପରୀ ବୋଲି କହୁଛି ?

 

ମୁଁ କହିଲି : ‘ତମେ ଯେ ଜିତିନାହଁ, ମୁଁ ଜାଣିବି କେମିତି ? ମୁଁ ଯଦି କହେ ତମେ ଜିତିଯାଇଚ ?’

 

‘କେମିତି ଜିତିଲି ?’ ପରୀ ପଚାରିଲା ।

 

‘ପାଖକୁ ଆସ !' ମୁଁ କହିଲି ।

 

ଅପରାଜିତା ମୋତେ ଚାହିଁଲା । ତା' ମୁହଁରେ ହସ ବଦଳରେ ଏକ ନିଷ୍ପାପ, ସରଳ–କିଛି ଜାଣି ନଥିବା ଶିଶୁର ଭାବ ଦେଖାଦେଲା । ଅପରାଜିତା ଧୀରେ ଉଠିଆସି ମୋ ବାଁ ପଟେ ଠିଆ ହେଲା । ମୁଁ ତା’ର ଡାହାଣ ହାତକୁ ଖୁବ୍ ଆସ୍ତେ ମୋ ଦୁଇହାତରେ ଧରିଲି । ତାକୁ କ୍ରମେ ନିଜ ଆଡ଼କୁ ଆକର୍ଷି ଆଣିଲି । ଅପରାଜିତା ଧୀରେ ଧୀରେ ମୋ କୋଳରେ ଏଡ଼େ ଟିକେ ସୁବାସିତ ଫୁଲର ପେନ୍ଥାଟିଏ ହୋଇ ପଡ଼ିରହିଲା । ମୁଁ ତା’ର କାନରେ ଚୁପିଚୁପି କହିଲି : ତମେ ଜିତିନାହଁ ?’ ମୋ ମୁହଁକୁ ବଲବଲ କରି ଚାହିଁ ରହିଥାଏ ସେ । ପୁଣିଥରେ ମୁଁ ସେଇ ପ୍ରଶ୍ନ ଖୁବ୍ ଧୀରେ ତା’ର କାନପାଖରେ ପଚାରିଲି । ସେ ଏଥରକ ଆଖି ମୁଦିଦେଇଥାଏ । ମୁଁ ତା’ର ସେଇ ମୁଦ୍ରିତ ଆଖିପତା ଉପରେ କୋମଳଭାବେ ଆଙ୍ଗୁଠି ସଂଚାଳନ କଲି । ଆଖିପତା ଉପରୁ ଆଙ୍ଗୁଠି ଖସିଆସି ଅପରାଜିତାର ଓଠ ଉପରେ ସ୍ଥିର ହେଲା, ସେଇ ସୁବାସିତ କଢ଼ିଟି ଉପରେ ମୁଁ ସ୍ଥାପନ କଲି ତରଙ୍ଗାୟିତ ଅନୁଭବର ରୋମାଞ୍ଚିତ ପ୍ରଥମ କଦମ୍ବ ।

 

ଧୀରେ ପଚାରିଲି : ‘ତମେ ଏବେବି ଜିତିନାହଁ ?’

 

ସେ ଚଟ୍‍କରି କହିଲା : ‘କିଏ କହିଲା ସେକଥା ଯେ ?' ତା’ର ଆଖି ପୂର୍ବପରି ମୁଦ୍ରିତ, ତା’ର କଣ୍ଠ ଖୁବ୍ ଦୂର ନଈକୂଳର କାଶତଣ୍ଡୀ ବଣ ଯେତେବେଳେ ପବନରେ ଏକ ରହସ୍ୟମୟ ଶବ୍ଦ ହୋଇ ଭାସିଆସେ–ଠିକ୍ ସେମିତି ! ମୁଁ ସେଇ ଫୁଲର ପେନ୍ଥାଟିକୁ ଦେଖୁଦେଖୁ କହିଲି : ମଣିଷ ଜୀବନରେ ପୁଣି ଶତ୍ରୁ ରହିବେ ନାହିଁ ? ପ୍ରତିଟି ମଣିଷର ଏ ଜଗତରେ ଶତ୍ରୁ ଅଛନ୍ତି ! ଶତ୍ରୁ ନାହିଁ–ଏମିତି ମଣିଷ ଏ ଜଗତରେ ନାହିଁ ।’

 

ସେ ସେମିତି ମୋ କୋଳରେ ପଡ଼ିଥାଏ, ମୋ’ ଦୁଇ ହାତର ଅତଳ ସମୁଦ୍ର ମଧ୍ୟରେ, ଆଖି ମୁଦି, ଶିହରିତ ଫୁଲପେନ୍ଥାଟିଏ, ଖୁବ୍ ଦୂର ନଈକୂଳିଆ କାଶତଣ୍ଡୀ ବଣ ଯେବେ ଏକ ରହସ୍ୟମୟ ଶବ୍ଦ ହୋଇ ପବନରେ ଭାସିଆସେ–ସେମିତି କଣ୍ଠ ଯାହାର, କଢ଼ିଟିଏ ଅଛି ଯେଉଁ ଫୁଲ ପେନ୍ଥାଟିରେ–ସେଇ ସେ ବିଜୟ ପରାଜୟର ସୁଦୀର୍ଘ ପଥ ଅତିକ୍ରମ କରି ଆସିଥିବା କେଉଁ ଏକ ସରଳ ନିଷ୍ପାପ ସାମ୍ରାଜ୍ୟର ରାଜକନ୍ୟା !

 

ମୁଁ ପୁଣି କହିଲି : ‘ବୁଝିଲ ଅପରାଜିତା, ଯେଉଁ ଶତ୍ରୁଟି ପ୍ରତି ମଣିଷକୁ ଅହରହ ଜଳେଇ ପୋଡ଼େଇ ମାରୁଚି, ଯେଉଁ ଶତ୍ରୁଟି ପ୍ରତି ମଣିଷର ହୃଦୟର ନିଭୃତରେ ଅହରହ ଆନନ୍ଦ ଓ ଯନ୍ତ୍ରଣାର ହାତୁଡ଼ି ଶବ୍ଦ କରୁଚି–ସେଇଟି କିଏ ଜାଣ ? ଜଣେ ମଣିଷର ଅତି କମ୍‌ରେ ଜଣେ ଶତ୍ରୁ ଅଛନ୍ତି ଏବଂ ରହିବ ମଧ୍ୟ–ସେଇଟି ହେଲା ପ୍ରେମ !’

 

ସେ ଆଖି ଖୋଲି ମତେ ଚାହିଁଲା, ଧୀରେ ହସିଲା, ପୁଣି ତା’ ଆଖି ମୁଦି ହୋଇଗଲା, ତଥାପି ସେ ମୋ କୋଳରୁ ମହୁମାଛିଟିଏ ହୋଇ ଉଡ଼ିଗଲା ନାହିଁ !!

 

(ଛଅ)

 

ପ୍ରେମହିଁ ମଣିଷର ବଡ଼ ଶତ୍ରୁ ! ପ୍ରେମରୁ ଜାତ ଦୁଃଖ, ଦୁଃଖରୁ ଅନୁତାପ, ଅନୁତାପଠାରୁ ଅସହାୟତା, ତହିଁରୁ ଯନ୍ତ୍ରଣା !!

 

ପୁଣି ପ୍ରେମରୁ ଜାତ ସମ୍ପର୍କ ! ସମ୍ପର୍କରୁ ଆନନ୍ଦ, ଆନନ୍ଦରୁ ତୃପ୍ତି, ତୃପ୍ତିରୁ ଜାତ ବିତୃଷ୍ଣା, ବିତୃଷ୍ଣାରୁ ଜ୍ୱଳନ ଓ ତହିଁରୁ ଯନ୍ତ୍ରଣା !

 

ଯେଉଁ ବାଟ ଦେଇ ଯାଅ ଭାଇ, ପ୍ରେମହିଁ ତମର ବଡ଼ ଶତ୍ରୁ ! ନିଗାଡ଼ି ଦେବ ମଣିଷ ଭିତରର ସମସ୍ତକୁ, ନିଗାଡ଼ି ନିଗାଡ଼ି ତମକୁ ଚୋପା କରିଦେବ ! ତେବେ କୁହ ଭାଇ ପ୍ରେମିକ ବଞ୍ଚୁଚି କେମିତି ?

 

ପ୍ରେମିକର ଜୀବନରେ ଭାଇ ଯୌବନ ଏକ ନାଗଫେଣୀ କଣ୍ଟା, ତହିଁପରେ ଶୋଭାପାଏ ପ୍ରେମର ବିଷଭାଣ୍ଡ ! ଜୀବନ ଗୋଟେ ରବରପରି ଭାଇ, ଟାଣିଲେ ଲମ୍ବା ହେବ–ନହେଲେ ସଂକୁଚେଇ ପଡ଼ିଥିବ ମୋଡ଼ିମାଡ଼ି ହୋଇ ! ଜୀବନ କିନ୍ତୁ ସରିଯାଏ ନାହିଁ । ପୁଣି ପ୍ରେମିକର ଜୀବନ ଯୌବନର ନାଗଫେଣୀ କଣ୍ଟାରେ ବନ୍ଧା ହୋଇ–ଟାଣିହୋଇ ରହିଥାଏ–ବିଷଭାଣ୍ଡକୁ ଶିରପରେ ରଖି, ଜୀବନ ବ୍ୟାପିଥାଏ ଇଲାଷ୍ଟିକ୍ ପରି ଯୌବନର ଏକଣ୍ଟାରୁ ସେ କଣ୍ଟା ପର୍ଯ୍ୟନ୍ତ ! ପ୍ରେମିକର ଜୀବନ ସେଇ କଣ୍ଟାରେ, ଆଉ କ’ଣ ? ?

 

ମୁଁ ତ ଏବେ କଣ୍ଟାବିଦ୍ଧ । ମୁଁ ଭୁଲିଯାଇଚି ଯେ, ମୁଁ ଜଣେ ପଳାତକ, ସେ ରାଜ୍ୟରୁ ମାଲ୍ୟାଣୀ ବୁଢ଼ୀର ଭୟରେ ଦୌଡ଼ି ଦୌଡ଼ି ଖସିଆସିଗଲି ଏ ଅଜଣା ରାଇଜକୁ–ଏଠି ଭେଟିଥିଲି ପରୀଟିକୁ, ହେଲେ ସେଇଠି ତ ଜୀବନ ମୋର ଯୌବନର କଣ୍ଟାରେ ମୁଣ୍ଡରେବି ବିଷପାତ୍ରଟିଏ ରଖି କଣ୍ଟାବିଦ୍ଧ ! କେଳାର ତୀରବିଦ୍ଧ ପକ୍ଷୀଟିଏ ପରି ମୁଁ ଏଠି ଛଟପଟ ସେ ରାଜ୍ୟକୁ ଫେରିବାର ରାହା ନାହିଁ । ଏଇ କି ତେବେ ମୋ ଜୀବନର ଲକ୍ଷ୍ୟ ? ଦୌଡ଼ି ଦୌଡ଼ି ପଳେଇ ଆସି ମାଲ୍ୟାଣୀ ସାମ୍ନାରୁ ଏ ରାଜ୍ୟରେ ଲୁଚିବି ଏକ ନାରୀର ପଣତ ତଳେ ? ନା–ନା–ମୁଁ ଫେରିଯିବି । ନଚେତ୍ ସେଇ ଯୋଉ ଜାହାଜ, ଯେଉଁ ଜାହାଜ ଅଟକିଥିଲା ମୋର ଏକ ହସ ଧାରେପାଇଁ–ଯେଉଁ ଜାହାଜକୁ ଆବୋରିଥିଲେ ଅସଂଖ୍ୟ ଲୋକ, ଅସଂଖ୍ୟ ଲୋକଙ୍କ ଜୀବନ ଓ ଯୌବନ ଝୁଲୁଥିଲା ହସଧାରେ ମୋର, ସେ ଜାହାଜର ଅବସ୍ଥା କ'ଣ ହେବ ? ନା–ନା–ମୁଁ ଫେରିଯିବି ! ସେଇ ଜାହାଜକୁ ଟେକି ଧରିବି ମୋ ହସର କୁନ୍ତମୁନରେ, ନଚେତ୍ ମାଲ୍ୟାଣୀ ଯେ ଏଠୁ ଫେରି ମତେ ନପାଇ, ମୋ ଉପରେ ପ୍ରତିଶୋଧ ନେବାପାଇଁ ଜାହାଜଟାକୁ ରସାତଳଗାମୀ କରିଦେବ ! ମୁଁ ଫେରିବି ମୋ ରାଇଜକୁ !!

 

ମୁଁ କହିଲି : ‘ଅପରାଜିତା, ମୁଁ ଫେରିଯିବି ମୋ ରାଇଜକୁ । ମୋର ସେଆଡ଼େ କେତେ ଦାୟିତ୍ୱ ବାକି ରହିଛି, ଅଥଚ ଏଠି ସେସବୁକୁ ଭୁଲିଯିବାକୁ ବସିଲିଣି । ମୁଁ ଫେରିଯିବି ! ନହେଲେ ମାଲ୍ୟାଣୀ ବୁଢ଼ୀ ଯେ ମୋ ଜାହାଜରେ ଥିବା କୋଟି କୋଟି ଲୋକଙ୍କୁ କି ଦୁଃଖ ଦେଉଥିବ କେଜାଣି-!!’

 

ଅପରାଜିତା କହିଲା : ‘‘କୋଟିଏ ଲୋକଙ୍କର କ’ଣ ହେଲା ନ ହେଲା, ସେଥିରେ ତମର ଯାଏଁ ଆସେ କେତେ ? ତମେ ଫେରିବ ପୁଣି ତମକୁ ମାଲ୍ୟାଣୀ ଅନୁସରଣ କରିବ, ତମେ ଦୌଡ଼ି ଦୌଡ଼ି ଫେରିଆସିବ ଏଇଠିକୁ ତେବେ ତମେ ଯିବ କିଆଁ ? ତା'ଛଡ଼ା ସବୁଥର ତ ତମେ ମାଲ୍ୟାଣୀ ଆଖିରେ ଧୂଳି ଦେଇପାରିବ ନାହିଁ ।

 

କିଛିସମୟ ନୀରବରେ ବିତିଗଲା ! ତା'ପରେ ମୁଁ କହିଲି : ‘ମଣିଷ କେବେ ନିଜପାଇଁ ବଞ୍ଚିଚି ଅପରାଜିତା ? କୌଣସି ମଣିଷ କେବେ ସେମିତି କରିପାରେ ? ଏ ଜଗତରେ ଏପରି କେହି ମଣିଷ ଅଛି ଯିଏ ସମ୍ପୂର୍ଣ୍ଣ ନିଜର ? ଯିଏ ସମ୍ପୂର୍ଣ୍ଣଭାବେ କେବଳ ନିଜପାଇଁ ବଞ୍ଚୁଛି ? ନା–ନା–ସେମିତି ମଣିଷ ଏ ଜଗତରେ ନାହିଁ । କେହି ହୁଏତ ଫୁଲଟେପାଇଁ ବଞ୍ଚୁଚି ଅବା କେହି ଜହ୍ନପାଇଁ ବଞ୍ଚୁଚି, କେହି ପ୍ରଜାପତିଟିଏ ପାଇଁ, କେହି ହସଟେପାଇଁ, କେହି ନାରୀଟିଏ ପାଇଁ, କେହି ଯନ୍ତ୍ରଣାପାଇଁ, କେହି ଯୌବନପାଇଁ ତ କେହି ଜରାପାଇଁ, କେହି ମାଲ୍ୟାଣୀର ଡରରେ ଅବା କେହି ମାଲ୍ୟାଣୀର (ଡରରେ) ବନ୍ଧୁତାପାଇଁ, କେହି ସମ୍ପର୍କପାଇଁ–କେହି ଶତ୍ରୁତାପାଇଁ, କେହି କାମନାପାଇଁ ତ କେହି ନିର୍ବାଣପାଇଁ, କେହି ଝରଣାପାଇଁ ତ କେହି ମରୁଭୂମି ପାଇଁ–ସମସ୍ତେ କିଛି ନା କିଛି ଗୋଟେପାଇଁ ବଞ୍ଚୁଛନ୍ତି !! ଯେତେବେଳେ ଜଣେ ମଣିଷ କାହାରିପାଇଁ ନ ବଞ୍ଚି କେବଳ ନିଜପାଇଁ ବଞ୍ଚିବ, ସେତେବେଳେ ସେଇ ମଣିଷର ରହିବ କ’ଣ ? ତା’ର ସ୍ଥିତି କେଉଁଠି ? ଏକ ସ୍ଥିତିହୀନ ଶୂନ୍ୟତାରେ ମିଶିଯିବ ସେ ! ଆମ ପୁରାତନ ଶାସ୍ତ୍ର ସବୁ ଏଇ ସ୍ଥିତିହୀନ ଶୂନ୍ୟତା କଥା କହିଛନ୍ତି । ଯେତେବେଳେ ମଣିଷ କାହାରିପାଇଁ ବଞ୍ଚେ ନାହିଁ–ସେତେବେଳେ ନିଜପାଇଁବି ସେ ବଞ୍ଚିପାରେ ନାହିଁ !! ସେତେବେଳେ ସେ ଏକ ଅଜବ ଧରଣର ସ୍ଥିତି ମଧ୍ୟ ଦେଇ ଗତିକରେ–ଶୂନ୍ୟତାର ସ୍ଥିତି ! ଶୂନ୍ୟତାର ସିଡ଼ିରେ ଜୀବନର ପ୍ରତିଟି ପାହାଚ ସେ ଅତିକ୍ରମିଯିବ–ଅଥଚ ସେ ଜାଣିବ ନାଇଁ ଯେ ତା’ର ସ୍ଥିତି ଅଛି, ସେ ନିଜେ ଆଦୌ ଜାଣିବ ନାଇଁ ଯେ, ତା’ର ନିଜର ସ୍ଥିତି ଏକ ସ୍ଥିତିହୀନ ଶୂନ୍ୟତା, ସେ ନିଜେ ଅନୁଭବ କରିବ ନାଇଁ ଯେ, ତା’ର ଜୀବନ ଅଛି–ମୃତ୍ୟୁ ଅଛି, ନିଜେ ଜାଣିବ ନାହିଁ ଯେ ତା’ର ଯନ୍ତ୍ରଣା ଅଛି–ଆନନ୍ଦ ଅଛି ! ସେ ଆଦୌ ଜୀବନର ସ୍ୱାଦକୁ ଅନୁଭୂତିର ରଙ୍ଗରେ ରଙ୍ଗେଇ ପାରିବ ନାହିଁ ! ଆମ ଅତୀତର ସମସ୍ତ ଶାସ୍ତ୍ର ଏଇ ସ୍ଥିତିହୀନ ଶୂନ୍ୟତା, ଚେତନାର ସ୍ଥିରତା, ଚେତନାର ଜଡ଼ତା, ପୁନଶ୍ଚ ନିଜ ସ୍ଥିତିର–ନିଜ ଶୂନ୍ୟତାର–ନିଜ ଚେତନାର–ନିଜ ଚିନ୍ତାର–ସର୍ବୋପରି ନିଜର ସବୁକିଛିର ସମ୍ପର୍କରେ ଅନୁଭବହୀନତାକୁ ନିର୍ବାଣ ବୋଲି କହିଛନ୍ତି ! କିନ୍ତୁ ସବୁ ମଣିଷ ସେମିତି ହେବେ କେମିତି ? ଅସମ୍ଭବ ! ତା' ଛଡ଼ା ନିର୍ବାଣ ତ ଆଉ ଜୀବନ ନୁହେଁ ! ଜୀବନ ନିଜପାଇଁ ନୁହେଁ, ଅନ୍ୟପାଇଁ ! ନିର୍ବାଣ କିନ୍ତୁ ନିଜପାଇଁ ! ନିର୍ବାଣତ୍ୱ ସ୍ୱାର୍ଥପରତାର ଏକ ନମୁନା ! ସେଥିପାଇଁ ଈଶ୍ଵର ମଣିଷକୁ ସୃଷ୍ଟି କଲାବେଳେ ଖୁବ୍ ଖୁସି ହୋଇଥିବେ, ନୁହେଁ ? କାରଣ ସେ ଦେଖୁଥିବେ, ମଣିଷ କେମିତି ପେଣ୍ଡୁଲମ୍‍ର ଦୋଳନ ପରି ଝୁଲୁଚି ଚିନ୍ତାଦ୍ଵନ୍ଦ୍ୱର ମଝିରେ ଗୋଟିଏ ଜୀବନ ଅନ୍ୟପାଇଁ, ଆରଟି ନିର୍ବାଣ ନିଜପାଇଁ ! ସେଇଥିପାଇଁ ଅପରାଜିତା, ବୁଦ୍ଧଦେବଙ୍କ ଅପେକ୍ଷା ଯେକୌଣସି ସାଧାରଣ ମଣିଷ ବୁଧିଆର ସ୍ଥିତି ଏ ଜଗତପାଇଁ ମୂଲ୍ୟବାନ ! ଯିଏ ନିର୍ବାଣ ପଥରେ ଆଗାଏ, ସେ କେବେ ତା’ ପଛରେ ଥିବା ଅଗଣିତ ବନ୍ଧୁ, ସମ୍ପର୍କୀୟ, ସାଧାରଣ ନିରୀହ ମଣିଷମାନଙ୍କର ଚିନ୍ତା କରେ ନାହିଁ ! ସମସ୍ତେ ଶେଷଯାଏ ମହାଯାତ୍ରା ଚାଲୁ ରଖିପାରନ୍ତି ନାହିଁ ! ଯଦିବା କେହି ଶେଷ ପର୍ଯ୍ୟନ୍ତ ନିଜର ମହାଯାତ୍ରାକୁ ଚାଲୁରଖେ, ତେବେ ସେ ଅନ୍ୟମାନଙ୍କ କଥା ଭୁଲିଯାଏ । ମୁଁ ତେଣୁ ଫେରିଯିବି ମୋ ରାଇଜକୁ । ଯଦି ମୋର ମହାଯାତ୍ରା ସଫଳ ହୁଏ, ତେବେ ମୁଁ ଆମ ରାଇଜରେ ରହିଯିବି ନାହିଁ, ତମ ପାଖକୁ ଫେରିଆସିବି, ତମକୁ ମୋ ରାଜ୍ୟକୁ ନେଇଯିବି । ନହେଲେ ତମ ପାଖେ ରହିଯିବି ଚିରଦିନ ପାଇଁ । କିନ୍ତୁ ମୁଁ ଏବେ ଫେରିଯିବି ।’

 

ଅପରାଜିତା ମୋର ଦୀର୍ଘ ଭାଷଣ ଶୁଣିଲା ସତ, ହେଲେ ବୁଝିଲା କି ନାହିଁ କିଏ ଜାଣେ-? ମୋ ଫେରିଯିବା କଥାଶୁଣି ସେ କେବଳ ଏତିକି କହିଲା : ‘ତମ ଇଚ୍ଛା !’

 

ମୁଁ ଉଠିଲି । ଫୁଲପେନ୍ଥାଟିକୁ ଉଠେଇ ଆଣିଲି ମୋ କୋଳକୁ । ତା’ର କେଶଗୁଚ୍ଛକୁ ସାଉଁଳେଇଲି ଅନେକକ୍ଷଣ । ପେନ୍ଥାଟିରେ ଖୁବ୍ ଯତ୍ନରେ ସାଇତା ହୋଇଚି କଢ଼ିଟିଏ । ଯୌବନର ଶୀତଳ ବସନ୍ତ ପବନରେ ସେ କଢ଼ିଟି ଏକ ଅପୂର୍ବଭାବେ ଥରିଉଠୁଚି । ମୁଁ ଚାହିଁଥାଏ ଫୁଲପେନ୍ଥାଟିକୁ ! ସେ ଆଖିମୁଦି ପଡ଼ିଥାଏ ମୋ କୋଳରେ । ମୁଁ ମୋର ଉଭୟ ଓଠକୁ ତା’ ଓଠରେ ଛୁଏଁଇଲି–କେତେକ୍ଷଣ ବିତିଗଲା ମୁଁ ତାକୁ ମୋଠୁ ଅଲଗା କରି ଓହ୍ଲେଇ ଆସିଲି ରାସ୍ତାକୁ, ମୁହଁକଲି ମୋ ରାଜ୍ୟର ଆକାଶ ତଳକୁ !!

 

(ସାତ)

 

ମୋ ରାଇଜର ଆକାଶ ତଳେ ପାଦ ଥାପିବାକ୍ଷଣି ଦେଖାହେଲେ ବନ୍ଧୁ ଜୟଦ୍ରଥ । ଅନେକ ଦିନ ପରେ ମତେ ଦେଖି ଆଲିଙ୍ଗନ କଲେ, ପୁଣି କେତେପ୍ରଶ୍ନ ପଚାରିଗଲେ । ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେଲି । କେତେକ୍ଷଣ ସ୍ମୃତି ରୋମନ୍ଥନ କରିବାରେ ବିତିଗଲା । ତା'ପରେ କ୍ରମେ ଆମେ ଦୁହେଁ ଫେରିଆସିଲୁ ଆମ ରାଜ୍ୟର ଘଟଣାକୁ ।

 

ମୁଁ ପଚାରିଲି : ‘ବନ୍ଧୁ, ସେଇ ଜାହାଜ ଓ ତା’ ଭିତରେ ଥିବା ଅଗଣିତ ମଣିଷମାନଙ୍କର ଖବର କ’ଣ ?’

 

ଜୟଦ୍ରଥ କହିଲେ, ‘ଖବର ଆଉ କ'ଣ ? ମାଲ୍ୟାଣୀ ବୁଢ଼ୀ ତୁମକୁ ଅନ୍ୟ କେଉଁ ରାଇଜରେ ଛାଡ଼ିଆସିବା ପରେ ଜାହାଜଟା ଧୀରେ–ଖୁବ୍ ଧୀରେ ବୁଡ଼ିବାକୁ ଲାଗିଲା–ଦିନକୁ ସୂତାଏ ଲେଖା ବୁଡ଼ୁଥାଏ, କାରଣ ତୁମେ ଯିବାପରେ ଆଉ କେହି ଖାଣ୍ଟି ହୃଦୟର ମନଲୋଭା ହସଟେ ହସିପାରିଲେ ନାହିଁ । ଏବେ ଜାହାଜଟା ବୁଡ଼ିଯିବ ବୋଧେ–ଆସନ୍ତାକାଲି ସୂର୍ଯ୍ୟାସ୍ତ ପୂର୍ବରୁ ! ସୂତାଏ ଅଛି ଆଉ, ସୂତା ଖିଅରେ ଲଟକିଛି କୋଟି କୋଟି ମଣିଷର ଜୀବନ ! ପୁଣି ମାଲ୍ୟାଣୀ ଜଗିବସିଛି ଜାହାଜକୁ କାଳେ ତୁମେ କେତେବେଳେ ଆସିଯିବ କି !! ଜାହାଜକୁ ବୁଡ଼ାଇ ସାରିଲେ ଯେମିତି ବୁଢ଼ୀର ଜନ୍ମଜନ୍ମର ତପସ୍ୟା ସାର୍ଥକ ହେବ ! ଆଉ ମାତ୍ର ସୂତାଏ ଅଛି–ଜାହାଜର ସମସ୍ତ ଅଂଶ ଜଳରେ, ଖାଲି ନାଁକୁ ଯାହା ଉପରକୁ ଦିଶୁଚି ଜାହାଜର ଊର୍ଦ୍ଧ୍ୱାଂଶ କଦଳୀପତ୍ର ପରି, ତା’ରି ଉପରେ କୋଟିଏ ଲୋକ !’

 

ମୁଁ କହିଲି : ‘ତେବେ ପରେ ଦେଖା ହେବ ବନ୍ଧୁ, ମୁଁ ଯାଉଚି ଏଇ ମୁହୂର୍ତ୍ତରେ ଜାହାଜ ପାଖକୁ, କାଲି ସୂର୍ଯ୍ୟାସ୍ତ ପୂର୍ବରୁ ମତେ ଜାହାଜ ନିକଟରେ ପହଞ୍ଚିବାକୁ ହେବ !’

 

ମୁଁ ତରତରରେ ଚାଲିବାକୁ ଆରମ୍ଭ କଲି ! ପଛରୁ ଜୟଦ୍ରଥଙ୍କ କଣ୍ଠ ଶୁଭୁଥିଲା : ‘ତମେ ଯାଅନି ବନ୍ଧୁ, ତମେ ଯାଅନି । ମାଲ୍ୟାଣୀ କେବଳ ତୁମକୁ ଅପେକ୍ଷା କରିଚି । ତମ ଉପରେ ତା’ ଦୃଷ୍ଟି ପଡ଼ିବାକ୍ଷଣି ମେଣ୍ଢା କରିଦେବ ତମକୁ !’ ତାଙ୍କ କଥାରେ କର୍ଣ୍ଣପାତ ନକରି ମୁଁ ଦୌଡ଼ିଲି ଜାହାଜ ପାଖକୁ !

 

ଏଇତ ଦୂରରୁ ଜାହାଜଟା ଦିଶୁଚି ! ଜାହାଜର କୌଣସି ନିମ୍ନାଂଶ ଦୃଶ୍ୟ ହେଉ ନାହିଁ ! ମନେହେଉଚି ସତେ ଯେମିତି ଜାହାଜର ମଣିଷମାନେ ଠିଆ ହୋଇଛନ୍ତି ପଦ୍ମପତ୍ରଟିଏ ଉପରେ । ସତେଅବା ଜାହାଜଟା ଏକ ଫର୍ଦ୍ଦ କାଗଜ ! ଏଇତ ମାଲ୍ୟାଣୀ ବୁଢ଼ୀ ଠିଆ ହୋଇଚି ସ୍ଥଳଭାଗରେ, ଜାହାଜଠୁ ଅନତିଦୂରରେ, ଜାହାଜ ଉପରେ ନିବଦ୍ଧ ତା’ର ଦୃଷ୍ଟି ! ମୁଁ କେମିତି ପହଞ୍ଚିବି ଜାହାଜ ପାଖରେ ? ଜାହାଜ ଉପରେ ନ ପହଞ୍ଚିପାରିଲେ ନାଇଁ, ମୁଁ ଏମିତି ଏକ ଦୂରତାରେ ପହଞ୍ଚିବା ଆବଶ୍ୟକ ଯେଉଁଠୁ ଜାହାଜ ଉପରିସ୍ଥ ଲୋକମାନେ ଅନ୍ତତଃ ମୋ ହସ ଶୁଣିପାରିବେ ! ହେଲେ କେମିତି ସମ୍ଭବ ଏକଥା ? ମାଲ୍ୟାଣୀ ବୁଢ଼ୀ ଯେତିକି ଦୂରତାରେ ଠିଆହୋଇଚି, ଅନ୍ତତଃ ସେତିକି ଦୂରତାରେ ପହଞ୍ଚିବା ଆବଶ୍ୟକ । ହେଲେ ମୁଁ କେମିତି ଯିବି ଏତେ ନିକଟକୁ ? ବୁଢ଼ୀ ତ ମତେ ଦେଖିଦେବ ! କିଏ ଜାଣେ, ମତେ ଆଖିପିଛୁଳାକେ ମେଣ୍ଢା କରିନଦେବ ! ଏବେ ମୁଁ କ’ଣ କରିବି-??

 

ଓଃ ! କି ଭୟଙ୍କର ଅନୁଭବ ଏ ! ଜାହାଜଟା ଏତେବଡ଼–ସତେଅବା ସମସ୍ତ ସମୁଦ୍ରର ଜଳକୁ ଆବୃତ୍ତ କରିରଖିଚି, ସେଇ ଜାହାଜରେ ପୁଣି କୋଟି କୋଟି ଲୋକ–ଅଥଚ କାହାରି ଜଣକର ମୁହଁରେ ହସ ନାହିଁ ! କାହାର ଜଣକର ମରିବାକୁ ସାହସ ନାହିଁ ? ଏ କି ଭୟଙ୍କର ଦୃଶ୍ୟ-? ମଣିଷର ମରିବାକୁ ସାହସ ନାହିଁ ? ମାଲ୍ୟାଣୀର ଭୟରେ ସମସ୍ତଙ୍କ ମୁହଁରୁ ନିଭିଯାଇଛି ହସ, ସମସ୍ତଙ୍କ ହୃଦୟର ଆକାଶରେ ଘନେଇ ଆସିଚି କଳାମେଘ ! କାହିଁ, କେହି ଜଣେ ତ ବୋଧେ ସାହସ କରି ଭାବିପାରୁ ନାହିଁ, ‘ଯାଉ, ବୁଡ଼ିଯାଉ ଏବେ ଜାହାଜଟା ! ହେଲେ ମୋର ବା କ’ଣ ଯାଏଁ ଆସେ ? ମୁଁ ବୁଲିଲି ଜାହାଜରେ ବସି ଜଗତର ଏକୂଳ ସେକୂଳ, ଏବେ ଅବା ବୁଡ଼ିଯିବି ଜଳରେ, କ’ଣ ହେଲା ସେଇଠୁ ?? ନା–ସେମିତି ସାହସୀ ମଣିଷ କେହି ନାହିଁ । ସାହସଶୂନ୍ୟ ହେଇଚି ଧରଣୀ ! ସେଥିପାଇଁ ମାଲ୍ୟାଣୀ ବୁଢ଼ୀଟା ଆଜି ଡରଉଚି କୋଟିଏ ମଣିଷକୁ, ସେଥିପାଇଁ ସମସ୍ତଙ୍କୁ ଗୋଡ଼ଉଚି କୋକୁଆ, ସେଥିପାଇଁ ସାରା ଜଗତର ପଶୁପକ୍ଷୀ ଆଜି ଆତଙ୍କିତ ମୃତ୍ୟୁର ନାମ ସ୍ମରଣରେ, ସେଥିପାଇଁ କାକୁସ୍ଥ ଆଜି ଜୀବନ ! ମାଲ୍ୟାଣୀ ବୁଢ଼ୀର ପାପୁଲିରେ ଝୁଲୁଚି ମୃତ୍ୟୁ ନାମକ ଏକ ବୀଭତ୍ସ ରୂପ, ଏକ ବୀଭତ୍ସ ଦୃଶ୍ୟ–ଯାହାର ଦର୍ଶନରେ କୋଟିଏ ଲୋକ ବାଘ ସାମ୍ନାରେ ଛେଳି ପରି ହୋଇଯାଇଛନ୍ତି !!

 

ଓଃ ଜାହାଜର ଊର୍ଦ୍ଧ୍ୱାଂଶଟା ଦିଶୁଥିଲା ପଦ୍ମପତ୍ର ପରି ଅର୍ଥାତ୍ ଆଉ ସମସ୍ତ ଅଂଶ । ନିମଗ୍ନ ଜଳରେ, ପଦ୍ମପତ୍ରରେ ଲଟକିଛି କୋଟିଏ ଜୀବନ, କୋଟିଏ ନୁହେଁ–କୋଟିଏ ମଣିଷର ଗୋଟିଏ ଜୀବନ, ସେଇ ପଦ୍ମପତ୍ରପରି ଦିଶୁଥିବା ଜାହାଜର ଊର୍ଦ୍ଧ୍ୱାଂଶ ବୋଧେ ଏବେ ବୁଡ଼ିଯିବ କ୍ଷଣକରେ–ଆଖି ପିଛୁଳାକେ ! ନା–ନା–ମୁଁ ତା’ କରାଇଦେବିନି । ଯାହା ହେବାର ହେଉ, ଏବେ ମୋତେ ମୋ କାମ କରିବାକୁ ହେବ, ମତେ କୋଟିଏ ମଣିଷର ଗୋଟିଏ ଜୀବନ ରକ୍ଷାକରିବାକୁ ହେବ !!

 

(ଶେଷ)

 

ଏଇ ଦେଖ ମୁଁ ଠିଆହୋଇଚି ମାଲ୍ୟାଣୀଠୁ ଦଶହାତ ଦୂରରେ । ମାଲ୍ୟାଣୀର ଦୃଷ୍ଟି ଜାହାଜ ଆଡ଼େ, ବୋଧେ ଭାବୁଥିବ ଜାହାଜଟା ବୁଡ଼ିଯିବ–ସେପାଇଁ ଶେଷକ୍ଷଣରେ ଦେଖୁଚି ଜାହାଜକୁ ମୁଁ ତା’ ପଛପଟେ ଏତେ ପାଖରେ ପହଞ୍ଚିଗଲିଣି ବୋଲି ସେ ଜାଣିପାରି ନାହିଁ !

ଏଇ ଦେଖ, ମୁଁ ଆରମ୍ଭୁଚି ମୋର ହସ, ସେଇ ଅଦ୍ଭୁତ ହସ, ତନୁ ଶିହରଣକାରୀ ହସ, ହୃଦୟ ବିମୋହନକାରୀ ହସ, ସେଇ ହସ ଯେଉଁ ହସରେ ଲଟକିଛି କୋଟିଏ ମଣିଷର ଗୋଟିଏ ଜୀବନ । ଯେଉଁ ହସର ଅନୁପସ୍ଥିତିରେ ଜଗତଟା ଡୁବିଯିବାକୁ ବସିଛି ଅନନ୍ତ ସମୁଦ୍ରରେ–ସେଇ ହସ, ସୃଷ୍ଟି ରକ୍ଷାକାରୀ ହସ–ପୁଣି ସୃଷ୍ଟି ଧ୍ୱଂସକାରୀ ସେଇ । ମୋ ହସରେ କୋଟି ବିଶ୍ୱ ସୃଷ୍ଟି ହୁଏ, ପୁଣି କୋଟି କୋଟି ବିଶ୍ୱ ନିମଗ୍ନ ହୁଏ ଏକ ଅଜ୍ଞାତ ଲହରୀରେ–ଶୂନ୍ୟ ଲହରୀ, ମାଡ଼ିଆସେ ଅଚାନକ ଯେଉଁ ଶୂନ୍ୟ ଲହଡ଼ି–ଥୟ ରହେ ନାହିଁ କୋଟି କୋଟି ବିଶ୍ଵର !

ଏଇ ଦେଖ ମୁଁ ଆରମ୍ଭୁଚି ମୋର ହସ–ପ୍ରଥମେ ଧୀରେ, କ୍ରମେ ମୋର ସ୍ଵରର ତୀକ୍ଷ୍ଣତା ବଢ଼ୁଚି, ଜୋରରେ–ଆହୁରି ଜୋରରେ । ଯିଏ ଯେଉଁଠି ଅଛି ଶୁଣି ଯାଅରେ ମଣିଷର ଦଳ, ପଶୁର ଦଳ, କୀଟପତଙ୍ଗର ଦଳ । ଏବେ ଶୁଣିଯାଅ, ନଚେତ୍ ହସର ଶବ୍ଦ ବଢ଼ିବ, ତୀକ୍ଷ୍ଣତା ପ୍ରବଳରୁ ପ୍ରବଳତର ହେବ–ଆଉ ତମ କାନକୁ ଶୁଭିବ ନାହିଁ କି ଆଖିକୁ ଦିଶିବ ନାଇଁ ମୋର ହସହସ ମୁହଁ–ମୋର ମୁହଁ ତ ସ୍ପର୍ଶ କରୁଥିବ ଅନନ୍ତ ଉଚ୍ଚତାକୁ–ତମ ଦୃଷ୍ଟି ପାଇବ ନାଇଁ ସେ ଯାଏଁ, ମୋର ଶରୀର ଲମ୍ବିଥିବ ଅନନ୍ତ ପାତାଳଯାଏ, ମୋ ହସ୍ତର ଶବ୍ଦ ଉଚ୍ଚକିତ କରିଦେବ କୋଟିଏ ବିଶ୍ଵର ପ୍ରାଣକୁ, ମୋ ହସର ଶବ୍ଦ ବ୍ୟାପିଯିବ ଜଳ–ସ୍ଥଳ–ପବନ–ସ୍ଵର୍ଗ–ମର୍ତ୍ତ୍ୟ–ପାତାଳ ! ଏବେ ଶୁଣ, ଏବେ ଶୁଣ–ନଚେତ୍ କେବେ ଶୁଣିପାରିବ ନାହିଁ ! ଏବେ ଶୁଣ ଓ ସୃଷ୍ଟିକୁ ବାନ୍ଧିରଖ ଧାରେ ହସର ପାଖୁଡ଼ାରେ–ନହେଲେ ମୋ ହସର ଶେଷରେ ଯେଉଁ ଲହଡ଼ି ଉଠିବ ସେଥିରେ କୋଟିଏ ବିଶ୍ଵ ବିଲୀନ ହେବ କେଉଁ ଏକ ବିରାଟ ବିନ୍ଦୁରେ । ବିନ୍ଦୁ–ସେଇଠୁ ଆରମ୍ଭ ପୁଣି ସେଇଠି ଅନ୍ତିମ । ଶୂନ୍ୟ ବିନ୍ଦୁ, ମହାଶୂନ୍ୟ ବିନ୍ଦୁ, ଶୂନ୍ୟ ମହାବିନ୍ଦୁ । ବିନ୍ଦୁରେ ଲହଡ଼ି–ଲହଡ଼ିରେ କୋଟି କୋଟି ବିଶ୍ୱ ! ମାରିବ ଶୂନ୍ୟ ଲହଡ଼ିରେ ଥୟ ନୋହିବ ! ଏ ସୃଷ୍ଟି ମୁଁ ନୂଆକରି ଗଢ଼ିବି–ନୂଆଘର ଖଣ୍ଡି ଦିନେ ପୁରୁଣା ହେବ, ପୁରୁଣା ହୋଇଗଲାଣିରେ ବାଇମନମାରିବ ଏବେ ଶୂନ୍ୟ ଲହଡ଼ି–ହେଲେ ସେ ଲହଡ଼ି ମାରିବା ପୂର୍ବରୁ ତମେ ଯିଏ ଯେଉଁଠି ଅଛ ସଞ୍ଚି ନିଅ ଜୀବନ, ଯୌବନ, ସୁଖ ଓ ଦୁଃଖର ସମୟ ! ଜୀବନକୁ ବାନ୍ଧିରଖ, ସମୟକୁ ନିଗିଡ଼ି ଯିବାକୁ ଦିଅ ନାହିଁ ପାପୁଲି ସନ୍ଧିରୁ ! ଏ ସୃଷ୍ଟିକୁ ରକ୍ଷାକର ! ଶୂନ୍ୟ ଲହଡ଼ି ଆସିବା ଆଗରୁ ସାବଧାନ ହୋଇ ସୃଷ୍ଟିକୁ ଲୁକ୍କାୟିତ କରି ପାପୁଲି ସନ୍ଧିରେ, ମନର ଅଳିଆଗଦା ତଳେ, ବିବେକର ବନ୍ଦ ସିନ୍ଦୁକରେ, ହୃଦୟର ସାତତାଳ ପଙ୍କତଳେ ଥିବା ସୁବର୍ଣ୍ଣ ଫରୁଆରେ !

ମୁଁ ହସ ଆରମ୍ଭଚି । ମୋ ହସର ବଂଶୀସ୍ଵନରେ ଜଗତର ଜୀବସବୁ ବିହ୍ୱଳିତ ହୋଇଯାଉଛନ୍ତି । ଜଗତଟା ସାରା ନିଦୁଆ ନିଦୁଆ ଅନୁଭବ ସୃଷ୍ଟି ହେଉଚି । ହସର ତରଙ୍ଗ ବସନ୍ତ ପବନ ପରି ସ୍ପର୍ଶ କରିଯାଉଚି ସମସ୍ତଙ୍କୁ । ମୋ ହସର ଶବ୍ଦ ବଢ଼ୁଛି ଧୀରେ, ଅତି ଧୀରେ । ମାଲ୍ୟାଣୀ ଚମକୁଚି, ଚମକିପଡ଼ି ମତେ ଚାହୁଁଚି !!

ମାଲ୍ୟାଣୀ ଏବେ ମତେ ଚାହିଁଥିବ । ଏତେ ନିକଟରେ ମତେ ଦେଖି ଆଶ୍ଚର୍ଯ୍ୟ ହେଉଥିବ । ହେଲେ ମୋତେ କିଛି ଦେଖାଯାଉ ନାହିଁ । ମୋତେ କିଛି ଶୁଣାଯାଉ ନାହିଁ । ମୁଁ ହସୁଚି ଓ ହସୁଚି । ମୋ ହସର ଶବ୍ଦ ବ୍ୟାପିଯାଉଚି ଚଉଦିଗ ! ମୋ ହସର ଶବ୍ଦ ଏବେ ଜାହାଜସ୍ଥ କୋଟିଏ ମଣିଷର କର୍ଣ୍ଣଗୁହରରେ ପ୍ରବେଶ କରିସାରିଥିବ । ସେମାନଙ୍କ ପ୍ରାଣରେ ନୂତନ ସ୍ପନ୍ଦନ ଦେଖାଦେଉଥିବ । ବଞ୍ଚିବାର ଆଶା କଅଁଳିଯାଉଥିବ । ବୟସକୁ ମନଭରି ଉପଭୋଗ କରିବାର ଆଶା ବଳବତୀ ହେଉଥିବ । ଚଉଦିଗର ଶୁଷ୍କ ପୁଷ୍କରିଣୀରେ ଜଳସଂଚାର ହେଉଥିବ । ଥୁଣ୍ଟାଗଛରେ ପତ୍ର ମେଲି ଯାଉଥିବ । ଫୁଲଗଛରେ ଫୁଲ ଫୁଟୁଥିବ । ପକ୍ଷୀମାନଙ୍କର ମଧୁର ସ୍ଵରରେ ଜଗତର କୋଣାନୁକୋଣ ସୁରଭିତ ହେଉଥିବ । ସୁବାସିତ ମଳୟ ଛୁଇଁ ଯାଉଥିବ ପ୍ରତ୍ୟେକ ଅଣୁକୁ ! ଜଗତଟା ପରିବର୍ତ୍ତିତ ହେଉଥିବ ! ଯନ୍ତ୍ରଣାର ନର୍କଟା ହଠାତ୍ ତୃପ୍ତିର ନନ୍ଦନବନରେ ପରିଣତ ହେଉଥିବ ।

ଆରେ ! ଏ କ’ଣ ? ଏ ଯେ ମୋ ସହ ଆଉ ଜଣେ କିଏ ହସୁଚି ! କିଏ ? କିଏ ? ଓ–ମାଲ୍ୟାଣୀ ବୁଢ଼ୀ ହାରିଯାଇଛି । ମୋ ହସର ମାୟାବୀ ଆବର୍ତ୍ତରେ ଘୂରି ମାଲ୍ୟାଣୀ କାହିଁ କେତେ ଦୂରକୁ ଭାସିଯାଉଚି । ସେ ଭୁଲି ଯାଉଚି ନିଜକୁ ନିଜ କର୍ତ୍ତବ୍ୟକୁ ! ଜୀବନର ସୁଖତମ ହସ କର୍ତ୍ତବ୍ୟ ଭୁଲାଇଦିଏ ମଣିଷକୁ ! ମାଲ୍ୟାଣୀ ମୋ ସହ ହସୁଚି ! ଏଇତ ଜାହାଜଟା ଉପରକୁ ଉଠୁଚି । ଜାହାଜର ଅନେକ ଅଂଶ ଉପରକୁ ଦିଶିଲାଣି ! ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିବା କୋଟିଏ ମଣିଷର ମୁହଁରେ ଫୁଟିଉଠିଚି ଏଇ ହସ–ମୋରି ହସ ! ସେଇମିତିଆ ହସଟେ ଯଦି ସେମାନଙ୍କ ଭିତରୁ ଜଣେ କେହି ହସିଥାନ୍ତା–ତେବେ ଲକ୍ଷେ ମାଲ୍ୟାଣୀବି ସେମାନଙ୍କ ସମ୍ପର୍କର ଏତେବଡ଼ ଜାହାଜକୁ ବୁଡ଼େଇ ଦେଇପାରି ନଥାନ୍ତେ ! ଏବେ ଦେଖ, ସେମାନେ ସେଇ ଜଗତ ମନଲୋଭା, ମୁନି ମନୋହାରୀ, ନର୍କକୁ ନନ୍ଦନବନରେ ପରିଣତ କରିପାରୁଥିବା ହସ ହସୁଛନ୍ତି ! ଆଉ ଭୟ କ’ଣ-? ଏ ଜଗତକୁ ଆଉ ଶୂନ୍ୟ ଲହଡ଼ି ମାଡ଼ିଆସିବ ନାହିଁ !!

ସତରେ ଜଗତଟା ସ୍ଵର୍ଗ ହେଇଯାଉଚି–ଦେଖ !!

Image